କୃଷ୍ଣ କେଶବ ହରି

ଉଇକିପାଠାଗାର‌ରୁ
Jump to navigation Jump to search
କୃଷ୍ଣ କେଶବ ହରି
ଲେଖକ/କବି: ବନମାଳୀ ଦାସ

କୃଷ୍ଣ କେଶବ ହରି

କୃଷ୍ଣ କେଶବ ହରି
ମାଧବ ଦଇତାରି
କଞ୍ଜନୟନ ପ୍ରଭୁ କୁଞ୍ଜବିହାରି ॥ଘୋଷା॥

ଗୋବିନ୍ଦ ନନ୍ଦବାଳ ବାସୁଦେବ ଦୁଲାଳ
ବରଜସୁତମେଳ ବକାଅଇରି
ଯଦୁକୁମୁଦଚନ୍ଦ୍ର ଜଗନ୍ନାଥ ଉପେନ୍ଦ୍ର
ସାରଙ୍ଗଧାର ରସରାଜ ମୁରାରି ॥୧॥

ବାଳିଭ୍ରାତ-ମଇତ୍ର ମାଳୀ-ସୁଦାମା-ମୁକ୍ତ
ଦରନାଶନ ଦାବାନଳଆହାରୀ
ବିଷ୍ଣୁ ପରମାନନ୍ଦ ଆଦିକନ୍ଦ ସୁରେନ୍ଦ୍ର
ବ୍ରହ୍ମାଣ୍ଡନାଥ ବଳିଦ୍ୱାର-ଭିକାରୀ ॥୨॥

ରୁଞ୍ଜଗୁଞ୍ଜମାଳିଆ ଆମ୍ବଜାମୁଡାଳିଆ
କାଳିଦଳିଆ କୁଜସୁନ୍ଦରକାରୀ
କେଳିପୁଚ୍ଛଚୂଳିଆ ଧେନୁବୃନ୍ଦଚାଳିଆ
ନୀପମୂଳିଆ ବାଙ୍କ ମୁରଲୀଧାରୀ ॥୩॥

ସତ୍ୟସୁଖଦାୟକ ନିତ୍ୟସ୍ଥଳନାୟକ
ଘେନିମା ଚିତ୍ତେ ମୋର ଏହି ଗୁହାରି
ଭାବଇ ବନମାଳୀ ଏ ନାମ କଣ୍ଠେ ମାଳୀ
କରି ମୋ ଜୀବ ଯିବ ସତେ ବାହାରି ॥୪॥