ଆଶା ତମସା/ଅଶ୍ଳିଳ

ଉଇକିପାଠାଗାର‌ରୁ
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ଅଶ୍ଳିଳ
   ଟାଟା-ଆଲେପ୍ପି ସୁପରଫାଷ୍ଟ ଯେବେଠୁଁ ଧାନବାଦ-ଆଲେପ୍ପି ହେଇଚି ସେଇଦିନୁ ଦକ୍ଷିଣଆଡକୁ ରାଉରକେଲା ଯାତ୍ରୀଙ୍କ ଦୁଃଖ ଆରମ୍ଭ । ସୁପ୍ରତ ଦାସଙ୍କ ଆଶଙ୍କା ୱାଜିବ୍ ଥିଲା । ତଥାପି, କାଳେ ଆଜି ଯଦି ବ୍ୟତିକ୍ରମ ଘଟି ପାରେ । ଆଶାରେ ବଂଚିବା ଭଲ ଲାଗେ । ଆଜି ଲେଟ୍ ନ ହୋଇ ପାରେ ।
   ପାଞ୍ଚ ବର୍ଷର ନାତିକୁ ସାଙ୍ଗରେ ଧରି ବୋହୂ ଯାଉଥାଏ ଚେନ୍ନାଇ । ଏପରି ଏକଲା ଯାତ୍ରା ସହିତ ବୋହୂ ଅଭ୍ୟସ୍ତ । ଭୁବନେଶ୍ୱରରେ ତା ବାପା ବୋଉ ଓ ହାଇଦ୍ରାବାଦରେ ଭାଇ ଭାଉଜ, ଏମିତି ଭେଟାଭେଟି ପାଇଁ ଏକ ସୁଚିନ୍ତିତ ତାଲିକା । ବୋହୂ ପାଖରେ ମୋବାଇଲ୍ । ମୋବାଇଲ୍ ଚୋରି କଥା କହିକହି ଶାଶୂ ବାରମ୍ବାର ତାକୁ ହୁସିଆର କରୁଥା’ନ୍ତି ।
   ତଥାପି ସୁବ୍ରତ ବାବୁ ଓ ତାଙ୍କ ପତ୍ନୀଙ୍କ ମନରେ ନାନା ବିଭତ୍ସ ଓ ଭୟାନକ ଉଦ୍‌ବେଗ ଳୁଚି ରହିଥା’ନ୍ତି । ସେଗୁଡିକ ଛାଁକୁ ଛାଁ ମନକୁ ପଶି ଆସନ୍ତି । ନିଜନିଜ ଭିତରେ ଲଢ଼େଇ କରନ୍ତି । ଗୋଟିଏ ଆରଟିକୁ ଠେଲି ଆଉରି ଉଞ୍ଚା ଦେଖାଯିବା ପରି ସିଂହାସନକୁ ଚଢ଼ିଯାଏ । ଯାହାର ଚବି ଯେତେବେଳେ ବିରାଜେ ସେତେବେଳେ ଚାଲେ ତା’ର ରାଜତ୍ୱ । ଚଲାକଚତୁର ବୋହୂକୁ ବୋକୀଟେ ପରି ଭାବିବାକୁ ଇଚ୍ଛା ହୁଏ । ଗୋଟେ ପରେ ଗୋଟେ ଦୁର୍ଘଟଣାର ଚିତ୍ର ଉଦାହରଣ ସହ ମନ ଭିତରକୁ ପଳେଇ ଆସନ୍ତି । ସମକକ୍ଷ ଆନୁମାନିକ ପରିଣତିଗୁଡିଏ ଇତସ୍ତତଃ ଦଉଡ଼ନ୍ତି । “ଦେଖୁନା, ଯେମିତି ଅଧର ଭାଇନାଙ୍କ ଝିଅର ସନ୍ଧାନ ଏଯାଏ ମିଳିନି । ସେ ମାତ୍ର ଫରିଦାବାଦ୍ରୁ ଦିଳ୍ଲୀ ଯାଉଥିଲା ।” ଏମିତି କେତେ କଳ୍ପନା ଖିନ୍‌ଭିନ୍ ହୋଇଯାଏ । କେତେ ରାତି ଅଣ୍ଟେନି ଯେ ନିଦ ବି ଭାଙ୍ଗି ଯାଏ । ହେଲେ, ଦମ୍ଭର ଅନେକ ଶକ୍ତି ତ । ଗୋଟାଏ ପରେ ଆଉ ଗୋଟେକୁ ସେ ଠେଲି ନିକାଲି ଦେଉଥାଏ । ତେବେ ବି, ମାଛ ମାନେ ଖୋଜିଖୋଜି ମୁଗୁରାରେ ଗଳି ଯାଉଥିବା ପରି ଆତଙ୍କଗୁଡାକ ମନ ଭିତରେ ପଶୁଥା’ନ୍ତି ।
   ଚେନ୍ନାଇ ସେଣ୍ଟ୍ରାଲ୍‌ରେ ପହଞ୍ଚି ପୁଅ ସହିତ ବୋହୂ ଓ ନାତିଙ୍କର ନିର୍ବିଘ୍ନ ଭେଟାଭେଟି ଖବର ଏପଟେ ନ ପହଞ୍ଚିବା ପର୍ଯ୍ୟନ୍ତ ମେଘବଳୟରେ ବିଜୁଳୀପରି ଏତତ୍ ପାପିଷ୍ଟ ଚିନ୍ତାର ହାରଜିତ୍ ଓ ଲଢ଼େଇ ଦି’ ପ୍ରାଣୀଙ୍କ ମନରେ ଚାଲିଯିବ । କଷ୍ଟ ଲାଗୁଥିଲା ନିଶ୍ଚୟ, ମାତ୍ର ଏମିତିକା ଅସହାୟ ଆତୁରତା ସେମାନେ ବାରମ୍ବାର ଖୋଜୁଥିଲେ । ଅଳ୍ପ ଅବଧ ପାଇଁ ହେଉ ପଛେ, ନାତିକୁ ପାଖରେ ପାଇବା ଳାଗୁଥିଲା ହୋମବହ୍ନି ପରି । ଆତୁରତା ସେଇଠି, ଆଉ ସେଇଠି ବି ପରାଜୟ । ଶାନ୍ତି ବି ସେଇଠି, ଜ୍ୱଳନ ବି ସେଇଠି । ସୁଖର ମଧ୍ୟ ପୀଡା ଥାଏ ।
   ପୁଅ-ବୋହୁ ବାହାରେ ରହିବା ପରେ ଏଡ଼େ ଘରଟାରେ ସ୍ୱାମୀ ସ୍ତ୍ରୀଙ୍କୁ ଛାଡି ଆଉ କେହି ନାହାଁନ୍ତି । ଯଦିଓ ଘରେ ରହୁଥିବା ଡ୍ରାଇଭର ଦିବ୍ୟଭୁଷଣ କି ଚାକରାଣୀ ନୀଳାମ୍ବରୀ ଢ଼େର ପୁରୁଣା ଏବଂ ବିଶ୍ୱାସୀ, ତେବେ ବି ସେମାନଙ୍କୁ କୁଟୁମ୍ବରେ ଆଦରିବା ପରି କଥା ମନକୁ ଆସୁ ନ ଥାଏ । ପୁଅ-ବୋହୂଙ୍କର ଖାତିରି ଓ ଯାତାୟତର କିଛି ସୁଯୋଗ ଥିବା ଯୋଗୁ ନାତି ଅନେକ ଥର ସେମାନଙ୍କ ପାଖକୁ ଆସିଲାଣି । ରହଣି ଅତି ବେଶିରେ ଚାରି କି ପାଞ୍ଚ ଦିନ । ସେଥିରୁ ବହୁ ଅଂଶ ବିତିଯାଏ ତା ଅତି ଛୋଟ ଅତୀତର ନିବିଷ୍ଟ ଚର୍ଚ୍ଚାରେ । ସୁବ୍ରତବାବୁ କି ପତ୍ନୀ ଯାହା ସ୍ୱଚକ୍ଷୁରେ ଦେଖି ନ ଥା’ନ୍ତି, ବୋହୂ କି ପୁଅ ମୁହଁରୁ ସେପରି ଧାରାବିବରଣୀ ଶୁଣି ସେମାନେ ବିମୋହିତ ହୁଅନ୍ତି । ଦୃଷ୍ଟିର ଏ ଦିବ୍ୟତା ମହାଭାରତର ସଞ୍ଜୟ ଉପାଖ୍ୟାନକୁ ବି ବଳିଯାଏ । ନ ଦେଖନ୍ତୁ ପଛେ, ନାତିର ବାଲ୍ୟ ଲୀଳା ଦୁହେଁ ସଠିକ୍ ବୁଝୁଥା’ନ୍ତି ।
   ପ୍ରତିଥର ବୁଲାବୁଲି ଓ ହୋ ହୋ ଭିତରେ ସମୟକଣ୍ଟା ଯାଇ ପହଞ୍ଚେ ଏକଦମ୍ ଆଉ ଗୋଟେ ଇଲାକାରେ । ସେମାନେ ଚାଲିଯିବେ । ଏହାର ପ୍ରସ୍ତୁତି ପର୍ବ । ଏହା ଖାଲି ଆମ୍ବୁଲ ଆଚାର ବଡି ପରି ପ୍ରସ୍ତୁତି ପାଇଁ ନୁହେଁ, ସୁବ୍ରତବାବୁ ଓ ତାଙ୍କ ପତ୍ନୀଙ୍କ ମନରୁ ଆଶାର ଉଞ୍ଚାଉଞ୍ଚା ଅତଡାମାନ ଦୁମ୍ ଦୁମ୍ ଖସିବା ବେଳ ବି ଆସିଯାଏ । ଆଖିରୁ ଅନ୍ତର ହଉଛନ୍ତି । ଭଲରେ ରହିବେ ତ?
   ପିଲାଟା ଏଥର ଟିକେ ଅଧିକ ରହିଗଲା । ପୂର୍ବଥର ଅପେକ୍ଷା ନାତିର ଅକଲ କି ଦୁଷ୍ଟାମି ସବୁର ରୂପ ବଦଳିଚି । ସେଗୁଡିକ ବାରମ୍ବାର ଚର୍ଚ୍ଚା ହୋଇଥିଲେ ସୁଦ୍ଧା ଆଉ ସେଥିରୁ ଯେମିତି କିଛି ବାକି ଥିଲା ପରି, ଘରୁ ଷ୍ଟେସନକୁ ଆସିବା ପର୍ଯ୍ୟନ୍ତ ବାଯସାରା ସେଇ ଚର୍ଚ୍ଚା ତରତରରେ ଚାଲିଲା । ତା’ରି ଭିତରେ ଚାଲିଥାଏ ଆଗାମୀ ତିନି ଦିନ ଜର୍ଣିରେ ଅନେକ ସମ୍ଭାବିତ ଘଟଣା ଓ ସେଗୁଡିକର ପ୍ରତିକାର ପାଇଁ ବୋହୂକୁ ଶାଶୁ-ଶ୍ୱଶୁରଙ୍କ ସତର୍କତାର ବିସ୍ତୃତ ସୁଚୀପତ୍ର । ସବୁ ଚାଲିଥାଏ ତରତରରେ । କାଳେ ଟ୍ରେନ ଛାଡି ଦବ । କଥା ହେବାକୁ କାଳେ ବେଳ ଅଣ୍ଟିବନି ।
   ଇନକ୍ୟୁଆରିରୁ ରାଇଟ୍‌ଟାଇମ୍ ବୁଝି ସେମାନେ ଘରୁ ବାହାରିଲେ । ଷ୍ଟେସନରେ ପହଞ୍ଚôବା ପରେ ପନ୍ଦର ମିନିଟରୁ ଆରମ୍ଭ ହୋଇ ଗାଡି ଶେଷକୁ ଦେଢ଼ ଘଣ୍ଟା ଲେଟ୍ । ଏଥିପାଇଁ ସୁବ୍ରତ ବାବୁ ଅଳ୍ପ ସମୟ ବିରକ୍ତ ହେଲେ । ରେଳବାଇ ପ୍ରତି ରହିଥିବା ତାଙ୍କ ବିଶ୍ୱାସହୀନତା ପୁଣି ପ୍ରମାଣିତ ହେଲା ।
   ସ୍ତ୍ରୀଙ୍କୁ କହିଲେ, ଘରୁ ବାହାରିଲାବେଳକୁ ମୁଁ କହୁ ନ ଥିଲି? ପରେପରେ ସେ ଲେଟ୍ ସହିତ ମନ ମିଶେଇ ଦେଲେ । ନାତି ସହିତ ଆଉ ଟିକେ ଖେଳିବାକୁ ବା ବୋହୂକୁ ହୁସିଆର୍ କରିବାକୁ ଅଧିକ ସମୟ ମିଳିଲା । ଲେଟ୍ ବିରୁଦ୍ଧରେ ତାଙ୍କ ପତ୍ନୀ ମଧ୍ୟ ଏତେ କର୍କଶ ନ ଥିଲେ । ପ୍ୟାସେଞ୍ଜରମାନେ ସାଧାରଣତଃ ଯେମିତି ପଦେ ଦି’ପଦ କହନ୍ତି ସେତିକି ସଂପନ୍ନ କରି ସେ ପିଲାଟି ସହିତ ବ୍ୟସ୍ତ ରହିଲେ ।
   ତେଣୁ ଲେଟ୍ ଯୋଗୁ ତେଣୁ ଖାସ୍ ବୋର୍ ହେବାର ନ ଥିଲା । ତହିଁକି ପୁଣି ସହରରେ ରହୁଥିବା ବୋହୁର ମାମୁ ମାଇଁ ଭାଣିଜୀ ଓ ନାତିକୁ ‘ସି ଅଫ୍’ କରିବାକୁ ଷ୍ଟେସନ ଆସିଥିଲେ । ସାଙ୍ଗରେ ସେମାନଙ୍କ ବଡବଡ ପୁଅ ଝିଅ ଦି’ଜଣ । ମାଇଁସମୁଦୁଣୀ କହିଲେ, “ଭଲ ହେଲା, ଟ୍ରେନ୍ ଲେଟ୍ ଯୋଗୁ ଆମର ଟିକେ ଫାମିଲି ଗେଟ୍-ଟୁ-ଗେଦର୍ ହେଇଗଲା । ରାଇଟ୍ ଟାଇମ ଥିଲେ – ହେଇ ଅଇଲ ହେଇ ଗଲ, ସବୁ ତରତର । ସବୁଦୁଣୀଙ୍କ ସାଙ୍ଗରେ ଦି’ପଦ ଗପସପ ତ ହବ ନା ।”
   ଏଥରବୋହୂ ଓ ନାତି ଆସି ରାଉରକେଲାରେ ମାସେ ରହିଲେ । ସବସ୍ତେ ତାଙ୍କ ଘରକୁ ବୁଲି ଯାଇଥିବା ସତ୍ତ୍ୱେ ସମୁଦୁଣୀ ଥରେ ବି ଆସି ନ ଥିଲେ । ବେଶି ଦୂର ନୁହେଁ । ନିଜେ ଚାରିଆଡ଼େ କାର୍ ଚଳେଇ ବୁଲୁଛନ୍ତି । ଇଚ୍ଛା କରିଥିଲେ ରିକ୍ସାଟେ କରି କ’ଣ ଆସି ପାରି ନ ଥା’ନ୍ତେ? ଥରେ ସମୁଦି ଆସିଥିଲେ । ଏକୁଟିଆ । ତାହା ପୁଣି କାହିଁକି? ନା, ବ୍ୟାଙ୍କ ଆସିଥିଲେ, ଇଆଡ଼େ ପଶି ଆସିଲେ । କିନ୍ତୁ ସମୁଦୁଣୀ ତାହା କୌଣସି କ୍ଷମା ଶବ୍ଦରେ ପ୍ରକାଶ ନ କରି ସହଜରେ କହିଦେଲେ, ଫାମିଲି ଗେଟ୍-ଟୁ-ଗେଦର । ନିଜ ଭୁଲକୁ ସମସ୍ତେ ଆଗେ କଥାରେ ଲୁଚାନ୍ତି । ସମୁଦୁଣୀ କ’ଣ ଏମିତି ଭୁଲ କଲେ କି? ଏମିତି ଭାବି ସୁବ୍ରତବାବୁ ସମୁଦୁଣୀଙ୍କୁ ଗୁରୁତ୍ୱ ଦେଉଥିଲେ ସିନା, ତାଙ୍କ କଥାକୁ ନୁହେଁ । ସେମାନଙ୍କ ଉପସ୍ଥିତି ୟାହୁରି ଭଲ ଲାଗିଲା । ସମୟ କଟି ଯିବ ।
   ଅବଶ୍ୟ ସେଠି ନାତି ଶ୍ରୀଯୁକ୍ତ ଶ୍ରବଣକୁମାର କାହାରିକୁ ବୋର୍ ହେବାକୁ ଦେଉ ନ ଥିଲା । ଗୋରା ତକ୍ତକ୍ ପିଲାଟିର ରୂପ ସୁନ୍ଦର ଓ କୌତୁକିଆ । ଲୋକଙ୍କ ନଜର ପଡୁଥିଲା । ସମୁଦାୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ସିଏ । ସାଇକେଲ ମଟରସାଇକେଲ କି କାର୍ ଇତ୍ୟାଦି ଯାନବାହାନ ସଂପର୍କରେ ଢ଼େର ଜାଣିଛି ପରି ମାଷ୍ଟ୍ରୀ ଦେଖୋଉଥିବା ନାତି, ସମୟ ଘୋଷଣା ଆରମ୍ଭର ମାଇକୋ୍ରଫୋନ ଶବ୍ଦରେ ଚମକି ପଡୁଥିଲେ ସୁଦ୍ଧା ଟ୍ରେନ ପରିଚାଳନାର ଅନେକ ବୈଷୟିକ ସୂଚନା ଜାଣିବାକୁ ଚାହୁଁଥିଲା । ୟା କୋଳ କି ତା କୋଳ କି ତଳ ଉପର ଡେଉଁଥିବା ପିଲାଟିର ପ୍ରତ୍ୟେକ ପ୍ରଶ୍ନର ସତମିଛ ଉତ୍ତର ଦେବା ପାଇଁ ମା, ମାମୁ ଓ ମାଉସୀ ଏକଦମ୍ ତାକତିରେ ମହଜୁଦ୍ ଥିଲେ । ତିନି ଭାଇ ଭଉଣୀଙ୍କୁ ଆଉ ଏକ କେନ୍ଦ୍ର ଗଢ଼ିବାର ସୁଯୋଗ ଦେଇ ଦୁଇ ସମୁଦୁଣୀ ଟିକେ ଦୂରଛଡାରେ କଥା ହେଉଥିଲେ । ମୁଖ୍ୟତଃ ପିଲାଟିକୁ କେନ୍ଦ୍ର କରି । ଆହୁରି ବି, କେବଳ ଅଧ୍ୟାପିକା ବୋଲି ନୁହଁନ୍ତି, ସମୁଦୁଣୀ ସହରର ଜଣେ ସାମାଜିକ ଓ ସାଂସ୍କୃତିକ ଉଚ୍ଚବର୍ଗୀୟା ମହିଳା ହୋଇ ଥିବାରୁ ତାଙ୍କର ଗପସପ କିଛି କିଛି ସମାଜ ସଚେତନତା ଆଡକୁ ଆସି ଯାଉଥିଲା ।
    ସୁବ୍ରତ ବାବୁ ଏକଦମ ନିଆରୋ ନ ଥିଲେ । ମାମୁସମୁଦି କତିରେ ଥିଲେ ଯେ ସେ ଟିକେ ଅଧିକ ଅନୋଉଥିଲେ ଷ୍ଟେସନରେ ଲଟକା ଯାଇଥିବା ଭିଡିଓ ଆଡ଼େ । ସେଥିରେ ରାଖୀ ସାୱନ୍ତମାନେ ନାଚୁଥିଲେ । ଆଖି ଆଖିରେ ମନ ମେଣ୍ଟି ପାରୁଥିଲା । ଏଡ଼େ ଓିକିଏ ଟିଭି ସ୍କ୍ରିନ, ଏତେ ବିସ୍ଫୋରକ ଭିତରେ ପୁରେଇ ଥୟ ରହେ କେମିତି?
    ନିଜ ଏକଲା ପଣ ପାଇଁ ଦୁଃଖ ନ କରି ସେ ମନେମନେ ସମୁଦିଙ୍କ ସଉକ୍‌କୁ ତାରିଫ୍ କରୁଥିଲେ । ଯାହାହେଉ, ବୟସକୁ ପଛୁଆ ଲାତ ମାରିବା କାଇଦାଟେ ଶିଖିଛନ୍ତି ବୋଲି ସିନା ।
    ଭିକାରୁଣୀଟେ ନାତି ଆଡକୁ ହାତ ବଢ଼େଇ ନିକୁଟି ହେଉଥାଏ । ନିକଯରେ ଛୁଆଟିଏ ଥିଲେ ନାରୀ ମନର ଦୟା ଆଉ ପ୍ରକାରେ ରୂପ ନେଇପାରେ । ଦାତା ମନ ବୁଝିବାକୁ ଏହା ଭିକାରିମାନଙ୍କ ଅଭିଜ୍ଞ ସାଧନା । ବୋହୂ ତାକୁ ଦେଖିଲା ଭାଇ ଭଉଣୀଙ୍କ ସହିତ କଥାରେ ବ୍ୟସ୍ତ ଥିବାରୁ ସେ ଶାଶୁଙ୍କ ଆଡକୁ ଅନେଇ ଭିକାରୁଣୀର କରୁଣ ଆଶାଗୁଡିକୁ ବିନୀତଭାବେ ଟ୍ରାନ୍ସଫର କରିଦେଲା । କିଛି ମସୟ ପାଇବ, ଭିକାରୁଣୀ ନିଜ ବିଶ୍ୱାସରେ ଅଟଳ ଥିଲା । ମାତ୍ର ଷ୍ଟେସନ ଭିକାରିଙ୍କ ବିଶ୍ୱାସର ଅବଧି ଏତେ କମ୍ ଯେ ହୁଏତ ନିଶ୍ୱାସଟେ ଭିତରେ ଆଉ କେହି ଦାତା ହାତରୁ ଖସି ଯାଇ ପାରେ ।
    ସେ ପୁଣି ନିକୁଟି ହୋଇ ପତ୍ନୀ ଓ ମାଇଁସମୁଦୁଣୀଙ୍କ ଆଡକୁ ହାତ ବଢ଼େଇଲା ।
    “ଭାଗ୍, ଭାଗ୍ ଏଠୁ” ପତ୍ନୀ ପାଟିକଲେ ।
    ଭିକାରୁଣୀ ନିଷ୍ପୃହ । ନିକୁଟି ହେଉଥାଏ । ତାକୁ ଢ଼େର ସମୟ ଦେଖିଲା ପରେ ପାଖରେ ଠିଆ ହୋଇଥିବା ନାତି ତା ସଂପର୍କରେ କେତୋଟି ଉତ୍କଣ୍ଠାର ପ୍ରଶ୍ନ ପଚାରି ଓ କାହାଠାରୁ କିଛି ଉତ୍ତର ନ ପାଇ ସେଇ ଦୃଶ୍ୟକୁ ଅବହେଳା କରିବା ପରି ନିଜ ମନ ରଚି ସାରିଥିଲା । କେବେକେମିତି ତା’ ଆଡକୁ ଅନେଇ ଦେଉଥିଲେ ମଧ୍ୟ ସେ ଅଧିକ ଖେଳରେ ମନ ଦେଉଥିଲା ।
    ଶ୍ରବଣକୁମାର ଗ୍ରାଣ୍ଡମା’ଙ୍କ ଏମିତି ଖିନିଖିନି ଚିତ୍କାରର ସଠିକ କାରଣ ଅନୁମାନ କରି ପାରିଳେନି । ବଳବଳ କରି ଥରେ ମା’ ମାଉସୀମାନଙ୍କୁ ଓ ଆଉଥରେ ଗ୍ରାଣ୍ଡମା’ ଇତ୍ୟାଦିଙ୍କ ଆଡକୁ ଅନେଇଲା ଏବଂ ଅନୋଉ ଥିଲା ଆଉ ଟିକେ ଦୂରରେ ଠିଆ ହୋଇଥିବା ସୁବ୍ରତବାବୁଙ୍କ ଆଡ଼େ ।
   ରଣ ହାରିବାକୁ ପ୍ରସ୍ତୁତ ହେଉଥବା ବୀର ତା ଶେଷଅସ୍ତ୍ର ପ୍ରୟୋଗ କଲା ପରି ଭିକାରୁଣୀଟି ଆସି ସୁବ୍ରତବାବୁଙ୍କ ପାଖରେ ହାଜର ।
   ଏବେ ସେ ତାକୁ ନିକଟରେ ଦେଖି ପାରୁଥିଲେ । ସେ ଚାଲୁଚି ବୁଲୁଚି ବୋଲି ମଣିଷଟାଏ । ମାଇପୀଙ୍କ ପରି ଲୁଗା ପିନ୍ଧିଚି । ତେଣୁ ସେ ପାରୀ । ଆଉ ଏକ ଅକାଟ୍ୟ ପ୍ରମାଣ ବାରି ହେଉଥିଲା । ସେ ଥିଲା ଅନ୍ତସତ୍ତ୍ୱା । ଫୁଲା ତଳିପେଟ ଏକଦମ୍ ଜଘଂ ଶେଷଯାଏ ଗୋଲାକାରଭାବେ ଛୁଇଁ ଯାଇଥିଲା । ଲାଗୁଥିଲା ଠିକ୍ ଯେମିତି ଦି’ ଗୋଡରେ ଚାଲୁଥିବା ଗୋଟେ ଗର୍ଭିଣୀ ହେଟା ପରି ।
  ମୁହଁ । ବିକୃତ ଯୋଡିଏ ଆଖି । କାଚଗୁଲି ବରି କୋଡଗାତରୁ ବାହାରି ପଦାରେ ଭୟାନକ ଭାବେ ଚକ୍‌ଚକ୍ କରଚି । ନାକ ଜାଗାରେ ଦୁଇଟି କଣା । ଆଖିପତାଠାରୁ କେମିତି ନେସି ହେଇଯାଇଚି ମୁହଁଟା ତଳ ଓଠ ପର୍ଯ୍ୟନ୍ତ । ଓପର ଦାନ୍ତ ଓ ତଳ ମାଢ଼ିରୁ ପୁଳାଏ ଖୋଲାମୁକୁଳା ଦେଖାଯାୁଚି ପ୍ରେତଚିତ୍ର ପରି । ଏତେ ଭୟାନକ ରୂପ? ସ୍ତ୍ରୀଙ୍କ ଦୂର୍‌ଦୂର୍ ମାର୍‌ମାର୍ ଚିତ୍କାରର କାରଣ ସେ ବୁଝି ପାରୁଥିଲେ ।
   କିଛି ଦିନ ତଳେ ଷ୍ଟେସନରେ ଗୋଟେ ଛୁଆ ବିକ୍ରି ଖବର ଚହଳ ପକେଇଥିଲା । ଫଟୋରେ ବାହାରିଥିବା ଚେହେରା ୟା ସହିତ ମିଶୁଚି କି ନାଇଁ ସୁବ୍ରତବାବୁ ଜାଣି ପାରିଲେନି । ଘଟଣା ସହିତ କେତେବା ତାଙ୍କର ଆନ୍ତରିକତା ଯେ? ହଃ, ଖବରକାଗଜରେ ପଢ଼ି ଥିବେ । ଏମିତି କେତେ କଥା ପଢ଼ା ହେଉନି କି?
   ସେହି ଭିକାରୁଣୀଟିକୁ ଅନେଇବାକୁ ସାହସ ହେଉ ନ ଥିଲେ ସୁଦ୍ଧା ତା ବିଷୟରେ କିଛି ଭାବିବା ଅବକାଶକୁ ମାମୁସମୁଦି ଏକଦମ୍ ୟାଡୁସ୍ୟାଡୁ କରିଦେଲେ । “ଦେଖନ୍ତୁ, ୟା ରୂପ । ମାଗୁଚି ଭିକ । ସେଥିରେ ପୁଣି ପ୍ରେଗ୍‌ନେଣ୍ଟ୍ ।” ସେ କହିଲେ, “ନାଗରମାନେ ତମକୁ ସବୁ କୋଉଠୁ ମିଳନ୍ତି ବେ?”
   ଆୁ କିଛି ଗାଡି ନାହିଁ । ତେଣୁ ପ୍ଳାଟଫର୍ମ ପତଳା । ସମ୍ଭାବନାର ବିକଳ୍ପ ଦିଗ ଖାସ୍ ଦେଖା ଯାଉ ନ ଥିବାରୁ ଭିକାରୁଣୀଟି ସେଠି ସମୟ ବିତେଇବାକୁ ଠିକ୍ ଭାବିଥିଲା । ଯେମିତି ହେଲେ ବି ଦୟା ସଂଗ୍ରହରେ ସେ ସଫଳ ହେବ । ଗରିମ ମା’ ଆହାରରୁ ସଞ୍ଚି ସେଇ ପଇସାରେ ଯାତକୁ ଆସି ଛୁଆକୁ କିଣି ଦେଇଥିବା ଚକଚକିଆ ବେଲୁନ୍ ପରି ତା’ର ସେଇ ଦମ୍ଭ ଟିକକ ମାମୁସମୁଦିଙ୍କ କଥାରେ ଯେମିତି ଫାଟିଗଲା ।
    ଆଗେ କଟ୍‌ମଟ୍ କରି ସେ ଅନେଇଲ । ଯେମିତି ଦି’ଟା କାଚ ଗୁଲି ବୁଲି ଯାଉଥିଲା ଏପାଖରୁ ସେପାଖକୁ । ମାମୁସମୁଦିଙ୍କ ଆଡକୁ ବେଶି । ସେଇ ଭିତରେ ସେ ଗଣ୍ଗଣ୍ ଉଞ୍ଚା ସ୍ୱରରେ ହଙ୍କହଙ୍କ କହିଥିଲା, ସେଗୁଡିକ ଏତେ ଅଶ୍ଳିଳ ଯେ ତାହା କେହି ହେଲେ ବି ଶୁଣିଥବା ଶବ୍ଦରେ ଲେଖି ପାରିବେ ନାହିଁ ।
    ସେ କହିଥିଲା – ମନେମନେ ପ୍ରେମ କରି ମୋ ମୁହଁରେ ଜଣେ ଏସିଡ୍ ପକେି ଥିଲା । ମୋ’ର ମୁହଁ ନାହିଁ । ତୁ ହସିଲୁ । ଜାଣିଚୁ, ସେଇ ମୁହଁରେ ନିଜ ମୁହଁ ଘଷିବାକୁ କେତେ ଲୋକ ବିକଳ ହୁଅନ୍ତି? ତା’ର ବି ରେଟ୍ ଅଛି । ଛାତିରେ କିଛି ନାହିଁ । ସେଥିରେ ବି ଲୋକ ହାତ ସାଉଁଳାନ୍ତି । ତା’ର ବି ରେଟ୍ ଅଛି । ଆଉରି ବାଜେ କଥାଗୁଡାଏ କହିଲା । ଏ ଛୁଆ ହେଲେ ମୁଁ ବି ବିକିବି । ତମେ ସବୁ ମନ ବିକି ନବାବ ଆଉ ଆମକୁ ଶିଖୋଉଚ ଚରିତ୍ର.... ।
    ସୁବ୍ରତବାବୁ ଦେଖିଲେ ଯେ ରେଲୱେ ଷ୍ଟେସନ ଶୃଙ୍ଖଳା ଅନୁସରଣପୂର୍ବକ ପରିବାରର ଅନ୍ୟମାନେ ବିଶେଷତଃ ନାତି ସହିତ ବ୍ୟସ୍ତ ରହି ଅଦୂରରେ ଚାଲୁଥିବା ଭିକାରୁଣୀର ଏହି କଥୋପକଥନ ଉପରେ ଧ୍ୟାନ ଦେଇନାହାନ୍ତି । କିନ୍ତୁ ଭିକାରୁଣୀଟା ଯେମିତି ପାଯି କରୁଚି ଏ ଅବସ୍ଥା ଅଧିକ ସମୟ ରହି ନ ପାରେ । ମାମୁସମୁଦି ଛାନିଆରେ ଚୁପ୍ ।
    ଭିକ ନ ପାଇଲେ ଭିକାରି ଏତେ ପ୍ରତିକ୍ରିୟା ଦେଖାନ୍ତିନି କିନ୍ତୁ ଇଏ ଯେମିତି ହଉଚି ତାହାର କାରଣ ସମୁଦି ନିଜେ । ପରିବାରର ଛୋଟବଡ ସମସ୍ତେ ଆଖପାଖରେ ଅଛନ୍ତି । କେହି ଯଦି ଭାବିବ କି ପଚାରି ଦବ – ସିଏ ରୂପରେ ଅସୁନ୍ଦରୀ ହେଲା କି ପ୍ରେଗ୍‌ନେଣ୍ଟ୍ ହେଲା ତ ତମର କ’ଣ ଗଲା? ମାମୁସମୁଦିଙ୍କ ମହଜୁଦା ଆଚରଣ ଥିଲା, ଯେମିତି ସେ କିଛି କହି ନାହାଁନ୍ତି । ଭିକାରାୁଣୀଟା କାଇଁ ପାଟି କରୁଚି କେଜାଣି?
    ଆଉ ବିଳମ୍ବ କରିବା ଠିକ୍ ହେବନି । କଥାଟା ଅନ୍ୟ ମାନଙ୍କୁ କାହିଁକି ଛୁଇଁବ? ତରତର ହୋଇ ସୁବ୍ରତବାବୁ ଭିକାରୁଣୀ ହାତକୁ ଦଶଟଙ୍କିଆଟେ ବଢ଼େଇଦେଲେ । ସେ ଚାଲିଗଲା ଆଗକୁ । ଯେମିତି ଚାଲି ଯାଉଥିଲେ ପୋର୍ଟରମାନେ କାହାକୁ ନ ଅନେଇ ବା ଯେମିତି ଚାଲିଥା’ନ୍ତି ପାର୍ସଲବାବୁ ତିନିଚାରି ହାମାଲ୍ଙ୍କୁ ସାଙ୍ଗରେ ଧରି ଆର ପ୍ଳାଟଫର୍ମରେ ଠିଆ ହୋଇଥବା ମାଲ୍ ଗାଡ଼ିଆଡ଼େ ।
    ପରିବାରର ସମସ୍ତେ ପୁଣି ଯୋଡିଯୁଡା ଠିଆ ହୋଇ ସାରିଥା’ନ୍ତି । ସେତେବେଳକୁ ଲେଟ୍‌ର ଯେଉଁ ଅଳ୍ପ ଅଂଶ ବାକି ରହିଥିଲା ତାହା ସୁବ୍ରତବାବୁଙ୍କୁ ଅସହ୍ୟ ଲାଗିଲା । ସେପର୍ଯ୍ୟନ୍ତ ସମସ୍ତ ଆଗ୍ରହର କେନ୍ଦ୍ରଚରିତ୍ର ଶ୍ରୀମାନ ଶ୍ରବଣକୁମାର ବି ତାଙ୍କୁ ଅସହ୍ୟ ଲାଗିଲା । ଚାଲିଯାଉ ଏଠୁ ଏମିତିକା ଅସଭ୍ୟ ଶବ୍ଦଗୁଡାକ କ’ଣ ଏଡ଼େ ସୁନ୍ଦର ପାରିବାରିକ ତିନି ପିଢ଼ି ମେଳରେ ମୁକ୍ତଭାବେ ଶୁଣାଯିବା ଉଚିତ କି? ଏହିପରି ଅନେକ ଅସହ୍ୟ ଜ୍ୱାଳା । ଶ୍ରବଣକୁମାର ଯାଉ ଏଠୁ ।
    କିନ୍ତୁ, ଗାଡି ଆଉରି ଆସି ନ ଥାଏ ।
    ଘୃଣା ଲାଗୁଥିଲା ସତ, ମାତ୍ର ସୁବ୍ରତବାବୁ ଯେତେ ଚେଷ୍ଟା କଲେ ବି ଭିକାରୁଣୀର କୌଣସି ଗୋଟିଏ ଶବ୍ଦକୁ ଅଶ୍ଲିଳ ବୋଲି ଭାବି ପାରିଲେ ନାହିଁ । ଏମିତି ଅବସ୍ଥାରେ ଜୀବନ ଆଉ ଶ୍ଳିଳତା କେତେ ମିଶି ରହି ପାରିବ ଯେ?
    ଭିକାରୁଣୀ କୁଆଡ଼େ ଗଲାଣି । ପତ୍ଣୀ କତିକି ଡାକି କହିଲେ, “ତମର ପରା ଡକ୍ଟର ରାୟ ଏତେ ଚିହ୍ନା । ଆଭା ସମୂଦୂଣୀଙ୍କି ଟିକେ ହେଲ୍ପ କର ।”
    ଭଲ ହେଲା ଯେ ଅବଶିଷ୍ଟ ସମୟ ତାଙ୍କ ମନରୁ ଭିକାରୁଣୀ ପ୍ରୟୋଗ କରିଥିବା ଶବ୍ଦ ଓ ସେଗୁଡ଼ିକର ସାମାଜିକ ତତ୍ତ୍ୱବୋଧମାନ ହଜିଗଲେ । ପରିବାରର ମଉଜ ଯେମିତି ହେବା କଥା, ସେମିତି ଇ ଚାଲିଥିଲା । ଶ୍ରୀମାନ୍ ଶ୍ରବଣକୁମାର ଟ୍ରେନ୍ ଛାଡିବା ପର୍ଯ୍ୟନ୍ତ ପ୍ରମୁଖ ଅବତାର ରୂପେ ବିରାଜିଲା । ଇସ୍, ସମୟ ଟିକେ ହଳିଗଲେ ଅଶ୍ଳିଳତାର ଶବ୍ଦାର୍ଥ କ’ଣ ଏମିତି ଆପେଆପେ ବଦଳିଯାଏ? ନାଟକର ଅଙ୍କ ଶେଷ ହେବାପରେ ବିନା ଦ୍ୱିଧାରେ ନର୍ତ୍ତକୀ ନିଜ ରାସନୂପୁର ଯେମିତି ବଦଳାଇ ଦିଏ, ଠିକ୍ ସେହିପରି । ପୂର୍ବ ଦୃଶ୍ୟରେ ସିଏ ଥିଲା ଚନ୍ଦ୍ରସେଣାର ପତ୍ନୀ । ପରବର୍ତ୍ତୀ ଦୃଶ୍ୟରେ ସେଇ ହିଁ ସାଜିଛି ଅଭିସାରିକା । ରାସନୂପୁର କି ବସନ ସହିତ ନର୍ତ୍ତକୀ କାହିଁକି ନିଜ ନୈତିକତାକୁ ଯୋଡିବ? ତା’ଜୀବନ ପାଇଁ ଲୋଡା ଏ ନର୍ତ୍ତକୀର ସଫଳତା । ରାଧା ଯାହା ସେଇଆ । ସିଏ ଆଉ ସଫଳ କି ବିଫଳ ହେବା ସମ୍ଭବ ନୁହେଁ । ତା’ସଫଳତା କି ବିଫଳତା ପାଇଁ ରାଧାଙ୍କ ନୈତିକତା ତା’ର କି କାର୍ଯ୍ୟରେ ଲାଗିବ? ରାଧାଙ୍କୁ ଦୋଚାରୁଣୀ କହୁଥିବେ ପାଠକ କି ଦର୍ଶକ । ଏବଂ ସେଇମାନେ ବି ପରେ ନିଜ ମନକୁ ବୁଝେଇ ଦେବେ - ପାଇଁ ରେ, ଦୋଚାରୁଣୀ ହେବା ତମଆମ ପାଇଁ ନିହାତି ଖରାପ । କୃଷ୍ଣ ପାଖରେ ହେଲେ ଭଲ ।
    ଏହିପରି ନିରୁଦ୍ଧିଷ୍ଟ ନିଷ୍ଠାବାନମାନଙ୍କ ଭରସାରେ ଅଶ୍ଲିଳତା କେମିତି ନି ଅର୍ଥକୁ ଅକ୍ଷତ ରଖିପାରିବ?
    ଭିକାରୁଣୀ ଯାହା ଅନାୟସରେ କହିପାରିଲା ତହିଁରେ ଥବା ଶବ୍ଦଗୁଡ଼ିକ ଅଶ୍ଲିଳତା ନା ଜୀବନ? ଜୀବନ ଗୋଟେ ଝୁର୍ଝୁରି କାଚ ଖେଳନା ପରି । ପ୍ରିଜମ୍ ଟିକେ ହଲିଗଲେ କୌତୁକ ଫୁଲର ରୂପ ବଦଳିଯାଏ । ରାକ୍ଷୀ ସାୱନ୍ତରୁ ଏଇ ଭିକାରୁଣୀଯାଏ ଅଗଣନ ଅସଂଖ୍ୟ ସବୁ ସେଇଥିରେ ଦେଖାଯା’ନ୍ତି । ଛାର ଶବ୍ଦ ପୁଳାଏ ସେ ବାଯକୁ ଆଗୁଳି ପାରେନି । ଜୀବନ, ଶେଷ ପର୍ଯ୍ୟନ୍ତ ଜିତିବା ଲୋଭରେ ଯେମିତି ହେଲେ ବି ଲଢ଼ିବ । ଏକଥା ଯଦି ସତ, ତା’ହେଲେ ଆମେ ବୋକାମାନେ ଅନବରତ ଶ୍ଳିଳ ଅଶ୍ଲିଳର ବ୍ୟାଖ୍ୟା ଜାରି ରଖୁନୁ କିଆଁ? ସଂକୀର୍ତ୍ତନ ଆଖଡାରେ ଗଞ୍ଜୋଡଙ୍କ ପରି ହାଉଳି ଖାଇବାର ମାନେ କ’ଣ । ସୁବ୍ରତବାବୁ ଷ୍ଟେସନରୁ ଫେରିବା ବାଟସାରା ଏଇକଥା ଭାବୁଥିଲେ ।
    ଘରେ ପହଞ୍ଚିଲା ପରେ ପତ୍ନୀ କହିଲେ, “ଏତେ କ’ଣ ଭାବୁଚ ମ? ବାଟସାରା ଚୁପ ବସିଚ । ବେସ୍ତ ହୁଅନା । ମୁଁ ତା ମା’କୁ କହିଚି ଯେ । ତୁ ଯେତେବେଳେ ଯେତେଥର ଆମ ସାଙ୍ଗରେ କଥା ହବୁ, ତାକୁ ଫୋନ୍ ଦବୁ । ହଇ ହେ, ତମେ କୁଆଡ଼େ ତାକୁ କହିଚ, ବହ ହେଲେ ତା ପାଇଁ ଗୋଟେ ଟ୍ରାଭେରା କିରି ଦେବ ବୋଲି? ସେ ଟାକ୍ସି ଡ୍ରାଇଭର ହବ । ଟେକାଟା କେତେ କଥା କହୁଚି!”
    ସୁବ୍ରତବାବୁ କାଳେ ନାତି କଥା ଭାବୁଥିବେ, ଏଇ ଅନୁମାନରେ ପତ୍ନୀ ତାଙ୍କୁ ବାଟସାରା ଡିଷ୍ଟର୍ବକରି ନଥିଲେ । ଏ ଧାରଣା ପତ୍ନୀ ତାଙ୍କ ମୁଣ୍ଡରେ ପୂରାଇବାକୁ କେତେଥର ଚେଷ୍ଟା କରିଛନ୍ତି । ସେ କିନ୍ତୁ ଭାବୁଥା’ନ୍ତି – ସମ୍ଭବତଃ କଥାଟି ଥିଲା ଠିକ୍ ଓଲଟା ଥିଲା । ଶ୍ରବଣକୁମାରଠାରୁ ଭିକାରୁଣୀ ବେଶି ମନେ ପଡୁଥିଲା । ମନ ଭିତରେ ଝାଇଁଝାଇଁ ଶୁଭୁଥିଲା ତା ଅସଭ୍ୟ କଥାଗୁଡାକ ।