ଆମ ପାରଳା ମହାରାଜା/ତିନି କମିଟି ଓ ମହାରାଜା
←କେନ୍ଦ୍ରମଞ୍ଚର କେନ୍ଦ୍ରବିନ୍ଦୁରେ | ଆମ ପାରଳା ମହାରାଜା ଲେଖକ/କବି: ତିନି କମିଟି ଓ ମହାରାଜା |
ଗୋଲ୍ଟେବୁଲ୍ ବୈଠକରେ→ |
ଫିଲଫ୍ ଡଫ୍ କମିଟି ସୁପାରିଶ ୧୯୨୪ ଡିସେମ୍ବରରେ ସରକାର ପାଇବା ପରେ ପରେ ତତ୍ ସଂପର୍କରେ ବିଶଦ ଭାବରେ ତର୍ଜମା ହୋଇଥିଲା ଉଚ୍ଚତମ ମହଲରେ । ତତ୍ପରେ ୧୯୨୬ ମସିହାରେ ତତ୍ସହିତ ସଂପୃକ୍ତ ମାନ୍ଦ୍ରାଜ ସରକାରଙ୍କର ମତାମତ ଲୋଡ଼ାଯାଇଥିଲା । ସ୍ୱତନ୍ତ୍ର ପ୍ରଦେଶରେ ତତ୍କାଳୀନ ଗଂଜାମ ଜିଲ୍ଲାରେ ଥିବା ପାଞ୍ଚଟି ଡିଭିଜନର ୧୪ଟି ତାଲୁକା ମଧ୍ୟରୁ ଘୁମୁସର ( ଘୁମୁସର, ଆସିକା, ସୋରଡ଼ା ତାଲୁକା) ଏବଂ ଛତ୍ରପୁର (ଛତ୍ରପୁର, କୋଦଳା) ଡିଭିଜନ୍ ସଂପୂର୍ଣ୍ଣ ସାମିଲ୍ ହେବାପାଇଁ ନିର୍ବାରିତ ହୋଇଥିଲା । ଅନ୍ୟ ତିନିଟି ଡିଭିଜନ-ବ୍ରହ୍ମପୁରର(ବ୍ରହ୍ମପୁର, ସୋମପେଣ୍ଠ, ଇଚ୍ଛାପୁର) ସୋମପେଣ୍ଠ, ଶ୍ରୀକାକୁଲମ୍ର (ଶ୍ରୀକାକୁଲ୍ମ, ଟିକାଲି, ପାରଳାଖେମୁଣ୍ଡି) ପାରଳାଖେମୁଣ୍ଡି ଓ ଟିକାଲି ଏବଂ ଏଜେନ୍ସି ଡିଭିଜନ୍ର (ବାଲିଗୁଡ଼ା, ରାମଗିରି, ଉଦୟଗିରି) ରାମଗିରି ତାଲୁକାଗୁଡ଼ିକ ବ୍ୟତୀତ ଅନ୍ୟ ତାଲୁକାଗୁଡ଼ିକର ନୂତନ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହେବ ବୋଲି ଅପାତତଃ ସ୍ଥିର ହୋଇଥିଲା । ତେଣୁ ମୋଟ ଦଶଟି ତାଲୁକାକୁ ବାଦଦେଇ ଅନ୍ୟ ଚାରୋଟି ତାଲୁକା- ସୋମପେଣ୍ଠ, ପାରଳାଖେମୁଣ୍ଡି, ଟିକାଲି ଏବଂ ରାମଗିରି ଅଞ୍ଚଳରେ ବସବାସକରି ରହୁଥିବା ତେଲୁଗୁଭାଷୀ ଜନଗଣଙ୍କ ମତାମତ ସଂଗ୍ରହକରି ସେମାନେ ବାସ୍ତବରେ ନୂତନ ଓଡ଼ିଶା ସହିତ ମିଶ୍ରଣର ସପକ୍ଷ କିମ୍ବା ବିପକ୍ଷବାଦୀ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାପାଇଁ ମାନ୍ଦ୍ରଜ ସରକାରଙ୍କୁ ଜଣାଇ ଦିଆଯାଇଥିଲା । ସେତିକିବେଳେ ମଧ୍ୟ (କେନ୍ଦ୍ର) ପ୍ରଦେଶର ଖଡ଼ିଆଳକୁ ଓଡ଼ିଶା ସହ ଯୁକ୍ତ କରାଯିବାର ପ୍ରସ୍ତାବ ରହିଥିବା ବେଳେ ବିଶାଖାପାଟଣା ଜିଲ୍ଲାକୁ ପୂର୍ବଭଳି ମାନ୍ଦ୍ରାଜ ସହିତ ରହିବା ଲାଗି ଆପାତତଃ ସ୍ଥିର କରାଯାଇଥିଲା ।
ବିଭିନ୍ନ ଅଞ୍ଚଳପାଇଁ ସେଭଳି ମତାମତ ଲୋଡ଼ାଯିବାର ମୂଳ କାରଣ ଥିଲା ପ୍ରଥମରୁ ଗଞ୍ଜାମ ଅଞ୍ଚଳକୁ ବିଛିନ୍ନ କରିବାପାଇଁ ମାନ୍ଦ୍ରାଜ ସରକାରଙ୍କ ନକରାତ୍ମକ ମନୋଭାବ । ମାନ୍ଦ୍ରଜ ସରକାର କେନ୍ଦ୍ରକୁ ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ ଯେ ସେମାନଙ୍କ ପୂର୍ବମତ ପରିବର୍ତ୍ତନର କୌଣସି କାରଣ ନାହିଁ । ସେହି ସଂପର୍କରେ ମାନ୍ଦ୍ରାଜ ସରକାରଙ୍କ ଯୁକ୍ତି ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ । ସେହି ଯୁକ୍ତି ଅନୁଯାୟୀ ଗଞ୍ଜାମର ଓଡ଼ିଆ ସଂଖ୍ୟାବହୁଳ ଅଞ୍ଚଳ ଅତ୍ୟନ୍ତ ସୀମିତ; ତେଲୁଗୁମାନେ ଓଡ଼ିଆ ଭାଷା ବ୍ୟବହାର କରୁଥିବାରୁ ସେମାନଙ୍କୁ ଓଡ଼ିଆ ରୂପେ ଚିହ୍ନଟ କରାଯାଉଛି । ଅନୁନ୍ନତ ଓଡ଼ିଆଙ୍କ ହିତାହିତ ବିଚାରର ଯଥାର୍ଥ ଶକ୍ତି ନାହିଁ; ଏଠିକାର ଓଡ଼ିଆଙ୍କ ଭାଷା ସମେତ ଚାଳିଚଳଣ, ରୀତିନୀତି ସବୁ ଓଡ଼ିଶାର ଓଡ଼ିଆ ଲୋକଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ... ଇତ୍ୟାଦି, ଇତ୍ୟାଦି । ବିଶେଷ ଉଲ୍ଲେଖଯୋଗ୍ୟ ଥିଲା ଫିଲଫ୍-ଡଫ୍ କମିଟିର କଠୋର ସମାଲୋଚନା । ତାଙ୍କରି ଅଧୀନସ୍ଥ ଜଣେ ଜିଲ୍ଲା କଲେକ୍ଟର ଭଳି ଉଚ୍ଚପଦବୀଧାରୀ ଅଫିସରଙ୍କ ରିପୋର୍ଟକୁ ମଧ୍ୟ ଆକ୍ଷେପ କରିଥିଲେ ଯେ ସେହି କମିଟି କେବଳ ଉକ୍ତ ଅଞ୍ଚଳର ଓଡ଼ିଆଭାଷୀ ଲୋକଙ୍କ ମତାମତ ସଂଗ୍ରହ କରିଥିବା ବେଳେ ଅନ୍ୟଭାଷୀ ଲୋକଙ୍କ ମତାମତ ଆଦୌ ନିଆଯାଇନାହିଁ । ତେଣୁ ସେହିଭଳି ଭାବରେ ସେଇ ଅଞ୍ଚଳର ତେଲୁଗୁ ଲୋକଙ୍କର ମତାମତ ଜାଣିବାପଇଁ ଆଉ ଏକ କମିଟି ଗଠନ କରାଯାଉ ।
ତେଲୁଗୁ ରାଜକର୍ମଚାରୀଗଣଙ୍କଦ୍ବାରା ସଂପୂର୍ଣ୍ଣ ପ୍ରଭାବିତ ମାନ୍ଦ୍ରାଜ ପ୍ରାଦେଶିକ ସରକାରଙ୍କ ସେହି ମତାମତକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଗ୍ରହଣ କରି ନଥିଲେ । ପଦସ୍ଥ ଇଂରେଜ ଅଧିକାରୀଙ୍କ ମତରେ ଅଧିକ ଯଥାର୍ଥତା ଥିବା ଅନୁଭବ କରିଥିଲେ କେନ୍ଦ୍ର ସରକାର । ସଂପୃକ୍ତ ଅଞ୍ଚଳର କଲେକ୍ଟର ତୃଣମୂଳ ସ୍ତରୀୟ ଅନୁଧ୍ୟାନ କରିଥିବା ଯୋଗୁଁ ସେହି ସୁପାରିଶରେ ବାସ୍ତବତା ଥିବା ଅନୁଭବ କରି ଦକ୍ଷିଣ ବିଛିନ୍ନାଞ୍ଚଳର ଓଡ଼ିଆ ଅଞ୍ଚଳ ସବୁକୁ ଓଡ଼ିଶା ସହ ମିଶ୍ରଣ ପାଇଁ ସପକ୍ଷବାଦୀ ଥିଲେ ଏବଂ ସେହି ସମସ୍ୟା ସଂପର୍କରେ ସଂପୃକ୍ତ ବିହାର-ଓଡ଼ିଶା ସରକାରଙ୍କ ମତାମତ ଲୋଡ଼ିଥିଲେ । ତତ୍ ସହିତ କମିଟିର ସୁପାରିସ ଏବଂ ମାନ୍ଦ୍ରାଜ ସରକାରଙ୍କୁ ପ୍ରଦତ୍ତ ପତ୍ରର ନକଲ ମଧ୍ୟ ଯୋଗାଇ ଦେଇଥିଲେ । କେନ୍ଦ୍ରର ସେଭଳି ପଦକ୍ଷେପରେ ମାନ୍ଦ୍ରାଜ ସରକାର ବିଶେଷ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ଏବଂ କେନ୍ଦ୍ରକୁ ଆକ୍ଷେପ କରିଥିଲେ ଯେ ବଙ୍ଗ କିମ୍ବା କେନ୍ଦ୍ର ମଧ୍ୟପ୍ରଦେଶ ଭଳି ଅନ୍ୟାନ୍ୟ ପ୍ରାଦେଶିକ ସରକାରଙ୍କ ତୁଳନାରେ ମାନ୍ଦ୍ରାଜ ସରକାରଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଉ ନାହିଁ । ଦେଶ ମିଶ୍ରଣ ସଂପର୍କୀୟ ସେମାନଙ୍କ ମତାମତକୁ ସଂପୂର୍ଣ୍ଣ ଉପେକ୍ଷା କରାଯାଉଛି ଏବଂ ପ୍ରାଦେଶିକ ସରକାରଙ୍କ ଇଚ୍ଛା ବିରୁଦ୍ଧରେ କମିଶନ ( ଫିଲଫ୍ ଡଫ୍) ଗଠିତ ହେଉଛି । ତା ସତ୍ତ୍ୱେ ଯଦି ଗଂଜାମକୁ ମାନ୍ଦ୍ରାଜରୁ ବିଚ୍ଛିନ୍ନ କରାଯାଏ ତେବେ ସେଠାରେ ବିଭିନ୍ନ ଉନ୍ନୟନ ଯୋଜନାରେ ଖର୍ଚ୍ଚ ହୋଇଥିବା ୬୧.୫ ଲକ୍ଷ ଟଙ୍କା ବିହାର ସରକାର ମାନ୍ଦ୍ରାଜକୁ ଦେବାକୁ ହେବ। ସେଇ ସମୟରେ ୧୯୦୪,୧୯୨୨ ଏବଂ ୧୯୨୫ରେ ଦେଇଥିବା ମତାମତକୁ ପୁଣି ଥରେ ପ୍ରଦାନ କରିଥିଲେ କେନ୍ଦ୍ର ସରକାରଙ୍କୁ ।
ଏଭଳି ପ୍ରବଳ ପ୍ରତିହିଂସାମୂଳକ ବିଷୋଦ୍ଗାରକୁ କେନ୍ଦ୍ର ଗ୍ରହଣ କରିବାପାଇଁ ବିଶେଷ କୁଣ୍ଠିତ ହୋଇଥିଲେ । ଅତ୍ୟନ୍ତ ଅନାବଶ୍ୟକ ମନେ କରିଥିଲେ ଗୋଟିଏ ପ୍ରାଦେଶିକ ସରକାରଙ୍କ ଉନ୍ନୟନମୂଳକ ଖର୍ଚ୍ଚକୁ ଅନ୍ୟ ଗୋଟିଏ ପ୍ରାଦେଶିକ ସରକାର ଭରଣା କରିବା ବିଷୟକ ଆଲୋଚନା । ପୁଣି ମାନ୍ଦ୍ରାଜ ସରକାରଙ୍କ ଅନ୍ୟତମ ପରାମର୍ଶ ଥିଲା ରାଜକୀୟ ବୈଧାନିକ କମିଶନ୍ ( ସାଇମନ୍ କମିସନ୍) ନିକଟ ଭବିଷ୍ୟତରେ ଆସିବାକୁ ଥିବା ଯୋଗୁଁ ଏବଂ ପ୍ରାଦେଶିକ ସୀମା ନିର୍ଦ୍ଧାରଣ ଭଳି ନିଷ୍ପତ୍ତି ସେମାନଙ୍କ ସ୍ତରରେ ହିଁ ସମାହିତ ହେବାକୁ ଥିବା ଯୋଗୁଁ ସେ ପର୍ଯ୍ୟନ୍ତ ଅନ୍ତତଃ ଅପେକ୍ଷା କରାଯାଉ ।
କେନ୍ଦ୍ର ସରକାର କିନ୍ତୁ ଅପେକ୍ଷା କରିଥିଲେ ବିଭାଜିତ ହେବାକୁ ଥିବା ଅଞ୍ଚଳର ତେଲୁଗୁ, ଭାଷୀଙ୍କର ମତାମତ ଜାଣିବାପାଇଁ । ଇତି ମଧ୍ୟରେ ଉକ୍ତ କମିଟି ସୁପାରିଶରେ ଉତ୍ସାହିତ ଓଡ଼ିଆ ନେତୃମଣ୍ଡଳୀ ବିହାର-ଓଡ଼ିଶା ବିଧାନସଭାରେ ଦାବି ଉପସ୍ଥାପନ କରିଥିଲେ ତାହାକୁ କାର୍ଯ୍ୟକାରୀ କରିବାପାଇଁ । ମହାରାଜା କୃଷ୍ଣଚନ୍ଦ୍ର ବିଧାନସଭା ଓ କେନ୍ଦ୍ରୀୟ ପରିଷଦର ସଦସ୍ୟମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ସମେତ ବରାବର ଆଲୋଚନାମାନ ଚଳାଇ ରଖିଥିଲେ । ତତ୍ସମେତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶାକାଂକ୍ଷୀ ନେତାଗଣଙ୍କ ସହିତ ମଧ୍ୟ ବିଚାର ଆଲୋଚନାରେ ଅବ୍ୟାହତି ନଥିଲା । ସେହି ଅନୁଯାୟୀ ବିଭିନ୍ନ କାର୍ଯ୍ୟ ପନ୍ଥା ମଧ୍ୟ ଗ୍ରହଣ କରୁଥିଲେ; ବିଶେଷକରି ପରିଷଦଗଣଙ୍କୁ ପ୍ରଚୋଦିତ କରୁଥିଲେ ସେହି ପ୍ରଶ୍ନକୁ ବିଧାନସଭା/ପରିଷଦରେ ବାରମ୍ବାର ଉତ୍ଥାପନପାଇଁ । ପୁଣି ୧୯୨୫ ମସିହାରେ ବିହାର-ଓଡ଼ିଶା ଅର୍ଥମନ୍ତ୍ରୀ କନିକାରାଜାଙ୍କ ନେତୃତ୍ବରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ମଧୁସୂଦନ ପାଣିଗ୍ରାହୀ, ଆପନ୍ନା ପରିଚ୍ଛା, ଗୌରଚନ୍ଦ୍ର ସାମନ୍ତରାୟ, ବିଚିତ୍ରାନନ୍ଦ ଦାସ ଏବଂ ଲକ୍ଷ୍ମୀ ନାରାୟଣ ସାହୁ କେନ୍ଦ୍ର ଘରୋଇ ବିଭାଗ ସଭ୍ୟ ଶ୍ରୀ ମ୍ୟୁଡ଼ିମ୍ୟାନ୍ଙ୍କୁ ସାକ୍ଷାତ୍ ଆଲୋଚନା କରି ନୂତନ ପ୍ରଦେଶ ଗଠନ ଦାବି ଜଣାଇଥିଲେ । ପୁଣି କେନ୍ଦ୍ର ବିଧାନପରିଷଦରେ ୧୯୨୬ ଫେବ୍ରୁଆରି ଆଠ ତାରିଖ ଦିନ ପଣ୍ଡିତ ନୀଳକଣ୍ଠ କୌଣସି ପ୍ରଦେଶ ନୁହେଁ- ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି ପ୍ରସ୍ତାବ ଆଗତ କରିଥିଲେ ଏବଂ ତାହାରି ଉପରେ ବିଶେଷ ଆଲୋଚନା ମଧ୍ୟ ହୋଇଥିଲା । ସେତିକିବେଳେ ଶ୍ରୀ ଭୁବନାନନ୍ଦ ଦାସଙ୍କ ଯୁକ୍ତିକୁ ଆଧାରକରି ବିହାର ସଭ୍ୟ ଗୟାପ୍ରସାଦ ସିଂହଙ୍କ ଯୁକ୍ତି ଥିଲା- ବର୍ଭମନ ସବୁ ଓଡ଼ିଆ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଓଡ଼ିଶା ଡିଭିଜନ୍ ପୁନର୍ଗଠିତ ହେଉ ।
ଗୟାପ୍ରସାଦଙ୍କର ସେହି ପ୍ରସ୍ତାବ ସହିତ ଶ୍ରୀ ମ୍ୟୁଡ଼ିମ୍ୟାନ ସମ୍ମତ ହୋଇଥିଲେ । ସେ ତାଙ୍କର ବକ୍ତବ୍ୟ ରଖିଥିଲେ ଯେ ତତ୍କାଳୀନ ରାଜନୀତିକ ପୃଷ୍ଠଭୂମିରୁ ସ୍ୱତନ୍ତ୍ର ଓଡ଼ିଶା ଗଠନ ପ୍ରସ୍ତାବ ରାଜକୀୟ କମିଶନ ପାଇଁ ସ୍ଥଗିତ ରଖାଯାଇ, ବର୍ତ୍ତମାନ ଯଦି ଆର୍ଥିକ ଅସ୍ୱଚ୍ଛଳତା ସୃଷ୍ଟି ନହୁଏ ତେବେ, ଓଡ଼ିଶା ଡିଭିଜନକୁ ସ୍ୱଳ୍ପ ମାତ୍ରାରେ ପୁନର୍ଗଠନ କରାଯାଇପାରେ । କେନ୍ଦ୍ର ତଥା ବିହାରଓଡ଼ିଶା ପ୍ରାଦେଶିକ ସରକାରଙ୍କୁ ଯଥାର୍ଥ ଅବଗତ କରାଇ ସେଥିପାଇଁ ସେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥିଲେ । ତାଙ୍କରି ପରାମର୍ଶକ୍ରମେ ପୂର୍ବ ପ୍ରସ୍ତାବିତ ଗଞ୍ଜାମର ଦଶଟି ତାଲୁକାକୁ ଓଡ଼ିଶା ସହ ମିଶ୍ରଣ କରାଗଲେ ତାହାର ଆର୍ଥିକ ପରିଣତି ଅନୁଧ୍ୟାନପାଇଁ ବିହାର-ଓଡ଼ିଶା ସରକାରଙ୍କ ଅର୍ଥ ପରାମର୍ଶଦାତା ଶ୍ରୀ ୟୁ.ଏନ୍.ସେନ୍ ନିଯୁକ୍ତ ହୋଇଥିଲେ । ଶ୍ରୀ ସେନଙ୍କ ଅନୁଧ୍ୟାନମୂଳକ ରିପୋର୍ଟରେ ଥିଲା ଯେ ଗଞ୍ଜାମର ଉକ୍ତ ଅଞ୍ଚଳଗୁଡ଼ିକର ବାର୍ଷିକ ଆୟ ୨୫.୦୬ ଲକ୍ଷ ଟଙ୍କା ଥିବାବେଳେ ବ୍ୟୟ ଅଟକଳର ମାତ୍ରା ୩୬.୪୨ ଲକ୍ଷ । ପ୍ରାୟ ୧୧.୫୦ଲକ୍ଷ ଟଙ୍କାର ଅଧିକ ବ୍ୟୟ ବରାଦ ପାଇଁ ପ୍ରାଦେଶିକ ସରକାର ବିଶେଷ ଭାବେ କୁଣ୍ଠିତ ହୋଇଥିଲେ । ଏହି ନିଅଣ୍ଟ ପରିମାଣ କେନ୍ଦ୍ର ଯଦି ଭରଣାକରେ ତା’ ହେଲେ ସେଭଳି ପ୍ରସ୍ତାବ ଗ୍ରହଣୀୟ ବୋଲି ବିହାର ଓଡ଼ିଶା ସରକାର କେନ୍ଦ୍ରକୁ ଜଣାଇବା ପରେ ଭାରତ ସରକାର ମଧ୍ୟ ସେ ଦିଗରେ ଆଉ ଅଧିକ ଆଗ୍ରହ ପ୍ରକାଶ କରିନଥିଲେ । ଅପେକ୍ଷା କରିବାକୁ ବରଂ ଶ୍ରେୟ ମନେ କରିଥିଲେ ବୈଧାନିକ କମିଶନଙ୍କ ଭାରତ ଆଗମନପାଇଁ । କାରଣ ବିଖ୍ୟାତ ସାଇମନ୍ କମିଶନ ରୂପେ ପରିଚିତ ସେହି କମିଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଗତ ମଣ୍ଟେଗୁ ଚେମ୍ସଫୋର୍ଡ଼ ଶାସନ ସଂସ୍କାରର ପରିଣତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ପରସ୍ଥିତିରେ ଆବଶ୍ୟକ ମନେ ହେଉଥିବା ଭାରତର ଶାସନ ସଂସ୍କାର ସଂପର୍କରେ ପରାମର୍ଶ ଦେବା ।
୧୯୨୭ ନଭେମ୍ବର ୨୬ ତାରିଖ ଦିନ ଇଂଲଣ୍ଡର ଲର୍ଡ଼ ସଭାରେ ସେହି ବୈଧାନିକ କମିଶନ ଗଠନ ହେବା କଥା ଘୋଷିତ ହୋଇଥିଲା । ସେହି କମିଟିରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ସାତଜଣ ବ୍ୟକ୍ତି ଇଂରେଜ ଥିବା କାରଣରୁ ଉକ୍ତ କମିଟିଟି ଗୋରା କମିଶନ୍/ ଗୋରା କମିଟି/ ଅଲ୍ ହ୍ୱାଇଟ୍ କମିଶନ ରୂପେ ଅପଖ୍ୟାତି ଅର୍ଜନ କରିଥିଲା ଭାରତରେ । କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହକ ଥିଲେ ସାର ଜନ୍ ସାଇମନ୍ । ସେହି କାରଣରୁ ମଧ୍ୟ ଭକ୍ତ କମିଶନ୍ ବିଶେଷଭାବେ ପରିଚିତ ଥିଲା ସାଇମନ୍ କମିଶନ୍ ହିସାବରେ ।
ଭାରତୀୟ ଶାସନ ସଂସ୍କାରପାଇଁ ପରାମର୍ଶ ଦେବା ଲାଗି ଗଠିତ କମିଟିରେ କୌଣସି ଭାରତୀୟ ସଭ୍ୟ ନଥିବା କାରଣରୁ ଜାତୀୟ କଂଗ୍ରେସର ୧୯୨୭ ମାନ୍ଦ୍ରାଜ ଅଧିବେଶନରେ ତାହାକୁ ଭାରତବାସୀଙ୍କ ତରଫରୁ ଅଗ୍ରାହ୍ୟ କରାଯାଇଥିଲା । ସେହି ଅନୁକ୍ରମରେ ଭାରତରେ ଉକ୍ତ କମିଶନର ପ୍ରବେଶକୁ ସୁଦ୍ଧା ବିରୋଧ କରି ‘ସାଇମନ୍ ଗୋ ବ୍ୟାକ୍’– ସାଇମନ ଫେରିଯାଅ ବୋଲି ବଜ୍ର ଆହ୍ୱାନ ଦିଆ ଯାଇଥିଲା । କମିଟିକୁ ସଂପୂର୍ଣ୍ଣ ଅସହଯୋଗପାଇଁ ପ୍ରସ୍ତୁତ ହୋଇ ରହିଥିଲା ଭାରତୀୟ ଜନ ସମୁଦାୟର ବିଶିଷ୍ଟ ଅଂଶବିଶେଷ ।
୧୯୨୮ ଫେବ୍ରୁଆରି ତିନି ତାରିଖ ଦିନ ମୁମ୍ବାଇଠାରେ ପହଞ୍ଚିବା ବେଳରୁ ହିଁ ଭାରତବାସୀଙ୍କର ସେଭଳି ମନୋଭାବର ଯଥାର୍ଥ ଆକଳନ କରି ପାରିଥିଲେ ଉକ୍ତ କମିଶନର ସଭ୍ୟବୃନ୍ଦ । ତେଣୁ ଏଠି ପହଞ୍ଚିବା ପରେ ପରେ ଭାରତର ବଡ଼ଲାଟଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ କମିଶନ୍ର ବୈଠକଗୁଡ଼ିକ ଗୋଟିଏ ଗୋଟିଏ ମିଳିତ ବୈଠକ ହେବା ବିଧେୟ । ଭାରତର ବିଭିନ୍ନ ପ୍ରାଦେଶିକ ବ୍ୟବସ୍ଥାପକ ସଭାର କେତେଜଣ ନିର୍ବାଚିତ ପ୍ରତିନିଧି କମିଶନକୁ ସର୍ବାନ୍ତଃକରଣରେ ସହାୟତା ଯୋଗାଇଦେବା ସଙ୍ଗେସଙ୍ଗେ ଆପଣାର ସ୍ୱାଧୀନ ମତ ମଧ୍ୟ ବ୍ୟକ୍ତ କରି ପାରିବେ ବୋଲି ସ୍ଥିର ହୋଇଥିଲା । ତାହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସରକାରୀ ସହାୟତା । ସେହି କ୍ରମରେ ଅନ୍ୟାନ୍ୟ ପ୍ରାଦେଶିକ ସଭା ଭଳି ୧୯୨୮ ମସିହା ଅଗଷ୍ଟ ମାସରେ ବିହାର ଓଡ଼ିଶା ବିଧାନସଭା ତରଫରୁ ସାତଜଣିଆ କମିଟିଟିଏ ଗଠିତ ହୋଇଥିଲା । ସୌଭାଗ୍ୟକ୍ରମେ ସେଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ଦୁଇଜଣ ଓଡ଼ିଆ ସଦସ୍ୟ- ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତି ଏବଂ କନିକାର ରାଜାସାହେବ । ସେଥିପାଇଁ ଓଡ଼ିଶାର ନେତୃମଣ୍ଡଳୀ- ବିଶେଷକରି ଡକ୍ଟର ହରେକୃଷ୍ଣ ମହତାବ ଏବଂ ତାହାଙ୍କର ଅନୁଗାମୀମାନେ ସାଇମନ୍ କମିଶନ୍କୁ ସେଭଳି ସହଯୋଗ ପାଇଁ ଓଡ଼ିଆ ସଭ୍ୟଗଣଙ୍କୁ କଠୋର ଭାବରେ ସମାଲୋଚନା କରିଥିଲେ ।
ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ଭାରତର ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ନିକଟରୁ ଲିଖିତ ଆବେଦନମାନ ଆହ୍ୱାନ କରିଥିଲେ କମିଶନ୍ । ସେମାନଙ୍କ ବିଚାର ପରିସରଭୁକ୍ତ ଯେ କୌଣସି ବିଷୟ ନେଇ ମତାମତ ଆହ୍ୱାନ କରାଯାଇଥିଲା । ଆବଶ୍ୟକ ମନେହେଲେ ଯେ କୌଣସି ବିଷୟ ସଂପର୍କରେ ଅଧିକ ବିଚାର ବିମର୍ଶ ତଥା ଅଧିକ ଅନୁସନ୍ଧାନପଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ସେହି ଅନୁକ୍ରମରେ ହିଁ ନୂତନ ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଅଧିକ ତଥ୍ୟଗତ ଅନୁସନ୍ଧାନପାଇଁ ଅଟ୍ଲି ସବ୍କମିଟି ଗଠିତ ହୋଇଥିଲା ।
ହେଲେ ଦେଶର ଛତ୍ରେଛତ୍ରେ ଥିଲା ସାଇମନ୍ ଗୋବ୍ୟାକ୍ ପ୍ରଚାରପତ୍ର । ଯେତେବେଳେ ଯେଉଁ ସ୍ଥାନରେ କମିଶନ୍ ପହଞ୍ଚୁଥିଲା ସେଠି ପ୍ରବଳ ବିକ୍ଷୋଭ, କଳାପତାକା ପ୍ରଦର୍ଶନ; ଗୋବ୍ୟାକ୍ ସାଇମନ୍- ଉଚ୍ଚ ସ୍ୱରଲହରୀ । ବିକ୍ଷୋଭକାରୀଙ୍କୁ ପୋଲିସ୍ର ନିର୍ମମ ଅତ୍ୟାଚାର । ଅପରପକ୍ଷରେ କମିଶନଙ୍କୁ କଡ଼ା ସୁରକ୍ଷା ଦିଆ ଯିବାରେ ସାମାନ୍ୟତମ ଅବହେଳା ନରହିବା ସ୍ୱାଭାବିକ ।
ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖା ରୂପେ ଉତ୍କଳ କଂଗ୍ରେସ ଏବଂ ଅନୁଷ୍ଠାନରେ ଶୃଙ୍ଖଳିତ ସଦସ୍ୟ ରୂପେ ଉତ୍କଳୀୟ ନେତୃବୃନ୍ଦ ମଧ୍ୟ ଉକ୍ତ କମିଶନକୁ ଯଥାସାଧ୍ୟ ବିରୋଧ କରିଥିଲେ । ଆଞ୍ଚଳିକ ଭାବେ ଏହି ଅଞ୍ଚଳର ନେତୃବୃନ୍ଦଙ୍କ ମଧ୍ୟରେ ବାସ୍ତବରେ ସିଂହଭାଗ ଥିଲେ ସେମାନେ । କିନ୍ତୁ ତଥାପି କେତେଜଣ ଉତ୍କଳୀୟ ଉଗ୍ର ଜାତୀୟବାଦୀ କଂଗ୍ରେସ ସହ ସାମିଲ ହୋଇ ନଥିଲେ କି କଂଗ୍ରେସର କାର୍ଯ୍ୟକଳାପରେ ସହଯୋଗ ମଧ୍ୟ କରିନଥିଲେ ବରଂ ଠିକ୍ ଓଲଟା ପଦକ୍ଷେପମାନ ଗ୍ରହଣ କରିଥିଲେ । ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥିଲେ ସର୍ବଶ୍ରୀ କନିକା ରାଜା, ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ପାରଳା ମହାରାଜା ଏବଂ ସେମାନଙ୍କ ଅନୁଗାମୀଗଣ । ଏମାନଙ୍କ ସହ ସମମତ ପୋଷଣ କରୁଥିଲେ ସର୍ବଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଲାଲ୍ ମୋହନ ପଟ୍ଟନାୟକ, ମଧୁସୁଦନ ପାଣିଗ୍ରାହୀ ପ୍ରମୁଖ । ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଥିଲେ ଏହିମତର ସପକ୍ଷବାଦୀ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ସମେତ ସେମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା ଯେ ସମ୍ଭବତଃ ଦେଶର ଶାସନ ସଂସ୍କାର ସଂପର୍କିତ ପରାମର୍ଶ ଦେବାପାଇଁ ଆସିଥିବା ଉକ୍ତ ସର୍ବୋଚ୍ଚ କ୍ଷମତାସଂପନ୍ନ କମିଟି ହିଁ ଉତ୍କଳୀୟଙ୍କ ଦୁଃଖ ଲାଘବ କରିବାରେ ସମର୍ଥ ହୋଇପାରିବ । ସେହି କାରଣରୁ ସେମାନଙ୍କ ସହିତ ସହଯୋଗ କରାଯିବା ଆବଶ୍ୟକ ଏବଂ ଟାରୋଟି ପ୍ରଦେଶରେ ବିଭାଜିତ ହୋଇ ଦୁଃସ୍ଥିତିରେ ଥିବା ଉତ୍କଳୀୟଙ୍କ ବାସ୍ତବ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଯଥାର୍ଥ ଭାବେ ଆକର୍ଷଣ କରାଯିବା ଆବଶ୍ୟକ ।
ସେମାନଙ୍କର ଲକ୍ଷବିନ୍ଦୁ ଥିଲା ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସେଇ କାରଣରୁ ହିଁ ସେମାନେ ଓଡ଼ିଶୀ ଦେଶ ମିଶ୍ରଣ ଆନ୍ଦୋଳନ ଅବ୍ୟାହତ ରଖିଥିଲେ ଓଡ଼ିଶା କଂଗ୍ରେସ ସଭ୍ୟମାନଙ୍କର ସମସ୍ତ ନିଷ୍କ୍ରିୟତା ତଥା ଅସହଯୋଗ ସତ୍ତ୍ୱେ । ତେବେ ଓଡ଼ିଆମାନଙ୍କର ସେହି ଦାବିରେ କ’ଣ ଭାରତୀୟ ବା ଜାତୀୟ ଆନ୍ଦୋଳନର ଗତିରୋଧ କରିବା କିମ୍ବା ତାହାକୁ ଦୂର୍ବଳ କରିଦେବାର ଆଶଙ୍କା ଥିଲା କି ?
ସମ୍ଭବତଃ ଶତକଡ଼ା ଅନେଶତ ଅଂଶ ଥିଲା ନାସ୍ତିବାଚକ । ତଥାପି ଜାତୀୟ କଂଗ୍ରେସର ଶୃଙ୍ଖଳିତ ସଦସ୍ୟ ଭାବରେ ଓଡ଼ିଶାର କଂଗ୍ରେସ ସଭ୍ୟବୃନ୍ଦ ସେମାନଙ୍କ ଅନୁଷ୍ଠାନର ନୀତି ନିର୍ଦ୍ଧାରଣକୁ ହିଁ ସମ୍ମାନ ଦେଉଥିଲେ । ତେବେ ଏଠାରେ ସ୍ମରଣ ରଖାଯାଇପାରେ ଯେ ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ସମୟକ୍ରମେ ଯେଉଁ ନେତୃବର୍ଗ ଜାତୀୟ ରାଜନୀତିରେ ଅଂଶୀଦାର ଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଥିଲେ ପ୍ରାଥମିକ ଅବସ୍ଥାରେ ଦେଶ ମିଶ୍ରଣ ଅନ୍ଦୋଳନର ଜଣେ ଜଣେ କର୍ଣ୍ଣଧାର । କିନ୍ତୁ ସମୟର ଅନୁରଣନରେ ସେମାନଙ୍କ ମନରେ ଦୃଢ଼ ଆସ୍ଥା ରୋପିତ ହୋଇଥିଲା ଯେ ଦେଶ ସ୍ୱାଧୀନ ହୋଇଯିବା ପରେପରେ ଜନଗଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଗଣ ହିଁ ଅଭ୍ୟନ୍ତରୀଣ ସମସ୍ୟାଗୁଡ଼ିକର ସହଜ ସମାଧାନ କରିଦେଇ ପାରିବେ । ଜାତୀୟ ଆନ୍ଦୋଳନର ନେତୃତ୍ବ ନେଉଥିବା ବାପୁଜୀ, ନେହେରୁ, ଆଜାଦ, ପଟେଲ୍ ଆଦି ତୁଙ୍ଗ ନେତୃତ୍ୱମାନଙ୍କର ମଧ୍ୟ ସେହି ବିଶ୍ୱାସ ଥିଲା । ତେଣୁ ଉତ୍କଳୀୟ ନେତୃତ୍ୱ ମଧ୍ୟ ବିଶ୍ୱାସ କରୁଥିଲା ଯେ ଦେଶର ସ୍ୱାଧୀନତା ହାସଲ ପରେ ଦେଶ ମିଶ୍ରଣ ଅନ୍ଦୋଳନର ଅବଶ୍ୟକତା ଆଉ ରହିବ ନାହିଁ । ଆମରି ଦ୍ୱାରା ନିର୍ବାଚିତ ଲୋକପ୍ରତିନିଧିମଣ୍ଡଳୀ ତାହାର ସହଜ ସମାଧାନ କରିଦେଇପାରିବ ।
କିନ୍ତୁ ସେହି ମୁଦ୍ରାର ଅନ୍ୟ ପାର୍ଶ୍ୱରେ ଥିବା ମଧୁବାବୁ, ପାରଳା ମହାରାଜା ପ୍ରମୁଖଙ୍କ ସମେତ ଉତ୍କଳ ସମ୍ମିଳନୀର କର୍ତ୍ତାଗଣଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ, କୌଣସି ପରିପ୍ରେକ୍ଷୀରେ, ଦେଶରେ ବେଶ୍ ଦୃଢ଼ ଦାନା ବାନ୍ଧିଥିବା ବୃହତ୍ତର ଜାତୀୟ ଆନ୍ଦୋଳନ ପଥରେ କଣ୍ଟକ ସଦୃଶ୍ୟ ନୁହେଁ- ବରଂ ଏହା ତାହାର ସହାୟକ । ଏଭଳି ଆଞ୍ଚଳିକ ଜାତୀୟତାବାଦରୁ ହିଁ ସୃଷ୍ଟି ମହାଭାରତୀୟ ଜାତୀୟ ଚେତନା । ଏହିଭଳି ମତବାଦୀ ମହାପୁରୁଷମାନଙ୍କ ଚିନ୍ତାଧାରା କେତେ ଯଥାର୍ଥ ଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ଅନୁଭବ କରାଯାଇପାରେ । କିନ୍ତୁ ସେତେବେଳେ ସେହିଭଳି ମତ ପୋଷଣ ଯୋଗୁଁ ଅନେକ ଅନେକ ମତାନ୍ତର ସୃଷ୍ଟି ହୋଇଥିଲା । ତଥାପି ସେମାନେ ସେତେବେଳେ ଓଡ଼ିଶା ଆନ୍ଦୋଳନର ଅନ୍ୟତମ ସାରଥୀ ପାରଳା ଗଜପତିଙ୍କ ନେତୃତ୍ୱରେ ଯେଉଁଭଳି ସାହସିକ ପଦକ୍ଷେପମାନ ଗ୍ରହଣ କରିଥିଲେ ତାର ପରିଣାମ ସ୍ୱରୂପ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଥିଲା ।
ଏଠି ସ୍ମରଣ ରଖାଯାଇପାରେ ଯେ ସେତେବେଳେ, ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ହେବା ପରେ ପରେ, ଦୀର୍ଘ କାଳ ଧରି ଲାଗି ରହିଥିବା ଆନ୍ଧ୍ର ଓଡ଼ିଶା ସୀମାବିବାଦର ସହଜ ସମାଧାନପାଇଁ ସ୍ୱୟଂ ଗାନ୍ଧିଜୀଙ୍କ ମଧ୍ୟସ୍ଥତାରେ ପ୍ରବଳ ଉଦ୍ୟମମାନ ହୋଇଥିଲେ ସୁଦ୍ଧା ତୁଙ୍ଗ ତେଲୁଗୁ କଂଗ୍ରେସୀ ନେତାଗଣଙ୍କ ଅସହଯୋଗ ଯୋଗୁଁ ତାହା ସମ୍ଭବପର ହୋଇପାରି ନଥିଲା କିମ୍ବା ସେତେବେଳେ ଯେଉଁସବୁ ଓଡ଼ିଆଭାଷୀ ଅଞ୍ଚଳ ବିଭିନ୍ନ କାରଣରୁ ଓଡ଼ିଶା ବାହାରେ ରହିଯାଇଥିଲେ, ଆମ ନିର୍ବାଚିତ ପ୍ରତିନିଧିମୂଳକ ସରକାର ଗଠିତ ହେବା ପରେ ସୁଦ୍ଧା ଆଉ ଓଡ଼ିଶାରେ ସାମିଲ୍ ହୋଇ ପାରି ନଥିଲା ।
ଏଇ ସମ୍ଭାବନାର ବାସ୍ତବତାକୁ ସେତେବେଳେ ସମ୍ଭବତଃ ଯଥାର୍ଥରେ ହୃଦୟଙ୍ଗମ କରିଥିଲେ କଂଗ୍ରେସ ବାହାରେ ଥିବା ଓଡ଼ିଆ ଏକୀକରଣ ଆନ୍ଦୋଳନର ନେତୃବୃନ୍ଦ । ଏହା ହିଁ ପ୍ରମାଣ କରାଇ ଦେଇଥିଲା ସେମାନଙ୍କ ପୁରୋଦୃଷ୍ଟି । ଏବଂ ସେମାନେ ସେତେବେଳେ ସ୍ଥିର କରିଥିଲେ ସବୁପ୍ରକାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସତ୍ତ୍ୱେ ସାଇମନ୍ କମିଶନ୍ ସହିତ ଯୋଗାଯୋଗ କରିବେ ।
ଗଜପତି କୃଷ୍ଣଚନ୍ଦ୍ରଙ୍କ ସହିତ ସେମାନେ ସ୍ପଷ୍ଟ ରୂପେ ଜାଣିଥିଲେ ଯେ ସେଭଳି ପଦକ୍ଷେପ ପାଇଁ ସାରା ଦେଶରେ କଠୋର ନିନ୍ଦିତ ହେବେ । କମିଶନ୍ଙ୍କ ଆହ୍ୱାନ ସ୍ୱୀକାର କରି ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସହଜରେ ଅନ୍ୟମାନଙ୍କପାଇଁ ଗ୍ରହଣଯୋଗ୍ୟ ହେବନାହିଁ । ତଥାପି ମହାରାଜାଙ୍କ ନେତୃତ୍ବରେ ସେମାନେ ବିରୋଧୀ ମତବାଦୀମାନଙ୍କର ସମସ୍ତ ତୁଚ୍ଛ ତାତ୍ସଲ୍ୟର ବିଷକୁ ନୀଳକଣ୍ଠ ହୋଇ ପାନ କରିବା ସଂଗେସଂଗେ ଦୃଢ଼ ପରିକର ଥିଲେ ସମଭାବାପନ୍ନ ବ୍ୟକ୍ତି ତଥା ଅନୁଷ୍ଠାନଗୁଡ଼ିକୁ ସେଥିନିମନ୍ତେ ଅଧିକ ଉତ୍ସାହିତ କରିବେ ।
ପ୍ରଥମେ ଅଣ୍ଟାରେ ଗାମୁଛା ଭିଡ଼ିଥିଲେ ଗଜପତି କୃଷ୍ଣଚନ୍ଦ୍ର । ଚଳଚଞ୍ଚଳ କରାଇ ଦେଇଥିଲେ ଉତ୍କଳ ସମ୍ମିଳନୀର ସଭ୍ୟଗଣଙ୍କୁ । ସେ ଓଡ଼ିଶାବାସୀ ତଥା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀଜନଗଣଙ୍କୁ ଆହ୍ୱାନ ଦେଇଥିଲେ ଯେ- ସରକାରଙ୍କଠାରୁ ଉଚିତ ନ୍ୟାୟ ପାଇବାପାଇଁ ହାତପାହାନ୍ତାରେ ଥିବା ସୁଯୋଗକୁ କଦାପି ହାତଛଡ଼ା କରିବା ଉଚିତ ହେବନାହିଁ । ସେଥିପଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ । ବର୍ତ୍ତମାନ ଉଦ୍ୟମ ନକଲେ ସମ୍ଭବତଃ ତାହା ଆଉ ମିଳିବ ନାହିଁ । ଆମ ଆପଣର ସ୍ୱାର୍ଥ ଆମକୁ ହିଁ ରକ୍ଷା କରିବାକୁ ପଡ଼ିବ । ସେଥିପଇଁ ଆମକୁ କେହି କେବେ ବି ସହାୟକ ହେବେ ନାହିଁ । ମହାରାଜାଙ୍କ ସେହି ଉଦ୍ୟମ ବେଶ ଫଳପ୍ରଦ ହୋଇଥିଲା । ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନ୍କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ମାରକପତ୍ରମାନ ପ୍ରଦତ୍ତ ହୋଇଥିଲା । ବ୍ରହ୍ମପୁରର ଓଡ଼ିଆ ସମାଜ ତରଫରୁ କମିଶନକୁ ଏକ ସ୍ମାରକପତ୍ର ମାଧ୍ୟମରେ ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବି କରାଯାଇଥିଲା । ସେଭଳି ସେହି ସହରର ମାନ୍ଦ୍ରାଜ ପ୍ରାଦେଶିକ ଓଡ଼ିଆ ସଂଘ ତରଫରୁ ୧୯୨୮ ମଇ ୩୦ ତାରିଖ ଦିନ ଏକ ସ୍ମାରକପତ୍ର ଭୁବନେଶ୍ୱର ରଥଙ୍କ ନେତୃତ୍ୱରେ କମିଶନଙ୍କୁ ପ୍ରଦାନ କରାଯାଇଥିଲା । ସେହିଭଳି ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅସଂଖ୍ୟ ସ୍ମାରକପତ୍ର ତଥା ଟେଲିଗ୍ରାମ ଜରିଆରେ ସେଇ ଏକା ପ୍ରକାରର ଦାବିପତ୍ର ସ୍ତୂପୀକୃତ ଆକାରରେ ଜମାହୋଇଥିଲା ସାଇମନ୍ କମିଶନଙ୍କ ନିକଟରେ । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ ବିଫଳ ହୋଇନଥିଲା ।
ଖୋଦ୍ ଗଜପତି କୃଷ୍ଣଚନ୍ଦ୍ର ୧୯୨୮ ମସିହା ଜୁନ୍ ମାସରେ ବ୍ୟକ୍ତିଗତ ଭାବେ ମାନ୍ଦ୍ରାଜ ଯାଇ କମିଶନ୍ ନିକଟରେ ସାକ୍ଷ୍ୟପ୍ରଦାନ କରିଥିଲେ । ସେଇଠି ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ପ୍ରାକୃତିକ ଓଡ଼ିଶାର ସବୁ ଓଡ଼ିଆଙ୍କୁ ଏକ ଶାସନାଧୀନ ରଖାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଉ । କମିଶନଙ୍କ ନିକଟରେ ଉପସ୍ଥାପିତ ବିଭିନ୍ନ ସ୍ମାରକପତ୍ରରେ ଦାବି କରାଯାଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବିଚାର ବେଳେ ତାହାର ଆର୍ଥିକ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଆରୋପ କରାନଯାଇ ଭାଷାଭିତ୍ତିକ ବିଚାର ଅଗ୍ରଗଣ୍ୟ ହେଉ । ଚାରୋଟି ପ୍ରାଦେଶିକ ସରକାରରେ ସଂଖ୍ୟାନ୍ୟୂନ ଭାବେ ଯୁକ୍ତ ହୋଇ ଓଡ଼ିଆମାନେ ରହିବା ବ୍ୟତୀତ ଅନ୍ୟ କେତୋଟି ଦେଶୀୟ ରାଜ୍ୟରେ ସେମାନେ ବସବାସ କରି ରହୁଥିବା ଯୋଗୁଁ ସେଗୁଡ଼ିକର ସମ୍ମିଶ୍ରଣ ଏକାନ୍ତ ଆବଶ୍ୟକ ।
ଏହି ଘଟଣା କ୍ରମରେ ଯେଉଁ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣାଟି ଘଟଥିଲା, ତାହା ଥିଲା ଉତ୍କଳ ସମ୍ମିଳନୀର ସଦସ୍ୟଗଣଙ୍କ ଦ୍ୱାରା ଓଡ଼ିଶାବାସୀଙ୍କ ତରଫରୁ ସାଇମନ୍ କମିଶନକୁ ବିହାର-ଓଡ଼ିଶା ପ୍ରଦେଶର ରାଜଧାନୀ ପାଟଣା ରେଳ ଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା । ସେଇ ଅଭ୍ୟର୍ଥନା ଜଣାଇବାପାଇଁ ଯେଉଁ ଓଡ଼ିଆ ନେତୃବର୍ଗ ସେଠାରେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଥିଲେ କନିକା ରାଜା, ବ୍ରଜ ସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ ପ୍ରମୁଖ ମାନେ । ସେମାନଙ୍କ ହାତରେ ବିଜ୍ଞାପନ- Orissa Welcomes Simon - ଓଡ଼ିଶା ସାଇମନଙ୍କୁ ସ୍ୱାଗତ କରେ । ସାରା ରେଳଷ୍ଟେସନରେ ବିଚ୍ଛୁରିତ ହୋଇ ପଡ଼ିଥିଲା ସେଇ ପ୍ରଚାରପତ୍ର ।
ସମ୍ଭବତଃ ସାରା ଭାରତରେ ପଟଣା ହିଁ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେଇ ଗୋରା କମିଶନ୍ ସ୍ୱାଗତଂର ମଧୁର ସ୍ୱନ ଶୁଣିବାକୁ ପାଇଥିଲେ । ସବୁ ସ୍ଥାନରେ ସ୍ଥାନୀୟ ଜନଗଣଙ୍କଠାରୁ କେବଳ ଅସହଯୋଗ ଲାଭ କରିଥିବା ବେଳେ ସହଯୋଗର ହାତ ଲମ୍ବି ଆସିଥିବା ସାଇମନ୍ କମିଶନ୍ ଲକ୍ଷ୍ୟ କରିଥିଲେ ଓଡ଼ିଶାବାସୀଙ୍କ ତରଫରୁ । ସେଭଳି ଅଚାନକ ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଜନ୍ ସାଇମନ୍ଙ୍କ ସମେତ କମିଶନ୍ର ସଭ୍ୟଗଣ ଅତ୍ୟନ୍ତ ଉତ୍ଫୁଲ୍ଲିତ ହୋଇ ଉଠିଥିବେ ନିଶ୍ଚୟ । ଦେଶର ସର୍ବତ୍ର କଳାପତାକା ସହ ସାଇମନ୍ ଗୋ ବ୍ୟାକ୍ର କାନଫଟା ଶବ୍ଦ ପରିବର୍ତ୍ତେ ମାତ୍ର ଗୋଟିଏ ସ୍ଥାନରେ ସ୍ୱାଗତଂ ଭଳି ମଧୁର ଶବ୍ଦ ସେମାନଙ୍କ ହୃଦୟକନ୍ଦରରେ ଏକ ଆନନ୍ଦ ଲହରୀ ସୃଷ୍ଟି କରିଥିବ । ୧୯୨୮ ମସିହା ଡ଼ିସେମ୍ବର ୧୨ ତାରିଖ ଦିନ ସେମାନେ ରେଳରୁ ଓହ୍ଲାଇ ପ୍ଲେଟ୍ଫର୍ମ ଦେଇ ବାହାରକୁ ବାହାରୁଥିବା ଅବସରରେ କମିଶନ୍ର ଅନ୍ୟତମ ସଦସ୍ୟ ମେଜର୍ ଅଟଲି ପ୍ଲେଟ୍ଫର୍ମ ଉପରେ ବିଚ୍ଛୁରିତ ହୋଇ ପଡ଼ିଥିବା ଅଂସଖ୍ୟ ପ୍ରଚାରପତ୍ର ଭିତରୁ ଗୋଟିଏ ଦୁଇଟି ଉଠାଇ ସାଂଗରେ ନେଇଥିଲେ । ଏବଂ ସମ୍ଭବତଃ ସେଇଠୁ ହିଁ ଆରମ୍ଭ ହୋଇଥିଲା ସେମାନଙ୍କର ଓଡ଼ିଆ ଦରଦୀ ମନୋଭାବ ।
କମିଶନ୍ ସମକ୍ଷରେ ସାକ୍ଷ୍ୟ ଦେବାପାଇଁ ଓଡ଼ିଶାରୁ ବ୍ରଜସୁନ୍ଦର ଦାସଙ୍କ ନେତୃତ୍ବରେ ଯାଇଥିଲେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ବୀରବର ଧୀର ନରେନ୍ଦ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ଭିକାରି ଚରଣ ପଟ୍ଟନାୟକ, ବାରିଷ୍ଟର ବିଶ୍ୱନାଥ ମିଶ୍ର ଏବଂ ଭାଗବତ ପ୍ରସାଦ ମହାପାତ୍ର ପ୍ରମୁଖ ବ୍ୟକ୍ତିମାନେ । ବ୍ରଜସୁନ୍ଦର ବାବୁଙ୍କ ପ୍ରଥମ ସମ୍ଭାଷଣ ଥିଲା- ବିହାର-ଓଡ଼ିଶା ପ୍ରଦେଶର ରାଜଧାନୀ ପୁରାତନ ନଗରୀ ପାଟଳିପୁତ୍ରକୁ ଓଡ଼ିଆ ଜନଗଣଙ୍କ ତରଫରୁ ଆସ୍ତେ ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ । ପ୍ରତ୍ୟୁତ୍ତରରେ ସାତଜଣିଆ କମିଶନ୍ର ଅଧ୍ୟକ୍ଷ ଧନ୍ୟବାଦ ଜଣାଇବା ସଂଗେ ସଂଗେ ଆପଣାର କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ ।
ସେହି କମିଶନ୍ ନିକଟରେ ପ୍ରତିନିଧିଗଣ ଚାରୋଟି ପ୍ରାଦେଶିକ ସରକାରଙ୍କ ଅଧୀନରେ ଭାଗଭାଗ ହୋଇ ସୀମାନ୍ତ ଅଞ୍ଚଳ ରୂପେ ରହିଥିବା ଓଡ଼ିଆମାନଙ୍କ ଦୁର୍ଦ୍ଦଶା ପ୍ରାଂଜଳ ଭାବରେ ଉପସ୍ଥାପନ କରିଥିଲେ । ମତ ପ୍ରକାଶ କରିଥିଲେ ଯେ ଗୋଟିଏ ପ୍ରକାଣ୍ଡ ବୃକ୍ଷତଳେ କ୍ଷୁଦ୍ରକ୍ଷୁଦ୍ର ଚାରା ବଂଚି ରହିବା କଷ୍ଟକର । ଯଦିବା ବଂଚି ରହେ ତାହେଲେ ସେଗୁଡ଼ିକ ପଙ୍ଗୁ ବା ଅଥର୍ବ ଭଳି ବଂଚି ରହିପାରେ । ଠିକ ସେହିଭଳି ଅବସ୍ଥାରେ ଥିବା ସବୁ ଓଡ଼ିଆ ଅଞ୍ଚଳକୁ ଏକତ୍ରକରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ନିହାତି ଆବଶ୍ୟକ । କମିଶନର ସଭ୍ୟମାନଙ୍କୁ ହୃଦବୋଧ କରାଇବାପାଇଁ ଚେଷ୍ଟା କରିଥିଲେ ଯେ ପ୍ରାକୃତିକ ଓଡ଼ିଶାର ସବୁ ଓଡ଼ିଆଙ୍କ ଅକାଂକ୍ଷା ସେହି ଏକା ରକମର ।
ସେଇ ଅଲୋଚନା ବେଳେ ସାଇମନ୍ କମିଶନ୍ର ଜଣେ ସଭ୍ୟ ଏକ ବିକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯେ ଜଣେ ଗଭର୍ଣ୍ଣରଙ୍କଦ୍ବାରା ଶାସିତ ପ୍ରଦେଶଟିଏ ଗଠନ ସମ୍ଭବ ନହେଲେ ତତପରବର୍ତ୍ତୀ ଉପ-ପ୍ରଦେଶଟିଏ ଗଠିତ ହେଲେ କେମିତି ହୁଅନ୍ତା ! ପ୍ରତ୍ୟୁତ୍ତରରେ ସେଠି ଉପସ୍ଥିତ ସମସ୍ତ ଓଡ଼ିଆ ସଦସ୍ୟ ସେଭଳି ପ୍ରସ୍ତାବକୁ ସଂପୂର୍ଣ୍ଣ ଅସ୍ୱୀକାର କରିଥିଲେ । ତାହା ହିଁ ଥିଲା ପାରଳା ମହାରାଜାଙ୍କ ପରାମର୍ଶ । ସେହି ସଦସ୍ୟଗଣ ସେମାନଙ୍କର ଏକମାତ୍ର ଦାବି ଉପରେ ଗୁରୁତ୍ୱ ଆରୋପ କରିଥିଲେ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ । ସେହି ପ୍ରସଙ୍ଗରେ କମିଶନ୍ ବିହାର ଓଡ଼ିଶା ପ୍ରାଦେଶିକ କମିଟିର ସହଯୋଗୀ ସଭ୍ୟମାନଙ୍କ ସହିତ ମଧ୍ୟ ୧୯୨୮ ମସିହା ଡିସେମ୍ବର ୧୪ ତାରିଖ ଦିନ ଅଲୋଚନା କରିଥିଲେ । ଆପାତତଃ ଗଜପତି କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ ସଫଳ ହୋଇଥିଲା । ତାଙ୍କର ପ୍ରରୋଚନା ଏବଂ ପ୍ରଚୋଦନା କ୍ରମେ ସାଇମନ୍ କମିଶନ୍ଙ୍କୁ ସ୍ୱାଗତ କରାଯିବା ସମେତ ଯୁକ୍ତିଯୁକ୍ତ ବଳିଷ୍ଠ ସାକ୍ଷ୍ୟ ପ୍ରଦାନର ପରିଣାମ ସ୍ବରୂପ ଗୋରା କମିଶନର ହୃଦ୍ବୋଧ ହୋଇଥିଲା ଯେ ପ୍ରକୃତରେ ଓଡ଼ିଆମାନେ ବିଭିନ୍ନ ପ୍ରାଦେଶିକ ଶାସନରେ ସଂଖ୍ୟାଲଘୁ ହିସାବରେ କାଳାତିପାତ କରି ଅବହେଳିତ ଅବସ୍ଥାରେ ରହିଛନ୍ତି । ସେମାନଙ୍କର ଯଥାର୍ଥ ହୃଦବୋଧ ହୋଇଥିଲା ଯେ ଭାରତର ବିଭିନ୍ନ ପ୍ରଦେଶ ମଧ୍ୟରୁ ବିହାର-ଓଡ଼ିଶା ପ୍ରଦେଶର ଗଠନ କେବଳ ଭ୍ରମାତ୍ମକ ନୁହେଁ, ଅପ୍ରାକୃତିକ ମଧ୍ୟ । ଭାଷା, ଜାତି, ସଂସ୍କୃତି ଏବଂ ସର୍ବୋପରି ପ୍ରାକୃତିକ ଗଠନ ଇତ୍ୟାଦି ସବୁ ଦୃଷ୍ଟିରୁ ଦେଖିଲେ ଏହି ପ୍ରଦେଶରେ ତିନୋଟି ଭୌଗୋଳିକ ଅଞ୍ଚଳ ପରସ୍ପରଠାରୁ ବହୁ ଭାବରେ ସ୍ୱତନ୍ତ୍ର ମନେହୁଏ । ପ୍ରଦେଶର ରାଜଧାନୀ ପାଟଣାଠାରେ କମିଶନକୁ ସାକ୍ଷାତ କରିବାପାଇଁ ଓଡ଼ିଶାର ପ୍ରତିନିଧିଗଣଙ୍କୁ ଅନ୍ୟ ଏକ ପ୍ରଦେଶ-ବଙ୍ଗ ପ୍ରାଦେଶିକ ସୀମାଦେଇ ଆସିବାକୁ ହୋଇଥିଲା । ତଦ୍ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ଏହି ତଥ୍ୟ କମିଶନର ସଦସ୍ୟଗଣଙ୍କୁ ଓଡ଼ିଆମାନଙ୍କର ସାଧାରଣ ଅବସ୍ଥା ଆକଳନପାଇଁ ଯଥେଷ୍ଟ ସହାୟକ ହୋଇଥିଲା । ସ୍ୱାଗତଂ ସାଇମନ୍ ଧ୍ବନି ଏବଂ ପୁରାତନ ନଗରୀ ପାଟଳିପୁତ୍ରକୁ ସ୍ବାଗତ ସମ୍ଭାଷଣରେ ପୁଲକିତ ଗୋରା କମିଶନର ସଭ୍ୟଗଣଙ୍କ ହୃଦୟ ଓଡ଼ିଆଙ୍କ ଦୁଃସ୍ଥିତି ସଂପର୍କିତ ତଥ୍ୟାବଳୀରେ ଦୟାର୍ଦ୍ରୀଭୂତ ହୋଇଯାଇଥିଲା ଏବଂ କମିଶନ୍ଙ୍କ ଆନ୍ତରିକ ଅଭିବ୍ୟକ୍ତି ଥିଲା- ଓଡ଼ିଆଭାଷୀ ଲୋକଙ୍କ ସମସ୍ୟା ବାସ୍ତବରେ ଅତ୍ୟଧିକ ଏବଂ ତାହାର ପ୍ରତିକାରର ପନ୍ଥା ବିଚାର କରାଯିବା ଏକାନ୍ତ ଜରୁରୀ ।
ଅନୁସନ୍ଧାନ ସମୟରେ କମିଶନ୍ଙ୍କ ସେଇ ଆନ୍ତରିକ ଅନୁଭବ ଯୋଗୁଁ ହିଁ ତତ୍ ସଂପର୍କରେ ଅଧିକ ବିଚାର ବିମର୍ଶ ଏବଂ ଅନୁଧ୍ୟାନ ପାଇଁ ତତ୍କାଳ ସେମାନେ ଜାତୀୟ ସ୍ତରୀୟ ଉପକମିଟିଟିଏ ଗଠନ କରିଥିଲେ । ତାହାର ଅଧ୍ୟକ୍ଷ ଦାୟିତ୍ୱ ଅର୍ପିତ ହୋଇଥିଲା ରାଜକୀୟ କମିଶନ୍ର ଅନ୍ୟତମ ସଭ୍ୟ ମେଜର ଅଟଲିଙ୍କ ଉପରେ । ପ୍ରାଦେଶିକ ସରକାରଙ୍କ ତରଫରୁ କନିକା ରାଜା ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କ ସମେତ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରୂପେ ଶ୍ରୀଯୁକ୍ତ ସୁରାଓର୍ଦ୍ଧି- ଏହି ତିନିଜଣ ସଭ୍ୟ ଅଟଲି ସବ୍ କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ । ସ୍ୱାଧୀନ ଭାବରେ ସ୍ୱତନ୍ତ୍ର ଓଡ଼ିଶା ଦାବିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସାଇମନ୍ କମିଶନ୍କୁ ମତାମତ ଦେବା ଥିଲା ଏହି କମିଟିର ଲକ୍ଷ୍ୟ । ସେଥିପାଇଁ ସେମାନେ ବିଭିନ୍ନ ଓଡ଼ିଆ ଅଞ୍ଚଳ ଗସ୍ତକରି ସାକ୍ଷ୍ୟ ଗ୍ରହଣ କରିବାପାଇଁ ଯୋଜନା କରିଥିଲେ ।
ସେତିକିବେଳେ ମହାରାଜା କୃଷ୍ଣଚନ୍ଦ୍ର ତାହାଙ୍କର ସମର୍ଥକଗଣଙ୍କୁ ନେଇ ସାଧାରଣ ଜନମତ ସୃଷ୍ଟି କରିବାରେ ଏବଂ ଯଥାର୍ଥ ଭାବେ ଉପସ୍ଥାପିତ କରିବାରେ ତତ୍ପର ହୋଇଉଠିଥିଲେ । ଅଟଲି ସବ୍କମିଟି ଉପାନ୍ତ ଅଞ୍ଚଳସବୁ ଗସ୍ତ କରିବା ଅବସରରେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ଭାବେ ଦାବି, ସ୍ମାରକପତ୍ର ତଥା ଜନଗଣଙ୍କ ମତାମତ ସଂଗ୍ରହ କରିବା ସଂଗେସଂଗେ ଦେଶ ମିଶ୍ରଣ ବିରୋଧୀ ମତ ପୋଷଣ କରୁଥିବା ସମସ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ । ଗଭୀର ଭାବରେ ସେସବୁର ଅନୁଧ୍ୟାନ କରିଥିଲେ ଏବଂ ସ୍ୱତନ୍ତ୍ର ପ୍ରଦେଶ ସପକ୍ଷରେ ମତ ପୋଷଣ କରିଥିଲେ । ପୁଣି ନୂତନ ପ୍ରଦେଶ ଗଠିତ ହେଲେ ତାହାର ଆର୍ଥିକ ଅସ୍ୱଚ୍ଛଳତା ନେଇ ଶ୍ରୀ ସେନଙ୍କ ମତାମତକୁ ଅବାସ୍ତବ ବୋଲି ମଧ୍ୟ ମନେ କରିଥିଲେ । ଏକ ଅନୁନ୍ନତ ଅଞ୍ଚଳ ହିସାବରେ କିମ୍ବା ସାମୟିକ ବନ୍ୟା, ଦୁର୍ଭିକ୍ଷ ଭଳି ଅନଟନର ମୁକାବିଲାପାଇଁ କେନ୍ଦ୍ର ସହାୟତା ବ୍ୟତୀତ ସାଧାରଣ ସମୟରେ ନୂତନ ପ୍ରସ୍ତାବିତ ରାଜ୍ୟ ଆପଣାର ଆର୍ଥିକ ଗୁଜରାଣ ମେଣ୍ଟାଇ ପାରିବ ବୋଲି ମତ ଦେଇଥିଲେ ।
ସାଇମନ୍ କମିଶନ୍ ଅଟଲି ସବକମିଟିର ସୁପାରିଶଙ୍କୁ କେବଳ ଗ୍ରହଣ କରି ନଥିଲେ ତତ୍ ସହିତ ନୂତନ ପ୍ରଦେଶ ଗଠିତ ହେଲେ କେଉଁକେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ତତସହିତ ଅନ୍ତର୍ଭୁକ୍ତ ହେବା ବିଧେୟ ତାହା ମଧ୍ୟ ଉଲ୍ଲେଖ କରିଥିଲେ । ସେଥିରେ ଥିଲା ସ୍ୱାଭାବିକ ଭାବେ ବିହାର-ଓଡ଼ିଶାରେ ଥିବା ଓଡ଼ିଶା ଡିଭିଜନ୍ । ତତସହିତ ପ୍ରାକୃତିକ ଉତ୍କଳର ଗଡ଼ଜାତ ସମୂହ ଏବଂ ଅନୁଗୋଳ, ବଙ୍ଗଶାସନାଧୀନ ଗୋପୀବଲ୍ଲଭପୁର ଏବଂ ମୋହନପୁରର କିଛିକିଛି ଅଂଶ, କେନ୍ଦ୍ରପ୍ରଦେଶର ଖଡ଼ିଆଳ ରାଜ୍ୟ ଏବଂ ମାନ୍ଦ୍ରାଜ ଅଧୀନସୁ ଗଂଜାମ ଜିଲ୍ଲା । ତେବେ ଅନ୍ୟାନ୍ୟ ଓଡ଼ିଆ ଅଞ୍ଚଳ ଯଥା ଜୟପୁର ଏବଂ ସିଂହଭୂମକୁ ବିଭିନ୍ନ କାରଣରୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇନଥିଲା । ତତସହିତ ନୂତନ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆବଶ୍ୟକ ସୀମା କମିଶନ ଗଠନ କରାଯିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଲାତ ସରକାରଙ୍କୁ, ସୁପାରିଶ କରିଥିଲେ କମିଶନ । ମହାରାଜା କୃଷ୍ଣଚନ୍ଦ୍ରଙ୍କର ତଥା ଉତ୍କଳ ସମ୍ମିଳନୀର ବିଭିନ୍ନ ପଦକ୍ଷେପର ଏହା ହିଁ ଥିଲା ସୁଫଳ ।
ସାଇମନ କମିଶନଙ୍କ ସୁପାରିଶ ୧୯୩୦ ମସିହା ଜୁନ୍ ସାତ ତାରିଖ (ଅନ୍ୟ କେତେକ ଗ୍ରନ୍ଥ ମଇ ୨୭ ବୋଲି ଉଲ୍ଲେଖ ରହିଛି) ରେ ପ୍ରକାଶ ପାଇଥିଲା । ଅନ୍ୟାନ୍ୟ ପ୍ରସ୍ତାବ ସମେତ ସେଥିରେ ଥିବା ନୂତନ ଓଡ଼ିଶା ପ୍ରଦେଶ ଗଠନ ନେଇ ଦିଆଯାଇଥବା ପ୍ରସ୍ତାବ ସଂପର୍କରେ ସଂପୃକ୍ତ ପ୍ରାଦେଶିକ ସରକାରଙ୍କ ନିକଟରୁ ମତାମତମାନ ଆହ୍ୱାନ କରାଯାଇଥିଲା । ତାହାର ଉତ୍ତର ଦେଇ ବିହାର, ବଙ୍ଗ ତଥା ମଧ୍ୟପ୍ରଦେଶର ସରକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସମର୍ଥନ ଜଣାଇ ନୂତନ ପ୍ରଦଶ ଲାଗି ପ୍ରସ୍ତାବିତ ସୀମା କମିଟି ଗଠିତ ହେବା ଉଚିତ ବୋଲି ସ୍ପଷ୍ଟ ମତ ପ୍ରକାଶ କରିଥିଲେ । କିନ୍ତୁ ମାନ୍ଦ୍ରାଜ ସରକାରଙ୍କ ମତାମତ ଥିଲା ପୁର୍ବ ଭଳି ଦ୍ୱିଧାଯୁକ୍ତ । ତଥାପି ଭାରତର ବଡ଼ଲାଟ୍ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ପରବର୍ତ୍ତୀ ପଦକ୍ଷେପମନ ଗ୍ରହଣ କରିବାକୁ ଇଂଲଣ୍ଡର ଭାରତ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ । ୧୯୩୦ ମସିହା ସେପ୍ଟେମ୍ବର ୨୦ ତାରିଖ ଦିନ ପ୍ରସ୍ତାବ କରିଥିଲେ ନୂତନ ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଏକ କମିଟି ତୁରନ୍ତ ଗଠନ କରାଯିବା ଆବଶ୍ୟକ । ଭାରତ ସରାକାରଙ୍କ ସେଭଳି ମତାମତରେ ଉତ୍କଳୀୟମାନଙ୍କ ମନରେ ଆଶାର ଦିଗ୍ବଳୟ ନାନାବର୍ଣ୍ଣରେ ବିଭୂଷିତ ହୋଇ ଉଠିଥିଲା । ପାରଳା ମହାରାଜା, ଉତ୍କଳ ସମ୍ମିଳନୀର ସଭ୍ୟବୃନ୍ଦଙ୍କ ସମେତ ପ୍ରାକୃତିକ ଉତ୍କଳର ଓଡ଼ିଆମାନେ ବିଶେଷ ଭାବରେ ଉତ୍ଫୁଲ୍ଲିତ ହୋଇ ଉଠିଥିଲେ । ଓଡ଼ିଶା ତରଫରୁ ସାଇମନ୍ କମିଶନ୍କୁ ସ୍ୱାଗତ କରାଯିବାର ପରିଣାମ ବ୍ୟତୀତ ଏହା ଆଉ କ’ଣ ହୋଇପାରେ ! ତେବେ କମିଶନ୍କୁ ବର୍ଜନ କରିଥିବା ଉତ୍କଳୀୟ ନେତୃମଣ୍ଡଳୀର ହୃଦୟରେ ଗଭୀର ବିସ୍ମୟ ଅନ୍ତଃସଲିଳା ଫଲ୍ଗୁ ହୋଇ ବୋହି ଯାଇଥିବ ନିଶ୍ଚୟ । ତତ୍ ପରେପରେ ଓଡ଼ିଶାର ନେତୃବୃନ୍ଦ ଏପରିକି ସବୁ ରାଜନୀତିକ ନେତା, ଦଳମତ ନିର୍ବିଶେଷରେ, ପ୍ରସ୍ତାବିତ ସୀମା କମିଟି ସହିତ ସହଯୋଗ କରି ସାକ୍ଷ୍ୟ ପ୍ରମାଣ ଦେବାପାଇଁ ସ୍ଥିର ହୋଇଥିଲା । ତାର କାରଣ ଥିଲା ଦୀର୍ଘ ଅତୀତରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଗାନ୍ଧିଜୀ ବର୍ଷକ ମଧ୍ୟରେ ସ୍ୱରାଜ ପ୍ରାପ୍ତି ହେବାଭଳି ଯେଉଁ ଆଶା ନେଇ ତୀବ୍ର ଆନ୍ଦୋଳନ ଚଳାଇଥିଲେ ତାହା ସୁଦୂର ପରାହତ ହୋଇଥିଲା ।ସର୍ବୋଚ୍ଚ କ୍ଷମତାସଂପନ୍ନ ବୈଧାନିକ କମିଶନ- ସାଇମନ୍ କମିଶନ ଭାରତର ଶାସନ ସଂସ୍କାର ସଂପର୍କିତ ଦେଇଥିବା ପରାମର୍ଶଗୁଡ଼ିକର ବିଚାର ଆଲୋଚନା ପାଇଁ ଇଂଲଣ୍ଡରେ ଆୟୋଜିତ ହୋଇଥିଲା ତିନୋଟି ଗୋଲ୍ଟେବୁଲ୍ ବୈଠକ । ଭାରତୀୟ ପ୍ରତିନିଧିଙ୍କ ଗହଣରେ ଏହାର ସବିଶେଷ ଆଲୋଚନା କରିବାକୁ ଇଂଲଣ୍ଡ ସରକାର ଯୋଜନା କରିଥିଲେ । ପ୍ରଥମ ଗୋଲଟେବୁଲ୍ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରତିନିଧିରୂପେ ଯୋଗ ଦେଇଥିଲେ । ସେଇ ଯୋଗଦାନ ହିଁ ଥିଲା ନୂତନ ଓଡ଼ିଶା ପ୍ରଦେଶ ଗଠନର ଇତିହାସରେ ଏକ ସ୍ୱର୍ଣ୍ଣାଙ୍କିତ ପୃଷ୍ଠା ।