ଆଶା ତମସା/ହନୁ-ସବାଖିଆ ଉପଦ୍ରବ
ଦେଖଣା
< ଆଶା ତମସା
←ହୁଲୁସ୍ତୁଲ | ଆଶା ତମସା ଲେଖକ/କବି: ହନୁ – ସବାଖିଆ ଉପଦ୍ରବ |
ଦିନେ ବଡ଼ିଭୋରୁ ଖଣ୍ଡମଣ୍ଡଳ ସମସ୍ତେ ଆଚମ୍ବିତ ଘଟଣାଟିଏ ଦେଖିଲେ । ଦୈବୀକାଣ୍ଡ ପରି । ଚମକ୍ରାର ଅଥଚ ଭୟାନକ । ସମସ୍ତଙ୍କ ମନ ବଣା । ହେଇଚି ତ ନିଶ୍ଚୟ । ହେଲେ କାହିଁକି? ଆଶା ପାଇଁ ତେୟାଳିଶି ଗଳି ବୁଲୁଥିବା ମଣିଷମନ ବରଚରା ସବୁବେଳେ ଆଶଙ୍କାର ହାଇୱେ ହାବୁଡ଼େ । ତେଣୁ ସମସ୍ତେ ଧରିନେଲେ, ଆଗକୁ ବିତ୍ପାତ ଥୁଆ । କିଏ ଅଚ୍ୟୁତାନ୍ଦ ମାହାପ୍ରୁଙ୍କ ମାଳିକାର ଭେଜାଲ ତିଆରି କରି ପଦ ଗାଇ ଶୁଣେଇଲେ ତ କିଏ ପୁରାଣରୁ କାଢ଼ି ପୃଥିବୀ ଶେଷ ହେବା ଚିତ୍ରର ବିବରଣୀ କହିଲେ । ଏଇଥର ଯୁଗ ସଇଲା । କିଳ୍ବିଷ କୂଳ ଲଘିଂଲାଣି ତ । ବାର ହାତିଆ ଖଣ୍ଡା ସାଏଁସାଏଁ ବୁଲିଯିବ । ସମସ୍ତଙ୍କୁ ଚ୍ଛେଦି ନିମିଷକେ ବାହୁଡ଼ି ଯିବ । ୟା’ପରେ ଆସିବ ସତ୍ୟଯୁଗ । କିନ୍ତୁ ସତ୍ୟଯୁଗ ଆସିବ ବୋଲି କେହି ଖୁସି ହେଉ ନ ଥିଲେ । କାରଣ ଜୀବନ ଓ ସତ୍ୟ ଭିତରେ ଜୀବନଟା ଅଧିକ ସୁଆଦିଆ ବୋଲି ମଣିଷ ସବୁବେଳେ ଭାବେ ଏବଂ ସେହି ଅନୁକ୍ରମରେ ନାନା କାର୍ଯ୍ୟ କରେ ମଧ୍ୟ । ଲୋକେ କ’ଣ ଦେଖିଥିଲେ? ଗୋଠରେ ଶୋଇଥିବା ଗୋରୁ ମଇଁଷିଙ୍କ ପିଠି ଓ ତଥି ଉପରେ ବସିଥିବା କଜଳପାତି କି ହଳଦୀବସନ୍ତର ଡେଣା ଧଳା । ଧଳା ଦେଖାଯାଉଥିଲା ଗଛ, ପଡ଼ିଆ, ବିଳ, ଛପର, ଛାତ – ସବୁକିଛି । ଚାରିଆଡ଼େ ଅବାସ୍ତବ ଧଳା । ଫୁଲବାଣୀ କି ଟେନ୍ସାରେ ଶୀତଦିନେ ପଡୁଥିବା କୁଣ୍ଡାଝଡ଼ା ବରଫ ପରି ଅବା କୋଟିକୋଟି ପରାର୍ଦ୍ଧପରାର୍ଦ୍ଧ ଚଢ଼େଇ ଉଡ଼ିଲାବେଳେ ଏକାସାଙ୍ଗରେ ମଳତ୍ୟାଗ କଲେ ଯେମିତି ଧଳା ଦେଖାଯା’ନ୍ତା, ସେମିତି । ଝଡ଼ ତୋଫାନ କି ଦୁର୍ବିପାକ ପୂର୍ବ ରାତିରେ କିଛି ନ ଥିଲା । ସବୁ ପ୍ରାଣୀ ବର୍ତ୍ତମାନ କାଳରେ ଜିଅନ୍ତି । କେବଳ ମଣିଷକୁ ଛାଡ଼ି । ସେ ଶୁଖି ଯାଇଥିବା ଅତୀତ ନାମକ ନଈରେ ବେଶି ପହଁରିବା ଅବଲୟ କରେ । ନ ହେଲେ, କଳ୍ପନାରେ ବଡ଼ବଡ଼ ନାଟକ ରଚେ । ନିଜକୁ କେଉଁ ଖୋପରେ ଥାପିଲେ ଆହୁରି ଅଉଲ ଦେଖାଯିବ, ଭାବିଭାବି ଜୀବନ ଶେଷ କରେ । ହେଲେ ମହଜୁଦା ଏ ଯେଉଁ ଭୟାନକ ବର୍ତ୍ତମାନ ସାମ୍ନାରେ ହାବୁଡ଼ିଲା ତାକୁ ଗର୍ନଜର କରିବା ଜୁ’ କାହାର? ସମସ୍ତେ ବାଉଳା । କିଛି ନ ଥିଲା । ହୁ ଦସ୍ତ ସବୁ କେମିତି ଧଳା ହୋଇଗଲା? ଭେବଳା ହୋଇ ସେମାନେ ହୁରି କଲେ । ଘଟଣା ଏକ ରାତିର । ରାତି କ’ଣ ଏତେ ନିରୋଳା ଯେ କେହି କିଛି ଦେଖିବେନି କି ଜାଣିବେନି? ଗାରିମା ଝାଡ଼ି ହକାଳି ସବୁଦିନେ ରାତି ଯେମିତି ଆସିଥାଏ ସେଦିନ ବି ସେମିତି ଆସିଥିଲା । ଗଲାବେଳକୁ ଏଡ଼େ ବଡ଼ ଚିହ୍ନଟେ ରଖିଗଲା ଯେ ଲୋକେ ତାହା ଗିଳି ପାରୁ ନ ଥା’ନ୍ତି କି ବାନ୍ତି କରି ପାରୁ ନ ଥା’ନ୍ତି । ଯେଉଁମାନେ ଶେଯରେ ପଡ଼ି ରାତି ଓ ଆଳସ୍ୟର ମଧୁଚନ୍ଦ୍ରିକା ପାଳୁଥା’ନ୍ତି ଏବଂ ସୂର୍ଯ୍ୟ ଆକାଶକୁ ନ ଆସିଲେ ଉଠନ୍ତିନି, ହାଉଳି ଶୁଣି ସେମିତିକା ଲୋକ ବି ଉଠି ପଡ଼ିଲେ । ଯେଉଁମାନେ ରାତିରୁ ଡିସ୍କାଉଣ୍ଟ୍ ନ କାଟିଲେ ଜୀବନ ଉପରେ ଆସ୍ଥା ଥାପି ପାରନ୍ତିନି ସେମାନେ ତ ସାକ୍ଷୀ । ସ୍ୱଚକ୍ଷୁରେ ଦେଖିଛନ୍ତି । ଜାଙ୍ଗୁଲୁଜାଙ୍ଗୁଲୁ ସକାଳ । ହୁତୁହୁତୁୁ ହୋଇ ଧଳାଧଳା ସବୁ କ’ଣ ତ ଗଦା ହୋଇ ପଡ଼ିଲା । ସମସ୍ତେ ତରକି ଯିଏ ଯୁଆଡ଼େ ଲୁଚିଗଲେ । ସେମାନେ କିଏ? ପ୍ରାଣାୟମ ଠାରୁ ଦୁଧଖଟାଇ ପର୍ଯ୍ୟନ୍ତ ଆତଙ୍କର ମୁକାବିଲା ପାଇଁ ଯେଉଁମାନେ ରାତିରୁ କିଛି ତ୍ୟାଗ କରନ୍ତି । କ’ଣ କରାଯିବ? ବ୍ୟାୟାମ କି ପ୍ରାଣାୟମ ନ କଲେ ଜୀବନର ଆତଙ୍କ । ମା’ ଦୁଧ ଭେଜାଳ ହେଉଥିବା ଯୁଗରେ ଗାଇ ଦୁଧ କଥା ପଚାରେ କିଏ? ଏମିତି ଯେତେ ଆତ୍ମା ସେତେ ଆତଙ୍କ । ସେମାନେ କିଛି କହି ପାରୁ ନ ଥିଲେ । କେବଳ ଡରୁଥିଲେ । ଅନିଦ୍ରା ଯେ ଆତଙ୍କ ଯୋଗୁ ହୁଏ, ତାହା ନୁହେଁ । ବେଳେବେଳେ ସେଥିରେ ଆଶା ବି ଥାଏ । ବଞ୍ଚିବା ପାଇଁ ପ୍ରୟାସର ଅନେକ ଛୋଟଛୋଟ ଛବି ଓ ହଲପ ମଧ୍ୟ ଦେଖିବାକୁ ମିଳେ । ଯେମିତି, ଆମ ଗାଁ ନରିଆ ମା’ – ସିଏ ରାତି ପୂରା ନ କରି ଉଠେ । ବଦଳା ମାସର ଆକାଶ ରେଖା ମନେ ରଖି ସିଏ ଗୋଟିଏ ତାରାକୁ ଚିହ୍ନ ଦେଇଛି । ତାକୁ ଅନେଇଅନେଇ ବିଭିନ୍ନ ପାଗ ଓ ଋତୁରେ ସେ ଏମିତି ସମୟରେ ଉଠି ପଡ଼େ ଯେମିତି ମେଲଣପଡ଼ିଆରେ ବୁଲା ଗୋରୁଙ୍କ ଗୋବରରୁ ସେ ଅଧିକ ସଂଗ୍ରହ କରିପାରିବ । ଥରେ ତାକୁ ପଚାରିଲି, “ଦକଦକ ହେଇ ତ ତୁ ତାରାକୁ ଅନେଇ ରହିଥିବୁ । ଶୋଇଥିଲୁ କୋଉଠି ଯେ ଉଠିଲୁ ବୋଲି କହୁଚୁ?” ତା ଉତ୍ତର ଥିଲା, “ବୁଝିଲୁ ବାପ, ଆମ ପରି ମଣିଷଙ୍କ ପାଇଁ ବଞ୍ଚିବାଠାରୁ ବଡ଼ ଗରଜ କିଛି ନାହିଁ । ସରାଗରେ କାଳେ ନିଦଟିକେ ପାଇବୁ ବୋଲି ଭାବିଭାବି ଜୀବନ ସରିଯାଏ ।” ଏଥିରୁ ଦର୍ଶନ ଖୋଜିବା ଦରକାର ନାହିଁ । ଏହା ନରିଆ ମା’ର ଅର୍ଥନୀତି । ପୂରା ରାତି ଶୋଇବା ପରି ସଉକ କଥା ସେ ଭାବିବ କାହିଁକି? ଏହିପରି ଅନେକ ସୁଖରେ ଶୋଇବା କଥା ଭାବି ପାରନ୍ତିନି । କଅଁଳା ଛୁଆର ମା’ । ଗ୍ୟାରେଣ୍ଟିରେ ଶୋଇପାରିବ କି? ମୁନ୍ସିପାଲ୍ଟି ଲୋକେ । ଆମ ସୁଖ ବର୍କରାର୍ କରିବାକୁ ଟେକା ଟିଣ ମୁଣ୍ଡରେ ବୋହିବ କିଏ? ରାସ୍ତାଘାଟରୁ ମଇଳା କାଢ଼ିବ କିଏ? ତେଣୁ ପୂରା ରାତି ଶୋଇବା ଏହିପରି ଅନେକଙ୍କ ଭାଗ୍ୟରେ ନାହିଁ । ମାତ୍ର ଏ ଘଟଣା ପରେ ସମସ୍ତେ ପାଲଟି ଗଲେ ଚେଇଁ ଶୋଇବା ଲୋକରେ । ପୂରା ନିଦ ସାରି ଆମୋଦରେ ଜାଗିବା ଏକ ରୋମାଣ୍ଟିକ ଅନୁଭବ । ଅନ୍ୟଥା, ନିଦ ତ ନୁହେଁ, ତାହା ଦାନ୍ତ ନ ଥାଇ କାକୁଡ଼ି ଚୋବେଇବା ପରି ବା ପ୍ରୀତି ନ ଥାଇ ଆର ଦେହଟାକୁ ଯାବୁଡ଼ି ଧରିବା ପରି ଗ୍ରହାଚାର ଅନୁଭବ ସିନା । ପୃଥିବୀ ଧଳା ହୋଇଥବା ଘଟଣା ଜାଣି ନିରସ କି ସରସ ନିଦ ସହିତ ଜୀବନ ଅତିବାହିତ କରୁଥିବା ଉଭୟ ଗୋଷ୍ଠୀ ତ୍ରସ୍ତ ହେଲେ । ଆଶ୍ଚର୍ଯ୍ୟ କଥା, ତା’ପରେ ଖରା ପଡ଼ିଲା । ଦିନ ଗଡ଼ିଲା, କିନ୍ତୁ ବିଛେଇ ହୋଇଥିବା ଧଳାରଙ୍ଗ ଉକୁଟିଲାନି କି ମଉଳଣ ପଡ଼ିଲାନି । ତାହା ଗନେ୍ଧାଉ ନ ଥାଏ କି ବାସୁ ନ ଥାଏ । ଜୀବ ଜନ୍ତୁ ଡରି ମୋଟେ ପଦାକୁ ବାହାରିଲେନି । କେତେ ରକମ ଭବିଷ୍ୟବାଣୀ ଶୁଣିବାକୁ ମିଳିଲା । ମଣିଷ ସବୁଠୁଁ ବୁଦ୍ଧିଆ । ସୁଖ ଭୋଗିବା ଓ ଦୁଃଖ ସହିବା ସିଏ ପିଟାସୁନା ପରି ଅଭିଜ୍ଞତାରୁ ଶିଖିଚି । ସେ ପଦାକୁ ବାହରୁ ନ ଥାଏ ସତ, ହେଲେ ନିଜ ଘର ବାହାରକୁ ନିଘା ରଖିଥାଏ ଝରକା ଭିତରୁ । ଅପରର କଥା ଶୁଣୁଥାଏ ଟିଭିରୁ । ପଢ଼ୁଥାଏ ଖବରକାଗଜ । ଏମିତି ଏମିତି ମଣିଷଗୁଡ଼ାକ ବୁଦ୍ଧିଜୀବୀରେ ପରିଣତ ହୋଇଗଲେ । ଢ଼େର ଦିନ ବିତିଗଲା । ଧଳାରଙ୍ଗ ଆଉ ସେମାନଙ୍କୁ ଅଖବା ଲାଗିଲାନାହିଁ । ସମସ୍ତଙ୍କ ସକାଶେ ଏମିତି କର୍ଫୁ ପରି ଅବସ୍ଥା ଜାରିଥିବାବେଳେ ସବାଆଗେ ଦେଖାଗଲା ଦଳେ ହନୁମାଙ୍କଡ଼ ଅନାୟାସରେ କୁଦିବା ଆରମ୍ଭ କଲେ । ଗଛବୁର୍ଚ୍ଛରେ ନିର୍ବିଘ୍ନ ଡାଳମାଙ୍କୁଡ଼ି ଖେଳିଲେ । ସବୁ ଯେମିତି ଏବେ ସେମାନଙ୍କ ଅକ୍ତିଆରରେ । କେହି ହାଆସୁ କହିବାକୁ ନାହାଁନ୍ତି । ମାଙ୍କଡ଼ମାନେ ମନଇଚ୍ଛା ଖାଇଲେ । ତହୁଁ ଅଧିକ ବିନର୍ବ୍ୟୟ କଲେ । ସେତେବେଳକୁ ଲୋକେ ଭୋକରେ ଆଉଟୁପାଉଟୁ । ସଞ୍ଚିତ ଦ୍ରବ୍ୟ କମିକମି, ସରିଗଲା । ଲୋକେ ମାଙ୍କଡ଼ ଅଇଁଠା ଗୋଟେଇ ଖାଇବାକୁ ପ୍ରସ୍ତୁତ ହୋଇଥିଲେ ବି ଚତୁ୍ର୍ଦିଗେ ଖେଁ ଖାଁ ଗୋଡ଼େଇଆସୁଥିବା ହନୁ ପଲଙ୍କୁ ଦେଖି ସେମାନେ ପଦାକୁ ବାହାରିବାକୁ ଡରୁଥା’ନ୍ତି । ଯାହାହେଲେ ସୁଦ୍ଧା ମଣିଷ ବୁଦ୍ଧିଆ । ସେମାନେ ବାନା ବଇରଖ ତିଆରିକଲେ । ସବୁଥିରେ ଭିନ୍ନଭିନ୍ନ ଢଙ୍ଗର ହନୁ ଚିତ୍ର ରହିଲା । ତା’ପରେ ମାଙ୍କଡ଼ମାନେ ଅନୁଭବ କଲେ ଯେ ମଣିଷ ସେମାନଙ୍କୁ ଖାଲି ଭୟ କରୁନି । ଭକ୍ତି ବି କରୁଛି ଓ ପୂଜା କରୁଛି । ଏଣିକି ସେମାନେ ଲୋକଙ୍କ ଭିତରେ ପଶିଲେ । ଲୋକେ ହଳଦୀ ପାଣିରେ ପାଦ ପଖାଳିଲେ । ସେମାନେ ଖଟ ସୋଫା ଆଦିରେ ବସିଲେ । ମଣିଷ ବସିଲା ତଳେ । ଏମିତି ବେଶ୍ କିଛି ଦିନ ଚାଲିଲା । ମାଙ୍କଡ଼ମାନଙ୍କ ମୁହଁରୁ ନାନା ତତ୍ତ୍ୱ ଶୁଣିବାକୁ ମିଳିଲା । କୁଆଡ଼େ ଧଳାରଙ୍ଗ ଶାନ୍ତି, ଶୁଭ୍ରତା ଓ ଧର୍ମନିରପେକ୍ଷତାର ପ୍ରତୀକ । ସେମାନଙ୍କ ମାର୍ଫତରେ ତାହା ଆହୁରି ବିକଶିତ ହେବ । ଫିଲ୍ ଗୁଡ୍ - ଫିଲ୍ ଗୁଡ । ମଣିଷମାନେ ସର୍ବଦା ଶାନ୍ତିରେ ରହିବେ । ଏହା ପରେ ହନୁଗୁଡ଼ିକ ପୂଜା ପାଇ ଖୁସ୍ । ମଣିଷମାନେ ଅଇଁଠା ଖାଇ ଖୁସ୍ । କିଛିଦିନ ଅନ୍ତେ କୁଆଡ଼େ ଥିଲେ କେଜାଣି, ୟା’ପରେ ଦଳଦଳ ସବାଖିଆ କୀଳିକୀଳା ରାବ କରି ଖଣ୍ଡମଣ୍ଡଳ ଖେଦିଗଲେ । ସେମାନେ ଖୋଜିଲେ, “ହନୁସବୁ ଗଲେ କୁଆଡ଼େ?”ମଝିରେମଝିରେ ଗାଁ ମଶାଣିରେ ଡେରା ପକାଉଥିବା ସବାଖିଆଙ୍କ ଏମିତିକା ଉଗ୍ର ରୂପ କେହି କେବେ ଆଗରୁ ଦେଖି ନଥିଲେ । ଜନବସତିରେ ଯେହେତୁ ସବାଖିଆ ଜାତି ନିହାତି ଅଜଣା ନ ଥିଲେ ମଣିଷମାନେ ଯେମିତି ହନୁଙ୍କୁ ଡରୁଥିଲେ, ଏମାନଙ୍କ କ୍ଷେତ୍ରରେ ସେପରି ହେଲାନି । ପାଖରେ ଠିଆ ହୋଇ ଗପସପ ହୋଇ ପାରୁଥିଲେ । ଲୋକେ ବୁଝିବାକୁ ଲାଗିଲେ ଯେ ସବାଖିଆଙ୍କ ରାଗ ହନୁଦଳ ଉପରେ । କେହିକେହି ବିଚାରବନ୍ତ ଲୋକେ ସବାଖିଆଙ୍କୁ ପଚାରିଛନ୍ତି, “ହଇରେ, ତମେ ତ ମୂଷା ଚୂଚୂନ୍ଦ୍ରା ନେଉଳ ସବୁ ଖାଅ । ନୁଚେଇନାଚେଇ ମଲା ମଣିଷ ବି ଖାଇଦିଅ । ଯେମିତି ଖାଉଥିଲ, ସବୁଦିନେ ଖାଇଥା’ନ୍ତ । ହନୁଙ୍କୁ ପାଇଲେ ସେମିତି ମାରିଥା’ନ୍ତ, ପୋଡ଼ି ଖାଇ ଦିଅନ୍ତ । ଏତେ ଉତ୍ପାତ କରୁଚ କାହିଁକି?” ବୁଝୁବୁଝୁ ସବାଖିଆଙ୍କ ରାଗ ଅଲଗା ଜାଗାରେ । ସେମାନେ କହିଲେ, “ତମେ ଜାଣିଚ? ଆମ ପୂର୍ବପୁରୁଷ ହିଂସା ଅହିଂସା ମିଳେଇମିଶେଇ ଆନେ୍ଦାଳନ କଲେ ବୋଲି ଆଜି ଏ ଦେଶ । ଏଡ଼େ ବହପ ୟେ ଶ୍ୟା... ହନୁଦଳ ଆସି ଧଳାରଙ୍ଗର ବ୍ୟାଖ୍ୟା କରିଦେବେ? ସେତେବେଳେ ଆମେ ସଂଗ୍ରାମ କରିଥିଲୁ ବୋଲି ଏବେ ଧଳାରଙ୍ଗ ଆସିଲା । ଜାଣିଚ, ଏ ଯେଉଁ ଧଳାରଙ୍ଗ ଦେଖାଗଲା ତାହା ହେଲା ସମାଜବାଦ ଓ ଧର୍ମନିରପେକ୍ଷତା । ଟୁ ଇନ୍ ୱାନ୍ । ଚଢ଼େଇଗୁହ ନୁହେଁ କି ବରଫ ନୁହେଁ । ଆମେ ଯଦି ଠିକ ନ କରୁଚୁ ତା’ହେଲେ କିଏ ଜାଣିଚ, କହୁନା । ଇଏ ଶଳେ କୋଉ ଗାଇର ଗୋବର ଯେ କହିବେ କ’ଣ ନା ଶାନ୍ତି, ଶୁଭ୍ରତା ଓ ଧର୍ମନିରନେକ୍ଷତା । ବାଖ୍ୟା ଆମେ କରିବୁନି, ଏମାନେ କରିବେ? ଆମେ ମଣିଷ ହୋଇ ଶାସନ କରିବୁନି, ଏଗୁଡ଼ା ମାଙ୍କଡ଼ ହୋଇ ଆମକୁ ଶାସନ କରିବେ?” ମଣିଷମାନେ ଭାବିଲେ, ସତରେ ତ ସବାଖିଆଗୁଡାକ ରୂପରେ ଆମ ପରିକା । ଏବେକାର କଥା । ସମୟର ଢେର ବ୍ୟବଧାନରେ ଗାଁକୁ ଯାଇଥିଲି । ମେଲଣ ପଡ଼ିଆ । ଶୀତଦିନିଆ ସକାଳ । କାକରଓଦା ବସୁମାତା ଯେମିତି ଚାରିଆଡ଼େ ବୋହି ପଡ଼ୁଥାଏ । ନରିଆ ମା’ ଖୋଷଣିରୁ ପାଞ୍ଚ ଟଙ୍କିଆ କଏନ୍ଟେ କାଢ଼ିଲା । ମାଗିଲା, “ଦେଲୁ ଦେ ଗୋଟେ ପୁଚ୍” । ଖିଲିପାନ ଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ସବୁ ଚିଜ ବାର-ବାଇ-ବାର ଫୁଟିଆ ଦୋକାନ ଘରେ ରଖି ବ୍ୟବସାୟ କରୁଥିବା ମାଗୁଆ ତା ହାତରୁ ପଇସା ନେଇଗଲା ଅଥଚ ଅନେକ ବେଳଯାଏ ତାକୁ କିଛି ଦେଲାନି । ନରିଆ ମା’ ଇତିମଧ୍ୟରେ ପାଖ ସାହାଡ଼ା ଗଛରୁ କାଠି ଖଣ୍ଡେ ଭାଙ୍ଗି ତାହାକୁ ଦାନ୍ତ ଓ ନଖରେ ସାଉଁଳେଇ ଦାନ୍ତକାଠିରେ ପରିଣତ କରିଦେଲା । ତାହା ସେ ଚୋବେଇବାକୁ ଳାଗିଲା ପୁଚ୍ କ’ଣ? ଦେଖିବା । ମାଗୁଆ ତାକୁ ଯାହା ଦେବ, ସେଇଟା ହିଁ ପୁଚ୍ । ମାଗୁଆ ପରି ଆଉ ଦି’ତିନି ଜଣ ଦୋକାନୀ ଆମ ଗାଁରେ । ସେମାନଙ୍କ ଦେକାନମାନ ଗାଁବାଲାଙ୍କ ଡିପାର୍ଟମେଣ୍ଟାଲ ଷ୍ଟୋର ବା ସୁପର ମାର୍କେଟ ପରି । ଯାହା ଖୋଜିଲେ, ସବୁ ମିଳେ । କଅଁଳ ଛୁଆଙ୍କ ପାଇଁ ଜନମଘୋଟି ମିଳିବ । ହଜମୋଲା, ପୁଦିନହରା, ଲେବେନ୍ଚୁଷ୍, ଟଫି, ପୋଲୋ । ଆଉରି କେତେ କ’ଣ । ମିଳେ କ୍ରୁସ କଣ୍ଟା, ଝିଅବୋହୁ ହାତରେ ଲଗାଉଥିବା ମେହେନ୍ଦି ପାଉଡର ଓ ଚିତ୍ର ନକ୍ସାର ଟେନ୍ସିଲ । ଛୁଞ୍ଚି ସୂତା, ଷ୍ଟାଇଲରେ ବମ୍ବେ ଫୁଟପାଥ୍କୁ ଚିତା କାଟି ପାରୁଥିବା ସୁନ୍ଦର ଡିଜାଇନ୍ର ହେୟାର୍କ୍ଳିପ, ଶସ୍ତାରୁ ଦାମୀ ନେଲ୍ପଲିସ୍, ଅତର ମିଶା ଆକବର ଖାଁ ଗୁଡ଼ାଖୁ, ପେଟ୍ରୋମାକ୍ସ ଲାଇଟ ମେଣ୍ଟାଲ୍, କେତେ ପ୍ରକାର କଲମ । ଜନ୍ମଦିନ ବିବାହ ଉପଲକ୍ଷେ ଗିଫ୍ଟ ଆଇଟମ୍ । ପାନ ବିଡ଼ି ସିଗାରେଟ । ଜଣେଅଧେ ଲୁଚେଇ ନାନା କିସମର ନିବ୍ ମଦ ରଖୁଛନ୍ତି । ଚିହ୍ନା ଗରାଖଙ୍କୁ ଗୁପ୍ତରେ ବିକନ୍ତି । ସେଥିରୁ ରାଧୁ ରାଉତକୁ ସରପଞ୍ଚ କୁଆଡ଼େ ଭଲ ପାଆନ୍ତି ବୋଲି ସେ ଏଥର ସରକାରୀ ପଞ୍ଚାୟତ ମଦଦୋକାନ ଲାଇସେନ୍ସ ପାଇବ । ନରିଆ ମା’ ଖୁବ୍ ତରତର ହେଉ ନ ଥାଏ । ମାଗୁଆ ଗୋଟିଏ ନାମୀ ଟୁଥ୍ପେଷ୍ଟ ପାଉଚ୍ କୋଣରୁ ଅଳ୍ନ ଟିକେ କାଟି ତା ହାତକୁ ବଢ଼େଇଦେଲା । ନରିଆ ମା’ ଓ ପାଉଚ ଟୁଥ୍ପେଷ୍ଟ – ମୋଟେ ଯୋଡ଼ି ହେଉ ନ ଥିଲେ । ବୋଧେ ଆଉ କାହା ପାଇଁ ନେବାକୁ ଆସିଥିବ, ଏମିତି ଧାରଣାରେ ତାକୁ ପଚାରିଲି, “କାହା ପାଇଁ ନଉଚୁ?” “ସରିଗଲା ପରା । ଧରମଛଡ଼ା ଦଳ, ଏବେ ସଭେଁ ଠକ । ଗୋଟେ ପୁଚ୍ ହପ୍ତାଟେ ବି ଯାଉନି ।” “ୟାକୁ ପାଉଚ୍ କହନ୍ତି । ତୁ ପୁଚ୍ କହିଲୁ ତ, ବୁଝିପାରିଲିନି ।” “ମଲା ଯାଉନୁ । ତେମେ କାହାକୁ କ’ଣ କଉଚ ସେମିତିକା ଖୁଲ୍ଟି କଥା ଆମେ ବି ବୁଝି ପାରୁନୁ ।” “ତୁ ଗୁଡ଼ାଖୁ ଘଷୁନା କି?” “ନା । ତୁ ବଡ଼ଲୋକ ହେଲୁଣି ତ, କାଇଁ ଆମ କଥା ମନେ ରଖିବୁ? ମୁଁ କୋଉଦିନ ଗୁଡ଼ାଖୁ ଘଷୁଥେଲି ବା?” ଆମେ ଦୁହେଁ ଯେମିତି କଥା ହେଉଥିଲୁ ସହରରେ ତାହା ବିବର୍ଜିତ ଏବଂ ଆଶାଳୀନ । ଗାଁରେ ସ୍ୱାଭାବିକ । ମୋତେ ଲାଗିଲା, ଆଇ ମା’ ପ୍ୟାଣ୍ଟି କିଣିବା ଯାହା ନରିଆ ମା’ ଟୁଥ୍ପେଷ୍ଟରେ ଦାନ୍ତ ଘଷିବା ସେଇଆ । ତା ମାନେ ଯୁଗ ବଦଳିଲାଣି । “ୟା ଆଗରୁ ତୁ କେଉଁଥିରେ ଦାନ୍ତ ଘଷୁଥିଲୁ ।” “ଆଉ କ’ଣ ଗଇଁଠାପାଉଁଶ ମିଳୁଚି? ପି ଯୁଗ ହେଲା ଯେ ଚଳନ୍ତା ଗୋରୁ ଡ୍ୟାସ୍ରୁ ଗୋବର ଖସିବା ଆଗରୁ ଲୋକେ ପାଚିଆ ଦେଖେଇ ତା ପଛରେ ଦଉଡୁଚେନି । କ’ଣ ନା, ବିକି ଦେବେ । ପଇତ୍ରପାଣି ପକେଇବାକୁ ପରା ଗୋବର ଟିକେ ମିଳୁନି । ସ୍ୱାହା ସ୍ୱାହାରେ କାମ ଜଳିଯାଉଚି । ଘଷି ଗୁଣ୍ଡା ଆଉ କରୁଚି କିଏ ଯେ ଗଇଁଠା ପାଉଁଶ ଟିକେ ମିଳିବ?” ମୁଁ ସମାଜବାଦ ଦେଖୁଥାଏ । ଭାବୁଥାଏ, ନରିଆ ମା’ ପରି ସମସ୍ତେ କ’ଣ ତାରାକୁ ଚିହ୍ନ ରଖି ଅଧିକା ଗୋବର ସାଉଁଟି ପାରିବେ? ଏ ସମାଜବାଦ ସେମାନଙ୍କର କୋଉ କାମକୁ ଲାଗିବ? ସେତେବେଳକୁ ରୁଆରୁଆ ଦାନ୍ତକାଠିରେ ପାଉଚ୍ ଚିପି ଅଳ୍ପ ଟିକିଏ ଟୁଥିପେଷ୍ଟ ଲଗାଇ ସେ ଟିଉବ୍ୱେଲ୍ କିତିକି ଗଲା । କାମ ସାରିଲା । କସ୍ତା କାନିରେ ମୁହଁ ପୋଛି ଯୁଆଡ଼ୁ ଆସିଥିଲା ସିଆଡ଼କୁ ଚାଲିଗଲା । ସେ ମଝିସାହି ଅଙ୍କାବଙ୍କା କିଆଡ଼ିହ ଭିତର ଦେଇ ଗାଁ ଭିତରକୁ ଯାଉଥାଏ । ତା ନାଲିକସ୍ତାର ଝଲକ କେତେବେଳେ ଲୁଚି ଯାଉଥିଲା । ମୁଁ ତା’ରି ଆଡ଼େ ଅନେଇଥାଏ । ମୋ କାନ୍ଧରେ କିଏ ଜଣେ ହାତ ପକାଇଦେଲା । ଚମକି ପଛକୁ ଅନେଇଲାବେଳକୁ ସବାଖିଆଟା । ସେ ପଚାରିଲା, “ତୁ ମତେ କହିଥିଲୁ, ତମ ଶୁକୁଟୀ ନାନୀର ବିପିଏଲ୍ ହେଇଚି ନା?” “ହଉ ହଉ, ସେଥିକି କିଛି ବେବସ୍ତା କରିବା ।” “କ’ଣ କରିବ? ମଲା ପରେ?” “ଶାସନର କେତେ କାଇଦା । ତୁ କ’ଣ ବୁଝି ପାରିବୁ? ଆଚ୍ଛା ଭାଇ, ସତ କହିବ । ଆମେ ଭଲ ଶାସନ କରୁଛୁ ନା ହନୁଦଳ ଭଲ ଶାସନ କରୁଥିଲେ?" ଯେତେ ନିଠେଇ ଅନେଇଲେ ବି ମୋତେ ଆଉ ନରିଆ ମା’ ବା ତା ନାଲିକସ୍ତା କିଛି ଦେଖାଯାଉ ନଥିଲା ।