ଆଶା ତମସା/ନିର୍ବାଣ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ନିର୍ବାଣ
  ପତ୍ନୀ ଜଣେ ଇଣ୍ଟେଲେକ୍‌ଚୁଆଲ । ନିଜକୁ ବିଜେତା ପ୍ରତିପାଦନ କଲାବେଳେ ପ୍ରତ୍ୟେକ ବୁଦ୍ଧିଜୀବୀ ଯେମିତି କିଛି ମାନକ ପରିଚୟ ହୃଦୟରେ ସାଇତି ବଞ୍ଚନ୍ତି ତହିଁରୁ ସେ ଭିନ୍ନ ନୁହଁନ୍ତି । ଧରାଯାଉ, ଗୋଟିଏ ହାସଲାତ୍ ବିଜୟ ଦେଖେଇପାରିଲେ ଆଉ ଯେମିତି ବାରମ୍ବାର ଲଢ଼େଇ ଦରକାର ପଡ଼େନି ଠିକ୍ ସେମିତି ।
  ଏ କଥା ସେ ଠିକ୍ ବୁଝନ୍ତି ଯେମିତି ଇତିହାସର ଆଲେକ୍ଜଣ୍ଡର ବା ନେପୋଲିଅନମାନେ ବୁଝିଥିଲେ । ନିଜ ଗୌରବ ତାଲିକାରେ ଥିବା ସବୁ ଯୁଦ୍ଧ କ’ଣ ସେମାନେ ନିଜେ ଲଢ଼ିଥା’ନ୍ତି କି? ବିଚିତ୍ର ଏ ପୃଥିବୀ । ଲଢ଼ିବାକୁ ହୁକୁହୁକୁ ମାତ୍ର ଜଣଙ୍କର ବିଜୟ ଦେଖିଲେ ପାର୍ଶ୍ୱ ପ୍ରତିଯୋଗୀ ହୁରୁଡ଼ି ଯାଆନ୍ତି । କତିକି ଆଉଜି ବଶମ୍ବଦପଣ ଘୋଷଣା କରନ୍ତି ।
  ଏ ନିୟମ ବୁଝିବାରେ ପତ୍ନୀ ଅଧିକ ଟିକେ ପାରଙ୍ଗମ । ବାରମ୍ବାର ଯୁଝିବା କି ଲୋଡା?
  ସେମିତି, ମୋତେ ଏକ ସର୍ବସତ୍ତ୍ୱ ସଂରକ୍ଷିତ ପଦାର୍ଥ ରୂପେ ସେ ଥରେ ହାସଲ କଲାପରେ ତେଣିକି କା’ରଖି, ନାର୍ସିସସ ପରି ନିଜ ଛଡା ଆଉ କିଛି ଦେଖି ପାରିଲେ ନାହିଁ । ଏହା ସ୍ୱାଭାବିକ ଥିଲା । ଜୟ ପରାଜୟକୁ କେବଳ ଦମନ ବାଟେ ବୁଝୁଥିବା ଲୋକେ ହଠାତ୍ ଅବଶ୍ୟ ବୁଝିପାରିବେ ନାହିଁ ଯେ ଦମନ ଛଡା ବି ଜୟ ପରାଜୟ ସମ୍ଭବ ।
  ଆଦ୍ୟକାଳରେ ସେ ମୋତେ ଅକ୍ତିଆର କଲାବେଳେ ସେପରି ଜୀବନ ଯାପନ ଅନୁଚିତ ନୁହେଁ ବୋଲି ହୁଏତ ମୁଁ ଭାବିଥିବି । ଆଦରି ଥିବି । ହାରିବା କି ଜିତିବାର ଶବ୍ଦାର୍ଥ ତରାଜୁରେ ନିଶ୍ଚୟ ତଉଲି ନ ଥିବି । ହଁ, କେତେକ ମୌଳିକ କଥା । ଆମେ ସାମାଜିକ ଆଚରଣରେ ଅପରକୁ କେବେ ଅପ୍ରସ୍ତୁତ କରିନାହୁଁ । ସଂପର୍କ କାହା ସହିତ କେତେ ଓ କିପରି ରହିଲେ ସୁନ୍ଦର ତାହା ପାଳନ କରିଛୁ । ସଂସାରରେ ଲୋକହସା ହେବାକୁ ବା ଲାଜ ଲାଗିଲା ପରି ଏପର୍ଯ୍ୟନ୍ତ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ ।
  ବେଳେବେଳେ ମନ ମାପଫିତାରେ ତାଙ୍କର ଅନେକ କଥା ବେୱାଜିବ ଲାଗେ । ଯେମିତି, କିଛି ଶୁଣି ବା ଖବରକାଗଜ ପଢ଼ି ସେ ଚଟ୍ କରି ନିଜର ପ୍ରଚଣ୍ଡ ମାନବୀୟ ପ୍ରତିକ୍ରିୟା ପ୍ରକଟ କରନ୍ତି । ଖାଲି ଗପ ହେଲେ କଥା ଚଳନ୍ତା । ମାତ୍ର ସେତିକିରେ ସ୍ଥିର ନ ରହି ସେ ପ୍ରତିବାଦ କରିବାକୁ ଆଗଭର ହୁଅନ୍ତି । ତାଙ୍କ ଯୁକ୍ତି ହେଲା - ପାଠଶାଠ ପଢ଼ିଥିବା ଲୋକେ ଯଦି ଏହା ନ କରିବେ ତା’ହେଲେ କରିବ କିଏ? ସେଥିପାଇଁ ଜଣେ ବଶମ୍ବଦ ସହଯୋଗୀ ଭାବେ ସେ ମୋତେ ଅନବରତ କତିରେ ଖୋଜନ୍ତି ।
  ପ୍ରେମ ସଂପର୍କରେ ତାଙ୍କ ମତ । କେହି ଭାବିବ ଯେ ସତେ କି ଅବା କେଦାରଗୌାରୀ କାହାଣୀର ମା’ ଗୌରୀ ଅବତରିଛନ୍ତି । ପ୍ରେମ କୁଆଡ଼େ ନାରୀ ଜୀବନର କେପ୍‌ସୁଲ । ସେହି ପରିଧି ଭିତରେ ରହିଲେ ହିଁ ନାରୀ ହୁଏ ସର୍ବଂସହା । ନ ହେଲେ, ତା’ର ସର୍ବସ୍ୱ ଲୁଟପାଟ ହୋଇଯାଏ । ଜୀବନରେ ପ୍ରେମ ପାଇ ନ ଥବା ନାରୀ ନିଆରା ଜଣା ପଡ଼ିଯା’ନ୍ତି । ଛଳନା କରି ଯେମିତି ଦେଖେଇ ହେଲେ ବି ତା ମୁହଁରେ ଥାଏ ମରୀଚିକାର ପ୍ରେତଛାୟା । ତେଣୁ ନାରୀ ଜୀବନ ହେଲା ପ୍ରେମମୟ । ସେ ସନ୍ତାନକୁ ପେୟମ କରୁ କରୁ ସନ୍ତାନର ବାପାକୁ ଯଦି ଟିକେ ଛଳନା ଭିତରକୁ ଠେଲି ଦିଏ - ପତ୍ନୀଙ୍କ ମତରେ, ତାହା ପେୟମର ରୂପାନ୍ତର ମାତ୍ର । ବହୁ ଭୂମିକାରେ ବାରମ୍ବାର ଜୀବନର କୂଳ ଲଂଘି ସୁଦ୍ଧା ଆଗକୁ ଯାଇ ପାରୁଥିବା ନାରୀ ଅଲବତ୍ ପକ୍ଷପାତିତା କରିବ । ସେଇଥିରେ ମାତ୍ରା ନିର୍ଦ୍ଧାରଣ କରିବ କି ତାର ଅଧିକାର ଭିତରେ ରହିବ । ତାହା କୁଆଡ଼େ ହେବ - ନାରୀର ବିକଶିତ ଗତି ଓ ତା ସ୍ୱାଧୀନତାର ଆତ୍ମା । ସେ କହନ୍ତି, “ଜୁଲୁସ୍ କି ଭୋଟ ବାଟେ ଖାଲି ପ୍ରଚାର ହୁଏ । ନାରୀ ସ୍ୱାଧୀନତା ପାଏନି ।"
  ପ୍ରଥମେ ପ୍ରଥମେ ଭାବୁଥିଲି, ପଢ଼େଇ ପଢ଼େଇ ତାଙ୍କର ବୋଧେ ଗୁଡାଏ ଭାଷଣଯୋଗ୍ୟ ଜ୍ଞାନ ହୋଇଯାଇଛି । ପରେ ଅନୁଭବ କଲି - ନାଇଁ, ସେଥିରେ କିଛି ଅରିଜିନାଲ୍ ବି ରହିଛି । ମାତ୍ର ସେଇ ମୂଳ ଅସୁବିଧା । ଡିଟୋନେଟର୍ ଚଟ୍ କରି ଫିଉଜ୍ ଧରୁଥିବାରୁ ସେ କଦାପି ସଫଳ ହୋଇ ପାରିବେ ନାହିଁ ଏବଂ ତାଙ୍କ ଜ୍ଞାନର ପ୍ରକାଶ ଆମ ଘରର ଚାରିକାନ୍ଥ ଟପି ପଦାକୁ ଯାଇ ପାରିବ ନାହିଁ । ଏ କଥା ମୁଁ ବାରମ୍ବାର ଅନୁମାନ କରୁଥାଏ । ତଥାପି ସହଯୋଗ କରେ ।
  ପ୍ରେମ ନାଁରେ ପ୍ରତାରଣାକୁ ସେ ମୋଟେ ବରଦାସ୍ତ କରନ୍ତି ନାହିଁ । ଏମିତି କହିଲାବେଳେ ସେ ଆବେଗରେ ଉଛୁଳି ପଡନ୍ତି । ତାଙ୍କ ମତରେ ଆଜି ପରି ସୂଚନାକ୍ଷମ ଯୁଗରେ ପ୍ରେମବିବାହ ହିଁ ସର୍ବୋତ୍କୃଷ୍ଟ । ପୁଅ ଝିଅ ପରସ୍ପରକୁ ଆଗରୁ ଚିହ୍ନିଥିବେ । ଆତ୍ମସିଦ୍ଧି ଉପସ୍ଥିତି ସହ ଦିହେଁ ସଂସାର ଗଢ଼ିବେ । ଯୌତୁକ ପ୍ରମାଦ ନିଶ୍ଚୟ ନ ଥିବ ଏବଂ ବଧୂହତ୍ୟା ଓ ଗଞ୍ଜଣା ଏକଦମ୍ ଲୋପ । ନିଜ ଜୀବନରେ ସେପରି ସଫଳତା ପ୍ରମାଣ କରି ପାରିଛନ୍ତି ପରି ଏକ ପ୍ରତିହତହୀନ ଦୃଢ଼ ଦାବି ସେ ଉପସ୍ଥାପିତ କରନ୍ତି ।
  ମୋ ସହିତ ତାଙ୍କ କଥିତ ପ୍ରେମର ରୂପ କିପରି ଥିଲା? ପୋଷ୍ଟଗ୍ରାଜୁଏଟ ଶେଷ କରି ରଜ ପାଳିବା ସକାଶେ ସେ ମାମୁଁଘର - ଅର୍ଥାତ୍ ଆମ ଗାଁକୁ ଆଠଦଶ ଦିନ ସକାଶେ ଆସିଥିଲେ । ସଂଯୋଗ ଯେ ମୁଁ ସେତେବେଳେ ଗାଁରେ ଥିଲି । ତାଙ୍କ ମାମୁଁପୁଅ ବଳଭଦ୍ର ଓ ମୁଁ ଶିଶୁଶ୍ରେଣୀରୁ ସାଙ୍ଗ । ବଳଭଦ୍ରକୁ ଭେଟିବା ଉଦ୍ୟମରେ ତାଙ୍କ ସହିତ କେତେଥର ଦେଖା ହୋଇଥିବ । ଫୁଲର ବାସ୍ନା ଆପେ ନାକରେ ବାଜୁଥିବା ପରି ସୁନ୍ଦରୀ ଯୁବତୀ ଆଡକୁ ଯେକୌଣସି ପୁରୁଷର ଆଖି ଆପେ ଟାଣି ହୋଇଯାଏ । ବାସ୍, ସେତିକି । ତାହା ନିଶ୍ଚୟ ପ୍ରେମ ନ ଥିଲା । ଅଥବା ପ୍ରେମର ଅସଲ ଉତ୍ପାତ ସହିତ ବୋଧେ ପତ୍ନୀଙ୍କର ପରିଚୟ ନ ଥିଲା ।
  ଯାହାହେଉ, ଗ୍ରୀଷ୍ମାବକାଶ ପରେପରେ ତାଙ୍କ ଘରୁ ପ୍ରସ୍ତାବ ଆସିବା ଆଦୌ ଆକସ୍ମିକ ନଥିଲା । ବୋଧେ ବିବାହର ଚେକ୍ଲିଷ୍ଟ୍ ମୁଁ ପୂରଣ କରି ପାରୁଥିଲି । ଏତିକି ହୋଇଥିବ ଯେ ତାଙ୍କ ସହିତ ମୋର ସ୍ୱଳ୍ପ ପରିଚୟ ଯୋଗୁ ପ୍ରସ୍ତାବ ବେଳର ତୁଚ୍ଛା ଆକଟମାନ ଅପସରି ଯାଇଥିବ । ପରସ୍ପରକୁ ଆଦରି ନେବା ପାଇଁ ହୁଏତ ଉଭୟ ପରିବାର ଭିତରେ ଆରମ୍ଭ ହୋଇଥିବ କିଛି ମାନସିକ ସାନ୍ଦ୍ରତା ।
  କିନ୍ତୁ ବିବାହ ପରେ ପତ୍ନୀ ମୋତେ ବୁଝାଇଦେଲେ ଯେ ଆମେ ଦୁହେଁ କୁ୍ଆଡ଼େ ପ୍ରେମ କରୁଥିଲୁ । ମୁଁ ତାଙ୍କୁ ଆମ ବାରିପଟୁ ବାଉଁଶବଣ ଭିତର ଦେଇ ଉଙ୍କି ଦେଖୁଥିଲି ଏବଂ ତେଣୁ ତାଙ୍କୁ ବାରମ୍ବାର ଭେଟିବାକୁ ଯାଉଥିଲି ।
  ତାଙ୍କ ମାମୁଁଘର ଖଳା ଓ ଆମ ବାରିପଟ ବାଉଁଶବଣ ଲଗାଲଗି । ଆମ ବାରିଆଡୁ ବାହାରି କେହି ଯଦି ଗୋବରଗାଡ଼ିଆ ଉପରେ ଠିଆ ହୋଇ ବାଉଁଶବଣ ଭିତର ଦେଇ ସାପ-କୁଆଡ଼େ -ଗଲା ପରି ବକ୍ର ଅବକ୍ର ଦୃଷ୍ଟି ସହ ଅନେଇଲେ ଏବଂ ସେତେବେଳେ ଖରା ଟାଣ ଥିଲେ ଜଣେ ହୁଏତ ତାଙ୍କ ମାମୁଁଙ୍କ ଖଳାରୁ କିୟଦଂଶ ଦେଖିପାରେ ।
  ଯାହାହେଉ, ସେହିପରି କାରଣରୁ ମୋ ପାଇଁ ସେ ଲହୁଣୀ ପରି ତରଳି ଗଲେ ଏବଂ ବୋହିଗଲେ । "ପଶ୍ୟତି ଦିଶି ଦିଶି....." ପଦଟି ଉଦାହରଣ ଭାବେ ଗାଇ ଆମ ତଥାକଥିତ ସଂପର୍କ ସପକ୍ଷରେ ଦୃଶ୍ୟ ଓ ଦର୍ଶନର ଏମିତି ମହିମା ବର୍ଣ୍ଣନା କଲେ ଯେ ଯଦି ମୁଁ ସେତେବେଳେ ତାଙ୍କୁ ନିଷ୍ଠୁର ସତ କହିପାରି ନ ଥା’ନ୍ତି । ପୁନଶ୍ଚ, ପ୍ରେମ ନ କରି ପ୍ରେମିକ ପଦ ପାଇବା ଭାଗ୍ୟ କେତେ ଲୋକଙ୍କୁ ମିଳେ । ଲାଗିଲା, କେତେକ ମିଛ ବହୁ ସତ ଠାରୁ ମଣିଷକୁ ଅଧିକ ଆଚ୍ଛନ୍ନ କରି ରଖି ପାରେ । ଅଧିକ ଶୁଭଙ୍କରୀ ଲାଗେ । ପ୍ରାଣରେ ଆବେଗ ପୂରାଏ ।
  ବିବାହ ତ ସରିଛି । ସଂସାର ସୁନ୍ଦର କରି ଚଳାଇବା ଦାୟିତ୍ୱ ଆମର । ବେଦବାଣୀ - ଦ୍ୱା ସୁପର୍ଣ୍ଣା ସଯୁଯା ସଖାୟା ସମାନଂ ବକ୍ଷଂ ପରି ଷସ୍ୱଜାତେ । ତୟୋରନ୍ୟଃ ପିପ୍ଳଙ୍ଗ ସ୍ୱାଦତ୍ତ୍ୟନଶ୍ନନ୍ନନ୍ୟୋ ଅଭି ଚାକଶୀତ – ମନେ ପକାଇଲି । ଜଣଙ୍କ ସୁଖରେ ଆର ଜଣକ ଖୁସୀ । ଇସ୍, କି ସୁନ୍ଦର କଇଁଫୁଲିଆ ଆଇଡ଼ିଆ । ଲଭ୍ କରିବାକୁ ତା’ହେଲେ ମୁଁ ଯୋଗ୍ୟ ଥିଲି ।
  ମଣିଷ ପାଇଁ ବୁଦ୍ଧିର ଗୋଟିଏ ବିପଦ ହେଲା – ସେଇଟା ଠିକ୍ ବେଳେ ମନକୁ ପଇଟେନି । ଯାହାହେଉ, ଏବେ ପ୍ରମାଣ କରିବା ପାଇଁ ରୋମାଣ୍ଟିକ ଆଗ୍ରହରେ ବଗ ପରି ଡେଙ୍ଗା ଗୋଡ଼ ଟେକି ଟାଉଟର ତାଙ୍କ କଥାରେ ହଁ ମାରି ଚାଲିଲି । ସୁବର୍ଣ୍ଣ ସୁଯୋଗ । କିଏ ହାତ ଛଡ଼ା କରିଥା’ନ୍ତା? ଏମିତି ଯେ ପ୍ରଥମେ ସମର ସେ ଜିତି ଗଲେ, ସେଇଠୁ ତାଙ୍କ ଜୀବନର ଅଭିଯାନ ନକ୍ସା ବଦଳି ଗଲା ।
  ସେ ପ୍ରେମ ବିବାହର ଜଣେ ସପକ୍ଷବାଦୀ ପ୍ରବକ୍ତାରେ ପରିଣତ ହୋଇଗଲେ । ରୂପ ସୁନ୍ଦର, ଶିକ୍ଷିତା ଓ ମଧୁରଭାଷିଣୀ ହୋଇଥବାରୁ ସେ ପରିଜନମାନଙ୍କ ବିବାହର ବହୁ ପ୍ରାରମ୍ଭିକ ଆୟୋଜନରେ ପାତ୍ର ପାତ୍ରୀଙ୍କର ଭଉଣୀ, ଭାଉଜ, ମାଉସୀ ବା ଖୁଡ଼ୀ ପରି ଅବଶ୍ୟ ପ୍ରତିନିଧିତ୍ୱ କରିଛନ୍ତି । ସେଥିଯୋଗୁ ବିବାହ ସଂପର୍କରେ ତାଙ୍କ ଜ୍ଞାନ ଆହୁରି ସମୃଦ୍ଧ ହୋଇଥିବ ସିନା, କିନ୍ତୁ ସେ କାହାରି ପ୍ରେମକୁ ଶୁଭ ପରିଣୟରେ ସଂପନ୍ନ କରାଇ ପାରିଥବା କଥା ମୁଁ ଜାଣିନାହିଁ ।
  ପିଲାଦିନର ଏକ ଗାତ୍ରଦାହକୁ ଲ ଚାଇବା ପାଇଁ ଏହାଠାରୁ ଅଧିକ ସୁଯୋଗ ମୋ ହାତକୁ ଆସି ନ ଥା’ନ୍ତା । ମୁଁ ଏକାଦଶରେ । ନବମରେ ପଢ଼ୁଥିବା ଆମ ସ୍କୁଲର ସବୁଠୁ ସୁନ୍ଦରୀ ଝିଅଟି ସରସ୍ୱତୀ ପୂଜା ଅବକାଶରେ ମୋତେ ଦୁଇ ତିନି ଥର ଅନେଇବା ପରି ଘଟଣାକୁ ତା’ ପ୍ରେମ ନିବେଦନର ଇଙ୍ଗିତ ଭାବି କି ହରକତରେ ନ ପଡ଼ିଛି? ଆବଶ୍ୟକତା ବୁଝୁ ନ ଥିବା ସେହି ବୟସରେ ଅଧିକ ଡେଇଁପଡ଼ି ଆଠ ଦଶ ଧାଡ଼ିର ଚିଠି ଖଣ୍ଡିଏ ଲେଖିଲି । ସେଥିରେ ଥିଲା ତିନୋଟି ବିଭାଗ । ଏକ: ପ୍ରୀିତ, ପ୍ରଣୟ, ଜ୍ୟୋସ୍ନା, ଚକୋର ପରି ବଛାବଛା ଶବ୍ଦ ପ୍ରୟୋଗରେ ଧାଡ଼ିଏ ଆଦର ସମ୍ବୋଧନ । ଦୁଇ: ‘ମୋତେ-ଟିକେ-ଚିହ୍ନ କାରଣ ତୁମେ-ମତେ-କାହିଁକି-ଲାଗୁଛ’' ପରି ମୋ ମନ ବୋହି ଚାଲିବାକୁ କେତୋଟି ବ୍ୟାକୁଳ ଓ ଭୟାଳୁ ଶବ୍ଦର କକ୍ଟେଲ୍ । ଜଣା ପଡ଼ି ଯାଉଥିଲା, ଏକାସାଙ୍ଗରେ ଗିଳିବାକୁ ଇଚ୍ଛା ଆଉ ବାନ୍ତି କରିବାକୁ ବି ଇଚ୍ଛା । ପ୍ରାର୍ଥନାକାରୀ, ଅଥଚ ନିଜ ପରିଚୟ ଦେବାକୁ ସାହାସ ନଥିଲା । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରର ରୋମାଞ୍ଚôତ ପାଣ୍ଡିତ୍ୟରୁ ସୃଷ୍ଟ ସତର୍କତାମିଶ୍ରିତ ଶତାବଳୀର ବହୁ ସତର୍କ ସଂଯୋଜନା । ଏବଂ ତୃତୀୟ: ବିନୀତ ନିବେଦନ ସହ ଟିକିଏ ଆଶା ଓ ଅଶେଷ ଭୟର ବେନାମୀ ଇତିବାକ୍ୟଟିଏ ।
  ଆଠ ଦଶ ଦିନ ଏ ବହିରୁ ସେ ବହି, ବ୍ୟାଗରୁ ପକେଟ, ପକେଟରୁ ବ୍ୟାଗ ଲୁଚେଇ ଲୁଚେଇ ଲେଖା ସ୍ୟାହି ନେସରା ହେବା ଅବସ୍ଥା ଆସିବା ପର୍ଯ୍ୟନ୍ତ ତାହା ତକୁ ଦେଇ ପାରି ନ ଥିଲି ।
  ଦିନେ ସେ ରିଙ୍ଗବଲ୍ ଖେଳୁଥିଲା । ପାଖ ବାରଣ୍ଡାରେ ଝିଅମାନେ ବ୍ୟାଗ୍ ରଖିଥିଲେ । ଏକ ଉଦାର ଆତ୍ମୀୟ ମନ ସହ ସେତେବେଳକୁ ତା ସାଇକେଲ, ଚପଲ, ଫ୍ରକ, ରିବନ୍ ସବୁ ମୋର ଚିହ୍ନା ହୋଇ ଯାଇଥିଲେ । ସୁନ୍ଦର ଲାଗୁଥିଲେ ବି । ନ ଜାଣିଥିବା ଓ ନ ଦେଖିଥିବା ଆଉ ସବୁ ମଧ୍ୟ ଆହୁରି ସୁନ୍ଦର ହୋଇଥିବ ବୋଲି ବିଶ୍ୱାସ ଉପୁଜୁଥିଲା । ଦୀପଦଣ୍ଡ ଉପରେ ଏକକଭାବେ ବିରାଜି ଥିବା ସେଇ ପ୍ରୀତିପ୍ରତିମା କତିରେ ପହଞ୍ଚାଇବା ପାଇଁ ସେଦିନ ସୁଯୋଗ ଉଣ୍ଡି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଚିଠିଖଣ୍ଡକ ତା ବ୍ୟାଗରେ ଗୁଞ୍ଜି ଦେଇଥିଲି ।
  ତା ପରଦିନ ସ୍କୁଲ ହୁଲୁସ୍ତୁଲୁ ହୋଇଗଲା ।
  ପେଟ ଖରାପ । ନ ଛାଡ଼ିଲେ ଲୁଗାପଟା ଖରାପ ହୋଇପାରେ । ଅକାରଣ ଭିନ୍ନ ଭିନ୍ନ ମୁଦ୍ରାରେ ପେଟ ଚିପାଚିପି କରି ଫାଷ୍ଟ ପିରିଅଡରେ ଶ୍ରେଣୀଶିକ୍ଷକଙ୍କୁ ଠକି ଦେଲି ଓ ଘରକୁ ପଳାଇ ଆସିଲି । ତା’ପରେ ଅପାଘରକୁ ଆଠଗଡ ଚାଲିଗଲି । ପନ୍ଦର ଦିନ ବ୍ୟବଧାନରେ ଲେଉଟିଲି । ତେଣୁ ପ୍ରିଟେଷ୍ଟ ପରୀକ୍ଷା ଦେଇପାରି ନ ଥିଲି ।
  ସେତେବେଳେ ପୋଷ୍ଟାଲ ଯୁଗ । ମୋ ସଂପର୍କରେ ଜାଣିବା ପାଇଁ ବାପା ବୋଉଙ୍କ ଆତୁରତା ମଧ୍ୟ ଏତେ କ୍ଷୀପ୍ର ନ ଥିଲା । ମୋ ଆକୁଳ ଆଗ୍ରହରେ ଅପା ବୋଉ ପାଖକୁ ଚିଠି ଦେଲା – ତା ଦେହ ଖରାପ । ଟିକେ ଭଳ ହେଲେ, ଯିବ । ବେସ୍ତ ହବୁନି ।
  ଅପାର ସେଇ ଚିଠି ଏବଂ ମୁଁ ଏକାଦିନେ ଘରେ ପହଞ୍ଚିଲୁ । ସବାଆଗେ ନିଜ ଡର ଗୁପ୍ତ ରଖି ସହପାଠୀମାନଙ୍କଠାରୁ ବୁଝିନେଲି । ହେଡ୍‌ମାଷ୍ଟ୍ରେ ସ୍କୁଲସାରା ଶୃଙ୍ଖଳାର ସୁନାମି ଉଠାଇ ଦେଲେ ପଛେ, କାହାରିକୁ ଧରି ପାରି ନ ଥିଲେ । ତେଣିକି ମୁଁ ଅଉଲ ସାଧୁଟିଏ ପରି ଝାଡ଼ିଝୁଡ଼ି ହେଲି । ନିଜକୁ ଅପରିଚିତ ରଖି ପାରିଥିବା ବିଚକ୍ଷଣତା ଓ ଧୈର୍ଯ୍ୟ ସକାଶେ ନିଜକୁ ନିଜେ ତାରିଫ କଲି । ଯାହାହେଉ ବ୍ୟାଗରେ ଚିଠି ଗୁଞ୍ଜିବା ବ୍ୟାପାର କେହି ଦେଖି ନ ଥିଲେ ବୋଲି ମୁଁ ବଞ୍ଚିଗଲି ।
  ପ୍ରେମ ସଙ୍କେତ ଠଉରାଇବାର ମାରାତ୍ମକ ଅସିଦ୍ଧତା ମଣିଷକୁ ହିମାଳୟରୁ ଟେକିନେଇ ସିଧା ଆଟଲାଣ୍ଟିକ୍‌ରେ ଯେ କଚାଡ଼ି ପାରେ, ଏକଥା ଜାଣିବାକୁ ମୋର କୌଣସି କିତାବୀ ଜ୍ଞାନ ଦରକାର ନ ଥିଲା ।
  କଞ୍ଚାମାଟି ବୟସର ଯୌବନ । ପାଦ ଦେଉଦେଉ ଏପରି ଦାରୁଣ ଅଭିଜ୍ଞତା । ସଂପୂର୍ଣ୍ଣ ତର୍‌କି ସାରିଥବା ମୋ ପରି ଆହତ ମଣିଷଜଣକ କିପରି ବା ଆଉ ଥରେ ସେମିତିକା ଦୁଃସାହାସ କରି ପାରିଥା’ନ୍ତା? ତଥାପି ପ୍ରତିବାଦ ନ କରି ମୁଁ ସ୍ତ୍ରୀଙ୍କ କଥାରେ ରାଜି ହେଲି । ଅର୍ଥାତ, ବିବାହ ପୂର୍ବରୁ ମୁଁ ମଧ୍ୟ ତାଙ୍କୁ ପ୍ରେମ କରୁଥିଲି । ଆଇନାରେ ନିଜ ଛବିଖଣ୍ଡିକ ଆଉ କାହିଁକି ସୁନ୍ଦର ଦେଖା ଯାଏ କି?
  ଏହାପରେ ଅନୁଭବ କଲି ଆମ ଜୀବନ ଭଲ ଚାଲୁଛି । ଦିହିଁଙ୍କ ଇଚ୍ଛା ଓ ଯୁକ୍ତି ଡଙ୍କେଇ ଡଙ୍କେଇ ମିଶି ପାରୁଥା’ନ୍ତି । ସେଥିରେ ରଙ୍ଗବେରଙ୍ଗ କେତେ ଫୁଲ ଫୁଟୁଥାଏ । ଜଣଙ୍କର ସାର ବା ଅସାର ଇଚ୍ଛା ଆର ଜଣଙ୍କୁ ଗ୍ରାସିବାକୁ ଦୌରାତ୍ମ୍ୟ ଦେଖାଉ ନ ଥା’ନ୍ତି । ଜଣଙ୍କ ବଳିଷ୍ଠ ଯୁକ୍ତି ଆର ଜଣଙ୍କ ପାଖରେ ହାରି ଯିବାର ଅବସାଦ ଭୋଗୁ ନ ଥାଏ । ବରଂ ଆମେ ନିଜ ନିଜ ବୀଜହୀନ ବିଶ୍ୱାସର ବୃକ୍ଷକୁ କି ସୁନ୍ଦର ସମୃଦ୍ଧ କରି ଚାଲିଛୁ ଅନିଶ୍ଚିତ ଆଶାର ଦିଗ୍‌ବଳୟକୁ ଅନେଇ ଅନେଇ । ସେ ଆଶାର ବି ରୂପ ନାହିଁ । ଯିଏ ରୂପ ଦେବ – ତାକୁ ତିଆରିବା ଦାୟିତ୍ୱ ତା’ର । ଜୀବନ୍ୟାସ ଦାୟିତ୍ୱ ବି । ମନ୍ଦ କ’ଣ?
  ଜଣେ ମୁହଁ ଖୋଲି ନିଜ ଇଚ୍ଛା ନ କହିଲେ ବି ଆର ଜଣକ ହଁ ମାରୁଥାଏ । ଆଲିଙ୍ଗନରେ ବାରମ୍ବାର ଘଟୁଥାଏ ଜଡତାର ମୃତୁ୍ୟ । ସତତ ମୁକୁଳୁଥାଏ ନୂଆ ଜୀବନର ନୂଆ ନୂଆ କିଶଳୟ । ହୁତୁହୁତୁ ଜଳୁଥାଏ ଶୀତଳ ଅଗ୍ନି ଓ ତା ଭିତରେ ଆମେ ଦିହେଁ ପାଉଥାଉ ଭସ୍ମ ସମିଧର ଶାନ୍ତି । ଯେତେ ମିଶିଲେ ବି ଆହୁରି ମିଶିବାର ଆତୁରତା । ବିଲ୍ୱମଙ୍ଗଳକୁ ଶବ-କୋଳ ଓ ସର୍ପ-ଗରଳ କାହିଁକି କୋମଳ ଓ ଲଳିତ ଲାଗୁଥିଲା, ସବୁ ବୁଝି ହେଉଥିଲା । ଏମିତି କଳ୍ପନାର ବଉଦ ଏବଂ ଖେଳ ଏବଂ ମଧୁର ମିଳନମାନଙ୍କୁ ଅନେଇ ଆମେ ପ୍ରତିଦିନ ନୂଆ ଭାବେ ବଞ୍ଚିବା ଶିଖୁ ଶିଖୁ ଶିଖିଗଲୁ ।
  ସମସ୍ତେ ବିଶ୍ୱାସ କରୁଥିବା ପରି ସତ-ମିଛର ଅକିଞ୍ଚନ ଆବେଶ ଭିତରେ ବାନ୍ଧି ହୋଇ ଏଡ଼େ ସୁନ୍ଦର ଅନୁଭୂତି ଦୂରକୁ ଠେଲି ଦେବା ଭଲ ନୁହେଁ ବୋଲି ବିଚାରିଲି । ଅନଭିଜ୍ଞ ହେଲେ ମଧ୍ୟ ଭାବିବାକୁ ଲାଗିଲି – ପ୍ରେମ ନିଶ୍ଚୟ ଏମିତି କିଛି ହୋଇଥିବ । ଯେତେ ଭାବିଲେ ସେତେ ଭଲ ଲାଗୁଥିଲା । ମନକୁ ବୁଝେଇ ଦେଲି – କି କଥା ଇଏ? ପ୍ରେମ କର, ବାହା ହୁଅ । ନହେଲେ ବାହା ହୁଅ ପ୍ରେମ କର । ଯୁଦ୍ଧ କରିବାକୁ ପ୍ରତିପକ୍ଷ ମଲ୍ଲ ଯୋଗାଡ ତ ବାହାଘରର ଲକ୍ଷ୍ୟ ନୁହେଁ ନା । ପ୍ରେମ କଲି ତ ଭଲ ହେଲା ।
  ସ୍ତ୍ରୀଙ୍କ ପାଖରେ ବାରମ୍ବାର ହାରିବାରେ ମୁଁ ଆମୋଦିତ ହେଉଥାଏ । ହାଡ଼ ଭାଙ୍ଗିଯାଉ ପଛେ ଦାଢ଼ ନ ତୁଟୁ । କୁନ୍ଦା ମୁଗୁନି ପଥର ଦେଖାଗଲେ ବି ପୁରୁଷ ଗୋଟେ ପାଉଁଶ ପିତୁଳା । ତାକୁ ଦେଖିବା ଓ ବୁଝିବାରେ ଜୁଆଖେଳ ପରି ଅନେକ ରିସ୍କ-ଫାକ୍ଟର । କେହି ଯଦି ଖାଲି ତୁଚ୍ଛାକୁ ତୁଚ୍ଛା ଡରି ପାଖ ନ ମାଡ଼େ ତାହା ଭିନ୍ନ କଥା । ମନ ନ ମିଶିବ ତ ଦୁଇଟି ବ୍ୟକ୍ତିତ୍ୱର ଏକକ ଆକଳନ କିମ୍ପାଇଁ? ମନ ମିଶିଛି ତ, ସବୁ ବୁଦ୍ଧିମତି ନାରୀ ଜାଣନ୍ତି ଯେ ପୁରୁଷଜଣକୁ କେମିତି ଆଉଁସିଲେ ସେହି ପାଉଁଶପ୍ରତିମା କେତେ ଦମ୍ଭ, କେତେ ଡଉଲ ଦେଖାଯାଏ । କେମିତି ଲାଷ୍ଟିଙ୍ଗ କରେ । ପୁରୁଷକୁ ବଶମ୍ବଦ କରି ହାସଲ କରିବା ବା ହାସଲ କରି ବଶମ୍ବଦ କରିବା – ଏଇ ଦୁଇଟି ବିଦ୍ୟା ହାସଲ ହିଁ ନାରୀ ପାଇଁ ତପ, ସିଦ୍ଧି ଓ ସ୍ୱର୍ଗ ।
  ନ ହେଲେ ତ ସାମାନ୍ୟ ବିଧାଟିଏ ଲୋଡା । ମୁଗୁନିପଥର ପରି ଦେଖାଯାଉଥିବା ଫାପ୍‌ସା କୁନ୍ଦା ପାଉଁଶତକ ଝର୍‌ଝର୍ ହୋଇ ମାଟିରେ ମିଶିଯାଏ ।
  ପୁରୁଷମାନେ ନାରୀ ଧକ୍କା କଦାପି ସହି ପାରନ୍ତିନି । ସମ୍ମତି ଓ ସହଯୋଗର ମନ୍ତ୍ର ଛଡା ସେ ପ୍ରତିମାକୁ ଅନ୍ୟ କୌଣସି ଦୁର୍ବକ୍ଷତରେ ପୂଜିବା ସମ୍ଭବ ନୁହେଁ । ମୁଁ ଧକ୍କା ସହୁଚି ପାରୁଛି ବୋଲି ଢ଼ମ ଗପୁଥିବା ପୁରୁଷର ମନ ନିଶ୍ଚୟ ସୁନାଲୋଭୀ ମିଡାସ୍ ରାଜା ମନ ପରି ପଥରହୋଇଯିବ । ସେ ସହେନି; ନିର୍ଲଜ ପରି ବିଚରାଟି ପ୍ରତି ମୁହୂର୍ତ୍ତରେ ସହିଦ ହେଉଥାଏ । ଅଳମ୍ବୁଷାଙ୍କ ରୂପରେ କାମାତୁର ଅସହାୟ ଦଧୀଚିମାନଙ୍କ କୁଢ଼ କୁଢ଼ ହାଡ଼ର ଜ୍ୟାମିତୀରେ ତିଆରି ଏ ପୃଥ୍ୱୀ । ଏଠି ସବୁ ପୁରୁଷ ନିଜ ନାରୀ ନିକଟରେ ସେପରି ପରାଜୟକୁ ରତିସୁଖ ପରି ଉପଭୋଗ କରନ୍ତି । କାଳେ ତଦ୍ଧ୍ୱାରା ମହାମୁନି ଦଧୀଚିଙ୍କ ପଦମର୍ଯ୍ୟାଦା କଳଙ୍କିତ ହୋଇପାରେ, ତାହା କେହି ତାହା କେହି ସ୍ୱୀକାର କରନ୍ତି ନାହିଁ । ବହୁ ସିଦ୍ଧ ସଂସାରୀଙ୍କ ପରି ଏ କୌଶଳର ଉଚିତ ପ୍ରୟୋଗ କରି ମୁଁ ବାରମ୍ବାର ବିଡ଼ମ୍ବନାରୁ ନିସ୍ତାର ପାଉଥିଲି ଏବଂ ମୋ ସଂସାର ଭଲରେ ଚାଲୁଥିଲା ।
  ଆମର ଜୀବନ ସହରୀ ହେବାର ଥିଲା, ହେଲା । ଏଠି ସଂପର୍କ ଓ ପରିଚୟର ହିସାବ ଅଲଗା । ଠାବ କଲେ ପରିଚୟ ମିଳେନା । ଚିହ୍ନା ବା ଅଚିହ୍ନାର କିଛି ଠିକ୍ଠିକଣା ନାହିଁ । ଅପରକୁ ଚିହ୍ନିବାକୁ ପ୍ରସ୍ତୁତ ପ୍ରତ୍ୟେକ ଆଖିରେ ପରିଚୟର ଉନ୍ମାଦନାଠାରୁ ଆଶାର ପ୍ରତିଫଳନ ଆଗେ ଦେଖାଯାଏ ।
  ମୋ ସଂସାର ସୁଖଦୁଃଖରେ କାହାରି କିଛି ସ୍ପୃହା ନ ଥାଉ ପଛେ ସହରୀ ପଡୋଶୀତତ୍ୱ ଅନୁଯାୟୀ ଅପରର ଦୁଃଖ ଦେଖିଲେ ସୁନ୍ଦର ଦାର୍ଶନିକ ସାନ୍ତ୍ୱନା ଜଣାଇବାକୁ ଯେତେ ଲୋକ ପାଖରେ ପହଞ୍ଚନ୍ତୁ ପଛେ, ସମସ୍ତେ ଦୁଃଖୀ ହୁଅନ୍ତି ନାହିଁ । ବରଂ ସୁଖ ଦେଖିଲେ କଷ୍ଟ ପାଆନ୍ତି । ଏକଥା ଜାଣି, ଆଉ କାହାକୁ ସୁଖୀ କରାଇବାକୁ ମୁଁ କିଅାଁ ନିଜ ସଂସାର ଜାଳି’ଥାନ୍ତି? ‘ବୋଲେ ହୁଁ ଟି’ ରଟି ରଟି ସ୍ତ୍ରୀଙ୍କ ସହିତ ଚମକ୍ରାର ସଂପର୍କ ରଖିବାକୁ ମୁଁ ସକ୍ଷମ ହେଉଥିଲି ।
  ବୃତ୍ତିରେ ମୁଁ ଜଣେ ସାମ୍ବାଦିକ । କାମର ବହୁତ ପ୍ରେସର । କିଏ କୋଉଠି କ’ଣ କଲା, ଦେଖିଲା ବେଳକୁ ଟେନ୍‌ସନ୍ ଆମର । ଆମେ କାମ କରିକରି ନୟାନ୍ତ । ଏକ୍ସକ୍ଲୁସିଭ୍ ରିପୋର୍ଟ ପଠାଇ ଦେଶ ବିଦେଶ ହୁଲସ୍ତୁଲ କରିପାରୁ । ମାତ୍ର ନିଜ ମନ ଭିତରେ କଅଁଳା ଠେକୁଆ ଛୁଆଟିଏ ଯେ ଛଟପଟ ହେଉଥାଏ ତାହା କେହି ଦେଖି ପାରନ୍ତିନି । ଶିଳ୍ପପତି ମନ୍ତ୍ରୀ ଅଫିସରଙ୍କ ସାଙ୍ଗରେ ଯେତେବେଳେ ସେତେବେଳେ କଥା ହୋଇପାରୁ । ଇଚ୍ଛା ଥାଉ କି ନଥାଉ, ଲୋକେ ଖାଇବାକୁ ଡାକନ୍ତି । ବର୍ଷରେ ପଚାଶ ଶହେ ଡାଇଣି କ୍ୟାଲେଣ୍ଡର ପାଉ । ଫରୱାଡ଼ିଙ୍ଗ୍ ଏଜେଣ୍ଟ ପରି ସବୁ ବାଣ୍ଟୁ । ସମସ୍ତେ ଭାବନ୍ତି, ଆମେ ପ୍ରଭୁତ ସୁଖରେ ଅଛୁ ଏବଂ ଯାବତ୍ ଟାଉଟରୀ କରିବାକୁ କେବଳ ସକ୍ଷମ ନୋହୁଁ,କରୁଥାଉ । ବାର ଜାଗା ବୁଲି ସଂଗ୍ରହ କରିଥିବା ସମ୍ବାଦଟିଏ ପ୍ରକାଶ କରିବାକୁ ହେଲେ ମୁଲାଇଜାରୁ ଲାଜ ମାଡ଼େ । ସେଥିପାଇଁ ଡେସ୍କରେ ବସିଥିବା କାଲି ସକାଳର ପିଲାଙ୍କୁ ତେଲ ମାରିବାକୁ ପଡ଼େ । ନିଜ ପ୍ରତିଷ୍ଠାର ସୁରକ୍ଷା ନିମନ୍ତେ ତାହା ମଧ୍ୟ କରୁ । ମାଲିକର ଆଦେଶରେ ବିଜ୍ଞାପନ ଯୋଗାଡ କରିବାକୁ ପଡ଼େ । ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ପାରୁଥିବା ଏ ସାମ୍ବାଦିକ ଓରଫ୍ ମୁନ୍ସିକୁ ଖୋଦ ମାଲିକ ମଧ୍ୟ ଗରିବ ବୋଲି ଭାବେନା । ତେଣୁ ବେତନ ମାଗି ହୁଏନା । ମାଲିକ ଯାଚି ଦିଏନା । ଏମିତି ବହୁ କାରଣରୁ ସତ ପବନରେ ଜଣେ ସାମ୍ବାଦିକ ଯେ ମିଛର ବିଷାକ୍ତ ଫୁଲଟିଏ – ଏକତା କେହି ଅନୁଗ୍ରହ କରି ବୁଝନ୍ତି ନାହିଁ । ଲୋକଙ୍କ ଅନୁମାନରେ ମା’ ସୀତୟା ତ ପୁଣି ଅସତୀ ଆଖ୍ୟା ପାଇ ବନସ୍ତକୁ ଗଲେ । ମୁଁ ଏମିତି କୋଉ ମାହାର୍ଘ୍ୟ ଗଛର ଫଳ କି?
  କଥା ଏଇଠି ସରେନି । ପତ୍ନୀ କେଉଁଠୁ କ’ଣ ଶୁଣି ମୋତେ ତଦାରଖ କରିବାକୁ କହନ୍ତି । ଆମ ଜୀବନର ଅଭ୍ୟାସ ଯୋଗୁ ଏବଂ ତାଙ୍କର ବୁଦ୍ଧିଜୀବୀ ଓ ବିପ୍ଳବିନୀ ଆଚରଣକୁ ବର୍କରାର୍ ରଖିବା ସକାଶେ ମୁଁ କେବେ କେମିତି ଥାନା ବା ଦପ୍ତରକୁ ଖବର ସଂଗ୍ରହ ଆଳରେ ଫୋନ୍ କରିଦିଏ । ପତ୍ନୀ ଭାବନ୍ତି ଯେ ମୁଁ ଜଣେ ପାୱାରଫୁଲ୍ ଲୋକ । କୌଣସି ଅଫିସ କି ସ୍କୁଲ କଲେଜରେ ଚାକିରି କରିଥିଲେ ଦିନର ନିଶ୍ଚିତ ନିର୍ଘଣ୍ଟ ହାତରେ ଥା’ନ୍ତା । ପରିବାର ଭିତରେ ଅଧିକ ସମୟ ବିତାଇ ଆନୁମାନିକ ପ୍ରେମକୁ ଜୀବନ୍ତ ଓ ମଧୁମୟ କରାଯାଇ ପାରନ୍ତା । ହେଲେ ସେପରି ସମ୍ଭବ ହୁଏନା ବୋଲି ତାଙ୍କ ପ୍ରତି ମୋ ନିଜ ବଶମ୍ବଦତାକୁ ପରିହାସର ବ୍ୟଞ୍ଜନାରେ ପରଶେ । ଏ ଅଭ୍ୟାସ କ୍ରମେକ୍ରମେ ବାସ୍ତବତାରେ ପରିଣତ ହୋଇ ସାରିଛି ।
  ଗୋଟିଏ ଝିଅ ଓ ପୁଅଟିଏ । ପ୍ରସଙ୍ଗ ଆଳୋଚନା ପାଇଁ ସେମାନଙ୍କ ଜନ୍ମ ଇତ୍ୟାଦିର ଖାସ୍ କିଛି ଭୂମିକା ନ ଥିବାରୁ ସେ ଅଂଶ ଛାଡ଼ିଦେବା । ଗୋଟିଏ କଥା ମନେ ଅଛି । ଝିଅ ଯେତେବେଳେ କ୍ଳାସ ଥ୍ରୀ କି ଫୋର୍ରେ ପଢ଼ିଲା ସେତେବେଳେ ତାଙ୍କୁ ମୁଁ କହିଥିଲି, “ଏଣିକି ପ୍ରୋ-ଲଭ୍ ସ୍ଳୋଗାନ୍ ବନ୍ଦ କର । ଝିଅ ବୁଝିବ । କହି ନ ଥିଲି - ପ୍ରେମ ଚିହ୍ନିବାରେ ତୁମେ ଅଯୋଗ୍ୟ ବୋଲି ତୁମ ଝିଅ ଯେ ଅଯୋଗ୍ୟ ହେବ, ୟା’ର କୋଉ ଗ୍ୟାରେଣ୍ଟି ?
  ସେ ମୋ କଥା ମାନିଲେ ନାହିଁ । ମୁଁ ବି କିଛି ପ୍ରତିବାଦ କରି ନ ଥିଲି ।
  ବାହାଘର ପରେପରେ ଏକ ଘରୋଇ କଲେଜରେ ମ୍ୟାନେଜମେଣ୍ଟ ପୋଷ୍ଟରେ ସେ ଅଧ୍ୟାପିକା ଚାକିରି ଆରମ୍ଭ କରିଥିଲେ । ସେଇଠି ଗ୍ରାଣ୍ଟ-ଇନ୍-ଏଡ୍ ପାଉପାଉ କଲେଜଟିକୁ ଖୋଦ ସରକାର ହାତକୁ ନେଇଗଲେ । ପରେପରେ ଅଧ୍ୟାପିକାଠାରୁ ପିଅନ ସମସ୍ତେ ସରକାରୀ କର୍ମଚାରୀ ହେଲେ । ଏବେକୁ ତହିଁରୁ ପ୍ରାୟ ସମସ୍ତେ କ୍ୟାଡରଭୁକ୍ତ ହୋଇ ସାରିଲେଣି ଓ କେତେ ଜଣ ପ୍ରମୋସନ ବି ପାଇଛନ୍ତି ।
  ଅଧ୍ୟାପକ ଚାକିରିରେ ନିଶ୍ଚୟ ଅନେକ ବାହ୍ୟପ୍ରକାଶ ଅଛି । ଗତ କେତେ ବର୍ଷ ଧରି ଆନ୍ତର୍ଜାତିକ ସ୍ତରରେ ମହିଳା ସଂକ୍ରାନ୍ତୀୟ ଆଲୋଚନାର ପରିମାଣରେ ବୃଦ୍ଧି ଘଟି ଥିବାରୁ ସେ ନାରୀ-ସ୍ୱାଧୀନତାର ବିଭିନ୍ନ ଦିଗ ଉପରେ ଭାଷଣ ଜରିଆରେ ଆଲୋଚନା କରିବାକୁ ସୁଯୋଗ ପାଉଥିଲେ । ତାଙ୍କ ବୁଦ୍ଧିର ବିକାଶ ଘଟୁଥିଲା ।
  ଆହୁରି କେତେକ ଘଟଣା, ଯଥା – ଗୋଟିଏ ଜାଗାରେ ଏତେ ବର୍ଷ ବସବାସ କରିଥିବାର ସିନିଅରିଟି, ହେଉ ପଛେ ଲୋକଦେଖା – ମୋ ଚାକିରିର ଗୌରବ, ଦୁଇ ଜଣ ରୋଜଗାର କରୁଥିବାରୁ ଆମ ପରିବାରର ଆର୍ଥିକ ସ୍ଥିତି, ସମସ୍ତଙ୍କ ସହିତ ମିଶି ଚଳିବାର ଏକ ପ୍ରକାର ସମ୍ମାନଜନକ ଶୈଳୀ ବା ଏହିପରି ଆହୁରି ଅନେକ କାରଣରୁ ତାଙ୍କ ବୁଦ୍ଧିଜୀବୀ ଚରିତ୍ରର ଉକ୍ରୃଷ୍ଟତା ବିଲୟ ହେଉ ନ ଥିଲା 
 । ଭାଲେଣ୍ଟାଇନ ଡେ’ ପାଖାପାଖି ସମୟ । ପାକିସ୍ତାନ-ଭାରତ ୱାନ୍ ଡେ’ରେ ରାହୁଲ ଦ୍ରାବିଡ ରନ୍ଆଉଟ ହେଇଗଲା । କ୍ରିକେଟ୍ ଓ ଟେନିସ୍ ବଲ୍ ଭିତରେ ତାରତମ୍ୟ ଜାଣି ନ ଥିବା ମୋ ପରି ଲୋକଟାକୁ ଖେଳାଳୀର ଦାୟିତ୍ୱହୀନତା ସଂପର୍କରେ ପତ୍ନୀ ପଏଣ୍ଟ ପରେ ପଏଣ୍ଟ ବୁଝେଇଲେ । ଯଦିଓ ସେ ଜାଣନ୍ତି, ମୁଁ କ୍ରିକେଟ ବୁଝେନା । ଦ୍ରାବିଡ କି କି ସତର୍କତା ଅବଲମ୍ବନ କରିବା ଉଚିତ ଥିଲା ସେ ତାହା ବୁଝାଇଥିବା ବେଳେ ନିଜ ସତର୍କତା ସଂପର୍କରେ ଅସତର୍କ ହୋଇ ପନିକିରେ ନିଜ ହାତ କାଟି ଦେଲେ । ପ୍ରି୍ରୟତମା ପତ୍ନୀଙ୍କୁ ଚିକିତ୍ସାରେ ସାହାଯ୍ୟ କଲି । ପରାମର୍ଶ ଦେଇଥିଲି, “ତୁମେ ଛୁରିରେ କାଟୁନା, ପନିକିରେ କାଟୁଚ କାଇଁକି? ଲେଟ୍ସ୍ ଗୋ ସେଫ୍ ।” ସେ କହିଲେ, “ପନିକିରେ ପାପୁଲି ବାଜିଲା ଛୁରିରେ ଆଙ୍ଗୁଠି ବାଜିଥା’ନ୍ତା । କାଟି ହେବା ତ ସାର । ମୋ ପାଇଁ ଫରକ୍ କ’ଣ?
  ଠିକ୍ ସେଇ ଦିନ ରାତି ଏଗାରଟା ବେଳକୁ ଫେରି ଦେଖେ ଯେ ଆମ ଘରେ ଚୋର କଳାକନା ବୁଲେଇ ନେଲା ପରି ନିସ୍ତବ୍ଧତା । ପୁଅ ଶୋଇ ପଡ଼ିଛି । ଗୋଟିଏ ଘରେ ପତ୍ନୀ । ଆର ଘରେ ଝିଅ । ଜଣଙ୍କର ଅସହାୟ ଆତୁରତା । ଆଉ ଜଣଙ୍କର ଅସହାୟ କ୍ରୋଧ । ଜଣେ ସମୁଦ୍ର ପରି ବ୍ୟାପ୍ତ ଏବଂ ଉଦାର । ଆର ଜଣକ ସ୍ନେହ ଭିତରେ ନିଶ୍ୱାସ ନେଇ ପାରୁନି ।
  ବୁଝୁ ବୁଝୁ କଥା ଏଇଆ ଥିଲା ଯେ ଝିଅ ଟିଉସନ୍ ସାରି ଘରକୁ ବାହୁଡ଼ିଲାବେଳେ ପତ୍ନୀ ତା ହାତରେ ଗୋଲାପ କଢ଼ଟିଏ ଦେଖି ଝିଅଠାରୁ ବୁଝେଇସୁଝେଇ ଜାଣିବାକୁ ଚାହିଁଲେ - ଯଦି ସେ କାହାକୁ ମନରେ ବାଛିଥାଏ, କହିଦେଉ ଏବେଠାରୁ । ସେ ସଠିକ ମାର୍ଗ ଦେଖେଇ ପାରିବେ ଓ କିୟଦାଂଶରେ ସହାୟକ ଭୂମିକା ଗ୍ରହଣ କରି ପାରିବେ ।
  କ୍ଳାସ ଏଇଟ୍ରେ ପଢ଼ୁଥିବା ଝିଅ କାନ୍ଦି ବୋବେଇ ଉଚ୍ଛାଳ । ମା’ ଓ ଝିଅ କେହି କାହାରି କଥା ବୁଝିବା ତ ଦୂରର କଥା, ଶୁଣିନାହାଁନ୍ତି । ସେ କହିଲେ, “ଭାଲେଣ୍ଟାଇନ ଡେ’ ଗୋଟେ କ’ଣ? ଇଏ କ’ଣ ଭାରତୀୟତା? ପ୍ରେମ କ’ଣ ଦେଖାଯିବା କଥା? ପ୍ରଳୟ ଦେଖାଯାଏ । ତୁମେ କି ସାମ୍ବାଦିକ ହେଇଚ? ୟା ବିରୁଦ୍ଧରେ ଲେଖୁନା କାହିଁକି?”
  ପ୍ରାୟ ଆଉ ଘଣ୍ଟାଏ ମା’ ଝିଅଙ୍କ ସହିତ ମଧ୍ୟସ୍ଥତା କଲା ପରେ ଝିଅ କହିଲା, “ରିମାଙ୍କ ଘର ଦେଇ ଆସିଲା ବେଳେ ଆଣ୍ଟି ତାଙ୍କ ନୁଆ ଗଛର କଢ଼ଟି, ଦେଲେ । ମାମା ଶୁଣିଲେ ତ ବୁଝିବ? ମତେ ତା ଭାଷଣ ଶୁଣିବାକୁ ଭଲ ଲାଗୁନି । ମୁଁ ପାଠ ପଢ଼ିବିନି, କୁଆଡ଼େ ପ୍ରେମ କରିବି? ପ୍ଳିଜ, ଲିଭ୍ ମି ଏଲୋନ୍ ।”
  ଅନୁଭବ କଲି ତା ବିରକ୍ତି ସୀମା ଛୁଇଁ ଯାଇଛି । ପତ୍ନୀଙ୍କୁ ସେଇ କଥା କହିଲି । ସେ ତା ପାଖକୁ ଆତୁର ହୋଇ ଦଉଡ଼ି ଗଲେ । “ଓ! ମୋ ଟେନ୍‌ସନ୍ ଗଲା । ମତେ ସେ କଥା କହିଲୁନି ।”
  ସେ ଝିଅକୁ କୁଣ୍ଢେଇ ଧରି ଗେଲ କରି ଅଥୟ କରିଦେଲେ । ଯେମିତି ହେଲେ ବି ତାକୁ ହସେଇ ଦେଲେ । ତାଙ୍କ ବଡି-ଲାଙ୍ଗୁଏଜ୍ କହୁଥିଲା – ପ୍ରେମ କରିବା ଏତେ ସହଜ କଥା ନୁହେଁ । ମୁଁ ପୋଷ୍ଟଗ୍ରାଜୁଏଟ ହେଲା ପରେ ତାହା ଜାଣିଥିଲି । ଅଷ୍ଟମରେ ପଢ଼ୁଥିବା ଝିଅଟେ ପ୍ରେମ କରିବାକୁ ଏଡ଼େ ସାହାସ ଯୋଗାଡ଼ କଲା କିପରି? ସେ କ’ଣ ତୁଲେଇ ପାରିଥା’ନ୍ତା? ସେଥିପାଇଁ ମୁଁ ଡରି ଯାଇଥିଲି ।
  ଖଜବଜ ହୋଇ ମୋ ପାଟିରୁ ବାହାରିପଡ଼ିଲା, “ତୁମେ ତ ପ୍ରେମର ଜଣେ ପ୍ରଚଣ୍ଡ ପ୍ରବକ୍ତା । ଆମ ଝିଅ ଯଦି କାହାକୁ ଭଲ ପାଇଥା’ନ୍ତା ସେଥିରେ ଟେନସନ୍ କ’ଣ?”
  ନାଇଁ ମ, ଏଇଟା ବୋକାଟା । ଜୀବନ ଚିହ୍ନନି । ସତର୍କ କରିବା ଆମ ଦାୟିତ୍ୱ ନୁହେଁ କି?” ମୋର ଇଚ୍ଛା ଥିଲା କହିବାକୁ – କୋଉ ଝିଅ ପୁଅ ବୋକା ନୁହଁନ୍ତି । ବୟସ ସେମାନଙ୍କୁ ବୁଦ୍ଧିଆରା କରେ ଯେମିତି ବୋକା ବି କରେ ସେମିତି । ବୋକା ହେବାକୁ ଜୀବନର ଅଭୀଷ୍ଟ ବୋଲି ଖୋଜିଲେ ବି ସମସ୍ତଙ୍କୁ ତାହା ମିଳେ ନାହିଁ । ତୁମେ ଯେଉଁ ପ୍ରେମରେ ସିଦ୍ଧି ହାସଲ କରିଛ ବୋଲି ଭାବି ଚାଲିଛ, ସଂସାର ଗଢ଼ିବା ପାଇଁ ସତ ମିଛ ଭିତରେ ଳଢ଼େଇ ନ ରଚି ମୁଁ ହିଁ ପରେ ତାକୁ ଜୀବନ୍ୟାସ ଦେଇଛି । କିନ୍ତୁ କହିଲି, “ତୁମ ପରି ମା’ର ଝିଅ କେବେ ବୋକୀ ହୋଇ ପାରିବ?”
  ନିଜ ବୁଦ୍ଧିର ତାରିଫ ଶୁଣି ସେ କହିଲେ, “ବୁଝିଲ ନା, ଭଳ ପାଇବା ପଦାକୁ ଦେଖାଗଲେ ତାହା ଲୋପ ହୋଇଯାଏ ।”
  ମୋ ପ୍ରଥମ ଅସଫଳ ପ୍ରେମର ଭୟ ସହିତ ତଥାକଥିତ ସଫଳ ପ୍ରେମର ଅଭିଜ୍ଞତା ଅର୍ଜନ କରିଥିବା ଉଦ୍ବିଗ୍ନ ପତ୍ନୀଙ୍କ ମନରେ ଝିଅ ପାଇଁ ଉପୁଜିଥିବା ଭୟକୁ ତୁଳନା କରୁଥିଲି ।
  ରଙ୍ଗ ରୂପ ଓ କାଳ ଭିନ୍ନ ହେଉ ପଛେ, ଦୁଇଟିଯାକ ଏକା ପରି ଲାଗିଥିଲେ ।