ଆଶା ତମସା/ମାତୃରୂପେଣ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ମାତୃରୂପେଣ
  ଚିତ୍ରଚନ୍ଦ୍ର ବହିଦାର । ଆଲାଏଡ୍ ଅଫିସର । ଥା’ନ୍ତି ଏକ ମହାର୍ଘ ପଦବିରେ । ପରିବାର କହିଲେ ମାତ୍ର ତିନି ଜଣ । ସ୍ତ୍ରୀ – ବୃତ୍ତିରେ ଅଧ୍ୟାପିକା । କବିତା ଲେଖନ୍ତି । ଏହି ଗଳ୍ପ ପାଇଁ ଅସଂପୃକ୍ତ ଆଉ ଜଣେ, ଝିଅଟିଏ । ଦିଳ୍ଳୀରେ ପାଠ ପଢ଼େ । ସ୍ୱାମୀ ସ୍ତ୍ରୀ ଦିହେଁ ଦାମ୍ପତ୍ୟ ଶୃଙ୍ଖଳାଠାରୁ ଅଧିକ ସାଙ୍ଗ ପରି ଚଳନ୍ତି । ଚିତ୍ରଚନ୍ଦ୍ରଙ୍କ ସାମାଜିକ ଆବେଗ ରହିଛି । କିନ୍ତୁ ଚାକିରିର ଦାୟ ଯୋଗୁ ସେମିତିକା ଇଚ୍ଛାକୁ ରୂପରେ ସଜେଇବା ସମ୍ଭବ ହୁଏ ନାହିଁ । ଖୋଜୁଥା’ନ୍ତି, କାହାକୁ ଉପଯୁକ୍ତ ପାଇଲେ ସେ ସହଯୋଗରେ ଲାଗି ପଡନ୍ତି । ତେଣୁ ସେ ଯେଉଁଠି ରହିଲେ ବି ପପୁଲାର । ଅସଲରେ ତାଙ୍କ ପଦବିଟି ଏମିତି ଯେ ସେଠୁ ହାତ ଠାରିଲେ ଶାଗୁଣାମାନେ ବି ମଢ଼ ଛାଡ଼ି ମାହାର୍ଦ ଖାଇବାକୁ ଉଡ଼ି ଆସିବେ ।
  ଦିନେ ଅଫିସରୁ ଫେରି ଫ୍ରେସ ହୋଇ ସୋଫାରେ ଗଡ଼ି ପଡ଼ିଲେ । ଏକାସାଙ୍ଗରେ ଚା ପିଇବେ, ଟିଭି ଦେଖିବେ ଓ ସ୍ତ୍ରୀଙ୍କ ସାଙ୍ଗରେ ଗପସପ ହେବେ । ଅନ୍ୟ କିଛି ସାନ୍ଧ୍ୟ କାର୍ଯ୍ୟକ୍ରମ ନ ଥିବାରୁ ଏମିତି ପ୍ରାୟ ଡିନର୍‌ଯାଏ ଚାଲିଥା’ନ୍ତା । ସେଣ୍ଟରଟେବୁଲ ଉପରେ ପଡ଼ିଥାଏ କେତେଗୁଡ଼ିଏ ରବିବାରିଆ ପତ୍ରିକା । ନଜର ପଡ଼ିଲା ଗୋଟିଏ ଉପରେ । ସେଥିରେ ଥିଲା ଶୀର୍ଷକ – କିନ୍‌ଝରିରେ ଲହୁର ଲହଡ଼ି ।
  କିନ୍‌ଝରି? ଦୀର୍ଘ ଅତୀତର ପ୍ରେମିକାକୁ ଡଠାତ୍ ରେଳ-କୁପେ ଭିତରେ ଆବିଷ୍କାର କଲେ ଯେମିତି ଗିଳି ହୁଏନି କି ବାନ୍ତି କରି ହୁଏନି ସେହିପରି ଅସହାୟ ବାସ୍ତବତା ତାଙ୍କୁ ଛଟପଟ କଲା । ସ୍ତ୍ରୀଙ୍କୁ ପଚାରିଲେ, “ଇଏ କ’ଣ ଆମ ହାଣେଶ୍ୱରୀଙ୍କ କଥା?”
  “ହଁ ପରା ।”
  ପଢ଼ାନଢ଼ି ସକାଶେ ସେ ପ୍ରାୟ ବେଳ ପାଆନ୍ତି ନାହିଁ । ଓଡ଼ିଆ, ଅତି କମ । ଏବେ ଚିତ୍ରଚନ୍ଦ୍ର ପତ୍ରିକାଟିକୁ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ମେନ୍‌ଷ୍ଟୋରି ପାଖରେ ଅଟକି ଗଲେ । ତନ୍ନ ତନ୍ନ ପଢ଼ିଲେ । ଷ୍ଟୋରିରେ ଉଲ୍ଲେଖ କରା ଯାଇଥିବା ବହୁ ବୟାନ ସଂପର୍କରେତାଙ୍କର ଟିପ୍ପଣୀ ରହୁଥିଲା ।
  କଭର୍‌ଚତ୍ର ଥିଲା ଭୟାନକ । ଅନେକଗୁଡ଼ିଏ ଫଟୋର କୋଲାଜ୍ । ସୁଅ ଛୁଟୁଥିବା ରକ୍ତର ବେଶ୍ ଧାରଟେ । ଇତସ୍ତତଃ କୁକୁଡା ଓ ଛେଳିଙ୍କ ମୃତଦେହ । ମାଳମାଳ କଟା ମୁଣ୍ଡ । ମୁକୁଳା ମଲା ଡୋଳା । ପଲକହୀନ । ମଣିଷପ୍ରତି ଅବିଶ୍ୱାସରେ ସେମାନଙ୍କ ନିବଦ୍ଧ ଶେଷ ଦୃଷ୍ଟି । କପାଳରେ ବହଳ ସିନ୍ଦୁର ମାଖିଥିବା ଜଣେ ଭକ୍ତ ମୁଣ୍ଡହୀନ ଛେଳିଟାଏ ଧରି ଦଉଡ଼ିଛି । ଦେଖାଯାଉଛି ଜହ୍ଲାଦଟେ ପରି । ଆଉ ଗୋଟେ ଫଟୋ – ଚୋଟରେ ଅଧା କଟି ଲଟକି ରହିଥବା ମୁଣ୍ଡ । କିନ୍‌ଝରି ନଈର ନାଁ କାହିଁକି ବ୍ୟବହାର ହେଲା କେଜାଣି, ନଇ ସଂପକୀୟ ଗୋଟିଏ ବି ଫଟୋ ନାହିଁ ସେଥିରେ । ରହି ପାରି ନ ଥା’ନ୍ତା ମଧ୍ୟ ।
  “ଏ ସଂପାଦକମାନଙ୍କର ଆଉ ହିତାହିତ ଜ୍ଞାନ ରହୁନି । ବଳି ବିରୁଦ୍ଧରେ ହୋ ହା କରୁଚ କରୁଥା । ଏମିତିକା ଫଟୋ ଦେଖେଇ ପାଠକଙ୍କୁ କାହିଁକି ଡରୋଉଚ?”
  ସହଯୋଗ କରି ପତ୍ଣୀ କହିଲେ, “ଆଉ କିଛି ନୂଆ ଆଇଡ଼ିଆ କଲେ ପଶୁବଳି ବନ୍ଦ ହୁଅନ୍ତାନି କି? ହେଲେ ଲୋକତ ସୁପରଷ୍ଟିସନ୍ ଛାଡ଼ିବେନି । ଶାରଳା ମନ୍ଦିରରେ ପୁଣି ବନ୍ଦ ହେଲା ନା ନାଇଁ? ପୋଢ଼ୁଅରୁ ଏକଦମ୍ ପାଣିକଖାରୁ । ଲୋକ ସଚେତନ ହେଲେ ସବୁ ଆପେ ଆପେ ସମ୍ଭବ ହୁଅନ୍ତା ଯେ ।”
  ଶ୍ରୀମତି ବହିଦାରଙ୍କ ବାପ ଘର ଶାରଳା ଅଞ୍ଚଳରେ । ପୋଢ଼ୁଅ ବଳି କଥା ବୋଧେ ସେ ୟା’ତା ଠାରୁ ଶୁଣିଥିଲେ । ତାଙ୍କ ଧାରଣା, ବୋଧେ ଲୋକ ସଚେତନ ହେଲେ ବୋଲି ସେଠି ବଳି ବନ୍ଦ ହେଲା ।
  “ଶାରଳା ତମ ଗାଁର । ହେଲେ, ସେଠି ପଶୁବଳି ବନ୍ଦ କେମିତି ହେଲା ସେକଥା ମୁଁ ଅଲଗା ରକମ ଶୁଣିଚି । ଲୋକଙ୍କ ଭକ୍ତି କି ସଚେତନତା ଯୋଗୁ ନୁହେଁ । ସେତେବେଳେ ଜଣେ ଦିବ୍ୟପୁରୁଷ ମୁଖ୍ୟମନ୍ତ୍ରୀ ଥିଲେ । ବୋଧହୁଏ ସେ ଅନୁମାନ କରି ପାରିଥିଲେ ଯେ ଲୋକେ ଠାକୁର ଠାକୁରାଣୀଙ୍କୁ ଯେତେ ଭକ୍ତି କରନ୍ତି ତହୁଁ ଅଧିକ କ୍ଷମତାକୁ ଡରନ୍ତି । ପଶୁବଳି ବନ୍ଦ କରାଯାଉ ବୋଲି ସରକାର ଆଇନ ତିଆରି କରୁଥିଲେ ଓ ବାରମ୍ବାର ଘୋଷଣା କରୁଥିଲେ । କିଏ ବା କାହିଁକି ଶୁଣି ଥା’ନ୍ତେ?”
  ମୁଖ୍ରମନ୍ତ୍ରୀ କ’ଣ କଲେ ନା ସନ୍ଧିପୂଜା ଦିନ ସକାଳୁ ପହଞ୍ଚି ଦେଉଳ ଆଗ ରାସ୍ତାରେ ଡେରା ପକେଇଦେଲେ । ସେଠି ସ୍ୱାଭାବିକ ପୁଲିସ ଅଫିସରମାନଙ୍କ ଗହଳି ରହିଲା । କାହାର ସାହସ ଥିବ ଯେ ମୁଖ୍ୟମନ୍ତ୍ରୀଙ୍କୁ ଯାଇ ପଚାରିବ - ଆପଣ କୁଆଡ଼େ ଆସିଛନ୍ତି? ବରଂ ସେ ନିଆଡୁ ମାଇକରେ କହିଲେ – ମୋର ମା’ଙ୍କ ପାଖରେ ଗୋଟେ ମାନସିକ ଥିଲା । ପୂରଣ ହେଲା ପରେ ପୂଜା କରିବାକୁ ଆସିଛି । ତମେମାନେ ଯେମିତି ଭକ୍ତ ମୁଁ ବି ଜଣେ ସେମିତିକା ଭକ୍ତ । କିଏ ମା’ଙ୍କ କରୁଣାରୁ କ’ଣ ପାଇଚ ମୁଁ ଜାଣେନା । ମୁଁ ପାଇଚି ମୁଖ୍ୟମନ୍ତ୍ରୀ ଆସନ । ମା’ଙ୍କ ପାଖରେ ଉଦ୍ଧତ ହେବା ସାହସ ମୋର ନାହିଁ । କିନ୍ତୁ ପ୍ରସାଦ ନାଁରେ ନିରୀହ ପଶୁଟିଏ ମାରି ମୋ ମା’ର ଏତେ ସୁନ୍ଦର କଲ୍ୟାଣକାରୀ ନୈବେଦ୍ୟରେ ହିଂସା ପରି ବିଷ୍ଠା ପକେଇ ଅପବିତ୍ର କରି ପାରିବିନି । ମୁଁ ପୂଜା କରିବି କିନ୍ତୁ ପଶୁବଳି ଦେବି ନାହିଁ । ଅନୂରୋଧ କରୁଛି, ସମସ୍ତେ ସେଇଆ କରିବେ । ଏଠି ପଶୁବଳି ବନ୍ଦ ।
  ଚିତ୍ରଚନ୍ଦ୍ର କହିଲେ, “ଖୋଦ ମୁଖ୍ୟମନ୍ତ୍ରୀ ଏମିତି କହୁଛନ୍ତି ତ ଆଦେଶ ଆଉ କାହାକୁ କହନ୍ତି କି? ପୁଣି ସେ ନିଜେ ମୁକାମରେ ଉପସ୍ଥିତ ।”
  ଉତ୍ସର୍ଗିତ ପଶୁମାନଙ୍କୁ ଫେରେଇ ଆଣି ଲୋକେ ହନ୍ତସନ୍ତ ହେଉଥିଲେ ନାନା କୁତ୍ସିତ ଆଶଙ୍କାରେ । ପରବର୍ତ୍ତି ସୁଯୋଗକୁ ଅପେକ୍ଷା କରି ରହିଥିଲେ ଅବଶ୍ୟ ।
  ସେମାନେ ଭାବିବା ସ୍ୱାଭାବିକ ଥିଲା ଯେ ବଳି ନ ପାଇ ମା ଅଶାନ୍ତ । ଏହାର ପରିଣତି – ମାନେ, ପ୍ରଳୟ । ଏମିତି ନାନା କଥା କାନରୁ କାନ ଭେଦି ଅଜଣା ଭୟର ହରରଙ୍ଗୀ ବାଦଲ ସମସ୍ତଙ୍କୁ ଘୋଡ଼େଇ ରଖିଥିଲେ ସୁଦ୍ଧା ପରେ ମା’ଙ୍କ କୋପ ପ୍ରମାର କଲାପରି କୌଣସି ଦୁର୍ବିପାକ ଘଟି ନ ଥିଲା । ବଡ ଧରଣର ବାତ୍ୟା କି ବନ୍ୟା କିଛି ନ ଥିଲା । ରବି, ଶାରଦ, ବଗିଚା, ବିଲ କି ପାଳରେ ଫଳି ଥିଲା ସତ୍ୟଯୁଗର ଫସଲ । ସ୍ୱାଧୀନତା ପରେ ସରକାରଙ୍କ ପ୍ରଥମ ବେତନ ନୀତି ପ୍ରବର୍ତ୍ତନ ଯୋଗୁ ସରକାରୀ ଚାକିରିଆ ଥିଲେ ଖୁସ୍ । ପ୍ରଥମ ଥର ପାଇଁ ଝୋଟ ଦର ମହଣ ପିଛା ଶହେ ଟଙ୍କା ଛୁଇଁଥିଲା । ସମ୍ଭାବିତ ବିପତ୍ତିର ମୁକାବିଲା ପାଇଁ ଓ ଖାଦ୍ୟଶସ୍ୟର ତିରୋଟ ଭରଣା କରିବାକୁ ସରକାର ଗ୍ରେନ୍‌ଗୋଲା ବସେଇଥିଲେ ।
  ଲୋକେ ପଶୁବଳି ନ ଦେବାରୁ ମା କଳେ ଖୁସି ହେଲେ କି? ଏମିତି ଭାବିବାକୁ କେହି ସାହସ କରି ନ ଥିଲେ । ତା’ମାନେ, ଠାକୁରାଣୀଙ୍କ କଲ୍ୟାଣ ଅଦେଖା ରହି ଗଲା । ଏହା ଅଲବତ୍ ପ୍ରମାଣ କରୁଥିଲା ଯେ ଖାଲି ଭୟ ପାଇଁ ହିଁ ଠାକୁର ଠାକୁରାଣୀ ମନେ ପଡନ୍ତି । ଭଲ ପାଇଁ ନୁହେଁ ।
  ତା’ପର ବର୍ଷ ପୁଲିସ ଓ ଅଫିସରମାନେ ଟିକେ ଟାଣ କରି ଜଗି ଦେଲେ । ତହିଁଆର ବର୍ଷ ଦରକାର ହୋଇଥିଲା ମୋଟେ ଗୋଟେ ପ୍ଳାଟୁନ ପୁଲିସ । ତା’ପରଠୁଁ ବିଟ୍ କନେଷ୍ଟବଳରେ କାମ ଚାଲିଚି । ତା’ରି ଭିତରେ ମା’ଙ୍କ ପାଇଁ ଭକ୍ତଙ୍କ ପାର୍ବଣ ନୈବେଦ୍ୟ ପୋଢ଼ୁଅ, ବୋଦା, ଗଞ୍ଜାମାନେ ଆପେଆପେ ପାଣିକଖାରୁରେ ପରିଣତ ପରିଣତ ହୋଇଯାଇଛନ୍ତି । “ସବୁ ବନ୍ଦ ହେଲା ପରେ ସରକାର ଆଉ କହନ୍ତେନି କି – ହେଇ ଦେଖ, ଲୋକେ ସଚେତନ ହୋଇଗଲେ! କିନ୍ତୁ ଏମିତିକା ଚେତନାର ମଞ୍ଜିଟିଏ ପୋତିବାକୁ କେତେ ବୁଦ୍ଧି ଖଟେଇବାକୁ ପଡ଼େ ଆଉ କେତେ କଷ୍ଟ ସହିବାକୁ ପଡ଼େ, ବୁଝି ପାରୁଚ?” ଚିତ୍ରଚନ୍ଦ୍ର ପୁଣି କଥିତ ମୁଖ୍ୟମନ୍ତ୍ରୀଙ୍କ ଯଶ ଗପିବାକୁ ଲାଗିଲେ ।
  ପଶୁବଳି ସଂପର୍କରେ ତାଙ୍କର କିଛି ଗମ୍ଭୀର ମତ ନ ଥିଲା ବା ନାହିଁ । ପାନ ଚୋବେଇଲା ବେଳେ ଦାନ୍ତରେ ଗୁଜୁରାତି ଦାନା ଲାଗିବା ପରି ତାଙ୍କୁ ବେଳେବେଳେ ସାହିତ୍ୟ ସଂସ୍କୃତିଆଦି ସଭାରେ ଅତିଥି ବା ମୁଖ୍ୟଅତିଥି ହେବାକୁ ପଡୁଥିଲା । ସାଧାରଣଜ୍ଞାନ ବା ପତ୍ନୀଙ୍କ ବୁଦ୍ଧି ଉଧାର ମାଗିଲେ କାମ ଚଳିଯାଏ । ତାଙ୍କ କାମଚଳା ଭାଷଣରୁ ବି ଶ୍ରୋତାମାନେ ବହୁ ଉପାଦେୟ ବିଜ୍ଞତାର ସନ୍ଧାନ ପାଆନ୍ତି ଏବଂ ପ୍ରଶଂସା କରନ୍ତି ।
  ସେ ଜାଣୁଥିଲେ ଯେ ଏ ପ୍ରଶଂସା ତାଙ୍କ ପଦବି ସହିତ ଯୋଡା ଏବଂ ପଦବି, କ୍ଷମତା ସହିତ । କ୍ଷମତା? ହୁତ୍, ଆୟୋଜିତ ଗଣିକାଟିଏ ବା ପେଡ୍ ହାର୍‌ଲଟ୍ । ଚିତ୍ରଚନ୍ଦ୍ର ବହିଦାର ନାମକ ବ୍ୟକ୍ତିଜଣକ ସହିତ ସେଗୁଡ଼ିକର ଖାସ୍ କିଛି ସଂପର୍କ ନାହିଁ । ବରଂ ଜଣେ ବିଶ୍ୱସ୍ତ ମୋଟିଆ ପରି ଏମିତିକା ଅଯଥା ପ୍ରଶଂସାକୁ ଦାୟିତ୍ୱପୂର୍ଣ୍ଣଭାବେ ମୁଣ୍ଡରେ ବୋହି ସେ ସଇସଲାମତ ପଦବି କତିରେ ପହଞ୍ଚାଇ ଦିଅନ୍ତି । ତା’ପରେ ତାଙ୍କୁ ଖୁବ୍ ହାଲ୍‌କା ଲାଗେ ।
  ନିଜେ ନିରାମିଷାହାରୀ । କିନ୍ତୁ ଆଇଁଷ ପ୍ରତି ଘୃଣା ନାହିଁ । ଘରେ ଚଳେ । ସେଦିନ ପତ୍ରିକାଟା ତାଙ୍କ ଜୀବନର ପିଣ୍ଡ ଓ ଚାରିପଟେ ଘେରି ରହିଥିବା ଜାଗ୍ରତ ବ୍ରହ୍ମାଣ୍ଡକୁ ଯେମିତି ଚହଳେଇ ଦେଲା ।
  ହଁ, ନିଜକୁ ଲୁଣ୍ଡିପାଲୀର ସନ୍ତାନ ଆଉ କିନ୍ଝରିର ଆଶ୍ରିତ ବୋଲି ଭାବିଲେ ତାଙ୍କୁ ଆଶ୍ୱସ୍ତ ଲାଗୁଥିଲା । ପଞ୍ଚପୀଠ ତାଙ୍କ ପାଇଁ କେବେ ବି ଭୟାନକ ନ ଥିଲା । ପତ୍ରିକା ଭୟାନକ ଲାଗୁଥିଲା । ସେଦିନର ନଇ ଆଜି କିନ୍‌ଝରି ଇରିଗେସନ ଡ୍ୟାମ୍ ପ୍ରୋଜେକ୍ଟର ଅଂଶବିଶେଷ । ମନରେ ପିଲାଦିନର ଅନେକ ସ୍ମୃତି ରହିଛି । ହେଲେ ସେ ନଇ ମରି ଯାଇଛି । ଠିକ୍ ସେମିତି , ପାଞ୍ଚ ଠାକୁରାଣୀଙ୍କ ଭିତରୁ ଏବେ ଗୋଟିଏ ନାଁ ସାଧୁଶବ୍ଦରେ କୁହାଯାଉଛି – ହାରେଶ୍ୱରୀ । ସିଏ ମଧ୍ୟ ଏକ ଭୟାନକ ଅବତାର ପରି ଲାଗୁଛନ୍ତି । ମନରୁ ବାହାରି ମ୍ୟାଗାଜିନ୍‌ରେ ଉଭାହେଲେଣି ଟି!
  ତାଙ୍କର ମନେ ଅଛି, ବାପା ମାନସିକ ଯାଚି ଥିଲେ । ସେ ସର୍ବଭାରତୀୟ ପରୀକ୍ଷାରେ ସଫଳ ହେଲେ । ସେଥିପାଇଁ ବାପା ଗଞ୍ଜାଟିଏ ବଳି ଦେଲେ । ନିଜ ସଫଳତାକୁ ବଳି ସହିତ ମୋଟେ ଯୋଡ଼ି ନ ଥିଲେ ସୁଦ୍ଧା ହାଣେଶ୍ୱରୀଙ୍କ ପାଇଁ ବାପାଙ୍କ ଭକ୍ତିଙ୍କୁ ସେ କୌଣସି ବଟକରାରେ କଦାପି ତଉଲିବାକୁ ଚେଷ୍ଟା କରି ନ ଥିଲେ । ସନ୍ତାନର ସଫଳତା ଖୋଜି ଜଣେ ବାପା ଭକ୍ତିର ଯେଉଁ ଟାଣୁଆ ଦଉଡ଼ିରେ ନିଜକୁ ବାନ୍ଧି ପାରିଥିଲା ତହିଁର ମଜବୁତ୍ ମେରିଖୁଣ୍ଟ ଥିଲେ ହାଣେଶ୍ୱରୀ ଠାକୁରାଣୀ ଜଣେ ସଫଳ ବାପାର ମୁହଁ ଅଙ୍ଗରାସହୀନ ତାଙ୍କ ଚିହ୍ନା ହାଣେଶ୍ୱରୀ ଚିତ୍ରଚନ୍ଦ୍ରଙ୍କୁ ଏକାପରି ଲାଗନ୍ତି । ସେ ଠାକୁରାଣୀଙ୍କ ନାଁ ବଦଳିଛି । ଅବଶ୍ୟ ଫିଲ୍ମିଷ୍ଟାରଙ୍କ ପରି ସେଲିବ୍ରିଟିରେ ପରିଣତ ହୋଇଛନ୍ତି ସିଏ । କିନ୍ତୁ ଳାଗୁଛନ୍ତି ନୃଶସଂ ଡକାୟତଟେ ପରି ।
  ପଞ୍ଚପୀଠ ପରି ପ୍ରବଳ ନାଁକୁ ପଛକୁ ଠେଲି ମୃତ ଲୁଣ୍ଡିପାଲୀରେ ନାଁ କେମିତି ପତ୍ରିକା ଛାତି ଉପରେ ଚଢ଼ିଗଲା? ହାଣେଶ୍ୱରୀଙ୍କ ପ୍ରାଚୀନତାର ବୟାନ ପଢ଼ି ଚିତ୍ରଚନ୍ଦ୍ର ବିସ୍ମିତ ହେଉଥିଲେ । ଇଦାନୀଂ ଚାଲିଥିବା ପଶୁବଳି ତାଙ୍କ ମନରେ ଆଉ ପ୍ରମୁଖ ହୋଇ ରହିଲା ନାହିଁ ।
  ନାଲିଯୋଡା ବ୍ଳକ । ଶାଳ ଶିମିଳି ଶାଗୁଆନ ବଣର ବେଷ୍ଟନୀ ଭିତରେ ପାଞ୍ଚ ଠାକୁରାଣୀ । କି ସୁନ୍ଦର ପଦ ପଡ଼ିଲା ପରି ନାଁଗୁଡ଼ିକ । ମାଣେଶ୍ୱରୀ, ବାଣେଶ୍ୱରୀ, ଚଣେଶ୍ୱରୀ, ରାଣେଶ୍ୱରୀ ଏବଂ ହାଣେଶ୍ୱରୀ । ସବୁ ଯୋଡାଯୋଡ଼ି ହେଲା ପରି । ଜାଗାର ନାଁ ହେଲା ପଞ୍ଚପୀଠ । ଏଇ ନାଁଟି ଏତେ ଖ୍ୟାତ ହେଲା ଯେ ମୂଳ ଗାଁଲୁଣ୍ଡିପାଲୀର ନାଁ ହଜିଗଲା । ଲୋକ ପେଟିସନ ଦେଇ ବନ୍ଦୋବସ୍ତ ରେକର୍ଡ଼ରେ ଲୁଣ୍ଡିପାଲୀ ନାଁକୁ ବଦଳେଇ ପଞ୍ଚପୀଠ କରିବାକୁ ଚାହିଁଥିଲେ । ଏ ନିବେଦନ ସରକାରଙ୍କର ସବୁ ମାପ ଭେଦି ପାରିଲା ନାହିଁ । ତେଣୁ ହେଲା ନାହିଁ ।
  ସରକାରୀ ରେକର୍ଡରେ ସିନା ହେଲାନି, ହେଲେ ଆଉଗୋଟେ ବାଗରେ ଆପେଆପେ ହୋଇଗଲା । ଠାକୁରାଣୀମାନଙ୍କ ଯୋଗୁ ସ୍ଥାନଟି ବ୍ଳକଠାରୁ ବି ବଡ ହୋଇଗଲା । ପଞ୍ଚପୀଠ ବୋଲି ସମସ୍ତେ ଜାଣିଲେ । କେବଳ ଅସୁବିଧା ହେଉଥିଲା ଯେ ଭୋ’ ଦଇବ ରେଜେଷ୍ଟ୍ରି ବା ସେଟେଲ୍‌ମେଣ୍ଟ ଅଫିସକୁ ନୂଆ ଆସୁଥିବା କିରାଣି କଦବାକ୍ୱଚିତ୍ ସିରସ୍ତାରେ ଲୁଣ୍ଡିପାଲୀ ନାଁ ଦେଖି ହଠାତ୍ ବୁଝି ପାରୁ ନ ଥିଲେ ।
  ଚିତ୍ରଚନ୍ଦ୍ର ମନେ ପକେଇ ପାରୁଥିଲେ । ଗାଁ ସହିତ ଯୋଡ଼ି ହୋଇ ରହିଥିବା ଜଙ୍ଗଲ ଭିତରେ ହାଣେଶ୍ୱରୀ ଥିଲେ ଲୁଣ୍ଡିପାଲୀର ଗ୍ରାମଦେବତୀ । ମରଦ ମାଇପେ ସଭିଁଏ ପୂଜା କରି ପାରୁ ଥିଲେ । ଏତେ ଅନ୍ତରଙ୍ଗ ଠାକୁରାଣୀ ମହିମାମୟୀ ହେଲେ ତ ଭଲ କଥା, କିନ୍ତୁ ଏତେ ଦୂରଛଡା ଓ ଏତେ ନିର୍ଦୟ ହୋଇ ଗଲେ କାହିଁକି? ତାଙ୍କ ଅଭିଶାପରୁ ଲୁଣ୍ଡିପାଲୀ ନାଁ ଲୋପ ନ ହୋଇଥିବ କାହିଁକି?
  ଆଦରରେ ଝିଅ, ଘିଅ ଆଉ ଦିଅଁଙ୍କୁ ସାଇତି ନ ରଖିଲେ ସେମାନେ ହାତଛଡା ହୁଅନ୍ତି । ଏକଦମ ସତ କଥା । ଝିଅ ପଥ ହୁଡ଼େ । ଘିଅ ଗନ୍ଧ ଛାଡ଼େ । ଦିଅଁ ରକ୍ତ ଲୋଡ଼େ ।
  ସିରସ୍ତାରେ ‘ଗ୍ରାମ – ସାବକ ନାମ ଲୁଣ୍ଡିପାଲୀ, କଥିତଂ ପଞ୍ଚପୀଠ’ ପରି ଲେଖିବା କୌଶଳ ଯେ ଆରମ୍ଭ ହୋଇଥିଲା, ତାହା ଏବେ ବି ଚାଲିଛି । ଚିତ୍ରଚନ୍ଦ୍ର କହିଲେ, “ବୁଝିଲ ନା, ଲୁଚେଇ ବାସନ ବିକି କଳସବସା ଦିନ ଖାନଦାନି ଦେଖେଇବା ପାଇଁ ନୂଆ ପାଟ ଖଣ୍ଡେ କିଣି ପିନ୍ଧିବାକୁ ବାଧ୍ୟ ହେଉଥିବା କୌଣସି ପ୍ରାଚୀନ ଉଦ୍ଧତ ଜମିଦାରର ଦରିଦ୍ର ଦାୟାଦ ଯେମିତି ପରିଚୟ ସଂରକ୍ଷଣ ପାଇଁ ଅଶେଷ ଯାତନା ଭୋଗୁଥାଏ – ସେମିତି ଅନେକ ଅବ୍ୟକ୍ତ ଦୁଃଖ ଭୋଗିଚି ଲୁଣ୍ଡିପାଲୀ ନାଁର ପରିଚୟ ।”
  ବହୁ ପଯେ ସେଇଠି ସ୍ଥାପିତ ହେଲା ପୋଷ୍ଟଅଫିସ,ପଶୁଚିକିତ୍ସା କେନ୍ଦ୍ର, ଏଲ୍‌ପି-ୟୁପି ସ୍କୁଲ୍ । ଏବେ ସେଠି କଲେଜ,  ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ ଅଫିସ । ଗୋଟେ ଏରିଆର ନାଁ ପଞ୍ଚପୀଠ । ଏମିତି ଏମିତି ଲୁଣ୍ଡିପାଲୀ ନାଁ ଲୋପ ହୋଇଗଲା । କେବଳ ଯେ ନାଁଟି ହଜି ଗଲା ତାହା ନୁହେଁ, ଏକାସାଙ୍ଗରେ ନିଶ୍ଚିହ୍ନ ହୋଇ ଯାଉ ଥିଲା କେତେ ମଣିଷଙ୍କ ବିବରଣୀ ଓ ଆହୁରି ଅଗଣନ କିମ୍ବଦନ୍ତୀ । ଏକଦା ପ୍ରଚଳିତ ସେମାନଙ୍କର ଅସଂଖ୍ୟ ବିଜୟୀ ଗାଥା ସମୂଳେ ନିଶ୍ଚିହ୍ନ ହୋଇ ଯାଉଥିବେ ଅଥବା ନୂଆ ନୂଆ ସଂସ୍କରଣରେ ଉଭା ହେଉଥିଲେ ।
  ଲୁଣ୍ଡିପାଲୀର ମୃତ୍ୟୁ କହାରିକୁ କିଛି କଷ୍ଟ ଦେଇ ନ ଥିଲା ।
  ଏଥିପାଇଁ ଲୋକଙ୍କ ସାଧନା ଏବଂ ସମୁଦାୟ ବିବର୍ତ୍ତନର ରୂପ ଯାହା ହୋଇ ଥାଉ ପଛେ ଠାକୁରାଣୀମାନଙ୍କ ଆବିର୍ଭାବ ନ ଥିଲେ ଜାଗାର ନାଁ କେବେ ହେଲେ ପଞ୍ଚପୀଠ ହୋଇ ପାରି ନ ଥା’ନ୍ତା । ଚିତ୍ରଚନ୍ଦ୍ର ଏହାହିଁ ବିଶ୍ୱାସ କରୁଥିଲେ ।
  ଠାକୁରାଣୀମାନଙ୍କ ନାଁରେ ଭଲ କିମ୍ବା ଭୟ ବଖାଣିବାକୁ ତାତ୍ପର୍ଯ୍ୟପୂର୍ଣ ଗପ ଶୁଣିବାକୁ ମିଳିଥିଲା । ଆଜି ହସ ଲାଗିଲେ ବି ଚିତ୍ରଚନ୍ଦ୍ର ପିଲାଦିନେ ସେ ଗୁଡ଼ିକୁ ବିଶ୍ୱାସ କରୁଥିଲେ । ପତ୍ରିକାର ସାମ୍ବାଦିକ ବିବରଣୀ ସହିତ ସେଥିରୁ ଅନେକ ନିହାତି ଅମେଳ ଲାଗୁଥିଲେ । ପୃଷ୍ଠା ଓଲଟାଇଲା ବେଳେ ସେ ଭାବୁଥିଲେ, ଜନ୍ମ ଓ ଡଙ୍କ ମଡ଼ା ଜୀବନର ବୃତ୍ତାନ୍ତ ସହିତ ସାମ୍ବାଦିକ ବିବରଣୀକୁ ତରାଜୁରେ ତଉଲିବା ନିହାତି ବେଅକଲ ବିଚାର । ଫୁଲ କେମିତି ଗଛର ଆୟତନ ମାପିବ? କିନ୍ତୁ ଦୁର୍ଭାଗ୍ୟ ଯେ ଫୁଲ ଦେଖାଯାଏ ଓ ତାହା ହିଁ ହୁଏ ଗଛର ପରିଚୟ ।
  କିନ୍‌ଝରି ପରିକା ନାଁଟି ଏବେ ପିରାମିଡ୍ ତଳର ଭୂଇଁ । ତାହା ଆଉ କେହି କଦାପି ଦେଖି ପାରି ନ ଥା’ନ୍ତେ । ଦେଖା ଯାଉଥିଲା ପଞ୍ଚପୀଠ । ଆଉ ଭୟାନକ ରୂପରେ ଦେଖା ଯାଉଛନ୍ତି ତାଙ୍କ ଭକ୍ତି ଓ ଆଦରର ହାଣେଶ୍ୱରୀଆଜି ହାରେଶ୍ୱରୀ ରୂପରେ । ଡାକୁରାଣୀଙ୍କର ଏପରି ମହିମା ହ୍ରାସକୁ ଖ୍ୟାତିରୂପକ ଗଳାଗଜରା କରିବାକୁ ତାଙ୍କ ମନ କହୁ ନ ଥିଲା ।
  ସମୟ କେବଳ ଶେଷ ଦେଖେ । ତା’ର କ୍ଷମତା ସେତିକି । କାରଣ ସେ ପଛ ପାଇଁ ଆଖି ନ ବୁଜିବ ତ ଆଗକୁ ଚାଲିବ କେମିତି? ପାଦ ଛନ୍ଦି ହେବ । ମଣିଷମାନେ କେମିତି ନିଜ ଲୋଭର ଛବି ବଦଳାଇ ଠାକୁରାଣୀମାନଙ୍କୁ କୋଉଠୁ ନେଇ କୋଉଠି ପହଞ୍ଚେଇ ପାରନ୍ତି – ଏକଥା ସେ ଅତି ସହଜରେ ଅନୁଭବ କରି ପାରୁଛନ୍ତି । ଅକସ୍ମାତ୍ ଗୋଟେ ଦି’ଟା ବଳିରେ ଉଳ୍ଲସିତ ହେଉଥିବା କିନ୍‌ଝରି ଆଜି କେମିତି ମଣିଷ ମନରୁ ଆତ୍ମାଛଡା ଲହୁର ଧାର ବୁହାଇ ପାରୁଛି – ତାକୁ କେହି ଦେଖିବେନି? ଏଗୁଡାକ ଅତୀତ କହି ଆଡ଼େଇ ଦେବା କେମିତି ସମ୍ଭବ ସେ ବୁଝି ପାରୁ ନ ଥିଲେ ।
  ଏବେ ପରଶିଲା ବେଳେ କି ସୁନ୍ଦର ରଫୁ ସିଲେଇ! ପତ୍ରିକାଟିରେ କେତେ କଥା କୁହାଯାଇଛି । ଶାସ୍ତ୍ର ପୁରାର । ତନ୍ତ୍ରଯୁଗଠାରୁ ହାରେଶ୍ୱରୀଙ୍କ ଆର୍ବିଭାବ ଗାଥା । ବଳିବିରୋଧୀ ସ୍ୱେଚ୍ଛା ସେବୀମାନଙ୍କ ମତ । ସେବା୍ରତଙ୍କ ସୈନ୍ଧାନ୍ତିକ ପ୍ରତିବାଦ । ପତ୍ରିକାର ସାମାନ୍ୟ ବକ୍ତବ୍ୟ – ବଳିର ଏତେ ଉକ୍ରଟ ରୂପ ଆଜିର ମାନବବାଦ ସହିବାକୁ ରାଜି ନୁହେଁ । କ’ଣ କମ୍ ହେଲେ ଚଳନ୍ତ୍ା କି? ହିଂସାକୁ ଗଣ୍ଠିଧନ କରି ରଖିବ କି ଛାଡ଼ିବ – ଏ ସିଦ୍ଧାନ୍ତରେ ପହଞ୍ଚô ପାରି ନ ଥିବା ମଣିଷ ଅନ୍ଧବିଶ୍ୱାସର ଅଳିନ୍ଦ ଖୋଜିବନି ତ ଆଉ ଖୋଜି କିଏ?
  ଚିତ୍ରଚନ୍ଦ୍ର ମଧ୍ୟ ୟା’ଠାରୁ ଅଧିକ କିଛି ଭାବି ପାରୁ ନ ଥିଲେ ।
  ମାଣେଶ୍ୱରୀ । ଭକ୍ତ ନିଜ ସକ୍ଷ ଅନୁଯାୟୀ ବିଗଳିତ ମନରେ ଯଦି କଣିକାଏ ଭୋଗ ଦେଲା, ବୋଲ ସେ ମାଣେ ପ୍ରମାଣେ ଆର୍ଶୀବାଦ ପାିବ । ଠାକୁରାଣୀଙ୍କର ମାଣେ ଟି! ମଣିଷ ପାଇଁ କେତେ ନ ହେଉ ଥିବ ।
  ସମ୍‌ସୋଲା ଗାଁର ସୁଧାକର ପତି । ରାଜାଙ୍କ କଚିରିରେ ଅବୈତନିକ ମୋହରିର । ଦିନକୁ ଦି ଓଳି ପେଟପୂରା ଖାଇବାକୁ ପାଉ ନ ଥିଲା । ବୁଢ଼ା ଦିନେ କ’ଣ ଗୋଟେ ସ୍ୱପ୍ନ ଦେଖିଲା । ସକାଳୁ ଉଠି ହୁ’ଦସ୍ତ କୋଶେ ଜଙ୍ଗଲ ଭେଦ କରି ଚାଲିଚାଲି ଖେଦି ଗଲା । ଠାକୁରାଣୀଙ୍କି ଖୋଜିଲା ଏବଂ ପାଇଲା । ଚୁଆ ଚନ୍ଦନରେ ମାର୍ଜଣା କଲା । ତା’ପରଠାରୁ ଯୋଉଦିନ ସିରସ୍ତା ଛୁଟି ସେଦିନ ପତିବୁଢ଼ାର ଏଇ କାମ । ଅକର୍ମଣ୍ୟ ହେବାଯାଏ ସେ ପୂଜା ମାର୍ଜଣା ଚଳେଇ ରଖି ଥିଲା । ତା ବଉଁଶର ବଡ୍ଡି ଦେଖ । ବୁଢ଼ା ଅଣନାତି ପଣନାତି ଦେଖିଲା । କିଏ ମାଜିଷ୍ଟର ତ କିଏ ଜଜ୍ । କିଏ ହାକିମ ତ କିଏ ପ୍ରଫେସର । କିଏ ଲଣ୍ଡନରେ ତ ଆଉ କିଏ ଆମେରିକାରେ । ସମସ୍ତଙ୍କର ସବୁଠି ଜୟଜୟକାର ।
  ବାଣେଶ୍ୱରୀ । କୋପ କଳେ ବାଣ ମାରିଦିଅନ୍ତି । ଠ – ମୁଣ୍ଡୁଳା ପରି ଡଉଲଡାଉଲ ଭେଣ୍ଡିଆ ବି ନାଠି ହେଇ ଶୁଖିଶୁଖି ମରିଯାଏ । ପଟାଏତ ପୁଅ ରାଜେଶ୍ୱରଙ୍କ ଅବସ୍ଥା ଲୋକେ ସ୍ୱଚକ୍ଷୁରେ ଦେଖିଛନ୍ତି । ତାଙ୍କ ବରଗଛରେ ବସିଥିବା ଗୋଟେ ଗେଣ୍ଡାଳିଆକୁ ସେ ମଜାରେ ଗୁଳି ମାରିଦେଲେ । ପକ୍ଷୀଟା ଠୋ କରି ତଳେ ପଡ଼ିଗଲା । ମରିବା ଆଗରୁ ମା’ଙ୍କ ପାଦ ପାଖରେ ବହୁତ ଫଡ୍ ଫଡ୍ ହେଲା । କାଳେ ବଞ୍ଚି ଯାଇଥା'ନ୍ତା । ହେଲାନି । ରାଜେଶ୍ୱରଙ୍କ ବୋଳକରାମାନେ ତାକୁ ନେଇଗଲେ ।
  ଦିଲେଶ୍ୱର ରାଉଳ ଅନେଇଚି, ବାଣେଶ୍ୱରୀଙ୍କ ଆଖିରୁ ରକ୍ତ ଝରିଲା । ତା’ପରେ ରାଜେଶ୍ୱର ଉଆସକୁ ଆସି ପହଞ୍ଚିଛନ୍ତି କି ନା, ହେଲା ରକ୍ତବାନ୍ତି । ଦିନନ୍ନ୍ରଟା ଭିତରେ ଶୁଖିଶୁଖି ସେ କଣ୍ଟା । ଜଳ ଆହାର ଛୁଇଁଲେନି । ରାଜାପୁଅ । ତାଙ୍କ ଗୁଳିରେ ଗେଣ୍ଡାଳିଆଟେ ମରିବା ପରି ଛୋଟିଆ କଥା । ସିଏ କାହାକୁ କହିଥା’ନ୍ତେ? କିନ୍ତୁ ତାହା ଥିଲା ଠାକୁରାଣୀଙ୍କ ଗଛ । ସେହି ଗଛର ସାର୍ବଜନୀନ ଅଭୟପଣକୁ କେହି ନିଜ ହିମ୍ମତରେ ମାପିବାକୁ ସାହସ କରିବା ଉଚିତ ନୁହେଁ – ରାଜେଶ୍ୱର ବୋଧେ ଏତିକି ଜ୍ଞାନ ଶିଖି ନ ଥିଲେ ।
  ପଟାଏତ ସାହେବ ପୁଅର କି ଚିକିତ୍ସା ନ କରେଇଛନ୍ତି? କଲିକତା ନେଲେ । ମାସେ କାଳ ଇଂଲିସ୍ ଡାକ୍ତର ଦେଖିଲେ । କିଛି ହେଲାନି । ଡାକ୍ତର କହିଲେ, “ପ୍ରାର୍ଥନା କର ।” ତା’ପରେ ଯାଇ ରାଜୋ୍ବର ନିଜ ମା’ଙ୍କ ଜରିଆରେ ବାପାଙ୍କୁ ଗେଣ୍ଡାଳିଆ ଶିକାର କଥା ଜଣେଇଲେ ।
  ସେପରି ଠାକୁରାଣୀଙ୍କ ଆସ୍ଥାନ କେଉଁଠି, ପଟାଏତ ଜାଣିପାରୁ ନ ଥା’ନ୍ତି ।
  “ତାଙ୍କ ପାଖରେ ଦ୍ରୋହ କଲ ତ ଠାକୁରାଣୀ କୋପ କଲେ, ମୁଁ କୃପା ମାଗିବିକାହାକୁ?”ସେ କ’ଣ କରିବେ ବା ନ କରିବେ, ନିଜ ଅକଳକୁ ବହୁତ ଓଲଟପାଲଟ କଲେ । ଶେଷରେ ପୁଅକୁ ଆଣି ବାଣେଶ୍ୱରୀଙ୍କ ଆଗରେ ଗଡ଼େଇଦେଲେ । କାନ୍ଦିକାନ୍ଦି କହିଳେ, “ମା ଲୋ, ମୋ କୁଳରେ ଏଇ ଗୋଟିଏ । ସେ ତତେ ଚିହ୍ନି ପାରିଲାନି । ଅପ୍ରାଧ କଲା । ତା ପାପ ମୋ ମଥାରେ ଳଦି ବଦଳରେ ମତେ ଏ ଜଗତରୁ ନେଇଯା । ତା ବିନା , ଜୀବନ ମୋର ଲୋଡ଼ା ନାହିଁ ।”
  ଦେଖାନ୍ତେ ସତ ଅଦେଖାକୁ ମିଛ ପରି ମାସ ଦି’ଠା ପୂରିନି ପଟାଏତ ସ୍ୱର୍ଗଧାମ ଚାଲି ଗଲେ । ଆଚମ୍ବିତ କଥା, ରାଜେଶ୍ୱର ଝାଡ଼ିଝୁଡ଼ି ହେଲା ପରି ବିଛଣାରୁ ଉଠିଲେ । ଉଦ୍ଧତପଣ ଛାଡ଼ି ନ ଥିଲେ ବି ସେ ଆଉ କେବେ ଖାଲି ପାଞ୍ଚପୀଠ ନୁହେଁ, ପୂରା ଅଞ୍ଚଳଟା ମାଡ଼ିଲେ ନାହିଁ । ସେ ଜଣେ ଅତି ବଦମାସ ରାଜପୁତ୍ରରେ ପରିଣତ ହୋଇଥିଲେ । ଭୟରେ ହେଉ ବା ଭ୍ରାନ୍ତିରେ ହେଉ, ସେପରି ଜଣେ ଉଦ୍ଧତ ଦୂରାଚାରୀ ପାଞ୍ଚପୀଠ ମାଡ଼ୁ ନ ଥିବାରୁ ଠାକୁରାଣୀମାନେ ସାଧାରଣ ଲୋକଙ୍କ ଭୟଶୂନ୍ୟ ଗୁହାରି ଶୁଣୁଥିଲେ ।
  ଚଣେଶ୍ୱରୀ । ମା’ଙ୍କର ଥିଲା ଚଣା ଭୋଗ । ସାରା ଅଞ୍ଚଳରେ ଚଣା ଚାଷ ହେଉ ନ ଥିଲା ବା ଏବେ ବି ହେଉନାହିଁ । ମାତ୍ର ଠାକୁରାଣୀଙ୍କ ନୈବେଦ୍ୟ ପାଇଁ ରାଞ୍ଚି ଏବଂ ରାୟପୁରରୁ ଶଗଡ଼ରେ ଚଣା ଆମଦାନୀ ହେଉଥିଲା । ଆଜି ରାଜନୀତି, ଚାଉଳ ଏବଂ କେନ୍ଦୁପତ୍ର ବେପାରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭିନ୍ଦର ବଂଶର ଆଦିପୁରୁଷ ଥିଲା ପରମିନ୍ଦର ସିଂହ ଭିନ୍ଦର । ଆଉ ଆଉ ତିରିଶ ଚାଳିଶ ମରଦ ଓ ତିର୍ଲାଙ୍କ ସହିତ ସିଏ ବି ରାଣୀଙ୍କ ସହିତ ଯୌତୁକଭାବେ ପାତିଆଲାରୁ ଆସିଥିଲା । ପରମିନ୍ଦର ଅନ୍ତେ ତା ପୁଅ ହରବିନ୍ଦର ଆଉ ପ୍ୟାଲେସ ସେବା ପାଇଲାନି । ଗୋରୁ ମଇଁଷି ରଖିଚଳିଲା । ସିଏ ଏଇ ଠାକୁରାଣୀଙ୍କ ପାଇଁ ଚଣା ବେପାର କରି କେଡ଼େରୁ କେଡ଼େ ତାହା ସମସ୍ତେ ଦେଖିଛନ୍ତି । ମାତ୍ର ଦୁଇ ପିଢ଼ିର କଥା ।
  ତା’ପରେ ତାଙ୍କ ବଉଁଶର ଆଧିନିଧି ମାଡ଼ିଗଲା ଯେ ମାଡ଼ିଗଲା । ଆଦିଅନ୍ତ ଜାଣି ହେଲାନି । ଯୋଉ ଦଳ ସରକାର କରୁ ପଛେ, ଭିନ୍ଦର ଘରୁ ନିଶ୍ଚେ ଜଣେ ମନ୍ତ୍ରୀ ଥିବ ।
  ରାଣେଶ୍ୱରୀ । ତାଙ୍କ ନାଁରେ କେହି ରାଣ ପକାନ୍ତି ନାହିଁ । ସେଇ ନାଁ ଧରି ଅସତ୍ୟ ଉଚ୍ଚାରିଲେ – ବୋଲ- ସବାନାଶ । ଉଦାହରଣସ୍ୱରୂପ ଲୋକେ ଗଉନ୍ତିଆ ଘର ବିଲୁଆଡିଆଁ ଢ଼ିଅକୁ ଦେଖେଇ ଦିଅନ୍ତି । ପଣ୍ଡା ଘର କଂସା-କବାଟ ଥିଲା । କୁଚ୍ଛି କଦମ୍ବ ପଣ୍ଡା କୁଚକ୍ରୀଟେ । ତା’ର ସବୁବେଳେ ନିଆଁଗିଳା କାମ । ମୋଟେ ଥରଟେ ସେ ରାଣେଶ୍ୱରୀଙ୍କ ନାଁରେ ଦ୍ରୋହ କରିଥିଲା ।
  ସାଦାକାଗଜରେ ଟିପଚିହ୍ନ ରଖି ସେ ସୁନା ତନ୍ତିକି ମାତ୍ର ଦି ପୁଡୁଗ ଧାନ ଉଧାରି ଦେଇଥିଲା । ପରେ ଦାବି କଲା କ’ଣ ନା, ସୁନା କୁଆଡ଼େ ଶହେ ଟଙ୍କା ଋଣ ନେଇଚି । ଅସଲରେ କଦମ୍ବ ପଣ୍ଡାର ଲୋଭ ଥିଲା ଯେ ତା ପିତୃପୁରୁଷ ସୁନାର ପିତୃପୁରୁଷକୁ ଦେଇଥିବା ଦେଢ଼ ମାଣ ଡହନିଆ ଜମିଖଣ୍ଡକ ଉପରେ ।
  ଲୋଭୀମାନେ ଯେମିତି ହେଲେ ବି ସୁଯୋଗ ତିଆରି କରିପାରନ୍ତି ।ପାଖରେ କ୍ଷମତା ଥିଲେ ଏମିତିକା ଇଚ୍ଛା ମଣିଷର ଆହୁରି ପ୍ରବଳ ହୁଏ । ପଣ୍ଡା କୋରଖ କରେଇ ସହଜରେ ଜମିଖଣ୍ଡକ ଅଧିକାର କଲା । ପାପର ନିଜ ଚକ୍ର ଓ ନିଜ ଭଉଁରି । ମୁସ୍ତରି ରେକର୍ଡ ଦରଜ କରେଇ ନେବାକୁ ସେ ତରବର ହେଲା । ଭାଗ୍ୟ ଖରାପ । ତଦାରଖ ବେଳେ ସେଇ ଫାଇଲଟା ଇଂଲିସ ହାକିମଙ୍କ ନଜରରେ ପଡ଼ିଗଲା । ସୁନା ତନ୍ତି ପରିକା କେହି ଜଣେ ଯାଇତାଇ ଲୋକ କାହିଁକି ଶହେ ଟଙ୍କା କରଜ କଲା ବୋଲି ସେ ଡାଉଟ୍ କଲେ ।
  ପେସ୍କାରକୁ ଡାକି ଅର୍ଡର ଦେଲେ, ‘କଦମ୍ବ ପଣ୍ଡାଙ୍କୁ, ହାଜର କରା ।’ କଦମ୍ବ ପଣ୍ଡା ଓ ସୁନା ତନ୍ତି ପାଖକୁ ସର୍କିଟକୋର୍ଟ ନୋଟିସ ଆସିଲା । ପିଆଦା କହି ଦେଇଗଲା । ହାକିମ କୁଆଡ଼େ କଦମ୍ବ ପଣ୍ଡାକୁ ଅର୍ଡର କରିଥିଲେ – ସୁନା ତନ୍ତି କିଏ ତାକୁ ତୁ ଖୋଜିବୁ । ନୋଟିସ ତଦ୍‌ବିର କରିବୁ । ତାକୁ ଆଣି କୋର୍ଟରେ ହାଜର କରେଇବା ଦାୟିତ୍ୱ ତୋର ।
  ଜମି ଖଣ୍ଡିକ ହାତଚଡ଼ା ନ ହେଉ । ସୁନା ଆଗରୁ ଗଉଁତିଆଙ୍କୁ ଅନେକ ଅନୁନୟୀ ଉଦ୍ୟମ କରିଥିଲା । ଦୟା ତ ଦୂରର କଥା, ବରଂ ତାହା କଦମ୍ବ ପଣ୍ଡାର ଦର୍ପକୁ ଦୋହଲାଇ ଦେଇଥିଲା । ଛାର ଆଶ୍ରିତ । ଏଡ଼େ ବହପ, ହସ୍ତାନ୍ତର କରିବାକୁ ଆମ୍ଭଙ୍କୁ ମନାକଲା? ଆମ୍ଭେ କିସ ପାଞ୍ଚପଚିଶ ଦେଇ ନ ଥା’ନ୍ତୁ କି? ଗଉନ୍ତିଆଙ୍କ ରୋଷ. ରାଜ-ରୋଷ । ନିସ୍ତରିବା ଅସମ୍ଭବ । ସୁନା ତନ୍ତି ସର୍ବନାଶର ଶେଷ ଦୁଆରେ ଠିଆ ହୋଇଥିବା ବେଳେ କଦମ୍ବ ପଣ୍ଡା ତାକୁ ଡକେଇଲା ଏବଂ ପିଆଦାମାନଙ୍କୁ ହୁସିଆର କରି ଦେଇଥିଲା – ତାକୁ ଆଗେ କହିଦେବ ଯେ ଗଉନ୍ତିଆ ଆଦରରେ ଡାକୁଛନ୍ତି । ସେ ଯେମିତି ଏଠିକି ହସିହସି ଆସିବ ।
  ପିଆଦାମାନେ ବାଟସାରା ବୁଝେଇ ସୁଝେଇ କେତେ କଥା କହିଥିଲେ ସୁଦ୍ଧା ସୁନା ତନ୍ତି ମୋଟେ ହସି ପାରି ନ ଥିଲା । ତା ହସ ତିନ୍ତି ଯାଇଥିଲା ତିନୋଟି ଛୁଆ, ବୁଢ଼ୀ ମା ଓ ମାଇପଙ୍କ ଲୁହରେ । ମନ ବନ୍ଧା ପଡ଼ିଥିଲା ଅଜଣା ଭାଗ୍ୟ କତିରେ । ସେ ଗଉନ୍ତିଆର କଥାଯାକ ସବୁ ଶୁଣିଲା ।କେତେ ପ୍ରସ୍ତାବ କେତେ ଆଶ୍ୱାସନା ।
  ସେପରି ଇଚ୍ଛାର ଛାଇ ତଳେ ଠିଆହେବା ସୁନାମାନଙ୍କ ପକ୍ଷେ ଆଦୌ ନିରାପଦ ନୁହେଁ । ଏହା ପ୍ରତ୍ୟେକ ସୁନା ଜାଣନ୍ତି । କିନ୍ତୁ ଜାଣନ୍ତି ନାହିଁ ସେଥିରୁ ମୁକୁଳିବାର ଉପାୟ । ଏମିତି ଅଖଞ୍ଜ ବେଳେ ଠାକୁର ଠାକୁରାଣୀ ହିଁ ଆଶ୍ରା ।
  ସମ୍ମତଭାବେ ନାହ୍ଲେଇ ନିକିଟେଇ ହେଉଥିଲେ ମଧ୍ୟ ସୁନା ତନ୍ତି ମନେମନେ କଦମ୍ବ ପଣ୍ଡାକୁ ଅଭିଶାପ ଦେଉଥିଲା ।
  ଆଇନ ଯେମିତି ତାକୁ ଛୁଇଁ ନ ପାରେ, ତହିଁର ଏକମାତ୍ର ସାକ୍ଷୀଭାବେ ମାଜିଷ୍ଟର ଆଗରେ ସବୁକଥାରେ ସଜାଡ଼ି ହଁ ମାରିବ କହି ସୁନା ସେଠୁ ବାହୁଡ଼ି ଆସିଥିଲା । ‘ଧର୍ମ, ତୁ ଦେଖ’ ଛଡ଼ା ସୁନା ଆଉ କିଛି କହି ପାରି ନ ଥା’ନ୍ତା ।
  କିନ୍ତୁ ବିଚାର ଦିନ ସ୍ୟାଡ଼କୁ ଗଲାନାହିଁ । କୋର୍ଟ ବସିଥିଲା ପଞ୍ଚପୀଠ ତୋଟାରେ । ଖୋଦ୍ ଇଂଲିସ୍ ମାଜିଷ୍ଟର ରାଣେଶ୍ୱରୀଙ୍କ ଆଡ଼କୁ ହାତ ଦେଖେଇ କଦମ୍ବକୁ ଧମକେଇ ପଚାରିଲେ, “ଏଇ ଗଡେସ୍ ନାଁ ନେଈ ସତ କହ । ତୁ ସୁନା ତନ୍ତିକୁ କରଜ ଦେଇଥିଲୁ?”
  ପଣ୍ଡା ଢ଼େର ଛେପ ଢ଼ୋକିଲା । ଥ ଥ ମ ମ ହେଲା । ଷେଣ୍ଢ ମାଇଲେ ମଲା, ଷେଣ୍ଢକୁ ମାଇଲେ ମଲା ପରି ଅବସ୍ଥାରେ ପଡ଼ିଗଲା ବିଚରା । ଯୋଉ ମିଛ ରଟିରଟି ସେ ଏତେ ବାଟ ଚିତା କାଟି ଆସି ସାରିଥିଲା, ଏବେ କେମିତି ଅଲଗା କଥା କହିବ? ପୁଣି ଇଏ ଇଂଲିସ୍ ହାକିମ । କ’ଣ ନାଇ କ’’ଣ କରି ଦବ । କଦମ୍ବ କୂଳକିନାରା ପାଇବନି । ଏକା ରାଣେଶ୍ୱରୀ ଠାକୁରାଣୀ ହିଁ କ୍ଷମା ଦେଇ ପାରିବେ ଭାବି ସେ ତାଙ୍କୁ ମନେମନେ ସୁମରଣା କଲା । ସେରେ ଓଜନ ସୁନାର ସାଜ ମୁକୁଟ ମାନସିକ କଲା । ଯାଚିଲା ବେଳେ ବି ଭାବୁଥିଲା, ଏ ଅଗ୍ନାଅଗ୍ନି ବନସ୍ତ ଭିତରେ ସୁନା କ’ଣ ନିରାପଦ ରହି ପାରିବ କି? ହଉ ହେଲା, ମୁଁ ଆଣିବି । ପିନେ୍ଧଇବି । ପୁଣି ନେଇ ସେଗୁଡ଼ିକୁ ହେପାଜତରେ ଘରେ ରଖିବି । ‘ହେ ମା, ମତେ ଏଇ ଥରକ ଛାଡ଼ି ଦେ । ଆଉ କଦାଶ୍ଚ କଦାଶ୍ଚ କଦାଶ୍ଚ ମିଛ କହିବି ନାହିଁ ।
  କଦମ୍ବ ପଣ୍ଡାଠାରୁ ଜମି ହାତଛଡ଼ା ହେଲାନି ସତ, କିନ୍ତୁ ଏମିତିକା ଛଳ ମାନସିକ ଠାକୁରାଣୀଙ୍କ ପାଖରେ କିଛି କାମ ଦେଲାନି । ବର୍ଷେ ପୂରିନି । ଦି ଦି’ଟା ଯୁଆନ ପୁଅଙ୍କୁ ଯମ ନେଇଗଲା । ବଡ଼କୁ ବାଘ ଖାଇଗଲା । ସାନ ମଲା କଲେରାରେ । ନିଜ କୂଳ ବୁଡ଼ିବାର ସବୁ ଗତି କଦମ୍ବ ଖୋଦ୍ ନିଜ ଚମଚକ୍ଷୁରେ ଦେଖିଲା । ମରିବା ଆଗରୁ ଦେହରେ ପୋକ ସାଲୁସାଲୁ ହେଲେ । କେହି କତି ମାଡ଼ିଲେ ନାହିଁ । ଯିଏ ଯାହା ପାରିଲେ ବୋହି ନେଲେ । କି ସୁନ୍ଦର ପୂରନ୍ତା ଭଣ୍ଡାର, ଦେଖୁ ଦେଖୁ ଶୂନ୍ୟ ହୋଇଗଲା ।
  ଏକଥା ଶୁଣିଥିବା କେହି ବି ରାଣେଶ୍ୱରୀଙ୍କ ନାଁରେ କଦାପି ହଲପ କରି ପାରୁ ନ ଥିଲେ ।
  ସବୁଠୁଁ ମହିମାମୟୀ, ପ୍ରତ୍ୟକ୍ଷ ଏବଂ ଡାକିଲେ ଓଃ କହୁଥିବା ଠାକୁରାଣୀ ହେଉଛନ୍ତି ମା ହାଣେଶ୍ୱରୀ । ତାଙ୍କ ଅସଲ ନାଁ ହାରେଶ୍ୱରୀ ଏବଂ ଭକ୍ତର ଦୁଃଖ ହରଣ କରିବାକୁ ସେ ସବୁଡୁଁ ଦୟାଳୁ । ପୋଥୀ ପୁରାଣ ନାଁ କହି ଏପରି ଯେତେ ପ୍ରଚାର କରା ଯାଇଥିଲେ ବି ସୁନ୍ଦର ଓ ବିଦଗ୍ଧ ଶୁଭୁଥିବା ତାଙ୍କ ପୂଆ ନାଁଟି ଭକ୍ତମାନଙ୍କ ତୁଣ୍ଡରେ ମୋଟେ ଲୋକପ୍ରିୟ ହୋଇ ପାରି ନ ଥିଲା । ସେ ହାଣେଶ୍ୱରୀ ହୋଇ ରହି ଯାଇଥିଲେ ।
  ପ୍ରାଣୀ ପାଇଁ ଦୟା ଏବଂ କ୍ରୋଧର ଅନୁପାନ କେତେ ହେବା ଉଚିତ ତାହା ମା ହାଣେଶ୍ୱରୀ ହିଁ ନିର୍ଦ୍ଧାରଣ କରନ୍ତି । ଅକାରଣରେ ଉଗ୍ର ହୁଅନ୍ତି ନାହିଁ । ନ୍ୟାୟ୍ୟ କରୁଣାରୁ ରେଫେ ଉଣା କରନ୍ତି ନାହିଁ । ଯେମିତି ଦେଖାନ୍ତି ଉଲ୍ଲଘିଂତ ଉପ୍ରୋଧ, ଉଚ୍ଛେଦ କରନ୍ତିବି ସେମିତି । ଯେତିକି ଦୋଷ ସେତିକି ଦଣ୍ଡ । କାହା ପୋଖରୀରୁ ମାଛ ମହଣେ ଚୋରି କରି ମା’ଙ୍କ ସେବାରେ କିଏ ଯଦି କୁକୁଡାଟେ ବଳି ଦିଏ ତା କାମ ଚଳିଯାଏ । ନ୍ୟାୟ ଦୃଷ୍ଟିରୁ କଥାଟା ଅଖଞ୍ଜ ଲାଗୁଥିଲେ ସୁଦ୍ଧା ଏହା ସପକ୍ଷରେ ଜ୍ଞାନୀମାନଙ୍କ ଯୁକ୍ତି ବଳିଷ୍ଠ । ପୋଖରୀରୁ ମାଛ ସରିଯାଏନି, ମାତ୍ର ଭକ୍ତ ତ ବଞ୍ଚିବାଯାଏ ନା!ହାଲ୍ ବିଚାରରେ ଏହା ଇ ତ ସାମ୍ୟବାଦ । ବରଂ ମା’ଙ୍କ ଦୟା ଓ ପରିଚାଳନା ଯୋଗୁ ଲୋକେ ଭକ୍ତିରେ ଉଗ୍ର ସ୍ୱଭାବରୁ ଦୁରେଇ ରହୁଥିଲେ ।
  ହାଣେଶ୍ୱରୀଙ୍କ ମହିମା ପ୍ରଚାରରେ ଗିଲଡ଼ିଆ ଗାଁର ନରି ବିଶ୍ୱାଳ କଥା କେହି ଭୁଲି ପାରିବେ? ବାହାଘର ଦଶ ବର୍ଷ ବିତି ଯାଇଥିଲା । କୋଳକୁ ସନ୍ତାନଟିଏ ଆସିଲା ନାହିଁ । ଗେରସ୍ତ ଭାରିଯା ଦିହେଁ ମା’ଙ୍କ ପାଖରେ ଅଧିଆ ପଡ଼ିଲେ । ସେତେବେଳେ ଘୋର ଜଙ୍ଗଲ । ବାଘଭାଲୁ ଖାଇଗଲେ ବି କାହାରି ଜାଣିବା ଉପାୟ ନାହିଁ । କିନ୍ତୁ ସେମାନେ ନିଷ୍ଠା ଛାଡ଼ିଲେ ନାହିଁ । ଦି’ଟା ଦିନ ପୂରିନି । ଭାରିଜା ସ୍ୱପ୍ନ ଦେଖୁଚି ସାଖ୍ୟଲକ୍ଷ୍ୟପ୍ରତ୍ୟକ୍ଷ ପରି । ଫରଫର ଧଳା ଲୁଗା । ମୁଣ୍ଡ ଉପରେ ବୁଢ଼ୀଟିଏ କଅଁଳ ହାତ ଚଳୋଉଚି । କହୁଚି - ଯା ମା, ଯା । ଏଥର କୋଳ ପୂରିଯିବ ।
  ଉଷୁନା ଧାନ ଗଜା ହେଲା ପରି କଥାଟି ସତ ହେଲା । ମାଇପର ପେଟ ବଢ଼ିବା ସହିତ ନରି ସମ୍ଭାବନା ଓ ଆୟୋଜନର କେତେ ରକମ ଶିଢ଼ି ଯୋଗାଡ଼ କରିବାକୁ ଲାଗିଲା । ଆକାଶକୁ ବାଟ ଖୋଜିଲା । ସେ ଏମିତି ଖାସ୍ କିଛି ନ ଥିଲା । ଚାଷବନ୍ଦି ଲୋକଟା । ଯିକେ ବଡ଼ ହେଇଥିଲା । ନିକଟସ୍ଥ ମୋଗଲବନ୍ଦିରେ ବର୍ଷକୁ ପଚାଶ ଟଙ୍କା ମାହ୍ଫିସର କାହା ମକଦ୍ଧମୀରୁ ପାଞ୍ଚଣା ଚାରି ପାହୁଲା ଅଂଶ କିଣି ସେ ଧରାକୁ ସରା ମରିଲା । ଝିଅଟିଏ ଜନ୍ମ ହେଲା ବୋଲି ଜାଣି ଧାଇକି କହି ସଂସାରର ଆଲୋକ ଦେଖି ନ ଥିବା ଓ କିଛି ଜାଣି ନ ଥିବା କଅଁଳିଆ ଛୁଆଟିର ତଣ୍ଟି ଚିପି ସେ ତାକୁ ଏନ୍ତୁଡ଼ିଶାଳରେ ମାରି ଦେଲା ।
  ପୁଣି ଯାଇ ଦିହେଁ ଅଧିଆ ପଡ଼ିଲେ । ଏଥର ବି ଭାରିଜା ସ୍ୱପ୍ନ ଦେଖିଲା । ପୂର୍ବସ୍ୱପ୍ନର ବୁଢ଼ୀ ଆଉ ତାକୁ ଆଗପରି କଅଁଳ ଲାଗୁ ନ ଥିଲା । ‘ପୂଜା କରି ନ ଜାଣିଲେ ଫୁଲର କି ଦୋଷ? ଯାହା ଦେଲି ପ୍ରସାଦ ନ ଭାବି ତା ତଣ୍ଟି ଚିପି ମାରିଦେଲ? ହଉ, ତମେ ଦିହେଁ ତ ମୋ ଭକ୍ତ । ଏଇଥର ଶେଷ ।’ଏମିତି କେତୋଟି ଅର୍ଦ୍ଧବାକ୍ୟ ଉଚ୍ଚାରି ଠାକୁରାଣୀ ଉଭାନ ହୋଇଗଲେ । ତା’ପରେ ପୁଅଟିଏ ହେଲା । ସେହି ପୁଅ ହିଁ ବାପକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା । ବିଚାର ପରେ ପୁଅକୁ ଫାଶୀ ହେଲା । ଲୋକେ କହିଲେ, ଦେଖ ଠାକୁରାଣୀ କେତେ ପ୍ରତ୍ୟକ୍ଷ । ସେ କ’ଣ ନିଜ ହାତରେ କିଛି କରନ୍ତି? କଲା ସିଏ, ମଲା ସିଏ । କିନ୍ତୁ, ମା ହାଣେଶ୍ୱରୀଙ୍କ ମହିମା ପ୍ରଚାର ସହିତ ନରି ବିଶ୍ୱାଳ ପରି ଜଣେ କୁଳବୁଡ଼ା ପାପିଷ୍ଟର ନାଁ ବି ପ୍ରଚାର ହେଉଥିଲା ।
  ମଣିଷ ପାପରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବ ନାହିଁ । ତେଣୁ ଭକ୍ତପଦ ଲୋଡ଼ିବା ପରି ଅନ୍ୱେଷଣ ବି ସେ ଛଶଡ଼ି ପାରିବ ନାହିଁ । କାଇଲ ପରେ ମଧ୍ୟ ନିହାତି ନିଲଠ ଓ ବେସରମ ହୋଇପାରେ ସେ । ଏସବୁ କଥା ଠାକୁରାଣୀ ଜାଣନ୍ତି । ସେ ପାପୀକି ଯେମିତି ସଇସଲାମତ ରଖନ୍ତି, ପାପକୁ ମଧ୍ୟ ନିଜ ଭକ୍ତଠାରୁ ଅନ୍ତତଃ ଥରକ ପାଇଁ ଦୂରଛଡ଼ା କରାଇ ପାରନ୍ତି ।
  ଆଉରି ବି ଶୁଣା ଯାଉଥିଲା । ମର୍ଦ୍ଧରାଜ ଦେବତାର ନିଜ ଭାଇବୋହୂ ସହିତ ଗର୍ହିତ ସଂପର୍କ । ପାପ ଯୋଗୁ ଛିଣ୍ଡିଛିଣ୍ଡି ସେ ନିଶ୍ଚିହ୍ନ ହୋଇଯିବା କଥା । ମାତ୍ର ତା ବଡ଼ତି ଜାରି ରହିଲା । ବୁଝିଲା ବେଳକୁ କ’ଣ ନା, ସେ ହାଣେଶ୍ୱରୀଙ୍କ ଭକ୍ତ । ମର୍ଦ୍ଧରାଜ ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ପୀଠ ନିର୍ମାଣ କରିଥିଲା ।
  ସବୁ ଠାକୁରାଣୀଙ୍କ ଭିତରେ ବଡ଼ ହୋଇ ଥିବାରୁ ହାଣେଶ୍ୱରୀଙ୍କ ପାଖରେ ବେଶି ଭିଡ଼ । ଆହୁରି ବି କାରଣ ଥିଲା । ଅନ୍ୟମାନଙ୍କ ସହିତ ଦ୍ରୋହ କରି ଭକ୍ତେ ୟାଙ୍କୁ ବୋଦା କି କୁକୁଡ଼ାଟେ ବଳି ଦେଲେ ତଦ୍ୱାରା ସେମାନଙ୍କ ଅଭୀଷ୍ଟ ସାଧନ ସହଜ ହେଉଥିଲା । କ୍ରମେକ୍ରମେ ଅନ୍ୟ ଠାକୁରାଣୀମାନଙ୍କ ପ୍ରଭାବ ହ୍ରାସ ହେବାକୁ ଲାଗିଲା । ଏମିତି କି, ପୂର୍ଣ୍ଣ ଶାକାହାରୀ ମା ଚଣେଶ୍ୱରୀଙ୍କ ସାମ୍ନାରେ ପାଞ୍ଚଶହ ଲୋକ ପଙ୍ଗତରେ ବସିବା ଲାଗି ବୁଢ଼ା ହରବିନ୍ଦର ସିଂହ ଭିନ୍ଦର ଯେଉଁ ମଣ୍ଡପ ତିଆରି କରିଥିଲା ତାହା ସମସ୍ତଙ୍କ ଦେଖାନ୍ତରେ ହାଣେଶ୍ୱରୀଙ୍କ ବଳିବେଦୀରେ ପରିଣତ ହୋଇଗଲା । ଚଣା ଭୋଗ ଆପେ ଆପେ ବନ୍ଦ ହୋଇଗଲା ।
  ଶହେ ଘରିଆ ଲୁଣ୍ଡିପାଲୀ ଗାଁର ସାଧାରଣ ଅତୀତ । ଘେରି ରହିଥିଲା କିନ୍ଝରି ନଈ । ବର୍ଷାଦିନ ଛଡ଼ା ସବୁଦିନେ ଶୁଖିଲା । ଓଦା ହେବାକୁ ମନୋବାଞ୍ଛା । କାମାବେଗୀ ନରୀଟିଏ ପରି ଅର୍ଦ୍ଧ-ଟାଙ୍ଗର ସିଲୁଆଡ଼ଙ୍ଗର୍ ପାହାଡ଼କୁ ଅନେଇ ପଡ଼ିଥାଏ । ତଥାପି ତା ଗଣ୍ଡ ଗହୀର ଚୁଆକୁ ଆଶ୍ରା କରି ଜିବଜନ୍ତୁ ବଞ୍ଚୁଥିଲେ । ସେଇ ନାଁରେ ଆଜିର ଇରିଗେସନ ଡ୍ୟାମ୍ ପ୍ରୋଜେକ୍ଟ । ଶୁଖା ଖଡ଼ଖଡ଼ । ଚୁଆ ଖୋଳିଲେ ବି ପାଣି ଟୋପେ ମିଳୁନି ।
  ହାଣେଶ୍ୱରୀଙ୍କ ପାଖରେ ଗଞ୍ଜା ବଳି ପଡ଼ୁଥିଲା । ପିଲାଦିନେ ଶୁଣିଥିବା ଠାକୁରାଣୀଙ୍କ ଅନେକ ଯଶଗାଥା ଚିତ୍ରଚନ୍ଦ୍ର ମନେ ପକାଇ ପାରୁଥିଲେ ।
  ଆଉ ଗୋଟିଏ ସୁଇଟ ଭିଲିଏନ୍ ଷ୍ଟୋରି । ଲକ୍ଷବଚ୍ଚ ଶତପଥୀ । ବଡ଼ମ୍ବାର ମୂଳ ବାସିନ୍ଦା । ସେଠାରୁ ଆସି ରାଜା ମୋଗଲବନ୍ଦୀ କଚିରିରେ ମୋହରିର ଥିଲେ । ଆଉ ଭିଟାମାଟିକୁ ଫେରିବା ନିରର୍ଥକ ଭାବି ସେ ରାଜାଙ୍କୁ ଗୁହାରି କଲେ । ମଣିମା ତାଙ୍କୁ ଜାଗିର୍ ସୂତ୍ରରେ ଦୁଇ ମାଣ ନିଷ୍କର ଚାଷଜମି ଏବଂ ଗଡ଼ଜାତ ସଦରମହକୁମାରେ ପ୍ରାୟ ତିନି ଏକର ଭୂମି ସହ ଏକ ବାସଗୃହ ଦାନ କରିଥିଲେ । କାର୍ଯେ୍ୟାପଲେକ୍ଷେ ମୋହରିର ଲକ୍ଷବଚ୍ଚ ଶତପଥୀ ମୋଗଲବନ୍ଦୀ କଚିରିରେ ରହୁଥିବାରୁ ତିନି ପୁଅ ଓ ଝିଅଟିଏ ମା’ଙ୍କ ଦିତ୍ୱରେ ବଡ଼ ହେଲେ । ଝିଅଟି ଅପୂର୍ବ ସୁନ୍ଦରୀ । ସାଧାରଣ ଯାନିଯୌତୁକ ସହ ସେ ସ୍ଥାନୀୟ ଏକ ସମ୍ଭ୍ରାନ୍ତ ମୂଳ ବ୍ରାହ୍ମଣ ପରିବାରରେ ବାହା ହେଲା ।
  ଲକ୍ଷ୍ମଣଙ୍କ ବଡ଼ ପୁଅ ଅଙ୍ଗଦ ହଜାରିବାଗରୁ ଏଣ୍ଟ୍ରାନ୍ସ ପାଶ୍ କଲା । ଶତପଥୀଏ ମହାରାଜାଙ୍କ ପାଖରେ ପୁଣି କାକୁତିମିନତି ହେଲେ । ଗଡଜାତ ପ୍ରଶାସନର ରାଜସ୍ୱ ବିଭାଗରେ ଅଙ୍ଗଦଙ୍କୁ ମୁକରିର କରାଗଲା । ତହିଁର ପାଞ୍ଚ ଛଅ ବର୍ଷ ପରେ ଦେଶ ସ୍ୱାଧୀନ ହେଲା । ଅଙ୍ଗଦଙ୍କ ଚାକିରି ଆପେଆପେ ସରକାରୀ ହୋଇଗଲା । ସେତେବେଳେ ନୂଆ ତିଆରି ହେବାକୁ ଯାଉଥିବା ନାଲିଯୋଡା ବ୍ଲକ୍‌ର ଅଞ୍ଚଳ ଅଧିକାରୀ – ବିଡ଼ିଓ - ପଦବୀରେ ସେ ଜଏନ୍ କଲେ ।
  ଅଳ୍ପକାଳ ରାଜାଙ୍କ କଚିରିରେ କାମ କରିଥିଲେ ସୁଦ୍ଧା ଅଙ୍ଗଦଙ୍କ ମିଜାଜ ପୂରା ରଜାଳିଆ ଥିଲା । ଗଡଜାତ ଶାସନରେ ଥାଇ ଅଙ୍ଗଦ ତାତ୍ସଲ୍ୟରେ କହୁଥିଲେ – “ସ୍ୱାଧୀନତା ଗୋଟେ କି ପରିବା?” “ରାଜା ନ ଥାଇ ଯେ କେମିତି ଦେଶ । ତଳ ଲଙ୍ଗଳା କୁ ଉପର ବେଶ ।” ବା “ହାତୀ ନାଇଁ ଯଦି ହାଉଦା କାଇଁ । କନିଆ ନ ଥାଇ ବର କିମ୍ପାଇଁ ।”
  ଅଙ୍ଗଦ ଏମିତି ଢ଼ଗଢ଼ମାଳି କହି ରାଜତନ୍ତ୍ରର ସୁରକ୍ଷା କରିବାକୁ ଉଦ୍ୟମ କରୁଥବା ଖବର ରାଜବାଟୀରେ ପହଞ୍ଚୁଥିଲା । ରାଜ ପରିବାର ଖୁସି ହେଉଥିଲେ । ଅପୂର୍ବ ସଂଯୋଗ, ସେଇ ଅଙ୍ଗଦ ସ୍ୱାଧୀନତା ପରେ ନିଜେ ଗଣତନ୍ତ୍ରର ଏକ ଅଭୁଲା ମାଇଲ୍‌ଖୁଣ୍ଟରେ ପରିଣତ ହୋଇଗଲେ ।
  ସେଥିଯୋଗୁ କୌଣସି ପ୍ରଶାସନିକ ଅସୁବିଧା ବି ହେଉ ନ ଥିଲା । ସମଗ୍ର ଅଞ୍ଚଳରେ ସେ ଥିଲେ ଏକମାତ୍ର ଗେଜେଟେଡ୍ ଅଫିସର । ଫରେଷ୍ଟ, ରେଭିନିଉ, ଏଜୁକେସନ୍ ଓ ପୁଲିସ ପରି ବିଭାଗର କେତେକ କର୍ମଚାରୀ ଷ୍ଟେଟ୍ରୁ ସରକାରୀ ହୋଇଥିଲେ । ସ୍ୱାଧୀନତା ବା ଗଣତନ୍ତ୍ର ବୁଝିବା ଲାଗି ସେମାନଙ୍କ ମାନସିକତା ଅଙ୍ଗଦଙ୍କ ଠାରୁ ଭିନ୍ନ ନ ଥିଲା ।
  ଅଙ୍ଗଦଙ୍କର ବହୁ ଗଣତାନ୍ତ୍ରିକ ବାହାଦୁରୀ ସଂପର୍କରେ ପ୍ରଚାର ଚାଲେ । ଯେମିତି, ପ୍ରଶାସନରେ ଚଳୁଥିବା ବିଭାଗ ଓ ପଦବୀଗୁଡ଼ିକୁ ରାଜ୍ୟ ସାରା ସମାନ ଭାବେ ଓଡ଼ିଆରେ କିପରି କୁହାଯିବ ସେଥିପାଇଁ ରାଜଧାନୀ କଟକରୁ ନିଦେ୍ର୍ଧଶ ଆସିଥିଲା । ଅଞ୍ଚଳ ଅଧିକାରୀ ଭାବେ ତାହା କେବଳ ସେ ଘୋଷଣା କରିଥିଲେ । ଅଥଚ ଲୋକେ ଭାବିଲେ ଯେ ଅଙ୍ଗଦଙ୍କ ଭାଷା-ପ୍ରୀତି ଯୋଗୁ ଗଡଜାତ ଶାସନରେ ଓଡ଼ିଆ ଚଳିଲା ।
  ଦୁଃଖ ଲୁଚାଇବାରେ ନିଜ ମା’ଙ୍କ ଅପରିମିତ କ୍ଷମତା କଥା ମନେ ପଡ଼ିଲେ ଅଙ୍ଗଦ ଭାବବିହ୍ୱଳ ହୋଇପଡନ୍ତି । ସେମାନଙ୍କ ପିଲାଦିନ ମା’ଙ୍କ ଦାୟିତ୍ୱରେ ଖୁବ୍ ଦୈନ ଅବସ୍ଥାରେ ବିତିଥିଲା । ତିନି ଭାଇଙ୍କ ଭିତରେ ଅଙ୍ଗଦ ପାଠରେ ଖାସା ଥିଲେ । ଆର ଦୁଇ ଭାଇ ପ୍ରତିବିମ୍ବ ଓ ବୈଶ୍ୱାନରଙ୍କ ଭବିଷ୍ୟତ ସକାଶେ ବାପା ଲକ୍ଷ୍ମଣ ଶତପଥୀଙ୍କର କୌଣସି ଯୋଜନା ନ ଥିଲା । ବଡ ହେବା ପରେ ପ୍ରତିବିମ୍ବ ରାଜବାଟୀ ଚଣ୍ଡିମନ୍ଦିରରେ ଅବୈତନିକ ଟହଲିଆ ଭାବେ ନିଯୁକ୍ତ ହେଲେ ଏବଂ କ୍ରମେକ୍ରମେ ସେ ମୁଖ୍ୟ ପୁରୋହିତ ପୁଣ୍ଡରୀକ ମିଶ୍ରଙ୍କ ପ୍ରିୟଭାଜନ ହୋଇ ପରେ ତାଙ୍କ ଜ୍ୱାଇଁ ହେଲେ । ତାଙ୍କ ସଂପର୍କରେ ଆଉ ଆଗକୁ କିଛି ଚିତ୍ରଚନ୍ଦ୍ର ଜାଣନ୍ତି ନାହିଁ ।
  ସେ ଯୁଗର ଚାଲିଚଳନ ଆଜି କଳନା କରିବା କଷ୍ଟ । ବଚନରେ ହେଉ ପଛେ, ଆଜି ଜଙ୍ଗଲ ସୁରକ୍ଷା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ହେଉଛି ସରକାରୀ ନିୟମ । ସେତେବେଳେ ଜଙ୍ଗଲ କାଟ କି ଜନ୍ତୁ ମାର, ସେଥିରେ କିଛି ଯାଏଆସେ ନ ଥିଲା । ଗଉନ୍ତିଆମାନେ ରୟାଲ ଟ୍ରେଜେରିରେ ବରାଦ ଅନୁସାରେ ପେଶ୍କସ୍ ଦାଖଲ କରିବା ଚାହି । ଏତିକିରେ ରାଜତନ୍ତ୍ରର ଦାୟିତ୍ୱ ଶେଷ । ବୁଢ଼ା କି ରୋଗିଣା ବାଘ ସିଂହକୁ ଯଦି କୌଣସି ପ୍ରଜା ମାରି ପାରୁଥିଲା, ଯେତେ ଦିନ ଲାଗୁ ପଛେ, ଯେମିତି ହେଲେ ରାଜବାଟୀକୁ ଖବର ଯିବ । ରାଜାଘରୁ କେହି ସେଠାକୁ ଯାଇ ମୃତ ଜନ୍ତୁ ପାଖରେ ବନ୍ଧୁକ ଧରି ଦୃପ୍ତ ଶିକାରୀ ପରି ଠିଆ ହୋଇ ଫଟୋ ଉଠାଉ ଥିଲେ । ନ ହେଲେ ଛାଲ, ଦାନ୍ତ ଇତ୍ୟାଦି ରାଜବାଟୀକୁ ପଠେଇ ଦେଲେ କାମ ଚଳି ଯାଉଥିଲା । ଶିକାରୀ ରୟାଲ୍ ଟ୍ରେଜେରିରୁ ଟଙ୍କାଏ କି ଅଧୁଲିଟେ ଆର୍ଥିକ ପୁରସ୍କାର ପାଉଥିଲା । ହରିଣ, ମିରିଗ,  କୁଟରା, ବାର୍‌ହାଆଦି ମାରିବା ମୋଟେ ଦୋଷ ନ ଥିଲା । ଲୋକେ ବରଂ ଗୌରବ ବଢ଼ାଇବାକୁ ଶାଗୁଆତି ବାଣ୍ଟୁଥିଲେ ।
  ପ୍ରଜାଙ୍କ ଜୀବନ ଥିଲା ସଦା ତ୍ରସ୍ତ, ସାଲିସଯୋଗ୍ୟ ।
  ଆଗରୁ ଲୁଣ୍ଡିପାଲୀରେ ଥିଲା ଗୋଟେ ଦି’ ବଖୁରିଆ ଖପରିଲ ଘର । କୁହାଯାଉଥିଲା – ରାଜାଘର କଚିରି । ଅଙ୍ଗଦ ସରକାରୀ ଅଫିସର ହେଲା ପରେ ତାଙ୍କର ପ୍ରାଥମିକତା ଥିଲା ବ୍ଳକ ଅଫିସ୍ ଓ କେତେକ ବାସଗୃହ ନିର୍ମାଣ । ନିର୍ମାଣ କାର୍ଯ୍ୟ ପରି ଅଧିକାର ପାଇଥିବା ଯୋଗୁ ଅଙ୍ଗଦ ଶତପଥୀଙ୍କ କ୍ଷମତା ଓ ଭାବମୂର୍ତ୍ତି ବହୁତ ବଢ଼ିଗଲା । ଦରବାରରେ ସେ କେତେ କ୍ଷମତାରେ ଥିଲେ ତାହା କେହି ଜାଣି ନ ଥିଲେ ସୁଦ୍ଧା ସ୍ୱାଧୀନ ସରକାରରେ ବି ତାଙ୍କ କ୍ଷମତା କମ ନୁହେଁ, ଏ କଥା ସମସ୍ତେ ଜାଣୁଥିଲେ । ତାଙ୍କ ପୋଷ୍ଟିଙ୍ଗ ଥିଲା ନାଲିଯୋଡା ପାଇଁ । ସେ ଅଟକି ଗଲେ ଲୁଣ୍ଡିପାଲୀରେ । କାରଣ ସେଇଠି ସେ ରହି ପାରିବା ପରି ଘର ଖଣ୍ଡିଏ ଥିଲା । ଜଣେ ମାତ୍ର ଗେଜେଟେଡ୍ ଅଫିସର ହୋଇଥିବାରୁ ସବୁ ବିଭାଗର ସବୁ କର୍ମଚାରୀ ତାଙ୍କୁ ରିପୋର୍ଟ କରୁଥିଲେ ।
  ନିଜ ଘରୁ ଆସି ଲୁଣ୍ଡିପାଲୀରେ ପହଞ୍ଚିବା ପରେ ସେ ପ୍ରଥମ ସଂସ୍ଥାପିତ ହେଲେ ରାଜାଘର କଚିରିରେ । ସାଙ୍ଗରେ ଇଂଲସ୍ ଫିଲିପ୍ସ ସାଇକେଲଟେ ନେଇଥିଲେ । ଉପଯୁକ୍ତ ରାସ୍ତା ଅଭାବରୁ ତାହା ସେ ଖୁବ କମ ଚଢ଼ି ପାରୁଥିଲେ । କଦବାକ୍ୱଚିତ୍ ନାଲିଯୋଡା କି ଆଉ କେଉଁଠିକି ଯିବାବେଳେ ଦୁଇ କର୍ମଚାରୀ ହାଣ୍ଡେଲ ଦୁଇପଟରୁ ଏବଂ ଆଉ ଦୁଇ ଜଣ ସିଟ୍ ସ୍ପ୍ରିଙ୍ଗରେ ମୂଳିଆ ବାଉଁଶଟେ ପୁରାଇ ଧରି ଚାଳୁଥିଲେ । ଅଙ୍କଦବାବୁ ସୁବିଧା ଅନୁଯାୟୀ ନିଜ ହାତ ହ୍ୟାଣ୍ଡେଲରେ ବା ପଛ ଲୋକଙ୍କ କାନ୍ଧରେ ଏବଂ ଗୋଡ ସାଇକେଲ ପ୍ୟାଡେଲରେ ଥୋଇ ବସୁଥିଲେ । ସାମ୍ନାରେ ଖାଲ ବା ଢ଼ିପ ପଡ଼ିଲେ ଚାରି ଜଣ ଯାକ ସହକାରୀ ପୂରା ଯାନଟିକୁ ଶୂନ୍ୟରେ ଟେକି ପାରି କରାଉ ଥିଲେ । ସେତେବେଳେ ପ୍ୟାଡେଲ ପଛୁଆ ବୁଲେଇ ଅଙ୍ଗଦବାବୁ ସାଇକେଲର ସ୍ଥିତି ଜାହିର କରୁଥିଲେ । ବିଚିତ୍ର ସେ ଦୃଶ୍ୟ । ତଥାପି ତାହା ତାଙ୍କ ଗେଜେଟେଡ୍ ପୋଜିସନ୍‌କୁ ବହୁ ଭାବେ ମହିମାନ୍ୱିତ କରୁଥିଲା ।
  ଅଙ୍ଗଦ କି ଅଦ୍ଭୁତ ଦେଖା ଯାଉ ନ ଥିବେ ଟି! ଚିତ୍ରଚନ୍ଦ୍ରଙ୍କୁ ହସଲାଗିଲା ।
  “କ’ଣ ହେଲା କି, ଏକା ଏକା ହସୁଚ?”
  ସେ ଅଙ୍ଗଦଙ୍କ ସାଇକେଲ ଚଢ଼ା ଉପାଖ୍ୟାନ କହିଲେ ।
  “ତମେ ଦେଖିବ?”
  “ନାଇଁ ମ । ପିଲାଦିନେ ଶୁଣିଚି ।”
  “ଠାକୁରାଣୀମାନଙ୍କ ଭିତରୁ କିଏ ଆଗ କିଏ ପଛ?”
  “ ଜାଣିନି । ହେଲେ, ସେତେବେଳେ ଠାକୁର ଠାକୁରାଣୀ ବଢ଼ୁଥିଲେ ଲୋକଙ୍କ ଆଶାରେ ଏବଂ ସେମାନଙ୍କ ଭୟ ଯୋଗୁ । ଭାବ କ’ଣ ଥିବ କିଏ ଜାଣେ, ମାତ୍ର ଭକ୍ତି ଥିଲା ନିରୁତା । ବିଶ୍ୱାସର ଦିଗ କି ସୀମା ନ ଥାଏ । ପଛ ଦେଖି ଆଗକୁ ଭାବିଲା ପରି ଡ୍ରେନ୍ ଇନିସ୍ପେକ୍ଟର ବୁଦ୍ଧି କାହାରି ମୁଣ୍ଡରେ ପଶୁ ନ ଥିଲା ।”
  ଆଜିର ପଶୁବଳି ସହିତ ବୈଶାନର ଶତପଥୀ ଓ ବାଣେଶ୍ୱରୀ ଠାକୁରାଣୀଙ୍କ ପାଖରେ ମରୁମରୁ ବଞ୍ଚିଥିବା ରାଜେଶ୍ୱର ବଡ ପୁଅ ଅଧିଶ୍ୱରଙ୍କ ସଂପର୍କ ଚିତ୍ରଚନ୍ଦ୍ରଙ୍କୁ ଅଧିକ ଦେଖା ଯାଉଥିଲା । ସାମ୍ବାଦିକମାନେ ଏତେ କଥା ଜାଣିବେ କେମିତି?
  ଅଙ୍ଗଦ ସବାସାନ ଭାଇ ବୈଶ୍ୱାନର ଉପରେ ଜଙ୍ଗଲ କଟା ତଦାରଖ ଅର୍ପଣ କରିଥିଲେ । ଅଳ୍ପଦିନ ଭିତରେ ସେ ରାଜ୍ୟର ଜଣେ ପ୍ରତିଷ୍ଠିତ ଧନୀ ଓ ଏକନମ୍ବର ଫରେଷ୍ଟ କଣ୍ଟ୍ରାକ୍ଟରରେ ପରିଣତ ହେଲା । ଅଙ୍ଗଦଙ୍କ ପୂର୍ବାନୁମାନ ବି ସେଇଆ ଥିଲା । ମୂର୍ଖ ଭାଇକି ନ ହେଲେ ସିଏ କେମିତି ଥଇଥାନ କରିଥା’ନ୍ତେ?
  ଅଧୀଶ୍ୱର । ପାଠ ପଢ଼ିବାକୁ ରାଜକୁମାର କଲେଜ ଗଲେ । ହେଲେ, ମୂଳ ବିଗିଡା । ଭିଟାମିନ ଖୋଇଲେ ଗଧ କ’ଣ ଘୋଡା ହୁଏ? ;ତଣୁ ସେ ଗୋଟିଏ ମୋଟା ଗଧରେ ପରିଣତ ହୋଇଗଲେ । ଦମନ, ଦାରୁ, ଦାରୀ, ଦମ୍ଭ ଓ ଦୌରାତ୍ମ୍ୟ ପରି ଯେଉଁ କେତେ ଅଭ୍ୟାସ ମନ୍ଦ ରାଜକୁମାରମାନଙ୍କୁ ଶୋଭାଶୀଳ, ସୁନ୍ଦର ଏବଂ ମର୍ଯ୍ୟାଦାବନ୍ତ କରାଏ ସେଗୁଡ଼ିକ ଆଉ ଅଧୀଶ୍ୱରଙ୍କୁ ଏତେ ବିଘ୍ନହୀନଭାବେ ପ୍ରାପ୍ତ ହେଉ ନ ଥିଲା ।
  ଅଧିକାର ହସ୍ତାନ୍ତର ନ କରି ଏବଂ ପ୍ରଭିପର୍ସ ଅର୍ଥକୁ ହସ୍ତଗତ କରି ପଦଚ୍ୟୁତ ରାଜା ବୀରବିକ୍ରମ ନିଜ ପରିବାର ସହିତ କଲିକତା ପଳେଇ ଗଲେ । ଅଧୀଶ୍ୱର ହେଲେ ସେହି ନିଶ୍ୱ ରାଜବଂଶର ଦାୟାଦ । ଅସମ୍ଭବ ମାନସିକ ଦ୍ୱନ୍ଦରେ ସେ ସବୁବେଳେ ଦରସିଝା ରହୁଥିଲେ ।
  ଆସିଗଲା ସ୍ୱାଧୀନ ଭାରତରେ ନିର୍ବାଚନ । ଅଧୀଶ୍ୱରଙ୍କ ଛଡା ବୈଶ୍ୱାନରଙ୍କୁ ଆଉ କେହି ଅଧିକ ଉପଯୁକ୍ତ ଲାଗିଲେ ନାହିଁ । କାରଣ, ସଂପତ୍ତିରେ ସମସ୍ତଙ୍କୁ ଟପି ସେତେବେଳେ ବୈଶ୍ୱାନର ଆଗରେ । ତାଙ୍କ କଥା ଯେମିତି ହେଲେ ରହିବ ।
  ଅଧୀଶ୍ୱର ଜୀବନରେ ଥରୁଟିଏ ଅକଲର କାମ କଲେ । ସେ ଭାବିଲେ – କି, ଅଙ୍ଗଦ ଶତପଥୀ ଯଦି ସରକାର ହୋଇ ପାରିଲା ଆମ୍ଭେ କିସ୍ପାଇଁ ନହେବୁ? ପ୍ରତିଦ୍ୱନ୍ଦିହୀନଭାବେ ସେ ଲୋକପ୍ରତିନିଧି ହେଲେ ଏବଂ ରାଜାପୁଅ ବୋଲି ମନ୍ତ୍ରୀ ବି ହୋଇଗଲେ । ସବୁ ବିନା ଖର୍ଚ୍ଚରେ । ଏ ବ୍ୟବସ୍ଥା ବୈଶ୍ୱାନରଙ୍କୁ ବେଶ୍ ଭଲ ଲାଗୁଥିଲା ।
  ରାଜ୍ୟ ବରବାଦ ହୋଇ ସାରିଛି । ପଟାୟତ ଅଂଶରୁ ଆୟ ବା କେତେ? ମୋଟା ଗଧ ଦେଖିଲା – ଗଣତନ୍ତ୍ର ନାଁରେ ଏ ଜାଗାଟା ମନ୍ଦ ନୁହେଁ ।
  ଏମିତିକା ସନ୍ଧିକ୍ଷଣରେ ଅଙ୍ଗଦ ମହାରାଜାଙ୍କୁ ବୁଝେଇ ଦେଲେ । ହଜୁର, ଇଏ ଗଣତନ୍ତ୍ର । ବାରମ୍ବାର ଜିତିବାକୁ ପଡ଼ିବ । ଆପଣ ହିଁ ପାରିବେ । ଟିକିଏ ଶିଖିବାକୁ ପଡ଼ିବ ଏ ଶାସନ ପାଇଁ ନିଆରା ସଣ୍ଠଣା । ଏ ପୂଜା ପାଇଁ ଆଉ ପ୍ରକାରେ ମନ୍ତ୍ର । ଆଶ୍ୱାସନା ଦେଲେ – ବେସ୍ତ ହୁଅନ୍ତୁନି ମହାରାଜ । ମୁଁ ସବୁ ଶିଖେଇ ଦେବି । ହଜୁର ବୈଶ୍ୱାନରକୁ ଟିକେ ଆଶ୍ରା ଦେବେ ତ ହଜୁରଙ୍କ ଜିତିବା ଦାୟିତ୍ୱ ଆମର । ଯେତେହେଲେ ରାଜାପୁଅ ରାଜା ହବ ନା ।
  ନବନିର୍ବାଚିତ ଅଧିଶ୍ୱର କାହାରି ପାଖରେ କିଛି ମାନସିକ ନ କରି ଥିଲେ ସୁଦ୍ଧା ହାଣେଶ୍ୱରୀ ଠାକୁରାଣୀଙ୍କ ପାଖରେ ଯେଉଁ ପ୍ରଥମ ଚାରିଗୋଡ଼ିଆ ବଳି ପଡ଼ିଥିଲା ତହିଁରେ ବୋଦା ସଂଖ୍ୟା ଥିଲା ନ ଶହ ଅନେଶତ । ପ୍ରଥମେ ସେତିକି ରକ୍ତ ପିଇ ଅଭ୍ୟାସ ଆରମ୍ଭ କରିଥିବା ହାଣେଶ୍ୱରୀ ଖାଲି ନାଁରେ ର୍ନାରେ ଏକ କୋମଳଗାନ୍ଧାର ରୁପ ନେଇ ହାରେଶ୍ୱରୀରେ ପରିଣତ ହୋଇଗଲେ । କିନ୍ତୁ ପରେ ତତୋଽଧିକ ରକ୍ତ ବିନା ସେ ଅକ୍ଷୁର୍ଣ୍ଣ ମହିମାରେ ଆଉ ରହି ପାରିଲେ ନାହିଁ ।
  ହରବିନ୍ଦର ସିଂହ ଭିନ୍ଦରର ଦି ପୁଅ ରାଜି ହେଲେ । ସେମାନଙ୍କ ବାପା ଚଣେଶ୍ୱରୀ ଆଗରେ ଯେଉଁ ନିରାମିଷ ପଙ୍ଗତ ବେଦି ତିଆରି କରିଥିଲା ତାହା ଅତି ସଣ୍ଠଣା ଓ ନିୟତର ଏକ ପ୍ରକାଣ୍ଡ ବଳିବେଦିରେ ପରିଣତ ହୋଇଗଲା । ସେଠି ଧାଡ଼ି ଧାଡ଼ି ଅର୍ଗଳ ବସିଲା । ବଡ଼ଭାଇ ଧର୍ମିନ୍ଦର ଏମେଲେ ହେଲା ଓ ସାନ ଯୋଗୀନ୍ଦର ଚାଲିଥିବା ପରିବାରର ତମାମ ବ୍ୟବସାୟରେ ମନ ଦେଲା ।
  ମୋଟା ଗଧ ରାଜା ହେଲା । ହାଣେଶ୍ୱରୀ ଆପେଆପେ ହାରେଶ୍ୱରୀରେ ପରିଣତ ହେଲାବେଳକୁ ସମସ୍ତଙ୍କୁ ବାଜିମାତ୍ କରି ଅଙ୍ଗଦ ଶତପଥୀ ଜିତି ଯାଇଥିଲେ । ଚିତ୍ରଚନ୍ଦ୍ରମାନେ ପଢ଼ିବା ପାଇଁ ସାମ୍ବାଦିକ ଦଳ ଗପ ଲେଖୁଥିଲେ କିନ୍ତୁ ପୃଥିବୀ ବେଶି ହଲୁ ନ ଥିଲା । ଠାକୁରାଣୀଙ୍କ ଆଖିଠାରୁ ମଣିଷ ଆଖି କାହିଁକି ବଡ଼ ହେଲା, ଯେତେ ମ୍ୟାଗାଜିନ୍ ପଢ଼ିଲେ ସୁଦ୍ଧା ସେ ତାହା ବୁଝିପାରୁ ନ ଥିଲେ ।