ଆମ ପାରଳା ମହାରାଜା/ପ୍ରଜାହିତ- ରାଜଧର୍ମ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ପାରଳା ମହାରାଜା ଲେଖକ/କବି: ସତ୍ୟ ନାରାୟଣ ମହାପାତ୍ର
ପ୍ରଜାହିତ- ରାଜଧର୍ମ
ପ୍ରଜାହିତ– ରାଜଧର୍ମ

ରାଜକୁମାର କଲେଜରେ ଶିକ୍ଷାକାଳରେ ପ୍ରଜାଗଣଙ୍କ ହିତପାଇଁ ଜଣେ ରାଜାର କର୍ତ୍ତବ୍ୟ ସଂପର୍କରେ ଶିକ୍ଷାଲାଭ କରିଥିବା ବେଳେ ସେଠାରୁ ଫେରି ରାଜଧାନୀରେ କିଛିକାଳ ରାଜ୍ୟର ବିଭିନ୍ନ ବିଷୟରେ ଉତ୍ସୁକତାର ସହିତ ଅନୁଧ୍ୟାନ କରିଥିଲେ କୃଷ୍ଣଚନ୍ଦ୍ର ସିଂହାସନ ଆରୋହଣ କରିବା ପୂର୍ବରୁ । ସେତେବେଳକୁ ତାହାଙ୍କର ଦୃଢ଼ ହୃଦ୍‌ବୋଧ ହୋଇସାରିଥିଲା ଯେ ସାଧାରଣ ଶିକ୍ଷାର ଉନ୍ନତିରେ ହିଁ ରାଜ୍ୟର ଉନ୍ନତି ସମ୍ଭବ । ଦେଶର ଅଜ୍ଞାନ ଅନ୍ଧକାର ଦୂର କରାଯାଇ ପାରିଲେ ହିଁ ଜନଗଣଙ୍କର, ରାଜ୍ୟର, ଜାତିର ତଥା ସର୍ବୋପରି ଦେଶର ଉନ୍ନତି ସାଧିତ ହୋଇ ପାରିବ । ଏଭଳି ଚିନ୍ତାଧାରା ତାଙ୍କରି ମନରେ ପରିପୁଷ୍ଟ ହେବାରେ ପିତା ଗୌର ଗଜପତି ତଥା ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରଭାବ ଥିଲା ସର୍ବାଧିକ ।

ପାରଳାଖେମଣ୍ଡି ରାଜ୍ୟରେ ଶିକ୍ଷାର ପ୍ରସାର ପାଇଁ ଯେଉଁସବୁ ଉଦ୍ୟମମାନ ସେମାନଙ୍କଦ୍ବାରା ଗୃହୀତ ହେଉଥିଲା ତାହାର ପ୍ରଭାବରେ ବାଳକ କୃଷ୍ଣଚନ୍ଦ୍ର ପ୍ରଭାବିତ ହେଉଥିଲେ । ପୁଣି ସେ ନିଜେ ସେଭଳି ଉଦ୍ୟମର ସିଧାସଳଖ ସୁଫଳ ପାଇଥିଲେ ପିତାଙ୍କଦ୍ବାରା ପ୍ରତିଷ୍ଠିତ ମହାରାଜା ବାଳକ ହାଇସ୍କୁଲ୍‌ରେ ଶିକ୍ଷାଲାଭ କରି ।

ସ୍କୁଲ ଶିକ୍ଷାର ପରିସମାପ୍ତି ବେଳକୁ ହିଁ କୃଷ୍ଣଚନ୍ଦ୍ରଙ୍କ ମନରେ ରାଜ୍ୟର ବିକାଶପଇଁ ଉତ୍ତମ ଶିକ୍ଷାର ଆବଶ୍ୟକତା ନେଇ ସତେ ଯେମିତି ସ୍ପଷ୍ଟ ଧାରଣା ସୃଷ୍ଟି ହୋଇ ସାରିଥିଲା କହିଲେ ବୋଧହୁଏ ଭୁଲ୍ ହେବ ନାହିଁ । ୧୯୮୬ ମସିହାଠାରୁ ପାରଳାଖେମୁଣ୍ଡି ସହରରେ ଏକ ସେକେଣ୍ଡ ଗ୍ରେଡ଼୍ କଲେଜ (ଆଇ.ଏ ଶ୍ରେଣୀ ପର୍ଯ୍ୟନ୍ତ) ସ୍ଥାପିତ ହୋଇସାରିଥିଲା । ସେଥିପାଇଁ ଦାଦା ଓ ପିତାଙ୍କ ଉଦ୍ୟମ ବିଷୟରେ ସେ ଅଜ୍ଞ ନଥିଲେ । ହେଲେ ୧୯୦୫ ମସିହା ବେଳକୁ ଉଭୟ ରାଜଭ୍ରାତାଙ୍କ ମୃତ୍ୟୁ ପରେ ପରେ ରାଜ୍ୟର ଶାସନ ଭାର କୋର୍ଟ ଅଫ୍ ୱାର୍ଡ଼ସ୍ ଗ୍ରହଣ କରିନେଇଥିଲେ । ସେତେବେଳେ ସରକାର ପ୍ରସ୍ତାବ କରିଥିଲେ ପାରଳାଖେମୁଣ୍ଡି ସହରରୁ ସେହି କଲେଜ ପାଠ୍ୟକ୍ରମକୁ ବନ୍ଦ କରିଦେବାପାଇଁ । ପିତାଙ୍କ ଅବର୍ତ୍ତମାନରେ ବାଳକ କୃଷ୍ଣଚନ୍ଦ୍ର ସେତେବେଳେ ସେଇ ପ୍ରସ୍ତାବର ଘୋର ବିରୋଧ କରିଥିଲେ କୋର୍ଟ ଅଫ୍ ୱାର୍ଡ଼ସଙ୍କ ମାଧ୍ୟମରେ । ବାସ୍ତବରେ ସେତେବେଳକୁ ବାଳକ କୃଷ୍ଣଚନ୍ଦ୍ରଙ୍କ ସାଧାରଣ ଶିକ୍ଷାର ଉପଦେୟତା ନେଇ ମାନସିକ ବିକାଶ ସଂପୂର୍ଣ୍ଣ ହୋଇ ଥାଉ ବା ନଥାଉ, ପିତା / ପିତୃବ୍ୟଙ୍କ ପ୍ରତି ଗଭୀର ସମ୍ମାନବୋଧ, ସେମାନଙ୍କ ପ୍ରୟାସରେ ସ୍ଥାପିତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ପ୍ରସ୍ତାବକୁ ଦୃଢ଼ ପ୍ରତିବାଦ କରିଥିଲେ ସେଇ କଞ୍ଚା ବୟସରେ । ସେତେବେଳେ ସରକାର ମଧ୍ୟ ତାହାଙ୍କର ମତକୁ ସମ୍ମାନ ଦେଇଥିଲେ । ପୂର୍ବ ପରି ସେଇ ମହାରାଜା ହାଇସ୍କୁଲ ପରିସରରେ ଚାଲୁ ରହିଥିଲା କଲେଜଟି ।

ମହାରାଜା କୃଷ୍ଣଚନ୍ଦ୍ର ରାଜଗାଦି ଆରୋହଣ କରିବା ପରେପରେ ରାଜ୍ୟରେ ସାମୁହିକ ପ୍ରଜା ମଙ୍ଗଳକାରୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସର୍ବପ୍ରଥମ ଥିଲା ରାଜ୍ୟରେ ଥିବା ଶିକ୍ଷା ତଥା ଶିକ୍ଷାୟତନଗୁଡ଼ିକର ଉନ୍ନତିକଳ୍ପେ ବିଭିନ୍ନ ପଦକ୍ଷେପ । ଶିକ୍ଷାକୁ ବିଶେଷ ଗୁରୁତ୍ୱ ଆରୋପ କରୁଥିବା ସଂପର୍କରେ ଯଥାର୍ଥରେ ଅନୁଶୀଳନ କରାଯାଇପାରେ ରାଜଗାଦି ଆରୋହଣ ଅବସରରେ କରିଥିବା ବିଭିନ୍ନ ଦାନରୁ । ସେତିକିବେଳେ, ତାହାଙ୍କର ପ୍ରାଥମିକ ଦାନ ଅବସରରେ ଜାତୀୟବାଦୀ ଚେତନା ଆଧାରରେ ଗଢ଼ି ଉଠୁଥିବା ସତ୍ୟବାଦୀ ବନ ବିଦ୍ୟାଳୟ ନିର୍ମାଣପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସାମଗ୍ରିକ ଭାବେ ଉତ୍କଳୀୟଙ୍କ ଶିକ୍ଷା ବିକାଶପାଇଁ ଉତ୍ସୁକ ମହାରାଜା ଆପଣା ରାଜ୍ୟରେ ମଧ୍ୟ ଶିକ୍ଷାର ବିସ୍ତାରପାଇଁ ଅର୍ଥ ମଂଜୁର କରିଥିଲେ । ପାରଳାଖେମୁଣ୍ଡି ସହରସ୍ଥିତ ମହାରାଜା କଲେଜର ଉନ୍ନତି କଳ୍ପେ ପ୍ରଥମ ଉଦ୍ୟମ କରିଥିଲେ । ସେତେବେଳେ ବର୍ତ୍ତମାନର ମହାରାଜା ହାଇସ୍କୁଲକୁ ଲାଗି ଭୋଇ ସାହି ପାହାଡ଼ର ନିମ୍ନଦେଶ ସମତଳ କରାଇ ନୂତନ କୋଠା ନିର୍ମାଣ କରାଇଥିଲେ । କୃଷ୍ଣଚନ୍ଦ୍ର ଗାଦି ଆସୀନ ହେବା ବର୍ଷରୁ ହିଁ ସେହି କାର୍ଯ୍ୟ ଆରମ୍ଭ ହୋଇ ୧୯୧୬ରେ ଶେଷ ହୋଇଥିଲା । ସେଥିପାଇଁ ସେତେବେଳେ ଖର୍ଚ୍ଚ ହୋଇଥିଲା ପ୍ରାୟ ୬୦ ହଜାର ଟଙ୍କା । ସେହି ନୂତନ କୋଠାର ନାମକରଣ କରାଯାଇଥିଲା 'ମୋରିଶନ୍ ଏକ୍ସଟେନସନ’ । ମହାରାଜାଙ୍କ କଲେଜ ଜୀବନରେ ନିଉୱିଙ୍ଗ୍‌ଟନ କଲେଜର ଭୂଗୋଳ ଅଧ୍ୟାପକ ତଥା ତାହାଙ୍କର ପ୍ରିୟ ଗୁରୁ ମିଷ୍ଟର ମୋରିସନଙ୍କ ନାମାନୁସରଣରେ ପାରଳା କଲେଜର ସେହି ନୂତନ ନିର୍ମିତ ଅଂଶକୁ ନାମିତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଥିଲା, ଖୋଦ୍ ସେଇ ସ୍ୱନାମଧନ୍ୟ ଅଧ୍ୟାପକଙ୍କ କରକମଳରେ ହିଁ ତାହା ଉନ୍ମୋଚିତ ହୋଇଥିଲା । ରାଜକୁମାର କଲେଜର ଦଳେ ଛାତ୍ରଙ୍କ ସହ କେବଳ ସେଇଥିପାଇଁ ମିଷ୍ଟର ମୋରିଶନ ପାରଳାଖେମୁଣ୍ଡି ଅସିଥିଲେ । ତାହା ହିଁ ଆଜିର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜ । ଅବଶ୍ୟ ସାଂପ୍ରତିକ କାଳରେ ଆବଶ୍ୟକତାକୁ ଚାହିଁ ସେଥିରେ ଆହୁରି କିଛି ଅଂଶ ସଂଯୁକ୍ତ ହୋଇ ସାରିଲାଣି ।

ତାଙ୍କରିଦ୍ୱରା ପରିଚାଳିତ ସେଇ କଲେଜକୁ ଏକ ଆଦର୍ଶ ସ୍ଥାନୀୟ ଅନୁଷ୍ଠାନରେ ପରିଣତ କରିବାପାଇଁ ମହାରାଜା ଅଧିକ ଯତ୍ନଶୀଳ ଥିଲେ । ସେଥିପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତିତ୍ବ ହାସଲ କରିଥିବା ମେଧାଯୁକ୍ତ ବ୍ୟକ୍ତିବିଶେଷଙ୍କୁ ସେଠାରେ ଅଧ୍ୟାପକ ନିଯୁକ୍ତ କରୁଥିଲେ । ସମସ୍ତ ପ୍ରକାରର ପ୍ରୋତ୍ସାହନ ଦିଆଯାଉଥିଲା ଛାତ୍ରଗଣଙ୍କ ବୌଦ୍ଧିକ ବିକାଶପାଇଁ । ଅନୁଷ୍ଠାନଟିର ଗୁଣାତ୍ମକ ବୃଦ୍ଧି ଯୋଗୁଁ ତାହା ୧୯୩୬-୩୭ ମସିହାରେ ଫାଷ୍ଟ ଗ୍ରେଡ଼୍ କଲେଜ ରୂପେ ସ୍ୱୀକୃତି ଲାଭ କରିଥିଲା ଏବଂ ଛାତ୍ରମାନେ ସେଠାରେ ସ୍ନାତକସ୍ତରୀୟ ଶିକ୍ଷାଲାଭ କରିବାର ସୁଯୋଗ ଲାଭ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକର ରେଭେନ୍ସା କଲେଜକୁ ବାଦ୍‌ଦେଲେ ତାହା ଥିଲା ପ୍ରାକୃତିକ ଉତ୍କଳର ପ୍ରଥମ ଶ୍ରେଣୀୟ ଦ୍ବିତୀୟ କଲେଜ । ସମଗ୍ର ଓଡ଼ିଶାରେ ତିନୋଟି କଲେଜ ମଧ୍ୟରୁ ତୃତୀୟଟି ହେଲା ବ୍ରହ୍ମପୁରର ଖଲ୍ଲିକୋଟ କଲେଜ- ଆଇ.ଏ. ଶ୍ରେଣୀ ପାଠ୍ୟକ୍ରମଯୁକ୍ତ ଏକ ଦ୍ବିତୀୟ ଶ୍ରେଣୀୟ କଲେଜ ।

ପାରଳାଖେମୁଣ୍ଡିର ମହାରାଜା କଲେଜଟି କେବଳ ଖେମୁଣ୍ଡି ରାଜ୍ୟର ଛାତ୍ର-ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା, ତାହାର ଫାଟକ ଉନ୍ମୁକ୍ତ ଥିଲା ସମସ୍ତଙ୍କପାଇଁ । କେବଳ ସେଇ କଲେଜ କାହିଁକି ପାରଳାର ଶିକ୍ଷାୟତନଗୁଡ଼ିକରେ ଅଧ୍ୟୟନ କରୁଥିବା ଦୂରଦୂରାନ୍ତରର ଛାତ୍ରଗଣଙ୍କ ରହିବାପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗୋଟିଏ ବିରାଟ ଦ୍ବିତଳ ଛାତ୍ରାବାସ ଯୋଗାଇ ଦେଇଥିଲେ । ଗଜପତି କଲେଜର ପ୍ରାୟ ନିକଟରେ ହିଁ ସେହି ଛାତ୍ରାବାସ ନିର୍ମିତ ହୋଇଥିଲା । ପୁଣି ଜାତି, ଧର୍ମ, ଭାଷା ନିର୍ବିଶେଷରେ ପାରଳାର ଶିକ୍ଷାନୁଷ୍ଠାନଗୁଡ଼ିକରେ ମେଧାବୀ ଛାତ୍ରମାନଙ୍କୁ ଅଧିକ ମେଧାଯୁକ୍ତ କରାଇବାପାଇଁ ପ୍ରୋସାହନ ସ୍ୱରୂପ ଅନେକଗୁଡ଼ିଏ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା । ପୁଣି ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ବୃତ୍ତିଲାଭ କରିବା ସଙ୍ଗେସଙ୍ଗେ ସେମାନଙ୍କର ମାଗଣା ରହିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତତ୍ ସହିତ ଛାତ୍ରାବାସରେ ମାଗଣା ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ହେଉଥିଲା ସେମାନଙ୍କପାଇଁ । ମେଧାବୀ ଛାତ୍ରଗଣଙ୍କ ସମେତ ବାସ୍ତବରେ ଗରିବ ଶ୍ରେଣୀୟ ଛାତ୍ରଗଣ ମଧ୍ୟ ସେ ସବୁ ସୁବିଧା ପାଇବାପାଇଁ ଯୋଗ୍ୟ ବିବେଚିତ ହେଉଥିଲେ । ଏଭଳି ସୁବିଧା ସମେତ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଥିବା ଉକ୍ତ କଲେଜରେ ଉଚ୍ଚମାନର ଶିକ୍ଷା ଉପଲବ୍ଧ ହେଉଥିବା କାରଣରୁ ତାହା ବାସ୍ତବରେ ରାଜନୀତିକ ଓଡ଼ିଶା ବାହାରେ ଥିଲେ ସୁଦ୍ଧା ସମଗ୍ର ପ୍ରାକୃତିକ ଓଡ଼ିଶାବାସୀଙ୍କ ପାଇଁ ଥିଲା ଏକ ପ୍ରିୟ ଶିକ୍ଷାନୁଷ୍ଠାନ ଏବଂ ବିଶେଷକରି ମେଧାବୀଛାତ୍ରଙ୍କ ପାଇଁ ଏକ ଆକର୍ଷଣୀୟ କଲେଜ ।

ସେହିଭଳି ସେତେବେଳକାର ଜଣେ ମେଧାବୀ ଛାତ୍ର ତଥା ପରକାଳରେ ଓଡ଼ିଆ ସାହିତ୍ୟ ଜଗତର ଏକ ଅମ୍ଳାନ ପ୍ରତିଭା ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ସୃତିଚାରଣ ଏଠାରେ ଉଲ୍ଲେଖଯୋଗ୍ୟ । ମହାରାଜାଙ୍କ ପୃଷ୍ଠପୋଷକତା ଲାଭ କରିଥିବା ଶ୍ରୀଯୁକ୍ତ ଦାଶଙ୍କ ମତରେ 'ଏଥିରେ (ପାରଳାର ଶିକ୍ଷାନୁଷ୍ଠାନଗୁଡ଼ିକରେ) ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିଲା । ଶତଶତ ଛାତ୍ର ବିନା ଦେୟରେ ଛାତ୍ରାବାସରେ ରହି ବିଦ୍ୟାଧ୍ୟୟନ କରୁଥିଲେ । ଏମାନଙ୍କ ମଧ୍ୟରୁ ଶତାଧିକ ଲୋକ ଉତ୍କଳରେ ସୁନାମ ଅର୍ଜନ କରିଛନ୍ତି । ପାରଳା ବାହାରେ ମାନ୍ଦ୍ରାଜ, ଉଦକମଣ୍ଡଳ, ବିଶାଖାପଟଣା ପ୍ରଭୃତି ବି.ଏ, ଏମ୍.ଏ. ଓଭରସିଅରିଂ, ଇଞ୍ଜିନିଅରିଂ, ଡାକ୍ତରି ପ୍ରଭୃତି ଶିକ୍ଷାପଇଁ ବୃତ୍ତି ପାଇଛନ୍ତି । ମହାରାଜା ଜମିଦାରିର ତେଲୁଗୁ ଓ ଓଡ଼ିଆ ଉଭୟ ସଂପ୍ରଦାୟର କୃତୀଛାତ୍ରମାନଙ୍କୁ ବୃତ୍ତିଦାନରେ ପାତର ଅନ୍ତର ବିଚାର କରି ନାହାନ୍ତି ।"

ପୁଣି ପଣ୍ଡିତ ଦାଶଙ୍କ ଭଳି ଆଉ ଜଣେ ଭୁକ୍ତଭୋଗୀ ସାହିତ୍ୟିକ ଡକ୍ଟର ରାଧାଚରଣ ପଣ୍ଡା । ତାହାଙ୍କର ଆତ୍ମକଥନ ହେଲା-"୧୯୧୫-୧୯୧୮ ତିନି ବର୍ଷ ମଧ୍ୟରେ ମୁଁ ପାରଳା କଲେଜର ମେଟ୍ରିକ୍ ଛାତ୍ର ଥିଲି । ପ୍ରଥମ ବର୍ଷ ମୁଁ ମୋ ଆଇଙ୍କ ଘରେ ରହି ଫୋର୍ଥ ଫାର୍‌ମରେ ପଢ଼ିଲି । ସେହି ବର୍ଷ ପରୀକ୍ଷାରେ ଭଲ ପାସ୍ କରିଥିବାରୁ ଆଉ ଦୁଇବର୍ଷ କଲେଜ ଛାତ୍ର ନିବାସରେ 'ମାଗଣା ଖାଦ୍ୟ’ ଖାଇବା ସୁବିଧା ମିଳିଲା । ମେଧାବୀ ଛାତ୍ରମାନଙ୍କ ମଧ୍ୟରୁ ୧୫ଜଣ ଓଡ଼ିଆ ଓ ୧୫ ଜଣ ତେଲୁଗୁ ଛାତ୍ର କେବଳ ମସିକ ଦୁଇଟଙ୍କା ଦେଇ ଛାତ୍ରାବାସରେ ରହୁଥିଲେ ଏବଂ ସେମାନଙ୍କୁ ତିନି ଓଳି ଖାଇବାକୁ ମିଳୁଥିଲା । କୃଷ୍ଣଚନ୍ଦ୍ରଙ୍କ ଏ ବଦାନ୍ୟତାରେ ବହୁ ସଂଖ୍ୟକ ଛାତ୍ର କଲେଜ ପାଠ ପଢ଼ିପାରୁଥିଲେ ।"

ପିତୃସୁଲଭପ୍ରାଣ ସମ୍ପନ୍ନ କୃଷ୍ଣଚନ୍ଦ୍ର କଲେଜ ଛାତ୍ରାବାସରେ ରହୁଥିବା ଅନ୍ତେବାସୀଗଣଙ୍କ ଖାଦ୍ୟପେୟ, ସୁଖ-ସ୍ୱାଚ୍ଛନ୍ଦ୍ୟ ଇତ୍ୟାଦି ବିଷୟରେ ଅନୁସନ୍ଧାନ କରୁଥିଲେ ଅନେକ ସମୟରେ । ବେଳେବେଳେ ରାଜନଅରରେ ଉପଲବ୍ଧ ଖାଦ୍ୟଦ୍ରବ୍ୟ, ପନିପରିବା ଇତ୍ୟାଦି ଅନ୍ତେବାସୀଙ୍କପାଇଁ ପ୍ରେରଣ କରୁଥିଲେ ମଧ୍ୟ । ଅନେକ ସମୟରେ ବିଶେଷ କରି ଗ୍ରୀଷ୍ମ ଋତୁରେ, ରାଜନଅର ଗୋଶାଳାର ଅନ୍ୟତମ ପ୍ରସ୍ତୁତି- ଦହି ଓ ଚହ୍ଲା ବିକ୍ରୀପାଇଁ ବଜାରକୁ ନଯାଇ ଛାତ୍ରାବାସକୁ ଯାଉଥିଲା ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ।

ସେହି କଲେଜର ମେଧାବୀ ଛାତ୍ରମାନେ କେବଳ ଯେ ଅଧ୍ୟୟନ ସମୟରେ ବୃତ୍ତିଲାଭ କରୁଥିଲେ ତା’ ନୁହେଁ, ସେଠାରେ ବିଦ୍ୟାଶିକ୍ଷା ଶେଷ ହେବା ପରେ ମଧ୍ୟ ବିଶେଷ କୃତିତ୍ବ ହାସଲ କରୁଥିବା ଛାତ୍ରମାନଙ୍କୁ ବିଦ୍ୟାବିଳାସୀ ଗଜପତି ରାଜ୍ୟ ତଥା ଦେଶ ବାହାରେ ଯାଇ ଅଧିକ ଅଧ୍ୟୟନ / ଗବେଷଣପାଇଁ ବୃତ୍ତି ପ୍ରଦାନ କରୁଥିଲେ । ସେହି ଦୃଷ୍ଟିରୁ ଦେଖିଲେ ବାସ୍ତବରେ ପାରଳା ଗଜପତି କେବଳ ନଥିଲେ ଜଣେ ଜମିଦାର, ବ୍ୟକ୍ତିବିଶେଷ, ଥିଲେ ବାସ୍ତବରେ ଏକ ଏକ ବିରାଟ ଅନୁଷ୍ଠାନ ।

ଆଧୁନିକ ଇଂରାଜୀ ଶିକ୍ଷା ପ୍ରତି ସେ ଯେତିକି ପରିମାଣରେ ଆଗ୍ରହୀ ଥିଲେ, ସେତିକି ପରିମାଣରେ ମଧ୍ୟ ମମତାମୟ ଥିଲେ ଆର୍ଯ୍ୟ ପରମ୍ପରା ପ୍ରତି; ଆଦି ଭାଷା ସଂସ୍କୃତ ପ୍ରତି । ପରିଣାମତଃ ତାଙ୍କର ରାଜ୍ୟ ରାଜଧାନୀ ପାରଳାଖେମୁଣ୍ଡିଠାରେ ସ୍ଥାପନ କରିଥିଲେ ଏକ ସଂସ୍କୃତ ମହାବିଦ୍ୟାଳୟ । ତାର ଇତିହାସ ପାରଳା ମହାରାଜାଙ୍କ ବିଦ୍ୟୋତ୍ସାହ ମନୋଭାବ ହିଁ ପ୍ରକାଶ କରିଥାଏ । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଜଣେ ବ୍ୟକ୍ତି ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ର ପେଟ ପୋଷିବାପାଇଁ ଧନ୍ଦା ଅନ୍ବେଷଣ କରିକରି ପାରଳା ସହରରେ ପହଞ୍ଚିଲେ । ନିଜ ଭଡ଼ାଘରର ବାରଣ୍ଡାରେ ସଂସ୍କୃତ ଶିକ୍ଷାପ୍ରେମୀ ବାଳକଗଣଙ୍କୁ ଶିକ୍ଷାଦାନ ବ୍ୟତୀତ ପଣ୍ଡିତେ ଅଉ କ’ଣ ବା କରିପାରିଥାଆନ୍ତେ ! ତାଙ୍କରି ବାରଣ୍ଡାରେ ବସୁଥିବା ଛାତ୍ରଗଣଙ୍କ ମଧ୍ୟରେ ରାଜଗୁରୁ ପରିବାରର ଅନେକ ଛାତ୍ର ଥିଲେ । କ୍ରମେ ସେହି ଖବର ମହାରାଜାଙ୍କ କାନରେ ପଡ଼ିଥିଲା । ସେ ପଣ୍ଡିତ ମହାଶୟଙ୍କୁ ନଅରକୁ ଡକାଇ ନିଜ ରାଜ୍ୟରେ ସଂସ୍କୃତ ଭାଷାର ଉନ୍ନତି କଳ୍ପେ ଏକ ପାଠଶାଳା ସ୍ଥାପନ ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ସେହି ଦାୟିତ୍ବ ଗ୍ରହଣ କରିବା ନେଇ ମତାମତ ଚାହିଁଥିଲେ । ପଣ୍ଡିତ ମହାଶୟେ ସେଥିରେ ସମ୍ମତ ନହୁଅନ୍ତେ ବା କାହିଁକି ?

ସେଥିପାଇଁ ଗୋଟିଏ କୋଠା ଘର ଯୋଗାଇ ଦିଆଯାଇଥିଲା । ହାଇସ୍କୁଲ ନିକଟସ୍ଥ ମହିଳା ମହାବିଦ୍ୟାଳୟ ଚାଲୁଥିବା ଘରଟି ସେତେବେଳେ ସେଥିପାଇଁ ବ୍ୟବହୃତ ହୋଇଥିଲା । ସେଠାରେ ଅଧ୍ୟୟନ କରିବାକୁ ଆସୁଥିବା ଛାତ୍ରଗଣଙ୍କର ରହିବା ତଥା ଖାଇବାର ମଧ୍ୟ ସୁବବନ୍ଦୋବସ୍ତ କରାଯାଇଥିଲା । ସେତେବେଳେ ସେଠିକାର ପ୍ରତି ଛାତ୍ରପାଇଁ ମାସକୁ ସାତ ମାଣ ଦୁଇ ଅଡ଼ା (ବର୍ତ୍ତମାନ ପ୍ରାୟ ୨୫ କେଜି) ଚାଉଳ ସହିତ ଭତ୍ତା ପ୍ରଦତ୍ତ ହେଉଥିଲା ପାଞ୍ଚଟଙ୍କା । ତତ୍‌କାଳୀନ ପରିସ୍ଥିତିରେ ଏହା କିଛି କମ୍ ନଥିଲା; ଛାତ୍ରମାନଙ୍କ ସଂସ୍କୃତ ଅଧ୍ୟୟନ ପାଇଁ ପ୍ରୋତ୍ସାହନ ଦୃଷ୍ଟିରୁ ଏହା ଥିଲା ବେଶ ଏକ ଆକର୍ଷଣୀୟ ଯୋଜନା । ସମୟକ୍ରମେ ତାହା ଏକ ସଂସ୍କୃତ କଲେଜ ରୂପେ ପ୍ରତିଷ୍ଠିତ ହୋଇ ବାସ୍ତବରେ ଏକ ବିରାଟ ବୃକ୍ଷରେ ପରିଣତ ହୋଇଥିଲା । ସେହି ଶିକ୍ଷାନୁଷ୍ଠାନର ଜନ୍ମଦାତା ପଣ୍ଡିତ ମିଶ୍ରଙ୍କ ପାଇଁ କୌଣସି ଅବସରକାଳୀନ ବୟସ ନିର୍ଦ୍ଧାରିତ ହୋଇନଥିଲା । ଯେତେଦିନ ପର୍ଯ୍ୟନ୍ତ ସେ ସକ୍ଷମ ଥିଲେ ସେତେଦିନ ଥିଲା ତାଙ୍କର କାର୍ଯ୍ୟକାଳ । ପ୍ରାୟ ୭୫ ବର୍ଷ ବୟସରେ, ୧୯୪୩ ମସିହାରେ ଅଧ୍ୟାପନା କାର୍ଯ୍ୟରୁ ଅବ୍ୟାହତି ନେବାପାଇଁ ସେ ଆପଣାର ଅଭିପ୍ରାୟ ପ୍ରକାଶ କରିବା ପରେ ତାହାଙ୍କୁ ସସମ୍ମାନେ ବିଦାୟ ଦିଆଯାଇଥିଲେ ସୁଦ୍ଧା ଜୀବନର ଶେଷଦିନ ପର୍ଯ୍ୟନ୍ତ ମାସିକ ଦରମା ପାଇଥିଲେ ପାରଳା ରାଜକୋଷରୁ । ତେବେ ସମୟକ୍ରମେ ଅନ୍ୟାନ୍ୟ ଶିକ୍ଷକବୃନ୍ଦ ଯୋଗ ଦେଇଥିଲେ ଏହାର କଳେବର ବୃଦ୍ଧି ପାଇବା ସହିତ । ଛାତ୍ର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଥିଲା । ସୁନାମ ମଧ୍ୟ ବଢ଼ି ବଢ଼ି ଚାଲିଥିଲା ସେମିତି । ଛୋଟିଆ ପାଠଶାଳାରୁ କଲେଜରେ ପରିଣତ ହୋଇଥିଲା । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହୋଇଥିଲା । ସେଥିପାଇଁ ସ୍ୱତନ୍ତ୍ର କୋଠାଘର ନିର୍ମିତ ହୋଇଥିଲା । ସମୟାନ୍ତରରେ ଏହାର ଅଧ୍ୟକ୍ଷ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ କାବ୍ୟତୀର୍ଥ ମଧୁସୂଦନ ମହାପାତ୍ର, ପଣ୍ଡିତ ଚନ୍ଦ୍ରଶେଖର ରଥ ପ୍ରମୁଖ । ସେଠାରେ କିଛିଦିନପାଇଁ ଅଧ୍ୟାପକ ହୋଇଥିଲେ ଭାଷାକୋଷ ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦ ତଥା ଖ୍ୟାତିସଂପନ୍ନ ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମା ଏବଂ ଏକଦା ସେଠିକାର ଛାତ୍ର ଥିବା ଡକ୍ଟର ବେଣୀମାଧବ ପାଢ଼ୀ ଏବଂ ଅନ୍ୟମାନେ । ପୁଣି ସେଠିକାର ଛାତ୍ରଗଣଙ୍କ ମଧ୍ୟରେ ଥିଲେ ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା, ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ପ୍ରମୁଖଙ୍କ ଭଳି ଆହୁରି ଅନେକ ଯେଉଁମାନେ ଆଜି ଓଡ଼ିଶାର ବିଶେଷ ଗଣ୍ୟମାନ୍ୟ ବ୍ୟକ୍ତି । ଆଜି ସୁଦ୍ଧା ସେହି ଅନୁଷ୍ଠାନ ସେଦିନର ସୃତିକୁ ଜୀବନ୍ତ କରି ତୋଳିବାରେ ଏବଂ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ସଶ୍ରଦ୍ଧ ସ୍ମରଣ କରାଇବାରେ ମଧ୍ୟ ସକ୍ଷମ ।

ସଂପ୍ରତି ଦେଶର ମହିଳା ସଶକ୍ତୀକରଣର ଏକ ବିଶିଷ୍ଟ ଅଙ୍ଗ ସ୍ୱରୂପ ନାରୀଶିକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଆରୋପ କରାଯାଉଛି । କାରଣ ଆଜି ସୁଦ୍ଧା ମହିଳାସମାଜ ଶିକ୍ଷା କ୍ଷେତ୍ରରେ ପୁରୁଷମାନଙ୍କଠାରୁ ଅନେକ ଦୂରରେ । ପୁରୁଷପ୍ରଧାନ ଆମ ସମାଜରେ ଆଜି ମଧ୍ୟ ନାରୀ ଅବହେଳିତ । ସାମାଜିକ ଉନ୍ନତିପାଇଁ ନାରୀ ସମାଜ ଯଥାର୍ଥ ଭାବେ ଶିକ୍ଷିତ ହେବା ଆବଶ୍ୟକ ବୋଲି ଆଜକୁ ପ୍ରାୟ ଶହେ ବର୍ଷ ତଳେ ଅନୁଭବ କରିଥିଲେ ପାରଳା ଗଜପତି । ନାରୀ ଶିକ୍ଷାର ଉନ୍ନତି କଳ୍ପେ, ତାଙ୍କରି ରାଜ୍ୟରେ ପ୍ରଥମେ ସଫଳ ପ୍ରୟାସ ମଧ୍ୟ କରିଥିଲେ ।

ସେତେବେଳେ ଆମ ସମାଜରେ ରକ୍ଷଣଶୀଳ ମନୋଭାବ ଦେଶର ଛତ୍ରେଛତ୍ରେ ପ୍ରତିଫଳିତ ହେବା ଭଳି ଓଡ଼ିଶାରେ ତଥା ଗଜପତିଙ୍କ ପାରଳା ରାଜ୍ୟରେ ସୁଦ୍ଧା ପରିପୂର୍ଣ୍ଣ ଥିଲା । ଝିଅମାନେ ଆଠ ଦଶ ବର୍ଷର ହୋଇଗଲେ ଘରୁ ଆଉ ବାହାରକୁ ବାହାରିବାକୁ ପସନ୍ଦ କରୁନଥିଲେ । ବିଶେଷକରି ଆମ ସମାଜରେ ବ୍ରାହ୍ମଣ / କରଣ ଝିଅମାନଙ୍କ ସ୍ଥିତି ଥିଲା ସେହିଭଳି । ସେମାନଙ୍କ ବିଦ୍ୟା ଶିକ୍ଷା ପ୍ରତି ମାତାପିତାଗଣ କିଛିଟା ଅନୁକୂଳ ଭାବ ପୋଷଣ କରି ଘରୋଇ ଭାବରେ ଯାହାକିଛି ବ୍ୟବସ୍ଥା କରୁଥିଲେ । ସେଭଳି ପରିସ୍ଥିତି ଭିତରେ ପାରଳାଖେମୁଣ୍ଡି ସହରର ଜଣେ ବିଶିଷ୍ଟ ସଂଗୀତଜ୍ଞ ତଥା ମର୍ଦଳବାଦକ ଶ୍ରୀ ବୃନ୍ଦାବନ ଚନ୍ଦ୍ର ପଣିଗ୍ରାହୀଙ୍କ କନ୍ୟାଙ୍କ ମୁଣ୍ଡରେ ଏକ ଉତ୍ତମ ଚିନ୍ତା ସବାର ହୋଇଥିଲା । ସେ ସହରର କିଛି ଝିଅପିଲାଙ୍କୁ ଆପଣା ଘରକୁ ଡକାଇ ଅଣି ସେମାନଙ୍କୁ ଯଥାସମ୍ଭବ ଶିକ୍ଷିତ କରାଇବାପାଇଁ ପ୍ରୟାସ କରିଥିଲେ ।

ସେଇ ସଂବାଦ ପହଞ୍ଚିଥିଲା ନାରୀ ଶିକ୍ଷାର ଉନ୍ନତି ପାଇଁ ମନସ୍ଥ କରୁଥିବା ଗଜପତି କୃଷ୍ଣଚନ୍ଦ୍ରଙ୍କ ନିକଟରେ । ସଂସ୍କୃତ ଶିକ୍ଷାପାଇଁ ପଦକ୍ଷେପମାନ ନେବାଭଳି ମହାରାଜା ରାଜ୍ୟରେ ନାରୀଶିକ୍ଷାର ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ସେହିଭଳି ପାଠଶାଳାଟିଏ ପ୍ରତିଷ୍ଠା କରିବାପଇଁ କୋଠାଘରଟିଏର ବ୍ୟବସ୍ଥା କରିଥିଲେ । ତାହା ଆଜିର ପୌର ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ । ପ୍ରାଥମିକ କାଳରେ ସେଇଠି ଦୁଇଜଣ ବୃଦ୍ଧା ନିଯୁକ୍ତି ପାଇଥିଲେ । ସେମାନଙ୍କ କାମ ଥିଲା ଘରଘର ଚୂଲି, ଝିଅମାନଙ୍କୁ ସାଙ୍ଗରେ ଆଣି ଠିକ୍ ସମୟରେ ସ୍କୁଲରେ ପହୁଞ୍ଚାଇବା ଏବଂ ପଢ଼ାପଢ଼ି ଶେଷ ହେବା ପରେ ସ୍କୁଲରୁ ନେଇ ନିଜ ନିଜ ଘରେ ଛାଡ଼ିଦେଇ ଆସିବା । ସେହିଭଳି ଭାବରେ କିଛିଦିନ ଚାଲିବା ପରେ ସେଠାରେ ଛାତ୍ରୀ ସଂଖ୍ୟା ବୃଦ୍ଧିପାଇଥିଲା । ବିଶେଷଭାବେ ଆନନ୍ଦିତ ହୋଇଥିଲେ ମହାରାଜା ସେହି ଅଣଆନୁଷ୍ଠାନିକ ଶିକ୍ଷାକେନ୍ଦ୍ରରେ ବାଳିକାଗଣଙ୍କ ଆଗ୍ରହ ଲକ୍ଷ୍ୟକରି । ତାହାକୁ ବିଧିବଦ୍ଧ ଭାବେ ଏକ ସ୍କୁଲ ରୂପେ ସ୍ଥାପନ କରାଯିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କୋଠାଘର ନିର୍ମାଣ କରାଇଥିଲେ । ତାହା ହିଁ ଆଜିର ପାରଳାଖେମୁଣ୍ଡି ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ । ପ୍ରାଥମିକ ଅବସ୍ଥାରେ ସେଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରଚଳନ କରାଯାଇ ବିଭିନ୍ନ ଆନୁଷ୍ଠାନିକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ତା’ପରେ କ୍ରମଶଃ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପ୍ରାଥମିକ ଅବସ୍ଥାରେ ବାଳିକାମାନଙ୍କୁ ଶିକ୍ଷାପ୍ରାପ୍ତି ପାଇଁ ଆକୃଷ୍ଟ କରାଇବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଉତ୍ସାହପ୍ରଦ ବ୍ୟବସ୍ଥାମାନ ଗ୍ରହଣ କରିଥିଲେ ପାରଳା ଗଜପତି ।

ପ୍ରତିବର୍ଷର ବାର୍ଷିକ ପରୀକ୍ଷାଫଳ ପ୍ରକାଶପାଇବା ପରେ ବିଭିନ୍ନ ପୁରସ୍କାରମାନ ପ୍ରଦାନ କରାଯାଉଥିଲା । ପ୍ରତି ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଜଣକ ପାଉଥିଲେ କାନରେ ପିନ୍ଧାଯାଉଥିବା ସୁନାର ଅଳଙ୍କାର ‘ସେବତୀ ଫୁଲ’ । ତାହାର ଓଜନ ଥିଲା ତିନିଅଣା (ଆପାତତଃ ଭରିଏ ସୁନାର ଓଜନ ୧୬ ଅଣା ସହିତ ସମାନ) । ସେହିଭଳି ଦ୍ବିତୀୟ ହୋଇଥିବା ଛାତ୍ରୀଙ୍କପାଇଁ ପ୍ରୋତ୍ସାହିତ ଦ୍ରବ୍ୟ ଥିଲା ଶାଢ଼ିଟିଏ । ତତ୍‌କାଳୀନ ପରିବେଶରେ ଝିଅପିଲାମାନେ ଟିକିଏ ବଡ଼ ହୋଇଗଲା ପରେ- ପ୍ରାୟ ଆଠ ଦଶବର୍ଷ ବେଳରୁ ଅର୍ଥାତ ସେଇ କୁମାରୀ ବୟସରୁ ହିଁ ଶାଢ଼ିପିନ୍ଧିବା ଆରମ୍ଭ କରୁଥିଲେ । ତେଣୁ ସାମାଜିକ ବ୍ୟବସ୍ଥା ସହିତ ତାଳ ଦେଇ ସେଇ ପ୍ରକାରର ବିବେଚନା ଉତ୍ତମ ବୋଲି ମନେ ହୋଇଥିଲା । ପୁଣି ପ୍ରତ୍ୟେକ ଶ୍ରେଣୀରେ ତୃତୀୟ ହୋଇ ପାସ୍ କରିଥିବା ଛାତ୍ରୀଗଣଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ସେହିଭଳି କିଛିକିଛି ପରିଧାନ ସାମଗ୍ରୀ ସ୍କଟ, ବ୍ଲାଉଜ୍ ଇତ୍ୟାଦି । ମହାରାଜାଙ୍କ ସେଦିନର ସେହି ଉଦ୍ୟମ ବେଶ୍ ଫଳପ୍ରଦ ମନେହୋଇଥିଲା । ଆପଣା ରାଜ୍ୟରେ ଶିକ୍ଷାର ବିସ୍ତାର ତଥା ସଂସ୍କାରପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନୋବୃତ୍ତି ଏସବୁଥିରୁ ବେଶ୍ କଳନା କରାଯାଇପାରେ ।

ଇଂରେଜ ସରକାର ସିନା ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ, ହେଲେ ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ ସମ୍ରାଟ ଥିଲେ ସେ, ସେମାନଙ୍କପାଇଁ ଯଥାର୍ଥରେ ଥିଲେ ଗଜପତି । ଏବଂ ଅନୁରୂପ ଭାବେ ପ୍ରଜାଗଣ ମଧ୍ୟ ଥିଲେ ରାଜାଙ୍କର ସତେଯେମିତି ସନ୍ତାନ । ତେଣୁ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ହିଁ ଥିଲା ରାଜାଙ୍କର କାମ୍ୟ । ସେମାନଙ୍କର ଉନ୍ନତିରେ ରାଜ୍ୟର ଉନ୍ନତି । ସାମାଜିକ, ନୈତିକ, ଆର୍ଥିକ ସବୁ କ୍ଷେତ୍ରରେ ଉନ୍ନତି ଆବଶ୍ଯକ ।

ରାଜ୍ୟରେ ଆର୍ଥିକ ପ୍ରଗତିପାଇଁ କୃଷି ଓ କୃଷକଙ୍କ ଉନ୍ନତି ସର୍ବାଦୌ ଆବଶ୍ୟକ ବୋଲି ମହାରାଜାଙ୍କ ଆନ୍ତରିକ ଅନୁଭବ ଥିଲା । ତେଣୁ ରାଜ୍ୟର ଅଧିକାଂଶ ଅଶିକ୍ଷିତ ପ୍ରଜାଙ୍କୁ ପରାମର୍ଶ ଦେଇ କୃଷିର ଉନ୍ନତିପାଇଁ ଚେଷ୍ଟା କରିବା କିମ୍ବା ସେଇ ଉପଦେଶଗୁଡ଼ିକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ତାହାର ପରିଣାମ ସହ ରାଜ୍ୟର କୃଷକଗଣଙ୍କୁ ଅଙ୍ଗୀଭୂତ କରାଇବା ମଧ୍ୟରୁ ଦ୍ବିତୀୟଟି ହିଁ ଅଧିକ ଫଳପ୍ରଦ ହେବ ବୋଲି ବିବେଚନା କରିଥିଲେ ସେ । ତେଣୁ ଚାଷ କ୍ଷେତ୍ରରେ କୌଣସି ନୂତନ ପଦ୍ଧତିର ପ୍ରଚଳନ କରାଇବା ପୁର୍ବରୁ ପ୍ରଥମେ ଆପଣାର କୃଷି କ୍ଷେତ୍ରରେ ତାହାର ପ୍ରୟୋଗାତ୍ମକ ଦିଗ୍‌ଦର୍ଶନ ଦେଉଥିଲେ ମହାରାଜା । ତା’ପରେ ତାହାର ପରିଣାମ ପ୍ରଜାମାନଙ୍କୁ ଦେଖାଇ ଦେଉଥିଲେ ପ୍ରତ୍ୟକ୍ଷ ଭାବେ ଏବଂ ସେହି ପ୍ରଣାଳୀ/ଚାଷକୁ ଆଦରେଇ ନେବାପଇଁ କୃଷକଗଣଙ୍କୁ ପ୍ରରୋଚିତ କରୁଥିଲେ ।

ସେଇ ଦୃଷ୍ଟିରୁ ଦେଖିଲେ ବାସ୍ତବରେ ସେ ଥିଲେ ଆଦର୍ଶ କୃଷକ ଏବଂ ଅଭିଜ୍ଞ ମଧ୍ୟ । ଜଣେ କୃଷକର ଭାଷାକୁ ଆପଣେଇ ନେବାରେ ସେ ଗର୍ବ ଅନୁଭବ କରୁଥିଲେ । କୃଷକଗଣଙ୍କ ସହ ଆତ୍ମୀୟ ଭାବ ସ୍ଥାପନ ଯୋଗୁଁ ସେ ସମସ୍ତଙ୍କ ନିକଟରେ ବେଶ୍ ଗ୍ରହଣୀୟ ହୋଇପାରିଥିଲେ ଏବଂ ପରିଣାମତଃ ଦେଶର ଅନ୍ୟାନ୍ୟ ଜମିଦାରିଗୁଡ଼ିକ ତୁଳନାରେ ପାରଳାଖେମୁଣ୍ଡିର ରୟତଗଣ ଆର୍ଥିକ ଦୃଷ୍ଟିରୁ ଉନ୍ନତ ଜୀବନଯାପନରେ ସମର୍ଥ ଥିଲେ । ସବୁବେଳେ ମହାରାଜାଙ୍କ ମତ ଥିଲା କୃଷିକ୍ଷେତ୍ରରେ କୃଷକର ପାଦପଡ଼ିବା ହିଁ ସର୍ବୋତ୍ତମ ସାରର ପ୍ରୟୋଗ । ତେଣୁ ଭୂମ୍ୟଧିକାରୀମାନେ କେବଳ ଘରେ ବସି ମାଲିକାନା ଜାହିର କଲେ ବାସ୍ତବରେ କୃଷିର ଉନ୍ନତି ହୋଇ ପାରିବ ନାହିଁ । ଯେତେବଡ଼ ଭୂମ୍ୟଧିକାରୀ ହୁଅନ୍ତୁ ପଛକେ, କୃଷିକ୍ଷେତ୍ର ବାରମ୍ବାର ପ୍ରଦର୍ଶନ କରିବା ଉଚିତ । ଆପଣାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ଚାଷ ହେବା ଉଚିତ । ପରିଣାମତଃ ନିଜେ ଚାଷଜମିର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଅବଗତ ହେବା ସଂଗେ ସଂଗେ ଚାଷବାସର ବିଭିନ୍ନ ପର୍ଯ୍ୟାୟର କାର୍ଯ୍ୟ ତଦାରଖ କରିବା ଆବଶ୍ୟକ । ସେଇ ଆବଶ୍ୟକତାକୁ ନିଜ ରାଜ୍ୟର କୃଷକଗଣଙ୍କୁ ଯଥାର୍ଥରେ ଉପଲବ୍ଧି କରାଇବାରେ ସଫଳ ପ୍ରଚେଷ୍ଟା ମଧ୍ୟ କରୁଥିଲେ ।

ଉନ୍ନତ କୃଷିଲାଗି ରାସାୟନିକ ସାରର ପ୍ରୟୋଗ ତଥା ଉନ୍ନତ ଧରଣର ବିହନର ଉପଯୋଗିତା ସଂପର୍କରେ ରାଜ୍ୟବାସୀଙ୍କୁ ବୁଝାଇବା ପରିବର୍ତ୍ତେ ପ୍ରଥମେ ଆପଣ କ୍ଷେତ୍ରରେ ସେସବୁର ପ୍ରୟୋଗ କରି ପରୀକ୍ଷାମୂଳକ ଭାବେ ଦେଖାଇ ଦେଉଥିଲେ । ତା’ପରେ ସେସବୁର ସେହି ଭାବରେ ଉପଯୋଗ କରିବାଲାଗି ଚାଷୀମାନଙ୍କୁ ପରାମର୍ଶ ଦେଉଥିଲେ । ପରିଣାମତଃ ସେଇସବୁ ପଦ୍ଧତି ରାଜ୍ୟରେ ବେଶ୍ ଆଦୃତ ହେଉଥିଲା ।

ପାରଳାଖେମୁଣ୍ଡିରୁ ଗୁମ୍ମା ଯିବା ରାସ୍ତାରେ ଏବଂ ରାଜଧାନୀ ସହରଠାରୁ ଅନତିଦୂରରେ ମହାରାଜାଙ୍କର ଏକ ବିରାଟ କୃଷି ଫର୍ମ- ‘ହୋମ୍‌ଫାର୍ମ୍’ ରହିଥିଲା । ଯେତେସବୁ ଆଧୁନିକ ଚାଷପ୍ରଣାଳୀର ପ୍ରୟୋଗ, ରାସାୟନିକ ସାର/କୀଟନାଶକ ଔଷଧର ବ୍ୟବହାର, ନୂତନ ଫସଲ ଆମଦାନୀର ନମୁନା ସବୁ ସେଇଠି ଆରମ୍ଭ ହେଉଥିଲା । ସେଠାକୁ ଯାଇ ରାଜ୍ୟର କୃଷକଗଣ ସେଇ ସବୁର ପରୀକ୍ଷା ନିରୀକ୍ଷା ତଥା ତାର ଫଳାଫଳକୁ ଅନୁଶୀଳନ କରୁଥିଲେ ପ୍ରଥମେ । ସେଠାରେ ବିଭିନ୍ନ ଫୁଲ ଓ ଫଳ ଚାଷରୁ ଆରମ୍ଭ କରି ଧାନ, ମାଣ୍ଡିଆ, ଆଖୁ ଇତ୍ୟାଦି ଫସଲ ହେଉଥିଲା। ମହାରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ । ପ୍ରତିଦିନ ମହାରାଜା ପ୍ରାୟ ଦୁଇ ବେଳା ସେଠାକୁ ଯାଉଥିଲେ ପାରଳାରେ ରହିବା ଅବସରରେ । ଅନେକ ସମୟରେ ନିଜେ ସେ ଫୁଲଗଛଗୁଡ଼ିକରେ ପାଣିଦେବାଠାରୁ ଆରମ୍ଭ କରି ଘାସ ବାଛିବା କାର୍ଯ୍ୟ ମଧ୍ୟ କରୁଥିଲେ । ସେଠାରୁ ଫେରିବାବେଳେ କଅଁଳ ଛନଛନିଆ ଘାସ ଆପଣା ଦାମୀ କାରର ସାରା ପଛସିଟରେ ବୋଝେଇ କରି ଫେରିଆସୁଥିଲେ ରାଜ ନଅରକୁ । ରାଜ ନଅର ଭିତରେ ରହୁଥିବା ଗୋରୁ ଗାଈଙ୍କ ପାଇଁ ସେଇ ଘାସର ପ୍ରୟୋଜନ ।

ଗୋପାଳନ ମହାରାଜାଙ୍କର ଥିଲା ଅନ୍ୟ ଏକ ସଉକ । ନିଜ ଗୋଶାଳାରେ କେବଳ ଦେଶୀୟ ଗୋରୁଗାଈଙ୍କୁ ନରଖି ବିଭିନ୍ନ ଉନ୍ନତ କିସମର ଗାଈଗୋରୁଙ୍କୁ ପାଳନ କରୁଥିଲେ । ସେଥିରେ ମହାରାଜାଙ୍କର ଦୁଇଟି ଉଦ୍ଦେଶ୍ୟ ଥିଲା- ପ୍ରଥମ ହେଲା ରାଜ୍ୟରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟର ଉପଲବଧି ଏବଂ ଦ୍ବିତୀୟ- ଗୋଶାଳାରୁ ଉପଲବ୍‌ଧ ଗୋବର ଇତ୍ୟାଦି ଖତର କୃଷି କ୍ଷେତ୍ରରେ ପ୍ରୟୋଗ । କମ୍ପୋଷ୍ଟ ଖତ ତୟାର କରିବାପାଇଁ ଯେଉଁ ପନ୍ଥା ସହଜରେ ରାଜ୍ୟର ଗ୍ରାମ୍ୟ କୃଷକଗଣ ଅନୁକରଣ କରିପାରିବେ ସେଭଳି ବ୍ୟବସ୍ଥା ପ୍ରଥମେ ଗ୍ରହଣ କରୁଥିଲେ । ବଡ଼ବଡ଼ ଗଛର ଛାଇ ତଳେ ପ୍ରାୟ ତିନି ଫୁଟ ଗଭୀରର ଗାତଟିଏ ଖୋଳି ସେଥିରେ ଗୁହାଳରୁ ବାହାରୁଥିବା ଗୋବର, ଗୋମୂତ୍ର ମିଶ୍ରିତ ପାଳ, ନଡ଼ା, କୁଟା ଇତ୍ୟାଦି ମଇଳା ସେଇ ଖାତରେ ଦୈନିକ ଭର୍ତ୍ତି ହେଉଥିଲା । ସେଥିରେ କିଛି ସୁପରଫସ୍‌ଫେଟ୍ ମିଶାଇ ଦେଇ କିଛି ଦିନ ଛାଡ଼ିଦିଆଯାଉଥିଲା । ତା’ପରେ ତାହାକୁ ବାହାର କରିଆଣି ଚାଷ ଜମିରେ ବ୍ୟବହୃତ ହେଉଥିଲା । ପରିଣାମତଃ ଫସଲ ଅମଳରେ ବୃଦ୍ଧି ପରିଲକ୍ଷିତ ହେଉଥିଲା ଜମି ଉର୍ବର ହେବା କାରଣରୁ । ମହାରାଜାଙ୍କ ସେହି ପ୍ରଣାଳୀ ରାଜ୍ୟର କୃଷକମାନଙ୍କଦ୍ବାରା ବେଶ ଆଦୃତ ହେବା ସଙ୍ଗେ ରାଜ୍ୟର ଗ୍ରାମେ ଗ୍ରାମେ ବହୁଳ ଭାବରେ ଅନୁସୃତ ହୋଇଥିଲା । ଅନେକ ସମୟରେ ଉନ୍ନତ ଧରଣର ଗାଈଗୋରୁଗୁଡ଼ିକୁ ରାଜ୍ୟର ପ୍ରଜାଙ୍କୁ ଉପହାର ତଥା ବିକ୍ରୀ ମାଧ୍ୟମରେ ଦେବା ଫଳରେ ଗାଆଁଗଣ୍ଡାରେ ଉନ୍ନତ ଜାତିର ଗାଈଗୋରୁଙ୍କ ପାଇଁ ଆଦର ବୃଦ୍ଧି ପାଉଥିଲା । ଦେଶୀୟ ପଶୁପାଳନ ସଂଗେ ସଂଗେ ଉନ୍ନତ ଧରଣର ପଶୁଙ୍କୁ ବି ପାଳନ କରି କୃଷକଗଣ ବେଶ୍ ଲାଭବାନ ହୋଇପାରୁଥିଲେ ।

ଆପଣା ନଅର ଗୋଶାଳାରେ ଏକ ସମୟରେ ପ୍ରାୟ ପଚାଶରୁ ଷାଠିଏ ଗୋରୁ ରହୁଥିବାବେଳେ ‘ହୋମ୍‌ଫାର୍ମ୍’ରେ ମଧ୍ୟ ଏକ ବିରାଟ ଗୋଶାଳା ରହିଥିଲା । ସେଇ ଗୋରୁଗାଈଙ୍କ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ବିଶେଷ ତତ୍ପର ଥିଲେ ମହାରାଜା । ସେମାନଙ୍କ ସ୍ୱାସ୍ଥ୍ୟତତ୍ତ୍ବାବଧାନପାଇଁ ଜଣେ ଅଭିଜ୍ଞ ପଶୁଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏକ ଚିକିତ୍ସାଳୟର ଆୟୋଜନ ମଧ୍ୟ ହୋଇଥିଲା । ସେଇ ପଶୁଡାକ୍ତରଖାନାର ଦ୍ବାର ରାଜ୍ୟର ସମସ୍ତଙ୍କ ଲାଗି ସର୍ବଦା ଉନ୍ମୁକ୍ତ ରହିଥିଲା ।
ରାଜ୍ୟରେ କୃଷିର ବିକାଶ ପାଇଁ ମହାରାଜାଙ୍କ ଦିଗଦର୍ଶନ ବାସ୍ତବରେ ବିଶେଷ ଉଲ୍ଲେଖଯୋଗ୍ୟ । ପରୀକ୍ଷାମୂଳକ ଭାବେ ସେ ପ୍ରଥମେ କୋଏମ୍ବାଟୁର୍ ଜାତୀୟ ଆଖୁଚାଷ ହୋମ୍‌ଫାର୍ମ୍‌ରେ ଆରମ୍ଭ କରିଥିଲେ । ତାହା ବିଶେଷ ଲାଭଦାୟକ ପ୍ରମାଣିତ ହେବା ପରେ ପରେ ରାଜ୍ୟର ଚାଷୀଗଣଙ୍କୁ ତାହା ବ୍ୟବହାର କରିବାପାଇଁ ଉତ୍ସାହିତ କରିଥିଲେ । ଆପଣା କୃଷିଫାର୍ମରୁ ରାଜ୍ୟବାସୀଙ୍କ ପାଇଁ ପ୍ରଥମେ ବିହନ ଯୋଗାଣର ବ୍ୟବସ୍ଥା କରାଇଥିଲେ । ତାଙ୍କ ଦ୍ବାରା ଆଖୁରୁ ଗୁଡ଼ ତିଆରି ପଦ୍ଧତି, ଆଖୁଶାଳର ଚୁଲା ନିର୍ମାଣ, ଅଖୁରୁ ରସ ବାହାର କରିବାପାଇଁ ପେଡ଼ିବା ବ୍ୟବସ୍ଥା ତଥା ଗୁଡ଼ ସାଇତା ଢଙ୍ଗ ସାରା ରାଜ୍ୟରେ ବେଶ୍ ଜନପ୍ରିୟତା ହାସଲ କରିଥିଲା । ସେଇ ସବୁକୁ ଲୋକେ ଦେଖି ଅନୁକରଣ କରିଥିଲେ । ଯେଉଁସବୁ ଶୁଖିଲା ଜମିରେ କୂଅ ଖୋଳାଯାଇପାରୁଥିଲା, ମହାରାଜାଙ୍କ କରୁଣା ଲାଭ କରି ତାଙ୍କରି ପ୍ରଜାଗଣ ସେଇସବୁ ସ୍ଥାନରେ ଲେମ୍ବୁଜାତୀୟ ଫଳବଗିଚା ଛିଡ଼ା କରାଇଥିଲେ ।

ଜମିଦାରିର ସମତଳ ଅଞ୍ଚଳଗୁଡ଼ିକରେ ଧାନ, ମଣ୍ଡିଆ ପ୍ରଭୃତି ମୁଖ୍ୟ ଫସଲ ଉତ୍ପାଦିତ ହେଉଥିବା ବେଳେ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଯବ, ମକା ଇତ୍ୟାଦି ଚାଷ ହେଉଥିଲା । ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରେରଣା ଲାଭକରି ରାଜ୍ୟର କୃଷକମାନେ ଆଳୁ, ବିଭିନ୍ନ ପ୍ରକାରର କୋବି, ମୂଳା ତଥା ଉନ୍ନତ କିସମର ମକା ଚାଷ କରି ବେଶ୍ ଉପକୃତ ହେଉଥିଲେ । ମୁଖ୍ୟତଃ ସେସବୁ କରାଯିବା ଫଳରେ ସାରା ରାଜ୍ୟର ପ୍ରଜାଗଣ ପନିପରିବାର ଅଭାବ ଅନୁଭବ କରିପାରୁ ନଥିଲେ ।

ରାଜ୍ୟର ବିଭିନ୍ନ ଫସଲ ଉତ୍ପାଦନପାଇଁ ବିଶେଷ ସହାୟକ ହେଉଥିଲା ବିଭିନ୍ନ ଜଳସେଚନ ଯୋଜନା । ପାରମ୍ପରିକ ଭାବରେ ରାଜ୍ୟରେ କୃଷିପାଇଁ ଜଳସେଚନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ ପାରଳାର ରାଜନ୍ୟବର୍ଗ । ଏହାହିଁ ତ ରାଜଧର୍ମର ନମୁନା । ପ୍ରାୟ ଦୁଇଶହ ଏକର ଜମି ଜଳସେଚିତ ହୋଇପାରିବା ଭଳି ଯୋଜନା ବୃହତ୍ ଯୋଜନା ରୂପେ ପରିଗଣିତ ହେଉଥିଲା । ଗଜପତି କୃଷ୍ଣଚନ୍ଦ୍ରଙ୍କ ଅମଳରେ ରାଜ୍ୟରେ ସେହିଭଳି ୩୬ଟି ବୃହତ୍ ଯୋଜନା କାର୍ଯ୍ୟକ୍ଷମ ହେବାବେଳେ ଅନ୍ୟ ୪୭୯ଟି କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଥିଲା ସମଗ୍ର ରାଜ୍ୟରେ । ସେହି ସମସ୍ତ ୫୧୫ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପ୍ରାୟ ୨୭,୪୩୮ ଏକର ଜମିରେ ଜଳସେଚନ ସୁବିଧା ହୋଇପାରିଥିବାରୁ ବର୍ଷସାରା ଜମିଗୁଡ଼ିକ ଫସଲ ଉତ୍ପାଦନ ପାଇଁ ଯୋଗ୍ୟ ଥିଲା । ତାଙ୍କର ଅମଳରେ ଗଜପତି ମହାରାଜା ଆଉ ଦୁଇଟି ବୃହତ୍ ଜଳପ୍ରକଳ୍ପର ସଫଳ ରୂପାୟନ କରିଥିଲେ । ସେଥିରୁ ଗୋଟିକର ନାମକରଣ ହୋଇଥିଲା ନିଜ ନାମାନୁସାରେ କୃଷ୍ଣଚନ୍ଦ୍ର ସାଗର ଏବଂ ଅନ୍ୟଟି ମହାରାଣୀଙ୍କ ନାମନୁଯାୟୀ ହୋଇଥିଲା ନଳିନୀକୃଷ୍ଣ ସାଗର । ତାହାକୁ ଲୋକେ ‘ବାଗା’ ସଗର ବୋଲି କହୁଥିଲେ । ରାଜ୍ୟବାସୀଙ୍କ ପାଇଁ ଉଦ୍ଧିଷ୍ଟ ସେହି ଜନହିତକର ଜଳସେଚନ ପ୍ରଣାଳୀଗୁଡ଼ିକର ରକ୍ଷଣାବେକ୍ଷଣପାଇଁ ଜଣେ ବିଶେଷଜ୍ଞ ପ୍ରବାସୀ ଇଂଜିନିୟରଙ୍କୁ ନିଯୁକ୍ତ କରିଥିଲେ ମହାରାଜା । ସେ ବିଶେଷ କରି କୃଷି ଉତ୍ପାଦନ ସଂପର୍କୀୟ ଦୀର୍ଘ ମିଅଦୀ ଯୋଜନାଗୁଡ଼ିକୁ ଅଧିକ ଗୁରୁତ୍ୱ ଦେଉଥିଲେ । କୃଷି ପଶୁପାଳନ କ୍ଷେତ୍ରରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ସମୁନ୍ନତ ଚିନ୍ତାଧାରା ଏବଂ କାର୍ଯ୍ୟପ୍ରଣାଳୀ ଯଥା ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ସମ୍ଭବତଃ ସେହି କାରଣରୁ କୋଏମ୍ବାଟୁର ସରକାରୀ କୃଷି କଲେଜର ଜଣେ ଉପଦେଷ୍ଟା ତଥା ପରିଦର୍ଶକ ହିସାବରେ ସେ ଗୃହୀତ ହୋଇଥିଲେ । ପୁଣି ଦିଲ୍ଲୀ ସ୍ଥିତ ଭାରତୀୟ ରିସର୍ଚ୍ଚ ଫଣ୍ଡ ପରିଷଦର ପରିଚାଳନା ସମିତି ଏବଂ ବୈଜ୍ଞାନିକ ଉପଦେଷ୍ଟା କମିଟିର ସଭ୍ୟ ରୂପେ ମଧ୍ୟ ମନୋନୀତ ହୋଇଥିଲେ । ସବୁଠାରୁ ଅଧିକ ଉଲ୍ଲେଖଯୋଗ୍ୟ ଥିଲା, ୧୯୨୭ ମସିହାରେ ଗଠିତ ଭାରତୀୟ କୃଷି କମିଶନ୍‌ରେ ତାହାଙ୍କୁ ସଭ୍ୟ ମନୋନୟନ । ଭାରତର କୃଷିର ଉନ୍ନତିକଳ୍ପେ ଉପଯୁକ୍ତ ପରାମର୍ଶ ଦେବାପାଇଁ ଗଠିତ, ବିଶେଷ ସମ୍ମାନଜନକ, ରୟାଲ କୃଷି କମିଶନ୍‌ରେ ଗଜପତି ମହାରାଜାଙ୍କୁ ଜଣେ ସଭ୍ୟ ଭାବରେ ଗ୍ରହଣ କରିଥିଲେ ସରକାର । ଉକ୍ତ ରାଜକୀୟ କୃଷି କମିଶନ‌୍‌ରେ ସେ ଥିଲେ ଜଣେ ମାତ୍ର ଭାରତୀୟ ସଭ୍ୟ । ସେହି କମିଟିର ଅଧ୍ୟକ୍ଷ ଥିଲେ ଲର୍ଡ଼ ଲିନ୍ ଲିଥ୍ ଗୋ ।

କୃଷି କମିଶନ୍‌ରେ ଯୋଗଦେଇ ସାରା ଭାରତର ବିଭିନ୍ନ ପ୍ରାନ୍ତରରେ ଉପୁଜୁଥିବା କୃଷି ସମସ୍ୟାଗୁଡ଼ିକର ଅବଗତ ହୋଇପାରିଥିଲେ ସେ । ଜନଗଣଙ୍କ ରକ୍ଷଣଶୀଳ ମନୋଭାବ ଭଳି ଅନେକ ସମସ୍ୟା ଆପଣା ଜମିଦାରିର କୃଷକଙ୍କ ମନୋଭାବର ପ୍ରାୟ ଅନୁରୂପ ଥିଲା । ଉନ୍ନତ ପ୍ରଣାଳୀରେ ଚାଷ, ସାର ପ୍ରୟୋଗ ଇତ୍ୟାଦି ପାଇଁ ବିଶେଷ ଭାବରେ କୁଣ୍ଠିତ ଥିଲେ ଅନେକ ଅଞ୍ଚଳର ଚାଷୀଗଣ । ତତ୍‌ସହିତ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାଷ ପ୍ରଣାଳୀ ତଥା ଆହୁରି କିଛି ଅଞ୍ଚଳରେ ଉତ୍ପାଦିତ ହେଉଥିବା ଅନେକ ଉନ୍ନତ କିସମର ଫସଲ ସଂସ୍ପର୍ଶରେ ଆସିଥିଲେ ମହାରାଜା । ସେହି ବାବଦରେ ଯଥାର୍ଥରେ ଅନେକ ଅଭିଜ୍ଞତା ହାସଲ କରିଥିଲେ ସେ । ସେହି ଗସ୍ତ କାଳରେ ବିଭିନ୍ନ ଅଞ୍ଚଳରୁ କେତେକ ଉନ୍ନତ କିସମର ବିହନ ସାଙ୍ଗରେ ଆଣି ହୋମଫାର୍ମରେ ବ୍ୟବହାର କରି, ତାହାର ଉତ୍ତରୋତ୍ତର ଉନ୍ନତି କରାଇଥିଲେ ଆପଣା ରାଜ୍ୟର ଚାକ୍ଷୀଗଣଙ୍କୁ ଉପକୃତ କରାଇବାପାଇଁ । ପୁଣି ଅନେକ ଅଞ୍ଚଳରେ ଚାଷୀଗଣ ଆପଣା ରାଜ୍ୟର ଅନୁରୂପ ମନୋଭାବ ପୋଷଣ କରୁଥିବା ଲକ୍ଷ୍ୟକରି ରାସାୟନିକ ସାର, କୀଟନାଶକ ଔଷଧ ତଥା ବିଭିନ୍ନ ବୈଜ୍ଞାନିକ ଉଦ୍‌ଭାବନକୁ ଯଥାର୍ଥ ଭାବରେ କୃଷିକ୍ଷେତ୍ରରେ ଉପଯୋଗ କରିବାପାଇଁ ସେମାନଙ୍କର ମନୋଭାବ ପରିବର୍ତ୍ତନ କରାଯାଇ ଅନୁକୂଳ ପରିବେଶ କିପରି ସୃଷ୍ଟି କରାଯାଇପାରିବ ସେଥିପାଇଁ ଅନେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ କମିଟିକୁ । ସେଥିରୁ ଅଧିକାଂଶ ପରାମର୍ଶକୁ କମିଟି ମଧ୍ୟ ଗ୍ରହଣ କରିଥିଲେ । ସେଭଳି ପରାମର୍ଶଗୁଡ଼ିକର ପ୍ରଚ୍ଛଦରେ ଥିଲା ଆପଣା ରାଜ୍ୟରେ କୃଷକଙ୍କ ମନୋଭାବକୁ ପରିବର୍ତ୍ତନ ଦିଗରେ ମହାରାଜାଙ୍କର ପ୍ରତ୍ୟକ୍ଷ ଅନୁଭୁତି । ବାସ୍ତବରେ ସେହି ଅନୁଭୂତିମୂଳକ ପରାମର୍ଶଗୁଡ଼ିକ ଦେଶରେ କୃଷି ଉତ୍ପାଦନ ବୃଦ୍ଧି କରାଇବାପାଇଁ ମଧ୍ୟ ବେଶ୍ ଉପଯୁକ୍ତ ମନେ ହୋଇଥିଲା ।
ରୟାଲ୍ କୃଷି କମିଶନ୍‌ରେ ସ‌ଭ୍ୟ
ସେଇ ଅବସରରେ, ରାଜକୀୟ କୃଷି କମିଶନର ସଦସ୍ୟ ରୂପେ ଦେଶସାରା ଗସ୍ତକରି ସରକାରଙ୍କଠାରୁ ଗସ୍ତଖର୍ଚ୍ଚ ବାବଦରେ ପ୍ରାୟ ଏକ ଲକ୍ଷ ଏକ ହଜାର ଟଙ୍କା ପାଇଥିଲେ । ସେହି ଅର୍ଥକୁ ଉଦାରମନା ପାରଳା ଗଜପତି ଦାନ କରିଦେଇଥିଲେ ଆମ ଦେଶରେ କୃଷିର ଉନ୍ନତିକଳ୍ପେ ଅଧିକତର ଗବେଷଣାପାଇଁ । ଆନ୍ଧ୍ରର କୁନ୍ନୁରଠାରେ ସ୍ଥାପିତ ହୋଇଥିବା ଏକ କୃଷି ଅନୁଷ୍ଠାନରେ ଉଚ୍ଚତର ଗବେଷଣା କେନ୍ଦ୍ରଟିଏ ସ୍ଥାପନ ଉଦ୍ଦେଶ୍ୟରେ ସେହି ଅର୍ଥକୁ ସେ ଦାନ କରିଦେଇଥିଲେ । ଦେଶର କୃଷିଜାତ ପଦାର୍ଥର ଉତ୍ପାଦନ ବୃଦ୍ଧିଲାଗି ଅଧିକରୁ ଅଧିକ ଗବେଷଣା ହେଲେ ସାରା ଦେଶରେ କୃଷିର ଉନ୍ନତି ହେବ ବୋଲି ସେ ଗଭୀର ଅସ୍ଥାବାନ୍ ଥିଲେ । କେବଳ ଆପଣା ରାଜ୍ୟବାସୀଙ୍କର ନୁହେଁ, ସାରା ଦେଶର କୃଷି ଓ କୃଷକଙ୍କପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନୋଭାବନା ଏଥିରୁ ସ୍ପଷ୍ଟ । କୃଷି କମିଶନରେ ଅଙ୍ଗୀଭୂତ ସଦସ୍ୟ ଭାବରେ ସେ ସେତିକିବେଳେ ବର୍ମା ମଧ୍ୟ ଯାତ୍ରା କରିଥିଲେ ଏବଂ ସେଠି ବସବାସ କରି ରହିଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଜାତିର ଉଜ୍ଜ୍ୱଳ ପରମ୍ପରା ବଜାୟ ରଖିବା ସଂଗେସଂଗେ ଏ ଜାତିର ଗୌରବ ଅକ୍ଷୂଣ୍ଣ ରଖିବା ଲାଗି ପରାମର୍ଶମାନ ଦେଇଥିଲେ ।

ପ୍ରଗତିଶୀଳ ମନୋଭାବାପନ୍ନ ଗଜପତି ଆପଣା ରାଜ୍ୟର ପ୍ରଜାଗଣଙ୍କ ସାମୂହିକ ଜୀବନର ମାନୋନ୍ନତିପାଇଁ ଶିଳ୍ପ ବିକାଶ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ । ଉଦ୍ୟମ କରିଥିଲେ ରାଜ୍ୟବାସୀ-ବିଶେଷକରି ଯୁବମାନସରେ ଶିଳ୍ପ ସଚେତନତା ସୃଷ୍ଟି କରିବାପାଇଁ । ପାରଳାଖେମୁଣ୍ଡି ସହରରେ ପ୍ରତିଷ୍ଠା ଲାଭ କରିଥିଲା ଏକ ଶିଳ୍ପ ତାଲିମ୍ କେନ୍ଦ୍ର । ସାଧାରଣ ଜନତା ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କର ବିଶେଷ ଆବଶ୍ୟକତାକୁ ଭିତ୍ତିକରି ସେଠାରେ ତାଲିମ୍ ନେଉଥିବା ଯୁବକମାନଙ୍କପାଇଁ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପରିଣାମତଃ ତାଲିମ୍ ଶେଷହେବା ପରେ ଆପଣା ଉଦ୍ୟମରେ ନିଜ ନିଜ ପରିବେଶ ଭିତରେ ପେଟ ପାଟଣା ସମ୍ଭାଳି ନେବାରେ ସକ୍ଷମ ହେବା ସଙ୍ଗେସଙ୍ଗେ ସାଧାରଣ ଲୋକଙ୍କର ଚାହିଦା ମଧ୍ୟ ପୂରଣ ହୋଇପାରୁଥିଲା । ରାଜ୍ୟର ଜନସାଧାରଣଙ୍କର ଦୈନନ୍ଦିନ ଚାହିଦା ପୂରଣପାଇଁ ମହାରାଜା ତାହାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏକ ବୃହଦାକାର ଚାଉଳକଳ ଏବଂ ତେଲକଳ ପ୍ରତିଷ୍ଠା କରିଥିଲେ ପାରଳା ସହରରେ । ପୁଣି ସେଇଠି ମଧ୍ୟ ସ୍ଥାପନା କରିଥିଲେ ଏକ କ୍ଷୁଦ୍ର ଲୁହା କାରଖାନା । ସେଠାରେ ଘର ତୟାରି ପାଇଁ ଅତ୍ୟାବଶ୍ୟକ କବ୍‌ଜା, ବାଲ୍‌ଟି, ବିଭିନ୍ନ ପ୍ରକାରର ଟିଣ ପେକେଟ୍, ଟ୍ରଙ୍କ୍ ଆଦି ପ୍ରସ୍ତୁତ ହେଉଥିଲା । ସେହିଭଳି ପଲାସା ନିକଟବର୍ତ୍ତୀ ପୁଣ୍ଡିଠାରେ ପ୍ରତିଷ୍ଠା କରିଥିଲେ ଏକ ଲୁଣ କାରଖାନା, ପ୍ରଜାଗଣଙ୍କ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ପଦାର୍ଥର ପ୍ରସ୍ତୁତିପାଇଁ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ସାମିଲ୍ ହୋଇଥିବା ସେହିସବୁ ଅଞ୍ଚଳଗୁଡ଼ିକ ଖେମଣ୍ଡି ରାଜ୍ୟର ଅନ୍ତର୍ଗତ ଥିଲା । ସେହିସବୁ ଉଦ୍ୟମ ମୂଳରେ ଥିଲା ରାଜ୍ୟବାସୀଙ୍କ ଉନ୍ନତି ପାଇଁ ପାରଳା ମହାରାଜାଙ୍କ ଯଥାର୍ଥ ପରିକଳ୍ପନା ଏବଂ ଯୋଜନା । ସେହିଭଳି ଅନ୍ୟ ଏକ ବିଶେଷ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଥିଲା, ରାଜ୍ୟରେ ରେଳପଥର ବିକାଶ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ତଥା ରାଜ୍ୟବାସୀଙ୍କ ସହଜ ଯାତାୟାତ ପାଇଁ ସେ ପରିକଳ୍ପନା କରିଥିଲେ ରେଳରାସ୍ତାର ସଂପ୍ରସାରଣପାଇଁ । ତାହାଙ୍କ ପିତାଙ୍କ ଅମଳରେ ନଉପଡ଼ାଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ରେଳରାସ୍ତା ନିର୍ମିତ ହୋଇସାରିଥିଲା । ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷାପାଇଁ ସେ ସେଇ ରେଳପଥକୁ ଗୁଣପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିବାପାଇଁ ପଦକ୍ଷେପ ନେଇଥିଲେ । ସେଥିପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା । ନୂତନ ଭାବେ ନିର୍ମିତ ହୋଇଥିଲା ଏହି ୫୬ କିଲୋମିଟର ରେଳରାସ୍ତା । ଆଜି ମଧ୍ୟ ତାହା ବିଶେଷ ଜନହିତକର ପ୍ରମାଣିତ ହେବା ସଂଗେସଂଗେ ମହାରାଜା କୃଷ୍ଣଚନ୍ଦ୍ରଙ୍କର ଯଶଗାନପାଇଁ ସମର୍ଥ ।

ଆପଣାର ରକ୍ଷକଭାବେ ଖେମଣ୍ଡି ରାଜ୍ୟର ପ୍ରଜାଗଣ ପିତୃତୁଲ୍ୟ ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଗ୍ରହଣ କରୁଥିବା ବେଳେ ସେଇମାନଙ୍କର ହିତକୁ ହିଁ ରାଜଧର୍ମ ରୂପେ ଗ୍ରହଣ କରି ସେ ଆପଣାର ସ୍ଥିତି ସ୍ଥାପନା କରିଥିଲେ ସିଂହାସନ ଆରୋହଣ କରିବା ଦିନଠାରୁ । ତାହା ମଧ୍ୟ ଥିଲା କୃଷ୍ଣଚନ୍ଦ୍ରଙ୍କ ପୁର୍ବପୁରୁଷଗଣଙ୍କ ଆଦର୍ଶ । ସେହି କାରଣରୁ ଅତୀତରେ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଅନେକ ଅନେକ ପରିବାର ଖେମଣ୍ଡି ରାଜଶାସନରେ ଅନ୍ତର୍ଭୁକ୍ତ ହେବାପାଇଁ ଚାଲି ଆସିଥିଲେ ଏହି ରାଜ୍ୟକୁ । ସ୍ୱତନ୍ତ୍ର ଓଡ଼ିଶାପାଇଁ ସୀମାକମିଟିର ସଭ୍ୟଗଣ ଏହି ତଥ୍ୟ ଆବିଷ୍କାର କରିଥିଲେ ସଂପୃକ୍ତ ସୀମନ୍ତ ଅଞ୍ଚଳସବୁ ଗସ୍ତ କରିବା ଅବସରରେ । ଆଗନ୍ତୁକମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଏବଂ ଆଦିବାସୀ ସଂପ୍ରଦାୟ ଅନ୍ତର୍ଭୁକ୍ତ ଥିଲେ ।

ସେହି ଦାୟରେ ପାରଳା ମହାରାଜା ସବୁବେଳେ ଉଦ୍ୟମରତ ଥିଲେ ରାଜ୍ୟରେ ପ୍ରଜାଗଣଙ୍କ ମଧ୍ୟରେ ଥିବା ଆଦିବାସୀ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ମଙ୍ଗଳପାଇଁ । ସେମାନଙ୍କ ସଂଖ୍ୟା ବେଶ ଅଧିକ ଥିଲା ରାଜ୍ୟର ପାହାଡ଼ିଆ ମାଳ ଅଞ୍ଚଳଗୁଡ଼ିକରେ । ସେମାନେ ତ ବଣ ଜଙ୍ଗଲର ଅଧିବାସୀ । ବିଶେଷ ଭାବରେ ଅଶିକ୍ଷିତ ସାଧାରଣ ଲୋକଙ୍କପାଇଁ ସେସବୁ ଅଞ୍ଚଳକୁ ସହଜରେ ଯିବା ଆସିବା ସମ୍ଭବ ନୁହେଁ । ତେଣୁ ବିନା ଜୁଲମ କିମ୍ବା ଅତ୍ୟାଚାରରେ ନିଜ ନିଜ ଅଞ୍ଚଳରେ ସ୍ବାଭାବିକ, ସ୍ୱାଚ୍ଛନ୍ଦ୍ୟ ଜୀବନଯାପନପାଇଁ ସେମାନଙ୍କ ଅକାଂକ୍ଷା ସବୁକୁ ଫଳବତୀ କରାଇବାପାଇଁ ବିଭିନ୍ନ ସମୟରେ ବିଭିନ୍ନ ଆଦେଶ ସବୁ ଦେଉଥିଲେ ରାଜକର୍ମଚାରୀମାନଙ୍କୁ । ଆଦିବାସୀ ସମାଜ ପ୍ରତି କୌଣସି ଅବହେଳା ପ୍ରଦର୍ଶନ କରାଗଲେ ସଂପୃକ୍ତ କର୍ମଚାରୀ କଠେର ଦଣ୍ଡରେ ଦଣ୍ଡିତ ହେବେ ବୋଲି ମଧ୍ୟ ଘୋଷଣା କରିଥିଲେ । କେବଳ ସେତିକିରେ ସେ ସନ୍ତୁଷ୍ଟ ହୋଇ ରହିଯାଇ ନଥିଲେ । ବେଳେବେଳେ ନିଜେ ଯାଉଥିଲେ ସଉରା ପଲ୍ଲୀକୁ; ଆଦିବାସୀ ଗାଁଗଣ୍ଡାକୁ, ତାହାଙ୍କର ଆଦେଶ ସବୁ ପାଳିତ ହେଉଛି କି ନାହିଁ ତାହା ତଦାରଖ କରିବାପାଇଁ; ଆଦିବାସୀ ଅଞ୍ଚଳଗୁଡ଼ିକରେ ସେମାନଙ୍କ ଜୀବନ ସହ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନପାଇଁ । ତାଙ୍କରି ଜମିଦାରିରେ ଅତି ଅନୁନ୍ନତ ଲାଞ୍ଜିଆ ସଉରା ସଂପ୍ରଦାୟର ସଂଖ୍ୟା ଥିଲା ବେଶ୍ ଅଧିକ । ତେଣୁ ସେ ମନେ କରୁଥିଲେ, ବାସ୍ତବରେ ସେଇମାନଙ୍କର ହିଁ ସେ ରାଜା । ତେଣୁ ସେମାନଙ୍କୁ ଅନୁଧ୍ୟାନପଇଁ ସେ ସଉରାମାଳକୁ ଗସ୍ତ କରୁଥିଲେ । ହେଲେ ରାଜପୋଷାକରେ ନୁହେଁ କିମ୍ବା ଥାଟବାଟ ନେଇ ନୁହେଁ, ଯାଉଥିଲେ ଜଣେ ଲାଞ୍ଜିଆ ସଉରା ଭଳି । ଅଚାନକ ଭାବରେ ଥରେଥରେ କିଛି ରାଜକର୍ମଚାରୀଙ୍କୁ ଆଦେଶ ଦେଉଥିଲେ ତାଙ୍କରି ସହିତ ଯିବାପଇଁ । ସେଥର ଯେଉଁ ଅଞ୍ଚଳକୁ ଯିବାଲାଗି ସେ ମନସ୍ଥ କରୁଥିଲେ ତାହାର ସୀମାପର୍ଯ୍ୟନ୍ତ ଯାତ୍ରା କରୁଥିଲେ କାର ଯୋଗେ । ସେଠାରୁ ସଉରା ପଲ୍ଲୀକୁ ଯିବା ପୂର୍ବରୁ ଜଣେ ଅଦିବାସୀ ବେଶରେ ସଜ୍ଜିତ ହେବା ପରେପରେ ଫେରାଇ ଦେଉଥିଲେ ଆପଣା କାର୍ ଏବଂ ରାଜକର୍ମଚାରୀଗଣଙ୍କୁ । ନିର୍ଦ୍ଦେଶ ଦେଉଥିଲେ ପୁଣି କେଉଁଦିନ, କେତେବେଳେ ଏବଂ କେଉଁସ୍ଥାନକୁ ଗାଡ଼ି ଆସିବ ଫେରି ଯିବାପାଇଁ । ସେହି ସମୟର ବ୍ୟବଧାନ ବେଳେବେଳେ ସାତ ଆଠ ଦିନରୁ ଆରମ୍ଭ କରି ଦଶ ପନ୍ଦର ଦିନ ପର୍ଯ୍ୟନ୍ତ ହେଉଥିଲା ।

ସୀମାନ୍ତରେ ଓହ୍ଲାଇ ପଡ଼ି ପ୍ରଥମେ ଆପଣାର ପୋଷାକ ପରିବର୍ତ୍ତନ କରୁଥିଲେ । ପରିଧାନରେ ପାଲଟି ଯାଉଥିଲେ ଯଥାର୍ଥରେ ଜଣେ ଲାଞ୍ଜିଆ ସଉରା । ଚାଖଣ୍ଡେ ଓସାରର ପ୍ରାୟ ୨୦ ହାତ ଲମ୍ବର 'ଲେଞ୍ଜ’ (ଧୋତିପଟି) ଲେଙ୍ଗ୍‌ଟି ‌ଭଳି ପିନ୍ଧୁଥିଲେ । ତାହା ଏଭଳି ଭାବରେ ପିନ୍ଧା ହେଉଥିଲା ଯେ ସେଇ ଲେଞ୍ଜର ଦୁଇ ମୁଣ୍ଡରୁ ଗୋଟିଏ ପିଠି ପଟରେ ଲାଞ୍ଜ ଭଳି ଝୁଲି ରହୁଥିବା ବେଳେ ଆରପଟଟି ସାମନାପଟରେ ଆଣ୍ଠୁ ପର୍ଯ୍ୟନ୍ତ ଝୁଲି ରହୁଥିଲା । ଧୋତିପଟିର ମଝି ଅଂଶଟି ବେଶ୍ ଶକ୍ତ ଭାବେ ଅଣ୍ଟାରେ ଗୁଡ଼ା ହୋଇ କୌପୀନ ଭଳି ଦେଖାଯାଉଥିଲା । ଲେଞ୍ଜର ଦୁଇ ଝୁଲା ଅଂଶରେ ପ୍ରାୟତଃ ନାଲି ସୂତାରେ ଖଚିତ ହେଉଥିଲା ବେଶ କାରୁକାର୍ଯ୍ୟ । ଅଣ୍ଟା ଉପରକୁ ସାରା ଦେହ ଫୁଙ୍ଗୁଳା ପ୍ରାୟ, ସେମିତି ଦୁଇଟିଯାକ ଗୋଡ଼ । ବେକରେ କିଛି କିଛି ମାଳି- ତାହା କାଠଖଣ୍ଡର ହେଉ ବା ହେଉ ଜଙ୍ଗଲର କିଛି ଫଳ ମଂଜିରେ ପ୍ରସ୍ତୁତ । ଦୁଇ ହାତରେ ବଳାସେହିଭଳି ମାଳି ଗୁନ୍ଥା ହୋଇ ବି ହୋଇପାରେ । ମୁଣ୍ଡରେ ଅଣ ଓସାରିଆ ପଟି–ବିଶେଷକରି ନାଲି ରଂଗର ଏବଂ ମଧ୍ୟ କିଛି କାରୁକାର୍ଯ୍ୟଯୁକ୍ତ । ସେଇ ପଟିରେ ଖୁଞ୍ଚା ହୋଇଥିବା ମୟୂରପୁଚ୍ଛ, ପୁଣି ବଗ ତଥା ଅନ୍ୟାନ୍ୟ ରଂଗବେରଂଗ ପକ୍ଷୀ ପରର ଅପୂର୍ବ ସମାବେଶ । ଗୋଟିଏ କାନ୍ଧରେ ଝୁଲୁଥିବ ଧନୁ ଓ ତୂଣୀର, ଅନ୍ୟ କାନ୍ଧରେ ଟାଙ୍ଗିଆଟିଏ । ଖୋପ ଭିତରେ ଥାଇ ଲମ୍ବାଛୁରୀଟିଏ ଓହଳି ରହିଥିବ ଅଣ୍ଟାରେ । ପୁଣି ଦୁଇ ତିନୋଟି ଲାଉ ତୁମ୍ବା ଲମ୍ବା ଡୋରିରେ ବନ୍ଧାହୋଇ ଝୁଲି ରହିଥିବ କାନ୍ଧରୁ । କେଉଁଥିରେ ପିଇବାପାଣି ତ କେଉଁଥିରେ ଅନ୍ୟ କିଛି ଖାଦ୍ୟପାନୀୟ ।

ସେଭଳି ବେଶ ପୋଷାକ ସହିତ ମହାରାଜା ସାଂଗରେ ନେଉଥିଲେ ନିଜର ବନ୍ଧୁକ ଏବଂ ବେକରୁ ଅଣ୍ଟାଯାଏଁ ଝୁଲୁଥିବା ଚମଡ଼ା ବେଲ୍‌ଟରେ ସଜ୍ଜିତ ହୋଇ ରହିଥିବା ଗୁଳି । ପାଦରେ ଯୋତା କିମ୍ବା ଚପଲ । ସେଭଳି ବେଶ ସାଙ୍ଗକୁ ବେଳେବେଳେ ମଧ୍ୟ ନେଉଥିଲେ ହାଫ୍ ପ୍ୟାଣ୍ଟ୍, ସାର୍ଟ ଏବଂ ଟୋପି । ସେଇ କେତେଦିନପାଇଁ ସେତକ ଯଥେଷ୍ଟ । ତୁଳିତଳ୍ପ ଶଯ୍ୟା ତ୍ଯାଗକରି ଆଦିବାସୀ ଅଞ୍ଚଳକୁ ଯାତ୍ରା କରୁଥିବା ମହାରାଜା କୃଷ୍ଣଚନ୍ଦ୍ର ସାଙ୍ଗରେ ଅନ୍ୟ କିଛି ବିଛଣା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିମ୍ବା ସ୍ୱତନ୍ତ୍ର ଖାଦ୍ୟ ପଦାର୍ଥ ନେଉ ନଥିଲେ । ସଉରା ପଲ୍ଲୀରେ ସେଇମାନଙ୍କ ଖାଦ୍ୟ ଖାଇ ସେମାନଙ୍କ ସହିତ ଦିନ ବିତାଉଥିଲେ ସେଇ କିଛି କାଳ । ସେମାନଙ୍କ ଭାଷାରେ କଥାବାର୍ତ୍ତା ହେଉଥିଲେ; ପିଲା, ବୁଢ଼ା ତଥା ଆଦିବାସୀ ମହିଳା ସମସ୍ତଙ୍କ ସହିତ ମିଶୁଥିଲେ ଅତି ଅନ୍ତରଙ୍ଗ ଭାବେ । ସେମାନଙ୍କ ସହ ନାଚଗୀତ ବି କରୁଥିଲେ । ଚାଲିଚାଲି ଏ ଗାଆଁରୁ ସେ ଗାଆଁକୁ ଯାଉଥିଲେ । ବେଳେବେଳେ ସେମାନଙ୍କ ସହ ପାରିଧି ବି କରୁଥିଲେ । କେଉଁଠି ମଣିଷଖିଆ ବାଘ ମାତିଥିବା ଖବର ପାଇଲେ ‘ଡୋକରାବେଣ୍ଟ’ (ସେଇ ବାଘର ପାଦଚିହ୍ନକୁ ଅନୁସରଣ କରିକରି ତାହାକୁ ଠାବ କରିବା ପରେ ବାଘକୁ ମୁହାଁମୁହିଁ ଶିକାର କରିବା) କରି ଶିକାର କରୁଥିଲେ । ସେଇ ଅଞ୍ଚଳର ଆତଙ୍କ ଦୂର କରୁଥିଲେ । ସେଇଥିପାଇଁ ତ ସେ ରାଜା; ରାଇଜର ମୁଖିଆ ।

ସଉରାପଲ୍ଲୀକୁ ମହାରାଜାଙ୍କର ଆଗମନ ସମ୍ବାଦ ପବନରେ ପବନରେ ପ୍ରଚାରିତ ହୋଇଯାଉଥିଲା । ଗାଆଁଗାଆଁ ରୁ ସଉରାମୂଖ୍ୟ-ଗମାଙ୍ଗମାନେ ଚାଲି ଆସୁଥିଲେ ମହାରାଜାଙ୍କୁ ସଙ୍ଖୋଳିବାପାଇଁ । ସେଥିପାଇଁ ‘ବଳଦିଆ’ ( ଜିଗର କରିବା) କରୁଥିଲେ; ଅଳି, ତକରାଳ କରୁଥିଲେ । କୁଆଡ଼ୁକୁଆଡୁ ମହିଳାଗଣ ରାତି ଦିନ ନମାନି ଚାଲିଆସୁଥିଲେ ତାଙ୍କରି ନିକଟକୁ, ବେଢ଼ି ଯାଉଥିଲେ ତାହାଙ୍କୁ- ସେମାନେ ସମସ୍ତେ ଥିଲେ ମହାରାଜାଙ୍କ ମାଆ, ଭଉଣୀ, ଝିଅ... ମହାରାଜା ଉଦ୍ୟମ କରୁଥିଲେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାପାଇଁ । ହେଲେ ଏସବୁ ଭିତରେ ପ୍ରଥମେ ସେ ସେମାନଙ୍କର ସମସ୍ୟା ବୁଝି ନେଉଥିଲେ । ଟିପି ରଖୁଥିଲେ ଟିପା ଖାତାରେ । ନଅରକୁ ଫେରିଗଲା ପରେ ସେଇସବୁ ସମସ୍ୟାର ସମାଧାନପାଇଁ ପ୍ରଥମେ ପ୍ରାଶାସନିକ ଗୁରୁତ୍ୱ ଦେଉଥିଲେ । ବେଳେବେଳେ କେବଳ ତାହାଙ୍କୁ ଦର୍ଶନ କରିବାପାଇଁ ଏବଂ ପୁଣି ଗୁହାରି ଜଣାଇବାପାଇଁ ମଧ୍ୟ ଆଦିବାସୀ ଗଣ ରାଜ ନଅରକୁ ଆସୁଥିଲେ । ମହାରାଜା ପ୍ରଥମେ ସେମାନଙ୍କୁ ଶୁଣୁଥିଲେ । ବେଳେବେଳେ ଆଦିବାସୀବୁଢ଼ାଟିଏ ତାହାଙ୍କୁ କୁଣ୍ଢାଇ ପକାଇ ଗେଲ କରି କହୁଥିଲା । 'କେତେଦିନ ହେଲା ତତେ ଦେଖିନାହିଁ ବୋଲି ମନଟା ଉଚ୍ଛନ୍ନ ହେଲା । ମୁଁ ବଞ୍ଚିଥିଲି ବୋଲି ସିନା ତତେ ଦେଖିଲି...’ କି ଆନ୍ତରିକତା ! କି ହାର୍ଦ୍ଦିକତା ! ବ୍ୟାଘ୍ରୋଲୋପମ ତଥା ଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ ମହାରାଜ କିନ୍ତୁ ସେମାନଙ୍କ ଗହଣରେ ନିହାତି ସରଳ-ତରଳ ମଣିଷଟିଏ ପାଲଟି ଯାଉଥିଲେ । ହୋଇଯାଉଥିଲେ କଳକଳ ଛଳଛଳ ହୋଇ ବହି ଯାଉଥିବା ଆଦିବାସୀ ଜନଜୀବନର କ୍ଷୁଦ୍ର ଜଳଧାରାଟିଏ ।

ଜ୍ଞାନପୀଠ ବିଜେତା ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଦ୍ବାରା ସଂଗୃହୀତ ଏହି ତଥ୍ୟ ପ୍ରଜାଗଣଙ୍କ ପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଦରଦୀ ହୃଦୟର ଏକ ନିଛକ ପରିପ୍ରକାଶ ଏବଂ ପ୍ରଜାମଙ୍ଗଳପାଇଁ ରାଜାର ପବିତ୍ର କର୍ତ୍ତବ୍ୟବୋଧର ସଂପୂର୍ଣ୍ଣ ପ୍ରତିଫଳନ । ରାଜ୍ୟବାସୀଙ୍କ ସୁରକ୍ଷାପାଇଁ ମହାରାଜା ଥିଲେ ସଦାସର୍ବଦା ତତ୍‌ପର ।

ଥରକର ଘଟଣା (ସମ୍ବବତଃ ତାହା ଥିଲା ୧୯୨୧ ମସିହା ସେପ୍ଟେମ୍ବର ମାସ ।)

ଆକାଶକୁ ଘୋଡ଼ାଇ ପକାଇଥିଲା କଳାହାଣ୍ଡିଆ ମେଘ । ପ୍ରବଳ ଘଡ଼ଘଡ଼ି ଚଡ଼ଚଡ଼ି ସାଙ୍ଗକୁ ହେଲା ପ୍ରବଳ ବର୍ଷା । ସେହିଭଳି ଚାଲିଲା ତିନିଦିନ ତିନିରାତି । ସେଭଳି ବର୍ଷଣ ମୁଖର ରାତିରେ ମହାରାଜାଙ୍କ ନିଦ ଭାଙ୍ଗି ଯାଇଥିଲା । ଅକସ୍ମାତ୍ ତାଙ୍କରି ହୃଦବୋଧ ହୋଇଥିଲା ଯେ ସେମିତି ବର୍ଷା ଅଧିକ ଲାଗି ରହିଲେ ବଂଶଧାରା ନଦୀକୂଳସ୍ଥ କାଶୀନଗରରେ ତ ପାଣି ପଶିଯିବ ! ପୁଣି ମଧ୍ୟ ନଈକୂଳିଆ ଗାଆଁଗଣ୍ଡାର ଲୋକେ ବିପତ୍ତି ଭିତରକୁ ଟାଣି ହୋଇଯିବେ !

ପ୍ରବଳ ବର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ କିଭଳି ପ୍ରଭାବିତ ହୋଇଛି/ହେବାର ସମ୍ଭାବନା ଅଛି ସେ ନେଇ ପ୍ରଥମ ଦିନର ବର୍ଷା ବିତ୍ପାତ୍ତ ପରେ ପରେ ହିଁ ସେ ଖବର ସଂଗ୍ରହ କରିଥିଲେ । ସମ୍ଭବତଃ ସେତିକିବେଳେ ହିଁ ସେ ଜାଣିବାକୁ ପାଇଥିଲେ ଯେ କାଶୀନଗର ନିକଟରେ ନଦୀ ବନ୍ଧ ବିଶେଷ ଦୁର୍ବଳ ରହିଛି । ତା’ ପରେ ତ ଆହୁରି ଅଧିକ ବର୍ଷା ହେଲାଣି ।

ସେ କି ଆଉ ସମ୍ଭାଳି ରହିପାରନ୍ତେ । ଉଠି ବସିଲେ । ଦେଖିଲେ ରାତି ଦୁଇଟା ! ତଥାପି ତତ୍‌କାଳ ଖବର ପଠାଇଥିଲେ ଇଂଜିନିୟର ମି. ମୁଲ୍ଲାରଙ୍କୁ । ସେ ଥିଲେ ରାସ୍ତାଘାଟ ନିର୍ମାଣ ତଥା ଜଳସେଚନ ପ୍ରଣାଳୀଗୁଡ଼ିକର ତଦାରଖ ପାଇଁ ଥିବା ଇଂଜିନିୟରିଂ ବିଭାଗର ମୁଖ୍ୟ । ସେ ଖବର ପାଇ ତତ୍‌କାଳ ଉଆସରେ ପହଞ୍ଚିଥିଲେ । ପ୍ରଜାଙ୍କପାଇଁ ମହାରାଜାଙ୍କର କି କାତର ଭାବ ! ଅଭିଭୂତ ହୋଇଯାଇଥିଲେ ବିଦେଶୀ ଇଞ୍ଜିନିୟର ମି. ମୁଲ୍ଲାର । ସେ ସଂଗେସଂଗେ ପ୍ରସ୍ତୁତି ଆରମ୍ଭ କରିଥିଲେ କାଶୀନଗର ଯିବାପାଇଁ । କର୍ମଚାରୀମାନଙ୍କୁ ଡକାଇ ପଠାଇବା ସଂଗେସଂଗେ ସେହି କାର୍ଯ୍ୟପାଇଁ ମଧ୍ୟ ଯଥାସମ୍ଭବ ପ୍ରସ୍ତୁତିର ଆୟୋଜନ କରିଥିଲେ । ସେଥିପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗି ଯାଇଥିଲା । ତା’ପରେ ବାହାରିଥିଲେ ସମସ୍ତେ ଚାଲିଚାଲି ।

ଖୋଦ୍ ମହାରାଜା ଆଗରେ । ସାଙ୍ଗରେ ୨୦/୨୫ ଜଣ ଲୋକ । ସେମାନେ ପାରଳାରୁ ବାହାରି ହାଡ଼ଭାଙ୍ଗିଠାରେ ପହଞ୍ଚିବା ବେଳକୁ ରାତି ପାହିଆସିଲାଣି । ପ୍ରଭାତୀ ଆଲୋକରେ ରାସ୍ତାରେ ପ୍ରଜାଏଁ ଦେଖିଥିଲେ ସ୍ୱୟଂ ମହାରାଜା ଚାଲିଛନ୍ତି କାଶୀନଗର ଆଡ଼କୁ । ସେଠାରୁ ଆହୁରି ପ୍ରାୟ ଦଶ କିଲୋମିଟର ରାସ୍ତା । ତଥାପି ବର୍ଷା ଚାଲିଛି । ତାରି ଭିତରେ ଯିଏ ମହାରାଜାଙ୍କୁ ଯେଉଁଠି ଦେଖିଲା, ଆସି ସାମିଲ ହୋଇ ଯାଉଥିଲା ଦଳରେ । ମି. ମୁଲ୍ଲାରଙ୍କ ପରାମର୍ଶକ୍ରମେ ରାସ୍ତାରୁ ଆପଣାର ଶକ୍ତି ମୁତାବକ ଖଣ୍ଡେ ଖଣ୍ଡେ ପଥର ଉଠାଇ ନେଉଥିଲେ ସେହି ଦଳର ସମସ୍ତେ । ମହାରାଜାଙ୍କ ସମେତ ସମସ୍ତେ ପ୍ରାୟ ବର୍ଷା ଜଡ଼ସଡ଼ ହୋଇ ମଧ୍ୟ ଚାଲିଥିଲେ ଆଗକୁ । ପ୍ରାୟ ସମସ୍ତଙ୍କ ହାତରେ ଛୋଟବଡ଼ ଖଣ୍ଡେ ଖଣ୍ଡେ ପଥର । ସେହି ଦଳର କଳେବର ମଧ୍ୟ ବୃଦ୍ଧିପାଇ ଚାଲିଥିଲା ସମୟକ୍ରମେ । ସେହି ଦଳ କାଶୀନଗରରେ ପହଞ୍ଚିଲା ବେଳକୁ ଦେଖାଯାଇଥିଲା ସତକୁ ସତ ବଂଶଧାରା ନଦୀର ଜଳସ୍ତର ବଢୁଥିଲା ପ୍ରବଳ ବେଗରେ । ସୀମା ଟପିବା ବେଳ ! ପାହାଡ଼ିଆ ନଈ । ମିଷ୍ଟର ମୁଲ୍ଲାରଙ୍କ ତତ୍ତ୍ବାବଧାନରେ ନଈବନ୍ଧର ଦୁର୍ବଳ ସ୍ଥାନରେ ବନ୍ଧ ଆକାରରେ ପଥର ସବୁକୁ ସଜାଇ ଦିଆଯାଇଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ଏକ ବିରାଟ ପଥରବନ୍ଧ ନିର୍ମିତ ହୋଇଯାଇଥିଲା । ସେତେବେଳକୁ ନଈର ବର୍ଷା ପାଣି ବିପରୀତ ଦିଗର ବିସ୍ତୀର୍ଣ୍ଣ ପ୍ରାନ୍ତର ତଥା ବିଲ-ବଣ-ତୋଟରେ ଉଚ୍ଛୁଳି ଉଠୁଥିଲା । ମି. ମୁଲ୍ଲାରଙ୍କ ନେତୃତ୍ବରେ ସମସ୍ତେ ଲାଗି ପଡ଼ିଥିଲେ ପଥରବନ୍ଧ ତୟାରିରେ । ମହାରାଜା ବି ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ । ସମସ୍ତେ ପ୍ରାୟ ପାଣିକାଦୁଅରେ ଜଡ଼ସଡ଼ । କେତେବେଳୁ ଏମାନେ ସମସ୍ତେ ବର୍ଷାରେ ଭିଜିଭିଜି ରାତିର ଅନ୍ଧାରରେ ସୁଦ୍ଧା ପାରଳାରୁ ଚାଲିଚାଲି କାଶୀନଗର ଆସି ନଦୀବନ୍ଧ ସଜାଡ଼ିବାରେ ସଂପୂର୍ଣ୍ଣ ନିଯୋଜିତ ଯେ ! କର୍ମଚାରୀଗଣଙ୍କୁ ବର୍ଷଣ ରାତିରେ ଚାଲିବାକୁ ଦେଇ ସେ କେମିତି ଗାଡ଼ିରେ ଆସିପାରିଥାନ୍ତେ ! ପୁଣି ପଦବ୍ରଜରେ ଆସିଥିବା ଯୋଗୁଁ ସିନା ଏତେ ବଡ଼ ସେବାଦଳଟିଏ ମନକୁ ମନ ଗଢ଼ି ଉଠିଥିଲା- ପଥରର ପାହାଡ଼ଟିଏ ସାଙ୍ଗରେ ଅଣାଯାଇ ପାରିଥିଲା !

ସେଭଳି ଅସ୍ୱାଭାବିକ ପରିସ୍ଥିତିରେ ପଥରବନ୍ଧ ନିର୍ମିତ ହୋଇସାରିବା ପରେ ମହାରାଜାଙ୍କ ଆତ୍ମସନ୍ତୋଷକୁ କିଏ ବା କଳନା କରିପାରିବ ! ଏଭଳି ଦରଦୀ ହୃଦୟଯୁକ୍ତ ମହାରାଜା କୃଷ୍ଣଚନ୍ଦ୍ରଙ୍କ ରାଜ୍ୟର ପ୍ରଜାଗଣ ତାହାଙ୍କୁ ପିତୃତୁଲ୍ୟ ମନେ କରିବେ ନାହଁ କେମିତି ?

କେବଳ ରାଜ୍ୟର ପ୍ରଜାଗଣଙ୍କ ବସ୍ତୁବାଦୀ/ପାର୍ଥିବ ଜୀବନର ଉନ୍ନତି କଳ୍ପେ ଯେ ସେ ଧ୍ୟାନ ଦେଉଥିଲେ ତା’ ନୁହେଁ, ରାଜ୍ୟର ପ୍ରଜାଗଣଙ୍କ ସମେତ ଓଡ଼ିଆମାନଙ୍କର ବୌଦ୍ଧିକ ଉନ୍ନତି ପାଇଁ ମଧ୍ୟ ସେ ଦରଦୀ ଥିଲେ । ସେ ଯଥାର୍ଥରେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ପରମ ପୃଷ୍ଟପୋଷକ । ମହାରାଜାଙ୍କ ଜାତୀୟ ପ୍ରୀତି ହିଁ ଓଡ଼ିଆ ସାହିତ୍ୟ ପ୍ରୀତିକୁ ଅଧିକ ଅନୁରଣିତ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେହି ଦୃଷ୍ଟିରୁ ଦେଖିଲେ, ଓଡ଼ିଆ ସାହିତ୍ୟ ଇତିହାସରେ ସ୍ପଷ୍ଟ ସ୍ୱାକ୍ଷର ରଖିପାରିବା ଭଳି ସୃଷ୍ଟି ତଥା ତାହାର ସ୍ରଷ୍ଟାଙ୍କୁ ଲୋକଲୋଚନକୁ ଆଣିବାପାଇଁ ଉଦ୍ୟମ କରିଥିଲେ ସେ । ବାସ୍ତବରେ ଗାଦି ଆସୀନ ହେବାବେଳକୁ ‘ଗଜପତି ପ୍ରେସ୍’ ସ୍ଥାପିତ ହୋଇ ସାରିଥିଲା । ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବାହାରେ ଥିବା ସେଇ ପୁଣ୍ୟଭୂମିରେ ଅନେକ ମୌଳିକ ଚିନ୍ତାଶୀଳ ଲେଖକ ସୃଷ୍ଟି ହୋଇଥିଲେ । ତାହାର ଅନ୍ୟତମ କାରଣ ହୋଇପାରେ ରାଜପରିବାରର ପୃଷ୍ଠପୋଷକତା । ମହାରାଜା କୃଷ୍ଣଚନ୍ଦ୍ର ମଧ୍ୟ ସେଥିରୁ କୌଣସି ବ୍ୟତିକ୍ରମ ନଥିଲେ ବରଂ ସେତେବେଳକୁ ସମଗ୍ର ଓଡ଼ିଶାରେ ଭାଷା ସାହିତ୍ୟର ସୁରକ୍ଷା ନୁହେଁ, ତାହାର ଉନ୍ନତିକଳ୍ପେ ବିଭିନ୍ନ ପଦକ୍ଷେପ ଅପରିହାର୍ଯ୍ୟ ମନେ ହୋଇଥିଲା ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କପାଇଁ ।

ଓଡ଼ିଆ ସାହିତ୍ୟ ଜଗତର ପୁରାତନ କୃତି ସମୂହର ପୁନଃପ୍ରକାଶନ ଲାଗି କଟକ, ବାଲେଶ୍ୱର, ବାମଣ୍ଡା ପ୍ରଭୃତି ସ୍ଥାନରେ ଉଦ୍ୟମ ଆରମ୍ଭ ହୋଇ ସାରିଥିଲା । ସେହି କ୍ରମରେ ମହାରାଜା କୃଷ୍ଣଚନ୍ଦ୍ର, ତାଙ୍କର ପୂର୍ୱ ବଂଶଧର ରାଜା ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କର ଶ୍ରୀ ବୃନ୍ଦାବନ ଚନ୍ଦ୍ର ବିହାର (୧୭୬୬) କାବ୍ୟଟିକୁ ପ୍ରକାଶ କରିଥିଲେ (୧୯୧୭) । ସେହିଭଳି ପିତୃବ୍ୟ ପଦ୍ମନାଭ ଦେବଙ୍କ ଭାବବତୀ, ଚନ୍ଦ୍ରାବତୀ ସ୍ୱୟଂବର, ବାଣା ଦର୍ପଦଳନ, ଅହଲ୍ୟା ଶାପମୋଚନ, ଦାନ ପରୀକ୍ଷା ଇତ୍ୟାଦି ନାଟକ ସମେତ ପିତା ଗୌର ଗଜପତିଙ୍କ ଧ୍ରୁବ ନାଟକ ଏବଂ ଉଷା ପରିଣୟର ମୁଦ୍ରଣ କରାଇଥିଲେ ।

ଆପଣା ରାଜ୍ୟର କୃତି ସାହିତ୍ୟିକମାନଙ୍କ ସୃଷ୍ଟିଗୁଡ଼ିକ ମଧ୍ୟରୁ ନୀଳମଣି ରଥଶର୍ମାଙ୍କ ପାରଳା ପ୍ରଶଂସା; ସୀମାଦ୍ରି ପଟ୍ଟନାୟକଙ୍କ ପୃଥ୍ୱୀରାଜ; ସୀମାଦ୍ରି ପରିଚ୍ଛାଙ୍କ ନବାନୁରାଗ; ଶ୍ୟାମସୁନ୍ଦର ରାଜଗୁରୁଙ୍କ ପ୍ରବନ୍ଧାବଳୀ; ଅପର୍ଣ୍ଣା ପଣ୍ଡାଙ୍କ ପଦ୍ମନାଭ ଜୀବନୀ ଏବଂ ଦଶମାଳିକା ତତ୍ତ୍ୱବୋଧିନୀ ଇତ୍ୟାଦି ଗଜପତି ପ୍ରେସରୁ ପ୍ରକାଶଲାଭ କରିଥିଲା । ବିଶେଷ ଉଲ୍ଲେଖଯୋଗ୍ୟ ଯେ ପ୍ରକାଶିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଗୋପାଳକୃଷ୍ଣ ପଦ୍ୟାବଳୀ, ଗୌରହରି (ପରିଚ୍ଛା) ଗ୍ରନ୍ଥାବଳୀ, ହରିବନ୍ଧୁ (ବେବର୍ତ୍ତା) ପଦ୍ୟାବଳୀ ଇତ୍ୟାଦି ମଧ୍ୟ ମୁଦ୍ରିତ ହୋଇଥିଲା ।

ତଦ୍‌ବ୍ୟତୀତ ପ୍ରାକୃତିକ ଓଡ଼ିଶାର ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ ଦେବାରେ ମହାରାଜାଙ୍କ ଅବଦାନ ମଧ୍ୟ ସ୍ମରଣୀୟ । ସେଥିପଇଁ ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜ ଭାଷାକୋଷର ପଞ୍ଚମ ଖଣ୍ଡରେ ମହାରାଜାଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ- ‘ଏହି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପଞ୍ଚମ ଖଣ୍ଡର ମୁଦ୍ରଣ ବ୍ୟୟ ପାଇଁ ପାଞ୍ଚ ହଜାର ଟଙ୍କା ଦାନ କରି ଶ୍ରୀ ଛାମୁ ମାତୃଭୂମି, ମାତୃଭାଷା ଓ ଜାତିପ୍ରୀତିର ଯେଉଁ ଜ୍ୱଳନ୍ତ ଉଦାହରଣ ଓ ଆଦର୍ଶ ପ୍ରଦର୍ଶନ କରିଅଛନ୍ତି ତାହା ସର୍ୱଥା ପ୍ରଶଂସନୀୟ ।" ସେହିଭଳି କବିଶେଖର ଚିନ୍ତାମଣିଙ୍କ ମତରେ ତାହାଙ୍କ ସାହିତ୍ୟିକ ଜୀବନର ମୁଖ୍ୟ ପ୍ରେରଣାଦାତା ଥିଲେ ଗଜପତି କୃଷ୍ଣଚନ୍ଦ୍ର । ଦୀର୍ଘ ୨୨ ବର୍ଷ ପାଇଁ ସେ ମାସିକ ବୃଭି ଲାଭ କରିଥିଲେ କେବଳ ସାହିତ୍ୟ ସୃଷ୍ଟିପାଇଁ ସୁଯୋଗ ପାଇଁ । ମହାରାଜାଙ୍କ ଅର୍ଥ ସହାୟତାରେ ପ୍ରକାଶ ପାଇଥିବା ତାଙ୍କରି ଗ୍ରନ୍ଥାବଳୀର ଦ୍ୱିତୀୟ ଖଣ୍ଡକୁ ତାହାଙ୍କୁ ଉପହାର ସ୍ୱରୂପ ଅର୍ପିତ ହୋଇଥିଲା ମହାରାଜାଙ୍କ ଗୁଣଗାନ କରିବା ସମେତ । କବିଙ୍କ ରଚିତ ମହେନ୍ଦ୍ର କାବ୍ୟ ମଧ୍ୟ ସେଭଳି ଆର୍ଥିକ ସହାୟତାକ୍ରମେ ପ୍ରକାଶ ଲାଭ କରିଥିଲା । ସେହିପରି ଅନ୍ୟ ଯେଉଁ ଗ୍ରନ୍ଥ ସମୂହ ଗଭୀର କୃତଜ୍ଞତାର ନିଦର୍ଶନ ସ୍ୱରୂପ ମହାରାଜାଙ୍କୁ ଅର୍ପିତ ହୋଇଥିଲା ସେଗୁଡ଼ିକ ମଧ୍ୟରେ ଥିଲା ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜାନକୀଶ ପରିଣୟ, ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ, ଓଡ଼ିଆ ଭାଷାତତ୍ତ୍ୱ ପ୍ରଭୃତି ଅନେକ ଗ୍ରନ୍ଥ ସମେତ ଅଦ୍ୱୈତ ଚରଣ ମହାନ୍ତିଙ୍କ ବନ୍ଦୀ ଓଡ଼ିଆ, ହରିବନ୍ଧୁ ବେବର୍ତ୍ତାଙ୍କ ହରିବନ୍ଧୁ ପଦ୍ୟାବଳୀ, ଅପର୍ଣ୍ଣା ପଣ୍ଡାଙ୍କ ଢ଼ଗମାଳିକା, ତତ୍ତ୍ୱବୋଧିନୀ ପ୍ରଭୃତି । ମହାରାଜାଙ୍କ ଆର୍ଥିକ ସହାୟତାକ୍ରମେ ମଧ୍ୟ ପ୍ରକାଶ ପାଇଥିଲା ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ଏବଂ କେଶବ ପଟ୍ଟନାୟକଙ୍କ ନୃତ୍ୟ ରାମାୟଣ ପ୍ରଭୃତି । ପଣ୍ଡିତ ଗୋପୀନାଥ ନନ୍ଦଙ୍କୁ ସାହିତ୍ୟିକ ପ୍ରୋତ୍ସାହନ ତ ସର୍ୱାଦୌ ସ୍ମରଣୀୟ । ଏଇ ଜାତିର ସାହିତ୍ୟ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ- ପ୍ରଥମ ପୂର୍ଣାଙ୍ଗ ଅଭିଧାନ- ଓଡ଼ିଆ ଶବ୍ଦତ‌ତ୍ତ୍ୱ ଅଭିଧାନର ପ୍ରଣେତା ପଣ୍ଡିତ ଗୋପୀନାଥ ନନ୍ଦ ସେତେବେଳେ ଥିଲେ ପାରଳା କଲେଜର ଓଡ଼ିଆ ତଥା ସଂସ୍କୃତ ଅଧ୍ୟାପକ । ସେହି ଅଭିଧାନର ପାଣ୍ଡୁଲିପି ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟପାଇଁ ଶ୍ରୀଯୁକ୍ତ ନନ୍ଦ କୃତଜ୍ଞତା ପ୍ରକାଶ କରିଥିଲେ- ‘ମୁଁ ଏହି ଅଭିଧାନ ଖଣ୍ଡକର ଲେଖକ ମାତ୍ର, କିନ୍ତୁ ଶ୍ରୀମାନ୍ ପାରଳାଧୀଶ୍ୱର ମହାରାଜା ମହୋଦୟ ଏହାର ପରିପୋଷକ ଓ ଜୀବନଦାତା ଅଟନ୍ତି ।"

ସାହିତ୍ୟାନୁରାଗୀ ମହାରାଜା ନିଜ ଉଆସରେ ଏକ ସମୃଦ୍ଧଶାଳୀ ପାଠାଗାର ସ୍ଥାପନ କରିଥିଲେ ଏବଂ ପର ସମୟରେ ତାହାକୁ କଲେଜକୁ ଦାନ କରିଦେଇଥିଲେ । ମହାରାଜାଙ୍କ ୭୮ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗତକୁ ମହାରାଜାଙ୍କ ଅବଦାନ ସ୍ମରଣ କରି 'ସମାଜ’ର ଯଥାର୍ଥ ଶ୍ରଦ୍ଧାଞ୍ଜଳି ଥିଲା- ‘ବହୁ କବି, କଳାକାର, ସାହିତ୍ୟିକ ଓ ଶିଳ୍ପୀ ତାଙ୍କର ବଦାନ୍ୟତା ଓ ସାହାଯ୍ୟ ଫଳରେ ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି ଏବଂ ସାହିତ୍ୟ କ୍ଷେତ୍ରରେ ଆମ୍ଭେମାନେ ସେସବୁ ବିଭବକୁ ଅନ୍ୟ ଆଗରେ ଦେଖାଇ ଗୌରବ ଓ ଗର୍ବରେ ଫୁଲି ଉଠୁଛୁ ।’

ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକତା ଭଳି ସଂଗୀତ, କଳା ଏବଂ ସଂସ୍କୃତିର ମଧ୍ୟ ଜଣେ ସକ୍ରିୟ ପୃଷ୍ଠପୋଷକ ଥିଲେ ସେ । ବିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସାମୁହିକ ବିକାଶପାଇଁ ତାଙ୍କର ପାଞ୍ଚ ହଜାର ଟଙ୍କାର ସହାୟତା ତତକାଳୀନ ପ୍ରେକ୍ଷାପଟରେ ଏକ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା । ପାରଳାରେ ଆଧୁନିକ ରଙ୍ଗମଞ୍ଚ ସ୍ଥାପନ କରିବାରେ ଅଗ୍ରଣୀ ଥିଲେ ମହାରାଜା । ଏପରିକି ନଅରର ଅନ୍ତେବାସୀଗଣଙ୍କ ମନୋରଂଜନ ପାଇଁ ରାଜନଅର ମଧ୍ୟରେ ଏକ ଅସ୍ଥାୟୀ ରଂଗମଞ୍ଚ ନିର୍ମାଣ କରାଇଥିଲେ । ପାରଳାରେ ସମୟ ସମୟରେ ସଂଗୀତ ଆସରମାନ ଆୟୋଜନ କରାଇ ଦେଶର ବିଶିଷ୍ଟ ସଂଗୀତ ଶିଳ୍ପୀମାନଙ୍କୁ ନିମନ୍ତ୍ରଣ କରି ଅଣାଉଥିଲେ । ଆପଣା ଦରବାରରେ ମଧ୍ୟ ନିଯୁକ୍ତି ଦେଇଥିଲେ ସଂଗୀତଜ୍ଞ ତଥା ବିଭିନ୍ନ ଯନ୍ତ୍ରସଂଗୀତ ବାଦକଗଣଙ୍କୁ । ଦଶହରା ଅବସରରେ ସହରରେ ଆୟୋଜିତ ପାଇକ ଆଖଡ଼ା ଖେଳରେ ଯୋଗଦେଇ ଖେଳାଳିଗଣଙ୍କୁ ବିଶେଷ ଉତ୍ସାହିତ କରୁଥିଲେ ମହାରାଜା ।

ଏ ସବୁଥିରୁ ରାଜ୍ୟର ପ୍ରଜା ତଥା ସାମଗ୍ରିକ ଭାବରେ ଓଡ଼ିଆମାନଙ୍କ ଉନ୍ନତିକଳ୍ପେ ମହାରାଜାଙ୍କ ଦରଦୀ ହୃଦୟର ଆକଳନ କରାଯାଇପାରେ ।