ଅର୍ଘ୍ୟଥାଳୀ/ମହାନ୍ଧକାର
ମହାନ୍ଧକାର
ଲେଖକ/କବି: ଗଙ୍ଗାଧର ମେହେର
(୧)
ଅନ୍ଧକାର ଅନ୍ଧକାର ଅନ୍ଧକାରରାଶି,
ଅନନ୍ତ ଆକାରେ ଅଛି ଜଗତକୁ ଗ୍ରାସି ।
ସଉର ଜଗତ ଦୀପ ଆମ୍ଭ ପ୍ରଭାକର
ଅନ୍ଧକାର ନାଶେ ମାତ୍ର ସୌର ଜଗତର ।
ବିଶ୍ୱ ତୁଳନାରେ ଏହି ସଉର ଜଗତ
ପୃଥ୍ୱୀ ତୁଲେ ଗୃହଟିରୁ ନ ହେବ ବୃହତ ।
ପୃଥିବୀର ପୃଷ୍ଠେ ଅଛି ଯେତେ ଯେତେ ଘର,
ତହିଁ ଦୀପ ଏକ ଏକ ତାରା ମନେକର ।
ପ୍ରଥମ ନିଶାରେ ଉଠି ପର୍ବତ ଶିଖରେ
ଦୃଷ୍ଟିପାତ କଲେ ଏକ ପ୍ରକାଣ୍ଡ ନଗରେ,
ନଗର ଆଲୋକ ଯଥା ହୁଏ ଦୃଶ୍ୟମାନ,
ଛାୟାପଥ ହୋଇପାରେ ସେ ଦୃଶ୍ୟ ସମାନ ।
ଘୋର ଘନ ସମାଚ୍ଛନ୍ନ ଅମା ରଜନୀରେ
ଅବଶିଷ୍ଟ ଅନ୍ଧକାର ଯେତେ ଅବନୀରେ,
ତହୁଁ ବଳି ତମେ ପୂର୍ଣ୍ଣ ଅସୀମ ଗଗନ,
ଅତି ଦୂରୁ ଦିଶୁଅଛି ସୁନୀଳ ବରଣ ।
ବିଶ୍ୱ ଯଦି ହୋଇଥାନ୍ତା ଶୁଭ୍ରାଲୋକମୟ,
ନ ଦିଶନ୍ତେ ରବି ଚନ୍ଦ୍ର ତାରକାନିଚୟ ।
ପର୍ବତେ ଜଳଇ ବହ୍ନି ଦିଶଇ କି ଦିନେ,
ନ ଦିଶେ ତେଜସ୍ୱୀ-ତେଜ ତିମିରବିହୀନେ ।
କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ,
କାଳେ ମହା-ଅନ୍ଧକାର-ଗର୍ଭେ ହେବେ ଲୀନ ।
(୨)
ଅଙ୍ଗାରଗରଭେ ଯଥା ହୀରକ ଜନମ,
ତମୋଗର୍ଭେ ଜନମିବା ଜ୍ୟୋତିଷ୍କଧରମ ।
ଜାତର ମରଣ ସର୍ବେ କରନ୍ତି ସ୍ୱୀକାର,
କିଏ ନ ବୋଲିବ ତେବେ ନିତ୍ୟ ଅନ୍ଧକାର ?
ତମୋମୟ ମହାକାଶେ ସୁପ୍ରକାଶମାନ
ଆକାଶ, ମରୁତ, ବହ୍ନି, ଜଳ, ଭୂମିମାନ,
ଆକାଶ ବହିଛି ସେହି ତିମିରବରଣ,
ମରୁତେ ତିମିର କାନ୍ତି ହୋଇଛି କ୍ଷରଣ ।
କୃଷ୍ଣ ଅର୍ଚ୍ଚିନାମ ନିଜେ ବହିଛି ଅନଳ,
ନୀଳ ଦିଶେ ସ୍ୱଚ୍ଛସିନ୍ଧୁ, ସରିତର ଜଳ ।
ଭୂମିର ଗରଭେ ବିଲେ ଭୂଧର କନ୍ଦରେ
ନିତ୍ୟ ଅନ୍ଧକାର, ଲୁଚି ନାହିଁ ସୂର୍ଯ୍ୟ ଡରେ ।
ରବି କରେ ଅଛି ନୀଳ ବର୍ଣ୍ଣେ ଅନ୍ଧକାର,
ତରୁ ତୃଣ ଶ୍ୟାମଳତା ତାହାର ବିକାର ।
ଆଲୋକେ ଦିଶଇ ସବୁ ଅନିତ୍ୟ ବରଣ,
ତମଃ କୃଷ୍ଣବର୍ଣ୍ଣ ନିତ୍ୟ ଜଗତଶରଣ ।
ଜ୍ୟୋତିଙ୍କ ଜନମଦାତା ସର୍ବ ତମୁପର,
ଏକ ମହାଜ୍ୟୋତିର୍ମୟ ପରମ ଈଶ୍ୱର ।
•••