ଆମ ପାରଳା ମହାରାଜା/ସୀମା କମିଟିରେ ସଭ୍ୟ
←ଗୋଲ୍ଟେବୁଲ୍ ବୈଠକରେ | ଆମ ପାରଳା ମହାରାଜା ଲେଖକ/କବି: ସୀମା କମିଟିରେ ସଭ୍ୟ |
ପାରଳାର ବିଭାଜନ→ |
୧୯୩୧ ସେପ୍ଟେମ୍ବରରେ ଗଠିତ ଓଡ଼ିଶାପାଇଁ ସୀମା କମିଟିରେ ଭାରତର ପୂର୍ବତନ ଘରୋଇ ବିଭାଗ ସଚିବ ସାର୍ ସାମୁଏଲ୍ ଓଡ଼ନେଲ୍ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିବା ବେଳେ କେନ୍ଦ୍ର ବିଧାନ ପରିଷଦର ସଦସ୍ୟ ଆସାମବାସୀ ଶ୍ରୀ ତରୁଣ ରାମ ଫୁକନ୍ ଏବଂ ରାଷ୍ଟ୍ର ପରିଷଦର ସଦସ୍ୟ ବମ୍ବେ ନିବାସୀ ଶ୍ରୀ ଏଚ. ଏମ. ମେହେଟା ସଦସ୍ୟ ନିଯୁକ୍ତ ହୋଇଥିଲେ । ସେମାନଙ୍କ ସହଯୋଗୀ ରୂପେ ବିହାରୀ ଏବଂ ତେଲୁଗୁ ପ୍ରତିନିଧି ଥିଲେ ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ଏବଂ ଶ୍ରୀ ସି.ଭି.ଏନ୍ ରାଜୁ । ସୀମା କମିଶନରେ ଓଡ଼ିଆମାନଙ୍କୁ ପ୍ରତିନିଧିତ୍ବ କରୁଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ଏଇ ସମସ୍ତେ ବୈଠକଗୁଡ଼ିକରେ ଅଂଶ ଗ୍ରହଣ କରିବାଲାଗି ନିଷ୍ପତ୍ତି ହୋଇଥିଲା । ପୁଣି ଭାରତର ଏ.ଜି. କାର୍ଯ୍ୟାଳୟର ସହକାରୀ ଏକାଉଣ୍ଟସ୍ ଅଫିସ୍ର ଶ୍ରୀ ଆର.ଡି. ବାଲ୍ଭେଲିଙ୍କୁ ଦାୟିତ୍ବ ଦିଆଯାଇଥିଲା, ନୂତନ ପ୍ରଦେଶ ସହ ଜଡ଼ିତ ଆର୍ଥନୀତିକ ବିଷୟାବଳୀର ସମୀକ୍ଷାପାଇଁ ।
ସେଭଳି କମିଶନ୍ ନିଯୁକ୍ତିରେ ଓଡ଼ିଶାରେ ଏବଂ ଅନ୍ୟ ପ୍ରାଦେଶିକ ସରକାରଙ୍କ ଅଧୀନରେ ଥିବା ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶାପାଇଁ ନୀତିଗତ ନିଷ୍ପତ୍ତି ଘୋଷିତ ହେବା ପରେ ପରେ ସେଭଳି କମିଶନ୍କୁ ପୁରୋଦୃଷ୍ଟିରେ ରଖି ୧୯୩୧ ମଇ ମାସ ପ୍ରାରମ୍ଭରେ କଟକଠାରେ ଏକ ସର୍ବଦଳୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ସେଠାରେ ବ୍ୟକ୍ତି ତଥା ଦଳଗତ ମତପାର୍ଥକ୍ୟରୁ ଦୂରେଇ ରହି ଆଗାମୀ ସମୟରେ
‘ଯୁଝିବାବେଳର ଗୋଟା ମଇଁଷି ଶିଂଘ’ ପ୍ରଦର୍ଶନ କରି ଲଡ଼ିବାପାଇଁ ସମ୍ମିଳିତ କଣ୍ଠସ୍ୱରର ଆବାହନୀ ଶୁଣାଇଥିଲେ ସମସ୍ତେ । ବିଭିନ୍ନ କାର୍ଯ୍ୟପାଇଁ କେତେଗୁଡ଼ିଏ କମିଟି ଗଠିତ ହୋଇଥିଲା । ଅର୍ଥ କମିଟିର ଅଧ୍ୟକ୍ଷ ଶ୍ରୀ ବିଚିତ୍ରାନନ୍ଦ ଦାସ ହୋଇଥିବା ବେଳେ ବିଭିନ୍ନ ପ୍ରାନ୍ତରରେ ଜନମତ ଜାଗ୍ରତ ପାଇଁ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ନେତୃତ୍ବ ନେଇଥିଲେ । ସୀମା କମିଟିରେ ଦାଖଲ ହେବାପାଇଁ ଥିବା ବିଭିନ୍ନ ପ୍ରାମାଣିକ ତଥ୍ୟ ସଂଗ୍ରହ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ହୋଇଥିଲେ ଶ୍ରୀ ନିରଂଜନ ପଟ୍ଟନାୟକ । ସେହି ଏକା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଗଠିତ ହୋଇଥିବା କମିଟିରେ
ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରସ୍ତାବ କ୍ରମେ ପଣ୍ଡିତ ନୀଳକଣ୍ଠ ନେତୃତ୍ୱ ନେଇଥିଲେ । ଓଡ଼ିଶାର
ସର୍ବପ୍ରଥମ ଦୈନିକ ସମ୍ବାଦପତ୍ର "ଆଶା' ତଥା ଏହାର ସଂପାଦକ ଶଶୀ ରଥ ବିଶେଷ ଭାବେ
ଚଳଚଞ୍ଚଳ ହୋଇଉଠିଥିଲେ ସେବେଠାରୁ । ବିଶେଷକରି ଅନେକ ବିଭ୍ରାନ୍ତିକର ତଥ୍ୟ ସଂଯୋଜିତ
ହୋଇଥିବା ସଂଭାବ୍ୟ କାରଣରୁ ଜନଗଣନା ରେକର୍ଡ଼କୁ ଆଧାର କରା ନଯିବା ଲାଗି ସେହି
ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ହେଲେ ଆନୁଷ୍ଠାନିକ ଭାବେ ସୀମା କମିଶନ ଗଠିତ ହେବା ପରେ ପରେ ଗଜପତି
କୃଷ୍ଣଚନ୍ଦ୍ରଙ୍କର ସଭ୍ୟ ମନୋନୟନକୁ ନେଇ ଓଡ଼ିଶା କଂଗ୍ରେସୀ ନେତାଗଣଙ୍କ ମଧ୍ୟରେ ଏକ
ଚାପା ଗୁଂଜରଣ ସୃଷ୍ଟି ହୋଇଥିଲା । ଓଡ଼ିଶା ବାହାରର ଜଣେ ବ୍ୟକ୍ତିଙ୍କୁ ଓଡ଼ିଆମାନଙ୍କ ପ୍ରତିନିଧି
ରୂପେ ମନୋନୀତ କରାଯାଇଥିବାରୁ ସେମାନଙ୍କ ପ୍ରତିବାଦ ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ
ପାଇଥିଲା । ମାନ୍ଦ୍ରାଜ ଜଷ୍ଟିସ ପାର୍ଟିର ଜଣେ ମୁଖ୍ୟ ନେତା ହିସାବରେ କମିଟି ସହିତ ସଂପୃକ୍ତିକୁ
ମଧ୍ୟ ଯୁକ୍ତ କରାଯାଇଥିଲା ସମାଲୋଚନା ବେଳେ । ସମ୍ଭବତଃ ତାର କାରଣ ଥିଲା- ଓଡ଼ିଶା
ଡିଭିଜନର ତତ୍କାଳୀନ ଉଚ୍ଚାକାଂକ୍ଷୀ ନେତାଗଣଙ୍କ ମଧ୍ୟରୁ ସେଭଳି ଗୁରୁତ୍ତ୍ୱପୁର୍ଣ୍ଣ କମିଟିରେ
କାହାରିକୁ ମନୋନୀତ କରାଯାଇ ନଥିଲା । ଅପରନ୍ତୁ ବିହାର-ଓଡ଼ିଶା ସରକାର ସେଥିପାଇଁ
ଯୋଗ୍ୟତମ ବ୍ୟକ୍ତି ହିସାବରେ ଉଚିତ ବିବେଚନା ହିଁ କରିଥିଲେ ।
ତଥାପି ଆତ୍ମଗୌରବ କ୍ଷୁର୍ଣ୍ଣ ହେବାକୁ ଦେଇ ନଥିଲେ ପାରଳା ଗଜପତି । ପିଲାଟି ଦିନରୁ
ତ ସେ ଥିଲେ ବେଶ୍ ଆତ୍ମାଭିମାନୀ । ତାଙ୍କ ପରିବର୍ତ୍ତେ ସେଇ କମିଟିରେ ଓଡ଼ିଶାର ଜଣେ ଅଭିଜ୍ଞ
ବ୍ୟକ୍ତିଙ୍କୁ ଗ୍ରହଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇବା ପରେପରେ ସେ ଆପଣାଛାଏଁ
ସେଥିରୁ ଓହରିଯିବାପାଇଁ ସ୍ଥିର କରିଥିଲେ । ସେ ମତ ଦେଇଥିଲେ, ଯଦି ଅନ୍ୟ କୌଣସିମତେ
ଜାତୀୟ ସ୍ୱାର୍ଥ ଅଧିକତର ଭାବରେ ରକ୍ଷା କରାଯାଇପାରିବ ତା'ହେଲେ ସେଥିରେ ସେ ସଂଶ୍ଳିଷ୍ଟ
ରହିବେ କାହିଁକି ?
କିନ୍ତୁ ତାହାର ପରିଣାମ ଯେ କଦାପି ଶୁଭଙ୍କର ହେବ ନାହିଁ ତାହା ଓଡ଼ିଶା ଆନ୍ଦୋଳନକାରୀ ନେତାଗଣ ସଠିକ ଭାବରେ ଅନୁଭବ କରିଥିଲେ ଏବଂ ସୀମାକମିଟିରୁ ଓହରି ନଯିବାପାଇଁ ଅନୁରୋଧ ଜଣାଇଥିଲେ । ବିଶେଷକରି ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନଙ୍କର ସେଇ ଅନୁଭବ ଥିଲା ତୀବ୍ର । ତେଣୁ ବ୍ରହ୍ମପୁରର ଓକିଲ ଶ୍ରୀ ଦିଗମ୍ବର ରଥ ଏବଂ ଶ୍ରୀ ଗଣେଶ ମହାପାତ୍ର ପାରଳାରେ ମହାରାଜାଙ୍କୁ ସାକ୍ଷାତ୍କରି ପରିସ୍ଥିତିର ଗମ୍ଭୀରତା ନେଇ ଆଲୋଚନା କରିଥିଲେ; ଅନୁରୋଧ କରିଥିଲେ ତାଙ୍କର ପୂର୍ବ ନିର୍ଦ୍ଧାରଣର ପୁନର୍ବିଚାର କରିବାପାଇଁ । ପାରଳାର ପିୁଲ୍ସ ଏସୋସିଏସନ୍ ପକ୍ଷରୁ ସଂପାଦକ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ମହାରାଜାଙ୍କୁ ଅନୁରୋଧ କରିଥିଲେ ଆଉ କିଛି ନହେଲେ ତାଙ୍କ ରାଜ୍ୟର ଜନଗଣଙ୍କ ସ୍ୱାର୍ଥରକ୍ଷାପାଇଁ ସେ ସେଥିରୁ ଓହରି ଆସିବା ଅନୁକୂଳ ହେବନାହିଁ । ପୁଣି ତାହା କୌଣସି ବ୍ୟକ୍ତିଗତ ନହୋଇ ଏକ ମହତ୍ ଜାତୀୟ କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ସେଭଳି ବିରୋଧକୁ କୌଣସି ଗୁରୁତ୍ୱ ଦିଆଯିବା ଅନୁଚିତ । ବନ୍ଧୁ ତଥା ଶୁଭେଚ୍ଛୁମାନଙ୍କ ଅନୁରୋଧକୁ ଏଡାଇ ଦେଇପାରି ନଥିଲେ ମହାରାଜା ।
୧୯୩୧ ନଭେମ୍ବର ସାତ ତାରିଖ ଦିନ ରାଜଧାନୀ ପାଟଣାଠାରେ ସୀମା କମିଶନ୍ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ତାହାର କାର୍ଯ୍ୟପ୍ରଣାଳୀ ସ୍ଥିର ହୋଇଥିଲା । ସେହିକ୍ରମରେ ଜନସାଧାରଣ, ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକ ନିକଟରୁ ସେମାନଙ୍କର ଦାବି, ସ୍ମାରକପତ୍ର ତଥା ଆବେଦନମାନ କମିଟି ନିକଟରେ ଦାଖଲ କରିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତତ୍ ପରଦିନ ।
ସେହି ଅନୁଯାୟୀ ନୂତନ ଓଡ଼ିଶା ସହିତ ମିଶ୍ରଣ ସପକ୍ଷରେ ଦକ୍ଷିଣ ପଶ୍ଚିମ ମେଦିନାପୁର, ସିଂହଭୂମ, ଖରସୁଆଁ ତଥା ମଧ୍ୟପ୍ରଦେଶ ଅନ୍ତର୍ଗତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ସେଭଳି ଅନେକ ସ୍ଥାନରୁ ବ୍ୟକ୍ତିଗତ ତଥା ସାଂଗଠନିକ ଭାବେ ସ୍ମାରକପତ୍ରମାନ ଆସିଥିଲା । ପୁଣି ଦେଶରେ ସେହିଭଳି କୌଣସି ଶାସନତାନ୍ତ୍ରିକ ପରିବର୍ତ୍ତନ ଅନାବଶ୍ୟକ ବୋଲି ମଧ୍ୟ ଅନେକ ଓଡ଼ିଆ ଏକୀକରଣ ବିରୋଧୀ ଗୋଷ୍ଠୀ ଦାବି ଜଣାଇଥିଲେ । ସେଥିରେ ଅନ୍ତର୍ଭୁକ୍ତ ଥିଲେ ମେଦିନାପୁର ବିଭାଜନ କମିଟି, ଧଳଭୂମ ରାଜ୍ୟ ସ୍ୱତ୍ତ୍ୱାଧିକାରୀ ସଂଘ, ଜାମସେଦପୁର ବଙ୍ଗଳା ସଂଘ, କୋହ୍ଲାଣର ମାଙ୍କିଆ ଗୋଷ୍ଠୀ, ଗଂଜାମର ଡିଫେନ୍ସ ଲିଗ୍ ପ୍ରଭୃତି ଅନୁଷ୍ଠାନ । ମାନ୍ଦ୍ରାଜ ତଥା ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ପ୍ରାୟ ସେହି କ୍ରମରେ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା ।
୧୯୩୧ ନଭେମ୍ବର ୨୩ରୁ ଆରମ୍ଭ କରି ଜାନୁଆରି ୧୪ ମଧ୍ୟରେ କମିଶନ୍ ପ୍ରତ୍ୟକ୍ଷ ଅନୁସନ୍ଧାନରେ ଯାଇଥିଲେ । ସେଇ ଅବସରରେ ସେମାନେ ଜାମସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନାପୁର, ଗୋପାଳପୁର, ୱାଲ୍ଟିୟର୍, କାକିନାଡ଼ା ଏବଂ କଟକଠାରେ ଜନଗଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ । ସେତିକିବେଳେ ମୋଟ ୪୧୦ ଜଣଙ୍କ ସାକ୍ଷ୍ୟ କମିଶନଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା । ତେବେ ଓଡ଼ିଶାର ଉତ୍ତରପଟରୁ ସାକ୍ଷ୍ୟଗ୍ରହଣ ଆରମ୍ଭ କରିଥିବା ଉକ୍ତ କମିଟି ପ୍ରାରମ୍ଭ କାଳରେ ଜନଗଣଙ୍କ ଉନ୍ମାଦନାର ଅଭାବ ଅନୁଭବ କରିଥିଲା । ସିଂହଭୂମ ତଥା ମେଦିନାପୁରର ଲୋକଙ୍କ ମଧ୍ୟରେ ନୂତନ ପ୍ରଦେଶ ଗଠନପାଇଁ ସେଭଳି କୌଣସି ଉତ୍ସାହ ପରିଦୃଷ୍ଟ ହୋଇନଥିଲା ।
ବିଶେଷ ଉଲ୍ଲେଖଯୋଗ୍ୟ ଥିଲା, ସେଠାରେ ସୀମାକମିଟିର ଅନ୍ୟତମ ସଭ୍ୟ ପାରଳା ମହାରାଜାଙ୍କୁ ଭୟଭୀତ କରାଯିବା ଉଦ୍ୟମ । ସେଠିକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିରୋଧୀ ନେତା ଶ୍ରୀ ବୀରେନ୍ଦ୍ର ସାସମଲ ପାରଳା ମହାରାଜାଙ୍କୁ ଧମକ ଦେଇଥିଲେ "ଖୁଦି ରାମେର୍ ଦେଶ୍- ଫେରିଯାଅ ଉଡେ଼ଦେର ରାଜା ସେହିଭଳି ସେହି ଅଂଚଳର ହୋ ଆଦିବାସୀଗଣ ମଧ୍ୟ କଳାପତାକା ପ୍ରଦର୍ଶନ କରି କମିଟିକୁ ଫେରିଯିବାପାଇଁ ଆହ୍ୱାନ ଦେଇଥିଲେ । ସେହିଭଳି ନେତାଗଣଙ୍କ ପ୍ରରୋଚନାକ୍ରମେ ଏକ ରକ୍ତାଙ୍କିତ ପତ୍ରରେ ମହାରାଜାଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।
Know Ye 'ure Raja
This is called midnapur
How do you dare to harm us
Have you Known that Padi's fate !
ଅତୀତରେ ବଙ୍ଗଳା ଉଗ୍ରବାଦୀଗଣ ସେଠିକାର ଜିଲ୍ଲା କଲେକ୍ଟର ମି. ପାଡ଼ିଙ୍କୁ ହତ୍ୟା କରିଥିଲେ ସେମାନଙ୍କ ସ୍ୱାର୍ଥବିରୋଧୀ କାର୍ଯ୍ୟକଳାପ ଯୋଗୁଁ । ତେଣୁ ସେହି ଭୟ ଦେଖାଇ କାର୍ଯ୍ୟରୁ ବିରତ ରହିବାପାଇଁ ମହାରାଜାଙ୍କୁ ସେମାନେ ଭୟ ପ୍ରଦର୍ଶନ କରିଥିଲେ ।
କିନ୍ତୁ ସେଥିରେ ମହାରାଜା ଥିଲେ ଅବିଚଳିତ । ଖରସୁଆଁ ରାଜଜେମାଙ୍କୁ ସେ ବିବାହ କରିଥିବାଯୋଗୁଁ ସେହି ଅଞ୍ଚଳରେ ସେ ପ୍ରଭୂତ ପ୍ରଭାବ ବିସ୍ତାର କରିପାରିଥିଲେ । ସେଠିକାର ରାଜା ପାରଳା ରାଜାଙ୍କ ଶାଳକ ହୋଇଥିବାଯୋଗୁଁ ସେ ମହାରାଜାଙ୍କୁ ସବୁମନ୍ତେ ସାହାଯ୍ୟ କରିଥିଲେ ଏବଂ ପରିଣାମତଃ ସେଠିକାର ଜନଗଣ ଓଡ଼ିଶାରେ ମିଶ୍ରଣ ସପକ୍ଷରେ ସାକ୍ଷ୍ୟପ୍ରଦାନ କରିଥିଲେ । ତଥାପି ମୋଟାମୋଟି ଭାବେ ସେହି ଉତ୍ତରାଞ୍ଚଳର ସାକ୍ଷ୍ୟପ୍ରମାଣ ପ୍ରଭାବହୀନ ହୋଇ ପଡ଼ିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ତାର ଅନ୍ୟତମ ମୁଖ୍ୟ କାରଣ ଥିଲା ଜାତୀୟ କଂଗ୍ରେସର ଉଚ୍ଚତମ ମହଲରେ ଥିବା କିଛି ନେତାଙ୍କ ମନୋଭାବ ।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର କେତେଜଣ ଜାତୀୟ ନେତାଙ୍କ ପ୍ରରୋଚନାକ୍ରମେ ସେଠିକାର ସ୍ଥାନୀୟ ଓଡ଼ିଶା ମିଶ୍ରଣ ବିରୋଧୀ ନେତାଗଣ ଅଧିକ ଉତ୍ସାହିତ ହୋଇଉଠିଥିଲେ । ସେମାନେ, ବିଶେଷକରି ଷଢେ଼ଇକଳା ରାଜ୍ୟର କଂଗ୍ରେସକର୍ମୀଗଣ, ପଣ୍ଡିତ ନୀଳକଂଠଙ୍କ ସାମନାରେ ତାହା ପ୍ରକାଶ୍ୟରେ ବ୍ୟକ୍ତ କରିବାକୁ ମଧ୍ୟ ପଛାଇ ନଥିଲେ । ଉତ୍ତର ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ଓଡ଼ିଆମାନଙ୍କୁ ସଂଗଠିତ କରାଇବାପାଇଁ ଓଡ଼ିଶା କଂଗ୍ରେସ ତରଫରୁ ଯାଇଥିବା ପଣ୍ଡିତ ନୀଳକଂଠଙ୍କର ସେଠିକାର ତତ୍କାଳୀନ ପରିବେଶ ସଂପର୍କରେ ଅଭିବ୍ୟକ୍ତି ହେଲା, 'ସର୍ବତ୍ର ବିରୁଦ୍ଧ ପ୍ରଚାର ଚାଲିଛି... କଂଗ୍ରେସ ମୋତେ ସିଂହଭୂମର କାମ କରିବାକୁ ଦେଇଛନ୍ତି... ମୁଁ ଯାଇ ସେ ଜିଲ୍ଲାରେ କଂଗ୍ରେସ କାମ କଲା ବେଳେ ସେହି ଜିଲ୍ଲାରେ ଥିବା କେତେକ ବଙ୍ଗାଳୀ ଓକିଲ ପ୍ରଭୃତିଙ୍କଠାରୁ ଶୁଣିଲି... "ସିଂହଭୂମ ଏବେ ବିହାରରେ ରହିବାପାଇଁ ଆମ୍ଭେ ଲଢ଼ିବୁ... ଆପଣମାନେ ନେତୃଶ୍ରେଣୀୟ ଲୋକ । ଆପଣ ସୁଭାଷ, ସେନଗୁପ୍ତ, ରାଜେନ୍ଦ୍ରପ୍ରସାଦଙ୍କ ସଙ୍ଗେ ବିଚାର କରି ଯାହା ଠିକ୍ କରିଦେବେ, ଆମେ ତାହା ମାନିବାକୁ ବାଧ୍ୟ ହେବୁ । ସେଠି ତୃଣମୂଳସ୍ତରରେ କାର୍ଯ୍ୟ କଲାବେଳେ ସେଭଳି ଦୈନନ୍ଦିନ ଅଭିଜ୍ଞତା ସବୁକୁ ନୀଳକଣ୍ଠ ପଠାଇ ଦେଉଥିଲେ ଶଶୀ ରଥଙ୍କ ନିକଟକୁ ଏବଂ ସେସବୁ ପ୍ରତିଦିନ ଦୈନିକ 'ଆଶା'ରେ ପ୍ରକାଶ ପାଉଥିଲା । ସେହି ପତ୍ରିକାଟି ସେତେବେଳେ ବାସ୍ତବରେ ବିଭିନ୍ନ ଅଞ୍ଚଳରେ ଜନଜାଗରଣ ସୃଷ୍ଟି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ।
ଉତ୍ତରାଞ୍ଚଳରେ ଏଭଳି ସ୍ଥିତି ଥିବାବେଳେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ସ୍ଥିତି କିନ୍ତୁ ଥିଲା ସଂପୂର୍ଣ୍ଣ ଓଲଟା ।
ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମରେ ବିଶେଷକରି ଗଂଜାମବାସୀ ଚଳଚଞ୍ଚଳ ହୋଇଉଠିଥିଲେ ସୀମା କମିଟିରେ ସାକ୍ଷ୍ୟ ଦେବାପାଇଁ; ଓଡ଼ିଶା ସହ ସେମାନଙ୍କ ମିଶ୍ରଣ ଦାବି ଜଣାଇବାପାଇଁ । ସେତେବେଳେ ମହାରାଜା ଥିଲେ ଗଂଜାମ ଭୂମ୍ୟଧିକାରୀ ସଂଘର ସଭାପତି । ତେଣୁ ସେହି ପ୍ରଭାବଶାଳୀ ଗୋଷ୍ଠୀକୁ ପ୍ରଥମେ ପ୍ରଭାବିତ କରି ସେ ସେମାନଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ଉତ୍ସାହିତ କରାଇବାପାଇଁ ସବୁମନ୍ତେ ଉଦ୍ୟମ କରିଥିଲେ । ସେ ନିଜେ ଓଡ଼ନେଲ୍ କମିଟି ସହିତ ସଂଯୁକ୍ତ ଥିବା ଯୋଗୁଁ ପ୍ରଭାବଶାଳୀ ସ୍ମାରକପତ୍ର ତଥା ବଳିଷ୍ଠ ସାକ୍ଷ୍ୟପ୍ରମାଣ ପ୍ରଦାନ ଏବଂ ଅନ୍ୟାନ୍ୟ ଆୟୋଜନ ସବୁ କରିବାପାଇଁ ଚିକିଟି ରାଜା ଗୌରଚନ୍ଦ୍ରଦେବଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ସେମିତି ଦେଖିଲେ ଶଶୀ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ଦିଗମ୍ବର ରଥ ପ୍ରମୁଖମାନେ ତ ସଂପୂର୍ଣ୍ଣ ଲାଗିପଡ଼ିଥିଲେ ସେଥିପାଇଁ । ଗୋପାଳପୁରଠାରେ କମିଟି ତରଫରୁ ଏକ ଅସ୍ଥାୟୀ କାର୍ଯ୍ୟାଳୟର ଆୟୋଜନ କରାଯାଇଥିଲା ଏବଂ ସେଠିକାର ଦାୟିତ୍ୱରେ ରହିଥିଲେ ଜଣେ ଆଇ. ସି. ଏସ୍. ଅଫିସର ।
ସୀମା କମିଟି ବ୍ରହ୍ମପୁର ରେଳଷ୍ଟେସନ୍ରେ ପହଞ୍ଚିବା ବେଳକୁ ସେଠାରେ ହଜାର ହଜାର ଲୋକଙ୍କର ହର୍ଷୋତ୍ଫୁଲ୍ଲ ସମାବେଶ । ତାଳ, ମୃଦଙ୍ଗ ଓ ସଂକୀର୍ତ୍ତନରେ ଆକାଶ ପାତାଳ ପ୍ରକମ୍ପିତ । ସ୍ୱେଚ୍ଛାସେବକ ବାହିନୀକୁ ପରିଚାଳିତ କରୁଥିଲେ ଶଶୀ ରଥ । ତେଲୁଗୁଭାଷୀ ଲୋକ ମଧ୍ୟ ଶ୍ରୀ ରାମଲିଙ୍ଗମ୍ଙ୍କ ନେତୃତ୍ୱରେ ସେହି କମିଟିକୁ ଭବ୍ୟ ସ୍ୱାଗତ କରି ବ୍ରହ୍ମପୁର ରେଳଷ୍ଟେସନ୍ରେ ହିଁ ଆପଣାର ଗୁରୁତ୍ୱ ପ୍ରଦାନ କରିବାପାଇଁ ଯୋଜନା କରୁଥିବାର ଟିକିନିଖି ଖବର ଥିଲା ତାଙ୍କ ନିକଟରେ । ସେମାନଙ୍କର ଯୋଜନା ଥିଲା- ପ୍ରଥମରୁ ହିଁ ଏକତ୍ର ନହୋଇ ସେମାନେ ସାରା ଷ୍ଟେସନ୍ର ଏ କୋଣରୁ ସେ କୋଣ ପର୍ଯ୍ୟନ୍ତ ବିଚ୍ଛୁରିତ ହୋଇ ରହିଥିବେ । ଟ୍ରେନ୍ ଲାଗିବା ସଂଗେସଂଗେ ଏକତ୍ରିତ ହୋଇ କମିଟି ମୁଖ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇବେ । ସେଇ ଖବର ମଧ୍ୟ ଥିଲା ଶଶୀ ରଥଙ୍କ ନିକଟରେ । ତେଣୁ ସେ ଓଡ଼ିଆମାନଙ୍କୁ ଏଭଳି ଭାବରେ ସଂଗଠିତ ଓ ସଂଘବଦ୍ଧ କରାଇ ପ୍ରଥମରୁ ହିଁ ରଖିନେଇଥିଲେ ଯେ ତେଲୁଗୁ ଜନସମୁଦାୟ ଆଉ ଏକତ୍ର ହେବାର ସାମାନ୍ୟ ସୁଯୋଗ ମଧ୍ୟ ପାଇ ପାରି ନଥିଲେ । ଏପରିକି ଖୋଦ୍ ରାମଲିଙ୍ଗମ୍ ମଧ୍ୟ ସେଇ ପ୍ରବଳ ଜନସମାଗମ ଭିତରେ ଆଦୌ ଆଗକୁ ଯାଇ ପାରି ନଥିଲେ । ତାଙ୍କରି ପରିଧାନ ଅବିନ୍ୟସ୍ତ ହୋଇ ଯାଇଥିଲା ସେଇ ଜନଗହଳି ମଧ୍ୟରେ । ଫେରିଆସିବାକୁ ବାଧ୍ୟ ହୋଇଥିଲେ । ଗଂଜାମର ପାରମ୍ପରିକ ଓଡ଼ିଆ ସଂସ୍କୃତି ତାଳ-ସଂକୀର୍ତ୍ତନ ସହିତ ଓଡ଼ିଆ ନେତୃବୃନ୍ଦ ଓ ସ୍ୱେଚ୍ଛାସେବକ ବାହିନୀର ଘେରାବନ୍ଦୀ ଭିତରେ କମିଟିର ସଭ୍ୟଗଣ ଚିକିଟି ରାଜାଙ୍କ କାରରେ ଗୋପାଳପୁର ଯାଇଥିଲେ । ଗଜପତି କୃଷ୍ଣଚନ୍ଦ୍ରଙ୍କ ଅଭିଳଷିତ ଆୟୋଜନ ଦେଖି ସେ ନିଶ୍ଚୟ ଖୁସି ହୋଇ ଯାଇଥିବେ ।
ତେବେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ତ ଆଗକୁ ରହିଥିଲା । ଉପଯୁକ୍ତ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ତ ପ୍ରଥମ ଆବଶ୍ୟକତା । ଜନସମୁଦାୟ କିଭଳି ଆପଣାର ସ୍ପଷ୍ଟ ମତ କମିଟି ସାମନାରେ ଉପସ୍ଥାପନ କରିପାରିବେ ଏବଂ ବିଭିନ୍ନ ଅନୁଷ୍ଠାନ କିଭଳି ତଥ୍ୟଯୁକ୍ତ ଯୁକ୍ତି / ଦାବି କମିଟି ନିକଟରେ ରଖିବେ ସେଥିପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ । ସେଥିପାଇଁ ମହାରାଜା ପ୍ରଥମରୁ ହିଁ ନିଯୁକ୍ତ କରିଥିଲେ ଅନେକ ସଂଗଠକଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାପାଇଁ । ସେତେବେଳର ସେଭଳି ଜଣେ ଥିଲେ ଡକ୍ଟର ସତ୍ୟନାରାୟଣ ରାଜଗୁରୁ । ସେଇ ସମୟର ଅନୁଭୂତି ତାଙ୍କ ଲେଖନୀରେ ରୂପ ପାଇଥିଲା- "ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମଣ୍ଡିର ଓଡ଼ିଆ ସ୍ୱେଚ୍ଛାସେବକମାନଙ୍କୁ ନେଇ ବ୍ରହ୍ମପୁରଠାରେ ଥିବା ତାଙ୍କ ବଙ୍ଗଳାରେ ଏକ ଅଫିସ୍ ଖୋଲି ଦେଲେ । ସେଠାରେ ଏ ଲେଖକ ସମେତ ଯୁଗଳ କିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ ଓ ହୀରାଲାଲ୍ ବର୍ଦ୍ଧନ ରହି ସୀମାକମିଟିରେ ଓଡ଼ିଆମାନଙ୍କ ପକ୍ଷରୁ ଆସୁଥିବା ଲୋକଙ୍କପାଇଁ ସମସ୍ତ ବ୍ୟବସ୍ଥା କରିବା ଭାର ଗ୍ରହଣ କଲୁ ।
ପୁଣି ନିଜ ରାଜ୍ୟ ରାଜଧାନୀ ପାରଳାରେ ମଧ୍ୟ ଅଧିକ ତତ୍ପର ଥିଲେ ମହାରାଜା । ସେଠିକାର ଉଭୟଭାଷୀ- ଓଡ଼ିଆ ଏବଂ ତେଲୁଗୁମାନେ କିଭଳି ଭାବେ ସମସ୍ୱରରେ ଓଡ଼ିଶା ସହ ମିଶ୍ରଣ ସପକ୍ଷରେ ସାକ୍ଷ୍ୟପ୍ରଦାନ କରିବେ ସେଥିପାଇଁ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରିଥିଲେ । ତାଙ୍କରି ପୃଷ୍ଠପୋଷକତାରେ ଗଠିତ ହୋଇଥିଲା 'ପିପୁଲ୍ସ୍ ଏସୋସିଏସନ୍' । ତାହାର ସଭାପତିଙ୍କ ସମେତ ଦୁଇଜଣ ସମ୍ପାଦକଙ୍କ ମଧ୍ୟରୁ ଜଣେ ଥିଲେ ତେଲୁଗୁ ସଂପ୍ରଦାୟଭୁକ୍ତ । ସୀମାକମିଟି ନିକଟରେ ଉପସ୍ଥାପିତ ହେଉଥିବା ଓଡ଼ିଆ ବିରୋଧୀ 'ଗଂଜାମ ଡିଫେନ୍ସ ଲିଗ୍'ର ଦାବି ତଥା ବିଭିନ୍ନ ଅଞ୍ଚଳରେ ତେଲୁଗୁମାନଙ୍କ ତରଫରୁ ଉପସ୍ଥାପିତ ସମସ୍ତ ବିଭ୍ରାନ୍ତିକର ଯୁକ୍ତି ସମୂହକୁ ତେଲୁଗୁ ସଂପ୍ରଦାୟର ବ୍ୟକ୍ତି ବୃନ୍ଦଙ୍କ ଉପସ୍ଥିତିରେ, ସାଧାରଣ ସଭାମାନଙ୍କରେ ହିଁ ବିସ୍ତୃତ ଭାବରେ ଖଣ୍ଡନ କରୁଥିଲା ଉକ୍ତ କମିଟି । ଘୋଷଣା କରୁଥିଲା ପାରଳା ମହାରାଜାଙ୍କ ସହିତ ସେମାନଙ୍କର ମତ ଏକ ଏବଂ ଅଭିନ୍ନ । ଅତୀତର ରାଜାଗଣଙ୍କ ଭଳି ବର୍ତ୍ତମାନର ରାଜା ମଧ୍ୟ ସେମାନଙ୍କର ସୁଖ ସମୃଦ୍ଧିରେ ସହାୟକ ଏବଂ ଓଡ଼ିଆମାନଙ୍କ ଭଳି ତେଲୁଗୁ ସଂପ୍ରଦାୟ ସହିତ ସମସ୍ତଙ୍କ ପ୍ରତି ସମଭାବାପନ୍ନ ତଥା ସହାନୁଭୂତିଶୀଳ । ସେହି ମର୍ମରେ ହିଁ ପାରଳା ରାଜ୍ୟର ଓଡ଼ିଆ ଏବଂ ତେଲୁଗୁ ସଂପ୍ରଦାୟ ତରଫରୁ ଗୋପାଳପୁରଠାରେ ସମସ୍ତ ସାକ୍ଷ୍ୟପ୍ରମାଣ ପ୍ରଦତ୍ତ ହୋଇଥିଲା । ଅଭ୍ରାନ୍ତ ଭାବରେ ତେଲୁଗୁମାନେ ସାକ୍ଷ୍ୟ ଦେଇଥିଲେ ଦେଶ ମିଶ୍ରଣ ସପକ୍ଷରେ । ଅଣଆନୁଷ୍ଠାନିକ ଭାବେ ରାଜା ଗୌରଚନ୍ଦ୍ରଙ୍କ ତରଫରୁ ଚିକିଟି ରାଜପ୍ରାସାଦରେ ଏକ ସାଂଧ୍ୟମିଳନର ଆୟୋଜନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ସୀମାକମିଟିକୁ । ସେଠାରେ ଗଂଜାମର ସବୁ ରାଜା, ଜମିଦାର ଏକତ୍ର ହୋଇ ମି. ଓଡ଼ନେଲ୍ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଏବଂ ମାନପତ୍ରମାନ ପ୍ରଦତ୍ତ ହୋଇଥିଲା । ପଣ୍ଡିତ ରାଧାମୋହନ ବକ୍ସି ସଂସ୍କୃତ ଭାଷାରେ ଏକ ସାରଗର୍ଭକ ଭାଷଣ ମାଧ୍ୟମରେ ଗଂଜାମର ତତ୍କାଳୀନ ଦୁରବସ୍ଥା ବର୍ଣ୍ଣନା କରିଥିଲେ । ସେଥିରେ ଓଡ଼ନେଲ୍ଙ୍କ ହୃଦ୍ବୋଧ ହୋଇଥିଲା ଯେ ବାସ୍ତବରେ ତାହା ଓଡ଼ିଆବାସୀଙ୍କ ବାସସ୍ଥଳୀ ଏବଂ ସମ୍ଭବତଃ ସେଇ କାରଣରୁ ହିଁ ତାଙ୍କରି ସୁପାରିସରେ ସେହି ଅଞ୍ଚଳ ହୋଇଥିଲା ଓଡ଼ିଶାର ଶେଷସୀମା ।
ଏଭଳି ସମସ୍ତ ସାକ୍ଷ୍ୟପ୍ରମାଣ ସତ୍ତ୍ୱେ ଆନୁଷ୍ଠାନିକ ଭାବେ ମାନ୍ଦ୍ରାଜ ସରକାରଙ୍କ ଜନଗଣନା ବିଭାଗର ମୁଖ୍ୟ ମି ଇଟସ୍ ପ୍ରଦାନ କରିଥିବା ତଥ୍ୟ ଉପରେ ବିଶେଷ ଭାବରେ ନିର୍ଭର କରିଥିଲେ ମିଷ୍ଟର ଓଡ଼ନେଲ୍ । ଓଡ଼ିଆ ଭାଷାଗରିଷ୍ଠ ଅଞ୍ଚଳ ଏବଂ ଜାତି ଗରିଷ୍ଠ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ମିଷ୍ଟର ଇଟିସ୍ ସୀମା କମିଟିକୁ ଦୁଇଟି ମାନଚିତ୍ର ପ୍ରଦାନ କରିଥିଲେ । ଉଭୟ ମାନଚିତ୍ରରେ ଅନେକ ଭ୍ରାନ୍ତି ରହିଥିଲା । ତଥାପି ଜାତିଭିତ୍ତିକ ମାନଚିତ୍ରକୁ କମିଟି ସଭ୍ୟ ମହାରାଜା ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ ସୁଦ୍ଧା ଓଡ଼ନେଲ୍ କିନ୍ତୁ ତାହାକୁ ଗ୍ରହଣଯୋଗ୍ୟ ମନେ କରିନଥିଲେ । ସେହିଭଳି ଓଡ଼ିଶା ସହ ମିଶ୍ରଣପାଇଁ ବିଭିନ୍ନ ପ୍ରଦେଶାନ୍ତର୍ଗତ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଦୃଢ଼ ଦାବି ଉପସ୍ଥାପିତ ହୋଇଥିବା ବେଳେ ତାର ବିରୋଧ ମଧ୍ୟ କରାଯାଇଥିଲା ତତ୍କାଳ । ତେବେ ସଂପୃକ୍ତ ରାଜ୍ୟଗୁଡ଼ିକର ଜନଗଣନା ଅଧିକାରୀଙ୍କଠାରୁ ସେସବୁ ନିର୍ଦ୍ଧିଷ୍ଟ ଅଞ୍ଚଳଗୁଡ଼ିକର ଜନସଂଖ୍ୟା, ମାତୃଭାଷା, ଅନ୍ୟ ଜ୍ଞାତବ୍ୟ ଭାଷା, ତଥା ଜାତି ସଂପର୍କରେ ବିଭିନ୍ନ ତଥ୍ୟାବଳୀର ବରାଦ କରିଥିଲେ ସୀମା କମିଟି ।
ସେସବୁର ଅଧ୍ୟୟନ କରି ସୀମା କମିଟି ନୂତନ ଓଡ଼ିଶାପାଇଁ ଯେଉଁ ସୀମା ସରହଦ ସ୍ଥିର କରିଥିଲେ ସେଥିରେ ଥିଲା ବିହାର ଓଡ଼ିଶାର ଓଡ଼ିଶା ଡିଭିଜନ୍ ସମେତ ଅନୁଗୋଳ ରାଜ୍ୟ, କେନ୍ଦ୍ର ପ୍ରଦେଶର ପଦ୍ମପୁର ଏବଂ ଖଡ଼ିଆଳ ରାଜ୍ୟ ମାନ୍ଦ୍ରାଜ ଶାସନରୁ ଗଂଜାମ ଏବଂ ବିଶାଖାପାଟଣାର କିଛିକିଛି ଅଞ୍ଚଳ । ଏବଂ ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଥିଲା- ପ୍ରସ୍ତାବିତ ନୂତନ ଓଡ଼ିଶାରେ ପାରଳାଖେମୁଣ୍ଡି ଅନ୍ତର୍ଭୁକ୍ତ ହୋଇ ନଥିଲା । କମିଟିର ଅନ୍ୟାନ୍ୟ ସଭ୍ୟଗଣ ସେହି ପ୍ରସ୍ତାବରେ ସହମତ ନଥିଲେ ସୁଦ୍ଧା ଅଧ୍ୟକ୍ଷ ମି. ଓଡ଼ନେଲ୍ଙ୍କ ଯୁକ୍ତିଥିଲା ପାରଳା ଜମିଦାରୀ ଏକ ତେଲୁଗୁ ଭାଷା ବହୁଳ ରାଜ୍ୟ । ସେ ଜନଗଣନା ନିର୍ଦ୍ଦେଶକ ମି. ଇଟ୍ସ ଏବଂ ଅନ୍ୟ ଜଣେ ଆଇ.ସି.ଏସ୍. ଅଫିସର ମଷ୍ଟିର କ୍ରୋମ୍ବେଙ୍କଦ୍ୱାରା ସେହି ଦିଗରେ ଅଧିକ ପ୍ରଭାବିତ ହୋଇଥିବା ସମ୍ଭାବନା ଥିଲା ଅଧିକ । ମିଷ୍ଟର ଇଟସ୍ ଓଡ଼ିଶା ଆନ୍ଦୋଳନ ବିରୋଧୀ ମାନ୍ଦ୍ରାଜ ସରକାରଙ୍କ ଜଣେ ପଦସ୍ଥ ଅଫିସର ରହିଥିବା ବେଳେ ମିଷ୍ଟର କ୍ରୋମ୍ବେ ଥିଲେ ବ୍ୟକ୍ତିଗତ ଭାବେ ମହାରାଜାଙ୍କ ବିରୋଧୀ । ଅତୀତରେ ସେ ପାରଳା ମହାରାଜାଙ୍କର ଦେବାନ୍ ଭାବେ କାର୍ଯ୍ୟରତ ଥିଲେ ପାରଳାରେ । କିନ୍ତୁ ତାଙ୍କର ପ୍ରଜାବିରୋଧୀ ଏବଂ ଅତି ଅହଂକାରୀ ମନୋଭାବ ଯୋଗୁଁ ଏକଦା ମହାରାଜା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡ଼ି ଚାଲିଯିବାପାଇଁ ଆଦେଶ ଦେଇଥିଲେ । ଆଇ.ସି.ଏସ୍. ଅଫିସର ହୋଇଥିବା ଯୋଗୁଁ ଆତ୍ମବଡ଼ିମାଯୁକ୍ତ କ୍ରୋମ୍ବେ ତାହା ନ କରିବାରୁ ସେ ରହୁଥିବା ଅତିଥି ଭବନର ପାଣି ଓ ଆଲୁଅ ବ୍ୟବସ୍ଥା ବନ୍ଦ କରାଇ ଦେଇଥିଲେ ମହାରାଜା । ତତ୍ପରେ ବାଧ୍ୟହୋଇ ଏକ ପ୍ରକାର ତଡ଼ା ଖାଇ ପାରଳା ତ୍ୟାଗ କରିଥିଲେ ସେ । ତତ୍ପରେ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଜମିଜୁମା ବିଭାଗର ସେକ୍ରେଟାରୀ ରୂପେ ନିଯୁକ୍ତ ହୋଇଥିଲେ । ତେବେ ସେ ମି. ଓଡ଼ନାଲ୍ଙ୍କୁ ମହାରାଜାଙ୍କ ବିରୁଦ୍ଧରେ ପ୍ରଭାବିତ କରିଥିବା ସମ୍ଭାବନା ଥିଲା ଅଧିକ ।
ସୂର୍ଯ୍ୟର ଆଲୋକକୁ କେବେ କ'ଣ ଅସ୍ୱୀକାର କରାଯାଇପାରିବ ? ସୀମା କମିଟିର ଅନୁସନ୍ଧାନ ବେଳେ ସେ ଯେଉଁ ମତାମତ ରାଜ୍ୟର ତେଲୁଗୁ ପ୍ରଜାଗଣ ତଥା ଆଦିବାସୀ ସଂପ୍ରଦାୟଗୁଡ଼ିକ ନିକଟରୁ ପ୍ରକାଶ୍ୟ ଭାବରେ ପାଇଥିଲେ ତାହାକୁ ଅସ୍ୱୀକାର କରିବା ସମ୍ଭବ ନଥିଲା । ତେଣୁ କମିଟି ସୁପାରିସରେ ଛତ୍ରେଛତ୍ରେ ମହାରାଜାଙ୍କର ଭୂରିଭୂରି ପ୍ରଶଂସା କରାଯାଇଥିଲା । ମୁକ୍ତ କଣ୍ଠରେ ସେମାନେ ସ୍ୱୀକାର କରିଥିଲେ ଯେ ସେହିଭଳି କମିଟି ଗଠନ ସମ୍ଭବ ହୋଇଥିଲା କେବଳ ମହାରାଜାଙ୍କ ଯୋଗୁଁ- ସେ ପ୍ରଥମ ଗୋଲଟେବୁଲ୍ ବୈଠକରେ ବାଢ଼ିଥିବା ଏବଂ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ପ୍ରସ୍ତାବଯୋଗୁଁ । ବାସ୍ତବରେ ସେଥିରୁ ତାହାଙ୍କର ଜାତୀୟ ମମତାର ଔଜଲ୍ୟ ପ୍ରକାଶିତ ହୋଇଥିଲା । ଅନୁସନ୍ଧାନ କାଳରେ ଅଭିଜ୍ଞତା ଆଧାରରେ କିଭଳି ଭାବରେ ତାହାଙ୍କର ତେଲୁଗୁ ପ୍ରଜା, କନ୍ଧ-ସଉରା ଇତ୍ୟାଦି ପାହାଡ଼ିଆ ଆଦିବାସୀ ସଂପ୍ରଦାୟ ତଥା ଜମିଦାରୀ ଅଞ୍ଚଳର ଓଡ଼ିଆ ଜନଗଣ ମହାରାଜାଙ୍କୁ ପିତୃତୁଲ୍ୟ ସ୍ନେହ, ଶ୍ରଦ୍ଧା ଏବଂ ଭକ୍ତି କରୁଥିଲେ ତାହାର ଏକ ସ୍ପଷ୍ଟଚିତ୍ର ପ୍ରତିଫଳିତ ହୋଇଥିଲା କମିଟି ସୁପାରିସରେ । ତଥାପି ସେମାନଙ୍କ ଅନୁଭବ ଥିଲା ଜମିଦାରିର ଅଧିକାଂଶ ପାହାଡ଼ିଆ ପ୍ରଜା ଥିଲେ ତେଲୁଗୁ ଭାଷୀ ବ୍ୟକ୍ତି । କିନ୍ତୁ ମହାରାଜାଙ୍କୁ ଜଣେ ସଂସ୍କୃତିସଂପନ୍ନ ଓଡ଼ିଆ ରାଜା ଭାବରେ ଅଭିହିତ କରାଯାଇ ତାହାଙ୍କର ଓଡ଼ିଶାର ଗଜପତି ପୁରୀ ରାଜାଙ୍କ ସହିତ ପାରିବାରିକ ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ସେ ଆପଣାର ଜମିଦାରି ସହ ଓଡ଼ିଶାରେ ମିଶିବାପାଇଁ ଆଗ୍ରହୀ ଥିବା ସ୍ପଷ୍ଟ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ଅପେକ୍ଷା ଭବିଷ୍ୟତ ସମୟର ଅନାଗତ ଆଶଙ୍କା ଜନ୍ ଓଡ଼ନାଲଙ୍କୁ ଅଧିକ ପ୍ରଭାବିତ କରିଥିଲା । ତାଙ୍କରି ବିଚାର ଥିଲା ବର୍ତ୍ତମାନ ଏକ ସ୍ୱରରେ ତେଲୁଗୁ ଓ ଓଡ଼ିଆ ପ୍ରଜାଗଣ ମହାରାଜାଙ୍କର ଜୟଜୟକାର କରୁଥିଲେ ସୁଦ୍ଧା ଏବଂ ବର୍ତ୍ତମାନ ଅତି ଉତ୍ତମ ଭାବରେ ଜମିଦାରି ପରିଚାଳିତ ହେଉଥିଲେ ସୁଦ୍ଧା ଜମିଦାରଙ୍କ ବିଚାରଧାରା ଭବିଷ୍ୟତରେ ପରିବର୍ତ୍ତିତ ହୋଇଯାଇପାରେ; ତାଙ୍କରି ଉତ୍ତରାଧିକାରୀଗଣ ଅନ୍ୟ ଭାଷୀ ଲୋକଙ୍କ ପ୍ରତି ପକ୍ଷପାତ ବିଚାର କରିପାରନ୍ତି । କିନ୍ତୁ ପ୍ରତ୍ୟକ୍ଷ ଭାବେ ସମସ୍ତ ସାକ୍ଷ୍ୟପ୍ରମାଣ ଏବଂ ଆପଣାର ଅନୁଭବ ଆଧାରରେ କମିଟିର ଭାରତୀୟ ସଭ୍ୟଗଣ ମିଷ୍ଟର ଓଡ଼ନେଲ୍ଙ୍କ ମତାମତ ସହିତ ସହମତ ହୋଇପାରି ନଥିଲେ । ଏଯାବତ୍ ସମଭିବ୍ୟାହାରରେ କାଳାତିପାତ କରିଥିବା ପାରଳା ମହାରାଜାଗଣ କେତେବେଳେ ଯେ ଅତୀତ ଇତିହାସର ଧାରାକୁ ବ୍ୟାହତ କରି ତେଲୁଗୁ ପ୍ରଜାଙ୍କ ପ୍ରତି ପାତର ଅନ୍ତର ନୀତି ଆପଣାଇ ନେବେ ସେଥିପ୍ରତି ସନ୍ଧିହାନ ଥିଲେ ସେମାନେ । ଗଞ୍ଜାମର ଅନ୍ୟାନ୍ୟ ଜମିଦାରି ସଂପର୍କରେ ସୁବିଚାର କରାଯାଇ ଯଦି କେବଳ ତେଲୁଗୁ ସଂଖ୍ୟାଗରିଷ୍ଠତାକୁ ବିଚାରକୁ ନେଇ ସେହି ଜମିଦାରିକୁ ଓଡ଼ିଶା ସହ ମିଶ୍ରଣ କରାନଯାଏ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
କିନ୍ତୁ ସେଇ ଦୁର୍ଭାଗ୍ୟଜନକ ସ୍ଥିତିକୁ ହିଁ ଅଧ୍ୟକ୍ଷ ମହୋଦୟ ଆପଣାଇ ନେଇଥିଲେ ଓଡ଼ିଶାର ସୀମା ସୁପାରିସ କରିବାବେଳେ ।
ହେଲେ କମିଟି ଅଧ୍ୟକ୍ଷଙ୍କ ସେଭଳି ମତାମତକୁ ସର୍ବତ୍ର ତୀବ୍ର ବିରୋଧ କରାଯାଇଥିଲା । ମହାରାଜା ମଧ୍ୟ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ଜନଜାଗରଣ ମାଧ୍ୟମରେ ସେଇ କମିଟି ସୁପାରିସର ଅଯଥାର୍ଥତା ପ୍ରମାଣ କରିବାପାଇଁ । ପ୍ରାଦେଶିକ କଂଗ୍ରେସ କମିଟି ଆଶଙ୍କା ପ୍ରକାଶ କରିଥିଲା ଯେ ସେଭଳି ସୁପାରିସ ଗ୍ରହଣ କରାଗଲେ ନୂତନ ଓଡ଼ିଶାର ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବ । ସେଭଳି ବିରୋଧ ଦକ୍ଷିଣ ଓଡ଼ିଶାରେ ଥିଲା ଅତି ତୀବ୍ର । ମହାରାଜାଙ୍କ ରାଜ୍ୟ ରାଜଧାନୀ ପାରଳାର ଛତ୍ରେଛତ୍ରେ ଜନଜାଗରଣ- ପାରଳାରାଜ୍ୟର ଲୋକେ ନୂତନ ଓଡ଼ିଶା ସହ ରହିବା ସପକ୍ଷବାଦୀ ତେଣୁ ସେହି ଅନୁକ୍ରମେ ପ୍ରସ୍ତାବିତ ନୂତନ ଓଡ଼ିଶାର ସୀମା ସଂଶୋଧନ କରାଯାଉ ।
ସେହି ଉଦ୍ଦେଶ୍ୟରେ ହିଁ ଉତ୍କଳ ସମ୍ମିଳନୀର ଏକ ଜରୁରୀ ବୈଠକ ବ୍ରହ୍ମପୁରଠାରେ ଆୟୋଜିତ ହୋଇଥିଲା । ସେଠାରେ ନିର୍ଦ୍ଧାରଣ ନିଆଯାଇଥିଲା ଯେ ପାରଳା ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧିମଣ୍ଡଳୀ ଭାରତର ବଡ଼ଲାଟଙ୍କୁ ସାକ୍ଷାତ୍କରି ପ୍ରସ୍ତାବିତ ଓଡ଼ିଶାର ସୀମା ସଂଶୋଧନପାଇଁ ପ୍ରଭାବିତ କରିବେ ଏବଂ ନୂତନ ପ୍ରଦେଶ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ । ଉପରୋକ୍ତ ନିର୍ଦ୍ଧାରଣ ଅନୁଯାୟୀ ମହାରାଜା କୃଷ୍ଣଚନ୍ଦ୍ର ଏକ ଚଉଦଜଣିଆ ପ୍ରତିନିଧିମଣ୍ଡଳୀରେ ଯାଇ ସିମଳାଠାରେ ବଡ଼ଲାଟ ଲର୍ଡ ୱିଲିଙ୍ଗଡ଼ନ୍ଙ୍କୁ ସାକ୍ଷାତ୍ କରିଥିଲେ ୧୯୩୨ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ । ସେହି ପ୍ରତିନିଧିମଣ୍ଡଳୀରେ ଥିଲେ ପାରଳା ମହାରାଜାଙ୍କ ସମେତ ସର୍ବଶ୍ରୀ ଭୁବନାନନ୍ଦ ଦାସ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଲିଙ୍ଗରାଜ ପାଣିଗ୍ରାହୀ, ମଧୁସୂଦନ ପାଣିଗ୍ରାହୀ, ଯୋଗେନ୍ଦ୍ର ନାରାୟଣ ଆଚାର୍ଯ୍ୟ, ଗୌରଚନ୍ଦ୍ର ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ସାହୁ, ଶ୍ୟାମସୁନ୍ଦର ଗନ୍ତାୟତ, ଚୌଧୁରୀ ରାଧାନାଥ ମିଶ୍ର, ଅଚ୍ୟୁତାନନ୍ଦ ପୁରୋହିତ, ଗିରିଜାଭୂଷଣ ଦତ୍ତଙ୍କ ସମେତ ମଧୁପୁର ଓ ପାରିକୁଦର ରାଜାଗଣ । ବିସ୍ତୃତ ବିବରଣୀଯୁକ୍ତ ଏକ ସ୍ମାରକପତ୍ର ପ୍ରଦାନକରି ୧୯୩୨ ମସିହା ସେପ୍ଟେମର ୧୭ ତାରିଖ ଦିନ ସିମଳାଠାରେ ଦଳର ନେତା ମହାରାଜା ପ୍ରଥମେ ବଡ଼ଲାଟଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଇଂରେଜ ସାମ୍ରାଜ୍ୟର ହିତାକାଂକ୍ଷୀ ପ୍ରଜା ରୂପେ ବିଗତ ଯୁଦ୍ଧବେଳେ ଦୈହିକ ତଥା ଆର୍ଥିକ ସହାୟତାର ନିଦର୍ଶନ ଦେଇ ସେଇ ଓଡ଼ିଆ ପ୍ରଜାଗଣ କିଭଳି ଚାରୋଟି ପ୍ରାଦେଶିକ ସରକାରରେ ନିର୍ଯ୍ୟାତିତ ଅବସ୍ଥାରେ କାଳାତିପାତ କରୁଛନ୍ତି ତାହା ଆଲୋଚନା କରିଥିଲେ । ନୂତନ ଓଡ଼ିଶାରେ ଜାତିଗତ ପ୍ରଶ୍ନ ନେଇ ଯେ କଦାପି ବିଦ୍ୱେଷ ସୃଷ୍ଟି ହେବ ନାହିଁ କିମ୍ବା ଶାସନଗତ ଅସୁବିଧା ହେବନାହିଁ ତାହା ଉଲ୍ଲେଖକରି ଓଡ଼ିଆମାନଙ୍କର ଦୀର୍ଘ ଦିନର ଅଭିଳାଷ ଶୀଘ୍ରାତିଶୀଘ୍ର ପୂରଣ ପାଇଁ ଅନୁରୋଧ ଜଣାଇଥିଲେ ।
ପ୍ରତିନିଧି ଦଳର ସଦସ୍ୟ ଶ୍ରୀ ଭୁବନାନନ୍ଦ ଦାସ ନୂତନ ପ୍ରଦେଶର ଆର୍ଥିକ ବିଭବ ସଂପର୍କରେ ଏବଂ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ସୀମା ସରହଦ ସଂପର୍କରେ ଆଲୋଚନାମାନ କରିଥିଲେ । ସେତେବେଳେ ବଡ଼ଲାଟଙ୍କ ଦୃଷ୍ଟି ଆକର୍ଷଣ କରି ପୂର୍ବରୁ ତୃଣମୂଳ ସ୍ତରକୁ ଯାଇ ଏବଂ ପ୍ରତ୍ୟକ୍ଷ ଭାବେ ଜନଗଣଙ୍କ ସହିତ ସଂପର୍କ ସ୍ଥାପନକରି ମତ ରଖିଥିବା ଫିଲପ୍-ଡଫ୍ କମିଟି ତଥା ଅଟଲି ସବ୍କମିଟିର ମତାମତକୁ ସୀମାକମିଟି କିଭଳି ଉପେକ୍ଷା କରିଛି ଏବଂ କିଭଳି କେବଳ ମାନ୍ଦ୍ରାଜ ସରକାରୀ ଶାସନାନ୍ତର୍ଗତ ତେଲୁଗୁଭାଷୀଗଣ ନୂତନ ପ୍ରଦେଶ ଗଠନକୁ ତୀବ୍ର ବିରୋଧ କରୁଛନ୍ତି ତାହା ସୂଚାଇ ଦେଇଥିଲେ । ସେତିକିବେଳେ ଶ୍ରୀ ଯୋଗେନ୍ଦ୍ର ନାରାୟଣ ଆଚାର୍ଯ୍ୟ ଆଲୋଚନା କରିଥିଲେ ସିଂହଭୂମ ସମସ୍ୟା ନେଇ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତେଲୁଗୁଭାଷୀ ଏକ ପ୍ରତିନିଧିମଣ୍ଡଳୀ ଯାଇ ବଡ଼ଲାଟଙ୍କୁ ସାକ୍ଷାତ କରିବା ସଂଗେସଂଗେ ମତ ପ୍ରକାଶ କରିଥିଲା ଯେ ବ୍ରହ୍ମପୁରଠାରୁ ଆରମ୍ଭ କରି ଦକ୍ଷିଣର ପାରଳାଖେମଣ୍ଡି ଜମିଦାରି ପର୍ଯ୍ୟନ୍ତ ଅଞ୍ଚଳ ନୂତନ ପ୍ରଦେଶାନ୍ତର୍ଗତ ନହେଉ । କିନ୍ତୁ ସେମାନଙ୍କ ଯୁକ୍ତି ସମ୍ଭବତଃ ବଡ଼ଲାଟଙ୍କୁ ସେଭଳି ପ୍ରଭାବିତ କରିପାରି ନଥିଲା ।
ଓଡ଼ିଆ ପ୍ରତିନିଧିମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନାରେ ବଡ଼ଲାଟ ବିଶେଷ ପ୍ରୀତ ହୋଇଥିଲେ । ସେହି ଆଲୋଚନା ବେଳେ ବିସ୍ତୃତ ଭାବରେ ଆଲୋଚିତ ଓଡ଼ିଆଭାଷୀ ଜନଗଣଙ୍କ ସମସ୍ୟା ବିଶେଷକରି ସୀମା ତଥା ଆର୍ଥନୀତିକ ସମସ୍ୟାବଳୀ ସଂପର୍କରେ ଅବଗତ ହୋଇ ସେ ମଧ୍ୟ ଆଶା ପୋଷଣ କରିଥିଲେ ଯେ ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ନୂତନ ଓଡ଼ିଶା ଗଠିତ ହୋଇ ପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୀମା କମିଟି ତାହାର କାର୍ଯ୍ୟ ଆପାତତଃ ଶେଷ କରିସାରିଥିଲେ ସୁଦ୍ଧା ସରକାରଙ୍କ ନୀତିଗତ ଘୋଷଣା ସେତେବେଳ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ହୋଇନଥିଲା । ତେଣୁ ବଡ଼ଲାଟ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିବା ପରେ ପରେ ସେ ନେଇ ଆପଣାର ସୁପାରିସ ସହିତ ଇଂଲଣ୍ଡ ଭାରତ ବିଭାଗ
ସଚିବଙ୍କୁ ପତ୍ର ଲେଖିଥିଲେ ।ସିମଳାରୁ ଫେରିବା ପରେ ମହାରାଜା ପାରଳାର ଉତ୍କଳ ହିତୈଷିଣୀ ସମାଜ ତରଫରୁ ୧୯୩୨ ଅକ୍ଟୋବର ୧୬ ତାରଖ ଦିନଟିକୁ 'ଓଡ଼ିଶା ଏକୀକରଣ ଦିବସ' ରୂପେ ପାଳନ କରିବାପାଇଁ ଆୟୋଜନ କରିଥିଲେ । ଏଥିରେ ସ୍ଥାନୀୟ 'ପିପୁଲ୍ସ ଏସୋସିଏସନ୍' ସଂପୂର୍ଣ୍ଣ ସହଯୋଗ କରିବା ଥିଲା ସ୍ୱାଭାବିକ । ମହାରାଜଙ୍କ ଦିଗ୍ଦର୍ଶନରେ ହିତୈଷିଣୀ ସମାଜର ଆହ୍ୱାନ କ୍ରମେ କଟକଠାରେ ଏକ ସର୍ବଦଳୀୟ ସମ୍ମିଳନୀର ଆୟୋଜନ ହୋଇଥିଲା । ସେଠାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯେ ପର୍ଯ୍ୟନ୍ତ ଅତି କମ୍ରେ ପାରଳାଖେମଣ୍ଡି ଓ ଜୟପୁର ନୂତନ ଓଡ଼ିଶାର ସୀମା ସହିତ ଯୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଓଡ଼ିଆମାନଙ୍କଦ୍ୱାରା ନୂତନ ଓଡ଼ିଶା ପ୍ରଦେଶ ଗ୍ରହଣୀୟ ନୁହେଁ ।
ଓଡ଼ିଶାରେ ଏଭଳି ଉଦ୍ବେଳିତ ସ୍ଥିତି ଥିବାବେଳେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା ତୃତୀୟ ଗୋଲ୍ଟେବୁଲ୍ ବୈଠକ । ଏହା ୧୯୩୨ ନଭେମ୍ବର ୧୭ରୁ ଆରମ୍ଭ ହୋଇ ଡିସେମ୍ବର ୨୪ ପର୍ଯ୍ୟନ୍ତ ଚାଲିଥିଲା । ସେଥିରେ ଓଡ଼ିଶାରୁ ଯୋଗଦେଇଥିଲେ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଏବଂ କେନ୍ଦ୍ର ବିଧାନପରିଷଦର ସଭ୍ୟ ଶ୍ରୀ ଭୁବନାନନ୍ଦ ଦାସ । ରାଜା ରାମଚନ୍ଦ୍ର ଡିସେମ୍ବର ସାତ ତାରିଖଦିନ ସେଇ ବୈଠକରେ ଆପଣା ଭାଷଣରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାପାଇଁ ଦାବି କରିଥିଲେ ।
ମହାରାଜା କୃଷ୍ଣଚନ୍ଦ୍ର ତାଙ୍କର ବନ୍ଧୁ ତଥା ସହପାଠୀ ଖଲିକୋଟ ରାଜା ରାମଚନ୍ଦ୍ରଙ୍କୁ ତତ୍ପରଦିନ ବଧାଇପୂର୍ବକ ଟେଲିଗ୍ରାମ କରିଥିଲେ ଗୋଲଟେବୁଲ୍ ବୈଠକରେ ଉତ୍କଳୀୟ
ଆକାଂକ୍ଷାର ଯଥାର୍ଥ ପ୍ରତିଫଳନ ପାଇଁ । ପୁଣି ମଧ୍ୟ ଅନୁରୋଧ ଜଣାଇଥିଲେ ସେ ଯେଭଳିକୌଣସି ସମୟରେ ଦକ୍ଷିଣ ଓଡ଼ିଶା ତଥା ସିଂହଭୂମର ଓଡ଼ିଆମାନଙ୍କୁ ଅବହେଳା ପ୍ରଦର୍ଶନ ନକରନ୍ତି । ନୂତନ ଓଡ଼ିଶା ସହ ସେମାନଙ୍କ ସଂପୃକ୍ତି ପାଇଁ ସେଠାରେ ଯଥାସାଧ୍ୟ ଉଦ୍ୟମ ଜାରି ରଖିବାପାଇଁ ମଧ୍ୟ ପୁଣିଥରେ ସ୍ମରଣ କରାଇଦେଇଥିଲେ ।
ଅନ୍ତିମ (ତୃତୀୟ) ଗୋଲ୍ଟେବୁଲ୍ ବୈଠକର ଅନ୍ତିମ ଦିବସ- ଡିସେମ୍ବର ୨୪ ତାରିଖ ଦିନ ଭାରତ ବିଭାଗ ସଚିବ ସାର୍ ସାମୁଏଲ୍ ହୋର୍ ପ୍ରଥମ ଗୋଲ୍ଟେବୁଲ୍ ବୈଠକରେ ନିଆଯାଇଥିବା ଏବଂ ଦ୍ୱିତୀୟ ବୈଠକରେ ସେଇ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିବା ନୀତିଗତ ନିଷ୍ପତ୍ତିକୁ ବିଧିବଦ୍ଧ ଭାବରେ ଘୋଷଣା କରି କହିଥିଲେ ଯେ ଓଡ଼ିଶା ଓ ସିନ୍ଧୁ ପ୍ରଦେଶ ଭାରତ ମାନଚିତ୍ରରେ ସ୍ୱତନ୍ତ୍ର ରାଜ୍ୟ ଭାବରେ ପ୍ରତିଷ୍ଠିତ ହେବ । ବିଗତ ଦୁଇବର୍ଷ ଧରି ଏହି ବିଷୟ ପ୍ରସଙ୍ଗରେ ଆଲୋଚନାମାନ ଚାଲିଛି । ଓଡ଼ିଶା ବିଷୟକ ପ୍ରଶ୍ନର ପୁଙ୍ଖାନୁୁପୁଙ୍ଖ ବିଚାର ସଂଗେସଂଗେ ବିଶେଷଜ୍ଞମାନଙ୍କଦ୍ୱାରା ତଦନ୍ତ ମଧ୍ୟ ଶେଷ ହୋଇଛି । ପୁଣି ଓଡ଼ିଶାର ସୀମା ନିର୍ଦ୍ଧାରଣ ବର୍ତ୍ତମାନପାଇଁ ଏକ ବିବାଦୀୟ ବିଷୟ ଏବଂ ସେ ସଂପର୍କରେ ବିଭିନ୍ନ ପ୍ରଶ୍ନ ଉଠିଲାଣି । ତାହାର ସଂପୂର୍ଣ୍ଣ ବିଚାର କରାଯାଇପାରିନାହିଁ । ତଥାପି ଭାରତୀୟ ରାଷ୍ଟ୍ର ସଂଘରେ ଏହି ଦୁଇଟି ପ୍ରଦେଶ ନୂତନ ଭାବରେ ସ୍ଥାନିତ ହେବେ ।
ଏ ଘୋଷଣା ପ୍ରକାଶ ପାଇବା ପରେ ପରେ ଓଡ଼ିଶାର ଛତ୍ରେଛତ୍ରେ ଆନନ୍ଦର ଲହରୀ ଖେଳିଯାଇଥିଲା । ରାଜା ରାମଚନ୍ଦ୍ରଙ୍କ ପରାମର୍ଶକ୍ରମେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଏବଂ ଓଡ଼ିଆମାନଙ୍କ ତରଫରୁ ସାର୍ ସାମୁଏଲ୍ ହୋର୍ଙ୍କୁ ଅଭିନନ୍ଦନମାନ ଜ୍ଞାପନ କରାଯାଇଥିଲା । ସେଥିରେ ଦକ୍ଷିଣ ଓଡ଼ିଶା ତଥା ପାରଳା ଅଞ୍ଚଳର ଅବଦାନ ଥିଲା ସର୍ବାଧିକ । ପାରଳା ମହାରାଜାଙ୍କ ଦିଗ୍ଦର୍ଶନକ୍ରମେ ସରକାରଙ୍କୁ ତଥା ସାମୁଏଲ ହୋର୍ଙ୍କୁ ସାଧୁବାଦ ସମେତ ସୀମାମକିଟି ସୁାରିଶରେ ବାଦ ପଡ଼ିଯାଇଥିବା ଓଡ଼ିଆ ଅଞ୍ଚଳ ସବୁକୁ ଯୁକ୍ତ କରାଯିବା ପାଇଁ ପୁନଃ ନିଷ୍ପତ୍ତି ନିଆଯିବା ଲାଗି ମଧ୍ୟ ଅନୁରୋଧ କରଯାଇଥିଲା ।
୧୯୩୨ ଡିସେମ୍ବର ୩୧ ତାରିଖ ଦିନ ସେତେବେଳେ ଇଂଲଣ୍ଡରେ ଥିବା ବଂଧୁ ରାମଚନ୍ଦ୍ରଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଏକ ଟେଲିଗ୍ରାମ ମାଧ୍ୟମରେ ଅନୁରୋଧ ଜଣାଇଥିଲେ । ସେଠାରେ ଆଉ କିଛି ଅଧିକ ସମୟ ରହିବାପାଇଁ; ଘୋଷିତ ହୋଇଥିବା ନୂତନ ପ୍ରଦେଶ ସଂପର୍କରେ ସରକାରଙ୍କର ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ ପାଇଁ । ସେ ଅନୁରୋଧ ଜଣାଇଥିଲେ ସେଠାରେ ରହି ସେ ଗୋପାଳପୁରଠାରେ ସୀମାକମିଟିକୁ ପ୍ରଦାନ କରିଥିବା ଦାବିଗୁଡ଼ିକର ସଫଳ ରୂପ ଗ୍ରହଣ ପାଇଁ ଉଦ୍ୟମ କରିବେ ଏବଂ କୌଣସି ପରିସ୍ଥିତିରେ ସେଥିରୁ ଯେମିତି ତିଳେ ମାତ୍ର ବିଚ୍ୟୁତ ନହୁଅନ୍ତି ସେଥିାଇଁ ସଦା ଜାଗ୍ରତ ରହିବେ । ମୁଁ ବର୍ତ୍ତମାନ ଯେଉଁଠି ଅଛି ସେଇଠି ଛାଡ଼ିଦେଇ ଆପଣମାନେ ଚାଲିଯିବା (ଓଡ଼ିଶାକୁ) କ'ଣ ଅନୁଦାରତା ହେବନାହିଁ ? ସେହି ପରିସ୍ଥିତିରେ ବର୍ତ୍ତମାନ ତାହା ଏକ ନିର୍ଣ୍ଣାୟକ ସ୍ତରରେ ଥିବା ଯୋଗୁଁ ଏହି ବିଷୟର ଶେଷ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ସେଠାରେ
ମତ ରଖିଥିଲେ ଯେ ଯଦି ସେ ରହିବାରେ ବିଶେଷ ଅସୁବିଧା ହୁଏ ତା' ହେଲେ ଭୁବନାନନ୍ଦ ଦାସଙ୍କୁ ସେଠାରେ ସେହି ଦାୟିତ୍ୱ ଦିଆଯାଇପାରେ ଏବଂ ସେଠାରେ ତାଙ୍କର ବ୍ୟୟଭାର ଇତ୍ୟାଦି ଆମେ ବହନ କରିବା । ନୂତନ ଓଡ଼ିଶା ଗଠନ ଏବଂ ତତ୍ସହିତ ପାରଳା ଅଞ୍ଚଳ ଅଙ୍ଗୀଭୂତ ହେବା ନେଇ ଗଜପତି କୃଷ୍ଣଚନ୍ଦ୍ରଙ୍କ ଆକୁଳତା ଏଥିରୁ ସ୍ପଷ୍ଟ ଅନୁମେୟ ।
ମହରାଜାଙ୍କ ଅନୁରୋଧ ରକ୍ଷାକରି ଖଲିକୋଟ ରାଜା ରାମଚନ୍ଦ୍ର ଆଉ କିଛି କାଳ ଲଣ୍ଡନରେ ରହିବା ନିଷ୍ପତ୍ତି ନେଇଥିଲେ । ସେ ବିଶଦ ଭାବରେ ତଥ୍ୟ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଥିରେ ଫିଲପ୍ ଡଫ୍ କିମଟିରୁ ଆରମ୍ଭ କରି ଅଟଲି ସବ୍କମିଟି, ସାଇମନ୍ କମିଶନ୍ର ମତାମତ ସବୁକୁ ଉପେକ୍ଷା କରି ସୀମା କମିଟି ଯେଉଁ ସୁପାରିଶ କରିଛି ତାହା ଉତ୍କଳୀୟଙ୍କ ଆଶା ଆକାଂକ୍ଷାରୁ ଯେ ଅନେକ ଦୂରରେ ତାହା ପ୍ରମାଣିତ କରାଇଥିଲେ ସେଥିରେ । ଅନୁରୋଧ କରିଥିଲେ ସେଇ ସବୁର ଉପଯୁକ୍ତ ବିଚାର କରି ଯଥାଯୋଗ୍ୟ ନିଷ୍ପତ୍ତି ନିଆଯିବା ଆବଶ୍ୟକ ଏବଂ ଅଧିକ ଆଲୋଚନା ମନେହେଲେ ସେଥିପାଇଁ ଜାନୁଆରି(୧୯୩୩) ମଧ୍ୟ ଭାଗ ପର୍ଯ୍ୟନ୍ତ ସେ ସେଠାରେ ରହୁଥିବା କାରଣରୁ ପ୍ରତ୍ୟକ୍ଷ ସହଯୋଗ ପାଇଁ ପଦକ୍ଷେପ ନିଆଯାଇପାରେ ।
ଏଭଳି ପରିସ୍ଥିତି ଭିତରେ ଉତ୍କଳ ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ୧୯୩୩ ମସିହା ଫେବ୍ରୁଆରି ୧୨ ତାରିଖ ଦିନ । ଗୋଲଟେବୁଲ୍ ବୈଠକରେ ଯୋଗଦେଇ ଫେରିବା ପରେ ଭୁବନାନନ୍ଦ ଦାସ ସେଥିରେ ଅଧ୍ୟକ୍ଷତା କରିଥିଲେ । ଉତ୍କଳୀୟ ଏକୀକରଣ ଆନ୍ଦୋଳନ ଏବଂ ସୀମା ସମସ୍ୟା ଉପରେ ବିଶଦ୍ ଆଲୋଚନା ହୋଇଥିଲା । କୁଳବୃଦ୍ଧ ମଧୁସୂଦନ ବିଶେଷ କରି ପାରଳା ଓ ଜୟପୁର ସଂପର୍କୀୟ ଆଲୋଚନା ପ୍ରସଙ୍ଗରେ କହିଥିଲେ "ଆମ୍ଭେମାନେ ଦୀର୍ଘକାଳ ଧରି ଯାହା କାର୍ଯ୍ୟରେ ପରିଣତ କରିପାରି ନଥିଲୁ, ତାହା ପାରଳା ମହାରାଜାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏବଂ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ସାର୍ ସାମୁଏଲ୍ ହୋର୍ଙ୍କୁ ପ୍ରଭାବିତ କରିବା ଫଳରେ ସମ୍ଭବ ହୋଇପାରିଛି । ବର୍ତ୍ତମାନ ଯେଉଁ କେତେକ ବିଚ୍ଛିନ୍ନ ଅଞ୍ଚଳ ଓଡ଼ିଶାରେ ମିଶିନାହିଁ ତାହା ସେହି ମହାରାଜାଙ୍କ ଉଦ୍ୟମରେ ହିଁ ନିଶ୍ଚୟ ଫଳବତୀ ହେବ ।" ଏବଂ ବାସ୍ତବରେ ତାହା ହିଁ ହୋଇଥିଲା ।