ଓଡ଼ିଆ ଭାଗବତ/୨

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ଦ୍ୱିତୀୟ ସ୍କନ୍ଧ

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ହରି-ଚରଣ ଚିନ୍ତି ଧ୍ୟାନେ । କୋମଳ-ଗଭୀର-ବଚନେ ॥ ୧
ରୋମପୁଲକ ନିଜଦେହୀ । ଶୁକ କହନ୍ତି ରାଜା ଚାହିଁ ॥ ୨

ଶୁକ ଉବାଚ

ହେ ପରୀକ୍ଷିତ ନୃପବର । ଗରିଷ୍ଠ ପ୍ରଶ୍ନ ଏ ତୋହର ॥ ୩
ପଚାରୁ ଜୀବଲୋକ ହିତେ । ଯେ ପ୍ରଶ୍ନ ଅଛି ତୋର ଚିତ୍ତେ ॥ ୪
ଏ ଆତ୍ମାଜ୍ଞାନୀଙ୍କର ସାର । ସଂସାରେ ଜନଉପକାର ॥ ୫
ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ । ଆଗମ ନିଗମ ଭକତେ ॥ ୬
ସହସ୍ର ସହସ୍ର ପ୍ରକାରେ । ଯେ ପ୍ରଶ୍ନ ଅଛି ଏ ସଂସାର ॥ ୭
ସଂସାର କରିବାର ଆଶେ । ଯେତେ ଅଛନ୍ତି ଗୃହବାସେ ॥ ୮
ଇନ୍ଦ୍ରିୟବଶେ ଗୃହେ ଥାଇ । ଆତ୍ମାର ହିତେ ଜ୍ଞାନ ନାହିଁ ॥ ୯
ଆୟୁଷ କ୍ଷୟ ନ ଜାଣନ୍ତି । ବିଷୟ ଅର୍ଥ ନିତ୍ୟେ ଚିନ୍ତି ॥ ୧୦
ନିଶା ହରଇ ଅର୍ଦ୍ଧବେଳ । ନିଦ୍ରା ବା ବଧୂ ସଙ୍ଗ ମେଳ ॥ ୧୧
ଦିବସେ ଅର୍ଥ ଚିନ୍ତାକୁଳ । କୁଟୁମ୍ବପୋଷଣେ ବିକଳ ॥ ୧୨
ସୁତ-କଳତ୍ର ଦେହ ପାଇ । ଆନନ୍ଦେ ତାଙ୍କ ମଧ୍ୟେ ଥାଇ ॥ ୧୩
ବିଷ୍ଣୁର ମାୟା ସତ୍ୟ ଚିନ୍ତି । ନିକଟେ ମୃତ୍ୟୁ ନ ଦେଖନ୍ତି ॥ ୧୪
ମରଣ ଦେଖୁଥାନ୍ତି ଡୋଳେ । ଅଜ୍ଞାନେ ଭ୍ରମେ ସୁଖଭୋଳେ ॥ ୧୫
ଏଣୁ ସଂସାର ପ୍ରାଣୀଙ୍କର । ଆତ୍ମାର ଗତି ଅଗୋଚର ॥ ୧୬
ଏଣୁ ସଂସାର ଭାବ ତେଜି । ଆତ୍ମାର ଗତି ଚିତ୍ତେ ହେଜି ॥ ୧୭
ଯେ ହରି ସର୍ବଘଟେ ପୂରେ । ନିର୍ଲେପ ବାହ୍ୟ-ଅଭ୍ୟନ୍ତରେ ॥ ୧୮
ତାର ମହିମା ଶୁଣି କର୍ଣ୍ଣେ । ନାମକୁ ଉଚ୍ଚାରି ବଦନେ ॥ ୧୯
ସ୍ମରଣ କର ହୃଦଗତେ । ଯେବେ ଅଭୟ-ଇଚ୍ଛା ଚିତ୍ତେ ॥ ୨୦
ଏକଥା ସାଂଖ୍ୟଯୋଗେ ଜାଣି । ସ୍ୱଧର୍ମନିଷ୍ଠା ପରିମାଣି ॥ ୨୧
ଜନ୍ମର ଲାଭ ଏ ପ୍ରମାଣ । ଅନ୍ତେ ସ୍ମରଣ ନାରାୟଣ ॥ ୨୨
ପୂର୍ବେ ନିର୍ମଳ-ମୁନି ଯେତେ । ତତ୍ତ୍ୱ ବିଚାରି ବେଦମତେ ॥ ୨୩
ବିଧି ନିଷେଧ ଦୂର କରି । କୃଷ୍ଣର ଭାବ ହୃଦେ ଧରି ॥ ୨୪
କୃଷ୍ଣର ଗୁଣ ଅନୁକ୍ଷଣେ । ଗୁଣନ୍ତି ଶୁଣନ୍ତି ଶ୍ରବଣେ ॥ ୨୫
ଏ ଭାଗବତ ଧର୍ମବାଣୀ । ବ୍ରହ୍ମସମାନେ ପରିମାଣି ॥ ୨୬
ଦ୍ୱାପରଯୁଗ ଅନ୍ତଃକାଳେ । ମୁଁ ଯେ ଅନେକ ଶିଷ୍ୟମେଳେ ॥ ୨୭
ମୋର ଜନକ ବ୍ୟାସମୁନି । ତାହାଙ୍କ ଶିକ୍ଷା ଶିରେ ଘେନି ॥ ୨୮
ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ । ବିଷ୍ଣୁର ଭାବ ହେଲା ଜାତ ॥ ୨୯
ନିଶ୍ଚଳ ଯୋଗେ ମନ ଥୋଇ । ଯେବା ଅଭ୍ୟାସ କଲି ମୁହିଁ ॥ ୩୦
କହିବି ତୋର ଆଗେ ତାହା । ଶୁଣ ପରୀକ୍ଷ ପୁଣ୍ୟଦେହା ॥ ୩୧
ଏ ଭାଗବତ ବାଣୀ କର୍ଣ୍ଣେ । ଯେ ଶୁଣେ ଶ୍ରଦ୍ଧା ଅବଧାନେ ॥ ୩୨
ମୁକୁନ୍ଦପାଦେ ତାଙ୍କ ମନ । ନିଶ୍ଚଳେ ରହେ ଅନୁକ୍ଷଣ ॥ ୩୩
ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର । ହରିକୀର୍ତ୍ତନ ଅଟେ ଫଳ ॥ ୩୪
ତାକୁ ନ ଲାଗେ ଯମଭୟେ । ନିର୍ଭୟପଥେ ଚିତ୍ତ ରହେ ॥ ୩୫
ଯୋଗ ଅଭ୍ୟାସେ ଯୋଗୀଜନେ । ଦୀର୍ଘେ ଜୀବନ୍ତି ଯୋଗଧ୍ୟାନେ ॥ ୩୬
ଯେବେ ସେ କୃଷ୍ଣନାମ ମୁଖେ । କହନ୍ତି ଏକକୁ ଆରକେ ॥ ୩୭
ଦିନ ବଞ୍ଚନ୍ତି କୃଷ୍ଣ-ଗାଇ । ଅନ୍ତରେ ତାର ପଦ ଧ୍ୟାୟି ॥ ୩୮
ଯେ ହରି ନ ବୋଲେ ବଦନେ । କି ପ୍ରୟୋଜନ ଯୋଗଧ୍ୟାନେ ॥ ୩୯
କାଳ ନିର୍ଣ୍ଣୟ ନାହିଁ ତହିଁ । ହେ ନୃପ ଶୁଣ ମନଦେଇ ॥ ୪୦
ମୁହୂର୍ତ୍ତମାତ୍ରେ କୃଷ୍ଣବାଣୀ । ଯେ ଶୁଣେ ଯେବା ମୁଖେ ଭଣି ॥ ୪୧
ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ । କି ଭାବ ବହୁ ସମ୍ବତ୍ସ›ରେ ॥ ୪୨
ଖଟ୍ୱାଙ୍ଗ ନାମେ ରାଜା ଥିଲା । ସ୍ୱର୍ଗେ ଦେବଙ୍କୁ ହିତ କଲା ॥ ୪୩
ରିପୁ ସଂହାରି ଦେବପାଶେ । ମିଳିଲା ଭକତି-ବିଶ୍ୱାସେ ॥ ୪୪
ଦେବେ ବୋଇଲେ ମାଗ ବର । ଶୁଣି ବୋଇଲା ନୃପବର ॥ ୪୫
ଆୟୁଷ ଅଛଇ ମୋ କେତେ । ଦେବେ କହିଲେ ଶାସ୍ତ୍ରମତେ ॥ ୪୬
ମୁହୂର୍ତ୍ତେ ଅଛି ତୋ ଜୀବନ । ତାଣୁଣି ସନ୍ତୋଷ ରାଜନ ॥ ୪୭
ତକ୍ଷଣେ ଆସି ମହୀତଳେ । ଭାବିଲା ଅକିଞ୍ଚନ ମେଳେ ॥ ୪୮
ମୁହୂର୍ତ୍ତେ ନାମ ଉଚ୍ଚାରିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥ ୪୯
ଏବେ ସପତଦିନ ଯାଏ । ଜୀବନ ଥିବ ତୋର ଦେହେ ॥ ୫୦
ଏବେ ହରିଙ୍କି ଆଶ୍ରେକର । କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର ॥ ୫୧
ଯେ ଅନ୍ତଃକାଳେ କୃଷ୍ଣବାଣୀ । ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି ॥ ୫୨
ତାହାର ମୃତ୍ୟୁଭୟ ନୋହେ । ଦାରାତନୟ ନିଜ ଦେହେ ॥ ୫୩
ଯେତେ ବିଷୟ ଆତ୍ମାଭେଦି । ଅସଙ୍ଗଶସ୍ତ୍ରେ ତାହା ଛେଦି ॥ ୫୪
ବେଗେ ସେ ପଶେ କୃଷ୍ଣଭାବେ । ଶୁଣ କହିବା ତୋତେ ଏବେ ॥ ୫୫
ଯେ ପ୍ରାଣୀ ଅନ୍ତଃକାଳ ଜାଣି । ଆତ୍ମାର ହିତ ମନେ ଗୁଣି ॥ ୫୬
ଘରୁ ବାହାର ହୋଇ ଜ୍ଞାନେ । ତପଆଚରେ ଘୋରବନେ ॥ ୫୭
ସ୍ନହାନ ସାରି ତୀର୍ଥଜଳେ । ଆସନେ ବସିବ ନିଶ୍ଚଳେ ॥ ୫୮
ଏକାନ୍ତେ ଯେ ବିଧି ଆସନେ । ପ୍ରଥମ-ଆଶ୍ରମ ଲକ୍ଷଣେ ॥ ୫୯
ଅଭ୍ୟାସ କରି ଶୁଦ୍ଧମନେ । ତ୍ରିବୃତ-ବ୍ରହ୍ମ ସୁମରଣେ ॥ ୬୦
ପ୍ରାଣ ପବନ ଯୋଗେ ରୁନ୍ଧି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୬୧
ବୁଦ୍ଧି-ସାରଥି ଆଶ୍ରେ କରି । ବିଷୟ-ସମୂହ ସଂହରି ॥ ୬୨
କର୍ମେ ଚଞ୍ଚଳମନ ବଳେ । ନିରୋପି କୃଷ୍ଣ-ପାଦତଳେ ॥ ୬୩
ତାର ଶରୀର ଅବୟବେ । ଚିନ୍ତିବ ଏକେ ଏକେ ଭାବେ ॥ ୬୪
ମନକୁ ନିର୍ବିଷୟ କରି । ସକଳଚିନ୍ତା ପରିହରି ॥ ୬୫
ମନ ପ୍ରସନ୍ନ ଯେତେବେଳେ । ଜ୍ଞାନ-ପ୍ରସରେ ସୁନିଶ୍ଚଳେ ॥ ୬୬
ସ୍ୱଭାବେ ମନ ଦୁଷ୍ଟପଣେ । ଆବୃତ ରଜ ତମୋ ଗୁଣେ ॥ ୬୭
ଏଣୁ ଧାରଣା ଆଶ୍ରେ କରି । ମନର ମଳ ଅପହରି ॥ ୬୮
ଏମନ୍ତ ଯୋଗର ଧାରଣ । ଯୋଗୀଙ୍କ ଭକତି ଲକ୍ଷଣ ॥ ୬୯
ଯେ ଭକ୍ତି-ଧାରଣାର ବଳେ । ଯୋଗପ୍ରାପତ ଅଳ୍ପକାଳେ ॥ ୭୦
ବିଷୟ ଦେଖଇ ମଙ୍ଗଳ । କୃଷ୍ଣେ କରଇ ସର୍ବମେଳ ॥ ୭୧
ଏମନ୍ତ ଶୁକ ମୁଖୁ ଶୁଣି । ବୋଲେ ପାଣ୍ଡବ-ଚୂଡ଼ାମଣି ॥ ୭୨

ରାଜା ଉବାଚ

ଧାରଣା-ଯୋଗ ଚିତ୍ତେ ଧରି । ଯେମନ୍ତେ ତରେ ବ୍ରହ୍ମଚାରୀ ॥ ୭୩
ଯେମନ୍ତ ଧାରଣା ନିଶ୍ଚଳ । ବେଗେ ହରଇ ମନୁ ମଳ ॥ ୭୪
ଏ ଯୋଗଧାରଣା ସ୍ୱଭାବ । ଯେ ଶାସ୍ତ୍ରମାର୍ଗେ ଅନୁଭବ ॥ ୭୫
ଗୁରୁ ବଚନେ କିବା ଜାଣି । ଯୋଗଧାରଣା ପରିମାଣି ॥ ୭୬
ଯେଣେ ଅଭ୍ୟାସ ପ୍ରାଣୀକରେ । ଯେମନ୍ତେ ମନୁ ମଳ ହରେ ॥ ୭୭
କହି ପବିତ୍ର ମୋତେ କର । ନିର୍ମଳ ହେଉ ମୋ ଶରୀର ॥ ୭୮
ଏମନ୍ତ ରାଜା ପ୍ରଶ୍ନ ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୭୯

ଶୁକ ଉବାଚ

ଜିତ ଆସନ ଜିତ ପ୍ରାଣ । ଜିତ ବିଷୟ ଇନ୍ଦ୍ରିଗଣ ॥ ୮୦
ସ୍ଥୂଳ ଶରୀରେ ବୁଦ୍ଧିବଳେ । ମନକୁ ସ୍ଥାପିବ ନିଶ୍ଚଳେ ॥ ୮୧
ବିଶେଷେ ଗୋବିନ୍ଦ ଶରୀର । ଅତ୍ୟନ୍ତ ସ୍ଥୂଳୁ ସ୍ଥୂଳତର ॥ ୮୨
ଯହିଁ ସଂସାର ପରମାଣ । ଭୂତ-ଭବିଷ୍ୟ-ବତ୍ତର୍ମାନ ॥ ୮୩
ବ୍ରହ୍ମାଣ୍ଡ ବସେ ଯାର ଦେହି । ସପ୍ତାବରଣେ ଯୁକ୍ତ ହୋଇ ॥ ୮୪
ବିରାଜ-ପୁରୁଷ ଏ ମଧ୍ୟେ । ବସେ ଧାରଣା ଅନୁବାଦେ ॥ ୮୫
ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ-ପୁର । ପ୍ରମାଣ ଯାହାର ଶରୀର ॥ ୮୬
ଶୁଣ କହିବା ଅଧଉର୍ଦ୍ଧ୍ୱେ । ବିରାଟରୂପ ଥାଇ ମଧ୍ୟେ ॥ ୮୭
ପାତାଳ ବୋଲି ପାଦମୂଳ । ପାର୍ଷ୍ଣି ପାଦଗ୍ର ରସାତଳ ॥ ୮୮
ଚରଣ ଗୁଳ୍‌ଫେ ମହାତଳ । ଜଂଘଯୁଗଳ ତଳାତଳ ॥ ୮୯
ସୁତଳ ବୋଲି ଜାନୁଯୁଗେ । ବିତଳାତଳ ଉରୁଭାଗେ ॥ ୯୦
ଜଘନଦେଶ ମହୀତଳ । ନାଭିମଣ୍ଡଳ ନଭସ୍ଥଳ ॥ ୯୧
ସ୍ୱର୍ଲୋକ ହୃଦୟରେ ବସେ । ଜ୍ୟୋତିସମୂହ ପରକାଶେ ॥ ୯୨
କଣ୍ଠ ଆଶ୍ରିତ ମହର୍ଲୋକ । ବଦନେ ବଶେ ଜନଲୋକ ॥ ୯୩
ଲଲାଟେ ତପଲୋକ ବସେ । ସତ୍ୟ କଳ୍ପିତ ଶିରଦେଶେ ॥ ୯୪
ବାସବ ଆଦି ଦିଗପାଳ । ଯାହାର ଭୁଜ ସୁବିଶାଳ ॥ ୯୫
କର୍ଣ୍ଣ ଯାହାର ଅଷ୍ଟଦିଶା । ଅଶ୍ୱିନୀକୁମାରେ ଯା ନାସା ॥ ୯୬
ଜ୍ୱଳନ୍ତା ଅଗ୍ନି ଯା ବଦନ । ନୟନ ଗୋଲୋକ ଗମନ ॥ ୯୭
ତପନ ଯାର ଚକ୍ଷୁବେନି । ଉଦୟ ଅସ୍ତ ପକ୍ଷୁ ବେନି ॥ ୯୮
ଯାର ଭ୍ରୂଭଙ୍ଗ ବ୍ରହ୍ମପଦ । ସଲିଳ ତାଳୁ ରସଜିହ୍ୱ ॥ ୯୯
ସକଳ ବେଦ ବ୍ରହ୍ମରନ୍ଧ୍ର । ବିକଟ ଦନ୍ତ ଯମପଦ ॥ ୧୦୦
ଯାହାର ତୁଣ୍ଡେ ସ୍ନେହକଳା । ଅଧଉଦ୍ଧ୍ୱର୍ରେ ଦନ୍ତମାଳା ॥ ୧୦୧
ଜନଉନ୍ମାଦ ଯାର ହାସ । ଯେ ବିଷ୍ଣୁମାୟାର ପ୍ରକାଶ ॥ ୧୦୨
ସଂସାର ଯାହାର କଟାକ୍ଷ । ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ॥ ୧୦୩
ଉପର ଓଷ୍ଠେ ଲଜ୍ଜା ବସେ । ଲୋଭ ବସଇ ଅଧୋଦେଶେ ॥ ୧୦୪
ଧର୍ମ ବସଇ ସ୍ତନଯୁଗେ । ଅଧର୍ମପଥ ପୃଷ୍ଠଭାଗେ ॥ ୧୦୫
ଅଣ୍ଡେ ବସଇ ପ୍ରଜାପତି । ମିତ୍ରାବରୁଣ କୋଷେ ସ୍ଥିତି ॥ ୧୦୬
ଉଦଧି ଯାହାର ଉଦର । ଅସ୍ଥିସମୂହ ମହୀଧର ॥ ୧୦୭
ଶିରାସମୂହ ନଦୀଗଣ । ବୃକ୍ଷଔଷଧି ତନୁରୋମ ॥ ୧୦୮
ଅନନ୍ତବୀର୍ଯ୍ୟ ଯହିଁ ବସେ । ଶ୍ୱାସପବନ ଅଣଚାଶେ ॥ ୧୦୯
ଯାହାର ଗତି ଜାଣ କାଳ । ଜୀବ ସଂସାର ଯାର ଖେଳ ॥ ୧୧୦
ଜୀମୂତଗଣ ଯାର କେଶ । ସନ୍ଧ୍ୟା ଯାହାର ନିଜବାସ ॥ ୧୧୧
ପ୍ରକୃତି ହୃଦୟ ଯାହାର । ଯାହାର ମନ ନିଶାକର ॥ ୧୧୨
ହେ କୁରୁଶ୍ରେଷ୍ଠ ପରୀକ୍ଷିତ । ଈଶ୍ୱର ସର୍ବ କୋଷଭୂତ ॥ ୧୧୩
ବିଜ୍ଞାନଶକ୍ତି ଯା ମହିମା । ଅନ୍ତଃକରଣ ରୁଦ୍ରସୀମା ॥ ୧୧୪
କଲଭ ଅଶ୍ୱ ଅଶ୍ୱତର । ନଖସମୂହ କରିବର ॥ ୧୧୫
ଯେ ପଶୁ ମୃଗାଦି ବିଶେଷେ । ସର୍ବ କଳ୍ପିତ ଶ୍ରୋଣୀଦେଶେ ॥ ୧୧୬
ପକ୍ଷିଏ ଯାର ବ୍ୟାକରଣ । ବୁଦ୍ଧି ବିଷୟ ମନୁଗଣ ॥ ୧୧୭
ଯାର ନିବାସ ନରଦେହ । ଯହିଁ କଳ୍ପିତ ମାୟାମୋହ ॥ ୧୧୮
ଗନ୍ଧର୍ବ ବିଦ୍ୟାଧର ଆଦି । ଚାରଣ ଗଣିକା ପ୍ରସିଦ୍ଧି ॥ ୧୧୯
କିନ୍ନରଗଣ ଯାର ସ୍ୱର । ବୀର୍ଯ୍ୟରେ କଳ୍ପିତ ଅସୁର ॥ ୧୨୦
ବ୍ରାହ୍ମଣ ଯାର ମୁଖୁ ଜାତ । କ୍ଷତ୍ରିୟ ଭୁଜରୁ ସମ୍ଭୂତ ॥ ୧୨୧
ଉରୁରୁ ବୈଶ୍ୟ ଉତପତ୍ତି । ପାଦରୁ ଜନ୍ମ ଶୂଦ୍ରଜାତି ॥ ୧୨୨
ନାନା ପ୍ରକାର ନାମ ବହି । ଅଭୀଷ୍ଟ ଦେବେ ଯାର ଦେହି ॥ ୧୨୩
ନିଗମ-କର୍ମ-କାଣ୍ଡ ଯେତେ । ଯାହାର କର୍ମ ଏ ଯୁଗତେ ॥ ୧୨୪
ଏମନ୍ତେ ଈଶ୍ୱରର ଦେହେ । ବସନ୍ତି ଅବୟବ ପ୍ରାୟେ ॥ ୧୨୫
ଏମନ୍ତେ ଏ ସ୍ଥୂଳ-ଶରୀରେ । ଧାରଣାଯୋଗେ ନିର୍ବିକାରେ ॥ ୧୨୬
ମନ ନିରୋଳ ଯୋଗବଳେ । ଗୋବିନ୍ଦ-ଚରଣ-କମଳେ ॥ ୧୨୭
ସର୍ବ ଶରୀରେ ଭଗବାନ । ତା ତହୁଁ କେବା ଅଛି ଆନ ॥ ୧୨୮
ସେ ସର୍ବ-ବୁଦ୍ଧି ଅନୁଭବ । ଜୀବ ପରମ ପଦ୍ମନାଭ ॥ ୧୨୯
ସତ୍ୟ-ପରମାନନ୍ଦ-ନିଧି । ତାର ଭଜନ ସର୍ବସିଦ୍ଧି ॥ ୧୩୦
ଜନ୍ମମରଣ ତାର ତହୁଁ । କେବା ଗୋଚରେ ତାହା କହୁଁ ॥ ୧୩୧
ଯେ ଅନ୍ୟସଙ୍ଗ ଦାରାସୁତ । ନ କରି ଯେଣୁ ଆତ୍ମପାତ ॥ ୧୩୨
ସ୍ୱପ୍ନରେ ଜୀବର ଯେମନ୍ତ । ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ ॥ ୧୩୩
ସେ ସର୍ବମିଥ୍ୟା ଜୀବ ସତ୍ୟ । ଏ ଜ୍ଞାନେ ହୁଅଇ ମୁକତ ॥ ୧୩୪

ସୂତ ଉବାଚ

ଏମନ୍ତ କହି ଶୁକମୁନି । ହରଷେ ହରିଭାବ ଘେନି ॥ ୧୩୫
ଆନନ୍ଦେ ପରୀକ୍ଷିତ ମେଳେ । ଯାହା କହିଲେ ଗଙ୍ଗାକୂଳେ ॥ ୧୩୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ମହାପୁରୁଷସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ॥

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

କହନ୍ତି ଶୁକ ମହାମୁନି । ଶୁଣ ରାଜନ-ଚୂଡ଼ାମଣି ॥ ୧

ଶୁକ ଉବାଚ

ଏ ଯେତେ କହିଲି ମୁଁ ତୋତେ । ଈଶ୍ୱର ଶରୀର ସମେତେ ॥ ୨
ଏ ସ୍ଥୂଳଦେହେ ମନ ଧରି । ସୁବୁଦ୍ଧିବଳେ ଯତ୍ନ କରି ॥ ୩
ସେ ହରି ଅନ୍ତରେ ବାହାରେ । ଆନ କେ ଅଛି ଏ ସଂସାରେ ॥ ୪
ସେ ସର୍ବବୁଦ୍ଧି ଅନୁଭୂତ । ସ୍ୱପ୍ନ-ଜାଗ୍ରତ ମଧ୍ୟେ ସ୍ଥିତ ॥ ୫
ସତ୍ୟ-ଆନନ୍ଦ-ଜଳନିଧି । ଭକ୍ତଜନଙ୍କ ସର୍ବସିଦ୍ଧି ॥ ୬
ଯାହାର ତହୁଁ ଏ ଜଗତ । ଆତ୍ମାର ତୁଲେ ଉଦେ ଅସ୍ତ ॥ ୭
ଏହି ପ୍ରକାରେ ପୂର୍ବକାଳେ । ସେ ଆତ୍ମଯୋନି ଏ ଶୟଳେ ॥ ୮
ଆତ୍ମ ସ୍ମରଣେ ବୁଦ୍ଧିବଳେ । ସର୍ଜିଲା ଏ ବିଶ୍ୱ-ମଣ୍ତଳେ ॥ ୯
ପୂର୍ବେ ଯେମନ୍ତେ ଥିଲା ବିଧି । ତେହ୍ନେ ଧାରଣା ବଳେ ସାଧି ॥ ୧୦
ଆତ୍ମାକୁ ପାଳି ପୁଣ ହରେ । ବଣିଜ ଯେହ୍ନେ ବଣିଜାରେ ॥ ୧୧
ଶବଦ ବ୍ରହ୍ମର ଏ ପଥ । ଯେ ମାର୍ଗେ ଜୀବ ଆତଯାତ ॥ ୧୨
ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ । କିଛି ନ ଲଭେ ଲାଭପଦେ ॥ ୧୩
ନାନା ଦେବତା ଦୀକ୍ଷା କରେ । ବିଅର୍ଥ-ସୁଖେ ମନ ଧରେ ॥ ୧୪
ବାସନା-ମାୟାମୟ-ଯାନେ । ନ ବୁଝି ନିରତେ ଭ୍ରମଣେ ॥ ୧୫
ତାହାଙ୍କ ମଧ୍ୟେ ଯେ ସୁବୁଦ୍ଧି । ଜାଣଇ ବେଗ-ସତ୍ୟ-ବୁଦ୍ଧି ॥ ୧୬
ବିଚାର କରେ ମାୟାଗ୍ରସ୍ତେ । ମୁହିଁ ଭ୍ରମଇ କିସ ଅର୍ଥେ ॥ ୧୭
ଶ୍ରମ ଲଭଇ ଆତଯାତେ । ଲାଭ ନ ମିଳେ ମୋର ହସ୍ତେ ॥ ୧୮
ଏଣୁ ଏ ପଥଶ୍ରମ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି ॥ ୧୯
ପ୍ରୟାସ ଦୂରେ ପରିହରି । ଆତ୍ମାରେ ଆତ୍ମା ବୋଧ କରି ॥ ୨୦
ଅଳପ ଭୋଗେ ଆତ୍ମା ପୋଷେ । ବର୍ତ୍ତଇ ଅବା ଉପବାସେ ॥ ୨୧
ଥାଉଁ ଏ ବସୁନ୍ଧରୀ ଅଙ୍କ । ସୁବର୍ଣ୍ଣ ପଲେଙ୍କ କି ସୁଖ ॥ ୨୨
ସମର୍ଥ-ଭୁଜ ଥାଉଁ ବାମେ । କି ପ୍ରୟୋଜନ ଉପାଧାନେ ॥ ୨୩
ଅଞ୍ଜଳି ଅଛି ଯେବେ ହସ୍ତେ । କି ପ୍ରୟୋଜନ ଅନ୍ୟପାତ୍ରେ ॥ ୨୪
ଦିଗ-ବକଳ ଯାର ବାସ । ବସନେ ତାର କିବା ଆଶ ॥ ୨୫
ଲେଙ୍କଡ଼ା ବସ୍ତ୍ର ପଥେ ଦେଖି । ତାର ଗ୍ରହଣେ ହୋନ୍ତି ସୁଖୀ ॥ ୨୬
ଥାଉଁ ସମର୍ଥ ଦୁଇଭୁଜ । କୃତ୍ୟ କିଙ୍କରେ କିସ କାର୍ଯ୍ୟ ॥ ୨୭
ଆରୋହି ମନ ଯାର ପାଦ । ଗଜତୁରେଙ୍ଗ କିସ ସଧ ॥ ୨୮
ଫଳ ପୂରିଛି ବୃକ୍ଷେ ବନେ । କି ପ୍ରୟୋଜନ ଭିକ୍ଷାଅନ୍ନେ ॥ ୨୯
ନିର୍ଝର ନଦୀ କୂପ ସ୍ଥଳେ । କି ପ୍ରୟୋଜନ କମଣ୍ତଳେ ॥ ୩୦
ପର୍ବତ ଗୁହା ତୃଣେ ବେଢ଼ି । ସେ ଥାଉଁ ଗୃହେ କିମ୍ପା ପଡ଼ି ॥ ୩୧
ଏମନ୍ତ ଭାବେ କୃଷ୍ଣପାଦେ । ଯେ ପ୍ରାଣୀ ରମନ୍ତି ଆନନ୍ଦେ ॥ ୩୨
ତାହାଙ୍କ ରକ୍ଷଣ ଉପାୟ । କରନ୍ତି ପ୍ରଭୁ ଦେରାୟ ॥ ୩୩
ସେ କିମ୍ପା ଧନଗର୍ବୀ ଲୋକେ । କ୍ଷଣେ ଭଜିବେ ଆତ୍ମସୁଖେ ॥ ୩୪
ଏହି ପ୍ରକାରେ ଆତ୍ମଚିତ୍ତେ । ସିଦ୍ଧି ଲଭନ୍ତି ଅନୁଭୂତେ ॥ ୩୫
ସେ ପ୍ରାଣୀ ହୋଏ କୃତକୃତ୍ୟ । ତାହାକୁ ପ୍ରସନ୍ନ ଅନନ୍ତ ॥ ୩୬
ଏଣୁ ନିୟତ ଆତ୍ମା ଯୋଗେ । ଭଜିବ କୃଷ୍ଣ-ପାଦଯୁଗେ ॥ ୩୭
ମୁଁ ତୋତେ କହିଲି ବିଶ୍ୱାସେ । ଏଣେ ସଂସାର-ହେତୁ ନାଶେ ॥ ୩୮
ଏ ଭାବ ଅନାଦର କରି । ସଂସାର-ଚିନ୍ତା ଚିତ୍ତେ ଧରି ॥ ୩୯
ପଶୁଙ୍କ ପ୍ରାୟ ତାଙ୍କ ଗତି । ଏ ମାୟା-ସଂସାରେ ଭ୍ରମନ୍ତି ॥ ୪୦
ଦେଖ ସଂସାରେ ପ୍ରାଣୀ ଯେତେ । ଯନ୍ତ୍ରିତ ଯମର ଆୟତ୍ତେ ॥ ୪୧
ବଇତରଣୀ ନାମେ ନଦୀ । ଯାତନା ମଧ୍ୟେ ସେ ପ୍ରସିଦ୍ଧି ॥ ୪୨
ତହିଁ ପଡ଼ନ୍ତି ଦେଖୁ ଦେଖୁ । ତାଙ୍କ ଜୀବନ କେବା ରଖୁ ॥ ୪୩
ଅର୍ଜିଲା କର୍ମଫଳ ସେବି । ଅଶେଷ ଦେହେ ତାହା ଭାବି ॥ ୪୪
ଏବେ ହୋ ଶୁଣ ନୃପମଣି । ଯେଣେ ସଂସାରୁ ତରେ ପ୍ରାଣୀ ॥ ୪୫
ଏ ଭାବେ ଏ ନର-ଶରୀରେ । ଧାରଣାଯୋଗ ନିର୍ବିକାରେ ॥ ୪୬
ସ୍ୱଦେହେ ହୃଦୟ ପ୍ରକାଶେ । ସେ ହରି ଘୋରତମ ନାଶେ ॥ ୪୭
ପ୍ରାଦେଶମାତ୍ର ରୂପ ଧରି । ବିଜୟେ ପ୍ରଭୁ ନରହରି ॥ ୪୮
ସୂକ୍ଷ୍ମ-ସ୍ୱରୂପ ରୂପ ତାର । ଶୁଣ ସୁମନେ କୁରୁବୀର ॥ ୪୯
ଶ୍ୟାମସୁନ୍ଦର ଭୁଜଚାରି । ଶଙ୍ଖ-କମଳ-ଗଦା-ଅରୀ ॥ ୫୦
ଧାରଣା ଯୋଗେ ଏହା ଚିନ୍ତି । ନିଶ୍ଚଳ-ନୟନେ ଦେଖନ୍ତି ॥ ୫୧
ପ୍ରସନ୍ନ ଶ୍ରୀମୁଖ-ମଣ୍ତଳ । ଲୋଚନ ଅମଳ-କମଳ ॥ ୫୨
କଦମ୍ବ ଜିଞ୍ଜଳ୍ କ ସୁରଙ୍ଗେ । ପୀତବସନ ଶୋହେ ଅଙ୍ଗେ ॥ ୫୩
ସୁବର୍ଣ୍ଣ କରୀଟ କୁଣ୍ତଳ । ସୁନ୍ଦର ଅଳକା କପୋଳ ॥ ୫୪
ଅମୂଲ୍ୟ-ହାର ବକ୍ଷସ୍ଥଳେ । ରତ୍ନକେୟୂର ବାହୁମୂଳେ ॥ ୫୫
ହୃଦୟପଦ୍ମ ମଧ୍ୟେ ସ୍ମରି । ଯେ ପାଦଧ୍ୟାୟେ ବ୍ରହ୍ମଚାରୀ ॥ ୫୬
ସେ ପାଦ ଲକ୍ଷ୍ମୀରେ ଚିହ୍ନିତ । ଦିଶଇ ଅତ୍ୟନ୍ତ ଶୋଭିତ ॥ ୫୭
ଶ୍ରୀବତ୍ସ› କଉସ୍ତୁଭମଣି । ସୁବର୍ଣ୍ଣସୂତ୍ରେ ସୁଖଞ୍ଜଣି ॥ ୫୮
ଆଜାନୁଲମ୍ବେ ବନମାଳେ । ସ୍କନ୍ଧୁବେଷ୍ଟିତ ବକ୍ଷସ୍ଥଳେ ॥ ୫୯
ରତ୍ନମେଖଳା କଟୀମାଝେ । ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ ॥ ୬୦
ଅଙ୍ଗଦ ନୂପୁର କଙ୍କଣ । ବିବିଧ ଅଙ୍ଗ-ଆଭରଣ ॥ ୬୧
ଅମଳପୁଷ୍ପ ଶିରେ ଶୋହେ । ନୀଳକୁନ୍ତଳ ଜନ ମୋହେ ॥ ୬୨
ସୁନ୍ଦର ହୃଷିତ-ବଦନ । ଅଞ୍ଜନ ବିରାଜେ ନୟନ ॥ ୬୩
ଭ୍ରୂଭଙ୍ଗ ଅନୁଗ୍ରହ ମୁଖ । ଭ୍ରୂକୁଟୀ କୁଟୀଳ ସୁରେଖ ॥ ୬୪
ଅନେକ ଅନୁଗ୍ରହ ଯହିଁ । ସଞ୍ଚିତ ହୋଇଅଛି ରହି ॥ ୬୫
ଏମନ୍ତେ ଈଶ୍ୱରର ଦେହ । ଚିତ୍ତେ ଚିନ୍ତିବ ଚିନ୍ତାମୟ ॥ ୬୬
ଯାବତ ଧାରଣାର ବଳେ । ମନକୁ ରୁହାଇ ନିଶ୍ଚଳେ ॥ ୬୭
ତାବତ ଏକ ଏକ ଅଙ୍ଗେ । ନିତ୍ୟେ ଭାବିବ ବୁଦ୍ଧିଯୋଗେ ॥ ୬୮
ହାସବଦନୁ ପାଦଯାଏ । ଭାବିବ ବିଷ୍ଣୁ ସ୍ଥୂଳଦେହେ ॥ ୬୯
ସ୍ଥାନକୁ ସ୍ଥାନ ଧ୍ୟାନ କରି । ଛାଡ଼ିବ ଅପର ଆବୋରି ॥ ୭୦
ଯାବତ ବୁଦ୍ଧି ଏ ଶରୀରେ । ପରମେ ଭକ୍ତି ନ ବିଚାରେ ॥ ୭୧
ଯାବତ ବିଷ୍ଣୁ ନିଜ ଦେହେ । ନ ଦେଖି ତତ୍ତ୍ୱର ଉଦୟେ ॥ ୭୨
ତାବତ ସ୍ଥୂଳ ରୂପ ଚିନ୍ତି । ଚିତ୍ତେ ସ୍ମରିବ ନିତିନିତି ॥ ୭୩
ସୁଖେ ବସିବ ସ୍ଥିରାସନେ । ସ୍ଥୂଳ-ଶରୀର ଯୋଗଧ୍ୟାନେ ॥ ୭୪
ଏମନ୍ତ କରିବ ଧାରଣ । ଯାବତ ନ ଲଭେ ମରଣ ॥ ୭୫
ଏମନ୍ତ ଯୋଗୀ ଏ ଦେହକୁ । ଯେବେ ଇଚ୍ଛିବ ଛାଡ଼ିବାକୁ ॥ ୭୬
ପବିତ୍ର-ପୁଣ୍ୟ-ତୀର୍ଥ-କାଳ । ମନରେ ନ କରି ବିଚାର ॥ ୭୭
ଯୋଗସାଧନେ ପଞ୍ଚପ୍ରାଣ । ସାଧିବ ସମାଧି ଧାରଣ ॥ ୭୮
ଆସନ ପ୍ରତ୍ୟାହାର ବଳେ । ମନକୁ ସ୍ଥାପିବ ନିଶ୍ଚଳେ ॥ ୭୯
ମନ ସମେତେ ଇନ୍ଦ୍ରିଗଣ । ନିର୍ମଳ ବୁଦ୍ଧିରେ ସଂଯମ ॥ ୮୦
ସେ ବୁଦ୍ଧି କ୍ଷେତ୍ରଜ୍ଞେ ପ୍ରମାଣି । ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ॥ ୮୧
ଆତ୍ମାରେ ଆତ୍ମାକୁ ନିରୋଧି । ଏମନ୍ତେ ଯେ ଜନ ସୁବୁଦ୍ଧି ॥ ୮୨
ଆତ୍ମାର ଲାଭ ଲଭେ ହେଳେ । କର୍ମଛାଡ଼ିବ ତେତେବେଳେ ॥ ୮୩
ଏ ଭାବେ ଜୀବର ନିସ୍ତାର । କାଳର ନାହିଁ ଅଧିକାର ॥ ୮୪
ଦେବେ ନ ପାରେ ତାରେ ହିଂସି । ତ୍ରିଗୁଣେ ନ ପାରନ୍ତି ପଶି ॥ ୮୫
ଇନ୍ଦ୍ରିୟଗଣେ ଅଗୋଚର । ଯହିଁ ମହତତତ୍ତ୍ୱ ଦୂର ॥ ୮୬
ଦେବେ ନ ପାନ୍ତି ଯାହା ଚିନ୍ତି । ନ ଜାଣୁ ନ ଜାଣୁ ବୋଲନ୍ତି ॥ ୮୭
ଦୁରାତ୍ମାଭାବ ପରିହରି । ସୁହୃଦଭାବ ଚିତ୍ତେ ଧରି ॥ ୮୮
ଯେ ଅଟେ ବୈଷ୍ଣବର ଧାମ । ପରମପଦ ଯାର ନାମ ॥ ୮୯
ସେ ପଦ ହୃଦରେ ଧରନ୍ତି । ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି ॥ ୯୦
ଏ ରୂପେ ସାଧି ମୁନିଜନ । ପରମପଦେ କରେ ସ୍ଥାନ ॥ ୯୧
ଯେବେ ନ ପାରେ ଏ ସାଧନେ । ତେବେ ବିଜ୍ଞାନ-ଶାସ୍ତ୍ରଜ୍ଞାନେ ॥ ୯୨
ନାଶଇ ବିଷୟ-ବାସନା । ନାହିଁ ତା ମାୟାର ରଚନା ॥ ୯୩
ଯେବେ ତା ଦେହତ୍ୟାଗେ ମନ । ତେବେ ସାଧିବ ଦୃଢ଼ାସନ ॥ ୯୪
ବାମଚରଣ ପଛଭର । ତେଣେ ନିରୋଧି ମୂଳାଧାର ॥ ୯୫
ମୂଳପବନ ଉର୍ଦ୍ଧ୍ୱେ ତୋଳି । ନାଭିପବନ ସଙ୍ଗେ ମିଳି ॥ ୯୬
ବେନି ପବନ ପୁଣି ବଳେ । ସ୍ଥାପିବ ହୃଦୟ-କମଳେ ॥ ୯୭
ତହୁଁ ତୋଳିବ ତିନି ପ୍ରାଣ । କଣ୍ଠେ ଯେ ବସଇ ଉଦାନ ॥ ୯୮
ବ୍ୟାନ-ପବନ ତାର ତୁଲେ । ଧରି ସ୍ଥାପିବ ତାଳୁମୂଳେ ॥ ୯୯
ତହୁଁ କୁମ୍ଭକ ସାଧ୍ୟକରି । ପ୍ରାଣକୁ ଭ୍ରୂମଣ୍ତଳେ ଭରି ॥ ୧୦୦
ନିରୋଧ କରି ସପ୍ତଦ୍ୱାର । ସ୍ମରଣ କରିବ ଓଁକାର ॥ ୧୦୧
ଯେବେ ଭୋଗରେ ମନ ନାହିଁ । ମୁହୂର୍ତ୍ତଅର୍ଦ୍ଧ ତହିଁ ରହି ॥ ୧୦୨
ନିୟତ ଥାଇ ଯୋଗବନ୍ଧେ । ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ॥ ୧୦୩
ନିଶ୍ଚଳ-ଯୋଗ ଦୃଢ଼େ ସାଧି । ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି ॥ ୧୦୪
ପରମପଦେ ତାର ଗତି । ଦେହଇନ୍ଦ୍ରିୟ ପାଶୋରନ୍ତି ॥ ୧୦୫
ହେ ନୃପ ଯେବେ ବ୍ରହ୍ମପଦ । ବୋଲିବ ପ୍ରୟାସ-ଆସ୍ପଦ ॥ ୧୦୬
ଯେ ସିଦ୍ଧିଦେବଙ୍କର ସ୍ଥାନ । ଯେ ଅଷ୍ଟନିଧିରେ ସମ୍ପନ୍ନ ॥ ୧୦୭
ବ୍ରହ୍ମର ବ୍ରହ୍ମଲୋକେ ସ୍ଥିତି । ସେ ସ୍ଥାନ ଭୋଗ ମନେ ଚିନ୍ତି ॥ ୧୦୮
ଗୁଣ ସମୂହେ ଗୁଣସିଦ୍ଧି । ଯେବା ବାଞ୍ଛଇ ସର୍ବସିଦ୍ଧି ॥ ୧୦୯
ମନ ଇନ୍ଦ୍ରିୟଗଣ ମେଳେ । ତକ୍ଷଣେ ସେ ଲୋକରେ ମିଳେ ॥ ୧୧୦
ଯୋଗେଶ୍ୱରଙ୍କ ଏହୁ ଗତି । ପରମପୁରୁଷେ ବୋଲନ୍ତି ॥ ୧୧୧
ଏମନ୍ତ ତିନିଲୋକ ଜିଣି । ଶୁଣ କହିବା ପରିମାଣି ॥ ୧୧୨
ଯେ କର୍ମସାଧେ କର୍ମକାଣ୍ତେ । ସେ କାହିଁ ଯିବ ଉର୍ଦ୍ଧ୍ୱଦାଣ୍ତେ ॥ ୧୧୩
କେବା ଲଭିବ କର୍ମଭାବେ । ସମାଧି-ବିଦ୍ୟା-ତପ-ଯୋଗେ ॥ ୧୧୪
ଯେ ବ୍ରହ୍ମଲୋକ ମନେ କରେ । ପ୍ରଥମେ ଅଗ୍ନି ଆଶ୍ରେ କରେ ॥ ୧୧୫
ସୁଷୁମ୍ନାରନ୍ଧ୍ରେ ବ୍ରହ୍ମପଥେ । ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ ॥ ୧୧୬
ବିଧୂତ-କଳ୍ମଷ-ଶରୀର । ସେ ଚକ୍ରେ ସ୍ଥିତ ଶିଶୁମାର ॥ ୧୧୭
ସେ ଶିଶୁମାର ଚକ୍ରସାର । ସେ ଚକ୍ର ତଳେ ଧ୍ରୁବପୁର ॥ ୧୧୮
ବିଶ୍ୱର ନାଭି ସେ ବୋଲାଇ । ଆତ୍ମା ସ୍ୱରୂପେ ତହୁଁ ଯାଇ ॥ ୧୧୯
ପ୍ରବେଶ ପରମ-ସ୍ୱରୂପେ । ବ୍ରହ୍ମନିର୍ବାଣ ମହର୍ଲୋକେ ॥ ୧୨୦
କଳ୍ପଆୟୁଷ ଦେବଗଣେ । ଯହିଁ ରମନ୍ତି ଅନୁକ୍ଷଣେ ॥ ୧୨୧
ସେ ପୁଣି କଳ୍ପକ୍ଷୟକାଳେ । ଅନନ୍ତ-ନିଃଶ୍ୱାସ-ଅନଳେ ॥ ୧୨୨
ଦହନ ଦେଖି ଅନ୍ତରୀକ୍ଷେ । ଅନନ୍ତଶୟନେ ପ୍ରତ୍ୟକ୍ଷେ ॥ ୧୨୩
ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ । ବେଦ ଯା ବ୍ରହ୍ମଲୋକେ ଘୋଷେ ॥ ୧୨୪
ବେନିପରାର୍ଦ୍ଧ ଯହିଁ ଗଣି । ସେ ବ୍ରହ୍ମଲୋକ ପରିମାଣି ॥ ୧୨୫
ସଂସାରକର୍ତ୍ତା ଯେ ବୋଲାନ୍ତି । ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି ॥ ୧୨୬
ସେ ପୁରେ ନାହିଁ ଦୁଃଖଶୋକ । ଜରା-ମରଣ-ଉଦବେଗ ॥ ୧୨୭
ଚିତ୍ତଅନର୍ଥହେତୁ ନାହିଁ । ଜନ୍ମମରଣ ଭୟ କାହିଁ ॥ ୧୨୮
କେତେ ହେଁ କାଳେ ସେ ଭୁବନେ । ଥାଇ ଚିନ୍ତଇ ଅବଧାନେ ॥ ୧୨୯
ଲିଙ୍ଗ-ଶରୀରେ ପୃଥିବୀରେ । ନିର୍ଭୟେ ସେ ସ୍ଥଳେ ବିହରେ ॥ ୧୩୦
ପୃଥିବୀ ରୂପେ ଜଳେ ଯାଇ । ଯେ ଇଷ୍ଟଭୋଗ ତା ଭୁଞ୍ଜଇ ॥ ୧୩୧
ଅନଳ ମଧ୍ୟେ ତହୁଁ ସ୍ଥିତି । ଜ୍ୟୋତିସ୍ୱରୂପ ପ୍ରାଣ ଚିନ୍ତି ॥ ୧୩୨
ପବନେ କରଇ ସଞ୍ଚାର । ଧରଇ ପବନ ଶରୀର ॥ ୧୩୩
ସେ ବାୟୁ କାଳେ ନଭେ ପୁରେ । ସେ ନଭେ ଲିଙ୍ଗରୂପ ଧରେ ॥ ୧୩୪
ଗନ୍ଧ କଳ୍ପଇ ଘ୍ରାଣମାତ୍ରେ । ରସକୁ ରସନାସମେତେ ॥ ୧୩୫
ଦୃଷ୍ଟିରେ ରୂପକୁ ସଂହରେ । ପବନ ବଶେ ଚର୍ମ ପରେ ॥ ୧୩୬
ଆକାଶଗୁଣ କର୍ଣ୍ଣେ ଭରି । ଏ ରୂପେ ପ୍ରାଣ ସୂକ୍ଷ୍ମେ ଭରି ॥ ୧୩୭
ବୁଦ୍ଧି-ଇନ୍ଦ୍ରିୟ-ଭାବ ଏଣେ । ପଞ୍ଚତନ୍ମାତ୍ରେ ପରିମାଣେ ॥ ୧୩୮
ଏ ଅହଙ୍କାର ତିନିଗୁଣ । ବୁଦ୍ଧି-ଇନ୍ଦ୍ରିୟ-ଦିବ୍ୟଜ୍ଞାନ ॥ ୧୩୯
ପଞ୍ଚବିକାର ପଞ୍ଚଦେବା । ମନ ସମେତେ କରି ସେବା ॥ ୧୪୦
ଏ ପଞ୍ଚଦେବତା ସମେତେ । ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ ॥ ୧୪୧
ତେ ତତ୍ତ୍ୱଗୁଣର ସଂସ୍ଥାନ । ପ୍ରଧାନ ଦେହେ ହୋଏ ଲୀନ ॥ ୧୪୨
ସେ ନିତ୍ୟ-ଶାନ୍ତି-ସନାତନେ । ଆତ୍ମା-ନିରୋଧେ ଆତ୍ମଜ୍ଞାନେ ॥ ୧୪୩
ପ୍ରବେଶ କରେ ବିଦ୍ୟମାନେ । ବିଜ୍ଞାନ-ଆନନ୍ଦ-ଚେତନେ ॥ ୧୪୪
ଆନନ୍ଦଜ୍ଞାନ ରସଭୋଳେ । ଶାନ୍ତି ଲଭଇ ସୁନିଶ୍ଚଳେ ॥ ୧୪୫
ଏମନ୍ତେ ଧାରଣାନୁଭାବେ । ନିଶ୍ଚେ ପଶଇ ବାସୁଦେବେ ॥ ୧୪୬
ଅନ୍ତେ ଲଭଇ ଯେଉଁ ଗତି । ତାହାକୁ ବୋଲି ଭାଗବତୀ ॥ ୧୪୭
ଯହିଁ ପଶିଲେ ଆତ୍ମାମନ । ନ ଲଭେ ପୁନରାଗମନ ॥ ୧୪୮
ଶୁଣ ହେନୃପ ପରୀକ୍ଷିତ । ଯେଣୁ ପୁଚ୍ଛିଲୁ ଭାଗବତ ॥ ୧୪୯
ତେଣୁ କହିଲି ଶ୍ରୁତିଯୋଗେ । ତୋର ସମୀପେ ଅନୁରାଗେ ॥ ୧୫୦
ଦଇବେ କାଳ ଅବସାନ । ଏବେ କହିବା ଦିବ୍ୟଜ୍ଞାନ ॥ ୧୫୧
ବ୍ରହ୍ମାର ତପେ ହୋଇ ତୋଷ । ବିଷ୍ଣୁ ଯେ ଦେଲେ ଉପଦେଶ ॥ ୧୫୨
ଯେ ସଦ୍ୟୋମୁକ୍ତି କ୍ରମମୁକ୍ତି । ସ୍ୱଭାବସିଦ୍ଧ ବେନିଗତି ॥ ୧୫୩
ସେ ପଥ କହିବି ମୁଁ ତୋତେ । ଏବେ ତୁ ଶୁଣ ଏକଚିତ୍ତେ ॥ ୧୫୪
ସଂସାରେ ସଞ୍ଚରନ୍ତି ଯେତେ । ତାଙ୍କ ତାରଣେ ପଥ ଯେତେ ॥ ୧୫୫
ଏହିଟି ଜାଣ ଶିବପଥ । ତା ତହୁଁ ଭକ୍ତିଯୋଗ ଜାତ ॥ ୧୫୬
ଯେ କଥା ଶୁଣି ପ୍ରିୟଭାବେ । ଭକତି ଲଭେ ବାସୁଦେବେ ॥ ୧୫୭
ବ୍ରହ୍ମାର ତପକଷ୍ଟେ ହରି । ଯାହା କହିଲେ ଦୟାକରି ॥ ୧୫୮
ସେ ବ୍ରହ୍ମା ବ୍ରହ୍ମବେଦସାର । ସକଳ ବୁଝି ତିନିବାର ॥ ୧୫୯
ଯେ ଭକ୍ତି ଜୀବ-ସୁଖପଥ । ଏ ଭାବେ ହେଲା ଆତ୍ମେ ରତ ॥ ୧୬୦
ସେ ହରି ସର୍ବଭୂତ ମଧ୍ୟେ । ନିତ୍ୟେ ବିହରେ ଆତ୍ମାପଦେ ॥ ୧୬୧
ବୁଦ୍ଧି ଲକ୍ଷଣେ ଅନୁମାନେ । ନିଶ୍ଚଳଯୋଗୀ ଯୋଗଧ୍ୟାନେ ॥ ୧୬୨
କେ ଅବା କରିବ ଗୋଚର । ଜଗତ ବାହ୍ୟ-ଅଭ୍ୟନ୍ତର ॥ ୧୬୩
ଏ ଘେନି ସର୍ବ ଆତ୍ମାଭାବେ । ସର୍ବଦା କାଳେ ସର୍ବଠାବେ ॥ ୧୬୪
ହରିଙ୍କି ଶ୍ରୁତିପଥେ ଶୁଣ । ମୁଖେ ନିରତେ ନାମ ଭଣ ॥ ୧୬୫
ସେ ହରିକଥାମୃତରସ । ଯେ କରେ ଶ୍ରୁତିପଥେ ଗ୍ରାସ ॥ ୧୬୬
ବିଷୟ-ବିଦୂଷିତ-ଚିତ୍ତ । ପବିତ୍ର କରେ ଅନ୍ତର୍ଗତ ॥ ୧୬୭
ଗୋବିନ୍ଦ-ଚରଣ-କମଳେ । ପଶଇ ଭକ୍ତିଯୋଗବଳେ ॥ ୧୬୮
ଏ ଭାଗବତ ରସ ଯେତେ । ସୁଜନେ ପିବ ଶ୍ରୁତିପଥେ ॥ ୧୬୯
ବିଷୟାରସରେ ନ ରସ । କହଇ ଜଗନ୍ନାଥ ଦାସ ॥ ୧୭୦

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ପୁରୁଷସଂସ୍ଥାବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ॥

ତୃତୀୟ ଅଧ୍ୟାୟ[ସମ୍ପାଦନା]

ସୂତ ଉବାଚ

ଶୁକ କହନ୍ତି ଶୁଦ୍ଧଚିତ୍ତେ । ପ୍ରସନ୍ନେ ନୃପତି ଅଗ୍ରତେ ॥ ୧

ଶୁକ ଉବାଚ

ଶୁଣ ପରୀକ୍ଷ ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା ॥ ୨
ମନୁଷ୍ୟ ମଧ୍ୟେ ସାଧୁପ୍ରାଣୀ । ମରଣକାଳେ ଯାହା ଜାଣି ॥ ୩
ଏବେ କହିବି ଜ୍ଞାନସାର । ଭକତଜନଙ୍କ ବେଭାର ॥ ୪
ବ୍ରହ୍ମତେଜକୁ ଯାର ଇଚ୍ଛା । ବ୍ରହ୍ମଭଜନେ ହୋଇ ବାଞ୍ଛା ॥ ୫
ଇନ୍ଦ୍ରିୟସୁଖେ ଯାର ଭାବ । ସେ ନର ଇନ୍ଦ୍ରଙ୍କୁ ପୂଜିବ ॥ ୬
ପୁତ୍ରକାମରେ ଯାର ମତି । ସେ ଜନ ପୂଜେ ପ୍ରଜାପତି ॥ ୭
ଶ୍ରୀକାମୀ ପ୍ରାଣୀ ଦେବୀଭଜେ । ତେଜସ୍ୱୀ ପୂଜେ ଗ୍ରହରାଜେ ॥ ୮
ବସୁଙ୍କୁ ପୂଜେ ବସୁକାମୀ । ଦୃଢ଼ଭକତିଭାବ ଘେନି ॥ ୯
ବୀର୍ଯ୍ୟରେ ହୋଏ ଯାର ମତି । ସେ ଭଜେ ପଶୁଙ୍କରପତି ॥ ୧୦
ଅନ୍ନାଦିକାମେ ଯାର ଚିନ୍ତା । ସେବେ ଅଦିତି ଦେବମାତା ॥ ୧୧
ଦେବଙ୍କୁ ପୂଜେ ସ୍ୱର୍ଗକାମୀ । ବିଶ୍ୱଦେବାଙ୍କୁ ରାଜ୍ୟସ୍ୱାମୀ ॥ ୧୨
ସାଧ୍ୟଙ୍କୁ ପୂଜି ପ୍ରଜାହିତେ । ଆୟୁଷକାମେ ଅଶ୍ୱିସୁତେ ॥ ୧୩
ଯେ ପ୍ରାଣୀ ତୁଷ୍ଟ-ପୁଷ୍ଟିକାମୀ । ସର୍ବଲକ୍ଷଣେ ପୂଜେ ଭୂମି ॥ ୧୪
ପ୍ରତିଷ୍ଠାକାମେ ଯେବେ ଇଚ୍ଛେ । ସେ ପୂଜେ ଭୂମି-ଅନ୍ତରୀକ୍ଷେ ॥ ୧୫
ସୁନ୍ଦରରୂପେ ଯାର ଭାବ । ସେ ନର ପୂଜନ୍ତି ଗନ୍ଧର୍ବ ॥ ୧୬
ଯେ ନର ଇଚ୍ଛେ ଦିବ୍ୟନାରୀ । ଭାବେ ଉର୍ବଶୀ ପୂଜାକରି ॥ ୧୭
ସକଳ-ଆଧିତ୍ୟ-ଚିନ୍ତା । ଯେ କରେ ସେ ପୂଜେ ବିଧାତା ॥ ୧୮
ଯଶ ଇଚ୍ଛଇ ଯେହୁ ନର । ଯଜ୍ଞେ ପୂଜିବ ଯଜ୍ଞେଶ୍ୱର ॥ ୧୯
ଧନଭଣ୍ତାର ଯେ ଇଚ୍ଛନ୍ତି । ବରୁଣ-ଚରଣେ ପୂଜନ୍ତି ॥ ୨୦
ଇଶ୍ୱରପୂଜେ ବିଦ୍ୟାଅର୍ଥୀ । ଦମ୍ପତିକାମେ ଉମାସତୀ ॥ ୨୧
ଧର୍ମାର୍ଥୀ ବିଷ୍ଣୁର ଚରଣେ । ସନ୍ତାନଅର୍ଥେ ପିତୃଗଣେ ॥ ୨୨
ଯକ୍ଷକୁ ପୂଜେ ରକ୍ଷାକାମେ । ବଳାର୍ଥୀ ପୂଜେ ପ୍ରଭଞ୍ଜନେ ॥ ୨୩
ସକଳରାଜ୍ୟେ ରାଜାପଣେ । ସେ ଆଶେ ପୂଜେ ମନୁଗଣେ ॥ ୨୪
ଶତ୍ରୁମାରଣେ ଯାର ଇଚ୍ଛା । ରାକ୍ଷସ-ଭଜନେ ତା ବାଞ୍ଛା ॥ ୨୫
ସୋମକୁ ପୂଜେ କାମକାମୀ । ଅକାମୀ ଆତ୍ମାରାମେ ରମି ॥ ୨୬
ଅକାମେ ଅବା ସର୍ବକାମେ । ଯେ ଅବା ଭଜେ ମୋକ୍ଷକାମେ ॥ ୨୭
ପରମପୁରୁଷ ଚରଣେ । ଯେବା ସେବନ୍ତି ଦାସପଣେ ॥ ୨୮
ଏ ଭାବେ ତାହାଙ୍କ ଜୀବନ । ଜନ୍ମମରଣେ ଧନ୍ୟ ଧନ୍ୟ ॥ ୨୯
ପରମପଦ ସେ ଲଭନ୍ତି । କୃଷ୍ଣଚରଣେ ନିତ୍ୟେ ଚିନ୍ତି ॥ ୩୦
ହରିଭକତଜନ ସଙ୍ଗେ । ତରଇ ଏ ଭବତରଙ୍ଗେ ॥ ୩୧
ଜ୍ଞାନ ପ୍ରସରେ ଭକ୍ତିବଳେ । ତ୍ରିଗୁଣ ହରଇ ନିଶ୍ଚଳେ ॥ ୩୨
ଆତ୍ମା ପ୍ରସନ୍ନ ସୁବିବେକେ । ଗୁଣେ ଅସଙ୍ଗ ବେନିଲୋକେ ॥ ୩୩
କୈବଲ୍ୟ-ସମ୍ମତ ଏ ପଥ । ଏ ଭକ୍ତି ଯୋଗୀଙ୍କର ମତ ॥ ୩୪
କେବା ନିବୃତ ହରିଭାବେ । ଆତ୍ମାର କଇବଲ୍ୟ-ଲାଭେ ॥ ୩୫
ଶୌନକ ସୂତମୁଖ ଚାହିଁ । ପୁଣି ପୁଚ୍ଛଇ ଭାବବହି ॥ ୩୬

ଶୌନକ ଉବାଚ

ଏମନ୍ତ ଶୁକ ମୁଖୁ ଶୁଣି । ସେ କୁରୁବୀର ଚୂଡ଼ାମଣି ॥ ୩୭
ପୁଣି ସେ ଅଭିମନ୍ୟୁ ବଳା । ଆନ-ପ୍ରଶନ କିବା କଲା ॥ ୩୮
ସେ ହରିକଥା ଆମ୍ଭଆଗେ । ହେ ସୂତ କହ ସଭାଯୋଗେ ॥ ୩୯
ସେ କଥା ତୁମ୍ଭ ମୁଖୁ ଶୁଣି । ତରିବୁ ଭବ-ତରଙ୍ଗିଣୀ ॥ ୪୦
ତୁମ୍ଭର ଅଛି ଯେବେ ସ୍ନେହ । ସଦୟଚିତ୍ତେ ମୁନି କହ ॥ ୪୧
ଯେ ହରିକଥା ସଭାମଧ୍ୟେ । ଭକତେ କହନ୍ତି ଆନନ୍ଦେ ॥ ୪୨
ସେ ପଣ୍ତୁବଂଶେ ମହାରଥ । ସ୍ୱଭାବେ କୃଷ୍ଣଅଂଶେ ଜାତ ॥ ୪୩
ବାଳକ-କ୍ରୀଡ଼ା-ରସଖେଳେ । ଯେ ପୂଜେ କୃଷ୍ଣ-ପାଦମୂଳେ ॥ ୪୪
ବ୍ୟାସକୁମର ସତ୍ତ୍ୱଗୁଣ । ସ୍ୱଭାବେ ବିଷ୍ଣୁ-ପାରାୟଣ ॥ ୪୫
ପରମାନନ୍ଦ ଗୁଣଗାଥା । ସତସଙ୍ଗମେ ଯେ ବକତା ॥ ୪୬
ଜୀବନ ବହି ଏ ଜଗତେ । ହରିକଥାରେ ନିତ୍ୟେ ନିତ୍ୟେ ॥ ୪୭
ନ କରେ ଜୀବନ ସଫଳ । ବ୍ୟର୍ଥ ତାହାର ଆୟୁର୍ବଳ ॥ ୪୮
ଏ ରବି ଉଦେ ଅସ୍ତକାଳେ । ଜନ୍ତୁଜୀବନ ଘେନି ଚଳେ ॥ ୪୯
ଯେ ହରିଭାବେ ଥାନ୍ତି ଜଡ଼ି । ତାଙ୍କ ଜୀବନ ଦୂରେ ଏଡ଼ି ॥ ୫୦
ଏ ତରୁଗଣେ ଏ ସଂସାରେ । ଜୀବନ୍ତି ଅଜ୍ଞାନ ପ୍ରକାରେ ॥ ୫୧
ଲୌହକାରଙ୍କ ଗୃହେ ଭାତି । ଶ୍ୱାସ ଛାଡ଼ନ୍ତେ ନ ଜୀବତି ॥ ୫୨
ଗ୍ରାମ-କାନନେ ପଶୁଗଣ । କି ନ ଭକ୍ଷନ୍ତି ଜଳତୃଣ ॥ ୫୩
ମୂତ୍ରୁପୁରୀଷ ଉତ୍ସର୍ଗନ୍ତି । ଅଜ୍ଞାନସୁଖେ ସେ ଜୀବନ୍ତି ॥ ୫୪
ଶ୍ୱାନ ଶୁକର ଉଷ୍ଟ୍ରଖର । ଏହାଙ୍କ ସମାନ ସେ ନର ॥ ୫୫
କୃଷ୍ଣର ନାମ ଉଚ୍ଚାରଣ । ନ ଶୁଣେ ଯାହାର ଶ୍ରବଣ ॥ ୫୬
ତାହାର ଶ୍ରୁତିଯୁଗ କାନ୍ଥେ । ବିବରେ ଦିଶନ୍ତି ଯେମନ୍ତେ ॥ ୫୭
ତୁଣ୍ତର ମଧ୍ୟେ ଜିହ୍ୱା ବହି । ଯେ ହରିନାମ ନ ଭଜଇ ॥ ୫୮
ଦର୍ଦ୍ଦୁର ବାଣୀ ବୋଲି ତାରେ । ଯେ ହରିନାମ ନ ଉଚ୍ଚାରେ ॥ ୫୯
ଯାର ଉତ୍ତମ-ଅଙ୍ଗସାଜେ । ସୁବର୍ଣ୍ଣ-ମୁକୁଟ ବିରାଜେ ॥ ୬୦
ପାଟବସନେ ବାନ୍ଧି ଚୂଳ । ଶ୍ରବଣେ ମକର-କୁଣ୍ତଳ ॥ ୬୧
ସେ ଯେବେ ହରିଙ୍କି ନ ନମେ । ସେ ମୁଣ୍ତ ଭାରବହି ଶ୍ରମେ ॥ ୬୨
ସେ ବା ସୁନ୍ଦର ବେନିଭୁଜେ । କାଞ୍ଚନ କଙ୍କଣ ବିରାଜେ ॥ ୬୩
କୃଷ୍ଣର କାର୍ଯ୍ୟ ଯେବେ ନୋହେ । ଶ୍ୱଶାନ-ଅସ୍ଥି ପ୍ରାୟ ହୋଏ ॥ ୬୪
ଲୋଚନବେନି ଥାଉଁ ମୁଖେ । ଯେ ହରିମୂରତି ନ ଦେଖେ ॥ ୬୫
ମୟୂରପୁଚ୍ଛ ବୋଲି ତାରେ । ସେ ଅନ୍ଧ ସଂସାର-ସାଗରେ ॥ ୬୬
ଚରଣଯୁଗ ବହି ନରେ । ଯେବେ ନ ଯାନ୍ତି ବିଷ୍ଣୁ ପୁରେ ॥ ୬୭
ତାହାକୁ ବୋଲି ବୃକ୍ଷଦୁଇ । ସେ ଯେହ୍ନେ ପାଦେ ନ ଚଳଇ ॥ ୬୮
କୃଷ୍ଣର ଭକତଚରଣୁ । ଶିରେ ନ ଲାଗେ ଯାର ରେଣୁ ॥ ୬୯
ପବିତ୍ର ନୋହେ ତା ଶରୀର । ଜୀଅଁନ୍ତା ଶବର ଆକାର ॥ ୭୦
ତୁଳସୀଦଳ କୃଷ୍ଣଦେହେ । ଶୁଦ୍ଧ-ସୌରଭ-ଗନ୍ଧ ବହେ ॥ ୭୧
ସେ ଗନ୍ଧ ଯାର ନାସାଦ୍ୱାର । ନ ଲଭେ ଶବ ତା ଶରୀର ॥ ୭୨
ଗୋବିନ୍ଦନାମ ଯାରହୃଦେ । ନ ପଶେ ପୁଲକ ଆନନ୍ଦେ ॥ ୭୩
କି ଅବା ପଶିଲେ ହୃଦରେ । ନୟନୁ ଅଶ୍ରୁ ତା ନ ଝରେ ॥ ୭୪
ତାର ହୃଦୟ ଅଶ୍ମସାର । ବହଇ ଲୋହମୟ ଭାର ॥ ୭୫
ହେ ସୂତ ଶୁଣ କୃଷ୍ଣଗୁଣ । ଶୁଣାଅ ଆମ୍ଭର ଶ୍ରବଣ ॥ ୭୬
ଯେ ସାଧୁ ପ୍ରଶ୍ନ ପରୀକ୍ଷିତ । ପୁଚ୍ଛିଲା ଶୁକଙ୍କ ଅଗ୍ରତ ॥ ୭୭
ହରଷେ ବ୍ୟାସଙ୍କ କୁମର । ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର ॥ ୭୮
ଆନନ୍ଦେ ମୁନିଗଣମେଳେ । ଯାହା କହିଲେ ଗଙ୍ଗାକୂଳେ ॥ ୭୯
ସେ ଆମ୍ଭମନ ଅନୁକୂଳ । କହି ସଂସାରୁ କର ପାର ॥ ୮୦
ସେ ହରି-ଚରଣ-ପଙ୍କଜେ । ବ୍ରାହ୍ମଣ-ଜଗନ୍ନାଥ ଭଜେ ॥ ୮୧

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ତୃତୀୟୋଽଧ୍ୟାୟଃ ॥

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ସୂତକ ଉବାଚ

ଏମନ୍ତ ଶୁକବାକ୍ୟ ଶୁଣି । ଆତ୍ମାର ତତ୍ତ୍ୱ ମନେ ଗୁଣି ॥ ୧
କୃଷ୍ଣବିଷୟେ ଦୃଢ଼ମନ । କଳ୍ପିଲା ଉତ୍ତରା-ନନ୍ଦନ ॥ ୨
ଆତ୍ମା-କଳତ୍ର-ସୁତ-ଗୃହେ । ପଶୁ-ଦ୍ରବିଣ-ବନ୍ଧୁସ୍ନେହେ ॥ ୩
ରାଜ୍ୟ-ସମ୍ପଦ ଯେତେ ଆଶ । ହୃଦୁ ଛାଡ଼ିଲା ସ୍ନେହପାଶ ॥ ୪
ତୁମ୍ଭେ ଯା ପଚାରିଲ ମୋତେ । ଏ କଥା ରାଜା ଦୃଢ଼ଚିତ୍ତେ ॥ ୫
କୃଷ୍ଣାନୁଭାବ ଶୁଣିବାରେ । ଶ୍ରଦ୍ଧାବଳିଲା ନିର୍ବିକାରେ ॥ ୬
ଆତ୍ମନିଧନ ମନେ ସ୍ମରି । ବେଦବଚନ ଦୃଢ଼କରି ॥ ୭
କୃଷ୍ଣବିଷୟେ ଦୃଢ଼ଚିତ୍ତ । ନିଶ୍ଚୟ କରି ପରୀକ୍ଷିତ ॥ ୮
ଆତ୍ମତ୍ୱଭାବ ହେଲେ ଦେହେ । ପୁଣି ପୁଚ୍ଛଇ ଅତି ସ୍ନେହେ ॥ ୯

ରାଜା ଉବାଚ

ହେ ଶୁକ ତୁମ୍ଭର ବଚନ । କୃଷ୍ଣର ଯେତେ ଗୁଣକର୍ମ ॥ ୧୦
ଯାହା ଶୁଣନ୍ତେ ପାପହରେ । ପବିତ୍ର ବାହ୍ୟ-ଅଭ୍ୟନ୍ତରେ ॥ ୧୧
ଶୁଣି ଅଜ୍ଞାନ ମୋର ଗଲା । ତୁମ୍ଭ ପ୍ରସାଦ ଯେଣୁ ହେଲା ॥ ୧୨
ସେ କଥା କହ ମୁନି ମୋତେ । ଯେମନ୍ତେ ଧରି ଦୃଢ଼ଚିତ୍ତେ ॥ ୧୩
ସେ ହରି ଆତ୍ମମାୟାବଳେ । ସୃଷ୍ଟି ସଞ୍ଚଇ ଏ ଶୟଳେ ॥ ୧୪
ବିଷ୍ଣୁର ସର୍ଜିଲା ସଂସାର । ଅନ୍ୟଦେବଙ୍କୁ ଅଗୋଚର ॥ ୧୫
ସେ କଥା ଜାଣିବାର ପାଇଁ । ଭୋ ମୁନି ପୁଣି ମୁଁ ପୁଚ୍ଛଇ ॥ ୧୬
ସେ ବହୁ ଶକ୍ତିମନ୍ତ ହରି । ପରମ-ପୁରୁଷ-ମୁରାରି ॥ ୧୭
ଯେମନ୍ତେ ପାଳି ପୁଣ ପରେ । ଯେ କାଳେ ଯେବା ଶକ୍ତିଧରେ ॥ ୧୮
ଆତ୍ମାକୁ ଆତ୍ମା କରି ଖେଳା । କୁହୁକମତେ ବିଷ୍ଣୁଲୀଳା ॥ ୧୯
ସୃଜଇ ପାଳଇ ସଂହରେ । ମାୟା-ତ୍ରିଗୁଣରୂପ ଧରେ ॥ ୨୦
ଯେମନ୍ତେ ବ୍ରହ୍ମା-ବିଷ୍ଣୁ-ହର । କ୍ରୀଡ଼ନ କରେ ଦାମୋଦର ॥ ୨୧
ବିବିଧରୂପ ଏ ଜଗତେ । ଯେମନ୍ତେ କରେ କ୍ରୀଡ଼ାଅର୍ଥେ ॥ ୨୨
ଅଦ୍ଭୁତକର୍ମ ଏ ତାହାର । କେ କରି ପାରିବ ଗୋଚର ॥ ୨୩
ଏକଇ ପୁରୁଷ ଅନନ୍ତ । ପ୍ରକୃତିମତେ ବହୁମତ ॥ ୨୪
ଆଦିପୁରୁଷ ରୂପ ଧରି । ଯେମନ୍ତେ କ୍ରମେ ନରହରି ॥ ୨୫
କାର୍ଯ୍ୟମାନଙ୍କୁ ଏ ସଂସାରେ । କଲେ କହିବା ମୁନିବରେ ॥ ୨୬
ଯେ ଶବ୍ଦ ବ୍ରହ୍ମରେ ବିଚାର । ବ୍ରହ୍ମାନୁଭବରେ ଗୋଚର ॥ ୨୭
ଏକ ଅନେକ ରୂପ ଧରେ । ଅଶେଷଜନ୍ମ କର୍ମ କରେ ॥ ୨୮
ଏଣୁ ଶ୍ରବଣେ ଇଚ୍ଛା ମୋର । କହ ହେ ବ୍ୟାସଙ୍କ କୁମର ॥ ୨୯
ହେ ମହାମୁନି ଭାଗବତ । ଶ୍ରବଣେ ପିଆଅ ଅମୃତ ॥ ୩୦

ସୂତ ଉବାଚ

ଏମନ୍ତ ପରୀକ୍ଷିତ କଥା । ପୁରୁଷୋତ୍ତମ-ଗୁଣଗାଥା ॥ ୩୧
ଶୁଣି ସାନନ୍ଦ ବ୍ୟାସସୁତ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୩୨
ସେ ପରୀକ୍ଷିତେ ପ୍ରତିବାଣୀ । କହିବା ଅର୍ଥେ ମୁନିମଣି ॥ ୩୩
ଧ୍ୟାନେ ସେ ଚିନ୍ତି ନାରାୟଣ । ବୋଇଲେ ପରୀକ୍ଷିତ ଶୁଣ ॥ ୩୪
ନମସ୍ତେ ପରମ-ପୁରୁଷ । ଅନନ୍ତଘଟେ ଯା ପ୍ରକାଶ ॥ ୩୫
ଲୀଳାବିହାରେ ସୃଷ୍ଟିକରେ । ପାଳଇ ପୁଣି ସେ ସଂହରେ ॥ ୩୬
ହେଳେ ଏ ତିନିଶକ୍ତି ଧରେ । ଜନ୍ତୁର ଅନ୍ତରେ ବିହରେ ॥ ୩୭
ତେଣୁ ତା ମାର୍ଗ ଉପଲକ୍ଷ୍ୟ । କରିବ କାହାର ବା ଶକ୍ୟ ॥ ୩୮
ନମସ୍ତେ ଜଗତଜୀବନ । ସାଧୁଙ୍କ ବୃଜିନ-ଦହନ ॥ ୩୯
ଅସାଧୁ-ଦମନ ବେଭାର । ଅଖିଳଜନ୍ତୁ ରୂପ ତୋର ॥ ୪୦
ପରମହଂସଙ୍କ ଆଶ୍ରମେ । ଯେ ବ୍ୟବସ୍ଥିତ ପ୍ରାଣୀମାନେ ॥ ୪୧
ତାହାଙ୍କ ଆତ୍ମତତ୍ତ୍ବଦାତା । ନିରତେ ତୋର ପାଦେ ଚିନ୍ତା ॥ ୪୨
ନମସ୍ତେ ସାତ୍ତ୍ବତବତ୍ସ›ଳ । କୁଯୋଗୀଗଣେ ଅଗୋଚରେ ॥ ୪୩
ସମେ ପ୍ରକାଶ ସର୍ବଠାରେ । ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ ॥ ୪୪
ଐଶ୍ୱର୍ଯ୍ୟେ ପରମ-କାରଣ । ଯେ ନିତ୍ୟେ ସ୍ୱଧାମ-ଧାରଣ ॥ ୪୫
ଯା ନାମ ଶ୍ରବଣ-କୀର୍ତ୍ତନ । ଯା ରୂପ ଦେଖିଣ ନୟନ ॥ ୪୬
ନମିଲେ ଯାହାର ଚରଣ । ସ୍ମରଣ ପୂଜା ସମର୍ପଣ ॥ ୪୭
ଜନ୍ତୁଙ୍କ କଳ୍ମଷ ନାଶଇ । ଯେ ସର୍ବମଙ୍ଗଳ ବୋଲାଇ ॥ ୪୮
ଯେହରି ଶରଣ-ସୋଦର । ତାହାଙ୍କୁ ମୋର ନମସ୍କାର ॥ ୪୯
ପଣ୍ତିତଜନ ଯାର ପାଦେ । ସେବା ସମ୍ପାଦି ଅପ୍ରମାନେ ॥ ୫୦
ଆତ୍ମାର କଳ୍ମଷ ନାଶନ୍ତି । ଜନ୍ମମରଣେ ନଡରନ୍ତି ॥ ୫୧
ଆତ୍ମାର ଶ୍ରମ କରି ଶାନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି ॥ ୫୨
ସର୍ବମଙ୍ଗଳ ଦାମୋଦର । ତାହାଙ୍କୁ ମୋର ନମସ୍କାର ॥ ୫୩
ଯେ ପ୍ରାଣୀ ତପ-ଦାନ କରେ । ଯଶ ସମ୍ପାଦି ଏ ସଂସାରେ ॥ ୫୪
ସୁବୁଦ୍ଧିପଣେ ମନ୍ତ୍ରସାଧି । ମଙ୍ଗଳକର୍ମକୁ ଆରାଧି ॥ ୫୫
ଏଣୁ ଅର୍ଜନ୍ତି ଯେତେ ଫଳ । ତୋତେ ନ ସମର୍ପି ନିଷ୍ଫଳ ॥ ୫୬
ସୁଭଦ୍ରଶ୍ରବା ନାମ ଯାର । ତାହାଙ୍କୁ ମୋର ନମସ୍କାର ॥ ୫୭
କିରାତ ହୂଣ ଆନ୍ଧ୍ର ଯେତେ । ପୁଳିନ୍ଦ ଚଣ୍ତାଳ ସମେତେ ॥ ୫୮
ଆଭୀର କଙ୍କ ଯେ ଯବନ । ଏ ଆଦି ଯେତେ ଅନ୍ତ୍ୟଜନ ॥ ୫୯
ଦୁଷ୍କୃତକର୍ମ ଯେ କରନ୍ତି । ଯା ପାଦ ଆଶ୍ରିତେ ତରନ୍ତି ॥ ୬୦
ସର୍ବ-ପ୍ରଭବଶୀଳ ଯେହି । ତା ପାଦପଦ୍ମେ ମୁଁ ନମଇଁ ॥ ୬୧
ଯେ ହରି ଜଗତ-ଜୀବନ । ଆତ୍ମଜ୍ଞାନୀଙ୍କ ଆତ୍ମାଧନ ॥ ୬୨
ଏ ତିନିବେଦ ଯାର ଦେହ । ଯେ ଧର୍ମମୟ ତପୋମୟ ॥ ୬୩
ନିର୍ମଳତପେ ଯୋଗୀଜନେ । ବ୍ରହ୍ମାଶଙ୍କର ଅନୁମାନେ ॥ ୬୪
ନାନାପ୍ରକାରେ ଧ୍ୟାନେ ଚିନ୍ତି । ଯା ରୂପ କେହି ନ ଦେଖନ୍ତି ॥ ୬୫
ଯେ ଲକ୍ଷ୍ମୀପତି ଯଜ୍ଞପତି । ଯେ ପ୍ରଜାପତି ଜ୍ଞାନପତି ॥ ୬୬
ଯେ ଲୋକପତି ଧରାପତି । ଯାଦବବଂଶ-ପତି-ଗତି ॥ ୬୭
ସାଧବଗଣେ ଯାହା ଚିନ୍ତି । ସେ ହେଉ ମୋର ମନେ ସ୍ଥିତି ॥ ୬୮
ଯାର ଚରଣ-ଧ୍ୟାନବଳେ । ନିଶ୍ଚଳ-ସମାଧିର ଜଳେ ॥ ୬୯
ବୁଦ୍ଧି କି ପ୍ରକ୍ଷାଳନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୭୦
ସଗୁଣ-ନିର୍ଗୁଣ ବିଚାରେ । କହନ୍ତି ଯଥା ଅନୁସାରେ ॥ ୭୧
ସେହରି ମୋର ହୃଦଗତେ । ପ୍ରକାଶ ହେଉ ଅବିରତେ ॥ ୭୨
ଯାହାର ଆଜ୍ଞା ପରମାଣେ । ଭାରତୀ ଆସି ତତକ୍ଷଣେ ॥ ୭୩
ପ୍ରକାଶି କଳ୍ପ ଆଦିକାଳେ । ବ୍ରହ୍ମାର ହୃଦୟ-କମଳେ ॥ ୭୪
ସୃଷ୍ଟି-ବିଷୟ ଜ୍ଞାନ ଦେଲା । ମୁଖେ ଗାୟତ୍ରୀ ଉଚ୍ଚାରିଲା ॥ ୭୫
ନମସ୍ତେ ବ୍ୟାସରୂପ ହରି । ହୃଦୟେ ବସ କୃପା କରି ॥ ୭୬
ମହତ ଆଦି ପଞ୍ଚଭୂତେ । ଜନ୍ତୁ ଭିଆଇ ଏ ଜଗତେ ॥ ୭୭
ଜନ୍ତୁଙ୍କ ହୃଦୟ-କମଳେ । ଯାର ଆସନ ସୁଖଭୋଳେ ॥ ୭୮
ଗୁଣସମୂହ ସୁଖେ ଭୁଞ୍ଜେ । ଷୋଡ଼ଶଆତ୍ମାରୂପେ ରାଜେ ॥ ୭୯
ସେ ହରି ବସୁ ମୋର ହୃଦେ । ବାକ୍ୟ ଆବୋରି ପଦେପଦେ ॥ ୮୦
ନମଇଁ ବ୍ୟାସମୁନିବର । କୃଷ୍ଣେ ଅକୁଣ୍ଠବୁଦ୍ଧି ଯାର ॥ ୮୧
ଯା ମୁଖପଦ୍ମୁଁ ଜ୍ଞାନରସେ । ମୁନିଏ ପିବନ୍ତି ହରଷେ ॥ ୮୨
ଯେ ହରିକଥା ପୂର୍ବକାଳେ । ନାରଦଋଷି ମୁନିମେଳେ ॥ ୮୩
ବ୍ରହ୍ମାଙ୍କୁ ପଚାରିଲେ ଯେତେ । ପ୍ରସନ୍ନେ କହିବି ମୁଁ ତୋତେ ॥ ୮୪
ଏ ବାଣୀ ଶୁଣି ସୁଖଭୋଳେ । ପ୍ରାଣୀ ନିସ୍ତରେ ଭବଜଳେ ॥ ୮୫
କହଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ ॥ ୮୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ॥

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

ଆନନ୍ଦ ଚିତ୍ତେ ସେ ନାରଦ । ପୁଚ୍ଛଇ ବ୍ରହ୍ମାଙ୍କର ପାଦ ॥ ୧

ନାରଦ ଉବାଚ

ଭୋ ଦେବଦେବ ନମସ୍ତୁତେ । ଭୂତଭାବନ ତୁ ଜଗତେ ॥ ୨
ସୃଷ୍ଟିର ଅଗ୍ରେ ତୋର ଦେହୀ । ତୋ ଭାବ ନ ଜାଣନ୍ତି କେହି ॥ ୩
ଆତ୍ମାର ତତ୍ତ୍ୱ ତୁମ୍ଭେ ଜାଣ । ଯେ ବେଦ-ପୁରାଣେ ପ୍ରମାଣ ॥ ୪
ଯେ ରୂପ ଯହିଁ ତୋର ବାସ । ଯହୁଁ ଏ ଜଗତ ପ୍ରକାଶ ॥ ୫
ଯାହାର ଆଶ୍ରେ ଏ ବର୍ତ୍ତଇ । ପ୍ରକାଶି ଯହିଁ ଲୀନ ହୋଇ ॥ ୬
ଭୂତ-ଭବିଷ୍ୟ-ବର୍ତ୍ତମାନ । ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ ॥ ୭
ହସ୍ତେ ଅଏଁଳାଫଳ ପ୍ରାୟେ । ତୁମ୍ଭ ଗୋଚରେ ଜ୍ଞାନ ରହେ ॥ ୮
ଯେଣୁ ତୁମ୍ଭର ଜ୍ଞାନ ସ୍ଫୁରେ । ଯେବା ତୁମ୍ଭଙ୍କୁ ହୃଦେ ଧରେ ॥ ୯
ଯାହାର ବଶ ତୁ ବୋଲାଇ । ବର୍ତ୍ତୁ ତୁ ଯାର ଆତ୍ମା ବହି ॥ ୧୦
ଭୂତେ ସଞ୍ଚରି ଭୂତ କରୁ । ଯାହାର ମାୟାରେ ବିହରୁ ॥ ୧୧
ଏ ଭୂତଗଣଙ୍କୁ ଯେ ପାଳେ । ଅପରାଭବୀ ଆତ୍ମା ତୁଲେ ॥ ୧୨
ଆତ୍ମାର ଶକ୍ତିବଳେ ଭାବି । ଅକ୍ଳେଶେ ଯଥା ଉର୍ଣ୍ଣନାଭି ॥ ୧୩
ଏ ସୃଷ୍ଟିକର୍ମ ଅଗୋଚର । କି ନାମ ଗୁଣରୂପ ଆର ॥ ୧୪
ପର ଅପର ଯେ ମଧ୍ୟମ । ଯେ ଅବା ଅଛି ସ୍ଥୂଳସୂକ୍ଷ୍ମ ॥ ୧୫
ଜାଣେ ମୁଁ ନାହିଁ ତୋ ବାହାରେ । ଅନ୍ୟ ବା କେ ଅଛି ସଂସାରେ ॥ ୧୬
ତୁମ୍ଭେ ଯେ ଘୋରତପ କର । ଆତ୍ମା ସମାଧିବଳେ ଧର ॥ ୧୭
ତେଣୁ ମୋହିତ ମୋର ମନ । ତୁମ୍ଭ ଉପରେ କେବା ଅନ୍ୟ ॥ ୧୮
ଏ ମାୟା ସୃଜିଲା କେମନ୍ତେ । ଏଣୁ ସଂଶୟ ମୋର ଚିତ୍ତେ ॥ ୧୯
ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର । ମୋର ସଂଶୟ କର ଦୂର ॥ ୨୦
ଭକତଭାବେ ପଚାରଇ । ସ୍ୱଭାବେ ପୁତ୍ର ମୁଁ ଅଟଇ ॥ ୨୧
ଯେମନ୍ତେ ମୋର ଚିତ୍ତେ ସ୍ଫୁରେ । ଏ ବିଶ୍ୱ ସମାଧି-ଗୋଚରେ ॥ ୨୨
ଏଣୁ ନାରଦବାକ୍ୟ ଶୁଣି । ହରଷେ କହେ ପଦ୍ମଯୋନି ॥ ୨୩

ବ୍ରହ୍ମା ଉବାଚ

ଧନ୍ୟ ନାରଦ ମୁନିବର । ସାଧୁ ପ୍ରସ୍ତାବ ଏ ତୋହର ॥ ୨୪
ତୁ ଯେ ପଚାରୁ ଜନହିତେ । ଏ ବ୍ରହ୍ମଭାଗ ଭାଗବତେ ॥ ୨୫
ବିଷ୍ଣୁ ମହିମା ଦରଶନେ । ପୁଚ୍ଛିଲୁ ବିନୟବଚନେ ॥ ୨୬
ତୁ ଯାହା ପଚାରିଲୁ ମୋତେ । ମିଥ୍ୟା ନୁହଇ ଏ ଉଚିତେ ॥ ୨୭
ଯେଣୁ ଈଶ୍ୱର ପ୍ରାୟ କେହାଇ । ଏ ସୃଷ୍ଟି ମୋହର ଅଟଇ ॥ ୨୮
ପରମେଶ୍ୱର ଜ୍ଞାନ ଯେଣୁ । ନାହିଁ ତୋହର ଭ୍ରାନ୍ତି ତେଣୁ ॥ ୨୯
ବିଷ୍ଣୁର ଆଜ୍ଞା ଘେନି ମାଥେ । ବ୍ରହ୍ମାଣ୍ତ ସୃଜିଲି ଯେମନ୍ତେ ॥ ୩୦
ଯେମନ୍ତେ ଅର୍କ-ଅଗ୍ନି-ଶଶୀ । ଗ୍ରହ-ନକ୍ଷତ୍ର-ତାରା-ରାଶି ॥ ୩୧
ତୋ ଆଦି ସନ୍ଥ ଛନ୍ତି ଯେତେ । ଯେ ବିଷ୍ଣୁମାୟା ବଳଗ୍ରସ୍ତେ ॥ ୩୨
ବୋଲନ୍ତି ମୋତେ ବିଶ୍ୱଗୁରୁ । ଯାର ମହିମା ମହାମେରୁ ॥ ୩୩
ତାହା କହିବି ତୋ ସମୀପେ । ବିଷ୍ଣୁର ଆଜ୍ଞାବଳ ଦର୍ପେ ॥ ୩୪
ଯେ ହରି ଜଗତ-ଈଶ୍ୱର । ତାହାକୁ ମୋର ନମସ୍କାର ॥ ୩୫
ଯାହାର ଇଚ୍ଛାମାର୍ଗେ ସ୍ଥିତି । ଲାଜେ ଶଙ୍କିତ ଭଗବତୀ ॥ ୩୬
ସେ ମାୟାବଶେ ଏ ଜଗତ । ଅଜ୍ଞାନ ମଦେ ବିମୋହିତ ॥ ୩୭
ମୁହିଁ ମୋହର ଏ ଶରୀର । ଦାରା ସମ୍ପଦ ବନ୍ଧୁ ମୋର ॥ ୩୮
ଅଜ୍ଞାନଜନଙ୍କ ଏ ଭାବ । ସର୍ବସମ୍ପଦ ପଦ୍ମନାଭ ॥ ୩୯
ଏ ଦ୍ରବ୍ୟ-କାଳ-କର୍ମ-ଜୀବ । ଜୀବର ଯେ ଅବା ସ୍ୱଭାବ ॥ ୪୦
ଯେତେ ଦେଖଇ ଭିନ୍ନେ ଭିନ୍ନେ । କୃଷ୍ଣହୁଁ କେବା ଅଛି ଅନ୍ୟେ ॥ ୪୧
ବେଦବଚନ ଦେବଗଣ । ଏ ସର୍ବଲୋକ ଯଜ୍ଞଦାନ ॥ ୪୨
ତପସ୍ୟା-ଯୋଗ-ଜ୍ଞାନ-ଗତି । ସର୍ବସମ୍ପଦ ଦାଶରଥି ॥ ୪୩
ଯେ ହରି ସର୍ବଦେହେ ଦେହୀ । ସର୍ବ ଦେଖଇ ହୃଦେ ରହି ॥ ୪୪
ତାର ଶରୀରୁ ମୁହିଁ ଜାତ । ତା ତେଜେ ସର୍ଜଇ ଜଗତ ॥ ୪୫
ସ୍ୱଭାବେ ନିର୍ଗୁଣ-ମୁରାରି । ସୃଷ୍ଟି ସଞ୍ଚଇ ଗୁଣ ଧରି ॥ ୪୬
ନିର୍ଗୁଣ-ପୁରୁଷ-ଈଶ୍ୱର । ତା ମାୟାବଳେ ଏ ସଂସାର ॥ ୪୭
ସର୍ଗ-ପାଳନ-ତିରୋଧାନେ । ଗୁଣକୁ ଧରେ ଭିନ୍ନେ ଭିନ୍ନେ ॥ ୪୮
କାର୍ଯ୍ୟ-କାରଣ-କର୍ତ୍ତା-ଅର୍ଥେ । ଦ୍ରବ୍ୟ-ଜ୍ଞାନ-କ୍ରିୟା ସମେତେ ॥ ୪୯
ଗୁଣେ ରହନ୍ତି ଆଶ୍ରେ କରି । ନିର୍ଗୁଣ-ପୁରୁଷ ଆବୋରି ॥ ୫୦
ଏ ତିନିଗୁଣ ଲିଙ୍ଗଗତେ । ମଧ୍ୟେ ବର୍ତ୍ତଇ ଅଲକ୍ଷିତେ ॥ ୫୧
ମୋ ଆଦି ସର୍ବଜନଙ୍କର । ଆତ୍ମାସ୍ୱରୂପ ସେ ଈଶ୍ୱର ॥ ୫୨
ମାୟା-ଈଶ୍ୱର ମାୟାବଳେ । ସର୍ଜେ ସ୍ୱଭାବ କର୍ମକାଳେ ॥ ୫୩
ଆପଣା ଇଚ୍ଛାବଳେ କରି । ବିବିଧ-ଶରୀରକୁ ଧରି ॥ ୫୪
ସେ କାଳ-ଗୁଣ ବ୍ୟତିକରେ । ସୃଜଇ ପାଳଇ ସଂହରେ ॥ ୫୫
ତାର ସ୍ୱଭାବ କର୍ମ ଯୋଗେ । ମହତ ଉପୁଜିଲା ଆଗେ ॥ ୫୬
ମହତ ବିକାରୁ ତକ୍ଷଣେ । ତ୍ରିଗୁଣ-ଲିଙ୍ଗ ଆବରଣେ ॥ ୫୭
ତମପ୍ରଧାନ ଅତିରେକେ । ସେ ଦ୍ରବ୍ୟଜ୍ଞାନ କ୍ରିୟାତ୍ମକେ ॥ ୫୮
ସ୍ୱଭାବେ ଶକ୍ତି ମହାଘୋର । ତମଅଧିକ ଅହଙ୍କାର ॥ ୫୯
ସେ ଅହଙ୍କାର ନାମ ହୋଇ । ସେ ତିନି ପ୍ରକାର ଭଜଇ ॥ ୬୦
ଗୁଣ ପ୍ରକାଶ ତିନିତିନି । ବିକାର-ତମ-ତେଜ ଘେନି ॥ ୬୧
ଯେ ଶକ୍ତି-ଦ୍ରବ୍ୟ-କ୍ରିୟା-ଜ୍ଞାନ । ଏ ଭାବେ ଭେଦ ଭିନ୍ନ ଭିନ୍ନ ॥ ୬୨
ସେ ଅହଙ୍କାରେ ଭୂତ ଆଦି । ତାମସ-ଶକ୍ତି ତହିଁ ଭେଦି ॥ ୬୩
ଶବଦ-ଗୁଣ-ମାତ୍ରା ସଞ୍ଚେ । ନଭପ୍ରକାଶେ ଅନ୍ତରୀକ୍ଷେ ॥ ୬୪
ଶବଦ-ଗୁଣ ସେ ପ୍ରଧାନ । ଦୃଶ୍ୟଦର୍ଶକ ଭେଦସ୍ଥାନ ॥ ୬୫
ଶବଦ-ଗୁଣ ନଭୁ ହୋଇ । ଚତୁର୍ଥମାତ୍ରା ସଙ୍ଗେ ଲଇ ॥ ୬୬
ନଭବିକାରୁ ବାୟୁ ଜାତ । ସ୍ପରଶ ଶବ୍ଦଗୁଣେ ସ୍ଥିତ ॥ ୬୭
ସ୍ପରଶଗୁଣ ତା ପ୍ରବଳ । ଯେ ପ୍ରାଣସହ ଓଜ-ବଳ ॥ ୬୮
ପବନବିକାରୁ ତକ୍ଷଣେ । ସ୍ୱଭାବକାଳ କର୍ମଗୁଣେ ॥ ୬୯
ସ୍ପରଶଗୁଣ ତହିଁ ଥାଇ । ତୃତୀୟମାତ୍ରା ଭାବ ବହି ॥ ୭୦
ଶବଦ-ସ୍ପର୍ଶ-ରୂପ ତାର । ପ୍ରଚଣ୍ତତେଜ ମହାଘୋର ॥ ୭୧
ତେଜବିକାରୁ ସେ ଉଦକ । ଯାର ସ୍ୱଭାବ ରସାତ୍ମକ ॥ ୭୨
ଶବ୍ଦ-ସ୍ପରଶ-ରୂପ ତିନି । ଏ ତିନିରସ ସଙ୍ଗେ ଘେନି ॥ ୭୩
ଆପବିକାରୁ ମହୀଜାତ । ସେ ପଞ୍ଚମାତ୍ରା ଗୁଣେ ଯୁତ ॥ ୭୪
ସତ୍ତ୍ୱ-ବିକାରତହୁଁ ମନ । ଯେ ରୂପେ ପ୍ରକାଶେ ଗଗନ ॥ ୭୫
ମନର ସଙ୍ଗେ ଦେବବଳ । ଦଶଇନ୍ଦ୍ରିୟ ରକ୍ଷପାଳ ॥ ୭୬
ଦିଗ-ବାତାର୍କ-ଜଳପତି । ଅଶ୍ୱିନୀ-ବହ୍ନି-ସୁରପତି ॥ ୭୭
ଉପେନ୍ଦ୍ର-ମିତ୍ର-ପ୍ରଜାପତି । ଏ ରୂପେ ଦଶ ଉତପତି ॥ ୭୮
ତୈଜସବିକାରୁ ତକ୍ଷଣେ । ଜନ୍ମିଲେ ଦଶଇନ୍ଦ୍ରିଗଣେ ॥ ୭୯
ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣ । ତୈଜସଶକ୍ତି ଏ ପ୍ରମାଣ ॥ ୮୦
ଶ୍ରୁତିଯୁଗଳ ଚର୍ମ ଘ୍ରାଣ । ନୟନ ଜିହ୍ୱା ପଞ୍ଚଜ୍ଞାନ ॥ ୮୧
ବଚନ ପାଣି ଅଂଘ୍ରିବେନି । ଉପସ୍ଥ ମୂଳାଧାର ଘେନି ॥ ୮୨
ଏ କର୍ମ ଇନ୍ଦ୍ରିୟ ପ୍ରକାର । ଦଶଦେବଙ୍କ ଅଧିକାର ॥ ୮୩
ଭୂତ ଇନ୍ଦ୍ରିୟ-ଗଣ ମନ । ମହତ ଆଦି ତିନିଗୁଣ ॥ ୮୪
ଯେଣୁ ନୋହିଲେ ଏକମନ । ଏ ତେଣୁ ନ ପାଇଲେ ସ୍ଥାନ ॥ ୮୫
ବ୍ରହ୍ମାଣ୍ତ ହେତୁ ଏ ପ୍ରତ୍ୟକ୍ଷେ । ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ ॥ ୮୬
ସ୍ଥାନ ନ ପାଇ ଅନ୍ୟୋଅନ୍ୟେ । ସ୍ଥକିତେ ରହିଲେ ଗଗନେ ॥ ୮୭
କେତେହେଁ କାଳ ଶୂନ୍ୟେ ରହି । ଶବଦେ ବିଷ୍ଣୁଆଜ୍ଞା ପାଇ ॥ ୮୮
ଏ ମହାଭୂତେ ସୂକ୍ଷ୍ମଭୂତେ । ଘଟିତ ଅନ୍ୟୋଅନ୍ୟ ଯୁତେ ॥ ୮୯
ସୁବର୍ଣ୍ଣ-ଅଣ୍ତ ଉପୁଜିଲା । ତକ୍ଷଣେ ଉଦକେ ପଡ଼ିଲା ॥ ୯୦
ଅନେକ ସହସ୍ର ବରଷେ । ସେ ଅଣ୍ତ ମହାଜଳେ ଭାସେ ॥ ୯୧
ସେ ଅଣ୍ତ ମଧ୍ୟେ ଜୀବ ଜାତ । କାଳ କର୍ମ ସ୍ୱଭାବେ ସ୍ଥିତ ॥ ୯୨
ଜୀବ ସ୍ୱଭାବେ ଅଚେତନ । ଚେତନା ଦେଲେ ଭଗବାନ ॥ ୯୩
ସେ ସର୍ବଗୁଣ ସର୍ବସିଦ୍ଧି । କେତେହେଁ କାଳେ ଅଣ୍ତଭେଦି ॥ ୯୪
ପୁରୁଷେ ହୋଇଲା ବାହାର । ଏବେ ହୋ ଶୁଣ ମୁନିବର ॥ ୯୫
ସହସ୍ର-ଉରୁ-ଅଂଘ୍ରି-ବକ୍ଷ । ସହସ୍ରନୟନ ପ୍ରତ୍ୟକ୍ଷ ॥ ୯୬
ସହସ୍ରେ ଶିର ସସ୍ରଭୁଜ । ଆନନ ଅପ୍ରମିତ ତେଜ ॥ ୯୭
ତାହାର ଦେହ ଶୂନ୍ୟେ ଦେଖି । ଲୋକର ସ୍ଥିତି ଉପଲକ୍ଷି ॥ ୯୮
ଦ୍ୱିସପ୍ତଲୋକ ତାର ଅଙ୍ଗେ । କଳ୍ପିତ ଅଧ ଉର୍ଦ୍ଧ୍ୱ ଭାଗେ ॥ ୯୯
ମୁଖୁ କଳ୍ପିତ ବ୍ରହ୍ମକୁଳ । କ୍ଷତ୍ରିୟଜାତ ବାହୁମୂଳ ॥ ୧୦୦
ଉରୁ ଯୁଗଳୁ ବୈଶ୍ୟଗଣେ । ଶୂଦ୍ର ଉପୁଜିଲା ଚରଣେ ॥ ୧୦୧
ଭୂଲୋକ କଟୀଭାଗେ ସ୍ଥିତ । ନାଭିରୁ ଭୁବଲୋକ ଜାତ ॥ ୧୦୨
ହୃଦରେ ସ୍ୱର୍ଗଲୋକ ମିଳେ । ମହତଲୋକ ଉରସ୍ଥଳେ ॥ ୧୦୩
ଜନଲୋକ ଯେ ଗ୍ରୀବାତଟେ । ତପ ବସଇ ବେନିଓଷ୍ଠେ ॥ ୧୦୪
ମୂର୍ଦ୍ଧନି ମଧ୍ୟେ ସତ୍ୟଲୋକ । ଯେ ବ୍ରହ୍ମ-ସନାତନ-କଳ୍ପ ॥ ୧୦୫
ସପ୍ତପାତାଳ ଅଧୋଭାଗେ । ଶୁଣ କହିବା ପ୍ରତିଅଙ୍ଗେ ॥ ୧୦୬
ଅତଳ ବସେ କଟୀଦେଶେ । ଉରୁରେ ବିତଳ ପ୍ରକାଶେ ॥ ୧୦୭
ସୁତଳ ବସେ ଜାନୁମୂଳ । ଜଂଘର ମୂଳେ ତଳାତଳ ॥ ୧୦୮
ଯେ ମହାତଳ ଗୁଳ୍ଫଦେଶେ । ପାଦାଗ୍ରେ ରସାତଳ ବସେ ॥ ୧୦୯
ପାତାଳ ପାଦତଳେ ରହେ । ଏଣୁ ଭୁବନ ବିଶ୍ୱଦେହେ ॥ ୧୧୦
ଯେ ଭୂଲୋକ ପାଦେ ବସେ । ନାଭିରେ ଭୁବ ଯେ ପ୍ରକାଶେ ॥ ୧୧୧
ସ୍ୱଲୋକ କଳ୍ପିତ ମୂର୍ଦ୍ଧନି । ବିଶ୍ୱଦେହେ ବା ବିଶ୍ୱମାନି ॥ ୧୧୨
ନାରଦ ଆଗେ ବେଦବର । ଯାହା କହିଲେ ବେଦସାର ॥ ୧୧୩
ସୁଜନଜନଙ୍କ ଶ୍ରବଣେ । ବ୍ରାହ୍ମଣ ଜଗନ୍ନାଥ ଭଣେ ॥ ୧୧୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ ॥

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ବ୍ରହ୍ମା ଉବାଚ

ଶୁଣ ନାରଦ ମହାଋଷି । ବିରାଜରୂପେ ବ୍ରହ୍ମରାଶି ॥ ୧
ବ୍ରହ୍ମାଣ୍ତ ମଧ୍ୟେ ପ୍ରବେଶିଲା । ଯେ ଅଙ୍ଗୁ ଯେବା ପ୍ରକାଶିଲା ॥ ୨
ତାହା କହିବା ତୋତେ ଭଲେ । ଇନ୍ଦ୍ରିୟଅର୍ଥେ ଇନ୍ଦ୍ରିତୁଲେ ॥ ୩
ବଚନ ବହ୍ନିମୁଖେ ବସେ । ଯେଣେ ତା ଶବଦ ପ୍ରକାଶେ ॥ ୪
ସପତଛନ୍ଦ ଧାତୁ ଯେତେ । ଦେହରେ ବସେ ତା ବାହ୍ୟାନ୍ତେ ॥ ୫
ରସନା ଷଡ଼ରସେ ରସେ । ଜଳାଧିପତି ଯହିଁ ବସେ ॥ ୬
ସେ ଦେବ-ପିତୃ ନରଙ୍କର । ଅନ୍ନର ସ୍ଥାନ ସେ ଆବର ॥ ୭
ପ୍ରାଣସହିତ ଦଶପ୍ରାଣ । ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ ॥ ୮
ନାସାବିବରେ ଆଶ୍ରେ କଲେ । ଅଶ୍ୱିନୀକୁମାରଙ୍କ ତୁଲେ ॥ ୯
ଚକ୍ଷୁଇନ୍ଦ୍ରିୟ ରୂପ ଅର୍ଥେ । ସୂର୍ଯ୍ୟ ପ୍ରକାଶ ଦୃଷ୍ଟିପଥେ ॥ ୧୦
ଶବଦଅର୍ଥେ କର୍ଣ୍ଣବେନି । ଦିଗବସଇ ତୀର୍ଥ ଘେନି ॥ ୧୧
ସେ ଦେବଦେହେ ଚର୍ମଦେଶେ । ସ୍ପରଶ ପବନ ପ୍ରକାଶେ ॥ ୧୨
ଯେ ସର୍ବଯଜ୍ଞବସ୍ତୁ ସାର । ସର୍ବସୌଭାଗ୍ୟର ବେଭାର ॥ ୧୩
ଚର୍ମ ଉପରେ ରୋମ ଭେଦି । ସେବୃକ୍ଷ ଯେଣେ ଯଜ୍ଞ ସାଧି ॥ ୧୪
କେଶ ପ୍ରକାଶ ମୁଣ୍ତେ ଦାଢ଼ି । ଯେ ପାଦେ କରେ ନଖ ଜଡ଼ି ॥ ୧୫
ସେ ତିନି ମଧ୍ୟେ ତିନିଦେବା । ପାଷାଣ ଲୌହ ମେଘପ୍ରଭା ॥ ୧୬
ବାସବଆଦି ଦିଗପାଳେ । ବସନ୍ତି ତାର ଭୁଜମୂଳେ ॥ ୧୭
ତାର ବିକ୍ରମେ ଲୋକତିନି । ଭୂଲୋକ-ଭୁବ-ସ୍ୱର୍ଗ ଘେନି ॥ ୧୮
ଯେ ସର୍ବ-କୁଶଳ-କାରଣ । ସକଳ-ଭୟ-ନିବାରଣ ॥ ୧୯
ସେ ହରି ଚରଣକମଳ । ସକଳ-କାମବର-ସ୍ଥଳ ॥ ୨୦
ଯେ ସର୍ଗ ଶୁକ୍ରଘ ନରସ । ଯା ମେଢ୍ରେ ପ୍ରଜାପତି ବାସ ॥ ୨୧
ମନ ଇନ୍ଦ୍ରିୟରସେ ରସେ । ଜନନେ ପ୍ରଜାପତି ବସେ ॥ ୨୨
ସନ୍ତାନ ଅର୍ଥେ ସେ କଳ୍ପିତ । ସମ୍ଭୋଗ କାମେଣ ନିବୃତ୍ତ ॥ ୨୩
ମଳ ଉତ୍ମର୍ଗ ମଳଦ୍ୱାରେ । ଯମ ବସଇ ଅଧିକାରେ ॥ ୨୪
ନାଡ଼ୀ ସମୂହେ ନଦୀନଦେ । ଗିରି ସମୂହେ ଅସ୍ଥିଭେଦେ ॥ ୨୫
ପାୟୁ ନରକ ଯମକ୍ଷେତ୍ର । ତା ମଳତ୍ୟାଗସ୍ଥାନ ମିତ୍ର ॥ ୨୬
ହିଂସା ଅଲକ୍ଷ୍ମୀ ମୃତ୍ୟୁ ତହିଁ । ନିୟତ ବସତି କରଇ ॥ ୨୭
ସେ ଜୀବଦେହେ ପୃଷ୍ଠଦେଶେ । ଅଧର୍ମ ସଙ୍ଗେ ତମ ବସେ ॥ ୨୮
ସପତସିନ୍ଧୁ ଗର୍ଭେ ରହି । ଭୋଜନେ ତୁଷ୍ଟି ପୁଷ୍ଟି ବହି ॥ ୨୯
ଉଦରେ ମୃତ୍ୟୁ ହୃଦଦେଶେ । ସର୍ବବ୍ୟାପକ ମନ ବସେ ॥ ୩୦
ବିରାଟଆତ୍ମା ଦେହ ମଧ୍ୟେ । ବସଇ ସକଳ ସମ୍ପଦେ ॥ ୩୧
ଧର୍ମ ସଙ୍ଗତେ ପଦ୍ମଯୋନି । ତୋ ସଙ୍ଗେ କୁମାରଙ୍କୁ ଘେନି ॥ ୩୨
ବିଜ୍ଞାନ-ସତ୍ତ୍ୱ ରୁଦ୍ର ସଙ୍ଗେ । ସର୍ବେ ଆଶ୍ରିତ ଆତ୍ମାଅଙ୍ଗେ ॥ ୩୩
ବ୍ରହ୍ମା ନାରଦ ଭବ ଆଦି । ମୁନିଏ ଯେତେ ବେଦବାଦୀ ॥ ୩୪
ସୁର ଅସୁର ନର ନାଗ । ଯେ ସରୀସୃପ ଖଗ ମୃଗ ॥ ୩୫
ଗନ୍ଧର୍ବ ଅପ୍ସରା ଯକ୍ଷ । ଭୂତ ଉରଗ ପଶୁ ରକ୍ଷ ॥ ୩୬
ପିତର ସିଦ୍ଧ ବିଦ୍ୟାଧର । ଚାରଣ ଗୁହ୍ୟକ କିନ୍ନର ॥ ୩୭
ବୃକ୍ଷ ଔଷଧି ଲତା ଯେତେ । ବିବିଧଜୀବଙ୍କ ସମେତେ ॥ ୩୮
ଯେ ଜଳ ସ୍ଥଳ ଅନ୍ତରୀକ୍ଷେ । ଗ୍ରହ ଆଦିତ୍ୟ କେତୁଋକ୍ଷେ ॥ ୩୯
ତାରା ସମୂହ ତେଜେ ଝଳି । ଜୀମୂତ ପ୍ରକାଶେ ବିଜୁଳି ॥ ୪୦
ତା ତନୁ ଏ ସର୍ବ କାରଣ । ଭୂତ ଭବିଷ୍ୟ ବର୍ତ୍ତମାନ ॥ ୪୧
ଏ ରୂପେ ଏ ବିଶ୍ୱ-ସଂସାର । ପ୍ରକାଶେ ଯାହାର ଶରୀର ॥ ୪୨
ବିତସ୍ତିମାତ୍ର ମଧ୍ୟେ ରହେ । ଏକ ଅନେକ ଜନ୍ତୁ ଦେହେ ॥ ୪୩
ଭିତରେ ରହେ ପ୍ରାଣ ତେଜେ । ପ୍ରକାଶେ ଅନ୍ତର ବାହିଯ୍ୟେ ॥ ୪୪
ଅବ୍ୟୟ ଅମୃତ ଈଶ୍ୱର । ଜନ୍ମ-ମରଣ ଆରପାର ॥ ୪୫
ତାହାର ଏମନ୍ତ ମହିମା । ଏଣୁ ଦୁସ୍ତର ଗୁଣସୀମା ॥ ୪୬
ପାଦେ ଅଶେଷ ଭୂତ ବସେ । ଅମୃତାଭୟ କ୍ଷେମକୋଷେ ॥ ୪୭
ତ୍ରିଲୋକ ଉର୍ଦ୍ଧ୍ୱେ ତିନିଲୋକ । ବହେ ଅଭୟ କ୍ଷେମ ସୁଖ ॥ ୪୮
ଯେ ପ୍ରଜାଶ୍ରମେ ଧର୍ମ ଚିନ୍ତେ । ତ୍ରିଲୋକେ ଭ୍ରମେ ଗତାଗତେ ॥ ୪୯
ଯେ ଆନ ଆଶ୍ରମେ ରମନ୍ତି । ତ୍ରୈଲୋକ୍ୟ ବାହ୍ୟେ ତାଙ୍କ ସ୍ଥିତି ॥ ୫୦
ଜୀବର ଏହି ବେନିଗତି । ବିଦ୍ୟା ଅବିଦ୍ୟା ଭାବେ ହୋନ୍ତି ॥ ୫୧
ଯେ ଶ୍ରୁତିମାର୍ଗେଣ ଉତ୍ତରେ । ଦକ୍ଷିଣେ ପୁରୁଷ ସଞ୍ଚରେ ॥ ୫୨
ଭୋଗାପବର୍ଗର ସାଧନ । ଜୀବର ଏ ବେନି ଅୟନ ॥ ୫୩
ଯାହାର ଅଂଶ ମାୟାମୟ । ଭୂତ-ଇନ୍ଦ୍ରିୟ-ଗୁଣାଶ୍ରୟ ॥ ୫୪
ବିରାଟ ରୂପେ ଜାତ ହୁଏ । କିରଣ ଯେହ୍ନେ ସୂର୍ଯ୍ୟଦେହେ ॥ ୫୫
ଯାହାର ନାଭିପଦ୍ମୁ ଜାତ । ମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ ॥ ୫୬
ଯଜ୍ଞସମ୍ଭାର ନ ଜାଣଇ । ଯାବତ ତାର ଦେହେ ଥାଇ ॥ ୫୭
ତାର ଶରୀରେ ଯଜ୍ଞବିଧି । ଆଗମ-ନିଗମ ପ୍ରସିଦ୍ଧି ॥ ୫୮
ପଶୁ ଇନ୍ଧନ କୁଶ ଆଦି । ଯେମନ୍ତେ ଯେ ଅବା ସମ୍ପାଦି ॥ ୫୯
ଯଜନ ଦେବ ପିତୃ ତୋଷେ । ଯେ କାଳ ଯେବା ପୁଣ୍ୟଦେଶେ ॥ ୬୦
ଯେତେ ପାତ୍ରରେ ଯଜ୍ଞ କରି । ମନ୍ତ୍ର ଔଷଧି ଆଦିକରି ॥ ୬୧
ସ୍ନେହରସ ଯେ ଲୌହ ଆଦି । ମୃତ୍ତିକା ଜଳ ଯେ ସମ୍ପାଦି ॥ ୬୨
ଋକ ଯଜୁଃ ଯେ ସାମ ତିନି । ଚତୁରହୋତ୍ର କର୍ମ ଘେନି ॥ ୬୩
ଯେ ନାମଧେୟ ଯେବା ମନ୍ତ୍ର । ଯେବା ଦକ୍ଷିଣା ଯେବା ବ୍ରତ ॥ ୬୪
ଦେବତା ଅନୁକ୍ରମ କଳ୍ପ । ଯେ ତନ୍ତ୍ର ଯେ ଅବା ସଙ୍କଳ୍ପ ॥ ୬୫
ଯେ ଗତି ଯଜ୍ଞ ଯେବା ମତି । ଯେ ସମର୍ପଣ ପ୍ରାୟଶ୍ଚିତ୍ତି ॥ ୬୬
ଯଜ୍ଞସମ୍ଭାର ତା ଶରୀରେ । ଲଭିଲି ଜନ ଉପକାରେ ॥ ୬୭
ତାର ବିଭୂତି ତାର ଅଙ୍ଗେ । ଯଜ୍ଞ ଆରୋଧି ହବିର୍ଭାଗେ ॥ ୬୮
ପୂଜିଲି ପୁରୁଷ-ପୁରାଣ । ତେଣୁ ମୁଁ ସଂସାର-କାରଣ ॥ ୬୯
ସକଳ ଯଜ୍ଞଭାଗେ ଚିନ୍ତି । ମୋ ଅନ୍ତେ ନବପ୍ରଜାପତି ॥ ୭୦
ଯଜ୍ଞପୁରୁଷ ସ୍ଥାପି କୁଣ୍ତେ । ଯେମନ୍ତ ବିଧି କର୍ମକାଣ୍ତେ ॥ ୭୧
ପୂଜିଲେ ତାହାର ଚରଣେ । ଯେ ବିଧି ମନ୍ତ୍ର-ଉଚ୍ଚାରଣେ ॥ ୭୨
ଏହି ପ୍ରକାରେ ସର୍ବଋଷି । ପିତୃ ଦେବତା ମନୁ ବସି ॥ ୭୩
ଦାନବ ମାନବ ସହିତେ । ଯଜ୍ଞେ ପୂଜିଲେ ବେଦମନ୍ତ୍ରେ ॥ ୭୪
ସେ ହରି ଅଙ୍ଗେ ଏ ଜଗତ । ଯଜ୍ଞ ପୂଜନେ ସମାହିତ ॥ ୭୫
ଯେ ସ୍ୱୟଂ ନିର୍ଗୁଣ ଅନନ୍ତ । ମାୟା ଗୃହୀତ ଗୁଣବନ୍ତ ॥ ୭୬
ଯଜ୍ଞେ ତାହାଙ୍କୁ ପୂଜା କରି । ମୁଁ ଏ ସଂସାରେ ଅଧିକାରୀ ॥ ୭୭
ତାହା ଆଜ୍ଞା ଶିରେ ବହି । ମୁଁ ଏ ସଂସାର ସରଜଇ ॥ ୭୮
ପାଳଇ ବିଷ୍ଣୁ ରୂପ ଧରି । ଶଙ୍କର ରୂପେଣ ସଂହରି ॥ ୭୯
ସୃଷ୍ଟିପାଳନ ସଂହାରଣ । ଏ ଆଦି ବିକାର ତ୍ରିଗୁଣ ॥ ୮୦
ସେ ମାୟାଧର ନରହରି । ଖେଳଇ ସୃଷ୍ଟିଲୀଳା କରି ॥ ୮୧
ତୁ ଯାହା ପୁଚ୍ଛିଲୁ ପ୍ରସ୍ତାବେ । ସଂକ୍ଷେପି କହିଲି ମୁଁ ଏବେ ॥ ୮୨
ସତ ଅସତ ରୂପ ଯେତେ । ମାୟା କଳ୍ପିତ ଏ ଜଗତେ ॥ ୮୩
ଏ ସର୍ବରୂପ ନାରାୟଣ । ଅନାଦି-ପରମ-କାରଣ ॥ ୮୪
ମୋର ବଚନ ହେ ନାରଦ । କେବେ ହେଁ ନୁହଇ ଅସଦ ॥ ୮୫
ମୋହର ମନ ସତ୍ୟେ ସ୍ଥିତି । ସ୍ୱଭାବେ ନୁହେ ମିଥ୍ୟାଗତି ॥ ୮୬
ଏ ମୋର ଇନ୍ଦ୍ରିଗଣ କେବେ । ନ ଯାନ୍ତି ଅସତ୍ୟ ଅମାର୍ଗେ ॥ ୮୭
ଯେଣୁ ମୋ ହୃଦେ ନାରାୟଣ । ଉକ୍ରଣ୍ଠାଭାବେ ସୁମରଣ ॥ ୮୮
ତପ ସମାଧି ମୋର ସ୍ଥିତି । ମୁଁ ପ୍ରଜାପତିଙ୍କର ପତି ॥ ୮୯
ଯୋଗେ ନିପୁଣ ସମାହିତ । ଯେଣୁ ମୁଁ ଆତ୍ମତନ୍ତ୍ରେ ଜାତ ॥ ୯୦
ତେବେ ହେଁ ନ ଜାଣିଲି ତାକୁ । ଆନ କେ ଅଛି ଜାଣିବାକୁ ॥ ୯୧
ତାର ଚରଣେ ନମସ୍କାର । ଯା ଭାବେ ତୁଟଇ ସଂସାର ॥ ୯୨
ଶୁଭ ମଙ୍ଗଳ ସ୍ୱସ୍ତ୍ୟୟନ । ଆନନ୍ଦମୂଳ ମାୟାଧାମ ॥ ୯୩
ବ୍ରହ୍ମାଦି ଦେବେ ଅଗୋଚର । ଅକୁଣ୍ଠ-ମହିମା ଯାହାର ॥ ୯୪
ଆତ୍ମାରେ ଆତ୍ମମାୟା କରେ । ଲୀଳାରେ ବିହରେ ସଂସାରେ ॥ ୯୫
ସ୍ୱମାୟା ସେହି ନ ଜାଣଇ । କେ ଅବା ଅପରେ ଜାଣଇ ॥ ୯୬
ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପୀ । ଗଗନ ଯେହ୍ନେ ବିଶ୍ୱରୂପୀ ॥ ୯୭
ମୁଁ ଯାର ଗତି ନ ଜାଣଇ । ତୁ କାହିଁ ପ୍ରବେଶିବୁ ତହିଁ ॥ ୯୮
ଭାବ ନ ପାରେ ଯାକୁ ଚିନ୍ତି । ଦେବେ ଜାଣିବେ କାହିଁ ଗତି ॥ ୯୯
ତାର ମାୟାରେ ମୋହି ହୋଇ । ତା ରୂପ କେହି ନ ଜାଣଇ ॥ ୧୦୦
ଆତ୍ମାର ସମ ଆମ୍ଭେ ଜାଣୁ । କେ ତାର ରୂପ ପରିମାଣୁ ॥ ୧୦୧
ଯା ଅବତାର କର୍ମମାନ । ମୋ ଆଦି କରନ୍ତି ଗାୟନ ॥ ୧୦୨
ତତ୍ତ୍ବେ ଜାଣିବୁ ଆମ୍ଭେ କାହିଁ । ଯାହାର ଆଦିଅନ୍ତ ନାହିଁ ॥ ୧୦୩
ଯାର ଚରଣେ ଆମ୍ଭେ ନମୁ । ଯା ମାୟାରୂପ ବଳେ ଭ୍ରମୁ ॥ ୧୦୪
ସେ ଆଦିପୁରୁଷ ମୁରାରି । କଳ୍ପ-କଳ୍ପକେ ସୃଷ୍ଟି କରି ॥ ୧୦୫
ଆତ୍ମାରେ ଆତ୍ମାରୂପେ ମିଳେ । ଆତ୍ମାକୁ ଆପେ ହରେ ପାଳେ ॥ ୧୦୬
କେବଳ ଶୁଦ୍ଧ-ଜ୍ଞାନମୟେ । ସତ୍ୟସ୍ୱରୂପ ସର୍ବଦେହେ ॥ ୧୦୭
ଅନାଦି ଅନନ୍ତ ନିର୍ଗୁଣ । ନିତ୍ୟ ଅବ୍ୟୟ ନାରାୟଣ ॥ ୧୦୮
ଶୁଣ ନାରଦ ମନ ଦେଇ । ଯେମନ୍ତେ ତାହାକୁ ଜାଣଇ ॥ ୧୦୯
ପ୍ରଶାନ୍ତ-ଆତ୍ମା ମୁନିଗଣେ । ନିର୍ମଳ-ଅନ୍ତରକରଣେ ॥ ୧୧୦
ସମାଧି ଯୋଗବଳେ ଚିନ୍ତି । ଆତ୍ମାରେ ଆତ୍ମାକୁ ଦେଖନ୍ତି ॥ ୧୧୧
ଅସତ୍ୟ ତର୍କ ଯେବେ ଥାଇ । ତେବେ ତା ଭାବ ନ ଜାଣଇ ॥ ୧୧୨
ପରମ-ପୁରୁଷ ମୁରାରି । ଆଦ୍ୟାବତାର ତନୁ ଧରି ॥ ୧୧୩
କାଳ ସ୍ୱଭାବ ସଙ୍ଗେ ମନ । ଯେ ନିତ୍ୟ ଶୁଦ୍ଧ ଚଇତନ ॥ ୧୧୪
ଦ୍ରବ୍ୟ ବିକାର ତିନିଗୁଣ । ଦେବ ସମେତେ ଇନ୍ଦ୍ରିଗଣ ॥ ୧୧୫
ବିରାଟ ରୂପେ ମହୀ ମାଝେ । ସ୍ଥାବର ଆଦି ଦେହେ ବିଜେ ॥ ୧୧୬
ବ୍ରହ୍ମା ଶଙ୍କର ଯଜ୍ଞପତି । ଦକ୍ଷାଦି ଯେତେ ପ୍ରଜାପତି ॥ ୧୧୭
ତୁ ଆଦି ସନକ ସହିତେ । ସ୍ୱର୍ଗେ ଦେବତା ଛନ୍ତି ଯେତେ ॥ ୧୧୮
ଗରୁଡ଼ ଆଦି ଖଗପାଳେ । ଭୂଲୋକ ସପତ-ପାତାଳେ ॥ ୧୧୯
ଗନ୍ଧର୍ବ ବିଦ୍ୟାଧରଗଣ । ଯେ ଯକ୍ଷ କିନ୍ନର ଚାରଣ ॥ ୧୨୦
ରାକ୍ଷସ ସରୀସୃପ ନାଗେ । ବାସୁକି ଆଦି ମହୋରଗେ ॥ ୧୨୧
ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ । ଯେ ପିତୃଗଣଙ୍କ ସମେତେ ॥ ୧୨୨
ଦୈତ୍ୟ ଦାନବ ସିଦ୍ଧକୁଳ । ପ୍ରେତ ପିଶାଚ ଭୂତବଳ ॥ ୧୨୩
କୁଷ୍ମାଣ୍ତ ଜଳଜୀବ ଯେତେ । କି ଅବା ପଶୁପକ୍ଷୀ ଯେତେ ॥ ୧୨୪
ଯେ ଆନେ ଛନ୍ତି ଯହିଁ ଯେତେ । ତେଜ ବିକ୍ରମ ବଳ ଯୁତେ ॥ ୧୨୫
କମଳା ଆଦି ଅଷ୍ଟନିଧି । ଯେ ଗୁଣେ ଯେ ଅବା ପ୍ରସିଦ୍ଧି ॥ ୧୨୬
ପ୍ରଧାନ ଗୁଣ ଯେବା ଭୂତେ । ଜଗତ ମଧ୍ୟେ ଛନ୍ତି ଯେତେ ॥ ୧୨୭
ଏ ସର୍ବ ପରତତ୍ତ୍ୱ ଯେହି । ତାହାର ବିଭୂତି ଅଟଇ ॥ ୧୨୮
ଏ ସର୍ବସାର ତା ଶରୀର । ଯେ ବିଷ୍ଣୁଲୀଳା ଅବତାର ॥ ୧୨୯
ଏ ଲୀଳାକଥା ଗୀତସ୍ୱରେ । ପଶଇ ଯାର କର୍ଣ୍ଣଦ୍ୱାରେ ॥ ୧୩୦
ସର୍ବ-ଦୁରିତ-ତମ ନାଶେ । ଯେବା ବଦନେ ନିତ୍ୟ ଘୋଷେ ॥ ୧୩୧
ଶୁଣ ନାରଦ ମନଦେଇ । ଲୀଳାନୁକ୍ରମେ କହିବଇଁ ॥ ୧୩୨
ଅମୃତ କୃଷ୍ଣଲୀଳା-ରସ । ଶ୍ରୁତିଯୁଗଳେ କର ଗ୍ରାସ ॥ ୧୩୩
ତାହାଙ୍କ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୩୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ॥

ସପ୍ତମ ଅଧ୍ୟାୟ[ସମ୍ପାଦନା]

ବ୍ରହ୍ମା ଉବାଚ

ଶୁଣ ନାରଦ ମୁନିବର । ଭବିଷ୍ୟ ଲୀଳା ଅବତାର ॥ ୧
ଅଶେଷଜନଙ୍କର ହିତେ । ଶୁଣ କହିବା ତୋ ଅଗ୍ରତେ ॥ ୨
ପଦ୍ମକଳ୍ପର ଅନ୍ତେ ହରି । ଶୂକରରୂପେ ଅବତରି ॥ ୩
ସେ ସର୍ବ ଯଜ୍ଞମୟ ଗାତ୍ରେ । ଧରଣୀ ଉଦ୍ଧରିବା ଅର୍ଥେ ॥ ୪
ଆଦିଅସୁର ଅବତାର । ପ୍ରଚଣ୍ତ ହିରଣ୍ୟାକ୍ଷ ବୀର ॥ ୫
ତାହାକୁ ମହାର୍ଣ୍ଣବ-ଜଳେ । ଦନ୍ତେ ବିଦାରିଲେ ପାତାଳେ ॥ ୬
ବଜ୍ରେ ଯେସନେ ବଜ୍ରଧର । ହେଳେ ବିଦାରେ ମହୀଧର ॥ ୭
ସେ ପୁଣି ରୁଚିଋଷି ଘରେ । ଜନ୍ମିଲେ ଆକୂତି ଉଦରେ ॥ ୮
ସେ ଯଜ୍ଞରୂପ ନରହରି । ଦକ୍ଷିଣା ଗର୍ଭେ ବିଜେକରି ॥ ୯
ସର୍ବଦେବଙ୍କୁ ଜାତ କଲେ । ତ୍ରୈଲୋକ୍ୟ-ଭୟ ନିବାରିଲେ ॥ ୧୦
ମନୁ ଯେ ବ୍ରହ୍ମାର ନନ୍ଦନ । ହରଷେ ଦେଲେ ହରି ନାମ ॥ ୧୧
କର୍ଦ୍ଦମଋଷି ଗୃହେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ ॥ ୧୨
ତାଙ୍କ ସଙ୍ଗତେ ନବନାରୀ । ଜନ୍ମିଲେ ଦିବ୍ୟରୂପ ଧରି ॥ ୧୩
ସେ ଜନ୍ମେ ଜନନୀର ଦୁଃଖ । ଦେଖି ସଦୟ ପଦ୍ମମୁଖ ॥ ୧୪
ଆତ୍ମାର ଗତି ମାତାଆଗେ । କହିଲେ ତତ୍ତ୍ୱ-ଅନୁରାଗେ ॥ ୧୫
ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷ । ସେ ଦେବହୂତି କଲେ ନାଶ ॥ ୧୬
ତାହାଙ୍କୁ ମାୟାରୁ ଉଦ୍ଧରି । କପିଳରୂପେ ତପ କରି ॥ ୧୭
ଅତ୍ରିର ତପ ଦେଖି ତୋଷେ । ତକ୍ଷଣେ ମିଳି ତାର ପାଶେ ॥ ୧୮
ବୋଇଲେ ତୋତେ ଦେଲି ବର । ହୋଇବି ତୋହର କୁମର ॥ ୧୯
ଦତ୍ତ-ବଚନେ ଦତ୍ତ ନାମ । ସୁନ୍ଦରେ ସମ ନୋହେ କାମ ॥ ୨୦
ଧରଣୀ ପର୍ଯ୍ୟଟନ କଲେ । ଅନେକ ତପ ଆଚରିଲେ ॥ ୨୧
ହୈହୟ ଯଦୁ ଆଦି ରାଜା । ଯାର ଚରଣେ କରି ପୂଜା ॥ ୨୨
ଯୋଗ-ସମାଧି ସମ୍ପାଦିଲେ । ଜନ୍ମ-ମରଣୁ ନିସ୍ତରିଲେ ॥ ୨୩
ସୃଷ୍ଟି-ସୃଜନେ ମନ କରି । ଆଦ୍ୟେ ମୁଁ ତପ ଯେ ଆଚରି ॥ ୨୪
ତପର ବଳେ ଭଗବାନ । ଜାତ ହୋଇଲେ ଚତୁଃସନ ॥ ୨୫
ଯେ ଯୋଗ ପୂର୍ବକାଳେ ଥିଲା । କଳ୍ପ-ପ୍ରଳୟେ ନାଶ ଗଲା ॥ ୨୬
ତାହା ଉଦ୍ଧରି ଯୋଗବଳେ । ଧର୍ମ ରଖିଲେ ମହୀତଳେ ॥ ୨୭
ଦକ୍ଷକୁମାରୀ ଗର୍ଭେ ହରି । ଧର୍ମର ବୀର୍ଯ୍ୟେ ଅବତରି ॥ ୨୮
ସେ ଦକ୍ଷକନ୍ୟା ମୂର୍ତ୍ତି ନାମ । ସର୍ବସୁନ୍ଦର ଅନୁପମ ॥ ୨୯
ତାର ଉଦରୁ ପୂର୍ବକଳ୍ପେ । ଜନ୍ମିଲେ ନାରାୟଣ ରୂପେ ॥ ୩୦
ନର ସ୍ୱରୂପ ନର ନାମ । ସର୍ବସୁନ୍ଦର ପୁଣ୍ୟଧାମ ॥ ୩୧
ନିଶ୍ଚଳ ତପ ଯୋଗଧ୍ୟାନେ । ବସିଲେ ବଦରିକାଶ୍ରମେ ॥ ୩୨
ଅତି ଦୁଃସହ ତପ ଘୋରେ । ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ ॥ ୩୩
ତକ୍ଷଣେ ଅପସରା ଗଣେ । ମିଳିଲେ ବଦରିକା ବନେ ॥ ୩୪
ଦିବ୍ୟ ସୁବେଶେ ନାନାରଙ୍ଗେ । ଆସି ମିଳିଲେ ତପଭଙ୍ଗେ ॥ ୩୫
ଡୋଳେ ଉର୍ବଶୀ ରୂପ ଦେଖି । ଲାଜେ ହୋଇଲେ ଅଧୋମୁଖୀ ॥ ୩୬
କୋପନୟନେ ମୁନିଜନ । କାମକୁ କରନ୍ତି ଦହନ ॥ ୩୭
କୋପକୁ ନ ପାରନ୍ତି ଦହି । କୋପ ପ୍ରବେଶ ଯହିଁ ନାହିଁ ॥ ୩୮
କାହୁଁ କରିବେ ତପ ନାଶ । ବାହୁଡ଼ି ହୋଇଲେ ନିରାଶ ॥ ୩୯
ଉତ୍ତାନପାଦ ରାଜା କୋଳେ । ଧ୍ରୁବବାଳକ ରସଭୋଳେ ॥ ୪୦
ବସିବ ବୋଲି ବିଚାରିଲା । ମାତା-ସପତ୍ନୀ ଝିଙ୍ଗାସିଲା ॥ ୪୧
ସେ ନିଜ ଜନନୀ ବଚନେ । ଅରଣ୍ୟେ ଗଲା ଦୁଃଖମନେ ॥ ୪୨
ଅତି କଠୋର ତପ କଲା । ତାକୁ ଯେ ଧ୍ରୁବପଦ ଦେଲା ॥ ୪୩
ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇ । ଧ୍ରୁବ ତପସ୍ୟାଫଳ ଚାହିଁ ॥ ୪୪
ସ୍ତୁତି କରନ୍ତି ତାର ତପେ । ଜନନୀ ଦେଖି ତା ସମୀପେ ॥ ୪୫
ବେଣ ଯେ ସତ୍ୟଯୁଗେ ରାଜା । ଅଧର୍ମେ ପାଳେ ଜନପ୍ରଜା ॥ ୪୬
ହରିଙ୍କି ନ ସ୍ଥାପନ୍ତେ ଭଲେ । ବ୍ରାହ୍ମଣେ ଶାପେ ନାଶ କଲେ ॥ ୪୭
ରାଜା-ମାରଣେ ଅରାଜକେ । ପ୍ରଜା ଦୁଃଖିତ ଅତିରେକେ ॥ ୪୮
ତା ଦେଖି ଦ୍ୱିଜେ ସ୍ତୁତି କରି । ତକ୍ଷଣେ ପୃଥୁରୂପ ଧରି ॥ ୪୯
ହରି ଜନ୍ମିଲେ ରାଜକୁଳେ । ଭୂମିକି ଦୁହିଁ ବାହୁବଳେ ॥ ୫୦
ପ୍ରଜାଙ୍କୁ ଶସ୍ୟବୀଜ ଦେଲେ । ଅନ୍ନସଙ୍କଟୁ ଉଦ୍ଧରିଲେ ॥ ୫୧
ନାଭିର ବୀର୍ଯ୍ୟେ ସେ ଋଷଭ । ସୁଦେବୀ ଉଦରେ ସମ୍ଭବ ॥ ୫୨
କପଟେ ଜଡ଼ରୂପ ଧରି । ସକଳ ଯୋଗ ସାଧ୍ୟ କରି ॥ ୫୩
ପରମହଂସ ମୁନିଗଣେ । ନମନ୍ତି ଯାହାର ଚରଣେ ॥ ୫୪
ସେ ସ୍ୱଚ୍ଛ ଶାନ୍ତ ଅନୁଗତ । ଅଶେଷସଙ୍ଗରୁ ବିମୁକ୍ତ ॥ ୫୫
ପୁଣି ମୋହର ଯଜ୍ଞକାଳେ । ମନ୍ତ୍ରେ ଉପୁଜିଲା ଅନଳେ ॥ ୫୬
ନର-ଶରୀର ଅଶ୍ୱଶିର । ସୁବର୍ଣ୍ଣବର୍ଣ୍ଣ ଜଟାଭାର ॥ ୫୭
ସକଳ ବେଦ ଯଜ୍ଞମୟ । ଅଖିଳ-ଆତ୍ମା ନିଜ ଦେହ ॥ ୫୮
ତାର ନିଃଶ୍ୱାସୁ ବେଦ ତିନି । ଜନ୍ମିଲେ କର୍ମକାଣ୍ତ ଘେନି ॥ ୫୯
ଯୁଗାନ୍ତକାଳେ ମହାଜଳେ । ରାଜାର ତର୍ପଣର କାଳେ ॥ ୬୦
ରାଜା ତାରଣେ ଦଇତାରି । ମିଳିଲେ ମତ୍ସ୍ୟରୂପ ଧରି ॥ ୬୧
ଯୁଗ-ବିପ୍ଳବେ ବେଦରାଶି । ଥିଲା ଯେ ମହାଜଳେ ପଶି ॥ ୬୨
ସେ ବେଦ ସଲିଳୁ ଉଦ୍ଧରି । ମନୁକୁ ଦେଲେ ନରହରି ॥ ୬୩
ବାସବ-ସମ୍ପଦ ଉଦ୍ଧାରେ । କ୍ଷୀରସମୁଦ୍ର ମନ୍ଥିବାରେ ॥ ୬୪
ମିଳି ସକଳ ଦେବାସୁର । ସମୁଦ୍ରେ ସ୍ଥାପିଲେ ମନ୍ଦର ॥ ୬୫
ଅଗାଧଜଳେ ମଧୁହାରୀ । ମିଳିଲେ କୂର୍ମରୂପ ଧରି ॥ ୬୬
ପୃଷ୍ଠେ ବହିଲେ ଗିରିବର । ମନ୍ଥନ କଲେ ଦେବାସୁର ॥ ୬୭
ଗିରି-ଘର୍ଷଣ କଣ୍ତୁ-ସୁଖେ । ନିଦ୍ରାନୟନ ଅଧୋମୁଖେ ॥ ୬୮
ଦେବଙ୍କ ଭୟ ନାଶିବାରେ । ସେ ନରସିଂହ ରୂପ ଧରେ ॥ ୬୯
ଭ୍ରମାଇ ଭ୍ରୂକୁଟୀ-କୁଟୀଳ । ଦନ୍ତ-ଶ୍ରୀମୁଖ ବିକରାଳ ॥ ୭୦
ଗଦା ବୁଲାଇ ଅତି ବେଗେ । ଦୈତ୍ୟ ମିଳିଲା ଆସି ଆଗେ ॥ ୭୧
ତକ୍ଷଣେ ଉରୁ ମଧ୍ୟେ ଧରି । ନଖାଗ୍ରେ ହିରଣ୍ୟ ବିଦାରି ॥ ୭୨
ମହାଦୈତ୍ୟକୁ ସଂହାରିଲେ । ସଂସାର ସଙ୍କଟୁ ତାରିଲେ ॥ ୭୩
ଅଗାଧ-ସରୋବର ମଧ୍ୟେ । କୁମ୍ଭୀର ଗଜରାଜ ପାଦେ ॥ ୭୪
ଧଇଲା ଅତି ଦୃଢ଼ବଳେ । ହସ୍ତୀର ଚରଣ ନିଶ୍ଚଳେ ॥ ୭୫
ଚଳି ନ ପାରି ଯୂଥପତି । ଆରତେ ସୁମରେ ଶ୍ରୀପତି ॥ ୭୬
ହସ୍ତେ କମଳ ଉଚ୍ଚେ ତୋଳି । ନୟନୁ ଅଶ୍ରୁଜଳ ଗଳି ॥ ୭୭
ଆଦିପୁରୁଷ ଲୋକନାଥ । ତୀର୍ଥ-ପବିତ୍ର ତୋ ଚରିତ ॥ ୭୮
ଶ୍ରବଣ-ମଙ୍ଗଳ ତୋ ନାମ । ପୁଣ୍ୟପୁରୁଷ ଗୁଣଧାମ ॥ ୭୯
ସେ ହରି ସ୍ତୁତି ଶୁଣି କର୍ଣ୍ଣେ । ଗଜବିକଳ ଯୋଗଧ୍ୟାନେ ॥ ୮୦
ମରଣକାଳେ ସୁମରିଲା । ବିଷ୍ଣୁର ସମାଧି ଭାଜିଲା ॥ ୮୧
ତାର ମହିମା ଅପ୍ରମେୟ । ନିମିତ୍ତେ ବହେ ନାନାଦେହ ॥ ୮୨
ଦକ୍ଷିଣଭୁଜେ ଚକ୍ର ଧରି । ଗରୁଡ଼-ସ୍କନ୍ଧେ ବିଜେ କରି ॥ ୮୩
ଚକ୍ର ପ୍ରହାରେ ନକ୍ର ମାରି । ହସ୍ତୀର ହସ୍ତ ହସ୍ତେ ଧରି ॥ ୮୪
ଜଳୁ ଉଦ୍ଧରି ନାରାୟଣ । ଅନ୍ତର ହୋଇଲେ ତକ୍ଷଣ ॥ ୮୫
ଅଦିତି-ପୁତ୍ରଙ୍କର ସାନ । ଗୁଣରେ ଜ୍ୟେଷ୍ଠ ସେ ବାମନ ॥ ୮୬
ତ୍ରିପାଦେ ତିନିଲୋକ ଜିଣି । ସେ ଅଧିଯଜ୍ଞ ନାମ ଭଣି ॥ ୮୭
ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତି । ଯାଚଞ୍ଜା ବିନା ତା ସମ୍ପତ୍ତି ॥ ୮୮
ଈଶ୍ୱର ଆଦିତନୁ ଧରି । କେହି ନ ପାରେ ତାହା ହରି ॥ ୮୯
ସେ ବଳି ଦୃଢ଼ ସତ୍ୟ ମନେ । କୃଷ୍ଣଚରଣ ଆରାଧନେ ॥ ୯୦
ମନ୍ତ୍ରୀର ବୋଲ ନ ଶୁଣିଲା । ତ୍ରିପାଦ-ଭୂମି ଦାନ ଦେଲା ॥ ୯୧
ବିଷ୍ଣୁର ପାଦରଜେ ଇଚ୍ଛା । ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା ॥ ୯୨
ସର୍ବ-ସମ୍ପଦ ଆତ୍ମା ତୁଲେ । ଅର୍ପିଲା ବିଷ୍ଣୁ-ପାଦମୂଳେ ॥ ୯୩
ତୁ ଯେ ନାରଦ ତାରଅଂଶେ । ଶରୀର ବହୁ ମୋର ବଂଶେ ॥ ୯୪
ତୁମ୍ଭଙ୍କୁ ଭକ୍ତି ହଂସରୂପେ । କହିଲା ଭକ୍ତ-ତୋଷ ଅର୍ଥେ ॥ ୯୫
ତହୁଁ ଲଭିଲୁ ଦିବ୍ୟଜ୍ଞାନ । ଯେ ଯୋଗୀଗଣେ ବିଦ୍ୟମାନ ॥ ୯୬
ଯେ ଜ୍ଞାନେ କୃଷ୍ଣର ଚରଣ । ସୁଖେଣ ପଶନ୍ତି ଶରଣ ॥ ୯୭
ସେ ମନ୍ୱନ୍ତରେ ମନୁବଂଶେ । ସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ ॥ ୯୮
ଦୁଷ୍ଟରାଜାଙ୍କୁ ଦଶଦିଗେ । ଜିଣି ସ୍ଥାପିଲା ସାଧୁମାର୍ଗେ ॥ ୯୯
ତ୍ରିଲୋକ ପରେ ସତ୍ୟଲୋକେ । କୀର୍ତ୍ତି ବିସ୍ତାରି କଉତୁକେ ॥ ୧୦୦
ସେ ଧନ୍ୱନ୍ତରୀ ରୂପ ଧରି । ବ୍ରହ୍ମାଣ୍ତ ମଧ୍ୟେ ଅବତରି ॥ ୧୦୧
ହରିଲା ପ୍ରାଣୀଙ୍କର ବ୍ୟାଧି । ଭିଆଇ ମନ୍ତ୍ର-ମଉଷଧି ॥ ୧୦୨
ଯଜ୍ଞେ ସ୍ୱଭାଗ ଭୋଗକଲା । ପ୍ରାଣୀଙ୍କି ଆୟୁର୍ବେଦ ଦେଲା ॥ ୧୦୩
ବ୍ରାହ୍ମଣବଧ ଦେଖି କୋପେ । ସେ ପୁଣି ପର୍ଶୁରାମ ରୂପେ ॥ ୧୦୪
ପରଶୁ ଦକ୍ଷଭୁଜେ ଧରି । ଅବନୀ ପର୍ଯ୍ୟଟନ କରି ॥ ୧୦୫
କ୍ଷତ୍ରିୟ-ରୁଧିର ତର୍ପଣେ । ତୋଷିଲା ନିଜ ପିତୃଗଣେ ॥ ୧୦୬
ମୋର ବଚନେ ଦଇତାରି । ଈକ୍ଷ୍ୱାକୁବଂଶେ ଅବତରି ॥ ୧୦୭
ପିତା ବଚନେ ଗଲା ବନ । ସ୍ୱପତ୍ନୀ ସହିତେ ଲକ୍ଷ୍ମଣ ॥ ୧୦୮
ସୀତା ରାବଣ ନେଲା ହରି । ସେ କୋପେ ତାର ବଂଶ ମାରି ॥ ୧୦୯
ବିଭୀଷଣଙ୍କୁ ଲଙ୍କା ଦେଲେ । ଦେବଙ୍କ ଭୟ ନିବାରିଲେ ॥ ୧୧୦
ତ୍ରିପୁରବଧେ ଯେହ୍ନେ ହର । ସେ ରୂପେ ତେଜ ରଘୁବୀର ॥ ୧୧୧
ସେ ତେଜେ ଉରଗ ମକର । ନକ୍ରସମୂହ ଥରହର ॥ ୧୧୨
ଜଳଧି ତାରେ ଭୟକରି । ତାହାର ନିଜରୂପ ଧରି ॥ ୧୧୩
ଚରଣେ ଶରଣ ପଶିଲା । ଲଙ୍କାଗମନେ ମାର୍ଗ ଦେଲା ॥ ୧୧୪
ଦିଗବିଜୟେ ଲଙ୍କାପତି । ଅଇରାବତ ନାମେ ହସ୍ତୀ ॥ ୧୧୫
ତାହାର ସଙ୍ଗେ ବାଦ କରି । ଉରସ୍ପରଶେ ଦନ୍ତ ଚୂରି ॥ ୧୧୬
ଦେଖି ଭାଜିଲା ଗଜଶ୍ରେଷ୍ଠ । ରାବଣ ସଙ୍ଗେ କାହିଁ ହଟ ॥ ୧୧୭
ସେହି ରାବଣଦର୍ପ ରଣେ । ଶ୍ରୀରାମ ସଂହାରିଲେ ବାଣେ ॥ ୧୧୮
ଭୂମିର ଭାରା ନିବାରଣେ । କ୍ଷୀରସମୁଦ୍ରେ ଦେବଗଣେ ॥ ୧୧୯
ଈଶ୍ୱର ସଙ୍ଗେ ଦେବବଳେ । ନମିଲେ ଚରଣକମଳେ ॥ ୧୨୦
ଅନେକ ମତେ ସ୍ତୁତି ଭଣି । ବିଷ୍ଣୁ ସନ୍ତୋଷ ତାହାଣୁଣି ॥ ୧୨୧
ସନ୍ତୋଷେ ଶୁକ୍ଳକୃଷ୍ଣକେଶ । ଜଂଘୁ ଉପାଡ଼ି ହୃଷୀକେଶ ॥ ୧୨୨
ସେ ବେନିରୋମ ମହୀତଳେ । ଜନ୍ମି ଅସୁର ସଂହାରିଲେ ॥ ୧୨୩
ହରିଲେ ଅବନୀର ଭାର । ମହାମହିମା ଚକ୍ରଧର ॥ ୧୨୪
ତିନିଦିବସେ ନାରାୟଣ । ଶୋଷିଲେ ପୂତନାର ପ୍ରାଣ ॥ ୧୨୫
ମାସକେ ନନ୍ଦଗୃହେ ହରି । ପାଦେ ଶକଟା ଚୂର କରି ॥ ୧୨୬
ଦଧିମନ୍ଥନ କାଳେ ଧରି । ରୋଳେ ବାନ୍ଧିଲା ନନ୍ଦନାରୀ ॥ ୧୨୭
ସେ ରୋଳ ସଙ୍ଗେ ନନ୍ଦବଳା । ବେନିଅର୍ଜୁନ ମଧ୍ୟେଗଲା ॥ ୧୨୮
ଅତି ଉତ୍ସର୍ଗ ବେନିବୃକ୍ଷେ । ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ ॥ ୧୨୯
ସେ ପୁଣି ଗୋବତ୍ସ ରକ୍ଷଣେ । କାଳିନ୍ଦୀତଟେ ବୃନ୍ଦାବନେ ॥ ୧୩୦
ବତ୍ସା-ବାଳକ ବିଷଜଳେ । ପଶିଲେ ତୃଷାର ବିକଳେ ॥ ୧୩୧
ସକଳେ କଲେ ଜଳପାନ । ତକ୍ଷଣେ ହାରିଲେ ଜୀବନ ॥ ୧୩୨
ଅଦ୍ଭୁତ ଦେଖି ଭାବଗ୍ରାହୀ । ଅମୃତନୟନେ ଅନାଇ ॥ ୧୩୩
ତାହାଙ୍କୁ ଜୀବଦାନ ଦେଲେ । ସେ ଜଳେ ସର୍ପକୁ ଦେଖିଲେ ॥ ୧୩୪
ଜିହା ଚଞ୍ଚଳ ବିଷ ବଳେ । ବିହାର କାଳିନ୍ଦୀର ଜଳେ ॥ ୧୩୫
ଦୂରେ ନିବେଶି ନାଗବଳ । ଅମୃତ କଲେ ବିଷଜଳ ॥ ୧୩୬
ଜନ୍ତୁଙ୍କୁ କରାଇଲେ ପାନ । ଅଦ୍ଭୁତଗତି ଭଗବାନ ॥ ୧୩୭
ଅମ୍ବିକାବନେ ଗୋପଜନେ । ଶୟନେ ନିଶିଅର୍ଦ୍ଧମାନେ ॥ ୧୩୮
ଅଗ୍ନି ବେଢ଼ିଲା ବେଗେ ଆସି । ପ୍ରଳୟାନଳ ପ୍ରାୟ ଦିଶି ॥ ୧୩୯
ଅନଳ ଦେଖି ନନ୍ଦବଳା । ବଦନ ଲୁଚାଅ-ବୋଇଲା ॥ ୧୪୦
ଡରେ ଲୁଚାଇଲେ ମଦନ । ଗୋବିନ୍ଦ କଲେ ଅଗ୍ନିପାନ ॥ ୧୪୧
ବାନ୍ଧିବା ପାଇଁ ଡୋର ଆଣି । ଯେତେ ଯୋଖିଲା ନନ୍ଦରାଣୀ ॥ ୧୪୨
ବାନ୍ଧି ନ ପାରେ ନନ୍ଦନାରୀ । ମହାମହିମ ନରହରି ॥ ୧୪୩
ମାତାର କୋଳେ ବସିଥିଲା । ଜୃମ୍ଭଣେ ମୁଖ ବିସ୍ତାରିଲା ॥ ୧୪୪
ଗୋପୀ ଚାହିଁଲେ ତା ବଦନ । ଉଦରେ ଅଶେଷ-ଭୁବନ ॥ ୧୪୫
ଐଶ୍ୱର୍ଯ୍ୟଲୀଳା ତାର ଦେହୀ । ଦେଖି ଶଙ୍କିତମନ ହୋଇ ॥ ୧୪୬
ବରୁଣପୁରୁ ଦଇତାରି । ନନ୍ଦକୁ ବନ୍ଦୀମୋକ୍ଷ କରି ॥ ୧୪୭
ବରୁଣପୁରୁ ଯେତେବଳେ । ନନ୍ଦକୁ ଆଣିଲେ ଗୋକୁଳେ ॥ ୧୪୮
ଗୋପାଳେ ବରୁଣଭୁବନ । ଦେଖିବେ ବୋଲି କଲେ ମନ ॥ ୧୪୯
ତାହାଙ୍କୁ ନିଦ୍ରାକାଳେ ନେଇ । ବରୁଣଭୁବନ ଦେଖାଇ ॥ ୧୫୦
ପୁଣି ମାୟାରେ ଭଗବାନ । ଦେଖାଇ ଆପଣା ଭୁବନ ॥ ୧୫୧
ସେ ପୁଣି ବଳଦେବ ସଙ୍ଗେ । ବନେ ଖେଳନ୍ତି ନାନାରଙ୍ଗେ ॥ ୧୫୨
ବ୍ୟୋମଅସୁର ମାୟା କଲା । ଗୋପାଳପୁଅଙ୍କୁ ହରିଲା ॥ ୧୫୩
ଗିରିକ୍ରୋଟରେ ନେଇ ଥୋଇ । ଦ୍ୱାରରୁନ୍ଧିଲା ଶିଳା ଦେଇ ॥ ୧୫୪
ତାହା ଜାଣିଲେ ଚକ୍ରପାଣି । ବନ୍ଦୀରୁ ଗୋପସୁତ ଆଣି ॥ ୧୫୫
ଅସୁରଜୀବନ ହରିଲେ । ପୁଣି ଅଦ୍ଭୁତକର୍ମ କଲେ ॥ ୧୫୬
ଗୋପାଳେ ନନ୍ଦଗୋପ ମେଳେ । ଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ ॥ ୧୫୭
ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି । ପର୍ବତ-ଗୋବର୍ଦ୍ଧନ ପୂଜି ॥ ୧୫୮
ମେଘ-ପବନ ଘେନି ସଙ୍ଗେ । ଇନ୍ଦ୍ର ମିଳିଲା ଗୋପେ ବେଗେ ॥ ୧୫୯
ଇନ୍ଦ୍ରବରଷେ କୋପ କରି । ପ୍ରଳୟକାଳେ ଯେହ୍ନେ ବାରି ॥ ୧୬୦
ତା ଦେଖି କୃଷ୍ଣ ଦୟାଚିତ୍ତେ । ଗୋରୁଗୋପାଳ ରକ୍ଷାଅର୍ଥେ ॥ ୧୬୧
ସପତ-ବରଷ-କୁମର । ହସ୍ତେ ଉପାଡ଼ି ଗିରିବର ॥ ୧୬୨
ଛତ୍ର ପରାଏ ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ ॥ ୧୬୩
ସପତଦିନ ବରଷିଲା । କୃଷ୍ଣର କରେ ଗିରି ଥିଲା ॥ ୧୬୪
ଭୟେ ଚିନ୍ତିଣ ସୁରରାୟେ । ଶରଣଗଲା କୃଷ୍ଣପାୟେ ॥ ୧୬୫
ଆସି ସୁରଭୀ ଘେନି ସଙ୍ଗେ । ପୂଜିଲା କୃଷ୍ଣପାଦଯୁଗେ ॥ ୧୬୬
ଗୋବିନ୍ଦ ନାମ ଦେଇଗଲା । ସନ୍ତୋଷେ ପୁରେ ପ୍ରବେଶିଲା ॥ ୧୬୭
ପୁଣି ଶରଦଋତୁ କାଳେ । ଗୋବିନ୍ଦ ଯୋଗମାୟା ବଳେ ॥ ୧୬୮
ରାତ୍ରେ ଶଶାଙ୍କରଶ୍ମିଜାଳେ । ରାସଉତ୍ସବ ଗୋପୀମେଳେ ॥ ୧୬୯
ମଧୁର-ବେଣୁନାଦ-ଗୀତେ । ମନମୋହିଲେ ବାମା ଯେତେ ॥ ୧୭୦
ଅନଙ୍ଗମୋହେ ବ୍ରଜନାରୀ । ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି ॥ ୧୭୧
ଶୁଣି କୃଷ୍ଣର ବେଣୁସ୍ୱନ । ମିଳିଲା କୁବେରନନ୍ଦନ ॥ ୧୭୨
ଗୋପୀଙ୍କି ହରିବାର ଆଶେ । ଲୁଚି ବସିଲା ବନଦେଶେ ॥ ୧୭୩
ତାହାକୁ ଧରି ବେଣୁଧର । କରପ୍ରହାରେ ଛେଦିଶିର ॥ ୧୭୪
ମଣି ହରିଲେ ତାର ଶିରୁ । ଅଶେଷଜନପିତାଗୁରୁ ॥ ୧୭୫
ପ୍ରଳମ୍ବା ଖର ବକାସୁର । କେଶୀ ଧେନୁକା ଷଣ୍ଢାବୀର ॥ ୧୭୬
ମୁଷ୍ଟିକମଲ୍ଲ କୁବଳୟା । କଂସ ଯବନ ଘୋରମାୟା ॥ ୧୭୭
ନାରକା ସାଲ୍ୱ ପୁଣ୍ତରୀକ । କପି ବଲ୍ୱଳ ଦନ୍ତବକ୍ର ॥ ୧୭୮
ସପତଷଣ୍ଢ ବିଦୂରଥ । ସମ୍ବର ରୁକ୍ମିଣୀର ଭ୍ରାତ ॥ ୧୭୯
କାମ୍ବୋଜ ମତ୍ସ୍ୟ କୁରୁବୀରେ । ସୃଞ୍ଜୟ କେକୟ ଅପରେ ॥ ୧୮୦
ଏହାଙ୍କୁ ସଂଗ୍ରାମେ ନିବାରି । ଭୀମ ଅର୍ଜୁନ ସଙ୍ଗେ କରି ॥ ୧୮୧
ପରମପଦେ ଦେଲେ ସ୍ଥାନ । ମାୟା-ମନୁଷ୍ୟ-ଭଗବାନ ॥ ୧୮୨
କଳିପ୍ରବେଶ କାଳବଳେ । ପ୍ରାଣୀଏ ଚେତନା-ଚଞ୍ଚଳେ ॥ ୧୮୩
ଭାରତୀ ନ ପାରନ୍ତି ଧରି । ଅଳ୍ପଆୟୁଷ ଦେଖି ହରି ॥ ୧୮୪
ଜନ୍ମିଲେ ବ୍ୟାସ ରୂପ ଧରି । ଅଶେଷ-ଶ୍ରୁତିଶାସ୍ତ୍ର କରି ॥ ୧୮୫
ବେଦଦ୍ରୁମକୁ ଶାଖା କଲେ । ଏକୁ ଅନେକ ବୁଦ୍ଧିବଳେ ॥ ୧୮୬
ଅସୁରେ ରହି ବେଦମାର୍ଗେ । ମାୟାଭିମାନେ କଳିଯୁଗେ ॥ ୧୮୭
ମୟଦଇତର ସଙ୍ଗତେ । ଦୃଶ୍ୟ-ଅଦୃଶ୍ୟ ବେନିପଥେ ॥ ୧୮୮
ସେକଥା ଜାଣି ଜଗନ୍ନାଥେ । ବୁଦ୍ଧାବତାରେ ଜନହିତେ ॥ ୧୮୯
କପଟ-ମାୟା-ମୋହବଶେ । ପାଷାଣ୍ତମାର୍ଗ ଉପଦେଶେ ॥ ୧୯୦
ଅନେକ ଦୁର୍ଗତି ହରିବେ । ସୁଜନଜନଙ୍କୁ ରଖିବେ ॥ ୧୯୧
ପୁଣି ଏ କଳିଯୁଗ ଅନ୍ତେ । ସୁଧୁଜନଙ୍କ ଗୃହଗତେ ॥ ୧୯୨
କୃଷ୍ଣ-ସ୍ମରଣ-ଗୁଣଗାଥା । ନୋହିବ ଯେବେ ହରିକଥା ॥ ୧୯୩
ଦ୍ୱିଜେ ପାଷଣ୍ତ ଆଚରିବେ । ସେ ପଞ୍ଚଯଜ୍ଞ ନ କରିବେ ॥ ୧୯୪
ରାଜା ହୋଇବେ ଶୂଦ୍ରଜନେ । ପ୍ରଜା ପୀଡ଼ିବେ କର-ଧନେ ॥ ୧୯୫
ଯେ ସ୍ୱାହା ସ୍ୱଧା ବଷଟ୍ କାର । ଛାଡ଼ି କରିବେ ଦୁରାଚାର ॥ ୧୯୬
ଏ କର୍ମ ଦେଖି କଳ୍କୀ ରୂପେ । ଅଶ୍ୱ ଆରୋହି ମହାକୋପେ ॥ ୧୯୭
ଖଡ଼୍ଗ ଉଭାରି ବେନିହସ୍ତେ । ଶେଷେ ସ୍ଥାପିବେ ଧର୍ମପଥେ ॥ ୧୯୮
ସର୍ଜନେ ମୁହିଁ ଋଷି ନବ । ପ୍ରଜାପତିଏ ତପଭାବ ॥ ୧୯୯
ସ୍ଥିତିରେ ଧର୍ମ ମନୁଗଣ । ଯଜ୍ଞସ୍ୱରୂପ ବିଷ୍ଣୁ ପଣ ॥ ୨୦୦
ଅମରଗଣ ରାଜାଗଣ । ସଂହାରେ ଅଧର୍ମ କାରଣ ॥ ୨୦୧
ଯେ ହର ହରେ ତିନିପୁର । ଉରଗ ଆଦି ଯେ ଅସୁର ॥ ୨୦୨
ଅନନ୍ତ ଶକ୍ତି ଦାମୋଦର । ଏ ସର୍ବ ବିଭୂତି ତାହାର ॥ ୨୦୩
ଯେଣୁ ସେ ମାୟାରୂପ ଧରେ । କଳ୍ପକଳ୍ପାନ୍ତେ ସୃଷ୍ଟି କରେ ॥ ୨୦୪
ଯେ ବିଷ୍ଣୁ-ନାଭି-ଜାତ-ପାଦ । ଆବୋରି ଭୁବନ ଚଉଦ ॥ ୨୦୫
ଯା ବେଗେ ପ୍ରକୃତି କମ୍ପିଲା । ନିଜ ବିକ୍ରମେ ଯେ ଧଇଲା ॥ ୨୦୬
ସେ ବିଷ୍ଣୁ-ମହିମା ସଂସାରେ । କେ ଗଣି ସଂଖ୍ୟା କରିପାରେ ॥ ୨୦୭
ଯେ କବି ଭୂମି ରେଣୁ ଗଣି । ସେ କି ପାରିବ ପରିମାଣି ॥ ୨୦୮
ତାହାର ମାୟାବଳ ଗତି । ତା ଅନ୍ତ କେହି ନ ଜାଣନ୍ତି ॥ ୨୦୯
ତୋର ଅଗ୍ରଜ ମୁନି ଶାନ୍ତ । ସେ କାହିଁ ଜାଣିବେ ତଦନ୍ତ ॥ ୨୧୦
ବ୍ରହ୍ମା ଶଙ୍କର ନ ପ୍ରମାଣେ । ଅପରେ କେବା ତାହା ଜାଣେ ॥ ୨୧୧
ବାସୁକି ଅୟୁତବଦନେ । ସମର୍ଥ ନୋହେ ଗୁଣଗାନେ ॥ ୨୧୨
ଯାହାରେ ହରି ଦୟାକରେ । ସେ ଯେବେ ନିଷ୍କପଟେ ଧରେ ॥ ୨୧୩
ଦୁସ୍ତର-ମାୟା ସେ ତରନ୍ତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି ॥ ୨୧୪
ଶ୍ୱାନ-ଶୃଗାଳ-ଭକ୍ଷ ଦେହେ । ଏ ମୋର ବୋଲି ଜ୍ଞାନ ନୋହେ ॥ ୨୧୫
ଏବେ ନାରଦ ଶୁଣ ଧୀରେ । ଯେବା ତରିଲେ ମାୟାଘୋରେ ॥ ୨୧୬
ତା ମାୟା ଚିତ୍ତେ ଜାଣି ଭଲେ । ଯେ ଏ ସଂସାରୁ ତରିଗଲେ ॥ ୨୧୭
ମୁହିଁ ଜାଣଇ ମାୟା ତାର । ତୁମ୍ଭେ ସନକାଦି ଶଙ୍କର ॥ ୨୧୮
ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ । ମନୁ ଯେ କୁଟୁମ୍ବ ସହିତେ ॥ ୨୧୯
ପ୍ରାଚୀନବାର୍ହି ଋଭୁ ଅଙ୍ଗ । ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ ॥ ୨୨୦
ବିଦେହ ସୌମ୍ୟସୁତ ଗାଧି । ରଘୁ ଅମ୍ବରୀଶ ସୁବୁଦ୍ଧି ॥ ୨୨୧
ଗୟ ନହୁଷ ଆଦି ଯେତେ । ଶୁଣ ନାରଦ କହୁଁ ତୋତେ ॥ ୨୨୨
ମାନ୍ଧାତାଳର୍କ ଶତଧନୁ । ରନ୍ତିଦେବ ଯେ ଗଙ୍ଗାସୂନୁ ॥ ୨୨୩
ଅମୂର୍ତ୍ତରୟ ଯେ ସୌଭରି । ଦିଲୀପ ଉତ୍ତଙ୍କ ଯେ ବଳୀ ॥ ୨୨୪
ଶିବି ଦେବଳ ପିପ୍ ପଲାଦ । ସାରସ୍ୱତ ସଙ୍ଗେ ଉଦ୍ଧବ ॥ ୨୨୫
ଯେ ପରାଶର ଭୂରିଷେଣ । ରାବଣଭ୍ରାତ ହନୁମାନ ॥ ୨୨୬
ଶୁକ ଯେ ଉପଇନ୍ଦ୍ର ଦତ୍ତ । ବିଦୁର ଆର୍ଷ୍ଟିଷେଣ ପାର୍ଥ ॥ ୨୨୭
ବ୍ରାହ୍ମଣ ଶ୍ରୁତଦେବ ତୁଲେ । ବିଷ୍ଣୁମାୟାରୁ ତରିଗଲେ ॥ ୨୨୮
ହୂଣ ଯବନ ଶୂଦ୍ର ସ୍ତିରୀ । ଶବର ତୁଲେ ଗଲେ ତରି ॥ ୨୨୯
କୃଷ୍ଣର ରୂପେ ମନ ଯାର । କିବା କହିବା ଗତି ତାର ॥ ୨୩୦
ଅଦ୍ଭୁତକର୍ମ ଯେ ତାହାର । ଯେ ଭାବେ ନାହିଁ ପରାପର ॥ ୨୩୧
ତା ଭକ୍ତିଶିକ୍ଷା ଅଟେ ଯାର । ସେହୁ ତରନ୍ତି ମାୟାଘୋର ॥ ୨୩୨
ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ । ପ୍ରବୋଧ ମାତ୍ର ଯାର ଦେହ ॥ ୨୩୩
ସେ ଶୁଦ୍ଧ ସର୍ବଘଟେ ସମ । ରୂପ-ଅରୂପ ପରଧାମ ॥ ୨୩୪
ଶବ୍ଦ ନ ପାରେ ଯାହା କହି । ଅନେକ କ୍ରିୟାଯୋଗ ବହି ॥ ୨୩୫
ଯାର ସମ୍ମୁଖେ ଭଗବତୀ । ଲାଜେ ପଳାଇ ଶିରପୋତି ॥ ୨୩୬
ଯେ ବ୍ରହ୍ମଜ୍ଞାନୀ ମୁନିଗଣେ । ଯାହା ସ୍ମରନ୍ତି ଅନୁକ୍ଷଣେ ॥ ୨୩୭
ନିଜସ୍ୱରୂପ ତାର ଚିନ୍ତି । ପରମପୁରୁଷ ବୋଲାନ୍ତି ॥ ୨୩୮
ଅଜରାମର ଯେ ବିଶୋକ । ନାହିଁ ଯାହାର ରୂପରେଖ ॥ ୨୩୯
ଯାହାର ମନ ଦୃଢ଼ଚିେତ୍ତେ । କୃଷ୍ଣବିଷୟେ ଅବିରତେ ॥ ୨୪୦
ଭାବି ଛାଡ଼ଇ ସର୍ବତାପ । ଇନ୍ଦ୍ର ନ ଖୋଳେ ଯେହ୍ନେ କୂପ ॥ ୨୪୧
ସେ ହରି କଇବଲ୍ୟନାଥ । ଭାବ ସ୍ୱଭାବ ଏ ଜଗତ ॥ ୨୪୨
କରାଏ ସର୍ବଦେହେ ବସି । ଶମାଦି ସ୍ୱଭାବ ପ୍ରକାଶି ॥ ୨୪୩
ଦେହ-ବିଯୋଗ କାଳେ ଦେହୀ । ଗଗନପ୍ରାୟେ ଶୂନ୍ୟେ ରହି ॥ ୨୪୪
ତେଣେ ତାହାର ସଙ୍ଗ ନାହିଁ । ଜନମ ମୃତ୍ୟୁ ତାର କାହିଁ ॥ ୨୪୫
ହେ ପୁତ୍ର କହିଲି ମୁଁ ତୋତେ । ହରିମହିମା ଭାବି ଚିତ୍ତେ ॥ ୨୪୬
ସତ ଅସତ ରୂପ ସେହି । ଅଶେଷ ମାୟାରୂପ ବହି ॥ ୨୪୭
କରଇ ଆତ୍ମା ଖେଳାଲୀଳା । ତାର ଚରିତ ଭବଭେଳା ॥ ୨୪୮
ଏ ଭାଗବତଧର୍ମ ଯେତେ । ଗୋବିନ୍ଦ କହିଥିଲେ ମୋତେ ॥ ୨୪୯
ଏ ସର୍ବ ସଂଗ୍ରହର ମୂଳ । ଅଶେଷ ଧର୍ମ ଯଜ୍ଞଫଳ ॥ ୨୫୦
ଲୀଳା ବିସ୍ତାରି କହ ମୁଖେ । ସୁଜନଜନଙ୍କର ସୁଖେ ॥ ୨୫୧
ଯେମନ୍ତେ ପ୍ରାଣୀଙ୍କର ଚିତ୍ତେ । କୃଷ୍ଣବିଷୟ ଅବିରତେ ॥ ୨୫୨
ଯେମନ୍ତେ ନାଶେ ଶୋକମୋହ । ଇତି ସଙ୍କଳ୍ପି ତାତ କହ ॥ ୨୫୩
ବର୍ଣ୍ଣିଲି ଈଶ୍ୱରର ମାୟା । ଯେ ଶୁଣେ ତରେ ତାର କାୟା ॥ ୨୫୪
ମାୟା ନ ଲାଗେ ତାର ଚିତ୍ତେ । ଯେ ମୁଖେ ଗୁଣେ ଅବିରତେ ॥ ୨୫୫
ଏମନ୍ତ ଭାଗବତବାଣୀ । ନାରଦ ବ୍ରହ୍ମାମୁଖୁ ଶୁଣି ॥ ୨୫୬
ମନଆନନ୍ଦେ କୃତକୃତ୍ୟ । କହଇ ଦାସ ଜଗନ୍ନାଥ ॥ ୨୫୭
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ବ୍ରହ୍ମାନାରଦସମ୍ୱାଦେ ସପ୍ତମୋଽଧ୍ୟାୟଃ ॥

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ଶୁକଚରଣେ ଦେଇ ଚିତ୍ତ । ଆନନ୍ଦେ ବୋଲେ ପରୀକ୍ଷିତ ॥ ୧

ପରୀକ୍ଷିତ ଉବାଚ

ନାରଦ ଆଗେ ବ୍ରହ୍ମା ଯେତେ । ବିଷ୍ଣୁମହିମା ଭାଗବତେ ॥ ୨
କହିଲେ ଜନ ଉପକାରେ । ଯେ କଥା ଶୁଣି ପ୍ରାଣୀ ତରେ ॥ ୩
ଯେ ସ୍ଥାନେ ଯାହାକୁ ଯେ ଭାବେ । ମୁନି କହିଲେ ହରିଭାବେ ॥ ୪
ତାହା ଶ୍ରବଣେ ଇଚ୍ଛା ମୋର । ତୁମ୍ଭେ ତତ୍ତ୍ୱଜ୍ଞ ମଧ୍ୟେ ବର ॥ ୫
ହରିମହିମା ଅଗୋଚର । ଶ୍ରବଣ-ମଙ୍ଗଳ-ଉଚ୍ଚାର ॥ ୬
ସେ କଥା କହ ମୁନି ମୋତେ । ସେ ହରିଚରଣେ ଯେମନ୍ତେ ॥ ୭
ନିଶ୍ଚଳେ ମନ କରି ସ୍ଥିର । ଯେମନ୍ତେ ଛାଡ଼ିବି ଶରୀର ॥ ୮
ଶ୍ରଦ୍ଧାରେ ନିତ୍ୟେ ଯେବା ଶୁଣେ । ଯେ ହରିକଥା ମନେ ଗୁଣେ ॥ ୯
ମଙ୍ଗଳ-ନାମ-ଉଚ୍ଚାରଣ । ତାର ହୃଦୟେ ତତକ୍ଷଣ ॥ ୧୦
ଶ୍ରବଣମାର୍ଗେ ହରି ପଶେ । ହୃଦୟପଦ୍ମେ ସ୍ଥିରେ ବସେ ॥ ୧୧
ସର୍ବ ଦୁରିତ ହେଳେ ନାଶେ । ଶରଦ ଯେହ୍ନେ ବୃଷ୍ଟିଶେଷେ ॥ ୧୨
ଜଳୁ ହରଇ ମଳରାଶି । ସେ ଯେହ୍ନେ ନିର୍ମଳ ପ୍ରକାଶି ॥ ୧୩
ନିର୍ମଳ ଆତ୍ମା ତାର ହୋଇ । ସେ କୃଷ୍ଣ-ପାଦମୂଳେ ଥାଇ ॥ ୧୪
କେବେହେଁ ନୁହଇ ବାହାର । ମାୟା-ଭ୍ରମଣ ହୋଏ ଦୂର ॥ ୧୫
ପଥିକ ପଥଶ୍ରମ ପାଇ । ସେ ଯେହ୍ନେ ନିଜଗୃହେ ଯାଇ ॥ ୧୬
ଶ୍ରମ ପାଶୋରି ସୁଖେ ରହେ । ଗୃହସମ୍ପଦ-ଭୋଗେ ଦେହେ ॥ ୧୭
ଅଧାତୁମନ୍ତ-ଆତ୍ମା ହୋଏ । ଧାତୁଘଟଣ ଦେହ ବହେ ॥ ୧୮
ଜାଣୁ ତୁ କହ ଏ କେମନ୍ତେ । କି ବା ଏ କାଳକ୍ରମ ମତେ ॥ ୧୯
ଯାର ଉଦରୁ ପଦ୍ମ ହୋଇ । ଲୋକ-ସଂସ୍ଥାନ ପ୍ରକାଶଇ ॥ ୨୦
ଯା ରୂପ ନ ଜାଣନ୍ତି କେହି । ପ୍ରକାଶେ ଅବୟବ-ଦେହୀ ॥ ୨୧
ସେ ଯେବେ ଅବୟବୀ ହୋଇ । ଜୀବ ଈଶ୍ୱର ଭେଦ କାହିଁ ॥ ୨୨
ସ୍ୱଭାବେ ତାର ଜନ୍ମ ନାହିଁ । ଆତ୍ମାରୁ ପ୍ରାଣୀଙ୍କି ସୃଜଇ ॥ ୨୩
ବ୍ରହ୍ମା ଯେ ଭୂତଆତ୍ମା ହୋଏ । ସେ ପୁଣି ଯାର ଅନୁଗ୍ରହେବ ॥ ୨୪
ନାଭିକମଳୁ ହୋଇ ଜାତ । ତାହାକୁ ଦେଖେ ରୂପବନ୍ତ ॥ ୨୫
କାଳର ବଳେ ସେ ପୁରୁଷ । କରଇ ସୃଷ୍ଟି-ସ୍ଥିତି-ନାଶ ॥ ୨୬
ସକଳଭୂତେ ଯାର ବାସ । ସେ ଯେଉଁ ରୂପେଣ ପ୍ରକାଶ ॥ ୨୭
ଏ ଲୋକ ଲୋକପାଳ ସଙ୍ଗେ । ସର୍ବକଳ୍ପିତ ତାର ଅଙ୍ଗେ ॥ ୨୮
ଏ ଯେତେ ଚତୁŸର୍ଦ୍ଦଶ ପୁର । କଳ୍ପନା କରି ଅଙ୍ଗ ତାର ॥ ୨୯
ଏ ଭାବେ ଶୁଣିଲି ଯେ ମୁହିଁ । ଏବେ ତୁମ୍ଭଙ୍କୁ ପଚାରଇ ॥ ୩୦
କଳ୍ପ-ବିକଳ୍ପ ଯଥାକାଳେ । ସେ ବ୍ରହ୍ମ କରେ ଅବହେଳେ ॥ ୩୧
ସୃଷ୍ଟି-ପାଳଣ-ସଂହାରଣ । ଭୂତ-ଭବିଷ୍ୟ-ବର୍ତ୍ତମାନ ॥ ୩୨
କାଳର ଠାରୁ ଏ ଯେମନ୍ତେ । ଆୟୁ ପ୍ରମାଣ କାର କେତେ ॥ ୩୩
କାଳର ଯେବା ଅନୁଗତି । ଅଳ୍ପ ବହୁତ ସଂଖ୍ୟା ସ୍ଥିତି ॥ ୩୪
କର୍ମର ଗତି ଅବା ଯେତେ । ଯେ ହେତୁ ପ୍ରକାଶ ଯେମନ୍ତେ ॥ ୩୫
ଗୁଣଙ୍କ ପରିଣାମେ କେବା । ଦେବାଦି-ରୂପ ଇଚ୍ଛେ ଯେବା ॥ ୩୬
କି କର୍ମ କରି ଯହିଁ ତହିଁ । କି ଭାବେ ଜୀବ ତା ଭୁଞ୍ଜଇ ॥ ୩୭
ଭୂମି ପାତାଳ ଦଶଦିଶ । ଯେ ରୂପେ ସମ୍ଭବେ ଆକାଶ ॥ ୩୮
ଗ୍ରହ ନକ୍ଷତ୍ର ମହୀଧର । ନଦୀ ସମୁଦ୍ର ଦ୍ୱୀପପାର ॥ ୩୯
ଏଥି ଆଶ୍ରିତ ଜନ୍ତୁ ଯେତେ । ବ୍ରହ୍ମା ପ୍ରମାଣ ବା କେତେ ॥ ୪୦
ବାହ୍ୟ ଅନ୍ତରେ ବସ୍ତୁ ଯେତେ । ସଂକ୍ଷେପି କହ ମୋ ଅଗ୍ରତେ ॥ ୪୧
ମହାନ୍ତଜନ-ଆଚରଣ । ଯେ ବର୍ଣ୍ଣବିଭାଗ ଆଶ୍ରମ ॥ ୪୨
ଏ ଅଣ୍ତକୋଷ ମଧ୍ୟଗତେ । ବିଷ୍ଣୁର ଅବତାର ଯେତେ ॥ ୪୩
ଯୁଗାନୁଯୁଗେ ଯୁଗମାନ । ଯେ ଯୁଗେ ଯେବା ଧର୍ମଜ୍ଞାନ ॥ ୪୪
ମନୁଷ୍ୟ ସାଧାରଣଧର୍ମ । ଯେବା ବିଶେଷ ଯଥାକ୍ରମ ॥ ୪୫
ବ୍ରହ୍ମଋଷିଙ୍କ ଧର୍ମ ଆଦି । ଯା ରାଜଋଷି ଏ ସମ୍ପାଦି ॥ ୪୬
ଆପଦେ ଧର୍ମ ପ୍ରାଣୀଙ୍କର । ଏ ସର୍ବ କହ ମୁନିବର ॥ ୪୭
ସଂଖ୍ୟା-ଲକ୍ଷଣ ତତ୍ତ୍ୱଙ୍କର । କି ରୂପେ ହେତୁ କେ କାହାର ॥ ୪୮
ପୁରୁଷ-ଆରାଧନା-ବିଧି । ଅଷ୍ଟାଙ୍ଗଯୋଗ ଯେହ୍ନେ ସାଧି ॥ ୪୯
ଯୋଗେଶ୍ୱରଙ୍କ ଗତି ଯେତେ । ଲିଙ୍ଗଭଗନ ମୋକ୍ଷପଥେ ॥ ୫୦
ଯେ ଧର୍ମ ବେଦ-ଉପବେଦେ । ପୁରାଣ-ଇତିହାସବାଦେ ॥ ୫୧
ସର୍ବଭୂତଙ୍କ ଯେ ସମ୍ଭବ । ବିକ୍ରମ ସଙ୍କ୍ରମ ପ୍ରସ୍ତାବ ॥ ୫୨
ଯେ ଇଷ୍ଟ ବଇଦିକର୍ମ । ଯେ ଅବା ସ୍ମାର୍ତ୍ତକର୍ମ -ଧର୍ମ ॥ ୫୩
ଯେ ବିଧିଯଜ୍ଞ ଜଳଦାନେ । ଯେ କର୍ମ ତ୍ରିବର୍ଗସାଧନେ ॥ ୫୪
ଯେ ରୂପେ ଜୀବ ସମ୍ଭବନ୍ତି । ଯେ ରୂପେ ପାଷାଣ୍ତ ହୁଅନ୍ତି ॥ ୫୫
ଆତ୍ମାର ବନ୍ଧ-ମୋକ୍ଷ ଦୁଇ । ଯେବା ସ୍ୱରୂପେ ଯେହ୍ନେ ହୋଇ ॥ ୫୬
ସେ ଆତ୍ମତନ୍ତ୍ର ଭାବଗ୍ରାହୀ । ଆତ୍ମମାୟାରେ ସେ କ୍ରୀଡ଼ଇ ॥ ୫୭
ସେ ମାୟା ବିସର୍ଜି ଯେମନ୍ତେ । ପ୍ରଳୟେ ରହେ ସାକ୍ଷୀମତେ ॥ ୫୮
ଭୋ ମୁନି ପଚାରିଲି ଯେତେ । ସଂକ୍ଷେପି କହିବାକ ମୋତେ ॥ ୫୯
ତୁ ଯେ ବ୍ରହ୍ମାର ସମ ମୁନି । ଏ ବିଶ୍ୱସଂସାର ପ୍ରମାଣି ॥ ୬୦
ପୁଣ୍ୟପୁରୁଷେ ଯାହା ଚିନ୍ତି । ଅପରେ ଯାହା ଆଚରନ୍ତି ॥ ୬୧
ଆହାରହୀନେ ମୋର ପ୍ରାଣ । କେବେହେଁ ନୋହିବ ମଳିନ ॥ ୬୨
ତୁମ୍ଭ ବଚନୁ ହରିରସ । ପିବନ୍ତେ ମନ ହେବ ତୋଷ ॥ ୬୩
ସୂତ କହନ୍ତି ଅନୁରାଗେ । ଶୌନକଆଦି ମୁନି ଆଗେ ॥ ୬୪

ସୂତ ଉବାଚ

ଏମନ୍ତେ ପରୀକ୍ଷିତବାଣୀ । ହରଷେ ଶୁକମୁନି ଶୁଣି ॥ ୬୫
ମୁନିଜନଙ୍କ ସମାମଧ୍ୟେ । ଯେ ଅବା କହିଲେ ଆନନ୍ଦେ ॥ ୬୬
ସେ ଭାଗବତ ହରିଗୁଣ । ବ୍ରହ୍ମସମ୍ମତ ଯେ ପୁରାଣ ॥ ୬୭
ଯେ କଥା ବ୍ରହ୍ମାର ଅଗ୍ରତେ । ସେ ବ୍ରହ୍ମକଳ୍ପ-ଉପଗତେ ॥ ୬୮
ଏକାନ୍ତେ କହିଲେ ମୁରାରି । ବିଶ୍ୱସଂସାରେ ଦୟାକରି ॥ ୬୯
ପାଣ୍ତବଶ୍ରେଷ୍ଠ ପରୀକ୍ଷିତ । ଯେ ପ୍ରଶ୍ନ କଲେକ ଉକତ ॥ ୭୦
ସେ କଥା ଆଦି ମଧ୍ୟ ଅନ୍ତେ । କହିବି ତୁମ୍ଭର ଅଗ୍ରତେ ॥ ୭୧
ବୋଲଇ ଦାସ ଜଗନ୍ନାଥ । ଦ୍ୱିତୀୟସ୍କନ୍ଧେ ଭାଗବତ ॥ ୭୨
ଅମୃତ-ରସମୟ-ଗୀତେ । ସୁଜନଜନଙ୍କର ହିତେ ॥ ୭୩
ପ୍ରାକୃତବନ୍ଧେ ଗୀତବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୭୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ପ୍ରଶ୍ନବିଧିର୍ନାମାଷ୍ଟମୋଽଧ୍ୟାୟଃ ॥

ନବମ ଅଧ୍ୟାୟ[ସମ୍ପାଦନା]

ଶୁକ କହନ୍ତି ରାଜା ଆଗେ । ତାର ପ୍ରଶନେ ଅନୁରାଗେ ॥ ୧

ଶୁକ ଉବାଚ

ଶୁଣ ନୃପତି ପୁଣ୍ୟଦେହା । ତୁ ମୋତେ ପଚାରିଲୁ ଯାହା ॥ ୨
ବିଷ୍ଣୁର କ୍ରୀଡ଼ା ମାୟାଗୁଣ । ସୃଷ୍ଟି-ପାଳନ-ସଂହାରଣ ॥ ୩
ଆତ୍ମମାୟାରେ ସୃଷ୍ଟିକରେ । ସେ ମାୟା କେବା କଳିପାରେ ॥ ୪
କରଇ ସକଳ ସମ୍ଭବ । ସ୍ୱପ୍ନେ ଯେସନେ ଅନୁଭବ ॥ ୫
ଏହା ଈଶ୍ୱର-ମାୟା ବିନେ । ନ ଘଟେ ତତ୍ତ୍ୱ ଅନୁମାନେ ॥ ୬
ଯେବେ ସେ ମାୟାରେ ମିଶଇ । ଏକୁ ଅନେକ ପ୍ରକାଶଇ ॥ ୭
ସ୍ୱଭାବେ ମାୟା ବହୁରୂପୀ । ରୂପ ପ୍ରକାଶେ ସର୍ବବ୍ୟାପୀ ॥ ୮
ସେ ରୂପେ ଥାଇ ସର୍ବଗୁଣେ । ମୁହିଁ ମୋହର ପ୍ରାୟେ ମଣେ ॥ ୯
ଯେବେ ସେ ଭକ୍ତିଯୋଗ କରେ । ତେବେ ମମତା ପରିହରେ ॥ ୧୦
ସତ୍ୟ ପ୍ରକାଶେ ଯେବେ ଦେହେ । ନିଶ୍ଚିନ୍ତେ ଆତ୍ମାରୂପେ ରହେ ॥ ୧୧
କାଳ ମାୟାର ପରେ ରହି । ପର ଆପଣା ଭେଦ କାହିଁ ॥ ୧୨
ମାୟାକୁ ରମେ ସତ୍ୟ ପ୍ରାୟେ । ସତ୍ୟ ଅସତ୍ୟେ ଭେଦ ନୋହେ ॥ ୧୩
ଆତ୍ମାର ତତ୍ତ୍ୱଶୁଦ୍ଧି ଅର୍ଥେ । କହିଲେ ବ୍ରହ୍ମାର ଅଗ୍ରତେ ॥ ୧୪
ଯେଣୁ ସେ ଘୋରତପ କରି । ଅନେକ କଷ୍ଟେ ପ୍ରାଣ ଧରି ॥ ୧୫
ତପେ ତୋଷିଲା ଭଗବାନ । ତେଣୁ ପାଇଲା ଦରଶନ ॥ ୧୬
ନିର୍ମଳ ନିଷ୍କପଟ ଚିତ୍ତେ । ଯେଣୁ ଚିନ୍ତିଲା ହୃଦଗତେ ॥ ୧୭
ଶୁଣ କହିବା ତୋ ଅଗ୍ରତେ । ବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ ॥ ୧୮
ସେ ଆଦି-ଦେବଗଣ-ଗୁରୁ । ଭକତ-ବାଞ୍ଛା-କଳ୍ପତରୁ ॥ ୧୯
ନିଜ ଭୁବନେ ସୁଖେ ଥିଲା । ଖେଳିବା ଅର୍ଥେ ବିଚାରିଲା ॥ ୨୦
ଆତ୍ମାରେ ଆତ୍ମା ମାୟାଗ୍ରସ୍ତ । ପ୍ରପଞ୍ଚ ନିର୍ମାଣ ଯେମନ୍ତ ॥ ୨୧
ନାଭିରୁ ପଦ୍ମ କଲା ଜାତ । ତହୁଁ ଜନ୍ମିଲା ଚତୁର୍ମାଥ ॥ ୨୨
ସେ ପୁଣି ଚିନ୍ତାଭରେ ରହି । ପର ଅପର ନ ଜାଣଇ ॥ ୨୩
ସୃଷ୍ଟି ବିଷୟ କି ପ୍ରକାର । ମନେ ଚିନ୍ତଇ ବେଦବର ॥ ୨୪
ଚିନ୍ତା ବିକଳେ ଭାବେ ମନେ । ଶବଦ ଶୁଭିଲା ଗଗନେ ॥ ୨୫
ଜଳେ କମଳମଧ୍ୟେ ଥିଲା । ବେନି ଅକ୍ଷର ସେ ଶୁଣିଲା ॥ ୨୬
କ କାର ଆଦି ଯେ ଷୋଡ଼ଶେ । ପଞ୍ଚ ମିଶ୍ରିତ ଏକବିଂଶେ ॥ ୨୭
ଶବଦେ ତପ ଉଚ୍ଚାରଣ । ନିଷ୍କିଞ୍ଚନଙ୍କ ନିଜଧନ ॥ ୨୮
ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ । ନିରୋପି ଚାହିଁଲା ଗଗନେ ॥ ୨୯
ଶୂନ୍ୟେ କି ସୁଧା ଉଛୁଳିଲା । କିବା ଅମୃତ ବରଷିଲା ॥ ୩୦
ଦିଗ ସହିତେ ଅନାଇଲା । କାହିଁ ସେ କିଛି ନ ଦେଖିଲା ॥ ୩୧
ସେ ପୁଣି ରହି ନିଜସ୍ଥାନେ । ଆତ୍ମାର ହିତ ଚିନ୍ତି ମନେ ॥ ୩୨
ଜାଣିଲା ଏ ପରମତତ୍ତ୍ୱ । ତପ ସାଧନେ ଦେଲା ଚିତ୍ତ ॥ ୩୩
ଏ ମୋର ହିତ ବୋଲି ଜାଣି । ନିଶ୍ଚଳ ମନେ କୁଶପାଣି ॥ ୩୪
ଅମୋଘ-ଦୃଷ୍ଟି ସେ ବିଧାତା । ତପେ ବଢ଼ିଲା ତାର ଚିନ୍ତା ॥ ୩୫
ଦେବବରଷେ ଦଶଶତ । ତପେ ବସିଲା ଦୃଢ଼ ଚିତ୍ତ ॥ ୩୬
ମନ ପବନ କଲା ବନ୍ଦି । ଦଶଇନ୍ଦ୍ରିୟଗଣ ରୁନ୍ଧି ॥ ୩୭
ତପସ୍ୟା କଲା ଅତିରେକ । ଯହୁଁ ପ୍ରକାଶ ସର୍ବଲୋକ ॥ ୩୮
ତପ ପ୍ରସାଦେ ନରହରି । ମିଳିଲେ ନିଜରୂପ ଧରି ॥ ୩୯
ସ୍ୱଲୋକ ସ୍ୱଗଣ ସହିତେ । ଦିଶିଲେ ବ୍ରହ୍ମାର ଅଗ୍ରତେ ॥ ୪୦
ସେ ରୂପ ନ ଜାଣନ୍ତି କେହି । ମାୟା-ସଂସାରେ ଦେହ ବହି ॥ ୪୧
ବିଷ୍ଣୁ ପ୍ରସନ୍ନେ ପ୍ରଜାପତି । ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି ॥ ୪୨
ଶୂନ୍ୟେ ବିଜୟେ ଶଙ୍ଖଧାରୀ । ଅଶେଷ ଦେବେ ସ୍ତୁତି କରି ॥ ୪୩
ଯାର ଶରୀରେ ରଜ-ତମେ । ପଶି ନ ପାରନ୍ତି ସଂଭ୍ରମେ ॥ ୪୪
ଯେ ଅବା କାଳର ବିକ୍ରମ । ସେ ବା ହୋଇବ କାହିଁ କ୍ଷମ ॥ ୪୫
ମାୟା ନ ପାରେ ପଶି ଯହିଁ । ରାଗ-ଲୋଭାଦି ଭେଦ କାହିଁ ॥ ୪୬
ବିମାନ ମଧ୍ୟେ ନାରାୟଣ । ବେଷ୍ଟିତ ପାରିଷଦଗଣ ॥ ୪୭
ସର୍ବେ ଦିଶନ୍ତି ବିଷ୍ଣୁତେଜ । ସ୍ୱଭାବେ ଚାରି ଚାରି ଭୁଜ ॥ ୪୮
ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ଅରୁଣ-ପଙ୍କଜ-ଲୋଚନ ॥ ୪୯
ପୀତବସନ ପରିଧାନ । ସୁରୁଚି ସୁନ୍ଦର ବଦନ ॥ ୫୦
ମଣି ପଦକ କଣ୍ଠ ଦେଶେ । କାମ-ଗଞ୍ଜନ ନିଜ ବେଶେ ॥ ୫୧
ପ୍ରବାଳ ବଇଦୁର୍ଯ୍ୟ କାନ୍ତି । ମୃଣାଳ ପ୍ରାୟ ଝଟକନ୍ତି ॥ ୫୨
କିରୀଟ ଖଞ୍ଜିତ କପୋଳ । ଶ୍ରବଣେ ମକର-କୁଣ୍ତଳ ॥ ୫୩
ତେଜେ ବିରାଜେ ନଭସ୍ଥଳୀ । ବିମାନ ପରେ ସର୍ବେ ମିଳି ॥ ୫୪
ଦିବ୍ୟ କାମିନୀଗଣ ସଙ୍ଗେ । ବିଜୁଳି ଯେହ୍ନେ କଳାମେଘେ ॥ ୫୫
ଅଷ୍ଟବିଭୂତି ସଙ୍ଗ ମେଳେ । କମଳା ସେବେ ପାଦ ତଳେ ॥ ୫୬
ଦିବ୍ୟ ଦୋଳିକା ମଧ୍ୟେ ନାରୀ । ପୁଷ୍ପ ବରଷି ସ୍ତୁତି କରି ॥ ୫୭
ହରିର ପ୍ରିୟ କର୍ମମାନ । ଭ୍ରମରେ କରନ୍ତି ଗାୟନ ॥ ୫୮
ଏମନ୍ତେ ବିଷ୍ଣୁ ନଭସ୍ଥଳେ । ବ୍ରହ୍ମା ଦେଖିଲେ ନିଜ ଡୋଳେ ॥ ୫୯
ଯାହାର ନାମ ଶିରୀପତି । ଭକତଜନଙ୍କର ପତି ॥ ୬୦
କମଳାପତି ଯଜ୍ଞପତି । ଜଗତପତି ସର୍ବଗତି ॥ ୬୧
ସୁନନ୍ଦ-ନନ୍ଦ ଆଦି ଯେତେ । ପୂଜା ଉଚିତ ବଳି ହସ୍ତେ ॥ ୬୨
ପୂଜନ୍ତି କିଙ୍କର ସ୍ୱଭାବେ । ମିଳି ସଂଭ୍ରମେ ସର୍ବଦେବେ ॥ ୬୩
ଭୃତ୍ୟଙ୍କୁ ପ୍ରସନ୍ନ-ବଦନ । ଅରୁଣ-ପଙ୍କଜ-ଲୋଚନ ॥ ୬୪
କିରୀଟ କୁଣ୍ତଳ ବିରାଜେ । ପୀତବସନ କଟିମାଝେ ॥ ୬୫
ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେ । ରୂପେ ଅଶେଷଜନ ମୋହେ ॥ ୬୬
ଅମୂଲ୍ୟ-ସିଂହାସନେ ସ୍ଥିତି । ବେଷ୍ଟିତ ପଞ୍ଚବିଂଶ-ଶକ୍ତି ॥ ୬୭
ସ୍ୱଭାବେ ଅଇଶ୍ୱର୍ଯ୍ୟମୟ । ଇତରଜନେ ଅନିଶ୍ଚୟ ॥ ୬୮
ସ୍ୱଧାମେ ସ୍ୱରୂପେ ରମନ୍ତି । ଏଣୁ ସେ ଈଶ୍ୱର ବୋଲାନ୍ତି ॥ ୬୯
ଏମନ୍ତ ରୂପ ବ୍ରହ୍ମା ଦେଖି । ଉଠିଲେ ଆସନ ଉପେକ୍ଷି ॥ ୭୦
କୃଷ୍ଣ-ଦର୍ଶନ ଆହାଲାଦ । ଅନ୍ତରେ ହୋଇ ଗଦଗଦ ॥ ୭୧
ଲୋମ ହରଷେ ତନୁ ପୂର୍ଣ୍ଣ । ପ୍ରେମାଶ୍ରୁ ଗଳଇ ଲୋଚନ ॥ ୭୨
ଶ୍ରୀକୃଷ୍ଣ-ପାଦପଦ୍ମ ଚାହିଁ । ନମିଲା ଶିରେ କର ଦେଇ ॥ ୭୩
ଆନନ୍ଦସାଗରେ ବୁଡ଼ିଲା । ଅଧିକେ ଆତ୍ମା ପାଶୋରିଲା ॥ ୭୪
ଅତି ଆନନ୍ଦେ ପ୍ରେମ ସୁଖେ । ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ ॥ ୭୫
ପ୍ରଜା-ସର୍ଜନେ ତାର ମନ । ଜାଣିଲେ ପ୍ରଭୁ ଭଗବାନ ॥ ୭୬
ବ୍ରହ୍ମା-ବଦନ ହରି ଚାହିଁ । ଈଷିତ-ହାସ୍ୟେ ବାକ୍ୟ କହି ॥ ୭୭
ଆତ୍ମାର ପ୍ରିୟ ପ୍ରାୟ କରି । ବ୍ରହ୍ମାର କର କରେ ଧରି ॥ ୭୮

ଭଗବାନ ଉବାଚ

ହେ ବେଦଗର୍ଭ ସୃଷ୍ଟିଅର୍ଥେ । ତୁମ୍ଭେ ଯେ ତୋଷ କଲ ମୋତେ ॥ ୭୯
ଅତି ଦୁସ୍ତର ଘୋରତପେ । ତେଣୁ ମୁଁ ତୋହର ସମୀପେ ॥ ୮୦
ସ୍ୱଭାବେ ଯୋଗୀଙ୍କୁ ଦୁର୍ଲଭ । ତୋତେ ମୁଁ ହୋଇଲି ସୁଲଭ ॥ ୮୧
ସର୍ବମଙ୍ଗଳ ହେଉ ତୋର । ଦୃଢ଼ଚିତ୍ତରେ ମାଗ ବର ॥ ୮୨
ମୋହର ଦରଶନ ଯେବେ । ପ୍ରାଣୀ ଲଭଇ ପୁଣ୍ୟଭାବେ ॥ ୮୩
ତାହାର ଶ୍ରେୟ ପରିଶ୍ରମ । ଅନ୍ତରେ ହୋଏ ଆତ୍ମାରାମ ॥ ୮୪
ଗଗନେ ଶୁଣି ମୋ ବଚନ । ତୁ ଯେ ତପରେ କଲୁ ମନ ॥ ୮୫
କର୍ମ ବିଭ୍ରମ ଦେଖି ତୋତେ । ମୁଁ ଯେ ଡାକିଲି ଶୂନ୍ୟପଥେ ॥ ୮୬
ବୋଇଲି ଦୃଢ଼େ ତପ କର । ମୁଁ ତୋତେ ହୋଇବି ଗୋଚର ॥ ୮୭
ମୋର ହୃଦୟ ତପ ଜାଣ । ତପ ମୋ ଆତ୍ମାଟି ପ୍ରମାଣ ॥ ୮୮
ତପେ ମୁଁ ସୃଷ୍ଟି କଲି ହେଳେ । ଅନ୍ତେ ସଂହରେ ତପବଳେ ॥ ୮୯
ତପର ବଳେ ଏ ଜଗତ । ମୁହିଁ ପାଳଇ ଅବିରତ ॥ ୯୦
ଏମନ୍ତେ ବିଷ୍ଣୁ ମୁଖୁ ଶୁଣି । ବିଧାତା କହେ ସ୍ତୁତିବାଣୀ ॥ ୯୧

ବ୍ରହ୍ମା ଉବାଚ

ହେ ନାରାୟଣ ଭୂତେଶ୍ୱର । ପ୍ରାଣୀ ହୃଦୟେ ତୁମ୍ଭ ଘର ॥ ୯୨
ହୃଦୟପଦ୍ମ ମଧ୍ୟେ ଥାଉ । ପ୍ରାଣୀଙ୍କି ଉପଦେଶ ଦେଉ ॥ ୯୩
ଏଣୁ ମୋହର ମନ ଜାଣି । ଯେ ଜ୍ଞାନ ଦେଲ ଚକ୍ରପାଣି ॥ ୯୪
ଅନାଥନାଥ ତୋ ମହିମା । କେ ଜାଣିପାରେ ଗୁଣସୀମା ॥ ୯୫
ମୁଁ ତୋର ଚରଣେ କିଙ୍କର । ଏମନ୍ତ ଆଜ୍ଞା ମୋତେ କର ॥ ୯୬
ରୂପ ଅରୂପ ତୋର ଯେତେ । ଏ ସୃଷ୍ଟି କରୁ ତୁ ଯେମନ୍ତେ ॥ ୯୭
ଯେ ମାୟାଯୋଗେ ସୃଷ୍ଟି କରୁ । ନାନାପ୍ରକାରେ ଶକ୍ତି ଧରୁ ॥ ୯୮
ଏ ସୃଷ୍ଟି-ସ୍ଥିତି-ସଂହାରଣ । ଯେମନ୍ତେ ହେଉ ତୁ କାରଣ ॥ ୯୯
ସ୍ୱତନ୍ତ୍ର-ସୂତ୍ରେ ଊର୍ଣ୍ଣନାଭି । କ୍ରୀଡ଼ଇ ଯେହ୍ନେ ମନେ ଭାବି ॥ ୧୦୦
ତେମନ୍ତ ବୁଦ୍ଧି ଦିଅ ମୋତେ । ଏ ସୃଷ୍ଟି କରଇ ଯେମନ୍ତେ ॥ ୧୦୧
ସୃଷ୍ଟି-ସଂକଳ୍ପେ ମୋର ଇଚ୍ଛା । ତୁ ନାଥ କହ ସୃଷ୍ଟି-ଦୀକ୍ଷା ॥ ୧୦୨
ତୁମ୍ଭର ଶିକ୍ଷା ଘେନି ଚିତ୍ତେ । ସୃଷ୍ଟି କରିବି ଅବିରତେ ॥ ୧୦୩
ସୃଷ୍ଟି କରଣେ ଭଗବାନ । କେବେହେଁ ନାହିଁ ମୋର ଜ୍ଞାନ ॥ ୧୦୪
ତୋ ଅନୁଗ୍ରହ ଯେବେ ମୋତେ । ତୁ ନାଥ ବସ ମୋର ଚିତ୍ତେ ॥ ୧୦୫
ହେ ହରି ସଖାପ୍ରାୟ କରି । ତୁ ଯେ ମୋହର କର ଧରି ॥ ୧୦୬
ସେ ଅହଂକାର ମୋର ମନେ । ନୋହିବ ହେବ ତୋ ଅର୍ଚ୍ଚନେ ॥ ୧୦୭
ଯାବତ ପ୍ରଜାସର୍ଗେ ଜନ । କରିବି ଉତ୍ତମ ମଧ୍ୟମ ॥ ୧୦୮
ମୁଁ ଅଜ ସ୍ୱତନ୍ତ୍ର ମୋ ଭାବ । ଏମନ୍ତ ନୋହିବ ମୋ ଗର୍ବ ॥ ୧୦୯
ଏମନ୍ତ ବ୍ରହ୍ମାର ବଚନ । ଶୁଣି କହନ୍ତି ଭଗବାନ ॥ ୧୧୦

ଭଗବାନ ଉବାଚ

ଶୁଣ ବିଧାତା ମୋ ବଚନ । ଯେଣେ ଲଭିବୁ ସୃଷ୍ଟି-ଜ୍ଞାନ ॥ ୧୧୧
ଯେ ଭକ୍ତିଯୋଗ ମୋ ସମ୍ମତ । ଅଟଇ ଅତ୍ୟନ୍ତ ଗୁପତ ॥ ୧୧୨
ସୃଷ୍ଟି ସର୍ଜନା ଅଙ୍ଗ ଯେତେ । ହରଷେ କହୁଁ ତୋ ଅଗ୍ରତେ ॥ ୧୧୩
ଯେମନ୍ତ ସ୍ୱରୂପ ମୋ ହୋଇ । ସ୍ୱଭାବେ ରୂପ ଗୁଣ ଯେହି ॥ ୧୧୪
ଯେ କର୍ମମାନ ମୁହିଁ ବହେ । ସେ ତତ୍ତ୍ୱବିଜ୍ଞାନ ତୋ ଦେହେ ॥ ୧୧୫
ପ୍ରସରୁ ମୋର ଅନୁଗ୍ରହେ । ଜଗତ ଯେହ୍ନେ ମୋର ଦେହେ ॥ ୧୧୬
ସୃଷ୍ଟିର ଅଗ୍ରେ ମୁହିଁ ଏକ । ମୋ ତହୁଁ ପ୍ରସରେ ଅନେକ ॥ ୧୧୭
ସତ ଅସତ ପର ମୁହିଁ । ଯେ ଅବଶେଷ ଶେଷ ରହି ॥ ୧୧୮
ଏଣୁ ଏ ଆଦି ମଧ୍ୟ ଅନ୍ତେ । ମୋ ତହୁଁ ଅନ୍ୟ କେ ଜଗତେ ॥ ୧୧୯
ଅର୍ଥକୁ ଛାଡ଼ି ଯାର ବଶେ । ପ୍ରତୀତ ହୁଅଇ ଆଭାସେ ॥ ୧୨୦
ମାୟା ପ୍ରକାଶେ ସେ ପ୍ରମାଣେ । ଗଗନେ ଯେହ୍ନେ ଜ୍ୟୋତିର୍ଗଣେ ॥ ୧୨୧
ଯେମନ୍ତେ ସ୍ଥୂଳ ସୂକ୍ଷ୍ମ ଭୂତେ । ପ୍ରବେଶ ପଞ୍ଚ-ମହାଭୂତେ ॥ ୧୨୨
ଛାଡ଼ି ପଶନ୍ତି ପୁଣ ପୁଣ । ମୁଁ ମାୟା ଶରୀରେ ତେସନ ॥ ୧୨୩
ଆତ୍ମା ସର୍ବଦା ସର୍ବଠାବେ । ଅନ୍ୱୟ-ବ୍ୟତିରେକ ଭାବେ ॥ ୧୨୪
ଏହା ଜାଣନ୍ତି ତତ୍ତ୍ୱଜ୍ଞାନୀ । ମାୟାସଂସାରେ ଅନୁମାନି ॥ ୧୨୫
ତୋର ପ୍ରସ୍ତାବେ ପ୍ରଜାପତି । କହିଲି ସୃଷ୍ଟି ଯଥାଗତି ॥ ୧୨୬
ଯେଝା ବିଚାର ଅନୁମାନେ । ଯେ ସର୍ବକାଳ ବିଦ୍ୟମାନେ ॥ ୧୨୭
ଏ ମୋର ତତ୍ତ୍ୱଜ୍ଞାନ ବଳେ । ଧର ତୁ ସମାଧି ନିଶ୍ଚଳେ ॥ ୧୨୮
କଳ୍ପ ବିକଳ୍ପେ ତୋର ଚିତ୍ । କେବେହେଁ ନୋହୁ ବିମୋହିତ ॥ ୧୨୯

ଶୁକ ଉବାଚ

ଏ ରୂପେ ପ୍ରଭୁ ଭାବଗ୍ରାହୀ । ବ୍ରହ୍ମାକୁ ସୃଷ୍ଟିତତ୍ତ୍ୱ କହି ॥ ୧୩୦
ତକ୍ଷଣେ ବ୍ରହ୍ମାର ଅଗ୍ରତେ । ଗୋବିନ୍ଦ ଗଲେ ଶୂନ୍ୟପଥେ ॥ ୧୩୧
କୃଷ୍ଣ ନ ଦେଖି ପ୍ରଜାପତି । ଅନେକମତେ କଲା ସ୍ତୁତି ॥ ୧୩୨
କରଅଞ୍ଜଳି ଶିରେ ଦେଇ । ଅନେକଭାବେ ଭାବ ବହି ॥ ୧୩୩
ବିଶ୍ୱ ସର୍ଜିଲା ବିଷ୍ଣୁ ତେଜେ । ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ ॥ ୧୩୪
ସେ ପ୍ରଜାପତି ଧର୍ମପତି । ଯମ ନିୟମେ ଦେଲା ମତି ॥ ୧୩୫
ପ୍ରଜା କଲ୍ୟାଣ ଚିନ୍ତାକରି । ଆତ୍ମାର ହିତ ମନେ ଧରି ॥ ୧୩୬
ବ୍ରହ୍ମାର ସମାଧି ନିଶ୍ଚଳ । ଦେଖି ନାରଦ ମୁନିବର ॥ ୧୩୭
ପୁତ୍ରଙ୍କ ମଧ୍ୟେ ପ୍ରିୟତମ । ବିନୟେ ସେବାରେ ସେ ପୁଣ ॥ ୧୩୮
ବ୍ରହ୍ମାର ମନ ତୋଷ କଲେ । ବିଷ୍ଣୁର ମାୟା ଜାଣିବାରେ ॥ ୧୩୯
ପିତାର ମନ ତୋଷ ଜାଣି । ବିନୟଭାବେ ମୁନିମଣି ॥ ୧୪୦
ପୁଚ୍ଛିଲେ ପିତାର ଅଗ୍ରତେ । ତୁ ଯାହା ପଚାରିଲୁ ମୋତେ ॥ ୧୪୧
ନାରଦ ବାକ୍ୟେ ବେଦବର । ହରି-ମହିମା ଅଗୋଚର ॥ ୧୪୨
ଯେତେ କହିଲେ ସୃଷ୍ଟି ଅର୍ଥେ । ମାୟାର ମହିମା ଯେମନ୍ତେ ॥ ୧୪୩
ଜାଣିବା ଅର୍ଥେ ମହାମୁନି । କହି ବିଧାତା ହେଲେ ତୁନି ॥ ୧୪୪
ବ୍ରହ୍ମା-ନାରଦ ପ୍ରଶ୍ନ ଯେତେ । କହିଲି ତୋହର ଅଗ୍ରତେ ॥ ୧୪୫
ରାଜନ ସାବଧାନେ ଶୁଣ । ଏ ଭାଗବତର ପ୍ରମାଣ ॥ ୧୪୬
ଦଶଲକ୍ଷଣେ ଏହା ଜାଣି । ଯେବା କହିଲେ ପରିମାଣି ॥ ୧୪୭
ଏ କଥା ସରସ୍ୱତୀତଟେ । ନାରଦ ବ୍ୟାସଙ୍କ ନିକଟେ ॥ ୧୪୮
ଏବେ ମୁଁ ତୋହର ଅଗ୍ରତେ । କହିଲି ପଚାରିଲୁ ଯେତେ ॥ ୧୪୯
ଏମନ୍ତେ ପରୀକ୍ଷିତ ମେଳେ । ଶୁକ କହିଲେ ଗଙ୍ଗାକୂଳେ ॥ ୧୫୦
ଦଶଲକ୍ଷଣେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୫୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦ୍ୱିତୀୟସ୍କନ୍ଧେ ନବମୋଽଧ୍ୟାୟଃ ॥

ଦଶମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ମୁନି କହନ୍ତି ରାୟେ ଶୁଣ । ଏ ଭାଗବତର ଲକ୍ଷଣ ॥ ୧
ଦଶପ୍ରକାରେ ଭାବ ଚିନ୍ତି । ପୁରାଣ-ପୁରୁଷେ ବୋଲାନ୍ତି ॥ ୨
ତାହା କହିବା ଏକେ ଏକେ । ପ୍ରସ୍ତାବେ ତୋହର ସମ୍ମୁଖେ ॥ ୩
ସର୍ଗ ବିସର୍ଗ ଯେବା ସ୍ଥାନ । ପୋଷଣ ଉତି ପରିମାଣ ॥ ୪
ଯେ ମନ୍ୱନ୍ତର ଈଶକଥା । ନିରୋଧ ମୁକ୍ତିର ବ୍ୟବସ୍ଥା ॥ ୫
ଆଶ୍ରୟ ମିଶି ଦଶଗୁଣ । ଏ ଭାଗବତର ଲକ୍ଷଣ ॥ ୬
ଦଶ ବିଶୁଦ୍ଧ ଅର୍ଥେ ରହେ । ନବ ଲକ୍ଷଣ ଯେବା ହୋଏ ॥ ୭
ବେଦ ବିଚାରି ମହାଜନେ । ତତ୍ତ୍ୱ କହନ୍ତି ଅନୁମାନେ ॥ ୮
ଦଶଇନ୍ଦ୍ରିୟ ପଞ୍ଚମାତ୍ର । ମହତ ତୁଲେ ପଞ୍ଚଭୂତ ॥ ୯
ତାହାଙ୍କ ଜନ୍ମ ସର୍ଗ କହି । ବିସର୍ଗ ଶୁଣ ଚିତ୍ତ ଦେଇ ॥ ୧୦
ବିରାଟ-ପୁରୁଷର ଦେହେ । ବ୍ରହ୍ମା ସର୍ଜନା ଯେତେ ହୋଏ ॥ ୧୧
ପୌରୁଷ ଚରାଚର ଯେତେ । ବିସର୍ଗ ବୋଲନ୍ତିଟି ଏତେ ॥ ୧୨
ବିଷ୍ଣୁ ବିଜୟ ସ୍ଥିତି ନାମ । ଭକ୍ତାନୁଗ୍ରହ ଯେ ପୋଷଣ ॥ ୧୩
ମନ୍ୱନ୍ତର ଯେ ମନୁ ଧର୍ମ । କର୍ମବାସନା ଉତି ନାମ ॥ ୧୪
ବିଷ୍ଣୁ ଅବତାର ଚରିତ । ତାର ଭକ୍ତଙ୍କ ଯେ ଭକତ ॥ ୧୫
କୃଷ୍ଣର କଥା ଅନୁବାଦେ । ଉତ୍ତମ ପୁରୁଷଙ୍କ ମଧ୍ୟେ ॥ ୧୬
ଈଶାନୁକଥା ଏହା କହି । ଅପରେ ଶୁଣ ମନ ଦେଇ ॥ ୧୭
ସଂହରି ଆତ୍ମାର ଶକତି । ଜଳେ ଶୟନ ଯୋଗପତି ॥ ୧୮
ନିରୋଧ ବୋଲି ତାର ନାମ । ନିଜ ସ୍ୱଭାବେ ପୂର୍ଣ୍ଣକାମ ॥ ୧୯
ମୁକ୍ତି ସ୍ୱରୂପେ ବ୍ୟବସ୍ଥିତି । ଯହିଁ ନ ଘଟେ ପୁନର୍ଗତି ॥ ୨୦
ଆଭାସ ନିରୋଧ ଏ ଦୁଇ । ଯା ଠାରୁ ପ୍ରକାଶ ହୁଅଇ ॥ ୨୧
ଆଶ୍ରୟ ନାମ ସେ ବୋଲାଇ । ପରମ ବ୍ରହ୍ମ ଯାକୁ କହି ॥ ୨୨
ସେ ପରମାତ୍ମା ନରହରି । ଅଂଶେ ଅଶେଷଘଟେ ପୂରି ॥ ୨୩
ତାର ସକାଶୁ ଜୀବ ଏକ । ତେଣୁ ବୋଲାଇ ଆଧ୍ୟାତ୍ମିକ ॥ ୨୪
ସେ ଅଧିଦେବତା ବୋଲାଇ । ଅଧିଭୂତଙ୍କ ଆତ୍ମା ସେହି ॥ ୨୫
ଯେ ବେନି ବିଚ୍ଛେଦ କରଇ । ତାହାକୁ ଅଧିଭୂତ କହି ॥ ୨୬
ଅଭାବେ ଏକ ଏକତର । ଯଦି ନ ଲକ୍ଷେ ପରସ୍ପର ॥ ୨୭
ତେବେ ଏ ନୁହଁଇ ସଂସାର । ଯେମନ୍ତେ ଚକ୍ଷୁ ଦିନକର ॥ ୨୮
ତୃତୀୟେ ସାକ୍ଷୀରୂପ ହୋଇ । ଯେ ଦେଖେ ପରଆତ୍ମା ସେହି ॥ ୨୯
ଅନ୍ୟ ଆଶ୍ରୟ ସେ ହୁଅଇ । ତାର ଆଶ୍ରୟ ଅଟେ ସେହି ॥ ୩୦
ସର୍ବଆଶ୍ରୟ ତାର ନାମ । ପରମ ପୁରୁଷ ଉତ୍ତମ ॥ ୩୧
ସେ ଯେଉଁ କାଳେ ଅଣ୍ତଭେଦି । ବାହାର ହେଲା ଗୁଣନିଧି ॥ ୩୨
ଆତ୍ମାର ସ୍ଥାନ ଇଚ୍ଛା କରି । ସ୍ୱଭାବେ ଜଳସୃଷ୍ଟି କରି ॥ ୩୩
ସେ ଜଳ ମଧ୍ୟେ ମାୟାଧର । ବଞ୍ଚିଲା ସହସ୍ରବତ୍ସର ॥ ୩୪
ଜଳର ‘ନାରା’ ବୋଲି ନାମ । ତେଣୁ ତା ନାମ ନାରାୟଣ ॥ ୩୫
ଯେ ଦ୍ରବ୍ୟ ଗୁଣ କର୍ମ କାଳ । ସ୍ୱଭାବେ ଜୀବ ଏକମେଳ ॥ ୩୬
ଯା ଅନୁଗ୍ରହେ ଉପୁଜନ୍ତି । ଯାର ନିଗ୍ରହେ ଲୀନ ହୋନ୍ତି ॥ ୩୭
ଯେ ଯୋଗମାୟା ବଳେ ଉଠି । ଅଂଶେ କଳ୍ପଇ ନାନାସୃଷ୍ଟି ॥ ୩୮
ସୁବର୍ଣ୍ଣମୟ ତା ଶରୀର । ସର୍ଜିଲା ତ୍ରିବିଧ ପ୍ରକାର ॥ ୩୯
ଆଧିଦୈବତ ଆଧ୍ୟାତ୍ମିକ । ଆବର ଆଧିଭଉତିକ ॥ ୪୦
ଗୁଣ ପୌରୁଷ ବୀର୍ଯ୍ୟବଳେ । ଯଥା ତ୍ରିବିଧି ଭେଦ ହେଲେ ॥ ୪୧
ଅନ୍ତଃଶରୀର ଆକାଶରୁ । ପରମପୁରୁଷ ଚେଷ୍ଟାରୁ ॥ ୪୨
ସ୍ୱଭାବେ ଓଜ-ସହ-ବଳ । ଜାତ ହୋଇଲେ ଅନର୍ଗଳ ॥ ୪୩
ଏ ତିନିଭାବୁ ପ୍ରାଣ ଜାତ । ଦଶପ୍ରାଣଙ୍କ ମୂଳନାଥ ॥ ୪୪
ତାହାର ବଳେ ପ୍ରାଣ ଚଳେ । ଇନ୍ଦ୍ରିୟ ଚେଷ୍ଟାକୁ ସେ କରେ ॥ ୪୫
ଜ୍ଞାନ ଅଜ୍ଞାନ ଏହିମତେ । ଅଶେଷଜନ ଅନ୍ତର୍ଗତେ ॥ ୪୬
ରାଜାକୁ ଯେହ୍ନେ ଆଶ୍ରେ କରି । ସେବକେ ପଥ ଅନୁସରି ॥ ୪୭
ମୂଳକମଳୁ ଏହି ମତେ । ସଞ୍ରୁ ବ୍ରହ୍ମରନ୍ଧ୍ରପଥେ ॥ ୪୮
ପ୍ରାଣର ଆତଯାତ ଶ୍ରମେ । ଉପୁଜେ କ୍ଷୁଧାତୃଷା ସମେ ॥ ୪୯
କ୍ଷୁଧାତୃଷାର ମାର୍ଗ ସୁଖ । ଅର୍ଥେ ସୃଜିଲା ଅଗ୍ରେ ମୁଖ ॥ ୫୦
ମୁଖର ମୂଳେ ତାଳୁ ଜାତ । ସଂଯୋଗେ ରସନା ସମ୍ଭୂତ ॥ ୫୧
ତାର ସଂଯୋଗେ ନାନାରସେ । ବସନ୍ତି ବରୁଣ ବିଶ୍ୱାସେ ॥ ୫୨
ଶବଦ ଅର୍ଥେ ମୁଖଦ୍ୱାରେ । ଅଗ୍ନିଦେବତା ବାକ୍ୟ ଧରେ ॥ ୫୩
ସୁଚିରକାଳ ଥାଇ ଜଳେ । ନାସାବିମ୍ବର ବାୟୁବଳେ ॥ ୫୪
ଆଘ୍ରାଣ ଅର୍ଥେ ଉପୁଜିଲେ । ତକ୍ଷଣେ ଗନ୍ଧବହ ତୁଲେ ॥ ୫୫
ଆତ୍ମାର ଦେଖି ଅନ୍ଧକାର । ବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର ॥ ୫୬
ଜ୍ୟୋତି ସର୍ଜିଲା ତା ରକ୍ଷଣେ । ରୂପ-ଗ୍ରହଣ ଇଚ୍ଛି ମନେ ॥ ୫୭
ବେଦପୁରୁଷଙ୍କ ବଚନେ । ବିଧାତା ବେଦ ଅନୁମାନେ ॥ ୫୮
ଶୁଣିବା ଅର୍ଥେ ନାନାସ୍ୱନ । ନିର୍ମଳେ ପ୍ରକାଶିଲା କର୍ଣ୍ଣ ॥ ୫୯
ଦିଗ-ଦେବତାଙ୍କ ରକ୍ଷଣେ । ପ୍ରକାଶେ ଯେ ବାମେ ଦକ୍ଷିଣେ ॥ ୬୦
ବସ୍ତୁର କୋମଳ କଠିନ । ଲଘୁ କି ଅବା ଗୁରୁ ଗୁଣ ॥ ୬୧
ଶୀତଳ ଉଷ୍ମ ଯେଣେ ଜାଣି । ପବନ ଯୋଗେ ପରିମାଣି ॥ ୬୨
ସେ ଚର୍ମଇନ୍ଦ୍ରିଗୁଣେ ଭଜି । ଉପରେ ବହେ ରୋମରାଜି ॥ ୬୩
ଅଶେଷକର୍ମ କରିବାରେ । ପ୍ରକାଶ ହୃଦୟ ଉପରେ ॥ ୬୪
ବାମ ଦକ୍ଷିଣ ବେନିକର । ଯହିଁ ରକ୍ଷକ ସୁନାସୀର ॥ ୬୫
ଦାନ ଆଦାନ କର୍ମ ଆଦି । ଅର୍ଥେ ସର୍ଜିଲା ବେଦବାଦୀ ॥ ୬୬
ସୁଗମଗତି ଚିନ୍ତି ପୁଣ । ବିଧାତା ସର୍ଜିଲା ଚରଣ ॥ ୬୭
ସେ ବାମ-ଦକ୍ଷିଣ-ପଦର । ରକ୍ଷକ ହେଲେ ଯଜ୍ଞେଶ୍ୱର ॥ ୬୮
ସମସ୍ତ ହବ୍ୟ-କବ୍ୟ-ବିଧି । ଚରଣଯୁଗ ବଳେ ସାଧି ॥ ୬୯
ବେନିଚରଣ ମୂଳଦେଶେ । ଆନନ୍ଦେ ଶିଶ୍ନ ପରକାଶେ ॥ ୭୦
ସନ୍ତାନ-ଉତ୍ପତ୍ତି କାରଣେ । ରକ୍ଷକ ପ୍ରଜାପତିଗଣେ ॥ ୭୧
ଉଭୟ ଆନନ୍ଦର ଦ୍ୱାର । ଅନଙ୍ଗତୁଲେ ନିଶାକର ॥ ୭୨
ଉତ୍ସର୍ଗ ଅର୍ଥେ ବେଦବର । ତପେ ସୃଜିଲା ମଳଦ୍ୱାର ॥ ୭୩
ମିତ୍ର-ଦେବତାର ବିଷୟ । ଉଭୟ ଉତ୍ସର୍ଗ-ଆଶ୍ରୟ ॥ ୭୪
ଦେହରୁ ଦେହାନ୍ତର ଗତି । ଇଚ୍ଛାରୁ ନାଭି ଉତପତ୍ତି ॥ ୭୫
ନାଭିରେ ପ୍ରାଣ ଯେ ଅପାନ । ବିଯୋଗେ ହୁଅଇ ମରଣ ॥ ୭୬
ଅନ୍ନ ଭୋଜନ ପାନ ସଧେ । ନାଡ଼ି ସୃଜିଲା କୁକ୍ଷିମଧ୍ୟେ ॥ ୭୭
ନାଡ଼ୀରେ ନଦୀ ତୃଷା ବସେ । ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ ॥ ୭୮
ଉଭୟ ନିମିତ୍ତ ଏ ଦୁଇ । ଯେ ତୁଷ୍ଟି ପୁଷ୍ଟି ନାମ ବହି ॥ ୭୯
ଆତ୍ମମାୟାକୁ ଚିନ୍ତା କରି । ସତ୍ତ୍ବେ ହୃଦୟ ରୂପ ଧରି ॥ ୮୦
କାମ ସଙ୍କଳ୍ପ ଚନ୍ଦ୍ର ମନ । ହୃଦୟ ଏହାଙ୍କର ସ୍ଥାନ ॥ ୮୧
ହୃଦୟ ଆବୋରିବା ଆଶେ । ଅସ୍ଥି ସର୍ଜିଲା ପୃଷ୍ଠଦେଶେ ॥ ୮୨
ଅସ୍ଥି ଭିତରେ ମଜ୍ଜା କଲା । ଉପରେ ମେଦ ଭିଆଇଲା ॥ ୮୩
ତାର ଉପରେ ମାଂସ ଧରି । ରୁଧିର ଆବରଣ କରି ॥ ୮୪
ତାର ଉପରେ ଚର୍ମ-ରୋମ । ମଜ୍ଜାର ମଧ୍ୟେ ରହେ ବ୍ୟୋମ ॥ ୮୫
ଏମନ୍ତ କରି ସପ୍ତଧାତୁ । ପ୍ରାଣୀଜୀବନ ମୂଳହେତୁ ॥ ୮୬
ବାସ୍ତରି ସହସ୍ତ ଯେ ନାଡ଼ୀ । ହୃଦକମଳ ମଧ୍ୟେ ବେଢ଼ି ॥ ୮୭
ପ୍ରାଣ ରହଇ ତାଙ୍କ ମଧ୍ୟେ । ଅନ୍ତରେ ରସ-ମୂଳ ଭେଦେ ॥ ୮୮
ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ । ଭୂତାଦି ପ୍ରଭବ ଯେ ଗୁଣ ॥ ୮୯
କଳ୍ପିତ ଅହଙ୍କାରେ ପୁଣ । ସର୍ବବିକାର ଆତ୍ମା ମନ ॥ ୯୦
ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ । ଯେଣେ ସଂସାରମାୟା ଜିଣି ॥ ୯୧
ଅବନୀ ଉଦକ ଅନଳ । ପବନ ଆକାଶ ମଣ୍ତଳ ॥ ୯୨
ଏ ପଞ୍ଚଭୂତ କଳେବର । ବିଷ୍ଣୁର ଭଜନ-ମନ୍ଦିର ॥ ୯୩
ଏମନ୍ତେ କହିଲି ମୁଁ ତୋତେ । ବିଷ୍ଣୁର ସ୍ଥୂଳରୂପ ଯେତେ ॥ ୯୪
ଏ ଜୀବ ବ୍ରହ୍ମାଣ୍ତ-ଧାରଣେ । ବେଷ୍ଟିତ ଅଷ୍ଟ-ଆବରଣେ ॥ ୯୫
ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ମହତ ॥ ୯୬
ଏ ଅଷ୍ଟଗୁଣେ ଆବରଣ । ଏମନ୍ତେ ବ୍ରହ୍ମାଣ୍ତ-ଘଟଣ ॥ ୯୭
ଏ ସ୍ଥୂଳରୂପ ଯେ ତାହାର । ଏହା ଉପରେ ସୂକ୍ଷ୍ମତର ॥ ୯୮
ସେ ନିର୍ବିକାର ନିରଞ୍ଜନ । ଅନାଦି-ମଧ୍ୟମ-ନିଧନ ॥ ୯୯
ସେ ଶୂନ୍ୟମଧ୍ୟେ ନିରାକାର । ମନ-ବଚନ-ଅଗୋଚର ॥ ୧୦୦
ଏ ସ୍ଥୂଳ-ସୂକ୍ଷ୍ମ ରୂପ ଧରି । ଖେଳଇ ଆତ୍ମମାୟା କରି ॥ ୧୦୧
ପଣ୍ତିତେ ନ ମାନନ୍ତି ଏହା । ସୃଷ୍ଟି-ସଂକଳ୍ପ ବିଷ୍ଣୁମାୟା ॥ ୧୦୨
ବାଚ୍ୟ-ବାଚକ ରୂପ ଧରି । ସେ ବ୍ରହ୍ମରୂପୀ ଅବତରି ॥ ୧୦୩
ସେ ରୂପ ନାମ କ୍ରିୟା ଧାତୁ । ଅକର୍ମା ହୋଇ କର୍ମହେତୁ ॥ ୧୦୪
ସର୍ବସଙ୍କଳ୍ପ କ୍ରିୟା ଅର୍ଥେ । ଶୁଣ କହିବା ଆର ଯେତେ ॥ ୧୦୫
ଆତ୍ମାକୁ ଭିନ୍ନଭିନ୍ନ କରି । ସେ ପ୍ରଜାପତି ରୂପ ଧରି ॥ ୧୦୬
ମନୁଙ୍କୁ ସର୍ଜିଲା ସେ ହେଳେ । ଋଷି ଦେବତା ପିତୃମେଳେ ॥ ୧୦୭
ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ଗୁହ୍ୟକ ଅସୁର ॥ ୧୦୮
କିନ୍ନର ଅପସରା ଗଣ । ନାଗ କିଂପୁରୁଷ ଯେ ପୁଣ ॥ ୧୦୯
ଯକ୍ଷ ଉରଗ ମାତୃଗଣ । ପିଶାଚ ଭୂତ ପ୍ରେତମାନ ॥ ୧୧୦
କୁଷ୍ମାଣ୍ତଗଣ ବିନାୟକ । ଉନ୍ମାଦ ବେତାଳ ଯେତେକ ॥ ୧୧୧
ଯେ ଯାତୁଧାନ ସରୀସୃପ । ଗ୍ରହ ମୃଗାଦି ଖଗ ରୂପ ॥ ୧୧୨
ବୃକ୍ଷ ପର୍ବତ ପଶୁଗଣ । ଏ ରୂପେ କଲେକ ସର୍ଜନ ॥ ୧୧୩
ଦ୍ୱିବିଧ ଚତୁର୍ବିଧ ଗଣେ । ଜଳେ ବା ସ୍ଥଳେ ବା ଗଗନେ ॥ ୧୧୪
ମିଶ୍ର କୁଶଳ ଅକୁଶଳ । ତିନି ପ୍ରକାରେ କର୍ମଫଳ ॥ ୧୧୫
ଏତେ ପ୍ରକାରେ କର୍ମଗତି । ଆତ୍ମାର ବଳେ ସେ ସର୍ଜନ୍ତି ॥ ୧୧୬
ଗୁଣ ପ୍ରଭେଦେ ତିନିଲୋକ । ଦେବ ଅସୁର ନରଲୋକ ॥ ୧୧୭
ସତ୍ତ୍ବଗୁଣରୁ ଦେବ ହୋଇ । ମନୁଷ୍ୟ ରଜଗୁଣ ବହି ॥ ୧୧୮
ତମଗୁଣରୁ ଅଧୋଗତି । ପାପିଷ୍ଠେ ଯହିଁ ବିଶ୍ରାମନ୍ତି ॥ ୧୧୯
ସେ ତିନିଲୋକେ ତିନିଗତି । ଭାବେ ସୃଜିଲା ପ୍ରଜାପତି ॥ ୧୨୦
ସେ ଗୁଣ ଚିତ୍ରପ୍ରାୟ ହୋଇ । ସ୍ୱଭାବେ ଭିନ୍ନଭିନ୍ନ ଦେହୀ ॥ ୧୨୧
ଏକ ଆରକେ ନ ଗଣିଲେ । ନିଶ୍ଚଳେ ରହି ନ ପାରିଲେ ॥ ୧୨୨
ତା ଦେଖି ପ୍ରଭୁ ନରହରି । ତକ୍ଷଣେ ଧର୍ମରୂପ ଧରି ॥ ୧୨୩
ବିଶ୍ୱକୁ ପାଳିବାର ଅର୍ଥେ । ଦେବ ମନୁଷ୍ୟ ପଶୁ ଯେତେ ॥ ୧୨୪
ଏ ତିନିରୂପେ ଭଗବାନ । ରକ୍ଷା-ପୋଷଣେ କରି ସ୍ଥାନ ॥ ୧୨୫
ସୁଖ ସମ୍ପଦ ଭୋଗ ଦେଇ । ଯେ ବିଧି ସଂସାରେ ବଢ଼ାଇ ॥ ୧୨୬
ସୃଷ୍ଟିର ଭୋଗଅନ୍ତେ ହରି । କାଳାଗ୍ନି-ରୁଦ୍ରରୂପ ଧରି ॥ ୧୨୭
ଆତ୍ମାର କ୍ରୀଡ଼ା ନାଶ କରେ । ବାଳକ ଯେସନେ ବେଭାରେ ॥ ୧୨୮
ସର୍ବ ହରଇ ଅବସାନେ । ଜୀମୂତ ଯେସନ ପବନେ ॥ ୧୨୯
ଏ ଭାବେ ହରିଗୁଣ ଯେତେ । ଦେବେ ଚିନ୍ତିବେ କାହିଁ ଚିତ୍ତେ ॥ ୧୩୦
କେବଳ ଭାବେ ତାଙ୍କୁ ଜାଣି । ଶ୍ରୁତିବଚନେ ତା ପ୍ରମାଣି ॥ ୧୩୧
ସୃଷ୍ଟିର ଜନ୍ମ ଆଦିକାଳେ । ଯେ କର୍ମସାଧେ ଯୋଗବଳେ ॥ ୧୩୨
ସ୍ୱଭାବେ କର୍ମ ଯାର ନାହିଁ । ମାୟାରେ ବିଶ୍ୱ ପ୍ରକାଶଇ ॥ ୧୩୩
ଏ ବ୍ରହ୍ମକଳ୍ପିତ ସଂସାର । ବିକଳ୍ପ ନାମଟି ଏହାର ॥ ୧୩୪
ଏ ନିତ୍ୟ ସାଧାରଣ ବିଧି । ଯେ ପୂର୍ବକଳ୍ପରୁ ପ୍ରସିଦ୍ଧି ॥ ୧୩୫
ପ୍ରାକୃତ ବୈକୃତ ସଂସାର । ମହତ-ସ୍ଥାନର ସଞ୍ଚାର ॥ ୧୩୬
ସଂକ୍ଷେପେ କହିଲଇଁ ତୋତେ । ତୁ ଯାହା ପଚାରିଲୁ ମୋତେ ॥ ୧୩୭
ଯେ କଳ୍ପ-ଲକ୍ଷଣ ଯେ ନାମ । ଯେ ବା କାଳର ପରିମାଣ ॥ ୧୩୮
ଭାବେ କହିବି କଳ୍ପଗୁଣ । ରାଜନ ସାବଧାନେ ଶୁଣ ॥ ୧୩୯
ଶୌନକ ଆଦି ମୁନିଗଣ । ସୂତଙ୍କୁ ପଚାରନ୍ତି ପୁଣ ॥ ୧୪୦

ଶୌନକ ଉବାଚ

ହେ ସୂତ ତୁମ୍ଭେ ଆମ୍ଭଆଗେ । ଯାହା କହିଲ ଆତ୍ମମାର୍ଗେ ॥ ୧୪୧
ଦୁର୍ଯ୍ୟୋଧନର ଦୁଷ୍ଟବାଣୀ । ବିଦୁର ସଭାମଧ୍ୟେ ଶୁଣି ॥ ୧୪୨
କୁଟୁମ୍ବ ଆଶା ଦୂରକରି । ତୀର୍ଥସେବନ ମନେ ଧରି ॥ ୧୪୩
ପୃଥିବୀ କଲା ପର୍ଯ୍ୟଟନ । ବୁଲି ପର୍ବତ ଘୋରବନ ॥ ୧୪୪
କୈବଲ୍ୟ ଲାଭେ ଇଚ୍ଛାକଲା । ଅନେକ ତୀର୍ଥ ସେ ଭ୍ରମିଲା ॥ ୧୪୫
ମୈତ୍ରେୟ ମୁନି ସଙ୍ଗେ ତାର । କାହିଁ ହୋଇଲା ଏକସ୍ୱର ॥ ୧୪୬
ବ୍ରହ୍ମସମ୍ବାଦ ବେନିଜନେ । କରି ବଞ୍ଚିଲେ କେଉଁସ୍ଥାନେ ॥ ୧୪୭
ବିଦୁର ପଚାରିଲେ ଯେତେ । ମୈତ୍ରେୟ ବୋଧିଲେ ଯେମନ୍ତେ ॥ ୧୪୮
ସେ ବନ୍ଧୁତ୍ୟାଗୀ କି ନିମନ୍ତେ । ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ ॥ ୧୪୯
ହେ ସୂତ କହ ସର୍ବକଥା । ଯେଣେ ଛାଡ଼ିବ ଭବବ୍ୟଥା ॥ ୧୫୦
ପଦ୍ମକଳ୍ପର କଥା କହ । ଯେଣେ ନ ଲାଗେ ଭବମୋହ ॥ ୧୫୧
ଶୌନକ ପ୍ରଶ୍ନ ସୂତ ଶୁଣି । କହନ୍ତି ଶୁଣ ମହାମୁନି ॥ ୧୫୨

ସୂତ ଉବାଚ

ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ । ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ ॥ ୧୫୩
ପୁଚ୍ଛିଲେ ରାଜା ପରୀକ୍ଷିତ । ମୈତ୍ରେୟ-ବିଦୁର ଚରିତ ॥ ୧୫୪
ପରୀକ୍ଷ-ବାକ୍ୟ ଚିତ୍ତେ ଘେନି । ଯାହା କହିଲେ ଶୁକମୁନି ॥ ୧୫୫
ସେ ପ୍ରଶ୍ନ ଅନୁସାରେ ଯେତେ । ଶୁଣ କହିବା ଭାଗବତେ ॥ ୧୫୬
ସୂତ-ଶଉନକ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୧୫୭
ଦ୍ୱିତୀୟସ୍କନ୍ଧେ ଭାଗବତ । ଅମୃତ-ରସମୟ-ଗୀତ ॥ ୧୫୮
ସୁଜନଜନଙ୍କର ହିତ । କହିଲା ଦାସ ଜଗନ୍ନାଥ ॥ ୧୫୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ
ଦ୍ୱିତୀୟସ୍କନ୍ଧେ ଅଷ୍ଟାଦଶସାହସ୍ର୍ୟାଂ ସଂହିତାୟାଂ ପୁରୁଷସଂସ୍ଥାନୁବର୍ଣ୍ଣନଂ ନାମ ଦଶମୋଽଧ୍ୟାୟଃ ॥