Jump to content

ଅର୍ଘ୍ୟଥାଳୀ/ସମଲାଈ ଦେବୀଙ୍କ ପ୍ରତି

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ସମଲାଈ ଦେବୀଙ୍କ ପ୍ରତି


ସମଲାଈ ଦେବୀଙ୍କ ପ୍ରତି
ଲେଖକ/କବି: ଗଙ୍ଗାଧର ମେହେର


ଜୟ ମାତଃ ସମଲାଈ ରତ୍ନକିରୀଟିନୀ,
କବରୀ ଶୋଭିତ ତୋର କେତକୀର ଦଳେ
ଶ୍ୱେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀ
ଧବଳ କୁସୁମମାଳ ଲମ୍ବୁଥାଏ ଗଳେ ।

ଜବାପୁଷ୍ପ ଗଭା ମଧ୍ୟେ ଦୀରକର ଭୂଷା,
ଚାହିଁ ମୋ’ ହୃଦୟ ହୁଏ ଆଶା-ପଦ୍ମାକର,
ମଣି ତୋତେ ସଉଭାଗ୍ୟଦିନଶଂସୀ ଉଷା,
ନିକଟେ ଲଭିବ ବୋଲି ସୁଖ ଦିବାକର ।

ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ୱତୀ,
ତୁ ପ୍ରତିଭା, ତୁହି ମାଗୋ ଲକ୍ଷ୍ମୀସ୍ୱରୂପିଣୀ,
ଜଗତ-ଜନନୀ ତୁହି ଆଦ୍ୟା ଭଗବତୀ,
ସମ୍ପତ୍ତିଦାୟିନୀ ସର୍ବ ବିପଦ-ନାଶିନୀ ।

ଜଗତରେ ଯାହା ଅଛି ସବୁ ତୋର ସିନା,
କି ଦେଇ ପୂଜିବି ପଦେ ପ୍ରେମ-ଭକ୍ତି ବିନା ?

    •••