ଓଡ଼ିଆ ଭାଗବତ/୧

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ପ୍ରଥମ ସ୍କନ୍ଧ

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ଓଁ ନମୋ ଭଗବତେ ବାସୁଦେବାୟ ।

ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି ।
ଯସ୍ୟାସ୍ତେ ହୃଦୟେ ସମ୍ୱିତ୍ ତଂ ନୃସିଂହ‌ମହଂ ଭଜେ ।।୧
ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍
ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତ‌ତ୍ ।।୨
ମାଧବୋ ମାଧବାବୀଶୌ ସର୍ବସିଦ୍ଧିବିଧାୟିନୌ ।
ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନତିପ୍ରିୟୌ ।।୩
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘ‌ୟତେ ଗିରିମ୍ ।
ଯତ୍ କୃପା ତମ‌ହଂ ବନ୍ଦେ ପରମାନନ୍ଦମାଧବମ୍ ।।୪
ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ ।
ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ ।
ଧ୍ୟାନାବସ୍ଥିତ‌ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ।।୫
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ‌ମ୍ ।
ଦେବୀଂ ସ‌ରସ୍ୱତୀଂ ବ୍ୟାସଂ ତ‌ତୋ ଜୟମୁଦୀରୟେତ୍ ।।୬
ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାର୍ଥେଷ୍ୱଭିଜ୍ଞଃ ସ୍ୱରାଟ୍
ତେନେ ବ୍ରହ୍ମହୃଦା ଯ ଆଦିକବୟୋ ମୁହ୍ୟନ୍ତି ଯତ୍ ସୁରୟଃ ।
ତେଜୋ ବାରିମୃଦାଂ ଯଥା ବିନିମୟୋ ଯତ୍ର ତ୍ରିସର୍ଗୋଽମୃଷା
ଧାମ୍ନା ସ୍ୱେନ ସଦା ନିରସ୍ତକୁ‌ହକଂ ସତ୍ୟଂ ପରଂ ଧୀମହି ।।୭
ଧର୍ମଃ ପ୍ରୋଜ୍‌ଝିତକୈତବୋଽତ୍ର ପରମୋ ନିର୍ମତ୍ସରାଣାଂ ସତାଂ
ବେଦ୍ୟଂ ବାସ୍ତବମତ୍ର ବସ୍ତୁ ଶିବଦଂ ତାପତ୍ରୟୋନ୍ମୂଳନ‌ମ୍ ।
ଶ୍ରୀମଦ୍‌ଭାଗବତେ ମହାମୁନିକୃତେ କିମ୍ୱା ପରୈରୀଶ୍ୱରଃ
ସଦ୍ୟୋ ହୃଦ୍ୟବରୁଧ୍ୟତେଽତ୍ର କୃତିଭିଃ ଶୁଶ୍ରୂଷୁଭିସ୍ତ‌ତ୍‌କ୍ଷଣାତ୍ ।।୮
ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବି ଭାବୁକାଃ ।।୯

ଶ୍ରୀ ଗଣେଶାୟ ନମଃ


ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥ ୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥ ୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥ ୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥ ୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥ ୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥ ୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥ ୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥ ୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥ ୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥ ୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥ ୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥ ୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥ ୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥ ୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥ ୧୫
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥ ୧୬
କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥ ୧୭
ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥ ୧୮
କପଟ ଧର୍ମ ଯାର ନାହିଁ । ସ୍ୱଭାବେ ସନ୍ଥ ସେ ବୋଲାଇ ॥ ୧୯
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥ ୨୦
ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥ ୨୧
ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥ ୨୨
ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥ ୨୩
ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୪
ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତୟ କ୍ଷୟ ଯାଇ ॥ ୨୫
ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥ ୨୬
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥ ୨୭
ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥ ୨୮
ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥ ୨୯
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥ ୩୦
ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥ ୩୧
କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥ ୩୨
ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥ ୩୩
ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥ ୩୪
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥ ୩୫
ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥ ୩୬
ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥ ୩୭
ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥ ୩୮
ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥ ୩୯
ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥ ୪୦
ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥ ୪୧
କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥ ୪୨
ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷଅରଣ୍ୟେ ॥ ୪୩
କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥ ୪୪
ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥ ୪୫
ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥ ୪୬
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥ ୪୭
ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥ ୪୮
ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥ ୪୯

ଋଷିଗଣ ଉବାଚ

ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥ ୫୦
ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥ ୫୧
ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥ ୫୨
ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥ ୫୩
ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥ ୫୪
ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥ ୫୫
ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥ ୫୬
ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥ ୫୭
ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥ ୫୮
ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ୱ କହେ ॥ ୫୯
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥ ୬୦
ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥ ୬୧
ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥ ୬୨
ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥ ୬୩
ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥ ୬୪
ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥ ୬୫
ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥ ୬୬
କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥ ୬୭
ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥ ୬୮
କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥ ୬୯
ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥ ୭୦
କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥ ୭୧
ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥ ୭୨
ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥ ୭୩
ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥ ୭୪
ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥ ୭୫
ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥ ୭୬
ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥ ୭୭
ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥ ୭୮
ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥ ୭୯
ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥ ୮୦
କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥ ୮୧
ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥ ୮୨
ଯେ ହରି ବ୍ରହ୍ମା ଭିତରେ । ଲୀଳା ସରାଗେ ଅବତରେ ॥ ୮୩
ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥ ୮୪
ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥ ୮୫
ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥ ୮୬
ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥ ୮୭
ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥ ୮୮
ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥ ୮୯
ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥ ୯୦
କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥ ୯୧
କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥ ୯୨
ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥ ୯୩
କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥ ୯୪
ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥ ୯୫
ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥ ୯୬
ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥ ୯୭
ଯେ ହରି ବ୍ରହ୍ମାଣ୍ଡ-ବକ୍ଷଳ । ସର୍ବଦେବଙ୍କ ଆଦିମୂଳ ॥ ୯୮
ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥ ୯୯
କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥ ୧୦୦
ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥ ୧୦୧
ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥ ୧୦୨
ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥ ୧୦୩
ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥ ୧୦୪
ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥ ୧୦୫
ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥ ୧୦୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ।।

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି । ହରଷମନେ ମନେ ଗୁଣି ॥ ୧
ଗୁରୁଙ୍କୁ ମନେ ମନେ ଧ୍ୟାୟି । ପରମ-ପ୍ରୀତି-ବାକ୍ୟେ ଗାଇ ॥ ୨
ଜୀବର ହିତେ କୃତକୃତ୍ୟ । ହସି କହନ୍ତି ମୁନି ସୂତ ॥ ୩
ଯେ ଶୁକ ଏକାନ୍ତ ଗମନ । କରିଣ ଦେହ କଲେ ଶୂନ୍ୟ ॥ ୪
ପୁତ୍ରର ସ୍ନେହ ମନେ ଧରି । ବ୍ୟାସ ଡାକନ୍ତି ଉଚ୍ଚକରି ॥ ୫
ପିତାର ସ୍ନେହ ରକ୍ଷା ଅର୍ଥେ । ଉତ୍ତର ଦେଲେ ବୃକ୍ଷ ପଥେ ॥ ୬
ତାହାଙ୍କୁ ମୋର ନମସ୍କାର । ଯେ ହୃଦ ସର୍ବ ପ୍ରାଣୀଙ୍କର ॥ ୭
ଜୀବର ପରିତ୍ରାଣ ଅର୍ଥେ । କରୁଣା ବହି ଯେହୁ ଚିତ୍ତେ ॥ ୮
ଅଖିଳ-ବେଦର ଯେ ସାର । ଯେ ଅନୁଭବ ଆପଣାର ॥ ୯
କହିଲେ ପୁରାଣର ସାର । ତାହାଙ୍କୁ ମୋର ନମସ୍କାର ॥ ୧୦
ବାଣୀ ନର ଯେ ନାରାୟଣ । ଯେ ଗ୍ରନ୍ଥ ସଂସାର-ତାରଣ ॥ ୧୧
ଉଦିତ କଲେ ଏ ସଂସାରେ । ନମଇଁ ତାହାଙ୍କ ପୟରେ ॥ ୧୨
ଏମନ୍ତେ ନମସ୍କାର କରି । କହନ୍ତି ମନେ ମୋଦ ଭରି ॥ ୧୩
ଶୁଣ ସକଳ ମୁନିଜନ । ସାଧୁ ଏ ତୁମ୍ଭର ବଚନ ॥ ୧୪
ପରମ-ମଙ୍ଗଳ ଏ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୫
ପରମଧର୍ମ ଏ ଜଗତେ । କୃଷ୍ଣ ଭକତି ଯେଉଁ ମତେ ॥ ୧୬
ଫଳର ଆଶା ଯହିଁ ନାହିଁ । ବିଘ୍ନ ପଶିବ ଅବା କାହିଁ ॥ ୧୭
ଯେ ଭକ୍ତିବଳେ ଏ ସଂସାର । ନୁହଇ ପୁଣ ଏ ଜୀବର ॥ ୧୮
ଭକତି କଲେ ଜ୍ଞାନ ହୋଏ । ଜୀବ ନ ପଡ଼େ ମାୟାମୋହେ ॥ ୧୯
କୃଷ୍ଣଚରିତ ଶୁଣି ଯେବେ । ଭକ୍ତି ନ ଜନ୍ମେ ମୂଢ଼ଭାବେ ॥ ୨୦
କେବଳ ଶ୍ରମ ତାହାଙ୍କର । କାହୁଁ ତରିବେ ତମଘୋର ॥ ୨୧
ଅର୍ଥସଞ୍ଚନ୍ତି ଯେତେ ନର । କେବଳ ଦୁଃଖ ତାହାଙ୍କର ॥ ୨୨
ଅର୍ଥେ ନ ପାଇ ଧର୍ମ ମୋକ୍ଷ । ସେ କାମ ଲୋଭଟି ପ୍ରତ୍ୟକ୍ଷ ॥ ୨୩
ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ । ଲୋଭେ ଭ୍ରମର କାମ ଅର୍ଥେ ॥ ୨୪
ଯାବତ ଜୀବନ ଧରଇ । କାମ ଲୋଭରେ ସୁଖ କାହିଁ ॥ ୨୫
ଜୀବର ତତ୍ତ୍ୱ ଜାଣିବାରେ । କେ ଜ୍ଞାନୀ ଅଛି ଏ ସଂସାରେ ॥ ୨୬
ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ । ଜ୍ଞାନ କହନ୍ତି ଏ ଜଗତେ ॥ ୨୭
କେହୁ କହନ୍ତି ବ୍ରହ୍ମତତ୍ତ୍ୱ । କେ ଅବା ବୋଲେ ପରମାର୍ଥ ॥ ୨୮
କେହୁ ବୋଲନ୍ତି ଭଗବାନ । ନିର୍ମଳରସ ଗୋପ୍ୟ-ଜ୍ଞାନ ॥ ୨୯
ସେବୋଲେ ଶ୍ରଦ୍ଧା ଯେ କରନ୍ତି । ଜ୍ଞାନବୈରାଗ୍ୟ ଆଚରନ୍ତି ॥ ୩୦
କରନ୍ତି ବିଷ୍ଣୁରେ ଭକତି । ଆତ୍ମାରେ ଆତ୍ମାକୁ ଦେଖନ୍ତି ॥ ୩୧
ହରି ଚରଣେ ଭକ୍ତିଜାତ । ଅଜ୍ଞାନେ ନ ଜାଣେ ଜଗତ ॥ ୩୨
ଏଣୁ ଏ ଅଖିଳ ଜଗତେ । ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ॥ ୩୩
ସ୍ୱଭାବ ଧର୍ମ ଆଚରଣେ । ଭକ୍ତି ଉପୁଜେ ନାରାୟଣେ ॥ ୩୪
ତେଣୁ ସନ୍ତୋଷ କୃଷ୍ଣ ହୋଇ । ପ୍ରାଣୀଙ୍କି ଚଉବର୍ଗ ଦେଇ ॥ ୩୫
ଏ ଘେନି ହୋଇ ଏକମନ । ଭାବେ ତୋଷିବ ଭଗବାନ ॥ ୩୬
ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ । ନିତ୍ୟେ ଶୁଣିବ କର୍ଣ୍ଣପଥେ ॥ ୩୭
ନିର୍ମଳ କରି ଦୃଢ଼ମନ । ନିରତେ କରିବ କୀର୍ତ୍ତନ ॥ ୩୮
ଧ୍ୟାନେ ଚିନ୍ତିବ କୃଷ୍ଣରୂପେ । ପୂଜା କରିବ ସୂକ୍ଷ୍ମକଳ୍ପେ ॥ ୩୯
ଏ ଭାବେ ଭକ୍ତିଯୋଗ ବଢ଼େ । କର୍ମ-ବନ୍ଧନ-ଗ୍ରନ୍ଥି ଛିଡ଼େ ॥ ୪୦
ଏଣୁ ଜଗତେ ଜ୍ଞାନୀ ଯେତେ । କୃଷ୍ଣ ନ ଭଜିବେ କେମନ୍ତେ ॥ ୪୧
କୃଷ୍ଣକଥାରେ ରତି ଯାର । ସେ ପ୍ରାଣୀ ଭବ ମଧ୍ୟେ ସାର ॥ ୪୨
ହରିଚରଣେ ଯାର ଶ୍ରଦ୍ଧା । ତାକୁ ନ ଲାଗେ ଭବବାଧା ॥ ୪୩
ସେପୁଣ୍ୟେ ସାଧୁସଙ୍ଗ ମିଳେ । ପୁଣ୍ୟତୀର୍ଥକୁ ଆଶ୍ରେ କଲେ ॥ ୪୪
ଭକତ ସେଙ୍ଗ ଯେବେ ମିଶେ । ତେବେ ସେ ହରିରସେ ରସେ ॥ ୪୫
କୃଷ୍ଣର କଥା ଯେ ଶୁଣନ୍ତି । ବଦନେ ମହିମା ଗୁଣନ୍ତି ॥ ୪୬
ତାହାଙ୍କ ହୃଦେ ହରି ବସେ । ସକଳ କଳ୍ମଷ ବିନାଶେ ॥ ୪୭
ସେ ପୁଣ୍ୟ-ଶ୍ରବଣ-କୀର୍ତ୍ତନ । ବେଦେ କହନ୍ତି ମୁନିଜନ ॥ ୪୮
ସାଧୁଜନଙ୍କ ମିତ୍ର ହରି । ଏଣୁ ଭକତକୁ ଆବୋରି ॥ ୪୯
ହେଳେ ତାରଇ ଭବସିନ୍ଧୁ । ଯେଣୁ ଭକତଜନବନ୍ଧୁ ॥ ୫୦
ଭକତଜନ ସେବା ଫଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୫୧
ତେଣୁ ସେ ଗୋବିନ୍ଦ ବିଷୟେ । ଭକ୍ତି ଉପୁଜେ ନରଦେହେ ॥ ୫୨
ସ୍ୱଭାବେ ରଜ ତମ ଦୁଇ । କାମାଦି ଯେତେ ରିପୁ ଥାଇ ॥ ୫୩
ଚିତ୍ତୁ ବାହାର ହୋଇଯାନ୍ତି । ସାତ୍ତ୍ୱିକଗୁଣ ଆବୋରନ୍ତି ॥ ୫୪
ଏହି ପ୍ରକାରେ ଯେବେ ମନ । ହୋଇବ ନିର୍ମଳ ପ୍ରସନ୍ନ ॥ ୫୫
ତେବେ ସେ ଭକ୍ତିଯୋଗ ବଳେ । କୃଷ୍ଣଭକତ ସଙ୍ଗମେଳେ ॥ ୫୬
ନିର୍ମଳ ଜ୍ଞାନ ପ୍ରକାଶଇ । ଜନ୍ମ ମରଣ ଆଉ କାହିଁ ॥ ୫୭
ଅଶେଷ-କର୍ମ-ଗଣ୍ଠି-ଛନ୍ଦ । ଏଣେ ଛିଡ଼ଇ ସର୍ବଦ୍ୱନ୍ଦ୍ୱ ॥ ୫୮
ସର୍ବ ସଂଶୟ ତୁଲେ କର୍ମ । ତୁଟଇ ବିଶ୍ୱମାୟାଭ୍ରମ ॥ ୫୯
ଆତ୍ମାରେ ଆତ୍ମାକୁ ଦେଖନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୬୦
ଏଣୁ ପଣ୍ତିତଜନ ଯେତେ । ଆନନ୍ଦେ ଭକ୍ତିଯୋଗ ମତେ ॥ ୬୧
ହରି ବିଷୟ ଦୃଢ଼ଚିତ୍ତେ । ନିତ୍ୟେ ଭଜନ୍ତି ଆତ୍ମା ହିତେ ॥ ୬୨
ବିଷ୍ଣୁର ମାୟାରୁ ସମ୍ଭୂତ । ଆଦି ପ୍ରକୃତି ଜନମାତ ॥ ୬୩
ଯେ ସତ୍ତ୍ୱ-ରଜ-ତମ ଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୪
ଅନାଦି-ପରମ-ପୁରୁଷ । ଏ ତିନିଗୁଣେ ସେ ପ୍ରକାଶ ॥ ୬୫
ସୃଷ୍ଟି ଉଦୟେ ବ୍ରହ୍ମା ହୋଇ । ପାଳନେ ବିଷ୍ଣୁ ସେ ବୋଲାଇ ॥ ୬୬
ସଂହାର କାଳେ ରୁଦ୍ର ରୂପେ । ସୁଖେ ବିହରେ ମୋହକଳ୍ପେ ॥ ୬୭
ସେ ଶୁଦ୍ଧସତ୍ତ୍ୱ ବିଷ୍ଣୁଦେହେ । ଜନ୍ତୁଙ୍କ ଶ୍ରେୟ ଗୁଣ ବହେ ॥ ୬୮
କାଷ୍ଠ ସଂଯୋଗେ ଧୂମ ଜାତ । ଧୂମରୁ ଅନଳ ସମ୍ଭୂତ ॥ ୬୯
ତୃତୀୟ ଅଙ୍ଗାର ପ୍ରମାଣ । ତାମସ ରଜ ସତ୍ତ୍ୱ ଗୁଣ ॥ ୭୦
ଏ ଭାବେ ବ୍ରହ୍ମ ପରିମାଣି । ଭବସାଗର ତରେ ପ୍ରାଣୀ ॥ ୭୧
ନିର୍ମଳଚେତା ମୁନି ଯେତେ । ବିଚାର କରି ଆତ୍ମାହିତେ ॥ ୭୨
ବିଷ୍ଣୁଙ୍କୁ ସତ୍ତ୍ୱଗୁଣେ ଜାଣି । ଭଜିଲେ ମୋକ୍ଷ ପରିମାଣି ॥ ୭୩
ତାମସ ରଜଗୁଣେ ଯେତେ । ଯେ ଭୂତପତି ଏ ଜଗତେ ॥ ୭୪
ସ୍ୱଭାବେ ଘୋର ଭୟଙ୍କର । ଏଣୁ ନ ଭଜେ ସାଧୁନର ॥ ୭୫
ଅହିଂସା ଶାନ୍ତିଗୁଣେ ଥାନ୍ତି । ହରି ଚରିତ ଚିତ୍ତେ ଚିନ୍ତି ॥ ୭୬
ଧନ ସମ୍ପଦେ ଯାର ଇଚ୍ଛା । ସେ କରେ ଭୂତପ୍ରେତ ଦୀକ୍ଷା ॥ ୭୭
ସଂସାରେ ଦେବଯଜ୍ଞ ଯେତେ । ଯୋଗସାଧନ କ୍ରିୟାମତେ ॥ ୭୮
ପରମଜ୍ଞାନ ତପ ଆଦି । କଠୋର ଯେତେ ଧର୍ମ ସାଧି ॥ ୭୯
ଏ ସର୍ବଗତି ନାରାୟଣ । ଏବେ ହୋ ମୁନିଗଣେ ଶୁଣ ॥ ୮୦
ଏ ସର୍ବବିଧି ଧର୍ମ ଯେତେ । କରିବ ବିଷ୍ଣୁ ପ୍ରୀତି ଅର୍ଥେ ॥ ୮୧
ଏ ତିନିଗୁଣେ ନାରାୟଣ । ସୃଷ୍ଟି ପାଳନ ସଂହାରଣ ॥ ୮୨
ଏମନ୍ତେ ବିଶ୍ୱରୂପ ଧରେ । ମାୟାସଂସାରେ ସେ ବିହରେ ॥ ୮୩
ସ୍ୱଭାବେ ନିର୍ଗୁଣ ମୁରାରି । ଖେଳଇ ତ୍ରିଗୁଣ ଆବୋରି ॥ ୮୪
ସକଳ ଜୀବ ମଧ୍ୟେ ଥାଇ । ଅଜ୍ଞାନେ ଜୀବ ନ ଜାଣଇ ॥ ୮୫
ଅଶେଷ ମହିମା ଯେ ଧରେ । କିବା ଉପମା ଦେବା ତାରେ ॥ ୮୬
ସେ ହରି-ଚରଣ-ପଙ୍କଜ । ସୁଜନଜନ ନିତ୍ୟେ ଭଜ ॥ ୮୭
କହଇ ଦାସ ଜଗନ୍ନାଥ । ଗୀତ-ପ୍ରବନ୍ଧେ ଭାଗବତ ॥ ୮୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ।।

ତୃତୀୟ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ୧
ଶୁଣ ସକଳ ମୁନିଜନେ । ହରିଚରିତ ସାବଧାନେ ॥ ୨
ସୃଷ୍ଟିର କାଳେ ସେ ମୁରାରି । ମହାପୁରୁଷ ରୂପ ଧରି ॥ ୩
ମହତ ଆଦି ଅଙ୍ଗେ ମିଶି । ବିରାଟ ରୂପେ ବ୍ରହ୍ମରାଶି ॥ ୪
କଳା ବହଇ ଷଡ଼ଦଶ । ଅନାଦି-ପରମ-ପୁରୁଷ ॥ ୫
ବୁଦ୍ଧି ଚେତନା ଅହଙ୍କାର । ମନ ଅନ୍ତରୀକ୍ଷ ସମୀର ॥ ୬
ଅନଳ ଜଳ ବସୁମତୀ । ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି ॥ ୭
ଜୀବ ପରମ ଏ ଷୋଡ଼ଶ । ଏ ଆଦି ସୃଷ୍ଟି ଉପଦେଶ ॥ ୮
ସେ ସୃଷ୍ଟିସର୍ଗ ଇଚ୍ଛା କରି । ଜଳେ ଯୋଗନିଦ୍ରା ବିସ୍ତାରି ॥ ୯
ତା ନାଭିକମଳୁ କମଳ । ପ୍ରକାଶି ଆଚ୍ଛାଦିଲା ଜଳ ॥ ୧୦
ବ୍ରହ୍ମା ହୋଇଲା ତହୁଁ ଜାତ । ଯେ ପ୍ରଜାପତିଙ୍କର ନାଥ ॥ ୧୧
ତାର ଶରୀରୁ ସୃଷ୍ଟ ଲୋକ । ବିସ୍ତାର ହୋଇଲା ଅନେକ ॥ ୧୨
ସେ ଶୁଦ୍ଧ ସତ୍ତ୍ୱ ବିଷ୍ଣୁ ରୂପ । ଯାହା ଭିଆଣ ମାୟାକଳ୍ପ ॥ ୧୩
ଜ୍ଞାନଚକ୍ଷୁର ଦ୍ୱାରେ ଭରି । ଯେ ରୂପ ଦେଖେ ବ୍ରହ୍ମଚାରୀ ॥ ୧୪
ସହସ୍ର ପାଦ ଉରୁ ଭୁଜ । ଶିର ବଦନ ନାସା ତେଜ ॥ ୧୫
ସହସ୍ର ଲୋଚନ ଶ୍ରବଣ । ବସନ କୁଳ ଭୂଷଣ ॥ ୧୬
ମଣି କଙ୍କଣ ଝଟକନ୍ତି । ଦିଶଇ ଅତି ରୂପ କାନ୍ତି ॥ ୧୭
ଏ ସୃଷ୍ଟି ମଧ୍ୟେ ମାୟାଧର । କରଇ ଯେତେ ଅବତାର ॥ ୧୮
ତାହାଙ୍କ ମୂଳବୀଜ ଏହି । ଜଗତେ ବ୍ରହ୍ମା ସେ ବୋଲାଇ ॥ ୧୯
ଯାହାର ଅଂଶାଅଂଶ ବଳେ । ଗଗନ ପୃଥିବୀ ପାତାଳେ ॥ ୨୦
ଦେବ ମନୁଷ୍ୟ ପଶୁ ଆଦି । ନିଗମ ଗୋଚରେ ସମ୍ପାଦି ॥ ୨୧
ପ୍ରଥମେ କୁମାର ରୂପେ ସେ । ସୃଷ୍ଟି ଉଦୟ ଉପଦେଶେ ॥ ୨୨
ଦୁସ୍ତର ବ୍ରହ୍ମଚର୍ଯ୍ୟବ୍ରତେ । ତପ ସାଧିଲା ଦୃଢ଼ଚିତ୍ତେ ॥ ୨୩
ଦ୍ୱିତୀୟେ ସୃଷ୍ଟିର ଆଗମେ । ସାଧିଲା ଯଜ୍ଞେଶ୍ୱର ନାମେ ॥ ୨୪
ପୂର୍ବ ପ୍ରଳୟକାଳ ବେଳେ । ମହୀ ଯେ ଥିଲା ରସାତଳେ ॥ ୨୫
ତାର ଉଦ୍ଧାରେ ନରହରି । ତକ୍ଷଣେ କୋଳରୂପ ଧରି ॥ ୨୬
ଉଦ୍ଧରି ଜଳେ ବସାଇଲା । ବରାହକଳ୍ପ ବୋଲାଇଲା ॥ ୨୭
ତୃତୀୟେ ଋଷିସର୍ଗେ ହରି । ନାରଦ ମୁନି ରୂପ ଧରି ॥ ୨୮
କୃଷ୍ଣଭକତ ଜନହିତ । ନିଷ୍କାମ ଶାସ୍ତ୍ର କଲେ ଉକ୍ତ ॥ ୨୯
ଚତୁର୍ଥେ ଜନ୍ମ ଧର୍ମକଳା । ଦେବ ଉଦ୍ଦେଶ୍ୟେ କର୍ମ କଲା ॥ ୩୦
ସେ ରୂପ ନର ନାରାୟଣ । ସୃଜିଲେ ଧର୍ମ ଆଚରଣ ॥ ୩୧
ତପ ସାଧିଲେ ଦୃଢ଼ଚିତ୍ତେ । ସୃଷ୍ଟିକଳ୍ପନା ଅଭିମତେ ॥ ୩୨
ପଞ୍ଚମେ ସିଦ୍ଧ ଅବତାରେ । ଜନ୍ମିଲେ କର୍ଦ୍ଦମର ଘରେ ॥ ୩୩
ନାମେ ସେ କପିଳ ବୋଲାଇ । ପିତାମାତାଙ୍କୁ ଜ୍ଞାନ କହି ॥ ୩୪
ଷଷ୍ଠେ ସେ ଅତ୍ରିପୁତ୍ର ହୋଇ । ଅନସୂୟାଙ୍କ ମାତା ପାଇ ॥ ୩୫
ପ୍ରହ୍ଲାଦ ଆଦି ଦୈତ୍ୟଗଣେ । ଜ୍ଞାନ କହିଲେ ଜଣେ ଜଣେ ॥ ୩୬
ସପ୍ତମସର୍ଗେ ନରହରି । ଆକୂତି ଗର୍ଭେ ଅବତରି ॥ ୩୭
ଅନେକ ଜ୍ଞାନଶାସ୍ତ୍ର କଲେ । ସ୍ୱାୟମ୍ବୁ ମନ୍ୱନ୍ତ୍ର ପାଳିଲେ ॥ ୩୮
ଅଷ୍ଟମେ ନାଭିଗୃହେ ଜାତ । ଋଷଭ ମେରୁଦେବୀ ସୁତ ॥ ୩୯
ଅତି କଠୋର ତପ କଲେ । ଜ୍ଞାନୀଙ୍କି ପଥ ଦେଖାଇଲେ ॥ ୪୦
ନବମେ ପୃଥୁ ରୂପ ଧରି । ବଳେ ଦୁହିଁଲେ ବସୁନ୍ଧରୀ ॥ ୪୧
କ୍ଷୀରେ ଧରଣୀ କଲେ ସମ । ନାମ ବହିଲେ ଉଶମ ॥ ୪୨
ଦଶମେ ମତ୍ସ୍ୟରୂପ ହୋଇ । ନାବ ପ୍ରଳୟ ଜଳେ ବାହି ॥ ୪୩
ପ୍ରଳୟ ଜଳେ ବିହରିଲେ । ରବିର ବଂଶକୁ ରଖିଲେ ॥ ୪୪
ଏକାଦଶରେ ଚକ୍ରଧର । ଯେ ରୂପେ ଜନ ଉପକାର ॥ ୪୫
ଇନ୍ଦ୍ରର ଅର୍ଥେ ଦେବାସୁରେ । କ୍ଷୀରସମୁଦ୍ର ମନ୍ଥିବାରେ ॥ ୪୬
କପଟେ କୂର୍ମ ରୂପ ହୋଇ । ମନ୍ଦରଗିରି ପୃଷ୍ଠେ ବହି ॥ ୪୭
ଦ୍ୱାଦଶସର୍ଗେ ବିଶ୍ୱକଳ୍ପେ । ଜନ୍ମିଲେ ଧନ୍ୱନ୍ତରୀ ରୂପେ ॥ ୪୮
ଅମୃତ କ୍ଷୀରାର୍ଣ୍ଣବୁ ଆଣି । ଦେବଙ୍କୁ ପିଆଇଲେ ପୁଣି ॥ ୪୯
ମୋହିନୀ ରୂପେ ତ୍ରୟୋଦଶେ । ଶଙ୍କର ମୋହେ କାମବଶେ ॥ ୫୦
ଚତୁରଦଶେ ସିଂହବପୁ । ବିଦାରେ ହିରଣ୍ୟକଶିପୁ ॥ ୫୧
ବାମନ ରୂପେ ଚତୁର୍ଦ୍ଦଶେ । ବଳିକି ଛଳିଲେ ବିଶ୍ୱାସେ ॥ ୫୨
ଷୋଡ଼ଶ ଅବତାରେ ହରି । ପରଶୁରାମ ରୂପ ଧରି ॥ ୫୩
ପିତାବଧରେ ଅହଙ୍କାରେ । ଧରଣୀ ଏକବିଂଶ ବାରେ ॥ ୫୪
ଭ୍ରମିଲେ ମହାକୋପାନଳେ । ରାଜାଙ୍କୁ ଧରି ବାହୁବଳେ ॥ ୫୫
ଦୁଷ୍ଟକ୍ଷତ୍ରିୟ କାଟି ମୁଣ୍ତ । ରୁଧିରେ ପୂର୍ଣ୍ଣକରି କୁଣ୍ତ ॥ ୫୬
ତର୍ପଣ କଲେ ପିତୃଗଣେ । ତପେ ରହିଲେ ଘୋରବନେ ॥ ୫୭
ସପତଦଶେ ଦେବ କାର୍ଯ୍ୟେ । ଜନ୍ମିଲେ ପରାଶର ବୀର୍ଯ୍ୟେ ॥ ୫୮
ନିଗମ ବୃକ୍ଷ ଥିଲା ଏକା । ବିଚାରି କଲେ ଶତେଶାଖା ॥ ୫୯
ପ୍ରାଣୀଙ୍କି ଦେଖି ଅଳ୍ପବୁଦ୍ଧି । ଯେ ଧର୍ମ ସଂସାରେ ପ୍ରସିଦ୍ଧି ॥ ୬୦
ସେ ପୁଣି ଦିବାକର-ବଂଶେ । ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ॥ ୬୧
ଜଳଧି ବାନ୍ଧି ସୀତା ଛଳେ । ଲଙ୍କା ଧ୍ୱଂସିଲେ ଭୁଜବଳେ ॥ ୬୨
ରାବଣ ମାରି ଦେବରାଜ । ଭଲେ ସମ୍ପାଦି ଦେବ କାର୍ଯ୍ୟ ॥ ୬୩
ଊନବିଂଶତି ରୂପେ ହରି । ଯାଦବବଂଶେ ଅବତରି ॥ ୬୪
କୃଷ୍ଣ ସ୍ୱରୂପେ ରାମ ତୁଲେ । ଅବନୀ ଭାରା ଉଶ୍ୱାସିଲେ ॥ ୬୫
କଳି ଆଗମେ ଭାବଗ୍ରାହୀ । ପାଷା-ଜନ-ମନ ମୋହି ॥ ୬୬
ବୁଦ୍ଧ ସ୍ୱରୂପ ଅବତାରେ । ଜନ୍ମିବେ କୀକଟ ନଗରେ ॥ ୬୭
ଜ୍ଞାନ ଉଦ୍ଦେଶ୍ୟେ ଭଗବାନ । ମୋହିବେ ଅସୁରଙ୍କ ମନ ॥ ୬୮
ଏମନ୍ତେ ଜନ୍ମ ଏକବିଂଶ । ସୁଜନ ହିତେ ହୃଷୀକେଶ ॥ ୬୯
ସେ ପୁଣି କଳିଯୁଗ ଅନ୍ତେ । ରାଜାଙ୍କୁ ଦେଖିବେ ଜଗତେ ॥ ୭୦
ନିର୍ଦ୍ଦୟ-ହୃଦେ ପ୍ରଜାମାରି । ଧନ ଜୀବନ ନ୍ୟନ୍ତି ହରି ॥ ୭୧
ସେ କାଳେ ବିଷ୍ଣୁଯଶା ଘରେ । ଜନ୍ମିବେ କଳ୍କି-ଅବତାରେ ॥ ୭୨
ମନହୁଁ ବେଗ ବଳବନ୍ତ । ଅଶ୍ୱ ଆରୋହି ଜଗନ୍ନାଥ ॥ ୭୩
ସୁନନ୍ଦ-ଖଡ୍ଗ କରେ ଧରି । ଦୁଷ୍ଟରାଜାଙ୍କୁ ବେଗେ ମାରି ॥ ୭୪
ଅଳପ ରାଜା-ଜନ-ଦେଶ । ଦୟାରେ କରିଣ ଆଶ୍ୱାସ ॥ ୭୫
ସେ ସତ୍ୟନିଧି ମାୟାଧର । ଅଶେଷ କରେ ଅବତାର ॥ ୭୬
ଯଥା ଜୀମୂତ ବୃଷ୍ଟି ଜଳେ । ସହସ୍ର ନଦୀ ମହୀତଳେ ॥ ୭୭
ଋଷି ଦେବତା ମନୁରାଜା । ଯେ ମନୁ ପୁତ୍ରେ ମହାତେଜା ॥ ୭୮
ଏ ଆଦି ଯେତେ ପ୍ରଜାପତି । କୃଷ୍ଣର ଅଂଶେ ଜାତ ହୋନ୍ତି ॥ ୭୯
କେ ଅଂଶ କେବା କଳା ହୋଇ । ବିଭୂତି ଗୁଣେ କେ ଜନ୍ମଇ ॥ ୮୦
ସକଳ ଅବତାର ସାର । କି ଅବା ଦେବା ପଟାନ୍ତର ॥ ୮୧
ନୀଳ ଜୀମୂତ ଚକ୍ରଧର । ସ୍ୱୟଂ ଶ୍ରୀକୃଷ୍ଣ ଅବତାର ॥ ୮୨
ଏମନ୍ତେ ନାନାରୂପ ଧରି । ସଂସାରେ ରମେ ନରହରି ॥ ୮୩
ଦୁଷ୍ଟର ତେଜ ତେଜେ ହରି । ସଂସାରେ ଖେଳଇ ମୁରାରି ॥ ୮୪
କୃଷ୍ଣର ଜନ୍ମ-କର୍ମ ବାଣୀ । ଯେ ଏହା କର୍ଣ୍ଣପଥେ ଶୁଣି ॥ ୮୫
ରାତ୍ର ଦିବସ ମଧ୍ୟେ ଯେବେ । କାଳ ବଞ୍ଚଇ କୃଷ୍ଣଭାବେ ॥ ୮୬
ସେ ଦୁଃଖ-ସଙ୍କଟୁ ତରନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୮୭
ଏମନ୍ତେ ନାନାରୂପ ଯେତେ । ବିଷ୍ଣୁ ଧରନ୍ତି ଏ ଜଗତେ ॥ ୮୮
ସ୍ୱଭାବେ ରୂପ ଯାର ନାହିଁ । ନିର୍ଲେପ ନିରଞ୍ଜନ ସେହି ॥ ୮୯
ମାୟାର ଗୁଣେ ବିରଚିତ । ମହତ ଆଦିରୁ ସମ୍ଭୂତ ॥ ୯୦
ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି । ପବନ ବଳେ ସେ ଉଡ଼ନ୍ତି ॥ ୯୧
ପାର୍ଥିବ ରେଣୁଏ ଯେମନ୍ତେ । ଉଡ଼ନ୍ତି ପବନ ବିଘାତେ ॥ ୯୨
ଆକାଶ ଧୂସର ଦିଶଇ । ନାନା ବର୍ଣ୍ଣରେ ଆଭାସଇ ॥ ୯୩
ତାହାକୁ ଦୃଷ୍ଟିଭେଦେ ଦେଖି । ଯେ ସତ୍ୟ ପ୍ରାୟେ ଉପଲକ୍ଷି ॥ ୯୪
ସେ ରୂପେ ଆତ୍ମାରେ ଶରୀର । କଳ୍ପନା କରନ୍ତି ଯେ ନର ॥ ୯୫
ତାହାଙ୍କୁ ବୋଲି ଜ୍ଞାନହୀନ । ଏବେ ହୋ ମୁନିଗଣେ ଶୁଣ ॥ ୯୬
ସ୍ୱଭାବେ ଦୃଶ୍ୟବସ୍ତୁ ନୋହେ । ଗୁଣ ଆବୋରି ଦେହ ବହେ ॥ ୯୭
ଏଣୁ ସେ ଜୀବ ରୂପ ବହି । ଜନ୍ମ-ମରଣ ପଥେ ଥାଇ ॥ ୯୮
ସମ ଅସମ ରୂପ ଯେତେ । ସମ୍ଭବେ ବିଷ୍ଣୁ-ମାୟା-ଗ୍ରସ୍ତେ ॥ ୯୯
ଆତ୍ମାରେ କଳ୍ପିତ ଈଶ୍ୱର । ଏ ତତ୍ତ୍ୱେ ବ୍ରହ୍ମର ବିଚାର ॥ ୧୦୦
ମାୟା ମିଶ୍ରିତ ମତି ଯେବେ । ନିରସ୍ତ ହୋଇ ଜ୍ଞାନ ଭାବେ ॥ ୧୦୧
ତେବେ ଆତ୍ମାରେ ଆତ୍ମା ଦେଖି । ନିର୍ମଳ ମହିମା ନିରେଖି ॥ ୧୦୨
ଏ ମାୟା ଈଶ୍ୱରୁ ପ୍ରକାଶ । ଯେବେ ସେ ହୁଅଇ ବିନାଶ ॥ ୧୦୩
ପରମାନନ୍ଦ ରୂପେ ଚିତ୍ତ । ତେବେ ସେ ହୁଅଇ ଭାବିତ ॥ ୧୦୪
ତହୁଁ ସମ୍ପନ୍ନ ବ୍ରହ୍ମଜ୍ଞାନ । ଜାଣଇ ତତ୍ତ୍ୱ ଜ୍ଞାନୀଜନ ॥ ୧୦୫
ଏମନ୍ତେ ଜନ୍ମକର୍ମ ଯେତେ । ବିଚାର କରି ବେଦପଥେ ॥ ୧୦୬
ବୋଲନ୍ତି ଯେତେ ମୁନିଜନେ । ଏ ତ ନ ଘଟେ ଅନୁମାନେ ॥ ୧୦୭
ସ୍ୱଭାବେ ଯାର ଜନ୍ମ ନାହିଁ । ବିଚାର କରିବ ତା କେହି ॥ ୧୦୮
ଅମୋଘ-ଲୀଳା ନରହରି । ଆତ୍ମାରେ ବିଶ୍ୱମାୟା କରି ॥ ୧୦୯
ବ୍ରହ୍ମା ସୃଜଇ ପାଳଇ । ଅନ୍ତେ ଆପଣେ ସଂହାରଇ ॥ ୧୧୦
ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ । ଷଡ଼୍ ବର୍ଗେ ଭୋଗ କରେ ନିତ୍ୟେ ॥ ୧୧୧
ଏଣୁ ଈଶ୍ୱର ସେ ବୋଲାଇ । କିବା ଉପମା ଦେବି ମୁହିଁ ॥ ୧୧୨
ଈଶ୍ୱର-ଲୀଳା-କର୍ମ ଯେତେ । କେ ଜାଣି ପାରେ ତର୍କମତେ ॥ ୧୧୩
ଏହାର ଅଛି ଯେତେ ନାମ । ସ୍ୱଭାବେ ଯେତେ ଗୁଣଗ୍ରାମ ॥ ୧୧୪
ଅଜ୍ଞାନେ କେ ଜାଣିବ ତାହା । ଦୁରଧିଗମ୍ୟ ବିଷ୍ଣୁ ମାୟା ॥ ୧୧୫
ନଟ ଯେସନେ ମାୟା କରି । ମୋହଇ କୁହୁକ ବିସ୍ତାରି ॥ ୧୧୬
ସେ ଚକ୍ର ପାଣିର ଚରିତ । କେ ଜାଣି ପାରେ ତ୍ରିଜଗତ ॥ ୧୧୭
ଏ କାଳଚକ୍ର ଯାର ହସ୍ତେ । କେ ଯାଇ ପାରେ ତାର ପଥେ ॥ ୧୧୮
ସେ ହରି ପାଦପଦ୍ମଗନ୍ଧ । ଯେ ନିତ୍ୟେ ପିବେ ମକରନ୍ଦ ॥ ୧୧୯
ଧନ୍ୟ ଜୀବନ ତାହାଙ୍କର । ଯେ ହରିଚରଣେ କିଙ୍କର ॥ ୧୨୦
ସର୍ବ ଆତ୍ମାକୁ ଆତ୍ମଭାବେ । ଭଜନ୍ତି ନିତ୍ୟେ ବାସୁଦେବେ ॥ ୧୨୧
ଏମନ୍ତ ଭାବେ ଯେ ଭଜଇ । ଏ ମାୟା ତାକୁ ନ ଲାଗଇ ॥ ୧୨୨
ଏ ଯେ ପୁରାଣ ଭାଗବତ । ନିର୍ମଳପଦ ବ୍ରହ୍ମତତ୍ତ୍ୱ ॥ ୧୨୩
କୃଷ୍ଣଚରିତ ପରଶଂସି । ପ୍ରକାଶ କଲେ ବ୍ରହ୍ମଋଷି ॥ ୧୨୪
ଜୀବର ମୋକ୍ଷଫଳ ଅର୍ଥେ । ଧନ୍ୟ ମଙ୍ଗଳ ଏ ଜଗତେ ॥ ୧୨୫
ସର୍ବ-ନିଗମ ଇତିହାସେ । ସାର ଉଦ୍ଧାରି ମନତୋଷେ ॥ ୧୨୬
ଆତ୍ମଜ୍ଞାନୀଙ୍କ ମଧ୍ୟେ ବର । ଯେ ଶୁକରୂପେ ଅବତାର ॥ ୧୨୭
ତାହାଙ୍କୁ ଭାଗବତ ଦୀକ୍ଷା । ଦେଇ କହିଲେ ଆତ୍ମଶିକ୍ଷା ॥ ୧୨୮
ସେ ପୁଣି ପରୀକ୍ଷିତ ଆଗେ । କହିଲେ ଆତ୍ମ-ଅନୁରାଗେ ॥ ୧୨୯
ବ୍ରାହ୍ମଣ ଶାପେ ସେ ବିକଳେ । ନିବାସ କରି ଗଙ୍ଗାକୂଳେ ॥ ୧୩୦
ପରମ-ଋଷି ମେଳେ ଥାଇ । କୃଷ୍ଣଚରଣେ ମନ ଦେଇ ॥ ୧୩୧
ଏ ଭାଗବତ-ରସ ଶୁଣି । ତରିଲା ଭବ-ତରଙ୍ଗିଣୀ ॥ ୧୩୨
ଶ୍ରୀକୃଷ୍ଣ ଗଲେ ନିଜଧାମ । ସଙ୍ଗତେ ଘେନି ଜ୍ଞାନ ଧର୍ମ ॥ ୧୩୩
ଏ କଳିଯୁଗେ ଯେତେ ନରେ । ପଡ଼ିବେ ମାୟା ଅନ୍ଧକାରେ ॥ ୧୩୪
ତାହାଙ୍କୁ ତପନ ଉଦିତ । ହୋଇବ ଭାବେ ଭାଗବତ ॥ ୧୩୫
ରାଜା ସଙ୍ଗତେ ଗଙ୍ଗାତଟେ । ଅନେକ ଋଷିଙ୍କ ନିକଟେ ॥ ୧୩୬
ଏ ଭାଗବତ ତତ୍ତ୍ୱବାଣୀ । ଶୁକମୁନିଙ୍କ ମୁଖୁ ଶୁଣି ॥ ୧୩୭
ଜାଣିଲି ଶୁକ ଅନୁରାଗେ । ଏବେ କହିବା ତୁମ୍ଭ ଆଗେ ॥ ୧୩୮
ଏ ଭାବେ ଚିନ୍ତି ନରହରି । ଘୋର ସଂସାରୁ ଯିବା ତରି ॥ ୧୩୯
ବୋଲଇ ଦାସ ଜଗନ୍ନାଥ । ସୁଜନ-ହିତେ ଭାଗବତ ॥ ୧୪୦
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ତୃତୀୟୋଽଧ୍ୟାୟଃ ।।

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ଏମନ୍ତେ ଭାଗବତବାଣୀ । ସୂତମୁନିଙ୍କ ମୁଖୁ ଶୁଣି ॥ ୧
ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ । ଶୌନକ ନାମେ କୁଳବୃଦ୍ଧ ॥ ୨
ସର୍ବମୁନିଙ୍କ ଅବଧାନେ । ପୁଚ୍ଛନ୍ତି ମଧୁର-ବଚନେ ॥ ୩

ଶୌନକ ଉବାଚ

ହେ ସୂତ ତୁମ୍ଭେ ମହାଧୀର । ବକତାଜନ ମଧ୍ୟେ ବର ॥ ୪
ଗଙ୍ଗାର ତୀରେ ରାଜା ଆଗେ । ଶୁକ କହିଲେ ବ୍ରହ୍ମଭାଗେ ॥ ୫
ଏ ଭାଗବତଧର୍ମ କେବେ । ବ୍ୟାସ ରଚିଲେ କେଉଁ ଯୁଗେ ॥ ୬
ସେ କଥା କହ ଆମ୍ଭ ଆଗ । ତୁମ୍ଭେ ସେ ଅଟ ମହାଭାଗ ॥ ୭
କାହାର ବୋଲେ କାହିଁ ବସି । କି ଭାବେ କି ହେତୁ ଉେଦ୍ଦ୍ୟେଶି ॥ ୮
ଶୁକ ଯେ ତାହାଙ୍କ କୁମର । ସମଦରଶୀ ନିର୍ବିକାର ॥ ୯
ଏକାନ୍ତ-ମତି ରାତ୍ର ଦିନେ । କୃଷ୍ଣ-ମହିମା ଯାର ମନେ ॥ ୧୦
ନିର୍ମାୟା ମୂଢ଼ତା ପ୍ରତୀତି । ଲକ୍ଷି ନ ପାରେ କେହି ଗତି ॥ ୧୧
ଯାହାର ଆଗମନ କାଳେ । ଦେବକନ୍ୟାଏ ଥିଲେ ଜଳେ ॥ ୧୨
ସ୍ୱଭାବେ ନଗ୍ନ ତାଙ୍କୁ ଦେଖି । ଧାଇଁଲେ ଲଜ୍ଜାକୁ ଉପେକ୍ଷି ॥ ୧୩
ଦେଖିବା ଅର୍ଥେ ଜଳତଟେ । ମିଳିଲେ ମୁନିଙ୍କ ନିକଟେ ॥ ୧୪
ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ । ଜଳେ ପଶିଲେ ବେଗେ ଯାଇ ॥ ୧୫
ସ୍ୱଭାବେ ସେ ସୁର-ଯୁବତୀ । ଜାଣନ୍ତି ସର୍ବପ୍ରାଣୀ ଗତି ॥ ୧୬
ଦେଖି କନ୍ୟାଙ୍କ ମୂଢ଼ଗତି । ଚଞ୍ଚଳ ବ୍ୟାସଙ୍କର ମତି ॥ ୧୭
ଏମନ୍ତେ କନ୍ୟାଗଣେ ଚାହିଁ । ବ୍ୟାସ କହନ୍ତି ଖେଦ ବହି ॥ ୧୮
ପୁଣି କ୍ଷଣକେ ପାଇ ଶାନ୍ତି । କନ୍ୟାଙ୍କୁ ଚାହିଁ ପଚାରନ୍ତି ॥ ୧୯
ଅଇଲ ମୋର ପୁତ୍ର ଚାହିଁ । କିମ୍ପା ପଶିଲ ଜଳେ ଯାଇ ॥ ୨୦
ଏ କିସ ତୁମ୍ଭର ବେଭାର । ସେ ଶୁକ ମୋହର କୁମର ॥ ୨୧
ତରୁଣ ବୟସ ତାହାର । ଏ ବୃଦ୍ଧ-ଶରୀର ମୋହର ॥ ୨୨
ବ୍ୟାସ-ବଚନେ ନାରୀଗଣେ । ତକ୍ଷଣେ ନମିଲେ ଚରଣେ ॥ ୨୩
ବୋଲନ୍ତି ବ୍ୟାସ ମୁଖ ଚାହିଁ । ସଂସାର ତାଙ୍କ ଦେହେ ନାହିଁ ॥ ୨୪
ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ । ବିଷୟରସେ ଅଛି ସଧ ॥ ୨୫
ଏ ଘେନି ହୋଇଲୁ ଅନ୍ତର । ଆମ୍ଭର ଦୋଷ କ୍ଷମାକର ॥ ୨୬
ଏମନ୍ତେ ଗଲେ ନାରୀଗଣେ । ଶୁକ ରହିଲେ ସେହି ବନେ ॥ ୨୭
ସେ ଶୁକମୁନି କିସ କାର୍ଯ୍ୟେ । ପ୍ରବେଶ କଲେ କୁରୁରାଜ୍ୟେ ॥ ୨୮
ଉନ୍ମତ୍ତ ଜଡ଼ରୂପ ବହି । ତାହାଙ୍କୁ କେହି ନ ଜାଣଇ ॥ ୨୯
କେମନ୍ତେ ପରୀକ୍ଷିତ ମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୩୦
ତହିଁ ଅନେକ ମୁନିମଧ୍ୟେ । ଏ ଭାଗବତର ସମ୍ବାଦେ ॥ ୩୧
ପ୍ରଜାଙ୍କ ଦ୍ୱାରେ ସାୟଂକାଳେ । ଯେ ନିତ୍ୟେ ଭିକ୍ଷାଅର୍ଥେ ମିଳେ ॥ ୩୨
ଗୋଦୋହ ମାତ୍ର ଦ୍ୱାରେ ରହି । ଗୃହୀଙ୍କି ତୀର୍ଥଫଳ ଦେଇ ॥ ୩୩
ସେ ମୁନି ପରୀକ୍ଷିତ ମେଳେ । ମିଳିଲେ ପୂର୍ବ-ପୁଣ୍ୟ-ଫଳେ ॥ ୩୪
ସେ ପୁଣି ଭାଗବତ-ଶାସ୍ତ୍ର । କହିଲେ ଏତ ଆଚମ୍ବିତ ॥ ୩୫
ସେ ଭାଗବତ ପରୀକ୍ଷିତ । ସ୍ୱଭାବେ ଅଭିମନ୍ୟୁ-ସୁତ ॥ ୩୬
ତାହାଙ୍କ ଜନ୍ମ-କର୍ମ ଯେତେ । କହିବା ଆମ୍ଭର ଅଗ୍ରତେ ॥ ୩୭
ଅଦ୍ଭୁତ ପ୍ରାୟ ତାହା ଶୁଣି । ତରିବୁ ଭବ-ତରଙ୍ଗିଣୀ ॥ ୩୮
ସେ ସର୍ବ-ରାଜାଙ୍କର ସାର । ପାଣ୍ତବବଂଶେ କୀର୍ତ୍ତିଧର ॥ ୩୯
ଏଡ଼େ ସମ୍ପଦ କରି ଦୂର । କିମ୍ପା ରହିଲେ ଗଙ୍ଗାତୀର ॥ ୪୦
ଶତ୍ରୁ ରାଜାଏ ଯାର ପାଦ । ନମନ୍ତି ଦେଇଣ ସମ୍ପଦ ॥ ୪୧
ଯୁବାବୟସେ ନରପତି । ତେଜିଣ ଅଚଳ ବିଭୂତି ॥ ୪୨
ଯେହୁ ଶରୀର ଏ ସଂସାରେ । ବହଇ ପର ଉପକାରେ ॥ ୪୩
ହରିଚରଣ ଚିନ୍ତି ଚିତ୍ତେ । ଯେ ରାଜା ବର୍ତ୍ତେ ଜନହିତେ ॥ ୪୪
ସେ କିମ୍ପା ଛାଡ଼ିଲେ ଜୀବନ । ଉପେକ୍ଷି ଗୃହ-ଦାରା-ଧନ ॥ ୪୫
କହ କାରଣ କିବା ଅର୍ଥେ । ସଂଶୟ ଛାଡ଼ିବ ଯେମନ୍ତେ ॥ ୪୬
ତୁମ୍ଭେ ସର୍ବଜ୍ଞ ନିର୍ବିକାର । କହ ସଂଶୟ ଯାଉ ଦୂର ॥ ୪୭
ଏମନ୍ତେ ଶୌନକ ବଚନେ । ସକଳ ପ୍ରଶ୍ନ ଅନୁମାନେ ॥ ୪୮
କହନ୍ତି ସୂତ ମହାଋଷି । ମୁନିଙ୍କ ପ୍ରଶ୍ନ ପରଶଂସି ॥ ୪୯

ସୂତ ଉବାଚ

ଶୁଣ ସକଳ ମୁନିଜନ । ଶ୍ରୀକୃଷ୍ଣ ଚରିତ ବିଧାନ ॥ ୫୦
ତ୍ରେତୟା ଯୁଗ ଭୋଗ ଅନ୍ତେ । ଦ୍ୱାପର ଯୁଗ ଉପଗତେ ॥ ୫୧
ବିଷ୍ଣୁର ଅଂଶେ ବ୍ୟାସମୁନି । ଜନ୍ମିଲେ ନରଦେହ ଘେନି ॥ ୫୨
ପରାଶରଙ୍କ ବୀର୍ଯ୍ୟେ ଜାତ । ଯୋଜନଗନ୍ଧା ଗର୍ଭଗତ ॥ ୫୩
ସେ ଏକଦିନେ ପ୍ରାତଃକାଳେ । ସ୍ନାହାନ ସାରି ଗଙ୍ଗାଜଳେ ॥ ୫୪
ଏକାନ୍ତେ ବଦରିକାଶ୍ରମେ । ବସିଣ ନିଶ୍ଚଳ ଆସନେ ॥ ୫୫
ପର ଅପର ଜ୍ଞାନ ଜାଣେ । ସକଳ-ଶାସ୍ତ୍ର ପରିମାଣେ ॥ ୫୬
ଯେ କାଳ ପୁରୁଷର ବଳେ । ଯୁଗେ ଉଡ଼ନ୍ତି ଅନ୍ତରାଳେ ॥ ୫୭
ତାହାକୁ ନ ଦେଖନ୍ତି କେହି । ବ୍ରହ୍ମା ମଧ୍ୟେ ଦେହ ବହି ॥ ୫୮
ପ୍ରାଣୀଙ୍କ ବଳ ନିତ୍ୟେ ହରେ । ଯୁଗ ସ୍ୱଭାବ ଅନୁସାରେ ॥ ୫୯
କଳି-ଆଗମେ ପ୍ରାଣିଙ୍କର । ଯେମନ୍ତ ହୋଇବ ବେଭାର ॥ ୬୦
ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ । ଦୁର୍ବଳ ହୋଇବେ ଶରୀରେ ॥ ୬୧
ବୁଦ୍ଧି ହୋଇବ ଲୋଭେ ଗ୍ରାସ । ସ୍ୱଭାବେ ଅଳପ ଆୟୁଷ ॥ ୬୨
ଦୁର୍ଭଗା ହୋଇବେ ସକଳେ । ଏହା ଜାଣିଲେ ଯୋଗବଳେ ॥ ୬୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କଳି ବଞ୍ଚିବେ ଯେଉଁ ଧମେ ॥ ୬୪
ବେଦ ଉଚିତ ଶୁଦ୍ଧକର୍ମ । ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ॥ ୬୫
ଜୀବର ଶୁଦ୍ଧେ ଅର୍ଥ କରି । ଯେମନ୍ତେ ବିଷ୍ଣୁମାୟା ତରି ॥ ୬୬
ଧର୍ମ ସାଧିବେ ଯଜ୍ଞମତେ । ଏମନ୍ତ ଭାଳି ମୁନି ଚିତ୍ତେ ॥ ୬୭
ବେଦକୁ କଲେ ଚାରିଖଣ୍ତ । ମଧ୍ୟେ ଭିଆଇ କର୍ମକାଣ୍ତ ॥ ୬୮
ଋକ ଯଜୁ ସାମ ଅଥର୍ବ । ଏ ରୂପେ କରି ଭିନ୍ନଭାବ ॥ ୬୯
ପଞ୍ଚମ ବେଦ ଇତିହାସ । ବ୍ରହ୍ମ ପୁରାଣ ଅଷ୍ଟାଦଶ ॥ ୭୦
ପଇଲ ମୁନିଙ୍କି ଆଣିଲେ । ପ୍ରଥମବେଦ ପଢ଼ାଇଲେ ॥ ୭୧
ଜଇମିନିଙ୍କି ଦେଲେ ସାମ । ଯଜୁ ଯେ ବଇଶମ୍ପାୟନ ॥ ୭୨
ଅଙ୍ଗିରାମୁନି ଅଥର୍ବଣେ । ମୋ ପିତା ରୋମହରଷଣେ ॥ ୭୩
ପୁରାଣ ଅଷ୍ଟାଦଶ ଦେଲେ । ଏମନ୍ତେ କର୍ମ ସମ୍ପାଦିଲେ ॥ ୭୪
ସେ ଶିଷ୍ୟେ ବିଚାରି ନିଶ୍ଚଳେ । ବେଦ-ବୃକ୍ଷକୁ ଯୋଗବଳେ ॥ ୭୫
ଅନେକ ଶାଖା ଭିଆଇଲେ । ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ॥ ୭୬
ଅଳପ ବୁଦ୍ଧି ନର ଯେତେ । ବେଦ ଧରିବେ ଦୃଢ଼ଚିତ୍ତେ ॥ ୭୭
ତେଣୁ ଏ ବେଦ ଭାଗ କଲେ । ଯେ ଯାହା ମତି ଅନୁସାରେ ॥ ୭୮
ସ୍ତ୍ରୀ-ଶୂଦ୍ରଜନ ଏ ଜଗତେ । ଯୋଗ୍ୟ ନୁହନ୍ତି ବେଦପଥେ ॥ ୭୯
ତାହାଙ୍କ ନିସ୍ତାରଣ ଅର୍ଥେ । ଉପାୟ ଚିନ୍ତି ଦୟାଚିତ୍ତେ ॥ ୮୦
ବୁଦ୍ଧି-ମନ୍ଥନେ ବେଦ ମନ୍ଥି । ଭାରତ ପଦବନ୍ଧେ ଗୁନ୍ଥି ॥ ୮୧
ବେଦୁ ଉଦ୍ଧାରି ସାରଅର୍ଥ । ସୃଜିଲେ ପୁରାଣ ଭାରତ ॥ ୮୨
ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ । କାନନେ ମିଳିଲେ ନିଶ୍ଚିନ୍ତେ ॥ ୮୩
କଲେ ହେଁ ସର୍ବଧର୍ମ ଯେତେ । ତୋଷ ନୋହିଲେ ହୃଦ ଗତେ ॥ ୮୪
ଆଶ୍ରିତ ସରସ୍ୱତୀ କୂଳେ । ମନ ନ ରହଇ ନିଶ୍ଚଳେ ॥ ୮୫
ଯୋଗେ ନ ପାରି ଚିତ୍ତ ଧରି । ଚଞ୍ଚଳେ ଏମନ୍ତ ବିଚାରି ॥ ୮୬
ଅତି କଠୋରେ ବେଦ ଘେନି । ଗୁରୁ ଅନଳେ ଚିତ୍ତ ମାନି ॥ ୮୭
ଯେବା ଭାରତ କଲି ସାର । ସ୍ତ୍ରୀ-ଶୂଦ୍ରଜନଙ୍କ ନିସ୍ତାର ॥ ୮୮
ତେବେ ନିର୍ମଳ ନୋହେ ମନ । ଚିନ୍ତା ଅନଳେ ଛନ ଛନ ॥ ୮୯
ଏ ମନ ଧରିବି କେମନ୍ତେ । ନିଶ୍ଚଳ କରି ଜ୍ଞାନ ପଥେ ॥ ୯୦
ଯେତେ ଚିନ୍ତିଲି ବେଦଧର୍ମ । ବିଚାରେ ଏ ସେ ମାୟାଭ୍ରମ ॥ ୯୧
ଏ ମାୟା ତୁଟଇ ଯେମନ୍ତେ । ଶ୍ରୀକୃଷ୍ଣ-ଭକ୍ତି-ଯୋଗ ପଥେ ॥ ୯୨
କହିବି ଭାଗବତ ଧର୍ମ । ଯେଣେ ନ ଲାଗେ ମାୟାଭ୍ରମ ॥ ୯୩
ଏମନ୍ତ ହୃଦୟେ ବିଚାରି । ମନକୁ ନ ପାରନ୍ତି ଧରି ॥ ୯୪
ଏମନ୍ତ ସମୟେ ନାରଦ । ଆସନ୍ତେ ଶୁଭେ ବୀଣାନାଦ ॥ ୯୫
ତକ୍ଷଣେ ସରସ୍ୱତୀ ତଟେ । ମିଳିଲେ ବ୍ୟାସଙ୍କ ନିକଟେ ॥ ୯୬
ନାରଦ ଆଗମନ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୯୭
କେତେ ହେଁ ଦୂର ଆଗସରି । ନାରଦ କରେ କର ଧରି ॥ ୯୮
ବସାଇ ଉତ୍ତମ ଆସନେ । ପୂଜିଲେ ଅତିଥି ବିଧାନେ ॥ ୯୯
ସେ ବ୍ୟାସ-ନାରଦଙ୍କ ପାଦେ । ସୁଜନେ ପ୍ରଣମ ଆନନ୍ଦେ ॥ ୧୦୦
ଯାର ଚିନ୍ତନେ ପାପନାଶ । ନମଇଁ ଜଗନ୍ନାଥ ଦାସ ॥ ୧୦୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଚତୁର୍ଥୋଽଧ୍ୟାୟଃ ।।

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ସୁତ କହନ୍ତି ଅନୁରାଗେ । ହରଷେ ମୁନିଙ୍କର ଆଗେ ॥ ୧
ଶୁଣ ସକଳ ମୁନି ଜନେ । ହରିଚରିତ ସାବଧାନେ ॥ ୨
ବ୍ୟାସ ସମୀପେ ଦେବଋଷି । ସୁଖ-ଆସନେ ଦୃଢ଼େ ବସି ॥ ୩
ବ୍ୟାସ ପୁଚ୍ଛିଲେ ମନ ତୋଷେ । ଯେ ଜାତ ଗୋବିନ୍ଦର ଅଂଶେ ॥ ୪
ହରଷେ ବୀଣା ହସ୍ତୁ ଥୋଇ । କହନ୍ତି ବ୍ୟାସ ମୁଖ ଚାହିଁ ॥ ୫

ନାରଦ ଉବାଚ

ହେ ପରାଶର-ଋଷି-ସୁତ । ତୁମ୍ଭେ ସ୍ୱଭାବେ ଭାଗବତ ॥ ୬
ଚଞ୍ଚଳ ଦିଶୁଛି ବଦନ । ଦେଖି ଜାଣିଲି ତୁମ୍ଭ ମନ ॥ ୭
ସକଳ ବେଦ ଶିଷ୍ୟେ ଦେଇ । ପୁରାଣ ଭାରତ ଭିଆଇ ॥ ୮
ବେଦ ବିଚାରି ବ୍ରହ୍ମଚିନ୍ତି । ଚିତ୍ତ ନୋହିଲା ତୁମ୍ଭ ଶାନ୍ତି ॥ ୯
ଭଲେ ଜାଣିଲି ମୁହିଁ ଏହା । ତୁମ୍ଭେ ସ୍ୱଭାବେ ପୁଣ୍ୟଦେହା ॥ ୧୦
ନାରଦ ବାକ୍ୟ ଶୁଣି କର୍ଣ୍ଣେ । ବ୍ୟାସ କହନ୍ତି ସାବଧାନେ ॥ ୧୧

ବ୍ୟାସ ଉବାଚ

ତୁମ୍ଭେ କହିଲ ମୁନି ଯେତେ । ମୋର ଅଭ୍ୟାସ ବହୁମତେ ॥ ୧୨
ବେଦ ପୁରାଣ ଅର୍ଥ ଯେତେ । ମୁଁ ସର୍ବ ସମ୍ପାଦିଲି ଚିତ୍ତେ ॥ ୧୩
ତଥାପି ଆତ୍ମା ତୋଷ ନୋହେ । ସ୍ଥିର ନ ରହେ ମନ ଦେହେ ॥ ୧୪
ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ । ଭଲେ ଜାଣିଲ ମୋର ମନ ॥ ୧୫
ଏ ମନ ସ୍ଥିର କରିବାରେ । ଗୋବିନ୍ଦ ବିନା କେବା ପାରେ ॥ ୧୬
ସକଳ-ଶାସ୍ତ୍ର ତହୁଁ ସାର । ତାର ମହିମା ଅଗୋଚର ॥ ୧୭
ତାର ଭକତି ଯେଣୁ ନାହିଁ । ଏଣୁ ମୋ ଚିତ୍ତ ସ୍ଥିର ନୋହି ॥ ୧୮
ତୁମ୍ଭେ ସକଳ ତତ୍ତ୍ୱ ଜାଣ । ଯେ କୃଷ୍ଣ-ମହିମା ପ୍ରମାଣ ॥ ୧୯
ସେ ସର୍ବଜୀବଙ୍କ ଈଶ୍ୱର । ଯାର ମାୟାରେ ଏ ସଂସାର ॥ ୨୦
ସୃଜଇ ପାଳଇ ସଂହାରେ । ତ୍ରିଗୁଣ-ବ୍ୟାଜେ ସେ ବିହରେ ॥ ୨୧
ସେ ମାୟା ତାକୁ ନ ଲାଗଇ । ନିତ୍ୟେ ସେ ନିଜ ସୁଖେ ଥାଇ ॥ ୨୨
ଏ ତିନିଲୋକ ତୁମ୍ଭ ଦେହେ । ନିରତେ ଭ୍ରମେ ରବି ପ୍ରାୟେ ॥ ୨୩
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ । ଯେସନେ ସମୀର ସଞ୍ଚରେ ॥ ୨୪
ଆତ୍ମା ଯେସନେ ସାକ୍ଷୀ ରୂପେ । ନିତ୍ୟେ ବିହରେ ନିଜ ସୁଖେ ॥ ୨୫
ସେ ବିଷ୍ଣୁ-ପାଦପଦ୍ମ ଜଳେ । ତୁମ୍ଭର ସ୍ନାନ ସୁନିଶ୍ଚଳେ ॥ ୨୬
ସେ ଜଳ ଶୀତ ଉଷ୍ମ ଭାବ । ନିତ୍ୟେ ତୁମ୍ଭର ଅନୁଭବ ॥ ୨୭
ତାଙ୍କ ମହିମା ପରିମାଣି । ତୁମ୍ଭହୁଁ ଅନ୍ୟ କେବା ଜାଣି ॥ ୨୮
କହ ଆନନ୍ଦେ ମୁନିବର । ଯେମନ୍ତେ ମନ ହୋଏ ସ୍ଥିର ॥ ୨୯
ଏମନ୍ତ ବ୍ୟାସ ମୁଖୁ ଶୁଣି । ଭାବେ କହନ୍ତି ଦେବମୁନି ॥ ୩୦

ନାରଦ ଉବାଚ

ଭୋ ମୁନି ସତ୍ୟ ଏ ବଚନ । ଯେଣୁ ସନ୍ତୋଷ ନୋହେ ମନ ॥ ୩୧
କୃଷ୍ଣ ନିର୍ମଳ ଯଶଗୁଣ । ଯେଣୁ ନକଲ ଉଚ୍ଚାରଣ ॥ ୩୨
ଯେ ଧର୍ମେ କୃଷ୍ଣ ତୋଷ ନୋହି । ସେ ଧର୍ମ ନିଷ୍ଫଳ ଅଟଇ ॥ ୩୩
ଧର୍ମ ସମ୍ପଦ କାମ ଅର୍ଥେ । ଯେତେ କହିଲ ବେଦପଥେ ॥ ୩୪
ଯେବେ ଗୋବିନ୍ଦ ଗୁଣଗ୍ରାମ । ଅଭ୍ୟାସେ ଥାନ୍ତା କିଛି ଶ୍ରମ ॥ ୩୫
ତେବେ କି ମନ ଅସନ୍ତୋଷ । କହିବି ଶୁଣ ଉପଦେଶ ॥ ୩୬
ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ । ନ କରେ କୃଷ୍ଣ-ଗୁଣ-ଗ୍ରାମେ ॥ ୩୭
ଯେ ବାଣୀ ଅଖିଳ-ତାରିଣୀ । ତା ଛାଡ଼ି ଅନ୍ୟ ଯେବେ ଭଣି ॥ ୩୮
ତାହାକୁ ବୋଲି କାକ ବାଣୀ । ଯହିଁ ଗୋବିନ୍ଦଙ୍କୁ ନ ଶୁଣି ॥ ୩୯
ନିଶ୍ଚୟ କାକତୀର୍ଥ ସେହି । ସେ ଜଳେ କେବା ଅବଗାହି ॥ ୪୦
ପରମହଂସ ମୁନିମେଳେ । ଯେ ଥାନ୍ତି ପୁଣ୍ୟ-ତୀର୍ଥ-କୂଳେ ॥ ୪୧
ଯେ ବାକ୍ୟେ କୃଷ୍ଣଗୁଣ ଗାଇ । ନିଶ୍ଚୟେ ପୁଣ୍ୟତୀର୍ଥ ସେହି ॥ ୪୨
ସେ ବାକ୍ୟ ଜନ ତାପ ନାଶେ । ତୀର୍ଥ ଯେସନେ ପାପ ଧ୍ୱଂସେ ॥ ୪୩
କୃଷ୍ଣର ଗୁଣଗାଥା ଯେବେ । ପ୍ରବନ୍ଧେ ଉଚ୍ଚାରଇ ଭାବେ ॥ ୪୪
ପଦ ଦୂଷିତ ଯେବେ ହୋଏ । ସେ ପ୍ରାଣୀ ସର୍ବପାପ ଦହେ ॥ ୪୫
ଅନନ୍ତ ନାମ-ଯଶ-ଗୁଣେ । ସାଧୁଙ୍କ ବାକ୍ୟ ନିତ୍ୟେ ଭଣେ ॥ ୪୬
ସେ ହରି-ଭାବ ଯେବେ ଛାଡ଼ି । ଯେ ଯାନ୍ତି କର୍ମ ପଥ ମାଡ଼ି ॥ ୪୭
ଯେ ପୁଣ୍ୟ ବେଦମାର୍ଗେ କରେ । ସକାମ ଚିତ୍ତେ ଫଳ ଧରେ ॥ ୪୮
ହରିଙ୍କି ନ କରେ ଅର୍ପଣ । ସେ ସର୍ବଫଳ ଅକାରଣ ॥ ୪୯
ନିଷ୍କାମମତେ ସର୍ବ ନ୍ୟାସି । ତପ ସାଧନ୍ତି ବନେ ପଶି ॥ ୫୦
ହରି ମହିମା ଛାଡ଼ି ଯେବେ । ଅତି ନିର୍ମଳ ଜ୍ଞାନ ଭାବେ ॥ ୫୧
ସେ କାହିଁ ଅଶୁଭ ନାଶିବ । ତପ ସାଧିଲା ଫଳ ଦେବ ॥ ୫୨
ତୁମ୍ଭେ ସ୍ୱଭାବେ ଭାଗବତ । ମହାନୁଭାବ ଶୁଚିମନ୍ତ ॥ ୫୩
ସତ୍ୟବଚନ ଧୃତିମନ୍ତ । ଏଣୁ ଅମୋଘ ତୁମ୍ଭ ଚିତ୍ତ ॥ ୫୪
ସମାଧି କରି କୃଷ୍ଣପାଦେ । ତାର ଚରିତ ଅନୁବାଦେ ॥ ୫୫
ପ୍ରବନ୍ଧ ଭାଗବତ କର । ଅଖିଳ ଜନଙ୍କୁ ଉଦ୍ଧର ॥ ୫୬
ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ । ହରି ଭକତି ଦୂରେ ତେଜେ ॥ ୫୭
କୃଷ୍ଣ ଭକତି ଲାଭ ଛାଡ଼ି । ତୃତୀୟବର୍ଗେ ଚିତ୍ତ ବଢ଼ି ॥ ୫୮
ତାହାର ସୁଖ ଲେଶ କାହିଁ । ସମୁଦ୍ରେ ଯେହ୍ନେ ନାବ ଥାଇ ॥ ୫୯
ଜଳ ପବନ ମେଘ ତେଜେ । କୂଳେ ନ ଲାଗି ଯେହ୍ନେ ଭାଜେ ॥ ୬୦
ତାହାଙ୍କ ଗତି ସେହି ମତ । ଶୁଣ ହେ ପରାଶର-ସୁତ ॥ ୬୧
ନିନ୍ଦିତ କର୍ମ ଚିତ୍ତେ ଚିନ୍ତି । ଯେ ଅନ୍ୟଜନେ ଶିକ୍ଷା ଦ୍ୟନ୍ତି ॥ ୬୨
ସ୍ୱଭାବେ ମୂଢ଼ ସେହୁ ଜନ । ବିଅର୍ଥ ତାହାର ଜୀବନ ॥ ୬୩
ତାର ବଚନେ ସେହୁ ଭ୍ରମେ । ଯେ ପ୍ରାଣୀ ଆଚରେ ଅଧର୍ମେ ॥ ୬୪
ସାଧୁ-ନିନ୍ଦନ ଯେ କରନ୍ତି । ଜଗତେ ନାହିଁ ତାଙ୍କ ସ୍ଥିତି ॥ ୬୫
ପାପ ଆଚରି ନରଲୋକେ । ଅନ୍ତେ ସେ ପଡ଼ନ୍ତି ନରକେ ॥ ୬୬
ତୁମ୍ଭେ ସ୍ୱଭାବେ ବିଚକ୍ଷଣ । ଭାବ ଅଭାବ ଭଲେ ଜାଣ ॥ ୬୭
ଅନନ୍ତ ପାର ବିଷ୍ଣୁକଥା । ତୁମ୍ଭେ ବର୍ଣ୍ଣନେ ସାମରଥା ॥ ୬୮
ନିବୃତ୍ତି ପ୍ରବୃତ୍ତି ଏ ଭାବେ । ଯେମନ୍ତେ ପ୍ରାଣୀ ନିସ୍ତରିବେ ॥ ୬୯
ହରି ଚରିତ ଦୀପ କର । ଜନଙ୍କୁ ଅନ୍ଧାରୁ ଉଦ୍ଧର ॥ ୭୦
ଯେ ପ୍ରାଣୀ ନିଜ ଧର୍ମ ତେଜି । ହରି-ଚରଣ ଦୃଢ଼େ ଭଜି ॥ ୭୧
ଭଜୁଁ ମରଇ ଯେବେ ଦୁଃଖେ । କେବେହେଁ ନ ପଡ଼େ ନରକେ ॥ ୭୨
ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ । ହରି ଭକତି ନ ପ୍ରମାଣି ॥ ୭୩
ଅନ୍ତେ ତାହାଙ୍କ ଗତି ଯେତେ । କେ ଅନୁମାନି ପାରେ ଚିତ୍ତେ ॥ ୭୪
ଏବେ ହୋ ଶୁଣ ମୁନିବର । ପଣ୍ତିତଜନଙ୍କ ବେଭାର ॥ ୭୫
ଯେ ଲାଭ କେହି ନ ଲଭନ୍ତି । ସେ ଲାଭେ ଯାର ଚିତ୍ତ ଚିନ୍ତି ॥ ୭୬
ସେ ଅର୍ଥେ ଯତ୍ନ ଯେ କରନ୍ତି । ସଂସାରେ ପଣ୍ତିତ ବୋଲାନ୍ତି ॥ ୭୭
କାଳର ବଳେ ପୁଣପୁଣ । ଏ ଭବ ମଧ୍ୟେ ତା ଭ୍ରମଣ ॥ ୭୮
ପୂର୍ବ ଅର୍ଜିତ କର୍ମବଶେ । ଦୁଃଖ ସଦୃଶ ସୁଖ ଆସେ ॥ ୭୯
ଏ ଅଧ ଉର୍ଦ୍ଧ୍ୱ ବେନି ପଥେ । ପ୍ରାଣୀଏ ଭ୍ରମନ୍ତି ନିରତେ ॥ ୮୦
ତାହାଙ୍କ ମଧ୍ୟେ ଜଣେ ଜଣେ । ଲୋଭିଲେ ସେ ଫଳ ଧାରଣେ ॥ ୮୧
ସେ ଫଳ ପାଇ ସୁଖେ ଖାଇ । ଭ୍ରମଣେ ଶ୍ରମ ନ ଲାଗଇ ॥ ୮୨
ଭ୍ରମିଣ ପ୍ରାଣୀ ଯେବେ ପାଇ । ପୁଣି ଭ୍ରମନ୍ତି ତାହା ଖାଇ ॥ ୮୩
ଏଣୁ ମୁକୁନ୍ଦ-ପାଦଗତେ । ଯେ ପ୍ରାଣୀ ଭଜନ୍ତି ନିରତେ ॥ ୮୪
ମୁକୁନ୍ଦପାଦ ତାର ଗତି । ଅନ୍ୟର ପ୍ରାୟ ନ ଭ୍ରମନ୍ତି ॥ ୮୫
କୃଷ୍ଣର ପାଦପଦ୍ମ ରସ । ନିରତେ କରନ୍ତି ଯେ ଗ୍ରାସ ॥ ୮୬
ସେ ରସ ଛାଡ଼ିବ ସେ କେହ୍ନେ । ରସେ ରସିକଜନ ଯେହ୍ନେ ॥ ୮୭
ଈଶ୍ୱର ହେତୁ ଏସଂସାର । ସଂସାରୁ ଈଶ୍ୱର ବାହାର ॥ ୮୮
ଯେଣୁ ଉତ୍ପତ୍ତି ସ୍ଥିତି ନାଶ । ବିଶ୍ୱର ହୁଅଇ ପ୍ରକାଶ ॥ ୮୯
ଏଣୁ ଲୀଳାକୁ କରିଅଛି । ପ୍ରାଣୀଙ୍କି ନୋହିବ ପ୍ରତ୍ୟକ୍ଷି ॥ ୯୦
ଈଶ୍ୱର ଜୀବ ଏ ସଂସାର । ଏ ସର୍ବ ଏକଇ ପ୍ରକାର ॥ ୯୧
ଏ ସର୍ବ ବ୍ରହ୍ମଭାବେ ଜାଣି । ବେଦରେ ଅଛି ପରିମାଣି ॥ ୯୨
ତୁମ୍ଭେ ସର୍ବଜ୍ଞ ମୁନିବର । କହ କୃଷ୍ଣର ଅବତାର ॥ ୯୩
ତୁମ୍ଭେ ଯେ ଆତ୍ମରାମେ ରମି । ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ ॥ ୯୪
ପରମ ପୁରୁଷଙ୍କ କଳା । ସୁମରି ଗୋବିନ୍ଦର ଲୀଳା ॥ ୯୫
ସଂସାର ନିସ୍ତାରଣ ଅର୍ଥେ । ଶ୍ରୀଭାଗବତ କର ଗ୍ରନ୍ଥେ ॥ ୯୬
ସ୍ୱଭାବେ ଜନ୍ମ ଯାର ନାହିଁ । ମାୟା ଶୟଳେ ରୂପ ବହି ॥ ୯୭
ତାର ଚରିତରୁ କିଞ୍ଚିତେ । ପ୍ରକାଶ କର ଜନହିତେ ॥ ୯୮
ଏହୁ ସେ ପୁରୁଷାର୍ଥ ସାର । ଯଜ୍ଞ ତପସ୍ୟା ବେଦସାର ॥ ୯୯
ଇଷ୍ଟ ପୂଜନ ଯଜ୍ଞ ଦାନ । ଯେବେ ଭାବଇ କୃଷ୍ଣନାମ ॥ ୧୦୦
ତାହାଙ୍କ ଫଳ ଏ ଅଟଇ । ତା ବିନୁ ନିଷ୍ଫଳ ହୁଅଇ ॥ ୧୦୧
ପୂର୍ବେ ନିର୍ମଳ ଋଷିଜନେ । ତପ ଆଚରି ଘୋରବନେ ॥ ୧୦୨
ସଂସାର ସାର କୃଷ୍ଣକଥା । ନିରତେ ଗାଇ ଗୁଣଗାଥା ॥ ୧୦୩
ଏ ଭାବେ ପାଇଲି ଯେମନ୍ତେ । କହିବି ତୁମ୍ଭର ଅଗ୍ରତେ ॥ ୧୦୪
ପୂର୍ବେ ମୁଁ ଦକ୍ଷ ଶାପ ପାଇ । ଜନ୍ମିଲି ଦାସୀପୁତ୍ର ହୋଇ ॥ ୧୦୫
ବ୍ରାହ୍ମଣ ଘରେ ଏକାଏକି । ମୋହର ଜନନୀ ସେବକୀ ॥ ୧୦୬
ବ୍ୟାପାର କରେ ରାତ୍ର ଦିନେ । ଏମନ୍ତେ ବିଧିର ବିଧାନେ ॥ ୧୦୭
ସେ ବିପ୍ରଗୃହେ ବର୍ଷା କାଳେ । ଅତିଥି ବ୍ରାହ୍ମଣେ ମିଳିଲେ ॥ ୧୦୮
ତାହାଙ୍କୁ ଅନ୍ନଜଳ ଦେଇ । ବ୍ରାହ୍ମଣ କହେ ଭାବ ବହି ॥ ୧୦୯
ହେ ବିପ୍ରେ ଶୁଣ ମୋ ବଚନ । ଆଜ ଜୀବନ ମୋର ଧନ୍ୟ ॥ ୧୧୦
ତୁମ୍ଭର ଦୟା ଯେବେ ମୋତେ । ମୋ ଘରେ ରୁହ ଦିନାକେତେ ॥ ୧୧୧
ଦୁର୍ଗମ ବର୍ଷାମାସ ଚାରି । ଏ ଋତୁ ମୋର ଘରେ ସାରି ॥ ୧୧୨
ହେଉ ବୋଇଲେ ବିପ୍ରଜନେ । ବ୍ରାହ୍ମଣ ଗୃହେ ଶୁଦ୍ଧମନେ ॥ ୧୧୩
ରହିଲେ ମନର ସନ୍ତୋଷେ । ମୁଁ ସେବା କଲି ତାଙ୍କ ପାଶେ ॥ ୧୧୪
ବାଳୁତ ଚପଳ ମୋ ଚିତ୍ତ । ସେବା କରଇ ଅବିରତ ॥ ୧୧୫
ସେ ବିପ୍ରଗଣେ ମୋତେ ଚାହିଁ । ଆଶ୍ୱାସ କଲେ ଦୟାବହି ॥ ୧୧୬
ତାହାଙ୍କ ଭୋଜନର ଅନ୍ତେ । ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ॥ ୧୧୭
ତାହା ଭୁଞ୍ଜଇ ନିତ୍ୟେ ମୁହିଁ । ଅନ୍ୟ ଭୋଜନ ନ ଜାଣଇ ॥ ୧୧୮
ଉଚ୍ଛିଷ୍ଟ ଭୋଜନ ପ୍ରସାଦେ । ମୋହର ଚିତ୍ତୁ ଅପ୍ରମାଦେ ॥ ୧୧୯
ସର୍ବ କିଳ୍ବିଷ କେଣେ ଗଲା । ତାହାଙ୍କ ଧର୍ମ ଉଦେ ହେଲା ॥ ୧୨୦
ବିପ୍ରଙ୍କ ମୁଖୁ ହରିବାଣୀ । ଦିନ ବଞ୍ଚଇ ନିତ୍ୟେ ଶୁଣି ॥ ୧୨୧
ପଦକୁ ପଦ ଗୀତ ସ୍ମରେ । ସେ ବାଣୀ ମୋର ମନ ହରେ ॥ ୧୨୨
ନିରତେ ଶୁଣି ପଦେ ପଦେ । ମନ ବୁଡ଼ିଲା କୃଷ୍ଣପାଦେ ॥ ୧୨୩
କୃଷ୍ଣ ହୁଁ ଆନ ନ ଜାଣଇ । ବିଷୟ-ରସ ଆର କାହିଁ ॥ ୧୨୪
ଯେଣୁ ଏ ସଦସତ ରୂପ । ପ୍ରାଣୀ ଦେଖନ୍ତି ମୋହକଳ୍ପ ॥ ୧୨୫
ଆପଣା ଅଜ୍ଞାନ ସେ ଅଟେ । କେବେହେଁ ସତ୍ୟ ସେ ନଘଟେ ॥ ୧୨୬
ମୁହିଁ ଦେଖଇ ବହୁମତେ । ହରିହୁଁ ଆନ କେ ଜଗତେ ॥ ୧୨୭
ଏମନ୍ତେ ବରଷା ସରିଲା । ଶରଦ ଋତୁ ପ୍ରସରିଲା ॥ ୧୨୮
ନିରତେ ଶବ୍ଦେ ହରିବାଣୀ । ବିପ୍ରଜନଙ୍କ ମୁଖୁ ଶୁଣି ॥ ୧୨୯
ସାତ୍ତ୍ୱିକ ଭକ୍ତି ମୋର ମନେ । ପ୍ରକାଶ ହେଲା ଅନୁକ୍ଷଣେ ॥ ୧୩୦
ମୋହର ସେବା ଦିନୁ ଦିନେ । ଦେଖି ସନ୍ତୋଷ ବିପ୍ରଜନେ ॥ ୧୩୧
ଜାଣିଲେ ଶୁଦ୍ଧସତ୍ତ୍ୱ ରୂପେ । ଭକତି ଜାତ ମୋର ଚିତ୍ତ ॥ ୧୩୨
ଯିବାର ବେଳେ ମୋତେ ରାଇ । କୃଷ୍ଣମହିମା ଶିକ୍ଷା ଦେଇ ॥ ୧୩୩
ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ । ଯେଣେ ଉଦିତ ଭଗବାନ ॥ ୧୩୪
ସର୍ବ କହିଲେ ମୋର କର୍ଣ୍ଣେ । ଦୀନବତ୍ସଳ ମୁନିଜନେ ॥ ୧୩୫
ବିଷ୍ଣୁର ମାୟା ଅନୁଭବ । ତେଣୁ ଜାଣିଲି ମୁହିଁ ସର୍ବ ॥ ୧୩୬
ଯେଭାବେ ଭାବି ଅପ୍ରମାଦେ । ପ୍ରାଣୀ ପଶନ୍ତି କୃଷ୍ଣପାଦେ ॥ ୧୩୭
ଏଣୁ ଏ କୃଷ୍ଣାର୍ପିତ କର୍ମ । କଲେ ତୁଟଇ ଭବଭ୍ରମ ॥ ୧୩୮
ଆତ୍ମାରେ ଜ୍ଞାନ ପ୍ରକାଶଇ । ତ୍ରିତାପମାନ କ୍ଷୟ ଯାଇ ॥ ୧୩୯
ବ୍ୟାଧି ଉପୁଜେ ଯାର ଭୋଗେ । ସେ ଦ୍ରବ୍ୟେ ଚିକିତ୍ସା ନ ଲଭେ ॥ ୧୪୦
ଏଣୁ ଗୋବିନ୍ଦ-ରସ ତେଜି । ଯେବେ ବିଷୟ-ରସେ ମଜ୍ଜ ॥ ୧୪୧
ସେ କାହିଁ ତରିବ ସଂସାରେ । ପଡ଼ଇ ଘୋର ଅନ୍ଧକାରେ ॥ ୧୪୨
ଏ ଭବ ମଧ୍ୟେ ଦେହ ଧରି । ବିଷ୍ଣୁ ତୋଷଣେ କର୍ମ କରି ॥ ୧୪୩
ଭକତିଯୋଗ ଜାତ ହୋଇ । ଜ୍ଞାନ ଅଧୀନ ଯା ଅଟଇ ॥ ୧୪୪
ଯେବେ ସକଳକର୍ମ କରି । କୃଷ୍ଣ ଅର୍ପଣ ମନେ ଧରି ॥ ୧୪୫
ବିଷ୍ଣୁର ଯେତେ ଗୁଣଗ୍ରାମ । ଜଗତେ ଅଛି ଯେତେ ନାମ ॥ ୧୪୬
ମୁଖେ ଉଚ୍ଚାରି ମନେ ସ୍ମରି । ସେ ଭକ୍ତିଯୋଗେ ଅଧିକାରୀ ॥ ୧୪୭
ଅରୂପବ୍ରହ୍ମ ମନେ ସ୍ମରି । ଯେ ଚିନ୍ତେ ତାଙ୍କ ନାମ ଧରି ॥ ୧୪୮
ଶ୍ରୀବାସୁଦେବ ଯେ ପ୍ରଦ୍ୟୁମ୍ନ । ଯେ ଅନିରୁଦ୍ଧ ସଙ୍କର୍ଷଣ ॥ ୧୪୯
ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି । ପୂଜା କରନ୍ତି ଭକ୍ତି ଭରି ॥ ୧୫୦
ସେହୁ ନପଡ଼େ ମାୟା ମୋହେ । ଅନ୍ତେ ପଶଇ କୃଷ୍ଣଦେହେ ॥ ୧୫୧
ଏମନ୍ତେ ସାଧୁସଙ୍ଗ ଫଳେ । କୃଷ୍ଣଭକତି ଯୋଗବଳେ ॥ ୧୫୨
ଅଶେଷ ଦୁଃଖ ଦୂର ଗଲା । ସେ ହରି ମୋତେ ଜ୍ଞାନଦେଲା ॥ ୧୫୩
ଏବେ ହୋ ଶୁଣ ମୁନିବର । ହରିଚରଣେ ମନ ଧର ॥ ୧୫୪
କୃଷ୍ଣର ନାମଗୁଣ ଯେତେ । ପ୍ରାଣୀଙ୍କି କହ ଭାଗବତେ ॥ ୧୫୫
ଯେଣେ ପଣ୍ତିତଜନଙ୍କର । ଅବୋଧ-କର୍ମ ଯିବ ଦୂର ॥ ୧୫୬
ବିଷୟ-ବିଷେ ପ୍ରାଣୀ ମରେ । ଆତ୍ମାର ଗତି ନ ବିଚାରେ ॥ ୧୫୭
ସେ ଏବେ ଭାଗବତ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୧୫୮
ଏମନ୍ତ ବ୍ୟାସ ଆଗେ କହି । ବୀଣାଶବଦେ କୃଷ୍ଣ ଗାଇ ॥ ୧୫୯
ସେ ମୁନିବର ପାଦଯୁଗେ । ସୁଜନେ ନମ ଅନୁରାଗେ ॥ ୧୬୦
ହୋଇବ ଭବବନ୍ଧ ନାଶ । କହଇ ଜଗନ୍ନାଥ ଦାସ ॥ ୧୬୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ପଞ୍ଚମୋଽଧ୍ୟାୟଃ ।।

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଶୌନକ ଆଦି ମୁନି ମଧ୍ୟେ । ସୂତ କହନ୍ତି ଜ୍ଞାନବୋଧେ ॥ ୧
ଶୁଣ ସକଳ ମୁନିଜନ । ସେ ବ୍ୟାସ-ନାରଦ ପ୍ରଶନ ॥ ୨
ଏମନ୍ତେ ନାରଦଙ୍କ ବାଣୀ । ସେ ସତ୍ୟବତୀ-ସୁତ ଶୁଣି ॥ ୩
ନାରଦ ଜନ୍ମକର୍ମ ଯେତେ । ହରିଙ୍କି ଭଜିଲେ ଯେମନ୍ତେ ॥ ୪
ଏସର୍ବକଥା ଜାଣିମାରେ । ପୁଣି ପୁଚ୍ଛିଲେ ଆରବାରେ ॥ ୫

ବ୍ୟାସ ଉବାଚ

ଥିଲେ ସନ୍ନ୍ୟାସୀ ଯେତେ ଦିନ । ତୁମ୍ଭଙ୍କୁ କଲେ ମନ୍ତ୍ର ଦାନ ॥ ୬
ସନ୍ତୋଷେ ଦେଇ ମନ୍ତ୍ରଦୀକ୍ଷା । ଗମିଲେ ଯେଣେ ତାଙ୍କ ଇଚ୍ଛା ॥ ୭
ତଦଅନ୍ତରେ କଲ କିସ । ତୁମ୍ଭର ପ୍ରଥମ-ବୟସ ॥ ୮
ଜନ୍ମ ସଞ୍ଚଇ ପ୍ରଜାପତି । ବାଳୁତକାଳୁ ଯେତେ ଗତି ॥ ୯
କରି ବଞ୍ଚନ୍ତି ପ୍ରାଣୀ ସର୍ବେ । ତୁମ୍ଭେ ବଞ୍ଚିଲ କେଉଁ ଭାବେ ॥ ୧୦
କାଳ ପ୍ରବେଶେ ମୁନିବର । କେହ୍ନେ ଛାଡ଼ିଲ କଳେବର ॥ ୧୧
ପୂର୍ବକଳ୍ପର ଏ ବିଚାର । କିରୂପେ ହେଲ ଜାତିସ୍ମର ॥ ୧୨
ତୁମ୍ଭର ଜ୍ଞାନ ଦେହ ଅନ୍ତେ । କାଳ ନ ହରିଲା କେମନ୍ତେ ॥ ୧୩
ଏମନ୍ତ ବ୍ୟାସମୁଖୁ ଶୁଣି । ବ୍ରହ୍ମାନନ୍ଦନ ବାକ୍ୟ ଭଣି ॥ ୧୪

ନାରଦ ଉବାଚ

ଶୁଣ ହେ ମୁନି ଶୁଦ୍ଧଚେତା । ମୋ ଜନ୍ମକର୍ମର ବାରତା ॥ ୧୫
ମୋତେ ପରମଜ୍ଞାନ ଦେଇ । ବିପ୍ରେ ଯେ ଗଲେ ପଥଚାହି ॥ ୧୬
ମୁଁ ପୁଣି ପ୍ରଥମ-ବୟସେ । ମୁନିଜନଙ୍କ ଉପଦେଶେ ॥ ୧୭
ଦିନ ବଞ୍ଚଇ ମାତା କୋଳେ । ମନ ମୋ କୃଷ୍ଣପାଦତଳେ ॥ ୧୮
ମୋର ଜନନୀ ବିପ୍ରଘରେ । ସେବକୀ ପଣେ ଦିନ ହରେ ॥ ୧୯
ସେବଇ ବିପ୍ରଘରେ ନିତ୍ୟେ । ନ ଥାଇ ଆତ୍ମାର ଆୟତ୍ତେ ॥ ୨୦
ଏକଇ ପୁତ୍ର ତାର ମୁହିଁ । ସେ ମୋତେ ଦଣ୍ତେ ନ ଛାଡ଼ଇ ॥ ୨୧
ସ୍ନେହେ ପୋଷଇ ନିତିନିତି । ମୋ ତହୁଁ ନାହିଁ ଅନ୍ୟଗତି ॥ ୨୨
ମୋର ନିମିତ୍ତେ ଭିକ୍ଷାଅନ୍ନ । ବହୁତ କଳ୍ପେ ତାର ମନ ॥ ୨୩
ସେ ବା ପାଇବ ଅନ୍ନ କାହିଁ । ବ୍ରାହ୍ମଣଘରେ ଯା ମିଳଇ ॥ ୨୪
ମୋତେ ଭୁଞ୍ଜାଇ ଅବଶେଷ । ମୋର ଜନନୀ କରେ ଗ୍ରାସ ॥ ୨୫
ସଂସାର ଈଶ୍ୱର-ଆୟତ୍ତେ । ଏମନ୍ତେ ଗଲା ଦିନାକେତେ ॥ ୨୬
ମୁଁ ସେ ବ୍ରାହ୍ମଣ ଘରେ ଥାଇ । ସନ୍ଧ୍ୟା-ସକାଳ ନ ଜାଣଇ ॥ ୨୭
ବାଳକ ପଞ୍ଚମ ବୟସେ । ବଞ୍ଚଇ ଜନନୀର ପାଶେ ॥ ୨୮
ମୋର ଜନନୀ ଏକଦିନେ । ବ୍ରାହ୍ମଣଘରେ ଗୋଦୋହନେ ॥ ୨୯
ଧେନୁ ଦୋହନ୍ତେ ପଥେ ବସି । ସର୍ପେ ମିଳିଲା ପାଶେ ଆସି ॥ ୩୦
ଦଇବ ଯୋଗେ ସେ ଦଂଶିଲା । ତକ୍ଷଣେ ଜନନୀ ମୋ ମଲା ॥ ୩୧
ମୁହିଁ ମାତାଙ୍କୁ ଅଗ୍ନି ଦେଇ । ଭାଳଇ ଚଉଦିଗ ଚାହିଁ ॥ ୩୨
ବିପ୍ରଙ୍କ ତହିଁ ମୋର ମନ । ନିତ୍ୟେ ଭାଳଇ ଛନଛନ ॥ ୩୩
ତାହାଙ୍କୁ ଭେଟିବାର ଅର୍ଥେ । ଗଲି ଉତ୍ତରଦିଗ ପଥେ ॥ ୩୪
ଅନେକ ପୁର ନଗ୍ର ଗ୍ରାମେ । ବିପ୍ରଙ୍କୁ ଖୋଜି ପଥଶ୍ରମେ ॥ ୩୫
ଖେଟ ଖର୍ବଟ ବାଟୀ ବନେ । ଦୁର୍ଗମ ପର୍ବତ କାନନେ ॥ ୩୬
ପବିତ୍ରଜଳେ ପୁଣ୍ୟତୀର୍ଥେ । ଦେବେ ସେବନ୍ତି ଯହିଁ ନିତ୍ୟେ ॥ ୩୭
ଉତ୍ତମ ସରୋବର ବନେ । ହଂସ ସାରସ ଭୃଙ୍ଗସ୍ୱନେ ॥ ୩୮
ପୁଣି ମିଳିଲି ଘୋରଦେଶେ । ପୂରିତ ନଳ କୁଶ କାଶେ ॥ ୩୯
ହସ୍ତୀସେବିତ ବନ ଆଦି । ଯେ ସ୍ୱର୍ଣ୍ଣଚିତ୍ର ପୁଣ୍ୟନଦୀ ॥ ୪୦
ବୈଣବୀ ଲତା ଗୁଳ୍ମସାର । ଦିଶଇ ଘୋର ଅନ୍ଧକାର ॥ ୪୧
ସର୍ପ ଉଲୂକ ଶିବାଗୃହେ । ବନେ ଭ୍ରମଇ ଏକାଦେହେ ॥ ୪୨
ଏମନ୍ତେ ଭ୍ରମୁ ଘୋରପଥେ । ଶ୍ରମେ ପିପାସା ବୁଭୁକ୍ଷିତେ ॥ ୪୩
ଏମନ୍ତେ ଯାଉଁ ପଦେପଦେ । ଶ୍ରମେ ପଶିଲି ନଦୀହ୍ରଦେ ॥ ୪୪
ଶୀତଳ ବାରି ସ୍ନାନପାନ । କରନ୍ତେ ଗଲା ମୋର ଶ୍ରମ ॥ ୪୫
ସେ ନଦୀ ଜଳେ ପ୍ରାଣ ତୋଷି । ଅଶ୍ୱତ୍ଥ ତରୁତଳେ ବସି ॥ ୪୬
ଯେରୂପେ ମୁନିଙ୍କ ବଚନେ । ଆତ୍ମାରେ ଆତ୍ମା ଅବଧାନେ ॥ ୪୭
କୃଷ୍ଣର ପାଦପଦ୍ମ ଯୁଗେ । ଧ୍ୟାନ ମୁଁ କଲି ଅନୁରାଗେ ॥ ୪୮
ଉତ୍କଣ୍ଠା ଗଦ୍ ଗଦ ବଚନ । ଅଶ୍ରୁଜଳରେ ନେତ୍ର ପୂର୍ଣ୍ଣ ॥ ୪୯
ତକ୍ଷଣେ ପରମ ଆନନ୍ଦେ । ହରି ବିଜୟେ ମୋର ହୃଦେ ॥ ୫୦
ଅତ୍ୟନ୍ତ ପ୍ରେମଭରେ ଦେହେ । ଉଦ୍ ଗମ ହେଲେ ତନୁରୁହେ ॥ ୫୧
ଆନନ୍ଦ-ସାଗରେ ବୁଡ଼ିଲି । ଉଭୟଲୋକ ନ ଜାଣିଲି ॥ ୫୨
ରୂପେ କି ଦେବା ପଟାନ୍ତର । ମନ ବଚନ ଆଗୋଚର ॥ ୫୩
ଦେଖି ଉଠିଲି ତତକ୍ଷଣେ । ବିକଳେ ଚିତ୍ତକରଷଣେ ॥ ୫୪
ପୁଣି ରହିଲି ଦୃଢ଼ଚିତ୍ତେ । ସେ ରୂପ ଦେଖିବା ନିମନ୍ତେ ॥ ୫୫
ସେ ହରି ହୋଇଲେ ଅନ୍ତର । ଦିଶିଲା ଘୋର-ଅନ୍ଧକାର ॥ ୫୬
ବାହୁଡ଼ି ଚାହିଁଲି ବାହାରେ । ଦିଶ ଆକାଶ ଅଭ୍ୟନ୍ତରେ ॥ ୫୭
ଭିତରେ ବାହାରେ ନ ପାଇ । ଆକୁଳେ କମ୍ପେ ମୋର ଦେହୀ ॥ ୫୮
ଏମନ୍ତେ ଅନ୍ତରୀକ୍ଷ-ବାଣୀ । କିବା ଅମୃତ ତରଙ୍ଗିଣୀ ॥ ୫୯
ମନ-ବଚନେ ଅଗୋଚର । ସ୍ୱଭାବେ ଗମ୍ଭୀର ସୁସ୍ୱର ॥ ୬୦
ପ୍ରସନ୍ନ କଲା ମୋର ମନ । ଶୁଣିଲି ଆକାଶ-ବଚନ ॥ ୬୧
ଏଜନ୍ମେ ଦେଖିବୁ ତୁ କାହିଁ । ମୋହର ଆଦି ଅନ୍ତ ନାହିଁ ॥ ୬୨
କୁଜନଜନଙ୍କର ଚିତ୍ତ । କର୍ମ-ବାସନାରେ ଜଡ଼ିତ ॥ ୬୩
ଯାବତ ଶୁଭାଶୁଭ-କର୍ମେ । ଚିତ୍ତ ଆକର୍ଷେ ମତି ଭ୍ରମେ ॥ ୬୪
ସେ ମୋତେ ପାଇବେ କେମନ୍ତେ । କର୍ମ ଆବୋରି ନାନାମତେ ॥ ୬୫
ମୋର ସେବକ ସେବା ଫଳେ । ତେଣୁ ଦେଖିଲୁ ମୋତେ ଡୋଳେ ॥ ୬୬
ମୁଁ ଯାର ଚିତ୍ତେ ନିତ୍ୟେ ଥାଇ । ତା ହୃଦେ ଅମଙ୍ଗଳ କାହିଁ ॥ ୬୭
ଏବେ ସାଧୁଙ୍କ ସେବା କରି । ଦୀର୍ଘଜୀବନ ଦେହେ ଧରି ॥ ୬୮
ଦୃଢ଼ଭକତି ମୋର ପାଦେ । ଚିତ୍ତେ ପ୍ରସରୁ ଅପ୍ରମାଦେ ॥ ୬୯
ଏ ଦେହ ଛାଡ଼ି ମୋର ଧ୍ୟାନେ । ଅନ୍ତେ ମିଳିବୁ ମୋ ଭୁବନେ ॥ ୭୦
ମୋର ବିଷୟେ ତୋର ମତି । କେବେ ହେଁ ନୋହିବ ଦୁର୍ଗତି ॥ ୭୧
ସୃଷ୍ଟିପ୍ରଳୟ ବାଧା ଯେତେ । କେବେହେଁ ନ ଲାଗିବ ତୋତେ ॥ ୭୨
ମୋ ଅନୁଗ୍ରହେ ହେଉ ଜ୍ଞାନ । ଏମନ୍ତ ଆକାଶ-ବଚନ ॥ ୭୩
ସ୍ୱଭାବେ ସ୍ଫୁରେ ଅନ୍ତରୀକ୍ଷେ । କେ ତାହା ଦେଖିବ ପ୍ରତ୍ୟକ୍ଷେ ॥ ୭୪
ସ୍ୱଭାବେ ରୂପ ନାହିଁ ଯାର । ମହାମହିମା ନିର୍ବିକାର ॥ ୭୫
ସେ ବାଣୀ ଶୁଣି ଚିତ୍ତ ସ୍ଥିରେ । ପ୍ରଣାମ କଲି ତା ପୟରେ ॥ ୭୬
ମୋର ଜୀବନ କୃତକୃତ୍ୟ । ଶୁଣ ହେ ସତ୍ୟବତୀ-ସୁତ ॥ ୭୭
ସେ ବିନୁ ନ ଜାଣଇ ଆନ । ମୋ ସର୍ବଗତି ଭଗବାନ ॥ ୭୮
ଲାଜଭୟକୁ ପରିହରି । ହୃଦେ ଗୋବିନ୍ଦ ନାମ ଧରି ॥ ୭୯
ଅନନ୍ତ ନାମ ଗୁଣ ଯେତେ । ଚିତ୍ତେ ସୁମରି ଅବିରତେ ॥ ୮୦
ଭୂମି କରଇ ପର୍ଯ୍ୟଟନ । ବିଗତରାଗ ତୁଷ୍ଟ ମନ ॥ ୮୧
ମଦମତ୍ସରମାନ ତେଜି । କୃଷ୍ଣ-ଚରଣେ ଦୃଢ଼େ ଭଜି ॥ ୮୨
ଏମନ୍ତେ ଭ୍ରମୁ ଅନୁଦିନ । ନିର୍ମଳ ହୋଇଲା ମୋ ମନ ॥ ୮୩
ଏମନ୍ତେ ମରଣ ନିୟତ । କାଳ ହୋଇଲା ଉପଗତ ॥ ୮୪
ସଂଶୟ ସ୍ଫୁରେ ମୋର ମନେ । ବିଜୁଳି ଯେହ୍ନେ ନୀଳଘନେ ॥ ୮୫
ଦିବ୍ୟସ୍ୱରୂପ ମୁହିଁ ଦେଖି । ତକ୍ଷଣେ ଶରୀର ଉପେକ୍ଷି ॥ ୮୬
ଆନନ୍ଦେ କୃଷ୍ଣ ଅନୁଗ୍ରହେ । ଶୂନ୍ୟେ ଗମିଲି ଦିବ୍ୟଦେହେ ॥ ୮୭
କଳ୍ପାନ୍ତେ ଦିନ ପ୍ରଳୟରେ । ଏ ସୃଷ୍ଟି ଦେଖିଣ ଉଦରେ ॥ ୮୮
କ୍ଷୀରଜଳଧି ମଧ୍ୟେ ସ୍ଥିତ । ଅନନ୍ତଶୟନେ ଅଚ୍ୟୁତ ॥ ୮୯
ପଶିଲି ତାର ଅଭ୍ୟନ୍ତରେ । ନିର୍ଲେପ ନିର୍ମଳ ଶରୀରେ ॥ ୯୦
ଯେବେ ସହସ୍ରଯୁଗ ଗଲା । ଶୟନୁ ଅନନ୍ତ ଉଠିଲା ॥ ୯୧
ତକ୍ଷଣେ ବ୍ରହ୍ମ-ରୂପ ଧରି । ଭୂମି ଭିଆଇ ସୃଷ୍ଟିକରି ॥ ୯୨
ମରୀଚି ଆଦି ସପ୍ତସୁତ । ବ୍ରହ୍ମା ମନରୁ ହେଲେ ଜାତ ॥ ୯୩
ମୁହିଁ ହୋଇଲି ତାଙ୍କ ସଙ୍ଗେ । ସମ୍ଭୂତ ବିଧାତାର ଅଙ୍ଗେ ॥ ୯୪
ନିଶ୍ଚଳ ଚିତ୍ତେ ଦୃଢ଼ବ୍ରତେ । ଏ ତିନିଲୋକେ ଭ୍ରମେ ନିତ୍ୟେ ॥ ୯୫
କୃଷ୍ଣର ଭାବେ ଭ୍ରମେ ନିତି । ମୋହର ଅବ୍ୟାହତଗତି ॥ ୯୬
କୃଷ୍ଣଭକତି ଭାବଭୋଳେ । ମୁହିଁ ଗମଇ ଅନ୍ତରାଳେ ॥ ୯୭
ଦେବଙ୍କ ମଧ୍ୟେ ମୁହିଁ ଥାଇ । ନୃତ୍ୟ କରଇ କୃଷ୍ଣ ଗାଇ ॥ ୯୮
ଶୁଣି ସନ୍ତୋଷ ମୋର ବାଣୀ । ବୀଣା ଗୋଟିଏ ଦେଲେ ଆଣି ॥ ୯୯
ସପତସ୍ୱର ବିଭୂଷଣା । ସୁସ୍ୱର ନାଦ ତିନିଗୁଣା ॥ ୧୦୦
ସ୍ୱର ମୂର୍ଚ୍ଛନା ନାଦ ବାଇ । ଆନନ୍ଦେ କୃଷ୍ଣଗୁଣ ଗାଇ ॥ ୧୦୧
ନିରତେ ଭ୍ରମେ ତ୍ରିଜଗତେ । ଶୁଣ କହିବା ଆଉ ଯେତେ ॥ ୧୦୨
ହରିର ଅଭୟଚରଣ । ଅଶେଷତୀର୍ଥଙ୍କର ସ୍ଥାନ ॥ ୧୦୩
ସେ ପାଦ କଲେ ସୁମରଣ । ଶୀଘ୍ରେ ମୋ ଚିତ୍ତେ ନାରାୟଣ ॥ ୧୦୪
ଆଦିତ୍ୟ ତେଜ ପ୍ରାୟ ଦିଶେ । ଅଜ୍ଞାନତମ ବେଗେ ନାଶେ ॥ ୧୦୫
ସେ ହରିଚରିତର ଗୁଣ । ଭୋ ମୁନି ସାବଧାନେ ଶୁଣ ॥ ୧୦୬
ଭବସାଗରେ ଯେତେ ନରେ । ଆତୁରଚିତ୍ତ ଅଭ୍ୟନ୍ତରେ ॥ ୧୦୭
ବିଷୟରସେ ସୁଜଡ଼ିତ । କେବେହେଁ ନୋହେ ଶୁଦ୍ଧଚିତ୍ତ ॥ ୧୦୮
ଅଛନ୍ତି ଭବ-ସିନ୍ଧୁ-ଗର୍ଭେ । ସେ ନରେ କେମନ୍ତେ ତରିବେ ॥ ୧୦୯
କୃଷ୍ଣର ଗୁଣଗାଥା ଘୋଷି । ଆନନ୍ଦେ ସୁଖନାବେ ବସି ॥ ୧୧୦
ହେଳେ ତରିବେ ହରି ଗାଇ । ଅନ୍ୟଥା ସୁଖ ଲେଶ ନାହିଁ ॥ ୧୧୧
ଯମ ନିୟମ ଯୋଗପଥେ । ଯେ ନର ସାଧେ ଅବିରତେ ॥ ୧୧୨
ଏ ନାବ ପାଇବ ସେ କାହିଁ । ଯେବେ ଗୋବିନ୍ଦେ ଚିତ୍ତ ନାହିଁ ॥ ୧୧୩
ଶୁଣ ହେ ସତ୍ୟବତୀ-ସୁତ । ମୋହର ପୂର୍ବର ଚରିତ ॥ ୧୧୪
ଜନ୍ମ କର୍ମାଦି ମୋର ଯେତେ । କହିଲି ତୁମ୍ଭର ଅଗ୍ରତେ ॥ ୧୧୫
ତୁମ୍ଭର ମନ ତୋଷ ଅର୍ଥେ । କହିଲି ଭକ୍ତିଯୋଗ ଯୋଗଯେତେ ॥ ୧୧୬

ସୂତ ଉବାଚ

ସୂତ କହନ୍ତି ଅନୁରାଗେ । ଯଜ୍ଞେ ସମସ୍ତ ମୁନିଆଗେ ॥ ୧୧୭
ନାରଦ ଜନ୍ମକର୍ମ କଥା । ବିଷ୍ଣୁ ଭକତିର ବ୍ୟବସ୍ଥା ॥ ୧୧୮
ବ୍ୟାସଙ୍କ ଆଗେ ସର୍ବ କହି । ଆନନ୍ଦେ ବୀଣାବାଦ୍ୟ ବାଇ ॥ ୧୧୯
ଆକାଶମାର୍ଗେ ଗଲେ ଏକେ । ବିଜୁଳି ଯେହ୍ନେ ବଳାହକେ ॥ ୧୨୦
ଧନ୍ୟ ମହିମା ଦେବଋଷି । ନିରତେ କୃଷ୍ଣନାମ ଘୋଷି ॥ ୧୨୧
ହରି ଗାୟନେ ଭୋଳ ହୋଇ । ବିବିଧଛନ୍ଦେ ବୀଣା ବାଇ ॥ ୧୨୨
ନିରତେ ଭ୍ରମେ ତିନିପୁରେ । ଜଗତ ସଙ୍କଟୁ ଉଦ୍ଧରେ ॥ ୧୨୩
ବୋଲଇ ଦାସ ଜଗନ୍ନାଥ । ପ୍ରଥମସ୍କନ୍ଧେ ଭାଗବତ ॥ ୧୨୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବ୍ୟାସ-ନାରଦ-ସମ୍ୱାଦେ ଷଷ୍ଠୋଽଧ୍ୟାୟଃ ।।

ସପ୍ତମ ଅଧ୍ୟାୟ[ସମ୍ପାଦନା]

ଏମନ୍ତେ ଶୁକ ମୁଖୁ ଶୁଣି । ଶୌନକ ଆଦି ସର୍ବ ମୁନି ॥ ୧
ସୂତମୁନିଙ୍କ ମୁଖ ଚାହିଁ । ପୁଣି ପୁଚ୍ଛନ୍ତି ଭାବ ବହି ॥ ୨

ଶୌନକ ଉବାଚ

ବ୍ୟାସଙ୍କୁ ଛାଡ଼ି ଗଙ୍ଗାକୂଳେ । ନାରଦ ଗଲେ ଯେତେବେଳେ ॥ ୩
ଚିତ୍ତେ ସଂଶୟ ଯେତେ ଥିଲା । ନାରଦବାକ୍ୟେ ଦୂର ହେଲା ॥ ୪
ସେ ସର୍ବଗୁଣେ ଅଧିକାରୀ । ନାରଦବାକ୍ୟ ଚିତ୍ତେ ଧରି ॥ ୫
ପୁଣି କି କଲେ ପୁଣ୍ୟଦେହା । କହ ଆମ୍ଭଙ୍କୁ ଯେବେ ଦୟା ॥ ୬
ଏମନ୍ତେ ମୁନିଙ୍କ ପ୍ରଶନେ । କୃଷ୍ଣମହିମା ଶୁଣି କର୍ଣ୍ଣେ ॥ ୭
ସୂତ କହନ୍ତି ତୋଷ ଚିତ୍ତେ । ମୁନିଜନଙ୍କର ଅଗ୍ରତେ ॥ ୮

ସୂତ ଉବାଚ

ସେ ବ୍ରହ୍ମନଦୀର ପଶ୍ଚିମେ । ଆଶ୍ରମ ଶମ୍ୟାପ୍ରାସ ନାମେ ॥ ୯
ଯହିଁ ଅଶେଷ ମୁନିଜନ । ଏଣୁ ଅନେକ ଯଜ୍ଞସ୍ଥାନ ॥ ୧୦
ମଧ୍ୟେ ବଦରୀ ନାମେ ବନ । ବ୍ୟାସଙ୍କ ନିୟତ ଆଶ୍ରମ ॥ ୧୧
ସେ ବନେ ସରସ୍ୱତୀଜଳେ । ସ୍ନାହାନ ସାରି ପ୍ରାତଃକାଳେ ॥ ୧୨
କୃଷ୍ଣମହିମା ଚିନ୍ତି ମନେ । ମୁନି ବସିଲେ ଯୋଗଧ୍ୟାନେ ॥ ୧୩
ନିର୍ମଳ ମନେ ଧ୍ୟାନ କରି । ତକ୍ଷଣେ ପ୍ରଭୁ ନରହରି ॥ ୧୪
ମାୟା ସହିତେ ହେଲେ ଦୃଶ୍ୟ । ଯେ ପୂର୍ବପୁରାଣପୁରୁଷ ॥ ୧୫
ଯେ ମାୟା ତ୍ରିଗୁଣେ ଜଡ଼ିତ । ଅଜ୍ଞାନ ପଥେ ମୋହଗ୍ରସ୍ତ ॥ ୧୬
ଅସତ୍ୟ ସତ୍ୟ ପ୍ରାୟେ ମଣେ । ଆତ୍ମାର ଗତି ନ ପ୍ରମାଣେ ॥ ୧୭
ତେଣୁ ସେ ଜନ୍ମାଦି ଅନର୍ଥ । ଜୀବକୁ ହୁଅଇ ପ୍ରାପତ ॥ ୧୮
ତାହାକୁ ଉଦ୍ଧରିବା ଅର୍ଥେ । କୃଷ୍ଣଭକତି ଯୋଗପଥେ ॥ ୧୯
ରଚିଲେ ଭାଗବତବାଣୀ । ଏ ଜୀବ ତରେ ଯାହା ଶୁଣି ॥ ୨୦
ଭକତି ଲଭେ କୃଷ୍ଣପାଦେ । ନ ପଡ଼େ ଶୋକ ମୋହ ବାଦେ ॥ ୨୧
ସଂହିତା ଛଳେ ହରିବାଣୀ । ଶୁକ ମୁନିଙ୍କି ଘରେ ଆଣି ॥ ୨୨
ସ୍ୱଭାବେ ତାଙ୍କ ନିଜ ସୁତ । ହରଷେ ଦେଲେ ଭାଗବତ ॥ ୨୩
ବଶେଷେ ଗୋବିନ୍ଦ ପ୍ରସନ୍ନେ । ମାୟା ନ ଲାଗେ ତାଙ୍କ ମନେ ॥ ୨୪
ଏମନ୍ତେ ସୂତପ୍ରଶ୍ନଶୁଣି । ମୁନି ସକଳେ ମନେ ଗୁଣି ॥ ୨୫
ମନେ ସଂଶୟ ଖେଦ ବହି । କହନ୍ତି ସୂତ ମୁଖ ଚାହିଁ ॥ ୨୬

ଶୌନକ ଉବାଚ

ମାୟା ନ ଲାଗେ ଯାର ଚିତ୍ତେ । କି ପ୍ରୟୋଜନ ତାର ଗ୍ରନ୍ଥେ ॥ ୨୭
ଶୁକ ସ୍ୱଭାବେ ଆତ୍ମାରାମ । ତାହାଙ୍କ ଗ୍ରନ୍ଥେ କିବା ଶ୍ରମ ॥ ୨୮
କାହାର ଅର୍ଥେ ବ୍ୟାସସୁତ । ଅଭ୍ୟାସ କଲେ ଭାଗବତ ॥ ୨୯
ନିର୍ଲେପ ଯୋଗୀ ସେ ଯୁଗତେ । ସଂଶୟ ଲାଗେ ଆମ୍ଭ ଚିତ୍ତେ ॥ ୩୦
ଶୁଣି ସଂଶୟ ମୁନିକଥା । କହନ୍ତି ସୂତ ବ୍ରହ୍ମବେତ୍ତା ॥ ୩୧

ସୂତ ଉବାଚ

ସ୍ୱଭାବେ ମୁନିଙ୍କର ଚିତ୍ତ । ଗ୍ରନ୍ଥରେ ନୁହଇ ଗ୍ରନ୍ଥିତ ॥ ୩୨
ତଥାପି ଅକିଞ୍ଚନ ପଣେ । ଭଜନ୍ତି ଗୋବିନ୍ଦଚରଣେ ॥ ୩୩
ଯେଣୁ ସକଳ ଭୂତେ ହରି । ପରମ ଆତ୍ମା ରୂପେ ପୂରି ॥ ୩୪
ତେଣୁ ଭକତି ଅତିରେକେ । କହନ୍ତି ଏକକୁ ଆରେକେ ॥ ୩୫
ସେ ଶୁକମୁନି ଶୁଦ୍ଧଚେତା । ନିତ୍ୟେ ଅଭ୍ୟାସେ କୃଷ୍ଣକଥା ॥ ୩୬
ଭକତଜନ ପ୍ରିୟ ଅର୍ଥେ । ଯାହାର ଜନ୍ମ ଏ ଜଗତେ ॥ ୩୭
ଏବେ ହୋ ଶୁଣ ବିପ୍ରଜନେ । ହରି ଚରିତ ଅବଧାନେ ॥ ୩୮
ଭକତ ପରୀକ୍ଷିତ କଥା । ପଣ୍ତୁନନ୍ଦନଙ୍କ ବ୍ୟବସ୍ଥା ॥ ୩୯
କୁରୁ ପାଣ୍ତବ ଯୁଦ୍ଧ ଅନ୍ତେ । ବୀରେ ଗମିଲେ ବୀରପଥେ ॥ ୪୦
ଭୀମସେନର ଗଦା ବାଜି । ଦୁର୍ଯ୍ୟୋଧନର ଜାନୁ ଭାଜି ॥ ୪୧
ପଳାଇ ଗଲା ପ୍ରାଣ ଡରେ । ଲୁଚିଲା ବ୍ୟାସ-ସରୋବରେ ॥ ୪୨
ଏମନ୍ତେ ହୋଇଲା ରଜନୀ । ଜଳେ ଭାଳଇ ଭୟ ଘେନି ॥ ୪୩
କାନ୍ଦଇ ଜୀବନ ବିକଳେ । ଦ୍ରୋଣନନ୍ଦନ ଦେଖି କୂଳେ ॥ ୪୪
ବୋଲଇ ରାଜା ମୁଖ ଚାହିଁ । ମୋତେ ଯେ ନ ବରିଲୁ ତୁହି ॥ ୪୫
ଯୁଦ୍ଧେ ସକଳ ବୀର ମାରି । ଏ ଭୂମି ଅପାଣ୍ତବା କରି ॥ ୪୬
ତୋତେ ବସାନ୍ତି ରାଜକୁଳେ । ଅଖଣ୍ତ ଅବନୀ ମଣ୍ତଳେ ॥ ୪୭
ଶୁଣି ବୋଲଇ ନୃପବର । ଏବେ ହୋ ଅପାଣ୍ତବା କର ॥ ୪୮
ଏବେ ବରିଲି ସେନାପତି । ଫେଡ଼ ତୁ ମୋହର ଦୁର୍ଗତି ॥ ୪୯
ଏମନ୍ତ କହି ଅନ୍ଧବଳା । ତାହାର ହସ୍ତେ ଜଳ ଦେଲା ॥ ୫୦
ଦ୍ରୋଣ କୁମର ବେଗେ ଉଠି । ଧନୁ ଧଇଲା ଦୃଢ଼ମୁଷ୍ଠି ॥ ୫୧
ମନ୍ତ୍ରିଣ ନାରାଚ ପେଷିଲା । ପାଣ୍ବତ ଶିବିରେ ପଡ଼ିଲା ॥ ୫୨
ଦ୍ରୌପଦୀ ପାଞ୍ଚ ଯେ କୁମରେ । ଶୋଇଣ ଥିଲେ ଅନ୍ତଃପୁରେ ॥ ୫୩
ପଡ଼ି କାଟିଲା ତାଙ୍କ ଶିର । ଶବଦ କଲା ମହାଘୋର ॥ ୫୪
ଶୁଣି କମ୍ପିଲେ ଦିଗପାଳେ । ପୂରିଲା ଭୂମି ଅନ୍ତରାଳେ ॥ ୫୫
ଅତି ନିନ୍ଦିତ କର୍ମ କଲା । ଦଇବ ବଶେ ଦ୍ରୋଣବଳା ॥ ୫୬
ଦ୍ରୌପଦୀ ଶୟନ ଉପେକ୍ଷି । ପୁତ୍ର ମରଣ ଦୁଃଖେ ଦୁଃଖୀ ॥ ୫୭
ବିକଳେ କରଇ ରୋଦନ । ତା ପାଶେ ମିଳିଲେ ଅର୍ଜୁନ ॥ ୫୮
ଅନେକ ଶାନ୍ତି ବାକ୍ୟ କହି । ବୋଲେ ଦ୍ରୌପଦୀ ମୁଖ ଚାହିଁ ॥ ୫୯
ଦ୍ରୋଣ କୁମର ଶିର ବାଣେ । କାଟି ସ୍ଥାପିବି ତୋ ଚରଣେ ॥ ୬୦
ତେବେ ହରିବି ତୋର ଶୋକ । ତୁ ଏବେ ସ୍ଥିର ଚିତ୍ତେ ଦେଖ ॥ ୬୧
ସେ ବ୍ରହ୍ମବନ୍ଧୁ ଆତତାୟୀ । ତାହାର ବଧେ ଦୋଷ ନାହିଁ ॥ ୬୨
ଏମନ୍ତେ ମଧୁର ବଚନେ । ଶାନ୍ତି କରାଇ ତାର ମନେ ॥ ୬୩
ଯାର ସାରଥି ଭଗବାନ । କେ ତାରେ କରେ ଅପମାନ ॥ ୬୪
ଗାଣ୍ତୀବ ଧନୁ ଧରି ହସ୍ତେ । ବସିଲା କପିଧ୍ୱଜ ରଥେ ॥ ୬୫
ବେଗେ ଧାଇଁଲା ସଜହୋଇ । ଦେବେ ଗଗନେ ଛନ୍ତି ଚାହିଁ ॥ ୬୬
ଅର୍ଜୁନ ଦେଖି ଦ୍ରୋଣ ବଳା । କାତରେ ହୃଦୟ କମ୍ପିଲା ॥ ୬୭
ବାଳକ ବଧେ ଛନ୍ନ ମନେ । ପଳାଇ ଜୀବନ ରକ୍ଷଣେ ॥ ୬୮
ବେଗେ ପଳାଇ ଭୂମିଗତେ । ପଶିଲା ଗହନ ବନସ୍ତେ ॥ ୬୯
ପୁଣି ପଳାଇ ଘୋର ବନେ । ଅନ୍ଧକ ରୁଦ୍ର ଡରେ ଯେହ୍ନେ ॥ ୭୦
ତାରେ ରକ୍ଷକ କେହି ନାହିଁ । ଶ୍ରମେଣ ଅଶ୍ୱ ନ ଚଳଇ ॥ ୭୧
ପ୍ରାଣ ରକ୍ଷଣେ ଦ୍ରୋଣସୁତ । ମନେ ସୁମରି ବ୍ରହ୍ମଅସ୍ତ୍ର ॥ ୭୨
ତକ୍ଷଣେ ଜଳେ ସ୍ନାନ କରି । ବ୍ରହ୍ମଶିରାକୁ ହସ୍ତେ ଧରି ॥ ୭୩
ସଂହାର ନ ଜାଣେ ତାହାରେ । ପେଷିଲା ଅର୍ଜୁନ ଉପରେ ॥ ୭୪
ସ୍ୱଭାବେ ବ୍ରହ୍ମଶିରା ନାମ । ତେଜେ ବିରାଜେ ରବି ସମ ॥ ୭୫
ତାର ପ୍ରଚଣ୍ତ ତେଜ ଚାହିଁ । କମ୍ପଇ ଅର୍ଜୁନର ଦେହୀ ॥ ୭୬
ବ୍ରହ୍ମ ଅସ୍ତ୍ରକୁ ଭୟ କଲା । ଗୋବିନ୍ଦ ମୁଖକୁ ଚାହିଁଲା ॥ ୭୭
ପଡ଼ି ଅଭୟ ପାଦତଳେ । ବୋଲଇ ଜୀବନ ବିକଳେ ॥ ୭୮

ଅର୍ଜୁନ ଉବାଚ

ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର । ଶରଣଜନଙ୍କ ସୋଦର ॥ ୭୯
ସଂସାର ଅନଳ ଦହନେ । ଡରେ ସ୍ମରନ୍ତି ତୋତେ ଜନେ ॥ ୮୦
ତାହାଙ୍କୁ ଦେଉ ମୋକ୍ଷ ଗତି । ଅଭୟ ବ୍ରହ୍ମେ ସେ ପଶନ୍ତି ॥ ୮୧
ଆଦିପୁରୁଷ ନିରଞ୍ଜନ । ପ୍ରକୃତି ପରେ ତୋ ବିଶ୍ରାମ ॥ ୮୨
ସ୍ୱରୂପେ ମାୟାକୁ ସଂହରୁ । କୈବଲ୍ୟ ରୂପେ ତୁ ବିହରୁ ॥ ୮୩
ଏଣୁ ତୋହର ଗତି ମୁହିଁ । ମାୟାର ବଳେ ନ ଜାଣଇ ॥ ୮୪
ଏ ଜୀବଲୋକେ ଘୋରମାୟା । ତୁଟଇ ଯାରେ କରୁ ଦୟା ॥ ୮୫
ଏଯେ ତୋହର ଅବତାର । ଖଣ୍ତିବ ଅବନୀର ଭାର ॥ ୮୬
ତୋରେ ଶରଣ ଯେ ପଶଇ । ସଂସାର ତାକୁ ନ ଲାଗଇ ॥ ୮୭
ଏଣୁ ମୋହର ଗତି ତୁହି । ତୋ ମାୟାବଳ ମୁଁ ଜାଣଇ ॥ ୮୮
ଏ ଯେ ଆସଇ ବ୍ରହ୍ମଶର । ତେଜେ ଆଚ୍ଛାଦି ତିନିପୁର ॥ ୮୯
ସ୍ୱଭାବେ ପ୍ରଚଣ୍ତ ଦାରୁଣ । ଦେଖି କମ୍ପଇ ମୋର ପ୍ରାଣ ॥ ୯୦
କହ କି କରିବି ଗୋସାଇଁ । ତୋ ତହୁଁ ଆନଗତି ନାହିଁ ॥ ୯୧
ଅର୍ଜୁନ ବାକ୍ୟ ଶୁଣି ହସି । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୯୨

ଶ୍ରୀକୃଷ୍ଣ ଉବାଚ

ଜୀବନ ଡରେ ଦ୍ରୋଣ ବଳା । ଅତିମାନୁଷ କର୍ମ କଲା ॥ ୯୩
ମନ୍ତ୍ର ନ ଜାଣଇ ସଂହାରେ । ବେଗେ ପେଷିଲା ପ୍ରାଣଡରେ ॥ ୯୪
ଏହା ନିବାରେ ଶସ୍ତ୍ର ନାହିଁ । କେହି ନ ଜାଣେ ଦେହ ବହି ॥ ୯୫
ତୁ ତ ସକଳ ଶାସ୍ତ୍ର ଜାଣୁ । ଚଞ୍ଚଳ ଚିତ୍ତେ ନ ପ୍ରମାଣୁ ॥ ୯୬
ଏ ବ୍ରହ୍ମଶସ୍ତ୍ର ତେଜ ଘୋର । ତୁ ବ୍ରହ୍ମଶସ୍ତ୍ରେଣ ନିବାର ॥ ୯୭

ସୂତ ଉବାଚ

ଶୁଣି ଗୋବିନ୍ଦ ମୁଖୁ ବାଣୀ । ଅର୍ଜ୍ଜୁନ ମନେ ମନେ ଗୁଣି ॥ ୯୮
ତକ୍ଷଣେ ଆଚମନ କଲା । କୃଷ୍ଣଙ୍କୁ ମନେ ସୁମରିଲା ॥ ୯୯
ଦ୍ରୋଣଙ୍କ ତହୁଁ ଅଛି ଜାଣି । ଭାବେ କହିଲେ ଚକ୍ରପାଣି ॥ ୧୦୦
ବ୍ରହ୍ମଶରକୁ ବ୍ରହ୍ମଶର । ମନ୍ତ୍ରି ପେଷିଲା ବୀରବର ॥ ୧୦୧
ଗଗନ ମଧ୍ୟେ ବେନି ଶରେ । ଭୂମି କମ୍ପଇ ଥରହରେ ॥ ୧୦୨
ଅର୍କ ଅନଳ ପ୍ରାୟ ଦିଶି । ବେଢ଼ିଲେ ଦଶଦିଗ ଗ୍ରାସି ॥ ୧୦୩
ସେ ବେନି ଶସ୍ତ୍ର ତେଜରାଶି । ପ୍ରଳୟାନଳ ପ୍ରାୟ ଦିଶି ॥ ୧୦୪
ଦହିବା ପ୍ରାୟ ତ୍ରିଭୁବନ । ଦେଖି ଡରିଲେ ସର୍ବଜନ ॥ ୧୦୫
ତେଜେ ତାପିତ ତ୍ରିଭୁବନ । ତା ଦେଖି ତକ୍ଷଣେ ଅର୍ଜୁନ ॥ ୧୦୬
କୃଷ୍ଣ ବୋଇଲେ ଶୁଣ ବୀର । ଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର ॥ ୧୦୭
ଯହୁଁ କହିଲେ ଚକ୍ରପାଣି । ତକ୍ଷଣେ ସଂହାରିଲା ଆଣି ॥ ୧୦୮
ରଥୁ ଓହ୍ଲାଇ ମହାରୋଷେ । ଧଇଲା ଅଶ୍ବତ୍ ଥାମା କେଶେ ॥ ୧୦୯
ପ୍ରଚଣ୍ତ ରୋଷେ ଶିରଝୁଣି । ଆକର୍ଷି ପାଡ଼ିଲା ଧରଣୀ ॥ ୧୧୦
କର ଚରଣ ତନୁ ଛନ୍ଦେ । ବେଗେ ବାନ୍ଧିଲା ମାଲ ବନ୍ଧେ ॥ ୧୧୧
ବରୁଣ ପାଶକୁ ସୁମରି । ପଶୁଙ୍କ ପ୍ରାୟ ବନ୍ଦୀ କରି ॥ ୧୧୨
ଅର୍ଜ୍ଜୁନ ମନେ ଦୟା ବହି । ରାଜସଦନେ ନେବା ପାଇଁ ॥ ୧୧୩
ରଥର ଦଣ୍ତେ ବାନ୍ଧେ ଆଣି । ଦେଖି ବୋଲନ୍ତି ଚକ୍ରପାଣି ॥ ୧୧୪
ଏ ବ୍ରହ୍ମବନ୍ଧୁ ବତ୍ସଦ୍ରୋହୀ । ଏହାକୁ ଦଣ୍ତେ ହେଁ ନ ଥୋଇ ॥ ୧୧୫
ମନେ ତୁ ଅନ୍ୟ ନ ବିଚାର । ବେଗେ ଏହାର ପ୍ରାଣ ହର ॥ ୧୧୬
ନିେର୍ଦୋଷ ବାଳକ ଶୟନେ । ଥିଲେଯେ ନିଦ୍ରିତ ଲୋଚନେ ॥ ୧୧୭
ଏ ନାଶ କଲା ତାଙ୍କ ପ୍ରାଣ । ଏବେ କହିବା ପାର୍ଥ ଶୁଣ ॥ ୧୧୮
ମତ୍ତ ପ୍ରମତ୍ତ ଉନମତ୍ତ । ବାଳ ବନିତା ନିଦ୍ରାଗତ ॥ ୧୧୯
ଶରଣାଗତ ରଥହୀନ । ସଙ୍କଟେ ଦେଖି ରିପୁଜନ ॥ ୧୨୦
ଏହାଙ୍କୁ ବଧ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି ॥ ୧୨୧
ପର ଜୀବନ ମାରି ଆଣି । ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ ॥ ୧୨୨
ତାଙ୍କୁ ମାରନ୍ତେ ବହୁ ପୁଣ୍ୟ । ବେଦେ କହନ୍ତି ବିପ୍ରଜନ ॥ ୧୨୩
ତୁ ଯେ ଦ୍ରୌପଦୀ ଆଗେ ରହି । ପ୍ରତିଜ୍ଞା କଲୁ ଗର୍ବ ବହି ॥ ୧୨୪
ବୋଇଲୁ ନ କାନ୍ଦ ସୁନ୍ଦରି । ତୋର ରିପୁକୁ ମୁହିଁ ଧରି ॥ ୧୨୫
ତାହାର ଶିର କାଟି ବେଗେ । ସ୍ଥାପିବି ତୋର ପାଦଯୁଗେ ॥ ୧୨୬
ମୁହିଁ ଯେ ଶୁଣିଅଛି ଏହା । ଏବେ ରଖିଲୁ କରି ଦୟା ॥ ୧୨୭
ବେଗେ ଏହାର ପ୍ରାଣ ହର । ନିମିଷେ ବିଳମ୍ବ ନ କର ॥ ୧୨୮
ଏ ପାପୀ ଆତତାୟୀ ନର । ବାଳକ ହନ୍ତା ଏ ତୁମ୍ଭର ॥ ୧୨୯
ଯାହାର ଆଶ୍ରେ ଭୋଗ କଲା । ତାର ଅପ୍ରିୟ ଏ ଚିନ୍ତିଲା ॥ ୧୩୦
ଏଣୁ ଏ କୁଳପାଂଶୁ ପଣେ । ନିତ୍ୟେ ବଞ୍ଚଇ ଘୋର ବନେ ॥ ୧୩୧

ସୂତ ଉବାଚ

ଏମନ୍ତେ ଧର୍ମ ପରୀକ୍ଷାର୍ଥେ । କୃଷ୍ଣ କହିଲେ ନାନା ମତେ ॥ ୧୩୨
ଅର୍ଜୁନ ନ ଶୁଣଇ ତାହା । ଗୁରୁ ପୁତ୍ରକୁ କରି ଦୟା ॥ ୧୩୩
ଯଦ୍ୟପି ଅଟେ ପୁତ୍ରଦ୍ରୋହୀ । ତଥାପି ବଧେ ଇଚ୍ଛା ନାହିଁ ॥ ୧୩୪
ତକ୍ଷଣେ ଉଠି ବୀର ପାର୍ଥ । ବନ୍ଧନ କରି ଗୁରୁସୁତ ॥ ୧୩୫
ଦ୍ରୌପଦୀ ଆଗେ ନେଇ ଦେଲା । ତୋ ରିପୁ ସମ୍ଭାଳ ବୋଇଲା ॥ ୧୩୬
ନିନ୍ଦିତ କର୍ମେ ହୀନ ହୋଇ । ବନ୍ଧନ ପଶୁ ପାଶେ ଦେହୀ ॥ ୧୩୭
ଦ୍ରୌପଦୀ ତାର ରୂପ ଚାହିଁ । ତକ୍ଷଣେ ଚିତ୍ତେ ଦୟା ବହି ॥ ୧୩୮
ପୁତ୍ରଙ୍କ ରିପୁ ଏ ନିୟତ । ସ୍ୱଭାବେ ଦ୍ରୋଣ-ଗୁରୁ-ସୁତ ॥ ୧୩୯
ଅନ୍ତରେ ନମସ୍କାର କଲା । ଅର୍ଜୁନ ମୁଖକୁ ଚାହିଁଲା ॥ ୧୪୦
ବୋଲଇ ବେନି କରଯୋଡ଼ି । ବନ୍ଧନ ଦିଅ ବେଗେ ଫେଡ଼ି ॥ ୧୪୧
ସ୍ୱଭାବେ ବିପ୍ର ଗୁରୁଜନ । ବିଶେଷେ ଦ୍ରୋଣଙ୍କ ନନ୍ଦନ ॥ ୧୪୨
ରହସ୍ୟ ଧନୁର୍ବେଦ ଗ୍ରାମ । ବିସର୍ଗ ସଂହାର ସଂଯମ ॥ ୧୪୩
ସକଳ ଅସ୍ତ୍ର ଶସ୍ତ୍ର କଳା । ଯେ ଗୁରୁ ପଣେ ଶିଖାଇଲା ॥ ୧୪୪
ସେହିଟି ପୁତ୍ର ରୂପେ ଜାତ । ଆତ୍ମାରୁ ଆପଣେ ସମ୍ଭୂତ ॥ ୧୪୫
ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି । ଯୁକତେ ଏହାର ଜନନୀ ॥ ୧୪୬
ସ୍ୱାମୀର ସଙ୍ଗେ ସେ ନ ମଲା । ଯେଣୁ ଏ ପୁତ୍ର ତାର ଥିଲା ॥ ୧୪୭
ତୁମ୍ଭେ ଧର୍ମଜ୍ଞ ମହାଭାଗ । ଏ ନୋହେ ତୁମ୍ଭ ଦଣ୍ତଯୋଗ୍ୟ ॥ ୧୪୮
ଏ ତୋର ଧର୍ମ ଗୁରୁକୁଳ । ଏହାକୁ ଭଲେ ପ୍ରତିପାଳ ॥ ୧୪୯
ଏହାର ଗଉତମୀ ମାତା । ସୁପୁଣ୍ୟବତୀ ପତିବ୍ରତା ॥ ୧୫୦
ରୋଦନ ନ କରୁ ସେ ଶୋକେ । ମୋହର ପ୍ରାୟେ ପୁତ୍ର ଦୁଃଖେ ॥ ୧୫୧
କ୍ଷତ୍ରିୟ ଯେବେ ମୂଢ଼ପଣେ । କୋପ ସମ୍ପାଦେ ବିପ୍ରଗଣେ ॥ ୧୫୨
ସେ କୋପେ ନିଜକୁଳ ଦହେ । ଏଣୁ କେ ବିପ୍ର ମନ୍ୟୁ ସହେ ॥ ୧୫୩

ସୂତ ଉବାଚ

ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ । ହରଷେ ଯୁଧିଷ୍ଠିର ଶୁଣି ॥ ୧୫୪
ଶୁଣି ନକୁଳ ସହଦେବ । ସାତ୍ୟକି ଅର୍ଜୁନ ପାଣ୍ତବ ॥ ୧୫୫
ଗୋବିନ୍ଦ ଆଦି ଶୁଣି କରି । କୁନ୍ତୀ ସହିତେ ଯେତେ ନାରୀ ॥ ୧୫୬
ମଉନେ କିଛି ନ ବୋଇଲେ । ସେ ଧର୍ମ ଅନ୍ତରେ ଜାଣିଲେ ॥ ୧୫୭
ତାହାଙ୍କ ମଧ୍ୟେ ଭୀମସେନ । କଟାକ୍ଷେ ଅରୁଣ ଲୋଚନ ॥ ୧୫୮
କୋପେ ଅନାଇ କୃଷ୍ଣ ମୁଖେ । ବୋଲନ୍ତି ଅତି ମନ ଦୁଃଖେ ॥ ୧୫୯
ତୀକ୍ଷ୍ଣ ଖଡ଼ଗେ କାଟି ଶିର । ଏହାକୁ ନରକୁ ଉଦ୍ଧର ॥ ୧୬୦
କି ପ୍ରୟୋଜନ କିବା ଅର୍ଥେ । ଏ ପାପୁ ତରିବ କେମନ୍ତେ ॥ ୧୬୧
ଶୟନେ ଶିଶୁବଧ କଲା । ସ୍ୱଭାବେ ଜିଉଁ ଜିଉଁ ମଲା ॥ ୧୬୨
ଦ୍ରୌପଦୀ ତୁଲେ ଚକ୍ରପାଣି । ଏ ଧର୍ମ ଭୀମ ମୁଖୁ ଶୁଣି ॥ ୧୬୩
ଅଳପ ହାସେ ଭାବଗ୍ରାହୀ । ବୋଲନ୍ତି ଅର୍ଜୁନକୁ ଚାହିଁ ॥ ୧୬୪

ଶ୍ରୀଭଗବାନୁବାଚ

ବ୍ରାହ୍ମଣ ବଧ ଯୋଗ୍ୟ ନୋହି । ଏହା ମୁଁ ଶାସ୍ତ୍ରେ ଅଛି କହି ॥ ୧୬୫
ଯେ ଆତତାୟୀ କର୍ମ କରେ । ଅଧର୍ମ ମାର୍ଗେ ଶସ୍ତ୍ରଧରେ ॥ ୧୬୬
ଜୀବନ ଥାଉଁ ସେ ମରନ୍ତି । ଅନ୍ତେ ନରକ ପଥ ଚିନ୍ତି ॥ ୧୬୭
ମରଣ ଉଚିତ ଏହାର । ଏହାକୁ ରଖ ବୀରବର ॥ ୧୬୮
ଉଭୟ ବାକ୍ୟ ମୋର କର । ଯେ ଧର୍ମ ଉଚିତ ବେଭାର ॥ ୧୬୯
ଦ୍ରୌପଦୀ ପୁତ୍ର ଶୋକ ବେଳେ । ତୁ ଯେ ବୋଇଲୁ ଅବହେଳେ ॥ ୧୭୦
ତୋହର ପୁତ୍ର ଶତ୍ରୁ ମାରି । ଶିର ଚରଣେ ପୂଜା କରି ॥ ୧୭୧
ଖଣ୍ତିବ ପୁତ୍ର ଶୋକ ତେବେ । ମୋର ବଚନ କର ଏବେ ॥ ୧୭୨
ଶସ୍ତ୍ରେ ଏହାର ତେଜ ହର । ଜୀବନ ମୃତ୍ୟୁ ପ୍ରାୟେ କର ॥ ୧୭୩
ଶାସ୍ତି ଲାଞ୍ଛନେ ଏ ବିହରୁ । ଏ ବିପ୍ର ଜୀବନେ ନ ମରୁ ॥ ୧୭୪
ଶୋକ ନ ଥାଉ କୃଷ୍ଣା ଚିତ୍ତେ । ଏ କଥା କର ଭୀମ ହିତେ ॥ ୧୭୫
ଏକଥା ମୋର ସନମତ । ଶୁଣି ଅର୍ଜୁନ କୃତକୃତ୍ୟ ॥ ୧୭୬
ତକ୍ଷଣେ ଉଠି କୋପଭରେ । ତୀକ୍ଷ୍ଣ ଖଡ୍ ଗ ଧରି କରେ ॥ ୧୭୭
କେଶ ଧଇଲା ବାମ ହସ୍ତେ । ମଣି ଯେ ଥିଲା ତାମ ମାଥେ ॥ ୧୭୮
ଖଡ଼ଗ ଧରି ଦୃଢ଼ମୁଷ୍ଟି । ମଣି ସହିତେ ଶିଖା କାଟି ॥ ୧୭୯
ଆଣି ଥୋଇଲା ବାହୁବଳେ । ଦ୍ରୌପଦୀ ଦେବୀ ପାଦ ତଳେ ॥ ୧୮୦
ବନ୍ଧନ ତକ୍ଷଣେ ଫେଇଲା । ଦ୍ରୌପଦୀ ତା ମୁଖ ଚାହିଁଲା ॥ ୧୮୧
ବାଳକ ହତ୍ୟା ଦୋଷେ ହୀନ । ମଳିନ ଦିଶେ ତା ବଦନ ॥ ୧୮୨
ମଣି ହରଣେ ତେଜ ଗଲା । ନଗରୁ ବେଗେ ପଳାଇଲା ॥ ୧୮୩
କେଶବପନ ଧନ ହରି । ତାହାକୁ ରାଜ୍ୟୁ ଦୂର କରି ॥ ୧୮୪
ବ୍ରାହ୍ମଣ ଦଣ୍ତ ଏହି ମତେ । ମରଣ ଲଭଇ ଜୀବନ୍ତେ ॥ ୧୮୫
ଦ୍ରୋଣ କୁମରେ ଶାସ୍ତି ଦେଇ । ଜ୍ଞାତି ବାନ୍ଧବେ ରୁଣ୍ତ ହୋଇ ॥ ୧୮୬
ସର୍ବେ ଆତୁର ପୁତ୍ର ଶୋକେ । ବାଳକ ଘେନି ଏକେ ଏକେ ॥ ୧୮୭
ଦହନ କଲେ ଦୁଃଖ ମନେ । ଏବେ ହୋ ଶୁଣ ମୁନିଜନେ ॥ ୧୮୮
ସୁଜନ ହିତେ ଭାଗବତ । ଭିଆଇ ରସମୟ ଗୀତ ॥ ୧୮୯
ପ୍ରଥମସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୯୦
ଅମୃତ ଶ୍ରୀକୃଷ୍ଣ ଚରିତ । କହଇ ଦାସ ଜଗନ୍ନାଥ ॥ ୧୯୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଦୌଣିନିଗ୍ରହୋ ନାମ ସପ୍ତମୋଽଧ୍ୟାୟଃ ।।

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ସକଳେ ମିଳି ଦୁଃଖ ଶୋକେ । ମିଳିଲେ ଗଙ୍ଗାର ଉଦକେ ॥ ୧
ମୃତ୍ୟୁ ଉଦକ ଦାନ ଅର୍ଥେ । ଦ୍ରୌପଦୀ କୁନ୍ତୀର ସହିତେ ॥ ୨
ଅପରେ ଯେତେ ନାରୀଗଣେ । ସକଳ ଶୋକ ନିବାରଣେ ॥ ୩
ଗଙ୍ଗାର ତୀରେ ଦୁଃଖମନେ । ମିଳିଲେ ସର୍ବ ବନ୍ଧୁଜନେ ॥ ୪
ଉଦକ ଦେଇ ଗଙ୍ଗାଜଳେ । ଦ୍ୱିତୀୟ ସ୍ନାନ କରି ଗଲେ ॥ ୫
ଧର୍ମନନ୍ଦନ ଭୀମସେନ । ଅମ୍ବିକାସୁତ ଯେ ଅର୍ଜୁନ ॥ ୬
ଗାନ୍ଧାରୀ ପୁତ୍ରଶୋକେ କାନ୍ଦି । ଧରଣୀ ଲୋଟଇ ଦ୍ରୌପଦୀ ॥ ୭
କୁନ୍ତୀ କାନ୍ଦଇ ଅଶ୍ରୁମୁଖେ । ଏମନ୍ତେ ସର୍ବେ ଦୁଃଖ ଶୋକେ ॥ ୮
ବିକଳେ କରନ୍ତେ ରୋଦନ । ତା ଦେଖି ଦେବକୀନନ୍ଦନ ॥ ୯
ବ୍ୟାସ ସହିତେ ସର୍ବମୁନି । କୃଷ୍ଣ ବସିଲେ ସଙ୍ଗେ ଘେନି ॥ ୧୦
ଧର୍ମପୁରାଣ ଇତିହାସ । ମୁନିଏ କରନ୍ତି ପ୍ରକାଶ ॥ ୧୧

ମୁନି ଉବାଚ

ମିଥ୍ୟା ସଂସାର ବିଷ୍ଣୁମାୟା । କେ ସତ୍ୟ କରିପାରେ ଏହା ॥ ୧୨
କାଳର କ୍ରୀଡ଼ା ଏ ଜଗତ । କାଳକୁ କେବା ସାମରଥ ॥ ୧୩
ସର୍ଜି ପାଳଇ ପୁଣ ହରେ । କାଳର କ୍ରୀଡ଼ା ଏ ସଂସାରେ ॥ ୧୪
ତାହାକୁ ପ୍ରତିକ୍ରିୟା ନାହିଁ । ଏମନ୍ତେ ବୋଧ ତାଙ୍କୁ ଦେଇ ॥ ୧୫
ଶୋକ ହରିଲେ ନାରାୟଣ । ଏବେ ହୋ ମନିଗଣେ ଶୁଣ ॥ ୧୬
ଦୁଷ୍ଟରାଜାଙ୍କ ସଙ୍ଗ ମେଳେ । କିତବେ ରାଜ୍ୟ ହରିଥିଲେ ॥ ୧୭
ଦ୍ରୌପଦୀ କେଶ ସ୍ପର୍ଶ ଦୋଷେ । ସ୍ୱଭାବେ ଅଳପ ଆୟୁଷେ ॥ ୧୮
ତାହାଙ୍କୁ ପ୍ରଭୁ ମାୟା କରି । ଅର୍ଜୁନ ଗାଣ୍ତୀବେ ସଂହାରି ॥ ୧୯
ଯୁଧିଷ୍ଠିରଙ୍କୁ ରାଜ୍ୟ ଦେଲେ । ଅବନୀଭାରା ନିବାରିଲେ ॥ ୨୦
ଉତ୍ତମ କଳ୍ପେ ସୁସମ୍ପାଦି । କରାଇ ତିନି ଅଶ୍ୱମେଧି ॥ ୨୧
ରାଜାର ଯଶ ମହୀତଳେ । ଇନ୍ଦ୍ରର ପ୍ରାୟେ ସମ୍ପାଦିଲେ ॥ ୨୨
ପାଣ୍ତୁପୁତ୍ରଙ୍କୁ କରି ଭାବ । ସଙ୍ଗତେ ସାତ୍ୟକି ଉଦ୍ଧବ ॥ ୨୩
ବ୍ୟାସ ସମେତେ ଯେତେ ମୁନି । କୃଷ୍ଣ ପୂଜିଲେ ଅର୍ଘ୍ୟ ଘେନି ॥ ୨୪
ସନ୍ତୋଷେ ସର୍ବ ମୁନିଗଣେ । କୃଷ୍ଣଙ୍କୁ ପୂଜିଲେ କଲ୍ୟାଣେ ॥ ୨୫
ତାହାଙ୍କୁ ମାଗି ଅନୁଯାନ । ରଥେ ବସିଲେ ଭଗବାନ ॥ ୨୬
ଦ୍ୱାରକା ବିଜେ ନରହରି । ବାଜଇ ମଙ୍ଗଳ ମହୁରୀ ॥ ୨୭
ଏମନ୍ତେ ଶୁଣ ମୁନିଜନେ । ଉତ୍ତରା ରାଜାର ଭୁବନେ ॥ ୨୮
ଥିଲା ଯେ ଅଭିମନ୍ୟୁ ଅନ୍ତେ । ଅନଳେ ନ ଗଲା ସଙ୍ଗତେ ॥ ୨୯
ବିଧବା ରୂପେ ଗର୍ଭବାସେ । କୁନ୍ତୀ ଦ୍ରୌପଦୀଙ୍କ ଆଶ୍ୱାସେ ॥ ୩୦
ତାର ଗର୍ଭକୁ କୋପ କଲା । କାନନେ ଦ୍ରୋଣଗୁରୁବଳା ॥ ୩୧
ଅର୍ଜ୍ଜୁନ ହସ୍ତେ ଦଣ୍ତ ପାଇ । ଲୁଚିଲା ଘୋରବନେ ଯାଇ ॥ ୩୨
ସହି ନ ପାରି ଅପମାନ । କୋପ ବସିଲା ତାର ମନ ॥ ୩୩
ସଙ୍କଳ୍ପ କରି ଗଙ୍ଗାଜଳେ । ଧନୁ ଧଇଲା କୋପାନଳେ ॥ ୩୪
ମନ୍ତ୍ର ଉଚ୍ଚାରି ବ୍ରହ୍ମଶର । ବୋଲଇ ଦ୍ରୋଣଙ୍କ କୁମର ॥ ୩୫
ତୁ ଯେ କଠୋର ସାଧ୍ୟ ମୋର । ଅବନୀ-ଅପାଣ୍ତବ କର ॥ ୩୬
ଏମନ୍ତେ ବିନ୍ଧିଲା ନାରାଚ । ଗଗନେ ଯେହ୍ନେ ରବିତେଜ ॥ ୩୭
ଦିଶ ଆକାଶ ଆବୋରିଲା । ତା ତେଜେ ଭୁବନ କମ୍ପିଲା ॥ ୩୮
ଗଗନେ ଆସୁଅଛି କ୍ଷେପି । ଉତ୍ତରା ଭୟ କଲା ଦେଖି ॥ ୩୯
ଧାମଇ ଜୀବନ ବିକଳେ । କେଶ ବସନ ଅସମ୍ଭାଳେ ॥ ୪୦
ବିକଳେ ବେନିକର ତୋଳି । ଡାକଇ ରଖ ବନମାଳୀ ॥ ୪୧
ହେ ଦେବ ଦେବ ଜଗନ୍ନାଥ । ଭାରା ନିବାରେ ତୋ ସମ୍ଭୂତ ॥ ୪୨
ହେ ମହାଯୋଗୀ ଯୋଗେଶ୍ୱର । ଜଗତଈଶ୍ୱର ଈଶ୍ୱର ॥ ୪୩
ଅନାଥ ନାଥ ଭାବଗ୍ରାହୀ । ଘୋର ସଙ୍କଟୁ କର ତ୍ରାହି ॥ ୪୪
ତୋ ତହୁଁ ନ ଜାଣଇ ଆନ । ଅଭୟ ସଙ୍କଟ ଭଞ୍ଜନ ॥ ୪୫
ଏ ଯେ ଗଗନ ମାର୍ଗେ ଶର । ଆସଇ ଯେହ୍ନେ ଦିବାକର ॥ ୪୬
ପାଣ୍ତବକୁଳ ଏ ହରିବ । ଏହାକୁ କେବା ନିବାରିବ ॥ ୪୭
ତୋରେ ଶରଣ ଗଲି ମୁହିଁ । ମୋ ଗର୍ଭ ରଖ ଭାବଗ୍ରାହୀ ॥ ୪୮
ଏ ଗର୍ଭ ରବିତଳେ ଥାଉ । ମୋର ଜୀବନ ବାଣ ଦହୁ ॥ ୪୯

ସୂତ ଉବାଚ

ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି । ମନେ ଚିନ୍ତିଲେ ଚକ୍ରପାଣି ॥ ୫୦
ଦ୍ରୋଣ କୁମର ଅପମାନେ । ଲୁଚି ଯେ ଥିଲା ଘୋରବନେ ॥ ୫୧
ମନ୍ତ୍ରୀ ନାରାଚ ବ୍ରହ୍ମଶର । ପ୍ରହାର କଲା କୋପଭର ॥ ୫୨
ମେଦିନୀ-ଅପାଣ୍ତବ-ଶର । ମୁହିଁ କରିବି ପ୍ରତିକାର ॥ ୫୩
ଏକଥା କୃଷ୍ଣ ମୁଖୁ ଶୁଣି । ପାଣ୍ତବେ ନିଜ ଧନୁ ଆଣି ॥ ୫୪
ସୂର୍ଯ୍ୟର ପ୍ରାୟ ଏକେ ଏକେ । ପଞ୍ଚ-ନାରାଚ ଅଭିମୁଖେ ॥ ୫୫
ଯୋଚି ଚାହିଁଲେ କୃଷ୍ଣମୁଖ । ଅନ୍ତେ ବୋଲନ୍ତି ରଖ ରଖ ॥ ୫୬
ତାହା ଜାଣିଲେ ନରହରି । ତକ୍ଷଣେ ଚକ୍ରକୁ ସୁମରି ॥ ୫୭
ବୋଇଲେ ଶୁଣ ସୁଦର୍ଶନ । ରଖ ତୁ ପାଣ୍ତବ ଜୀବନ ॥ ୫୮
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଯହିଁ ପାଣ୍ତବ ପାଞ୍ଚଭାଇ ॥ ୫୯
ମେଘର ପ୍ରାୟେ ଆଚ୍ଛାଦିଲା । କୃଷ୍ଣର କରେ ବିଜେ କଲା ॥ ୬୦
ସେ ଚକ୍ର ଘେନି କୃଷ୍ଣ ବେଗେ । ପଶିଲେ ଉତ୍ତରାର ଗର୍ଭେ ॥ ୬୧
ସେ ମାୟାଧର ଚକ୍ରପାଣି । କେବା ପାରିବ ପରିମାଣି ॥ ୬୨
ସକଳ ଆତ୍ମା ଯୋଗେଶ୍ୱର । ଯାର ମହିମା ଅଗୋଚର ॥ ୬୩
ପାଣ୍ତବ ବଂଶ ରକ୍ଷା ଅର୍ଥେ । ଗର୍ଭ ଆବୋରି ଚକ୍ରହସ୍ତେ ॥ ୬୪
ସ୍ୱଭାବେ ଶସ୍ତ୍ର ବ୍ରହ୍ମଶର । ତାହାକୁ ନାହିଁ ପ୍ରତିକାର ॥ ୬୫
କୃଷ୍ଣର ତେଜ ତା ସଂହାରି । ଗର୍ଭକୁ ରଖିଲେ ମୁରାରି ॥ ୬୬
ଯାହାର ମାୟା ଏ ସଂସାରେ । ସଞ୍ଚଇ ପାଳଇ ସଂହାରେ ॥ ୬୭
ଏକି ଆଶ୍ଚର୍ଯ୍ୟ ଅଟେ ତାର । ସର୍ବ ଆଶ୍ଚର୍ଯ୍ୟ ଯେ ଈଶ୍ୱର ॥ ୬୮
ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା । ପାଣ୍ତବେ ଗୋବିନ୍ଦ ରଖିଲା ॥ ୬୯
ତକ୍ଷଣେ ପାଣ୍ତବ ଜନନୀ । କୃଷ୍ଣା ଉତ୍ତରା ସେଙ୍ଗ ଘେନି ॥ ୭୦
ପାଞ୍ଚପୁତ୍ରଙ୍କୁ ଘେନି ସେଙ୍ଗ । ନମିଲେ କୃଷ୍ଣ-ପାଦ-ଯୁଗେ ॥ ୭୧
କାତରେ ଯୋଡ଼ି ବେନି ପାଣି । କଣ୍ଠ କୁଣ୍ଠିତେ କହେ ବାଣୀ ॥ ୭୨
ବୋଲଇ କୃଷ୍ଣ ମୁଖ ଚାହିଁ । ଭୋ ନାଥ କର ମୋତେ ତ୍ରାହି ॥ ୭୩

କୁନ୍ତୀ ଉବାଚ

ଭୋ କୃଷ୍ଣ ମୁଁ ତୋର କିଙ୍କର । ଆଦି ପୁରୁଷ ତୁ ଈଶ୍ୱର ॥ ୭୪
ପ୍ରକୃତି ପରେ ତୋର ବାସ । ଏଣୁ ପ୍ରାଣିଙ୍କି ଅପ୍ରକାଶ ॥ ୭୫
ଜନ୍ତୁଙ୍କ ଅନ୍ତର ବାହାରେ । ତୋ ବିନୁ ଅନ୍ୟ ନାହିଁ ପରେ ॥ ୭୬
ଆଚ୍ଛାଦି ମାୟା ଯବନିକା । ନିର୍ଲେ ରୂପେ ଥାଉ ଏକା ॥ ୭୭
ଇନ୍ଦ୍ରିୟଗଣ ତୁଲେ ପୂରି । ଅବ୍ୟୟ ଆତ୍ମାରୂପ ଧରି ॥ ୭୮
ତୋହର ମାୟା ଯାର ଚିତ୍ତେ । ସେ ତୋତେ ଜାଣିବେ କେମନ୍ତେ ॥ ୭୯
ନଟଙ୍କ ମଧ୍ୟେ ଯେ ନାୟକ । ସେ ଯେହ୍ନେ ନାଟେ ମୋହେ ଲୋକ ॥ ୮୦
ନାନା କାଛେଣି ସେ ଭିଆଇ । ନୃତ୍ୟକାରକୁ ସେ ନଚାଇ ॥ ୮୧
ଦେଖନ୍ତା ପ୍ରାଣୀ ମନ ମୋହେ । ନିଶ୍ଚେ ବିଚାରେ ସତ୍ୟ ନୋହେ ॥ ୮୨
ପରମହଂସ ଦୀକ୍ଷା ପଣେ । ନିର୍ମଳଚେତା ମୁନିଗଣେ ॥ ୮୩
ଦୃଢ଼-ଭକତି-ଯୋଗ ମତେ । ତୋ ପାଦେ ଧ୍ୟାନ ଅବିରତେ ॥ ୮୪
ସେ ଭକ୍ତିଯୋଗର ବିଧାନ । କାହୁଁ ଦେଖିବେ ସ୍ତିରୀଜନ ॥ ୮୫
ତୁ ନାଥ କୃଷ୍ଣ ଅବତାରେ । ପ୍ରକାଶ ବସୁଦେବ ଘରେ ॥ ୮୬
ଦେବକୀ ଉଦରୁ ସମ୍ଭବ । ଏଣୁ ତୋ ନାମ ବାସୁଦେବ ॥ ୮୭
ସକଳ ଜନ୍ତୁ ହୃଦଗତେ । ତୋର ବିଜୟ ଆତ୍ମାମତେ ॥ ୮୮
କୁମାର ରୂପେ ନନ୍ଦ ଘରେ । ତୋର ବିହାର ଗୋପପୁରେ ॥ ୮୯
ଇନ୍ଦ୍ର ବିବାଦେ ବନମାଳୀ । ପର୍ବତ ବାମକରେ ତୋଳି ॥ ୯୦
ରଖିଲୁ ଗୋପର ସମ୍ପଦ । ଏମନ୍ତେ ନାମ ତୋ ଗୋବିନ୍ଦ ॥ ୯୧
ତୁମ୍ଭଙ୍କୁ ମୋର ନମସ୍କାର । ତୋ ବିନୁ ନ ଜାଣଇ ଆର ॥ ୯୨
ପ୍ରଳୟଜଳେ ତୋର ବାସ । ନାଭିରୁ ପଙ୍କଜ ପ୍ରକାଶ ॥ ୯୩
ପଙ୍କଜମାଳା ତୋର ଗଳେ । ବିହରୁ ଭୁବନ ମଣ୍ତଳେ ॥ ୯୪
ପଙ୍କଜ-ଲୋଚନ ସୁନ୍ଦର । ନମଇ ପଙ୍କଜ-ପୟର ॥ ୯୫
ଦେବକୀ ଦେବୀ କଂସ ଘରେ । ବନ୍ଦୀରେ ଥିଲା ଶୋକ ଭରେ ॥ ୯୬
ମୁଁ ପଞ୍ଚପୁତ୍ର ଘେନି ଏକେ । ବନେ ବଞ୍ଚଇ ଦୁଃଖଶୋକେ ॥ ୯୭
ଦେବକୀ ପ୍ରାୟେ ମୋତେ କରି । ଅଶେଷ ସଙ୍କଟୁ ଉଦ୍ଧରି ॥ ୯୮
ଭୀମକୁ ବିଷଲଡ଼ୁ ଦେଲେ । ତହୁଁ ରଖିଲୁ ତେତେବେଳେ ॥ ୯୯
ଜତୁର ଘର ଦହନରୁ । ତୁ ନାଥ ତହୁଁ ଉଦ୍ଧରିଲୁ ॥ ୧୦୦
ଜଳେ କୁମ୍ଭିରୀ ଆଦି ଯେତେ । ରାକ୍ଷସେ ମିଳିଲେ ବନସ୍ତେ ॥ ୧୦୧
ହିଡିମ୍ବକାଦି ଯେ ରାକ୍ଷସ । ତହୁଁ ରଖିଲୁ ପୀତବାସ ॥ ୧୦୨
ପଶା କପଟେ ରାଜ୍ୟ ହରି । ନେଲେ ଦ୍ରୌପଦୀ କେଶ ଧରି ॥ ୧୦୩
ବିବସ୍ତ୍ର କଲେ ସଭାତଳେ । ତହୁଁ ରଖିଲୁ ତେତେବେଳେ ॥ ୧୦୪
ପୁଣି ଅଜ୍ଞାତ ବନବାସେ । ଦିନ ବଞ୍ଚିଲୁ ନାନା ଦେଶେ ॥ ୧୦୫
ଯୁଦ୍ଧେ ଦୁର୍ଜୟ ରିପୁ ତ୍ରାସୁ । ତୁ ନାଥ ମୋ ପୁତ୍ରେ ଆଶ୍ୱାସୁ ॥ ୧୦୬
ଦ୍ରୋଣକୁମର ବ୍ରହ୍ମଶର । ତହୁଁ ରଖିଲୁ ବଂଶ ମୋର ॥ ୧୦୭
ଏଣୁ ବିପଦେ ନ ଡରଇ । ଯେ ଦୁଃଖେ ତୋତେ ମୁଁ ଦେଖଇ ॥ ୧୦୮
ତୋହର ଦରଶନ ଫଳେ । ଏ ଜୀବ ରହଇ ନିଶ୍ଚଳେ ॥ ୧୦୯
ପରମଲୋକେ ଲଭେ ବାସ । ତୁ ନାଥ ଭକତ ବିଶ୍ୱାସ ॥ ୧୧୦
ଉତ୍ତମ କୁଳେ ଜନ୍ମ ହୋଇ । ବିଦ୍ୟା ସମ୍ପଦ ଯେବେ ଥାଇ ॥ ୧୧୧
ବୁଡ଼ଇ ମତ୍ତଗର୍ବ-ଚିତ୍ତେ । ସେ ତୋତେ ପାଇବ କେମନ୍ତେ ॥ ୧୧୨
ତୁ ନାଥ ଜଗତ ଜୀବନ । ତୁ ଅକିଞ୍ଚନ-ଜନ-ଧନ ॥ ୧୧୩
ଦରିଦ୍ର-ଜନ-ଧନ ତୁହି । ପ୍ରକୃତି ତୋତେ ନ ଜାଣଇ ॥ ୧୧୪
ତୁ ନାଥ ଆତ୍ମାରାମ ଶାନ୍ତ । ନମଇଁ କୈବଲ୍ୟର ନାଥ ॥ ୧୧୫
ତୁ ନାଥ କାଳରୂପ ହେଉ । ଅନାଦି-ନିଧନ ବୋଲାଉ ॥ ୧୧୬
ସମେ ତୁ ବସୁ ସର୍ବଦେହେ । ପ୍ରାଣୀ ତୋହର ମାୟାମୋହେ ॥ ୧୧୭
ଭଜନ୍ତି ଅନ୍ୟ ଅନ୍ୟ ଭାବେ । କଳି ଯେସନେ କଳିଯୁଗେ ॥ ୧୧୮
ତୋହର ଇଚ୍ଛା କେ ଜାଣିବ । ଶରୀର ବହି ବ୍ରହ୍ମା ଶିବ ॥ ୧୧୯
ତୋର ଚରିତ ଭଗବାନ । ଏ ନରଲୋକେ ବିଡ଼ମ୍ବନ ॥ ୧୨୦
ଏଣୁ ତୋ ରିପୁ ମିତ୍ର ନାହିଁ । ପ୍ରାଣୀ ଜାଣିବେ ତୋତେ କାହିଁ ॥ ୧୨୧
ତୋଠାରେ ଭେଦବୁଦ୍ଧି କରି । ବଇରି ମିତ୍ର ଅନୁସରି ॥ ୧୨୨
ତୁ ବିଶ୍ୱଆତ୍ମା ନରହରି । ଲୀଳାବିହାରେ ଦେହ ଧରି ॥ ୧୨୩
ପଶୁଙ୍କ ମଧ୍ୟେ ହେଉ ଜାତ । ଋଷିଙ୍କ ଘରେ ଋଷିସୁତ ॥ ୧୨୪
ଜଳଜନ୍ତୁଙ୍କ ମଧ୍ୟେ ତୁହି । ବିହରୁ ମୀନ କୂର୍ମ ହୋଇ ॥ ୧୨୫
ଏ କଥା ତୋତେ ବିଡ଼ମ୍ବନ । ଆଧ୍ୟାତ୍ମ ଆତ୍ମା ନିରଞ୍ଜନ ॥ ୧୨୬
ଦଧି ମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ ॥ ୧୨୭
ପଛେ ଲୁଚାଇ ଛାଟ ଗୋଟି । ତା ଦେଖି ଭୂମିରେ ତୁ ଲୋଟି ॥ ୧୨୮
ଚକ୍ଷୁ ଅଞ୍ଜନ ଘଷି କରେ । କାନ୍ଦି ପଡ଼ିଲୁ ତା ପୟରେ ॥ ୧୨୯
ବଦନ ହସ୍ତରେ ଲୁଚାଇ । ଭୟେ କମ୍ପଇ ତୋର ଦେହୀ ॥ ୧୩୦
ଏ ତୋର ସର୍ବ ସମ୍ପାଦିଲା । ମୋତେ ତ ସନ୍ଦେହ ଲାଗିଲା ॥ ୧୩୧
ଭୟ ଯାହାର ନାମେ ଡରେ । ସେ କିମ୍ପା ଯଶୋଦାକୁ ଡରେ ॥ ୧୩୨
ତୁ ନାଥ ଯୋଗମାୟା ଅଂଶେ । ଜନ୍ମିଲୁ ଯଦୁରାଜ ବଂଶେ ॥ ୧୩୩
ସ୍ୱଭାବେ ଜନ୍ମ ନାହିଁ ତୋର । ଯୁଧିଷ୍ଠି କାର୍ଯ୍ୟେ ଅବତାର ॥ ୧୩୪
ଏଣୁ କଳ୍ପନ୍ତି ସାଧୁଜନ । ମଳୟେ ଯେସନେ ଚନ୍ଦନ ॥ ୧୩୫
ଅପରେ ଯେତେ ସାଧୁଜନ । ତୋ ଜନ୍ମ କରି ଅନୁମାନ ॥ ୧୩୬
ବୋଲନ୍ତି ବାସୁଦେବ ଘରେ । ଜନ୍ମିଲୁ ଭୂମିଭାରା ହରେ ॥ ୧୩୭
ପୂର୍ବେ କଠୋର ତପ କରି । ବର ମାଗିଲା ପୁତ୍ର କରି ॥ ୧୩୮
ତେଣୁ ଦେବକୀ ଗର୍ଭେ ଜାତ । ତୁ ଯେଣୁ ଅନାଥର ନାଥ ॥ ୧୩୯
ଅସୁରଙ୍କର ଭାରେ ମହୀ । ବ୍ରହ୍ମା ସମୀପେ ଦୁଃଖ କହି ॥ ୧୪୦
ତାହାର ଅର୍ଥେ ଭଗବାନ । ଜଳେ ଯେ ତୋହର ଶୟନ ॥ ୧୪୧
ସର୍ବଦେବଙ୍କୁ ଘେନିଗଲା । ତୋର ଚରଣେ ସ୍ତୁତି କଲା ॥ ୧୪୨
କହିଲା ତୋ ଚରଣ ତଳେ । ନାବ ବୁଡ଼ଇ ଯେହ୍ନେ ଜଳେ ॥ ୧୪୩
ତେମନ୍ତ ବୁଡ଼ଇ ଧରଣୀ । ଏହାକୁ ରଖ ଚକ୍ରପାଣି ॥ ୧୪୪
ତେଣୁ ତୁ ନର ରୂପ ଧରି । ଭୂମିମଣ୍ତଳେ ଅବତରି ॥ ୧୪୫
ଅବିଦ୍ୟା କାମ୍ୟକର୍ମ ବଳେ । ଜନ୍ତୁଏ ଦୁଃଖେ ଭବଜଳେ ॥ ୧୪୬
ଅତି କ୍ଳେଶିତ ତାଙ୍କ ଦେହୀ । ତାହାଙ୍କୁ ଉଦ୍ଧରିବା ପାଇଁ ॥ ୧୪୭
ଧ୍ୟାନ ଶ୍ରବଣ ମନ୍ତ୍ରଗୁରୁ । ତେଣୁ ମହିମା କଳ୍ପତରୁ ॥ ୧୪୮
ତୋର ଚରିତ କର୍ଣ୍ଣେ ଶୁଣି । ତୋହର ନାମ ମୁଖେ ଭଣି ॥ ୧୪୯
ମନ ତୋହର ଦେହେ ଦ୍ୟନ୍ତି । ଆନନ୍ଦେ ଦେହ ସମର୍ପନ୍ତି ॥ ୧୫୦
ଏଣୁ ପଶନ୍ତି ତୋ ଚରଣେ । ନିଶ୍ଚିନ୍ତେ ଧ୍ୟାନେ ସୁମରଣେ ॥ ୧୫୧
ତୋର ଚରଣ ତାଙ୍କୁ ରଖେ । ଭବ-ପ୍ରବାହୁ ତରେ ସୁଖେ ॥ ୧୫୨
ସେ ପାଦେ ପଶିଲି ଶରଣ । ମୋତେ ନ ତେଜ ନାରାୟଣ ॥ ୧୫୩
ତୁ ଯେ ମୋହର ସୁତ ହିତେ । ଜନ୍ମିଲୁ ଏ ଘୋର ଜଗତେ ॥ ୧୫୪
ତୋର ସୁହୃଦ ପଣେ ହରି । ତୋର ଚରଣେ ଆଶ୍ରା କରି ॥ ୧୫୫
ନିତ୍ୟେ କରନ୍ତି ତୋତେ ଧ୍ୟାନ । ତୋ ତହୁଁ ନ ଜାଣନ୍ତି ଆନ ॥ ୧୫୬
ଅପ୍ରାଧ କରି ରାଜକୁଳେ । ନମନ୍ତି ତୋର ବାହୁ ବଳେ ॥ ୧୫୭
କେବଳ ନାମ ରୂପ ତୋର । ମୋର ପୁତ୍ରଙ୍କ ସୁଖଘର ॥ ୧୫୮
ଯଦୁଙ୍କ ତୁଲେ ତାହା ଚିନ୍ତି । ଏ ଭବଭୟ ନ ଡରନ୍ତି ॥ ୧୫୯
ତୋ ରୂପ ନ ଦେଖି ନୟନେ । ଇନ୍ଦ୍ରିୟ ଯେହ୍ନେ ଆତ୍ମା ବିନେ ॥ ୧୬୦
ଏ ମହୀ ତୋର ପାଦ ଲାଗି । ଯେମନ୍ତ ଦିଶଇ ସୌଭାଗୀ ॥ ୧୬୧
ତୋ ଅବତାର ଯେବେ ଯିବ । ବିଧବା ପ୍ରାୟେକ ଦିଶିବ ॥ ୧୬୨
ଏହା ଉପରେ ଯେତେ ଜନ । ଗ୍ରାମ ଔଷଧି ଗିରିବନ ॥ ୧୬୩
ସମୁଦ୍ର ଆଦି ଜଳସ୍ଥାନେ । ବଞ୍ଚନ୍ତି ତୋ ଚରଣ ଧ୍ୟାନେ ॥ ୧୬୪
ହେ ବିଶ୍ୱ ଆତ୍ମା ବିଶ୍ୱେଶ୍ୱର । ମୁଁ ତୋର ଚରଣେ କିଙ୍କର ॥ ୧୬୫
ପାଣ୍ତବ କୁଳେ ବୃଷ୍ଣିବଂଶେ । ମୁଁ ଯେ ବନ୍ଧନ ସ୍ନେହ ପାଶେ ॥ ୧୬୬
ତୁ ଯେବେ ଶରଣ ସୋଦର । ଏ ସ୍ନେହ ପାଶ ଦୂର କର ॥ ୧୬୭
ଭୋ ନାଥ ଶ୍ରୀମଧୁସୂଦନ । ତୋର ଚରଣେ ମୋର ମନ ॥ ୧୬୮
ସର୍ବ ବ୍ୟସନ ଦୂରେ ଚିନ୍ତି । ତୋର ଚରଣେ ହେଉ ମତି ॥ ୧୬୯
ଗଙ୍ଗାର ସ୍ରୋତ ଯେହ୍ନେ ବହେ । ସେ ପୁଣି ସିନ୍ଧୁଜଳେ ରହେ ॥ ୧୭୦
ହେ କୃଷ୍ଣ କୃଷ୍ଣସଖା ତୁହି । ହେ ବୃଷ୍ଣିଶ୍ରେଷ୍ଠ ଭାବଗ୍ରାହୀ ॥ ୧୭୧
ଅଖିଳଗୁରୁ ଯୋଗେଶ୍ୱର । ଦୁଷ୍ଟ କ୍ଷତ୍ରିୟ କୁଳାନଳ ॥ ୧୭୨
ତୋହର ହେତୁ ଏ ତରନ୍ତି । ନିଶ୍ଚିନ୍ତେ ତୋ ଦେହେ ପଶନ୍ତି ॥ ୧୭୩
ଗୋବିନ୍ଦ ଶରଣ ସୋଦର । ହେ ଦେବ-ବିପ୍ର-ଦୁଃଖ-ହର ॥ ୧୭୪
ତୋ ଅବତାର ଏ ଜଗତେ । ଗୋରୁ-ବ୍ରାହ୍ମଣ-ଦେବହିତେ ॥ ୧୭୫
ଅଖିଳ ଗୁରୁ ଯୋଗେଶ୍ୱର । ତୋ ପାଦେ ମୋର ନମସ୍କାର ॥ ୧୭୬

ସୂତ ଉବାଚ

ସୂତ କହନ୍ତି ମଞ୍ଜୁବାଣୀ । କୁନ୍ତୀ ବଚନ କୃଷ୍ଣ ଶୁଣି ॥ ୧୭୭
ଅଳପ ହସି ଦାମୋଦର । କୋମଳ ବଚନ ଗମ୍ଭୀର ॥ ୧୭୮
କରିବି ସତ୍ୟ ତୋ ବଚନ । କହି ଉଠିଲେ ଭଗବାନ ॥ ୧୭୯
ହସ୍ତିନାପୁରେ ଯାଇ ପଶି । ଅନ୍ଧ ଗାନ୍ଧାରୀଙ୍କି ଆଶ୍ୱାସି ॥ ୧୮୦
ବ୍ୟାସ ସହିତେ ମୁନିଗଣ । ସଙ୍ଗତେ ଘେନି ନାରାୟଣ ॥ ୧୮୧
ନିକଟେ ବସି ଏକେ ଏକେ । ବୋଧିଲେ ଇତିହାସ ବାକ୍ୟେ ॥ ୧୮୨
କୃଷ୍ଣମାୟାରେ ମନଚ୍ଛନ୍ନ । ନ ବୁଝେ କୃଷ୍ଣର ବଚନ ॥ ୧୮୩
ପୁଣି ମାୟାରେ ଚ୍ଛନ୍ନ ହୋଇ । ସୁହୃଦ ବଧ ଚିତ୍ତେ ଧ୍ୟାୟି ॥ ୧୮୪
ସ୍ନେହ ମୋହରେ ବଶ ହୋଇ । ଶ୍ରୀକୃଷ୍ଣ ମୁଖକୁ ଅନାଇଁ ॥ ୧୮୫
କପୋଳେ ଦେଇ ବେନିକର । ବୋଲଇ ରାଜା ଯୁଧିଷ୍ଠିର ॥ ୧୮୬

ଯୁଧିଷ୍ଠିର ଉବାଚ

ଶୁଣ ହେ ପ୍ରଭୁ ଦାମୋଦର । ମୁଁ ରାଜା ଧର୍ମର କୁମର ॥ ୧୮୭
ମୋହର ପୂର୍ବ କର୍ମ ଦୋଷେ । ପଡ଼ିଲି ସ୍ନେହ ମୋହପାଶେ ॥ ୧୮୮
ଦେଖ ଅଜ୍ଞାନ ବୁଦ୍ଧି ମୋର । ମୁଁ ମୂଢ଼ ଦୁଷ୍ଟ ଦୁରାଚାର ॥ ୧୮୯
ଏ ମାୟାଦେହେ ସ୍ନେହ କରି । ଅନେକ ଅକ୍ଷୌହିଣୀ ମାରି ॥ ୧୯୦
ବାଳକ ଦ୍ୱିଜ ବନ୍ଧୁ ମିତ । ପିତୃ ଭ୍ରାତର ମୋର ହିତ ॥ ୧୯୧
ଦ୍ରୋହ ମୁଁ କଲି ଅବିବେକେ । ନିଶ୍ଚୟେ ପଡ଼ିବି ନରକେ ॥ ୧୯୨
ବରଷ ଅୟୁତୁଁ ଅୟୁତେ । କେବେହେଁ ମୋକ୍ଷ ନାହିଁ ମୋତେ ॥ ୧୯୩
ଏମନ୍ତ ଶାସ୍ତ୍ରର ବଚନ । ଯେ ଧର୍ମ କହେ ମୁନିଜନ ॥ ୧୯୪
ପ୍ରଜାପାଳନେ ଧର୍ମଯୁଦ୍ଧେ । ଦୋଷ ନ ଲାଗେ ଶତ୍ରୁ ବଧେ ॥ ୧୯୫
ଏ କଥା ମୋତେ ବୋଧ ନୋହେ ।ସକଳ ଘଟେ ହରି ରହେ ॥ ୧୯୬
ପ୍ରାଣୀର ବଧେ କାହିଁ ଧର୍ମ । ଏ ଟି ଅବିଦ୍ୟା ମୋହଭ୍ରମ ॥ ୧୯୭
ବାନ୍ଧୁବାନ୍ଧବ ନ ପ୍ରମାଣି । ସଂଗ୍ରାମେ ମଲେ ଯେତେ ପ୍ରାଣୀ ॥ ୧୯୮
ତାଙ୍କ ରମଣୀଜନେ ଗୃହେ । ଦିନ ବଞ୍ଚନ୍ତି ଶୋକ ମୋହେ ॥ ୧୯୯
ତହୁଁ ଯେ ତାପ ଉପୁଜିବ । କି କର୍ମେ ସେ ତାପ ଖଣ୍ତିବ ॥ ୨୦୦
ଦେହେ ଲାଗିଲା ପଙ୍କ ଯେହ୍ନେ । ନ ଯାଇ ପଙ୍କ ପ୍ରକ୍ଷାଳନେ ॥ ୨୦୧
ମଦ୍ୟକୁ ଆଣି ଦେହେ ବୋଳି । ମଦ୍ୟେ ଯେସନେ ତା ପଖାଳି ॥ ୨୦୨
ପ୍ରାଣୀର ବଧ ପ୍ରାଣୀ ହିତେ । କାହୁଁ ତାରିବ ଯଜ୍ଞମତେ ॥ ୨୦୩

ସୂତ ଉବାଚ

ଏମନ୍ତେ କୃଷ୍ଣର ଅଗ୍ରତେ । ରାଜା କହିଲେ ଦୁଃଖଚିତ୍ତେ ॥ ୨୦୪
ତକ୍ଷଣେ ପ୍ରଭୁ ନରହରି । ମାୟାରେ ତାଙ୍କ ମନ ହରି ॥ ୨୦୫
ପଞ୍ଚପାଣ୍ତବ ସଙ୍ଗେ ଘେନି । କିଛି ନ କହି ହେଲେ ତୁନି ॥ ୨୦୬
ସେ ମାୟାଧର ପାଦଗତ । ନମଇ ଦାସ ଜଗନ୍ନାଥ ॥ ୨୦୭
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ କୁନ୍ତୀସ୍ତୁତି ଯୁଧିଷ୍ଠିରାନୁତାପୋ ନାମାଷ୍ଟମୋଽଧ୍ୟାୟଃ ।।

ନବମ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଏମନ୍ତେ ପ୍ରାଣୀ ବଧେ ଭୟ । ନିବେଦି ଧର୍ମର ତନୟ ॥ ୧
ସକଳ ଧର୍ମ ଜ୍ଞାନ ଅର୍ଥେ । ବିଜୟ କଲେ ନିଜ ରଥେ ॥ ୨
ଯୁଦ୍ଧଭୂମିକୁ ହୋଇ ସଜ । ସଙ୍ଗତେ ଘେନି ଦେବରାଜ ॥ ୩
ମିଳିଲେ କୁରୁକ୍ଷେତ୍ରେ ଯାଇ । ଭୀଷ୍ମ ଅଛନ୍ତି ଯହିଁ ଶୋଇ ॥ ୪
ରାଜା ସଙ୍ଗତେ ଚାରିଭ୍ରାତେ । ସଜ ହୋଇଲେ ଯେଝା ରଥେ ॥ ୫
ଉତ୍ତମ ନାନା ଅଶ୍ୱଗଣ । ସ୍ୱଭାବେ ରତ୍ନ ବିଭୂଷଣ ॥ ୬
ତାହାଙ୍କ ସଙ୍ଗେ ବିପ୍ରଜନେ । ଗମନ କଲେ ତୋଷ ମନେ ॥ ୭
ଗୋବିନ୍ଦ ନନ୍ଦିଘୋଷ ରଥେ । ବସିଲେ ଅର୍ଜୁନ ସଙ୍ଗତେ ॥ ୮
ପାଣ୍ତବ ମଧ୍ୟେ ଚକ୍ରଧର । କି ଅବା ଦେବା ପଟାନ୍ତର ॥ ୯
ଗୁହ୍ୟକଗଣ ମଧ୍ୟଗତେ । କୁବେର ପ୍ରକାଶ ଯେମନ୍ତେ ॥ ୧୦
ଏମନ୍ତେ କୁରୁକ୍ଷେତ୍ର ଗଲେ । ପାଣ୍ତବେ ଗୋବିନ୍ଦଙ୍କ ତୁଲେ ॥ ୧୧
ଶର ଶୟନେ ଗଙ୍ଗାସୁତ । ଦେଖିବା ଅର୍ଥେ ଉପଗତ ॥ ୧୨
ଅବନୀ ପୃଷ୍ଠେ ମୋହଗତ । କି ବା ଅମର ଭୂମିଗତ ॥ ୧୩
ପାଣ୍ତବେ ଗୋବିନ୍ଦର ତୁଲେ । ଭୀଷ୍ମ ଚରଣେ ପ୍ରଣମିଲେ ॥ ୧୪
ବ୍ରାହ୍ମଣେ ମିଳିଲେ ତକ୍ଷଣେ । ବ୍ୟାସ ସହିତେ ମୁନିଗଣେ ॥ ୧୫
ଅପରେ ଯେତେ ରାଜଋଷି । ମିଳିଲେ କୁରୁକ୍ଷେତ୍ରେ ଆସି ॥ ୧୬
ପର୍ବତ ନାମେ ମହାଋଷି । ଧୈାମ୍ୟ ନାରଦ ତୁଲେ ମିଶି ॥ ୧୭
ବାଦରାୟଣ ବୃହଦଶ୍ୱ । ଭରଦ୍ୱାଜଙ୍କ ସଙ୍ଗେ ଶିଷ୍ୟ ॥ ୧୮
ପରମକ୍ଷତ୍ରୀ ପର୍ଶୁରାମ । ବଶିଷ୍ଠ ଇନ୍ଦ୍ରପ୍ରମଦନ ॥ ୧୯
ତ୍ରିତ ଅସିତ ଗୃତ୍ସମଦ । ଗୌତମ କକ୍ଷୀବାନ ସିଦ୍ଧ ॥ ୨୦
ଅତ୍ରି କୌଶିକ ସୁଦର୍ଶନ । କଶ୍ୟପ ଅଙ୍ଗୀରସ ନାମ ॥ ୨୧
ନିର୍ମଳଚେତା ବ୍ରହ୍ମଚାରୀ । ମିଳିଲେ ଶୁକ ମଧ୍ୟେ କରି ॥ ୨୨
ଏମନ୍ତେ ସର୍ବ ମୁନିଜନେ । ମିଳିଲେ ଭୀଷ୍ମ ସନ୍ନିଧାନେ ॥ ୨୩
ମୁନିଙ୍କି ଶାୟନ୍ତନୁସୁତ । ଶୟନେ କଲେ ପ୍ରଣିପାତ ॥ ୨୪
ଧର୍ମଜ୍ଞ ଗଙ୍ଗାର କୁମର । ଯେ ଦେଶାଚାର ସତକାର ॥ ୨୫
ତେଣୁ ପୂଜିଲେ ଏକେ ଏକେ । ମୁନିଙ୍କି ଦୃଢ଼ମାନସିକେ ॥ ୨୬
ଯେ ହରି ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୨୭
କୃଷ୍ଣଙ୍କୁ ହୃଦରେ ବସାଇ । ପୂଜିଲେ ଦୃଢ଼ ଚିତ୍ତ ହୋଇ ॥ ୨୮
ପ୍ରେମେ ବିନୟଭାବ ହୋଇ । ନିକଟେ ଥିବା ପଞ୍ଚଭାଇ ॥ ୨୯
ପାଣ୍ତୁପୁତ୍ରଙ୍କୁ ଦୟାଚିତ୍ତେ । ଭାବେ ବୋଲନ୍ତି ଅଶ୍ରୁନେତ୍ରେ ॥ ୩୦
ଭୀଷ୍ମ କହନ୍ତି ଦୟାମନେ । ସକଳ ମୁନି ଅବଧାନେ ॥ ୩୧

ଭୀଷ୍ମ ଉବାଚ

ଏ ବଡ଼କଷ୍ଟ ମୋର ଚିତ୍ତେ । ଏ ପାଞ୍ଚଭାଇ କୁନ୍ତୀ ସୁତେ ॥ ୩୨
ବନେ ବଞ୍ଚିଲେ କଷ୍ଟ କର୍ମେ । ଜୀବନ ପୋଷି ବିପ୍ରଧର୍ମେ ॥ ୩୩
ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ । ଅନେକ ସଙ୍କଟୁ ତରିଲେ ॥ ୩୪
ସ୍ୱାମୀ ମରଣେ କୁନ୍ତୀ ସାଧୁ । ସ୍ୱଭାବେ ବାଳକୁଳବଧୂ ॥ ୩୫
ପୁତ୍ରଙ୍କ ତୁଲେ ବହୁକ୍ଳେଶେ । ଦୁଃଖେ ବଞ୍ଚିଲେ ବନବାସେ ॥ ୩୬
କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟତ୍ତ ॥ ୩୭
ସେ କାଳବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ॥ ୩୮
ଯେ କୁଳେ ରାଜା ଧର୍ମସୁତ । ରକ୍ଷକ ଭୀମ ଗଦାହସ୍ତ ॥ ୩୯
ଅର୍ଜୁନ ଯହିଁ ଧନୁ ଧରେ । ଯହିଁ ଗୋବିନ୍ଦ ରକ୍ଷାକରେ ॥ ୪୦
ସେ କୁଳେ ପଡ଼ଇ ବିପତ୍ତି । ଏମନ୍ତ ବିଧାତାର ଗତି ॥ ୪୧
କେ ଜାଣିପାରେ ଏହା ଚିନ୍ତି । ଯହିଁ ପଣ୍ତିତେ ଭ୍ରମି ଯାନ୍ତି ॥ ୪୨
ସଂସାର କର୍ମର ଆୟତ୍ତ । ଏହା ତୁ ଜାଣ କୁନ୍ତୀସୁତ ॥ ୪୩
ଏଣୁ ତୁ କିଛି ହିଁ ନ ଭାଳ । ଅନାଥ ପ୍ରଜା ଏବେ ପାଳ ॥ ୪୪
ଦେଖ ଏ ଆଦିନାରାୟଣ । ଜଗତ ପରମ କାରଣ ॥ ୪୫
ମାୟାରେ ଲୋକ ମନ ହରି । ଯାଦବ ବଂଶେ ଅବତରି ॥ ୪୬
ଏହାର ଅନୁଭାବ ଗତି । ଅଥବା ଜାଣେ ପଶୁପତି ॥ ୪୭
ନାରଦ ଜାଣେ ଭାବ ଘେନି । କିବା କପିଳ ମହାମୁନି ॥ ୪୮
ତୁ କୃଷ୍ଣ ମହିମା ନ ଜାଣି । ମାତୁଳସୁତ ପ୍ରାୟ ମଣି ॥ ୪୯
ପ୍ରିୟ ସୁହୃଦ ମିତ୍ର ପରି । ସଚିବ ବୁଦ୍ଧି କି ଆଚରି ॥ ୫୦
ଏହାଙ୍କୁ ଦୌତ୍ୟରେ ନିଯୋଗି । ପେଷିଲୁ ପଞ୍ଚଗ୍ରାମ ମାଗି ॥ ୫୧
ବାନ୍ଧବପ୍ରାୟେ ସ୍ନେହ କରି । ରଥେ ସାରଥି ପଣେ ବରି ॥ ୫୨
ଯହୁଁ ଏ ପ୍ରଭୁ ଭାବଗ୍ରାହୀ । ସ୍ୱଭାବେ ପରପର ନାହିଁ ॥ ୫୩
ଏଣୁ ତା ଉଚ୍ଚ ନୀଚ କର୍ମ । ଯୋଗ୍ୟ ଅଯୋଗ୍ୟ ସବୁ ସମ ॥ ୫୪
ଏ ଥାଇ ଭକତଙ୍କ ହିତେ । ଦେଖ ମୋ ଭାଗ୍ୟର ଆୟତ୍ତେ ॥ ୫୫
ଜୀବନ ଛାଡ଼ିବାର କାଳେ । ମିଳିଲା ଶରଶଯ୍ୟା ତଳେ ॥ ୫୬
ଯାର ଚରଣ ଭକ୍ତି ବଳେ । ନିଶ୍ଚଳମନେ ଅନ୍ତଃ କାଳେ ॥ ୫୭
ତୁଣ୍ତେ ଯେ ନାମ ଉଚ୍ଚାରନ୍ତି । ପରମପଦେ ସେ ମିଶନ୍ତି ॥ ୫୮
କର୍ମବାସନା ଯାଇ ଦୂର । ଏମନ୍ତ ମହିମା ଯାହାର ॥ ୫୯
ସେ ଦେବଦେବ ଭଗବାନ । ଭାବେ ଜାଣିଲେ ମୋର ମନ ॥ ୬୦
ଚିତ୍ତେ ପ୍ରସନ୍ନ ହେଉ ମୋର । ମୁହିଁ ଛାଡ଼ିବି କଳେବର ॥ ୬୧
ପ୍ରଫୁଲ୍ଲ କମଳ ଲୋଚନ । ସୁନ୍ଦର ହର୍ଷିତ ବଦନ ॥ ୬୨
ଚକ୍ର ସହିତେ ମହାବାହୁ । ସେ ମୋର ଧ୍ୟାନପଥେ ରହୁ ॥ ୬୩

ସୂତ ଉବାଚ

ଭୀଷ୍ମ ବଚନ କର୍ଣ୍ଣେ ଶୁଣି । ଧର୍ମନନ୍ଦନ ମନେ ଗୁଣି ॥ ୬୪
ଭୀଷ୍ମଙ୍କୁ ଶରତଳ୍ପେ ଚାହିଁ । କର ଯୁଗଳ ଶିରେ ଦେଇ ॥ ୬୫
ବିବିଧ ଧର୍ମ ପଚାରିଲେ । ଅଶେଷ ମୁନିଗଣ ତୁଲେ ॥ ୬୬
ସ୍ୱଭାବ ଧର୍ମ ଯେ ଜଗତେ । ଚତୁର ବର୍ଣ୍ଣାଶ୍ରମ ଯେତେ ॥ ୬୭
ରାଗ ବୈରାଗ୍ୟ ଆଦି କରି । ଯେ ମାର୍ଗେ ସଂସାରୁ ନିସ୍ତରି ॥ ୬୮
ଯେ ଦାନଧର୍ମ ରାଜଧର୍ମ । ମୋକ୍ଷ ସାଧନେ ଯେତେ କର୍ମ ॥ ୬୯
ଯଥା ବିଧାନେ ଯେତେ କରି । ଗୃହୀ ବନସ୍ଥ ବ୍ରହ୍ମଚାରୀ ॥ ୭୦
ସ୍ତିରୀ ଜନ୍ମର ଯେବା ଧର୍ମ । ଯେ ବିଷ୍ଣୁ ଭକତଙ୍କ କର୍ମ ॥ ୭୧
ଧର୍ମାର୍ଥ କାମ ମୋକ୍ଷ ଆଦି । ଯେତେ ପ୍ରକାରେ ଯାହା ସାଧି ॥ ୭୨
ସକଳ କହିଲେ ହରଷେ । ନାନା ଆଖ୍ୟାନ ଇତିହାସେ ॥ ୭୩
ଏମନ୍ତେ କହୁଁ କହୁଁ ଧର୍ମ । ଭୀଷ୍ମର ଚିତ୍ତେ କାଳଭ୍ରମ ॥ ୭୪
ସିଦ୍ଧ ପୁରୁଷ ଯୋଗବଳେ । ଯାହା ଚିନ୍ତନ୍ତି ଅନ୍ତଃକାଳେ ॥ ୭୫
ସେ କାଳ ଅତି ପୁଣ୍ୟ ଧର୍ମ । ଉତ୍ତରାୟଣ ଯାର ନାମ ॥ ୭୬
ସେ କାଳ ଆଗମନ ଦେଖି । ସେଙ୍କାଚ କଲେ ବେନି ଆଖି ॥ ୭୭
ସହସ୍ର ସହସ୍ର ବଚନ । ଶୁଣାଇ ହୋଇଲେ ମଉନ ॥ ୭୮
ତକ୍ଷଣେ ବିଷ୍ଣୁଭାବ ଘେନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୭୯
ସର୍ବୁଁ ସଂହରି ଦୃଷ୍ଟି ମନ । କୃଷ୍ଣ ଚରଣେ ଅବଧାନ ॥ ୮୦
ଯେ ହରି ଅଛି ଅଗ୍ରେ ବସି । ଚତୁରଭୁଜ ପରକାଶି ॥ ୮୧
ପୀତବସନ କଟୀଭାଗେ । ବିଜୁଳି ଯେହ୍ନେ ନୀଳମେଘେ ॥ ୮୨
ଏମନ୍ତ କୃଷ୍ଣ ରୂପ ହେଜି । ବଚନ ଶ୍ରମେ ଚକ୍ଷୁ ବୁଜି ॥ ୮୩
ଧାରଣା ଯୋଗେ ଧ୍ୟାନ କରି । ସଂଶୟ ଦୂରେ ପରିହରି ॥ ୮୪
ଯୁଦ୍ଧର ଶ୍ରମ ଯେତେ ଥିଲା । ତକ୍ଷଣେ ଶରୀରୁ ଛାଡ଼ିଲା ॥ ୮୫
ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ । ଚିତ୍ତୁ ଛାଡ଼ିଲା ମାୟାଭ୍ରମ ॥ ୮୬
ଅନ୍ତରେ ବେନିକର ଯୋଡ଼ି । ବୋଲେ ଗୋବିନ୍ଦ ପାଦେ ପଡ଼ି ॥ ୮୭

ଭୀଷ୍ମ ଉବାଚ

ଏମନ୍ତ ଭାବେ ମନ ମୋର । ତୃଷ୍ଣା ବର୍ଜିତ ନିର୍ବିକାର ॥ ୮୮
କୃଷ୍ଣ ଶରୀରେ ହେଉ ଲୀନ । ଯେ ହରି ଭକତ ତାରଣ ॥ ୮୯
ଯାର ମହିମା ଯୋଗୀଜନେ । ଚିନ୍ତି ନ ପାନ୍ତି ଯୋଗଧ୍ୟାନେ ॥ ୯୦
ସ୍ୱସୁଖେ ଥାଇ ଅବିରତେ । ପ୍ରକୃତି ବଶେ ବିଶ୍ୱ ଅର୍ଥେ ॥ ୯୧
ପ୍ରକୃତି ତହୁଁ ଏ ଜଗତ । ପ୍ରବାହ ରୂପେ ଆତଯାତ ॥ ୯୨
ତମାଳପତ୍ର ପ୍ରାୟେ ବର୍ଣ୍ଣ । ଯେ ରୂପେ ମୋହେ ତ୍ରିଭୁବନ ॥ ୯୩
ପୀତବସନ କଟୀ ଶୋହେ । ପ୍ରକାଶେ ରବିରଶ୍ମି ପ୍ରାୟେ ॥ ୯୪
ଅଳକା ଆବୃତ କପୋଳ । ବିରାଜେ ବଦନ କମଳ ॥ ୯୫
ଅର୍ଜୁନ ସଖା ପାଦତଳେ । ମୋ ଚିତ୍ତ ରହୁ ସୁନିଶ୍ଚଳେ ॥ ୯୬
ସଂଗ୍ରାମେ ଅଶ୍ୱଧୂଳି କାୟେ । ଶିର ବଦନ ଧୂମ୍ର ପ୍ରାୟେ ॥ ୯୭
ବିରାଜେ ସ୍ୱେଦ କଣା ଅଙ୍ଗେ । ବିବିଧ ଅଳଙ୍କାର ରଙ୍ଗେ ॥ ୯୮
ମୋହର ତୀକ୍ଷ୍ଣ ବାଣପନ୍ତି । ଯାର କବଚେ ଝଲକନ୍ତି ॥ ୯୯
ସେ ରୂପେ ପଶୁ ମୋର ପ୍ରାଣ । ଏ ଭବଜଳୁ ପରିତ୍ରାଣ ॥ ୧୦୦
ଯେ ହରି ଅର୍ଜୁନ ବଚନେ । ରଥ ନିବେଶି ମଧ୍ୟ ସ୍ଥାନେ ॥ ୧୦୧
ଅନାଇଁ କଟାକ୍ଷ ଲୋଚନେ । ଆୟୁଷ ହରେ ପର ସୈନ୍ୟେ ॥ ୧୦୨
ତାର ଚରଣେ ମନ ଚିନ୍ତି । ନିରତେ ହେଉ ମୋର ପ୍ରୀତି ॥ ୧୦୩
ଯୁଦ୍ଧର ଅର୍ଥେ କୋପ ଭରି । ସକଳ ବୀରେ ଶସ୍ତ୍ର ଧରି ॥ ୧୦୪
ସମରେ ଦେଖି ବନ୍ଧୁଜନ । ଦୟାରେ ନ ଯୁଝେ ଅର୍ଜୁନ ॥ ୧୦୫
ମାୟାରେ ତାର ମନ ମୋହି । ଅନେକ ଆତ୍ମବିଦ୍ୟା କହି ॥ ୧୦୬
ତାହାର କୁମତି ହରିଲା । ଛଳେ ସମସ୍ତ ସଂହାରିଲା ॥ ୧୦୭
ତାର ଚରଣେ ମୋର ମତି । ନିଶ୍ଚଳେ ହେଉ ଆତ୍ମରତି ॥ ୧୦୮
ମୋହର ତୁଲେ ସତ୍ୟ କଲା । ଶସ୍ତ୍ର ନ ଧରିବି ବୋଇଲା ॥ ୧୦୯
ମୋହର ତୀକ୍ଷ୍ଣବାଣେ କୋପି । ମୋହ ବଚନେ ସତ୍ୟ ସ୍ଥାପି ॥ ୧୧୦
ତକ୍ଷଣେ ଚକ୍ର ଘେନି ହସ୍ତେ । ରଥୁ ଧାଇଁଲା ଭୂମିଗତେ ॥ ୧୧୧
ସ୍ୱଧର୍ମ ସମର ଉପେକ୍ଷି । ସିଂହ ଯେସନେ ଗଜ ଦେଖି ॥ ୧୧୨
ଧାମନ୍ତେ ଅବନୀ କମ୍ପିଲା । ଉତ୍ତରୀ କନ୍ଧୁ ଉଡ଼ିଗଲା ॥ ୧୧୩
ଚକ୍ର ଉଞ୍ଚାଇ ମହାକୋପେ । ମିଳିଲା ମୋହର ସମୀପେ ॥ ୧୧୪
ମୁଁ ଆତତାୟୀ ପଣେ । ଅନେକ ବାଣ ରୋଷେ ବିନ୍ଧି ॥ ୧୧୫
ବିଶୀର୍ଣ୍ଣ କଲି ସେହ୍ନୀ ଅଙ୍ଗେ । ଦେଖି ଧାଇଁଲା ଅତି ବେଗେ ॥ ୧୧୬
ରୁଧିର ଭୂଷଣ ଶରୀରେ । ଭୂମି କମ୍ପଇ ପାଦଭରେ ॥ ୧୧୭
ହରିବା ପାଇଁ ମୋର ପ୍ରାଣ । ମୁଁ ଏବେ ପଶିଲି ଶରଣ ॥ ୧୧୮
ବିଜୟ ରଥେ ଯେ ସାରଥି । ରଥ ଆରୋହି ଶୁଭ ଚିନ୍ତି ॥ ୧୧୯
ହୟଙ୍କ ରଶ୍ମି ଯେହୁ ଧରେ । ସେ ରୂପେ ମନ ରହୁ ସ୍ଥିରେ ॥ ୧୨୦
ସଂଗ୍ରାମ କରି ଯେତେ ମଲେ । ତା ମୁଖ ଦେଖି ତରିଗଲେ ॥ ୧୨୧
ଏବେ ମୋହର ଅନ୍ତଃକାଳେ । ମୋ ଚିତ୍ତ ରମୁ ତା ପୟରେ ॥ ୧୨୨
ଗୋପନଗରେ ବୃନ୍ଦାବନେ । ରାସଉତ୍ସବେ ଗୋପୀଜନେ ॥ ୧୨୩
ଲଳିତ ଗତି ସୁବିଳାସ । ମନୋଜ୍ଞ ଦୃଷ୍ଟି ମନ୍ଦହାସ ॥ ୧୨୪
ଯାହାର ସଙ୍ଗେ ଭାବ କରି । ଗୋପୀଏ ଭବୁ ଗଲେ ତରି ॥ ୧୨୫
ଧର୍ମନନ୍ଦନ ଯଜ୍ଞକାଳେ । ଋଷି ବ୍ରାହ୍ମଣ ରାଜା ମେଳେ ॥ ୧୨୬
ଯାହାର ପାଦେ ଅର୍ଘ୍ୟ ଦେଇ । ସୁଖେ ସୁନ୍ଦର ମୁଖ ଚାହିଁ ॥ ୧୨୭
ସକଳେ ଗଲେ ମୋକ୍ଷମାର୍ଗେ । ସେ ଏବେ ଦିଶେ ମୋର ଆଗେ ॥ ୧୨୮
ନିର୍ମଳ ଆତ୍ମାରୂପ ହୋଇ । ପ୍ରାଣୀଙ୍କ ହୃଦେ ଯେ ବସଇ ॥ ୧୨୯
ଯେ ରୂପେ ଦୃଷ୍ଟିଭେଦେ ରବି । ଅନେକ ବୋଲି ଅନୁଭବି ॥ ୧୩୦
ସେ ହରି ପାଦଯୁଗେ ଭଜି । ପଶିଲି ଭବମୋହ ତେଜି ॥ ୧୩୧

ସୂତ ଉବାଚ

ଏମନ୍ତେ ଗୋବିନ୍ଦ ବିଷୟେ । ମନ ବଚନ ଦୃଷ୍ଟି ଦେହେ ॥ ୧୩୨
ଆତ୍ମାରେ ଆତ୍ମା ସ୍ଥିର କରି । ପବନେ ପବନ ସଂହରି ॥ ୧୩୩
ଦେଖନ୍ତି ସୁର ନର ମୁନି । ଗଙ୍ଗାନନ୍ଦନ ହେଲେ ତୁନି ॥ ୧୩୪
ଶରୀର ତେଜି ଭାବ ମୋହେ । ପଶିଲେ ଗୋବିନ୍ଦର ଦେହେ ॥ ୧୩୫
ଭୀଷ୍ମ ମରଣ ଦେଖି ଭଲେ । ଯେ ଅବା ଥିଲେ କୃଷ୍ଣ ତୁଲେ ॥ ୧୩୬
ମଉନେ ବସିଲେ ସମସ୍ତେ । ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ॥ ୧୩୭
ତକ୍ଷଣେ ଦୁନ୍ଦୁଭି ଶବଦ । ଦେବମାନବେ କଲେ ବାଦ୍ୟ ॥ ୧୩୮
ସାଧୁ ଶବଦ ଶୂନ୍ୟେ ସ୍ଫୁରେ । ପୁଷ୍ପ ବରଷେ ନିରନ୍ତରେ ॥ ୧୩୯
ତକ୍ଷଣେ ଯୁଧିଷ୍ଠିର ଯାଇ । ଅନଳେ ଭୀଷ୍ମ ଦେହ ଦହି ॥ ୧୪୦
ମୁହୂର୍ତ୍ତେ ବସି ଦୁଃଖ ମନେ । ଉଠି ସକଳ ମହାଜନେ ॥ ୧୪୧
ଯେ ଯାହା ମତେ ସ୍ତୁତି କଲେ । ନମିଲେ କୃଷ୍ଣ ପାଦତଳେ ॥ ୧୪୨
ଉଠି ସକଳେ ଦୁଃଖ ଚିତ୍ତେ । ଗୃହେ ଚଳିଲେ ଯେଝାମତେ ॥ ୧୪୩
ପାଣ୍ତବେ କୃଷ୍ଣ ସଙ୍ଗତେ । ହସ୍ତିନା ମିଳିଲେ ତୁରିତେ ॥ ୧୪୪
ତକ୍ଷଣେ ଅନ୍ତଃପୁରେ ଯାଇ । ଅନ୍ଧଗାନ୍ଧାରୀଙ୍କି ଦୁଝାଇ ॥ ୧୪୫
ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ । ଯୁଧିଷ୍ଠିରଙ୍କୁ ରାଜା କଲେ ॥ ୧୪୬
ସେ ରାଜା ଧର୍ମେ ରାଜ୍ୟ କଲା । ଯା ପିତୃ ପିତାମହେ ଥିଲା ॥ ୧୪୭
ଏମନ୍ତେ କରି ରାଜପଣ । ସଙ୍ଗତେ ଘେନି ନାରାୟଣ ॥ ୧୪୮
ସେ ନାରାୟଣ ପାଦଗତ । ଶରଣ ଦାସ ଜଗନ୍ନାଥ ॥ ୧୪୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ଭୋ ନାମ ନବମୋଽଧ୍ୟାୟଃ ।।

ଦଶମ ଅଧ୍ୟାୟ[ସମ୍ପାଦନା]

ଶୌନକ ଉବାଚ

ଭୋ ସୂତ କହ କୃଷ୍ଣବାଣୀ । ସଂସାରୁ ତରି ଯାହା ଶୁଣି ॥ ୧
ପଣ୍ତୁରାଜାର ଅନ୍ତଃକାଳେ । ଦୁଷ୍ଟେ ଯେ ରାଜ୍ୟ ନେଲେ ବଳେ ॥ ୨
ଗୋବିନ୍ଦ ପାଦେ ଆଶ୍ରେ କରି । ସେ ଆତତାୟୀ ଜନେ ମାରି ॥ ୩
ପଞ୍ଚଭ୍ରାତାଏ ଏକମେଳେ । ପ୍ରଜାଙ୍କୁ ପାଳି ରାଜ୍ୟ କଲେ ॥ ୪
ତେବେ କି କଲେ ପଣ୍ତୁସୁତେ । ସ୍ୱଭାବେ କୃଷ୍ଣ ସଙ୍ଗତେ ॥ ୫

ସୂତ ଉବାଚ

ପାଣ୍ତବବଂଶ ରକ୍ଷା କରି । କୁରୁବଂଶକୁ ନରହରି ॥ ୬
କ୍ରୋଧ ଅନଳେ ଭସ୍ମ କଲେ । ଦାବାଗ୍ନି ଯେହ୍ନେ ବନସ୍ଥଳେ ॥ ୭
ପାଣ୍ତବେ ନିଜ ରାଜ୍ୟ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ ॥ ୮
ଭୀଷ୍ମଙ୍କ ତହୁଁ ଧର୍ମବାଣୀ । ଯେବା କହିଲେ ଚକ୍ରପାଣି ॥ ୯
ସେ ବାକ୍ୟେ ଶୋକମୋହ ଛାଡ଼ି । ପ୍ରଜାପାଳନେ ଚିତ୍ତ ବଢ଼ି ॥ ୧୦
ଆନନ୍ଦମନେ ଧର୍ମବଳା । ପ୍ରଜାପାଳନେ ମନ ଦେଲା ॥ ୧୧
କୃଷ୍ଣର ତେଜେ ରାଜାଗଣେ । ସେବନ୍ତି ଯୁଧିଷ୍ଠି ଚରଣେ ॥ ୧୨
ସମୁଦ୍ର ଅନ୍ତଃ ଯାଏ ମହୀ । ଧର୍ମନନ୍ଦନ ଆଜ୍ଞାବହି ॥ ୧୩
ପ୍ରଜା ବଚନେ ମେଘମାଳ । ଭୂମିରେ ବରଷନ୍ତି ଜଳ ॥ ୧୪
କାମଧେନୁର ପ୍ରାୟେ ମହୀ । ପ୍ରଜା କଳ୍ପିତେ ଶସ୍ୟ ଦେଇ ॥ ୧୫
ଗୋପାଳ ଗୋଷ୍ଠ ମଧ୍ୟେ ଥାଇ । ଅନେକ କ୍ଷୀର ଦ୍ୟନ୍ତି ଗାଈ ॥ ୧୬
ନଦୀ ବହନ୍ତି ପୂରି ଜଳେ । ସମୁଦ୍ର ରହିଲା ନିଶ୍ଚଳେ ॥ ୧୭
ପର୍ବତେ ନିଜ ସ୍ଥାନେ ସ୍ଥିର । ଆବୃତ ଲତା ବନ ଘୋର ॥ ୧୮
ସର୍ବଔଷଧି ଫଳ ଯେତେ । ଫଳନ୍ତି ପ୍ରଜାଙ୍କ ଆୟତ୍ତେ ॥ ୧୯
ପ୍ରଜାଙ୍କୁ ଆଧି-ବ୍ୟାଧି-କ୍ଳେଶ । ନ ଲାଗେ ତାପ-ତ୍ରୟ-ତ୍ରାସ ॥ ୨୦
ଧର୍ମନନ୍ଦନ ରାଜ୍ୟେ ଯେତେ । ପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ ॥ ୨୧
ବନ୍ଧୁଙ୍କ ଶୋକ ଶାନ୍ତ କରି । ସୁଭଦ୍ରା ପ୍ରିୟକାମେ ହରି ॥ ୨୨
ହସ୍ତିନାପୁରେ ହୃଷୀକେଶ । ଭାବେ ବଞ୍ଚିଲେ କେତେ ମାସ ॥ ୨୩
ଦ୍ୱାରକା ଗମନେ ଉଦ୍ଯୋଗୀ । ଯୁଧିଷ୍ଠିରଙ୍କୁ ଆଜ୍ଞା ମାଗି ॥ ୨୪
ଜଣ ଜଣକେ କରି କୋଳ । ସୁହୃଦ-ପ୍ରେମ-ବାକ୍ୟେ ଭୋଳ ॥ ୨୫
ରଥେ ବସିଲେ ବନମାଳୀ । ତୁଲେ ସକଳ ବନ୍ଧୁ ମିଳି ॥ ୨୬
କୃଷ୍ଣା ସୁଭଦ୍ରା କୁନ୍ତୀସୁତେ । ରାଜାଏ ଆସିଥିଲେ ଯେତେ ॥ ୨୭
ଗାନ୍ଧାରୀ ଧୃତରାଷ୍ଟ୍ର ମେଳେ । ଯୁଯୁସୁ ଗଉତମ ତୁଲେ ॥ ୨୮
ଧୌମ୍ୟ ସଙ୍ଗତେ ଭୀମ ଗଲା । ଉତ୍ତରା ନାରୀ ସଙ୍ଗେ ଥିଲା ॥ ୨୯
କୃଷ୍ଣଙ୍କୁ ନମିଲା ଅନ୍ତରେ । ପ୍ରବେଶ କଲା ଅନ୍ତଃପୁରେ ॥ ୩୦
କୃଷ୍ଣ ବିରହେ ମନଛନ୍ନ । ସହି ନ ପାରି ହତଜ୍ଞାନ ॥ ୩୧
କୃଷ୍ଣର ଭାବେ ଭାବ ବଢ଼ି । ତା ସଙ୍ଗ କେ ପାରିବ ଛାଡ଼ି ॥ ୩୨
ଯାହାର ଯଶ ଗୁଣ କର୍ଣ୍ଣେ । ନିରତେ ଭାବୁଥାନ୍ତି ମନେ ॥ ୩୩
ନ ଦେଖି ତାର ପଦ୍ମମୁଖ । କାହିଁ ଲଭିବେ ଆତ୍ମସୁଖ ॥ ୩୪
ନିରତେ କରନ୍ତି ଦର୍ଶନ । ସ୍ନେହ ନିର୍ଭରେ ଆଲିଙ୍ଗନ ॥ ୩୫
କୃଷ୍ଣଙ୍କୁ କହନ୍ତି ବଚନ । ଆବୋରି ଶୟନ ଭୋଜନ ॥ ୩୬
ଏ ରୂପେ ଚିତ୍ତବୃିରରି ଦେଇ । ଚକ୍ଷୁ ପିଞ୍ଛଡ଼ା ନ ଚଳଇ ॥ ୩୭
ତାହାର ସ୍ନେହେ ବଦ୍ଧ ହୋଇ । ତା ତହୁଁ ଅନ୍ୟେ ଚିତ୍ତ ନାହିଁ ॥ ୩୮
ପୁରୁ ବାହାର ହୋନ୍ତେ ହରି । ବିକଳେ ଯେତେ ପୁରନାରୀ ॥ ୩୯
ଚକ୍ଷୁ ବୁଜିଲେ ଭାବଭରେ । ରୋମାଞ୍ଚତନୁ ଅଶ୍ରୁଝରେ ॥ ୪୦
କୁଣ୍ଠିତ କଣ୍ଠେ ବାକ୍ୟ କହି । ବୋଲନ୍ତି ଏକୁ ଆରେ ଚାହିଁ ॥ ୪୧
ଦ୍ୱାରକା ଗଲେ ଭାବଗ୍ରାହୀ । ଆମ୍ଭର ସୁଖଲେଶ କାହିଁ ॥ ୪୨
ମୃଦଙ୍ଗ ଶଙ୍ଖ ଭେରୀ ବୀଣା । ଘଣ୍ଟ ଦୁନ୍ଦୁଭି ନିଘୋଷଣା ॥ ୪୩
ସେ କୁରୁରାଜ୍ୟେ ଯେତେ ନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥ ୪୪
ଜଗତୀ ଅ…ଟ୍ଟାଳୀ ଆରୋହୀ । ପୁଷ୍ପବିଞ୍ଚନ୍ତି କୃଷ୍ଣ ଚାହିଁ ॥ ୪୫
କୃଷ୍ଣର ଶିରେ ଶ୍ୱେତଛତ୍ର । ରତ୍ନ କାଞ୍ଚନେ ସୁଘଟିତ ॥ ୪୬
ଆନନ୍ଦେ ଘେନି ମନତୋଷେ । ଅର୍ଜୁନ ଗୋବିନ୍ଦର ପାଶେ ॥ ୪୭
ବାମ ଦକ୍ଷିଣ ପାଶେ ଟେକି । ବ୍ୟଜନ ଉଦ୍ଧବ ସାତ୍ୟକି ॥ ୪୮
ଚାମର ହସ୍ତେ ପୁଣି ବିଞ୍ଚି । କୃଷ୍ଣେ କର୍ପୂରଧୂଳି ସିଞ୍ଚି ॥ ୪୯
ଦେବେ କୁସୁମ ବରଷନ୍ତି । ମାର୍ଗେ ବିଜୟ ଯଦୁ ପତି ॥ ୫୦
ବ୍ରାହ୍ମଣେ ମିଳି କୃଷ୍ଣ ଆଗେ । ସୁସ୍ୱରେ ସାମଗାନ ରଙ୍ଗେ ॥ ୫୧
ଆଶିଷ ଅର୍ଥେ ବେଦବାଣୀ । ହୃଦେ ନମନ୍ତି ଚକ୍ରପାଣି ॥ ୫୨
ନିର୍ଗୁଣ ଗୁଣ ଯାର ଦେହୀ । ଭାବ ଅଭାବ ଯାର ନାହିଁ ॥ ୫୩
ବିପ୍ର ସମୂହ ଅନ୍ୟେ ଅନ୍ୟେ । ଆଶିଷ ଦେଲେ ତୋଷ ମନେ ॥ ୫୪
କୌରବପୁର ନାରୀଙ୍କର । ସେ ସର୍ବସୁଖ ମନୋହର ॥ ୫୫
ଉତ୍ତମ ଶ୍ଳୋକେ ଚିତ୍ତ ଯାର । ଅନ୍ୟୋଽନ୍ୟେ କରନ୍ତି ବିଚାର ॥ ୫୬
ସେ ହରି ପୁରୁଷ ପୁରାଣ । ଆତ୍ମାକୁ ଆତ୍ମାରେ ନିର୍ମାଣ ॥ ୫୭
କରି ସକଳ ଦେହେ ବସେ । ରହଇ ଏକ ଅବଶେଷେ ॥ ୫୮
ଗୁଣତ୍ରିତୟେ ଏ ଜଗତ । ମାୟାରେ କରେ ଆତଯାତ ॥ ୫୯
ଆତ୍ମାରେ ଆତ୍ମାଭାବ ବହେ । ସକଳଶକ୍ତି ଘେନି ରହେ ॥ ୬୦
ଦିବସ ଅନ୍ତେ ପ୍ରାଣୀ ଦେହେ । ନିଦ୍ରା ଯେସନେ ସର୍ବ ମୋହେ ॥ ୬୧
ପୁଣି ଉଠନ୍ତି ରାତ୍ରି ଅନ୍ତେ । ବିଷୟ ଧ୍ୟାନ ଅବିରତେ ॥ ୬୨
ଯାହାର ନିଜ ବୀର୍ଯ୍ୟବଳେ । ପ୍ରକୃତି ପ୍ରସରେ ଶୟଳେ ॥ ୬୩
ଜୀବର ସଙ୍ଗେ ସଙ୍ଗ କରି । ବିହରେ ନାନାରୂପ ଧରି ॥ ୬୪
ଏମନ୍ତେ ସଞ୍ଚରେ ଜଗତ । ଶାସ୍ତ୍ର କରଇ ଆତଯାତ ॥ ୬୫
ଯାହାର ପାଦ ଆଶ୍ରେ କରି । ଜିତଇନ୍ଦ୍ରିୟ ବ୍ରହ୍ମଚାରୀ ॥ ୬୬
ନିର୍ମଳ ଆତ୍ମାରେ ନିଶ୍ଚଳେ । ଦେଖନ୍ତି ଭକ୍ତି ଯୋଗବଳେ ॥ ୬୭
ତାହାଙ୍କ ହୃଦେ ପ୍ରକାଶଇ । ସକଳ କଳୁଷ ନାଶଇ ॥ ୬୮
ଯାର ମହିମା ମୁନିଗଣେ । ଆଗମ ନିଗମ ପ୍ରମାଣେ ॥ ୬୯
ଏକୁ ଆରେକ କଥା କହି । ବଞ୍ଚନ୍ତି ଯାର ପାଦ ଧ୍ୟାୟି ॥ ୭୦
ଯେ ଏକ ଈଶ ଲୀଳା କରି । ପ୍ରକୃତି ସଙ୍ଗତେ ବିହରି ॥ ୭୧
ସୃଷ୍ଟି କରିଣ ପୁଣି ପାଳେ । ଈଶ୍ୱର ରୂପେ ଅନ୍ତଃ କରେ ॥ ୭୨
ସେ ଦୋଷ ନ ଲାଗେ ତାହାର । ନଳିନୀ ଦଳେ ଯେହ୍ନେ ନୀର ॥ ୭୩
ସେହି ଏ ଆମ୍ଭ ଦୃଷ୍ଟି ପଥେ । ଦେଖ ଗୋ ସଖି ଅଛି ରଥେ ॥ ୭୪
ଦୁଷ୍ଟ କ୍ଷତ୍ରିୟେ ଯେତେବେଳେ । ଅଧର୍ମେ ଗ୍ରାସନ୍ତି ଶୟଳେ ॥ ୭୫
ସେ ହରି ସତ୍ତ୍ୱଗୁଣ ଧରି । ନାନା ଶରୀରେ ଅବତରି ॥ ୭୬
ଯଶ ବିସ୍ତାରି ଦୟା ସଙ୍ଗେ । ସୁଖେ ବିହରେ ଯୁଗେଯୁଗେ ॥ ୭୭
ଯାହାର ଅଂଶ ଅବତାରେ । ଯାଦବକୁଳ ଏ ସଂସାରେ ॥ ୭୮
ପୁରୁଷଉତ୍ତମ ଶ୍ରୀପତି । ଯେଣୁ ଯାଦବେ ଉତପତ୍ତି ॥ ୭୯
ରଜନୀ ଅନ୍ତେ ନରଲୋକେ । ନାମ ଧରନ୍ତି ପୁଣ୍ୟଶ୍ଳୋକେ ॥ ୮୦
ଯାର ନିବାସ ମଧୁବନ । ତେଣୁ ସ୍ୱଭାବେ ପୁଣ୍ୟତମ ॥ ୮୧
ଏ ଯେ ଦ୍ୱାରକା ତ୍ରିଅକ୍ଷର । ଅପାର ପୁଣ୍ୟ ଯଶସ୍କର ॥ ୮୨
ଯହିଁ ସକଳ ପ୍ରଜାଜନ । କୃଷ୍ଣର ହସିତ ବଦନ ॥ ୮୩
ନିଗମ ବାକ୍ୟ ଯାହା ଘୋଷି । ଦେଖନ୍ତି ନିଜଦ୍ୱାରେ ବସି ॥ ୮୪
ସାତ୍ୱିକଭାବେ ବିପ୍ରଗଣେ । ଯାର ଚରଣ ଅନୁକ୍ଷଣେ ॥ ୮୫
ଯମ ନିୟମ ବ୍ରତ ସ୍ନାନ । ଯଜ୍ଞ ତପସ୍ୟା ମହାଦାନ ॥ ୮୬
ସଙ୍କଳ୍ପ କରି ଦକ୍ଷହସ୍ତେ । ତର୍ପଣ କରୁଥାନ୍ତି ନିତ୍ୟେ ॥ ୮୭
କୃଷ୍ଣର ଯେତେ ପତ୍ନୀଗଣ । ସେ ତ ସ୍ୱଭାବେ ଭାଗ୍ୟବାନ ॥ ୮୮
ସଙ୍କଳ୍ପ କରି ଜନ୍ମାନ୍ତରେ । ତାହାଙ୍କୁ ଲଭିଛନ୍ତି ବରେ ॥ ୮୯
ଯାର ଅଧର ମଧୁରସେ । ଗୋକୁଳ ଗୋପୀଏ ହରଷେ ॥ ୯୦
ନିତ୍ୟେ ପିବନ୍ତି ଚକ୍ଷୁଦ୍ୱାରେ । ତନୁ ଅତନୁ ଶର ଘାରେ ॥ ୯୧
ରୁକ୍ମିଣୀ ସ୍ୱୟମ୍ବର କାଳେ । ସଭାର ମଧ୍ୟେ ନୃପ ମେଳେ ॥ ୯୨
କୃଷ୍ଣ ବିଷୟେ ଯେତେ ବାଦୀ । କ୍ଷତ୍ରିୟ ଶିଶୁପାଳ ଆଦି ॥ ୯୩
ତାହାଙ୍କ ଦର୍ପ ନାଶ କରି । ନାରକାପୁରୁ କନ୍ୟା ହରି ॥ ୯୪
ସେ ବଧୂଜନେ ତାର ସଙ୍ଗେ । ଖଟନ୍ତି ସଉଭାଗ୍ୟ ରଙ୍ଗେ ॥ ୯୫
ତାର କଟାକ୍ଷେ ବଶ ହୋଇ । ନିଶ୍ଚଳ ଚିତ୍ତେ ରୂପ ଧ୍ୟାୟି ॥ ୯୬
ନିରତେ କୃଷ୍ଣ ଘେନି ଘରେ । ପ୍ରେମେ ସେବନ୍ତି ତା ପୟରେ ॥ ୯୭
ପାରିଜାତକ ଆଦି ଦାନ । ଦେଇ ଆନନ୍ଦ ତାଙ୍କ ମନ ॥ ୯୮
କରିଣ ପ୍ରଭୁ ଭାବଗ୍ରାହୀ । ତାହାଙ୍କ ସଙ୍ଗ ନ ଛାଡ଼ଇ ॥ ୯୯
କୁରୁମଣ୍ତଳ ବଧୂଜନେ । ଏକାନ୍ତ ବାଣୀ ଅନ୍ୟୁ ଅନ୍ୟେ ॥ ୧୦୦
ସ୍ମିତ ଇକ୍ଷଣେ ତାହା ଜାଣି । ରଥେ ଚଳିଲେ ଚକ୍ରପାଣି ॥ ୧୦୧
କୃଷ୍ଣର ସ୍ନେହ ମନେ ଧରି । ପାଣ୍ତବେ ଘେନି ସୈନ୍ୟ ଚାରି ॥ ୧୦୨
ଶତ୍ରୁଙ୍କ ଭୟ ଚିତ୍ତେ ଚିନ୍ତି । କୃଷ୍ଣଙ୍କୁ ଆବୋରି ଚଳନ୍ତି ॥ ୧୦୩
କେତେ ହେଁ ଦୂରେ ଭାବଗ୍ରାହୀ । ପାଣ୍ତବମାନଙ୍କୁ ରୁହାଇ ॥ ୧୦୪
ଉଦ୍ଧବ ଆଦି ପ୍ରିୟ ସଙ୍ଗେ । ଚଳିଲେ ନିଜ ପୁର ମାର୍ଗେ ॥ ୧୦୫
କୁରୁ ଜାଙ୍ଗଳ ଦେଶ ଜିଣି । ପାଞ୍ଚାଳ ଦେଶ ଶୂରସେନୀ ॥ ୧୦୬
ଯମୁନା ଦେଶ ବ୍ରହ୍ମାବର୍ତ୍ତ । ମତ୍ସ୍ୟନଗର ସାରସ୍ୱତ ॥ ୧୦୭
ମରୁଧନ୍ୱନ ସଉବୀର । ଆଭୀରପୁରୀ ଯେ ଅପର ॥ ୧୦୮
ଅନ୍ୟାନ୍ୟ ଆଦି ଦେଶ ଯେତେ । ଜିଣି ଗମିଲେ ନିଜ ରଥେ ॥ ୧୦୯
ସେ ଦେଶେ ଯେତେ ପ୍ରଜାଜନେ । ସଂଭ୍ରମେ କୃଷ୍ଣ ଦରଶନେ ॥ ୧୧୦
ଅନେକ ଉପାୟନ ହସ୍ତେ । ନିବେଦି କୃଷ୍ଣପାଦଗତେ ॥ ୧୧୧
ଏମନ୍ତେ ଦ୍ୱାରକା ଅଗ୍ରତେ । ମିଳିଲେ ଦିନକର ଅସ୍ତେ ॥ ୧୧୨
ସେ ହରି ଚରଣ ପଙ୍କଜେ । କିଙ୍କର ଜଗନ୍ନାଥ ଭଜେ ॥ ୧୧୩
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକା ଗମନଂ ନାମ ଦଶମୋଽଧ୍ୟାୟଃ ।।

ଏକାଦଶ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଏମନ୍ତେ ନିଜ ରାଜ୍ୟେ ହରି । ମିଳିଲେ ଶଙ୍ଖନାଦ କରି ॥ ୧
ସେ ପାଞ୍ଚଜନ୍ୟର ଶବଦ । ହରିଲା ପ୍ରଜାଙ୍କ ବିଷାଦ ॥ ୨
ସେ ଶଙ୍ଖଧବଳ ଉଦର । ବିରାଜେ ଶ୍ରୀକୃଷ୍ଣର କର ॥ ୩
ଅଧର ରଙ୍ଗେ ରଙ୍ଗ ଦିଶି । ଉଚ୍ଚ ଶବଦ ସେହୁ ଭାଷି ॥ ୪
ରକତ ପଦ୍ମ କୋଳେ ଯେହ୍ନେ । ଶୋଭିତ ରାଜହଂସ ସ୍ୱନେ ॥ ୫
ସେ ନାଦ ଯେତେଦୂର ସ୍ଫୁରେ । ଜନ୍ମ ମରଣ ଭୟ ହରେ ॥ ୬
ସେ ନାଦ ସ୍ଫୁରେ ଘନଘନ । ଶୁଣି ସକଳ ପ୍ରଜାଜନ ॥ ୭
ଧାମନ୍ତି ପରମ ହରଷେ । ଶ୍ରୀକୃଷ୍ଣ ଦର୍ଶନ ଲାଳସେ ॥ ୮
ବିବିଧ ଉପାୟନ ହସ୍ତେ । ମିଳିଲେ ଗୋବିନ୍ଦ ଅଗ୍ରତେ ॥ ୯
ରବି ସମୀପେ ଦୀପପନ୍ତି । ଦିବସେ ଯେସନେ ଦିଶନ୍ତି ॥ ୧୦
ଯେ ହରି ନିତ୍ୟ ପୂର୍ଣ୍ଣକାମ । ଆତ୍ମ ପ୍ରକାଶ ଆତ୍ମାରାମ ॥ ୧୧
ତାର ନିକଟେ ରୁଣ୍ତ ହୋଇ । ସକଳେ ଶିରେ କର ଦେଇ ॥ ୧୨
ବାଳକ ପିତା ସନ୍ନିଧାନେ । ଯେମନ୍ତେ ମାନ ଅପମାନେ ॥ ୧୩
ଆନନ୍ଦେ କୃଷ୍ଣ ମୁଖ ଚାହିଁ । ବୋଲନ୍ତି ଗଦଗଦ ହୋଇ ॥ ୧୪
ଭୋନାଥ ପରମ କାରଣ । ତୋହର ଅଭୟ ଚରଣ ॥ ୧୫
ଶିବ ବିରଞ୍ଚି ଆଦି ଦେବେ । ନିତ୍ୟେ ସେବନ୍ତି ଆତ୍ମଭାବେ ॥ ୧୬
ଯେ ଚିନ୍ତେ ଆତ୍ମାର କାରଣ । ତୋ ପାଦପଦ୍ମ ନାରାୟଣ ॥ ୧୭
ଯେ କାଳ ସକଳ ସଂହାରେ । ତୋର ସେବକେ ସେ ନପାରେ ॥ ୧୮
ତୁ ଆମ୍ଭ ପିତାମାତା ପତି । ସର୍ବ ସଙ୍କଳ୍ପ କ୍ଷେମଗତି ॥ ୧୯
ପରମଗୁରୁ ଦଇବତ । ସୁହୃଦ ବନ୍ଧୁ ପ୍ରିୟମିତ୍ର ॥ ୨୦
ତୋ ବିନୁ ଆମ୍ଭେ ନୋହୁ କିଛି । ତୁ ନାଥ ସର୍ବ-ଆତ୍ମା-ସାକ୍ଷୀ ॥ ୨୧
ଅନାଥ ନାଥ ତୁ ଆମ୍ଭର । ଦେବମାନବେ ଅଗୋଚର ॥ ୨୨
ତୋର ବଦନ ନାରାୟଣ । ପ୍ରେମ ହସିତ ନିରୀକ୍ଷଣ ॥ ୨୩
ସେ ମୁଖ ଦେଖୁ ତୋର ଦେହେ । ସର୍ବସୌନ୍ଦର୍ଯ୍ୟ ଯହିଁ ରହେ ॥ ୨୪
ଯେବେ ସୁହୃଦ ଦେଖିବାରେ । କୁରୁନଗର ମଧୁୁପୁରେ ॥ ୨୫
ଇଚ୍ଛାରେ କରୁ ତୁ ଗମନ । ତୋତେ ନ ଦେଖି ଆମ୍ଭମନ ॥ ୨୬
କ୍ଷଣକ କୋଟିଯୁଗ ମଣେ । ରଜନୀ ଦିବସ ନ ଜାଣେ ॥ ୨୭
କୋଟିନୟନ ପ୍ରାଣୀ ବହି । କି କରେ ରବି ଯେବେ ନାହିଁ ॥ ୨୮
ତୋହର ପ୍ରସନ୍ନ ବଦନ । ଅଖିଳ ତାପ ବିମୋଚନ ॥ ୨୯
ଚିର ପ୍ରବାସେ ତା ନ ଦେଖି । ଆମ୍ଭ ଜୀବନ ବଡ଼ ଦୁଃଖୀ ॥ ୩୦
ଏମନ୍ତ ଜନ ମୁଖୁ ଶୁଣି । ଆନନ୍ଦ ମନେ ଚକ୍ରପାଣି ॥ ୩୧
ଅମୃତ ଲୋଚନେ ଅନାଇ । ପୁରେ ପ୍ରବେଶ ଭାବଗ୍ରାହୀ ॥ ୩୨
ଯାଦବ ସାତବଂଶ ମିଳି । ଶବଦ ଶୁଭେ କୁଶସ୍ଥଳୀ ॥ ୩୩
ରକ୍ଷିତ ନିଜ ତୁଲ୍ୟ ବଳେ । ପାତାଳ ଯେହ୍ନେ ନାଗବଳେ ॥ ୩୪
ମତ୍ତ ମାତଙ୍ଗ ଅଶ୍ୱ ଖର । ରଥ ଶକଟ ବହୁତର ॥ ୩୫
ପଦାତିବଳ ଅପ୍ରମିତ । ଧାମନ୍ତି ବୀରେ ଯୂଥଯୂଥ ॥ ୩୬
ଚଳନ୍ତେ ମୁଖରାବ ଗୋଳ । ପାତାଳେ ଯେହ୍ନେ ନାଗବଳ ॥ ୩୭
ସକଳ ଋତୁ ପୁଷ୍ପଫଳେ । ଆଶ୍ରଇ ଲତା ଦ୍ରୁମ ମେଳେ ॥ ୩୮
ଆରାମ ଭବନେ ଶୋଭନ । ଜଳେ ଜଳଜ ହଂସ ମୀନ ॥ ୩୯
ତୋରଣ ପୁର ଦ୍ୱାର ମାର୍ଗେ । ଉଚ୍ଚେ ବନ୍ଧନ ନବରଙ୍ଗେ ॥ ୪୦
ଧ୍ୱଜ ପତାକା ଚିତ୍ର ଶୋହେ । ସୁନ୍ଦର ପଥ ମନ ମୋହେ ॥ ୪୧
ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ । ସିଞ୍ଚା କୁସୁମ ଗନ୍ଧନୀରେ ॥ ୪୨
ଗୃହମାନଙ୍କ ପ୍ରତିଦ୍ୱାରେ । ଦଧି ଅକ୍ଷତ ଫଳଭରେ ॥ ୪୩
ପୂର୍ଣ୍ଣ କଳସ ଧୂପଦୀପେ । ଜୟଶବଦ ନାନାରୂପେ ॥ ୪୪
କୃଷ୍ଣର ଆଗମନ ଜାଣି । ସଙ୍ଗତେ ବସୁଦେବ ଘେନି ॥ ୪୫
ରାମ ଅକ୍ରୁର ଉଗ୍ରସେନ । କୃଷ୍ଣର ଯେତେକ ନନ୍ଦନ ॥ ୪୬
ହରଷେ ଉଛୁଳିଲା ମନ । ଉପେକ୍ଷି ଶୟନ ଭୋଜନ ॥ ୪୭
ଉତ୍ତମ ହସ୍ତୀ ସଜ କରି । ମାଗଧେ ମଙ୍ଗଳ ଉଚ୍ଚାରି ॥ ୪୮
ମଙ୍ଗଳ ବେଦନାଦ ସ୍ୱରେ । ଅଗ୍ରେ ଚଳିଲେ ବିପ୍ରବରେ ॥ ୪୯
ଶଙ୍ଖ ମହୁରୀ ଭେରୀ ତୂରୀ । ଯେ ବାଦ୍ୟେ ମଙ୍ଗଳ ଉଚ୍ଚାରି ॥ ୫୦
ଏମନ୍ତେ ପୁରଜନ ପଥେ । ଆନନ୍ଦେ ମିଳିଲେ ସମସ୍ତେ ॥ ୫୧
ଶତ ସହସ୍ର ବାରାଙ୍ଗନା । ଯେ ରୂପେ ଜଗତ ମୋହନା ॥ ୫୨
କୁଣ୍ତଳ ଲୋଳିତ ଶ୍ରବଣେ । ଲୋଚନ ପୂରିତ ଅଞ୍ଜନେ ॥ ୫୩
ଅଳକା ତିଳକ କୁସୁମ । ଦେବମାନବେ ମନୋରମ ॥ ୫୪
ନଟ ନର୍ତ୍ତକ ବନ୍ଦୀ ସୂତେ । ଅଗ୍ରେ ଚଳନ୍ତି ଯୂଥେଯୂଥେ ॥ ୫୫
କୃଷ୍ଣର ଅଦ୍ଭୁତ ଚରିତ । ଗାୟନ କରି ନୃତ୍ୟଗୀତ ॥ ୫୬
ମିଳିଲେ ଗୋବିନ୍ଦର ପାଶେ । ସକଳେ ପରମ ହରଷେ ॥ ୫୭
ଗୋବିନ୍ଦ ଦେଖି ପୁରଜନ । ତକ୍ଷଣେ ଉପେକ୍ଷି ଆସନ ॥ ୫୮
ଯେ ହରି ସର୍ବ ଗୁଣନିଧି । ବନ୍ଧୁ ପୂଜିଲେ ଯଥାବିଧି ॥ ୫୯
କାହାକୁ କରି ନମସ୍କାର । ଆନନ୍ଦେ ଧରି କରେ କର ॥ ୬୦
କାହାକୁ କରି ଆଲିଙ୍ଗନ । କା ଶିରେ ଆଘ୍ରାଣ ଚୁମ୍ବନ ॥ ୬୧
କାହାକୁ ମନ୍ଦହାସେ ଚାହିଁ । ଭାବେ ତୋଷିଲେ ଭାବଗ୍ରାହୀ ॥ ୬୨
ଆଶ୍ୱାସ କରି ପୁରଜନେ । ତୋଷିଲେ ସର୍ବ ବାକ୍ୟଧନେ ॥ ୬୩
ଚାଣ୍ତାଳୁ ବ୍ରହ୍ମଯାଏଁ ପୂଜା । କରି ତୋଷିଲେ ଦେବରାଜା ॥ ୬୪
କୁଳ ପୂଜିତ ଜ୍ଞାନବୃଦ୍ଧ । କୃଷ୍ଣଙ୍କୁ କଲେ ଆଶୀର୍ବାଦ ॥ ୬୫
ପୁରେ ପଶନ୍ତେ ଜନାର୍ଦ୍ଦନ । ଦ୍ୱାରକାପୁର ବଧୂଜନ ॥ ୬୬
ତକ୍ଷଣେ ଲାଜ ଦୂର କରି । ଆରୋହି ଅଟ୍ଟାଳୀ ପାଚେରୀ ॥ ୬୭
ଦେଖିଣ କୃଷ୍ଣର ଶରୀର । ମହାଉତ୍ସବେଣ ଅସ୍ଥିର ॥ ୬୮
ଯଦ୍ୟପି ନିତ୍ୟେ ନିତ୍ୟେ ପୁରେ । କୃଷ୍ଣ ବଦନ ନିରନ୍ତରେ ॥ ୬୯
ଦେଖି ସନ୍ତୋଷ ନୋହେ ମନ । ଯା ଅଙ୍ଗ ସର୍ବ ଶୋଭାବନ ॥ ୭୦
ଲକ୍ଷ୍ମୀ ବିଳାସ ଯାର ଅଙ୍ଗେ । ଅଦ୍ଭୁତ ବିବିଧ ବିଭଙ୍ଗେ ॥ ୭୧
ସୁଧା-ସମ୍ପୂର୍ଣ୍ଣ ଯାର ଗାତ୍ର । ପ୍ରାଣୀ ଲୋଚନ ପାନପାତ୍ର ॥ ୭୨
ଯାହାର ଚାରିଭୁଜତଳେ । ବାସବ ଆଦି ଦିଗପାଳେ ॥ ୭୩
ଯାହାର ଅଭୟ ଚରଣ । ଭକତଜନଙ୍କ ଶରଣ ॥ ୭୪
ଧବଳଛତ୍ର କେବା ଧରେ । କେବା ଚାମର ବିଞ୍ଚେ ଧୀରେ ॥ ୭୫
ଜୟଶବଦ କେ କରନ୍ତି । କେ ବା କୁସୁମ ବରଷନ୍ତି ॥ ୭୬
ପଥେ ଗୋବିନ୍ଦ ତନୁ ଶୋଭା । କିବା ଉପମା ତାରେ ଦେବା ॥ ୭୭
ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୭୮
ପିଶଙ୍ଗ ବସ୍ତ୍ର ମଧ୍ୟଭାଗେ । ଯେହ୍ନେ ବିଜୁଳି ନୀଳମେଘେ ॥ ୭୯
ରବି ଶଶାଙ୍କ ଶକ୍ରଚାପ । ସ୍ୱଭାବେ ଘନନୀଳ ରୂପ ॥ ୮୦
ପୁରେ ପଶନ୍ତେ ବ୍ରହ୍ମରାଶି । ତକ୍ଷଣେ ମାତୃଗଣେ ଆସି ॥ ୮୧
ଆନନ୍ଦେ କରି ଆଲିଙ୍ଗନ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥ ୮୨
ଦେବକୀ ଆଦି ସପ୍ତନାରୀ । ଚରଣେ ନମିଲେ ମୁରାରି ॥ ୮୩
ସକଳ ମାତୃଗଣେ ମିଳି । କୋଳେ ବସାଇ ବନମାଳୀ ॥ ୮୪
ଅତ୍ୟନ୍ତ ପୁତ୍ର ସ୍ନେହଭରେ । କ୍ଷୀର ସ୍ରବଇ ପୟୋଧରେ ॥ ୮୫
ଅତି ଆନନ୍ଦେ ଅଶ୍ରୁଜଳେ । ସିଞ୍ଚନ୍ତି କୃଷ୍ଣଙ୍କ ଉପରେ ॥ ୮୬
ମାତୃଗଣଙ୍କ ସଙ୍ଗୁ ହରି । ନିଜ ଭୁବନେ ବିଜେ କରି ॥ ୮୭
ଷୋଳସହସ୍ର ପତ୍ନୀଙ୍କର । ବିରାଜେ ରତ୍ନମୟ ପୁର ॥ ୮୮
ସକଳ କାମ ଅର୍ଥ ଧର୍ମ । ଯହିଁ ବିଜୟେ ପୂର୍ଣ୍ଣବ୍ରହ୍ମ ॥ ୮୯
ମାୟାର ବଳେ ବନମାଳୀ । ପତ୍ନୀ ଭୁବନେ ବେଗେ ମିଳି ॥ ୯୦
ଅଷ୍ଟ ଅଧିକ ଶତନାରୀ । ଷୋଳସହସ୍ର ମନୋହାରୀ ॥ ୯୧
ପଶିଲେ ଏତେ ରୂପ ହୋଇ । ହାସ୍ୟ କଟାକ୍ଷେ ମନ ମୋହି ॥ ୯୨
ଭୁବନେ ଦେଖି ନିଜ ପତି । ସମ୍ଭ୍ରମେ ସକଳ ଯୁବତୀ ॥ ୯୩
ଦୂରୁ ଗୋବିନ୍ଦ ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୯୪
କି ଅବା ଦେବା ପଟାନ୍ତର । ଚକୋରେ ଯେହ୍ନେ ନିଶାକର ॥ ୯୫
ତକ୍ଷଣେ ହରିରୂପ ଦେଖି । ନିର୍ମଳ କରି ବେନିଆଖି ॥ ୯୬
ଅନ୍ତରେ ସ୍ୱାମୀରୂପ ଧରି । ନିବିଡ଼େ ଆଲିଙ୍ଗନ କରି ॥ ୯୭
ପୁଣି କୃଷ୍ଣର ପାଶେ ମିଳି । ପୁତ୍ରାଦି ଦ୍ୱାରା କୋଳ କରି ॥ ୯୮
ସ୍ୱଭାବେ ସଲଜ୍ଜ ବଦନ । ଲୋତକେ ପୂରିତ ନୟନ ॥ ୯୯
ଯଦ୍ୟପି ପାଇଲେ ଏକାନ୍ତେ । ତଥାପି କୃଷ୍ଣ ପାଦଗତେ ॥ ୧୦୦
ଅତି ପୀରତି ନବନବ । ସ୍ୱାମୀ ଚରଣେ କଲେ ଭାବ ॥ ୧୦୧
ପାଦପଦ୍ମରେ ସେବା କଲେ । କେ ତାହା ଛାଡ଼ି ପାରେ ଭଲେ ॥ ୧୦୨
ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା । ସେ ନ ଛାଡ଼ଇ ଅତିଭୋଳା ॥ ୧୦୩
ଏହି ପ୍ରକାରେ ନରହରି । ଛଳେ ଧରଣୀ ଭାରା ହରି ॥ ୧୦୪
ଦଶ ଅୟୁତ ରାଜାଗଣେ । ଉଭାରି ସଂହାରିଲେ ରଣେ ॥ ୧୦୫
କଳି ଭିଆଇ ନାରାୟଣ । ଅନଳେ ଯେହ୍ନେ ସମୀରଣ ॥ ୧୦୬
ନାଶିଲେ ଅହଙ୍କାର ବାଦେ । ବିମାନେ ବସି ନିରାୟୁଧେ ॥ ୧୦୭
ସ୍ୱମାୟାବଳେ ନରହରି । ମନୁଷ୍ୟ ଦେହେ ଅବତରି ॥ ୧୦୮
ଅଜ୍ଞାନୀ ଯେହ୍ନେ ଗୃହେ ରହି । ବଞ୍ଚଇ ପତ୍ନୀବଶ ହୋଇ ॥ ୧୦୯
ପତ୍ନୀର ଭାବ ପ୍ରେମରଙ୍ଗେ । ଯନ୍ତ୍ରିତ ମୋହନ ଅନଙ୍ଗେ ॥ ୧୧୦
କୃଷ୍ଣର ଯେତେ ନାରୀଗଣ । ସୁନ୍ଦରେ ମୋହନ୍ତି ମଦନ ॥ ୧୧୧
ସ୍ୱଭାବେ ପ୍ରେମଛନ୍ଦେ ରସେ । ନିତ୍ୟେ ସେବନ୍ତି କୃଷ୍ଣପାଶେ ॥ ୧୧୨
ବିବିଧ ଆଲିଙ୍ଗନ ଦେଇ । ତା ମନ ନ ପାରିଲେ ମୋହି ॥ ୧୧୩
ଏ ଜୀବଲୋକ କାହୁଁ ଜାଣେ । ଆପଣା ତୁଲ୍ୟ ପ୍ରାୟ ମଣେ ॥ ୧୧୪
କାହୁଁ ପାରିବେ ବଶ କରି । ନିର୍ଲେପ ପ୍ରଭୁ ନରହରି ॥ ୧୧୫
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୧୬
କହଇ ଦାସ ଜଗନ୍ନାଥ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୧୭
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକାପ୍ରବେଶୋ ନାମ ଏକାଦଶୋଽଧ୍ୟାୟଃ ।।

ଦ୍ୱାଦଶ ଅଧ୍ୟାୟ[ସମ୍ପାଦନା]

ଶୌନକ ଉବାଚ

କୋପେ ଯେ ଦ୍ରୋଣଙ୍କ କୁମର । ମନ୍ତ୍ରି ପେଷିଲା ବ୍ରହ୍ମଶର ॥ ୧
ତାର ପ୍ରଚଣ୍ତ ତେଜଜାଳେ । ଭୟେ କମ୍ପିଲେ ଦିଗପାଳେ ॥ ୨
ଉତ୍ତରା ଗର୍ଭେ ସେ ପଡ଼ିଲା । ତକ୍ଷଣେ ଗୋବିନ୍ଦ ରଖିଲା ॥ ୩
ସେ ପୁଣି ଗର୍ଭୁ ଜନ୍ମ ହୋଇ । ପାଳିଲା ରାଜାପଣେ ମହୀ ॥ ୪
ଜଗତେ ଯେତେ କର୍ମ କଲା । ପ୍ରଜାଙ୍କୁ ଯେମନ୍ତେ ପାଳିଲା ॥ ୫
କେବଣ ହେତୁ ନୃପରାଣ । କାହିଁ ଛାଡ଼ିଲା ନିଜପ୍ରାଣ ॥ ୬
ଅଳପ ବୟସେ ନୃପତି । ଅନ୍ତେ ଲଭିଲା କେଉଁଗତି ॥ ୭
ଆନନ୍ଦେ ବ୍ୟାସଙ୍କର ସୁତ । ଯାହାଙ୍କୁ ଦେଲେ ଜ୍ଞାନତତ୍ତ୍ୱ ॥ ୮
ତାର ସକଳ କର୍ମଦୀକ୍ଷା । ଶ୍ରବଣେ କଲୁ ଆମ୍ଭେ ଇଚ୍ଛା ॥ ୯
ଆମ୍ଭଙ୍କୁ ଯେବେ ଦୟା ବହ । ସଂଶୟ ଯାଉ ମୁନି କହ ॥ ୧୦

ସୂତ ଉବାଚ

କୁରୁ ନଗରେ ଧର୍ମରାଜା । ପୁତ୍ରଙ୍କ ପ୍ରାୟେ ପାଳେ ପ୍ରଜା ॥ ୧୧
କୃଷ୍ଣହୁଁ ନ ଜାଣଇ ଆନ । ବିଷୟା ରସେ ନାହିଁ ମନ ॥ ୧୨
ଧନ ସମ୍ପଦର ରକ୍ଷଣେ । ଯେ ସ୍ନେହ ଭାର୍ଯ୍ୟା ଭ୍ରାତୃଗଣେ ॥ ୧୩
ରାଜ୍ୟ ପାଳନେ ଏହିମତେ । ଧର୍ମହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୪
ଏ ଜମ୍ବୁଦ୍ୱୀପେ ଯେତେ ରାଜା । ସର୍ବେ କରନ୍ତି ପାଦପୂଜା ॥ ୧୫
ଯାର ମହିମା ତିନିଲୋକେ । ଘୋଷନ୍ତି ଏକକୁ ଆରକେ ॥ ୧୬
ଗୋବିନ୍ଦ ଯାର ହୃଦେ ବସେ । ସେ କି ବିଷୟରସେ ରସେ ॥ ୧୭
କ୍ଷୁଧିତଜନ ମନ ଯେହ୍ନେ । ଅନ୍ନହୁଁ ନ ଲୋଡ଼ଇ ମନେ ॥ ୧୮
ଏବେ ହୋ ଶୁଣ ବିପ୍ରଜନ । କହିବା ପରୀକ୍ଷିତ ଜନ୍ମ ॥ ୧୯
ମାତାର ଗର୍ଭେ ଯେବେ ଥିଲା । ନୟନେ କୃଷ୍ଣଙ୍କୁ ଦେଖିଲା ॥ ୨୦
ତେଜେ ଯେସନେ ଦିବାକର । ଗର୍ଭେ ପଡ଼ିଲା ବ୍ରହ୍ମଶର ॥ ୨୧
ଉତ୍ତରା ଡାକେ ତ୍ରାହି ତ୍ରାହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୨
ଅଙ୍ଗୁଷ୍ଠି ପ୍ରମାଣେ ଶରୀରେ । ସୁଦରଶନ ଧରି କରେ ॥ ୨୩
କିରୀଟ କୁଣ୍ତଳ ବିରାଜେ । ପ୍ରଭା ସବିତାତେଜ ଗଞ୍ଜେ ॥ ୨୪
ଅପୂର୍ବ ରୂପ ଘନଶ୍ୟାମ । ତଡ଼ିତବାସ କଟିଦାମ ॥ ୨୫
ଆଜାନୁଲମ୍ବେ ଭୁଜ ଚାରି । ଶଙ୍ଖ କମଳ ଗଦା ଧରି ॥ ୨୬
କୋପେ ଲୋହିତ ବେନି ଦୃଷ୍ଟି । ଗଦା ଭ୍ରମଣେ ଦୃଢ଼ମୁଷ୍ଟି ॥ ୨୭
ଗଦାର ତେଜ ରବିତ୍ରାସ । ମଣ୍ତଳେ ପୂରେ ଦଶଦିଶ ॥ ୨୮
ହରିଲେ ବ୍ରହ୍ମଶର ତେଜ । ନୀହାର ଯେହ୍ନେ ଗ୍ରହରାଜ ॥ ୨୯
ନିକଟେ ଦେଖି ବିତର୍କିତ । ଏ କେ ମୋ ପାଶେ ଉପଗତ ॥ ୩୦
ନିର୍ମଳଆତ୍ମା ଭଗବାନ । ଧର୍ମ ପାଳକ ଜନାର୍ଦ୍ଦନ ॥ ୩୧
ତକ୍ଷଣେ ଗର୍ଭ ରକ୍ଷା କରି । ଅନ୍ତର ହୋଇଲେ ମୁରାରି ॥ ୩୨
ବାଳକ ଦେଖେ ତା ନୟନେ । ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ ॥ ୩୩
ତକ୍ଷଣେ ସର୍ବଶୁଭ ବେଳେ । ଗ୍ରହ ସକଳ ଅନୁକୂଳେ ॥ ୩୪
ବାଳକ ହୋଇଲା ବାହାର । ଗୁଣେ ପାଣ୍ତବ ବଂଶଧର ॥ ୩୫
ଅତି ସୁନ୍ଦର ବିରାଜିଲା । ପୁଣି କି ପାଣ୍ତୁ ପ୍ରକାଶିଲା ॥ ୩୬
ଦେଖି ସନ୍ତୋଷ ଧର୍ମସୁତ । ସଙ୍ଗତେ ଘେନି ପୁରୋହିତ ॥ ୩୭
ଆନନ୍ଦେ ମିଳି ମହାଜନେ । ସ୍ୱସ୍ତିକ ମଙ୍ଗଳ ବଚନେ ॥ ୩୮
ଶୁଭଇ ଶଙ୍ଖନାଦ ଭେରୀ । ଶୁଭେଣ ଜାତକର୍ମ କରି ॥ ୩୯
ସୁବର୍ଣ୍ଣ ମହୀ ଧେନୁ ତୁଲେ । ଅନେକ ଗ୍ରାମଦାନ ଦେଲେ ॥ ୪୦
ଅଶ୍ୱ କୁଞ୍ଜର ନିଜ ଅନ୍ନ । ସୁମୃତି ମତେ ଦେଲେ ଦାନ ॥ ୪୧
ସୂତ ମାଗଧ ଆଦି ଲୋକେ । ଯେ ଆସି ମିଳିଲେ ଯାଚକେ ॥ ୪୨
ଧର୍ମନନ୍ଦନ ସୁଖଚିତ୍ତେ । ଦକ୍ଷିଣା ଦେଲେ ପ୍ରଜାତୀର୍ଥେ ॥ ୪୩
ସନ୍ତୋଷେ ବସି ବିପ୍ରଗଣ । ବିଚାରି ଜାତକ ଲକ୍ଷଣ ॥ ୪୪
ଗ୍ରହ ନକ୍ଷତ୍ର ଚିନ୍ତି ଚିତ୍ତେ । କହନ୍ତି ରାଜାଙ୍କ ଅଗ୍ରତେ ॥ ୪୫
ଏ ଅଭିମନ୍ୟୁର କୁମର । ପାଣ୍ତବବଂଶେ କୀର୍ତ୍ତିକର ॥ ୪୬
ଗର୍ଭସଙ୍କଟୁ ଏ ତରିଲା । ଏହାକୁ ବିଷ୍ଣୁ ରକ୍ଷା କଲା ॥ ୪୭
ସର୍ବ ଲକ୍ଷଣେ ଏ ସମ୍ଭୂତ । ଏହାର ନାମ ବିଷ୍ଣୁରାତ ॥ ୪୮
କୁରୁ ପାଣ୍ତବ ବଂଶଧର । ଏ ଭାଗବତ ମଧ୍ୟେ ବର ॥ ୪୯
ଏମନ୍ତେ ବ୍ରାହ୍ମଣଙ୍କ ବାଣୀ । ଶ୍ରବଣେ ସୁଧାପ୍ରାୟ ମଣି ॥ ୫୦
ହେ ବିପ୍ରବରେ ତୁମ୍ଭ ବାଣୀ । ବୋଲନ୍ତି ଯୁଧିଷ୍ଠିର ଶୁଣି ॥ ୫୧
ଆଗମ ନିଗମେ ଯା ସାର । ତୁମ୍ଭଙ୍କୁ ନୋହେ ଅଗୋଚର ॥ ୫୨
ଗ୍ରହନକ୍ଷତ୍ର ଯୋଗମତେ । ଯାହା କହିଲ ଶାସ୍ତ୍ରତତ୍ତ୍ୱେ ॥ ୫୩
ଏ ବଂଶଧର ସାଧୁବାଦେ । ସତେ ପାଳିବ ରାଜପଦେ ॥ ୫୪
ରାଜାବଚନେ ବିପ୍ରଗଣ । କହନ୍ତି ଜାତକ ଲକ୍ଷଣ ॥ ୫୫
ଶୁଣ ହେ ଧର୍ମର ନନ୍ଦନ । ଆମ୍ଭର ଆଶିଷ ବଚନ ॥ ୫୬
ପ୍ରଜାପାଳନେ ଏ ନିୟତ । ଯେହ୍ନେ ଇକ୍ଷ୍ୱାକୁ ମନୁସୁତ ॥ ୫୭
ବ୍ରାହ୍ମଣ ଜନହିତକର । ସତ୍ୟପ୍ରତିଜ୍ଞ ଗୁଣଧର ॥ ୫୮
ଏହାର ଯଶ ସର୍ବଦେଶେ । ଯେହ୍ନେ ଶ୍ରୀରାମ ରଘୁବଂଶେ ॥ ୫୯
ଶିବି ଯେସନେ ଦାତାବର । ଦୟାଳୁ ମଧ୍ୟେ ଏ କୁମର ॥ ୬୦
ଭରତ ପ୍ରାଏ ଯଜ୍ଞକାରୀ । ଅର୍ଜୁନ ସମ ଧନୁର୍ଦ୍ଧାରୀ ॥ ୬୧
ହୁତାଶ ପ୍ରାୟ ତେଜୋମୟ । ଦୁସ୍ତର ସମୁଦ୍ରର ପ୍ରାୟ ॥ ୬୨
ବିକ୍ରମେ ଯେସନେ କେଶରୀ । ଆଶ୍ରୟେ ଯେହ୍ନେ ହିମଗିରି ॥ ୬୩
ପୃଥିବୀ ସମ ଧୀରଚେତା । ସହିଷ୍ଣୁ ଯେହ୍ନେ ପିତାମାତା ॥ ୬୪
ସମ ପାଳନେ କି ବିଧାତା । ଈଶ୍ୱର ପ୍ରାୟ ବରଦାତା ॥ ୬୫
ଆଶ୍ରୟ ସର୍ବ ପ୍ରାଣୀଙ୍କର । ଯେହ୍ନେ ସଂସାରେ ରମାବର ॥ ୬୬
ସର୍ବଲକ୍ଷଣେ କୃଷ୍ଣସମ । ସୁଦୃଢ଼ବ୍ରତ ସତ୍ୟଧାମ ॥ ୬୭
ଉଦାର ପଣେ ରନ୍ତିଦେବ । ଯଯାତି ପ୍ରାୟେ ଧୀରଭାବ ॥ ୬୮
ବଳିର ପ୍ରାୟ ଧୀରପଦ । ବୈଷ୍ଣବ ଯେହ୍ନେ ପ୍ରହଲାଦ ॥ ୬୯
ସଂସ୍କାର ମନ୍ତ୍ର ହବିର୍ଭାଗେ । ଦେବଙ୍କୁ ଅଶ୍ୱମେଧ ଯଜ୍ଞେ ॥ ୭୦
ପୂଜାରେ କରାଇ ସନ୍ତୋଷ । ବୃଦ୍ଧ ସେବାରେ ସେ ବିଶ୍ୱାସ ॥ ୭୧
ରାଜଋଷିଙ୍କ ଜାତକାରୀ । ଦୁଷ୍ଟଜନଙ୍କ ଦର୍ପହାରୀ ॥ ୭୨
ଅବନୀ ଧର୍ମ ରକ୍ଷା ଅର୍ଥେ । କଳିକି ବାନ୍ଧିବି ଆୟତ୍ତେ ॥ ୭୩
ବ୍ରାହ୍ମଣ ଶାପ ମହାରୋଷେ । ଲଭିବ ଅଳପ ବୟସେ ॥ ୭୪
ବ୍ରହ୍ମବଚନ ତୀକ୍ଷ୍ଣବାଣ । ତକ୍ଷକ ହସ୍ତେ ଦେବ ପ୍ରାଣ ॥ ୭୫
ବ୍ରାହ୍ମଣ ଶାପେ ଭୟ ପାଇ । ତକ୍ଷଣେ ସାଧୁସଙ୍ଗୀ ହୋଇ ॥ ୭୬
ଜାହ୍ନବୀକୂଳେ ଅନ୍ତର୍ଜଳେ । ହରି-ଭକତି ସନ୍ଥମେଳେ ॥ ୭୭
କୃଷ୍ଣ-ମହିମା ଶୁକ ମୁଖେ । ଶୁଣି ଛାଡ଼ିବ ପ୍ରାଣ ସୁଖେ ॥ ୭୮
ଗୋବିନ୍ଦ ଅଭୟ ଚରଣ । ନିଶ୍ଚିନ୍ତେ ପଶିବ ଶରଣ ॥ ୭୯

ସୂତ ଉବାଚ

ଏମନ୍ତେ ଜାତକର୍ମ କଲେ । ବନ୍ଧୁବାନ୍ଧବ ବିପ୍ରମେଳେ ॥ ୮୦
ରାଜାଙ୍କୁ ମାଗି ଅନୁଯାନ । ବିପ୍ରେ ଚଳିଲେ ନିଜ ସ୍ଥାନ ॥ ୮୧
ଗର୍ଭେ ଦେଖିଲା ଚକ୍ରପାଣି । ସଂସାରେ ଦେଖେ ଯେତେ ପ୍ରାଣୀ ॥୮୨
ଏ ଅବା ସେହି ଅବା ନୋହି । ଏମନ୍ତ ପରୀକ୍ଷା କରଇ ॥ ୮୩
ଏ ଘେନି ନାମ ପରୀକ୍ଷିତ । ଲୋକରେ ହୋଇଲା ବିଖ୍ୟାତ ॥ ୮୪
ଦିନକୁଦିନ ତେଜରାଶି । ଶୁକଳପକ୍ଷେ ଯେହ୍ନେ ଶଶୀ ॥ ୮୫
ଦିନକୁଦିନ ପିତୃଗଣେ । ସ୍ନେହେ ପାଳନ୍ତି ଅନୁକ୍ଷଣେ ॥ ୮୬
ବାଳକ ଦେହେ ପରୀକ୍ଷିତ । ସ୍ୱଭାବେ କୃଷ୍ଣ ଭକତ ॥ ୮୭
ସକଳ ଲୋକେ ପ୍ରୀତିଦାତା । ସାଧୁ-ସୁନ୍ଦର-ଶୁଦ୍ଧଚେତା ॥ ୮୮
ଏବେ ହୋ ଶୁଣ ବିପ୍ରଜନେ । ଧର୍ମନନ୍ଦନ ଚିନ୍ତେ ମନେ ॥ ୮୯
ଜ୍ଞାତି ମାରଣ ଦ୍ରୋହ ଚିତ୍ତେ । ସର୍ବକଳୁଷ ନାଶ ଅର୍ଥେ ॥ ୯୦
ପ୍ରଜାଙ୍କ ତହୁଁ ନିଜଧନ । ନକରି ଦଣ୍ତ କରଷଣ ॥ ୯୧
କୃଷ୍ଣ ଆଜ୍ଞାରେ ଭ୍ରାତୃଗଣେ । ଗଲେ ଯେ ରାଜାଙ୍କ ଚରଣେ ॥ ୯୨
ରାଜାଙ୍କ ତହୁଁ କେତେ ଆଣି । ସଙ୍ଗତେ ଘେନି ଚକ୍ରପାଣି ॥ ୯୩
ପଞ୍ଚଭ୍ରାତାଏ ତୋଷେ ମିଳି । ବିପ୍ରଙ୍କୁ ଘେନି ବନମାଳୀ ॥ ୯୪
ଆଗମ ନିଗମ ଯେ ବିଧି । କରାଇ ତିନି ଅଶ୍ୱମେଧି ॥ ୯୫
କେତେହେଁ ଦିନ କୃଷ୍ଣ ରହି । ଜ୍ଞାତି ସୁହୃଦ ଭାବ ବହି ॥ ୯୬
ଦ୍ରୌପଦୀ କୁନ୍ତୀ ଅନୁମତେ । ବିଚାର କରି ପଞ୍ଚଭ୍ରାତେ ॥ ୯୭
ରଥେ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୯୮
ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପରୀକ୍ଷିତ ଜନ୍ମାଦି ଉତ୍‌କର୍ଷୋ ନାମ ଦ୍ୱାଦଶୋଽଧ୍ୟାୟଃ ।।

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ବିଦୁର ତୀର୍ଥଯାତ୍ରା କ୍ରମେ । ମିଳିଲେ ମୈତ୍ରେୟ ଆଶ୍ରମେ ॥ ୧
କେତେହେଁ ଦିନ ତହିଁ ଥାଇ । ଆତ୍ମାର ତତ୍ତ୍ୱଜ୍ଞାନ ପାଇ ॥ ୨
ହସ୍ତିନା ନଗରେ ବିଶ୍ୱାସେ । ମିଳିଲେ ଯୁଧିଷ୍ଠିର ପାଶେ ॥ ୩
ଜାଣିବା ପାଇଁ ତାର ଗତି । ସ୍ୱଭାବେ ସାଧୁ ଧୀରମତି ॥ ୪
ମୈତ୍ରେୟ ଆଗେ ଯେବା ପ୍ରଶ୍ନ । କରି ପାଇଲେ ଆତ୍ମଜ୍ଞାନ ॥ ୫
ତେଣୁ ଗୋବିନ୍ଦେ ଭକ୍ତି ଜାତ । କେବଳ ନାହିଁ ଶତ୍ରୁମିତ୍ର ॥ ୬
ବିଦୁର ଦେଖି ଧର୍ମସୁତ । ବନ୍ଧୁ ଆଗମେ କୃତକୃତ୍ୟ ॥ ୭
ସଙ୍ଗତେ ଘେନି ଚାରିଭାଇ । ନମିଲେ ଆସନେ ବସାଇ ॥ ୮
ଯୁଯୁସୁ ଧୃତରାଷ୍ଟ୍ର ସୂତ । ସଙ୍ଗତେ ଘେନି ଶାରଦ୍ ବତ ॥ ୯
ଗାନ୍ଧାରୀ ଦ୍ରୌପଦୀ ସହିତେ । ସୁଭଦ୍ରା ଉତ୍ତରା ସମେତେ ॥ ୧୦
ଆଗେ ଗମନ୍ତି ଦେବୀକୁନ୍ତୀ । ଅନ୍ୟେ ସୁହୃଦ-ବନ୍ଧୁ-ଜ୍ଞାତି ॥ ୧୧
ପଣ୍ତୁର ଯେତେ ବନ୍ଧୁଜନେ । ମିଳିଲେ ହରଷ ବଦନେ ॥ ୧୨
ପ୍ରାଣକୁ ପାଇ ତନୁ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୩
ସକଳେ ମିଳି ତାର ପାଶେ । ବନ୍ଦିଲେ ଯେ ଯାହା ବିଶ୍ୱାସେ ॥ ୧୪
ଅନାଇ ବିଦୁର ବଦନ । ଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ ॥ ୧୫
ସକଳ ପୂଜାବିଧି କରି । ରାଜନ କରେ କର ଧରି ॥ ୧୬
ବିଦୁରେ ବସାଇ ଆସନେ । ପାଶେ ଭୁଞ୍ଜଇ ସୁଖମନେ ॥ ୧୭
ତାର ବଦନ ରାଜା ଚାହିଁ । ଆନନ୍ଦେ ଘେନି ଚାରିଭାଇ ॥ ୧୮
ଉଚ୍ଚେ ପଚାରି ପ୍ରୀତିବାଣୀ । ଯେମନ୍ତେ ସର୍ବଲୋକେ ଶୁଣି ॥ ୧୯

ଯୁଧିଷ୍ଠିର ଉବାଚ

ହେ ତାତ କହୁଁ ତୋ ଅଗ୍ରତେ । ଆମ୍ଭ କୁଶଳ ତୋର ଚିତ୍ତେ ॥ ୨୦
ସ୍ମରଣ କରୁ ତୀର୍ଥଭ୍ରମେ । ବନଗହନ ବହୁଶ୍ରମେ ॥ ୨୧
ତୁମ୍ଭର ଛାୟା ଆଶ୍ରେ କରି । ସକଳ କଷ୍ଟହିଁ ପାଶୋରି ॥ ୨୨
ବିପଦ-ଦଶା ଯେତେ ହୋଇ । ବନେ ବଞ୍ଚିଲୁ ପାଞ୍ଚଭାଇ ॥ ୨୩
ମାତା ସହିତେ ଜତୁଘରେ । ଅଗ୍ନି ଦହନ ମହାଘୋରେ ॥ ୨୪
ବିଷଭକ୍ଷଣ ଆଦି ଯେତେ । ତୋ ଆଗେ କହିବି ମୁଁ କେତେ ॥ ୨୫
ଅନେକ ଆପଦ ପ୍ରମାଦୁ । ବଞ୍ଚିଲୁ ତୁମ୍ଭର ପ୍ରସାଦୁ ॥ ୨୬
ତୁ ଆମ୍ଭ ସ୍ନେହ ଦୂର କରି । ଭ୍ରମଣ କଲୁ ବସୁନ୍ଧରୀ ॥ ୨୭
ଉଦାସୀ ପଥିକ ଲକ୍ଷଣେ । ଏକା ତୁ ବୁଲୁ ବନେ-ବନେ ॥ ୨୮
କିପରି ପ୍ରାଣ ରକ୍ଷା କରୁ । ଏ ପଥଶ୍ରମ କେହ୍ନେ ହରୁ ॥ ୨୯
ଭ୍ରମିଲୁ ଅବନୀ ମଣ୍ତଳେ । ତୀର୍ଥ-ଆଶ୍ରମ ପୁଣ୍ୟସ୍ଥଳେ ॥ ୩୦
ତୋହର ପ୍ରାୟେ ସାଧୁ ଯେତେ । ପବିତ୍ର ଦେହେ ସର୍ବତୀର୍ଥେ ॥ ୩୧
ଭ୍ରମି କରନ୍ତି ପୁଣ୍ୟତର । ଯାହାଙ୍କ ଚିତ୍ତେ ଚକ୍ରଧର ॥ ୩୨
ତୁ ଯେ ସ୍ୱଭାବେ ପୁଣ୍ୟଦେହ । ପ୍ରସନ୍ନ ଚିତ୍ତେ ତାତ କହ ॥ ୩୩
ଯାଦବ ସଙ୍ଗେ ବନମାଳୀ । ସୂଖେ କି ଛନ୍ତି କୁଶସ୍ଥଳୀ ॥ ୩୪
ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୩୫
ସୁଖେ ଅଛନ୍ତି କି ଯାଦବେ । ଭୋ ତାତ ପଚାରୁ ପ୍ରସ୍ତାବେ ॥ ୩୬
ଏମନ୍ତେ ରାଜା ବାକ୍ୟ ଶୁଣି । ବିଦୁର ମନେମନେ ଗୁଣି ॥ ୩୭
ସୁହୃଦ ଭାବେ ଭୟ କଲା । ଯାଦବ କ୍ଷୟ ନ କହିଲା ॥ ୩୮
ବିଚାରେ କହିବି ମୁଁ ଯେବେ । ଜୀବନ ଛାଡ଼ିବେ ପାଣ୍ତବେ ॥ ୩୯
କେମନ୍ତେ ଦେଖିବି ମୁଁ ଏହା । ଏତେ ବିଚାରି କଲା ମାୟା ॥ ୪୦
ନ କହେ ଯଦୁବଂଶ ନାଶ । ନିର୍ଘାତେ ଛାଡ଼ିଲା ନିଃଶ୍ୱାସ ॥ ୪୧
ଉର୍ଦ୍ଧ୍ୱ-ବଦନେ ସେ ବିଦୁର । କପଟେ କହଇ ମଧୁର ॥ ୪୨
ସର୍ବ-କୁଶଳ ଯା ପ୍ରସାଦେ । କୃଷ୍ଣ ଅଛନ୍ତି ଅପ୍ରମାଦେ ॥ ୪୩
ଏମନ୍ତେ ରାଜା ଆଗେ କହି । କେତେହେଁ ଦିନ ପୁରେ ରହି ॥ ୪୪
ଜ୍ୟେଷ୍ଠଭ୍ରାତାର ଶ୍ରେୟ ଅର୍ଥେ । ସର୍ବଜନଙ୍କ ପ୍ରୀତିମତେ ॥ ୪୫
ନିତ୍ୟେ ଆନନ୍ଦ ଧର୍ମରାଜା । ବିଦୁର-ପାଦେ କରେ ପୂଜା ॥ ୪୬
ରାତ୍ର-ଦିବସ ତାର ସଙ୍ଗେ । ଧର୍ମନନ୍ଦନ ଅନୁରାଗେ ॥ ୪୭
ଅଶେଷ ତୀର୍ଥଙ୍କ ମହିମା । କେ କହିପାରେ ଗୁଣସୀମା ॥ ୪୮
ସର୍ବ କହିଲା ସୁଖ ମନେ । ଏବେ ହୋ ଶୁଣ ବିପ୍ରଜନେ ॥ ୪୯
ମାଣ୍ତବ୍ୟ ଠାରୁ ଶାପ ପାଇ । ଯମ ବିଦୁର ଦେହ ବହି ॥ ୫୦
ଶତେ ବରଷ ଶୂଦ୍ର ଦେହେ । ବଞ୍ଚିଲା ବିଷ୍ଣୁ-ମାୟା-ମୋହେ ॥ ୫୧
ପାପୀଙ୍କ ଦଣ୍ତେ ଅଧିକାର । କରନ୍ତି ଦେବ ଦିନକର ॥ ୫୨
କୁଳରକ୍ଷକ ପରୀକ୍ଷିତ । ଜାଣି ନିଶ୍ଚିନ୍ତ ଧର୍ମସୁତ ॥ ୫୩
ଏବେ ପାଣ୍ତବ ପାଞ୍ଚଭାଇ । ରିପୁ ସଂହାରି ରାଜ୍ୟ ପାଇ ॥ ୫୪
ଗୃହ କରଣେ ଚିତ୍ତ ଜଡ଼ି । ବିଷ୍ଣୁର ମାୟାମୋହେ ପଡ଼ି ॥ ୫୫
ରାଜ୍ୟ କରନ୍ତେ ଧର୍ମସୁତ । ମିଳିଲା କାଳ ବିପରୀତ ॥ ୫୬
କେହି ନ ଜାଣେ ଗତି ତାର । ସ୍ୱଭାବେ ଅବ୍ୟକ୍ତ ଈଶ୍ୱର ॥ ୫୭
ଧୂମ ପୂରିଲା ଦଶଦିଶେ । ବିଦୁର ଦେଖି ମହାତ୍ରାସେ ॥ ୫୮
ବସିଲା ଧୃତରାଷ୍ଟ୍ର ମେଳେ । ବିଶ୍ୱାସେ କହେ କର୍ଣ୍ଣମୂଳେ ॥ ୫୯
ହେ ଭ୍ରାତ ଶୁଣ ମୋ ଉତ୍ତର । ଚଳ ତୁ ବେଗେ ତେଜି ପୁର ॥ ୬୦
କାଳ ମିଳିଲା ଭୟଙ୍କର । ଦିଶ-ଆକାଶ ଅନ୍ଧକାର ॥ ୬୧
ଏଥକୁ ପ୍ରତିକ୍ରିୟା ନାହିଁ । ଅବ୍ୟକ୍ତ ରୂପ ଯାରଦେହୀ ॥ ୬୨
ଦ୍ୱାପର ଯୁଗ ଶେଷ ହେଲା । ଏ କଳିକାଳ ପ୍ରକାଶିଲା ॥ ୬୩
ଆମ୍ଭର ପ୍ରାଣ ଏ ହରିବ । ଏହାକୁ କେବା ନିବାରିବ ॥ ୬୪
ଜନ ସମ୍ପଦ ମହୀତଳେ । ସଂହାର କରିବ ଏ ବଳେ ॥ ୬୫
ଦେବ ଦାନବ ମହାବଳ । ବୃଦ୍ଧ ପ୍ରତାପୀ ଯୁବା ବାଳ ॥ ୬୬
ଯାହାର ଦରଶନ ମାତ୍ରେ । କଦଳୀବନ ଯେହ୍ନେ ବାତେ ॥ ୬୭
ଭୟେ କମ୍ପନ୍ତି ଥରହର । କାତରେ ନେତ୍ରୁ ବହେ ନୀର ॥ ୬୮
ଅନିତ୍ୟ ଏ ମନୁଷ୍ୟ ଦେହୀ । ସାର ଏହାର କିଛି ନାହିଁ ॥ ୬୯
ଏ ଦେହେ ଯେ ମୁକ୍ତ-ବନ୍ଧନ । ତାହାକୁ ବୋଲି ମହାଜନ ॥ ୭୦
ଦେଖ ତୋହର କର୍ମଫଳ । ନାଶିଲେ ଭ୍ରାତୃ ପୁତ୍ର ବଳ ॥ ୭୧
ଆୟୁଷ ତୋର ଶେଷ ହେଲା । ମରଣ ନିକଟ ହୋଇଲା ॥ ୭୨
ଅତି ଦୁଃଖିତ ବୃଦ୍ଧଦେହେ । ତୋର ନିବାସ ପର ଗୃହେ ॥ ୭୩
ବିଶେଷେ ଚକ୍ଷୁହୀନ ତୁହି । ବଧିର ବୁଦ୍ଧି ଆର କାହିଁ ॥ ୭୪
ବିଶୀର୍ଣ୍ଣ ଦନ୍ତ ତୋ ଅଧର । କଫେ ଜଡ଼ିତ କଣ୍ଠସ୍ୱର ॥ ୭୫
ଅନ୍ତରେ ଅଗ୍ନି ମନ୍ଦ ହୋଇ । ଅନ୍ନ-ଭୋଜନ ନ ଜୀରଇ ॥ ୭୬
ପ୍ରାଣୀ ଜୀବିତ ଆଶା ଯେତେ । କେ ତାକୁ କରିବ ଆୟତ୍ତେ ॥ ୭୭
ଯେଉଁ ଭୀମର ଗଦାଘାତେ । ସମରେ ନଶିଲେ ତୋ ସୁତେ ॥ ୭୮
ତାର ବର୍ଜିତ ପିଣ୍ତେ ଆଶା । ଶ୍ୱାନର ପ୍ରାୟେ ତୋ ଭରସା ॥ ୭୯
କୁମନ୍ତ୍ରୀଜନ ସଙ୍ଗେ ଭାଳି । ତୋର କୁମରେ କଲେ କଳି ॥ ୮୦
ପଣ୍ତୁର ପଞ୍ଚପୁତ୍ର ମାରି । ସୁଖେ ଭୁଞ୍ଜିବା ରାଜ୍ୟଶିରୀ ॥ ୮୧
ଦୁଷ୍ଟଙ୍କ ସଙ୍ଗେ ବିଚାରିଲେ । ଭୀମକୁ ବିଷଲଡ଼ୁ ଦେଲେ ॥ ୮୨
ସେ ଭୀମ କେବେହେଁ ନମଲା । ତାହାକୁ ଗୋବିନ୍ଦ ରଖିଲା ॥ ୮୩
ଜତୁର ଘରେ ଅଗ୍ନି ଦେଲେ । ସେ ବେଳେ ପାଣ୍ତବେ ନ ମଲେ ॥ ୮୪
ପୁଣି କପଟପଶା କରି । ଧନ ସମ୍ପଦ ଅପହରି ॥ ୮୫
ଦ୍ରୌପଦୀ କେଶ ଧରି ବଳେ । ବିବସ୍ତ୍ର କଲେ ସଭା ତଳେ ॥ ୮୬
ଏ ଆଦି ଯେତେ କର୍ମ କଲେ । ତୁ ତାହା ଶୁଣିଅଛୁ ଭଲେ ॥ ୮୭
ସେ କିମ୍ପା ତାଙ୍କ ଚିତ୍ତୁ ଯିବ । ମନୁଷ୍ୟ ଜନ୍ମର ସ୍ୱଭାବ ॥ ୮୮
ତାହାଙ୍କ ଦତ୍ତ ପିଣ୍ତ ଖାଇ । ସେବକ ପ୍ରାୟ ଗୃହେ ଥାଇ ॥ ୮୯
ତୋର ବୟସ ଆଉ କାହିଁ । ଅତି ପୀଡ଼ିତ ବୃଦ୍ଧଦେହୀ ॥ ୯୦
ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୯୧
ଏ ଦେହେ ବିରକ୍ତ ଯେ ଜନ । ସେ ପ୍ରାଣୀ ବିମୁକ୍ତ-ବନ୍ଧନ ॥ ୯୨
ଅନିତ୍ୟ ନର-କଳେବର । ଭିତରେ କିଛି ନାହିଁ ସାର ॥ ୯୩
ଏହା ବିଚାରି ଯୋଗବଳେ । ହରି ଭକତ ସଙ୍ଗ ମେଳେ ॥ ୯୪
ନିର୍ବେଦ ହୋଇ ଚଳେ ବନ । ସେ ପ୍ରାଣୀ ପୁରୁଷ ଉତ୍ତମ ॥ ୯୫
ତୁ ବୁଧଜନଙ୍କ ଉତ୍ତମ । ଏବେ ତୁ ଛାଡ଼ ମତିଭ୍ରମ ॥ ୯୬
ଉତ୍ତର-ପଥେ ଚଳ ବେଗେ । ପତ୍ନୀ ସମେତେ ମୋର ସଙ୍ଗେ ॥ ୯୭
ମୁହିଁ ଉଦାସୀପଣେ ବନେ । ସେବିବି ତୋତେ ଅନୁକ୍ଷଣେ ॥ ୯୮
ଦେଖ ଏ କାଳ ଭୟଙ୍କର । ଶିରୀ ହରିବ ପ୍ରାଣୀଙ୍କର ॥ ୯୯
ଏମନ୍ତେ ବିଦୁରର ବାଣୀ । ସେ ଅନ୍ଧ ଧୃତରାଷ୍ଟ୍ର ଶୁଣି ॥ ୧୦୦
ତକ୍ଷଣେ ମୋହ ଜଡ଼ ଛାଡ଼ି । ବନ ଗମନେ ଚିତ୍ତ ବଢ଼ି ॥ ୧୦୧
ବିଷ୍ଣୁର ମାୟା କରି ଦୂର । ନବରୁ ହୋଇଲା ବାହାର ॥ ୧୦୨
ପତିର ବନବାସ କଥା । ଶୁଣି ସାନନ୍ଦେ ପତିବ୍ରତା ॥ ୧୦୩
ବିଦୁର କନ୍ଧେ ଦେଇ କର । ନଗରୁ ହୋଇଲେ ବାହାର ॥ ୧୦୪
ମନ ଆନନ୍ଦେ ବେନିଜନେ । ପଶିଲେ ହିମାଳୟ-ବନେ ॥ ୧୦୫
କ୍ଷତ୍ରିୟ ଯେହ୍ନେ ମହାଯୁଦ୍ଧେ । ପଶଇ ମନର ସାନନ୍ଦେ ॥ ୧୦୬
ଏବେ ହୋ ଶୁଣ ମୁନିବରେ । ଧର୍ମନନ୍ଦନ ନିଜ ଘରେ ॥ ୧୦୭
ସନ୍ଧ୍ୟାଦି ନିତ୍ୟକର୍ମ ସାରି । ଅଗ୍ନି ପୂଜନ ଦାନ କରି ॥ ୧୦୮
ଗୁରୁ-ବନ୍ଦନ ପୂଜା ଅର୍ଥେ । ଗୃହେ ପଶିଲେ କୃତକୃତ୍ୟେ ॥ ୧୦୯
ଗୁରୁ-ଭୁବନେ ଯାଇ ମିଳି । ହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ ॥ ୧୧୦
ତକ୍ଷଣେ ଦେଖି ଶୂନ୍ୟଘର । କାତର ମନେ ନୃପବର ॥ ୧୧୧
ପୁଚ୍ଛିଲେ ସଞ୍ଜୟକୁ ଚାହିଁ । ମୋ ଗୁରୁଜନେ ଗଲେ କାହିଁ ॥ ୧୧୨
କେହି ନ ଶୁଣନ୍ତି ବଚନ । ଭୟେ ଚାହାନ୍ତି ଛନ୍ନଛନ୍ନ ॥ ୧୧୩
ପୁଣି ବୋଲନ୍ତି ଜନେ ଚାହିଁ । ତାତ ଜନନୀ ଗଲେ କାହିଁ ॥ ୧୧୪
ବିଦୁର ନାହିଁ ମୋର ପାଶେ । ତାତ ଜନନୀ ମୋ ନ ଦିଶେ ॥ ୧୧୫
ଲୋଚନେ ନ ଦିଶଇ ପଥ । ଦଇବେ ବୟସେ ବୃଦ୍ଧତ୍ୱ ॥ ୧୧୬
ପୁତ୍ରଙ୍କ ମରଣେ ଦୁଃଖିତ । କେବଣ ଦେଶେ ଉପଗତ ॥ ୧୧୭
ନ ପୁଣ ପୁତ୍ର-ଶୋକ-ଜାଳେ । ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ ॥ ୧୧୮
ବନ୍ଧୁ ସୁହୃଦ ପୁତ୍ର ନାଶେ । ମୋର ଜନନୀ ତାତ ତ୍ରାସେ ॥ ୧୧୯
ଦୁଃଖସାଗରେ ନିମଜ୍ଜିଲେ । ମୋର ଦୁଷ୍କୃତ-କର୍ମ ଫଳେ ॥ ୧୨୦

ସୂତ ଉବାଚ

ଧର୍ମନନ୍ଦନ ବାକ୍ୟ ଶୁଣି । ସାରଥି ନ କହିଲା ବାଣୀ ॥ ୧୨୧
ନ ଦେଖି ଧୃତରାଷ୍ଟ୍ର ପାଶେ । ଅତି ପୀଡ଼ିତ ସ୍ନେହ ବଶେ ॥ ୧୨୨
ବିରହ ଦୁଃଖରେ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୨୩
ପୁଣି ସେ ମନେ ଧୈର୍ଯ୍ୟ ଧରି । ହସ୍ତେ ପୋଛିଲା ନେହୁ ବାରି ॥ ୧୨୪
ଧୃତରାଷ୍ଟ୍ରର ଯେ ବିଯୋଗ । କହଇ ଯୁଧିଷ୍ଠିର ଆଗ ॥ ୧୨୫

ସଞ୍ଜୟ ଉବାଚ

ଶୁଣ ହେ ନୃପ-ଚୂଡ଼ାମଣି । ତୋହର ପିଅର ଜନନୀ ॥ ୧୨୬
ରଜନୀ କାଳେ ଗଲେ କାହିଁ । ସର୍ବଥା ନ ଜାଣଇ ମୁହିଁ ॥ ୧୨୭
ମୋର ଜୀବନ ଦୁଃଖ ଭରେ । ମଜ୍ଜିଲା ବୃଜିନ-ସାଗରେ ॥ ୧୨୮
ଏମନ୍ତେ କହୁଁ ମନ ଖେଦ । ଗଗନେ ଶୁଭେ ବୀଣାନାଦ ॥ ୧୨୯
ଶୁଣି ଚାହିଁଲେ ଅନ୍ତରୀକ୍ଷେ । ନାରଦ ଦିଶିଲେ ପ୍ରତ୍ୟକ୍ଷେ ॥ ୧୩୦
ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ । ବୀଣା-ବିନୋଦ ବାଦ୍ୟରଙ୍ଗେ ॥ ୧୩୧
ନାଦେ ଗୋବିନ୍ଦ ଗୁଣ ଗାଇ । ପୁଲକ ରୋମପନ୍ତି ବହି ॥ ୧୩୨
ଆନନ୍ଦେ ଅଶ୍ରୁଜଳ ପୂରେ । ମିଳିଲେ ରାଜାର ଛାମୁରେ ॥ ୧୩୩
ଦେଖି ସମ୍ଭ୍ରମେ ନୃପମଣି । ଅନୁଜ ସଙ୍ଗେ ପାଦେ ନମି ॥ ୧୩୪
ମୁନିଙ୍କି ଆସନେ ବସାଇ । ବେନି ଚରଣ କରେ ଧୋଇ ॥ ୧୩୫
ଚରଣ ପୂଜି ବିଧିମତେ । କହନ୍ତି ନାରଦ ଅଗ୍ରତେ ॥ ୧୩୬

ଯୁଧିଷ୍ଠିର ଉବାଚ

ଭୋ ବ୍ରହ୍ମମୁନି ଶୁଣ ଭଲେ । ମୋ ତାତମାତ କେଣେ ଗଲେ ॥ ୧୩୭
ମୋର କରମ ଦୁଃଖ ଶୁଣ । ଭୋ ମୁନି ତୁମ୍ଭେ ଭଲେ ଜାଣ ॥ ୧୩୮
ଚକ୍ଷୁ ବିହୀନେ ଘୋରବନେ । ଜୀବନ ଧରିବେ କେସନେ ॥ ୧୩୯
ଗଭୀର-ଜଳେ ନାବ ଥୋଇ । ନାବିକ ଯେସନେ ପଳାଇ ॥ ୧୪୦
ତେମନ୍ତେ କରିଗଲେ ମୋତେ । ଅଧିକ କହିବି ମୁଁ କେତେ ॥ ୧୪୧
ଏ ଶୋକ-ସାଗର ଅପାର । ପାରକ ତୁମ୍ଭେ କର୍ଣ୍ଣଧାର ॥ ୧୪୨
ରାଜନ ଶୋକବାଣୀ ଶୁଣି । ମୁନି କହନ୍ତି ଯୋଗବାଣୀ ॥ ୧୪୩

ନାରଦ ଉବାଚ

ଭୋ ନୃପ ଶୋକ ତୁ ନକର । ଈଶ୍ୱର ମାୟା ଏ ସଂସାର ॥ ୧୪୪
ପ୍ରାଣୀ ଭିଆଇ ମାୟାଯୋଗେ । ଖେଳଇ ସଂଯୋଗ-ବିଯୋଗେ ॥ ୧୪୬
ଗୋରୁ ନାସିକା ଯେହ୍ନେ ବିନ୍ଧି । ଆକର୍ଷି ଚର୍ମରଜ୍ଜୁ ବାନ୍ଧି ॥ ୧୪୭
ସେ ପ୍ରାଣୀ ଯେହ୍ନେ ଭାରା ବହେ । ଅନ୍ତରେ ଦୁଃଖ ଖେଦ ସହେ ॥ ୧୪୮
କ୍ରୀଡ଼ା-କନ୍ଦୁକ କ୍ରୀଡ଼ାରଙ୍ଗେ । ଭ୍ରମଇ ସଂଯୋଗେ ବିଯୋଗେ ॥ ୧୪୯
ଯେ ଦାନ ପଡ଼ଇ ଯେମନ୍ତେ । କନ୍ଦୁକ ଚଳେ ସେହିମତେ ॥ ୧୫୦
ସଂସାର ଈଶ୍ୱରର ଇଚ୍ଛା । ଏ ଭବପଥ ଗୁରୁଦୀକ୍ଷା ॥ ୧୫୧
ତୁ ରାଜା ତୋତେ ହେଁ ନ ଜାଣୁ । ସଂସାର ସତ୍ୟ ପ୍ରାୟ ମଣୁ ॥ ୧୫୨
ସତ୍ୟ କି ମିଥ୍ୟା ବେନିପଥେ । ଶୋକ ନ କରି ପାରୁ ଚିତ୍ତେ ॥ ୧୫୩
ଯଦି ତୁ ଜୀବ ସତ୍ୟ ମଣୁ । ଦେହ ଅନିତ୍ୟ ପରିମାଣୁ ॥ ୧୫୪
ଅଥବା ବ୍ରହ୍ମଭାବ ବହୁ । ସ୍ନେହ ଛାଡ଼ିଲେ ଶୋକ କାହୁଁ ॥ ୧୫୫
ଏଣୁ ଅଜ୍ଞାନ ଜଡ଼ମତି । ବ୍ୟାକୁଳ ଛାଡ଼ ହେ ନୃପତି ॥ ୧୫୬
ତୁ ଯେ ବିଚାରୁ ସ୍ନେହଭାବେ । ମୋ ବିନେ କେମନ୍ତେ ବଞ୍ଚିବେ ॥ ୧୫୭
ଏ ଦେହ ପଞ୍ଚଭୂତେ ଜଡ଼ି । ଅବିଦ୍ୟା କାଳକର୍ମେ ପଡ଼ି ॥ ୧୫୮
ଆପଣା ଦୁଃଖେ ନିତ୍ୟ ଦୁଃଖୀ । ଏ କାହିଁ ପରପ୍ରାଣ ରଖି ॥ ୧୫୯
ଉରଗ ଗିଳିଛି ଯାହାକୁ । ସେ କାହିଁ ରଖିବ ଆନକୁ ॥ ୧୬୦
ଦେଖ ପ୍ରତ୍ୟକ୍ଷେ ନୃପବର । ବିଷ୍ଣୁର ମାୟା-ଖେଳଘର ॥ ୧୬୧
ସ୍ୱଭାବେ ନାହିଁ ଯାର ହସ୍ତ । ହସ୍ତ ଥିଲାର ସେ ଆୟତ୍ତ ॥ ୧୬୨
ଦ୍ୱିପଦ ଚତୁଷ୍ପଦ ଯେତେ । ନି ଦେ ତାହାଙ୍କ ଆୟତ୍ତେ ॥ ୧୬୩
ବଡ଼ଙ୍କ ଭକ୍ଷ୍ୟ ହୋନ୍ତି ସାନେ । ସେ ନାଶ ଯାନ୍ତି ଅନ୍ୟେ ଅନ୍ୟେ ॥୧୬୪
ଏ ଜୀବ ଜୀବଙ୍କ ଆହାର । କେବଳ ନିର୍ବଳ ବିଚାର ॥ ୧୬୫
ସେ ହରି ନିତ୍ୟ ବିଶ୍ୱରୂପେ । ନର ଶରୀରେ ମୋହକଳ୍ପେ ॥ ୧୬୬
ଏକଇ ଆତ୍ମା ନରହରି । ଭାବେ ଅଶେଷ ଦେହେ ପୂରି ॥ ୧୬୭
ଅନ୍ତର ବାହାରେ ପ୍ରକାଶ । ସେ ଭୋଗ୍ୟ ଭୋକ୍ତା ହୃଷୀକେଶ ॥ ୧୬୮
ଏ ମାୟା ଦୁରନ୍ତ ତାହାର । କେ କରି ପାରିବ ଗୋଚର ॥ ୧୬୯
ଭାରା ନିବାରେ ତନୁ ଧରି । ଦୁର୍ଜନ ସମୂହ ସଂହାରି ॥ ୧୭୦
ନିଜ ଜନଙ୍କୁ ରକ୍ଷା କରେ । ଏମନ୍ତେ ସଂସାରେ ବିହରେ ॥ ୧୭୧
ଦେବଙ୍କ କାର୍ଯ୍ୟ କରି ତୋଷେ । ଏବେ ବର୍ତ୍ତଇ ଅବଶେଷେ ॥ ୧୭୨
ଯାବତ ଥିବ ଚକ୍ରଧର । ତାବତ ତୁମ୍ଭ ଅଧିକାର ॥ ୧୭୩
ଏବେ ହୋ ଶୁଣ ମହାରଥା । ତୋ ତାତ-ଜନନୀ ବ୍ୟବସ୍ଥା ॥ ୧୭୪
ବିଦୁର ଧୃତରାଷ୍ଟ୍ର ବେନି । ସଙ୍ଗତେ ପତିବ୍ରତା ଘେନି ॥ ୧୭୫
ସେ ହିମବନ୍ତର ଦକ୍ଷିଣେ । ଋଷି ଆଶ୍ରମ ଘୋରବନେ ॥ ୧୭୬
ଯେ ସପ୍ତସ୍ରୋତ ସୁରନଦୀ । ଭରତଖଣ୍ତେ ଯେ ପ୍ରସିଦ୍ଧି ॥ ୧୭୭
ସେ ଜଳେ ନିତ୍ୟେ କରି ସ୍ନାନ । ଅନଳେ କରି ହୋମଦାନ ॥ ୧୭୮
କେବଳ ଜଳ-ଗ୍ରାସ ଭକ୍ଷି । ଶରୀରେ ଜୀବଆତ୍ମା ରଖି ॥ ୧୭୯
ବିଗତରାଗ ଇନ୍ଦ୍ରିଗଣେ । ପ୍ରଣବେ ନିଃଶ୍ୱାସ ଧାରଣେ ॥ ୧୮୦
ଦୃଢ଼ ଆସନେ ବସି ଧୀରେ । ଷଡ଼ ଇନ୍ଦ୍ରିୟ ପରିହରେ ॥ ୧୮୧
ସର୍ବ ବିଷୟ ରସ ତେଜି । ହରି ଚରଣ ଭାବେ ଭଜି ॥ ୧୮୨
ମନ ଛଡ଼ାଇ ତିନିଗୁଣେ । ସମାଧି ଗୋବିନ୍ଦ ଚରଣେ ॥ ୧୮୩
ବିଜ୍ଞାନ ଆତ୍ମା ଜ୍ଞାନେ ଭରି । ଜୀବ ପରମ ଏକ କରି ॥ ୧୮୪
ପ୍ରବେଶି ଅନାହତ ପୁରେ । ଗୋବିନ୍ଦ ନାମ ଧରି ଧୀରେ ॥ ୧୮୫
ଗଗନେ ଗମନ ପ୍ରବେଶ । କି ଅବା ରହେ ଅବଶେଷ ॥ ୧୮୬
ତ୍ରିଗୁଣ ମାୟା ନାଶ କରି । ବସଇ ଇନ୍ଦ୍ରିୟ ସଂହରି ॥ ୧୮୭
ସର୍ବବିଷୟ ଯୋଗବଳେ । ନିବାରି ଆସନ ନିଶ୍ଚଳେ ॥ ୧୮୮
ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷି । କେ ଅବା ତାରେ ବିଘ୍ନ ଇଚ୍ଛି ॥ ୧୮୯
ଆଜହୁଁ ପଞ୍ଚଦିନ ଅନ୍ତେ । ପ୍ରାଣ ଛାଡ଼ିବେ ଯୋଗପଥେ ॥ ୧୯୦
ରଜନୀ କାଳେ ବୃକ୍ଷମୂଳେ । ପବନ ଯୋଗେ ଦାବାନଳେ ॥ ୧୯୧
ଦହନ ହୋଇବ ଶରୀର । ତା ପତ୍ନୀ ଥିବ ଯେ ବାହାର ॥ ୧୯୨
ତକ୍ଷଣେ ସ୍ୱାମୀ ଧରି କୋଳେ । ଦହନ ହୋଇବ ଅନଳେ ॥ ୧୯୩
ତା ଦେଖି ବିଦୁର ଶରୀର । ହରଷ ଶୋକରେ କାତର ॥ ୧୯୪
ହୃଦେ ସୁମରି ନରହରି । ବେଗେ ସେ ବନୁ ଅପସରି ॥ ୧୯୫
ତୀର୍ଥ ସେବନେ ଆଗମନ । କରିବ ଶୁଣ ହେ ରାଜନ ॥ ୧୯୬
ଏମନ୍ତେ ରାଜା ଆଗେ କହି । ତୁମ୍ବୁରୁ ତୁଲେ ବୀଣା ବାଇ ॥ ୧୯୭
ଆକାଶ ମାର୍ଗେ ଗଲେ ମୁନି । ଧର୍ମନନ୍ଦନ ତାହା ଶୁଣି ॥ ୧୯୮
ତତ୍ତ୍ୱବଚନ ହୃଦେ ଧରି । ସର୍ବ ସଂଶୟ ଦୂର କରି ॥ ୧୯୯
ରାଜ୍ୟ ପାଳନେ ଦୃଢ଼ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୨୦୦
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ନାମ ତ୍ରୟୋଦଶୋଽଧ୍ୟାୟଃ ।।

ଚତୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଅର୍ଜୁନ ରାଜାର ବଚନେ । ଗଲା ଯେ ଦ୍ୱାରକା ଭୁବନେ ॥ ୧
ବନ୍ଧୁବାନ୍ଧବ ଦୃଷ୍ଟି ଆଶେ । ସ୍ନେହ ଜଡ଼ିତ ମୋହପାଶେ ॥ ୨
ମାୟା ମନୁଷ୍ୟ ରୂପେ ହରି । ଛଦ୍ରମେ ଗୃହବାସ କରି ॥ ୩
ସଂସାର ଯାର ଖେଳଘର । ବ୍ରହ୍ମାଶଙ୍କରେ ଅଗୋଚର ॥ ୪
ବିଚାର ତାର ଜାଣିବାରେ । ମିଳିଲେ ଦ୍ୱାରକା ନଗରେ ॥ ୫
କେତେହେଁ ଦିନ ତହିଁ ରହି । କୃଷ୍ଣର ପଦେ ଚିତ୍ତ ଦେଇ ॥ ୬
ଏମନ୍ତେ ଗଲା ମାସ କେତେ । ଚଞ୍ଚଳ ଯୁଧିଷ୍ଠିର ଚିତ୍ତେ ॥ ୭
ଅର୍ଜୁନ ନ ମିଳିଲା ପାଶେ । ଘୋର ଅଦ୍ଭୁତ ଦେଖି ତ୍ରାସେ ॥ ୮
କାଳର ଗତି ବିପରୀତ । ଅଧର୍ମେ ପ୍ରାଣୀଙ୍କର ଚିତ୍ତ ॥ ୯
ପାପ ଆଚାର କଲେ ଦମ୍ଭେ । ଯନ୍ତ୍ରିତ କାମ କ୍ରୋଧ ଲୋଭେ ॥ ୧୦
ମିତ୍ର ସୁହୃଦ ଶଠମତି । ପିତାମାତା ଯେ ଭ୍ରାତା ଜ୍ଞାତି ॥ ୧୧
ସ୍ୱାମୀ ଭାରିଯା ପୁତ୍ର ମେଳେ । ଧ୍ୱନି ସେ ଉଠଇ କନ୍ଦଳେ ॥ ୧୨
ନିରତେ ଅରିଷ୍ଟ-ସୂଚକ । ପ୍ରକାଶ ହୋଇଲା ଅନେକ ॥ ୧୩
ପାପ ପ୍ରକୃତି ପ୍ରାଣୀଙ୍କର । ଦେଖି ଚକିତ ନୃପବର ॥ ୧୪
ଭୀମସେନକୁ ରାଇ ପାଶେ । କହନ୍ତି ଆତ୍ମାର ବିଶ୍ୱାସେ ॥ ୧୫

ଯୁଧିଷ୍ଠିର ଉବାଚ

ଅର୍ଜୁନ ଦ୍ୱାରକା ଭୁବନେ । ଗଲା ବାନ୍ଧବ ଦରଶନେ ॥ ୧୬
କୃଷ୍ଣ ମହିମା କୃଷ୍ଣସଙ୍ଗେ । ଜାଣିବା ପାଇଁ ମନରଙ୍ଗେ ॥ ୧୭
ଏବେ ସପତ ମାସ ଗଲା । ତେବେ ହେଁ ଅର୍ଜୁନ ନଇଲା ॥ ୧୮
କିବା କେବଣ ବିପରୀତ । ତେଣୁ ଚଞ୍ଚଳ ମୋର ଚିତ୍ତ ॥ ୧୯
କି ହେତୁ ମୋର ପାଶ ଛାଡ଼ି । ଅର୍ଜୁନ ରହେ ଲୋଭବଢ଼ି ॥ ୨୦
ଏହାତ ଜାଣି ନ ପାରଇ । ଭୟେ ବ୍ୟାକୁଳ ମୋର ଦେହୀ ॥ ୨୧
ନାରଦ କହିଗଲେ ମୋତେ । ସେ କାଳ ହେଲା ବା ପ୍ରାପତେ ॥ ୨୨
କ୍ରୀଡ଼ା ଶରୀରର ଉଚ୍ଛନ୍ନ । କି ବା ଇଚ୍ଛିଲେ ଭଗବାନ ॥ ୨୩
ହରି ସେନେହ ଅପ୍ରମାଦେ । ମୁଁ ଯେ ବସିଲି ରାଜପଦେ ॥ ୨୪
ଦାରା ସମ୍ପଦ ପ୍ରାଣ ମୋର । ସର୍ବ ମଙ୍ଗଳ ଦାମୋଦର ॥ ୨୫
ସକଳ-ରାଜା ମୋର ପାଦେ । ଖଟନ୍ତି ଯାହାର ପ୍ରସାଦେ ॥ ୨୬
ତାହାର ଭଲେ ଭଲ ମୋର । ସେ ହରି ଶରଣ-ସୋଦର ॥ ୨୭
ଦେଖ ପ୍ରତ୍ୟକ୍ଷେ ବୃକୋଦର । ଦିଶ ଆକାଶ ଅନ୍ଧକାର ॥ ୨୮
ତ୍ରିବିଧ ଉତ୍ପାତ ଗଗନେ । ତେଣୁ ସଂଶୟ ମୋର ମନେ ॥ ୨୯
ଭୂମି ଆକାଶ ପ୍ରାଣୀମନ । ଭୟେ କମ୍ପନ୍ତି ଛନ ଛନ ॥ ୩୦
ମୋହର ମନ ବୁଦ୍ଧି ଚିତ୍ତେ । କମ୍ପେ କଦଳୀ ଯେହ୍ନେ ବାତେ ॥ ୩୧
ଉରୁ ଲୋଚନ ବାହୁମାନ । ବାମେ କମ୍ପନ୍ତି ଘନ ଘନ ॥ ୩୨
ଭୟେ କମ୍ପଇ ମୋ ଶରୀର । ଦେଖ ପ୍ରତ୍ୟକ୍ଷେ ବୃକୋଦର ॥ ୩୩
ଏ ରିଷ୍ଟ ସୂଚକ ସ୍ୱଭାବ । ଏ ସେ ନିକଟେ ଦୁଃଖ ଦେବ ॥ ୩୪
ରବି ଉଦୟ କାଳେ ଆସି । ଶୃଗାଳ ଯୂଥେ-ଯୂଥେ ବସି ॥ ୩୫
ପୂର୍ବଦିଗକୁ ମୁଖ କରି । ବଦନୁ ଅନଳ ଉଦ୍ଗାରି ॥ ୩୬
କରନ୍ତି ଭୟଙ୍କର ନାଦ । ଏ ସେ ସୂଚକ ପରମାଦ ॥ ୩୭
କୁକୁର ମୋର ମୁଖ ଚାହିଁ । ନିର୍ଭୟେ ରୋଦନ କରଇ ॥ ୩୮
ଶୃଗାଳେ ମୋର ବାମଭାଗେ । ବେଗେ ପଳାନ୍ତି ଦକ୍ଷମାର୍ଗେ ॥ ୩୯
ଆବର ଶୁଭପଶୁ ଯେତେ । ମୋତେ ଭ୍ରମନ୍ତି ବିପରୀତେ ॥ ୪୦
ଏ ମୋର ଗଜ ଅଶ୍ୱ ଯେତେ । ମୋତେ ଚାହାନ୍ତି ଅଶ୍ରୁନେତ୍ରେ ॥ ୪୧
ଯମର ଦୂତ ପ୍ରାୟେ ଆସି । ଉଲୂକେ ମୋର ଆଗେ ବସି ॥ ୪୨
ଶବଦେ କମ୍ପାନ୍ତି ମେଦିନୀ । ମୋର ଚାହାନ୍ତେ ନୋହେ ତୁନି ॥ ୪୩
ପ୍ରତି ଉଲୂକ ମୁଖରାବେ । ରାବଇ ଭୟଙ୍କର ଭାବେ ॥ ୪୪
ଏହାଙ୍କ ରାବେ ଶୂନ୍ୟ ମହୀ । ପ୍ରଜାଏ ନ ରହିବେ କେହି ॥ ୪୫
ଦେଖ ଏ ଧୂମ ଦଶଦିଶେ । ଅନ୍ଧାର ପ୍ରାୟେ ମହୀ ଦିଶେ ॥ ୪୬
ପର୍ବତ ତୁଲେ ବସୁନ୍ଧରୀ । କମ୍ପଇ ଘୋରନାଦ କରି ॥ ୪୭
ନିର୍ମେଘେ ନିର୍ଘାତ ଶୁଭଇ । ବିଜୁଳୀ ତେଜ ଝଟକଇ ॥ ୪୮
ବାୟୁ ବହଇ ଖରତର । ଧୂଳିରେ ଦିଗ ଅନ୍ଧକାର ॥ ୪୯
ରୁଧିର ବରଷନ୍ତି ମେଘେ । ଆମିଷ ଗନ୍ଧ ସର୍ବଦିଗେ ॥ ୫୦
ସୂର୍ଯ୍ୟର ଦେହେ ନାହିଁ ତେଜ । ଦେଖ ଆକାଶେ ଗ୍ରହଯୁଝ ॥ ୫୧
ଦିଗେ ଦିଶନ୍ତି ଭୂତଗଣେ । ଯେହ୍ନେ ପୂରିତ ଅଗ୍ନିବାଣେ ॥ ୫୨
କ୍ଷୁଭିତ ଦିଶେ ନଦୀନଦ । କରନ୍ତି ସିନ୍ଧୁପ୍ରାୟେ ନାଦ ॥ ୫୩
ଜନ୍ତୁଙ୍କ ମନ ସେହିମତେ । ଅଦ୍ଭୁତ ପୂରିତ ଜଗତେ ॥ ୫୪
ଅନଳ ଲିଭେ ଘୃତଧାରେ । କାଳ କି ପ୍ରବେଶ ସଂସାରେ ॥ ୫୫
ବତ୍ସା ନ କରେ କ୍ଷୀରପାନ । ଗାବ ନ ଦ୍ୟନ୍ତି କ୍ଷୀରଦାନ ॥ ୫୬
ତୃଣ ନ ଚରି ଅଶ୍ରୁମୁଖେ । ବୃଷଭ ବୁଲେ ମନଦୁଃଖେ ॥ ୫୭
ହରଷେ ନ କରନ୍ତି ନାଦ । ଦେଖ ଅଦ୍ଭୁତ ପରମାଦ ॥ ୫୮
ଦେବତା ପ୍ରତିମା ଚଞ୍ଚଳେ । ରୋଦନ୍ତି ତନୁ-ଘର୍ମ-ଜଳେ ॥ ୫୯
ଏ ଜନପଦ ଗ୍ରାମମାନ । ନଗର ଆବର ଉଦ୍ୟାନ ॥ ୬୦
ବନ ଆଶ୍ରମେ ଯେତେ ଜନେ । ମୁହିଁ ଯା ଦେଖଇ ନୟନେ ॥ ୬୧
ସର୍ବେ ଦିଶନ୍ତି ହତଶିରୀ । ଚଳ ଚଞ୍ଚଳ ବନଗିରି ॥ ୬୨
ବାହ୍ୟ ଅନ୍ତର ସର୍ବ ଚାହିଁ । ମୁହିଁ ଏମନ୍ତ ବିଚାରଇ ॥ ୬୩
ଶ୍ରୀକୃଷ୍ଣ ପାଦ ଲାଗି ମହୀ । ଅତି ସୁନ୍ଦର ବିରାଜଇ ॥ ୬୪
ସେ ପାଦ କିବା ଶୂନ୍ୟେ ଗଲା । ଅବନୀ ଏମନ୍ତ ଦିଶିଲା ॥ ୬୫

ସୂତ ଉବାଚ

ଏମନ୍ତ କହୁଁ ଭୀମ ଆଗେ । ଧର୍ମନନ୍ଦନ ଉଦବେଗେ ॥ ୬୬
ଭୟେ କମ୍ପନ୍ତି ଛନ ଛନ । ତକ୍ଷଣେ ମିଳିଲା ଅର୍ଜୁନ ॥ ୬୭
ରାଜା ଚରଣ ତଳେ ପଡ଼ି । ଅଜ୍ଞାନେ ନମସ୍କାର ହୁଡ଼ି ॥ ୬୮
ଲୋଚନୁ ବହେ ଅଶ୍ରୁଜଳ । ଦେହେ ବ୍ୟାପିତ ଶ୍ରମଝାଳ ॥ ୬୯
ଅର୍ଜୁନ ଦେଖି ଧର୍ମସୁତ । ତକ୍ଷଣେ ଛାଡ଼ି ଭୀମହସ୍ତ ॥ ୭୦
ନିସ୍ତେଜ ଦେଖି ତାର ଗାତ୍ର । ବ୍ୟାକୁଳେ ହୃଦୟ କମ୍ପିତ ॥ ୭୧
ବନ୍ଧୁ-ସୁହୃଦ ମଧ୍ୟେ ଥାଇ । ପୁଚ୍ଛନ୍ତି ଅର୍ଜୁନକୁ ଚାହିଁ ॥ ୭୨
ନାରଦ ବଚନ ସୁମରି । ଅନ୍ତରେ ଚିନ୍ତି ନରହରି ॥ ୭୩
ଅର୍ଜୁନ ମୁଖ ଚାହିଁ ଭଣି । ଛନ୍ନ ବଦନେ ନୃପମଣି ॥ ୭୪

ଯୁଧିଷ୍ଠିର ଉବାଚ

ଶୁଣ ଅର୍ଜୁନ ସାବଧାନେ । ଦ୍ୱାରକାପୁରେ ବନ୍ଧୁଜନେ ॥ ୭୫
ସୁଖେ ଅଛନ୍ତି ନା ସମସ୍ତେ । ଯାଦବବଂଶ ଯେ ସପତେ ॥ ୭୬
ଶୂର ମୋହର ମାତାମହ । ସେ ଭଲେ ଅଛନ୍ତି କି କହ ॥ ୭୭
ମାତୁଳ ଅକ୍ରୂରର ତୁଲେ । ସ୍ୱଗୃହେ ଅଛନ୍ତି ନା ଭଲେ ॥ ୭୮
ଦେବକୀ ଆଦି ପତ୍ନୀ ଯେତେ । ସୁଖେ ଅଛନ୍ତି ନା ସମସ୍ତେ ॥ ୭୯
ଦେବକ ଉଗ୍ରସେନ ଦୁଇ । ଭଲେ କି ଛନ୍ତି ବେନିଭାଇ ॥ ୮୦
ଗଦ ସାରଣ ଜୟନ୍ତନ । ଏ ଆଦି ମାତୁଳ-ନନ୍ଦନ ॥ ୮୧
ଶାମ୍ବ ସାତ୍ୟକି ହଳଧର । କହ କୁଶଳ ତାହାଙ୍କର ॥ ୮୨
ଯାଦବବଂଶେ ମହାରଥ । ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ॥ ୮୩
ତାର କୁମର ଅନିରୁଦ୍ଧ । ଅତି ଗମ୍ଭୀର ଶୂର ଯୋଧ ॥ ୮୪
ସୁଷେଣ ସୁମିତ୍ର ସହିତେ । ଭଲେ କି ଛନ୍ତି କୃଷ୍ଣ ସୁତେ ॥ ୮୫
ଋଷଭ ଆଦି ମହାବୀରେ । ସୁଖେ ଅଛନ୍ତି ନା ନଗରେ ॥ ୮୬
ଗୋବିନ୍ଦ ଅନୁଚର ଯେତେ । ସୁଖେ ଅଛନ୍ତି ନା ସମସ୍ତେ ॥ ୮୭
ସୁନନ୍ଦ ନନ୍ଦ ଆଦି ଯେତେ । ଉଦ୍ଧବ ମନ୍ତ୍ରୀର ସମେତେ ॥ ୮୮
ରାମଗୋବିନ୍ଦ ଭୁଜାଶ୍ରିତେ । ସର୍ବେ ଅଛନ୍ତି ଟି କି ସୁସ୍ଥେ ॥ ୮୯
ନିଶ୍ଚିନ୍ତେ ଭୁବନେ ଅଛନ୍ତି । ଆମ୍ଭ କୁଶଳ ପଚାରନ୍ତି ॥ ୯୦
କରୁଣାସିନ୍ଧୁ ନନ୍ଦବାଳ । ବ୍ରହ୍ମଣ୍ୟ ଭକତ-ବତ୍ସଳ ॥ ୯୧
ବନ୍ଧୁବାନ୍ଧବ ତୁଲେ ବସି । ସୁଧର୍ମା ମଧ୍ୟେ ବ୍ରହ୍ମରାଶି ॥ ୯୨
ଲୋକ-ମଙ୍ଗଳ-କ୍ଷେମ ଅର୍ଥେ । ଯାହାର ଜନ୍ମ ଏ ଜଗତେ ॥ ୯୩
ସେ ହରି ଅଛନ୍ତି ନା ଭଲେ । ରୋହିଣୀସୁତ ରାମ ତୁଲେ ॥ ୯୪
ଯାହାର ଭୁଜ ଆଶ୍ରେ କରି । ଯାଦବେ ବିଷ୍ଣୁତେଜ ଧରି ॥ ୯୫
ମହାପୁରୁଷ ଯୋଗବନ୍ଧେ । କ୍ରୀଡ଼ନ୍ତି ପରମ ଆନନ୍ଦେ ॥ ୯୬
ଯାର ଚରଣେ ସେବା କରି । ଷୋଳ ସହସ୍ର କୃଷ୍ଣନାରୀ ॥ ୯୭
ସତ୍ୟାର ଛଳେ ଇନ୍ଦ୍ର ଜିଣି । ନନ୍ଦନବନୁ ଚକ୍ରପାଣି ॥ ୯୮
ଲୀଳାରେ ଜିଣି ଶଚୀନାଥ । ବଳେ ଉପାଡ଼ି ପାରିଜାତ ॥ ୯୯
ଯାହା ବିଳସେ ଇନ୍ଦ୍ରନାରୀ । ସେ ପୁଷ୍ପ ବିଷ୍ଣୁ ତେଜେ ହରି ॥ ୧୦୦
ସହସ୍ରେ ଶାଖା ପରିମାଣି । ନାରୀଙ୍କି ଦେଲେ ଚକ୍ରପାଣି ॥ ୧୦୧
ଯାହାର ଭୁଜଦଣ୍ତ ବଳେ । ଯଦୁ-ପ୍ରବୀରେ ମହୀତଳେ ॥ ୧୦୨
ନିର୍ଭୟେ ଜଗତେ ଭ୍ରମନ୍ତି । ପାଦେ ସୁଧର୍ମା ଆକ୍ରମନ୍ତି ॥ ୧୦୩
ହେ ଭ୍ରାତ ଶୁଣ ମହାଭୁଜ । ତୁ ମୋତେ ଦିଶୁ ହତବୀର୍ଯ୍ୟ ॥ ୧୦୪
ଲଭିଲା ବସ୍ତୁ କେଣେ ଗଲା । ତୋତେ ଅବଜ୍ଞା କେହୁ କଲା ॥ ୧୦୫
ଚିରପ୍ରବାସେ ଦୁଃଖ ଚିନ୍ତା । ତେଣୁ ବଦନ ମଳିନତା ॥ ୧୦୬
କେବା ଭର୍ତ୍ସନା ଅମଙ୍ଗଳେ । ତୋତେ ଶଂପିଲା ବାକ୍ୟବଳେ ॥ ୧୦୭
ଅର୍ଥୀ ପ୍ରାଣୀଙ୍କୁ ଦେବାକଲୁ । ମାଗନ୍ତେ କି ଅବା ନ ଦେଲୁ ॥ ୧୦୮
ବୃଦ୍ଧ ବ୍ରାହ୍ମଣ ନିରମାଖି । ସ୍ତିରୀ ବାଳକ ଗୋରୁ ଦୁଃଖୀ ॥ ୧୦୯
ରୋଗ ପୀଡ଼ନ୍ତେ ଯେ ରୋଦନ୍ତି । ଯେ ଅବା ଶରଣ ପଶନ୍ତି ॥ ୧୧୦
ଏହାଙ୍କୁ ଦୟା ବା ନକଲୁ । ତେଣୁ ତୁ ଅଶୁଭ ଦିଶିଲୁ ॥ ୧୧୧
ଅଗମ୍ୟେ କଲୁ ବା ଗମନ । କି ବା ହରିଲୁ ସ୍ତିରୀଜନ ॥ ୧୧୨
ମାର୍ଗେ ଆସନ୍ତେ ତୁ ଚଞ୍ଚଳେ । କେବା ଜିଣିଲା ତୋତେ ବଳେ ॥ ୧୧୩
ବାଳକ ବୃଦ୍ଧ ନ ଭୁଞ୍ଜଇ । ଅଗ୍ରେ ଭୁଞ୍ଜିଲୁ ଅବା ତୁହି ॥ ୧୧୪
କି ବା ନିନ୍ଦିତ-କର୍ମ କଲୁ । ତେଣୁ ତୁ ଏମନ୍ତ ଦିଶିଲୁ ॥ ୧୧୫
ଅତିଥି ଭୃତ୍ୟ ଗର୍ଭନାରୀ । କନ୍ୟା ବା ଅଭୋଜନ କରି ॥ ୧୧୬
କି ବା ତୋ ଜୀବନ ଠାକୁର । ଗୋବିନ୍ଦ ହୋଇଲେ ଅନ୍ତର ॥ ୧୧୭
ତାହାର ଶୂନ୍ୟେ ଶୂନ୍ୟ ତୁହି । ଏମନ୍ତ ପ୍ରାୟ ମୁଁ ମଣଇ ॥ ୧୧୮
ତୋ ମନ ଦୁଃଖ ଏହା ବିନେ । କେବେହେଁ ନ ଘଟେ ମୁଁ ମଣେ ॥ ୧୧୯
ହରିଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୨୦
କହଇ ଦାସ ଜଗନ୍ନାଥ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୨୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଯୁଧିଷ୍ଠିରବିତର୍କୋ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।।

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଏମନ୍ତ ରାଜାର ବଚନ । ଅର୍ଜୁନ ଶୁଣି ଶୋକମନ ॥ ୧
ଯେତେ କହିଲେ ଧର୍ମସୁତ । ନାନା ଶକୁନ ବିପରୀତ ॥ ୨
କୃଷ୍ଣ ବିଯୋଗେ ଖେଦମନ । ସ୍ୱଭାବେ ଶୁଖିଛି ବଦନ ॥ ୩
ତେଜ ପ୍ରଭାବ ଦୂର ଗଲା । ଜୀବନ ଥାଉଁ ଦେହ ମଲା ॥ ୪
ଶୋକେ କମ୍ପିତ କଳେବର । ବଦନୁ ନ ସ୍ଫୁରେ ଉତ୍ତର ॥ ୫
ଲୋଚନେ ଦେଇ ବେନିକର । ଶୋକ ସମ୍ବରି ବୀରବର ॥ ୬
ଶୋକେ କୁଣ୍ଠିତ କଣ୍ଠଦ୍ୱାର । ବିହ୍ୱଳେ ନ ସ୍ଫୁରେ ଉତ୍ତର ॥ ୭
ସଖା ସୁହୃଦ ନନ୍ଦବଳା । ସାରଥିପଣେ ରଥେ ଥିଲା ॥ ୮
ଏ ଆଦି ଯେତେ କୃଷ୍ଣଗୁଣ । ସୁମରି କାନ୍ଦେ ପୁଣପୁଣ ॥ ୯
ରାଜାଙ୍କୁ ଚାହିଁ ମନଖେଦେ । ବୋଲଇ ଶୋକ ଗଦଗଦେ ॥ ୧୦

ଅର୍ଜୁନ ଉବାଚ

ସନ୍ଦେଶ ଶୁଣ ନରନାଥ । କୃଷ୍ଣେ ମୁଁ ହୋଇଲି ବଞ୍ଚିତ ॥ ୧୧
ମୋର ଜୀବନବନ୍ଧୁ ହରି । ତାର ବିଯୋଗେ ହତଶିରୀ ॥ ୧୨
ବିଶୀର୍ଣ୍ଣ ମୋହର ଶରୀର । ଦେଖ ପ୍ରତ୍ୟକ୍ଷେ ନୃପବର ॥ ୧୩
ଯେ ତେଜ ପ୍ରତାପ ମୋହର । ଦେବ-ଦାନବେ ଅଗୋଚର ॥ ୧୪
ସେ ତେଜ କୃଷ୍ଣ ସଙ୍ଗେ ଗଲା । ଜୀବନ ଜୀଉଁ ଜୀଉଁ ମଲା ॥ ୧୫
କୃଷ୍ଣ ବିଯୋଗେ କ୍ଷଣମାତ୍ରେ । ଶୋକ ପୂରିତ ନିଜ ଗାତ୍ରେ ॥ ୧୬
ଲୋକେ ଅପ୍ରିୟ ଦରଶନ । ଦେଖି କୁଣ୍ଠିତ ମୋର ମନ ॥ ୧୭
ମରଣ କାଳେ ପ୍ରାଣୀ ଯେହ୍ନେ । ସମ୍ଭ୍ରମେ କୁଣ୍ଠିତ-ବଚନେ ॥ ୧୮
ଯାହାର ପାଦେ ଆଶ୍ରେକରି । ନିଜ ଗାଣ୍ତିବ କରେ ଧରି ॥ ୧୯
ଦ୍ରୁପଦ ଗୃହେ ରାଜମେଳେ । ଦ୍ରୌପଦୀ ସ୍ୱୟମ୍ବର କାଳେ ॥ ୨୦
ଯେତେ ମିଳିଲେ ରାଜପୁତ୍ରେ । କନ୍ୟା ଲଭିବା ଫଳ ଅର୍ଥେ ॥ ୨୧
କନ୍ୟା ଲଭିବା କାଳେ ଗୋଳ । ଯେସନେ ଜଳଧି ଉଲ୍ଲୋଳ ॥ ୨୨
ହେଳେ ତାହାଙ୍କ ତେଜ ହରି । ଲଭିଲି ଲାଖବିନ୍ଧି ନାରୀ ॥ ୨୩
ଖାଣ୍ତବବନେ କ୍ରୀଡ଼ାରଙ୍ଗେ । କୃଷ୍ଣ ଯେ ଥିଲେ ମୋର ସଙ୍ଗେ ॥ ୨୪
ସେ ବନ ଅଗ୍ନିମୁଖେ ଦେଇ । ଲଭିଲି ମାୟାସଭା ମୁହିଁ ॥ ୨୫
ଅମରଗଣ ତୁଲେ ପୁଣି । କିଞ୍ଚିତେ ଇନ୍ଦ୍ରତେଜ ଜିଣି ॥ ୨୬
ମୟନିର୍ମିତ ସଭା ଆଣି । ଯହିଁ ସକଳ ନୃପମଣି ॥ ୨୭
ତୋହର ଯଜ୍ଞକାଳେ ମିଳି । ତୋ ପାଦେ କଲେ ନିଉଛାଳି ॥ ୨୮
ଯାହାର ତୁଲେ ବେନିଭାଇ । ଛଦ୍ରମେ ବିପ୍ରରୂପ ହୋଇ ॥ ୨୯
ଜରାକୁ ବାହୁଯୁଦ୍ଧେ ଜିଣି । ରାଜାଙ୍କୁ ବନ୍ଦୀଘରୁ ଆଣି ॥ ୩୦
ତୋହର ଯଜ୍ଞ ନିମନ୍ତ୍ରଣେ । ତୋତେ ଖଚିଲେ ନୃପଗଣେ ॥ ୩୧
ତୋହର ଯଜ୍ଞସ୍ନାନ କାଳେ । ଦ୍ରୌପଦୀ ଦେଖି ତୋର କୋଳେ ॥ ୩୨
ସ୍ୱଭାବେ ନାରୀ ଶିରୋମଣି । କବରୀ ବେଶେ ଜନ ଜିଣି ॥ ୩୩
କପଟପଶା କରି ବାଦେ । କୌରବେ ତୋତେ ସଭାମଧ୍ୟେ ॥ ୩୪
ଜିଣି ପାଞ୍ଚାଳୀ କେଶ ଧରି । ବିବସ୍ତ୍ର ସଭାତଳେ କରି ॥ ୩୫
ଭୟେ ପାଞ୍ଚାଳୀ ସୁମରିଲା । ସେବେଳେ ଯେ ହରି ରଖିଲା ॥ ୩୬
ପୁଣି ଅଜ୍ଞାତ-ବନବାସେ । ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ॥ ୩୭
ଭୋଜନ ଅନ୍ତେ ଭିକ୍ଷାଅର୍ଥେ । ଅୟୁତ ବିପ୍ର ଘେନି ସାଥେ ॥ ୩୮
ଭୁଞ୍ଜିବା ପାଇଁ ସ୍ନାନ ସାରି । ତା ଜାଣି ପ୍ରଭୁ ନରହରି ॥ ୩୯
ଅତିଥି ରୂପେ ବିଜେ କଲା । ଶେଷ ଯେ ଶାକଅନ୍ନ ଥିଲା ॥ ୪୦
କର ପ୍ରସାରି ତାହା ଖାଇ । ମୁନିଙ୍କ ମନମଧ୍ୟେ ଯାଇ ॥ ୪୧
ସନ୍ତୋଷ କଲା ଜଳ ମଧ୍ୟେ । ତକ୍ଷଣେ ବ୍ରାହ୍ମଣ ଆନନ୍ଦେ ॥ ୪୨
ସନ୍ତୋଷେ ନିଜସ୍ଥାନେ ଗଲେ । ସେ ଦୁଃଖୁ ଯେ ହରି ରଖିଲେ ॥ ୪୩
ଯାହାର ତେଜେ ଧନୁ ଟାଣି । ବନେ ଜିଣିଲି ଶୂଳପାଣି ॥ ୪୪
ସନ୍ତୋଷେ ମୋତେ ଉମାକାନ୍ତ । ବୋଇଲେ ବରମାଗ ପାର୍ଥ ॥ ୪୫
ପାର୍ବତୀ ବିଶ୍ୱାସେ ମୋହିତ । ବରେ ପାଇଲି ପାଶୁପତ ॥ ୪୬
ହର ବିଶ୍ୱାସେ ମୋତେ ପୁଣ । ପାର୍ବତୀ ଦେଲେ ଅକ୍ଷତୂଣ ॥ ୪୭
ସେ ବେନିଶସ୍ତ୍ର ପାଇ ବନେ । ମିଳିଲି ଇନ୍ଦ୍ରର ଭୁବନେ ॥ ୪୮
ନର ଶରୀରେ ସୁରଦେଶେ । ମିଳିଲି ଯେ ହରି ବିଶ୍ୱାସେ ॥ ୪୯
ବିଷ୍ଣୁର ତେଜ ଦେଖି ମୋତେ । ସର୍ବ ଦେବତା ତୋଷଚିତ୍ତେ ॥ ୫୦
ବିଚାରି ସର୍ବ ଅନୁମାନେ । ବସାଇ ଇନ୍ଦ୍ରର ଆସନେ ॥ ୫୧
ମୋତେ ପୂଜିଲେ ପୁରସ୍କାରେ । ମୁଁ ପୁଣି ରହି ସ୍ୱର୍ଗପୁରେ ॥ ୫୨
ସର୍ବ ଦେବତାଙ୍କ ବିଶ୍ୱାସ । ଅସୁରବଳ କଲି ନାଶ ॥ ୫୩
ଇନ୍ଦ୍ର ସହିତେ ସର୍ବଦେବେ । ମୋତେ ପୂଜିଲେ ଗଉରବେ ॥ ୫୪
ଯା ତେଜୁ ମୋ ପୁରୁଷକାର । ସେ ହରି ମୋତେ କଲା ଦୂର ॥ ୫୫
ଯେଉଁ ଗୋବିନ୍ଦ ବନ୍ଧୁପଣେ । କୁରୁସାଗର-ଘୋରରଣେ ॥ ୫୬
ତରଲି ଦୁସ୍ତର-ସାଗର । ଦେବ-ମାନବେ ଅଗୋଚର ॥ ୫୭
ସଂଗ୍ରାମେ ରିପୁବଳ ଜିଣି । ଅନେକ ଧନରତ୍ନ ଆଣି ॥ ୫୮
ରତ୍ନ ମୁକୁଟ ମଣିପରେ । ଥିଲା ଯେ ରାଜାଙ୍କର ଶିରେ ॥ ୫୯
ତାହା ହରିଲି ବାହୁବଳେ । ନିର୍ଭୟେ ଅବନୀ-ମଣ୍ତଳେ ॥ ୬୦
ବିରାଟ-ଗୋଧନ ହରଣେ । ମହାଦୁସ୍ତର ଘୋରରଣେ ॥ ୬୧
ଗୋଧନ ନେଲି ନିଜପୁର । ସେ ହରି କଲା ମୋତେ ଦୂର ॥ ୬୨
ଯେ ହରି ମୋର ରଥେ ବସି । ଅଗାଧ-କୁରୁବଳେ ଝାସି ॥ ୬୩
ଭୀଷ୍ମ ସବିତାସୁତ କୃପ । ଶଲ୍ୟ ସହିତେ ଯେତେ ନୃପ ॥ ୬୪
ତାହାଙ୍କ ଅଗ୍ରେ ରଥ କରି । ଅଶ୍ୱ ରସନା କରେ ଧରି ॥ ୬୫
ରିପୁ ଆୟୁଷ ସଙ୍ଗେ ମନ । ହରିଲା ନନ୍ଦର ନନ୍ଦନ ॥ ୬୬
ଭୀଷ୍ମାଦି ଥିଲେ ଯେତେ ବୀର । ସେ ଗୁରୁ-ଦ୍ରୋଣଙ୍କ ସଙ୍ଗର ॥ ୬୭
ଅମୋଘ ଅସ୍ତ୍ର ବରଷନ୍ତି । ସେ ମୋର ହୃଦେ ନ ଭେଦନ୍ତି ॥ ୬୮
ଯେସନେ ନୃସିଂହର ପାଦ । ଆଶ୍ରେ ତରିଲା ପ୍ରହଲାଦ ॥ ୬୯
ଜୟଦ୍ରଥର ବଧ କାଳେ । ଅଶ୍ୱେ ତୃଷିତ ମୋର ହେଲେ ॥ ୭୦
ତାହାଙ୍କୁ ଜଳ ଦେବା ଅର୍ଥେ । ସଂଗ୍ରାମେ ହେଲି ଭୂମିଗତେ ॥ ୭୧
ମହାରଥୀଙ୍କ ଚିତ୍ତେ ଯାଇ । ପ୍ରବେଶ ହେଲେ ଭାବଗ୍ରାହୀ ॥ ୭୨
ନୟନେ ମୋ ରୂପ ଦେଖନ୍ତି । ଦେଖନ୍ତେ କେହି ନ ମାରନ୍ତି ॥ ୭୩
ଯାହାର ପାଦପଦ୍ମ ନିତ୍ୟେ । ଜ୍ଞାନୀଏ ଭାବୁଥାନ୍ତି ଚିତ୍ତେ ॥ ୭୪
କୁମତି-ବଳେ ନ ବିଚାରି । ତାହାଙ୍କୁ ସାରଥି ମୁଁ କରି ॥ ୭୫
ସେ କୃଷ୍ଣ ବସି ମୋର ପାଶେ । ଶୋଭନ-ସ୍ମିତ-ମନ୍ଦହାସେ ॥ ୭୬
ଆନନ୍ଦେ କରେ କର ଧରି । ବିବିଧ ପରିହାସ କରି ॥ ୭୭
ହେ ପାର୍ଥ ଅର୍ଜୁନ ହେ ସଖେ । କୁରୁନନ୍ଦନ ବୋଲି ଡାକେ ॥ ୭୮
ତାହାର ଗୁଣକର୍ମ ଯେତେ । ସୁମରି କ୍ଷୋଭିତ ମୋ ଚିତ୍ତେ ॥ ୭୯
ଶୟନ-ଆସନ-ଭୋଜନେ । ମୁହିଁ ଯେ ତାର ସନ୍ନିଧାନେ ॥ ୮୦
ସଙ୍ଗେ ବିହରି ସଖାପରି । ତା କରେ କର ଧରାଧରି ॥ ୮୧
ମୁଁ ପାପୀ କୁମତି ମୋହର । କେବେ ବା କରେ ତିରସ୍କାର ॥ ୮୨
ସେ ଅପରାଧ ମୋର ହରି । ନ ଘେନେ ମୋରେ ସ୍ନେହ କରି ॥ ୮୩
ସଖାର ସଖା ଯେହ୍ନେ ସହେ । ପିତାମାତା ବା ଯେହ୍ନେ ପୋଏ ॥ ୮୪
ନୃପେନ୍ଦ୍ର ଶୁଣ ମୋର ବାଣୀ । ମୋତେ ମୁଞ୍ଚିଲେ ଚକ୍ରପାଣି ॥ ୮୫
ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି ॥ ୮୬
ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥ ୮୭
ଆବୋରି ନ ପାରିଲି ବଳେ । ତକ୍ଷଣେ ଲୁଚିଲେ ଗୋପାଳେ ॥ ୮୮
ସେହି ଗାଣ୍ତୀବଧନୁ ମୋର । ସେହି ଅକ୍ଷୟ ତୂଣଶର ॥ ୮୯
ସେହି ବିମାନ ଅଶ୍ୱ ଦେଖ । କ୍ଷଣକେ ହୋଇଲି ନିରେଖ ॥ ୯୦
ଯାହାର ତେଜେ ନୃପଗଣେ । ନମନ୍ତି ମୋହର ଚରଣେ ॥ ୯୧
ତାର ବିଯୋଗେ ତନୁ କ୍ଷୀଣ । ଦିଗେ ଦିଶନ୍ତି ମୋତେ ଶୂନ୍ୟ ॥ ୯୨
ସେ ପ୍ରାଣବାନ୍ଧବ ବିଯୋଗ । ଭସ୍ମେ ଯେସନେ ହବିର୍ଭାଗ ॥ ୯୩
କୁହୁକ ବସ୍ତୁ ମୁଷ୍ଟିଗତେ । ପ୍ରତ୍ୟକ୍ଷ ନୋହେ ଦୃଷ୍ଟିମାତ୍ରେ ॥ ୯୪
ଉଷର ଭୂମିରେ ରୋପିତ । ବୀଜର ପ୍ରାୟେ ମୁଁ ନିହତ ॥ ୯୫
ଶୁଣ ହେ ନୃପ ଶୁଦ୍ଧଚେତା । ବନ୍ଧୁବାନ୍ଧବଙ୍କ ବାରତା ॥ ୯୬
ଅପରେ ଯେତେ ଯଦୁକୁଳେ । ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ॥ ୯୭
ବ୍ରାହ୍ମଣଶାପ ଅବସାନେ । ମିଳିଲେ ଏରକାର ବନେ ॥ ୯୮
ଚାରୁଣୀମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥ ୯୯
ଏରକା ମୁଷ୍ଟି କରେ ଧରି । ଏକ ଆରେକ ମରାମରି ॥ ୧୦୦
ଆତ୍ମାକୁ ନ ଜାଣନ୍ତି ଭୋଳେ । ନାଶିଲେ ବ୍ରହ୍ମଶାପ ଫଳେ ॥ ୧୦୧
ଏଣୁ ଯାଦବ ବଂଶନାଶ । ରହିଲେ ଚାରିପାଞ୍ଚ ଶେଷ ॥ ୧୦୨
ଈଶ୍ୱର କ୍ରୀଡ଼ା ଏ ଜଗତ । ପ୍ରାଣୀଏ ଈଶ୍ୱର ଆୟତ୍ତ ॥ ୧୦୩
ମାରନ୍ତି ଏକୁ ଆର ବଳେ । ଜଳ ଜନ୍ତୁଏ ଯେହ୍ନେ ଜଳେ ॥ ୧୦୪
ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି । ନିଜ ମରଣ ନ ଜାଣନ୍ତି ॥ ୧୦୫
ଦୁର୍ବଳ-ପ୍ରାଣୀଙ୍କି ସବଳେ । ଦର୍ପ ହରନ୍ତି ଅବହେଳେ ॥ ୧୦୬
ଏହି ପ୍ରକାରେ ଯଦୁବଳେ । କଳି ଭିଆଇ ମଦ୍ୟଭୋଳେ ॥ ୧୦୭
ଯଦୁଙ୍କୁ ଯଦୁବଳେ ମାରି । ଭୂମିର ଭାରା ଅପହରି ॥ ୧୦୮
ଗୋବିନ୍ଦ କଲେ କର୍ମ ଯେତେ । ଲୀଳା ବିହାରେ ଏ ଜଗତେ ॥ ୧୦୯
ତା ଦେଶ-କାଳ-ଅର୍ଥଯୁକ୍ତ । ଶୀତଳବାଣୀ ଜନହିତ ॥ ୧୧୦
ସେ ବାଣୀ ସ୍ମରି ମୋର ଚିତ୍ତେ । ପ୍ରାଣ ଦହଇ ଅନ୍ତର୍ଗତେ ॥ ୧୧୧

ସୂତ ଉବାଚ

ଏମନ୍ତେ ପାଣ୍ତବ ଅର୍ଜୁନ । କୃଷ୍ଣ ଚରଣେ ଦେଇ ମନ ॥ ୧୧୨
ସୁହୃଦଭାବେ ଗାଢ଼େ ଚିନ୍ତି । ଲଭିଲା ସୁବିମଳ ଗତି ॥ ୧୧୩
କୃଷ୍ଣ ଚରଣ ଅନୁଧ୍ୟାନେ । ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ ॥ ୧୧୪
ଥିଲା ଯେ ଅଶେଷ କଳୁଷ । ଭକ୍ତିମନ୍ଥନେ ଗଲା ନାଶ ॥ ୧୧୫
ନିର୍ମଳବୁଦ୍ଧି ପ୍ରକାଶିଲା । ଗୋବିନ୍ଦ ବାକ୍ୟ ସୁମରିଲା ॥ ୧୧୬
ସଂଗ୍ରାମ ମଧ୍ୟେ ରଥେ ରହି । ଯେ ଗୀତା କୃଷ୍ଣଥିଲେ କହି ॥ ୧୧୭
ତାହା ସୁମରି ଶୁଦ୍ଧମନେ । ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ॥ ୧୧୮
ପ୍ରକୃତି ଲୀନେ ଗୁଣ ଲିଙ୍ଗ । ସ୍ଥୂଳଶରୀର ସଙ୍ଗଭଙ୍ଗ ॥ ୧୧୯
ତେବେ ଦ୍ୱଇତ ଭାବ ଯାଇ । ଶୋକ-ସମ୍ଭ୍ରମ ଆଉ କାହିଁ ॥ ୧୨୦
ଆପଣା ଅଂଶ ବଂଶ ହରି । ଶ୍ରୀକୃଷ୍ଣ ଗଲେ ନିଜପୁରୀ ॥ ୧୨୧
ଅର୍ଜୁନ ମୁଖୁ ଏହା ଶୁଣି । ନିର୍ବେଦ ନୃପ-ଚୂଡ଼ାମଣି ॥ ୧୨୨
ଆତ୍ମା ନିବୃତ୍ତ ଜ୍ଞାନମାର୍ଗେ । ନିଶ୍ଚୟ କଲେ ସ୍ୱର୍ଗମାର୍ଗେ ॥ ୧୨୩
କୁନ୍ତୀ ଯେ ନିଜପୁରେ ଥିଲା । ଶ୍ରୀକୃଷ୍ଣ ବିଯୋଗ ଶୁଣିଲା ॥ ୧୨୪
ତକ୍ଷଣେ ପାଇ ଦିବ୍ୟଜ୍ଞାନ । ଗୋବିନ୍ଦ ପାଦେ ହେଲା ଲୀନ ॥ ୧୨୫
ଯେ ଦେହ ଭୂମିଭାର ନାଶେ । ଧରି ଜନ୍ମିଲେ ଯଦୁବଂଶେ ॥ ୧୨୬
ଭାରା ନିବାରି ତା ସଂହରେ । କଣ୍ଟକ ଯେହ୍ନେ କଣ୍ଟକରେ ॥ ୧୨୭
ମତ୍ସ୍ୟାଦି ରୂପକୁ ଯେମନ୍ତେ । ଧରି ଛାଡ଼ଇ କାର୍ଯ୍ୟଅନ୍ତେ ॥ ୧୨୮
ଯେସନେ ନଟରୂପ ଧରେ । କ୍ଷଣକୁ କ୍ଷଣ ଆନ କରେ ॥ ୧୨୯
ଭୂଭାର କ୍ଷୟ ଯେ ଦେହେଣ । ସେ ଦେହ କଲେ ଅନ୍ତର୍ଦ୍ଧାନ ॥ ୧୩୦
ଯେବେ ମୁକୁନ୍ଦ ମହୀତେଜି । ସ୍ୱଭାବେ ନିଜଧାମ ଭଜି ॥ ୧୩୧
ଯାର ମହିମା ନରଲୋକେ । ସାଧବେ ଏକକୁ ଆରକେ ॥ ୧୩୨
କହି ତରିଲେ ଭବଜଳୁ । କଳି ଆଗମ ସେହି ବେଳୁ ॥ ୧୩୩
ସକଳ ଦୋଷ ହେତୁ ଯହିଁ । ବେଦ-ପୁରାଣ-ମାର୍ଗେ କହି ॥ ୧୩୪
ମିଳିଲା ନରଲୋକେ ଆସି । ତକ୍ଷଣେ ଗ୍ରାମେଗ୍ରାମେ ପଶି ॥ ୧୩୫
ସକଳ ପୁରେ ପ୍ରାଣୀ ଚିତ୍ତେ । ଲୋଭ କପଟ ଦମ୍ଭମତେ ॥ ୧୩୬
ପ୍ରାଣୀ ହିଂସନ ଧର୍ମନାଶେ । ପ୍ରାଣୀୟେ କଳିର ବିଶ୍ୱାସେ ॥ ୧୩୭
ନିଷ୍ଠୁର ଚିତ୍ତ ସର୍ବଜନ । ତା ଦେଖି ଧର୍ମର ନନ୍ଦନ ॥ ୧୩୮
ସ୍ୱର୍ଗ-ଗମନ ମନେ ଗୁଣି । ତକ୍ଷଣେ ପରୀକ୍ଷିତ ଆଣି ॥ ୧୩୯
ଉତ୍ତମ ରାଜଚିହ୍ନ ଦେଖି । ସକଳ ଗୁଣ ଉପଲକ୍ଷି ॥ ୧୪୦
ଆତ୍ମାର ତୁଲ୍ୟପ୍ରାୟ ମଣି । ଅନେକ ତୀର୍ଥଜଳ ଆଣି ॥ ୧୪୧
ହସ୍ତିନାପୁର ନରଲୋକେ । ସ୍ଥାପିଲେ ନୃପ ଅଭିଷେକେ ॥ ୧୪୨
ଯାଦବବଂଶେ ଶେଷଥିଲା । ବଜ୍ର ଯେ ଅନିରୁଦ୍ଧବଳା ॥ ୧୪୩
ମଥୁରାପୁରେ ଧର୍ମଚାଟେ । ସ୍ଥାପିଲେ ଶୂରସେନପାଟେ ॥ ୧୪୪
ସକଳ ଭୋଗ ଦୂରକରି । ଶରୀର-ବନ୍ଧ ପରିହରି ॥ ୧୪୫
ଆତ୍ମାରେ ଆତ୍ମା-ଅଗ୍ନି ଜାଳି । ସର୍ବ-ବିଷୟ-ଘୃତ ଢାଳି ॥ ୧୪୬
ଜ୍ଞାନଗୋଚରେ ଅଗ୍ନିପାନ । ତକ୍ଷଣେ ଧର୍ମର ନନ୍ଦନ ॥ ୧୪୭
ସର୍ବ ସମ୍ପଦ କରି ଦୂର । ନିର୍ମଳ-ରାଗ-ଅହଙ୍କାର ॥ ୧୪୮
ଅଶେଷ କର୍ମ୍ପାଶ ଛେଦି । ଯୋଗେ ଶରୀରରନ୍ଧ୍ର ରୁନ୍ଧି ॥ ୧୪୯
ବଚନ ମନେ ଲୀନ କରି । ବାୟୁ ଧାରଣେ ମନ ଧରି ॥ ୧୫୦
ବାୟୁ ଧାରଣ ପ୍ରାଣ ଯେହି । ଅପାନେ ତାହାକୁ ମିଶାଇ ॥ ୧୫୧
ଅପାନ ଉତ୍ସର୍ଗ ସହିତ । ଯେ ମାର୍ଗେ ହୋଏ ଅନ୍ତର୍ଗତ ॥ ୧୫୨
ସେ ମୃତ୍ୟୁଦେବକୁ ପଞ୍ଚତ୍ୱେ । ପଞ୍ଚକୁ ପଞ୍ଚରେ ଏକତ୍ୱେ ॥ ୧୫୩
ପୁଣି ପଞ୍ଚକୁ ତିନିଗୁଣେ । ତ୍ରିଗୁଣ ସମସ୍ତ କାରଣେ ॥ ୧୫୪
ତାହାକୁ ଜୀବେ ଦେଇ ସ୍ଥାନ । ଯେଣେ ଜୀବର ପରିତ୍ରାଣ ॥ ୧୫୫
ସକଳ ଗୁଣ ପରିହରି । ଆତ୍ମାରେ ଆତ୍ମା ହୋମକରି ॥ ୧୫୬
ବ୍ରହ୍ମନିର୍ବାଣେ ଥୋଇ ଚିତ୍ତ । ଉତ୍ତରପଥେ ଉପଗତ ॥ ୧୫୭
ଚିରବସନ ନିରାହାର । ମଉନ ମୁକ୍ତକେଶ ଶିର ॥ ୧୫୮
ଜଡ-ଉନ୍ମତ୍ତ-ଜନ ପ୍ରାୟେ । ଲୋକେ ଦେଖାଇ ନିଜକାୟେ ॥ ୧୫୯
ଲୋକ ବଦନକୁ ନ ଚାହିଁ । ଅନ୍ଧ-ବଧିର ପ୍ରାୟ ହୋଇ ॥ ୧୬୦
ହୃଦେ ନିବେଶି ବେନିପାଣି । ଉତ୍ତରଦିଗେ ନୃପମଣି ॥ ୧୬୧
ପୂର୍ବେ ଅଶେଷ ମୁନି ସନ୍ଥେ । ମୋକ୍ଷହୋଇଲେ ଯେଉଁ ପଥେ ॥ ୧୬୨
ପରମବ୍ରହ୍ମ ଚିନ୍ତି ଚିତ୍ତେ । ପ୍ରସ୍ଥାନ କଲେ ସ୍ୱର୍ଗପଥେ ॥ ୧୬୩
ପଛେ ଚଳନ୍ତି ଚାରିଭାଇ । ରାଜାର ଅନୁରୂପ ହୋଇ ॥ ୧୬୪
ପ୍ରଜାଙ୍କୁ କରି ଆଲିଙ୍ଗନ । ହରଷେ ହରି ତାଙ୍କ ମନ ॥ ୧୬୫
ସେ ସାଧୁକୃତ୍ୟ ସତ୍ତ୍ୱ ଗୁଣୀ । ଆତ୍ମାର ହିତ ଚିତ୍ତେ ଜାଣି ॥ ୧୬୬
ମନ ନିବେଶି କୃଷ୍ଣପାଦେ । ବିଷ୍ଣୁ ଭକତି ଯୋଗସାଧେ ॥ ୧୬୭
ନିର୍ମଳ ଚିତ୍ତ ତାହାଙ୍କର । ଗୋବିନ୍ଦେ ଧ୍ୟାନ ନିରନ୍ତର ॥ ୧୬୮
କୃଷ୍ଣ ପାଦେ ଚିତ୍ତ ଦେଲେ । ପରମଗତି ସେ ଲଭିଲେ ॥ ୧୬୯
ଅସତ୍ୟ ଇନ୍ଦ୍ରିୟ ବିଷୟେ । ନିତ୍ୟେ ଯାହାର ଚିତ୍ତ ରହେ ॥ ୧୭୦
ସେ ଯେବେ ପାଦହୃଦେ ଚିନ୍ତି । ସର୍ବକଳୁଷ ନାଶ ଯାନ୍ତି ॥ ୧୭୧
ସେପାଦେ ଲଭଇ ସେ ସ୍ଥାନ । ତାହା ପାଇଲେ ପଣ୍ତୁନାନ ॥ ୧୭୨
ବିଦୁର ଥିଲେ ବନବାସେ । ପ୍ରଭାସତୀର୍ଥେ ମୋକ୍ଷ ଆଶେ ॥ ୧୭୩
ଗୋବିନ୍ଦ-ଚରଣ-କମଳେ । ପ୍ରାଣ ଛାଡ଼ିଲେ ଯୋଗବଳେ ॥ ୧୭୪
ପିତୃଗଣଙ୍କ ସଙ୍ଗେ ମିଶି । ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ ॥ ୧୭୫
ନିଜ ଭୁବନେ ବିଜେ କଲେ । ବ୍ରାହ୍ମଣଶାପୁ ନିସ୍ତରିଲେ ॥ ୧୭୬
ତକ୍ଷଣେ ଦ୍ରୁପଦ କୁମାରୀ । ଭର୍ତ୍ତାଙ୍କ ପଥ ଅନୁସରି ॥ ୧୭୭
କୃଷ୍ଣେ ନିବେଶି ପଞ୍ଚପ୍ରାଣ । ପଥେ ଛାଡ଼ିଲେ ନିଜପ୍ରାଣ ॥ ୧୭୮
କହନ୍ତି ସୂତ ଶୁଦ୍ଧଚିତ୍ତେ । ସର୍ବମୁନିଙ୍କ ମଧ୍ୟଗତେ ॥ ୧୭୯
ଏବେ ହୋ ଶୁଣ ବିପ୍ରଜନେ । କୃଷ୍ଣ-ମହିମା ଶୁଦ୍ଧମନେ ॥ ୧୮୦
ଗୋବିନ୍ଦ ଚରଣ କମଳେ । ପଣ୍ତୁକୁମରେ ଭାବଭୋଳେ ॥ ୧୮୧
ସଂସାର ମାୟା ଦୂର କଲେ । ଜଗତ ମଧ୍ୟୁ ନିସ୍ତରିଲେ ॥ ୧୮୨
ପରମ ମଙ୍ଗଳ ଏ ବାଣୀ । ଯେ ପ୍ରାଣୀ ଶୁଦ୍ଧଚିତ୍ତେ ଶୁଣି ॥ ୧୮୩
ଭକତି ଲଭେ କୃଷ୍ଣପାଦେ । ସଂସାରୁ ତରେ ଅପ୍ରମାଦେ ॥ ୧୮୪
କୃଷ୍ଣ-ମହିମା-ସୁଧାରସ । କହିଲା ଜଗନ୍ନାଥ ଦାସ ॥ ୧୮୫
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ପାଣ୍ତବସ୍ୱର୍ଗାରାହଣଂ ନାମ ପଞ୍ଚଦଶୋଽଧ୍ୟାୟଃ ।।

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ସୂତ କହନ୍ତି ଅନୁରାଗେ । ଆନନ୍ଦେ ମୁନିଙ୍କର ଆଗେ ॥ ୧

ସୂତ ଉବାଚ

ସ୍ୱଭାବେ ଅଭିମନ୍ୟୁସୁତ । ତେଜ-ବିକ୍ରମେ ପରୀକ୍ଷିତ ॥ ୨
ବ୍ରାହ୍ମଣବାକ୍ୟେ ଜନ୍ମକାଳେ । ସମ୍ଭବି ହସ୍ତିନା-ମଣ୍ତଳେ ॥ ୩
ରାଜ୍ୟ ଆବୋରି ମହାତେଜେ । ବିପ୍ରବଚନ ଗୁଣ ଭଜେ ॥ ୪
ବିରାଟସୁତ ସୁତା ଥିଲା । ସ୍ନେହେ ସେ ପରୀକ୍ଷିତେ ଦେଲା ॥ ୫
ଉତ୍ତରସୁତା ଭାଗ୍ୟବତୀ । ନାମ ତାହାର ଈରାବତୀ ॥ ୬
ତାହାର ଗର୍ଭେ ଚାରିସୁତ । ଧର୍ମେ ସମ୍ପାଦି ପରୀକ୍ଷିତ ॥ ୭
କୁମାର ଜନ୍ମଜୟ ଆଦି । ସକଳଗୁଣେ ସେ ପ୍ରସିଦ୍ଧି ॥ ୮
ଆନନ୍ଦେ ରାଜା ପରୀକ୍ଷିତ । ଯଜ୍ଞେ ବରିଲା ପୁରୋହିତ ॥ ୯
ଗଙ୍ଗାର ତୀରେ ବେଦସିଦ୍ଧ । ସାଧିଲା ତିନି ଅଶ୍ୱମେଧ ॥ ୧୦
ଦକ୍ଷିଣା ଦେଲା ମନଭରି । ଦିଗବିଜୟେ ବିଜେ କରି ॥ ୧୧
କଳିଯୁଗକୁ ଏକଦିନେ । ଦେଖିଲା ବେଳ ଅବସାନେ ॥ ୧୨
ସେ ଶୂଦ୍ରଜାତି ନୃପସଜେ । କାଷ୍ଠ ମୂଷଳ ଧରି ଭୁଜେ ॥ ୧୩
ଅଗ୍ରେ ଗୋମିଥୁନକୁ ଥୋଇ । ହୁଙ୍କାରେ ପାଦ ପ୍ରହାରଇ ॥ ୧୪
ତାହାକୁ ଦେଖି ନୃପମଣି । ତକ୍ଷଣେ ଭୁଜ ଧରି ଆଣି ॥ ୧୫
ବନ୍ଧନ କଲା ବାହୁବଳେ । ସେ ବୀର ଅବନୀ ମଣ୍ତଳେ ॥ ୧୬
ଏମନ୍ତେ ସୂତ ମୁଖୁ ଶୁଣି । ଶୌନକ ଆଦି ଯେତେ ମୁନି ॥ ୧୭
ଆନନ୍ଦେ ହୋଇ କୃତକୃତ୍ୟ । ବୋଲନ୍ତି ଶୁଣ ମୁନି ସୂତ ॥ ୧୮

ଶୌନକ ଉବାଚ

କେବଣ ହେତୁ ପରୀକ୍ଷିତ । ଦିଗବିଜୟେ ଉପଗତ ॥ ୧୯
କଳିକି ଧରି ବାହୁବଳେ । ବନ୍ଧନ କଲା କିମ୍ପା ଛଳେ ॥ ୨୦
ସ୍ୱଭାବେ ଶୂଦ୍ରରୂପ ଧରି । କପଟେ ନୃପବେଶ କରି ॥ ୨୧
ପାଦେ ପ୍ରହାରିଲା କାହାକୁ । ଭୋ ସୂତ କହିବା ଆମ୍ଭଙ୍କୁ ॥ ୨୨
ଯେ କୃଷ୍ଣକଥା ଶୁଭବାଣୀ । ଏଜୀବ ତରେ ଯାହା ଶୁଣି ॥ ୨୩
ଶରୀର ବହି ମୋହକଳ୍ପେ । କି ଲାଭ ଅସତ୍ୟ ଆଳାପେ ॥ ୨୪
ଆୟୁଷ ଦିନୁଦିନ ତୁଟେ । ଜଳ ଯେସନେ ଛିଦ୍ରଘଟେ ॥ ୨୫
କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର । ଅମୃତଦାତା ଚକ୍ରଧର ॥ ୨୬
ଯଜ୍ଞେ ପ୍ରାଣୀଙ୍କ ନାଶ ଅର୍ଥେ । ମୃତ୍ୟୁପୁରୁଷ ଏ ଜଗତେ ॥ ୨୭
ସେ ନୋହେ କାହାରି ଆୟତ୍ତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥ ୨୮
ଯାବତ ଯମ ଏହିଠାରେ । ମୃତ୍ୟୁ ନୋହିବ ମର୍ତ୍ତ୍ୟପୁରେ ॥ ୨୯
ସେ ମୃତ୍ୟୁମୁଖୁ ନିସ୍ତାରଣ । କେବଳ ଶ୍ରୀକୃଷ୍ଣଶରଣ ॥ ୩୦
କୃଷ୍ଣ-ଭକତି-ସୁଧାପାନେ । ଅମୃତ-ପିହିତ-ବଚନେ ॥ ୩୧
ଦିନ ହରନ୍ତି ଦୁଃଖସୁଖେ । ତାହାଙ୍କୁ ନାରାୟଣ ରଖେ ॥ ୩୨
ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ । ନିଜ ଆୟୁଷ ନ ପ୍ରମାଣି ॥ ୩୩
ନିରତେ ମନ୍ଦକର୍ମ କରେ । ତାର ଆୟୁଷ ଏ ସଂସାରେ ॥ ୩୪
ଅର୍ଦ୍ଧେ ହରଇ ନିଦ୍ରା ନିଶି । ଦିବସ ବ୍ୟର୍ଥକର୍ମେ ଗ୍ରାସି ॥ ୩୫
ଏମନ୍ତେ ମୁନିଙ୍କ ପ୍ରଶନେ । ସୂତ କହନ୍ତି ତୋଷମନେ ॥ ୩୬

ସୂତ ଉବାଚ

ସେ ରାଜଋଷି ଯେତେବେଳେ । ବସିଲେ ହସ୍ତିନା-ମଣ୍ତଳେ ॥ ୩୭
ବିଶେଷେ ଅର୍ଜୁନର ନାତି । ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ ॥ ୩୮
କଳି-ପ୍ରବେଶ-କଥା ଶୁଣି । ଦିଗବିଜୟେ ନୃପମଣି ॥ ୩୯
ତାର ସଙ୍ଗତେ ନୃପବରେ । ସମର୍ଥ ନୁହନ୍ତି ସମରେ ॥ ୪୦
ଉତ୍ତମରଥ ସଜକରି । ରଥେ ଯୋଚିଲା ଅଶ୍ୱଚାରି ॥ ୪୧
ଶ୍ୟାମ ତୁରଙ୍ଗ ମନୋଜବ । କେ କହୁ ଅଶ୍ୱଙ୍କ ପ୍ରଭାବ ॥ ୪୨
ଅଶ୍ୱଭୂଷିତ ଅଳଙ୍କାର । ଯେହ୍ନେ ଉଦିତ ଦିବାକର ॥ ୪୩
ରଥ ଉପରେ ସିଂହଧ୍ୱଜ । ପୁରୁ ବାହାର ମହାରାଜ ॥ ୪୪
ଆବୃତ୍ତ ଚତୁରଙ୍ଗ ବଳେ । କେ ତାକୁ ସମ ମହୀତଳେ ॥ ୪୫
ଦିଗବିଜୟେ ବିଜେ କଲା । ଚାଲନ୍ତେ ଅବନୀ କମ୍ପିଲା ॥ ୪୬
ମିଳେ ଉତ୍ତର କୁରୁଦେଶେ । ସର୍ବ ନୃପତି ତାର ବଶେ ॥ ୪୭
ଭଦ୍ରାଶ୍ୱ କେତୁମାଳ ଜିଣି । ଭାରତବର୍ଷ ନୃପମଣି ॥ ୪୮
ବରଷ କିଂପୁରୁଷ ଆଦି । ଜିଣିଲା ସକଳ ସମ୍ପାଦି ॥ ୪୯
ସର୍ବ ନୃପତି ତା ଚରଣେ । ଧନେ ଖଟିଲେ ଦାସପଣେ ॥ ୫୦
କେତେହେଁ ଲୋକ ତାର ଆଗେ । କୃଷ୍ଣଚରିତ ନାନାରଙ୍ଗେ ॥ ୫୧
ଆତ୍ମାକୁ ରଖିଲେ ଯେମନ୍ତେ । ଦ୍ରୋଣକୁମର ଶସ୍ତ୍ରଘାତେ ॥ ୫୨
ବୃଷ୍ଣି ପାଣ୍ତବ ବନ୍ଧୁ ପଣେ । ଭକତି କୃଷ୍ଣ ଚରଣେ ॥ ୫୩
ପୂର୍ବୁପୁରୁଷଙ୍କର ବାଣୀ । ତୋଷ ତାହାଙ୍କ ମୁଖୁ ଶୁଣି ॥ ୫୪
ସନ୍ତୋଷ ହେଲେ ନୃପମଣି । ଉତ୍ତମ-ଧନ-ବସ୍ତ୍ର ଆଣି ॥ ୫୫
ତାହାଙ୍କୁ ଦେଲେ ପୁରସ୍କାର । ରତ୍ନ-କଙ୍କଣ-ମଣିହାର ॥ ୫୬
ପାଣ୍ତବ ତୁଲେ ଯେତେ ଭାବ । ସଂସାରେ ସାଧିଲେ ମାଧବ ॥ ୫୭
ରଣେ ସାରଥି ପଣେ ରଥେ । ଯେ ବନବାସ ଘୋରପଥେ ॥ ୫୮
ଦୁଃଖୁ ଉଦ୍ଧାରି ସଖାପଣେ । ହସ୍ତିନା ଗଲେ ଦୂତପଣେ ॥ ୫୯
ଆସନ ଶୟନ ଭୋଜନେ । ସ୍ମୃତିବଚନେ ବନ୍ଧୁପଣେ ॥ ୬୦
ଏ ଆଦି ଯେତେ କର୍ମକରି । ପାଣ୍ତବ ସଙ୍ଗତେ ବିହରି ॥ ୬୧
ସେ ଭାବଘେନି ଦୃଢ଼ଚିତ୍ତେ । ଭଜିଲା କୃଷ୍ଣ-ପାଦଗତେ ॥ ୬୨
ପୂର୍ବୁପୁରୁଷଙ୍କର ଧର୍ମ । ସାଧିଲା ଅନୁଦିନେ କର୍ମ ॥ ୬୩
ସେ ପୁଣି ନିଜ କର୍ମବଶେ । ଲଭିଲା ଅଳପ-ବୟସେ ॥ ୬୪
ତାର ଆଶ୍ଚର୍ଯ୍ୟକଥା ଯେତେ । ଶୁଣ ଶୌନକ ଶୁଦ୍ଧଚିତ୍ତେ ॥ ୬୫
ଧର୍ମ ଯେ ଏକପାଦ ବହି । ଦିନେ ସେ ବୃଷରୂପ ହୋଇ ॥ ୬୬
ଭୂମିକି ଦେଖି ଧେନୁରୂପେ । ବିଶ୍ୱାସେ ମିଳିଲା ସମୀପେ ॥ ୬୭
ସେ ଧେନୁ ଅତିଦୁଃଖେ ଦୁଃଖୀ । ଅଧୋବଦନେ ଅଶ୍ରୁମୁଖୀ ॥ ୬୮
କାନ୍ଦଇ ତେଜହୀନ ହୋଇ । ବତ୍ସା ବିହୁନେ ଯେହ୍ନେ ଗାଈ ॥ ୬୯
ତାର ବଦନ ଚାହିଁ ଧୀରେ । ଧର୍ମ ପୁଚ୍ଛଇ ପ୍ରିୟଭରେ ॥ ୭୦
ଭୋ ବସୁନ୍ଧରୀ ସତ୍ୟ କହ । ତୋର ବିଷୟେ ମୋ ସନ୍ଦେହ ॥ ୭୧
ତୋର ଶରୀରେ କିବା ବ୍ୟାଧି । ଅନ୍ତର-ବାହାରେ ଆଚ୍ଛାଦି ॥ ୭୨
ବିରସ ବଦନ ତୋହର । ଯେ ମୁଖ ସ୍ୱଭାବେ ସୁନ୍ଦର ॥ ୭୩
କିବା ତନୟ ତୋର ମଲା । ସ୍ୱାମୀ ବା ଦୂରେ ପ୍ରବାସିଲା ॥ ୭୪
କିବା ତୋହର ମନବ୍ୟଥା । କି ନଷ୍ଟଧନେ ତୋର ଚିନ୍ତା ॥ ୭୫
ଏକଇ ପାଦ ଦେଖି ମୋତେ । ଦୟା ବସିଲା ତୋର ଚିତ୍ତେ ॥ ୭୬
କିବା ଏ ଘୋର କଳିକାଳେ । ଶୂଦ୍ରେ ଭୁଞ୍ଜିବେ ତୋତେ ବଳେ ॥ ୭୭
କିବା ଦେବଙ୍କ ପ୍ରୀତି ଛଳେ । ଯଜ୍ଞ ନୋହିଲା ମହୀତଳେ ॥ ୭୮
ତେଣୁ ବା ଇନ୍ଦ୍ର ନ ବର୍ଷିଲେ । ଏଣୁ ବା ପ୍ରଜାନାଶ ଗଲେ ॥ ୭୯
କି ବା ପୁରୁଷେ ନିଜ ନାରୀ । ଉପେକ୍ଷି ପରଦାରା କରି ॥ ୮୦
କି ବା ବାଳକେ ପିତାମାତା । ଛାଡ଼ିବେ ତେଣୁ ତୋର ଚିନ୍ତା ॥ ୮୧
କି ବା ବ୍ରାହ୍ମଣେ ବେଦବାଣୀ । ସାଧିବେ ହୀନକୁଳେ ଆଣି ॥ ୮୨
କି ହୀନ କ୍ଷତ୍ରବନ୍ଧୁ ରାଜା । କଳି-ପୀଡ଼ିତ ଜନପ୍ରଜା ॥ ୮୩
ନିଜ ଭୁବନ ଛାଡ଼ି ଜନେ । ପଶିବେ ଦୁର୍ଗମ-ବିିପିନେ ॥ ୮୪
ପ୍ରାଣୀ ନ ମଣି ସ୍ଥାନାସ୍ଥାନ । ଆସନ ଶୟନ ଭୋଜନ ॥ ୮୫
କରିବେ ପରପାକେ ମତି । ପର ଯୁବତୀ ସଙ୍ଗେ ରତି ॥ ୮୬
କିବା ତୋହର ଗୁରୁଭାର । ଖଣ୍ତିଲା କୃଷ୍ଣ-ଅବତାର ॥ ୮୭
ତାର ଚରଣ ତୋ ଉପର । ଯେହ୍ନେ ଭୂଷିତ ଅଳଙ୍କାର ॥ ୮୮
ତାର ଚରିତ ଗୁଣଲୀଳା । କିବା ତୋ ମନ ସୁମରିଲା ॥ ୮୯
ତାର ବିଯୋଗେ ତୋର ଚିତ୍ତ । ଚିନ୍ତା-ସାଗରେ ମୋହଗତ ॥ ୯୦
ଏ ଆଦି ଯେତେ ଚିନ୍ତାଭାର । କହ ତୋ ବିମନ ବେଭାର ॥ ୯୧
ଦେବେ ପୂଜନ୍ତି ତୋତେ ଭଲେ । ଏବେ ଅବଜ୍ଞା କିବା କଲେ ॥ ୯୨
କାଳ ବା ତୋର ଶୁଭ ହରି । ଏଣୁ ଦିଶିଲୁ ହତଶିରୀ ॥ ୯୩
ଧର୍ମ ବୃଷଭ ବାକ୍ୟ ଶୁଣି । ଧରଣୀ କହେ ମନେ ଗୁଣି ॥ ୯୪

ଧରଣୀ ଉବାଚ

ଭୋ ବୃଷ ଯେତେ ପ୍ରଶ୍ନ ତୋର । ଏ ତୋତେ ନୋହେ ଅଗୋଚର ॥ ୯୫
ତୋହର ଚତୁର ଚରଣ । ପ୍ରାଣୀଙ୍କ ସୁଖର କାରଣ ॥ ୯୬
ସତ୍ୟ ଶଉଚ ଦୟା କ୍ଷାନ୍ତି । ତ୍ୟାଗ ସନ୍ତୋଷ ଋଜୁବୃତ୍ତି ॥ ୯୭
ତପ ସମତା ଶମ ଦମ । ତିତିକ୍ଷା ଇନ୍ଦ୍ରିୟ ସଂଯମ ॥ ୯୮
ଜ୍ଞାନ ବୈରାଗ୍ୟ ଅଇଶ୍ୱର୍ଯ୍ୟ । ସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ ॥ ୯୯
ଧୈର୍ଯ୍ୟ କୌଶଳ ମୃଦୁଭାବ । କାନ୍ତି ବାଗ୍ମିତା ସୁସ୍ୱଭାବ ॥ ୧୦୦
ବିନୟ ସହ ଓଜବଳ । ସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳ ॥ ୧୦୧
କୀର୍ତ୍ତି ମାନ ଅନହଙ୍କାର । ଏ ସର୍ବ ଯାହାର ଶରୀର ॥ ୧୦୨
ଏ ଆଦି ଅନ୍ୟ ଧର୍ମ ଯେତେ । କର୍ମ ସାଧନ ଏ ଜଗତେ ॥ ୧୦୩
ମହତଜନ ଆଚରଣ । ଆତ୍ମାର ପରମ କାରଣ ॥ ୧୦୪
ଏ ସର୍ବଗୁଣ ସଉଭାଗେ । ଗମିଲେ ଗୋବିନ୍ଦର ସଙ୍ଗେ ॥ ୧୦୫
ପଡ଼ିଲା କଳି ଦୃଷ୍ଟିପାତ । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୬
ସେ କୃଷ୍ଣ ବିରହେ କାତର । ତେଣୁ ଶୋଚନା ମୋର ଚିତ୍ତ ॥ ୧୦୭
ମୁଁ ଏବେ ଆତ୍ମାକୁ ସୁମରି । ଏ ସର୍ବଗୁଣ ମନେ ଧରି ॥ ୧୦୮
ତୋର ଚରଣ ଭଗ୍ନ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୦୯
ଦେବତା ଋଷି ପିତୃଗଣ । ଯେ ବର୍ଣ୍ଣାଶ୍ରମ ଆଚରଣ ॥ ୧୧୦
ଏ ସର୍ବ ଧର୍ମ ଗଲା ଦୂର । ମୋତେ ଛାଡ଼ିଲେ ଚକ୍ରଧର ॥ ୧୧୧
ବ୍ରହ୍ମାଦି ଦେବଦେବୀ ଯେତେ । ନିଶ୍ଚଳେ ମୋହର ସହିତେ ॥ ୧୧୨
ଯାର ଅପାଙ୍ଗ ମୋକ୍ଷଶିରୀ । ଲଭିବୁ ବୋଲି ଆଶ କରି ॥ ୧୧୩
କଠୋର ତପ ସାଧି ବନେ । ପ୍ରପନ୍ନ ଯାହାର ଚରଣେ ॥ ୧୧୪
ସେ ଲକ୍ଷ୍ମୀ ତେଜି ପଦ୍ମବନ । ଯାର ହୃଦୟେ ଲଭି ସ୍ଥାନ ॥ ୧୧୫
ସେ ସ୍ଥାନେ ନ ରହେ ତା ମନ । ଯାର ଚରଣେ ନିତ୍ୟେ ଧ୍ୟାନ ॥ ୧୧୬
କରି ବଞ୍ଚଇ ସର୍ବବେଳା । ସେ ହରି ନିଜପୁରେ ଗଲା ॥ ୧୧୭
ତାର ଚରଣ ଚିହ୍ନ ଯେତେ । ଧ୍ୱଜ ଅଙ୍କୁଶ ମୋର ଗାତ୍ରେ ॥ ୧୧୮
ସେ ବେଶେ ଅଳଂକୃତ ହୋଇ । ଶୁଦ୍ଧ ସୁନ୍ଦର ବିରାଜଇ ॥ ୧୧୯
ଯେଣୁ ଛାଡ଼ିଲେ ମୋତେ ହରି । ତେଣୁ ଦିଶଇ ହତଶିରୀ ॥ ୧୨୦
ଅସୁର ଅକ୍ଷୌହିଣୀ ଭାର । ଉଶ୍ୱାସ କଲା ଯେ ମୋହର ॥ ୧୨୧
ତୋତେ ସ୍ଥାପିଲେ ଏ ସଂସାରେ । ଅଶେଷ-ଜନ-ଉପକାରେ ॥ ୧୨୨
ଯାଦବବଂଶ ହିତକର । ଅଶେଷ-ଅନଙ୍ଗ-ସୁନ୍ଦର ॥ ୧୨୩
ଏ ତିନିଲୋକ ମନ ମୋହେ । ଶ୍ୟାମସୁନ୍ଦର ନିଜ ଦେହେ ॥ ୧୨୪
ସେ ରୂପ ହୋଇଲା ଅନ୍ତର । ତେଣୁ ବିବର୍ଣ୍ଣ ରୂପ ମୋର ॥ ୧୨୫
କଥନ ମନୋହର ସ୍ମିତେ । ପ୍ରେମାବଲୋକ ବହୁମତେ ॥ ୧୨୬
ଦ୍ୱାରକାପୁର ନାରୀଙ୍କର । ଯେ ମାନ ହରେ ନିରନ୍ତର ॥ ୧୨୭
ଯାର ଚରଣ ରେଣୁ ଲାଗି । ତୃଣ ଛଳେ ମୁଁ ପୁଲକାଙ୍ଗୀ ॥ ୧୨୮
ତାର ବିଯୋଗ କେବା ସହି । ଏ ଜୀବଲୋକେ ଦେହ ବହି ॥ ୧୨୯
ସୂତ କହନ୍ତି ଅବଧାନେ । ଏବେ ହୋ ଶୁଣ ମୁନିଜନେ ॥ ୧୩୦

ସୂତ ଉବାଚ

ଏମନ୍ତେ କହୁ କହୁ ବାଣୀ । ଧର୍ମର ସଙ୍ଗତେ ଧରଣୀ ॥ ୧୩୧
ସେ ପରୀକ୍ଷିତ ଦଣ୍ତଧାରୀ । ଦିଗବିଜୟ କର୍ମ ସାରି ॥ ୧୩୨
ଧର୍ମ ଧରଣୀ ସଙ୍ଗମେଳେ । ମିଳିରେ ସରସ୍ୱତୀ କୂଳେ ॥ ୧୩୩
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥ ୧୩୪
ଭବସିନ୍ଧୁ-ତରଣେ-ଭେଳା । ଏଣେ ସୁଜନେ ହୁଅ ମେଳା ॥ ୧୩୫
ଅମୃତ କୃଷ୍ଣର ଚରିତ । ପ୍ରଥମ ସ୍କନ୍ଧେ ଭାଗବତ ॥ ୧୩୬
ଅମୃତରସ କୃଷ୍ଣବାଣୀ । ସୁଜନେ ତର ଏହା ଶୁଣି ॥ ୧୩୭
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପୃଥ୍ୱୀଧର୍ମସମ୍ୱାଦୋ ନାମ ଷୋଡ଼ଶୋଽଧ୍ୟାୟଃ ।।

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଏବେ ହୋ ଶୁଣ ମୁନିଜନେ । ହରି ଚରିତ ଶୁଦ୍ଧମନେ ॥ ୧
ସେ ପ୍ରାଚୀ ସରସ୍ୱତୀ କୂଳେ । ପ୍ରବେଶ ଚତୁରଙ୍ଗ ବଳେ ॥ ୨
ସେ ରାଜଋଷି ପରୀକ୍ଷିତ । ତେଜେ କି ବିରାଜେ ଆଦିତ୍ୟ ॥ ୩
ତକ୍ଷଣେ ସରସ୍ୱତୀ କୂଳେ । ମିଳିଲେ ଗୋ-ମିଥୁନ ମେଳେ ॥ ୪
ଦେଖିଲେ ରାଜରୂପଧାରୀ । ଲୁହାର ଯଷ୍ଟି କରେ ଧରି ॥ ୫
ସ୍ୱଭାବେ ଶୂଦ୍ର ତାର ଦେହୀ । ନଟର ପ୍ରାୟ ସଜ ହୋଇ ॥ ୬
ସର୍ପର ପ୍ରାୟେ ଘୋରନାଦେ । ଦଣ୍ତ ପ୍ରହାରେ ବୃଷ ପାଦେ ॥ ୭
ସ୍ୱଭାବେ ଏକଇ ଚରଣ । ପ୍ରହାର କରେ ପୁଣା ପୁଣ ॥ ୮
ତାର ପ୍ରହାରେ ସେ ବିକଳ । ଲୋଚନୁ ବହେ ଅଶ୍ରୁଜଳ ॥ ୯
କମ୍ପଇ ମହାଭୟେ ଦେହୀ । ମୂତ୍ର ପୁରୀଷ ଉତ୍ସର୍ଗଇ ॥ ୧୦
ତାର ପ୍ରହାରେ ଧେନୁ କାନ୍ଦେ । ସ୍ଥିର ନ ରହେ ଚାରିପାଦେ ॥ ୧୧
ପାଦେ ପ୍ରହାରେ ଧେନୁ ପୁଣ । ଲୁଟଇ ଚତୁର ଚରଣ ॥ ୧୨
ବତ୍ସା ବିହୀନ କୃଶଦେହୀ । କ୍ଷୁଧାେର୍ ଭୋଜନ ଇଚ୍ଛଇ ॥ ୧୩
ତାର ନିକଟେ ରଥେ ଥାଇ । ରାଜନ ଅଳଙ୍କୃତ ଦେହୀ ॥ ୧୪
ବାର ଆରୋପି ଧନୁର୍ଗୁଣେ । ଗଭୀର କୋମଳ ବଚନେ ॥ ୧୫
ଅନାଇଁ ବୃଷଭ ବଦନ । ପୁଚ୍ଛଇ ପ୍ରହାର କାରଣ ॥ ୧୬
ସେ ଦୁଷ୍ଟ ପୁରୁଷକୁ ଚାହିଁ । ରାଜନ କହେ ରୋଷବହି ॥ ୧୭

ରାଜା ଉବାଚ

କହ ଏ କେବଣ କାରଣ । କିମ୍ପାଇ କରୁ ପ୍ରହାରଣ ॥ ୧୮
କାହୁଁ ଅଇଲୁ ତୁ ପୁରୁଷ । କହ ତୋହର ନାମ କିସ ॥ ୧୯
ମୋର ଶରଣ ନରଲୋକ । ଏହାକୁ କରୁ ତୁ ନିରେଖ ॥ ୨୦
ନିର୍ବଳ ପ୍ରାଣୀଙ୍କି ତୁ ବଳେ । ପ୍ରହାରୁ ବଳିଆର ଛଳେ ॥ ୨୧
ବେଶେ ତୁ ରାଜରୂପ ବହୁ । ନଟର ପ୍ରାୟ ଦ୍ୱିଜ ନୋହୁ ॥ ୨୨
କହ ଏ କେବଣ କାରଣ । ଦେଖ ମୋ କରେ ଧନୁର୍ବାଣ ॥ ୨୩
ଦେଖ ଅର୍ଜୁନ ସଙ୍ଗେ କରି । ନିଜ ଭୁବନେ ଗଲେ ହରି ॥ ୨୪
ସେ ତ ସ୍ୱଭାବେ ଅରକ୍ଷିତ । ପ୍ରାଣୀଙ୍କି କିମ୍ପା କରୁ ହତ ॥ ୨୫
ପ୍ରାଣୀ ସଂହରୁ ଅବହେଳେ । କାଳ ତୋ ପୂରିଲା ନିଶ୍ଚଳେ ॥ ୨୬
ପୁଣି ବୃଷଭ ମୁଖ ଚାହିଁ । ସମ୍ଭ୍ରମ ଚିତ୍ତେ ପଚାରଇ ॥ ୨୭
ତୁ ବୃଷ ମୃଣାଳ ଧବଳ । ଏକଇ ପାଦେ ତୁମ୍ଭେ ଚଳ ॥ ୨୮
ତିନି ଚରଣ ତୋର ଥିଲା । କହ କି ହେତୁ କେଣେ ଗଲା ॥ ୨୯
କେଉଁ ଦେବତା କହ ତୁହି । ମାୟାରେ ବୃଷରୂପ ହୋଇ ॥ ୩୦
ଏ କଥା ମୋତେ ବଡ଼ ଗରୁ । ମୋହର ମନେ ଖେଦ କରୁ ॥ ୩୧
ଦେଖ କୌରବ ବଂଶଭୁଜେ । ପ୍ରଜା ରକ୍ଷିତ ମୋର ରାଜ୍ୟେ ॥ ୩୨
ପ୍ରାଣୀ ଲୋଚନୁ ଅଶ୍ରୁଜଳ । ତୋ ବିନୁ ନ ପଡ଼ଇ ତଳ ॥ ୩୩
ପୁଣି ସୁରଭୀ ମୁଖ ଚାହିଁ । ଆଶ୍ୱାସ ବାକ୍ୟେ ପଚାରଇ ॥ ୩୪
ତୁ ଧେନୁ କାନ୍ଦୁ କାହିଁପାଇଁ । ବୃଷଭ ଭୟ ତୋର ନାହିଁ ॥ ୩୫
ଭୋ ମାତ ରୋଦନ ନ କର । ମୁହିଁ ଖଳଙ୍କ ଦର୍ପହର ॥ ୩୬
ମୁହିଁ ପାଳକ ଅଛି ଯହିଁ । ମୋର ପ୍ରଜାଙ୍କୁ ଦୁଃଖ କାହିଁ ॥ ୩୭
ଯାହାର ରାଜ୍ୟେ ପ୍ରଜାକୁଳେ । ହିଂସା କରନ୍ତି ଦୁଷ୍ଟଖଳେ ॥ ୩୮
ତା ଯେବେ ରାଜା ନ ଶୁଣଇ । ତାର ଆୟୁଷ ଯଶ କାହିଁ ॥ ୩୯
ନାଶଇ ଇହ ପରଲୋକ । ଅନ୍ତେ ସେ ପଡ଼ଇ ନରକ ॥ ୪୦
ରାଜପଣର ଧର୍ମ ଏହି । ନିଶ୍ଚିନ୍ତେ ପ୍ରଜା ଯେ ପାଳଇ ॥ ୪୧
ଏଣୁ ଏହାକୁ ବଧ କରି । ଧର୍ମେ ଅଧର୍ମ ଦୂର କରି ॥ ୪୨
ପ୍ରଜାରକ୍ଷଣେ ଏ କାରଣ । ଏବେ ହୋ ବୃଷଭ ତୁ ଶୁଣ ॥ ୪୩
ତୋର ଚତୁରପାଦ ଥିଲା । ତିନିଚରଣ କେଣେ ଗଲା ॥ ୪୪
କୃଷ୍ଣସେବକ ରାଜ୍ୟେ କେହି । ତୋ ପରି ଦୁଃଖଚିତ୍ତେ ନାହିଁ ॥ ୪୫
କୃଷ୍ଣାନୁବ୍ରତୀ ରାଜା ଯେତେ । ତାହାଙ୍କ ରିପୁ ଏ ଜଗତେ ॥ ୪୬
ଧର୍ମ ନାଶନ୍ତି ମହୀତଳେ । ଯେ ସାଧୁ ହିଂସେ ଅବହେଳେ ॥ ୪୭
ତୋହର ବିରୂପ ଚରଣ । ପାଣ୍ତବବଂଶେ ଏ ଦୂଷଣ ॥ ୪୮
ନିର୍ଦ୍ଦୋଷ ପ୍ରାଣୀଙ୍କି ଯେ ହିଂସେ । ସେ ଅପରାଧେ ଆତ୍ମା ନାଶେ ॥ ୪୯
ତାହା ତୁ କହ ମୋ ଆଗର । ମଙ୍ଗଳ କରିବି ତୁମ୍ଭର ॥ ୫୦
ସଂସାରେ ପାପୀଜନଙ୍କର । ମୋ ଭୟେ ହୃଦୟ କାତର ॥ ୫୧
ସାଧୁଙ୍କ ମଙ୍ଗଳ ନିମନ୍ତେ । ଅସାଧୁଗଣ ନାଶ ଅର୍ଥେ ॥ ୫୨
ଏଣୁ ଏ ଲୋକେ ଅପଯଶ । ଯେ କରେ ହୋଇ ନିରଙ୍କୁଶ ॥ ୫୩
ମୁହିଁ ତାହାର ଭୁଜ ଦୁଇ । ଛେଦିବି ଯେବେ ଦେବ ହୋଇ ॥ ୫୪
ରାଜା ପରମଧର୍ମ ଏହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥ ୫୫
ସ୍ୱଧର୍ମେ ପାଳେ ବସୁନ୍ଧରୀ । ଖଳ ଚଉର୍ଯ୍ୟଙ୍କୁ ନିବାରି ॥ ୫୬
ଯେ ଚାରିବର୍ଣ୍ଣ ଏ ଜଗତେ । ସ୍ୱଧର୍ମ ଛାଡ଼ି ଅନ୍ୟପଥେ ॥ ୫୭
ତାହାଙ୍କ ଗର୍ବ ଯେବେ ହରେ । ସେ ରାଜଧର୍ମ ରାଜ୍ୟ କରେ ॥ ୫୮
ରାଜାର ବାକ୍ୟ ଶୁଣି ତୋଷେ । ସେ ଧର୍ମ କହନ୍ତି ହରଷେ ॥ ୫୯

ଧର୍ମ ଉବାଚ

ପାଣ୍ତବବଂଶେ ଏ ବେଭାର । ଆରତ ପ୍ରାଣୀ ଭୟ ହର ॥ ୬୦
ଯାହାର ପୁଣ୍ୟଗୁଣେ ହରି । ସାରଥି ଦୂତପଣ କରି ॥ ୬୧
ଶୁଣ ହୋ ପୁରୁଷ-ଉତ୍ତମ । ଯାହାର ଯେବା ନିଜଧର୍ମ ॥ ୬୨
ପ୍ରାଣୀଙ୍କ କ୍ଳେଶବୀଜ ଯେତେ । ପ୍ରକାଶ ନୋହେ ମୋର ଚିତ୍ତେ ॥ ୬୩
ଯେ ବାକ୍ୟଭେଦ ବିମୋହନ । ତାକୁ ନ ଜାଣେ ତେଣୁ ଜନ ॥ ୬୪
କେ ଆତ୍ମଜ୍ଞାନେ ଆତ୍ମା ଧରେ । ଆତ୍ମାର ବିକଳ୍ପ ବିଚାରେ ॥ ୬୫
କେ ବୋଲେ ଦୈବ ବଳୀୟାର । କେ ବୋଲେ କର୍ମର ଏ ଫଳ ॥ ୬୬
କେ ବୋଲେ ସ୍ୱଭାବ ଏହାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୬୭
ତର୍କି ନ ପାରି ଯାହା ମନେ । କେ ତାହା କହିବ ବଚନେ ॥ ୬୮
ଏ ଆଦି ଯେ ବିଧି ବୃତ୍ତାନ୍ତ । ତୁ ରାଜା ଏହା ମନେ ଚିନ୍ତ ॥ ୬୯

ସୂତ ଉବାଚ

ଏମନ୍ତେ ଧର୍ମମୁଖୁ ବାଣୀ । ସେ ରାଜା ସାବଧାନେ ଶୁଣି ॥ ୭୦
ମନରୁ ଖେଦ ଦୂର କଲା । ସ୍ୱରୂପେ ଧର୍ମକୁ ଦେଖିଲା ॥ ୭୧
ଦେହେ ଉତ୍ତରୀ ଅକ୍ଷମାଳ । କଟୀରେ ଅଜିନ ଦୁକୂଳ ॥ ୭୨
ଲମ୍ବ ସୁନ୍ଦର ଚାରିକର । ଶିରେ ଶୋଭିତ ଜଟାଭାର ॥ ୭୩
ତନୁ ଶଶାଙ୍କ-ବପୁ ଗଞ୍ଜେ । ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ॥ ୭୪
ଯେସନେ ତଡ଼ିତ ତରାସ । ରାଜା ଦେଖିଲା ଏହୁ ବେଶ ॥ ୭୫
ରାଜାକୁ ସ୍ୱରୂପ ଦେଖାଇ । ସେ ବୃଷ ଏକପାଦେ ରହି ॥ ୭୬
ରାଜା ଦେଖିଲା ଧର୍ମ ରୂପ । ଚିତ୍ତେ ପ୍ରକାଶେ ଜ୍ଞାନଦୀପ ॥ ୭୭
କପୋଳେ ଦେଇ ବେନିକର । ଧର୍ମକୁ ବୋଲେ ନୃପବର ॥ ୭୮

ରାଜା ଉବାଚ

ତୁ ଧର୍ମ ଧର୍ମକଥା କହୁ । ଛଳେ ବୃଷଭ ରୂପ ବହୁ ॥ ୭୯
ଅଧର୍ମ କର୍ମ ଯେ କରଇ । ଯେ ଅବା ତାହା ପ୍ରକାଶଇ ॥ ୮୦
ନରକେ ଗତି ଦୁହିଙ୍କର । ଏ ରୂପେ ଶାସ୍ତ୍ରର ବିଚାର ॥ ୮୧
କିବା ଏ ଦେବମାୟା ଗତି । କେ ଜାଣି ବାରେ ଚିତ୍ତେ ଚିନ୍ତି ॥ ୮୨
ମନ ବଚନେ ଅଗୋଚର । ନିଶ୍ଚୟ ବିଚାର ପ୍ରାଣୀର ॥ ୮୩
ତୋହର ଚତୁର ଚରଣ । ପ୍ରଥମ ଯୁଗେ ଆଚରଣ ॥ ୮୪
ତପ ଶଉଚ ଦୟା ସତ୍ୟ । ଏ ଯୁଗ ଅନୁରୂପେ କୃତ୍ୟ ॥ ୮୫
ସତ୍ୟର ସଙ୍ଗେ ତପ ଗଲା । ଶଉଚ ତ୍ରେତୟା ହରିଲା ॥ ୮୬
ଦ୍ୱାପର ଗଲା ଦୟା ସଙ୍ଗେ । ସତ୍ୟ ରହିଲା କଳିଯୁଗେ ॥ ୮୭
ତପକୁ ଗର୍ବ ନାଶ କଲା । ଶଉଚ ସଙ୍ଗ ସଂହାରିଲା ॥ ୮୮
ଦୟା ହରିଲା ମଦ ବଳେ । ସତ୍ୟ ଯେ ରହିଲା ନିଶ୍ଚଳେ ॥ ୮୯
ଯେ ସତ୍ୟବଳେ ପ୍ରାଣୀ ତୋତେ । ସାଧନ୍ତି କର୍ମ ନାନାମତେ ॥ ୯୦
ଏବେ ଯେ ଅଛି ଏକପାଦ । ଏ କଳି ତାହାକୁ ଆପଦ ॥ ୯୧
ଚିନ୍ତଇ ମିଥ୍ୟା ଅଧର୍ମରେ । ଏ କିମ୍ପା ମୋର ଅଧିକାରେ ॥ ୯୨
କଠୋର ସତ୍ୟ ଯେ ପାଳିବ । ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ॥ ୯୩
ଏ ସତ୍ୟଭାବୁଁ ସତ୍ୟଯୁଗ । ଏ କଳି ଅନ୍ତେ ପ୍ରକାଶିବ ॥ ୯୪
ଏ ଭୂମି ଭାରାଭର ହରି । ଶ୍ରୀକୃଷ୍ଣ ଗଲେ ଅପସରି ॥ ୯୫
କୃଷ୍ଣର ପାଦପଦ୍ମ ଚିହ୍ନ । ମଣି କୁଣ୍ତଳ ଶୋଭାବନ ॥ ୯୬
ପବିତ୍ର ସୁନ୍ଦର ଶରୀର । ଦେଖି ସାନନ୍ଦ ସୁରନର ॥ ୯୭
ସେ ହରି ଛାଡ଼ିଗଲା ଯେବେ । ଦେଖ ଏହାର ଦୁଃଖ ଏବେ ॥ ୯୮
ଦୁର୍ଭଗା ପ୍ରାୟେ ଅଶ୍ରୁମୁଖୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୯୯
ପାପିଷ୍ଠ ଶୂଦ୍ରରାଜା ଯେତେ । ସର୍ବେ ଭୁଞ୍ଜିବେ ମିଳି ମୋତେ ॥ ୧୦୦
ଏମନ୍ତେ ଧର୍ମ ବସୁନ୍ଧରୀ । ବାକ୍ୟ ପ୍ରବନ୍ଧେ ବୋଧ କରି ॥ ୧୦୧
ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ । ମିଳିଲା କଳିର ଅଗ୍ରତେ ॥ ୧୦୨
ଅଧର୍ମ ହେତୁ ବଳେ ମାରି । ମୁହିଁ ପାଳିବି ବସୁନ୍ଧରୀ ॥ ୧୦୩
କଳି ଦେଖିଣ ତା ବଦନ । ଛାଡ଼ିଲା ନୃପତି ଲାଞ୍ଛନ ॥ ୧୦୪
ପ୍ରାଣ କାତରେ ଉଦବେଗେ । ପଡ଼ିଲା ରାଜା ପାଦଯୁଗେ ॥ ୧୦୫
ସେ କଳି ଜୀବନ ବିକଳେ । ପାଦେ ପଡ଼ିଲା ଯେତେବେଳେ ॥ ୧୦୬
ଦେଖିଣ କଳିର ବିକଳ । ସ୍ୱଭାବେ ମେଦିନୀ ବତ୍ସଳ ॥ ୧୦୭
ତାର ବିକଳ ମୁଖ ଦେଖି । ଖଡ଼ଗ ଭୁଜ ଉର୍ଦ୍ଧ୍ୱେ ରଖି ॥ ୧୦୮
ଛେଦନ ନ କରି ତା ଶିର । ହସି ବୋଲନ୍ତି ନୃପବର ॥ ୧୦୯

ରାଜା ଉବାଚ

ତୁ ଯେ ଅଞ୍ଜଳି ଶିରେ ଧରି । ପାଦେ ପଡ଼ିଲୁ ଭୟ କରି ॥ ୧୧୦
ଅର୍ଜୁନବଂଶେ ଜାତ ଯାର । ତାହାକୁ ଭୟ ନାହିଁ ତୋର ॥ ୧୧୧
ଅଧର୍ମବନ୍ଧୁ ତୁ ସ୍ୱଭାବେ । ମୋର ବଚନ ଶୁଣ ଏବେ ॥ ୧୧୨
ମୋହର କ୍ଷେତ୍ରେ ନ ପଶିବୁ । ଯେବେ ତୁ ଜୀବନେ ବଞ୍ଚିବୁ ॥ ୧୧୩
ତୁ କେହ୍ନେ ଥିବୁ ରାଜଘରେ । ଅଧର୍ମ ଯୂଥ ତୋ ସଙ୍ଗରେ ॥ ୧୧୪
ଲୋଭ ଅସତ୍ୟ ଚୌର୍ଯ୍ୟକର୍ମ । ଏ ଆଦି ଅଶେଷ ଅଧର୍ମ ॥ ୧୧୫
ଦୁର୍ଜନ ଆଚରଣ ଅହଂ । ମାୟା କଳହ ଦମ୍ଭ ମୋହ ॥ ୧୧୬
ତୋହର ସଙ୍ଗେ ଥାନ୍ତି ଏତେ । ମୋ ଦେଶେ ଥିବୁ ତୁ କେମନ୍ତେ ॥ ୧୧୭
ଯେ ପ୍ରାଣୀ ଥିବେ ସତ୍ୟଧର୍ମେ । ତହିଁ ତୁ ନ ପଶିବୁ ଭ୍ରମେ ॥ ୧୧୮
ଏ ବ୍ରହ୍ମାବର୍ତ୍ତେ ଯେତେ ଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥ ୧୧୯
ଆଗମ ନିଗମ ପ୍ରମାଣେ । ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ॥ ୧୨୦
ହରିଚରଣେ ପୂଜା କରି । ଯେଣେ ସନ୍ତୋଷ ନରହରି ॥ ୧୨୧
ସ୍ଥାବର ଆଦି ଚାରିଦେହେ । ବାହ୍ୟ ଅନ୍ତରେ ବ୍ୟାପିରହେ ॥ ୧୨୨
ଯେହ୍ନେ ପବନ ଏ ଶରୀରେ । ବହଇ ଅନ୍ତର ବାହାରେ ॥ ୧୨୩
ସେ ହରିପୂଜା କରି ଯହିଁ । ତହିଁ ପ୍ରବେଶ ତୋର ନାହିଁ ॥ ୧୨୪
ଏ ଧର୍ମ ମୋହର ପ୍ରମାଣ । ଏଥକୁ ସାକ୍ଷ ନାରାୟଣ ॥ ୧୨୫

ସୂତ ଉବାଚ

ଶୁଣି ସେ ରାଜାର ଉତ୍ତର । କଳି କମ୍ପଇ ଥରହର ॥ ୧୨୬
ଉଚ୍ଚେ ଉଞ୍ଚାଇ ଅସିବର । ଯେହ୍ନେ କୁପିତ ଦଣ୍ତଧର ॥ ୧୨୭
ସେ ରାଜା ମୁଖ କଳି ଚାହିଁ । ବୋଲଇ ଶିରେ କର ଦେଇ ॥ ୧୨୮

କଳି ଉବାଚ

ଭୋ ରାଜା ତୋହର ଚରଣେ । ଥିବି ତୋ ଆଜ୍ଞା ପରମାଣେ ॥ ୧୨୯
ତୋତେ ଦେଖଇ ମୋର ପଛେ । ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ ॥ ୧୩୦
ତୁ ଧର୍ମପ୍ରାଣୀଙ୍କର ସାର । ବିଚାରି ମୋତେ ସ୍ଥାନ କର ॥ ୧୩୧
ଯହିଁ ନିଶ୍ଚିନ୍ତେ ଥିବି ମୁହିଁ । ତୋହର ଆଜ୍ଞା ଶିରେ ବହି ॥ ୧୩୨
ସୂତ କହନ୍ତି ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୩୩

ସୂତ ଉବାଚ

କଳି ବଚନ ଶୁଣି ହସି । ସନ୍ତୋଷ ଚିତ୍ତେ ରାଜଋଷି ॥ ୧୩୪
ଚାରି ପ୍ରକାରେ ସ୍ଥାନ ଦେଲା । ନିତ୍ୟେ ଅଧର୍ମ ଯହିଁ ମେଳା ॥ ୧୩୫
ଦ୍ୟୂତ କାମିନୀ ମଦ୍ୟପାନ । ପ୍ରାଣୀ ମାରଣ ଯେବା ସ୍ଥାନ ॥ ୧୩୬
ପୁଣି ବୋଲଇ କଳିଯୁଗ । ମୋର ଏ ସ୍ଥାନ ଚାରିଭାଗ ॥ ୧୩୭
ଯହିଁ ମୁଁ ଥିବି ନିରନ୍ତରେ । ପଞ୍ଚମଭାଗ ଦିଅ ମୋରେ ॥ ୧୩୮
କଳିର ବାକ୍ୟ ଭାଳି ଚିତ୍ତେ । ସୁବର୍ଣ୍ଣ ଦେଲା ତାର ହସ୍ତେ ॥ ୧୩୯
ଏ ପଞ୍ଚସ୍ଥାନ ପଞ୍ଚଗୁଣ । ବ୍ରାହ୍ମଣେ ସାବଧାନେ ଶୁଣ ॥ ୧୪୦
ମିଥ୍ୟା ବସଇ ଦ୍ୟୂତ ମଧ୍ୟେ । କାମ କାମିନୀ ମଦ ମଧ୍ୟେ ॥ ୧୪୧
ପ୍ରାଣୀ ମାରଣେ ରଜୋଗୁଣ । ସୁବର୍ଣ୍ଣ ମଧ୍ୟେ ରିପୁଗଣ ॥ ୧୪୨
ଏ ପଞ୍ଚସ୍ଥାନ ତାରେ ଦେଲା । ଯହିଁ ଅଧର୍ମ ସଙ୍ଗମେଳା ॥ ୧୪୩
ପ୍ରମାଣି ଅଭିମନ୍ୟୁବଳା । କଳିଯୁଗକୁ ସ୍ଥାନ ଦେଲା ॥ ୧୪୪
ତକ୍ଷଣେ ରାଜାର ବଚନେ । କଳି ବସିଲା ପଞ୍ଚସ୍ଥାନେ ॥ ୧୪୫
ଏଣୁ ଏମାନଙ୍କୁ ସେବନ । ନ କରେ ବିଜ୍ଞ ଯେଉଁ ଜନ ॥ ୧୪୬
ସେ ଧର୍ମଶୀଳ ଯେହ୍ନେ ମେରୁ । ସ୍ୱଭାବେ ଲୋକପତି ଗୁରୁ ॥ ୧୪୭
ତପ ଶଉଚ ଦୟା ତିନି । ବୃଷଭପାଦ ବୋଲି ମାନି ॥ ୧୪୮
ନିଜର ବିଷୟ ପାଳନେ । ବର୍ତ୍ତିଲା ଏ ଚାରି ଚରଣେ ॥ ୧୪୯
ଆଶ୍ୱାସ ବାକ୍ୟେ ମନ ହରି । ପୃଥ୍ୱୀକି ସମବୁଦ୍ଧି କରି ॥ ୧୫୦
ସ୍ୱଭାବେ ସ୍ୱଧର୍ମ ପାଳନେ । ରାଜାର ଉଚିତ ପ୍ରମାଣେ ॥ ୧୫୧
ଧର୍ମନନ୍ଦନ ଧରି ବୋଳେ । ତପେ ଅରଣ୍ୟେ ଯିବାବେଳେ ॥ ୧୫୨
ପରୀକ୍ଷେ ରାଜଶିକ୍ଷା ଦେଇ । ସ୍ୱର୍ଗେ ଚଳିଲେ ପାଞ୍ଚଭାଇ ॥ ୧୫୩
ସେହି ପ୍ରକାରେ ମନେ ଗୁଣି । ରହେ କୌରବ ଶିରୋମଣି ॥ ୧୫୪
ହସ୍ତିନାପୁରେ ରାଜନୀତି । ପ୍ରଜାପାଳନେ ଚକ୍ରବର୍ତ୍ତୀ ॥ ୧୫୫
ଏମନ୍ତେ ଅଭିମନ୍ୟୁସୁତ । ପ୍ରଜାପାଳନେ ସୁବିଦିତ ॥ ୧୫୬
ଯାହାର ରାଜ୍ୟେ ତୁମ୍ଭେ ଥାଇ । ହରି ଭଜୁଛ ଯଜ୍ଞେ ଦାହି ॥ ୧୫୭
ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୫୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ କଳିନିଗ୍ରହୋ ନାମ ସପ୍ତଦଶୋଽଧ୍ୟାୟଃ ।।

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

କହନ୍ତି ସୂତ ଶୁଦ୍ଧଚେତା । ଶୁଣ ସକଳ ବ୍ରହ୍ମବେତ୍ତା ॥ ୧

ସୂତ ଉବାଚ

ଦ୍ରୋଣକୁମର ଶସ୍ତ୍ରାଘାତେ । ଯେ ରାଜା ବଞ୍ଚି ଗର୍ଭଗତେ ॥ ୨
କୃଷ୍ଣର ଅନୁଗ୍ରହ ଭାବେ । ନ ମଲା ଜନନୀର ଗର୍ଭେ ॥ ୩
ବ୍ରାହ୍ମଣ କୋପେ ଶାପ ଦେଲା । ତକ୍ଷକେ ମର ତୁ ବୋଇଲା ॥ ୪
ତେଣୁ ତକ୍ଷକ ତାକୁ ବଳେ । ବେଗେ ଦଂଶିଲା ଗଙ୍ଗାଜଳେ ॥ ୫
ମରଣ ଜାଣି ମହୀପତି । ହୃଦେ ଚିନ୍ତିଲା ଯଦୁପତି ॥ ୬
ହରିମହିମା ପରିମାଣି । ବ୍ୟାସକୁମର ମୁଖୁ ଶୁଣି ॥ ୭
ଛାଡ଼ିଣ ସର୍ବସଙ୍ଗ ହେଳେ । ଯେ ଜୀବ ଜ୍ଞାନତତ୍ତ୍ୱ ବଳେ ॥ ୮
ଗଙ୍ଗାରେ ଛାଡ଼ି ନିଜପ୍ରାଣ । ଗୋବିନ୍ଦେ ପଶିଲା ଶରଣ ॥ ୯
କୃଷ୍ଣର ଗାଥା ଗୁଣପନ୍ତି । ଯେ ନିତ୍ୟେ ହୃଦରେ ଚିନ୍ତନ୍ତି ॥ ୧୦
କୃଷ୍ଣର କଥାମୃତ ତୁଣ୍ତେ । କହି ରୋମାଞ୍ଚ ନିଜ ପିଣ୍ତେ ॥ ୧୧
ସର୍ବଦା ପାଦ ଯେ ସ୍ମରନ୍ତି । ମରଣେ କିବା ତାଙ୍କ ଭୀତି ॥ ୧୨
ସେ ରାଜା ଯେତେଦିନ ଥିଲା । ସଂସାରେ କଳି ନ ପଶିଲା ॥ ୧୩
ନନ୍ଦନନ୍ଦନ ଯେତେବେଳେ । ତନୁ ଛାଡ଼ିଲେ ମହୀତଳେ ॥ ୧୪
ତକ୍ଷଣେ ଅଧର୍ମ ପୁରୁଷ । କଳି ଏ ସଂସାରେ ପ୍ରବେଶ ॥ ୧୫
ସେ ରାଜା ତାକୁ ସ୍ଥାନ ଦେଇ । ସାରଙ୍ଗ ପ୍ରାୟ ସାର ଖାଇ ॥ ୧୬
କୁଶଳ କର୍ମ ଯେ କରନ୍ତି । ସେ ଫଳ ଏ ଦେହେ ଭୁଞ୍ଜନ୍ତି ॥ ୧୭
ଇତର ଚିନ୍ତା ନ ଲାଗଇ । ଯେ ଶୁଭକର୍ମେ ନିତ୍ୟେ ଥାଇ ॥ ୧୮
ସେ କଳିଯୁଗ ଭୟଙ୍କର । ସ୍ୱଭାବେ ସୁବୁଦ୍ଧି ଗଭୀର ॥ ୧୯
ନିରତେ ଅପ୍ରମତ୍ତ ହୋଇ । ସିଂହର ପ୍ରାୟେ ବିକ୍ରମଇ ॥ ୨୦
ପ୍ରମତ୍ତ ପ୍ରାୟ ବାଳ ମଧ୍ୟେ । ସେ କଳି ବିହରେ ଆନନ୍ଦେ ॥ ୨୧
ସେ ପରୀକ୍ଷିତ ଗୁଣଗାଥା । ଯହିଁ ପ୍ରକାଶ କୃଷ୍ଣକଥା ॥ ୨୨
ପ୍ରସଙ୍ଗେ କହିଲଇଁ ଏବେ । ଯେଣୁ ପୁଚ୍ଛିଲ ପ୍ରିୟଭାବେ ॥ ୨୩
କୃଷ୍ଣର ଯେତେ ଗୁଣଗାଥା । ଯେ ସାଧୁଜନ ମଧ୍ୟେ କଥା ॥ ୨୪
ତାର ମହିମା ଶୁଦ୍ଧଚିତ୍ତେ । କହି ବଞ୍ଚନ୍ତି ସାଧୁସନ୍ଥେ ॥ ୨୫
ନିତ୍ୟେ ତାହାର ପଦ ଚିନ୍ତି । ନିଶ୍ଚୟେ ଗୋବିନ୍ଦେ ପଶନ୍ତି ॥ ୨୬
ସୂତ ବଚନ ଶୁଣି କର୍ଣ୍ଣେ । ମନ ଆନନ୍ଦେ ମୁନିଜନେ ॥ ୨୭
କର ପ୍ରସାରି ଜଣେ ଜଣ । ସୂତଙ୍କୁ କରନ୍ତି କଲ୍ୟାଣ ॥ ୨୮

ଋଷିଜନ ଉବାଚ

ନିର୍ମଳ-ଯଶ-ଗୁଣ-ଦେହୀ । ଚିର ଜୀବନେ ରହ ତୁହି ॥ ୨୯
ଆମ୍ଭେ ଯେ ନରଦେହ ବହି । ତୋର ନିକଟେ ଶୁଭେ ଥାଇ ॥ ୩୦
କୃଷ୍ଣ ଅମୃତ କଥାମାନ । ତୋର ବଚନୁ କର୍ଣ୍ଣେ ପାନ ॥ ୩୧
କରି ବଞ୍ଚିଲୁ ଦିନାକେତେ । ସୁସାଧୁ ସଙ୍ଗର ଆୟତ୍ତେ ॥ ୩୨
ଏ ଯଜ୍ଞକର୍ମେ ଆମ୍ଭ ଚିତ୍ତ । ବେଦ ବଚନେ ମୋହଗତ ॥ ୩୩
ଏ ଯଜ୍ଞ ଧୂମେ ଧୂମାକୁଳ । ଆମ୍ଭର ଆତ୍ମା ହୀନବଳ ॥ ୩୪
ଫୁଟିଲୁ ଯଜ୍ଞବାଟେ ଭ୍ରମି । ପଥୁକୀ ଯେହ୍ନେ ପଥଶ୍ରମୀ ॥ ୩୫
ତୁ ଯେ ଆମ୍ଭର ଶ୍ରମ ଜାଣି । କୃଷ୍ଣ ଅମୃତ କଥା ବାଣୀ ॥ ୩୬
ପାନ କରାଇ ଶ୍ରୁତିମାର୍ଗେ । ରଖିଲ ଆମ୍ଭ ପ୍ରାଣ ବେଗେ ॥ ୩୭
ହରି ଭକତଜନ ସଙ୍ଗେ । ଯେ କ୍ଷଣେ ବଞ୍ଚେ ନର ଅଙ୍ଗ ॥ ୩୮
ତା ସଙ୍ଗେ ସ୍ୱର୍ଗ-ଭୋଗ-ମୋକ୍ଷ । କେ ତୁଲ୍ୟ କରିବ ପ୍ରତ୍ୟକ୍ଷ ॥ ୩୯
ଏଣୁ ଯେ କରେ ସାଧୁସଙ୍ଗ । ତରଇ ଏ ଭବତରଙ୍ଗ ॥ ୪୦
ପ୍ରାଣୀ ବାଞ୍ଛିତ ଆଶା ଏତେ । ଅଧିକ କ୍ଳେଶ ଏ ଜଗତେ ॥ ୪୧
କୃଷ୍ଣକଥାରେ ରସ ଯେତେ । ତାହା ଆସ୍ୱାଦି ଶୁଦ୍ଧଚିତ୍ତେ ॥ ୪୨
କେବା ରସଜ୍ଞ ତାହା ତେଜେ । କର୍ଣ୍ଣ ଜିହ୍ୱାରେ ସୁଖେ ଭୁଞ୍ଜେ ॥ ୪୩
ଯାହାର ଗୁଣ ଅନ୍ତ ନାହିଁ । ସ୍ୱଭାବେ ନିର୍ଗୁଣ ବୋଲାଇ ॥ ୪୪
ଭବ ବିରଞ୍ଚି ଯାର ଅନ୍ତ । ପ୍ରମାଣି ନ ପାରେ ଜଗତ ॥ ୪୫
ଏଣୁ ଭକତ ପ୍ରାଣୀଙ୍କର । ଭାବୁକ ମଧ୍ୟେ ତୁମ୍ଭେ ବର ॥ ୪୬
ମହତଜନଙ୍କ ଶରଣ । ଯାହାର ଅଭୟ ଚରଣ ॥ ୪୭
ଶ୍ରୀକୃଷ୍ଣ ଉଦାର ଚରିତ । ବିଶୁଦ୍ଧ ରସେ ଆମ୍ଭ ଚିତ୍ତ ॥ ୪୮
ଲୋଭିଲା ମଧୁକର ପ୍ରାୟେ । ଭୋ ମୁନି କର ତୁ ସଦୟେ ॥ ୪୯
କହ ଗୋବିନ୍ଦ-ରସକଥା । ଯେଣେ ଛାଡ଼ିବୁ ଭବବ୍ୟଥା ॥ ୫୦
ସେ ମହାଭାଗ ପରୀକ୍ଷିତ । ଭକତ ମଧ୍ୟେ ବୁଦ୍ଧିମନ୍ତ ॥ ୫୧
ବ୍ୟାସନନ୍ଦନ ମୁଖୁ ବାଣୀ । ସାନନ୍ଦେ ଗଙ୍ଗାତୀରେ ଶୁଣି ॥ ୫୨
କୃଷ୍ଣର ପାଦପଦ୍ମ ଗନ୍ଧେ । ଭୃଙ୍ଗ ଯେସନେ ମକରନ୍ଦେ ॥ ୫୩
ଗରୁଡ଼ଧ୍ୱଜ ପାଦମୂଳେ । ପ୍ରାଣ ନିବେଶି ଗଙ୍ଗାଜଳେ ॥ ୫୪
ପଶିଲା ସର୍ବସୁଖ ତେଜି । ହରି ଚରଣ ଭାବେ ଭଜି ॥ ୫୫
ତାର ଚରିତ ଯୋଗସାର । ସେ ଯେ ଭକତ ମଧ୍ୟେ ବର ॥ ୫୬
ଅନନ୍ତ ଚରିତ ସଂଯୁତ । ଯେ କର୍ମ କଲେ ପରୀକ୍ଷିତ ॥ ୫୭
କହ ସକଳ ଆମ୍ଭ ଆଗ । ତୁମ୍ଭେ ସହଜେ ମହାଭାଗ ॥ ୫୮
ଶୁଣି କହନ୍ତି ସୂତମୁନି । ବିପ୍ରଙ୍କ ଭାବେ ଭାବ ଘେନି ॥ ୫୯

ସୂତ ଉବାଚ

ବୋଲନ୍ତି ଭାଗ୍ୟ ଏ ମୋହର । ବୃଦ୍ଧଙ୍କ ମଧ୍ୟେ ପୁରସ୍କାର ॥ ୬୦
ବିଲୋମେ ଜନ୍ମ ମୁଁ ଲଭିଲି । ସତ୍ କୂଳ ମଧ୍ୟେ ଗଣ୍ୟ ହେଲି ॥ ୬୧
ମହତଜନଙ୍କୁ ଯେ ପାଇ । ତାର ଦୁଷ୍କୃତ ଦୋଷ କାହିଁ ॥ ୬୨
ଶ୍ରୀକୃଷ୍ଣ ନାମ ଯେ ଗୁଣନ୍ତି । ଯେ ଅବା ଶ୍ରବଣେ ଶୁଣନ୍ତି ॥ ୬୩
ତାଙ୍କର କଥା କି କହିବା । ତାଙ୍କୁ ସମାନ ଅଛି କେବା ॥ ୬୪
ସେ ହରି ସର୍ବଘଟେ ଥାଇ । ଶରଣ ରକ୍ଷଣ ବୋଲାଇ ॥ ୬୫
ଅନନ୍ତ ଶକ୍ତି ଯେ ଅନନ୍ତ । ମହାନ୍ତଗୁଣ ନାହିଁ ଅନ୍ତ ॥ ୬୬
ବ୍ରହ୍ମାଦି ଦେବ ଋଷି ଯେତେ । ଯା ଅନୁରୋଧେ ବେଦପଥେ ॥ ୬୭
ଯୋଗ ସମାଧି ତପେ ଚିନ୍ତି । ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି ॥ ୬୮
ସେ ଲକ୍ଷ୍ମୀ ସର୍ବ ଗୁଣ ଛାଡ଼ି । ତାର ଚରଣେ ଚିତ୍ତ ବଢ଼ି ॥ ୬୯
ନିତ୍ୟେ ବସଇ ବୃକ୍ଷସ୍ଥଳେ । ଧ୍ୟାନ ନିରୋପି ପାଦମୂଳେ ॥ ୭୦
କୃଷ୍ଣର ପାଦପଦ୍ମ ରଜେ । ନିଷ୍କାମ ମାର୍ଗେ ନିତ୍ୟେ ଭଜେ ॥ ୭୧
ଯାହାର ପାଦ ନଖ ଲାଗି । ସ୍ୱଭାବେ ଗଙ୍ଗା ସଉଭାଗୀ ॥ ୭୨
ସେ ଗଙ୍ଗାଜଳ ଏ ଜଗତେ । ପୂଜନ୍ତି ବିରଞ୍ଚି ସହିତେ ॥ ୭୩
ସେ ଗଙ୍ଗାନାମ ଉଚ୍ଚାରିଲେ । ପ୍ରାଣୀ ତରନ୍ତି ପାପୁ ଭଲେ ॥ ୭୪
ଏଣୁ ମୁକୁନ୍ଦ ନାମ ବିନେ । ସଂସାରେ କେବା ଉଚ୍ଚାରଣେ ॥ ୭୫
ସେ କି ପଦାର୍ଥ ଏ ଜଗତେ । ଚିନ୍ତି ନ ପାରେ ମୁନିସନ୍ଥେ ॥ ୭୬
ଯାର ଚରଣେ ସିଦ୍ଧଗଣେ । ସମାଧି ଯୋଗ ଆଚରଣେ ॥ ୭୭
ଛାଡ଼ି ବିଷୟ ମୁନିଗଣ । ନିତ୍ୟେ କରନ୍ତି ସୁମରଣ ॥ ୭୮
ଭକ୍ତି ସମାଧି ଦୃଢାସନେ । ତରିଲେ ସଂସାର ବନ୍ଧନେ ॥ ୭୯
ହେ ଅର୍ଯ୍ୟମଣ ମୁନି ଯେତେ । ତୁମ୍ଭେ ଯେ ପଚାରିଲ ମୋତେ ॥ ୮୦
କହିବି କୃଷ୍ଣର ମହିମା । ଯେ ଅବା ତାର ଗୁଣସୀମା ॥ ୮୧
କେ ଅବା ପାରେ ମୁଖେ କହି । ଯେହ୍ନେ ଗଗନ ଅନ୍ତ ନାହିଁ ॥ ୮୨
କୃଷ୍ଣ ମହିମା ସେହିମତେ । ଯେ ପକ୍ଷୀ ଉଡ଼ିପାରେ ଯେତେ ॥ ୮୩
ତାର ବାରତା ସେ ଜାଣନ୍ତି । ଅଧିକେ ନ ପାରନ୍ତି ଚିନ୍ତି ॥ ୮୪
ଏଣୁ ପଣ୍ତିତଜନ ଯେତେ । ଜ୍ଞାନ ବିଚାରି ଏ ଜଗତେ ॥ ୮୫
କୃଷ୍ଣର ମହିମା ବିଚାରେ । ସହସ୍ରଜନ୍ମେ କେବା ପାରେ ॥ ୮୬
ଏବେ ହୋ ଶୁଣ ବିପ୍ରଜନେ । ହରିଚରିତ ଶୁଦ୍ଧମନେ ॥ ୮୭
ସେ ପରୀକ୍ଷିତ ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥ ୮୮
ମୃଗ ନ ପାଇ ଘୋରବନେ । କ୍ଷୁଧିତ ତୃଷିତ ବଦନେ ॥ ୮୯
ଜଳ ନ ପାଇ ପଥଶ୍ରମେ । ମିଳିଲା ମୁନିଙ୍କ ଆଶ୍ରମେ ॥ ୯୦
ଦେଖଇ ଏକବୃକ୍ଷ ତଳେ । ବ୍ରାହ୍ମଣ ଆସନ ନିଶ୍ଚଳେ ॥ ୯୧
ଆନନ୍ଦେ ମୁଦ୍ରିତ ଲୋଚନେ । ଆତ୍ମା ନିବେଶି ଯୋଗଧ୍ୟାନେ ॥ ୯୨
ନିଶ୍ଚଳ ଆତ୍ମା ମନ ବୁଦ୍ଧି । ପବନ ନବଦ୍ୱାରେ ରୁନ୍ଧି ॥ ୯୩
ଇନ୍ଦ୍ରିୟଗଣ ପ୍ରତ୍ୟାହାରେ । ଧ୍ୟାନେ ପ୍ରବେଶ ଶୂନ୍ୟପୁରେ ॥ ୯୪
ଆଧାର ଲିଙ୍ଗ ନାଭିହୃଦେ । କଣ୍ଠମଣ୍ତଳ ଭୂରୁମଧ୍ୟେ ॥ ୯୫
ମନପବନ ବ୍ରହ୍ମରନ୍ଧ୍ରେ । ନିବେଶି ଅଛନ୍ତି ଆନନ୍ଦେ ॥ ୯୬
ଯୋଗନିଶ୍ଚଳ ବ୍ରହ୍ମଭୂତ । ତିନିବିକାରୁ ସେ ଅତୀତ ॥ ୯୭
ପ୍ରକୀର୍ଣ୍ଣ ଜଟାଭାର ଶିରେ । ହରିଣ ଚର୍ମର ଉପରେ ॥ ୯୮
ଏମନ୍ତ ବିପ୍ରକୁ ଅନାଇ । ତୃଷିତେ କଣ୍ଠ ଶୁଷ୍କ ହୋଇ ॥ ୯୯
ଜଳ ମାଗିଲା ମହାରାଜା । ଇଚ୍ଛଇ ଆପଣାର ପୂଜା ॥ ୧୦୦
ଉଦକ ତୃଣ ଭୂମି ଆଦି । ଅତିଥି ପୂଜାର ପ୍ରସିଦ୍ଧି ॥ ୧୦୧
ଅର୍ଘ୍ୟ ସୁନୃତ ସାଧୁବାଣୀ । ନ ଲଭି କୋପେ ନୃପମଣି ॥ ୧୦୨
ମନେ ବିଚାରେ ମହାରାଜ । ଅବଜ୍ଞା କଲା ମୋତେ ଦ୍ୱିଜ ॥ ୧୦୩
କ୍ଷୁଧା ତୃଷାର ବଳେ ମନ । କ୍ଷଣ କ୍ଷଣକେ ଅଚେତନ ॥ ୧୦୪
ପ୍ରଚଣ୍ତ କ୍ରୋଧ କୋପାନଳେ । ମୃତ ଉରଗ ଧନୁହୁଳେ ॥ ୧୦୫
ବ୍ରାହ୍ମଣଗଳେ ନେଇ ଦେଲା । ତକ୍ଷଣେ ନିଜପୁରେ ଗଲା ॥ ୧୦୬
ସେ ପରୀକ୍ଷିତ ନୃପମଣି । ବ୍ରାହ୍ମଣ କଥା ମନେ ଗୁଣି ॥ ୧୦୭
ସର୍ବ ଇନ୍ଦ୍ରିୟର ନିବୃତ୍ତି । ନୟନ ବୁଜି କିମ୍ପା ଛନ୍ତି ॥ ୧୦୮
କିବା ଏ ରାଜାଙ୍କ ଆଗତ । ନିମିତ୍ତେ କରି ଦୃଢ଼ବ୍ରତ ॥ ୧୦୯
ତେଣୁ ଏ କପଟ ଏହାର । ନିଶ୍ଚଳ ସମାଧି ଗୋଚର ॥ ୧୧୦
ଏତେ ଅବଜ୍ଞା ନରଦେହେ । କ୍ଷତ୍ରିୟଜନ୍ମେ କେବା ସହେ ॥ ୧୧୧
ଏମନ୍ତେ ଗଲା ନରନାଥ । ତକ୍ଷଣେ ବ୍ରାହ୍ମଣର ସୁତ ॥ ୧୧୨
ବାଳକ ସଙ୍ଗେ କ୍ରୀଡ଼ା କରେ । ତେଜେ ଅନଳ ରୂପ ଧରେ ॥ ୧୧୩
ରାଜାର ଆଗମନ କଥା । ପିତାର ଯେମନ୍ତ ବ୍ୟବସ୍ଥା ॥ ୧୧୪
ବାଳକ ମୁଖୁ ଶୁଣି କୋପେ । ମିଳିଲା ପିତାର ସମୀପେ ॥ ୧୧୫
ପିତାର ଗଳେ ସର୍ପ ଦେଖି । କୋପେ ଚଞ୍ଚଳ କଲା ଆଖି ॥ ୧୧୬
ସଂସାର ଧର୍ମ ଯେ ପାଳକ । ଦେଖ ତାହାର ଅବିବେକ ॥ ୧୧୭
ଶ୍ୱାନର ପ୍ରାୟେ ଚେଷ୍ଟା କଲା । ଦାସ ତ ସ୍ୱାମୀକୁ ଲଂଘିଲା ॥ ୧୧୮
ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି । ଯଜ୍ଞରେ ଦ୍ୱାରପାଳ କରି ॥ ୧୧୯
ଶ୍ୱାନର ପ୍ରାୟେ ଦ୍ୱାରେ ଥାନ୍ତି । ସେ ଭାଣ୍ତେ ଭୋଜନ ଇଚ୍ଛନ୍ତି ॥ ୧୨୦
ଉତ୍ପଥ ପ୍ରାଣୀ ଦଣ୍ତ ଅର୍ଥେ । ଯେ କୃଷ୍ଣ ଥିଲେ ଏ ଜଗତେ ॥ ୧୨୧
ସେ ଯେଣୁ ନିଜପୁରେ ଗଲା । ତେଣୁ ଏ ଅନ୍ୟାୟ ଚିନ୍ତିଲା ॥ ୧୨୨
ଏ ପ୍ରାଣୀ ସଂସାରେ ରହିଲେ । ଧର୍ମ ନଥିବ ଏଥି ଭଲେ ॥ ୧୨୩
ଦେଖ ମୋହର ବିପ୍ରଗଣ । କରିବି ଏଥିର କାରଣ ॥ ୧୨୪
ଏମନ୍ତ ବାଳକଙ୍କୁ କହି । ରଙ୍ଗନୟନେ ରୋଷ ବହି ॥ ୧୨୫
କୌଶିକୀ ଜଳେ ହସ୍ତଭରି । ମାର୍ଜନା ଆଚମନ କରି ॥ ୧୨୬
ରାଜା ଉଦ୍ଦେଶ୍ୟ କରି ମନେ । ବଜ୍ର-ପ୍ରହାରଣ ବଚନେ ॥ ୧୨୭
ବୋଲଇ ଅଧର୍ମ ବିଚାର । ଅନ୍ୟାୟ କଲା ଏ ପାମର ॥ ୧୨୮
ଆଜହୁଁ ସପତ-ଦିବସେ । ତକ୍ଷକ ଆସି ମହାରୋଷେ ॥ ୧୨୯
ତାର ଶରୀର ବେଗେ ଖାଉ । ଏ ପାପୀ ଜଗତେ ନ ଥାଉ ॥ ୧୩୦
ମୋର ପିତାର ଦ୍ରୋହକାରୀ । ସେ କିମ୍ପା ଥିବ ଦେହଧରି ॥ ୧୩୧
ଏମନ୍ତ ଶାପ ତାକୁ ଦେଇ । ମିଳିଲା ପିତା ପାଶେ ଯାଇ ॥ ୧୩୨
ପିତାର ଗଳେ ସର୍ପ ଦେଖି । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥ ୧୩୩
ପୁତ୍ର ରୋଦନ କର୍ଣ୍ଣେ ଶୁଣି । ଧ୍ୟାନ ତେଜିଲା ବିପ୍ରମଣି ॥ ୧୩୪
ସେ ଆଙ୍ଗିରସ ନିଜାସନେ । ଚାହିଁଲା ଉନ୍ମୀଳ ଲୋଚନେ ॥ ୧୩୫
ଆପଣା ଗଳେ ସର୍ପ ଦେଖି । ଉଠିଲା ଆସନ ଉପେକ୍ଷି ॥ ୧୩୬
ଗଳାରୁ ସର୍ପକୁ ପକାଇ । ପୁଚ୍ଛଇ ପୁତ୍ରମୁଖ ଚାହିଁ ॥ ୧୩୭
ହେ ପୁତ୍ର କାନ୍ଦୁ କିସ ଅର୍ଥେ । କେ ପ୍ରାଣୀ ଶୋକ ଦେଲା ତୋତେ ॥ ୧୩୮
ପିତା ବଚନ ଶୁଣି ବଳା । ସଂକ୍ଷେପି ସକଳ କହିଲା ॥ ୧୩୯
ହେ ତାତ ଶୁଣ ମୋର ବାଣୀ । ମୃଗୟା ଆସି ନୃପମଣି ॥ ୧୪୦
ମଉନବ୍ରତ ତୋର ଦେଖି । ସ୍ୱଧର୍ମ କଲା ସେ ଉପେକ୍ଷି ॥ ୧୪୧
ମୃତ-ଉରଗ ତୋର ଗଳେ । ଦେଇ ଚଳିଲା ଅବହେଳେ ॥ ୧୪୨
ମୁଁ ତାକୁ ଜାଣି ଶାପ ଦେଲି । ତକ୍ଷକେ ମର ତୁ ବୋଇଲି ॥ ୧୪୩
ଏବେ ତୋ ଗଳେ ସର୍ପ ଚାହିଁ । ଭୟେ କାନ୍ଦଇ ଦୂରେ ରହି ॥ ୧୪୪
ପୁତ୍ର ବଚନ ଶୁଣି କର୍ଣ୍ଣେ । କୋପ ବସିଲା ବିପ୍ରମନେ ॥ ୧୪୫
ପୁତ୍ରକୁ ଚାହିଁ କୋପଭରେ । ବୋଲଇ ନିଷ୍ଠୁର ଉତ୍ତରେ ॥ ୧୪୬
ଅଳପ ଅପରାଧେ ତୁହି । ଏ କର୍ମ କଲୁ କିସ ପାଇଁ ॥ ୧୪୭
ସେ ଭାଗବତ ପୁଣ୍ୟଦେହୀ । ଏ ଶାପ ତାକୁ ନ ଯୋଗାଇ ॥ ୧୪୮
ଅହୋ ଆଶ୍ଚର୍ଯ୍ୟ ଦେଖ କଥା । ଶୁଣି ମୋ ମନେ ଗରୁ ବ୍ୟଥା ॥ ୧୪୯
ଅଳପ ଅପରାଧେ ଦେଖ । ଦୁର୍ବୁଦ୍ଧି ବିହିଲୁ ବାଳକ ॥ ୧୫୦
ଯାହାର ଭୁଜ ଆଶ୍ରେ କରି । ଧର୍ମ-ସମ୍ପଦ-ସୁଖ-ଶିରୀ ॥ ୧୫୧
ପ୍ରଜାଏ ସୁଖେଣ ଭୁଞ୍ଜନ୍ତି । ସେ କି କାହାରେ ଦ୍ରୋହ ଚିନ୍ତି ॥ ୧୫୨
ବିଷ୍ଣୁର ଅଂଶ ନରପତି । କେ ଅଛି ତାରେ ଦ୍ରୋହ ଚିନ୍ତି ॥ ୧୫୩
ଏବେ ରାଜାର ଅନ୍ତେ ମହୀ । ଚଉର୍ଯ୍ୟ ବଳଦର୍ପ ବହି ॥ ୧୫୪
ଅରକ୍ଷ ମେଷଯୂଥ ପ୍ରାୟେ । ଲୋକ ନଶିବେ ଚୋରଭୟେ ॥ ୧୫୫
ଧନ ହରିବେ ଅନ୍ୟୋଅନ୍ୟେ । ପ୍ରଜା ପଶିବେ ଘୋରବନେ ॥ ୧୫୬
ନିର୍ଭୟେ ପଶୁଙ୍କୁ ହିଂସିବେ । ପର ରମଣୀ ନ ମାନିବେ ॥ ୧୫୭
ଅନାଥ ହୋଇବ ସଂସାର । ସେ ପାପ ହୋଇବ ଆମ୍ଭର ॥ ୧୫୮
ଧର୍ମ ଛାଡ଼ିବ ଚାରିପାଦେ । ଯେବା ବିହିତ ଅଛି ବେଦେ ॥ ୧୫୯
ବର୍ଣ୍ଣ ଆଶ୍ରମ ଯେ ଆଚାର । ଏ ତିନିଧର୍ମ ଯେ ବେଦର ॥ ୧୬୦
ସେ ଧର୍ମ ତେଜି ଅଭ୍ୟନ୍ତରେ । ପଶିବେ ଅଧର୍ମ ବେଭାରେ ॥ ୧୬୧
ସର୍ବେ ବୁଡ଼ିବେ ଅର୍ଥକାମେ । ବଞ୍ଚିବେ ଶ୍ୱାନ କପି ଧର୍ମେ ॥ ୧୬୨
ଏ ଧର୍ମପାଳ ନରପତି । ସୁକୃତବନ୍ତ ଚକ୍ରବର୍ତ୍ତୀ ॥ ୧୬୩
ସାକ୍ଷାତେ ମହାଭାଗବତ । ସେ ରାଜଋଷି ପରୀକ୍ଷିତ ॥ ୧୬୪
କଲା ଯେ ତିନି ଅଶ୍ୱମେଧି । ଆଗମ ନିଗମ ପ୍ରସିଦ୍ଧି ॥ ୧୬୫
କ୍ଷୁଧା ତୃଷାରେ ବୁଲି ବନେ । ମିଳିଲା ମୋହର ଆଶ୍ରମେ ॥ ୧୬୬
ତାହାଙ୍କୁ ଶାନ୍ତି ତୁ ନ କଲୁ । ବିଶେଷେ ଘୋରଶାପ ଦେଲୁ ॥ ୧୬୭
ସେ ଆମ୍ଭ ଶାପ୍ୟେ ଯୋଗ୍ୟ ନୋହେ । ଅଶେଷ ଧର୍ମେ ଦେହ ବହେ ॥ ୧୬୮
ଏମନ୍ତେ କୃଷ୍ଣ ମନେ ଧ୍ୟାୟି । ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ॥ ୧୬୯
ନିଷ୍ପାପ ଭୃତ୍ୟକୁ ଏ ବଳେ । ଦ୍ରୋହ ଚିନ୍ତିଲା ମହୀତଳେ ॥ ୧୭୦
ଅଳପ ବୁଦ୍ଧି ଏ ବାଳକ । ଏହାର ମନେ କଲା ଦୁଃଖ ॥ ୧୭୧
ଭୋ ନାଥ କରୁଣାସାଗର । ବାଳକ ଦୋଷ କ୍ଷମାକର ॥ ୧୭୨
ନିନ୍ଦା କପଟ ଅବଜ୍ଞାନ । ଶାପ ତାଡ଼ନ ଆଦି ମାନ ॥ ୧୭୩
କଲା ପ୍ରାଣୀଙ୍କି ପ୍ରତିକୃତ । ନ କରେ ଯେ ତୋର ଭକତ ॥ ୧୭୪
ତୋହର ଭକତ ଯେ ଜନ । କୋପ ନ ବସେ ତାର ମନ ॥ ୧୭୫
ପ୍ରାଣୀଙ୍କ ଅପରାଧ ସହେ । ତୋହର ଭାବେ ଚିତ୍ତବହେ ॥ ୧୭୬
ଅତି ଅନ୍ୟାୟ କର୍ମ ମୋର । ମୁଁ କର୍ମହୀନ ଦୁରାଚାର ॥ ୧୭୭
ନିରପରାଧେ ଦ୍ରୋହ ଚିନ୍ତି । ଏ ମୋର ଚିତ୍ତେ ଗରୁଭ୍ରାନ୍ତି ॥ ୧୭୮
ଦେବହେଳନ କର୍ମ ମୋର । ନିଶ୍ଚେ ଲଭିଲି ଦାମୋଦର ॥ ୧୭୯
ଦୁଃଖ ମୁଁ ଲଭିବି ନିକଟେ । ଏ ଘୋର-ସଂସାର-ସଙ୍କଟେ ॥ ୧୮୦
ଏମନ୍ତେ ପୁତ୍ର ଅପରାଧେ । ମହତ ଶାପ ଅପବାଦେ ॥ ୧୮୧
ଅନୁତାପିତ ବିପ୍ରବର । ବୋଲେ ଗୋବିନ୍ଦ ରକ୍ଷାକର ॥ ୧୮୨
ରାଜା ଯେ ଅପରାଧ କଲା । ସେ କଥା ଚିତ୍ତେ ନଘେନିଲା ॥ ୧୮୩
ଏ ନରଲୋକେ ସାଧୁ ଯେତେ । କୋପ ନ ବଶେ ତାଙ୍କ ଚିତ୍ତେ ॥ ୧୮୪
ପ୍ରାଣୀଙ୍କ ଦୋଷ ନ ଘେନନ୍ତି । ସ୍ତୁତିରେ ହରଷ ନୁହନ୍ତି ॥ ୧୮୫
ପରଦୁଃଖରେ ଦୁଃଖୀ ହୋନ୍ତି । ସମଦୃଷ୍ଟିରେ ଆତ୍ମା ଚିନ୍ତି ॥ ୧୮୬
ସେ ସାଧୁଜନଙ୍କର କଥା । କେବେହେଁ ନୁହଇ ଅନ୍ୟଥା ॥ ୧୮୭
ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୮୮
ସୁଜନଜନଙ୍କର ହିତେ । ଯେବା ପ୍ରକାଶ ମୋର ଚିତ୍ତେ ॥ ୧୮୯
ସୁଜନେ ନ ଘେନିବ ଦୋଷ । ମୁଁ ତୁମ୍ଭ ଦାସଙ୍କର ଦାସ ॥ ୧୯୦
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ବିପ୍ରଶାପୋପଲମ୍ଭନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ।।

ଉନବିଂଶ ଅଧ୍ୟାୟ[ସମ୍ପାଦନା]

ସୂତ କହନ୍ତି ଅନୁରାଗେ । ଶୌନକଆଦି ଋଷିଆଗେ ॥ ୧

ସୂତ ଉବାଚ

ସେ ମହୀପତି ପରୀକ୍ଷିତ । ଚିନ୍ତା ନିମଗ୍ନ ଦୁଃଖଚିତ୍ତ ॥ ୨
ଏକାନ୍ତେ ବସି ବିଚାରଇ । ନିନ୍ଦିତକର୍ମ କଲି ମୁହିଁ ॥ ୩
ଅର୍ଜିତ-କର୍ମବଶ ହୋଇ । ଗୁରୁ ଯେସନେ ଶିକ୍ଷା ଦେଇ ॥ ୪
ଅନ୍ୟାୟେ ପ୍ରାଣୀଙ୍କ ବେଭାରେ । କୁକର୍ମ କଲି ଏ ସଂସାରେ ॥ ୫
ନିର୍ଦ୍ଦୋଷ-ବ୍ରାହ୍ମଣର ଗଳେ । ସର୍ପ ଲମ୍ବାଇ ଧନୁହୁଳେ ॥ ୬
ନିଶ୍ଚଳ-ଯୋଗେ ତାର ଧ୍ୟାନ । ନ ଜାଣି ହେଲି ହତଜ୍ଞାନ ॥ ୭
ଦେବହେଳନ କର୍ମ କଲି । ନିକଟେ ସଙ୍କଟ ଲଭିଲି ॥ ୮
ଏ ପାପ-ବିନାଶନ ହେତୁ । ବେଗେ ବିଧାତା ମୋତେ ଚିନ୍ତୁ ॥ ୯
ଏ କର୍ମ ପୁଣ ମୁଁ ଯେମନ୍ତେ । କେବେହେଁ ନ କଳ୍ପଇ ଚିତ୍ତେ ॥ ୧୦
ବ୍ରାହ୍ମଣକ୍ରୋଧ ଦାବାନଳ । ଏ ମୋର ରାଜ୍ୟ-ଧନବଳ ॥ ୧୧
ଆତ୍ମାର ସଙ୍ଗେ ଦହୁ ମୋତେ । ଏ କର୍ମ ନ କରେ ଯେମନ୍ତେ ॥ ୧୨
ଗୋଦ୍ୱିଜଦେବଙ୍କ ହିଂସନେ । ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ ॥ ୧୩
ଏମନ୍ତେ ବିଚାରୁ ବିଷାଦେ । ବୃତ୍ତାନ୍ତ ଶୁଭେ ଜନପଦେ ॥ ୧୪
ଉରଗ ବ୍ରାହ୍ମଣର ଗଳେ । ରାଜା ଯେ ଦେଲା ଧନୁହୁଳେ ॥ ୧୫
ତାର ବାଳକ ଶାପ ଦେଲା । ତକ୍ଷକ ଦଂଶିବ ବୋଇଲା ॥ ୧୬
ସପ୍ତମଦିନେ କୋପାନଳେ । ତାହାଙ୍କୁ ଦଂଶିବ ସେ ବଳେ ॥ ୧୭
ଏମନ୍ତ ଜନମୁଖୁ ଶୁଣି । ମନେ ସାନନ୍ଦ ନୃପମଣି ॥ ୧୮
ବୋଲଇ ବେଗେ ମୋତେ ଖାଉ । ଏ ମୋର କୁଳେ ତାପ ନୋହୁ ॥ ୧୯
ଯେଣୁ ବିଷୟା ତ୍ୟାଗ ହେତୁ । ତେଣୁ ଚିନ୍ତଇ ଆତ୍ମାମୃତ୍ୟୁ ॥ ୨୦
ଯେମନ୍ତେ ଇହ ପରଲୋକେ । ମରଣେ ନ ପଡ଼ଇ ଦୁଃଖେ ॥ ୨୧
ଏମନ୍ତ ନିଶ୍ଚୟ ବିଚାରି । ରାଜସମ୍ପଦ ପରିହରି ॥ ୨୨
ଚିନ୍ତିଲା କୃଷ୍ଣ-ପାଦପୃଷ୍ଠ । ସେବନ ବିନା ନାହିଁ ଶ୍ରେଷ୍ଠ ॥ ୨୩
କୃଷ୍ଣର ପାଦପଦ୍ମଜଳେ । ପ୍ରବେଶ ଯାଇ ଗଙ୍ଗାକୂଳେ ॥ ୨୪
ଶ୍ରୀକୃଷ୍ଣ-ଚରଣ-ତୁଳସୀ । ପାଦଉଦକରଜେ ମିଶି ॥ ୨୫
ଅତି ପବିତ୍ର ବହେ ବାରି । ଉଭୟଲୋକ ପାପହରି ॥ ୨୬
ପ୍ରାଣୀର ପ୍ରାଣତ୍ୟାଗ କାଳେ । କେବା ନବସେ ତାର କୂଳେ ॥ ୨୭
ପାଣ୍ତବବଂଶେ କୀର୍ତ୍ତିକର । ସକଳରାଜା ମଧ୍ୟେ ବର ॥ ୨୮
ସେ ସୁରନଦୀ ତୀରେ ଯାଇ । ଚିତ୍ତେ ଗୋବିନ୍ଦପଦ ଧ୍ୟାୟି ॥ ୨୯
ବିଷୟସଙ୍ଗ ଦୂର କରି । ଅନ୍ନ-ଉଦକ ପରିହରି ॥ ୩୦
ମୁନିଙ୍କ ବ୍ରତେ ସେ ନିଶ୍ଚଳେ । ମନ ନିବେଶି ଗଙ୍ଗାଜଳେ ॥ ୩୧
ସେ କଥା ଶୁଣି ମୁନିଜନେ । ଯେ ଅବା ଥିଲେ ଗିରିବନେ ॥ ୩୨
ନିଜ ନିବାସ ଉପେକ୍ଷିଲେ । ହସ୍ତିନା ନଗରେ ମିଳିଲେ ॥ ୩୩
ଯେ ଅବା ଥିଲେ ଯେଉଁ ଦେଶେ । ରାଜାଙ୍କୁ ଦେଖିବାର ଆଶେ ॥ ୩୪
ସଙ୍ଗତେ ଘେନି ଶିଷ୍ୟଗଣ । ଅପରେ ଅଶେଷ ବ୍ରାହ୍ମଣ ॥ ୩୫
ତାଙ୍କ ମହିମା କେବା କହେ । ତୀର୍ଥ ପବିତ୍ର ତାଙ୍କ ଦେହେ ॥ ୩୬
ଅତ୍ରି ବଶିଷ୍ଠ ଆଦି ମୁନି । ଚ୍ୟବନ ଭୃଗୁ ବ୍ୟାସ ଘେନି ॥ ୩୭
ଅଙ୍ଗିରା ପରାଶର ଗାଧି । ସୁତ ଉତଥ୍ୟ ଯେ ପ୍ରସିଦ୍ଧି ॥ ୩୮
ଗୌତମ ଭରଦ୍ୱାଜ ମୁନି । ମୈତ୍ରେୟ ବିଶ୍ୱାମିତ୍ର ଘେନି ॥ ୩୯
ଅରିଷ୍ଟନେମି ଆର୍ଷ୍ଟିଷେଣ । ଇନ୍ଦ୍ରପ୍ରମଦ ଶରଦ୍ ବାନ ॥ ୪୦
ନାରଦମୁନି ଆଦି କରି । ସର୍ବେ ମିଳିଲେ ରାଜପୁରୀ ॥ ୪୧
ଦେବର୍ଷି ରାଜର୍ଷି ମହର୍ଷି । ଅପରେ ଯେତେକ ବ୍ରହ୍ମର୍ଷି ॥ ୪୨
ସକଳ ଋଷି ଏକମେଳେ । ମିଳିଲେ ଜାହ୍ନବୀର କୂଳେ ॥ ୪୩
ତାହାଙ୍କୁ ଦେଖି ପରୀକ୍ଷିତ । କପୋଳେ ଦେଇ ବେନିହସ୍ତ ॥ ୪୪
ବନ୍ଦିଲା ମୁନିଗଣ-ପାଦେ । ଆନନ୍ଦେ ଅଶ୍ରୁ-ଗଦଗଦେ ॥ ୪୫
ସୁଖେ ବସିଲେ ମୁନିଗଣେ । ପୁଣି ହିଁ ରାଜା ପରଣାମେ ॥ ୪୬
କର ଅଞ୍ଜଳି ଶିରେ ଦେଇ । ବୋଲଇ କୃତକୃତ୍ୟ ହୋଇ ॥ ୪୭

ପରୀକ୍ଷିତ ଉବାଚ

ରାଜାଙ୍କ ମଧ୍ୟେ ମୋ ଜୀବନ । ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ ॥ ୪୮
ମୋହର ପ୍ରାଣତ୍ୟାଗ କାଳେ । ମହାନ୍ତଜନେ ବିଜେ କଲେ ॥ ୪୯
ବ୍ରାହ୍ମଣପାଦ ଯହିଁ ଧୋଇ । ସେ ସ୍ଥାନେ ନିଜ ଶିର ଦେଇ ॥ ୫୦
କ୍ଷତ୍ରିୟ ସ୍ୱଭାବ ଏମନ୍ତ । ଆଗମ ନିଗମ ଉକତ ॥ ୫୧
ଯେ ଏହା ଲଙ୍ଘେ ଦୁଷ୍ଟପଣେ । ଦୂଷିତ ହୋଇ ତତକ୍ଷଣେ ॥ ୫୨
ସେ ବିପ୍ରେ ଆସି ମୋର ପାଶେ । ବସନ୍ତି ମନର ହରଷେ ॥ ୫୩
ତାହାର ଭାଗ୍ୟ କି କହିବା । ଯାହା ନ ପାନ୍ତି ସୁର ଦେବା ॥ ୫୪
ଅପ୍ରାଧ କଲି ବିପ୍ରକୁଳେ । ଦେଖ ମୋହର ଅନ୍ତକାଳେ ॥ ୫୫
ସର୍ବ-ବିଷୟ-ସଙ୍ଗ ତେଜି । କୃଷ୍ଣଚରଣେ ଚିତ୍ତ ମଜ୍ଜି ॥ ୫୬
ତୁମ୍ଭେ ଅଶେଷ ବ୍ରହ୍ମଋଷି । ମିଳିଲ ମୋର ପାଶେ ଆସି ॥ ୫୭
ବ୍ରାହ୍ମଣ ଶାପ କୋପାନଳ । ଏ ମୋର ବିମୁକ୍ତିର ମୂଳ ॥ ୫୮
ଯେ କର୍ମ କଲେ ଏ ସଂସାରେ । ପ୍ରାଣୀ ତରନ୍ତି ମାୟାଘୋରେ ॥ ୫୯
ତୁମ୍ଭର ଅନୁଗ୍ରହ ସେବି । ପ୍ରସନ୍ନ ହେଉ ଗଙ୍ଗାଦେବୀ ॥ ୬୦
କୃଷ୍ଣଚରଣେ ପ୍ରୀତି ହେଉ । କୁହକ ତକ୍ଷକ ବା ଖାଉ ॥ ୬୧
ତେଣେ ସଂଶୟ ନାହିଁ ମୋର । ସକଳେ କୃଷ୍ଣକଥା କର ॥ ୬୨
କୃଷ୍ଣବିଷୟେ ହେଉ ମତି । ତାର ସେବକ ସଙ୍ଗ ଗତି ॥ ୬୩
ମୋହର କର୍ମଫଳ ଲଇ । ଜନ୍ମ ଲଭିବି ଯହିଁ ତହିଁ ॥ ୬୪
ମୁଁ ତହିଁ କୃଷ୍ଣଦାସ ପଣେ । ସେବିବି ଅଭୟ ଚରଣେ ॥ ୬୫
ଶରଣାଗତ ବୋଲି ମୁହିଁ । ହେ ବିପ୍ରେ ଭାବ ଦୟା ବହି ॥ ୬୬
ସକଳଜୀବେ ମିତ୍ରଭାବ । ଯେମନ୍ତେ ହୋଇବ ସମ୍ଭବ ॥ ୬୭
ଏମନ୍ତ ମୋତେ ଦିଅ ବର । ତୁମ୍ଭ ଚରଣେ ନମସ୍କାର ॥ ୬୮
ଏମନ୍ତ ମୁନିଙ୍କି ଜଣାଇ । କୃଷ୍ଣଚରଣେ ମନ ଦେଇ ॥ ୬୯
ଜାହ୍ନବୀତୀରେ କୁଶଶଯ୍ୟା । ଶୟନ ଅର୍ଥେ କଲା ରାଜା ॥ ୭୦
ପୂର୍ବଦିଗକୁ ଶିର କରି । ଉତ୍ତରମୁଖେ ଦଣ୍ତଧାରୀ ॥ ୭୧
ଗଙ୍ଗା ଦକ୍ଷିଣକୂଳେ ଶୋଇ । କାରୁଣ୍ୟଜଳେ ଦୃଷ୍ଟି ଦେଇ ॥ ୭୨
ଯେ ଜନ୍ମେଜୟ ସୁତ ତାର । ତା ଶିରେ ଦେଇ ରାଜ୍ୟଭାର ॥ ୭୩
ଅଶେଷ ଋଷିଗଣ ମଧ୍ୟେ । ମନ ନିବେଶି କୃଷ୍ଣପାଦେ ॥ ୭୪
ଆକାଶେ ଥାଇ ଦେବଗଣେ । ଆନନ୍ଦେ ପୁଷ୍ପବରଷଣେ ॥ ୭୫
ଦୁନ୍ଦୁଭି ବାଦ୍ୟନାଦ ତୁଲେ । ସାଧୁଶବଦେ ସ୍ତୁତି କଲେ ॥ ୭୬
ଯେ ମୁନିଗଣେ ଗଙ୍ଗାକୂଳେ । ଥିଲେ ଯେ ପରୀକ୍ଷିତ ମେଳେ ॥ ୭୭
ଗଗନେ ଶୁଣି ସାଧୁବାଣୀ । ଆନନ୍ଦମନେ ସର୍ବମୁନି ॥ ୭୮
ସାଧୁଶବଦ ଉଚ୍ଚସ୍ୱରେ । ଦିଶ ପୂରିଲା ଗଙ୍ଗାତୀରେ ॥ ୭୯
ପ୍ରଜାଏ ଅନୁଗ୍ରହ ମୁଖେ । କହନ୍ତି ଏକକୁ ଆରକେ ॥ ୮୦
ଏ ସାଧୁରାଜା ବିଚକ୍ଷଣ । ଅକାଳେ ଲଭିବ ମରଣ ॥ ୮୧
ଦେଖ ଏହାର ଭାଗ୍ୟବଳେ । ମୁନିଙ୍କ ମଧ୍ୟେ ଅନ୍ତକାଳେ ॥ ୮୨
ୟାର ଆସ୍ଥାନେ ସର୍ବରାଜା । ଶିର ନୁଆଁଇ କଲେ ପୂଜା ॥ ୮୩
ସେ ରାଜା କାଳେ ହରିଭାବେ । ପଶିବ ଜନ୍ମର ସ୍ୱଭାବେ ॥ ୮୪
ଏ ନରପତି ଯେତେଦିନେ । ପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ ॥ ୮୫
ସୁଖେ ଲଭିବ ବିଷ୍ଣୁଲୋକ । ଯେ ସ୍ଥାନ ବିମୋହ ବିଶୋକ ॥ ୮୬
ଆମ୍ଭେ ସକଳେ ଏହି ସ୍ଥାନେ । ବଞ୍ଚିବା ଗଙ୍ଗାଜନପାନେ ॥ ୮୭
ଏ ଭାଗବତର ଉତ୍ତମ । ନିଶ୍ଚେ ଲଭିବ ପ୍ରେମଧାମ ॥ ୮୮
ଏମନ୍ତେ ପ୍ରଜାମୁଖୁ ଶୁଣି । ଅମୃତ ସମ ସାଧୁବାଣୀ ॥ ୮୯
ରାଜା ମଣିଲା ସତ୍ୟ ପ୍ରାୟ । ଛାଡ଼ିଲା ସକଳ ସଂଶୟ ॥ ୯୦
କୃଷ୍ଣଚରଣ ସେବାଫଳେ । ଅଶେଷ ପ୍ରାଣୀ ମହୀତଳେ ॥ ୯୧
ପୂର୍ବେ ଲଭିଲେ ହରିଭାବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୯୨
ଦେଖ ମୋହର ଭାଗ୍ୟବଶୁ । ସର୍ବେ ମିଳିଲେ ସର୍ବଦେଶୁ ॥ ୯୩
ବେଦେ ଯେମନ୍ତ ଦେହବନ୍ତେ । ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ ॥ ୯୪
ବସି କହନ୍ତି ନାନାଧର୍ମ । ଯେ ବର୍ଣ୍ଣେ ଯେବା ନିଜକର୍ମ ॥ ୯୫
ଯେ ଫଳ ଇହ ପରଲୋକେ । ପ୍ରାଣୀ ଲଭନ୍ତି ସୁଃଖସୁଖେ ॥ ୯୬
ତେମନ୍ତେ ଅନୁଗ୍ରହ ଚିତ୍ତେ । ତୁମ୍ଭେ ଆଗତ ପରହିତେ ॥ ୯୭
ଏ ବିନେ ନାହିଁ କାର୍ଯ୍ୟ ଆର । ଏ ଦେହସ୍ୱଭାବ ତୁମ୍ଭର ॥ ୯୮
ତୁମ୍ଭଙ୍କୁ ପଚାରଇ ମୁହିଁ । ମରଣେ ଅନ୍ତର୍ଚଳେ ଥାଇ ॥ ୯୯
ଏବେ କି କୃତ୍ୟ ଅଛି ମୋତେ । କହ ସକଳେ ଶୁଦ୍ଧଚିତ୍ତେ ॥ ୧୦୦
ଏ ଘୋର-ସଂସାର-ସାଗରେ । ମରଣୁ କିବା କରି ତରେ ॥ ୧୦୧
ଏମନ୍ତ ପୁଛୁଁ ରାଜଋଷି । ଶୁକ ମିଳିଲେ ବେଗେ ଆସି ॥ ୧୦୨
ମହୀ-ଭ୍ରମଣ ଇଚ୍ଛା ସୁଖେ । ଶ୍ରୀକୃଷ୍ଣନାମ ଗାଇ ମୁଖେ ॥ ୧୦୩
ଲକ୍ଷି ନପାରି ଯାର ଅଙ୍ଗ । କ୍ଷଣକ୍ଷଣକେ ନାନାରଙ୍ଗ ॥ ୧୦୪
ନିରତେ ନିଜ ଲାଭେ ତୋଷ । ସ୍ୱଭାବେ ଅବଧୂତ ବେଶ ॥ ୧୦୫
ବେଷ୍ଟିତ ବାଳକ ସମୂହେ । କିବା ଉପମା ଦେବା ଦେହେ ॥ ୧୦୬
ସ୍ୱଭାବେ ଷୋଡ଼ଶ ଅବଦ । ସୁନ୍ଦର ସୁକୁମାର ପାଦ ॥ ୧୦୭
କର ଯୁଗଳ ବାହୁ ଅଂସ । ଉନ୍ନତ ସୁନ୍ଦର ସୁନାସ ॥ ୧୦୮
ନିବିଡ଼ ବେନି ଉରୁ ସାଜେ । ସୁନ୍ଦର କପୋଳ ବିରାଜେ ॥ ୧୦୯
ଆୟତ ଚକ୍ଷୁ ଚାରୁକର୍ଣ୍ଣ । ସୁଗ୍ରୀବ ସୁନ୍ଦର ଆନନ ॥ ୧୧୦
ମାଂସେ ନିଗୂଢ଼ ଜତ୍ରୁ ସାଜେ । ତୁଙ୍ଗ ବକ୍ଷସ୍ଥଳ ବିରାଜେ ॥ ୧୧୧
ତ୍ରିବଳୀ କୁକ୍ଷି ମନୋହର । ଆବର୍ତ୍ତ ନାଭି ସୁଗଭୀର ॥ ୧୧୨
ବିକୀର୍ଣ୍ଣ କେଶ ଦିଗମ୍ବର । ବିଭୂତି-ଭୂଷଣ ଶରୀର ॥ ୧୧୩
ପ୍ରଳମ୍ବଭୁଜ ଜାନୁଯାଏ । ଦିଶେ ଅମରବର ପ୍ରାୟେ ॥ ୧୧୪
ଶରୀର ବର୍ଣ୍ଣରୁଚି ଶ୍ୟାମ । ରୂପେ ତୁଳିତ ନୋହେ କାମ ॥ ୧୧୫
କି ଅବା ଦେବା ପଟାନ୍ତର । କାମିନୀଜନ-ମନୋହର ॥ ୧୧୬
ଏମନ୍ତ ରୂପ ତାର ଦେଖି । ମୁନିଏ ଆସନ ଉପେକ୍ଷି ॥ ୧୧୭
ଜାଣନ୍ତି ତାହାଙ୍କ ଲକ୍ଷଣ । ସେ ଯୋଗୀ କୃଷ୍ଣ-ପରାୟଣ ॥ ୧୧୮
ଶୁକ ଆଗମ ଦେଖି ରାଜା । ତକ୍ଷଣେ ଆଣି ଅର୍ଘ୍ୟପୂଜା ॥ ୧୧୯
ବିନୟଭାବେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥ ୧୨୦
ସ୍ତିରୀ ବାଳକ ଯେତେ ଥିଲେ । ତା ଦେଖି ଭୟେ ବାହୁଡ଼ିଲେ ॥ ୧୨୧
ରାଜା ପୂଜିଲା ମନତୋଷେ । ଶୁକ ବସିଲେ ରାଜାପାଶେ ॥ ୧୨୨
ବେଷ୍ଟିତ ଋଷିଗଣ ମଧ୍ୟେ । ସେ ଶୁକ ବସିଲେ ଆନନ୍ଦେ ॥ ୧୨୩
ଶଶାଙ୍କ ଯେହ୍ନେ ତାରାମେଳେ । ବିରାଜେ ଗଗନ ମଣ୍ତଳେ ॥ ୧୨୪
ପ୍ରଶାନ୍ତ-ଚିତ୍ତ ମୁନିବର । ଅକୁଣ୍ଠ-ଧାରଣା ଯାହାର ॥ ୧୨୫
ସେ ମୁନିପାଦେ ନମସ୍କାର । କରି ଯୋଡ଼ିଲା ବେନିକର ॥ ୧୨୬
ନିର୍ମଳବାକ୍ୟ ସୁଧାଧାର । ମୁନିଙ୍କି ଚାହିଁ ନୃପବର ॥ ୧୨୭
ପୁଚ୍ଛଇ ବେନିକର ଯୋଡ଼ି । ଚରଣେ ପୁଣ ପୁଣ ପଡ଼ି ॥ ୧୨୮

ରାଜା ଉବାଚ

ଆଜ ମୋହର ଜନ୍ମ ଧନ୍ୟ । କ୍ଷତ୍ରିୟବଂଶେ ବିଦ୍ୟମାନ ॥ ୧୨୯
ତୁମ୍ଭେ ଅତିଥି ରୂପେ ଆସି । ନିର୍ମଳଚିତ୍ତେ ବ୍ରହ୍ମଋଷି ॥ ୧୩୦
ଦେଖି ମୋ ଆତ୍ମା କୃତକୃତ୍ୟ । ଦେହକୁ କଲି ତୀର୍ଥଭୂତ ॥ ୧୩୧
ଯାହାର ସ୍ମରଣ ବିଶ୍ୱାସ । ପବିତ୍ର କରେ ଗୃହୀବାସ ॥ ୧୩୨
ତାହାର ଦରଶନ ମାତ୍ରେ । ଦୁରିତ ନ ରହଇ ଗାତ୍ରେ ॥ ୧୩୩
ସ୍ପରଶ ପାଦଜଳ ଯହିଁ । ସକଳ ତୀର୍ଥଫଳ ତହିଁ ॥ ୧୩୪
ଆଜ ଜୀବନ ମୋର ଧନ୍ୟ । ଦେଖିଲି ତୁମ୍ଭର ବଦନ ॥ ୧୩୫
ଯେତେ ଦୁରିତ ଦେହେ ଥିଲା । ତୁମ୍ଭ ସାନ୍ନିଧ୍ୟେ ଦୂର ଗଲା ॥ ୧୩୬
ବିଷ୍ଣୁର ତେଜ ମହାଘୋରେ । ଯେମନ୍ତେ ନଶନ୍ତି ଅସୁରେ ॥ ୧୩୭
ଆଜ ଜାଣିଲି ମୋତେ ହରି । ପାଣ୍ତବ ସ୍ନେହେ ପ୍ରୀତି କରି ॥ ୧୩୮
ବାନ୍ଧବପ୍ରିୟ ବ୍ରହ୍ମରାଶି । ଯେହ୍ନେ ପାଣ୍ତବ ଗୃହେ ଆସି ॥ ୧୩୯
ତାହାଙ୍କ ଗୋତ୍ର ଯେଣୁ ମୁହିଁ । ତେଣୁ ସଦୟ ମୋରେ ହୋଇ ॥ ୧୪୦
କୃଷ୍ଣର ଦୟା ଯେଣୁ ହୋଇ । ତୁମ୍ଭ ଦର୍ଶନେ ଯୋଗ୍ୟ ମୁହିଁ ॥ ୧୪୧
ଅବ୍ୟକ୍ତଗତି ଯେ ତୁମ୍ଭର । କେ ତାହା କରିବ ଗୋଚର ॥ ୧୪୨
ପୁଣି ମରଣେ ତୁମ୍ଭ ସଙ୍ଗ । ତରିଲି ଏ ଭବ-ତରଙ୍ଗ ॥ ୧୪୩
ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ । ଯେହ୍ନେ ଅଚଳ-ମହାମେରୁ ॥ ୧୪୪
ଦେଖ ଜୀବନ ଯିବା କାଳେ । କିବା ସାଧିବି ମହୀତଳେ ॥ ୧୪୫
କିବା ଶୁଣିବି କର୍ଣ୍ଣପଥେ । ସ୍ମରଣ କି କରିବି ଚିତ୍ତେ ॥ ୧୪୬
କିବା ବଚନ ଉଚ୍ଚାରଣେ । ଭଜିବି କାହାର ଚରଣେ ॥ ୧୪୭
ତୁମ୍ଭେ ଯେ ପ୍ରାଣୀଙ୍କର ଦ୍ୱାରେ । ଦଣ୍ତେ ନ ରହ ମନସ୍ଥିରେ ॥ ୧୪୮
ଗୋଦୋହମାତ୍ରେ ତୁମ୍ଭ ଗତି । ଏଣୁ ମୋହର ମନେ ଭ୍ରାନ୍ତି ॥ ୧୪୯
କହନ୍ତି ସୂତ ଶୁଦ୍ଧମନେ । ଶୁଣ ସକଳ ମୁନିଜନେ ॥ ୧୫୦

ସୂତ ଉବାଚ

ଏମନ୍ତ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି ॥ ୧୫୧
ହରଷେ ମୁଦ୍ରିତ ଲୋଚନ । ଚିତ୍ତେ ଚିନ୍ତିଲେ ଭଗବାନ ॥ ୧୫୨
ସେ ମୁନି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୫୩
ପ୍ରଥମସ୍କନ୍ଧେ ଭାଗବତ । ବର୍ଣ୍ଣଇ ଦାସ ଜଗନ୍ନାଥ ॥ ୧୫୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ଶୁକାଗମନଂ ନାମ ଏକୋନବିଂଶୋଽଧ୍ୟାୟଃ ।।