ଆମ ପାରଳା ମହାରାଜା/ନୂତନ ଓଡ଼ିଶା: ପ୍ରଥମ ପ୍ରଧାନମନ୍ତ୍ରୀ
←ପାରଳାର ବିଭାଜନ | ଆମ ପାରଳା ମହାରାଜା ଲେଖକ/କବି: ନୂତନ ଓଡ଼ିଶା: ପ୍ରଥମ ପ୍ରଧାନମନ୍ତ୍ରୀ |
ଶ୍ରୀନ୍ତକ୍ଳାନ୍ତ ଜୀବନ ଜଞ୍ଜାଳ→ |
ଓଡ଼ିଶା ଶ୍ୱେତପତ୍ର ପ୍ରକାଶ ପାଇବା ପରଠାରୁ ସରକାରୀ ସ୍ତରରେ ନୂତନ ପ୍ରଦେଶ କାର୍ଯ୍ୟକ୍ଷମ ହେବା ପାଇଁ ବିଭିନ୍ନ ପ୍ରସ୍ତୁତିପର୍ବର ଅୟମାରମ୍ଭ କରାଯାଇଥିଲା । ସେତିକିବେଳେ ୧୯୧୨ରେ ବିହାର-ଓଡ଼ିଶା ଗଠନ ବେଳର ପଦ୍ଧତିକୁ ଅନୁସରଣ କରାଯାଇଥିଲା । ଭାରତ ବିଭାଗ ସଚିବ ବଡ଼ଲାଟଙ୍କୁ ତତ୍କାଳ ପରାମର୍ଶ ଦେଇଥିଲେ, ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ଦିଗରେ ବିହିତ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ।
ବାସ୍ତବରେ ରାଜ୍ୟର ଦାୟିତ୍ୱ ନେବା ପୂର୍ବରୁ ତାହାର ବିଭିନ୍ନ ସମସ୍ୟା ଅନୁଧ୍ୟାନ ଏବଂ ସେ ସବୁର ଦୂରୀକରଣ ପାଇଁ ସମ୍ଭାବ୍ୟ ପଦକ୍ଷେପ ସବୁ ନେବାଲାଗି ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ହେବାକୁ ଥିବା ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇ ଓଡ଼ିଶାରେ ଅବସ୍ଥାପିତ କରାଯାଇଥିଲା । ୧୯୩୩ ଜୁନ୍ ୨୪ ତାରିଖରେ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଶାସନ କମିଟିର ସେ ମୁଖ୍ୟ ରହିଥିବା ବେଳେ ଅନ୍ୟ ସଭ୍ୟଗଣ ଥିଲେ ସର୍ବଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଲୋକନାଥ ମିଶ୍ର, ବୀରବର ନାରାୟଣଚନ୍ଦ୍ର ଧୀର ନରେନ୍ଦ୍ର, ମଧୁସୂଦନ ଦାସ, ଏନ୍. ରାମମୂର୍ତ୍ତି ନାଇଡ଼ୁ, ନୀଳମଣି ସେନାପତି ଗୌରଚନ୍ଦ୍ର ଦେବ ଏବଂ ଓ. ନିଉସାମ୍ । ଓଡ଼ିଶା କମିଟି ନୂତନ ପ୍ରଦେଶର ରାଜଧାନୀ ପାଇଁ ସ୍ଥାନ ନିର୍ବାଚନ, ସଚିବାଳୟ କର୍ମଚାରୀଙ୍କ ବାସଗୃହ ନିର୍ମାଣ ଲାଗି ଖର୍ଚ୍ଚ ଅଟକଳ, ହାଇକୋର୍ଟ, ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାପ୍ରସାର ଲାଗି ଅନ୍ୟାନ୍ୟ ପ୍ରଦେଶ ସହିତ ଆଂଶିକଭାବେ ସଂଯୁକ୍ତ ରହିବା ପ୍ରଶ୍ନ ଇତ୍ୟାଦି ସମସ୍ତ ବିଷୟରେ ଅନୁଧ୍ୟାନ କରି ସରକାରଙ୍କୁ ପରାମର୍ଶ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ସେତେବେଳ ସୁଦ୍ଧା ଜୟପୁର ଓ ପାରଳା ଅଞ୍ଚଳ ଓଡ଼ିଶାରେ ସଂଯୁକ୍ତ ହୋଇନଥିଲା । ତେଣୁ ଆପାତତଃ ଶ୍ୱେତପତ୍ରରେ ପ୍ରକାଶିତ ଅଞ୍ଚଳ ପାଇଁ ହିଁ ଏହି କମିଟି ଅଧିକୃତ ଥିଲା ଏବଂ ସୀମା ସଂପର୍କୀୟ ମତାମତ ଦେବାପାଇଁ ଏହି ଶାସନ କମିଟିକୁ କୌଣସି ଅଧିକାର ଦିଆଯାଇନଥିଲା । ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ଆନ୍ଦୋଳନ ଅବ୍ୟାହତ ରହିଥିଲା ନୂତନ ଓଡ଼ିଶାର ସୀମା ସଂଶୋଧନ ପାଇଁ । ଓଡ଼ିଶା ଶାସନ କମିଟିରେ ମହାରାଜାଙ୍କ ଅନୁସ୍ଥିତି ବେଶ୍ ଉପଲବ୍ଧି କରିଥିଲେ ସମସ୍ତେ । ଖୋଦ୍ ଜନ୍ ହବାକ୍ଙ୍କ ପାଇଁ ସେହି ଉପଲବ୍ଧି ଥିଲା ଅତ୍ୟଧିକ । ମଧୁବାବୁଙ୍କୁ ଗୋଟିଏ ପତ୍ରରେ ଆପଣାର ହୃଦୟ ଖୋଲି ଦେଇଥିଲେ ଯେ ଓଡ଼ିଆମାନଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାବେଳେ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ । ତେବେ ନୂତନ ପ୍ରଦେଶ ଗଠନର ମୁଖ୍ୟ ଉଦ୍ୟୋକ୍ତା ସେହି କମିଟି ସହିତ ସଂଯୁକ୍ତ ହୋଇପାରି ନଥିବା ଅତ୍ୟନ୍ତ ଦୁଃଖର ବିଷୟ । “କମିଟି ବୈଠକଗୁଡ଼ିକରେ ମୁଁ ଏକ ବିରାଟ ଶୂନ୍ୟତା ଅନୁଭବ କରୁଛି ।” -ସେ ସେତିକିବେଳେ ଆଶା ମଧ୍ୟ ପୋଷଣ କରିଥିଲେ ଯେ ଭବିଷ୍ୟତରେ ଆବଶ୍ୟକବେଳେ ମହାରାଜାଙ୍କ ସହଯୋଗ ନିଶ୍ଚିତ ଭାବେ ଲାଭ କରିବେ ।
ଆପାତତଃ ଓଡ଼ିଶାର ରାଜଧାନୀ କଟକଠାରେ ରହିବା ବେଳେ ରାଜ୍ୟପାଳଙ୍କ ରହିବା ପାଇଁ ଓଡ଼ିଶା ଶାସନ କମିଟି ସ୍ଥାନ ନିର୍ଣ୍ଣିୟ କରିଥିଲା ପୁରୀ ।
ମିଳିତ ସଂସଦୀୟ କମିଟିର ମତାମତ ୧୯୩୪ ନଭେମ୍ବରରେ ସରକାରଙ୍କ ନିକଟରେ ଦାଖଲ ହୋଇଥିଲା । ତାହାକୁ ଆଧାର କରି ୧୯୩୫ ଫେବ୍ରୁଆରିରେ ଭାରତ ବିଭାଗ ସଚିବ ବ୍ରିଟିଶ୍ ପାର୍ଲାମେଣ୍ଟର ହାଉସ୍ ଅଫ୍ କମନ୍ସରେ ଏକ ବିଲ୍ ଆଗତ କରିଥିଲେ ଏବଂ ତାହା ଅଗଷ୍ଟ ୪ ତାରିଖ ଦିନ ଅନୁମୋଦନ ଲାଭକରି ଆଇନରେ ପରିଣତ ହୋଇଥିଲା । ତାହା ହିଁ ଆମଦେଶରେ ଖ୍ୟାତି ଲାଭ କରିଥିବା ୧୯୩୫ ଭାରତ ଶାସନ ଆଇନ । ସେହି ଅନୁଯାୟୀ ଓଡ଼ିଶା ଓ ସିନ୍ଧୁ୍ପ୍ରଦେଶ ନୂତନ କରି ଜନ୍ମଲାଭ କରିଥିବା ସଂଗେ ସଂଗେ ଲୋକପ୍ରତିନିଧିମୂଳକ ଶାସନ ପ୍ରବର୍ତ୍ତନ ହେବାର ବ୍ୟବସ୍ଥା ହୋଇଥିଲା । ତାହାକୁ କାର୍ଯ୍ୟକାରୀ କରାଇବା ପାଇଁ ସେହିକ୍ରମରେ “ଭାରତ ସରକାରଙ୍କ ଓଡ଼ିଶା ଗଠନ ଆଦେଶନାମା-୧୯୩୬” ପ୍ରସ୍ତାବ ପାର୍ଲାମେଣ୍ଟରେ ୧୯୩୬ ମସିହା ଜାନୁୟାରି ଏକ ତାରିଖ ଦିନ ଉପସ୍ଥାପିତ ହୋଇଥିଲା । ପରଂପରା ଅନୁଯାୟୀ ପାର୍ଲାମେଣ୍ଟର ଉଭୟ ସଦନ ଫେବ୍ରୁଆରି ମାସରେ ମହାମାନ୍ୟ ସମ୍ରାଟଙ୍କୁ ମିଳିତ ଭାବରେ ଅନୁରୋଧ ଜଣାଇଥିଲେ ଏବଂ ପ୍ରିଭି କାଉନ୍ସିଲର ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସମ୍ରାଟ ଚୂଡ଼ାନ୍ତ ଆଦେଶ ଦେଇଥିଲେ ୧୯୩୬ ମାର୍ଚ୍ଚ ର ସାମ୍ବିଧାନିକ ଭିତ୍ତି ।
୧୯୩୬ ଅପ୍ରେଲ୍ ପହିଲା ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଉଦ୍ଘାଟିତ ହୋଇଥିଲା । ଏହାର ପ୍ରଥମ ଗଭର୍ଣ୍ଣର ହୋଇଥିଲେ ସାର୍ଜନ୍ ଅଷ୍ଟିନ୍ ହବାକ୍ । ତାହାଙ୍କୁ ଶପଥ ପାଠ କରାଇଥିଲେ ବିହାର-ଓଡ଼ିଶା ପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ସାର୍ କଟ୍ନେ ଟେରାଲ୍ । ସେହି ଉଦ୍ଘାଟନୀ ଉତ୍ସବ କଟକ ରେଭେନ୍ସା କଲେଜରେ ଅନୁଷ୍ଠିତ ହୋଇଥିଲା ।
ନୂତନ ଓଡ଼ିଶାର ଆୟତନ ପ୍ରାୟ ୩୨,୧୯୮ ବର୍ଗ ମାଇଲ (୮୩,୩୯୩ ବ.କି.ମି.) ହୋଇଥିବା ବେଳେ ଜନସଂଖ୍ୟା ଥିଲା ୮୦,୪୩,୬୮୧ ଏବଂ ଏଥିରେ ଥିଲା କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁର- ଏଇ ଛଅଟି ଜିଲ୍ଲା ସମେତ ୨୪ଟି ଗଡ଼ଜାତ ଅଞ୍ଚଳ । ସେତେବେଳ ପର୍ଯ୍ୟନ୍ତ ଏକ ଜିଲ୍ଲା ରୂପେ ପରିଗଣିତ ହେଉଥିବା ଅନୁଗୋଳକୁ ଦୁଇଭାଗ କରାଯାଇ ଗୋଟିଏ ଭାଗକୁ କଟକ ଏବଂ ଅନ୍ୟ ଭାଗଟିକୁ ଗଞ୍ଜାମ ସହ ସଂଯୁକ୍ତ କରାଇ
ଥିଲା ଗାଙ୍ଗପୁର, ବଣାଇ, କେନ୍ଦୁଝର, ମୟୂରଭଞ୍ଜ, ନୀଳଗିରି, ପାଲଲହଡ଼ା, ବାମରା, ରେଢ଼ାଖୋଲ, ଆଠମଲ୍ଲିକ, ତାଳଚେର, ଢ଼େଙ୍କାନାଳ, ଆଠଗତ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ହିନ୍ଦୋଳ, ବାମଣ୍ଡା, ସୋନପୁର, ପାଟଣା, କଳାହାଣ୍ଡି, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼ ଏବଂ ରଣପୁର ।
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲେ ସୁଦ୍ଧା ଓଡ଼ିଶା ବାହାରେ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ନୂତନ ଓଡ଼ିଶାର ଚତୁଃପାର୍ଶ୍ୱରେ ରହିଯାଇଥିଲା । ବିହାରରେ ସିଂହଭୂମ; ବଙ୍ଗରେ ମେଦିନାପୁରର ଅନେକ ଓଡ଼ିଆଭାଷୀ ଅଞ୍ଚଳ; କେନ୍ଦ୍ର (ମଧ୍ୟ) ପ୍ରଦେଶରେ ଫୁଲଝର, ବିନ୍ଦ୍ରାନୂଆଗଡ଼, ବସ୍ତର, ରାଜଗଡ଼ ଏବଂ ସାରଙ୍ଗଗଡ଼ ରାଜ୍ୟ; ମାନ୍ଦ୍ରାଜରେ ମଞ୍ଜୁଷା, ତରଳା, ଟିକାଲି, ବୁଢ଼ାରସିଂ, ଜଳନ୍ତର; ବିଶାଖାପାଟଣା ମାଳଅଞ୍ଚଳର ଅଧିକାଂଶ ଭାଗ ଏବଂ ପାରଳା ଜମିଦାରିର ଅନେକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ଓଡ଼ିଶା ବାହାରେ ରହି ଯାଇଥିଲା । ତେଣୁ ଆପାତତଃ ଓଡ଼ିଆ ଲୋକେ ଯେଉଁ ଆଶା ଆକାଂକ୍ଷା ନେଇ ଦୀର୍ଘଦିନ ଧରି ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ ଚଳାଇ ଆସିଥିଲେ ତାହା ସ୍ୱୟଂସଂପୂର୍ଣ୍ଣ ହୋଇପାରି ନଥିଲା କହିଲେ ଚଳେ । ତେବେ ଯେଉଁ ସଫଳତା ହାସଲ ହୋଇଥିଲା ତାହା ଥିଲା ଆଂଶିକ । ତଥାପି ତାହାର ଗୁରୁତ୍ୱ କିଛି କମ୍ ନଥିଲା । ଭାଷାଭିତ୍ତିରେ ତାହା ଥିଲା ଭାରତ ଭୂଖଣ୍ଡରେ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ । ସେତିକିବେଳେ ମଧ୍ୟ ଭାରତୀୟ ରାଷ୍ଟ୍ରସଂଘରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମଲାଭ କରିଥିଲା ସିନ୍ଧୁ୍ପ୍ରଦେଶ ।
ଭାଷା ଆଧାରରେ ଗଠିତ ନୂତନ ପ୍ରଦେଶର ଜନ୍ମୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା । ସେଥିପାଇଁ କଟକଠାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା । ସେଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଗଣଙ୍କର ଉଲ୍ଲସିତ ସମାଗମ । ଉତ୍କଳ ସମ୍ମିଳନୀର ସଭ୍ୟଗଣ ବିଶେଷ ଆନନ୍ଦିତ । ଆନୁଷ୍ଠାନିକ ଭାବେ ଦୀର୍ଘ ୩୩ ବର୍ଷ ଆନ୍ଦୋଳନର ଶୁଭଙ୍କର ପରିଣାମରେ ସେମାନେ; ସେମାନଙ୍କ ଲକ୍ଷ୍ୟ ବିନ୍ଦୁ ହାତ ମୁଠାରେ । ସେମାନଙ୍କ ସମେତ ଅନ୍ୟ ଅନେକଙ୍କ ଆଖିରେ ଆନନ୍ଦାଶ୍ରୁ । ସେଇ ଅଶ୍ରୁରେ କେବଳ ଆନନ୍ଦର ହିଁ ରେଣୁ ଯୁକ୍ତ ନଥିବ ଥିବ ମଧ୍ୟ କିଛି କିଛି ଦୁଃଖ ଏବଂ ବେଦନାର ଫେଣ୍ଟାଫେଣ୍ଟି ମିଶ୍ରଣ । ଆଜି ଅନେକ ଓଡ଼ିଆ ଭାଇ ଓଡ଼ିଶା ବାହାରେ ରହିଗଲେ ଯେ !
ସେ ଦିନ ସନ୍ଧ୍ୟାରେ ନବ ଉତ୍କଳର ଜନକ ମହାରାଜା କୃଷ୍ଣଚନ୍ଦ୍ର ଏକ ବିରାଟ ସାଂଧ୍ୟ ମିଳନର ଆୟୋଜନ କରିଥିଲେ କଟକର ବାରବାଟୀ କିଲ୍ଲା ଭିତରେ । ସରକାରୀ ତଥା ବେସରକାରୀ ବ୍ୟକ୍ତିବୃନ୍ଦ ଥିଲେ ସେଇ ଗାର୍ଡେନ୍ ପାର୍ଟିର ଅତିଥି । ମହାରାଜାଙ୍କ ନିମନ୍ତ୍ରଣ ରକ୍ଷା କରି ମାନ୍ଦ୍ରାଜ ତଥା ବିହାର-ଓଡ଼ିଶା ସରକାରଙ୍କ ଅନେକ ପଦସ୍ଥ କର୍ମଚାରୀ ସେଥିରେ ଅଂଶ
ଗ୍ରହଣ କରିଥିଲେ- ଅଂଶ ଗ୍ରହଣ କରିଥିଲେ ହଜାର ହଜାର ଅତିଥି । ହେଲେ ସେଠାରେ ଦୃଶ୍ୟମାନରହିଥିଲେ ସୁଦ୍ଧା ଦଳର ନୀତିଗତ ନିଷ୍ପତ୍ତି-୧୯୩୫ ଭାରତ ଶାସନ ଆଇନ ବର୍ଜନକୁ ସମ୍ମାନ ଦେଇ ସେମାନେ ସେଠାରେ ଉପସ୍ଥିତ ହୋଇନଥିଲେ । ସେଇ ଆଇନର ପ୍ରଥମ ରୂପାୟନ ହିଁ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସେଇ ଉତ୍ସବ ଆୟୋଜନର ଜଣେ ଅଂଶୀଦାର ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ସ୍ମୃତିରେ- “ପାରଳାଖେମୁଣ୍ଡି ମହାରାଜାଙ୍କ ପକ୍ଷରୁ ତାଙ୍କ ଦେବାନ୍ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆମେ ସହଯୋଗୀମାନେ ସେଇ ପ୍ରଥମ ଉତ୍କଳ ଦିବସର ସମସ୍ତ ଆୟୋଜନ ଭାର ଗ୍ରହଣ କରିଥିଲୁ । ଓଡ଼ିଶାରୁ ଏବଂ ଓଡ଼ିଶା ବାହାରୁ ସହସ୍ରାଧିକ ଭଦ୍ର ବ୍ୟକ୍ତି ନିମନ୍ତ୍ରିତ ହୋଇ ଯୋଗ ଦେଇଥିଲେ ।” ମହାରାଜାଙ୍କ ସେହି ଉଦ୍ୟମ ହିଁ ପ୍ରମାଣିତ କରାଇ ଦେଇଥିଲା ତାହାଙ୍କର ମାନସିକ ପ୍ରସନ୍ନତା ।
ନବ ଗଠିତ ପ୍ରଦେଶରେ ନିର୍ବାଚିତ ପ୍ରତିନିଧି ସଭା ଗଠିତ ହେବା ପର୍ଯ୍ୟନ୍ତ- ୧୯୩୬ ଅପ୍ରେଲ ପହିଲାରୁ ୧୯୩୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଏକ ବର୍ଷର ଶାସନ ଭାର ପ୍ରତ୍ୟକ୍ଷ ଭାବରେ ଗଭର୍ଣ୍ଣରଙ୍କ ଅଧୀନରେ ହିଁ ରହିଥିଲା । ସେଥିପାଇଁ ତାହାଙ୍କର ଏକ ଉପଦେଷ୍ଟା ପରିଷଦ ଗଠିତ ହୋଇଥିଲା । ଉଭୟ ମାନ୍ଦ୍ରାଜ ଏବଂ ବିହାର-ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ସଭ୍ୟଗଣଙ୍କୁ ରାଜ୍ୟପାଳଙ୍କ ଉପଦେଷ୍ଟା ପରିଷଦରେ ଗ୍ରହଣ କରାଯାଇଥିଲା । ସେଇ ହିସାବରେ ପାରଳା ମହାରାଜା ମଧ୍ୟ ଥିଲେ ସେଇ ପରିଷଦର ଜଣେ ସଭ୍ୟ ।
ଉକ୍ତ ପରାମର୍ଶଦାତା ପରିଷଦର ପ୍ରଥମ ବୈଠକ ୧୯୩୬ ମଇ ୮ ତାରିଖ ଦିନ ପୁରୀ ରାଜଭବନରେ ଆୟୋଜିତ ହୋଇଥିଲା । ସେଥିରେ ଯୋଗଦେବା ପାଇଁ ମହାରାଜା ତତ୍ପୂର୍ବଦିନ ପାରଳାରୁ ବାହାରି ଆପଣା ଜମିଦାରି ପୁରୀର ଡେଲାଙ୍ଗରେ ପହଂଚିଥିଲେ । ତାହା ଡେଲାଙ୍ଗବାସୀଙ୍କ ପାଇଁ ଥିଲା ଏକ ଐତିହାସିକ ଘଟଣା । ଦୀର୍ଘ ଅତୀତରୁ ୧୮୮୫ ମସିହାରେ ଗଜପତି ଗୌରଚନ୍ଦ୍ର ଦେବ ଉକ୍ତ ଜମିଦାରି କ୍ରୟ କରିଥିଲେ ସୁଦ୍ଧା ଏବଂ ଏପର୍ଯ୍ୟନ୍ତ ପାରଳା ଜମିଦାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ଥିଲେ ସୁଦ୍ଧା ସେମାନଙ୍କ ପ୍ରତିନିଧି ରୂପେ ପରିଚାଳକଗଣ ହିଁ ନିଯୁକ୍ତ ହୋଇ ରାଜ୍ୟ ପରିଚାଳନା କରୁଥିଲେ । ସେଠାରେ ଅନେକ କାଳ ମେନେଜର ରୂପେ କାର୍ଯ୍ୟ କରିଥିଲେ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ (ବିଜୁବାବୁଙ୍କ ପିତା) । ତେଣୁ ସେଠାରେ ସେତେବେଳେ ମହାରାଜାଙ୍କ ଉପସ୍ଥିତି ଥିଲା ଏକ ଐତିହାସିକ ଘଟଣା ।
ସେହିଭଳି ମଧ୍ୟ ଅନ୍ୟ ଏକ ଐତିହାସିକ ଘଟଣା ଥିଲା, ତତ୍ ପରଦିନ ସକାଳ ନିର୍ଦ୍ଧାରିତ ସମୟ ଦଶଟା ବେଳେ ପୁରୀ ରାଜଭବନରେ ଉପସ୍ଥାନ । ଦୀର୍ଘ ଅତୀତରେ, ପାରଳା ସିଂହାସନର ପ୍ରଥମ ରାଜା ସର୍ବଜ୍ଞ ଜଗନ୍ନାଥ ନାରାୟଣ ଦେବ ବୈଦେଶିକ ଶାସନକୁ ବରଦାସ୍ତ କରି ନପାରି ୧୭୬୦ ମସିହାରେ ଖୋର୍ଦ୍ଧା ଆକ୍ରମଣ କରିଥିଲେ, ତଡିଦେଇଥିଲେ ମରହଟ୍ଟାମାନଙ୍କୁ । କିନ୍ତୁ ପରେ ପରେ ସେଇ ବୈଦେଶିକ ଶକ୍ତିକୁ ପାଥେୟ କରି ଖୋର୍ଦ୍ଧା ରାଜାଙ୍କ ସେନାନୀ ପାରଳାବାହିନୀକୁ ପଛକୁ ହଟାଇ ଦେଇଥିଲେ । ସେହିଦିନଠାରୁ ପୁରୀ ଏବଂ ପାରଳା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ତତ୍ପରଠାରୁ ପାରଳା ରାଜାଗଣ ଆଉ ପୁରୀ କିମ୍ବା ଶ୍ରୀମନ୍ଦିରକୁ ଯାଇ ନଥିଲେ ଅଭିମାନ କରି । ସେଇ ଦୀର୍ଘକାଳ ଅନ୍ତରରେ ପାରଳା ଗଜପତି ଶ୍ରୀକ୍ଷେତ୍ରରେ ପାଦ ପକାଇଥିଲେ । କିନ୍ତୁ ଅଭିମାନୀ ରାଜା ସିଧାସଳଖ ରାଜଭବନ ଯାଇ ପରାମର୍ଶଦାତା ବୈଠକରେ ଯୋଗଦେଇ ପୁଣି ଫେରି ଆସିଥିଲେ । ତତ୍ ପରବର୍ତ୍ତୀ ବୈଠକ ସେହି ବର୍ଷ ଅକ୍ଟୋବର ପାଞ୍ଚ ତାରିଖରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ମହାରାଜା କୃଷ୍ଣଚନ୍ଦ୍ର ପାରଳାରେ ଅନୁପସ୍ଥିତ ଥିବା କାରଣରୁ ସେଥିରେ ଯୋଗଦେଇ ପାରିନଥିଲେ ।
ସ୍ୱତନ୍ତ୍ର ପ୍ରଦେଶ ରୂପେ ଓଡ଼ିଶା ଗଠିତ ହେବା ପରେ ପରେ ଏଠାରେ ଦଳୀୟ ରାଜନୀତିର ପ୍ରଭାବ ବେଶ୍ ଅନୁଭୂତ ହୋଇଥିଲା । ମହାରାଜା ଏଠାରେ ଏକ ନୂତନ ରାଜନୈତିକ ଦଳ “ଓଡ଼ିଶା ଜାତୀୟ ଦଳ” ଗଠନ କରିଥିଲେ । ତାହାର ସଭାପତି ସେ ନିଜେ ହୋଇଥିବା ବେଳେ ରାଜ୍ୟର ଜଣେ ବିଶିଷ୍ଟ ଓକିଲ ତଥା ଓଡ଼ିଶା ଆନ୍ଦୋଳନର ସମର୍ପିତ ନେତା ଶ୍ରୀ ଭୁବନାନନ୍ଦ ଦାସ ଥିଲେ ତାହାର ସଂପାଦକ । ଜାତୀୟ ଭାବାପନ୍ନ ଯେଉଁ ନେତୃବର୍ଗ ଅତୀତରେ କଂଗ୍ରେସ ସହିତ ଯୋଗ ନଦେଇ ବିଶେଷ କରି ଦେଶ ମିଶ୍ରଣ ଆନ୍ଦୋଳନ ସହିତ ସଂଶ୍ଲିଷ୍ଟ ରହିଥିଲେ ଏବଂ ମହାରାଜାଙ୍କ ନେତୃତ୍ୱକୁ ଗ୍ରହଣ କରିଥିଲେ, ପ୍ରାୟତଃ ସେଇ ଓଡ଼ିଆ ସ୍ୱାଭୀମାନିଗଣ ଏଇ ନୂତନ ଦଳରେ ଯୋଗ ଦେଇଥିଲେ ।
ଓଡ଼ିଶାରେ ନୂତନ ବିଧାନସଭା ଗଠିତ ହେବାର ଅଳ୍ପ କିଛି କାଳ ପୂର୍ବରୁ ଜିଲ୍ଲାବୋର୍ଡ ସବୁ ଗଠିତ ହୋଇ ସେଥିପାଇଁ ନିର୍ବାଚନ ହୋଇଥିଲା ୧୯୩୬ ଡିସେମ୍ବର ୧୯ ତାରିଖ ଦିନ । ଗଞ୍ଜାମ ଜିଲ୍ଲାରେ, ଓଡ଼ିଶା ଜାତୀୟ ଦଳର ପ୍ରାର୍ଥୀ ରୂପେ ମହାରାଜା କୃଷ୍ଣଚନ୍ଦ୍ର ନିର୍ବାଚନରେ ଅଂଶ ଗ୍ରହଣ କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ହେଲେ ୨୭ଜଣ ସଭ୍ୟ ବିଶିଷ୍ଟ ଜିଲ୍ଲାବୋର୍ଡରେ ମାତ୍ର ଚାରୋଟି ଆସନରେ ଜାତୀୟ ଦଳର ସଭ୍ୟଗଣ ନିର୍ବାଚିତ ହୋଇଥିଲେ । ତଥାପି ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କଂଗ୍ରେସର ସଭ୍ୟଗଣ ମହାରାଜାଙ୍କୁ ହିଁ ସମର୍ଥନ କରିଥିଲେ ତାହାର ସଭାପତି ପଦବୀ ଲାଗି । ଦଳମତ ନିର୍ବିଶେଷରେ ସେମାନଙ୍କର ଦୃଢ଼ ହୃଦ୍ବୋଧ ହୋଇଥିଲା ଯେ ତାଙ୍କର ନେତୃତ୍ୱରେ ହିଁ ଗଞ୍ଜାମର ଉନ୍ନତି ସମ୍ଭବପର । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାସ୍ତାଘାଟ ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ଯଥାର୍ଥରେ ବିଶେଷ ଉନ୍ନତି ସାଧିତ ହୋଇଥିଲା ତାଙ୍କରି ଅମଳରେ । ସଭାପତି ରୂପେ ନିର୍ବାଚିତ ହେବା ପରେ ପରେ ଦଳମତର ଊଦ୍ଧ୍ୱର୍କୁ ଚାଲିଯାଇ ସେ ଯଥାଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଉଥିଲେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ । ସେତେବେଳେ ଆପଣାର ରାଜନୈତିକ ଦଳ ତାଙ୍କ ପାଇଁ କୌଣସି ପ୍ରଭାବ ରଖିନଥିଲା ।
ସେତିକିବେଳେ ଅନୁଷ୍ଠିତ ହୋଇଥିଲା ରାଜ୍ୟର ପ୍ରଥମ ସାଧାରଣ ନିର୍ବାଚନ । ଏହା ୧୯୩୭ ଜାନୁଆରି ୧୮ରୁ ଆରମ୍ଭ ହୋଇ ୨୩ରେ ଶେଷ ହୋଇଥିଲା । ଓଡ଼ିଶା ବିଧାନସଭା ପାଇଁ ନିର୍ଦ୍ଧାରିତ ୬୦ଟି ଆସନରୁ ୫୬ଜଣ ନିର୍ବାଚିତ ହେବାକୁ ଥିବାବେଳେ ଚାରୋଟି ଆସନ ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧିମାନଙ୍କ ପାଇଁ ବ୍ୟବସ୍ଥିତ ଥିଲା । ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ମୁସଲମାନ ସଂପ୍ରଦାୟ ପାଇଁ ଚାରୋଟି, ଖ୍ରୀଷ୍ଟିୟାନ୍ଙ୍କ ପାଇଁ ଗୋଟିଏ, ଜମିଦାର-ବାଣିଜ୍ୟ ସଭା ଏବଂ ମହିଳାମାନଙ୍କ ପାଇଁ ଦୁଇଗୋଟି ଲେଖାଏଁ ଏବଂ ଶ୍ରମିକମାନଙ୍କ ପାଇଁ ଗୋଟିଏ ଆସନ ସଂରକ୍ଷିତ ହୋଇଥିଲା । ଅବଶିଷ୍ଟ ଥିଲା ସାଧାରଣ ଆସନ । ସ୍ମରଣ ରଖାଯାଇ ପାରେ ଯେ ସେତେବେଳେ ସାଧାରଣ ସାବାଳକ ଭୋଟ ପ୍ରଥା ନଥିଲା କିମ୍ବା ପୁଣି ଓଡ଼ିଶାର ୨୪ ଗଡ଼ଜାତର ପ୍ରଜାଗଣ ମଧ୍ୟ ସାଧାରଣ ଶାସନ ସହ ସଂଯୁକ୍ତ ନଥିଲେ । ଭୋଟଦାତାଙ୍କ ଯୋଗ୍ୟତା ଥିଲା ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତଥା ନିର୍ଦ୍ଧାରିତ ପରିମାଣର ଟିକସ ଦାଖଲ କରୁଥିବା ବ୍ୟକ୍ତି ବିଶେଷ ଏବଂ ସବୁ ଆୟକରଦାତା ।
ସେହି ନିର୍ବାଚନରେ ମହାରାଜା ପାରଳାଖେମୁଣ୍ଡି ଆସନରୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କ ଦଳ ପାଇଥିଲା ମାତ୍ର ଚାରୋଟି ଆସନ । ମିଳିତ ଭାବରେ ଲଢ଼ିଥିବା ଯୋଗୁଁ ଅନ୍ୟ ଦୁଇଜଣ ନିର୍ବାଚିତ ସଭ୍ୟ ମହାରାଜାଙ୍କ ସହିତ ରହିଥିଲେ । ହେଲେ ପଣ୍ଡିତ ନୀଳକଣ୍ଠଙ୍କ ନେତୃତ୍ୱରେ କଂଗ୍ରେସ ଦଳ ବିଧାନସଭାରେ ୩୭ଟି ଆସନ ଲାଭ କରିଥିଲା । ୧୯୩୫ ଭାରତ ଶାସନ ଆଇନ ଅନୁଯାୟୀ ହୋଇଥିବା ସେହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ସୁଦ୍ଧା ତାହାକୁ ବର୍ଜନ କରୁଥିବା କଂଗ୍ରେସ ଦଳ ପ୍ରାୟ ସବୁ ରାଜ୍ୟରେ ସେଭଳି ପ୍ରଭୂତ ବିଜୟ ହାସଲ କରି ମଧ୍ୟ କେଉଁଠାରେ ବି ମନ୍ତ୍ରିମଣ୍ଡଳ ଗଠନ କରିବ ନାହିଁ ବୋଲି ସରକାରଙ୍କୁ ଜଣାଇ ଦେଇଥିଲା । ସେଇ ସ୍ଥିତି ମଧ୍ୟ ଥିଲା ନବଗଠିତ ଓଡ଼ିଶାରେ । ତତ୍କାଳୀନ କଂଗ୍ରେସ ସଭାପତି ଡଃ ହରେକୃଷ୍ଣ ମହତାବ ସେହି ବିଷୟ ଗଭର୍ଣ୍ଣରଙ୍କୁ ଜଣାଇ ଦେଇଥିଲେ । ଗାନ୍ଧିଜୀ ବଡ଼ଲାଟଙ୍କ ନିକଟରେ ଦାବି ରଖିଥିଲେ ଯେ ରାଜ୍ୟର ଗଭର୍ଣ୍ଣରଙ୍କ ହାତରେ ପ୍ରାୟ ସବୁ କ୍ଷମତା କେନ୍ଦ୍ରୀଭୂତ ହୋଇଥିବା ଯୋଗୁଁ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଆଗ୍ରହୀ ନୁହେ । କିନ୍ତୁ ନିର୍ବାଚନରେ ଲଢ଼ି କଂଗ୍ରେସ ଦେଶରେ ତାହାର ଲୋକପ୍ରିୟତା କେବଳ ପ୍ରମାଣିତ କରାଇ ଦେଇଛି । ଗଭର୍ଣ୍ଣରମାନେ ସେମାନଙ୍କ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରିବେ ନାହିଁ ବୋଲି ପ୍ରତିଶ୍ରୁତି ନ ମିଳିବା ଯାଏଁ କେଉଁଠାରେ ମଧ୍ୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିବ ନାହିଁ ।
ତତ୍ପରିଣାମତଃ ଗଭର୍ଣ୍ଣର ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ନିମନ୍ତ୍ରଣ ଜଣାଇଥିଲେ ପାରଳା ମହାରାଜାଙ୍କୁ । ଦଳୀୟ ବିଚାର ବିମର୍ଶ ପରେ ମହାରାଜା କୃଷ୍ଣଚନ୍ଦ୍ର ନୂତନ ଓଡ଼ିଶାର ଦ୍ୱିତୀୟ ଜନ୍ମ ଦିନରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ସେ ନିଜେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ସହଯୋଗୀ ହିସାବରେ ଗ୍ରହଣ କରିଥିଲେ ପୁରୀର ଓକିଲ ମୌଲବୀ ଲତିଫର ରହେମନ୍ ଏବଂ ବ୍ରହ୍ମପୁରର ଓକିଲ ତଥା ଛତ୍ରପୁର ସଭ୍ୟ ମାନଧାତା ଗୋରାଚାନ୍ଦ ପଟ୍ଟନାୟକଙ୍କୁ । ସେତେବେଳେ ମନ୍ତ୍ରିମଣ୍ଡଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଆଖ୍ୟାୟିତ କରାଯାଉଥିବା ଯୋଗୁଁ ସେ ଥିଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ।
ପ୍ରଥମ ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହେବା ପରେ ପରେ ଗଜପତି କୃଷ୍ଣଚନ୍ଦ୍ରଙ୍କର ପ୍ରଥମ କାର୍ଯ୍ୟଥିଲା ପୁରୀ ଶ୍ରୀମନ୍ଦିର ପରିଦର୍ଶନ; ତାଙ୍କର ଆରାଧ୍ୟଦେବ ଶ୍ରୀଜଗନ୍ନାଥଙ୍କ କୃପଭିକ୍ଷା । ଦୀର୍ଘ ଅତୀତରୁ ବିଗତ କେତେ ଶତାବ୍ଦୀ ଧରି ପାରଳା ରାଜବଂଶ ଶ୍ରୀମନ୍ଦିର ଦର୍ଶନରେ ଯାଇନଥିଲେ । ତାର ପ୍ରଚ୍ଛଦ ପଟରେ ଥିଲା ଏକ ଆହତ ଅଭିମାନର ସ୍ପଷ୍ଟ ଚିତ୍ର; ଏକ ଅତ୍ୟନ୍ତ ଶିଥିଳ ଐତିହାସିକ ଯୁକ୍ତି !
ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିରକୁ ନବକଳେବର ଯୁକ୍ତ କରିଥିବା ବିଖ୍ୟାତ ଗଙ୍ଗ ନରପତିଗଣଙ୍କ ସନ୍ତକ ଥିଲେ ପାରଳାର ଖେମଣ୍ଡି ରାଜବଂଶ । ସେମାନେ ଦୀର୍ଘ ଅତୀତରେ ବିଭକ୍ତ ହୋଇଥିବା ଆତ୍ରେୟ ଗୋତ୍ରୀ ଗଙ୍ଗବଂଶର ଏକ ରକ୍ତଧାରା । କିନ୍ତୁ ତତ୍ପର ସମୟରେ ପ୍ରତିଷ୍ଠିତ ହୋଇଥିଲେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବ । ଆପାତତଃ କପିଳେନ୍ଦ୍ର ଦେବ ହିଁ ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କରି ଉତ୍ତରାଧିକାରୀ ଭାବେ ଯେତେବେଳେ ଦାସୀ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କରିଥିଲେ, ସେତେବେଳେ କପିଳେନ୍ଦ୍ରଦେବଙ୍କ ପାଟରାଣୀ ସମ୍ଭୂତ ଅଷ୍ଟାଦଶପୁତ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ଚାଲି ଯାଇଥିଲେ । ଜ୍ୟେଷ୍ଠ କଳାହମ୍ବିର ଓଡ଼ିଶାର ଦାକ୍ଷିଣାତ୍ୟରେ ମହେନ୍ଦ୍ର ଗିରି ଅଞ୍ଚଳର କୌଣସି ପ୍ରାନ୍ତରେ ସମ୍ଭବତଃ ଆଶ୍ରୟ ନେଇଥିଲେ ଏବଂ ପର ସମୟରେ ଖେମଣ୍ଡି ରାଜ୍ୟର ପ୍ରତିଷ୍ଠାତା ରୂପେ ଲୋକମୁଖରେ ପରିଗଣିତ ହୋଇଥିଲେ । ଏଥିରେ ସାମାନ୍ୟତମ ଐତିହାସିକ ସତ୍ୟତା ନଥିଲେ ସୁଦ୍ଧା ପାରଳା ରାଜବଂଶ ଜ୍ୟେଷ୍ଠ ଦାୟାଦର ଅଭିମାନ ନେଇ କନିଷ୍ଠ-ପୁରୀ ଗଜପତିଙ୍କର ଆତିଥ୍ୟ ଗ୍ରହଣ ପାଇଁ କୁଣ୍ଠିତ ଥିଲେ ପାରଂପରିକ ଭାବେ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଯେ ପ୍ରଥମ ସେବକ ହେବାର କଥା ସେ କିଭଳି ଭାବରେ ସେଇ ସମ୍ମାନଜନକ ପଦରେ ଅନୁଜମାନଙ୍କୁ ଗ୍ରହଣ କରିପାରିବ !
ସେଇ କପୋଳକଳ୍ପିତ କାହାଣୀ ହିଁ ଥିଲା ବଂଶାନୁକ୍ରମେ ପାରଳା ରାଜାଗଣ ଶ୍ରୀମନ୍ଦିର ପରିଦର୍ଶନରେ ନଯିବାର ମୁଖ୍ୟ କାରଣ । ପୁଣି ତତ୍ସହିତ ଯୋଗ ହୋଇଥିଲା ସର୍ବଜ୍ଞ ଜଗନ୍ନାଥ ଦେବଙ୍କର ଖୋର୍ଦ୍ଧା/ପୁରୀ ଆକ୍ରମଣ ଏବଂ ପୁଣି ଗୌର ଗଜପତିଙ୍କ ଦ୍ୱାରା ପୁରୀ ରାଜାଙ୍କ ଅଧୀନସ୍ଥ ଡେଲାଙ୍ଗ ଜମିଦାରି କ୍ରୟ ଘଟଣା । ଉଭୟ ରାଜ ପରିବାର ପାଇଁ ସମୟ କ୍ରମେ ଏହି ସବୁ ଘଟଣାବଳୀ ତିକ୍ତତା ସୃଷ୍ଟି କରିଥିଲା ।
ତେବେ ସମୟର ରଥଚକ ତଳେ ଦେଶର ରାଜନୈତିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ପୁରାତନ ରାଜ୍ୟ ଏବଂ ରାଜାର ମର୍ଯ୍ୟାଦା କେବଳ ନାମକୁ ମାତ୍ର ରହିଥିଲା କହିଲେ ଚଳେ । ସେଭଳି ସ୍ଥିତିରେ ଗଜପତି କୃଷ୍ଣଚନ୍ଦ୍ର ଚାହିଁଥିଲେ ସେଇ ସବୁର ଅବସାନ ହେଉ । ସେ ପୁରୀ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ନିକଟକୁ ସମ୍ବାଦ ପଠାଇଥିଲେ ଯେ ସେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଇଚ୍ଛୁକ । ସେଇ ପ୍ରସ୍ତାବକୁ ସାଦରରେ ଗ୍ରହଣ କରିଥିଲେ ପୁରୀ ଗଜପତି । ସେଥିପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା ।
ମହା ଆଡମ୍ବର ପୂର୍ଣ୍ଣ ଥାଟ୍ଟବାଟ ନେଇ ପୁରୀ ଗଜପତି ଅଠରନଳା ନିକଟରେ ଅପେକ୍ଷା କରିଥିଲେ ପାରଳା ଗଜପତିଙ୍କୁ । ସେ ସେଠାରେ ପହଂଚିବା ପରେ ଭବ୍ୟ ରାଜକୀୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ତାହାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇବା ସଂଗେ ସଂଗେ ପାଛୋଟି ନେଇଥିଲେ ସେ ପର୍ଯ୍ୟନ୍ତ । ସେହିଭଳି ରାଜକୀୟ ସମ୍ବର୍ଦ୍ଧନା ଗଙ୍ଗବଂଶୀ ପାରଳା ମହାରାଜାଙ୍କ ବ୍ୟତୀତ ଅନ୍ୟ କୌଣସି ରାଜାଙ୍କୁ ଦିଆଯିବାର ନଜିର ନଥିଲା । କାରଣ ସେଇ ବଂଶର ରାଜନ୍ୟବର୍ଗ ପରା ଆଧୁନିକ ଶ୍ରୀମନ୍ଦିରର ପ୍ରତିଷ୍ଠାତା ।
ଗଜପତି କୃଷ୍ଣଚନ୍ଦ୍ରଙ୍କ ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଶୋଧ କରାଯାଇଥିଲା । ସେବକଗଣ ତାହାଙ୍କୁ ରାଜକୀୟ ସମ୍ମାନ ଅର୍ପଣ କରିଥିଲେ । ଶ୍ରୀମନ୍ଦିରରେ ଠାକୁର ଦର୍ଶନ ଶେଷ କରି ଗଙ୍ଗ ରାଜବଂଶୀୟ ପରଂପରା କ୍ରମେ ମହାରାଜା ରତ୍ନ ସିଂହାସନ ଉପରେ ସ୍ୱର୍ଣ୍ଣମୋହର ଅର୍ପଣ କରିଥିଲେ ।
ସେଇ ଘଟଣା ଉଭୟ ରାଜପରିବାର ମଧ୍ୟରେ ମତାନ୍ତରର ପରିସମାପ୍ତି ଘଟାଇଥିଲା ଯେମିତି ।
ତାପରେ ଆରମ୍ଭ ହୋଇଥିଲା ରାଜ୍ୟ ଶାସନ । ମନ୍ତ୍ରୀମାନେ ମାସିକ ଏକ ହଜାର ଟଙ୍କା ଦରମାରେ ନୂତନ ରାଜ୍ୟର ଉନ୍ନତି କଳ୍ପେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଅତି ସ୍ୱଳ୍ପ ସଂଖ୍ୟକ ସଭ୍ୟଙ୍କ ସମର୍ଥନରେ ମହାରାଜା ମନ୍ତ୍ରିମଣ୍ଡଳ ଗଠନ କରିଥିବାରୁ କଂଗ୍ରେସ ଦଳର ସଭ୍ୟଗଣ ବିଭିନ୍ନ ପ୍ରକାରର ସମାଲୋଚନା କରିଥିଲେ । ଏକ ପ୍ରେସ୍ ଇସ୍ତାହାରରେ ମହାରାଜା ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପଗୁଡ଼ିକରେ ଗଭର୍ଣ୍ଣର ଯଦି କେତେବେଳେ ହସ୍ତକ୍ଷେପ କରନ୍ତି ତାହେଲେ ମନ୍ତ୍ରିମଣ୍ଡଳ ସଂଗେ ସଂଗେ ଇସ୍ତଫା ଦେବା ପାଇଁ କୁଣ୍ଠିତ ହେବନାହିଁ । ତେଣୁ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସମୂହସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ସରକାରଙ୍କ ସହ ସହଯୋଗ କରିବା ଆବଶ୍ୟକ । ସେ ନିଜେ ମଧ୍ୟ ଜନଗଣଙ୍କ ସୁବିଧା ଅସୁବିଧା ସବୁର ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ ପାଇଁ ଉଦ୍ୟମ କରିଥିଲେ; ଉଦ୍ୟମ ଆରମ୍ଭ କରିଥିଲେ ରାଜ୍ୟରେ ଶିକ୍ଷାର ବିସ୍ତାର ପାଇଁ ।
ତେବେ ଭାରତୀୟ ରାଜନୀତିକ ଦୃଶ୍ୟପଟ ପରିବର୍ତ୍ତିତ ହୋଇଥିଲା ଗାନ୍ଧି, ନେହେରୁ ତଥା ପ୍ରମୁଖ ରାଜନେତାଙ୍କ ସହିତ ବଡ଼ଲାଟଙ୍କ ଘନ ଘନ ଆଲୋଚନାଯୋଗୁଁ । ସେମାନଙ୍କ ସହିତ ବୁଝାମଣା ହେବା ପରେ ରାଜ୍ୟଗୁଡ଼ିକରେ ଶାସନ ଭାର ଗ୍ରହଣ କରିବା ପାଇଁ କଂଗ୍ରେସ ସମ୍ମତ ହୋଇଥିଲା । ପରିଣାମତଃ ପାରଳା ମହାରାଜା ୧୯୩୭ ମସିହା ଜୁଲାଇ ୧୩ ତାରିଖ ଦିନ ଆପଣାର ଇସ୍ତଫା ରାଜ୍ୟପାଳଙ୍କୁ ଅର୍ପଣ କରି ଦେଇଥିଲେ । ଆପାତତଃ ନୂତନ ରାଜ୍ୟରେ ପ୍ରଥମ ମନ୍ତ୍ରିମଣ୍ତଳର ଆୟୁଷ ଥିଲା ମାତ୍ର ସାଢ଼େ ତିନିମାସ । ତାଙ୍କ ପରେ ପରେ ରାଜ୍ୟର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ରୂପେ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳରୁ ଓଡ଼ିଶା ବିଧାନସଭାରେ ନେତୃତ୍ୱ ନେଉଥିବା ଶ୍ରୀ ବିଶ୍ୱନାଥ ଦାଶ ଜୁଲାଇ ୧୯ ତାରିଖ ଦିନ ମନ୍ତ୍ରିମଣ୍ଡଳର ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ନିତ୍ୟାନନ୍ଦ କାନୁନ୍ଗୋ ଏବଂ ବୋଧରାମ ଦୁବେ ଥିଲେ ତାହାଙ୍କର ସହକର୍ମୀ ମନ୍ତ୍ରୀ । ସେହି ମନ୍ତ୍ରିମଣ୍ଡଳ ପ୍ରାୟ ଦୁଇ ବର୍ଷ ତିନି ମାସ ପାଇଁ କ୍ଷମତାରେ ରହିଥିଲା । ୧୯୩୯ ନଭେମ୍ବର ଚାରି ତାରିଖ ଦିନ ସେ ଇସ୍ତଫା ଦେଇଥିଲେ ଦେଶର ଅନ୍ୟାନ୍ୟ ପ୍ରାଦେଶିକ ମନ୍ତ୍ରିମଣ୍ଡଳଙ୍କ ସହ ସମତାଳରେ ଗତି କରି । ତା’ର ଦୁଇ ଦିନ ପରେ ସେଇ ଇସ୍ତଫା ଗୃହୀତ ହୋଇଥିଲା । ୧୯୩୯ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହଯୋଗ ନେଇ ଇଂରେଜ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପ ଥିଲା ତାହାର ପ୍ରମୁଖ କାରଣ ।
ପୃଥିବୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା- ଭାରତରେ ତା’ର ପ୍ରତିଫଳନ; ଇଂଲଣ୍ଡ ବିରୁଦ୍ଧରେ ଜର୍ମାନୀ ଓ ଜାପାନ୍, ଭାରତୀୟ ଜାତୀୟ କଂଗ୍ରେସରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବାଦ-ପ୍ରତିବାଦ, ନେତାଜୀଙ୍କ କେନ୍ଦ୍ରମଞ୍ଚରେ ଉପସ୍ଥାନ ଓ ଅପସାରଣ, କଂଗ୍ରେସ ଦଳ ମଧ୍ୟରେ ସ୍ୱରାଜ୍ୟ ଦଳ ଗଠନ, ଫରୱାର୍ଡ ବ୍ଲକ୍ର ଉଦ୍ଭବ, ଆସାମ-ପଶ୍ଚିମବଙ୍ଗ-ବିହାର ଓ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ନେତାଜୀଙ୍କ ଉଦ୍ୟମ-ଏଭଳି ପରିସ୍ଥିତି ଭିତରେ ଓଡ଼ିଶାର ରାଜନୀତିକ ଦୃଶ୍ୟପଟ ସକ୍ରିୟ ହୋଇ ଉଠିଥିଲା ୧୯୪୧ ମସିହାର ଶେଷ ବେଳକୁ । ଓଡ଼ିଶାରେ ମନ୍ତ୍ରିମଣ୍ଡଳଟିଏ ଗଠିତ ହେଲେ ବିଦ୍ରୋହୀ କଂଗ୍ରେସ ବିଧାୟକଗଣ ସମର୍ଥନ ଦେବାପାଇଁ ଆଗେଇ ଆସିଥିଲେ । ତେଣୁ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ ସପକ୍ଷରେ ଗୁରୁତ୍ୱ ଦିଆଯାଇଥିଲା । ସେତିକି ବେଳେ ପ୍ରସ୍ତାବ ଉଠିଥିଲା ଯେ ସେହିଭଳି ମନ୍ତ୍ରିମଣ୍ଡଳଟିଏ ପାରଳା ମହାରାଜାଙ୍କ ନେତୃତ୍ୱରେ ଗଠିତ ହେଉ । ସେହି ପ୍ରସ୍ତାବ ସମସ୍ତଙ୍କ ଦ୍ୱାରା ଗୃହୀତ ହୋଇଥିଲା ।
ସେହି କ୍ରମରେ ୧୯୪୧ ନଭେମ୍ବର ୨୪ ତାରିଖ ଦିନ ମହାରାଜା କୃଷ୍ଣଚନ୍ଦ୍ର ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଏଥର ସହଯୋଗୀ ରୂପେ ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ମୌଲବୀ ଶୋଭନ ଖାଁଙ୍କୁ ଗ୍ରହଣ କରିଥିଲେ । ବିଧାନସଭାର ସଂପାଦକ ରୂପେ ନିଯୁକ୍ତ ହୋଇଥିଲେ ପ୍ୟାରୀଶଙ୍କର ରାୟ ।
ସେତେବେଳକୁ ସାର୍ ହଥର୍ଣ୍ଣ ଲୁଇସ୍ ଥିଲେ ଓଡ଼ିଶାର ଗଭର୍ଣ୍ଣର (୧୯୪୧-୪୬) ମନ୍ତ୍ରିମଣ୍ଡଳ ଗଠନରେ ସଂତୋଷ ପ୍ରକାଶ କରି ସେ ମତବ୍ୟକ୍ତ କରିଥିଲେ ଯେ ବ୍ରିଟିଶ୍ ରାଜତନ୍ତ୍ର ତଥା ଭାରତ ପାଇଁ ଏକ ପରମ ସଂକଟ ସମୟରେ “ଓଡ଼ିଶାର ଶାସନ ଭାର ଜଣେ ଅତି ଯଥାର୍ଥ ବ୍ୟକ୍ତି ଗ୍ରହଣ କରିଛନ୍ତି, ଯିଏ ବାସ୍ତବରେ ଥିଲେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ମୁଖ୍ୟ ପ୍ରବର୍ତ୍ତକ ।”
ବିଧାନସଭାର ଅଧିବେଶନଗୁଡ଼ିକରେ ମହାରାଜାଙ୍କ ଯେକୌଣସି ଉପସ୍ଥାପନା ଅତ୍ୟନ୍ତ ମାର୍ଜିତ ରହୁଥିଲା । ଆଲୋଚନାବେଳେ ସଭ୍ୟମାନଙ୍କ ବ୍ୟକ୍ତିଗତ ଆକ୍ଷେପକୁ ସେ ପସନ୍ଦ କରୁନଥିଲେ । ସେ ଏକାଧିକବାର ପ୍ରକାଶ୍ୟରେ ମଧ୍ୟ ମତବ୍ୟକ୍ତ କରିଥିଲେ ଯେ ବିରୋଧୀ ଦଳର ସଭ୍ୟଗଣ ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପକରି ପ୍ରଦାନ କରୁଥିବା ବକ୍ତବ୍ୟର ଉତ୍ତର ଠିକ୍ ସେହିଭଳି ଭାବରେ ଦେବାକୁ ସେ ଚାହାନ୍ତି ନାହିଁ । କାରଣ ତତ୍ପରିଣାମରେ ଆଲୋଚନାଗୁଡ଼ିକ ଅତି ନିମ୍ନ ସ୍ତରୀୟ ହୋଇଯିବ । ସମୟାନୁକ୍ରମେ ସରକାରୀ କାର୍ଯ୍ୟକ୍ରମ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ସୂଚନା ଗୃହରେ ଉପସ୍ଥାପନ କରୁଥିଲେ । ପୁଣି ସରକାରଙ୍କ ପାଇଁ ଅବାନ୍ତର ତଥା ଗୋପନୀୟତା ରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ମନେ ହେଉଥିବା ବିଷୟଗୁଡ଼ିକୁ ସଭ୍ୟଗଣଙ୍କ ଦାବି ସତ୍ତ୍ୱେ ଗୃହରେ ଆଲୋଚନା ପାଇଁ ସମ୍ମତ ହେଉନଥିଲେ । ଉଦାହରଣ ସ୍ୱରୂପ ସେତେବେଳେ ଥରେ କୁଜଙ୍ଗରେ ଉଦ୍ଭବ ହୋଇଥିବା ଜାତିଆଣ କନ୍ଦଳର ଆଲୋଚନା । ସେତେବେଳ ସୁଦ୍ଧା ସେଇ ଜମିଜାରି ଓଡ଼ିଶା ଶାସନର ଅନ୍ତର୍ଭୁକ୍ତ ହୋଇ ନଥିବାରୁ ସେହି ବିଷୟକ ପତ୍ରାଳାପର ପ୍ରକାଶ ଏବଂ ଆଲୋଚନା ପ୍ରସ୍ତାବକୁ ଅନ୍ୟ ଏକ ରାଜ୍ୟର ସ୍ୱାର୍ଥ ସମ୍ବଳିତ ନ୍ୟାୟରେ ଗ୍ରହଣ କରି ନଥିଲେ ମହାରାଜା ।
ଅପରପକ୍ଷରେ ବିରୋଧୀ ଦଳର ଗଠନମୂଳକ ପ୍ରସ୍ତାବ ଏବଂ ସମାଲୋଚନାଗୁଡ଼ିକୁ ମହାରାଜା ଯଥେଷ୍ଟ ସମ୍ମାନ ଦେଉଥିଲେ । ଆଲୋଚନାର ଔଚିତ୍ୟ ନେଇ ଆପଣାର ହୃଦ୍ବୋଧ ହେଲେ ସେ ବେସରକାରୀ ପ୍ରସ୍ତାବକୁ ମଧ୍ୟ ସମୟ ସମୟରେ ସମର୍ଥନ ଜଣାଉଥିଲେ । ଏହାକୁ ମୂଲ୍ୟ ଭିତ୍ତିକ ରାଜନୀତି ଏବଂ ମହାରାଜାଙ୍କ ରାଜନୈତିକ ଆଦର୍ଶ ବ୍ୟତୀତ ଆଉ କଣ କୁହାଯାଇପାରେ ?
ବିଧାନସଭାରେ ମହାରାଜାଙ୍କ ପ୍ରତି ସଭ୍ୟଗଣଙ୍କର ଗଭୀର ସମ୍ମାନ ଥିଲା ନିଶ୍ଚୟ । ସେଥିପାଇଁ ସଭାରେ ଥରେ ମତ ପ୍ରକାଶ ପାଇଥିଲା ଯେ ଯିଏ ଯାହାକୁ ଜନ୍ମ ଦେଇଥାଏ ସିଏ ତାହାର ଖାଦ୍ୟପେୟ ବ୍ୟବସ୍ଥା ସହିତ ଲାଳନ-ପାଳନର ଭାର ମଧ୍ୟ ଗ୍ରହଣ କରିଥାଏ । ସେହି ଦୃଷ୍ଟିରୁ ନୂତନ ଓଡ଼ିଶାର ଜନକ ମହରାଜା ତଥା ବର୍ତ୍ତମାନ ରାଜ୍ୟର ପ୍ରଧାନମନ୍ତ୍ରୀ ଓଡ଼ିଶାର ସାମୂହିକ ଉନ୍ନତି ପ୍ରତି ଧ୍ୟାନ ଦେବାଲାଗି ଯଥାର୍ଥ ବ୍ୟକ୍ତି ବିଶେଷ ।
ନବଗଠିତ ରାଜ୍ୟରେ କୃଷି ଓ ଜଳସେଚନର ଉନ୍ନତିରେ ସାମୂହିକ ଉନ୍ନତିର ସ୍ତର ନିଶ୍ଚିତ ଉନ୍ନୀତ ହେବ, ତାହା ମହାରାଜାଙ୍କର ଅନୁଭବ ଥିଲା । ସେଥିପାଇଁ ସେ ପ୍ରଥମରୁ ହିଁ ଗୁରୁତ୍ୱ ଆରୋପ କରିଥିଲେ । ପୁଣି ବନ୍ୟା ବିତ୍ପାତ ଯୋଗୁଁ ପ୍ରବଳ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ପାଇଁ ସେହି ସମସ୍ୟାର ଯଥାର୍ଥ ଅନୁଧ୍ୟାନ କରି ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ନେବାଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଉପଯୁକ୍ତ ପରାମର୍ଶ ପାଇଁ ।
ନୂତନ କରି ଜନ୍ମଲାଭ କରିଥିବା ରାଜ୍ୟର ପ୍ରାଥମିକ ଅବସ୍ଥାରେ ସରକାରୀ ମୁଖ୍ୟ ଭାବେ ତାହାଙ୍କ କାର୍ଯ୍ୟକଳାପର ସ୍ମରଣୀୟ ପ୍ରତିଫଳନଗୁଡିକ ମଧ୍ୟରେ ଥିଲା ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା, ବାରିପଦା ମହାରାଜାଙ୍କ ନାମରେ ନାମିତ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ଆରମ୍ଭ ଏବଂ ରାଜ୍ୟର ଶିକ୍ଷାବିକାଶ ଦୃଷ୍ଟିରୁ ଏକ ପରମ ଆବଶ୍ୟକତା ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ । ଆଜି ସୁଦ୍ଧା ସମଗ୍ର ଏସିଆ ମହାଦେଶରେ ଧାନ ଗବେଷଣା କେନ୍ଦ୍ର ହିସାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ବିଦ୍ୟାଧରପୁରର କୃଷି ଫାର୍ମଟି ତାଙ୍କର ଉଦ୍ୟମର ଏକ ସୁଫଳ । ମହାରାଜାଙ୍କ ପରାମର୍ଶ କ୍ରମେ ସେହି ଅନୁଷ୍ଠାନଟିକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାର ପରିଣାମ ସ୍ୱରୂପ ତାହା ଏହିଭଳି ଖ୍ୟାତିସମ୍ପନ୍ନ ସ୍ଥିତିରେ ପହଞ୍ଚି ପାରିଥିଲା ।
ଆଜୀବନ ଶିକ୍ଷାପ୍ରେମୀ ମହାରାଜାଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ରାଜ୍ୟର ପ୍ରକୃତ ଉନ୍ନତି ନିର୍ଭର କରେ ଜନଗଣଙ୍କ ଶିକ୍ଷାବିକାଶ ଉପରେ । ରାଜ୍ୟର ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ୧୯୪୩ ଜୁନ୍ ୩୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ୍ ବିଧାନ ସଭାରେ ଆଗତ କରିଥିଲେ । ସେଦିନ ମହାରାଜା ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେହି ଦିନଟିକୁ ଆଧୁନିକ ଓଡ଼ିଶାର ଇତିହାସ ପାଇଁ ଏକ ସ୍ମରଣୀୟ ଦିବସ ରୂପେ ଗ୍ରହଣ କରିଥିଲେ । ବିଧାନସଭାରେ ଆପଣାର ଅନ୍ତର ଖୋଲି ଦେଇଥିଲେ- ଅତ୍ୟନ୍ତ ଗର୍ବର ସହ ଏଠାରେ ଉଲ୍ଲେଖ କରିପାରେ ଯେ ସଚିବାଳୟର ସକ୍ରିୟ ସହଯୋଗ ଏବଂ ମୋ ସହକର୍ମୀଙ୍କ ଦୀର୍ଘ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ବିଲ୍ଟି ଆଜି ଗୃହୀତ ହେବା ସମ୍ଭବ ହୋଇପାରିଛି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ଉନ୍ନତି କଳ୍ପେ ସେ ପ୍ରଧାନମନ୍ତ୍ରୀ ହିସାବରେ ପାଇଥିବା ଗସ୍ତଖର୍ଚ୍ଚ- ଦଶ ହଜାର ଟଙ୍କା- ଅନୁଷ୍ଠାନକୁ ଦାନ କରି ଦେଇଥିଲେ । ଅନୁଷ୍ଠାନର ଅୟମାରମ୍ଭ ବେଳେ ତତ୍କାଳୀନ ସେଇ ପରିମାଣର ଅର୍ଥର ମୂଲ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରିଥିଲା । ତାହା ପ୍ରମାଣିତ କରିଥିଲା ପ୍ରାଦେଶିକ ସ୍ତରରେ ଶିକ୍ଷାର ପ୍ରସାର ଦିଗରେ ମହାରାଜାଙ୍କ ଅନାବିଳ ଆଗ୍ରହ । ପୁଣି ସରକାରୀ ଭାବେ ସେ ନୀତି ନିର୍ଦ୍ଧାରଣ କରିଥିଲେ, ପ୍ରତି ଜିଲ୍ଲାର ସଦର ମହକୁମାରେ ବିଜ୍ଞାନ ତଥା କଳା ବିଷୟ ଥାଇ ଗୋଟିଏ ଗୋଟିଏ ସରକାରୀ ମହାବିଦ୍ୟାଳୟ ସ୍ଥାପିତ ହେବ ।
ମହାରାଜାଙ୍କ ଉନ୍ନତି ମୂଳକ କାର୍ଯ୍ୟାବଳୀ ସଂପର୍କରେ ସମସାମୟିକ ରାଜନୀତିଜ୍ଞ ତଥା ବିରୋଧୀ ଦଳର ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବିଶ୍ୱନାଥ ଦାସଙ୍କ ମତାମତ ବିଶେଷ ଉଲ୍ଲେଖଯୋଗ୍ୟ । “ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପାଇଁ ମୁଁ ମୋର ପ୍ରାର୍ଥନା ଅର୍ପଣ କରୁଛି । ବ୍ୟକ୍ତିଗତ ଭାବରେ ତାଙ୍କ ସହ ମୋର ପରିଚିତି ଅଛି ଏବଂ ଆର୍ଥନୀତିକ ତଥା ସାମାଜିକ ପ୍ରଶ୍ନଗୁଡ଼ିକ ବିଷୟରେ ତାଙ୍କର ସମୀପବର୍ତ୍ତିତାକୁ ମୁଁ ପସନ୍ଦ କରି ଆସିଛି । ...ବିଭିନ୍ନ ପ୍ରଦେଶରେ ରହିଥିବା ଓଡ଼ିଆଭାଷୀ ଲୋକଙ୍କର ଏକୀକରଣ କରାଯାଇ ଗୋଟିଏ ପ୍ରଦେଶ ଗଠିତ ହେବା ଦିଗରେ ମହାରାଜା ଥିଲେ ଜଣେ ଉଦ୍ଦାମ ଅଗ୍ରଣୀ ସେନାପତି... ସେହି ଦିଗରେ ତାଙ୍କର ଅବଦାନ କୌଣସି ଦିଗରୁ ବିଚାର କଲେ ମଧ୍ୟ ଗୌଣ ବିବେଚିତ ହୋଇନପାରେ । ...ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ ଥିଲେ । ତାଙ୍କର ମୁଖ୍ୟମନ୍ତ୍ରିତ୍ୱ କାଳରେ କୌଣସି ପ୍ରକାର ଅସାଧୁ ପ୍ରଶ୍ନ ନେଇ କସ୍ମିନ୍କାଳେ କେହି
ତାଙ୍କୁ ଆକ୍ଷେପ କରି ପାରିନଥିଲେ ।”ଏହା କେବଳ ଶ୍ରୀଯୁକ୍ତ ଦାସଙ୍କ ଅଭିମତ ନଥିଲା, ଥିଲା ଏ ରାଜ୍ୟର ପ୍ରାୟତଃ ନେତା, ବିଧାୟକ ଏବଂ ଓଡ଼ିଶାବାସୀଙ୍କ ମତାମତ; ମହାରାଜାଙ୍କ ରାଜନୈତିକ ଜୀବନର ପୃଷ୍ଠବନ୍ଧ । ହେଲେ ଏହି ନୈତିକ ପୃଷ୍ଠଭୂମି ଉପରେ ଦଣ୍ଡାୟମାନ ମହାରାଜା ୧୯୪୪ ମସିହାର ପ୍ରାୟ ମଧ୍ୟଭାଗ ବେଳକୁ ଅନୁଭବ କରିଥିଲେ ଯେ ଓଡ଼ିଶାର ରାଜନୈତିକ ପରିବେଶ ଯେମିତି ଦୂଷିତ ହୋଇ ଯାଉଛି । ଅନ୍ୟତମ ମନ୍ତ୍ରୀ ପଣ୍ଡିତ ଗୋଦାବରୀଶଙ୍କ ନେତୃତ୍ୱରେ ଅନ୍ୟ ଏକ ନୂତନ ରାଜନୈତିକ ଦଳ-ଓଡ଼ିଶା ପାର୍ଲାମେଣ୍ଟାରୀ ପାର୍ଟି ଗଠିତ ହୋଇଥିଲା । ସେହିଭଳି ପଦକ୍ଷେପ ଯେ ନବଗଠିତ ପ୍ରଦେଶିକ ମନ୍ତ୍ରିମଣ୍ଡଳର ଐକ୍ୟ ସ୍ଥାପନରେ ଅନ୍ତରାୟ ସୃଷ୍ଟି କରିବ ଏବଂ ପରିଣାମତଃ ରାଜ୍ୟର ସମୃଦ୍ଧି ପାଇଁ ହେଉଥିବା କାର୍ଯ୍ୟକଳାପରେ ପ୍ରତିବନ୍ଧକ ସୃଷ୍ଟି କରିବାରେ ବେଳେବେଳେ ସହାୟକ ହେବ- ଏହା କ୍ଷମତାଭିତ୍ତିକ ରାଜନୀତି ଚାହୁଁ ନଥିବା ମହାରାଜାଙ୍କ ଦୃଢ଼ ହୃଦ୍ବୋଧ ହୋଇଥିଲା । ମନ୍ତ୍ରିମଣ୍ଡଳରେ ସାମାନ୍ୟତମ ମତ ପାର୍ଥକ୍ୟ ସେ କାମନା କରୁନଥିଲେ କେବଳ ସେଇ କାରଣରୁ ।
କେବଳ ସେହି ହୃଦ୍ବୋଧରୁ ୧୯୪୪ ଜୁନ୍ ୨୨ ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାହା ସେହି ମାସ ୩୦ ତାରିଖରେ ଗୃହୀତ ହୋଇ ଯାଇଥିଲା । ଓଡ଼ିଶାରେ ପୁଣି ଆରମ୍ଭ ହୋଇଥିଲା ଲାଟ ଶାସନ । ଏବଂ ତତ୍ ସହିତ ମଧ୍ୟ ମହାରାଜାଙ୍କ ରାଜନୈତିକ ଜୀବନ ତଥା କାର୍ଯ୍ୟକଳାପ ସେତେବେଳଠାରୁ ପ୍ରାୟ ଶେଷ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।
ମହାରାଜା ସ୍ୱେଚ୍ଛାକୃତ ଭାବେ ରାଜନୀତିରୁ ଅବସର ନେଇଥିଲେ, ସ୍ୱେଚ୍ଛାକୃତଭାବେ ରାଜନୀତିରେ ଯୋଗଦେଇଥିବା ଭଳି । ରାଜନୈତିକ କ୍ଷେତ୍ରକୁ ଲମ୍ଫ ଦେଇଥିଲେ କେବଳ ଗୋଟିଏ ମାତ୍ର କାରଣ ପାଇଁ- ସବୁ ଓଡ଼ିଆ ଅଞ୍ଚଳର ଏକୀକରଣ କରାଯାଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ; କେବଳ ଏବଂ କେବଳ ମାତ୍ର ହୃଦୟ କନ୍ଦରରେ ଜାତୀୟ ମମତାର ଆଲୋଡ଼ନ । ତାଙ୍କରି ନେତୃତ୍ୱରେ ତାହା ସମ୍ଭବ ହୋଇପାରିଥିଲା । ପୁଣି ନବଗଠିତ ଉତ୍କଳର ସାମୂହିକ ଉନ୍ନତି କଳ୍ପେ ତାଙ୍କରି ନେତୃତ୍ୱରେ ଭିତ୍ତି ମଧ୍ୟ ସ୍ଥାପିତ ହୋଇପାରିଥିଲା ସ୍ୱତନ୍ତ୍ର ପ୍ରଦେଶର ପ୍ରଥମ ତଥା ତୃତୀୟ ପ୍ରଧାନମନ୍ତ୍ରୀ ହିସାବରେ । ତାପରେ ସେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।
ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ପରେ ଗଠିତ ସମ୍ବିଧାନ ପ୍ରଣୟନ ସଭାରେ ସେ ଥିଲେ ମଧ୍ୟ ଜଣେ ସଦସ୍ୟ । କିନ୍ତୁ ସେଠାରେ ସେ କୌଣସି ସକ୍ରିୟ ଭୂମିକା ଗ୍ରହଣ କରିଥିବାର ନଜର ମିଳେ ନାହିଁ । ତେଣୁ ବାସ୍ତବରେ ସେଠିକାର କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ମହାରାଜାଙ୍କ ରାଜନୈତିକ ଜୀବନର ପରିସମାପ୍ତି ହେଲା ବୋଲି ଧରିନିଆଗଲେ ମଧ୍ୟ ତାଙ୍କରି ରାଜନୈତିକ ନିଷ୍କ୍ରିୟତା ଆରମ୍ଭ ହୋଇଯାଇଥିଲା ତାର ବହୁ ପୂର୍ବରୁ- ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରଠାରୁ ପ୍ରାୟ । ରାଜନୀତିରେ ରାଜନୀତି ହୋଇ ନଥିଲେ ସମ୍ଭବତଃ ମହାରାଜା ଆହୁରି କିଛି ଅଧିକ
ପୃଷ୍ଠପୋଷକ ଥିଲେ ସେ । ତେଣୁ ଯେତେବେଳେ ସେ ହୃଦୟଙ୍ଗମ କରିଥିଲେ ଯେ କୁଟିଳ ରାଜନୀତି/ତଥା ଅବାଂଛିତ ବିଭବଗୁଡ଼ିକ ସମୟକ୍ରମେ ରାଜନୀତିଜ୍ଞମାନଙ୍କ ପାଇଁ ମୁଖ୍ୟ ହୋଇଯାଉଛି ଏବଂ ଜାତୀୟ ସ୍ୱାର୍ଥ ରହିଯାଉଛି କାହିଁ କେତେଦୂର ପଛରେ- ସେ ସେଇ କ୍ଷେତ୍ରରୁ ସଂପୂର୍ଣ୍ଣ ଓହରି ଯିବା ପାଇଁ ମନସ୍ଥ କରିଥିଲେ । ମନସ୍ଥ କରିଥିଲେ କେବଳ “ମହାରାଜା” ହୋଇ ରହିବା ପାଇଁ; ଅବସର ଜୀବନ ଯାପନ କରିବା ପାଇଁ ।
ଏବଂ ୧୯୪୪ରୁ ୧୯୭୪ ପର୍ଯ୍ୟନ୍ତ ପାରଳାବାସୀ କାହିଁକି ଅନ୍ତତଃ ସବୁ ଓଡ଼ିଆଙ୍କ ପାଇଁ “ମହରାଜା”/ “ପାରଳାଗଜପତି” ରୂପେ ହିଁ ପୂଜ୍ୟ ହୋଇ ରହିଥିଲେ; ସମଗ୍ର ଅବସର ଜୀବନ ଅତିବାହିତ କରିଥିଲେ ମହାରାଜା ଭାବେ ।
ସେଇ ଅବସର ଜୀବନ ନିର୍ବାହ କରୁଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ୧୯୪୭ ମସିହାରେ ମହାରାଜାଙ୍କୁ ଅର୍ପିତ ହୋଇଥିଲା ବିଶେଷ ସମ୍ମାନଜନକ “ଡକ୍ଟରେଟ୍” ଉପାଧି । ପୁଣି ବ୍ରହ୍ମପୁରର ଭେଷଜ ବିଦ୍ୟାଳୟକୁ ତାଙ୍କରି ନାମରେ ନାମିତ କରାଯାଇ ବ୍ରହ୍ମପୁର
ବିଶ୍ୱବିଦ୍ୟାଳୟ ତରଫରୁ ସେହିଭଳି ଡକ୍ଟରେଟ୍ ଉପାଧି ପ୍ରଦତ୍ତ ହୋଇଥିଲା ୧୯୬୮ ମସିହାରେ । ଏଠାରେ ମଧ୍ୟ ଉଲ୍ଲେଖ କରାଯାଇ ପାରେ ଯେ ଯଥା ସମୟରେ ତାଙ୍କରି ସ୍ମରଣରେ ଓଡ଼ିଶା ସରକାର ପାରଳା ସମେତ ସେଇ ଅଞ୍ଚଳକୁ “ଗଜପତି” ଜିଲ୍ଲା ରୂପେ ନାମିତ କରିବା ସହିତ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କରି ସ୍ମରଣରେ ‘ଡାକଟିକଟ’ ପ୍ରସ୍ତୁତ କରିଥିଲେ । ବ୍ରିଟିଶ୍ ସରକାର ତ ତାହାଙ୍କୁ ଯଥାର୍ଥ ଭାବରେ ଚିହ୍ନି ପାରିଥିଲେ ପ୍ରଥମରୁ ହିଁ ।
୧୯୧୩ରେ ମହାରାଜା ଗାଦି ଆସୀନ ହେବା ପରଠାରୁ ଇଂରେଜ ସରକାର ତାହାଙ୍କୁ ଅନେକ ସମ୍ମାନଜନକ ପଦବୀରେ ଅଳଂକୃତ କରିଥିଲେ । ୧୯୧୬ ମସିହାରେ ପ୍ରତିରକ୍ଷା ବିଭାଗର ସ୍ଥଳ ବାହିନୀରେ “ଅବୈତନିକ ସେକେଣ୍ଡ ଲେଫ୍ଟନାଣ୍ଟ” ପଦବୀ ପ୍ରଦାନ କରିଥିଲେ । ତତ୍ପରେ ସେ ମଧ୍ୟ ଭୂଷିତ ହୋଇଥିଲେ କେ.ସି.ଆଇ.ଇ. ପଦରେ । ୧୯୧୮ ମସିହାରେ କୃଷ୍ଣଚନ୍ଦ୍ରଙ୍କୁ “ରାଜା ସାହେବ” ପଦବୀ ପ୍ରଦତ୍ତ ହେବା ସଂଗେ ସଂଗେ ୧୯୨୨ରେ ସେହି ପଦବୀକୁ ବଂଶାନୁକ୍ରମେ ବ୍ୟବହାର କରିବା ପାଇଁ ଅଧିକାର ଦିଆଯାଇଥିଲା । ନୂତନ ଓଡ଼ିଶା ପ୍ରଦେଶ ଗଠିତ ହେବାର ଅବ୍ୟବହିତ ପୂର୍ବରୁ, ୧୯୩୬ ମସିହାର ପ୍ରଥମ ଦିବସରେ ଭାରତର ବଡ଼ଲାଟ ଲର୍ଡ ୱିଲଙ୍ଗଡନ୍ଙ୍କ ସ୍ୱାକ୍ଷର ବହନ କରି ଏକ ସନନ୍ଦ ପ୍ରଦତ୍ତ ହୋଇଥିଲା । ସେଥିରେ ଉଲ୍ଲେଖ ରହିଥିଲା- I hereby confer upon you the title of Maharaja as a personal distinction - ଇଂରେଜ ସରକାରଙ୍କ ନଥିପତ୍ରରେ ସ୍ୱୀକୃତ ପାରଳାଖେମଣ୍ଡି ଜମିଦାର ଗଜପତି କୃଷ୍ଣଚନ୍ଦ୍ର ଆନୁଷ୍ଠାନିକ ଭାବେ ସେହି ପରଠାରୁ ମହାରାଜା କୃଷ୍ଣଚନ୍ଦ୍ର ରୂପେ ପରିଚିତି ଲାଭ କରିଥିଲେ । ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରାରମ୍ଭିକ କାଳରୁ ହିଁ ସମର୍ଥ ଥିଲେ ମହାରାଜା । ସେ ସିଂହାସନ ଆରୋହଣ କରିବାର ସ୍ୱଳ୍ପକାଳ ପରେ ପରେ ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ । ସେତିକି ବେଳେ ତାଙ୍କରି ନେତୃତ୍ୱରେ ପାରଳାରେ ପାଳିତ ହୋଇଥିଲା “Our-day” କାର୍ଯ୍ୟକ୍ରମ ଯେଉଁଥିରେ ସ୍କୁଲ କଲେଜ ଛାତ୍ର ଗଣଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଜନଗଣଙ୍କଠାରୁ ପ୍ରଭୂତ ପରିମାଣରେ ସ୍ୱେଚ୍ଛାକୃତ ଦାନ ସଂଗୃହୀତ ହୋଇଥିଲା । ସେଥିରେ ମହାରାଜାଙ୍କର ବିଶେଷ ଯୋଗଦାନ ଥିଲା ପରିମାଣାତ୍ମକ ଦୃଷ୍ଟିରୁ । ସେହି ଯୁଦ୍ଧ ପାଣ୍ଠି ସହାୟତା ବ୍ରିଟିଶ୍ ସରକାରଙ୍କ ଯଥାର୍ଥ ଧ୍ୟାନ ଆକର୍ଷଣ କରିବାରେ ସମର୍ଥ ଥିଲା । ପୁଣି ଆମ ଦେଶର କୃଷି ଓ କୃଷକମାନଙ୍କ ସ୍ଥିତି/ସମସ୍ୟା ନେଇ ଯେଉଁ ରାଜକୀୟ କୃଷି କମିଶନ ଗଠିତ ହୋଇଥିଲା ସେଥିରେ ସମଗ୍ର ଭାରତରୁ ଜଣେ ମାତ୍ର ସଭ୍ୟ ଭାବରେ ମନୋନୀତ ହୋଇଥିଲେ ମହାରାଜା । ସରକାରୀ ଦୃଷ୍ଟି ଆକର୍ଷଣ କରିପାରିଥିବାର ତାହା ମଧ୍ୟ ଏକ ନମୁନା । ସେଭଳି ବିଶେଷ ଉଲ୍ଲେଖଯୋଗ୍ୟ ଘଟଣାଥିଲା ବିହାର ଓଡ଼ିଶା ସରକାରଙ୍କ ମନୋନୟନ ପ୍ରଥମ ଗୋଲଟେବୁଲ ବୈଠକ ପାଇଁ । ପୁଣି ୧୯୩୮ ମସିହାରେ ରାଜକୀୟ ଶିଳ୍ପ-କଳା ପରିଷଦର ସେ ସଭ୍ୟ ମନୋନୀତ ହୋଇଥିଲେ ଏବଂ ପୁଣି ମଧ୍ୟ ଭାରତୀୟ ପ୍ରତିରକ୍ଷା ପରିଷଦର ସଭ୍ୟ (୧୯୪୧-୧୯୪୫), ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟତା ଭଳି ପଦ-ପଦବୀଗୁଡ଼ିକ ତାହାଙ୍କର ସାମାଜିକ ଜୀବନରେ ପ୍ରତିଷ୍ଠାର ଏକ ଏକ ନମୁନା ମାତ୍ର ।
କିନ୍ତୁ ସେଇ ସବୁକୁ ପଛ କରିଦେଇ ଗଜପତି କୃଷ୍ଣଚନ୍ଦ୍ର ପ୍ରାୟ ୧୯୪୪ ମସିହାରୁ ୧୯୭୪ ପର୍ଯ୍ୟନ୍ତ ଦୀର୍ଘ ତିରିଶ ବର୍ଷକାଳ କେବଳ ଅବସର ଜୀବନ ଯାପନ କରିବା ପାଇଁ ବରଂ ଶ୍ରେୟସ୍କର ମନେ କରିଥିଲେ ଜଣେ ମହାରାଜୋପମ ମହାରାଜା ହିସାବରେ ।