ଆମ ପାରଳା ମହାରାଜା/ଗୋଲ୍‍ଟେବୁଲ୍‍ ବୈଠକରେ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ପାରଳା ମହାରାଜା ଲେଖକ/କବି: ସତ୍ୟ ନାରାୟଣ ମହାପାତ୍ର
ଗୋଲ୍‍ଟେବୁଲ୍‍ ବୈଠକରେ

୨୦ ଚେଷ୍ଟର ଷ୍ଟ୍ରିଟ, ଏସ୍, ଡବ୍ଳୁ, ଆର୍, ଲଣ୍ଡନ ।

ଟ୍ରାଫ୍‌ଲଗାର ଛକ ନିକଟରେ ପାରଳା ଗଜପତିଙ୍କ ସାମୟିକ ବସାଘର ।

ସେଦିନ ମଧ୍ୟ ବଡ଼ି ଭୋରରୁ ନହବତ ବାଦ୍ୟ ବାଜି ଉଠିଥିଲା ସେଇ ବଙ୍ଗଳା ପରିସରରେ; ଲଣ୍ଡନବାସୀଙ୍କୁ ଇସାରା ଦେଇଥିଲା ଓଡ଼ିଶାରୁ ସେଠାକୁ ଯାଇଥିବା ଜଣେ ରାଜାର ଦୈନନ୍ଦିନ ଜୀବନଚର୍ଯ୍ୟାର କାହାଣୀ । ତତ୍‌ପରେ ପରେ ଦୈନନ୍ଦିନ କାର୍ଯ୍ୟ । ସାଙ୍ଗରେ ନେଇଥିବା ଗଙ୍ଗାଜଳରେ ପ୍ରଭାତୀ ସ୍ନାନ । ଶଙ୍ଖ, କାହାଳୀ, ଭେରୀ, ତୂରୀର ସମ୍ମିଳିତ ବାଦ୍ୟ ଲହରୀ ଭିତରେ ପଟ୍ଟବସ୍ତ୍ର ପିନ୍ଧି ଦେବାର୍ଚ୍ଚନ । ଘରୁ ବାହାରକୁ ବାହାରିବାବେଳେ ଯୋଡ଼ି ମହୁରି ବାଦ୍ୟ ବାଜଣା । ଗୋଲ୍‌ଟେବୁଲ ବୈଠକରେ ଯୋଗଦାନ- ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ବ୍ୟକ୍ତିବିଶେଷଙ୍କ ସହିତ ଆଳାପ-ଆଲୋଚନା । ଓଡ଼ିଆଙ୍କ ପରମ୍ପରା ପ୍ରତି ସେଠି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ଉଦ୍ୟମ । ପ୍ରୟାସ କାହାଣୀ ଓଡ଼ିଆଙ୍କ ସମସ୍ୟା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇବାପାଇଁ । ସେଇସବୁ ଲଣ୍ଡନର ଖବରକାଗଜମାନଙ୍କ ପାଇଁ ସେଇ କେତେଦିନ ଥିଲା ପ୍ରମୁଖ ସମ୍ବାଦ ।

ସଂଧ୍ୟା ଗଡ଼ି ଗଲା ପରେ ବସାଘର ବାହାରର ପ୍ରଶସ୍ତ ଲନ୍ ଗଛ ତଳେ ବସି ଜାନୁଆରି ୧୬ ତାରିଖ ଦିନ ଲର୍ଡ଼ ସଭାରେ ପ୍ରଦାନ କରିବାକୁ ଥିବା ଭାଷଣର ପ୍ରସ୍ତୁତି । ପ୍ରାୟ ପ୍ରତିଦିନ ସଂଧ୍ୟାରେ ଅନେକ ଥର ମନନଶୀଳ ଭାବରେ ଲାଗି ପଡ଼ିଥିଲେ ସେଇ ବକ୍ତବ୍ୟର ପ୍ରସ୍ତୁତି ପାଇଁ । ଘଣ୍ଟା ଘଣ୍ଟା ବିତି ଯାଉଥିଲା । ରାତି ଗଭୀରରୁ ଗଭୀରତର ହେଉଥିଲା । ହେଲେ କୌଣସିଟିକୁ ଭୃକ୍ଷେପ ନଥିଲା କୃଷ୍ଣଚନ୍ଦ୍ର ଗଜପତିଙ୍କର ।

କିଛି ଭାବୁଛନ୍ତି- ଲେଖୁଛନ୍ତି, ପୁଣି କିଛି କାଟି ପକାଉଛନ୍ତି । ବୁଡି ଯାଉଛନ୍ତି ଭାବ ସମୁଦ୍ରରେ । ପୁଣି କେଉଁଠି ଟିକିଏ ଯୋଡ଼ି ଦେଉଛନ୍ତି । ଆଉଥରେ ପଢ଼ି ଯାଉଛନ୍ତି ଆମୂଳଚୂଳ । ସେମିତି କେତେଥର ପଢା ହେବଣି କେଜାଣି ! ସେଭଳି ଭାବରେ ତାହାଙ୍କୁ ଅନେକ ବାର ଦେଖିବାପରେ କିଛିଟା ଦରଦୀ ହୋଇ ଉଠିଥିଲେ ଦକ୍ଷିଣ ଭାରତୀୟ ଜଣେ ତୁଙ୍ଗନେତା ରାମସ୍ୱାମୀ ମୁଦଲିୟର । ମହାରାଜାଙ୍କ ବସାଘରକୁ ଲାଗି ତାଙ୍କର ବସାଘର । ସେ ମଧ୍ୟ ଥିଲେ ପ୍ରଥମ ଗୋଲଟେବୁଲ ବୈଠକରେ ଜଣେ ପ୍ରତିନିଧି । ମହାରାଜାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ସେ ମୁଗ୍ଧ ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦିନେ ବିଳମ୍ବିତ ସଂଧ୍ୟାରେ ସେ ଯାଇଥିଲେ ସେଭଳି ଭାବସମୁଦ୍ରରେ ନିମଗ୍ନ ମହାରାଜାଙ୍କ ନିକଟକୁ । ଦରଦୀ ହୃଦୟରେ କହିଥିଲେ ଆପଣ ଅତ୍ୟଧିକ ମାତ୍ରାରେ ପରିଶ୍ରମ କରୁଛନ୍ତି କାହିଁକି ? ମତେ କହିଲେ ଅନ୍ତତଃ ମୁଁ ଲେଖିବାରେ ଆପଣଙ୍କ ସହାୟକ ହୋଇପାରନ୍ତି । କିନ୍ତୁ ତତ୍‌କ୍ଷଣାତ୍ ମହାରାଜାଙ୍କ ଉତ୍ତର ଥିଲା "ଆପଣ ସମ୍ଭବତଃ ମୋଠାରୁ ଭଲ ଭାଷାରେ ଲେଖି ପାରିବେ; କିନ୍ତୁ ମୋର ହୃଦୟର ଭାଷା ପାଇ ପାରିବେ କେଉଁଠୁ ?"

ଦୁଇ ପୁତ୍ର ଓ ପାରିଷଦଙ୍କ ସ‌ହ ଲଣ୍ଡନରେ
ତେଣୁ ଆପାତତଃ ମହାରାଜାଙ୍କ ମନର କଥାକୁ ହୃଦୟର ଭାଷାଦେଇ ଦୀର୍ଘ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଭାଷଣଟି କେବଳ ଅତ୍ୟନ୍ତ ଆକର୍ଷଣୀୟ ତଥା ହୃଦୟଗ୍ରାହୀ ହୋଇ ପାରିନଥିଲା, ହୋଇଥିଲା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ । ୧୯୩୧ ମସିହା ଜାନୁଆରି ୧୬ ତାରିଖ ଦିନ ତାହା ଗୋଲ୍‌ଟେବୁଲ୍ ବୈଠକରେ ପ୍ରଦତ୍ତ ହୋଇଥିଲା ।

୧୯୩୦ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୯୩୧ ଜାନୁଆରି ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଗୋଲଟେବୁଲ ବୈଠକ । ଲର୍ଡ଼ ସଭାର ରୟାଲ୍ ଗ୍ୟାଲେରୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଇଂଲଣ୍ଡର ମହାମାନ୍ୟ ସମ୍ରାଟ ଏହାକୁ ଉଦ୍‌ଘାଟନ କରିଥିଲେ । ସେଥିରେ ଆଲୋଚନାର ବିଷୟବସ୍ତୁ ଥିଲା ଭାରତର ଶାସନତାନ୍ତ୍ରିକ ସଂସ୍କାରପାଇଁ ସାଇମନ୍ କମିଶନ୍ ପ୍ରଦାନ କରିଥିବା ବିଭିନ୍ନ ପ୍ରସ୍ତାବର ଏପାଖ ସେପାଖ ଏବଂ ତାହାକୁ କାର୍ଯ୍ୟକାରୀ କରାଇବାପାଇଁ ବିଭିନ୍ନ ପଦକ୍ଷେପ ।

ସେହି ସୁପାରିସ ଅନୁଯାୟୀ ପ୍ରାଦେଶିକ ସ୍ତରରେ ରାଜ୍ୟପାଳମାନଙ୍କ ହାତରେ ଅଖଣ୍ଡ କ୍ଷମତା କେନ୍ଦ୍ରୀଭୂତ କରାଯାଇଥିଲା । ଯଦିବା ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ସେମାନେ ମନ୍ତ୍ରୀମଣ୍ଡଳର ନିଯୁକ୍ତିଦାତା ଥିଲେ ତଥାପି ରାଜ୍ୟପାଳଙ୍କ ମତରେ ମନ୍ତ୍ରୀଗଣ ବିଧାନସଭାଗୁଡ଼ିକରେ ଆସ୍ଥାଭାଜନ ହୋଇ ପାରିବେ କି ନାହିଁ ତାହାର ବିଚାର କ୍ଷମତା ମଧ୍ୟ ତାଙ୍କରି ହାତରେ ନ୍ୟସ୍ତ ହୋଇଥିଲା । ସେହି ସୁପାରିସ୍‌ରେ ମଧ୍ୟ ଥିଲା ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମେତ ସିନ୍ଧୁ ପ୍ରଦେଶ ଗଠନ ହେବାର ପ୍ରସ୍ତାବ ।

ତେବେ ସେତେବେଳକୁ ଭାରତର ରାଜନୈତିକ ଆକାଶରେ ଘନକଳାବାଦଲର ଛାଇ । ଅସହଯୋଗ ଆନ୍ଦୋଳନରେ ଜନଜୀବନ ବେଶ୍ ଆଲୋଡ଼ିତ । ସେତେବେଳେ କଂଗ୍ରେସର ଦାବି ଥିଲା ଭାରତର ଆଂଶିକ ସ୍ୱାୟତ୍ତ ଶାସନ ନୁହେଁ- ଦେଶର ପୁର୍ଣ୍ଣ ସ୍ୱାଧୀନତା ଲାଭ । ତେଣୁ ବିଧାନସଭାଗୁଡ଼ିକରୁ ପ୍ରତିନିଧିଗଣ ଇସ୍ତଫା ଦେଇ ଚାଲି ଆସିଥିଲେ । ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ଏଭଳି ପରିସ୍ଥିତିରେ ଭାରତୀୟ ଜାତୀୟ କଂଗ୍ରେସ ଗୋଲଟେବୁଲ ବୈଠକରେ ସହଯୋଗ କରିବାପାଇଁ ସରକାରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ।

ତଥାପି ବିହାର-ଓଡ଼ିଶା ସରକାରଙ୍କଦ୍ୱାରା ସମର୍ଥିତ ପାରଳା ମହାରାଜା ସେହି ବୈଠକରେ ପ୍ରତିନିଧିତ୍ୱ କରିଥିଲେ ଓଡ଼ିଶା ତରଫରୁ । ମନେ ରଖାଯାଇପାରେ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ସେହି ପ୍ରାଦେଶିକ ସରକାର ସଂପୂର୍ଣ୍ଣ ସମ୍ମତ ଥିଲେ ଏବଂ ସେହି କାରଣରୁ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷାପାଇଁ ଯୋଗ୍ୟତମ ବ୍ୟକ୍ତି ରୂପେ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ମନୋନୀତ କରିଥିଲେ ଅତୀତର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି । ତତ୍‌କାଳୀନ ଅର୍ଥମନ୍ତ୍ରୀ କନିକା ରାଜା ମଧ୍ୟ ସେ ଦିଗରେ ଗଭର୍ଣ୍ଣରଙ୍କୁ ପ୍ରଭାବିତ କରିଥିଲେ । କିନ୍ତୁ ମହାରାଜା ସେତେବେଳେ ଓଡ଼ିଶାର ବାସିନ୍ଦା ନଥିଲେ । ସେ ଥିଲେ ମାନ୍ଦ୍ରାଜ ଶାସନାନ୍ତର୍ଗତ ପାରଳାଖେମଣ୍ଡି (ଗଞ୍ଜାମ ଜିଲ୍ଲା)ର ବାସିନ୍ଦା । ତେବେ ମହାରାଜାଙ୍କ ଅଧୀନରେ ଥିବା ଗୋଟିଏ ଛୋଟିଆ ଜମିଦାରୀ ଅଞ୍ଚଳ ପୁରୀ ଜିଲ୍ଲାର ଡେଲାଙ୍ଗ- ଥିଲା ଓଡ଼ିଶା ଡିଭିଜନ୍ ଅନ୍ତର୍ଗତ । ତେଣୁ ତାହାର ଜମିଦାର ହିସାବରେ ସେ ଓଡ଼ିଶାବାସୀ ରୂପେ ଗୃହୀତ ହୋଇଥିଲେ । ସେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ଥାଇ ସରକାରୀ ସ୍ତରରେ ବିଶେଷ ଭାବେ ଜଣାଶୁଣା ହୋଇସାରିଥିଲେ । ପୁଣି ଜଣେ ସାଧାରଣ ରାଜଭକ୍ତ ଜମିଦାର ହିସାବରେ ମଧ୍ୟ ଇଂରେଜ ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ ସେ । ତାହାଙ୍କୁ ମନୋନୟନ କରାଯିବା ପଶ୍ଚାତରେ ସର୍ବାପେକ୍ଷା ଅଧିକ ଆକର୍ଷଣୀୟ ଯୁକ୍ତି ଥିଲା ତାଙ୍କରି ନେତୃତ୍ୱରେ ରାଜକୀୟ କମିଶନ- ସାଇମନ୍ କମିଶନଙ୍କୁ ସ୍ୱାଗତ ଜଣାଇବା । ସମଗ୍ର ଦେଶରେ ସର୍ବତ୍ର ସେହି କମିଶନ ପ୍ରତ୍ୟାଖ୍ୟାତ ହୋଇଥିବା ବେଳେ କେବଳ ଓଡ଼ିଶା ଓ ଓଡ଼ିଆଙ୍କ ତରଫରୁ ସେଭଳି ସ୍ୱାଗତ କରାଯାଇଥିଲା ଏବଂ ତାହାର ନେତୃତ୍ୱ ନେଇଥିଲେ ଖୋଦ୍ ମହାରାଜା ।

ସେଭଳି ମନୋନୟନରେ ଓଡ଼ିଶା ଆନ୍ଦୋଳନକାରୀ ନେତୃବୃନ୍ଦ ବିଶେଷ ଉତଫୁଲ୍ଲିତ ହୋଇଥିଲେ । ୧୯୩୦ ଅକ୍ଟୋବର ୧୮ ତାରିଖ ଦିନ ସେଥିପାଇଁ କଟକର ଶ୍ରୀରାମଚନ୍ଦ୍ର ଭବନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ଅନ୍ୟପକ୍ଷରେ ଗୋଲଟେବୁଲ୍ ବୈଠକ ସହ ଅସହଯୋଗ କରୁଥିବା କଂଗ୍ରେସ କର୍ମୀମାନେ ମହାରାଜାଙ୍କୁ କଳାପତାକା ପ୍ରଦର୍ଶନ କରି ‘ପାରଳା ଫେରିଯାଅ' ଧ୍ୱନିମାନ ଦେଇଥିଲେ ।

ହେଲେ ସେଥିରେ ଅବିଚଳିତ ମହାରାଜା ବୀର ବିକ୍ରମରେ ବାସ୍ତବ ସମସ୍ୟାର ସମସ୍ତ ଦିଗକୁ ଗଭୀର ଅନୁଶୀଳନପୂର୍ବକ ବଳିଷ୍ଠ ତଥ୍ୟଯୁକ୍ତ ସ୍ମାରକପତ୍ରଟିଏ ପ୍ରସ୍ତୁତ କରିଥିଲେ ବୈଠକପାଇଁ ।

ପି.ଏଣ୍ଡ କୋ. କଂପାନୀର ଏକ ଜଳଜାହାଜରେ ମହାରାଜା ଭାରତରୁ ଯାଇ ଲଣ୍ଡନରେ ପହଞ୍ଚିଲା ବେଳକୁ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଥିଲା । ଓଡ଼ିଆଙ୍କ ସମସ୍ୟା ସେଠାରେ ଉପସ୍ଥାପନପାଇଁ କୌଣସି କାର୍ଯ୍ୟକ୍ରମ ସେଥିରେ ସ୍ଥାନିତ ହୋଇ ନ ଥିଲା । ତେଣୁ ସେ ଅନୁଭବ କରିଥିଲେ ଯେ ଯଦି ଏକକୋଟି ଓଡ଼ିଆଙ୍କ ଦୁର୍ଦ୍ଦଶା ସେଠାରେ ଉପସ୍ଥାପିତ କରିବାପାଇଁ ସୁଯୋଗ ପାଇ ପାରିବେ ନାହିଁ ତାହେଲେ ସେହି ବୈଠକରେ ଯୋଗଦାନର କୌଣସି ମୂଲ୍ୟ ରହିବ ନାହିଁ । ସେହି କାରଣରୁ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତ ବିଭାଗ ସଚିବ ଏବଂ ବୈଠକ ସହିତ ସଂପୃକ୍ତ ବିଭିନ୍ନ ଅଧିକାରୀଗଣଙ୍କ ନିକଟରେ ପହଞ୍ଚିଥିଲେ । ସେ ଚେଷ୍ଟା କରିଥିଲେ ଆପଣା ଉଦ୍ଦେଶ୍ୟର ସଫଳ ରୂପାୟନ ପାଇଁ । ସବୁ ପଦାଧିକାରୀଙ୍କ ହୃଦ୍‌ବୋଧ କରାଇ ଦେଇଥିଲେ ଯେ ବ୍ରିଟିଶ୍ ଶାସନରେ ଥାଇ ଅତି ଦୁଃଖରେ କାଳାତିପାତ କରୁଥିବା ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଲୋକଙ୍କ ଦୁଃଖ, ଗୋଲ୍‌ଟେବୁଲ ବୈଠକ ଭଳି ଉଚ୍ଚ କ୍ଷମତାପନ୍ନ ବୈଠକରେ ଉପସ୍ଥାପନ କରିବା ସୁଯୋଗ ତାହାଙ୍କୁ ଦିଆଯିବା ଏକାନ୍ତ ଆବଶ୍ୟକ ।

ମହାରାଜାଙ୍କ ସେହି ଉଦ୍ୟମ ବିଫଳ ହୋଇ ନଥିଲା । ସେଠାରେ ଭାରତରୁ ଯୋଗ ଦେଇଥିବା ଅନେକ ସଦସ୍ୟଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରାଇ ସେ ବୈଠକର ସଭାପତିଙ୍କ ସ୍ୱତନ୍ତ୍ର ଅନୁମତି ଲାଭ କରିଥିଲେ ଅଳ୍ପ ସମୟପାଇଁ । ଜାନୁଆରି ୧୬ ତାରିଖ ଦିନ ଲର୍ଡ଼ ସଭାରେ ମହାରାଜା ଭାଷଣ ଦେବାର ଅଳ୍ପ ଦିନ ପୂର୍ବରୁ ପୂର୍ବପ୍ରସ୍ତୁତ ସ୍ମାରକପତ୍ରଟି ବୈଠକର ପ୍ରତିନିଧିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା ଓଡ଼ିଶା ସମସ୍ୟାର ଅବଗତି ତଥା ଅନୁଧ୍ୟାନପାଇଁ, ଓଡ଼ିଆମାନଙ୍କ ଦୂରବସ୍ଥାର ସ୍ପଷ୍ଟ ଚିତ୍ରଟିଏ ଆକଳନ କରିବାପାଇଁ । ନିର୍ଦ୍ଧାରିତ ସମୟରେ ମହାରାଜା ଆପଣାର ଭାଷଣ ପ୍ରଦାନ କରି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାହା ମଧ୍ୟ ଯେଭଳି ତଥ୍ୟଯୁକ୍ତ ଥିଲା ସେହିଭଳି ବଳିଷ୍ଠ ଯୁକ୍ତି ସମ୍ବଳିତ । ଦୃଢ଼ ଅଥଚ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବେ ମହାରାଜା ନିଜ ବକ୍ତବ୍ୟ ରଖିଥିଲେ-

ଭନ୍ଦ୍ର ମହୋଦୟଗଣ !

ମହାମହିମ ଭାରତ ସମ୍ରାଟଙ୍କ ଶାସିତ ଦଶ ନିୟୁତ ଓଡ଼ିଆ ପ୍ରଜାଙ୍କ ପ୍ରତିନିଧି ରୂପେ ସେମାନଙ୍କ ଦୀର୍ଘ ଦିନର ଏକ ଦୁଃଖପୁର୍ଣ୍ଣ ଅଭିଯୋଗ ମୁଁ ଆଜି ଏଠାରେ ଉପସ୍ଥାପିତ କରିବାକୁ ସୁଯୋଗ ପାଇ ଦଣ୍ଡାୟମାନ ହୋଇଅଛି । ଇତି ପୂର୍ବରୁ, ଅଳ୍ପଦିନ ତଳେ, ମୁଁ ଆପଣମାନଙ୍କ ନିକଟରେ ଯେଉଁ ସ୍ମାରକପତ୍ରଟି ଉପସ୍ଥାପିତ କରିଛି ସେଥିରୁ ଭିନ୍ନଭିନ୍ନ ପ୍ରଦେଶ ସହିତ ଏହି ଓଡ଼ିଆମାନେ ଯୁକ୍ତ ହୋଇ ରହିଥିବା ଯୋଗୁଁ ସେମାନେ କେଉଁକେଉଁ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି ତାହା ଆପଣମନେ ନିଶ୍ଚିତ ରୂପେ ଅବଗତ ହୋଇପାରିଥିବେ ।

ଓଡ଼ିଆମାନେ ଏକତ୍ର ହୋଇ ରହିବାପାଇଁ ଗତ ଶତାବ୍ଦୀର ଶେଷ ଭାଗରୁ ଯେଉଁଭଳି ଆନ୍ଦୋଳନ ସବୁ ଚଳାଇ ଆସିଛନ୍ତି ତାହାର ଇତିହାସ ବର୍ଣ୍ଣନା କରି ମୁଁ ଅବଶ୍ୟ ଆପଣମାନଙ୍କୁ କ୍ଳାନ୍ତ କରିବି ନାହିଁ । କିନ୍ତୁ ସେ ସଂପର୍କରେ ସମସ୍ତ ତଥ୍ୟ ମୋର ଜ୍ଞାତବ୍ୟ ଥିବାରୁ ମୁଁ ଆଜି ଆପଣମନଙ୍କ ସମ୍ମୁଖରେ ଦୃଢ଼ଭାବରେ ଏହି ଦାବି ଉପସ୍ଥାପିତ କରୁଛି ଯେ ଓଡ଼ିଆମାନଙ୍କପାଇଁ ଗୋଟିଏ ‘ସ୍ୱତନ୍ତ୍ର ପ୍ରଦେଶ’ ବର୍ତ୍ତମାନ ଜୀବନ-ମରଣ ପ୍ରଶ୍ନ ଭଳି ଗୁରୁତ୍ବପୁର୍ଣ୍ଣ ସମସ୍ୟା ରୂପେ ଛିଡ଼ା ହୋଇଛି । ସେମାନଙ୍କର ଜନ୍ମଭୂମିକୁ ଭାରତବର୍ଷର ବିଭିନ୍ନ ପ୍ରଦେଶ ସହିତ ଖଣ୍ଡ ବିଖଣ୍ଡିତ କରି ଯୁକ୍ତ କରାଇ ଦିଆଯାଇଛି । ପରିଣାମସ୍ୱରୂପ ପ୍ରତ୍ୟେକ ପ୍ରଦେଶର ସୀମାନ୍ତ ଅଞ୍ଚଳଗୁଡ଼ିକରେ ହଁ ସେମାନେ ବସବାସ କରି ରହୁଛନ୍ତି । ପ୍ରଦେଶର ରାଜଧାନୀଠାରୁ ବହୁ ଦୂରରେ ରହିବା ଫଳରେ ଓଡ଼ିଆମାନଙ୍କୁ ଯେ ସମସ୍ତ ପ୍ରକାର ଅସୁବିଧା ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଅତି ଶୋଚନୀୟ ବ୍ୟାପାର । ପ୍ରତି ପ୍ରଦେଶର ଅଧିବାସୀଙ୍କ ମଧ୍ୟରେ ଓଡ଼ିଆମାନଙ୍କ ସଂଖ୍ୟା ଅତିମାତ୍ରାରେ ନଗଣ୍ୟ ହୋଇଥିବାରୁ ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନଙ୍କ ହାନିଲାଭ ବା ସୁଖ ଦୁଃଖ ପ୍ରତି ସରକାରୀ ଦୃଷ୍ଟି ଆକର୍ଷଣ ଆଦୌ ସହଜ ଭାବରେ ହୋଇପାରେ ନାହିଁ । ସେମାନଙ୍କ ଦାବି କିମ୍ବା ଅଭିଯୋଗର ସ୍ୱର ଅତି କ୍ଷୀଣ ଭାବରେ ଶୁଣାଯାଏ । ଅନ୍ୟାନ୍ୟ ଭାଷାଭାଷୀ ଲୋକଙ୍କର ସଂଖ୍ୟାଗରିଷ୍ଠତା ମଧ୍ୟରେ ସେମାନେ କୁଆଡ଼େ ହଜିଯାଅନ୍ତି ।

ଭଦ୍ର ମହୋଦୟଗଣ ! ମୁଁ ଆଶା କରୁଛି ଆପଣମାନେ ଓଡ଼ିଆମାନଙ୍କର ଏହି ଦୂରବସ୍ଥା ସଂପର୍କରେ ଏବଂ ସେମାନଙ୍କ ସମୁଚିତ ଦାବି ସଂପର୍କରେ ନିଶ୍ଚିତ ରୂପେ ସହାନୁଭୂତିର ସହିତ ବିଚାର କରିବେ । ବହୁ ସରକାରୀ ପ୍ରତିନିଧି ଇତିପୁର୍ବରୁ ଏହି ଦାବିକୁ ବାରମ୍ବାର ସମର୍ଥନ କରିଆସିଛନ୍ତି । ଆମରି ମଙ୍ଗଳପାଇଁ ଭାଷା ଓ ଜାତି ଭିତ୍ତିରେ ଗଠିତ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଆମ୍ଭେମାନେ ଆଶା କରୁଛୁ । ସେତିକି ପାଇଲେ ଯାଇ ଆମେ ସନ୍ତୋଷ ଓ ଶାନ୍ତି ଲାଭ କରିବୁ । ବ୍ରିଟିଶ୍ ଓ ଭାରତୀୟ ରାଜନୀତିଜ୍ଞମାନେ ଭାରତବର୍ଷ ଲାଗି ଯେଉଁସବୁ ସଂସ୍କାରମୂଳକ କାର୍ଯ୍ୟାନୁଷ୍ଠାନମାନ ଆରମ୍ଭ କରିଛନ୍ତି ଏବଂ ପୁଣି ଭବିଷ୍ୟତରେ ବିଭିନ୍ନ ରାଜ୍ୟ ସମନ୍ବୟରେ ଭାରତବର୍ଷରେ ଯେଉଁ ରାଷ୍ଟ୍ରସଂଘ ଗଠିତ ହେବ ତଥା କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟ ଭାଷା ଓ ଗୋଷ୍ଠୀ ଭିତ୍ତିରେ ପୁନର୍ଗଠିତ ହେବ ସେତେବେଳେ ଯଦି ଓଡ଼ିଆମାନେ ଆପଣାର ଲାଗି ଗୋଟିଏ ପ୍ରଦେଶ ପାଇପାରି ନଥିବେ ତେବେ ସେଇଳି ରାଷ୍ଟ୍ରସଂଘରୁ ସେମାନେ କୌଣସି ଉପକାର ପାଇପାରିବେ ନାହିଁ । ଯଦି ଏହି ଦଶ ନିୟୁତ ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଲାଭ ନକରନ୍ତି ତେବେ ଆପଣମାନେ ଏଠାରେ ପ୍ରଦେଶଗୁଡ଼ିକରେ ଯେଉଁ ସାର୍ବଭୌମ କ୍ଷମତାସଂପନ୍ନ ପାର୍ଲ୍ୟାମେଣ୍ଟାରୀ ଶାସନ ସଂସ୍ଥାଗଢ଼ିବାକୁ ବିଚାର ଆଲୋଚନା ଚଳାଇଛନ୍ତି ସେଥିରେ ସେମାନଙ୍କର ପ୍ରଭୂତ କ୍ଷତି ସାଧିତ ହେବ ।

ଏପର୍ଯ୍ୟନ୍ତ ଆମ୍ଭେମାନେ ବହୁ ଧୈର୍ଯ୍ୟର ସହିତ ଅପେକ୍ଷା କରିରହିଛୁ । ଆମର ସମସ୍ତ ଆନୁଗତ୍ୟ ଭାରତ ସମ୍ରାଟଙ୍କ ପ୍ରତି ପ୍ରକାଶକରି ଆମ୍ଭେମାନେ ତାଙ୍କ ନିକଟରୁ ସର୍ବଦା ନ୍ୟାୟ ବିଚାର, ସହାନୁଭୂତି ଏବଂ ସଦୟ ବ୍ୟବହାର ଆଶା କରିଆସିଛୁ । ଆମ୍ଭମାନଙ୍କ ସପକ୍ଷରେ ଲର୍ଡ଼ କର୍ଜନ କହିଥିଲେ- ‘‘ଓଡ଼ିଆମାନେ ଯଦି ବିଦ୍ରୋହ ମନୋଭାବାପନ୍ନ ହୋଇଥାନ୍ତେ- (ଏବଂ ସେମାନେ ତାହା ଆଦୌ ନୁହନ୍ତି) ତେବେ ସେମାନେ ସେମାନଙ୍କ ନ୍ୟାଯ୍ୟଦାବି କେଉଁ କାଳରୁ ଉଚ୍ଚକଣ୍ଠରେ ଶୁଣାଇସାରିଥାଆନ୍ତେ । କିନ୍ତୁ ଯାହା ଦେଖାଯାଇଛି ସେମାନଙ୍କ ସ୍ୱାର୍ଥ ବିନାଦ୍ବିଧାରେ ବଳି ଦିଆଯାଇଛି ।’’

ଏହି ବୈଠକରେ ଆପଣମାନେ ଓଡ଼ିଆମାନଙ୍କ ସମସ୍ୟା ନେଇ ସୁବିଚାର କରିବେ ବୋଲି ମୁଁ ଆଶା କରୁଛି । ନିଶ୍ଚିତ ରୂପେ ଆପଣମାନଙ୍କୁ ଅବଗତ ଥିବ ଯେ ସାଇମନ୍ କମିଶନ, ଭାରତ ସରକାର ଏବଂ ସଂପୃକ୍ତ ପ୍ରାଦେଶିକ ସରକାର ଏହି ପ୍ରଶ୍ନ ସମାଧାନର ତୁରନ୍ତ ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି । ସେମାନେ ଓଡ଼ିଆମାନଙ୍କ ଲାଗି ଏକ ସ୍ୱତନ୍ତ୍ର ପ୍ରଦେଶ ମଞ୍ଜୁର କରିବା ଦିଗରେ କେବଳ ଗୋଟିଏ ପ୍ରତିବନ୍ଧକ ରହିଛି ବୋଲି ମନେକରନ୍ତି- ତାହା ହେଉଛି ରାଜସ୍ୱଜନିତ । ସେଥିପାଇଁ ମୋର ଉତ୍ତର ହେଉଛି- ଗୋଟିଏ ଇତିହାସ ପ୍ରସିଦ୍ଧ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିସଂପନ୍ନ ଜାତିର ଅସ୍ତିତ୍ବକୁ ସୁରକ୍ଷା କରିବା ଦିଗରେ ରାଜସ୍ୱଜନିତ ବ୍ୟାପାର ଏକମାତ୍ର ଅନତିକ୍ରମଣୀୟ ପ୍ରତିବନ୍ଧକ ହୋଇ ନପାରେ । କଥାରେ ଅଛି- ‘କପଡ଼ାକୁ ଚାହିଁ କୁରୁତା ତିଆରି କର ।" ଏଠି ମଧ୍ୟ ସେକଥା ହିଁ ପ୍ରଯୁଜ୍ୟ ହୋଇପାରେ । ମୁଁ ଏଠାରେ ନିଶ୍ଚିତ ଯେ ଓଡ଼ିଆମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ହିତକର ମନୋଭାବ ରହିଆସିଛି । ବିହାର ଓଡ଼ିଶା ଓ ଆସାମ ପ୍ରଦେଶ ଗଠିତ ହେଲାବେଳେ କେନ୍ଦ୍ର ସରକାର ଯେଉଁଭଳି ସେହି ଦୁଇଟି ପ୍ରଦେଶକୁ ସାହାଯ୍ୟ ଦେଲେ ସେଇଳି ଓଡ଼ିଶା ପ୍ରତି ମଧ୍ୟ ସହାୟତା କରିବେ । ଏ କ୍ଷେତ୍ରରେ ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ । ଆମେ ମୂଳରୁ କୌଣସି ଋଣ ନେଇ ପ୍ରଦେଶ ଶାସନ ଆରମ୍ଭ କରିବୁ ନାହିଁ । ବରଂ ଅନ୍ୟପକ୍ଷରେ ଆମେ କିଛି ରାଜସ୍ୱ ସଂଗ୍ରହ କରିପାରିବୁ । ଅଥଚ ଆସାମ ପ୍ରାରମ୍ଭରୁ ଏହି ସମ୍ଭାବନାଟିକୁ ସମ୍ଭବ କରିପାରି ନାହିଁ । ଭାରତୀୟ ବୈଧାନିକ କମିଶନ୍‌କୁ ବିହାର-ଓଡ଼ିଶା ସରକାର ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାହାର ୪୦୪ ପୃଷ୍ଠାରେ ପ୍ରଦତ୍ତ ବିବରଣୀରୁ ଆମେ ଜାଣିବାକୁ ପାଇପାରୁଛୁ ଯେ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ବିଭାଗରୁ ବାର୍ଷିକ ରାଜସ୍ୱ ଆଦାୟ ହୁଏ ଦଶ ନିୟୁତ ଟଙ୍କା ଏବଂ ମୁଁ ନିଶ୍ଚିତ ରୂପେ କହିପାରେ ଯେ ଓଡ଼ିଶା ସ୍ୱତନ୍ତ୍ର ହେଲେ ତାହା ସହିତ ଅନ୍ୟାନ୍ୟ ପ୍ରଦେଶସ୍ଥ ଯେଉଁସବୁ ଓଡ଼ିଆ ଅଞ୍ଚଳ ସ୍ୱତଃପ୍ରବୃତ୍ତ ହୋଇ ନୂତନ ପ୍ରଦେଶ ସହିତ ସଂଯୁକ୍ତ ହେବ ବୋଲି ବିଭିନ୍ନ ସରକାରୀ କମିଟି ରିପୋର୍ଟରେ ରହିଛି ଏବଂ ସୀମା କମିଶନ୍ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳକୁ ଏକୀକରଣ କରାଇବା ଲାଗି ସ୍ଥିର କରିବେ ତଦ୍ଦ୍ୱାରା ଆଉ କେତୋଟି ଜିଲ୍ଲା ମଧ୍ୟ ପୁନର୍ଗଠିତ ଓଡ଼ିଶାରେ ସମ୍ମିଳିତ ହେବ । ପରିଣାମ ସ୍ୱରୂପ ଏହାର ରାଜସ୍ୱ ନିଶ୍ଚିତ ରୂପେ ୨୦.୨ ନିୟୁତ ଟଙ୍କା ହୋଇପାରିବ । ଏହା ଫଳରେ ସରକାର ଯେଉଁ ଆର୍ଥିକ ସଂକଟର ଆଶଙ୍କା କରୁଛନ୍ତି ତାହା ନିଶ୍ଚୟ ଦୂର ହୋଇପାରିବ । ଏତଦ୍‌ବ୍ୟତୀତ ଓଡ଼ିଶାରେ ଥିବା ମାଳ ଅଞ୍ଚଳମାନଙ୍କରୁ ପ୍ରଭୂତ ପରିମାଣରେ ଅବକାରୀ ରାଜସ୍ୱ ମଧ୍ୟ ଆଦାୟ ହୋଇ ପାରିବ । ପୁଣି ଯେଉଁ ଅନେକ ପରିମାଣରେ ଅନାବାଦୀ ଜମି ପତିତ ଅବସ୍ଥାରେ ରହିଛି, ସେଗୁଡ଼ିକୁ ଅବାଦୀ କରାଯିବା ସଂଗେସଂଗେ ଅରଣ୍ୟ ସଂପଦର ବିନିଯୋଗ କରାଯାଇ ଏହି ପ୍ରଦେଶର ରାଜସ୍ୱ ପରିମାଣ ବୃଦ୍ଧି କରାଯାଇପାରିବ ।

ଏ ସବୁ ସାଙ୍ଗକୁ ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳ ଲୁଣ ଉତ୍ପାଦନ କରିବା ଦିଗରେ ଯେତେ ଅନୁକୂଳ, ସମଗ୍ର ସାମ୍ରାଜ୍ୟରେ ସେତେ ବଡ଼ ଦ୍ବିତୀୟ ଉପଯୋଗୀ ଅଞ୍ଚଳ ବୋଧହୁଏ ଆଉ ଥାଇ ନପାରେ । ସେଇ ବାବଦରେ ମଧ୍ୟ ରାଜସ୍ୱ କମ୍ ଆଦୟ ହେବ ନାହିଁ । ପରିଶେଷରେ, ଯଦି ପରିସ୍ଥିତି ବାଧ୍ୟ କରେ ତେବେ ଆମ ପ୍ରଦେଶର ନିଅଣ୍ଟ ରାଜସ୍ୱ ପରିମାଣ ଭରଣ କରିବା ଲାଗି, ଆମେ ଓଡ଼ିଆମାନେ, ସ୍ୱତନ୍ତ୍ର ଟିକସର ବୋଝ ବହନ କରିବାପାଇଁ ପ୍ରସ୍ତୁତ ଅଛୁ । ଭଦ୍ର ମହୋଦୟଗଣ ! ମୁଁ ଆଉ ଆପଣମାନଙ୍କର ମୂଲ୍ୟବାନ ସମୟ ଅଯଥା ନଷ୍ଟ କରିବା ଲାଗି ଇଚ୍ଛା କରୁନାହିଁ । କେବଳ ଏହି ସମସ୍ୟାର ଗୁରୁତ୍ୱ ହୃଦୟଙ୍ଗମ କରାଇବା ଲାଗି ଅନେକ କିଛି କହି ସାରିଲିଣି । ଭାରତବର୍ଷର ଯେକୌଣସି ଅନ୍ୟାନ୍ୟ ଉନ୍ନତ ଜାତି ଭଳି ଓଡ଼ିଆମାନେ ମଧ୍ୟ ଏକ ସ୍ୱଚ୍ଛ, ଐତିହ୍ୟପୂର୍ଣ୍ଣ, ଜାଜ୍ଜଲ୍ୟମାନ ଅତୀତର ଅଧିକାରୀ ହୋଇଥିଲେ ମଧ୍ୟ ଉନ୍ନତ, ସଂସ୍କୃତିସଂପନ୍ନ ବହୁ ସଂଖ୍ୟକ ଅଧିବାସୀଙ୍କୁ ବର୍ତ୍ତମାନ ଅତ୍ୟନ୍ତ ମର୍ମାନ୍ତିକ ଦୁଃଖଦାୟକ ପରିବେଶ ମଧ୍ୟରେ ରଖାଯାଇଛି । ସେଭଳି ଏକ ପୁରାତନ ଜାତିର ଭାଗ୍ୟର ପୁନରୁଦ୍ଧାର କରିବା କିମ୍ବା ନଷ୍ଟଭ୍ରଷ୍ଟ କରିବା ଦାୟିତ୍ବ ଆପଣମାନଙ୍କ ବିଚାର ଉପରେ ନିର୍ଭର କରେ ।’’

ଗଜପତି କୃଷ୍ଣଚନ୍ଦ୍ରଙ୍କ ସେହି ଭାଷଣଟି ଏତେ ମର୍ମସ୍ପର୍ଶୀ ଏବଂ ଯୁକ୍ତି ସମ୍ବଳିତ ଥିଲା ଯେ ସେଠାରେ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରାଇ ଦେଇଥିଲା ଯେମିତି । ସେହି ଦୃଷ୍ଟି ଆକର୍ଷଣକାରୀ ଲିଖିତ ଭାଷଣ ବିରୋଧରେ ସଭାସ୍ଥଳରେ ସାମାନ୍ୟତମ ଗୁଂଜରଣ ମଧ୍ୟ ସୃଷ୍ଟି ହୋଇ ନଥିଲା । ବରଂ ନୂତନ ପ୍ରଦେଶ ଗଠନପାଇଁ ସର୍ବସମ୍ମତ ସମର୍ଥନ ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ ସେହି ବୈଠକରେ ଭାରତର ସବୁ ପ୍ରାଦେଶିକ ସରକାରଙ୍କ ମନୋନୀତ ସଦସ୍ୟଗଣଙ୍କ ସମେତ ଭାରତ ସରକାର ତଥା ଇଂଲଣ୍ଡରେ ଭାରତ ବିଭାଗପାଇଁ କାର୍ଯ୍ୟକରୁଥିବା ପଦସ୍ଥ ଅଫିସରଗଣ ଯୋଗ ଦେଇଥିଲେ । ସେମାନଙ୍କ ସମେତ ଇଂଲଣ୍ଡ ସରକାରଙ୍କ ଉଚ୍ଚତମ ମହଲର ଅନେକ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ବୈଠକରେ ଅଙ୍ଗୀଭୂତ ହେବା ଥିଲା ସ୍ୱାଭାବିକ । ସେଠାରେ ସମୟକ୍ରମେ ଆଲୋଚିତ ହେଉଥିବା ଏପରି କୌଣସି ପ୍ରସ୍ତାବ ନଥିଲା ଯେଉଁଥିରେ କାହାରି ନା କାହାରି କିଛି ବିରୋଧୀ/ନକରାତ୍ମକ ମତାମତ ଉତ୍‌ଥାପିତ ହେଉ ନଥିଲା । କିନ୍ତୁ ଗୌରବର ବିଷୟ, ମହାରାଜାଙ୍କ ସେହି ବକ୍ତବ୍ୟ ଉପରେ କାହାରି କିଛି ବିରୋଧ ନଥିଲା । ବିଶେଷ ଉଲ୍ଲେଖଯୋଗ୍ୟ ଯେ ପ୍ରାରମ୍ଭରୁ ସେତେବେଳ ଯାଏ ପ୍ରବଳ ବିରୋଧ କରିଆସୁଥିବା ମାନ୍ଦ୍ରାଜ ପ୍ରାଦେଶିକ ସରକାରଙ୍କ ପ୍ରତିନିଧି ସେଠାରେ ଉପସ୍ଥିତ ରହିଥିଲେ ସୁଦ୍ଧା ସେହି ଭାଷଣ ମାଧ୍ୟମରେ ଥିବା ପ୍ରସ୍ତାବର କୌଣସି ବିରୋଧ କରିନଥିଲେ । ସର୍ବସମ୍ମତିକ୍ରମେ ମହାରାଜାଙ୍କ ପ୍ରସ୍ତାବଯୁକ୍ତ ଭାଷଣ ଗୃହୀତ ହେବାର ପରିଣତି ସ୍ୱରୂପ ବ୍ରିଟିଶ୍ ସରକାରଙ୍କ ତରଫରୁ ଭାରତ ବିଭାଗ ସଚିବ ଶ୍ରୀ ସାମୁଏଲ୍ ହୋର୍ "ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ ବୋଲି ନୀତିଗତ ଭାବରେ ଘୋଷଣା କରିଥିଲେ । ସରକାର ଯଥାର୍ଥ ଭାବେ ହୃଦୟଙ୍ଗମ କରିଥିଲେ ଯେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକୀକରଣ କରାଯାଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ସମୟ ଉପଗତ । ତେଣୁ ଆଉ ଅଧିକ କାଳବିଳମ୍ବ ନକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବ । ମହାରାଜାଙ୍କ ଭାଷଣ ପରେପରେ ହଁ ସେଇ ସରକାରୀ ଘୋଷଣ ହେବା ସଂଗେସଂଗେ ସେହିଠାରୁ ହିଁ କୃଷ୍ଣଚନ୍ଦ୍ର ୧୯୩୧ ଜାନୁଆରି ୧୯ ତାରିଖ ଦିନ ସରକାରଙ୍କ ସେହି ନୀତିଗତ ନିଷ୍ପତ୍ତିକୁ କେବୁଲ୍ ମାଧ୍ୟମରେ ଓଡ଼ିଶା ପ୍ରେରଣ କରିଥିଲେ । ସେଥିରେ ଆନନ୍ଦ ବିସ୍ଫାରିତ ନେତୃବର୍ଗ ଉତ୍କଳ ସମ୍ମିଳନୀର ସଂପାଦକ ବ୍ରଜସୁନ୍ଦର ଦାସଙ୍କ ବାସଭବନରେ ଉପସ୍ଥିତ ହୋଇ ମହାରାଜାଙ୍କ ଯଶଗାନରେ ଉନ୍ମତ୍ତ ହୋଇ ଯାଇଥିଲେ । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଭୁବନାନନ୍ଦ ଦାସ, ବୀରକିଶୋର ରାୟ, କୃଷ୍ଣଚନ୍ଦ୍ର ମହାପାତ୍ର, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖ ବ୍ୟକ୍ତିମାନେ । ପୁଣି ଦେବାନ୍ ବାହାଦୂର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧିନାୟକତ୍ୱରେ କଟକ ଟାଉନ୍ ହଲରେ ଅନୁଷ୍ଠିତ ଏକ ବିରାଟ ସାଧାରଣ ସଭାରେ ମହାରାଜାଙ୍କ ଯଶଗାନ ସମେତ 'ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ପ୍ରକୃତରେ ଓଡ଼ିଆ ଜାତିର ମଉଡ଼ମଣି' ବୋଲି ଅଭିହିତ କରାଯାଇଥିଲା ।

ସେଇ ସରକାରୀ ନିଷ୍ପତ୍ତିର ଶ୍ରେୟ ମହାରାଜାଙ୍କୁ ପ୍ରଦାନ କରିବାରେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ନେତାଗଣଙ୍କ ବିଚାର ଯେ ସଂପୂର୍ଣ୍ଣ ଯୁକ୍ତିକର ଥିଲା ତାହା ତତ୍‌କାଳୀନ ଭାରତ ବିଭାଗ ସଚିବଙ୍କ ପର ସମୟରେ ପ୍ରଦତ୍ତ ମତରୁ ସ୍ପଷ୍ଟ ବାରିହୋଇପଡ଼େ ।

ଥରେ ବ୍ରିଟିଶ୍ ସାମ୍ରାଜ୍ୟ ଅଧୀନସ୍ଥ ଭାରତର ଶାସନସଂସ୍କାର ପ୍ରକ୍ରିୟାର ଅଂଶ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟକଥନୀ ଏକ ସାକ୍ଷାତ୍‌କାର ବେଳେ ଆଲୋଚନା କରୁଥିଲେ ମିଷ୍ଟର ସାମୁଏଲ୍ ହୋର, ସେଇ ସଂପର୍କରେ ସରକାରୀ ଭାବେ ସର୍ବପ୍ରଥମେ ସେ ହିଁ ଘୋଷଣା କରିଥିଲେ । ସେଇ ପ୍ରସଙ୍ଗରେ ସେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ- ପ୍ରଥମ ଗୋଲଟେବୁଲ୍ ବୈଠକରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ମହାରାଜା କୃଷ୍ଣଚନ୍ଦ୍ର ତାହାର ଏକୀକରଣପାଇଁ ଏଭଳି ଗୁରୁତ୍ୱ ଆରୋପ କରିଥିଲେ ଯେ ସରକାର ବିଭିନ୍ନ ପ୍ରଦେଶରେ ଉପାନ୍ତ ଅଞ୍ଚଳ ରୂପେ ରହିଥିବା ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯିବା ଅତି ଆବଶ୍ୟକ ଏବଂ ସେଥିପାଇଁ ଯଥାର୍ଥ ସମୟ ଉପସ୍ଥିତ ହୋଇ ସାରିଲାଣି ବୋଲି ଅନୁଭବ କରିପାରିଥିଲେ । ତାଙ୍କର ବଳିଷ୍ଠ ତଥା ଯୁକ୍ତି ସମ୍ବଳିତ ଦାବିର ପରିଣାମ ହୋଇଥିଲା ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ସେଇ ଦୃଷ୍ଟିରୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ମହାରାଜାଙ୍କ ଅବଦାନ ନିଶ୍ଚୟ ସ୍ମରଣଯୋଗ୍ୟ ।

ପୁଣି ସେଭଳି ମତାମତକୁ ଆହୁରି ଅଧିକ ପରିପୁଷ୍ଟ କରିଥାଏ ସେଇ ବୈଠକରେ ଯୋଗ ଦେଇଥିବା ଆହୁରି କେତେଜଣ ପ୍ରତିନିଧିଙ୍କ ମତାମତ । ଗୋଲଟେବୁଲ ବୈଠକ ଅନୁଷ୍ଠିତ ହେବାର ଦୀର୍ଘ ଦିନ ପରେ ବିହାର ଓଡ଼ିଶା ବିଧାନସଭାରେ ସଭ୍ୟ ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସେଇ ଓଡ଼ିଶା ବିଷୟକ ଆଲୋଚନା ବେଳେ ବକ୍ତବ୍ୟ ରଖିଥିଲେ ‘ଓଡ଼ିଶା ଜାତିପାଇଁ, ଗୋଲଟେବୁଲ୍ ବୈଠକରେ ଯୋଗ ଦେଇଥିବା ଓଡ଼ିଆ ସୀମା କମିଟିର ସଭ୍ୟ, ପାରଳାଖେମୁଣ୍ଡି ରାଜାଙ୍କର ବିଶିଷ୍ଟ ଅବଦାନ ସଂପର୍କରେ ଉଲ୍ଲେଖ କରିବା ମୋର କର୍ତ୍ତବ୍ୟ । ସାର୍ ସୁଲତାନ୍ ଅହମ୍ମଦ ( ପର ସମୟରେ ବିହାର-ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି) ମଧ୍ୟ ଉକ୍ତ ଗୋଲଟେବୁଲ୍ ବୈଠକରେ ଉପସ୍ଥିତ ଥିଲେ । ସେ ମୋତେ ନିଶ୍ଚୟ ସମର୍ଥନ କରିବେ, ମୁଁ ଯଦି କୁହେ ଯେ ମହାରାଜା ଏକ ଅତି ସୁନ୍ଦର ଓ ମନୋମୁଗ୍ଧକର ଭାଷଣ ଦେଇଥିଲେ ଏବଂ ସେଥିରେ ଥିବା


ତଥ୍ୟପୂର୍ଣ୍ଣ ଯୁକ୍ତିଗୁଡ଼ିକର ପରିଣାମ ସ୍ୱରୂପ୍ତ ଭକ୍ତ ସମ୍ମିଳନୀ ଏକ ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ 'ଓଡ଼ିଶା’ ପ୍ରଶ୍ନର ସମାଧାନ କରାଯିବା ଉଚିତ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ପ୍ରତ୍ୟେକ ସମ୍ଭାବ୍ୟ ଇଞ୍ଚ ଜମି ନୂତନ ପ୍ରଦେଶନ୍ତର୍ଗତ କରାଇବାପାଇଁ ରାଜା ପ୍ରଶଂସାର୍ହ ଉଦ୍ୟମ, ପ୍ରବଳ ସଂଗ୍ରାମ ଓ ଅଗାଧ ପରିଶ୍ରମ କରିଛନ୍ତି ବୋଲି ମୁଁ ମଧ୍ୟ ମୋର ବ୍ୟକ୍ତିଗତ ଅଭିଜ୍ଞତାରୁ ପ୍ରକାଶ କରିପାରେ ।’’

ଅନୁରୂପ ମତାମତ ଥିଲା ବୈଠକର ଅନ୍ୟତମ ପ୍ରତିନିଧି ସାର ସୁଲତାନ୍ ଅହମ୍ମଦଙ୍କର । ୧୯୪୮ ମସିହାରେ ଓଡ଼ିଶାରେ ନୂତନ ହାଇକୋର୍ଟର ଉଦ୍‌ଘାଟନ ଅବସରରେ ଓଡ଼ିଶା ଗଭର୍ଣ୍ଣର ମି. ଆସଫ୍ ଅଲ୍ଲୀ ଏକ ଚାହାଭୋଜିର ଆୟୋଜନ କରିଥିଲେ । ସେଥିରେ ଜଣେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ମିଷ୍ଟର ଅହମ୍ମଦ । ଦୀର୍ଘ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ସେଠାରେ ଆପଣାକୁ ସ୍ବଚ୍ଛନ୍ଦ ଭାବରେ ବ୍ୟକ୍ତ କରିଥିଲେ- ଗୋଲଟେବୁଲ ବୈଠକରେ ମହାରାଜାଙ୍କ ବଳିଷ୍ଠ ଯୁକ୍ତିଗୁଡ଼ିକ ସମ୍ମିଳନୀରେ ସର୍ବସମ୍ମତି ଲାଭ କରିଥିଲା । ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କ ମଧ୍ୟରେ ମହାରାଜା ସର୍ବମାନ୍ୟ ବୋଲି ସେ ମୁକ୍ତମଞ୍ଚରେ ପ୍ରକାଶ କରିବାକୁ କୁଣ୍ଡିତ ନଥିଲେ| ତାଙ୍କର ମତ ଥିଲା - 'The Maharaja was the noblest of all the Noble men of Orissa' ସେହିଭଳି ମତାମତ ପ୍ରଦାନପାଇଁ ନା ସାର୍ ସାମୁଏଲ୍ ହୋର, ନା ସଚ୍ଚିଦାନନ୍ଦ ସିହ୍ନା କିମ୍ବା ସୁଲତାନ୍ ଅହମ୍ମଦଙ୍କୁ କେହି ପ୍ରରୋଚିତ କରି ନଥିଲା କି ସେଭଳି କୌଣସି ନିର୍ଦ୍ଧିଷ୍ଟ ଅବସର ଆୟୋଜିତ ହୋଇ ନଥିଲା । ବିଭିନ୍ନ ସମୟରେ ବିଭିନ୍ନ ପରିପ୍ରେକ୍ଷୀରେ ସେସବୁ ଥିଲା ସେମାନଙ୍କର ସ୍ୱତଃସ୍ଫୂର୍ତ୍ତ ଏବଂ ନିଜସ୍ୱ ମତାମତ, ଆପଣାର ଅଭିଜ୍ଞତାଯୁକ୍ତ ମତାମତ । ବାସ୍ତବରେ ସେହି ମତାମତଗୁଡ଼ିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜାଙ୍କ ଭୂମିକା ନିର୍ଣ୍ଣୟ କରିବାପାଇଁ ଯଥେଷ୍ଟ ଉପାଦାନ ଯୋଗାଇ ଦେଇଥାଏ ।

ଇଂଲଣ୍ଡରୁ ଫେରିବା ଦିନ ପାରଳାଖେମୁଣ୍ଡି ରେଳଷ୍ଟେସନ ଜନାକୀର୍ଣ୍ଣ ହୋଇଯାଇଥିଲା ମହାରାଜାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇବାପାଇଁ । ପ୍ରାୟ ଦଶହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ । ପୁଣି ସାରା ସହରର ଗଳିକନ୍ଦିରେ ଆବାଳ- ବୃଦ୍ଧବନିତାର ପ୍ରବଳ ଉଲ୍ଲାସ । ସେମାନେ ଓଡ଼ିଶା ସହ ମିଶିବାପାଇଁ ପଥ ଉନ୍ମୁକ୍ତ କରିଛନ୍ତି ମହାରାଜା; ସେମାନଙ୍କ ପ୍ରିୟ ମହାରାଜା ! ତତ୍‌ପରେପରେ ଦେଶରେ ଅନୁଷ୍ଠିତ ହୋଇଥିଲା ୧୯୩୧ ମସିହାର ଜନଗଣନା । ଓଡ଼ିଆ ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ପହଞ୍ଚିବା ପରେପରେ ମହାରାଜା ଅନୁଭବ କରିପାରିଥିଲେ ସେହି ଆନ୍ଦୋଳନ ବିରୁଦ୍ଧରେ ମାନ୍ଦ୍ରାଜ ସରକାରଙ୍କ ବିଭିନ୍ନ ଚକ୍ରାନ୍ତ । ସରକାରୀ ସ୍ତରରେ ଗଂଜାମର ଓଡ଼ିଆମାନଙ୍କୁ ତେଲୁଗୁ ରୂପେ ରେକର୍ଡ଼ଭୁକ୍ତ କରାଯାଉଥିବା ଉଦ୍ୟମ ଏବଂ ତାହାକୁ ଭିତ୍ତିକରି ଓଡ଼ିଆ ଅଞ୍ଚଳ ସବୁକୁ ତେଲୁଗୁ ଅଞ୍ଚଳ ହିସାବରେ ପରିଚିତ କରାଇବାର ହୀନ ଚକ୍ରାନ୍ତ । ଜନଗଣନା ତଥ୍ୟର ଅନୁଶୀଳନ କରି ତାହା ସେ ମର୍ମେମର୍ମେ ଅନୁଭବ କରିପାରିଥିଲେ । ସେଇ ରେକର୍ଡ଼ ଅନୁଯାୟୀ ୧୯୦୧, ୧୯୧୧ ଏବଂ ୧୯୨୧ ଜନ‌ଗଣନା ତ‌ଥ୍ୟ ଅନୁସାରେ ମାନ୍ଦ୍ରାଜ ପ୍ରେସିଡେନ୍‌ସିରେ ଓଡ଼ିଆଙ୍କ ସଂଖ୍ୟା କ୍ରମଶଃ କମିକମି ଯାଇଥିଲା ଏବଂ ଅନ୍ୟାନ୍ୟ ସଂପ୍ରଦାୟଗୁଡ଼ିକ କ୍ରମେ ସ୍ଫିତ ହୋଇ ଉଠିଥିଲେ । ସେହି ସଂପର୍କିତ ତଥ୍ୟ ମଧ୍ୟ ସଂଯୋଜିତ କରିଥିଲେ ଗୋଲ୍ ଟେବୁଲ ବୈଠକ ଅବସରରେ ପ୍ରସ୍ତୁତ ଏବଂ ବୈଠକର ସଭ୍ୟମାନଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ । ସେଥିରେ ଜ‌ନ‌ଗଣନା ସଂଗୃହୀତ ତ‌ଥ୍ୟ ପ୍ରଦାନ କରି ସେ ସୂଚାଇ ଦେଇଥିଲେ ଯେ ୧୯୦୧ ଜନଗଣନା ବେଳେ ମାନ୍ଦ୍ରାଜ ଶାସନାନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ଓଡ଼ିଆଭାଷୀ ଜନଗଣ ଥିଲେ ପ୍ରାୟ ସାଢ଼େ ୧୨ ଲକ୍ଷ । ପରବର୍ତ୍ତୀ ଦଶନ୍ଧିରେ, ୧୯୧୧ ବେଳକୁ ସମଗ୍ର ଜିଲ୍ଲାରେ ପ୍ରାୟ ଦୁଇ ଲକ୍ଷ ଜନସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଓଡ଼ିଆଭାଷୀଙ୍କ ସଂଖ୍ୟା ପ୍ରାୟ ତିନି ଲକ୍ଷ କମିଯାଇ ପ୍ରାୟ ସାଢ଼େ ନଅ ଲକ୍ଷରେ ପହଞ୍ଚିଥିବା ବେଳେ ସେଇ ଦଶବର୍ଷ ଭିତରେ ଜିଲ୍ଲାର ସଂଖ୍ୟାନ୍ୟୂନ ତେଲୁଗୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ପ୍ରାୟ ପାଞ୍ଚ ଲକ୍ଷ । ୧୯୨୧ ଜନ‌ଗଣନା ବେଳେ ବି ଅବସ୍ଥା ଥିଲା ତଦ୍ରୂପ ।

ତେଣୁ ଏହି ଅବାସ୍ତବତାକୁ ଯଥାର୍ଥରେ ଅନୁଭବ କରି ୧୯୩୧ ବେଳେ ତାହାର ଯେଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରଗାଢ଼ ଉଦ୍ୟମ କରିଥିଲେ ମହାରାଜା । ପାରଳାରେ ଦାଦା ପଦ୍ମନାଭ ଦେବଙ୍କଦ୍ବାରା ପ୍ରତିଷ୍ଠିତ ଏବଂ ପିତା ଗୌରଚନ୍ଦ୍ର ଦେବଙ୍କ ପ୍ରତ୍ୟକ୍ଷ ସ୍ମୃତି ବିଜଡ଼ିତ ଉତ୍କଳ ହିତୈଷିଣୀ ସମାଜର ସଭ୍ୟଗଣଙ୍କୁ ଜାଗ୍ରତ କରାଇଥିଲେ ୧୯୩୧ ଜନଗଣନା ବେଳେ । ସେମାନଙ୍କୁ ଉତ୍ସାହିତ ତଥା ପ୍ରରୋଚିତ କରିଥିଲେ କେବଳ ନିଜ ଜମିଦାରି ନୁହେଁ ସମଗ୍ର ଗଂଜାମ ଏବଂ ବିଶାଖାପଟଣା ଜିଲ୍ଲାରେ, ବିଶେଷକରି ତେଲୁଗୁ କର୍ମଚାରୀଙ୍କ ଦ୍ବାରା କବଳିତ ଏବଂ ପରିଚାଳିତ, ଜନସୁମାରି ଯେଭଳି ନ୍ୟାୟୋଚିତ ଏବଂ ଯଥାଯଥ ଭାବରେ ଅନୁଷ୍ଠିତ ହୁଏ ସେ ଦିଗରେ ଯତ୍‌ପରେନାସ୍ତି ଉଦ୍ୟମ କରିବାପାଇଁ । ସେତେବେଳେ ଅନୁଷ୍ଠାନର ପୃଷ୍ଠପୋଷକ ମହାରାଜାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ କ୍ରମେ ସଭ୍ୟଗଣ ଅଣ୍ଟା ଭିଡ଼ିଥିଲେ ମାନ୍ଦ୍ରାଜର ସଂଖ୍ୟାଲଘୁ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷାପାଇଁ । ସଠିକ ଭାବରେ ଓଡ଼ିଆ ତଥା ଆଦିବାସୀ ସଂପ୍ରଦାୟ ଯେପରି ଜନଗଣନା ନଥିପତ୍ରରେ ରେକର୍ଡ଼ଭୁକ୍ତ ହେବେ ସେଥିପାଇଁ ସେମାନେ ପ୍ରବଳ ଉଦ୍ୟମ ଆରମ୍ଭ କରିଥିଲେ । ହିତୈଷିଣୀ ସମାଜର ସଭ୍ୟମାନଙ୍କଦ୍ବାରା ସେଇ ପ୍ରଚାରମୂଳକ ଅଭିଯାନକୁ ମାନ୍ଦ୍ରାଜ ସରକାରୀ ଉଚ୍ଚ ହାକିମମାନେ ବିଷ ଦୃଷ୍ଟିରେ ଦେଖୁଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଗଂଜାମର କଲେକ୍ଟର ମି. ଡ଼ିକ୍‌ସନ୍ ଏବଂ ମାନ୍ଦ୍ରାଜର ଜନଗଣନା କମିଶନର ମି. ଇଟ୍‌ସ । ସେମାନେ ବିଭିନ୍ନ ପ୍ରକାରର ଧମକ ଚମକ ଦେଇଥିଲେ ମଧ୍ୟ ତାହାକୁ ହିତୈଷିଣୀର କର୍ମୀଗଣ ବିଶେଷ ଗୁରୁତ୍ୱ ଦେଇନଥିଲେ ମହାରାଜାଙ୍କ ଭରସା ପାଇ ।

ଇତି ମଧ୍ୟରେ ଲଣ୍ଡନରେ ଦ୍ବିତୀୟ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେଇ ସମୟରେ ପ୍ରଥମ ଗୋଲଟେବୁଲ ବୈଠକ ବେଳେ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରସ୍ତାବକୁ କେନ୍ଦ୍ରକରି ଆଲୋଚନାମାନ ହୋଇଥିଲା । ୧୯୩୧ ମସିହା ସେପ୍ଟେମ୍ବର ସାତ ତାରିଖ ଦିନ ଏହି ବୈଠକ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିଥିଲା ।

ତଦନୁଯାୟୀ ତାହାର ପରବର୍ତ୍ତୀ ପଦକ୍ଷେପ ସୀମା କମିଟି ଗଠନ । ସେଇ ସେପ୍ଟେମ୍ବର ମାସରେ ହିଁ ତାହା ଗଠିତ ହୋଇଥିଲା । ନୂତନ ପ୍ରଦେଶପାଇଁ ସୀମ ସରହଦ ସମେତ ଶାସନଗତ, ଆର୍ଥନୀତିକ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସୁପାରିସ କରିବା ଥିଲା ତାହାର ଉଦ୍ଦେଶ୍ୟ । ତତ୍‌ସହିତ ସେଭଳି ଶାସନ ସଂସ୍କାରର ପରିଣାମ ସ୍ୱରୂପ ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଶାସନ ଉପରେ ତାହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରି ମତାମତ ଦେବାପାଇଁ ମଧ୍ୟ କମିଟିକୁ ପ୍ରସ୍ତାବ ଦିଆଯାଇଥିଲା । ସେହି କମିଟିଟି ସୀମା କମିଟି/ଓଡ଼୍‌ନାଲ୍ କମିଟି ରୂପେ ଦେଶରେ ବିଶେଷ ଭାବରେ ପରିଚିତି ଲାଭ କରିଥିଲା ।