ଆମ ପାରଳା ମହାରାଜା/ପାରଳାର ବିଭାଜନ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ପାରଳା ମହାରାଜା ଲେଖକ/କବି: ସତ୍ୟ ନାରାୟଣ ମହାପାତ୍ର
ପାରଳାର ବିଭାଜନ
ପାରଳାର ବିଭାଜନ

୧୯୩୩ ମାର୍ଚ୍ଚ ୧୭ ତାରିଖ ଦିନ ନୂତନ ପ୍ରଦେଶପାଇଁ ସୀମା ନିର୍ଦ୍ଦେଶିତ ହୋଇ ସରକାରୀ ଶ୍ୱେତପତ୍ର ପ୍ରକାଶିତ ହୋଇଥିଲା । ସେଥିରେ ଥିଲା ଜଣେ ଗଭର୍ଣ୍ଣରଙ୍କ ଦ୍ୱାରା ଶାସିତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ । ସେହି ସ୍ୱତନ୍ତ୍ର ପ୍ରଦେଶପାଇଁ ଯେଉଁ ସୀମା ନିର୍ଦ୍ଦେଶ ହୋଇଥିଲା ତାହା ଥିଲା-

– ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳ ଜିଲ୍ଲା ।

– କେନ୍ଦ୍ର (ମଧ୍ୟ) ପ୍ରଦେଶର ଖଡିଆଳ ଏବଂ ପଦ୍ମ‌ପୁର ଜମିଦାରି ସମେତ କୁଲାକୋଣ୍ଡା, ବୋଡ଼ିମାଳ, ପାଞ୍ଚପୁଡ଼ିଆ, ବ୍ରହ୍ମପୁର, ପଞ୍ଚପୁରାଣିଆ ଏବଂ ଠାକୁରପଲ୍ଲୀ ଗ୍ରାମ ।

– ମାନ୍ଦ୍ରାଜ ପ୍ରଦେଶର ପାରଳାଖେମଣ୍ଡି ଓ ଜଳନ୍ତରକୁ ବାଦ୍‌ଦେଇ ଗଞ୍ଜାମର ମାଳ ଅଞ୍ଚଳ ତଥା ଘୁମୁସର ଆସିକା, ସୋରଡ଼ା, କୋଦଳା, ଛତ୍ରପୁର ତାଲୁକା ସମେତ ଇଚ୍ଛାପୁର ତାଲୁକାର ସୁରଙ୍ଗୀ, ଜରଡ଼ା, ଚିକିଟୀ ଏବଂ ବ୍ରହ୍ମପୁର ତାଲୁକାର ଉତ୍ତରାଞ୍ଚଳ । ସେହି ଉତ୍ତରାଞ୍ଚଳର ଅର୍ଥ ଥିଲା ମାନଚିତ୍ରରେ ସୁରଳାର ତତ୍କାଳୀନ ଲୁଣମରା କାରଖାନା ଦେଇ ପୁରୁଷୋତ୍ତମପୁର ଏବଂ ସୁନପୁରକୁ ଯୋଗ କରୁଥିବା ସରଳ ରେଖା ।

ସୀମା କମିଟିର ସୁପାରିସ ଉପରେ ଭିତ୍ତିକରି ସେହି ଶ୍ୱେତପତ୍ର ପ୍ରକାଶ ପାଇବା ପରେ ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । କେବଳ ସେହି କମିଟିର ସଭାପତି ମିଷ୍ଟର ଓଡ଼ନାଲଙ୍କ ମତାମତ ଉପରେ ଭିତ୍ତିକରି ମୋଟାମୋଟି ଭାବେ ସୀମା କମିଟି ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ତେଣୁ ସେଥିରୁ ପାରଳା ଓ ଜୟପୁର ଇଲାକା ବାଦପଡ଼ି ଯାଇଥିବା ଯୋଗୁଁ କମିଟିରେ ଥିବା ଉଭୟ ଭାରତୀୟ ସଦସ୍ୟ ମଧ୍ୟ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ସଂପୃକ୍ତ ଅଞ୍ଚଳ ଏବଂ ଜନଗଣଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ ଏବଂ ଅଭିଜ୍ଞ ମଧ୍ୟ ଥିଲେ । ଶ୍ରୀ ତରୁଣରାମ ଫୁକନ୍‌ଙ୍କ ନୈରାଶ୍ୟଜନକ ମତ ଥିଲା ଶତକଡ଼ା ୯୬ ଭାଗ ଓଡ଼ିଆଭାଷୀ ବ୍ୟକ୍ତି ବସବାସ କରି ରହୁଥିବା ଜୟପୁର ଅଞ୍ଚଳ ଏବଂ ‘ନୂତନ ଓଡ଼ିଶା’ର ଅଗ୍ରଗଣ୍ୟ ନେତା ପାରଳା ମହାରାଜାଙ୍କ ଜମିଦାରୀ ଅଞ୍ଚଳ- ଯେଉଁଠି ତେଲୁଗୁଭାଷୀ ପ୍ରଜାଗଣ ରାଜାଙ୍କ ସହ ଓଡ଼ିଶାରେ ରହିବା ପାଇଁ ଆଗ୍ରହୀ ସେଭଳି କ୍ଷେତ୍ରରେ ସେଇ ସବୁ ଅଞ୍ଚଳ, ଓଡ଼ିଶା ସହ ଯୁକ୍ତ ହେବା ବିଧେୟ । ଓଡ଼ିଆମାନଙ୍କର ସେହି ଯୁକ୍ତିଯୁକ୍ତ ଦାବି ଓ ଅସଂତୋଷ ମିଳିତ ପାର୍ଲିଆମେଣ୍ଟାରୀ ବୈଠକ ବେଳେ ସମାଧାନ ହେବା ବିଧେୟ । ଏହି ମତାମତ ସେ ଏକ ସାମ୍ବାଦିକ ସମ୍ମିଳନୀରେ ରଖିଥିଲେ ୧୯୩୩ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ।

ସେହିଭଳି ସୀମା କମିଟିର ଅନ୍ୟତମ ସଦସ୍ୟ ଓଡ଼ିଆଙ୍କ ସମସ୍ୟା ସଂପର୍କରେ ସଂପୂର୍ଣ୍ଣ ଅନୁଭବୀ ଶ୍ରୀ ଏଚ୍. ଏମ୍. ମେହେଟ୍ଟା ଏସୋସିଏଟେଡ୍ ପ୍ରେସ୍‌କୁ ମାର୍ଚ୍ଚ ୨୬ ତାରିଖ ଦିନ ପ୍ରଦାନ କରିଥିବା ଅଭିବ୍ୟକ୍ତିରେ କହିଥିଲେ- ପାରଳା ଜମିଦାରୀ ଏକ ସଂପୂର୍ଣ୍ଣ ଓଡ଼ିଆ ଅଞ୍ଚଳ । ଦୀର୍ଘ ଅତୀତରୁ ମହାରାଜାଗଣଙ୍କ ଉଦାରତା ଏବଂ ଉତ୍କୃଷ୍ଟ ଶାସନରେ ଆକୃଷ୍ଟ ହୋଇ ନିକଟସ୍ଥ ମାନ୍ଦ୍ରାଜ ଅଞ୍ଚଳରେ ଅନେକ ତେଲୁଗୁ ଏଇ ଅଞ୍ଚଳକୁ ଚାଲି ଆସିଥିଲେ ନିରପେକ୍ଷ ଶାସନରେ ରହିବା ପାଇଁ । ଅତଏବ ବର୍ତ୍ତମାନ ଯଦିବା ସେଠାରେ ସଂଖ୍ୟାତ୍ମକ ଦୃଷ୍ଟିରୁ ତେଲୁଗୁମାନେ କିଞ୍ଚିତ ପରିମାଣରେ ଅଧିକ, ତଥାପି ସେମାନେ ବର୍ତ୍ତମାନର ମହାରାଜାଙ୍କ ସହିତ ଓଡ଼ିଶାରେ ଯୁକ୍ତ ହେବା ପାଇଁ ଆଗ୍ରହୀ । ଓଡ଼ିଶା ସହ ଯଦି ପାରଳା ଯୁକ୍ତ ନହୁଏ ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସେଇ ପୁରାତନ ସୌହାର୍ଦ୍ଦ୍ୟ ସମ୍ଭବତଃ ରହିବ ନାହିଁ । ସେହିଭଳି ଭାବରେ ୯୬ ପ୍ରତିଶତ ଓଡ଼ିଆ ଥିବା ଜୟପୁର ମାଳ ଅଞ୍ଚଳ ଓଡ଼ିଶା ସହ ସାମିଲ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ ।

ଏଭଳି ମତାମତଗୁଡ଼ିକ ଥିଲା ସୀମା କମିଟିରେ ତିନିଜଣ ସଭ୍ୟଙ୍କ ମଧ୍ୟରୁ ଦୁଇ ଭାରତୀୟ ସଭ୍ୟଙ୍କ ଅନୁଭବର କଥା- ତଥ୍ୟାନୁସନ୍ଧାନ ବେଳେ ଅର୍ଜନ କରିଥିବା ଅଭିଜ୍ଞତାର ନିଛକ ପରିପ୍ରକାଶ ।

ଓଡ଼ିଶା କଂଗ୍ରେସର ସଭ୍ୟଗଣ ଉକ୍ତ ଶ୍ୱେତପତ୍ରର ତୀବ୍ର ବିରୋଧ କରିଥିଲେ । ଶ୍ରୀ ରାଧାନାଥ ରଥ ତଥା ଯଦୁମଣି ମଙ୍ଗରାଜଙ୍କ ଭଳି ବ୍ୟକ୍ତିବୃନ୍ଦ ସେଭଳି ଏକ ତରଫା ମତାମତ ବିରୁଦ୍ଧରେ ରାଜ୍ୟରେ ହରତାଳ ଓ ଧର୍ମଘଟର ଆହ୍ୱାନ ଦେଇଥିଲେ । ସେହିଭଳି ଜୟପୁରର ରାଜା ବିକ୍ରମଦେବ ବର୍ମା ବିଶେଷ ବ୍ୟଥିତ ହୋଇଥିଲେ ସେଇ ପ୍ରକାରର ସରକାରୀ ନିର୍ଦ୍ଧାରଣ ଯୋଗୁଁ । ପାରଳାର ତେଲୁଗୁ ଜନଗଣ ସୁଦ୍ଧା ବେଶ୍ ବ୍ୟସ୍ତ ବିଚଳିତ ହେବା ଥିଲା ସ୍ୱାଭାବିକ । ସେମାନଙ୍କର ପ୍ରତିକ୍ରିୟା ଦେଶର ପ୍ରତିଷ୍ଠିତ ପତ୍ର-ପତ୍ରିକାଗୁଡ଼ିକରେ ପ୍ରକାଶ ପାଇଥିଲା । ହିନ୍ଦୁ, ମାନ୍ଦ୍ରାଜ ମେଲ୍ ପ୍ରଭୃତି ଜାତୀୟ ସ୍ତରର ପତ୍ରିକା ବ୍ୟତୀତ ସ୍ଥାନୀୟ ପ୍ରାୟ ସବୁ ପତ୍ର ପତ୍ରିକାରେ ଜନ ଅସନ୍ତୋଷ ବିଶେଷ ଭାବରେ ପ୍ରକାଶିତ ହୋଇ ଚାଲିଥିଲା ସେଇ କିଛିକାଳ ।

କେନ୍ଦ୍ର ବିଧାନ ପରିଷଦରେ ଶ୍ରୀ ଭୁବନାନନ୍ଦ ଦାସ ଏବଂ ଶ୍ରୀ ବିଶ୍ୱନାଥ ମିଶ୍ର ୧୯୩୩ ଅପ୍ରେଲ୍ ୫ ଏବଂ ୨୨ରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେଇ ସମସ୍ୟାର ଆଲୋଚନା କରିଥିଲେ । ମାନ୍ଦ୍ରାଜ ବିଧାନସଭାରେ ସଭ୍ୟ ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେବ ଏ ସଂପର୍କରେ ଆଲୋଚନା କରି ସରକାରଙ୍କ ସେଭଳି ନିର୍ଦ୍ଧାରଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ରଖିଥିଲେ । ଓଡ଼ିଆଙ୍କ ସାଧାରଣ ଅସନ୍ତୋଷ ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇ ମୋଟ ୮୭ଟି ଆବେଦନ ପହଂଚିଥିଲା ସରକାରଙ୍କ ନିକଟରେ, ଯେଉଁଥିରେ ଥିଲା କେବଳ ଗଂଜାମରୁ ୮୦ଟି ।

ସେତିକିବେଳେ ଉକ୍ରଳ ସମ୍ମିଳନୀର ୨୩ତମ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ଏବଂ ତାହାର ଅଧ୍ୟକ୍ଷତା କରିଥିଲେ ଗଜପତି କୃଷ୍ଣଚନ୍ଦ୍ର । ପାରଳା ଏବଂ ଜୟପୁର ବ୍ୟତୀତ ନୂତନ ଓଡ଼ିଶା ଗଠନ ଏକ ଅକିଂଚିତ୍କର ପ୍ରୟାସ ବୋଲି ସର୍ବସମ୍ମତ ଅଭିବ୍ୟକ୍ତି ପ୍ରକାଶ ପାଇବା ସହିତ ସେହିସବୁ ଅଞ୍ଚଳ ଓଡ଼ିଶା ସହିତ ଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରାୟ ସେହି ସମୟରେ ‘ଆଶା’ର ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ରଥ ଯୁକ୍ତି ଦର୍ଶାଇଥିଲେ ଯେ ପ୍ରକାଶିତ ସୀମା ସୁପାରିସକୁ ସଂଶୋଧନ କରାଯିବା ପାଇଁ ଦାବି ହେଲେ ନୂତନ ଓଡ଼ିଶା ଗଠିତ ହେବା ପ୍ରକ୍ରିୟା ନିଶ୍ଚିତ ରୂପେ ବିଳମ୍ବିତ ହେବ ଏବଂ ପ୍ରଦେଶ ଗଠନ ମଧ୍ୟ । ତେଣୁ ତାଙ୍କର ଯୁକ୍ତି ଥିଲା- “କାନ୍ଦୁଥିବା; ଯାହା ମିଳୁଥିବ ବାନ୍ଧୁଥିବା ।” ବର୍ତ୍ତମାନ ମିଳୁଥିବା ଦ୍ରବ୍ୟକୁ ଗ୍ରହଣ କରାଯାଇ ପୁଣି ଆନ୍ଦୋଳନ କରାଯିବା ଆବଶ୍ୟକ ନୂତନ ପ୍ରଦେଶରେ ଯୁକ୍ତ ହୋଇ ନଥିବା ଅଞ୍ଚଳଗୁଡ଼ିକର ସମ୍ମିଶ୍ରଣ ପାଇଁ । କିନ୍ତୁ ସେହି ଯୁକ୍ତିକୁ ମହାରାଜାଙ୍କ ସମେତ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନକାରୀ ଅନେକ ନେତା ଗ୍ରହଣ କରିପାରି ନଥିଲେ ।

ସେହିଭଳି ସରକାରୀ ନିର୍ଦ୍ଧାରଣରେ ବିଶେଷ ବିଷାଦଗ୍ରସ୍ତ ହୋଇଯାଇଥିଲେ ମହାରାଜା । ଶ୍ୱେତପତ୍ର ପ୍ରକାଶ ପାଇବା ଦିନ ହିଁ ସେ ଗଭୀର ହତାଶା ଭିତରେ ସଂପୂର୍ଣ୍ଣ ଡୁବି ଯାଇଥିଲେ ଯେମିତି । ଘନୀଭୂତ ଅନ୍ଧକାର ଯେମିତି ତାହାଙ୍କୁ ମୁହୂର୍ତ୍ତକ ମଧ୍ୟରେ ପଥରୁଦ୍ଧ କରି ପକାଇଥିଲା । ହତାଶା... କେବଳ ହତାଶା...।

ଦେହ ଓ ମନରେ ପ୍ରବଳ ଉତ୍ତେଜନା । ଅସହାୟ, ଅସହାୟ ଭାବ ! ନିର୍ବାକ, ନିସ୍ପନ୍ଦ ହୋଇ ବସି ରହିଥିଲେ କେବଳ । ଘଣ୍ଟା ଘଣ୍ଟା ବିତି ଯାଇଥିଲା । କାହାରି ସହିତ କଥାବାର୍ତ୍ତା କରି ନଥିଲେ । କିଛି ବରାଦ ନଥିଲା । ସେହିଭଳି ଭାବରେ ପ୍ରାୟ ଚାରି ପାଞ୍ଚଘଣ୍ଟା କଟିଯିବା ପରେ ଅକସ୍ମାତ୍ ଅସ୍ତ୍ରାଗାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ତାହାର ରକ୍ଷକଙ୍କୁ ।

ସେଦିନ ସୀମା ସୁପାରିସ ଖବର ପହଂଚିବା ପରେ ପରେ ପ୍ରତିଟି ମୁହୂର୍ତ୍ତରେ ମହାରାଜାଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଥିଲେ ଦେବାନ୍ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ (ବିଜୁବାବୁଙ୍କ ପିତା) । ସେ ତତ୍‌କ୍ଷଣାତ୍ ସେଠି ଉପସ୍ଥିତ ହୋଇ ଅସ୍ତ୍ରଭଣ୍ଡାର ନଖୋଲିବା ପାଇଁ କର୍ମଚାରୀ ଜଣଙ୍କୁ ଆଦେଶ ଦେବା ସଂଗେ ସଂଗେ ବିନୀତ ଭାବରେ ମହାରାଜାଙ୍କୁ ପ୍ରଶ୍ନ କରିଥିଲେ- ବର୍ତ୍ତମାନ ଅସ୍ତ୍ରାଗାର ଖୋଲାଯିବାର କି ଆବଶ୍ୟକତା ଅଛି ମହାରାଜ ? କଣ୍ଠରେ ଦୃଢ଼ତା ଥିଲା ।

ଉଭୟେ ଉଭୟଙ୍କ ଭାଷା ବୁଝି ପାରିଥିଲେ ଯେମିତି । ଦୁଇ ହଳ ଆଖି ପରସ୍ପରଙ୍କୁ ଦେଖୁଥିଲେ ଅପଲକ ନୟନରେ । ମହାରାଜାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ସେଇ ଲୁହ ଟଳମଳ ଆଖି ଦେବାନ୍‌ଙ୍କ ଆଖିରେ ମଧ୍ୟ ସୃଷ୍ଟି କରିଥିଲା ବୁନ୍ଦାବୁନ୍ଦା ଲୁହ । ଉଭୟଙ୍କର ସେଇ ଅଶ୍ରୁତର୍ପଣ ଭିତରେ ମହାରାଜାଙ୍କ ହତାଶ ମନଭିତରେ ଅକସ୍ମାତ୍ ପ୍ରବେଶ କରିଥିବା ଶୟତାନ୍‌ଟି କୁଆଡେ଼ ଉଭେଇ ଯାଇଥିଲା ଯେମିତି ।

ସେହିଭଳି ମାନସିକ ଅବସାଦ ଭିତରେ ହିଁ କିଛି ଦିନ ବିତି ଯାଇଥିଲା । ରାତିରେ ନିଦ ହେଉ ନଥିଲା । କେବଳ ଗୋଟିଏ ଚିନ୍ତା- "ପାରଳା ଓ ଜୟପୁର ଜମିଦାରିର କିଭଳି ଓଡ଼ିଶା ସହ ମିଶ୍ରଣ ହୋଇପାରିବ !' ଦିନେ ତାହା ହିଁ ଚିନ୍ତା କରୁ କରୁ ରାତି ଅତି ଦୀର୍ଘ ହୋଇ ଯାଇଥିଲେ ସୁଦ୍ଧା ନିଦ ଆସିନଥିଲା । ରାତିର ପ୍ରାୟ ଶେଷ ପ୍ରହର । ଆଖିରେ ଛାଇ ଛାଇକା ନିଦ । ହଠାତ୍ ତାଙ୍କର ଇଷ୍ଟଦେବୀ ମାଣିକେଶ୍ୱରୀଙ୍କ ଲାବଣ୍ୟମୂର୍ତ୍ତି ମହାରାଜାଙ୍କ ପଲଙ୍କ ସାମନାରେ । ହାତଧରି ମହାରାଜାଙ୍କୁ ଉଠାଇ ବସାଇ ଦେଇଥିଲେ ଦେବୀ । ନିର୍ଦ୍ଦେଶ ଦେଇଥିଲେ– “ପୁଣି ଯାଇ ଚେଷ୍ଟାକର; କାର୍ଯ୍ୟ ସଫଳ ହେବ ।” ଅଭିଭୂତ ହୋଇ ଯାଇଥିଲେ ମହାରାଜା । ତାଙ୍କରି ବିଶ୍ୱାସ ପୁଣି ଥରେ ପୁନର୍ବିନ୍ୟାସ ହୋଇଥିଲା । ଈଷ୍ଟଦେବୀ ମାଣିକେଶ୍ୱରୀଙ୍କ ଆଶୀର୍ବାଦ କଦାପି ବିଫଳ ହେବାର ନୁହେଁ । ଅନ୍ତତଃ ଆଜି ପର୍ଯ୍ୟନ୍ତ କେଭେଁ ହୋଇନାହିଁ । ସବୁବେଳେ, ସବୁ ବିପଦବେଳେ ସୁରକ୍ଷାର ଅଭୟ ହାତ ବଢ଼ାଇ ଦେଇଛନ୍ତି ଦେବୀ ମାଣିକେଶ୍ୱରୀ । ମଙ୍ଗଳମୟୀ ଦେବୀ; ସର୍ବାଦୌ ମଙ୍ଗଳମୟୀ !

ଗଡ଼ଦେବୀ ମାଣିକେଶ୍ୱରୀଙ୍କ ଉପରେ ଗଭୀର ଆସ୍ଥା ଏବଂ ବିଶ୍ୱାସ ଥିଲା ମହାରାଜାଙ୍କର । ସେ ଯଦି ଜୀବନରେ କାହାକୁ ସର୍ବାଧିକ ଭକ୍ତି କରୁଥିଲେ ସେଇ ଦୁଇଜଣ ଥିଲେ ତାହାଙ୍କର ଜନନୀ ଏବଂ ଗଡ଼ଦେବୀ ମାଣିକେଶ୍ୱରୀ । ଦେବୀଙ୍କ ମହିମା ଆଗରେ ସେ ନତମସ୍ତକ ହେଉଥିଲେ ସବୁବେଳେ; ଆଶୀର୍ବାଦ କାମନା କରୁଥିଲେ ସବୁ ଜଟିଳ ସମସ୍ୟାର ସମାଧାନ ପାଇଁ । ସେଭଳି ଭକ୍ତି ଉଦ୍ରେକକାରୀ ଘଟଣାଟିଏ ଘଟିଥିଲା ମହାରାଜାଙ୍କ ଯୌବନର ପ୍ରାକ୍ କାଳରେ ।

ନବ ଯୁବକ ରାଜା କୃଷ୍ଣଚନ୍ଦ୍ର ଥରେ ଇଚ୍ଛା କରିଥିଲେ ବ୍ରାହ୍ମଧର୍ମାନୁକ୍ରମେ କିଛିଟା ସାମାଜିକ ସଂସ୍କାର ପାଇଁ । ସେତିକିବେଳେ ଓଡ଼ିଶାରେ ବ୍ରାହ୍ମଚେତନା ବେଶ୍ ଜନପ୍ରିୟ ହୋଇ ଉଠିଥିଲା । ବାସ୍ତବରେ ହିନ୍ଦୁଧାର୍ମିକ କୁ-ସଂସ୍କାରଗୁଡ଼ିକ ପ୍ରତି ତାହା ଥିଲା ଏକ ଆହ୍ୱାନ ସ୍ୱରୂପ । ଦେବଦେବୀଙ୍କ ସଂତୁଷ୍ଟି ପାଇଁ ଅନେକ ସ୍ଥାନରେ ପଶୁବଳି ଅର୍ପିତ ହେଉଥିଲା । ସେହି ଅନୁଯାୟୀ ପାରଳା ଗଡ଼ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ମଧ୍ୟ ପବିତ୍ର ଦଶହରା ଅବସରରେ ପଶୁବଳିର ଆୟୋଜନ ହେଉଥିଲା କାଳାନୁକ୍ରମେ । ବ୍ରାହ୍ମଚେତନା ଅନୁ୍ପ୍ରାଣିତ ମହାରାଜା ସେହି ପରଂପରାର ବ୍ୟତିକ୍ରମ କାମନା କରିଥିଲେ । ତେଣୁ ପଶୁବଳି ବନ୍ଦ ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ସେତିକିବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ସେହି ବର୍ଷ ମହାଷ୍ଟମୀ ଦିନ ଗଭୀର ନିଶିଥରେ ମହାରାଜାଙ୍କୁ ସ୍ୱପ୍ନ-ଦର୍ଶନ ଦେଇଥିଲେ ଦେବୀ । ଗାଢ଼ ନିଦ୍ରାଭିଭୂତ ଥିବାବେଳେ ମହାରାଜା ଅନୁଭବ କରିଥିଲେ ତାହାଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ଏବଂ ତାହା ପୁଣି ସ୍ୱୟଂ ଦେବୀଙ୍କ ହାତରୁ । ତାପରେ ସେ ମନେ କରିଥିଲେ ସ୍ୱୟଂ ଦେବୀ ତାଙ୍କ ଉପରେ ଅତ୍ୟନ୍ତ ରୁଷ୍ଟ । ତତ୍ ପରଠାରୁ ସେ କୌଣସି ଧାର୍ମିକ ପରଂପରାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରି ନଥିଲେ ବରଂ ଦେବୀଙ୍କ ପ୍ରତି ଅଚଳାଚଳ ଭକ୍ତି ଦୃଢ଼ ହୋଇଥିଲା ତାଙ୍କରି ମନ ଓ ହୃଦୟରେ । ସେ ମନେ କରିଥିଲେ ତାହାଙ୍କ ପ୍ରତି ଦେବୀଙ୍କ ମହିମା ଅପାର ଏବଂ ତତ୍ ପରେ ପରେ ତାହାଙ୍କର ଅନୁଭବ ଥିଲା ସବୁ ଆପଦ ବିପଦ ବେଳେ ଦେବୀ ତାହାଙ୍କ ମସ୍ତକରେ ଢାଳି ଦିଅନ୍ତି ଅଜସ୍ର ଆଶୀର୍ବାଦ ।

ଶିକାରପ୍ରିୟ ମହାରାଜା ଥରେ ତାଙ୍କର ଦକ୍ଷ ଘୋଡାଟିକୁ ନେଇ ଶିକାର ପାଇଁ ଯାଇଥିଲେ ପାରଳା ସହର ନିକଟସ୍ଥ ଜଙ୍ଗଲକୁ । ଶିକାର ଅନ୍ୱେଷଣରେ ବେଶ୍ କିଛି ଦୂର ଚାଲି ଯାଇଥିଲେ । ହେଲେ ଅପ୍ରତ୍ୟାଶିତ ଭାବେ ଜଙ୍ଗଲ ରାସ୍ତାରେ ଘୋଡ଼ାଟିର ଆଗ ଗୋଡ଼ ଦୁଇଟି ବିଲହୁଡ଼ା କଡ଼ରେ ଥିବା ଗୋଟିଏ ବିଲୁଆ ଗାତ ଭିତରେ ଗଳି ଯାଇଥିଲା । ଘୋଡାଟି ଏତେ ଜୋର୍‌ରେ ଆଘାତ ପାଇଥିଲା ଯେ ସଙ୍ଗେ ସଙ୍ଗେ ସେଠି ଟଳିପଡ଼ି ମରି ଯାଇଥିଲା । ତାର ପିଠି ଉପରୁ ବେଶ୍ କିଛି ଦୂରକୁ ଛିଟିକି ପଡ଼ିଥିଲେ ମହାରାଜା । ସଂଜ୍ଞା ହଜି ଯାଇଥିଲା ।

କେଉଁଠି ଥିଲେ କେଜାଣି, ସେଇ ଜନ ମାନବହୀନ ଜାଙ୍ଗଲିକ ପରିବେଶ ଭିତରୁ ଜଣେ ଗରିବ ବ୍ରାହ୍ମଣ ଆସି ସେଠି ପହଞ୍ଚି ଯାଇଥିଲେ । ନିକଟରୁ କେଉଁଠୁ ପାଣି ସଂଗ୍ରହ କରି ଧୂଳି ଧୂସରିତ ମହାରାଜାଙ୍କ ମୁହଁରେ ସିଞ୍ଚନ କରିଥିଲେ । ନିଜ ଗାମୁଛାରେ ମୁହଁ ପୋଛି ଦେଇଥିଲେ । ପାଟିରେ ମୁନ୍ଦାଏ ପାଣି ଦେଇଥିଲେ । କିଛି ସମୟ ପରେ ସଚେତ ହୋଇ ଉଠି ବସିଥିଲେ ମହାରାଜା । ସେ ମନେ କରିଥିଲେ, ସେଭଳି ନିକାଞ୍ଚନ ପରିବେଶରେ ସେଇ ଅଯାଚିତ ସହାୟତା କେବଳ ତାହାଙ୍କ ଈଷ୍ଟଦେବୀଙ୍କ ମହିମା ବ୍ୟତୀତ ଅନ୍ୟ କିଛି ହୋଇ ନପାରେ ।

ଠିକ୍ ସେହିଭଳି ହୃଦ୍‌ବୋଧ କରିଥିଲେ ମହାରାଜା ଅନ୍ୟ ଏକ ଘଟଣାରେ । ପାରଳା ରାଜବାଟୀର ଠିକ୍ ପଛ ପଟରେ ସୀତାସାଗର- ସବୁବେଳେ ଜଳରେ ପରି‌ପୂର୍ଣ୍ଣ ଏକ ବିରାଟ ପୁଷ୍କରିଣୀ । ଥରେ ମହାରାଜା ଘୋଡ଼ା ଗାଡ଼ିରେ ବସି ପରିଭ୍ରମଣରେ ଯାଉଥିଲେ ସେଇ ସାଗର କୂଳର ପ୍ରଶସ୍ତ ରାସ୍ତାରେ । ଦେହରେ ପୂର୍ଣ୍ଣ ରାଜପୋଷାକ ।

ରାସ୍ତା ମଝିରେ ହଠାତ୍ ଗାଡ଼ି ଟାଣୁଥିବା ଘୋଡ଼ାଟି ଚମକି ପଡିଥିଲା । ଗାଡ଼ିଟି ଓଲଟି ଯାଇଥିଲା ସୀତାସାଗର ଭିତରକୁ । ସାଗରର ପରିପୂର୍ଣ୍ଣ ଚିଙ୍ଗୁଡ଼ିଆ ଦଳ ଭିତରେ ମହାରାଜା ଛନ୍ଦି ହୋଇଯାଇଥିଲେ ଅକସ୍ମାତ୍ । ବାହାରିବା ପାଇଁ ଯେତେ ଚେଷ୍ଟା କରୁଥିଲେ ସେତିକି ଅଧିକ ଛନ୍ଦି ହୋଇ ଯାଉଥିଲେ ସେଇ ଦଳ ଭିତରେ । ଠିକ୍ ସେଇ ମୁହୂର୍ତ୍ତରେ ସେଇଠି ଉପସ୍ଥିତ ହୋଇଥିଲେ ଜଣେ ନାଉରିଆ । ଗଜପତି ଅନୁଭବ କରିଥିଲେ, ଦେବୀ ମାଣିକେଶ୍ୱରୀ ହିଁ ନାଉରିଆଟିଏ ହୋଇ ସେଠାକୁ ଆସିଥିଲେ କିମ୍ବା ନିଶ୍ଚିତ ରୂପେ ତାହାଙ୍କୁ ସେଠାକୁ ପ୍ରେରଣ କରିଥିଲେ । ସେଇ ନାଉରିଆ ଜଣକ ମହାରାଜାଙ୍କ ରାଜପୋଷାକରୁ ଦଳ ସଫା କରି ଏକ ମହା ବିପଦରୁ ଉଦ୍ଧାର କରିଥିଲେ । ତାହାକୁ କେବଳ ଦେବୀ କୃପା ବୋଲି ଗ୍ରହଣ କରି ନେଇଥିଲେ ମହାରାଜା । ସେଇମିତି ଆଉ ଥରେ ଅପରାହ୍‍ଣରେ ଯାଉଥିଲେ ହୋମ୍ ଫାର୍ମ । ନିକାଞ୍ଚନ ରାସ୍ତାରେ ତାଙ୍କରି ଗାଡ଼ି ସାମନାରେ ସେ ଦେଖିଥିଲେ ଦେବୀ ମାଣିକେଶ୍ୱରୀ ଡାହାଣ ପଟରୁ ବାମପଟକୁ ଚାଲିଯାଇଥିଲେ ବେଶ୍ ସୁସଜ୍ଜିତ ବେଶ ପୋଷାକରେ । ସ୍ତମ୍ଭୀଭୂତ ହୋଇ ଯାଇଥିଲେ ମହାରାଜା । ସେ ମନେ କରିଥିଲେ ଏହା ଏକ ଦୁର୍ଘଟଣାର ସଙ୍କେତ ହୋଇପାରେ !

ହୋମ ଫାର୍ମରେ ପହଞ୍ଚିବା ପରେ ପରେ ଯଥାରୀତି ସେଠିକାର ଚୌକିଦାର ମହାରାଜାଙ୍କ ବସିବା ପାଇଁ ଚୌକିଟିଏ ଆଣି ଗୋଟିଏ ଆମ୍ବ ଗଛ ମୂଳରେ ପକାଇଥିଲା । ସେଠାରେ ଥିବା ଦେଶୀ କୁକୁରଟି ସବୁଦିନ ଭଳି ଲାଞ୍ଜ ହଲାଇ ହଲାଇ ଆସିଥିଲେ ସୁଦ୍ଧା ମହାରାଜାଙ୍କ ସହ ଖେଳିବା ପରିବର୍ତ୍ତେ କେବଳ ଜୋର୍‌ରେ ଭୁକିବା ଆରମ୍ଭ କରି ଦେଇଥିଲା । ପୁଣି ପାରଳା ଗଜପତିଙ୍କୁ ସେଇ ଚଉକି ଉପରେ ବସିବା ପାଇଁ ଦେଇ ନଥିଲା । ତାଙ୍କରି ପିନ୍ଧା ପ୍ୟାଣ୍ଟକୁ କାମୁଡ଼ି ଧରି ଦୂରକୁ ହିଁ ଟାଣି ନେଉଥିଲା । ତାପରେ ମହାରାଜା ଚୌକିଦାରକୁ ଡ଼ାକି ଚୌକିଟିକୁ ଭଲକରି ଦେଖିନେବା ପାଇଁ କହିଥିଲେ । ସେଇ ସେବକଟି ହଠାତ୍ ଆବିଷ୍କାର କରିଥିଲା ଚଉକିର ସ୍ପ୍ରିଙ୍ଗ୍‍ ଭିତରେ ଗୁଡେ଼ଇ ହୋଇ ରହିଥିବା ସାପଟିଏକୁ । ସେଇଟି ପୁଣି ଗୋଟିଏ ମାରାତ୍ମକ ଚିତିସାପ । ମୁଣ୍ଡ ଆଉଜି ରଖିବା ସ୍ଥାନ ଓ ବେକ ପାଖରେ ରହିଥିଲା ସେଇ ସ୍ପ୍ରିଙ୍ଗ୍‍ଟି ।

ମହାରାଜା ଅନୁଭବ କରିଥିଲେ, ଗଡ଼ଦେବୀଙ୍କ ରକ୍ଷା କବଚର ପ୍ରଭାବଯୋଗୁଁ ହିଁ ତାହା ସମ୍ଭବ ହୋଇଥିଲା । ପୁଣି ସେଭଳି ଆଉ ଏକ ଘଟଣା ଘଟିଥିଲା ଜଣେ ବିଦେଶୀ ବନ୍ଧୁଙ୍କ ସହ ମାନ୍ଦ୍ରାଜ ଯାତ୍ରା କରୁଥିବା ବେଳେ । ଏକ ଗୁରୁତର ଦୁର୍ଘଟଣାର ପୂର୍ବ ସୂଚନା ଦେଇଥିଲେ ଦେବୀ ।

ସବୁ ଥର ଭଳି ସେଥର ମଧ୍ୟ ମହାରାଜାଙ୍କ ଯାତ୍ରା ପାଇଁ କଲିକତାରୁ ମାନ୍ଦ୍ରାଜ ଯାଏଁ ଗୋଟିଏ ପ୍ରଥମ ଶ୍ରେଣୀ ବଗି ଆରକ୍ଷିତ ହୋଇଥିଲା । ପଲାସା ଷ୍ଟେସନ୍‍ରୁ ଉଭୟେ ଚଢ଼ିଥିଲେ ସେଥିରେ । ଅଭ୍ୟାସବଶତଃ ବନ୍ଧୁଜଣକ କିଛି ମାଦକ ଦ୍ରବ୍ୟ ପାନ କରି ଅଳ୍ପ ସମୟ ମଧ୍ୟରେ ଶୋଇ ଯାଇଥିଲେ ଗାଢ଼ନିଦରେ । ମହାରାଜା ବି କିଛି ସମୟ ପରେ ନିଦ୍ରା ଯାଇଥିଲେ । ସେଇ ଛାଇନିଦ ଭିତରେ ହଠାତ୍ ସେ ଦେବୀ ମାଣିକେଶ୍ୱରୀଙ୍କୁ ସ୍ୱପ୍ନରେ ଦେଖିଥିଲେ । ସତେ ଯେମିତି ଦେବୀଙ୍କ ସୂଚନା ଥିଲା– ଅଳ୍ପ ସମୟ ମଧ୍ୟରେ ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହେବ- ତେଣୁ ସତର୍କ ରହ !

ସେ ସଙ୍ଗେ ସଙ୍ଗେ ଉଠିଡ଼ି ବନ୍ଧୁ ଜଣଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ । ଯେତେ ଡାକିଲେ ବି ଉଠୁ ନାହାନ୍ତି ସେ ! ବାଧ୍ୟ ହୋଇ ବଳ ପ୍ରୟୋଗ କରିଥିଲେ ମହାରାଜା । ସେ ଉଠିବା ପରେ ମହାରାଜା ତାହାଙ୍କୁ ଦେବୀଙ୍କ ସ୍ୱପ୍ନ ଦର୍ଶନ କଥା କହିଥିଲେ । ବିଶ୍ୱାସ ଅପେକ୍ଷା ସମ୍ଭବତଃ ଅବିଶ୍ୱାସ ହିଁ ଆବୋରି ରଖିଥିବ ବିଦେଶୀ ବନ୍ଧୁଜଣଙ୍କୁ । କିନ୍ତୁ ସତକୁ ସତ କିଛି ସମୟର ବ୍ୟବଧାନ ପରେ ଟ୍ରେନ୍‌ଟି ଏକ ବିରାଟ ଦୁର୍ଘଟଣାର ସାମନା କରିଥିଲା । ଅନେକ ଯାତ୍ରୀ ଅଚେତନ ଅବସ୍ଥାରେ ଥିବା ଯୋଗୁଁ ବିଶେଷ ଆହତ ହୋଇଥିଲେ । ଏପରିକି ସେଥିପାଇଁ ସଚେତନ ମହାରାଜାଙ୍କର ମଧ୍ୟ ସାମାନ୍ୟ କ୍ଷତି ହୋଇଥିଲା । ଏହା ଦେବୀକୃପା ବ୍ୟତୀତ କ’ଣ ହୋଇପାରେ ! ସେହି କୃପାମୟୀ ଦେବୀ ଏବେ ମଧ୍ୟ ଅନ୍ୟ ଏକ ପୂର୍ବ ସୂଚନା ପ୍ରଦାନ କରିଛନ୍ତି ! ଦେବୀକୃପା ତ କେବେବି ବିଫଳ ହୋଇନାହିଁ !

ଗଡ଼ଦେବୀଙ୍କ ସ୍ୱପ୍ନ ଦର୍ଶନ ପରେ ମହାରାଜାଙ୍କ ଅଙ୍ଗପ୍ରତ୍ୟଙ୍ଗରେ ସତେଯେମିତି ଏକ ନୂତନ ଶିହରଣ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ସେ ଉଠି ପଡିଥିଲେ । ତାହାଙ୍କ ଜୀବନରେ ପରମପୂଜ୍ୟ ଥିଲେ ଦେବୀ ମାଣିକେଶ୍ୱରୀ ଏବଂ ମାଆ । ମାଆଙ୍କ ନିକଟରେ ପହଞ୍ଚି ଯାଇଥିଲେ ତତ୍‌କ୍ଷଣାତ୍ । ସବୁ କଥା କହି ଯାଇଥିଲେ ଏକା ନିଃଶ୍ୱାସରେ । ତା'ପରେ ମାଆ ରାଧାମଣୀ ଦେବୀ ପରାମର୍ଶ ଦେଇଥିଲେ ପୁଣି ଥରେ ବିଲାତ ଯିବା ପାଇଁ । ମାଣିକେଶ୍ୱରୀଙ୍କ କଥା ଅନ୍ୟଥା ହେବାର ନୁହେଁ । ତେଣୁ ସେଥିପାଇଁ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ।

ଭାରତରେ ଶାସନ ସଂସ୍କାର କ୍ରମରେ ଭାଷାଭିତ୍ତିରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଶେଷ ନିଷ୍ପତ୍ତି ନିଆଯିବାର ଥିଲା ଲଣ୍ଡନଠାରେ; ମିଳିତ ସଂସଦୀୟ କମିଟିରେ । ତାହା ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ତେଣୁ ସେହି କମିଟିକୁ ପ୍ରଭାବିତ କରିବା ପାଇଁ ମହାରାଜା ପୁଣି ଥରେ ଲଣ୍ଡନ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ହେଲେ ସେଥର ବ୍ୟକ୍ତିଗତ ଉଦ୍ୟମରେ ଇଂଲଣ୍ଡ ଯାତ୍ରା କରୁଥିବାରୁ ସମସ୍ତ ଖର୍ଚ୍ଚ ନିଜେ ହିଁ ବହନ କରିବା ପାଇଁ ହୋଇଥିଲା । ସେଥିପାଇଁ ରାଜ ଅନ୍ତଃପୁରର ଆତ୍ମୀୟ ସ୍ୱଜନଙ୍କ ବେଶ୍ ଦାମୀ ଗହଣାଗାଣ୍ଠି ବିକ୍ରୀ କରିଦେବା ପାଇଁ ନା ଆତ୍ମୀୟଗଣ ନା ମହାରାଜା-କାହାରି ମନରେ ଦ୍ୱିଧା ନଥିଲା । ତାରି ଭିତରେ ତଥାପି ମହାରାଜା ତାହାଙ୍କର କେତେଜଣ ସେବାକାରୀଙ୍କୁ ନେବାକୁ ମଧ୍ୟ ପଛାଇ ନଥିଲେ । ପୁଣି କାର୍ଯ୍ୟରେ ସହାୟତା ପାଇଁ ଖଲିକୋଟ ରାଜା, ଲିଙ୍ଗରାଜ ପାଣିଗ୍ରାହୀ, ଭୁବନାନନ୍ଦ ଦାସଙ୍କୁ ମଧ୍ୟ ସହଯୋଗୀ ରୂପେ ନେବାପାଇଁ ନିଷ୍ପତ୍ତି ନେଇଥିଲେ । ପୁଣି ଯାତ୍ରା କରିବା ପୂର୍ବରୁ ବିଶେଷ କରି ପାରଳା ଜମିଦାରିର ଓଡ଼ିଶା ସହ ମିଶ୍ରଣ କରାଯିବା ସପକ୍ଷରେ ଯୁକ୍ତି ସମୂହକୁ ବିସ୍ତୃତ ବିଶ୍ଲେଷଣ କରି ଏକ ସ୍ମାରକପତ୍ର ପ୍ରସ୍ତୁତ କରି ପାରଳାରେ ମୁଦ୍ରଣ କରାଇ ନେଇଥିଲେ ।

୧୯୩୩ ମାର୍ଚ୍ଚ ୧୭ରେ ଶ୍ୱେତପତ୍ରର ପ୍ରକାଶନ । ଅପ୍ରେଲ୍‌ରେ ମିଳିତ ସଂସଦୀୟ କମିଟି ଗଠନ । ସେଇ କମିଟିକୁ ପ୍ରଭାବିତ କରାଇବା ପାଇଁ ମହାରାଜାଙ୍କ ଇଁଲଣ୍ଡ ଯାତ୍ରା ଅପ୍ରେଲ୍ ଶେଷ ସପ୍ତାହରେ ।

ଯେଉଁଦିନ ସେ ପାରଳାର ଛୋଟିଆ ରେଳଷ୍ଟେସନ୍‌ରୁ ସ୍ୱତନ୍ତ୍ର ସେଲୁନ୍ ଯୋଗେ ବାହାରିଥିଲେ, ସେଦିନ ଆକାଶରେ କଳାହାଣ୍ଡିଆ ବାଦଲର ଘଟାଟୋପ । ହେଲେ ପ୍ରବଳ ବର୍ଷାକୁ ଖାତିର୍ ନଥିଲା ଲୋକଙ୍କର । ରାଜ୍ୟର ହଜାର ହଜାର ପ୍ରଜା ଅଶ୍ରୁଳ ନୟନରେ ସମବେତ ହୋଇଥିଲେ ସେଠାରେ । ଅନେକଙ୍କ ଆଖିର ଲବଣାକ୍ତ ଲୁହର ଧାରା ମିଶିଯାଉଥିଲା ବର୍ଷାଜଳ ସହିତ । ମନରେ ଅନେକ ଆଶା ନିରାଶାର ଯୁକ୍ତ ଭାବନା । କ'ଣ ହେବ ସେମାନଙ୍କ ଅବସ୍ଥା ! କ'ଣ ହେବ ପାରଳା ଏବଂ ଜୟପୁରର ଅବସ୍ଥା ! ସରକାରୀ ମନୋଭାବ ସେଇ ଅଞ୍ଚଳବାସୀଙ୍କ ପାଇଁ ସଂପୂର୍ଣ୍ଣ ନକାରାତ୍ମକ । ସବୁ ଆଶା-ଭରସା କେବଳ ମହାରାଜାଙ୍କ ଉପରେ ।

ସେଲୁନ୍ ଭିତରୁ ବାହାରକୁ ଆସିଥିଲେ ମହାରାଜା । ଅଭୟବାଣୀ ଶୁଣାଇଥିଲେ– ଆଜି ପର୍ଯ୍ୟନ୍ତ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ବିଫଳ ହୋଇନାହିଁ । ଏଥର ମଧ୍ୟ ହେବନାହିଁ । ଜୟଯୁକ୍ତ ହୋଇ ଫେରିବା ପାଇଁ ସ୍ୱପ୍ନ ସଂକେତ ଦେଇଛନ୍ତି ଗଡ଼ଦେବୀ । ତେଣୁ ଆପଣମାନେ ଶଙ୍କାହୀନ ହୋଇ ରହନ୍ତୁ । ମୁଁ ନିଶ୍ଚୟ ସଫଳକାମ ହୋଇ ଫେରିବି ।

ଇଂଲଣ୍ଡ ପାର୍ଲାମେଣ୍ଟର ଉଭୟ ସଂସଦରୁ ୧୬ଜଣ ଲେଖାଏଁ ସଭ୍ୟଙ୍କୁ ନେଇ ୧୯୩୩ ଅପ୍ରେଲ୍ ମାସରେ ଗଠିତ ହୋଇଥିଲା ଏକ ମିଳିତ ସଂସଦୀୟ କମିଟି । ତାର ଅଧ୍ୟକ୍ଷ ଥିଲେ ଲର୍ଡ ଲିନ୍‌ଲିଥ୍‌ଗୋ । ୧୯୨୭ ମସିହାରେ ଭାରତ ପାଇଁ ଗଠିତ ରାଜକୀୟ କୃଷି କମିଶନ୍‌ର ସେ ଅଧ୍ୟକ୍ଷ ଥିବା ବେଳେ ମହାରାଜା ଥିଲେ ତାହାର ଏକମାତ୍ର ଭାରତୀୟ ସଭ୍ୟ । ଦୀର୍ଘ ଦୁଇ ବର୍ଷ କାଳ ସେମାନେ ଏକାଠି ଭାରତ ସାରା ଗସ୍ତ କରି କୃଷିର ଉନ୍ନତି ପାଇଁ ଗଭୀର ଭାବରେ ପରିସ୍ଥିତିର ଅନୁଶୀଳନ କରିଥିଲେ । ସେତିକିବେଳେ ମହାରାଜାଙ୍କ ସହିତ ଆନ୍ତରିକ ଭାବର ଆଦାନ ପ୍ରଦାନ ହୋଇଥିଲା ଲର୍ଡ ଲିନ୍ ଲିଥ୍‌ଗୋଙ୍କର । ଆପାତତଃ ଉଭୟଙ୍କ ମଧ୍ୟରେ ବେଶ୍ ସହୃଦୟତା ମଧ୍ୟ ସ୍ଥାପିତ ହୋଇଥିଲା । ସେହି ଦୃଷ୍ଟିରୁ ପାରଳା ଓ ଜୟପୁରକୁ ଓଡ଼ିଶା ସହ ମିଶ୍ରଣ ଦିଗରେ ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷଙ୍କୁ ପ୍ରଭାବିତ କରାଇ ପାରିବା ଆଶା ମନରେ ପୋଷଣ କରିଥିଲେ ମହାରାଜା । ଭାରତର ଶାସନ ସଂସ୍କାର ସଂପର୍କରେ ଚୂଡ଼ାନ୍ତ ମତାମତ ଦେବା ଥିଲା ସେହି କମିଟିର ପ୍ରଧାନ ଲକ୍ଷ୍ୟ । ବାସ୍ତବରେ ତାହାରି ସୁପାରିସ ଭିତ୍ତିରେ ହିଁ ପ୍ରତିଷ୍ଠିତ ବିଖ୍ୟାତ ୧୯୩୫ ଭାରତ ଶାସନ ଆଇନ । ସେହି କମିଟିକୁ ବିଭିନ୍ନ ବିବାଦୀୟ ବିଷୟରେ ଅଧିକ ତର୍ଜମା କରି ପରାମର୍ଶ ଦେବା ପାଇଁ କେତେକ ସବ୍‌କମିଟି ଗଠିତ ହୋଇଥିଲା । ତନ୍ମମଧ୍ୟରୁ ଗୋଟିଏ ଥିଲା ନୂତନ ଓଡ଼ିଶା ପ୍ରଦେଶର ସୀମା ସଂପର୍କୀୟ ସମସ୍ୟାର ସମାଧାନ ପାଇଁ ।

ମହାରାଜାଙ୍କ ନେତୃତ୍ୱରେ ପ୍ରତିନିଧିଗଣ ୧୯୩୩ ଜୁଲାଇ ମାସର ପ୍ରଥମ ସୋମବାର ତିନି ତାରିଖ ଦିନ ସବ୍ କମିଟିକୁ ସାକ୍ଷାତ କରିଥିଲେ । ବିଶେଷ ଭାବେ ସମସ୍ୟାର ଆଲୋଚନା କରିବା ସଂଗେ ସଂଗେ ପ୍ରତିନିଧିଗଣ ସମସ୍ତ ଯୁକ୍ତି ଉପସ୍ଥାପନ କରି ପାରଳାଖେମଣ୍ଡିକୁ ନୂତନ ପ୍ରଦେଶ ସହିତ ସାମିଲ୍ କରାଯିବା ସପକ୍ଷରେ ଉଦ୍ଧିଷ୍ଟ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଥିରେ ବିଭିନ୍ନ ଯୁକ୍ତି ମଧ୍ୟରେ ଥିଲା ପାରଳା ଓ ଜୟପୁର ବିନା ଘୋଷିତ ନୂତନ ପ୍ରଦେଶ ଓଡ଼ିଆମାନଙ୍କ ପାଇଁ ଏକ ଦାରୁଣ ଧକ୍କା । ଓଡ଼ିଆଙ୍କ ସାଧାରଣଙ୍କ ଜନମତ ଅନୁଯାୟୀ ପାରଳା ବ୍ୟତୀତ ନୂତନ ଓଡ଼ିଶା ବାସ୍ତବରେ ଏକ ମସ୍ତିଷ୍କବିହୀନ ଶରୀର ଭଳି । ପୁଣି ଭାଷା ଓ ଜାତି ନିର୍ବିଶେଷରେ ପାରଳାର ରାଜାନୁଭକ୍ତ ପ୍ରଜାଗଣ ସମସ୍ୱରରେ ଦ୍ୱିଧାହୀନ ଭାବେ ମିଶ୍ରଣ ସପକ୍ଷରେ ସବୁ କମିଟି ସାମନାରେ ମତ ରଖିଥିବା ବେଳେ ତାହା ସମ୍ଭବ ନହେଲେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ପ୍ରଥମ ଗୋଲ୍‌ଟେବୁଲ୍ ବୈଠକରେ ଯୋଗଦେଇ ସେ (ମହାରାଜା ନିଜେ) ୧୯୩୧ ଫେବ୍ରୁଆରିରେ ଫେରିବା ଅବସରରେ ସମଗ୍ର ରାଜ୍ୟରେ ତାହାଙ୍କୁ ଯେଉଁଭଳି ଭାବରେ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ନୂତନ ଓଡ଼ିଶା ଗଠନ ଏବଂ ସେଥିରେ ସେମାନଙ୍କ ନିଶ୍ଚିତ ଅଂଶୀଦାର ହେବାର ଉଜ୍ୱଳ ସମ୍ଭାବନା । ପୁଣି ବର୍ତ୍ତମାନ ସରକାରଙ୍କ ଭ୍ରମାତ୍ମକ ସୀମା ନିର୍ଦ୍ଧାରଣ ଯୋଗୁଁ ପାରଳା ରାଜ୍ୟର ଅସଂତୁଷ୍ଟ ପ୍ରଜାଗଣ ସେମାନଙ୍କ ମତାମତ ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ଜରିଆରେ ପ୍ରକାଶ କରି ଆସୁଛନ୍ତି । ଏଥିରୁ ସେମାନଙ୍କ ଆକାଂକ୍ଷା ଆକଳନ କରାଯାଇପାରେ ।

ଫିଲଫ୍-ଡଫ୍ କମିଟି ତଥା ସୀମା କମିଟିର ତିନିଜଣ ସଭ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କ ମତାମତ ସ୍ପଷ୍ଟ ଭାବରେ ମିଶ୍ରଣ ସପକ୍ଷରେ ଥିବା ତଥ୍ୟ ସେଇ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ମହାରାଜା । ପୁଣି ସାମାଜିକ ତଥା ସାଂସ୍କୃତିକ ପଟ୍ଟଭୂମିରୁ ଓଡ଼ିଶା ସହ ପାରଳାର ସଂପର୍କ ଉଲ୍ଲେଖ କରି କହିଥିଲେ ଯେ ବାସ୍ତବରେ ପୁରୀ ରାଜବଂଶର ଦାୟାଦ ସେମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ପାରଳା ଏକ ପ୍ରମୁଖ କେନ୍ଦ୍ର ରୂପେ ଦୀର୍ଘ ଅତୀତରୁ ପ୍ରତିଷ୍ଠିତ । ଏଠିକାର ଅସଂଖ୍ୟ ଧାର୍ମିକ ଅନୁଷ୍ଠାନ-ମଠ, ମନ୍ଦିର ଇତ୍ୟାଦି ପୁରୀରେ ଥିବା ସେଭଳି ଅନୁଷ୍ଠାନଗୁଡ଼ିକର ଯଥାର୍ଥ ସାଦୃଶ୍ୟ । ଏଠିକାର ପୂଜକଗଣ ଓଡ଼ିଆ ଏବଂ ମଧ୍ୟ ଅନୁଷ୍ଠାନଗୁଡ଼ିକର ରୀତି-ନୀତି, ପୂଜା-ପାର୍ବଣଗୁଡ଼ିକ ସେଇ ଏକାଧାରାରେ ପରିଚାଳିତ– ପୁରୀର ବିଶ୍ୱବିଖ୍ୟାତ ରଥଯାତ୍ରା ଭଳି ପାରଳାର ରଥଯାତ୍ରା । ଏଇ ସବୁ ଦୃଷ୍ଟିରୁ ସଂସଦୀୟ କମିଟି ସମ୍ବେଦନଶୀଳ ହୋଇ ସେଥିପାଇଁ ଅନୁକୂଳ ମତାମତ ଦେବେ ଏବଂ ସରକାରଙ୍କ ପୂର୍ବ ତ୍ରୁଟିର ଯଥାର୍ଥ ସଂଶୋଧନ କରିବେ ବୋଲି ମହାରାଜା ଆଶା ପୋଷଣ କରିଥିଲେ ସେଥିରେ ।

ସେଇ ସ୍ମାରକ ପତ୍ରର ଏକ ନକଲ ତ‌ତ୍‌କାଳ ଇଂଲଣ୍ଡରେ ଥିବା ତେଲୁଗୁ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇ ସେହି ଯୁକ୍ତିଗୁଡ଼ିକର ଅସାରତା ପ୍ରମାଣ ପାଇଁ ସୁଯୋଗ ଦିଆଯାଇଥିଲା । ସଂସଦୀୟ କମିଟି ତରଫରୁ ମହାରାଜାଙ୍କ ଗୋଷ୍ଠୀ ଭଳି ସେମାନେ ମଧ୍ୟ ଇଂଲଣ୍ଡ ଯାଇଥିଲେ ଓଡ଼ିଶା ସହ ଗଞ୍ଜାମ ମିଶ୍ରଣ ବିରୋଧୀ ଅଭିଯାନ ଚଳାଇବା ପାଇଁ । ସେହିକ୍ରମରେ ସେଇ ଜୁଲାଇ ମାସର ଦ୍ୱିତୀୟ ସୋମବାର-୧୦ ତାରିଖ ଦିନ ସାର୍ ସାମୁଏଲ୍ ହୋର୍ ଏବଂ ସବ୍ କମିଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରି ସ୍ମାରକପତ୍ର ଗ୍ରହଣ କରିଥିଲେ । ତାହା କିନ୍ତୁ ବିଶେଷ ଭାବରେ ଯୁକ୍ତି ସମ୍ବଳିତ ନଥିଲା । ସେଥିରେ ବର୍ତ୍ତମାନର ବ୍ରହ୍ମ‌ପୁର ସମେତ ଋଷିକୂଲ୍ୟା ନଦୀର ସମୁଦାୟ ଦକ୍ଷିଣାଞ୍ଚଳକୁ ଆନ୍ଧ୍ର ସହିତ ଯୁକ୍ତ କରି ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ସେଥିପାଇଁ ଯୁକ୍ତିଯୁକ୍ତ କାରଣ ଆଦୌ ଦର୍ଶାଯାଇ ନଥିଲା । ତେଣୁ ତାହାକୁ ଖଣ୍ଡନ କରିବା ପାଇଁ ଓଡ଼ିଶା ପ୍ରତିନିଧିମାନଙ୍କୁ ଆଦୌ କଷ୍ଟକର ବ୍ୟାପାର ବୋଲି ମନେ ହୋଇ ନଥିଲା । ସେଥରର ରହଣି କାଳରେ ମହାରାଜା କୃଷ୍ଣଚନ୍ଦ୍ର ଇଂଲଣ୍ଡର ମହାମାନ୍ୟ ସମ୍ରାଟ ପଞ୍ଚମ ଜର୍ଜଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଆଲୋଚନା କାଳରେ ଓଡ଼ିଆମାନଙ୍କ ନ୍ୟାଯ୍ୟ ଦାବି ସମ୍ପର୍କରେ ଅବଗତ କରାଇଥିଲେ । କେବଳ ଓଡ଼ିଆମାନଙ୍କ ସମସ୍ୟା ସମ୍ପର୍କରେ ଇଂରେଜ ହାକିମମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେଥର କିଛି ଅଧିକ ସମୟ ଲଣ୍ଡନରେ ରହିଥିଲେ । ସେଇ ରହଣି କାଳରେ ମହାରାଜା ଲର୍ଡ ଲିନ୍‍ ଲିଥ୍‌ଗୋ, କ୍ଳେମଣ୍ଟ ଅଟଲି ତଥା ଅନ୍ୟ ପ୍ରମୁଖ ବ୍ୟକ୍ତିବୃନ୍ଦଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଥିଲେ; ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଜୟପୁର ଓ ପାରଳା ସମେତ ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନ ପାଇଁ । ଅନୁରୋଧ ଜଣାଇଥିଲେ ସେଥିପାଇଁ ଯେଭଳି ଆବଶ୍ୟକ ସହାୟତା ସେମାନେ ଯୋଗାଇ ଦେବେ ।

ଦୁର୍ଭାଗ୍ୟର କଥା, ଇଂଲଣ୍ଡରେ ମହାରାଜା ସେଭଳି ଉଦ୍ୟମ ଚଳାଉଥିବା ବେଳେ ଭାରତ ବିଭାଗ ସଚିବଙ୍କ ନିକଟରେ ଓଡ଼ିଶାରୁ ଟେଲିଗ୍ରାମ ପହଞ୍ଚିଥିଲା ଯେ ପାରଳା ଓ ଜୟପୁର ବିନା ନୂତନ ଓଡ଼ିଶା ଗ୍ରହଣୀୟ । ଏହା ଅତିଶୀଘ୍ର ଗଠିତ ହେଉ । ପୁଣି ମଧ୍ୟ ଜୟପୁର ରାଜାଙ୍କ ଇଚ୍ଛା ଥିବା ଦର୍ଶାଇ ବେନାମୀ ତାରବାର୍ତ୍ତା ମାଧ୍ୟମରେ ସାର୍ ସାମୁଏଲ୍ ହୋର୍‌ଙ୍କୁ ଅନୁରୋଧ କରାଯାଇଥିଲା ଯେ ଜୟପୁର ଅଞ୍ଚଳକୁ ଓଡ଼ିଶା ସହ ସାମିଲ କରାନଯାଉ । ମିଷ୍ଟର ହୋର୍ ସେ ସଂପର୍କରେ ବିଚାର ଆଲୋଚନା କରିଥିଲେ । କିନ୍ତୁ ସେହିମତର ତୀବ୍ର ବିରୋଧ କରି ମହାରାଜା କୃଷ୍ଣଚନ୍ଦ୍ର ମତ ଦେଇଥିଲେ ଯେ ଜୟପୁର ମହାରାଜା ବିକ୍ରମଦେବ ହେଉଛନ୍ତି ତାଙ୍କର ମାତୁଳ ଏବଂ ସେ ନିଜେ ମାମୁଙ୍କର ଓଡ଼ିଶା ସହ ମିଶ୍ରଣ ସପକ୍ଷମତ ତଥା ତାଙ୍କର ସେଥିପାଇଁ ଆଗ୍ରହ ଥିବା ସମ୍ପର୍କରେ ସ୍ପଷ୍ଟ ଏବଂ ନିର୍ଦ୍ଧିଷ୍ଟ ଭାବେ ଜାଣନ୍ତି । ତେଣୁ ସେହି ବେନାମୀ ତାରବାର୍ତ୍ତା ପରିବର୍ତ୍ତେ ଖୋଦ୍ ଜୟପୁର ମହାରାଜାଙ୍କଠାରୁ ସେ ନେଇ ସରଜମିନ୍ ତଦନ୍ତ କରାଯାଇପାରେ । ସେଥିପାଇଁ ସମସ୍ତ ଖର୍ଚ୍ଚ ମହାରାଜା କୃଷ୍ଣଚନ୍ଦ୍ର ବହନ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ ଭାବରେ ବ୍ୟକ୍ତ କରିଥିଲେ ।

ପୁଣି ସୌଭାଗ୍ୟର କଥା, ଠିକ୍ ସେତିକିବେଳେ ଓଡ଼ିଆଙ୍କର ତଥା ଓଡ଼ିଶାର ଯଥାର୍ଥ ଜନମତ ତାରବାର୍ତ୍ତା ମାଧ୍ୟମରେ ସେଠାରେ ପହଂଚିଥିଲା । ବିଭିନ୍ନ ସଭାସମିତିରେ ଗୃହୀତ ପ୍ରସ୍ତାବ ସବୁକୁ କେବଲ୍ ମାଧ୍ୟମରେ ପହଞ୍ଚାଇ ଦିଆଯାଇଥିଲା ମି: ସାମୁଏଲ୍ ହୋର୍‌ଙ୍କ ନିକଟରେ । ପାରଳା ଓ ଜୟପୁର ବିନା ଓଡ଼ିଶା ପ୍ରଦେଶ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସର୍ବଶ୍ରୀ ରାଧାନାଥ ରଥ, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ, ହରିହର ମହାପାତ୍ର, ବ୍ରଜବନ୍ଧୁ ଦାସ ପ୍ରମୁଖମାନଙ୍କ ଦସ୍ତଖତରେ ଯେଉଁସବୁ ତାରବାର୍ତ୍ତାମାନ ସେଠାରେ ପହଂଚିଥିଲା, ତାହା ବାସ୍ତବରେ ମହାରାଜାଙ୍କ ପାଇଁ ଥିଲା ବିଶେଷ ଆଶ୍ୱାସନା ।

ମିଳିତ ସଂସଦୀୟ କମିଟିର ସଭ୍ୟମାନଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ପାଇବା ପରେ ଏବଂ ସେଇ ଗସ୍ତକ୍ରମର ସାର୍ଥକତା ନେଇ ନିଜ ମନରେ ଦୃଢ଼ ଆସ୍ଥା ସ୍ଥାପିତ ହୋଇ ସାରିବା ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମନସ୍ଥ କରିଥିଲେ । ସେଥର ସେଠାରେ ରହିଥିଲେ ପ୍ରାୟ ଚାରିମାସରୁ କିଛି କମ୍‌ଦିନ । ୧୯୩୩ ଅଗଷ୍ଟ ୧୩ରେ ଫେରିଥିଲେ ନିଜ ରାଜ୍ୟକୁ । ଆପଣାର ହୃଦ୍‌ବୋଧ ମଧ୍ୟ ଉକ୍ରଳ ଗୌରବ ମଧୁସୂଦନଙ୍କୁ ଜଣାଇଥିଲେ । ଓଡ଼ିଶା ସହ ମିଶ୍ରଣର ଉଜ୍ଜ୍ୱଳ ସମ୍ଭାବନା ଯୋଗୁଁ ମହାରାଜାଙ୍କ ରାଜ୍ୟବାସୀ ତାହାଙ୍କର ପ୍ରତ୍ୟାବର୍ତ୍ତନ କାଳରେ ଭବ୍ୟ ସ୍ୱାଗତ ଜଣାଇଥିଲେ । ପାରଳାର ଘରେ ଘରେ ଆନନ୍ଦର ଉତ୍ସବ । ପ୍ରତି ଦ୍ୱାରରେ ପୂର୍ଣ୍ଣକୁମ୍ଭ । ଆଲୋକ ସଜ୍ଜାରେ ଉଦ୍‌ଭାସିତ ସମଗ୍ର ସହର । କିନ୍ତୁ କିଏ ଜାଣିଥିଲା, ଆକାଶରେ ପୁଣି ଏକ ଅଦିନିଆ ଘନ କଳା ବାଦଲ ସୃଷ୍ଟି ହେବ ବୋଲି ।

ଲଣ୍ଡନରୁ ଫେରିବାର କିଛି ମାସ ପରେ ସେଠିକାର ଜଣେ ବନ୍ଧୁଙ୍କ ଠାରୁ ପତ୍ରଟିଏ ପାଇଥିଲେ । ସେଥିରୁ ସେ ଅବଗତ ହୋଇଥିଲେ ଯେ ଜୟପୁର ଅଞ୍ଚଳ ଓଡ଼ିଶା ସହ ସଂଯୁକ୍ତ ହେବା ଲାଗି ସରକାର ନିଷ୍ପତ୍ତି ନେଉଥିଲେ ସୁଦ୍ଧା ପାରଳା ଅଞ୍ଚଳ ପାଇଁ ମିଳିତ ସଂସଦୀୟ କମିଟି ସୁପାରିସ କରୁ ନାହାନ୍ତି । ଦକ୍ଷିଣ ଓଡ଼ିଶାର ସୀମା ଛତ୍ରପୁର ପରିବର୍ତ୍ତେ ବ୍ରହ୍ମ‌ପୁର ପର୍ଯ୍ୟନ୍ତ ବିସ୍ତାର କରାଯିବା ପାଇଁ ସମ୍ମତ ହୋଇଥିଲେ ସୁଦ୍ଧା ପୂର୍ବ ପ୍ରସ୍ତାବିତ ମହେନ୍ଦ୍ର ଗିରିରେ ଗ୍ରୀଷ୍ମକାଳୀନ ରାଜଧାନୀ ପ୍ରତିଷ୍ଠା ନହେବା ଲାଗି ସେହି ନିର୍ଦ୍ଧାରଣରେ ରହିଥିଲା । ସେ ମଧ୍ୟ ସମ୍ବାଦ ପାଇଥିଲେ ଯେ ନୂତନ ଓଡ଼ିଶା ଗଠନ ଏବଂ ତତ୍ ସହିତ ଆପଣା ରାଜ୍ୟର ମିଶ୍ରଣ ପାଇଁ ବରାବର ଦାବି କରି ଆସୁଥିବା ପାରଳା ମହାରାଜାଙ୍କ ପ୍ରତି ଓଡ଼ିଶା ସବ୍‌କମିଟିର ସଦସ୍ୟ ମି: ଅଟ୍‌ଲି ଯଥେଷ୍ଟ ସମ୍ବେଦନଶୀଳ ମନୋଭାବ ପ୍ରକାଶ କରିଥିଲେ ସୁଦ୍ଧା ସେଇ ରାଜ୍ୟର ଅଧିକାଂଶ ଜନଗଣଙ୍କ ଭାଷା ତଥା ଜାତିଗତ ଭିନ୍ନତା ଯୋଗୁଁ ମହାରାଜାଙ୍କ ଇଚ୍ଛା ପୂରଣ ପାଇଁ ସୁପାରିସ କରିପାରୁ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ ସେଇ ସୁପାରିସରେ ।

ସେଭଳି ପରିସ୍ଥିତିରେ ସାରା ଓଡ଼ିଶାରେ ପୁଣି ଥରେ ତୀବ୍ର ଆନ୍ଦୋଳନ ପାଇଁ ଗଜପତି କୃଷ୍ଣଚନ୍ଦ୍ର ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ନିୟୋଜିତ କରିଥିଲେ ଆପଣାର ଅନୁଗାମୀମାନଙ୍କୁ । ପ୍ରଫେସର ହୀରାଲାଲ ବର୍ଦ୍ଧନ ଏବଂ ସତ୍ୟ ନାରାୟଣ ରାଜଗୁରୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ ଆୟୋଜନରେ ଲାଗି ପଡ଼ିଥିଲେ । ଡଃ ରାଜଗୁରୁଙ୍କ ସ୍ମୃତି ଚାରଣରେ “୧୯୩୪ ସାଲ ଜାନୁଆରି ମାସରେ ଆମେ ଓଡ଼ିଶା ଗସ୍ତରେ ବାହାରି ସମ୍ବଲପୁରଠାରୁ ଜୟପୁର ପର୍ଯ୍ୟନ୍ତ ପ୍ରତି ଅଞ୍ଚଳରେ ସଭା ସମିତି ମାଧ୍ୟମରେ ଓଡ଼ିଆମାନଙ୍କ ପ୍ରତିବାଦ ସର୍‌କାରଙ୍କଠାରେ ଉପସ୍ଥାପନ କଲୁ । ସେ ମାସ ନଅ ତାରିଖ ଦିନ ପାରଳାଖେମଣ୍ଡିରୁ ଓଡ଼ିଶା ବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭର ପ୍ରକୃତ ବିବରଣୀ ଜାଣିବା ପାଇଁ ମାନ୍ଦ୍ରାଜର ତତ୍କାଳୀନ ଲାଟସାହେବ ସସ୍ତ୍ରୀକ ପାରଳାଖେମଣ୍ଡି ଆଗମନ କଲେ ।”

ଫେବ୍ରୁଆରି ପ୍ରଥମ ସପ୍ତାହରେ କଟକଠାରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ଧରାକୋଟ ରାଜା ମଦନ ମୋହନ ସିଂହଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସେହି ପ୍ରତିବାଦ ସଭାରେ ‘ପାରଳା ବିନା ଓଡ଼ିଶା ବର୍ଜନ’ ମୂଳକ ଏକ ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ଭାରତର ବଡ଼ଲାଟ ଲର୍ଡ ୱିଲିଙ୍ଗଡନ୍‌ଙ୍କୁ ପୁଣି ଥରେ ସାକ୍ଷାତ କରିବା ପାଇଁ ମହାରାଜାଙ୍କୁ ଅନୁରୋଧ କରାଯାଇ ସେଥିପାଇଁ ଏକ ପ୍ରତିନିଧିମଣ୍ଡଳୀଙ୍କୁ ମନୋନୀତ କରାଯାଇଥିଲା । ସେଥିରେ ଅନ୍ତର୍ଭୁକ୍ତ ଥିଲେ ସର୍ବଶ୍ରୀ ଭୁବନାନନ୍ଦ ଦାସ, ବ୍ରଜସୁନ୍ଦର ଦାସ ଏବଂ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖମାନେ ।

ଭାଗ୍ୟର କ୍ରୂର ପରିହାସ, ଠିକ୍ ସେହି ସମୟରେ- ଫେବ୍ରୁଆରି ଚାରି ତାରିଖ ଦିନ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଆନ୍ଦୋଳନର ଜନକ ଦେଶପ୍ରାଣ ମଧୁସୂଦନଙ୍କ ଦେହାନ୍ତ ହୋଇ ଯାଇଥିଲା । ତାହା ଥିଲା ମହାରାଜାଙ୍କପାଇଁ ଏକ ଅତ୍ୟନ୍ତ ବେଦନାଦାୟକ ଘଟଣା । ତେବେ ସେହିଭଳି ଅନ୍ୟ ଏକ ବେଦନାଦାୟକ ନିଷ୍ପତ୍ତି ମହାରାଜା ନେବା ପାଇଁ ମାନସିକ ପ୍ରସ୍ତୁତି କରିଥିଲେ । କେବଳ ତେଲୁଗୁ ଭାଷା/ଜାତି ବହୁଳତା କାରଣ ଦର୍ଶାଯାଇ ପ୍ରତିଟି ସମୟରେ ପାରଳା ଜମିଦାରିକୁ ନୂତନ ଓଡ଼ିଶାରେ ସାମିଲ୍ ପାଇଁ ବିରୋଧ କରାଯାଉଥିବା କାରଣରୁ ତାହାଙ୍କର ମୂଳ ଦାବିର ପରିବର୍ତ୍ତନ କରିଥିଲେ । ଯେତେ ଯନ୍ତ୍ରଣାଦାୟକ ହେଲେ ସୁଦ୍ଧା ନିଜ ଜମିଦାରିଟିକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ମନସ୍ଥ କରିଥିଲେ । ଜନଗଣଙ୍କ ହିତ ଦୃଷ୍ଟିରୁ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକ ଓଡ଼ିଶା ସହ ଯୁକ୍ତ ହେବା ବେଳେ ତେଲୁଗୁ ଭାଷା ବହୁଳ ଅଞ୍ଚଳ ସବୁ ଆନ୍ଧ୍ର ସହିତ ଯୁକ୍ତ ହେବା ବିଧେୟ ବୋଲି ମତ ପ୍ରଦାନ କରିଥିଲେ । ସେହି ମର୍ମରେ ୧୯୩୪ ଫେବ୍ରୁଆରି ୨୩ ତାରିଖ ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ।

ସେଇ ପରିବର୍ତ୍ତିତ ପ୍ରସ୍ତାବ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ମନେ ହୋଇଥିଲା । ପ୍ରତିପତ୍ତିଶାଳୀ ମାନ୍ଦ୍ରାଜ ଜମିଦାର ସଂଘ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ସ୍ଥାନୀୟ ପତ୍ର ପତ୍ରିକାଗୁଡ଼ିକ ମଧ୍ୟ ବହୁଳ ଭାବରେ ସମର୍ଥନ କରିବା ସହିତ ବିଶେଷ ଭାବେ ପ୍ରସାରଣ ମଧ୍ୟ କରିଥିଲେ ।

ମହାରାଜାଙ୍କ ସେଇ ପ୍ରସ୍ତାବକୁ ଦେଶର ତେଲୁଗୁ ସଂପ୍ରଦାୟ ମଧ୍ୟ ଗ୍ରହଣ କରି ନେଇଥିଲେ । ତାହା ସମଗ୍ର ଦେଶରେ ଏଭଳି ଆଲୋଡ଼ନ ମଧ୍ୟ ସୃଷ୍ଟି କରିଥିଲା ଯେ କେନ୍ଦ୍ରୀୟ ବିଧାନ ପରିଷଦର ସଭ୍ୟମାନଙ୍କ ମଧ୍ୟରୁ ୧୬ ଜଣ ମିଳିତ ଭାବରେ ଭାରତର ଗଭର୍ଣ୍ଣର ଜେନେରାଲ୍‌ଙ୍କୁ ଅନୁରୋଧ ଜଣାଇଥିଲେ, ସେହି ପ୍ରସ୍ତାବକୁ କାର୍ଯ୍ୟକାରି କରାଇବା ପାଇଁ । ଖୋଦ୍ ମହାରାଜା ୧୯୩୪ ମାର୍ଚ୍ଚ ୧୭ ତାରିଖ ଦିନ ପରିସ୍ଥିତି ଚାପରେ ପଡ଼ି ମୂଳ ପ୍ରସ୍ତାବର ପରିବର୍ତ୍ତନ ସଂପର୍କରେ ବିଶଦ୍ ଭାବରେ ବଡ଼ଲାଟ୍‌ଙ୍କୁ ଜଣାଇ ଦେଇଥିଲେ । ଉଭୟ ଗୋଷ୍ଠୀର ଲୋକଙ୍କ ପାଇଁ ତାହା ସନ୍ତୋଷଜନକ ହେବ ବୋଲି ମଧ୍ୟ ଆଶା ପୋଷଣ କରିଥିଲେ । ସେଥିରେ ସେ ଅନୁରୋଧ ମଧ୍ୟ କରିଥିଲେ ଯେ ଏହି ପରିବର୍ତ୍ତିତ ଦାବିର ଯଥାର୍ଥ ବିଚାର କରାଯାଇ ପୁନଶ୍ଚ ସୀମା ନିର୍ଦ୍ଧାରିତ ହେବା ପର୍ଯ୍ୟନ୍ତ ଓଡ଼ିଶାର ସୀମା ସଂଶୋଧନ ପ୍ରକାଶନ ସ୍ଥଗିତ ରଖାଯାଉ ।

ଅତ୍ୟନ୍ତ ଦୁଃଖଦାୟକ ହେଲେ ସୁଦ୍ଧା ମହାରାଜା ସେଭଳି ନିଷ୍ପତ୍ତି ନେବାକୁ ଏକରକମ ବାଧ୍ୟ

ହୋଇଥିଲେ । ପାରଳା ଜମିଦାରିର ମିଶ୍ରଣ ଦାବିର ପୁନର୍ବିନ୍ୟାସ ହେବା ପରେ ପରେ ମହାରାଜା


ଏବଂ ପୂର୍ବ ନିର୍ଦ୍ଧାରିତ ଅନ୍ୟ ପ୍ରତିନିଧିମଣ୍ଡଳୀ ୧୯୩୪ ଅପ୍ରେଲ ମାସରେ ବଡ଼ଲାଟ୍‌ଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ବଡ଼ଲାଟଙ୍କ ବ୍ୟକ୍ତିଗତ ସଚିବଙ୍କ ପରାମର୍ଶ ଥିଲା ୧୯୩୧ ଜନଗଣନା ଅନୁଯାୟୀ ଓଡ଼ିଆ ଏବଂ ତେଲୁଗୁ ଅଞ୍ଚଳର ଚିହ୍ନଟ ହୋଇଥିବା ମାନଚିତ୍ର ପ୍ରସ୍ତୁତ ହେଉ । ତାହା ଯେ ଯଥାର୍ଥ ଭାବରେ ବଡ଼ଲାଟଙ୍କୁ ହୃଦ୍‌ବୋଧ କରାଇ ପାରିବ ଏହା ସମସ୍ତେ ଅନୁଭବ କରିଥିଲେ । ସେଥିପାଇଁ ଏକ ତାରବାର୍ତ୍ତାରେ ମେନେଜର ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ମହାରାଜା ନିର୍ଦ୍ଦେଶ ଦେଇଥିଲେ, ପାରଳା ସମସ୍ଥାନ ଅଫିସରେ ଉପଯୁକ୍ତ ମାନଚିତ୍ର ପ୍ରସ୍ତୁତ କରି ତିନିଦିନ ଭିତରେ ଦିଲ୍ଲୀ ପଠାଇବା ପାଇଁ । ରାତିଦିନ ଅକ୍ଲାନ୍ତ ପରିଶ୍ରମ କରି ଓଡ଼ିଶା ସହ ମିଶ୍ରଣ କାମନା କରାଯାଉଥିବା ଅଞ୍ଚଳଗୁଡ଼ିକ ଚିହ୍ନଟ କରାଯାଇ ମାନଚିତ୍ର ପ୍ରସ୍ତୁତ ହୋଇଥିଲା । ପ୍ରତିନିଧିମଣ୍ଡଳୀ ବଡ଼ଲାଟଙ୍କ ସହ ସାକ୍ଷାତ କରିବା ଅବସରରେ ତାହାକୁ ପ୍ରଦାନ କରିଥିଲେ ଏବଂ ବଡ଼ଲାଟ ମଧ୍ୟ ସେହି ପରିବର୍ତ୍ତିତ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ସହିତ ଯଥାର୍ଥ ଭାବେ ସୁପାରିସ କରି ମାନଚିତ୍ର ସହିତ ଇଂଲଣ୍ଡର ଭାରତ ବିଭାଗ ସଚିବଙ୍କ ନିକଟକୁ ପ୍ରେରଣ କରିଥିଲେ ।

ମିଳିତ ସଂସଦୀୟ କମିଟିର ପୂର୍ବ ମତାମତକୁ ପ୍ରବଳ ବିରୋଧ କରାଯାଇ ଓଡ଼ିଶାରେ ଯେଉଁ ଜନମତ ସୃଷ୍ଟି ହୋଇଥିଲା ତାହା ଯଥାର୍ଥରେ ସେତେବେଳକୁ ବ୍ରିଟିଶ ସରକାର ଅନୁଭବ କରି ସାରିଥିଲେ । ତେଣୁ ଏହି ପରିବର୍ତ୍ତିତ ପ୍ରସ୍ତାବ, ଭାରତର ବିଭିନ୍ନ ପ୍ରଭାବିତ ପ୍ରାନ୍ତରରେ ପୂର୍ଣ୍ଣ ସ୍ୱୀକୃତି ଲାଭ କରୁଥିବା ଯୋଗୁଁ ବଡ଼ଲାଟଙ୍କ ସୁପାରିସକୁ ଯଥାର୍ଥରେ ଗ୍ରହଣ କରିନେଇଥିଲେ ବ୍ରିଟିଶ ସରକାର । ପରିଣାମତଃ ମିଳିତ ସଂସଦୀୟ କମିଟି ସୁପାରିସ ସେହି କ୍ରମରେ ପରିବର୍ତ୍ତିତ ହୋଇଥିଲା । ଏବଂ ସର୍ବୋପରି ସେହି ଦିଗରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଥିଲା ଅନନ୍ୟ ।

ନୂତନ ଓଡ଼ିଶାର ସୀମା ସହିତ ପାରଳାଖେମଣ୍ଡି ରାଜ୍ୟର ମାଳ ଅଞ୍ଚଳକୁ ମିଶାଇ ପାରଳା ସହର ଏବଂ ତତ୍‌ସଂଲଗ୍ନ ଏକ କ୍ଷୁଦ୍ର ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ସୁପାରିସ ହୋଇଥିଲା । ମୋଟାମୋଟି ଭାବେ ସମଗ୍ର ଜମିଦାରିର ମାତ୍ର ୩୦ ପ୍ରତିଶତ ଅଞ୍ଚଳ ଓଡ଼ିଶା ସହ ଯୁକ୍ତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ଜମିଦାରିର ମୋଟ ପ୍ରାୟ ୬୩୯ ବର୍ଗ ମାଇଲ (୧୬୯୫ ବର୍ଗ କିଲୋମିଟର) ଅଞ୍ଚଳ ମଧ୍ୟରୁ ମାତ୍ର ୧୯୧ ବର୍ଗମାଇଲ (୪୯୫ ବର୍ଗ କିଲୋମିଟର) ପରିମିତ ଅଞ୍ଚଳ ଓଡ଼ିଶାର ସୀମା ଅନ୍ତର୍ଭୁକ୍ତ ହୋଇଥିଲା । ପାରଳା ରାଜ୍ୟର ମୋଟ ୫୦୩ ଗୋଟି ଗ୍ରାମ ମଧ୍ୟରୁ ମାତ୍ର ୧୮୮ଟି ରୟତି ଗ୍ରାମ ରହିଥିଲା ନୂତନ ପ୍ରଦେଶ ସହ ଯୁକ୍ତ ହୋଇ । ଅବସ୍ଥା ଚକ୍ରରେ ବାଧ୍ୟ ହୋଇ ଖଣ୍ଡିତ ହୋଇଥିଲେ ମଧ୍ୟ ମହାରାଜାଙ୍କ ସ୍ୱପ୍ନ ସାକାର ହୋଇଥିଲା । ବିଭାଗୀକୃତ ଅଞ୍ଚଳର ସୀମାରେଖା ରୂପେ ଗୁଣପୁର-ପାରଳାଖେମଣ୍ଡି ରେଳ ଲାଇନ୍‌ର ଦକ୍ଷିଣ ଦିଗଟି ପ୍ରାୟ ସ୍ଥିରୀକୃତ ହୋଇଥିଲା । ହେଲେ ସେଭଳି ବିଭାଜନର ପରିଣାମ ସ୍ୱରୂପ ଏହି ଭୂଖଣ୍ଡରେ ପୁରାତନ ପ୍ରତିଷ୍ଠିତ ଗଙ୍ଗବଂଶର ଅନେକ ଅନେକ ଅକ୍ଷୟକୀର୍ତ୍ତି ଆଧୁନିକ ଓଡ଼ିଶା ବାହାରେ ରହିଯାଇଥିଲା; ରହିଯାଇଥିଲା ବଂଶଧାରା ନଦୀକୂଳସ୍ଥ ପ୍ରାଚୀନ କଳିଙ୍ଗର ପୂର୍ବତନ ରାଜଧାନୀ ମୁଖଲିଙ୍ଗମ୍ ଅଞ୍ଚଳ ତଥା ଖେମଣ୍ଡି ରାଜବଂଶର ଅସଂଖ୍ୟ ସ୍ମୃତିର ସ୍ମାରକୀ ।