Jump to content

ଅର୍ଘ୍ୟଥାଳୀ/ମଳୟ ଆବାହନ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ମଳୟ ଆବାହନ


ମଳୟ ଆବାହନ
ଲେଖକ/କବି: ଗଙ୍ଗାଧର ମେହେର



ଧୀରେ ଧୀରେ ଆସ ମଳୟ ପବନ
ଧୀରେ ଧୀରେ ଆସ ବହି,
ପୁଲକିତ କର ଉତ୍କଳବାସୀଙ୍କି
ଶୁଭ ସମାଚାର କହି ।

ସ୍ୱାଗତ କରୁଛଁ ଉପହାର ଘେନି
ଆମ୍ବ ବଉଳର କଷି,
ଉଦାର ହୃଦୟେ ଗ୍ରହଣ କର ତା’
ମୃଦ୍ୟୁ ହିଲ୍ଲୋଳରେ ହସି ।

ସାଧୁ ସମୀପରେ ଉତ୍କର୍ଷ ଲଭଇ
ବନ୍ଧୁଦତ୍ତ ଉପହାର,
ତୁମ୍ଭ କରେ ପଡ଼ି ନିଶ୍ଚୟ ନିଶ୍ଚୟ
ଶ୍ରୀବୃଦ୍ଧି ହେବ ଏହାର ।

ଋଷିକୁଲ୍ୟା ଜଳେ ପୟର ପଖାଳି
ମହେନ୍ଦ୍ର ଆସନେ ବସ,
ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ-
କର ସ୍ୱର୍ଣ୍ଣରେଖା ରସ ।

ମହୋଦଧି ଜଳେ ତର୍ପଣ କରିବ
ବିହରିବ ବନେ ବନେ,
ନୃସିଂହନାଥର ପ୍ରପାତ ଲମ୍ଫନ
ଚାହିଁ ମୁଗ୍‌ଧ ହେବ କ୍ଷଣେ ।

ତୁମ୍ଭ ଗଲା ଦିନୁ କେତେ ବିପର୍ଯ୍ୟୟ
ଘଟିଅଛି ଏ ଭୁବନେ,
ଶୁଣ ବନ୍ଧୁ ଆଗେ ତୁମ୍ଭଙ୍କୁ କହିବା
ପାଇଁ ରଖିଅଛିଁ ମନେ ।

ବନ୍ଧୁ ନିକଟରେ ମନକଥା ସବୁ
କହିବାକୁ ଲାଗେ ସୁଖ,
ବସନ୍ତ ନିକଟେ ତହିଁପାଇଁ ସିନା
ପିକ ହୁଏ ବାବଦୂକ ।

ଚୂତ ବଉଳାଇ ରସାଳ ଫଳାଇ
ପଚାଉଥିବ ଯା ଭଲ,
ପ୍ରଚଣ୍ଡ ପବନ ନଷ୍ଟ କରିଦେଲା
ଝାଡ଼ିଝୁଡି ସେ ସକଳ ।

ଯେତେ ଯେତେ ଫୁଲ ବିକଶାଇଥିଲ
ପଲ୍ଲବାଇଥିଲ ତରୁ,
ଫୁଲସବୁ ଗଲା କେ ତରୁ ଭାଙ୍ଗିଲା
ଉପୁଡ଼ିଲା କେ ମୂଳରୁ ।

ତୁମ୍ଭ ସମୟରେ ଦେଉଥିଲେ ଯେଉଁ
ଭାସ୍କର ମଧୁର କର,
ତୁମ୍ଭ ଗଲା ଦିନୁ ଦିନୁ ଦିନ ହେଲା
ସେ କର ପ୍ରଖରତର ।

ଏତେ ପରଚଣ୍ଡ ହେଲା ଯେ ତହିଁରେ
ଜୀବନ ହେଲା ଅସ୍ଥିର,
ଦେହ ରକ୍ତ ପାଣି- ସ୍ୱରୂପେ ବହିଲା
ଭାଙ୍ଗିଲା ବଳ ଅସ୍ଥିର ।

କେତେବେଳେ ବାୟୁ କିଞ୍ଚିତେ ନ ବହି
ପ୍ରାଣ କରେ କଲବଲ,
ତୁମ୍ଭଙ୍କୁ ସ୍ମରଣ କରୁ ସେତେବେଳେ
ଜୀବନଧାରୀ ସକଳ ।

କେବେ ରାତ୍ରେ ଚନ୍ଦ୍ର ତାରା ନ ଦିଶିଲେ
ଦିନେ ହେଲା ଅନ୍ଧକାର,
ଶୂନ୍ୟ ହେଲା ଘୋର ନିନାଦ, ଶୂନ୍ୟରୁ
ଖସିଲା ସଲିଳଧାର ।

ଯେଉଁ ସରିତକୁ ଦେଖୁଅଛ ଏବେ
ନିର୍ମଳ, ମୃଦୁଗାମିନୀ,
ଭୟଙ୍କର ବେଗେ ଧାଇଁଥିଲେ ହୋଇ
ଆବିଳ, କୂଳପ୍ଳାବିନୀ ।

ଯେତେ ଆବର୍ଜ୍ଜନା ଥିଲା ଅବନୀରେ
କରି ଅଙ୍ଗ ଅଳଙ୍କାର,
ପ୍ରଚଣ୍ଡ ଉପଳ ଶିରେ ନାଚୁଥିଲେ
ଭୀଷଣ କରି ଚତ୍କାର ।

ଏହି ନଦୀ-ବାଲି ଗ୍ରୀଷ୍ମ ମଧ୍ୟାହ୍ନରେ
ହୋଇଥିଲେ ଅଗ୍ନିକଣା ।
ଶୀତରାତ୍ରେ ପୁଣି ହେଲେ ବରଫର
ଜନକ ସ୍ୱରୂପେ ଗଣା ।

ଯେମନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ହୋଇଥିଲା
ତହୁଁ ବଳିଗଲା ଶୀତ,
ନିଜେ ବିଭାବସୁ ଅନଳ କୋଣକୁ
ଦଉଡ଼ିଲେ ହୋଇ ଭୀତ ।

ଯେଉଁ ଦେହେ ଆର୍ଦ୍ର ବାସ ଢାଙ୍କୁଥିଲୁଁ
ତା’ପରେ ହୋଇ କାତର,
ସେହି ଦେହେ ସ୍ଥୂଳ କମ୍ବଳ ରେଜାଇ
ଢାଙ୍କିବା ନ ହେଲା ତୋର ।

ଶୀତ ସମ୍ମିଶ୍ରିତ ସୁଧାକର- କର
ବୋଧହେଲା ବିଷ ପ୍ରାୟେ,
ନାରିକେଳଜଳେ କର୍ପୂର ମିଶିଲେ
ଯଥା ବିଷ ହୋଇଯାଏ ।

ଅବଶ୍ୟ ସେ କାଳେ ପାଇଅଛୁଁ ଫୁଲ
ଫଳ କେତେ ପରକାର,
କିନ୍ତୁ ଯେତେ ଯେତେ କ୍ଳେଶ ପାଇଅଛୁଁ
ହୃଦେ ରହିଅଛି ଘାର ।

ଖରାବେଳେ ଶୀତ ବର୍ଷା ବାଞ୍ଛା କରୁ
ଆସି ସେ ବରଷା ଶୀତ,
ଯେମନ୍ତ ପ୍ରତାପ ଦେଖାଇଲେ ତହିଁ
ଖରାହିଁ ହେଲା ବାଞ୍ଛିତ ।

ଆଜି ସେ ସମସ୍ତ ହୋଇଛନ୍ତି ଶାନ୍ତ
ଚାହିଁ ତୁମ୍ଭ ଆଗମନ,
ଆସ ବନ୍ଧୁବର, ବୁକୁଚା ଫିଟାଇ
କର ସୁଖ ବିତରଣ ।

ଅନେକ ପାଦପ ଚନ୍ଦନ ହୁଅନ୍ତି
ପରା ତୁମ୍ଭ ସ୍ପରଶରେ,
ଆମ୍ଭ ଦେଶ ତରୁ- ସକଳ ତହିଁରୁ
ବଞ୍ଚିତ କେଉଁ ଦୋଷରେ ?

ଚନ୍ଦନ ନ ହେଲେ ନୁହନ୍ତୁ ପାଦପେ
ହୁଅନ୍ତି ତ କୁସୁମିତ,
ବନ ଉପବନ ତୁମ୍ଭ ଆଲିଙ୍ଗନେ
ହୋଇଥାନ୍ତି ଆମୋଦିତ ।

ସତ୍ୱର ଫିଟାଅ ପଦ୍ମ ପରିମଳ
ମଲ୍ଲିକା ମଧୁର ବାସ,
ଦିଅ ଦିଅ ଜ୍ୟୋତି- ପ୍ରକାଶିନୀ ବଟୀ
ମ୍ଳାନି ହେବ ବେଗେ ନାଶ ।

ପ୍ରାଣପ୍ରମୋଦନ ରସ ପ୍ରଦାନରେ
ବିଳମ୍ବ ନ କର ଆଉ,
ଦେଇ ପ୍ରମାଞ୍ଜନ ପ୍ରେମେ ଆଲିଙ୍ଗନ
କର ହେ ପ୍ରସାରି ବାହୁ ।

ବିଞ୍ଚିଦିଅ ଚଣା କେଦାର କେଦାରେ
ଖାଇ ‘ଦେଚଡ଼ାଇ’ ମାନେ,
ଦଳ ଦଳ ଉଡ଼ି ଗଗନେ ମାତିବେ
ତୁମ୍ଭର ବିଜୟ-ଗାନେ ।

ତଳେ ଗ୍ରାମେ ଗ୍ରାମେ ବାଳକମଣ୍ଡଳ
ମୁଦେ ହୋଇ ଉବ୍ଦେଳିତ,
ଉଚ୍ଚେ ଡାକି ଡାକି ଗାଅ ଗାଅ ବୋଲି
କରୁଥିବେ ଉତ୍ତେଜିତ ।

କେଉଁ ଦୂର ଦେଶେ ଏତେ ଦିନ ଯାଇ
ଥିଲ କହ ବନ୍ଧୁବର,
ହୁଅଇ କି ସେହି ଦେଶେ ସେହିପରି
ଆତପ ଝଡ଼ କାକର ।

ଫିଟାଇବ କି ନା ରସାଜ ଭଣ୍ଡାର
ଆଣିଛ ନା ଏ ବରଷ,
ଦେଇ ଅନୁକୂଳ- ଉତ୍ତର ସତ୍ୱର
ବଢ଼ାଅ ଆମ୍ଭ ହରଷ ।

•••