ଆମ ପାରଳା ମହାରାଜା/ଶ୍ରୀନ୍ତକ୍ଳାନ୍ତ ଜୀବନ ଜଞ୍ଜାଳ
←ନୂତନ ଓଡ଼ିଶା: ପ୍ରଥମ ପ୍ରଧାନମନ୍ତ୍ରୀ | ଆମ ପାରଳା ମହାରାଜା ଲେଖକ/କବି: ଶ୍ରୀନ୍ତକ୍ଳାନ୍ତ ଜୀବନ ଜଞ୍ଜାଳ |
ଅତ୍ୟନ୍ତ ଦୁର୍ଗମ ଏଇ ଜୀବନ ଜଞ୍ଜାଳ । କେତେବେଳେ କଙ୍କରିଳ ତ କେତେବେଳେ ପିଚ୍ଛିଳ । ସବୁକୁ ଦୃଢ଼ତାର ସହିତ ଅତିକ୍ରମ କରିବାକୁ ହେବ । ଅତିକ୍ରମ କରିବାକୁ ଭୟଙ୍କର ଘଞ୍ଚ ବନାନୀ । ସେହି କଳାକୁ ସତେ ଯେମିତି ବେଶ୍ ଆୟତ୍ତ କରି ପାରିଥିଲେ ମହାରାଜା କୃଷ୍ଣଚନ୍ଦ୍ର ।
ଅନେକ ଦୁଃଖଦ ଘଟଣା ଘଟିଥିଲା ମହାରାଜାଙ୍କର ଜୀବନକାଳ ମଧ୍ୟରେ । ସମ୍ଭବତଃ ସବୁଠାରୁ ଦୁଃଖଦ ଥିଲା ମହାରାଣୀଙ୍କର ମୃତ୍ୟୁ ।
୧୯୨୫ ମସିହା । ମହାରାଜାଙ୍କ ବୟସ ମାତ୍ର ପ୍ରାୟ ୩୩ । ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ସେ । ଆନ୍ଦୋଳନ ବେଶ୍ ଦାନା ଧରିଥିଲା । ସାମାନ୍ୟ ସମୟ ଅପଚୟ କରିବାର ବେଳ ନୁହେଁ । ଠିକ୍ ସେତିକିବେଳକୁ ମହାରାଣୀ, ଖରସୁଆଁ ରାଜଜେମା, ନଳିନୀ ଦେବୀଙ୍କର ଅକାଳ ମୃତ୍ୟୁ ହୋଇଥିଲା । ମହାରାଜାଙ୍କ ସାମାଜିକ ପ୍ରତିଷ୍ଠା ସାଙ୍ଗକୁ ତାହାଙ୍କର ପାରିବାରିକ ସୁଖଶାନ୍ତି ଏକାକାର ହେବାର ସୁଯୋଗ ପ୍ରଦାନ କରିବା ପାଇଁ ବିଶ୍ୱନିୟନ୍ତା ସମ୍ଭବତଃ ଚାହୁଁ ନଥିଲେ । ସତେଯେମିତି ଚାହୁଁଥିଲେ ଅଗ୍ନୀପରୀକ୍ଷା କରିବା ପାଇଁ; ଚାହୁଁଥିଲେ ପ୍ରମାଣ କରାଇବା ପାଇଁ ମହାରାଜାଙ୍କ ଉତ୍କଳୀୟ ମମତା-ଜାତୀୟ ଜୀବନର ପରାକାଷ୍ଠା !
ସେଇ କଠୋରତମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମହାରାଜା । ଚରମ ପରାକାଷ୍ଠା ଦେଖାଇଥିଲେ । ସେଇ ବୟସରୁ କଠୋର ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିଥିଲେ ଜୀବନର ଅବଶିଷ୍ଟ ସମୟ ପାଇଁ । ୧୯୧୪ରୁ ୧୯୨୫ ମାତ୍ର ୧୧ ବର୍ଷର ଦାମ୍ପତ୍ୟ ଜୀବନ । ତାଙ୍କର ରକ୍ତର ସ୍ମାରକୀ ଚାରୋଟି ସନ୍ତାନଙ୍କ ଭାର ଗ୍ରହଣ କରିବାକୁ ହୋଇଥିଲା ଅନନ୍ୟୋପାୟ ହୋଇ । ମାତୃହରା ସନ୍ତାନଗଣଙ୍କୁ ସବୁ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ ପାଇଁ ଅତ୍ୟନ୍ତ ଯତ୍ନଶୀଳ ହୋଇ ଉଠିବା ଥିଲା ତାଙ୍କ ପାଇଁ ସ୍ୱାଭାବିକ । ସେହି କାର୍ଯ୍ୟରେ କୃଷ୍ଣଚନ୍ଦ୍ରଙ୍କୁ ଅମୃତମୟ ହାତ ବଢ଼ାଇ ସବୁ ପ୍ରକାରର ସାନ୍ତ୍ୱନାମୂଳକ ସହାୟତା ପ୍ରଦାନ କରିଥିଲେ ତାଙ୍କ ମାଆ ରାଧାମଣି ଦେବୀ । ନାତି ନାତୁଣୀଙ୍କ ସବୁ ଅବସାଦ ପୋଛି ଦେବା ପାଇଁ ଆନ୍ତରିକ ଉଦ୍ୟମ ଥିଲା ତାଙ୍କର । ଉଲ୍ଲେଖ ଅନାବଶ୍ୟକ ଯେ ଗଜପତି କୃଷ୍ଣଚନ୍ଦ୍ରଙ୍କ ପାଇଁ ମଧ୍ୟ ସେ ଥିଲେ ସ୍ୱର୍ଗାଦପି ଗରୀୟସୀ । ପାରଳା ରାଜନବର ଭିତରେ, ଗଡ଼ ଠାକୁରାଣୀ ମାଣିକେଶ୍ୱରୀଙ୍କୁ ବାଦ୍ଦେଲେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାଇଁ ସର୍ବାଧିକ ସମ୍ମାନନୀୟା ଥିଲେ ତାହାଙ୍କର ଜନନୀ । ତାହାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା ଗଡ଼ଦେବୀଙ୍କ କୃପା ଏବଂ ମାଆଙ୍କ ଆଶୀର୍ବାଦ ହିଁ ସମସ୍ତ ଅସାଧ୍ୟକୁ ସାଧନ କରିଦେଇପାରିବାର କ୍ଷମତା ରଖିଥାଏ । ପ୍ରତ୍ୟେକ କ୍ଷେତ୍ରରେ ଏବଂ ସବୁ ଅସମୟବେଳେ ମାଆଙ୍କର ଆଶୀର୍ବାଦ ଭିକ୍ଷା କରି ହିଁ ସେ ଆଗେଇ ଯାଉଥିଲେ ତାହାର ସମାଧାନ ପାଇଁ ।
ସେଇ ଆଶୀର୍ବାଦର କୁଳୁକୁଳୁ ଝରଣାଟି ମଧ୍ୟ ଶେଷରେ ଶୁଷ୍କ ହୋଇ ଯାଇଥିଲା ୧୯୩୮ ମସିହାରେ । ରାଧାମଣି ଦେବୀଙ୍କର ମୃତ୍ୟୁ ହୋଇଥିଲା । ତାହା ବାସ୍ତବରେ ଥିଲା ମହାରାଜାଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । କିନ୍ତୁ ସମୟର ଚକ୍ରକୁ ବ୍ୟାହତ କରିପାରିବାର କ୍ଷମତା ବା କାହାର ଅଛି ! କୈଶୋର ଅତିକ୍ରମ କରିବା ପୂର୍ବରୁ ମାତୃହୀନ ହୋଇଥିବା ନାତିନାତୁଣୀଙ୍କ ପାର୍ଥିବ ଜଗତରେ ପାଦ ଦୃଢ କରିବା ପାଇଁ ଜେଜେମାଆ ରାଧାମଣି ଯେ ଯଥେଷ୍ଟ ସହାୟକ ହୋଇଥିଲେ ସେଥିରେ ସନ୍ଦେହ ନାହିଁ ।
ମହାରାଜା କୃଷ୍ଣଚନ୍ଦ୍ର ସାମାନ୍ୟତମ ଅବହେଳା କରିନଥିଲେ ମାତୃହୀନ ପୁତ୍ର କନ୍ୟାଗଣଙ୍କୁ ସମାଜରେ ଉଚିତ ଭାବରେ ପ୍ରତିଷ୍ଠିତ କରାଇବା ପାଇଁ । ବଡ଼ ପୁଅ ରାମଚନ୍ଦ୍ର ତ ହେବେ ତାଙ୍କ ପରେ ପରେ ପାରଳାର ମହାରାଜା ! ସାନପୁଅ ମାଧବ ସୁନ୍ଦରଙ୍କୁ ସମ୍ମାନଜନକ ଭାବେ ବଂଚିବା ପାଇଁ ତାଙ୍କ ଅଧୀନସ୍ଥ ଅନ୍ୟତମ ଜମିଦାରି ଡେଲାଙ୍ଗର ଶାସନ ଭାର ଦେବାଲାଗି ଯୋଜନା କରିଥିଲେ । ମାନ୍ଦ୍ରାଜରେ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ସମ୍ମାନ ଜନକ ଭାବେ ସାମାଜିକ ଜୀବନ ନିର୍ବାହ ପାଇଁ ସମସ୍ତ ପ୍ରକାରର ଉଚିତ ଏବଂ ଉତ୍ତମ ପଦକ୍ଷେପମାନ ଗ୍ରହଣ କରିଥିଲେ । ଯଥା ସମୟରେ ପୁତ୍ରମାନଙ୍କର ବିବାହ ଉତ୍ସବମାନ ଅନୁଷ୍ଠିତ ହୋଇଥିଲା । ୧୯୪୦ରେ ସୁରୁଗୁଜା ରାଜଜେମାଙ୍କ ସହିତ ଯୁବରାଜ ରାମଚନ୍ଦ୍ରଙ୍କ ବିବାହ ହୋଇଥିଲା ବେଶ୍ ରାଜକୀୟ ଢ଼ାଞ୍ଚାରେ ଲକ୍ଷାଧିକ ଅତିଥିଙ୍କ ସମାଗମରେ । ହେଲେ ସେହି ଉତ୍ସବର ମାତ୍ର ୧୨ବର୍ଷ ପରେ ରାମଚନ୍ଦ୍ର ମୃତ୍ୟୁ ଜାଲରେ ଫସି ଯାଇଥିଲେ ଆପଣା ଇଚ୍ଛାରେ ।
ଶୁଭ ପରିଣୟ ପରେ ପରେ ଯୁବରାଜଙ୍କ ମନୋରଂଜନ ପାଇଁ ପାରଳା ସହର ସୀମାନ୍ତରେ ମହେନ୍ଦ୍ର ତନୟା ନଦୀକୂଳରେ ନିର୍ମିତ ସୁରମ୍ୟ ପୁଷ୍ପ ବଲ୍ଲରୀରେ ସୁଶୋଭିତ ବସନ୍ତ ନିବାସ ନିୟୋଜିତ ହୋଇଥିଲା । ବୃନ୍ଦାବନ ତୋଟା ନାମରେ ଜନମାନସରେ ପରିଚିତ ଥିଲା ସେଇ ଅଞ୍ଚଳ । ସେଇଠି ପ୍ରାକୃତିକ ବନ୍ୟ ପରିବେଶରେ ରହିଥିଲେ ଅନେକ ପଶୁପକ୍ଷୀ । ଏହା ଥିଲା ମହାରାଜାଙ୍କ ଗ୍ରୀଷ୍ମନିବାସ । ଜଣେ ବ୍ରିଟିଶ୍ ଇଂଜିନିୟର ମିଷ୍ଟର ମୁଲ୍ଲାରଙ୍କ ତତ୍ତ୍ୱାବଧାନରେ ସେତେବେଳେ ପ୍ରାୟ ଦଶଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଥିଲା । ତାହା ନିକଟରେ ରହିଥିଲା ଏକ କ୍ଷୁଦ୍ର ପାହାଡ଼ । ବିରାଟ ଏକ ବଗିଚାର ମଧ୍ୟ ଭାଗରେ ନିର୍ମିତ ହୋଇଥିଲା ଦ୍ୱିତଳ ପ୍ରାସାଦଟିଏ । ସେଠାରେ ସ୍ୱତନ୍ତ୍ର ଡାଇନାମାରୁ କୃତ୍ରିମ ବିଦ୍ୟୁତ ଉତ୍ପାଦନର ବ୍ୟବସ୍ଥା ଥିଲା । ଅଙ୍କାବଙ୍କା ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ପଶୁପକ୍ଷୀଙ୍କ ପାନୀୟଜଳ ଯୋଗାଣ ପାଇଁ ମଝିରେ ମଝିରେ ଅନେକଟା ପାଣିକୁଣ୍ଡ....। ସତେ ଯେମିତି ଏକ ଆଧୁନିକ ପାର୍କ । ବିଭିନ୍ନ ପ୍ରକାରର ଗଛ-ବୃକ୍ଷ , ଫଳ-ପୁଷ୍ପ ସୁଶୋଭିତ ତରୁଲତା । ସବୁବେଳେ ବସନ୍ତ ଋତୁର ସମ୍ଭାର । ସେଇଥି ପାଇଁ ହିଁ ତାହାର ନାମକରଣ ହୋଇଥିଲା ସେହିଭଳି । ସମୟାନ୍ତରରେ ମହାରାଜା କିଛି ସମୟ ପାଇଁ ଚାଲି ଯାଉଥିଲେ ସେଠାକୁ; ବିଶେଷ କରି ଗ୍ରୀଷ୍ମ କାଳରେ । ତାଙ୍କ ଗାଡ଼ିର ହର୍ଣ୍ଣ ଶବ୍ଦ ଶୁଣିବା କ୍ଷଣି ବଣ ମୟୂର-ମୟୂରୀ ପଲପଲ ହୋଇ ଉଡ଼ି ଆସୁଥିଲେ ସେଇ ବୃନ୍ଦାବନ ତୋଟାକୁ । ମହାରାଜା ସେମାନଙ୍କ ପାଇଁ ନିଶ୍ଚିତରୂପେ ନେଇ ଯାଉଥିଲେ କିଛି କିଛି ଖାଦ୍ୟ । ସେ ସବୁକୁ ଅତି ନିକଟରୁ ଖୁଣ୍ଟି ଖୁଣ୍ଟି ଖାଉଥିବା ଦୃଶ୍ୟରେ ବିମୁଗ୍ଧ ହୋଇ ଯାଉଥିଲେ ସେ । ସେଇ ସୁରମ୍ୟ ବସନ୍ତ ନିବାସ ହିଁ ଏକ ସମୟରେ ଆଣି ଦେଇଥିଲା ମହାରାଜାଙ୍କ ପାଇଁ ଏକ ଦାରୁଣ ଦୁଃଖଦ ସମ୍ବାଦ । ସେଇଠି ଯୁବରାଜଙ୍କ ଆତ୍ମହତ୍ୟାର ସମ୍ବାଦ । ଅନେକ କୋଠରି ଭିତରୁ ବସନ୍ତ ନିବାସର ଏକ କୋଠରି ଭିତରେ ଆପଣା ବନ୍ଧୁକରୁ ଗୁଳି ଚଳାଇ ରାମଚନ୍ଦ୍ର ଆତ୍ମହତ୍ୟା କରିଥିଲେ ୧୯୫୨ ମସିହା ଡିସେମ୍ବର ଛଅ ତାରିଖ ଦିନ ।
ଏପରିକି ସାଧାରଣ ପାନ ସିଗାରେଟ୍ଠାରୁ ମଧ୍ୟ ଦୂରରେ ରହି ଆଜୀବନ ଶୃଙ୍ଖଳିତ ଜୀବନ ଯାପନର ସ୍ପଷ୍ଟ ପକ୍ଷପାତୀ ଥିଲେ ପାରଳା ଗଜପତି । ସେହି କଠୋର ଶାସନ; ଶୃଙ୍ଖଳା ସହିତ ସମ୍ଭବତଃ ବିଳାସୀ ଜୀବନକୁ ଆପଣାଇ ଥିବା ଯୁବରାଜ ରାମଚନ୍ଦ୍ର ସାମିଲ୍ ହୋଇ ପାରିନଥିଲେ । ସେହି ଅଘଟଣର ତାହା ହିଁ ମୂଳ କାରଣ ବୋଲି ଅନେକଙ୍କର ବିଶ୍ୱାସ । ଏବଂ ସମ୍ଭବତଃ ତାହା ହିଁ ଏକ ମୁଖ୍ୟ କାରଣ ଯେଉଁଥିପାଇଁ ଜଣେ ଆଜୀବନ ଶୃଙ୍ଖଳିତ ପିତା ତାର ବିଶୃଙ୍ଖଳିତ ପୁତ୍ରର ମୃତ୍ୟୁ ସମ୍ବାଦ ପାଇ ସୁଦ୍ଧା ଏବଂ ତତ୍ପରଠାରୁ କସ୍ମିନ୍କାଳେ ଆଉ ବସନ୍ତ ନିବାସକୁ ଯାଇନଥିଲେ । ସେଇ ଦୁର୍ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ ତାହାକୁ ରାଜ୍ୟ ସରକାରଙ୍କୁ ବିକ୍ରୀ କରି ଦେଇଥିଲେ ନାମକୁ ମାତ୍ର ମୁଲ୍ୟରେ- ମାତ୍ର ତିନିଲକ୍ଷ ଟଙ୍କାରେ । ହେଲେ ରାମଚନ୍ଦ୍ର ଛାଡ଼ି ଯାଇଥିବା ତିନି ପୁତ୍ର- ଗୋପୀନାଥ, ଜଗନ୍ନାଥ ଏବଂ ଉଦୟ ଭାନୁଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ ମହାରାଜ କୃଷ୍ଣଚନ୍ଦ୍ର । ସେମାନଙ୍କ ଲାଳନପାଳନ ତଥା ଶିକ୍ଷାଦୀକ୍ଷାର ଉପଯୁକ୍ତ ଭାବରେ ସମ୍ପାଦନ କରିଥିଲେ ସେ । ହେଲେ ମାତ୍ର ଛତିଶ ବର୍ଷ ବୟସରେ ଯୁବରାଜଙ୍କ ଅପମୃତ୍ୟୁ ମହାରାଜାଙ୍କୁ ଅତଳ ଦୁଃଖରେ ଭସାଇ ଦେଇଥିଲା ।
ଏବଂ ପୁଣି ମହାରାଜାଙ୍କ ଦୁଇ କନ୍ୟା ଆଣି ଦେଇଥିଲେ ବିଶେଷ ଭାବେ ପାରିବାରିକ ଅବସାଦ, କ୍ଲାନ୍ତି । ବିବାହ ପୂର୍ବରୁ ଜଣେ ଜେମାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ସାମାନ୍ୟ ଅସୁସ୍ଥ ଏବଂ ତାପରେ ମୃତ୍ୟୁ । ଆଉ ଜଣେ ଜେମାଥିଲେ ଭିନ୍ନକ୍ଷମ । ସେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିପାରୁ ନଥିଲେ । ସେହି କାରଣରୁ ରାଜ ନଅରରେ ପ୍ରାୟ ସମସ୍ତେ ତାଙ୍କରି ପାଇଁ ବ୍ୟବହାର କରୁଥିଲେ “ଜାଡ଼ିଜେମା” ଶବ୍ଦ । ତାଙ୍କର ଦେଖାଶୁଣା କରିବା ପାଇଁ ସବୁ ପ୍ରକାରର ବିକଳ୍ପ ବ୍ୟବସ୍ଥା କରିଥିଲେ ସୁଦ୍ଧା ମହାରାଜା ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ ତାଙ୍କରି ପାଇଁ । ମହାରାଜାଙ୍କ ପାରିବାରିକ ଜୀବନ ଜଞ୍ଜାଳକୁ ଅଧିକତର ଭାବରେ ଶ୍ରାନ୍ତ, କ୍ଲାନ୍ତ କରି ଦେଉଥିଲା ଜାଡ଼ିଜେମାଙ୍କ ଜୀବନ ନିର୍ବାହ । ଉତ୍ତର ବୟସରେ ମହାରାଜା ସର୍ବାଦୌ ଚିନ୍ତିତ ରହୁଥିଲେ ଏବଂ ତାଙ୍କରି ପରେ ପରେ ଜେମାଙ୍କ ଅବସ୍ଥା ନେଇ ।
ବିଶ୍ୱ ନିୟନ୍ତା କିନ୍ତୁ ତାହାର ସମାଧାନ କରିଦେଇଥିଲେ । ମହାରାଜାଙ୍କ ମୃତ୍ୟୁର ସ୍ୱଳ୍ପ କାଳ ପରେ ଜାଡ଼ିଜେମା ମଧ୍ୟ ମୃତ୍ୟୁବରଣ କରିଥିଲେ । କିନ୍ତୁ ସେଇ ବିଶ୍ୱ ନିୟନ୍ତା ମହାରାଜାଙ୍କ କପାଳରେ ବିକ୍ଷିପ୍ତ ଭାବରେ ଲେଖି ଦେଇଥିଲେ ପ୍ରିୟ ପରିଜନଙ୍କର ବିୟୋଗଜନିତ କ୍ଳାନ୍ତିର ସନ୍ଦେଶ । କୈଶୋରରୁ ଆରମ୍ଭ କରି ତାହା ଯେମିତି ପରିବ୍ୟାପ୍ତ ହୋଇଥିଲା ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ । କୃଷ୍ଣଚନ୍ଦ୍ରଙ୍କୁ ଯେତେବେଳେ ମାତ୍ର ୧୨/୧୩ ବର୍ଷ ବୟସ ସେତିକି ବେଳେ ହିଁ (୧୯୦୫) ସେ ପିତୃହୀନ ହୋଇ ଯାଇଥିଲେ । ତାର ସ୍ୱଳ୍ପକାଳ ପୂର୍ବରୁ ହରାଇଥିଲେ ପିତୃବ୍ୟଙ୍କୁ (୧୯୦୪) । ପୁଣି ଜ୍ଜ୍ୱଳନ୍ତ ଯୌବନର ମଧ୍ୟ ଭାଗରେ ହରାଇ ବସିଥିଲେ ପ୍ରାଣପ୍ରିୟା ପତ୍ନୀଙ୍କୁ (୧୯୨୫) ମାତ୍ର ୩୩ ବର୍ଷ ବୟସରେ । ନିଶ୍ଚିତ ରୂପେ ଗଭୀର ଅବସାଦରେ ଭରିଯାଇଥିବ ହୃଦୟ । ତତ୍ ପରବର୍ତ୍ତୀ କ୍ଳାନ୍ତ ଶ୍ରାନ୍ତ ଜୀବନ ପ୍ରବାହକୁ ସଜାଡ଼ୁ ସଜାଡ଼ୁ ‘ସ୍ୱର୍ଗାଦପି ଗରୀୟସୀ’ ଜନନୀଙ୍କ ମୃତ୍ୟୁ (୧୯୩୮)କୁ ସାମନା କରିଥିଲେ । ସମସ୍ତ ସାଂସାରିକ ଜୀବନ ଜଞ୍ଜାଳକୁ ନିଜେ ଆବୋରି ନେଇ ମହାରାଜାଙ୍କ ସାମାଜିକ ଜୀବନକୁ ଦୃଢ଼ କରାଇବାରେ ଜନନୀ ରାଧାମଣି ଦେବୀ ଥିଲେ ବାସ୍ତବରେ ଏକ ବତୀଘର । ସେଇ ବତୀଘରଟିର ଆଲୋକ ନିର୍ବାପିତ ହୋଇଥିଲା କୃଷ୍ଣଚନ୍ଦ୍ରଙ୍କୁ ୪୬ବର୍ଷ ହୋଇଥିବା ବେଳେ । ତେବେ ସେଇ ଅଭାବ ତ ଅପୂରଣୀୟ ହୋଇ ରହିବା ସ୍ୱାଭାବିକ । ସାମାନ୍ୟ ରୋଗାକ୍ରାନ୍ତ ହୋଇ ବିବାହଯୋଗ୍ୟା ରାଜଜେମାଙ୍କର ମୃତ୍ୟୁ ଏବଂ ପରେ ପ୍ରାୟ ୬୦ ବର୍ଷ ବୟସ ବେଳକୁ ଯୁବରାଜଙ୍କ ବିୟୋଗ ମାତ୍ର ପ୍ରାୟ ୩୬ ବର୍ଷ ବୟସରେ ! ମୃତ୍ୟୁ- ଆଃ ମୃତ୍ୟୁର କିଭଳି ତାଣ୍ଡବ ପାରଳା ରାଜବାଟୀରେ !
ମହାରାଜା କୃଷ୍ଣଚନ୍ଦ୍ରଙ୍କ ପାରିବାରିକ ଜୀବନ ସତେ ଯେମିତି ଦୁଃଖ ଏବଂ ପରମ ଦୁଃଖଦ ଘଟଣାବଳୀରେ ହିଁ ଛାୟାଚ୍ଛନ୍ନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ପିତା, ପିତୃବ୍ୟ, ପତ୍ନୀ, ପୁତ୍ର, କନ୍ୟା ତଥା ମାତାଙ୍କ ବିୟୋଗ ତାହାଙ୍କ ଜୀବନର ସରସତା ହରଣ କରି ନେବାରେ ଯଥେଷ୍ଟ ଥିଲା । ତଥାପି ସେ ସାମାଜିକ ଜୀବନରେ ଭାଙ୍ଗି ପଡିନଥିଲେ । ଧୈର୍ଯ୍ୟହରା ହୋଇନଥିଲେ । ହୃଦୟ କନ୍ଦରକୁ ପଥରଟିଏରେ ପରିଣତ କରାଇ କୋମଳ ପ୍ରାଣର ସବୁ ଆବେଗ, ସବୁ ମମତା, ସବୁ କୋହ, ସବୁ ବ୍ୟାକୁଳତାକୁ ହୃଦୟର ଗୁପ୍ତ ଗନ୍ତାଘରେ ସାଇତି ରଖି ନେଇଥିଲେ ଆପଣାର ନିରୋଳା ମୁହୂର୍ତ୍ତଗୁଡ଼ିକ ପାଇଁ- ଏକାନ୍ତ ବେଳେ ସେଇ ଗନ୍ତାଘରକୁ ଖୋଲୁଥିବେ ପରା କେଜାଣି !
ଅନ୍ୟ ପକ୍ଷରେ ଜୀବନର ବାସ୍ତବତାକୁ ସାମନା କରିବା ପାଇଁ ସେ ଥିଲେ ଦୃଢ଼ ପରିକର । ତାଙ୍କରି ଜୀବଦ୍ଦଶାରେ ହିଁ ରାଜନୈତିକ ତଥା ସାମାଜିକ ଦୃଶ୍ୟପଟରେ ତୁମୁଳ ପରିବର୍ତ୍ତନ ଘଟିଥିଲା । ଦେଶ ସ୍ୱାଧୀନ ହେବା ପରେ ପରେ ପୁରାତନ ଗଡ଼ଜାତ ରାଜ୍ୟ ତଥା ଜମିଦାରି ଉଚ୍ଛେଦ ହୋଇଥିଲା । ତେଣୁ ଜମିଦାରି ପରିଚାଳନାର ପ୍ରଶ୍ନ ଆଉ ନଥିଲା । ଅତଏବ ଗଜପତି କୃଷ୍ଣଚନ୍ଦ୍ର ଆପଣାର ବ୍ୟକ୍ତିଗତ ସମ୍ପତ୍ତି ସବୁକୁ ଯଥାର୍ଥ ଭାବରେ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ରାଜସିଂହାସନ ଥିଲା କେବଳ ନାମକୁ ମାତ୍ର; କର୍ପୂରବିହୀନ କନାଟିଏ । ତଥାପି ଯୁବରାଜ ରାମଚନ୍ଦ୍ରଙ୍କ ପୁତ୍ର ଗୋପୀନାଥଙ୍କ ପାଇଁ ତାହା ଉଦ୍ଧିଷ୍ଟ ରହିଥିଲା; ତତ୍ ସହିତ ପାରଳା ସହର ସ୍ଥିତ ରାଜବାଟୀ ମଧ୍ୟ । ତେବେ ଜମିଦାରି ଉଚ୍ଛେଦ ପରେ ତାହାଙ୍କର ଆୟର ପନ୍ଥା ବିଶେଷ ଭାବରେ ହ୍ରାସ ପାଇଥିଲା । ତଥାପି ସେଥିରେ ସେ ହତୋତ୍ସାହ ହୋଇନଥିଲେ । ତାହାଙ୍କର ଦୈନନ୍ଦିନ ଜୀବନଯାତ୍ରା ପଦ୍ଧତିରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ତାଙ୍କର ବିଶ୍ୱାସ ଥିଲା ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଭୂସମ୍ପତ୍ତିର ସୁପରିଚାଳନା ଫଳରେ ଆପଣାର ଆୟ ଜୀବିକା ନିର୍ବାହ ପାଇଁ ଯଥେଷ୍ଟ ହେବ ।
ମହାରାଜା କୃଷ୍ଣଚନ୍ଦ୍ରଙ୍କ ସେଭଳି ସକାରାତ୍ମକ ମନୋଭାବ ହିଁ ତାହାଙ୍କୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ବାସ୍ତବରେ ଜଣେ ‘ମହାରାଜା’ ଆସନରେ ଆସୀନ ହୋଇ ରହିବା ପାଇଁ ପ୍ରେରଣାଯୁକ୍ତ କରିଥିଲା । ସେ ଆପଣାର ପୁରାତନ ରାଜ୍ୟର ଜନମାନସରେ ତଥାପି ଥିଲେ ମହାରାଜା- ଭାରତୀୟ ସଂବିଧାନ ତାହାଙ୍କୁ ଜଣେ ସାଧାରଣ ନାଗରିକ ହିସାବରେ ଗ୍ରହଣ କରୁ ପଛେ । ବିଶାଳ ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେ ଜଣେ ସାଧାରଣ ନାଗରିକ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଜନଗଣ ତାହାଙ୍କୁ ଅସାଧାରଣ ରୂପେ ହିଁ ଗ୍ରହଣ କରୁଥିଲେ । ପାରଳା ସହରରେ ମହାରାଜାଙ୍କ ୭୮ତମ ଜୟନ୍ତୀ ପାଳନ ତାହାର ଗୋଟିଏ ଉଦାହରଣ ।
୧୮୯୨ ମସିହା ବୈଶାଖ କୃଷ୍ଣ ଅମାବାସ୍ୟା ହେଉଛି କୃଷ୍ଣଚନ୍ଦ୍ରଙ୍କ ଜନ୍ମଦିବସ । ତିଥି ଅନୁକ୍ରମରେ ତାଙ୍କର ଜୟନ୍ତୀ ପଡୁଥିଲା ୧୯୬୯ ମସିହା ଏପ୍ରିଲ୍ ୧୭ ତାରିଖ ଦିନ । ପାରଳା ସହରର କିଛି ବରିଷ୍ଠ ବ୍ୟକ୍ତି ସେଇ ସ୍ୱନକ୍ଷତ୍ର ଦିବସ ପାଳନ କରିବା ପାଇଁ ଏବଂ ସେହି ଅବସରରେ ମହାରାଜାଙ୍କୁ ଏକ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ମନସ୍ଥ କରିଥିଲେ । ସେହି କ୍ରମରେ ସହରର ଜନଗଣଙ୍କୁ ଆହ୍ୱାନ ଦିଆଯାଇଥିଲା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ । ସେହି ଖବର ସମୟକ୍ରମେ କେବଳ ସହର ନୁହେଁ, ଆଖପାଖ ସମଗ୍ର ଅଞ୍ଚଳର ଜନଗଣଙ୍କ ମନରେ ସ୍ୱତଃସ୍ଫୂର୍ତ୍ତ ଉନ୍ମାଦନା ସୃଷ୍ଟି କରିଥିଲା । ଠାକୁରଙ୍କ ନିକଟରେ ମହାରାଜାଙ୍କ ଦୀର୍ଘଜୀବନ ପାଇଁ ସାଧାରଣ ଜନତାର କି ଆନ୍ତରିକ ନିବେଦନ ! ସହରର ମଠ, ମନ୍ଦିର ତଥା ଠାକୁରଙ୍କ ନିକଟରେ ଦୃଢ଼ ଧର୍ମବିଶ୍ୱାସୀ ଜନଗଣଙ୍କ ପୂଜାର୍ଚ୍ଚନାର କି ବିପୁଳ ଆୟୋଜନ !
ଏପ୍ରିଲ୍ ୧୭ ତାରିଖ ଦିନ ସାରା ସହର ଆନନ୍ଦ କୋଳାହଳରେ ବିସ୍ଫାରିତ ହୋଇଉଠିଥିଲା ମହାରାଜାଙ୍କ ଦୀର୍ଘଜୀବନ କାମନା କରି । ପୁରୀର ଅନୁରୂପ ପାରଳା ସହରର ସାହି, ଗଳି, କନ୍ଦିରେ ପ୍ରତିଷ୍ଠିତ ଅସଂଖ୍ୟ ମଠ ମନ୍ଦିରରେ ଆବାଳ ବୃଦ୍ଧ ବନିତାଙ୍କର ଠାକୁର ମନ୍ଦିରମାନଙ୍କରେ ଭକ୍ତିପୂତ ନିବେଦନ ସମସ୍ତଙ୍କ ମନ-ପ୍ରାଣରେ ଉଦ୍ବେଳନ ସୃଷ୍ଟି କରିଥିଲା । ଭକ୍ତିପୂର୍ଣ୍ଣ ବାତାବରଣ ଭିତରେ ହୁଳହୁଳି, ଘଣ୍ଟ-ଘଣ୍ଟା-କାହାଳୀ ଓ ଶଙ୍ଖନାଦ ଭିତରେ ଠାକୁରମାନଙ୍କୁ ମଞ୍ଜରୀ, ବେଲପତ୍ର ଓ ଫୁଲଲାଗି, ଅଖଣ୍ଡ ଦୀପଦାନ, ଭୋଗରାଗ ତଥା ନାମ ସଂକୀର୍ତ୍ତନରେ ଅହୋରାତ୍ର ମୁଖରିତ ହୋଇ ଉଠିଥିଲା । ଦଶହରା କିମ୍ବା ରଥଯାତ୍ରା ସମତୁଲ ଏକ ଜାତୀୟ ଗଣପର୍ବରେ ପରିଣତ ହୋଇଯାଇଥିଲା ମହାରାଜାଙ୍କ ଜନ୍ମୋତ୍ସବ ପାଳନ ଦିନଟି ପାରଳା ସହରରେ ।
ଭୋର ଚାରିଟା ବେଳୁ ସହରର ଛାତ୍ରୀ ଛାତ୍ରଗଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଭାତ ଫେରି କାର୍ଯ୍ୟକ୍ରମ ପଣ୍ଡିତ ଗଣଙ୍କ ବେଦମନ୍ତ୍ର ତଥା ରାମଧୂନ୍ ଉଚ୍ଚାରଣ ସହିତ । ପ୍ରାୟ ସକାଳୁ ସକାଳୁ ପୂଜା, ଜପ, ଆରାଧନା, ବେଦମନ୍ତ୍ର ପାରାୟଣ ସହିତ ମଠ ମନ୍ଦିରରେ ଠାକୁରମାନଙ୍କ ମସ୍ତକରେ ମଂଜରୀ/ବେଲପତ୍ର ଲାଗି ତଥା ରୁଦ୍ରାଭିଷେକ ଉତ୍ସବମାନ ଆୟୋଜିତ ହୋଇଥିଲା । କେଉଁଠି ବେଦମନ୍ତ୍ର ଉଚ୍ଚାରଣ, ଅଷ୍ଟପ୍ରହରୀ, ନାମସଂକୀର୍ତ୍ତନ ତ ଆଉ କେଉଁଠି ବିଷ୍ଣୁ ସହସ୍ର ନାମ ପାରାୟଣ । ସହରର ପ୍ରାୟ ସବୁ ମନ୍ଦିରରେ ଅଖଣ୍ଡ ଦୀପଦାନ ସମେତ ରୁଦ୍ରାଭିଷେକ ପାଇଁ ଜନଗଣଙ୍କ ଉତ୍କଣ୍ଠା । ଭୋଗରାଗତ ଚାଲିଥିଲା ସବୁଠି । ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ହାଟପଦାସ୍ଥିତ ଚନ୍ଦ୍ରଶେଖର ଦେବାଳୟ ଏବଂ ଚିତ୍ରକର ସାହିଛକରେ ପ୍ରତିଷ୍ଠିତ ରଘୁନାଥ ମନ୍ଦିରରେ ୨୧ ହଜାର ଲେଖାଏଁ ବେଲପତ୍ରୀ ଓ ମଂଜରୀ ଲାଗି ହୋଇଥିଲେ ଠାକୁରେ । ଠିକ୍ ସେହିଭଳି ସ୍ଥିତି ଥିଲା ରାଜଦାଣ୍ଡସ୍ଥିତ ଜଗନ୍ନାଥ ମଠ ଏବଂ ବଡ଼ ରାଧାକାନ୍ତ ମଠରେ । ସେଠାରେ ଠାକୁରମାନେ ମଣ୍ଡିତ ହୋଇଥିଲେ ୨୧ ହଜାର ଲେଖାଏଁ ମଂଜରୀରେ । ଡେଙ୍ଗା ଦେଉଳର ଠାକୁରେ ସେହି ପରିମାଣରେ ଫୁଲ ଓ ବେଲପତ୍ରରେ ପୂଜିତ ହୋଇଥିଲେ । ସେହିଭଳି ଗୋପିନିସାହି ଛକ ଏବଂ କଣ୍ଡରାସାହି ଛକର ତ୍ରିନାଥ ପୀଠ ସମେତ ବ୍ରାହ୍ମଣ ସାହିଛକସ୍ଥିତ ରାଧାବଲ୍ଲଭ ମଠରେ ନଅ ହଜାର ଲେଖାଏଁ ମଂଜରୀ ଏବଂ ସମ ପରିମାଣର ଫୁଲ ଠାକୁରମାନଙ୍କୁ ଅର୍ପିତ ହୋଇଥିଲା ମହାରାଜାଙ୍କ ଦୀର୍ଘଜୀବନ କାମନା କରି । କରଣ ସାହିର ସାନ ରାଧାକାନ୍ତ ମଠ ତଥା ଶ୍ରୀକରଣ ସାହିର ରାଧାମୋହନ ମଠ ସାଙ୍ଗକୁ ଜଙ୍ଗମ ସାହିର ମଲ୍ଲିକେଶ୍ୱର ମନ୍ଦିରରେ ଦଶ ହଜାର ଲେଖାଏଁ ମଞ୍ଜରୀ/ବେଲପତ୍ରୀ ଲାଗି ହୋଇଥିଲେ ଠାକୁରେ । ଅଙ୍କ ସାହିରେ ପ୍ରତିଷ୍ଠିତ ମାଣିକେଶ୍ୱରୀ ମନ୍ଦିରରେ ୧୦୮ ମଞ୍ଜରୀ ସହିତ ବେଲପତ୍ରୀ ଲାଗି ହୋଇଥିବା ପରିମାଣ ଥିଲା ସାତ ହଜାର ଆଠଶହ । ସେହି ସମାନ ପରିମାଣର ଫୁଲ ଏବଂ ସେତିକି ବେଲପତ୍ରୀ କାଶି ନଗର ରାସ୍ତା ପାଶ୍ୱର୍ସ୍ଥ ରାମସ୍ୱାମୀ ମନ୍ଦିରରେ ଲାଗି ହୋଇଥିଲା ଏବଂ ମଧ୍ୟ ହୋଇଥିଲା ରାମ ସାଗର ପାଶ୍ୱର୍ସ୍ଥ ରାମ ଲିଙ୍ଗେଶ୍ୱର ମନ୍ଦିରରେ । ସେଠାରେ ୧୦୮ନାରିକେଳ ମଧ୍ୟ ଅଭିଷେକ କରାଯାଇଥିଲା । ଏଭଳି ଅନେକ କିଛି... ସବୁଠି ଅହୋରାତ୍ର ଭଜନ-କୀର୍ତ୍ତନ । ମହାରାଜାଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ କାମନା !
ସନ୍ଧ୍ୟାରେ ସ୍ଥାନୀୟ ଟାଉନ୍ ହଲଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିନିଧିତ୍ୱ କରୁଥିବା ୭୭ଟି ଅନୁଷ୍ଠାନ ତରଫରୁ ମହାରାଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ମଧ୍ୟ ଆପଣାର ଶ୍ରଦ୍ଧା ସୁମନ ସେଠାରେ ଅର୍ପଣ କରିଥିଲେ ।
ହେଲେ ବିଶେଷ ଉଲ୍ଲେଖ ଯୋଗ୍ୟ ଯେ ଯେଉଁ ମହାନାୟକଙ୍କ ପାଇଁ ଜନଗଣଙ୍କ ଏହି ଉଛ୍ୱସିତ ଉଦ୍ବେଳନର ପରିପ୍ରକାଶ ହୋଇଥିଲା ସେତେବେଳେ ସେଠାରେ ସେ ଉପସ୍ଥିତ ନଥିଲେ । ଥିଲେ ସୁଦୂର ବାଙ୍ଗାଲୋର ସହରରେ । ଏହା ହିଁ ତ ପ୍ରମାଣ କରାଇ ଦେଇଥିଲା ମହାରାଜାଙ୍କ ପ୍ରତି ଜନଗଣଙ୍କର ଅନ୍ତରଙ୍ଗ ଭାବର ପ୍ରତିଫଳନ; ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ନିଦର୍ଶନ ! ସହରରେ ମହାରାଜାଙ୍କ ଉପସ୍ଥିତି ବା ଅନୁସ୍ଥିତିର ପାର୍ଥକ୍ୟ ପାରଳାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା, ଥିଲା କେବଳ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କ ନିକଟରେ ଭକ୍ତିପୂତ ନିବେଦନ ।
ସେଇ ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶିତ ହୋଇଥିଲା । ସେଥିରେ ମହାରାଜାଙ୍କ କର୍ମମୟ ଜୀବନର ଝଲକଟିଏ ପ୍ରକାଶିତ ହୋଇଥିଲା ଏବଂ ପ୍ରକାଶିତ ହୋଇଥିଲା ଦେଶ ବିଦେଶର ଅନେକ ପ୍ରଖ୍ୟାତ ବ୍ୟକ୍ତିଙ୍କ ସ୍ମୃତି ଏବଂ ଅନୁଭୂତି । ମହାରାଜାଙ୍କ କାର୍ଯ୍ୟକଳାପ ନେଇ ଅତୀତରେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିବା ସବିଶେଷ ସମ୍ବାଦ ଇତ୍ୟାଦିର ଅଂଶ ବିଶେଷ ମଧ୍ୟ ଗ୍ରନ୍ଥିତ ହୋଇଥିଲା ସେଥିରେ । ତାହା ଆଜି ସୁଦ୍ଧା ଏକ ପ୍ରାମାଣିକ ସଂକଳନ ହିସାବରେ ଗୃହୀତ । ମହାରାଜାଙ୍କର ଜନ୍ମ ଉତ୍ସବ ପାରଳାରେ ଆୟୋଜିତ ହେବାବେଳେ ସେ ସେଠାରେ ଉପସ୍ଥିତ ନଥିବାରୁ, ବାଙ୍ଗାଲୋର୍ରୁ ଫେରିବା ପରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇ ସେଇ ସ୍ମରଣିକାଟିକୁ ଭକ୍ତି ଉପହାର ରୂପେ ଦିଆଯାଇଥିଲା ଏକ ରୁପା ଥାଳିରେ ।
ସେଦିନ ଥିଲା ୧୯୭୦ ମସିହା ଫେବ୍ରୁଆରି ୨୧ ତାରିଖ । ସମଗ୍ର ରାଜଦାଣ୍ଡ ଓ ଟାଉନ୍ ହଲ୍ ଚିତ୍ରିତ ତୋରଣମାଳାରେ ସୁସଜ୍ଜିତ । ମହାରାଜାଙ୍କୁ ସ୍ଥାନୀୟ ଟାଉନ୍ହଲ୍ରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଉଥିବା ସମ୍ବାଦ ଶୁଣି ପାରଳା ଆଖପାଖ ଅଞ୍ଚଳ, ବିଶେଷକରି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଏବଂ ଦୀର୍ଘ ଅତୀତରେ ତାଙ୍କର ଜମିଦାରି ଅନ୍ତର୍ଗତ ଅଞ୍ଚଳରୁ ହଜାର ହଜାର ଲୋକ ଆସି ଜମି ଯାଇଥିଲେ ରାଜଦାଣ୍ଡରେ ପୂର୍ବଥର ଭଳି । ସେମାନେ ସେଦିନ ତାଙ୍କରି ପ୍ରିୟ ମହାରାଜାଙ୍କୁ ଦେଖି ନଥିଲେ ତ ! ସେଦିନ ସନ୍ଧ୍ୟା ପୂର୍ବରୁ ସାରା ସହରରେ ପ୍ରବଳ ଜନ ସମାଗମ-ଠିକ୍ ଜନ୍ମଦିନ ପାଳନ ଦିବସ ଭଳି । ଆକାଶରେ ମେଘର ଘନଘଟା ଓ ବତାସିଆ ପବନକୁ କାହାରି ଖାତିର ନାହିଁ ।
ଅପରାହ୍ଣ ସାଢ଼େ ଚାରିଟା ବେଳକୁ ଆକାଶ କିନ୍ତୁ ଶାନ୍ତ ହୋଇଯାଇଥିଲା । ନିର୍ଦ୍ଧାରିତ ସମୟରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ମହାରାଜାଙ୍କ ଉପସ୍ଥିତି ମାତ୍ରେ ସେଇ ପାରଂପାରିକ ଢଙ୍ଗରେ- “ଜୟ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଜୟ” ଧ୍ୱନି ଆକାଶ ମେଦିନୀକୁ ପ୍ରକମ୍ପିତ କରି ଦେଇଥିଲା । ୭୮ଟି ପ୍ରଦୀପ ସୁଶୋଭିତ ମଞ୍ଚ ଆରୋହଣ କରିଥିଲେ ମହାରାଜା । ସେଇ ମଞ୍ଚ ଉପରୁ ସଂବର୍ଦ୍ଧନାର ଉତ୍ତର ଦେଇଥିଲେ ଦେଶ ଓ ଜାତିର ସେବା ପାଇଁ ପ୍ରତ୍ୟେକ ନାଗରିକ ଆପଣାକୁ ଗଢ଼ି ତୋଳିବା ଆବଶ୍ୟକ । ଐକ୍ୟ ପ୍ରତିଷ୍ଠା ବିନା ଭାରତର ପ୍ରଗତି ସମ୍ଭବ ନୁହେଁ । ମହନୀୟ ତଥା ଆଦର୍ଶ ଜୀବନ ହିଁ ଅତୀତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ସମୃଦ୍ଧ ପାଇଁ ପ୍ରଥମ ଆବଶ୍ୟକତା । “ଜୟ, ନୂତନ ଉକ୍ରଳର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜାଙ୍କ ଜୟ” ଧ୍ୱନି ସହ ସଭା ସାଙ୍ଗ ହୋଇଥିଲା ।
ସାରା ଜୀବନ ତ ଥିଲା ତାଙ୍କର ମହନୀୟ, ଆଦର୍ଶଯୁକ୍ତ । ସେ ଆଉ କେଉଁ ଆହ୍ୱାନ ଦେଇଥାନ୍ତେ ଦେଶର ଭବିଷ୍ୟତ ପାଇଁ । ଶୃଙ୍ଖଳା ଏବଂ ଶୃଙ୍ଖଳା । ଆଜୀବନ ସେଇ ରଜ୍ଜୁରେ ବନ୍ଧା ହୋଇଥିଲେ ସେ । ଅବସର ଜୀବନ ଯାପନ କାଳରେ ବି ସେମିତି; ଜମିଦାରି ଉଚ୍ଛେଦ ପରେ ସୁଦ୍ଧା ସେଇ ଶୃଙ୍ଖଳିତ ଜୀବନ ଯାପନ । ଦେଶର ସମ୍ବିଧାନ ଅନୁଯାୟୀ ସେ ଜଣେ ସାଧାରଣ ନାଗରିକ ହୋଇଥିଲେ ସୁଦ୍ଧା ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେଇ ରାଜକୀୟ ଢ଼ଙ୍ଗଢ଼ାଙ୍ଗ ! ଗଭୀର ଆତ୍ମସମ୍ମାନବୋଧ ପ୍ରବଳ ଆତ୍ମ ଅଭିମାନ ଯାହା ପ୍ରତ୍ୟେକ ସାଧାରଣ ମଣିଷ ପାଇଁ ଏକାନ୍ତ ଆବଶ୍ୟକ ।
ସେମିତି ଦେଖିଲେ ମହାରାଜା କୃଷ୍ଣଚନ୍ଦ୍ର ପିଲାଟି ଦିନରୁ ହିଁ ଥିଲେ ଖୁବ୍ ଆତ୍ମ ଅଭିମାନୀ । ସେତେବେଳକାର ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଥିଲେ ପାରଳା ରାଜ ପରିବାରର ଜଣେ ଶୁଭେଛୁ । ସେଇ ହିସାବରେ ସେ ରାଜନଅର ଭିତରେ ସୁଦ୍ଧା ଜଣେ ସମ୍ମାନିତ ବ୍ୟକ୍ତି । ଥରେ ଏମିତି କଥା ପ୍ରସଂଗରେ କିଶୋର କୃଷ୍ଣଚନ୍ଦ୍ରଙ୍କ ଗୃହଶିକ୍ଷକ ଅପର୍ଣ୍ଣା ପଣ୍ଡାଙ୍କୁ ପଚାରି ବୁଝୁଥିଲେ ଯୁବରାଜଙ୍କ ଶିକ୍ଷାପ୍ରତି ଆଗ୍ରହ ସଂପର୍କରେ । ପୁଣି ତାଙ୍କରି ସାମନାରେ ହିଁ । ବେଶ୍ ବପୁବନ୍ତ ଶ୍ରୀ ରାଜଗୁରୁଙ୍କ ଚେହେରା ହିଁ ବାଳକ କୃଷ୍ଣଚନ୍ଦ୍ରଙ୍କୁ ଅନେକ ସମୟରେ ଭୟଭୀତ କରାଉଥିଲେ ସୁଦ୍ଧା ସେ ପାରିବାରିକ ବନ୍ଧୁ ହୋଇଥିବା କାରଣରୁ ସେଥିରୁ ନିସ୍ତାର ନଥିଲା । କିଶୋର କୃଷ୍ଣଚନ୍ଦ୍ର ଅଙ୍କରେ ଦୁର୍ବଳ ରହୁଥିବା ବିଷୟ ଶିକ୍ଷକ ମହୋଦୟ ରାଜଗୁରୁଙ୍କ ନିକଟରେ ପ୍ରକାଶ କରିଥିଲେ । ତାପରେ ରାଜଗୁରୁ ମହାଶୟ ଟିକିଏ ତାଗିଦ୍ କରିବା ଭଳି କଣ୍ଠରେ ଯୁବରାଜଙ୍କୁ କହିଥିଲେ- “ପାଠତ ଏବେ ଭଲ ଲାଗୁନି ଆଉ ରାଜ୍ୟ ଶାସନ କରିବେ କିପରି ? ମୁନିଗା ଭଜା (ସଜନା ଛୁଇଁକୁ ଗଞ୍ଜାମ ଅଞ୍ଚଳରେ ଆଜି ମଧ୍ୟ ମୁନିଗା କୁହା ଯାଇଥାଏ) ଖାଇବାକୁ ତ ଭଲ ଲାଗୁଛି, ଆଉ ପାଠ ପଢ଼ା ଭଲ ଲାଗୁନି କାହିଁକି ?” ସେଇ ଲଘୁ ମନ୍ତବ୍ୟ ଦେଇ ସେ ତାଙ୍କର ଚାଲି ଯାଇଥିଲେ ଅନ୍ୟ ଆଡେ଼ ।
ବାସ୍ ସେତିକି । ଆତ୍ମ ଅଭିମାନରେ ଜର୍ଜରିତ ହୋଇ ଯାଇଥିଲେ ମାତ୍ର ପ୍ରାୟ ଆଠ ବର୍ଷର କିଶୋର କୃଷ୍ଣଚନ୍ଦ୍ର । ପାରଳା ରାଜନବରରେ ଥିବା ପ୍ରାୟ ଶହେଟି କୋଠରି ଭିତରୁ ଗୋଟିଏ ନିର୍ଜନ କୋଠରିକୁ ଚାଲିଯାଇଥିଲେ । ସାଂଗରେ ଲୁଚାଇ ନେଇଥିଲେ ଦାନ୍ତକାଠି ସଫା ହେବା ପାଇଁ କୌଣସି ଗୋଟିଏ ଝରକା ଉପରେ ରହିଥିବା ଛୁରୀଟିଏ । ସେତେବେଳେ ସେ କାନରେ ପିନ୍ଧିଥିବା ଚମକପ୍ରଦ ହୀରାଖଣ୍ଡ ଯୁକ୍ତ କାନଫୁଲରୁ ହୀରା ଖଣ୍ଡିଏ ବାହାରକରି ଗିଳି ପକାଇଥିଲେ । ଉଦ୍ଦେଶ୍ୟ ଆତ୍ମହତ୍ୟା କରିବେ । ରାଜଗୁରୁଙ୍କଠାରୁ ମୁକ୍ତିପାଇବେ । ହୀରାର ସେଇ ଚମତ୍କାରିତା ସଂପର୍କରେ ପରିଚାରିକାଗଣଙ୍କ ଠାରୁ ସେ ଶୁଣିଥିଲେ କେବଳ । ଯେଉଁ ବ୍ୟକ୍ତି ରାଜ ପରିବାରର ସଦସ୍ୟଗଣଙ୍କ ଖାଇବା ଋଚି ସହିତ ମଧ୍ୟ ସଂଶ୍ଳିଷ୍ଟ ତାଙ୍କରି ଠାରୁ ସବୁଦିନ ଲାଗି ମୁକ୍ତି ପାଇବା ପାଇଁ ଅଭିମାନୀ ମହାରାଜା ମନେ କରିଥିଲେ ତାହାହିଁ ଏକ ମାତ୍ର ପନ୍ଥା !
କିନ୍ତୁ ତାହା ଫଳପ୍ରଦ ହୋଇନଥିଲା । ଯୁବରାଜଙ୍କ ଦୀର୍ଘ ଅନୁପସ୍ଥିତି ଯୋଗୁଁ ପରିଚାରିକାଗଣ ଖୋଜା ଲୋଡା କରି ତାହାଙ୍କୁ ସେହି କୋଠରିରୁ ଉଦ୍ଧାର କରିବା ସହ ହୀରାଖଣ୍ଡ ଗିଳି ପକାଇଥିବା ସଂପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ । କେବଳ ରାଜନଅର ନୁହେଁ, ସାରା ସହରରେ ତାହା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ତୁରନ୍ତ ଚିକିତ୍ସା କରାଯାଇ ସବୁ ଠିକ୍ ଠାକ୍ ହେବା ସଙ୍ଗେ ସଙ୍ଗେ ସେଦିନ ଇଷ୍ଟଦେବୀ ମାଣିକେଶ୍ୱରୀ, ରାମସ୍ୱାମୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପର୍ଯ୍ୟାପ୍ତ ପରିମାଣରେ ଭୋଗରାଗ ହୋଇ ବ୍ରାହ୍ମଣ ଭୋଜନାଦି କରାଯାଇ ଯୁବରାଜଙ୍କ ରିଷ୍ଟ ଖଣ୍ଡନ କରାଯାଇଥିଲା ।
ତୀବ୍ର ମାନସିକ ଅନ୍ତର୍ଦାହ ଆତ୍ମସଚେତନ ମହାରାଜାଙ୍କୁ ସେଦିନ ଯେଉଁଭଳି ଭାବରେ ପ୍ରଭାବିତ କରିଥିଲା ଓଡ଼ିଶା ସୀମାକମିଟି ସୁପାରିଶ ପ୍ରକାଶ ପାଇବା ଦିନ ସୁଦ୍ଧା ଠିକ୍ ସେହିଭଳି ଅନ୍ତର୍ଦାହରେ ପ୍ରଭାବିତ ହୋଇଥିଲେ ପ୍ରାୟ ୪୧ ବର୍ଷ ବୟସ୍କ ମହାରାଜା । ସେଦିନ ମଧ୍ୟ ଆଠବର୍ଷ ବୟସ୍କ ବାଳକ କୃଷ୍ଣଚନ୍ଦ୍ରଙ୍କ ଭଳି ସମ୍ଭବତଃ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେତେବେଳେ ଆତ୍ମାଭିମାନୀ ମହାରାଜାଙ୍କୁ ସେହି ଉଦ୍ୟମରୁ କ୍ଷାନ୍ତ କରାଇଥିଲେ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ । ପୁଣି ସେଇ ଓଡ୍ନାଲ କମିଟି ପାଇଁ ସେ ମନୋନୀତ ହେବା ପରେ ତାହାର ସଭ୍ୟପଦକୁ ନେଇ ଓଡ଼ିଶାର କେତେକ ନେତାଙ୍କ ବିରୋଧ ଯୋଗୁଁ ମହାରାଜା ଆପଣାଛାଏଁ ସେଥିରୁ ଓହରି ଯିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ଓଡ଼ିଆଙ୍କ ସମୂହ ସ୍ୱାର୍ଥ ରକ୍ଷାକରିବା ପାଇଁ ଅନ୍ୟ ଅନେକ ନେତାଙ୍କ ସାକ୍ଷାତ ତଥା ହାର୍ଦିକ ଅନୁରୋଧକୁ ଉପେକ୍ଷା ମଧ୍ୟ କରିପାରିନଥିଲେ ଆତ୍ମ ସଚେତନ ମହାରାଜା । ସେ ସବୁ ଘଟଣା ବ୍ୟତୀତ ଯୌବନ କାଳର ଆଉ ଏକ ଘଟଣାର ଉଦ୍ଧାର କରାଯାଇପାରେ । ହେଲେ ନାଟକକୁ ଆକର୍ଷଣୀୟ କରାଇବା ପାଇଁ ଉଦ୍ୟମକୁ କେନ୍ଦ୍ର କରି ଆପଣା ଅଭିମାନକୁ ରକ୍ତାକ୍ତ କରିବାର ଯଥାର୍ଥତା ନଥିଲା ସେଥର ।
ଥରେ ପାରଳାରେ ଏକ ନାଟକ “ଚନ୍ଦ୍ରାବତୀ ସ୍ୱୟମ୍ବର” ମଞ୍ଚସ୍ଥ ହେଉଥିଲା ଦାଦାଙ୍କ ସ୍ମୃତିରେ ନାମିତ “ପଦ୍ମନାଭ ରଙ୍ଗାଳୟ”ରେ । ମହାରାଜା ସେଠାକୁ ଯାଇଥିଲେ ଜଣେ ଦର୍ଶକ ହିସାବରେ । ସେଥିରେ ସ୍ଥାନୀୟ ବୈଷ୍ଣବ କବି ଗୋପାଳକୃଷ୍ଣଙ୍କ ପଣନାତି ତଥା ସ୍ଥାନୀୟ ମହାରାଜା ହାଇସ୍କୁଲର ଶିକ୍ଷକ ଚକ୍ରପାଣି ପଟ୍ଟନାୟକ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରୁଥିଲେ । ଅନ୍ୟାନ୍ୟ ଅଭିନୟ ଭିତରେ, ସେଦିନ ମଞ୍ଚ ଉପରେ, ‘ବକ୍ରଦନ୍ତ’ ଆଖ୍ୟାନଟିଏ ଆରମ୍ଭ କରିଥିଲେ ସେ । ବାହାଡ଼ା ଦାନ୍ତର ଅନେକ ବିଶେଷତ୍ୱ ବଖାଣି ଯାଇଥିଲେ ବ୍ୟଙ୍ଗ ଅଭିନେତା ଚକ୍ରପାଣି । ବଙ୍କେଇ ଟଙ୍କେଇ ଅନେକ କଥା କହିଥିଲେ । ତାଙ୍କରି ଅଭିନୟରେ ଦର୍ଶକଗଣ ହସି ହସି ବେଦମ ହୋଇ ଯାଇଥିଲେ । ସେଭଳି ମହିମାମୟ ବକ୍ରଦାନ୍ତ ଯୁକ୍ତ ମଣିଷଟିଏ କିଭଳି କଥା କହେ, ସିଏ ହସିଲେ କେମିତି ଦେଖାଯାଏ, କିଭଳି ଭାବରେ ଖାଦ୍ୟ ଖାଏ ଇତ୍ୟାଦି ଥିଲା ସେହି ବ୍ୟଙ୍ଗ ଅଭିନୟର ଅଂଶ ବିଶେଷ ।
ହେଲେ ସେଇ ପରମ ଆନନ୍ଦଦାୟକ ଘଟଣାଟି ନିରାନନ୍ଦ ମନେ ହୋଇଥିଲା ମହାରାଜାଙ୍କୁ । ସେ ଅଧାରୁ ଉଠି ଚାଲି ଯାଇଥିଲେ । କାରଣ ଥିଲା ପିଲାଦିନେ ସେ ଥିଲେ ବାହାଡ଼ାଦାନ୍ତ ଯୁକ୍ତ । ମାଆ ରାଧାମଣିଦେବୀଙ୍କ ପ୍ରରୋଚନାକ୍ରମେ ଆଧୁନିକ ଚିକିତ୍ସା ସହାୟତାରେ ତାହାକୁ ବାହାର କରାଯାଇଥିଲା ଏବଂ ସେହିସ୍ଥାନରେ ମଧ୍ୟ ସଠିକ୍ ଦାନ୍ତଟିଏ ଯଥା ସମୟରେ ଉଠି ଯାଇଥିଲା । ତଥାପି ସେଇ ନାଟକ ଦେଖିବା ବେଳେ ସେ ମନେ କରିଥିଲେ ଯେ ତାଙ୍କୁ ହିଁ ଆକ୍ଷେପ କରି ତାହା ଅଭିନୀତ । କିନ୍ତୁ ବାସ୍ତବରେ ଚକ୍ରପାଣିଙ୍କ ଉଦ୍ଦେଶ୍ୟ ସର୍ବାଦୌ ସେୟା ନଥିଲା ।
ତତ୍ ପରଦିନ ମହାରାଜାଙ୍କ ନିକଟରୁ ତଲବ୍ । ଘଟଣାର ଯଥାର୍ଥ ଅନୁମାନ ସେ କରି ନେଇଥିଲେ । ସେଥିାଇଁ ପୁଣି ଏକ ଅଭିନୟର ଯୋଜନା ପ୍ରସ୍ତୁତ କରିଥିଲେ ତତ୍କାଳ ।
ନଅରରେ ପହଞ୍ଚିବା ମାତ୍ରେ ମହାରାଜା କିଛି କହିବା ପୂର୍ବରୁ ଚକ୍ରପାଣିଙ୍କର ଆପଣାର ଗୁହାରୀ ଥିଲା- ମହାରାଜ; ଆଉ ଏଣିକି ମୁଁ କୌଣସି ନାଟକରେ ଅଭିନୟ କରିବି ନାହିଁ ।
କାହିଁକି ?
ସେଇ କାହିଁକିର ଏକ ଦୀର୍ଘ ଉତ୍ତର ଦେଇ ସେଦିନ ସକାଳୁ ସକାଳୁ ବଜାର ମଝିରେ ରାଧି ଓଡ଼ିଆଣୀର ଅସଭ୍ୟ ଗାଳିଗୁଲଜ ସଂପର୍କରେ ବିଶେଷ ଉଲ୍ଲେଖ କରିଥିଲେ । କହିଥିଲେ- "ସତେ ଯେମିତି କାଲିରାତିରୁ ସେ ମୋତେ ଅପେକ୍ଷା କରି ହିଁ ରହିଥିଲା । ତାର ଭାଷାକୁ ଉଦ୍ଧାର କରି କହିଥିଲେ- ହଇହୋ କରଣ ପୁଅ, ମୋ ଗୋଡ଼ ଟିକିଏ ବଙ୍କା ହୋଇଯାଇଛି ବୋଲି ତମେ କଣ ହାଟ ବଜାରରେ ସେ କଥା କହିବୁଲିବ ? ମୁଁ ଏବେ କଳିହୁଡ଼ୀ । ହେଲେ ସେଥିରେ ତମର କଣ ଯାଏ ଆସେ ହୋ । ତମ ସହିତ ମୁଁ କଣ କେବେ କଳି କରିଛି ? ତା ହେଲେ ଏତେବଡ଼ ସଭାରେ ମୋର କାହିଁକି ବଦନାମ କରୁଛ ? ଖୋଦ୍ ମହାରାଜା ସେଇଠି ଥିଲେ । ତାଙ୍କରି ସାମନାରେ ଏତେ ହିନିମାନିଆ କରି ମତେ ଅପମାନ ଦେଲ ? ରାଜା-ପରଜା ସମସ୍ତଙ୍କ ଆଗରେ ମୁଁ ଚାଲିଲା ପରି ଛୋଟେଇ ଛୋଟେଇ ଚାଲି ମତେ ଖତେଇ ହେଲ । ମତେ କଣ କରି ପାଇଲକି ? ଭଲ କରି ଜାଣି ଥାଅ, ଏ ରାଧି ଓଡ଼ିଆଣୀ ତମ ବୋପାକୁ ବି ଡରେ ନାହିଁ” ଏମିତି ଆହୁରି କେତେ କଥା । ମୁଁ ସବୁକଥା ମହାରାଜାଙ୍କୁ କହି ପାରୁନାହିଁ । ଖୋଦ୍ ମହାରାଜା ତ ମୋ ଉପରେ ଖପ୍ପା ! ମୋତେ କଣ ମିଳିବ ଏ ଅଭିନୟରୁ । ଛାମୁଙ୍କୁ ଜଣାଇଦେଲି । ଆଉ ଏଣିକି ଅଭିନୟ ନ କଲେ ଗଲା ! ମହାରାଜା ଆଉ ରାଗିବେ କଣ । କୁଆଡେ଼ ଉଭେଇଗଲା ତାଙ୍କର ସେଇ ଅହେତୁକି ପୂର୍ବ ଅଭିମାନ । ସେ ଟିକିଏ ହସିଦେଇ କହିଥିଲେ- ସେଇ ରାଧି ତ କଳିହୁଡୀଟାଏ । ତାକୁ ଦି’ ପଦ ଭଲ କଥା କହି ବୁଝାଇ ଦିଅ- ସେ ଠିକ୍ ବୁଝିଯିବ ।
ଖୁସି ମନରେ ଚକ୍ରପାଣି ଫେରି ଆସିଥିଲେ ରାଜ ଉଆସରୁ । ଏବଂ ଏଇ ଘଟଣାରେ ମହାରାଜାଙ୍କ ସେଭଳି ଅଭିମାନରେ ଯଥାର୍ଥତା ନଥିବା କଥା ସେ ଠିକ୍ ଅନୁଭବ ମଧ୍ୟ କରି ପାରିଥିଲେ । କିନ୍ତୁ ତଥାପି ପରସମୟରେ ସେଇ ଆତ୍ମାଭିମାନର ପରିପ୍ରକାଶ ଘଟିଥିଲା ସେ ପ୍ରଥମ ଗୋଲ୍ଟେବୁଲ୍ ବୈଠକରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହେବା ପରେ ପରେ । କଂଗ୍ରେସ ସଭ୍ୟଗଣ ତାହାଙ୍କୁ ତୀବ୍ର ସମାଲୋଚନା କରିବା ପାଇଁ ଅଣ୍ଟା ଭିଡ଼ିଥିଲେ । ପରେ ସୀମାକମିଟିର ସଭ୍ୟ ମନୋନୟନ ବେଳେ ସୁଦ୍ଧା ସେଇୟା ହୋଇଥିଲା । କିନ୍ତୁ ଜାତୀୟ କାର୍ଯ୍ୟରେ ନିଯୁକ୍ତ ଥିବା ତଥା ଓଡ଼ିଶା ଆନ୍ଦୋଳନରେ ନେତୃତ୍ୱ ନେଉଥିବା ଯୋଗୁଁ ପ୍ରବଳ ଫୁତ୍କାର ସହ ଫଣା ଟେକି ଉଠୁଥିବା ଆତ୍ମାଭିମାନକୁ ଶାନ୍ତ କରିବା ପାଇଁ ସେ ପଶ୍ଚାତ୍ପଦ ହେଉନଥିଲେ । ଏପରିକି ରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ସୁଦ୍ଧା ବିଧାନସଭାରେ ଅନେକ ଆକ୍ଷେପମୂଳକ ବ୍ୟଙ୍ଗୋକ୍ତି ସେଇ ଆତ୍ମାଭିମାନକୁ ଆହତ କରୁଥିଲା ନିଶ୍ଚୟ । କିନ୍ତୁ ଜାତୀୟ ସ୍ୱାର୍ଥ ସେଠି ପରକ୍ଷଣରେ ଅଧିକ ବଳଶାଳୀ ହୋଇ ଯାଉଥିଲା । ସେଭଳି ଆବଶ୍ୟକତାକୁ ବାଦ୍ଦେଲେ ଜୀବନର ଅବସର କାଳରେ ସୁଦ୍ଧା ସେଇ ଆତ୍ମ ଅଭିମାନ ଯୁକ୍ତ ହୋଇ ଜୀବନ ନିର୍ବାହ କରିଥିଲେ ପାର୍ଥିବ ପୃଥିବୀରେ ଶେଷ ଦିନ ଯାଏଁ ।
ସ୍ୱାଧୀନତା ହାସଲ ପରେ ପରେ ଦେଶରେ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ସାମାଜିକ ପରିବର୍ତ୍ତନ ମାନ ହେବା ଥିଲା ସ୍ୱାଭାବିକ । ଗତକାଲି ପ୍ରଭୂତ କ୍ଷମତାର ଅଧିକାରୀ ରାଜା/ଜମିଦାର ଗଣ ନିଜକୁ ଖାପଖୁଆଇ ଚଳିବା ପାଇଁ ଯେ ଯାହାର କର୍ମପନ୍ଥା ନିର୍ଦ୍ଧାରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକେ ଗଣତାନ୍ତ୍ରିକ ରାଜନୀତିରେ ଯୋଗ ଦେଇଥିବା ବେଳେ ଆହୁରି ଅନେକେ ସେ ସବୁରୁ ଦୂରେଇ ରହି ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଷ୍ଠିତ ହେବାପାଇଁ ବାଣିଜ୍ୟ ବ୍ୟବସାୟ ଇତ୍ୟାଦିରେ ମନୋନିବେଶ କରିଥିଲେ । କିନ୍ତୁ ଅନମନୀୟ ମହାରାଜା କୃଷ୍ଣଚନ୍ଦ୍ର ଥିଲେ ସେ ସବୁ ମଧ୍ୟରେ ଏକ ବ୍ୟତିକ୍ରମ । ଦେଶରେ, ଏପରିକି ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ, ଜମିଦାରି ଦାୟିତ୍ୱରେ ଥିଲାବେଳେ ଯେମିତି ଥାଟବାଟ ଚାଲିଥିଲା ସେଇ ପରଂପରା ପ୍ରଚଳିତ ରହିଥିଲା ଜୀବନର ଶେଷ ଦିନ ଯାଏଁ । ପୂର୍ବଭଳି ଚାଲୁ ରହିଥିଲା “ସମସ୍ଥାନ” (ଜମିଦାରିର ପରିଚାଳନା କାର୍ଯ୍ୟାଳୟ) ମହାରାଜାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ରୂପେ । ସେଥିରେ ପଦସ୍ଥ ଅଫିସରଗଣ ନିଯୁକ୍ତ ରହୁଥିଲେ । ପୂର୍ବଭଳି ରାଜ ନଅରରେ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ କର୍ମଚାରୀ ନିଯୁକ୍ତ ରହିଥିଲେ । ଅବସର ଜୀବନରେ ସୁଦ୍ଧା ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ହେଲେ ପୂର୍ବର ସେଇ ରାଜକୀୟ କାଇଦାକଟକଣା ପାଳନ- ସେ ଯିଏ ହୁଅନ୍ତୁ ନା କାହିଁକି । ଦେଶ ରାଜ୍ୟର ନେତୃବର୍ଗଙ୍କ ସମେତ ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଦେଶାଗତ ଅତିଥିଗଣ ନବଉତ୍କଳର ଅନ୍ୟତମ ପ୍ରବୀଣ ବିନ୍ଦାଣୀ ମହାରାଜଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଏକ ଗୌରବ ବୋଲି ମନେ କରୁଥିଲେ ଶେଷ ପର୍ଯ୍ୟନ୍ତ । ସମସ୍ଥାନରୁ ତାରିଖ ଏବଂ ସମୟ ନିର୍ଦ୍ଧାରଣ କରିବାକୁ ହେଉଥିଲା । ସେଥିପାଇଁ ମହାରାଜାଙ୍କ ଦରବାର ହଲ୍ ସୁସଜ୍ଜିତ ହେଉଥିଲା । ଅତି ପରିଚିତଙ୍କ ଠାରୁ ଅପରିଚିତ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସେଇ ଏକା ନିୟମ । ସେଇ ନିୟମରେ ମଧ୍ୟ ବନ୍ଧା ମହାରାଜା କୃଷ୍ଣଚନ୍ଦ୍ରଙ୍କ ଆର୍ଥିକ ସହାୟତା ଲାଭ କରି ଉଚ୍ଚ ଶିକ୍ଷିତ ହୋଇ ଜିଲ୍ଲା କଲେକ୍ଟର ରୂପେ ଯୋଗ ଦେଇଥିବା ଗୋପୀନାଥ ମଧ୍ୟ । ଏକଦା ମହାରାଜାଙ୍କର ପ୍ରଜା ଥିବା ଗୋପୀନାଥ ଗଂଜାମର କଲେକ୍ଟର ହେବା ପରେ ପରେ ସାମାଜିକ ଅବସ୍ଥାର ଠିକ୍ ପରିବର୍ତ୍ତନ ହୋଇଥିଲା । ମହାରାଜା ପାଲଟି ଯାଇଥିଲେ ତାଙ୍କରି ପ୍ରଜା ଭାରତର ସାମ୍ବିଧାନିକ ଅର୍ଥରେ । ତଥାପି ପାରଳା ଗଜପତିଙ୍କୁ ସାକ୍ଷାତ ଟିକିଏ କରିବା ପାଇଁ ବ୍ୟଗ୍ର ଗୋପୀନାଥଙ୍କର ସେଇ ସମସ୍ଥାନକୁ ଦଉଡ଼ । ସମୟ ନିର୍ଦ୍ଧାରଣ କର । ଦରବାର ହଲ ନିକଟରେ ଘଣ୍ଟାକଣ୍ଟାକୁ ଅପେକ୍ଷାକର । ହଲ୍ର ମଞ୍ଚ ଉପରକୁ ଉଠିବା ପୂର୍ବରୁ ପାଦର ଜୋତା ଓହ୍ଲାଅ...
ଅତିଥି ପୂର୍ବ ନିର୍ଦ୍ଧାରିତ ସମୟରେ ହିଁ ପହଞ୍ଚିବାକୁ ହେବ । ଅତି ବେଶିରେ ପାଞ୍ଚରୁ ଦଶମିନିଟ୍ ଡେରି କ୍ଷମଣୀୟ । ତା ପରେ ଦରବାର ହଲ୍ର ଦୁଆର ବନ୍ଦ । ସେଥିପାଇଁ ପୁଣିଥରେ ଖୋଲାଯିବା ସମ୍ଭବ ନୁହେଁ । ସେ ଯିଏ ହୁଅନ୍ତୁ ନା କାହିଁକି- ହୁଅନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଡ: ହରେକୃଷ୍ଣ ମହତାବ୍ ଅଥବା ଦେଶର ସ୍ୱନାମଧନ୍ୟ ଚିକିତ୍ସକ ଡକ୍ଟର ଆକୁଳାନନ୍ଦ ଷଡ଼ଙ୍ଗୀ ।
ଜମିଦାରି ବିଲୋପ ପର୍ଯ୍ୟନ୍ତ ପ୍ରତିଦିନ ପ୍ରଭାତର ଆଗମନୀ ଜଣାଇ ରାଜନଅରରେ ବାଜି ଉଠୁଥିଲା ନହବତ ବାଦ୍ୟ । ଭୋରରୁ ଉଠି ପ୍ରାଭାତିକ ନିତ୍ୟ କର୍ମ ଶେଷ କରି କୃଷ୍ଣଚନ୍ଦ୍ର ସାମାନ୍ୟ ଜଳଖିଆ ଖାଉଥିଲେ । ସୂର୍ଯ୍ୟୋଦୟ ପୂର୍ବରୁ ସେହି ସବୁ କାର୍ଯ୍ୟ ଶେଷ କରି ନିଜେ ଗାଡ଼ିଚଳାଇ ଯାଉଥିଲେ ‘ହୋମଫାର୍ମ’ । ପ୍ରାୟ ସାଢ଼େ ଆଠ ପର୍ଯ୍ୟନ୍ତ ସେଠି ଚାଷବାସ ତଥା ଗୋରୁ ଗାଈଙ୍କ ସଂପର୍କରେ ତଦାରଖ । ବୋଝେ କଅଁଳିଆ ଘାସ ନଅରର ଗାଈଗୋରୁଙ୍କ ପାଇଁ ନେଇ ଫେରିବା ପରେ ଘଣ୍ଟାଏ ଦୁଇଘଣ୍ଟା ଅଫିସ୍ କାର୍ଯ୍ୟ-ଖବରକାଗଜ ପଢ଼ା, ଅତିଥି ଆଗନ୍ତୁକଙ୍କ ସହ ସାକ୍ଷାତ୍ ଇତ୍ୟାଦି । ଦଶଟା ବେଳେ ସ୍ନାନ । ତତପରେ ରାଜଗୁରୁଙ୍କ ସହ ଦେବାର୍ଚ୍ଚନ, ପୂଜା ଗୃହରେ ଜପତପ । ତାପରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ । ବାଲ୍ୟ/କୈଶୋରରେ ପ୍ରିୟ ସଜନାଛୁଇଁ ଭଜା ସ୍ଥାନରେ ଉତ୍ତର ବୟସରେ କାଞ୍ଜି ଏବଂ ଶେଉଳ ମାଛର ଭଜା ଥିଲା ମହାରାଜାଙ୍କ ପ୍ରିୟଖାଦ୍ୟ ମଧ୍ୟରେ ଅନ୍ୟତମ । ପ୍ରବାଦ ଅଛି ପ୍ରଥମ ଗୋଲଟେବୁଲ ବୈଠକ ଅବସରରେ ଲଣ୍ଡନ ଠାରେ ବିଦେଶୀ ଅତିଥିଗଣଙ୍କୁ ଓଡ଼ିଶୀ ଖାଦ୍ୟ-କାଞ୍ଜି ଖୁଆଇ ଆମୋଦିତ କରିଥିଲେ ଆମ ପାରଳା ଗଜପତି ।
ଅପରାହ୍ନ ତିନିଟା ବେଳେ ଅଫିସକାର୍ଯ୍ୟ କିଛି ଥିଲେ କିମ୍ବା ଅତିଥି ଆଗନ୍ତୁକ ଆସିଥିଲେ ଭଲ । ନଥିଲେ ହୋମଫାର୍ମ/ପୁଣ୍ଡି ଲୁଣ କାରଖାନା ଆଡ଼େ ଘେରାଏ ବୁଲାବୁଲି । ପୂର୍ବେ ଶିକାର ପ୍ରିୟ ମହାରାଜା ପାରଳା ସହର ନିକଟସ୍ଥ କୁରୁଲୁଣ୍ଡା କିମ୍ବା ପୁଲିକଟା ଜଙ୍ଗଲରୁ କିଛି ହରିଣ/କୁଟୁରା/ ସମ୍ବର/ବାରହା ଶିକାର ନେଇ ସନ୍ଧ୍ୟା ସାତ/ସାଢ଼େ ସାତ ବେଳକୁ ଫେରି ଆସୁଥିଲେ ନଅରକୁ । ବେଳେ ବେଳେ କଲରାପତ୍ରିଆ ବାଘଟିଏ ହାବୁଡ଼ିଗଲେ ତାକୁ ମଧ୍ୟ ଶିକାର କରୁଥିଲେ ସେ । ହେଲେ ଉଦ୍ଦେଶ୍ୟମୂଳକ ଭାବେ ମହାବଳ ବାଘ ଶିକାର କରୁଥିଲେ ଯେତେବେଳେ ଜମିଦାରି ଅଞ୍ଚଳରେ ମଣିଷଖିଆ ବାଘ ମାତୁଥିଲା- ପ୍ରଜାଗଣଙ୍କ ଧନଜୀବନ ହାନି କରୁଥିଲା । ହେଲେ ଜମିଦାରି ଉଚ୍ଛେଦ ପରେ ସେହି ସବୁ କାର୍ଯ୍ୟ ବନ୍ଦ । ଯେଉଁଆଡ଼େ ଗଲେ ବି ପ୍ରାୟ ସନ୍ଧ୍ୟା ଛଅଟା ବେଳେ ଉଆସରେ ହାଜର । କ୍ଲାନ୍ତି ଅପନୋଦନ ପାଇଁ ପୁଣିଥରେ ସ୍ନାନ ଓ ଜଳଯୋଗ । ତାପରେ ଚିଠିପତ୍ର ଲେଖା ଅନ୍ୟମାନଙ୍କ ସହ ସାକ୍ଷାତ ଆଲୋଚନା । ରାତି ନଅରୁ ଦଶ ମଧ୍ୟରେ ରାତ୍ରି ଭୋଜନ ଓ ତାପରେ ବିଶ୍ରାମ । ଅବାଞ୍ଚିତ କାରଣରୁ ସେଥିରେ ବ୍ୟତିକ୍ରମ ହେଉନଥିଲା କହିଲେ ଚଳେ । ସେବକଗଣ ତାହାର ଭୟାବହ ପରିଣତି ସଂପର୍କରେ ସମ୍ପୂର୍ଣ୍ଣ ଅବହିତ ଥିଲେ ।
ମହାରାଜା ଥିଲେ ଅତ୍ୟନ୍ତ କ୍ଷଣକୋପୀ । ସମସ୍ତ ସଦ୍ଗୁଣ ଭିତରେ ତାହାହିଁ ଥିଲା ତାଙ୍କର ବଦ୍ଗୁଣ । ଶୃଙ୍ଖଳାପ୍ରିୟ ମହାରାଜା ସାମାନ୍ୟ ତ୍ରୁଟି ପାଇଁ ସେବାକାରୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ । କୌଣସି ତ୍ରୁଟି ବିଚ୍ୟୁତିରେ ମହାରାଜା ଭୀଷଣ ବ୍ୟସ୍ତ ହୋଇ ଉଠୁଥିଲେ । ସେଇ କାରଣରୁ ଅନେକ ବେଳେ ସଂପୃକ୍ତ ସେବକଙ୍କୁ ତତ୍କ୍ଷଣାତ ବରଖାସ୍ତ କରି ଦେଉଥିଲେ । ତେଣୁ ସେମାନେ ତତ୍ପର ଥିଲେ ଘଣ୍ଟାକଣ୍ଟା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମାହିତ କରିବା ପାଇଁ । ଘଣ୍ଟା ବଜାଇବା ପ୍ରହରୀଗଣ ତ ଥିଲେ ଅଧିକ ତତ୍ପର ।
ସହରବାସୀଙ୍କୁ ପ୍ରତିଦିନର ସମୟ ସୂଚନା ପ୍ରଦାନ କରିବା ପାଇଁ ନଅର ସିଂହ ଦ୍ୱାର ଗୁମୁଟର ସର୍ବୋଚ୍ଚ ଶିଖରରେ ନିର୍ମିତ ହୋଇଥିଲା ଏକ ଘଣ୍ଟା ଘର । ସେଠାରେ ଏକ ବିରାଟ ଘଣ୍ଟା ସ୍ଥାପିତ ହୋଇଥିଲା । ତତ୍ସହିତ ସେଠାରେ ଅହୋରାତ୍ର ପ୍ରହରୀମାନଙ୍କ ନିୟୋଜନ । ପ୍ରତି ଘଣ୍ଟାରେ ସେମାନେ ଦୋଳାୟମାମନ ଏକ ବିରାଟ ଘଣ୍ଟାକୁ ପ୍ରବଳ ପ୍ରହାର କରି ସହରବାସୀଙ୍କୁ ସୂଚାଇ ଦେଉଥିଲେ ସଠିକ ସମୟ । ସକାଳ ଆଠଟା ବେଳେ ତାହା ଆଠ ଥର ବାଜିବା ବେଳେ ଅପରାହ୍ନ ଚାରିଟାବେଳେ ଶବ୍ଦ କରି ଉଠୁଥିଲା ଚାରିଥର ଏବଂ ରାତି ବାରଟା ବେଳେ ବାରଥର ଶବ୍ଦ କରୁଥିଲା ସେଇ ଘଣ୍ଟା । ସେଇ କାନ୍ଥ ଘଣ୍ଟାର ନିକଟ କଣ୍ଟା ପ୍ରତିଥର ୧୨ରେ ପହଞ୍ଚିବା ମୁହୂର୍ତ୍ତକୁ ଅପେକ୍ଷା କରି ରହୁଥିଲେ ସଚେତନ ପ୍ରହରୀଗଣ ଏବଂ ସେହି କାରଣରୁ ସହରବାସୀ ସଠିକ୍ ସମୟର ସୂଚନା ପାଇ ପାରୁଥିଲେ ଅହୋରାତ୍ର । ଜମିଦାରି ଉଚ୍ଛେଦ ପରେ ଦୀର୍ଘକାଳ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ଚାଲୁରହିଥିଲା ।
ଅବଶ୍ୟ ମହାରାଜା ସହର ବାହାରକୁ ଗଲାବେଳେ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ ସାମାନ୍ୟ ବ୍ୟତିକ୍ରମ ତ ସ୍ୱାଭାବିକ । ତେବେ ସାଙ୍ଗରେ ତାଙ୍କରି ବ୍ୟକ୍ତିଗତ ସେବାକାରୀଗଣ- ସୁଆର, ଗୁଡ଼ିଆ, ଗଉଡ଼, ଗରାବଡ଼ୁ ପ୍ରମୁଖ ଯାତ୍ରା କରୁଥିଲେ ଅନ୍ୟମାନଙ୍କ ସହିତ । ଏହିଭଳି କାର୍ଯ୍ୟକ୍ରମ ପ୍ରାୟତଃ ଚାଲୁ ରହିଥିଲା ଜୀବନର ଶେଷ ଦିନ ପର୍ଯ୍ୟନ୍ତ- ୧୯୭୪ ମସିହା ମଇ ୨୫ ତାରିଖ ପର୍ଯ୍ୟନ୍ତ ।
ସେଦିନ ମଧ୍ୟ ପ୍ରତ୍ୟୂଷରୁ ଆପଣାର ନିତ୍ୟକର୍ମ ଶେଷକରି ହୋମଫାର୍ମକୁ ଯାଇଥିଲେ । ସେଠାରୁ ଫେରି ସ୍ନାନାଦିକର୍ମ ଶେଷକରି ଦେବାର୍ଚ୍ଚନ କରିଥିଲେ ନଅର ଭିତରେ । ତାପରେ ପ୍ରସ୍ତୁତ ହୋଇଥିଲେ ନିତ୍ୟ ନୈମିତ୍ୟିକ ଭାବେ ମଧ୍ୟାହ୍ନ ଭୋଜନ ପାଇଁ ।
କିନ୍ତୁ ‘ଅବିଶ୍ୱାସୀ’ କ୍ରୂରକାଳ ଅଚାନକେ ଆସି ସେଇଠି ‘ହାବୋଡ଼ି’ ଯାଇଥିଲା । ସେ ଆଉ ଭୋଜନ କରିବାକୁ ଯାଇପାରି ନଥିଲେ । ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ କାଳର କବଳରେ ବନ୍ଦୀ ହୋଇ ଯାଇଥିଲେ ସେ । ମହାକାଳ ମହାରାଜାଙ୍କୁ ଗ୍ରାସ କରି ନେଇଥିଲା ।
ସେହି ମୃତ୍ୟୁକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ ସରକାର । ତତ୍ପରଠାରୁ ସମସ୍ତ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା । ସେତେବେଳେ ଯୁବରାଜ ରାମଚନ୍ଦ୍ରଙ୍କ ପୁତ୍ର ଗୋପୀନାଥଙ୍କୁ ସମ୍ବାଦ ପ୍ରେରଣ କରାଯାଇଥିଲା । ରାଜବାଟୀର ଚତୁଃପାଶ୍ୱର୍ରେ ଅଧିକ ଆଲୋକର ବ୍ୟବସ୍ଥା ତୁରନ୍ତ କରାଯାଇଥିଲା । ପୋଲିସ୍ ବିଭାଗର ଉଚ୍ଚ କର୍ମଚାରୀଗଣ ମହାରାଜାଙ୍କ ମର ଶରୀରର ରକ୍ଷଣାବେକ୍ଷଣ ଦାୟିତ୍ୱ ତତ୍କାଳ ଗ୍ରହଣ କରିଥିଲେ । ସରକାର ଛୁଟି ଘୋଷଣା କରିଥିଲେ । ସ୍କୁଲ କଲେଜ ବନ୍ଦ ହୋଇଯାଇଥିଲା । ତୁଣ୍ଡ ବାଇଦର ବାଜଣା ଶବ୍ଦ ସତେ ଯେମିତି ପବନରେ ଆଦିଗନ୍ତ ବିଛୁରିତ ହୋଇ ଯାଇଥିଲା । ସମସ୍ତଙ୍କ ଆଖିରେ ଲୁହ । ଜଣେ ଯୁଗପୁରୁଷର ଅବସାନ-ଗୋଟିଏ ଯୁଗର ଅବସାନ । ବିନା ବାକ୍ୟ ବ୍ୟୟରେ ଏବଂ ବିନା ସମୟର ଅପଚୟରେ ପାରଳା ସହରର ଦୋକାନବଜାର ବନ୍ଦ ହୋଇ ଯାଇଥିଲା । ଅବିଶ୍ୱାସ ଏବଂ ବିସ୍ମୟର ବାତାବରଣ ଭିତରେ ଆବାଳବୃଦ୍ଧବନିତା ମୁହାଁଇଥିଲେ ରାଜନଅର ଆଡ଼କୁ । ସାରା ସହରରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଚୁଲି ଜଳିବା ବି ବନ୍ଦ । ରାଜନଅର ଚତୁର୍ଦ୍ଧିଗରେ ଲୋକାରଣ୍ୟ । ରାଜଦାଣ୍ଡରେ ସୋରିଷ ପଡ଼ିବାକୁ ସ୍ଥାନ ନାହିଁ ।
ପାରଳା ସହର ଆଡ଼କୁ ଛୁଟି ଥିଲା ଜନତାର ସୁଅ । ସେଥିରେ କେବଳ ପାରଳା ଜମିଦାରି ଅଞ୍ଚଳର ଲୋକ ନଥିଲେ, ବିଶେଷକରି ସେଥିରେ ଥିଲେ ଆନ୍ଧ୍ର ସହିତ ଯୁକ୍ତ ହୋଇ ରହିଯାଇଥିବା ପୂର୍ବତନ ଖେମଣ୍ଡି ରାଜ୍ୟର ଗାଆଁଗଣ୍ଡାରୁ ଜନଗଣଙ୍କ ବିରାଟ ପଟୁଆର- ସେମାନେ ଏକା ନିଃଶ୍ୱାସରେ ଦଉଡ଼ି ଆସିଥିଲେ ମହାରାଜାଙ୍କୁ ଶେଷ ଦର୍ଶନ କରିବେ-ଶେଷ ସମ୍ମାନ ଜଣାଇବେ । ପାରଳା ସହର ଲୋକାରଣ୍ୟ ହୋଇ ଉଠିଥିଲା । ସମୟର ଗତି ଭୁଲି ଯାଇଥିଲେ ସମସ୍ତେ । ମଧ୍ୟାହ୍ନ, ଅପରାହ୍ନ, ରାତି ବୋଲି କିଛି ବାରି ହେଉନଥିଲା । ପ୍ରତି ଘଣ୍ଟାରେ ଯେମିତି କିଛି କିଛି ନୂତନ ବ୍ୟକ୍ତିଙ୍କର ସମାଗମ, ଶେଷ ଦର୍ଶନ ପାଇଁ ବ୍ୟାକୁଳତା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ ତଥା ଅତି ବିଶିଷ୍ଟ ବ୍ୟକ୍ତିବୃନ୍ଦ ଏବଂ ସରକାରୀ ଅଫିସରଗଣ ସମବେତ ହୋଇଥିଲେ ପାରଳାରେ, ସେଇ ଏକା ଉଦ୍ଦେଶ୍ୟରେ ।
ସମ୍ବାଦ ପାଇ ଗୋପୀନାଥ ଗଜପତି ବାଙ୍ଗାଲୋରରୁ ଆସି ତତ୍ପରଦିନ ପହଞ୍ଚିଥିଲେ । ସେଭଳି ଖବର ପାଇ ମହାରାଜାଙ୍କର କନିଷ୍ଠ ପୁତ୍ର ମାଧବ ସୁନ୍ଦର ଗଜପତି ମଧ୍ୟ ଆସିଥିଲେ ମାନ୍ଦ୍ରାଜରୁ । ବଂଶ ପରଂପରାକ୍ରମେ ରାଜକୀୟ ମର୍ଯ୍ୟାଦା ସହ ପ୍ରଥମେ ଗୋପୀନାଥ ପାରଳା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ତତ୍ପରେ ରାଜାଦେଶ କ୍ରମେ କୃଷ୍ଣଚନ୍ଦ୍ରଙ୍କ ମରଶରୀରକୁ ନଅର ବାହାରକୁ ନିଆ ଯାଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହରର ବିଭିନ୍ନ ମାର୍ଗଦେଇ ସେଇ ଶବ ଶୋଭାଯାତ୍ରା ମହେନ୍ଦ୍ରତନୟା ନଦୀ କୂଳକୁ ଯାଇଥିଲା । ବୈଦିକ ରୀତିରେ ଶବ ସଂସ୍କାର ହୋଇଥିଲା ସେଇଠି । ଓଡ଼ିଶାରେ ମହିମାମୟ ଗଙ୍ଗ ଗଜପତି ବଂଶର ଶେଷ ଶାସକ ସେଇଠି ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲେ- ତାଙ୍କରି ଅମର ଆତ୍ମା ପରମାତ୍ମାଙ୍କ ସହିତ ବିଲୀନ ହୋଇଯାଇଥିଲା ।
ଶାସନ କାଳ | |||||
---|---|---|---|---|---|
ଖେମଣ୍ତି ରାଜାଙ୍କ କ୍ରମ | ରାଜାଙ୍କ ନାମ | ମିଃ ସିୱେଲ୍ | ବି।ଶେଷାଗିରି ରାଓ | ସୀମାଦ୍ରି ପରିଚ୍ଛା | |
୧ | ୨ | ୩ | ୪ | ୫ | |
ରାଜଧାନୀ-ଗୁଡ଼ାରିକଟକ | |||||
୧. | ନରସିଂହଦେବ ଓରଫ କଳାହମ୍ବିର | ୧୨୪୫-୧୨୬୫ | ୧୨୪୫-୧୨୮୫ | ୧୨୪୫-୧୨୬୧ | |
୨. | ମଦନଦେବ | ୧୨୬୫-୧୨୯୦ | ୧୨୮୫-୧୩୨୦ | ୧୨୬୧-୧୨୮୧ | |
୩. | ନାରାୟଣଦେବ | ୧୨୯୦-୧୩୦୯ | ୧୩୨୦-୧୩୫୫ | ୧୨୮୧-୧୨୯୬ | |
୪. | ଆନନ୍ଦଦେବ | ୧୩୦୯-୧୩୧୭ | ୧୩୫୫-୧୩୮୬ | ୧୨୯୬-୧୨୯୭ | |
୫. | ଅନନ୍ତରୁଦ୍ରଦେବ | ୧୩୧୭-୧୩୨୫ | ୧୩୫୫-୧୩୮୬ | ୧୨୯୭-୧୩୧୧ | |
୬. | ଜୟରୁଦ୍ରଦେବ | ୧୩୨୫-୧୩୬୭ | ୧୩୮୬-୧୪୩୧ | ୧୩୧୧-୧୩୪୪ | |
୭. | ଲକ୍ଷ୍ମୀ ନରସିଂହ ଭାନୁଦେବ | ୧୩୬୭-୧୩୯୨ | ୧୪୩୧-୧୪୫୬ | ୧୩୪୪-୧୩୬୪ | |
୮. | ମଧୁକର୍ଣ୍ଣଦେବ/ମଧୁକର୍ଣ୍ଣଭାନୁ | ୧୩୯୨-୧୪୨୩ | ୧୪୫୬-୧୪୮୮ | ୧୩୬୪-୧୩୮୮ | |
ରାଜଧାନୀ-ନଗରୀ କଟକ/କଳିଙ୍ଗ ନଗର | |||||
୯. | ମୃତ୍ୟୁଞ୍ଜୟ ଭାନୁଦେବ | ୧୪୨୩-୧୪୫୭ | ୧୪୮୮-୧୫୨୨ | ୧୩୮୮-୧୪୧୫ | |
୧୦. | ହମିର ମାଧବ ମଦନସୁନ୍ଦର ଭାନୁଦେବ | ୧୪୫୭-୧୪୯୪ | ୧୫୨୨-୧୫୯୯ | ୧୪୧୫-୧୪୪୪ | |
୧୧. | ଚନ୍ଦ୍ରବେତାଳ ଭାନୁଦେବ/ଚନ୍ଦ୍ରମୌଳି ଗଜପତି | ୧୪୯୪-୧୫୨୭ | ୧୫୯୯-୧୬୦୩ | ୧୪୪୪-୧୪୭୦ | |
୧୨. | ସୁବର୍ଣ୍ଣଲିଙ୍ଗ ଭାନୁଦେବ/ସ୍ୱର୍ଣ୍ଣଲିଙ୍ଗଭାନୁ | ୧୫୨୭-୧୫୬୬ | ୧୬୦୩-୧୬୪୨ | ୧୪୭୦-୧୫୦୧ | |
୧୩. | ଶିବଲିଙ୍ଗଭାନୁ/ଶୁଭଲିଙ୍ଗଭାନୁ/ଶିବଲିଙ୍ଗ ନାରାୟଣଦେବ | ୧୫୬୬-୧୫୯୦ | ୧୬୪୨-୧୬୭୦ | ୧୫୦୧-୧୫୨୦ | |
୧୪. | ସୁବର୍ଣ୍ଣକେଶରୀ ଗୋବିନ୍ଦଦେବ/ଗଜପତି ନାରାୟଣଦେବ | ୧୫୯୦-୧୬୩୦ | ୧୬୭୦-୧୭୧୦ | ୧୫୨୦-୧୫୫୨ | |
୧୫. | ମୁକୁନ୍ଦରୁଦ୍ର ଗଜପତି ନାରାୟଣଦେବ | ୧୬୩୦-୧୬୫୬ | ୧୭୧୦-୧୭୩୬ | ୧୫୫୨-୧୫୭୩ |
ଶାସନ କାଳ | ||||
---|---|---|---|---|
ଖେମୁଣ୍ତି ରାଜାଙ୍କ କ୍ରମ | ରାଜାଙ୍କ ନାମ | ମିଃ ସିଓ୍ୱେଲ୍ | ବି.ଶେଷାଗିରି ରାଓ | ସୀମାଦ୍ରି ପରିଚ୍ଚାହ |
୧ | ୨ | ୩ | ୪ | ୫ |
ରାଜଧାନୀ-ପୁରୁଣାପାଟଣା | ||||
୧୬. ମୁକୁନ୍ଦଦେବ/ମୁକୁନ୍ଦ ଗଜପତି | ୧୬୫୬-୧୬୭୪ | ୧୭୩୬-୧୭୫୪ | ୧୫୭୩-୧୫୯୧ | |
୧୭. ଅନନ୍ତ ପଦ୍ମନାଭ/ଗଜପତି ନାରାୟଣଦେବ | ୧୬୭୪-୧୬୮୬ | ୧୭୫୪-୧୭୬୭ | ୧୫୯୧-୧୬୦୩ | |
୧୮.ସର୍ବଜ୍ଞ ଜଗନ୍ନାଥ ନାରାୟଣଦେବ | ୧୬୮୬-୧୭୦୨ | ୧୭୬୭-୧୭୮୪ | ୧୬୦୩-୧୬୧୯ | |
୧୯.ନରସିଂହଦେବ/ନରହରିଦେବ | ୧୭୦୨-୧୭୨୯ | ୧୭୮୪-୧୮୧୧ | ୧୬୨୯-୧୬୪୬ | |
୨୦.ବୀର ପଦ୍ମନାଭ ନାରାୟଣଦେବ | ୧୭୨୯-୧୭୪୮ | ୧୮୧୧-୧୮୨୪ | ୧୬୪୬-୧୬୬୨ | |
୨୧. ବୀରପ୍ରତାପରୁଦ୍ର/ଗଜପତି ନାରାୟଣଦେବ | ୧୭୪୮-୧୭୬୬ | ୧୮୨୪-୧୮୪୨ | ୧୬୬୨-୧୬୯୩ |
ଗଙ୍ଗବଂଶର ଇତିହାସ (ଇଂରାଜୀ, ୨ୟ ଭାଗ)- ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁ ପୃ: ୮୦-୮୧ |(ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରକାଶନ-୧୯୭୨)