ଆଶା ତମସା/ହୁଲୁସ୍ତୁଲ
ଦେଖଣା
< ଆଶା ତମସା
←ନିର୍ବାଣ | ଆଶା ତମସା ଲେଖକ/କବି: ହୁଲୁସ୍ତୁଲ |
ହନୁ-ସବାଖିଆ ଉପଦ୍ରବ→ |
ସହରରେ ପ୍ରଦ୍ୟୁମ୍ନ ବାବୁଙ୍କର ବେଶ୍ ପତିଆରା । ସେ ଜଣେ ଭଦ୍ର ଓ ସଫଳ ଓକିଲ । ଦିନେ ସେ ପାଗଳ ପ୍ରାୟ ଏକ ସଂଭ୍ରାନ୍ତ ଡାକ୍ତରଖାନା ବାରଣ୍ଡାରେ ଗଡୁଥା’ନ୍ତି । ହିତାହିତ ଜ୍ଞାନ ନାହିଁ । କାନ୍ଦ ତ ନୁହେଁ, ଭେମାରଡ଼ି । କଥା କିଛି ବୁଝି ହେଉ ନ ଥାଏ । ପରିବାର ସଦସ୍ୟମାନଙ୍କ ଅବସ୍ଥା ତଦୃପ । ଯେହେତୁ ସେ ଥିଲେ ପ୍ରଦ୍ୟୁମ୍ନବାବୁ, ତାଙ୍କୁ ଘେରି ରହିଥିବା ଭିଡ଼ ବି ଥିଲା ସେମିତି ଜୋରସୋର । କାରଣଟି ଅବଶ୍ୟ ସେଇଠି ହିଁ ଜଣା ପଡ଼ିଗଲା । ତାଙ୍କ ସତର ବର୍ଷର ନାତି । କଲେଜରୁ ଫେରିଲା । ତାକୁ ସାଧାରଣ ଜର ହେଲା । ଚିକିତ୍ସାରେ କୌଣସି ଅବହେଳା ନ ଥିଲା । ସେହି ସାଧାରଣ ଜର ବ୍ରେନ୍-ମେଲେରିଆରେ ପରିଣତ ହେଲା । ପରିବାର ଆର୍ଥିକ ଭାବେ ବେଶ୍ ସଚଳ । ଚିକିତ୍ସା ପାଇଁ ହଜାରେ ହଉ କି ଲକ୍ଷେ ହେଉ, ଖର୍ଚ୍ଚ ତୁଲେଇବାକୁ ସେମାନେ ସକ୍ଷମ । କଲେ ମଧ୍ୟ । ପିଲା ଏବଂ ପରିବାରର ଯିଏ ଯେମିତି ଘନିଷ୍ଠ ସେମିତି ଥିଲା ଡାକ୍ତରଖାନାରେ ଶୁଭେଚ୍ଛୁମାନଙ୍କ ଭିଡ଼ । ସମସ୍ତଙ୍କ ଆବେଗ ଓ ଉଦ୍ବେଗ ବାରି ହୋଇପଡ଼ୁଥାଏ ପିଲାଟିର ଜୀବନ ମରଣକୁ କେନ୍ଦ୍ର କରି । ଦୁର୍ଭାଗ୍ୟ, ସବୁ ଚେଷ୍ଟା ସତ୍ତ୍ୱେ ପିଲାଟି ଚାଲିଗଲା । ଆପଦବିପଦରେ ଦି’ ଅକ୍ଷର ଦର୍ଶନ ବଖାଣିବା ଏକ ଜଟିଳ ମଧ୍ୟବିତ୍ତ ଅଭ୍ୟାସ । ତାକୁ ଆଶ୍ରା କରି ସୁଦୁ ଛଳନା ଛଳନାରେ କାମ ଚଳିଯାଏ ମଧ୍ୟ । ସତ୍ୟର ବିପରୀତ ସତ୍ୟ । ସେମିତି ଛଳନାର ବି କିଛି ବିପରୀତ ନାହିଁ । ଅଥଚ ଆମପରି ଦୁର୍ବଳମନା ଲୋକେ ଛଳନାକୁ ପ୍ରାୟତଃ ଦମ୍ଭ ବୋଲି ଭାବିଥାଉ । ଯତ୍ରତତ୍ର ତାହା ଦେଖେଇ କ୍ଷଣଟିକୁ ଚଳାଇ ନେଉ । କାରଣ ଆମେ ଜାଣୁ ଯେ ତା’ପରେ ଘଟଣା ବା ଦୁର୍ଘଟଣାକୁ ସମୟ ତା’ ନିଜ ବାଟରେ ପାଲିସ କରି ଚାଲୁଥିବ ଏବଂ ସେଥିପାଇଁ ଦର୍ଶନ ଶୁଣିବା କି କହିବା ଆଉ କାହାର ଦରକାର ହେଉ ନ ଥିବ । କିନ୍ତୁ ସେଦିନ ପ୍ରଦ୍ୟୁମ୍ନବାବୁଙ୍କ କାନ୍ଦ ଦେଖି ଓ ଘଟଣାର ନିଷ୍ଠୁର ଅସହାୟତା ଅନୁଭବ କରି ଆମ ମନର ଥିବା ସର୍ବଶେଷ ମଧ୍ୟବିତ୍ତ ଦମ୍ଭଟି ମଧ୍ୟ ହଲି ଯାଇଥିଲା । ସତେ ଏକା, ଏମିତିକା ଦୁଃଖକୁ ଦର୍ଶନ ବାଟେ ତୁଲେଇବା ଏକଦମ ଅସମ୍ଭବ । ଚିକିତ୍ସା ପାଇଁ ସୁଯୋଗ ଥିଲା । ହୁଏତ ବଞ୍ଚି ଯାଇଥା’ନ୍ତା । କିନ୍ତୁ ସେ ହତଭାଗ୍ୟ ବାଳକ ଭେଜାଲ୍ ଔଷଧର ଶିକାର ହେଲା । ସବୁ ସରିଗଲା ପରେ କଥାଟି ଜଣା ପଡ଼ିଲା । ପ୍ରଦ୍ୟୁମ୍ନବାବୁଙ୍କ ଖ୍ୟାତି ଯୋଗୁ ଏହା ଲୁଚିବା ମଧ୍ୟ ସମ୍ଭବ ହୋଇ ନଥା’ନ୍ତା । ଲୋକେ ଘେରିଗଲେ । ମିଡ଼ିଆ, ସରକାରୀ ଅଧିକାରୀ, ପୁଲିସବାଲାଏ ସମସ୍ତେ ସଜାଗ ହୋଇ ପଡ଼ିଲେ । ଖୋଳତାଡ ଆରମ୍ଭ ହେଲା । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା – ବାଡ ଯଦି ଫସଲ ଖାଏ ଜଣେ ତା’ହେଲେ କିଏ ଜଗିବ କାହାକୁ? ଓଷଦ ଯଦି ଭେଜାଲ ହୁଏ ଆମେ କାହା ଆଶାରେ ବଞ୍ଚିବୁ? ଆମୂଳଚୂଳ ତଦାରଖ କରାଯାଉ । ସମସ୍ତେ ଆଶ୍ୱସ୍ତ ଜୀବନ ପରି ଅଧିକାର ଦାବି କରନ୍ତି । ଇଏ କାହାରି ଦୟା ନୁହେଁ । ଟିଭି ଖବରକାଗଜ ବାକ୍ୟବାଣରେ ମେଦିନୀ କମ୍ପେଇଲେ । ପିଲାର ଡେଡ୍ବଡି ଉଠୁନି । ଲୋକେ ଦାବି କରୁଛନ୍ତି - ଆସନ୍ତୁ ଏଠିକି କଲେକ୍ଟର । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତେ ଆସନ୍ତୁ । ମଢ଼ ଠଉରେଇ ସବାଆଗେ ଶାଗୁଣା ପହଞ୍ଚôଲା ପରି ବିରୋଧୀଦଳ ନେତାମାନେ ନିଜନିଜ ନାଁ କହି ଟାଣିଓଟାରି ଦାବି କରି ବସିଲେ ଯେ ପିଲାର ମରଣ ସକାଶେ ଅବିଳମ୍ବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୃତ ବାଳକର ସାଙ୍ଗ ଆଉ ଟିକେ ପଦାକୁ ବାହାରି ପଡ଼ିଲେ । ମେଡ଼ିକାଲରୁ ବାହାରି ସେମାନେ ନେସନାଲ ହାଇଉଏ ଛୁଇଁ ଗାଡ଼ିମଟର ବନ୍ଦ କରିବାକୁ ଉଦ୍ୟତ ହେଲେ । ଅଚେତ ହୋଇ ପ୍ରଦ୍ୟୁମ୍ନବାବୁ ଟ୍ରମା-ସେଣ୍ଟରରେ । ବାହାରି ନ’ଥାନ୍ତି । ଜଣେ ଜିଳ୍ଲାସ୍ତରୀୟ ହାକିମ ତାଙ୍କୁ ସେଠି ଭେଟିଲେ । ପ୍ରଦ୍ୟୁମ୍ନବାବୁ କଥା କହିପାରୁ ନ ଥିଲେ ସତ, ହେଲେ ସେ ନାତିର ଜଣେ ଘନିଷ୍ଠ ସାଙ୍ଗକୁ ଡାକି ସେପରି କରିବାକୁ ମନା କଲେ । “ଆନ୍ଦୋଳନ ଆରମ୍ଭ କରିବା ତମୁକୁସବୁ ଖେଳଘର ପରିକା ଲାଗିପାରେ ମାତ୍ର ସେଥିପାଇଁ ଅନେକ ନିଷ୍ଠା, ବେଶ୍ କିଛି ପ୍ରସ୍ତୁତି ଓ ଢେର ପ୍ରତିଷ୍ଠା ଦରକାର । ରାସ୍ତାବନ୍ଦ କଲେ ଅସଂଖ୍ୟ ଲୋକଙ୍କର ଯେଉଁ ହାନୀ ଘଟିବ ସେଥିରେ ତମ ସାଙ୍ଗ ଆଉ ଫେରିବନି । ବରଂ ତୁମେମାନେ ଆଉ କାହା ଝୁଲାରେ ପଶି ଅଣନିଶ୍ୱାସୀ ହେଉଥିବ । ପରେ ଏଥିପାଇଁ ଯେତେବେଳେ ସମନ୍ କି ୱାରଣ୍ଟ ବାହାରିବ ସେତେବେଳେ ସମସ୍ତେ ଆମ ନାତି ମରଣକୁ ନିନ୍ଦା କରିବ । ଆଜିର କାରଣ ଭୁଲି ଯାଇଥିବ ।” ଯାହାହେଉ, ପିଲାମାନେ ତାଙ୍କ କଥା ବୁଝିଲେ । ବିରୋଧୀଦଳ ଲୋକେ ଘଣ୍ଟାକେତେ ହୋ ହୋ କଲେ ଏବଂ ଯିଏ ଯେଝା ଜାଗାକୁ ବାହୁଡ଼ି ଗଲେ । ଭିଟାମିନ୍ଖିଆ ଗଧ ମୋଟା ଗଧ ହୁଏ । ଘୋଡା ନୁହେଁ । ବୁଦ୍ଧୁ ଧନ ହାସଲ କଲେ ଧନୀ ବୁଦ୍ଧୁ ହୁଏ, ପଣ୍ଡିତ ନୁହେଁ । ରାଜନୀତିଆଙ୍କ ରୂପ ଆଉ କ’’ଣ କି? ମିଡ଼ିଆବାଲା ହୁଲସ୍ତୁଲ କରିବା କଥା, କଲେ । ଦିନ ଦୁଇ ତିନିଟା ଭିତରେ ରାଜ୍ୟସାରା ହୁଲିଆ ଜାରି ହେଲା ପରି ସବୁଆଡ଼େ ନକଲି ଓଷଦ ଅଭିଯୋଗରେ ଖବରକାଗଜ ଭରିଗଲା । ସ୍ୱାସ୍ଥ୍ୟସଚିବ ଫୋନ୍ରେ କୈଫତ ତଲବ କରିଦେଲେ । ଡେଡ୍ବଡି ଉଠି ନ ଥାଏ । ଡାକ୍ତରମାନଙ୍କର ଜରୁରୀକାଳୀନ ବୋର୍ଡମିଟିଙ୍ଗ୍ ଚାଲିଲା । ଶେଷରେ ବଡ ଡାକ୍ତର ପ୍ରେସ୍କୁ କହିଲେ – “ଆମେ କ’ଣ କରିବୁ? ଚିକିତ୍ସା ସକାଶେ ଯାହା ଦରକାର କହିଲୁ । ପେସେଣ୍ଟ କେଉଁଠୁ ଆଣିବ ବା ଔଷଧର ଗୁଣବତ୍ତା କ’ଣ, ଏସବୁ ଡାକ୍ତର କେମିତି ତଦାରଖ କରିପାରିବ? ଆମେ ଚିକିତ୍ସା କରିବା କଥା । ନିଷ୍ଠାରେ କଲୁ । ଔଷଧର ଗୁଣଧର୍ମ ଇତ୍ୟାଦି ଜାଞ୍ଚ କି ତଦାରଖ କରିବା ସୁଯୋଗ ଆମର ନାହିଁ । ଡାକ୍ତରମାନେ ବି ସେଥିସକାଶେ ପାଠ ପଢ଼ି ନ ଥା’ନ୍ତି । ତେଣୁ ଆମେ କ’ଣ କରିବୁ?” କେମିଷ୍ଟ-ଡ୍ରଗିଷ୍ଟ ରିଟେଲର୍ସ ଆସୋସିଏସନର ବରାଦୀ ବୈଠକ ସରିଲା । ସଭାପତି କହିଲେ - ଆମେ କ’ଣ କରିବୁ? “ଉତ୍ପାଦନକାରୀ କମ୍ପାନିଠୁଁଁ ଆରମ୍ଭ କରି ଫରୱାର୍ଡିଙ୍ଗ ଏଜେଣ୍ଟ, ଷ୍ଟକିଷ୍ଟ, ଡିପୋ, ହୋଲ୍ସେଲ୍ ଏଜେଣ୍ଟ ବାଟ ଦେଇ ଔଷଧ ଜଣେ ଦୋକାନୀ ହାତରେ ପହଞ୍ଚିବାକୁ ଏମିତି ଯେତେ ପାହାଚ, ସମସ୍ତେ ଔଷଧ ବ୍ୟବସାୟରେ ସାମିଲ ହେବାକୁ ସରକାରଙ୍କଠାରୁ ଲାଇସେନ୍ସପ୍ରାପ୍ତ । ଏମାନଙ୍କ ଭିତରୁ କାହାରିକୁ ଅବିଶ୍ୱାସ କରିବାକୁ ଆଇନରେ ଆମକୁ ଅନୁମତି ମିଳିନାହିଁ ।” ଜଣେ ସାମ୍ବାଦିକ ପ୍ରଶ୍ନ କଲେ । “ଦୋକାନୀ ଅଜାଣତରେ ଭେଜାଲ ଓଷଦ ବିକ୍ରି ତ ଏକଦମ୍ ଅସମ୍ଭବ?” “ଆପଣମାନେ ଦୋକାନୀକୁ ଅଭିଯୁକ୍ତ କରିବେ । କାରଣ ସିଏ ଛୋଟିଆ ଦେଖାଯାଏ । ଆମେ ବି ଜାଣୁ, ଆପଣମାନଙ୍କ ହାତ ମୋଟେ ସେତିକିଯାଏଁ ପାଇବ । ତେଣୁ ଦୋକାନ କରିବା ଆଗରୁ ଆମେ ଦେହ କିଳି ଦେଇଥାଉ । ଏଥପାଇଁ ଲୋକେ ଆମକୁ ବାଡ଼େଇବେ । ଦୋକାନ ଭାଙ୍ଗିରୁଜି ଦେବେ । ଆମେ ଜାଣିବୁ । ଆପରମାନଙ୍କ ପରି ଗୋଟିଏ ସମାଜରେ ସମାନ ପ୍ରକାର ଦୁଃଖସୁଖରେ ବଞ୍ଚୁଥିଲେ ସୁଦ୍ଧା କେବଳ ଆମ ବିରୁଦ୍ଧରେ କଳାବଜାରୀ, ମୁନାଫାଖୋର, ବେଇମାନ ପରି ଶବ୍ଦ ଆମ ପିଲାଏ ଆପଣଙ୍କ ପିଲାମାନଙ୍କଠାରୁ ନାଚାର ହୋଇ ଶୁଣୁଥିବା ବେଳେ ଆମେ ବି ଜେଲ ଯିବାକୁ ପ୍ରସ୍ତୁତ ରହିଥାଉ । ଭେଜାଲର ଚେର ମଜବୁତ ହେଲା ପରେ ଆଜି ସମସ୍ତଙ୍କ ନଜର ପଡ଼ିଲା । ଏ ପାପଚକ୍ର ଆରମ୍ଭ ନ ହେଉ – ଏ କଥା ଆମେ କେତେ ଆଗରୁ କାହାକୁ ନ କହିଚୁ? ସେତେବେଳେ ଉପରେ କଦବାକ୍ୱଚିତ୍ ଜଣେଅଧେ ନରପିଶାଚ ଦେଖା ଯାଉଥିଲେ । ସେବେଠୁଁ ଆମେ କହିଚାଲିଛୁ – ବନ୍ଦ କର, ବନ୍ଦ କର । ନ ହେଲେ ଆଗେ ଆମ ବେପାରୀଙ୍କ କୁଳ ବୁଡ଼ିଯିବ । କେହି ଶୁଣିଲେନି । ଚେର କୁଆଡ଼େ କୁଆଡ଼େ ମାଡ଼ି ମହାମହା ଦ୍ରୁମ ଉପୁଜେଇ ସାରିଲା ପରେ ଏବେ ଆମକୁ କୁହାଯାଉଛି କ’ଣ ନା - ଯାହା କହୁଚ ସେଥିପାଇଁ ଲିଖିତଂ ପ୍ରମାଣ ଦେଖା । ଆଜ୍ଞା, ସବୁ କଥା କ’ଣ କାଗଜ କଲମରେ ହୁଏ ଯେ ଆମେ ଏବେ ପ୍ରମାଣ କାଢ଼ି ଦେଖେଇ ପାରିବୁ? ପ୍ରମାଣ ସହ ଆମେ କ’ଣ ଡ୍ରଗ୍ଅଫିସ, ପୁଲିସ କି ମନ୍ତ୍ରୀ ଆଉ ରାଜନେତାମାନେ କେତେ ମାସିକିଆ ବଟି ନିଅନ୍ତି ସେକଥା କହି ପାରିବୁ? ସମସ୍ତେ ଯେଉଁଥି ସକାଶେ ଚୁପ୍ ରହନ୍ତି, ଦୋକାନୀ କ’ଣ ଜାଣେନା? ଏକନମ୍ବରୀ ଚୋରମାନେ ହେବେ ତୁଳସୀ ପତ୍ର । କେବଳ ଧରା ପଡ଼ିଗଲା ବୋଲି ଦୋକନୀ ହେବ – କଳାବଜାରୀ, ମୁନାଫାଖୋର, ବେଇମାନ । ସାମ୍ବାଦିକ ଭାଷାରେ ଆପଣ ଲେଖିବେ – ମୃତ୍ୟୁର ସୌଦାଗର, ଯମଦୂତ । ଚାଲୁ ଆଜ୍ଞା, ଚାଲୁ ଏଇ ଲୀଳା । ପାପର ଜୟ ହେଉ । ଆଜି ମୋ ଠାରୁ ପ୍ରତିଶୃତି ନିଅନ୍ତୁ – ଦୋକାନୀଙ୍କ ସଂଖ୍ୟା ମୋଟେ କମିବନି । ସେମାନେ ଶହିଦ ହେବେ ପଛେ, ଔଷଧ ନୋକାନ ନିଶ୍ଚ୍ରୟ କରିବେ ଏବେ ଆପଣ କୁହନ୍ତୁ ଆମେ କ’ଣ କରିବୁ ।” ଖୋଦ ଓଷଦପତ୍ରର ଗୋଟିଏ ତଦାରଖ ବିଭାଗ ରହିଛି । ସେମାନେ କହିଲେ - ଆମେ କ’ଣ କରିବୁ? “ବ୍ରାଣ୍ଡନେମ୍ ଫେକ୍ ହେଲେ ସେ କଥା କମ୍ପାନି ବୁଝିବ ନା ଆମେ ବୁଝିବୁ? ଟ୍ରେଡ୍ମାର୍କ ବଜାରଯୋଗ୍ୟ ବୋଲି ତ ସବୁ ପ୍ରଫିଟ୍ ତମର । ଧରାଯାଉ ଗୋଟିଏ ବଜାରକୁ ତୁମେ ମାସକୁ ଦଶ ପେଟି ଓଷଦ ଯୋଗାଉଚ । ସର୍ବେକ୍ଷଣ ବେଳକୁ ତୁମକୁ ହିସାବ ମିଳିଲା ତିରିଶ ପେଟିର । ଆଉ କୋଡ଼ିଏ ପେଟି କୋଉଠୁ ଆଇଲା ତାହା ବେଶି କମ୍ପାନି ଜାଣିବ ନା ଆମେ ଜାଣିବୁ? ତମ ଟ୍ରେଡମାର୍କ ଜଗିବାକୁ ଆମେ କାହିଁକି ଗାଁ ଗଣ୍ଡା ହାଟ ବଜାର ବୁଲିବୁ? ଏବେ ଆଜ୍ଞା, ଗ୍ଳୋବାଲମାର୍କେଟ କହିଲେ ତାହା ଅସଲରେ ହେଉଚି ଔଷଦର ବିଶ୍ୱବଜାର । ଭାରତରେ ଆହୁରି ବିଚିତ୍ର ସେହି ବଜାରର ରୂପ । ଜେନେରିକ୍ ଓ ବ୍ରାଣ୍ଡ ମିଶେଇ ଏଲୋପାଥି, ହୋମେପାଥି, ଆୟୁର୍ବେଦ, ୟୁନାନି, ତନ୍ତ୍ର, ମନ୍ତ୍ର, ଜ୍ୟୋତିଷୀ, ମଦ, ଭାଙ୍ଗ, ଗଞ୍ଜେଇ ଅଫିମ ପରି ସବୁ ଅବକାରୀ ଦ୍ରବ୍ୟ – ଏମିତିକି, ଟେଲିସପିଙ୍ଗ୍ ଇତ୍ୟାଦି ଯେତେ – ସବୁ ହେଲା ଔଷଧ । ସରକାର ଯେତେବେଳେ ଯାହାକୁ ଚାହିଁବେ ତାହା ଓଷଦ ବୋଲି ଘୋଷଣା କରି ଦେଇ ପାରିବେ । ଏ ମହାସମୁଦ୍ରରେ ଆମେ କାହାକୁ ଓ କିପରି ଚେକ୍ କରିବୁ? ତିନିତିନିଟା ନେସନାଲ କମିସନ ରିପୋର୍ଟ ସରକାରଙ୍କ ବିଚାରଧୀନ । ମୂଳକଥା ହେଲା – ଗୋଟିଏ ତ ଔଷଧ । ଏତେଗୁଡ଼ିଏ ନାଁ କାହିଁକି । ଏତିକି କାମ ସରଳ କରାଯାଉନି କାହିଁକି? ଏତେ ବଡ ସିଦ୍ଧାନ୍ତ । ଆମେ ତ ଆଜ୍ଞା ସରକାରଙ୍କ ଏକ ସାମାନ୍ୟ ବିଭାଗ । ବରଂ ଆପଣମାନେ କୁହନ୍ତୁ - ଆମେ କ’ଣ କରିବୁ?” ଜିଲ୍ଲାପାଳ କି ସିଡିଏମ୍ଓଙ୍କ ପରି ମଧ୍ୟପଦସ୍ଥ ହାକିମମାନେ ରାଉରାଉ ହେଉଥିଲେ । ହେଲେ, ସେଥିରୁ ଭବିଷ୍ୟତରେ ଯେ ଅବସ୍ଥା ସଜଡାଯାଇ ପାରିବ, ସେମାନଙ୍କ କଥାରୁ ଏମିତି କୌଣସି ସଙ୍କେତ ମିଳୁ ନ ଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, “ଆମେ କ’ଣ କରିବୁ? ଆମେ ତ ସରକାରଙ୍କୁ ଜଣେଇ ଦେଇଛୁ ।” “ଆପଣ ସରକାର ନୁହଁନ୍ତି କି? ଏହାର ଉତ୍ତରରେ ସେ କହିଲେ, “ଅଫ୍ ଦି ରେକର୍ଡ଼ । ଭାଇ, ଅଜାଗା ଘା । ଦେଖି ହୁଏନି କି ଦେଖେଇ ହୁଏନି । ନିଜକୁ ସରକାର ବୋଲି ଭାବିଲା ବେଳକୁ ଚାକିରି ନ ଥିବ । ଅନ୍ ରେକର୍ଡ ହେଲା – ଓଷଦ ଉତ୍ପାଦନ ପରା କେନ୍ଦ୍ର ସରକାରଙ୍କ ଲାଇସେନ୍ସ । ଗଙ୍ଗାରେ ହଜେଇ ଗଡ଼ିଆରେ ଖୋଜିଲେ - ଆମେ କ’ଣ କରିବୁ?” ଜଣେ ଫିଟ୍ଫାଟ୍ ସାମ୍ବାଦିକ ସେଇଠୁ ସିଧା କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଫୋନ ଲଗେଇଲେ । ସବୁ ଶୁଣି ମନ୍ତ୍ରୀ କହିଲେ, “ଓଡ଼ିଶା? ଏମିତି ଗୋଟେ ରାଜ୍ୟ ଅଛି କି? କୋଉଠି? ସାମ୍ବାଦିକ ଟିକେ ଅପ୍ରସ୍ତୁତ ହେଲେ । ରାଗିପାଚି ବେଶ୍ ଦି’ପଦ ଶୁଣେଇ ଦେଲେ । ମନ୍ତ୍ରୀଙ୍କ ଚାମ୍ବରରୁ ବାହାରିଲା ବେଳେ ବଡ ପାଟିରେ କହିଲେ, କାଲି ଆମ ଖବରକାଗଜ ଦେଖିବେ । ସତକୁ ସତ ତା’ପର ଦିନ ସେ ନିଜ କାଗଜରେ ସେ ବେଜାଏ ଲେଖିଥିଲେ । ହେଲେ କେନ୍ଦ୍ରମନ୍ତ୍ରୀ କ’ଣ ଓଡ଼ିଆ ପଢ଼ନ୍ତି ଯେ ବୁଝିବେ? କିନ୍ତୁ ରାଜ୍ୟ ସରକାର କିଛି କହିଲେ ନାହିଁ କି କହୁ ନ ଥା’ନ୍ତି । ଦାନ୍ତୁରୀ ରାଗିଚି ନା ହସୁଚି ପରି ମନସ୍ତାତ୍ତ୍ୱିକ ବିବାଦରେ ଲୋକେ ପଡ଼ିଗଲେ । ସରକାର କ୍ଷମ କି ଅକ୍ଷମ, ତାହା ତଥାପି ଅବୋଧ୍ୟ ରହିଗଲା । କିନ୍ତୁ କାଢୁଆ ଦମ୍ଭରେ ସରକାର ଗୋଟେ ଫରମାନ୍ ଜାରି କରିଦେଲେ । ଏଣିକି ଡ୍ରଗ୍ ଇନ୍ସପେକ୍ଟର ଆୟୁର୍ବେଦ ଔଷଧ ମଧ୍ୟ ତଦାରଖ କରି ପାରିବେ । ଆୟୁବେଦ ନାଁ ନେଇ ମିଳୁଥିବା ନିଶା ପୁଡ଼ିଆ ଓ ମୋଦକ ଇତ୍ୟାଦି ଏଣିକି ଆୟୁର୍ବେଦ ବା ଅବକାରୀ ପରିସର ଭୁକ୍ତ ହେବ, ସେଥିପାଇଁ ଧରନ୍ତୁ ଏବେଠାରୁ କଳିମଞ୍ଜି ପୋତା ହେଲା । ଦେଖାଗଲା, ମାତ୍ର ଗୋଟିଏ ଦଳ “ଆମେ କ’ଣ କରିବୁ?” – ଏକଥା ମୋଟେ କହୁ ନାହାଁନ୍ତି । ସେମାନେ ଥିଲେ ଅନୁଗ୍ରହଭୋଗୀ ନାଗରିକ । ସେମାନେ ଭାବୁଥିଲେ – ସବୁ ସରକାର କରିବେ । ଗଣତନ୍ତ୍ର ତ, ତେଣୁ ଆମର କିଛି କରିବାର ନାହିଁ । ଆମେ ଖାଲି ଖବରକାଗଜ ପଢ଼ିବୁ । ଟିଭି ଦେଖିବୁ । ପାନ ଦୋକାନ ଆଗରେ ଠିଆ ହୋଇ ଗପିବୁ । ଇନର ଭିତରର ପିମ୍ପୁଡ଼ି କି ଓଡଶ ଉତ୍ପାତରୁ ରକ୍ଷା ପାଇବାକୁ ହେଲେ ଯେ ଫାୟାରବିଗ୍ରେଡ୍ ଦରକାର ହୁଏନା ଏବଂ ଲୁଚେଇଚୋରେଇ ଦି ତିନି ଆଙ୍ଗୁଠି ଏପାଖ ସେପାଖ କରି ମଳି ରଗଡ଼ି ଦେଲେ କାମ ଫତେ ହୁଅନ୍ତା – ଏତିକି ଶିଖି ନ ଥିବା ଲୋକ ଯେ କି ଗଣତନ୍ତ୍ର ତୁଲେଇବେ ବା ଶାସନ କରିବାକୁ କେମିତିକା ସରକାର ବାଛିବେ? “ଆମେ କ’ଣ କରିବୁ?”ଏକଥା କଦାପି ସେ ଲୋକଙ୍କ ମୁହଁରୁ ଶୁଣାଗଲା ନାହିଁ । ଢ଼େର ଦିନ ଲାଗିଲା । ପ୍ରଦ୍ୟୁମ୍ନବାବୁ ମାନସିକଭାବେ ସବଳ ହେଲେ । ଅତି ଭଦ୍ରଲୋକ । ସମାଜ ବିରୁଦ୍ଧରେ ଅନେକ ଅଭିଯୋଗ ତାଙ୍କ ମନରେ ରହିଥିଲେ ସୁଦ୍ଧା ସେ ରାଉରାଉ ହେଲେନି । ବରଂ ଦାର୍ଶନିକ ପରି ହୋଇଗଲେ । ୟା’ପରେ ଜୀବନଟା ଏକଦମ୍ ଅସହାୟ ଲାଗିଲାନି ଯେମିତି ତାଙ୍କୁ ଲାଗୁଥିଲା ନାତିର ମରଣ ବେଳେ । ସେ ଚ୍ୟାମ୍ବର ଗଲେ । ମନ ଲାଗିଗଲା । ଅସ୍ତମିତ ସୂର୍ଯ୍ୟ ପରି ନାତିଟୋକାର ସ୍ମୃତି । ହୃଦୟବିଦାରକ ହେଉଥିଲା ଯେମିତି, ସେମିତି ଛୋଟ ହୋଇ ଯାଉଥିଲା ବି । ବାପା ମା ଜେଜେ ବା ଆଇ ସମସ୍ତଙ୍କ ଅସହାୟତା ଧୀରେଧୀରେ ଅପସରିବାକୁ ଲାଗିଲା । ଘଣ୍ଟାକଣ୍ଟାକୁ ସାକ୍ଷୀ ରଖି ସବୁ ମଣିଷ ଯେମିତି ଚାଲନ୍ତି ପ୍ରଦ୍ୟୁମ୍ନବାବୁଙ୍କ ଜୀବନ ସେମିତି ଚାଲିଲା । ଭାବିନେଲେ, ଯେମିତି ନାତିଛୁଆଟିଏ ଥିଲା ତାଙ୍କ ପାଇଁ ଜୀବନର ଏକ ଦୁଃସ୍ୱପ୍ନ । ନିଦ ତୁଟିଗଲା ତ ସ୍ୱପ୍ନ ତୁଟିଗଲା । ଦ୍ୱିତୀୟ ପୁଅର ଝିଅ । ମରିଥିବା ନାତିର ସାନ ଭାଇଟିଏ ବି । ସେମାନଙ୍କ ସହିତ ପ୍ରଦ୍ୟୁମ୍ନବାବୁଙ୍କ ଆବେଗ ବିନିମୟ ଏତେ ଅନ୍ତରଙ୍ଗ ହୋଇପାରି ନ ଥିଲା । ଏ ଲେଖକଙ୍କର ସୌଭାଗ୍ୟ ଯେ ସେ ପ୍ରଦ୍ୟୁମ୍ନବାବୁଙ୍କ ପରି ଜଣେ ବିଚାରବନ୍ତ ଅସହାୟ ତାଙ୍କ ଅନୁଭୂତିରୁ ଗୋଟିଏ କଥା ମୋତେ କହିଥିଲେ । ତାଙ୍କୁ କଥା ଦେଇଥିଲି, ଯେଉଁ ଉପାୟରେ ହେଉ ପଛେ ମୁଁ ଏହା ଜଗତକୁ ଜଣାଇବି । ତାଙ୍କ ନାଁରେ ଗପ ଲେଖି ତାଙ୍କପରି ଭଦ୍ରଲୋକଙ୍କୁ ଅପ୍ରସ୍ତୁତ କରାଇବା ଅଧର୍ମ ଆମେ ଅର୍ଜନ କରିବୁ ନାହିଁ । ସେ ଦେଖିଛନ୍ତି ନିଜ କୋଳରେ ବଢ଼ିଥିବା ନାତିକୁ । ଅକାରଣରେ ତା’ର ମରଣ । ନିତିଦିନ୍ ଛନ୍ଛନ୍ ବଢ଼ୁଥିବା ଓ ତାହାକୁ ପ୍ରତି ମୂହୁର୍ତ୍ତରେ ଉପଭୋଗ କରି ଆସିଥିବା ଲୋକଟି ଦିନେ ସକାଳୁ ଉଠି ଯଦି ଅଚାନକ ଦେଖେ, ଆଉ ସେ ଗଛଟି ନାହିଁ । ରାତିରେ ଷଣ୍ଢ ପଶି ଖାଇଯାଇଛି । ସେ ଲୋକର ଯେଉଁ ଅନୁଭବ ତାହା ଟନ୍ଟନ୍ ନଭେଲ୍ରୁ ମିଳିବନି । ପ୍ରଦ୍ୟୁମ୍ନବାବୁଙ୍କ ଅନୁଭବ ବି । ମୁଁ ଦୁଃଖ ଓ ଆଗ୍ରହରେ ତାଙ୍କ କଥା ଶୁଣୁଥିଲି । ଏକଥା କହିଲାବେଳେ ସେ ଅସହାୟ ତ ଦେଖାଯାଉଥିଲେ, ତଥାପି ଆାାବାଦୀ ହୋଇ ପଡ଼ୁଥିଲେ । ଦେଖଣାହାରୀକୁ ଆଶ୍ଚର୍ଯ୍ୟ ଲାଗିବା ପରି । ଜଣା ପଡ଼ି ଯାଉଥିଲେ । କିନ୍ତୁ ସେ ଆଉ ପାଗଳ ପରି ହେଉ ନ ଥିଲେ । ଘରର ହାତୁଡ଼ିପିଟା ପରିବେଶ । ଧୀରେଧୀରେ ମୁକୁଳୁ ଥାଏ । ନୂଆ ପ୍ରକାର ପ୍ରସ୍ତୁତି ଓ ନୂଆ ଆୟୋଜନର ଖସଡ଼ା । ପ୍ରଦ୍ୟୁମ୍ନବାବୁ ଓ ତାଙ୍କ ପତ୍ନୀ ଦି’ ବୋହୂଙ୍କୁ ଝିଅ ପରି ଆଦର କରୁଥିଲେ । ଶ୍ୱାୁରଙ୍କ କଥା ଆଉରି ନିଆରା । ଯେତେ ବ୍ୟସ୍ତ ଥିଲେ ବି ସେ ବୋହୂଙ୍କ ଦୁହିଁଙ୍କ ପାଖରେ ବସି ଯେମିତି ହେଲେ ଘଣ୍ଟେ କି ଅଧଘଣ୍ଟା ଗପ ହେବେ । ଶ୍ୱଶୁର ଓ ବୋହୂ ଦୁଇଙ୍କ ସଂପର୍କ ଭିତରେ ଟିକିଏ ବି ଭୟ ଭ୍ରାନ୍ତି ନ ଥାଏ । ଦିନେ ଝିପିଝିପି ବର୍ଷା ହେଉଥାଏ । ଜୁନିଅରମାନେ ଆସି ନ ଥା’ନ୍ତି ପ୍ରଦ୍ୟୁମ୍ନବାବୁ ଚ୍ୟାମ୍ବରରେ ଏକା । ଶ୍ୱଶୁରଙ୍କ ରୁଚି ସହିତ ପରିଚିତ ସାନବୋହୂ କିଛି ଗରମ ପକୁଡ଼ି ଧରି ଚ୍ୟାମ୍ବର ଭିତରକୁ ଗଲା । “ପାଗଟା ଭଲ ଲାଗୁଛି । ବାବା, ଦି’ଟା ଖାନ୍ତୁ ।” ପରେପରେ ତାହା ପରିବାର ଏକ ଛୋଟକାଟିଆ ମିଳନ ଆସରରେ ପରିଣତ ହୋଇଗଲା । ସେଇଠି ଉଠିଲା କେତେ କଥା । ଆଉ ନ ଫେରିବା ନାତି କଥା ବି । ବଡ଼ ବୋହୂ କହିଲା, “ବାପା, ଆପଣ କ’ଣ କିଛି ବାଟ ପାଉ ନାହାଁନ୍ତି? ଆମର ଗୋଟିଏ ପୁଅ ଗଲା । ସଂସାରରେ ଆହୁରି କେତେ ପୁଅ, କେତେ ଝିଅ । ସମସ୍ତେ କେମିତି ନିରାପଦରେ ବଞ୍ଚିବେ ସେ କଥା ଆପଣ ଭାବିବେନି ତ ଆଉ ଭାବିବ କିଏ? ତାହେଲେ ସମୁଦାୟ ଘଟଣାଟି ଯେତେଆଡ଼େ ବୁଲିଲେ ବି କ’ଣ କେବଳ ହାବୁଡ଼ିଚି ‘ଆମେ କ’ଣ କରିବୁ’ ପରି ଦାୟିତ୍ୱହୀନତାର ମୁକୁଟ ପିନ୍ଧିଥିବା ଦଳପତିମାନଙ୍କୁ?” ଯେଉଁ ବୋହୂ ଏହା କହୁଥିଲା ସେଇ ଥିଲା ଜନ୍ମ କଲା ମା’ । ନାତି ମରଣ ବେଳର ତା କୋହ କି କାନ୍ଦଠାରୁ ଆଜିର ଏଇ କଥାପଦିକ ପ୍ରଦ୍ୟୁମ୍ନବାବୁଙ୍କୁ ଅଧିକ ଯାତନା ଦେଇଥିଲା । ଆମ ନାତି ବୋଲି ନୁହେଁ, ଏଡ଼େ ବଡ଼ ସମସ୍ୟାଟେ । ଏତେ ଘୋରାଚକଟା ପରେ ମଧ୍ୟ ତାହା ସାମାନ୍ୟ ପ୍ରଶ୍ନଟିଏ ହୋଇ ରହିଯିବ? ଏ ସଂସାର ତା’ହେଲେ ଆଗକୁ କ’ଣ ଚାଲିବ ଦାୟିତ୍ୱହୀନତାର ମୁକୁଟ ପିନ୍ଧି ଥେଇଥେଇ ନାଚୁଥିବା ଦଳପତିମାନଙ୍କ ନିର୍ଦେଶିତ ଏମିତିକା ଅସିଦ୍ଧ ବାଟରେ? ତା’ମାନେ, ସମସ୍ତଙ୍କ ଆଖିରୁ ଲୁହ ବୁହାଇ ଗୋଟିଏ ପରେ ଆଉ ଗୋଟିଏ ଜଘନ୍ୟ ଘଟଣା ଘଟି ଚାଲିଥିବ । ମରଣର ସୌଦାଗରମାନେ ଚାରିଆଡ଼େ ବୁଲୁଥିବେ । ମଣିଷ ଭାବୁଥିବ – ବଞ୍ଚିଗଲେ ଭାଗ୍ୟ । ଯଦି ମରିଯାଏ? ହୁଏତ ସେତେବେଳେ ଏମିତି ପୁଳାଏ ପ୍ରଶ୍ନର ଜୁଆର ଆଉଥରେ ଉଠି ଆସିବ । ତା’ରି ଭିତରେ ନିଲଠ ପରି ବାଟ କାଟି ଚାଲିବା ପ୍ରଦ୍ୟୁମ୍ନବାବୁଙ୍କୁ ଆଗକୁ ଯିବା ପରି ଲାଗିବନି । ବରଂ ତାହା ସମସ୍ତଙ୍କୁ କେବଳ ନର୍କର ବାଟ ହିଁ ଦେଖେଇ ପାରିବ ।