ଆମ ପାରଳା ମହାରାଜା/କେନ୍ଦ୍ରମଞ୍ଚର କେନ୍ଦ୍ରବିନ୍ଦୁରେ
←ପ୍ରଜାହିତ- ରାଜଧର୍ମ | ଆମ ପାରଳା ମହାରାଜା ଲେଖକ/କବି: କେନ୍ଦ୍ରମଞ୍ଚର କେନ୍ଦ୍ରବିନ୍ଦୁରେ |
ତିନି କମିଟି ଓ ମହାରାଜା→ |
ବହୁଧା ବିଭାଜିତ ପ୍ରାକୃତିକ ଓଡ଼ିଶାର ଏକୀକରଣ ପରିବର୍ତ୍ତେ ପାରଳା ଗଜପତିଙ୍କ ପ୍ରସ୍ତାବ ଅନୁଯାୟୀ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଓଡ଼ିଆମାନଙ୍କ ଲାଗି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ସମୟକ୍ରମେ ବେଶ୍ ଦାନା ବାନ୍ଧିଥିଲା । କିନ୍ତୁ ସେହି ଧାରାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେଇ ଉତ୍କଳ ସମ୍ମିଳନୀର ଏକ ପ୍ରଭାବଶାଳୀ ଗୋଷ୍ଠୀ ତଥା ସେତେବେଳେ ତାହାର ମଙ୍ଗ ଧରିଥିବା ଗୋପବନ୍ଧୁଙ୍କ ସମେତ ତାଙ୍କ ସମର୍ଥକମାନଙ୍କର କାର୍ଯ୍ୟକଳାପ ଯୋଗୁଁ । ୧୯୨୦ ମସିହାରେ ବାପୁଜୀଙ୍କ ସହିତ ସଂପର୍କ ସ୍ଥାପନ ପରେ ବାପୁଙ୍କ ଭଳି ଗୋପବନ୍ଧୁଙ୍କର ମଧ୍ୟ ହୃଦବୋଧ ହୋଇଥିଲା ଯେ ଭାରତୀୟ ଜାତୀୟ କଂଗ୍ରେସର ସଂଗ୍ରାମ ଆସନ୍ତା ବର୍ଷକ ମଧ୍ୟରେ ସୁଫଳ ଆଣିଦେବ ନିଶ୍ଚୟ ଏବଂ ଦେଶ ସ୍ବାଧୀନ ହୋଇଯିବା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଭଳି ଆଞ୍ଚଳିକ ସମସ୍ୟାଗୁଡ଼ିକ ଆପେଆପେ ସ୍ୱାଧୀନ ସରକାରଙ୍କ ଦ୍ବାରା ସମାହିତ ହୋଇପାରିବ । ତେଣୁ ଜାତୀୟ ଆନ୍ଦୋଳନକୁ ସର୍ବାନ୍ତଃକରଣରେ ସହାୟତା ଦେବା ସଙ୍ଗେସଙ୍ଗେ ସ୍ୱାଧୀନତା ଆନ୍ଦୋଳନକୁ ବେଶ ଦୃଢ଼ କରିବାକୁ ହେବ ସମଗ୍ର ଭାରତର ପୁରପଲ୍ଲୀରେ ।
ଗାନ୍ଧିଜୀଙ୍କ ସେହି ମତରେ ବେଶ୍ ପ୍ରଭାବିତ ହୋଇଯାଇଥିଲେ ପଣ୍ଡିତ ଗୋପବନ୍ଧୁ । ତେଣୁ ସତ୍ୟବାଦୀ ଗୋଷ୍ଠୀ ସହିତ ଗୋପବନ୍ଧୁଙ୍କ ସମର୍ଥକଗଣ କଂଗ୍ରେସର ସଭ୍ୟ ଶ୍ରେଣୀଭୁକ୍ତ ହୋଇ ତାହାର ଜାତୀୟ କାର୍ଯ୍ୟକ୍ରମଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଉତ୍କଳ ସମ୍ମିଳନୀର କାର୍ଯ୍ୟକଳାପକୁ ଅଧିକ ଗୁରୁତ୍ତ୍ୱ ଦେଇ ନଥିଲେ ।
ତତ୍ପରଠାରୁ ଉତ୍କଳ ସମ୍ମିଳନୀର ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ ସୃଷ୍ଟି ହୋଇଥିଲା କହିଲେ ଚଳେ । ମଧୁବାବୁ ଓ ପାରଳା ମହାରାଜାଙ୍କ ଭଳି ଅନେକ ସମ୍ମିଳନୀ ସଂଗଠକଙ୍କ ହୃଦ୍ବୋଧ ହୋଇଥିଲା ଯେ ଅନୁଷ୍ଠାନର ଲକ୍ଷ୍ୟବିନ୍ଦୁ ତଥାପି ଅପହଞ୍ଚ ହୋଇ ରହିଥିବା ଯୋଗୁଁ ସେଥିପାଇଁ ଚାଲିଥିବା ଉଦ୍ୟମରୁ ବିରତି ନେବା ସ୍ପୃହଣୀୟ ନୁହେଁ । ଅପର ପକ୍ଷରେ ସମ୍ମିଳନୀର ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଜାତୀୟ କଂଗ୍ରେସର କାର୍ଯ୍ୟଧାରାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ନକରି ବରଂ ସହାୟକ ହୋଇପାରିବ । ସେହି କାରଣରୁ ସମ୍ମିଳନୀ କଂଗ୍ରେସ ଅନୁଷ୍ଠାନରେ ସଂପୂର୍ଣ୍ଣ ମିଳେଇ ନଯାଇ ତାହାର ସ୍ୱତନ୍ତ୍ର ସତ୍ତା ବଜାୟ ରଖିବା ଆବଶ୍ୟକ । ଏବଂ ପରିଣାମତଃ ପୂର୍ବବତ୍ ଅନୁଷ୍ଠାନ ତରଫରୁ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ଚାଲୁ ରହିଥିଲା ।
ମାନ୍ଦ୍ରାଜ ପ୍ରଦେଶାନ୍ତର୍ଗତ ବର୍ତ୍ତମାନର ଅବିଭକ୍ତ ଗଞ୍ଜାମ ଅଞ୍ଚଳରେ ସେଇ ଆନ୍ଦୋଳନର ଧାରା ଥିଲା ଅତି ତୀବ୍ର । ତତ୍କାଳୀନ ଓଡ଼ିଶାର ଓଡ଼ିଆମାନଙ୍କ ସହିତ ଏକତ୍ର ହୋଇ ରହିବାପାଇଁ ସର୍ବପ୍ରଥମ ସ୍ୱର ଉତ୍ତୋଳନ କରିଥିଲେ ସେମାନେ । ଉତ୍କଳୀୟଙ୍କ ହିତ ସାଧନପାଇଁ କଟକଠାରେ ମଧୁବାବୁ ଓ କର୍ମବୀର ଗୌରୀଶଙ୍କରଙ୍କ ଉଦ୍ୟମରେ ୧୮୮୨ରେ ଗଠିତ ହୋଇଥିଲା ଉତ୍କଳ ସଭା- ଏକ ରାଜନୈତିକ ଅନୁଷ୍ଠାନ । ସମଚିନ୍ତାଧାରାସଂପନ୍ନ ଅନ୍ୟ ଅନୁଷ୍ଠାନ- ଉତ୍କଳ ହିତୈଷିଣୀ ସମାଜ ଗଠିତ ହୋଇଥିଲା ଓଡ଼ିଶା ବାହାରେ ସୁଦୂର ପାରଳାଖେମଣ୍ଡି ସହରରେ ରାଜଭ୍ରାତା ପଦ୍ମନାଭ ଦେବଙ୍କ ଅଧିନାୟକତ୍ୱରେ । ଦକ୍ଷିଣ ବିଚ୍ଛିନ୍ନାଞ୍ଚଳର ଜନଗଣଙ୍କ ଦୁଃଖଦୁର୍ଦ୍ଦଶା ବିଶେଷକରି ଗଂଜାମର ଓଡ଼ିଆ ଜନଗଣଙ୍କ ପ୍ରତି ହେଉଥିବା ଅବିଚାର ଏବଂ ଅବହେଳା ସବୁର ବିସ୍ତୃତ ଆଲୋଚନା ତଥା ପ୍ରତିକାର ପାଇଁ ତତ୍ପର ହୋଇଉଠିଥିଲା ଉତ୍କଳ ହିତୈଷିଣୀ ସମାଜ । ଓଡ଼ିଶା ଡିଭିଜନ୍ ସହିତ ଏକତ୍ର ରହିବାପାଇଁ ବଳବତ୍ତର ଆକାଂକ୍ଷା ପ୍ରତିଫଳିତ ହୋଇଥିଲା ତାହାରି ମାଧ୍ୟମରେ । ତତ୍ପରେପରେ ଗଠିତ ହୋଇଥିଲା ଗଂଜାମ ଜାତୀୟ ସମିତି ସେଇ ଏକା ଉଦ୍ଦେଶ୍ୟରେ । ସବୁ ଅନୁଷ୍ଠାନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ପ୍ରାଧାନ୍ୟ ଲାଭ କରିଥିଲା ଗଞ୍ଜାମ ଓ ବିଶାଖାପଟଣା ମାଳ ଅଞ୍ଚଳଗୁଡ଼ିକର ପ୍ରାକୃତିକ ଓଡ଼ିଶା ସହ ମିଶ୍ରଣପାଇଁ କାର୍ଯ୍ୟପନ୍ଥା ଗ୍ରହଣ । ବ୍ରହ୍ମପୁରଠାରେ ଅନୁଷ୍ଠିତ ତାହାର ପ୍ରଥମ ସମ୍ମିଳନୀରେ ପ୍ରତିଫଳିତ ଜନଉଦ୍ଦୀପନା ହିଁ ମଧୁବାବୁଙ୍କୁ ବିଶେଷଭାବେ ପ୍ରୋତ୍ସାହିତ କରିଥିଲା ବିଚ୍ଛୁରିତ ହୋଇ ରହିଥିବା ସବୁ ଓଡ଼ିଆଙ୍କୁ ଏକତ୍ର କରିବାପାଇଁ ଏକ ବୃହତ୍ତର ଅନୁଷ୍ଠାନ ଗଠନ କରିବା ଲାଗି । ତାହା ଉତ୍କଳ ସମ୍ମିଳନୀ ରୂପେ ଜନ୍ମ ଲାଭ କରିଥିଲା । କେବଳ ଗଂଜାମ, ବିଶାଖପାଟଣା ଅଞ୍ଚଳ ନୁହେଁ, ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକୀକରଣପାଇଁ ସେହି ଅନୁଷ୍ଠାନ ତୀବ୍ର ଆନ୍ଦୋଳନ ଚଳାଇଥିଲା ।
ସେଭଳି ବେସରକାରୀ ଉଦ୍ୟମ ସାଙ୍ଗକୁ ସରକାରୀ ସ୍ତରରେ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣପାଇଁ ଅନୁକୂଳ ମତ ମଧ୍ୟ ପ୍ରକାଶ ପାଇଥିଲା ବିଖ୍ୟାତ୍ ଭାଷାବିଦ୍ ଗ୍ରୀୟରସନ୍ଙ୍କ ମତାମତକୁ ଭିତ୍ତିକରି । ସରକାରଙ୍କ ୧୮୯୪-୯୫ ବାର୍ଷିକ ବିବରଣୀ ଅନୁଯାୟୀ ଓଡ଼ିଶା ଅଞ୍ଚଳର କମିଶନର ଦାୟିତ୍ବରେ ଥିବା ମି. ଏଚ୍. ଜି କୁକ୍ ଆଇ. ସିଏସ୍ ଶାସନଗତ ସୁବିଧା ଦୃଷ୍ଟିରୁ ଗଂଜାମ ସମେତ ସମ୍ବଲପୁର ଅଞ୍ଚଳକୁ ମିଶାଇ ଓଡ଼ିଶା ଡିଭିଜନର ସୀମା ବୃଦ୍ଧି କରାଯିବା ସଂପର୍କରେ ଦୃଢ଼ ମତ ବ୍ୟକ୍ତ କରିଥିଲେ । ୧୮୯୭ ମସିହାରେ ମଧୁବାବୁ ଉତ୍କଳ ସଭା ତରଫରୁ ସେଇ ପ୍ରସ୍ତାବକୁ ଇଂଲଣ୍ଡରେ ଭାରତ ବିଭାଗରେ ଉପସ୍ଥାପିତ କରିବା ସଂଗେସଂଗେ ଭାରତର ବଡ଼ଲାଟଙ୍କୁ ମଧ୍ୟ ସେହି ଦିଗରେ ପ୍ରଭାବିତ କରାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ୧୯୦୨ ମସିହାରେ ସେଇ ସମସ୍ତ ପ୍ରସ୍ତାବକୁ ଭାରତ ବିଭାଗ ସଚିବ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ସୁଦ୍ଧା ବଡ଼ଲାଟ୍ ଲର୍ଡ଼ କର୍ଜନ ଓଡ଼ିଶା ସମସ୍ୟା ପ୍ରତି ସମ୍ବେଦନଶୀଳ ଥିଲେ । ବଡ଼ଲାଟ୍ ଭାବେ ବିଗତ ଶହେ ବର୍ଷର ରେକର୍ଡ଼ ଭଙ୍ଗକରି ସେ ଓଡ଼ିଶା ପରିଭ୍ରମଣରେ ଆସିଥିଲେ । ତତପରେପରେ ତାଙ୍କର ହୃଦବୋଧ ପ୍ରତିଫଳିତ ହୋଇଥିଲା ୧୯୦୩ ମସିହାର ବଙ୍ଗ ବିଭାଜନ/ ରିସ୍ଲେ ସର୍କୁଲାର ମାଧ୍ୟମରେ । ସବୁ ଓଡ଼ିଆଭାଷୀ ଅଞ୍ଚଳର ଏକୀକରଣ ପ୍ରସ୍ତାବ ସେଥିରେ ରହିଥିଲା ।
ହେଲେ ଅନ୍ୟାନ୍ୟ ପ୍ରସଙ୍ଗକୁ କେନ୍ଦ୍ରକରି ରିସଲେ ସର୍କୁଲାର ବିରୁଦ୍ଧରେ ସାରା ଦେଶରେ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା । ପୁଣି ସେହି ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ଆଞ୍ଚଳିକ ନେତାଗଣଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ ମାନ୍ଦ୍ରାଜ ପ୍ରାଦେଶିକ ଶାସନରୁ ଗଞ୍ଜାମ ଅଞ୍ଚଳକୁ ବିଛିନ୍ନ କରାନଯାଉ । ତେବେ ରିସ୍ଲେ ସର୍କୁଲାରର ଓଡ଼ିଆ ଏକୀକରଣ ମତାମତକୁ ବଙ୍ଗଳାର ଛୋଟ ଲାଟ ପୁରାପୁରି ସମର୍ଥନ କରିଥିଲେ ସୁଦ୍ଧା କେତେକ ସର୍ଭରେ କେନ୍ଦ୍ର (ମଧ୍ୟ) ପ୍ରଦେଶିକ ସରକାର ତାହାକୁ ସମର୍ଥନ ଜଣାଇଥିଲେ । କିନ୍ତୁ ମାନ୍ଦ୍ରାଜ ସରକାର ତାହାର ତୀବ୍ର ବିରୋଧ କରିଥିଲେ ୧୯୦୪ ମସିହାରେ । ସେଥିପାଇଁ ଓଡ଼ିଆମାନଙ୍କ ମଧ୍ୟରେ ସୁଦ୍ଧା ତୀବ୍ର ପ୍ରତିକ୍ରିଯା ପ୍ରକାଶ ପାଇଥିଲା । ସେତେବେଳେ ସାରା ଗଂଜାମରେ ତେଲୁଗୁ ରାଜକର୍ମଚାରୀଙ୍କ ସଂପୂର୍ଣ୍ଣ ଆଧିପତ୍ୟ ଥିଲା ଏବଂ ସେମାନଙ୍କ ହୀନ ଚକ୍ରାନ୍ତ ଯୋଗୁଁ ହିଁ ସରକାର ବିଶେଷ ଭାବେ ପ୍ରଭାବିତ ହେଉଥିଲେ । ସେମାନେ ମଝିରେ ମଝିରେ ଅତି କ୍ଷୁଦ୍ର କ୍ଷୁଦ୍ର ଘଟଣାକୁ କେନ୍ଦ୍ରକରି ଓଡ଼ିଆ ବିରୋଧୀ ଅନ୍ଦୋଳନମାନ କରୁଥିଲେ ରଂଜାମ ଅଞ୍ଚଳରେ । ସ୍ମାରକପତ୍ର ତଥା ସମ୍ବାଦପତ୍ରଗୁଡ଼ିକୁ ସେମାନେ ସେଥିପାଇଁ ମାଧ୍ୟମ ରୂପେ ବ୍ୟବହାର କରୁଥିଲେ । ୧୯୦୫ ଫେବ୍ରୁଆରିରେ ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ଼ ଏମ୍ପ୍ଥିଲ୍ ବ୍ରହ୍ମପୁର ଅସିବା ଅବସରରେ ଟାଉନ୍ ହଲଠାରେ ସ୍ପଷ୍ଟ ଘୋଷଣା କରିଥିଲେ ଯେ ଗଞ୍ଜାମ ଅଞ୍ଚଳକୁ ମାନ୍ଦ୍ରାଜ ଅଞ୍ଚଳରୁ ବାଦ ଦିଆ ନଯିବାପାଇଁ ସେ ଦୃଢ଼ ଭାବରେ ଭାରତ ସରକାରଙ୍କୁ ଜଣାଇ ଦେଇଅଛନ୍ତି ।
ଓଡ଼ିଆମାନଙ୍କର ଭାଗ୍ୟର ବିଡ଼ମ୍ବନା, ଠିକ୍ ସେତିକିବେଳକୁ ଭାରତର ବଡ଼ଲାଟ୍ ଲର୍ଡ଼ କର୍ଜନ ଛୁଟି ନେଇଯିବା ପରେ ତାଙ୍କରି ଦାୟିତ୍ବରେ ରହିଥିଲେ ଲର୍ଡ଼ ଏମ୍ପୁଥିଲ । ଏବଂ ଆହୁରି ଦୁର୍ଭାଗ୍ୟ, ସେତିକିବେଳକୁ ହିଁ ଓଡ଼ିଆ ସମସ୍ୟାର ଶେଷ ନିଷ୍ପଭି ପାଇଁ ଫାଇଲ ଯାଇଥିଲା ବଡ଼ଲାଟଙ୍କ ନିକଟକୁ । ସେହି ରେକର୍ଡ଼ପତ୍ରରେ ସମ୍ବଲପୁର ଅଞ୍ଚଳର ଓଡ଼ିଶା ସହ ମିଶ୍ରଣ ପ୍ରସ୍ତାବକୁ ବଡ଼ଲାଟ୍ ହିସାବରେ ଲର୍ଡ଼ ଏମ୍ପଥିଲ୍ ସମ୍ମତି ପ୍ରଦାନ କରିଥିଲେ ସୁଦ୍ଧା ଗଂଜାମ ଓ ବିଶାଖା ପାଟଣା ଅଞ୍ଚଳକୁ ମାନ୍ଦ୍ରାଜରୁ ବିଛିନ୍ନ କରାଯାଇ ପାରିବ ନାହିଁ ବୋଲି ଶେଷ ନିଷ୍ପତ୍ତି ରେକର୍ଡ଼ଭୁକ୍ତ କରିଦେଇଥିଲେ । ସେହିକ୍ରମରେ ୧୯୦୫ରେ ସମ୍ବଲପୁର ଏବଂ ତନ୍ନିକଟବର୍ତ୍ତୀ ଅଞ୍ଚଳର ଓଡ଼ିଶା ଡିଭିଜନ୍ ସହିତ ମିଶ୍ରଣ ହୋଇପାରିଥିଲା । ତତ୍ଫଳରେ ଗଂଜାମର ଓଡ଼ିଆମାନେ ତୀବ୍ର ପ୍ରତିବାଦ କରିବା ସଂଗେ ସଂଗେ ଏହି ଅଞ୍ଚଳର ପ୍ରକୃତ ଜନମତ ଜାଣିବାପାଇଁ ଗୋଟିଏ କମିଶନ୍ ଗଠନ କରାଯାଉ ବୋଲି ଦାବି କରିଥିଲେ । ତତ୍ସହିତ ପ୍ରସ୍ତାବ ମଧ୍ୟ ହୋଇଥିଲା ଯେ ଆବଶ୍ୟକ ହେଲେ ସେଥିପାଇଁ ସମସ୍ତ ଖର୍ଚ୍ଚ ଗଂଜାମବାସୀ ବହନ କରିବେ । ସେଭଳି ଦେଶମିଶ୍ରଣ ଆନ୍ଦୋଳନ କ୍ରମାଗତ ଭାବରେ ଚାଲୁ ରହିଥିଲା ।
ସେଇ ପରିସ୍ଥିତି ଭିତରେ ୧୯୦୫ ମସିହା ଅକ୍ଟୋବରରୁ ଶାସନଗତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ବଙ୍ଗ-ବିହାର-ଓଡ଼ିଶା ଅଞ୍ଚଳକୁ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ରଖାଯାଇ ପୁର୍ବବଙ୍ଗ ଓ ଆସାମ ଅଞ୍ଚଳକୁ ସେହିଭଳି ଅନ୍ୟଜଣଙ୍କ ଅଧୀନରେ ରଖାଗଲା । କିନ୍ତୁ ଦକ୍ଷିଣ ବିଛିନ୍ନାଞ୍ଚଳର ବ୍ୟବସ୍ଥା ଥିଲା ଯଥା ପୂର୍ବଂ ତଥା ପରଂ । ସେଭଳି ପରିସ୍ଥିତିରେ ୧୯୦୯ ମସିହାରେ ଗଂଜାମର ଓଡ଼ିଆ ସମାଜ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ମାନ୍ଦ୍ରାଜ ଗଭର୍ଣ୍ଣର ସାର୍ ଆର୍ଥର ଲାଉଲିଙ୍କୁ ଭେଟି ତେଲଗୁ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ବାଦଦେଇ ଅନ୍ୟାନ୍ୟ ଅଞ୍ଚଳ ସମୂହକୁ ଓଡ଼ିଶା ସହ ମିଶ୍ରଣ ଦାବି ଜଣାଇଥିଲେ । ପୁଣି ବଡ଼ଲାଟ୍ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ସମୟରେ ବଙ୍ଗ-ବିହାର-ଓଡ଼ିଶା ପ୍ରଦେଶର ପୁନର୍ଗଠନ କରାଯାଇ ବିହାର-ଓଡ଼ିଶା ଏକ ନୂତନ ପ୍ରଦେଶ ରୂପେ ୧୯୧୨ ଅପ୍ରେଲ ପହିଲା ଦିନ ଜନ୍ମଲାଭ କରିଥିଲା । ପୁଣି ଥରେ ଉଭୟବଙ୍ଗ ଯୁକ୍ତ ହୋଇ ବଙ୍ଗ ପ୍ରଦେଶ ପୁନର୍ଗଠିତ ହୋଇଥିଲା । ଆସାମକୁ ଜଣେ ମୁଖ୍ୟ କମିଶନରଙ୍କ ଅଧୀନରେ ରଖାଯାଇଥିଲା । କିନ୍ତୁ ତଥାପି ସେତିକିବେଳେ ମଧ୍ୟ ଗଂଜାମବାସୀଙ୍କର ଦାବି ଉପେକ୍ଷିତ ହୋଇ ହିଁ ରହିଯାଇଥିଲା । ତେଣୁ ଉତ୍କଳ ଏକୀକରଣ ଆନ୍ଦୋଳନର ନେତୃତ୍ୱ ନେଉଥିବା ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ ଏପ୍ରିଲ୍ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇ ଆସନ୍ତା ବର୍ଷକ ପାଇଁ ତାହାର ସମସ୍ତ କାର୍ଯ୍ୟକ୍ରମ ସେହି ଉପେକ୍ଷିତ ଅଞ୍ଚଳରେ ହିଁ କେନ୍ଦ୍ରୀଭୂତ ହେବା ଲାଗି ସ୍ଥିର ହୋଇଥିଲା ।
ଏସବୁ ସତ୍ତ୍ୱେ ମାନ୍ଦ୍ରାଜର ଗଭର୍ଣ୍ଣରଗଣ ଗଂଜାମବାସୀଙ୍କର ବିଭିନ୍ନ ଦାବି ତଥା ସ୍ମାରକପତ୍ର ସବୁକୁ ଗ୍ରହଣକରି ଶୀତଳ ଭଣ୍ଡାରରେ ସ୍ଥାନିତ କରିଦେଉଥିଲେ ଯେମିତି । ୧୯୧୩ରେ ଗଭର୍ଣ୍ଣର ପ୍ୟାଣ୍ଟଲ୍ୟାଣ୍ଡ ବ୍ରହ୍ମପୁର ଗସ୍ତରେ ଆସିଥିବା ଅବସରରେ ଗଞ୍ଜାମ ଓଡ଼ିଆ ସମାଜ ତରଫରୁ ପ୍ରଦତ୍ତ ଏକ ଅଭିନନ୍ଦନପତ୍ରର ଉତ୍ତର ଦେଇ କହିଥିଲେ ଯେ ପରିସ୍ଥିତିର କିଛି ପରିବର୍ତ୍ତନ ନହେଲେ କିମ୍ବା କିଛି ବିଶେଷ ଗୁରୁତ୍ୱ ବହନ କରୁଥିବା ନୂତନ ଦାବି ଉପସ୍ଥାପିତ ନହେଲେ ଦକ୍ଷିଣସ୍ଥ ଓଡ଼ିଆ ଅଞ୍ଚଳଗୁଡ଼ିକର ମିଶ୍ରଣ ପ୍ରଶ୍ନ ପୁନରୁତ୍ଥିତ ହେବା ସମ୍ଭବ ନୁହେଁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାର ଓଡ଼ିଶା ପ୍ରଦେଶ ଗଠିତ ହେବା ଅବସରରେ ଏହାର ପ୍ରଥମ ଗଭର୍ଣ୍ଣର ଚାର୍ଲସ୍ ବେଲେ ୧୯୧୨ ଜୁଲାଇ ୨୨ ତାରିଖ ଦିନ ଏକ ନାଗରିକ ସମ୍ବର୍ଦ୍ଧନା ଅବସରରେ ଓଡ଼ିଆ ଏକୀକରଣ ଦାବି ସମ୍ବଳିତ ଗୋଟିଏ ସ୍ମାରକପତ୍ରର ଉତ୍ତରରେ କହିଥିଲେ ଯେ 'ମୁଁ ଆପଣମାନଙ୍କ ଆଶା ଆକାଂକ୍ଷା ପ୍ରତି ସମ୍ବେଦନଶୀଳ । ଗୋଟିଏ ସରକାର ଅଧୀନରେ ତଥା ଏକ ସ୍ୱତନ୍ତ୍ର ପ୍ରଦେଶରେ ସବୁ ଓଡ଼ିଆ ଭାଷାଭାଷୀଙ୍କୁ ମୁଁ ଦେଖିବାକୁ ଇଚ୍ଛାକରେ ।’ ତତ୍ସହିତ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ସେଇ ସଂପର୍କରେ ସେ ଭାରତ ସରକାରଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସେ ଓଡ଼ିଶା ପରିଭ୍ରମଣରେ ଆସିଥିଲେ ଏବଂ ସେତିକିବେଳେ ପୁରୀ, ସମ୍ବଲପୁର, ବାଲେଶ୍ୱର ଏବଂ ବାରିପଦାଠାରେ ଜନଗଣଙ୍କ ସମ୍ବର୍ଦ୍ଧନା ସହିତ ସେହି ଏକା ପ୍ରକାରର ସ୍ମାରକପତ୍ରମାନ ପାଇଥିଲେ ଏବଂ ସବୁଠି ସେଇ ଏକା ପ୍ରକାରର ଦରଦୀପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ ।
କିନ୍ତୁ ସେଇ ସବୁ ଥିଲା କେବଳ କଥାର କଥା । ତେଣୁ କେବଳ ଗଂଜାମ କିମ୍ବା ଦକ୍ଷିଣର ବିଚ୍ଛିନ୍ନାଞ୍ଚଳ ନୁହେଁ, ବିଚ୍ଛୁରିତ ହୋଇ ରହିଥିବା ସବୁ ଓଡ଼ିଆଙ୍କ ସ୍ୱାତତ୍ର୍ୟ ରକ୍ଷାପାଇଁ ଯେଉଁ ଏକୀକରଣ ଅନ୍ଦୋଳନ ଆରମ୍ଭ ହୋଇଥିଲା ତାହା ସମୟକ୍ରମେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ପରିଣତ ହୋଇଗଲା । ଆନ୍ଦୋଳନର ଆଭିମୁଖ୍ୟ ପରିବର୍ଭନ କରାଇବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର । ୧୯୧୩ ମସିହାରେ ସେ ଗାଦି ଆସୀନ ହେବା ପରେ ୧୯୧୪ରେ ପାରଳାରେ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀ । ସେତିକିବେଳକୁ ତାହାର ମଙ୍ଗ ଧରିଥିଲେ ପଣ୍ଡିତ ଗୋପବନ୍ଧୁ । ମଧୁବାବୁଙ୍କ ହାତରୁ ଆପେଆପେ ଯେମିତି ସମ୍ମିଳନୀର ଦାୟିତ୍ୱ ଚାଲି ଆସିଥିଲା ତାଙ୍କରି ହାତକୁ । ସେତେବେଳେ ବାସ୍ତବରେ ତାହାଙ୍କ ହୃଦୟର ଭାଷା ଏବଂ ସ୍ଫୁରିତ ଭାଷଣ ମଧ୍ୟରେ କୌଣସି ତଫାତ ରହୁ ନଥିଲା । ନଥିଲା ଉତ୍କଳୀୟ ଜାତୀୟ ଭାବ ଚେତନାରେ ଆବିଳତା । ହେଲେ ବାପୁଜୀଙ୍କଦ୍ୱାରା ପ୍ରଭାବିତ ହୋଇ ଏବଂ ୧୯୨୦ରେ ନାଗପୁର କଂଗ୍ରେସ ଅଧିବେଶନରେ ବିଖ୍ୟାତ ଅସହଯୋଗ ଆନ୍ଦୋଳନ ସହିତ ‘ଭାଷାଭିଭିରେ ପ୍ରଦେଶ ଗଠନ ଆବଶ୍ୟକ’ ପ୍ରସ୍ତାବ ଗୃହୀତ ହେବା ପରେପରେ ଗୋପବନ୍ଧୁଙ୍କ ବିଶ୍ୱାସ ଦୃଢ଼ ହୋଇଥିଲା ଯେ କଂଗ୍ରେସ ଏଣିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପାଇଁ ମଧ୍ୟ ପ୍ରୟାସ କରିବ । ସେହି କାରଣରୁ ସେହି ବର୍ଷ ଶେଷରେ ଶ୍ରୀ ଜଗବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗୋପବନ୍ଧୁ ପ୍ରସ୍ତାବଟିଏ ଆଗତ କରିଥିଲେ ଯେ ଜାତୀୟ କଂଗ୍ରେସର ଆଦର୍ଶ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହିତ ସମ୍ମିଳନୀର ଆଦର୍ଶ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟରେ ସାମ୍ୟ ଥିବା ଯୋଗୁଁ ଏହା ବୃହତ ତଥା ଜାତୀୟ ସ୍ତରର ଅନୁଷ୍ଠାନ- ଜାତୀୟ କଂଗ୍ରେସ ସହିତ ଅଙ୍ଗୀଭୂତ ହେଉ । ସେହି ପ୍ରସ୍ତାବ ସେଠାରେ ଗୃହୀତ ହୋଇଯିବା ଥିଲା ସ୍ୱାଭାବିକ । ଏବଂ ପରିଣାମତଃ ତାହା ସେବେଠାରୁ ହୋଇଯାଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଅଂଶବିଶେଷ ।
ତାର ପରିଣାମ ହୋଇଥିଲା ସମ୍ମିଳନୀର ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ । ମୁଖ୍ୟତଃ ଯେଉଁ ରାଜା ଜମିଦାରଗଣଙ୍କୁ ନେଇ ଏହି ସଂଗଠନ ସମୃଦ୍ଧ ହୋଇଥିଲା ସେମାନଙ୍କ ସମେତ ଗୌରୀଶଙ୍କର, ମଧୁବାବୁ, ବ୍ରଜସୁନ୍ଦର ଦାସ, ଶଶି ରଥ, ପାରଳା ମହାରାଜା, ଗୋପାଳ ପ୍ରହରାଜ, ବିଶ୍ୱନାଥ ମିଶ୍ର ପ୍ରମୁଖ ଥିଲେ ସମ୍ମିଳନୀର କାର୍ଯ୍ୟକଳାପକୁ ବଜାୟ ରଖାଯିବା ସପକ୍ଷରେ । କଂଗ୍ରେସରେ ଯୋଗଦେଇଥିବା ଗୋଷ୍ଠୀରେ ଥିଲେ ଗୋପବନ୍ଧୁ ଏବଂ ସତ୍ୟବାଦୀର ପ୍ରମୁଖ ସହଯୋଗୀଗଣଙ୍କ ସମେତ ବିଶ୍ୱନାଥ ଦାସ ପ୍ରମୁଖ ନେତୃବୃନ୍ଦ । ଅପର ଗୋଷ୍ଠୀଠାରୁ ଏମାନେ ସଂଖ୍ୟାଧିକ ଥିଲେ ନିଶ୍ଚୟ । ଏଭଳି ବିଭାଜନ ଯୋଗୁଁ ବାସ୍ତବରେ ସମ୍ମିଳନୀର ବାର୍ଷିକ ଅଧିବେଶନଗୁଡ଼ିକ ଆଉ ଧାରାବାହିକ ତଥା ନିୟମିତ ଭାବେ ଅନୁଷ୍ଠିତ ହୋଇ ପାରି ନଥିଲା । ମୂଳ ଅନୁଷ୍ଠାନର ସାବଲୀଳ ପ୍ରବହମାନଧାରା ସେହିଠାରୁ ବ୍ୟାହତ ହୋଇଥିଲା କହିଲେ ଅତ୍ଯୁକ୍ତି ହେବନାହିଁ ।
ସମ୍ମିଳନୀର ଅବଧାରିତ ଲକ୍ଷ୍ୟବିନ୍ଦୁ ତଥାପି ଅନେକ ଦୂରରେ ରହିଥିବା ଯୋଗୁଁ ସେଠାରେ ପହଞ୍ଚିବା ପାଇଁ ଆହୁରି ଅଧିକ ଦୃଢ଼ ଆନ୍ଦୋଳନ ଆବଶ୍ୟକ ବୋଲି ଯେଉଁମାନେ ମତ ପୋଷଣ କରିଥିଲେ ସେମାନଙ୍କ ନେତୃତ୍ବ ପ୍ରାୟ ସେବେଠାରୁ ଗ୍ରହଣ କରିଥିଲେ ମହାରାଜା କୃଷ୍ଣଚନ୍ଦ୍ର । ନିର୍ଦ୍ଧାରିତ ଲକ୍ଷ ବିନ୍ଦୁରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସେଥିରୁ ଆଉ ଅବ୍ୟାହତି ନେଇ ନଥିଲେ । ଉଲ୍ଲେଖଯୋଗ୍ୟ ଯେ ମଧୁବାବୁଙ୍କ ଭଳି ମହାରାଜାଙ୍କ ମଧ୍ୟ ସମମତ ହିଁ ଥିଲା । ଉତ୍କଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ମଧୁବାବୁଙ୍କ ଉଦଘୋଷଣା ଥିଲା "ଉତ୍କଳ ଜନନୀ ଭାରତ ଜନନୀଙ୍କଠାରୁ ବିଛିନ୍ନ ନୁହନ୍ତି । ସେ ଭାରତ ଜନନୀଙ୍କ ସପତ୍ନୀ କିମ୍ବା ଶତ୍ରୁ ନୁହନ୍ତି । ଉତ୍କଳ ଜନନୀ ଆଜି ଅତି ସ୍ନେହମୟୀ ମୂର୍ତ୍ତିରେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ଏହି ମୂର୍ତ୍ତି ଭାରତମାତାଙ୍କର ଗୋଟିଏ ମୂର୍ତ୍ତି ବିଶେଷ । ଏହି ରୂପଟି ଭାରତମାତାଙ୍କର ଗୋଟିଏ ଅବତାର ।’’ ତେଣୁ ସ୍ୱାଭାବିକ ଭାବେ ଏହି ଭାବ ପ୍ରକାଶପାଇଥିଲା ଯେ ଏହି ଅବତାରଟିର ସମୃଦ୍ଧିରେ ଭାରତମାତାଙ୍କର ସମୃଦ୍ଧି ଅଧିକତର ଭାବରେ ହେବା ସ୍ୱାଭାବିକ । ଠିକ ସେହି ମତ ମଧ୍ୟ ଥିଲା ପାରଳା ଗଜପତି ମହାରାଜାଙ୍କର । ଗୋଟିଏ ସାଧାରଣ ସଭାରେ ତାଙ୍କର ବକ୍ତବ୍ୟ ଥିଲା, ‘‘ହଁ, ଆମେ ଭାରତମାତାଙ୍କ ସ୍ୱାଧୀନତା କ୍ଷେତ୍ରରେ ଅବତରଣ କରିବା ଯେତେବେଳେ ଆମ ଉତ୍କଳ ମାତାର ବିଖଣ୍ଡିତ ଅଙ୍ଗ ଏକତ୍ରିତ ହୋଇ ସେ ମୃତ ସଂଜୀବନୀ ମନ୍ତ୍ରରେ ସଂଜୀବିତ ହେବେ । ଆମେ ତ ପିତୃଶ୍ରାଦ୍ଧରେ ପ୍ରଥମେ ମାତାଙ୍କୁ ପିଣ୍ଡ ଦେଇସାରି ତା’ପରେ ପିତାମହୀଙ୍କ ପାଇଁ ପିଣ୍ଡଦାନକରୁ ।"
ସେହି ଆନ୍ତରିକ କାମନାର ସଫଳ ରୂପାୟନ ପାଇଁ ଉଦ୍ୟମରତ ରହିଥିଲେ ମହାରାଜା । ଇତି ମଧ୍ୟରେ ଇଂଲଣ୍ଡର ହାଉସ୍ ଅଫ୍ କମନ୍ସରେ ଭାରତ ବିଭାଗ ଉପସଚିବ ଲର୍ଡ଼ ମଣ୍ଟେଗୁଙ୍କ ମନ୍ତବ୍ୟ ଥିଲା ଅତୀବ ଗୁରୁତ୍ବପୂର୍ଣ୍ଣ । ୧୯୧୭ ମସିହାରେ ଥରେ ଭାରତୀୟ ମୁକ୍ତି ସଂଗ୍ରାମ ସଂପର୍କରେ ସେ ମନ୍ତବ୍ୟ ରଖିଥିଲେ ଯେ ଭାରତର ସ୍ୱାୟତ୍ତ ଶାସନ ପରିବର୍ଭେ ଆଉ କିଛି ନୂତନ ରାଜ୍ୟ/ପ୍ରଦେଶ ଗଠିତ ହୋଇ ସେସବୁକୁ ଆଂଶିକ ସ୍ୱାୟତ୍ତ ଶାସନ ପ୍ରଦତ୍ତ ହେବା ଅଧିକ ଉପାଦେୟ ହେବ । ତତ୍ପରେପରେ ସେ ଭାରତ ବିଭାଗ ସଚିବ ହୋଇଥିଲେ । ଭାରତୀୟ ଜନଗଣଙ୍କ ରାଜନୈତିକ ଦୁଃସ୍ଥିତି ତଥା ଶାସନ ସଂସ୍କାର ଲାଗି ପରାମର୍ଶ ଦେବାପାଇଁ ଏକ କମିଟି ଗଠିତ ହୋଇଥିଲା ମଣ୍ଟେଗୁ ଏବଂ ଲର୍ଡ଼ ଚେମ୍ସ ଫୋର୍ଡ଼ଙ୍କୁ ନେଇ । ଉକ୍ତ କମିଟିକୁ ୧୯୧୭ ଡିସେମ୍ବର ମାସରେ ମଧୁବାବୁ ଏବଂ ବିହାର ଓଡ଼ିଶା ପ୍ରଦେଶର ଜଣେ ମନ୍ତ୍ରୀ- କନିକା ରାଜା ସାହେବ ଉତ୍କଳ ସମ୍ମିଳନୀ ତରଫରୁ ଏକ ବିସ୍ତୃତ ସ୍ମାରକପତ୍ର କଲିକତାଠାରେ ପ୍ରଦାନ କରିଥିଲେ । କିନ୍ତୁ ୧୯୧୮ରେ ପ୍ରକାଶିତ ସେମାନଙ୍କ ସୁପାରିଶରେ ସ୍ପଷ୍ଟ ଉଲ୍ଲେଖ ଥିଲା ଭାଷା କିମ୍ବା ଜାତିଗତ ଦୃଷ୍ଟିକୋଣରୁ ପ୍ରଦେଶଗୁଡ଼ିକର ବିଭାଜନ ସମ୍ଭବ ନୁହେଁ । ତେବେ ଓଡ଼ିଶା ଏକ ଉପ-ପ୍ରଦେଶ ରୂପେ ଗଠନର ସମ୍ଭାବନା ସେଥିରେ ପ୍ରକାଶ ପାଇଥିଲା ।
ସେଇ ଶାସନ ସଂସ୍କାର ସୁପାରିଶରେ ପ୍ରାଦେଶିକ ବିଧାନସଭାପାଇଁ ପ୍ରତିନିଧି ନିର୍ବାଚିତ ହେବାଲାଗି ବ୍ୟବସ୍ଥା ରହିଥିଲା । ବିହାର ଓଡ଼ିଶା ବିଧାନସଭାର ୮୦ ଜଣ ସଦସ୍ୟଙ୍କ ମଧ୍ୟରୁ ଓଡ଼ିଶାପାଇଁ ୨୫ ଜଣ ଏବଂ କେନ୍ଦ୍ରପାଇଁ ତିନିଜଣ ସଭ୍ୟଙ୍କ ଲାଗି ଉତ୍କଳ ସମ୍ମିଳନୀ ଦାବି ଜଣାଇଥିଲା । କିନ୍ତୁ ସେଥିରେ ବିଧାନସଭାପାଇଁ ମାତ୍ର ୧୦ ଜଣ ସଭ୍ୟଙ୍କ ଲାଗି ସୁପାରିଶ ହୋଇଥିଲା । ସେହିଭଳି ସଂଗଠନ ତରଫରୁ ମାନ୍ଦ୍ରାଜ ବିଧାନସଭାପାଇଁ ଓଡ଼ିଆ ଅଞ୍ଚଳରୁ ଛଅଟି, ବଙ୍ଗ ତଥା କେନ୍ଦ୍ର ପ୍ରଦେଶପାଇଁ ଗୋଟିଏ ଲେଖାଏଁ ଆସନ ଦାବି ହୋଇଥିବା ବେଳେ ଶେଷୋକ୍ତ ପ୍ରଦେଶ ଦୁଇଟିପାଇଁ ଆଦୌ ସ୍ଥାନ ସଂରକ୍ଷଣ ସୁପାରିଶ ହୋଇନଥିଲା । ସେତେବେଳେ ବିହାର ଓଡ଼ିଶା ସରକାରଙ୍କର ମୋଟ ପାଞ୍ଚଟି ଡିଭିଜନ ମଧ୍ୟରୁ ଓଡ଼ିଶାରେ ଥିଲା ଗୋଟିଏ ଏବଂ ସେଥିରେ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର ଏବଂ ଅନୁଗୋଳ- ଏହି ପାଞ୍ଚଟି ଜିଲ୍ଲା ।
ଏଣେ ପାରଳାର ଉତ୍କଳ ହିତୈଷିଣୀ ସମାଜ ତରଫରୁ ମହାରାଜାଙ୍କ ନେତୃତ୍ବରେ ମାନ୍ଦ୍ରାଜଠାରେ ସେଭଳି ଜନମତ ସଂଗ୍ରହ କରୁଥିବା କମିଟି ନିକଟରେ ଏକ ସ୍ମାରକପତ୍ର ପ୍ରଦତ୍ତ ହୋଇଥିଲା । ସେଥିରେ ମାନ୍ଦ୍ରାଜ ବିଧାନସଭାର ୧୨୦ଟି ଆସନରୁ ଓଡ଼ିଆଙ୍କ ପାଇଁ ଦାବି କରାଯାଇଥିଲା ୧୦ଟି ଆସନର ସଂରକ୍ଷଣ । ସେଥିରେ ଅନ୍ତର୍ଭୁକ୍ତ ଥିଲା, ଦୁଇଟି ଆସନ ଜମିଦାରଙ୍କପାଇଁ । ପୁଣି କେନ୍ଦ୍ର ସଭାରେ ସେହି ଅଞ୍ଚଳର ଓଡ଼ିଆ ପ୍ରତିନିଧିମନଙ୍କପାଇଁ ସ୍ୱତନ୍ତ୍ର ବିଚାର କରିବାକୁ ପାରଳା ଗଜପତି କମିଟିକୁ ସ୍ମରଣ କରାଇଦେଇଥିଲେ । ମହାରାଜାଙ୍କ ପ୍ରେରଣାରେ ସେହିଭଳି ଗଞ୍ଜାମ ଜିଲ୍ଲା ଓଡ଼ିଆ ସଭା ତରଫରୁ ମଧ୍ୟ ଅନୁରୂପ ଭାବେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ‘ଓଡ଼ିଆ’ମାନଙ୍କ ପରିବର୍ତ୍ତେ ଗଂଜାମ ଜିଲ୍ଲାରୁ ମାନ୍ଦ୍ରାଜ ବିଧାନସଭାରେ ମାତ୍ର ଦୁଇଜଣ ସଭ୍ୟଙ୍କ ପ୍ରତିନିଧିତ୍ୱପାଇଁ ସୁପାରିଶ ହୋଇଥିଲା ।
ତାହାର ତୀବ୍ର ପ୍ରତିବାଦ ତ ହୋଇଥିଲା; ୧୯୧୯ ଶାସନ ସଂସ୍କାର ଆଇନ ଦେଶରେ ଲାଗୁ ହେବା ପରେ ପରେ ତାହାରି ସୁପାରିଶ ଭିତ୍ତିରେ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଏକ ଉପ-ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଏବଂ ଦାବି ଦୃଢ଼ତର ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ, ନେତୃତ୍ୱ ଏବଂ ସଭାପତିତ୍ୱରେ ବ୍ରହ୍ମପୁର ସହରରେ ୧୯୨୦ ଜାନୁଆରି ୨୮ ତାରିଖ ଦିନ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇ ସେହି ଦାବି ସଂପର୍କରେ ସ୍ପଷ୍ଟ ମତ ପ୍ରକାଶ ପାଇଥିଲା ଏବଂ ମାନ୍ଦ୍ରାଜ ବିଧାନସଭାରେ ଗଂଜାମ ଅଞ୍ଚଳରୁ ଅଧିକ ଆସନପାଇଁ ମଧ୍ୟ ଦାବି କରାଯାଇଥିଲା । ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ଜନମତ ପ୍ରକାଶ ପାଇଥିଲା । ପାରଳାରେ ମହାରାଜାଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟରତ ଉତ୍କଳ ହିତୈଷିଣୀ ସମାଜର ଏକ ମୁକ୍ତ ଅଧିବେଶନରେ ସେଇ ଏକା ମତ- ସମସ୍ତ ଓଡ଼ିଆଭାଷୀ ଅଞ୍ଚଳର ଏକୀକରଣ ଏବଂ ମାନ୍ଦ୍ରାଜ ବିଧାନ ସଭାରେ ଗଂଜାମବାସୀଙ୍କପାଇଁ ଅଧିକ ଆସନ ଦାବି କରି ପ୍ରସ୍ତାବମାନ ଗୃହୀତ ହୋଇଥିଲା ୧୯୨୦ ମସିହା ମାର୍ଚ୍ଚ ୧୫ ତାରିଖ ଦିନ । ପୂର୍ବରୁ ଉତ୍କଳ ସମ୍ମିଳନୀ ତରଫରୁ ବିଧାନସଭାଗୁଡ଼ିକରେ ତଥା କେନ୍ଦ୍ରୀୟ ବିଧାନ ପରିଷଦରେ ସେହି ପ୍ରଶ୍ନର ଉତ୍ଥାପନ/ଆଲୋଚନା ଲାଗି ବିଭିନ୍ନ ଉଦ୍ୟମ କରାଯାଇଥିଲା । ପରିଣାମତଃ କେନ୍ଦ୍ରୀୟ ବିଧାନ ପରିଷଦରେ ବିହାର ସଦସ୍ୟ ଶ୍ରୀସଚ୍ଚିଦାନନ୍ଦ ସିହ୍ନା ସେହି ଦାବି ଉପସ୍ଥାପନ କରିଥିଲେ ୧୯୨୦ ଫେବ୍ରୁଆରି ୨୦ ତାରିଖ ଦିନ । ତାହାକୁ କନିକା ରାଜାଙ୍କ ସମେତ ଶ୍ରୀ ସୁରେନ୍ଦ୍ର ନାଥ ବାନାର୍ଜୀ, ସାର୍ ଦିନେଶ୍ ଇ.ୱାଚା, କାମିନୀ କୁମାର ଚାନ୍ଦ୍ ପ୍ରମୁଖ ଦୃଢ଼ ସମର୍ଥନ କରିଥିଲେ । କିନ୍ତୁ ମାନ୍ଦ୍ରାଜର ପ୍ରତିନିଧି ଶ୍ରୀ ବି.ଏନ୍.ଶର୍ମା ଉକ୍ତ ପ୍ରସ୍ତାବକୁ ଆଂଶିକ ସମର୍ଥନ ଦେଇ ମତ ପ୍ରକାଶ କରିଥିଲେ ଯେ କେବଳ ବିହାର-ଓଡ଼ିଶାରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ଆବଶ୍ୟକ । ୧୯୨୧ ମସିହା ସେପ୍ଟେମ୍ବର ୨୧ ତାରିଖରେ ଏ.ବି.ଲାଠେ ଚାରୋଟି ପ୍ରାଦେଶିକ ଶାସନରେ ବିଭାଗୀକୃତ ହୋଇ ରହିଥିବା ଓଡ଼ିଆଭାଷୀ ଅଞ୍ଚଳର ଉଦାହରଣ ଦେଇ ଭାଷା ସୂତ୍ରରେ ପ୍ରଦେଶ ପୁନର୍ଗଠପାଇଁ ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ସଂପୃକ୍ତ ରାଜ୍ୟ ସରକାରଙ୍କଠାରୁ ସେଭଳି ପ୍ରସ୍ତାବ ନଆସିଲେ କେନ୍ଦ୍ର ସରକାର କୌଣସି ରାଜ୍ୟର ସୀମା ସରହଦରେ ପରିବର୍ତ୍ତନ କରି ପାରିବେ ନାହିଁ ବୋଲି ସରକାରୀ ଉତ୍ତର ମିଳିଥିଲା ।ସେହି କାରଣରୁ ପ୍ରାଦେଶିକ ସ୍ତରରେ ଆବଶ୍ୟକୀୟ ସଫଳ ପଦକ୍ଷେପମାନ ନେବା ଲାଗି ଉଦ୍ୟମ କରାଯାଇଥିଲା । ବିଭାଜିତ ଉତ୍କଳ ସମ୍ମିଳନୀର ସଂଖ୍ୟାଲଘୁ ଗୋଷ୍ଠୀ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମରେ ସେଥିପାଇଁ ଯଥାସାଧ୍ୟ ପ୍ରୟାସ କରିଥିଲେ । ୧୯୨୧ ମସିହା ନଭେମ୍ବର ୨୫ରେ ବିହାର ଓଡ଼ିଶା ବିଧାନସଭାରେ ଶ୍ରୀବିଶ୍ୱନାଥ କର ଏକ ପ୍ରସ୍ତାବ ଆଗତ କରିଥିଲେ, ଚାରୋଟି ପ୍ରଦେଶସ୍ଥିତ ଓଡ଼ିଆ ଅଞ୍ଚଳ ସବୁକୁ ଏକତ୍ର କରାଯାଇ ଏକ ଶାସନାଧୀନ କରାଯିବାପାଇଁ । ସେତେବେଳେ ମଧୁବାବୁ ଥିଲେ ସେଠାରେ ସ୍ୱାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଏବଂ ଦଶଜଣ ଓଡ଼ିଶାର ସଦସ୍ୟ । ସେମାନଙ୍କ ସମେତ ଉକ୍ତ ପ୍ରସ୍ତାବକୁ ବିହାରର ଅନେକ ସଭ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ । ସେହି ପ୍ରସ୍ତାବ ଉପରେ ସରକାର ମତ ଦେଇଥିଲେ, ସେଥିପାଇଁ ଅନ୍ୟାନ୍ୟ ପ୍ରାଦେଶିକ ଶାସନାନ୍ତର୍ଗତ ଓଡ଼ିଆମାନଙ୍କ ମତାମତ ତଥା ସରକାରୀ ମତାମତ ମଧ୍ୟ ଜାଣିବା ନିହାତି ଅବଶ୍ୟକ । ହେଲେ ପରିସ୍ଥିତି ଥିଲା ଭିନ୍ନ ପ୍ରକାରର । ବଙ୍ଗ ତଥା କେନ୍ଦ୍ର (ମଧ୍ୟ) ପ୍ରଦେଶର ବିଧାନ ସଭାରେ ଓଡ଼ିଆମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇ ନଥିଲା । ନଗଣ୍ୟ ସଂଖ୍ୟକ ଓଡ଼ିଆ ସଦସ୍ୟଯୁକ୍ତ ମାନ୍ଦ୍ରାଜ ସରକାରଙ୍କ କଥା ନକହିଲେ ଭଲ । ପ୍ରଥମରୁ ହିଁ ସେମାନେ ଓଡ଼ିଆ ବିରୋଧୀ ମନୋଭାବ ପୋଷଣ କରି ଆସୁଥିଲେ । ପୂର୍ବରୁ ସେଠାରେ ଓଡ଼ିଆ ସଭ୍ୟ ବିଧାନସଭାରେ ଗଂଜାମର ଓଡ଼ିଆ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ସହ ଯୁକ୍ତ କରାଯିବା ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ତାହା ଏକ ଜନସ୍ୱାର୍ଥହାନିକାରକ ପ୍ରସ୍ତାବ ବୋଲି ଯୁକ୍ତିକରି ଏବଂ ପୁଣି ତାହା ସ୍ଥାନୀୟ ପ୍ରାଦେଶିକ ସରକାରଙ୍କ ବିଚାର ପରିସରଭୁକ୍ତ ନୁହେଁ ବୋଲି ଅବାନ୍ତର ଯୁକ୍ତି ଦେଖାଇ ଗଭର୍ଣ୍ଣର ସେହି ପ୍ରସ୍ତାବକୁ ନାକଚ କରିଦେଇଥିଲେ ।
ତଥାପି କେନ୍ଦ୍ର ସରକାର ସେମାନଙ୍କ ଶାସନାନ୍ତର୍ଗତ ଓଡ଼ିଆମାନଙ୍କର ମତାମତ ତଥା ବାସ୍ତବ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ସଂପୃକ୍ତ ପ୍ରାଦେଶିକ ସରକାରଙ୍କୁ ପତ୍ର ଲେଖିଥିଲେ । ୧୯୨୨ ମସିହାରେ ସେଭଳି ଯେଉଁ ମତାମତ ସବୁ କେନ୍ଦ୍ର ପାଇଥିଲା ସେଥିମଧ୍ୟରେ ସବୁଠାରୁ ନୈରାଶ୍ୟଜନକ ଥିଲା ମାନ୍ଦ୍ରାଜ ସରକାରଙ୍କର । କୌଣସି ଓଡ଼ିଆ ଅଞ୍ଚଳକୁ ତାଙ୍କରି ଶାସନରୁ ବିଛିନ୍ନ କରିବେ ନାହିଁ ବୋଲି ମାନ୍ଦ୍ରାଜ ସରକାର ଜଣାଇ ଦେଇଥିଲେ । ପୁଣି ମେଦିନୀପୁର ଅଞ୍ଚଳପାଇଁ ବଙ୍ଗ ସରକାରଙ୍କ ମତାମତ ମଧ୍ୟ ସେହିଭଳି ଉତ୍ସାହପ୍ରଦ ନଥିଲା । ଖଡ଼ିଆଳ ଅଞ୍ଚଳ ବ୍ୟତୀତ ଅନ୍ୟାନ୍ୟ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ସବୁକୁ ବିଛିନ୍ନ କରିବାପାଇଁ ମଧ୍ୟପ୍ରଦେଶ ସରକାର ମଧ୍ୟ ଆଗ୍ରହୀ ନଥିଲେ । ମୋଟାମୋଟି ଏହା ହିଁ ଥିଲା ବିଭିନ୍ନ ଆଞ୍ଚଳିକ ସରକାରଙ୍କ ମତାମତ ।
ତଥାପି ମହାରାଜାଙ୍କଦ୍ୱାରା ପ୍ରଚୋଦିତ ହୋଇ ଗଂଜାମ ଓଡ଼ିଆ ସମାଜ ତରଫରୁ ଏକ ପ୍ରତିନିଧିଦଳ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ୧୯୨୨ ନଭେମ୍ବର ୨୭ ତାରିଖ ଦିନ ସାକ୍ଷାତ କରି ସେଠିକାର ସଂଖ୍ୟାଲଘୁ ଓଡ଼ିଆ ଭାଷୀ ଲୋକଙ୍କର ଓଡ଼ିଶା ସହ ଏକୀକରଣ ଦାବି ଜଣାଇଥିଲେ । ଗଭର୍ଣ୍ଣରଙ୍କ ଉତ୍ତର ଥିଲା- ସେହିଭଳି କରାଗଲେ ଗଂଜାମ ଅଞ୍ଚଳର ତେଲୁଗୁ ସଂପ୍ରଦାୟ ନୂତନ ପ୍ରଦେଶର ସଂଖ୍ୟାଲଘୁ ରୂପେ ଅବହେଳାର ଶିକାର ହେବେ । ସେହି ଘଟଣାର କିଛିକାଳ ପୂର୍ବରୁ ଗଂଜାମର ଜଣେ ବିଶିଷ୍ଟ ବ୍ୟକ୍ତି ତଥା ଓଡ଼ିଆ ଦେଶ ମିଶ୍ରଣ ଆନ୍ଦୋଳନର ବିରୋଧୀ ନେତା ଶ୍ରୀ ଯୋଗେୟା ପାନ୍ତୁଲୁ, ( ଭି.ଭି.ଗିରିଙ୍କ ପିତା) ସେହି ମର୍ମରେ ବିଭିନ୍ନ ଆରୋପମାନ କରି ପତ୍ରପତ୍ରିକାରେ ବିଭାଜନ ବିରୋଧୀ ମତାମତ ମାନ ପ୍ରକାଶ କରିଥିଲେ । ପୁଣି ଓଡ଼ିଆଙ୍କ ଆନ୍ଦୋଳନକୁ ପ୍ରତିରୋଧ କରିବାପାଇଁ ଗଂଜାମର ତେଲୁଗୁମାନେ ମଧ୍ୟ ପ୍ରତି ଆନ୍ଦୋଳନର ସୂତ୍ରପାତ କରିସାରିଥିଲେ । ସେଥିପାଇଁ ସେମାନେ ଗଠନ କରିଥିଲେ 'ଗଂଜାମ ସୁରକ୍ଷା ସମିତି’ ଏବଂ 'ଆନ୍ଧ୍ର ବ୍ୟବସାୟୀ ସଂଘ' । ସମ୍ଭବତଃ ସେଇ ସବୁର ସମ୍ମିଳିତ ପ୍ରଭାବରେ ପ୍ରଭାବିତ ହୋଇଯାଇଥିଲେ ଗଭର୍ଣ୍ଣର ମହୋଦୟ ଏବଂ ଓଡ଼ିଆ ସମାଜର ପ୍ରତିନିଧିଗଣଙ୍କୁ ସେଭଳି ଉତ୍ତର ପ୍ରଦାନ କରିଥିଲେ । ଏ ସବୁ ସତ୍ତ୍ୱେ ଉତ୍କଳୀୟ ଜନମତ ଉପେକ୍ଷିତ ହୋଇ ନଥିଲା । ଯଥାର୍ଥରେ କେନ୍ଦ୍ର ସରକାରଙ୍କ ହୃଦବୋଧ ହୋଇଥିଲା ଯେ ପ୍ରକୃତରେ ଓଡ଼ିଆ ଜନଗଣ ଏକ ଚକ୍ରବ୍ୟୁହ ମଧ୍ୟରେ ପେଷିତ । ତା’ ହୋଇ ନଥିଲେ ରାଶିରାଶି ଦାବିପତ୍ର, ସ୍ମାରକପତ୍ର ତଥା ଅନୁରୋଧ ଭାରତ ସରକାରଙ୍କ ନିକଟରେ ପହଞ୍ଚୁନଥାନ୍ତା କିମ୍ବା ଓଡ଼ିଆ ଏକୀକରଣ ଆନ୍ଦୋଳନର ପ୍ରତି ଆନ୍ଦୋଳନ ସଂଘଟିତ ହେଉ ନ ଥାନ୍ତା । ସେଇ ଯଥାର୍ଥ ଉପଲବଧି କେନ୍ଦ୍ର ବିଧାନ ପରିଷଦରେ ପ୍ରକାଶ କରିଥିଲେ ଘରୋଇ ବିଭାଗ ସଭ୍ୟ ସାର ମେଲ୍କାମ୍ ହାଲେ । ପରିଷଦରେ ଆଲୋଚନାବେଳେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସେ ସ୍ପଷ୍ଟ କରିଥିଲେ ଯେ ବିଶାଖାପାଟଣା ଏଜେନ୍ସି ଏବଂ ଗଂଜାମ ଜିଲ୍ଲାର ଓଡ଼ିଆମାନଙ୍କ ସଂପର୍କରେ ଯେଉଁସବୁ ସରକାରୀ ବିବରଣୀ ମିଳିଛି ସେଥିରେ କେନ୍ଦ୍ର ସରକାର ସଂତୁଷ୍ଟ ନୁହନ୍ତି । ସେହି କାରଣରୁ ସେମାନଙ୍କ ସଂପର୍କରେ ତୃଣମୂଳ ସ୍ତରରେ ବାସ୍ତବ ଅନୁସନ୍ଧାନ କରିବାପାଇଁ କେନ୍ଦ୍ରସରକାରଙ୍କ ଏକ ପ୍ରସ୍ତାବ ବିଚାରାଧୀନ ରହିଛି ।
ସେହି ପ୍ରସ୍ତାବ ଅନୁଯାୟୀ ଓଡ଼ିଶାର ପଲିଟିକାଲ୍ ଏଜେଣ୍ଟ ମି.ସି.ଏଲ. ଫିଲିପ୍ ଏବଂ ମାନ୍ଦ୍ରାଜ ସରକାରଙ୍କ ଅଧୀନସ୍ଥ ବିଶାଖାପାଟଣା ଜିଲ୍ଲାର କଲେକ୍ଟର ମି.ଏ.ସି ଡାପ୍ଙ୍କୁ ନେଇ ଏକ ଦୁଇଜଣିଆ କମିଶନ୍ ଗଠିତ ହୋଇଥିଲା ୧୯୨୪ ମସିହାରେ । ଏହି କମିଶନର ଉଦ୍ଦେଶ୍ୟ ଥିଲା ଦକ୍ଷିଣ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳଗୁଡ଼ିକରେ ବସବାସକରି ରହୁଥିବା ଓଡ଼ିଆମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରି ସେସବୁର ପ୍ରତିକାର ପାଇଁ ଆବଶ୍ୟକ ସୁପାରିସ କରିବା ।
କେବଳ ଓଡ଼ିଆଙ୍କ ସମସ୍ୟା ଅନୁସନ୍ଧାନପାଇଁ ଏକ ଉଚ୍ଚ ପଦାଧିକାରୀଙ୍କୁ ନେଇ କମିଟି ଗଠିତ ହେଉଥିବା ଦୃଷ୍ଟିରୁ ତାହାକୁ ଫଳପ୍ରସୂ କରାଇବାପାଇଁ ୧୯୨୩ ମସିହାରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ବ୍ରହ୍ମପୁରଠାରେ, ଶ୍ରୀ ଶଶିଭୂଷଣ ରଥଙ୍କ ପ୍ରଗାଢ଼ ଉଦ୍ୟମ ଫଳରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସହିତ ସମ୍ମିଳନୀର ମିଶ୍ରଣ ପରଠାରୁ ଆଉ କୌଣସି ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ନଥିଲା । ତେଣୁ ଆପାତତଃ ଦୁଇ ଭିନ୍ନ ମତାବଲମ୍ବୀ ଗୋଷ୍ଠୀର ନେତାଗଣ ଏଥିରେ ଯୋଗଦାନ କରିଥିଲେ । ବାଦ ପ୍ରତିବାଦ ଭିତରେ, ଭାଗ୍ୟର ବିଡ଼ମ୍ବନା, ଏଠାରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଗୃହୀତ ହୋଇ ପାରି ନଥିଲା । ଏହା ଥିଲା ବାସ୍ତବରେ ଅନୁଷ୍ଠାନର ସ୍ଥାଣୁତ୍ବର ଏକ ସ୍ପଷ୍ଟ ସଂକେତ । ଏବଂ ସେହିଠାରୁ ହିଁ ପୁଣି ଅରମ୍ଭ ହୋଇଥିଲା ଏକ ନୂତନ ଉବ୍ଦୀପନାମୟ ଉଦ୍ୟମ । ସେତେବେଳକୁ କେନ୍ଦ୍ରମଞ୍ଚରେ ଉପସ୍ଥିତ ହୋଇ ସାରିଥିବା ପାରଳା ଗଜପତି ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର କେନ୍ଦ୍ରବିନ୍ଦୁରେ ପହଞ୍ଚି ଯାଇଥିଲେ । ତାଙ୍କରି ଦିଗଦର୍ଶନରେ ଶଶୀ ରଥ ପ୍ରମୁଖ ଅଣ କଂଗ୍ରେସୀ ନେତାଗଣ ଚଳ ଚଞ୍ଚଳ ହୋଇ ଉଠିଥିଲେ ଉତ୍କଳୀୟ ଜନଜାଗରଣର ନୂତନ ଦ୍ୱାର ଉନ୍ମୋଚନ ପାଇଁ । ତତ୍ପରଠାରୁ ନୂତନ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ସେ ରହିଥିଲେ କର୍ଣ୍ଣଧାର ହୋଇ । ଲକ୍ଷ୍ୟ କରିବାର କଥା ଯେ ଯଦି ୧୯୧୪ରେ ପାରଳା ସହରରେ ଅନୁଷ୍ଠିତ ପ୍ରଭାଯୁକ୍ତ ଦଶମ ଉତ୍କଳ ସମ୍ମିଳନୀ ମହାରାଜାଙ୍କ ଜାତୀୟ ଭାବନାକୁ ଅଧିକତର ଭାବରେ ଜାଗ୍ରତ କରାଇଦେଇଥିଲା, ଚକ୍ରଧରପୁରଠାରେ ଅନୁଷ୍ଠିତ ୧୬ଶ ଅଧିବେଶନରେ ଜାତୀୟ କଂଗ୍ରେସ ସହିତ ଅନୁଷ୍ଠାନର ମିଶ୍ରଣ ପ୍ରସ୍ତାବ ପରେ ଉତ୍କଳୀୟ ଏକୀକରଣ ଆନ୍ଦୋଳନକୁ ସ୍ୱତନ୍ତ୍ର ଭାବେ ବଜାୟ ରଖିବାପାଇଁ ପ୍ରେରଣାଯୁକ୍ତ କରିଥିଲା । ପୁଣି ୧୯୨୩ ମସିହାର ବ୍ରହ୍ମପୁରରେ ଅନୁଷ୍ଠିତ ୧୭ତମ ସମ୍ମିଳନୀ ତାହାଙ୍କୁ ଓଡ଼ିଆ ଏକୀକରଣ ଆନ୍ଦୋଳନର କେନ୍ଦ୍ରବିନ୍ଦୁକୁ ଟାଣିନେଇ ଯାଇଥିଲା ଏକ ଚୁମ୍ବକୀୟ ଶକ୍ତି ବଳରେ । ଅନୁଷ୍ଠାନରେ ସ୍ଥାଣୁତ୍ୱ ଏବଂ ବିଭାଜିତ ଉତ୍କଳୀୟ ନେତୃବୃନ୍ଦଙ୍କ ଏକ ପ୍ରକାରର ହତାଶ ଭାବ ହିଁ ଥିଲା ସେଇ ଚୁମ୍ବକୀୟ ଶକ୍ତି । ତତ୍ପରଠାରୁ ସେ ଅନମନୀୟ ଉଦ୍ୟମ କରିଥିଲେ ସ୍ୱତନ୍ତ୍ର ଓଡ଼ିଶା ଅନ୍ଦୋଳନକୁ ପ୍ରାଣବନ୍ତ କରାଇବାପାଇଁ । ଫିଲିଫ-ଡଫ୍ କମିଟିର ଗସ୍ତକାଳରେ ମହାରାଜାଙ୍କ ଉଦ୍ୟମର ସଫଳତା ଥିଲା ଅତ୍ୟନ୍ତ ଉତ୍ସାହପ୍ରଦ । ତାହାଙ୍କର ବଳିଷ୍ଠ ତଥା ପ୍ରାମାଣିକ ତଥ୍ୟ ଉପସ୍ଥାପନାରେ ସେମାନେ ପୁରାପୁରି ପ୍ରଭାବିତ ହୋଇଯାଇଥିଲେ ।
ସେଥିପାଇଁ ଏକ ଫଳପ୍ରଦ ଉଦ୍ୟମ ଥିଲା, ଗଂଜାମ ଜିଲ୍ଲାର ସବୁ ଜମିଦାରଙ୍କୁ ଏକତ୍ର କରାଇ ନିକଟ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଳାଗି । ୧୯୨୪ ନଭେମ୍ବର ଦୁଇ ତାରିଖ ଦିନ ସେମାନେ ସମସ୍ତେ ଏକତ୍ର ହୋଇ ଓଡ଼ିଶା ସହ ମିଶ୍ରଣ ସପକ୍ଷରେ କମିଶନ ନିକଟରେ ସାକ୍ଷ୍ୟ ଦେବାପାଇଁ ସ୍ଥିର ନିଶ୍ଚୟ କରିଥିଲେ । ସେହି ଅନୁକ୍ରମେ ଖଲିକୋଟ, ଆଠଗଡ଼, ଧରାକୋଟ, ମଂଜୁଷା, ଚିକିଟି, ବଡ଼ଗଡ଼, ସେରଗଡ଼, ଟିକାଲି, ସୁରଙ୍ଗୀ, ନନ୍ଦିଗାଁ, ତରଳା, ବବିଲି, ଜଳନ୍ତର, ବାରୁଆ ପ୍ରଭୃତି ଜମିଦାରଗଣଙ୍କ ସମେତ ଅନେକ ଜମିଦାରିର ପ୍ରଜାଗଣ ମଧ୍ୟ ଯଥା ସମୟରେ କମିଟି ନିକଟରେ ମିଶ୍ରଣ ସପକ୍ଷରେ ମତଦାନ କରିଥିଲେ । ପୁଣି ମହାରାଜାଙ୍କ ଉଦ୍ୟମରେ ସେଥିଲାଗି ଏକ କମିଟି ବ୍ରହ୍ମପୁରରେ ଗଠିତ ହୋଇ ମତ ପ୍ରକାଶ କରିଥିଲା ଯେ ଶ୍ରୀକାକୁଲମ୍ ଏବଂ ନାରସେନାପେଟା, ତାଲୁକା ବ୍ୟତୀତ ଅନ୍ୟ ସବୁ ଅଞ୍ଚଳ ଓଡ଼ିଶା ସହ ସାମିଲ୍ ହେବା ଉଚିତ । ସେହି ଅନୁଯାୟୀ ଅନୁସନ୍ଧାନ କମିଟି ନିକଟରେ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲା ସଂଘ, ଗଞ୍ଜାମ ସବ କମିଟି, ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧିଗଣ, ଓଡ଼ିଶା ଖ୍ରୀଷ୍ଟିୟାନ୍ ଗୋଷ୍ଠୀ, କଂଗ୍ରେସ କମିଟି, ଉତ୍କଳ ଆଶ୍ରମ, ରୟତ ସଂଘ ଏବଂ ଏହି ଅଞ୍ଚଳର ମହିଳାଗଣଙ୍କ ସମେତ ଦଳବଦ୍ଧ ଭାବରେ ଛାତ୍ର ତଥା ଶିକ୍ଷକବୃନ୍ଦ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ । ରଂଜାମର ଆସିକା, ସୋରଡ଼ା, ଧରାକୋଟ, ସେରଗଡ଼, ବିରିଡ଼ି, ହୁମା, ପାଲୁର, ଛତ୍ରପୁର, ପୁରୁଷୋତ୍ତମପୁର, ବଡ଼ଖେମଣ୍ଡି, ସାନଖେମଣ୍ଡି ପ୍ରଭୃତି ଅଞ୍ଚଳର ଜନଗଣଙ୍କ ମିଶ୍ରଣ ସପକ୍ଷରେ ସଭା, ଶୋଭାଯାତ୍ରା ଏବଂ ଦାବି/ସ୍ମାରକପତ୍ର ପ୍ରଦାନପାଇଁ ଉଦ୍ଦୀପନାମୟ କାର୍ଯ୍ୟକଳାପରେ ଫିଲ୍ଫ୍ ଡଫ୍ କମିଟି ବିଶେଷ ଭାବେ ଅଭିଭୂତ ହୋଇ ଯାଇଥିଲେ । କମିଟିକୁ ତଥ୍ୟ ପ୍ରଦାନ ଉଦ୍ଦେଶ୍ୟରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଚକ୍ରପାଣି ପ୍ରଧାନଙ୍କ ଦ୍ବାରା ବାସ୍ତବରେ ଲିଖିତ ହୋଇ ସୁଦ୍ଧା ବେନାମୀ ଭାବରେ ଆସ୍କାର ବିଶିଷ୍ଟ ଓକିଲ ଶ୍ରୀହରିହର ପଣ୍ଡାଙ୍କ ନାମରେ ପ୍ରକାଶିତ ବେଶ ବଳିଷ୍ଠ ଯୁକ୍ତି ସମ୍ବଳିତ 'ଓଡ଼ିଆ ଆନ୍ଦୋଳନ’ (ଦି ଓରିଆ ମୁଭ୍ମେଣ୍ଟ) ଗ୍ରନ୍ଥଟି ବିଶେଷ ଉପାଦେୟ ମନେ ହୋଇଥିଲା ସମସ୍ତଙ୍କପାଇଁ । ଏପରିକି ଉକ୍ତ କମିଟିକୁ ମଧ୍ୟ । କାରଣ ସେଥିରେ ଥିଲା ଓଡ଼ିଆ ଅନ୍ଦୋଳନର ଇତିହାସ ଏବଂ ଗୋଟିଏ ସ୍ବତନ୍ତ୍ର ପ୍ରଦେଶ ଗଠନ ଲାଗି ଅତି ଉପାଦେୟ ତଥ୍ୟଯୁକ୍ତ ଅକାଟ୍ୟ ଯୁକ୍ତି ।
୧୯୨୪ ଡିସେମ୍ବର ୧୨ ରୁ ୨୧ ଯାଏଁ କମିଟି ରହିଥିଲା ରମ୍ଭାଠାରେ । ଖଲିକୋଟ ରାଜା ରାମଚନ୍ଦ୍ର କମିଟିକୁ ଅନେକ ଉପାଦେୟ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ । କମିଟି ବ୍ରହ୍ମପୁର, ରମ୍ଭା, ଭଞ୍ଜନଗର ପ୍ରଭୃତି ଅଞ୍ଚଳ ଗସ୍ତକରିବା ଅବସରରେ ବିପୁଳ ଜନସମାଗମରେ ଜନଗଣଙ୍କ ଓଡ଼ିଶା ମିଶ୍ରଣ ଅକାଂକ୍ଷା ତଥା ଉତ୍ସାହ ଯଥାର୍ଥରେ ଲକ୍ଷ୍ୟ କରିଥିଲେ ଉଭୟ ପଦସ୍ଥ ଅଫିସର । ବିଶେଷକରି ପାରଳା ଗସ୍ତ କାଳରେ ମହାରାଜାଙ୍କ କଲେଜରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେତେବେଳେ ଉତ୍କଳମାତାର ଜୟଗାନରେ ଅକାଶ ପାତାଳ ପ୍ରକମ୍ପିତ ହୋଇଉଠିଥିଲା ।
ଏଇସବୁ ସଫଳତାର ଶ୍ରେୟ ଥିଲା ମହାରାଜା କୃଷ୍ଣଚନ୍ଦ୍ରଙ୍କର; ତାଙ୍କରି ସାଂଗଠନିକ ଦକ୍ଷତାର ।
ବାସ୍ତବରେ ଅନୁସନ୍ଧାନ ଶେଷରେ ମି.ଫିଲିପ୍ ଏବଂ ଡଫ୍ଙ୍କର ଯଥାର୍ଥ ହୃଦବୋଧ ହୋଇଥିଲା ଯେ ମାନ୍ଦ୍ରାଜ ଶାସନରେ ଥିବା ଓଡ଼ିଆମାନେ ଅତ୍ୟନ୍ତ ଦୂରବସ୍ଥା ଭିତରେ ଏବଂ ଅବହେଳିତ ହୋଇ ହିଁ ରହିଛନ୍ତି । ସେମାନଙ୍କ ଦୃଷ୍ଟିକୁ ଆସିଥିଲା ମାତ୍ର ଜଣେ ଓଡ଼ିଆ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର ଭଳି ଉଚ୍ଚପଦବୀରେ ଅବସ୍ଥାପିତ । ସମଗ୍ର ଅଞ୍ଚଳର ପ୍ରାୟ ସବୁ ସରକାରୀ କର୍ମଚାରୀ ଓଡ଼ିଆ ଭାଷା ଲେଖି ପଢ଼ି ପାରୁ ନଥିବା ତେଲୁଗୁଭାଷୀ; ଏପରିକି ଡାକ ପିଅନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଫିସରଙ୍କ ପର୍ଯ୍ୟନ୍ତ । ଗଞ୍ଜାମ ଜିଲ୍ଲାର ଅତ୍ୟନ୍ତ ଭ୍ରମାତ୍ମକ ମାନଚିତ୍ର ଯୋଗାଇ ଦିଆଯାଉଥିଲା ସ୍କୁଲ ପିଲାଙ୍କୁ । ସରକାରୀ ରେକର୍ଡ଼ପତ୍ରରେ ବିକୃତ ଓଡ଼ିଆ ଭାଷା ବ୍ୟବହୃତ ହେଉଥିଲା- ଏପରିକି ଗଂଜାମ ଜିଲ୍ଲାର ନାମ ପାଇଁ ମଧ୍ୟ । ଗଞ୍ଜାମ ଜିଲ୍ଲା ସରକାରୀ ନଥିପତ୍ରରେ ହୋଇ ଯାଇଥିଲା, 'ଗଙ୍ଗସେରିଗିଲ୍ଲା'(Gange Seri Gilla) ଏବଂ ଘୁମୁସର ତାଲୁକ ହୋଇଥିଲା ଘୁସେରୀ (Ghuseri) ତାଲୁକ ।
କମିଟି ଯଥାର୍ଥରେ ଅନୁଭବ କରିଥିଲା, ଏଇ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ଆନ୍ତରିକତାର ଅଭାବ । ସେଇଥିପାଇଁ ସୁପାରିସ୍ରେ ମତ ଦେଇଥିଲା ‘ମାନ୍ଦ୍ରାଜ ପ୍ରଦେଶ ଶାସନାନ୍ତର୍ଗତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଶିକ୍ଷିତ ବ୍ୟକ୍ତି ବିଶେଷ ଏକ ଶାସନାଧୀନ (ଓଡ଼ିଆ ସହିତ) ହୋଇ ରହିବାପାଇଁ ଦୀର୍ଘକାଳ ଧରି ଆନ୍ତରିକ ଅଭିଳାଷ ପୋଷଣ କରିଆସିଛନ୍ତି ଏବଂ ସେହି ଅଭିଳାଷରେ ମଧ୍ୟ ଯଥାର୍ଥତା ରହିଛି ।’ ଦୁଇଜଣ ଅଫସରଙ୍କ ଅନୁଭବ ଥିଲା ଯୁଗ ଯୁଗଧରି ସେଠିକାର ଜମିଦାର ଏବଂ ପ୍ରଜାଗଣଙ୍କର ଓଡ଼ିଶା ସହିତ ସଂପର୍କ ରହିଛି । ପାରଳାର ଉଦାହରଣ ଦେଇ ସେମାନେ ମତ ପ୍ରକାଶ କରିଥିଲେ ଯେ ବିଖ୍ୟାତ ପୁରୀ ଗଜପତି ବଂଶର ଦାୟାଦ ସେମନେ । ଏବଂ ଗଂଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ସେଇ ଜମିଦାରି ଅନ୍ତର୍ଭୁକ୍ତ । ଓଡ଼ିଶା ସହିତ ସେମାନଙ୍କର ମିଶ୍ରଣର ପରିଣାମରେ ସେଠିକାର ତେଲଗୁଭାଷୀ ଜନଗଣଙ୍କ ପ୍ରଚଳିତ ଚଳଣିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । କାରଣ ଦୀର୍ଘକାଳ ଧରି ଉଭୟଭାଷୀ ଏକାଠି ଚଳି ଆସିଛନ୍ତି ଏବଂ ଦୃଢ଼ ଭାବରେ ଭାବଗତ ତଥା ଗୋଷ୍ଠୀଗତ ସାମାଜିକ ବନ୍ଧନରେ ସେମାନେ ଆବଦ୍ଧ । ଦକ୍ଷିଣାଞ୍ଚଳର ଟିକାଲି, ମଂଜୁଷା, ବାରୁଆ ଇତ୍ୟାଦି ଅଞ୍ଚଳ ପାଇଁ ମଧ୍ୟ ସେଇ ଏକା ଯୁକ୍ତି ଉପସ୍ଥାପନ କରିଥିଲା କମିଟି ।
ବିଶାଖାପଟଣା ଜିଲ୍ଲାର ଓଡ଼ିଆ ସମାଜ ଓଡ଼ିଶା ସହିତ ସାମିଲ୍ ହେବାପାଇଁ ପ୍ରବଳ ଆକାଂକ୍ଷା ପ୍ରକାଶ କରିବା ସହିତ ବବିଲି ତଥା ବିଜୟନଗର ଜମିଦାରିର ତେଲୁଗୁ ରାଜାଗଣ ମଧ୍ୟ ସେହିଭଳି ମତ ପ୍ରକାଶ କରିଥିଲେ ।
ବିଶାଖାପାଟଣାର ଜିଲ୍ଲା କଲେକ୍ଟର ଭାବେ ସେହି ଅଞ୍ଚଳର ପ୍ରତ୍ୟକ୍ଷ ଶାସନାନୁଭୂତିସମ୍ପନ୍ନ ଅନ୍ୟତମ ସଦସ୍ୟଯୁକ୍ତ କମିଟିର ହୃଦୟଙ୍ଗମ ହୋଇଥିଲା ଯେ ବିଶାଖାପାଟଣା ଜିଲ୍ଲାର କୋରାପୁଟ, ନବରଙ୍ଗପୁର ତାଲୁକ୍ ସମେତ ଓଡ଼ିଆ ଅଧ୍ୟୁଷିତ ଜୟପୁର ଜମିଦାରି ବାସ୍ତବରେ ଓଡ଼ିଶା ସହିତ ଯୁକ୍ତ ହେବା ବିଧେୟ । ତେବେ ୧୯୨୧ ଜନଗଣନା ତଥ୍ୟ ଆଧାରରେ ଉକ୍ତ କମିଟି କେବଳ ଓଡ଼ିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଗୁଡିକୁ ହିଁ ସେମାନଙ୍କର ଅନୁଧ୍ୟାନର ପରିସରଭୁକ୍ତ କରିଥିଲେ । ସେମାନେ ଆଉ ଜାଣି ପାରି ନଥିଲେ ଯେ ଅନେକ ଅନେକ ଓଡ଼ିଆ ଗ୍ରାମକୁ ଏବଂ ଓଡ଼ିଆ ଲୋକଙ୍କୁ ଚକ୍ରାନ୍ତକାରୀ ତେଲଗୁ ଜନଗଣନାକାରୀଗଣ ତେଲୁଗୁ ଭାଷୀରୂପେ ପରିବର୍ତ୍ତନ କରାଇ ସେମାନଙ୍କ ନାମକୁ ସୁଦ୍ଧା ବିକୃତ କରିପକାଇଥିଲେ । କିଭଳି ନରସିଂହ ପେଟା ନିକଟସ୍ଥ ଦୀର୍ଘାଚ୍ଛି ଗ୍ରାମରେ ଓଡ଼ିଆ କଂସାରି ଜାତିର ବାସିନ୍ଦାଙ୍କୁ ତେଲୁଗୁ ଭାଷୀ ରୂପେ ରେକର୍ଡ଼ଭୁକ୍ତ କରି 'ଲିଙ୍ଗରାଜ ସାହୁ'ଙ୍କ ନାମକୁ ଜନଗଣନା କାଗଜପତ୍ରରେ ଲିପିବଦ୍ଧ କରିଥିଲେ ‘କଞ୍ଚାରୁ ମଧୁଗାରୀ ଲିଙ୍ଗାନ୍ନା’ ହିସାବରେ ।
ସେ ଯାହା ହେଉ ଓଡ଼ିଶା ଅନ୍ଦୋଳନକାରୀଙ୍କ ପାଇଁ ଫିଲଫ୍ଡଫ୍ କମିଟି ସୁପାରସ ଯେ ଏକ ମାଇଲ ସ୍ତମ୍ଭ ଥିଲା ଏଥିରେ ସନ୍ଦେହ ନାହିଁ । ଓଡ଼ିଆ ଅଞ୍ଚଳର ଏକୀକରଣପାଇଁ ଅନୁକୂଳ ମତଯୁକ୍ତ ସେମାନଙ୍କ ରିପୋର୍ଟ କମିଟି ୧୯୨୪ ମସିହା ଡିସେମ୍ବର ୨୬ ତାରିଖ ଦିନ ସରକାରଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ସେଭଳି ସୁପାରିସ୍ ଲାଗି ମହାରାଜା କୃଷ୍ଣଚନ୍ଦ୍ରଙ୍କ ଭୂମିକା ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ । ଆପଣ ଜମିଦାରୀ ଅଞ୍ଚଳ ସହିତ ଅନ୍ୟାନ୍ୟ ଦକ୍ଷିଣ ବିଛିନ୍ନାଞ୍ଚଳର ମିଶ୍ରଣ କରାଯାଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବା ଆବଶ୍ୟକ ବୋଲି କମିଟିର ହୃଦ୍ବୋଧ କରାଇ ପାରିଥିଲେ ସେ । ସେହି ଲକ୍ଷ୍ୟ ପୂରଣ ଆପଣାର କର୍ଭବ୍ୟ ବୋଲି ମନେକରୁଥିବା ଯୋଗୁଁ କମିଟିକୁ ସର୍ବାନ୍ତଃକରଣରେ ପ୍ରଭାବିତ କରାଇବାପାଇଁ ଯତ୍ପରୋନାସ୍ତି ଉଦ୍ୟମ କରିଥିଲେ ମହାରାଜା । ତାହାକୁ ଖୋଦ୍ ଫିଲଫ୍ ମଧ୍ୟ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ତାହାର ପ୍ରାୟ ଦଶବର୍ଷ ପରେ ଓଡ଼ିଶାରୁ ବିଦାୟ ନେବା ଅବସରରେ ୧୯୩୩ ମସିହାରେ କଟକଠାରେ ତାହାଙ୍କ ସମ୍ମାନାର୍ଥେ ଅୟୋଜିତ ସମ୍ବର୍ଦ୍ଧନା ସଭାରେ ଆପଣାର ହୃଦୟ ଖୋଲି ଦେଇଥିଲେ... "୧୯୨୪ ମସିହାରେ ଆମ୍ଭମାନଙ୍କଦ୍ବାରା ଗଠିତ କମିଟିର ସୁପାରିସଗୁଡ଼ିକ ମୁଖ୍ୟତଃ ଗଞ୍ଜାମର ଜଣେ ବିଶିଷ୍ଟ ଜମିଦାର-ପାରଳାଖେମଣ୍ଡିର ମହାରାଜାଙ୍କ ମତାମତ ଉପରେ ଭିତ୍ତିକରି ହିଁ ପ୍ରସ୍ତୁତ କରାଯାଇଥିଲା... ଏହା ମହାରାଜା କୃଷ୍ଣଚନ୍ଦ୍ରଙ୍କ ବଳିଷ୍ଠ ତଥା ପ୍ରଭାବଶଳୀ ନେତୃତ୍ୱକୁ ଯେତିକି ପ୍ରକାଶିତ କରାଇ ଦେଇଥାଏ ତା’ଠାରୁ ଅଧିକତର ଭାବରେ ପ୍ରକାଶିତ ହୋଇଥାଏ ତାଙ୍କର ହୃଦୟଗ୍ରାହୀ ଭାବ ଏବଂ ସବୁ ଓଡ଼ିଆ ଅଞ୍ଚଳ ଏକୀକୃତ ହୋଇ ନୂତନ ପ୍ରଦେଶଟିଏ ଗଠିତ ହେବାର ଅକାଂକ୍ଷା ।