ଆମ ପାରଳା ମହାରାଜା/ସିଂହାସନାସୀନ କୃଷ୍ଣଚନ୍ଦ୍ର
←ଆମ ପାରଳା ଗଜପତି | ଆମ ପାରଳା ମହାରାଜା ଲେଖକ/କବି: ସିଂହାସନାସୀନ କୃଷ୍ଣଚନ୍ଦ୍ର |
ପ୍ରଜାହିତ- ରାଜଧର୍ମ→ |
୧୯୧୩ ମସିହା ଏପ୍ରିଲ ୨୬ ତାରିଖ ।
ସେଦିନ ସକାଳୁ ସକାଳୁ ୨୧ ବର୍ଷରେ ପଦାର୍ପଣ କରିଥିବା ଯୁବକ, କୃଷ୍ଣଚନ୍ଦ୍ର ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ, ପୂଜାର୍ଚ୍ଚନା କରିଥିଲେ; ଆଶିଷ ମାଗିଥିଲେ କେବଳ ତାଙ୍କରି ପ୍ରଜାଗଣଙ୍କର ନୁହେଁ, ଏ ଜାତିର ମଙ୍ଗଳପାଇଁ ଜନସେବା କରିବାକୁ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରିବାପାଇଁ । ତତ୍ପରେ ରାଜ ସିଂହାସନାସୀନ ହେବାପାଇଁ ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ । ସେଥିପାଇଁ ନିର୍ମିତ ହୋଇଥିଲା ଏକ ସ୍ୱତନ୍ତ୍ର ମଣ୍ଡପ । ହୋଇଥିଲା, ହୋମ, ଯଜ୍ଞ ଏବଂ ସ୍ୱତନ୍ତ୍ର ପୂଜାର ଆୟୋଜନ ।
ସେଇ ଉତ୍ସବରେ କୋର୍ଟ ଅଫ୍ ୱାର୍ଡ଼ସଙ୍କ ତରଫରୁ ପ୍ରତିନିଧି ରୂପେ ଯୋଗ ଦେଇଥିଲେ ମି.ଏନ୍ ମେକ୍ ମାଇକଲ୍- ଆଇ.ସି.ଏସ୍. । ସେ ଭାରତ ସରକାରଙ୍କ ତରଫରୁ ପାରଳା ରାଜ୍ୟର ଶାସନଭାର ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଅର୍ପଣ କରିଥିଲେ । ସେଇ ଉତ୍ସବରେ ରାଜକୀୟ ପରମ୍ପରାକ୍ରମେ ଦୁଇଜଣ ମୁସଲିମ୍ ଚୌକିଦାର ଆବୃତି କରିଥିଲେ ‘‘ବୀରଶ୍ରୀ ଗଜପତି ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର, ବିରାଧିବୀରବର ଶ୍ରୀଶ୍ରୀଶ୍ରୀ ଗଜପତି, ଶ୍ରୀଶ୍ରୀଶ୍ରୀ କ୍ଷେତ୍ରପତି, ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ମେହରବାନି-ଇ-ଦୋସ୍ତାନ୍" (ମୋ ରାଜ୍ୟ) । ଏହି ଉପାଧିର ‘ମେହରବାନି-ଇ-ଦୋସ୍ତାନ’ ଅଂଶଟି ଅତୀତରେ ଗୋଲକୋଣ୍ଡାର ଶାସକମାନଙ୍କ ଦ୍ବାରା ବନ୍ଧୁତାର ନିଦର୍ଶନ ସ୍ୱରୂପ ଖେମଣ୍ଡି ରାଜବଂଶକୁ ପ୍ରଦାନ କରାଯାଇଥିଲା । ତେବେ ଗଜପତି କୃଷ୍ଣଚନ୍ଦ୍ର ଭକ୍ତ ଉପାଧିଟିକୁ କୌଣସି ସାଧାରଣ କାର୍ଯ୍ୟବେଳେ ବ୍ୟବହାର ନକରି କେବଳ ରାଜକାର୍ଯ୍ୟ ସହିତ ସଂପୃକ୍ତ ଉତ୍ସବ ଅନୁଷ୍ଠାନଗୁଡ଼ିକରେ ହିଁ ବ୍ୟବହାର କରୁଥିଲେ ।
ସେ ଥିଲେ ପାରଳାରେ ରାଜସିଂହାସନ ଆରୋହଣ କରିଥିବା ସପ୍ତମ ତଥା ଶେଷ ରାଜା । ଇଂରେଜ ସରକାର ଗୋଟିଏ ଜମିଦାରି ରୂପେ ସ୍ୱୀକାର କରିଥିଲେ ସୁଦ୍ଧା ଖେମଣ୍ଡି ପ୍ରଥମରୁ ଥିଲା ଏକ ସ୍ୱତନ୍ତ ଏବଂ ସାର୍ବଭୌମ ରାଜ୍ୟ ଏବଂ ତାହାର ଶାସକଗଣ ମଧ୍ୟ ଥିଲେ ଭାରତ ବିଖ୍ୟାତ ଗଙ୍ଗବଂଶର ଏକ ଧାରା । ସେଇ କ୍ଷୁଦ୍ର ଧାରାଟିର ବିବରଣୀ ୧୨୪୫ ମସିହାରୁ ଶେଷ ପର୍ଯ୍ୟନ୍ତ ଇତିହାସରେ ଉପଲବ୍ଧ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଖେମଣ୍ଡି ରାଜ୍ୟର ପ୍ରଥମ ରାଜଧାନୀ ଗୁଡ଼ାରିକଟକରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଅନ୍ୟୁନ ୧୭୩ ବର୍ଷର ଶାସନ ପରେ ଏବଂ ଆଠ ଜଣ ରାଜାଙ୍କ ପରେ ୧୪୨୩ ମସିହାରେ ନଗରୀ କଟକ ବା କଳିଙ୍ଗନଗର ସ୍ଥାନାନ୍ତର ହୋଇଥିଲା । ସେଇ ରାଜଧାନୀରୁ ପ୍ରାୟ ଦୁଇ ଶହ ବର୍ଷ ମଧ୍ୟରେ ସାତ ଜଣ ରାଜା ଶାସନ କରିବା ପରେ ୧୬ ତମ ରାଜା ମୁକୁନ୍ଦଦେବଙ୍କ ଅମଳରେ ୧୬୫୬ ଖ୍ରୀଷ୍ଟାବ୍ଦରେ କଳିଙ୍ଗନଗରରୁ ତାହା ପୁରୁଣାପାଟଣାକୁ ସ୍ଥାନାନ୍ତର ହୋଇଥିଲା । ତାର ସମ୍ଭାବ୍ୟ କାରଣ ଥିଲା ଉତ୍କଳରେ ମୁଖ୍ୟ ଗଙ୍ଗବଂଶର ପତନ ଏବଂ ତତପରବର୍ତ୍ତୀ ରାଜନୈତିକ ଉଦବେଳନ ସମଗ୍ର କଳିଙ୍ଗ ସାମ୍ରାଜ୍ୟରେ । ସେଇ ପରିସ୍ଥିତିରେ ନୂତନ ରାଜଧାନୀରେ ଛଅଜଣ ରାଜା ଶାସନ କରିଥିଲେ । ଗଙ୍ଗବଂଶର ୨୧ତମ ରାଜାଙ୍କ ଅମଳରେ ୧୭୫୧ ମସିହାରେ ଶାସନକେନ୍ଦ୍ର ପୁରୁଣାପାଟଣାରୁ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର ହେବାର କାରଣ ଥିଲା, ପିଣ୍ଡାରିଜାଠମାନଙ୍କର ବାରମ୍ବାର ଆକ୍ରମଣଜନିତ ସାମାଜିକ ଅସ୍ଥିରତା । ଅପେକ୍ଷାକୃତ ଭାବରେ ନିରାପଦ ମନେ ହେଉଥିବା ପାରଳା ଏବଂ ପୁରାତନ କେନ୍ଦ୍ରରେ କିଛିକିଛି କାଳ ସମ୍ଭବତଃ ଶାସନ କରିଥିଲେ ୨୧ ତମ ରାଜା ବୀରପ୍ରତାପରୁଦ୍ର ଦେବ । ସେତେବେଳେ ବର୍ତ୍ତମାନର ପାରଳା ରେଳଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ରାଜ ଉଆସ ନିର୍ମିତ ହୋଇଥିଲା । ପ୍ରାଥମିକ ଅବସ୍ଥାରେ ରାଜାଗଣ ସେଇ ଗଡ଼ରୁ ହିଁ ଶାସନ କରିଥିଲେ । ୧୮୩୫ ମସିହାରେ ବ୍ରିଟିଶ୍ ସରକାରଙ୍କ ତତ୍ତ୍ବାବଧାନରେ ସରକାରୀ ସ୍ଥପତି ମି. ଚିଷମ୍ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ନୂତନ ଢ଼ାଞ୍ଚରେ ତୟାର ହୋଇଥିଲା ବର୍ତ୍ତମାନର ରାଜପ୍ରାସାଦ । ଏହା ଥିଲା ଇଂଲଣ୍ଡ ରାଜ ଉଆସ ବଙ୍କିଙ୍ଗ୍ହାମ୍ ପେଲେସ୍ର ଏକ ଅବିକଳ ନକଲ । ପ୍ରାୟ ୩୩ ଏକର ପରିମିତ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲା । ଏଇଠାରେ ହିଁ ମହାରାଜା କୃଷ୍ଣଚନ୍ଦ୍ର ରାଜା/ଜମିଦାରୀ ପଦବୀ ପାଇଥିଲେ ଏବଂ ପଦବୀରୁ ବିଦାୟ ମଧ୍ୟ ନେଇଥିଲେ ।
ହେଲେ ଆଜି ମଧ୍ୟ ପାରଳା ମହାରାଜା/ପାରଳା ଗଜପତି କହିଲେ କେବଳ ଜଣେ ବ୍ୟକ୍ତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କୁ ହିଁ ସୂଚିତ କରିଥାଏ ।
ବିରାଟ ଐତିହ୍ୟଯୁକ୍ତ, କାହିଁ କେଉଁ ଦୀର୍ଘ ଅତୀତରୁ ଚାଲିଅସିଥିବା ଖେମଣ୍ଡି ରାଜ୍ୟରେ ଗଙ୍ଗବଂଶର ଗୋଟିଏ ଧରାର ଅଂଶ ବିଶେଷ ସେଇ ଗଜପତି କୃଷ୍ଣଚନ୍ଦ୍ର ରାଜ୍ୟଭିଷେକ ଅବସରରେ ବଂଶ ପରଂପରା ରକ୍ଷାକରି ଅନେକ ଦାନ କରିଥିଲେ । ତାହା ମଧ୍ୟ ଥିଲା ରାଜଧର୍ମର ଅଂଶବିଶେଷ । ପୁଣି କେତେଗୁଡ଼ିଏ ସଂକଳ୍ପ ମଧ୍ୟ କରିଥିଲେ ଯାହା ତାଙ୍କର ବ୍ୟକ୍ତିତ୍ୱର ପରିପ୍ରକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହି ସଂକଳ୍ପଗୁଡ଼ିକ ସେ ପୂର୍ବରୁ ନିର୍ଦ୍ଧାରଣ କରିଥିଲେ ଗଭୀର ମନୋନିବେଶ କରି । ସେତେବେଳେ ସେ ଯେଉଁ କେତେକ ସଂକଳ୍ପ କରିଥିଲେ ତନ୍ମଧ୍ୟରେ ପ୍ରମୁଖ ଥିଲା ତାହାଙ୍କ ରାଜକୋଷରେ ଗଛିତ ରହିଥିବା ପ୍ରାୟ ୨୫ ଲକ୍ଷ ଟଙ୍କାକୁ ଅପଣର ବିଳାସବ୍ୟସନପାଇଁ ବ୍ୟବହାର କରିବେ ନାହିଁ । ସେତିକିବେଳେ ସେ ମଧ୍ୟ ସଂକଳ୍ପ କରିଥିଲେ ଯେ ତାଙ୍କର ପୁର୍ବପୁରୁଷଙ୍କ କୀର୍ତିକଳାପ ସବୁର କେବଳ ରକ୍ଷଣାବେକ୍ଷଣ ନୁହେଁ, ବରଂ ସେସବୁର ଉତ୍ତରୋତ୍ତର ଭାବରେ ଉନ୍ନତି କରିବାପାଇଁ ମଧ୍ୟ ଉଦ୍ୟମ କରିବେ । ପୁଣି ଅନ୍ୟତମ ସଂକଳ୍ପ ମଧ୍ୟରେ ଥିଲା। ପଦବ୍ରଜରେ ବ୍ରହ୍ମକପାଳି ଯାଇ ସେଠାରେ ପିତୃପିତାମହଙ୍କ ଭଳି ପୁର୍ବପୁରୁଷଗଣଙ୍କପାଇଁ ପିଣ୍ଡଦାନ କରିବେ । ଆମ ପରଂପରାନୁକ୍ରମେ ସେଠାରେ ପିତୃଶ୍ରାଦ୍ଧ କରି ପିଣ୍ଡଦାନ କଲେ ପିତୃପୁରୁଷଗଣ ମୁକ୍ତି ପାଇଥାନ୍ତି, ସ୍ୱର୍ଗଗାମୀ ହୋଇଥାନ୍ତି । ସେଥିପାଇଁ ସେ ଧର୍ମପ୍ରାଣ ମାଆଙ୍କୁ ମଧ୍ୟ କଥା ଦେଇଥିଲେ, ସେହି କାର୍ଯ୍ୟ ସେ ନିଶ୍ଚିତ ରୂପେ କରିବେ । ଯଥ ସମୟରେ ତାହା ପୁରଣ କରିଥିଲେ ମଧ୍ୟ । ଆଜିକାଲିର ବ୍ୟବସ୍ଥା ପରିବର୍ତ୍ତେ ସେତେବେଳେ ସେଠାକୁ ଯିବାକୁ ହେଲେ ଦୀର୍ଘ ରାସ୍ତା କେବଳ ଦେଳା କିମ୍ବା ଘୋଡ଼ସବାର ମାଧ୍ୟମ ଗ୍ରହଣ କରିବାକୁ ପଡ଼ୁଥିଲା । ଅଧିକାଂଶ ରାସ୍ତା ବରଫାବୃତ୍ତ । ତଥାପି ମହାରାଜା ପଦବ୍ରଜରେ ଯାଇଥିଲେ ସେଠାକୁ ଏବଂ ପିଣ୍ଡଦାନ କରିଥିଲେ । ତାହାଙ୍କର କର୍ଭବ୍ୟବୋଧଯୋଗୁଁ ସେ ବାସ୍ତବରେ କୌଣସି କଷ୍ଟ ଅନୁଭବ କରିନଥିଲେ । ଅପରନ୍ତୁ ଆତ୍ମିକ ଆନନ୍ଦରେ ବିଭୋର ହୋଇଯାଇଥିଲେ ସେହି କାର୍ଯ୍ୟ ସମାପନ ହେବା ପରେପରେ ।ଜାତୀୟ ଚେତନାରେ ଉଦ୍ବେଳିତ ହୋଇ ସାରିଥିବା ମହାରାଜା କୃଷ୍ଣଚନ୍ଦ୍ର ସେତେବେଳେ ସଂକନ୍ଧ କରିଥିଲେ, ରାଜ୍ୟରେ ପ୍ରଜାମଙ୍ଗଳକାରୀ ଅନୁଷ୍ଠାନମାନ ଗଠନକରି ସେ ଜନହିତକର କାର୍ଯ୍ୟକଳାପରେ ଆପଣକୁ ନିୟୋଜିତ କରିବେ । ବିଗତ କଲେଜ ପାଠ୍ୟକ୍ରମରେ ସେଇ ସଂପର୍କରେ ରାଜକୁମାରମନଙ୍କୁ ସାଧାରଣ ଭାବେ ସଚେତନ କରାଇ ଦିଆଯାଉଥିଲା । ସେଇ ପୋଥିପାଠକୁ ସେ ବାସ୍ତବରେ ପରିଣତ କରିବା ପାଇଁ ସଂକଳ୍ପ କରିଥିଲେ ରଜ୍ୟ ଭିଷେକ ଅବସରରେ । ସେତିକିବେଳେ ଆପଣା ରାଜ୍ୟବାସୀଙ୍କ ଉନ୍ନତିକୁ ଦୃଷ୍ଟି ପରିସରରେ ମୁଖ୍ୟତଃ ରଖିଥିଲେ ସୁଦ୍ଧା ସମୟର ଚକରେ ତାହା ସମଗ୍ର ଓଡ଼ିଅଭାଷୀ ଅଞ୍ଚଳର ଜନଗଣଙ୍କ ପାଇଁ ପ୍ରସାରିତ ହୋଇଯାଇଥିଲା ଏବଂ ପରିଣାମ ହୋଇଥିଲା ଓଡ଼ିଆଭାଷୀ ଲୋକଙ୍କପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ । ବିଶେଷ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ଏକକ ଉଦ୍ୟମରେ ହିଁ ପରଳା ଓ ଜୟପୁର ଜମିଦାରିର ମିଶ୍ରଣ ସମ୍ବବପର ହୋଇଥିଲା । ତାଙ୍କରି ରାଜ୍ୟ ତଥା ରାଜ୍ୟବାସୀ ନୂତନ ଓଡ଼ିଶାରେ ସାମିଲ ହୋଇପାରିଥିଲେ । ତାହାଙ୍କର ରାଜ୍ୟବାସୀଙ୍କର ପରମ ଉନ୍ନତି ସାଧିତ ହୋଇପାରିଥିଲା ।
ପୁଣି ମହାରାଜାଙ୍କର ଅନ୍ୟତମ ସଂକନ୍ଥ ଥିଲା ସ୍ବିଜରଲାଣ୍ଡ, ଜଙ୍ଗଲରେ ପଶୁ ଶିକାର କରିବା । କଲେଜ ଅଧ୍ୟୟନ କାଳରେ ସେ ଜାଣିବାକୁ ପାଇଥିଲେ ଯେ ସ୍ଥିଜରଲାଣ୍ଡର ଜଙ୍ଗଲ ଅତ୍ୟନ୍ତ ଭୟଙ୍କର ଏବଂ ସେଠାରେ ଶିକାର କରିବା ଏକ ପରମ ବୀରୋଚିତ କାର୍ଯ୍ୟ । ବିଶେଷ ଦକ୍ଷତା ନଥିଲେ ସେହିଭଳି ପଦେପଦେ ବିପଦ ସଂକୂଳ ଅରଣ୍ୟରେ ପାଦଦେବା ଅସମ୍ଭବ । ସେବେଠାରୁ ତାହାକୁ ଏକ ଚ୍ୟାଲେଞ୍ଜ ରୂପେ ସେ ଗ୍ରହଣ କରିନେଇ ଭବିଷ୍ୟତରେ ସେଠାରେ ପଶୁ ଶିକାର କରିବାକୁ ଅଭିଳାଷ ପୋଷଣ କରିଥିଲେ । ରାଜ୍ୟଭିଷେକ ବେଳେ କେବଳ ନାମକୁ ମାତ୍ର ସଂକଳ୍ପ କରିବା ଉଦ୍ଦେଶ୍ୟରେ ତାହା ସେ କରି ନଥିଲେ, ସମୟକ୍ରମେ ଆନ୍ତରିକତାର ସହିତ ସେହି ସଂକଳ୍ପଗୁଡ଼ିକୁ ପୁରଣ ମଧ୍ୟ କରିଥିଲେ ।
ରାଜ୍ୟଭିଷେକ ଭଳି ପରମ ପୁଣ୍ୟ ଅବସରରେ ଦାନକୁ ଏକ ମହତ କାର୍ଯ୍ୟ ରୂପେ ବିବେଚନା କରାଯାଇଥାଏ । ମହାରାଜା କୃଷ୍ଣଚନ୍ଦ୍ର ମଧ୍ୟ ସେତିକିବେଳେ ଅନେକ କିଛି ଦାନ କରିଥିଲେ । ତନ୍ମଧ୍ୟରେ ଅଗ୍ରଗଣ୍ୟ ଥିଲା ଜାତୀୟ ଚେତନା ଜର୍ଜରିତ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସ ନିର୍ମାଣପାଇଁ ଏବଂ ଉତ୍କଳ ସାହିତ୍ୟ ସମାଜର ଉନ୍ନତିକଛେ ଦାନ । ସେହି ମହତ ଦାନର ପ୍ରାପ୍ତି ସ୍ୱୀକାର କରି ଉତ୍କଳ ସାହିତ୍ୟ ସମାଜର ତତକାଳୀନ ସଂପଦକ ଜୁଳବୃଦ୍ଧ ମଧୁସୁଦନ ଦାସ କୃତଜ୍ଞତାର ସହିତ ଅପଣା ହୃଦୟ ଖୋଲି ଦେଇଥିଲେ- "ପାରଳାଖେମୁଣ୍ଡିର କୃତବିଦ୍ୟ ନବୀନ ରାଜା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ମହୋଦୟ କୋର୍ଟ ଅଫ୍ ସ୍ଟାର୍ଡ଼ସ୍ରୁ ରାଜ୍ୟ ଫେରିପାଇବା ଉପଲକ୍ଷେ ଉତ୍କଳ-ସାହିତ୍ୟ-ସମାଜକୁ ଅର୍ବ ଏକଶତଟଙ୍କା ଦାନ କରିଅଛନ୍ତି । ଯେଉଁ ଘଟନା ଉପଲକ୍ଷ୍ୟରେ ଏବଂ ଯେ ପ୍ରକାର ହୃଦୟରେ ଦାନ କରାଯାଇଅଛି ତାହା ଏକା ସାହିତ୍ୟ-ସମଜ କାହିଁକି ସାହିତ୍ୟନୁରାଗୀ ପ୍ରତ୍ୟେକ ଉତ୍କଳୀୟ ଉତ୍ତମ ରୂପେ ଉପଲବ୍ଧି କରୁଅଛନ୍ତି । ସମଜ କୃତଜ୍ଞ ହୃଦୟରେ ଅତ୍ୟନ୍ତ ଯତ୍ନ ଓ ଆଦର ସହକାରେ ଏହି ଦାନ ଗ୍ରହଣ କରିଅଛନ୍ତି । ରାଜ୍ୟ ଲାଭ ସଂଗେ ସଂଗେ ମତୃଭାଷା ପ୍ରତି ଏ ପ୍ରକାର ଆଦର ଓ ସହାନୁଭୁତି, ସୁଶିକ୍ଷା ଓ ହୃଦୟବଭାର ପ୍ରଧାନ ପରିଚାୟକ ଏବଂ ସେହି ହେତୁରୁ ସମସ୍ତେ ଆଶା କରନ୍ତି ଯେ ରାଜା ମହୋଦୟଙ୍କ ରାଜତ୍ବ କାଳରେ ମତୃଭାଷା ତଥା ମାତୃଭୂମି ଉକ୍ତ ମହାତ୍ମାଙ୍କଠାରୁ ଉତ୍ତରୋତ୍ତର ଉସ୍ଥାହ ଲାଇ କରିବ । ଅୟମାରମ୍ଭ ଶୁଭାୟ ଭବତୁ ଏବଂ ଜଗତପିତା ପରମେଶ୍ୱର ରାଜା ମହୋଦୟଙ୍କୁ ଦୀର୍ଘୟ ଓ ଯଶସ୍ତ୍ରୀ କରନ୍ତୁ, ଏହା ହିଁ ସମାଜର ଅନ୍ତରିକ କାମନା ।"
ଏହା ୧୯୧୩ ମସିହା ମଇ ମାସର ଶେଷଦିନ ‘ଉତ୍କଳ ଦୀପିକା’ରେ ପ୍ରକାଶ ପାଇଥିଲା । ଅନୁରୂପ ଭାବେ ସତ୍ୟବାଦୀ ବନ ବିଦ୍ୟାଳୟର ସଂପାଦକ ପଣ୍ଡିତ ଗୋପବନ୍ଧୁ ସେହି ବର୍ଷ ଜୁନ୍ ନଅ ତାରିଖ ଦିନ କର୍ମବୀର ଗୌରୀଶଙ୍କରଙ୍କୁ ଲେଖିଥିଲେ-
ମହାଶୟ,
ପାରଳାଖେମୁଣ୍ଡିର ନୂତନ ରାଜା ଶ୍ରୀମାନ କୃଷ୍ଣଚନ୍ଦ୍ର ନାରାୟଣ ଦେଓ ମହୋଦୟ ତାଙ୍କ ଅଭିଷେକୋସ୍ତବ ଉପଲକ୍ଷେ ସତ୍ୟବାଦୀ ବନ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୫୦୦ଟଙ୍କା ଦାନ କରିଥିବା ବିଷୟ ଆନ୍ତ୍ରମାନଙ୍କୁ ସ୍ୱହସ୍ତାଙ୍କିତ ପତ୍ରଦ୍ବାରା ଜଣାଇଛନ୍ତି । ବିଦ୍ୟାଳୟର ବର୍ତ୍ତମନ ବିପନ୍ନ ଅବସ୍ଥାରେ ଏତାଦୃଶ ଅଯାଚିତ ଦାନ ଯେ ଅନେମାନେ କିପରି ଗଭୀର କୃତଜ୍ଞତା ସହକାରେ ଗ୍ରହଣ କରିଅଛୁ ତାହା ବାସ୍ତବ ଭାଷାରେ ପ୍ରକାଶ କରାଯାଇ ନପାରେ । ରାଜନୀତିକ ଘଟନାଚକ୍ରରେ ପାରଳାଖେମୁଣ୍ଡି ଉତ୍କଳରୁ ବିଛିନ୍ନ ହେଲେ ହେଁ ଭାଷା, ଶିକ୍ଷା, ସାହିତ୍ୟ, ସାମାଜିକତା ଇତ୍ୟାଦି ନାନାପ୍ରକାର ବନ୍ଧନରେ ଏହା ଉତ୍କଳ ସହିତ ଅବିଛେଦ୍ୟ ଭାବରେ ସଂଶ୍ଳିଷ୍ଟ ରହିଛି ଏବଂ ଚିରକାଳ ରହିବ । ଉତ୍କଳର ବିଖ୍ୟାତଯଶା ପବିତ୍ର ଗଜପତି ବଂଶବତୀ‘ସ ନବୀନ ମହାରାଜା ଏହିସବୁ ସମ୍ବନ୍ଧକୁ ଦୃଢ଼ତର ଏବଂ ପୂର୍ଣାବୟବ କରିବେ ବୋଲି ତାଙ୍କର ଉତ୍କଳ କଲ୍ୟାଣକର ପ୍ରାଥମିକ ଅନୁଷ୍ଠାନମାନ ଦେଖି ଆମ୍ଭେମାନେ ସଂପୂର୍ଣ୍ଣ ଆଶା କରୁଅଛୁ । ଭଗବାନ୍ ତାଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ଏବଂ ଆନ୍ତ୍ରମନଙ୍କର ଏହି ଅଶ ପୁର୍ଣ୍ଣ ହେଉ । ଏହା ମଧ୍ୟ ଦୀପିକାର ସେହି ବର୍ଷ ଜୁନ୍ ୧୪ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।"
୧୯୧୩ ଏପ୍ରିଲ୍ ୨୬ରେ ରାଜସିଂହାସନ ଆରୋହଣ କରିବା ପରେ ପରେ ୧୯୧୪ ଜାନୁଆରି ୨୮ ତାରିଖ ଦିନ ପାରଳା ଗଜପତିଙ୍କର ଶୁଭପରିଣୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଖରସୁଆଁ ରାଜଜେମା ନଳିନୀ ଦେବୀଙ୍କୁ ପତ୍ନୀ ରୂପେ ବରଣ କରିଥିଲେ କୃଷ୍ଣଚନ୍ଦ୍ର ।
ବାସ୍ତବରେ ତୁଳସୀ ଦୁଇପତ୍ରରୁ ବାସିଲା ପରି ସାମାଜିକ ଜୀବନରେ ପାଦ ଥାପୁଆପୁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରତ୍ୟେକ କାର୍ଯ୍ୟକଳାପରେ ଜାତୀୟ ଚେତନାର ଅନ୍ତରିକ ପରିପ୍ରକାଶ ହିଁ ହୋଇଥିଲା । ତାଙ୍କରି ଅନ୍ତର ଯଥାର୍ଥରେ ପ୍ରତିଫଳିତ ହୋଇଥିଲା ଅପଣାର ରାଜ୍ୟବାସୀଙ୍କ ସମେତ ଉତ୍କଳୀୟଙ୍କ ସର୍ବାଙ୍ଗୀନ ଉନ୍ନତିକଛେ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପରେ । ପୁଣି ତତକାଳୀନ ଉତ୍କଳୀୟ ନେତୃବର୍ଗ ଓଡ଼ିଶାର ରାଜନୈତିକ ଶସନ ବାହାରେ ଥିବା ଅଞ୍ଚଳରୁ ଗୋଟିଏ ଉଗ୍ର ଜାତୀୟ ଚେତନାର ସ୍ତୁରିତ ଅୟମରମ୍ଭରୁ ଯେଉଁ ଉତ୍କଳ ଆଶର ଝଲକ ପ୍ରତ୍ୟକ୍ଷ କରି ମନରେ ବିଶେଷ ଆଶା ପୋଷଣ କରିଥିଲେ ତାହା ସମୟକ୍ରମେ ଯଥାର୍ଥ ଭାବରେ ପ୍ରତିଫଳିତ ହୋଇଥିଲା । ସେଇ ଉତ୍କଳୀୟ ଜାତୀୟ ଚେତନାକୁ ସମ୍ବବତଃ ଆପଣା ରାଜ୍ୟବାସୀଙ୍କ ସହିତ ଘନିଷ୍ଠା କରାଇବା ଉଦ୍ଦେଶ୍ୟରେ ଉତ୍କଳସନ୍ଧିଳନୀର ଆଗାମୀ ବାର୍ଷିକ ଅଧିବେଶନ ପାରଳାରେ ଅନୁଷ୍ଠିତ କରାଇବାପାଇଁ ନିମନ୍ତ୍ରଣ ଜଣାଇଥିଲେ ଏବଂ ତାହା ମଧ୍ୟ ସାଦରେ ଗୃହୀତ ହୋଇଥିଲା ।
ସେତେବେଳେ ଓଡ଼ିଆ ଭାଷାଭାଷୀଙ୍କପାଇଁ ଉତ୍କଳ ସମ୍ମିଳନୀ ଥିଲା ଏକମାତ୍ର ଜାତୀୟ ଅନୁଷ୍ଠାନ । ସେହି ଅନୁଷ୍ଠାନଟି ଓଡ଼ିଆ ଲୋକଙ୍କ ସାମୁହିକ ଉନ୍ନତିକଛେ ସଂକଳ୍ପବଦ୍ଧ ଥିଲା । ଭାରତର ଚାରୋଟି ପ୍ରାଦେଶିକ ଶାସନ ସହିତ ସଂଯୁକ୍ତ ହୋଇ ରହିବାକୁ ବାଧ୍ୟ ହୋଇଥିଲେ ଉତ୍କଳବାସୀ । ଏକଦା ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିବା ଉତ୍କଳ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଷାଭାଷୀ ଅଞ୍ଚଳ ସହିତ ଯୁକ୍ତ ହୋଇ ରହିବାକୁ ବାଧ୍ୟ ହୋଇଥିଲା । ସମୟ ସୁଅରେ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ଭୋଗିବାକୁ ହେଉଥିଲା ଉତ୍କଳୀୟଙ୍କୁ । ସେହି ଦୁଃଖରୁ ମୁକ୍ତିପାଇଁ ଉଦ୍ୟମ କରିବାଲାଗି ସଚେତନ ଉତ୍କଳୀୟ ବୁଦ୍ଧିଜୀବୀଗଣ ଏକତ୍ର ହୋଇ ସଂଗଠନ କରିଥିଲେ ଉତ୍କଳ ସମ୍ମିଳନୀ । ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଆଭାଷୀ ଲୋକେ ବସବାସ କରି ରହୁଥିବା ଅଞ୍ଚଳଗୁଡ଼ିକର ଏକୀକରଣ; ଓଡ଼ିଆମାନଙ୍କର ସ୍ୱାତନ୍ତ୍ରତ୍ୟ ରକ୍ଷା । ଉତ୍କଳ ସନ୍ଧିଳନୀ ମାଧ୍ୟମରେ ସେହି ଏକୀକରଣ ଆନ୍ଦୋଳନକ୍ରମେ ତାହାର ପ୍ରାଥମିକ ଆଭିମୁଖ୍ୟ ପରିବର୍ଭନ କରି ଓଡ଼ିଆମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ପରିଣତ ହୋଇଯାଇଥିଲା ଏବଂ ବିଶେଷ ଉଲେଖ ଯୋଗ୍ୟ ଯେ ଆନ୍ଦୋଳନକାରୀଗଣଙ୍କୁ ସେହି ଆର୍ଭି ମୁଖ୍ୟ ଆପଣେଇନେବାପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଏବଂ ମଧ୍ୟ ସେହି ଦିଗରେ ବିଶେଷ ପ୍ରଭାବିତ କରିଥିଲା। ପାରଳାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ।
ମହାରାଜାଙ୍କ ପୃଷ୍ଠପୋଷକତାରେ ଉତ୍କଳ ସମ୍ମିଳନୀର ଦଶମ ବାର୍ଷିକ ଅଧିବେଶନ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇଥିଲା । ସେହି ଅଧିବେଶନଟି ସନ୍ଧିଳନୀର ଉଦ୍ଦେଶ୍ୟ ଏବଂ କାର୍ଯ୍ୟପନ୍ଥା ଗ୍ରହଣ ଦୃଷ୍ଟିରୁ ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ । ଏପରିକି ସ୍ଥାନ ନିର୍ବାଚନ ଦୃଷ୍ଟିରୁ ସୁଦ୍ଧା ସମିଳନୀ ତାହାର ପୁର୍ବ ଗତାନୁଗତିକତା ପରିହାର କରିଥିଲା ।
ଉତ୍କଳ ସମ୍ମିଳନୀର ପ୍ରରସ୍ପରୁ ତତକାଳ ପର୍ଯ୍ୟନ୍ତ ତାହାର ବାର୍ଷିକ ଅଧିବେଶନଗୁଡ଼ିକ କେବଳ କଟକ, ପୁରୀ, ବ୍ରହ୍ମପୁର ଓ ବାଲେଶ୍ୱର ଭଳି ପ୍ରାୟ କେନ୍ଦ୍ରସ୍ଥଳଗୁଡ଼ିକରେ ହିଁ ଅନୁଷ୍ଠିତ ହୋଇଆସିଥିଲା । ପ୍ରକୃତିକ ଓଡ଼ିଶାର ଜନଗଣଙ୍କ ମଧ୍ୟରେ ଉକ୍ତ ଅନୁଷ୍ଠାନ ପ୍ରତି ଆଗ୍ରହ ସୃଷ୍ଟି କରାଯିବା ଏବଂ ଓଡ଼ିଆମାନଙ୍କ ମଧ୍ୟରେ ଏହାକୁ ଅଦୃତ କରାଯିବା ଉଚିତ ବୋଲି ମତ ପୋଷଣ କରାଯାଉଥିଲେ ସୁଦ୍ଧା ଏବଂ ସେଇ ଉଦ୍ଦେଶ୍ୟରେ କର୍ମକର୍ତ୍ତାଗଣ ବିଶେଷ ବ୍ୟଗ୍ର ଥିଲେ ସୁଦ୍ଧା ଉପାନ୍ତ ଅଞ୍ଚଳଗୁଡ଼ିକରେ ସେଥିପାଇଁ ସଂଗଠନର ଅଭାବବେଧ ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା ।
ଉଲ୍ଲେଖ କରାଯାଇପାରେ ଯେ ସନ୍ଧିଳନୀ ଗଠିତ ହେବା ପରେପରେ ଗଜପତି କୃଷ୍ଣଚନ୍ଦ୍ରଙ୍କ ପିତା ଗୌର ଗଜପତି ତଥା ଦାଦା ପଦ୍ମନାଭ ସେହି ସଂଗଠନର ବାର୍ଷିକ ଅଧିବେଶନ ନିଜ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ କରାଇବାପାଇଁ ଉତ୍ସୁକତା ପ୍ରଦର୍ଶନ କରିଥିଲେ ସୁଦ୍ଧା ୧୯୦୫ ଓ ୧୯୦୪ରେ ସେମାନଙ୍କ ଅକାଳ ବିୟୋଗଜନିତ କାରଣରୁ ତାହା କାର୍ଯ୍ୟକାରୀ ହୋଇ ପରି ନଥିଲା । ସେଇ ପୂର୍ବପୁରୁଷଗଣଙ୍କ ଅସଂପୂର୍ଣ୍ଣ ଇଚ୍ଛାକୁ ପୂରଣ କରାଇବାରେ ସମର୍ଥ ହୋଇଥିଲେ କୃଷ୍ଣଚନ୍ଦ୍ର । କେବଳ ସେତିକି ନୁହେଁ, ତାହା ବାସ୍ତବରେ ଥିଲା ଜାତୀୟ ଚେତନା ପରିପୁତ ଗୋଟଏ ଦରଦୀ ହୃଦୟର ଅନ୍ତରତମ ପ୍ରଦେଶରୁ ନଗତ ଆହ୍ଲାନର ଏକ ସଫଳ ରୂପାୟନ ।
୧୯୦୩ ଡିସେମ୍ବର ୩୦ ତାରିଖ ଦିନ ଉତ୍କଳ ଗୌରବ ମଧୁସୂଦନଙ୍କ ମନସସନ୍ତାନ ଉତ୍କଳ ସମ୍ମିଳନୀ ସାକାର ରୂପ ଗ୍ରହଣ କରିଥିଲା କଟକର ପଡ଼ିଆରେ । ପରଳା ରାଜଭ୍ରାତାଙ୍କ ପ୍ରତିନିଧି, ଅବିଭକ୍ତ ଗଞ୍ଜାମର ପ୍ରଥମ ବି.ଏ. ଉପାଧିଧାରୀ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଗଞ୍ଜାମ ସନ୍ଧିଳନୀ ! ଗଞ୍ଜାମ ଜାତୀୟ ସନ୍ଧିଳନୀର ପ୍ରଥମ ଅଧିବେଶନରେ ନିମନ୍ଧିତ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟମାନଙ୍କ ସହିତ ମଧୁବାବୁ । ରାଜନୀତିକ ବିଛିନ୍ନ ଗଂଜାମବାସୀଙ୍କ ଓଡ଼ିଶାବାସୀଙ୍କ ସହିତ ମିଶ୍ରଣ ଆକାଂକ୍ଷାର ଉଦ୍ବେଳିତ ଉବ୍ଦୀପନାରେ ଭାବବିହ୍ବଳ ହୋଇ ଯାଇଥିଲେ ସମସ୍ତେ; ବିଶେଷକରି ଓଡ଼ିଶାରୁ ଯୋଗଦେଇଥିବା ନେତୃବୃନ୍ଦ । ସେହି ଏକା ଉଦ୍ଦେଶ୍ୟରେ- ସବୁ ଓଡ଼ିଆଙ୍କୁ ଏକତ୍ର କରିବାପାଇଁ କେବଳ ଗଂଜାମ କାହିଁକି ସଂପୂର୍ଣ୍ଣ ଜାତୀୟ ସ୍ତରରେ ତାହାକୁ ବିସ୍ତାରିତ କରାଇବା ଲକ୍ଷ୍ୟ ନେଇ ପୁନର୍ଗଠିତ କରିବାପାଇଁ ତତ୍କାଳ ହିଁ ମନସ୍ଥ କରିଥିଲେ ମଧୁବାବୁ । ସତେଯେମିତି ତାଙ୍କରି ମନ ମଧ୍ୟରେ ଆନ୍ଦୋଳିତ ଏକ ପ୍ରଶ୍ନର ସହଜ ଏବଂ ସଠିକ ସମାଧାନ କରିପାରିଥିଲେ ଗଂଜାମବାସୀଙ୍କ ଉଦ୍ଦୀପନା ଦେଖି । ସେଠାରେ ଉପସ୍ଥିତ ସମସ୍ତେ ତାଙ୍କରି ପ୍ରସ୍ତାବକୁ ଆନ୍ତରିକତାର ସହିତ ଗ୍ରହଣ କରିଥିଲେ ସୁଦ୍ଧା ଏବଂ ପରିଣାମତଃ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲେ ସୁଦ୍ଧା ଏବଂ ପୁଣି ସେହି ଅନୁଷ୍ଠାନ ସହିତ ସମସ୍ତେ ଏକାତ୍ମ ହୋଇଥିଲେ ସୁଦ୍ଧା ଗଞ୍ଜାମ ସମ୍ମିଳନୀ ତାହାର ସଭା ବଜାୟ ରଖିଥିଲା ଆହୁରି ଅନେକ କାଳ । ବାସ୍ତବରେ ରମ୍ବାରାଜବାଟୀରୁ ତାହାର ଅୟମାରମ୍ଭ ହୋଇଥିଲା ଏବଂ ସେଥିପାଇଁ ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ସମେତ ଗଂଜାମର ଶ୍ରୀବତ୍ସ ପଣ୍ଡା, ନୀଳମଣି ବିଦ୍ୟାରତ୍ନ ପ୍ରମୁଖଙ୍କ ସେଥିପାଇଁ ଅବଦାନ ଅବିସ୍ମରଣୀୟ ।
ଗଂଜାମ ଜାତୀୟ ସମିତି ଜନ୍ମ ଦେଇଥିବା ଉତ୍କଳ ସମ୍ମିଳନୀ ପ୍ରତି ଇଂରାଜୀ ବର୍ଷର ଶେଷ ଦିନରେ ପ୍ରାୟ ଅନୁଷ୍ଠିତ ହେଉଥିଲା । ୧୯୦୩ ଡିସେମ୍ବର ୩୦ ତାରିଖ ଦିନ କଟକର ଇଦ୍ଗା ପଡ଼ିଆଠାରେ ଅନୁଷ୍ଠିତ ପ୍ରଥମ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ସେଇ କଟକରେ ୧୯୦୪ ଡିସେମ୍ବର ୨୮, ୨୯ରେ ହିଁ ଅନୁଷ୍ଠିତ ହୋଇଥିଲା । ସେଇ ଜନ୍ମସ୍ଥାନରେ ହିଁ ଆଯୋଜିତ ହୋଇଥିଲା ଅନୁଷ୍ଠାନର ଷଷ୍ଠ ( ୧୯୦୮ ଡିସେମ୍ବର) ଏବଂ ସପ୍ତମ ( ୧୯୧୦ ଡିସେମ୍ବର ୩୦,୩୧) ଅଧିବେଶନ । ଓଡ଼ିଶାର ଅନ୍ୟତମ ସହର ବାଲେଶ୍ୱରରେ ତୃତୀୟ ଅଧିବେଶନ ( ୧୯୦୬ ଏପ୍ରିଲ ୧୩, ୧୪) ଅନୁଷ୍ଠିତ ହୋଇଥିବା ବେଳେ ଚତୁର୍ଥ ( ୧୯୦୬ ଡିସେମ୍ବର ୨୬,୨୭) ଏବଂ ଅଷ୍ଟମ (୧୯୧୨ ଏପ୍ରିଲ୍ ୬,୭) ଅଧିବେଶନଗୁଡ଼ିକର ସ୍ଥାନ ଥିଲା ବ୍ରହ୍ମପୁର । ପୁଣି ସେହିଭଳି ପୁରୀଠାରେ ପଞ୍ଚମ (୧୯୦୮ ଏପ୍ରିଲ ୧୮-୧୯) ଏବଂ ନବମ ବାର୍ଷିକ ଅଧିବେଶନଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଅତଏବ ଅନୁଷ୍ଠାନର ଜନ୍ମକାଳରୁ ଏଯାବତ୍ ପ୍ରାକୃତିକ ଉତ୍କଳର କେନ୍ଦ୍ରସ୍ଥଳ ରୂପେ ବିବେଚିତ କଟକ, ପୁରୀ, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ସହରଗୁଡ଼ିକରେ ଏହାର ସ୍ୱରୂପ ପ୍ରକାଶିତ ହୋଇଥିବା ବେଳେ ଅନୁଷ୍ଠାନର ଦଶମ ଅଧିବେଶନପାଇଁ ସ୍ଥାନ ସ୍ଥିରୀକୃତ ହୋଇଥିଲା ପାରଳାଖେମୁଣ୍ଡି ।
ଏଣେ ଉକ୍ତ ଜାତୀୟ ଅନୁଷ୍ଠାନ ଜରିଆରେ ଦେଶ ମିଶ୍ରଣ ଦାବି ଦୃଢ଼ ଭାବରେ ଉପସ୍ଥାପିତ ହୋଇ ଆସୁଥିବାବେଳେ ତେଣେ ସେଥି ପ୍ରତି ସଂପୂର୍ଣ୍ଣ ଉଦାସୀନ ଇଂରେଜ ସରକାର ୧୯୧୨ ମସିହାରେ ଓଡ଼ିଶା ଡିଭିଜନକୁ ବଙ୍ଗପ୍ରଦେଶରୁ ବିଛିନ୍ନ କରି ବିହାର ସହିତ ସଂଯୁକ୍ତ କରିଥିଲେ ଏବଂ ବିହାର ଓଡ଼ିଶା ହୋଇଥିଲା ଏକ ନୂତନ ପ୍ରଦେଶ । ବାସ୍ତବରେ ତାହା ଥିଲା ଆନ୍ଦୋଳନକାରୀ ଓଡ଼ିଆମାନଙ୍କର କଟାଘା’ରେ ଚୂନ ଦେବା ଭଳି ଏକ ସରକାରୀ ପଦକ୍ଷେପ । ତେଣୁ ୧୯୧୨ ମସିହାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ । ସମ୍ମିଳନୀ ଆରମ୍ଭରୁ ସେ ପର୍ଯ୍ୟନ୍ତ କୌଣସି ମଣ୍ଡପରେ ରାଜନୈତିକ ବିଷୟବସ୍ତୁ ନେଇ ଆଲୋଚନା ହୋଇ ନଥିଲେ ସୁଦ୍ଧା ସେହି ବର୍ଷଠାରୁ ତାହା ଆଲୋଚନା ପରିସରଭୁକ୍ତ ହୋଇଥିଲା । ଆପାତତଃ ସମ୍ମିଳନୀ ଗଠନର ମୂଳ ଲକ୍ଷ୍ୟ ଥିଲା ଓଡ଼ିଆଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ । ଏହା ବାସ୍ତବରେ ଏକ ରାଜନୈତିକ ବିଷୟ । ତେଣୁ ଏହାର ସଫଳ ରୂପାୟନପାଇଁ ରାଜନୈତିକ ଆଲୋଚନା ଅବଶ୍ୟମ୍ଭାବୀ । ପୁଣି ବିଶେଷକରି ଏହି ଦାବି ପ୍ରତି ସରକାରଙ୍କ ଚରମ ଉଦାସୀନତା ସେଭଳି ଆଲୋଚନାପାଇଁ ସଂଗଠକମାନଙ୍କୁ ବାଧ୍ୟ କରିଥିଲା କହିଲେ ଅତ୍ଯୁକ୍ତି ହେବନାହିଁ । ସେ ପର୍ଯ୍ୟନ୍ତ କୌଣସି ସାମ୍ବିଧାନିକ ନୀତି ନିୟମ ନଥିବା ଉକ୍ତ ଅନୁଷ୍ଠାନପାଇଁ ତାହା ପ୍ରସ୍ତୁତ କରିବାକୁ ଏକ କାର୍ଯ୍ୟ ନିର୍ବାହିକା କମିଟି ଗଠିତ ହୋଇଥିଲା ଏବଂ ତତ୍ପରଠାରୁ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଜାତୀୟ ଚେତନା ସୃଷ୍ଟି କରିବାପାଇଁ ସଂଗଠକଗଣ ନିରବଧି ଉଦ୍ୟମ ଚଳାଇଥିଲେ । ସେସବୁ ଦୃଷ୍ଟିରୁ ତତ୍ପରବର୍ଷ ପାରଳାରେ ଅନୁଷ୍ଠିତ ଦଶମ ଉତ୍କଳ ସମ୍ମିଳନୀ ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ ।
ପାରଳାର ନୂତନ ରାଜା ଗଜପତି କୃଷ୍ଣଚନ୍ଦ୍ରଙ୍କ ନିମନ୍ତ୍ରଣକ୍ରମେ ସେଠାରେ ୧୯୧୪ ଡିସେମ୍ବର ୨୬, ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଠାନର ଦଶମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ବାସ୍ତବରେ ସେହି ସହର ତଥା ନିକଟବର୍ତ୍ତୀ ଅଞ୍ଚଳ କାହିଁକି ସାରା ଗଞ୍ଜାମର ଜନଗଣଙ୍କ ମନରେ ଜାତୀୟ ଚେତନାକୁ ଅଧିକ ତେଜସ୍କ୍ରିୟ କରିଥିଲା । ବିଶେଷକରି ପାରଳାର ଜନଗଣଙ୍କ ମନରେ ନୂତନ ଉବ୍ଦୀପନାର ଉଦ୍ବେଳନ ସୃଷ୍ଟି କରିଥିଲା ସେଇ ସମ୍ମିଳନୀ । ପ୍ରାକୃତିକ ଉତ୍କଳର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଯେଉଁମାନଙ୍କ ନାମ, ଜ୍ଞାନଗରିମା, ଗୁଣ ତଥା କାର୍ଯ୍ୟକଳାପ ସଂପର୍କରେ ସେମାନେ କେବଳ ଶୁଣିଥିଲେ ମଧ୍ୟ କୌଣସି କାଳେ ଦେଖିବାକୁ ସୁଯୋଗ ଲାଭ କରି ପାରି ନଥିଲେ, ପାରଳାବାସୀ ସେଇ ସମସ୍ତଙ୍କୁ ଗୋଟିଏ ମଣ୍ଡପରେ ପାଇଥିଲେ । ଦେଶ ମିଶ୍ରଣ ସଂପର୍କରେ ସେମାନଙ୍କ ଅନାବିଳ ଆନ୍ତରିକତା ସାଧରଣ ଜନତାଙ୍କୁ ମଧ୍ୟ ଆକୃଷ୍ଟ କରିଥିଲା । ସମସ୍ତଙ୍କୁ ମୁଗ୍ଧ କରିଥିଲା ନେତୃବର୍ଗଙ୍କ ମୁଖନିଃସୃତ ସେଇ ଗୋଟିଏ ବକ୍ର ଆହ୍ୱାନ- ପ୍ରାକୃତିକ ଓଡ଼ିଶାର ସବୁ ଅଞ୍ଚଳକୁ ଏକୀକରଣ କରାଯାଇ ରଖାଯାଉ ଗୋଟିଏ ଶାସନ କେନ୍ଦ୍ରରେ ।
ମଧୁବାବୁ ସେଠାରେ ପ୍ରସ୍ତାବ ରଖିଥିଲେ- ମାନ୍ଦ୍ରାଜ ଶାସନାନ୍ତର୍ଗତ ଓଡ଼ିଆମାନେ ବିହାର ଓଡ଼ିଶାର ଓଡ଼ିଆଙ୍କ ସହିତ ଏକ ଶାସନାଧୀନ ନହେବା ଯାଏଁ ଉତ୍କଳର ପ୍ରକୃତ ଉନ୍ନତି ଅସମ୍ଭବ ବୋଲି ସମ୍ମିଳନୀ ଦୃଢ଼ ବିଶ୍ୱାସ କରେ । ଅତି ମର୍ମସ୍ପର୍ଶୀ ଭାଷାରେ ଅଥଚ ଅତି ଦୃଢ଼ କଣ୍ଠରେ ଓଡ଼ିଆ ଜନଗଣଙ୍କ ଆନ୍ତରିକ ଆବେଦନ ଇଂରେଜ ଭାଷାରେ ଏକ ପ୍ରସ୍ତାବ ମାଧ୍ୟମରେ ଆଗତ କରିଥିଲେ । ତାହାକୁ ଓଡ଼ିଆ ବକ୍ତବ୍ୟ ମାଧ୍ୟମରେ ମଂଜୁଷା ରାଜା ଅନୁମୋଦନ କରିଥିବାବେଳେ ଅନ୍ୟ ଅନୁମୋଦନକାରୀଙ୍କ ମଧ୍ୟରେ ପ୍ରଥମ ଥିଲେ ଆସ୍କାର ଓକିଲ ହରିହର ପଣ୍ଡା । ଇଂରାଜୀରେ ଭାଷଣ ଦେଇ ତତ୍କାଳୀନ ଗଂଜାମବାସୀଙ୍କ ବିଭିନ୍ନ କ୍ଷେତ୍ରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାର ବିଶେଷ ଆଲୋଚନା କରିଥିଲେ ସେ ।
ସଭାପତୀୟ ଅଭିଭାଷଣ ଦେଇ ଜୟପୁର ମହାରାଜା ବିକ୍ରମଦେବ ବର୍ମା ଦୃପ୍ତ ଆହ୍ୱାନ ଶୁଣାଇଥିଲେ "ମାନ୍ଦ୍ରାଜ ଅନ୍ତର୍ଗତ ଓଡ଼ିଆ ପ୍ରଦେଶ କି ଜୟପୁର କି ଗଞ୍ଜାମ- ଏହା ପ୍ରାକୃତିକ ଓଡ଼ିଶାର ଏକ ଅବିଛିନ୍ନ ଅଂଶ । ପ୍ରାୟ ସମସ୍ତ ଗଞ୍ଜାମ ଜିଲ୍ଲା ଓ ଜୟପୁର ଓଡ଼ିଆ ରାଜାମାନଙ୍କ ଦ୍ବାରା ଅଧିକୃତ ଏବଂ ଓଡ଼ିଆ ଲୋକଙ୍କଦ୍ବାରା ଅଧ୍ୟୁଷିତ ହେଲେ ସୁଦ୍ଧା, ଦୁଃଖର ବିଷୟ, କ୍ଷମତାଶାଳୀ ତୈଲଙ୍ଗୀମାନଙ୍କ ପ୍ରଭାବରେ ଓଡ଼ିଆ ଶକ୍ତି ଏକାବେଳକେ ମ୍ରିୟମାଣ ହୋଇଅଛି । ଓଡ଼ିଆ ଆଜି ମୁଣ୍ଡଟେକି ଚାଲିପାରୁ ନାହିଁ । ବିଦ୍ୟାଳୟରେ, ଅଫିସରେ, ରାଜକାର୍ଯ୍ୟରେ ଓଡ଼ିଆ ଏକ ପ୍ରକାର ବର୍ଜିତ । ଓଡ଼ିଆ ଛାତ୍ର ନିଜଭାଷା ଅଧ୍ୟୟନ, ନିଜ ଜାତୀୟ ସାହିତ୍ୟ ଚର୍ଚ୍ଚାରୁ ବଞ୍ଚିତ । ରାଜଦ୍ବାରରେ ଓଡ଼ିଆ ଅଚିହ୍ନିତ ଓ ଅପମାନିତ । ଓଡ଼ିଆ ଦେଶ ଅଜି ଖଣ୍ଡବିଖଣ୍ଡିତ ।" ସେହି କାରଣରୁ "ଆମ୍ଭେମାନେ ଗଭର୍ଣ୍ଣମେଣ୍ଟଙ୍କ ଦ୍ବାରସ୍ଥ ହେବା ସଙ୍ଗେସଙ୍ଗେ ଦେଶରେ ଦେଶ ମିଶ୍ରଣ ସମ୍ବନ୍ଧରେ ନ୍ୟାୟ ସଙ୍ଗତ ଓ ଆଇନାନୁମୋଦିତ ଅନ୍ଦୋଳନ କରିବାକୁ ହେବ । ଯେଉଁମାନେ ବୁଝିନାହାନ୍ତି ସେମାନଙ୍କୁ ବୁଝାଇବାକୁ ହେବ । ପ୍ରତି ଗ୍ରାମରେ, ସହରରେ ଏହି ଦେଶ ମିଶ୍ରଣ ଅନ୍ଦୋଳନର ସୂତ୍ରପାତ କରିବାକୁ ହେବ । ଆନ୍ଦୋଳନ କେତେକ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ଆବଦ୍ଧ ନାହିଁ, ଏହା ଓଡ଼ିଆର ସରଳ, ସ୍ୱାଭାବିକ ଅକାଙ୍କ୍ଷା ଏବଂ ଓଡ଼ିଶାର ଘରେଘରେ ଦେଶ ମିଶ୍ରଣ ଆଶା ଉଦ୍ରେକ ହୋଇଅଛି- ଏହି କଥା ସରକାର ଜାଣନ୍ତୁ ।"
ଦେଶ ମିଶ୍ରଣ ସଂପର୍କୀୟ ଏହିଭଳି ଆଲୋଚନାଗୁଡ଼ିକର ପ୍ରଭାବ ଯୁବକ ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଧମନୀରେ ରକ୍ତ ପ୍ରବାହକୁ ଉଷ୍ମ କରିଦେଇଥିବ ନିଶ୍ଚୟ । କାରଣ ଏଭଳି ମୁକ୍ତ ମଞ୍ଚରେ ଏ ସଂପର୍କୀୟ ଆଲୋଚନାମାନ ଶୁଣିବା ତାଙ୍କପାଇଁ ଥିଲା ପ୍ରଥମ ଅବସର । ଉପସ୍ଥିତ ଜନମାନସ ଭଳି ମହାରାଜାଙ୍କ ମନ ଆକାଶରେ ମଧ୍ୟ ନୀରବ ଭାବରେ ସୃଷ୍ଟି କରିଥିବ ତଡ଼ିତ୍ର ଉଷ୍ମପ୍ରବାହ । ତାଙ୍କରି ମନ ଭିତରେ ଥିବା ଜାତୀୟ ଚେତନାକୁ ଅଧିକ ଉତ୍ତେଜିତ କରିଥିବା ସ୍ବାଭାବିକ । ମଧୁବାବୁଙ୍କ ସେହି ପ୍ରସ୍ତାବ ବ୍ୟତୀତ ଗୋପବନ୍ଧୁ, ବାରିଷ୍ଟର ବିଶ୍ୱନାଥ ମିଶ୍ର, ଦୟାନିଧି ଦାସ, ଦାଶରଥି ମିଶ୍ର, ବ୍ରଜସୁନ୍ଦର ଦାସ, ସଦାଶିବ ବିଦ୍ୟାଭୂଷଣ ପ୍ରମୁଖମାନେ ଅନ୍ୟାନ୍ୟ ପ୍ରସ୍ତାବମାନ ଆଗତ କରିବା ସଙ୍ଗେସଙ୍ଗେ ସେହି ସଂପର୍କରେ ବିଭିନ୍ନ ଦିଗରୁ ମଧ୍ୟ ଆଲୋଚନା ହୋଇଥିଲା ।
ଆୟୋଜକ ଭାବେ ସେହି ସମ୍ମିଳନୀର ପ୍ରତ୍ୟେକ କାର୍ଯ୍ୟକଳାପ ସହିତ ଆପଣାକୁ ସାମିଲ କରିଥିଲେ ପାରଳା ଗଜପତି । ସମ୍ମିଳନୀର ସଫଳତା ପାଇଁ ପ୍ରଥମରୁ ହିଁ ଆୟୋଜନରେ ଲାଗି ପଡ଼ିଥିଲେ । ସେଥିଲାଗି ଦୀର୍ଘ ପ୍ରାୟ ସାତ ମାସ ପୂର୍ବରୁ ୧୯୧୪ ମଇ ଦଶ ତାରିଖ ଦିନ ସ୍ଥାନୀୟ ବାଳିକା ବିଦ୍ୟାଳୟରେ ଏକ ବୈଠକର ଆୟୋଜନ କରିଥିଲେ । ସେଇଠି ସେ ଅତି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ ଯେ ରାଜ୍ୟ ପାଇଁ ତଥା ତାଙ୍କ ପାଇଁ ସେଭଳି ଏକ ଅତି ଗୁରୁତ୍ବପୁର୍ଣ୍ଣ ଅନୁଷ୍ଠାନ ଆୟୋଜନର ତାହା ପ୍ରଥମ ଅବସର ହୋଇଥିବାରୁ ଏବଂ ପୁଣି ସେଥିରେ ରାଜ୍ୟ ତଥା ରାଜ୍ୟବାସୀଙ୍କର ଗୌରବ ନିହିତ ଥିବା କାରଣରୁ ସ୍ଥାନୀୟ ସଜ୍ଜନ ମଣ୍ଡଳୀଙ୍କୁ ନେଇ ଅଭ୍ୟର୍ଥନା କମିଟିଟିଏ ଗଠିତ ହେବା ଆବଶ୍ୟକ । ସମସ୍ତେ ସେଥିରେ ଆନ୍ତରିକ ସହଯୋଗ କରିବା ଚାହି । ସେ ନିଜେ ମଧ୍ୟ ପ୍ରତ୍ୟେକ କାର୍ଯ୍ୟ ସହ ଯୁକ୍ତ ହୋଇ ରହିବେ । ତତ୍ପରିଣାମତଃ ଅଭ୍ୟର୍ଥନା ସମିତିର ସଭାପତି ରୂପେ ମହନ୍ତ ଶ୍ରୀ ରାଧାକୃଷ୍ଣ ଦାସ ଗୋସ୍ୱାମୀ ଏବଂ ନିତ୍ୟାନନ୍ଦ ପଟ୍ଟନାୟକ ସଂପାଦକ ରୂପେ କାର୍ଯ୍ୟ ନିର୍ବାହ କରିବାପାଇଁ ସ୍ଥିର ହୋଇଥିଲା ।
ସମ୍ମିଳନୀର ସଫଳତାପାଇଁ ମହାରାଜା ବିଶେଷ ଚଳଚଞ୍ଚଳ ହୋଇଉଠୁଥିଲେ । ଅଧିବେଶନ ପାଇଁ ମଣ୍ଡପ ନିର୍ମାଣ, ଅତିଥିଗଣଙ୍କୁ ରେଳଷ୍ଟେସନରୁ ଅଣାଇବାଠାରୁ ଆରମ୍ଭକରି ସେମାନଙ୍କୁ ବସାଘର ଯୋଗାଣ, ସେମାନଙ୍କ ଖିଆପିଆ ବ୍ୟବସ୍ଥା, ସମ୍ମିଳନୀ ମଣ୍ଡପ ପର୍ଯ୍ୟନ୍ତ ଯିବା ଆସିବା ପ୍ରଭୃତି ବନ୍ଦୋବସ୍ତର ତଦାରଖ ମଧ୍ୟ ନିଜେ କରୁଥିଲେ । ସେଇଥିଲାଗି ଆପଣା କାର୍ଯ୍ୟାଳୟର କର୍ମଚାରୀଗଣ ପ୍ରାୟ ପାଞ୍ଚଦିନ ପାଇଁ ସଂପୂର୍ଣ୍ଣ ନିୟୋଜିତ ହୋଇଥିଲେ ଅନ୍ୟ ଅନେକ ସେବାକାରୀଙ୍କ ସହିତ । ମହାରାଜାଙ୍କ ପରିଚାଳନାରେ ଥିବା କଲେଜ ହଷ୍ଟେଲ, ବାଳକ ଓ ବାଳିକା ଉଚ୍ଚବିଦ୍ୟାଳୟ, ଅତିଥି ଭବନ ଇତ୍ୟାଦି ସ୍ଥାନଗୁଡ଼ିକ ନିୟୋଜିତ ହୋଇଥିଲା ଅତିଥିଗଣଙ୍କ ରହିବାପାଇଁ । ରାଜନଅର ଭିତରେ ଥିବା ଗଜପତି ପ୍ରେସ୍ ଅବିରତ ଭାବରେ ରାତି-ଦିନ କର୍ମମୁଖର ହୋଇଥିଲା ସେଇ ସମ୍ମିଳନୀ କାର୍ଯ୍ୟରେ । ଅତିଥିଗଣଙ୍କ ମନୋରଂଜନ ପାଇଁ ପ୍ରତ୍ୟେକ ରାତିରେ ବିଭିନ୍ନ ନାଟକ ଅଭିନୀତ ହୋଇଥିଲା । ଦାଦା ପଦ୍ମନାଭ ଦେବଙ୍କ ପବିତ୍ର ସୃତିରେ ନାମିତ ପଦ୍ମନାଭ ରଙ୍ଗାଳୟରେ ତାଙ୍କରି ରଚିତ ‘ବାଣା ଦର୍ପଦଳନ' ଅଭିନୀତ ହୋଇଥିଲା ପ୍ରଥମ ରାତିରେ । ତତପର ରାତିରେ ମଞ୍ଚସ୍ଥ ହୋଇଥିଲା ପାରଳାର ଅନ୍ୟତମ ଶ୍ରେଷ୍ଠ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ଏକ ଅନବଦ୍ୟ ସୃଷ୍ଟି- ‘ବିଜୟ ବସନ୍ତ’ । ପାରଳା ମହାରାଜାଙ୍କ ଦିଗଦର୍ଶନରେ ଏଇଳି କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଥିଲା ।
ଉତ୍କଳ ସମ୍ମିଳନୀର ପୂର୍ବ ଅଧିବେଶନଗୁଡ଼ିକ ତୁଳନାରେ ଏଠାରେ ବହୁ ଅଧିକ- ପ୍ରାୟ ପାଞ୍ଚ ହଜାର ପ୍ରତିନିଧି ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଥିଲେ ପାରଳା ରାଜ୍ୟ ବାହାର ଅଞ୍ଚଳର । ଏପରିକି ପ୍ରାକୃତିକ ଓଡ଼ିଶା ବାହାରୁ ସୁଦୂର ମେଦିନାପୁର, ବିଶାଖପାଟଣା, ବିଜୟନଗର ତଥା ଜୟପୁର ଅଞ୍ଚଳରୁ ଅନେକ ପ୍ରତିନିଧି ସେହି ଅଧିବେଶନରେ ଏକାତ୍ମ ହୋଇଥିଲେ । ସେହି ମାତୃପୂଜା ମଣ୍ଡପରେ ଏକତ୍ର ହୋଇଥିଲେ ରାଜାପ୍ରଜା, ଜମିଦାର ଓ ରୟତ ସମସ୍ତେ; ରାଜା ରାଜଭ୍ରାତା, ଯୁବରାଜ, ରାଜକବି, ରାଜଗୁରୁ, ସାମନ୍ତ, ଓକିଲ, କବି, ସାହିତ୍ୟିକ, ସାମ୍ବାଦିକ, ସଂପାଦକ, ଡାକ୍ତର, ଦେୱାନ, କର୍ମୀ, ସମାଜସେବୀ, ପାଦ୍ରୀ ପ୍ରମୁଖ ସମସ୍ତେ ଆପଣାକୁ ମିଶାଇ ଦେଇଥିଲେ ସେହି ମହାମିଳନ ସ୍ଥଳୀରେ । ଓଡ଼ିଶାର ଯେଉଁ ସ୍ୱନାମଧନ୍ୟ ବ୍ୟକ୍ତିବିଶେଷ ପାରଳା ମାଟିରେ ଆତିଥ୍ୟ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜୟପୁର, ମଞ୍ଜୁଷା, ଟିକାଲି, ମଧୁପୁରର ରାଜନ୍ୟବର୍ଗଙ୍କ ସହିତ ତରଳା ଓ ଟିକାଲିର ଯୁବରାଜ ଏବଂ ମଞ୍ଜୁଷା ତଥା ତରଳାର ରାଜଭ୍ରାତାଗଣ । ସେମାନଙ୍କ ସହିତ ଯୋଗ ଦେଇଥିଲେ କଟକରୁ ଉତ୍କଳ ଗୌରବ ମଧୁସୂଦନ, ବ୍ରଜସୁନ୍ଦର ଦାସ, ବିଚିତ୍ରାନନ୍ଦ ଦାସ, ମୋହନୀ ମୋହନ ସେନାପତି, ଗୋକୁଳାନନ୍ଦ ଚୌଧୁରୀ, ବିଶ୍ୱନାଥ କର, ଶଶିଭୂଷଣ ରାୟ ଏବଂ ଗୌରୀଶଙ୍କର ରାୟ ପ୍ରମୁଖ । ସେମାନଙ୍କ ସହିତ ପୁରୀରୁ ପଣ୍ଡିତ ଗୋପବନ୍ଧୁ, ଜଗବନ୍ଧୁ ସିଂହ: ଭଦ୍ରକରୁ କାନ୍ତକବି ଲକ୍ଷ୍ମୀକାନ୍ତ; ସମ୍ବଲପୁରରୁ ଚନ୍ଦ୍ରଶେଖର ବେହେରା ଏବଂ ଦାଶରଥି ମିଶ୍ର, ସତ୍ୟବାଦୀରୁ ପଣ୍ଡିତ ନୀଳକଣ୍ଠ ଏବଂ ଗୋଦାବରୀଶ; ଆସିକାରୁ ବଟକୃଷ୍ଣ ମହାପାତ୍ର ଏବଂ ହରିହର ପଣ୍ଡା; ବଡ଼ଖେମଣ୍ଡିରୁ ନୀଳମଣି ବିଦ୍ୟାରତ୍ନ, ବାଲେଶ୍ବରରୁ ଫକୀରମୋହନ ଏବଂ ଦୈତ୍ୟାରି ପ୍ରସାଦ ଦାସ, କୁଶୁପୁରରୁ ପଲ୍ଲୀକବି ନନ୍ଦକିଶୋର, ଇଚ୍ଛାପୁରରୁ କବିଶେଖର ଚିନ୍ତାମଣି, ବ୍ରହ୍ମପୁରରୁ ଡାନିଏଲ ମହାନ୍ତି ଏବଂ ଓଡ଼ିଶା ବାହାରୁ ସୁଦୂର ଖରସୁଆଁରୁ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଏବଂ କଲିକତାରୁ ବାରିଷ୍ଟର ବିଶ୍ୱନାଥ ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।
ସମ୍ମିଳନୀର ଅଧିବେଶନ ଆରମ୍ଭରେ କବିବର ରାଧାନାଥଙ୍କର ‘ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ’ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏବଂ ଶେଷ ଅଧିବେଶନର ଅନ୍ତିମ ପର୍ଯ୍ୟୟ ଥିଲା ମଣ୍ଡପ ଉପରୁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ଧନ୍ୟବାଦ ଅର୍ପଣ । ସଫଳତାର ସହିତ ଦଶମ ଅଧିବେଶନ ସମାପ୍ତ ହୋଇଥିଲା । ଏହି ଅଧିବେଶନଟି ଓଡ଼ିଆ ବୁଦ୍ଧିଜୀବୀ ତଥା ନେତୃବର୍ଗଙ୍କ ସାମୟିକ ମିଳନପୀଠ ହେବା ସଂଗେ ସଂଗେ ହୋଇଯାଇଥିଲା ପାରଳା ଅଞ୍ଚଳ / ରାଜ୍ୟର ଅଧିବାସୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ସର୍ବୋପରି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପାଇଁ ତାହା ଥିଲା ଜାତୀୟତାର ଅଗଣିତ ଉଦ୍ବେଳିତ ଜୁଆର ଲହଡ଼ି ଭାଙ୍ଗୁଥିବା ଏକ ବିସ୍ତୀର୍ଣ୍ଣ ବେଳାଭୂମି ।
ନୂତନ କରି ରାଜଗାଦି ଆରୋହଣ କରିଥିଲେ ସୁଦ୍ଧା ଜାତୀୟତାର ମୋହନ ବଂଶୀ ସ୍ୱନରେ ସେତେବେଳକୁ ମହାରାଜା କୃଷ୍ଣଚନ୍ଦ୍ର ବିଶେଷ ଭାବରେ ବଶୀଭୂତ ହୋଇ ସାରିଥିଲେ । ସୁଦୂର ପ୍ରସାରୀ ଅନେକ ଭାବ-ଭାବାନ୍ତର ତାଙ୍କରି ମାନସପଟରେ ସ୍ପନ୍ଦିତ ହେଉଥିଲା । ତେଣୁ ସେଠାରେ ସମ୍ମିଳନୀ ଅବସରରେ ଉତ୍କଳୀୟ ବୁଦ୍ଧିଜୀବୀଙ୍କ ସମାବେଶ ତାହାଙ୍କୁ ଅଧିକ ମାତ୍ରାରେ ଉତ୍ସାହିତ କରିବା ସ୍ବାଭାବିକ । ପ୍ରଥମ ଓ ପ୍ରଧାନ କଥା ଥିଲା ସେମାନଙ୍କ ସହିତ ପ୍ରତ୍ୟକ୍ଷ ହେବା ଏବଂ ଭାବ ବିନିମୟ କରିବା ଏବଂ ବିଶେଷ ଉଲ୍ଲେଖଯୋଗ୍ୟ ଥିଲା ଅଧିବେଶନ ଅବସରରେ ଅନୁଷ୍ଠିତ ଅଣ-ଆନୁଷ୍ଠାନିକ ବୈଠକଗୁଡ଼ିକରେ ପାରଳା ମହାରାଜାଙ୍କ ସକ୍ରିୟ ଅଂଶଗ୍ରହଣ କରିବା ଏବଂ ଆପଣାର ନିଜସ୍ୱ ମତ ପ୍ରଦାନ କରିବା । ଓଡ଼ିଆମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ଦେଶମିଶ୍ରଣ ପ୍ରସ୍ତାବତ ଥିଲା ସବୁ ଆଲୋଚନାର କେନ୍ଦ୍ରବିନ୍ଦୁ । କେନ୍ଦ୍ରବିନ୍ଦୁ ନିର୍ଦ୍ଦିଷ୍ଟ ଥିଲେ ସୁଦ୍ଧା ସେଥିପାଇଁ ପଥ ଓ ପନ୍ଥା ନେଇ ସମସ୍ତଙ୍କ ମତରେ ଐକ୍ୟ ନଥିଲା । କିନ୍ତୁ ସମସ୍ତେ ସହୃଦୟତାର ସହିତ ଅନ୍ୟକୁ ବୁଝିବାକୁ ଚେଷ୍ଟାଶୀଳ ଥିଲେ ଏବଂ ତେଣୁ ପ୍ରତ୍ୟେକ ମତର ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ ପ୍ରକାଶ୍ୟ ଭାବରେ ।
ସେତିକିବେଳେ ପାରଳା ମହାରାଜାଙ୍କର ଉଗ୍ରଜାତୀୟ ଚେତନାର ଉଦ୍ଗୀରଣ ତୁଙ୍ଗ ନେତା ମଧୁବାବୁଙ୍କ ସମେତ ଅନେକଙ୍କୁ ବିସ୍ମିତ କରାଇ ଦେଇଥିଲା । ସେ ଯାବତ୍ ଉତ୍କଳ ସମ୍ମିଳନୀ ତଥା ଓଡ଼ିଆ ଆନ୍ଦୋଳନକାରୀଗଣଙ୍କ ପ୍ରମୁଖ ଦାବି ଥିଲା ବିଛିନ୍ନ ହୋଇ ରହିଥିବା ସବୁ ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ କରାଯାଇ ଯେ କୌଣସି ଗୋଟିଏ ପ୍ରାଦେଶିକ ଶାସନ ସହିତ ଯୁକ୍ତ କରାଯାଉ । କିନ୍ତୁ ମହାରାଜା କୃଷ୍ଣଚନ୍ଦ୍ର ଆଉ ପାଦେ ଆଗେଇ ଯାଇ ମତ ପ୍ରଦାନ କରିଥିଲେ ଯେ ସବୁ ଓଡ଼ିଆ ଅଞ୍ଚଳର କେବଳ ଏକୀକରଣ ନୁହେଁ, ତତ୍ ସହିତ ଆମର ଦାବି ହେଉ ସେହିଭଳି ଏକୀକୃତ ଅଞ୍ଚଳ ସବୁକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଏବଂ ଉତ୍କଳ ସମ୍ମିଳନୀ ତତ୍ପରଠାରୁ ଯଥାର୍ଥଭାବେ ସେହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପଦକ୍ଷେପମାନ ନେବା ଆବଶ୍ୟକ ।
ହେଲେ ମହାରାଜାଙ୍କ ସେହି ମତ କିଛି ତୁଙ୍ଗ ସଂଗଠକଙ୍କୁ ଯଥାଯୋଗ୍ୟ ମନେ ହୋଇ ନଥିଲା; ଏପରିକି ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ମଧୁବାବୁ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ ପ୍ରମୁଖ । ତାଙ୍କରି ମତ ଥିଲା, ସେତେବେଳେ ଏକ ସ୍ୱତନ୍ତ୍ର ପ୍ରଦେଶଦାବି କରାଗଲେ ବ୍ୟୟବହୁଳତା ଆଳରେ କେନ୍ଦ୍ର ସରକାର ସେଭଳି ପ୍ରସ୍ତାବକୁ ସହଜରେ ପ୍ରତ୍ୟାଖ୍ୟାନ କରି ଦେଇ ପାରିବେ । କିଂତୁ ଆପଣା ମତକୁ ସିଦ୍ଧ କରାଇବାପାଇଁ ମହାରାଜାଙ୍କ ଯୁକ୍ତି ଥିଲା- ଲୁହା ତାତିଲା ଅବସ୍ଥାରେ ଥିବାବେଳେ ପାହାର ବସାଇ ଅଭିଳଷିତ ଦ୍ରବ୍ୟ ତିଆରି କରାଯାଇପାରେ । ତେଣୁ, ସାଂପ୍ରତିକ ପ୍ରଥମ ବିଶ୍ୱଯୁଦ୍ଧକାଳୀନ ବିଷମ ପରିସ୍ଥିତିରେ ପଡ଼ି ଆମ୍ଭମାନଙ୍କର ସହଯୋଗ କାମନା କରୁଥିବା ବ୍ରିଟିଶ୍ ସରକାରଙ୍କୁ ବର୍ତ୍ତମାନ ସମର୍ଥନ ଜଣାଇ 'ଦେଇଥିଲେ ପାଇ' ନୀତିରେ ପରେ ପରେ ଆମେ ସେମାନଙ୍କଠାରୁ କିଛ ପାଇବାପାଇଁ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ । ବର୍ତ୍ତମାନ ସେଇ ସୁଯୋଗ ଉପସ୍ଥିତ ଏବଂ ତାହାକୁ ହାତଛଡ଼ା କରିବା ଉଚିତ ହେବନାହିଁ ।
ଯଦିବା ମଧୁବାବୁଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ବ ତଥା ନେତୃତ୍ତ୍ୱ ସହିତ ସେତେବେଳକାର ଜଣେ ନବଯୁବକ କୃଷ୍ଣଚନ୍ଦ୍ରଙ୍କୁ ସମତୁଲ ମନେକରାଯିବାର ଅବକାଶ ନଥିଲା, ତଥାପି ସେହି ମତାମତ ପ୍ରତି ସେଠି ସମବେତ ନେତୃମଣ୍ଡଳୀରୁ କେତେଜଣ ସମର୍ଥନ ଜଣାଇଥିଲେ । ଗୋପବନ୍ଧୁ, ଶଶି ରଥ, ଫକୀରମୋହନ, ବ୍ରଜସୁନ୍ଦର, ଜଗବନ୍ଧୁ ସିଂହ, ମାଂଜୁଷା ତଥା ଧରାକୋଟର ରାଜାଗଣଙ୍କ ସମେତ ଆହୁରି ଅନେକେ ଯୁବକରାଜାଙ୍କ ଯୁକ୍ତିକୁ ଯଥାର୍ଥ ବିବେଚନା କରିଥିଲେ । ସେହି ପ୍ରସ୍ତାବର ଅଧିକ ଅଲୋଚନା ପରେ ମଧୁବାବୁ ମଧ୍ୟ ତାହାକୁ ସମର୍ଥନ ଜଣାଇଥିଲେ । ବାସ୍ତବରେ ତାହା ହିଁ ଥିଲା ପାରଳା ମହାରାଜାଙ୍କ ହାର୍ଦ୍ଦିକ କାମନା ଏବଂସେହି କାମନା ପ୍ରାୟ ସେହି ସମୟରୁ ହିଁ ତାଙ୍କରି ଭିତରେ ବସା ବାନ୍ଧି ରହି ଯାଇଥିଲା ଶେଷ ପର୍ଯ୍ୟନ୍ତ; ବାସ୍ତବରେ ତାହା ପରିପୂରଣ ହେବା ପର୍ଯ୍ୟନ୍ତ ।
ତେବେ ଏହା ମଧ୍ୟ ନିଶ୍ଚିତ ଥିଲା ଯେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପୂର୍ବରୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ମନରେ ଜାଗରିତ ହୋଇଥିବା ଜାତୀୟ ଚେତନା ତତ୍ପରଠାରୁ ଆହୁରି ଅଧିକ ତୀକ୍ଷ୍ମ, ଆହୁରି ଅଧିକ ଶାଣିତ ହୋଇଥିଲା ନିଶ୍ଚୟ । ତେଣୁ ବିଭିନ୍ନ କାରଣରୁ ଉତ୍କଳ ସମ୍ମିଳନୀର ପଦପାତରେ ଅସ୍ଥିରତା ସତ୍ତ୍ୱେ ସମୟର ଅନୁକ୍ରମରେ ମହାରାଜାଙ୍କର ସେଇ ନିଦ୍ଦିଷ୍ଟ ଲକ୍ଷ୍ୟବିନ୍ଦୁଟି କ୍ରମଶଃ ଅଧିକରୁ ଅଧିକ ଉଜ୍ୱଳ ରୂପ ହିଁ ପରିଗ୍ରହଣ କରିଥିଲା ।
ସମୟକ୍ରମେ ଉତ୍କଳ ସମ୍ମିଳନୀର ନେତୃତ୍ବ ତାହାର ଜନ୍ମଦାତା ମଧୁବାବୁଙ୍କ ହାତରୁ ଆପଣା ଛାଏଁ ଚାଲିଯାଇଥିଲା ଗୋପବନ୍ଧୁଙ୍କ ହାତକୁ ଏବଂ ଗୋପବନ୍ଧୁଙ୍କ ଭାବ ଚେତନାକୁ ମହାତ୍ମାଗାନ୍ଧିଙ୍କ ଜାତୀୟ ଆନ୍ଦୋଳନ ତଥା ନୀତିଗତ ଆଦର୍ଶ ସମୟକ୍ରମେ ସଂପୂର୍ଣ୍ଣ ପ୍ରଭାବିତ କରି ନେଇଥିଲା । ପରିଣାମତଃ ୧୯୨୦ ମସିହାରେ ସମ୍ମିଳନୀର ଚକ୍ରଧରପୁରଠାରେ ଅନୁଷ୍ଠିତ ଅଧିବେଶନରେ ଏହି ଅନୁଷ୍ଠାନ ଭାରତୀୟ ଜାତୀୟ କଂଗ୍ରେସ ସହିତ ସାମିଲ୍ ହେବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଭଳି ପଦକ୍ଷେପ ଗୋପବନ୍ଧୁଙ୍କ ନେତୃତ୍ୱରେ ହିଁ ନିଆଯାଇଥିଲା ।
ତତ୍ପରେ ମହାରାଜା କୃଷ୍ଣଚନ୍ଦ୍ର ସ୍ଥିର କରିଥିଲେ ଯେ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ବିନ୍ଦୁରେ ପହଞ୍ଚିବା ପୁର୍ବରୁ ସେ ଆପଣାର ଗତିପଥ କଦାପି ସାମାନ୍ୟତମ ଭାବରେ ମଧ୍ୟ ପରିବର୍ତ୍ତନ କରିବେ ନାହିଁ । ପରିଣାମତଃ ତତ୍କାଳୀନ ଉତ୍କଳୀୟ ତୁଙ୍ଗ ନେତୃବର୍ଗଙ୍କ ମଧ୍ୟରେ ଏକ ବିଭାଜନ ହୋଇଥିଲା କହିଲେ ଚଳେ । ଯେଉଁ ଗୋଷ୍ଠୀ କଂଗ୍ରେସ ପରିବର୍ତ୍ତେ ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନକୁ ଆପଣେଇ ନେଇଥିଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ମହାରାଜା । ସେମାନଙ୍କ କ୍ରମାଗତ ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲା ଏବଂ ତାର ପରିଣାମ ସ୍ୱରୂପ ବିଭିନ୍ନ ଉତ୍କଳୀୟ ସମସ୍ୟାର ଅନୁସନ୍ଧାନପାଇଁ ସମୟାନୁକ୍ରମେ ଯେଉଁ ସରକାରୀ କମିଟିମାନ ଗଠିତ ହୋଇଥିଲା ସେଥିରେ ଉତ୍କଳୀୟ ସ୍ୱରଲହରୀର ଯଥାର୍ଥ ପ୍ରତିଫଳନ ପାଇଁ ଗଜପତି କୃଷ୍ଣଚନ୍ଦ୍ର ବିଶେଷ କର୍ମତତ୍ପର ହୋଇ ଉଠିଥିଲେ । ତେବେ ସିଂହାସନ ଆରୋହଣ କରିବା ପରେ ଅପଣାର ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି କଳ୍ପେ ବିଭିନ୍ନ କାର୍ଯ୍ୟକୁ ମଧ୍ୟ ଅଗ୍ରାଧିକାର ଦେଇଥିଲେ ମହାରାଜା ।