Jump to content

ଅର୍ଘ୍ୟଥାଳୀ/ସୂର୍ଯ୍ୟ ପ୍ରତି ଦୀପ

ଉଇକିପାଠାଗାର‌ରୁ
ଅର୍ଘ୍ୟଥାଳୀ
ଲେଖକ/କବି: ଗଙ୍ଗାଧର ମେହେର
ସୂର୍ଯ୍ୟ ପ୍ରତି ଦୀପ


ସୂର୍ଯ୍ୟ ପ୍ରତି ଦୀପ
ଲେଖକ/କବି: ଗଙ୍ଗାଧର ମେହେର


 
ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ,
ଆଲୋକିତ କରି ଚର-ଅଚର ସକଳ ।

ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,
ଯା’ ଥିଲା ମୋ’ ପ୍ରଭାଟିକ ତା କଲ ହରଣ ।

ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ,
ମୁହିଁ ତମ ନାଶିଥାଏଁ ଶକ୍ତି ଅନୁସାରେ ।

ଉଚିତ ଅଟଇ ମୋହଠାରେ ତୁମ୍ଭତୋଷ,
କିନ୍ତୁ ମୋ’ ଆଲୋକ ନାଶ ଦେଖି କେଉଁ ତୋଷ ?

ଅନ୍ଧକାର ସଙ୍ଗେ କଲ ମୋ’ ଆଲୋକ ଗଣ୍ୟ,
ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !

ନୟନ-ଦେବତା ତୁମ୍ଭେ ଏ କି ଚମତ୍କାର,
ନ ପାରିଲ ବାରି ନିଜେ ଆଲୋକ ଅନ୍ଧାର ।

ଏହି ସ୍ୱଭାବରୁ ତୁମ୍ଭେ ହେଲେ ଯେତେ ବଡ଼,
ଚିହ୍ନା ପଡ଼ିଗଲ ସିନା ଦେବ ନୁହ ଜଡ଼ !

    •••