ଆଶା ତମସା/ବିଜୁବାବୁ ଗାଏବ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ବିଜୁବାବୁ ଗାଏବ
                ଦିନ ବଡିଭୋରରୁ ମାଧବ ପଣ୍ଡାର ସ୍ତ୍ରୀ ଅଳକା ଫୋନ୍ କଲା ।
    ଅଳକା ଆମର ସମ୍ପର୍କୀୟା । ମାଧବ ପିଲାଦିନ ସାଙ୍ଗ । ଯୁବକାଳରେ ଦୁହେଁ ଟିକେ ଭାବାନାବରେ ଯୋଡିହୋଇଗଲେ । ଜାତି ଏକା ନୁହେଁ । ଯେତେବେଳେ ଜଣେ ଅବିବାହିତା ଝିଅ କୌଣସି ପୁରୁଷ ସହିତ ଗପ ହେଲେ ଚରିତ୍ର ମଇଳା ହୋଇ ଯାଉଥିଲା ଓ ତାହାକୁ ଗର୍ହିତ ପାପ ବୋଲି ବିଚାର କରାଯାଉଥିଲା ସେଇ କାଳରେ ମାଧବ ଜିଦି କଲା, ସେ ଅଳକାକୁ ବାହା ହେବ । ଏଥିପାଇଁ ଆମ ନିପଟ ତଳହଟିଆ ଇଲାକାରେ ବିପଦ ଯେ କେତେ ଘନଘୋର ହୋଇପାରେ ଏହା ଜାଣି ସୁଦ୍ଧା ପ୍ରେମର ଦୌରାତ୍ମ୍ୟ ପାଖରେ ଦୁହେଁ ପ୍ରାୟ ନାଚାର ଥିଲେ । ଗାଁ ବା ପରିବାରର କେହି ତ ରାଜି ହେଲେନି । ତେଣୁ ଚଣ୍ଡୀମନ୍ଦିରରେ ଦୁହେଁ ବାହା ହେଲେ । କୌତୁକ ଦୋଷରୁ ଅପରର ପ୍ରେମରେ ଖୁସୀ ହୋଇ ମନ୍ଦିରରେ ସମ୍ପନ୍ନ ହୋଇଥିବା ସେମାନଙ୍କ ବାହାଘରରେ ମୁଁ ସହଯୋଗୀ ହୋଇଥିଲି । ଦୋଷୀ ଛାଡ ଓ ସାକ୍ଷୀ ଦଣ୍ଡ ପାଇବା ନ୍ୟାୟରେ ମତେ ଅସଲ ଅପରାଧୀ ବୋଲି ବିଚାର କରାଗଲା ।
   ତେଣେ ବର୍ଷ ଦି’ଟା ପୂରିନି, ଅଳକାର ବଡପୁଅ କଳିଙ୍ଗରାଜ ଜନ୍ମ ହେଲାବେଳକୁ ଆମ ପିଇସୀ ସୁମୀଅପା ଏକାଏକା କଟକ ପଳାଇ ଆସିଲା । ତା’ପରେ ମାଧବ ଅଳକା ଅବାରିତ ଚାଲିଲେ ବୈଦ୍ୟନାଥ ପିିସାଙ୍କ ଘରକୁ । ମାତ୍ର ମୋ ପାଇଁ ତାଙ୍କ ଘର କବାଟ ବନ୍ଦ ହୋଇଗଲା ।
   ଅବଶ୍ୟ ଆମ ଭିତରେ ଓ ପରେ ପରେ ମାଧବ ଓ ଆମେ ଦୁଇ ପରିବାର ଭିତରେ ଘନିଷ୍ଠତା ଆହୁରି ବଢ଼ିଗଲା । ଝରଣା ସହିତ ମୋ ବାହାଘର କରାଇବାର ପ୍ରମୁଖ ଦାୟିତ୍ୱ ଅଳକା ନେଇଥବା ଯୋଗୁ ଏବଂ ଗଡ ଜିତିଛି ପରି ଏକ ଧାରଣା ପାଇଁ ଆହୁରି ବଢ଼ିଗଲା ଅଳକାର ମାମ୍‌ଲତକାରିଆ ଲକ୍ଷଣ ।
   ସ୍ୱାମୀ ସ୍ତ୍ରୀ ଦୁହେଁ ସରକାରୀ ଚାକିରିଆ । ଦୁଇ ପୁଅ । ସୁନ୍ଦର ପରିବାରଟିଏ । ପଦବୀ ଯୋଗୁ ଅନେକ ଯେମିତି ଚକ୍‌ଚକ୍ ଦେଖାଯା’ନ୍ତି, ଅଯୋଗ୍ୟ ମାଧବ କଦାପି ସେମିତି ଦେଖାଗଲା ନାହିଁ ବା ତା’ ପରିବାର କେହି ବି ସେମିତି ନୁହଁନ୍ତି ।
   ଯଦିଓ ଆମେ କେବେ ବି ଏକକାଳୀନ ଗୋଟିଏ ସହରରେ ବସବାସ କରିନାହୁଁ ତଥାପି ଭିନ୍ନ ଭିନ୍ନ ସାମାଜିକ ଅନୁଷ୍ଠାନରେ ସେମାନଙ୍କ ସହିତ ବାରମ୍ବାର ଦେଖା ହେଉଥାଏ ।
   ଫୋନ୍‌ରେ ଅଳକା କହିଲା, “ତୁ କିଛି କରିବୁ ନାଇଁ? ରାତି ଆଉରି ପାହିନି, ଇଏ କ’ଣ ଗୋଟେ ସପନ ଦେଖୁଛନ୍ତି ଯେ ଗରଗର ହେଉଚେନି । ତୁ ଡାକ୍ତର ଭୋଳଙ୍କଠୁଁ ଆପଏଣ୍ଟମେଣ୍ଟ ନେ । ମୁଁ ୟାଙ୍କୁ ନେଇ ଯିବି । ଇଏ ସାଇକିଆଟ୍ରିକ୍ ପେସେଣ୍ଟ ହେଇ ସାରିଲେଣି । ମୋ ସଂସାର ଭାସିଗଳେ ତୋ’ର କ’ର ଯିବ କି?”
   “କାଇଁ ଏମିତି ନିଷ୍ଠୁର କଥାଗୁଡା କହୁଛ ମ? କି ସ୍ୱପ୍ନ ଦେଖିଚ କି?”
   “ତୁ ୟାଙ୍କ ସାଙ୍ଗରେ କଥା ହ” କହି ସେ ମାଧବକୁ ଫୋନ୍ ଧରାଇଦେଲା । ମାଧବ ସ୍ୱପ୍ନ କଥା କହିଲା । “ଏଥିରେ କିଛି ଭଲ ବା ମନ୍ଦ ଶକୁନର ସଙ୍କେତ ଅଛି କି?”
    ବିଜୁବାବୁଙ୍କ ସହିତ କ୍ୱଚିତ୍ ଦେଖା କରିଥିବା ଏବଂ ତାଙ୍କ ଜୀବନାନ୍ତେ କେବଳ ସେଇ ନାଁଟି ସହିତ ଅତି ଭାବପ୍ରବଣ ଭାବେ ଜଡ଼ିତ ରହିଥିବା ସପକ୍ଷରେ କାରଣଟି ମଧ୍ୟ ତା’ପାଇଁ ସେତିକି ବଳଶାଳୀ । ସେଥିପାଇଁ କେହି ତାକୁ ଥଟ୍ଟା କଲେ ବି ତା’ର ହୋଲ୍ ନ ଥାଏ । ନିଜ ଜୀବନରେ ଅନୁଭୂତି ଯୋଗୁ ସେ ଭାବେ ଯେ ଯେହେତୁ ଭଗବାନ ନିଜେ କେଉଁଠାକୁ ହାଇପାରନ୍ତିନି ତେଣୁ ସେ ମୋଟେ ଦୁଇଟି ରୂପରେ ମଣିଷ ପାଖରେ ଥା’ନ୍ତି ସବୁଠିଁ, ସବୁବେଳେ ଓ ସବୁ ଭରସା ଦେଇ । ତା’ପାଇଁ ସେ ଦୁିଟି ରୂପ ହେଲା ତା ବାପ-ବୋଉ ମିଶି ଜଣେ ଓ ଆର ଜଣକ ବିଜୁବାବୁ । ବାପା-ବୋଉଙ୍କ ସହିତ ତା’ଜୀବନ ଏତେ ଦୀର୍ଘ ବା ଏତେ ଅନ୍ତରଙ୍ଗ ନ ଥିଲା ।
    ବିଜୁବାବୁ । ମାଧବ ପାଇଁ ସେ କେବଳ ଜଣେ ଅପହଞ୍ଚ ମଣିଷ ନୁହଁନ୍ତି, ଦୂରତା ଯୋଗୁ ଭଗବାନଙ୍କ ପରି ପୂଜ୍ୟ । ତଥାପି ସେ ତାଙ୍କ ଦର୍ଶନ ପାଇଥିବାରୁ ନିଜକୁ ଜଣେ ପୂଜ୍ୟ ସଂସିଦ୍ଧ ପରମହଂସ ବୋଲି ଭାବେ । ବାକି ଯେତେ ପବିତ୍ର ବା ଅପବିତ୍ର ଏ ପୃଥିବୀରେ ରହିଲେ, ତା ବିଚାରରେ ସମସ୍ତେ ମଣିଷ । ଜଣେଅଧେ ଲୋକ ଏମିତି ଭାବିଲେ ଖାସ୍ କିଛିଅସୁବିଧା ହୁଅନ୍ତା ନାହିଁ । ମାତ୍ର ନିର୍ଭରଶୀଳ ଜନସମଷ୍ଟି ଭିତରେ ମାଧବର ଏପରି ବିଚାର ଯୋଗୁ ପରିଣତିମାନ ଘଟୁଥିଲା । ସମସ୍ତେ ତାକୁ ଭକ୍ତ ଅପେକ୍ଷା ବେଶି ପାଗଳ ବୋଲି କହିବାକୁ ଲାଗିଲେ ।
    ଅଳକା ଦୃଢ଼ଭାବେ ଜାଣେ ଯେ ତା’ସ୍ୱାମୀ ପାଗଳ ନୁହଁନ୍ତି । ମାତ୍ର ସେ ଜାଣି ପାରେନା ଯେ ସଂସାରରେ ଆଉଆଉମାନଙ୍କ ପରି ସେ କାହିଁ ଚଳିପାରୁ ନାହାଁନ୍ତି ।
    ମାଧବ ପଣ୍ଡା ରାଜନୀତିର ଧାର ଧାରେ ନାହିଁ । ଅତ୍ୟନ୍ତ ଅନମନୀୟ ପ୍ରକୃତିର ହୋଇଥିବାରୁ ବିଭାଗରେ ତାର ପରିଚୟ ହେଲା, ଯେ ସେ ଜଣେ ଅଯୋଗ୍ୟ ଅଫିସର । ତା’ସାଙ୍ଗ ବା ଜୁନିଅରମାନେ ଚିଫ୍ଇଂଜିନିୟର ପଦରେ ପହଞ୍ଚô ସାରିଲେଣି । ଇଏ ଅବସର ନେବା ଆଗରୁ ଏକ୍‌ଜିକୁଟିଭ୍ ଇଂଜିନିୟର ହୋଇ ପାରିବ କି ନା ସନ୍ଦେହ ।
    ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା । ଏକାଦିନେ ହଇଜାରେ ବାପା-ବୋଉ ଚାଲିଗଲେ । କୋଉ ଯୁଗର କଥା । ବାପା କର୍ମାଣିଆ ବ୍ରାହ୍ମୁଣ । ଗାଁ ଗାଁ ବୁଲି ହଳା ଆଣିବା, ଅକାଳେସକାଳେ ତୁଠ କାମ ଜୁଟିଲେ ନୂଆ ଲୁଗା ଗାମୁଛା ଓ ସଞ୍ଜା ସହ ପାଞ୍ଚ ଦଶ ଟଙ୍କାରୁ ଅଧିକ ରୋଜଗାର କରିବାକୁ ଅକ୍ଷମ ତା’ବାପା, ଏବଂ ଯାବତ୍ ଦାରିଦ୍ର୍ୟ ସତ୍ତ୍ୱେ ପରିବାରର ଚଳଣିକୁ ପରିଜ୍ଜନ୍ନ ଦେଖେଇ ପାରୁଥିବା ବୋଉକୁ ଗାଁ ଲୋକେ ତା’ଆଖି ଆଗରେ ନୂଆନଈରେ ଭସେଇ ଦେଲେ ।
   ସେଇ ଦିନ ସକାଳେ ବୋଉ ତା’ମୁହଁ ଆଡ଼େ ନିଥର ଆଖିରେ ଅନୋଉଥିଲା । କ’ଣ କହିବ କହିବ ହୋଇ କିଛି କହିପାରି ନଥିଲା । ପାପା ଗତ ରାତିରୁ ଚେତାହୀନ ହୋଇ ପଡିରହିଥିଲେ । ଘଷିଭାଡି ଖାଲି କରି ତହିଁରେ କନ୍ଥାକୋତରା ପକେଇ ବୋଉ ନେଇ ବାପାଙ୍କୁ ସେଠି ଶୁଆଇ ଦେଲା । ଦିନ ଦୁଇଟା ବି ସରିନି ସବୁ ଲୁଗାପଟା ଘରୁ ସରିଗଲା । ବାପା ଶୋଇଥିଲେସୁଉଦୁ ସରିସରି ବନ୍ଧା ବାଉଁଶଭାଡି ଉପରେ । ତା’ପରେ ବୋଉ ନିଜେ ପଡିଗଲା । କତିରେ ଠିଆ ହେବାକୁ କେହି ନାହିଁ । ମାଧବର ସାହସ ହଜି ଯାଇଥିଲା । ମାତ୍ର ସେ କାନ୍ଦି ପାରୁ ନ ଥିଲା । ଆହା ପଦ କହିବାକୁ କେହି ନଥିଲେ ଜଣେ କାନ୍ଦିବ ବା କାହିଁକି?
   ତା’ବାପାଙ୍କ ଠାରୁ ଇଷତ୍ ସବଳ ଦଦେଇର – ଠ କ୍ରିୟାକର୍ମ ସାରିଥିଲେ ।
   ଇାପା – ବା ଛେଉଣ୍ଡ ମାଧବ ସେଇ ବ୍ରସରେ ଓ ସେ ବେଳର ଅସ୍ଥିର ମାନସିକତାରେ ମଧ୍ୟ ନିଜ ଜୀବନର ପ୍ରାଧାନ୍ୟ ସ୍ଥିର କରିବାକୁ ସମର୍ଥ ହୋଇ ପାିଥିଲା । ମୂଳ ଲାଗିବା ବୟସ ତା’ର ହୋଇ ନ ଥାଏ । ତଥାପି, ସେ ମୂଲ ଲାଗି ପାରିବ କି? ତାକୁ ବା ସେଥିପାଇଁ ଡାକିବ କିଏ? ବ୍ରାହ୍ମଣ ପିଲା । ପଦାକୁ ଯାଇ ମୂଳ ଲାଗିଲେ କୁଳକୁଟୁମ୍ବକୁ ଲାଜ । ବରଂ ତାକୁ ସେତେବେଳେ ବେଶି ସମ୍ଭବ ଲାଗିଥିଲା ଯେ ଦଦେଇଙ୍କ ଯେଉଁ ତିନୋଟି ଗାି ଅଛନ୍ତି ତାହା ସେ ଜଗି ପାରିବ । ବୋଲହାକ କରିବ । ଦେଠେଇ ବି ତାକୁ ହତାଦର କରନ୍ତି ନାହିଁ । ସେତେବେଳକୁ ସେ ବଡୁ ହୋଇ ନଥିଲା । ଦଦେଇଙ୍କ ପୁଅ ସୁନିଆ ବହୁ ହେଲାବେଳେ ଦଦେଇ ହୁଏତ ତାକୁ ଦୟା କରି ପାରନ୍ତି । ତା’ପରେ ;ଓ ବାପାର କର୍ମାଣିଆ କାମ କରିବାକୁ ଚେଷ୍ଟା କରିବ ।
   ତା’ର ସବୁ ଭାବନା କେମିତି କେଜାଣି ଓଲଟପାଲଟ ହୋଇଗଲା । ଦଦେଇ ଓ ଶଙ୍କରାନାଙ୍କ ସହିତ ସେ ନୂଆନଈରୁ ଦଶକାମ ସାରି ଫେରୁଥିଲା । ହାଇୱେ ତିଆରି ହୋଇ ନ ଥାଏ । ରାସ୍ତା ଥିଲା । ତାହା ପାରି ହେଲା ବେଳକୁ ସେମାନଙ୍କ ବାଟରେ ଗୋଟିଏ କାର୍ ସେଇଠି ଅଟକିଲା । ସେଥିରୁ ଓହ୍ଲାଇ ପଡିଲେ ବିଜୁବାବୁ ଓ ତାଙ୍କ ସାଙ୍ଗରେ ଭିତିରିଆ ଗାଁର ପଦନ ସାଆଁନ୍ତରା । ସାଆଁନ୍ତରା ଅଞ୍ଚଳର ଜଣେ ନାମଜାଦା ଲୋକ । ବାପା ସାଙ୍ଗରେ ନି ତିନି ଥର ମାଧବ ତାଙ୍କ ଘରକୁ ଦହିଚୁଡା ଖାଇବାକୁ ଯାଇଛି । ଅଣାଏ ଲେଖା ବିଦାକି ଆଣି ବୋଉକୁ ଧରେଇ ଦେଇଛି । ସେ ବିଜୁବାବୁଙ୍କ ନାଁ ପଢ଼ିଥିଲା । ଦେଖି ନ ଥିଲା କେବେ ।
    ମାଧବକୁ ଚିହ୍ନେଇଲା ପରି ପଦନ ସାଅାଁନ୍ତରା ବିଜୁବାବୁଙ୍କୁ କହିଲେ, “ଆଜ୍ଞା, ଆମ ଗାଁ ମୂଷା ପଣ୍ଡା । ଚିତୋଉ ଅମେଇସା ଗୋଟିଏ ଦିନରେ ଗେରସ୍ତ ଭାରିଜା ଦିହେଁ ଚାଲିଗଲେ । ଇଏ ତା’ପୁଅ ।”
    ଦଦେଇ ଆଡକୁ ହାତ ଦେଖେଇ ବିଜୁବାବୁ ପଚାରିଲେ, “ଏ ଲୋକଟା କିଏ?”
    ଦଦେଇ ନାଳଛେଇ ହେଲେ । ଭୋ ଭୋ କାନ୍ଦିଲେ । କହିଲେ, “ବାବୁ, ମୂଷା ମୋ ସାନଭାଇ ।”
    “କିରେ, ପଦନ ତମ ଅଞ୍ଚଳରେ କେତେ ଲୋକ ମଲେଣି , ହିସାବ ରଖିଛୁ?”
    ପଦନ ସାଅାଁନ୍ତାରା କହିଲେ, “ପୂରା ହିସାବ ତ ଜାଣିନି । ଖାଲି ନଇରେ ଶହେରୁ ଅଧିକ ଶବ ଭାସି ଗଲେଣି । ପୋଡାପୋଡି ସମ୍ଭବ ହଉନି । ଦି ତିନିଟା ସଚଳିଆ ଘର ଶବ ପୋଡା ହେଇଚି । ନ ହେଲେ ଆଜ୍ଞା ସମସ୍ତଙ୍କୁ ମା’ଗଙ୍ଗା ସାହା । ଆଜ୍ଞା ଏ ଟୋକା କଥା ନିଆରା । ଏହେ ବକଟେ ଛୁଆ, ତାର ଆଉ କେହି ନାହିଁ ।”
    “କ’ଣ, ପଢୁଚୁ?”
    ମାଧବ ମୁଣ୍ଡ ଟୁଙ୍ଗାରି ହଁ ମାରିଲା । ତେଣିକି ସବୁ କଥା ଦଦେଇ କହିଲେ । ବିଜୁବାବୁ ମାଧବକୁ ଏକଦମ କତିକି ନେଇ ତା’ମୁଣ୍ଡରେ ହାତ ବୁଲେଇ ପଚାରିଲେ, “ପଢ଼ିବୁ?”
    ଏହାର ଉତ୍ତରରେ ସେ କିଛି କହି ପାରି ନ ଥିଲା ବା ସେଠାରେ ସେଥିପାଇଁ ଖାସ୍ ଅବକାଶ ନ ଥିଲା । ତା’ପରେ ସେ ପଦନ ସାଅାଁନ୍ତରାଙ୍କୁ କେତେପ୍ରକାର ବରାଦ କଲେ ଏବଂ ମାଧବକୁ ‘ଡରିବୁନି ରେ, ପଢ଼ିବୁ ପଢ଼ିବୁ’ କହି ଚାଲିଗଲେ ।
    ସେଇ କଥା ପଦକ ମାଧବ ପଣ୍ଡାର ଜୀବନକୁ ଓଲଟପାଲଟ କରି ଦେଇଥିଲା ।
    ବାପା ମା’ଙ୍କ ବିନା ବି ତା’ ଜିନ୍ତାର ଏକ ଭୟାନକ ଭବିଷ୍ୟତ ସୁରୁଖୁରୁରେ କଟି ଯାଇଥିଲା । ଆମ ଅଞ୍ଚଳର ପଦନ ସାଅାଁନ୍ତରା, କେଡ଼େ ଲୋକ । ସେ ମାଧବର ହେପାଜତ ନେଲେ । ଖାତା ବହିପତ୍ର, ଗଣେଷ ପୂଜା ଓ ସରସ୍ୱତୀ ପୂଜାରେ ନୂଆ ପେଣ୍ଟ ସାର୍ଟ କିଣି ଦିଅନ୍ତି । ପ୍ରତି ମାସରେ ସେ ଦଦେଇଙ୍କୁ ପାଞ୍ଚଦଶ ଦିଅନ୍ତି । ଦଦେଇ ଦେଠେଇ କୌଣସି କାମ ପାଇଁ ବରାଦ ନ କରୁଥିଲେ ମଧ୍ୟ ମାଧବ ଗାଇଗୋରୁ କଥା ମୁଝେ । ତା’ଭାଗ୍ୟ ତାକୁ ଭାରି କାଇଲ୍ କରୁଥାଏ । ଏକା ସାଙ୍ଗରେ ପଢ଼ୁଥିବା କାରଣରୁ ପଦନ ସାଅାଁନ୍ତରା ତାକୁ ଦେଉଥିବା ପାଠ ସରଞ୍ଜାମରୁ ସେ କେତେ ଜିନିଷ ସୁନିଆକୁ ଦେଉଥାଏ । ଭାବୁଥାଏ, ଦଦେଇ ବି କୋଉ ଏମିତି ଧନୀ କି!
    ସୁନିଆ ଓ ମାଧବ ଏକା ସାଙ୍ଗରେ ମାଟ୍ରିକ ପାସ୍ କଲେ ।ସୁନିଆ ଥାର୍ଡ଼ ଡିଭିଜନ୍ରେ, ମାଧବ ଫାଷ୍ଟ ଡିଭିଜନ୍‌ରେ । ତା’ ଫାଷ୍ଟ ଡିଭିଜନ୍ ସକାଶେଅଞ୍ଚଳ ସାରା ଦୁଳୁକି ଉଠିଥିଲା ଯେମିତି । ସେତେବେଳେ ଚାକିରି କରିବାର ସବୁ ସୁବିଧା ଥିଲା । ଛ ଆଠ ମାସ ଭିତରେ ସୁନିଆ ଚାକିରି କଲା । ଏବେକୁ ସେ ବହୁତ ଧନୀ । କଟକ, ଭୁବନେଶ୍ୱର ଓ ଗାଁରେ ସବୁଠି ଗୋଟିଏ ଗୋଟିଏ କୋଠା । ନିଜେ ସରକାରୀ ଘରେ ରହି ଖାଲି ମାସକୁ ଆଠ ହଜାର ଟଙ୍କା ଘରଭଡ଼ା ପାଉଚି । ଗାଁରେ ପାଞ୍ଚ ପା’ ପୈତୃକ ଜମି ଏବେ ହୋଇଛି ସତର ଏକର । ସେ ସବୁବେଳେ ମାଧିଆନାକୁ ବୋକା କହେ ଓ ଅଳକା ଭାଉଜ ବିରୁଦ୍ଧରେ ତାର ଅଭିଯୋଗ ହେଲା ଯେ ସେ ଅକାରଣରେ ପାଠ ଗୁଡ଼ାଏ ପଢ଼ିଚି । ଭେଣ୍ଡାକୁ ମେଣ୍ଢା ନ କରି ପାରିଲେ କି ସ୍ତ୍ରୀ ପଦ ହୋ? 
   ମାଧବ ଫାଷ୍ଟ ଡିଭିଜନ୍ ଯୋଗୁ ପଦନ ସାଅାଁନ୍ତରା କମ୍ ଉଲ୍ଳସିତ ହୋଇ ନ ଥିଲେ । ତାକୁ ସାଙ୍ଗରେ ଧରି ସେ କଟକ ତୁଳସୀପୁର କୋଠିକୁ ଚାଲିଲେ । ମାଧବ ଜୀବନରେ ପ୍ରଥମ ଥର ପାଇଁ ବସ୍ ଚଢ଼ିଲା । ପ୍ରଥମ ଥର ପାଇଁ ଧବଳ ଟଗର କଟକ ନଗର ଦେଖିଲା, ଟ୍ରେନ୍ ଦେଖିଲା ଏବଂ ଆଉଥରେ ଦେଖିଲା ବିଜୁବାବୁଙ୍କୁ । କୃତଜ୍ଞତା ଅନୁଭବ କରିବା ବୟସରେ ସେ ପହଞ୍ଚି ସାରିଥାଏ । ବିଜୁବାବୁଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ ସାଅାଁନ୍ତରା କହିଲେ, “ଆଜ୍ଞା ଏ ଟୋକା କହଚି ଆଉ ପଢ଼ିବନି । ତାକୁ ଚାକିରି ଖଣ୍ଡେ କରେଇ ଦିଅନ୍ତୁ । ଫାଷ୍ଟ ଡିଭିଜନ୍‌ରେ ପଶ୍ କରିଚି ।” ପଦନ ସାଅାଁନ୍ତରାଙ୍କ ଦମ୍ଭ ପାଣି ଫାଟିଗଲା ପରି ଓ ମାଧବ ନିଜେ କିଛି ବୁଝି ନ ପାରିବା ପରି ବିଜୁବାବୁଙ୍କ ଠାରୁ ଶକ୍ତ ଚଟକଣାଟିଏ ଖାଇଲା ।
    “ଆରେ ରାସ୍‌କେଲ୍, ଥାର୍ଡ ଡିଭିଜନରେ ପାଶ୍ କାଲୁନି, ଚାକିରି କରିଥାନ୍ତୁ ।” କିଛି ସମୟ ପାଇଁ ଯାହା ତାଙ୍କ ପାଡିରେ ପଶିଲାସେ ମକିଗଲେ । ଏତେ କଥା ଏତେ ଚଞ୍ଚଳ କେମିତି ଘଟିଗଲା ମାଧବ ପଣ୍ଡା ବୁଝି ପାରିଲେ ନାହିଁ । “ରେଭେନ୍ସାରେ ପଢ଼ । ପରେ ଇଂଜିନିୟରିଙ୍ଗ ପଢ଼ିବୁ । ପଇସା ବ୍ୟବସ୍ଥା ମୁଁ କରିବି । ପଦନ, ତୁମେ ତାକୁ ମଝିରେ ମଝିରେ ତଦାରଖ କରିବ । କହିଲା କ’ଣ ନା, ଚାକିରି କରିବ । ଗେଟ୍ଆଉଟ୍ ।” ବିଜୁବାବୁ ଏତିକି କହିଲେ ଏବଂ ନିଜେ ଚାଲିଗଲେ ।
    କୃତଜ୍ଞତାରେ ତା ଆଖିରୁ ଧାରଧାର ଲୁହବୋହି ଯାଉଥିଲା । ସାଅାଁନ୍ତରା ମାଧବକୁ ବୁଝେଇଲା ପରି କହିଲେ, “ବାବୁ ରାଗି ନାହାନ୍ତିରେ ।” ତା’ପାଠ ଶେଷ ହେବା ପର୍ଯ୍ୟନ୍ତ ମାସର ପ୍ରଥମ ସପ୍ତାହରେ ତା ପାଖକୁ ମନିଅର୍ଡ଼ର ଆସେ । ସେ ଏମିତି ଭଲ ପଢ଼ୁଥିଲା । ପରେ ଭଲ ପଢ଼ିଲା ମଧ୍ୟ । ମଣିଷର କ୍ରୋଧ ଓ କଲ୍ୟାଣ ପ୍ରକାଶ କରିବାର ଆଚରଣକୁ ସେ ତା’ପରେ ଜୀବନସାରା ତଉଲି ଚାଲିଛି । ବୋଧେ ପାଇନାହିଁ । ସେଥିପାଇଁ ବାପା-ବୋଉ ଓ ବିଜୁବାବୁଙ୍କ ପରିଧିରୁ ସେ ମୋଟେ ବାହାରି ପାରିନାହିଁ ।
    ସେ ସ୍ୱପ୍ନ ଦେଖିଥିଲା ଯେ ଓଡ଼ିଶାରୁ ବିଜୁବାବୁ କୁଆଡ଼େ ଲୋପହୋଇ ଯାଇଛନ୍ତି । ସ୍ୱପ୍ନସ୍ୱପ୍ନରେ ସେ କେନ୍ଦ୍ରାପଡା, ପାରାଦ୍ୱୀପ, ଭଦ୍ରକ, ରାଉରକେଲା, ଭୁବନେଶ୍ୱର ଚାରିଆଡ଼େ ଖୋଜିଲା । କୋଉଠି ହେଲେ ତାଙ୍କର ଗୋଟିଏ ମୂର୍ତ୍ତି ବି ନାହିଁ । ପିଣ୍ଡି ଗୁଡିକ ନାଣ୍ଡିଆ । ପ୍ରତ୍ୟେକ ଜାଗାରେ ନାମ ଫଳକରେ ଉଦ୍‌ଘାଟକମାନଙ୍କ ନାଁ ଚକ୍‌ଚକ୍ କରୁଥାଏ । ବିଜୁବାବୁଙ୍କ ବିନା ସେଇସବୁ ନାଁ ତାକୁ ଗରାଖହୀନ ବେଶ୍ୟାର ଅଯଥା ରୂପସମ୍ଭାର ପରି ଲାଗୁଥାଏ । ଅଥବା ବିବସନା ନହେଲେ କୋଉ ବେଶ୍ୟା କାହାରି ଦରକାରରେ ଲାଗନ୍ତି ନାହିଁ । ରସିକ ଅର୍ଥତଣ୍ଡ କରି ତା’ ବସନ ଦେଖିବାକୁ ଯାଇ ନ ଥାଏ ।
    ମାଧବ କୁଆଡ଼େ ବାରମ୍ବାର ପାଗଳଙ୍କ ପରି ଖୋଜିଲା । କାଳେ କୋଉଠି ବିଜୁବାବୁଙ୍କ ଅବୟବର ଟୁକୁଡା ଅଂଶ ଖଣ୍ଡେ ବି ଆଖପାଖରେ ପଡିଥିବ କି! ନ ଥାଏ । ବିସ୍ମିତ ହେବା ପରି କଥା । ଏହା କ’ଣ ସମ୍ଭବ? ବିଜୁବାକୁଙ୍କୁ ଓଡ଼ିଆମାନେ ଏବେ ବି ଶ୍ରଦ୍ଧା କରନ୍ତି । ତା’ହେଲେ ତାଙ୍କ ସ୍ମୃତିକୁ ଏମିତି ସଂଗଠିତ ଭାବେ ନାରଖାର କଲା କିଏ ବା କାହିଁକି ଲୁଟ୍ କଲା?
    ସେ ତାଙ୍କ ସ୍ମୃତିକୁ ଯେମିତି ହେଲେ ଖୋଜି ପାଇବା ପରି ଏକ ପ୍ରଚଣ୍ଡ ପ୍ରତିଜ୍ଞା ଯୋଗୁ ଇତସ୍ତତଃ ଖୋଜିଲା । ଏଣେ ଶୋଷରେ ମାଧବର ତଣ୍ଟି ଶୁଖି ଯାଉଥାଏ । ମ୍ୟୁନିସିପାଲ୍‌ଟି ଟେପ୍ ଶୁଖା । ଜଳଛତ୍ର ସବୁଠିଁ ଦେଖୁଥିଲା । ହେଲେ ସେ ଗୁଡିକରେ ପାଣି ନ ଥିଲା । ସେମାନେ ସମସ୍ତେ ମଗ୍ ଧରି ରକ୍ତ ଓଜାଡୁଥିଲେ ଗିଲାସରେ । ମାଧବ ଉର୍ଦ୍ଧଶ୍ୱାସ ହୋଇ ପଡିଥାଏ । ଆଉ ଟିକେ ପରେ ଶୋଷରେ ଯେମିତି ତା ଜୀବନ ଛାଡିଯିବ । ନିରୁପାୟ ହୋଇ ମ୍ୟୁନିସିପାଲ୍‌ଟି ଗଟର୍ ପଡ଼ିଥିବା ଏକ ନର୍ଦ୍ଧମାରୁ ସେ ଦି ଆଞ୍ଜୁଳା ପାଣି ପିଇ ଜୀବନଟା ବଞ୍ଚେଇଦେବ ବୋଲି କେଇ ପାହୁଣ୍ଡ ତଳକୁ ପାଦ ପକେଇଚି କି ନା, ଦେଖିଲା ସେ ଖୋଲ ଭିତରେ ବିଜୁବାବୁ କୁଙ୍କୁରିକାଙ୍କୁରି ହୋଇ ବସିଛନ୍ତି । ମାନେ, ଲୁଚିଛନ୍ତି ପରି ତାଙ୍କୁ ଲାଗିଲା । ୟା ଶୋଷ ବି ହଜି ଗଲା ।
    ସେଇଠି ସେ ପାଦ ଛୁଇଁ ପ୍ରଣାମ କଲା ଓ ତା ପାଟିରୁ ଆପେ ଆପେ ବାହାରି ପଡିଲା, “ସାର୍, ଆପଣ ! ଏମିତି ଏଠି!”
    ସେ ତାଙ୍କ ସ୍ୱାଭାବିକ ଢ଼ଙ୍ଗରେ ମାଧବକୁ କହିଲେ, “ପାଟି କରନା । ବସ ଏଠି । ତୋ ନାଁ କ’ଣ?”
    ମାଧବ ତୁନିହୋଇ ତାଙ୍କ ପାଦତଳେ ବସି ପଡିଲା । ତା’ ପାଡିରୁ କଥା ବାହାରୁ ନ ଥିଲା । ଚାହାଣି ସ୍ଥଇର ହୋଇ ସେ ବିଜୁବାବୁଙ୍କୁ ଯେମିତି ଅବୁଝାଭାବେ ସେଇ ପ୍ରଶ୍ନ ହିଁ ପଚାରୁଥିଲା, “ସାର୍, ମୁଁ ଆପଣଙ୍କ ମାଧବ ପଣ୍ଡା । ଯୋଉ ଅନାଥକୁ ନୂଆନଇ ବନ୍ଧରୁ ଟେକିଆଣି ଆପଣ ଇଂଜିନିୟର କରିଦେଲେ ମୁଁ ସେଇ ମାଧବ ପଣ୍ଡା । ସାର୍, ଆପଣ ଏମିତି ଏଠି କ’ଣ?”
    “ମୁଁ ଓଡ଼ିଶା ପାଇଁ କ’ଣ ସବୁ ସ୍ୱପ୍ନ ଦେଖିଥିଲି କି ରେ? ସମସ୍ତେ କ’ଣ ମୋ ଅଧୁରା ସ୍ୱପ୍ନ ପୂରଣ କରିବେ କହି ମୋ ସ୍ୱପ୍ନରୁ ପୁଳେ ପୁଳେ ପକେଟରେ ପୁରେଇ ରାଜ୍ୟ ସାରା ବେପାର କରୁଛନ୍ତି? ଜାଣିଚୁ?”
     ସେତିକିବେଳେ ମାଧବର ନିଦ ଭାଙ୍ଗିଗଲା । ସେ ଅଳକାକୁ ଉଠେଇ ହାଲ୍ଲା କଲା ।
     ମାଧବ ସାଙ୍ଗରେ ପଦେ ଦି ପଦ କଥା ହୋଇ ସାରି ଅଳକାକୁ କହିଲି, “ତୁ ମୋଟେ ବ୍ୟସ୍ତ ହଅନା । ୟେ ଇଲେକ୍ସନ୍ଟା ଆଗରେ ତ । ସରିଗଲେ ସବୁ ଠିକ୍ ହୋଇଯିବ । ଏବେ ସେ ଯେଉଁମାନଙ୍କ ତୁଣ୍ଡରୁ ବିଜୁବାବୁଙ୍କ ନାଁ ବାରମ୍ବାର ଶୁଣୁଚି, ତାହା ତାକୁ ଲଙ୍କାରେ ହରି ଏÿ ପରି ଲାଗୁ ନ ଥିବ କି?କ’ଣ କରିବା, ସେଣ୍ଟିମେଣ୍ଟାଲ୍ ଲୋକଟା । ତୁ କ’ଣ ଜାଣିନୁ?”
     ଅଳକା କହିଲା, “ଜାଣିଛୁ, ଜ୍ୟୋତି ହରେଇ ପାଉଁଶ ହେବା ପୂର୍ବରୁ ହାବେଳୀର ଝଳକ ପରି ମତେ ଇଏ ବେଶ୍ ଉଞ୍ଚାରେ ବେଶ୍ ଉଜ୍ଜ୍ୱଳ ଦେଖାଯା’ନ୍ତି । ନିରିହ ମଣିଷଟିଏ । ବହୁତ ଭଲଲାଗେ । ନ ହେଲେ, ମୁଁ ତ ଟିଭି ଛଡ଼ା ବିଜୁବାବୁଙ୍କୁ କେବେ ସ୍ୱଚକ୍ଷୁରେ ଦେଖିନି । ଡକ୍ଟର ଲୋକଙ୍କ କଥା ମଜାରେ କହୁଥିଲେ । ଝରଣା ଉଠିଲାଣି? ଡାକିଲୁ ଟିକେ, କଥା ହେବି ।”