ଆହେ ପ୍ରଭୁ କଳା ଶ୍ରୀମୁଖ (ବନମାଳୀ ଦାସ)

ଉଇକିପାଠାଗାର‌ରୁ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଆହେ ପ୍ରଭୁ କଳା ଶ୍ରୀମୁଖ ଆଉ ଆହେ ପ୍ରଭୁ କଳା ଶ୍ରୀମୁଖ (ହାଡ଼ି ଦାସ) ଦେଖନ୍ତୁ ।
ଆହେ ପ୍ରଭୁ କଳା ଶ୍ରୀମୁଖ
ଲେଖକ/କବି: ବନମାଳୀ ଦାସ

ଆହେ ପ୍ରଭୁ କଳା ଶ୍ରୀମୁଖ

ଆହେ ପ୍ରଭୁ କଳା ଶ୍ରୀମୁଖ ।
କାଳେ କାଳେ ମୋର ନଗଲା ଦୁଃଖ ।

କି ଅବା ଛାମୁରେ ଜଣାଇବି ମୁହିଁ ସାକ୍ଷାତେ ମୋ ଦୀନ ଅବସ୍ଥା ଦେଖ ।
ତେଣୁ ଶ୍ରୀଛାମୁକୁ ଯାଇ ନ ପାରଇ
ଖଣ୍ଡିଏ ତ ମୋର ନ ଥାଇ ଭେକ । ୧।

ସାଉଙ୍କ ଜଞ୍ଜାଳ କୁଟୁମ୍ବଙ୍କ ଗୋଳ ଅନ୍ତର ବେଦନା ସବୁ ଅଧିକ ।
କା ଆଗେ କହିବି କେ କଷ୍ଟ ଫେଡ଼ିବ
ସଂସାରେ ମୋ ସରି ନାହିଁ ନିରେଖ ।୨।

ମନ ମଧ୍ୟେ ମୋର ହରଷ ନ ଥାଇ ହୃଦୟ ମଧ୍ୟରେ ସଦା ବିମୁଖ ।
ଚଉବର୍ଗ ଦାନୀ ଆଶ୍ରେ କରି ମୁଁ ଯେ
କାହିଁକି ଆଉ ନ ପାଇଲି ସୁଖ ।୩।

ବାତ ଚକ୍ର ପ୍ରାୟେ ମନ ଭ୍ରମୁଥାଇ ଦଣ୍ଡେ ନ ରହଇ ତୁମ୍ଭର ପାଖ ।
କହେ ବନମାଳୀ ଶଙ୍ଖରେ ପୂରାଇ
ଚକ୍ର ଉହାଡ଼ିଣ ଘୋଡ଼ାଇ ରଖ ।୪।