ଓଡ଼ିଆ ଭାଗବତ/୪

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ଚତୁର୍ଥ ସ୍କନ୍ଧ

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ‌ମ୍ । ଦେବୀଂ ସରସ୍ୱତୀଂ ବ୍ୟାସଂ ତ‌ତୋ ଜୟ ମୁଦୀରୋୟତ୍ ।

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏବେ ହେ ଶୁଣ ଏକଚିତ୍ତେ । ଚତୁର୍ଥସ୍କନ୍ଧେ ଭାଗବତେ ॥ ୧
ପୂର୍ବେ ଯେ ପଦ୍ମଯୋନି-ତନୁଁ । ଜନ୍ମିଲେ ସ୍ୱାୟମ୍ଭୁବମନୁ ॥ ୨
ତା ନାରୀ ଶତରୂପା ନାମ । ପବିତ୍ର-ସର୍ବ-ଗୁଣ-ଧାମ ॥ ୩
ତାହାଙ୍କ ଠାରୁ ସୁତା ତିନି । ପରେ ଜନ୍ମିଲେ ସୁତବେନି ॥ ୪
ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ॥ ୫
ଆକୂତି ରୁଚିକି ବରିଲା । ପୁତ୍ରିକା ଧର୍ମେ ବିଭା ଦେଲା ॥ ୬
ଯେ ଧର୍ମବିଧି ବେଦମାର୍ଗେ । ବିଚାରି ଶତରୂପା ସଙ୍ଗେ ॥ ୭
ସେ ପ୍ରଜାପତି ଗୃହେ ଆଣି । ସ୍ୱଧର୍ମେ ଆକୂତି ଘରଣୀ ॥ ୮
ସେ କନ୍ୟା ଗର୍ଭେ ରୁଚି ବୀର୍ଯ୍ୟେ । ପୁତ୍ର ଦୁହିତା ମହାତେଜେ ॥ ୯
ଜନ୍ମିଲେ ଅତି ସୁଲକ୍ଷଣ । ତାହାଙ୍କ ନାମ ଏବେ ଶୁଣ ॥ ୧୦
ଯଜ୍ଞପୁରୁଷ ତାଙ୍କ ବଂଶେ । ଜନ୍ମ ହୋଇଲେ ବିଷ୍ଣୁ ଅଂଶେ ॥ ୧୧
କନ୍ୟା ସୁରୂପା ସୁଲକ୍ଷଣା । ତା ନାମ କଳ୍ପିଲା ଦକ୍ଷିଣା ॥ ୧୨
ତହୁଁ କନ୍ୟାର ପୁତ୍ର ଆଣି । ସ୍ୱଗୃହେ ମନୁଙ୍କ ଘରଣୀ ॥ ୧୩
ନିଜ ଅପତ୍ୟ ପ୍ରିୟଭାବେ । ପାଳନ୍ତି ମନୁବଂଶ ଲାଭେ ॥ ୧୪
ରୁଚିର ଘରେ କନ୍ୟା ରହି । ଦକ୍ଷିଣା ନାମ ଯାର ହୋଇ ॥ ୧୫
ଏମନ୍ତେ ଗଲା ଦିନାକେତେ । ସେ ରୁଚି କନ୍ୟା ଅଭିମତେ ॥ ୧୬
ସେ ଯଜ୍ଞରୂପୀ ବିଷ୍ଣୁହସ୍ତେ । କନ୍ୟା ଅର୍ପିଲେ ବିଧିମତେ ॥ ୧୭
ସେ ଯଜ୍ଞପତି କନ୍ୟା ପାଇ । ଗୃହସ୍ଥ-ଧର୍ମ-ବିଧି ବହି ॥ ୧୮
ସ୍ୱଧର୍ମ ସାଧନାର ଅର୍ଥେ । ସୁବୁଦ୍ଧି ଘେନି ଶୁଦ୍ଧଚିତ୍ତେ ॥ ୧୯
ଦକ୍ଷିଣା ଗର୍ଭେ ମୁନିବଳା । ଦ୍ୱାଦଶପୁତ୍ର ଜନ୍ମ କଲା ॥ ୨୦
ତୋଷ ପ୍ରତୋଷ ପୁତ୍ରବେନି । ସନ୍ତୋଷ ଭଦ୍ର ଶାନ୍ତି ଘେନି ॥ ୨୧
ଷଷ୍ଠ ପୁତ୍ର ଯେ ଇଡଷ୍ପତି । ବେଦେ ଅଧିକ ଯାର ମତି ॥ ୨୨
ଇଦୁ କବି ଯେ ବିଭୂ ସ୍ୱାହ୍ନ । ସୁଦେବ ଦ୍ୱାଦଶେ ରୋଚନ ॥ ୨୩
ସେ ସ୍ୱାୟମ୍ଭୁବ ସୁଶାସନେ । ଏହି ଦ୍ୱାଦଶ ଭ୍ରାତୃଗଣେ ॥ ୨୪
ତୁଷିତ ନାମେ ଦେବଗଣ । ହୋଇଲେ ସୃଷ୍ଟିର କାରଣ ॥ ୨୫
ମରୀଚି ଆଦି ସପ୍ତମୁନି । ଯଜ୍ଞକୁ ଇନ୍ଦ୍ରପଦେ ଘେନି ॥ ୨୬
ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ମନୁରାଜା ସୁତ ॥ ୨୭
ଏହାଙ୍କ ବଂଶେ ରାଜା ଯେତେ । ପୁତ୍ର ପଉତ୍ର ଅପ୍ରମିତେ ॥ ୨୮
ଯେ କନ୍ୟା ଦେବହୂତି ନାମ । ତାହାକୁ ଲଭିଲେ କର୍ଦ୍ଦମ ॥ ୨୯
ତାହାର ନବକନ୍ୟା ଗର୍ଭେ । ଯେ ଅବା ଉପୁଜିଲେ ପୂର୍ବେ ॥ ୩୦
ସେ କଥା କହିବଇଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ॥ ୩୧
ପ୍ରସୂତି କନ୍ୟା ମନୁରାଜା । ଦେଇ ଦକ୍ଷକୁ କଲା ପୂଜା ॥ ୩୨
ତାର ସନ୍ତତି ତିନିଲୋକେ । ବିସ୍ତାର ହୋଇଲେ ଅନେକେ ॥ ୩୩
କହିବି ଏଥିର କାରଣ । ତୁ ଏବେ ସାବଧାନେ ଶୁଣ ॥ ୩୪
ଶୁଣନ୍ତେ ନବମୁନି - ବଂଶ । ହରଇ ଅଶେଷ କଳୁଷ ॥ ୩୫
କର୍ଦ୍ଦମ କନ୍ୟା ନାମ କଳା । ମରୀଚି ମୁନିଙ୍କୁ ଅର୍ପିଲା ॥ ୩୬
ମରୀଚି ବୀର୍ଯ୍ୟେ ତା ଉଦରେ । ଜନ୍ମିଲେ ଯେ ବେନି କୁମରେ ॥ ୩୭
କଶ୍ୟପ ପୂର୍ଣ୍ଣିମାନ ଦୁଇ । ଶୁଚି ସୁନ୍ଦର ବେନିଭାଇ ॥ ୩୮
ଏ ବେନିଭାଇଙ୍କର ବଂଶ । ଜଗତେ ଅନେକ ପ୍ରକାଶ ॥ ୩୯
ବିରଜ ପୂର୍ଣ୍ଣିମାର ସୁତ । ଅପର ବିଶ୍ୱଗ ବିଦିତ ॥ ୪୦
ତା ଦେବକୁଲ୍ୟା ନାମେ କନ୍ୟା । ପୂର୍ବେ ଯେ ଗଙ୍ଗା ନାମେ ଧନ୍ୟା ॥ ୪୧
ଅତ୍ରିର ଅନସୂୟା ନାରୀ । ଅତି ସୁନ୍ଦରୀ ସୁକୁମାରୀ ॥ ୪୨
ତାହାର ଗର୍ଭେ ତିନିସୁତ । ହୋଇଲେ ଜଗତେ ବିଦିତ ॥ ୪୩
ଦତ୍ତ ଦୂର୍ବାସା ସୋମ ତିନି । ତିନି ଦେବଙ୍କ ଅଂଶ ଘେନି ॥ ୪୪

ବିଦୁର ଉବାଚ

ଅତ୍ରିର ପତ୍ନୀ ଗର୍ଭଗତେ । ତ୍ରିଦେବ ଜନ୍ମିଲେ କେମନ୍ତେ ॥ ୪୫
ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି । ସୃଷ୍ଟି ପାଳନ ଅନ୍ତକାରୀ ॥ ୪୬
କି ହେତୁ କି କର୍ମ ବିଚାରି । କିମ୍ପା ଜନ୍ମିଲେ ଦେହଧରି ॥ ୪୭
ଏ କଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ ॥ ୪୮
ବିଦୁର-ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଶୁଣି ॥ ୪୯

ମୈତ୍ରେୟ ଉବାଚ

ଶୁଣ ବିଦୁର ଧୀରମନ । ଅତ୍ରି ଯେ ବ୍ରହ୍ମାର ନନ୍ଦନ ॥ ୫୦
ସ୍ୱଭାବେ ବ୍ରହ୍ମଜ୍ଞାନୀ ବର । ବ୍ରହ୍ମା ବୋଇଳେ ତପ କର ॥ ୫୧
ଯେ ତପେ ଯେବା ଦେବ ସେବି । ତାର ପ୍ରସନ୍ନେ ଫଳ ଲଭି ॥ ୫୨
ଏମନ୍ତ ପିତା ବାକ୍ୟ ମାନି । ଧର୍ମପତ୍ନୀକି ସଙ୍ଗେ ଘେନି ॥ ୫୩
ସେ ପତିବ୍ରତା ଅନସୂୟା । ତାକୁ ନ ଲାଗେ ବିଷ୍ଣୁମାୟା ॥ ୫୪
ସେ ସାଧୁ ପତ୍ନୀ ସଙ୍ଗମେଳେ । ମିଳିଲେ ଋକ୍ଷ କୁଳାଚଳେ ॥ ୫୫
ସେ ଗିରିଶିଖେ ନାନା ଫୁଲ । ସୁରଙ୍ଗ ସୁଗନ୍ଧ ଅମୂଲ ॥ ୫୬
ଦିବ୍ୟ ସୁସଞ୍ଚ ପନ୍ତିପନ୍ତି । ମନମୋହନ ବୃକ୍ଷେ ଛନ୍ତି ॥ ୫୭
ଚନ୍ଦନ ଚମ୍ପକ ଅଶୋକ । ପାରଜାତକ କୁରୁବକ ॥ ୫୮
ନିର୍ବିନ୍ଧ୍ୟା ନାମେ ନଦୀ ବହେ । ସ୍ନାନେ ସକଳ ପାପ ଦହେ ॥ ୫୯
ସେ ବନେ ପଶି ବେନିଜନେ । ତପ ସମାଧି ଯୋଗଧ୍ୟାନେ ॥ ୬୦
ମନକୁ ଧରି ଆତ୍ମାବଳେ । ପବନ ଇନ୍ଦ୍ରିୟ ନିଶ୍ଚଳେ ॥ ୬୧
ଏକ ଚରଣେ ଉଭାହୋଇ । ଉର୍ଦ୍ଧ୍ୱ ବଦନେ ଶୂନ୍ୟେ ଧ୍ୟାୟି ॥ ୬୨
ଶତେ ବରଷ ଯୋଗଧ୍ୟାନେ । ବଞ୍ଚିଲେ ପବନ ଅଶନେ ॥ ୬୩
ନିଶ୍ଚଳ ଯୋଗଧ୍ୟାନେ ଚିନ୍ତି । ଚିତ୍ତେ ଏମନ୍ତ ବିଚାରନ୍ତି ॥ ୬୪
ଜଗତପ୍ରଭୁ ଯେ ଈଶ୍ୱର । ସୃଷ୍ଟି-ପାଳନ-ନାଶକର ॥ ୬୫
ଅନାଦି-ପରମ-କାରଣ । ଦୁର୍ଲ୍ଲଭ ଯାହାର ବରଣ ॥ ୬୬
ଆମ୍ଭର ସନ୍ତତି କାରଣେ । ଶରଣ ଗଲୁ ତା ଚରଣେ ॥ ୬୭
ଏମନ୍ତ ଚିତ୍ତେ ବିଚାରନ୍ତି । ହରିହୁଁ ଆନ ନା ଜାଣନ୍ତି ॥ ୬୮
ସେ ହରି ଯେବେ ଦୟାକରେ । ଜନ୍ମ ଲଭିବେ ଆମ୍ଭ ଘରେ ॥ ୬୯
ସଫଳ ଜୀବନ ମୋହର । ସେ ହରି ଶରଣ-ସୋଦର ॥ ୭୦
ଏମନ୍ତ ଚିତ୍ତେ ନିତ୍ୟେ ଚିନ୍ତି । ସେ ବନେ ତପ ସେ ସାଧନ୍ତି ॥ ୭୧
ଉର୍ଦ୍ଧ୍ୱ-ବଦନେ ଯେ ନିଶ୍ଚଳ । ଏମନ୍ତେ ଗଲା ଦୀର୍ଘକାଳ ॥ ୭୨
ପ୍ରାଣ ସଂଯମ ଶ୍ରମବଳେ । ଶିରେ ଅନଳ ଉପୁଜିଲେ ॥ ୭୩
ତେଜେ ତାପିଲା ତିନିପୁର । ଦେଖି କମ୍ପିଲେ ସୁର-ନର ॥ ୭୪
ବିଶ୍ୱ କମ୍ପିତ ତେଜମୟେ । ଦେଖି ଗୋବିନ୍ଦ କଲେ ଭୟେ ॥ ୭୫
ତାହାଙ୍କ ତପର ସନ୍ତୋଷେ । ଗୋବିନ୍ଦ ମନର ହରଷେ ॥ ୭୬
ତକ୍ଷଣେ ପ୍ରଭୁ ନରହରି । ଭବ-ବିରଞ୍ଚି ସଙ୍ଗେ କରି ॥ ୭୭
ବେଗେ ମିଳିଲେ ଶୂନ୍ୟପଥେ । ଗନ୍ଧର୍ବ ବିଦ୍ୟାଧର ଯୁତେ ॥ ୭୮
ଉରଗ ସିଦ୍ଧ ମୁନିବୁନ୍ଦେ । ଅସ୍ପରା ନୃତ୍ୟନ୍ତି ଆନନ୍ଦେ ॥ ୭୯
ସୁସ୍ୱର ଯନ୍ତ୍ରେ ଗୀତ ଗାନ । ଯେଣେ ସନ୍ତୋଷ ଆତ୍ମାମନ ॥ ୮୦
ସେ ମୁନି ଯଶ-ଗୁଣ ଗାଈ । ତପ ପ୍ରଭାବ ହୃଦେ ବହି ॥ ୮୧
ସେ ହରି କମଳ-ଲୋଚନ । ଅଶେଷ ଭବ-ବିମୋଚନ ॥ ୮୨
ହରଷ ମନ ଅତି ଶ୍ରମେ । ମିଳିଲେ ମୁନିଙ୍କ ଆଶ୍ରମେ ॥ ୮୩
ଦେବଙ୍କ ଆଗମନ ଦେଖି । ସେ ମୁନି ଆସନ ଉପେକ୍ଷି ॥ ୮୪
ସମାଧି ତପ ଆଚରଣେ । ଥିଲେ ଯେ ଏକଇ ଚରଣେ ॥ ୮୫
ବେନିଚରଣ ତଳେ ଥୋଇ । କପୋଳେ ବେନିକର ଦେଇ ॥ ୮୬
ହୃଦୟେ ପୁଲକିତ ଭାବ । ଯେଣୁ ଗୋବିନ୍ଦ-ଅନୁରାଗ ॥ ୮୭
ହରଷ-ଅଶ୍ରୁଜଳ ନେତ୍ରେ । ପ୍ରଣାମ କରି ଦଣ୍ତବତେ ॥ ୮୮
ଉଠି ଚାହଁଇ ଶୂନ୍ୟମାର୍ଗେ । ତିନି ମୂରତି ଦେଖି ଆଗେ ॥ ୮୯
ବୃଷଭ ପକ୍ଷିରାଜ-ଯାନେ । ପରମହଂସର ବିମାନେ ॥ ୯୦
ତିନିଦେବଙ୍କ ଚିହ୍ନ ଦେଖି । ନିଶ୍ଚଳ କଲା ବେନିଆଖି ॥ ୯୧
ଦେଖଇ ବ୍ରହ୍ମା ବିଷ୍ଣୁ ହର । ନିଜ ଆୟୁଧ ଧରି କର ॥ ୯୨
ପ୍ରସନ୍ନ ଦିଶେ ମୁଖକାନ୍ତି । ଈଷିତ ହାସ୍ୟେ ଶୋଭାପାନ୍ତି ॥ ୯୩
ଏମନ୍ତେ ଦେଖି ତିନିମୁଖ । ମୁନି ଛାଡିଲେ ମନୁ ଦୁଃଖ ॥ ୯୪
କଣ୍ଠ-କୁଣ୍ଠିତ ଗଦଗଦେ । ପ୍ରଣାମ କରି ପଦ୍ମପାଦେ ॥ ୯୫
କରଅଞ୍ଜଳି ଶିରେ ଦେଇ । ବୋଲଇ ତାଙ୍କ ମୁଖ ଚାହିଁ ॥ ୯୬

ଅତ୍ରି ଉବାଚ

ସୃଷ୍ଟି ପାଳନ ସଂହାରଣେ । ତୁମ୍ଭର ଶରୀର ପ୍ରମାଣେ ॥ ୯୭
ଭକ୍ତଜନଙ୍କ ପ୍ରୀତି ଯୋଗେ । ଶରୀର ବହ ଯୁଗେ ଯୁଗେ ॥ ୯୮
ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୯୯
ତୁମ୍ଭର ରୂପ ଏସଂସାରେ । ପ୍ରକାଶ ଜନ-ଉପକାରେ ॥ ୧୦୦
ମୁଁ ଧ୍ୟାନ କଲି ଯାହାରୂପ । କହ ହେ ମୋତେ ତା ସ୍ୱରୂପ ॥ ୧୦୧
ସନ୍ତାନ ପାଇଁ ଭଗବାନ । ତପେ ମୁଁ କଲି ଆରାଧନ ॥ ୧୦୨
ପ୍ରଜାର୍ଥେ ଧ୍ୟାନ କରି ଯାର । ସେ ଦେହୀଙ୍କର ଅଗୋଚର ॥ ୧୦୩
ଏବେ ତ୍ରିତୟ-ରୂପ ଧରି । ତୁମ୍ଭେ ବିଜୟ ମୋର ପୁରୀ ॥ ୧୦୪
କି ରୂପେ ତୁମ୍ଭେ ତିନିଜଣ । ଏ ସ୍ଥାନେ କଲ ଆଗମନ ॥ ୧୦୫
ଏଥିରେ ମୋହର ବିସ୍ମୟ । ସନ୍ଦେହ ଫେଡ ଦୟାମୟ ॥ ୧୦୬
ଏ ବଡ ବିଚିତ୍ର ମଣଇ । ସଂଶୟ ଫେଡ ଦୟାବହି ॥ ୧୦୭

ମୈତ୍ରେୟ ଉବାଚ

ବିଦୁର ସାବଧାନେ ଶୁଣ । ତ୍ରିଦେବ ହୋଇଣ ପ୍ରସନ୍ନ ॥ ୧୦୮
ଏମନ୍ତ ଅତ୍ରି ବାକ୍ୟ ଶୁଣି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥ ୧୦୯
ବୋଲନ୍ତି ଅତ୍ରି ମୁଖ ଚାହିଁ । ଭୋମୁନି ଭାଗ୍ୟବନ୍ତ ତୁହି ॥ ୧୧୦
ତୋହର ପ୍ରାୟେ ତପଘୋରେ । ତପସ୍ୱୀ ନାହିଁ ଏ ସଂସାରେ ॥ ୧୧୧
ପତ୍ନୀ ସହିତେ ଦୁଃଖ ସହି । ଯେ ତପ କଲୁ ବନେ ରହି ॥ ୧୧୨
ଚିତ୍ତେ ତୁ କଳ୍ପିଅଛୁ ଯାହା । ତେଣୁ ଆମ୍ଭର ତୋତେ ଦୟା ॥ ୧୧୩
ଚିତ୍ତେ ତୁ କଲୁ ଯାର ଧ୍ୟାନ । ସେ ଆମ୍ଭ ତିନିରୂପ ଜାଣ ॥ ୧୧୪
ମନେ ତୁ ସଂଶୟ ନ କର । ହୋଇବୁ ତୋହର କୁମର ॥ ୧୧୫
ତୋହର ଯଶ ଏ ଜଗତେ । ନିଶ୍ଚଳ ରହିବ ଯେମନ୍ତେ ॥ ୧୧୬
କରିବୁଁ ସତ୍ୟ ଏ ବଚନ । କହି ହୋଇଲେ ଅନ୍ତର୍ଦ୍ଧାନ ॥ ୧୧୭
ନିଜ ଭୁବନେ ଗଲେ ଦେବେ । ଶୁଣ ବିଦୁର କହୁଁ ଏବେ ॥ ୧୧୮
ସେ ମୁନିପତ୍ନୀ ଗର୍ଭ ଯୋଗେ । ଜନ୍ମ ହୋଇଲେ ତିନିଦେବେ ॥ ୧୧୯
ନୟନ ମଧ୍ୟୁ ସୋମ ଜାତ । ଉଦରୁ ଦତ୍ତ ଯେ ସମ୍ଭୂତ ॥ ୧୨୦
ଦୁର୍ବାସା ଧ୍ୱର୍ଜଟିର ଅଂଶେ । ଜନ୍ମ ହୋଇଲେ ପୃଷ୍ଠଦେଶେ ॥ ୧୨୧
ତପର ପ୍ରଭାବ ଏ ପୁଣ । ଏବେ ଅଙ୍ଗିରା ବଂଶ ଶୁଣ ॥ ୧୨୨
ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ । ତାର ସଙ୍ଗମେ ପ୍ରଜାପତି ॥ ୧୨୩
ଚାରି-କୁମାରୀ ଜନ୍ମ କଲା । ସୁନ୍ଦର-ରୂପ-ଗୁଣ-ଶୀଳା ॥ ୧୨୪
ତୁଳନା ନାହିଁ ଅନୁପମ । ଶୁଣ ହୋ ତାହାଙ୍କର ନାମ ॥ ୧୨୫
ପ୍ରଥମ କନ୍ୟା ସିନୀବାଲୀ । ଅପରେ କୁହୁ ରାକାବାଳୀ ॥ ୧୨୬
ଚତୁର୍ଥ କନ୍ୟା ଅନୁମତି । ଏମନ୍ତେ କନ୍ୟାଙ୍କର ଖ୍ୟାତି ॥ ୧୨୭
ଅପରେ ବେନିପୁତ୍ର ଜାତ । ଉତଥ୍ୟ ବୃହସ୍ପତି ଖ୍ୟାତ ॥ ୧୨୮
ଏ ସ୍ୱାରୋଚିଷ ମନ୍ୱନ୍ତରେ । ଗୁଣେ ବିଖ୍ୟାତ ତିନିପୁରେ ॥ ୧୨୯
ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ । ପୁଲସ୍ତ୍ୟ ବଂଶ ଏବେ ଶୁଣ ॥ ୧୩୦
ଅଗସ୍ତ୍ୟ ହବିର୍ଭୁ ଉଦରେ । ଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ ॥ ୧୩୧
ଏ ଅନ୍ୟ ଜନ୍ମରେ ଜଠର । ଅଗ୍ନିରେ ଖ୍ୟାତ ତିନିପୁର ॥ ୧୩୨
ବିଶ୍ରବା ନାମେ ଆର ସୁତ । ଯା ଯଶ ତିନିପୁରେ ଖ୍ୟାତ ॥ ୧୩୩
ତା ପତ୍ନୀ ନାମ ଇଡବିଡା । ଦୁର୍ଜୟ ପୁତ୍ର ପ୍ରସବିଲା ॥ ୧୩୪
ବିଶ୍ରବା ଦେଖି ତା ଶରୀର । ତା ନାମ କଳ୍ପିଲା କୁବେର ॥ ୧୩୫
ପୁଣି ବିଶ୍ରବା ତେଜ ଘେନି । କେଶିନୀ ଗର୍ଭେ ପୁତ୍ରତିନି ॥ ୧୩୬
ରାବଣ କୁମ୍ଭକର୍ଣ୍ଣ ନାମ । ତେଜେ ତ୍ରୈଲୋକ୍ୟ ନାହିଁ ସମ ॥ ୧୩୭
ଜନ୍ମ ହୋଇଲେ ବିଭୀଷଣ । ବିଷ୍ଣୁ ଭକତ ମହାଜନ ॥ ୧୩୮
ପୁଲହ-ବଂଶ ଏବେ ଶୁଣ । କହିବା ତାହାଙ୍କର ଗୁଣ ॥ ୧୩୯
ପୁଲହ-ଭାର୍ଯ୍ୟା ଗତି ଗର୍ଭେ । ତିନି-ବାଳକ ଜନ୍ମ ଲଭେ ॥ ୧୪୦
କେ ପାରେ ତାଙ୍କ ଗୁଣଚିନ୍ତି । ଅନଳ ପ୍ରାୟେ ତେଜ କାନ୍ତି ॥ ୧୪୧
ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ । ଦ୍ୱିତୀୟ ବରୀୟସ ଶିଷ୍ଟ ॥ ୧୪୨
ସହିଷ୍ଣୁ ତୃତୀୟ ପ୍ରକାଶ । ଏବେ ତୁ ଶୁଣ କ୍ରତୁବଂଶ ॥ ୧୪୩
କ୍ରତୁର ପତ୍ନୀ କ୍ରିୟା ନାମ । ତା ପୁତ୍ର ଶୁଣ ପୁଣ୍ୟଧାମ ॥ ୧୪୪
ଷଷ୍ଟି ସହସ୍ର ବାଳଖିଲ୍ୟା । ତା ଗର୍ଭେ ପୁତ୍ର ଉପୁଜିଲା ॥ ୧୪୫
କେ ପାରେ ତାଙ୍କ ଗୁଣ ଚିନ୍ତି । ଅନଳ ପ୍ରାୟେ ବିରାଜନ୍ତି ॥ ୧୪୬
ଶୁଣ କହିବା ବିଷ୍ଣୁଭାବେ । ବଶିଷ୍ଠ ବୀର୍ଯ୍ୟେ ଉର୍ଜ୍ଜା ଗର୍ଭେ ॥ ୧୪୭
ନିର୍ମଳ ଗୁଣ ସପ୍ତଋଷି । ମନୁଅନ୍ତରେ ଯାହା ଘୋଷି ॥ ୧୪୮
ଶୁଣ ବିଦୁର ମନ ସୁଖେ । ତାହାଙ୍କ ନାମ କହୁଁ ମୁଖେ ॥ ୧୪୯
ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚି । ବିରଜା ମିତ୍ର ବେନି ବତ୍ସି ॥ ୧୫୦
ଉଲ୍ୱଣ ବସୁଭୃତ ଯାନ । ଦ୍ୟୁମାନ ଶକ୍ତି ଆଦି ଅନ୍ୟ ॥ ୧୫୧
ଚିତିର ବଂଶ ଏବେ କହି । ଶୁଣ ବିଦୁର ମନ ଦେଇ ॥ ୧୫୨
ଚିତି ଯେ ଅଥର୍ବଣ ପତ୍ନୀ । ତା ଗର୍ଭେ ଏକପୁତ୍ର ଜନ୍ମି ॥ ୧୫୩
ଦଧୀଚି ନାମେ ମହାଧୀର । ତା ଅନ୍ୟନାମ ଅଶ୍ୱଶିର ॥ ୧୫୪
କେ କହିପାରେ ତାଙ୍କ ଗୁଣ । ଏବେ ତୁ ଭୃଗୁବଂଶ ଶୁଣ ॥ ୧୫୫
ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ । ତିନି ଅପତ୍ୟ ଜନ୍ମ ଲଭେ ॥ ୧୫୬
ଧାତା ବିଧାତା ବେନି ସୁତ । କନ୍ୟା ଏ କମଳା ସମ୍ଭୂତ ॥ ୧୫୭
କମଳା ବିଷ୍ଣୁକୁ ବରିଲା । ସେ ଅନୁରୂପ ପତି ଗଲା ॥ ୧୫୮
ଧାତା ବିଧାତା ବେନିବାଳେ । ସୁନ୍ଦରରୂପ ବାଳକାଳେ ॥ ୧୫୯
ମେରୁ ଋଷିର ଯେ ଦୁହିତା । ଆୟତି ନିୟତି ସମ୍ଭୂତା ॥ ୧୬୦
ଏ ବେନିକନ୍ୟା ବେନିଭାଇ । ବିଭା ହୋଇଲେ ଭାବ ବହି ॥ ୧୬୧
ସେ ବେନିକନ୍ୟା ଗର୍ଭଗତେ । ଜନ୍ମ ଲଭିଲେ ବେନିସ୍ରୁତେ ॥ ୧୬୨
ମୁକଣ୍ତ ପ୍ରାଣ ତାଙ୍କ ନାମ । ସୁନ୍ଦରେ ସମ ନୋହେ କାମ ॥ ୧୬୩
ମୁକଣ୍ତ ସୁତ ମାର୍କଣ୍ତେୟ । ପ୍ରାଣର ଏକଇ ତନୟ ॥ ୧୬୪
ତା ନାମ ବେଦଶିରା ହୋଏ । ମୁନିଙ୍କ ମଧ୍ୟେ ମହାଶୟେ ॥ ୧୬୫
ଭୃଗୁର କବି ନାମେ ପୁତ୍ର । ଉଶନାମୁନି ତାର ସୁତ ॥ ୧୬୬
ଏ ସର୍ବମୁନି ମହାଜନ । ସ୍ୱଭାବେ ତ୍ରୈଲୋକ୍ୟ-ଭାବନ ॥ ୧୬୭
ଏମନ୍ତେ କର୍ଦ୍ଦମ ଦୁହିତୀ । କହିଲି ମୁନିବଂଶ ଖ୍ୟାତି ॥ ୧୬୮
ଯେ ଏହା ଶୁଣନ୍ତି ସଂସାରେ । ଜ୍ଞାନ-ଅଜ୍ଞାନ ପାପ ହରେ ॥ ୧୬୯
ଯେ ସ୍ୱାୟମ୍ଭୁବ ମନୁସୁତା । ପ୍ରସୂତି ନାମେ ପତିବ୍ରତା ॥ ୧୭୦
ତାହାର ପତି ଶୁଦ୍ଧମତି । ଯା ନାମ ଦକ୍ଷ ପ୍ରଜାପତି ॥ ୧୭୧
ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ । ଷୋଡଶ କନ୍ୟା ସେ ପ୍ରସବେ ॥ ୧୭୨
ଜନ୍ମିଲେ ନାରୀ ସୁଲୋଚନୀ । ରୂପେ ତ୍ରିଭୁବନ-ମୋହିନୀ ॥ ୧୭୩
ଧର୍ମକୁ ତ୍ରୟୋଦଶ ନାରୀ । ଦେଲା ସେ ଅଳଙ୍କାର ଭରି ॥ ୧୭୪
ଅଗ୍ନିକି ଏକକନ୍ୟା ଦେଲା । ପିତୃପୁରୁଷେ ଏକ ବାଳା ॥ ୧୭୫
ଅପରା ସତୀ ନାମେ କନ୍ୟା । ସୁଶୀଳା ପତିବ୍ରତା ଧନ୍ୟା ॥ ୧୭୬
ଭବଙ୍କୁ କଲେ ସମ୍ପ୍ରଦାନ । ଯା ନାମ ଭବ-ବିନାଶନ ॥ ୧୭୭
ବିଦୁର ହୋଇ ଶୁଦ୍ଧମନ । ଧର୍ମ-ପତ୍ନୀଙ୍କ ନାମ ଶୁଣ ॥ ୧୭୮
ଶ୍ରଦ୍ଧା ମଇତ୍ରୀ ଦୟାଶାନ୍ତି । ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି ॥ ୧୭୯
ତିତିକ୍ଷା ଲଜ୍ଜା ବୁଦ୍ଧି ମେଧା । ମୂିର୍ତ୍ତି ସହିତେ ଯେ ପ୍ରସିଦ୍ଧା ॥ ୧୮୦
ଏ ତ୍ରୟୋଦଶ ଧର୍ମନାରୀ । ଦକ୍ଷ ସୁମନେ ବିଭା କରି ॥ ୧୮୧
ଶ୍ରଦ୍ଧାର ସୁତ ସତ୍ୟ ଖ୍ୟାତ । ପ୍ରସାଦ ମୈତ୍ରୀ ତହୁ ଜାତ ॥ ୧୮୨
ଦୟାର ସୁତ ଯେ ଅଭୟ । ସୁଖ ଯେ ଶାନ୍ତିର ତନୟ ॥ ୧୮୩
ହର୍ଷକୁ ପ୍ରସବିଲା ତୁଷ୍ଟି । ଗର୍ବ ପ୍ରସବ କଲା ପୁଷ୍ଟି ॥ ୧୮୪
କ୍ରିୟାର ତହୁଁ ଯୋଗ ହୋଇ । ଉନ୍ନତି ଦର୍ପ ପ୍ରସବଇ ॥ ୧୮୫
ତିତିକ୍ଷା ତହୁଁ କ୍ଷେମ ହେଲା । ଲଜ୍ଜା ବିନୟ ଜାତ କଲା ॥ ୧୮୬
ବୁଦ୍ଧିର ପୁତ୍ର ଅର୍ଥ ପୁଣ । ମେଧା ତନୟ ସ୍ମରଣ ॥ ୧୮୭
ମୂର୍ତ୍ତିର ସୁତ ଏବେ କହି । ଆଶ୍ରିତ ସର୍ବଗୁଣ ଯହିଁ ॥ ୧୮୮
ସେ ବେନି ନର-ନାରାୟଣ । ତାହାଙ୍କ ଜନ୍ମ-କର୍ମ ଶୁଣ ॥ ୧୮୯
ଏ ମୂର୍ତ୍ତିପୁତ୍ର ଜନ୍ମଦିନେ । ଆନନ୍ଦ ଏ ତିନିଭୁବନେ ॥ ୧୯୦
ଦିଗ ପବନ ଗିରି ନଦୀ । ଆନନ୍ଦେ ଉଛୁଳେ ଜଳଧି ॥ ୧୯୧
ଆକାଶ ପୂରେ ତୂର୍ଯ୍ୟ ଘୋଷେ । ନିର୍ମେଘେ କୁସୁମ ବରଷେ ॥ ୧୯୨
ସକଳ ମୁନି ସ୍ତୁତି କଲେ । ଅପ୍ସରାମାନେ ନୃତ୍ୟ ଭୋଳେ ॥ ୧୯୩
ଗନ୍ଧର୍ବ କିନ୍ନର ଆନନ୍ଦେ । ଗାଇଲେ ବିଧ୍ୟାଧରବୃନ୍ଦେ ॥ ୧୯୪
ସକଳ-ଗ୍ରହେ ଅନୁକୂଳ । ଉତ୍ସବ ପରମ-ମଙ୍ଗଳ ॥ ୧୯୫
ହରଷେ ହର-ପଦ୍ମଯୋନି । ସଙ୍ଗେ ଦେବତାବୃନ୍ଦ ଘେନି ॥ ୧୯୬
ମିଳିଲେ ଧର୍ମର ଭୁବନେ । ଆନନ୍ଦ ମନେ ସର୍ବଜନେ ॥ ୧୯୭

ଦେବଗଣ ଉବାଚ

ଯେ ନିଜ ମାୟାଗୁଣେ ହରି । ବିଶ୍ୱ ସଂସାରେ ରୂପ ଧରି ॥ ୧୯୮
ବିଶ୍ୱର ଯୋଗ-କ୍ଷେମ ଅର୍ଥେ । ଭାରତ ଭୂମି ମଧ୍ୟଗତେ ॥ ୧୯୯
ଧର୍ମର ଗୃହେ ଅବତରି । ପ୍ରକଟ ଋଷିରୂପ ଧରି ॥ ୨୦୦
ତପ ଆଚରେ ଜନହିତେ । ସେ ହରି ଚରଣେ ନମସ୍ତେ ॥ ୨୦୧
ଯେ ହରି ସୃଷ୍ଟି-ସ୍ଥିତି ଅର୍ଥେ । ଆମ୍ଭଙ୍କୁ ସୃଜି ଏ ଜଗତେ ॥ ୨୦୨
ସର୍ବ-ରକ୍ଷଣ ଅର୍ଥେ ହରି । ଆତ୍ମାକୁ ବେନିରୂପ କରି ॥ ୨୦୩
ପରିପାଳନ ତପବଳେ । ଆସନ ଧରଣୀମଣ୍ତଳେ ॥ ୨୦୪
ଶ୍ରୀନିକେତନ ଜିଣି ନେତ୍ର । କିିଞ୍ଚିତ ଦର୍ଶନେ ପବିତ୍ର ॥ ୨୦୫
ଯେ ପ୍ରାଣ ତୋତେ ଆଶ୍ରେକରେ । ଭବ-ଅର୍ଣ୍ଣବୁ ସୁଖେ ତରେ ॥ ୨୦୬
ଏମନ୍ତ ସୁରଗଣେ କହି । ସ୍ତୁତି କରନ୍ତି ମୁଖ ଚାହିଁ ॥ ୨୦୭
ସେ ଦେବସ୍ତୁତି ପୂଜା ଘେନି । ସେ ନର-ନାରାୟଣ ବେନି ॥ ୨୦୮
ଗମିଲେ ଜନ-ଉପକାରେ । ସଂସାର ଏଡିଣ ନିର୍ଭରେ ॥ ୨୦୯
ଜଗତଜନ ହିତ ଅର୍ଥେ । ସେ ଗନ୍ଧମାର୍ଦ୍ଦନ ପର୍ବତେ ॥ ୨୧୦
ତପ କରନ୍ତି ଅତିରେକେ । ଯା ତପେ ପୁରନ୍ଦର କମ୍ପେ ॥ ୨୧୧
ଏବେ ସେ ଭାରତଭୂମିରେ । ମିଲିଲେ ଶୁଭଲଗ୍ନ ବେଳେ ॥ ୨୧୨
ସେ ବେନିରୂପେ ବିଷ୍ଣୁଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ ॥ ୨୧୩
ଭୂମିର ଭାରା-ନିବାରଣେ । ଜଗତ ପରମ-କାରଣେ ॥ ୨୧୪
ସମ୍ଭୂତ ଯଦୁ-କୁରୁବଂଶେ । କୃ୍ଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ ॥ ୨୧୫
ଅଗ୍ନିର ସ୍ୱାହା ନାମେ ନାରୀ । ତିନିକୁମର ଜାତକରି ॥ ୨୧୬
ପାପକ ପବମାନ ଶୁଚି । ଦ୍ରୁତ ଭୋଜନେ ତାଙ୍କ ରୁଚି ॥ ୨୧୭
ଏ ତିନିବୀର୍ଯ୍ୟେ ଅଗ୍ନିଗଣେ । ଜନ୍ମିଲେ ସଂସାର ଧାରଣେ ॥ ୨୧୮
ପଞ୍ଚଚାଳିଶ ରୂପ ହୋଇ । ତେଜେ ଗଞ୍ଜନ୍ତି ସ୍ୱର୍ଗ ମହୀ ॥ ୨୧୯
ସେ ପୁଣି ପିତୃପିତାମହ । ସଙ୍ଗତେ ଅଣଚାଶ ଦେହ ॥ ୨୨୦
ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ । ମିଳନ୍ତି ବୈତାନିକ-ରଙ୍ଗେ ॥ ୨୨୧
ଯେ ବ୍ରହ୍ମବାଦୀ ବିପ୍ରଗଣେ । ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ॥ ୨୨୨
ଅଗ୍ନିରେ କରନ୍ତି ହବନ । ପିତୃଙ୍କ ନାମ ଏବେ ଶୁଣ ॥ ୨୨୩
ଅନଳ ସ୍ୱାତ୍ତ ବର୍ହିଷଦ । ସୌମ୍ୟ ଆଜ୍ୟପା ଆଦି ଭେଦ ॥ ୨୨୪
ସାଗ୍ନିକ ନିରଗ୍ନିକ ଦୁଇ । ଏହାଙ୍କ ପତ୍ନୀ ସ୍ୱଧା ହୋଇ ॥ ୨୨୫
ତାର ଉଦରେ କନ୍ୟା ବେନି । ଜନ୍ମିଲେ ପିତୃରୂପ ଘେନି ॥ ୨୨୬
ଯା ନାମ ବୟୁନା ଧାରିଣୀ । ସ୍ୱଭାବେ ସେ ବ୍ରହ୍ମବାଦିନୀ ॥ ୨୨୭
ଏ ଅନ୍ତେ ଦକ୍ଷ ପ୍ରଜାପତି । ତାର ଦୁହିତା ନାମ ସତୀ ॥ ୨୨୮
ଈଶ୍ୱର ପତ୍ନୀ ସେ ସ୍ୱଭାବେ । ତାର ଚରିତ ଶୁଣ ଏବେ ॥ ୨୨୯
ଆତ୍ମସଦୃଶ ପୁତ୍ର ଗର୍ଭେ । ସେ ସତୀ କେବେହେଁ ନଲଭେ ॥ ୨୩୦
ପିତା-ଅବଜ୍ଞା ସ୍ୱାମୀ-ତୁଲେ । ଚିତ୍ତେ ସେ ନ ସହିଲା ଭଲେ ॥ ୨୩୧
ପିତାର ଯଜ୍ଞଶାଳେ ଯାଇ । ସ୍ୱାମୀର ଛଳେ କୋପ ବହି ॥ ୨୩୨
ଦେବଙ୍କ ମଧ୍ୟେ ଯଜ୍ଞଶାଳେ । ଜୀବନ ଛାଡେ ଯୋଗବଳେ ॥ ୨୩୩
ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧ ଅର୍ଥଯୁତେ ॥ ୨୩୪
ସୁଜନଜନ ହିତ ଅର୍ଥେ । କହିଲେ ଦାସ ଜଗନ୍ନାଥେ ॥ ୨୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ ନାମ
ପ୍ରଥମୋଽଧ୍ୟାୟଃ ।

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ବିଦୁର ଉବାଚ

ଯେ ଶିବ ସାଧୁଙ୍କର ଶ୍ରେଷ୍ଠ । ତା ସଙ୍ଗେ ଦକ୍ଷ କଲା ହଟ ॥ ୧
ଦୁହିତାବତ୍ସଳ ସ୍ୱଭାବେ । ସତୀକୁ ଦେଇଅଛି ପୂର୍ବେ ॥ ୨
କିମ୍ପା ଅନୀତି ଆଚରିଲା । ସତୀକୁ ଅନାଦର କଲା ॥ ୩
ସଚରାଚର-ଗୁରୁ ହର । ସେ ଆତ୍ମାରାମେ ଯୋଗେଶ୍ୱର ॥ ୪
ଶାନ୍ତ-ବିଗ୍ରହ ନିର୍ବିକାର । ଅଦ୍‌ଭୁତ ମହିମା ଯାହାର ॥ ୫
ସମସୁହୃଦ ଶୁଦ୍ଧଚିତ୍ତ । ଜଗତବନ୍ଧୁ ବିଶ୍ୱନାଥ ॥ ୬
ତାଙ୍କୁ ଅବଜ୍ଞା କିମ୍ପାକଲା । କେବା ତାହାକୁ ଶିକ୍ଷା ଦେଲା ॥ ୭
ଶ୍ୱଶୁର-ଜାମାତାର ସ୍ନେହ । କିମ୍ପା ଭାଙ୍ଗିଲା ଏହା କହ ॥ ୮
ଶିବଙ୍କୁ ଅନାଦର କଲା । ସେ ଦୁଃଖେ ସତୀ ପ୍ରାଣ ଦେଲା ॥ ୯
ଏ ବାଣୀ ଶୁଣି ମୋର ମନ । ଚଞ୍ଚଳ ଭାବେ ଛନଛନ ॥ ୧୦
ଭୋମୁନି କର ଅନୁଗ୍ରହ । କହ ହେ ନ ରହୁ ସନ୍ଦେହ ॥ ୧୧

ମୈତ୍ରେୟ ଉବାଚ

ଶୁଣ ବିଦୁର ଶାସ୍ତ୍ରଯୋଗେ । ସେ ବିଶ୍ୱସ୍ରଷ୍ଟାଙ୍କର ଯାଗେ ॥ ୧୨
ଯଜ୍ଞ ଆରମ୍ଭ ଆଚରଣେ । ମିଳିଲେ ସର୍ବ ଦେବଗଣେ ॥ ୧୩
ଅଶେଷ ମୁନିଙ୍କର ମେଳେ । ମିଳିଲେ ଦଶ ଦିଗପାଳେ ॥ ୧୪
ଯକ୍ଷ କିନ୍ନର ନାଗକୁଳ । ମିଳିଲେ ଜ୍ୱଳନ୍ତ ଅନଳ ॥ ୧୫
ପିତୃ ଦେବତାଗଣ ଆଦି । ଯେଣେ ଯେ ଯଜ୍ଞକୁ ସମ୍ପାଦି ॥ ୧୬
ଏମନ୍ତେ ସୁରଗଣ ଯେତେ । ମିଳିଲେ ବ୍ରହ୍ମାଙ୍କ ଅଗ୍ରତେ ॥ ୧୭
ସୁର କିନ୍ନର ବ୍ରହ୍ମମୁନି । ଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି ॥ ୧୮
ସେ ଦକ୍ଷ ନିଜ ବ୍ରହ୍ମତେଜେ । ସୁନ୍ଦରେ ତ୍ରିଭୁବନ ଗଞ୍ଜେ ॥ ୧୯
ଆଦିତ୍ୟପ୍ରାୟେ ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ॥ ୨୦
ବ୍ରହ୍ମାର ସଭା ମଧ୍ୟଗତେ । ଥିଲା ଯେ ତିମିର ଆୟତ୍ତେ ॥ ୨୧
ଦକ୍ଷର ତେଜେ ତମ ଗଲା । ସେ ସଭା ନିର୍ମଳ ଦିଶିଲା ॥ ୨୨
ସଭାର ଜନେ ଦକ୍ଷ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୨୩
ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ । ଦକ୍ଷକୁ ଦେଖି ନ ଉଠିଲେ ॥ ୨୪
ସେ ସଭାମଧ୍ୟେ ମୁନି ଯେତେ । ସାନନ୍ଦ ଭାବେ ଶୁଦ୍ଧ ଚିତ୍ତେ ॥ ୨୫
ଅଞ୍ଜଳି କରି ନିଜ ମାଥେ । ରୋମାଞ୍ଚ ଅଶ୍ରୁଜଳ ନେତ୍ରେ ॥ ୨୬
ଦକ୍ଷଙ୍କୁ ସାଧୁ ସାଧୁବାଣୀ । ଭାବେ କହନ୍ତି ପୁଣ ପୁଣି ॥ ୨୭
ସେ ଦକ୍ଷ ସଭାମଧ୍ୟେ ଗଲା । ବ୍ରହ୍ମା ଚରଣେ ପ୍ରଣମିଲା ॥ ୨୮
ସେ ବ୍ରହ୍ମା କୃତକୃତ୍ୟ ହୋଇ । ଦକ୍ଷକୁ ଆଲିଙ୍ଗନ ଦେଇ ॥ ୨୯
ନିଜ ସମୀପେ ବସାଇଲେ । ଅନେକ ପୁରସ୍କାର କଲେ ॥ ୩୦
ରୁଦ୍ର ଯେ ସଭା ମଧ୍ୟେ ଥିଲେ । ଦକ୍ଷଙ୍କୁ ମାନ୍ୟ ସେ ନ କଲେ ॥ ୩୧
ଦେଖି ରୁଦ୍ରର ଅସମ୍ମାନ । ଦକ୍ଷର ଚିତ୍ତେ ଗରୁ-ତମ ॥ ୩୨
ସେ ଦକ୍ଷ ସ୍ୱଭାବେ ଶ୍ୱଶୁର । ତାଙ୍କୁ ନ ଗଣିଲେ ଈଶ୍ୱର ॥ ୩୩
ଅବଜ୍ଞା ଦୋଷେ ସେ ପ୍ରଚଣ୍ତ । ଯେହ୍ନେ ଉଦିତ ମାରତଣ୍ତ ॥ ୩୪
ଅତିହିଁ କୋପଭର ଚିତ୍ତେ । ବୋଲନ୍ତି ସଭଗାର ଅଗ୍ରତେ ॥ ୩୫
କର ପ୍ରସାରି ସଭା ମଧ୍ୟେ । କୋପେ ବୋଲନ୍ତି ଶାସ୍ତ୍ରବାଦୋ ॥ ୩୬
ଶୁଣ ହେ ବ୍ରହ୍ମଋଷିଗଣେ । ଆଗମ ନିଗମ ପ୍ରମାଣେ ॥ ୩୭
ତୁମ୍ଭେ ତ ସଭାମଧ୍ୟେ ଅଛ । ଏହାର ଆଚାର ଦେଖୁଛ ॥ ୩୮
ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ । ଯେ ସାଦଚାର ଏ ଜଗତେ ॥ ୩୯
କେଲଂଘି ପାରେ ତାହା ବଳେ । ଏ ତିନି-ଭୁବନମଣ୍ତଳେ ॥ ୪୦
ଦେଖ ଏ ତୁମ୍ଭର ବଚନ । ଲଘିଂଲା ମର୍କଟ-ଲୋଚନ ॥ ୪୧
ରୁଦ୍ର ବୋଲାଇ ଗର୍ବ କଲା । ଏ ମୋତେ ଦେଖି ନ ଉଠିଲା ॥ ୪୨
ଦେଖ ଏ ଲୋକପାଳ ମଧ୍ୟେ । ଯଶ ନାଶିଲା ଅପବାଦେ ॥ ୪୩
ଯେ ସାଧୁ ସନ୍ଥ ଆଚରଣ । କି ଭାବେ କଲାକ ଦୂଷଣ ॥ ୪୪
ମୋହର ଶିଷ୍ୟ ଏ ବୋଲାଇ । ଯେଣୁ ଦୁହିତା ଦେଲି ମୁହିଁ ॥ ୪୫
ଅଗ୍ନିଦେବତା ବିପ୍ର ସ୍ଥାନେ । ଦୁହିତା ଦେଇଛି ପ୍ରସନ୍ନେ ॥ ୪୬
ବେଦବାକ୍ୟରେ ସନମତ । କରିଣ ବଚନ ଉଚିତ ॥ ୪୭
ଏଣୁ ମୁଁ ଏହାର ଶ୍ୱଶୁର । ଗୁରୁଙ୍କ ମଧ୍ୟେ ଗୁରୁବର ॥ ୪୮
ଅଭିବାଦନ ସ୍ତୁତିବାଦେ । ଧର୍ମେ ନବିବ ମୋର ପାଦେ ॥ ୪୯
ଏହା ନ କରି ମୋ ଚରଣେ । ଅବଜ୍ଞା କଲା ମୂଢ଼ପଣେ ॥ ୫୦
ଏ ଲୁପ୍ତକ୍ରିୟା ହୀନାଚାର । ଅଶୁଚି ଶରୀର ଏହାର ॥ ୫୧
ମର୍ଯ୍ୟାଦା ଭେଦେ ଅଭିମାନୀ । ବର୍ତ୍ତଇ ଶୂଦ୍ରଦେହ ଘେନି ॥ ୫୨
ଏହା ନ ଜାଣି ମୁଁ ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ॥ ୫୩
ଦୁହିତା ଦାନ ଦେଲି ମୁହିଁ । ଶୂଦ୍ରକୁ ଯେହ୍ନେ ବେଦ କହି ॥ ୫୪
ଅପାତ୍ରେ ଦେଲା ଫଳ ମୋର । କ୍ରିୟା-କଳାପ ଶୁଣ ତାର ॥ ୫୫
ଶ୍ମଶାନବାସୀ ଏ ନିରତେ । ବର୍ତ୍ତଇ ଭୂତ ପ୍ରେତ ସାଥେ ॥ ୫୬
ଉନ୍ମତ୍ତ ପ୍ରାୟେ ନଗ୍ନ ହୋଇ । ଶ୍ମଶାନୁ ଶ୍ମଶାନେ ଭ୍ରମଇ ॥ ୫୭
ଜଟାକଳାପ ମୁକ୍ତକେଶ । ଶ୍ମଶାନ ଚିତାଭସ୍ମ ବେଶ ॥ ୫୮
ଚିତାଭସ୍ମରେ କରେ ସ୍ନାନ । ଶରୀରେ ଅସ୍ଥିର ଭୂଷଣ ॥ ୫୯
ଉନ୍ମତ୍ତ ଭୋଳେ ହାସ୍ୟ ମୁଖେ । ନିତ୍ୟେ ବଞ୍ଚଇ ଆତ୍ମ ସୁଖେ ॥ ୬୦
ପତ୍ନୀର ଉପଦେଶ ଫଳେ । ନିତ୍ୟେ ଭ୍ରମଇ ଅନ୍ତରାଳେ ॥ ୬୧
ଏହାର ନାମ ମାତ୍ର ଶିବ । ସ୍ୱଭାବେ ଅଟଇ ଅଶିବ ॥ ୬୨
ପ୍ରମତ୍ତ-ମତ୍ତଜନ-ପ୍ରିୟ । ଏଣୁ ଅଶୂଚି ଏହା କାୟ ॥ ୬୩
ପ୍ରଥମ-ଭୂତଗଣ-ପ୍ରିୟ । ନିତ୍ୟେ ତାମସ ବହେ ମତି ॥ ୬୪
ଯେଣୁ ତାମସଜନ ପ୍ରିୟ । ନିତ୍ୟେ ନିନ୍ଦିତ ଏହା ଦେହ ॥ ୬୫
ନିର୍ଗୁଣଭୂତେ ଏ ଦୁର୍ମତି । ସୁହୃଦ ପ୍ରାୟେ ବହେ ମତି ॥ ୬୬
ଅଶୌଚ-ହୃଦୟ ଏହାର । କେବଳ ମନ୍ଦ-ବୁଦ୍ଧି-ପର ॥ ୬୭
ମୁଁ ମୂଢ ନ ଜାଣି ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ॥ ୬୮
ଏହାକୁ ସତୀ କନ୍ୟା ଦେଲି । ଅତି ଅନୀତି ଆଚରିଲି ॥ ୬୯
ମୈତ୍ରେୟ କହେ ତୋଷମନେ । ଶୁଣ ବିଦୁର ଏକମନେ ॥ ୭୦

ମୈତ୍ରେୟ ଉବାଚ

ଏମନ୍ତେ କୁତ୍ସିତ ବଚନେ । ସେ ପ୍ରଜାପତି କୋପମନେ ॥ ୭୧
ଦୁବିୁଦ୍ଧିପଣ ଆଚରିଲା । ଗିରିଶେ ବହୁ ନିନ୍ଦା କଲା ॥ ୭୨
ତକ୍ଷଣେ ଉଠି କୋପାନଳେ । ହସ୍ତ ଅଞ୍ଜଳି ଭରି ଜଳେ ॥ ୭୩
ଭୃଗୁର ବଚନ ସମ୍ମତେ । ହରଙ୍କୁ ଶାପଦେବା ଅର୍ଥେ ॥ ୭୪
ମନରେ ମହାକ୍ରୋଧ ଧରି । ଶିବେ ବୋଲନ୍ତି ଦୃଢକରି ॥ ୭୫

ଦକ୍ଷ ଉବାଚ

ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ । ଅଶେଷ ଦେବଙ୍କ ସମେତେ ॥ ୭୬
ଅଶେଷ-ଯଜ୍ଞେ ଯଜ୍ଞଭାଗ । କେବେହେଁ ହର ନ ଲଭିବ ॥ ୭୭
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷ୍ୟ ନାରାୟଣ ॥ ୭୮
ଏ ଦେବଗଣଙ୍କ ଅଧମ । ଆତ୍ମାକୁ ମଣେ ସର୍ବସମ ॥ ୭୯
ଦକ୍ଷର ଏ ବଚନ ଶୁଣି । ସେ ଦେବସଭା ମଧ୍ୟେ ପୁଣି ॥ ୮୦
ଦକ୍ଷକୁ ଚାହିଁ ସର୍ବଲୋକେ । ନିଷେଧ କଲେ ଏକେ ଏକେ ॥ ୮୧
ସେ ଦକ୍ଷ କୋପେ ଅଭିମାନୀ । ଦେବଙ୍କ ବଚନ ନ ମାନି ॥ ୮୨
ଅତ୍ୟନ୍ତ କୋପେ ଶାପ ଦେଲା । ଋଷିଙ୍କ ବଚନ ନ ମାନି ॥ ୮୩
ସର୍ବ ମଣିଲା ଅଣହିତ । ତେଣୁ କ୍ରୋଧରେ ଭ୍ରମଚିତ୍ତ ॥ ୮୪
ଶିବଙ୍କୁ କୋପେ ଶାପ ଦେଇ । ଅତ୍ୟନ୍ତ ଅଭିମାନ ବହି ॥ ୮୫
ବ୍ରହ୍ମାର ସଭାରୁ ବାହାର । ତକ୍ଷଣେ ଯାନ୍ତେ ନିଜପୁର ॥ ୮୬
ନନ୍ଦି ଯେ ରୁଦ୍ର ପାଶେ ଥିଲା । ଦକ୍ଷର ଶାପ ସେ ଶୁଣିଲା ॥ ୮୭
ହୃଦୟେ କମ୍ପମାନ ହୋଇ । ମନରେ ଦୁଃଖ-ଖେଦ ବହି ॥ ୮୮
ରୋଷେଣ କଷାୟ-ଲୋଚନ । ଦକ୍ଷର ବାକ୍ୟେ କୋପମନ ॥ ୮୯
ଦକ୍ଷକୁ ପ୍ରତି-ଶାପ ଦେଇ । ବୋଲଇ ସଭାଜନେ ଚାହିଁ ॥ ୯୦
ଦକ୍ଷର ମତେ ଯେତେ ଥିବେ । ଦକ୍ଷକୁ ଯେବା ଆରାଧିବେ ॥ ୯୧
ବିଷ୍ଣୁରେ ଦୋରେହା ହୋଇବେ । ଏ ଦୋଷେ କୁମ୍ଭୀପାକେ ଯିବେ ॥ ୯୨
ଯେବା ଗାଇବ ଏହା ବାଣୀ । ହୀନ ପ୍ରାଣୀଙ୍କ ମଧ୍ୟେ ଗଣି ॥ ୯୩
ଏ କୂଟ-ଗୃହଧର୍ମ ମଧ୍ୟେ । ବିଷୟଭୋଗ ଇଚ୍ଛା ସଧେ ॥ ୯୪
ବିସ୍ତାରି ଯଜ୍ଞ କର୍ମକାଣ୍ତେ । ଦମ୍ଭେ ଆରମ୍ଭି ଏ ପାଷଣ୍ତେ ॥ ୯୫
ଦେହକୁ ସ୍ୱାର୍ଥ ପ୍ରାୟେ ମଣି । ଆତ୍ମାର ଗତି ନ ପ୍ରମାଣି ॥ ୯୬
ପଶୁଙ୍କ ପ୍ରାୟେ କରି ଆଶ । ସର୍ବଦା ହେଉ ନାରୀବଶ ॥ ୯୭
ଏ ଦକ୍ଷ ଛାଗମୁଖ ହେଉ । ଆମ୍ଭର ଶାପ ଆନ ନୋହୁ ॥ ୯୮
ଅବିଦ୍ୟାମାର୍ଗେ ବିଦ୍ୟା କଳ୍ପି । ଅଲାଭେ ଲାଭ ବୁଦ୍ଧି ସ୍ଥାପି ॥ ୯୯
ଏଣୁ ଏ ଛାଗର ସମାନ । ଅତିଶୟରେ ଜ୍ଞାନହୀନ ॥ ୧୦୦
ଦକ୍ଷଙ୍କ ପ୍ରାୟେ ଯେ ବ୍ରାହ୍ମଣ । ସଂସାରେ ଭ୍ରମୁ ପୁଣପୁଣ ॥ ୧୦୧
ଜୀବିକା ପାଇଁ ଧୃତବ୍ରତ । ଅଜ୍ଞାନବଳେ ଏ ମୋହିତ ॥ ୧୦୨
ଅଶେଷ ଯୋନି ସେ ପାଇବେ । ଜନ୍ମ ମରଣ ସଞ୍ଚରିବେ ॥ ୧୦୩
ପାତ୍ର ନ ବୁଝି ଅବିଗୁଣେ । ଯେ ମନ୍ଦବୁଦ୍ଧି ମୂଢ଼ପଣେ ॥ ୧୦୪
ପଶୁ ହିଂସିବେ କର୍ମମତେ । ଅଜ୍ଞାନବଳେ ବିମୋହିତେ ॥ ୧୦୫
ଅଶେଷ-ଯଜ୍ଞ-କର୍ମ କରି । ଏଭକ୍ଷ୍ୟାଭକ୍ଷ୍ୟ ନ ବିଚାରି ॥ ୧୦୬
ଏ ବିପ୍ରେ ତପ-ବିଦ୍ୟା-ବ୍ରତ । ଅଶେଷ କାମ୍ୟଫଳେ ରତ ॥ ୧୦୭
ଚିତ୍ତ ଇନ୍ଦ୍ରିୟ ଦେହେ ରମି । ଯାଚକ ପ୍ରାୟେ ଶ୍ରମେ ଭ୍ରମି ॥ ୧୦୮
ଭ୍ରମିବେ ଇହପରଲୋକେ । ଅରୁଦ୍ର ମାର୍ଗେ ଅତିରେକେ ॥ ୧୦୯
ଏମନ୍ତ ଶାପ ବିପ୍ରକୁଳେ । ସେ ନନ୍ଦୀଶ୍ୱର କୋପାନଳେ ॥ ୧୧୦
ଭୃଗୁ ଯେ ସଭା ମଧ୍ୟେ ଥିଲେ । ନନ୍ଦୀର ଶାପ ସେ ଶୁଣିଲେ ॥ ୧୧୧
ଦକ୍ଷର ମତେ ପକ୍ଷ ଧରି । ରୁଦ୍ର ବିଷୟେ କୋପକରି ॥ ୧୧୨
ଯେ ବ୍ରହ୍ମଦଣ୍ତ ଦୁରତ୍ୟୟ । ସ୍ୱଭାବେ ଭୃଗୁ ମହାଶୟ ॥ ୧୧୩
ସେ ଅନୁଖେଦ ମନେ ଘେନି । ଶିବେ ଅଭାବ ମନେ ଗୁଣି ॥ ୧୧୪
ଦକ୍ଷିଣ-ହସ୍ତେ ଜଳଘେନି । ସଭା ସମୂହେ ଉଚ୍ଚେ ବାଣୀ ॥ ୧୧୫
କୋପେ ବୋଲଇ ଭୃଗୁଋଷି । ବ୍ରାହ୍ମକୁ ସେ ଚିତ୍ତେ ନିବେଶି ॥ ୧୧୬
ଯେ ଶିବବ୍ରତ ଏ ଜଗତେ । କରିବ ଚିତ୍ତର ଆୟତ୍ତେ ॥ ୧୧୭
ସେ ଶାସ୍ତ୍ରମତ ନ ଆଦରି । ପାଷଣ୍ତ ହୋନ୍ତୁ ତମ ଧରି ॥ ୧୧୮
ଦୁଷ୍ଟ ଅଶ୍ରୁଚି ମୂଢ଼ବୁଦ୍ଧି । ପାଷଣ୍ତପଣେ ଯେ ପ୍ରସିଦ୍ଧି ॥ ୧୧୯
ଭୂଷଣ ଜଟା ଭସ୍ମ ଅସ୍ଥି । ଶିବ ପୂଜନେ ଦୃଢ଼ମତି ॥ ୧୨୦
ବହନ୍ତୁ ଶିବଦୀକ୍ଷା ହୃଦେ । ଯହିଁ ଦେବତା ସୁରାମଦେ ॥ ୧୨୧
ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି । ନିରତେ ଶିବଦୀକ୍ଷା ଧରି ॥ ୧୨୨
ଶିବର ପଥ ସନାତନ । ଯେ ଅବା ଆଚରିବେ ଜନ ॥ ୧୨୩
ବିଷ୍ଣୁ-ନିନ୍ଦନ ଫଳ ପାଉ । ଅନ୍ତେ ପାଷଣ୍ତ ଗତି ହେଉ ॥ ୧୨୪

ମୈତ୍ରେୟ ଉବାଚ

ଏମନ୍ତ ଭୃଗୁବାକ୍ୟ ଶୁଣି । ସଭାର ମଧ୍ୟ ଶୂଳପାଣି ॥ ୧୨୫
ବିମନା ହୋଇ ବେଗେ ଉଠି । ଅନଳ ପ୍ରାୟ କୋପଦୃଷ୍ଟି ॥ ୧୨୬
ନିଜ ଗଣଙ୍କୁ ଘେନି ସଙ୍ଗେ । ଗମିଲେ ନିଜ ସ୍ଥାନ ମାର୍ଗେ ॥ ୧୨୭
ଶିବ ଗମନେ ମୁନିଗଣେ । ଆଗମ ନିଗମ ପ୍ରମାଣେ ॥ ୧୨୮
ତଦନ୍ତେ ବିଶ୍ୱସ୍ରଷ୍ଟାମାନେ । ସହସ୍ରବତ୍ସର ପ୍ରମାଣେ ॥ ୧୨୯
ଯଥା ବିଧାନେ ଯଜ୍ଞସାରି । ସେ ଅବଭୃତ ସ୍ନାନ କରି ॥ ୧୩୦
ପ୍ରୟାଗେ ଯମୁନା ସହିତ । ଜାହ୍ନବୀ ହୋଇଛି ମିଳିତ ॥ ୧୩୧
ତହିଁ ସକଳେ ସ୍ନାନ ସାରି । ଗମିଲେ ନିଜ ନିଜ ପୁରୀ ॥ ୧୩୨
ସେ ବ୍ରହ୍ମଯଜ୍ଞ ନମସ୍ତୁତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୩୩
ଚତୁର୍ଥସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୪
ବିଷ୍ଣୁଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ॥ ୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଚତୁର୍ଥସ୍କନ୍ଧେ ଦକ୍ଷଶାପୋନାମ ଦ୍ୱିତୀୟୋଽଧ୍ୟାୟଃ ।

ତୃତୀୟ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ମୁନି ତୋଷ ହୋଇ । କହେ ବିଦୁର ମୁଖ ଚାହିଁ ॥ ୧

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ରୁଦ୍ର ଯେ ଗଲେ କୋପମନେ ॥ ୨
ଏମନ୍ତେ ଜାମାତା ଶ୍ୱଶୁର । ବିବାଦେ ଗଲା ବହୁକାଳ ॥ ୩
ପ୍ରଜାପତିଙ୍କ ମଧ୍ୟେ ପୂର୍ବେ । ଦକ୍ଷକୁ ସ୍ଥାପି ରାଜପଦେ ॥ ୪
ଦକ୍ଷକୁ ଅଭିଷେକ କରି । ବ୍ରହ୍ମା ବୋଇଲେ ହସ୍ତ ଧରି ॥ ୫
ତୁ ହୁଅ ପ୍ରଜାପତି ଶ୍ରେଷ୍ଠ । ଅପରେ ସର୍ବେ ତୋ କନିଷ୍ଠ ॥ ୬
କମଳଯୋନି ଯେତେବେଳେ । ଦକ୍ଷକୁ ଶୁଭଲଗ୍ନ ଦେଲେ ॥ ୭
ସକଳ ମୁନି ମନୁଗଣେ । ସ୍ଥାପିଲେ ପ୍ରଜାପତି ପଣେ ॥ ୮
ଦକ୍ଷକୁ ପୂଜି ଅଭିଷେକେ । ମାନ୍ୟ ସେ କଲେ ଏକେଏକେ ॥ ୯
ତୁମ୍ଭ ସକଳମଧ୍ୟେ ଏହୁ । ପାଳନେ ଅଧିପତି ହେଉ ॥ ୧୦
ଦକ୍ଷକୁ ବୋଲେ ବେଦବର । ତୁ ବାଜପେୟ ଯଜ୍ଞ କର ॥ ୧୧
ସେ ଦକ୍ଷ ମନେ ଗର୍ବ କଲା । ରୋଷେ ରୁଦ୍ରଙ୍କୁ ନ ବରିଲା ॥ ୧୨
ଭୃଗୁଙ୍କୁ କଲେ ପୁରୋହିତ । ସଙ୍ଗେ ଘେନିଣ ମୁନିସନ୍ଥ ॥ ୧୩
ଯେ ଯଜ୍ଞ ବୃହସ୍ପତି ନାମ । ଶୁଣିଲା ଯଜ୍ଞଙ୍କ ଉତ୍ତମ ॥ ୧୪
ତେଣୁ ନିବେଶି ମନବୁଦ୍ଧି । ସକଳ ସମ୍ଭାର ନିବେଦି ॥ ୧୫
ସେ ଯଜ୍ଞ ଆରମ୍ଭର କାଳେ । ସକଳ ମୁନି ଏକମେଳେ ॥ ୧୬
ଯେ ବ୍ରହ୍ମଋଷି ଦେବଋଷି । ସର୍ବଦେବଙ୍କ ସଙ୍ଗେ ମିଶି ॥ ୧୭
ପିତୃ-ଦେବତାଗଣ ଶୂନ୍ୟେ । ପତ୍ନୀଙ୍କି ଘେନି ଦିବ୍ୟଯାନେ ॥ ୧୮
ମନର ଉଲ୍ଲାସେ ଗମନ୍ତି । ଦିଗ-ଭୁବନେ ବିରାଜନ୍ତି ॥ ୧୯
ଯଜ୍ଞେ ଗମନ୍ତି ଯୂଥେ ଯୂଥେ । ଗୀତ ସୁବାଦ୍ୟ ଶୂନ୍ୟପଥେ ॥ ୨୦
ଆକାଶେ ବିମାନ ଗହଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୨୧
ଏମନ୍ତେ ଈଶ୍ୱର ଘରଣୀ । ଆକାଶେ ଶୁଣି ଦେବବାଣୀ ॥ ୨୨
ନିଜ ସଖୀଙ୍କି ପଚାରିଲା । ତାହାଙ୍କ ବଦନୁ ଶୁଣିଲା ॥ ୨୩
ଶୁଣ ଗୋ ଈଶ୍ୱର ଭାମିନି । ଯେଣେ ଗମନ୍ତି ସୁର ମୁନି ॥ ୨୪
ତୁମ୍ଭ ପିତାର ମହାଯଜ୍ଞେ । ଦେବେ ଗମନ୍ତି ଶୂନ୍ୟମାର୍ଗେ ॥ ୨୫
ନିଜ କାମିନୀ ଘେନି ସଙ୍ଗେ । ବିମାନ ଯାନ୍ତି ନାନାରଙ୍ଗେ ॥ ୨୬
ତିନି ଭୁବନେ ଯେତେ ଜନେ । ଯଜ୍ଞ ଗମନ୍ତି ତେସମନେ ॥ ୨୭
ଦିବ୍ୟ ଅଳଙ୍କାର ଭୂଷଣେ । ବିମାନେ ବସି ବଧୂଗଣେ ॥ ୨୮
ଅନେକ ପରିଜନ ଘେନି । ହରଷ ସୁବେଶେ କାମିନୀ ॥ ୨୯
ସ୍ୱାମୀଙ୍କ ସଙ୍ଗତେ ଚଳନ୍ତି । ଦେଖ ଗଗନେ ପନ୍ତି ପନ୍ତି ॥ ୩୦
ନକ୍ଷତ୍ରଗଣ ପ୍ରାୟ ଶୋଭା । କି ଅବା ପଟାନ୍ତର ଦେବା ॥ ୩୧
ତା ଶୁଣି ଗଗନକୁ ଚାହିଁ । ଅମ୍ବିକା ମନେ ବିଚାରଇ ॥ ୩୨
ଦେଖ ଅଭାଗ୍ୟ କର୍ମ ମୋର । ମୋହର ସ୍ୱାମୀ ମହେଶ୍ୱର ॥ ୩୩
ମୋହର ପିତା ଯଜ୍ଞକାଳେ । ମୁହିଁ ନିରାଶ କର୍ମ-ଫଳେ ॥ ୩୪
ମୋର ସ୍ୱାମୀଙ୍କି ନ ବରିଲା । ଅବହେଳଣ ମୋତେ କଲା ॥ ୩୫
ମୋର ମାତାର ଦୟା ନାହିଁ । କେ ଏହା ସହୁ ଦେହ ବହି ॥ ୩୬
ନିନ୍ଦିତ-କର୍ମ ଏ ସଂସାରେ । ନ ଥିବା ଯୋଗାଇ ବେଭାରେ ॥ ୩୭
ଏମନ୍ତ ଭାଳି ଦେବୀ ମନେ । ମିଳିଲେ ସ୍ୱାମୀ ସନ୍ନିଧାନେ ॥ ୩୮
ହୃଦୟେ ଶୋକଭର ହୋଇ । ବୋଲନ୍ତି ରୁଦ୍ରମୁଖ ଚାହିଁ ॥ ୩୯

ସତୀଉବାଚ

ଭୋନାଥ ଶୁଣ ପଶୁପତି । ତୁମ୍ଭ ଶ୍ୱଶୁର ମୂଢ଼ମତି ॥ ୪୦
ଯଜ୍ଞ ଆରମ୍ଭେ ପୁଣ୍ୟକାଳେ । ତା ଶୁଣି ସର୍ବଦେବେ ଚଳେ ॥ ୪୧
ମୁନିଏ ସପତ୍ନକୀ ହୋଇ । ଶୂନ୍ୟେ ଗମନ୍ତି ରଥବାହି ॥ ୪୨
ଦେଖ ଏ ମୁଖରାବଗୋଳ । ପୂରିଛି ଗଗନମଣ୍ତଳ ॥ ୪୩
ଦେଖ ଆନନ୍ଦେ ଦେବଗଣେ । ଚଳନ୍ତି ଯଜ୍ଞର କାରଣେ ॥ ୪୪
ଭୋନାଥ ଚାଲ ଆମ୍ଭେ ଯିବା । ପିତାର ଉତ୍ସବ ଦେଖିବା ॥ ୪୫
ଯଜ୍ଞ-ଉତ୍ସବ ପିତାପୁରେ । ମୋର ଭଗିନୀ ସହୋଦରେ ॥ ୪୬
ଯାଆନ୍ତି ସ୍ୱାମୀ ଘେନି ସଙ୍ଗେ । ଯଜ୍ଞ ଦେଖିବେ ନାନାରଙ୍ଗେ ॥ ୪୭
ମୁଁ ଏବେ ତୁମ୍ଭ ସଙ୍ଗେ ଯିବି । ପିତାର ଉତ୍ସବ ଦେଖିବି ॥ ୪୮
ମାତାକୁ ଦେଖିବି ନୟନେ । ଭଗିନୀଗଣ ସୁଖ ମନେ ॥ ୪୯
ମୋ ପିତା-ଦତ୍ତ ଉପହାର । ସନ୍ତୋଷ ହୋଇବ ଆମ୍ଭର ॥ ୫୦
ଭୋନାଥ ଆଜ୍ଞାଦେବା ମାତେ । ଯିବଇଁ ତୁମ୍ଭର ସହିତେ ॥ ୫୧
ଭୋଦେବଦେବ ପଶୁପତି । କେ ଜାଣିପାରେ ତୁମ୍ଭ ଗତି ॥ ୫୨
ତୁମ୍ଭ ଗୋଚରେ ବିଷ୍ଣୁମାୟା । କେ ଜାଣିପାରେ ନାଥ ଏହା ॥ ୫୩
ହେ ଅଜ ତୋହର ମାୟାରେ । ଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ ॥ ୫୪
ତଥାପି ସ୍ତିରୀଜନ୍ମ ମୋର । ମୁଁ କାହିଁ କରିବି ଗୋଚର ॥ ୫୫
ମୋ ଜନ୍ମଭୂମିର ଦର୍ଶନେ । ଇଚ୍ଛା ବଳିଲା ମୋର ମନେ ॥ ୫୬
ହେ ଭବ ତୁମ୍ଭେ ତ ଅଭବ । କି ରୂପେ ହେବ ଅନୁଭବ ॥ ୫୭
ବନ୍ଧୁ ବିରହେ ଯେତେ ଦୁଃଖ । ତହିଁରେ ତୁମ୍ଭେ ତ ବିମୁଖ ॥ ୫୮
ଦେଖ ହେ ପ୍ରଭୁ ଶୂନ୍ୟପଥେ । ଦେବେ ଗମନ୍ତି ଯୂଥେଯୂଥେ ॥ ୫୯
ଯେସନେ ରାଜହଂସ-ପନ୍ତି । ବିମାନମାନ ଶୂନ୍ୟେ ଯାନ୍ତି ॥ ୬୦
ମୋର ପିତା ପୁରେ ଯାଇ । ଯଜ୍ଞ ଦେଖିବେ ସୁଖବହି ॥ ୬୧
ଭୋନାଥ ଶୁଣ ପଶୁପତି । ତୁମ୍ଭ ଚରଣେ ମୋର ମତି ॥ ୬୨
ମୁଁ ଏହା ସହିବି କେମନ୍ତେ । ଶରୀର ବହି ଏ ଜଗତେ ॥ ୬୩
ପିତା ଜନନୀ ଭଗ୍ନୀଗଣେ । ଦିବ୍ୟଭୂଷଣ ଆଭରଣେ ॥ ୬୪
ଯଜ୍ଞ ଆରମ୍ଭେ ସୁଖଭୋଳେ । ଥିବେ ସକଳେ ଏକମେଳେ ॥ ୬୫
ପିତା ଭର୍ତ୍ତା ଗୁରୁ ସଦନେ । ଯୋଗାଇ ଯିବା ଅବରଣେ ॥ ୬୬
ଭୋନାଥ ଶୁଣ ସଦାଶିବ । ତୁମ୍ଭେ ଅବରଣେ ନ ଯିବ ॥ ୬୭
ଯାହାର ଆବାହନ ନାହିଁ । ତାହାର ଯିବା ଯୋଗ୍ୟ ନୋହି ॥ ୬୮
ତୋହର ଜ୍ଞାନ ନୋହେ ଅଳ୍ପ । ମୁଁ ତୋର ଅର୍ଦ୍ଧଅଙ୍ଗରୂପ ॥ ୬୯
ତେଣୁ ତୁ ଅର୍ଦ୍ଧନାରୀଶ୍ୱର । ଖ୍ୟାତି ଲଭିଲୁ ମହେଶ୍ୱର ॥ ୭୦
ଭୋନାଥ ମୋର କଥା କର । ମୋହର ବାଞ୍ଛା ପୂର୍ଣ୍ଣକର ॥ ୭୧
ମୁଁ ଯିବି ଆଜ୍ଞା ଦେବା ମୋତେ । ଆନନ୍ଦମନେ ଶୁଦ୍ଧ ଚିତ୍ତେ ॥ ୭୨

ମୈତ୍ରେୟ ଉବାଚ

ଏମନ୍ତ ପ୍ରିୟା ମୁଖୁ ଶୁଣି । ଈଶ୍ୱର ସ୍ଥିର-ଚିତ୍ତେ ଗୁଣି ॥ ୭୩
ସ୍ୱଭାବେ ଜଗତ ଈଶ୍ୱର । ଜଗତ ଯାର ଖେଡଘର ॥ ୭୪
ଅଳପ ଅପମାନ ବହି । କହନ୍ତି ପତ୍ନୀ-ମୁଖ ଚାହିଁ ॥ ୭୫

ଈଶ୍ୱର ଉବାଚ

ଶୁଣ ସୁନ୍ଦରରୀ କହୁଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ॥ ୭୬
ସାଧୁବିଚାର ଏ ତୋହୋର । ଶୁଦ୍ଧ-ସୁନ୍ଦର-ମନୋହର ॥ ୭୭
ବୋଲୁ ଏ ବନ୍ଧୁ-ଅପମାନ । କେ ସହିପାରେ ଦୁର୍ବଚନ ॥ ୭୮
ବନ୍ଧୁକୁ ବନ୍ଧୁ ଭାବଭୋଳେ । ଅମାନ୍ୟ କଲେ ଅବହେଳେ ॥ ୭୯
ତହିଁ ନଥାଇ ଅପମାନ । କେ ସହୁ ପୁଣି ଦୁର୍ବଚନ ॥ ୮୦
ବିଦ୍ୟାର ବଳେ ତପଦାହେ । ସୁନ୍ଦର ବପୁ ବୟ ରହେ ॥ ୮୧
ଉତ୍ତମକୁଳେ ଯେହୁ ଜାତ । ସକଳଗୁଣେ ଯେ ବିଖ୍ୟାତ ॥ ୮୨
ଜାଣଇ ଶ୍ରୁତି ସ୍ମୃତି ଧର୍ମ । ଆଗମ ନିଗମ ଯେ କର୍ମ ॥ ୮୩
ସେ ପୁଣି ଅବିବେକ ବଳେ । ବନ୍ଧୁ ନିନ୍ଦଇ ଅବହେଳେ ॥ ୮୪
ମହତ ତେଜ ଯେ ନ ସହେ । ନିରତେ ମନେ ଗର୍ବ ବହେ ॥ ୮୫
ଅଜ୍ଞାନବାଦୀ ବୋଲି ତାରେ । ସୁଖ ନ ଲଭେ ଏ ସଂସାରେ ॥ ୮୬
ଯେ ପ୍ରାଣୀ ଅଭ୍ୟାଗତ ଦେଖି । ବକ୍ର-ବଦନେ ବୁଜେ ଆଖି ॥ ୮୭
ବନ୍ଧୁ ହେଲେ ହେଁ ଜାଣ ତୁହି । ତା ଗୃହେ ଯିବା ନ ଯୋଗାଇ ॥ ୮୮
ସମରେ ଅରି-ବାଣ ଘାଏ । ଅଙ୍ଗରେ ତେଡେ ପୀଡା ନୋହେ ॥ ୮୯
ବନ୍ଧୁର କୁବଚନ-ବାଣ । ଅନିଶେ ଦହେ ମନ ପ୍ରାଣ ॥ ୯୦
ତୁ ପୁଣି ପିତାପ୍ରିୟ ବହୁ । ତାର ସୁହୃଦ-ଧର୍ମ କହୁ ॥ ୯୧
ତଥାପି ପିତାଗୃହେ ଗଲେ । ମାନ ତୁ ନ ପାଇବୁ ଭଲେ ॥ ୯୨
ସାଧୁଙ୍କ ସଙ୍ଗେ ଯେ ବସଇ । ତାହାର ରିପୁ ମିତ୍ର ନାହିଁ ॥ ୯୩
ଏଣୁ ଅସାଧୁ ସଙ୍ଗେ ଥିଲେ । ପ୍ରାଣ ଇନ୍ଦ୍ରିୟ ବୁଦ୍ଧିବଳେ ॥ ୯୪
ପରର ଆତ୍ମାକୁ ନିନ୍ଦଇ । ଅସାଧୁ ବାକ୍ୟେ ଭାବବହି ॥ ୯୫
ଅସାଧୁଜନଙ୍କ ସ୍ୱଭାବ । ନିରତେ ଅସହଣି ଭାବ ॥ ୯୬
ସାଧୁଙ୍କ ସୁପୁଣ୍ୟ ସମ୍ପଦ । ଦେଖି ବହନ୍ତି ମନେ ଖେଦ ॥ ୯୭
ହିଂସନ୍ତି ତାଙ୍କୁ ଅକାରଣେ । ହରିଙ୍କି ଯେହ୍ନେ ପୁଣ୍ୟଜନେ ॥ ୯୮
ସଭାର ମଧ୍ୟେ ତୋ ପିତାରେ । ଅବଜ୍ଞା କଲି ମୁଁ ବେଭାରେ ॥ ୯୯
ଏମନ୍ତ ନ ବିଚାର ମନେ । ଶୁଣ କହୁଛି ସୁମଧ୍ୟମେ ॥ ୧୦୦
ଯେ ବନ୍ଧୁ ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ॥ ୧୦୧
ଭାବେ ଆସନ୍ତି କିଛି ଦୂର । ବଚନ କହନ୍ତି ମଧୁର ॥ ୧୦୨
ଅତି ହିଁ ସ୍ନେହ କରି ଚିତ୍ତେ । ପୁଲକ ହୋଇ ହୃଦଗତେ ॥ ୧୦୩
ଅଭିବାଦନ ମୃଦୁ ବାଣୀ । ପୂଜନ୍ତି ନିଜ ଗୃହେ ଆଣି ॥ ୧୦୪
ବିଷ୍ଣୁର ଭାବେ ପୂଜା କରି । ଆନନ୍ଦେ ପ୍ରିୟଭାବେ ଭରି ॥ ୧୦୫
ଲୋକେ କରନ୍ତି ପରସ୍ପର । ତା ନୋହେ ପ୍ରାଜ୍ଞଙ୍କ ଆଚାର ॥ ୧୦୬
ସେ ବିଷ୍ଣୁ ଶୁଦ୍ଧ-ସ୍ୱ‌ତ୍ତ୍ୱମୟ । ପ୍ରକାଶେ ଜୀବର ହୃଦୟ ॥ ୧୦୭
ତେଣୁ ବୋଲାଏ ବାସୁଦେବ । ସେ ଯେ ମୋହର ନିତ୍ୟ ସେବ୍ୟ ॥ ୧୦୮
ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି । ମୁଁ ନମସ୍କାର କରିଅଛି ॥ ୧୦୯
ଏ ରୂପେ କଲି ମୁଁ ସମ୍ମାନ । ନକରି ତାଙ୍କ ଅପମାନ ॥ ୧୧୦
ଏ ଦେହେ ଅଭିମାନ କରି । ଦକ୍ଷ ତା ଜାଣିବ କିପରି ॥ ୧୧୧
ଯେଣୁ ଯେ ଦକ୍ଷ ପ୍ରଜାପତି । ମୋ ଭାବେ ଚିନ୍ତଇ ଅନୀତି ॥ ୧୧୨
ଯେଣୁ ମୋ ଆଶ୍ରେ ଯେତେ ଛନ୍ତି । ଦକ୍ଷର ପ୍ରିୟ ସେ ନୁହଁନ୍ତି ॥ ୧୧୩
ନିରପରାଧ ମୁଁ ତାହାର । ଦୁର୍ବାକ୍ୟେ କଲା ତିରସ୍କାର ॥ ୧୧୪
ପିତା ହେଲେ ହେଁ ତାର ତହିଁ । ଯିବା ତୋହର ନ ଯୋଗାଇ ॥ ୧୧୫
ତୁ ଯେବେ ମୋହର ବଚନ । ଅଜ୍ଞାନେ କରିବୁ ଲଂଘନ ॥ ୧୧୬
ପିତା ଭୁବନେ ଯିବୁ ତୁହି । କେବେହେଁ ତୋର ଭଲ ନାହିଁ ॥ ୧୧୭
ତୋହର ଅମଙ୍ଗଳ ପଳ । ମୋହୃଦେ ହୋଇବ ବିକଳ ॥ ୧୧୮
ଉତ୍ତମଜନ ଜାଣ ଯେବେ । ସ୍ୱଜନୁଁ ପରାଭବ ଲଭେ ॥ ୧୧୯
କେବେହେଁ ତାର ଭଲ ନାହିଁ । ଏମନ୍ତ ଦେବୀ ଆଗେ କହି ॥ ୧୨୦
ସ୍ଥିର ହୋଇଲେ ଉମାକାନ୍ତ । କହଇ ଦାସ ଜଗନ୍ନାଥ ॥ ୧୨୧
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା
ଚତୁର୍ଥସ୍କନ୍ଧେ ଉମାରୁଦ୍ର ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ॥

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି । ୧

ମୈତ୍ରେୟ ଉବାଚ

ସେ ଶିବ ବଚନରେ ସତୀ । କେବେ ହେଁ ନୋହେ ସ୍ଥିରମତି ॥ ୨
ଏମନ୍ତ ଦେବୀଆଗେ କହି । ରୁଦ୍ର ରହିଳେ ତୁନି ହୋଇ ॥ ୩
ମନେ ଚିନ୍ତନ୍ତି ବିଶ୍ୱନାଥ । ନପୁଣ ହୋଏ ବିପରୀତ ॥ ୪
ମୋପତ୍ନୀ ପିତାଗୃହେ ଗଲେ । ଜୀବନ ନ ଧରିବ ଭଲେ ॥ ୫
ଏହାର ମନ ସ୍ଥିର ନାହିଁ । ନ ଗଲେ ନ ଧରିବ ଦେହୀ ॥ ୬
ବନ୍ଧୁଦର୍ଶନେ ଇଚ୍ଛା ତାର । ହୋଇଛି ଅତି ବଳୀୟାର ॥ ୭
ବାରେକ ହୁଅଇ ବାହାର । ମୋ ଭୟେ ପ୍ରବେଶେ ଗୃହର ॥ ୮
ଏହାର ମନ ସ୍ଥିର ନାହିଁ । ଅବଶ୍ୟ ଯିବ ଏ ନ କହି ॥ ୯
ଏମନ୍ତ ଚିତ୍ତେ ଚିନ୍ତି ହର । କେବେହେଁ ମନ ନୋହେ ସ୍ଥିର ॥ ୧୦
ଚିନ୍ତା ଆକୁଳେ ଦୁଃଖମତି । ନିଜ ଗୁଣଙ୍କୁ ମନେ ଚିନ୍ତି ॥ ୧୧
ଏହାର ସଙ୍ଗେ ଥିବି ମୁହିଁ । ନିଜଗଣଙ୍କୁ ସଙ୍ଗେ ଲଇଁ ॥ ୧୨
ଏମନ୍ତେ ରୁଦ୍ର ଚିନ୍ତା କରୁଁ । ଦେବୀ ଉଠିଲେ ନିଜ ପୁରୁ ॥ ୧୩
ନୟନୁ ବହେ ଅଶ୍ରୁଜଳ । ଶୁଖିଛି ବଦନ-କମଳ ॥ ୧୪
ଶରୀର କମ୍ପେ ରୋଷଚିତ୍ତେ । କଦଳୀବନ ଯେହ୍ନ ବାତେ ॥ ୧୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ-ଅଧର ॥ ୧୬
ଅଧୋବଦନେ ମନ ଦୁଃଖୀ । ଚଳିଲେ ଭବଙ୍କୁ ଉପେକ୍ଷି ॥ ୧୭
ଖରେ ଚଳନ୍ତେ ରୋଷଭରେ । ଅବନୀ କମ୍ପେ ପାଦଭରେ ॥ ୧୮
ପିତା ଭୁବନେ ଦେବୀ ଯାନ୍ତେ । କେହି ନାହାନ୍ତି ନିଜସାଥେ ॥ ୧୯
ସ୍ତିରୀ ସ୍ୱଭାବ ମୂଢ଼ମତି । ଯେ ହର ସାଧୁ ଜନ-ପତି ॥ ୨୦
ସ୍ନେହରେ ଅର୍ଦ୍ଧଅଙ୍ଗ ହୋଇ । ସେ ସତୀ ତାଙ୍କୁ ଲଂଘି ଯାଇ ॥ ୨୧
ପିତା ଭୁବନେ ଦେବୀ ଯାନ୍ତେ । ପଛେ ଚଳନ୍ତି ଗଣ ଯୂଥେ ॥ ୨୨
ଶତ ସହସ୍ର ରୁଦ୍ର ଗଣ । ନିକଟେ ମିଳିଲେ ତକ୍ଷଣ ॥ ୨୩
ସତୀଙ୍କୁ ବୃଷଭେ ବସାଇ । ସର୍ବେ ଧାଇଁଲେ ସଜହୋଇ ॥ ୨୪
ମୁଁ ଯିବି ଅମ୍ବିକାର ପଛେ । ମୋ କଥା ଦେଖସି ପ୍ରତ୍ୟକ୍ଷେ ॥ ୨୫
ଏମନ୍ତ ରୁଦ୍ର ଆଗେ କହି । ନନ୍ଦି ଚଳିଲେ ଗଣ ଲଇଁ ॥ ୨୬
ଅମ୍ବିକା ତୁଲେ ନାରୀଯୂଥେ । ମିଳିଲେ ଉପାୟନ ହସ୍ତେ ॥ ୨୭
କନ୍ଦୁକ ଦର୍ପଣ ଅମ୍ବୁଜ । ଶ୍ୱେତାତପତ୍ର ଶ୍ୱେତଧ୍ୱଜ ॥ ୨୮
ବ୍ୟଜନ ପୁଷ୍ପମାଳା ଘେନି । ସଙ୍ଗୀତ-ଗୀତ-ନାଦ-ଧ୍ୱନି ॥ ୨୯
ଦୁନ୍ଦୁଭି ଶଙ୍ଖ ବେଣୁନାଦେ । ସଙ୍ଗତେ ଚଳିଲେ ଆନନେ୍ଦ ॥ ୩୦
ଏମନ୍ତେ ରୁଦ୍ରଗଣେ ଯାଇ । ଯଜ୍ଞ ଦେଖିଲେ ଦୂରେ ରହି ॥ ୩୧
ଧୂମ-ବ୍ୟାପିତ-ଯଜ୍ଞଶାଳେ । ଅଶେଷ ଋଷି-ବିପ୍ର ମେଳେ ॥ ୩୨
ବିପ୍ରଙ୍କ ସଙ୍ଗେ ପ୍ରଜାପତି । ଅନଳେ କ୍ଷେପନ୍ତି ଆହୁତି ॥ ୩୩
ଯଜ୍ଞର ଭାଣ୍ତ ନାନାବିଧି । ଯେ ଭାଣ୍ତେ ଯେ ଦ୍ରବ୍ୟ ପ୍ରସିଦ୍ଧି ॥ ୩୪
ମନ୍ତ୍ର ଆହୁତି ହୋମବେଳେ । ସତୀ ମିଳିଲେ ଯଜ୍ଞଶାଳେ ॥ ୩୫
ସତୀ ଚାହାଁନ୍ତେ କୋପଚିତ୍ତେ । ଯେ ଯଜ୍ଞେ ଥିଲେ ଯେ ସମସ୍ତେ ॥ ୩୬
ସର୍ବେ ଦକ୍ଷର ଭୟପାଇ । ଆଦର ନକରିଲେ କେହି ॥ ୩୭
ଭଗିନୀଗଣେ ମାତା ତୁଲେ । ଆଦରେ ସମୀପେ ମିଳିଲେ ॥ ୩୮
ପ୍ରେମାଶ୍ରୁକଣ୍ଠେ ଭଗ୍ନୀଗଣ । କୋଳ କରନ୍ତି ଜଣେ ଜଣ ॥ ୩୯
ସୋଦରେ ସ୍ନେହେ ପ୍ରଶ୍ନ କଲେ । ସର୍ବ କୁଶଳ ପଚାରିଲେ ॥ ୪୦
ଉତ୍ତମ ପୂଜା ବିଧି ଦ୍ରବ୍ୟ । ସମୀପେ ଆଣିଦେଲେ ସର୍ବ ॥ ୪୧
ରତ୍ନ-ଆସନ ବେଗେଆଣି । ସେ ପ୍ରଜାପତିର ଘରଣୀ ॥ ୪୨
ସତୀସମୀପେ ଆଣି ଦେଲେ । ତାଦେଖି ସତୀ କୋପ କଲେ ॥ ୪୩
ପିତାର ଅନାନ୍ଦର ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୪
ଯଜ୍ଞେ ନ ଦେଖି ସ୍ୱାମୀଭାଗ । ମନେ ବସିଲା ମହାରାଗ ॥ ୪୫
ମୋର ଈଶ୍ୱରେ ନ ଗଣିଲା । ଅବହେଳଣ କର୍ମ କଲା ॥ ୪୬
ସଭାରେ ଯେତେ ଲୋକ ଥିଲେ । ସତୀଙ୍କି ଦେଖି ନ ଉଠିଲେ ॥ ୪୭
ପିତା ଅବଜ୍ଞା କର୍ମ ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୮
ଏମନ୍ତେ ଦକ୍ଷ-ବଧ ଅର୍ଥେ । ସତୀ ଶରୀରୁ କୋପଚିତ୍ତେ ॥ ୪୯
ଅନେକ ଭୂତଗଣ ଜନ୍ମି । ତାହାଙ୍କୁ ନିବାରି ଭବାନୀ ॥ ୫୦
କୋପେ ବୋଲଇ ଉଚ୍ଚବାଣୀ । ଯେମନ୍ତେ ସଭାଲୋକେ ଶୁଣି ॥ ୫୧
କୋପେ କମ୍ପଇ ତାର ଦେହୀ । ବୋଲଇ ପିତାମୁଖ ଚାହିଁ ॥ ୫୨

ଦେବୀ ଉବାଚ

ପ୍ରିୟ ଅପ୍ରିୟ ଅତିରେକେ । ନ ଦେଖି ଯାୠ ଇହଲୋକେ ॥ ୫୩
ଜଗତ ମଧ୍ୟେ ଯେତେ ଦେହ । ସ୍ୱାମୀ ମୋହର ସର୍ବପ୍ରିୟ ॥ ୫୪
ଯେ ରୁଦ୍ର ସର୍ବଆତ୍ମା ହୋଇ । ମିତ୍ର ଅମିତ୍ର ଯାର ନାହିଁ ॥ ୫୫
ସେ ଯେ ଅଶେଷ-ଜନ-ଗୁରୁ । ତାହାଙ୍କୁ ତୁହି ନିନ୍ଦା କରୁ ॥ ୫୬
ଦେଖ ଏ ସଂସାର-ବେଭାରେ । ଯେ ସାଧୁଜନେ ନିନ୍ଦା କରେ ॥ ୫୭
ଅନେକ-ଦୋଷ କରିଥିଲେ । ସାଧବେ ନ ଧରନ୍ତି ଭଲେ ॥ ୫୮
ସକଳ-ଦୋଷ କରେ କ୍ଷମା । ସେ ଜନ ସାଧୁ ମହାତମା ॥ ୫୯
ଏରୂପେ ଯେତେକ ପିଣ୍ତିତ । ତାହାଙ୍କୁ ବୋଲନ୍ତି ମହତ ॥ ୬୦
ଯେ ଗୁଣମାତ୍ରକୁ ଧରନ୍ତି । ଦୋଷ ଗ୍ରହଣ ନ କରନ୍ତି ॥ ୬୧
ତାହାଙ୍କୁ ବୋଲି ମହତ୍ତର । କେ ଅବା ଅଛନ୍ତି ଅପର ॥ ୬୨
ଦୋଷକୁ ଦୂରେ ପରିହରି । ଆବରେ ତୁଚ୍ଛ ଗୁଣଧରି ॥ ୬୩
ଏମନ୍ତ ସାଧୁ ପ୍ରତି ତାତ । ତୁ ପାପ କଳ୍ପିଲୁ ନିଶ୍ଚି୍ତ ॥ ୬୪
ଅସାଧୁଜନ ପ୍ରାୟ ତୁହି । ରୁଦ୍ର ବିଷୟେ କୋପ ବହି ॥ ୬୫
ଯେଣୁ ବୋଲାଉ ପ୍ରଜାପତି । ସେ ଗର୍ବେ ନିନ୍ଦୁ ମୋର ପତି ॥ ୬୬
ଏ ନୋହେ ମହତଙ୍କ କର୍ମ । ଗର୍ବେ ହୋଇଲୁ ମତିଭ୍ରମ ॥ ୬୭
ଯେ ବେନିଅକ୍ଷର ମୁଖରେ । ପ୍ରସନ୍ନେ ଶିବନାମ ଧରେ ॥ ୬୮
କି ଅବା ଶ୍ରଦ୍ଧାଯୁକ୍ତ ହୋଇ । ନିରତେ ବଦନେ ଗୁଣଇ ॥ ୬୯
ଅଥବା ପଶେ ଶ୍ରୁତିପଥେ । ପାପ ନାଶଇ କ୍ଷଣମାତ୍ରେ ॥ ୭୦
ଯାହାର ନାମ ଏ ଜଗତେ । ସର୍ବମଙ୍ଗଳ ବହୁମତେ ॥ ୭୧
ତୋର ଜୀବନ ପାପ-ସିନ୍ଧୁ । ଅଶିବ ହୋଇ ଶିବ ନିନ୍ଦୁ ॥ ୭୨
ଯା ପାଦପଦ୍ମ-ମଧୁ ଲୋଭେ । ମହାନ୍ତଜନ ନିତ୍ୟେ ସେବେ ॥ ୭୩
କାମୀ କାମନା ସ୍ରବେ ଯହୁଁ । ବିଶ୍ୱବାନ୍ଧବ ଅଟେ ଯେହୁ ॥ ୭୪
ସାଧୁ-ମାନସ -ଅଳି-ବୃନ୍ଦ । ବ୍ରହ୍ମଆନନ୍ଦ-ମକରନ୍ଦ ॥ ୭୫
ପାନାର୍ଥୀ ହୋଇ ସେବା କରେ । ଯାହାର ଶ୍ରୀପାଦପଦ୍ମରେ ॥ ୭୬
ତାହାରେ ଦ୍ରୋହ ଚିନ୍ତୁ ପିତ । ଏ କଥା ବଡ ଆଚମ୍ବିତ ॥ ୭୭
ଯେ ସଦାଶିବ ବିଶ୍ୱବନ୍ଧୁ । ତୁ ତାର ଦ୍ରୋହକରି ନିନ୍ଦୁ ॥ ୭୮
ଜଟା ବିସ୍ତାରି ଶ୍ମଶାନରେ । ବୁଲଇ ଶିବ ନିର୍ବିକାରେ ॥ ୭୯
ଶ୍ମଶାନଭସ୍ମ ମାଲ୍ୟ ତାର । ନରକପାଳ ଅଳଙ୍କାର ॥ ୮୦
ହେଲେ ହେଁ ଶିବଙ୍କୁ ଅଶିବ । ତୋ ବିନା କେଅବା ବୋଲିବ ॥ ୮୧
ବ୍ରହ୍ମାଦି ଦେବଗଣମାନେ । କେ ଶିବ ମହିମା ନ ଜାଣେ ॥ ୮୨
ତୁ କି ଜାଣିବୁ ସେ ମହିମା । ଅଶେଷ-ମଙ୍ଗଳର ସୀମା ॥ ୮୩
ଶିବ ନିର୍ମାଲ୍ୟ ମଥା ପାତି । ତଥାପି କେମନ୍ତେ ଘେନନ୍ତି ॥ ୮୪
ର୍ଧମରକ୍ଷକ ସ୍ୱାମୀ ମୋର । ତା ସଙ୍ଗେ କଲୁ ତୁ ବିଧୁର ॥ ୮୫
ଏଣୁ ଜୀବନ ଛାଡିବଇଁ । ସକଳ-ଧର୍ମ-ରକ୍ଷା ପାଇଁ ॥ ୮୬
ଏହିଟି ପତିବ୍ରତା-ଧର୍ମ । ପାଷଣ୍ତେ ସ୍ୱାମୀର ନିନ୍ଦନ ॥ ୮୭
ଶୁଣିଲେ କାନେ ହାତ ଦେବ । ତକ୍ଷଣେ ତହୁଁ ପଳାଇବ ॥ ୮୮
ପାରିଲେ ତା ଜିହ୍ୱା ଛେଦିବ । ଆପଣା ଜୀବନ ତେଜିବ ॥ ୮୯
ତୋ ବୀର୍ଯ୍ୟେ ଜନ୍ମ ମୋର ଦେହୀ । ହୋଇଲା ପୂର୍ବପାପ ବହି ॥ ୯୦
ସ୍ୱାମ ନିନ୍ଦନ ବାକ୍ୟ ସହି । ଏ ଦେହ ନ ଧରିବି ମୁହିଁ ॥ ୯୧
ଯେ ନାରୀ ସ୍ୱାମୀର ନିନ୍ଦନ । ଶୁଣି ଧରେ ନିଜ ଜୀବନ ॥ ୯୨
ପୂର୍ବର ପାପ ଯେ ନ ସ୍ମରେ । ତା ପ୍ରତିକାର ଯେ ନକରେ ॥ ୯୩
ଦିନ ବଞ୍ଚଇ ଦୁଃଖ-ଶୋକେ । ଅନ୍ତେ ସେ ପଡଇ ନରକେ ॥ ୯୪
ଯେ ଆତ୍ମାରାମ ବଇରାଗୀ । ବିଧି-ନିଷେଧ ପାରେ ଲଂଘି ॥ ୯୫
ସ୍ୱଧର୍ମେ ନିଷ୍ଠା ଯାର ଥିବ । ସେ ପର-ନିନ୍ଦା ନ କରିବ ॥ ୯୬
ଯେ ଅବା ବେଦବିଧି ଧର୍ମ । ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ॥ ୯୭
ଶବେ ତା ନ ସମ୍ଭବେ ଦୁଇ । ଯେଣୁଟି ଆତ୍ମାରାମ ସେହି ॥ ୯୮
ଦରିଦ୍ର ବୋଲି ଶିବେ ତୁହି । ନିନ୍ଦା ନ ବହ ଗର୍ବ ବହି ॥ ୯୯
ଅଣିମା ଆଦି ଅଷ୍ଟସିଦ୍ଧି । ଯା ତୁହଁ ଲଭେ ଯୋଗୀ ସାଧି ॥ ୧୦୦
ତୋ ପରି ଯଜ୍ଞେ ଯେ ଭ୍ରମନ୍ତି । କାହୁଁ ଲଭିବେ ସେ ସମ୍ପତ୍ତି ॥ ୧୦୧
ତୁ ପାପୀ ଯେଣୁ ଶିବଦ୍ରୋହୀ । ତୋଠାରୁ ଜାତ ମୋର ଦେହୀ ॥ ୧୦୨
ଧିକ ଏ ଦେହ ନ ରଖିବି । ଆଉ ଏ ଲଜ୍ଜା ନ ସହିବି ॥ ୧୦୩
ତୋହର ସଙ୍ଗତେ ବଚନ । ଅଧିକେ ନାହିଁ ପ୍ରୟୋଜନ ॥ ୧୦୪
କେହି ନ ବୋଲୁ ଦାକ୍ଷାୟଣୀ । ଅଟଇ ଶିବର ଘରଣୀ ॥ ୧୦୫
ମୈତ୍ରେୟ କହନ୍ତି ବଚନ । ଶୁଣ ବିଦୁର ତୋଷମନ ॥ ୧୦୬

ମୈତ୍ରେୟ ଉବାଚ

ଏମନ୍ତ ଦକ୍ଷେ ଦେବୀ କହି । କୁଣ୍ତ-ଉତ୍ତରଦିଗେ ଯାଇ ॥ ୧୦୭
ଯୋଗଧାରଣା ଆଗମନେ । ନିଶ୍ଚଳେ ବସିଲେ ଆସନେ ॥ ୧୦୮
ସ୍ୱାମୀର ଅପମାନ ଅର୍ଥେ । ପିତାର ଅନାଦର ଚିତ୍ତେ ॥ ୧୦୯
ପୀତବସନ ପରିଧାନ । ପବିତ୍ର-ଜଳେ ଆଚମନ ॥ ୧୧୦
ହୃଦରେ କଳ୍ପି ମହାମନ୍ୟୁ । ପବନ ଅଧ ଉର୍ଦ୍ଧ୍ୱ ସ୍ଥାନୁ ॥ ୧୧୧
ନାଭିକମଳେ ସୁନିଶ୍ଚଳେ । ପ୍ରାଣଧାରଣ ଯୋଗବଳେ ॥ ୧୧୨
ଏ ତିନିପ୍ରାଣ ଉର୍ଦ୍ଦ୍ୱେ ନେଇ । ଉଦାନ ସଙ୍ଗେ ହୃଦେ ଥୋଇ ॥ ୧୧୩
ହୃଦୟ ପ୍ରାଣ ସଙ୍ଗେ ବ୍ୟାପି । କଣ୍ତେ ଲଲାଟ ଚକ୍ରେ କ୍ଷେପି ॥ ୧୧୪
ଭ୍ରୁମଧ୍ୟେ ଥାପି ଅନୁମାନେ । ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ॥ ୧୧୫
ସ୍ୱାମୀ ଚରଣେ ଧ୍ୟାନକରି । ଯୋଗ-ଅନଳେ ବାୟୁ ଧରି ॥ ୧୧୬
ମୂର୍ଦ୍ଧନି ଭେଦି ତତକ୍ଷଣ । ଶୂନ୍ୟେ ମିଶିଲା ଦଶପ୍ରାଣ ॥ ୧୧୭
ସମାଧି ସମ୍ଭୂତ ଅନଳେ । ସତୀ ଶରୀର ବେଗେ ଜଳେ ॥ ୧୧୮
ସତୀ ମରଣ କର୍ମ ଚାହିଁ । ଦେବେ ଯେ ଯଜ୍ଞେ ଥିଲେ ରହି ॥ ୧୧୯
ଦେଖିଣ ଦେବୀର ନିଧନ । ଚଞ୍ଚଳ କରି ସର୍ବ ମନ ॥ ୧୨୦
ଭୂମି ଗମନେ ଯେ ବା ଥିଲେ । ହାହା ଶବଦ ଉଚ୍ଚେ କଲେ ॥ ୧୨୧
ଦେଖ ଏ ଦେବଦେବନାରୀ । କି ଅପମାନେ କୋପକରି ॥ ୧୨୨
ପ୍ରାଣ ଛାଡିଲେ ଯଜ୍ଞଶାଳେ । ପିତା ଅମାନ୍ୟ କୋପଭରେ ॥ ୧୨୩
ଦେଖ ଏ ଦକ୍ଷ ପ୍ରଜାପତି । ଗର୍ବେ ଆଚରିଲା ଅନୀତି ॥ ୧୨୪
ପ୍ରଜାଙ୍କ ପତିଏ ବୋଲାଇ । ଅନୀତି କଲା ଗର୍ବ ବହି ॥ ୧୨୫
ନିଜ ଦୁହିତାର ନିଧନେ । ଯତ୍ନ କଲା ଏ କ୍ରୋଧମନେ ॥ ୧୨୬
ଏ ନୋହେ ସାଧୁଙ୍କ ବେଭାର । ଅଧର୍ମ କଲା ଗରୁତର ॥ ୧୨୭
ଏମନ୍ତ ବାକ୍ୟ କହୁଁ ଜନେ । ସତୀର ପ୍ରାଣ ଅବସାନେ ॥ ୧୨୮
ସତୀ ମରଣ କଥା ଶୁଣି । ନନ୍ଦିକେଶ୍ୱର ବୀରମଣି ॥ ୧୨୯
ରୁଦ୍ରଗଣଙ୍କୁ ସଙ୍ଗେ ଲଇଁ । ବେଗେ ଧାଇଁଲା ରୋଷ ବହି ॥ ୧୩୦
ବିବିଧ ଶସ୍ତ୍ର ଧରି କରେ । ମିଳିଲା ଦକ୍ଷ ଯଜ୍ଞଘରେ ॥ ୧୩୧
ତାହାକୁ ଦେଖି ଭୃଗୁ ମୁନି । ଘୃତଆହୁତି କରେ ଘେନି ॥ ୧୩୨
ଯଜ୍ଞଘ୍ନ ନାମ ଯଜୁମନ୍ତ୍ରେ । କଳ୍ପିଲା ଅଭିଚାର-ତନ୍ତ୍ରେ ॥ ୧୩୩
ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ତେ । ନିର୍ଧୂମ ସ୍ୱର୍ଣ୍ଣବର୍ଣ୍ଣ ପିଣ୍ତେ ॥ ୧୩୪
ମନ୍ତ୍ରେ ମନ୍ତ୍ରିତ ସୋମ ପାଇ । ପ୍ରଚଣ୍ତ ବ୍ରହ୍ମତେଜ ବହି ॥ ୧୩୫
ଋଭୁ ନାମରେ ଦେବଗଣେ । ଅନଳୁ ଉଠିଲେ ତକ୍ଷଣେ ॥ ୧୩୬
ଜଳନ୍ତା କାଷ୍ଠ ଘେନି କରେ । ଶତସହସ୍ର କୋପଭରେ ॥ ୧୩୭
ଶବଦେ ଦଶଦିଗ ପୂରି । ଧାଇଁଲେ ଘୋରନାଦ କରି ॥ ୧୩୮
ତେଣେ ଭାଜିଲେ ରୁଦ୍ରସୈନି । ତା ଦେଖି ବେଗେ ଦେବମୁନି ॥ ୧୩୯
ଧାଇଁଲେ ଶିବପୁର-ମାର୍ଗେ । କହିଲେ ସଦାଶିବ ଆଗେ ॥ ୧୪୦
ସତୀ-ମରଣ-କଥା ଆଦି । କହିଲେ ସକଳ ସମ୍ପାଦି ॥ ୧୪୧
ସେ ବ୍ରହ୍ମମୁନିର ଚରଣେ । ଆତ୍ମାର ନିସ୍ତାର କାରଣେ ॥ ୧୪୨
କୃଷ୍ଣ-ବିଷୟ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ସତୀ ଦେହୋତ୍ସର୍ଗୋ
ନାମ ଚତୁର୍ଥୋଽଧ୍ୟାୟଃ ॥

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

କହେ ମୈତ୍ରେୟ ମୁନିବର । ସାନନ୍ଦେ ଶୁଣ ହେ ବିଦୁର ॥ ୧

ମୈତ୍ରେୟ ଉବାଚ

ନାରଦ ବାକ୍ୟ ଅବଧାନେ । ରୁଦ୍ର ଉଠିଲେ କୋପମନେ ॥ ୨
ଦକ୍ଷର ଯଜ୍ଞ ନାଶ ଅର୍ଥେ । କୋପ ବସିଲା ରୁଦ୍ରଚିତ୍ତେ ॥ ୩
ରୁଦ୍ର ବଦନେ କୋପ ଦେଖି । ବିବୁଧେ ଗଗନ ଉପେକ୍ଷି ॥ ୪
କମ୍ପିଲେ ରୁଦ୍ର କୋପ ଶୁଣି । ମହାପ୍ରଳୟ ପ୍ରାୟ ମଣି ॥ ୫
ଦନ୍ତେ କାମୋଡି ଓଷ୍ଠ ପାଟି । ପ୍ରଚଣ୍ତ କରାଳ ଭ୍ରୂକୁଟୀ ॥ ୬
ଜଟାକଳାପେ ଅଗ୍ନିଜଳେ । ଦେଖି କମ୍ପିଲେ ଦିଗପାଳେ ॥ ୭
ସେ ଏକ ଜଟା ଉପାଡିଣ । ଭୂମିରେ କଲେ ନିକ୍ଷେପଣ ॥ ୮
ସେ ଜଟା ଭୂମିରେ ପଡିଲା । ତହଁରୁ ପୁରୁଷେ ଜନ୍ମିଲା ॥ ୯
ତାହାର ନାମ ବୀରଭଦ୍ର । ପ୍ରଳୟକାଳେ ଯେହ୍ନେ ରୁଦ୍ର ॥ ୧୦
ସହସ୍ରବାହୁ ମେଘବର୍ଣ୍ଣ । ଅନଳ ପ୍ରାୟେକ ନୟନ ॥ ୧୧
କୋଟିଏ ସୂର୍ଯ୍ୟ ତେଜ ଯେହ୍ନେ । ଦେଖି ପଳାନ୍ତି ସର୍ବଜନେ ॥ ୧୨
କରାଳ-ଦଂଷ୍ଟ୍ର ଶୋହେ ତୁଣ୍ତେ । ଅଗ୍ନି ଜ୍ୱଳଇ ଶିଖା ଖଣ୍ତେ ॥ ୧୩
ନାନା ଆୟୁଧ ଶୋହେ କରେ । ମୁଣ୍ତମାଳାଏ ଲମ୍ବେ ଉରେ ॥ ୧୪
ରୁଦ୍ରଙ୍କୁ ଚାହିଁ କରଯୋଡି । ବୋଲଇ ଅଧର କାମୋଡି ॥ ୧୫
କହ ତୁ କି କରିବି ମୁହିଁ । ରୁଦ୍ର ବୋଲନ୍ତି ତାକୁ ଚାହିଁ ॥ ୧୬
ତୁ ହୁଅ ଗଣଙ୍କ ଈଶ୍ୱର । ଏବେ ତୁ ମୋର ବୋଲ କର ॥ ୧୭
ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେ । ବିନାଶ କର ରଣରଙ୍ଗେ ॥ ୧୮
ତୁ ମୋର ଅଂଶ ଆତ୍ମାରୂପୀ । ସହସ୍ରଭୁଜ ଶୂନ୍ୟେ ବ୍ୟାପି ॥ ୧୯
ଦକ୍ଷର ଯଜ୍ଞ ନାଶ କର । ତାହାର ପ୍ରାଣ ବେଗେ ହର ॥ ୨୦
ଏମନ୍ତ ରୁଦ୍ର ଆଜ୍ଞା ପାଇ । କୋପେ କମ୍ପଇ ତାର ଦେହୀ ॥ ୨୧
ଜଳଇ ଅତି କୋପାନଳେ । ନମିଲା ରୁଦ୍ର ପାଦତଳେ ॥ ୨୨
ସ୍ୱଭାବେ ରୁଦ୍ର-ଆତ୍ମା ସେହି । ତାର ମହିମା କେ ବା କହି ॥ ୨୩
ଚଳିଲା ରୁଦ୍ରଗଣ ଘେନି । ଶବଦେ କମ୍ପାଇ ମେଦିନୀ ॥ ୨୪
ଗର୍ଜଇ ଭଇରବ ନାଦେ । ବେଗେ ଧାମଇଁ ଦ୍ରୁତପଦେ ॥ ୨୫
ଶୂଳ ବୁଲାଇ ଦକ୍ଷକରେ । ନୂପୁର ବାଜଇ ପୟରେ ॥ ୨୬
ଧାମଇଁ ପବନହୁଁ ବେଗେ । ବୀର ଉତ୍ତରଦିଗଭାଗେ ॥ ୨୭
ସକଳ ପାରିଷଦ ଗଣେ । ନାନା ଆୟୁଧ ତୀକ୍ଷ୍‌‌ଣବାଣେ ॥ ୨୮
ଅତି ପ୍ରଚଣ୍ତ କୋପଭରି । ଧାଇଁଲେ ଘୋରନାଦ କରି ॥ ୨୯
ଶବଦେ ଦଶଦିଗ ପୂରେ । ଧୂଳି ଉଡଇ ପାଦଭରେ ॥ ୩୦
ବିପ୍ରେ ଯେ ଥିଲେ ଯଜ୍ଞଶାଳେ । ଧୂଳି ଦେଖିଲେ ଅନ୍ତରାଳେ ॥ ୩୧
ଉତ୍ତରଦିଗେ ରେଣୁ ଦେଖି । ଉଠିଲେ ଯଜ୍ଞକୁ ଉପେକ୍ଷି ॥ ୩୨
ଉତ୍ତରଦିଗକୁ ଅନାଇ । ବୋଲନ୍ତି ଏକୁ ଆରେ ଚାହିଁ ॥ ୩୩
ଦେଖ ଦିବସେ ଘୋରତମ । ଦିଗ ନ ଦିଶେ ବାତଭ୍ରମ ॥ ୩୪
ଏମନ୍ତେ ଦେବ-ବିପ୍ରନାରୀ । ଦେଖନ୍ତି ହସ୍ତେ ହସ୍ତ ଧୟୂ ॥ ୩୫
ବୋଲନ୍ତି ଏ କି ତମଘୋର । ଦିଶଇ ଅତି ଭୟଙ୍କର ॥ ୩୬
ପ୍ରଚଣ୍ତ ନ ବହେ ପବନ । ତମେ ଆଚ୍ଛାଦିଲା ଗଗନ ॥ ୩୭
ପ୍ରାଚୀନବର୍ହି ଦଣ୍ତଧାରୀ । ଯେଣୁ ଅଛଇ ପ୍ରାଣ ଧରି ॥ ୩୮
ତାଙ୍କ ପ୍ରସାଦେ ଦସ୍ୟୁ ନାହିଁ । ଉତ୍ପାତ ହେଲା କିସ ପାଇଁ ॥ ୩୯
ଗୋରୁ ଚରଣ ଧୂଳି ନୋହେ । ଏ କି ତିମିର କାହୁଁ ହୋଏ ॥ ୪୦
ଆଜ କି ପ୍ରଳୟ ହୋଇବ । ବାମ କି ହୋଇଲା ଦଇବ ॥ ୪୧
ପ୍ରସୂତି ଆଦି ବାମା ଯେତେ । ଉଠି ଚାହାନ୍ତି ଦୁଃଖ ଚିତ୍ତେ ॥ ୪୨
ସେର୍ବ ଦୁଃଖିତମନା ହୋଇ । ପ୍ରଚଣ୍ତ ବାତକୁ ଅନାଇଁ ॥ ୪୩
ନିଶ୍ଚୟ ସେହି ପାପଫଳ । ସତୀର ଅପମାନ ମୂଳ ॥ ୪୪
ଏମନ୍ତ ଶୁଣି ବ୍ୟାସସୁତ । ଅଦ୍ଭୁତ ରୁଦ୍ରର ଚରିତ ॥ ୪୫
ଯେ ରୁଦ୍ର ପ୍ରଳୟ କାଳରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ ॥ ୪୬
ନୃତ୍ୟ କରନ୍ତି ଅତି ବେଗେ । ଦେଖି ପଳାନ୍ତି ଦିଗନାଗେ ॥ ୪୭
ସହସ୍ରଭୁଜ ଉର୍ଦ୍ଧ୍ୱେ କରି । ନଟର ପ୍ରାୟେ ବେଶ ଧରି ॥ ୪୮
ଚଣ୍ତାଟ୍ଟ‌ହାସ ଶୋହେ ତୁଣ୍ତେ । ଯେହ୍ନେ ବିଜୁଳି ମେଘଖଣ୍ତେ ॥ ୪୯
ଅସହ୍ୟ ତେଜ ଯୋଗବଳ । ଦିଶଇ ଭ୍ରୂକୁଟୀ କୁଟିଳ ॥ ୫୦
କରାଳ ଦଂଷ୍ଟ୍ର ଶୋହେ ତୁଣ୍ତେ । ତେଜେ ନକ୍ଷତ୍ରଗଣ ଖଣ୍ତେ ॥ ୫୧
ତାରେ ଦୋରେନ୍ଦ୍ରା କରି କେହି । ବିଧାତା ହେଲେ ରକ୍ଷା ନାହିଁ ॥ ୫୨
ଦକ୍ଷକୁ ଚାହିଁ ସଭାଜନେ । ବୋଲନ୍ତି ଅତି ଦୁଃଖମନେ ॥ ୫୩
ଦେଖ ଏହାର କର୍ମଫଳେ । ଆଜ ତ ନଶିଲୁ ସକଳେ ॥ ୫୪
ଘୋର-ଉତ୍ପାତ ଦୁଃଖମନେ । ଭୟେ ଲୁଚିଲେ ସର୍ବଜନେ ॥ ୫୫
କେ କହୁ ଜନଙ୍କ ବିକଳ । ତକ୍ଷଣେ ମିଳି ରୁଦ୍ରବଳ ॥ ୫୬
ନାନା ଆୟୁଧ ଧରି କରେ । ବେଗେ ବେଢିଲେ ଯଜ୍ଞଘରେ ॥ ୫୭
ପୀତ ପିଙ୍ଗଳ ଦିଶେ ବର୍ଣ୍ଣ । କେହି ବା ମକର ଆନନ ॥ ୫୮
ଶବଦେ ଗଗନ ଉଛୁଳେ । ବେଗେ ପଶିଲେ ଯଜ୍ଞଶାଳେ ॥ ୫୯
କେହୁ ଭାଙ୍ଗନ୍ତି ଯଜ୍ଞବାସ । କେ ପତ୍ନୀଶାଳା କରେ ନାଶ ॥ ୬୦
କେ ପାକଶାଳେ ପ୍ରବେଶନ୍ତି । କେ ଯଜ୍ଞପାତ୍ରକୁ ଭାଙ୍ଗନ୍ତି ॥ ୬୧
କେ ଯଜ୍ଞକୁଣ୍ତରେ ମିଳନ୍ତି । ମୂତ୍ର ପୁରୀଷ ଉତ୍ସର୍ଗନ୍ତି ॥ ୬୨
କେ ଭୟଙ୍କର ନାଦକଲେ । ଯଜ୍ଞ ମେଖଳା ବେଦୀ ତୁଲେ ॥ ୬୩
ଭାଙ୍ଗିଲେ ଅତି କୋପଭରେ । ଶୂଳ ବୁଲାଇ ଦକ୍ଷକରେ ॥ ୬୪
କେ ଧାଏଁ ମୁନିଙ୍କ ଉପରେ । ତର୍ଜନ୍ତି ଅତି କୋପଭରେ ॥ ୬୫
ସ୍ତିରୀଗଣଙ୍କ ମଧ୍ୟେ ପଶି । ରାହୁ ଯେସନେ ଗ୍ରାସେ ଶଶୀ ॥ ୬୬
ଦେବେ ପଳାନ୍ତି ତାହା ଦେଖି । ଯଜ୍ଞର ଭାଗକୁ ଉପେକ୍ଷି ॥ ୬୭
ତାହାଙ୍କୁ ରୁଦ୍ରଗଣେ ଦେଖି । ଧାଇଁଲେ ଦୟାକୁ ଉପେକ୍ଷି ॥ ୬୮
ଭୃଗୁକୁ ମଣିମାନ ବାନ୍ଧେ । ତା ଦେଖି ପ୍ରଜାପତି କାନ୍ଦେ ॥ ୬୯
ଦକ୍ଷକୁ ବୀରଭଦ୍ର ଧରି । ପଶୁର ପ୍ରାୟେ ବନ୍ଦୀ କରି ॥ ୭୦
ଚଣ୍ତୀଶ ପୂଷଣକୁ ଧରେ । ଭଗକୁ ଧରେ ନନ୍ଦୀଶ୍ୱରେ ॥ ୭୧
ଯଜ୍ଞେ ଦେବତା ଯେତେ ଥିଲେ । ଋତ୍ୱିଜ ଋଷି ବିପ୍ର ତୁଲେ ॥ ୭୨
ରୁଦ୍ରଗଣଙ୍କ ତେଜ ଦେଖି । ଭାଜିଲେ ଯଜ୍ଞକୁ ଉପେକ୍ଷି ॥ ୭୩
ଭୃଗୁ ଯେ ଯଜ୍ଞେ ହୋମକାରୀ । ଘୃତ କ୍ଷେପନ୍ତି ଶ୍ରୁବ ଧରି ॥ ୭୪
ତାହାଙ୍କ କେଶ ବାମହସ୍ତେ । ରୋଷେ ସେ ଧଇଲେ ତୁରିତେ ॥ ୭୫
ତାହାଙ୍କ ଦାଢି ଦକ୍ଷକରେ । ପୁଣି ଉପାଡି କୋପଭରେ ॥ ୭୬
ସଭାରେ ପଦ୍ମଯୋନିବଳା । ଯେ ଦାଢି ହଲାଇ ହସିଲା ॥ ୭୭
ଉପାଡି ଭୃଗୁ ଲମ୍ବଦାଢି । ଭଗକୁ ରୋଷେ ତଳେ ପାଡି ॥ ୭୮
ଚକ୍ଷୁ ଉପାଡି ନଖ ଅଗ୍ରେ । ପୂର୍ବର ଶାପ ବଇଭୋଗେ ॥ ୭୯
ରୁଦ୍ରଙ୍କୁ ଶାପ ଦେବା ବେଳେ । ଯେଉଁ ଚକ୍ଷୁରେ ଠାରିଥିଲେ ॥ ୮୦
ଦକ୍ଷର ଶିବ-ନିନ୍ଦା କାଳେ । ଅପମାନିତ କୋପାନଳେ ॥ ୮୧
ଦନ୍ତ ଦେଖାଇ ପୂଷା ହସେ । ସେ କଥା ସ୍ମରି ମହାରୋଷେ ॥ ୮୨
ମୁଷ୍ଟି ପ୍ରହାରି ବାମକରେ । ଦନ୍ତ ଝାଡିଲେ ରୋଷଭରେ ॥ ୮୩
କଳିଙ୍ଗ ଦେଶ ରାଜା-ରଦ । ଯେହ୍ନେ ଭାଙ୍ଗିଲେ ବଳଭଦ୍ର ॥ ୮୪
ଦକ୍ଷର ହୃଦେ କର ତାଡି । ରୁଦ୍ର ଯେ ଅଧର କାମୋଡି ॥ ୮୫
ଭୂମିରେ ପାଡିଲେ ଉତ୍ତାନେ । ତୀକ୍ଷ୍ଣ ଖଡଗେ ମୁଣ୍ତ ହାଣେ ॥ ୮୬
ଅକ୍ଷୟ ତାହାର ଶରୀର । ଦେଖି ବିସ୍ମିତି ଶୂଳଧର ॥ ୮୭
ଅବଧ୍ୟ ଦେଖି ତାର ଗତି । ବିସ୍ମୟେ ଭାଳି ପଶୁପତି ॥ ୮୮
ତୀକ୍ଷ୍ଣ-ଖଡଗେ ଛେଦି ଶିର । ସେ ବୀର ହୋଇଲା ବାହାର ॥ ୮୯
ଶିର ପଡିଲା ଅଗ୍ନିକୁଣ୍ତେ । ରହିଲା ମାତ୍ର ମୃତ୍ୟୁପିଣ୍ତେ ॥ ୯୦
ପିଶାଚରଣ ଘେନି ସଙ୍ଗେ । ନାଚିଲେ ବୀରଭଦ୍ର ରଙ୍ଗେ ॥ ୯୧
ଦକ୍ଷ-ସମ୍ପଦ ନାଶ କରି । ଦକ୍ଷିଣଭୂଜେ ଶୂଳ ଧରି ॥ ୯୨
ସେ ବୀର ହୋଇଲେ ବାହାର । ଦେଖି କମ୍ପିଲେ ସୁରନର ॥ ୯୩
ସେ ରୁଦ୍ର-ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞବିଧ୍ୱଂସୋ ନାମ ପଞ୍ଚମୋଽଧ୍ୟାୟଃ ॥

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ରୁଦ୍ର ଚରିତ ରସସାର ॥ ୧
ରୁଦ୍ରଗଣଙ୍କ ଶସ୍ତ୍ରଘାତେ । ଭୟେ ଭାଜିଲେ ଦେବେ ଯେତେ ॥ ୨
ଶୂଳ ପଟ୍ଟିଶ କୁନ୍ତ ଶର । ନିସ୍ତିଂଶ ଗଦା ମୁଦଗର ॥ ୩
ଏ ଶସ୍ତ୍ର ବାଜି ସର୍ବ ଅଙ୍ଗେ । ଭୟେ ଭାଜିଲେ ଦଶଦିଗେ ॥ ୪
ଋତ୍ୱିଜ ସଭାସଦଗଣ । ପଳାଇଗଲେ ଘେନି ପ୍ରାଣ ॥ ୫
ଭୟେ ସକଳେ ଏକମେଳେ । ମିଳିଲେ ଗଗନ-ମଣ୍ତଳେ ॥ ୬
ଛନ୍ନ ବ୍ୟାକୁଳ ମନ ଦୁଃଖେ । ବେଗେ ମିଳିଲେ ବ୍ରହ୍ମଲୋକେ ॥ ୭
ବ୍ରହ୍ମା ଚରଣତଳେ ପଡି । ଦେବେ କହିଲେ କରଯୋଡି ॥ ୮
ଅନର୍ଥ ହେବ ବୋଲି ଜାଣି । ଯଜ୍ଞେ ନ ଗଲେ କୁଶପାଣି ॥ ୯
ସେ ଦେବେ ଯାହା ନିବେଦିଲେ । ତା ବ୍ରହ୍ମା-ବିଷ୍ଣୁ ଜାଣିଥିଲେ ॥ ୧୦
ତେଣୁ ସେ ଦକ୍ଷଯଜ୍ଞ କାଳେ । ଏ ବେନି ଗମନ ନ କଲେ ॥ ୧୧
ଏବେ ଦେବଙ୍କ ମୁଖୁଁ ଶୁଣି । ସେ ବ୍ରହ୍ମା କହେ ମଞ୍ଜୁବାଣୀ ॥ ୧୨
ଯଜ୍ଞ ବିନାଶି କୋପଭରେ । ରୁଦ୍ର ଯେ ଗଲେ ନିଜପୁରେ ॥ ୧୩
ସ୍ୱଭାବେ ତେଜେ ଅପ୍ରମିତ । ଅନ୍ତେ ଜଗତ କରେ ଗ୍ରସ୍ତ ॥ ୧୪
ତାହାଙ୍କ ତେଜ ବଳ ତଥ୍ୟ । କେ ତାହା ବର୍ଣ୍ଣନେ ସମର୍ଥ ॥ ୧୫
ତାହାରେ ଅପରାଧ କରି । କେ ଅବା ଥିବ ଦେହ ଧରି ॥ ୧୬
ଏବେ ସକଳ ଦେବେ ଶୁଣ । କେ ଜାଣେ ଈଶ୍ୱର ପ୍ରମାଣ ॥ ୧୭
ଚାଲ ସକଳ ସୁରଦେବା । ଏବେ ହୋ କଇଳାସ ଯିବା ॥ ୧୮
ରୁଦ୍ର ଚରଣେ ନମସ୍କାର । ସ୍ତୋତ୍ରେ ସନ୍ତୋଷ ଦେବହର ॥୧୯
ଈଶ୍ୱର ଚରଣ-କମଳେ । ଶରଣ ପଶ ଏକମେଳେ ॥ ୨୦
ସେ ଯେ ସକଳ-ଭୂତପତି । ସର୍ବସମ୍ପଦ ସେ ଦିଅନ୍ତି ॥ ୨୧
ତାହାଙ୍କ ନାମ ଆଶୁତୋଷ । ଅବଶ୍ୟ ହୋଇବେ ସନ୍ତୋଷ ॥ ୨୨
ମୋହର ବୋଲ ଏବେ କର । ଅନ୍ୟଥା ନାହିଁଟି ନିସ୍ତାର ॥ ୨୩
ଯେ ଅନ୍ତଃକାଳେ ଅଣ୍ତକୋଷ । ନିମିଷ ମାତ୍ରେ କରେ ଗ୍ରାସ ॥ ୨୪
ତାର ଚରଣ ନ ସେବିଲେ । କେବା ସଂସାରେ ଥିବ ଭଲେ ॥ ୨୫
ଦକ୍ଷର ଅପରାଧ ଯୋଗେ । ବିଶେଷେ ପତ୍ନୀର ବିଯୋଗେ ॥ ୨୬
ସ୍ୱଭାବେ ତମଗୁଣ ଯୋଗେ । କେବା ମିଳିବ ତାର ଆଗେ ॥ ୨୭
ଯାର ମହିମା ବିଚାରଣେ । ମୋ ଆଦି ସର୍ବଦେବଗଣେ ॥ ୨୮
ଏ ଯଜ୍ଞ ଆଦି ଯେତେ ମୁନି । ସଙ୍ଗତେ ବେଦତ‌ତ୍ତ୍ୱ ଘେନି ॥ ୨୯
କେ ଜାଣି ପାରିବ ପ୍ରମାଣ । ସେ ଆତ୍ମତନ୍ତ୍ର ଭଗବାନ ॥ ୩୦
ଏବେ ସକଳେ ଚାଲ ଯିବା । ସେ ରୁଦ୍ର ଚରଣେ ନମିବା ॥ ୩୧
ସ୍ତୁତି କରିବା ନାନାମତେ । ଯେମନ୍ତେ ଦୟା ବହେ ଚିତ୍ତେ ॥ ୩୨
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି ॥ ୩୩
ଅଗ୍ରେ ଚଳିଲେ ବ୍ରହ୍ମା ପୁଣ । ଯକ୍ଷ କିନ୍ନର ଋଷିଗଣ ॥ ୩୪
ସିଦ୍ଧ ଚାରଣ ପିତୃତୁଲେ । ସର୍ବେ ଚଳିଲେ ବ୍ରହ୍ମାବୋଲେ ॥ ୩୫
ଈଶ୍ୱର ଦରଶନ ଆଶେ । ମିଳିଲେ କଇଳାସ ଦେଶେ ॥ ୩୬
ଯେ ବନେ ବସେ ସଦାଶିବ । ତାର ମହିମା କେ ବିର୍ଣ୍ଣିବ ॥ ୩୭
ଜନ୍ମ ଔଷଧି ତପ ମନ୍ତ୍ରେ । ଯୋଗେ ସଂସିଦ୍ଧ ଯୋଗୀଯୂଥେ ॥ ୩୮
ଯକ୍ଷ କିନ୍ନର ବିଦ୍ୟାଧରୀ । ଗନ୍ଧର୍ବ ମୁନି ଅପସରୀ ॥ ୩୯
ସର୍ବେ ବସନ୍ତି ସିଦ୍ଧବନେ । ଅଶେଷ ଯୋଗୀ ଯୋଗଧ୍ୟାନେ ॥ ୪୦
ଅଶେଷ ମଣି-ରତ୍ନରେଖେ । ଶୃଙ୍ଗ ବିରାଜେ ଗିରି ଶିଖେ ॥ ୪୧
ଦେହେ ବିରାଜେ ନାନାଧାତୁ । ଅତି ଆନନ୍ଦ ରୂପ ହେତୁ ॥ ୪୨
ବିରାଜେ ନାନା ଗୁଳ୍ମ ଲତା । କେ ତା ବର୍ଣ୍ଣନେ ସାମରଥା ॥ ୪୩
ଆନନ୍ଦେ ମନୋହର ସ୍ଥାନେ । କ୍ରୀଡନ୍ତି ନାନା ପଶୁଗଣେ ॥ ୪୪
ଅନେକ କନ୍ଦର ଗମ୍ଭୀରା । ବହନ୍ତି ପ୍ରସ୍ରବଣ ଧାରା ॥ ୪୫
ରମଣ ତୁଲେ ନାରୀଗଣେ । ରମନ୍ତି ସିଦ୍ଧସ୍ତିରୀମାନେ ॥ ୪୬
ମୟୂର କେକାନାଦ ବାଣୀ । ଯେ ବନେ ମନୋହର ଶୁଣି ॥ ୪୭
କୋମଳକଣ୍ଠେ ପକ୍ଷୀଗଣେ । ନାଦ କରନ୍ତି ଘୋରବନେ ॥ ୪୮
ବସନ୍ତି କଳ୍ପଦ୍ରୁମ ପନ୍ତି । କି ଅବା ପକ୍ଷୀଙ୍କି ଡାକନ୍ତି ॥ ୪୯
ମତ୍ତ-ମାତଙ୍ଗ ଛଳେ ଚଳେ । ଗର୍ଜଇ କ୍ଷୁଦ୍ର-ନଦୀଜଳେ ॥ ୫୦
ମନ୍ଦାର ପାରିଜାତ ଦ୍ରୁମ । ସରଳ କୋବିଦାର ବନ ॥ ୫୧
ତମାଳ ଶାଳ ତାଳବନ । ଆବର ଅସନ ଅର୍ଜୁନ ॥ ୫୨
ଚୂତ କଦମ୍ବ ନାଗେଶ୍ୱର । ପୁନ୍ନାଗ ଚମ୍ପା କରବୀର ॥ ୫୩
ପାଟଳୀ ଅଶୋକ ଅନେକ । ବକୁଳ କୁନ୍ଦ କୁରୁବକ ॥ ୫୪
ସୁନାରୀ ଶତପତ୍ର ଜାତୀ । ମଲ୍ଳିକା ମାଧବୀ ଯେ ଯୂଥୀ ॥ ୫୫
ପନସ ଉଦୁମ୍ବର ପ୍ଲକ୍ଷ । ବଟ ଅଶ୍ୱତ୍‌ଥ ହିଙ୍ଗୁବୃକ୍ଷ ॥ ୫୬
ଖର୍ଜୁର ଜମ୍ବୁ ଯେ କ୍ରମୁକ । ଆମ୍ର ପିଆଳ ଆମ୍ରାତକ ॥ ୫୭
ଭୂର୍ଜ ଔଷଧି ଯେ ମଧୁକ । ଇଙ୍ଗୁଦ ବେଣୁ ଯେ କୀଚକ ॥ ୫୮
ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେ । ଶୋଭନ କଇଳାସ ବନେ ॥ ୫୯
କୁମୁଦ ଉତ୍ପଳ କହ୍ନାର । ଶତପତ୍ରରେ ଶୋହେ ନୀର ॥ ୬୦
ଆନନ୍ଦମନେ ପକ୍ଷୀକୁଳ । ଗଭୀରନାଦେ କୁତୂହଳ ॥ ୬୧
ମୃଗ ବାନର କୋଳଯୂଥ । ସିଂହ ଶାୂର୍ଦ୍ଦୂଳ ଗଜଯୂଥ ॥ ୬୨
ବୟ ବ୍ୟାଘ୍ର ଋକ୍ଷଦଳ । ରୁରୁ ମହିଷ ଶଶାକୁଳ ॥ ୬୩
ଅରଣ୍ୟେ ମୃଗନାଭି ଆଦି । କେ କହୁ ସେ ବନ ପ୍ରସିଦ୍ଧି ॥ ୬୪
ସୁନ୍ଦର ଶୋହେ ରମ୍ଭାବନ । ଦେଖନ୍ତେ ମୋହେ ପ୍ରାଣୀମନ ॥ ୬୫
ବହଇ ତହିଁ ନଦୀ ନନ୍ଦା । ସତୀ ସ୍ନାନରେ ପୁଣ୍ୟଗନ୍ଧା ॥ ୬୬
ଏମନ୍ତ ବିଶ୍ୱନାଥ-ବନେ । ଦେଖି ସାନନ୍ଦ ଦେବଗଣେ ॥ ୬୭
ମନେ ବିସ୍ମୟ ପାଇ ବେଗେ । ଦେବେ ଚାହାଁନ୍ତି ଦଶଦିଗେ ॥ ୬୮
ତାର ଉପର ପୁରେ ଯାଇ । ଅଳକାପୁରୀକୁ ଅନାଇ ॥ ୬୯
ସୁଗନ୍ଧ ନାମେ ବନ ଯହିଁ । ହେମପଙ୍କଜ ବିରାଜଇ ॥ ୭୦
ନନ୍ଦା-ଅଳକନନ୍ଦା ନଦୀ । ବହନ୍ତି ବାମଦକ୍ଷ ଭେଦି ॥ ୭୧
ବିଷ୍ଣୁ-ଚରଣ-ରଜ ଲାଗି । ସେ ନଦୀ ଅତି ସଉଭାଗୀ ॥ ୭୨
ଯେ ନଦୀଜଳେ ସୁରନାରୀ । ରମନ୍ତି ନାନା-କ୍ରୀଡା କରି ॥ ୭୩
କୁଚ-କୁଙ୍କମ ଜଳେ ମିଶେ । ସ୍ୱଭାବେ ସୁମଞ୍ଜୁଳ ଦିଶେ ॥ ୭୪
କରିଣୀ ତୁଲେ ହସ୍ତୀବଳ । ନିତ୍ୟେ ପିବନ୍ତି ଯାର ଜଳ ॥ ୭୫
ଯେବେ ପିପାସା ତା ନଥାଇ । ତଥାପି ତା ପାନ କରଇ ॥ ୭୬
ଆନନ୍ଦେ ପଦ୍ମବନେ ପଶି । କ୍ରୀଡା ଆନନ୍ଦେ ମନତୋଷି ॥ ୭୭
ସେ ନଦୀକୂଳେ ଉପଗତ । ରତ୍ନବିମାନ ଯୂଥଯୂଥ ॥ ୭୮
ପୁଣ୍ୟଜନଙ୍କ ପରିମଳ । ମିଶି ସୁଗନ୍ଧ ଗଙ୍ଗାଜଳ ॥ ୭୯
ତଡିତ ଯେହ୍ନେ ନୀଳମେଘେ । ଶୋଭା ଦିଶନ୍ତି ଦଶଦିଗେ ॥ ୮୦
ଏମନ୍ତ କୁବେର ନଗରୀ । ସୁଗନ୍ଧବନ ଆଦି କରି ॥ ୮୧
ଯହିଁରେ କଳ୍ପବୃକ୍ଷ ପ୍ରାୟେ । ଫଳ ପଲ୍ଲବ ପୁଷ୍ପ୍ ଶୋହେ ॥ ୮୨
କୋମଳ କଣ୍ଠ-ନାଦ ପକ୍ଷୀ । ଭୃଙ୍ଗ ଶବଦ ଯହିଁ ଲକ୍ଷି ॥ ୮୩
ଜଳରେ କଳହଂସଗଣେ । କ୍ରୀଡା କରନ୍ତି ପଦ୍ମବନେ ॥ ୮୪
ହରିଚନ୍ଦନ-ବାୟୁ ସଙ୍ଗେ । ମତ୍ତମାତଙ୍ଗଗଣ ରଙ୍ଗେ ॥ ୮୫
ବୈଡୁର୍ଯ୍ୟ ବାପୀ କୂପସ୍ଥାନେ । ନିବିଡ-ପ୍ରବନ୍ଧ-ସୋପାନେ ॥ ୮୬
ସ୍ୱଭାବେ ଉତ୍ପଳ-ମାଳିନୀ । ବିରାଜେ ଗନ୍ଧଗୁଣ ଘେନି ॥ ୮୭
ସେବନେ ଦେଖେ ବଟବୃକ୍ଷ । ଯହିଁ କିନ୍ନର ଗଣ ରକ୍ଷ ॥ ୮୮
ଶତେଯୋଜନ ଉଚ୍ଚ ଶୋହେ । ସୁନ୍ଦର ରୂପେ ଜନ ମୋହେ ॥ ୮୯
ସେ ବୃକ୍ଷଛାୟା ଦେହେ ଲାଗି । ପ୍ରାଣୀ ହୁଅନ୍ତି ସଉଭାଗୀ ॥ ୯୦
ଏମନ୍ତେ ସର୍ବ ଦେବଗଣେ । ମିଳିଲେ ମହାରୁଦ୍ର-ସ୍ଥାନେ ॥ ୯୧
ଦେଖିଲେ ବଟବୃକ୍ଷ ମୂଳେ । ନିବିଡ-ଆସନ ନିଶ୍ଚଳେ ॥ ୯୨
କୋପ ରହିତ ଯମ ପ୍ରାୟ । ବିଭୂତି ବିଲେପନ କାୟ ॥ ୯୩
ସନକ ଆଦି ସପ୍ତମୁନି । ସଙ୍ଗେ ଅନେକ ଶିଷ୍ୟଘେନି ॥ ୯୪
ଯକ୍ଷ-ଗୁହ୍ୟକଙ୍କ ନାୟକ । ଯେ ଭକ୍ତିଯୋଗେ ଉପାସକ ॥ ୯୫
ବିଦ୍ୟା ତପସ୍ୟା ଯୋଗ ଆଦି । ସକଳେ ଖଟନ୍ତି ସବିଧି ॥ ୯୬
ବିଶ୍ୱ-ସୁହୃଦ ଯା ମହିମା । ସର୍ବମଙ୍ଗଳ ଏକସୀମା ॥ ୯୭
ତପସ୍ୟା ଅଭ୍ୟାସିତ ଅଙ୍ଗ । ଯାର ଶରୀର ସିଦ୍ଧ ଲିଙ୍ଗ ॥ ୯୮
ଜଟା ଅଜିନ ଭସ୍ମ ଦଣ୍ତ । ଶିରେ ରଞ୍ଜିତ ଇନ୍ଦୁଖଣ୍ତ ॥ ୯୯
ସନ୍ଧ୍ୟା ସମୟେ ମେଘପ୍ରଭା । ତେମନ୍ତ ତାଙ୍କ ଅଙ୍ଗ ଶୋଭା ॥ ୧୦୦
କୁଶ ଆସନ ମଧ୍ୟେ ବସି । ପରମବ୍ରହ୍ମ ପରକାଶି ॥ ୧୦୧
ନାରଦ ମୁଖ ଚାହିଁ ଧୀରେ । ବଚନ କହନ୍ତି ମଧୁରେ ॥ ୧୦୨
ଦକ୍ଷିଣ-ଜାନୁର ଉପରେ । ବାମ-ଚରଣ ସ୍ଥାପି ଧୀରେ ॥ ୧୦୩
ବାମ-ଜାନୁରେ ବାମକର । ଦକ୍ଷ-କରରେ ଅକ୍ଷମାଳ ॥ ୧୦୪
ଚାହାଁନ୍ତି ବେନି ବାହୁ-ମୂଳେ । ଅରୁଣବର୍ଣ୍ଣ ବେନିଡୋଳେ ॥ ୧୦୫
ସ୍ୱଭାବେ ତର୍କ-ମୁଦ୍ରାଧାରୀ । ଯେ ରୂପେ ସଂସାର ସଂହାରି ॥ ୧୦୬
ନିଶ୍ଚଳ ସମାଧି ଧାରଣେ । ଦେଖିଲେ ସର୍ବ-ଦେବଗଣେ ॥ ୧୦୭
ସକଳ-ଋଷି ସଙ୍ଗମେଳେ । ଇନ୍ଦ୍ରାଦି ଦଶଦିଗପାଳେ ॥ ୧୦୮
ବ୍ରହ୍ମା ସହିଣେ ସର୍ବଜନ । ଚାହିଁଲେ ରୁଦ୍ରଙ୍କ ବଦନ ॥ ୧୦୯
ଜୟ-ଶରଦ କରି ତୁଣ୍ତେ । ରୁଦ୍ର ଚରଣେ ନମି ମୁଣ୍ତେ ॥ ୧୧୦
ଯେ ହର ମନୁଙ୍କର ମନୁ । ଭକ୍ତଜନଙ୍କ କାମଧେନୁ ॥ ୧୧୧
ଜାଣିଲେ ସେ ନୀଳଲୋହିତ । ବ୍ରହ୍ମା ଯେ ଚରଣେ ପତିତ ॥ ୧୧୨
ସେ ସୁର-ଅସୁର-ନାୟକ । ଚରଣେ ନତ ସର୍ବଲୋକ ॥ ୧୧୩
ତା ଦେଖି ବ୍ୟଗ୍ର ହୋଇ ହର । ନମିଲେ ବ୍ରହ୍ମାର ପୟର ॥ ୧୧୪
ଯେ ରୂପେ କଶ୍ୟପ ଚରଣ । ବନ୍ଦନ କଲେ ସେ ବାମନ ॥ ୧୧୫
ନାରଦ ଆଦି ସିଦ୍ଧଗଣ । ବନ୍ଦିଲେ ବ୍ରହ୍ମାର ଚରଣ ॥ ୧୧୬
ସ୍ୱଭାବେ ମନ୍ଦ-ମନ୍ଦ ହସି । ଅମୃତ ବାକ୍ୟେ ମନତୋଷିବ ॥ ୧୧୭
ବ୍ରହ୍ମା କହନ୍ତି କରଯୋଡି । ଚରଣେ ପୁନଃପୁନଃ ପଡି ॥ ୧୧୮

ବ୍ରହ୍ମାଉବାଚ

ତୁ ନାଥ ଜଗତ-ଈଶ୍ୱର । ସଂସାର ତୋର ଖେଡଘର ॥ ୧୧୯
ତୁ ଏ ଜଗତ ବୀଜଯୋନି । ସୃଷ୍ଟି ସଂହାରୁ ମାୟାଘେନି ॥ ୧୨୦
ତୁ ନାଥ ଜଗତ-ଈଶ୍ୱର । ନିର୍ଲେପ ବ୍ରହ୍ମ ନିରାକାର ॥ ୧୨୧
ତୁ ଶିବ-ଶକ୍ତି-ରୂପ ଧରୁ । ସଂସାରେ ଖେଡଘର କରୁ ॥ ୧୨୨
ସୃଜି ପାଳିଣ କରୁ ଅନ୍ତ । ଏ ବିଶ୍ୱ ଉର୍ଣ୍ଣନାଭବତ ॥ ୧୨୩
କ୍ରୀଡା ବିହାରେ ମାୟା କରି । ତୁ କ୍ରୀଡୁ ମାୟାରୂପ ଧରି ॥ ୧୨୪
କାହୁଁ ଜାଣିବେ ଦକ୍ଷ ତୋତେ । ଯେଣୁ ଭ୍ରମଇ ଏ ଜଗତେ ॥ ୧୨୫
ଧର୍ମାର୍ଥ କାମ ଯହୁଁ ଝରେ । ଯେ ଯଜ୍ଞଧେନୁ ରୂପ ଧରେ ॥ ୧୨୬
ତୁ ତାହା ସର୍ଜଛୁ ଜଗତେ । ସଂସାର ଭ୍ରମଣ ନିମନ୍ତେ ॥ ୧୨୭
ସେ ମାୟା ସଂସାର ବନ୍ଧନେ । ଯନ୍ତ୍ରିତ ହୋଇ ମହାଜନେ ॥ ୧୨୮
କଳ୍ପନ୍ତି ନାନା କର୍ମ ବିଧି । ତୁ ସେ ସକଳ ଫଳ ସିଦ୍ଧି ॥ ୧୨୯
ମଙ୍ଗଳକ୍ରିୟାକର୍ମ-ଫଳ । ତୁ ସେ ଅନାଦି ଆଦିମୂଳ ॥ ୧୩୦
ସକଳଜନ ପରିତ୍ରାଣେ । ଭ୍ରମଣ କରୁ ଅନୁକ୍ଷଣେ ॥ ୧୩୧
ଅମଙ୍ଗଳକୁ ତମ ହେଉ । ଧର୍ମ ତୁ ସଦାକାଳେ ବହୁ ॥ ୧୩୨
ସ୍ୱର୍ଗାଦି ଫଳଦାତା ତୁହି । ତୋ ବିନୁ ଅନ୍ୟ କେହି ନାହିଁ ॥ ୧୩୩
ତୁ ନାଥ ସର୍ବଫଳ ଦେଉ । ତୋର ମହିମା କେବା କହୁ ॥ ୧୩୪
ଯେବା ଅଶୁଭ-କର୍ମ କରେ । ନରକେ ପଡେ ସେହୁ ଘୋରେ ॥ ୧୩୫
ଅସାଧୁଜନେ ତୁମ୍ଭ ରୋଷ । ସାଧୁରେ ନୁହଇ ପ୍ରକାଶ ॥ ୧୩୬
ଯେ ସାଧୁଜନେ କର୍ମ କରି । ଭାବ ପ୍ରଭାବେ ମୋଦ ଭରି ॥ ୧୩୭
ସେ ଫଳ ତୋତେ ସମର୍ପନ୍ତି । ମାୟାପଟଳୁ ତରି ଯାନ୍ତି ॥ ୧୩୮
ଯେ ଲୋଭବଶେ ତାହା ଚିନ୍ତି । ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି ॥ ୧୩୯
ସେ କାହିଁ ସମ୍ପାଦିବେ ତୋତେ । ଏଣୁ ଭ୍ରମନ୍ତି ଏ ଜଗତେ ॥ ୧୪୦
ଯେ ଭେଦଦର୍ଶୀ ଦୁଷ୍ଟାଶୟ । କେବଳ କର୍ମରତ ପ୍ରାୟ ॥ ୧୪୧
ପରର ଉଦୟେ ସର୍ବଥା । ଯାହାର ହୃଦୟରେ ବ୍ୟଥାା ॥ ୧୪୨
ସର୍ବଦା ବୋଲି ଦୁଷ୍ଟକଥା । ଦିଅଇ ପର ମର୍ମବ୍ୟଥା ॥ ୧୪୩
ଯେ ପଦ୍ମନାଭର ମାୟାରେ । ମୋହିତ ଭେଦ ଜ୍ଞାନୀ ନରେ ॥ ୧୪୪
ତାହାଙ୍କ ପ୍ରତି ସାଧୁଜନା । କରନ୍ତି ଦୟା ପ୍ରକାଶନ ॥ ୧୪୫
ଯେବା ସ୍ୱଧର୍ମ ଅନୁଗତ । ତାହାରେ ଦୟାତ ଉଚିତ ॥ ୧୪୬
ତୁହିତ ଯଜ୍ଞ ଫଳଦାତା । ସକଳ ଯଜ୍ଞଭାଗ-ଭୋକ୍ତା ॥ ୧୪୭
କୁତ୍ସିତ ଯଜ୍ଞକାରୀମାନ । ନ କଲେ ଯଜ୍ଞଭାଗ ଦାନ ॥ ୧୪୮
ତେଣୁ ଦକ୍ଷର ଯଜ୍ଞହତ । ହୋଇଣ ଅଛି ଅସମାପ୍ତ ॥ ୧୪୯
ତୋତେ ନ ଜାଣି ପ୍ରଜାପତି । ଦୁର୍ଗତି ଲଭିଲା ଦୁର୍ମତି ॥ ୧୫୦
ଆମ୍ଭ ଭକତି ହୃଦେ ଧର । ଏହାକୁ ଅନୁଗ୍ରହ କର ॥ ୧୫୧
ଏ ପୁଣି ଯଜ୍ଞଶାଳେ ମଲା । ସଂସାରେ ଯଶ ତୋ ରହିଲା ॥ ୧୫୨
ଏବେ ମୋହାର ବୋଲକର । ଏହାର ଯଜ୍ଞ ତୁ ଉଦ୍ଧର ॥ ୧୫୩
ଏ ଯଜ୍ଞେ ତୋ ଭାଗ ନ ଦେଲେ । ଏଣୁ ଏ ଜୀବ ଥାଉଁ ମଲେ ॥ ୧୫୪
ଏହାକୁ ଏ ଦଣ୍ତ ଉଚିତ । ଯେଣୁ ନିନ୍ଦିଲେ ବିଶ୍ୱନାଥ ॥ ୧୫୫
ଏବେ ତୁ ଏହାଙ୍କୁ ଜୀଆଅ । ଭଗକୁ ଚକ୍ଷୁଦାନ ଦିଅ ॥ ୧୫୬
ଭୃଗୁର ଦାଢ଼ି ଏବେ ରୋପ । ପୂଷାର ଦନ୍ତ ପାଟି ସ୍ଥାପ ॥ ୧୫୭
ତୋ ସୈନ୍ୟ ଶସ୍ତ୍ର ବରଷଣେ । ଭୟେ ଭାଜିଲେ ଦେବଗଣେ ॥ ୧୫୮
ତୋ ତ୍ରାସେ ଛିନ୍ନଛିନ୍ନ ହୋଇ । ଭୁବନେ ନ ପାରିଲେ ରହି ॥ ୧୫୯
ଋତ୍ୱିଜଗଣ ସେହି ମତ । ତାହାଙ୍କୁ ରଖ ବିଶ୍ୱନାଥ ॥ ୧୬୦
ଯଜ୍ଞେ ତୋ ରୁଦ୍ରଭାଗ ଶେଷେ । ସାଧିବା ମନ୍ତ୍ର ଉପଦେଶେ ॥ ୧୬୧
ହେ ରୁଦ୍ର ନିଜ ଭାଗ ପାଇ । ଯଜ୍ଞ ସମ୍ପୂର୍ଣ୍ଣ କର ତୁହି ॥ ୧୬୨
ଏମନ୍ତ କହି ପଦ୍ମଯୋନି । ନମିଳେ ଦେବଗଣ ଘେନି ॥ ୧୬୩
ସେ ରୁଦ୍ର ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ରୁଦ୍ରସାନ୍ତ୍ୱନଂ ନାମ ଷଷ୍ଠୋଽଧ୍ୟାୟଃ

ସପ୍ତମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାବୋଲ ଶୁଣି । ହସି କହନ୍ତି ଶୂଳପାଣି ॥ ୧

ମହାଦେବ ଉବାଚ

ହେ ବ୍ରହ୍ମା ମୋର ବାକ୍ୟ ଶୁଣ । ବିର୍ଣ୍ଣିବା କି ବାଳକ ଗୁଣ ॥ ୨
ବାଳକ ବୋଲି ଏହା ସହି । ଆନେ ସହିବ କାହା ଦେହୀ ॥ ୩
ଦେଖ ଏ କର୍ମ କଲା ଯେତେ । କେ ସହି ପାରିବ ଜଗତେ ॥ ୪
ଯେଣୁ ଏ ତୋହର ସମ୍ପତି । ବୋଲାଇ ଦକ୍ଷ-ପ୍ରଜାପତି ॥ ୫
ତେଣୁ ସହିଲି ଆଜ ମୁହିଁ । ତୋହର ଭାବ ହୃଦେ ବହି ॥ ୬
ଯେ ଦେବ-ମାୟାରେ ମୋହିତ । ତାହାକୁ ମୋ ଦଣ୍ତ ଉଚିତ ॥ ୭
ଏହାର ଦୋଷ କ୍ଷମା ପାଇଁ । ମିନତି କଲୁ ମୋତେ ତୁହି ॥ ୮
ଏବେ ସକଳ ଦେବେ ଯାଅ । ମୋହର ଆଜ୍ଞା ଶିରେ ବହ ॥ ୯
ଦକ୍ଷର ଶିର ଯଜ୍ଞକୁଣ୍ତେ । ଭସ୍ମ ହୋଇଲା ଅତି ଚାଣ୍ତେ ॥ ୧୦
ଛାଗଳ ଶିର ତାର କନ୍ଧେ । ବସାଅ ମନ୍ତ୍ର ଅନୁବନ୍ଧେ ॥ ୧୧
ମିତ୍ରର ଚକ୍ଷୁ ପାଇ ଭଗ । ଦେଖୁ ସେ ନିଜ ଯଜ୍ଞଭାଗ ॥ ୧୨
ପୂଷା ଯେ ତାର ଯଜମାନ । ଦାନ୍ତରେ ଖାଉ ପିଠାମାନ ॥ ୧୩
ଦେବେ ପାଇବେ ନିଜ ରୂପ । ଯାହାର ଯେମନ୍ତ ସ୍ୱରୂପ ॥ ୧୪
ଅଶ୍ୱିନୀକୁମାରଙ୍କ ବାହୁ । ବାହୁ ଛିିଣ୍ତିଲା ଲୋକ ପାଉ ॥ ୧୫
ପୂଷାର ହସ୍ତ ପାଇ ସେହୁ । ସକଳ କର୍ମ କରୁଥାଉ ॥ ୧୬
ଛାଗଳ ପ୍ରାୟେ ଦାଢି ଖଣ୍ତେ । ଭୃଗୁର ରହିଥାଉ ତୁଣ୍ତେ ॥ ୧୭
ଏମନ୍ତ ବଚନ ସନ୍ତୋଷେ । କହିଲେ ସର୍ବଦେବେ ପାଶେ ॥ ୧୮

ମୈତ୍ରେୟ ଉବାଚ

ଏମନ୍ତ ରୁଦ୍ର ବାକ୍ୟ ଶୁଣି । ସକଳେ ସାଧୁ ସାଧୁ ଭଣି ॥ ୧୯
ଇନ୍ଦ୍ର ସହିତେ ଋଷିଗଣ । ରୁଦ୍ରଙ୍କୁ କରି ଆମନ୍ତ୍ରଣ ॥ ୨୦
ହେ ପ୍ରଭୁ ଆଗମନ କରି । କୃତାର୍ଥ କର ଯଜ୍ଞସ୍ଥଳୀ ॥ ୨୧
ତଦନ୍ତେ ଦେବ-ଦେବରାଜ । ଯଜ୍ଞଶାଳାକୁ ହେଲେ ସଜ ॥ ୨୨
ବ୍ରହ୍ମା ସହିତେ ନାରାୟଣ । ସଙ୍ଗତେ ମିଳି ଦେବଗଣ ॥ ୨୩
ମିଳିଲେ ଯଜ୍ଞ ଶାଳେ ଯାଇ । ସକଳେ ଆନନ୍ଦିତ ହୋଇ ॥ ୨୪
ରୁଦ୍ରଙ୍କୁ ବସାଇ ଆସନେ । ତକ୍ଷଣେ ଶିବ ସୁପ୍ରସନ୍ନେ ॥ ୨୫
ଦକ୍ଷର ସ୍କନ୍ଧେ ଛାଗ-ଶିର । ମନ୍ତ୍ରେ ବସାଇଲେ ଶଙ୍କର ॥ ୨୬
ତକ୍ଷଣେ ପ୍ରଜାପତି ଅଙ୍ଗେ । ଜୀବ ପଶିଲା ପ୍ରାଣ ସଙ୍ଗେ ॥ ୨୭
ଯେହ୍ନେ ସ୍ୱପନୁ ପ୍ରାଣୀମାନେ । ଉଠନ୍ତି ନିଦ୍ରା ଅବସାନେ ॥ ୨୮
ଚକ୍ଷୁ ଘଷିଣ ବେନିହସ୍ତେ । ଶିବଙ୍କୁ ଦେଖିଲା ଅଗ୍ରତେ ॥ ୨୯
ସେ ଦକ୍ଷ ଶିବ-ଦ୍ୱେଷ କରି । କଳୁଷ-ଆତ୍ମା ଥିଲା ଧରି ॥ ୩୦
ରୁଦ୍ର ଚାହାଁନ୍ତେ ତା ଶରୀର । ତକ୍ଷଣେ ହୋଇଲା ନିର୍ମଳ ॥ ୩୧
ଶରଦଚନ୍ଦ୍ର ପ୍ରାୟେ ଦିଶେ । ରୁଦ୍ରଙ୍କୁ ଚାହେଁ ମନ ତୋଷେ ॥ ୩୨
ତକ୍ଷଣେ ବେନି କରଯୋଡି । ଆନନ୍ଦେ ରୁଦ୍ର-ପାଦେ ପଡି ॥ ୩୩
କରିବା ପାଇଁ ଭବସ୍ତୁତି । ଶ୍ରଦ୍ଧାରେ ଦକ୍ଷ କଲା ମତି ॥ ୩୪
ସ୍ତୁତି କରଣେ ଶକ୍ୟ ନୋହେ । କଣ୍ଠ ଗଦଗଦେ ବାଣୀ କହେ ॥ ୩୫
ଚଞ୍ଚଳ-ଚିତ୍ତ ସ୍ଥିର କରି । ସତୀ ମରଣ କଥା ସ୍ମରି ॥ ୩୬
ନିର୍ମଳ-ଚିତ୍ତେ ପ୍ରଜାପତି । ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି ॥ ୩୭

ଦକ୍ଷ ଉବାଚ

ଭୋନାଥ ଶୁଣ ବିଶ୍ୱଦେହେ । ତୁ ମୋତେ କଲୁ ଅନୁଗ୍ରହ ॥ ୩୮
ମୁଁ ଯେ ହୋଇଲି ଜ୍ଞାନହତ । ମୋତେ ଦଣ୍ତିବା ତୋ ଉଚିତ ॥ ୩୯
ତୋତେ ନିନ୍ଦିଲି ଗର୍ବ ବହି । ମୋର କୁଶଳ ଆଉ ନାହିଁ ॥ ୪୦
ଅଭୟ ତୋର ପଦ୍ମପାଦ । ମୁଁ ତହିଁ କଲି ଅପରାଧ ॥ ୪୧
ବ୍ରାହ୍ମଣ ତୋର ମୁଖୁଁ ଜାତ । ସାଧନ୍ତି ବିଦ୍ୟା ତପ ବ୍ରତ ॥ ୪୨
ତାଙ୍କୁ ବିପଦୁ ତୁମ୍ଭେ ରଖ । ଯେସନେ ପଶୁଙ୍କୁ ପାଳକ ॥ ୪୩
ମୋହର ସଭା ମଧ୍ୟେ ତୋତେ । ନିନ୍ଦା ଯେ କଲି ଦୁଷ୍ଟଚିତ୍ତେ ॥ ୪୪
ନିନ୍ଦିତ ବାକ୍ୟ ବାଣେ ତୋତେ । ପ୍ରହାର କଲି ମୂଢ-ଚିତ୍ତେ ॥ ୪୫
ସେ ଫଳ ପାଇଲି ପ୍ରତ୍ୟକ୍ଷେ । ଏ ଋଷି-ଦେବଙ୍କ ସମକ୍ଷେ ॥ ୪୬
କୃପା-ଦୃଷ୍ଟିରେ ମୋତେ ଚାହିଁ । ଏଥୁ ଉଦ୍ଧର ତୋଷ ହୋଇ ॥ ୪୭

ମୈତ୍ରେୟ ଉବାଚ

ଏମନ୍ତେ ରୁଦ୍ରେ ସ୍ତୁତି କରି । ପୁଣି ଋତ୍ୱିଜ ଯଜ୍ଞେ ବରି ॥ ୪୮
ବିଷ୍ଣୁ-ସନ୍ତୋଷେ ବିପ୍ରଗଣେ । ପୂର୍ବର କଳ୍ପିତ-ବରଣେ ॥ ୪୯
ପୂଜିଲେ ମନ୍ତ୍ରର ବିଶ୍ୱାସେ । ଯେ ପୁରାତନ ଇତିହାସେ ॥ ୫୦
ଋତ୍ୱିଜ ଆଦି ସର୍ବ ଋଷି । ମନ୍ତ୍ର ଉବାରି ଯଜ୍ଞେ ବସି ॥ ୫୧
ସକଳେ ବସି ଶୁଦ୍ଧମନେ । ଅଗ୍ନି ପୂଜିଲେ ଯୋଗଧ୍ୟାନେ ॥ ୫୨
ଅନଳ ରୂପେ ନାରାୟଣ । ସାକ୍ଷାତେ ହୋଇଲେ ପ୍ରକାଶ ॥ ୫୩
ତେଜେ ବିରାଜେ ଦଶଦିଶ । ଅନଳୁ ହୋଇଲେ ପ୍ରକାଶ ॥ ୫୪
ନିଶ୍ଚଳ ଗରୁଡଆସନ । ଶ୍ୟାମସୁନ୍ଦର ତନୁ-ବର୍ଣ୍ଣ ॥ ୫୫
କିରୀଟ ରବିତେଜ ଗଞ୍ଜେ । ମକରକୁଣ୍ତଳ ବିରାଜେ ॥ ୫୬
ଶଙ୍ଖ ଯେ ଚକ୍ର ଗଦା ପଦ୍ମ । ଧନୁ ଖଡଗ ଶର ଚର୍ମ ॥ ୫୭
ହିରଣ୍ୟମୟ ଭୁଜେ ଶୋହେ । ପୁଷ୍ପିତ-କିର୍ଣ୍ଣିକାର ପ୍ରାୟେ ॥ ୫୮
ଏ ଅଷ୍ଟଭୂଜ ଅନୁପମ । ରୂପେ ଗଞ୍ଜଇ କୋଟିକାମ ॥ ୫୯
କମଳା ସେବେ ବକ୍ଷସ୍ଥଳେ । ସେ ବକ୍ଷ ଶୋହେ ବନମାଳେ ॥ ୬୦
ବିଶ୍ୱମଙ୍ଗଳ ରୂପ ସାର । ହୃଦେ ଲମ୍ବଇ ରତ୍ନହାର ॥ ୬୧
ତା ହାସ୍ୟ ବିଶ୍ୱ ପ୍ରୀତିକର । ପାର୍ଶ୍ୱରେ ବ୍ୟଜନ ଚାମର ॥ ୬୨
ସେ ରାଜହଂସର ସମାନ । ଭ୍ରମଇ ଚାମର ବ୍ୟଜନ ॥ ୬୩
ଉପରେ ଶୋହେ ଶ୍ୱେତଛତ୍ର । ଯେସନେ ଶଶାଙ୍କ ଶୋଭିତ ॥ ୬୪
ଏମନ୍ତ ବିଷ୍ଣୁରୂପ ଚାହିଁ । ସକଳେ ଶିରେ କର ଦେଇ ॥ ୬୫
ଉଠିଲେ ପଦ୍ମଯୋନି-ହର । ସଙ୍ଗତେ ଘେନି ସୁନାସୀର ॥ ୬୬
ପ୍ରଣାମ କରି ଜଣେଜଣେ । ବନ୍ଦିଲେ ବିଷ୍ଣୁର ଚରଣେ ॥ ୬୭
ବିଷ୍ଣୁର ତେଜବଳେ ଦେବେ । ହୋଇଲେ ହତପ୍ରଭ ସର୍ବେ ॥ ୬୮
ଭୟରେ ହୋଇଲେ ଚଞ୍ଚଳ । ରସନା ହୋଇଲା ଅଚଳ ॥ ୬୯
ତଥାପି ଶିରେ କର ଦେଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥ ୭୦
ଦକ୍ଷ ମିଲିଲା ଅର୍ଘ୍ୟ ଘେନି । ତୁଲେ ଅଶେଷ ବ୍ରହ୍ମମୁନି ॥ ୭୧
ସୁନନ୍ଦ ଆଦି ପାରିଷଦେ । ମିଳିଲେ ଜୟଜୟ ନାଦେ ॥ ୭୨
ଦକ୍ଷ ଆନନ୍ଦେ କରଯୋଡି । ବୋଲଇ ବିଷ୍ଣୁ-ପାଦେ ପଡି ॥ ୭୩

ଦକ୍ଷ ଉବାଚ

ତୁ ନାଥ ଶୁଦ୍ଧ-ଚଇତନ । ନିର୍ମଳ ନିତ୍ୟ ନିରଞ୍ଜନ ॥ ୭୪
ଭେଦବିହୀନ ତୁ ଅଭୟ । ଏ ବିଶ୍ୱପୂର୍ଣ୍ଣ ତୋର ଦେହ ॥ ୭୫
କେ ତୋତେ ଜାଣିବ ସଂସାରେ । ତୁ ଥାଉ ମାୟା ଅତିଦୂରେ ॥ ୭୬
ଋତ୍ୱିଜମାନେ କରଯୋଡି । କହନ୍ତି ବିଷ୍ଣୁ ପାଦେ ପଡି ॥ ୭୭

ଋତ୍ୱିଜ ଗଣ ଉବାଚ

ଭୋନାଥ ରୁଦ୍ର-ଶାପେ ଆମ୍ଭେ । ବୁଡିଲୁ ମାୟା-ଗର୍ବ-ଦମ୍ଭେ ॥ ୭୮
ନିରତେ କର୍ମବଶ ହୋଇ । ତୋ ଭାବେ ଆମ୍ଭ ଜ୍ଞାନ ନାହିଁ ॥ ୭୯
ଏ ଯଜ୍ଞ ଧର୍ମର ଲକ୍ଷଣ । ଅଶେଷ-ଭାଗ୍ୟର କାରଣ ॥ ୮୦
ଏ ତୋର ରୂପ ମହାବାହୁ । ଆମ୍ଭେ ଜାଣିବୁ ଅବା କାହୁଁ ॥ ୮୧
ତକ୍ଷଣେ ସଭାଲୋକେ ଉଠି । ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ॥ ୮୨

ସଦସ୍ୟଗଣ-ଉବାଚ

ଭୋ ନାଥ ତୋର ମାୟାବଳେ । ଏ ଜୀବ ଭ୍ରମେ ଏ ଶୟଳେ ॥ ୮୩
ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ । ବିଷୟା-ମୃଗତୃଷ୍ଣା ପଥେ ॥ ୮୪
ଶୋକ-ଦାବାଗ୍ନି ଦହ୍ୟମାନ । କାମେ ଚେଷ୍ଟିତ ଅନୁକ୍ଷଣ ॥ ୮୫
ନିରତେ ଚିନ୍ତେ ଆତ୍ମାସୁଖ । ଉଦ୍ଧରି ଧର ପଦ୍ମମୁଖ ॥ ୮୬

ରୁଦ୍ରଉବାଚ

ତୋର ଚରଣ ଭଗବାନ । ଆଶିଷ ଫଳେ ମୁନିଜନ ॥ ୮୭
ଅଖିଳକାମେ ଅନାସକ୍ତ । ଆଦରେ ପୂଜନ୍ତି ନିରତ ॥ ୮୮
ସେ ପାଦପଦ୍ମ ଚିତ୍ତେ ଧରି । ତୁମେ ଜଗତ ମୁଁ ସଂହରି ॥ ୮୯
ବର୍ତ୍ତଇ ତୋ ଚରଣ ଆଶେ । ନିରତେ ରହଇ ସନ୍ତୋଷେ ॥ ୯୦

ଭୃଗୁ-ଉବାଚ

ଭୋନାଥ ତୋ ମାୟା ଗହନେ । ବ୍ରହ୍ମାଦି ଯେତେ ମୁନିଜନେ ॥ ୯୧
ଅଜ୍ଞାନ-ଅନ୍ଧକାରେ ଥାନ୍ତି । ତୋର ମହିମା ନ ଜାଣନ୍ତି ॥ ୯୨
ତୋର ଚରଣେ ଯେ ପ୍ରଣତ । ତା ଆତ୍ମବନ୍ଧୁ ତୁ ନିୟତ ॥ ୯୩
ତୋର ଚରଣେ ମୋ ପ୍ରଣାମ । ପ୍ରସନ୍ନ ହୁଅ ପୁଣ୍ୟଧାମ ॥ ୯୪
ତୁ ଏବେ ରଖ ମୋର ମନ । ତୋର ଚରଣେ କରି ଲୀନ ॥ ୯୫
ଯା ମାୟା ଗହନରେ ପଡି । ବ୍ରହ୍ମାଦି ଦେବେ ତମେ ବୁଡି ॥ ୯୬
ତୋହର ତ‌ତ୍ତ୍ୱ ନ ଜାଣନ୍ତି । ସ୍ୱଭାବେ ମୁହିଁ ଅଳ୍ପମତି ॥ ୯୭
ନ ଜାଣି କଲଇଁ ଅନୀତି । ଏ ଦୋଷ ଖଣ୍ତ ଲକ୍ଷ୍ମୀପତି ॥ ୯୮

ବ୍ରହ୍ମା ଉବାଚ

ପୁରୁଷ ଦେଖେ ଯେତେ ରୂପ । ତାହା ନୁହଇ ତୋ ସ୍ୱରୂପ ॥ ୯୯
ଜ୍ଞାନେନ୍ଦ୍ରିୟର ଯେ ବିଷୟ । ସତ୍ୟ ତୁ ତାହାର ଆଶ୍ରୟ ॥ ୧୦୦
ପଦାର୍ଥ ଭେଦେ ଭେଦ ଆଖି । କେ ପାରେ ତୋତେ ଉପଲକ୍ଷି ॥ ୧୦୧
ତୁ ଜ୍ଞାନଇନ୍ଦ୍ରି ଅର୍ଥାଶ୍ରୟ । ହେଲେ ହେଁ ନୋହୁ ମାୟାମୟ ॥ ୧୦୨
ମାୟାର ବଶେ ଜ୍ଞାନ ଥାଇ । ତୋତେ ଜାଣିବେ ଅବା କାହିଁ ॥ ୧୦୩
ଇନ୍ଦ୍ର ହରଷ ଚିତ୍ତ ହୋଇ । କହନ୍ତି ବିଷ୍ଣୁମୁଖ ଚାହିଁ ॥ ୧୦୪

ଇନ୍ଦ୍ର ଉବାଚ

ହେ ବିଶ୍ୱଭବନ ମୁରାରି । ତୁ ଯେ ଆନନ୍ଦ-ବପୁଧାରୀ ॥ ୧୦୫
ସକଳ ପ୍ରାଣୀ ମନୋହର । ଭୋନାଥ ତୋହର ଶରୀର ॥ ୧୦୬
ଏ ଯେ ତୁମ୍ଭର ଅଷ୍ଟକର । ଏ ଦିଗପାଳଙ୍କ ଶରୀର ॥ ୧୦୭

ବ୍ରାହ୍ମଣପତ୍ନୀଗଣ-ଉବାଚ

ଏ ଯଜ୍ଞ ତୋର ଯଜନାର୍ଥେ । ସୁଜିଲେ ବ୍ରହ୍ମା ଏ ଜଗତେ ॥ ୧୦୮
କେବଳ ବିଧି ଅବହେଳେ । ରୁଦ୍ର ରୂପରେ ଯଜ୍ଞଶାଳେ ॥ ୧୦୯
ଦକ୍ଷକୁ ଦେଲୁ କର୍ମଫଳ । ନାଶିଲୁ ତା ଯଜ୍ଞ ସକଳ ॥ ୧୧୦
ଏବେ ପବିତ୍ର ଏ ଭୁବନ । କଳ୍ପିଲା ତୋର ଦରଶନ ॥ ୧୧୧
ଋଷି ସହସ୍ର ନମ୍ର ଶିରେ । କହନ୍ତି ଯଜ୍ଞପୁରୁଷରେ ॥ ୧୧୨

ଋଷିଗଣ-ଉବାଚ

ଭୋନାଥ ତୋର ବିଚେଷ୍ଟିତ । ବିଶ୍ୱ-ସଂସାରେ ବିପରୀତ ॥ ୧୧୩
ଈଶ୍ୱରୀମାୟା ଯେ ବିଭୂତି । ଯା ବଳେ ଦେବେ ଭ୍ରମ ହୋନ୍ତି ॥ ୧୧୪
ଆମ୍ଭରେ ଦୟାଭାବ କରି । ସେ ମାୟା ଛେଦ ହେ ଶ୍ରୀହରି ॥ ୧୧୫
ନାହିଁ ଆଦର ସେ ଲକ୍ଷ୍ମୀରେ । ତୋ ଚେଷ୍ଟା ଜାଣୁ କେ ସଂସାରେ ॥ ୧୧୬
ସକଳ ସିଦ୍ଧେ ଉଠିବେଗେ । କହନ୍ତି ବିଷ୍ଣୁଙ୍କୁ ସରାଗେ ॥ ୧୧୭

ସିଦ୍ଧଗଣ-ଉବାଚ

ତୋ କଥା ସୁଧା-ତରଙ୍ଗିଣୀ । ଶୀତଳ-ଜଳ ପ୍ରାୟ ମଣି ॥ ୧୧୮
ମନ-ବାରଣ ତୃଷ୍ଣାକୁଳେ । ପ୍ରବେଶ ହୋଇ ଶୀତଜଳେ ॥ ୧୧୯
ନ ସ୍ମରେ କ୍ଳେଶ-ଦାବାନଳ । ତୋର ପ୍ରସନ୍ନେ ଆଦିମୂଳ ॥ ୧୨୦

ଦକ୍ଷପତ୍ନୀ-ଉବାଚ

ଭୋନାଥ ତୋର ଆଗମନ । ଆନନ୍ଦ କଲା ମୋର ମନ ॥ ୧୨୧
ତୁ ଲକ୍ଷ୍ମୀକାନ୍ତ ସୁଧାନିଧି । ସକଳ ସମ୍ପଦ ପ୍ରସିଦ୍ଧି ॥ ୧୨୨
ତୋ ବିନୁ ଏହି ଯଜ୍ଞଘର । ଭୋନାଥ ନ ଦିଶେ ସୁନ୍ଦର ॥ ୧୨୩
କି ଅବା ଦେବା ପଟାନ୍ତର । କବନ୍ଧ ପ୍ରାୟ ଛିନ୍ନ ଶିର ॥ ୧୨୪
କାନ୍ତା ସହିତ ପରାତ୍ପର । ତେଣୁ ଆମ୍ଭଙ୍କୁ ରକ୍ଷା କର ॥ ୧୨୫
ତୁମ୍ଭର ବିଜେ ହେଲା ଯେଣୁ । ଏ ଗୃହ ଶୋଭା କେ ପ୍ରମାଣୁ ॥ ୧୨୬
ଏକଥା ନୁହଇ ବିଚିତ୍ର । ତୋ ନାମେ ଜଗତ ପବିତ୍ର ॥ ୧୨୭
ତୁ ଦେବଦେବଙ୍କର ଈଷ୍ଟ । ସର୍ବ-ନିୟନ୍ତା ତପୀଶ୍ରେଷ୍ଠ ॥ ୧୨୮

ଲୋକପାଳଗଣ-ଉବାଚ

ଆମ୍ଭର ଦୃଷ୍ଟଗ୍ରହ ଦୋଷେ । ତୋତେ ଦେଖିବୁ କାହୁଁ ଦୃଶେ ॥ ୧୨୯
ତୁ ଦ୍ରଷ୍ଟା ସକଳ ବିଶ୍ୱର । ଇନ୍ଦ୍ରିୟେ ନୋହୁ ତୁ ଗୋଚର ॥ ୧୩୦
ତୁ ଷଷ୍ଠ ପଞ୍ଚଭୂତେ ବସୁ । ମାୟା-ସ୍ୱରୂପ ତୁ ପ୍ରକାଶୁ ॥ ୧୩୧
ଅସତ ଯାହାର ଇନ୍ଦ୍ରିୟ । କାହୁଁ ଦେଖିବେ ତୋର କାୟ ॥ ୧୩୨
ବିଶୁଦ୍ଧ ଯାହାର ମାନସ । ତାହା ନିକଟେ ତୁ ପ୍ରକାଶ ॥ ୧୩୩

ଯୋଗେଶ୍ୱର-ଉବାଚ

ତୁ ବିଶ୍ୱଆତ୍ମା ପରଂବ୍ରହ୍ମ । ଶୁଦ୍ଧ-ଚୈତନ୍ୟ ତୋର ଧାମ ॥ ୧୩୪
ଯେ ତୋତେ ଅଭେଦେ ଦେଖଇ । ତା ତହୁଁ ପ୍ରିୟ ତୋର ନାହିଁ ॥ ୧୩୫
ଜଗତ ସୃଷ୍ଟି-ସ୍ଥିତି-ଅନ୍ତ । ତ୍ରିଗୁଣେ କରୁ ଆତଜାତ ॥ ୧୩୬
ଭୋନାଥ ତୁମ୍ଭ ଦରଶନେ । ଆମ୍ଭେ ଯେ ତୁଷ୍ଟ କଲୁ ମନେ ॥ ୧୩୭
ଅଷ୍ଟାଙ୍ଗଯୋଗେ ଧର୍ମ ସାଧି । ଲଭିବା ପାଇଁ ଅଷ୍ଟନିଧି ॥ ୧୩୮
ସେ ପୁଣି ତୋର ମାୟାବଳେ । କେମନ୍ତେ ଧରିବା ନିଶ୍ଚଳେ ॥ ୧୩୯
ତୁ ନାଥ କରୁ ଯେବେ ଦୟା । ତେବେ ବଞ୍ଚିବୁ ତୋର ମାୟା ॥ ୧୪୦
ନିର୍ଲେପ-ଜ୍ଞାନ ସର୍ବବ୍ୟାପୀ । ତୁ ନାଥ ନିରଞ୍ଜନ ରୂପୀ ॥ ୧୪୧
ତୋହର ମହିମା ଅପାର । ତୋ ପାଦେ ଆମ୍ଭ ନମସ୍କାର ॥ ୧୪୨
ବ୍ରହ୍ମା ଉଷତେ ବିଷ୍ଣୁ ଚାହିଁ । କହନ୍ତି ଶିରେ କର ଦେଇ ॥ ୧୪୩

ବ୍ରହ୍ମା-ଉବାଚ

ତୁମ୍ଭେ ଯେ ଆଶ୍ରୟ ଜୀବଙ୍କ । ଧର୍ମାର୍ଥ ଉତ୍ପତ୍ତି-କାରକ ॥ ୧୪୪
ଆବୋରି ତୁ ଯେ ସ‌ତ୍ତ୍ୱଗୁଣ । ଧର୍ମ ପ୍ରକାଶୁ ଭଗବାନ ॥ ୧୪୫
ତୁହି ନିର୍ଗୁଣ ନିରାକାର । ତୋ ପାଦେ ମୋର ନମସ୍କାର ॥ ୧୪୬
ଯେଣୁ ମୁଁ ତୋ ତ‌ତ୍ତ୍ୱ ନ ଜାଣେ । କାହୁଁ ଜାଣିବେ ଦେବଗଣେ ॥ ୧୪୭
ଅଗ୍ନି ସ୍ପଶିରେ କର ଦେଇ । କହଇ ବିଷ୍ଣୁ ମୁଖ ଚାହିଁ ॥ ୧୪୮

ଅଗ୍ନି-ଉବାଚ

ଯାହାର ତେଜ ବଳେ ମୁହିଁ । ଅନଳ ରୂପେ ଯଜ୍ଞେ ଥାଇ ॥ ୧୪୯
ଘୃତ ଆହୁତି ପଞ୍ଚବିଧେ । ମନ୍ତ୍ରେ ନିବେଦି ଏ ସମିଧେ ॥ ୧୫୦
ତୁ ଯଜ୍ଞରୂପୀ ଦାମୋଦର । ନିରତେ ମୋର ନମସ୍କାର ॥ ୧୫୧
ତୁ ଅଗ୍ନିହୋତ୍ର ତୁହି ଦର୍ଶ । ତୁ ଚାତୁର୍ମାସ୍ୟ ପୌର୍ଣ୍ଣମାସ ॥ ୧୫୨
ତୁ ପଶୁ ସୋମ ପଞ୍ଚବିଧ । ମନ୍ତ୍ରେ ପୂଜିତ ତୁ ପ୍ରସିଦ୍ଧ ॥ ୧୫୩
ଦେବତାମାନେ ହରଷରେ । କହନ୍ତି ବିଷ୍ଣୁଙ୍କ ଛାମୁରେ ॥ ୧୫୪

ଦେବଗଣ-ଉବାଚ

ତୁ ନାଥ ପୂର୍ବକଳ୍ପେ ହରି । ପ୍ରଳୟକାଳେ ଗର୍ଭେ ଭରି ॥ ୧୫୫
ସର୍ବ-ସଂହରୁ ବିଶ୍ୱରୂପେ । ଜଳେ ଶୟନ ଅହିତଳ୍ପେ ॥ ୧୫୬
ଆମ୍ଭେ ଯେ ତୋର ନିଜ ଭୃତ୍ୟ । ଏ କଥା ଜଗତେ ବିଖ୍ୟାତ ॥ ୧୫୭
ଆମ୍ଭଙ୍କୁ ସଙ୍କଟ ପଡିଲେ । ତୁ ନାଥ ରକ୍ଷାକରୁ ଭଲେ ॥ ୧୫୮
ହେ ଦେବ ସ୍ୱରୂପ ତୋହର । ହୋଇଲା ନୟନ ଗୋଚର ॥ ୧୫୯

ଗନ୍ଧର୍ବଗଣ-ଉବାଚ

ଭୋନାଥ ତୋତେ ନମସ୍କାର । ଏ ବିଶ୍ୱକ୍ରୀଡା-ଭାଣ୍ତ ତୋର ॥ ୧୬୦
ଏ ବ୍ରହ୍ମା ରୂଦ୍ର ଆଦି ଯେତେ । ସକଳ ଦେବତା ସମେତେ ॥ ୧୬୧
ମରୀଚିଆଦି ପ୍ରଜାପତି । ବ୍ରହ୍ମାଦି ଦେବ ପଶୁପତି ॥ ୧୬୨
ତୁହି ଯେ ପୁରୁଷ ମହତ । ତୋ ପାଦେ ଆମ୍ଭେ ହେଲୁ ନତ ॥ ୧୬୩

ବିଦ୍ୟାଧର-ଉବାଚ

ତୁମ୍ଭର ମାୟାବଳେ ପ୍ରାଣୀ । ମୁହିଁ ମୋହର ପରିମାଣି ॥ ୧୬୪
ଉତ୍ପଥଗାମୀ ପୁତ୍ରାଦିର । ଦୁଃଖ ଯେ ଅଟେ ଗୁରୁତର ॥ ୧୬୫
ତଥାପି ମୋହ ନ ତ୍ୟଜଇ । ଅସତେ ଲାଳସକୁ ବହି ॥ ୧୬୬
ତୋ କଥା ଅମୃତ ନ ସେବେ । ଏଣୁ ପଡଇ ଭବାର୍ଣ୍ଣବେ ॥ ୧୬୭

ବ୍ରାହଣ୍ତଣ-ଉବାଚ

ତୁ ନାଥ ଯଜ୍ଞଅଗ୍ନି ସୋମ । ତୁ ନିତ୍ୟାଚାର ବିଧିକର୍ମ ॥ ୧୬୮
ସମିଧ ପାତ୍ର ତୁ ଉତ୍ୱିଜ । ଯଜ୍ଞାଦି ଯଜମାନ ଦ୍ୱିଜ ॥ ୧୬୯
ତୁ ସ୍ୱାହା ସ୍ୱଧା ଯଜ୍ଞପଶୁ । ତୁ ଯଜ୍ଞପୁରୁଷ ପ୍ରକାଶୁ ॥ ୧୭୦
ସାଂଗ୍ରାମେ ହିରଣ୍ୟକ୍ଷ ଜିଣି । ଦନ୍ତାଗ୍ରେ ଧଇଲୁ ଧରଣୀ ॥ ୧୭୧
ଧରଣୀ ସ୍ଥାପି ମହାଜଳେ । ଯେଣୁ ଏ ରହିଲା ନିଶ୍ଚଳେ ॥ ୧୭୨
ତୋହର କର୍ମ-ଯଜ୍ଞ ଦେବ । ଯା ଦେଖି ଯୋଗୀ କରେ ସ୍ତବ ॥ ୧୭୩
ତୁମ୍ଭେ ତ ସେହି ଭଗବାନ । ଆମ୍ଭଙ୍କୁ ହୁଅ ତୁ ପ୍ରସନ୍ନ ॥ ୧୭୪
ସ୍ୱକର୍ମେ ଭ୍ରଷ୍ଟ ଆମ୍ଭେ ହୋଇ । ଆମ୍ଭର ଆନ ଗତି ନାହିଁ ॥ ୧୭୫
ସକଳ-କର୍ମ ସାକ୍ଷୀ ତୁହି । ଭୋନାଥ ରଖ ଭାବଗ୍ରାହୀ ॥ ୧୭୬
ସର୍ବଭୂତରେ ତୁମ୍ଭ ବାସ । ସର୍ବଜ୍ଞ ନିର୍ଲେପ ଉଦାସ ॥ ୧୭୭
ଯାହାର ନାମ ଉଚ୍ଚାରଣ । କରଇ ବିଘ୍ନ-କରଷଣ ॥ ୧୭୮
ଏ ଯଜ୍ଞ ଭ୍ରଷ୍ଟ ହେଲା ଯେବେ । ଦର୍ଶନ ବାଞ୍ଛା କଲୁଁ ତେବେ ॥ ୧୭୯
ତୋହର ନାମ ସଂକୀର୍ତ୍ତନ । ଯଜ୍ଞୀୟ-ବିଘ୍ନ-ନିବାରଣ ॥ ୧୮୦
ହେ ପ୍ରଭୁ ତୋର ପାଦତଳେ । ପ୍ରଣତ ହୋଇଲୁ ସକଳେ ॥ ୧୮୧

ମୈତ୍ରେୟ ଉବାଚ

ଏମନ୍ତେ କଲେ ସର୍ବେ ସ୍ତୁତି । ଶୁଣି ସନ୍ତୋଷ ଯଜ୍ଞପତି ॥ ୧୮୨
ଦକ୍ଷକୁ ଚାହିଁ ଚକ୍ରପାଣି । ମେଘ-ଗମ୍ଭୀର ମଞ୍ଜୁବାଣୀ ॥ ୧୮୩
ପ୍ରସନ୍ନେ କହିଲେ ମୁରାରି । ଦକ୍ଷକୁ ସମ୍ବୋଧନ କରି ॥ ୧୮୪

ଭଗବାନ ଉବାଚ

ମୁଁ ବ୍ରହ୍ମା ହର ରୂପଧରି । ଏ ବିଶ୍ୱ ସର୍ଜି ପାଳି ହରି ॥ ୧୮୫
ଏଣୁ ମୋହର ତିନିଗୁଣ । ସଂସାର ପରମ-କାରଣ ॥ ୧୮୬
ନିର୍ଲେପ ନିରଞ୍ଜନ ମୁହିଁ । ସକଳଭୂତେ ମୁଁ ବସଇ ॥ ୧୮୭
ଯାହାକୁ ସେବା ଶିକ୍ଷା ଦେଇ । ପ୍ରାଣୀ ଛାଡିବେ ତାହା କାହିଁ ॥ ୧୮୮
ମୁହିଁ ସେ ସମତା ଦୃଷ୍ଟିରେ । ଅଭେଦ ସକଳ ଶରୀରେ ॥ ୧୮୯
ଜ୍ଞାନୀଙ୍କି ମୋ ରୂପ ଗୋଚର । ଅଜ୍ଞାନୀଜନେ ମୁହିଁ ଦୂର ॥ ୧୯୦
ଜ୍ଞାନ ଗୋଚରେ ମୋତେ ଜାଣି । ସାତ୍ତ୍ୱିକଭାବେ ପରିମାଣି ॥ ୧୯୧
ଦେଖ ଏ ଦେହ ମଧ୍ୟଗତେ । ଶିର ଚରଣ କର ଯେତେ ॥ ୧୯୨
ଏହାକୁ ଭିନ୍ନ ପ୍ରାୟେ ମଣେ । ଆତ୍ମାର ଗତି ନ ପ୍ରମାଣେ ॥ ୧୯୩
ଯେ ହରି ହର ପଦ୍ମଯୋନି । ସର୍ବଭୂତଙ୍କ ଆତ୍ମା ତିନି ॥ ୧୯୪
ବାହ୍ୟ ଅନ୍ତରେ ଦେଖେ ଏକ । ଯାହାର ନିର୍ମଳ ବିବେକ ॥ ୧୯୫
ତିନିଙ୍କୁ ଦେଖେ ଐକ୍ୟ କରି । ସୁଖେ ତରଇ ଭବବାରି ॥ ୧୯୬
ସମାନେ ଦେଖଇ ଯେ ପ୍ରାଣୀ । ସେମାନେ ବୈଷ୍ଣବ ଅଗ୍ରଣୀ ॥ ୧୯୭
ଦୂରେ ରହଇ ଦୁଃଖ ଭ୍ରାନ୍ତି । ସେ ପ୍ରାଣୀ ଲଭେ ଆମ୍ଭଶାନ୍ତି ॥ ୧୯୮

ମୈତ୍ରେୟ ଉବାଚ

ଏମନ୍ତ ବିଷ୍ଣୁ ମୁଖୁ ଶୁଣି । ଅମୃତ ପ୍ରାୟେ ମଞ୍ଜୁବାଣୀ ॥ ୧୯୯
ହରିଙ୍କି ଯଜ୍ଞେ ପୂଜା କଲା । ଯେଣୁ ତା ପୂର୍ବ-ଭାଗ୍ୟ ଥିଲା ॥ ୨୦୦
ଋଷି-ଦେବତା ପୂଜା କରି । ରୁଦ୍ରଙ୍କୁ ରୁଦ୍ରଭାବେ ବରି ॥ ୨୦୧
ଯଜ୍ଞର ଶେଷେ ଭାଗ ଦେଲା । ସେ ଅବଭୃଥ ସ୍ନାନ କଲା ॥ ୨୦୨
ଦକ୍ଷ ରହିଲା ନିଜ ଘରେ । ଦେବେ ଚଳିଲେ ଯେଝାପୁରେ ॥ ୨୦୩
ଏବେ ହୋ ଶୁଣ କୁରୁବୀର । ସତୀ ଯେ ଛାଡିଲେ ଶରୀର ॥ ୨୦୪
ସେ ପୁଣି ହିମବନ୍ତ-ଘରେ । ଜନ୍ମିଲେ ମେନକା-ଉଦରେ ॥ ୨୦୫
ପୁଣି ସେ ରୁଦ୍ରଙ୍କୁ ବରିଲା । ଅମ୍ବିକା ହିମଗିରି-ବାଳା ॥ ୨୦୬
ଏମନ୍ତ ରୁଦ୍ରର ଚରିତ । ଯେମନ୍ତେ ଦକ୍ଷଯଜ୍ଞ ହତ ॥ ୨୦୭
ଉଦ୍ଧବ ମୁଖୁଁ ମୁହିଁ ଶୁଣି । ତୋତେ କହିଲି ପରିମାଣି ॥ ୨୦୮
ଏଣୁ ଏ ବିଷ୍ଣୁର ଚରିତ । ଭକ୍ତ-ତାରଣେ ଭଗବତ ॥ ୨୦୯
ଭାବେ କହିଲି ତୋ ଅଗ୍ରତେ । ଯେଣୁ ତୁ ପଚାରିଲୁ ମୋତେ ॥ ୨୧୦
ସର୍ବ ସମ୍ପଦ ଏଣେ ଲଭେ । ଜୀବ ନ ପଡେ ମାୟାଭବେ ॥ ୨୧୧
ଏ ଯଶସ୍କର ଆୟୁଷ୍କର । ଅଶେଷ-ଜନ ପାପ ହର ॥୨୧୨
ଯେ ନିତ୍ୟ ଈଶ୍ୱର ଚରିତ । କୀର୍ତ୍ତନ କରଇ ପବିତ୍ର ॥ ୨୧୩
ତାର ସଂସାର-ଦୁଃଖ ନାଶେ । କହିଲେ ଜଗନ୍ନାଥ ଦାସେ ॥ ୨୧୪
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞସନ୍ଧାନଂ ନାମ
ସପ୍ତମୋଽଧ୍ୟାୟଃ ॥

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ନମାମି ଅମ୍ବିକା ସୁତ ଚରଣ ପଙ୍କଜ ।
ସର୍ବଦେବଙ୍କର ମଧ୍ୟେ ନାମ ବିଘ୍ନରାଜ ॥ ୧ ॥
ଯାର ନାମ ଲମ୍ବୋଦର ସର୍ବ ବିଘ୍ନହର ।
କିରୀଟ କୁଣ୍ତଳ କଣ୍ଠେ ହାର ମନୋହର ॥ ୨ ॥
ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜ ଚାରି ।
ଅଜୟ ଅଭୟ ବର ପାଶାଙ୍କୁଶଧାରୀ ॥ ୩ ॥
ଯାହାର ପ୍ରସନ୍ନବଳେ ଜଡବୁଦ୍ଧି ତୁଟେ ।
ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ ॥ ୪ ॥
ମୋର ପ୍ରତି ପ୍ରସନ୍ନ ତୁ ହୁଅ ଲମ୍ବୋଦର ।
ଭଗବତ ଭାଷା ମୁହିଁ କରିବି ପ୍ରଚାର ॥ ୫ ॥
ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ ।
କହିବି ଚତୁର୍ଥସ୍କନ୍ଧେ ଧ୍ରୁବର ଚରିତ ॥ ୬ ॥
ପଞ୍ଚମ ବରଷ ବାଳ ଘୋରତପ କଲା ।
ମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା ॥ ୭ ॥
ପିତା-ଜାନୁ-ଆରୋହଣ-ଭଙ୍ଗେ ରୋଷମନେ ।
ସପ୍ତଋଷି ଉର୍ଦ୍ଧ୍ୱେଯାଇ ବସିଲା ଗଗନେ ॥ ୮ ॥
ଯାର ଘୋର-ତପ ଦେଖି ଭୃଗୁ ମନତୋଷେ ।
ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ ॥ ୯ ॥
ଜନନୀ ସହିତେ ଦିଶେ ଉତ୍ତର-ଆକାଶେ ।
ଦରଶନ ମାତ୍ରେ ଯାର ସର୍ବପାପ ନାଶେ ॥ ୧୦ ॥
ଜୀବିତ ରହଇ ନର ସୁଖେ ଶତସମା ।
ଯାର ଭାବ ନ ଲଭନ୍ତି ହର-ଇନ୍ଦ୍ର-ବ୍ରହ୍ମା ॥ ୧୧ ॥
ତାହାର ଚରିତ ଯେ ଶୁଣନ୍ତି ସାବଧାନେ ।
ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ ॥ ୧୨ ॥
ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ ।
କହେ ବିପ୍ର ଜଗନ୍ନାଥ ଭାବେ ଭାଗବତ ॥ ୧୩ ॥
ପୁଣ୍ୟ ମଧୁବନେ ସରସ୍ୱତୀ-ତଟେ ରହି ।
ମୈତ୍ରେୟ କହିଲେ ପୂର୍ବେ ବିଦୁରଙ୍କୁ ଚାହିଁ ॥ ୧୪ ॥
ଦୁର୍ଗତି-ତାରଣ ଭବ-ଭୟ-ନିବାରଣ ।
କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ ॥ ୧୫ ॥
ସର୍ବଶାସ୍ତ୍ର ଜାଣି ସେ କହଇ ନାନା ମତେ ।
ଧ୍ରୁବର ଚରିତ ବିଷ୍ଣୁଭଜନ-ହିତେ ॥ ୧୬ ॥
ମୈତ୍ରେୟର ଆଗେ ପରାଶର-ମୁନି କହି ।
ବିଷ୍ଣୁ-ଜନ-ହିତେ ବଇଷ୍ଣବ-ଭାବ ବହି ॥ ୧୭ ॥
ପରତ‌ତ୍ତ୍ୱ ଧ୍ୟନରତ ନିତ୍ୟେ ଶୁଦ୍ଧଚିତ୍ତେ ।
ବୈଷ୍ଣବ-ଅଗ୍ରଣୀ ଶିବ ଉମାର ଅଗ୍ରତେ ॥ ୧୮ ॥
ବିଷ୍ଣୁଦୂତେ ହରିକଥା କହିଛନ୍ତି ଯାହା ।
ଭାଷା-ପରିବନ୍ଧେ ମୁହିଁ ପ୍ରକାଶିବି ତାହା ॥ ୧୯ ॥
ସାଧୁଜନେ ଦୃଢଚିତ୍ତେ ଏଣେ କର ଭାବ ।
ଏଦୃଢ-ବୋଇତେ ଭବ-ବାରିଧି ତରିବ ॥ ୨୦ ॥
ବିଷ୍ଣୁଙ୍କ ଆଦେଶେ ସୃଷ୍ଟି କଲେ ପଦ୍ମଯୋନି ।
ମୈଥୁନ ପ୍ରକାଶେ ଶିବ-ଶକ୍ତି-ରୂପ ଘେନି ॥ ୨୧ ॥
ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେ ।
ସ୍ୱୟମ୍ଭୂବମନୁ ଶତରୂପା ପ୍ରକାଶିଲେ ॥ ୨୨ ॥
ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ର ବେନି ।
ସୃଷ୍ଟି ଅଂଶ ହେତୁ କନ୍ୟା ତିନି ସଙ୍ଗେ ଘେନି ॥ ୨୩ ॥
ପ୍ରିୟବ୍ରତ ସେ ଉତ୍ତାନପାଦ ନାମ ତାର ।
ସୁଗୁଣ ସୁନ୍ଦର-ରୂପେ ମୋହେ ତିନିପୁର ॥ ୨୪ ॥
ସୃଷ୍ଟିଅଂଶେ ମନୁବଂଶେ ବେନି-ସହୋଦର ।
ପ୍ରଜାର ସୃଜନ କଲେ ଅନେକ ପ୍ରକାର ॥ ୨୫ ॥
ଉତ୍ତାନପାଦର ଯେ ହୋଇଲେ ଯତ୍ନୀବେନି ।
ସୁନୀତି ସୁରୂଚି ଯେ ସୁନ୍ଦର-ଗୁଣ ଘେନି ॥ ୨୬ ॥
ସେ ବେନିପତ୍ନୀଙ୍କ ମଧ୍ୟେ ସୁରୂଚି ସୁପ୍ରିୟା ।
ଉତ୍ତାନପାଦର ଚିତ୍ତେ ତାର ପ୍ରତି ଦୟା ॥ ୨୭ ॥
ତାହାର ଉଦରେ ଯେ ଉତ୍ତମ ପୁତ୍ର ହୋଏ ।
ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ ॥ ୨୮ ॥
ତାର ବଡ ପ୍ରିୟ ସେ ଉତ୍ତାନପାଦ ରାଜା ।
ଭୂଷଣ ବସନ ଦେଇ କରେ ଦିବ୍ୟପୂଜା ॥ ୨୯ ॥
ଅତି ପ୍ରିୟତମା ସେ ନିମିଷେ ନଛାଡ଼ଇ ।
ପତ୍ନୀ ସୁତ ସ୍ୱଭାବେ ଗୌରବଭାବ ବହି ॥ ୩୦ ॥
ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ।
ରୂପଗୁଣସୁନ୍ଦରେ ମୋହିତ କୋଟି କାମ ॥ ୩୧ ॥
ବେନିସୁତେ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେ ।
ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ ॥ ୩୨ ॥
ଏକଦିନେ ସୁରୁବି ଉତ୍ତମ କର ଧରି ।
ନୃପତି ସମୀପେ ମିଳେ ପ୍ରିୟଭାବ ଭରି ॥ ୩୩ ॥
ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେ ।
ନୃପତି-ସଭାର ମଧ୍ୟେ ପ୍ରିୟଭାବଭରେ ॥ ୩୪ ॥
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।
ରାଜାର ସମୀପେ ମିଳେ ପ୍ରିୟଭାବ ରଙ୍ଗେ ॥ ୩୫ ॥
ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା ।
ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ॥ ୩୬ ॥
ତାହା ଦେଖି କୋପଚିତ୍ତେ ସୁରୁଚି ବୋଲଇ ।
 ଦୁର୍ଭଗା-ତନୟ ତୋର ମୁଖେ ଲାଜ ନାହିଁ ॥ ୩୭ ॥
ଆରୋହଣ କରି ଲୋଡୁ ନୃପ-ସିଂହାସନେ ।
ଯେ ଆସନ ସୁପୂଜିତ ଏତିନି-ଭୁବନେ ॥ ୩୮ ॥
ପୂର୍ବ-ତପଫଳେ ଦେଖ ଉତ୍ତମ କୁମର ।
ନୃପ-ବୀର୍ଯ୍ୟେ ଉପୁଜିଲା ମୋହର ଉଦର ॥ ୩୯ ॥
ସେହି ରାଜସିଂହାସନେ ବସବାକୁ ଏକ ।
ଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ ॥ ୪୦ ॥
ନିଷ୍ଠାରେ କଠୋର-ତପ ପୂର୍ବେ ଯେ କରଇ ।
ତପଫଳେ ଲଭେ ସେ ଦୁର୍ଲଭ ନରଦେହୀ ॥ ୪୧ ॥
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।
କହଇ ବାଳକ ତୁହି ଶୁଣ ଏକଚିତ୍ତେ ॥ ୪୨ ॥
କେଉଁ ତପେ ବସିବୁ ତୁ ରାଜସିଂହାସନେ ।
କିରୀଟ ମସ୍ତକେ ଯହିଁ ନମେ ସର୍ବଜନେ ॥ ୪୩ ॥
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।
ଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି ॥ ୪୪ ॥
ଏହି ଅନୁମାନେ ତୋର ଅଳ୍ପପୁଣ୍ୟ ଜାଣ ।
ଶୁଭାଶୁଭ-ଫଳ ଅନୁମାନ ଏ ପ୍ରମାଣ ॥ ୪୫ ॥
ରାଜାର କୁମର-ପଣେ ଏ ଜନ୍ମ ତୋହର ।
ନାନା-ସୁଖ ଭୋଗେ ତୋର ନାହିଁ ଅଧିକାର ॥ ୪୬ ॥
ଦେଖ ଏ ଉତ୍ତମ ମୋର ଗର୍ଭେ ଜନ୍ମ ହୋଇ ।
ନୃପାସନେ ବସିବାକୁ ଯୋଗ୍ୟ ଏ ଅଟଇ ॥ ୪୭ ॥
ଏ ଆସନେ ବସିବାକୁ ଇଚ୍ଛା ଯେବେ ତୋର ।
କିମ୍ପା ଜନ୍ମ ନ ଲଭିଲୁ ମୋହର ଉଦର ॥ ୪୮ ॥

ମୈତ୍ରେୟ ଉବାଚ

ଏମନ୍ତ ସଭାରେ ମଧ୍ୟେ ସୁରୁଚି ବଚନ ।
ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ॥ ୪୯ ॥
ଅନ୍ତର୍ଗତେ କମ୍ପିଲା ତାହାର ନିଜ ଦେହୀ ।
ଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ ॥ ୫୦ ॥
ଅନୁଚିତ ଉଚିତ ନ କହେ ନୃପମଣି ।
ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ ॥ ୫୧ ॥
ତାହାର ଗୌରବେ ସେ ଯନ୍ତ୍ରିତ-ଚିତ୍ତ ହୋଇ ।
ସଭାମଧ୍ୟେ ଏକ ବାକ୍ୟ ନ ପାରିଲା କହି ॥ ୫୨ ॥
ଏମନ୍ତେ ନୃପତି ଗତି ଭାବି ଧ୍ରୁବ ମନେ ।
ନୃପେ ନମି ଧାତ୍ରୀ ସଙ୍ଗେ ଗମିଲା ମଉନେ ॥ ୫୩ ॥
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।
ସର୍ପପ୍ରାୟେ ପୁଣ-ପୁଣ ଛାଡଇ ନିଃଶ୍ୱାସ ॥ ୫୪ ॥
ମାତାର ସମୀପେ ଧ୍ରୁବ ନିଜପୁରେ ଯାଇ ।
ଅଶ୍ରୁବହେ ଲୋଚନୁ କମ୍ପଇ ତାର ଦେହୀ ॥ ୫୫ ॥
ଅଶ୍ରୁକଣ୍ଠ-କୁଣ୍ଠିତ ବଚନ ଗଦଗଦେ ।
ନ ସ୍ଫୁରଇ ବାକ୍ୟ ମୁଖେ ସୁନୀତି ଅନାଇ ॥ ୫୬ ॥
ଏମନ୍ତ ପୁତ୍ରର ମୁଖ ସୁନୀତି ଅନାଇ ।
ଛନ୍ନ ଚିତ୍ତେ ପଚାରଇ ଧାତ୍ରୀ ମୁଖ ଚାହିଁ ॥ ୫୭ ॥
ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ ।
କିମ୍ପାଇ ରୋଦନ କରେ ଅତି ମନତୋପେ ॥ ୫୮ ॥
ମାତାର ବଚନ ଶୁଣି ନୃପତି-ନନ୍ଦନ ।
ଉର୍ଦ୍ଧ୍ୱ-ମୁଖେ ଚାହିଁ ରହେ ବିକଳ-ବଦନ ॥ ୫୯ ॥
ପୁରଜନ ମୁଖୁ ଶୁଣି ସପତ୍ନୀ-ବୃତ୍ତାନ୍ତ ।
ସୁନୀତି ହୋଇଲା ଅତି ହୃଦୟେ ବ୍ୟଥିତ ॥ ୬୦ ॥
ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।
ପିତାଠାରୁ ଅଇଲା ଏ ମହାଦୁଃଖ ବହି ॥ ୬୧ ॥
ମୁଖଲକ୍ଷ୍ମୀ ଏହାର ତ ନ ଦିଶେ ସୁ୍ନ୍ଦର ।
ଅତିଦୁଃଖେ ବୁଡିଲା ଯେ ମୋହର କୁମର ॥ ୬୨ ॥
ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ।
ମସ୍ତକରେ କର ଦେଇ ନିଶ୍ୱାସ-ସଂହରି ॥ ୬୩ ॥
ଅତି-ମ୍ନାନ-ମୁଖ ଦେଖି ପୁତ୍ର କୋଳ କରେ ।
ହୃଦୟେ ଲଗାଇ ପୁଚ୍ଛେ ଅତି-ସ୍ନେହ-ଭରେ ॥ ୬୪ ॥
ମୁଖେ ଜଳସିିଞ୍ଚି ସେ ବଦନୁ ପୋଛେ ଲୁହ ।
କିମ୍ପାଇଁ ରୋଦନ କରୁ ମୋର ଆଗେ କହ ॥ ୬୫ ॥
ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କର ।
ସ୍ୱଭାବେ ସୁନ୍ଦର-ଗୁଣ ଅତି ମନୋହର ॥ ୬୬ ॥
ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।
କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ ॥ ୬୭ ॥
ମାତାର ବଚନ ଶୁଣି ଧ୍ରୁବ ଦୁଃଖ-ମନେ ।
ବାଷ୍ପ ଗଦଗଦ ସ୍ୱରେ କହଇ ବଚନେ ॥ ୬୮ ॥

ଧ୍ରୁବ ଉବାଚ

ଶୁଣ ଗୋ ଜନନି କହୁଁ ତୋହର ଅଗ୍ରତେ ।
ରାଜମହାଦେଈ ତୁ ବୋଲଉ କେଉଁମତେ ॥ ୬୯ ॥
ସୁରୁଚି ସମାନେ ତୋତେ ଜାଣନ୍ତି ଜଗତ ।
ସେ ରାଜାର ପ୍ରିୟା ତୁ ଗୋ ଦୁର୍ଭଗା କେମନ୍ତେ ॥ ୭୦ ॥
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।
ମୁଁ କିମ୍ପା ଅଧମ ମାତା ସତ୍ୟ ମୋତେ କହ ॥ ୭୧ ॥
ନୃପ-ସିଂହାସନେ ବସିବାକୁ ବେନିଭାଇ ।
ସେ କିମ୍ପା ହୋଇଲା ଯୋଗ୍ୟ ମୋର ଭାଗ୍ୟେ ନାହିଁ ॥ ୭୨ ॥
ତୋର ପୁତ୍ର ହୋଇ ମୁହିଁ ଅଧମ କେମନ୍ତେ
ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ ॥ ୭୩ ॥
ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା ।
ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ॥ ୭୪ ॥
ଏମନ୍ତ ପୁତ୍ରର ବାକ୍ୟ ଶୁଣିଣ ସୁନୀତି ।
ପୁତ୍ରର ବଚନ-ପ୍ରଶ୍ନେ ଦୃଢ ତାର ମତି ॥ ୭୫ ॥
ସ୍ତବଧେ ରହି ନିଃଶ୍ୱାସ ଛାଡେ ଚିନ୍ତାଭରେ ।
ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ ॥ ୭୬ ॥
ସ୍ୱଭାବେ ରାଜାର ନୀତି ଭଲେ ସେ ଜାଣଇ ।
ସପତ୍ନୀର ହିଂସାବାକ୍ୟ ହୃଦେ ନ ଗଣଇ ॥ ୭୭ ॥
ସ୍ୱଭାବେ ସୁନୀତି ସେ ତ କହେ ପୁତ୍ରେ ଚାହିଁ ।
କହିବି ସକଳ ମନଦେଇ ଶୁଣ ତୁହି ॥ ୭୮ ॥
ଜାଣିଲି ନୃପତି ପାଶେ ଅପମାନ କଥା ।
ଶୁଣରେ ତନୟ ତୁହି ଛାଡ ମନୁ ବ୍ୟଥା ॥ ୭୯ ॥
ସୁରୁଚି ବଚନ ଶୁଣି ନୃପତି ସମ୍ମୁଖେ ।
ତୁ ଯେତେ କହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ ॥ ୮୦ ॥
ସୁରୁଚି ସୁଭଗା ସେ ଯେ ରାଜପାଟରାଣୀ ।
ସର୍ବପତ୍ନୀ ମଧ୍ୟେ ସେ ବୋଲାଇ ଶିରୋମଣି ॥ ୮୧ ॥
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।
ତପବଳେ ସ୍ୱାମୀର ସେ ସୁହାଗିନୀ ହେଲା ॥ ୮୨ ॥
ଜାଣିଲି ନିଶ୍ଚୟ ମୋର ପୂର୍ବ-ତପ ନାହିଁ ।
ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ॥ ୮୩ ॥
ପୂର୍ବେ ତୋର ଭାଇ ଯେ ଉତ୍ତମତପ କଲା ।
ତପଫଳେ ନୃପସିଂହାସନେ ସେ ବସିଲା ॥ ୮୪ ॥
ଉତ୍ତମ ଉତ୍ତମପୁତ୍ର ଅତିପୁଣ୍ୟ ତାର ।
ଜନ୍ମିଲା ନୃପତି-ସିଂହାସନେ ଅଧିକାର ॥ ୮୫ ॥
ଶୁଣରେ କୁମରମଣି ସ୍ଥିର କରି ମନ ।
ସାବଧାନ ହୋଇ ଶୁଣ ମୋହର ବଚନ ॥ ୮୬ ॥
ଯା କହିଲେ ତୋର ମାତ ସତ୍ୟ-କର ମନେ ।
ବସିବାର ବାଞ୍ଛା ଯଦି ରାଜ ସିଂହାସନେ ॥ ୮୭ ॥
ତପେ ହରି-ପାଦପଦ୍ମ ଆରାଧନ କର ।
ସେ ବିଶ୍ୱ-ପାଳନ ପାଇଁ ସ୍ୱ‌ତ୍ତ୍ୱଗୁଣାଧାର ॥ ୮୮ ॥
ପରମେଷ୍ଠୀ ହେେଲ ବ୍ରହ୍ମା ଯାର ଆରାଧନେ ।
ଜିତେନ୍ଦ୍ରିୟ ମୁନିଗଣ ବନ୍ଦେ ଯା ଚରଣେ ॥ ୮୯ ॥
ଯେଉଁଭାବେ ପୂର୍ବ ଜନ୍ମେ ନାନା-ପତ କରି ।
ନାନା ରୂପେ ଭୋଗ ଭୁଞ୍ଜେ ନରଦେହ ଧରି ॥ ୯୦ ॥
ଚନ୍ଦ୍ରଜ୍ୟୋତି ପାଟଛତ୍ର ଚାମର ସମେତେ ।
ନୃପ-ସିଂହାସନେ ବସେ ବାଦ୍ୟ-ନାଦ-ଗୀତେ ॥ ୯୧ ॥
ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ-ମେଳେ ।
ମନୋଗାମୀ-ତୁରଙ୍ଗମ ଚତୁରଙ୍ଗ-ବଳେ ॥ ୯୨ ॥
ନ ଥାଇ ବ୍ୟାଧି ଶରୀରେ ଜୀଏ ଶତସମା ।
ଉତ୍ତମ-ସୁଜନେ ତାଙ୍କ ଗୁଣନ୍ତି ମହିମା ॥ ୯୩ ॥
ଶୁଭ-ରାଜ୍ୟେ ରାଜପଣେ ବସେ ଅକଣ୍ଟକେ ।
ତାର ଯଶ ଗୁଣ ପୂରେ ଇହ-ପରଲୋକେ ॥ ୯୪ ॥
ଯେ ହରି-ଚରଣେ ସେବା କରେ ନିତ୍ୟେ-ନିତ୍ୟେ ।
ଦୁଃଖୀଜନ ଦେଖି ଦୟା କରଇ ସେ ଚିତ୍ତେ ॥ ୯୫ ॥
ସୁନିର୍ମଳ ତ‌ତ୍ତ୍ୱଜ୍ଞାନ ନିତ୍ୟେ ଯାର ଚିତ୍ତେ ।
ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧମତେ ॥ ୯୬ ॥
ରିପୁ-ଷଡ଼ବର୍ଗ ଜିଣି ସ‌ତ୍ତ୍ୱଗୁଣେ ମତି ।
କରୁଣା-ସମ୍ପୂର୍ଣ୍ଣ-ଦୃଷ୍ଟି ବାଣୀ-ଶୁଦ୍ଧାକୃତି ॥ ୯୭ ॥
ସର୍ବକାଳେ ନିରଳସ ଗୁରୁପାଦେ ଭକ୍ତି ।
ସର୍ବଦା ସୁସ୍ଥିର-ଚିତ୍ତ ସୁଜନ ଆକୃତି ॥ ୯୮ ॥
ଶୁଚିମନେ ଉପାସନା ନିର୍ମଳ-ବଚନ ।
ସଭାମଧ୍ୟେ ସୁପଣ୍ତିତ ଅତି-ବିଦ୍ୟାବାନ ॥ ୯୯ ॥
ପ୍ରଜାର ପାଳନ କାର୍ଯ୍ୟେ ଅତି ବୀରପଣ ।
ଇହ-ପରଲୋକ ହୁଏ ସୁଯଶ-ଘୋଷଣ ॥ ୧୦୦ ॥
ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେ ।
ବାଣିଜ୍ୟେ ଚତୁର ବାକ୍ୟେ ଭାବେ ମନ ମୋହେ ॥ ୧୦୧ ॥
ଯୋଷିତ ପ୍ରଣୟେ ମୃଦୁ-ବଚନ ଭାଷିତ ।
ବ୍ରାହ୍ମଣ ବିଷୟେ ଚିତ୍ତେ ଭଜଇ ବିନୀତ ॥ ୧୦୨ ॥
ସ୍ୱଧର୍ମେ ଜୀବନ ପୋଷେ ନିଜ-ବୃତ୍ତି ବହି ।
ବୁଧଙ୍କର ଭାବେ ଯେ ସା‌ତ୍ତ୍ୱିକେ ମନଦେଇ ॥ ୧୦୩ ॥
ଭାଗୀରଥୀ-ତୀରେ ବାସ ସୁତୀର୍ଥେ ମରଣ ।
ସୁଖ ଭୋଗୀଗଣ ମୁଖ୍ୟ ଅତିଥି-ତୋଷଣ ॥ ୧୦୪ ॥
ବନ୍ଧୁଜନ ସଙ୍ଗେ ଭୋଗ କରେ ସମତୁଲେ ।
ଦାନ-ଦକ୍ଷିଣାରେ ଦିନ ଯାପଇ ସେ ଭଲେ ॥ ୧୦୫ ॥
ନିଜ ବିଦ୍ୟା ଅଭ୍ୟାସେ ବର୍ତ୍ତଇ ନିରନ୍ତରେ ।
ନିତ୍ୟେ ସେବା କରେ ତାତ-ଜନନୀ-ପୟରେ ॥ ୧୦୬ ॥
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ ।
ସ୍ୱର୍ଗ-ଅପବର୍ଗ ବୁଦ୍ଧି-ଅଳଙ୍କାର ବହେ ॥ ୧୦୭ ।
ନିତ୍ୟେ ବସେ ସାଧୁସଙ୍ଗେ ମିତ୍ର ସର୍ବଭୂତେ ।
ଇତିହାସ ପୁରଣାଦି ଶୁଣେ ଶୁଦ୍ଧଚିତ୍ତେ ॥ ୧୦୮ ॥
ବିପଦର କାଳେ ଧୈର୍ଯ୍ୟ ବହେ ନିତ୍ୟେ ଚିତ୍ତେ ।
ସମ୍ପଦ-ଆଗମେ କ୍ଷମା ବହଇ ନିରତେ ॥ ୧୦୯ ॥
ବିଦ୍ୟା ପଢି ଗଭୀର-ସାଗର ପ୍ରାୟେ ରହେ ।
ପାତ୍ରେ ଦାନ ସମର୍ପି ଉଦାସ-ଭାବ ବହେ ॥ ୧୧୦ ॥
ଯଶ ଧର୍ମ ଲଭିବାରେ ନିତ୍ୟେ କରେ ମତି ।
ସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବେ ସୁକୀର୍ତ୍ତି ॥ ୧୧୧ ॥
ନିତ୍ୟେ ସାଧୁସଙ୍ଗ ମେଳ ଦୃଢ଼େ କରେ ଆଶା ।
ପିତୃ-ମାତୃ ପାଦପଦ୍ମେ କରଇ ଶୁଶ୍ରୂଷା ॥ ୧୧୨ ॥
ଦୀନଜନେ ଦୟାକରେ ସାଧୁକାର୍ଯ୍ୟେ ରତ ।
ରିପୁଗଣ ଜୟକାରୀ ଭୁବନେ ବିଦିତ ॥ ୧୧୩ ॥
ଗଭୀର ବଚନ ତାର ବଦନୁ ପ୍ରକାଶେ ।
ଉତ୍ତମ-ଉଦାରବୁଦ୍ଧି ପ୍ରିୟ-ଉପଦେଶେ ॥ ୧୧୪ ॥
ସମ ଦରଶନ କରି ପ୍ରକୃତି ଧରଇ ।
ଏତେ ଗୁଣ ଧରେ ଯାର ପୂର୍ବେ ତପ ଥାଇ ॥ ୧୧୫ ॥
ଯେଣୁ ପୂର୍ବେ ତୋହାର ମୋହର ତପ ନାହିଁ ।
ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ ॥ ୧୧୬ ॥
ମାନ-ଅପମାନ ଯେ ଫଳଇ ପୂର୍ବଫଳେ ।
ଏହା ନ ଜାଣିଣ ପ୍ରାଣୀ ଭ୍ରମନ୍ତି ଶୟଳେ ॥ ୧୧୭ ॥
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।
ବିଧାତାର ବୋଲେ କର୍ମ ଅନ୍ୟଥା ନୁହଇ ॥ ୧୧୮ ॥
ଏଣୁ ତୁ ନକର ଶୋକ କର୍ମକୁ ଆଦର ।
ମୋହର ବଚନେ ପୁତ୍ର କୋପ ତୁ ସଂହର ॥ ୧୧୯ ॥
ଏମନ୍ତେ ମାତାର ବାଣୀ ସାବଧାନେ ଶୁଣି ।
ସୁନୀତିର ପୁତ୍ର ଧୀର ମନେ ମନେ ଗୁଣି ॥ ୧୨୦ ॥
ଜନନୀ ବଦନ ଚାହିଁ ବେନି କରଯୋଡି ।
କହେ ଶୋକ-ଗଦଗଦେ ମାତା ପାଦେ ପଡି ॥ ୧୨୧ ॥

ଧ୍ରୁବଉବାଚ

ଜନନୀ ମୋହର ବାକ୍ୟ ମନଦେଇ ଶୁଣ ।
ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ ॥ ୧୨୨ ॥
ପବିତ୍ର-ମନୁର ବଂଶେ ଜନ୍ମ ଯେବେ ମୋର ।
ଉତ୍ତାନପାଦର ବୀର୍ଯ୍ୟେ ଉଦରେ ତୋହର ॥ ୧୨୩ ॥
ତୁ ଯେ ବୋଲୁ ତପ-ବ୍ରତ ସମ୍ପଦ-କାରଣ ।
କହିବୁ ତୋହର ଆଗେ ସ୍ଥିରମନେ ଶୁଣ ॥ ୧୨୪ ॥
ସଂସାରେ ଦୁର୍ଲଭପଦ ଯେଉଁ ତପେ ପାଇ ।
ନିର୍ଜନ-ଦୁର୍ଗମବନେ ସାଧିବଇଁ ମୁହିଁ ॥ ୧୨୫ ॥
ଏତେ ମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେ ।
ଆଶୀର୍ବାଦ କର ତପ ସାଧଇଁ ଯେମନ୍ତେ ॥ ୧୨୬ ॥

ମୈତ୍ରେୟ ଉବାଚ

ଏମନ୍ତ ନିଶ୍ଚୟ-ବାଣୀ ଶୁଣି ପୁତ୍ରମୁଖେ ।
ସୁନୀତି କପୋଳେ କର ଦେଇ ମନଦୁଃଖେ ॥ ୧୨୭ ॥
ଏହିରୂପେ ଧ୍ରୁବବାକ୍ୟ ଦୃଢ଼େ ଶୁଣି ମାତା ।
ପୁତ୍ର ମୁଖ ଚାହିଁ ମନେ କଲା ଗରୁଚିନ୍ତା ॥ ୧୨୮ ॥
ବୋଲଇ ମୋହର ଗର୍ଭେ ଜାତ ଏ କୁମର ।
ରାଜାର ଆତ୍ମସମ୍ଭୂତ ତେଜେ ଏ ପ୍ରଖର ॥ ୧୨୯ ॥
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ-ଚରିତ୍ର ।
ତପ-ଫଳ-ଶ୍ରବଣେ କଳ୍ପିଲା ଅନ୍ତର୍ଗତ ॥ ୧୩୦ ॥
ତେଜ ବିରାଜଇ ଦେହେ ତପନ ପରାୟେ ।
ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ ॥ ୧୩୧ ॥
କେବେହେଁ ଏ ନ ରହିବ ମୋହର ବଚନେ ।
ନଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ॥ ୧୩୨ ॥
ଏହାର ସୁନ୍ଦର-ମୁଖ ନ ଦେଖି ସମ୍ମୁଖେ ।
ନିମିଷ କୋଟିଏ-ଯୁଗ ହୋଇବ ପ୍ରତ୍ୟକ୍ଷେ ॥ ୧୩୩ ॥
କିବୁଦ୍ଧି କରିବି ପୁତ୍ର କେମନ୍ତେ ରହିବ ।
ଦୁର୍ଗମ-ସଙ୍କଟ ମୋତେ ସଞ୍ଚଲା ଦଇବ । ॥ ୧୩୪ ॥
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।
ବୋଲଇ ସୁନୀତି ମନେ ଦୁଃଖ ଖେଦ ବହି ॥ ୧୩୫ ॥
ଶୁଣ ପୁତ୍ର ସାବଧାନେ ମୋହର ବଚନ ।
କେବେହେଁ ନ କର ପୁତ୍ର ତପକୁ ଗମନ ॥ ୧୩୬ ॥
ତୋତେ ଆଜ୍ଞା ଦେବାକୁ ମୋହର ଶକ୍ୟ ନାହିଁ ।
ତୁ ପଞ୍ଚବରଷ ବାଳ ସୁକୁମାର-ଦେହୀ ॥ ୧୩୭ ॥
ତଥାପି କହିବି ଶୁଣ ସାବଧାନ ଚିତ୍ତେ ।
ରାଜାର ନବରେ ଅଛି ସପତ୍ନୀ-ଆୟତ୍ତେ ॥ ୧୩୮ ॥
ତାର ବାକ୍ୟ ନିର୍ଘାତେ ମୋହର ପ୍ରାଣ ଦହେ ।
ଶ୍ରାବଣର ଧାରା ପ୍ରାୟେ ଅଶ୍ରୁଜଳ ବହେ ॥ ୧୩୯ ॥
ଏବେ ତୋ ବନ-ଗମନ ଶୁଣି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଲ୍ଲୋଳ-ନୟନ ॥ ୧୪୦ ॥
ନଦୀ ପ୍ରାୟେ ବହେ ଲୁହ କେବେହେଁ ନ ରହେ ।
କହ ପୁତ୍ର ଏବେ ମୁଁ କି କରିବି ଉପାୟେ ॥ ୧୪୧ ॥
ସ୍ୱଭାବେ ମୁଁ ଏକପୁତ୍ରୀ ବିଧାତା ଭିଆଣେ ।
ତୋତେ ନ ଦେଖିଲେ ଚିତ୍ତ ଧରିବି କେସନେ ॥ ୧୪୨ ॥
ତୁ ମୋହର ଅନ୍ଧ-ଯଷ୍ଟି ତୋର ପଛେ ଥାଇ ।
ତୋତେ ହରାଇଲେ ମୁହିଁ କେମନ୍ତେ ଜୀଅଁଇ ॥ ୧୪୩ ॥
ପୁତ୍ର ଜନ୍ମ ନୋହିବାରୁ ପାଇ ମନେ ବ୍ୟଥା ।
ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ॥ ୧୪୪ ॥
କୁଚ୍ଛ୍ର-ଚନ୍ଦ୍ରାୟଣ ଉପାସିଣ ବ୍ରତ କଲି ।
ସେ ବ୍ରତ-ସାଧନେ ପୁତ୍ର ତୋତେ ମୁଁ ଲଭିଲି ॥ ୧୪୫ ॥
ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଛୁଳେ ନୟନ ॥ ୧୪୬ ॥
ଆନନ୍ଦ-ପୟ ଯେ ପୂରେ ମୋ ବେନି ସ୍ତନ ।
ଗଳିତ ହୁଅଇ ଦେଖି ତୋହର ବଦନ ॥ ୧୪୭ ॥
ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ।
ତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ ॥ ୧୪୮ ॥
ମୋହର ହୃଦୟେ ତୁ ନିଦ୍ରିତ ସ୍ତନ୍ୟ-ପାନେ ।
ବସ୍ତ୍ର-ଆଚ୍ଛାଦିତ ଦୁଗ୍ଧ-ବୋଧିତ-ବଦନେ ॥ ୧୪୯ ॥
ତୋହର ଶୀତଳ-ବାକ୍ୟ କର୍ଣ୍ଣେ ଶୁଭେ ଯେବେ ।
ସପପତ୍ନୀର ବାକ୍ୟ-ତାପ ହୃଦୟେ ନ ଭାବେ ॥ ୧୫୦ ॥
ବିଳମ୍ବ ତୋ ନିଦ୍ରା ଦେଖି ମୋହର ହୃଦୟ ।
ପଦ୍ମ ଯେହ୍ନେ ଚାହିଁ ଥାଇ ଆଦିତ୍ୟ ଉଦୟ ॥ ୧୫୧ ॥
ବାଳକ-ଖେକଣ-ଖେଳା ଖେଳିବାର ଅର୍ଥେ ।
ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ॥ ୧୫୨ ॥
ତୋହର ବିଳମ୍ବେ ହୃଦେ ବେନି-ସ୍ତନ ମୋର ।
ଚଞ୍ଚଳେ ସ୍ରବଇ ଯେହ୍ନେ ମେଘ-ଜଳଧାର ॥ ୧୫୩ ॥
ତୁ ଏବେ ତପସ୍ୟା ଅର୍ଥେ ଯିବୁ ଯେବେ ହଟେ ।
ମୋର ପଞ୍ଚ-ପ୍ରାଣ ଯେ ମିଳିବ କଣ୍ଠାଗ୍ରତେ ॥ ୧୫୪ ॥
ଅତି ତାପେ ତାପିବି ମୁଁ ତୋହର ଗମନେ ।
କେମନ୍ତେ ଛାଡିଣ ପୁତ୍ର ଯିବୁ ତୁହି ବନେ ॥ ୧୫୫ ॥
ଏମନ୍ତ ବଚନ ଶୁଣି ଜନନୀ ବଦନେ ।
ଚିନ୍ତା ମାତ୍ର ନ ରହିଲା ସେ ଧ୍ରୁବର ମନେ ॥ ୧୫୬ ॥
ଏମନ୍ତେ ଅନେକ ମତେ ବୋଧିଲେ ସୁନୀତି ।
ନ ଶୁଣି ସେ ମାତା-ବାଣୀ ଧ୍ରୁବ ମହାଯତି ॥ ୧୫୭ ॥
ନିଷ୍ଠୁର-ହୃଦୟେ ପାଦେ କରି ନମସ୍କାର ।
ମଙ୍ଗଳ-ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ॥ ୧୫୮ ॥
ଜନନୀର ମନ-ସ୍ନେହ ପଛେପଛେ ଗଲା ।
ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ॥ ୧୫୯ ॥
ବାଳକ ବାଳ-ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।
ଅନୁକୂଳ-ପବନ ବହିଲା ଅକସ୍ମାତେ ॥ ୧୬୦ ॥
ପବନେ ଚଳିତ ବନ-ଲତା-ତରୁଗଣ ।
ହସ୍ତ-ପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ ॥ ୧୬୧ ॥
କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି ।
ଜନନୀ ଚରଣ-ଧ୍ୟାନ ହୃଦୟରେ କରି ॥ ୧୬୨ ॥
ଭୂମିକି ଅନାଇ ସେ ଅନେକ ଦୂର ଗଲା ।
ଗହନ-କାନନେ ରାଜପଥ ନ ପାଇଲା ॥ ୧୬୩ ॥
କ୍ଷୁଧା ତୃଷା ଆକୁଳେ ସେ ଅତି ଦୁଃଖ ମନେ ।
ବୃକ୍ଷତଳେ ବସିଲା ଆଦିତ୍ୟ ଅବସାନେ ॥ ୧୬୪ ॥
ବାଳକ ଭାଳଇ ମନେ ଚଉଦିଗ ଚାହିଁ ।
କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ ॥ ୧୬୫ ॥
ବେନି-ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।
ବନଜନ୍ତୁ ଭୟେ ଧ୍ରୁବ ପୁରି ହିଁ ଅନାଇ ॥ ୧୬୬ ॥
ତାର ପୂର୍ବ-ତପଫଳେ ସେ ଘୋରକାନନେ ।
ସାୟଂକାଳେ ସମୀପେ ମିଳିଲେ ମୁନିଜନେ ॥ ୧୬୭ ॥
ପର୍ବତ-କାନନ-ଧୂମ-ଜଳ-ଅଗ୍ନିପଥେ ।
ବାଳ-ବୁଦ୍ଧ-ବନିତା-ଦୁର୍ବଳ-ବ୍ୟାଧିଗ୍ରସ୍ତେ ॥ ୧୬୮ ॥
ପୂର୍ବ-ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରଇ ।
ଭାଗ୍ୟହୀନ ଗୃହେ ଯତ୍ନ କରନ୍ତେ ମରଇ ॥ ୧୬୯ ॥
ଦେଖ ତାର ଭାଗ୍ୟବଳ ସପ୍ତଋଷିଗଣେ
ସମୀପେ ମିଳିଲେ ଆସି ଭୟଙ୍କର ବନେ । ॥ ୧୭୦ ॥
ରାଜାର କୁମର କାହିଁ କାହିଁ ବନବାସ ।
ଦଇବ-ଘଟଣ ଦେଖ ଧର୍ମର ବିଶ୍ୱାସ ॥ ୧୭୧ ॥
ଏଣୁ ନିଜ କର୍ମକୁ କରିବ ନମସ୍କାର ।
ଯାହାର ଉପରେ ନାହିଁ ପ୍ରଭୁ-ଅଧିକାର ॥ ୧୭୨ ॥
ଯାର ତହିଁ ଶୁଭାଶୁଭ ପୁଣ୍ୟବଳ ଥାଇ ।
ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ॥ ୧୭୩ ॥
ସ‌ତ୍ତ୍ୱ-ରଜ-ତମ ବଳେ କରି ଆକର୍ଷଣ ।
ନାନାସ୍ଥାନେ କରୁଥାଇ ଗମନା-ଗମନ ॥ ୧୭୪ ॥
ଶରୀର ସମ୍ପଦ ପଦ ବିବିଧ ବେଷ୍ଟିତ ।
ତେଜ ବଳ ସହାୟ ସେ ଉଦ୍ୟମ ସମର୍ଥ ॥ ୧୭୫ ॥
ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ ।
ପୂର୍ବେ ନ ଅର୍ଜିଲେ ଲୋଡି ପାଇବଟି କାହିଁ ॥ ୧୭୬ ॥
ଚକ୍ଷୁମେଲି ଚାହାଁନ୍ତେ ଦେଖିଲା ମୁନିଗଣ ।
ତେଜେ ବିରାଜନ୍ତି ଯେହ୍ନେ ସୂର୍ଯ୍ୟର କିରଣ ॥ ୧୭୭ ॥
ଲଲାଟେ ତିଳକ ଦୂର୍ବା ବେନି କରେ ଘେନି ।
ଉଭା ହୋଇଛନ୍ତି ଧ୍ରୁବ ଆଗେ ବ୍ରହ୍ମମୁନି ॥ ୧୭୮ ॥
କୃଷ୍ଣାଜିନ ପରିଧାନ ପବିତ୍ର-ଉତ୍ତରୀ ।
ଉନ୍ମୀଳଲୋଚନ ଅକ୍ଷମାଳା କରେ ଧରି ॥ ୧୭୯ ॥
କଷାୟବସନ ସୂକ୍ଷ୍ମ-ଉତ୍ତରୀ ପ୍ରକାଶେ ।
ସୁଗନ୍ଧ-ବିଭୂତି ରୁଚି କଳେବର ଦିଶେ ॥ ୧୮୦ ॥
ଅକସ୍ମାତେ ମିଳିଲେ ଅଗାଧ-କ୍ଷୀରନିଧି ।
ତ୍ରୟକାଳଜ୍ଞାତା ଜ୍ଞାନଗୁଣେ ଗୁଣନିଧି ॥ ୧୮୧ ॥
ଅମୃତ ବଚନ କି ବଦନେ ବରଷନ୍ତି ।
କ୍ଷୀରସିନ୍ଧୁ ମଧ୍ୟେ ହଂସ ପ୍ରାୟେକ ଦିଶନ୍ତି ॥ ୧୮୨ ॥
ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି ।
ସଂଭ୍ରମ-ଚିତ୍ତେ ଉଠିଲା ଆସନ ଉପେକ୍ଷି ॥ ୧୮୩ ॥
କପାଳେ କର ସମ୍ପୁଟ ଦେଇ ଦୃଢମନେ ।
ମୁନିଙ୍କି ପ୍ରଣାମ କଲା ହରଷ ବଦନେ ॥ ୧୮୪ ॥
ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି ।
କହଇ କୋମଳ-ବାଣୀ ବିନୟ ଆଚରି ॥ ୧୮୫ ॥

ଧ୍ରୁବଉବାଚ

ଉତ୍ତାନପାଦର ବୀର୍ଯ୍ୟେ ସୁନୀତି ଉଦରେ ।
ଶରୀର ବହିଲି ମୁହିଁ ଏ ଭବସଂସାରେ ॥ ୧୮୬ ॥
ଧ୍ରୁବନାମ ବୋଲା ଅଧ୍ରୁବ ନାମ ମୋର
ନିର୍ମଳ-ମାନସେ ମୁହିଁ ମନ୍ଦିରୁ ବାହାର ॥ ୧୮୭ ॥
ଅନାଥ ହୋଇ ମିଳିଲି ଏ ଘୋରକାନନେ ।
ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ॥ ୧୮୮ ॥
ନିର୍ଲଜ-ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।
ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ॥ ୧୮୯ ॥
ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ-ରାଶି ।
ଏବେ ଚିତ୍ତ କଳ୍ପେ ନୃପ-ସିଂହାସନେ ବସି ॥ ୧୯୦ ॥
ଏଣୁ ମୁଁ ନିରାଶଚିତ୍ତେ ପଶିଲି ବନସ୍ତେ ।
ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ ॥ ୧୯୧ ॥
ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ ।
ତାର ମୁଖ ଚାହିଁଣ କହନ୍ତି ଜଣେ ଜଣେ ॥ ୧୯୧ ॥
ସ୍ୱଭାବେ ମଧୁରାକୃତି ଶୁଖିଛି ବଦନ ।
ଅମୃତୁ ଅଧିକ କହେ ମଧୁର-ବଚନ ॥ ୧୯୨ ॥
ସଦୟ-ହୃଦୟେ ବସି ଧ୍ରୁବର ସମକ୍ଷେ ।
ଅନୁରାଗେ ମୁନିଏ କହନ୍ତି ଏକେ ଏକେ ॥ ୧୯୩ ॥

ଇଷିଗଣ-ଉବାଚ

ଅହୋ ବାଳ ବିଶାଳାକ୍ଷ ମହାରାଜ-ସୁତ ।
ବିଚାରି ନପାରିଲୁ ତୋହର ଅନ୍ତର୍ଗତ ॥ ୧୯୪ ॥
ନିବେଦ୍ୟ କାରଣ ତୁ ଆମ୍ଭର ଆଗେ କହ ।
ତୋର ବାକ୍ୟେ ଆମ୍ଭ ଚିତ୍ତେ ଲାଗିଲା ସନ୍ଦେହ ॥ ୧୯୫ ॥
ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ ।
ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ॥ ୧୯୬ ॥
ଆଧି ବ୍ୟାଧି ନ ଦେଖୁ ତ ତୋହର ଶରୀରେ ।
ନିର୍ବେଦ କାରଣ କହ ଆମ୍ଭର ଛାମୁରେ ॥ ୧୯୭ ॥
ଯୁବାକାଳେ ଭୋଗ ଯେବେ ନ ଲଭନ୍ତି ନରେ ।
ସ୍ୱଭାବେ ବୈରାଗ୍ୟ ଜାତ ହୁଏ ତା ଶରୀରେ ॥ ୧୯୮ ॥
ସପ୍ତଦ୍ୱୀପପତିର ତୁ କୁମର ସ୍ୱଭାବେ ।
କିକାରଣେ କାନନେ ପଶିଲୁ ବାଳଭାବେ ॥ ୧୯୯ ॥
ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।
ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ॥ ୨୦୦ ॥
ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ ।
ଗଦଗଦ ବାକ୍ୟେ କହେ ନୃପତି ନନ୍ଦନ ॥ ୨୦୧ ॥

ଧ୍ରୁବଉବାଚ

ଶୁଣିମା ସକଳ ବ୍ରହ୍ମମୁନିଗଣ ଧୀରେ ।
ନିର୍ବେଦ କାରଣ କହୁଁ ତୁମ୍ଭର ଛାମୁରେ ॥ ୨୦୨ ॥
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।
ମୋର ଧାତ୍ରୀ ପିତା ଆଗେ ନେଇ ପ୍ରବେଶିଲା ॥ ୨୦୩ ॥
ପିତାଙ୍କ ଚରଣେ ମୁହିଁ ନମସ୍କାର କରି
ଉଭା ହୋଇଥିଲି ଧାତ୍ରୀ ବସ୍ତ୍ର କରେ ଧରି ॥ ୨୦୫ ॥
ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେ ।
ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ॥ ୨୦୬ ॥
ତାହା ଦେଖି ସୁରୁଚି ମୋ ମାତା ସପତଣୀ ।
ଅନେକ ଭର୍ତ୍ସିଲେ ସେ ସପତ୍ନୀ-ଭାବ ଘେନି ॥ ୨୦୭ ॥
ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।
ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ॥ ୨୦୮ ॥
ଅଭାଗିନୀ ଗର୍ଭେ ହେଲା ଜନମ ତୋହର ।
ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ॥ ୨୦୯ ॥
ଏ ଗର୍ଭେ ଜନ୍ମିଲେ ନୃପସିଂହାସନ ପାଇ ।
ମୋର ଗର୍ଭେ ଜନ୍ମ କିମ୍ପା ନ ଲଭିଲୁ ତୁହି ॥ ୨୧୦ ॥
ତୋହର ମାତାର ପୂର୍ବେ କିଛି ତପ ନାହିଁ ।
ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ॥ ୨୧୧ ॥
ଦୁର୍ଭଗାର ପୁତ୍ର ହୋଇ ନୃପସିଂହାସନେ ।
ତୋର ପୁଣ୍ୟ ନାହିଁ ଏଥେ ବସିବୁ କେସନେ ॥ ୨୧୨ ॥
ଏମନ୍ତ ପ୍ରକାରେ ସେ ଯେ ମୋତେ ନିନ୍ଦା କଲା ।
ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା ॥ ୨୧୩ ॥
ମୁହିଁ କାନ୍ଦି କହିଲି ମୋ ଜନନୀ ଅଗ୍ରତେ ।
ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ॥ ୨୧୪ ॥
ବୋଇଲେ ସଂସାରେ ସାର ତପସ୍ୟା କାରଣ ।
ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର-ଭ୍ରମଣ ॥ ୨୧୫ ॥
ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋର ।
ଏବେ ନରଦେହେ ପୁତ୍ର ତପ-ସିଦ୍ଧକର ॥ ୨୧୬ ॥
ଏମନ୍ତେ ଜନନୀ ମୁଖୁ ପାଇ ଉପଦେଶ ।
ତପ-ସଧେ ଘୋରବନେ ହୋଇଲି ପ୍ରବେଶ ॥ ୨୧୭ ॥
ନିର୍ବେଦ କାରଣ ମୁଁ କହିଲି ତୁମ୍ଭ ଆଗେ ।
ବନେ ପଶି ଭାଳଇ ମୁଁ ବାଳକ ସ୍ୱଭାବେ ॥ ୨୧୮ ॥
ଏମନ୍ତ ଧ୍ରୁବର ବାକ୍ୟ ଶୁଣି ମୁନିଗଣ ।
ପରସ୍ପରେ ଚାହିଁ ସେ ବୋଲନ୍ତି ପୁଣ ପୁଣ ॥ ୨୧୯ ॥

ଋଷିଗଣ ଉବାଚ

ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।
ବାଳକ ଶରୀରେ ତେଜ ଅତି ଯେ ପ୍ରଖର ॥ ୨୨୦ ॥
ପୁଣି ଧ୍ରୁବ ମୁଖ ଚାହିଁ ବୋଲନ୍ତି ଉତ୍ତର ।
ଆମ୍ଭରେ କି ସାଧ୍ୟ-କର୍ମ ତୋର ଉପକାର ॥ ୨୨୧ ॥
ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ ।
ଭ୍ରାନ୍ତି ଛାଡି କହ ବାବୁ ଆମ୍ଭର ଅଗ୍ରତେ ॥ ୨୨୨ ॥

ଧ୍ରୁବଉବାଚ

ଶୁଣିମା ଭୋ ମୁନିଜନେ ମୋର ମନୋରଥ ।
ପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ॥ ୨୨୩ ॥
ପିତାର ସମୀପେ ବସେ ନୃପସିଂହାସନେ ।
ତାହାକୁ ମୋହର କିଛି ଆନ ନାହିଁ ମନେ ॥ ୨୨୪ ॥
ତୁମେ ମୋତେ ସାହା ହୁଅ ଏ ଘୋର କାନନେ ।
ଉପଦେଶ ଦିଅ ମୋତେ ନିସ୍ତାର କାରଣେ ॥ ୨୨୫ ॥
ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେ ।
କହିବି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ॥ ୨୨୬ ॥
ମୋର କଥା କହଇ ତା ଶୁଣି ମୁନିଜନେ ।
ଯେଉଁ କାରଣରୁ ମୁଁ ପଶିଲି ଘୋରବନେ ॥ ୨୨୭ ॥
ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ।
ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୋହଇ ॥ ୨୨୮ ॥
ତ୍ରିଲୋକ ଉପରେ ସର୍ବ-ବନ୍ଦିତ ଯେ ସ୍ଥାନ ।
ତହିଁ ବସି ଭୁଞ୍ଜିବି କଳ୍ପଇ ମୋର ମନ ॥ ୨୨୯ ॥
ମୋର ପିତୃ-ପିତାମହ ଯାହା ନ ପାଇଲେ ।
କଳ୍ପକଳ୍ପାନ୍ତରେ ଯାହା ନ ପାଇବେ ଭଲେ ॥ ୨୩୦ ॥
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।
ତହିଁର ଉପାୟ ମୋତେ କହ ଭାବ ବହି ॥ ୨୩୧ ॥
ଧନ ରାଜ୍ୟଭୋଗ ମୋର ପ୍ରୟୋଜନ ନାହିଁ ।
ଏତେ କହି ମୁନିଙ୍କ ଚରଣେ ପ୍ରଣମଇ ॥ ୨୩୨ ॥
ଧ୍ରୁବର ବଚନେ ହରଷିତ ମୁନିଜନେ ।
ଅନ୍ୟେ ଅନ୍ୟେ ମିଳି ସେ କହନ୍ତି ତୁଷ୍ଟମନେ ॥ ୨୩୩ ॥

ମରୀଚି ଉବାଚ

ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ ।
ସର୍ବ ବେଦ ପୁରାଣଙ୍କ ଶାସ୍ତ୍ର ଅନୁଭବେ ॥ ୨୩୪ ॥
ବିଷ୍ଣୁର ଚରଣେ ସେବା କରେ ଯେ ନିଶ୍ଚୟେ ।
ଇହପରଲୋକେ ସେ ବାଞ୍ଛିତ ଫଳ ପାଏ ॥ ୨୩୫ ॥
ଅନ୍ୟ ଦେବଙ୍କର ତପ ଅନୁଭବେ ସ୍ମରେ ।
ବିଷ୍ଣୁର ପ୍ରସନ୍ନେ ଭୋଗ-ଭୁଞ୍ଜେ ନିରନ୍ତରେ ॥ ୨୩୬ ॥

ଅତ୍ରି ଉବାଚ

ଅତ୍ରି କହେ ଶୁଣ ବାବୁ ସୁନୀତି କୁମର ।
ନାରାୟଣ-ସନ୍ତୋଷେ ନିର୍ମଳ-ତପ କର ॥ ୨୩୭ ॥
ସେ ପରମପୁରୁଷ ଯାହାକୁ ତୋଷ ହୋଇ ।
ମନର ବାଞ୍ଛିତ ଫଳ ଅଧିକେ ଦିଅଇ ॥ ୨୩୮ ॥
ଅକ୍ଷୟ-ସ୍ଥାନରେ ତାର ହୁଏ ଅଧିକାର ।
ବିଘ୍ନକରି ନ ପାରନ୍ତି ସୁରା-ସୁର-ନର ॥ ୨୩୯ ॥
ସତ୍ୟ ଏ ବଚନ ମୋର କର ହରି-ଧ୍ୟାନ ।
ଅଳ୍ପଦିନେ ଲଭିବୁ ଅକ୍ଷୟ-ଦିବ୍ୟସ୍ଥାନ ॥ ୨୪୦ ॥

ଅଙ୍ଗିରା ଉବାଚ

ଅଙ୍ଗିରା କହନ୍ତି ଶୁଣ ନୃପତି କୁମର ।
ସର୍ବଭାବେ ଗୋବିନ୍ଦ ଚରଣେ ଆଶ୍ରେକର ॥ ୨୪୧ ॥
ବିଶ୍ୱ ବସ୍ତୁ-ଅଭ୍ୟନ୍ତରେ ଯାହାର ନିବାସ ।
ଆତ୍ମାରୂପେ ସର୍ବଭୂତେ ଯାହରା ପ୍ରକାଶ ॥ ୨୪୨ ॥
ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ।
ଏକମନେ ଲୟକର ଶ୍ରୀହରି-ପୟର ॥ ୨୪୩ ॥

ପୁଲସ୍ତ୍ୟ ଉବାଚ

ପରଂଧାମ ପରଂବ୍ରହ୍ମ ପରାପର ନାହିଁ ।
ବିଶ୍ୱ-ବାହ୍ୟ-ଅଭ୍ୟନ୍ତରେ ଯାର ବିଶ୍ୱଦେହୀ ॥ ୨୪୪ ॥
ସେ ହରିଚରଣେ ଧ୍ୟାନ କର ଦୃଢ଼ଚିତ୍ତେ ।
ତ୍ରୈଲୋକ୍ୟ-ଦୁର୍ଲଭ-ସ୍ଥାନ ଲଭିବୁ ଯେମନ୍ତେ ॥ ୨୪୫ ॥

କ୍ରତୁ ଉବାଚ

କ୍ରତୁ କହେ ଶୁର ଆହେ ମୋହର ବଚନ ।
ଯେ ଯଜ୍ଞପୁରୁଷ ଅଙ୍ଗେ ଏ ତିନିଭୁବନ ॥ ୨୪୬ ॥
ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ ।
ମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣି ॥ ୨୪୭ ॥

ପୁଲହ ଉବାଚ

ପୁଲହ କହନ୍ତି ଧ୍ରୁବ ଶୁଣ ଏକମନେ ।
ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଳଭିବୁ ଯେସନେ ॥ ୨୪୮ ॥
ଘୋରତପେ ବିଷ୍ଣୁର ଚରଣେ ଆଶ୍ରେକର ।
ଦୁର୍ଲଭ-ଆସନେ ବସି ଭୁଞ୍ଜ ଭୋଗସାର ॥ ୨୪୯ ॥
ବିଷ୍ଣୁର ଚରଣ ସେବା ଯେ ଜନ କରନ୍ତି ।
ଇହ-ପରଲୋକେ ସେ ବାଞ୍ଛିତ-ଫଳ ପାନ୍ତି ॥ ୨୫୦ ॥
ଅନ୍ୟ ଦେବଙ୍କର ସେବା ଫଳ ଅଳ୍ପଦିନ ।
ବିଷ୍ଣୁର ସେବନ-ଫଳ ଅକ୍ଷୟଟି ଜାଣ ॥ ୨୫୧ ॥

ବଶିଷ୍ଠ ଉବାଚ

ବଶିଷ୍ଠ କହନ୍ତି ଶୁଣ ନୃପତିନନ୍ଦନ ।
ତପ-ବଳେ ବାସୁଦେବ ଦୃଢ଼େ କର ଧ୍ୟାନ ॥ ୨୫୨ ॥
ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର ।
ଯାହାର ପ୍ରସନ୍ନେ ତୁଟେ ଏ ଘୋର-ସଂସାର ॥ ୨୫୩ ॥
ଶୁଣି ଧ୍ରୁବ ବେନିକର ଶିରେ ଦେଇ ତୋଷେ ।
ପୁଣପୁଣ ପ୍ରଣମିଲା ଭକତି ବିଶ୍ୱାସେ ॥ ୨୫୪ ॥

ଧ୍ରୁବ ଉବାଚ

ତୁମ୍ଭ ଉପଦେଶେ ଯେବେ ହରିଙ୍କି ଭଜିବି ।
ଉପାୟ କହିବା ମୋତେ କେମନ୍ତେ ଲଭିବି ॥ ୨୫୫ ॥
ସାଂଖ୍ୟଯୋଗ କିବା ତପ ଜପ ମନ୍ତ୍ର ଧ୍ୟାନେ ।
ପ୍ରାଣାୟାମ ବଳେ କିବା ନିଶ୍ଚଳ-ଆସନେ ॥ ୨୫୬ ॥
ଯେମନ୍ତେ ପାଇବି ଅଳ୍ପଦିନେ ତପ କରି ।
ସ୍ୱଭାବେ ବାଳକ ମୁଁ ନୁହଇ ବ୍ରହ୍ମଚାରୀ ॥ ୨୫୭ ॥
ଯେଉଁ ଆରାଧନେ ମିଳେ ବିଷ୍ଣୁର ଚରଣ ।
ପ୍ରସନ୍ନ-ବଦନେ ମୋତେ କହ ମୁନିଗଣ ॥ ୨୫୮ ॥
ଋଷିଗଣ ଏମନ୍ତ ବାଳକ-ବାକ୍ୟ ଶୁଣି ।
ସର୍ବ ମନେ ବିଚାରି କହନ୍ତି ପୁଣପୁଣି ॥ ୨୫୯ ॥

ଋଷିଗଣ-ଉବାଚ

କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର ।
ଯେଉଁ ଆରାଧନେ ନିସ୍ତରନ୍ତି ସୁରନର ॥ ୨୬୦ ॥
ପ୍ରତ୍ୟାହାର ବଳେ ଯେ ବିଷୟ ଇନ୍ଦ୍ରିଗଣ ।
ବାହାର ଭିତରେ ମନ କରଇ ଭ୍ରମଣ ॥ ୨୬୧ ॥
ଇନ୍ଦ୍ରିୟ-ବିଷୟେ ମନ ନିଶ୍ଚଳେ ନିରୋଧି ।
ଗୁରୁ-ବାକ୍ୟେ ସାଧିବ ଯେ ବିଧାନ ସମ୍ପାଦି ॥ ୨୬୨ ॥
ଜାଗ୍ରତ ସ୍ୱପ୍ନ ମଧ୍ୟେ ଉଭୟ ଭୁବସ୍ଥାନେ ।
ପଞ୍ଚପ୍ରାଣ ନିରୋଧ କରିବ ତ‌ତ୍ତ୍ୱଜ୍ଞାନେ ॥ ୨୬୩ ॥
ବାହ୍ୟ-ଅନ୍ତେ ଜଳଘଟେ ଗଗନ ଯେସନେ ।
ସେହି ଭାବେ ସର୍ବ ଘଟେ ଦେଖ ଦିବ୍ୟଜ୍ଞାନେ ॥ ୨୬୪ାା
ନଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗଳେ ।
ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ ॥ ୨୬୫ାା
ଦ୍ୱାଦଶଦଳର ମଧ୍ୟେ ପଦ୍ମ ଯେ କେଶର ।
ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ରହେ ମଣ୍ତଳ ଆକାର ॥ ୨୬୬ ॥
ତାର ମଧ୍ୟେ ଧ୍ୟନ କରି ଚିନ୍ତ ଦିବୃରୂପ ।
ସର୍ବ-ଭୂତାଶ୍ରୟ ଯେ ପୁରୁଷୋତ୍ତମ-କଳ୍ପ ॥ ୨୬୭ ॥
ସେହି ସ୍ଥାନେ ବସ ତୁ ଆସନ ଦୃଢ଼ କରି ।
ଦ୍ୱାଦଶ-ଅକ୍ଷର-ମନ୍ତ୍ର ଜପ ହୃଦେ ଧରି ॥ ୨୬୮ ॥
ଓଁକାର ପ୍ରଥମେ ଭାଗବତ ନାମ ଧରି ।
ନମୋ ବାସୁଦେବାୟ ତୁ ନିଶ୍ଚଳେ ଉଚ୍ଚାରି ॥ ୨୬୯ ॥
ଦ୍ୱାଦଶ-ଅକ୍ଷର ମନ୍ତ୍ରରାଜ ଏ ବୋଲାଇ ।
ଏହି ମନ୍ତ୍ର ଜପିଲେ ପ୍ରସନ୍ନ ଭାବଗ୍ରାହୀ ॥ ୨୭୦ ॥
ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୁବ ମନୁ ।
ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ ॥ ୨୭୧ ॥
ତାହାରେ ସନ୍ତୋଷ ଯେ ହୋଇଲେ ବାସୁଦେବ ।
ଯାର ଭାବେ ସାଧ୍ୟ କଲା ସଂସାର-ବିଭବ ॥ ୨୭୨ ॥
ଏହି ମନ୍ତ୍ର ଜପ କର ଏକଚିତ୍ତ ହୋଇ ।
ଅନ୍ତର୍ଦ୍ଧାନେ ଗଲେ ମୁନି ଉପଦେଶ ଦେଇ ॥ ୨୭୩ ॥
ମୁନିଙ୍କର ଉପଦେଶ ହୃଦରେ ସୁମରି ।
ହରିଭକ୍ତ-ଜନ-ଅର୍ଥେ କହିଲି ବିସ୍ତାରି ॥ ୨୭୪ ॥
ସାଧୁଜନେ ଏହିଭାବେ ଦୃଢ଼କର ଚିତ୍ତ ।
ସଂସାର-ନିସ୍ତାରେ କହେ ଦାସ ଜଗନ୍ନାଥ ॥ ୨୭୫ ॥
ଇତିଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବଚରିତେ ଅଷ୍ଟମୋଽଧ୍ୟାୟଃ ।

ନବମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଘୋରବନେ ଅନ୍ତର୍ଦ୍ଧାନେ ଯାନ୍ତେ ମୁନିଗଣେ ।
ଅନ୍ତରୀକ୍ଷ-ବାଣୀ ତାକୁ ଶୁଭିଲା ଗଗନେ ॥ ୧ ॥
ମଧୁବନ କାଳିନ୍ଦୀ ଦକ୍ଷିଣ-ତଟେ ରହି ।
ନିଶ୍ଚଳ-ଆସନେ ମନ୍ତ୍ର ଜପ କର ତୁହି ॥ ୨ ॥
ଅନ୍ତରୀକ୍ଷ-ବଚନ ଶୁଣିଲା ଯହୁଁ କର୍ଣ୍ଣେ ।
ନିଶ୍ଚଳ-ଆସନେ ଚିତ୍ତ ନିବେଶି ଗଗନେ ॥ ୩ ॥
ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେ ।
ସେ ଆସନ ତେଜି ଧ୍ରୁବ ଚଳିଲା ତୁରିତେ ॥ ୪ ॥
କୃତକୃତ୍ୟ ହୋଇ ସେ ବାଳକ ଅରକ୍ଷିତ ।
ସେ ବନୁ ଚଳିଲା ଧ୍ରୁବ କିଛି ଦୂର ପଥ ॥ ୫ ॥
ନିର୍ଜନ-ବନସ୍ତେ ଯେ ଯମୁନା-ତଟେ ଯାଇ ।
ଅନ୍ତରୀକ୍ଷ-ବାଣୀ ଚିନ୍ତେ ଗଗନକୁ ଚାହିଁ ॥ ୬ ॥
ମଧୁନାମେ ଦୈତ୍ୟ-ଅଧପତି ତହିଁ ଥିଲା ।
ସେ କାରଣୁ ମଧୁବନ ନାମ ସେ ହୋଇଲା ॥ ୭ ॥
ବିଷ୍ଣୁ-ସନ୍ନିଧାନେ ସେ ହାରିଲା ଯୁଗେ ଯୁଗେ ।
ତାର ପୁତ୍ର ଲବଣ ଯେ ଥିଲା ବନଭାବେ ॥ ୮ ॥
ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧର ।
ଗ୍ରାମ ବସାଇଲେ ନାମ ମଥୁରାନଗର ॥ ୯ ॥
ସର୍ବପାପ ହରଇ ଯମୁନାଜଳ ଯହିଁ ।
ତାର ତୀରେ ନିଶ୍ଚଳେ ବସିଲା ଧ୍ରୁବ ଯାଇ ॥ ୧୦ ॥
ମୁନିଙ୍କର ଉପଦେଶ ସୁମରି ନିଶ୍ଚଳେ ।
ଯମୁନାର ସମୀପେ କଦମ୍ବ ବୃକ୍ଷ ମୂଳେ ॥ ୧୧ ॥
ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା
ହରି ଅନୁଗ୍ରହେ ମନ ନିଶ୍ଚଳ ରହିଲା ॥ ୧୨ ॥
ଅଶେଷ ଦେବ ଈଶ୍ୱର ବିଷ୍ଣୁତା ହୃଦୟେ ।
ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ ॥ ୧୩ ॥
ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ ।
ସର୍ବଗତେ ସର୍ବଭାବେ ସର୍ବ ଜୀବମୟେ ॥ ୧୪ ॥
ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି ।
ବିଷ୍ଣୁର ଚରଣେ ଚିତ୍ତ ଅତି ଦୃଢେ ଧରି ॥ ୧୫ ॥
ମନେ ବିଚାରଇ ଏ ଆସନେ କାର୍ଯ୍ୟ ନାହିଁ ।
ଉର୍ଦ୍ଧ୍ୱ‌ମୁଖେ ଉର୍ଦ୍ଧ୍ୱବାହୁ ତପ ସାଧିବଇଁ ॥ ୧୬ ॥
ଏମନ୍ତ ବିଚାରି ସେ ଆସନୁ ଉତୁରିଲା ।
ଦକ୍ଷିଣଚରଣ ସେ ଧରଣୀ-ପୃଷ୍ଠେ ଦେଲା ॥ ୧୭ ॥
ସର୍ବଭୂତଧାତ୍ରୀ କମ୍ପେ ଧ୍ରୁବପାଦଭରେ ।
ବନଗିରି-ଜଳଧି ସହିତେ ଯା ଶରୀରେ ॥ ୧୮ ॥
ବାମପାଦ-ଅଙ୍ଗୁଷ୍ଠ-ଅଗ୍ରରେ ଭରଦେଇ ।
ବାମଜାନୁ ଉପରେ ଦକ୍ଷିଣ-ପାଦ ଥୋଇ ॥ ୧୯ ॥
ପାଦର ଅଙ୍ଗୁଷ୍ଠେ ଧ୍ରୁବ ନିଶ୍ଚଳେ ରହିଲା ।
ଧ୍ରୁବର ଚରଣ-ଭରେ ଅବନୀ କମ୍ପିଲା ॥ ୨୦ ॥
ପର୍ବତ-କାନନ ଆଦି ଜଳଧି ସହିତେ ।
କମ୍ପଇ ଧରଣୀ ରମ୍ଭାପତ୍ର ଯେହ୍ନେ ବାତେ ॥ ୨୧ ॥
ଦଶଦିଗ କମ୍ପିଲା କମ୍ପିଲେ ଦିଗପାଳେ ।
ଦେବଙ୍କର ବିମାନ କମ୍ପିଳା ଅନ୍ତରାଳେ ॥ ୨୨ ॥
ଯମ ଆଦି ଦେବଗଣ ପରମ-ଆକୁଳେ ।
ଇନ୍ଦ୍ରର ସହିତେ ବସି ଚିନ୍ତିଲେ ସକଳେ ॥ ୨୩ ॥
ବିଚାରନ୍ତି ଧ୍ରୁବର ତପସ୍ୟା ଭଗ୍ନ କଲେ ।
ତେବେ ନିଜ ଅଧିକାରେ ରହିବା ନିଶ୍ଚଳେ ॥ ୨୪ ॥
ଯଦ୍ୟପି ଏହାର ତପ ରହିବ ନିଶ୍ଚଳ ।
ଚତୁର୍ଦ୍ଦଶ-ଲୋକେ ନାହିଁ କାହାରି କୁଶଳ ॥ ୨୫ ॥
ଏମନ୍ତ ବିଚାରି ଦେବେ ରହିଲେ ଚକିତେ ।
ଧ୍ରୁବର ନିଶ୍ଚଳ-ଧ୍ୟାନ କୃଷ୍ଣପାଦଗତେ ॥ ୨୬ ॥
ପରଂବ୍ରହ୍ମ ଅନାମୟ ବାସୁଦେବ-ମନ୍ତ୍ରେ ।
ଆଗମ ନିଗମ ମନ୍ତ୍ରେ ସ୍ତୁତିସ୍ତୋତ୍ର ଯେତେ ॥ ୨୭ ॥
ବାସୁଦେବ ପ୍ରାୟ ସେ ଜଗତକୁ ଦେଖଇ ।
ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ବହି ॥ ୨୮ ॥
ସର୍ବଭାବେ ସର୍ବଘାଟେ ଦେଖେ ହରି-ରୂପ ।
ସର୍ବଦିଗେ ଅନଳ-ପବନ ସର୍ବକଳ୍ପ ॥ ୨୯ ॥
ବନଗିରି କନ୍ଦରେ ଯେତେକ ପଶୁଯୂଥ ।
ବରୁଣ-ଭୁବନେ ଜଳଜନ୍ତୁ ଯେ ସମସ୍ତ ॥ ୩୦ ॥
ଅଶ୍ୱ ଗଜ ସହିତେ ରାଜାର ପୁରେ ଯେତେ ।
ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ ॥ ୩୧ ॥
ପାତାଳେ ଅନନ୍ତ ରୂପ ଗଗନେ ନକ୍ଷତ୍ର ।
ଏକରୂପେ ରୂପଭେଦ କେ କରିବ ଅନ୍ତ ॥ ୩୨ ॥
ଦେବଙ୍କର ଦେହେ ନିତ୍ୟେ ଯେ ହରି ବସଇ ।
ସର୍ବଭୂତେ ଏକଆତ୍ମା ଅନ୍ୟ ନ ଘଟଇ ॥ ୩୩ ॥
ବିଶ୍ୱବ୍ୟାପୀ ପୁରୁଷ ଗୋଚର କେବା କହୁ ।
ଏଣୁ ବ୍ୟାପୀ ଅଛଇଁ ଆକାଶ ପ୍ରାୟେ ସେହୁ ॥ ୩୪ ॥
ଏହି ଭାବେ ନାମ ଧରି ବିଷ୍ଣୁରେ ପୀରତି ।
ସର୍ବଭୂତେ ପୂରିଅଛି କେହି ନ ଦେଖନ୍ତି ॥ ୩୫ ॥
ସର୍ବଜନ୍ତୁ ହୃଦାକାଶେ ରବି ପ୍ରାୟେ ଦିଶେ ।
ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ ॥ ୩୬ ॥
ଯାହାର ଭକତଜନ ପ୍ରଳୟେ ନ ନାଶେ ।
ଏଣୁ ଏ ଅଚ୍ୟୁତନାମ ସର୍ବବେଦ ଘୋଷେ ॥ ୩୭ ॥
ଚରାଚର ବିଶ୍ୱଭାବେ ହୋଇ ଏ ବିଶ୍ୱାସେ ।
ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ ॥ ୩୮ ॥
ଧ୍ରୁବର ନୟନ ବିଷ୍ଣୁପାଦେ ଲୀନ ଗଲା ।
ଶ୍ରୃତିଯୁଗ ନୟନ ବିଷ୍ଣୁପାଦେ ଲୀନ ଗଲା ।
ଶ୍ରୁତିଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା ॥ ୩୯ ॥
ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେ ।
ବିଷ୍ଣୁ ପାଦପଦ୍ମ ଗନ୍ଧ ଚରିତ ବର୍ଣ୍ଣନେ ।
ବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଘ୍ରାଣେ ॥ ୪୦ ॥
ହସ୍ତ ବେନି ସେବା ଭାବେ ହୋଇଲେ ଅର୍ପିତ ।
ପଦଯୁଗ ଗୋବିନ୍ଦ-ଭକତେ ଉପଗତ ॥ ୪୧ ॥
ଚର୍ମ ଇନ୍ଦ୍ରି ରୋଧିଲା ପ୍ରସାଦ-ରସ-ରସେ ।
ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ ॥ ୪୨ ॥
ଶବଦ ସ୍ପରଶ ରସ ରୂପ ଗନ୍ଧ ଯେତେ ।
ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ ॥ ୪୩ ॥
ବାକ୍ୟ ପାଦ ପାଣି ଲିଙ୍ଗ ମୂଳାଧାର ଆଦି ।
ନିଶ୍ଚଳେ ରହିଲା ଧ୍ରୁବ ଯୋଗରେ ସନ୍ନିଧି ॥ ୪୪ ॥
ତାର ଘୋରତପ ତେଜେ ସର୍ବତେଜ ଲୀନ
ଅଗ୍ନି ସୁଧାକର ବାୟୁ ଆକାଶେ ତପନ ॥ ୪୫ ॥
ସର୍ବଜୀବ ଜଡମତ ଧ୍ରୁବ-ତେଜଭରେ ।
ଧ୍ରୁବ ତପେ ପୃଥ୍ୱୀ ଘୂରେ ମଣ୍ତଳ ଆକାରେ ॥ ୪୬ ॥
ନିର୍ମଳ ଶୀତଳ ଜଳ ନଦୀଏ ବହନ୍ତି ।
ମଦ ଶୀତ ଗନ୍ଧଗୁଣେ ପବନ ଚଳନ୍ତି ॥ ୪୭ ॥
ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରିଲୋକେ ।
ସର୍ବ ଲୀନ ହୋଇଲେ ସୁନୀତି-ପୁତ୍ର-ମୁଖେ ॥ ୪୮ ॥
ସମୀରଣ ବହେ ଯେ ଧ୍ରୁବର ଦେହେ ଲାଗି ।
ସେ ବାୟୁ ସ୍ପରଶେ ସର୍ବଦିଗ ସଉଭାଗୀ ॥ ୪୯ ॥
ଅଶେଷ-ଶବଦ ଘେନି ଗଗନ ନିଶ୍ଚଳେ ।
ଆଶ୍ରେ କରି ରହିଲେ ଧ୍ରୁବର କର୍ଣ୍ଣମୂଳେ ॥ ୫୦ ॥
ଭୂମି-ଆଦି ଧ୍ରୁବର ଶରୀର ପଞ୍ଚଭୂତେ ।
ନିଶ୍ଚଳେ ରହିଲେ ତପବଳର ଆୟତ୍ତେ ॥ ୫୧ ॥
ଧ୍ରୁବତପ ଦେଖିଣ ପବନ ବିଚାରଇ ।
ମୋର ଦର୍ପ ତପବଳେ ସହରିବ ଏହି ॥ ୫୨ ॥
ଏହାର ତପସ୍ୟା ଭଙ୍ଗେ ମୁହିଁ କ୍ଷମ ନୋହେ ।
ଏଣୁ କରି ଧ୍ରୁବ ଅଙ୍ଗେ ଶୀତଉଷ୍ଣେ ବହେ ॥ ୫୩ ॥
ଅପସରା ଗଣେ ଚାହିଁ ଧ୍ରୁବର ବଦନେ ।
ଅନ୍ୟୋଅନ୍ୟେ ସମ୍ଭ୍ରମେ କହନ୍ତି ଦୁଃଖମନେ ॥ ୫୪ ॥
ଯୁବାଜନଙ୍କର ଯୋଗ-ତପ ଆମ୍ଭେ ଗଞ୍ଜି ।
ଏ ବାଳକ ଚିତ୍ତେ କାହୁଁ ପାରିବା ନିମଜ୍ଜି ॥ ୫୫ ॥
କାମ-କ୍ରୋଧ ଅଛନ୍ତି ଯେ ଆମ୍ଭର ସଙ୍ଗତେ ।
କେହି ନ ପାରିବେ ପଶି ଏବାଳକ ଚିତ୍ତେ ॥ ୫୬ ॥
ତଦନ୍ତେ ସକଳ-ଦେବେ ଇନ୍ଦ୍ରମୁଖ ଚାହିଁ ।
ବୋଲନ୍ତି ସଂଭ୍ରମ-ଚିତ୍ତେ ଶିରେ କର ଦେଇ ॥ ୫୭ ॥
କି ବୁଦ୍ଧି କରିବା ଏବେ କହ ଦେବରାୟେ ।
ଧ୍ରୁବର ତପସ୍ୟା-ଭଙ୍ଗେ ନାହିଁକି ଉପାୟେ ॥ ୫୮ ॥
ମୂହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣି
ତପ-ଭଙ୍ଗ ନିମିତ୍ତ ଉପାୟ ମନେ ଗୁଣି ॥ ୫୯ ॥
ଇନ୍ଦ୍ର କହେ ସ୍ୱଭାବେ ବାଳକ ଦେହ ଧରି ।
ଭୟଙ୍କର ଭୂତ ଆଦି ଦେଖି ଅବା ଡରି ॥ ୬୦ ॥
ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି ।
ଅନ୍ୟ କିଛି ଉପାୟେ ନହେବ ଏହା ଭୀତି ॥ ୬୧ ॥
ଆସୁରୀ-ମାୟାରେ ଯେବେ ଭଙ୍ଗ କରିପାର
ନିଶ୍ଚୟେ ଭୂଞ୍ଜିବ ତୁମ୍ଭେ ଯେଝା ଅଧିକାର ॥ ୬୨ ॥
ସ୍ୱଭାବେ ବାଳକ ବସିଅଛି ଘୋରବନେ ।
ଅନ୍ୟଥା ଉପାୟ ନାହିଁ ତପ-ଉଚ୍ଚାଟନେ ॥ ୬୩ ॥
ଏମନ୍ତ ବିଚାରି ଯେ ଆସୁରୀ-ମାୟା ବଳେ ।
ନାନା ଭୟଙ୍କର ରୂପ ଧ୍ରୁବକୁ ବେଢ଼ିଲେ ॥ ୬୪ ॥
ଭୂତଗଣ ଧାଇଁଲେ ଭୀଷଣ ରୂପ ଧରି ।
ଲହ-ଲହ ଜିହ୍ୱା କଳକଳ ନାଦ କରି ॥ ୬୫ ॥
ଡାକିନୀ ସ୍ୱଭାବେ ରୂପ ଅତି ଭୟଙ୍କର ।
ନରମୁଣ୍ତେ ହସ୍ତେ କରି ରାବନ୍ତି ଅପାର ॥ ୬୬ ॥
ଉଲ୍ଳକ ଆକାର ଉଷ୍ଟ୍ର-ଖର ରୂପ ଧରି ।
ଲମ୍ବଗ୍ରୀବା ଶିର ପାଦ ବଦନ ବିସ୍ତାରି ॥ ୬୭ ॥
ଭୂମି-ଦନ୍ତାଘାତେ ତରୁ ଉଲ୍ଳୋଳ କରନ୍ତି ।
ବିକଟ-ଦଶନେ ବକ୍ରମୁଖ କେ କରନ୍ତି ॥ ୬୮ ॥
କେବା ତରୁ ଉପାଡିଣ ଭୂମିରେ ପିଟନ୍ତି ।
ଅତି ଆସ୍ଫାଳନେ ଧ୍ରୁବ ନିକଟେ ମିଳନ୍ତି ॥ ୬୯ ॥
ବୃଷଭ ଆକାରେ ତୀକ୍ଷ୍ଣ-ଶୃଙ୍ଗେ ଭୂବିଦାରି ।
ମନୋଜବେ ଧାମନ୍ତି ଉନ୍ମତ୍ତ-ରୂପଧରି ॥ ୭୦ ॥
ସର୍ବରୂପ ଧରି ଫଣା ଉଭାରନ୍ତି ବଳେ ।
ଲହଲହ ବେନିଜିହ୍ୱା ବୁଲାଇ ଚଞ୍ଚଳେ ॥ ୭୧ ॥
ଫୁ...ଫୁ... କରି ବିଷ କଣା ଜଳ ଦୃଷ୍ଟି ପ୍ରାୟେ ।
ଏ ରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ ॥ ୭୨ ॥
ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରି ।
ଉପାଡନ୍ତି କୋପଭରେ ଲାଙ୍ଗୁଳି ଉଭାରି ॥ ୭୩ ॥
ଭୂତଗଣେ ଧାମନ୍ତି ବିସ୍ତାରି ମହାକାୟେ ।
ବେନିପାଦ ଦିଶନ୍ତି ଖର୍ଜୁର ବୃକ୍ଷ ପ୍ରାୟେ ॥ ୭୪ ॥
ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନ ।
ନାସା ଅଗ୍ରେ ବହେ ଉନପଞ୍ଚାଶ ପବନ ॥ ୭୫ ॥
ଉଲ୍ଲୁକ ଆକାରେ ପୁଣି ଫୁ..ଫୁ. ନାଦ କରି ।
ହୃଦୟ କମ୍ପାଇ ଧ୍ରୁବ ନିକଟରେ ମିଳି ॥ ୭୬ ॥
ପିଶାଚେ ଧାବନ୍ତି ଭୟଙ୍କର ରୂପ ଧରି ।
ବାମେ ଛିନ୍ନଶିର ଦକ୍ଷେ ଖଡଗ ଉଭାରି ॥ ୭୭ ॥
ଅଗ୍ନି-ନାସା ମହାହନୁ କରାଳ-ଦଶନେ ।
ଧ୍ରୁବର ସମୀପେ ଯେ ମିଳିଲେ ଘୋରବନେ ॥ ୭୮ ॥
ବେନି ଶାଳବୃକ୍ଷ ବେନିକରେ ଉପାଡନ୍ତି ।
ଅନ୍ତକ-ପୁରୁଷ ପ୍ରାୟେ ନିକଟେ ମିଳନ୍ତି ॥ ୭୯ ॥
ଭୈରବ-ନାଦରେ ଯେ କରନ୍ତି ହୁଂହୁଂକାର ।
ସେ ନାଦ ଶୁଣିଲେ ଆତ୍ମା କମ୍ପେ ଥରହର ॥ ୮୦ ॥
ଡାକିନୀ ମିଳିଲେ ଯେ ହୁଙ୍କାର ନାଦ କରି ।
ରୋଦନ କରନ୍ତି ଶିଶୁ ବେନିପାଦ ଧରି ॥ ୮୧ ॥
ଧ୍ରୁବର ନିକଟେ ଅତିକୋ ସେ ମିଳିଲେ ।
ମୃଣାଳ ପ୍ରାୟେକ ଶିଶୁ-ମୁଣ୍ତ ଚୋବାଇଲେ ॥ ୮୨ ॥
ବଦନ ବିସ୍ତାରି ସେ ରୁଧିର ପାନ କରି ।
ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ ॥ ୮୩ ॥
ସୁଲଳିତ ପ୍ରାଣ ତୋର ଶୁଣରେ କୁମର ।
ସନ୍ତୋଷେ ରୁଧିର ପାନ କରିବି ତୋହର ॥ ୮୪ ॥
ଦଣ୍ତେ ଯଦି ରହିପାରୁ ମୋହର ଛାମୁର ।
ମୃଣାଳର ପ୍ରାୟେ ଅସ୍ଥି ଚୋବାଇବି ତୋର ॥ ୮୫ ॥
ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ ।
ଧ୍ରୁବ ଚାରିପାଶେ ଶୁଷ୍କକାଷ୍ଠ ରୁଣ୍ତକଲେ ॥ ୮୬ ॥
ଦାବାଗ୍ନି ଲଗାଇ ଯେ ବିଞ୍ଚନ୍ତି କର-ପତ୍ରେ ।
ବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ-ଗାତ୍ରେ ॥ ୮୭ ॥
ମଣ୍ତଳ ଆକାରେ ବୃକ୍ଷମାନ ଉପାଡ଼ନ୍ତି ।
ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି ॥ ୮୮ ॥
ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟି ।
ଅନ୍ୟେ ଅନ୍ୟେ ବୃକ୍ଷ ଧରି ଚାହାଁନ୍ତି ତରାଟି ॥ ୮୯ ॥
ଶତ ଶତ ଶୃଗାଳ ରାବନ୍ତି ଘନଘନେ ।
ଧ୍ରୁବପାଶେ ମିଳନ୍ତି ସେ କୁପିତ ଲୋଚନେ ॥ ୯୦ ॥
ପୁଣି ଏକ ଡାକିନୀ ସୁନୀତି ରୂପ ଧରି ।
ଧ୍ରୁବର ସମୀପେ ମିଳେ ମାତୃସ୍ନେହ ଭରି ॥ ୯୧ ॥
ହାହା ପୁତ୍ର ବୋଲି ବେନିକର ହୃଦେ ତାଡେ ।
କେଶ-ବାସ ଅସମ୍ଭାଳ ପୁଣ ପୁଣ ପଡେ ॥ ୯୨ ॥
ବହୁମାୟା ବିନିର୍ମିତ ଚାଟୁବାକ୍ୟ କହେ ।
ଜନନୀ ବାଳକ ଭାବେ କେହୁ ବା ତା ସହେ ॥ ୯୩ ॥
ଅତ୍ୟନ୍ତ କାରୁଣ୍ୟେ ପୁତ୍ରସ୍ନେହେ ସେ ରୋଦନ ।
ପୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ ॥ ୯୪ ॥
ତୁହି ମୋର ଏକପୁତ୍ର ସଙ୍ଗେ କେହି ନାହିଁ ।
କେବଳ ତୋହର ଧ୍ୟାନେ ପ୍ରାଣ ମୁଁ ଧରଇ ॥ ୯୫ ॥
ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ ।
ତୋର ବନଗମନେ ଅଜ୍ଞାନ ମୋର ଦେହୀ ॥ ୯୬ ॥
ତୋର ବିନୁ ମରଣ ନିକଟେ ମୋର ମିଳେ ।
କାଳସର୍ପ ପ୍ରାୟ ମୋତେ ନିରନ୍ତରେ ଜାଳେ ॥ ୯୭ ॥
ତୋହର ଉଦ୍ଦେଶ୍ୟେ ମୁଁ ଅନେକ-ଗ୍ରାମ-ପୁରେ ।
ଖୋଜି ନ ପାଇଲି ବଳା ଅନେକ ପ୍ରକାରେ ॥ ୯୮ ॥
ବନ-ଗିରି-କନ୍ଦର-ପାଟଣା-ପୁରେ ଖୋଜି
ପ୍ରାଣରକ୍ଷା କରଇ ଉଦକ-ପତ୍ର ଭୁଞ୍ଜି ॥ ୯୯ ॥
ଯେଉଁ ଦିନୁ ମୋର ପୁରୁ ହୋଇଲୁ ବାହାର ।
ନିତ୍ୟେ ଲୁହ ସ୍ରବଇ କଣ୍ଠରେ ହାହାକାର ॥ ୧୦୦ ॥
ଯେତେଦିନ ତୋହର ବିହୁନେ ଥିଲି ମୁହିଁ ।
ସପତ୍ନୀର ବଚନ ମୁଁ ନ ପାରଇ ସହି ॥ ୧୦୧ ॥
ଦାବାଗ୍ନି ଯେସନେ ବନ ଦହେ ଅତି ବଳେ ।
ମୋର ପ୍ରାଣ ଦହିଲା ସପତ୍ନୀ ବାକ୍ୟାନଳେ ॥ ୧୦୨ ॥
ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି ।
ଶୟନ-ଭୋଜନ-ପାନ କିଛି ହିଁ ନ ଇଚ୍ଛି ॥ ୧୦୩ ॥
ରାତ୍ରିଦିନ ଯୋଗୀ ପ୍ରାୟେ କରେ ତୋତେ ଧ୍ୟାନ ।
ସ୍ୱପନେ ଦେଖଇ ମୁଁ ଯେ ତୋହର ବଦନ ॥ ୧୦୪ ॥
ତୋହର ବଦନ ପ୍ରତିଦିନ ମୁଁ ନ ଦେଖି ।
ତୋର ମୁଖ-ଧ୍ୟାନେ ମୋର ସ୍ରବେ ବେନିଆଖି ॥ ୧୦୫ ॥
ତୋହର ମଧୁର-ବାକ୍ୟ ଶୁଭେ ମୋର କର୍ଣ୍ଣେ ।
ଏବେ ମୋତେ ନ ରୁଚଇ କୋକିଳ ବଚନେ ॥ ୧୦୬ ॥
ତୋର ଅଙ୍ଗ-ସଙ୍ଗ-ଧୂଳି ମୋ ଅଙ୍ଗେ ଧୂସର ।
ଶୀତଳ-ତପତ ମୋତେ ନ ବାଧେ ଶରୀର ॥ ୧୦୭ ॥
କେତେ ବନଗିରି ଯେ ସରିତ ସର କୂଳେ ।
ଭ୍ରମୁଅଛି ରାତ୍ରଦିବା ତୋହର ବିକଳେ ॥ ୧୦୮ ॥
ତୋତେ ନ ଦେଖିଲେ ମୋର ହୋଇବ ମରଣ ।
ଅନ୍ତର୍ଗତ-ଅନଳେ ଦହଇ ରାତ୍ରଦିନ ॥ ୧୦୯ ॥
ଚରଣ ଚାଲିବା ମୋ ବିବର୍ଣ୍ଣ ଦେଖ ବଳା ।
ସ୍ୱଭାବେ ରକ୍ତିମା ଥିଲା ଏବେ ଦେଖ କଳା ॥ ୧୧୦ ॥
ଧ୍ରୁବ ବିନୁ ଅଧ୍ରୁବ ଦେଖଇ ବିଶ୍ୱ ମୁହିଁ ।
ଅନ୍ଧକାର ଦଶଦିଶ କିଛି ନ ଦିଶଇ ॥ ୧୧୧ ॥
ନିତ୍ୟେ ଡାକ ହେଉ ଧାତା ରଖ ମୋର ପ୍ରାଣ ।
ଧ୍ରୁବ ଘେନି ତୋର ପାଦେ ପଶିଲି ଶରଣ ॥ ୧୧୨ ॥
ତୁ ମୋର ଅନ୍ଧରଯଷ୍ଟି ଦେଖ ପୁତ୍ର ମୁଖ ।
ପୁତ୍ରକୁ ଉଦରେ ଧରି ପାଉଅଛି ଦୁଃଖ ॥ ୧୧୩ ॥
ତୋର ଅଙ୍ଗ ସୁକୋମଳ ବାହୁ ସୁଲଳିତ ।
ବାବୁ ଏ ଦାରୁଣ-ତପ କଲୁ ବିପରୀତ ॥ ୧୧୪ ॥
ଦୁଷ୍କର ସାଧନ ତପ ଅତି ଗୁରୁତର ।
କର୍ମସାଧ୍ୟ ପୁରୁଷକୁ ଅଟଇ ସୁନ୍ଦର ॥ ୧୧୫ ॥
ଅଳ୍ପଲୋକେ କର୍ମ ସାଧ୍ୟ କେବେହେଁ ନୁହଇ ।
ନଜାଣି ଦୁଃସହ-କର୍ମ କିମ୍ପା ଭୁଞ୍ଜୁ ତୁହି ॥ ୧୧୬ ॥
ସୁଲକ୍ଷଣ-ତନୁ ତୋର ସ୍ୱଭାବେ ସୁନ୍ଦର ।
ରାଜ-ଅଇଶ୍ୱର୍ଯ୍ୟ-ଭୋଗ ତୋତେ ନୁହେ ଦୂର ॥ ୧୧୭ ॥
ଏ ବାଳ-ବୟସେ ତୋର ଖେଡ ନିରନ୍ତର ।
ସାତ-ପାଞ୍ଚ ବାଳକର ସଙ୍ଗତେ ବିହାର ॥ ୧୧୮ ॥
କୁମାର-ବୟସେ ବିଦ୍ୟା ଅଭ୍ୟାସ କାରଣେ ।
ନାନା-ତର୍କ-ବିତର୍କ ଶବଦ-ଉଚାରଣେ ॥ ୧୧୯ ॥
ପୁଣି ବିଶ୍ୱ ସଂସାରେ ସ୍ୱଧର୍ମ-କର୍ମ କରି ।
କୁଳ-ଶୀଳ-ଶୁଚିଯୁକ୍ତା କନ୍ୟୃା ଘରେ ବରି ॥ ୧୨୦ ॥
ଧର୍ମ-ଧନ ସଞ୍ଚୟ ସନ୍ତତି ଜନ୍ମ କରି ।
ବିଷୟ-ସମ୍ମୋହେ ଚିତ୍ତ ଅତି ଦୃଢ଼େ ଧରି ॥ ୧୨୧ ॥
ନାନା-ସୁଖେ ଭୋଗ କରି ଇନ୍ଦ୍ରିୟ ରୋଧନେ ।
ପଞ୍ଚାଶ-ବରଷେ ପୁଣି ପ୍ରବେଶିବୁ ବନେ ॥ ୧୨୨ ॥
ନାନା-ଧର୍ମ ତପ ସାଧ୍ୟ କରି ବନବାସେ ।
ସନ୍ନ୍ୟାସ-ଗ୍ରହଣେ ଚିତ୍ତ ଯୋଗର ଅଭ୍ୟାସେ ॥ ୧୨୩ ॥
ଏ ଜନ୍ମ-ମରଣ ଭାବ ଚିତ୍ତେ ପରିମାଣି ।
ନିର୍ବିକାର-ବ୍ରହ୍ମରୂପେ ପ୍ରବେଶନ୍ତି ପ୍ରାଣୀ ॥ ୧୨୪ ॥
ସଂସାରର ଧର୍ମ ଏ ଯେ ପରମ-କାରଣ ।
ଏ ମୋର ବଚନ ପୁତ୍ର ସାବଧାନେ ଶୁଣ ॥ ୧୨୫ ॥
ବାଲ୍ୟକାଳେ ତପସାଧି ସିଦ୍ଧ ନୋହେ କେବେ ।
ଚିତ୍ତ-ବୃତ୍ତି ଅତିଶୟ ସଚଞ୍ଚଳ ଯେବେ ॥ ୧୨୬ ॥
ଶତ୍ରୁ-ପରାଭାବେ ଯେବେ ତପ ସାଧ୍ୟ କରେ ।
ହିଂସା-ଫଳ ଲଭେ ପ୍ରାଣୀ କେବେ ହେଁ ନ ତରେ ॥ ୧୨୭ ॥
ଅଧର୍ମ-ତପ-ନିବୃତ୍ତି ହୁଅ ଏବେ ସୁତ ।
ଏ ସ୍ୱଭାବେ ନୁହେଁ ଧର୍ମ ସାଧୁଙ୍କର ମତ ॥ ୧୨୮ ॥
ଏମନ୍ତ ବଚନ ଯହୁଁ ମାତୃଭାବେ ଶୁଣି ।
ସମାଧି-ଯୋଗରେ ଧ୍ରୁବ ମନେମନେ ଗୁଣି ॥ ୧୨୯ ॥
ବିଚାରଇ ଜନନୀ ଏ ନୋହଇ ମୋହର ।
ନିଶ୍ଚୟେ ଜାଣିଲି ଏ ଆସୁରୀ-ମାୟା ଘୋର ॥ ୧୩୦ ॥
ଏମନ୍ତ ବିଚାରି ମନ-ନିଶ୍ଚଳେ ରହିଲା ।
ରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା ॥ ୧୩୧ ॥
ସମସ୍ତ ଦେବତା ମିଳି ଇନ୍ଦ୍ରର ବଚନେ ।
ଯେତେ-ମାୟା ପ୍ରାକଶିଲେ ଧ୍ରୁବ ସନ୍ନିଧାନେ ॥ ୧୩୨ ॥
ଧ୍ରୁବ-ତପ-ଭଙ୍ଗେ କେହି ସମର୍ଥ ନୋହିଲେ ।
ବିଷ୍ଣୁ-ଚକ୍ର-ତେଜ ଧ୍ରୁବ ନିକଟେ ଦେଖିଲେ ॥ ୧୩୩ ॥
ସକଳେ ଭାଜିଲେ ତେଜ ଦେଖି ଧ୍ରୁବଦେହେ ।
ନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ ॥ ୧୩୪ ॥
ସର୍ବଭୂତେ ଧ୍ରୁବର ଚରଣେ ପ୍ରଣମିଲେ ।
ବ୍ୟର୍ଥ-ମନୋରଥେ ନିଜ ଭୁବନେ ମିଳିଲେ ॥ ୧୩୫ ॥
ଇନ୍ଦ୍ର-ଆଦି ଦିଗପାଳେ ଭୂତବଳ ଭଗ୍ନେ ।
ପୁଣି ବିଚାରନ୍ତି ବସି ବିଘ୍ନ-ଅନୁମାନେ । ୧୩୬ ॥
ବିଘ୍ନ କରି ନ ପାରି ସକଳ ଦେବଗଣେ ।
ଶରଣ ପଶିଲେ ଯାଇ ଶ୍ରୀହରି ଚରଣେ ॥ ୧୩୭ ॥
ନାରାୟଣ ଚରଣେ ମନିଲେ ଦେବଗଣ ।
ଦେଖି ହରି ପ୍ରଶ୍ନ କଲେ ଗମନ କାରଣ ॥ ୧୩୮ ॥
ଗୋବିନ୍ଦ ବଚନ ଶୁଣି ଶିରେ କରଯୋଡି ।
ଦେବଗଣେ କହନ୍ତି ଚରଣତଳେ ପଡି ॥ ୧୩୯ ॥

ଗଣ-ଉବାଚ

ଉତ୍ତାନ ପାଦର ପୁତ୍ର ଧ୍ରୁବ ତପ-ବଳେ
ସମୁଦ୍ର-ଗିରି ସହିତେ ଧରଣୀ କମ୍ପିଲେ ॥ ୧୪୦ ॥
ଆମ୍ଭେ ରହି ନ ପାରିଲୁ ଗଗନ-ମଣ୍ତଳେ ।
ତାର ତପେ କମ୍ପିଲେ ସକଳ-ଦିଗପାଳେ ॥ ୧୪୧ ॥
ତ୍ରୈଲୋକ୍ୟ ସକଳେ କେହି ନ ପାରିଲୁ ରହି ।
ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ ॥ ୧୪୨ ॥

ମୈତ୍ରେୟ ଉବାଚ

ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି ।
ଅଧୋମୁଖେ ହରଷେ ରହିଲେ ଚକ୍ରପାଣି ॥ ୧୪୩ ॥
ଧ୍ରୁବ-ତପେ ହୀନ-ତେଜ ଦେଖି ଦେବଗଣ ।
ହରଷେ କହନ୍ତି ଧ୍ରୁବ ତପର କାରଣ ॥ ୧୪୪ ॥

ଭଗବାନ ଉବାଚ

ମୋହର ବଚନ ଏବେ ଶୁଣ ଦେବଗଣେ ।
ଯେ ନିମିତ୍ତେ ଧ୍ରୁବ ତପ କରଇ ଅରଣ୍ୟେ ॥ ୧୪୫ ॥
ପିତା-ଜାନୁ-ଆରୋହଣେ ଧ୍ରୁବ ଇଚ୍ଛା କଲା ।
ତାହା ଦେଖି ମାତୃ-ସପତଣୀ ଝିଙ୍ଗାସିଲା ॥ ୧୪୬ ॥
ତାରବାକ୍ୟ-କୁଳିଶରେ ହୃଦୟେ ଦହିଲା ।
ମାତାର ବଚନେ ଧ୍ରୁବ ତପ ଅଚରିଲା ॥ ୧୪୭ ॥
ଘୋର-ତପବଳେ ତାକୁ ଆମ୍ଭେ ବର ଦେବୁ ।
ତ୍ରିଲୋକ ଉପରେ ନେଇ ଧ୍ରୁବେ ବସାଇବୁ ॥ ୧୪୮ ॥
ତୁମ୍ଭ ଅଧିକାରେ ପ୍ରୟୋଜନ ନାହିଁ ତାର ।
ନିଶ୍ଚିନ୍ତେ ଗମନ ଦେବେ କର ନିଜପୁର ॥ ୧୪୯ ॥
ବିଷ୍ଣୁ-ଭକ୍ତ-ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବ ।
କେବେ ହେଁ ଅପରବଳ ନ କରଇ ଖର୍ବ ॥ ୧୫୦ ॥
ତାର ତପ ଦେଖି କୋପ ନ କରିବ ଚିତ୍ତେ ।
ନିରତେ ରହିବ ସର୍ବପ୍ରାଣୀଙ୍କର ହିତେ ॥ ୧୫୧ ॥
ଆମ୍ଭର ଆଦେଶେ ଧ୍ରୁବ-ସ୍ଥାନେ ସେ ବସିବ ।
ତୁମ୍ଭ ଦିଗପାଳ-ପଦ ନିଶ୍ଚଳେ ରହିବ ॥ ୧୫୨ ॥

ମୈତ୍ରେୟ ଉବାଚ

ଏମନ୍ତ ବିଷ୍ଣୁର ବାକ୍ୟ ଶୁଣି ସାବଧାନେ ।
ନିଜପୁରେ ଦିଗପାଳେ ଗଲେ ତୋଷମନେ ॥ ୧୫୩ ॥
ଶୁକ କହେ ଶୁଣ ପରୀକ୍ଷିତ ନୃପମଣି ।
ଧ୍ରୁବତପେ ତାରେ ଦୟା କଲେ ଚକ୍ରପାଣି ॥ ୧୫୪ ॥
ଗରୁଡ ଆସନେ ବସି ଚତୁର୍ଭୁଜ ରୂପେ ।
କାତିନ୍ଦୀ-ତଟେ ମିଳିଲେ ଧ୍ରୁବର ସମୀପେ ॥ ୧୫୫ ॥
ମଧୁର-ବଚନେ କିବା ଅମୃତ-ବରଷେ ।
ସର୍ବଦେବ ଦେଖୁଛନ୍ତି ବିସ୍ମିତେ ଆକାଶେ ॥ ୧୫୬ ॥
ଧ୍ରୁବକୁ ଅନାଇ ହରି ପ୍ରସନ୍ନ-ବଦନେ ।
ତପ-ତେଜ-ଶାନ୍ତିକର ଅମୃତ ବଚନେ ॥ ୧୫୭ ॥

ଭଗବାନ ଉବାଚ

ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ ।
ତପିଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ ॥ ୧୫୮ ॥
ବାଳକ-ଶରୀର ତୋର ଅତି ସୁକୁମାର ।
କିମ୍ପା ବନବାସେ ତୋର ତପସ୍ୟ କଠୋର ॥ ୧୫୯ ॥
ଏମନ୍ତ ବଚନ ବିଷ୍ଣୁ ମୁଖୁ ଶୁଣି ଧ୍ରୁବ ।
କଠୋର-ସମାଧି ଛାଡି ବହେ ମୃଦୁ ଭାବ ॥ ୧୬୦ ॥
ଅମୃତ-ସମାନ ବିଷ୍ଣୁ ବଚନ ଶୁଣିଲା ।
ଉନ୍ମୀଳ-ଲୋଚନେ ଉର୍ଦ୍ଧ୍ୱ‌ମୁଖେ ଅନାଇଲା ॥ ୧୬୧ ॥
ଇନ୍ଦ୍ର-ନୀଳମଣି-ରୂପ ଗଗନେ ପ୍ରକାଶେ ।
ନୀଳୋତ୍ପଳ-ସମୂହ କି ଦିଶେ ଦଶଦିଶେ ॥ ୧୬୨ ॥
ଗଗନ-ମଣ୍ତଳ-ସରୋବର ପ୍ରାୟ ହୋଇ ।
ଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ ॥ ୧୬୩ ॥
କାଦମ୍ବିନୀ ମଧ୍ୟେ ଯେହ୍ନେ ଚପଳା ବିରାଜେ ।
ଦିବ୍ୟ-ସରୋବର କିବା ନୀଳୋତ୍ପଳ ସାଜେ ॥ ୧୬୪ ॥
ଅଗ୍ରତେ ଦେଖଇ ପୀତାମ୍ବର-ପରିଧାନ ।
ଆକାଶ-ମେରୁରେ ହେମ ବେଷ୍ଟିତ ଯେସନ ॥ ୧୬୫ ॥
ଯେଣେ ଧ୍ରୁବ ଚାହଁଇ ସେ ଉନ୍ମୀଳଲୋଚନେ ।
ସର୍ବଦିଗେ ବିରାଜନ୍ତି ଗରୁଡ ଆସନେ ॥ ୧୬୬ ॥
ଧ୍ରୁବ ବିଚାରଇ ବିଷ୍ଣୁ ରୂପ ଏ ପ୍ରମାଣ ।
ମନ୍ତ୍ରଦୀକ୍ଷା କାଳେ କହିଛନ୍ତି ମୁନିଗଣ ॥ ୧୬୭ ॥
ପୁଣି ଉଠି ପୁଣି ଲୋଟି କରଇ ରୋଦନ ।
ପିତାର ପ୍ରାୟେକ ମଣେ ବିଷ୍ଣୁ ଆଗମନ ॥ ୧୬୮ ॥
ବହୁକାଳ ପରେ ପିତା-ପୁତ୍ର ଦରଶନ ।
ବାଳକ ସ୍ୱଭାବେ ଧ୍ରୁବ କରଇ ରୋଦନ ॥ ୧୬୯ ॥
ବିଷ୍ଣୁ-ପାରିଷଦଗଣ ମିଳିଲେ ପ୍ରତ୍ୟକ୍ଷେ ।
ମଙ୍ଗଳ ଶବଦ ସ୍ତୁତି କରି ଅନ୍ତରୀକ୍ଷେ ॥ ୧୭୦ ॥
ସନନ୍ଦ ନାରଦ ସନକାଦି ମୁନି ଯେତେ ।
ସିଦ୍ଧଗଣ ସାଧ୍ୟଗଣ ଯୋଗୀନ୍ଦ୍ର ସମେତ ॥ ୧୭୧ ॥
ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେ ।
ଧ୍ରୁବକୁ ଧଇଲେ ପ୍ରଭୁ ତୋଳି ବେନିକରେ ॥ ୧୭୨ ॥
ଧୂଳିରେ ଧୂସର ତନୁ ଝାଡି ସ୍ନେହଭରେ ।
ବେନି-ଭୁଜେ ଆଲିଙ୍ଗିଲେ ପୁଲକ-ଶରୀରେ ॥ ୧୭୩ ॥
ବିଷ୍ଣୁକର ଲାଗି ଧ୍ରୁବ ତପ-ଦୁଃଖ ଗଲା ।
କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ କରି ଧ୍ୟାନ ।
ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ ॥ ୧୭୪ ॥
ସେ ହରି-ଚରଣେ ନିତ୍ୟେ କର ଦୃଢ଼ଭାବ ।
ଭକତି-ବୋଇତେ ଭବ-ସଂସାରୁ ତରିବ ॥ ୧୭୫ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଧ୍ରୁବଚରିତଂ ନାମ ନବମୋଽଧ୍ୟାୟଃ ।

ଦଶମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ବିଷ୍ଣୁ-କର ସ୍ପରଶେ ଧ୍ରୁବର ଧ୍ରୁବମତି ।
ଶ୍ରୀହରି ଚରଣ ଚାହିଁ ଆରମ୍ଭିଲା ସ୍ତୁତି ॥ ୧ ॥

ଧ୍ରୁବ ଉବାଚ

ହର ପ୍ରଜାପତି ଯା ଶରୀରୁ ଜାତ ହୋଇ ।
ପାଳନ-ସଂହାର କରେ ଯାର ଆଜ୍ଞା ପାଇ ॥ ୨ ॥
ତୁହି ସେ ହିରଣ୍ୟଦାତା ତୁ ହିରଣ୍ୟତ୍ରାତା ।
ନମସ୍ତେ ହିରଣ୍ୟରୂପ ସୁଖମୟ ଧାତା ॥ ୩ ॥
ହିରଣ୍ୟକଶ୍ୟପ ବପୁ ନଖେ ବିଦାରଣ ।
ମାୟାଭୂତଙ୍କର ଆତ୍ମା ବହୁ ତୁ କାରଣ ॥ ୪ ॥
ଏଣୁ ଭୂତଙ୍କର ଗତି-ପତି ରୂପ ହୋଇ ।
ସ୍ଥିତି ହେତୁ ବିଷ୍ଣୁ -ଗର୍ଭ ବିଷ୍ଣୁ ରୂପ ବହି ॥ ୫ ॥
ଶ୍ରୀକୃଷ୍ଣ ଜଳଦଶ୍ୟାମ ରୂପ ଯେ ତୋହର ।
ମହାଭାରା-ସହିଷ୍ଣୁ ତୁ କୂର୍ମରୂପ-ଧର ॥ ୬ ॥
ଅସୁର-ଅରଣ୍ୟେ ମହାଦାବାନଳ ରୂପେ ।
ଦୈତ୍ୟ-ଦ୍ରୁମ ଛେଦନେ କୁଠାର ବହୁ ଦର୍ପେ ॥ ୭ ॥
ଶାର୍ଙ୍ଗଧନୁ କରେ ଧରି ରିପୁବଳ ନାଶି ।
କୌମୋଦକୀ ଗଦା ତେଜେ କଉଣପ ଧ୍ୱଂସି ॥ ୮ ॥
ମହାଦନୁଜ ନାଶନେ ନନ୍ଦକ ଧାରଣ ।
ନମୋ ଲକ୍ଷ୍ମୀପତି ଦକ୍ଷକରେ ସୁଦର୍ଶନ ॥ ୯ ॥
ବାସୁଦେବ ନମୋ ନମୋ ଦେବକୀନନ୍ଦନ ।
ସଙ୍କର୍ଷଣ ଅନିରୁଦ୍ଧ ଅବ୍ୟକ୍ତ କାରଣ ॥ ୧୦ ॥
ନମୋନମୋ ଯଜ୍ଞେଶ୍ୱର ପରମକାରଣ ।
ନମସ୍ତେ ନମସ୍ତେ ପ୍ରଭୁ କେଶୀ ବିମର୍ଦ୍ଦନ ॥ ୧୧ ॥
କଂସ-ବିନାଶନ ଯେ ଚାଣୂର ପ୍ରାଣହାରୀ ।
ନିଗୂଢ଼-ବନ୍ଧନୁ ମାତା ପିତାଙ୍କୁ ଉଦ୍ଧରି ॥ ୧୨ ॥
ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତ ।
ମାଧବ ଉପେନ୍ଦ୍ର ଯେ କୈଟଭ-ପ୍ରାଣହତ ॥ ୧୩ ॥
ନାରାୟଣ ନରକ-ନାଶନ ପାପହାରୀ ।
ବାମନକୁ ନମୋ ନମ ନମୋ ଗଦାଧାରୀ ॥ ୧୪ ॥
ଅନନ୍ତାୟ ଅନନ୍ତ ଶୟନେ ବନମାଳୀ ।
ରୁକ୍ମିଣୀବଲ୍ଲଭ ରୁକୁ-ଦର୍ପ ହେଳେ ବଳି ॥ ୧୫ ॥
ଶିଶୁପାଳ ପ୍ରାଣହର ଅସୁରଦଳନ ।
ଦାନବ ଅନ୍ତକ ଜୟ କୃଷ୍ଣ ନାରାୟଣ ॥ ୧୬ ॥
ମୁକୁନ୍ଦ ପରମାନନ୍ଦ ନନ୍ଦ-ଗୋପବାଳ ।
ନମସ୍ତେ ପୁଣ୍ତରୀକାକ୍ଷ ଦନୁଜେନ୍ଦ୍ର କାଳ ॥ ୧୭ ॥
ନମୋ ଗୋପରୂପ-ଧର ବେଣୁବାଦ୍ୟକାରୀ ।
ଗୋପୀପ୍ରିୟ କେଶୀରିପୁ ଗୋବର୍ଦ୍ଧନଧାରୀ ॥ ୧୮ ॥
ରାମ ରଘୁନାଥ ଯେ ରାବଣ-ପ୍ରାଣହାରୀ ।
ବିଭୀଷଣ-ଶର ଅଭୟ-ପଦକାରୀ ॥ ୧୯ ॥
ଅଜୟ ତୁ ଜୟରୂପେ ରଣରଙ୍ଗେ ବୀର ।
ଯୋଗ ଆଦି କାଳକଳ୍ପେ ନାନାରୂପ ଧର ॥ ୨୦ ॥
ମାୟାବୀଙ୍କ ଗୁରୁ ଗଦା-ଚକ୍ର କରେ ଶୋହେ ।
ଦୈତ୍ୟଚକ୍ର-ବିମର୍ଦ୍ଦନ ବିଶ୍ୱରୂପ ବହେ ॥ ୨୧ ॥
ବଳେ ବଳଭଦ୍ର ନାମ ବଳାରାତି-ପ୍ରିୟ ।
ବଳିଯଜ୍ଞ ଭଞ୍ଜନ ଭକତ-ସ୍ନେହମୟ ॥ ୨୨ ॥
ରଣପ୍ରିୟ ହିରଣ୍ୟକଶିପୁ ବିଦାରଣ ।
ନମସ୍ତେ ପରମବ୍ରହ୍ମ ନମୋ ନାରାୟଣ ॥ ୨୩ ॥
ସତ୍ୟଗୁଣେ ଧର୍ମରୂପ ଧରୁ ଅନ୍ତରୀକ୍ଷେ ।
ସକଳ ଜଗତ-ଜୀବ ପାଳୁ ତୁ ପ୍ରତ୍ୟକ୍ଷେ ॥ ୨୪ ॥
ସହସ୍ର-ଶୀର୍ଷ ନମସ୍ତେ ସହସ୍ରବଦନ ।
ସହସ୍ର-ବାହୁ ନାସିକା ସହସ୍ର-ଶ୍ରବଣ ॥ ୨୫ ॥
ସର୍ବଭୂତ ଅନ୍ତଶ୍ଚକ୍ଷୁ ସହସ୍ର-ଚରଣ ।
ଦିବସେ କିରଣ ରୂପ ସହସ୍ର-କିରଣ ॥ ୨୬ ॥
ସହସ୍ର-ମୂରତି ଲକ୍ଷ୍ମୀକାନ୍ତ ଦିବ୍ୟଦେହ ।
ସୁଯଜ୍ଞ-ପୁରୁଷ ତୁ ସକଳ-ହବିର୍ବହ ॥ ୨୭ ॥
ତୋହର ସ୍ୱରୂପ ବେଦପୁରୁଷେ ଜାଣନ୍ତି ।
ବେଦପ୍ରିୟ ବୋଲି ତୋତେ କରୁଥାନ୍ତି ସ୍ତୁତି ॥ ୨୮ ॥
ଦେବଙ୍କ ବଚନେ ଦେବ ବେଦବିଦ୍ୟା ତୁହି ।
ସଦାଚାର-ମାର୍ଗେ ତୋର ଗମନ ଅଟଇ ॥ ୨୯ ॥
ନମୋ ବଇକୁଣ୍ଠ ରୂପ ବିକୁଣ୍ଠ-ନନ୍ଦନ ।
ବଇକୁଣ୍ଠବାସୀ ନିର୍ବିକାର ନିରଞ୍ଜନ ॥ ୩୦ ॥
ନମସ୍ତେ ଶ୍ରୀବିଷ୍ଣୁ ନମୋ ଗରୁଡ-ବାହନ ।
ବିଶ୍ୱକ୍‌ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ ॥ ୩୧ ॥
ତ୍ରିବିକ୍ରମ ପାଦେ ନମୋ ନମ ସତ୍ୟପ୍ରିୟ ।
ମାୟା ବିଶ୍ୱରୂପ ତୁ କେଶବ ଦିବ୍ୟଦେହ ॥ ୩୨ ॥
ନମ ତପସ୍କର ତପରୂପ ତୋ ଶରୀର ।
ତପଫଳ-ସିଦ୍ଧିଦାତା ତୁ ସେ ଦାମୋଦର ॥ ୩୩ ॥
ସ୍ତୁତିର ନିଧାନ ସ୍ତୁତି-ଦେବ ସ୍ତୁତିପ୍ରିୟ ।
ଭକ୍ତ-ସ୍ତୁତି-ନିହିତ ତୋହର ନିଜ ଦେହ ॥ ୩୪ ॥
ନମ ଶ୍ରୁତିପ୍ରିୟ ସତ୍ୟାଚାର ଜଗନ୍ନାଥ ।
ଶ୍ରୁତିଜ୍ଞାନ-ସମ୍ପାଦିତ ତୋର ନିଜ ଗାତ୍ର ॥ ୩୫ ॥
ଭକତବତ୍ସଳ କୃଷ୍ଣ ଜୟ ଯୁଗରୂପୀ ।
ଚତୁଃରୂପେ ଚଉଦଭୁବନେ ଦେହବ୍ୟାପୀ ॥ ୩୬ ॥
ଦେବଗଣ ମଧ୍ୟେ ତୁ ବୋଲାଉ ସୁନାସୀର ।
ନବଗ୍ରହ ମଧ୍ୟେ ତୁ ବୋଲାଉ ଦିବାକର ॥ ୩୭ ॥
ଚତୁର୍ଦ୍ଦଶ ଲୋକେ ବ୍ରହ୍ମଲୋକ ତୋ ଶରୀର ।
ସପତ-ଜଳଧି ମଧ୍ୟେ କ୍ଷୀରସିନ୍ଧୁ ସାର ॥ ୩୮ ॥
ନଦୀଙ୍କର ମଧ୍ୟେ ଗଙ୍ଗା ସର୍ବପାପହର ।
ସରୋବର ମଧ୍ୟେ ତୁହି ମାନସରୋବର ॥ ୩୯ ॥
ଗିରି ମଧ୍ୟେ ହିମାଳୟ ଏ ତୋହର ତନୁ ।
ଧେନୁଙ୍କ ମଧ୍ୟରେ ତୁ ବୋଲାଉ କାମଧେନୁ ॥ ୪୦ ॥
ଧାତୁ ମଧ୍ୟେ ସୁବର୍ଣ୍ଣ ସ୍ପଟିକ ପ୍ରାୟ ଦେହ ।
ପୁଷ୍ପଙ୍କର ମଧ୍ୟେ ନୀଳୋତ୍ପଳ ପ୍ରାୟେ କାୟ ॥ ୪୧ ॥
ସର୍ବଶାଖା ମଧ୍ୟେ ତୁ ଯେ ତୁଳସୀ ବୋଲାଉ ।
ଶିଳାଙ୍କର ମଧ୍ୟେ ଶାଳଗ୍ରାମ ରୂପ ବହୁ ॥ ୪୨ ॥
ମୁକ୍ତିକ୍ଷେତ୍ର ମଧ୍ୟେ ବାରାଣସୀ ତୋର ନାମ ।
ତୀର୍ଥଙ୍କର ମଧ୍ୟେ ତୁ ପ୍ରୟାଗ ନିଜ ଧାମ ॥ ୪୩ ॥
ବର୍ଣ୍ଣଙ୍କର ମଧ୍ୟେ ଶୁକ୍ଳବର୍ଣ୍ଣ ରୂପ ତୋର ।
ମନୁଷ୍ୟଙ୍କ ମଧ୍ୟେ ତୁ ବୋଲାଉ ବିପ୍ରବର ॥ ୪୪ ॥
ପକ୍ଷୀଙ୍କର ମଧ୍ୟେ ତୁ ବିନତାସୁତ ହରି ।
ବ୍ୟବହାରେ ରହୁ ତୁ ବଚନ ରୂପ ଧରି ॥ ୪୫ ॥
ବେଦବାକ୍ୟ ମଧ୍ୟେ ବ୍ରହ୍ମଭାଗ ତୋ ଶରୀର ।
ମନ୍ତ୍ରଙ୍କର ମଧ୍ୟରେ ତୁ ପ୍ରଣବ ଓଁକାର ॥ ୪୬ ॥
ଅକ୍ଷରଙ୍କ ମଧ୍ୟେ ତୁ ଅ କାର ଉଚ୍ଚାରଣ ।
ଯଜ୍ଞଙ୍କର ମଧ୍ୟେ ସୋମରୂପ ତୁ କାରଣ ॥ ୪୭ ॥
ପ୍ରଭାଙ୍କର ମଧ୍ୟେ ଅଗ୍ନିଦେବଙ୍କ ବଦନ ।
କ୍ଷମାବନ୍ତ ମଧ୍ୟେ ତୁମ୍ଭେ ଯେ ସର୍ବସହନ ॥ ୪୮ ॥
ଦାତାଙ୍କର ମଧ୍ୟେ ଘନରୂପୀ ଶୂନ୍ୟବାସୀ ।
ପବିତ୍ରଙ୍କ ମଧ୍ୟେ ତୁ ବୋଲାଉ ପୁଣ୍ୟରାଶି ॥ ୪୯ ॥
ସର୍ବଶସ୍ତ୍ର ମଧ୍ୟେ ଧନୁରୂପ ତୋ ଶରୀର ।
ବେଗବନ୍ତ ମଧ୍ୟେ ତୁମ୍ଭେ ବୋଲାଅ ସମୀର ॥ ୫୦ ॥
ଇନ୍ଦ୍ରିଗଣ ମଧ୍ୟରେ ତୁ ମନ ନିର୍ଚିକାର ।
ସର୍ବବ୍ୟାପୀ ମଧ୍ୟେ ବ୍ୟୋମ ଅତି ଅଗୋଚର ॥ ୫୧ ॥
ଆତ୍ମାଙ୍କର ମଧ୍ୟେ ତୁ ପରମଆତ୍ମା ହେଉ ।
ସର୍ବକର୍ମ ମଧ୍ୟେ ପୂର୍ବସନ୍ଦ୍ୟା ତୁ ବୋଲାଉ ॥ ୫୨ ॥
ଯଜ୍ଞ ମଧ୍ୟେ ଅଶ୍ୱମେଧ ନାମଦ ନିର୍ଭୟ ।
ଲାଭଙ୍କର ମଧୋ ପୁତ୍ରଲାତ ତୁ ଉଦୟ ॥ ୫୩ ॥
ଯୁଗଙ୍କର ମଧ୍ୟେ ତୁପ୍ରଥମ ସତ୍ୟଯୁଗ ।
ଷଡଋତୁ ମଧ୍ୟେ ତୁ ବସନ୍ତ ବଲଭୋଗ ॥ ୫୪ ॥
ପଞ୍ଚଦଶ-ତିଥି ମଧ୍ୟେ କୁହୁ ତୁ ବୋଲାଉ ।
ନକ୍ଷତ୍ରଙ୍କ ମଧ୍ୟେ ପୁଷ୍ୟା ରୂପେ ଉଦେ ହେଉ ॥ ୫୫ ॥
ପଞ୍ଚପର୍ବ ମଧ୍ୟେ ତୁ ବୋଲାଉ ସଙ୍କ୍ରମଣ ।
ଯୋଗେ ବ୍ୟତିପାତ ତୃଣ ମଧ୍ୟେ ଦର୍ଭ ପୁଣ ॥ ୫୬ ॥
ସର୍ବବୃକ୍ଷ ମଧ୍ୟେ ତୁ ଅଶ୍ୱତ୍ଥ ବାସୁଦେବ ।
ଲତାଙ୍କର ମଧ୍ୟେ ସୋମଲତା ପଦ୍ମନାଭ ॥ ୫୭ ॥
ସର୍ବମନ୍ତ୍ର ମଧ୍ୟେ ତୁ ପ୍ରଥମ ପ୍ରାଣାୟମ ।
ସର୍ବଲିଙ୍ଗ ମଧ୍ୟେ ବିଶ୍ୱେଶ୍ୱର ତୋର ନାମ ॥ ୫୮ ॥
ସର୍ବକର୍ମ ଉପରେ ନିର୍ବାଣଦାତା ତୁହି ।
ସର୍ବବୁଦ୍ଧି ମଧ୍ୟେ ଧର୍ମବୁଦ୍ଧି ତୁ ଗୋସାଇଁ ॥ ୫୯ ॥
ମିତ୍ର ମଧ୍ୟେ ପତ୍ନୀ ତୁହି ବନ୍ଧୁ ମଧ୍ୟେ ଧର୍ମ ।
ଚରାଚର ମଧ୍ୟେ ନାହିଁ ତୋହ ତହୁଁ ଆନ ॥ ୬୦ ॥
ତୁ ସେ ମାତାପିତା ବନ୍ଧୁ ତୁ ସେ ମହାଧନ ।
ସର୍ବ ସୁଖ ସମ୍ପଦ ତୁ ଜୀବର ଜୀବନ ॥ ୬୧ ॥
ତାହାକୁ ସେ କଥା ବୋଲି ଯହିଁ ତୋର ନାମ ।
ସେ ମନକୁ ମନ ବୋଲି ଯହିଁ ତୋର ଧ୍ୟାନ ॥ ୬୨ ॥
ଯେ କର୍ମ ତୋହର ଅର୍ଥେ କରି ସେହି କର୍ମ ।
ତାହା ଛାଡି ଅନ୍ୟମାର୍ଗେ ଯେତେ କରି ଭ୍ରମ ॥ ୬୩ ॥
ତୁମ୍ଭର ସ୍ମରଣକୁ ଯେ ବୋଲି ଘୋରତପ ।
ଧନ୍ୟ ଧନ୍ୟ ବୋଲି ଯେ ସେବନ୍ତି ତୋର ରୂପ ॥ ୬୪ ॥
ତୋର କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ବହି ।
ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ॥ ୬୫ ॥
ଯେତେବେଳେ ଧ୍ୟାନମତେ ହୃଦେ ରହୁ ତୁହି ।
ତେତେବେଳେ ଜୀବନର ସୁଫଳ ଫଳଇ ॥ ୬୬ ॥
ତବ ପାଦ-ଉଦକ ସକଳ-ବ୍ୟାଧି ହରେ ।
ଧର୍ମ-ଅର୍ଥ-କାମ-ମୋକ୍ଷ ଚତୁର୍ବର୍ଗ ସ୍ଫୁରେ ॥ ୬୭ ॥
ବହୁ-ଜନ୍ମାନ୍ତରେ ଯେ ଅର୍ଜିତ ପାପଫଳ ।
ତୋର ନାମେ ଦହେ ଯେହ୍ନେ ବନେ ଦାବାନଳ ॥ ୬୮ ॥
ବାସୁଦେବ-ସ୍ମରଣେ ଯାହାର ଅନ୍ୟ-ମତି ।
କେବେହେଁ ନ ଲଭେ ନାଥ ଆତ୍ମା ସଦଗତି ॥ ୬୯ ॥
ପ୍ରାଣୀଙ୍କର ମାୟାମୋହ ପ୍ରମାଦଟି ସେହି ।
କୃଷ୍ଣକଥା ଛାଡି ଅନ୍ୟେ ପୀରତି କରଇ ॥ ୭୦ ॥
ସେହିଟି ମଙ୍ଗଳ ମହାଧନ-ଅରଜନ ।
ଜୀବନର ସୁଗତିଟି ଗୋବିନ୍ଦ-କୀର୍ତ୍ତନ ॥ ୭୧ ॥
ଧର୍ମ-ଅର୍ଥ-କାମ-ମୋକ୍ଷ ହରି-ଉଚାରଣେ ।
ଯାବତ ଜୀବନ ରହେ ପରମ-କାରଣେ ॥ ୭୨ ॥
ଏହି ପାପ-ଦୁଃଖମୟ ଅନିତ୍ୟ ସଂସାରେ ।
ବାସୁଦେବ ସ୍ତୁତି ଛାଡି ଯେ ଅନ୍ୟ ଉଚ୍ଚାରେ ॥ ୭୩ ॥
ହରି ଆରାଧନ ଜ୍ଞାନ ଯେ କରେ ସଂସାରେ ।
ପୁତ୍ର ମିତ୍ର କଳତ୍ର ତା ମୋକ୍ଷ ଅଧିକାରେ ॥ ୭୪ ॥
କଳୁଷ ହରଇ ଆଧିବ୍ୟାଧି ନାଶ କରେ ।
ଧର୍ମଜ୍ଞାନ ପ୍ରସରଇ ଯେବା ଅନୁସରେ ॥ ୭୫ ॥
ତୋହୋର ଚରଣଯୁଗେ ଯେବା ଆଶ୍ରେ କରେ ।
ସାଧୁଜନ ପ୍ରସଙ୍ଗରେ ସର୍ବପାପହରେ ॥ ୭୬ ॥
ଅଜ୍ଞାନେ ଅନଳ ଯେହ୍ନେ ଶରୀର ଦହଇ ।
ବିମନେ ଶୁଣିଲେ ନାମ ଦୁରିତ ନାଶଇ ॥ ୭୭ ॥
ଏହିଟି ପରମଧର୍ମ ଏ ପରମତେଜ ।
ଯାର ଦେହେ ନିତ୍ୟେ ଲାଗେ ହରିପାଦରଜ ॥ ୭୮ ॥
ଭକ୍ତିଯୋଗେ ବିଷ୍ଣୁର ନିର୍ମାଲ୍ୟ ଯେ ଭକ୍ଷଇ ।
ଅଶେଷ କୋଟି ଜନ୍ମ ପାପକୁ ନାଶଇ ॥ ୭୯ ॥
ବିଷ୍ଣୁ-ପାଦୋଦକ ଶଙ୍ଖେ ଭରି ସ୍ନାନ କରେ ।
ଗଙ୍ଗାସ୍ନାନ ଦାଦ ଫଳ ଲଭଇ ସତ୍ୱରେ ॥ ୮୦ ॥
ଶାଳଗ୍ରାମ ଶିଳା ଯେ ତୁଳସୀ ଦଳେ ପୂଜେ ।
ପାରିଜାତ ମାଳା ହୃଦେ ବସେ ସ୍ୱର୍ଗରାଜ୍ୟେ ॥ ୮୧ ॥
ବିପ୍ର ଆଦି ଚାରିବର୍ଣ୍ଣ ଅନ୍ୟ ଜାତି ଯେତେ ।
ସକଳେ ପୂଜା କରନ୍ତି ବିଷ୍ଣୁର ଭକତେ ॥ ୮୨ ॥
ଶଙ୍ଖ-ବକ୍ରାଙ୍କିତ ଯାର ତନୁ ନିତ୍ୟେ ଶୋହେ ।
ଗୋପୀଚନ୍ଦନ ଅଙ୍କିତ ନିତ୍ୟେ ପାପ ଦହେ ॥ ୮୩ ॥
ନିତ୍ୟେ ହେ ଦ୍ୱାଦଶଚିତା ଚକ୍ରାଙ୍କିତ ତୁଲେ ।
ଅଚିନ୍ତ୍ୟ ବୈକୁଣ୍ଠପୁରେ ସ୍ଥାନ ଲଭେ ହେଳେ ॥ ୮୪ ॥
ତୁଳସୀବନ ଯେ ରୋପେ ବିଷ୍ଣୁପୂଜା ଅର୍ଥେ ।
ତାର ଗୃହେ ପ୍ରବେଶ ନ ହୋନ୍ତି ଯମଦୂତେ ॥ ୮୫ ॥
ନିରନ୍ତରେ ବୋଲଇ ଯେ ରାମ କୃଷ୍ଣ ହରି ।
ସାଧୁଜନ ଦେଖିଣ ଆନନ୍ଦେ ସବୋକରି ॥ ୮୬ ॥
ଲଲାଟେ ଗୋପୀଚନ୍ଦନ ମୁଖେ କୃଷ୍ଣ ହରି ।
ତୁଳସୀ-ମଞ୍ଜରୀମାଳା ଯେବା କଣ୍ଠେ ଧରି ॥ ୮୭ ॥
ଯମଦୂତେ ନୁହଁନ୍ତି ତାହାକୁ ଅଧିକାରୀ ।
ସ୍ୱାମୀର ବଚନ ଦୃଢ଼ଚିତ୍ତେ ଶିରେ ଧରି ॥ ୮୮ ॥
ଶ୍ରୀଗୋପୀଚନ୍ଦନ ଯେ ତୁଳସୀ ଶାଳଗ୍ରାମ ।
ଶଙ୍ଖ ଚକ୍ରାଙ୍କିତଶିଳା ସହିତେ ପଞ୍ଚମ ॥ ୮୯ ॥
ଏହି ପଞ୍ଚଦ୍ରବ୍ୟ ଯାର ନିତ୍ୟେ ରହେ ଗୃହେ ।
ତାହାକୁ ଦେଖନ୍ତେ ପାପ ବେଗେ ନାଶ ଯାଏ ॥ ୯୦ ॥
ଗୋବିନ୍ଦ ପରମାନନ୍ଦ ଶ୍ରୀମଧୁସୂଦନ ।
ତୋହର ଚରଣବିନୁ ନ ଜାଣଇ ଆନ ॥ ୯୧ ॥
ଜଳ ସ୍ଥଳ ପାତାଳ ସମୂହେ ନିରନ୍ତର ।
ବିଦ୍ୟାଧର ସୁରାସୁର ଗନ୍ଧର୍ବ କିନ୍ନର ॥ ୯୨ ॥
ତୃଣ ଗୁଳ୍ମ ଲତା ତରୁ ପାଷାଣ ସହିତେ ।
ସର୍ବତ୍ର ସମାନରୂପ ଦେଖୁ ଅବିରତେ ॥ ୯୩ ॥
ପ୍ରଣୀଦେହେ ଅନ୍ତର୍ଯ୍ୟାମୀ ରୂପେ ତୁମ୍ଭେ ଅଛ ।
ଏହି ରୂପେ ସର୍ବଦିଗେ ଦେଖଇ ପ୍ରତ୍ୟକ୍ଷ ॥ ୯୪ ॥
ଏଣୁ ତୋଚରଣେ ପୁଣପୁଣନମସ୍କାର ।
ବୁଡିଲି ମୋହସଂସାରେ ବାରେକ ଉଦ୍ଧର ॥ ୯୫ ॥
ନମାମି ଗୋବିନ୍ଦ ନାରାୟଣ ଦାମୋଦର ।
ବନମାଳୀ ବାସୁଦେବ ନମୁଁ ତୋ ପୟର ॥ ୯୬ ॥
ପାଦପଦ୍ମ ତଳେ ନାଥ ଶରଣ ମୁଁ ତୋର ।
ଏ ଭବସାଗରୁ ପ୍ରଭୁ ଉଦ୍ଧରିଣ ଧର ॥ ୯୭ ॥

ମୈତ୍ରେୟ ଉବାଚ

ଏତେ ସ୍ତୁତି କରି ଧ୍ରୁବ ମଉନେ ରହିଲା ।
ନିଶ୍ଚଳେ ଗୋବିନ୍ଦ-ପାଦେ ଚିତ୍ତ ସମର୍ପିଲା ॥ ୯୮ ॥
ତାହାର ଭକତିଭାବ ଗୋବିନ୍ଦ ଜାଣିଲେ ।
ଗରୁଡୁ ଉତୁରି ଧ୍ରୁବ ଛାମୁରେ ମିଳିଲେ ॥ ୯୯ ॥
ଧ୍ରୁବକୁ ଲଗାଇ ହୃଦେ କମଳାରମଣ ।
କହନ୍ତି ମଧୁରବାକ୍ୟେ ପ୍ରଭୁ ନାରାୟଣ ॥ ୧୦୦ ॥

ଶ୍ରୀଭଗବାନ ଉବାଚ

ଶୁଣ ହୋ ବାଳକ ମୁଁ ଜାଣଇ ତୋର ମନ ।
ଘୋରତପ କଲୁ ଶୁଣି ଜନନୀ-ବଚନ ॥ ୧୦୧ ॥
ତୋର ମନ-ବାଞ୍ଚିତ ଜାଣଈ ମୁହିଁ ଭଲେ ।
ଧ୍ରୁବଲୋକେ ବସାଇବି ଜନନୀର ତୁଲେ ॥ ୧୦୨ ॥
ଧ୍ରୁବଲୋକେ ଅଧିକାର ତୋହର ହୋଇଲା ।
କୋଟି-କଳ୍ପାନ୍ତରେ ଯାହା କେହି ନ ପାଇଲା ॥ ୧୦୩ ॥
ତୋର ପିତୃ-ପିତାମହେ ଅଗୋଚର ସ୍ଥାନ ।
ସେ ସ୍ଥାନେ ତୋ ବିନୁ ବାଳ ବସିବ କେ ଆନ ॥ ୧୦୪ ॥
ସ୍ୱର୍ଗଲୋକ ଉର୍ଦ୍ଧ୍ୱଦେଶେ ମହଲୋକ ତଳେ ।
ତ୍ରୈଲୋକ୍ୟ-ପ୍ରଳୟ କାଳେ ନ ଦହେ ଅନଳେ ॥ ୧୦୫ ॥
ଶିଶୁମାରଚକ୍ରେ ବସେ ଧ୍ରୁବ ଅଧିକାର ।
ଯେ ଚକ୍ର ଭ୍ରମନ୍ତେ ନିତ୍ୟେ ଭ୍ରମେ ଦିବାକର ॥ ୧୦୬ ॥
ଗ୍ରହ ଋକ୍ଷ ଋଷି ଚନ୍ଦ୍ର ତପନ ସହିତେ ।
ଦାମିନୀ ବନ୍ଧନେ ଛନ୍ତି ସମୀରଣ-ତନ୍ତ୍ରେ ॥ ୧୦୭ ॥
ସେହିସ୍ଥାନେ ଗ୍ରହଚକ୍ରେ ବସ ତୁ ନିଶ୍ଚିନ୍ତେ ।
କଳ୍ପ ସଂଖ୍ୟା ରହ ମନୋରଥ ପୂର୍ଣ୍ଣ ଅନ୍ତେ ॥ ୧୦୮ ॥
ପୂର୍ବେ ମହାଦେବ-ବରେ ସେ ସ୍ଥାନ ମୋହର ।
ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚିନ୍ତେ ଭୋଗ କର ॥ ୧୦୯ ॥
ମନୁ ଯାହା ନ ପାଇଲେ କି ଅନ୍ୟ ମାନବେ ।
ଜନନୀ ସହିତେ ବାଳ ସୁଖେ ଭୁଞ୍ଜ ଏବେ ॥ ୧୧୦ ॥
ପୂର୍ବେ ତୁହି ବ୍ରହ୍ମ-ପୁତ୍ର ରାଜପୁତ୍ର ସଙ୍ଗେ ।
ମିତ୍ରପଣେ ରହି ଚିତ୍ତ କଳ୍ପିଅଛୁ ଭୋଗେ ॥ ୧୧୧ ॥
ଏଣୁ ପୁଣ୍ୟବଳେ ରାଜକୁଳେ ହେଲୁ ଜନ୍ମ ।
ଏବେ ତପଫଳେ ଭୁଞ୍ଜ ସମ୍ପାଦିଲା କର୍ମ ॥ ୧୧୨ ॥
ଶୁଣ ଧ୍ରୁବ ଏକଚିତ୍ତେ କହିବଇଁ ତୋତେ ।
ତପସ୍ଥାନେ ରହି ସ୍ତୁତି କଲୁ ମୋତେ ଯେତେ ॥ ୧୧୩ ॥
ସର୍ବ-ସ୍ତୋତ୍ରଙ୍କର ରାଜ ଏ ସ୍ତୋତ୍ର ପ୍ରତ୍ୟକ୍ଷେ ।
ଯେ ନର ଏ ସ୍ତୁତି ପଢେ ମୋହର ସମକ୍ଷେ ॥ ୧୧୪ ॥
ତ୍ରିସନ୍ଧ୍ୟା ପଢନ୍ତି ଯେବା ନିତ୍ୟେ ଇଷ୍ଟ କରି ।
ତ୍ରିବିଧ-ପାତକବନ୍ଧୁ ବେଗେ ଯାନ୍ତି ତରି ॥ ୧୧୫ ॥
ତାହାର ଭୁବନ ଲକ୍ଷ୍ମୀ କେବେହେଁ ନ ତେଜେ ।
ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ ॥ ୧୧୬ ॥
ଏ ତୋହର ପୁଣ୍ୟସ୍ତୁତି ପାପ ବିନାଶିନୀ ।
ବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି ॥ ୧୧୭ ॥
ଶ୍ରଦ୍ଧାଯୁକ୍ତେ ମୋର ନାମ ଯେବା ନର ପଢେ ।
ସୁଖେ ମୋହଜଳୁ ତରେ କେବେହେଁ ନ ବୁଡେ ॥ ୧୧୮ ॥
ଗ୍ରହପୀଡା ମହାବ୍ୟାଧି ସର୍ବଦୁଃଖ ହରେ ।
ସର୍ବତୀର୍ଥ-ସ୍ନାନ ଫଳ ଲଭେ ବସି ଘରେ ॥ ୧୧୯ ॥
ଅପୁତ୍ରିକ ପୁତ୍ର ଯେ ନିର୍ଦ୍ଧନ ଧନ ଲଭେ ।
ଅଭକ୍ତ ଭକ୍ତି ଲଭଇ ତୋର ସ୍ତୁତି ଭାବେ ॥ ୧୨୦ ॥
ନାନାଦାନ ନାନାତପ ନାନାବ୍ରତ କରି ।
ଯେ ତୋହୋର ସ୍ତୁତି ପଢେ ମୋର ଭାବ ଭରି ॥ ୧୨୧ ॥
ଚତୁର୍ବର୍ଗମୁକ୍ତି ତାର କରତଳେ ରହି ।
ନିତ୍ୟେ ଯେ ଭଜନ୍ତି ମୋ ଚରଣେ ଚିତ୍ତ ଦେଇ ॥ ୧୨୨ ॥

ମୈତ୍ରେୟ ଉବାଚ

ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର ।
ସନ୍ତୋଷ ଧ୍ରୁବକୁ ଚାହିଁ ଯାଚି ଦ୍ୟନ୍ତି ବର ॥ ୧୨୩ ॥
ବୋଲନ୍ତି ମନୁର ବଂଶେ ଜନ୍ମ ଏ ତୋହର ।
ନରନାରାୟଣ ଦେବତାଙ୍କୁ ଅଗୋଚର ॥ ୧୨୪ ॥
ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ ।
ଆଧି-ବ୍ୟାଧି-ବର୍ଜିତ ଜୀବ ତୁ ସତ୍ୟଯୁଗ ॥ ୧୨୫ ॥
ଏ ଶରୀର ଘେନି ଧ୍ରୁବଲୋକେ ବସ ତୁହି ।
କଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ଲଇଁ ॥ ୧୨୬ ॥
ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନ ।
ଗରୁଡ-ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ ॥ ୧୨୭ ॥
ବିଷ୍ଣୁବର ପାଇ ସେ ଉତ୍ତାନପାଦ-ବଳା ।
ଦିବ୍ୟରୂପ ଧରି ନିଜ ଭୁବନେ ମିଳିଲା ॥ ୧୨୮ ॥
ଜନନୀ ଚରଣେ ସେବା କଲା ଅନୁକ୍ଷଣେ ।
ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ ॥ ୧୨୯ ॥
ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ ।
ଧ୍ରୁବର ମହିମା ଅବା କେ ଦାରିବ କହି ॥ ୧୩୦ ॥
ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନି ।
କହିଲେ ଧ୍ରୁବର କଥା ହରିଭାବ ଘେନି ॥ ୧୩୧ ॥
ବିଷ୍ଣୁପଦୀ-ତୀରେ ରହି ପରୀକ୍ଷିତ ଆଗେ ।
ଶୁକ ଭକ୍ତିଯୋଗ ଯେ କହିଲେ ଅନୁରାଗେ ॥ ୧୩୨ ॥
ଶ୍ରୀହରି-ଚରିତ ଏ ଅମୃତମୟ ରସ ।
ଭାଗବତ-ଗୀତ କହେ ଜଗନ୍ନାଥ ଦାସ ॥ ୧୩୩ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତଂ ନାମ ଦଶମୋଽଧ୍ୟାୟଃ ॥

ଏକାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନେ । ଧ୍ରୁବ ସମୀପେ ବୃନ୍ଦାବନେ ॥ ୧
ପ୍ରସନ୍ନେ କମଳା-ରମଣ । ବୋଇଲେ ଧ୍ରୁବ ଏବେ ଶୁଣ ॥ ୨

ଭଗବାନ ଉବାଚ

ତୋ ଜନ୍ମ ସ୍ୱାୟମ୍ବୁବ ଘରେ । ଉତ୍ତାନପାଦର ବୀର୍ଯ୍ୟରେ ॥ ୩
ଦେବେ ବାଞ୍ଛନ୍ତି ସ୍ୱର୍ଗେ ଯାହା । ତୁ ତା ଲଭିଲୁ ପୁଣ୍ୟଦେହା ॥ ୪
ଏବେ ତୁ ନିଜପୁରେ ଚଳ । ଚିତ୍ତେ ଆରାଧି ମୋର ବୋଲ ॥ ୫
ମାତୃ-ସପତ୍ନୀର ବଚନେ । ତପ ତୁ କଲୁ ବୃନ୍ଦାବନେ ॥ ୬
ଅତି-ବାଳକ ଦେହବହି । କୁବାକ୍ୟ ନ ପାରିଲୁ ସହି ॥ ୭
ପିତାର ଅଙ୍କେ ଆରୋହନ୍ତେ । ମାତା ଯେ ନିବାରିଲା ତୋତେ ॥ ୮
ସେ ଅପମାନେ ଦୁଃଖମନେ । ଏବେ ବସିବୁ ସ୍ୱର୍ଗସ୍ଥାନେ ॥ ୯
ତୋ ଭାଗ୍ୟ ନ ପାଇବେ କେହି । ମଞ୍ଚେ ମାନବ ଦେହ ବହି ॥ ୧୦
ତୋ ତାତ ଯେବେ ଯିବେ ବନେ । ବସିବୁ ନୃପତି ଆସନେ ॥ ୧୧
ତୋହର ପରମ-ଆୟୁଷ । ଛତିଶ ସହସ୍ର ବରଷ ॥ ୧୨
ନୀରୋଗ ଦେହେ ଭୋଗ ଭୁଞ୍ଜି । ସ୍ୱତେଜେ ରିପୁବଳ ଗଞ୍ଜି ॥ ୧୩
ଉତ୍ତମ ତୋର ସାନ ଭ୍ରାତ । ବନେ ହୋଇବ ପ୍ରାଣେ ହତ ॥ ୧୪
ମୃଗୟା ଅର୍ଥେ ଘୋରବନେ । ମିଳିବ କୁବର ଭୁବନେ ॥ ୧୫
ପୁଣ୍ୟଜନଙ୍କ ସଙ୍ଗେ ମିଳି । ଯୁଦ୍ଧେ ହାରିବ ମହାବଳୀ ॥ ୧୬
ତହିଁ ହୋଇବ ପ୍ରାଣେ ହତ । ତା ଶୁଣି ତାର ନିଜମାତ ॥ ୧୭
ସେ ପୁତ୍ର ଶୋକର ବିକଳେ । ବନେ ମରିବ ଦାବାନଳେ ॥ ୧୮
ତୁ ମୋତେ ଯଜ୍ଞେ କରି ପୂଜା । ଦେବଙ୍କୁ ଦେଇ ବଳି ଭୋଜା ॥ ୧୯
ବିପ୍ରଙ୍କୁ କରି ତୋଷମନ । ଗୋରୁ ଦକ୍ଷିଣା ଧନ ଅନ୍ନ ॥ ୨୦
ବିପ୍ରଙ୍କ କଲ୍ୟାଣର ଫଳେ । ମୋତେ ସ୍ମରିବୁ ଅନ୍ତଃକାଳେ ॥ ୨୧
ମୋହର ଧ୍ୟାନେ ସ୍ୱର୍ଗପଥେ । ଗମିବୁ ଜନନୀ ସହିତେ ॥ ୨୨
ସପ୍ତଋଷିଙ୍କ ଉଦ୍ଧ୍ୱର୍ଗତେ । ଜନନୀ ସଙ୍ଗେ ଦିବ୍ୟରଥେ ॥ ୨୩
ବସିବୁ ଶିଶୁମାରପୁଚ୍ଛେ । ଉତ୍ତରଦିଗେ ତୁ ପ୍ରତ୍ୟକ୍ଷେ ॥ ୨୪
ଏମନ୍ତ କହି ଭଗବାନ । ବନେ ହୋଇଲେ ଅନ୍ତର୍ଦ୍ଧାନ ॥ ୨୫
ବିଷ୍ଣୁ ନ ଦେଖି ବୃନ୍ଦାବନେ । ଧ୍ରୁବ ଭାଳଇ ମନ ଛନ୍ନେ ॥ ୨୬
ଦେଖ ଅଭାଗ୍ୟ କର୍ମ ମୋର । ତପେ ତୋଷିଲି ଚକ୍ରଧର ॥ ୨୭
ଜନନୀ-ସପତ୍ନୀର ଛଳେ । ମୋକ୍ଷ ନ ମାଗିବିଷ୍ଣୁ ତୁଲେ ॥ ୨୮
ଲଭିଲି ଧ୍ରୁବ-ଅଧିକାର । ଧିକ ଏ ଜୀବନ ମୋହର ॥ ୨୯
ଏମନ୍ତ ମନେ ବିଚାରିଲା । ତକ୍ଷଣେ ନିଜପୁରେ ଗଲା ॥ ୩୦
ମୈତ୍ରେୟ ତହୁଁ ଏହାଶୁଣି । ବିଦୁର ପଚାରଇ ପୁଣି ॥ ୩୧

ବିଦୁର ଉବାଚ

ଯେ ହରି ପରମ-ଦୁର୍ଲଭ । ଲଭି ନ ପାରେ ବ୍ରହ୍ମାଶିବ ॥ ୩୨
ସେ ହରି ତହୁଁ ବରପାଇ । ଘୋର-ମାୟାରେ ମନ ମୋହି ॥ ୩୩
ଆତ୍ମାର ଗତି ନ ମାଗିଲା । ମୋତେ ତ ସନ୍ଦେହ ଲାଗିଲା ॥ ୩୪
ବିଦୁରତହୁଁ ଏହା ଶୁଣି । ତୋଷେ ମୈତ୍ରେୟ କହେପୁଣି ॥ ୩୫

ମୈତ୍ରେୟ ଉବାଚ

ମାତୃ-ସପତ୍ନୀ ବାକ୍ୟ-ଶରେ । ମର୍ମ ଭେଦିଲା ତା ଶରୀରେ ॥ ୩୬
ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେ । ପଛେ ତାପିଲା ଦୁଃଖତ୍ରାସେ ॥ ୩୭

ଧ୍ରୁବ ଉବାଚ

ସନକ ଆଦି ସୁନିଜନେ । ଅଷ୍ଟାଙ୍ଗ-ଯୋଗ ଅଭ୍ୟାସନେ ॥ ୩୮
ନିଶ୍ଚଳ-ଧ୍ୟାନେ ନିତ୍ୟେ ଚିନ୍ତି । ଯେ ପଦ ଲଭି ନ ପାରନ୍ତି ॥ ୩୯
ସେ ପଦ ହସ୍ତୁ ପକାଇଲି । ଦେଖ ଅଜ୍ଞାନପଣ କଲି ॥ ୪୦
କଳ୍ପ-ପାଦପ-ଛାୟା ତେଜି । ନିରାଶ ପଥେ ଚକ୍ଷୁ ବୁଜି ॥ ୪୧
ଧାଇଁଳି ତୃଷିତ-ବଦନ । ଧିକ ଏ ମୋହର ଜୀବନ ॥ ୪୨
ଏମନ୍ତେ ମନ ଦୁଃଖ କରି । ଧ୍ରୁବ ମିଳିଲା ନିଜ-ପୁରୀ ॥ ୪୩
ପଥେ ଧ୍ରୁବକୁ ଦେଖି ଜନେ । ମିଳିଲେ ଧ୍ରୁବ ସନ୍ନିଧାନେ ॥ ୪୪
କେତେହେଁ ଜନ ବେଗେ ଧାଇଁ । କହିଲେ ରାଜା ଆଗେ ଯାଇ ॥ ୪୫
ଭୋ ନାଥ ଶୁଣ ସାବଧାନେ । ଧ୍ରୁବ ମିଳିଲେ ଉପବନେ ॥ ୪୬
ନିଧି ପ୍ରାପତ ପ୍ରାୟ ମଣି । ସଂଭ୍ରମ ଚିତ୍ତେ ନୃପମଣି ॥ ୪୭
ଦକ୍ଷଣେ ଆସନୁ ଉଠିଲା । ଆନନ୍ଦ-ସାଗରେ ବୁଡିଲା ॥ ୪୮
କାନ୍ଦଇ କଣ୍ଠ-ଗଦଗଦେ । ତକ୍ଷଣେ ମିଳିଲେ ନାରଦେ ॥ ୪୯
ସଂଭ୍ରମେ ରାଜା ମୁଖ ଚାହିଁ । ଧ୍ରୁବ-ଆଗମ କଥା କହି ॥ ୫୦
ଶୁଣି ସାନନ୍ଦେ ନୃପବର । ନାରଦ-କଣ୍ଠେ ଦେଲା ହାର ॥ ୫୧
ସୁବର୍ଣ୍ଣ ପରିଚ୍ଛଦ ରଥେ । ବେଗେ ଚଳିଲା ରାଜପଥେ ॥ ୫୨
ସଙ୍ଗେ ବ୍ରାହ୍ମଣ କୁଳବୁଦ୍ଧେ । ସ୍ୱଜ୍ଞାତି କୁଟୁମ୍ବ ସୁହୃଦେ ॥ ୫୩
ଅମାତ୍ୟ-ମନ୍ତ୍ରୀକୁଳ ଯେତେ । ଧାଇଁଲେ ବାଦ୍ୟ-ବନାଦ-ଗୀତେ ॥ ୫୪
ସୁନୀତି ସୁରୁଚି ସହିତେ । ନାନା ଅଳଙ୍କାର ଭୂଷିତେ ॥ ୫୫
ସୁବର୍ଣ୍ଣ-ଶିବିକା ଆରୋହୀ । ଉତ୍ତମ-ପୁତ୍ରେ ସଙ୍ଗେ ନେଇ ॥ ୫୬
ଧ୍ରୁବକୁ ଦେଖି ଉପବନେ । ଆନନ୍ଦେ ବିସ୍ମିତ-ଲୋଚନେ ॥ ୫୭
ରଥୁଁ ଓହ୍ଲାଇ ରାଜା ବେଗେ । ଆନନ୍ଦେ ପୁତ୍ର-ଅନୁରେଗେ ॥ ୫୮
ପୁତ୍ରକୁ ଆଲିଙ୍ଗନ କଲା । ଯେଣୁ ଅଶେଷ-ପୁଣ୍ୟ ଥିଲା ॥ ୫୯
ଯେ ଧ୍ରୁବ ବିଷ୍ଣୁ-ଅଙ୍ଗସଙ୍ଗେ । ଅଶେଷ-ତୀର୍ଥ ଯାର ଅଙ୍ଗେ ॥ ୬୦
ଆଘ୍ରାଣ କରି ଶିର ଦେଶେ । ହୃଦେ ଲଗାଇ ଅତି ତୋଷେ ॥ ୬୧
ଶିରେ ସିିଞ୍ଚିଲା ଅଶ୍ରୁବାରି । ହୃଦୟେ ପୁଣପୁଣ ଧରି ॥ ୬୨
ପିତା ଚରଣେ ଧ୍ରୁବ ନମି । ବାଳ ସ୍ୱାଭାବେ ପଥଶ୍ରମୀ ॥ ୬୩
ସୁରୁଚି ସୁନୀତିର ପାଦେ । ଧ୍ରୁବ ପ୍ରଣମଇଁ ଆନନ୍ଦେ ॥ ୬୪
ଜନନୀ ପୁତ୍ରମୁଖ ଚାହିଁ । ହରଷ କେ ପାରିବ କହି ॥ ୬୫
ସୁରୁଚି ଧ୍ରୁବେ ଧରି କୋଳେ । ଚୁମ୍ବନ ଦେଲା ସୁଖଭୋଳେ ॥ ୬୬
ସୁନୀତି ପୁତ୍ର କୋଳେ ଧରି । ଅଶ୍ରୁ ଗଳଇ ମୋଦଭରି ॥ ୬୭
ଜନେ କରନ୍ତି ଭୟ ବାଣୀ । ଧ୍ରୁବକୁ ଘେନି ନୃପମଣି ॥ ୬୮
ମିଳିଲେ ନିଜପୁରେ ଆସି । ଧ୍ରୁବ ମହିମା ପରଶଂସି ॥ ୬୯
ଧ୍ରୁବ ପ୍ରବେଶେ ପୁରଜନେ । ଆନନ୍ଦେ ଯେ ଯାହା ଭୁବେନ ॥ ୭୦
ଉତ୍ସବ ଅନେକ ପ୍ରକାରେ । ପ୍ରଦୀପ-ପୂର୍ଣ୍ଣ-କୁମ୍ଭ ଦ୍ୱାରେ ॥ ୭୧
ପ୍ରାଚୀର ଅଟ୍ଟାଳୀ ସମେତ । ଚିତ୍ର ପ୍ରତିମା ରତ୍ନକାନ୍ଥେ ॥ ୭୨
ତୋରଣା ଲମ୍ବେ ସର୍ବଦ୍ୱାରେ । ଚନ୍ଦନ-ଛେରା ନିରନ୍ତରେ ॥ ୭୩
ସ୍ୱଭାବେ ପ୍ରିୟବ୍ରତ-ପୁର । କି ଅବା ଦେବା ପଟ୍ଟାନ୍ତର ॥ ୭୪
ସକଳ ପୁର-ନାରୀବୃନ୍ଦେ । ଧ୍ରୁବକୁ ଦେଖିଣ ଆନନ୍ଦେ ॥ ୭୫
ଗନ୍ଧ-ଚନ୍ଦନ ବାସ-ପାଣି । ଦୂର୍ବା ଅକ୍ଷତ ପୁଷ୍ପ ଆଣି ॥ ୭୬
ଅକ୍ଷତ ଦେଇ ଧ୍ରୁବ ମୁଣ୍ତେ । ଜୟ ଶବଦ କଲେ ତୁଣ୍ତେ ॥ ୭୭
ଏମନ୍ତେ ନାନା-ଉପାୟନ । ଘେନି ସମସ୍ତ ମହାଜନ ॥ ୭୮
ଏମନ୍ତ ମଙ୍ଗଳ ଉତ୍ସବ । ସକଳ ଜନ ପ୍ରିୟଭାବ ॥ ୭୯
ଧ୍ରୁବ ପ୍ରବେଶ ନିଜ ପୁରେ । କାମିନୀ ଗାବନ୍ତି ସୁସ୍ୱରେ ॥ ୮୦
ପୁରେ ପ୍ରବେଶ ରାଜସୁତ । ଦେଖି ସକଳେ କୃତକୃତ୍ୟ ॥ ୮୧
ଶଙ୍ଖ ଦୁନ୍ଦୁଭି ଗୀତସ୍ୱରେ । ମଙ୍ଗଳ ନାଦେ ଦିଗ ପୂରେ ॥ ୮୨
ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ । ଅଶେଷ-ଲକ୍ଷ୍ମୀ ଶୋହେ ଅଙ୍ଗେ ॥ ୮୩
ଯେ ଧ୍ରୁବ ଚରଣ କମଳେ । ସୁଜନେ ନମ ଧ୍ୟାନବଳେ ॥ ୮୪
ଯାର ସ୍ମରଣେ ପାପ ନାଶେ । ନିର୍ମଳ ଜ୍ଞାନ ପରକାଶେ ॥ ୮୫
ଚତୁର୍ଥ ସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତଂ ନାମ
ଏକାଦଶୋଽଧ୍ୟାୟଃ ।

ଦ୍ୱାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟାଥା ॥ ୧
ଉତ୍ତାନପାଦ ଧ୍ରୁବ ଦେଖି । ସଫଳ କଲା ଚର୍ମ ଆଖି ॥ ୨
ଧ୍ରବକୁ ରାଜଯୋଗ୍ୟ ଚାହିଁ । ବାନ୍ଧବ ସୁହୃଦ ବସାଇ ॥ ୩
ସର୍ବ ସମ୍ମତେ ମହାତେଜ୍ୟ । ରାଜ୍ୟେ ପୁତ୍ରକୁ କଲା ରାଜା ॥ ୪
ସ୍ୱଭାବେ ବିଷ୍ଣୁ-ତେଜ-ବଳ । ଭାବେ ନମନ୍ତି ଦିଗପାଳ ॥ ୫
ଏ ମହୀତଳେ ଯେତେ ରାଜା । ଧ୍ରୁବ-ଚରଣେ କଲେ ପୂଜା ॥ ୬
ଯେ ଶିଶୁମାର ପ୍ରଜାପତି । ତା କନ୍ୟା ଭ୍ରମି ଗୁଣବତୀ ॥ ୭
ତାହାର ରୂପ-ଗୁଣରାଶି । କେତେ ବା କହିବା ବିଶେଷି ॥ ୮
ରୂପେ କମଳା ନୋହେ ସରି । ବିବାହେ ଧ୍ରୁବ ତାକୁ ଚରି ॥ ୯
ଅଶେଷ ଅଳଙ୍କାର ଶୋଭା । ବିରାଜେ ଅଙ୍ଗ ଜ୍ୟୋତି ଆଭା ॥ ୧୦
ସେ କନ୍ୟା ଗର୍ଭେ ପୁତ୍ର ଦୁଇ । କଳ୍ପ ବତ୍ସର ବେନି ଭାଇ ॥ ୧୧
ଦ୍ୱିତୀୟା ଭାର୍ଯ୍ୟା ଇଳା ନାମ । ରୂପେ ଗଞ୍ଜଇ କୋଟିକାମ ॥ ୧୨
ସ୍ୱଭାବେ ସମୀରଣ ସୁତା । ସୁଗୁଣା ସୁନ୍ଦରୀ ବିନୀତା ॥ ୧୩
ତାର ଉଦରେ ଧ୍ରୁବ-ବୀର୍ଯ୍ୟେ । ପୁତ୍ରେକ ହେଲା ମହାତେଜେ ॥ ୧୪
ଉତ୍କଳ ନାମେ ସେ କୁମର । ସ୍ୱଭାବେ ମହା-ଯୋଗେଶ୍ୱର ॥ ୧୫
ପୁଣି ଜନ୍ମିଲା କନ୍ୟା ଏକ । ତା ରୂପ ଗୁଣ ଅତିରେକ ॥ ୧୬
ଧ୍ରୁବର କନିଷ୍ଠ ଉତ୍ତମ । ରୂପେ ଭୁବନେ ନାହିଁ ସମ ॥ ୧୭
ସ୍ୱଭାବେ ବୟସ କିଶୋର । ବିଭା ନ କଲେ ବୀରବର ॥ ୧୮
ସେ ଏକଦିନେ ଅଶ୍ୱେ ବସି । ମୃଗୟା ଅର୍ଥେ ବନେ ପଶି ॥ ୧୯
ବହୁତ ଦୂର ସେ ଗମିଲା । ମନ ଆନନ୍ଦେ ନୃପବଳା ॥ ୨୦
ମିଳିଲା କୁବେର ଭୁବନେ । ତାହାକୁ ଦେଖି ଗୃହ୍ୟଗଣେ ॥ ୨୧
ବଳେ ରୁନ୍ଧିଳେ ଯୁଦ୍ଧ କରି । ଅଶ୍ୱ ଘେନିଲେ ତାକୁ ମାରି ॥ ୨୨
ତା ଶୁଣି ତାହାର ଜନନୀ । ବିକଳେ ପୁତ୍ର-କଷ୍ଟ ଘେନି ॥ ୨୩
ବନ-ଅନଳେ ଦେହ ଦେଲା । ପୁତ୍ର-ବିୟୋଗ-ଦୁଃଖେ ମଲା ॥ ୨୪
ସେ କଥା ଶୁଣି ଧ୍ରୁବ ଶୋକେ । କମ୍ପିଲା ମାତ୍ରା-ଭ୍ରାତା ଦୁଃଖୋ ॥ ୨୫
ସେ ଧ୍ରୁବ ଅତି କ୍ରୋଧ ବହି । ଅଶ୍ୱ ସାରଥି ବେଗେ ରାଇ ॥ ୨୬
ଜଇତ୍ର ନାମେ ରଥେ ବସି । ସ୍ୱଭାବେ ଶୋହେ ରୂପ ରାଶି ॥ ୨୭
ଶୋକ-ଅନଳେ କୋପଭରେ । କଠୋର-ଧନୁ ଧରି କରେ ॥ ୨୮
କୁବେର-କାନନେ ମିଳିଲା । ଉଦ୍ଦଣ୍ତେ ଶଙ୍ଖନାଦ କଲା ॥ ୨୯
ଯେ ବନେ ରୁଦ୍ର-ଅନୁଚରେ । ବସନ୍ତି ନଦୀ ବନ ଘୋରେ ॥ ୩୦
ହିମପର୍ବତ ଦ୍ରୋଣି ମଧ୍ୟେ । ଗୃହ୍ୟକେ ବସନ୍ତି ଆନନ୍ଦେ ॥ ୩୧
ସେ ବନେ ବଳେ ପଶି ଧ୍ରୁବ । ଉଦ୍ଦଣ୍ତେ କଲା ଶଙ୍ଖରବ ॥ ୩୨
ଶବଦେ ପୂରିଲା ଆକାଶ । ବନ-ପର୍ବତ-ଦଶଦିଶ ॥ ୩୩
ଯକ୍ଷ-କମିନୀଗଣ ବେଗେ । ଭୟେ ଚାହିଁଲେ ଉର୍ଦ୍ଧ୍ୱଦିଗେ ॥ ୩୪
ସେ ନାଦ ଶୁଣି ଦଶଦିଶେ । ଗୃହ୍ୟକଗଣ ମହାରୋଷେ ॥ ୩୫
ଧାଇଁଲେ ନାନା-ଶସ୍ତ୍ର ଧରି । ଚଳନ୍ତେ କମ୍ପେ ବସୁନ୍ଧରୀ ॥ ୩୬
ଗୃହ୍ୟକଗଣେ ଧ୍ରୁବେ ଚାହିଁ । ନିଜ କୋଦଣ୍ତେ ଗୁଣ ଦେଇ ॥ ୩୭
ଆକର୍ଣ୍ଣ ଯାଏ ଟାଣି ଗୁଣ । ବିନ୍ଧିଳେ ତିନି ତିନି ବାଣ ॥ ୩୮
ଧ୍ରୁବର ତୀକ୍ଷ୍ଣ-ବାଣ ବଳେ । ପଡିଲେ ଗୃହ୍ୟକ ସକଳେ ॥ ୩୯
ଗୃହ୍ୟକଗଣ ଦେଖି ତ୍ରାସେ । ରଣେ ଭାଜିଳେ ଦଶଦିଶେ ॥ ୪୦
ଅଦ୍ଭୁତ କର୍ମ ଦେଖି ତାର । ବିଷ୍ଣୁର ତେଜେ ବଳୀୟାର ॥ ୪୧
କରନ୍ତି ଧନ୍ୟ-ଧନ୍ୟ ବାଣୀ । ଅନନ୍ଦେ ଦେବଲୋକେ ଶୁଣି ॥ ୪୨
ସେ ବାଣ ସହି ଗୃହ୍ୟଗଣେ । ପୁଣି ମିଳିଲେ ଘୋରରଣେ ॥ ୪୩
ମନେ ଅନେକ ରୋଷ ଭରି । କରେଣ ନାନା-ଶସ୍ତ୍ର ଧରି ॥ ୪୪
ପାଦ-ମରନ୍ତେ ଅହି ଯେହ୍ନେ । ଧ୍ରୁବକୁ ବେଢ଼ି କୋପମନେ ॥ ୪୫
ଧ୍ରୁବର ରଥ ବେଗେ ରୁଦ୍ଧି । ଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି ॥ ୪୬
ପରିଘ ଖଡଗ ଆୟୁଧ । ପ୍ରାସ ତୋମର ଶରଯୁଦ୍ଧ ॥ ୪୭
ଶକ୍ତିଭୂଷଣ୍ତି ରୁଷ୍ଟି ବାଣ । ବେଗେ ବିନ୍ଧିଲେ ଗରୁଟାଣ ॥ ୪୮
କୋପେ ବିନ୍ଧିଲେ ଅତି ରୁଷ୍ଟେ । ରଥୀ-ସାରଥି ଅଶ୍ୱପୃଷ୍ଠେ ॥ ୪୯
ଅୟୁତ-ତ୍ରୟୋଦଶ ମିଳି । ଶବଦେ ବ୍ରହ୍ମାଣ୍ତ ଉଛୁଳି ॥ ୫୦
ବେଢିଲେ ଅତି-ଅନାୟତ୍ତ । ଛନ୍ନେ ନଦିଶେ ଧ୍ରୁବରଥ ॥ ୫୧
ଗଗନେ ମିଳି ଦେବଲୋକେ । କହନ୍ତି ଏକକୁ ଆରକେ ॥ ୫୨
ଶୁଭଇ ହାହାକାର ବାଣୀ । ଦେବେ ବୋଲନ୍ତି ତାହା ଶୁଣି ॥ ୫୩
ଦେଖ ଏ ମନୁବଂଶ-ସୁତ । ପ୍ରଚଣ୍ତ ଯେସନେ ଆଦିତ୍ୟ ॥ ୫୪
ଗୃହ୍ୟକ-ସମୂହେ ବୁଡିଲା । ଧ୍ରୁବ ନିଶ୍ଚୟେ ନାଶ ଗଲା ॥ ୫୫
ଗର୍ଜନ୍ତି ଯାତୁଧାନ ଗଣେ । ଧ୍ରୁବ ଯେ ଶୁଣି ତା ଶ୍ରବଣେ ॥ ୫୬
ସାରଥି ଚାହିଁ ପୁଣ୍ୟଦେହା । ବୋଇଲା ଉର୍ଦ୍ଧ୍ୱେ ରଥ ବାହା ॥ ୫୭
ଶୁଣି ସାରଥି ଅତି ବେଗେ । ରଥ ବାହିଲା ଶୂନ୍ୟମାର୍ଗେ ॥ ୫୮
ନୀହାର ଭେଦି ସୂର୍ଯ୍ୟ ଯେହ୍ନେ । ତେମନ୍ତେ ଦିଶଇ ଗଗନେ ॥ ୫୯
ଦେଖି ତାହାର ତେଜ ବଳ । ଆନନ୍ଦ ହୋଇଲେ ସକଳ ॥ ୬୦
ଗଗନେ ରହି ମନୁସୁତ । ବାଣ ବରଷେ ଅପ୍ରମିତ ॥ ୬୧
ଗୃହ୍ୟକ ବାଣବୃଷ୍ଟି ନାଶେ । ନୀହାର ଯେହ୍ନେ ଚଣ୍ତତ୍ରାସେ ॥ ୬୨
ପବନ ଯୋଗେ ମେଘମାଳେ । ଯେହ୍ନେ ଉଡନ୍ତି ଅନ୍ତରାଳେ ॥ ୬୩
ଗୃହ୍ୟକ-ଶସ୍ତ୍ର ନାଶ କରି । ପୁଣି ବିନ୍ଧଇ ରୋଷଭରି ॥ ୬୪
ଧ୍ରୁବ-ନାରାଚ ତୀକ୍ଷ୍ଣ-ମୁନେ । ଗୃହ୍ୟକ ପଡିଲେ ସଗଣେ ॥ ୬୫
ଗୃହ୍ୟକ ଦେହେ ବାଣ ପଡି । ଶୁଭେ ବି ମେଘ-ଘଡିଘଡି ॥ ୬୬
ସର୍ବେ ପଡିଲେ ଭୂମିଗତେ । ପର୍ବତ ଯେହ୍ନେ ବଜ୍ରାଘାତେ ॥ ୬୭
ଶିରେ ଭେଦିଲା ଭଲ୍ଲଶସ୍ତ୍ର । ବାଣେ ରୁନ୍ଧିତ ନିଜ ଗାତ୍ର ॥ ୬୮
ଶିରେ ପଡିଲା ଛିଡି ତଳେ । ବିରାଜେ କିରୀଟ କୁଣ୍ତଳେ ॥ ୬୯
ହୃଦେ ଲମ୍ବିତ ହେମହାର । ବିରାଜେ ଉଷ୍ଣୀଷ କେୟୂର ॥ ୭୦
ଶସ୍ତ୍ର-ସମୂହେ ଶଯ୍ୟା କରି । ବୀରେ ଶୋଇଲେ ପ୍ରାଣହାରି ॥ ୭୧
ପଡିଲେ ଚଉଦିଗ ମାଡି । କେହୁ ପଳାଏ ରଣ ଛାଡି ॥ ୭୨
ଯେବା ଉବୁରି ଗଲେ ରଣେ । ଭୟେ ଲୁଚିଲେ ଘୋରବନେ ॥ ୭୩
ସିଂହର ତ୍ରାସେ ଯେହ୍ନେ ମୃଗେ । ଭୟେ ଭାଜିଲେ ଦଶ ଦିଗେ ॥ ୭୪
ଧ୍ରୁବ ଯେ ଦଶଦିଗେ ଚାହିଁ । ଦେଖଇ ରଣେ କେହି ନାହିଁ ॥ ୭୫
ବୋଲେ ସାରଥି ମୁଖ ଚାହିଁ । ଏ ପୁରେ ପଶ ରଥ ବାହି ॥ ୭୬
ଦହନ କରିବି ଅନଳେ । ଯେବା ଅଛନ୍ତି ଗୃହ୍ୟକୁଳେ ॥ ୭୭
ସର୍ବ ମାରିବି ଭ୍ରାତା-ଛଳେ । ତୁ ଏବେ ରଥ ବାହା ବଳେ ॥ ୭୮
ଏମନ୍ତ ଧ୍ରୁବ ବାକ୍ୟ ଶୁଣି । ସାରଥି ମନେମନେ ଗୁଣି ॥ ୭୯
ଗୃହ୍ୟକ ମାୟାର ପ୍ରମାଣେ । ଏମନ୍ତ ଘୋରନାଦ ଶୁଣେ ॥ ୮୦
ପ୍ରଳୟ କାଳେ ସିନ୍ଧୁ ଯେହ୍ନେ । ଲହରୀ ଉଛୁଳେ ଗଗନେ ॥ ୮୧
ପୁଣି ଦେଖଇ ଚାରିଦିଗେ । ଧୂଳି ଉଡଇ ଶୂନ୍ୟମାର୍ଗେ ॥ ୮୨
ତକ୍ଷଣେ ଘୋର ନାଦ କରି । ମେଘ ସମୁହ ଶୂନ୍ୟେ ପୂରି ॥ ୮୩
ବିଜୁଳି ସ୍ଫୃରେ ଦଶଦିଶେ । ବଜ୍ର ଶବଦ ସଙ୍ଗେ ମିଶେ ॥ ୮୪
ଉଲୁକା ପଡେ କୋଟି କୋଟି । ରୁଧିର ସଙ୍ଗେ ପୂଜ ବୃଷ୍ଟି ॥ ୮୫
ମୂତ୍ର ପୁରୀଷ ରେତ ତୂଲେ । ଦୁର୍ଗନ୍ଧେ ଧରଣୀ ପୂରିଳେ ॥ ୮୬
କବନ୍ଧେ ପଡିଲେ ଆକାଶୁ । ଦିଗେ ପୂରିଲା ଘୋରପାଂଶୁ ॥ ୮୭
ନିର୍ଘାତେ ଗଗନୁ ପଡନ୍ତି । ଗଦା ପରିଘ ପନ୍ତିପନ୍ତି ॥ ୮୮
ମୂଷଳ ସଙ୍ଗେ ବଜ୍ର ପଡି । ଘୋର ଶବଦ ଘଡଘଡି ॥ ୮୯
ସର୍ପେ ଧାମନ୍ତି ଫୁ ଫୁ କରି । ଅନଳ ପ୍ରାୟେ ଚକ୍ଷୁଧାରୀ ॥ ୯୦
ଗଜେ ଧାମନ୍ତି ଶୁଣ୍ଢ ତୋଳି । ସିଂହ ଶାର୍ଦ୍ଦୂଳ ସଙ୍ଗେ ମିଳି ॥ ୯୧
ତକ୍ଷଣେ ସିନ୍ଧୁ ଉଛୁଳିଲା । ଲହରୀ ଗଗନେ ଲାଗିଲା ॥ ୯୨
ଭୂମି ପୂରିଲା ମହାଜଳେ । ପ୍ରଚଣ୍ତ-ପବନ ଉଲ୍ଲୋଳେ ॥ ୯୩
କଳ୍ପାନ୍ତେ ଘୋରନାଦ ଯେହ୍ନେ । ଶବଦ ପୂରିଲା ଗଗନେ ॥ ୯୪
ଏମନ୍ତେ ନାନା ମାୟା କରି । ଗୃହ୍ୟକେ ସମର ଆବୋରି ॥ ୯୫
ମିଳିଲେ ନାନା ଶସ୍ତ୍ର ଘେନି । ଶବଦେ କମ୍ପାଇ ମେଦିନୀ ॥ ୯୬
ଧ୍ରୁବ ଉପରେ ମାୟା କରି । ଗୃହ୍ୟକେ ସନ୍ଧିଲେ ଆବୋରି ॥ ୯୭
ଗୃହ୍ୟକ-ମାୟା ଦେଖି ବେଗେ । ମୁନି ମିଳିଲେ ଧ୍ରୁବ ଆଗେ ॥ ୯୮
କଲ୍ୟା-ବାଞ୍ଛା ମନେ ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ॥ ୯୯

ମୁନିଗଣ ଉବାଚ

ଶୁଣ ହେ ଉତ୍ତାନ-କୁମର । ତୋତେ ପ୍ରସନ୍ନ ଚକ୍ରଧର ॥ ୧୦୦
ଯେ ହରି ଭବ-ଭୟ ନାଶେ । ଆମ୍ଭେ ତା ଦେଖୁ ତୋର ପାଶେ ॥ ୧୦୧
ଯା ନାମ ସ୍ମରି ଅନ୍ତକାଳେ । ପ୍ରାଣୀ ତରନ୍ତି ଅବହେଳେ ॥ ୧୦୨
ସେ ହରି ନାମ ତୁ ସୁମର । ଗୃହ୍ୟକ ମାୟାକୁ ସଂହର ॥ ୧୦୩
ଏମନ୍ତେ ମୁନିଙ୍କର ବୋଲେ । ରଥ ତୋଳିଲା ଅନ୍ତରାଳେ ॥ ୧୦୪
ଶୁଣ ସୁଜନେ ହରି କଥା । ହରି ନ ସହେ ଭୃତ୍ୟବ୍ୟଥା ॥ ୧୦୫
କହଇ ଦାସ ଜଗନ୍ନାଥ । ସୁଜନେ ହରି ପଦେ ଚିନ୍ତ ॥ ୧୦୬
ଇତିଶ୍ରୀମଦ୍ଭାଗବତ ମହାପୁରାଣେ ପାରମହସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ
ଦ୍ୱାଦଶୋଽଧ୍ୟାୟଃ ।

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ମୁନି ବାକ୍ୟ ଶୁଣି । ଧ୍ରୁବ ଆନନ୍ଦ-ମନେ ଗୁଣି ॥ ୧
ସୁଜଳେ କରି ଆଚମନ । ଅସ୍ତ୍ର ସୁମରି ନାରାୟଣ ॥ ୨
ସନ୍ଧାନ ଧନୁ-ହୁଳେ କଲା । ତା ଦେଖି ମାୟା ଭସ୍ମ ହେଲା ॥ ୩
ଗୃହ୍ୟକେ ହୋଇଲେ ଅଦୃଶ୍ୟ । ଦିଶିଲା ଧରଣୀ ଆକାଶ ॥ ୪
ଜ୍ଞାନ-ଉଦୟେ କ୍ଲେଶ ଯେହ୍ନେ । ଦେବେ ଦେଖନ୍ତି ରହି ଶୂନ୍ୟେ ॥ ୫
ଧ୍ରୁବ ଆମଞ୍ଚି ଧନୁର୍ଗୁଣ । ଯୋଚି ସବୁର୍ଣ୍ଣପୁଙ୍ଖ ବାଣ ॥ ୬
ବାଣର ପକ୍ଷ କଳହଂସ । ଦେଖି କମ୍ପିଲେ ଦଶ ଦିଶ ॥ ୭
ସେ ବାଣ ରିପୁବଳେ ପଶି । ଅନଳ ପ୍ରାୟ ତେଜ ଦିଶି ॥ ୮
ମୟୂର ଯେହ୍ନେ ନାଦ କରି । ଆନନ୍ଦେ ବନସ୍ତେ ବିହରି ॥ ୯
ଏମନ୍ତ ତୀକ୍ଷ୍ଣ ନାଦ କରି । ଗୃହ୍ୟକଗଣ ମାୟା ଛେଦି ॥ ୧୦
ଯକ୍ଷେ କୁପିତ ହୋଇ ଚିତ୍ତେ । ଧାଇଁଲେ ଶସ୍ତ୍ର ଘେନି ହସ୍ତେ ॥ ୧୧
ଯେସନେ ସର୍ପ ଫଣା ଧରି । ଗରୁଡ ଧାଏଁ କୋପଭରି ॥ ୧୨
ତାହାଙ୍କୁ ଦେଖି ରଣକ୍ଷେତ୍ରେ । ନାରାଚ-ଗୁଣ ଧରି ହସ୍ତେ ॥ ୧୩
ବିନ୍ଧଇ ଗୃହ୍ୟକ ଶରୀରେ । ଭେଦିଲା ବାହୁ-ଉରୁ-ଶିରେ ॥ ୧୪
ତକ୍ଷଣେ ଗଲେ ଛିନ୍ନ ଭିନ୍ନେ । ସଂଗ୍ରାମେ ଶମନ-ଭୁବନେ ॥ ୧୫
ଗୃହ୍ୟକବଳ ନାଶ ଦେଖି । ମନୁ ଯେ ଭୁବନ ଉପେକ୍ଷି ॥ ୧୬
ଉତ୍ତମ ଚିତ୍ରରଥେ ବସି । ମିଳିଲେର ମଧ୍ୟେ ଆସି ॥ ୧୭
ସଙ୍ଗେ ଅଛନ୍ତି ମୁନିଜନେ । ଧ୍ରୁବକୁ ଦେଖି ତୋଷମନେ ॥ ୧୮
ଗୃହ୍ୟକ ଗଣେ ଦୟା ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ॥ ୧୯

ମନୁ ଉବାଚ

ଭୋ ବତ୍ସ ଛାଡ ମନୁ ରୋଷ । ଶୁଣ ତୁ ମୋର ଉପଦେଶ ॥ ୨୦
ଏ ରୋଷ ଘୋରତମ-ଦ୍ୱାର । ଏ ନୋହେ ଉତ୍ତମ ବେଭାର ॥ ୨୧
ଯେ ରୋଷବଶେ ଜ୍ଞାନ ହାରି । ନିର୍ଦ୍ଧୋଷ ପୁଣ୍ୟଜନ ମାରି ॥ ୨୨
ଏ ଆମ୍ଭ କୁଳଧର୍ମ ନୋହେ । ସାଧୁଙ୍କ ମଧ୍ୟେ ଦୋଷ ବହେ ॥ ୨୩
ଏକଇ ଜନ ଅପରାଧେ । ଅନେକ ମାରୁ କିମ୍ପା ଯୁଦ୍ଧେ ॥ ୨୪
ତୁ ଭ୍ରାତୁବଧେ କ୍ରୋଧ ବହି । ସାଧୁଙ୍କ ମାର୍ଗ ଏ ନୁହଇ ॥ ୨୫
ବିଷ୍ଣୁର ଭାବ ଯାର ଦେହେ । ପ୍ରାଣୀଙ୍କି ଦୟା ହୃଦେ ବହେ ॥ ୨୬
ହିଂସା ନ ବହେ ତାର ଚିତ୍ତ । ଏ ହରିଭୃତ୍ୟଙ୍କର ମତ ॥ ୨୭
ସମତ୍ୱେ ସର୍ବଭୂତେ ଦେଖେ । ତାହାକୁ ନାରାୟଣ ରଖେ ॥ ୨୮
ହରି ପ୍ରସନ୍ନ ପ୍ରାଣୀ ଦେହେ । ହିଂସ୍ରକ ପ୍ରକୃତି ନ ବହେ ॥ ୨୯
ନ ଲାଗେ ତ୍ରିଗୁଣ-ବନ୍ଧନ । ଅନ୍ତେ ଲଭଇ ନିରଞ୍ଜନ ॥ ୩୦
ତୁ ହରି ଭକ୍ତ ଶିରୋମଣି । ସର୍ବ-ସମ୍ମତେ ପରିମାଣି ॥ ୩୧
ସାଧୁଜନଙ୍କ ବ୍ରତ କରି । କେ ପାରେ ଅଧର୍ମ ଆଚରି ॥ ୩୨
ଯେ ପ୍ରାଣୀ ଆତ୍ମଭାବେ ସୁଖୀ । ହରିଙ୍କି ସର୍ବଭୂତେ ଦେଖି ॥ ୩୩
ବିଷ୍ଣୁର ଭକ୍ତି ହୃଦେ ଧରି । ଦୟା ତିତିକ୍ଷା ଜୀବେ କରି ॥ ୩୪
ମଇତ୍ର ଭାବେ ଯାର ମନ । ତାହାକୁ ରଖେ ଭଗବାନ ॥ ୩୫
ହରି-ପ୍ରସନ୍ନେ ପ୍ରାଣୀଙ୍କର । ପ୍ରବୃତ୍ତି-ବନ୍ଧ ହୋଏ ଦୂର ॥ ୩୬
ଜୀବ ବନ୍ଧନୁ ମୋକ୍ଷ ହୋଇ । ନିର୍ବାଣ-ପଦେ ପଶେ ଯାଇ ॥ ୩୭
ଏ ପଞ୍ଚଭୂତେ ଦେହ ବହି । ସ୍ତିରୀ-ପୁରୁଷ ରୂପ ହୋଇ ॥ ୩୮
ଏ ବେନି ସଙ୍ଗମର କାଳେ । ରଜର ସଙ୍ଗେ ବୀର୍ଯ୍ୟ ମିଳେ ॥ ୩୯
ସ୍ତିରୀ ପୁରୁଷ ଦେହ ବହି । ଇହ ସଂସାରେ ଜନମଇ ॥ ୪୦
ଏମନ୍ତେ ସୃଷ୍ଟି-ସ୍ଥିତି-ନାଶ । ବିଷ୍ଣୁର ମାୟା ପରକାଶ ॥ ୪୧
ତହିଁ ନିମିତ୍ତ-ମାତ୍ର ହୋଇ । ପରମ ଜୀବକୁ ଭିଆଇ ॥ ୪୨
ମାୟାରେ ଭ୍ରମାଏ ଜଗତ । ଲୌହକୁ ଯେହ୍ନେ ଅୟସ୍କାନ୍ତ ॥ ୪୩
ସେ ହରି କାଳଶକ୍ତି-ରୂପୀ । ନିଜ ମାୟାରେ ବିଶ୍ୱବ୍ୟାପୀ ॥ ୪୪
ସର୍ବ କରଇ ସର୍ବହରେ । ଅକର୍ତ୍ତାରୂପେ ସେ ବିହରେ ॥ ୪୫
ପ୍ରବାହେ ଯେହ୍ନେ ବୃକ୍ଷରାଶି । ଜଳର ବଳେ ଯାନ୍ତି ଭାସି ॥ ୪୬
ଏମନ୍ତ କାଳ-ଚେଷ୍ଟା ବଳେ । ପ୍ରାଣୀ ଭାସନ୍ତି ଅବହେଳେ ॥ ୪୭
ସେ କାଳ ଅନାଦି ଅନନ୍ତ । ଅବ୍ୟୟ କରେ ଆଦି ଅନ୍ତ ॥ ୪୮
ଜନ୍ମେ ଜନଙ୍କୁ ଜନମାଇ । ମରଣେ ଜାହାଙ୍କୁ ମରାଇ ॥ ୪୯
ସପକ୍ଷ ବିପକ୍ଷ ଏ ଦୁଇ । ତାର ସ୍ୱଭାବେ ନ ଘଟଇ ॥ ୫୦
ପ୍ରଜାଏ ତାହାର ଆୟତ୍ତେ । ସମେ ବସନ୍ତି ଏ ଜଗତେ ॥ ୫୧
ଧୂଳି ଯେସନେ ବାୟୁବଳେ । ଉଡି ଭ୍ରମନ୍ତି ଅନ୍ତରାଳେ ॥ ୫୨
କର୍ମ ଅଧୀନ ପ୍ରାଣୀମାନେ । ତା ପଛେ ଧାମନ୍ତି ତେସନେ ॥ ୫୩
ଜନ୍ତୁ ଆୟୁଷ ହାନି-ଳାଭ । ଏ ଦୁଇ କାଳର ସ୍ୱଭାବ ॥ ୫୪
କେହୁ ବୋଲନ୍ତି ଏ ଜଗତ । ଅଟଇ କର୍ମର ଆୟତ୍ତ ॥ ୫୫
କେ ବୋଲେ ସ୍ୱଭାବ ଏହାର । କେ ବୋଲେ କାଳର ସଞ୍ଚାର ॥ ୫୬
ବାସନା ବୋଲନ୍ତି ଅପରେ । ତା ତ‌ତ୍ତ୍ୱ କେ ବା କହିପାରେ ॥ ୫୭
ଅପରେ ଦଇବ କେ କହି । କେ କହେ କାମରୂପ ହୋଇ ॥ ୫୮
ଅବିଦ୍ୟା କାମ ସଙ୍ଗେ ଜଡି । ଘୋର-ଅନ୍ଧାରେ ପ୍ରାଣୀ ପଡି ॥ ୫୯
ଭ୍ରମନ୍ତି କାଳ-ବାୟୁ ବଳେ । କଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ ॥ ୬୦
ଅବ୍ୟକ୍ତ ଅପ୍ରମେୟ ସୀମା । କେ ଜାଣିପାରେ ତା ମହିମା ॥ ୬୧
ଏଣୁ ତୋ ଭ୍ରାତାର ମରଣ । ଗୃହ୍ୟକେ ନୁହଁନ୍ତି କାରଣ ॥ ୬୨
ଦଇବବଳ ସେ ପ୍ରମାଣ । ଏ କଥା ନିଶ୍ଚୟ ତୁ ଜାଣ ॥ ୬୩
ସ୍ୱମାୟା ଶକ୍ତିଯୁତେ ସେହି । ସର୍ଜଇ ପାଳଇ ହରଇ ॥ ୬୪
ଏଣୁ ସକଳଭୂତଙ୍କର । ଭୂତ ଭାବନ ଚକ୍ରଧର ॥ ୬୫
ଏଣୁ ସେ କାଳ ମଧ୍ୟେ ଥାଇ । ଦେବେ ପୂଜନ୍ତି ବଳି ଦେଇ ॥ ୬୬
ନାସା-ଭେଦିତ ଗାବ ଯେହ୍ନେ । ଭ୍ରମନ୍ତି ଦାମିନୀ ବନ୍ଧନେ ॥ ୬୭
ଜନନୀ ସପତ୍ନୀ ବଚନେ । ମର୍ମ ଭେଦିଲା ତୋର ମନେ ॥ ୬୮
ବନେ ପଶିଲୁ ତପ ଆଶେ । ସ୍ୱଭାବେ ପଞ୍ଚମ ବରଷେ ॥ ୬୯
ବିଷ୍ଣୁ ଆରାଧି ତପବଳେ । ବସିବୁ ଗଗନ-ମଣ୍ତଳେ ॥ ୭୦
ତ୍ରୈଲୋକ୍ୟ-ଉର୍ଦ୍ଧ୍ୱ-ପଦଗତେ । ବସିବୁ କଳ୍ପ-ପରିଯନ୍ତେ ॥ ୭୧
ଏ ମାୟାମୟ ମୋହ-ପାଶ । ଛେଦିଲୁ ଭବବନ୍ଧ-ତ୍ରାସ ॥ ୭୨
ଏ ବର ଯା ତହୁଁ ଲଭିଲୁ । ପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଦେଖିଲୁ ॥ ୭୩
ଚିତ୍ତେ ତାହାଙ୍କୁ ଏବେ ଭଜ । ଏ ଘୋରତମ ବେଗେ ତେଜ ॥ ୭୪
ସମେ ସକଳ ତାପ କ୍ଷୟ । ଏବେ ତୁ ହୁଅ ଶାନ୍ତକାୟ ॥ ୭୫
ଯାହାକୁ ଦେଖି ପ୍ରାଣୀ ଡରେ । ସେ ପ୍ରାଣୀ ଜୀବ ଥାଉଁ ମରେ ॥ ୭୬
ଈଶ୍ୱର-ମିତ୍ର ଏ କୁବେର । ଏହାକୁ ଅବଜ୍ଞା ନ କର ॥ ୭୭
ମାରି କୁବେର-ଅନୁବର । କଲୁ ତୁ ଅନ୍ୟାୟ ଆଚାର ॥ ୭୮
ଏବେ ଏହାରେ ପ୍ରୀତି କର । ସର୍ବ-କୁଶଳ ହେବ ତୋର ॥ ୭୯

ମୈତ୍ରେୟ ଉବାଚ

ଏମନ୍ତ ସ୍ୱାୟମ୍ବୁବ-ମନୁ । ପ୍ରବୋଧ କଲେ ପୌତ୍ର ମନ୍ୟୁ ॥ ୮୦
ଧ୍ରୁବକୁ ଆଲିଙ୍ଗନ କଲେ । ମୁନିଙ୍କ ସଙ୍ଗେ ପୁରେ ଗଲେ ॥ ୮୧
ସେ ମନୁ ଚରଣାରବିନ୍ଦେ । ସୁଜନେ ନମ ହେ ଆନନ୍ଦେ ॥ ୮୨
ଚତୁର୍ଥ ସ୍କନ୍ଧ ଭାଗବତ । ହରି-ମହିମା ସୁଚରିତ ॥ ୮୩
ସୁଜନ-ଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥ ୮୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ
ତ୍ରୟୋଦଶୋଽଧ୍ୟାୟଃ ।

ଚତୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଧ୍ରୁବର କୋପ ଯହୁଁ ଗଲା । କୁବେର ଭୁବନେ ଜାଣିଲା ॥ ୧
ତକ୍ଷଣେ ନିଜ ଗଣ ତୁଲେ । ଧ୍ରୁବ ସମୀପେ ଆସି ମିଳେ ॥ ୨
ଅଞ୍ଜଳି କରି ବେନିପାଣି । କାକୁସ୍ଥେ କହେ ମଞ୍ଜୁବାଣି ॥ ୩

କୁବେର ଉବାଚ

ଆହେ କ୍ଷତ୍ରିୟ-ଚୂଡାମଣି । ତୋର ମହିଁମା ମୁହିଁ ଶୁଣି ॥ ୪
ମିଳିଲି ତୋହର ସମୀପେ । ଗୃହ୍ୟ-କିନ୍ନର ଘେନି ଆପେ ॥ ୫
ତୁ ଯେଣୁ ପିତାମହ ବୋଲେ । କୋପ ଛାଡିଲୁ ରିପୁ ତୁଲେ ॥ ୬
ଭ୍ରାତୃ-ମରଣେ କୋପ ବହି । ଗୃହ୍ୟକ ବିନାଶିଲୁ ତୁହି ॥ ୭
କେହି କାହାର ହନ୍ତା ନୋହେ । ପ୍ରାଣୀ-ଜୀବନ କାଳ ଦହେ ॥ ୮
ଏ ଜୀବ ଅହଂକାର ବହି । ଆତ୍ମାକୁ ବୋଲେ ତୁହି ମୁହିଁ ॥ ୯
ଏ ନୋହେ ଜ୍ଞାନୀଙ୍କର ମତ । ଯାହାକୁ ପ୍ରସନ୍ନ ଅନନ୍ତ ॥ ୧୦
ସଂସାର ଦେଖେ ସ୍ୱପ୍ନ ପ୍ରାୟେ । ସେ ମୋହେ ନୋହେ ବିପର୍ଯ୍ୟୟେ ॥ ୧୧
ତୋର ମଙ୍ଗଳ ହେଉ ନିତ୍ୟେ । ଗୃହେ ତୁ ଚଳ ଶୁଦ୍ଧ ଚିତ୍ତେ ॥ ୧୨
ଯା ଶକ୍ତି ମାୟା-ଗୁଣମୟୀ । ତହିଁରେ ଥାଇ ଯେ ନ ଥାଇ ॥ ୧୩
ସେ ହରିପାଦେ ଆଶ୍ରେ କରେ । ଆତ୍ମକୁ ସଂସାରୁ ଉଦ୍ଧରେ ॥ ୧୪
ତୋତେ ମୋ ହୃଦେ ଅନୁରାଗ । ଯେ ତୋର ଇଚ୍ଛା ବର ମାଗ ॥ ୧୫
ହରିଙ୍କି ହୃଦେ ପରିମାଣୁ । ତୁ ବର-ଯୋଗ୍ୟ ହେଉ ତେଣୁ ॥ ୧୬

ମୈତ୍ରେୟ ଉବାଚ

ଏମନ୍ତେ କୁବେର-ବଚନେ । ଧ୍ରୁବ ବିଚାରି ତୋଷମନେ ॥ ୧୭
ବୋଲଇ ହରି-ପାଦଗତେ । ମୋହର ମନ ଥାଉ ନିତ୍ୟେ ॥ ୧୮
ଅନ୍ୟ କଳ୍ପନା ନାହିଁ ମୋର । ଯାର ପ୍ରସନ୍ନେ ଭବୁ ପାର ॥ ୧୯
କହେ କୁବେର ଧ୍ରୁବେ ଚାହିଁ । ଏ ବର ଲଭ ଧ୍ରୁବ ତୁହି ॥ ୨୦
ଏମନ୍ତ କହି ଧ୍ରୁବ ପାଶେ । କୁବେର ଗମିଲା ଆକାଶେ ॥ ୨୧
ଏବେ ହୋ ଶୁଣ ମହୀପତି । ଧ୍ରୁବର ଅର୍ଜିଲା ବିଭୂତି ॥ ୨୨
କୁବେର-ଭୁବନୁ ସନ୍ତୋଷ । ଧ୍ରୁବର ଗମିଲା ନିଜ-ଦେଶେ ॥ ୨୩
ନିଜ-ଭୁବନେ ଧ୍ରୁବ ଯାଇ । ଋତ୍ୱିଜ ପୁରୋହିତ ରାଇ ॥ ୨୪
ସଂକଳ୍ପ କରି ଯଜ୍ଞମତେ । ପୂଜିଲା ବିଷ୍ଣୁ-ପାଦଗତେ ॥ ୨୫
ଏ ଭାବେ ସମ୍ପଦ-ସମ୍ପାଦି । ଅଣିମା ଆଦି ଅଷ୍ଟନିଧି ॥ ୨୬
ସର୍ବ ସମ୍ପଦ ଭୋଗ କଲା । ଗୃହେ ଉତ୍ତାନପାଦ-ବଳା ॥ ୨୭
ସର୍ବ ପ୍ରକାରେ ବିଷ୍ଣୁ ପାଦେ । ଭକ୍ତି ସାଧିଲା ଅପ୍ରମାଦେ ॥ ୨୮
ପ୍ରଜାଏ ଧ୍ରୁବର ରାଜତ୍ୱେ । ଆନନ୍ଦେ ବଞ୍ଚିଲେ ଜଗତେ ॥ ୨୯
ସ୍ୱଭାବେ ଧ୍ରୁବ ଧର୍ମଶୀଳ । ସୁସାଧୁ ବ୍ରାହ୍ମଣ-ବତ୍ସଳ ॥ ୩୦
ଧ୍ରୁବକୁ ପିତୃଭାବେ ଜାଣି । ଦୁଃଖ ସୁଖକୁ ନ ପ୍ରମାଣି ॥ ୩୧
ଆନନ୍ଦ ମନେ ଜନ ପ୍ରଜା । ପାଳନ କଲେ ଧ୍ରୁବ ରାଜା ॥ ୩୨
ସପତ-ଦ୍ୱୀପ ଅଧିପତି । ହୋଇଲେ ମନୁର ସନ୍ତତି ॥ ୩୩
ଛତିଶ-ସହସ୍ର-ବରଷ । ସ୍ୱଭାବେ ପରମ ଆୟୁଷ ॥ ୩୪
ଆନନ୍ଦ ମନେ ଭୋଗ କଲା । ଭୂମି ମଣ୍ତଳେ ମନୁବଳା ॥ ୩୫
ଭୋଗରେ ପୁଣ୍ୟ କ୍ଷୟ କରି । ଯଜ୍ଞାଦି କାର୍ଯ୍ୟେ ପାପହରି ॥ ୩୬
ତ୍ରିବର୍ଗ ସାଧନ କରିଣ । ପୁତ୍ରକୁ କରି ରାଜ୍ୟ ଦାନ ॥ ୩୭
ନୃପ-ଆସନେ ବସାଇଲା । ସ୍ୱରାଜ୍ୟେ ଅଭିଷେକ କଲା ॥ ୩୮
ଆତ୍ମ-ସମ୍ପଦ ଆଦି ଯେତେ । ସ୍ୱପନ ପ୍ରାୟ ମଣି ଚିତ୍ତେ ॥ ୩୯
ବିଷ୍ଣୁର ମାୟା-ବଳ ଜାଣି । ଗନ୍ଧର୍ବ-ପୁର ପ୍ରାୟ ମଣି ॥ ୪୦
ପୁତ୍ର କଳତ୍ର ଦେହ ମିତ୍ର । ଧନାଦି ସକଳ ଅନିତ୍ୟ ॥ ୪୧
ସର୍ବ-ସମ୍ପଦ ପରିହରି । ସଂଯମେ ଆତ୍ମା ବଶ କରି ॥ ୪୨
ଆଶ୍ରମ ନାମ ବଦରିକା । ତହିଁ ମିଳିଲେ ଧ୍ରୁବ ଏକା ॥ ୪୩
ନିବୃତ୍ତ କରି ଇନ୍ଦ୍ରିଗର । ଚିତ୍ତେ ସୁମରି ନାରାୟଣ ॥ ୪୪
ବିଷ୍ଣୁର ସ୍ଥୂଳ-ରୂପେ ମନ । ଧାରଣା ବଳେ କରି ଧ୍ୟାନ ॥ ୪୫
ତକ୍ଷଣେ ଲିଙ୍ଗ ରୂପ ଗଲା । ନିର୍ମଳ-ଜ୍ୟୋତି ପ୍ରକାଶିଲା ॥ ୪୬
ଧ୍ରୁବ ଭକ୍ତି ଦୃଢ଼ ହେଲା । ତା ଅଭିମାନ ଦୂରେ ଗଲା ॥ ୪୭
ନୟନୁ ଅଶ୍ରୁ-ବିଗଳିତ । ଆନନ୍ଦେ ଅଙ୍ଗ-ପୁଲକିତ ॥ ୪୮
ବିମାନ ଦେଖିଲା ଗଗନେ । ପୂର୍ଣ୍ଣିମା-ସୁଧାକର ଯେହ୍ନେ ॥ ୪୯
ତେଜେ ବିରାଜେ ଦଶଦିଶ । ଆକାଶୁ ହେଲା ପରବେଶ ॥ ୫୦
ରଥେ ଅଛନ୍ତି ବେନିଦୂତ । ଗଞ୍ଜନ୍ତି ଶଶାଙ୍କ-ଆଦିତ୍ୟ ॥ ୫୧
କିଶୋର-ତନୁ ଶ୍ୟାମ ବର୍ଣ୍ଣ । ଅରୁଣ-ପଙ୍କଜଳୋଚନ ॥ ୫୨
ଶୋହେ ସୁନ୍ଦର ଭୁଜଚାରି । ବିଷ୍ଣୁ-ଆୟୁଧ ଛନ୍ତି ଧରି ॥ ୫୩
ଅଙ୍ଗଦ କିରୀଟ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୫୪
ରତ୍ନ-ମେଖଳା କଟି-ମାଝେ । ମକର କୁଳ ବିରାଜେ ॥ ୫୫
ଧ୍ରୁବ ନିକଟେ ଯାଇ ମିଳି । ଗଗନୁ ଖସେ କି ବିଜୁଳି ॥ ୫୬
ଧ୍ରୁବ ଆନନ୍ଦ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୫୭
ତୁଣ୍ତେ ଗୋବିନ୍ଦ-ନାମ ଗାଇ । କପାଳେ ବେନିକର ଦେଇ ॥ ୫୮
ନମିଲା ତାଙ୍କ ପାଦ ତଳେ । ରୋମ-ପୁଲକ ଅଶ୍ରୁଜଳେ ॥ ୫୯
ସୁନନ୍ଦ ନନ୍ଦ ପାରିଷଦେ । ତକ୍ଷଣେ ମିଳିଲେ ଆନନ୍ଦେ ॥ ୬୦
ଶ୍ରୀକୃଷ୍ଣ-ନାମ ତୁଣ୍ତେ ଗାଇ । ବୋଲନ୍ତି ଧ୍ରୂବ ମୁଖ ଚାହିଁ ॥ ୬୧
ଶୁଣ ଉତ୍ତାନପାଦ-ସୁତ । ସଂସାରେ ତୁହି ଭାଗ୍ୟବନ୍ତ ॥ ୬୨
ତୁ ବାଳ ପଞ୍ଚମ-ବରଷେ । ତପେ ତୋଷିଲୁ ହୃଷୀକେଶୋ ॥ ୬୩
ଏବେ ଗୋବିନ୍ଦ ଆଜ୍ଞା ଶିରେ । ଘେନି ମିଳିଲୁ ତୋ ଛାମୁରେ ॥ ୬୪
ଧ୍ରୁବପଦକୁ ନେବୁ ତୋତେ । ଦେଖ କାଞ୍ଚନ-ଦିବ୍ୟରଥେ ॥ ୬୫
ଦୁର୍ଲ୍ଲଭ ଧ୍ରୁବପଦ ତୁହି । ବନେ ଲଭିଲୁ ତପଦାହି ॥ ୬୬
ଏ ଶିଶୁମାର ଚକ୍ର ତୁଲେ । ଚନ୍ଦ୍ର-ଆଦିତ୍ୟ-ତାର ମେଳେ ॥ ୬୭
ନିତ୍ୟେ ଭ୍ରମନ୍ତି ପ୍ରଦକ୍ଷିଣେ । ପବନ-ରଜ୍ଜୁ ଆକର୍ଷଣେ ॥ ୬୮
ଯେ ପଦେ ତୋର ପିତୃଜନ । ପ୍ରବେଶେ ନୋହିଲେ ଭାଜନ ॥ ୬୯
କେ ଆନ ତାହା ଲଭିପାରେ । ଅନିତ୍ୟ-ସଂସାର-ସାଗରେ ॥ ୭୦
ଅଶେଷ-ଜଗତ-ବନ୍ଦନ । ବିଷ୍ଣୁ-ପରମପଦ-ସ୍ଥାନ ॥ ୭୧
ଏଣୁ ଏ ଉତ୍ତମ-ବିମାନ । ତୋଷେ ପେଷିଲେ ଭଗବାନ ॥ ୭୨
ତୁ ଏବେ ବସ ସ୍ଥିରମନେ । ବିମାନ ବାହିବୁ ଗଗନେ ॥ ୭୩

ମୈତ୍ରେୟ ଉବାଚ

ଏମନ୍ତେ ବିଷ୍ଣୁଦୂତ ବାଣୀ । ଆନନ୍ଦମନେ ଧ୍ରୁବ ଶୁଣି ॥ ୭୪
ତକ୍ଷଣେ ଧ୍ରୁବ ସ୍ନାନ ସାରି । ନିତ୍ୟ-ମଙ୍ଗଳ-କର୍ମ କରି ॥ ୭୫
ତଦନ୍ତେ ଅଳଙ୍କୃତ ହେଲା । ମୁନିଙ୍କଚରଣେ ମନିଲା ॥ ୭୬
ମୁନିଜନଙ୍କ ଆଶୀର୍ବାଦେ । ଜୟମଙ୍ଗଳ ବେଦନାଦେ ॥ ୭୭
ବିମାନ ପ୍ରଦକ୍ଷିଣ କରି । ବିଷ୍ଣୁଦୂତଙ୍କୁ ନମସ୍କାର ॥ ୭୮
ହିରଣ୍ୟମୟ ରୂପ ଧରେ । ସ୍ୱତେଜେ ଦଶଦିଗ ପୂରେ ॥ ୭୯
ଗନ୍ଧର୍ବ ଚତୁର୍ବିଧ ବାଦ୍ୟେ । ଦିଗ ପୂରିଲେ ଗୀତ ନାଦେ ॥ ୮୦
ପୁଷ୍ପ ବରଷନ୍ତି ହରଷେ । ବିବୁଧେ ଦେଖନ୍ତି ଆକାଶେ ॥ ୮୧
ତକ୍ଷଣେ ସୁନୀତିର କଥା । ସ୍ମରଣେ ଧ୍ରୁବ ମନେ ବ୍ୟଥା ॥ ୮୨
ଦୁଃଖିନୀ ମୋହର ଜନନୀ । ତାହାକୁ ତେଜି ମୁହିଁ ପୁଣି ॥ ୮୩
ଯିବି ମୁଁ ସ୍ୱର୍ଗକୁ କି ରୂପେ । ଦୂତେ ଜାଣିଲେ ତା ସଙ୍କଳ୍ପେ ॥ ୮୪
ବୋଇଲେ ଦେଖ ଭକ୍ତାଗ୍ରଣୀ । ଅଗ୍ରେ ବିମାନେ ତୋ ଜନନୀ ॥ ୮୫
ତା ଶୁଣି ଚିତ୍ତ କଲା ସ୍ଥିର । ସେ ବିଷ୍ଣୁଭକ୍ତଙ୍କର ବର ॥ ୮୬
ସୁନୀତି ଜନନୀ ସହିତେ । ବସିଲେ ରତ୍ନମୟ-ରଥେ ॥ ୮୭
ବିମାନ ଯାନ୍ତେ ସ୍ୱର୍ଗପଥେ । ଦେବେ ଯେ ବସି ନିଜ ରଥେ ॥ ୮୮
ଧ୍ରୁବକୁ ଦେଖି ପ୍ରଶଂସନ୍ତି । କେ ବା ଆନନ୍ଦେ କରେ ସ୍ତୁତି ॥ ୮୯
ଏମନ୍ତେ ପୁଷ୍ପ ବୃଷ୍ଟି-ପଥେ । ଗ୍ରହଙ୍କୁ ଦେଖିଳେ ଅଗ୍ରତେ ॥ ୯୦
ତ୍ରୈଲୋକ୍ୟ ଜିଣି ଦିବ୍ୟଯାନେ । ମୁନିଙ୍କି ଦେଖିଲା ବିମାନେ ॥ ୯୧
ମୁନିଙ୍କି ନମିଣ ଆନନ୍ଦେ । ବିଜୟେ କଲା ବିଷ୍ଣୁପଦେ ॥ ୯୨
ସେ ବିଷ୍ଣୁପଦର ମହିମା । କେ କହିପାରେ ଗୁଣସୀମା ॥ ୯୩
ଯେ ପ୍ରାଣୀ ଶାନ୍ତ ସମଦୃଶ । ଅଶେଷ ଜନ୍ତୁଙ୍କ ବିଶ୍ୱାସ ॥ ୯୪
ହରି-ଚରଣେ ଚିତ୍ତ ଯାର । ସୁଶାନ୍ତ ସମବୁଦ୍ଧି ତାର ॥ ୯୫
ସେ ପ୍ରାଣୀ ସେ ପୁରେ ପଶନ୍ତି । ମାୟା-ବନ୍ଧନୁ ନିସ୍ତରନ୍ତି ॥ ୯୬
ଏଣୁ ଉତ୍ତାନପାଦ ସୁତ । ବିଷ୍ଣୁର ପରମ ଭକତ ॥ ୯୭
ସକଳଲୋକ ଚୂଡାମଣି । ନିର୍ମଳ ବୋଲି ଯାକୁ ଗଣି ॥ ୯୮
ସେ ଧ୍ରୁବ ବସିଲା ଯେ ସ୍ଥାନେ । ତା ଗୁଣ ଗୁଣ ସାବଧାନେ ॥ ୯୯
ଗଭୀର ବେଗେ କାଳଚକ୍ରେ । ବାୟୁ ରସନା ଅତିରେକେ ॥ ୧୦୦
ଗ୍ରହ ନକ୍ଷତ୍ର ତାରାଗଣେ । ଭ୍ରମନ୍ତି ମେଧି ଆକର୍ଷଣେ ॥ ୧୦୧
ତାର ମହିମା ଯଶ ଘୋଷି । ବୀଣା-ଶବଦେ ଦେବଋଷି ॥ ୧୦୨
ପ୍ରଚେତାଗଣ ସଙ୍ଗେ ଥାଇ । ନୃତ୍ୟ କରନ୍ତି ଗୀତ ଗାଇ ॥ ୧୦୩
ଧ୍ରୁବର ଯଶ-ଗୁଣ-ବୃନ୍ଦ । ସେ ଯଜ୍ଞେ କହନ୍ତି ନାରଦ ॥ ୧୦୪
କି ପତିବ୍ରତା ଏ ସୁନୀତି । କି ବା ତା ସୁତ ଧ୍ରୁବ ଗତି ॥ ୧୦୫
କିବା ତା ତପର ପ୍ରଭାବ । ବେଦବାଦୀଙ୍କି ଅସମ୍ଭବ ॥ ୧୦୬
ସେ ତପେ ହରିଙ୍କି ତୋଷିଲା । ଜନନୀ ସଙ୍ଗେ ସ୍ୱର୍ଗେ ଗଲା ॥ ୧୦୭
ଶୁଣ ହେ ବ୍ୟାସଙ୍କ କୁମର । ସାଧୁଜନଙ୍କ ମଧ୍ୟେ ବର ॥ ୧୦୮
ତୁ ଯଶୁ ପଚାରିଲୁ ମୋତେ । ଧ୍ରୁବ-ଚରିତ ଭାଗବତେ ॥ ୧୦୯
ଉତ୍ତମ-ଯଶା ଧ୍ରୁବ ବାଣୀ । ଯେ ଏହା ଏକମନେ ଶୁଣି ॥ ୧୧୦
ବିସ୍ତାରି କହେ ସାଧୁମେଳେ । ବସଇ ବୈଷ୍ଣବ-ମଣ୍ତଳେ ॥ ୧୧୧
ଯଶ ଆୟୁଷ ଧନ ମାନ । ସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ ॥ ୧୧୨
ବିଘ୍ନ-ସମୂହେ ନାହିଁ ଭ୍ରାନ୍ତି । ସକଳ-କ୍ଳେଶୁ ନିସ୍ତରନ୍ତି ॥ ୧୧୩
ବିଷ୍ଣୁ-ସମୀପେ ପ୍ରାତଃକାଳେ । ଗୋବିନ୍ଦ-ଭକ୍ତିଭାବ ଭୋଳେ ॥ ୧୧୪
ପୂଣ୍ଣିମା ଅମାବାସ୍ୟା ଦିନେ । ଦ୍ୱାଦଶୀ ଶ୍ରବଣା ବିଧାନେ ॥ ୧୧୫
ଦିବସ-କ୍ଷୟ ବ୍ୟତିପାତେ । ସଙ୍କ୍ରାନ୍ତି ଅର୍କବାର ଯୁତେ ॥ ୧୧୬
ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି । ଅଥବା ଶ୍ରବଣେ ଶୁଣନ୍ତି ॥ ୧୧୭
ଜ୍ଞାନ-ସନ୍ତୋଷ ପ୍ରାଣୀଙ୍କର । ଚତୁରବର୍ଗ ନୋହେ ଦୂର ॥ ୧୧୮
ସକାମ-ଚିତ୍ତେ ଚିନ୍ତେ ଯେବେ । ଶୁଣନ୍ତି ଧନ-ପୁତ୍ର ଲଭେ ॥ ୧୧୯
କୁଳେ ସୁପୁତ୍ର ହୋଏ ଜାତ । ଯେ ଶୁଣେ ଧ୍ରୁବର ଚରିତ ॥ ୧୨୦
ସଂସାର-ଜନଙ୍କର ହିତେ । ପୁରାଣ କଲି ଗୀତ କୃତେ ॥ ୧୨୧
କହଇ ଦାସ ଜଗନ୍ନାଥ । ଚତୁଥସ୍କନ୍ଧେ ଭାଗବତ ॥ ୧୨୨
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

ସୂତଉବାଚ

ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ । ଆନନ୍ଦ ବିଦୁରର ମନେ ॥ ୧
ଧ୍ରୁବ ଯେ ଜନନୀ ସହିତେ । ନିଶ୍ଚଳେ କଳ୍ପ ପରିଯନ୍ତେ ॥ ୨
ବସିଲା ଯାଇ ଧ୍ରୁବପଦେ । ଜ୍ୟୋତିଷ୍କ ଗ୍ରହ ଚକ୍ର ମଧ୍ୟେ ॥ ୩
ମୈତ୍ରେୟ ପାଦେ ଦେଇ କର । ଆନନ୍ଦେ ପୁଚ୍ଛଇ ବିଦୁର ॥ ୪

ବିଦୁର ଉବାଚ

ଭୋ ମୁନି ପ୍ରଚେତସମାନେ । କେବା ସେ କେବଣ ଭୁବନେ ॥ ୫
କେବଣ ବଂଶେ କିବା ଜାତି । କାହାର ପୁତ୍ର ସେ ବୋଲାନ୍ତି ॥ ୬
ପୂର୍ବେ ସେ ନାରଦ ବଚନେ । ଯଜ୍ଞ ଆରମ୍ଭି କେଉଁ ବନେ ॥ ୭
ହରିଙ୍କି କ୍ରିୟାଯୋଗେ ପାଇ । ଭବୁ ତରିଲେ ଦଶଭାଇ ॥ ୮
ସେ ଧର୍ମଶୀଳ ପ୍ରଚେତସ । ଯଜ୍ଞେ ବିଷ୍ଣୁଙ୍କୁ କରି ତୋଷ ॥ ୯
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥ ୧୦
ମୈତ୍ରେୟ କହିଲେ ବିଦୁର । ଶୁଣ ହେ ବୃତ୍ତାନ୍ତ ତାହାର ॥ ୧୧
ତୁ ଯେ ପ୍ରାର୍ଥନା କଲୁ ମୋତେ । ଶୁଣ ବିଦୁର କହୁ ତୋତେ ॥ ୧୨
ଧ୍ରୁବର ପୁତ୍ର ଗୁଣଧାମ । ଜ୍ୟେଷ୍ଠ ଉତ୍କଳ ତାର ନାମ ॥ ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ । ଧ୍ରୁବ ଯେ ଗଲା ବନେ ତପେ ॥ ୧୪
ସେ ବସି ରାଜାର ଆସନେ । ଉତ୍ତମ ରତ୍ନ-ସିଂହାସନେ ॥ ୧୫
ଅନେକ ଦିନ ରାଜ୍ୟ କରି । ସେ ଗୁଣୀ ମନରେ ବିଚାରି ॥ ୧୬
ପିତାର ଯାତ୍ରା ଶୁଣି କର୍ଣ୍ଣେ । ସୁଖ ନ ଲଭେ ଦୁଃଖ ମନେ ॥ ୧୭
ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ । ସମଦରଶୀ ବୁଦ୍ଧି ଘେନି ॥ ୧୮
ଦେଖଇ ସର୍ବଭୂତେ ହରି । ସ୍ଥାବର ଜଙ୍ଗମାଦି କରି ॥ ୧୯
ଏକାନ୍ତ ଆତ୍ମବୋଧ-ରସେ । ଗୁଣ-ପ୍ରବାହେ ସେ ନ ମିଶେ ॥ ୨୦
ନିର୍ଗୁଣ-ମନ-ବୁଦ୍ଧି ତାର । ନ ଜାଣେ ବାହ୍ୟ ଅଭ୍ୟନ୍ତର ॥ ୨୧
ଜଡାନ୍ଧ-ବଧିରଙ୍କ ପ୍ରାୟେ । ଭସ୍ମ-ଭୂଷିତ ଶୁଦ୍ଧ ଦେହେ ॥ ୨୨
ବାଳେ ଧାବନ୍ତି ଯାକୁ ଦେଖି । କେ ପାରେ ତାଙ୍କ ଗୁଣ ଲେଖି ॥ ୨୩
ବୁଲଇ ନାନା-ମାର୍ଗେ ଲୁଚି । କେହି ନ ପାରେ ତାକୁ ଲକ୍ଷି ॥ ୨୪
ଜଡ ଉନ୍ମତ୍ତ ତାକୁ ଜାଣି । ବନ୍ଧୁ ବାନ୍ଧବ ମନେ ଗୁଣି ॥ ୨୫
ମନ୍ତ୍ରୀ-ଅମାତ୍ୟଗଣେ ମିଳି । ରାଜ୍ୟ-ରକ୍ଷଣ ନିତ୍ୟେ ଭାଳି ॥ ୨୬
ବତ୍ସର ତା ଅନୁଜ ନାମ । ସୁନ୍ଦର ସର୍ବ-ଗୁଣଧାମ ॥ ୨୭
ତାହାକୁ ସକଳେ ବିଚାରି । ସ୍ୱରାଜ୍ୟେ ଅଭିଷେକ କରି ॥ ୨୮
ସ୍ଥାପିଲେ ନୃପତି ଆସନେ । ଏମନ୍ତେ ଗଲା କେତେଦିନେ ॥ ୨୯
ସ୍ୱର୍ବୀଥି ନାମେ ପତ୍ନୀ ତାର । ଯୋଷିତଗଣେ ସେ ଗମ୍ଭୀର ॥ ୩୦
ତାର ଉଦରୁ ସୁତ ଜାତ । ହୋଇଲେ ଗୁଣେ ଅପ୍ରମିତ ॥ ୩୧
ପୁଷ୍ପାର୍ଣ ତିଗ୍ଧକେତୁ ନାମ । ଈଷ ଉର୍ଜ୍ଜ ଯେ ଅନୁପମ ॥ ୩୨
ବସୁ ଜୟ ଯେ ଷଟ ସୁତେ । ଗୁଣେ ପ୍ରଖ୍ୟାତ ଏ ଜଗତେ ॥ ୩୩
ପ୍ରଭା ଦୋଷା ଯେ ବେନି ନାରୀ । ପୁଷ୍ପାର୍ଣ୍ଣ ତୁଲେ ବିଭାକରି ॥ ୩୪
ସେ ପ୍ରଭା ଗର୍ଭେ ତିନି ସୁତ । ହୋଇଲେ ଜଗତେ ବିଖ୍ୟାତ ॥ ୩୫
ପ୍ରାତଃ ମଧ୍ୟାହ୍ନ ସାୟଂକାଳ । ସ୍ୱଭାବେ ତେଜ ଅନର୍ଗଳ ॥ ୩୬
ପ୍ରଦୋଷ ନିଶୀଥ ଯେ ବ୍ୟୁଷ୍ଟ । ଦୋଷା ତନୟ ତିନି ଶ୍ରେଷ୍ଠ ॥ ୩୭
ବ୍ୟୁଷ୍ଟର ପତ୍ନୀ ପୁଷ୍କରଣୀ । ତା ଗର୍ଭେ ସର୍ବତେଜା ଜନ୍ମି ॥ ୩୮
ଆକୂତି ଲନ୍ୟା ହେଲା ବିଭା । କିବା ଉପମା ତାରେ ଦେବା ॥ ୩୯
ଚାକ୍ଷୁଷ ମନୁ ତାର ବୀର୍ଯ୍ୟେ । ଜନ୍ମିଳା ଆକୂତିର ଗର୍ଭେ ॥ ୪୦
ନଡ୍ୱଳା ଚାକ୍ଷୁଷର ନାରୀ । ରୂପେ କମଳା ନୋହେ ସରି ॥ ୪୧
ତାର ଉଦରେ ବାର ସୁତେ । ଜନ୍ମିଲେ ବିଷ୍ଣୁତେଜ ଯୁତେ ॥ ୪୨
ନାମ ସେ ପୁରୁ କୁତ୍ସ ତ୍ରିତ । ଦ୍ୟୁମ୍ନ ସତ୍ୟ ତେ ଋତବ୍ରତ ॥ ୪୩
ଅତିରାତ୍ର ଯେ ଅଗ୍ନିଷ୍ଟୋମ । ଶିବି ଯେ ଉଲୁକ ପ୍ରଦ୍ୟୁମ୍ନ ॥ ୪୪
ଉଲୁକ ତହୁଁ ଷଟସୁତ । ହୋଇଲେ ମନୁବଂଶେ ଖ୍ୟାତ ॥ ୪୫
ଅଙ୍ଗ ସୁମନା ଖ୍ୟାତି ତିନି । କ୍ରତୁ ଅଙ୍ଗିରା ଗୟ ଘେନି ॥ ୪୬
ସୁନୀଥା ଯମର ଦୁହିତା । ଅଙ୍ଗର ଅଟେ ସେ ବନିତା ॥ ୪୭
ବେଣ ତାହାର ଗର୍ଭୁ ଜାତ । ଶୁଣ ହେ ତାହାର ଚରିତ ॥ ୪୮
ସେ ପୁଣି ମାତାମହ ଦୋଷେ । ଦୁଷ୍ଟ ହୋଇଲା ମନୁ ବଂଶେ ॥ ୪୯
ଦୁଃଶୀଳପଣ ଦେଖି ତାର । ପିତା ଚଳିଲା ଛାଡି ପୁର ॥ ୫୦
ତାହାର ଦେଖି ଦୁଷ୍ଟପଣ । କୋପେ ନାଶିଲେ ମୁନିଗଣ ॥ ୫୧
ପୁଣି ତାହାର ମୃତ-ଗାତ୍ରେ । ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ॥ ୫୨
ଦକ୍ଷିଣ କରେ କୁଶ ବିଡି । ମନ୍ଥନ କଲେ ବେଦ ପଢି ॥ ୫୩
ପ୍ରଜା ଅନାଥ ଅରାଜକେ । ଦୁଷ୍ଟେ ପୀଡିଲେ ଅତିରେକେ ॥ ୫୪
ତା ତହୁଁ ପୃଥୁ ନାମେ ହରି । ଜନ୍ମିଲେ ରାଜରୂପ ଧରି ॥ ୫୫
ତା ଶୁଣି ସନ୍ତୋଷେ ବିଦୁର । ମୁନି ଚରଣେ ଦେଇ କର ॥ ୫୬
ରୋମ ପୁଲକ ତନୁ ବହି । ପୁଚ୍ଛଇ କୃତକୃତ୍ୟ ହୋଇ ॥ ୫୭

ବିଦୁର ଉବାଚ

ଯେ ଅଙ୍ଗ ସାଧୁ ଶୀଳନିଧି । ସର୍ବ-ଲକ୍ଷଣ ଶ୍ରେୟ-ବୁଦ୍ଧି ॥ ୫୮
ବ୍ରାହ୍ମଣ ପ୍ରଜା ରକ୍ଷାକାରୀ । ସେ ସର୍ବଧର୍ମେ ଅଧିକାରୀ ॥ ୫୯
ତାହାର ବେଣ ନାମେ ସୁତ । ସେ ଦୁଷ୍ଟ ହୋଇଲା କେମନ୍ତ ॥ ୬୦
ପ୍ରଜାଏ ତାର ଦୁଷ୍ଟପଣେ । ଭୟେ ପଶିଲେ ଘୋରବନେ ॥ ୬୧
କିମ୍ପା ବ୍ରାହ୍ମଣେ କୋପକଲେ । ତାହାକୁ ବ୍ରହ୍ମଦଣ୍ତ ଦେଲେ ॥ ୬୨
ସେ ବିପ୍ରବରେ ସର୍ବଜ୍ଞାତା । ଆଗମ ନିଗମ ବକତା ॥ ୬୩
ଏଡେ ଅନ୍ୟାୟ କିମ୍ପା କଲେ । ରାଜାଙ୍କୁ କିମ୍ପା ବିନାଶିଲେ ॥ ୬୪
ରାଜାର ଶରୀରେ ନିଶ୍ଚଳେ । ବସନ୍ତି ଦଶଦିଗପାଳେ ॥ ୬୫
ଯେ ରାଜା ବିଷ୍ଣୁତେଜ ବହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥ ୬୬
ସକଳ ରକ୍ଷଣର ଅର୍ଥେ । ତେଣୁ ଭିଆଣ ରାଜମତେ ॥ ୬୭
ଯମର ସୁତା-ସୁତ ଯେଣୁ । ଦୁଷ୍ଟ ହୋଇଲେ ଅବା ତେଣୁ ॥ ୬୮
ତ‌ତ୍ତ୍ବଜ୍ଞ ମଧ୍ୟେ ତୁ ଉତ୍ତମ । ସର୍ବଜ୍ଞ ତୁହି ପୁଣ୍ୟଧାମ ॥ ୬୯
ଏ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥ ୭୦
ବିଦୁର ତହୁଁ ପ୍ରଶ୍ନ ଶୁଣି । ମୈତ୍ରେୟ କହେ ମୃଦୁ-ବାଣୀ ॥ ୭୧

ମୈତ୍ରେୟ ଉବାଚ

ଶୁଣ ହେ ବେଣ ଦୁଷ୍ଟପଣ । କହିବା ତାହାର କାରଣ ॥ ୭୨
ଅଙ୍ଗ ଯେ ଅଶ୍ୱମେଧ କଲା । ଉତ୍ତମ-ଋଷିଙ୍କି ବରିଲା ॥ ୭୩
ସକଳେ ମିଳି ବେଦନାଦେ । ଅନଳ ପୂଜିଲେ ସମିଧେ ॥ ୭୪
ଯଜ୍ଞ-କୁଣ୍ତକୁ ବିପ୍ରେ ଚାହିଁ । ଦେଖିଲେ ଦେବଗଣେ ନାହିଁ ॥ ୭୫
ଇନ୍ଦ୍ରାଦି ଦଶଦିଗପାଳେ । ସେ ଯଜ୍ଞେ କେହି ନ ମିଳିଲେ ॥ ୭୬
ଦେଖି ବିସ୍ମୟେ ମୁନିଜନେ । ନିକଟେ ରାଇ ଯଜମାନେ ॥ ୭୭
ବୋଇଳେ ରାଜା ମୁଖ ଚାହିଁ । ଏ ଯଜ୍ଞ କରୁ କାହିଁ ପାଇଁ ॥ ୭୮
ଦେବେ ସେ ହବି ନ ଘେନିଲେ । ଆମ୍ଭେ ପଚାରୁ ତେଣୁ ଭଲେ ॥ ୭୯
ଶୁଣ ରାଜନ ସାବଧାନେ । କିବା କଳ୍ପିତ ତୋର ମନେ ॥ ୮୦
ପବିତ୍ର-ଦ୍ରବ୍ୟ ଶ୍ରଦ୍ଧାକରି । ସକଳ-ନିଗମ ଉଚ୍ଚାରି ॥ ୮୧
ଆମ୍ଭେ ସକଳେ ଧୃତବ୍ରତ । ତୁମ୍ଭେ-ସ୍ୱଭାବେ ଶୁଦ୍ଧଚେତ ॥ ୮୨
ମନ୍ତ୍ର ଉଚାରି ଆମ୍ଭେ ତୁଣ୍ତେ । ଆହୁତି ଦେଲୁ ଯଜ୍ଞକୁଣ୍ତେ ॥ ୮୩
ଦେବେ ନଇଲେ କେଉଁଭାବେ । ତାର ପ୍ରସ୍ତାବ ଶୁଣ ଏବେ ॥ ୮୪
ସକଳ କର୍ମ ସାକ୍ଷୀ ଦେବେ । କିମ୍ପା ନଇଲେ ଯଜ୍ଞଭାଗେ ॥ ୮୫

ମୈତ୍ରେୟ ଉବାଚ

ଅଙ୍ଗ ଯେ ବିପ୍ର ବାକ୍ୟ ପୁଣି । ମୁହୂର୍ତ୍ତେ ରହି ମନେ ଗୁଣି ॥ ୮୬
ସଭାଜନଙ୍କ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୮୭
କି ମଦ କର୍ମ ମୋର ଅଛି । କେମନ୍ତେ ପାରିବି ମୁଁ ଲକ୍ଷି ॥ ୮୮
ଦେବେ ନଇଲେ ଯଜ୍ଞଭାଗେ । କାରଣ କହ ମୋର ଆଗେ ॥ ୮୯
ଏମନ୍ତ ରାଜା ମୁଖୁ ଶୁଣି । ସ୍ୱଧର୍ମ ବିପ୍ରେ ପରିମାଣି ॥ ୯୦
ବୋଇଲେ ରାଜା ମୁଖ ଚାହିଁ । ଏ ଜନ୍ମେ ତୋର ଦୋଷ ନାହିଁ ॥ ୯୧
ପୂର୍ବ ଅର୍ଜିତ କର୍ମ-ଫଳେ । ସନ୍ତତି ନାହିଁ ତୋର କୋଳେ ॥ ୯୨
ଅପୁତ୍ର ଦୋଷେ ଦେବଗଣେ । ନଇଲେ ଯଜ୍ଞ-ନିମନ୍ତ୍ରଣେ ॥ ୯୩
ସଙ୍କଳ୍ପ ପୁତ୍ର-ଅର୍ଥେ କର । ଯଜ୍ଞପୁରୁଷ ଯଜ୍ଞେ ବର ॥ ୯୪
ତେବେ ସକଳ ଦେବଗଣ । ତୋ ଯଜ୍ଞେ ହୋଇବେ ବରଣ ॥ ୯୫
ସେ ବିଷ୍ଣୁ ହବିର୍ଭାଗ ପାଇ । ତୋହର ଯଜ୍ଞେ ତୋଷ ହୋଇ ॥ ୯୬
ସେ ହରି ପୁତ୍ର ଦେବେ ତୋତେ । ସଂସାରୁ ତରିବୁ ଯେମନ୍ତେ ॥ ୯୭
ମୈତ୍ରେୟ ଆନନ୍ଦ ଚିତ୍ତରେ । କହନ୍ତି ଶୁଣ ହେ ବିଦୁରେ ॥ ୯୮
ଏମନ୍ତ ବିପ୍ରବାକ୍ୟ ଶୁଣି । ସେ ଅଙ୍ଗରାଜ ମନେ ଗୁଣି ॥ ୯୯
ଯଜ୍ଞେ ଯଜ୍ଞପୁରୁଷ ତୁଣ୍ତେ । ଆହୁତି ଦେଲେ ହୋମକୁଣ୍ତେ ॥ ୧୦୦
ମନ୍ତ୍ର ଉଚ୍ଚାରି ବିଧିମତେ । ମୁନିଏ ଦେଲେ ଶୁଦ୍ଧଚିତ୍ତେ ॥ ୧୦୧
ତକ୍ଷଣେ ହୋମକୁୁଣ୍ତୁ ଜାତ । ହୋଇଲା ପୁରୁଷ ଅଦ୍ଭୁତ ॥ ୧୦୨
ହୃଦେ ଲମ୍ବଇ ହେମହାର । କଟିରେ ଶୋହେ ପାତାମ୍ବର ॥ ୧୦୩
ସୁବର୍ଣ୍ଣ ପାତ୍ର କରେ ଧରି । ସିଦ୍ଧ ପାୟସ ପୂର୍ଣ୍ଣ କରି ॥ ୧୦୪
ତେଜେ ଗଞ୍ଜଇ ସୂର୍ଯ୍ୟକାନ୍ତି । ତା ଦେଖି ବିପ୍ରେ କଲେ ସ୍ତୁତି ॥ ୧୦୫
ଷୋଡଶ-ଉପଚାର ଯୁତେ । ବିପ୍ରେ ପୂଜିଲେ ଜଗନ୍ନାଥେ ॥ ୧୦୬
ଯଜ୍ଞପୁରୁଷ ଆଜ୍ଞା ଘେନି । ବ୍ରାହ୍ମଣେ କଲେ ଜୟଧ୍ୱନି ॥ ୧୦୭
ଅମୃତମୟ କ୍ଷୀରି-ପୂର୍ଣ୍ଣ । ରାଜାଙ୍କୁ ଅର୍ପିଲେ ବ୍ରାହ୍ମଣ ॥ ୧୦୮
ବିପ୍ର-ବଚନେ କ୍ଷୀରିପାତ୍ର । କରେ ଘେନିଲେ ନରନାଥ ॥ ୧୦୯
ଆଘ୍ରାଣ କରି ନାସା ଦ୍ୱାରେ । ଦେଲା ସେ ନିଜ ପତ୍ନୀ କରେ ॥ ୧୧୦
ରାଣୀ ତା ଘେନିଲା ସନ୍ତୋଷେ । ଗୃହେ ଭୁଞ୍ଜିଲା ମନ ତୋଷେ ॥ ୧୧୧
ତକ୍ଷଣେ ପୁଂସବନ ଭାବେ । ପୁତ୍ର ରହିଲା ତାର ଗର୍ଭେ ॥ ୧୧୨
ସେ ଗର୍ଭକାଳ ଉପଗତ । କୁମାର ଜନ୍ମିଲା ଅଦ୍ଭୁତ ॥ ୧୧୩
ଦିନକୁ ଦିନ ସେ ବଢିଲା । ମାତାର ଅଂଶ ନ ଛାଡିଲା ॥ ୧୧୪
ସୁନୀଥା ଯମସୁତା ଯେଣୁ । ତା ସୁତ ଅଧାର୍ମିକ ତେଣୁ ॥ ୧୧୫
ଅଧର୍ମ-ଅଂଶୁ ଯମ ଜାତ । ଦୌହିତ୍ର ତାର ଅନୁଗତ ॥ ୧୧୬
ସ୍ୱଭାବେ ହୋଇ ଅଧାର୍ମିକ । କ୍ଷତ୍ରିୟ ଭାବେ ଅତିରେକ ॥ ୧୧୭
ନିରତେ ଧନୁଶର ଧରି । ବନେ ମୃଗୟା ନିତ୍ୟେ କରି ॥ ୧୧୮
ନିର୍ଦ୍ଦୋଷେ ପଶୁଗଣ ମାରେ । ଦୟା-ବିବେକ ନ ବିଚାରେ ॥ ୧୧୯
ତୁଲ୍ୟବୟସୀ ବାଳ-ମେଳେ । ଯେବେ ଖେଳଇ କୁତୂହଳେ ॥ ୧୨୦
ତାହାଙ୍କୁ ଦୁଷ୍ଟପଣେ ଦୃଢେ । ଚରଣେ ଚାପି ମୁଣ୍ତ ମୋଡେ ॥ ୧୨୧
କାହାର କେଶ ବାସ ଫେଡି । କର ଚରଣ ଦୃଢେ ଭିଡି ॥ ୧୨୨
ଏମନ୍ତ ତାର ଦୁଷ୍ଟପଣେ । ରାଜାର ଆଗେ ପ୍ରଜାଗଣେ ॥ ୧୨୩
ରୋଦନ କରି ଉଚ୍ଚସ୍ୱରେ । କର-ଅଞ୍ଜଳି ଦେଇ ଶିରେ ॥ ୧୨୪
କହନ୍ତି ବେଣ ଦୁଷ୍ଟପଣ । ରୋଦନ କରି ପ୍ରଜାଗଣ ॥ ୧୨୫
ଭୋନାଥ ଅନାଥର ପ୍ରାୟେ । ହୋଇଲୁ ସର୍ବ-ପରଜାଏ ॥ ୧୨୬
ଏମନ୍ତ ଅଙ୍ଗରାଜା ଶୁଣି । ଖଳପୁତ୍ରକୁ ଘରେ ଆଣି ॥ ୧୨୭
ନାନା-ପ୍ରକାରେ ଧର୍ମ କହି । ଅନେକ-ପ୍ରକାରେ ବୁଝାଇ ॥ ୧୨୮
ଶୁଣନ୍ତେ ନାନା-କୋପ କରେ । ପିତାର ବଚନ ନ ଧରେ ॥ ୧୨୯
ଦିନକୁ-ଦିନ ଦୁଷ୍ଟପଣେ । କୋପ ବହିଲେ ପ୍ରଜାଗଣେ ॥ ୧୩୦
ଅଙ୍ଗ ତାହାର କର୍ମ ଦେଖି । ଭାଳଇ ଅତିଦୁଃଖେ ଦୁଃଖୀ ॥ ୧୩୧
ଦେଖ ମୁଁ ବିଷ୍ଣୁ-ପାଦେ ସେବି । କୁପୁତ୍ରେ ହେଲି ପରାଭବୀ ॥ ୧୩୨
ସବୁରି ସଙ୍ଗେ ନିରନ୍ତରେ । ମହତ-ଦୋରେହା ଆଚରେ ॥ ୧୩୩
ପ୍ରାଣୀଙ୍କ ମନେ ବହୁବ୍ୟଥା । ଏ ଦୁଷ୍ଟ ଦିଅଇ ସର୍ବଥା ॥ ୧୩୪
ଏ ପୁତ୍ରେ କାର୍ଯ୍ୟ ଅଛି କିସ । ନାଶଇ ଇହ ପର ଯଶ ॥ ୧୩୫
ପୁଣି ସେ ରାଜା ବିଚାରଇ । ସୁପୁତ୍ର ଛାଡି ନ ହୁଅଇ ॥ ୧୩୬
କୁପୁତ୍ରେ ମାତ୍ର ଏତେ ଲାଭ । ସ୍ୱଜନଗୃହେ ଛାଡେ ଲୋଭ ॥ ୧୩୭
ସୁପୁତ୍ର-କୁପୁତ୍ର ବିଚାରେ । ଚିତ୍ତ ନ ରହେ ତାର ଘରେ ॥ ୧୩୮
ରଜନୀ-ଅର୍ଦ୍ଧେ ନୃପବର । ମନ୍ଦିରୁ ହୋଇଲା ବାହାର ॥ ୧୩୯
ବନେ ପଶିଲା ନରପତି । କେହି ନ ଜାଣେ ତାର ଗତି ॥ ୧୪୦
ତାହାର ପାତ୍ର-ମନ୍ତ୍ରୀଗଣେ । ଅନେକ ଖୋଜି ଘୋରବନେ ॥ ୧୪୧
ନ ଦେଖି ଗନରେ ମିଳିଲେ । ଅନେକ ପ୍ରକାରେ ଭାଳିଲେ ॥ ୧୪୨
ରୋଦନ କଲେ ଛନ୍ନ ମନେ । ବୋଇଲେ କେଣେ ଗଲେ ଶୂନ୍ୟେ ॥ ୧୪୩
ଭାଷା-ପ୍ରବନ୍ଧେ ଭାଗବତ । ବୋଲଇ ବିପ୍ର ଜଗନ୍ନାଥ ॥ ୧୪୪
ଇତିଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ବେଣଜନ୍ମ କଥନଂ ନାମ ପଞ୍ଚଦଶଶୋଽଧ୍ୟାୟଃ ॥

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି ॥ ୧

ମୈତ୍ରେୟ ଉବାଚ

ଭୃଗୁ ଅଙ୍ଗିରା ଆଦି ଯେତେ । ମୁନିଏ ମିଳିଲେ ସମସ୍ତେ ॥ ୨
ଭାଳନ୍ତି ଅତି ମନ ଦୁଃଖେ । ପ୍ରଜା-ରକ୍ଷଣେ ଅରାଜକେ ॥ ୩
ବୋଲନ୍ତି ରାଜ୍ୟେ ନାହି ରାଜା । ଦୁଷ୍ଟେ ଲୁଟିବେ ଜନ ପ୍ରଜା ॥ ୪
ଏମନ୍ତ ବିଚାରି ସମସ୍ତେ । ବେଣର ଜନନୀ ଅଗ୍ରତେ ॥ ୫
ପ୍ରଜା ରକ୍ଷଣେ ଧର୍ମ କହି । ସକଳ ଜନେ ରୁଣ୍ତ ହୋଇ ॥ ୬
ବିଚାର କରି ଅତିରେକେ । ବେଣକୁ ରାଜ-ଅଭିଷେକେ ॥ ୭
ନିଜ-ଭୁବନେ କଲେ ରାଜା । ଯେଣେ ରକ୍ଷିତ ଜନପ୍ରଜା ॥ ୮
ଦସ୍ୟୁ ଯେ ଥିଲେ ଦୁଷ୍ଟପଣେ । ଲୁଟିବେ ବୋଲି ପ୍ରଜାଗଣେ ॥ ୯
ବେଣର ରାଜପଣ କର୍ଣ୍ଣେ । ଶୁଣି ଲୁଚିଲେ ଘୋରବନେ ॥ ୧୦
ପଶିଲେ ଘୋର-ଗିରିମାର୍ଗେ । ଗରୁଡ ଡରେ ଯେହ୍ନେ ନାଗେ ॥ ୧୧
ବେଣ ରାଜ୍ୟରେ ରାଜା ହୋଇ । ରାଜା-ସମ୍ପଦେ ଗର୍ବ ବହି ॥ ୧୨
ସ୍ୱଭାବେ ଦୁଷ୍ଟ-ଦୁରାଚାର । ନ କରେ ଧର୍ମର ବିଚାର ॥ ୧୩
ଆତ୍ମାକୁ ସିଦ୍ଧ-ପ୍ରାୟ ମଣେ । ଋଷିଙ୍କ ବଚନ ନ ଶୁଣେ ॥ ୧୪
ଲଭିଣ ଅଶେଷ ବିଭୂତି । ମାତିଲା ଯେହ୍ନେ ମତ୍ତହସ୍ତୀ ॥ ୧୫
କାଞ୍ଚନରଥେ ବିଜେ କରି । ବୁଲନ୍ତେ କମ୍ପେ ବସୁନ୍ଧରୀ ॥ ୧୬
ନିତ୍ୟେ ସେ ବିପ୍ରଙ୍କୁ ଅଣାଇ । ବୋଲଇ କୋପଭର ହୋଇ ॥ ୧୭
ଶୁଣ ହେ ବିପ୍ରେ ମୋର ବାଣୀ । ମୁଁ ଏ ଜଗତେ ନୃପମଣି ॥ ୧୮
ମୋହର ବଚନ ତୁମ୍ଭର । ସ୍ୱଭାବେ ପାଳିବା ବେଭାର ॥ ୧୯
ଦେଖ ମୋହର ବେନଭୂଜ । ଦାଦିଗପାଳଙ୍କ ତେଜ ॥ ୨୦
ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ । ଦେଖ ମୋହର ବର୍ଣ୍ଣଚିହ୍ନ ॥ ୨୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ପାଶେ ବସାଇ ନୃପରାଣ ॥ ୨୨
ବିଷ୍ଣୁର ବଚନ ପ୍ରକାଶି । ମନ ଆନନ୍ଦେ ନୃପବଂଶୀ ॥ ୨୩
ଆତ୍ମାକୁ ସିଦ୍ଧ ପ୍ରାୟ ମଣି । ବୋଲଇ ଅସମ୍ଭବ ବାଣୀ ॥ ୨୪
ଶୁଣ ସକଳ-ପ୍ରଜାଜନେ । ବ୍ରାହ୍ମଣ ଆଦି ଚାରିବବର୍ଣ୍ଣେ ॥ ୨୫
ମୋ ରାଜ୍ୟେ ଯଜ୍ଞ ନ କରିବ । ପିତୃଦେବତା ନ ପୂଜିବ ॥ ୨୬
ଦାନ ନ ଦେବ ବିପ୍ରହସ୍ତେ । ତୀର୍ଥେ ନ ଯିବ ପାଦଗତେ ॥ ୨୭
ଆଗମ ନିଗମ ଏ ନୀତି । ଯେ ଅବା ଶାସ୍ତ୍ର ମତ ଚିନ୍ତି ॥ ୨୮
ସଂସାରେ ଧର୍ମ କର୍ମ ଯେତେ । ସକଳ ସମର୍ପିବ ମୋତେ ॥ ୨୯
ମୋ ତହୁଁ ବଡ ନାହିଁ ଆନ । ମୁଁ ଯେ ପ୍ରତ୍ୟକ୍ଷ ଭଗବାନ ॥ ୩୦
ମୋହର ଜନ୍ମ କର୍ମ ଗୁଣ । ସର୍ବେ ତା କରସି ବଖାଣ ॥ ୩୧
ମୋ ନାମ ଜପୁଥିବ ତୁଣ୍ତେ । ମୋତେ ପୂଜିବ ଯଜ୍ଞକୁଣ୍ତେ ॥ ୩୨
ଯେ ମୋର ବୋଲ ନ କରିବ । ମୋ ରାଜ୍ୟେ ଦଣ୍ତେ ନ ରହିବ ॥ ୩୩
ଜୀବନ ହରିବି ତାହାର । ସର୍ବସମ୍ପଦ କରି ଜୂର ॥ ୩୪
ଏମନ୍ତ ପୁର ରାମ ଦେଶେ । ହସ୍ତୀର କନ୍ଧେ ଭେରୀଘୋଷେ ॥ ୩୫
ଘୋଷଣ-ବାଜେ ସର୍ବଦେଶେ । ଶୁଣି ସକଳ ଜନ ତ୍ରାସେ ॥ ୩୬
ବେଣ ଆଜ୍ଞା ଶିରେ କଲେ । ସକଳ ଧର୍ମ ଉପେକ୍ଷିଲେ ॥ ୩୭
ଜପନ୍ତି ତାର ନାମେ ନିତ୍ୟେ । ଭୟେ ଖଟନ୍ତି ପାଦଗତେ ॥ ୩୮
ଏମନ୍ତ ରାଜା ଦୁଷ୍ଟପଣ । ଦେଖି ଭାଳନ୍ତି ମୁନିଗଣ ॥ ୩୯
ବୋଳନ୍ତି ଏକୁ ଆରେ ଚାହିଁ । ଏମନ୍ତ ଶୁଣିଲାତ ନାହିଁ ॥ ୪୦
ଭୂମିରେ ଯେତେ ରାଜା ଥିଲେ । ଏମନ୍ତ କେବା ପ୍ରଚରିଲେ ॥ ୪୧
ଯଜ୍ଞ ନ କଲେ ମେଘ ନାହିଁ । ବୃଷ୍ଟି ନୋହିଳେ ଅନ୍ନ ନାହିଁ ॥ ୪୨
ଏ ପଞ୍ଚଯଜ୍ଞ କ୍ରିୟା ଲୋପେ । ଅଧର୍ମେ ତ୍ରିଭୁବନ କମ୍ପେ ॥ ୪୩
ଏ ଗୋର ସଙ୍କଟ ପଡିଲା । ଉଭୟ ଲୋକ ନାଶ ଗଲା ॥ ୪୪
ଏହାକୁ ଆମ୍ଭେ ରାଜା କଲୁ । ସର୍ପକୁ କ୍ଷୀର ପିଆଇଲୁ ॥ ୪୫
ସେ ଯେହ୍ନେ ବଢେ ଅତି ଘୋରେ । କ୍ଷୀରଦାତାର ପ୍ରାଣ ହରେ ॥ ୪୬
ଆମ୍ଭେ ନ ବୁଝି କର୍ମ କଲୁ । ବେଣକୁ ରାଜପଦ ଦେଲୁ ॥ ୪୭
ଖଳକୁ ଦେଲୁ ରାଜ୍ୟେ ବାସ । ଆମ୍ଭେ ହୋଇଲୁ ଏବେ ନାଶ ॥ ୪୮
ସୁନୀଥା ଗର୍ଭୁ ଏ ସମ୍ଭୂତ । ସ୍ୱଭାବେ ଯମସୁତା-ସୁତ ॥ ୪୯
ଆମ୍ଭେ ଏହାର ପାଶେ ଯିବା । ଧର୍ମ-ବଚନ ବୁଝାଇବା ॥ ୫୦
ଏ ଯେବେ ବୋଲ ନ କରିବ । ଅଧର୍ମ ଦୋଷେ ନାଶ ଯିବ ॥ ୫୧
ଏତେ ବିଚାରି ବିପ୍ରଜନେ । ମିଳିଲେ ବେଣ ସନ୍ନିଧାନେ ॥ ୫୨
କଲ୍ୟାଣ କରି ବେଦନାଦେ । ବୋଧିଲେ ତାକୁ ସାମବାଦେ ॥ ୫୩
ହେ ନୃପନାଥ ଶୁଣ ଧୀରେ । ଯାହା କହିବୁ ତୋ ଛାମୁରେ ॥ ୫୪
ଯେଣେ ହୋଇବ ତୋର ଲାଭ । ଜଗତେ ଯଶ-କୀର୍ତ୍ତି ଥିବ ॥ ୫୫
ମନ-ବଚନ-ଦେହ ଗତେ । ଯେ ପ୍ରାଣୀ ଥାନ୍ତି ଜନହିତେ ॥ ୫୬
ଏ ବେନିଲୋକେ ସେ ଜିଣନ୍ତି । ନ କଲେ ଜୀବନ୍ତେ ମରନ୍ତି ॥ ୫୭
ପ୍ରଜାଏ ଧର୍ମ ଆଚରିଲେ । ନୃପ ସମ୍ପଦ ବଢେ ଭଲେ ॥ ୫୮
ସେ ଧର୍ମ ଯେବେ ନାଶ ଯାଇ । ନୃପ ସମ୍ପଦ ଆର କାହିଁ ॥ ୫୯
ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ । ଚୌର୍ଯ୍ୟାଦି ସର୍ବ ଭୟ ହରେ ॥ ୬୦
ସେ ରାଜାଂଇହପରଲୋକେ । ଆନନ୍ଦ ମନେ ରହେ ସୁଖେ ॥ ୬୧
ଯେ ରାଜା ରାଜ୍ୟ ପୁର ଦେଶେ । ବିଷ୍ଣୁଙ୍କୁ ପୂଜନ୍ତି ହରଷେ ॥ ୬୨
ବିଷ୍ଣୁ-ପାଦୋଦକ ନିର୍ମାଲ୍ୟ । ଯେ ସେବେ ସେହି ସେ ଅମୂଲ୍ୟ ॥ ୬୩
ପ୍ରଜାଏ ନିଜଧର୍ମେ ଥାଇ । ଆଶ୍ରମ-ଧର୍ମ ପ୍ରଚାରଇ ॥ ୬୪
ରାଜାର ଯଜ୍ଞେ ପୂଜା ପାଇ । ବିଷ୍ଣୁ ସନ୍ତୋଷେ ଦୟା ବହି ॥ ୬୫
ରାଜା-ପରଜା ସୁଖେ ରହେ । ଏ ଧର୍ମ ଚାରିବେଦ କହେ ॥ ୬୬
ବିଷ୍ଣୁର ପାଦପଦ୍ମ ତଳେ । ଖଟନ୍ତି ସର୍ବଦିଗପାଳେ ॥ ୬୭
ସୁଖ ଭୁଞ୍ଜନ୍ତି ସର୍ବକାଳେ । ଏ କଥା ବିଦିତ ଶୟଳେ ॥ ୬୮
ସେ ସର୍ବ-ଯଜ୍ଞ ମୟ ହରି । ମନୁ ଦେବତା ଆଦି କରି ॥ ୬୯
ସେହରି ଯଜ୍ଞେ ହେଲେ ତୋଷ । ସଂସାରେ ରହିବ ତୋ ଯଶ ॥ ୭୦
ସର୍ବ-ଦେବତା ତାର ଦେହେ । ବସନ୍ତି ଲୋମପନ୍ତି ପ୍ରାୟେ ॥ ୭୧
ତାହାର ସଞ୍ଚଲା ଜଗତ । ତା ବିନୁ କେହି ନୋହେ ସତ୍ୟ ॥ ୭୨
ସେ ସର୍ବ-ଦେବମୟ ହରି । ତାର ଚରଣେ ପୂଜାକରି ॥ ୭୩
ଲଭିବୁ ସର୍ବ ସୁଖ ଭଲେ । ଆମ୍ଭର ବାକ୍ୟେ ଧର୍ମ କଲେ ॥ ୭୪
ସେ ହରି ଯେବେ ତୁଷ୍ଟ ହେବ । କିବା ଅପ୍ରାପ୍ୟ ତୋର ଥିବ ॥ ୭୫
ସର୍ବ ସମୃଦ୍ଧି ଲାଭ ପାଇଁ । ଲୋକେ ଯେ ହରିଙ୍କୁ ଭଜଇ ॥ ୭୬
ତୁ ତାଙ୍କ ଅନୁବର୍ତ୍ତୀ ହୋଇ । ଆମ୍ଭ ବଚନ ରଖ ତୁହି ॥ ୭୭
ସେ ହରି କଳ-ଦେବମୂର୍ତ୍ତି । ଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି ॥ ୭୮
ତାହାଙ୍କ ପ୍ରତି ତୋ ହେଳଣ । ଉଚିତ ନୁହଇ ରାଜନ ॥ ୭୯
ଋଷିଙ୍କ ବୋଲ ଶୁଣି କର୍ଣ୍ଣେ । ବେଣ ବୋଲଇ କୋପମନେ ॥ ୮୦
ବେଣ ଉବାଚ
ତୁମ୍ଭେ ବାଳିଶ ବିପ୍ରଜନ । ବାଳକ ପ୍ରାୟ ତୁମ୍ଭ ଜ୍ଞାନ ॥ ୮୧
ଅଧର୍ମେ ଧର୍ମ ମାନ୍ୟ କର । ଏ ନୋହେ ସ୍ୱଧର୍ମ ତୁମ୍ଭର ॥ ୮୨
ଯୁବତୀ ନିଜ ସ୍ୱାମୀ ଛାଡି । ଜାର ପୂରୁଷେ ଲୋଭ ବଢି ॥ ୮୩
ତେମନ୍ତ ପ୍ରାୟେ ତୁମ୍ଭେମାନେ । ମୋ ପାଦ ଛାଡି ଭଜ ଅନ୍ୟେ ॥ ୮୪
ଏଣୁ ଏ ମୂଢ ପ୍ରାଣୀ ଯେତେ । ବର୍ତ୍ତନ୍ତି ଅଶାସ୍ତ୍ର ବିହିତେ ॥ ୮୫
ବିଷ୍ଣୁ ସ୍ୱରୂପ ନରପତି । ତାହାଙ୍କୁ ଅଶାସ୍ତ୍ର ବିହିତେ ॥ ୮୬
ତାହାଙ୍କ ଧର୍ମଜ୍ଞାନ ନାହିଁ । ଉଭୟ ଲୋକେ ସୁଖ କାହିଁ ॥ ୮୭
କେ ଯଜ୍ଞପୁରୁଷ ତୁମ୍ଭର । ଯାର ଚରଣେ ସେବାକର ॥ ୮୮
ଯୁବତୀ କୁଳ-ଧର୍ମ ଛାଡି । ଜାରେ ଯେସନେ ସେବା କରି ॥ ୮୯
ଦେଖ ଏ ନୃପତି ଶରୀରେ । ଦେବେ ବସନ୍ତି ଅଧିକାରେ ॥ ୯୦
ବିଷ୍ଣୁ ବିରଞ୍ଚି ମହେଶ୍ୱର । ଇନ୍ଦ୍ର ପବନ ଦିବାକର ॥ ୯୧
ଯମ ପର୍ଜନ୍ୟ ଧନଦାତା । ସୋମ ଧରଣୀ ଭସ୍ମକର୍ତ୍ତା ॥ ୯୨
ଜଳ ବରୁଣ ଆଦି ଯେତେ । ସର୍ବେ ବସନ୍ତି ନୃପଗାତ୍ରେ ॥ ୯୩
ଯେ ବର ଶାପ ଦ୍ୟନ୍ତି ଲୋକେ । ନୃପ ଶରୀରେ ଏକେ ଏକେ ॥ ୯୪
ସକଳ-ଦେବ ତେଜଆଣି । ତେଣୁ ବୋଲାଇ ନୃପମଣି ॥ ୯୫
ଏଣୁ ଏ ନରପତି ଦେହ । ପ୍ରତ୍ୟକ୍ଷେ ସର୍ବଦେବମୟ ॥ ୯୬
ଦୁର୍ଲଭ ନୃପତି-ଶରୀର । କି ଅବା ଦେବା ପଟାନ୍ତର ॥ ୯୭
ଏ ଦେହ ମହିମା ନ ଜାଣି । ଅଧର୍ମ ଧର୍ମ ପରିମାଣି ॥ ୯୮
ଏଣୁ ତୁମ୍ଭର କର୍ମ ଯେତେ । ସେ ଧର୍ମେ ପୂଜା କର ମୋତେ ॥ ୯୯
ମୋହର ଅଗ୍ରେ ବଳି କର । ଏଧର୍ମ ସ୍ୱଧର୍ମ ତୁମ୍ଭର ॥ ୧୦୦
ମୁଁ ଯଜ୍ଞଭାଗ ଆଗ ପାଇ । ମୋ ତହୁଁ ଅନ୍ୟ ଦେବ ନାହିଁ ॥ ୧୦୧

ମୈତ୍ରେୟ ଉବାଚ

ଏମନ୍ତ ବିପରୀତ-ଗତି । ଭଜିଲା ପାପିଷ୍ଠ-ନୃପତି ॥ ୧୦୨
ମୁନିଙ୍କ ଅନୁମୟ-ବାଣୀ । ନିଶ୍ଚେ ନ କଲା ନୃପମଣି ॥ ୧୦୩
ସ୍ୱଭାବେ ଦୁଷ୍ଟ ଅନର୍ଗଳ । ଆତ୍ମାକୁ କଲା ଅମଙ୍ଗଳ ॥ ୧୦୪
ଏମନ୍ତ ମୁନିଙ୍କ ବଚନ । ଅବଜ୍ଞା କଲା ଦିନୁଦିନ ॥ ୧୦୫
ଆତ୍ମ-ପଣ୍ତିତ ମନେ କରେ । ମୁନିଙ୍କ ବଚନ ନ ଧରେ ॥ ୧୦୬
ମୁନିଏ ଦିନେ ଦିନେ ଆସି । ଧର୍ମ କହନ୍ତି ପାଶେ ବସି ॥ ୧୦୭
କହନ୍ତି ଅନେକ ବିଶ୍ୱାସ । ଦେଖାଇ ଜ୍ଞାନ ଉପଦେଶ ॥ ୧୦୮
କେବେହେଁ ନ କଲା ବଚନ । ମୁନିଙ୍କି କଲା ଅପମାନ ॥ ୧୦୯
ତାହାର ଅଧର୍ମ ବିଶ୍ୱାସେ । ମୁନିଙ୍କ ମନେ କୋପ ବସେ ॥ ୧୧୦
ବୋଲନ୍ତି ଏକୁଆରେ ଚାହିଁ । ଏହା ଜୀବନେ କାର୍ଯ୍ୟ ନାହିଁ ॥ ୧୧୧
ଏହାର ଅଧର୍ମ ଆଚାରେ । ପ୍ରଜାଏ ନଶିବେ ସଂସାରେ ॥ ୧୧୨
ଅସାଧୁ ବୃତ୍ତି ଏହ ଦେହି । ନୃପ ଆସନେ ଯୋଗ୍ୟ ନୋହି ॥ ୧୧୩
ଯେ ରାଜା ଲଜ୍ଜା ଦୂର କରି । ନିନ୍ଦଇ ଯଜ୍ଞପତି ହରି ॥ ୧୧୪
କେ ଏହା ସହେ ଦେହ ବହି । ବେଣକୁ ରାଜପଦ ଦେଇ ॥ ୧୧୫
ଏମନ୍ତେ ବେଣ ନାଶ ପାଇଁ । ମୁନିଏ ମହାକୋପ ବହି ॥ ୧୧୬
ହୁଙ୍କାର କରି ବେଦବାଣେ । ପ୍ରହାର କଲେ ଜଣେ ଜଣେ ॥ ୧୧୭
ଅଚ୍ୟୁତ ନିନ୍ଦା ଫଳ ଥିଲା । ତକ୍ଷଣେ ଦେହୁ ପ୍ରାଣଗଲା ॥ ୧୧୮
ବେଣକୁ ନାଶି ବିପ୍ରଜନେ । ଗଲେ ସେ ଯେ ଯାହା ଭୁବନେ ॥ ୧୧୯
ସୁନୀଥା ପୁତ୍ରର ମରଣ । ଦେଖି କରଇ ବିଚାରଣ ॥ ୧୨୦
ଅବଶ୍ୟ ଏହାର ଶରୀରେ । ପୁତ୍ର ଉପୂଜିବ ସଂସାରେ ॥ ୧୨୧
ହୋଇବେ ପ୍ରଜାଜନେ ସୁଖୀ । ଏତେ ବିଚାରି ଅଶ୍ରୁମୁଖୀ ॥ ୧୨୨
ତଇଳ-ଦ୍ରୋଣୀ ମଧ୍ୟେ ଥୋଇ । ବେଣର ଶରୀର ପାଳଇ ॥ ୧୨୩
ହେନ ସମୟେ ଏକ ଦିନେ । ସରସ୍ୱତୀରେ ବିପ୍ରଜନେ ॥ ୧୨୪
ନିଶ୍ଚିନ୍ତେ ପ୍ରାତଃସ୍ନାନ ସାରି । ହୋମେ ପୂଜିଲେ ନରହରି ॥ ୧୨୫
ବିଷ୍ଣୁର କଥାଗୋଷ୍ଠୀ କଲେ । ଏମନ୍ତ ଉତ୍ପାତ ଦେଖିଲେ ॥ ୧୨୬
ଶୁଭଇ ମୁଖ ରାବ ଘୋଷ । ଭୟେ କମ୍ପନ୍ତି ଦଶଦିଶ ॥ ୧୨୭
ପ୍ରଜାଏ ଭୟର ଆତୁରେ । ପଳାନ୍ତି ବନ ଗିରି ଘୋରେ ॥ ୧୨୮
ମୁନି ଚାହାନ୍ତି ଚାରିଦିଗେ । ଧୂଳି ଉଡଇ ବାୟୁ ବେଗେ ॥ ୧୨୯
ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି । ଡାକନ୍ତି ମାର ମାର କରି ॥ ୧୩୦
ତାଙ୍କ ଚରଣ ଧୂଳି ବେଗେ । ଆଚ୍ଛାଦି ଉଡେ ଦଶଦିଗେ ॥ ୧୩୧
ଦୁଷ୍ଟେ ଲୁଟନ୍ତି ପ୍ରଜାଧନ । ଅଦ୍ଭୁତେ ଶୁଭେ ଘୋରସ୍ୱନ ॥ ୧୩୨
ମୁନିଏ ପ୍ରଜା ଦୁଃଖ ଦେଖି । ମନେ ହୋଇଲେ ଗୁରୁ ଦୁଃଖୀ ॥ ୧୩୩
ବୋଲନ୍ତି କଲୁ ମନ୍ଦ-କୃତ୍ୟ । ପ୍ରଜାଏ ହୋଇଲେ ଅନାଥ ॥ ୧୩୪
ଆମ୍ଭେ ତପସ୍ୟା କଥା ଜାଣି । ରାଜ୍ୟକୁ ରାଜା ସେ କାରେଣୀ ॥ ୧୩୫
ରାଜା ନ ଥିଲେ ପ୍ରଜା କାହିଁ । ଏମନ୍ତ ବୋଲି ଦୟାବହି ॥ ୧୩୬
ବୋଲନ୍ତି ବ୍ରାହ୍ମଣ-ବେଭାରେ । ସଂସାରେ ପର-ଉପକାରେ ॥ ୧୩୭
ସମାନ-ଦୃଷ୍ଟି ଯେ ବ୍ରାହ୍ମଣ । ଶାନ୍ତି ବିବେକ ସୁଲକ୍ଷଣ ॥ ୧୩୮
ଯେବେ ସେ ଦୁଃଖୀଙ୍କ କୁଶଳେ । ହେଳାରେ ବିଚାର ନ କରେ ॥ ୧୩୯
ତା ଦେଖୁ ତପ ତୁଚ୍ଛ ଯାଏ । ଭଗ୍ନ-ଭଣ୍ତରେ କ୍ଷୀର ପ୍ରାୟେ ॥ ୧୪୦
କେବେହେଁ ନୋହେ ସେ ନିରୋଧ । ଏମନ୍ତ ମଣି ଶାସ୍ତ୍ରବାଦ ॥ ୧୪୧
ବୋଲନ୍ତି ଅଙ୍ଗରାଜା ବଂଶେ । ରାଜା ଧାର୍ମିକ ବିଷ୍ଣୁଅଂଶେ ॥ ୧୪୨
ସେ ରାଜା ଗୋବିନ୍ଦ ଆଶ୍ରୟେ । ପ୍ରଜା ପାଳନେ ସ୍ନେହବହେ ॥ ୧୪୩
ତାର ଜୀବନ ଏ ସଂସାରେ । ବର୍ତ୍ତଇ ପର-ଉପକାରେ ॥ ୧୪୪
ଏତେ ବିଚାରି ବିପ୍ରବରେ । ଉରୁ ମନ୍ଥିଲେ କୁଶ-ଶରେ ॥ ୧୪୫
ବାହୁକ ନାମେ ନର ଅଂଶେ । ଅଦ୍ଭୁତେ ହୋଇଲା ପୁରୁଷେ ॥ ୧୪୬
କାକହୁଁ କୃଷ୍ଣ ଅଙ୍ଗ ତାର । ନାସିକା ହନୁ ଭୟଙ୍କର ॥ ୧୪୭
ହସ୍ତ ଚରଣ ଦେହ କୃଶ । ତାମ୍ରର ପ୍ରାୟ ମୁଣ୍ତକେଶ ॥ ୧୪୮
ଅରୁଣ ବିରାଜେ ଲୋଚନ । ଭ୍ରୂକୁଟୀ କୁଟିଳ ବଦନ ॥ ୧୪୯
ବିପ୍ରଙ୍କ ପାଦେ ଶିର ଦେଇ । ବୋଲଇ କି କରିବି ମୁହିଁ ॥ ୧୫୦
ତାର ସ୍ୱରୂପ ଦେଖି ମନେ । ବିଚାର କଲେ ମୁନିଜନେ ॥ ୧୫୧
ଦେଖ ଅଦ୍ଭୁତ ଏହା କାୟେ । ରାଜ ଆସନେ ଯୋଗ୍ୟ ନୋହେ ॥ ୧୫୨
ଏହାକୁ ଆମ୍ଭେ ରାଜା କଲେ । ସଂସାର ନାଶିବ ଏ ଭଲେ ॥ ୧୫୩
ଏମନ୍ତେ ବିପ୍ରେ ବିଚାରିଲେ । ନିଷାଦ ବୋଲି ଆଜ୍ଞାଦେଲେ ॥ ୧୫୪
ବୋଇଲେ ବନେ ହୁଅ ରାଜ । ଗିରିକାନନେ ପାଅ ପୂଜା ॥ ୧୫୫
ଏମନ୍ତ ମୁନିଙ୍କ ବଚନେ । ସେହୁ ପୁରୁଷ ଚଳେ ବନେ ॥ ୧୫୬
ତା ବଂଶ ନିଷାଦ ହୋଇଲେ । ଗିରି କାନନ ଆଶ୍ରେ କଲେ ॥ ୧୫୭
ବେଣର ଦେହେ ପାପ ଥିଲା । ନିଷାଦ ରୂପେ ବନେ ଗଲା ॥ ୧୫୮
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ନିଷାଦୋତ୍ପତ୍ତିର୍ନାମ ଷୋଡଶୋଽଧ୍ୟାୟଃ ॥

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ନିର୍ମଳ ଦେଖି ବେଣ ଅଙ୍ଗ । ପୁଣି ମନ୍ଥିଲେ ବାହୁଯୁଗ ॥ ୧
ନାରୀ ପୁରୁଷ ଏକ ମେଳେ । ଜନ୍ମିଲେ ବେଦ-ମନ୍ତ୍ରବଳେ ॥ ୨
ସ୍ତିରୀ ପୁରୁଷ ଦେହ ଦେଖି । ବିଷ୍ଣୁର କଳା ଉପଲକ୍ଷି ॥ ୩
ଆନନ୍ଦମନେ ମୁନିଗଣେ । ଭାବେ କହନ୍ତି ଜଣେ ଜଣେ ॥ ୪

ଋଷିଗଣ ଉବାଚ

ଦେଖ ଏ ପୁରୁଷ କାମିନୀ । ଅଶେଷ-ଭୁବନ ପାବନୀ ॥ ୫
ଦେଖ ଏ ମିଥୁନ-ଲକ୍ଷଣ । ପ୍ରତ୍ୟେକ୍ଷେ ଲକ୍ଷ୍ମୀନାରାୟଣ ॥ ୬
ବେଣର ବଂଶ ଏ ରଖିବ । ଆନନ୍ଦେ ଭୁବନ ପାଳିବ ॥ ୭
ଏହାକୁ ରାଜ୍ୟେ ରାଜା କରି । ଏ କନ୍ୟା ରାଣୀ ରୂପେ ବରି ॥ ୮
ପ୍ରଥିତ ଯଶକୀର୍ତ୍ତି ଯେଣୁ । ଏହାର ପୃଥୁ ନାମ ତେଣୁ ॥ ୯
ଏ ଯେ ସୁନ୍ଦରୀ ଶୁଭ୍ରଦନ୍ତୀ । ମୁକ୍ତାର ପ୍ରାୟ ଦନ୍ତନ୍ନି ॥ ୧୦
ସକଳ ଗୁଣେ ଏ ଭୂଷିତ । ବିରାଜେ ଯେସନେ ଆଦିତ୍ୟ ॥ ୧୧
ରୂପେ ଅର୍ଚ୍ଚିଲା ପୃଥୁ ଯେଣୁ । ଏହାର ଅର୍ଚ୍ଚି ନାମ ତେଣୁ ॥ ୧୨
ଏ ରାଜା ବିଷ୍ଣୁ ଅଂଶେ ଜାତ । ସୁଗୁଣେ ଲୋକେ ଏ ବିଖ୍ୟାତ ॥ ୧୩
ଏ ବାମା ଜାତ ଲକ୍ଷ୍ମୀ ରୂପେ । ସର୍ବଦା ବିଷ୍ଣୁର ସମୀପେ ॥ ୧୪

ମୈତ୍ରେୟ ଉବାଚ

ଏତେ ବିଚାରି ଶୁଦ୍ଧମନେ । ସ୍ତୁତି କରନ୍ତି ବିପ୍ରଜନେ ॥ ୧୫
ଗନ୍ଧର୍ମେ ଗୀତନାଦ କଲେ । ଦେବେ କୁସୁମ ବରଷିଲେ ॥ ୧୬
ଆନନ୍ଦେ ବୀଣା ବାଦ୍ୟ କରି । ନୃତ୍ୟ କରନ୍ତି ଅପସରୀ ॥ ୧୭
ଶଙ୍ଖ ମହୁରୀ ତୂରୀ ନାଦେ । ଦେବେ ଦୁନ୍ଦୁଭି ବିଷ୍ଣୁପଦେ ॥ ୧୮
ଦେବତା ଋଷି ପିତୃଜନେ । ମିଳିଲେ ହରଷିତ ମନେ ॥ ୧୯
ଶଙ୍କର ପଦ୍ମଯୋନି ତୁଲେ । ଦେବ ସମୂହେ ବିଜେ କଲେ ॥ ୨୦
ଦେଖିଲେ ବେଣସୁତ ହସ୍ତ । ବିଷ୍ଣୁର ଚକ୍ର ଚିହ୍ନ ଯୁକ୍ତ ॥ ୨୧
ଚରଣେ ପଙ୍କଜ ଲାଞ୍ଛନ । ସକଳେ କଲେ ଅନୁମାନ ॥ ୨୨
ବିଷ୍ଣୁର ଅଂଶ ନିଶ୍ଚେ ଜାଣି । ବେଗେ ଆଣିଲେ ତୀର୍ଥପାଣି ॥ ୨୩
ଅଭିଷେକର ବସ୍ତୁ ଯେତେ । ପ୍ରଜାଏ ଆଣି ଯେଝା ମତେ ॥ ୨୪
ସମୁଦ୍ର ପର୍ବତ ସରିତ । ସର୍ପ ବିହଙ୍ଗ ମୃଗଯୂଥ ॥ ୨୫
ଧରଣୀ ଆଦି ପଞ୍ଚଭୂତେ । ଯାହାର ଯେ ଅବା ଉଚିତେ ॥ ୨୬
ସକଳେ ଆଣି ଉପାୟନ । ବନ୍ଦିଲେ ନୃପତି ଚରଣ ॥ ୨୭
ସକଳେ ନାନାଦ୍ରବ୍ୟ ଆଣି । ମୁନି ଆନନ୍ଦେ ବେଦ ଭଣି ॥ ୨୮
ପୃଥୁକୁ ଅଭିଷେକ କଲେ । ମଙ୍ଗଳନାଦେ ଅର୍ଚ୍ଚି ତୁଲେ ॥ ୨୯
ପୃଥୁକୁ କଲେ ମହାରାଜା । ଶୁଭେ ବିରାଜେ ମହାତେଜା ॥ ୩୦
କୁବେର ଦେଖି ତୋଷମନେ । ଦେଲା ସେ ସୁବର୍ଣ୍ଣ ଆସନେ ॥ ୩୧
ବରୁଣ ଦେଲା ଛତ୍ର ଆଣି । ପ୍ରକାଶେ ଦିବ୍ୟରତ୍ନ ମଣି ॥ ୩୨
ସେ ଛତ୍ର ନାମ ଜଳସ୍ରବା । ସ୍ୱଭାବେ ଦିଶେ ଶଶିପ୍ରଭା ॥ ୩୩
ଚାମର ସମୀରଣ ଦେଲା । ଧର୍ମ ଦେବତା କୀର୍ତ୍ତିମାଳା ॥ ୩୪
ଇନ୍ଦ୍ର ମୁକୁଟ ଦେଲା ଶିରେ । ଶମନ ଦଣ୍ତ ଦେଲା କରେ ॥ ୩୫
ବ୍ରହ୍ମକବଚ ବ୍ରହ୍ମା ଦେଲେ । ଭାରତୀ ହାର ଲମ୍ବାଇଲେ ॥ ୩୬
ଗୋବିନ୍ଦ ଚକ୍ର ଦେଲେ କରେ । କମଳା ବସେ ତାର ଉରେ ॥ ୩୭
ସୁବର୍ଣ୍ଣ ଦଶଚନ୍ଦ୍ର ଯୁତେ । ରୁଦ୍ର ଖଡଗ ଦେଲେ ହସ୍ତେ ॥ ୩୮
ଅମ୍ବିକା ଦେଲେ ଚର୍ମାମ୍ବର । ଅଙ୍କିତ ଶତେ ନିଶାକର ॥ ୩୯
ଅମୃତମୟ-ଅଶ୍ୱ ଆଣି । ବିମାନ ଅର୍ଥେ ନିଶାମଣି ॥ ୪୦
ପୃଥୁ ସମୀପେ ଆଣି ଦେଲେ । ସଙ୍ଗେ ତା ବିଶ୍ୱକର୍ମା ଥିଲା ॥ ୪୧
ବିମାନ ନାନାରତ୍ନେ ସାଜି । ତହିଁ ଯୋଚିଲା ସେହି ବାଜି ॥ ୪୨
ଅନଳ ଆଣି ଦେଲାଧନୁ । ରଶ୍ମି-ନାରାଚ ଦେଲା ଭାନୁ ॥ ୪୩
ବେନି-ପାଦୁକା ଯୋଗମୟୀ । ଚରଣ ତଳେ ଦେଲା ମହୀ ॥ ୪୪
ଆକାଶ ସଦା ପୁଷ୍ପାଞ୍ଜଳି । ପ୍ରଦାନେ ଅତି କୁତୂହଳୀ ॥ ୪୫
ନୃତ୍ୟ ସଙ୍ଗୀତ ବାଦ୍ୟ ଯେତେ । ଯେ ଅନ୍ତର୍ଦ୍ଧାନ ବିଦ୍ୟା ଯୁତେ ॥ ୪୬
ଖେଚରେ ଆନନ୍ଦିତ ହୋଇ । ଦେଲେ ପୃଥୁକୁ ପାଶେ ଯାଇ ॥ ୪୭
ମିଳି ସକଳ-ମୁନିଗଣେ । ଆଶିଷ ଦେଲେ ଜଣେ ଜଣେ ॥ ୪୮
ସମୁଦ୍ର ଶଙ୍ଖ ଦେଲା କରେ । ଯେ ନାଦେ ଦଶଦିଗ ପୂରେ ॥ ୪୯
ସମୁଦ୍ର ଗିରି ନଦୀ ଯେତେ । ବାଟ ଛାଡିଲେ ତାର ରଥେ ॥ ୫୦
ସୂତ ମାଗଧ ବନ୍ଦୀ ମେଳେ । ପୃଥୁର ସମୀପେ ମିଳିଲେ ॥ ୫୧
ସ୍ତୁତି ଉଦ୍ୟମ ତାଙ୍କ ଜାଣି । ମେଘ-ଗମ୍ଭୀର ମୃଦୁବାଣୀ ॥ ୫୨
ଆନନ୍ଦେ ନିକଟେ ବସାଇ । ପୃଥୁ କହନ୍ତି ଭାବ ବହି ॥ ୫୩

ପୃଥୁ-ଉବାଚ

ଆହେ ମାଗଧ ସୂତେ ଶୁଣ । ଯେତେ ଭବିଷ୍ୟ ସ୍ତୁତିଗୁଣ ॥ ୫୪
ଲୋକଙ୍କ ମଧ୍ୟେ ମୋର ଗୁଣ । ଅବ୍ୟକ୍ତ ରୂପେ ଅଛିପୁଣ ॥ ୫୫
ମୋର କର୍ତ୍ତବ୍ୟ କର୍ମ ଯେତେ । ତୁମ୍ଭେ କହିବ ଭବିଷ୍ୟତେ ॥ ୫୬
ମିଥ୍ୟା-ବଚନେ କାର୍ଯ୍ୟ ନାହିଁ । ମଧୁର ଭାଷୀ ତୁମ୍ଭେ ହୋଇ ॥ ୫୭
ଏବେ ବିଷ୍ଣୁଙ୍କୁ ସ୍ତୁତି କର । ଯାହା ଅଟଇ ମୋକ୍ଷ ଦ୍ୱାର ॥ ୫୮
ଏମନ୍ତ ପୃଥୁର ବଚନ । ଶୁରି ସନ୍ତୋଷ ପ୍ରଜାଜନ ॥ ୫୯
କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୬୦
ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀ । ଶୁରି ସଂସାରୁ ତର ପ୍ରାଣୀ ॥ ୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ସପ୍ତଦଶୋଽଧ୍ୟାୟଃ ॥

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ କୃଷ୍ଣପାଦ ଧ୍ୟାୟି । କହେ ବିଦୁର ମୁଖ ଚାହିଁ ॥ ୧

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ସୂତ ମାଗଧ ତୋଷମନେ ॥ ୨
ମୁନିଙ୍କ ମତେ ସାଧୁବାଣୀ । ପୃଥୁ-ବଦନ ଚାହିଁ ଭଣି ॥ ୩
ଭୋନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥ ୪
ତାହା କେ ସମର୍ଥ ବର୍ଣ୍ଣନେ । ଯେଣେ ବ୍ରହ୍ମାଦି ବୁଦ୍ଧିଭ୍ରମେ ॥ ୫
ତୁ ଦେବ ନିଜ ମାୟା ବଳେ । ଶରୀର ବହୁ ଏ ଶୟଳେ ॥ ୬
ବେଣ-ଶରୀରୁ ତୁହି ଜାତ । ଏ କଥା ଜଗତେ ବିଖ୍ୟାତ ॥ ୭
ତଥାପି ତୋର ଗୁଣ ଯେତେ । ଭାବେ କହିବୁ ତୋ ଅଗ୍ରତେ ॥ ୮
ତୁ ଧର୍ମଜ୍ଞାନୀଙ୍କର ସାର । ଯେ ଧର୍ମ ଲୋକ-ଉପକାର ॥ ୯
ଅଧର୍ମ ନାଶି ଧର୍ମ ପାଳୁ । ତୁ ନାଥ ପରମ ଦୟାଳୁ ॥ ୧୦
ଶରୀର ବହୁ କାଳେକାଳେ । ସ୍ୱଧର୍ମ ରଖୁ ମହୀତଳେ ॥ ୧୧
ସକଳଭୂତେ ସମେ ବସୁ । ସବିତା ରୂପେ ତୁ ପ୍ରକାଶୁ ॥ ୧୨
ହିମ ଗ୍ରୀଷମ ଅଷ୍ଟମାସ । ସବିତା ଯେହ୍ନେ ଜଳରସ ॥ ୧୩
ସକଳ ସ୍ଥାନୁ ସେ ହରଇ । ବରଷା କାଳେ ବରଷଇ ॥ ୧୪
ସେ ରୂପେ ତୁ କର-ଗ୍ରହଣ । କରି ଦୁର୍ଭିକ୍ଷେ ଦେବୁ ଦାନ ॥ ୧୫
ପୃଥିବୀ ସମ ସର୍ବ ସହୁ । ବିକାର ଅବିକାର ନୋହୁ ॥ ୧୬
ତୋର ମହିମା ଅଧ-ଉର୍ଦ୍ଧ୍ୱେ । ପ୍ରକାଶ କର ଶୂନ୍ୟମଧ୍ୟେ ॥ ୧୭
ପ୍ରାଣୀଙ୍କ ମଧ୍ୟେ ତୁ କାରୁଣ୍ୟ । ଆରତ ଦୁଃଖ ନିବାରଣ ॥ ୧୮
ଇନ୍ଦ୍ର ଯଦ୍ୟପି ନ ବର୍ଷିବ । ଏ ପ୍ରଜା କଷ୍ଟରେ ପଡିବ ॥ ୧୯
ତୁ ସ୍ୱୟଂ ଇନ୍ଦ୍ର ରୂପ ଧରି । ପ୍ରଜା ରଖିବୁ ବୁଷ୍ଟି କରି ॥ ୨୦
ତୋହର ବଚନ-ଅମୃତ । ଶୁଣି ନିସ୍ତରିବେ ଜଗତ ॥ ୨୧
ତୋର ବଦନ ଚାରୁହାସ । ଦେଖନ୍ତେ ହେବ ଦୁଃଖନାଶ ॥ ୨୨
ତୋହର କର୍ମ ବ୍ୟକ୍ତ ନୋହେ । ଯାହାର ମାୟା ଜନ ମୋହେ ॥ ୨୩
ତୋହର ଚେଷ୍ଟା ଅନ୍ତରାଳ । ବରୁଣ ପ୍ରାୟ ତୁ ଗମ୍ଭୀର ॥ ୨୪
ଅନନ୍ତ ମହିମା ତୋହର । ଅଶେଷ ଗୁଣର ସାଗର ॥ ୨୫
ତୁ ଦୁରାସଦ ଦୁର୍ବିଷହ । ନିକଟେ ଥାଇ ଦୂର ପ୍ରାୟ ॥ ୨୬
ଜନ୍ତୁଙ୍କ ଅନ୍ତର ବାହାରେ । ତୋ ତହୁଁ କେବା ଅଛି ପରେ ॥ ୨୭
ଅଧ୍ୟକ୍ଷ ହୋଇ ଉଦାସୀନ । ଶରୀରେ ଯେସନେ ପବନ ॥ ୨୮
ଅଦୋଷଜନ ତୁ ନ ଦଣ୍ତୁ । ପୁତ୍ର ହେଲେହେଁ ଦୋଷୀ ଦଣ୍ତୁ ॥ ୨୯
ଅପ୍ରତିହତ-ଚକ୍ର ତୋର । ତେଜେ ଗଞ୍ଜଇ ଦିବାକର ॥ ୩୦
ତୋହର ଆତ୍ମା ବିଚେଷ୍ଟିତ । ଲୋକରଞ୍ଜନ ଏ ଜଗତ ॥ ୩୧
ଯେ ରାଜା ପ୍ରଜା ମନ ରଞ୍ଜେ । ରାଜ୍ୟସମ୍ପଦ ସୁଖେ ଭୁଞ୍ଜେ ॥ ୩୨
ସତ୍ୟସନ୍ଧ ତୁ ଦୃଢବ୍ରତ । ବୃଦ୍ଧ ସେବକ ବିପ୍ରଭକ୍ତ ॥ ୩୩
ଶରଣ ସର୍ବ ପ୍ରାଣୀଙ୍କର । ଦୀନ ବତ୍ସଳ ଦୁଃଖ-ହର ॥ ୩୪
ପର-ରମଣୀ ମାତ ପ୍ରାୟ । ନିଜ-କାମିନୀ ଅର୍ଦ୍ଧକାୟ ॥ ୩୫
ପ୍ରଜାଙ୍କୁ ପୁତ୍ରପ୍ରାୟ ଚିତ୍ତେ । ବିପ୍ରଙ୍କୁ ସେବା ଯାର ନିତ୍ୟେ ॥ ୩୬
ପ୍ରାଣୀ ବିଷୟେ ଆତ୍ମା ପ୍ରାୟେ । ଦୟା ବସଇ ଯାର ଦେହେ ॥ ୩୭
ସୁହୃଦ ଆନନ୍ଦ ବର୍ଦ୍ଧନ । ବିମୁକ୍ତସଙ୍ଗ ସଙ୍ଗେ ଧ୍ୟାନ ॥ ୩୮
ଅସାଧୁଗଣେ ଦଣ୍ତଧର । ସ୍ୱଭାବେ ଶରଣ-ସୋଦର ॥ ୩୯
ନିର୍ଗୁଣ ଭଗବାନ ତୁହି । କୂଟସ୍ଥ ଆତ୍ମା କଳା ବହି ॥ ୪୦
ଯେତେ ଅବିଦ୍ୟା ବିରଚିତ । ନାନା ଭାବରେ ସେ ପ୍ରତୀତ ॥ ୪୧
ହେଲେହେଁ ତୋହର ଶରୀରେ । ଦିଶଇ ବିଅର୍ଥ ବେଭାରେ ॥ ୪୨
ତୋ ଅବତାର ଏ ଜଗତେ । ଜଗତ ନିସ୍ତାର ନିମନ୍ତେ ॥ ୪୩
ତୁ ନୃପନାଥ ଏକରଥୀ । ମହୀମଣ୍ତଳେ ଯେତେ ଛନ୍ତି ॥ ୪୪
ତାହାଙ୍କ ରକ୍ଷଣ ନିମିତ୍ତେ । ଉଦୟ ଗିରି ପରିଯନ୍ତେ ॥ ୪୫
ଭ୍ରମିବୁ ରଥେ ଧନୁଧରି । ଦିଗ-ସମୂହ ବନ ଗିରି ॥ ୪୬
ଦକ୍ଷିଣାବର୍ତ୍ତେ ସାବଧାନେ । ଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ ॥ ୪୭
ଯେ ଲୋକପାଳ ରାଜାଗଣେ । ବଳେ ହରିବେ ତୋତେ ରଣେ ॥ ୪୮
ଗାଇବେ ତୋର ଯଶ ଗୁଣ । ଖଟିବେ ତୋହର ଚରଣ ॥ ୪୯
ଇନ୍ଦ୍ରର ପ୍ରାୟେ ଶରେ ଗିରି । ଛେଦି ପୃଥିବୀ ସମ କରି ॥ ୫୦
ମେଦିନୀ-ସ୍ତନୁ ପୟ ଦୁହିଁ । ପ୍ରାଣୀଙ୍କୁ ପ୍ରାଣ-ବୃତ୍ତି ଦେଇ ॥ ୫୧
ଖିଳ ଅଖିଳ ବସୁନ୍ଧରୀ । ପାଳିବ ଏ ନୃପକେଶରୀ ॥ ୫୨
ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳି । ବିକ୍ରମି ଚରେ ମହାବଳୀ ॥ ୫୩
ତେହ୍ନେ ତୁ ଧନୁର ଟଙ୍କାରେ । ବିକ୍ରମି ବସନ୍ତେ ରଥରେ ॥ ୫୪
ଦେଖି ସକଳ ଶତ୍ରୁଗଣେ । ଭୟେ ପଶିବେ ଘୋରବନେ ॥ ୫୫
ମୃଗ ଯେସନେ ସିଂହ ଦେଖି । ପଳାନ୍ତି ବିପିନ ଉପେକ୍ଷି ॥ ୫୬
କରିବୁ ଅଶ୍ୱମେଧ ଶତ । ତ୍ରିଦିବେ ଯେହ୍ନେ ସୁରନାଥ ॥ ୫୭
ଶେଷ-ଯଜ୍ଞରେ ଅଶ୍ୱ ତୋର । ହରିବେ ସ୍ୱୟଂ ପୁରନ୍ଦର ॥ ୫୮
ତଦନ୍ତେ ଗୃହ ମଧ୍ୟେ ଯାଇ । ସନତ୍‌କୁମାର ଧ୍ୟାନେ ଧ୍ୟାୟି ॥ ୫୯
ତେଣୁ ତୋ ହେବ ବ୍ରହ୍ମଜ୍ଞାନ । ତୁ ହେବୁ ଅତୀବ ପାବନ ॥ ୬୦
ସ୍ୱଭୋଗ ଅନ୍ତେ ଗଙ୍ଗାକୂଳେ । ସନତକୁମାରଙ୍କ ମେଳେ ॥ ୬୧
ଭକତି କରି ବିଷ୍ଣୁପାଦେ । ଅନ୍ତେ ପଶିବୁ ନିଜପଦେ ॥ ୬୨
ତୋର ଚରିତ ଇହଲୋକେ । ପ୍ରାଣୀଏ ବିସ୍ତାରିବେ ମୁଖେ ॥ ୬୩
ହେ ପୃଥୁ ପରାକ୍ରମ ତୋର । ଦେବ-ମାନବେ ଅଗୋଚର ॥ ୬୪
ତୋର ମହିମା କର୍ଣ୍ଣେ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୬୫
ସୁଜନେ ଶୁଣ ଶୁଦ୍ଧଚିତ୍ତେ । ଭାଷା-ପ୍ରବନ୍ଧେ ଭାଗବତେ ॥ ୬୬
ଏ ପୃଥୁ ରାଜାର ଚରିତ । ବୋଲଇ ଦାସ ଜଗନ୍ନାଥ ॥ ୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟା ଚତୁର୍ଥସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ

ଊନବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରୟ ଉବାଚ

ଏମନ୍ତେ ପୃଥୁରାଜା ବୋଲେ । ସୂତ ମାଗଧେ ଏକ ତୁଲେ ॥ ୧
ଭବିଷ୍ୟେ କଲେ ଯେତେ ସ୍ତୁତି । ଶୁଣି ସାନନ୍ଦେ ନରପତି ॥ ୨
ଆତ୍ମାର ଗୁଣ କର୍ମ ଶୁଣି । ସନ୍ତୋଷ ମନେ ନୃପମଣି ॥ ୩
ବାଞ୍ଛିତ ସର୍ବ ସୁଖ ଦେଲା । ଅନେକ ମତେ ମାନ୍ୟକଲା ॥ ୪
ବ୍ରାହ୍ମର ଆଦି ଚାରିବର୍ଣ୍ଣେ । ଅତ୍ମାତ୍ୟ ପୁରୋହିତ ଜନେ ॥ ୫
ସକଳ ପ୍ରଜାଜନ ଆଣି । ସନ୍ତୋଷ କଲା ନୃପମଣି ॥ ୬

ବିଦୁର ଉବାଚ

କେମନ୍ତେ ଗୋରୁ ରୂପ ଧରି । କ୍ଷୀର ସ୍ରବିଲା ବସୁନ୍ଧରୀ ॥ ୭
ସ୍ୱଭାବେ ସେ ବହୁରୂପିଣୀ । କେ ବା ମହିମା ତାର ଜାଣି ॥ ୮
ସ୍ୱଭାବେ ସେ ଅନନ୍ତ ରୂପୀ । ବିଷମ ରୂପେ ଅଛି ବ୍ୟାପି ॥ ୯
ତାହାକୁ କେମନ୍ତେ ଦୁହିଁଲା । ଦୋହନେ ବତ୍ସା କେ ହୋଇଲା ॥ ୧୦
ସ୍ୱଭାବେ ଶରୀର ବିଷମ । କେବା ତାହାକୁ କଲା ସମ ॥ ୧୧
କି ଅର୍ଥେ ଅଶ୍ୱମେଧ କଲା । ଇନ୍ଦ୍ର କିମ୍ପାଇଁ ଅଶ୍ୱ ନେଲା ॥ ୧୨
ସନତକୁମାରଙ୍କ ମେଳେ । ବ୍ରହ୍ମସମ୍ପାଦି କେତେ କାଳେ ॥ ୧୩
ତାହାଙ୍କ ତହୁଁ ଜ୍ଞାନପାଇ । ପଶିଲା ନିଜ ତେଜେ ଯାଇ ॥ ୧୪
ଯେ ବ୍ରହ୍ମ ପରମ-କାରଣ । ଅଶେଷ-ଜୀବ-ପରିତ୍ରାଣ ॥ ୧୫
କି ଅର୍ଥେ ପ୍ରଭୁ ନରହରି । ଜଗତେ ପୃଥୁ ରୂପ ଧରି ॥ ୧୬
ସୁପୁଣ୍ୟ କଥା ବିଚାରିଲେ । ସୁଯଶ ଜଗତେ ରଖିଲେ ॥ ୧୭
ସେ କଥା କହ ମୁନି ମୋତେ । ମୁଁ ତୋର ସେବକ ଉଚିତେ ॥ ୧୮
ତହିଁର କହ ପ୍ରତିକାର । ଭୋମୁନି ନମୁ ତୋ ପୟର ॥ ୧୯
ବିଷ୍ଣୁର କଥା ପୁଣ୍ୟସାର । ଯା ଶୁଣି ନିସ୍ତରେ ସଂସାର ॥ ୨୦
ଯାହାର ନାମ ଗୁଣ ଯଶ । ନିଗମେ କରନ୍ତି ବିଶ୍ୱାସ ॥ ୨୧
କେମନ୍ତେ ପୃଥୁରୂପେ ହରି । ଦୋହନ କଲେ ବସୁନ୍ଧରୀ ॥ ୨୨

ସୂତ ଉବାଚ

ଏମନ୍ତ ବିଦୁର ବଚନେ । ମୈତ୍ରେୟ ଶୁଣି ତୋଷମନୋ ॥ ୨୩
ପ୍ରଶଂସି ବିଦୁର ବଚନ । କହେ ପରାଶର ନନ୍ଦନ ॥ ୨୪

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ପୃଥୁକୁ ମିଳି ବିପ୍ରଜନେ ॥ ୨୫
ଜନପରଜା ଏକମେଳେ । ଆନନ୍ଦେ ଅଭିଷେକ କଲେ ॥ ୨୬
ସକଳେ ମିଳି ଏକଦିନେ । ମିଳିଲେ ପୃଥୁ ସନ୍ନିଧାନେ ॥ ୨୭
ବୋଲନ୍ତି ଶିରେ କର ଦେଇ । କ୍ଷୁଧାରେ କମ୍ପେ ଆମ୍ଭ ଦେହୀ ॥ ୨୮
କ୍ଷୁଧାଅନଳ ଦହେ ମନେ । ବୃକ୍ଷ କ୍ରୋଧରେ ଅଗ୍ନି ଯେହ୍ନେ ॥ ୨୯
ଏଥକୁ କର ତୁ କାରଣ । ତୋପାଦେ ପଶିଲୁ ଶରଣ ॥ ୩୦
କ୍ଷୁଧା ନ ସହେ ଆମ୍ଭ ଦେହ । ଭୋନାଥ ଅନ୍ନ ଦାନ ଦିଅ ॥ ୩୧
କ୍ଷୁଧା ହରଇ ଆମ୍ଭ ପ୍ରାଣ । ଭୋଦେବ କର ପରିତ୍ରାଣ ॥ ୩୨
ଅନ୍ନ ନ ଥିଲେ ପ୍ରଜା ନାହିଁ । ପ୍ରାଣ ନ ଥିଲେ ପିଣ୍ତ କାହିଁ ॥ ୩୩
ଜୀବ ନ ଥିଲେ ପ୍ରଜା ନାହିଁ । ପ୍ରଜା ନ ଥିଲେ ରାଜା କାହିଁ ॥ ୩୪
ଏମନ୍ତ ପ୍ରଜାଙ୍କ ରୋଦନ । ଶୁଣିଣ ଛନ୍ନ ପୃଥୁ ମନ ॥ ୩୫
ବୋଲଇ ଅନ୍ନ କେହରିଲା । ତୁମ୍ଭଙ୍କୁ ଏତେ ଦୁଃଖ ଦେଲା ॥ ୩୬
ଶୁଣି ବୋଲନ୍ତି ପ୍ରଜାଜନେ । ଶୁଣ ରାଜନ ସ୍ଥିର ମନେ ॥ ୩୭
ତୋ ପିତା ଅରାଜକ କାଳେ । ଏ ଭୂମି ଗୋରୁ-ରୂପେ ବଳେ ॥ ୩୮
ରାତ୍ରେ ସକଳଶସ୍ୟ ଖାଇ । ଦିବସେ ସମୁଦ୍ରେ ଲୁଚଇ ॥ ୩୯
ଆମ୍ଭର ଶସ୍ୟବୀଜ ବଳେ । ଭକ୍ଷିଲା କ୍ଷୁଧାର ବିକଳେ ॥ ୪୦
ତାହାକୁ କେବେହେଁ ନ ଦେଖି । ଏଣୁ ହୋଇଲୁ ଆମ୍ଭେ ଦୁଃଖୀ ॥ ୪୧
ଭୋ ଦେବ କହିଲୁ ସ୍ୱରୂପ । ଖଣ୍ତ ଏ ଘୋର ଉପତାପ ॥ ୪୨
ଏମନ୍ତ ପ୍ରଜାବାକ୍ୟ ଶୁଣି । ପୃଥୁ ବିଚାରେ ମନେ ଗୁଣି ॥ ୪୩
ଭୂମିକି ମନେ ଧ୍ୟାନ କରି । ନିଜ କୋଦଣ୍ତ କରେ ଧରି ॥ ୪୪
ବାଣ ନିବେଶି ଧନୁର୍ଗୁଣେ । ତ୍ରିପୁର ଦାହେ ରୁଦ୍ର ଯେହ୍ନେ ॥ ୪୫
ଧରଣୀ ପୃଥୁ ତେଜ ଦେଖି । ଧାଇଁଲା ସମୁଦ୍ର ଉପେକ୍ଷି ॥ ୪୬
ଭୟେ ଚାହିଁଇ ଦଶଦିଶେ । ମୃଗ ଯେସନେ ବ୍ୟାଧ ତ୍ରାସେ ॥ ୪୭
ପୃଥୁ ଧାମଇଁ କୋପମନେ । ରୋଷିତ ଅରୁଣ ଲୋଚନେ ॥ ୪୮
ଶର-ସନ୍ଧାନ ଧନୁକରେ । ଭୂମି କମ୍ପଇ ପାଦଭରେ ॥ ୪୯
ଯେଣେ ପଳାଏ ବସୁନ୍ଧରୀ । ପୃଥୁ ଧାମଇଁ କୋପକରି ॥ ୫୦
ଦିଗ-ବିଦିଗ-ଭୂମି ଶୂନ୍ୟେ । ପ୍ରତାପେ ମିଳିଲେ ଗଗନେ ॥ ୫୧
ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖେ । କେବା ଅବନୀ ପ୍ରାଣ ରଖେ ॥ ୫୨
ଦେବୀ ଲଭିଲା ତ୍ରାସ ମନେ । ମୃତ୍ୟୁର ଭୟେ ପ୍ରାଣୀ ଯେହ୍ନେ ॥ ୫୩
ଚଳି ନ ପାରି ଦୁଃଖମନେ । ମିଳିଲା ପୃଥୁ ସନ୍ନିଧାନେ ॥ ୫୪
ଭୟେ କମ୍ପଇ ବସୁନ୍ଧରୀ । ପୃଥୁ ଚରଣେ ନମସ୍କାରି ॥ ୫୫
ନ ଦେଖି ନିଜ ପରିତ୍ରାଣ । ବିନୟେ କହିଲା ବଚନ ॥ ୫୬
ତୁ ମହାଭାଗ ଧର୍ମବେତ୍ତା । ଭୂତ-ବତ୍ସଳ-ସର୍ବଜ୍ଞାତା ॥ ୫୭
ପ୍ରାଣୀ ରକ୍ଷଣେ ଜନ୍ମ ତୋର । ତୁ ନାଥ ଶରଣ-ସୋଦର ॥ ୫୮
ମୋହର ହିଂସା ତୁ ନ କର । ନୁହଇ ଅପରାଧୀ ତୋର ॥ ୫୯
ଭୋ ରାଜା ଶୁଣ ମୋ ବଚନ । ମୁଁ ନୋହେ ବଧକୁ କାରଣ ॥ ୬୦
ସ୍ତିରୀ ଗୋବଧ ମୋର ମଲେ । କେସନେ ସମ୍ପାଦିବୁ ଭଲେ ॥ ୬୧
ଏକ ମାରଣେ ବେନି ଦୋଷ । ସଂସାରେ ଥିବ ଅପଯଶ ॥ ୬୨
ସ୍ତ୍ରୀଲୋକ ଅପରାଧ କଲେ । ପଣ୍ତିତେ ନ ଧରନ୍ତି ଭଲେ ॥ ୬୩
ତୁ ନାଥ କରୁଣା ସାଗର । ଦୁଃଖୀ ଦରିଦ୍ରଙ୍କ ସୋଦର ॥ ୬୪
ଦଦରା-ନାବ ପ୍ରାୟେ ମୁହିଁ । ଏ ଭାରା ସହି ନ ପାରଇ ॥ ୬୫
ମୋହର ମଲେ ଏ ଜଗତେ । ଏ ପ୍ରଜା ରଖିବୁ କେମନ୍ତେ ॥ ୬୬
ଅଶେଷ-ଜୀବ ଭାରାଭର । ଧରିଛି ମୋହର ଶରୀର ॥ ୬୭
ଏମନ୍ତ ଅବନୀ ବଚନେ । ପୃଥୁ କହଇ କୋପମନେ ॥ ୬୮

ପୃଥୁ-ଉବାଚ

ଶୁଣ ଧରଣୀ ମୋ ଉତ୍ତର । ତୁ ମଲେ ମୋର ନାହିଁ ଡର ॥ ୬୯
ମୋହର ଆଜ୍ଞା ଭାଙ୍ଗୁ ତୁହି । ତୋର ମାରଣେ ଦୋଷ ନାହିଁ ॥ ୭୦
ପିତା ମରଣେ ଅରାଜକେ । ସକଳ ଶସ୍ୟବୀଜ ସୁଖେ ॥ ୭୧
ଖାଇଲୁ ଗୋରୁ ରୂପ ହୋଇ । ସଂସାରେ ଶସ୍ୟବୀଜ ନାହିଁ ॥ ୭୨
ଅନ୍ନ ନ ଥିଲେ ପ୍ରଜାଜନ । କେମନ୍ତେ ରଖିବେ ଜୀବନ ॥ ୭୩
ପ୍ରଜା ନ ଥିଲେ ରାଜା କାହିଁ । ଏ ଘେନି ତୋତେ ମୁଁ ମାରଇ ॥ ୭୪
ଦୁଷ୍ଟ-ମାରଣ ରାଜଧର୍ମ । ଏ ତ ସ୍ୱଭାବେ ମୋର କର୍ମ ॥ ୭୫
ମୁଁ ଯେବେ ନ ମାରିବି ତୋତେ । ପ୍ରଜାଏ ବଞ୍ଚିବେ କେମନ୍ତେ ॥ ୭୬
ବିଧାତା ସୃଷ୍ଟି କଲା ଯେତେ । ଅନ୍ନ-ଜୀବନ ରକ୍ଷା ଅର୍ଥେ ॥ ୭୭
ସେ ଶସ୍ୟ ଗୋରୁ ରୂପେ ଖାଇ । ଏବେ ନ ଦେଉ କାହିଁ ପାଇଁ ॥ ୭୮
ତୁ ମନ୍ଦବୁଦ୍ଧି ଦୁରାଶୟ । ମାୟା ଭିଆଣେ ବହୁ ଦେହ ॥ ୭୯
ଅବଜ୍ଞା କଲୁ ଯେଣୁ ମୋତେ । ତେଣୁ ଦଣ୍ତିବି ଆଜି ତୋତେ ॥ ୮୦
ଏ ପ୍ରଜା ପୀଡିତ ଆରତେ । କ୍ଷୁଧିତ ଅନ୍ନ ଅପ୍ରାପତେ ॥ ୮୧
ସେ ଦୁଃଖ ନିବାରିବି ମୁହିଁ । ମୋ ବାଣେ ତୋର ମାଂସ ଦେଇ ॥ ୮୨
ସ୍ତିରୀ ପୁରୁଷ ନପୁଂସକେ । ପୀଡିତ ଯାର ତହୁଁ ଲୋକେ ॥ ୮୩
ତାହାକୁ ରାଜା ନ ଦଣ୍ତିଲେ । କେବା ସଂସାରେ ଥିବ ଭଲେ ॥ ୮୪
ତାର ମାରଣେ ଦୋଷ ନାହିଁ । ସଂସାରେ ଧର୍ମ-କଥା ଏହି ॥ ୮୫
ତୁ ମାୟା-ଗୋରୁ-ରୂପ ହୋଇ । ସକଳ ଶସ୍ୟବୀଜ ଖାଇ ॥ ୮୬
ଆବଜ୍ଞା କଲୁ ଯେବେ ମୋତେ । ନିଶ୍ଚେ ଦଣ୍ତିବି ଆଜ ତୋତେ ॥ ୮୭
ତୋର ଶରୀର ତୀକ୍ଷ୍ଣ-ବାଣେ । କାଟିବି ତିଳ ପରିମାଣେ ॥ ୮୮
ବାଣେ ତୋହର ପ୍ରାଣ ହରି । ମୁଁ ଏବେ ଆତ୍ମଯୋଗ କରି ॥ ୮୯
ବିସ୍ତାରି ମୋହର ଶରୀରେ । ଏ ପ୍ରଜା ରଖିବି ନିର୍ଭରେ ॥ ୯୦

ମୈତ୍ରେୟ ଉବାଚ

ଏମନ୍ତ କହୁଁ ମହାକୋପେ । ପୃଥିବୀ ମିଳିଲା ସମୀପେ ॥ ୯୧
ଏମନ୍ତ ପୃଥୁ ରୂପ ଚାହିଁ । ଭୟେ କମ୍ପଇ ତାର ଦେହୀ ॥ ୯୨
ପୃଥୁ ଚରଣେ ଶିର ଦେଇ । ବୋଲଇ ଅଶ୍ରୁମୁଖୀ ହୋଇ ॥ ୯୩

ପୃଥିବୀ ଉବାଚ

ନମସ୍ତେ ପରମ-ପୁରୁଷ । ଗୁଣ ପ୍ରକାଶେ ତୋର ଦୃଶ୍ୟ ॥ ୯୪
ନିଜ ମାୟାରେ ଛନ୍ନ ହୋଇ । ସଂସାର-ହିତେ ବହୁ ଦେହୀ ॥ ୯୫
ସ୍ୱରୂପେ ଅନୁଭବ ବୃତ୍ତି । ଦ୍ରବ୍ୟ-କାରକ-କ୍ରିୟା ରୀତି ॥ ୯୬
ସକଳ କରୁ ମାୟା ଭ୍ରମେ । ଉର୍ମି ଯେସନେ ଜଳଗ୍ରାମେ ॥ ୯୭
ମାୟା-ରଚନା ମୋତେ କରି । ବିହରୁ ଆତ୍ମା-ରୂପ ଧରି ॥ ୯୮
ସର୍ଜି-ପାଳିଣ କରୁ ଅନ୍ତ । ଯେ ସ୍ୱୟଂ ପ୍ରକାଶେ ଜଗତ ॥ ୯୯
ଏ ସର୍ବତ‌ତ୍ତ୍ୱ ଭେଦ କରି । ସେ ପୁଣି କରେ ଶସ୍ତ୍ର ଧରି ॥ ୧୦୦
ସେ ମୋତେ ମାରିବାର ସଧେ । ଧାମଇଁ ଉଦ୍ୟତ ଆୟୁଧେ ॥ ୧୦୧
କେବା ରକ୍ଷଣେ ଅଛି ମୋର । ତୁ ନାଥ ନ କରୁ ବିଚାର ॥ ୧୦୨
ତୁ ନିଜ ମାୟାତର୍କ-ବଳେ । ଜନ୍ତୁଙ୍କୁ ସର୍ଜୁ ଏ ଶୟଳେ ॥ ୧୦୩
ତୁ ନାଥ ଧାର୍ମିକର ଗୁରୁ । କିମ୍ପା ନବୁଝି ମୋତେ ମାରୁ ॥ ୧୦୪
ଅନ୍ନ ନ ପାଇ ପ୍ରଜା ଯେବେ । ତୋତେ କହିଲେ ଅନୁଭବେ ॥ ୧୦୫
ତୁ ନାଥ ଜଗତ ଈଶ୍ୱର । ଏତୋତେ ନୋହେ ଅଗୋଚର ॥ ୧୦୬
ତୁ ଆଦି-ପଦ୍ମକଳ୍ପ ଆନ୍ତେ । ଶୂକର ରୂପେ ତୋଳି ଦନ୍ତେ ॥ ୧୦୭
ମୋତେ ସ୍ଥାପିଲୁ ଜନ ହିତେ । ଏବେ ସହାରିବୁ କେମନ୍ତେ ॥ ୧୦୮
ଯେ ଜନ ପ୍ରତିପାଳି ଥାଇ । ସେ ତୋର ବଧ ନ ବାଞ୍ଚଇ ॥ ୧୦୯
ମୋହର ପ୍ରାୟ ଯେଉଁ ଜନ । ଈଶ୍ୱର-ମାୟାରେ ମୋହନ ॥ ୧୧୦
ତୁମ୍ଭର ଚେଷ୍ଟା ନ ଜାଣଇ । ବାଳୁତ ପ୍ରାୟେକ ଭ୍ରମଇ ॥ ୧୧୧
ହେ ବୀର ତୁମ୍ଭେ ଯଶସ୍କର । ତୁମ୍ଭଙ୍କୁ ମୋର ନମସ୍କାର ॥ ୧୧୨
କହିଲି ଏବେ ତୋର ଇଚ୍ଛା । ଯେମନ୍ତ କର ତୋର ବାଞ୍ଛା ॥ ୧୧୩
ତୁ ନାଥ ଜଗତ ଈଶ୍ୱର । ଏ ମୋତେ ନୋହେଅଗୋଚର ॥ ୧୧୪
ପୃଥିବୀ ପୃଥୁର ସମ୍ବାଦ । ଶୁଣନ୍ତେ ଖଣ୍ତଇ ପ୍ରମାଦ ॥ ୧୧୫
ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧେ ଜନହିତେ ॥ ୧୧୬
ଶ୍ରୁତି ବଦନେ ଶୁଣି ଭଣି । ଭବ-ସଂସାରୁ ତରେ ପ୍ରାଣୀ ॥ ୧୧୭
ବୋଲଇ ବିପ୍ର ଜଗନ୍ନାଥ । ସୁଜନ-ହିତେ ଭାଗବତ ॥ ୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ବିଜୟେ ଧରିତ୍ରୀନିଗ୍ରହୋ-ନାମ
ଊନବିଂଶୋଽଧ୍ୟାୟ

ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ପୃଥୁ ମୁଖ ଚାହିଁ । ଭୟେ ଚରଣେ ଶିର ଦେଇ ॥ ୧
କୋପିତେ ସ୍ଫୁରିତ ବଚନ । ସ୍ୱଭାବେ ଅରୁଣ-ଲୋଚନ ॥ ୨
ବିନୟେ କରି ନାନା ସ୍ତୁତି । ପୁଣି ବୋଲଇ ବସୁମତୀ ॥ ୩
ଭୋନାଥ କୋପ ଛାଡ ମାତେ । ମୁହିଁ ଶରଣ ଗଲି ତୋତେ ॥ ୪
ଯେ ଆତ୍ମା-କାର୍ଯ୍ୟ ବିଚାରଇ । ସଂସାରୁ ସାର ଆହରଇ ॥ ୫
ଚିତ୍ତେ ନ କଳ୍ପେ ଭିନ୍ନେ-ଭିନ୍ନେ । ପୁଷ୍ପରୁ ମଧୁକର ଯେହ୍ନେ ॥ ୬
ଯେ ଶାନ୍ତ ଇହ ପରଲୋକେ । ସୁଯୋଗୀ ଜନ କହେ ମୁଖେ ॥ ୭
ଉପାୟେ ସେ ଫଳ ଭୁଞ୍ଜନ୍ତି । ଉଭୟ-ଲୋକେ ନାହିଁ ଭ୍ରାନ୍ତି ॥ ୮
ଏହା ଯେ ନ କରନ୍ତି ଚିତ୍ତେ । ସେ ଯଶ ଲଭିବେ କେମନ୍ତେ ॥ ୯
ବ୍ରହ୍ମା ଯେ ସର୍ବପ୍ରାଣୀ ହିତେ । ଶସ୍ୟ ସାମଗ୍ରୀ କଲା ଯେତେ ॥ ୧୦
ସେ ସର୍ବ ମୋର ଦେହେ ଥିଲା । ଏମନ୍ତେ ତୋର ପିତା ମଲା ॥ ୧୧
ରାଜା ବିଯୋଗେ ସର୍ବ ଧର୍ମ । ଦୁଷ୍ଟେ ନାଶିଲେ ସର୍ବ କର୍ମ ॥ ୧୨
ଚଉର-ଭୟ ଅରାଜତ୍ୱେ । ଭବିଷ୍ୟ ଯଜ୍ଞରକ୍ଷା ଅର୍ଥେ ॥ ୧୩
ଯେତେ ଔଷଧି ବୀଜ ଥିଲା । ଅରାଜା ଯୋଗେ ନାଶ ଗଲା ॥ ୧୪
କ୍ଷୀଣ ବୀରୁଧ ଦେଖି ମୁହିଁ । ଭକ୍ଷିଲି ଧେନୁରୂପ ହୋଇ ॥ ୧୫
ଯଦି ମୁଁ ନ କରନ୍ତି ଗ୍ରାସ । ଦୁଷ୍ଟେ କରନ୍ତେ ସର୍ବନାଶ ॥ ୧୬
ସେ ସର୍ବ ଶସ୍ୟ ରସ ଯେତେ । କ୍ଷୀରେ ବସନ୍ତି ମୋର ଗାତ୍ରେ ॥ ୧୭
ତୁ ଏବେ ରକ୍ଷା କର ମୋତେ । ଦୋହନ କର ତୁ ଯୁଗତେ ॥ ୧୮
କ୍ଷରିବି ସର୍ବ-ଶସ୍ୟ ମୁହିଁ । ପ୍ରାଣୀ-ଜୀବନ ଯେଣେ ରହି ॥ ୧୯
ମୁଁ ସର୍ବ କାମଧେନୁ ରୂପେ । କ୍ଷୀର ସ୍ତବିବି ଜନ ମୁଖେ ॥ ୨୦
ତୁ ଏବେ ମୋତେ ରକ୍ଷାକର । ଧନୁ-ଆୟୁଧ ପରିହର ॥ ୨୧
ସୁଷମ କର ମୋର ଗାତ୍ର । ମୁହିଁ ଯେସନେ ଶସ୍ୟକ୍ଷେତ୍ର ॥ ୨୨
ସମ ହୋଇଲେ ମୋର ଶରୀର । ବର୍ଷାରେ ପୂରି କ୍ଷୀରଧାର ॥ ୨୩
ସରସ ହୋଇ ମୋ ଶରୀର । ଶସ୍ୟ ଉଠିବ ନିରନ୍ତର ॥ ୨୪
ହୋଇବ ନାନାରୂପେ ଧାନ୍ୟ । ଜନ୍ତୁଏ ଲଭିବେ ଜୀବନ ॥ ୨୫

ମୈତ୍ରେୟ ଉବାଚ

ଏମନ୍ତ ଧରଣୀ ବଚନ । ଶୁଣି ସନ୍ତୋଷ ପୃଥୁମନ ॥ ୨୬
ମନୁକୁ ବତ୍ସାରୂପ କରି । ଭାବେ ବୋଲଇ ଦଣ୍ତଧାରୀ ॥ ୨୭
ତୁ ଏହା ସ୍ତନ ପାନ କର । ଯେମନ୍ତେ ସଞ୍ଚରଇ କ୍ଷୀର ॥ ୨୮
ତକ୍ଷଣେ ପୃଥୁର ବଚନେ । ସେ ମନୁ ମୁଖ ଦେଲା ସ୍ତନେ ॥ ୨୯
ପିବନ୍ତେ ସଞ୍ଚରିଲା କ୍ଷୀର । ମେଘୁ ଯେସନେ ବୃଷ୍ଟିଧାର ॥ ୩୦
ଚରଣେ ବାନ୍ଧି ବତ୍ସା ମନୁ । ପୃଥୁ ଦୁହିଁଲା କ୍ଷୀର ସ୍ତନୁ ॥ ୩୧
କ୍ଷୀରେ ପୂରିଲା ବସୁନ୍ଧରୀ । ଯେସନେ ସିନ୍ଧୁର ଲହରୀ ॥ ୩୨
ଅନେକ ଅପ୍ରମେୟ ରସ । ଯେଣେ ସକଳ-ଜୀବ ବଶ ॥ ୩୩
ଗର୍ଭେ ଯେ ଶସ୍ୟବୀଜ ଥିଲା । କ୍ଷୀର ସଙ୍ଗତେ ସଞ୍ଚରିଲା ॥ ୩୪
ଶସ୍ୟ ହୋଇଲା ଅପ୍ରମିତେ । ପ୍ରଜାଏ ନେଲେ ଯେଝାମତେ ॥ ୩୫
ପୃଥୁ ଦୋହନ ଅନ୍ତେ ଦେବେ । ସର୍ବେ ଦୁହିଁଲେ ଯେଝା ଭାବେ ॥ ୩୬
ମିଳି ସକଳ ମୁନିଜନେ । ଅତ୍ୟନ୍ତ ହରଷିତ ମନେ ॥ ୩୭
ବୃହସ୍ପତିଙ୍କି ବତ୍ସା କରି । ଇନ୍ଦ୍ରିୟ-ପାତ୍ର କରେ ଧରି ॥ ୩୮
ଦୁହିଁଲେ ପୟ ଛନ୍ଦୋମୟ । ଯେ ଭାବେ ତୁଟଇ ସଂଶୟ ॥ ୩୯
ପୁଣି ସକଳ ଦେବେ ଧରି । ଇନ୍ଦ୍ରଙ୍କୁ ବତ୍ସାରୂପ କରି ॥ ୪୦
ସୁବର୍ଣ୍ଣମୟ ପାତ୍ର ଆଣି । ଆନନ୍ଦେ ଦୁହିଁଲେ ଧରଣୀ ॥ ୪୧
ସୋମ ଦୁହିଁଲେ ଯେଝାମତେ । ଅଶେଷ ଯଜ୍ଞ କର୍ମ ଅର୍ଥେ ॥ ୪୨
ଅମୃତ ବୀର୍ଯ୍ୟ ଓଜ ବଳ । ଦୁହିଁଲେ ପୟ ସୁନିର୍ମଳ ॥ ୪୩
ଦୈତ୍ୟ-ଦାନବେ ପୁଣ ଧରି । ପ୍ରହଲ୍ଲାଦକୁ ବତ୍ସା କରି ॥ ୪୪
ଦୁହିଁଲେ ଲୌହମୟ ପାତ୍ରେ । ସୁରା ଆସବ ଆଦି ଯେତେ ॥ ୪୫
ଗନ୍ଧର୍ବ ଅପସରା ଗଣେ । ମିଳିଲେ ଯାଇ ତତକ୍ଷଣେ ॥ ୪୬
କମଳପତ୍ର ପାତ୍ର କରି । ଦୁହିଁଲେ ଭୂମି ସ୍ତନ ଧରି ॥ ୪୭
ବିଶ୍ୱାବସୁଙ୍କୁ ବତ୍ସା କଲେ । ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦୁହିଁଲେ ॥ ୪୮
ଶ୍ରାଦ୍ଧଦେବତା ପିତୃଗଣେ । ଶ୍ରଦ୍ଧାରେ କ୍ଷୀର ଜଣେ ଜଣେ ॥ ୪୯
ଅର୍ଯ୍ୟମା ବତ୍ସା କରି ହସ୍ତେ । କବ୍ୟ ଦୁହିଁଲେ ଆମପାତ୍ର ॥ ୫୦
ସିଦ୍ଧେ ମିଳିଲେ ନବରଙ୍ଗେ । କପିଳ ବତ୍ସା ଘେନି ସଙ୍ଗେ ॥ ୫୧
ସଙ୍କଳ୍ପମୟ କ୍ଷୀର ଧାରେ । ଦୁହିଁଲେ ଜନ ଉପକାରେ ॥ ୫୨
ପୁଣି ମିଳିଲେ ବିଦ୍ୟାଧରେ । ଯେ ଯାହା ପାତ୍ରଧରି କରେ ॥ ୫୩
ଏହୁ ଆକାଶ-ପାତ୍ର ଧରି । ଖେଚରୀ ବିଦ୍ୟା ଦୁହିଁ କରି ॥ ୫୪
ଆନନ୍ଦମନେ କ୍ଷୀର ଦୁହିଁ । ବସିଲେ ଯେଝାଭାବ ଯାଇ ॥ ୫୫
ପୁଣି ମିଳିଲେ ପୁଣ୍ୟଜନେ । ମୟକୁ ବତ୍ସା କଳ୍ପିମନେ ॥ ୫୬
ମାୟାବୀଗଣ ପୁଣି ଆସି । ଧରଣୀ ସ୍ତନ ତଳେ ବସି ॥ ୫୭
ଆନନ୍ଦ ପାତ୍ର କରି ମନ । ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନ ॥ ୫୮
ମିଳିଲେ ଯକ୍ଷ ରକ୍ଷଗଣେ । ଭୂତ ବେତାଳ ଯାତୁଧାନେ ॥ ୫୯
କପାଳ ପାତ୍ରକୁ ଧଇଲେ । ରୁଦ୍ରଙ୍କୁ ଆଣି ବତ୍ସା କଲେ ॥ ୬୦
ରୁଧିର ମଦ୍ୟ ସେ ଦୁହିଁଲେ । ପିଶାଚେ ଆନନ୍ଦ ହୋଇଲେ ॥ ୬୧
ତକ୍ଷଣେ ସର୍ପଗଣେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୨
ତକ୍ଷକ-ନାଗ ବତ୍ସା କରି । ସନ୍ତୋଷ ମନେ ସ୍ତନ ଧରି ॥ ୬୩
ବିକକୁ ପାତ୍ର କରି ରଙ୍ଗେ । ବିଷ ଦୁହିଁଲେ ଅତି ବେଗେ ॥ ୬୪
ପଶୁଏ ମିଳି ସ୍ତନ ତଳେ । ବୃଷକୁ ବତ୍ସା କରି ବଳେ ॥ ୬୫
ତୃଣ ଦୁହିଁଲେ ଯେଝା ସୁଖେ । ତକ୍ଷଣେ ଗ୍ରାସ କରି ମୁଖେ ॥ ୬୬
ସିଂହ ସହିତେ ପଶୁଗଣେ । ମାଂସ ଦୋହନ କଲେ ବଣେ ॥ ୬୭
ମାଂସାଶୀ-ଗଣେ ପରେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୮
ଶରୀର-ପାତ୍ରେ ମାଂସ ଦୁହିଁ । ଆନନ୍ଦ କଲେ ନିଜ ଦେହୀ ॥ ୬୯
ପକ୍ଷୀଏ-କ୍ଷୀର-ପାନ ଆଶେ । ମିଳେଲେ ଧରଣୀର ପାଶେ ॥ ୭୦
ଗରୁଡ-ବତ୍ସା କରି ବଳେ । କୀଟ-ଫଳକୁ ସେ ଦୁହିଁଲେ ॥ ୭୧
ସକଳ ବୃକ୍ଷେ ଆଗ ସରି । ବଟବୃକ୍ଷକୁ ବତ୍ସା କରି ॥ ୭୨
ସନ୍ତୋଷେ ଦୁହିଁ ରସମୟେ । କ୍ଷୀର ବରଷି ନିଜ ଦେହେ ॥ ୭୩
ହିମବନ୍ତକୁ ବତ୍ସା କରି । ଧାତୁ ଦୁହିଁଲେ ସର୍ବ ଗିରି ॥ ୭୪
ସେ ପୃଥ୍ୱୀ ପୃଥୁ ବଶେ ଥିଲା । ସକଳେ କାମଦୁଘା ହେଲା ॥ ୭୫
ଏମନ୍ତେ ପୃଥୁ ଆଦି ସର୍ବେ । କ୍ଷୀର ଦୁହିଁଲେ ଯେଝାଭାବେ ॥ ୭୬
ଯେତେକ ମନୁ ଆଦି ଥିଲେ । ସର୍ବେ ଅଭୀଷ୍ଟ ସମ୍ପାଦିଲେ ॥ ୭୭
ଏମନ୍ତେ ଶୁଣ ହେ ରାଜନ । ଜାଣିଲେ ସର୍ବଜନ ମନ ॥ ୭୮
ପୃଥୁ ଧରଣୀ ମୁଖ ଚାହିଁ । ଆନନ୍ଦ-ମନେ ବିଚାରଇ ॥ ୭୯
ଏ ମୋ କାର୍ଯ୍ୟେ ଦୁଃଖ ସହି । ରୂପ ବହିଲା ଧେନୁ ହୋଇ ॥ ୮୦
ଯେ ଯାହା ସୁଖେ ପୟ ନେଲେ । ସର୍ବେ ତୋଷିଲା ମହୀ ଭଲେ ॥ ୮୧
ଏ ଦେହ-ଜୀବଧାରୀ ଯେତେ । ସ୍ଥାବର ଆଦି ନାନା ମତେ ॥ ୮୨
ସକଳେ ଲଭିଲେ ଜୀବନ । ଦେଖ ଏହାର ଦେହ ଧନ୍ୟ ॥ ୮୩
ଏ ମୋର ଦୁହିତା ହୋଇବ । ଏଣେ ବଞ୍ଚଲେ ସର୍ବଜୀବ ॥ ୮୪
ଜୀବଙ୍କ ଜୀବଦାତା ଯେଣୁ । ଏହାର ପୃଥ୍ୱୀ ନାମ ତେଣୁ ॥ ୮୫
ହୋଇବ ଏ ମୋର ପ୍ରମାଣ । ଯେଣୁ ଏ ସଂସାର ଧାରଣ ॥ ୮୬
ଏମନ୍ତେ ପୃଥ୍ୱୀନାମ କରି । ସୁଖେ ପାଳିଲେ ବସୁନ୍ଧରୀ ॥ ୮୭
ଭୂମିରେ ଉଚ୍ଚ ପ୍ରାୟ ସ୍ଥାନ । ଧନୁ-ହୁଳେ କରି ସମାନ ॥ ୮୮
ଯଥା-ଯୋଗ୍ୟରେ ପ୍ରାଣୀ ସ୍ଥାନ । କଳ୍ପିଲା ବେଣର ନନ୍ଦନ ॥ ୮୯
ଏମନ୍ତେ ପୃଥୁ ହୋଇ ରାଜା । ସମେ ପାଳିଲେ ଜନପ୍ରଜା ॥ ୯୦
ଭୂମି ଉପରେ ନାନାଦେଶେ । ସକଳ ସ୍ଥାପିଲେ ହରଷେ ॥ ୯୧
ଗ୍ରାମାଦି ପୁର ଯେ ପତ୍ତନ । ଘୋଷ-ବ୍ରଜ ଶବର ସ୍ଥାନ ॥ ୯୨
ଆଖର ଖେ ଯେ ଖର୍ବଟ । ଦୁର୍ଗ ଗ୍ରାମାଦି ଯେ ନିର୍ମିତ ॥ ୯୩
ସେ ରାଜା ଅତି ସ୍ନେହଭରେ । ସକଳ ଜୀବଙ୍କୁ ନିର୍ଭରେ ॥ ୯୪
ଜନଙ୍କୁ ପାଳେ ପିତା ପ୍ରାୟେ । ସକଳେ ରହିଲେ ନିର୍ଭୟେ ॥ ୯୫
ନିଶ୍ଚିନ୍ତେ ରହିଲେ ସକଳେ । ଅଚଳ ଯେସନେ ନିଶ୍ଚଳେ ॥ ୯୬
ପୃଥୁ-ଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୯୭
ଗୋବିନ୍ଦ-ଚରଣେ ମିଳନ୍ତି । ବିନାଶି ଭବଭୟଭ୍ରାନ୍ତି ॥ ୯୮
ଏଣୁ ସୁଜନେ ଆଶ୍ରେ କର । ସଂସାର ସଙ୍କଟୁ ନିସ୍ତର ॥ ୯୯
ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁବିଜୟେ
ବିଂଶୋଽଧ୍ୟାୟଃ

ଏକବିଂଶ ଅଧ୍ୟାୟ[ସମ୍ପାଦନା]

ମେତ୍ରେୟ ଉବାଚ

ଏବେ ହୋ ଶୁଣ ବିଷ୍ଣୁ ଗାଥା । କହିବା ପୃଥୁ ଯଜ୍ଞ କଥା ॥ ୧
ମିଳି ସକଳ ମୁନିଜନେ । ସନ୍ତୋଷ ପୃଥୁ ସନ୍ନିଧାନେ ॥ ୨
ଯଜ୍ଞ-କରଣ ଉଦଯୋଗେ । ସର୍ବ-ସମ୍ଭାର ଅଣି ବେଗେ ॥ ୩
ସୁପ୍ରାଚୀ ସରସ୍ୱତୀ ତୀର୍ଥେ । ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ ॥ ୪
ଇନ୍ଦ୍ରାଦି ସର୍ବଦେବେ ଆସି । ଯଜ୍ଞ ଉତ୍ସବ ଘରେ ପଶି ॥ ୫
ଯଜ୍ଞସମ୍ଭାର ଇନ୍ଦ୍ର ଦେଖି । ନ ସହି ମନେ ହେଲା ଦୁଃଖୀ ॥ ୬
ସେ ଯଜ୍ଞେ ଯଜ୍ଞପତି ହରି । ପ୍ରତ୍ୟକ୍ଷ ହେଲେ ଦୟାକରି ॥ ୭
ଶଙ୍କର ପଦ୍ମଯୋନି ମେଳେ । ମିଳି ସକଳ-ଦିଗପାଳେ ॥ ୮
ଗନ୍ଧର୍ବ-ଅପସରା ଗଣେ । ମୁନିଏ ବେଦ-ଉଚ୍ଚାରଣେ ॥ ୯
ଆନନ୍ଦେ ଗୀତ-ନୃତ୍ୟ-ସ୍ତୁତି । ସିଦ୍ଧ-ଗୁହ୍ୟକ ପନ୍ତି ପନ୍ତି ॥ ୧୦
ଦାନବ-ଦୈତ୍ୟ-ବିଦ୍ୟାଧରେ । ସେ ଯଜ୍ଞେ ମିଳିଲେ ଗହଳେ ॥ ୧୧
ସୁନନ୍ଦ ନନ୍ଦ ଆଦି ମାନେ । ହରିର ପାରିଷଦ ଗଣେ ॥ ୧୨
କପିଳ ନାରଦ ଯେ ଦତ୍ତ । ସନକ ଆଦି ଉପଗତ ॥ ୧୩
ସେ ପୃଥୁ ଯଜ୍ଞେ ବସୁମତୀ । ବାଞ୍ଛା-ସୁରଭୀ ପୟୋବତୀ ॥ ୧୪
କାମଧେନୁର ପ୍ରାୟ ହୋଇ । ସର୍ବ ସମ୍ପଦ ଦେଲା ମହୀ ॥ ୧୫
ନଦୀଏ ଦୁଗ୍ଧ-ରସ ଜଳେ । ସଧୀରେ ବହନ୍ତି ଉଲ୍ଲୋଳେ ॥ ୧୬
ଘୃତ-ସଂଯୋଗେ ଦଧି ଅନ୍ନ । ତୋଷେ ଭୁଞ୍ଜନ୍ତି ସର୍ବଜନ ॥ ୧୭
ସକଳ-ବୃକ୍ଷେ ମଧୁ-ପନ୍ତି । ଜୀମୂତ ପ୍ରାୟ ବରଷନ୍ତି ॥ ୧୮
ସମୁଦ୍ରେ ନାନା ରତ୍ନେ ପୂରି । ଗର୍ଜନ୍ତି ଉଲ୍ଲୋଳେ ଲହରୀ ॥ ୧୯
ପର୍ବତେ ଚତୁର୍ବିଧ-ଅନ୍ନ । ଦେଇ ରଞ୍ଜିଲେ ପୃଥୁମନ ॥ ୨୦
ଲୋକପାଳକେ ଲୋକ ତୁଲେ । ସର୍ବ-ସମ୍ଭାର ସମ୍ଭାରିଲେ ॥ ୨୧
ଯଜ୍ଞ କରଣେ ବିଷ୍ଣୁ ଅର୍ଥେ । ସର୍ବ ସମ୍ପାଦିଲେ ସମସ୍ତେ ॥ ୨୨
ପୃଥୁର ଯଜ୍ଞାରମ୍ଭ ଚାହିଁ । ବାସବ ମନେ ବିଚାରଇ ॥ ୨୩
ଏ ପୃଥୁ ଶତକ୍ରତୁ କଲେ । ଲଭିବ ଇନ୍ଦ୍ରପଦ ଭଲେ ॥ ୨୪
ମୋର ସମ୍ପଦ ଜୀବ ନାଶ । ଏମନ୍ତ ଚିନ୍ତି ଛାଡେ ଶ୍ୱାସ ॥ ୨୫
ଯଜ୍ଞର ଊନିଶତ ଅନ୍ତେ । ଆତ୍ମାର ହିତ ଚିନ୍ତି ଚିତ୍ତେ ॥ ୨୬
ଯଜ୍ଞ-ପଶୁକୁ ହରି ନେଲା । ନିଜ ଭୁବନେ ବିଜେ କଲା ॥ ୨୭
ଆକାଶ ମାର୍ଗେ ଇନ୍ଦ୍ର ଗଲା । ପାଷଣ୍ତ-ଧର୍ମ ଆଚରିଲା ॥ ୨୮
ଧର୍ମେ ବିଭ୍ରମ ତାର ମନ । ସଭୟେ ଚିତ୍ତ ଛନ୍ନଛନ୍ନ ॥ ୨୯
ଅତ୍ରି ଯେ ଯଜ୍ଞଶାଳେ ଥିଲେ । ଅଶ୍ୱର ହରଣ ଜାଣିଲେ ॥ ୩୦
ପୃଥୁ-ପୁତ୍ରକୁ ରାଇ ବେଗେ । ଇନ୍ଦ୍ରର କର୍ମ ତାର ଆଗେ ॥ ୩୧
କହିଲେ ଅଶ୍ୱହର ବାଣୀ । ପୃଥୁ-ତନୟ ତାହା ଶୁଣି ॥ ୩୨
ଧନୁ-ଶରକୁ ଧରି କରେ । ଶୂନ୍ୟେ ଧାଇଁଲା କୋପଭରେ ॥ ୩୩
ଡାକଇ ରହ ରହ ବାଣୀ । ସଭୟେ ଇନ୍ଦ୍ର ତାହା ଶୁଣି ॥ ୩୪
ନିଜ ଶରୀର ଛନ୍ନ କଲା । ଜଟିଳ-ରୂପ ପ୍ରକାଶିଲା ॥ ୩୫
ତାହାର ନିକଟେ ମିଳିଲା । ଇନ୍ଦ୍ର-ବିମାନକୁ ଚାହିଁଲା ॥ ୩୬
ଭସ୍ମ-ଭୂଷିତ ଦେହ ଚାହିଁ । ପୃଥୁ-ନନ୍ଦନ ବିଚାରଇ ॥ ୩୭
ଜଟିଳ ଭସ୍ମ ଏହା ଗାତ୍ରେ । ଏହାକୁ ମାରିବି କେମନ୍ତେ ॥ ୩୮
ଏମନ୍ତ ମନେ ବିଚାରିଲା । ଇନ୍ଦ୍ରକୁ ବାଣ ନ ଛାଡିଲା ॥ ୩୯
ତାର ରହିବା ପଥ ଦେଖି । ଅତ୍ରି ଯଜ୍ଞଶାଳ ଉପେକ୍ଷି ॥ ୪୦
ଡାକନ୍ତି ମାର ମାର ବେଗେ । ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ ॥ ୪୧
ଭୟେ ଚାହଁଇ ଦଶଦିଶେ । ସ୍ୱଭାବେ କେହି ନାହିଁ ପାଶେ ॥ ୪୨
ମନେ ବିଚାରେ ଶଚୀପତି । କି ଆଜ ହୋଇଲା ଦୁର୍ଗତି ॥ ୪୩
ବୋଲନ୍ତି ଅତି ବେଗେ ମାର । ସ୍ୱଭାବେ ଯଜ୍ଞ ଅଶ୍ୱ ଚୋର ॥ ୪୪
ଏମନ୍ତ ଅତ୍ରିର ବଚନ । ଶୁଣନ୍ତେ ପୃତୁର ନନ୍ଦନ ॥ ୪୫
ଧାମଇଁ ଅତି କୋପକରି । ହସ୍ତୀକି ଯେସନେ କେଶରୀ ॥ ୪୬
ବାସବ ଦେଖି ତା ବଦନ । ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନ ॥ ୪୭
ରହିଲା ଶୂନ୍ୟମାର୍ଗେ ଯାଇ । ପୃଥୁନନ୍ଦନ ବିଚାରଇ ॥ ୪୮
ଅଶ୍ୱକୁ ଘେନି ମହାରୋଷେ । ଇନ୍ଦ୍ରକୁ ଚାହେଁ ଦଶଦିଶେ ॥ ୪୯
ନ ଦେଖି ପୁଣି ଯଜ୍ଞସ୍ଥାନେ । ମିଳିଲା ଅତ୍ରି-ସନ୍ନିଧାନେ ॥ ୫୦
ଅଶ୍ୱର ରଜ୍ଜୁ କରେ ଧରି । ଅତ୍ରିଚରଣେ ନମସ୍କାରି ॥ ୫୧
ତାର ଅଦ୍ଭୁତ-କର୍ମ ଦେଖି । ମୁନିଏ ନାମ ଉପଲକ୍ଷି ॥ ୫୨
ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ । ଦେଲେ ତା ବିଜିତାଶ୍ୱ ନାମ ॥ ୫୩
ଏମନ୍ତେ ରଜନୀ ପ୍ରବେଶେ । ଇନ୍ଦ୍ର ମିଳିଲେ ଯଜ୍ଞଦେଶେ ॥ ୫୪
ଦେଖିଲା କେହି ନାହିଁ ପାଶେ । ସେ ପୁଣ ମନର ହରଷେ ॥ ୫୫
ଯଜ୍ଞର ଯୂପ-ତଳୁ ଛନ୍ନେ । ହରିଲା ସୁବର୍ଣ୍ଣ-ରସନେ ॥ ୫୬
ବିଚାରି ଅନ୍ଧକାର ଛଳେ । ଅଶ୍ୱକୁ ପୁଣି ନେଲା ବଳେ ॥ ୫୭
ଅତ୍ରି ଦେଖନ୍ତେ ଶୂନ୍ୟମାର୍ଗେ । ତ୍ରାସେ ପଳାଏ ଇନ୍ଦ୍ର ବେଗେ ॥ ୫୮
ବିଜିତାଶ୍ୱର ମୁଖ ଚାହିଁ । ବୋଲଇ ଅଶ୍ୱ ଆଣ ଯାଇ ॥ ୫୯
ତା ଶୁଣି ହସ୍ତେ ଧନୁ ଧରି । ଧାଇଁଲା ଘୋରନାଦ କରି ॥ ୬୦
ଆହେ ଦୁର୍ମତି ମନ୍ଦ ଚୋର । କିମ୍ପା ତୋ ଏମନ୍ତ ବିଚାର ॥ ୬୧
ଡାକଇ ରହ ରହ ବାଣୀ । ତାର ବଚନ ଇନ୍ଦ୍ର ଶୁଣି ॥ ୬୨
ପଥେ ଅଶ୍ୱକୁ ଛାଡି ଛନ୍ନେ । ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ ॥ ୬୩
ପୁଣି ସେ ଅଶ୍ୱ ଧରି କରେ । ବେଗେ ମିଳିଲା ଯଜ୍ଞଘରେ ॥ ୬୪
ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ । ଛଳେ ଧଇଲା ରୂପ ଯେତେ ॥ ୬୫
ପାଷଣ୍ତଜନ ସେହି ମତେ । ରୂପ ପ୍ରକାଶନ୍ତି ଜଗତେ ॥ ୬୬
ପୃଥୁର ଯଜ୍ଞ-ବିନାଶନେ । ଇନ୍ଦ୍ରର ଯେତେ ରୂପ ଛନ୍ନେ ॥ ୬୭
ପାଷଣ୍ତେ ସେହି ରୂପ ଚିନ୍ତି । ସଂସାରେ ଭ୍ରମ ସେ କରାନ୍ତି ॥ ୬୮
କେ ନଗ୍ନ ରକ୍ତପଟ୍ଟ ଧରେ । କେ ଭସ୍ମ ଭୂଷଣ ଶରୀରେ ॥ ୬୯
ଅଧର୍ମ-ମାର୍ଗ ଆଚରନ୍ତି । ଆତ୍ମାର ହିତ ନ କରନ୍ତି ॥ ୭୦
ପାଷଣ୍ତ-ମାର୍ଗେ ଥାଇ ନିତ୍ୟେ । ଦୂଷଣ ଦେଇ ବେଦପଥେ ॥ ୭୧
ସେ ରୂପ ପ୍ରକାଶି ବ୍ରହ୍ମାଣ୍ତୋ । ନିଗମ ନିନ୍ଦିବେ ପାଷଣ୍ତେ ॥ ୭୨
ତାହାଙ୍କ ମତ ଯେ କରନ୍ତି । ଅନ୍ତେ ନରକେ ପ୍ରବେଶନ୍ତି ॥ ୭୩
ସେ କଥା ଶୁଣି ପୃଥୁ କୋପେ । ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ ॥ ୭୪
ଇନ୍ଦ୍ର ମାରଣେ କୋପ କରି । ନିଜ କୋଦଣ୍ତ-ଶର ଧରି ॥ ୭୫
କୋପନ୍ତେ ଅରୁଣ-ନୟନ । ପ୍ରଚଣ୍ତ ବିରାଜେ ବଦନ ॥ ୭୬
ପୃଥୁ ଗମନ ଦେଖି ରଣେ । ବେଗେ ମିଳିଲେ ବିପ୍ରଗଣେ ॥ ୭୭
ଇନ୍ଦ୍ର-ବିଷୟେ କୋପ ବହି । ବୋଲନ୍ତି ପୃଥୁ ମୁଖ ଚାହିଁ ॥ ୭୮
ଭୋ ପୃଥୁ ଶୁଣ ଧର୍ମ-କଥା । ଆଗମ ନିଗମ ବ୍ୟବସ୍ଥା ॥ ୭୯
ପଶୁ ବିନା ଆନ ବଧ । ଯଜ୍ଞରେ ଅଟଇ ନିଷେଧ ॥ ୮୦
ତୋ ଯଜ୍ଞ-କୀର୍ତ୍ତି ନାଶେ ଇନ୍ଦ୍ର । ଆମ୍ଭେ ନାଶିବୁ ତା ନରେନ୍ଦ୍ର ॥ ୮୧
ମନ୍ତ୍ର ଆହ୍ୱାନ ବଳେ କରି । ଅଗ୍ନିକୁ ଆହୁତିରେ ଧରି ॥ ୮୨
ନାଶିବୁ ତୋହର ଅହିତ । ତୋର ମାରିବା ନୋହେ ଯୁକ୍ତ ॥ ୮୩
ଏମନ୍ତ ପୃଥୁ ଆଗେ କହି । ଋତ୍ୱିଜେ ଅତି କୋପ ବହି ॥ ୮୪
ସ୍ରୁବକୁ ସର୍ବେ ଧରି ହସ୍ତେ । ଅଗ୍ନିରେ ଆହୁତି ଦିଅନ୍ତେ ॥ ୮୫
ବ୍ରହ୍ମା ମିଳିଲେ ତତକ୍ଷଣ । ସମସ୍ତ ମୁନି-ସନ୍ନିଧାନ ॥ ୮୬
ଇନ୍ଦ୍ରର ହିତ ଚିତ୍ତେ ବହି । ବୋଲନ୍ତି ମୁନିଗଣେ ଚାହିଁ ॥ ୮୭
ଶୁଣ ହେ ସର୍ବ ବିପ୍ରବର । ଯାହାକୁ ଯଜ୍ଞେ ତୁମ୍ଭେ ମାର ॥ ୮୮
ଯେ ଦେବ ଯଜ୍ଞଭାଗ ଭୂଞ୍ଜେ । ସେ ଦେବଦେହ ଇନ୍ଦ୍ରତେଜେ ॥ ୮୯
ଏଣୁ ଇନ୍ଦ୍ରକୁ ଯଜ୍ଞେ ବରି । ମନ୍ତ୍ରେ ଅନଳେ ହୋମ କରି ॥ ୯୦
ସୃଷ୍ଟି ପାଳନେ ଏ କାରଣ । ଏ ଭାବେ ସଂସାର ଧାରଣ ॥ ୯୧
ପୃଥୁ ବଦନ ଚାହିଁ ଧୀରେ । ବୋଲନ୍ତି ବଚନ ମଧୁରେ ॥ ୯୨
ଏ ଇନ୍ଦ୍ରନାରାୟଣ ତନୁ । ଏହାକୁ ଛାଡ ତୁମ୍ଭେ ମନ୍ୟୁ ॥ ୯୩
ଏହାର ଦେହେ ସର୍ବଦେବେ । ନିତ୍ୟେ ବସନ୍ତି ଯଜ୍ଞଭାବେ ॥ ୯୪
ଆହୁତି ଯାର ମୁଖେ ଦେଇ । ତାହାକୁ କୋପ ନ ଯୋଗାଇ ॥ ୯୫
ଏହାକୁ କୋପ ତୁ ନକର । ଯଜ୍ଞପୁରୁଷ ଅର୍ଥେ ବର ॥ ୯୬
ଏ ଧର୍ମ ପରମ-କାରଣ । ଅଶେଷ ସୃଷ୍ଟି ଉଦ୍ଧାରଣ ॥ ୯୭
ଏ ଯଜ୍ଞେ ଦ୍ରୋହ କର୍ମ କଲା । ପାଷଣ୍ତ ପଣ ଆଚରିଲା ॥ ୯୮
ପାଷଣ୍ତ ଉଦ୍ଧରିବା ଅର୍ଥେ । ତୋ ଅବତାର ଏ ଜଗତେ ॥ ୯୯
ତୁ ସେ ସକଳ ଗୁଣମଣି । ଅପୂର୍ବ ନୋହେ କିଛି ପୁଣି ॥ ୧୦୦
ବେଣର ଦେହେ ଯେତେ ଦୋଷ । ତୋ ଜନ୍ମ କଲା ତାହା ନାଶ ॥ ୧୦୧
ତୁ ଏବେ ମୋର ବୋଲ କର । ପାଷଣ୍ତ ପ୍ରାଣୀଙ୍କି ଉଦ୍ଧର ॥ ୧୦୨

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନେ । ଇନ୍ଦ୍ରକୁ କୋପ ଛାଡି ମନେ ॥ ୧୦୩
ଯଜ୍ଞର ଅବଭୃତ-ସ୍ନାନେ । ଦକ୍ଷିରା ଦେଇ ବିପ୍ରଜନେ ॥ ୧୦୪
ଯଜ୍ଞେ ତୋଷିଲେ ସର୍ବଜନେ । ଅନ୍ନ-ବସନ-ଧେନୁ ଦାନେ ॥ ୧୦୫
ସେ ବିପ୍ରଜନେ ହୋଇ ତୋଷ । ପୃଥୁକୁ କରନ୍ତି ଆଶିଷ ॥ ୧୦୬
ବ୍ରହ୍ମା ହରଷ-ଚିତ୍ତ ହୋଇ । କହନ୍ତି ପୃଥୁ ମୁଖ ଚାହିଁ ॥ ୧୦୭
ତୋର ବଚନେ ସର୍ବଦେବେ । ତୋଷ ହୋଇଳେ ଯଜ୍ଞଭାବେ ॥ ୧୦୮
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ବିପ୍ର ଘେନି ॥ ୧୦୯
ତକ୍ଷଣେ ଗଲେ ନିଜସ୍ଥାନେ । ଶୁଣ ବିଦୁର ତୋଷମନେ ॥ ୧୧୦
ଏ ପୃଥୁ-ଯଜ୍ଞର କାହାଣୀ । ନିର୍ମଳ ହୁଅ ନରେ ଶୁଣି ॥ ୧୧୧
ମୈତ୍ରେୟ ମୁନି ତୋଷ ଚିତେ । କହନ୍ତି ବିଦୁର ଅଗ୍ରତେ ॥ ୧୧୨
ଶୁଣ ବିଦୁର ସାବଧାନେ । ପୃଥୁର ଯଜ୍ଞ ଅବସାନେ ॥ ୧୧୩
ଯେ ଯଜ୍ଞପତି ଭଗବାନ । ଇନ୍ଦ୍ର ସହିତେ ଆଗମନ ॥ ୧୧୪
ହରଷେ ପ୍ରଭୁ ଯଜ୍ଞପତି । ପୃଥୁକୁ ଚାହିଁଣ କହନ୍ତି ॥ ୧୧୫

ଭଗବାନ ଉବାଚ

ଶୁଣ ହୋ ପୃଥୁ ନୃପନାଥ । ଇନ୍ଦ୍ର ଯେ କଲା ଯଜ୍ଞେ ଘାତ ॥ ୧୧୬
ସେ ଅପରାଧ ଖଣ୍ତିବାକୁ । ଏବେ ଅଇଲା ତୁମ୍ଭ ଠାକୁ ॥ ୧୧୭
ତୁମ୍ଭେ ଯେ ସାଧୁ ନୃପବର । ଏହାର ଦୋଷ କ୍ଷମା କର ॥ ୧୧୮
ଏ ଲୋକେ ସାଧୁ ଯେ ଅଟନ୍ତି । ସେ ଦ୍ରୋହକର୍ମ ନ କରନ୍ତି ॥ ୧୧୯
ସାଧୁଙ୍କ ନାହିଁ ହିଂସା ଭାବ । ସମେ ଦେଖନ୍ତି ସର୍ବଜୀବ ॥ ୧୨୦
ଯେଣୁ ଏ ଦେହ ଆତ୍ମା ନୋହେ । ତେଣୁ ସେ ପଡନ୍ତି ଦ୍ରୋହେ ॥ ୧୨୧
ଯେବେ ପୁରୁଷ ତୁମ୍ଭ ପ୍ରାୟେ । ଦେବମାୟାରେ ମୋହ ହୋଏ ॥ ୧୨୨
ବୃଦ୍ଧ-ସେବନ ଦୀର୍ଘକାଳ । କେବଳ ଶ୍ରମ ସିନା ତାର ॥ ୧୨୩
ଅବିଦ୍ୟା କାମ୍ୟ-କର୍ମ ବଶେ । ଯେଣୁ ଏ ଦେହ ପରକାଶେ ॥ ୧୨୪
ଏ କଥା ଯେ ଜ୍ଞାନୀ ଜାଣନ୍ତି । ସେ ମୋହ ଦ୍ୱନ୍ଦ୍ୱେ ନ ପଡନ୍ତି ॥ ୧୨୫
ଅନିତ୍ୟ ଜାଣନ୍ତି ସେ ଦେହ । ତେଣୁ ତହିଁରେ ନାହିଁ ସ୍ନେହ ॥ ୧୨୬
ଗୃହ ଦ୍ରବିଣ ଦାରା ସୁତେ । ମମତା କରିବେ କେମନ୍ତେ ॥ ୧୨୭
ଏ ଆତ୍ମା ଦେହ ତହୁଁ ଭିନ୍ନ । ଶୁଣ କହିବା ତାର ଚିହ୍ନ ॥ ୧୨୮
ଏକଇ ଆତ୍ମା ସର୍ବଦେହେ । ଶୁଦ୍ଧ-ଅଶୁଦ୍ଧେ ଭେଦ ନୋହେ ॥ ୧୨୯
ନିର୍ଗୁଣ ହୋଇ ଗୁଣାଶ୍ରୟ । ସେ ଆତ୍ମା ସ୍ୱୟଂ ଜ୍ୟୋତିର୍ମୟ ॥ ୧୩୦
ସେ ଏକ ଅଛି ସର୍ବଠାରେ । ଆବୃତ ନୋହେ ମାୟାଦ୍ୱାରେ ॥ ୧୩୧
ତାହାର ନାହିଁ ଆତ୍ମପର । ସେ ଥାଇ ପ୍ରକୃତିରୁ ପର ॥ ୧୩୨
ଶରୀରୁ ଭିନ୍ନେ ଥାଇ ସେହି । ତାକୁ ଦେଖନ୍ତା ନାହିଁ କେହି ॥ ୧୩୩
ଆତ୍ମାକୁ ଏମନ୍ତ ପ୍ରକାରେ । ଯେ ପ୍ରାଣୀ ଦେଖନ୍ତି ଶରୀରେ ॥ ୧୩୪
ସେ ଯେବେ ପ୍ରକୃତିରେ ଥାଇ । ପ୍ରକୃତି ଗୁଣେ ବଦ୍ଧ ନୋହି ॥ ୧୩୫
ଯେମନ୍ତେ ପ୍ରାଣୀ ମୋତେ ପାଏ । ତୁମ୍ଭକୁ କହି ସେ ଉପାୟେ ॥ ୧୩୬
ଯେ ଜନ ସ୍ୱଧର୍ମେ ନିଷ୍କାମେ । ମୋତେ ଭଜଇ ପ୍ରତିଦିନେ ॥ ୧୩୭
ତା ମତି ହୁଅଇ ପ୍ରସନ୍ନ । ଦୁର୍ଗତି କରଇ ମୋଚନ ॥ ୧୩୮
ମନ ପ୍ରସନ୍ନ ଯାର ହୋଇ । ସେ ପ୍ରାଣୀ ଗୁଣ ପ୍ରତେଜଇ ॥ ୧୩୯
ସମତ୍ୱେ ସେ ସର୍ବ ଦେଖଇ । ସେ ଜୀବ ଆତ୍ମାକୁ ଜାଣଇ ॥ ୧୪୦
ଭଜଇ ଶାନ୍ତି ଅବସ୍ଥାନ । ଲଭଇ କୈବଲ୍ୟ ନିର୍ବାଣ ॥ ୧୪୧
ଏହି ଆତ୍ମାକୁ ଯେଉଁମାନେ । ଦେହ ଇନ୍ଦ୍ରିୟ କର୍ମଜ୍ଞାନେ ॥ ୧୪୨
ମନର ଅଧ୍ୟକ୍ଷ ଜାଣନ୍ତି । ସକଳ ଦୁଃଖୁ ସେ ତରନ୍ତି ॥ ୧୪୩
ଦେଖ ଏ ଲିଙ୍ଗ କଳେବର । ସେ ପଞ୍ଚଭୂତେ ସ୍ଥୂଳତର ॥ ୧୪୪
ଏ ଦଶ-ଇନ୍ଦ୍ରିଛନ୍ତି ଏଥି । ଚେତନ ରୂପେ ଆତ୍ମା ତଥି ॥ ୧୪୫
ଏ ଗୁଣ-ପ୍ରବାହରୁ ହୋଇ । ଏହାକୁ ଯେ ଭେଦି ଦେଖଇ ॥ ୧୪୬
ସେ ପ୍ରାଣୀ ଆତ୍ମାକୁ ଦେଖଇ । କ୍ଳେଶାଦି ତାକୁ ନ ବାଧଇ ॥ ୧୪୭
ଯେ ଜନ ଦୃଢ଼ଭକ୍ତି କରେ । ମନ ବାନ୍ଧଇ ଆମ୍ଭଠାରେ ॥ ୧୪୮
ବିପଦ ସମ୍ପଦରେ ତାର । କେବେ ହେଁ ନୋହଇ ବିକାର ॥ ୧୪୯
ଶୋକାଦି ଦ୍ୱାରା ସେହିମାନେ । ବ୍ୟଥିତ ନୁହଁନ୍ତି ଅଜ୍ଞାନେ ॥ ୧୫୦
ଶୁଣ ହେ ପୃଥୁ ନୃପବର । ସୁଖ-ଦୁଃଖକୁ ସମକର ॥ ୧୫୧
ପ୍ରାଣୀ ମାନଙ୍କ ତିନି କ୍ରମ । ଉତ୍ତମ ମଧ୍ୟମ ଅଧମ ॥ ୧୫୨
ଉତ୍ତମେ ଉତ୍ତମ ଲଭଇ । ଅଧମେ ଅଧୋଗତି ପାଇ ॥ ୧୫୩
ମଧ୍ୟମେ ମଧ୍ୟମ ବେଭାର । ଶୁଣ ହେ ପୃଥୁ ନୃପବର ॥ ୧୫୪
ଏ ଦୁଃଖ-ସୁଖ ସମ କର । ଇନ୍ଦ୍ରିୟମାନଙ୍କୁ ନିବାର ॥ ୧୫୫
ଚିତ୍ତକୁ ନିର୍ମଳ କରିଣ । ଇନ୍ଦ୍ରିମାନଙ୍କୁ ତୁହି ଜିଣ ॥ ୧୫୬
ବନ୍ଧୁ ଅମାତ୍ୟ ଆଦି ଯେତେ । ମୋହର ଦେବା ଜାଣି ଚିତ୍ତେ ॥ ୧୫୭
ତାହାଙ୍କୁ ସଙ୍ଗତେ ଘେନିଣ । ପ୍ରଜାଙ୍କୁ ପାଳ ସ୍ୱଧର୍ମେଣ ॥ ୧୫୮
ଅଖିଳଲୋକ ରକ୍ଷାକର । ମଙ୍ଗଳ ହୋଇବ ତୁମ୍ଭର ॥ ୧୫୯
ପ୍ରଜାପାଳନ ରାଜାଧର୍ମ । ପ୍ରଜା କରେ ଯେ ଶୁଭକର୍ମ ॥ ୧୬୦
ପରଲୋକରେ ଷଷ୍ଠ ଅଂଶ । ନୃପତି ଲଭଇ ଅବଶ୍ୟ ॥ ୧୬୧
ଯେ ରାଜା ପ୍ରଜାଙ୍କୁ ନ ପାଳେ । ଅଧର୍ମେ କର ନିଏ ବଳେ ॥ ୧୬୨
ସେ ରାଜା ନରକ ଭୁଞ୍ଜଇ । ତାହାର କାହିଁ ରକ୍ଷା ନାହିଁ ॥ ୧୬୩
ସ୍ୱଧର୍ମେ ଥାଇ ପ୍ରଜା ପାଳ । ଗୃହମେଧରେ କିଛିକାଳ ॥ ୧୬୪
ସନକ ଆଦି ମୁନିଜନେ । ଆସିବେ ତୋହର ଭୁବନେ ॥ ୧୬୫
ତାହାଙ୍କୁ ନୟନେ ଦେଖିବ । ସୁଦିବ୍ୟଜ୍ଞାନ ତୁମ୍ଭ ହେବ ॥ ୧୬୬
ତୋ ଧର୍ମ ଶୀଳ ଗୁଣ ଯଶ । ଭାବେ ହୋଇଲୁ ଆମ୍ଭେ ବଶ ॥ ୧୬୭
ତେଣୁ ତୁ ମୋର ଠାରୁ ବର । ଯେ ଇଚ୍ଛା ମାଗ ନୃପବର ॥ ୧୬୮
ଯଜ୍ଞ ତପସ୍ୟା ଯୋଗାଦିରେ । ପ୍ରାପ୍ୟ ମୁଁ ନୁହଇ ସଂସାରେ ॥ ୧୬୯
ଯାହାର ଭେଦ-ଜ୍ଞାନ ନାହିଁ । ତା ହୃଦେ ନିରତେ ମୁଁ ଥାଇ ॥ ୧୭୦

ମୈତ୍ରେୟ ଉବାଚ

ଏମନ୍ତେ ପ୍ରଭୁ ଭାବଗ୍ରାହୀ । ପୃଥୁଙ୍କୁ କହିଲେ ବୁଝାଇ ॥ ୧୭୧
ହରିଙ୍କ ଆଜ୍ଞା ଧରି ଶିରେ । ତକ୍ଷଣେ ପାଦେ ପ୍ରଣମିଲେ ॥ ୧୭୨
ଏମନ୍ତ କାଳେ ଦେବରାଜ । ଆପଣା କର୍ମେ ପାଇ ଲାଜ ॥ ୧୭୩
ପୃଥୁିଙ୍କ ଚରଣେ ପଡିଲେ । ଅପ୍ରାଧ କଲଇଁ ବୋଇଲେ ॥ ୧୭୪
ପୃଥୁ ଯେ ତହୁଁ ଆଲିଙ୍ଗନ । କରି ତୋଷିଲେ ଇନ୍ଦ୍ରମନ ॥ ୧୭୫
ଏ ଅନ୍ତେ ପ୍ରଭୁ ଭଗବାନ । ଗଗନେ କଲେକ ଉଦ୍ୟମ ॥ ୧୭୬
ପୃଥୁ ଯେତେକ ପୂଜା କଲେ । ହରି ତା ଆନନ୍ଦେ ଘେନିଲେ ॥ ୧୭୭
ଯେ ରାଜା ପଡି ହରିପାଦେ । ପ୍ରଣାମ କରିଣ ଆନନ୍ଦେ ॥ ୧୭୮
ଆନନ୍ଦସାଗରେ ବୁଡିଲା । ପୁଲକ ସର୍ବାଙ୍ଗେ ବହିଲା ॥ ୧୭୯
ବେନି-ନୟନୁ ଅଶ୍ରୁ ଝରେ । ପ୍ରଭୁଙ୍କୁ ହୃଦପଦ୍ମେ ଧରେ ॥ ୧୮୦
କର-ଅଞ୍ଜଳି ଶିରେ ଦେଇ । କହଇ ବିଷ୍ଣୁମୁଖ ଚାହିଁ ॥ ୧୮୧

ପୃଥୁ-ଉବାଚ

ହେ ପ୍ରଭୁ ବରଦ ଈଶ୍ୱର । ପଣ୍ତିତେ ନ ମାଗିବେ ବର ॥ ୧୮୨
ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ । ଭୋଗ ବିଳାସ ନ ମାଗିବ ॥ ୧୮୩
ଆଜ୍ଞା ଯେ ଦେଲେ ବର ଘେନ । ବରେ ମୋ ନାହିଁ ପ୍ରୟୋଜନ ॥ ୧୮୪
ବର ଘେନନ୍ତି ଭୋଗ ପାଇଁ । ସେ ଭୋଗ ନରକେ କହି ନାହିଁ ॥ ୧୮୫
କୈବଲ୍ୟନାଥ ତୋତେ ପାଇ । କେ ଭୋଗ ବାଞ୍ଛା ଜ୍ଞାନୀ ହୋଇ ॥ ୧୮୬
ଅପରେ ମୋକ୍ଷଧର୍ମ ସାର । ତହିଁରେ ବାଞ୍ଛା ନାହିଁ ମୋର ॥ ୧୮୭
ତୋ ପାଦପଦ୍ମ ମକରନ୍ଦ । ଅତିହିଁ ରସାଳ ସୁଗନ୍ଧ ॥ ୧୮୮
ତୁମ୍ଭର ଗୁଣ ଭକ୍ତମାନେ । ସ୍ମରନ୍ତି ନିତ୍ୟ ରାତ୍ରିଦିନେ ॥ ୧୮୯
ତୁମ୍ଭର ଗୁଣ କୀର୍ତ୍ତିମାନ । ନିରତେ ଥାଉ ମୋର କର୍ଣ୍ଣ ॥ ୧୯୦
ସେ ଯଶ ଶ୍ରବଣେ ମୋ ଇଚ୍ଛା । ଅୟୁତେ କର୍ଣ୍ଣ ଦିଅ ବାଞ୍ଛା ॥ ୧୯୧
ଏ ଦୁଇକର୍ଣ୍ଣେ ଶୁଣି ମୋର । ସନ୍ତୋଷ ନୋହେ ଚକ୍ରଧର ॥ ୧୯୨
ତୋ ପାଦ-ପଦ୍ମ ସୁଧା ଯଶ । ସାଧୁଙ୍କ ବଦନୁ ପ୍ରକାଶ ॥ ୧୯୩
କୁଯୋଗୀ ଜନେ ଦିଏ ଜ୍ଞାନ । ଆନେ ମୋ ନାହିଁ ପ୍ରୟୋଜନ ॥ ୧୯୪
ନିଖିଳ ପୁରୁଷଉତ୍ତମ । ତୁ ଗୁଣାଳୟ ତୋ ଚରଣ ॥ ୧୯୫
ସେବିବି ଲକ୍ଷ୍ମୀର ପରାୟେ । ତା ସଙ୍ଗେ କଳି ନିକି ହୋଏ ॥ ୧୯୬
ଜଗତ ଜନନୀ ସମେତେ । ବାଦ ହେଲେହେଁ ଅବିରତେ ॥ ୧୯୭
ତଥାପି ସେବା ନ ତେଜିବି । ଅବଶ୍ୟ ସେ ପାଦ ଭଜିବି ॥ ୧୯୮
ଦୀନବତ୍ସଳ ତୋର ବାନା । ଭକ୍ତରେ ତୋହର କରୁଣା ॥ ୧୯୯
ଏଣୁ ଭାଜନ୍ତି ଏକଭାବେ । ନିଷ୍କାମ ଭାବରେ ସାଧବେ ॥ ୨୦୦
ଅନ୍ୟତ୍ର ଫଳ ନ ବାଞ୍ଛନ୍ତି । ଆନନ୍ଦେ ତୋ ପାଦେ ଭଜନ୍ତି ॥ ୨୦୧
ଭଜିଲା ଲୋକଠାରେ ଯାହା । ବର ମାଗ ତୁ ବୋଲୁ ଯାହା ॥ ୨୦୨
ଭୋନାଥ ତୋହର ଏ ବାଣୀ । ଜାଣିଲି ଏ ବିଶ୍ୱମୋହିନୀ ॥ ୨୦୩
ଫଳ ଆଶାରେ ଲୋଭୀ ହୋଇ । ମାୟାମୋହରେ ଭ୍ରମୁ ଥାଇ ॥ ୨୦୪
ତାଙ୍କୁ ନ ଦେବ ଭୋଗ କିଛି । ଯେବେ ଭକତେ ଦୟା ଅଛି ॥ ୨୦୫
ନିଷ୍କାମ ସାଧୁ ଯେଉଁ ଜନ । ଭଜନ୍ତି ତୋ ପାଦପଦ୍ମେଣ ॥ ୨୦୬
ଅନ୍ୟତ୍ର ଫଳ ନ ଜାଣନ୍ତି । ତୋ ଭକ୍ତିଭାବେ ନିମଜ୍ଜନ୍ତି ॥ ୨୦୭
ତୁମ୍ଭଙ୍କୁ ଭଜେ ଯେଉଁ ନର । ବଚନେ ଦିଅ ତାକୁ ବର ॥ ୨୦୮
ଜଗମୋହନ ସେ ବଚନ । ନିଶ୍ଚେ ଜାଣିଲି ଭଗବାନ ॥ ୨୦୯
ପ୍ରାଣୀବନ୍ଧନ ଫଳ ଆଶେ । ତୁମ୍ଭ ବଚନ ରଜ୍ଜୁ ପାଶେ ॥ ୨୧୦
ପିତା ଯେସନେ ପୁତ୍ର ହିତେ । କରଇ ସ୍ନେହ ଅବିରତେ ॥ ୨୧୧
ତୁମ୍ଭେ ସେ ରୂପେ ଆଚରିବ । ତେବେ ଭକତ ନିସ୍ତରିବ ॥ ୨୧୨
ଏହା ମୁଁ ମାଗୁଛି ଶ୍ରୀହରି । ଦିଅ ହେ ପ୍ରଭୁ ଦୟା କରି ॥ ୨୧୩
ମୈତ୍ରେୟ କହନ୍ତି ବିଦୁରେ । ଶ୍ରୀକୃଷ୍ଣ ମହିମା ସାଦରେ ॥ ୨୧୪
ବର୍ଣ୍ଣନେ ପୃଥୁ ନୃପବର । ଶ୍ରବଣେ ହୋଇ ତୋଷଭର ॥ ୨୧୫
ଆଜ୍ଞା ଦିଅନ୍ତି ଭଗବାନ । ଶୁଣିମା ହେ ଆଦି ରାଜନ ॥ ୨୧୬
ତୋ ସ୍ତବେ ସନ୍ତୋଷ ହୋଇଣ । ଆଜ୍ଞା ଦେଉଛୁ ପୁଣପୁଣ ॥ ୨୧୭
ହେ ରାଜା ତୋର ଭକ୍ତିଭାବ । ମୋ ପାଦେ ସର୍ବଦା ହୋଇବ ॥ ୨୧୮
ମୋର ବିଷୟେ ତୋର ବୁଦ୍ଧି । ଭକତି ଯୋଗେ ଯେ ପ୍ରସିଦ୍ଧି ॥ ୨୧୯
ଏଣୁ ଦୁସ୍ତର ମୋର ମାୟା । ତୋତେ ନ ଲାଗୁ ପୁଣ୍ୟଦେହ ॥ ୨୨୦
ଏମନ୍ତ ବୋଲି ନାରାୟଣ । ବହୁତ ସନ୍ତୋଷ ହୋଇଣ ॥ ୨୨୧
ପୃଥୁରାଜାର ଯେତେ ବାଣୀ । ମନେ ଧଇଲେ ଚକ୍ରପାଣି ॥ ୨୨୨
ତାର ପୂଜନେ ତୋଷ ହୋଇ । ତାଠାରେ ଅନୁଗ୍ରହ ବହି ॥ ୨୨୩
ଦେବ ଋଷି ପିତୃ ଗନ୍ଧର୍ବ । ସିଦ୍ଧ ଚାରଣ ଯେ ପୁନ୍ନଗ ॥ ୨୨୪
କିନ୍ନର ଅପସର ମର୍ତ୍ତ୍ୟ । ଖଗାଦି ଏ ଜୀବଲୋକନ୍ତ ॥ ୨୨୫
ରାଜର୍ଷି ପୃଥୁ ଆନେ ଯେତେ । ଯେ ଉପାଧ୍ୟାୟ ଯଜ୍ଞଗତେ ॥ ୨୨୬
ଯେ ସର୍ବେ ବିଷ୍ଣୁସଙ୍ଗେ ଥିଲେ । ସନ୍ତୋଷେ ବିଷ୍ଣୁପୂଜା କଲେ ॥ ୨୨୭
ହରିଲେ ତାହାଙ୍କର ମନ । ବୈକୁଣ୍ଠେ ବିଜେ ଭଗବାନ ॥ ୨୨୮
ଗରୁଡ-ପୃଷ୍ଠେ ବିଜେ କଲେ । ସମସ୍ତ ଦେବେ ଦେଖୁଥିଲେ ॥ ୨୨୯
ଅଦୃଶ୍ୟ ହେଲେ ଭଗବାନ । ପୁଣି ନମିଲେ ଦେବଗଣ ॥ ୨୩୦
ଇନ୍ଦ୍ରାଦି ସର୍ବ ଦେବଗଣ । ଆବର ଋଷି-ପତ୍ନୀମାନ ॥ ୨୩୧
ପୃଥୁକୁ ଆଲିଙ୍ଗନ କରି । ଗଲେ ସେ ଯେ ଯାହାର ପୁରୀ ॥ ୨୩୨
ସେ ପୃଥୁ ତାଙ୍କୁ ନମସ୍କାର । କରିଣ ଗଲେ ନିଜ ପୁର ॥ ୨୩୩
ଏ ବିଷ୍ଣୁ ପୃଥୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୩୪
ସୁଜନଜନେ ଶୁଣ ଏହା । ଯେବେ ତରିବ ବିଷ୍ଣୁମାୟା ॥ ୨୩୫
କହନ୍ତି ମଇତ୍ରେୟ ଋଷି । ଶୁଣ ବିଦୁର କରୁବଂଶୀ ॥ ୨୩୬
ପୃଥୁ ବିଜୟେ ନିଜ ପୁର । ସେ ପୁର ଅତ୍ୟନ୍ତ ସୁନ୍ଦର ॥ ୨୩୭
ମୁକୁତାମାଳ ତୁମ୍ଭେ ତହିଁ । ଦିବ୍ୟ-କୁସୁମେ ଶୋଭା ପାଇ ॥ ୨୩୮
ସୁବର୍ଣ୍ଣ-ତୋରଣ ତହିଁରେ । ଧୂପ ସୁଗନ୍ଧ ମନୋହରେ ॥ ୨୩୯
ଚନ୍ଦନ ଅଗୁରୁରେ ମିଶି । ତୋଷେ ସିଞ୍ଚନ୍ତି ପ୍ରଜା ଆସି ॥ ୨୪୦
ଫଳ ତଣ୍ତୁଳ ଦୂର୍ବାକ୍ଷତେ । ପୂଜନ୍ତି ଦୀପ ଘେନି ହସ୍ତେ ॥ ୨୪୧
କଦଳୀ-ଗୁଆ-ବୃକ୍ଷ ଦାଣ୍ତେ । ତରୁ ପଲ୍ଲବମାଳ ମୁଣ୍ତେ ॥ ୨୪୨
ସେ ପୁର ଅଟେ ଅଳଙ୍କୁତ । ମଙ୍ଗଳ ଚିହ୍ନ ଯେ ସର୍ବତ୍ର ॥ ୨୪୩
ପ୍ରଜାଏ ଦୀପାବଳୀ କର । ଆବର ଯେ ଦ୍ରବ୍ୟ ମଙ୍ଗଳ ॥ ୨୪୪
ଉଜ୍ଜଳ କନ୍ୟାଗଣ ମେଳେ । ଦିବ୍ୟ କୁଣ୍ତଳ କର୍ଣ୍ଣେ ଲୁଳେ ॥ ୨୪୫
ମିଳିଲେ ରାଜାର ଅଗ୍ରତେ । ପୂଜାର ବଳି ଘେନି ହସ୍ତେ ॥ ୨୪୬
ଶଙ୍ଖ ଦୁନ୍ଦୁଭିର ଘୋଷରେ । ବିପ୍ରଙ୍କ ବେଦଧ୍ୱନି ସ୍ଫୁରେ ॥ ୨୪୭
ସ୍ତୁତି କରନ୍ତି ସର୍ବେ ମିଳି । ସ୍ତିରୀଏ ଦ୍ୟନ୍ତି ହୁଳହୁଳି ॥ ୨୪୮
ସୁବର୍ଣ୍ଣପାତ୍ରେ ଅର୍ଘ୍ୟ କରି । ନାନାଦି ଫଳପୁଷ୍ପ ଭରି ॥ ୨୪୯
ମୁଖେ ମଙ୍ଗଳନାଦ ଭଣି । ବଦାନ୍ତି ସକଳ ତରୁଣୀ ॥ ୨୫୦
ଭୁବନେ ବିଜେ ନୃପବର । ସର୍ବତ୍ର ତେଜି ଅହଙ୍କାର ॥ ୨୫୧
ମହାଆନନ୍ଦେ ଦଣ୍ତଧାରୀ । ନିଜ ଆସନେ ବିଜେ କରି ॥ ୨୫୨
ସେ ପୁରେ ମହାନ୍ତ ଯେ ଥିଲେ । ପୂଜିତ ହୋଇ ପୂଜା କଲେ ॥ ୨୫୩
ସେ ପୃଥୁ ଏ ରୂପେ ନାନାଦି । କୁଶଳ-କର୍ମକୁ ସମ୍ପାଦି ॥ ୨୫୪
ଅବନୀ-ମଣ୍ତଳ ପାଳନ । କରି ନିର୍ମଳ ଯଶ ପୁଣ ॥ ୨୫୫
ପ୍ରଜାଙ୍କୁ ବହୁ ସୁଖ ଦେଲେ । ଅନ୍ତେ ସେ ବୈକୁଣ୍ଠ ଲଭିଲେ ॥ ୨୫୬

ସୂତ ଉବାଚ

କହନ୍ତି ସୂତ ପୌରାଣିକ । ଶୁଣ ହେ ମୁନି ଶଉନକ ॥ ୨୫୭
ସେ ଆଦିରାଜା ପୃଥୁ ଯଶ । ଅଶେଷ ଗୁଣ ଯେ ପ୍ରକାଶ ॥ ୨୫୮
ସେ ଯଶ ମହାଭାଗବତ । ବିଦୁର ଶୁଣି କୃତକୃତ୍ୟ ॥ ୨୫୯
ମୈତ୍ରେୟ ମୁନିଙ୍କୁ ପୂଜିଣ । ପୁଚ୍ଛଇ ପଡିଣ ଚରଣ ॥ ୨୬୦

ବିଦୁର ଉବାଚ

ସେ ପୃଥୁ ବିପ୍ରଙ୍କରେ ବରି । ରାଜ୍ୟେ ହୋଇଲେ ଦଣ୍ତଧାରୀ ॥ ୨୬୧
ଅଶେଷ ଦେବଗଣଙ୍କର । ପୂଜା ପାଇଲେ ନୃପବର ॥ ୨୬୨
ବିଷ୍ଣୁର ଅଂଶ ଧରି ତେଜେ । ଭୂମି ଦୁହିଁଲେ ବେନିଭୁଜେ ॥ ୨୬୩
ଯାର ବିକ୍ରମ ଅବଶେଷ । ଉଚ୍ଚିଷ୍ଟ ଭୁଞ୍ଜନ୍ତି ନରେଶ ॥ ୨୬୪
ଏ ଲୋକପାଳ ଆଦି ଯେତେ । ଅଦ୍ୟାପି ଅଛନ୍ତି ନିଶ୍ଚିନ୍ତେ ॥ ୨୬୫
ସେ ପୃଥୁରାଜା କୀର୍ତ୍ତି ପୁଣି । କେ ଅବା ସେ କଥା ନ ଶୁଣି ॥ ୨୬୬
ଏଣୁ ତା ଶୁଦ୍ଧକର୍ମ ଯେତେ । କହ ହେ ମୁନି ମୋ ଅଗ୍ରତେ ॥ ୨୬୭
ଆନନ୍ଦେ ମଇତ୍ରେୟ ମୁନି । କହନ୍ତି ହରିଭାବ ଘେନି ॥ ୨୬୮

ମୈତ୍ରେୟ ଉବାଚ

ଶୁର ବିଦୁର କୁରୁବୀର । ଚରିତ ପୃଥୁ ରାଜନର ॥ ୨୬୯
ଗଙ୍ଗା ଯମୁନା ମଧ୍ୟେ ପୁର । ଭିଆଇ ରହି ପୃଥୁବୀର ॥ ୨୭୦
ପ୍ରାରବ୍‌ଧ କର୍ମ କ୍ଷୟ ପାଇ । ଭୋଗ ଭୁଞ୍ଜନ୍ତି ନରସାଇଁ ॥ ୨୭୧
ସପତଦ୍ୱୀପେ ଏକଦଣ୍ତ । ଧରେ ସେ ନୃପତି ପ୍ରଚଣ୍ତ ॥ ୨୭୨
ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟ । ଆଜ୍ଞା ଲଭନ୍ତା ନାହିଁ ଜନ ॥ ୨୭୩
ଏକ ସମୟେ ମହାସତ୍ର । ଆରମ୍ଭ କଲେ ବେଣସୁତ ॥ ୨୭୪
ତହିଁ ପ୍ରବେଶ ଦେବଗଣ । ଦେବର୍ଷି ରାଜଋଷିମାନ ॥ ୨୭୫
ଯେ ଯୋଗ୍ୟ ଯେମନ୍ତ ପୂଜାକୁ । ସେ ରୂପେ ପୂଜି ପୃଥୁ ତାଙ୍କୁ ॥ ୨୭୬
ଭିଆଇ ତହିଁ ମହାସଭା । ରାଜା ତୁରିତେ ହେଲେ ଉଭା ॥ ୨୭୭
ଉଠିଣ ସର୍ବଦିଗ ଚାହେଁ । ନକ୍ଷତ୍ରେ ଯେହ୍ନେ ଚନ୍ଦ୍ର ଶୋହେ ॥ ୨୭୮
ଗଉରକାନ୍ତି ମନୋହର । ସୁନ୍ଦର ବଦନ-ମଣ୍ତଳ ॥ ୨୭୯
ଲମ୍ବ ପୃଥୁଳ ବେନି ଭୂଜ । ପଦ୍ମ ଅରୁଣ ଚକ୍ଷୁ ତେଜ ॥ ୨୮୦
ସୁନାସା ମୁଖ ଦନ୍ତପନ୍ତି । ସ୍ମିତ ଅଧରେ ଶୋଭା ଅତି ॥ ୨୮୧
ବିସ୍ତାର ବକ୍ଷ କମ୍ବୁଗ୍ରୀବ । ସୁନ୍ଦର ବିଶାଳ ନିତମ୍ବ ॥ ୨୮୨
ଉଦରେ ତ୍ରିବଳି ବିରାଜେ । ଅଶ୍ୱସ୍ଥପତ୍ର ଶୋଭ ଗଞ୍ଜେ ॥ ୨୮୩
ଆବର୍ତ୍ତ ନାଭି ସୁଗଭୀର । ବିରାଜେ ମଧ୍ୟ-ଦେଶେ ତାର ॥ ୨୮୪
ହେମସ୍ତମ୍ଭ କି ଉରୁଯୁଗ । ଉନ୍ନତ ଅଗ୍ରପାଦଯୁଗ ॥ ୨୮୫
ଯାହାର ଉଚ୍ଚପାଦ ଦୁଇ । ସର୍ବଲକ୍ଷଣେ ଶୋଭା ପାଇ ॥ ୨୮୬
ସୂକ୍ଷ୍ମ କୁଞ୍ଚିତ ସ୍ନିଗ୍ଧ କେଶ । ଦୁକୂଳ ଶୋହେ କଟିଦେଶ ॥ ୨୮୭
କନ୍ଧେ ଉତ୍ତରୀ ଯଜ୍ଞସୂତ୍ର । କୃଷ୍ଣ ଅଜିନ କୁଶ ହସ୍ତ ॥ ୨୮୮
ନିୟମେ ଛନ୍ତି ନରପତି । ତେଣୁ ଭୂଷଣ ନ ଧରନ୍ତି ॥ ୨୮୯
ତଥାପି ଦିବ୍ୟଶୋଭା ଦେହେ । ଦେଶନ୍ତା ଜନ ମନ ମୋହେ ॥ ୨୯୦
ଚକ୍ଷୁର ତାରା ମନୋହର । ଅତି ଚିକ୍କଣ ସୁଖକର ॥ ୨୯୧
ସଭାକୁ ଚାହିଁ ଦଣ୍ତଧର । ବଚନ କହନ୍ତି ମଧୁର ॥ ୨୯୨

ପୃଥୁ ଉବାଚ

ଡାକିଣ କହନ୍ତି ରାଜନ । ଶୁଣିମା ହେଉ ସଭାଜନ ॥ ୨୯୩
ଆସିଛ ଯେତେ ସାଧୁଜନେ । ମନ ନିବେଶ ମୋ ବଚନେ ॥ ୨୯୪
ମୋହର ମନେ ଯେବା ଅଛି । ମୁଁ ତାହା ପ୍ରକାଶି କହୁଛି ॥ ୨୯୫
ହରି ମୋଠାରେ କୃପା କରି । କରିଛି ମୋତେ ଦଣ୍ତଧାରୀ ॥ ୨୯୬
ପ୍ରଜାର ଦଣ୍ତ ବା ରକ୍ଷଣ । ପୋଷଣ ସର୍ବତୋଭାବେଣ ॥ ୨୯୭
ରାଜା ପ୍ରଜାରେ ସୁଖ ଦେଈ । ବିଷ୍ଣୁ ସନ୍ତୋଷ ତାରେ ହୋଇ ॥ ୨୯୮
ପ୍ରଜାଙ୍କୁ ରଖଇ ଧର୍ମରେ । ଅଧର୍ମେ କେହି ନ ପ୍ରଚରେ ॥ ୨୯୯
ଏ ରୂପେ ପ୍ରଜାଙ୍କୁ ଯେ ପାଳେ । ସୁଗତି ଲଭେ ଅନ୍ତବାଳେ ॥ ୩୦୦
ପ୍ରଜାଙ୍କୁ କଲେ ସୁରକ୍ଷଣ । ତୁଷ୍ଟ ହୁଅନ୍ତି ନାରାୟଣ ॥ ୩୦୧
ଯାହାକୁ ସନ୍ତୋଷ ମୁରାରି । ସେ ପ୍ରାଣୀ ଭବୁ ଯାନ୍ତି ତରି ॥ ୩୦୨
ଅଧର୍ମମାର୍ଗେ ପ୍ରଜା ବିତ୍ତ । ଯେବେ ହରଇ ନରନାଥ ॥ ୩୦୩
ସେ ରାଜା ଅଟେ ଭାଗ୍ୟହୀନ । ପ୍ରଜାଙ୍କ ପାପେ ହୋଏ ଲୀନ ॥ ୩୦୪
ଯେ ପ୍ରଜାଠାରୁ କର ନ୍ୟନ୍ତି । ପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି ॥ ୩୦୫
ପ୍ରଜାଙ୍କ ପାତକ ଘେନନ୍ତି । ଅନ୍ତେ ନରକେ ସେ ପଡନ୍ତି ॥ ୩୦୬
ଏ ଘେନି କହଇ ପ୍ରଜାଙ୍କୁ । ଭୟ ରଖିବ ଅଧର୍ମକୁ ॥ ୩୦୭
ମୋ ତହୁଁ ଧର୍ମ କର ଶିକ୍ଷା । ମୋ ପରଲୋକ ହେଉ ରକ୍ଷା ॥ ୩୦୮
ପରନିନ୍ଦାକୁ ପରିହରି । ହରିଙ୍କି ଭଜ ଦୃଢ କରି ॥ ୩୦୯
ମୋଠାରେ ଅନୁଗ୍ରହ ଯେବେ । ହରିଙ୍କି ସେବାକର ତେବେ ॥ ୩୧୦
ହେ ଦେବ ପିତୃ ଋଷିଗଣେ । ଯେତେ ଆସିଛ ସଭାସ୍ଥାନେ ॥ ୩୧୧
ସକଳେ ଅନୁମତି କର । ପ୍ରଜାଙ୍କୁ ଶିକ୍ଷା ଦିଅ ମୋର ॥ ୩୧୨
ବୋଲିବ ଅବା କିମ୍ପା କର୍ମ । କରିବୁ ହରି ସମର୍ପଣ ॥ ୩୧୩
ଶୁଣ ଏଥକୁ ମୋର ଗିର । ହେ ମାନ୍ୟଜନେ ହୋଇ ସ୍ଥିର ॥ ୩୧୪
ବେଦ ଆଜ୍ଞାରେ କର୍ମ କରି । ଦିଅନ୍ତି ତାର ଫଳ ହରି ॥ ୩୧୫
ପରମେଶ୍ୱର ଯଜ୍ଞପତି । ଉତ୍ତମ-ଜନଙ୍କ ସମ୍ପତ୍ତି ॥ ୩୧୬
ଅଛଇ ଇହ ପରେ ଜାଣ । ବିଚିତ୍ର ଭୋଗ ସ୍ଥାନମାନ ॥ ୩୧୭
ନଥିଲେ ଫକଦାତା ଏକ । କି ରୂପେ ପାଇବ ତା ଲୋକ ॥ ୩୧୮
ବୋଲିବ ଅବା ଏଥି ପୁଣ । ବିଚିତ୍ର ସ୍ୱକର୍ମ କାରଣ ॥ ୩୧୯
ଶୁଣ ଏଥକୁ ଦେଇ ଚିତ୍ତ । ମହାନ୍ତମାନଙ୍କର ମତ ॥ ୩୨୦
ଯେ ସ୍ୱାୟମ୍ଭୁତ ମନୁବର । ଉତ୍ତାନପାଦ ଧ୍ରୁବ ଆର ॥ ୩୨୧
ଯେ ରାଜଋଷି ପ୍ରିୟବ୍ରତ । ଅଙ୍ଗ ନୃପତି ପିତୃତାତ ॥ ୩୨୨
ବ୍ରହ୍ମା ଶଙ୍କର ଆଦି ଯେତେ । ପ୍ରହ୍ଲାଦ ବଳି ସର୍ବମତେ ॥ ୩୨୩
ଶ୍ରୀଗଦାଧର କର୍ମଫଳ । ଦେବାକୁ ସମର୍ଥ କେବଳ ॥ ୩୨୪
ତ୍ରିବର୍ଗ ସ୍ୱର୍ଗ ଅପବର୍ଗ । ଯେ ସାଧ୍ୟ ଅଛି ଭୋଗ୍ୟାଭୋଗ୍ୟ ॥ ୩୨୫
ସେ ପ୍ରଭୁ ପରମ ଈଶ୍ୱର । ଦିଅନ୍ତି ସର୍ବ-କର୍ମଫଳ ॥ ୩୨୬
ମୃତ୍ୟୁଙ୍କ ନାତି ଆମ୍ଭ ତାତ । ଧର୍ମ ବିଚାରେ ବିମୋହିତ ॥ ୩୨୭
ସେପରି ଯେବା ଅଭାଗିନ । ମାନନ୍ତି ନାହିଁ ଭଗବାନ ॥ ୩୨୮
ହରି-ଚରଣ-ପଦ୍ମ ଜାତ । ସରିତ ପରାୟେ ସାକ୍ଷାତ ॥ ୩୨୯
ତାର ଚରଣ ସେବା ରୁଚି । ସକଳ ଜୀବେ କରେ ଶୁଚି ॥ ୩୩୦
ଦିନକୁ ଦିନ ବୃଦ୍ଧି ପାଏ । ମନର ମଳ ନାଶ ଯାଏ ॥ ୩୩୧
ମନର ମଳ ନାଶ ଗଲେ । ବୈରାଗ୍ୟ ବିଜ୍ଞାନର ବଳେ ॥ ୩୩୨
ଲଭି ଶ୍ରୀହରି ପାଦମୂଳ । ନ ପାଏ ପୁଣ ଏ ସଂସାର ॥ ୩୩୩
ଏ ଘେନି ସର୍ବେ ହରି ଭଜ । ବିଷୟ-ବାସନା ପ୍ରତେଜ ॥ ୩୩୪
ଏଣୁ ଯାହାର ଯେଉଁ ବୃତ୍ତି । ସେ ମାର୍ଗେ ଥାଇ କୃଷ୍ଣଭକ୍ତି ॥ ୩୩୫
କାର୍ଯ୍ୟ କ୍ରମ ମନ ବଚନ । ନିଷ୍କପଟରେ ହୋଇ ଲୀନ ॥ ୩୩୬
ପାଦପଦ୍ମରେ କରି ଧ୍ୟାନ । ସନ୍ତୋଷ ଲଭେ ଭଗବାନ ॥ ୩୩୭
ତାହାଙ୍କ ଚରଣ ଅମ୍ବୁଜ । ଅଶେଷ କାମ-ଲାଭ-ବୀଜ ॥ ୩୩୮
କପଟ ଭାବ ପରିହରି । ହେବା ଯେମନ୍ତ ଅଧିକାରୀ ॥ ୩୩୯
ଆପଣା ବର୍ଣ୍ଣାଶ୍ରମ ମତେ । ହରିଙ୍କି ଭଜ ଅବିରତେ ॥ ୩୪୦
ଏ ଯେ ଈଶ୍ୱର ଭଗବାନ । ବିଶେଷେ ବିଜ୍ଞାନରେ ଘନ ॥ ୩୪୧
ଗୁଣ ବିହୀନ ସେହୁ ଯେବେ । ତଥାପି ନାନାରୂପ ଲଭେ ॥ ୩୪୨
ନାନା ବିଶେଷଣ ସେ ହୋଇ । ଯଜ୍ଞପୁରୁଷ ସେ ଅଟଇ ॥ ୩୪୩
ନାନା ପ୍ରକାରେ ଦ୍ରବ୍ୟ ଗୁଣ । କର୍ମ-ତନ୍ତ୍ରେ ଜାତ ହୋଇଣ ॥ ୩୪୪
ଶୁଣ ହେ ସର୍ବ ସଭାଜନ । ଯଜ୍ଞପୁରୁଷ ବିଷ୍ଣୁ ଜାଣ ॥ ୩୪୫
ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣ । ଅବଘାତାଦି ମନ୍ତ୍ର ପୁଣ ॥ ୩୪୬
ଅଙ୍ଗ ସାଧ୍ୟ ଯେ ଉପକାର । ସଙ୍କଳ୍ପ ପଦାର୍ଥର ସାର ॥ ୩୪୭
ଜ୍ୟୋତିଷ୍ଟୋମାଦି ନାମ ଧରି । ପ୍ରକାଶେ ଯଜ୍ଞରୂପେ ହରି ॥ ୩୪୮
ଯଜ୍ଞରେ ଯେବା ଫଳ ହୋଏ । ସେ ଫଳ ତହୁଁ ଭିନ୍ନ ନୋହେ ॥ ୩୪୯
ଯେ ଦେହେ ଚେତନା ରୂପରେ । ଅଛନ୍ତି ସକଳ ଶରୀରେ ॥ ୩୫୦
ଯେହ୍ନେ ଅନଳ ସମିଧରେ । ଏକ ସେ ନାନାରୂପ ଧରେ ॥ ୩୫୧
ସେ ରୂପେ ହରି ଦେହେ ଥାନ୍ତି । କର୍ମର ଫଳ ସେ ଭୁଞ୍ଜନ୍ତି ॥ ୩୫୨
ସେ ହରି ସର୍ବ-ଗୁରୁ ପର । ସର୍ବଦେବତା ଅଧୀଶ୍ୱର ॥ ୩୫୩
ଯେ ପ୍ରାଣୀ ସେ ପାଦେ ଭଜିଲା । ସେ ମୋତେ ଅନୁଗ୍ରହ କଲା ॥ ୩୫୪
ମୋର ସମ୍ବନ୍ଧୀ ଯେତେ ଜନ । ହରିରେ କର ଆରାଧନ ॥ ୩୫୫
ଯେ ଦୃଢ଼ଭକ୍ତିରେ ପୂଜିବ । ମୋତେ ବହୁତ ସୁଖ ଦେବ ॥ ୩୫୬
ରାଜକୁଳରେ ଯେତେ ଜନ । ତେଜ ବଳରେ ବଳୀୟାନ ॥ ୩୫୭
ବ୍ରାହ୍ମଣ ବୈଷ୍ଣବ କୁଳରେ । ଦ୍ୱେଷ ନ କରିବ ମନରେ ॥ ୩୫୮
କ୍ଷମା ତପସ୍ୟା ବିଦ୍ୟାବଳେ । ଉଜ୍ଜ୍ୱଳ ଯେଉଁ ଦ୍ୱିଜକୁଳେ ॥ ୩୫୯
ଅପରେ ମହା-ସାଧୁ ଧୀରେ । ବିଷ୍ଣୁଟି ଦେବତା ଯାହାର ॥ ୩୬୦
ସେ କୁଳେ ପ୍ରଭୁପଣ କଲେ । ପ୍ରମାଦ ପଡ଼ଇଟି ଭଲେ ॥ ୩୬୧
ଯେ ବ୍ରାହ୍ମଣ ବୈଷ୍ଣବ ପାଦେ । ସେବା କରିଣ ଅପ୍ରମାଦେ ॥ ୩୬୨
ବିଷ୍ଣୁ ଲଭିଲେ ମହାଲକ୍ଷ୍ମୀ । ଯେ ଯଶ ସଂସାରେ ରହିଛି ॥ ୩୬୩
ବ୍ରାହ୍ମଣ ପାଦେ ସେବା କଲେ । ବିଷ୍ଣୁ ସନ୍ତୋଷ ହେବେ ଭଲେ ॥ ୩୬୪
ଏଣୁ ସକଳ ପ୍ରାଣୀମାନେ । ମାନ୍ୟ କରିବ ବିପ୍ରଜନେ ॥ ୩୬୫
ହରିଭୁଜାଦି ଦେବମାନେ । ତାହାଙ୍କ ମୁଖ ବିପ୍ରଜନେ ॥ ୩୬୬
ଏଣୁ ବିପ୍ରଙ୍କୁ ସେବା କଲେ । ଅଶ୍ରମେ ମୋକ୍ଷଲଭେ ଭଲେ ॥ ୩୬୭
ବ୍ରାହ୍ମଣ ଦେବଙ୍କର ମୁଖ । ତାଙ୍କ ଭୋଜନେ ଯେଉଁ ସୁଖ ॥ ୩୬୮
ସେ ସୁଖ ହରି ଆସ୍ପାଦନ୍ତି । ଯଜ୍ଞେ ସେ ସୁଖ ନ ପାବନ୍ତି ॥ ୩୬୯
ଏଣୁ ବପ୍ରଙ୍କୁ ଭୁଞ୍ଜାଇଲେ । ସକଳ ଯଜ୍ଞଫଳମିଳେ ॥ ୩୭୦
ଚେତନା ରହିତ ଅନଳେ । ଆହୁତି ମନ୍ତ୍ରଭାବେ ଦେଲେ ॥ ୩୭୧
ହରି ତା କଲେ ହେଁ ଭୋଜନ । ସୁଖ ନ ଲଭନ୍ତି ତେସନ ॥ ୩୭୨
ଏଣୁ ଅଗ୍ନିରୁ ଦ୍ୱିଜ ଶ୍ରେଷ୍ଠ । ଯେଣୁ ସେ ବେଦତ‌ତ୍ତ୍ୱେ ନିଷ୍ଠ ॥ ୩୭୩
ବ୍ରାହ୍ମର ମୁଖେ ଯେବେ ଦେଇ । ଇନ୍ଦ୍ରାଦି ଦେବ ନାମ କହି ॥ ୩୭୪
ବିଷ୍ଣୁପ୍ରୀତିରେ ଦେବ ଯେତେ । ବିଷ୍ଣୁ ତା ପାଇବେ ସାକ୍ଷାତେ ॥ ୩୭୫
ଯେ ବେଦେ ଦର୍ପଣ ପରାୟେ । ସକଳ ଧର୍ମ ଦୃଶ୍ୟ ହୋଏ ॥ ୩୭୬
ଶ୍ରଦ୍ଧା ତପସ୍ୟା ଶୁଦ୍ଧାଚାର । ମଉନ ସଂଯମ ପ୍ରକାର ॥ ୩୭୭
ସମ୍ପାଦି ଯେଉଁ ଦ୍ୱିଜମାନେ । ଧରନ୍ତି ତାକୁ ହରି ଧ୍ୟାନେ ॥ ୩୭୮
ବେଦାର୍ଥ କରନ୍ତି ବିଚାର । ଯେ ବେଦ ହେତୁ ଏ ସଂସାର ॥ ୩୭୯
ବ୍ରାହ୍ମଣ ପାଦଧୁଳି ଶିରେ । ଧରିଣ ଥାଇ ତତପରେ ॥ ୩୮୦
ଯେ ପ୍ରାଣୀ ନିତ୍ୟେ ଏହା ବହେ । ପାପ ନ ରହେ ତାର ଦେହେ ॥ ୩୮୧
ତାର କଳୁଷ ବେଗେ ନାଶେ । ସକଳ ଗୁଣ ତାର ପାଶେ ॥ ୩୮୨
ଏଣୁ ବିପ୍ରଙ୍କ ପାଦରଜେ । କିରୀଟ-ଅଗ୍ର ମୋର ରାଜେ ॥ ୩୮୩
ଯେ ଜନ ଗୋ ବିପ୍ର ଭଜଇ । ତା ପଛେ ସର୍ବଗୁଣ ଥାଇ ॥ ୩୮୪
ବିଷ୍ଣୁ ଯେ ତାହାରେ ସନ୍ତୋଷ । ଅଧିକ କିବା ଗୁଣ ଯଶ ॥ ୩୮୫
ଗୋ ବିପ୍ର ବିଷ୍ଣୁଙ୍କ କିଙ୍କରେ । ପ୍ରସନ୍ନ ହୋନ୍ତୁ ମୋରଠାରେ ॥ ୩୮୬

ମୈତ୍ରେୟ ଉବାଚ

ଏମନ୍ତ କହୁଁ ପୃଥୁ ରାୟେ । ପିତୃ-ଦେବ-ଦ୍ୱିଜ ସମୂହେ ॥ ୩୮୭
ସକଳେ କଲେ ସାଧୁବାଣୀ । ସେ ସଭାମଧ୍ୟେ ଯେତେ ପ୍ରାଣୀ ॥ ୩୮୮
କହନ୍ତି ପୃଥୁଙ୍କ ଅଗ୍ରତେ । ତୁମ୍ଭେ ହେ ଧନ୍ୟ ଧର୍ମମତେ ॥ ୩୮୯
ସୁପୁତ୍ରେ ପୁଣ୍ୟଲୋକ ପାଇ । ଏ ବାକ୍ୟ ସତ୍ୟ ଶ୍ରୁତି କହି ॥ ୩୯୦
ବ୍ରାହ୍ମଣ-ଶାପ-ଦଣ୍ତଗ୍ରସ୍ତ । ମଲେ ଯେ ବେଣ ତୁମ୍ଭ ତାତ ॥ ୩୯୧
ସେ ମହାପାପୀ ହୋଇଥିଲେ । ତୁମ୍ଭ ସକାଶୁ ନିସ୍ତରିଲେ ॥ ୩୯୨
ହିରଣ୍ୟକଶିପୁ ଯେ ଥିଲା । ସେ ବିଷ୍ଣୁ ନିନ୍ଦାରେ ବଢିଲା ॥ ୩୯୩
ପ୍ରହ୍ଲାଦ ତାର ସୁତ ହୋଇ । ନରକ ମାର୍ଗୁ ଉଦ୍ଧରଇ ॥ ୩୯୪
ତୁ ଏବେ ଚକ୍ରବର୍ତ୍ତୀ ପଣେ । ଏ ମହୀ ପାଳ ଶୁଭକ୍ଷଣେ ॥ ୩୯୫
ବହୁ ବତ୍ସର ତୁମ୍ଭ ଆୟୁ । ନିରୁଜ ହୋଇ ତନୁ ରହୁ ॥ ୩୯୬
ଗୁଣେ ଅଖଣ୍ତ ଭୋଗ ଭୁଞ୍ଜ । ଭକ୍ତିରେ ହରିପାଦେ ଭଜ ॥ ୩୯୭
ବ୍ରହ୍ମଣ୍ୟ-ଦେବ ହରିକଥା । ତୁମ୍ଭର କୀର୍ତ୍ତନେ ସର୍ବଥା ॥ ୩୯୮
ଏଣୁ ଆମ୍ଭର ତୁମ୍ଭେ ନାଥ । ତୁମ୍ଭରେ ହୋଇଲୁ କୃତାର୍ଥ ॥ ୩୯୯
ଆମ୍ଭଙ୍କୁ ତୁମ୍ଭେ ନିସ୍ତାରିଲ । ହରିଙ୍କ ମହିମା କହିଲ ॥ ୪୦୦
ଅନେକ ପୁଣ୍ୟ କରିଥିଲୁ । ତେଣୁ ତୁମ୍ଭର ପ୍ରଜା ହେଲୁ ॥ ୪୦୧
ସେମାନେ ମହତ ଅଟନ୍ତି । ତାଙ୍କ ଚରିତ ଏହିମତି ॥ ୪୦୨
ପ୍ରଜାଙ୍କୁ ଦ୍ୟନ୍ତି ଧର୍ମ ଶିକ୍ଷା । ଯେଣେ ହୁଅଇ ସର୍ବରକ୍ଷା ॥ ୪୦୩
ଆମ୍ଭେ ଅଜ୍ଞାନେ ଭ୍ରମ ଅତି । ଆମ୍ଭଙ୍କୁ ଦେଲ ଦିବ୍ୟଗତି ॥ ୪୦୪
ଏ ଘୋର-ତମୁ ନିସ୍ତାରିଲ । ହରି ଭଜନ ଶିକ୍ଷା ଦେଲ ॥ ୪୦୫
ନରକ ମାର୍ଗେ ପଡିଥିଲୁ । ତୋ ଅଙ୍ଗୁ ମୁକତି ହୋଇଲୁ ॥ ୪୦୬
ହେ ଶୁଦ୍ଧ-ସ‌ତ୍ତ୍ୱ ପୁଣ୍ୟ-ବ୍ରତ । ତୁମ୍ଭଙ୍କୁ ଆମ୍ଭ ପ୍ରଣମିତ ॥ ୪୦୭
ତୁମ୍ଭେ ଯେ ଜଗତ ଈଶ୍ୱର । ତୁମ୍ଭ ଚରଣେ ନମସ୍କାର ॥ ୪୦୮
ଏମନ୍ତେ ପୃଥୁର ଚରଣେ । ପ୍ରଣାମ କଲେ ପ୍ରଜାଗଣେ ॥ ୪୦୯
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୪୧୦
ବୋଲଇ ଦାସ ଜଗନ୍ନାଥ । ଚତୁର୍ଥେ ପୃଥୁର ଚରିତ ॥ ୪୧୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥

ଦ୍ୱାବିଂଶ ଅଧ୍ୟାୟ[ସମ୍ପାଦନା]

କୃଷ୍ଣ ଚରିତ ମନେ ଘେନି । କହନ୍ତି ମଇତ୍ରେୟ ମୁନି ॥ ୧

ମୈତ୍ରେୟ ଉବାଚ

ଏ ଅନ୍ତେ ଶୁଣ ହେ ବିଦୁର । ସେ ପୃଥୁଦେବ ରାଜ୍ୟେଶ୍ୱର ॥ ୨
ପ୍ରଜା ପାଳନେ ଧର୍ମଶ୍ରୀଳ । ହରି-ଭକତି ରସେ ଭୋଳ ॥ ୩
ସେ ରାଜ୍ୟେ ଯେତେ ପ୍ରଜାଗଣ । ପିତୃ ଦେବ ଋଷି ବ୍ରାହ୍ମଣ ॥ ୪
ପୃଥୁଙ୍କ ଗୁଣ ବଖାଣନ୍ତି । ସେ ସର୍ବେ ହରିଙ୍କି ପୂଜନ୍ତି ॥ ୫
ଏମନ୍ତେ କେତେ କାଳାନ୍ତରେ । ବିଜୟ କଲେ ମୁନିବରେ ॥ ୬
ସେ ସିଦ୍ଧଗଣ ମଧ୍ୟେ ବର । ବିଶେଷେ ବ୍ରହ୍ମାଙ୍କ କୁମର ॥ ୭
ତପ-ସାଧନେ ବିରାଜନ୍ତି । ସୂର୍ଯ୍ୟକିରଣ ପ୍ରାୟେ ଜ୍ୟୋତି ॥ ୮
ଆକାଶେ ଦେଖିଲେ ରାଜନ । କାନ୍ତିରୁ କଲେ ଅନୁମାନ ॥ ୯
ଏ ସର୍ବେ ସିଦ୍ଧ ସନକାଦି । ବିଷ୍ଣୁଭକତ ବ୍ରହ୍ମବାଦୀ ॥ ୧୦
ଲୋକଙ୍କ ପାପାଶୁଦ୍ଧି ଅର୍ଥେ । ଭ୍ରମଣ କରନ୍ତି ଜଗତେ ॥ ୧୧
ନିଶ୍ଚୟ ଜାଣି ଅନୁମାନେ । ଉଠିଲେ ସହାସ୍ୟେ ସଗଣେ ॥ ୧୨
ତାଙ୍କ ଦର୍ଶନେ ନୃପପ୍ରାଣ । ଉଦ୍ଧ୍ୱର୍କୁ କଲା କି ଗମନ ॥ ୧୩
ଯେହ୍ନେ ଜୀବନ ପିଣ୍ତ ପାଇ । ସତ୍ୱରେ ଉଠିଲେ ଚିତୋଇ ॥ ୧୪
ସଦସ୍ୟ ଆଦି ଯେତେ ଥିଲେ । ସକଳେ ସତ୍ୱରେ ଉଠିଲେ ॥ ୧୫
ଯେସନେ ଗନ୍ଧାଦି ଗୁଣକୁ । ଜୀବ ଉତ୍ସୁକ ଘେନିବାକୁ ॥ ୧୬
ତେସନେ ନୃପ ହେଲେ ଉଭା । ମୁନି ପ୍ରବେଶ ହେଲେ ସଭା ॥ ୧୭
ଆନନେ୍ଦ ପୃଥୁ-ନୃପବର । ପ୍ରଣମି ମୁନିଙ୍କ ପୟର ॥ ୧୮
ସୁଗନ୍ଧ-ଶୀତଜଳ ନେଇ । ପଦକମଳ ଦେଲେ ଧୋଇ ॥ ୧୯
ଦିବ୍ୟ-ଆସନେ ବସାଇଲେ । ସବିଧି-ବେଭାରେ ପୂଜିଲେ ॥ ୨୦
ତାହାଙ୍କ ଚରଣ-ସଲିଳେ । ଅଳକ-ବନ୍ଧ ସମ୍ମାର୍ଜିଲେ ॥ ୨୧
ଯେ ପ୍ରାଣୀ ହୋଏ ଶୀଳବନ୍ତ । ତାହାଙ୍କ ଚରିତ ଏମନ୍ତ ॥ ୨୨
ଛାଡି ନୃପତି ଅଭିମାନ । ଆନନ୍ଦେ କଲେ ବହୁମାନ୍ୟ ॥ ୨୩
ହାଟକ-ଆସନେ ବସାଇ । ପାଦ-ଉଦକ ଶିରେ ଲଇ ॥ ୨୪
ସେ ଭବ-ଅଗ୍ରଜନ୍ମା ଯେଣୁ । ରାଜନ ମାନ୍ୟ କଲେ ତେଣୁ ॥ ୨୫
ଭାବେ ପ୍ରତୋଷି ତାଙ୍କ ମନ । କହନ୍ତି ମଧୁର ବଚନ ॥ ୨୬

ପୃଥୁ ଉବାଚ

ଆଜ ମୋ ପୂର୍ବଭାଗ୍ୟଫଳ । ଜୀବନ ହୋଇଲା ସଫଳ ॥ ୨୭
ଦୁର୍ଲଭ ଦେଖିଲି ତୁମ୍ଭଙ୍କୁ । ଖୋଜି ନ ପାନ୍ତି ଯୋଗୀ ଯାଙ୍କୁ ॥ ୨୮
କି ତାର ଦୁର୍ଲଭ ସଂସାରେ । ଯେ ଅବା ଅଛି ଇହପରେ ॥ ୨୯
ଯାହାକୁ ବିଷ୍ଣୁ ବଇଷ୍ଣବ । ପ୍ରସନ୍ନ ବିପ୍ର ସଦାଶିବ ॥ ୩୦
ଅବ୍ୟକ୍ତ-ଗତି ଯେ ତୁମ୍ଭର । ଭ୍ରମଣ ଚତୁର୍ଦ୍ଦଶ-ପୁର ॥ ୩୧
ଅଭାଗ୍ୟବନ୍ତ ପ୍ରାଣୀ ଯେହି । ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ ॥ ୩୨
ଏ ଆତ୍ମାପୁରୁଷ ଯେସନେ । ସକଳ ଦେଖଇ ଚେତନେ ॥ ୩୩
ତାହାକୁ ନ ଦେଖନ୍ତି କେହି । ଏ ବିଶ୍ୱ ହେତୁଭୂତ ଯେହି ॥ ୩୪
ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି । ଧନ୍ୟ ମୋ ଜୀବନ ମଣିଲି ॥ ୩୫
ନିର୍ଦ୍ଧନ ଗୃହେ ଯେହ୍ନେ ଧନ । ଅଣ ଆୟାସେ ଲଭେ ପୁଣ୍ୟ ॥ ୩୬
ତେହ୍ନେ ମଣିଲି ଅଦଭୁତ । କି ଭାଗ୍ୟେ ତୁମ୍ଭେ ଉପଗତ ॥ ୩୭
ଯା ଗୃହେ ଅତିଥି ଆଗତ । ଭାବେ ପୂଜଇ ଶୁଦ୍ଧଚିତ୍ତ ॥ ୩୮
ବିଭବେ ପୂଜି ବହୁବିଧେ । କାୟ ବାଚିକ ମନ-ଶୁଦ୍ଧେ ॥ ୩୯
ବିଭବ-ହୀନ ଯେବା ଜନ । ପୂଜିବ ଯେ ବିଧି-ବିଧାନ ॥ ୪୦
ଭୂମି ଉଦକ ତୃଣାସନେ । ଦେଇ ପୂଜିବ ଶୁଦ୍ଧମନେ ॥ ୪୧
ଏ ଭାବେ ଯେବା ନ ପୂଜନ୍ତି । ସେ ବ୍ୟର୍ଥ-ଜୀବନେ ଜୀବନ୍ତି ॥ ୪୨
ବ୍ୟାଳ-ଆଳୟ ଦ୍ରୁମ ଯେହ୍ନେ । ତା ଗୃହ ଭୟଙ୍କର ତେହ୍ନେ ॥ ୪୩
ଯା ଗୃହଗତେଣ ଅତିଥି । ସୁଖେ ଚରଣ ନ ଧୁଅନ୍ତି ॥ ୪୪
ତାର ଜୀବନ ଅକାରଣ । ବ୍ୟର୍ଥ ଆୟୁଷ ଯଶ ଗୁଣ ॥ ୪୫
ଯେ ଭକ୍ତଜନଙ୍କୁ ନ ସେବେ । ତା ସୁଖ ସମ୍ପଦ କି ଲାଭେ ॥ ୪୬
ଭୋ ମୁନି ତୁମ୍ଭ ଆଗମନ । ମଙ୍ଗଳ ମଣିଲି ଜୀବନ ॥ ୪୭
ତୁମ୍ଭର ବ୍ରତ ବିଧି ଆଦି । ଆଚରନ୍ତି ଯେ ମୋକ୍ଷବାଦୀ ॥ ୪୮
ଯେ ବାଳ ବୟସୁ ଆଚରେ । ସେ ତେବେ ମୋକ୍ଷମାର୍ଗ ଧରେ ॥ ୪୯
ଏ ବାଳ ପୌଗଣ୍ତ କୈଶୋରେ । ଯେ ଧରେ ଦୃଢ଼ ନିଷ୍ଠାପରେ ॥ ୫୦
ସେ ତେବେ ମୋକ୍ଷପଦେ ଯାନ୍ତି । ଏ ବିଷ୍ଣୁ ମାୟାରୁ ତରନ୍ତି ॥ ୫୧
ଇନ୍ଦ୍ରିୟମାନଙ୍କ ବିଷୟ । ନ ଛାଡ଼େ ଯାହାର ହୃଦୟ ॥ ୫୨
ସେ କାହିଁ ସୁଖ ନ ଲଭନ୍ତି । ସ୍ୱକର୍ମ-ବନ୍ଧେ ବନ୍ଦୀ ହୋନ୍ତି ॥ ୫୩
ଏ ଘୋର-ସଂସାରେ ପଡିଣ । ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ ॥ ୫୪
ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀ । ଆତ୍ମାରାମଙ୍କ ମଧ୍ୟେ ମାନୀ ॥ ୫୫
ଏଣୁ ଯେ ତୁମ୍ଭ ମାନଙ୍କରେ । କୁଶଳ ପ୍ରଶ୍ନ କେ ପଚାରେ ॥ ୫୬
ତୁମ୍ଭର ମତି-ବୃତ୍ତିମାନେ । କୁଶଳାକୁଶଳ ନ ଘେନେ ॥ ୫୭
ଏହି ବିଶ୍ୱାସ ମୋର ଅଛି । ସଭୟେ ନପାରଇ ପୁଚ୍ଛି ॥ ୫୮
ସଂସାର-ତାପେ ଯେ ତାପିତ । ତାଙ୍କ କୁଶଳ ଯେ ଚରିତ ॥ ୫୯
ତୁମ୍ଭେ ତପସ୍ୱୀଗଣ ମିତ୍ର । ନିର୍ମଳ ଚରିତ ପବିତ୍ର ॥ ୬୦
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଫେଡିଣ କହିବା ଗୋସାଇଁ ॥ ୬୧
ଏ ଦୁଃଖ ଅଜ୍ଞାନ ସଂସାରେ । ଏ ଜୀବ ଭ୍ରମେ ନିରନ୍ତରେ ॥ ୬୨
ଭୋ ମୁନି କିବା କର୍ମ କଲେ । ଏ ଜୀବ ନିସ୍ତରିବେ ଭଲେ ॥ ୬୩
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଭକ୍ତ-ଉଦ୍ଧାରଣେ ଗୋସାଇଁ ॥ ୬୪
ତୁମ୍ଭେ ଭକତ-ଜନହିତେ । କୁଶଳ ବାଞ୍ଛ ଅବିରତେ ॥ ୬୫
ସିଦ୍ଧ-ଯୋଶୀନ୍ଦ୍ର ରୂପ ଧରି । ସଂସାରେ ଭ୍ରମୁଥାନ୍ତି ହରି ॥ ୬୬
ସକଳ ଆତ୍ମା ସେ ଗୋସାଇଁ । ଭ୍ରମନ୍ତି ସନ୍ଥଜନ ପାଇଁ ॥ ୬୭
ସେ ଆଜ ସିଦ୍ଧ ରୂପେ ଥାନ୍ତି । ଆପକୁ ଆପେ ପ୍ରକାଶନ୍ତି ॥ ୬୮
ପ୍ରତ୍ୟକ୍ଷେ ତୁମ୍ଭେ ସେ ଗୋସାଇଁ । ଦର୍ଶନେ ନିସ୍ତରିଲି ମୁହିଁ ॥ ୬୯
ଏ ଭବତରଣ ଉପାୟେ । ଫେଡିଣ କହିବା ଥୋକାଏ ॥ ୭୦
ତୁମ୍ଭେ ଯେ ମୋତେ କୃପା ଘେନି । ଆମ୍ଭ କୁଶଳ କହ ମୁନି ॥ ୭୧

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ସେ ପୃଥୁ ବଚନ ମଧୁର ॥ ୭୨
ଶ୍ରବଣେ ତୋଷ ହେଲେ ମୁନି । ସାଧୁ-ସମ୍ମତ ବାକ୍ୟ ଘେନି ॥ ୭୩
ହରଷେ କହନ୍ତି କୁମାର । ଶୁଣ ହେ ପୃଥୁ ନୃପବର ॥ ୭୪
ସଂସାରେ ସାଧୁଜନ ଯେହି । ତାଙ୍କ ମହିମା ସିନା ଏହି ॥ ୭୫
ବିଷୟ ସୁଖ ନ ଘେନନ୍ତି । ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି ॥ ୭୬
ତୁମ୍ଭେ ଯେ ପଣ୍ତିତ ସୁଶୀଳ । ଏଣୁ ଉତ୍ତମ ପଚାରିଲ ॥ ୭୭
ସୁସାଧୁ ଜନଙ୍କ ସଙ୍ଗତ । ଉଭୟ ଲୋକଙ୍କୁ ସେ ହିତ ॥ ୭୮
ଏଣୁ ସାଧୁଙ୍କ ସମ୍ଭାଷଣ । ସୁପୁଣ୍ୟ ମଙ୍ଗଳ କାରଣ ॥ ୭୯
ଅଶେଷ ଜୀବହିତ କରେ । ଏଣୁ ପଚାରିଲ ବେଭାରେ ॥ ୮୦
ସୁଶାନ୍ତ ଆମ୍ଭ ମନ ହେଲା । ତୁମ୍ଭ ପ୍ରଶନେ ଦୁଃଖ ଗଲା ॥ ୮୧
ଏବେ ହୋ ଶୁଣ ନୃପବର । କହିବା ଏଥି ପ୍ରତିକାର ॥ ୮୨
ଯେ ମୋକ୍ଷ-ସାଧନ ପୁଚ୍ଛିଲ । ଅଶେଷ ଜୀବର ଯେ ଭଲ ॥ ୮୩
ଉପାୟ ଅଛଇ ଯେ ଏକ । ଭୋ ନୃପ ମନେ ବୁଝି ଦେଖ ॥ ୮୪
ଗୋବିନ୍ଦ-ଚରଣ-କମଳେ । ଯେ ପ୍ରାଣୀ ଭଜନ୍ତି ଶୟଳେ ॥ ୮୫
ତରନ୍ତି ଏ ଭବ-ଜଳଧି । ଯେ ପ୍ରାଣୀ ଭଜେ ନିରବଧି ॥ ୮୬
ତ୍ରିବିଧ କୃଷ୍ଣ-ଉପାସନ । ରଜ ସା‌ତ୍ତ୍ୱିକ ତମ ଗୁଣ ॥ ୮୭
ତାମସ-ଭକ୍ତ ଏ ଲକ୍ଷଣ । କହିବା ଏଥିର କାରଣ ॥ ୮୮
ଶ୍ରୀକୃଷ୍ଣ-ଭକତଙ୍କ ମେଳେ । ଯେ ନାଚେ ସଙ୍କୀର୍ତ୍ତନ ବେଳେ ॥ ୮୯
ତହିଁ ଯାହାର ନୋହେ ରତି । ସେ ହୀନ କପଟ ଭକତି ॥ ୯୦
ତାହାର ଅନ୍ତର ମଳିନ । କାମ-କଷାୟେ ହୋଏ ହୀନ ॥ ୯୧
ତାମସ ଭକ୍ତ ବୋଲି ତାରେ । ନ ତରେ ଏ ଭବସାଗରେ ॥ ୯୨
କୃଷ୍ଣ ଭଜନେ ହୋଏ ରତି । ଆତ୍ମାକୁ ବିଶୁଦ୍ଧ କରନ୍ତି ॥ ୯୩
ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେ । ନିଶ୍ଚୟ ବୁଝ ନରରାୟେ ॥ ୯୪
ସେ ଟି ନିର୍ମଳ ଜ୍ଞାନହେତୁ । ଭବସାଗର ପାର ସେତୁ ॥ ୯୫
ଚିତ୍ତ ବିଶୁଦ୍ଧ ଯାର ନାହିଁ । ତାର ବୈରାଗ୍ୟ ଜ୍ଞାନ କାହିଁ ॥ ୯୬
ହରି ଚରଣେ ସେବା ରତି । ବୈରାଗ୍ୟ ନିଶ୍ଚଳ ଭକତି ॥ ୯୭
ଏ ଟି କୈବଲ୍ୟ ସୁସାଧନ । ନିଶ୍ଚୟ ବୁଝ ତୁ ରାଜନ ॥ ୯୮
ବୈରାଗ୍ୟେ ହୋଏ ଯେ ଅସଙ୍ଗ । ତହୁଁ ଜନ୍ମଇ ଭକ୍ତି ଅଙ୍ଗ ॥ ୯୯
ଯେଣୁ ତା ଦେହେ ସଙ୍ଗ ନାହିଁ । ଏଣୁଟି ଆତ୍ମେ ରତି ହୋଇ ॥ ୧୦୦
ସେ ବ୍ରହ୍ମ ନିର୍ଗୁଣ ନିର୍ମଳ । ବ୍ୟାପିଛଇ ଅଶେଷ-ଶୟଳ ॥ ୧୦୧
ଭକ୍ତି-ବୈରାଗ୍ୟେ ତାକୁ ପାଇ । ଏ ବିନେ ଜୀବ ଭ୍ରମୁଥାଇ ॥ ୧୦୨
ସେ ବ୍ରହ୍ମେ ଏ ରତି ପ୍ରକାର । ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର ॥ ୧୦୩
ହରି-ଚରଣେ ଯେବେ ଭାବେ । ନିଷ୍କାମ-ଭକ୍ତି ହୋଏ ତେବେ ॥ ୧୦୪
ଯୋଗରେ ନିଷ୍ଠା ଥାଇ ଯାର । ପୁଚ୍ଛଇ ଶାସ୍ତ୍ର-ମାର୍ଗ ସାର ॥ ୧୦୫
ଯୋଗୀନ୍ଦ୍ର ଗଣେ ସେବାକଲେ । ସେ ଋତି ଲଭେ ବ୍ରହ୍ମତୁଲେ ॥ ୧୦୬
କି ଅବା ହରି ସଂକୀର୍ତ୍ତନ । ଶୁଣେ ଶ୍ରବଣେ କରେ ଧ୍ୟାନ ॥ ୧୦୭
ଅସଙ୍ଗ-ରତି ଏହି ଭାବେ । ସାଧନ ତାରତମ୍ୟେ ଲଭେ ॥ ୧୦୮
ଶୁଣ ରାଜନ କୃଷ୍ଣ ଲୟେ । ତ୍ରିବିଧ ପ୍ରକାରେ ଯେ ହୋଏ ॥ ୧୦୯
ଯେ ମାର୍ଗେ ଯେ ସାଧ୍ୟ କରନ୍ତି । ବ୍ରହ୍ମନିର୍ବାଣେ ହୋଏ ରତି ॥ ୧୧୦
ଅର୍ଥ-ବାଞ୍ଛିତ ମନ ଯାର । ତାମସେ ବଦ୍ଧ ସେହୁ ନର ॥ ୧୧୧
ଯେ ପ୍ରାଣୀ ଇନ୍ଦ୍ରିଭୋଗ ବଶ । ତାହାକୁ ବୋଲିଟି ରାଜସ ॥ ୧୧୨
ଏହାଙ୍କୁ ନ କରିବ ସଙ୍ଗ । ସେ ସଙ୍ଗ-ଦୋଷେ ଜ୍ଞାନଭଙ୍ଗ ॥ ୧୧୩
ତହିଁ ନ ଦେବ ମନ ଦୃଷ୍ଟି । କେବେହେଁ ନକରିବ ଗୋଷ୍ଠୀ ॥ ୧୧୪
ସେ ସଙ୍ଗ ଯେବା ଆଦରନ୍ତି । ସକାମ ଅର୍ଥ ସେ ବାଞ୍ଛନ୍ତି ॥ ୧୧୫
ଏଣୁ ତାହାଙ୍କ ସଙ୍ଗ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି ॥ ୧୧୬
ନିଃସଙ୍ଗେ ନିର୍ଜନେ ସେବଇ । ତେବେ ଆତ୍ମାକୁ ଭେଟ ପାଇ ॥ ୧୧୭
ଏ ରୂପେ ହୋଏ ବ୍ରହ୍ମେ ରତି । ଶୁଣ ସୁମନେ ହେ ନୃପତି ॥ ୧୧୮
ଅପରେ ଅସାଧୁ କହିବା । ଯାହାର ନାହିଁ ଭକ୍ତି ସେବା ॥ ୧୧୯
ହରି-ଚରଣେ ଭକ୍ତି ନୋହି । ତାହାର ବ୍ରହ୍ମେ ରତି କାହିଁ ॥ ୧୨୦
ସେ ହରି ଗୁଣ ସୁଧା-ପାନ । ସେ ବିନୁ ନୋହେ ବ୍ରହ୍ମଜ୍ଞାନ ॥ ୧୨୧
ଅହିଂସା-ଧର୍ମେ ଯେବା ଥାନ୍ତି । ଏ ବ୍ରହ୍ମଜ୍ଞାନ ସେ ଲଭନ୍ତି ॥ ୧୨୨
ପରମହଂସର ଯେ ବିଧି । ତତିକ୍ଷା ଶମ ଦମ ଆଦି ॥ ୧୨୩
ଆତ୍ମାର ହିତ ଅନୁଧ୍ୟାନେ । ନିର୍ଗୁଣ ହୋଏ ବ୍ରହ୍ମଜ୍ଞାନେ ॥ ୧୨୪
ସେ ହରି ପରମ-ପୁରୁଷ । ତାହାଙ୍କ ଚରିତ ପୀୟୂଷ ॥ ୧୨୫
ସେ ସୁଧାପାନ ଯେବେ କରେ । ତେବେ ସେ ବ୍ରହ୍ମଜ୍ଞାନ ଧରେ ॥ ୧୨୬
ଯମ ନିୟମ ଶମ ଦମ । ଏ ଆଦି ସାଧନ ନିର୍ଗୁଣ ॥ ୧୨୭
ସଂସାରେ ଶାସ୍ତ୍ର-ବ୍ୟବହାରେ । ନିନ୍ଦା-ଧର୍ମକୁ ନ ଆଚରେ ॥ ୧୨୮
ପରମଧର୍ମ ଏ ବିଚାରେ । ନିର୍ମଳ ବାହ୍ୟ-ଅଭ୍ୟନ୍ତରେ ॥ ୧୨୯
ଶୀତୋଷ୍ଣ ସୁଖ-ଦୁଃଖ ସହେ । ସେ ତେବେ ବ୍ରହ୍ମଜ୍ଞାନ ବହେ ॥ ୧୩୦
ହରି-ଭକତ ଯେତେ ଜନ । ଏ ସର୍ବ ତାହାଙ୍କ ଭୂଷଣ ॥ ୧୩୧
ଯେତେ କୃଷ୍ଣର ଗୁଣ-ଗ୍ରାମ । ତହିଁ ସାଧକ ଯେଉଁ ଜନ ॥ ୧୩୨
ତେଣୁ ବଢଇ ତାର ଭକ୍ତି । ଆନ ପ୍ରସଙ୍ଗେ ଅନାଶକ୍ତି ॥ ୧୩୩
ସେ ବ୍ରହ୍ମ ଅଟେ ସଦା ସତ । ଅନାଦି ନିର୍ଗୁଣ ଅନନ୍ତ ॥ ୧୩୪
ତହିଁ ଯାହାର ରତି ହୋଏ । ସେ ପ୍ରାଣୀବଦ୍ଧ ନୋହେ ମୋହେ ॥ ୧୩୫
ସେ ବ୍ରହ୍ମେ ଯାର ନିଷ୍ଠା ରତି । ତେବେ ତା ହୋଏ ଦୃଢ଼ମତି ॥ ୧୩୬
ଯେ ସଦା ଗୁରୁ ସେବାକରେ । ସେ ତେବେ ଜ୍ଞାନମାର୍ଗ ଧରେ ॥ ୧୩୭
ଜ୍ଞାନ-ବୈରାଗ୍ୟ-ଯୋଗବଳେ । ଏ ଜୀବକୋଷ ଦହେ ହେଳେ ॥ ୧୩୮
ଏ ପଞ୍ଚଭୂତର ହୃଦୟ । ଜୀବର ହୋଇଛି ଆଳୟ ॥ ୧୩୯
ଜ୍ଞାନ-ଅନଳ ହେଲେ ଜାତ । ତେବେ ସେ ହୋଏ ଭସ୍ମଗତ ॥ ୧୪୦
ଏ ଜୀବକୋଷ ଯେବେ ଯାଇ । ତେବେ ସେ ବ୍ରହ୍ମଜ୍ଞାନ ପାଇ ॥ ୧୪୧
ଅନଳ ପ୍ରକାଶିଲେ ଯେହ୍ନେ । ଦଗ୍‌ଧ ହୁଅନ୍ତି କାଷ୍ଠମାନେ ॥ ୧୪୨
ତେସନେ ଏ ଲିଙ୍ଗ ଶରୀର । ଜ୍ଞାନେ ଦହଇ ନୃପବର ॥ ୧୪୩
ଏମନ୍ତ ଜ୍ଞାନ ଉଦେ ଯାର । ନୁହଇ ଭବ-ବନ୍ଧ ତାର ॥ ୧୪୪
ଉପାଧି ବାସନା ଅଶେଷ । ଜ୍ଞାନ-ଅନଳେ ହୋଏ ଧ୍ୱଂସ ॥ ୧୪୫
ଉପାଧି ହତେ ନୃପରାୟେ । ତାର ଗୁଣାଦି ହୋଏ ଲୟେ ॥ ୧୪୬
ବିନାଶ ହୋଏ ଅଭିମାନ । ଆପଣା ପର ଆଦିଜ୍ଞାନ ॥ ୧୪୭
ଜନ୍ମଇ ନିଜ ଭାବେ ରତି । ଏ ପରାପର ନୋହେ ମତି ॥ ୧୪୮
ସେ ପୁଣି ଅନ୍ତର ବାହାରେ । ଏ ଦୁଃଖସୁଖ ନ ବିଚାରେ ॥ ୧୪୯
ବାହ୍ୟେ ସେ ନ ଲକ୍ଷଇ କିଛି । ଘଟାଦି ବସ୍ତୁ ଯେତେ ଅଛି ॥ ୧୫୦
ଏଥକୁ ପ୍ରତିଲକ୍ଷ୍ୟ ଦେବା । ଭୋ ନୃପ ଦେଖାଇ କହିବା ॥ ୧୫୧
ଦ୍ରଷ୍ଟା-ଦୃଶ୍ୟର ଭିନ୍ନେ ବିଧି । ଏହାଙ୍କ ହେତୁ ମନ ବୁଦ୍ଧି ॥ ୧୫୨
ଏ ଆତ୍ମା ଏ ମୋହର ପର । ଏ ଭେଦ କରେ ଅହଙ୍କାର ॥ ୧୫୩
ଭେଦ କରନ୍ତା ଯେବେ ମଲା । ତାର ଅଜ୍ଞାନ କ୍ଷୟ ଗଲା ॥ ୧୫୪
ଅଜ୍ଞାନ ନାଶେ ସର୍ବେ ଏକ । ଭୋ ନୃପ ବିଚାର ବିବେକ ॥ ୧୫୫
ଯେସନେ ଶୟନେ ସ୍ୱପନ । ମିଥ୍ୟାଭିଳାଷେ ଦେଖେ ମନ ॥ ୧୫୬
ଆପଣେ ହୋଇଥାଇ ରାଜା । ସଙ୍ଗତେ ଦେଖେ ଜନପ୍ରଜା ॥ ୧୫୭
ସୈନ୍ୟସାମନ୍ତ ଗଜ ରଥ । ମିଥ୍ୟା ପ୍ରପଞ୍ଚ ମଣେ ସତ ॥ ୧୫୮
ସେ ପୁଣି ସ୍ୱପ୍ନ ଅବସାନେ । ସକଳ ମିଥ୍ୟା କରି ମଣେ ॥ ୧୫୯
ରାଜ୍ୟ ସମ୍ପଦ ଭୋଗ ଯେତେ । ଶୋଚନା ନ କରଇ ଚିତ୍ତେ ॥ ୧୬୦
ତେସନେ ଜ୍ଞାନ ଉପୁଜିଲେ । ଏ ସର୍ବ ନାଶ ଯାନ୍ତି ଭଲେ ॥ ୧୬୧
ଏ ଆତ୍ମା ଦେଖନ୍ତା ପୁରୁଷ । ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ ॥ ୧୬୨
ଏ ବେନି ପର ଅହଙ୍କାର । ଏ ଭେଦ ବିବେକ ବିଚାର ॥ ୧୬୩
ଯାଦବ ଉପାଧି ଅଛଇ । ତାବତ ଭେଦ-ବୁଦ୍ଧି ଥାଇ ॥ ୧୬୪
ଉପାଧି ହତେ ସର୍ବନାଶ । ତେବେ ସେ ଆତ୍ମା ସୁ ପ୍ରକାଶ ॥ ୧୬୫
ଏ ଆତ୍ମା ପରମ-ପୁରୁଷ । ଯାହାର ନାହିଁ ଗୁଣ ଦୋଷ ॥ ୧୬୬
ଉପାଧି ଭେଦେ ଭିନ୍ନ ଦିଶେ । ତା ବିନା ଏକ ସେ ପ୍ରକାଶେ ॥ ୧୬୭
ଯେହ୍ନେ ଦର୍ପଣ ଜଳାଦିରେ । ଆପଣା ପ୍ରତିବିମ୍ବ ଧରେ ॥ ୧୬୮
ଏ ବେନି ହୀନେ ନ ଦିଶନ୍ତି । ଆପଣା ଶରୀର ଆକୃତି ॥ ୧୬୯
ଉପାଧି ହେତୁ ଭିନ୍ନ ଭିନ୍ନ । ତା ଅବଶେଷେ ଏକ ଚିହ୍ନ ॥ ୧୭୦
ଶୁଣ ହେ ପୃଥୁ ମହୀପତି । ଅସଙ୍ଗ ଆର ବ୍ରହ୍ମରତି ॥ ୧୭୧
ଏ ବେନିମାର୍ଗ ମୋକ୍ଷ ହେତୁ । ଭବସାଗର ପାର ସେତୁ ॥ ୧୭୨
ଶୁଣ ସୁମନେ ହେ ରାଜନ । ବିବେକ-ହୀନ ଯେବା ଜନ ॥ ୧୭୩
ଯାହାର ଆତ୍ମା-ରତି ନୋହେ । ଯେ ଦେହେ ଅହଙ୍କାର ବହେ ॥ ୧୭୪
ଏ ମୋର ଦାରା-ସୁତ-ଘର । ବୋଲି ବିଶୟେ ଅହଙ୍କାର ॥ ୧୭୫
ବିଷୟ-ରସେ ଇନ୍ଦ୍ରି ରସି । ମନକୁ ଆଣଇ ଆକର୍ଷି ॥ ୧୭୬
ଇନ୍ଦ୍ରିୟ ସଙ୍ଗେ ମନ ରସେ । ନିଜ ଚେତନା ବଳ ଧ୍ୱଂସେ ॥ ୧୭୭
ଏଣୁ ବିବେକ ତାର ନାହିଁ । କୁସଙ୍ଗ ଦୋଷେ ମନ ମୋହି ॥ ୧୭୮
ଯେସନେ କୁଶ ଆଦି ମୁଳ । ହ୍ରଦରୁ ଓଟାରନ୍ତି ଜଳ ॥ ୧୭୯
ତେସନେ ଦେଖ ବିଷୟାଦି । ହରଇ ସର୍ବ ମନ ବୁଦ୍ଧି ॥ ୧୮୦
ଚେତନା ବଳେ ସ୍ମୃତି ରହି । ତାର ଅଭାବେ ସ୍ମୃତି କାହିଁ ॥ ୧୮୧
ଯାହାର ସ୍ମୃତି ହୋଏ ନାଶ । ତା ହୃଦେ ଜ୍ଞାନ ଅପ୍ରକାଶ ॥ ୧୮୨
ଜ୍ଞାନ ବିନାଶେ ଆତ୍ମା ହତ । ବେଦାନ୍ତେ କହନ୍ତି ପଣ୍ତିତ ॥ ୧୮୩
ଶୁଣ ନୃପତି ପୁରୁଷର । ଏଥୁଟି ହାନି ନାହିଁ ପର ॥ ୧୮୪
ବିଷୟ-ସୁଖ ଭୋଗ ଲାଗି । ହୁଅଇ ଆତ୍ମାବଧେ ଭାଗୀ ॥ ୧୮୫
ଯେ ନିଜ ହାନି ନ ବୁଝଇ । ତାର ବିବେକ ଗୁଣ କାହିଁ ॥ ୧୮୬
ଅର୍ଥ-କାମାଦି ଧ୍ୟାନ ରାୟେ । ଏ ସର୍ବ ବିନାଶ ଉପାୟେ ॥ ୧୮୭
ଯେ ଜ୍ଞାନବିଜ୍ଞାନରୁ ହୀନ । ତା ଜୀବ ସ୍ଥାବର ସମାନ ॥ ୧୮୮
ଯେ ଚିତ୍ତ ବ୍ରହ୍ମେ ରତି ନୋହେ । ସର୍ବ-ଅନର୍ଥେ ଭାଗୀ ହୋଏ ॥ ୧୮୯
ଅପରେ ଶୁଣ ହେ ରାଜନ । ସଙ୍ଗଟି ଅନର୍ଥ କାରଣ ॥ ୧୯୦
ସଂସାର-ତ୍ୟାଗ ଯେ ଇଚ୍ଛିବ । କେବେ ପାପୀ କ୍ରୂର ସଙ୍ଗ ॥ ୧୯୧
ଧର୍ମାର୍ଥ-କାମ-ମୋକ୍ଷ ଭଙ୍ଗ । କରଇ ପାପୀ କ୍ରୂର ସଙ୍ଗ ॥ ୧୯୨
କୁସଙ୍ଗେ ସର୍ବନାଶ ହୋଏ । ପଡଇ ମିଥ୍ୟା ମାୟା ମୋହେ ॥ ୧୯୩
ଏ ବେ ତୁ ଶୁଣ ନୃପରାଣ । ଏ ଚୁତର୍ବର୍ଗର କାରଣ ॥ ୧୯୪
ଯେ ଧର୍ମ ଅର୍ଥ କାମ ମୋକ୍ଷ । ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ ॥ ୧୯୫
ଧର୍ମାର୍ଥ କାମ ବୋଲି ଯାହା । ଅନିତ୍ୟ ମିଥ୍ୟା ବୋଲି ତାହା ॥ ୧୯୬
ଅନିତ୍ୟେ ମୃତ୍ୟୁ ଭୟ ପାଇ । ଏଣୁ ଜ୍ଞାନୀ ତା ନ ଭାବଇ ॥ ୧୯୭
ତୁରୀୟବର୍ଗ ବୋଲି ରାୟେ । ଦୁର୍ଲ୍ଲଭ ଯେ ଅର୍ଥ ଉପାୟେ ॥ ୧୯୮
ମୃତ୍ୟୁର ଭୟ ଯହିଁ ନାହିଁ । ନିତ୍ୟ ଆନନ୍ଦ ରୂପ ସେହି ॥ ୧୯୯
ଚତୁର୍ଥ-ବର୍ଗ ବହୁ ମୂଲ୍ୟ । ତୃତୀୟବର୍ଗ ନୋହେ ତୁଲ୍ୟ ॥ ୨୦୦
ଯାହାର କାଳ-ଭୟ ଅଛି । ତାହାର ସୁଖ ନାହିଁ କିଛି ॥ ୨୦୧
ଗୁଣ-କ୍ଷୋଭର ପରେ ପ୍ରାୟେ । ଯେ ଯେ ହୋଇଲେ ଭାବ ରାୟେ ॥ ୨୦୨
ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତ । ଈଶ୍ୱର-ମାୟାରେ ଯନ୍ତ୍ରିତ ॥ ୨୦୩
ଏହାଙ୍କ ଶ୍ରେୟ କେବେ ନୋହେ । ଏଣୁ ଦଣ୍ତଇ ଜନ୍ତୁରାୟେ ॥ ୨୦୪
ଆପଣେ ଅର୍ଜଇ ଅନର୍ଥ । ରାଜନ ବୁଝ ଏହି ମତ ॥ ୨୦୫
ସ୍ଥାବର ଜଙ୍ଗମାଦିଠାରେ । ଦେହ ଇନ୍ଦ୍ରିୟ ଅହଙ୍କାରେ ॥ ୨୦୬
ପ୍ରାଣ ବୁଦ୍ଧିରେ ଯେ ଆବୃତ । ଏହାଙ୍କ ହୃଦରେ ବ୍ୟକତ ॥ ୨୦୭
ଯେ ଅଧ ଉର୍ଦ୍ଧ୍ୱେଛନ୍ତି ପୂରି । ସର୍ବ-ବ୍ୟାପକ ନରହରି ॥ ୨୦୮
ଦେହକୁ କ୍ଷେତ୍ର ବୋଲି କହି । ଜୀବ ନ ଜାଣେ ଏହା ବହି ॥ ୨୦୯
ଏ ଦେହ ବହି ଅହଙ୍କାରେ । ଜୀବ ପରମ ବୁଦ୍ଧି ହରେ ॥ ୨୧୦
ଜୀବର ପ୍ରଭୁ ଭଗବାନ । ପ୍ରକାଶ କରନ୍ତି ଚେତନ ॥ ୨୧୧
ଭୋ ରାଜା ନିଶ୍ଚେ ଜାଣ ତୁହି । ଏ ଆତ୍ମା ରୂପ ତୁହି ମୁହିଁ ॥ ୨୧୨
ଏ ଆଦି ଚରାଚର ଯେତେ । ଆତ୍ମା-ସ୍ୱରୂପ ସର୍ବଭୂତେ ॥ ୨୧୩
ଯେ ଆତ୍ମା ଆଶ୍ରୟେ ଜଗତ । ଶୋଭା ପାଉଛି ସଦସତ ॥ ୨୧୪
ମାୟାରେ ହୋଇଣ ପ୍ରଭେଦ । ଜ୍ଞାନ ବିବେକେ ତାହା ଛେଦ ॥ ୨୧୫
ଆତ୍ମାକୁ ମାୟା ନ ସ୍ପରଶେ । ଯେସନେ ପବନ ଆକାଶେ ॥ ୨୧୬
କର୍ମର ମୂଳ ଏ ପ୍ରକୃତି । ଏହାକୁ ଯେ ନାଶ କରନ୍ତି ॥ ୨୧୭
ସେ ଆତ୍ମା ସର୍ବଠାରେ ଯୁକ୍ତ । ଲିପ୍ତ ହୋଇଣ ଥାଇ ମୁକ୍ତ ॥ ୨୧୮
ସେ ଶୁଦ୍ଧ ପରମ-ପୁରୁଷ । ତାରେ ଶରଣ ବେଗେ ପଶ ॥ ୨୧୯
ଯାହାର ପାଦପଦ୍ମେ ଭକ୍ତି । କରି ସାଧୁଏ ନିସ୍ତରନ୍ତି ॥ ୨୨୦
ସୁଗମ ପଥ ଏ କାରଣ । ଅବିଘ୍ନେ ଲଭ ନାରାୟଣ ॥ ୨୨୧
କଠୋର ଯୋଗାଦି ସାଧନ । ସୁଗମ ଭକ୍ତି ହେ ରାଜନ ॥ ୨୨୨
ସେ ଆତ୍ମା ଆନନ୍ଦ ପାଇବ । ଭକ୍ତିରେ ଭଜ ବାସୁଦେବ ॥ ୨୨୩
ଏ ଭବ-ସମୁଦ୍ର ଅପାର । ଇନ୍ଦ୍ରିୟ-ନକ୍ର ମହା-ଘୋର ॥ ୨୨୪
ଏ ଜଳ-ତରଣେ ଯେ ଭେଳା । ତହିଁରେ ନ କର ତୁ ହେଳା ॥ ୨୨୫
ଅଷ୍ଟାଙ୍ଗଯୋଗ ଯୋଗୀ ସାଧି । ତରନ୍ତି ଯୋଗ-ଭେଳା ବାନ୍ଧି ॥ ୨୨୬
ସେ ଅତି କ୍ଳେଶେ ହୋନ୍ତି ପାର । ନୋହିଲେ ଭ୍ରମନ୍ତି ଅପାର ॥ ୨୨୭
ସୁଗମ-ତରଣୀ ଉପାୟେ । ତୁମ୍ଭଙ୍କୁ କହିଦେବା ରାୟେ ॥ ୨୨୮
ଗୋବିନ୍ଦ ଅଭୟ-ପୟର । ଯେ ଭଜେ ଭେଳା ମଧ୍ୟେ ସାର ॥ ୨୨୯
ସେ ପାଦେ କଲେ ଏକଭାବ । ସୁଖେ ତରିବ ଭବାର୍ଣ୍ଣବ ॥ ୨୩୦
ଏ ଭକ୍ତିଯୋଗ ସୁସାଧନ । ମୋକ୍ଷକୁ ପରମ-କାରଣ ॥ ୨୩୧

ମୈତ୍ରେୟ ଉବାଚ

ଏମନ୍ତ ଶୁଣ ହେ ବିଦୁର । ଯେ ଜ୍ଞାନ କହିଲେ କୁମାର ॥ ୨୩୨
ପୃଥୁ ଶ୍ରବଣେ ଆତ୍ମାଗତି । ପ୍ରଣମି ଚରଣେ ବୋଲନ୍ତି ॥ ୨୩୩

ରାଜା-ଉବାଚ

ତୁମ୍ଭେ ଦୟାଳୁ ଯୋଗୀଜନ । ସୁଭାଗ୍ୟ ତୁମ୍ଭ ଦରଶନ ॥ ୨୩୪
ଯେଣୁ ଗୋବିନ୍ଦ କୃପା ଥିଲା । ତେଣୁ ଦର୍ଶନ ମୋର ହେଲା ॥ ୨୩୫
ହରିଙ୍କି ଦେଖାଇବା ପାଇଁ । ମୋ ହିତେ ଅଇଲ ଗୋସାଇଁ ॥ ୨୩୬
ମୋର ସଂଶୟ ଯେତେ ଥିଲା । ତୁମ୍ଭ ଦର୍ଶନେ ଦୂର ଗଲା ॥ ୨୩୭
ମୋହର ମନୋରଥ ଯେତେ । ସମ୍ପୂର୍ଣ୍ଣ କରି ଦେଲ ମୋତେ ॥ ୨୩୮
ତୁମ୍ଭଙ୍କୁ କି ଭାବେ ସେବିବି । ଉତ୍ତମ ଦ୍ରବ୍ୟ କିବା ଦେବି ॥ ୨୩୯
ଦେହ ସହିତେ ଦ୍ରବ୍ୟ ମୋର । ସାଧୁଙ୍କ ଉଚ୍ଛିଷ୍ଟ ବେଭାର ॥ ୨୪୦
ସୁଦୟା କରି ସାଧୁଜନେ । ରାଜ ବିଭୂତି ତୋଷ ମନେ ॥ ୨୪୧
ସମର୍ପିଛନ୍ତି ମୋର ତହିଁ । ଏଥେ ପ୍ରଭୃତ୍ୱ ମୋର ନାହିଁ ॥ ୨୪୨
କି ଭାବେ କରିବି ସେବନ । ଏ ଦେହ ସାଧୁଙ୍କ ଅଧୀନ ॥ ୨୪୩
ଯେହ୍ନେ ବାଳକେ ସ୍ନେହ ବହି । ତାତ ଜନନୀ ଧନ ଦେଇ ॥ ୨୪୪
ପୁଣି ନ କରନ୍ତି ଗ୍ରହଣ । ଏ ସର୍ବ ତୁମ୍ଭର ଅର୍ପଣ ॥ ୨୪୫
ତୁମ୍ଭ ପ୍ରତୋଷେ ଶକ୍ୟ ନାହିଁ । ରାଜସେବକ ପ୍ରାୟେ ହୋଇ ॥ ୨୪୬
ତାଙ୍କୁ ତାମ୍ବୁଳ ନିଯୋଜନ୍ତି । ମଧ୍ୟରେ ସେବକ ବୋଲାନ୍ତି ॥ ୨୪୭
ସେ ଅନୁସାରେ ମୋ ବିଚାର । ଯେ କିଛି ଦ୍ରବ୍ୟ ଅଛି ମୋର ॥ ୨୪୮
ପ୍ରାଣ ତନୟ ଆଦି ଯେତେ । ଏ ରାଜ-ବିଭୂତି ସହିତେ ॥ ୨୪୯
ଅପରେ ଚତୁରଙ୍ଗ ବଳ । ସମର୍ପି ଅଛି ମୁଁ ସକଳ ॥ ୨୫୦
ଏଥେ ମୋ ନାହିଁ ଅଧିକାର । ମୋ ପ୍ରଭୁ ବ୍ରହ୍ମାଣ୍ତ ଠାକୁର ॥ ୨୫୧
ଯେ ସର୍ବ-ସେନା ଅଧିପତି । ଦଣ୍ତ-ଅଦଣ୍ତ ରାଜନୀତି ॥ ୨୫୨
ସକଳ-ଲୋକେ ଅଧିକାର । ଏ ସର୍ବ ବେଦବିଦଙ୍କର ॥ ୨୫୩
ସେ ବିପ୍ରେ ନିଜ-ଧନେ ଶାନ୍ତି । ଜୀବଙ୍କୁ କଲ୍ୟାଣେ ପାଳନ୍ତି ॥ ୨୫୪
ବ୍ରାହ୍ମଣ-ଅନୁଗ୍ରହେ ଅନ୍ନ । ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ ॥ ୨୫୫
ବ୍ରହ୍ମା-ସର୍ଜନେ ଏ ଜଗତେ । ଅଛି ଅପୂର୍ବ-ଦ୍ରବ୍ୟ ଯେତେ ॥ ୨୫୬
ଏ ସର୍ବ ଯେବେ ସମର୍ପିବି । ତେବେ ପ୍ରତୋଷି ନ ପାରିବି ॥ ୨୫୭
ନିଗମବେତ୍ତା ପ୍ରଭୁମାନେ । ମୋତେ ତୋଷିଲ ଦିବ୍ୟଜ୍ଞାନେ ॥ ୨୫୮
ଏକାନ୍ତେ ଦେଲ ଆତ୍ମାପଦ । ମୋହର ନାଶିଲ ପ୍ରମାଦ ॥ ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ଅଧମ ଜନେ କୃପାଜର ॥ ୨୬୦
ଅବ୍ୟକ୍ତ-ବ୍ରହ୍ମ ଦୃଷ୍ଟିଗତେ । ପ୍ରତ୍ୟକ୍ଷେ ଦେଖାଇଲ ମୋତେ ॥ ୨୬୧
ଅଜ୍ଞାନଭାବ ବିନାଶିଲ । ସଂସାର-ବନ୍ଧୁ ନିସ୍ତାରିଲ ॥ ୨୬୨
ଏମନ୍ତ ମହିମା ତୁମ୍ଭର । ଅଶେଷ-ଜୀବେ ହିତକର ॥ ୨୬୩
ଏଣୁ ଗୁରୁଙ୍କ ସୁକଲ୍ୟାଣ । ସାଧକ ମୋକ୍ଷର କାରଣ ॥ ୨୬୪
ଉପାୟ ନାହିଁ ମୋର କିଛି । କେବଳ ଅଞ୍ଜଳି ମୋ ଅଛି ॥ ୨୬୫

ମୈତ୍ରେୟ ଉବାଚ

ଏମନ୍ତ ସନକାଦି ଜନେ । ସନ୍ତୋଷ ପୃଥୁର ବଚନେ ॥ ୨୬୬
ନୃପ-ଶୀଳତା ପ୍ରଶଂସିଲେ । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ ॥ ୨୬୭
ସକଳ-ଜନ ଦୃଷ୍ଟିଗତେ । ସିଦ୍ଧେ ଗମିଲେ ଶୂନ୍ୟ ପଥେ ॥ ୨୬୮
ତଦନ୍ତେ ଯେ ପୃଥୁ-ରାଜନ । ମହତ-ପଣେ ସେ ପ୍ରଧାନ ॥ ୨୬୯
ଅଧ୍ୟାତ୍ମ-ମାର୍ଗରେ ରହିଲେ । ଆତ୍ମଜ୍ଞାନରେ ପୂର୍ଣ୍ଣ ହେଲେ ॥ ୨୭୦
ଆତ୍ମାରେ କରି ଅବସ୍ଥିତି । କାଳରେ କର୍ମାଦି କରନ୍ତି ॥ ୨୭୧
ସେ ଦେଶ କାଳ ଯଥୋଚିତ । ଯେମନ୍ତ ଅଛଇ ବିହିତ ॥ ୨୭୨
ସେ ଅନୁସାରେ କର୍ମ କଲେ । ବିପ୍ରଙ୍କୁ ଦାନେ ପ୍ରତୋଷିଲେ ॥ ୨୭୩
ନିଜ ପରଜାଗଣ ରାଇ । ଅତି ଆନନ୍ଦେ ଦୟା ବହି ॥ ୨୭୪
କହନ୍ତି ଭବସିନ୍ଧୁ ପାର । ଅମୃତୁ ସୁସ୍ନିଗଧ ମଧୁର ॥ ୨୭୫
ହେ ପୁତ୍ରେ ସାବଧାନେ ଶୁଣ । ଯେଣେ ହୋଇବ ପରିତ୍ରାଣ ॥ ୨୭୬
କହିବା ତହିଁର ଉପାୟ । ଯେଣେ ଖଣ୍ତିବ ମୃତ୍ୟୁଭୟ ॥ ୨୭୭
ସକଳେ କୃଷ୍ଣ ଆଶ୍ରେ କର । ଏ ଘୋର-ସଂସାରୁ ନିସ୍ତର ॥ ୨୭୮
ଯେ କୃଷ୍ଣ-ଚରଣେ ସେବନ୍ତି । ଏ ଭବଭୟ ନିବାରନ୍ତି ॥ ୨୭୯
ଆମ୍ଭର ବାକ୍ୟ ଦୃଢେ ଧର । ରାଜସ୍ୱ-ଭୟ ପରିହର ॥ ୨୮୦
ଆୟୁଷ ଧର୍ମ ଧନ ଯେତେ । ଆମ୍ଭେ ପାଇଲୁ ତୋଷଚିତ୍ତେ ॥ ୨୮୧
ଏମନ୍ତ ମଧୁର-ବଚନେ । ପ୍ରଜା ଶିଖାଇ ପ୍ରବୋଧନେ ॥ ୨୮୨
ଅର୍ପଣ କରି କାମ୍ୟଫଳ । ନିବୃତ୍ତ ହୋଇଲେ ଭୂପାଳ ॥ ୨୮୩
ମୁଁ ଆତ୍ମା ପ୍ରକୃତିରୁ ପର । ଅଧ୍ୟକ୍ଷ କର୍ମମାନଙ୍କର ॥ ୨୮୪
ଆତ୍ମାକୁ ଏମନ୍ତ ସେ ମଣି । ଗୃହେ ରହିଲେ ନୃପମଣି ॥ ୨୮୫
ସମ୍ପଦ ପରିପୂର୍ଣ୍ଣେ ଛନ୍ତି । ଇନ୍ଦ୍ରିୟ-ଭୋଗ ନ ଇଚ୍ଛନ୍ତି ॥ ୨୮୬
ଛାଡି ସକଳ ଅହଙ୍କାର । ବିଷୟ ଆଦି ଯେ ବିକାର ॥ ୨୮୭
କେଉଁ କର୍ମରେ ଲିପ୍ତ ନୋହି । ସୂର୍ଯ୍ୟ କିରଣ ପ୍ରାୟ ହୋଇ ॥ ୨୮୮
ଏ ରୂପେ ଅଧ୍ୟାତ୍ମ-ଯୋଗରେ । କର୍ମ ଆଚରନ୍ତି ସଂସାରେ ॥ ୨୮୯
ତାହାଙ୍କ ଅର୍ଚ୍ଚି ନାମେ ରାଣୀ । ପ୍ରତ୍ୟକ୍ଷେ ଲକ୍ଷ୍ମୀ ଠାକୁରାଣୀ ॥ ୨୯୦
ପଞ୍ଚତନୟ ତାଙ୍କଠାରେ । ପୃଥୁ ଜନ୍ମାଇଲେ ବେଭାରେ ॥ ୨୯୧
ବିଜିତଅଶ୍ୱ ଧୂମ୍ରକେଶ । ହର୍ଯ୍ୟକ୍ଷ ଦ୍ରବିଣ ବୃକେଶ ॥ ୨୯୨
ଏ ପଞ୍ଚ-ତନୟ ତାଙ୍କର । ନୃପ ସମାନେ ଶୂର ବୀର ॥ ୨୯୩
କହିବା ଶୁଣ ହେ ବିଦୁର । ରାଜାଙ୍କ ଯେ ଗୁଣ ପ୍ରଚାର ॥ ୨୯୪
ଇନ୍ଦ୍ରାଦି ଦଶଦିଗପାଳ । ଏହାଙ୍କ ଗୁଣେ ସେ ଭୂପାଳ ॥ ୨୯୫
ସେ ନୃପ-ଅଙ୍ଗେ ଏକେ ଏକେ । ବସିଲେ ଅବୟବ ଯାକେ ॥ ୨୯୬
ବସିଲେ ସ୍ୱବୃତ୍ତି ଆବୋରି । ଶୁଣ ବିଦୁର ହେତୁ କରି ॥ ୨୯୭
ଜଗତ ପ୍ରତି-ପାଳିବାରେ । ସେ ଜନ୍ମ ଲଭିଲେ ସଂସାରେ ॥ ୨୯୮
ମନ-ବଚନ-କାୟ-ବୃତ୍ତି । ଅତି ସୁନ୍ଦର ଗୁଣ କୀର୍ତ୍ତି ॥ ୨୯୯
ଯେଣୁ ରଞ୍ଜିତ ଜନପ୍ରଜା । ତେଣୁ ତାହାଙ୍କ ନାମ ରାଜା ॥ ୩୦୦
ତା ତୁଲ୍ୟ ନାହିଁ ନୃପବର । ସମେ କି ସୋମ ପଟାନ୍ତର ॥ ୩୦୧
ସେ ରାଜା ସୂର୍ଯ୍ୟଙ୍କ ସମାନ । ତା ତେଜେ ପୃଥ୍ୱୀ ଦୀପ୍ତି ମାନ ॥ ୩୦୨
କେହି ନପାରେ ତେଜ ଧରି । ତେଣୁ ସେ ଅଗ୍ନି ସମ ସରି ॥ ୩୦୩
ରଣେ ଦୁର୍ଜୟ ମହାରାଜା । ଏଣୁ ମହେନ୍ଦ୍ର ସମ ତେଜା ॥ ୩୦୪
ସହିଷ୍ଣୁ ଗୁଣେ ସେ ପୃଥିବୀ । ଅଭୀଷ୍ଟ-ଦାନେ ସେ ସୁରଭୀ ॥ ୩୦୫
ଜୀମୂତ ପ୍ରାୟେ ବୃଷ୍ଟି କରେ । ପ୍ରଜାଙ୍କ ପ୍ରାର୍ଥନା ଯେ ପୂରେ ॥ ୩୦୬
ପୟୋଧି ତୁଲେ ଯେ ଗମ୍ଭୀର । ସୁଧୀର କନକ-ଭୂଧର ॥ ୩୦୭
ଧର୍ମ ସମାନେ ଶିକ୍ଷାକାରୀ । ଆଶ୍ଚର୍ଯ୍ୟେ ହିମାଳୟ ଗିରି ॥ ୩୦୮
କୁବେର ତୁଲେ ଧନେଶ୍ୱର । ରକ୍ଷକ ଯେହ୍ନେ ରତ୍ନାକର ॥ ୩୦୯
ଗୁଣେ ସକଳ ଜୀବେ ପ୍ରାଣ । ଶୀତଳ ପଣେ ଚନ୍ଦ୍ରଜାଣ ॥ ୩୧୦
ଜୀବନ ବଳ ତେଜ ଘେନି । ଏଣୁ ମରୁତ ସମ ମାନି ॥ ୩୧୧
କ୍ରୋଧରେ କାଳରୁଦ୍ର ସମ । ସୁନ୍ଦରେ ସମ ନୋହେ କାମ ॥ ୩୧୨
ପ୍ରାକ୍ରମେ ସମ ମୃଗଇନ୍ଦ୍ର । ଦୟାରେ ସେ ମନୁ ନରେନ୍ଦ୍ର ॥ ୩୧୩
ପ୍ରଭୁତ୍ୱ ପଣେ ଯେହ୍ନେ ବିଧି । ଗୁରୁ ସମାନେ ବ୍ରହ୍ମବାଦୀ ॥ ୩୧୪
ବିଷ୍ଣୁ ସମାନେ ଜିତେନ୍ଦ୍ରିୟ । ପାଳନେ ଗୋରୁ-ବିପ୍ରପ୍ରିୟ ॥ ୩୧୫
ବିଷ୍ଣୁ ବୈଷ୍ଣବ ଜନଠାରେ । ସେବନ୍ତି ବିନୟ ବେଭାରେ ॥ ୩୧୬
ସମେ ପ୍ରତୁଲ୍ୟ କେହି ନାହିଁ । ସଜ୍ଜନେ ଦୁତୀବ୍ରହ୍ମା ସେହି ॥ ୩୧୭
ଏ ତିନିଲୋକେ ତାଙ୍କ ଯଶ । ଯେହ୍ନେ ଶ୍ରବଣେ ହରି ରସ ॥ ୩୧୮
ଶ୍ରୀରାମ ତୁଲ୍ୟ କୀର୍ତ୍ତିକାରୀ । ଶୁଣ ଗାବନ୍ତି ନରନାରୀ ॥ ୩୧୯
ଶୁଣ ବିଦୁର ଭାଗ୍ୟବନ୍ତ । ସେ ପୃଥୁ ରାଜାର ଚରିତ ॥ ୩୨୦
ପୃଥୁ-ଚରିତ ସୁଧାରସ । ମନ-ଭ୍ରମର ତହିଁ ରସ ॥ ୩୨୧
ଅମୃତ-ରସମୟ ବାଣୀ । ଚତୁର୍ଥସ୍କନ୍ଧେ ଯାହା ଭଣି ॥ ୩୨୨
କହଇ ଦାସ ଜଗନ୍ନାଥ । ସନ୍ଥ-ଚରଣେ ଦେଇ ଚିତ୍ତ ॥ ୩୨୩
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ଦ୍ୱାବିଂଶୋଽଧ୍ୟାୟଃ ॥

ତ୍ରୟୋବିଂଶ ଅଧ୍ୟାୟ[ସମ୍ପାଦନା]

ଶୁଣି ବିଦୁର କୃତକୃତ । ନମେ ମୈତ୍ରେୟ ପାଦଗତ ॥ ୧
ଭୋମୁନି କରିବା ନିସ୍ତାର । କହ ସଂଶୟ ଯାଉ ଦୂର ॥ ୨
ପୃଥୁ କି କଲେ ଏ ଅନ୍ତରେ । ବୈକୁଣ୍ଠ ଗଲେ କି ପ୍ରକାରେ ॥ ୩
ବିଦୁର ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଗୁରି ॥ ୪

ମୈତ୍ରେୟ ଉବାଚ

ଶୁଣ ବିଦୁର ଶୁଦ୍ଧଚିତ୍ତେ । ରାଜାର କିଛିକାଳ ଅନ୍ତେ ॥ ୫
ବୃଦ୍ଧ ଶରୀର ଗ୍ରାସେ କାଳ । ଦେଖି ବିଷାଦ ମହୀପାଳ ॥ ୬
ମୁଁ ଯେ ଦ୍ୱିତୀୟ ପ୍ରଜାପତି । ଯେଣୁ ମୁଁ କଳି ସର୍ବସ୍ଥିତି ॥ ୭
ଅନ୍ନାଦି ଉତ୍ପତ୍ତି ମୁଁ କଲି । ନଗର ପୁର ବସାଇଲି ॥ ୮
ସ୍ଥାବର ଢଙ୍ଗମାଦି ଯେତେ । ଅନ୍ନ ମୁଁ ଦେଲି ଯେଝାମତେ ॥ ୯
ସାଧୁଙ୍କ ଧର୍ମ ରକ୍ଷା କଲି । ଈଶ୍ୱର ବଚନ ପାଳିଲି ॥ ୧୦
ଏ ଧର୍ମ-ରକ୍ଷା ଅର୍ଥେ ମୁହିଁ । ଜନ୍ମ ଲଭିଲି କର୍ମଭୂଇଁ ॥ ୧୧
ଏବେ ଶରୀର ବୃଦ୍ଧ ହେଲା । କାମାଦି କର୍ମହିଁ ସରିଲା ॥ ୧୨
ଏବେ କି ଅର୍ଥେ ଥିବି ମୁହିଁ । ବନେ ପଶିବି କୃଷ୍ଣ ଧ୍ୟାୟି ॥ ୧୩
ଏବେ ଶମନ ନିଜ ସ୍ଥିତି । କରିବ ବିଚାରେ ନୃପତି ॥ ୧୪
ଦୁହିତା ପ୍ରତୁଲ୍ୟେ ଧରଣୀ । ପୁତ୍ରେ ନିବେଶି ନୃପମଣି ॥ ୧୫
ପୁତ୍ରକୁ ଦେଇ ସିଂହାସନ । ଦଣ୍ତ ଛତ୍ରାଦି ନୃପ ଚିହ୍ନ ॥ ୧୬
ସକଳ ସମପି କୁମରେ । ଗମନ କଲେ ବନ ଘୋରେ ॥ ୧୭
ପୃଥିବୀ ପୃଥୁ ତ୍ୟାଗଭରେ । ଶୋକେ ରହିଲା ପୁତ୍ରଠାରେ ॥ ୧୮
ସଙ୍ଗତେ ଘେନି ଅର୍ଚ୍ଚି ନାରୀ । ରୋଦନ୍ତି ପ୍ରଜା ନଗ୍ର ପୂରୀ ॥ ୧୯
ସ୍ୱଇଚ୍ଛା ମନେ ଦୁଃଖ-ଶ୍ରମେ । ତପ ଆରାଧି ଯୋଗଧର୍ମେ ॥ ୨୦
କଠୋର ଉଗ୍ରତପେ ରାୟେ । ଯେମନ୍ତେ ପୂର୍ବେ ରାଜ୍ୟ ଜୟେ ॥ ୨୧
ଯେ ବାନପ୍ରସ୍ଥର ବିଧାନ । ନିୟମ କଲେ ସେ ରାଜନ ॥ ୨୨
ଫଳାଦି ଶାକ କଦମୂଳ । ଭୋଜନ କଲେ ମହୀପାଳ ॥ ୨୩
ଏମନ୍ତେ କେତେ କାଳାନ୍ତରେ । ତାହା ତେଜିଲେ ନୃପବରେ ॥ ୨୪
ନୀରସ-ପତ୍ର ଭୋଗ କରି । ତୁଷ୍ଟେ ଆନନ୍ଦେ ପ୍ରାଣ ଧରି ॥ ୨୫
ତାହା ଭକ୍ଷିଣ କିଛିଦିନ । ତପ ସାଧିଲେ ତୋଷମନ ॥ ୨୬
ସେ ପତ୍ରାଶନ ତେଜି ରାୟେ । ଜଳ ଆହାରେ ସୁଖମୟେ ॥ ୨୭
ଏମନ୍ତେ କିଛି କାଳାନ୍ତରେ । ଜଳ ତେଜିଲେ ନୃପବରେ ॥ ୨୮
ନିର୍ଜଳ ତପସ୍ୟା କଠୋର । କେବଳ ପବନ ଆହାର ॥ ୨୯
ପୁଣି ନିଦାଘକାଳେ ନୃପ । ତପସ୍ୟା କଲେ ପଞ୍ଚ ତାପ ॥ ୩୦
ଅଗ୍ନି ଜାଳି ଦିଗ ସକଳେ । ନିର୍ବିଘ୍ନେ ରାଜନ ବସିଲେ ॥ ୩୧
ସୂର୍ଯ୍ୟ-ମଣ୍ତଳେ ଦୃଷ୍ଟି ଧରି । ପରମ ବ୍ରହ୍ମେଧ୍ୟାନ କରି ॥ ୩୨
କୃଷ୍ଣ-ଚରଣ-ପଦ୍ମ ଆଶେ । ତପ ସାଧିଲେ ବହୁକ୍ଳେଶେ ॥ ୩୩
ବରଷା କାଳେ ମହୀପତି । ଦୁଃସହ-ଜଳଧାରେ ତିନ୍ତି ॥ ୩୪
ଶିଶିର କାଳେ ତପ କରେ । ବୁଡି ଆକଣ୍ଠ ଶୀତନୀରେ ॥ ୩୫
ଶୟନେ ଭୂମି ଶଯ୍ୟା କରି । ଏ ଘୋର-ତପସ୍ୟା ଆଚରି ॥ ୩୬
ଜିତ-ବଚନ ଉର୍ଦ୍ଧ୍ୱରେତ । ଚିତ୍ତ ସମୀର ଶାନ୍ତ ଦାନ୍ତ ॥ ୩୭
କୃଷ୍ଣ-ଚରଣ ସେବା ପାଇଁ । କଠିନ-ତପେ ନୃପସାଇଁ ॥ ୩୮
ଲୋକ-ଶିକ୍ଷାରେ ତପ କଲେ । ବିଷୟ-କର୍ମ ବିନାଶିଲେ ॥ ୩୯
ନିରତେ ପ୍ରାଣାୟାମ କରି । ଇନ୍ଦ୍ରିୟ ବିଷୟ ସଂହରି ॥ ୪୦
ଛାଡିଲେ ଅଶେଷ ବନ୍ଧନ । ଯେ କିଛି ବାସନାଦି ମାନ ॥ ୪୧
ନିଶ୍ଚଳ ଚିତ୍ତେ ନୃପବର । ଯୋଗସାଧନେ ନିଷ୍ଠାପର ॥ ୪୨
ଯେ ଜ୍ଞନ ବ୍ରହ୍ମାଙ୍କ କୁମର । କହି ଯେ ଥିଲେ ଯୋଗସାର ॥ ୪୩
ସେ ଯୋଗେ ଗୋବିନ୍ଦଚରଣ । ନିତ୍ୟେ ଆରାଧି ନୃପରାଣ ॥ ୪୪
ଶ୍ରଦ୍ଧା ଭକତି ଦୃଢ଼ଚିତ୍ତେ । ଭକ୍ତି ଜନ୍ମିଲା ହୃଦଗତେ ॥ ୪୫
ଆନନ୍ଦେ ପ୍ରେମାଙ୍ଗ-ଭକତି । ଶ୍ରୀକୃଷ୍ଣେ କଲେ ମହୀପତି ॥ ୪୬
ସେ ହରି ଭଜନ ପ୍ରବଳ । ହୋଇଳା ମନ ସୁନିଶ୍ଚଳ ॥ ୪୭
ନିର୍ମଳ-ମନ ପ୍ରକାଶିଲା । ବୈରାଗ୍ୟ ଜ୍ଞନ ଉପୁଜିଲା ॥ ୪୮
ସେ ଜ୍ଞନ-ତୀକ୍ଷ୍ମ-ଶସ୍ତ୍ରେ ରାୟେ । ଛେଦିଲେ ହୃଦୟ-ସଂଶୟେ ॥ ୪୯
ଯେ କର୍ମ-ଗ୍ରନ୍ଥି ଜୀବକୋଷ । ଜ୍ଞାନ ଖଡଗେ କଲେ ନାଶ ॥ ୫୦
ଦେହରେ ଆତ୍ମବୁଦ୍ଧି ଯେହି । ତକ୍ଷଣେ ଦୂରେ ଗଲା ସେହି ॥ ୫୧
ଏଣୁ ପାଇଲେ ଆତ୍ମଗତି । ନିରହଙ୍କାର ହେଲା ମତି ॥ ୫୨
ଏ ସର୍ବ ଯେ ଜ୍ଞାନେ ବିନାଶ । ତା ପରିହରି ନୃପଈଶ ॥ ୫୩
ଯାବତ ହରିଙ୍କ ଭଜନ । ନୋହିଛି ତାବତ ସାଧନ ॥ ୫୪
ଯେବେ ଶ୍ରୀକୃଷ୍ଣ ଭାବେ ରତି । ଶୁଦ୍ଧ ହୋଇବ ତେବେ ମତି ॥ ୫୫
ଭଜନ-ରସେ ମତ୍ତ ହୋଏ । ନ ପଡେ ଶୋକ ମାୟାମୋହେ ॥ ୫୬
ଏ ରୂପେ କଲେ ସେ ରାଜନ । ଆତ୍ମାରେ ଆତ୍ମାକୁ ଯୋଜନ ॥ ୫୭
ସେ ଯୋଗୀ ଯୋଗାସନ ବଳେ । ବ୍ରହ୍ମସ୍ୱରୂପୀ ସେ ହୋଇଲେ ॥ ୫୮
କାଳେ ଛାଡିଲେ କଳେବର । ଏ ଅନୁକ୍ରମେ ହେ ବିଦୁର ॥ ୫୯
ସୁସ୍ଥିରେ ବସି ଯୋଗାସନେ । ଦେହେ ସମୀର ସମାଧାନେ ॥ ୬୦
ବାମ-ଚରଣ ମୂଳାଧାରେ । ନିରୋଧି ଚାପିଲେ ନର୍ଭରେ ॥ ୬୧
ସେ ମୂଳାଧାରରୁ ପବନ । ଉଦ୍ଧ୍ୱର୍କୁ ଟେକିଲେ ରାଜନ ॥ ୬୨
ନାଭିରୁ ହୃଦୟ-କମଳେ । ପବନ ରଖିଲେ ସଧୀରେ ॥ ୬୩
ତହୁଁ ଷୋଡ଼ଶଦଳେ ନେଲେ । ତହୁଁ କଣ୍ଠରେ ତହୁଁ ଶିରେ ॥ ୬୪
ଏ ରୂପେ ପ୍ରାଣାଦି ପବନ । ଭେଦିଣ ଏ ଷଡଚକ୍ରେଣ ॥ ୬୫
ସେ ବ୍ରହ୍ମରନ୍ଧ୍ରେ ଯୋଗବଳେ । ଏ ସର୍ବ କରି ଏକ ଠୁଳେ ॥ ୬୬
ମନ ପବନ ଦୃଢେ ଧରି । ଭିତରେ ରହିଲେ ପାଶୋରି ॥ ୬୭
ସେ ବନେ ପୃଥୁ ନୃପନାଥ । ହେଦ ଧାରଣେ ପଞ୍ଚଭୂତ ॥ ୬୮
ଯେଝାନୁକ୍ରମେ ଯୋଗବଳେ । ସମଷ୍ଟିଭୂତେ ଲୟ କଲେ ॥ ୬୯
ପବନ ନ୍ୟାସି ସମୀରଣେ । ଯେ କିଛି ଦେହାଦି ଧାରଣେ ॥ ୭୦
କ୍ଷିତିକି ଆପ ମଧ୍ୟେ ନ୍ୟାସି । ସେ ଜଳ ଅନଳେ ନିବେଶି ॥ ୭୧
ତେଜକୁ ପବନେ ସଂହରି । ଶବଦ ତମୋଗୁଣେ ଧରି ॥ ୭୨
ଇନ୍ଦ୍ରିୟ ଗଣେ ଯୁକ୍ତ ମନ । ତାହା ଆକାଶେ କରି ଲୀନ ॥ ୭୩
ଆକାଶ ଶବଦେ ସଂହରି । ଶବଦ ତମୋଗୁଣେ ଧରି ॥ ୭୪
ଏ ଯେ ତାମସ ଅହଙ୍କାର । କାର୍ଯ୍ୟ ଯେ ମହାଭୂତ ତାର ॥ ୭୫
ଯେ ରୂପେ ଲୟ କଲେ ନୃପ । ଶୁଣ ବିଦୁର ତା ସ୍ୱରୂପ ॥ ୭୬
ପୃଥିବୀ ଗନ୍ଧେ ଲୟ କରି । ଆପକୁ ରସ ମଧ୍ୟେ ଧରି ॥ ୭୭
ତେଜକୁ ରୂପ ମଧ୍ୟେ ଥୋଇ । ପବନ ସ୍ପରଶେ ଲଗାଇ ॥ ୭୮
ଶବଦେ ଆକାଶ ସଂହରି । ଏ ସର୍ବ ତମଗୁଣେ ଭରି ॥ ୭୯
ଯେ ତମ ସା‌ତ୍ତ୍ୱିକ ରାଜସ । ଏକତ୍ୱେ କଲେ ତା ପ୍ରକାଶ ॥ ୮୦
ଇନ୍ଦ୍ରି ସହିତେ ବୁଦ୍ଧି ମନ । ଯେଝାନୁକ୍ରମେ କଲେ ଲୀନ ॥ ୮୧
ଶବଦ ଆଦି ଇନ୍ଦ୍ରିଗଣେ । ଲୀନ ହୋଇଲେ ଯେଝାସ୍ଥାନେ ॥ ୮୨
ଏହାଙ୍କ ଅଧିଷ୍ଠାତା ଦେବେ । ଲୟେ ପାଇଲେ ଯେଝାଭାବେ ॥ ୮୩
ଏକତ୍ୱେ ଅହଙ୍କାର ନେଇ । ସେ ମହତ୍ତ‌ତ୍ତ୍ୱରେ ମିଶାଇ ॥ ୮୪
ଏ ସର୍ବ-ତ‌ତ୍ତ୍ୱ ଗୁଣେ ନ୍ୟାସି । ମହତ୍ତ‌ତ୍ତ୍ୱରେ ପରକାଶି ॥ ୮୫
ସେ ମହତ୍ତ‌ତ୍ତ୍ୱ ମାୟା ମୟେ । ପ୍ରକୃତି ସଙ୍ଗେ ହେଲେ ଲୟେ ॥ ୮୬
ଜ୍ଞାନ ବୈରାଗ୍ୟ ଯୋଗବଳେ । ଏ ଜୀବ ବ୍ରହ୍ମେ ଯାଇ ମିଳେ ॥ ୮୭
ଏମନ୍ତେ ପୃଥୁ ମହୀପାଳ । ଦେହ ତେଜିଲେ ପାଇ କାଳ ॥ ୮୮
ସେ ଅର୍ଚ୍ଚି ପତିବ୍ରତା ନାରୀ । ସ୍ୱଧର୍ମେ ସ୍ୱାମୀ-ପାଦ ଧରି ॥ ୮୯
ଦେହ ଶୁଖାଇ ତପେ ଥିଲେ । ସ୍ୱାମୀର ମରଣ ଦେଖିଲେ ॥ ୯୦
ତକ୍ଷଣେ ହୋଇ ହତଜ୍ଞାନ । ଆକୁଳେ କରନ୍ତି ରୋଦନ ॥ ୯୧
ଭୋନାଥ ମୋର ପ୍ରାଣନାହା । ମୋତେ ଦେଖାଅ କିମ୍ପା ଏହା ॥ ୯୨
କପଟେ ମୁଦ୍ରିତ ଲୋଚନ । ଶ୍ୱାସ ବହଇ ଅତି କ୍ଷୀଣ ॥ ୯୩
ତୁ କାଳ ବିହନ୍ତା ଈଶ୍ୱର । ଏ ତୋର ମାୟା ଖେଡଘର ॥ ୯୪
ସ୍ଥିତି ଉତ୍ପତ୍ତି କରୁ ନାଶ । ତୁ ମାତ୍ର ରହୁ ଅବଶେଷ ॥ ୯୫
ତୁ ସର୍ବକାରଣ ମୁରାରି । କାର୍ଯ୍ୟ କାରଣେ ଦେହ ଧରି ॥ ୯୬
ତୁ କାଳ ରୂପୀ ଭଗବାନ । ଅନ୍ତେ ସକଳ କରୁ ଲୀନ ॥ ୯୭
ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ହରବ୍ରହ୍ମା ॥ ୯୮
ଯା ନାମେ ମୃତ୍ୟୁଭୟ ନାଶେ । ମୃତ୍ୟୁ ଅମୃତ୍ୟୁ ପରକାଶେ ॥ ୯୯
ଏବେ କପଟେ ମୃତ୍ୟୁ ଭୟେ । ମୋତେ ଦେଖାଅ ମାୟାମୋହ ॥ ୧୦୦
ଏ ମାୟାମୋହ ଦ୍ୱନ୍ଦ୍ୱ-ପାଶ । ପ୍ରତେଜି ତୁମ୍ଭ ପ୍ରତିଆଶ ॥ ୧୦୧
ଏବେ ଉପେକ୍ଷି ବନ ଘୋରେ । ତେଜିଣ ଗଲ ନିଜପୁରେ ॥ ୧୦୨
ମୁଁ ଯେ ନିରତେ ଅପରାଧୀ । ତୋ ପାଦେ ନ ସେବି ଦୁର୍ବୁଦ୍ଧି ॥ ୧୦୩
ସେ ଅପରାଧ ଦୋଷେ ମୋତେ । ଏବେ ତେଜିଲ ଦୁଃଖ ଚିତ୍ତେ ॥ ୧୦୪
ତୁମେ ଯେ ମୋର ମନ ଦୁଃଖେ । ବହ ସୁଦୟା-ଭାବ ସୁଖେ ॥ ୧୦୫
ଭୋ ସଖି ନ ତେଜିବି ତୋତେ । ଯାବତ ପ୍ରାଣ ଦେହଗତେ ॥ ୧୦୬
ସେ ଆଜ୍ଞା ଅଭାଗ୍ୟେ ମୋହର । ଏବେ ଫଳିଲା ଯୋଗେଶ୍ୱର ॥ ୧୦୭
ଏ ରୂପେ ବିଳପେ ସୁନ୍ଦରୀ । ଶୋକସାଗରେ ତନୁଘାରି ॥ ୧୦୮
ସେ ଅର୍ଚ୍ଚିଦେବୀ ଜ୍ଞାନବତୀ । ତକ୍ଷଣେ ଧୀର କରି ମତି ॥ ୧୦୯
ପର୍ବତ-ପ୍ରାନ୍ତେ ଚିତା କଲେ । ସ୍ୱାମୀଙ୍କି ତହିଁ ନିବେଶିଲେ ॥ ୧୧୦
ମୁଖାଗ୍ନି କରି ବିଧିମତେ । ସ୍ନାନ ଉଦକ କ୍ରିୟା ଯେତେ ॥ ୧୧୧
ସୂର୍ଯ୍ୟଙ୍କୁ କରି ଅର୍ଘ୍ୟଦାନ । ଯେ କର୍ମ ଯେ ବିଧି ବିଧାନ ॥ ୧୧୨
ଦେବଙ୍କୁ କରି ନମସ୍କାର । ସଂପୁଟେ ଯୋଡି ବେନିକର ॥ ୧୧୩
ଏ ସର୍ବ ସାରିଣ ସୁନ୍ଦରୀ । ଅଗ୍ନିକୁ ପ୍ରଦକ୍ଷିଣ କରି ॥ ୧୧୪
ପ୍ରବେଶ ଅଗ୍ନି ମଧ୍ୟେ ଯାଇ । ଦେବେ ଦେଖନ୍ତି ଶୂନ୍ୟେ ଥାଇ ॥ ୧୧୫
ସିଦ୍ଧ ଚାରଣ ବିଦ୍ୟାଧର । ଇନ୍ଦ୍ରାଦି ଯେତେ ଅନୁଚର ॥ ୧୧୬
ଯେ ଯାହା ମତେ କରି ସ୍ତୁତି । ଆନନ୍ଦେ ପୁଷ୍ପ ବରଷନ୍ତି ॥ ୧୧୭
ଦୁନ୍ଦୁଭି ବାଦ୍ୟ-ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୧୮
ମଙ୍ଗଳାଳାପେ ଶୁଦ୍ଧ-କାଳେ । ସେ ପତିପତ୍ନୀ ଏକମେଳେ ॥ ୧୧୯
ଆକାଶେ ଯାନ୍ତି ଦେବଯାନେ । ଯେହ୍ନେ ତଡିତ ନବଘନେ ॥ ୧୨୦
ଦେବେ ଆନନ୍ଦେ ସ୍ତୁତି ଭଣି । ଶିରେ ନିବେଶି ବେନିପାଣି ॥ ୧୨୧
ପ୍ରଶଂସି ଦେବୀ ଜଣେ ଜଣେ । ଆନନ୍ଦେ ଅଶ୍ରୁଳ ଲୋଚନେ ॥ ୧୨୨
ଧନ୍ୟ ସାଧବୀ ପତିବ୍ରତା । ସ୍ୱାମୀ-ସେବାରେ ଅନୁରତା ॥ ୧୨୩
ତେଜିଣ ଅଚଳ-ବିଭୂତି । ସ୍ୱାମୀର ସଙ୍ଗତେ ଚଳନ୍ତି ॥ ୧୨୪
ଯେଣୁ ଏ ପୂର୍ବେ ତପ କଲେ । ତେଣୁ ଦେବଙ୍କ ଉର୍ଦ୍ଧ୍ୱେ ଗଲେ ॥ ୧୨୫
ଯେସନେ ଲକ୍ଷ୍ମୀନାରାୟଣ । ଏ ବେନି ଦିଶନ୍ତି ତେସନ ॥ ୧୨୬
ଲକ୍ଷ୍ମୀ ସଦୃଶ ଏ ଯୁବତୀ । ଲଭିଲେ ଏକାଙ୍ଗ ଭକତି ॥ ୧୨୭
ଯେଣୁ ସୁକର୍ମ କରିଛନ୍ତି । ତେଣୁ ଲଭିଲେ ନିଜପତି ॥ ୧୨୮
ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି । ଅଳ୍ପ-ଆୟୁଷ ପ୍ରାଣୀ ଜନ୍ମି ॥ ୧୨୯
ସ୍ୱଧର୍ମ-କର୍ମ ଆଦରନ୍ତି । ସକଳ ଆପଦୁ ତରନ୍ତି ॥ ୧୩୦
ନିଷ୍ପାପ ଅଟେ ଯେଉଁ ନର । ସ୍ୱର୍ଗାପବର୍ଗ ନୋହେ ଦୂର ॥ ୧୩୧
ଏଣୁ ନିଷ୍କାମ ଯାର ମତି । ସେ ଲଭେ ଏକାନ୍ତ ଭକତି ॥ ୧୩୨
ସ୍ୱର୍ଗାଦି ଭୋଗ କିବା ତାର । ଯହିଁ ବସନ୍ତି ଭକ୍ତ ନର ॥ ୧୩୩
କୃଷ୍ଣ-ଚରିତ ନିତ୍ୟେ ଭାବି । ରୋମ ପୁଲକେ ଅଶ୍ରୁ ଦ୍ରବି ॥ ୧୩୪
ନିର୍ମଳ ହୋଏ ବୁଦ୍ଧି ମତି । ଅଜ୍ଞାନ ମୋହ ବିନାଶନ୍ତି ॥ ୧୩୫
ଏ ଭାବ ନ ଘେନେ ଯା ଚିତ୍ତ । ସେ ଦୁଃଖସାଗରେ ପୀଡିତ ॥ ୧୩୬
ସେ ଆତ୍ମାବୋଧେ ଭାଗୀହୋଇ । ଯେ ନିତ୍ୟେ ବିଷୟେ ମଜ୍ଜଇ ॥ ୧୩୭
ଏମନ୍ତେ ଶୁଣ ହେ ବିଦୁର । ସେ ଦେବ କାମିନୀ ବିଚାର ॥ ୧୩୮
ସେ ଅର୍ଚ୍ଚିଦେବୀଙ୍କି ସ୍ତୁବନ୍ତି । ପ୍ରବେଶ ପତିଲୋକେ ସତୀ ॥ ୧୩୯
ସେ ପୃଥୁ ଭକତ-ଉତ୍ତମ । ଯାହାଙ୍କ ଚରିତ ଉଦ୍ଦାମ ॥ ୧୪୦
ବର୍ଣ୍ଣିଲୁ ତାହାଙ୍କ ଚରିତ । ଶ୍ରବଣେ ହୁଅ ଶୁଦ୍ଧଚିତ୍ତ ॥ ୧୪୧
ସେ ପୃଥୁ ପୁଣ୍ୟ-ଉପାଖ୍ୟାନ । ଶ୍ରଦ୍ଧାରେ ପଢନ୍ତି ଯେ ଜନ ॥ ୧୪୨
ସେ ପୃଥୁ ପଦକୁ ଲଭନ୍ତି । ଜନ୍ମ ମରଣୁ ନିସ୍ତରନ୍ତି ॥ ୧୪୩
ଏ ଚାରିବର୍ଣ୍ଣ ମଧ୍ୟଗତେ । ପଢନ୍ତି ଶୁଣନ୍ତି ଯେ ନିତ୍ୟେ ॥ ୧୪୪
ତା ସର୍ବକାମ ସିଦ୍ଧି ହୋଏ ସିଦ୍ଧି । ସକଳ-ବର୍ଣ୍ଣେ ସେ ପ୍ରସିଦ୍ଧି ॥ ୧୪୫
ଯେ ବିପ୍ରଜନ ଏହା ପଢେ । ବ୍ରହ୍ମପଦକୁ ଲଭେ ଦୃଢ଼େ ॥ ୧୪୬
କ୍ଷତ୍ରିୟ କଲେ ଅଧ୍ୟୟନ । ରାଜତ୍ୱ ପଣେ ସେ ନିପୁଣ ॥ ୧୪୭
ଗାୟନ କଲେ ବୈଶ୍ୟଜନ । କୃଷ୍ୟାଦି କାଣିଜ୍ୟେ ନିପୁଣ ॥ ୧୪୮
ସେ ଜ୍ଞାନୀଜନେ ଶ୍ରେଷ୍ଠ ହୋଇ । ଧର୍ମାଥୀଜୀବନେ ଜୀଅଇ ॥ ୧୪୯
ଶ୍ରବଣେ ଶୂଦ୍ର ହୋଏ ସୁଖୀ । ଭକତ ମଧ୍ୟେ ତାକୁ ଲେଖି ॥ ୧୫୦
ତ୍ରିକାଳ ଶ୍ରବଣ କୀର୍ତ୍ତନେ । ଯେ ନରନାରୀ ଶୁଦ୍ଧମନେ ॥ ୧୫୧
ସକଳ-କାମାର୍ଥ ଲଭନ୍ତି । ଭୋଗାନ୍ତେ ଦୈକୁଣ୍ଠେ ବସନ୍ତି ॥ ୧୫୨
ନିର୍ଦ୍ଧନ-ଅପୁତ୍ରିକ-ଜନ । ଲଭେ ଅପତ୍ୟ ବହୁ-ଧନ ॥ ୧୫୩
ଅକୀର୍ତ୍ତମନ୍ତ ଯେବା ଜନ । ଶ୍ରବଣେ ଲଭେ କୀର୍ତ୍ତିମାନ ॥ ୧୫୪
ସେ ଣ୍ୟେ ପୃଥୁର ଚରିତ । ଶ୍ରବଣେ ମୂର୍ଖ ସୁପଣ୍ତିତ ॥ ୧୫୫
ଯେ ପ୍ରତିଦିନେ ଅଧ୍ୟୟନ୍ତି । ଅଶୁଭ କର୍ମ ବିନାଶନ୍ତି ॥ ୧୫୬
ଯଶ ଆୟୁଷ ଧନ ଆର । ଶ୍ରବଣେ ବଢ଼େ ନିରନ୍ତର ॥ ୧୫୭
ଅପରେ ଧର୍ମ ଅର୍ଥ ଚାରି । ଲଭନ୍ତି ତ୍ରିତାପ ନିବାରି ॥ ୧୫୮
ଯେବେ କ୍ଷତ୍ରିୟ ରିପୁ ଭୟେ । ଶ୍ରବଣେ ଚତୁର୍ଦ୍ଦିଗ ଜୟେ ॥ ୧୫୯
ଏ ସର୍ବ କର୍ମଫଳ ପାଇ । ଯେ ଅବା ନିରତେ ଶୁଣଇ ॥ ୧୬୦
ଏ ପୁଣ୍ୟ ପୃଥୁର ଚରିତ । ସଦ୍ୟ ବିଶୁଦ୍ଧ ହୋଏ ଚିତ୍ତ॥ ୧୬୧
ପଠନ କରେ ଯେବା ପ୍ରାଣୀ । ସୁସାଧୁ ମଧ୍ୟେ ତାକୁ ଗଣି ॥ ୧୬୨
ଯେ ମୁଖେ କରନ୍ତି ଗାୟନ । ବିଶୁଦ୍ଧ ହୋଏ ବୁଦ୍ଧି ମନ ॥ ୧୬୩
ତାର ଅଶେଷ ପୁଣ୍ୟମୟେ । ବିପ୍ର କଲ୍ୟାଣେ ତାର ହୋଏ ॥ ୧୬୪
ବ୍ରାହ୍ମଣ-ମୁଖୁ ଯେବେ ଶୁଣି । ଅନ୍ୟତ୍ରୁ ଚତୁର୍ଗୁଣ ଜାଣି ॥ ୧୬୫
ବିପ୍ର-ପୂଜନେ ହରି ତୋଷ । ତାଙ୍କୁ ନ ଲାଗେ ଗୁଣ-ଦୋଷ ॥ ୧୬୬
ଶୁଣ ବିଦୁର ସାବଧାନେ । ସେ ପୃଥୁ ଚରିତ ଆଖ୍ୟାନେ ॥ ୧୬୭
ଅମୃତ ରସମୟ ଗୀତ । ଶ୍ରବଣେ ନିସ୍ତରେ ପତିତ ॥ ୧୬୮
ପାର୍ଥବୀ ଗତି ହୋଏ ତାର । ସ୍ୱର୍ଗାପବର୍ଗ ନୋହ ଦୂର ॥ ୧୬୯
ଏ ମୋହ-ସଂସାର ତାରଣେ । ଅନ୍ୟଥା ନାହିଁ ଉଦ୍ଧାରଣେ ॥ ୧୭୦
ଚତୁର୍ଥ ସ୍କନ୍ଧେ ଭାଗବତ । ତ୍ରିବିଂଶ-ଅଧ୍ୟାର ଚରିତ ॥ ୧୭୧
ମୈତ୍ରେୟ-ବିଦୁର ସମ୍ବାଦ । ଶ୍ରବଣେ ଖଣ୍ତଇ ଆପଦ ॥ ୧୭୨
ଶୁଣନ୍ତେ ତୁଟେ ଭବବ୍ୟାଧି । ଶ୍ରବଣେ ପାପ-ବନ୍ଧ ଛେଦି ॥ ୧୭୩
ହରି-ଚରଣ ଆଶ୍ରେ କର । ସକଳ-ପାପ ହେବ ଦୂର ॥ ୧୭୪
ସୁଜନେ ଏହି ରସେ ରସ । ଭଣଇ ଜଗନ୍ନାଥ ଦାସ ॥ ୧୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସିଂହତାୟାଂ ଚତୁର୍ଥ ସ୍କନ୍ଧେ ତ୍ରୟବିଂଶୋଽଧ୍ୟାୟଃ ॥

ଚତୁର୍ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଯେ ପଞ୍ଚ ପୃଥୁଙ୍କ କୁମର ॥ ୧
ବିଜିତଅଶ୍ୱ ନାମ ଯାର । ବସିଲା ନୃପାସନେ ବୀର ॥ ୨
ତାର ଅନୁଚାଜା-ତରି ଭ୍ର । ରାଜ୍ୟ-ବିଭାଜେ ଯଥୋଚିତ ॥ ୩
ଉତ୍ତର ଦକ୍ଷିଣ ପଶ୍ଚିମେ । ପୂର୍ବାଦି ଚାରି ଅନୁକ୍ରମେ ॥ ୪
ହର୍ଯ୍ୟାକ୍ଷ ନାମେ ଯେ କୁମର । ତାହାକୁ ପୂର୍ବେ ଅଧିକାର ॥ ୫
ଧୂମ୍ରକେଶକୁ ଦେଲେ ଭୂପ । ଦକ୍ଷିଣଦିଗେ ସେ ଅଧିପ ॥ ୬
ପଶ୍ଚିମେ ବୃକ ନୃପରାଣ । ଉତ୍ତର ଦିଗେଣ ଦ୍ରବିଣ ॥ ୭
ବିଜିତଅଶ୍ୱ ନାମ ଯାର । ସେ ଜ୍ୟେଷ୍ଠ ପୃଥୁଙ୍କ କୁମର ॥ ୮
ଦ୍ୱିତୀୟେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ସୁରୋତ୍ତମ ॥ ୯
ଶୁଣି ବିଦୁର ହରଷିତ । ନାମେ ମୈତ୍ରେୟ ପାଦଗତ ॥ ୧୦

ବିଦୁର ଉବାଚ

କିମର୍ଥେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ମଘବାନ ॥ ୧୧
ଏ ବଡ ସଂଶୟ ମୋ ଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୧୨
ଏମନ୍ତ ତାର ବାକ୍ୟ ଶୁଣି । କହେ ମୈତ୍ରେୟ ମହାମୁନି ॥ ୧୩

ମୈତ୍ରେୟ ଉବାଚ

ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ । ଅମୃତ ପୃଥୁର ଚରିତ ॥ ୧୪
ଶ୍ରବଣେ ଇଚ୍ଛା ଯେବେ ତୋର । କହିବା ସେ ପୂର୍ବ ବିଚାର ॥ ୧୫
ପୃଥୁ ଯେ ଅଶ୍ୱମେଧ କଲେ । ସକଳ ଦେବଙ୍କୁ ବରିଲେ ॥ ୧୬
ଯଜ୍ଞେ ପୂଜିଲେ ଭଗବାନ । ବେଦୋକ୍ତ କର୍ମେ ଧରି ମନ ॥ ୧୭
ଯଜ୍ଞ-ବିଧାନେ ବିଧି ଯେତେ । ସମ୍ଭାର କରି ନାନାମତେ ॥ ୧୮
ଏମନ୍ତେ ଯଜ୍ଞାହୁତି କାଳେ । ଅଶ୍ୱ ହରିଲା ଇନ୍ଦ୍ର ଛଳେ ॥ ୧୯
ବିଜିତଅଶ୍ୱ ତାହା ଜାଣି । ଇନ୍ଦ୍ର ନ ମାରି ଅଶ୍ୱ ଆଣି ॥ ୨୦
ତା ଦେଖି ତୋଷେ ପୁରନ୍ଦର । ଭୋ ବୀର ବେଗେ ମାଗ ବର ॥ ୨୧
ତା ଶୁଣି ସେ ପୃଥୁ ନନ୍ଦନ । ଅତି ଆନନ୍ଦେ ତୋଷମନ ॥ ୨୨
ମୋହର ବରେ କାର୍ଯ୍ୟ ନାହିଁ । ଯେବେ ଯାଚିଲ ସୁରସାଇଁ ॥ ୨୩
ଏ ତୋର ଅନ୍ତର୍ଦ୍ଧନ ଗତି । ପ୍ରସନ୍ନେ ଦିଅ ଶଚୀପତି ॥ ୨୪
ଶୁଣି ସନ୍ତୋଷ ମଘବାନ । ତାହାକୁ ଦେଲେ ଅନ୍ତର୍ଦ୍ଧାନ ॥ ୨୫
ସେ ଘେନି ଅନ୍ତର୍ଦ୍ଧନ ନାମ । ଜଗତେ କରନ୍ତି ଗାୟନ ॥ ୨୬
ସେ ବୀର ନିଜ ରାଜ୍ୟେ ରାଜା । ଧର୍ମେ ପାଳଇ ଜନ ପ୍ରଜା ॥ ୨୭
ତାର ଶିଖଣ୍ତୀ ନାମେ ନାରୀ । ରୂପେ କାମିନୀ ମନୋହାରୀ ॥ ୨୮
ତାହାର ଗର୍ଭେ ନୃପ-ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ॥ ୨୯
ପାବକ ପବମାନ ଶୁଚି । ତେଜ ଶରୀର ଶୁଭ୍ରରୁଚି ॥ ୩୦
ଅଗ୍ନି ଯେ ବଶିଷ୍ଠ ଶାପରୁ । ଜନ୍ମିଲେ ଏ ତିନି ଯୋଗରୁ ॥ ୩୧
ଆର ଯେ ପତ୍ନୀ ନଭସ୍ୱତୀ । ସେ ଅନ୍ତର୍ଦ୍ଧାନର ଯୁବତୀ ॥ ୩୨
ତାହାର ଗର୍ଭେ ଯେ କୁମର । ହବିର୍ଦ୍ଧାନ ନାମ ତାହାର ॥ ୩୩
ତାହାକୁ କଲେ ସେ ନୃପତି । ତା ଅଶେ ରାଜାର ସନ୍ତତି ॥ ୩୪
ସେ ଅନ୍ତଦ୍ଧାନ ନୃପରାୟେ । ବିଷୟଭୋଗ ନ ଯୋଗାଏ ॥ ୩୫
ସେ ଜ୍ଞାନ-ବୈରାଗ୍ୟେ ନୃପତି । ତେଜିଣ ଅଚଳ ବିଭୂତି ॥ ୩୬
ମନେ ବିଚାରେ ନୃପରାଣ । ଏ ସର୍ବ ଅନର୍ଥ କାରଣ ॥ ୩୭
ରାଜସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ଧର୍ମ ନ ଜାଣଇ ॥ ୩୮
କରଇ ଶତ୍ରୁ-ମିତ୍ରଭାବ । ସକଳ-ଘେଟ ଏକ -ଜୀବ ॥ ୩୯
ରାଜତ୍ୱ-ଧର୍ମେ କ୍ରୋଧ ବହି । ପ୍ରଜା ପୀଡ଼ନ୍ତି ଧନ ପାଇଁ ॥ ୪୦
ଅଧର୍ମ-ମାର୍ଗେ ନ୍ୟନ୍ତି ବଳେ । ପ୍ରଜା କ୍ଷୋଭିତ କ୍ଷୁଧାକୁଳେ ॥ ୪୧
ପ୍ରଜାବିନାଶେ ଘୋର-ପାପ । ନରକେ ପଡନ୍ତି ଅଧିପ ॥ ୪୨
ପୋଡୁ ଏ ରାଜ୍ୟେ କାର୍ଯ୍ୟ ନାହିଁ । ଯଜ୍ଞ କରିବା ସୁଖେ ରହି ॥ ୪୩
ଯଜ୍ଞର ଛଳେ ସେ ରାଜନ । ତେଜିଲେ ନୃପ ସିଂହାସନ ॥ ୪୪
ନିଷ୍କାମ-ପଥ ଆଶ୍ରେ କଲେ । ପରମ ପୁରୁଷ ଭଜିଲେ ॥ ୪୫
ସେ ହଂସଦୀକ୍ଷାରେ ରାଜନ । ଗମିଲେ ବୈକୁଣ୍ଠ ଭୁବନ ॥ ୪୬
ସେ ହବିର୍ଦ୍ଧାନ ତା କୁମର । ବସିଳା ନୃପାସନେ ବୀର ॥ ୪୭
ତା ପତ୍ନୀ ନାମ ହବିର୍ଦ୍ଧାନୀ । ସୁର-ମୋହିନୀ ସୁଲୋଚନୀ ॥ ୪୮
ତାହାର ଗର୍ଭେ ଷଡ଼ ସୁତ । ଜନ୍ମିଲେ ତେଜେ ବଳବନ୍ତ ॥ ୪୯
ବର୍ହିଷଦ ଯେ ଶୁକ୍କ ସତ୍ୟ । କୃଷ୍ଣ ଗୟ ଯେ ଜିତବ୍ରତ ॥ ୫୦
ସେ ହବିର୍ଦ୍ଧାନର ସନ୍ତତି । ମହତ-ଗୁଣ ତାର ଅତି ॥ ୫୧
ଏ ଛଅ ମଧ୍ୟେ ବର୍ହିଷଦ । ହୋଇଲେ ଭୂପ ଭାଗ୍ୟବନ୍ତ ॥ ୫୨
ସୌଭାଗ୍ୟବାନ ପ୍ରଜାପତି । ରଖିଲେ ଜଗତରେ ଖ୍ୟାତି ॥ ୫୩
ହୋଇଲେ ଶୁଭକାର୍ଯ୍ୟେ ବ୍ରତୀ । ପ୍ରାଣାୟାମାଦି ଯୋଗେ ରତି ॥ ୫୪
ସେ ଭାଗ୍ୟବନ୍ତ ଦଣ୍ତଧର । ତା ଯଶ ତ୍ରୈଲୋକ୍ୟେ ବିସ୍ତାର ॥ ୫୫
ସେ କ୍ରିୟାକାଣ୍ତରେ ନିପୁଣ । ଅଦ୍ଭୁତ ତାର କର୍ମମାନ ॥ ୫୬
ଯେ କର୍ମ କଲା ଏ ଜଗତେ । ଶୁଣ ବିଦୁର କହୁଁ ତୋତେ ॥ ୫୭
ଭୂତ ଭବିଷ୍ୟ ବର୍ତ୍ତମାନେ । ନ ଦେଖି ଏ ତିନି ଭୁବନେ ॥ ୫୮
ତା ଯଜ୍ଞେ ପ୍ରାଚୀ-ନଗ୍ର ସ୍ଥଳ । କୁଶେ ଆଚ୍ଛାଦିଲା ସକଳ ॥ ୫୯
ଏଣୁ ତା ନାମ ମହୀତଳେ । ପ୍ରାଚୀନ-ବରହିଷ ବୋଲେ ॥ ୬୦
ସେ ଯେ ପ୍ରାଚୀନ ମହୀପତି । ବିବାହ ସମୁଦ୍ର ଦୁହିତୀ ॥ ୬୧
ସେ ଶତଦ୍ରୁତି କନ୍ୟା ସାର । ତ୍ରୈଲୋକ୍ୟେ ନାହିଁ ପଟାନ୍ତର ॥ ୬୨
ତାର ଚରିତ ପୂର୍ବ-କଥା । ହୋଇଲା ଯେବଣ ବ୍ୟବସ୍ଥା ॥ ୬୩
ବ୍ରହ୍ମା ତାହାର ପୁରେ ଆସି । କନ୍ୟାକୁ କହିଲେ ବିଶ୍ୱାସି ॥ ୬୪
ବ୍ରହ୍ମା ବଚନେ ସିନ୍ଧୁପତି । ରାଜାରେ ବରିଲେ ଦୁହିତୀ ॥ ୬୫
ସେ ଯେ ପ୍ରାଚୀନ ନୃପବରା । ବିଭା-ସଂଯୋଗେ କନ୍ୟାବର ॥ ୬୬
ଅଗ୍ନି-ପ୍ରଦକ୍ଷିର କରନ୍ତେ । ଯେହ୍ନେ ଚଣ୍ତାଂଶୁ ଭୂମିଗତେ ॥ ୬୭
ସେ କନ୍ୟା ରୂପେ ହୁତାଶନ । ଅନଙ୍ଗେ ହୋଇଲା ଅଧୀନ ॥ ୬୮
ସପ୍ତର୍ଷି-ଯଜ୍ଞେ ଋଷିପତ୍ନୀ । ଦେଖି କାମୁକ ହେଲେ ଅଗ୍ନି ॥ ୬୯
ତାହାଙ୍କ ପତ୍ନୀ ସ୍ୱାହା ଜାଣି । ଋଷିପତ୍ନୀଙ୍କ ରୂପ ଘେନି ॥ ୭୦
ଅଗ୍ନିଙ୍କଠାରେ ଉଭା ହେଲେ । ଅଗ୍ନି ଯେ ଆଲିଙ୍ଗନ କଲେ ॥ ୭୧
ଏହି ପ୍ରକାରେ ହୁତାଶନ । ଶତଦ୍ରୁତିର ପ୍ରେମେ ମଗ୍ନ ॥ ୭୨
ସେ ଶତଦ୍ରୁତି ରୂପବତୀ । ଚରଣେ ନୂପୁର ଶୋଭନ୍ତି ॥ ୭୩
ସେ ମତ୍ତ ଦ୍ୱିରଦ ଗାମିନୀ । ଚରଣେ ନୂପୁର ବାଜେଣି ॥ ୭୪
ଶ୍ରବଣେ ଅନଙ୍ଗ ପୀଡ଼ିତ । ମୂର୍ଖ ପଣ୍ତିତ ଶୂରବନ୍ତ ॥ ୭୫
ତା ରୂପ ଦେଖି ବୁଦ୍ଧଜନେ । ମୋହେ ପଡ଼ିଲେ ହତଜ୍ଞାନେ ॥ ୭୬
ଅମର କିନ୍ନର ଉରଗ । ସିଦ୍ଧ ଚାରଣ ଖଗମୃଗ ॥ ୭୭
ଇତ୍ୟାଦି ପଶୁଜୀବ ଯେତେ । ତା ରୂପେ ହେଲେ ବିମୋହିତେ ॥ ୭୮
ତାହାଙ୍କ ତୁଲ୍ୟ ଏ ଜଗତେ । ନ ଦେଖି ସ୍ୱର୍ଗ-ମର୍ତ୍ତ୍ୟଗତେ ॥ ୭୯
ପ୍ରାଚୀନବରହି ରାଜନ । ତାରୂପେ ହୋଇଲା ଅଧୀନ ॥ ୮୦
ସକଳ-ଧର୍ମ ପରିହରି । ତା ବଶେ ନିତ୍ୟେ ଦଣ୍ତଧାରୀ ॥ ୮୧
ସେ କ୍ରୀଡାମୃଗ ଜୀବ ପ୍ରାୟ । ତା ବଶେ ଧର୍ମ କଲା କ୍ଷୟ ॥ ୮୨
ତା ବିନା-ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ॥ ୮୩
ରାତ୍ର-ଦିବସ ନ ଜାଣିଲା । ତା ଅଙ୍ଗସଙ୍ଗେ ଦିନ ନେଲା ॥ ୮୪
ସେ ପତ୍ନୀ-ଗର୍ଭେ ତାର ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ॥ ୮୫
ଦଶକୁମର ଆତ୍ମା ଏକ । ଶୁଭ୍ର ସୁନ୍ଦର ସୁବିବେକ ॥ ୮୬
ସମ ଆକୃତି ରୂପ-ବେଶ । ଏକଇ ନାମ ପ୍ରଚେତସ ॥ ୮୭
ତାହାଙ୍କୁ ଚାହିଁ ନୃପବର । ବୋଇଲେ ପ୍ରଜା ସୃଷ୍ଟି କର ॥ ୮୮
ତକ୍ଷଣେ ପିତା ଆଜ୍ଞା ପାଇ । ସେ ପ୍ରଚେତସ ଦଶ ଭାଇ ॥ ୮୯
ତପ-ସାଧନେ ଆଗମନ । ପଥରେ ଭେଟିଲେ ଈଶାନ ॥ ୯୦
ବୃଷଭ-ବାହନେ ମହେଶ । ଡ଼ମ୍ବରୁ ବାଦ୍ୟ ନାଦ ଘୋଷ ॥ ୯୧
ଶିରେ ସୁଧାଂଶୁ ଶୋଭକର । ଜାହ୍ନବୀ ସ୍ରବେ ଜଟାଭାର ॥ ୯୨
ଉଚ୍ଚେ ଉଚାରି ମୁଖେ ନାମ । ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ ॥ ୯୩
ଗୋବିନ୍ଦ ଗୋପାଳ ଶ୍ରୀହରି । ହେ ହୃଷୀକେଶ ଦଇତ୍ୟାରି ॥ ୯୪
ଆନନ୍ଦେ ରୋମ ପୁଲକିତ । ପ୍ରେମ ଗଦ୍‌ଗଦେ ଅଶ୍ରୁପାତ ॥ ୯୫
ଏମନ୍ତ ସମୟେ କୁମର । ଦର୍ଶନ କଲେ ଦେବହର ॥ ୯୬
ଭେଟିଲେ ପୂର୍ବ ପୁଣ୍ୟ ଫଳେ । ଯା ନାମ ଧରି ଅନ୍ତଃକାଳେ ॥ ୯୭
ପ୍ରାଣୀ ତରନ୍ତି ଅଘାର୍ଣ୍ଣବ । ଯେ ଶିବ ଦେବଙ୍କୁ ଦୁର୍ଲ୍ଲଭ ॥ ୯୮
ତାହାଙ୍କୁ ଚାହିଁଣ ଗିରୀଶ । ବୋଲନ୍ତି ଶୁଣ ବାଳଶିଷ ॥ ୯୯
କାହାର ପୁତ୍ର ତୁମ୍ଭେମାନେ । କି ନାମ ଗୋତ୍ର ବାଞ୍ଛା ମନେ ॥ ୧୦୦
ବୟ ଆକୃତି ସମ-ଦୃଶ । ବାଳ ନବୀନ ତୁମ୍ଭେ ଦଶ ॥ ୧୦୧
କିମର୍ଥେ ଶ୍ରମେ ଆଗମନ । କହ ସଂଶୟ ତେଜି ମନ ॥ ୧୦୨
ସେ ଦେବବାକ୍ୟ ସୁମଧୁର । ଅମୃତ ଜିଣି ସୁଧାକର ॥ ୧୦୩
ଶୁଣି ପ୍ରଚେତା ଦଶଭାଇ । ବୋଲନ୍ତି ଶିରେ କର ଦେଇ ॥ ୧୦୪
ଶୁଣିମା ପ୍ରଭୁ ଦେବ ଈଶ । ପ୍ରଚେତା ନାମେ ଆମ୍ଭେ ଦଶ ॥ ୧୦୫
ସୁପ୍ରାଚୀ ନଗ୍ର ଅଧିପତି । ତା ବୀର୍ଯ୍ୟେ ଆମ୍ଭେ ଉତପତ୍ତି ॥ ୧୦୬
ପିତା ବଚନେ ତପ ଅର୍ଥେ । ଅଇଲୁ ପ୍ରାଚୀ ଦିଗ ପଥେ ॥ ୧୦୭
କଠୋର-ତପ ସିଦ୍ଧ କରି । ଭାବେ ସେବିବୁ ନରହରି ॥ ୧୦୮
ତୁମ୍ଭ ଦର୍ଶନେ ଯୋଗେ ଶ୍ୱର । ଆମ୍ଭ ସଂଶୟ ହେଉ ଦୂର ॥ ୧୦୯
ତା ଶୁଣି ଦେବ-ଉମାସାଇଁ । ସନ୍ତୋଷେ ତାଙ୍କୁ ଦୀକ୍ଷା ଦେଇ ॥ ୧୧୦
ସେ ତପେ ତୋଷି ଭଗବାନ । ଆନନ୍ଦେ ଗଲେ ନିଜ ସ୍ଥାନ ॥ ୧୧୧
ଶୁଣି ବିଦୁର ବିପରୀତ । ପୁଣି ସଂଶୟ କରି ଚିତ୍ତ ॥ ୧୧୨
କହେ ମୈତୈୟ ମୁଖ ଚାହିଁ । ଅଦ୍ଭୁତ କହିଲ ଗୋସାଇଁ ॥ ୧୧୩
ନର ଅମରେ କାହିଁ ସଙ୍ଗ । କେସନେ ହୋଇଲା ସଂଯୋଗ ॥ ୧୧୪
ଏ ବଡ ସଂଶୟ ମୋ ଚିତ୍ତେ । ଭୋ ମୁନି ଫେଡି କହ ମୋତେ ॥ ୧୧୫
ଯେ କାଳ ରୁଦ୍ର ରୂପେ ସ୍ଥିତି । ଉତ୍ପତ୍ତି ପାଳିଣ ନାଶନ୍ତି ॥ ୧୧୬
ସେ ଯେ ପ୍ରଚେତା ଭାଇ ଦଶ । କିରୂପେ ତାଙ୍କୁ କଲେ ତୋଷ ॥ ୧୧୭
ଦେବ ମାନବେ ଭେଟ କାହିଁ । ସେ ଯେ ଭେଟିଲେ ଉମାସାଇଁ ॥ ୧୧୮
ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗ । ମନୁଷ୍ୟେ ହୋଇଲା ସଂଯୋଗ ॥ ୧୧୯
ବିମୁକ୍ତ-ସଙ୍ଗ ଯୋଗୀଜନେ । ଯାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ ॥ ୧୨୦
ଧ୍ୟାନ-ଧାରଣେ ନ ଦେଖନ୍ତି । କେହ୍ନେ ତୋଷିଲେ କାଳମୂର୍ତ୍ତି ॥ ୧୨୧
ସେ ଆତ୍ମନିରତ ପୁରୁଷ । ଘୋର ଶକ୍ତିଏ ଯାର ପାଶ ॥ ୧୨୨
ସେ ଶିବ ମୃତ୍ୟୁଦଣ୍ତ ଧରେ । ଏ ଚରାଚର ପ୍ରାଣ ହରେ ॥ ୧୨୩
ତେଣୁ ସଂଶୟ ମୋର ଚିତ୍ତ । ଭୋମୁନି କହିବା ତଦନ୍ତ ॥ ୧୨୪
କି ରୂପେ ତୋଷ ଶୂଳଧର । ବିସ୍ତାରି କହ ମୁନିବର ॥ ୧୨୫

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ଯେ ପୂର୍ବ ଆଦ୍ୟନ୍ତ ବିଧାନେ ॥ ୧୨୬
ଯେ ଶିବ ଶରୀରେ ଅଶେଷ । ସ୍ଥିତି ପାଳନ କରେ ନାଶ ॥ ୧୨୭
କର୍ମାନୁସାରେ ପ୍ରାଣୀଙ୍କର । ସୃଜନ ପାଳନ ସଂହାର ॥ ୧୨୮
ଅବିଦ୍ୟା-କର୍ମେ କାଳରୂପୀ । ସେ ଶିବ ମୃତ୍ୟୁରୂପେ ବ୍ୟାପି ॥ ୧୨୯
ସୁବିଦ୍ୟା-ଆଚାର ଯାହାର । ତାଙ୍କୁ ପ୍ରସନ୍ନ ଶୂଳଧର ॥ ୧୩୦
ସମ-ବିଷମ ତାଙ୍କ ନାହିଁ । ମିତ୍ର-ଅଇରି ଅବା କାହିଁ ॥ ୧୩୧
ଏଣୁ ସେମତେ ଯେ ଭାବନ୍ତି । ଏ ଘୋର-ମୃତ୍ୟୁ ନିସ୍ତରନ୍ତି ॥ ୧୩୨
ସେ ଯେ ପ୍ରଚେତା ଭାଇ ଦଶ । ପିତା ବଚନେ ଯେଣୁ ତୋଷ ॥ ୧୩୩
ତପ ସାଧନେ ଆଗମନ । ତେଜି ଅଚଳ-ଭୋଗମାନ ॥ ୧୩୪
ସମୁଦ୍ର ନିକଟେ ମିଳିଲେ । ସୁରସ୍ୟ-ସରସୀ ଦେଖିଳେ ॥ ୧୩୫
ସେ ଜଳ ଅତ୍ୟନ୍ତ ନିର୍ମଳ । ଦର୍ଶନେ ହରେ ତୃଷାକୁଳ ॥ ୧୩୬
ସୁଖ ଆନନ୍ଦ ଶୀତକର । ଅମୃତ-ତୁଲ୍ୟ ସୁମଧୁର ॥ ୧୩୭
ନିର୍ମଳ ଯେହ୍ନେ ସାଧୁମନ । ତେସନ ଦିଶଇ ଶୋଭନ ॥ ୧୩୮
ପୁଷ୍ପ ସମୂହେ ବିରାଜନ୍ତି । ଯେହ୍ନେ ଆକାଶେ ଗ୍ରହପନ୍ତି ॥ ୧୩୯
ପ୍ରସନ୍ନ ଛଳେ ସୁମଞ୍ଜୁଳ । ନାନାଦି ବର୍ଣ୍ଣେ ଯହିଁ ଠୁଳ ॥ ୧୪୦
ନୀଳଉତ୍ପଳ ଆଦି କରି । ପୁଷ୍ପ ସମୂହେ ଛନ୍ତି ପୂରି ॥ ୧୪୧
ପଙ୍କଜ-ଅରୁଣ ପ୍ରକାଶେ । ଶୋଭନ୍ତି ଇନ୍ଦୀବର ପାଶେ ॥ ୧୪୨
ସେ ଜଳେ ନାନା ପକ୍ଷୀ କୁଳେ । କ୍ରୀଡ଼ନ୍ତି କାମେ ମତ୍ତଭୋଳେ ॥ ୧୪୩
ହଂସ ସାରସ ଚକ୍ରବାକ । କାରଣ୍ତବ ବକ ଡାହୁକ ॥ ୧୪୪
ମତ୍ତ ଭ୍ରମରେ ସ୍ୱନ ଦ୍ୟନ୍ତି । ଆନନ୍ଦେ ମଧୁପାନେ ମାତି ॥ ୧୪୫
ତୀରେ ଶୋଭନ୍ତି ତରୁଗଣେ । ବିବିଧ ଲତା ଆଚ୍ଛାଦନେ ॥ ୧୪୬
ଶୁକ କୋକିଳ ପକ୍ଷୀଗଣେ । ସୁସ୍ୱର ନାଦେ ଅନୁକ୍ଷଣେ ॥ ୧୪୭
ପଦ୍ମକେଶର ରଜ ନେଇ । ଶୀତଳ-ପବନ ବହଇ ॥ ୧୪୮
ସୁଗନ୍ଧ ପୁଷ୍ପ ସୌରଭରେ । ଯେ ଦିଗ ବିଦିଗ ପ୍ରସରେ ॥ ୧୪୯
ସେ ଗନ୍ଧବାୟୁ ଘ୍ରାଣେ ମୋଦ । ସୁଖେ ସଙ୍ଗୀତ ବାଦ୍ୟନାଦ ॥ ୧୫୦
ତାଳ ମୃଦଙ୍ଗ ଯନ୍ତ୍ର ବୀଣା । ସ୍ୱର ମୂର୍ଚ୍ଛନା ନିର୍ଘୋଷଣା ॥ ୧୫୧
ଗନ୍ଧର୍ବେ ଗାବନ୍ତି ଆନନ୍ଦେ । ସଙ୍ଗେଣ ଅପସରୀ ବୃନ୍ଦେ ॥ ୧୫୨
ବୃଷଭ ଆରୋହୀ ମହେଶ । ସେ ଜଳେ ହୋଇଲେକ ଦୃଶ୍ୟ ॥ ୧୫୩
ଦେଖି ପ୍ରଚେତା ଦଶ ଭାଇ । ରୋମ ପୁଲକେ ଅଶ୍ରୁ ଦେହୀ ॥ ୧୫୪
ବେନି ପାରୁଶେ ଦେବ ଗଣେ । ସ୍ତୁବନ୍ତି ବିବିଧ-ସ୍ତବନେ ॥ ୧୫୫
ପ୍ରସାଦ-ମୁଖ ସୁପ୍ରସନ୍ନ । ସେ ଦେବ ଦେବ ତ୍ରିଲୋଚନ ॥ ୧୫୬
ତପ୍ତ କାଞ୍ଚନ ପ୍ରାୟ କାନ୍ତି । ରତ୍ନ-ସମୂହେ ବିରାଜନ୍ତି ॥ ୧୫୭
ସୁଗ୍ରୀବ କଣ୍ଠ ସୁଶୋଭନ । ସୁନୀଳ ପ୍ରଭା ତ୍ରିଲୋଚନ ॥ ୧୫୮
ଏମନ୍ତ ସମୟେ କୁମରେ । ଦେଖି ସାନନ୍ଦ ସୁଖଭରେ ॥ ୧୫୯
ସତ୍ୱରେ ଦଣ୍ତବତ କଲେ । ପ୍ରସନ୍ନ-ରକ୍ଷଣ ବୋଇଲେ ॥ ୧୬୦
ଭୋ ଧର୍ମରକ୍ଷଣ ଈଶାନ । ତୋ ପାଦେ ନ ସେବି ଅଜ୍ଞାନ ॥ ୧୬୧
ପ୍ରାଣୀ ବୃଜିନ-ଦୁଃଖାନଳେ । ଦଗ୍ଧ-ସନ୍ତପ୍ତ ମହାକୁଳେ ॥ ୧୬୨
ଦାରା-ତନୟ ସ୍ନେହେ ଜଡି । ଦୁଃଖ-ସଙ୍କଟେ ନିତ୍ୟେ ପଡି ॥ ୧୬୩
ଏ ଘେନି ତୋ ପାଦ-କମଳେ । ତା ଚିତ୍ତ ନ ରହେ ନିଶ୍ଚଳେ ॥ ୧୬୪
ତୁ ନାଥ ଭକତ-ସୋଦର । ଅଧମ ଦୀନ ତାପ ହର ॥ ୧୬୫
ତୋ ନାମ ଭଜନ୍ତି ଯେ ନିତ୍ୟେ । ସେ ତରି ତାରନ୍ତି ଜଗତେ ॥ ୧୬୬
ଏମନ୍ତେ ପ୍ରଚେତାଙ୍କ ବାଣୀ । ଶୁଣି ସନ୍ତୋଷ ଶୂଳପାଣି ॥ ୧୬୭
ପ୍ରସନ୍ନ-ଚିତ୍ତେ ଶୂଳହସ୍ତ । ଦେଖି ତାହାଙ୍କ ଶୀଳବନ୍ତ ॥ ୧୬୮
କହନ୍ତି ପ୍ରଚେତସମାନେ । ଜାଣିଲୁ ତୁମ୍ଭ ମନ ଜ୍ଞାନେ ॥ ୧୬୯
ତେଣୁ ଦର୍ଶନ ଦେଲୁ ଆଗେ । ଭୋପୁତ୍ରେ ବର ମାଗ ବେଗୋ ॥ ୧୭୦
ଶୁଣି ସାନନ୍ଦ ପ୍ରଚେତସ । ଯେହ୍ନେ ଆପ୍ୟାନେ ସୁଧାରସ ॥ ୧୭୧
ସତ୍ୱରେ ଦଣ୍ତବତେ ପଡି । କହନ୍ତି ଶିରେ କରଯୋଡି ॥ ୧୭୨
ଭୋ ପ୍ରଭୁ ତୋ ପଦ-କମଳେ । ନ ଭଜି ମଜ୍ଜିଲୁ ଶୟଳେ ॥ ୧୭୩
ବିଫଳେ ଗଲା ଆମ୍ଭ ଦିନ । ତୋ କୃପା ବିହୀନେ ଈଶାନ ॥ ୧୭୪
ଏବେ ଜାଣିଲୁ ଶୁଦ୍ଧଚିତ୍ତେ । ତୋର ଦର୍ଶନ ଆମ୍ଭ ହିତେ ॥ ୧୭୫
ଅଶେଷ-କର୍ମ ଗଲା ନାଶ । ତୋର ପ୍ରସନ୍ନେ ଦେବ ଈଶ ॥ ୧୭୬
ଭୋ ଦେବ କରୁଣାସାଗର । ପ୍ରସନ୍ନ ଜନ ଦୁଃଖ ହର ॥ ୧୭୭
ତୋର ପ୍ରସନ୍ନେ ପ୍ରାଣୀଙ୍କର । ସ୍ୱର୍ଗାପବର୍ଗ ନୋହେ ଦୂର ॥ ୧୭୮
ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ସୁରବ୍ରହ୍ମା ॥ ୧୭୯
ଆମ୍ଭେ ବାଳକ ଶିଶୁମତି । କାହୁଁ ଜାଣିବୁ ତୋରଗତି ॥ ୧୮୦
ଏ ଆଜ୍ଞା ହେବ ପ୍ରଭୁ ତୋର । ଧର୍ମାର୍ଥ କାମ ମୋକ୍ଷ ଦ୍ୱାର ॥ ୧୮୧
ଏମନ୍ତେ ନାନା ସ୍ତୁତି କରି । ପ୍ରେମ-ଆନନ୍ଦେ ଅଶ୍ରୁପୂରି ॥ ୧୮୨
ଶୁଣି ସାନନ୍ଦ ଭମାକାନ୍ତ । ପ୍ରସନ୍ନେ କହନ୍ତି ତଦନ୍ତ ॥ ୧୮୩

ରୁଦ୍ର ଉବାଚ

ହେ ପୁତ୍ରେ ଶୁଣ ମୋ ଉତ୍ତର । ହରିଭକତେ ପ୍ରିୟ ମୋର ॥ ୧୮୪
ଭକତଜନ ମୋ ହୃଦୟ । ଏଣୁ ଭକତ ମୋର ପ୍ରିୟ ॥ ୧୮୫
ଯେ ଯଜ୍ଞେଶ୍ୱର ବାସୁଦେବ । ଯାହାର ନାମ ଦୟାର୍ଣ୍ଣବ ॥ ୧୮୬
ତ୍ରିଗୁଣ ପରେ ଯା ବିହାର । ପ୍ରଧାନ-ପୁରୁଷ ଈଶ୍ୱର ॥ ୧୮୭
ତାଙ୍କ ଭକତ ଯେତେ ଜନ । ସେ ମୋର ଅଟନ୍ତି ଜୀବନ ॥ ୧୮୮
ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ । ବୈଷ୍ଣବେ ନୁହଁନ୍ତି ଅଭିନ୍ନ ॥ ୧୮୯
ତାଙ୍କ ମହିମା ଯଶ ଗୁଣ । ମୋ ତହୁଁ ସାବଧାନେ ଶୁଣ ॥ ୧୯୦
ଯେ ପ୍ରାଣୀ ଶତ-ଜନ୍ମାନ୍ତରେ । ସ୍ୱଧର୍ମ ନିଷ୍ଟାରେ ଆଚରେ ॥ ୧୯୧
ତଦନ୍ତେ ବ୍ରହ୍ମପଦ ପାଇ । ଅଶେଷ କଳୁଷ ନାଶଇ ॥ ୧୯୨
ଯେ ବିପ୍ରଦେହେ ନିତ୍ୟାଚାରେ । ଯେ ପୁଣ୍ୟକରେ ନିରନ୍ତରେ ॥ ୧୯୩
ଅଶେଷ ପୁଣ୍ୟକର୍ମଫଳେ । ସେ ମୋତେ ଲଭେ ଅନ୍ତଃକାଳେ ॥ ୧୯୪
ତେବେ ବୈଷ୍ଣବ ପଦ ପାଇ । ଏ ଲିଙ୍ଗ ଶରୀର ନାଶଇ ॥ ୧୯୫
ଲିଙ୍ଗ-ଭଞ୍ଜନେ ମୋକ୍ଷଯୋଗ । ନ ଲଭେ ମୃତ୍ୟୁ ଭୟ ସଙ୍ଗ ॥ ୧୯୬
ତୁମ୍ଭେ ଭକତ-ଜନ ସାର । ଲକ୍ଷଣ ଜାଣିଲୁ ତୁମ୍ଭର ॥ ୧୯୭
ଆମ୍ଭର ପ୍ରିୟ ଯେଣୁ ହରି । ତୁମ୍ଭେ ତେସନେ ମୋତେ ସରି ॥ ୧୯୮
ଏଣୁ ମାନବେ ଭକ୍ତ ଯେହି । ମୋ ପ୍ରିୟ ତହୁଁ କେହି ନାହିଁ ॥ ୧୯୯
ହେ ପ୍ରଚେତସ ଭାଇ ଦଶ । ତୁମ୍ଭର ବାକ୍ୟେ ହେଲୁତୋଷ ॥ ୨୦୦
ହରି-ଭଜନ ଯେ ପ୍ରକାର । କହିବା ଦୃଢ଼ଚିତ୍ତେ ଧର ॥ ୨୦୧
ସେ ହରି ପ୍ରସନ୍ନ ଯେମନ୍ତେ । ତାହା କହିବା ଆମ୍ଭେ ତୋତେ ॥ ୨୦୨
ଏ ସର୍ବ-ସ୍ତୋତ୍ର ମଧ୍ୟେ ସାର । ତୁମ୍ଭେ ସକଳ ଚିତ୍ତେ ଧର ॥ ୨୦୩

ମୈତ୍ରେୟ ଉବାଚ

ଏମନ୍ତ କହିଣ ମହେଶ । ଶୁଣ ବିଦୁର ଜ୍ଞାନରସ ॥ ୨୦୪
ନୃପକୁମରେ ଦୟାବହି । ପ୍ରସନ୍ନେ କହନ୍ତି ଗୋସାଇଁ ॥ ୨୦୫
ସର୍ବେ ଯୋଡିଣ ବେନି କର । ଶୁଣନ୍ତି ଡ଼େରି ଶ୍ରୁତିଦ୍ୱାର ॥ ୨୦୬

ରୁଦ୍ର ଉବାଚ

ନିରାତିଶୟ ଯେ ପରମ । ଆନନ୍ଦ ସୂକ୍ଷ୍ମ ନିରଞ୍ଜନ ॥ ୨୦୭
ସ୍ୱରୂପେ ସିଦ୍ଧ ହୁଅ ତୁମ୍ଭେ । ଏଣୁ ଆନନ୍ଦ ନାମ ଭାବେ ॥ ୨୦୮
ତୁମ୍ଭର ଯେବା ବଡ ପଣ । ଜ୍ଞାନୀଙ୍କ ଆନନ୍ଦ କାରଣ ॥ ୨୦୯
ଏଣୁ ଆନନ୍ଦଲାଭ ମୋର । କରୁଣା କର ଚକ୍ରଧର ॥ ୨୧୦
ତୁ ସର୍ବ ଆତ୍ମା ତୋତେ ମାର । ନିରତେ ହେଉ ନମସ୍କାର ॥ ୨୧୧
ତୋ ନାଭିପଦ୍ମ ନାରୟଣ । ଏ ବିଶ୍ୱ ଉତ୍ପତ୍ତି କାରଣ ॥ ୨୧୨
ଏଣୁ ତୋ ନାମ ପଦ୍ମନାଭ । ବୋଲନ୍ତି ସଂସାର ଉଦ୍‌ଭବ ॥ ୨୧୩
ସେ ନାମେ ପ୍ରଣତି ମୋହର । ଏ ବିନୁ ନାହିଁ ବାଞ୍ଛା ଆର ॥ ୨୧୪
ପୃଥିବୀ ଆପ ତେଜ ବାୟୁ । ଆକାଶ ପଞ୍ଚଭୂତ ଯେହୁ ॥ ୨୧୫
ଶବ୍ଦ ସ୍ପରଶ ରୂପ ରସ । ଗନ୍ଧ ଯେ ଇନ୍ଦ୍ରି ଏକାଦଶ ॥ ୨୧୬
ଏହାଙ୍କ ଅନ୍ତରାତ୍ମା ହୋଇ । ଯେ ବିଶ୍ୱ ସଂସାର ସର୍ଜଇ ॥ ୨୧୭
ତାହାଙ୍କୁ ପ୍ରଣତି ମୋହର । ଏଭବୁ କରେ ଯେ ନିସ୍ତାର ॥ ୨୧୮
ଯେ ଅନ୍ତଃକରଣ ଚତ୍ୱାର । ଏ ମନ ବୁଦ୍ଧି ଅହଙ୍କାର ॥ ୨୧୯
ତାଙ୍କ ଅନ୍ତର ଆତ୍ମା ହୋଇ । ପ୍ରକାଶ କରୁ ତୁ ଗୋସାଇଁ ॥ ୨୨୦
ଯେ ପ୍ରଭୁ ଚିତ୍ତ ଅଧିଷ୍ଠାତା । ଶ୍ରୀବାସୁଦେବ ଶୁଦ୍ଧଚେତା ॥ ୨୨୧
ସେ ଅତି ଶାନ୍ତ ନିର୍ବିକାରେ । ନମଇଁ ଭକ୍ତିଯୋଗେ ତାରେ ॥ ୨୨୨
ଅଧିଷ୍ଠ ଅହଙ୍କାରେ ଯେହୁ । ସଙ୍କରଷଣ ମହାବାହୁ ॥ ୨୨୩
ସେ ଯେ ଅନନ୍ତ ସୂକ୍ଷ୍ମମୟେ । ମୋର ପ୍ରଣାମ ତାଙ୍କ ପାୟେ ॥ ୨୨୪
ଯେ ପ୍ରଭୁ ରୁଦ୍ଧି ଅଧିଷ୍ଠାତା । ପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା ॥ ୨୨୫
ଯେ ବିଶ୍ୱ ପ୍ରବୋଧ କରନ୍ତି । ସେ ପ୍ରଭୁ ପାଦେ ମୋ ପ୍ରଣତି ॥ ୨୨୬
ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ । ତକ୍ଷଣେ ହୋଇବ ଦହନ ॥ ୨୨୭
ଇନ୍ଦ୍ରିୟ ଅଧିପ ଯେ ମନ । ତାହାଙ୍କ ଅଧିଷ୍ଠାତା ନାମ ॥ ୨୨୮
ସେ ଅନିରୁଦ୍ଧ ଯେ ଈଶ୍ୱର । କରିବେ ସଂସାରୁ ନିସ୍ତାର ॥ ୨୨୯
ଯେ ସୂର୍ଯ୍ୟ ରୂପେଣ ପ୍ରକାଶ । ପ୍ରତ୍ୟକ୍ଷେ ସେ ପରମହଂସ ॥ ୨୩୦
ସେ ଜ୍ୟୋତିର୍ମୟ ରୂପ ଧରି । ଏ ବିଶ୍ୱ ପ୍ରକାଶକୁ କରି ॥ ୨୩୧
ସ୍ୱାର୍ଗାପବର୍ଗ ଦ୍ୱାର ବେନି । ନାହିଁ ଯାହାର ବୁଦ୍ଧି-ହାନି ॥ ୨୩୨
ପବିତ୍ର-ଚିତ୍ତେ ଯାର ସ୍ଥିତି । ସେ ପ୍ରଭୁ ପାଦେମୋ ପ୍ରଣତି ॥ ୨୩୩
ଯେ ଅଗ୍ନି-ରୂପୀ ଭଗବାନ । ଯଜ୍ଞାଦି ଯାହାରେ ସାଧନ ॥ ୨୩୪
ପ୍ରବୃତ୍ତି ନିବୃତ୍ତି ଯେ କରି । ଯେ ହରି ସଂସାରେ ବିହରି ॥ ୨୩୫
ସେ ପିତୃଦେବଙ୍କ କାରଣ । ହୋଇଲେ ଅନ୍ନ ସ୍ୱରୂପେଣ ॥ ୨୩୬
ସେ ସୋମରୂପୀ ନାରାୟଣ । ଧଇଲେ ପୋଥି ଉଦ୍ଧାରିଣ ॥ ୨୩୭
ତ୍ରିପତି ପାଦେ ମୋ ପ୍ରଣତି । ଯେଣେ ହୋଇବ ମୋରଗତି ॥ ୨୩୮
ସେ ଆପରୂପ ଭଗବାନ । ରସ ସ୍ୱରୂପେ ଆସ୍ୱାଦନ ॥ ୨୩୯
ଯେ ପୃଥ୍ୱୀ ରୂପେ ସର୍ବକାୟେ । ବିଶ୍ୱ ସଂସାର ଯାର ଦେହ ॥ ୨୪୦
ସେ ପ୍ରଭୁ ଚରଣେ ମୋ ମନ । ନିରତେ ବହୁ ଅନୁକ୍ଷର ॥ ୨୪୧
ବିରାଟ ରୂପ ଭଗବାନ । ବନ୍ଦଇ ସେ ପ୍ରଭୁ ଚରଣ ॥ ୨୪୨
ଯାହାର ରୋମ-କୂପ ମୂଳେ । ଅଶେଷ-ବ୍ରହ୍ମାଣ୍ତ ନିଶ୍ଚଳେ ॥ ୨୪୩
ଅଛନ୍ତି ପରମାଣୁ ବତ । ସେ ପାଦେ ମୋର ପ୍ରତିପାତ ॥ ୨୪୪
ଯେ ପ୍ରଭୁ ବାୟୁ-ରୂପ ଧରେ । ପ୍ରାଣ-ସ୍ୱରୂପ ସର୍ବଠାରେ ॥ ୨୪୫
ସେ ରୂପେ ପାଳନ୍ତି ଜଗତ । ସେ ସହ-ଓଜ-ବଳବନ୍ତ ॥ ୨୪୬
ସେ ପ୍ରଭୁ ରଖନ୍ତୁ ମୋ ପ୍ରାଣ । ତା ପାଦେ ପଶିଲି ଶରଣ ॥ ୨୪୭
ଆକାଶ-ରୂପୀ ଭଗବାନ । କରନ୍ତି ଯେ ବିଧିବିଧାନ ॥ ୨୪୮
ଶବ୍ଦ-ସ୍ୱରୂପେ ଶୂନ୍ୟେ ରହେ । ଯେ ଶଦ୍ଦେ ଅର୍ଥ-ବୋଧ ହୁଏ ॥ ୨୪୯
ଯେ ବାହ୍ୟାନ୍ତରେ ଛନ୍ତି ପୂରି । ସେ ପାଦେ ପ୍ରଣତି ମୋହରି ॥ ୨୫୦
ସ୍ୱର୍ଗାଦି-ପୁଣ୍ୟଲୋକ ଯେହି । ପ୍ରବୃତ୍ତି-ନିବୃତ୍ତିରେ ରହି ॥ ୨୫୧
ସେ ସର୍ବ-କର୍ମଫଳ-ଦାତା । ଏ ଭବ ସଙ୍କଟୁ ତାରନ୍ତା ॥ ୨୫୨
ଅଧର୍ମେ ମୃତ୍ୟୁରୂପ ଧରି । ଦୁଃଖ-ପୀଡିତ କର୍ମ କରି ॥ ୨୫୩
ଯେ ଶୁଭକର୍ମେ ମୋକ୍ଷାଦାତା । ସେ ହରି ପାଦେ ମୋର ଚିନ୍ତା ॥ ୨୫୪
ନମସ୍ତେ କୃଷ୍ଣରୂପ ହରି । ପୁରାଣ-ପୁରୁଷ ମୁରାରି ॥ ୨୫୫
ନମସ୍ତେ ସାଂଖ୍ୟ-ଯୋଗେଶ୍ୱର । ପରମ ଆତ୍ମା ରୂପ ଧର ॥ ୨୫୬
ଯେ କର୍ମେ ବିଷ୍ଣୁରୂପ ଧରେ । ବ୍ୟାପକବନ୍ତ ଏ ସଂସାରେ ॥ ୨୫୭
ଯେ ରୁଦ୍ର ରୂପ ଧରିଛନ୍ତି । କାଳାନ୍ତେ ତ୍ରୈଲୋକ୍ୟ ନାଶନ୍ତି ॥ ୨୫୮
ସେ ରୁଦ୍ରଦେବ ପାଦେ ମୋର । ପ୍ରଣତି ହେଉ ନିରନ୍ତର ॥ ୨୫୯
ସେ ମୋର ତି୍ରତାପ ନାଶିବେ । ଅବିଦ୍ୟା-ବନ୍ଧୁ ନିସ୍ତାରିବେ ॥ ୨୬୦
ଯେ ବ୍ରହ୍ମସ୍ୱରୂପ ଗୋସାଇଁ । ଏ ସୃଷ୍ଟି ସର୍ଜିବାର ପାଇଁ ॥ ୨୬୧
ଏ ରୂପେ ଯେବା ଭଗବାନ । ସେ ପ୍ରଭୁ ଚରଣେ ଶରଣ ॥ ୨୬୨
ସେ ଆମ୍ଭ ଭକତି ଘେନିବେ । ଦର୍ଶନେ ଆଶା ପୂରାଇବେ ॥ ୨୬୩
ଯେ ରୂପ ଭକତେ ପୂଜନ୍ତି । ଇନ୍ଦ୍ରିୟଗୁଣ ପ୍ରକାଶନ୍ତି ॥ ୨୬୪
ନରରୁଚିର ଘନଶ୍ୟାମ । ପ୍ରତୁଲ୍ୟ ନୋହେ କୋଟିକାମ ॥ ୨୬୫
ଯେ ରୂପ ପ୍ରକାଶେ ଶୋଭନ୍ତି । ଅଶେଷ-ଗୁଣ ସେ ବହନ୍ତି ॥ ୨୬୬
ଅବ୍ୟୟ ଗୁଣ ଏକ ଯାର । କୋଟି-ଅନଙ୍ଗ ଦର୍ପ ହର ॥ ୨୬୭
ଏ ସର୍ବ ମୋହର ତ୍ରିତାପ । ଦର୍ଶନେ ହରିବେ ସନ୍ତାପ ॥ ୨୬୮
ଆଜାନୁ ଲମ୍ବିତ ଶ୍ରୀଭୁଜ । ଶଙ୍ଖାଦି ଚାରିଚିହ୍ନ ତେଜ ॥ ୨୬୯
ନୀଳ ଜୀମୂତ ଦିବ୍ୟକାନ୍ତି । ବଳୟ ମଣି ବିଭାଜନ୍ତି ॥ ୨୭୦
ସେ କରେ ଆଶ୍ରୟ ଯେ କରି । ସେ ମୋକ୍ଷପଦେ ଅଧିକାରୀ ॥ ୨୭୧
ଏ ମୃତ୍ୟୁ ଜରା ଭୟ ଯେତେ । ସେ ସର୍ବ ନାଶିବେ ତୁରିତେ ॥ ୨୭୨
ଅତି ସୁଠାମ ସୁଆନନ । ଅରୁଣ ପଙ୍କଜ ଲୋଚନ ॥ ୨୭୩
ଆବୃତ୍ତ ଶୋଭା ଚାରିକର । ଭକ୍ତଜନଙ୍କ ତାପ ହର ॥ ୨୭୪
ଶିରେ ସୁନୀଳ ସୁକୁନ୍ତଳ । ଦେଖି ଅନଙ୍ଗକୋଟି ଭୋଳ ॥ ୨୭୫
ଜୁଡା ପ୍ରବନ୍ଧ ଶିଖେ ସାଜେ । ରତ୍ନକିରୀଟ ତେଜ ପୁଞ୍ଜେ ॥ ୨୭୬
ଦେଖି ଅନଙ୍ଗ ଭ୍ରମ କି ସେ । ଭକତଜନ ରିପୁ ଧ୍ୱଂସେ ॥ ୨୭୭
ସୁଚାରୁ କପୋଳ ଅଳକା । ଯେହ୍ନେ ଶୋଭିତ ରାହୁରେଖା ॥ ୨୭୮
ଚାରୁ ସୁନ୍ଦର ସୁକପୋଳ । ଅଳାକା ବେଢ଼ି ଭୃଙ୍ଗମେଳ ॥ ୨୭୯
ଭ୍ରୂଭଙ୍ଗ ଯୁଗଳ ସୁଠାଣି । ଅତନୁ-ଚାପ ପ୍ରଭା ଜିଣି ॥ ୨୮୦
ଶୋଭନେ ନାହିଁ ପଟାନ୍ତର । ମନ ବଚନେ ଅଗୋଚର ॥ ୨୮୧
ଦିବ୍ୟ ସୁସଞ୍ଚ ନାସା ଠାଣି । ତିଳ ପ୍ରସୂନ ପ୍ରଭା ଜିଣି ॥ ୨୮୨
ତା ପରେ ସିନ୍ଧୁଫଳ ରାଜେ । ଦେଖି ଅନଙ୍ଗ ଦର୍ପ ଗଞ୍ଜେ ॥ ୨୮୩
ଅରୁଣାଙ୍କିତ ବିମ୍ବାଧର । ଉପମା ନାହିଁ ତିନିପୁର ॥ ୨୮୪
ନବ-ଅରୁଣ ଜିଣି ଶୋଭା । ଦେଖି ଅନଙ୍ଗକୋଟି ଲୋଭା ॥ ୨୮୫
ଶୁଭ୍ର ଦଶନ ବେନି-ପଙ୍‌କ୍ତି । ଜିତ ଡାଳିମ୍ବ ବୀଜ କାନ୍ତି ॥ ୨୮୬
ସସ୍ମିତେ ବିମ୍ବାଧର ରାଜେ । ଭକତଜନ ମନ ରଞ୍ଜେ ॥ ୨୮୭
ତା ତୁଲେ ନାହିଁ ପଟାନ୍ତର । ସେ ଅତି ଶୁଭ୍ର ନିଶାକର ॥ ୨୮୮
ଶ୍ରୁତି ଯୁଗଳେ ଝଟକନ୍ତି । ମକର କୁଣ୍ତଳ ସୁକାନ୍ତି ॥ ୨୮୯
ଇଷିତ ଅପାଙ୍ଗ ଈଷଣ । ମୋହିତ ସୁର ମୁନିଗଣ ॥ ୨୯୦
ନୀଳସୁନ୍ଦର କଳେବର । ତଡିତ ଜିଣି ପୀତାମ୍ବର ॥ ୨୯୧
ନୀଳସୁନ୍ଦର ଘନେ ଯେହ୍ନେ । ଝଟକେ ବସନ ତେସନେ ॥ ୨୯୨
ନୀଳମର୍କତ ଚାରୁ ପ୍ରଭା । ଚାରୁ ଚତ୍ୱାର ଭୁଜ ଆଭା ॥ ୨୯୩
ନିଜ ଆୟୁଧେ ବିରାଜନ୍ତି । ଅଜ୍ଞାନତମ ବିନାଶନ୍ତି ॥ ୨୯୪
ସେ ଶଙ୍ଖ ଚକ୍ର ଶୋଭାକର । କୋଟି ଆଦିତ୍ୟ ତେଜହର ॥ ୨୯୫
ଗଦା କମଳ ଆଦି ଯେତେ । ଶୋଭନ୍ତି ନାନା ତେଜବନ୍ତେ ॥ ୨୯୬
କିରୀଟ କୁଣ୍ତଳ ନୂପୁର । କଟୀ-ମେଖଳା ଶୋଭାକର ॥ ୨୯୭
ଆଜନୁ ଲମ୍ବେ ବନମାଳ । ଶୋଭେ ଶ୍ରୀବତ୍ସ ବକ୍ଷସ୍ଥଳ ॥ ୨୯୮
ସେ ରୂପ କେ ପାରିବ ଚିନ୍ତି । ଦେଖି ଅନଙ୍ଗ ଭ୍ରମ ଯାନ୍ତି ॥ ୨୯୯
ସୁଗ୍ରୀବ କଣ୍ଠ ଯେ ସୁନ୍ଦର । ଶୋଭେ କୌସ୍ତୁଭମଣି ସାର ॥ ୩୦୦
ଏ ମନ୍ତ ରୂପ ଦେଖାଇବ । ଆମ୍ଭର ତାପ ବିନାଶିବ ॥ ୩୦୧
ଯେ ହୃଦେ କମଳା ଶୋଭନ । ନୀଳ ପାଷାଣେ ଯେହ୍ନେ ହେମ ॥ ୩୦୨
ରେଚକ ପୂରକ ଯେ ଶ୍ୱାସେ । କି ଜଳ-ଲହରୀ ସଦୃଶେ ॥ ୩୦୩
ସୁନୀଳ ରୋମଶ୍ରେଣୀ ଜଳେ । ଦିଶନ୍ତି ଯେସନେ ପ୍ରଚଳେ ॥ ୩୦୪
ଉଦରେ ତ୍ରିବଳୀ ମଞ୍ଜୁଳ । ଶୋଭିତ ସୁନାଭି ଗଭୀର ॥ ୩୦୫
ଯେ ଦ୍ୱାରେ ଏ ବିଶ୍ୱ ନିର୍ଗତ । ଫେରି ପ୍ରବେଶେ କି ଆବର୍ତ୍ତ ॥ ୩୦୬
ସେ ଶ୍ୟାମ-ନିତମ୍ବେ ଦୁକୂଳ । ବିରାଜେ ସୁବର୍ଣ୍ଣ ମେଖଳ ॥ ୩୦୭
ସୁସମ ଚାରୁ ଅଂଘ୍ରିବର । ଜଘନ-ଜାନୁ ଶୋଭାକର ॥ ୩୦୮
ଉରୁ-ଯୁଗଳ ଶୋଭା ଠାଣି । ଉଲଟ-ରମ୍ଭାକୁ ସେ ଜିଣି ॥ ୩୦୯
ଶ୍ରୀଯୁତ ଚରଣ-କମଳ । ଶୋଭିତ ନଖଶ୍ରେଣୀ କୁଳ ॥ ୩୧୦
କୋଟି-ଶଶାଙ୍କ ଶୁଭ୍ରକାନ୍ତି । ଜିତ ସୁଶ୍ରେଣୀ ନଖପନ୍ତି ॥ ୩୧୧
ସରୋଜ-ପାଦଯୁଗ ଯହିଁ । ଦର୍ଶନେ ଭବ-ଭୟ ନାହିଁ ॥ ୩୧୨
ଏ ସର୍ବେ ମୋହର ତ୍ରିତାପ । ଦର୍ଶନେ ହରିବେ ଦୁରାପ ॥ ୩୧୩
ଏମନ୍ତ ରୂପ ପ୍ରକାଶିବ । ଆମ୍ଭ ସଂଶୟ ବିନାଶିବ ॥ ୩୧୪
ତୁ ଗୁରୁ ରୂପେ ନାରାୟଣ । ମୂଢ ଅଜ୍ଞାନୀଙ୍କ କାରଣ ॥ ୩୧୫
ସକଳ ଭୂତେ ତୁମ୍ଭେ ଥାଇ । ପ୍ରାଣୀଙ୍କି ଜ୍ଞାନଦୀକ୍ଷା ଦେଇ ॥ ୩୧୬
ସେ ଜ୍ଞାନେ ପ୍ରାଣୀଙ୍କ ନିସ୍ତାର । ଅଜ୍ଞାନୀ ମଜ୍ଜେ ଏ ସଂସାର ॥ ୩୧୭
ଆତ୍ମାର ସିଦ୍ଧି ଯେ ଇଚ୍ଛନ୍ତି । ତୋ ରୂପ ଦର୍ଶନ ବାଞ୍ଛନ୍ତି ॥ ୩୧୮
ଯେ ନିତ୍ୟେ ସ୍ୱଧର୍ମ ଆଚରେ । ତୁମ୍ଭ ଭକତି ନିଷ୍ଠାପରେ ॥ ୩୧୯
ତୋ ପଦେ ଅଭୟ ଭକତି । ସୁସ୍ଥିରେ ରହେ ତାର ମତି ॥ ୩୨୦
ସକଳ ଦେହେ ତୁ ଦୁର୍ଲଭ । ଭକତେ ହେଉ ତୁ ସୁଲଭ ॥ ୩୨୧
ଯେ ସୁଖ-ଭୋଗ ନିତ୍ୟ କରେ । ସେ କାହିଁ ଦେଖିବ ତୁମ୍ଭରେ ॥ ୩୨୨
କେବଳ ଆତ୍ମାଜ୍ଞାନୀ ଜନ । ତୋତେ ଲଭନ୍ତି ଭଗବାନ ॥ ୩୨୩
ଏକାନ୍ତ ଭକ୍ତିଯୋଗେ ନର । ଯେ ଭଜେ ତୁମ୍ଭର ପୟର ॥ ୩୨୪
ସ୍ୱର୍ଗାଦି ନ ବାଞ୍ଛଇ ମନେ । ତୋ ପାଦପଦ୍ମ ସୁଧାପାନେ ॥ ୩୨୫
ନିରତେ ଚିତ୍ତେ ଦୃଢ଼େ ଧ୍ୟାୟି । ତରନ୍ତି ଭବ-ଦୁଃଖୁ ସେହି ॥ ୩୨୬
ଯେ ତୁମ୍ଭ ଚରଣେ ସେବିବ । ସେ କାଳ ଭୟ ବିନାଶିବ ॥ ୩୨୭
ଭ୍ରୂକୁଟି କୁଟିଳ ପ୍ରକାଶେ । ତକ୍ଷଣେ ସଂସାର ବିନାଶେ ॥ ୩୨୮
ଯେ କାଳ ଅତି ଭୟଙ୍କର । ତୋର ସେବକେ ସେ କିଙ୍କର ॥ ୩୨୯
ଏଣୁ ଭକତ ସଙ୍ଗେ ତୋର । କ୍ଷଣେ ନିମିଷେ ଯେଉଁ ନର ॥ ୩୩୦
ସେ ସଙ୍ଗୁ ଯେବା ସୁଖ ହୋଇ । ସ୍ୱର୍ଗାପବର୍ଗ ସମ ନୋହି ॥ ୩୩୧
ଏ ମର୍ତ୍ତ୍ୟଭୋଗ ତୁଚ୍ଛ ମଣି । ତୋ ଭକ୍ତ ସଙ୍ଗେ ଯେତେ ପ୍ରାଣୀ ॥ ୩୩୨
ତୋର ପଙ୍କଜ-ଅଂଘ୍ରି-ରସ । ଯେ ରସେ କଳୁଷ ବିନାଶ ॥ ୩୩୩
ଯେବା ପିବନ୍ତି ଅନୁଦିନେ । ବ୍ରହ୍ମ ଆନନ୍ଦ ସୁଧାପାନେ ॥ ୩୩୪
ଯେ ଗଙ୍ଗାସ୍ନାନ ନିତ୍ୟେ କରେ । ଅଶେଷ-ପାପୁ ସେ ନିସ୍ତରେ ॥ ୩୩୫
ତୋର ଭକତ ସଙ୍ଗେ ଯେବେ । ଯେ କ୍ଷଣେ ବସେ ଶୁଦ୍ଧ ଭାବେ ॥ ୩୩୬
ପବିତ୍ର ହୋଏ ତତକ୍ଷଣେ । ଜନ୍ମ ମରଣ ନିବାରଣେ ॥ ୩୩୭
ଏ ସାଧୁ-ସଙ୍ଗ ଭାଗ୍ୟେ ପାଇ । ସକଳ-ଭୂତେ ଦୟାବହି ॥ ୩୩୮
ସୁସାଧୁଜନଙ୍କ ସଙ୍ଗତ । ଯେ ପ୍ରାଣୀ କରେ ଅବିରତ ॥ ୩୩୯
ସେ ଯେ ତୁମ୍ଭର କୃପା ପାଇ । ମାୟା-ପଟଳୁ ନିସ୍ତରଇ ॥ ୩୪୦
ଯେ ଶୁଦ୍ଧ ଭକ୍ତିରେ ଭଜନ୍ତି । ବିଶୁଦ୍ଧ ହୋଏ ତାଙ୍କ ମତି ॥ ୩୪୧
ବିଷୟ ଭ୍ରମେ ଭ୍ରମ ନୋହେ । ଅଜ୍ଞାନ ନାଶି ଜ୍ଞାନ ରହେ ॥ ୩୪୨
ଏଣୁ ଭକତ ସଙ୍ଗ ମେଳେ । ଲଭେ ଭକତି ସୁନିଶ୍ଚଳେ ॥ ୩୪୩
ଯେ ତ‌ତ୍ତ୍ୱେ ଏ ବିଶ୍ୱ ବ୍ୟକତ । ବିଶ୍ୱେ ଶୋଭିତ ଯେଉଁ ତ‌ତ୍ତ୍ୱ ॥ ୩୪୪
ତ‌ତ୍ତ୍ୱ ପରମ ବ୍ରହ୍ମଜ୍ୟୋତି । ଆକାଶ ପ୍ରାୟେ ବ୍ୟାପି ଛନ୍ତି ॥ ୩୪୫
ଏ ବିଶ୍ୱ ମିଥ୍ୟା ସତ୍ୟ ପରି । ସର୍ଜି ପାଳିଣ ତା ସଂହରି ॥ ୩୪୬
ଯା ମାୟା ବହୁରୂପ ଧରେ । ଜୀବରେ ଭେଦ-ବୁଦ୍ଧି କରେ ॥ ୩୪୭
ମାୟା ସ୍ପରଶ ଯାର ନାହିଁ । ଜାଣିବ ବ୍ରହ୍ମରୂପ ସେହି ॥ ୩୪୮
ଯେ ଅନ୍ତଃ ବିକାର ବିହୀନ । ସେହିଟି ଜାଣ ତ‌ତ୍ତ୍ୱଜ୍ଞାନ ॥ ୩୪୯
ନିର୍ଗୁଣେ ସଗୁଣ ବୋଲନ୍ତି । କ୍ରିୟା କଳାପେ ଯୋଗୀ ଚିନ୍ତି ॥ ୩୫୦
ଏହାଙ୍କ ପ୍ରାୟେ ଭଜେ ଯେହୁ । ପଣ୍ତିତ ବେଦାର୍ଗମେ ସେହୁ ॥ ୩୫୧
ପୁରୁଷ-ଆଦି ତୁମ୍ଭେ ପର । ଅଶେଷ-ବ୍ରହ୍ମାଣ୍ତ-ଈଶ୍ୱର ॥ ୩୫୨
ତୁମ୍ଭର ଶକ୍ତି ଗୁପ୍ତେ ଥିଲା । କାଳାନ୍ତେ ଶୟନୁ ଉଠିଲା ॥ ୩୫୩
ସେ ଶକ୍ତି ତୋର ଆଜ୍ଞା ଭାବେ । ସ‌ତ୍ତ୍ୱାଦି ଭେଦ କଲା ତେବେ ॥ ୩୫୪
ତହୁଁ ମହତ-ଅହଙ୍କାର । ଜଳାଗ୍ନି-ଆକାଶ-ସମୀର ॥ ୩୫୫
ଭୂଦେବ-ଋଷି-ସର୍ବଭୂତେ । ଜନ୍ମିଲେ ଏ ନାନା ଜଗତେ ॥ ୩୫୬
ମାୟାରୁ ଏ ଚାରି ପ୍ରକାର । ଯେ ତ‌ତ୍ତ୍ୱେ ସଞ୍ଚରିଲା ପୁର ॥ ୩୫୭
ନିର୍ମିତ କଲେ ଭଗବାନ । ଯେ ପ୍ରଭୁ ଜଗତ ଜୀବନ ॥ ୩୫୮
ଅଶେଷ ଶରୀରେ ପ୍ରବେଶ । ଏଣୁ ଜୀବ ନାମ ପୁରୁଷ ॥ ୩୫୯
ଅବିଦ୍ୟା-ବନ୍ଧେ ବଦ୍ଧ ହୋଇ । ଏ ଦୁଃଖ-ସୁଖ ସେ ଭୁଞ୍ଜଇ ॥ ୩୬୦
ମାୟାରୁ ସୃଜନ ସେ କଲେ । ନିୟନ୍ତା-ପୁରୁଷ ହୋଇଲେ ॥ ୩୬୧
ଭୂତରୁ ଭୂତକୁ ନିଅନ୍ତି । ଯେହ୍ନେ ଆକାଶେ ମେଘପନ୍ତି ॥ ୩୬୨
ପବନେ ନାନା ଦିଗେ ଯାନ୍ତି । ଏ ଭାବେ ଭୂତେ ସଞ୍ଚରନ୍ତି ॥ ୩୬୩
ଜୀବକୁ କର୍ମବଳେ ଟାଣି । ସଂହାରି ନିସ୍ତାରୁ ତୁ ପୁଣି ॥ ୩୬୪
ଏ ଜୀବ କର୍ମେ ହୋଇ ମତ୍ତ । ଲୋଭେ ବିଷୟେ ଦେଇ ଚିତ୍ତ ॥ ୩୬୫
ତୁ ହେଉ ଅପ୍ରମିତ ଅସି । ତକ୍ଷଣେ ଜୀବକୁ ବିନାଶି ॥ ୩୬୬
କାଳ ସ୍ୱରୂପେ ପ୍ରାଣହର । ଯେ ତୋତେ ନ ଭଜେ ପାମର ॥ ୩୬୭
ଏମନ୍ତ ପ୍ରଭୁ ତୋର ମାୟା । ଜୀବ ନ ଜାଣି ଭୋଗେ ଏହା ॥ ୩୬୮
କ୍ଷୁଧା-ଅନଳେ ଓଷ୍ଠ ଅହି । ଚାଟିଣ ମୂଷା ଯେହ୍ନେ ଖାଇ ॥ ୩୬୯
ତେସନ ଅନ୍ତକ ତୁ ହରି । ଜୀବ ବିନାଶୁ ଭୋଗେ କରି ॥ ୩୭୦
ତୋ ମାୟା-ଭୋଗେ ଜୀବ ବଶ । ଏ ଘେନି ତୁ କାଳ-ପୁରୁଷ ॥ ୩୭୧
ଏ ବେନି ତୋ ପାଦ-କମଳେ । ଶରଣ ରଖ ତୁହି ବେଳେ ॥ ୩୭୨
ଆମ୍ଭେ ବ୍ରହ୍ମାଦି ଯା ଚରଣେ । ସେବୁ ଏ ସୃଷ୍ଟିର କାରଣେ ॥ ୩୭୩
ଉତ୍ପତ୍ତି ନ ପାରୁ ଯେ କରି । ତୋ ପାଦ ବିନୁ ନରହରି ॥ ୩୭୪
ଏଣୁ ଏ ମନୁ ଚତୁର୍ଦ୍ଦଶ । ତୋ ପାଦେ ଭଜେ ହୃଷୀକେଶ ॥ ୩୭୫
ଅନେକ ସୃଷ୍ଟିକି ସୃଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି ॥ ୩୭୬
ସେ ଘେନି ତୋ ପାଦକମଳ । କେ ବୁଧ ଛାଡେ ଆଦିମୂଳ ॥ ୩୭୭
ଯାବତ ଜୀବ ଏ ଶରୀରେ । ଛାଡି ନ ପାରନ୍ତି ନିର୍ଭରେ ॥ ୩୭୮
ତୋ ପାଦ-ଧ୍ୟାନେ ନିଜ ଦେହୀ । ଯେ ତ୍ୟାଗେ ଅନୁରାଗ ବହି ॥ ୩୭୯
ତାହାକୁ ବୋଲି ସୁପଣ୍ତିତ । ସେ ପ୍ରାଣୀ ତୁମ୍ଭର ଭକତ ॥ ୩୮୦
ଏଣୁ ଏ ତୋ ପାଦକମଳେ । ଶରଣ ଇଚ୍ଛୁ ଆମ୍ଭେ ବଳେ ॥ ୩୮୧
ଏ ବିଶ୍ୱ-ଭୟ ରୁଦ୍ର କୋପେ । ବିନାଶ କରେ କାଳ ରୁପେ ॥ ୩୮୨
ଏଣୁ ତୁମ୍ଭରେ କରୁ ସ୍ତୁତି । ଭୋନାଥ ହୁଅ ଆମ୍ଭ ଗତି ॥ ୩୮୩
ଏ ତୁମ୍ଭ ପଙ୍କଜ-ଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ॥ ୩୮୪
ଅଶେଷ-ଦ୍ୱନ୍ଦ୍ୱ-ମାୟା-ଭୟେ । ଖଣ୍ତନ୍ତି ପ୍ରଭୁ ଦେବରାୟେ ॥ ୩୮୫
ସେ ରୁବ୍ର କହଛି କୁମର । ଏ ଗୀତା ଶୁଦ୍ଧ ଚିତ୍ତେ ଧର ॥ ୩୮୬
ଏ ସ୍ତବ ପଢ଼ନ୍ତେ ତୁମ୍ଭର । ଅଜ୍ଞାନ ତମ ହେବ ଦୂର ॥ ୩୮୭
ନିତ୍ୟେ ସ୍ୱଧର୍ମ-ମାର୍ଗେ ଥିବ । ସକଳ କୃଷ୍ଣେ ସମର୍ପିବ ॥ ୩୮୮
ମନ ନିବେଶି ପଦ୍ମପାଦେ । ଭବୁ ତରିବ ଅପ୍ରମାଦେ ॥ ୩୮୯
ସେ ଆତ୍ମା ସର୍ବ -ଘଟଧାରୀ । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ॥ ୩୯୦
ତାଙ୍କୁ ଏ ରୂପେ ଧ୍ୟାନ କର । ବଦନେ ତା ନାମ ଉଚ୍ଚାର ॥ ୩୯୧
ଶ୍ରବଣ କର ନିରବଧି । ତା ପାଦେ ଦେଇ ଚିତ୍ତ ବୁଦ୍ଧି ॥ ୩୯୨
ଏ ଯୋଗ ସର୍ବେ ଚିତ୍ତେ ଧର । ଏ ମୁନିବ୍ରତ ଦୃଢେ କର ॥ ୩୯୩
ସମତା ଭାବେଣ ଆରଧି । ହୃଦରେ ଘୋଷ ନିରବଧି ॥ ୩୯୪
ଏ ଗୀତା ପୂର୍ବେ ଧାତା ମୋତେ । କହିଲେ ଭୃଗ୍ୱାଦି ସହିତେ ॥ ୩୯୫
ଏ ସ୍ତବ ପଢ଼ନ୍ତେ ଆମ୍ଭର । ଅଜ୍ଞାନଦଶା ଗଲା ଦୂର ॥ ୩୯୬
ଅଜ୍ଞାନ ଶେଷେ ଜ୍ଞାନ ଦୃଶ୍ୟ । ସକଳେ ହୋଇଲୁ ହରଷ ॥ ୩୯୭
ତେବେ ବିବିଧମତେ ଆମ୍ଭେ । ସୃଷ୍ଟି ସର୍ଜିଲୁ କ୍ରିୟା ଦମ୍ଭେ ॥ ୩୯୮
ଏ ଗୀତା ପଠନ ଶ୍ରବଣେ । ଯେ ଫଳ ହୋଇବ ବିଧାନେ ॥ ୩୯୯
କହିବା ଶୁଦ୍ଧ-ଚିତ୍ତେ ଶୁଣ । ବେଦ ବେଦାନ୍ତେଯେ ପ୍ରମାଣ ॥ ୪୦୦
ଏହା ଯେ ନିରତେ ଶୁଣନ୍ତି । ତ୍ରିବିଧ-ତାପ ବିନାଶନ୍ତି ॥ ୪୦୧
ଯେବା ଆଦରେ ଦୃଢେ ସ୍ମରେ । ସକଳ ଆପଦୁ ଉଦ୍ଧରେ ॥ ୪୦୨
ଏ ସର୍ବ-ଧର୍ମ ମଧ୍ୟେ ସାର । ଏ ବିନୁ ନାହିଁ ଶ୍ରେୟ ଆର ॥ ୪୦୩
ହେ ପୁତ୍ରେ ଦୃଢ଼ଚିତ୍ତେ ଧର । ଦୁଃଖସାଗରୁ ହେବ ପାର ॥ ୪୦୪
ଇହ ଲୋକରେ ସୁଖ ଭାବ । ତୃତୀୟ-ତାପ ନ ଲାଗିବ ॥ ୪୦୫
ଏ ସ୍ତବେ ପୂଜ ହରିପାଦ । ଖଣ୍ତିବ ବିଷୟା-ବିଷାଦ ॥ ୪୦୬
ତୁମ୍ଭର ଭକ୍ତି ସେ ଘେନିବେ । କାମାଦି-ଶତ୍ରୁ ନିବାରିବେ ॥ ୪୦୭
କାମନା-ଭୋଗେ ଇଚ୍ଛା ଯାର । ସମ୍ପୁର୍ଣ୍ଣେ ଲଭିବ ସେ ନର ॥ ୪୦୮
ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟାରେ । ଯେବା ପଢ଼ନ୍ତି ନିରନ୍ତରେ ॥ ୪୦୯
ନିର୍ମଳେ ପ୍ରକାଶଇ ଜ୍ଞାନ । ଅସତ୍ୟ ଦେଖେ ଭୋଗମାନ ॥ ୪୧୦
ଯେ ଶ୍ରଦ୍ଧାବିଧାନେ ପଢ଼ନ୍ତି । ଅଜ୍ଞାନ-ଭ୍ରମେ ନ ପଡନ୍ତି ॥ ୪୧୧
ଅଜ୍ଞାନ ଗୃହବାସ ତାର । ସେ ଜନ୍ମ ନୋହେ ପୁନର୍ବାର ॥ ୪୧୨
ମହେଶ କହିଲେ କର୍ଣ୍ଣରେ । ଆନନ୍ଦେ ଶୁଣି ତା କୁମରେ ॥ ୪୧୩
ସାଷ୍ଟାଙ୍ଗେ ତାହାଙ୍କ ଚରଣେ । ନମିଲେ ପ୍ରଚେତସ ଗଣେ ॥ ୪୧୪
କଲ୍ୟାଣ କଲେ ଶୂଳଧର । ସକଳ-ବାଞ୍ଛା ପୂର୍ଣ୍ଣକର ॥ ୪୧୫
ସେ ଗୁରୁ-ଶିଷ୍ୟଙ୍କ ଚରିତ । ମୈତ୍ରେୟ-ବିଦୁର କଥିତ ॥ ୪୧୬
କହିଲୁ ତୁମ୍ଭଙ୍କୁ ପ୍ରସନ୍ନେ । ଯେ ଏହା ଶୁଣେ ଶୁଦ୍ଧମନେ ॥ ୪୧୭
ଏ ଘୋର ସଂସାରୁ ତରନ୍ତି । ମରଣେ ନାହିଁ ତାଙ୍କ ଭୀତି ॥ ୪୧୮
ମୈତ୍ରେୟ-ବିଦୁର ସମ୍ବାଦ । କହିଲୁ ଶୁଣ ଭକ୍ତି ଭେଦ ॥ ୪୧୯
ଯେ ଏହା ଶ୍ରଦ୍ଧାରେ ଶୁଣନ୍ତି । ଚତୁରବର୍ଗ ଫଳ ପାନ୍ତି ॥ ୪୨୦
ଭଣଇ ବିପ୍ର ଜଗନ୍ନାଥ । ଚତୁ୍ର୍ଥସ୍କନ୍ଧେ ଭାଗବତ ॥ ୪୨୧
ଇତି ଶ୍ରୀମଦ୍ଭାଗବତ ମହାପରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ରୁଦ୍ରଗୀତଂ ନାମ
ଚତୁର୍ବିଂଶୋଽଧ୍ୟାୟଃ ॥

ପଞ୍ଚବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ସୁମନେ ହେ ବିଦୁର । ଏମନ୍ତେ ପ୍ରଭୁ ମହେଶ୍ୱର ॥ ୧
କୃପା ଯେ କଲେ ସେମାନଙ୍କୁ । କହିଲେ ରୁଦ୍ରଗୀତା ତାଙ୍କୁ ॥ ୨
ସେ ସେର୍ବେ ହରଷ ହୋଇଲେ । ବିଧାନେ ଶିବଙ୍କୁ ପୂଜିଲେ ॥ ୩
ତାହାଙ୍କୁ ଦେଇ ଦିବ୍ୟଜ୍ଞାନ । ଶିବ ହୋଇଲେ ଅନ୍ତର୍ଦ୍ଧାନ ॥ ୪
ସେ ଦଶଭାଇ ପ୍ରଚେତସ । ଜ୍ଞାନରେ ହୋଇଲେ ହରଷ ॥ ୫
ଭଗବାନଙ୍କ ସ୍ତୋତ୍ର-ଗାନେ । ନିମଗ୍ନ ପ୍ରଚେତସ ମାନେ ॥ ୬
ବୁଡିଣ ସମୁଦ୍ର-ସଲିଳେ । ସେ ଘୋର-ତପସ୍ୟା ନିଶ୍ଚଳେ ॥ ୭
ଅୟୁତେ-ସମ୍ବତ୍ସର ଶେଷ । ତପ ସାଧିଲେ ଭାଇ ଦଶ ॥ ୮
ରହିଲେ ଷଡ-ରିପୁ ମାରି । ମନ-ପବନ ହୃଦେ ଧରି ॥ ୯
ନିତ୍ୟେ ପଢ଼ନ୍ତି ରୁଦ୍ରଗୀତା । ତପେ ହୋଇଲେ ଉର୍ଦ୍ଧ୍ୱରେତା ॥ ୧୦
ତଦନ୍ତେ ଶୁଣ ହେ ବିଦୁର । ସେ ଯେ ପ୍ରାଚୀନ ନୃପବର ॥ ୧୧
ରାଜ୍ୟ କରନ୍ତି ଅବିବେକ । ସ୍ୱଭାବେ ଅଜ୍ଞାନୀ କାମୁକ ॥ ୧୨
ହିଂସକ-କର୍ମ ଜାଣି ତାର । ମନେ ଚିନ୍ତନ୍ତି ମୁନିବର ॥ ୧୩
ଏ ମହୀପତି ପୃଥୁ ବଂଶ । ଅକର୍ମ-ମାର୍ଗେ ଗଲା ନାଶ ॥ ୧୪
ବିପ୍ର ବଚନେ ଭ୍ରମ ହେଲା । ଅନେକ ପଶୁ ବଧ କଲା ॥ ୧୫
ନିର୍ଦ୍ଦୋଶ-ଜୀବ ଯଜ୍ଞେ ମାରି । ଯେ ତାର ନୁହନ୍ତି ବଇରୀ ॥ ୧୬
ଦୁର୍ଲଭ-ଜନ୍ମ କଲା ନାଶ । କର୍ମେ ହୋଇଲା ଜ୍ଞାନଭ୍ରଂଶ ॥ ୧୭
ଏମନ୍ତ ସ୍ମରି ଦୟା-ଚିତ୍ତ । ସେ ମୁନି ସତ୍ୱରେ ଆଗତ ॥ ୧୮
ସେ ସର୍ବଘଟେ ଦୟା ପର । ଅଧ୍ୟାତ୍ମ-ବିଦ୍ୟା ଜ୍ଞାନେ ସାର ॥ ୧୯
କରୁଣା କରି ସେ ରାଜାଙ୍କୁ । ଦର୍ଶନ ଦେଲେ ଆସି ତାଙ୍କୁ ॥ ୨୦
ମୁନିଙ୍କି ଦେଖିଣ ରାଜନ । ଉଠିଲା ଆସନ ତେଜିଣ ॥ ୨୧
ସତ୍ୱରେ କରି ନମସ୍କାର । ଆନନ୍ଦେ ପୂଜିଲା ପୟର ॥ ୨୨
ଆସନେ ବସାଇଲା ନେଇ । ପାଦକମଳ ଦେଲା ଧୋଇ ॥ ୨୩
ତାର ଭକତି-ଭାବେ ତୋଷ । ସେ ମୁନିବର ହେଲେ ବଶ ॥ ୨୪
କହନ୍ତି ତାରେ ଦୟାବହି । ଭୋ ରାଜା ତୋର ଜ୍ଞାନ ନାହିଁ ॥ ୨୫
ତୁ କର୍ମମାର୍ଗେ ହେଲୁ ହୀନ । ବିଅର୍ଥେ ଗଲା ତୋର ଦିନ ॥ ୨୬
ନିରତେ କର୍ମେ ନିମଜ୍ଜିଲୁ । ଆତ୍ମାର ହିତ ନ ଜାଣିଲୁ ॥ ୨୭
ଯେ କର୍ମେ ମୋକ୍ଷମାର୍ଗ ହାନି । ତୁ ତାହା ଶ୍ରେୟ ପ୍ରାୟ ମଣି ॥ ୨୮
ଯେ ସଙ୍ଗ-ଦୋଷେ ଜ୍ଞାନ କ୍ଷୟେ । ବୁଝି ତୁ ନପାରିଲୁ ରାୟେ ॥ ୨୯
ତୁ ଅତିସ୍ନେହେ ତହିଁ ବଦ୍ଧ । ସେ ସଙ୍ଗ-ଦୋଷ ଧର୍ମବାଧ ॥ ୩୦
ତା ଶୁଣି ଭୟେ ନୃପମଣି । ବଜ୍ର ପଡିଲା ପ୍ରାୟ ମଣି ॥ ୩୧
ଉଚ୍ଛନ୍ନେ କହଇ ନୃପତି । ଭୋ ମୁନି ମୁଁ ଯେ ମୂଢ଼ମତି ॥ ୩୨
ସ୍ୱକର୍ମ ମାର୍ଗେ ବଦ୍ଧ ହୋଇ । ମୁଁ ମୂଢ଼ଜ୍ଞାନ ନ ଜାଣଇ ॥ ୩୩
ଯେବେ ଅଇଲ ମୋର ହିତେ । ମୋ ଭାଗ୍ୟବଶେ ଦୟା ଚିତ୍ତେ ॥ ୩୪
ଯେବେ ସଦୟ ମୁନିବର । ଯେମନ୍ତେ ଜ୍ଞାନ ହୋଏ ମୋର ॥ ୩୫
ଯେଣେ ନୋହିବି କର୍ମେ ବଦ୍ଧ । ହୋଇବ ମୋକ୍ଷମାର୍ଗେ ସଧ ॥ ୩୬
ଯେଣୁ ତୁମ୍ଭର ଦରଶନ । ହରଇ ବିଷୟ-ବଦ୍ଧନ ॥ ୩୭
ଏ ଘୋର-ଜଡ କର୍ମ ମୋର । ସୁଜ୍ଞାନ-ଦାନେ ଦୂର କର ॥ ୩୮
ତୁମ୍ଭେ ସଂସାରେ ପ୍ରାଣୀ ହିତେ । ଭ୍ରମଣ କରୁଥାଅ ନିତ୍ୟେ ॥ ୩୯
ଅବ୍ୟକ୍ତଗତି ଯେ ତୁମ୍ଭର । ଦେବ ମାନବେ ଅଗୋଚର ॥ ୪୦
ଯେହ୍ନେ ଆଗମ ମୃତ୍ୟୁ ଜନ । ତେସନେ ତୁମ୍ଭ ଦରଶନ ॥ ୪୧
ଏ ଗୃହଦ୍ୱନ୍ଦେ ମୋ ପୀରତି । ଏ ପୁତ୍ର ଦାରା ମୋହେ ମତି ॥ ୪୨
ଏଣୁ ନୋହିଲା ଜ୍ଞାନେ ସଧ । ରାଜବିଭୂତି ମଦେ ଅନ୍ଧ ॥ ୪୩
ଇନ୍ଦ୍ରିୟରସ ଭୋଗ ମୁହିଁ । ନିରତେ ଛାଡି ନ ପାରଇ ॥ ୪୪
ଯେବେ ସୁଦୟା ତୁମ୍ଭ ଚିତ୍ତେ । ଘୋର ବନ୍ଧନୁ ଫେଡ ମୋତେ ॥ ୪୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪୬
ଏମନ୍ତ ତାର ବାକ୍ୟ ଶୁଣି । ଅତି ଆନନ୍ଦେ ଦେବମୁନି ॥ ୪୭
କହନ୍ତି ଚିତ୍ତେ ଦୟା ବହି । ଶୁଣ ପ୍ରାଚୀନ ପୁଣ୍ୟଦେହୀ ॥ ୪୮
ତୁ କର୍ମଜ୍ଞାନେ ବିଶାରଦ । ତେଣୁ ହୋଇଲୁ କର୍ମବଦ୍ଧ ॥ ୪୯
ତୁ ଯେ ମମତ୍ୱେ ମହୀପତି । ଏ ଯଜ୍ଞକର୍ମେ ମୂଢ଼ ମତି ॥ ୫୦
ଯେ ପୂର୍ବ ପୁଣ୍ୟ ତୋର ଥିଲା । ଏ ଯଜ୍ଞକର୍ମେ ନଷ୍ଟ ଗଲା ॥ ୫୧
ତୁ ବିପ୍ରବାକ୍ୟେ ହେଲୁ ଅନ୍ଧ । ଅନେକ କଲୁ ପଶୁ ବଧ ॥ ୫୨
ଅଦୋଷୀ ଜୀବ ଯଜ୍ଞେ ମାରି । ସେ ତୋର ନୁହଁନ୍ତି ବଇରୀ ॥ ୫୩
ତୁ ରାଜା ଏଡେ ଅବିବେକ । ଦୟା ନ ବସିଲା ତିଳେକ ॥ ୫୪
ଏ ପଶୁଗଣେ କୋପ ବହି । ତୋ ମୃତ୍ୟୁବାଟ ଛନ୍ତି ଚାହିଁ ॥ ୫୫
ସେ ତୋତେ ନିଶ୍ଚେ ବିନାଶିବେ । ତୁ ନୃପ ବୋଲି ନ ଡରିବେ ॥ ୫୬
ତୁ ପୀଡା ଦେଇଅଛୁ ଯେତେ । ସେ କୋପେ ସୁମରନ୍ତି ନିତ୍ୟେ ॥ ୫୭
ତାହାଙ୍କ ଯାଇ ନାହିଁ କ୍ରୋଧ । ଦୁଃଖ ଦେବାକୁ ତାଙ୍କ ସଧ ॥ ୫୮
ତୋତେ ପାଇଲେ ପରଲୋକେ । କାଟି ଭକ୍ଷିବେ ଏକେ ଏକେ ॥ ୫୯
ତାହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାର । ସେ ଲୌହସମାନ କଠୋର ॥ ୬୦
ସେ ଶୃଙ୍ଗେ ତୋତେ ବିନାଶିବେ । ତେବେ ସେ କ୍ରୋଧଉପେକ୍ଷିବେ ॥ ୬୧
ଆମ୍ଭେଦେଖିଲୁ ସ୍ୱର୍ଗପଥେ । ତୋ ପ୍ରତିଆଶେ ପଶୁଯୂଥେ ॥ ୬୨
ଦଶନେ ଅଧର ମାମୋଡି । କୋପେ ଦିଅନ୍ତି ଘୋର ରଡି ॥ ୬୩
ଦଶନ ଅତି ବିକରାଳ । କ୍ଷୁରେ ଖୋଳନ୍ତି ଦିବ୍ୟ ସ୍ଥଳ ॥ ୬୪
ସେ ତୋତେ ପାଇଲେ ରାଜନ । କରିବେ ଅବଶ୍ୟ ଭୋଜନ ॥ ୬୫
ତାହାଙ୍କ ସୁଖରେ ରାଜନ । ପଡି କେ ପାଇବ ଜୀବନ ॥ ୬୬
ଆମ୍ଭେ ଦେଖିଣ ଦୟା ଚିତ୍ତେ । ଶୀଘ୍ରେ ଅଇଲୁ ତୋର ହିତେ ॥ ୬୭
କହିଲୁ ସତ୍ୟ ନିରାଧାର । ଏ ମିଥ୍ୟା ନୋଦ୍ରେ ନୃପବର ॥ ୬୮
ଯେବେ ସଂଶୟ ତୋର ଚିତ୍ତେ । ପ୍ରତ୍ୟକ୍ଷେ ଦେଖାଇବା ତୋତେ ॥ ୬୯
ଏମନ୍ତ କହି ମୁନିବର । ଯୋଗନିଦ୍ରାରେ ତା ଶରୀର ॥ ୭୦
ହରିଲେ ମନ-ବୁଦ୍ଧିଜ୍ଞାନ । ତକ୍ଷଣେ ନୃପତି ଅଜ୍ଞାନ ॥ ୭୧
ସେ ଯୋଗନିଦ୍ରାର ସ୍ୱପନେ । ପ୍ରବେଶ ଯମର ଭୁବନେ ॥ ୭୨
ତହିଁ ଦେଖିଲା ନୃପରାଣ । ବେଢି ସକଳ ପଶୁଗଣ ॥ ୭୩
ଦେଖିଲା ତହିଁ ନୃପଗଣେ । ଦୁଃଖିତ ବିବିଧ କାରଣେ ॥ ୭୪
ଯେ ଯାହା କର୍ମ ଅନୁସାରେ । ପୀଡନ୍ତି ଯେ ଶତ୍ରୁ ଯାହାରେ ॥ ୭୫
ଯେ ଶସ୍ତ୍ରେ ଯାକୁ ଯେବା ମାରି । ସେ ରୂପେ ଶୃଙ୍ଗ ଛନ୍ତି ଧରି ॥ ୭୬
ଗଦା ମୁଦ୍‌ଗର ଅସିବର । କୁନ୍ତ କୁଠାର ଶକ୍ତିଶୂଳ ॥ ୭୭
ଏ ଆଦି ଅସ୍ତ୍ର ଅପ୍ରମିତେ । ପ୍ରକୋପେ ପ୍ରହାରନ୍ତି ନିତ୍ୟେ ॥ ୭୮
ତା ପୂର୍ବ-ଦଣ୍ତ ଅନୁକ୍ରମେ । ସୁମରି ଦ୍ୟନ୍ତି ଶତ୍ରୁ ଜନେ ॥ ୭୯
କେ ବୃକ୍ଷେ ବାନ୍ଧିଣ ପିଟନ୍ତି । କେ ରୋଷେ ତୋଳି କଚାଡନ୍ତି ॥ ୮୦
ଅଧୋବଦନ ଉର୍ଦ୍ଦ୍ୱେ ପାଦ । ଏ ଆଦି ଅଶେଷ ବିଷାଦ ॥ ୮୧
ନାନା-କଦର୍ଥନେ ପୀଡନ୍ତି । ପ୍ରକୋପ ନୟନେ ଚାହାଁନ୍ତି ॥ ୮୨
ଅଧର ଚାପି ଦନ୍ତେ ଭିଡି । କୋପେ କରନ୍ତି ଘୋର ରଡି ॥ ୮୩
ପଶୁଙ୍କ ଦଣ୍ତ ଉପତାପେ । ଉଚ୍ଚେଣ ରୋଦନ୍ତି ଅଧୀପେ ॥ ୮୪
ଦୁଃସଦ-ଦୁଃଖେ ଭୟେ ଛନ୍ନ । ସ୍ରବିତ ମୂତ୍ରଦ୍ୱାରମାନ ॥ ୮୫
ତା ଦେଖି ପ୍ରାଚୀ ନୃପରାଣ । ଭୟେ ଉତ୍ସର୍ଗ ପଞ୍ଚପାଣ ॥ ୮୬
ଭ୍ରମ ହୋଇଲା ତାର ମତି । ପଳାଇ ଇଚ୍ଛଇ ନୃପତି ॥ ୮୭
ତା ଯାଗେ ବଧ ପଶୁଗଣେ । ତାକୁ ବେଢିଲେ ତତକ୍ଷଣେ ॥ ୮୮
ନିଜ ଶତ୍ରୁକୁ ପାଇ କୋପେ । ବେଢି ଭକ୍ଷିଲେ କ୍ଷୁଧା ତାପେ ॥ ୮୯
ବୃକ-ସମୂହ ମୃଗେ ଯେହ୍ନେ । ରାଜାକୁ ଭକ୍ଷିଲେ ତେସନେ ॥ ୯୦
ଆବୋରି ଶତେପୁର କରି । ଏକ-ଆରେକ ବଳେ ଧରି ॥ ୯୧
ଦଶନେ ଧରି ଓଟାରନ୍ତି । ଏକ-ଆରକେ ନ ଛାଡନ୍ତି ॥ ୯୨
ଦୁଃସହ ଦୁଃଖେ ସେ ରାଜନ । ବ୍ୟାକୁଳେ କରଇ ରୋଦନ ॥ ୯୩
ନିର୍ଦ୍ଦୟ-ପଶୁ ଦୁଷ୍ଟପଣେ । ମାଂସ ଭକ୍ଷନ୍ତି ଅନୁକ୍ଷଣେ ॥ ୯୪
ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ଯାବତ କ୍ରୋଧ ଶାନ୍ତି ନୋହେ ॥ ୯୫
ତଦନ୍ତେ ଅନ୍ୟ ପଶୁଗଣେ । ବେଢି ସେ ଭକ୍ଷନ୍ତି ତକ୍ଷଣେ ॥ ୯୬
ମାୟାରେ ପୁନରପି କାୟେ । ପ୍ରକାଶେ ପୂର୍ବତନୁ ପ୍ରାୟେ ॥ ୯୭
ଦୁଃସହ-ଦୁଃଖେ ସେ ନୃପତି । ଭୟେ ପଳାଇ ଚଉକତି ॥ ୯୮
ତେଣେ ଗୋଡାନ୍ତି ପଶୁଗଣେ । କୋପେ ଭକ୍ଷନ୍ତି ଅନୁକ୍ଷଣେ ॥ ୯୯
ଏମନ୍ତ ଦୁଃଖ ମହାଘୋରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୦୦
ତାରେ ରକ୍ଷକ କେହି ନାହିଁ । ଶତ୍ରୁ ସମୂହେ ପୀଡେ ଦେହୀ ॥ ୧୦୧
ସଭୟେ ଭାଳଇ ରାଜନ । ନିଶ୍ଚେ ନାଶିବେ ମୋ ଜୀବନ ॥ ୧୦୨
ଏମନ୍ତ ଭାଳନ୍ତେ ଆକୁଳେ । ମୁନି ଜାଣିଲେ ଯୋଗବଳେ ॥ ୧୦୩
ଏ ମିଥ୍ୟା-ଭୟେ ନୃପରାଣ । ଅବଶ୍ୟ ଛାଡିବ ପରାଣ ॥ ୧୦୪
ଉଚ୍ଛନ୍ନ ଦେଖି ନୃପବର । ହରିଲେ ଯୋଗନିଦ୍ରା ତାର ॥ ୧୦୫
ତକ୍ଷଣେ ସେ ଜ୍ଞାନ ଲଭିଲା । ବିହ୍ୱଳେ ସତ୍ୱରେ ଉଠିଲା ॥ ୧୦୬
ମୁନିଙ୍କି କୋଳାଗ୍ରତ କରି । ସେ ମିଥ୍ୟା ନୃପଭୟେ ଡରି ॥ ୧୦୭
ଭୟେ ନ ଛାଡେ ନୃପବର । ଭୋ ମୁନି ମୋତେ ରକ୍ଷାକର ॥ ୧୦୮
ଏ ଦୁଷ୍ଟ-ପଶୁ ଭୟଙ୍କର । ନିଶ୍ଚେ ଭକ୍ଷିବେ ମୋ ଶରୀର ॥ ୧୦୯
ଏମନ୍ତ କହି ସେ ରାଜନ । ଉତ୍ସନ୍ନେ କରଇ ରୋଦନ ॥ ୧୧୦
ମତି ବିକ୍ରମ ଦେଖି ତାର । ପ୍ରବୋଧ କଲେ ମୁନିବର ॥ ୧୧୧
ଏମିଥ୍ୟା ଭୟେ ତୁ ରାଜନ । ବିଅର୍ଥେ ହେଉଛୁ ଉତ୍ସନ ॥ ୧୧୨
ଏବେ ପ୍ରତ୍ୟକ୍ଷେ ଦେଖ ରାୟେ । ନୟନ ଫେଡି ତୁ ନିର୍ଭୟେ ॥ ୧୧୩
ଏ ଘୋର ଭୟ ପୀଡା ତୋତେ । ଅଜ୍ଞାନେ ଦେଲେ ଶତ୍ରୁଯୂଥେ ॥ ୧୧୪
ଦେଖ ପ୍ରତ୍ୟକ୍ଷେ ନୃପରାଣ । ତୋ ଭୟଙ୍କର ଶତ୍ରୁଗଣ ॥ ୧୧୫
ଅଦୃଶ୍ୟ ହେଲେ ଆମ୍ଭ ଡରେ । ତୋ ଅନ୍ତେ ପୀଡିବେ ସେଠାରେ ॥ ୧୧୬
ତୁ ତାଙ୍କୁ ଦୁଃଖ ଦେଲୁ ଯେତେ । ଅବଶ୍ୟ ପୀଡିବେ ସେ ତୋତେ ॥ ୧୧୭
ଶୁଣି ସଂଭ୍ରମେ ନୃପରାଣ । ବୋଲେ ମୁନିଙ୍କି ରଖ ପ୍ରାଣ ॥ ୧୧୮
ପଶୁଙ୍କ କଷଣୁ କେମନ୍ତେ । ତରିବି କହ ମୁନି ମୋତେ ॥ ୧୧୯
ତୁମ୍ଭେ ସର୍ବଜ୍ଞ ସର୍ବଜାଣ । କହିବା ଏଥିର କାରଣ ॥ ୧୨୦
ଏମନ୍ତ ଶୁଣି ମହାଋଷି । ରାଜା ବିଭ୍ରମେ ମନ୍ଦେ ହତି ॥ ୧୨୧
ଶୁଣ ସୁମନେ ନୃପବର । କହିବା ଏଥିର ବିଚାର ॥ ୧୨୨
ଏବେ ତୁ ଛାଡ ସୁତ-ବିତ୍ତ । ଦାରା-ବନ୍ଧୁରେ ସ୍ନେହଚିତ୍ତ ॥ ୧୨୩
ଅଷ୍ଟ ଐଶ୍ଚର୍ଯ୍ୟ-ଭୋଗ ଯେତେ । ଏ ରାଜ ବିଭୂତି ସହିତେ ॥ ୧୨୪
ଏ ସର୍ବ ତେଜି କୃଷ୍ଣପାଦେ । ଏକାନ୍ତେ ଭଜ ଅପ୍ରମାଦେ ॥ ୧୨୫
ତେବେ ଏ ହତ୍ୟା ଦୁଃଖ ଘୋର । ବେଗେ ଛାଡିବ ନୃପବର ॥ ୧୨୬
ଏ ବିନେ ତୋର ଅନ୍ୟ ଗତି । ଅପରେ ନ ଦେଖି ନୃପତି ॥ ୧୨୭
ତା ଶୁଣି ବୋଲଇ ରାଜନ । ଭୋ ମୁନି ମୁଁ ମୂଢ ଅଜ୍ଞାନ ॥ ୧୨୮
ଏ ପୁତ୍ର ଦାରା ସ୍ନେହ ଅତି । ଇନ୍ଦ୍ରିୟ ଭୋଗ ରସେ ମାତି ॥ ୧୨୯
ଏ ଆଦି ଗୃହବସ୍ତୁ ଯେତେ । ମୁଁ ଛାଡି ପାରିବି କେମନ୍ତେ ॥ ୧୩୦
ଉପାୟ ଥିଲେ ମୁନିବର । ଏ ମାୟାବନ୍ଧ ପରିହର ॥ ୧୩୧
ତା ବାକ୍ୟେ ହସି ମୁନି ତୋଷ । କହିବା ତୋତେ ଇତିହାସ ॥ ୧୩୨
ଶ୍ରବଣେ ହେବ ତୋର ଜ୍ଞାନ । ସେ ପୁରଞ୍ଜନର ଆଖ୍ୟାନ ॥ ୧୩୩
ଏ ଘୋରଭୟ ସ୍ନେହ ତୋର । ଶ୍ରବଣେ ବେଗେ ହେବ ଦୂର ॥ ୧୩୪
ସେ ପୁରଞ୍ଜନ ଏକ ରାଜା । ପୂର୍ବେ ସେ ଥିଲା ମହାତେଜା ॥ ୧୩୫
ବିଜ୍ଞାତ ନାମେ ସଖା ତାର । ଜ୍ଞାନ-ଚେଷ୍ଟାରେ ସେହୁ ଧୀର ॥ ୧୩୬
ସେ ନିଜ-ସଖା ପରିହରି । ଇନ୍ଦ୍ରିୟଭୋଗ ଇଚ୍ଛା କରି ॥ ୧୩୭
ନିରତେ ଭାବେ ଅନୁଦିନ । ଇନ୍ଦିୟ ବଶେ ହୋଇ ଛନ୍ନ ॥ ୧୩୮
ସେ ରାଜା ପୃଥିବୀ ଭ୍ରମଇ । ଉତ୍ତମ-ସ୍ଥାନ ସେ ଇଚ୍ଛଇ ॥ ୧୩୯
ନ ପାଇ ନିଜ ରୂପେ ସ୍ଥିତି । ବିଷାଦମନ ସେ ନୃପତି ॥ ୧୪୦
ଯାବତ-ପୁର ମହୀତଳେ । ସେ ରାଜା ଦେଖଇ ନିରୋଳେ ॥ ୧୪୧
ତା ନିଜ କାମ ପୂର୍ଣ୍ଣ ପାଇଁ । ସେ ରାଜା ସନ୍ତତେ ଭ୍ରମଇ ॥ ୧୪୨
ଏମନ୍ତେ ଏକାନ୍ତେ ଭ୍ରମନ୍ତେ । ଗଲା ସେ ହିମାଳୟ ପଥେ ॥ ୧୪୩
ସେ ଗିରି ଦକ୍ଷିଣ ଭାଗରେ । ପ୍ରବେଶ ହୋଇଲା ସଧୀରେ ॥ ୧୪୪
ସୁଦିବ୍ୟପୁର ତହିଁ ଥିଲା । ସେ ରାଜା ସନ୍ତୋଷେ ଦେଖିଲା ॥ ୧୪୫
ନାନା ଲକ୍ଷଣେ ବିରାଜଇ । ସେ ନବଦ୍ୱାରେ ଶୋଭାପାଇ ॥ ୧୪୬
ସେ ପୁରେ ପାଚେରୀ ଶୋଭନ । ତା ଚଉପାଶେ ଉପବନ ॥ ୧୪୭
ଗୃହାଦି ଅଟ୍ଟାଳୀ ଶୋଭନ୍ତି । ପରିଖା ତ୍ରୋଣ ବିରାଜନ୍ତି ॥ ୧୪୮
ହେମ-ରଜତ-ଲୌହ-ଶୃଙ୍ଗ । ବିଚିତ୍ର-ବର୍ଣ୍ଣେ ନାନାରଙ୍ଗ ॥ ୧୪୯
ରତ୍ନ-ସମୁହେ ବିରାଜନ୍ତି । ଶୁଭ୍ର-ସୁନ୍ଦର ପୁର କାନ୍ତି ॥ ୧୫୦
ନୀଳାଦି ସ୍ଫଟିକ ପୋଏଳା । ମୋତି ମର୍କତ ଆଦି ଶିଳା ॥ ୧୫୧
ନିର୍ମିତ ହେମମୟ ସ୍ଥଳୀ । କାନ୍ତି ସମୂହେ ଅତି ଝଳି ॥ ୧୫୨
ସେ ପୁର ଦେଖିଣ ନୃପତି । କିଏ ଦ୍ୱିତୀୟ ଭୋଗବତୀ ॥ ୧୫୩
ସଭା ଚତ୍ୱର ରାଜ ବାଟ । ପଶା-ଖେଳନ ସ୍ଥାନ ହାଟ ॥ ୧୫୪
ବିଶ୍ରାମ-ସ୍ଥାନ ପ୍ରାଣୀଙ୍କର । ଏ ଆଦି ଅଛି ଯେ ମନ୍ଦିର ॥ ୧୫୫
ପତାକା ଶୋହେ ନାନାବିଧି । ଶୁଦ୍ଧ ସୁବର୍ଣ୍ଣେ ଶୋହେ ବେଦୀ ॥ ୧୫୬
ଯେ ପୁର ବାହ୍ୟେ ଉପବନ । ଶୋଭିତ ନାନା ଦ୍ରୁମମାନ ॥ ୧୫୭
ପୁଷ୍ପିତ-ସରୋବର ଶୋହି । ବିହଙ୍ଗ କୁଳ କୂଳେ ଯହି ॥ ୧୫୮
ହିମ-ନିର୍ଝର-ବିନ୍ଦୁଯୋଗେ । କୁସୁମାକର-ବାୟୁ ବେଗେ ॥ ୧୫୯
ପ୍ରଚଳେ ଦଳ ବିଟପୀରେ । ସରସୀତଟ୍ ସମ୍ପଦରେ ॥ ୧୬୦
ନାନାବର୍ଣ୍ଣର ମୃଗମାନେ । ଚିହରୁଛନ୍ତି ଉପବନେ ॥ ୧୬୧
ଯହିଁ କୋକିଳ କୂଢ଼ଛନ୍ତି । କିବା ସେ ପାନ୍ଥକୁ ଲୋଡନ୍ତି ॥ ୧୬୨
ଏମନ୍ତେ ନାନା ଜୀବ କୁଳେ । କ୍ରୀଡନ୍ତି କାମମତ୍ତ ଭୋଳେ ॥ ୧୬୩
ସେ ଦିବ୍ୟବନେ ହେ ରାଜନ । କହିବା ଅପର ବିଧାନ ॥ ୧୬୪
କାମିନୀରତ୍ନ ସେହୁ ବନେ । ଆସି ଯେ ଥିଲା ସ୍ୱଚ୍ଛ ମନେ ॥ ୧୬୫
ରମଣିରତ୍ନ ସେହୁ ବାଳା । ତାହାକୁ ନୃପତି ଦେଖିଲା ॥ ୧୬୬
ସଙ୍ଗେ ତା ଦଶ ପରିବାରୀ । ଘେନିଣ ଆସିଛି ସୁନ୍ଦରୀ ॥ ୧୬୭
ଭୃତ୍ୟମାନଙ୍କେ ଏକେ ଏକେ । ସଙ୍ଗତେ ଶତ ସ୍ୱନାୟିକେ ॥ ୧୬୮
ପଞ୍ଚମସ୍ତକ ଏକ ଅହି । ସେ ନାରୀ ଦ୍ୱାରପାଳ ସେହି ॥ ୧୬୯
ସେ କାମରୂପୀ ଦିବ୍ୟନାରୀ । ବିବାହ ନୋହିଛି ତାହାରି ॥ ୧୭୦
ତହୁଁ ସେ ସ୍ୱାମୀଙ୍କି ଶଙ୍ଖୋଳେ । ତା ଯୋଗ୍ୟ ବର ହିଁ ନ ମିଳେ ॥ ୧୭୧
ଲାବଣ୍ୟ-ସମୂହେ ତରୁଣୀ । କେ ତା ନିର୍ମାଣିଲା ନ ଜାଣି ॥ ୧୭୨
ସୁସଞ୍ଚ-ନାସା ଦନ୍ତପନ୍ତି । ଯେହ୍ନେ ସୁନ୍ଦର ଗଜମୋତି ॥ ୧୭୩
ଅରୁଣ-ବିମ୍ବାଧାର ରାଜେ । ପକ୍ୱ-ଡାଳିମ୍ବ-ବୀଜ ଗଞ୍ଜେ ॥ ୧୭୪
ଅରୁଣ-ପଙ୍କଜ ଲୋଚନ । ସୁଧାଂଶୁ -ଆନନ ଶୋଭନ ॥ ୧୭୫
ସୁଚାରୁ-ଭ୍ରୂଭଙ୍କ ସୁନ୍ଦର । ଅତନୁଚାପ ପଟାନ୍ତର ॥ ୧୭୬
ଦଗ୍ଧ ହାଟକ ସୁକପୋଳ । ଅଳକାରବୃତ୍ତ ଭୃଙ୍ଗମାଳ ॥ ୧୭୭
ତା ପ୍ରତିଲକ୍ଷଣେ ଶୋଭନ । ନ ଦେଖି ଏ ତିନି ଭୁବନ ॥ ୧୭୮
ଶ୍ରବଣେ କୁଣ୍ତଳ ଝଲକେ । ତୁଳନା ନାହିଁ ତିନିଲୋକେ ॥ ୧୭୯
କନକ ମେଖଳା ନିତମ୍ବୀ । ଚାରୁ ସୁସଞ୍ଚ ତାର ନାଭି ॥ ୧୮୦
ଗମଇ ମତ୍ତଗତ ଠାଣି । ଚରଣେ ନୂପୁର ବାଜେଣି ॥ ୧୮୧
କର୍ଣ୍ଣାଭିରାମ ସୁମଧୁର । ଶ୍ରବଣେ କାମଦର୍ପହର ॥ ୧୮୨
ରତ୍ନସମୂହେ ଝଟକନ୍ତି । ପଥେ କି ଦେବତା ଗମନ୍ତି ॥ ୧୮୩
ସେ ନବଯୌବନ-ଶୋଭିନୀ । ସମ ବର୍ତ୍ତୁଳ ପୀନସ୍ତନୀ ॥ ୧୮୪
ତା ବସ୍ତ୍ର ଅଞ୍ଚଳେ ଢାଙ୍କନ୍ତି । ଯେହ୍ନେ ବିଦ୍ୟୁତେ ଗଜମୋତି ॥ ୧୮୫
ଅପାଙ୍ଗ-ଲଙ୍ଗିତ ବିଶିଖ । ଭୂରୁ କମାଣେ ସନ୍ଧି ଲାଖ ॥ ୧୮୬
ରାଜାକୁ ସତ୍ୱରେ ବିନ୍ଧିଲା । ତକ୍ଷଣେ ନୃପ ମୋହ ହେଲା ॥ ୧୮୭
ସେ ବୀର ଲଜ୍ଜା ପାଇ ମନେ । ନାରୀକି ପଚାରେ ଅଙ୍କନେ ॥ ୧୮୮
ଭୋ ସଖି ନାମ ଗୋତ୍ର ତୋର । କହ କିମର୍ଥେ ବନଘୋର ॥ ୧୮୯
ଭ୍ରମଣ କରୁଛୁ ସୁନ୍ଦରୀ । ସୁର-ମୁନୀଦ୍ର ମନୋହାରୀ ॥ ୧୯୦
ଏ ଦିବ୍ୟପୁର- ଉପବନେ । କହ କି ଅଛି ତୋର ମନେ ॥ ୧୯୧
କି କାମ-ମୃଗ ବିଦାରଣେ । ବିହାର କରୁ ଏ କାରଣେ ॥ ୧୯୨
ମୋ କାମ-ଶତ୍ରୁ ବିନାଶନେ । ସଦନ ତେଜି ଏ ବିପିନେ ॥ ୧୯୩
ମୁଁ ନିଶ୍ଚେ ଜାଣିଲଇ ଚିତ୍ତେ । ସ୍ୱଗୁଣ ଘେନି ମୋର ହିତେ ॥ ୧୯୪
ଏ ପୁରେ କରୁ ତୁ ବିହାର । ମୁଁ ଯେ ତୋହର ପରିଚାର ॥ ୧୯୫
ଭୋ ସଖି ଏ ତୋ ସଖୀଜନ । କହ କାହାର କିସ ନାମ ॥ ୧୯୬
ଏ ଦଶ ଏକୁ ଏକ ଶୋଭା । ଏ ତୁମ୍ଭ କି କରନ୍ତି ସେବା ॥ ୧୯୭
ଏ ସର୍ପ କେ ତୁମ୍ଭ ଛାମୁର । ପଞ୍ଚମସ୍ତକ କିମ୍ପା ତାର ॥ ୧୯୮
ଏହାଙ୍କ ନାମ-କର୍ମ ଯେତେ । ଭୋ ସଖି କହ ମୋ ଅଗ୍ରତେ ॥ ୧୯୯
ତୁମ୍ଭେ କି ଲଜ୍ଜାରୂପ ଧରି । ଧର୍ମ ପତିକି ଅନୁସରି ॥ ୨୦୦
କି ଅବା ତୁମ୍ଭେ ଗୋ ଭବାନୀ । ଶଙ୍ଖୋଳୁ ଅଛ ଶୁଳପାଣି ॥ ୨୦୧
କି ଅବା ତୁମ୍ଭେ ପଦ୍ମାଳୟା । ଲୋଡୁଛ କୃଷ୍ଣ-ପଦଛାୟା ॥ ୨୦୨
ତୁମ୍ଭେ କି ଅଟ ଅରୁନ୍ଧତୀ । ବାଞ୍ଛା କି କର ନିଜପତି ॥ ୨୦୩
ଭୋ ସଖି ତୋ ରୂପ-ପ୍ରଭା । ଦେଖି ଟଳିବେ ସୁରଦେବା ॥ ୨୦୪
କାମୀଜନଙ୍କ ପୂର୍ଣ୍ଣ କାମ । ବାଞ୍ଛାକୁ ଅଟୁ କଳ୍ପଦ୍ରୁମ ॥ ୨୦୫
ଅଶେଷ ସୁଖ ସେ ଲଭନ୍ତି । କାମାଦି ଶତ୍ରୁ ବିନାଶନ୍ତି ॥ ୨୦୬
ମୁନିମୋହିନୀ ରୂପ ଧରି । ଏ କାନ୍ତେ ଭ୍ରମୁ ତୁ କିଶୋରୀ ॥ ୨୦୭
ତୋ ଗୁଣ କୀର୍ତ୍ତିପ୍ରଭା ଚାହିଁ । ଦେବତା ପ୍ରାୟେ ମୁଁ ମଣଇଁ ॥ ୨୦୮
ଭୂମିରେ ନ ଚାଲେ ଦେବତା । ଏଣୁ ମୋ ମନେ ଗରୁ ଚିନ୍ତା ॥ ୨୦୯
ତୋ ଗୁଣ ବର୍ଣ୍ଣବଇଁ କେତେ । ତୋ ସମ ନାହିଁ ଏ ଜଗତେ ॥ ୨୧୦
ଏବେ ନିଶ୍ଚୟେ ମୋତେ ଘେନି । ଏ ପୁରେ ବିହର କାମିନୀ ॥ ୨୧୧
ତୋହର ଲଜ୍ଜା-ଭାବ ସ୍ମିତ । ଏ କାମୀଜନଙ୍କୁ ପୀଡିତ ॥ ୨୧୨
ଅନଙ୍ଗ-ଶର ବାଧେ ମୋତେ । ମୁଁ ଫେଡି କହିଲିଇଁ ତୋତେ ॥ ୨୧୩
ତୋ ମୁଖ ଅପାଙ୍ଗ-ଲକ୍ଷଣ । ସ୍ଥକିତ ଏ ମୋର ଚରଣ ॥ ୨୧୪
ତୁ ଅନୁଗ୍ରହ ମୋତେ କର । ଏ କାମାନଳ ପରିହର ॥ ୨୧୫
ସେ ତାପେ ଦହି ମୁଁ ହେଉଛି । ତୁ ଶାନ୍ତି କର ଗୋ ମୃଗାକ୍ଷି ॥ ୨୧୬
ସଖି ତୋ ରୁଚିର ଆନନ । ଶୁଭ୍ର ସୁନ୍ଦର ସୁଲୋଚନ ॥ ୨୧୭
ଅଳକ କପୋଳେ ଝଲକେ । ଟେକିଣ ନ ଚାହୁଁ ତୁ କିକେ ॥ ୨୧୮
କହ ତୁ ମଧୁର ବଚନ । ନିଶ୍ଚେ ମୋ ଗଲାଟି ଜୀବନ ॥ ୨୧୯
ତୁ ଲଜ୍ଜାଭରେ ନ ଚାହୁଁଛୁ । ଭୋ ସଖି ପ୍ରାଣେ ତୁ ମାରୁଛୁ ॥ ୨୨୦
ତୁ ହସି ସୁମଧୁର ଭାଷ । ମୁଁ ନିଶ୍ଚେ ହେବି ତୋର ଦାସ ॥ ୨୨୧
ଅନେକ ବିନୟ-ବଚନ । ସେ ନାରୀବଶେ ପୁରଞ୍ଜନ ॥ ୨୨୨

ନାରଦ ଉବାଚ

ହେ ନୃପ ତୋର ପ୍ରାୟ ସେହି । ସ୍ତିରୀରେ ବଶ କଲା ଦେହୀ ॥ ୨୨୩
ପ୍ରଭୁତ୍ୱ ପଣ ସେ ତେଜିଲା । ତା ବଶେ ଜ୍ଞାନ ପାଶୋରିଲା ॥ ୨୨୪
ସ୍ତିରୀରେ ବଶ ଯେଉଁ ପ୍ରାଣୀ । ତାହାକୁ ମନୁଷ୍ୟେ ନ ଗଣି ॥ ୨୨୫
ଯେ ଅଶ୍ୱ ବିଡାଳ ଗର୍ଦ୍ଦଭ । ତାଙ୍କ ସମାନେ ସେହୁ ଜୀବ ॥ ୨୨୬
ପଣ୍ତିତ ବୋଲି ତା ନ ଗଣି । ସ୍ତିରୀରେ ବଶ ଯେଉଁ ପ୍ରାଣୀ ॥ ୨୨୭
ଭୋ ନୃପ ମନେ ତୁ ବିଚାର । କାହିଁ ପଣ୍ତିତ ଜ୍ଞାନ ତାର ॥ ୨୨୮
ଏମନ୍ତ ସେ ଯେ ପୁରଞ୍ଜନ । ବୋଧିଲା ଚାଟୁବାକ୍ୟେ ମନ ॥ ୨୨୯
ସନ୍ତୋଷ ଲଭିଲା ତରୁଣୀ । ତାର କାର୍ପଣ୍ୟ ବାକ୍ୟ ଶୁଣି ॥ ୨୩୦
ସେ ନାରୀ ବୁଝିଲା ମନର । ଏ କାମେ ହୋଇଛି ଅସ୍ଥିର ॥ ୨୩୧
ନୃପକୁ ଆତ୍ମହରା ଦେଖି । ଅଳପ ହସିଲା ସୁମୁଖୀ ॥ ୨୩୨
କହେ ଲଳିତ ସୁବଚନ । ଶୁଣ ହେ ବୀର ପୁରଞ୍ଜନ ॥ ୨୩୩
ଆମ୍ଭର ଭର୍ତ୍ତା କେହି ନାହିଁ । ବିହରୁଁ ଏ ପୁରରେ ରହି ॥ ୨୩୪
ସ୍ୱନାମ ଗୋତ୍ର ତା ନ ଜାଣି । ଏ ତନୁ କେ ଅଛି ନିର୍ମାଣି ॥ ୨୩୫
ଏତେକ ଜାଣୁ ଆମ୍ଭେମାନେ । ସକଳେ ଅଛୁ ଏ ଭୁବନେ ॥ ୨୩୬
ଅପରେ ନ ଜାଣୁ ନା କିଛି । ଏ ପୁରେ କେ ମୋତେ ରଖିଛି ॥ ୨୩୭
ଦେଖ ଏ ଯେତେ ପରିଜନ । ଏ ମୋର ନୁହଁନ୍ତି ଅଭିନ୍ନ ॥ ୨୩୮
ଏହାଙ୍କ ନାମ-କର୍ମ-ଗୁଣ । ପୁଚ୍ଛିଲ ଶୁ ନୃପରାଣ ॥ ୨୩୯
ମୁଁ ଯେବେ ନିଦ୍ରାଗତ ହୋଇ । ଏ ସର୍ପ ପୁର ଜଗିଥାଇ ॥ ୨୪୦
ଏ ଆମ୍ଭ ପାଳକ ପୁରର । ସକଳ-କାର୍ଯ୍ୟରେ ତ‌ତ୍ପର ॥ ୨୪୧
କରନ୍ତି ଆମ୍ଭ ଅନୁମତେ । ଯେ ଭୋଗବାଞ୍ଛା ଯାର ଚିତ୍ତେ ॥ ୨୪୨
ଯେ ଶୁଭାଶୁଭ ଫଳ ଦେଇ । ବିଧି-ନିଷେଧ ମାର୍ଗେ ନେଇ ॥ ୨୪୩
ଏଣୁ ଆତ୍ମିକ ପ୍ରିୟ ମୋର । ଯେଣୁ ଏ ସେବେ ନିରନ୍ତର ॥ ୨୪୪
ଏହାର ବେନି-ପତ୍ନୀ ନାମ । ପ୍ରବୃତ୍ତି ନିବୃତ୍ତି ରାଜନ ॥ ୨୪୫
ପ୍ରବୃତ୍ତି ପତ୍ନୀ ନାମ ଯାର । ସେ ସେବେ ପ୍ରବୃତ୍ତି ମାର୍ଗର ॥ ୨୪୬
ନିବୃତ୍ତି ନାମେ ଯେ ଯୁବତୀ । ସେ ଧର୍ମ ମାର୍ଗେ ସେବେ ପତି ॥ ୨୪୭
ସେ ବେନିନାରୀଙ୍କ କୁମର । କେ ସାଧୁ କେବା ଦୁରାଚାର ॥ ୨୪୮
ଏ ଯେତେ ପ୍ରବୃତ୍ତି ନନ୍ଦନ । ଯେ କାମ କ୍ରୋଧ ଅଭିମାନ ॥ ୨୪୯
ଅଜ୍ଞାନ ଲୋଭ ମୋହ ହିଂସା । ବିବାଦ ତର୍କ ମିଥ୍ୟାଭାଷା ॥ ୨୫୦
ଅପରେ କହିବଇଁ କେତେ । ଏ ଆଦି ପୁତ୍ରେ ଛନ୍ତି ଯେତେ ॥ ୨୫୧
ଏ ସର୍ବେ ଧର୍ମରେ ବିବାଦୀ । ପିତୃ ସେବନ୍ତି ନିରବଧି ॥ ୨୫୨
ଅଧର୍ମ-ମାର୍ଗେ ନିରନ୍ତର । ସୁସେବା କରନ୍ତି ପିଅର ॥ ୨୫୩
ଯେ କାମଭୋଗେ ତୁମ୍ଭ ଇଚ୍ଛା । ସେ ଦେଇ ପୂରାଇବେ ବାଞ୍ଛା ॥ ୨୫୪
ଏଣୁ ଏ ତୁମ୍ଭ ସଙ୍ଗେ ଥିବେ । ସେବାଦି କର୍ମରେ ତୋଷିବେ ॥ ୨୫୫
ଏହାଙ୍କୁ କ୍ଷଣେ ନ ଛାଡିବ । ଆମ୍ଭରେ ଯେବେ ଦୟା ଥିବ ॥ ୨୫୬
ଏ ଯେତେ ନିବୃତ୍ତି ନନ୍ଦନ । ଦୟା ବିବେକ ଧର୍ମ ଜ୍ଞାନ ॥ ୨୫୭
କ୍ଷମା ସନ୍ତୋଷ ଧୀର ଶାନ୍ତି । ଏ ଅନୁକ୍ରମେ ଯେତେ ଛନ୍ତି ॥ ୨୫୮
ଅଧର୍ମ-ମାର୍ଗେ ଏ ଦାରୁଣ । ଇଚ୍ଛନ୍ତି ପିତାର ମରଣ ॥ ୨୫୯
ଏ ନିଶ୍ଚେ ମାରି ନିଜ ତାତ । ରଖିବେ ପିତାର ପିତାନ୍ତ ॥ ୨୬୦
ଏଣୁ ଏହାଙ୍କୁ ପ୍ରତେଜିବ । ଭୋଗାଦି ବାଞ୍ଛା ଯେବେ ଥିବ ॥ ୨୬୧
ଏ ଦୁଷ୍ଟେ ଅଧର୍ମ ନାଶନ୍ତି । ଭୋଗାଦି ସୁଖ ନ ଦେଖନ୍ତି ॥ ୨୬୨
ଯେ ପିତୃବଧେ ଛିଦ୍ର ବାଞ୍ଛ । ତୁମ୍ଭେ ପାଇବ କାହିଁ ରକ୍ଷା ॥ ୨୬୩
ତୁମ୍ଭେ ନ ଜାଣ ପୁରଞ୍ଜନ । କେ ସାଧୁ କେ ଅବା ଦୁର୍ଜନ ॥ ୨୬୪
ଆମ୍ଭର କହିବା ଉଚିତ । ତୁମ୍ଭେ ଯେ ଆମ୍ଭ ନିଜକାନ୍ତ ॥ ୨୬୫
ସ୍ୱାମୀ କପଟୀ ଯେବା ନାରୀ । ସେ ଟି ଅଜ୍ଞାନୀ ବ୍ୟଭିଚାରୀ ॥ ୨୬୬
ତୁମ୍ଭେ ଯେ ଭୋଗାଦି ଈଶ୍ୱର । ଇଚ୍ଛା-ସଂଯୋଗେ ଭୋଗ କର ॥ ୨୬୭
ଏ ସର୍ବେ ଭୋଗ ବିନାଶିବେ । କାମାଦି ବାଞ୍ଛା ଏ ନ ଦେବେ ॥ ୨୬୮
ଏହାଙ୍କ ସଙ୍ଗତେ ରାଜନ । ପଡି ହୋଇବ ଭୋଗେ ହୀନ ॥ ୨୬୯
ଏ ପୁରେ ଭୋଗ-ବାଞ୍ଛା ଯାର । ଏ ସଙ୍ଗ ନୁହେଁ ନୃପବର ॥ ୨୭୦
ତୁମ୍ଭେ ଏ ସଙ୍ଗ ପରିହର । ନିଶ୍ଚିନ୍ତେ ଏ ପୁରେ ବିହର ॥ ୨୭୧
ଏବେ ଆମ୍ଭର ସଙ୍ଗେ ତୁମ୍ଭେ । ସୁକୃତ କରି ରହ ଦମ୍ଭେ ॥ ୨୭୨
ଏ ସଙ୍ଗ ସଙ୍ଗତେ ଆମ୍ଭର । ପ୍ରୀତି ନୋହିବ ନୃପବର ॥ ୨୭୩
ସେ ନାରୀ ବାକ୍ୟେ ନୃପମଣି । ଅଜ୍ଞାନେ ମଜ୍ଜିଲା ନ ଜାଣି ॥ ୨୭୪
ଅଜ୍ଞାନ-ମାର୍ଗେ ଚିତ୍ତ ଦେଲା । ସ୍ୱ ପର ଭେଦ ବୁଦ୍ଧି କଲା ॥ ୨୭୫
ତାର ସ୍ୱବଶେ ନେଲା ଦିନ । ଅଜ୍ଞାନ ପୁରୁଷ ଯେସନ ॥ ୨୭୬
ଭୋ ସଖି ଯାବତ ଏ ପୁରେ । ଥିବି ତୋ ଆଜ୍ଞା ଅନୁସାରେ ॥ ୨୭୭
ଶୁଣି ସନ୍ତୋଷେ ସେ ସୁନ୍ଦରୀ । ରାଜାଙ୍କୁ ଘେନିଲା ଆଦରି ॥ ୨୭୮
ହେ ନୃପ ଶୁଣ ପୁରଞ୍ଜନ । ଏ ମୋର ଯେତେ ପରିଜନ ॥ ୨୭୯
ସୁସେବା କରିବେ ନିରତେ । ଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ ॥ ୨୮୦
ଏ ସର୍ବେ ନିତ୍ୟେ ନିଯୋଜିବେ । ତୁମ୍ଭଙ୍କୁ କ୍ଷଣେ ନ ଛାଡିବେ ॥ ୨୮୧
ଯେ କାମ-ଭୋଗେ ଇଚ୍ଛା ମନ । ଏ ନିତ୍ୟେ ଖଟିବେ ରାଜନ ॥ ୨୮୨
ଭଜିବେ ଯେଝା ନିଜସ୍ଥାନେ । ନିର୍ଭୟ-ଚିତ୍ତେ ତୋଷମନେ ॥ ୨୮୩
ଏମନ୍ତ ପ୍ରବୋଧ ବଚନ । କହିଣ ତୋଷିଲା ରାଜନ ॥ ୨୮୪
ତା ବାକ୍ୟେ ରାଜା ବିମୋହିତ । କନ୍ଦୁକ-ପ୍ରତିମା ଯେମନ୍ତ ॥ ୨୮୫
ତା ବଶେ କହେ ଚାଟୁ ବାଣୀ । ଭୋ କାମାନଳ ଉଦ୍ଧାରିଣ ॥ ୨୮୬
ପ୍ରମଦାକୁଳ ମଧ୍ୟେ ସାର । ତୋ ତୁଲେ ନାହିଁ ପଟାନ୍ତର ॥ ୨୮୭
ତୋ ରୂପ ନିର୍ମାଣିଲା ବିହି । ଦେଖି ଅନଙ୍ଗ ଚିତ୍ତ ମୋହି ॥ ୨୮୮
ତୁ କାମ-ଶତ୍ରୁ ବିନାଶନେ । ଅଇଲୁ ଏ ମର୍ତ୍ତ୍ୟ-ଭୁବନେ ॥ ୨୮୯
ମୋହର ତୁଲେ କାମୀ ଯେତେ । ନିସ୍ତାର ହେବେ ଏ ଜଗତେ ॥ ୨୯୦
କାମଯାଚକ ପ୍ରାଣୀଙ୍କର । ତୋ ବିନା ଅନ୍ୟ କାହିଁ ଆର ॥ ୨୯୧
ଭୋ ସ୍ତିରୀରତ୍ନ ସୀମନ୍ତିନି । କେ ତୁମ୍ଭ ପିଅର ଜନନୀ ॥ ୨୯୨
କହ ତାହାଙ୍କ ନାମ ଗୁଣ । ଶ୍ରବଣେ ମୋର ନିସ୍ତାରଣ ॥ ୨୯୩
ତା ବାକ୍ୟ ଶୁଣିଣ ହରଷେ । ସେ ନାରୀ କହେ ମଦହାସେ ॥ ୨୯୪
ଶୁଣ ହେ ଦେବ ପୁରଞ୍ଜନ । କହିବା ପୂର୍ବର ବିଧାନ ॥ ୨୯୫
ଆମ୍ଭର କେ ବା ତାତମାତ । ନ ଜାଣି ଜନ୍ମର ଚରିତ ॥ ୨୯୬
ଏ ତୁମ୍ଭ ଆମ୍ଭ ଦେହଧାରୀ । ସଚରାଚର ଆଦି କରି ॥ ୨୯୭
ଏ ପଞ୍ଚଭୂତ ଦେହ ଯେତେ । କେ ଜାଣି ପାରେ ତା ତଦନ୍ତେ ॥ ୨୯୮
ଯେସନେ ତୁମ୍ଭେ ନୃପରାଣ । ନ ଜାଣ ଜନ୍ମାଦି କାରଣ ॥ ୨୯୯
ଆମ୍ଭର ଏଣେ ନାହିଁ ଜ୍ଞାନ । ବିବେକୀ ବୁଝ ହେ ରାଜନ ॥ ୩୦୦
ତୁମ୍ଭେ କି ନ ଜାଣ ତୁମ୍ଭଙ୍କୁ । ଏ ଭେଦ ପଚାର ଆମ୍ଭଙ୍କୁ ॥ ୩୦୧
ଏକଇ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ॥ ୩୦୨
ଈଶ୍ୱର-ଇଚ୍ଛା ଏ ବିହରେ । ପ୍ରକୃତି ଭେଦେ ସୃଷ୍ଟି କରେ ॥ ୩୦୩
ଏ ଘେନି କେ ଜାଣେ ତଦନ୍ତ । ଏ ମାୟା-ଜଡେ ବିମୋହିତ ॥ ୩୦୪
ସ୍ୱନାମ-ଗୋତ୍ରେ କିବା ଫଳ । ମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲ ॥ ୩୦୫
ଆଜ ମୋ ଭାଗ୍ୟ ଅଗୋଚର । ଦେଖିଲି ନୟନେ ମୋହର ॥ ୩୦୬
ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେ । ଯୋଗୀ ଭାବନ୍ତି ଅନୁଦିନେ ॥ ୩୦୭
ସେ ତୁମ୍ଭେ ମୋ ଭାଗ୍ୟେ ଆଗତ । ଏଣୁ ମଣିଲି ଅଦଭୁତ ॥ ୩୦୮
ଏ ପୁରେ କରିବା ବିଶ୍ରାମ । ଭୁଞ୍ଜ ସ୍ୱଇଚ୍ଛାସୁଖେ କାମ ॥ ୩୦୯
ମୁଁ ଆଣି ସର୍ବ ନିଯୋଜିବି । ଏହାଙ୍କ ତୁଲେ ମୁଁ ସେବିବି ॥ ୩୧୦
ଏ ମୋର ନବମୁଖ-ପୁର । ଏ ପୁରେ ଅଧିଷ୍ଠାନ କର ॥ ୩୧୧
ମୋ ସଙ୍ଗେକର ରତି ଯୋଗ । ଏ ଶତ ସମ୍ବତ୍ସର ଭୋଗ ॥ ୩୧୨
ଏ ତୁମ୍ଭ ବିନୁ ଯେବା ଜନ । କେ ରତି କରେ ତା ସଙ୍ଗେଣ ॥ ୩୧୩
ସେ ଅପଣ୍ତିତ ହୀନଦେହୀ । ତା ରତି ସୁଖେ ଜ୍ଞାନ ନାହି ॥ ୩୧୪
ନାହିଁ ତା ପରଲୋକ ଚିନ୍ତା । ନ ଜାଣେ କାଳର ବାରତା ॥ ୩୧୫
କେବଳ ପଶୁ ତୁଲ୍ୟ ସେହି । ତା ସଙ୍ଗେ କେବା ବିଳସଇ ॥ ୩୧୬
ତା ପୁରେ ସର୍ବ କର୍ମ ସାଧି । ଧର୍ମାର୍ଥ-କାମ-ମୋକ୍ଷ ଆଦି ॥ ୩୧୭
ପୁତ୍ର କଳତ୍ର ସୁଖ ଯଶ । ଏ ପୁରେ ଏ ସର୍ବ ପ୍ରକାଶ ॥ ୩୧୮
ଯେ ଲୋକ ନିର୍ମଳ ବିଶୋକ । ତାକୁ ଭାବନ୍ତି ଜ୍ଞାନୀଲୋକ ॥ ୩୧୯
ସେ ଲୋକ ଏଥି ସୁଖ ପାଇ । ଯେଣୁ ଏ ପୁରୀ ସୁଖମୟୀ ॥ ୩୨୦
ପିତୃ ଦେବତା ମହାଋଷି । ସୁଖ ଲଭନ୍ତି ଯହିଁ ଆସି ॥ ୩୨୧
ଏ ଭାବେ ଗୃହସ୍ଥ ଆଶ୍ରମ । ରଖଇ ସର୍ବ ଲୋକ ଧର୍ମ ॥ ୩୨୨
ଏମନ୍ତ ଦିବ୍ୟପୁରେ ଥାଇ । ଯେ ଭୋଗେ ବାଞ୍ଛା ନ କରଇ ॥ ୩୨୩
ତାହାକୁ ବୋଲିଟି ଅଜ୍ଞାନ । ବିବେକ ନୋହେ ତାର ମନ ॥ ୩୨୪
କେ ଅବା ଅଜ୍ଞାନ ଯୁବତୀ । ତୁମ୍ଭର ପ୍ରାୟେ ପାଇ ପତି ॥ ୩୨୫
ବିହାର ନ କରେ ତା ତୁଲେ । ତା ସ୍ୱାମୀ ଆସି ଯେବେ ମିଳେ ॥ ୩୨୬
ବିଅର୍ଥ ସେ ନାରୀ ଜୀବନ । ନ କଲା ଭୁଜେ ଆଲିଙ୍ଗନ ॥ ୩୨୭
ସ୍ୱଇଚ୍ଛା ଆସି ଯେବେ ମିଳେ । ବରଣ ନ କରେ ଯେ ଭଲେ ॥ ୩୨୮
ଧିକ ସେ ନାରୀର ଜୀବନ । ତାଙ୍କ ବିଶ୍ୱାସେ ଧର୍ମ ହୀନ ॥ ୩୨୯
ଯେ ସୁଖ-ଭୋଗ ନ ଇଚ୍ଛିବ । ସେ ବ୍ୟର୍ଥ-ଜୀବନେ ବଞ୍ଚିବ ॥ ୩୩୦
ତୁମ୍ଭେ ଯେ ବଡ ଭାଗ୍ୟବନ୍ତ । ଦୀନ-ଉଦ୍ଧାରଣେ ସାମନ୍ତ ॥ ୩୩୧
ଏବେ ଯେ ତୁମ୍ଭେ ଦୟାକରି । ଅଇଲ ମୋ ଦୁଃଖ ଉଦ୍ଧରି ॥ ୩୩୨
ଯେବେ ସଦୟ ମୋତେ ହେବ । ଶତେ ବରଷ ଏଥି ଥିବ ॥ ୩୩୩
ଏମନ୍ତ ଶୁଣି ତା ବଚନ । ସେ ନାରୀ ବଶେ ପୁରଞ୍ଜନ ॥ ୩୩୪
ସେ ପୁରେ କଲେକ ବସତି । ଶତେ ବରଷ ରଙ୍ଗେ ମାତି ॥ ୩୩୫
ଗାୟକମାନେ ଯେ ଗାବନ୍ତି । ସେ ବେନି ବିହାର କରନ୍ତି ॥ ୩୩୬
ସେ ସଖୀମାନଙ୍କୁ ଘେନିଣ । ସରସୀ ଜଳରେ ପଶିଣ ॥ ୩୩୭
ନିଦାଘ କାଳେ ସେ କ୍ରୀଡନ୍ତି । ସେପୁର କେବେ ନ ଛାଡନ୍ତି ॥ ୩୩୮
ଏବେ ସେପୁର ଦ୍ୱାରମାନ । କହିବା ଯେ ଦିଗେ ଯେବଣ ॥ ୩୩୯
ଉର୍ଦ୍ଧ୍ୱେ ସପତ-ଦ୍ୱାର ତାର । ତା ଅଧୋଭାଗେ ବେନି ଦ୍ୱାର ॥ ୩୪୦
ଏ ଦ୍ୱାରମାନଙ୍କେ ନୃପତି । ଯେଝା ବିଷୟ ଆସ୍ୱାଦନ୍ତି ॥ ୩୪୧
ଏ ପୁରେ ଈଶ୍ୱରଟି ସେହି । ତାହାକୁ ନ ଜାଣନ୍ତି କେହି ॥ ୩୪୨
ଉପର ସପ୍ତଦ୍ୱାର ଶୁଣ । ଯେ ରୂପେ ହୋଇଛି ନିର୍ମାଣ ॥ ୩୪୩
ଯେ ପୂର୍ବେ ତହିଁ ପଞ୍ଚ ଦ୍ୱାର ଶୁଣ । ଅଗ୍ରେ କହିବା ନାମ ତାର ॥ ୩୪୪
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଯେ ଦ୍ୱାରେ ରୂପ ସମ୍ପାଦଇ ॥ ୩୪୫
ନଳିନୀ ନାଳିନୀ ଯେ ଦ୍ୱାର । ଏ ପୂର୍ବଭାବେ ଅଛି ତାର ॥ ୩୪୬
ଏ ଦ୍ୱାରେ ଅବଧୂତ ସଖା । ସୁଗନ୍ଧ ଘେନୁଥାଇ ଏକା ॥ ୩୪୭
ମୁଖ୍ୟା ନାମେ ଏକ ଦ୍ୱାର । ଉଭୟ କର୍ମ ସାଧ୍ୟକର ॥ ୩୪୮
ବିବିଧ ଆସ୍ୱାଦ ବଚନ । ଏ ଦ୍ୱାରେ ଘେନେ ପୁରଞ୍ଜନ ॥ ୩୪୯
ରସ ଆସ୍ୱାଦ ବାକ୍ୟ ଦୁଇ । ଏ ବେନି ଦ୍ୱାରେ ସେ ଘେନଇ ॥ ୩୫୦
ଦେବହୂ ପିତୃହୂ ଯେ ନାମ । ଏ ବେନିଦ୍ୱାର ଦକ୍ଷ ବାମ ॥ ୩୫୧
ଯେ ଦ୍ୱାର ବିଷୟେ ରାଜନ । ଶବ୍ଦାଦି କରେ ସମ୍ପାଦନ ॥ ୩୫୨
ଦକ୍ଷିଣ ଉତ୍ତର ପଞ୍ଚାଳ । ରାଜ୍ୟ ପାଳଇ ମହୀପାଳ ॥ ୩୫୩
ପଶ୍ଚିମେ ଆସୁରୀ ତା ନାମ । ସେ ବେନିଦ୍ୱାରେ ଯେବା କର୍ମ ॥ ୩୫୪
ଗ୍ରାମକ ନାମେ ଯେ ବିଷୟ । ଯାହାକୁ ବୋଲିଟି ବ୍ୟବାୟ ॥ ୩୫୫
ସେ ଦ୍ୱାରେ ପ୍ରଜା ଉତପତ୍ତି । ଦୁର୍ମଦ ସହିତେ ନୃପତି ॥ ୩୫୬
ନିର୍ଋତି ନାମଟି ଯାହାର । ମଳ ଉତ୍ସର୍ଗେ ସେହୁ ଦ୍ୱାର ॥ ୩୫୭
ବୈଶସ ବିଷୟକୁ ଯାଇ । ଲୁବ୍‌ଧକୁ ମନ୍ତ୍ରି ସଙ୍ଗେ ଥାଇ ॥ ୩୫୮
ଏ ପୁରେ ଯେତେକ ଅଛନ୍ତି । ଏ କେହି ଅନ୍ଧ ଯେ ନୁହଁନ୍ତି ॥ ୩୫୯
ନିର୍ବାକ ପେଶସ୍କୃତ ଦୁଇ । ଏ ଥାଇ ଅନ୍ଧ ରୂପେ ତହିଁ ॥ ୩୬୦
ଏକଇ ଅନ୍ଧେ ସେ ରାଜନ । କରଇ ଆଦାନ ପ୍ରଦାନ ॥ ୩୬୧
ଯେ ଆର ଅନ୍ଧ ତା ପୟର । ତହିଁ ଗମଇ ନୃପବର ॥ ୩୬୨
ସେ ରାଜା ଅନ୍ତପୁରେ ବସେ । ବିଷୁଚୀ ଘେନି ଥାଇ ପାଶେ ॥ ୩୬୩
ବିଷୁଚୀ ନାମେ ଯେହୁ ଏକ । ତାହାର ସର୍ବଦିଗେ ମୁଖ ॥ ୩୬୪
ନିତ୍ୟେ ସେ ରାଜା ସଙ୍ଗେ ଥାଇ । ଯେଣେ ପେଷଇ ତେଣେ ଯାଇ ॥ ୩୬୫
ସେ କ୍ଷଣେ ନ ଛାଡଇ ତାକୁ । ଅନାଇ ଥାଇ ତ ଅଜ୍ଞାକୁ ॥ ୩୬୬
ଏ ରୂପେ ରାଜା ପୁରଞ୍ଜନ । ସେ ପୁରେ ଥାଇ ଅନୁକ୍ଷଣ ॥ ୩୬୭
ତହିଁ ସେ ମୋଦ ପାଉଥାଇ । ବିରସ କେବେ ନ ଭଜଇ ॥ ୩୬୮
କ୍ଷଣକେ ହୋଇ ହତଜ୍ଞାନ । କ୍ଷଣକେ ଲଭଇ ଚେତନ ॥ ୩୬୯
ସେ କାମସୁଖେ ଦେଇ ଚିତ୍ତ । ଏଣୁ ହୋଇଲା ଜ୍ଞାନହତ ॥ ୩୭୦
ତା ପତ୍ନୀ ଯେଣେ ପ୍ରବର୍ତ୍ତଇ । ସେ ମାର୍ଗେ ରାଜନ ଗମଇ ॥ ୩୭୧
ସେ ମଦ୍ୟପାନ ଯେବେ କରେ । ରାଜା ପିବଇ ସ୍ନେହ ଭରେ ॥ ୩୭୨
ଯେବେ ସେ କରଇ ଭୋଜନ । ତା ପ୍ରାୟେ ଭକ୍ଷଇ ରାଜନ ॥ ୩୭୩
ସେ ଯେବେ ଆନନ୍ଦ ଭଜଇ । ତା ଲାଗି ରାଜା ମୋଦ ହୋଇ ॥ ୩୭୪
ସେ ଯେବେ କରଇ ରୋଦନ । ତା ପଛେ ବିଳପେ ରାଜନ ॥ ୩୭୫
ସେ ଗୀତ ଗାବନ୍ତେ ସୁନ୍ଦରୀ । ରାଜନ ଗାଏ ଅନୁସରି ॥ ୩୭୬
ଆନନ୍ଦେ ହସେ ଯେବେ ରାଣୀ । ତା ଭାବେ ହସେ ନୃପମଣି ॥ ୩୭୭
ବଚନ କହନ୍ତେ ରମଣୀ । ସେ ଭାବେ କହେ ନୃପମଣି ॥ ୩୭୮
ସେ ଯେବେ ବ୍ୟଗ୍ର ଗତେ ଯାଇ । ସେ ଭାବେ ରାଜନ ଗମଇଁ ॥ ୩୭୯
ତା ପତ୍ନୀ କରନ୍ତେ ଆସନ । ସେ ଭାବେ ବସଇ ରାଜନ ॥ ୩୮୦
ଏମନ୍ତେ ସେ ନାରୀ ରାଜାକୁ । ସ୍ୱବଶେ ରଖିଲା ତାହାକୁ ॥ ୩୮୧
ତା ବିନା ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ॥ ୩୮୨
ତା ବଶେ ହୋଇଲା ଆୟତ୍ତ । ରାଜାର ଜନ୍ମ ହେଲା ବ୍ୟର୍ଥ ॥ ୩୮୩
ସେ କ୍ରୀଡାମୃଗ ଜୀବ ପ୍ରାୟେ । ସ୍ତିରୀବଶରେ ରହେରାୟେ ॥ ୩୮୪
ତୁମ୍ଭେ ଯେସନେ ଭୋ ରାଜନ । ସ୍ତ୍ରୀ ବଶେ ହରାଇଲା ଜ୍ଞାନ ॥ ୩୮୫
ସେ ଭାବେ ପୁରଞ୍ଜନ ରାୟେ । ସ୍ତ୍ରୀ ବେଶ ଜ୍ଞାନ କଲା କ୍ଷୟେ ॥ ୩୮୬
ସେ ଭାବେ ସେ ଶେଷ ହୋଇଲା । ସେ ପୁଣ୍ୟମାର୍ଗ ଉପେକ୍ଷିଲା ॥ ୩୮୭
ତା ଦିନ ଗଲା ପତ୍ନୀ ବଶେ । ଅସତ୍ୟ ମିଥ୍ୟା ଅଭିଳାଷେ ॥ ୩୮୮
ଯେ ପ୍ରାଣୀ ସ୍ତିରୀବଶ ହୋନ୍ତି । ସେ ପୂର୍ବ-ପୁଣ୍ୟ ବିନାଶନ୍ତି ॥ ୩୮୯
ଇହଲୋକରେ ଅପଯଶ । ଦେହାନ୍ତେ ନରକେ ପ୍ରବେଶ ॥ ୩୯୦
ସ୍ତିରୀଙ୍କ ସଙ୍ଗ-ଦୋଷେ ରାୟେ । ଧର୍ମାଦି ଜ୍ଞାନମାର୍ଗ କ୍ଷୟେ ॥ ୩୯୧
ସ୍ତିରୀଙ୍କ ସଙ୍ଗ ଫଳ ଏହି । କିିଞ୍ଚିତ ଶ୍ରେୟ ନାହିଁ ଯହିଁ ॥ ୩୯୨
ଏହା ତୁ ଶୁଦ୍ଧ ଚିତ୍ତେ ଧର । ଏ ସଙ୍ଗ ଦୂରେ ପରିହର ॥ ୩୯୩
ତୁ ଶାସ୍ତ୍ରମାର୍ଗେ ହେ ରାଜନ । ବିଚାରି କର ଅନୁମାନ ॥ ୩୯୪
ଏମନ୍ତେ ନାନା ଧର୍ମବାଟେ । ସେ ମୁନି ବୁଝାଏ ଉଚ୍ଚାଟେ ॥ ୩୯୫
ପ୍ରାଚୀନରହି ନାରଦ । ଏ ପୁରଞ୍ଜନର ସମ୍ବାଦ ॥ ୩୯୬
ଏହା ଯେ ଶ୍ରବଣେ ଶୁଣନ୍ତି । ଅଥବା ବଦନେ ଗୁଣନ୍ତି ॥ ୩୯୭
ଖଣ୍ତଇ ମାୟା ଦ୍ୱନ୍ଦ୍ୱ ବନ୍ଧ । ଜ୍ଞାନ ବର୍ଦ୍ଧିତ ଆତ୍ମା ଶୁଦ୍ଧ ॥ ୩୯୮
ଭଣଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୩୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ପଞ୍ଚବିଂଶୋଽଧ୍ୟାୟଃ ॥

ଷଡ୍ ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ପୁଣି ନାରଦ ମହାମୁନି । କହନ୍ତି ହରିଭାବ ଘେନି ॥ ୧

ନାରଦ ଉବାଚ

ଶୁଣ ପ୍ରାଚୀନ ନୃପବର । ସେ ପୁରଞ୍ଜନ ସେ ମନ୍ଦିର ॥ ୨
ରହିଲା ସ୍ତିରୀବଶ ଭୋଗେ । ଅଜ୍ଞାନ-ମୋହ-ଅନୁରାଗେ ॥ ୩
ସେ ଏକଦିନେ ଦଣ୍ତଧର । ମୃଗୟା ଅର୍ଥେ ବନଘୋର ॥ ୪
ଉଦ୍ୟମ କଲା ସେ ରାଜନ । ସଙ୍ଗେ ଦୁର୍ଜୟ-ଭଟ୍ଟମାନ ॥ ୫
ରଥ ଆରୋହୀ ଶୀଘ୍ର ଗତି । ଅରଣ୍ୟେ ପ୍ରବେଶ ନୃପତି ॥ ୬
ସେ ପୁରଞ୍ଜନ ଦିବ୍ୟଯାନ । ଅତି ସୁନ୍ଦର ନିରୁପମ ॥ ୭
ପଞ୍ଚ ତୁରଙ୍ଗ ରଥ ବହେ । ଗମନ୍ତି ପଞ୍ଚମାର୍ଗେ ହୟେ ॥ ୮
ଅଶେଷ ବେଗ ତାହାଙ୍କର । ଗମନେ ନ ପାରେ ସମୀର ॥ ୯
ସେ ବେନିଚକ୍ରେ ଶୋଭାବନ । ଏକଇ ଅକ୍ଷେ ନିବନ୍ଧନ ॥ ୧୦
ଧର୍ମ ଅଧର୍ମ ଚକ୍ର ଦୁଇ । ପବନ ଅଶ୍ୱ ରୂପେ ଯହିଁ ॥ ୧୧
ଧ୍ୱଜ ତ୍ରିବର୍ଣ୍ଣ ରୂପେ ସାଜେ । ସେ ରଥ ଉପରେ ବିରାଜେ ॥ ୧୨
ପଞ୍ଚବନ୍ଧନେ ସୁଶୋଭିତ । ଏକ ସାରଥୀ ତେଜବନ୍ତ ॥ ୧୩
ଏକଇ ନୀଡ ଶୋଭାବନ । ସେ ରାଜା ବସିବା ଆସନ ॥ ୧୪
ସେ ବେନି କୂବରେ ଶୋଭିତ । ପଞ୍ଚ ପ୍ରହରଣ ସଂଯୁତ ॥ ୧୫
ସପ୍ତ ଆବରଣ ସଙ୍ଗତି । ଏ ରୂପେ ସେ ରଥେ ଶୋଭନ୍ତି ॥ ୧୬
ସେ ହେମ ଭୂଷଣେ ଶୋଭନ । ସାଞ୍ଜୁଆ ପିନ୍ଧି ସେ ରାଜନ ॥ ୧୭
ବସିଲେ ମନୋଜ୍ଞ ବିମାନେ । ଦେଖି ଶଙ୍କିତ ରିପୁଜନେ ॥ ୧୮
ଅକ୍ଷୟ ତୁରୀର ବାନ୍ଧିଣ । ଭୂପତି ଅତି ହରଷେଣ ॥ ୧୯
ସେ ଏକାଦଶ ସେନାପତି । ସଙ୍ଗତେ କରିଣ ନୃପତି ॥ ୨୦
ଚଳନ୍ତି ଅତ୍ୟନ୍ତ ହରଷେ । ଦିଗ ବିଦିଗ ଚାହିଁ ତୋଷେ ॥ ୨୧
ପଞ୍ଚମ-ପ୍ରସ୍ଥ ନାମ ଯେହି । ପ୍ରବେଶ ଅରଣ୍ୟରେ ଯାଇ ॥ ୨୨
କରେଣ ଧରି ଶରାସନ । ମୃଗୟା ଛଳେ ସେ ରାଜନ ॥ ୨୩
ଛାଡି ତା ପ୍ରିୟବତୀ ନାରୀ । ଏକାନ୍ତେ ଗଲା ନ ବିଚାରି ॥ ୨୪
ଆସୁରୀ ବୁଦ୍ଧି ଧରି ରାୟେ । କଠୋର ନିର୍ଦ୍ଦୟ ହୃଦୟେ ॥ ୨୫
ନାହିଁ ତା ଅନୁଗ୍ରହ ଚିତ୍ତେ । ମୃଗୟା ଛଳେ ବିମୋହିତେ ॥ ୨୬
ନିଶିତ-ବାଣ ଶରାସନ । ବଧିଲା ବନ୍ୟ-ପଶୁମାନ ॥ ୨୭
ସେ ରାଜା ହୋଇ ଅପଣ୍ତିତ । ଲୋଭେ ବଧଇ ମୃଗଯୂଥ ॥ ୨୮
ଯେ ପ୍ରାଣୀ ଜୀବବଧ କରେ । ସେ ପଶୁଯୋନିରେ ବିହରେ ॥ ୨୯
ସେ ନୃପ ଅଜ୍ଞାନ ଅଧମ । ତାର ଆୟୁଷ-ବୁଦ୍ଧି ହୀନ ॥ ୩୦
ଅଜ୍ଞାନେ ଯେବା ଜୀବ ମାରେ । ସେ ଜନ ନରକେ ସଞ୍ଚରେ ॥ ୩୧
ଯଜ୍ଞେ କେବଳ ପଶୁ ବଧ । ଅବଶ୍ୟ କରି ହେ ବିବୁଧ ॥ ୩୨
ଯେ ପିତୃଦେବ-ଶ୍ରାଦ୍ଧ ଅର୍ଥେ । ପଶୁ ବଧିବ ବେଦମତେ ॥ ୩୩
ତେବେ ହେଁ ପଶୁ-ବଧ ତାର । କେବଳ ଦୁଃଖ ମହାଘୋର ॥ ୩୪
ଯେ ବେଦ କର୍ମ ନ କରନ୍ତି । ସେ ଆତ୍ମାବଧେ ଭାଗୀ ହୋନ୍ତି ॥ ୩୫
ଯେ ବିଧିହୀନେ ବଧ କରେ । ଯେ ପ୍ରାଣୀ ସଂସାରୁ ନ ତରେ ॥ ୩୬
ଅଜ୍ଞାନେ ଧର୍ମ-ମାର୍ଗ ହୁଡେ । ଯା ଚିତ୍ତ ପଶୁବଧେ ବଢେ ॥ ୩୭
ତାହାର ମୋକ୍ଷ କାହୁଁ ଆର । ମନୁଷ୍ୟ ଜନ୍ମ ହୋଏ ଦୂର ॥ ୩୮
ସେ ପଶୁଯୋନିରେ ଭ୍ରମଇଁ । ଯାତନା-କର୍ମ ନ ଛାଡଇ ॥ ୩୯
ପଶୁର ଦେହେ ରୋମ ଯେତେ । ଜନ୍ମ ଲଭଇ ସେହିମତେ ॥ ୪୦
ଏହା ନ ଜାଣି ନୃପବର । ସେ ପଶୁ ବଧିଲା ଅପାର ॥ ୪୧
ତାହାର ଘୋର ତୀଷ୍ଣ-ବାଣ । ପଶୁଏ ଲଭିଲେ ମରଣ ॥ ୪୨
ବରାହ ଗୟଳ ହରିଣ । ଶଶା ମହିଷ ପଶୁଗଣ ॥ ୪୩
ମେଧ୍ୟ ଅମେଧ୍ୟ ପଶୁ ଯେତେ । ଇତ୍ୟାଦି ଜୀବ ଯେ ବନସ୍ତେ ॥ ୪୪
ଏମନ୍ତେ ନାନା ଜୀବ ମାରି । ସେ ଧର୍ମ ପଥ ନ ବିଚାରି ॥ ୪୫
ବନ ଭ୍ରମଣେ ନୃପବର । ବହୁତ ଶ୍ରମ ହେଲା ତାର ॥ ୪୬
କ୍ଷୋଭିତ କ୍ଷୁଧା ତୃଷାକୁଳେ । ଆତ୍ମା ପୀଡିତ ଶ୍ରମ ବଳେ ॥ ୪୭
ସତ୍ୱରେ ସଦନେ ପ୍ରବେଶ । ସ୍ନାନାଦି ଭୋଜନ ସୁବେଶ ॥ ୪୮
ସୁଶାନ୍ତି କରାଇ ଶରୀର । ଅତି ଆନନ୍ଦେ ନୃପବର ॥ ୪୯
ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳ । ଭୂଷଣ ହେଲା ମହୀପାଳ ॥ ୫୦
ଖଞ୍ଜିଣ ନାନା-ଆଭରଣ । ସ୍ୱକାମ-ଭୋଗେ ନୃପରାଣ ॥ ୫୧
ଇଚ୍ଛଇ ପତ୍ନୀର ସଙ୍ଗତି । ଅନଙ୍ଗ-ପୀଡାରେ ନୃପତି ॥ ୫୨
ପ୍ରବେଶ ଅନ୍ତପୁରେ ଯାଇ । ପତ୍ନୀ-ବିଷୟ ମନେ ଧ୍ୟାୟି ॥ ୫୩
ସକଳ ପୁରେ ସେ ରାଜନ । ଆପଣା ପତ୍ନୀକି ଖୋଜିଣ ॥ ୫୪
ନ ପାଇ ସେ ନିଜ ଯୁବତୀ । ସଖୀଙ୍କି ରାଇ ପଚାରନ୍ତି ॥ ୫୫
ବିଷାଦେ ପୁଛଇ ରାଜନ । ଶୁଣଗୋ ଏ ମୋର ବଚନ ॥ ୫୬
ମୋ ପ୍ରାଣସଖୀ ଛନ୍ତି କାହିଁ । କହି ସନ୍ତୋଷ କର ଦେହୀ ॥ ୫୭
ସେ ଅର୍ଦ୍ଧଆତ୍ମାଟି ମୋହର । ଅର୍ଦ୍ଧକେ କେ ଧରେ ଶରୀର ॥ ୫୮
ସଦନେ ଅଛନ୍ତି ନା ଭଲେ । ସଖୀଗଣଙ୍କ ସଙ୍ଗ ମେଳେ ॥ ୫୯
ତୁମ୍ଭେ ତାହାଙ୍କ ଅନୁଚର । କହ କୁଶଳ ତାହାଙ୍କର ॥ ୬୦
ଏମନ୍ତ ବିହ୍ୱଳ ରାଜନ । ବାତୁଳେ କହଇ ବଚନ ॥ ୬୧
ସେ ଯେ ମୋହର ପ୍ରାଣଶାଖା । ତା ବିନୁ ନ ବର୍ତ୍ତଇ ଏକା ॥ ୬୨
ଶୁଣ ଗୋ ସଖୀଗଣ ମୋର । ଏ ଗୃହଧର୍ମର ବେଭାର ॥ ୬୩
ପତ୍ନୀ ନ ଥିଲେ ନ ଶୋଭନ୍ତି । ଏ ରାଜସମ୍ପଦ-ବିଭୂତି ॥ ୬୪
ସେ ଗୃହେ ନାହିଁ ଯେବେ ମାତା । ସୁପୁତ୍ରବତୀ ପତିବ୍ରତା ॥ ୬୫
ସେ ଗୃହପତି ଜୀବ ହୀନ । ସୁଖେ ତା ନାହିଁ ପ୍ରୟୋଜନ ॥ ୬୬
ଯେସନେ ଚକ୍ରହୀନ ରଥ । ବସିଲେ କାହିଁ ସୁଖ ଜାତ ॥ ୬୭
ତେସନେ ଗୃହିଣୀ ବିହୀନେ । ଗୃହସ୍ଥ ନ ଶୋହେ ସଦନେ ॥ ୬୮
ଆତ୍ମା ବିହୁନେ ଯେହ୍ନେ ଦେହୀ । ତା ଗୃହ ତେହ୍ନେ ନ ଶୋଭଇ ॥ ୬୯
କହ ମୋ କାହିଁ ସୁଲକ୍ଷଣୀ । ସେ ମୋର ପ୍ରାଣ ଉଦ୍ଧାରିଣୀ ॥ ୭୦
ତା ବିନୁ ନ ସ୍ଫୁରଇ ଜ୍ଞାନ । କହି ଗୋ ରଖ ମୋ ଜୀକନ ॥ ୭୧
ବୁଡିଲି ମୁଁ ଦୁଃଖସାଗରେ । ଉଦ୍ଧରି ରଖ ପ୍ରାଣ ଭଲେ ॥ ୭୨
ତା ଶୁଣି ସଖୀଗଣ ଭୟେ । ବୋଲନ୍ତି ଶୁଣ ମହାରାୟେ ॥ ୭୩
ଆମ୍ଭେ ନ ଜାଣୁ ସେ କିମ୍ପାଇଁ । ଭୂମିଶଯ୍ୟାରେ ଛନ୍ତି ଶୋଇ ॥ ୭୪
ଦେଖିଲେ ଦେଖ ମହାରାୟ । ଆମ୍ଭେ ନଜାଣୁ ଅଭିପ୍ରାୟ ॥ ୭୫
ଶୁଣିଣ ସତ୍ୱରେ ରାଜନ । ଅନ୍ତଃପୁରେ କଲା ଗମନ ॥ ୭୬
ରାଣୀକି ଦେଖି ସେ ରାଜନ । ସତ୍ୱରେ କଲା ଆଲିଙ୍ଗନ ॥ ୭୭
ଭୂମିରୁ କୋଳରେ ବସାଇ । ଅନେକ ଚାଟୁବାକ୍ୟ କହି ॥ ୭୮
କାମିନୀ ଦୁଃଖ-ବିମୋଚନେ । କହେ କାକୁସ୍ଥ ଭୟମନେ ॥ ୭୯
ଭୋ ସଖି ମୁଁ ଯେ ଅପରାଧୀ । ତୋ ସଙ୍ଗ ତେଜି ମୁଁ ଦୁର୍ବଦ୍ଧି ॥ ୮୦
ମୃଗୟା ଛଳେ ବନେ ଗଲି । ଏଣୁ ଅପ୍ରିୟ ତୋର ହେଲି ॥ ୮୧
ତୁ କ୍ଷମା ନ କଲେ ସୁନ୍ଦରୀ । ମୁଁ ପ୍ରାଣ ନ ପାରବି ଧରି ॥ ୮୨
ପତି ବିନୟ ବାକ୍ୟ ଶୁଣି । ମାନ ନ ତେଜେ ସେ ମାନିନୀ ॥ ୮୩
ଅନେକ ବିନୟେ ରାଜନ । ଚରଣେ ପଡିଲା ତକ୍ଷଣ ॥ ୮୪
ଚରଣ ଧରି ତାର ରାୟେ । ଅତି ବିଭ୍ରମ ଶୋକେ କହେ ॥ ୮୫
ଭୋ ସଖି ତୋର ଚିନ୍ତାଭରେ । ମୋ ପ୍ରାଣ ନ ରହେ ଶରୀରେ ॥ ୮୬
ସୁବାକ୍ୟ ହସି ଏବେ କହ । ବିକଳ ହେଉଅଛି ଦେହ ॥ ୮୭
ଭୋ ସ୍ତିରୀରତ୍ନ ଶିରୋମଣି । ମୋ କାମ ଦୁର୍ଗତି-ତାରିଣୀ ॥ ୮୮
ତୋ ବିନୁ ଅନ୍ୟ କେବା ପାରେ । ଏ ଦୋଷ କ୍ଷମା କରିବାରେ ॥ ୮୯
ଯେ ପୁଣ୍ୟବନ୍ତ ଭୃତ୍ୟଠାରେ । ଦୋଷେ ଦଣ୍ତନ୍ତି ପ୍ରଭୁତ୍ୱରେ ॥ ୯୦
ଦୋଷାନୁକ୍ରମେ ପାଇ ଦଣ୍ତ । ତା ଅପରାଧ ହୋଏ ଖଣ୍ତ ॥ ୯୧
ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ତନ୍ତି । କପଟଭାବ ତାଙ୍କ ମତି ॥ ୯୨
ସେ ନିତ୍ୟେ ଭୟ-ଦୁଃଖେ ଦହେ । ସେବକଭାବ କାହିଁ ରହେ ॥ ୯୩
ସ୍ୱାମୀ ସେବକେ ଯେବେ ଦଣ୍ତି । ଦିଅନ୍ତି ଅନୁଗ୍ରହେ ମଣ୍ତି ॥ ୯୪
ତା ଯେବେ ଭୃତ୍ୟ ନ ବୁଝଇ । ସେ ମୂଢ଼ ଅଧମ ଅଟଇ ॥ ୯୫
ତାହାର କାହିଁ ଜ୍ଞାନ-ବୁଦ୍ଧି । ଚିନ୍ତା-ବିଭ୍ରମେ ନିରବଧି ॥ ୯୬
ଯେସନେ ପିତା ଅଭିମାନେ । ବାଳକ ରୋଦେ ଭୟଚ୍ଛନ୍ନେ ॥ ୯୭
ସେ ପୁତ୍ର ଦୋଷ ନ ଧରନ୍ତି । ପୁଣି ବାଳକେ ଆଶ୍ୱାସନ୍ତି ॥ ୯୮
ସେ ରୂପେ ମୋର ଅଭିମାନ । ଭୋ ସଖି କର ବିମୋଚନ ॥ ୯୯
ମୁଁ ଯେ ତୁମ୍ଭର ନିଜ ପତି । ମୃଗୟା ଶ୍ରମେ ଦୁଃଖ ଅତି ॥ ୧୦୦
ଏବେ ତୁ ତେଜି ଅଭିମାନ । ଆପଣା କରି ମୋତେ ଘେନ ॥ ୧୦୧
ହେ ନାରୀବର ଶୁଣ ଏବେ । ତୋ ଅପରାଦୀ ଆନ ଯେବେ ॥ ୧୦୨
ବିପ୍ର ବୈଷ୍ଣବ ନୋହିଥିଲେ । ଅବଶ୍ୟ ଦଣ୍ତିବଇଁ ଭଲେ ॥ ୧୦୩
ପଳାଇ ଏ ତିନିଭୁବନେ । ଯେବେ ପଶିବ ଭୟଛନ୍ନେ ॥ ୧୦୪
ତାରେ ଶରଣ ରଖେ କେବା । ତୋ ବିନୁ ଅନ୍ୟ ସୁରଦେବା ॥ ୧୦୫
ଏବେ ମୋ ଚିନ୍ତା-ତାପ-ଜ୍ୱର । ତୋର କଟାକ୍ଷେ ଦୂର କର ॥ ୧୦୬
ଭୋ ସଖି ତୋ ଚାରୁ ଆନନ । ତିଳେ ହେଁ ଦେଖିଲେ ମଳିନ ॥ ୧୦୭
ମୋର ଜୀବନ ହୋଏ ଦୁଃଖୀ । ସ୍ନାନାଦି ଭୋଜନ ଉପେକ୍ଷି ॥ ୧୦୮
ଏ ଶୁଭ୍ରତନୁ ତୋ ଧୂସର । ଶୟନ କରିଛୁ ଭୂମିର ॥ ୧୦୯
କେ ପ୍ରାଣୀ ଧରିବ ଜୀବନ । ଦେଖି ତୋ ବିବର୍ଣ୍ଣ-ବଦନ ॥ ୧୧୦
ସୁନ୍ଦର ସୁକାନ୍ତି ତୋ ପ୍ରଭା । ଦେଖି ଟଳିବେ ସୁରଦେବା ॥ ୧୧୧
ତୋର ପଙ୍କଜାରୁଣାଧର । ଅଶେଷ ଭୁବନ ସୁନ୍ଦର ॥ ୧୧୨
ସେ ମୁଖେ ହସି ମୃଦୁବାଣୀ । କହି ତୁ ରଖ ପ୍ରାଣମଣି ॥ ୧୧୩
ମୁଁ ଯେ ତୋହର ପ୍ରାଣସଖା । ମୃଗୟା ଶ୍ରମେ ଭ୍ରମି ଏକା ॥ ୧୧୪
ତୁ ଶାନ୍ତି କର ଗୋ ମୃଗାକ୍ଷି । ମୋ ପ୍ରାଣ ଶରୀରୁ ଛାଡୁଛି ॥ ୧୧୫
ବିପଦ କାଳେ ଯେ ଯୁବତୀ । ନିଜ ସ୍ୱାମୀକୁ ନ ସେବନ୍ତି ॥ ୧୧୬
ସେ ନାରୀ ଜ୍ଞାନହୀନ-ମତି । ଜନାପବାଦେ ସେ ମରନ୍ତି ॥ ୧୧୭
ସେ ସ୍ତିରୀକୁଳେ ଲଜ୍ଜା ପାଇ । ଉଭୟଲୋକ ତାର ନାହିଁ ॥ ୧୧୮
ଅନେକ ପ୍ରବୋଧ ବଚନ । କହିଣ ତୋଷିଲେ ରାଜନ ॥ ୧୧୯
ସେ ନାରୀ ମାନ ଦୂର କଲା । ସନ୍ତୋଷେ ସତ୍ୱରେ ଉଠିଲା ॥ ୧୨୦
ଏମନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନ ନୃପବର ॥ ୧୨୧
ତା ବଶେ ହୋଇଲା ଆୟତ୍ତ । ବିଭ୍ରମ ହେଲା ତାର ଚିତ୍ତ ॥ ୧୨୨
ଏ ସର୍ବ ଅନୁଭବ ବାଣୀ । ନାରଦ ନୃପରେ ବଖାଣି ॥ ୧୨୩
ଏ ସର୍ବ ଜ୍ଞାନମୟ ସାର । ଶୁଣନ୍ତେ ଖଣ୍ତେ ମାୟା ଘୋର ॥ ୧୨୪
ଶ୍ରବଣେ ହରଇ ପ୍ରମାଦ । ନ ଲାଗେ ଗୃହବନ୍ଧ ଦ୍ୱନ୍ଦ୍ୱ ॥ ୧୨୫
ବିବେକ ହୋଏ ବୁଦ୍ଧିମତି । କୃଷ୍ଣ-ବିଷୟେ ବଢେ ମତି ॥ ୧୨୬
ଏ ସାଧୁଜନଙ୍କ ବିଚାର । ସଂସାରବନ୍ଧୁ ହୁଅ ପାର ॥ ୧୨୭
ଚତୁର୍ଥସ୍କନ୍ଧେ ଭାଗବତ । ଛବିଶ ଅଧ୍ୟାୟ ଚରିତ ॥ ୧୨୮
ଅମୃତ ଜ୍ଞାନମୟ ଗୀତ । କହିଲେ ବିପ୍ର ଜଗନ୍ନାଥ ॥ ୧୨୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ ବିଂଶୋଽଧ୍ୟାୟଃ

ସପ୍ତବିଂଶ ଅଧ୍ୟାୟ[ସମ୍ପାଦନା]

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ । ତଦନ୍ତେ ସେ ଯେ ପୁରଞ୍ଜନ ॥ ୧
ଅନେକମତେ ପ୍ରବୋଧିଲା । ରାଣୀର ମାନ ଦୂର କଲା ॥ ୨
ପ୍ରସନ୍ନ ବଦନେ ସୁନ୍ଦରୀ । ସ୍ନାନ ମାର୍ଜନା ବେଗେ ସାରି ॥ ୩
କୁଙ୍କୁମ କସ୍ତୁରୀ ଲଗାଇ । ସୁବାସଗନ୍ଧେ ମନ ମୋହି ॥ ୪
କଜ୍ୱଳ ସିନ୍ଦୁର ମଣ୍ତିଲା । ସୁଦିବ୍ୟ ବସନ ପିନ୍ଧିଲା ॥ ୫
ସୁଗନ୍ଧ ପୁଷ୍ପମାଳା ଦେଇ । କବରୀ ବାନ୍ଧିଲା ସଜାଇ ॥ ୬
ଖଞ୍ଜିଣ ନାନା ଅଳଙ୍କାର । ମୁକୁରେ ନିରୋଖି ଶରୀର ॥ ୭
ଭୋଜନ ସାରି ଷଡ଼ରସେ । ତାମ୍ବୁଳ ଭୁଞ୍ଜିଲା ହରଷେ ॥ ୮
ନୃପତି ସମୀପେ ମିଳିଲା । ହସି ପଲଙ୍କେ ବିଜେ କଲା ॥ ୯
ସେ କାମବିକାରେ ରାଜନ । ରାଣୀକି କଲା ଆଲିଙ୍ଗନ ॥ ୧୦
ବିବିଧ ସକାମ ବିକାରେ । ହାସ୍ୟ କଟାକ୍ଷ ମନୋହରେ ॥ ୧୧
ଏକାନ୍ତ ରତିରସରଙ୍ଗେ । ସେ ରାଣୀ ପୁରଞ୍ଜନ ସଙ୍ଗେ ॥ ୧୨
ଭୂରୁ-କମାଣେ ସନ୍ଧି ଶର । ଦ୍ରହାସ କଟାକ୍ଷ ବିକାର ॥ ୧୩
ଷଟଚତ୍ୱାରିଂଶ ବିକାରେ । ସେ ରସ-ସଙ୍ଗମ ରତିରେ ॥ ୧୪
ରାତ୍ର ଦିବସ ନ ଜାଣିଲା । ଅଜ୍ଞାନ-ମୋହେ ନିମଜ୍ଜିଲା ॥ ୧୫
ସେ କାମଭୋଗେଣ ନପତି । ଫୁଟିଣ ଶାନ୍ତ ହେଲା ଅତି ॥ ୧୬
ଉପଧି କରି ପତ୍ନୀ କର । ସୁଖେ ଶୋଭଲା ନୃପବର ॥ ୧୭
ପଲଙ୍କେ ସୁଖେ ନିଦ୍ରା ଗଲା । ସେ କାଳ-ଗତି ନ ଜାଣିଲା ॥ ୧୮
ନିତ୍ୟେ ହରନ୍ତେ ଆୟୁ ବଳ । ସେ ରାଜା ହୋଇଲା ନିର୍ବଳ ॥ ୧୯
ସେ କାମ ଭୋଗେ ନୃପବର । ସ୍ତିରୀ ସଙ୍ଗମେ ମନ ସ୍ଥିର ॥ ୨୦
ଅଜ୍ଞାନେ କ୍ରୀଡାରସେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ॥ ୨୧
ନବୀନ ବୟସ ରାଜନ । ନାଶିଲା ଏ ସ୍ତିରୀ ଭୋଗେଣ ॥ ୨୨
ନିମିଷ ମାତ୍ର ସେ ମଣିଲା । ଏ ଯୁବାକାଳ ବିନାଶିଲା ॥ ୨୩
ଏମନ୍ତେ ବହୁ ସମ୍ବତ୍ସର । କାମିନୀ ବଶେ ନୃପବର ॥ ୨୪
ଭୋଗାନ୍ତେ ପୁରଞ୍ଜନଠାରେ । ଜନ୍ମିଲେ ଦୁହିତା କୁମରେ ॥ ୨୫
ଏଗାରଶତ ଯେ କୁମର । ଜନ୍ମ ଲଭିଲେ ଆଦ୍ୟେ ତାର ॥ ୨୬
ଦଶ ଉତ୍ତର କନ୍ୟା ଶତ । ସୁଗୁଣଶୀଳେ ହେଲେ ଜାତ ॥ ୨୭
ସେ କନ୍ୟା-ପୁତ୍ରେ ବିଭା ଦେଇ । ନିଶ୍ଚିନ୍ତ ହେଲା ନରସାଇଁ ॥ ୨୮
ବିଭା-ନିର୍ବନ୍ଧେ ନିମଜ୍ଜିଲା । ଅର୍ଦ୍ଧେ ଆୟୁଷ ତାର ଗଲା ॥ ୨୯
ପୁତ୍ର-କନ୍ୟାଙ୍କ ପୁତ୍ର ଶହେ । ପଞ୍ଚାଳେ ଚଞ୍ଚନ୍ତି ସେ ରାୟେ ॥ ୩୦
ଏ ସର୍ବେ ରାଜାର ଭଣ୍ତାର । ଲୁଟିଣ କଲେ ସେ ବିହାର ॥ ୩୧
ତେବେ ହେଁ ମନେ କ୍ଷୋଭ ନାହିଁ । ବିଷୟ-ରସେ ମନ ମୋହି ॥ ୩୨
ଗାନ୍ଧର୍ବ ଭୋଗେ ସେ ନୃପତି । ବିଭ୍ରମେ ଅତି ମୂଢ ମତି ॥ ୩୩
ବିଷୟେ ମମତା ବଢ଼ାଇ । ବନ୍ଦୀ ହୋଈଲା ନୃପସାଇ ॥ ୩୪
ତଦନ୍ତେ ଘୋର ଯଜ୍ଞ କଲା । ଅନେକ ପଶୁଙ୍କୁ ବଧିଲା ॥ ୩୫
ଦେବତା-ପିତୃ-ଭୂତପତି । ସେ ଯଜ୍ଞେ ପୂଜିଲା ନୃପତି ॥ ୩୬
ଯେ ରୂପେ ତୁମ୍ଭେ ହେ ରାଜନ । କରୁଛ ଘୋର ଯଜ୍ଞ ମାନ ॥ ୩୭
ସେ ରୂପେ ପୁରଞ୍ଜନ ରାୟେ । ଅନେକ ପଶୁ କଲା କ୍ଷୟେ ॥ ୩୮
ବିଷୟ ଜଡେ ଉନମତ୍ତ । କୁଟୁମ୍ବେ ବନ୍ଦୀ କଲା ଚିତ୍ତ ॥ ୩୯
ତଦନ୍ତେ ପ୍ରବେଶିଲା କାଳ । ଯେ ହରେ ପ୍ରାଣୀ ଆୟୁବଳ ॥ ୪୦
ତାହାର ନାମ ଚଣ୍ତବେଗ । ଗନ୍ଧର୍ବ-ରାଜ୍ୟ କରେ ଭୋଗ ॥ ୪୧
ଗନ୍ଧର୍ବମାନଙ୍କର ପତି । ଅତି ପ୍ରଚଣ୍ତ ତାର ଗତି ॥ ୪୨
ତ୍ରିଶତଷାଠି ତା ପ୍ରମାଣ । ଗନ୍ଧର୍ବେ ଅତି ବଳବାନ ॥ ୪୩
ମିଥୁନ ଭାବେ କରି ସ୍ଥିତି । ଏତେ ଗନ୍ଧର୍ବୀ ତହିଁ ଥାନ୍ତି ॥ ୪୪
ଗନ୍ଧର୍ବ-ଗନ୍ଧର୍ବୀ ପ୍ରବଳ । କେ କୃଷ୍ଣ କେ ଅବା ଶୁକଳ ॥ ୪୫
ଏ ସର୍ବେ ଚଣ୍ତବେଗଙ୍କର । ହୋଇଣ ଥାନ୍ତି ଅନୁଚର ॥ ୪୬
ସେ ଚଣ୍ତବେଗ ଆଜ୍ଞା ପାଇ । ବେଢିଲେ ରାଜାପୁର ଯାଇ ॥ ୪୭
ସେ ପୁରଞ୍ଜନ ଦିବ୍ୟପୁରୀ । ଗନ୍ଧର୍ବେ ବଳେ ଜୁର କରି ॥ ୪୮
ସେ ନଗ୍ରେ ସେନାପତି ଏକ । ରକ୍ଷଣେ ଥିଲା ସେ ଅଧ୍ୟକ୍ଷ ॥ ୪୯
ତାହାର ନାମ ପ୍ରଜାଗର । ସେ ବେଗେ ମିଳିଲା ଆଗର ॥ ୫୦
ତାହାଙ୍କୁ ମାରି ଘଉଡିଲା । ଅନେକ ଘୋରଯୁଦ୍ଧ କଲା ॥ ୫୧
ସେ ଶତ-ସମ୍ବତ୍ସର ନିତ୍ୟେ । ଯୁଝିଲା ଗନ୍ଧର୍ବ ସଙ୍ଗତେ ॥ ୫୨
ଗନ୍ଧର୍ବେ ଅତି ବଳବାନ । ତାହାକୁ ମାରି କଲେ କ୍ଷୀଣ ॥ ୫୩
କ୍ଷୀଣ ହୁଅନ୍ତେ ପ୍ରଜାଗର । ସେ ଘୋରତାପେ ନୃପବର ॥ ୫୪
ସେ ପୁରବାସୀ ଯେତେ ଥିଲେ । ସେ ସର୍ବେ ଆକୁଳେ ରୋଦିଲେ ॥ ୫୫
ଅନ୍ୟତ୍ର ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି କ୍ଷୋଭ ପାଇ ॥ ୫୬
ସେ ନଗ୍ରେ ନୃପ ପୁରଞ୍ଜନ । ସଙ୍ଗତେ ଘେନି ପ୍ରଜାଗଣ ॥ ୫୭
ପାଞ୍ଚାଳଦେଶେ ନାନା ସୁଖ । ଯେଣୁ ଭୁଞ୍ଜିଲା ଅବିବେକ ॥ ୫୮
ତା ଦିନ ପତ୍ନୀସ୍ନେହେ ଗଲା । କୁତ୍ସିତ-ସୁଖେ ନିମଜ୍ଜିଲା ॥ ୫୯
ଇନ୍ଦ୍ରିୟ-ରସେ ଅନୁରାଗୀ । ସେ ମୋକ୍ଷ ତେଜିଲା ଦୁର୍ଭାଗୀ ॥ ୬୦
ଅଳପ ସୁଖ-ଭୋଗେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ॥ ୬୧
ନ କଲା ସେ ଭଲ ବିଚାର । ଏଣୁ ହୋଇଲା ଦୁଃଖ-ଘୋର ॥ ୬୨
ପ୍ରାଚୀନବର୍ହିକୁ ନାରଦ । କହିଲେ ଅପୂର୍ବ ସମ୍ବାଦ ॥ ୬୩
କାଳର କନ୍ୟା ଏକ ଥିଲା । ତାହାକୁ କେହି ନ ବରିଲା ॥ ୬୪
ଏ ତିନିଲୋକେ ସେ ଭ୍ରମଇ । ଡରେ କେ ତାକୁ ବିଭା ନୋହି ॥ ୬୫
ସେ ଯାରେ ବର ଇଚ୍ଛା କରେ । ସେ ଦେଖି କମ୍ପେ ଥରହରେ ॥ ୬୬
ସେ ସର୍ବ-ଅଭାଗ୍ୟର ଧାମ । ଏଣୁ ଦୁର୍ଭାଗା ତାର ନାମ ॥ ୬୭
ସେ କନ୍ୟା ପୂର୍ବେ ଏକକାଳେ । ଯଯାତି ବଳେ ବିଭା ହେଲେ ॥ ୬୮
ତାଠାରେ ବଇଭୋଗ ସାରି । ପୁତ୍ରକୁ ବରେ ଇଚ୍ଛା କରି ॥ ୬୯
ତାହାକୁ ଯଯାତି ରାଜନ । ପୁତ୍ରକୁ କଲେ ସମର୍ପଣ ॥ ୭୦
ତା ଜ୍ୟେଷ୍ଠ ଯେତେକ କୁମର । କେହି ନ କଲେ ଅଙ୍ଗୀକାର ॥ ୭୧
କନିଷ୍ଠପୁତ୍ର ପୁରୁ ଥିଲା । ସେ ପିତା ଆଜ୍ଞାରେ ବରିଲା ॥ ୭୨
ତାହାର ସଙ୍ଗେ ନୃପବଳା । ଅନେକ ଦିନ ଭୋଗ କଲା ॥ ୭୩
ବର ଇଚ୍ଛଇ ନିରନ୍ତରେ । ଦେଖିଣ ପ୍ରାଣୀ ତାଙ୍କ ଡରେ ॥ ୭୪
ଏମନ୍ତେ ସେ କାଳ ଦୁହିତୀ । ସେ ବରେ ନୋହେ ତୁଷ୍ଟମତି ॥ ୭୫
ତା କାମଭୋଗେ ବଳ ହରି । ତଦନ୍ତେ ସଂସାରେ ବିହରି ॥ ୭୬
ମୁଁ ଦିନେ ବ୍ରହ୍ମଲୋକ ଠାରୁ । ଏ ମହୀ ଭ୍ରମଣ ଇଚ୍ଛାରୁ ॥ ୭୭
ଆସନ୍ତେ କୃଷ୍ଣରସେ ରସି । ମୋତେ ଭେଟିଲା ଦୁଷ୍ଟାଆସି ॥ ୭୮
ବୋଇଲା ଶୁଣ ମୁନିବର । ମୋ କାମଦୁଃଖ ପରିହର ॥ ୭୯
ଯତିତ୍ୱପଣ ମୋର ଜାଣେ । ତଥାପି ବରେ ଭ୍ରମ ପଣେ ॥ ୮୦
ତୁମ୍ଭ ମହିମା ଶୁଣି ନିତ୍ୟେ । ମୁଁ ଅନୁସରି ଅବିରତେ ॥ ୮୧
ଏବେ ଭେଟିଲି ଭାଗ୍ୟଫଳେ । ତୋ ସଙ୍ଗେ ରତି ତୋଷ ବଳେ ॥ ୮୨
ତୁମ୍ଭେ ଯେ ଦୟାଳୁ ଈଶ୍ୱର । ମୋ କାମ-ବାଞ୍ଛା ପୂର୍ଣ୍ଣକର ॥ ୮୩
ହେ ମୁନିଶ୍ରେଷ୍ଠ ଯୋଗେଶ୍ୱର । ମୋ ତୁଲେ ଗୃହଧର୍ମ କର ॥ ୮୪
ତୁମ୍ଭେ ମୋହାର ନିଜ ପତି । ଏଣୁ ଅଇଲି ତୁମ୍ଭ କତି ॥ ୮୫
ପୁରୁଷ ସ୍ୱଧର୍ମଟି ଏହି । ପ୍ରାପତ-କନ୍ୟା ନ ତେଜଇ ॥ ୮୬
ଯାଚକ କନ୍ୟା ପ୍ରତେଜିଲେ । ସେ ସୁଖ ନ ଲଭଇ ଭଲେ ॥ ୮୭
ଯେ ସାଧୁଜନ ଏ ଜଗତେ । ପ୍ରିୟ ଅପ୍ରିୟ ସମ ଚିତ୍ତେ ॥ ୮୮
ପ୍ରାଣୀଙ୍କ ହିତାର୍ଥ କାରଣେ । ଏଣୁ ଭ୍ରମନ୍ତି ଅନୁକ୍ଷଣେ ॥ ୮୯
ଅନ୍ୟତ୍ର ବାଞ୍ଛା ନାହିଁ ମୋର । ଏ କାମ-ଶତ୍ରୁ ମୋ ନିବାର ॥ ୯୦
ଭୋ ମୁନିବର ତୁମ୍ଭ ବିନେ । ମୋ ଚିତ୍ତ ନ ବଳଇ ଆନେ ॥ ୯୧
ଏ ତୁମ୍ଭ ଆମ୍ଭ କାମଭୋଗ । ଦଇବ କରିଛି ସଂଯୋଗ ॥ ୯୨
ଏମନ୍ତ ବାକ୍ୟ ତାର ଶୁଣି । ଆମ୍ଭେ ପ୍ରକୋପେ ତାକୁ ଭଣି ॥ ୯୩
ବୋଇଲୁ ତୁ ନୀଚ ଯୁବତୀ । ପ୍ରମଦାକୁଳେ ନୋହୁ ସତୀ ॥ ୯୪
କୁଳ-ଦୂଷଣ-କର୍ମ ତୋର । ନ ମରି ଧରିଛୁ ଶରୀର ॥ ୯୫
ତୋତେ ଦେଖିଲେ ଲଭି ଦୋଷ । ଅଶେଷ ପୁଣ୍ୟ ହୁଏ ନାଶ ॥ ୯୬
ଯେ ସ୍ତିରୀ ବିଟପୀ ସଂସାରେ । ଉଭୟଲୋକ ପରିହରେ ॥ ୯୭
ତୁ ଛାର କହିଲୁ ଏମନ୍ତ । ନ ଜାଣୁ ଆମ୍ଭେ ତପୋବନ୍ତ ॥ ୯୮
ପାତ୍ର ଅପାତ୍ର ତୁ ନ ଜାଣୁ । ଦୂଷଣ କଥା ମୁଖେ ଭଣୁ ॥ ୯୯
ଶୁଣସି ତୁ ମୂଢ଼ ଅଜ୍ଞାନୀ । ଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ ॥ ୧୦୦
ଗୃହସ୍ଥଧର୍ମ ଆମ୍ଭ ନାହିଁ । ତୋର ବରଣେ ଇଚ୍ଛା କାହିଁ ॥ ୧୦୧
ତୋହର ବରେ ଯେବେ ଇଚ୍ଛା । କହିବା ପୂରିବ ତୋ ବାଞ୍ଛା ॥ ୧୦୨
ଯବନମାନଙ୍କ ଈଶ୍ୱର । ତୁ ଯାଇ ବେଗେ ତାକୁ ବର ॥ ୧୦୩
ଯେ କାମ ଭୋଗେ ତୋର ଇଚ୍ଛା । ସେ ତୋର ପୂରାଇବେ ବାଞ୍ଛା ॥ ୧୦୪
ତା ଶୁଣି ବିମୁଖେ ତରୁଣୀ । ସକ୍ରୋଧେ ଶାପ ମୋତେ ଭଣି ॥ ୧୦୫
ବୋଇଲା ଶୁଣ ମୁନିବର । ମୋ ପ୍ରୀତି-ଆଶା କଲୁ ଦୂର ॥ ୧୦୬
ତୁ ଏକଠାବେ ନ ରହିବୁ । ଜୀବନ୍ତେ ଯେତେକାଳ ଥିବୁ ॥ ୧୦୭
ବ୍ରହ୍ମାଣ୍ତ ମଧ୍ୟେ ସ୍ଥାନ ଯେତେ । ଭ୍ରମଣ କରୁଥିବୁ ନିତ୍ୟେ ॥ ୧୦୮
କାହିଁ ତୁ ନ ଲଭିବୁ ସୁଖ । ଭୋଗାଦି ନାମେଣ ବିମୁଖ ॥ ୧୦୯
ଏ ଘୋରଶାପ ମୋତେ । ବରିଲା ଭୟପତି ଯାଇ ॥ ୧୧୦
ଭୋ ଦେବ ଯବନ ଈଶ୍ୱର । ତୁ ବୀର ବଳେ ବଳୀୟାର ॥ ୧୧୧
ଏଣୁ ବରିଲି ମୁହିଁ ତୋତେ । ମୋର ବିନୟ ଘେନ ଚିତ୍ତେ ॥ ୧୧୨
ତୁମ୍ଭଙ୍କୁ ଯେବା ମାଗେ ଯାହା । ବିନାଶ ନୋହେ କାମ ତାହା ॥ ୧୧୩
ଶୁଣ ଯବନ ଅଧିପତି । ଏ ବେନିଲୋକେ ଶିଶୁମତି ॥ ୧୧୪
ଯେ ଲୋକ-ଶାସ୍ତ୍ରର ଭକତ । ଦ୍ରବ୍ୟ ହୋଇଲେ ଉପଗତ ॥ ୧୧୫
ଯାଚକ ଜନେ ତା ନ ଦେଇ । ଅଥବା ଦେଲେ ନ ଘେନଇ ॥ ୧୧୬
ଏ ବେନି ଶିଶୁ ସଙ୍ଗେ ସରି । ଏଣୁ ତାହାଙ୍କୁ ମୁଁ ନ ବରି ॥ ୧୧୭
ତୁମ୍ଭେ ଦୟାଳୁ ଶୂରବନ୍ତ । ଯବନମାନଙ୍କ ସାମନ୍ତ ॥ ୧୧୮
ମୁଁ କାମେ ତୁମ୍ଭଙ୍କୁ ଭଜିଲି । ଲଜ୍ଜା ସଙ୍କୋଚ ଉପେକ୍ଷିଲି ॥ ୧୧୯
ମୋ ସଙ୍ଗେ କର ବଇଭୋଗ । ହର ଦୁର୍ଜୟ କାମରୋଗ ॥ ୧୨୦
ପୁରୁଷ ସ୍ୱଧର୍ମଟି ଏହି । ଦୀନଜନଙ୍କୁ ଦୟା ବହି ॥ ୧୨୧
ମୁଁ ଜନ୍ମକାଳୁ କାମଦୁଃଖେ । ତୁ ମୋତେ ନ ତେଜ ବିମୁଖେ ॥ ୧୨୨
ଯାଚକ ଜନ ନ ତୋଷିଲେ । ସ୍ୱଧର୍ମ ନାଶ ଯାଇ ଭଲେ ॥ ୧୨୩
ତାର କାର୍ପଣ୍ୟ ବାକ୍ୟ ଶୁଣି । ଯବନେଶ୍ୱର ମନେ ଗୁଣି ॥ ୧୨୪
ଦେବଙ୍କ ଗୁପ୍ତ ଯେ ମରଣ । ଏହାରେ ସାଧିବି ପ୍ରମାଣ ॥ ୧୨୫
ଏମନ୍ତ ମନେ ବିଚାରିଲା । କନ୍ୟାକୁ ପ୍ରତିବାକ୍ୟ ଦେଲା ॥ ୧୨୬
ଶୁଣ ଗୋ କାଳର ଦୁହିତି । ତୋ ସମେ ବରିଅଛି ପତି ॥ ୧୨୭
ଆପଣା ସମାଧି-ଯୋଗରେ । ମୁଁ ବର ବରିଅଛି ତୋରେ ॥ ୧୨୮
ଏ ଯେତେ ଲୋକବୃନ୍ଦ ଛନ୍ତି । ତୋର ସମୀପେ ନ ଗଚ୍ଛନ୍ତି ॥ ୧୨୯
ତୋ ରୂପ ଦେଖି ଅମଙ୍ଗଳ । ଡରନ୍ତି ଏ ଲୋକ ସକଳ ॥ ୧୩୦
ତୁ ଯେ ଅଲକ୍ଷ୍ୟ ଯୋଗେଶ୍ୱରୀ । ତାହାଙ୍କୁ ଭୋଗକର ଧରି ॥ ୧୩୧
ଏକାକୀ ବୋଲି ଭୟ ଯେବେ । ମୋ ସେନା ସଙ୍ଗେ ନିଅ ତେବେ ॥ ୧୩୨
ଏ ସର୍ବେ ତୋର ସଙ୍ଗେ ଥିବେ । ତୋ ଆଜ୍ଞା କ୍ଷଣେ ନ ଛାଡିବେ ॥ ୧୩୩
ଏମନ୍ତେ ପ୍ରଜାନ୍ତ ବିନାଶ । ଏ ସର୍ବେ ହୋନ୍ତୁ ତୋର ବଶା ॥ ୧୩୪
ମୋହର ଭାଇ ଯେ ପ୍ରଜ୍ୱର । ତୁ ଭଗ୍ନୀ ହେବୁ ଯେ ମୋହର ॥ ୧୩୫
ଏକତ୍ୱେ ଭାଇ ଭଗ୍ନୀ ଥିବ । ମୋ ସେନାଗଣ ସଙ୍ଗେ ନେବ ॥ ୧୩୬
ଲୋକେ ନ ଜାଣିବେ ତୋ ଗତି । ଭ୍ରମୁଣ ଥିବୁ ଚଉକତି ॥ ୧୩୭
ଜୀବଙ୍କ ଭୋଗ ଅନୁସାରେ । ପୀଡିବୁ ଲୋଭାଦି ବ୍ୟାଧିରେ ॥ ୧୩୮
ଏମନ୍ତ ଶିକ୍ଷା ତାକୁ ଦେଇ । ଅଗ୍ରେ ପେଷିଲା ଭଗ୍ନୀଭାଇ ॥ ୧୩୯
ତା ସୈନ୍ୟ ସର୍ବବ୍ୟାଧିଗଣ । ଘେନାଇ ଚଳେ ନୃପରାଣ ॥ ୧୪୦
ଅପରେ କାମ କ୍ରୋଧ ଯେତେ । ପାରୁଶେ ଥାନ୍ତି ଅବିରତେ ॥ ୧୪୧
ଏ ସର୍ବେ ପ୍ରାଣୀ ଅଙ୍ଗେ ଯାଇ । କୁକର୍ମ ମାର୍ଗେ ଲୋଭେ ନେଇ ॥ ୧୪୨
ନିତ୍ୟେ ପୀଡନ୍ତି ଅନୁକ୍ଷଣ । ଜୀବକୁ ରୋଗ ପ୍ରଭେଦେଣ ॥ ୧୪୩

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ସେ କାଳକନ୍ୟା ଯେ ପ୍ରଜ୍ୱର ॥ ୧୪୪
ଯବନପତି ଆଜ୍ଞା ପାଇ । ଏ ସୈନ୍ୟବଳ ସଙ୍ଗେ ନେଇ ॥ ୧୪୫
ଭ୍ରମନ୍ତି ଏ ମହୀମଣ୍ତଳେ । ହରନ୍ତି ଜୀବଆୟୁ ବଳେ ॥ ୧୪୬
ଭୋଗ ପ୍ରଲୋଭେ ବିନାଶନ୍ତି । ନିରତେ ଛିଦ୍ର ଉଦ୍ଦେଶନ୍ତି ॥ ୧୪୭
ପୃଥିବୀ ପର୍ଯ୍ୟଟନ କଲେ । କର୍ମାନୁସାରେ ଭୋଗ ଦେଲେ ॥ ୧୪୮
ଚତୁର୍ଥସ୍କନ୍ଧେ ଭାଗବତ । ନାରଦ ପ୍ରାଚୀନ ଭକତ ॥ ୧୪୯
ଏ ପୁରଞ୍ଜନର ଆଖ୍ୟାନ । ସପ୍ତବିଂଶ ଅଧ୍ୟା ସମ୍ପୂର୍ଣ୍ଣ ॥ ୧୫୦
ଏହା ଯେ ଶ୍ରବଣେ ଶୁଣନ୍ତି । ସଂସାର-ବନ୍ଧୁ ନିସ୍ତରନ୍ତି ॥ ୧୫୧
ସେ ପ୍ରାଚୀନ ଗ୍ରନ୍ଥ ପୁରାଣ । ନାରଦ ତାହାରେ ବଖାଣ ॥ ୧୫୨
ଭଣଇ ଜଗନ୍ନାଥ ଦାସ । ଏକାଳେ ହୋଇଲା ପ୍ରକାଶ ॥ ୧୫୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ସପ୍ତବିଂଶୋଽଧ୍ୟାୟଃ ॥

ଅଷ୍ଟବିଂଶ ଅଧ୍ୟାୟ[ସମ୍ପାଦନା]

ଶ୍ରୀକୃଷ୍ଣ ପାଦପଦ୍ମ ଚିନ୍ତି । ସହର୍ଷେ ମୈତ୍ରେୟ କହନ୍ତି ॥ ୧

ମୈତ୍ରେୟ ଉବାଚ

ତଦନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନର ବିଚାର ॥ ୨

ନାରଦ ଉବାଚ

ନାରଦ କହନ୍ତି ରାଜନ । ଏବେ କହିବା ଦିବ୍ୟଞ୍ଜାନ ॥ ୩
ଯବନ ଅଧିପତି ଯେହି । ତାହାର ନାମ ଭୟ କହି ॥ ୪
ସୈନ୍ୟାଦି ବ୍ୟାଧିଗଣେ ତାର । ସଙ୍ଗତେ ଥାନ୍ତି ନିରନ୍ତର ॥ ୫
ପ୍ରଜ୍ୱର କାଳକନ୍ୟା ବେନି । ଏହାଙ୍କୁ ରାଜା ସଙ୍ଗେ ଘେନି ॥ ୬
ଏ ସର୍ବେ ସଙ୍ଗତେ ଚଳନ୍ତି । ଯେ ଦିଗେ ବିଜୟେ ନୃପତି ॥ ୭
ସେ ଏକଦିନେ ନୃପବର । ସଙ୍ଗତେ ସୈନ୍ୟ ଜରା-ଜ୍ୱର ॥ ୮
ସେ ମହୀ ଭ୍ରମଣ କରନ୍ତେ । ଦେଖିଲା କାଳକର୍ମଗତେ ॥ ୯
ଯେ ପୁରେ ଥିଲା ପୁରଞ୍ଜନ । ତା ବେଗେ ବେଢିଲା ଯବନ ॥ ୧୦
ଯେ କିଛି ପୃଥ୍ୱୀରେ ବୈଭୋଗ । ସକଳ ସେ ପୁରେ ସଂଯୋଗ ॥ ୧୧
ସେ ପୁରେ ଦ୍ୱାରୀ ବୃଦ୍ଧ ଅହି । ନିର୍ଭୟେ ପୁର ଜଗିଥାଇ ॥ ୧୨
ଏ ପଞ୍ଚଭୂତେ ଦେହ ଯେତେ । ତାକୁ ନଛାଡେ କଦାଚିତେ ॥ ୧୩
ବ୍ରହ୍ମାଣ୍ତ ମଧ୍ୟେ ଦେହ ବହି । ତାକୁ ଜିଣନ୍ତା କେହି ନାହିଁ ॥ ୧୪
ବ୍ରହ୍ମାଦି ସୁରମୁନି ଦେବା । ଭୟେ କରନ୍ତି ତାକୁ ସେବା ॥ ୧୫
ତାକୁ ଜିଣନ୍ତା ଯେବା ଜନ । ନିଶ୍ଚିନ୍ତେ ରହେ ନିଜସ୍ଥାନ ॥ ୧୬
ଯବନେ ସେ ପୁର ନାଶିଲେ । ଯେ ପୁରେ ଗୁରଞ୍ଜନ ଥିଲେ ॥ ୧୭
ସେ କାଳକନ୍ୟା ସଙ୍ଗେ ଥିଲା । ସତ୍ୱରେ ସେ ପୁରେ ପଶିଲା ॥ ୧୮
ବଳେ ସେ କଲା ବଇଭୋଗ । କାନ୍ତି ବଳ ବୀର୍ଯ୍ୟ ସଂଯୋଗ ॥ ୧୯
ସେ ନାରୀ ଯାରେ ସ୍ପରଶଇ । ସେ ପ୍ରାଣୀ ଉଠି ନ ପାରଇ ॥ ୨୦
ଅଗ୍ରେ ସେ ନାରୀ ପ୍ରବେଶିଲା । ଯେତେ ଯବନବଳ ଥିଲା ॥ ୨୧
ସର୍ବେ ସେ ଦ୍ୱାରମାର୍ଗେ ଗଲେ । ପ୍ରବେଶି ପୁର ବିନାଶିଲେ ॥ ୨୨
ପୁର ଉଜାଡେ ଭୟ କରି । ସେ ପୁରଞ୍ଜନ ଦଣ୍ତଧାରୀ ॥ ୨୩
ବହୁତ ସନ୍ତାପ ସେ କଲା । ନିର୍ବଳେ ଶଙ୍କିତେ ରହିଲା ॥ ୨୪
ସେ ରାଜା କ୍ରୋଧେ ଅଭିମାନୀ । ଦେଖିଲା ସ୍ୱକୁଟୁମ୍ବ ହାନି ॥ ୨୫
ସ୍ନେହାନୁବନ୍ଧ ନ ଛାଡଇ । ଆକୁଳେ ସନ୍ତାପେ ଶୋଚଇ ॥ ୨୬
ସେ କାଳକନ୍ୟା ଆସି ବେଗେ । ରାଜାକୁ କୋଳ କଲା ସୋଗୋ ॥ ୨୭
ତାର ସ୍ପରଶେ ମହାରାୟେ । ହୋଇଲା ନଷ୍ଟ-କାନ୍ତି-କାୟେ ॥ ୨୮
କୃପଣ-ବିଷୟୀ ରାଜନ । ହୋଇଲା ତା ସଙ୍ଗ ପାଇଣ ॥ ୨୯
ପ୍ରଜ୍ଞା ଯେ ହେଲା ତାର ନାଶ । ସଘନେ ଛାଡଇ ନିଃଶ୍ୱାସ ॥ ୩୦
ଯବନ-ଗନ୍ଧର୍ବେ ପଶିଲେ । ରାଜ ଐଶ୍ୱର୍ଯ୍ୟ ବିନାଶିଲେ ॥ ୩୧
ସେ ପୁର କ୍ଷୀଣ ଦେଖି ତାର । ପୁତ୍ରାଦି ଛାଡିଲେ ଆଦର ॥ ୩୨
ଆତ୍ମୀୟ ଲୋକ ଯେତେ କହି । ଦେଖିଲା ପୂର୍ବସ୍ନେହ ନାହିଁ ॥ ୩୩
ତା ପତ୍ନୀଠାରେ ଯେତେ ପ୍ରୀତି । ଦେଖିଲା ଅସ୍ନେହ ଅନୀତି ॥ ୩୪
ଆତ୍ମାକୁ ଜରା ଗ୍ରସ୍ତ କଲା । ପଞ୍ଚାଳ ବିଷୟ ତା ଗଲା ॥ ୩୫
ଦୁରନ୍ତ ଚିନ୍ତା ପାଇ ରାୟେ । ନ ଦେଖେ ତରିବା ଉପାୟେ ॥ ୩୬
ସେ କନ୍ୟା ସ୍ପରଶେ ନିର୍ବଳ । ଏକାନ୍ତେ ଝୁରେ ମହୀପାଳ ॥ ୩୭
ନିର୍ବଳ ଦେଖି ନିଜ ଦେହ । ଛାଡିଲା ପୁତ୍ର ଆଦି ସ୍ନେହ ॥ ୩୮
ସ୍ୱ-ପରଲୋକ ଚିନ୍ତା ଗଲା । ସେ କାଳକନ୍ୟା ଏହା କଲା ॥ ୩୯
ସେପୁର ଛାଡିବାରେ ମନ । ରୋଦନ କରେ ଅନୁକ୍ଷଣ ॥ ୪୦
ନ ପାରେ ସହି ଦୁଃଖଘୋର । ସେ ନିଶ୍ଚେ ଛାଡିବ ଶରୀର ॥ ୪୧
ଭ୍ରମ ତା ହେଲା ନିଜ ମତି । ଆତୁରେ ଭାଳଇ ନୃପତି ॥ ୪୨
ଭୟର ଅଗ୍ରଜ ପ୍ରଜ୍ୱର । ଆଚ୍ଛାଦି ରହିଲା ସେ ପୂର ॥ ୪୩
ଏ ସର୍ବେ ପୁରମାର୍ଗେ ରହି । ପ୍ରଚଣ୍ତ ତେଜେ କୋପ ବହି ॥ ୪୪
ସାନ-ଭ୍ରାତାର ପ୍ରିୟ ଅର୍ଥେ । ସେ ପୁର ଦହିଲା ତୁରିତେ ॥ ୪୫
ପୁର ଦହନ ଯହୁଁ ହେଲା । ସେ ରାଜା ମହାଭୟ କଲା ॥ ୪୬
ସେ ପୂରବାସୀ ଯେତେ ଥିଲେ । ସଭୟେ ସକଳେ କମ୍ପିଲେ ॥ ୪୭
ଯବନେ ପୁର ଦେଲେ ଦହି । କାଳକନ୍ୟାର ପଛେ ରହି ॥ ୪୮
ସଭୟେ ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି ଛନ୍ନ ହୋଇ ॥ ୪୯
ଯବନ-ପୁର ନେଲେ ବେଗେ । ସେ କାଳକନ୍ୟା ଘେନି ସଙ୍ଗେ ॥ ୫୦
ଭୟର ଅଗ୍ରଜ ପ୍ରଜ୍ୱର । ପୁର ନାଶିଲେ ବେଗେ ତାର ॥ ୫୧
ଦେଖିଣ ବିଷାଦେ ନୁପତି । ରୋଦନ କଲା ଭୟେ ଅତି ॥ ୫୨
ବହୁତ କଷ୍ଟେ ସେ ରାଜନ । ପୁର ଛାଡିତେ କଲା ମନ ॥ ୫୩
ଯେସନେ ବୃକ୍ଷକ୍ରୋଟେ ଅନ୍ଦି । ଅନଳ ତେଜ ତାପେ ଦହି ॥ ୫୪
ସେ ଯେହ୍ନେ ସେ ସ୍ଥାନ ଉପେକ୍ଷି । ରହେ ଅତ୍ୟନ୍ତ ଭୟେ ଦୁଃଖୀ ॥ ୫୫
ତେସନେ ଛାଡି ନିଜ ପୁରୀ । ସେ ରାଜା ବହୁ ଚିନ୍ତା କରି ॥ ୫୬
ହସ୍ତ ଚରଣ ତା ନ ଚଳେ । ପୌରୁଷ ଗନ୍ଧର୍ବେ ହରିଲେ ॥ ୫୭
ଯବନ-ଶତ୍ରୁ ବ୍ୟାଧି ରୂପେ । କଷ୍ଠ ନିରୋଧ କଲା କୋପେ ॥ ୫୮
ମୂଢ଼ ଦୁର୍ମତି ସେ ରାଜନ । ରୋଦଇ ନ ଛାଡି ଜୀବନ ॥ ୫୯
ନ ଛାଡିପାରେ ସ୍ନେହ ଚିତ୍ତେ । ରାତ୍ର ଦିବସ ଭାଳେ ନିତ୍ୟେ ॥ ୬୦
ଏ ମୋର ପୁତ୍ର କନ୍ୟା ଯେତେ । ମୋ ବିନା ବଞ୍ଚିବେ କେମନ୍ତେ ॥ ୬୧
ଜାମାତା ବନ୍ଧୁ ପରିଷଦ । ଅପରେ ଗୃହାଦି ସମ୍ପଦ ॥ ୬୨
ମୁଁ ଏବେ ପୁର ପ୍ରତେଜିଲେ । ଏ ସର୍ବେ ନ ବର୍ତ୍ତିବେ ଭଲେ ॥ ୬୩
ସ୍ୱପତ୍ନୀ ସହିତେ ରାଜନ । ଅନେକ କରନ୍ତି ରୋଦନ ॥ ୬୪
ମୁଁ ଏବେ ନିଶ୍ଚୟ ମରିବି । ଏ ବହୁ ଦୁଃଖ ନ ସହିବି ॥ ୬୫
ମୋର ଅଭାବେ ଏ କାମିନୀ । ଭାଳିବ ସ୍ୱକୁଟୁମ୍ବ ଘେନି ॥ ୬୬
ବାଳକ କନ୍ୟା ଯେତେ ମୋର । ପାଇବେ ବହୁ ଦୁଃଖ ଘୋରା ॥ ୬୭
ବିଦେଶୀ ରାଜା ରାଜ୍ୟ ନେବେ । ଏହାଙ୍କୁ ବହୁ ଦୁଃଖ ଦେବେ ॥ ୬୮
ବାଳକେ ହୋଇବେ ଅନାଥ । ତା ଦେଖି ରୋଦିବ ବହୁତ ॥ ୬୯
ଏ ସ୍ତିରୀ ପ୍ରାଣ ଗୁଣମଣି । ମୋ ବିନୁ ନଶିବ ତରୁଣୀ ॥ ୭୦
ସ୍ନାନ ଭୋଜନ ମୁଁ ନ କଲେ । ଏ ରାଣୀ ନ କରେ ବିକଳେ ॥ ୭୧
ସୁଗୁଣବତୀ ମୋ ଘରଣୀ । କେମନ୍ତେ ପ୍ରତେଜିବି ପୁଣି ॥ ୭୨
ଏହାର ଗୁଣ ଅଛି ଯେତେ । ମୁଁ କହି ପାରିବଇଁ କେତେ ॥ ୭୩
ସେ ମୋର କ୍ରୋଧ-କାଳ ଜାରି । ଜ୍ଞାନେ ପ୍ରବୋଧ ଦେଇ ଭଲେ ॥ ୭୪
ମୁଁ ଯେବେ କ୍ରୋଧ ବହି ତାରେ । ସ୍ଥିର ସେ ରହଇ ଭୟରେ ॥ ୭୫
ମୋର ବିଚ୍ଛେଦ ଏ ସୁନ୍ଦରୀ । ଦିରହ-ଦୁଃଖେ ନିତ୍ୟେ ଝୁରି ॥ ୭୬
ମୋର ଆପଦ ଚିନ୍ତାକାଳେ । ସେ ପ୍ରତିବୋଧ ଦେଇ ଭଲେ ॥ ୭୭
ଏ ଗୃହଧର୍ମ ନ କରିବ । ବ୍ୟାକୁଳ ଚିନ୍ତାରେ ମଜ୍ଜିବ ॥ ୭୮
ଏ ପୁତ୍ର-କନ୍ୟା ନ ଚାହିଁବ । ମୋ ଅନ୍ତେ ଅବଶ୍ୟ ମରିବ ॥ ୭୯
ଏ ପୁତ୍ର କନ୍ୟା ମାତୃ ହୀନେ । ଦୁଃଖିତ ହେବେ ଆଶ୍ରେ ବିନେ ॥ ୮୦
ମୋ ଅନ୍ତେ ଏ ସର୍ବେ ମରିବେ । କିବା ଭକ୍ଷିବେ କାହିଁ ଥିବେ ॥ ୮୧
ଆଶ୍ରୟ ନ ପାଇ ଶୟଳେ । ଅବଶ୍ୟ ମରିବେ ଆକୁଳେ ॥ ୮୨
ସମୁଦ୍ର ମଧ୍ୟେ ଯେହ୍ନେ ନାବ । ଭଗ୍ନେ ନଶନ୍ତି ପ୍ରାଣୀ ସର୍ବ ॥ ୮୩
ଏ ସର୍ବେ ତେସନେ ମରିବେ । ମୋ ଅନ୍ତେ କେହି ନ ଜୀଇବେ ॥ ୮୪
ଏମନ୍ତ ଅଜ୍ଞାନ-ବୁଦ୍ଧିରେ । ସେ ନିତ୍ୟେ ବହୁ-ଶୋକ କରେ ॥ ୮୫
ଏମନ୍ତ ଭାଳନ୍ତେ ରାଜନ । କାଳ ହୋଇଲା ଅବସାନ ॥ ୮୬
ରାଜାକୁ ଧରି ନେବା ପାଇଁ । ଭୟ ମିଳିଲା ବେଗ ହୋଇ ॥ ୮୭
ପଶୁର ପ୍ରାୟ ବନ୍ଦୀ କଲା । ତକ୍ଷଣେ ଉପ୍ରୋଧ ତେଜିଲା ॥ ୮୮
ଧରିଣ ଯବନଙ୍କ ବଳେ । ଆପଣା ସ୍ଥାନକୁ ସେ ନେଲେ ॥ ୮୯
ତା ଅନୁଚର ଯେତେ ଥିଲେ । ଜଣେ ହେଁ ସପକ୍ଷ ନୋହିଲେ ॥ ୯୦
ସେ ସର୍ବେ ଆକୁଳେ ଶୋଚନ୍ତି । ରାଜାକୁ ସୁମରି କାନ୍ଦନ୍ତି ॥ ୯୧
ଦ୍ୱାରେ ଯେ ଥିଲା ବୁଦ୍ଧ ଅହି । ସେ ଛାଡିଗଲା ବେଗ ହୋଇ ॥ ୯୨
ସେ ରାଜା ସଙ୍ଗତେ ଗମିଲା । ତା ଅନ୍ତେ ପୁର ନଷ୍ଟ ଗଲା ॥ ୯୩
ଯବନବଳ ବଳବନ୍ତେ । ରାଜାକୁ ଧରି ଓଟରନ୍ତେ ॥ ୯୪
ସେ ଅତି ବ୍ୟାକୁଳେ ରାଜନ । ରୋଦନ କରେ ଉଚ୍ଚସ୍ୱନ ॥ ୯୫
ମୃତ୍ୟୁଦଣ୍ତେ ତା ପୀଡେ ଦେହୀ । ସେ ଦୁଃଖ କେବା ପାରେ ସହି ॥ ୯୬
ଯେସନେ ସୂଚୀ-ରନ୍ଧ୍ରଗତେ । ମତ୍ତ-ବାରଣ ଉଛୁଡନ୍ତେ ॥ ୯୭
ତେସନେ ପୀଡ଼ିତ ଶରୀର । ଦୁଃସହ ଦୁଃଖ ମୃତ୍ୟୁଘୋର ॥ ୯୮
ଏମନ୍ତେ ପ୍ରାଣତ୍ୟାଗ କାଳେ । ଜୀବ ଭ୍ରମଇ ଦୟାକୁଳେ ॥ ୯୯
ସେ ରାଜା ଅଜ୍ଞାନ ହୋଇଲା । ବେଳେ ଶ୍ରୀହରି ନ ଚିନ୍ତିଲା ॥ ୧୦୦
ଶ୍ରୀକୃଷ୍ଣ ନ ଭଜିଲା ଯେଣୁ । ଏ ମୃତ୍ୟୁଭୟ ତାର ତେଣୁ ॥ ୧୦୧
ଯଜ୍ଞାଦି ପୁଣ୍ୟକର୍ମ ଯେତେ । ରକ୍ଷଣେ ନୋହିଲେ ସମର୍ଥେ ॥ ୧୦୨
ସେ କାମ୍ୟକର୍ମେ ଯଜ୍ଞ କରି । ଅନେକ ପଶୁ ଥିଲା ମାରି ॥ ୧୦୩
ନିର୍ଦ୍ଧୋଷ-ଜୀବଙ୍କୁ ରାଜନ । ଯଜ୍ଞେ ବଧିଲା ପ୍ରତିଦିନ ॥ ୧୦୪
ସେ ରୋଷ ମନେ ଧରିଥିଲେ । ତକ୍ଷଣେ ରାଜାକୁ ଭେଟିଲେ ॥ ୧୦୫
ବେଗେ ବେଢିଲେ ପଶୁଗଣ । କୁଠାର କଲେ ପ୍ରହାରଣ ॥ ୧୦୬
ନାନାଦି ତୀକ୍ଷ୍ଣ ଶସ୍ତ୍ର ଧରି । କାଟନ୍ତି ସେ ଦୁଃଖ ସୁମରି ॥ ୧୦୭
ତୁଳା ପ୍ରମାଣେ ଅବଶେଷେ । ସେ ପଶୁଗଣେ ଅତି ରୋଷେ ॥ ୧୦୮
ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ନିର୍ଦ୍ଦୟ-ଚିତ୍ତେ ସେ ନିର୍ଭୟେ ॥ ୧୦୯
ଦୁଃସହ-ଦୁଃଖ-ପୀଡା ଯେତେ । ସହଇ କର୍ମର ଆୟତ୍ତେ ॥ ୧୧୦
ଏଣୁ କୁସଙ୍ଗ-ଦୋଷ ତାର । ହୋଇଲା ମହା-ଦୁଃଖ ଘୋର ॥ ୧୧୧
ସେ ସ୍ତିରୀବଶେ ବଶ ହୋଇ । ସେବକ ଜନ ପ୍ରାୟ ଥାଇ ॥ ୧୧୨
ତା ବଶେ ହୋଇଲା ଅଧୀନ । ହରିଲା ତାର ପୂର୍ବ-ଜ୍ଞାନ ॥ ୧୧୩
ହରି-ଚରଣେ ନ ଭଜିଲା । ଏ ଘେନି ଏ କଷ୍ଟ ଲଭିଲା ॥ ୧୧୪
ପଡିଲା ଅକ୍ଷତମ ଘୋରେ । କିଛି ନ ସ୍ଫୁରେ ତା ମନରେ ॥ ୧୧୫
କୃଷ୍ଣ ଅଭାବେ ମୂଢ଼ମତି । ଏଣୁ ତୁରନ୍ତ ମ୍ଳେଚ୍ଛଗତି ॥ ୧୧୬
ନରକେ ବହୁ ସମ୍ବତ୍ସର । ଭୋଗ ସେ କଲା ନୃପବର ॥ ୧୧୭
ପୀଡିତ କର୍ମର ଅବଶେ । ସେ ପୂର୍ବ-କର୍ମ ପାପ ଦୋଷେ ॥ ୧୧୮
ଏମନ୍ତେ ନାନା ଦୁଃଖେ ପଡି । ଯେଣୁ ସ୍ୱଧର୍ମ-ମାର୍ଗ ହୁଡି ॥ ୧୧୯
ଈଶ୍ୱର-ବାକ୍ୟ ବେଦବାଣୀ । ଅଜ୍ଞାନେ ତେଜିଲା ନ ଜାଣି ॥ ୧୨୦
ସେ ପାପ ଅନ୍ତେ ଜନ୍ମ ତାର । ବିଦର୍ଭ-ରାଜାର ମନ୍ଦିର ॥ ୧୨୧
ସେ ରାଜା ମରଣ ସମୟେ । ସ୍ତ୍ରୀ ସଙ୍ଗ ଭାବିଲା ହୃଦୟେ ॥ ୧୨୨
ତେଣୁ ସେ ପ୍ରମଦା ହୋଇଲା । ପୁରୁଷ ଅଙ୍ଗ ପ୍ରତେଜିଲା ॥ ୧୨୩
ସେ ପ୍ରତିବ୍ରତା ସଙ୍ଗ ଫଳେ । ଜନ୍ମ ଲଭିଲା ସାଧୁକୁଳେ ॥ ୧୨୪
ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀ । ଜ୍ଞାନେ ଭକତି ପରିମାଣି ॥ ୧୨୫
ବିଦର୍ଭ-ମନ୍ଦିରେ ସୁନ୍ଦରୀ । ଜନ୍ମ ଲଭିଲା ଦେହ ଧରି ॥ ୧୨୬
ମଳୟଧ୍ୱଜ ନାମେ ରାଜା । ସେ କୃଷ୍ଣଭକ୍ତ ମହାତେଜା ॥ ୧୨୭
କନ୍ୟାର ରୂପ-ଗୁଣ ଶୁଣି । ଚିତ୍ତେ କଳ୍ପିଲା ନୃପମଣି ॥ ୧୨୮
ସେ ସୈନ୍ୟସାମନ୍ତ ସାଜିଲା । ବିଦର୍ଭ-ଦେଶେ ବିଜେ କଲା ॥ ୧୨୯
ସେ ରାଜା ସଙ୍ଗତେ ରାଜନ । ଯୁଦ୍ଧେ ଜିଣିଲା ରାଜ୍ୟ-ଧନ ॥ ୧୩୦
ବଳେ ହରିଲା ତା ଦୁଲଣୀ । ବିବାହ କଲା ନୃପମଣି ॥ ୧୩୧
ମଳୟଧ୍ୱଜ ନୃପବର । ଦ୍ରାବିଡଦେଶେ ଅଧିକାର ॥ ୧୩୨
ସେ କନ୍ୟା ଗର୍ଭେ ତା ସନ୍ତତି । ଜନ୍ମିଲା ସୁଗୁଣ ସୁମତି ॥ ୧୩୩
ସେ ରାଜା ସଦୃଶ କୁମାରୀ । ପ୍ରସବ କଲା ତାର ନାରୀ ॥ ୧୩୪
ଶ୍ରୀକୃଷ୍ଣ ସୋବରୁଚି ନାମ । ତା ନାମ ଦେଲେ ସେ ରାଜନ ॥ ୧୩୫
ସପତ ତନୟ ଅନ୍ତରେ । ଜନ୍ମିଲେ ସେ ନାରୀ ଉଦରେ ॥ ୧୩୬
ଶ୍ରବଣ କୀର୍ତ୍ତନ ଯେ ଆଦି । ଏ ସପ୍ତନାମେ ଭକ୍ତିସିଦ୍ଧି ॥ ୧୩୭
ଏକୁ ଅନେକ ତାହାଙ୍କର । ଅର୍ବୁଦ ଅର୍ବୁଦ କୁମର ॥ ୧୩୮
ବଂଶର ସଂଖ୍ୟା ତା ନ ଯାଇ । ଅସଂଖ୍ୟ ଅପ୍ରମିତ ହୋଇ ॥ ୧୩୯
ସେ ମନ୍ୱନ୍ତର ଭୋଗ କଲେ । ଆନନ୍ଦେ କୃଷ୍ଣଙ୍କୁ ଭଜିଲେ ॥ ୧୪୦
ମଳୟଧ୍ୱଜର ଦୁହିତା । ସେ ଜ୍ଞାନବତୀ ଧୃତବ୍ରତା ॥ ୧୪୧
ଅଗସ୍ତି ତାରେ ବିଭା ହେଲେ । ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ ॥ ୧୪୨
ମଳୟଧ୍ୱଜ ରାଜଋଷି । ପୁତ୍ରଙ୍କୁ ଡକାଇଲେ ବସି ॥ ୧୪୩
ବିଭାଗ କରି ରାଜ୍ୟ-ଖଣ୍ତ । ପୁତ୍ରଙ୍କୁ ଦେଲେ ଛତ୍ର-ଦଣ୍ତ ॥ ୧୪୪
କୃଷ୍ଣ ଭଜନେ ନରସାଇଁ । ରହିଲେ କୁଳାଚଳେ ଯାଇ ॥ ୧୪୫
ତାର ବୈଦର୍ଭୀ ନାମେ ଜାୟା । ଛାଡିଣ ଗୃହ-ସୁତ ମାୟ ॥ ୧୪୬
ସେ ରଜା ପଛେ ଗୋଡାଇଲା । ସୁଧାଂଶୁ ପଛେ ଶୋଭା ଗଲା ॥ ୧୪୭
ସେ କୁଳାଚଳ ଗିରିବର । ସକଳ ତୀର୍ଥଙ୍କ ମନ୍ଦିର ॥ ୧୪୮
ତୀର୍ଥଙ୍କ ନାମ ଏକା ଏକା । ଯେ ତାମ୍ରପର୍ଣ୍ଣୀ ବଟୋଦକା ॥ ୧୪୯
ଅପରେ ଚନ୍ଦ୍ରବସା ନାମ । ଏ ଆଦି ପୁଣ୍ୟତୀର୍ଥ ଧାମ ॥ ୧୫୦
କୃଷ୍ଣ-ଭକତି ସୁସାଧନେ । ତପ ଆଚରି ଶୁଦ୍ଧମନେ ॥ ୧୫୧
ସେ ପୁଣ୍ୟ-ତୀର୍ଥ-ଜଳେ ନିତି । ସ୍ନାନାଦି କର୍ମ ଯେ କରନ୍ତି ॥ ୧୫୨
ଦୁରନ୍ତ ବାହ୍ୟ-ଅନ୍ତଃମଳ । ସେ ଜଳେ ହୋଇଲା ନିର୍ମଳ ॥ ୧୫୩
ତପ ସାଧନେ ଅତିରେକ । ଭକ୍ଷି ଫଳ-ମୂଳ-ଶୋକ ॥ ୧୫୪
ପୁଷ୍ପ କୋମଳ ପତ୍ର ଜଳ । ତୃଣାଦି ଶଯ୍ୟାରେ ନିଶ୍ଚଳ ॥ ୧୫୫
କଠୋର ତପ ଆଚରିଲେ । ଶରୀର ତପେ ଶୁଭାଇଲେ ॥ ୧୫୬
ଶୀତ ଉଷ୍ଣାଦି ତ୍ରୟତାପ । କ୍ଷୁଧା ପିପାସା ତେଜି ଭୂପ ॥ ୧୫୭
ଦୁଃଖ-ସୁଖାଦି ସମ ତାରେ । ଶୋକ ହରଷ ଏକ କରେ ॥ ୧୫୮
ଏ ସର୍ବ ଜିଣି ସେ ରାଜନ । ନିର୍ମଳ ପ୍ରକାଶିଲା ମନ ॥ ୧୫୯
ମିତ୍ର ଅଇରି ସମ ତାର । ଲାଭ ଅଲାଭ ଏକାକାର ॥ ୧୬୦
ଏ ରୂପେ ଘୋର-ତପ କଲେ । ବ୍ରହ୍ମରେ ଆତ୍ମା ନିରୋପିଲେ ॥ ୧୬୧
ମନ ପବନ ବଶ କରି । ଦୁର୍ଜୟ-ଇନ୍ଦ୍ରିୟ ନିବାରି ॥ ୧୬୨
ଦୃଢ଼-ଆସନେ ନୃପବର । ସ୍ଥାଣୁ ସମାନେ ହୋଇ ସ୍ଥିର ॥ ୧୬୩
ଶତେ-ବରଷ ଦେବମାନେ । ନିଶ୍ଚଳେ ବସି ଯୋଗଧ୍ୟାନେ ॥ ୧୬୪
ଶ୍ରୀବାସୁଦେବେ କରି ରତି । ଦେହ-ବିଷୟ ନ ଜାଣନ୍ତି ॥ ୧୬୫
ଆତ୍ମାକୁ ଆତ୍ମାରେ ଦେଖିଲେ । ଆନନ୍ଦ-ସାଗରେ ବୁଡିଲେ ॥ ୧୬୬
ସେ ଆତ୍ମା ବ୍ୟାପିତ ସକଳ । ନ ଘେନେ ବିଷୟ ଜଞ୍ଜାଳ ॥ ୧୬୭
ନିଶ୍ଚେ ଜାଣିଲେ ମିଥ୍ୟାମୟେ । ଏ ସର୍ବ ସପନର ପ୍ରାୟେ ॥ ୧୬୮
ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇ ନିଦ୍ରାର ଆୟତ୍ତେ ॥ ୧୬୯
ନାନା ବିକାର ସେ ଦେଖଇ । ଶିର-ଛେଦନ ହେଉଥାଇ ॥ ୧୭୦
ପ୍ରତ୍ୟକ୍ଷେ ମଣେ ତାହା ସତ୍ୟ । ଅଜ୍ଞାନ-ମୋହେ ଭ୍ରମ ଚିତ୍ତ ॥ ୧୭୧
ତହିଁ ଆତ୍ମାର ଲିପ୍ତି ନାହିଁ । ଏ ରୂପେ ଆତ୍ମା ସର୍ବଦେହୀ ॥ ୧୭୨
ଯେ ହରି ଗୁରୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ॥ ୧୭୩
ସେ ଜ୍ଞାନ-ଦୀକ୍ଷା-ଦୀପ ପାଇ । ଦେଖିଲେ ଆତ୍ମା ସର୍ବଠାଇଁ ॥ ୧୭୪
ବ୍ରହ୍ମକୁ ଆତ୍ମାରେ ଦେଖିଳେ । ଆତ୍ମାକୁ ବ୍ରହ୍ମେ ନିରୋପିଲେ ॥ ୧୭୫
ଯେ କିଛି ଭେଦବୁଦ୍ଧି ଥିଲା । ସେସର୍ବ ଅଜ୍ଞାନ ଖଣ୍ତିଲା ॥ ୧୭୬
ଏ ରୂପେ ଛାଡି କଳେବର । ସେ ଯୋଗବଳେ ଯୋଗେଶ୍ୱର ॥ ୧୭୭
ନିଶ୍ଚଳ ଯୋଗାସନେ ରାୟେ । ଦିଶନ୍ତି ଧ୍ୟାନେ ଥିଲା ପ୍ରାୟେ ॥ ୧୭୮
ବିଦର୍ଭସୁତା ପବିତ୍ରତା । ଛାଡି ବିଷୟ-ଭୋଗ ଚିନ୍ତା ॥ ୧୭୯
ଖଣ୍ତି ଅମ୍ବର ପରିଧାନ । ବେଣୀ-ପ୍ରବନ୍ଧ କେଶମାନ ॥ ୧୮୦
ପତି ସମୀପେ ବସିଥାଇ । ଦେଖନ୍ତେ ଅତି ଶୋଭା ପାଇ ॥ ୧୮୧
ଯେସନେ ଅଗ୍ନି ଶିଖା-ହୀନ । ସେ ରୂପେ ଦିଶନ୍ତି ରାଜନ ॥ ୧୮୨
ରାଜା ହୋଇଲେ ମୃତ୍ୟୁଗତ । ରାଣୀକି ନୋହିଲା ବିଦିତ ॥ ୧୮୩
ସୁସ୍ଥିର ଆସନେ ନୃପତି । ରାଣୀ ସେବାରେ ନ ଜାଣନ୍ତି ॥ ୧୮୪
ସ୍ୱାମୀ-ଚରଣେ ହସ୍ତ ଦେଲେ । ଉଷ୍ମତା-ଭାବ ନ ଜାଣିଲେ ॥ ୧୮୫
ଦେଖିଲେ ପ୍ରାଣ ନାହିଁ ଦେହେ । ରାଣୀ ଅଜ୍ଞାନ-ଶୋକ-ମୋହେ ॥ ୧୮୬
ଦୁରନ୍ତ ଚିନ୍ତାଭରେ ରାଣୀ । ପଡିଲା ମୃତ୍ୟୁ-ଶବ ଜାଣି ॥ ୧୮୭
ଅତି ବିଚ୍ଛେଦ ମନଦୁଃଖେ । ବଚନ ନ ସ୍ପୁରେ ତା ମୁଖେ ॥ ୧୮୮
ଯୂଥ-କୁରଙ୍ଗୀ ସଙ୍ଗ ହୀନେ । ଏକାକୀ ଭାଳଇ ଯେସନେ ॥ ୧୮୯
ତେସନେ ରାଣୀ ଛନ୍ନ ହୋଇ । ଦୁଃଖେ ସେ ରୋଦନ କରଇ ॥ ୧୯୦
ନିକଟେ ଜ୍ଞାତି-ବନ୍ଧୂଜନ । ନ ଦେଖି ଅତି ଭୟେ ଛନ୍ନ ॥ ୧୯୧
ରୋଦଇ ବିଚିତ୍ର-ବିଳାପେ । ସେ ଘୋର ବନେ ମନ୍ତସ୍ତାପେ ॥ ୧୯୨
ଉଠ ହେ ନୃପତି କେଶରୀ । ଏ ଘୋରନିଦ୍ରା ପରିହରି ॥ ୧୯୩
କ୍ଷତ୍ରିୟ-ଧର୍ମ ଏ ନୁହଁଇ । ଶତ୍ରୁ ହସିବେ ନିନ୍ଦା ବହି ॥ ୧୯୪
ଏ ଯେ ଦୁର୍ଜୟ ଶୋକ ମୋର । ଭୋ ନାଥ ବେଗେ ପରିହର ॥ ୧୯୫
ଶୋକେ ଅଜ୍ଞାନ ମନତାପେ । ସେ ଅତି ରୋଦଇଁ ଦୁରାପେ ॥ ୧୯୬
ଉଦଧି-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ॥ ୧୯୭
ପ୍ରଜାଏ ହୋଇବେ ନିରେଖ । ଆଶ୍ରୟ ନ ପାଇଁ ବିମୁଖ ॥ ୧୯୮
ରାଜତ୍ୱ-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ॥ ୧୯୯
ଏମନ୍ତେ ଅତି ମନସ୍ତାପେ । କହେ ବିଭ୍ରମେ ସେ ବିଳାପେ ॥ ୨୦୦
ମୁଁ ଏବେ କେମନ୍ତେ ବଞ୍ଚିବି । କାହାର ଚରଣେ ସେବିବି ॥ ୨୦୧
ତୋ ମୁଖ-କମଳ ଅଭାବେ । ମୋ ପ୍ରାଣ ରହେ କିମ୍ପା ହୃଦେ ॥ ୨୦୨
ଏ ମୂଖ-ଦାରୁଣ-ଜୀବନ । ନ ଯାଇ ରହିଛି ଅଜ୍ଞାନ ॥ ୨୦୩
ତା ଅଶ୍ରୁ ଉଦକ ନିର୍ଝରେ । ନୟନୁ ପଡଇ ଭୂମିରେ ॥ ୨୦୪
ହିମାଦ୍ରି-ଶିଖେ ଚନ୍ଦ୍ର ଯେହ୍ନେ । ତା ମୁଖପଙ୍କଜ ତେସନେ ॥ ୨୦୫
କୁଚ-ଅମ୍ବର ଧୌତ କରି । ଯେହ୍ନେ ସ୍ରବିତ ସୁରବାରି ॥ ୨୦୬
ଏରୂପେ ଚିନ୍ତାର୍ଣ୍ଣବ-ଘୋରେ । ସେ ରାଣୀ ବୁଡିଲା ନିର୍ଭରେ ॥ ୨୦୭
ଏମନ୍ତେ ପତିପାଦେ ପଡି । ରୋଦଇ ଶିରେ କର ତାଡି ॥ ୨୦୮
ସେ ରାଣୀ କରନ୍ତେ ରୋଦନ । ବେଳ ହୋଇଲା ଅବସାନ ॥ ୨୦୯
ଏ ବନ-ଘୋରେ ସଙ୍ଗ ନାହି । ରୋଦନ କାଳଏ ନୁହଁଇ ॥ ୨୧୦
ସତ୍ୱରେ ଉଠିଣ ତରୁଣୀ । ଶୁଷ୍କ ଇନ୍ଧନ ବେଗେ ଆଣି ॥ ୨୧୧
ଚିତା ସଂଯୋଗି ବେଗବନ୍ତେ । ସେ ବନେ ନିର୍ଜନେ ଏକାନ୍ତେ ॥ ୨୧୨
ସ୍ୱାମୀଙ୍କି ତହିଁ ନିବେଶିଲା । ବିଧାନେ ମୁଖାଗ୍ନି ସେ ଦେଲା ॥ ୨୧୩
ଅନୁଗମନେ ଯିବା ପାଇଁ । ବସିଲା ସ୍ୱାମୀ-ପଦ ଧ୍ୟାୟି ॥ ୨୧୪
ଅନଳ ପ୍ରଦକ୍ଷିଣ କଲେ । ସ୍ୱାମୀ ସଙ୍ଗତେ ଯିବା ବେଳେ ॥ ୨୧୫
ଅଦଘଭୁତେ ବ୍ରାହ୍ମଣ ମିଳିଲେ । ସେ ତାର ପୂର୍ବେ ସଖା ଥିଲେ ॥ ୨୧୬
ସେ ବିପ୍ର ରାଣୀ ହସ୍ତ ଧରି । କହେ ପ୍ରବୋଧି ଶାନ୍ତ କରି ॥ ୨୧୭

ବ୍ରାହ୍ମଣ ଉବାଚ

ଶୁଣ ସୁନ୍ଦରି ମନୋହାରୀ । କେ ତୁମ୍ଭେ ଅଟ କାହା ନାରୀ ॥ ୨୧୮
ଏ କେ ଶୟନେ ତୋର କତି । କା ପାଇଁ ବିଳପୁ ଯୁବତୀ ॥ ୨୧୯
ସୁମରି କାନ୍ଦୁଯାର ପାଇଁ । ଏ ତୋର ଦୁଃଖ ନ ଘେନଇ ॥ ୨୨୦
ତୁ ଯେ ବିଳପୁ ଅବିଚାରେ । ଏ ତୋର ସ୍ନେହ ଛାଡି ଦୂରେ ॥ ୨୨୧
ଗମିଲା ନିଜ କର୍ମବଳେ । ତୋତେ ନିବେଶି ଶୋକାନଳେ ॥ ୨୨୨
ତୁ ତାହା ନ ବୁଝୁ ସୁନ୍ଦରୀ । ବିଅର୍ଥେ ମରୁ ଶୋକ କରି ॥ ୨୨୩
ଯେ ପତି ହୋଇଥିଲା ତୋର । ସେ ଜୀବଆତ୍ମାଟି ମୋହର ॥ ୨୨୪
ଯେଣୁ ତୁ ଆତ୍ମା ନ ଚିହ୍ନିଲୁ । ଏଣୁ ଅଜ୍ଞାନେ ମିମଜ୍ଜିଲୁ ॥ ୨୨୫
ମୁଁ ପୂର୍ବସଖାଟି ତୋହର । ତୁ ପ୍ରାଣସଖୀ ଅଟୁ ମୋର ॥ ୨୨୬
ଆପଣା ସଖା ନ ଚିହ୍ନିଲୁ । ଏ ମାୟା ମୋହେ ନିମଜ୍ଜିଲୁ ॥ ୨୨୭
ତୁ ମୋତେ ଛାଡି ଏକା କରି । ଅଇଲୁ ମୃତ୍ୟୁଭୟ-ପୁରୀ ॥ ୨୨୮
ଏ ଭୂମି ବଇଭୋଗ କଲୁ । ମୋ ସଙ୍ଗ ଏ ରସୁ ତେଜିଲୁ ॥ ୨୨୯
ତୁ ଆମ୍ଭେ ଏକ ବେନିଅଂଶ । ଏ ମାନସରୋବରେ ବାସ ॥ ୨୩୦
ଏ ବେନିଅଂଶ ହଂସ ହୋଇ । ସେ ଗୃହ ଛାଡି ଯେ ନ ଯାଇ ॥ ୨୩୧
ସହସ୍ରେ ଯୁଗ ପରିଯନ୍ତେ । ମାନସେ ରହିଲୁ ଏକାନ୍ତେ ॥ ୨୩୨
ତୁ ମୋତେ ଛାଡିଣ ସେଠାରେ । ଅଇଲୁ ଏ ମହୀ ଭୋଗରେ ॥ ୨୩୩
ପ୍ରବେଶି ଏ ମର୍ତ୍ତ୍ୟମଣ୍ତଳ । ଏଥି ଦେଖିଲୁ ଦିବ୍ୟସ୍ଥଳ ॥ ୨୩୪
ସେ ପୁରେ ଏକ ନାରୀ ଥିଲା । ସେ ତୋର ମନ ବନ୍ଦୀ କଲା ॥ ୨୩୫
ତା ବଶେ ନୋହେ ତୋ ଆୟତ୍ତ । ମିଥ୍ୟାଭିଲାଷେ ମୋହ ଚିତ୍ତ ॥ ୨୩୬
ସେ ନଗ୍ରେ ପଞ୍ଚ-ଉପବନ । ନବ-ଦୁଆରେ ଶୋଭାବନ ॥ ୨୩୭
ସେ ନବଦ୍ୱାରେ ନିରୁପମ । ଦେବ-ମାନବେ ମନୋରମ ॥ ୨୩୮
ରକ୍ଷଣେ ଏ ଦ୍ୱାରପାଳ । ସେ ତ୍ରୟ କୋଠାରେ ବିସ୍ତାର ॥ ୨୩୯
ଅପରେ ଅଛି କୁଳ ଷଟ । ବସାଇ ଭଲେ ପଞ୍ଚ ହାଟ ॥ ୨୪୦
ପଞ୍ଚ ଯେ ପ୍ରକାରେ ପ୍ରକୃତି । ଏକଇ ନାରୀ ରୂପବତୀ ॥ ୨୪୧
ଏ ପଞ୍ଚଇନ୍ଦ୍ରିଙ୍କ ବିଷୟ । ଆରାମ ତହିଁରେ ନିଶ୍ଚୟ ॥ ୨୪୨
ଏକଇ ପ୍ରାଣ ତହିଁ ଦ୍ୱାରୀ । ସେ ନବଦ୍ୱାର ରକ୍ଷାକାରୀ ॥ ୨୪୩
ପୃଥିବୀ ଆପ ତେଜ ମାନ । ଏକା ସେ ତାହାର ସଦନ ॥ ୨୪୪
ଜ୍ଞାନ ଇନ୍ଦ୍ରିୟ ପାଞ୍ଚମନ । ତହିଁରେ ଷଟକୁଳ ଜାଣ ॥ ୨୪୫
ଏ କ୍ରିୟାଶକ୍ତି ତହିଁ ହାଟ । ପଞ୍ଚ ବିଷୟ ତହିଁ ବାଟ ॥ ୨୪୬
ପ୍ରକୃତି ପଞ୍ଚବିଂଶ ଗୁଣ । ଏ ରୂପେ ସେ ହାଟ ଭିଆଣ ॥ ୨୪୭
ଏ ପାପ-ପୁଣ୍ୟ କର୍ମ ଦୁଇ । କ୍ରୟ ବିକ୍ରୟ ତହିଁ ହୋଇ ॥ ୨୪୮
ଏ ସଙ୍ଗେ ମନ ସଞ୍ଚରଇ । ସୁକର୍ମ ବିକର୍ମ ଚଳଇ ॥ ୨୪୯
ସେ ହାଟେଶ୍ୱରୀ ବୁଦ୍ଧି ଥିଲା । ସେ ତୋର ମନ ବନ୍ଦୀ କଲା ॥ ୨୫୦
ତୁ ଭୋଗ କଲୁ ତାକୁ ତହିଁ । ମୋତେ ତୁ ସମ୍ପାଦିଲୁ ନାହିଁ ॥ ୨୫୧
ଏକାନ୍ତେ ନାରୀସଙ୍ଗ କଲୁ । ଏ ପାପଦଶା ତୁ ଲଭିଲୁ ॥ ୨୫୨
ନୋହୁ ତୁ ବିଦର୍ଭ ଦୁହିତ । ଏ ବୀର ନୋହେ ତୋର କାନ୍ତ ॥ ୨୫୩
ନୋହୁ ତୁ ବିଦର୍ଭ ଦୁହିତ । ଯା ଲାଗି ତୋର ଏ ଦୁର୍ଗତି ॥ ୨୫୪
ମୁଁ କରି ଅଛି ଏହୁ ମାୟା । ପୁରୁଷ-ପ୍ରକୃତିରେ କାୟା ॥ ୨୫୫
ଛାଡ ଏ ମାୟା-ମୋହ ମତି । ଆମ୍ଭେ ବେନି ହଂସ ସଙ୍ଗତି ॥ ୨୫୬
ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ । ଏ ବେନି ଏକ କରି ଚିହ୍ନ ॥ ୨୫୭
ଯେବା ପଣ୍ତିତ ଜ୍ଞାନମତି । ଏ ବେନି ଭେଦ ନ କରନ୍ତି ॥ ୨୫୮
ଅଜ୍ଞାନେ ଜ୍ଞାନ ଧର୍ମଭେଦ । ଅବିଦ୍ୟା ବିଦ୍ୟାର ଏ ଖେଦ ॥ ୨୫୯
ଯେହ୍ନେ ମୁକୁରେ ଦେଖେ ଦେହୀ । ଏକଇ ଅଙ୍ଗ ଭିଶେ ଦୁଇ ॥ ୨୬୦
ମୁକୁର ନ ଥିଲେ ନ ଦିଶେ । ଏମନ୍ତ ଏ ଭେଦ ବିଶେଷେ ॥ ୨୬୧
ନାରଦ କହନ୍ତି ସଦୟେ । ଶୁଣ ପ୍ରାଚୀନ ନୃପରାୟେ ॥ ୨୬୨
ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନ । କହିଲୁ ପରୋକ୍ଷ ବାଦେଣ ॥ ୨୬୩
ପରୋକ୍ଷବାଦ ପ୍ରିୟ ହରି । ଏଣୁ ଯେ କହିଲୁ ବିସ୍ତାରି ॥ ୨୬୪
ଚତୁର୍ଥ ସ୍କନ୍ଧେ ଭାଗବତ । ଏ ପୁରଞ୍ଜନ ଚରିତ ॥ ୨୬୫
ଏ ଅଷ୍ଟବିଂଶତି ଅଧ୍ୟାରେ । ପ୍ରାକୃତଭାଷା ଏ ପ୍ରକାରେ ॥ ୨୬୬
ଏହା ଶ୍ରବଣେ ପ୍ରାଣୀଙ୍କର । ଖଣ୍ତିବ ବହୁ ଦୁଃଖ ଘୋର ॥ ୨୬୭
ସନ୍ଥ ଚରଣେ ଦେଇ ଚିତ୍ତ । ବର୍ଣ୍ଣଇ ବିପ୍ର ଜଗନ୍ନାଥ ॥ ୨୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ଅଷ୍ଟାବିଂଶୋଽଧ୍ୟାୟଃ ॥

ଊନତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ସେ ଯେ ପ୍ରାଚୀନନୃପବର । ନାରଦ ପାଦେ ଦେଇ ଶିର ॥ ୧
କହଇ ଅତି ହରଷରେ । ସେ ମୁନି ବ୍ରହ୍ମାର କୁମରେ ॥ ୨

ପ୍ରାଚୀନବର୍ହି ଉବାଚ

ଭୋ ମୁନି ତୁମ୍ଭେ ଜ୍ଞାନପାର । କହିଲ ଅଧ୍ୟାତ୍ମ ବିଚାର ॥ ୩
ତୁମ୍ଭେ ଯେ ପରୋକ୍ଷବାଦେଣ । କହିଲ ଯେ ସାଂଖ୍ୟ କାରଣ ॥ ୪
ମୁଁ ହେଜି ନ ପାରିଲି ଚିତ୍ତେ । ଛେଦି ସଂଶୟ କହ ମୋତେ ॥ ୫
ଯେ ମାର୍ଗେ ବୁଝିବଇଁମୁହିଁ । ସେ ମାର୍ଗେ କହିବା ଗୋସାଇଁ ॥ ୬
ଯେବା ପଣ୍ତିତ ଦୃଢମତି । ଏ ଅନୁଭବ ସେ ଜାଣନ୍ତି ॥ ୭
ଆମ୍ଭର ଏଣେ ନାହିଁ ଜ୍ଞାନ । ବିଷୟ-ଜଡେ ମନ ଛନ୍ନ ॥ ୮
ଏଣୁ ନଧରେ ଜ୍ଞାନେ ରତି । ବିବେକ ନୋହେ ଆମ୍ଭ ମତି ॥ ୯
ଭୋମୁନି ଫେଡ ପୁଣ ତାହା । ମୋ ଅର୍ଥେ କହ ପୁଣ୍ୟଦେହା ॥ ୧୦
ସେ ପୁରଜ୍ଞନର ବିଚାର । ଶ୍ରବଣେ ଜ୍ଞାନ ହେବ ମୋର ॥ ୧୧
ଶୁଣି ନାରଦ ମହାଋଷି । ତା ଭାବେ କହନ୍ତି ବିଶେଷି ॥ ୧୨

ନାରଦ ଉବାଚ

ଶୁଣ ରାଜନ ସାବଧାନ । କହିବା ପରୋକ୍ଷ ଯେ ଜ୍ଞାନ ॥ ୧୩
ପୁରୁଷ ପୁରଞ୍ଜନ ଯେହି । କର୍ମରୁ ପୁର କଲା ସେହି ॥ ୧୪
କେ ଏକ ତ୍ରୟ ବେନିପାଦ । ବହୁ ଚତ୍ୱାର କେ ନିଷ୍ପାଦ ॥ ୧୫
ଏମନ୍ତେ ନାନ ପୁର କରି । ଏ ଜୀବ ତା ମଧ୍ୟେ ବିହରି ॥ ୧୬
ଅଜ୍ଞାତ-ସଖା ଯାକୁ କହି । ଈଶ୍ୱର ନାମ ଅଟେ ସେହି ॥ ୧୭
ସେ ନାମ-ରୂପରୁ ବାହାର । ଏଣୁ ଅଜ୍ଞାତ ନାମ ତାର ॥ ୧୮
ସମଗ୍ର ପ୍ରକୃତି ଗୁଣକୁ । ପୁରୁଷ ଇଚ୍ଛିଲେ ଭୋଗକୁ ॥ ୧୯
ତେବେ ଏ ପୁର ନବଦ୍ୱାରେ । ରଚନା କରେ ସେ ବେଭାରେ ॥ ୨୦
ଯେ ପୁରେ ହସ୍ତପଦ ଘେନି । କରଇ କର୍ମ ଲାଭହାନି ॥ ୨୧
ସେ ପୁରେ ଥାଇ କରେ ଭୋଗ । ମାୟା ନିର୍ବନ୍ଧେ ଅନୁରାଗ ॥ ୨୨
ଏ ପୁରୁ ଅନ୍ୟ ପୁର ଯେହି । ଭୋଗ ସୁଖାଦି ନୋହେ ତହିଁ ॥ ୨୩
ଏ ଯେ ମାନବ କଳେବର । ଅଶେଷ ଦେହ ମଧ୍ୟେ ସାର ॥ ୨୪
ସେ ପୁର ମଧ୍ୟେ ଜୀବ ରହି । ଇନ୍ଦ୍ରି-ବିଷୟ ରସେ ମୋହି ॥ ୨୫
ବିବିଧ ସୁଖ ଭୋଗ ସାର । ଜୀବ ଭୁଞ୍ଜଇ ଏ ମନ୍ଦିର ॥ ୨୬
ସେ ପୁର ମଧ୍ୟେ ବୁଦ୍ଧି ନାରୀ । ଏକା ସେ ସର୍ବତ୍ର ବିହରି ॥ ୨୭
ସେ ଯେ ମମତ୍ତ୍ୱେ ହୋଏ ଛନ୍ନ । ବୋଲଇ ଏ ମୋର ସଦନ ॥ ୨୮
ସେ ନାରୀ ବଶେ ଜୀବ ଥାଇ । ଇନ୍ଦ୍ରିୟ ଭୋଗେ ତୋଷ ହୋଇ ॥ ୨୯
ଇନ୍ଦ୍ରିୟଗଣ ବୁଦ୍ଧି ସଖା । ବିଷୟ ମାନେ ସଖୀ ଲେଖା ॥ ୩୦
ଯେ ଜ୍ଞାନ କର୍ମେନ୍ଦ୍ରିୟ ଗଣେ । ପୁରୁଷେ ଭୋଗ-ବିଷେ ଟାଣେ ॥ ୩୧
ଏ ଜ୍ଞାନ-କର୍ମ-ଇନ୍ଦ୍ରିଦଶ । ଏହାଙ୍କ ଭୋଗେ ଜୀବ ବଶ ॥ ୩୨
ଏ ପାପ ପୁଣ୍ୟ ଆଦି କରି । ବଳେ ଭୁଜ୍ଞଇ କର୍ମ ଧରି ॥ ୩୩
ଏ ପୁର ଦ୍ୱାରୀ ସର୍ପ ଯେହି । ଏ ଦେହେ ପ୍ରାଣ ଅଟେ ସେହି ॥ ୩୪
ସେ ପଞ୍ଚବୃତ୍ତିରେ ସଞ୍ଚାର । ଏଣୁ କହିଲୁଁ ପଞ୍ଚଶିର ॥ ୩୫
ପଞ୍ଚମସ୍ତକ ଏଣୁ ତାର । କହିଲୁ ତେଣୁ ନୃପବର ॥ ୩୬
ମହତ ଭଟ୍ଟ ଯାହା କହି । ମନର ନାମ ଅଟେ ସେହି ॥ ୩୭
ସେ ଦଶଇନ୍ଦ୍ରିଙ୍କ ନାୟକ । ତାକୁ ଜିଣନ୍ତା ନାହିଁ ଲୋକ ॥ ୩୮
ତାକୁ ଜିଣଇ ଯେବେ ଜନ । ସେ ଯୋଗୀ ଏ ତିନି ଭୁବନ ॥ ୩୯
ଉତ୍ତର ଦକ୍ଷିଣ ଯା କହି । ରାଜା ପଞ୍ଚାଳ ଦେଶ ସେହି ॥ ୪୦
ଏ ପଞ୍ଚବିଷୟର ଆଳ । ଏହା ତୁ ବୁଝ ମହୀପାଳ ॥ ୪୧
ଇନ୍ଦ୍ରିୟ ଛିଦ୍ର ଯେତେ କହି । ଏ ପୁରେ ନବଦ୍ୱାର ସେହି ॥ ୪୨
ଏ ବେନି ଚକ୍ଷୁ ନାସା କର୍ଣ୍ଣେ । ଯେ ମୁଖ ଗୁହ୍ୟ ଲିଙ୍ଗ ସ୍ଥାନ ॥ ୪୩
ଏହାକୁ ନବଦ୍ୱାର କହି । ଇନ୍ଦ୍ରିୟଗଣ ସ୍ଥାନ ଏହି ॥ ୪୪
ଏ ସଙ୍ଗେ ଜୀବର ଗମନ । ବିଷୟ କରେ ଆସ୍ୱାଦନ ॥ ୪୫
ନୟନ ମୁଖ ନାସା ତାର । ଏ ପୂର୍ବ ଦିଗ ପଞ୍ଚଦ୍ୱାର ॥ ୪୬
ଉତ୍ତର ଦକ୍ଷିଣ ଯା କହି । ଏ ବେନି କର୍ଣ୍ଣଦ୍ୱାର ସେହି ॥ ୪୭
ପଶ୍ଚିମ ଦିଗେ ବେନି ଦ୍ୱାର । ଏ ଲିଙ୍ଗ ଗୃହ୍ୟ ନୃପବର ॥ ୪୮
ଏ ନବଦ୍ୱାରେଣ ନିର୍ମିତ । ଯେଝା ବିଷୟେ ଆସ୍ୱାଦିତ ॥ ୪୯
ସେବନ୍ତି ଆତ୍ମାରେ ବିହରି । ଏକ ଆରେକ ଆଗସରି ॥ ୫୦
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଚକ୍ଷୁର ନାମ ଏ ବୋଲାଇ ॥ ୫୧
ଏ ବେନିଦ୍ୱାରେ ପୁରଞ୍ଜନ । କରଇ ରୂପ ସମ୍ପାଦନ ॥ ୫୨
ନଳିନୀ ନାଳିନୀ ଯେ ଦୁଇ । ନାସିକା ନାମ ସେ ଅଟଇ ॥ ୫୩
ଏ ଦ୍ୱାରେ ଅବଧୂତ ନାମ । ଗନ୍ଧାଦି ଆମୋଦ ପବନ ॥ ୫୪
ସୁଗନ୍ଧ ଦୁର୍ଗନ୍ଧ ସହିତେ । ଏ ଦ୍ୱାରେ ଘେନଇ ନିରତେ ॥ ୫୫
ବଦନ ନାମେ ମୁଖ୍ୟ ଦ୍ୱାର । ରସଜ୍ଞ ବାକ୍ୟ ତା ମଧୁର ॥ ୫୬
ସ୍ୱାଦୁ ଅସ୍ୱାଦୁ ଦ୍ରବ୍ୟ ଯେତେ । ଏ ଦ୍ୱାରେ ଆସ୍ୱାଦେ ନିରତେ ॥ ୫୭
ପିତୃହୂ ଦେବହୂ ଯେ ନାମ । ଏ ବେନି କର୍ଣ୍ଣ ଦକ୍ଷ ବାମ ॥ ୫୮
ପିତୃହୂ ଦକ୍ଷିଣ ଅଟଇ । ଦେହହୂ ବାମେଣ ବସଇ ॥ ୫୯
ଏ ବେନି ଇନ୍ଦ୍ରିୟେ ରାଜନ । ବାକ୍ୟାଦି ରସ ଆସ୍ୱାଦନ ॥ ୬୦
ଏ ସାରାସାର ଭାବ ଯେତେ । ଏ ଦ୍ୱାରେ ଘେନଇ ନିରତେ ॥ ୬୧
ଏ ଶ୍ରୁତିଯୁଗେ ପୁରଞ୍ଜନ । କରଇ ଶବ୍ଦ ଆସ୍ୱାଦନ ॥ ୬୨
ନିନ୍ଦା ସ୍ତବନ ବାକ୍ୟ ଯେତେ । ଏ ଦ୍ୱାରେ ଘେନନ୍ତି ଏ ନିତ୍ୟେ ॥ ୬୩
ପ୍ରବୃତ୍ତି ନିବୃତ୍ତି ଏ ଦୁଇ । ଶାସ୍ତ୍ର ପାଞ୍ଚାଳ ବୋଲି କହି ॥ ୬୪
ଏ ପିତୃଯାନ ଦେବଯାନ । ଗତିରେ କରନ୍ତି ଗମନ ॥ ୬୫
ଏ ମାର୍ଗେ ଥାନ୍ତି ନିରନ୍ତର । ସେ ଇଚ୍ଛା ସୁଖେ ନୃପବର ॥ ୬୬
ଆସୁରୀ ଦ୍ୱାର ଲିଙ୍ଗସ୍ଥାନ । ଦୁର୍ମଦ ଉପସ୍ଥର ନାମ ॥ ୬୭
ବ୍ୟାବାୟ ନାମ ରତି କହି । ପ୍ରଜା ସର୍ଜନ କରେ ତହିଁ ॥ ୬୮
ତା ଅଧୋଭାଗେ ଗୃହ୍ୟଦ୍ୱାର । ନିଋତି ନାମଟି ତାହାର ॥ ୬୯
ବୈଶସ ନାମ ନର୍କ କହି । ସେ ଦ୍ୱାରେ ମଳ ଉତ୍ସର୍ଗଇ ॥ ୭୦
ଅନ୍ଧ ବୋଲି ବୋଇଲୁ ଯାହା । ଏ ପାଣିପାଦ ବୋଲି ତାହା ॥ ୭୧
ଏ ବେନି ଇନ୍ଦି୍ରଙ୍କ ବିଷୟ । କହିବା ଶୁଣ ତା ନିର୍ଣ୍ଣୟ ॥ ୭୨
ଆଦାନ ପ୍ରଦାନ ସେ କରେ । ଯେଝା ବିଷୟ ଅଧିକାରେ ॥ ୭୩
ଦ୍ୱିତୀୟ ଅନ୍ଧ ଯେ ପୟର । କହିବା ଏଥିର ବିଚାର ॥ ୭୪
ଏ ଇନ୍ଦ୍ରି ଯୋଗେ ପୁରଞ୍ଜନ । କାମାର୍ଥେ କରଇ ଗମନ ॥ ୭୫
ଅନ୍ତର ପୁର ବୋଲି ଯାହା । ହୃଦୟପଦ୍ମ କେହି ତାହା ॥ ୭୬
ବିଷୂଚି ନାମଟି ଯାହାର । ଏ ମନ ନାମ ନୃପବର ॥ ୭୭
ତା ବଶେ ଥାଇଣ ପୁରୁଷ । ଭଜଇ ହରଷ ବିରସ ॥ ୭୮
ଏ ଜୀବ ପ୍ରକାଶ୍ୟେ ଚଳଇ । ବୁଦ୍ଧି ଯହିଁକି ପ୍ରବର୍ତ୍ତାଇ ॥ ୭୯
ତା ବଶେ ପୁରୁଷ ଅଧୀନ । କରଇ ନାନା କର୍ମମାନ ॥ ୮୦
ଏ ଦେହ ରଥ ସ୍ୱରୂପେଣ । ତୋତେ କହିଛି ନୃପରାଣ ॥ ୮୧
ଏ ରଥେ ଅଶ୍ୱରୂପ ହୋଇ । ଇନ୍ଦ୍ରିୟଗଣେ ଛନ୍ତି ରହି ॥ ୮୨
ପଞ୍ଚ ବିଷୟ ମାର୍ଗେ ହୟେ । ଗମନ୍ତି ସମ୍ବତ୍ସର ଯାଏ ॥ ୮୩
ଈଶ୍ୱର ଆଜ୍ଞାରେ ନିର୍ମିତ । ଏ ରଥେ ସକଳ ସଂଯୁତ ॥ ୮୪
ଏ ରଥେ ପୁଣ୍ୟ ପାପ ଦୁଇ । ସେ ଚକ୍ର ରୂପେ ତହିଁ ରହି ॥ ୮୫
ଧ୍ୱଜ ସ୍ୱରୂପେ ତିନିଗୁଣ । ରଥ ବନ୍ଧନ ପଞ୍ଚପ୍ରାଣ ॥ ୮୬
ବୁଦ୍ଧି ସାରଥି ରୂପେ ରହି । ଏ ମନ ରଶ୍ମି ଅଟେ ତହିଁ ॥ ୮୭
ହୃଦୟ ପଙ୍କଜରେ ରଥୀ । ବସିବା ଆସନ ତା ତଥି ॥ ୮୮
ରଥ କୂବର ଦ୍ୱନ୍ଦ୍ୱ ଭାର । ଇନ୍ଦ୍ରି ବିଷୟ ତହିଁ ଶର ॥ ୮୯
ସପତ ଧାତୁ ଆବରଣ । ତାର ବିକ୍ରମ ମୂର୍ତ୍ତ ଜାଣ ॥ ୯୦
ଇନ୍ଦ୍ରିୟ ରସେ ରସୁଥାଇ । ସେ ମୃଗତୃଷ୍ଣାରେ ଧାମଇଁ ॥ ୯୧
ଯେ ଯାହା ବିଷୟେ ରସିଣ । ଆସ୍ୱାଦ କରି ଅନୁକ୍ଷଣ ॥ ୯୨
ଧନ୍ୟ ଯେ କର୍ମ ଏହାଙ୍କର । ଦୁର୍ଜୟ ଦୁଷ୍ଟ ଦୁରାଚାର ॥ ୯୩
ଏ ଜୀବ ଭୁଞ୍ଜେ ଇନ୍ଦ୍ରି ମୁଖେ । ଅଜ୍ଞାନ ମତି ମୋହ ଦୁଃଖେ ॥ ୯୪
ମୃଗତୃଷ୍ଣାରେ ଜଳ କରି । ଭୁଞ୍ଜଇ ମାୟା ମିଥ୍ୟା ଭରି ॥ ୯୫
କାଳର ଗତି ନ ଜାଣଇ । ଏ ମାୟାଭୋଗେ ମତ୍ତ ହୋଇ ॥ ୯୬
ଇନ୍ଦ୍ରିଙ୍କ ଅନ୍ୟାୟ ବିଷୟେ । ଭୁଞ୍ଜଇ ମୃଗୟାର ପ୍ରାୟେ ॥ ୯୭
ନିରତେ ହରେ ନିଜ ପ୍ରାଣ । ନ ଜାଣେ ଏ ମୂଢ଼ ଅଜ୍ଞାନ ॥ ୯୮
ଏ ସମ୍ବତ୍ସର ରୂପେ କାଳ । ଚଣ୍ତବେଗ ନାମେ ଭୂପାଳ ॥ ୯୯
ଗନ୍ଧ ଗନ୍ଧର୍ବୀ ଦିବା ନିଶି । ତ୍ରିଶତ-ଷାଠିଏ ପ୍ରକାଶି ॥ ୧୦୦
ଏ ସର୍ବେ କାଳ ସଙ୍ଗେ ଥାନ୍ତି । ଜୀବର ଆୟୁଷ ହରନ୍ତି ॥ ୧୦୧
କାଳ ଦୂହିତା ଯାକୁ କହି । ଜାରର ନାମ ଅଟେ ସେହି ॥ ୧୦୨
ସେ ପ୍ରାଣୀ ରୂପ କାନ୍ତି ହରେ । ଦେଖିଲେ ପ୍ରାଣୀ ତାକୁ ଡରେ ॥ ୧୦୩
ଏଣୁ ତାହାକୁ ପ୍ରାଣୀ ଭଲେ । ବରଣେ କେହି ନ ଇଚ୍ଛଲେ ॥ ୧୦୪
ସେ ମୃତ୍ୟୁ ତାରେ ଭଗ୍ନୀ ପ୍ରାୟେ । ସ୍ନେହେ ଆବୋରି ନିତ୍ୟେ ରହେ ॥ ୧୦୫
ସେ ପ୍ରାଣୀଙ୍କର ରୂପ ହରେ । ମୃତ୍ୟୁର ପର୍ଯ୍ୟନ୍ତ ପୀଡା କରେ ॥ ୧୦୬
ଯବନ ଅଧିପତି ଯେହି । ମୃତ୍ୟୁର ନାମ ଅଟେ ସେହି ॥ ୧୦୭
ଏ ମୃତ୍ୟୁ ଯମ ରୂପ ଧରି । ଜୀବ ବିନାଶେ ଅଧିକାରୀ ॥ ୧୦୮
ଯବନେ ତାର ସେନାପତି । ଏ ଆଧିବ୍ୟାଧି ଯେତେ ଛନ୍ତି ॥ ୧୦୯
ଏ ଜୀବ-ଶରୀରେ ପୀଡନ୍ତି । ଏଣୁ ଏ ମୃତ୍ୟୁର ସଙ୍ଗତି ॥ ୧୧୦
ପ୍ରଜ୍ୱାର ଆଦି ଯେତେ ଜ୍ୱର । ପ୍ରବେଶେ ନାଶନ୍ତି ଶରୀର ॥ ୧୧୧
ବିବିଧ ଦୁଃଖ ତାପତ୍ରୟେ । ପୀଡନ୍ତି ପ୍ରାଣ ଶେଷ ଯାଏ ॥ ୧୧୨
ଶତ ସମ୍ବତ୍ସର ପ୍ରମିତେ । ଶରୀରେ ଥାନ୍ତି ଅବିରତେ ॥ ୧୧୩
ପ୍ରାଣ ଇନ୍ଦ୍ରିୟ ମନ ଧର୍ମ । ନିର୍ଗୁଣ ଆତ୍ମାରେ ଅର୍ପିଣ ॥ ୧୧୪
ଏ କାମ ସୁଖ ଲବ ମାତ୍ରେ । ଭୁଞ୍ଜଇ ଦୁଃଖ ସୁଖ ଗାତ୍ରେ ॥ ୧୧୫
ଏ ମୋର ବୋଲି ଅହଙ୍କାର । ବହିଛି ଦୁଃଖ ନିରନ୍ତର ॥ ୧୧୬
ପରମଆତ୍ମା ଭଗବାନ । ସେ ସର୍ବହେତୁ ଚଇତନ ॥ ୧୧୭
ଯାବତ ତାଙ୍କୁ ନ ଜାଣଇ । ଏ ଜୀବ ଭ୍ରମେ ଭ୍ରମୁଥାଇ ॥ ୧୧୮
ତାବତ ପ୍ରକୃତି ଗୁଣରେ । ଏ ଜୀବ ପଡେ ମାୟା ଘୋରେ ॥ ୧୧୯
ଗୁଣାଭିମାନୀ ନିରନ୍ତରେ । ଅବଶେ କର୍ମରେ ସଞ୍ଚରେ ॥ ୧୨୦
ସାତ୍ତ୍ୱିକ ରଜ ତମ ଆଦି । କର୍ମେ ଯେ ହୋଏ ତ୍ରୟବିଧି ॥ ୧୨୧
ପୁରୁଷ ଯେ କର୍ମ କରଇ । ସେ ଅନୁସାରେ ଦେହ ବହି ॥ ୧୨୨
ସାତ୍ତ୍ୱିକ କର୍ମ ଯେବା କରେ । ଅଧିକ ପ୍ରକାଶ ଲୋକରେ ॥ ୧୨୩
ଏ ତିନିଲୋକେ ଯଶ ତାର । ଗାବନ୍ତି ଦେବାସୁର ନର ॥ ୧୨୪
ରାଜସ କର୍ମ ଯେ କରନ୍ତି । ଆଦ୍ୟରେ ସୁଖ ସେ ଲଭନ୍ତି ॥ ୧୨୫
ପଶ୍ଚାତେ ଲଭେ ବହୁ ଦୁଃଖ । ଏ ଭାବ ନ ଜାଣେ ମୂରୁଖ ॥ ୧୨୬
ତାମସ କର୍ମର ଯେ ଫଳ । ସେ ଶୋକ ଦୁଃଖ ମୋହ ଆଳ ॥ ୧୨୭
ଅଜ୍ଞାନ ଭାବେ ମୂଢଦେହୀ । ସ୍ୱକର୍ମବେଶ ଭ୍ରମୁ ଥାଇ ॥ ୧୨୮
କେବେ ପୁରୁଷ ନାରୀ ହୋଇ । ଏ ଚରାଚର ଭ୍ରମେ ସେହି ॥ ୧୨୯
ନପୁଂସ ଜନ୍ମ କେବେ ଧରେ । ଏ ରୂପେ କର୍ମ ଅନୁସାରେ ॥ ୧୩୦
କେବେ ବା ଦେବତନୁ ପାଇ । ମନୁଷ୍ୟ ଜନ୍ମ କେ ଲଭଇ ॥ ୧୩୧
ଖଗାଦି ପଶୁ ଚରାଚରେ । ସ୍ୱକର୍ମ ଭୁଞ୍ଜନ୍ତି ପାମରେ ॥ ୧୩୨
ପଶୁ ପତଙ୍ଗ କୀଟ ଯେବେ । ଏ ଯୋନି ଲଭେ କର୍ମଭାବେ ॥ ୧୩୩
ଭୁଞ୍ଜନ୍ତି ସ୍ୱକର୍ମ ଆବୋରି । ଏ ପାପ ପୁଣ୍ୟ ଆଦି କରି ॥ ୧୩୪
ଯେସନେ କ୍ଷୁଧାତୁର ହୋଇ । ବିକଳେ କୁକୁର ଭ୍ରମଇ ॥ ୧୩୫
ଆହାର ଅର୍ଥେ ନିରନ୍ତରେ । ଭ୍ରମୁଣ ଥାଇ ନାନା ପୁରେ ॥ ୧୩୬
କାହିଁ ବା ଆହାର ମିଳଇ । କାହିଁ ନିର୍ଘାତେ ଦଣ୍ତ ପାଇ ॥ ୧୩୭
କାହାରି ଚିତ୍ତେ ଦୟା ନାହିଁ । ପଥେ ଗମନ୍ତେ ପୀଡେ କେହି ॥ ୧୩୮
ସର୍ବେ ବୋଲନ୍ତି ମାର ମାର । ଦୁଷ୍ଟ ସଜ୍ଜନ ଆଦି ନର ॥ ୧୩୯
ତା ଭାବେ କର୍ମ ଶତ୍ରୁପଣେ । ନିରତେ ଦଣ୍ତେ ଅନୁକ୍ଷଣେ ॥ ୧୪୦
ପ୍ରାଭବ ଭର୍ତ୍ସନା ଅନେକ । ପାଇ ସେ ଭ୍ରମେ ଅତିରେକ ॥ ୧୪୧
ସେ ରୂପେ ଏ ଜୀବ ସଂଜାତ । ସ୍ୱକର୍ମବଳେ ଆତଜାତ ॥ ୧୪୨
ଏଣୁ ଏ କାମ ଆଶେ ମୋହି । ନିରତେ କର୍ମେ ଭ୍ରମେ ମହୀ ॥ ୧୪୩
କେବେ ବା ଉର୍ଦ୍ଧ୍ୱେ ଭୋଗକରେ । କେବେ ବା ଅଦୋ ମଧ୍ୟ ପୁରେ ॥ ୧୪୪
ଏମନ୍ତ ଉଚ୍ଚ-ନୀଚେ ଭ୍ରମି । କର୍ମ ଭୁଞ୍ଜଇ ଦୁଃଖେ ଶ୍ରମୀ ॥ ୧୪୫
ସ୍ୱବଶ ନୋହେ ପ୍ରିୟା-ପ୍ରିୟେ । କାହିଁବା ଦୁଃଖ-ସୁଖ ଭୟେ ॥ ୧୪୬
କାହିଁ ଦଣ୍ତାଦି ପରାଭବ । କାହିଁ ଐଶ୍ୱର୍ଯ୍ୟ ବଇଭୋଗ ॥ ୧୪୭
ଏ ଦୁଃଖ-ସୁଖାଦି ସହିତେ । ଆତ୍ମା ବନ୍ଧନ ଏ ସଙ୍ଗତେ ॥ ୧୪୮
ଏଣେ ତା ନୋହେ ପ୍ରତିକାର । ଦୁଃସହ ଦୁଃଖ ମହାଘୋର ॥ ୧୪୯
ଯାବତ ତାପତ୍ରୟ ଅଛି । ତାବତ ସୁଖ ନାହିଁ କିଛି ॥ ୧୫୦
ଯେବେ ପ୍ରତିକାର ଇଚ୍ଛଇ । ଅତି ଦୁଃଖରେ ଦୁଃଖୀ ହୋଇ ॥ ୧୫୧
ଯେସନେ ପ୍ରାଣୀ ଶିରଭାର । ଉଶ୍ୱାସି ରଖଇ କନ୍ଧର ॥ ୧୫୨
ସେ କି ତାହାର ଭାର ନୋହେ । ତେସନ ଦୁଃଖ ପ୍ରତି ଦେହେ ॥ ୧୫୩
କର୍ମର କର୍ମଟି କେବଳ । ନୋହେ ଏକାନ୍ତ ପ୍ରତିକାର ॥ ୧୫୪
ଅବିଦ୍ୟା ମାର୍ଗ କର୍ମ ଦୁଇ । କର୍ମେ କି କର୍ମ ନାଶ ହୋଇ ॥ ୧୫୫
ଯେସନେ ଶୟନେ ସ୍ୱପନ । ଦେଖଇ ବିବିଧ ବିଧାନ ॥ ୧୫୬
ପ୍ରତୀତ ହୋଏ ନିଦ୍ରାଗତେ । ଅସତ୍ୟ ମଣେ ତା ଜାଗ୍ରତେ ॥ ୧୫୭
ତେସନେ କର୍ମେ କର୍ମ ନାଶେ । ଧାମଇଁ ମିଥ୍ୟା ଅଭିଳାଷେ ॥ ୧୫୮
ଯାବତ ଆତ୍ମଜ୍ଞାନ ନାହିଁ । ସଂସାରେ ନିବୃତ୍ତି ତା କାହିଁ ॥ ୧୫୯
ଉପାଧି ବିଷୟକୁ ମନ । ବଳେ ଆଣଇ ସନ୍ନିଧାନ ॥ ୧୬୦
ସ୍ୱପନ ପ୍ରତ୍ୟକ୍ଷ ସେ କରେ । କୁମତି-ଜନ ଏ ସଂସାରେ ॥ ୧୬୧
ଅନର୍ଥ ହେତୁ ଏ ସଂସାରେ । ନିରତେ ଘୋର ଭୟଙ୍କର ॥ ୧୬୨
ନିରତେ ଗତାଗତେ ଭ୍ରମି । ଜନ୍ମ-ମରଣେ ପଥ ଶ୍ରମି ॥ ୧୬୩
ଏଣୁ ଜୀବର ପାର ନାହିଁ । ଏ ଚରାଚରେ ଭ୍ରମେ ମୋହି ॥ ୧୬୪
ପରମଗୁରୁ ଭଗବାନ । ତା ପାଦେ ଭକ୍ତି ଭାବେ ଧ୍ୟାନ ॥ ୧୬୫
ତେବେ ଏ ସଂସାର ବିନାଶ । ଏ ବିନେ ବନ୍ଦୀ ମୋହପାଶ ॥ ୧୬୬
ଯାବତ କୃଷ୍ଣ ନ ଭଜଇ । ତାବତ ଜୀବଗତି କାହିଁ ॥ ୧୬୭
ଯେବେ ଭକତି ଯୋଗେ ନର । ଭଜଇ ଗୋବିନ୍ଦ ପୟର ॥ ୧୬୮
ତେବେ ବୈରାଗ୍ୟ ଜ୍ଞାନ ଜାତ । ପ୍ରକାଶି ନାଶଇ ଦୁରିତ ॥ ୧୬୯
ସେ ଜ୍ଞାନେ କୃଷ୍ଣପାଦେ ମତି । ହରି ଭଜନେ ହୋଏ ରତି ॥ ୧୭୦
ଶ୍ରଦ୍ଧାନୁଭାବେ ଗୁଣ ଗାଇ । ରୋମ ପୁଲକେ ଅଶ୍ରୁବହି ॥ ୧୭୧
ଜ୍ଞାନ-ଭକତି-ଯୋଗାନଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୧୭୨
ତେବେ ସେ ଜ୍ଞାନଯୋଗେ ହରି । ଲଭଇ କର୍ମ ପରିହିର ॥ ୧୭୩
ଯେ ଭଗବତ ସାଧୁଜନେ । ବିଶ୍ରାମ କରନ୍ତି ଯେ ସ୍ଥାନେ ॥ ୧୭୪
କୃଷ୍ଣ ଚରିତ ଅନୁକ୍ଷଣେ । ଗାବନ୍ତି ଶୁଣନ୍ତି ଶ୍ରବଣେ ॥ ୧୭୫
ବିଷୟ ସୁଖ ଘେନନ୍ତି । ନିରତେ ନାମ ଆସ୍ୱାଦନ୍ତି ॥ ୧୭୬
ସେ ସ୍ଥାନେ ନାମ-ସୁଧା-ନଈ । ଶ୍ରବଣେ ସର୍ବଦିଗେ ଯାଇ ॥ ୧୭୭
ପବିତ୍ର କରେ ତ୍ରିଭୁବନ । ଶ୍ରୋତା ବକତା ଯେତେ ଜନ ॥ ୧୭୮
ଶ୍ରବଣେ ପଶି ପାପ ଦହେ । ଛାଡଇ ଜନ୍ମ ମୃତ୍ୟୁ ଭୟେ ॥ ୧୭୯
ଅନଳ ସ୍ପରଶେ ଯେସନ । ଦହଇ ସୂକ୍ଷ୍ମ-ବସ୍ତ୍ର-ମାନ ॥ ୧୮୦
ଯେ ଶ୍ରୁତିଦ୍ୱାରେ ତା ପିବନ୍ତି । ଏ ମାୟାବନ୍ଧୁ ନିସ୍ତରନ୍ତି ॥ ୧୮୧
ଏ ଶୋକ ମୋହ ପରିହରେ । ସ୍ୱଚ୍ଛନ୍ଦେ ଭବବନ୍ଧୁ ତରେ ॥ ୧୮୨
ଯେଣୁ ଅଜ୍ଞାନ ଶୋକ ମୋହେ । ବିବେକହୀନେ ଦୁଃଖ ସହେ ॥ ୧୮୩
ଏଣୁ ଶ୍ରୀକୃଷ୍ଣେ ନୋହେ ରତି । ତା ନାମେ ନ ବଳଇ ମତି ॥ ୧୮୪
ଭ୍ରମେ ଭ୍ରମଇ ତାର ମନ । ନୁହଇ ନିଜ ଆତ୍ମଜ୍ଞାନ ॥ ୧୮୫
କୃଷ୍ଣ ସ୍ମରଣ ନ ସ୍ଫୁରଇ । ଅଜ୍ଞାନ ଜଡଭାବେ ଥାଇ ॥ ୧୮୬
ଯାବତ ସାଧୁସଙ୍ଗ ତାର । ନୋହିଛି ଶୁଣ ନୃପବର ॥ ୧୮୭
ତାବତ ନୋହେ ସଦଗତି । ଯଜ୍ଞାଦି କର୍ମେ ନ ତରନ୍ତି ॥ ୧୮୮
ନିଶ୍ଚୟେ କହିଲୁ ରାଜନ । ସତ୍ସଙ୍ଗ ଭକ୍ତି ଉପାଦାନ ॥ ୧୮୯
କୃଷ୍ଣ ପ୍ରାପତ ମାର୍ଗ ଏହି । ଅନ୍ୟତ୍ର ଜୀବଗତି ନାହିଁ ॥ ୧୯୦
ଯେ ସଙ୍ଗୁ ଭବାର୍ଣ୍ଣବ ପାର । ଅଶେଷ ଯେ ମାର୍ଗେ ନିସ୍ତାର ॥ ୧୯୧
ବ୍ରହ୍ମା ଶଙ୍କର ଦକ୍ଷ ମନୁ । ବିଶୁଦ୍ଧ ସନକାଦି ତନୁ ॥ ୧୯୨
ମରୀଚି ଅତ୍ରି ଅଙ୍ଗିରସ । ପୁଲହ ପୁଲସ୍ତ୍ୟ ପ୍ରକାଶ ॥ ୧୯୩
କ୍ରତୁ ଅଗସ୍ତି ବଶିଷ୍ଠାଦି । ଅପରେ ଯେତେ ବ୍ରହ୍ମବାଦୀ ॥ ୧୯୪
ଭୃଗ୍ୱାଦି ଆମ୍ଭେ ଯେତେ ମୁନି । ଅଦ୍ୟାପି ନ ପାରିଲୁ ଚିହ୍ନି ॥ ୧୯୫
ଆମ୍ଭେ ସମାଧି ଯୋଗବଳେ । ଦେଖି ନ ଦେଖୁଁ ତାଙ୍କୁ ଡୋଳେ ॥ ୧୯୬
ସେ ଦେଖି ଦେଖାନ୍ତି ସର୍ବକୁ । ଦୃଷ୍ଟିର ଦୃଷ୍ଟି ବୋଲି ତାଙ୍କୁ ॥ ୧୯୭
ସେ ଆତ୍ମା ସର୍ବଜୀବ ହେତୁ । ଜୀବ ଭ୍ରମେ ନ ଜାଣି ତ‌ତ୍ତ୍ୱ ॥ ୧୯୮
ଯେ ବେଦଶାସ୍ତ୍ରେ ଅଗୋଚର । ଅଦୃଶ୍ୟ ଅତସୂକ୍ଷ୍ମତର ॥ ୧୯୯
ଏଣୁ କେ ବେଦମାର୍ଗେ ଜାଣେ । ଅବ୍ୟକ୍ତ ବ୍ରହ୍ମ ସୁରଗଣେ ॥ ୨୦୦
ସେ ବେଦ ଦୁସ୍ତର ବିସ୍ତାର । ତାହାରନ ନାହିଁ ଅନ୍ତଃ ପାର ॥ ୨୦୧
ବେଦବିହିତ ଯେତେ କର୍ମ । ଯଜ୍ଞ ଆଚରି ମୁନି ଭ୍ରମ ॥ ୨୦୨
କ୍ଷୀଣ ମନ୍ତ୍ରେ ଲିଙ୍ଗ ଦେବତା । ବାଞ୍ଛନ୍ତି ଧ୍ୟାନେ କର୍ମେ ଶ୍ରୋତା ॥ ୨୦୩
ଋତି ନିମନ୍ତେ କର୍ମଫଳ । କର୍ମ ବିନାଶେ ଜ୍ଞାନବଳ ॥ ୨୦୪
ମଳିନ ବୁଦ୍ଧି ଯେବା ହୋନ୍ତି । ସେମାନେ ବେଦ କର୍ମ ଚିନ୍ତି ॥ ୨୦୫
ଇନ୍ଦ୍ରାଦି ଦେବଙ୍କୁ ପୂଜନ୍ତି । ଏଣୁ ଏ ବ୍ରହ୍ମ ନ ଜାଣନ୍ତି ॥ ୨୦୬
ଅଜ୍ଞାନୀ ବୋଲି ତାଙ୍କୁ ଜାଣ । ଯେ ଆତ୍ମା ନ କଲା ପ୍ରମାଣ ॥ ୨୦୭
ଯାହାର ଆତ୍ମାଜ୍ଞାନ ନାହିଁ । ସଂସାରୁ ସେ ତରିବ କାହିଁ ॥ ୨୦୮
ସେ ହରି ଯାରେ କରେ ଦୟେ । ତା ମତି ବେଦେ ନିଷ୍ଠା ନୋହେ ॥ ୨୦୯
ସେ ଆତ୍ମାତ‌ତ୍ତ୍ୱେ ହରି ପାଇ । ତାହା ନବୁଝି କର୍ମେ ବାଇ ॥ ୨୧୦
ତୁ ରାଜା କର୍ମକାଣ୍ତେ ଭୋଳ । ତୋ ଯଜ୍ଞକର୍ମୁ ମହୀସ୍ଥଳ ॥ ୨୧୧
ଅଚ୍ଛାଦି ପ୍ରାଚୀନଗ୍ର ତୋର । କୁଶେ ପୂରିଲା ନୃପବର ॥ ୨୧୨
ପ୍ରଜାଏ ଶସ୍ୟ କରଷଣେ । ନ ପାରି କ୍ଷୁଧା ପ୍ରତୋଷଣେ ॥ ୨୧୩
ଅନ୍ନ ବିହୀନେ ସର୍ବଜନ୍ତୁ । ଦୁର୍ଭିକ୍ଷେ ମଲେ ତୋର ହେତୁ ॥ ୨୧୪
ଏ ସର୍ବଜୀବ ବିନାଶିଲୁ । ଏ ହତ୍ୟା ଦୋଷେ ଭାଗୀ ଦେଲୁ ॥ ୨୧୫
ତୁ ବିପ୍ରବାକ୍ୟେ ବିମୋହିତ । ନ ଜାଣି ବେଦର ବୃତ୍ତାନ୍ତ ॥ ୨୧୬
ଏ ଯଜ୍ଞକର୍ମେ ହେଲୁ ଅନ୍ଧ । ନ ଜାଣୁ ତୁ ଆମବା ଦୁର୍ବୋଧ ॥ ୨୧୭
ଯେ କର୍ମ ମୋକ୍ଷ ମାର୍ଗଦୂର । ତୁ ତାହା ନ କଲୁ ବିଚାର ॥ ୨୧୮
ପରମତ‌ତ୍ତ୍ୱେ ନୋହେ ମତି । ଲଭିବୁ ଦୁଃସହ ଦୁର୍ଗତି ॥ ୨୧୯
ଏ ବିପ୍ରେ ତୋ ହିତ ନ ଜାଣି । ନରକ ମାର୍ଗେ ତୋତେ ଟାରି ॥ ୨୨୦
ଏହାଙ୍କ ବାକ୍ୟେ ତୁ ରାଜନ । ଭ୍ରମେ ହୋଇଲୁ ହତଜ୍ଞାନ ॥ ୨୨୧
ତୁ ଗୃହ-କୂପେ ଜନ୍ମଅନ୍ଧ । ଏ ବିପ୍ରେ କର୍ମକାଣ୍ତେ ବଦ୍ଧ ॥ ୨୨୨
ଅନ୍ଧକୁ ଅନ୍ଧ ପଥ କହି । ସେ ଯେହ୍ନେ କାର୍ଯ୍ୟେ ନ ଘଟଇ ॥ ୨୨୩
ତେସନେ ଏହାଙ୍କ ବଚନ । ହେ ରାଜା ଚିତ୍ତେ ତୁ ନ ଘେନ ॥ ୨୨୪
ତୋତେ ଭଣ୍ତିଲେ ଧନ ଆଶେ । ଇନ୍ଦ୍ରିୟ-ସୁଖ ଗୃହବାସେ ॥ ୨୨୫
ତୋ ପୂର୍ବପୁଣ୍ୟ ବିନାଶିଲେ । ଜୀବ ହିଂସନେ ଶିକ୍ଷା ଦେଲେ ॥ ୨୨୬
ହରି ଆଶ୍ରିତ ର୍କମ ଯେତେ । ନ କହି ଭ୍ରମାଇଲେ ତୋତେ ॥ ୨୨୭
ଏ ବିପ୍ରେ ନ ଜାଣନ୍ତି ତାହା । ତେଣୁ ଭଣ୍ତିଲେ ନରନାହା ॥ ୨୨୮
ତୁ ତର୍କି ନ ପାରି ରାଜନ । ବିଅର୍ଥେ ଗଲା ତୋର ଦିନ ॥ ୨୨୯
ଯେ କର୍ମେ ହରି ତୋଷ ହୋଏ । ତାହାକୁ କର୍ମ ବୋଲି ରାୟେ ॥ ୨୩୦
ଉତ୍ତମ ବିଦ୍ୟା ହେ ରାଜନ । ଯେ ହରି କରନ୍ତି ଭଜନ ॥ ୨୩୧
ଜ୍ଞାନୀଙ୍କ ମଧ୍ୟେ ସେହୁ ବର । ଯେ ହରିକର୍ମେ ତତପର ॥ ୨୩୨
ଯଜ୍ଞାଦି ଦାନ ପୁଣ୍ୟ ସେହି । ଯେବେ ଜୀବରେ ଦୟା ବହି ॥ ୨୩୩
ସର୍ବଭୂତରେ ଆତ୍ମା ହରି । ପ୍ରକୃତି ସ୍ୱରୂପେ ବିହରି ॥ ୨୩୪
ସେ ଏକ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ॥ ୨୩୫
ଏମନ୍ତ ହରିରେ ଶରଣ । ତୁ ଯାଇ ପଶ ନୁପରାଣ ॥ ୨୩୬
ସେ ସର୍ବଆତ୍ମା ପ୍ରିୟ ହରି । ଯାନାମ ଆଶ୍ରେ ଭବୁ ତରି ॥ ୨୩୭
ସେ କାଳଭୟ ବିନାଶନ୍ତି । ନିର୍ଭୟେ ନିଶ୍ଚିନ୍ତେ ରହନ୍ତି ॥ ୨୩୮
ଏ କତା ଯେ ବୁଝେ ପଣ୍ତିତ । ସେ ସର୍ବ ଚାରୁଟି ଅଚ୍ୟୁତ ॥ ୨୩୯
ତୁମ୍ଭର ସନ୍ଦେହ ଫେଡିଲୁ । ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ ॥ ୨୪୦
ଅପରେ ଗୁପ୍ତ ଦୃଷ୍ଟାନ୍ତର । ତୋତେ କହିବା ନୃପବର ॥ ୨୪୧
ତା ତୋତେ ବୁଝାନ୍ତେ ରାଜନ । ତେବେ ନୋହିଲା ତୋର ଜ୍ଞାନ ॥ ୨୪୨
କୁସୁମବାଡି ମଧ୍ୟେ ମୃଗ । ଇଚ୍ଛଇ ମଇଥୁନ ଯୋଗ ॥ ୨୪୩
ହରିଣୀ ବଶେ ବଶ ହୋଇ । ଅଜ୍ଞାନେ ମୃତ୍ୟୁ ନ ଜାଣଇ ॥ ୨୪୪
ଅଳପ ସୁଖ-ଲୋଭେ ମତି । ଭ୍ରମର-ଗୀତେ ଡେରି ଶ୍ରୁତି ॥ ୨୪୫
ତା ଅଗ୍ରେ ବୃକମାନେ ଛନ୍ତି । ତା ମାଂସ ଭକ୍ଷଣ କରନ୍ତି ॥ ୨୪୬
ତାହାଙ୍କ ମୁଖକୁ ରାଜନ । ସତ୍ୱରେ କରଇ ଗମନ ॥ ୨୪୭
ତା ପଚ୍ଛେ ବ୍ୟାଧ ଗୋଡାଇଛି । ସଘନେ ବାଣ ସେ ବିନ୍ଧୁଛି ॥ ୨୪୮
ତାହାକୁ ନ କରିଣ ଭୟେ । ଆନନ୍ଦେ ମୃଗୀରସେ ରହେ ॥ ୨୪୯
ଭେଦିଣ ବ୍ୟାଧ ତୀକ୍ଷ୍ଣ ଶର । ମିଳାଇ ଅର୍ଦ୍ଧ ତା ଶରୀର ॥ ୨୫୦
ଗଲା ନ ଜାଣେ କାମସୁଖେ । ତେବେ ଉଛୁଛି ଲତା ଭକ୍ଷେ ॥ ୨୫୧
କାହାକୁ ନ କରିଣ ଭୟେ । ସଧୀରେ ଲତା ବୃକ୍ଷୁ ଖାଏ ॥ ୨୫୨
ଏମନ୍ତ ମୃଗ କେ ରାଜନ । ବିବେକୀ ଖୋଜ ତୁ ବହନ ॥ ୨୫୩
ତେବେ ଜାଣିବା ସୀଧୁମତି । ବିଷୟ ରସ ତ୍ୟାଗ ଗତି ॥ ୨୫୪
ଏ ଅନୁଭବ ବୁଝି ରାୟେ । ବିବେକୀ ଜାଣିବୁ ଥୋକାଏ ॥ ୨୫୫
ତା ଶୁଣି ସଂଭ୍ରମେ ରାଜନ । ମୁନିଙ୍କି ଚାହିଁ ତୋଷମନ ॥ ୨୫୬
କହେ ବିନୟ ଶୁଦ୍ଧଚିତ୍ତେ । ଅତି ଆନନ୍ଦେ ହରଷିତେ ॥ ୨୫୭

ରାଜା ଉବାଚ

ଆମ୍ଭର ଏଣେ ନାହିଁ ମତି । ବିବେକୀ ନୋହେ ଆତ୍ମଗତି ॥ ୨୫୮
ଯେବେ ମୋହେରେ ଦୟା ବହୁ । ଏ କଥା ଫେଡି ମୋତେ କହ ॥ ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ସକଳ ଘଟେ ଦୟାପର ॥ ୨୬୦
ମୁଁ ବୁଝି ନ ପାରିଲି ଚିତ୍ତେ । ଛାଡୁ ସଂଶୟ କହ ମୋତେ ॥ ୨୬୧
କେ ମୃଗ ବୃକ ବ୍ୟାଧ କେହି । ଭୋ ମୁନିବର ଦେବା କହି ॥ ୨୬୨

ନାରଦ ଉବାଚ

ଶୁଣ ରାଜନ ଶୁଦ୍ଧଚିତ୍ତେ । ତା ଫେଡି କହିଦେବା ତୋତେ ॥ ୨୬୩
ହେ ରାଜା ମୃଗରୂପ ତୁହି । ତୋ ପତ୍ନୀଗଣେ ପୁଷ୍ପଦେହୀ ॥ ୨୬୪
ସେ ତୋତେ ବେଢି ଅଗ୍ରେଛନ୍ତି । ତୋ ପ୍ରାଣ ବିବାଦେ ନାଶନ୍ତି ॥ ୨୬୫
ତୁ ତାହା ତର୍କି ନ ପାରିଲୁ । ସୁବେଶେ ତାହାଙ୍କୁ ପୂଜିଲୁ ॥ ୨୬୬
ସର୍ପାଗ୍ନି ସ୍ତିରୀ ଯେ ଦୁର୍ଜନ । ବିଶ୍ୱାସ ନ ଯିବ ଏମାନ ॥ ୨୬୭
ତାଙ୍କ ବଶେ ନିମଜ୍ଜିଲୁ । ପ୍ରାଣୁ ଅଧିକ ସ୍ନେହ କଲୁ ॥ ୨୬୮
ସେ ତୋର ବଶ କଲେ ମନ । ବନ୍ଧନେ ପଶୁଏ ଯେସନ ॥ ୨୬୯
ଏ ତୋତେ ନିଶ୍ଚୟ ନାଶିବେ । ତୋ ସ୍ନେହଭରେ ପ୍ରାଣ ନେବେ ॥ ୨୭୦
ଏ ସଙ୍ଗଦୋଷୁ ନୃପବର । ହୋଇବ ମୋକ୍ଷମାର୍ଗ ଦୂର ॥ ୨୭୧
ତୁ ଅନୁଭବେ ବୁଝ ଏବେ । ତୋତେ କହିବା ଫେଡି ଭାବେ ॥ ୨୭୨
କୁସୁମବନ ବୋଲି ଯାହା । ନାରୀଙ୍କ ଧର୍ମ କହି ତାହା ॥ ୨୭୩
ତା ସଙ୍ଗେ ଏ ପୁରୁଷବର । କରଇ ଅଜ୍ଞାନେ ବିହାର ॥ ୨୭୪
ବିଷୟ ସୁଖେ ଉନମତ୍ତ । ସୁରତି ରସେ ଦେଇ ଚିତ୍ତ ॥ ୨୭୫
ଭ୍ରମରେ ଯେହ୍ନେ ଗୁଞ୍ଜରନ୍ତି । ତେସନେ ଯୁବତୀ ଭାଷନ୍ତି ॥ ୨୭୬
ସେ ବାକ୍ୟେ କର୍ଣ୍ଣ ଡେରିଥାଇ । କାଳ-ବୃକକୁ ଭୟ ନାହିଁ ॥ ୨୭୭
ତା ପଛେ କାଳ ଗୋଡାଇଛି । ଏକଥା ଜୀବ ନ ବୁଝୁଛି ॥ ୨୭୮
ଏବେ ତୁ ବୁଝ ମହୀପତି । ଏ ମୃଗତୃଷ୍ଣା ଜୀବଗତି ॥ ୨୭୯
ଆପଣେ ଚିତ୍ତେ ତୁ ବିଚାର । ଏମନ୍ତ ବୁଦ୍ଧି ଦୃଢ଼େ ଧର ॥ ୨୮୦
ଶ୍ରବଣ ନଦେଇ ବିଷୟେ । ଏ ସର୍ବହିତେ କର ଲୟେ ॥ ୨୮୧
କାମୁକ କାମ ସୁଖ ପାଇଁ । ଗୃହ-କାରଣେ ବନ୍ଦୀ ହୋଇ ॥ ୨୮୨
ଯେହ୍ନେ ମଧୁପ ମଧୁ ଆଶେ । ଲୋଭେ ବନ୍ଧନ ପଦ୍ମକୋଷେ ॥ ୨୮୩
ଅବଶେ ସ୍ନେହ ନ ତେଜିଲା । ପଦ୍ମ ମୁଦ୍ରିତେ ପ୍ରାଣ ଦେଲା ॥ ୨୮୪
ସେ ରୂପେ ସ୍ତିରୀ ମୁଖାମ୍ବୁଜେ । ଯହିଁ ଯୋଗୀନ୍ଦ୍ର ଯୋଗ ଭାଞ୍ଜେ ॥ ୨୮୫
ପୁଣ୍ୟାଦି କର୍ମ କରେ ନାଶ । ଏଣୁ ସ୍ତିରୀସଙ୍କ ଦୋଷ ॥ ୨୮୬
ସତ୍ୟ ଶଉଚ ଦୟା ଧର୍ମ । ଅପରେ ଯେବା ଶ୍ରେୟକର୍ମ ॥ ୨୮୭
ଏ ସର୍ବ କରଇ ବିନାଶ । ସେ ସଙ୍ଗେ ନାହିଁ ସୁଖ ଲୋ ॥ ୨୮୮
ତୁ ଗୃହ ଛାଡି ହରି ଭଜ । ବିଷୟ କର୍ମ ଦୂରେ ତେଜ ॥ ୨୮୯

ରାଜା ଉବାଚ

ତା ଶୁଣି ବୋଲଇ ରାଜନ । ଭୋ ମୁନି ଏ ତୁମ୍ଭ ବଚନ ॥ ୨୯୦
ବିଚାରି ବୁଝିଲଇଁ ଚିତ୍ତେ । ମୋ ରାଜ୍ୟେ ବିପ୍ରେ ଛନ୍ତି ଯେତେ ॥ ୨୯୧
ଏ ସର୍ବେ ନ ଜାଣନ୍ତି ଜ୍ଞାନ । ବିଦ୍ୟା ବିଭ୍ରମେ ଅଭିମାନ ॥ ୨୯୨
ସେ ଯବେ ଜାଣନ୍ତେ ନା ଏହା । କିମ୍ପାଇ ନ କହନ୍ତେ ତାହା ॥ ୨୯୩
ଏଣୁ ଏ କର୍ମେ ମୋତେ ଟେକି । ଯେଣୁ ଅଟନ୍ତି ଅବିବେକୀ ॥ ୨୯୪
ଭୋ ମୁନି ତୁମ୍ଭ ପ୍ରାୟେ ଯେତେ । ସାଧୁଏ ଅଛନ୍ତି ଜଗତେ ॥ ୨୯୫
ସେ ତୁମ୍ଭ ପ୍ରାୟେ ଦୟା କରି । କେହି ନ ଆସନ୍ତି ମୋ ପୁରୀ ॥ ୨୯୬
ଏ କଥା କହ ମୁନିବର । ମୋର ସଂଶୟ ହେଉ ଦୂର ॥ ୨୯୭
ଏମନ୍ତେ ଦେବ ମହାଋଷି । କହନ୍ତି ତା ବାକ୍ୟ ପ୍ରଶଂସି ॥ ୨୯୮

ନାରଦ ଉବାଚ

ତୁ ଯାହା ପୁଚ୍ଛିଲୁ ରାଜନ । କହିବା ଏଥିର ବିଧାନ ॥ ୨୯୯
ଯେ ପଦ୍ମନାଭ ପଦାଶ୍ରିତ । ତେଣେ ଭାବିତ ଯାର ଚିତ୍ତ ॥ ୩୦୦
ସ୍ୱର୍ଗାପବର୍ଗ ତୁଚ୍ଛ ମଣି । ତୋ ରାଜଭୋଗ ମୃତ୍ୟୁ ଗଣି ॥ ୩୦୧
ଏଣୁ ସାଧବେ ତାହା ଦେଖି । ଭୟେ ବିମୁଖ ତା ଉପେକ୍ଷି ॥ ୩୦୨
ଆତ୍ମା ବିଯୋଗେ ପିଣ୍ତ ଯେହ୍ନେ । ସଭୟେ ତେଜନ୍ତି ଯେସନେ ॥ ୩୦୩
ତେସନେ ଏ ରାଜ-ବିଭୂତି । ଭୟେ ସାଧବେ ନ ଇଚ୍ଛନ୍ତି ॥ ୩୦୪
ତୁ ରାଜା ଚିତ୍ତେ ପରିମାଣ । ଭୋଗାଦି ଅନର୍ଥ କାରଣ ॥ ୩୦୫
ତା ଶୁଣି ସଂଭ୍ରମେ ରାଜନ । ଚିନ୍ତା ବିମୁଖେ ଖେଦମନ ॥ ୩୦୬

ରାଜା ଉବାଚ

ଏ ବିପ୍ରଗଣେ ଅନୁକ୍ଷଣେ । କହନ୍ତି ଯଜ୍ଞାଦି କାରଣେ ॥ ୩୦୭
ଏହାଙ୍କ ଶିକ୍ଷା କର୍ମ ଯେତେ । ଛାଡିଲା ତୁମ୍ଭ ବାକ୍ୟମତେ ॥ ୩୦୮
ଏ କର୍ମେ ଯୋଗୀଜନ ମୋହେ । ଏଣୁ ପ୍ରତୀତ ସର୍ବଠାଏ ॥ ୩୦୯
ଏକ ସଂଶୟ ମୋର ଅଛି । ଭୋ ମୁନି କହ ପଚାରୁଛି ॥ ୩୧୦
ଯେ ଦେହେ ପ୍ରାଣୀ କର୍ମକରେ । ତା ଛାଡି ପରଲୋକେ ଗଲେ ॥ ୩୧୧
କର୍ମ ଭୁଞ୍ଜଇ ଅନ୍ୟ ଦେହେ । ଏକଥା ସର୍ବବେଦ କହେ ॥ ୩୧୨
କର୍ତ୍ତା ଭୋକତା ବେନି ଭେଦ । ଏ ବେନି ସଂଶୟ ମୋ ଛେଦ ॥ ୩୧୩
ଫେଡିଣ କହିବା ଗୋସାଇଁ । ଆବର ସଂଶୟ ଅଛଇ ॥ ୩୧୪
ତାହା ପୁଚ୍ଛଇ ମୂଢ଼ଭାବେ । ମୋ ମନ ସୁମରୁଛି ଏବେ ॥ ୩୧୫
ବେଦ ବିହିତ ଯେତେ କର୍ମ । ଲୋକ ଆଚରେ ବିଧିଧର୍ମ ॥ ୩୧୬
କର୍ମ ଉତ୍ତାରେ ତା ନ ଜାଣି । କି ରୂପେ କର୍ମ ଭୁଞ୍ଜେ ପ୍ରାଣୀ ॥ ୩୧୭
ଅଦୃଷ୍ଟ କର୍ମେ ସଂଯୋଗଇ । ଏଣେ ସଂଶୟ ମୋର ହୋଇ ॥ ୩୧୮
ଏମନ୍ତ ରାଜା ମୁଖୁ ଶୁଣି । ନାରଦ କହେ ମନେ ଗୁଣି ॥ ୩୧୯

ନାରଦ ଉବାଚ

ଶୁଣ କହିବା ନୃପରାଣ । ଏ ବେନି ସଂଶୟ ଫେଡିଣ ॥ ୩୨୦
ଯେ ଦେହେ ଜୀବ କର୍ମ କରେ । ପରଲୋକେ ତା ଭୋଗ କରେ ॥ ୩୨୧
ଯେ ପାପପୁଣ୍ୟ ତାର ଥାଇ । ସେକାଳେ ତାହା ସେ ଭୁଞ୍ଜଇ ॥ ୩୨୨
ଏ ସ୍ଥୂଳଦେହ ଗଲେ ନାଶ । ଏ ଲିଙ୍ଗ ଅନ୍ୟ ଦେହେ ବାସ ॥ ୩୨୩
କର୍ତ୍ତା ଭୋକତା ନୋହେ ଭିନ୍ନ । ସ୍ୱପ୍ନେ ଦୃଷ୍ଟାନ୍ତର ଯେସନେ ॥ ୩୨୪
ଶୟନେ ଦେହ ପଡ଼ିଥାଇ । ଶ୍ୱାସ କ୍ଷେପଣ ନ ଜାଣଇ ॥ ୩୨୫
ଏ ଦେହ ସ୍ନେହ ପରିହରି । ଏ ମନ ଲିଙ୍ଗଦେହ ଧରି ॥ ୩୨୬
ଅନ୍ୟଭୂତ କର୍ମ ବ୍ୟାପାର । ଏ ମନ କରେ ଅଙ୍ଗୀକାର ॥ ୩୨୭
ଏ ମନ୍ତ ଜାଣି ଦୃଷ୍ଟାନ୍ତରେ । ଏମନ୍ତ ଅନ୍ୟତ୍ର ଶରୀରେ ॥ ୩୨୮
ଧରିଣ ସ୍ଥୁଳଦେହ ମନ । ମୁଁ କୁଳଶ୍ରେଷ୍ଠ ବିଦ୍ୱଜ୍ଜନ ॥ ୩୨୯
ଏ ପୁତ୍ର-ଦାରାଦି ମନ୍ଦିର । ବୋଲିଣ କରେ ଅହଙ୍କାର ॥ ୩୩୦
ଏ ଅଭିମାନ କର୍ମ କରେ । ସ୍ୱକର୍ମ ବଶେ ଦେହ ଧରେ ॥ ୩୩୧
କର୍ମ ନ ଥିଲେ ଜନ୍ମ ନାହିଁ । ତା ପୂର୍ବକର୍ମ ଭୋଗ କାହିଁ ॥ ୩୩୨
ଏ ମନ ଲିଙ୍ଗ ଦେହ ବେନି । ଭୋଗାର୍ଥେ ସ୍ଥୂଳ ଦେହ ଘେନି ॥ ୩୩୩
ଯାହା ତୁ ପୁଚ୍ଛିଲୁ ନୃପତି । ବିନଷ୍ଟକର୍ମ ଉତପତ୍ତି ॥ ୩୩୪
ତା ଫେଡି କହିବାକ ତୋତେ । ସଂଶୟ ଫିଟିବ ଯେମନ୍ତେ ॥ ୩୩୫
ଏ ଜ୍ଞାନ କର୍ମ ଭେଦେ ଦୁଇ । ଇନ୍ଦ୍ରିୟ କର୍ମାଦି କରଇ ॥ ୩୩୬
ଏ ପୁଣ୍ୟପାପାଦି ବିଷୟ । କରଇ ଏ ମନ ଇନ୍ଦ୍ରିୟ ॥ ୩୩୭
ଚିତ୍ତ ବିଷୟ କର୍ମ ଜାଣି । ନୋହିଲେ କେବା ପରିମାଣି ॥ ୩୩୮
ଏ ରୂପେ ଜାଣ ଚିତ୍ତବୁଦ୍ଧି । ଭୂଞ୍ଜଇ ପୂର୍ବକର୍ମ ସିଦ୍ଧି ॥ ୩୩୯
କର୍ମ ନ ଥିଲେ ଭୋଗ କାହିଁ । ବିବେକୀ ବୁଝ ନରସାଇଁ ॥ ୩୪୦
ଏ ପ୍ରତିଲକ୍ଷ୍ୟେ ଦୃଷ୍ଟାନ୍ତର । ତୋତେ କହିବା ନୃପବର ॥ ୩୪୧
ତୋ ଅନ୍ୟ ଦେହ ଥାଉଁ ଏବେ । ଏ ଦେହେ ବୁଝ ଅନୁଭବେ ॥ ୩୪୨
ଜାଗ୍ରତେ ଯେତେ ରୂପମାନ । ଏ ଦେହେ ଭାବିଥାଇ ମନ ॥ ୩୪୩
ଦୃଷ୍ଟି ଶ୍ରବଣେ ଯେ ବିଷୟ । ସ୍ୱପନ ଗତେ ସେ ଉଦୟ ॥ ୩୪୪
ଏ ଲିଙ୍ଗଦେହ ଧରି ମନ । ବିଷୟକର୍ମ କରେ ଧ୍ୟାନ ॥ ୩୪୫
ବିଷୟକର୍ମେ ହୋଇ ବଶ । ଆନନ୍ଦେ ଘେନେ ଭୋଗରସ ॥ ୩୪୬
ଯେ କଥା ଅନୁଭବି ନାହିଁ । ସ୍ୱପନେ ଦେଖିବ ତା କାହିଁ ॥ ୩୪୭
ଏହାର ପୂର୍ବକର୍ମ ଦୋଷ । ଯାବତ ନୋହିଛି ବିନାଶ ॥ ୩୪୮
ତା ଅନ୍ୟଦେହେ ଭୋଗ କରେ । ସେ ଶୁଭାଶୁଭ ତା ବେଭାରେ ॥ ୩୪୯
ପୂର୍ବ ଅକର୍ମ- ଦୋଷେ ଜୀବ । ଜନ୍ମି ଲଭଇ ମୂଢ଼ଭାବ ॥ ୩୫୦
ଫଳାନୁସାରେ ଦେହ ପାଇ । ପୁଣ ସେ କର୍ମେ ପ୍ରବେଶଇ ॥ ୩୫୧
ଯାହା ଏ ଅନୁଭବି ନାହିଁ । ଏ ମନ ଚୁଇଁବ ତା କାହିଁ ॥ ୩୫୨
ଶୁଣ ରାଜନ ସାବଧାନ । ସକଳ କର୍ମେ ସାକ୍ଷୀ ମନ ॥ ୩୫୩
ମନଟି ସୁଖଦୁଃଖଦାତା । ଏ ପାପପୁଣ୍ୟର କରତା ॥ ୩୫୪
ମନହୁଁ କର୍ତ୍ତା ଆର ନାହିଁ । ଇନ୍ଦ୍ରିୟ ଗୁଣ ଅର୍ଥ ବହି ॥ ୩୫୫
ତା ପୂର୍ବ ଶୁଭାଶୁଭ କର୍ମ । ସେ ଅନୁସାରେ ଲଭେ ଜନ୍ମ ॥ ୩୫୬
କେ ଦାତା କୃପଣ ଈଶ୍ୱର । ସାଧୁ ଦୁର୍ଜନ କେବା ଚୋର ॥ ୩୫୭
ଏ ମନ କର୍ମର ଆୟତ୍ତେ । ଭ୍ରମଇ ଦୁଃଖସୁଖେ ନିତ୍ୟେ ॥ ୩୫୮
ଏ ବର୍ତ୍ତମାନ ଦେହେ ଯାହା । ଯେ ରୂପେ ଦେଖି କରେ ସ୍ନେହା ॥ ୩୫୯
ତା ଅନାଗତ ଦେହେ ଦେଖେ । ଏ ବର୍ତ୍ତମାନ ଦେହୀ ପକ୍ଷେ ॥ ୩୬୦
ଯେ କଥା ଅନୁଭବି ନାହିଁ । ସ୍ୱପ୍ନରେ କେବେ ବା ଦିଶଇ ॥ ୩୬୧
ସମୁଦ୍ର ଗିରିଶିଖେ ଯେହ୍ନେ । ପ୍ରତୀତ କରଇ ସେ ମନେ ॥ ୩୬୨
ନକ୍ଷତ୍ର ଆଦି ଗ୍ରହମାନ । ଦିବସେ ଦୃଶ୍ୟ ଦୁର୍ଘଟନ ॥ ୩୬୩
ଆପଣା ଶିରଚ୍ଛେଦ ହୋଇ । ଏ ବିପରୀତ ସେ ଦେଖଇ ॥ ୩୬୪
ମିଥ୍ୟାଭିଳାଷେ ଏହୁ ଭ୍ରମ । ପ୍ରତ୍ୟକ୍ଷ କରେ ତାହା ମନ ॥ ୩୬୫
ଏ ସର୍ବ ନିଦ୍ରାଦୋଷେ ଜାଣେ । ଦେଶ-କାଳ-କ୍ରିୟା ପ୍ରମାଣେ ॥ ୩୬୬
ଇନ୍ଦ୍ରିୟ ବିଷୟ ସକଳ । ମନରେ ହୋନ୍ତି ସବୁ ଠୁଳ ॥ ୩୬୭
ସେ ସର୍ବେ ହୋନ୍ତି ଯାନ୍ତି ନିତ୍ୟେ । ଏଣୁ ଏ ମନ ବିପରୀତେ ॥ ୩୬୮
ଯେ ମନ କୃଷ୍ଣପାଦତଳେ । ସ‌ତ୍ତ୍ୱ-ନିଷ୍ଠାରେ ଥାଇ ଭୋଳେ ॥ ୩୬୯
ଏ ବିଶ୍ୱ ପ୍ରକାଶ ହୁଅଇ । ସଂଯୋଗେ ପରିପ୍ରକାଶଇ ॥ ୩୭୦
ତଥାପି ବିଷୟ ପ୍ରବଳ । ମନକୁ କରଇ ଚଞ୍ଚଳ ॥ ୩୭୧
ଯେହ୍ନେ ଚନ୍ଦ୍ରକୁ ରାହୁ ଗ୍ରାସେ । ତେସନ ଗୁଣେ ମନ ମିଶେ ॥ ୩୭୨
ଏ ଗୁଣ ସମୂହ ଅନାଦି । ଯାବତ ଅଛି ମନ ବୁଦ୍ଧି ॥ ୩୭୩
ତାବତ ଅହଙ୍କାର ବହେ । ଯେଣୁ ତ୍ରିଗୁ ଅଛି ଦେହେ ॥ ୩୭୪
ଏ ପ୍ରାଣ-ମାର୍ଗର ସନ୍ତାପେ । ସ୍ୱପନ-ମୂର୍ଚ୍ଛା-ଉପତାପେ ॥ ୩୭୫
ଏ ଗୁଣ ଜ୍ଞାନ ନ ଛାଡଇ । ମୃତ୍ୟୁ ପ୍ରଜ୍ୱର କାଳେ ସେହି ॥ ୩୭୬
ଏ ଗର୍ଭବାସେ ଥିଲା ଯେବେ । ବାଲ୍ୟ ଅବସ୍ଥା ଅବା ଯେବେ ॥ ୩୭୭
ଏ ଲିଙ୍ଗ ସୂକ୍ଷ୍ମରୂପେ ରହେ । କେବଳ ପ୍ରକାଶିତ ନୋହେ ॥ ୩୭୮
ଯେସନେ କହୁ-ତିଥି ପାଇ । ଚନ୍ଦ୍ରକିରଣ ନ ଦିଶଇ ॥ ୩୭୯
ସେ ରୂପେ ବାଲ୍ୟାଦି କାଳରେ । ଏ ଗୁଣ ପ୍ରକାଶ ନ କରେ ॥ ୩୮୦
ଗୁଣେ ବନ୍ଧନ ଲିଙ୍ଗ ଦେହ । କର୍ମରେ କରୁଥାଇ ସ୍ନେହ ॥ ୩୮୧
ଏ ଦେହ ଯେକାଳେ ନ ଥାଇ । ତେବେ ତା ଜନ୍ମ ଅବା କାହିଁ ॥ ୩୮୨
ବିଷୟ ଧ୍ୟାନ ଯେଣୁ ଅଛି । ତେଣୁ ଏ ଶରୀର ଧରିଛି ॥ ୩୮୩
ସ୍ୱପ୍ନ ଦୃଷ୍ଟାନ୍ତର କରିଣ । ଭୋଗାଦି ବୁଝ ନୃପରାଣ ॥ ୩୮୪
ନାରଦ ବଚନ ଶୁଣିଣ । କହଇ ପ୍ରାଚୀ ନୃପରାଣ ॥ ୩୮୫

ରାଜା ଉବାଚ

ଭୋ ମୁନିବର ତୁମ୍ଭେ ଶୁଣ । ଜୀବର କି କି କହ ଗୁଣ ॥ ୩୮୬
ଯାହାକୁ ଜୀବ ବୋଲି କହ । ତାହାର କିବା ରୂପ ଦେହ ॥ ୩୮୭
ନାରଦ ଶୁଣି ନୃପବାଣୀ । ଆନନ୍ଦଚିତ୍ତେ ମନେ ଗୁଣି ॥ ୩୮୮
ବୋଲନ୍ତି ଶୁଣ ନୃପବର । ସ୍ୱରୂପ କହିବା ଜୀବର ॥ ୩୮୯
ଶବଦ ଆଦି ମାତ୍ରା ପଞ୍ଚ । ଅପରେ ତ୍ରିଗୁଣ ପ୍ରପଞ୍ଚ ॥ ୩୯୦
ଦଶଇନ୍ଦ୍ରିୟ ପଞ୍ଚପ୍ରାଣି । ଯେ ମନ ବୁଦ୍ଧି ସଙ୍ଗତେଣ ॥ ୩୯୧
ଏହାଙ୍କୁ ଲିଙ୍ଗ-ଦେହ କହି । ଯାବତ ଚେତନା ଏ ବହି ॥ ୩୯୨
ତାବତ ଜୀବ ବୋଲି ଜାଣ । ଯେଣୁ ଏ ଘେନେ ଦେହଗୁଣ ॥ ୩୯୩
ଦେହାଦି ଛାଡେ ଘେନେ ଏହି । ଶୋକ ହରଷ ବେନି ବହି ॥ ୩୯୪
ଯେସନେ ତୃଣେ ଜୋକମାନ । ଏକକୁ ଧରି ଛାଡେ ଆନ ॥ ୩୯୫
ସେ ରୂପେ ଏ ଲିଙ୍ଗ-ଶରୀର । ଦେହ ସମ୍ଭବେ ବୁଝ ବୀର ॥ ୩୯୬
ଯାବତ ଅନ୍ୟଦେହ ନୋହେ । ତାବତ ଅଛି ପୂର୍ବଦେହେ ॥ ୩୯୭
ଏ ପୂବକର୍ମ ନ ଛାଡଇ । ସଙ୍ଗତେ ଘେନି ତା ଭୁଞ୍ଜଇ ॥ ୩୯୮
ଯାବତ ଅଛି ମାୟା ଦ୍ୱନ୍ଦ୍ୱ । ତାବତ ଏକର୍ମେ ସେ ବଦ୍ଧ ॥ ୩୯୯
ଏ ଜୀବ ପଡି ମାୟାବନ୍ଧେ । କର୍ମ କରଇ ନାନାଛନ୍ଦେ ॥ ୪୦୦
ଏ ମାୟାବନ୍ଧ ଛାଡେ ଯେବେ । କୃଷ୍ଣଚରଣେ ଭଜେ ତେବେ ॥ ୪୦୧
ସକଳ-ଘଟେ ଆତ୍ମା ରୂପେ । ଯେ ହରି ଛନ୍ତି ଦେହ-କୂପେ ॥ ୪୦୨
ସୃଷ୍ଟି-ପାଳନ-ସଂହାରଣ । ଯାହାର ତହୁଁ ଏ ଭିଆଣ ॥ ୪୦୩
ତା ପାଦେ ଭଜିଲେ ମୁକତି । ତା ବିନୁ ନାହିଁ ଅନ୍ୟଗତି ॥ ୪୦୪

ମୈତ୍ରେୟ ଉବାଚ

କହେ ମୈତ୍ରେୟ ମୁନିବର । ସୁମନେ ଶୁଣ ହେ ବିଦୁର ॥ ୪୦୫
ଜୀବ ଆତ୍ମାର ଗତି ମାନ । ନାରଦମୁନି ପ୍ରଭେଦେଣ ॥ ୪୦୬
ରାଜାଙ୍କୁ କହିଲେ ବୁଝାଇ । ଏ ଲିଙ୍ଗ-ଶରୀର ଭେଦାଇ ॥ ୪୦୭
ଶୁଣି ସାନନ୍ଦ ନୃପବର । ଉଠି ଯୋଡିଲା ବେନିକର ॥ ୪୦୮
ସାଷ୍ଟାଙ୍ଗେ କରି ଦଣ୍ତବତ । ହରଷେ ହୋଇ କୃତକୃତ୍ୟ ॥ ୪୦୯
ରୋମ ଉଦ୍‌ଗମ ଅଶ୍ରୁପାତ । ବୋଲଇ ହୋଇ ହରଷିତ ॥ ୪୧୦
ଭୋ ମୁନିବର ଯୋଗେଶ୍ୱର । ମୋ ମୋହବନ୍ଧ କଲ ଦୂର ॥ ୪୧୧
ଏବେ ନିଷ୍କାମଭାବ ମୁହିଁ । କି ରୂପେ କରିବି ଗୋସାଇଁ ॥ ୪୧୨
ତୋ ସଙ୍ଗ ଛାଡିଲେ ଗୋସାଇଁ । ମୋ ମନ ନରହିବ କାହିଁ ॥ ୪୧୩
ଏଥକୁ କହିବା କାରଣ । ତୁମ୍ଭେ ସର୍ବଜ୍ଞ ସର୍ବଜାଣ ॥ ୪୧୪
କହିବା ମୋତେ ଦୟାଚିତ୍ତ । କେମନ୍ତେ ହେବି ବନ୍ଧମୁକ୍ତ ॥ ୪୧୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪୧୬
ଏମନ୍ତେ ତାର ବାକ୍ୟେ ତୋଷି । କହେ ନାରଦ ମହାଋଷି ॥ ୪୧୭
ନିରତେ ସାଧୁ-ସଙ୍ଗ ଯେବେ । ମନ ନିଶ୍ଚଳ ରହେ ତେବେ ॥ ୪୧୮
ଏ ବିନେ ଅନ୍ୟତ୍ର ରାଜନ । ନ ଦେଖି ମନ ସମାଧାନ ॥ ୪୧୯
ସେ ସାଧୁସଙ୍ଗ ସେବା ଫଳେ । ଜ୍ଞାନ-ଭକତି-ଯୋଗବଳେ ॥ ୪୨୦
ଜନ୍ମ-ବିନାଶ-ଲିଙ୍ଗ ତୋର । ତେବେ ଛାଡିବ ନୃପବର ॥ ୪୨୧
ଅପରେ ନାହିଁ ମୋକ୍ଷ ଆର । ନ ଦେଖି ଶୁଣ ନୃପବର ॥ ୪୨୨
ତା ଶୁଣି ପଚାରେ ନୃପତି । କିରୂପେ ସାଧୁଙ୍କୁ ସେବନ୍ତି ॥ ୪୨୩
କହ ବିଧାନ ମୁନିବର । ଅଳପେ ସାଧି ମୋକ୍ଷ-ଦ୍ୱାର ॥ ୪୨୪
ହସି ନାରଦ ମହାଋଷି । ତା ବୋକ୍ୟେ କହନ୍ତି ପ୍ରତୋଷି ॥ ୪୨୫
ଶୁଣ ରାଜନ ଶୁଦ୍ଧ-ଚିତ୍ତେ । ବିଧାନ କହିବା ଯୁଗତେ ॥ ୪୨୬
ଏ ସର୍ବ-ଚିନ୍ତା ପରିହର । ମନ-ଇନ୍ଦ୍ରିୟ ଦୃଢ଼େ ଧର ॥ ୪୨୭
ଏକାଗ୍ର-ଚିତ୍ତେ ତୁ ନିଶ୍ଚଳେ । ବସ ତୁ ହୃଦୟ-ନିର୍ମଳେ ॥ ୪୨୮
ଯେ ଧର୍ମାଚାର ସାଧୁଜନ । ସେ ଧର୍ମ କର ତୁ ରାଜନ ॥ ୪୨୯
ସାଧୁଙ୍କ ମୁଖୁଁ ହରିରସ । ଶ୍ରବଣ-ପୁଟେ କର ଗ୍ରାସ ॥ ୪୩୦
ସେ ନାମାମୃତ ପାନେ ମତ୍ତ । ଯେ ପ୍ରାଣୀ ଭଜେ ଅବିରତ ॥ ୪୩୧
ତାଙ୍କୁ ପ୍ରତୋଷ ସାଧୁଜନେ । ଯେଣୁ ଦୟାଳୁ ନିଷ୍କିଞ୍ଚନେ ॥ ୪୩୨
ସାଧୁଙ୍କ ସେବାକର୍ମ ଏହି । ଯେ କୃଷ୍ଣରସ ଆସ୍ୱାଦଇ ॥ ୪୩୩
ଏବେ ତୁ ଶୁଣ ମହୀପାଳ । କପିଳାଶ୍ରମେ ବେଗେ ଚଳ ॥ ୪୩୪
ସେ ମୁନିବର ଆଶ୍ରେ ତୋର । ଖଣ୍ତିବ ଜନ୍ମ-ବନ୍ଧ-ଘୋର ॥ ୪୩୫
ତା ଶୁଣି ସତ୍ୱରେ ରାଜନ । ପୁତ୍ରକୁ ଡକାଇ ବହନ ॥ ୪୩୬
ରାଜ୍ୟ-ପାଳନେ ଆଜ୍ଞା ଦେଲା । ଦଣ୍ତ-ଛତ୍ରାଦି ସମର୍ପିଲା ॥ ୪୩୭
ସେ ସର୍ବ ତେଜି ନୃପବର । ମୁନିଙ୍କି କହେ ଯୋଡିକର ॥ ୪୩୮
ଭୋମୁନି ଯେବେ ଆଜ୍ଞା ହୋଇ । ମୋ ପତ୍ନୀ ପ୍ରବୋଧି ଆସଇ ॥ ୪୩୯
ରାଜ୍ୟ-ବିଭବ ଦେଇ ତାକୁ । ନିଶ୍ଚିନ୍ତେ ଯିବଇଁ ବନକୁ ॥ ୪୪୦
ଏମନ୍ତ ବାକ୍ୟ ଶୁଣି ତାର । କୋପେ ବୋଲନ୍ତି ମୁନିବର ॥ ୪୪୧
ତୁ ବଡ ଅଜ୍ଞାନୀ ମୂରୁଖ । ନ ଜାଣୁ ପରଲୋକ ଦୁଃଖ ॥ ୪୪୨
ଏମନ୍ତ କହି ମୁନିବର । ଶ୍ୱାସ ଉପେକ୍ଷି ଚିନ୍ତାଭର ॥ ୪୪୩
ସେ ସ୍ତିରୀ ମୁଖାବଲୋକନ । କେ କାମୀ ତେଜିବ ଅଜ୍ଞାନ ॥ ୪୪୪
ଯହିଁ ଯୋଗୀନ୍ଦ୍ରେ ଭ୍ରମ ଯାନ୍ତି । ତା ମୁଖୁଁ କେ ମୂଢ଼ ତରନ୍ତି ॥ ୪୪୫
ତୃଣାଦି ଯେହ୍ନେ ହୁତାଶନେ । ସ୍ପରଶେ ହୋନ୍ତି ଦହ୍ୟମାନେ ॥ ୪୪୬
ତେସନେ ସ୍ତିରୀ-ସଙ୍ଗ-ଦୋଷ । ଦେଖନ୍ତେ ଜ୍ଞାନ ହେବ ଧ୍ୱଂସ ॥ ୪୪୭
ଯେଣୁ ପ୍ରମଦା ନାମ ତାର । ତା ମୁଖେ ପଡି କେ ନିସ୍ତାର ॥ ୪୪୮
ଏମନ୍ତ କହି ଅନୁରାଗେ । ତା କର ଧରି ମୁନି ବେଗେ ॥ ୪୪୯
ପଶ୍ଚିମ-ଦ୍ୱାର-ମାର୍ଗେ ନେଇ । ବାହାର କରି ବେଗେ ଦେଇ ॥ ୪୫୦
ତକ୍ଷଣେ ନିଜ-ଲୋକେ ଗଲେ । ବ୍ରହ୍ମାଙ୍କ ଛାମୁରେ ମିଳିଲେ ॥ ୪୫୧
ସେ ଯେ ପ୍ରାଚୀନ ନୃପବର । ମୁନିଙ୍କ ଭୟେ ଛନ୍ନାତୁର ॥ ୪୫୨
ପ୍ରବେଶ କପିଳଆଶ୍ରମେ । ଗମିଲା ପଥ ପଦ-ଶ୍ରମେ ॥ ୪୫୩
ସେ ମୁନିବର ପାଶେ ଯାଇ । ତପ ଆଚରି ଯୋଗ ଧ୍ୟାୟି ॥ ୪୫୪
ଏକାଗ୍ର-ଚିତ୍ତେ ମହାରାଜ । ଭଜିଲେ ହରି-ପାଦାମ୍ବୁଜ ॥ ୪୫୫
ମନ-ପବନ ଦୃଢ଼େ ଧରି । ସର୍ବ କୁସଙ୍ଗ ପରିହରି ॥ ୪୫୬
ସେ ହରି-ଚରଣ-ପ୍ରସନ୍ନେ । ଗମିଲେ ବୈକୁଣ୍ଠ ଭୁବନେ ॥ ୪୫୭
ଶୁଣ ବିଦୁର ଜ୍ଞାନମୟେ । ନାରଦ ନୃପରେ ସଦୟେ ॥ ୪୫୮
ପରୋକ୍ଷ-ବାଦେ ଆତ୍ମଜ୍ଞାନ । କହିଲେ ଦିବ୍ୟ-କଥା-ମାନ ॥ ୪୫୯
ଏହା ଯେ ଶ୍ରବଣ କରନ୍ତି । ଅଥବା ବଦନେ ଗୁଣନ୍ତି ॥ ୪୬୦
ସେ ସର୍ବେ ହୋନ୍ତି ମୋକ୍ଷ ପର । କହିଲୁ ବ୍ରହ୍ମତ‌ତ୍ତ୍ୱ-ସାର ॥ ୪୬୧
ଆତ୍ମା ବନ୍ଧନୁ ମୁକ୍ତ ହୋଏ । ଅଜ୍ଞାନେ ଗୃହବାସ ନୋହେ ॥ ୪୬୨
ପରୋକ୍ଷ ତ‌ତ୍ତ୍ୱଜ୍ଞାନ ସାର । ତୋ ଆଗେ କହିଲୁ ବିଦୁର ॥ ୪୬୩
ଏବେ ଶ୍ରବଣେ କିବା ଇଚ୍ଛା । କହ ସଂଶୟ ତେଜି ବାଞ୍ଛା ॥ ୪୬୪
ଏମନ୍ତ ମୁନି ମୁଖୁଁ ଶୁଣି । ଶିରେ ନିବେଶି ବେନି-ପାଣି ॥ ୪୬୫
କହଇ ବିପ୍ର ଜଗନ୍ନାଥ । ମୈତ୍ରେୟ-ବିଦୁର-ଚରିତ ॥ ୪୬୬
ଚତୁର୍ଥ ସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୪୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରହଂସ୍ୟାଂ
ସଂହିତାୟାଂଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ
ପ୍ରାଚୀନବର୍ହି ନାରଦ ସମ୍ବାଦୋନାମ
ଏକନେତ୍ରିଂଶୋଽଧ୍ୟାୟଃ॥

ତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ବିଦୁର ଉବାଚ

ତଦନ୍ତେ ପଚାରେ ବିଦୁର । ଶୁଣ ମୈତ୍ରେୟ ମୁନିବର ॥ ୧
ତୁମ୍ଭେ ଯେ କହିଥିଲ ପୂର୍ବେ । ତପେ ପ୍ରଚେତା ଭାଇ ସର୍ବେ ॥ ୨
ସେମାନେ ରୁଦ୍ରଗୀତା ସ୍ତବେ । ହରି ଭଜିଲେ ଏକଭାବେ ॥ ୩
କହ ହେ ଦେବଗୁରୁ-ଶିଷ୍ୟ । ତାହାଙ୍କ ସିଦ୍ଧି ହେଲା କିସ ॥ ୪
ସେ ସର୍ବେ ବଡ଼ ଭାଗ୍ୟବନ୍ତ । ଦେଖିଳେ ଉମାଦେବୀକାନ୍ତ ॥ ୫
ସେ ତାଙ୍କୁ ରୁଦ୍ରଗୀତା ଦେଲେ । ସେ ତହିଁ ଯୋଗଶିକ୍ଷା କଲେ ॥ ୬
ହରିଙ୍କି ପାଇଲେ କେମନ୍ତେ । ଇହକାଳରେ କିବା ଅନ୍ତେ ॥ ୭
ଏକଥା କ‌ହ ମୁନିବର । ତାହା ଶ୍ରବଣେ ଇଚ୍ଛା ମୋର ॥ ୮
ମୈତ୍ରେୟ ଉବାଚ
ଶୁଣ ବିଦୁର ସୁଚେତନ । ତଦନ୍ତେ ଯେବଣ ବିଧାନ ॥୯
ସେ ପିତାବାକ୍ୟେ ହୋଇ ତୋଷ । ତପ ସାଧନେ ଭାଇଦଶ ॥୧୦
ବାଟରେ ଭେଟିଲେ ଈଶାନ । ସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ ॥୧୧
ସେ ଦୀକ୍ଷା ପାଇ ଦଶଭାଇ । ସମୁଦ୍ରେ ପ୍ରବେଶିଲେ ଯାଇ ॥୧୨
ବୁଡିଣ ସମୁଦ୍ର ମଧ୍ୟରେ । ତପ ସାଧିଲେ ନିରାହାରେ ॥୧୩
ଅୟୁତ-ସମ୍ବତ୍ସର ଯାଏଁ । ତପ ସାଧିଲେ ନିରାହାରେ ॥୧୪
ତଦନ୍ତେ ଦେବ ନାରାୟଣ । ଦର୍ଶନ ଦେଲେ ତ‌ତ‌କ୍ଷଣ ॥୧୫
ହରିଙ୍କ କାନ୍ତି ଶୋଭା କଳା । ତା ଦେଖି ତାଙ୍କ ଦୁଃଖ ଗଲା ॥୧୬
ଖରୋଦ୍ର-ପୃଷ୍ଠେ ଦିବ୍ୟଅଙ୍ଗେ । ଯେହ୍ନେ ଜୀମୂତ ମେରୁଶୃଙ୍ଗେ ॥୧୭
ପୀତବସନ ପରିଧାନ । ଯେହ୍ନେ ତଡିତେ ନବଘନ ॥୧୮
ଅତି ସୁନ୍ଦର ସୁଭୂଷଣ । ସୁଗ୍ରୀବେ ରତ୍ନମଣିଗଣ ॥୧୯
ରତ୍ନ ସମୂହେ ଶୁଦ୍ଧକାନ୍ତି । ସେ ଦିଗ ତିମିର ନାଶନ୍ତି ॥୨୦
ଶୋଭନେ ନାହିଁ ପଟାନ୍ତର । ଅଶେଷ-ଭୁବନ-ସୁନ୍ଦର ॥୨୧
ମକର-କୁଣ୍ତଳ ଶ୍ରବଣେ । ଖଚିତ ନାନା ମଣିଗଣେ ॥୨୨
କଞ୍ଜବଦନ ଶୋଭାକର । ଅନଙ୍ଗ-କୋଟି-ଦର୍ପ‌ହର ॥୨୩
ଶିରେ କିରୀଟ ଶୋଭମାନ । କାମ ନିନ୍ଦିତ ତନୁବର୍ଣ୍ଣ ॥୨୪
ଅଷ୍ଟ ଆୟୁଧ କରେ ଛନ୍ତି । ସେବକେ ସେବନ କରନ୍ତି ॥୨୫
ଦେବ-ସମୂହେ ମୁନିଜନେ । ସ୍ତୁବନ୍ତି ନିଗମ-ବଚନେ ॥୨୬
ଖଗେନ୍ଦ୍ର-ପକ୍ଷ-ନାଦ-ସ୍ୱର । ସୁର-ମୁନୀନ୍ଦ୍ର ମନୋହର ॥୨୭
ଶୁଭଇ ସାମଗାନ ପ୍ରାୟେ । ଶୁଣି କିନ୍ନରଜନ ମୋହେ ॥୨୮
ପୀନ ଆୟତ ଅଷ୍ଟଭୁଜ । ସୁର ଅଇରି ନାଶେ ବୀଜ ॥୨୯
ତା ମେଧ୍ୟ ଶୋହେ ବନମାଳ । ମଧୁ-ଲୋଭିତ ଭୃଙ୍ଗକୁଳ ॥୩୦
ଭ୍ରମିଣ ଗୁଞ୍ଜରନ୍ତି ପାଶେ । ଲୋଭିତ ମକରନ୍ଦ ଆଶେ ॥୩୧
ଶୋଭନେ ନାହିଁ ପଟାନ୍ତର । ମନ-ବଚନେ ଆଗୋଚର ॥୩୨
ନାହିଁ ପ୍ରତୁଲ୍ୟ ରୂପ ଶୋଭା । ଅଗ୍ରେ ହୋଇଲେ ଆସି ଉଭା ॥୩୩
ତାହାଙ୍କୁ ଦେଖି ଦଶଭାଇ । ଚରଣେ ପ୍ରଣମିଲେ ଯାଇ ॥୩୪
ସନ୍ତୋଷ ତାଙ୍କୁ ଦାମୋଦର । କହନ୍ତି ବଚନ ମଧୁର ॥ ୩୫

ଭଗବାନ ଉବାଚ

ଶୁଣ ହେ ନୃପତି-ନନ୍ଦନ । ତୁମ୍ଭରେ ହୋଇଲୁ ପ୍ରସନ୍ନ ॥ ୩୬
ଯେଣୁ କଠୋର-ତପ କଲ । ଏଣୁ ହୋଇବ ତୁମ୍ଭ ଭଲ ॥ ୩୭
ହେ ପୁତ୍ରେ ବରମାଗ ଦେବା । ଯେଣୁ ଆମ୍ଭରେ କଲ ସେବା ॥ ୩୮
ଯେଣୁ ଗୋବିନ୍ଦେ ଦଶଭାଇ । ସେବିଲ ଭେଦାଭେଦ ନୋହି ॥ ୩୯
ସମାନଧର୍ମ ସମଶୀଳ । ଏଣୁ ଆମ୍ଭଙ୍କୁ ତୋଷ କଲ ॥ ୪୦
ତୁମ୍ଭର ଗୁଣ-କୀର୍ତ୍ତ-ଯଶ । ଶ୍ରବଣେ କଳୁଷ ବିନାଶ ॥ ୪୧
ଯେ ନର ଶଯ୍ୟାରୁ ଉଠିଣ । ତୁମ୍ଭରେ କରିବ ସ୍ମରଣ ॥ ୪୨
ନୋହିବ ତାଙ୍କ ଭାଇ ଭେଦ । ସେମାନେ ନ ପାଇବେ ଖେଦା ॥ ୪୩
ସକଳ-ଭୂତେ ସମଭାବ । ଖଣ୍ତିବେ ଦୁଃଖ-ପରାଭବ ॥ ୪୪
ସେ ନିତ୍ୟେ ପ୍ରଭାତ-ସନ୍ଧ୍ୟାରେ । ଏ ରୁଦ୍ରଗୀତା ସ୍ତବକରେ ॥ ୪୫
ମୁଁ ତାରେ ଦେଇ କାମ୍ୟବର । ଶୋଭନ ହେବ ମତି ତାର ॥ ୪୬
ଯେଣୁ ଏ ତୁମ୍ଭେ ଦଶଭାଇ । ପିତାର ଆଜ୍ଞା ଶିରେ ବହି ॥ ୪୭
ସନ୍ତୋଷେ ତପ ଆଚରିଲ । ଏଣୁ ଲଭିବ କୀର୍ତ୍ତି ଭଲ ॥ ୪୮
ବିମଳ ସୁଯଶ ତୁମ୍ଭର । ବିଖ୍ୟାତ ରହିବ ସଂସାର ॥ ୪୯
ତଦନ୍ତେ କିଛିକାଳ ଅନ୍ତେ । ଏ ତୁମ୍ଭ ପତ୍ନୀ ଗର୍ଭଗତେ ॥ ୫୦
ହୋଇବ ଏକଇ ତନୟ । ସେ ହେବ ବ୍ରହ୍ମଗୁଣମୟ ॥ ୫୧
ଯେ ପୁତ୍ର ଆତ୍ମବୀର୍ଯ୍ୟବଳେ । ପୂରିବ ଏ ଲୋକ ଶୟଳେ ॥ ୫୨
ବଂଶର ସଂଖ୍ୟା ତ ନଥିବ । ସୃଷ୍ଟି ସୃଜନ ତେବେ ହେବ ॥ ୫୩
ଯେ କନ୍ୟା ବିଭା ହେବ ତୁମ୍ଭେ । କହିବା ତାର ଜନ୍ମ ଏବେ ॥ ୫୪
ଶୁଣ ହେ ନୃପତିନନ୍ଦନେ । ସେ କଣ୍ତୁଋଷି ତପୋବନେ ॥ ୫୫
ତପ ସାଧନ ମୋକ୍ଷ ଆଶେ । ବସି ନିର୍ଜନ-ଘୋର-ଦେଶେ ॥ ୫୬
ତାଙ୍କ ଆଶ୍ରମ ଅନୁସରି । ଅଇଲା ଏକଇ ସୁନ୍ଦରୀ ॥ ୫୭
ପ୍ରମ୍ଳୋଚା ନାମ ଯେ ତାହାର । ଅପ୍‌ସରାଗଣେ ଶ୍ରେଷ୍ଠ ସାର ॥ ୫୮
ତାହାକୁ ଦେଖି ମୁନିବର । ଅନଙ୍ଗେ ହୋଇଲେ ଅସ୍ଥିର ॥ ୫୯
ଛାଡି ତପସ୍ୟା ଆଦି ଧ୍ୟାନ । ତା ରୂପେ ପାଶୋରିଲେ ଜ୍ଞାନ ॥ ୬୦
ତାର ସଙ୍ଗତେ ମୁନିବର । ଗୃହସ୍ଥଧର୍ମେ ସୁବିଚାର ॥ ୬୧
ବଞ୍ଚିଲେ କାମଭୋଗେ ତୋଷେ । ଅଜ୍ଞାନେ ଇନ୍ଦ୍ରିୟ-ଅବଶେ ॥ ୬୨
ଏମନ୍ତେ କିଛି କାଳନ୍ତରେ । ଅମୋଘ-ବୀର୍ଯ୍ୟ ତା ଉଦରେ ॥ ୬୩
ରହିଲା କାଳ-କର୍ମ ଫଳେ । ବିଧି-ସଂଯୋଗେ କର୍ମବଳେ ॥ ୬୪
ତାହାର ଗର୍ଭେ ଏକକନ୍ୟା । ହୋଇଲା ରୂପଗୁଣେ ଧନ୍ୟା ॥ ୬୫
କନ୍ୟାକୁ ଛାଡି ସେ ସୁନ୍ଦରୀ । ତକ୍ଷଣେ ଗଲା ନିଜ ପୁରୀ ॥ ୬୬
ସେ ବନେ ଯେତେ ବୃକ୍ଷ ଥିଲେ । ସର୍ବେ କନ୍ୟାକୁ ଘେନିଗଲେ ॥ ୬୭
ସେ କନ୍ୟା କ୍ଷୁଧାର ବିକଳେ । ରୋଦନ କରେ ବୃକ୍ଷମୂଳେ ॥ ୬୮
ତାହାକୁ ଦେଖି ନିଶାକର । ଦୟା ବସିଲା ତା କଣ୍ଠର ॥ ୬୯
ତର୍ଜନୀ ଅଙ୍ଗୁଳି ତାଙ୍କର । ତା ମୁଖେ ଦେଲେ ନିଶାକର ॥ ୭୦
ଚନ୍ଦ୍ରର କରେ ସୁଧା ଥିଲା । ତା ପାନେ କ୍ଷୁଧା ଦୂର ହେଲା ॥ ୭୧
ଏମନ୍ତେ ସେ ବନେ ସୁନ୍ଦରୀ । ରହିଲା କର୍ମ ଅନୁସରି ॥ ୭୨
ସେ ଗୁଣବତୀ କନ୍ୟାସାର । ତା ଅନୁରୂପେ ତୁମ୍ଭେ ବର ॥ ୭୩
ଆମ୍ଭର ଭକ୍ତ ତୁମ୍ଭ ପିତା । ସୃଷ୍ଟି-ସର୍ଜନେ କରି ଚିନ୍ତା ॥ ୭୪
ଏଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ । ଏ ସୃଷ୍ଟିକର ତୁମ୍ଭେ ଭଲେ ॥ ୭୫
ଏଣୁ ଯେ ତୁମ୍ଭେ ଦଶଭାଇ । ସେ କନ୍ୟା ବିଭା ହୁଅ ଯାଇ ॥ ୭୬
ସମାନଧର୍ମୀ ତୁମ୍ଭେମାନେ । ଏ ମୋର ବାକ୍ୟେ ତୋଷମନେ ॥ ୭୭
ସେ କନ୍ୟା ତୁଲେ ସୃଷ୍ଟିକର । ସେ ଯୋଗ୍ୟ ଅଟଇ ତୁମ୍ଭର ॥ ୭୮
ସହସ୍ରବର୍ଷ ଦେବମାନେ । ଜୀବିତେ ରହ ସୁକଲ୍ୟାଣେ ॥ ୭୯
ପୃଥିବୀ ମୁଖେ ଭୋଗକର । ତ୍ରିବିଧତାପ ପରିହର ॥ ୮୦
ମୋ ପାଦେ କରିବ ଭକତି । ବୈକୁଣ୍ଠେ ଲଭିବ ବସତି ॥ ୮୧
ଏ କର୍ମବନ୍ଧ ବିନାଶିବ । ବିଷୟଭୋଗ ନ ଲାଗିବ ॥ ୮୨
ଭୋଗାନ୍ତେ ମୋକ୍ଷ ଦଶଭାଇ । ହେବ ସଂଶୟ ଏଥି ନାହିଁ ॥ ୮୩
ଏ ଗୃହଧର୍ମେ ବସ୍ତୁ ଯେତେ । ମୋତେ ସମର୍ପି ଶୁଦ୍ଧଚିତ୍ତେ ॥ ୮୪
ଉଦାସୀଜନ ପ୍ରାୟ ହୋଇ । ମୋର ଭକତି ହୃଦେ ଧାୟି ॥ ୮୫
ମୁଁ ବ୍ରହ୍ମ ପରମ ପୁରୁଷ । ସକଳଘଟେ ମୋ ପ୍ରକାଶ ॥ ୮୬
ଯେ ମୋର ଭକତି ଲଭନ୍ତି । ସେ ଆର କିଛି ନ ଜାଣନ୍ତି ॥ ୮୭
ତାଙ୍କୁ ନ ଲାଗେ ମାୟାମୋହ । ଛିଡେ ଦୁର୍ଜୟ-ବନ୍ଧ-ସ୍ନେହ ॥ ୮୮
ତାହାଙ୍କୁ ଗୃହ ନ ଲାଗଇ । ମୋ ଭକ୍ତିବଳେ ନିସ୍ତରଇ ॥ ୮୯

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଏମନ୍ତ କହନ୍ତେ ଈଶ୍ୱର ॥ ୯୦
ଅଞ୍ଜଳି କରି ଦଶଭାଇ । ପ୍ରଣାମ କରନ୍ତି ବିନୋୟି ॥ ୯୧
ଶ୍ରୀମୁଖ ନିରେଖି ଚାହିଁଲେ । ଆନନ୍ଦସାଗରେ ବୁଡିଲେ ॥ ୯୨
ଦୂରତ ହେଲା ରଜ ତମ । ଖଣ୍ତିଲେ ବିଷୟ ବିଭ୍ରମ ॥ ୯୩
ସଂଭ୍ରମେ ନ ପାରନ୍ତି ଚାହିଁ । ରୋମ ପୁଲକେ ଅଶ୍ରୁ ଦେହୀ ॥ ୯୪
ଆନନ୍ଦ ସାଗରେ ବୁଡିଣ । କହନ୍ତି ଗଦ୍‌ଗଦ ବଚନ ॥ ୯୫
ଦେହ ଜୀବନ ପାଶୋରିଲେ । ଚରଣ-ପଙ୍କଜେ ନମିଲେ ॥ ୯୬
ସ୍ତୁତି କରଣେ ଶକ୍ୟ ନୋହି । ପ୍ରେମ ଆନନ୍ଦେ ପୂର୍ଣ୍ଣ ଦେହୀ ॥ ୯୭
ସ୍ତୁତି କରନ୍ତି ଏକେ ଏକେ । ବାକ୍ୟେ ନ ସ୍ଫୁରେ ଅଶ୍ରୂଦକେ ॥ ୯୮

ପ୍ରଚେତଗଣ ଉବାଚ

ନମସ୍ତେ ପ୍ରଭୁ ନାରାୟଣ । ଅଶେଷ ଦୁଃଖ ନିବାରଣ ॥ ୯୯
ଉଦାର ଗୁଣ ଯେ ତୁମ୍ଭର । ତୋ ନାମ ଦେବେ ଅଗୋଚର ॥ ୧୦୦
ତୁମର ବେଗ ବଳବନ୍ତ । ମନ-ବଚନେ ନୋହେ ଅନ୍ତ ॥ ୧୦୧
ଇନ୍ଦ୍ରିୟଗଣ ନ ଜାଣନ୍ତି । କି ରୂପେ ଜାଣିବେ ତୋ ଗତି ॥ ୧୦୨
ଏମନ୍ତ ପ୍ରଭୁ ଯେ ଈଶ୍ୱର । ସେ ପାଦେ ଆମ୍ଭ ନମସ୍କାର ॥ ୧୦୩
ତୁମ୍ଭେ ବିଶୁଦ୍ଧ ଶାନ୍ତରୂପେ । ବସ ନିର୍ମଳ-ମନ-କୂପେ ॥ ୧୦୪
ନମସ୍ତେ ପ୍ରଭୁ ଭଗବାନ । ଏ ଭବୁ କର ପରିତ୍ରାଣ ॥ ୧୦୫
ଜଗତ ଉଦେ ସ୍ଥିତି ଲୟେ । ହୋଇ ଯେ ଅଛି ଗୁଣମୟେ ॥ ୧୦୬
ମାୟା-ଗୁଣରୁ ରୂପ ଧରି । ସୃଷ୍ଟି ସର୍ଜନେ ଅଧିକାରୀ ॥ ୧୦୭
ନୋହିଁଲେ ତୁମ୍ଭେ ଶୁଦ୍ଧସ‌ତ୍ତ୍ୱ । କେହି ନ ପାରି ତୁମ୍ଭ ତ‌ତ୍ତ୍ୱ ॥ ୧୦୮
ନମୋ ଶ୍ରୀକୃଷ୍ଣ ବାସୁଦେବ । ସକଳ-ସାତ୍ୱତ-ପ୍ରଭବ ॥ ୧୦୯
କମଳନାଭିଟି ଯାହାର । ସେ ପାଦେ ମୋର ନମସ୍କାର ॥ ୧୧୦
ନମସ୍ତେ କମଳମାଳିନେ । ପଙ୍କଜଲୋଚନ-ଚରଣେ ॥ ୧୧୧
କମଳ-କିଞ୍ଜଳ୍‌କ ଯେସନ । ନିର୍ମଳ-ବସନ ତେସନ ॥ ୧୧୨
ସେ ପୀତବାସଙ୍କୁ ନମଇଁ । ଚରଣେ ପରିମୁଣ୍ତା ଯାଇ ॥ ୧୧୩
ସକଳଭୂତେ ଯାର ବାସ । ସେ ସାକ୍ଷୀ ରୂପେ ସୁପ୍ରକାଶ ॥ ୧୧୪
ସେ ରୂପ ଭାବି ପ୍ରଣମିଲୁ । ଯେଣୁଟି ଦର୍ଶନ ଲଭିଲୁ ॥ ୧୧୫
ଭୋ ପ୍ରଭୁ ତୁମ୍ଭେ ଭଗବାନ । ଏ ଦୟା କରିବ କେ ଆନ ॥ ୧୧୬
ଆମ୍ଭଙ୍କୁ ଏ ରୁପ ଦେଖାଇ । ଦୁରିତଖଣ୍ତିଲ ଗୋସାଇଁ ॥ ୧୧୭
ଏ ରୂପ ଯେ କରେ ଦର୍ଶନ । ସେ ଦୁଃଖେ ନୁହଁନ୍ତି ଭାଜନ ॥ ୧୧୮
ଭୋନାଥ ମହିମା ତୋ ଯେତେ । ଦେଖିଲୁ ପ୍ରଭୁପଣ ତେତେ ॥ ୧୧୯
ବୁଝିଲୁ ତୁମ୍ଭେ ଦୟାସିନ୍ଧୁ । ଯେ ହୀନ-ଦୀନଜନ-ବନ୍ଧୁ ॥ ୧୨୦
ଆମ୍ଭେ ଯେ ଅତି ଦୀନହୀନ । ଆମ୍ଭଙ୍କୁ କର ନିସ୍ତାରଣ ॥ ୧୨୧
ଯେଉଁ ସ୍ମରଣେ ଆହେ ନାଥ । ସୁଶାନ୍ତି ଲଭି ସୁଖ ଜାତ ॥ ୧୨୨
ବୁଝିଲୁ ତୁମ୍ଭେ ଦୂରେ ନାହିଁ । ହୃଦୟପଦ୍ମେ ଗୁପ୍ତେ ଥାଅ ॥ ୧୨୩
ଏରୁ ଭକତ-ଚିତ୍ତ-କଥା । ଜାଣିଣ ପାଅ ମନେ ବ୍ୟଥା ॥ ୧୨୪
ଯେଣୁ ତୋ ସର୍ବଘାଟେ ବାସ । ଭକ୍ତ ଡାକିଲେ ଶ୍ରୀଘ୍ର ଆସ ॥ ୧୨୫
ଭୋ ନାଥ ଜଗତଗୋସାଇଁ । ଏଣୁ ଉତ୍ତାରେ ବର ନାହିଁ ॥ ୧୨୬
ତୁମ୍ଭେ ଜଗତ-ଗୁରୁ-ପତି । ପ୍ରସନ୍ନ ହୋଇଲ ତଡ଼ତି ॥ ୧୨୭
ଏ ବର ହେବ କି ଆମ୍ଭର । ଭୋ ନାଥ ତୁମ୍ଭେ କୃପାକର ॥ ୧୨୮
ତୁମ୍ଭ ବିଭୂତି ଅନ୍ତନାହିଁ । ଏଣୁ ଅନନ୍ତ ନାମକହି ॥ ୧୨୯
ପାରିଜାତକ ପୁଷ୍ପ ପାଇ । ସାରଙ୍ଗ ଅନ୍ୟ କି ଲୋଡଇ ॥ ୧୩୦
ଲଭିଣ ତୋ ପାଦକମଳ । ଅନ୍ୟ ଏ ବରେ କିବା ଫଳ ॥ ୧୩୧
ଭୋ ନାଥ ନିବେଦୁଁ ଛାମୁରେ । ଏ ଆଜ୍ଞା ହେବ କି ଆମ୍ଭରେ ॥ ୧୩୨
ଯାବତ ତୁମ୍ଭ ମାୟା ଘେନି । ଜନ୍ମ ଲଭିବୁ ନାନା ଯୋନି ॥ ୧୩୩
ସ୍ୱକର୍ମବଶେ ଦେହ ବହି । ଭୋଗ ନକଲେ ନାଶ ନୋହି ॥ ୧୩୪
ନିଜସ୍ୱ କର୍ମ ଭୁଞ୍ଜୁଥିବୁ । ତୋ ସଙ୍ଗୀ ସଙ୍ଗତ ଲଭିବୁ ॥ ୧୩୫
ସୁକର୍ମ ସୁଯଜ୍ଞ ସୁଦାନ । ତୋ କଥାମୃତ ନିତ୍ୟେ ପାନ ॥ ୧୩୬
ସୁତୀର୍ଥେ ସୁବିପ୍ରଙ୍କ ଗୋଷ୍ଠୀ । ତୋ ସେବା ସ୍ମରଣ ମୁକତି ॥ ୧୩୭
ତୋ ଭକ୍ତସଙ୍ଗର ମହିମା । କେ ଜାଣିପାରେ ଗୁଣସୀମା ॥ ୧୩୮
ସେ ସଙ୍ଗୁ ଯେବା ସୁଖ ହୋଇ । ସେ ସୁଖ ସ୍ୱର୍ଗେ ଅଛି କାହିଁ ॥ ୧୩୯
ଯହିଁ ମୁକତି ତୁଲ୍ୟ ନୋହେ । ମନୁଷ୍ୟ ସୁଖ କାହିଁ ରହେ ॥ ୧୪୦
ଆମ୍ଭେ ବୁଝିଲୁ ଅନୁଭବେ । ସାଧୁ-ସଙ୍ଗମେ ସୁଖ ଲଭେ ॥ ୧୪୧
ତା ତୁଲେ ନୋହେ ସ୍ୱର୍ଗ-ମୋକ୍ଷ । ଏ ମର୍ତ୍ତ୍ୟଭୋଗ ଅତି ତୁଚ୍ଛ ॥ ୧୪୨
ଯେଠାରେ ସାଧୁଏ ବସନ୍ତି । ଯେ ନିତ୍ୟେ ହରି-ଯଶ ଗାନ୍ତି ॥ ୧୪୩
ତୋ ଅବତାର ପୁଣ୍ୟ ଯଶ । ଯେ ଯଶେ କଳୁଷ ବିନାଶ ॥ ୧୪୪
ଗାବନ୍ତି ତୋ ନାମ ଚରିତ । ତୋ ଯଶ-କର୍ମ ଅବିରତ ॥ ୧୪୫
ଯେ ତାହା ପିବେ ଶ୍ରୁତିଦ୍ୱାରେ । ଜ୍ଞାନେ ଅଜ୍ଞାନେ ପାପ ହରେ ॥ ୧୪୬
ତେବେ ବିଷୟ ଶାନ୍ତ ହୋଏ । ଜୀବେ ବଇରୀଭାବ ନୋହେ ॥ ୧୪୭
ଅହିଂସା-ଧର୍ମ ହୋଏ ଜାତ । ତହୁଁ ଉଦେଗ ନୋହେ ଚିତ୍ତ ॥ ୧୪୮
ଯେ ହରିଦାସଙ୍କର ଗତି । ଯା ପାଦେ ଭକତେ ସେବନ୍ତି ॥ ୧୪୯
ସଙ୍ଗ ଉପେକ୍ଷି ସାଧୁଜନେ । ଏକାନ୍ତେ ଥାନ୍ତି ତୁମ୍ଭ ଧ୍ୟାନେ ॥ ୧୫୦
ସେ ନିତ୍ୟେ ଭୂମି ପର୍ଯ୍ୟଟନ୍ତି । ଭ୍ରମିଣ ପ୍ରାଣୀ ନିସ୍ତାରନ୍ତି ॥ ୧୫୧
ତୀର୍ଥାଦି କରନ୍ତି ପବିତ୍ର । ଏମନ୍ତ ସାଧୁଙ୍କ ଚରିତ ॥ ୧୫୨
ତାହାଙ୍କ ଦର୍ଶନ ଯାହାଙ୍କୁ । ନ ରୁଚେ କହିବା ଆମ୍ଭଙ୍କୁ ॥ ୧୫୩
ତୁମ୍ଭର ପ୍ରିୟସଖା ରୁଦ୍ର । ସେ ପ୍ରଭୁ ଦୟାର ସମୁଦ୍ର ॥ ୧୫୪
ପାଇଲୁ ତାଙ୍କ ସଙ୍ଗ ଯେଣୁ । ତେଣୁ ତରିଲୁ ଘୋରବଣୁ ॥ ୧୫୫
ସେ ସାଧୁସଙ୍ଗ ଭାଗ୍ୟେ କରି । ତୋତେ ଦେଖିଲୁ ନରହରି ॥ ୧୫୬
ଏ ଭବ-ବ୍ୟାଧି ମହାଘୋର । ଚିକିତ୍ସା ନାହିଁ ଯେ ଏଥିର ॥ ୧୫୭
ଏଥକୁ ବୈଦ୍ୟ ଅଟ ତୁମ୍ଭେ । ଏଣୁ ଆଶ୍ରୟ କଲୁ ଆମ୍ଭେ ॥ ୧୫୮
ତୋହର ନାମ ଦୀନବନ୍ଧୁ । ତୁହି କରୁଣାମୟ ସିନ୍ଧୁ ॥ ୧୫୯
ଆମ୍ଭେ ଯେ ଦୀନ ଅଭାଜନ । ପଶିଲୁ ତୋ ପାଦେ ଶରଣ ॥ ୧୬୦
ରଖ ନ ରଖ ଭାବଗ୍ରାହୀ । ତୋ ବିନୁ ଅନ୍ୟ ଗତି ନାହିଁ ॥ ୧୬୧
ତୋର ପ୍ରସନ୍ନେ ଭଗବାନ । କେବଳ ଆମ୍ଭର ଜୀବନ ॥ ୧୬୨
ଏ ଚତୁର୍ବର୍ଗ ଆଶ୍ରେ ଯହିଁ । ଅନ୍ୟତ୍ର ତୋଷେ ଶକ୍ୟ ନାହିଁ ॥ ୧୬୩
ଏଣୁ ଯେ ତୋ ପାଦକମଳେ । ଶରଣାଶ୍ରିତ ଏ ଶୟଳେ ॥ ୧୬୪
ସେ କାଳଦଣ୍ତ ପରିହରେ । ଆନନ୍ଦ-ସାଗରେ ବିହରେ ॥ ୧୬୫
ଭେନାଥ ଆମ୍ଭେ ଦଶଭାଇ । ବେଦ ପଢ଼ିଲୁ ଯେତେଠାଇଁ ॥ ୧୬୬
ଗୁରୁଙ୍କ ଚରଣ ପୂଜିଲୁ । ବୃଦ୍ଧ-ବ୍ରାହ୍ମଣ ସେବା କଲୁ ॥ ୧୬୭
ଅହିଂସା ଧର୍ମ ବ୍ୟବହାରେ । ବନ୍ଧୁଙ୍କୁ ତୋଷିଲୁ ସଂସାରେ ॥ ୧୬୮
ଅନେକ କାଳ ସିନ୍ଧୁଜଳେ । ତପସ୍ୟା କଲୁ ନିରାହାରେ ॥ ୧୬୯
ଯେତେକ କଷ୍ଟେ ତପ କଲୁ । ତୋ ପାଦେ ଏହା ସମର୍ପିଲୁ ॥ ୧୭୦
ଗୁରୁସେବନ ଆଦି ଯେତେ । ତୁମ୍ଭ ପ୍ରତୋଷେ ହେଉ ନିତ୍ୟେ ॥ ୧୭୧
ଆମ୍ଭର ବର ପ୍ରଭୁ ଏହି । ଆବର ବରେ ଇଚ୍ଛା ନାହିଁ ॥ ୧୭୨
ମନୁ ବିଧାତା ରୁଦ୍ର ଆଦି । ଅପରେ ଯେତେ ଶୁଦ୍ଧବୁଦ୍ଧି ॥ ୧୭୩
ତୁମ୍ଭ ମହିମା ଅନ୍ତ କେହି । ଏ ଦେଖି ନ ପାରିଲେ ଯହିଁ ॥ ୧୭୪
ସେ ତୁମ୍ଭ ରୂପ ଧ୍ୟାଉଥାନ୍ତି । ହୃଦୟ-କମଳେ ଭାବନ୍ତି ॥ ୧୭୫
ସେ ସର୍ବେ ଜ୍ଞାନର ସାଗର । ସ୍ତବନ କରନ୍ତି ତୁମ୍ଭର ॥ ୧୭୬
ଆମ୍ଭେ ବାଳକ ଜ୍ଞାନହୀନ । ବିଦ୍ୟାରେ ନୋହିଛୁ ପ୍ରବୀଣ ॥ ୧୭୭
ତଥାପି ଜ୍ଞାନ ଅନୁସାରେ । ମନ ଅର୍ପିଲୁ ତୁମ୍ଭଠାରେ ॥ ୧୭୮
ସେ ଦୋଷ କ୍ଷମ କୃପାଦେହୀ । ତୁମ୍ଭେ କେବଳ ଭାବଗ୍ରାହୀ ॥ ୧୭୯
ନମସ୍ତେ ପ୍ରଭୁ ଶୁଦ୍ଧସମ । ପରମ-ପୁରୁଷ-ଉତ୍ତମ ॥ ୧୮୦
ତୁମ୍ଭେ ଯେ ସତ୍ୟ ବାସୁଦେବ । ଆମ୍ଭଙ୍କୁ ଅନୁଗ୍ରହ ଥିବ ॥ ୧୮୧
ତୁମ୍ଭ ଚରଣେ ପ୍ରଣମିତ । ଆମ୍ଭଙ୍କୁ ରଖ ଜଗନ୍ନାଥ ॥ ୧୮୨

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁରେ । ଏମନ୍ତେ ପ୍ରଭୁଙ୍କ ଛାମୁରେ ॥ ୧୮୩
ସ୍ତୁତି ପଠନେ ଦଶଭାଇ । ଶୁରି ସନ୍ତୋଷ ଭାବଗ୍ରାହୀ ॥ ୧୮୪
ସେ ସର୍ବେ ହରି ରୂପ ଚାହିଁ । ସନ୍ତୋଷ ନ ଭଜିଲେ କେହି ॥ ୧୮୫
ମନଆନନ୍ଦେ ସେ ଭାବନ୍ତି । ଏ ରୂପେ ହରି ଯେବେ ଥାନ୍ତି ॥ ୧୮୬
ସତୃଷ୍ଣ-ନୟନେ ଦେଖିବା । ନିରତେ ଚରଣେ ସେବିବା ॥ ୧୮୭
ଏମନ୍ତ ସେ ବାଞ୍ଛନେତ ମନ । ହରି ହୋଇଲେ ଅନ୍ତର୍ଦ୍ଧାନ ॥ ୧୮୮
ସେ ଯେ ପ୍ରଚେତା ଭାଇଦଶ । ଆକୁଳେ ଚାହିଁ ଦଶଦିଶ ॥ ୧୮୯
ନ ଦେଖି ପ୍ରଭୁ ଚକ୍ରଧର । ସେ ଦିଗେ କରି ନମସ୍କାର ॥ ୧୯୦
ବିଚ୍ଛେଦ-ଶୋକେ ନିମଜ୍ଜିଲେ । ସେ ଦୁଃଖସାଗରେ ବୁଡିଲେ ॥ ୧୯୧
ପଡିଲେ ମୃତ୍ୟୁତୁଲ୍ୟ ଜାଣି । ସେ ହରି ବିଚ୍ଛେଦେ ଧରଣୀ ॥ ୧୯୨
ଆତ୍ମାବିହୀନେ ଯେହ୍ନେ ଦେହୀ । ଶୂନ୍ୟ ପ୍ରକାଶେ ସର୍ବଠାଇଁ ॥ ୧୯୩
ପୁଣି ସଚେତ ଜ୍ଞାନ ପାଇ । ଜଳୁ ଉଠିଲେ ଦଶଭାଇ ॥ ୧୯୪
ଧୀରେ ଚାହାଁନ୍ତେ ଦଶଦିଗ । ତ୍ରୁମେ ଆଚ୍ଛନ୍ନ ଭୂମିଭାଗ ॥ ୧୯୫
ଆକାଶ-ଘୋଟି ବେଢିଛନ୍ତି । ଦେଖିଣ ପ୍ରକୋପେ ଜଳନ୍ତି ॥ ୧୯୬
ସର୍ବେ ବିଚାରି ଏକମନେ । ବୃକ୍ଷ ନ ରଖିବା ଭୁବନେ ॥ ୧୯୭
ଅଗ୍ନି-ପବନ ବେଗେ ଦୁଇ । ମୁଖରୁ ଜାତ କଲେ ସେହି ॥ ୧୯୮
ସେ ଅଗ୍ନି ପବନେ ବଢ଼ିଲା । ସକଳ ଦ୍ରୁମ ଭସ୍ମକଲା ॥ ୧୯୯
ଅନଳ ଅନିଳ ପ୍ରତାପେ । ଅତି ଉତ୍ସର୍ଗେ ଧୂମ ବ୍ୟାପେ ॥ ୨୦୦
ବ୍ରାହ୍ମଣ-ଘୋଟେ ଅନ୍ଧକାର । ଅଦୃଶ୍ୟ ଚନ୍ଦ୍ର ଦିବାକର ॥ ୨୦୧
ତା ଦେଖି ବେଗେ ପିତାମହ । ଜାଣିଳେ ଗା ମହୀରୁହ ॥ ୨୦୨
ନିଜଲୋକରୁ ବିଜେ କଲେ । ସେ ଦ୍ରୁମ ବିନାଶୁଁ ରଖିଲେ ॥ ୨୦୩
କ୍ରୋଧସାନ୍ତ୍ୱନା କରି ତାଙ୍କ । ପ୍ରବୋଧି କହିଲେ ଅନେକ ॥ ୨୦୪
ହେ ପ୍ରଚେତସଗଣେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ॥ ୨୦୫
ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ । କିମ୍ପା କରୁଛ ସୃଷ୍ଟି ହାନି ॥ ୨୦୬
ତୁମ୍ଭେ ପାଳନେ ପ୍ରଜାପତି । ପ୍ରାଣୀଙ୍କ ହିତେ ଉତପତ୍ତି ॥ ୨୦୭
ଏବେ ଯେତେକ ବୃକ୍ଷ ଶେଷ । ରହନ୍ତୁ ଯାଇ ବନଦେଶ ॥ ୨୦୮
ବୃକ୍ଷଙ୍କୁ ଡାକି ପଦ୍ମଯୋନି । ବୋଇଲେ କନ୍ୟା ଆସ ଘେନି ॥ ୨୦୯
ଦଶଭାଇଙ୍କି କନ୍ୟା ଦେଇ । ନିର୍ଭୟେ ବନେ ରହ ଯାଇ ॥ ୨୧୦
ପାଦପେ ବିଧି-ବାକ୍ୟ ଶୁଣି । ତାହାଙ୍କୁ କନ୍ୟା ଦେଲେଆଣି ॥ ୨୧୧
ସେ କନ୍ୟା ନାମ ଯେ ମାରିଷା । ପଦ୍ମଲୋଚନୀ ପିକଭାଷା ॥ ୨୧୨
ସୁଚାରୁ ତନୁ ଚନ୍ଦ୍ରାନନୀ । ଦେଖି ମୋହିତ ସୁର ମୁନି ॥ ୨୧୩
ଭ୍ରୁଭଙ୍ଗଯୁଗଳ ସୁନ୍ଦର । ଅତନୁ-ଚାପ-ପ୍ରଭାହର ॥ ୨୧୪
ଅପାଙ୍ଗେ ମୁନି-ମନ-ମୋହେ । ତା ରୂପେ ରତି ସମ ନୋହେ ॥ ୨୧୫
ସେ ସର୍ବଲକ୍ଷଣେ ସୁନ୍ଦର । ତା ତୁଲ୍ୟ ନାହିଁ ପଟାନ୍ତର ॥ ୨୧୬
ବିଧି ବୋଇଲେ ପ୍ରଚେତସ । ଏ କନ୍ୟା ବର ତୁମ୍ଭେ ଦଶ ॥ ୨୧୭
ଏ ପତ୍ନୀଗର୍ଭରେ ତୁମ୍ଭର । ହୋଇବ ଯେବଣ କୁମର ॥ ୨୧୮
ସେ ପୁତ୍ର ହେତୁ ଏ ଜଗତେ । ପ୍ରଜା ହୋଇବେ ଅପ୍ରମିତେ ॥ ୨୧୯
ତୁମ୍ଭର ହେବ ପଉରୁଷ । ସଂସାରେ ଆଚ୍ଛାଦିବ ଯଶ ॥ ୨୨୦
ଏମନ୍ତ ଧାତାର ବଚନେ । ସନ୍ତୋଷ ଭଜିଲେ ସେମାନେ ॥ ୨୨୧
ତଷଣେ କନ୍ୟାକୁ ବରିଲେ । ବିଧାତା ନିଜପୁରେ ଗଲେ ॥ ୨୨୨
ତଦନ୍ତେ ଯେ ଯେ ଦଶଭାଇ । ବସିଲେ ନୃପାସନେ ଯାଇ ॥ ୨୨୩
ଯେ ବିଷ୍ଣୁ-ବାକ୍ୟେ ପ୍ରଚେତସ । ସୁଖେ ପାଳିଲେ ପ୍ରଜାଦେଶ ॥ ୨୨୪
ଅନେକ ଦାନ-ଯଜ୍ଞ କଲେ । ହରିଙ୍କି ସ୍ୱଧର୍ମେ ତୋଷିଲେ ॥ ୨୨୫
ତଦନ୍ତେ ଶୁଣ ହେ ବିଦୁର । ସେ କନ୍ୟା ଉଦରେ ତାଙ୍କର ॥ ୨୨୬
ଜନ୍ମିଳେ ଦକ୍ଷ ପ୍ରଜାପତି । ଯେ ପୂର୍ବେ ବ୍ରହ୍ମାର ସନ୍ତତି ॥ ୨୨୭
ପୂର୍ବେ ନିନ୍ଦିଳେ ଶିବ ଯେଣୁ । ଗର୍ଭ-ଯାତନା-ଦୁଃଖ ତେଣୁ ॥ ୨୨୮
ସେ ପାପବୀଜ କୂଟେ ଥିଲା । କେବେ ହେଁ ମୋଚନ ନ ଗଲା ॥ ୨୨୯
ସାଧୁଙ୍କ ଅପରାଧ ଦୋଷ । ସେ କୋଟିକଳ୍ପେ ନୋହେ ନାଶ ॥ ୨୩୦
ଚାକ୍ଷୁଷ ମନ୍ୱନ୍ତର ଅନ୍ତେ । ପୂର୍ବ ଶରୀର ଲୋପ ଯାନ୍ତେ ॥ ୨୩୧
ସେ ଦକ୍ଷ ଜନମ ଲଭିଲେ । ଏବେ ଯେ ପ୍ରଜା ସୃଷ୍ଟି କଲେ ॥ ୨୩୨
ଜନ୍ମିଳା ମାତ୍ରକେ କୁମର । ତା ତେଜ ହେଲାକ ଅପାର ॥ ୨୩୩
ତେଜସ୍ୱୀମାନେ ଯେତେ ଥିଲେ । ତା ତେଜେ ସର୍ବେ ଲୀନହେଲେ ॥ ୨୩୪
ସେ ସର୍ବକର୍ମେ ଦକ୍ଷ ଯହୁଁ । ତା ନାମ ଦକ୍ଷ ହେଲା ତହୁଁ ॥ ୨୩୫
ବିବିଧ ମତେ ପ୍ରଜାପତି । ସୃଷ୍ଟି ସେ କଲେ ମହାମତି ॥ ୨୩୬
ତାହାଙ୍କୁ ପ୍ରଜାରକ୍ଷା ପାଇଁ । ନିଯୋଗ କଲେ ବେଦସାଇଁ ॥ ୨୩୭
ଦ୍ୱିତୀୟ ଦକ୍ଷ ଜନ୍ମକଥା । ଶୁଣ ବିଦୁର ଶୁଦ୍ଧଚେତା ॥ ୨୩୮
ଯେଣୁ ସେ ପ୍ରଜା ସୃଷ୍ଟି କଲେ । ତେଣୁ ରାଜତ୍ୱ ପ୍ରତେଜିଲେ ॥ ୨୩୯
ଏଣୁ ଏ ଧ୍ରୁବବଂଶେ ରାଜ । ନୋହିଲେ ହେ ବ୍ୟାସତନୁଜ ॥ ୨୪୦
ପ୍ରିୟବ୍ରତରେ ରାଜ୍ୟ ଦେଲେ । ସେ ଦକ୍ଷ-ବାକ୍ୟେ ସୃଷ୍ଟି କଲେ ॥ ୨୪୧
ସେ ପ୍ରିୟବ୍ରତର ଚରିତ । ପଞ୍ଚମ ସ୍କନ୍ଧରେ ଭାକତ ॥ ୨୪୨
ପୂର୍ବେ ପଚାରିଥିଲୁ ମୋତେ । ପ୍ରଚେତା-ବଂଶାନୁଚରିତେ ॥ ୨୪୩
ସେ ଧ୍ରୁବବଂଶେ ଉତପନ । ପ୍ରାଚୀନବରହୀ-ନନ୍ଦନ ॥ ୨୪୪
ବିସ୍ତାରି କହିବାକ ତୋତେ । ପ୍ରଚେତା ଜ୍ଞାନ-ଉପଗତେ ॥ ୨୪୫
ଏହା ଯେ ଶ୍ରବଣେ ଶୁଣନ୍ତି । ତ୍ରିତାପ-ଭୟ ନିବାରନ୍ତି ॥ ୨୪୬
ତିରିଶ ଅଧ୍ୟା ଏହୁ ବାଣୀ । ମୈତ୍ରେୟ ବିଦୁରେ ବଖାଣି ॥ ୨୪୭
ଏ ଶୁକ-ପରୀକ୍ଷ ସମ୍ବାଦ । ହରଇ ଅଶେଷ-ଆପଦ ॥ ୨୪୮
ଇହ ଲୋକରେ ହୋଏ ଯଶ । ଅନ୍ତେ ତା ବଇକୁଣ୍ଠେ ବାସ ॥ ୨୪୯
ଗ୍ରହାଦି ପୀଡା ଶତ୍ରୁଭୟ । ଏ ସର୍ବଦୁଃଖ ହୋଏ କ୍ଷୟ ॥ ୨୫୦
କହଇ ଦାସ ଜଗନ୍ନାଥ । ଚତୁର୍ଥ ସ୍କନ୍ଧେ ଭାଗବତ ॥ ୨୫୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରିଂଶୋଽଧ୍ୟାୟଃ ॥

ଏକତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ତଦନ୍ତେ ଯେବଣ ବିଧାନେ ॥ ୧
ସେ ଦଶଭାଇ ଜ୍ଞାନ ପର । ହରିଆଦେଶ ଘେନି ଶିର ॥ ୨
ଅନେକକାଳ ଭୋଗଅନ୍ତେ । ବୈରାଗ୍ୟ ଉପୁଜିଲା ଚିତ୍ତେ ॥ ୩
ରାଜ-ବିଭୂତି ପତ୍ନୀ ତୁଲେ । ପୁତ୍ରେ ସମର୍ପି ବନେ ଗଲେ ॥ ୪
ପଶ୍ଚିମଜଳଧି-ତଟରେ । ରହିଲେ ସିଦ୍ଧ-ଆଶ୍ରମରେ ॥ ୫
ଜାଜଳି ନାମେ ଦ୍ୱିଜବର । ଯହିଁ ହୋଇଲେ ସିଦ୍ଧେଶ୍ୱର ॥ ୬
ତହିଁ ସେମାନେ ତପ କରି । ପୂଜିଲେ ବ୍ରହ୍ମସତ୍ରେ ହରି ॥ ୭
ଏ ମନ-ବଚନ-ଲୋଚନ । ସେ ଜୟ କଲେ ପ୍ରାଣ-ମନ ॥ ୮
ଆସନଆଦି ଦୃଢ଼ କଲେ । ସୁଶାନ୍ତ-ବିଗ୍ରହ ହୋଇଲେ ॥ ୯
ଏମନ୍ତ ସମୟେ ବିଦୁର । ନାରଦ ବ୍ରହ୍ମାଙ୍କ କୁମର ॥ ୧୦
ମିଳିଲେ ସେହିଠାବେ ଆସି । ସେମାନେ ଛନ୍ତି ତପେ ବସି ॥ ୧୧
ଦେଖି ନାରଦ-ମୁନିବର । ସେମାନେ ଉଠିଲେ ସତ୍ୱର ॥ ୧୨
ବେଗେ ଆସନ ଆଣି ଦେଲେ । ଚରଣଯୁଗ ପ୍ରକ୍ଷାଳିଲେ ॥ ୧୩
ଅତି ଆନନ୍ଦେ ଦଶଭାଇ । ଭାବେ ପୂଜିଲେ ଅର୍ଘ୍ୟ ଦେଇ ॥ ୧୪
ସୁଖେ ବସିଲେ ମୁନିବର । ସେମାନେ ଅଗ୍ରେ ଯୋଡିକର ॥ ୧୫
ରୋମ-ପୁଲକେ ଅଶ୍ରୁପନ୍ତି । ଆନନ୍ଦେ ବସି ପଚାରନ୍ତି ॥ ୧୬
ଆମ୍ଭେ କି ଭାଗ୍ୟ କରିଥିଲୁ । ଏ ତୁମ୍ଭ ଦର୍ଶନ ଲଭିଲୁ ॥ ୧୭
ଭୋ ମୁନି ଏ ତୁମ୍ଭ ଭ୍ରମଣ । ଅଜ୍ଞାନୀଜନ ଉଦ୍ଧାରଣ ॥ ୧୮
ନିର୍ଭୟ ହେତୁ ପ୍ରାଣୀଙ୍କର । ତୁମ୍ଭ ଦର୍ଶନ ମୁନିବର ॥ ୧୯
ଯେସନେ ସୂର୍ଯ୍ୟର ଉଦୟ । ଅଶେଷ-ପ୍ରାଣୀ-ସୁଖମୟ ॥ ୨୦
ତେସନେ ତୁମ୍ଭ ଦରଶନ । ଖଣ୍ତଇ ତ୍ରିତାପ-ଅଜ୍ଞାନ ॥ ୨୧
ଭୋ ମୁନି ମନଖେଦ ଯେତେ । କହିବୁଁ ତୁମ୍ଭର ଅଗ୍ରତେ ॥ ୨୨
ପୂର୍ବେ ଯେ ପ୍ରଭୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ॥ ୨୩
ଆମ୍ଭେ ଯେ ଗୃହଧର୍ମେ ପଡି । ସେ ଦିବ୍ୟଜ୍ଞାନ ଦେଲୁ ଛାଡି ॥ ୨୪
ଭୋ ମୁନି କର ଅନୁଗ୍ରହ । ସେ ତ‌ତ୍ତ୍ୱଜ୍ଞାନ ଏବେ କହ ॥ ୨୫
ଏ ଭବ-ସାଗର ଦୁସ୍ତର । ସେଜ୍ଞାନେ ହୋଇବୁଁ ନିସ୍ତାର ॥ ୨୬
ମୈତ୍ରେୟ କହନ୍ତି ଭାରତ । ଏମନ୍ତ ବୋଲନ୍ତେ ପ୍ରଚେତ ॥ ୨୭
ଶୁଣି ନାରଦ-ତପୋଧନ । ଉତ୍ତମ ଶ୍ଲୋକେ କଲେ ଧ୍ୟାନ ॥ ୨୮
ଧ୍ୟାନ କରନ୍ତେ ମୁନିବର । ରୋମପୁଲକେ କଳେବର ॥ ୨୯
କୃଷ୍ଣ-ବିଷୟେ ନିମଜ୍ଜିଲେ । ଦେହ-ଜୀବନ ପାଶୋରିଲେ ॥ ୩୦
ତକ୍ଷଣେ ପାଇ ଦିବ୍ୟବୁଦ୍ଧି । ତାହାଙ୍କୁ କହନ୍ତି ପ୍ରବୋଧି ॥ ୩୧

ନାରଦ ଉବାଚ

ଶୁଣ ନୃପତି ଧର୍ମଶୀଳ । ଯେ କର୍ମେ ହୋଇବ କୁଶଳ ॥ ୩୨
କହିବା ତହିଁର ବିଧାନ । ଯହିଁରେ ହେବ ତୁମ୍ଭ ଜ୍ଞାନ ॥ ୩୩
ମନୁଷ୍ୟ ଜନ୍ମ-କର୍ମ ସେହି । ହରିଙ୍କ ସେବା ହୋଏ ଯହିଁ ॥ ୩୪
ହରିଭଜନ ଯେବେ ନାହିଁ । ଏଥୁ ଅଭାଗ୍ୟ ପରେ କାହିଁ ॥ ୩୫
ଯେ ତିନିବେଦ କର୍ମ କହେ । ସେ କର୍ମେ ପ୍ରାଣୀ ମୋକ୍ଷ ନୋହେ ॥ ୩୬
ଭବୁ ତରିବ ସେ ବା କାହିଁ । ଯାବତ ହରି ନ ଭଜଇ ॥ ୩୭
ଯେ ଦେବଆୟୁଷେ ଜୀବନ୍ତି । ହରି ନ ଭଜି ନ ତରନ୍ତି ॥ ୩୮
ଯେଣୁ ସେ ବିଷୟେ ପ୍ରମତ୍ତ । ନ ଦେଲା କୃଷ୍ଣପାଦେ ଚିତ୍ତ ॥ ୩୯
ସୁସାଧ୍ୟ କଲେ ବିଦ୍ୟାମାନ । ଅପରେ ଯେତେ ତପଦାନ ॥ ୪୦
ଏ ସର୍ବ ତାର ଅକାରଣ । ଯେବେ ନ ଭଜେ ନାରାୟଣ ॥ ୪୧
ଯେତେକ କବିତ୍ୱ-ବଚନ । ବ୍ୟର୍ଥ କି କାର୍ଯ୍ୟେ ପ୍ରୟୋଜନ ॥ ୪୨
ବିଫଳ-ବୁଦ୍ଧି ହେଲା ତାର । ନ କଲା ଯେ କୃଷ୍ଣ-ବିଚାର ॥ ୪୩
ଇନ୍ଦ୍ରିୟ ବଳ ତେଜ ଘେନି । ଏଣୁ କି ଭବୁ ତରେ ପ୍ରାଣୀ ॥ ୪୪
ଅଷ୍ଟାଙ୍ଗଯୋଗ ସାଂଖ୍ୟ ଆଦି । ସନ୍ନ୍ୟାସ-ଧର୍ମ ବେଦବାଦୀ ॥ ୪୫
ଏ ସର୍ବ ଜୀବ ନ ତାରନ୍ତି । ଭୋଗାଦି-ଫଳ ବାଞ୍ଛା ଦ୍ୟନ୍ତି ॥ ୪୬
ଅପରେ ଯେତେ ଶ୍ରେୟକର୍ମ । ଇହ ସଂସାରେ ଲୋକଧର୍ମ ॥ ୪୭
ଏ ସର୍ବକାଳେ ନ ଘଟନ୍ତି । ଯେବେ ହରିଙ୍କି ନ ଭଜନ୍ତି ॥ ୪୮
ଏ ଯେତେ କର୍ମ ଶ୍ରେୟବିଧି । ଯଜ୍ଞାଦି କର୍ମ ଅଷ୍ଟସିଦ୍ଧି ॥ ୪୯
ସେ ସର୍ବ-ଅନ୍ତରାତ୍ମା-ହରି । ଯେ ଭଲମଦେ ଅଧିକାରୀ ॥ ୫୦
କର୍ମାନୁସାରେ ଦେହେ ରହି । ପ୍ରାଣୀଙ୍କି କର୍ମଭୋଗ ଦେଇ ॥ ୫୧
ତେଣୁ ସେ ଆତ୍ମା ସର୍ବଭୂତେ । ସକଳ ପ୍ରିୟ ସେ ଏମନ୍ତେ ॥ ୫୨
ଯେବେ ହରିଙ୍କି ସେବା କରି । ଆତ୍ମାକୁ ଉଦ୍ଧାରନ୍ତି ହରି ॥ ୫୩
ଏ ସର୍ବ-ଫଳଦାତା ହରି । ପ୍ରାଣୀ ନ ଜାଣି ଭ୍ରମି ମରି ॥ ୫୪
ଦୁଃଖ-ଗହନେ କରେ ଆଶ । ଏ କର୍ମେ ମୂଢ ଅବିଶ୍ୱାସ ॥ ୫୫
ଯେ ହରି ସର୍ବଭୂତେ ଥାଇ । କର୍ମାନୁସାରେ ଫଳ ଦେଇ ॥ ୫୬
ସକଳ-ପ୍ରିୟ ସେ ମୁରାରି । ସେ ଭଲମନ୍ଦେ ଅଧିକାରୀ ॥ ୫୭
ତାହାଙ୍କୁ ଯେ ପ୍ରାଣୀ ଭଜନ୍ତି । ତେବେ ଏ ଭବୁ ନିସ୍ତରନ୍ତି ॥ ୫୮
ଏମନ୍ତ ମହିମା ଯାହାର । ସେ ପ୍ରଭୁ କରନ୍ତି ଉଦ୍ଧାର ॥ ୫୯
ଯେସନେ ସର୍ବ-ତରୁ-ମୂଳେ । ଜଳ ସିଞ୍ଚନ ନେଇ କଲେ ॥ ୬୦
ତାହାର ଭୁଜ-ସ୍କନ୍ଧ-ଶାଖା । ସର୍ବେ ସନ୍ତୋଷ ମୂଳେ ଏକା ॥ ୬୧
ପ୍ରାଣକୁ ଉପହାର ଦେଲେ । ସନ୍ତୋଷ ଇନ୍ଦ୍ରିୟ-ସକଳେ ॥ ୬୨
ଏମନ୍ତେ ହରିଙ୍କର ସେବା । କଲେ ସନ୍ତୋଷ ସର୍ବଦେବା ॥ ୬୩
ହରିଟି ସର୍ବ-ଦେବ-ମୂଳ । ଯେତେ ପ୍ରପଞ୍ଚ-ସୂକ୍ଷ୍ମମୂଳ ॥ ୬୪
ସକଳ-ଆତ୍ମା-ଅନ୍ତ ହରି । ଯେ ପାଦ ଆଶ୍ରେ ପ୍ରାଣୀ ତରି ॥ ୬୫
ଯେସନେ ରବିଠାରୁ ଜଳ । ପ୍ରଭବି ପ୍ରକାଶେ ଶୟଳ ॥ ୬୬
କାଳେ ସେ ରବିତେଜେ ପୁଣି । ପ୍ରବେଶ ହୋନ୍ତି ସର୍ବପ୍ରାଣୀ ॥ ୬୭
ସେ ରୂପେ ଏ ଗୁଣ ପ୍ରବାହ । ଏ ଚରାଚର-ଭୂତ-ଦେହ ॥ ୬୮
ଏ ସର୍ବେ ହରିରୁ କ୍ଷରନ୍ତି । କାଳେ ସେ ତହିଁ ପ୍ରବେଶନ୍ତି ॥ ୬୯
ଜଗତ ହରିଙ୍କ କିରଣ । ସୂର୍ଯ୍ୟର ପ୍ରଭାଟି ଯେସନ ॥ ୭୦
ତା ତହିଁ ସର୍ବ-ଶକ୍ତି ଥାନ୍ତି । ଯେବେ ସେ ଜାଗ୍ରତ ଲଭନ୍ତି ॥ ୭୧
ତେବେ ସେ ଦ୍ରବ୍ୟ-କ୍ରିୟା-ଜ୍ଞାନ । ହୁଅଇ ଭେଦ-ଭ୍ରମମାନ ॥ ୭୨
ଯେହ୍ନେ ଆକାଶେ ଘନପନ୍ତି । ତମ-ବିଜୁଳି ପ୍ରକାଶନ୍ତି ॥ ୭୩
ତେମନ୍ତେ ପରମ-ବ୍ରହ୍ମରେ । ସକଳ-ଶକ୍ତି ଏ କ୍ରମରେ ॥ ୭୪
ହୁଅନ୍ତି ନୁହଁନ୍ତି ସେ କାଳେ । ସର୍ବ-ସ‌ତ୍ତ୍ୱାଦି ଗୁଣଜାଳେ ॥ ୭୫
ସେ ଆତ୍ମା ଅଶେଷ-ଦେହୀଙ୍କ । ପୁରୁଷ ପ୍ରଧାନ ସେ ଏକ ॥ ୭୬
କାଳ ହିଁ ତାହାଙ୍କୁଟି କହି । ଗୁଣ-ପ୍ରବାହ-ହେତୁ ସେହି ॥ ୭୭
ତାହାଙ୍କୁ ଭଜ ଏକଭାବେ । ସଂସାରୁ ନିସ୍ତରିବ ଯେବେ ॥ ୭୮
ସକଳ-ଭୂତେ ଦୟା କର । ଯହିଁ ତହିଁରେ ତୋଷ ଧର ॥ ୭୯
ଇନ୍ଦ୍ରିୟବର୍ଗ ବିନାଶିଲେ । ହରିଙ୍କି ପାଇବ ଭଜିଲେ ॥ ୮୦
ବିଶୁଦ୍ଧ ହୋଏ ଯେବେ ମନ । ବିନାଶ ହୋନ୍ତି ଚେଷ୍ଟାମାନ ॥ ୮୧
ଏମନ୍ତ ଭକ୍ତି ଯେବେ ଚିତ୍ତେ । ବିଶୁଦ୍ଧ-ହୃଦ ଅଦିରତେ ॥ ୮୨
ତହିଁ ବସନ୍ତି ଭଗବାନ । ନ ଯାନ୍ତି ତହୁଁ ଅନ୍ୟସ୍ଥାନ ॥ ୮୩
ଏ ବିନେ ଯେ ଆନ କୁଯୋଗୀ । ବିଷୟସୁଖେ ନିତ୍ୟେ ଭୋଗୀ ॥ ୮୪
ତାହାଙ୍କ ପୂଜା ନ ଘେନନ୍ତି । ଯେଣୁ ସେ ରସକୁ ଜାଣନ୍ତି ॥ ୮୫
ବିଦ୍ୟାଦି ଧନେ ଯେଉଁ ଜନେ । ରହନ୍ତି ଅହଂକାର ମନେ ॥ ୮୬
ଯେ ସାଧୁ ଅକିଞ୍ଚନ ଦେଖି । ହତଆଦରେ ଦୂରେ ପେକ୍ଷି ॥ ୮୭
ଧନ ବିନାଶ ହେତୁ କରି । ଯେ ସାଧୁସେବା ପରିହରି ॥ ୮୮
ଅତ୍ୟନ୍ତ ମୂଢ ସେ ପାମର । ଧନରେ ଅତି ସ୍ନେହ ତାର ॥ ୮୯
ଏମନ୍ତ ପ୍ରାଣୀ ଯେ ଅଟନ୍ତି । ଅଜ୍ଞାନେ ଧର୍ମ ନଜାଣନ୍ତି ॥ ୯୦
ତାଙ୍କୁ ବିମୁଖ ନରହରି । ସାଧୁ-ଦୂଷଣ ହେତୁ କରି ॥ ୯୧
ତାହାଙ୍କ ନିକଟେ ନ ଆସେ । ବସନ୍ତି ଅକିଞ୍ଚନ ପାଶେ ॥ ୯୨
ସେ ପରିପୂର୍ଣ୍ଣ ସର୍ବ ଭାବେ । ବଶ ନୁହଁନ୍ତି ଧନ-ଲୋଭେ ॥ ୯୩
ନିଜ ଭକତ-ବଶ ହରି । ଭକ୍ତ-ଡାକକୁ ଅନୁସରି ॥ ୯୪
ଏମନ୍ତ ମହିମା ତାହାର । ସେ ପାଦେ ନ ସେବେ ପାମର ॥ ୯୫
ଦାରା-ତନୟ-ମୋହେ ଜଡି । ଦୁଃଖ-ଗହନେ ସୁଖ ଲୋଡି ॥ ୯୬
ଅଜ୍ଞାନ ଭାବେ ଦମ୍ଭେ ଥାନ୍ତି । ଯେ ଅନ୍ୟ-ଦେବଙ୍କୁ ସେବନ୍ତି ॥ ୯୭
ଯେ ହରି ଛାଡି ସେବେ ଆନ । ଯେ ପ୍ରଭୁ ଭକତ-ଅଧୀନ ॥ ୯୮
ସେ ପାଦପଦ୍ମ ଛାଡି ସେହି । ଅନ୍ୟ ଭଜନେ ମନଦେଇ ॥ ୯୯
ଏ ସେବା ଛାଡି ଅନ୍ୟ ସେବେ । କେମନ୍ତେ ଭବୁ ନିସ୍ତରିବେ ॥ ୧୦୦
ତାହାଙ୍କୁ ବୋଲି ମୂଢମତି । ସେ ପ୍ରାଣୀ ଭବୁ ନ ତରନ୍ତି ॥ ୧୦୧
ଯାହାର ଅଛି ଦିବ୍ୟଜ୍ଞାନ । ସେ କାହିଁ ଭଜେ ଦେବ ଅନ୍ୟ ॥ ୧୦୨
ସେ ହରିପାଦେ ସର୍ବସୁଖ । ଆଶ୍ରୟେ ଛେଦେ ଭବ ଦୁଃଖ ॥ ୧୦୩

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଏମନ୍ତେ ଦେବ-ମୁନିବର ॥ ୧୦୪
ସେ ପ୍ରଚେବସ ତପ ଠାବେ । ଏ ଜ୍ଞାନ କହିଲେ ସ୍ୱଭାବେ ॥ ୧୦୫
ଅପରେ ହରିଗୁଣମାନ । କହି ତୋଷିଲେ ତାଙ୍କ ମନ ॥ ୧୦୬
ତକ୍ଷଣେ ବ୍ରହ୍ମଲୋକେ ଗଲେ । ସେ ସର୍ବେ ସନ୍ତୋଷେ ରହିଳେ ॥ ୧୦୭
ଶୁଣ ବିଦୁର ଜ୍ଞାନବନ୍ତ । ନାରଦ ମୁଖରୁ ନିର୍ଗତ ॥ ୧୦୮
ହରିଙ୍କ ନାମ ଯଶ ଗୁଣ । ଯେବା ଭାବନ୍ତି ଅନୁକ୍ଷଣ ॥ ୧୦୯
ସେ ସର୍ବେ କାମାର୍ଥ ଲଭନ୍ତି । ରତ୍ୟାଦି-ପାପା ବିନାଶନ୍ତି ॥ ୧୧୦
ଶୁଣି ସାନନ୍ଦ ନୃପଗଣେ । ହରି ଭଜିଲେ ଅନୁକ୍ଷଣେ ॥ ୧୧୧
ଅନ୍ତେ ସେ ହରିଙ୍କି ଲଭିଲେ । ନାରଦ-ହେତୁ ନିସ୍ତରିଲେ ॥ ୧୧୨
ଏ ଘେନି ସତସଙ୍ଗ ପ୍ରାଣୀ । ଆଦରି ଲଭେ ଚକ୍ରପାଣି ॥ ୧୧୩
ଏ ଦିନେ ନାହିଁ ସଦଗତି । ଶୁଣ ବିଦୁର ଗୁହ୍ୟ ଅତି ॥ ୧୧୪
ସାଧୁଙ୍କ ସଙ୍ଗେ ପ୍ରୀତି କର । ମାନସ-ମୋହ ଯାଉ ଦୂର ॥ ୧୧୫
ଯେତେ ସଂଶୟ ହୃଦଗତ । ପଚାରିଥିଲୁ ଯେ ବୃତ୍ତାନ୍ତ ॥ ୧୧୬
ସାର ଉଦ୍ଧରି ଶାସ୍ତ୍ରମତେ । କହିଲୁ ଶିରୀ ଭାଗବତେ ॥ ୧୧୭
ନାରଦ-ପ୍ରଚେତ-ସମ୍ବାଦ । ଶ୍ରୀହରି-କ୍ଷଣ-ଗୁଣ-ବାଦ ॥ ୧୧୮
ଫେଡି ମୁଁ କହିଲଇଁ ତାହା । ସଂଶୟ କରିଥିଲୁ ଯାହା ॥ ୧୧୯

ଶୁକ ଉବାଚ

କହନ୍ତି ଶୁଦ୍ଧମହାମୁନି । ଶୁଣ ପରୀକ୍ଷ ତ‌ତ୍ତ୍ୱଜ୍ଞାନୀ ॥ ୧୨୦
ମୈତ୍ରେୟ ଯେତେକ କହିଲେ । ବିଦୁର ବିନୟେ ଶୁଣିଲେ ॥ ୧୨୧
ଆନନ୍ଦେ ରୋମ-ପୁଲକିତ । ଭବ-ଗଦ୍‌ଗଦେ ଅଶ୍ରୁପାତ ॥ ୧୨୨
ଆନନ୍ଦ-ସାଗରେ ବୁଡିଲେ । ଦେହ-ଜୀବନ ପାଶୋରିଲେ ॥ ୧୨୩
ଧରି କହେ ମୁନିଚରଣ । ଭୋ ମୁନି କର ଉଦ୍ଧାରଣ ॥ ୧୨୪
ତୁମ୍ଭ ପ୍ରସନ୍ନେ ତ‌ତ୍ତ୍ୱଜ୍ଞାନ । ପାଉ ଛାଡିଲା ମୋହମାନ ॥ ୧୨୫
ଭୋ ମୁନି ତୁମ୍ଭେ ଜ୍ଞାନସାର । ଦେଖାଇଦେଲେ ତମପାର ॥ ୧୨୬
ଏମନ୍ତ ଜ୍ଞାନୀ ଯେତେ ହୋଇ । ସେ ପ୍ରାଣୀ ହରିଙ୍କି ଲଭଇ ॥ ୧୨୭
ମୁଁ ଏବେ ହେଲି ମୋକ୍ଷପାର । ତୁମ୍ଭ ପ୍ରସନ୍ନେ ମୁନିବର ॥ ୧୨୮
ଭୋ ମୁନି ଆଜ୍ଞା ହେବ ଯେବେ । ନିଜ ସଦନେ ଯିବି ତେବେ ॥ ୧୨୯
ଏମନ୍ତ କହିଣ ଆନନ୍ଦେ । ନମିଲା ମୁନିଙ୍କର ପାଦେ ॥ ୧୩୦
ସେ ତାଙ୍କୁ ତୋଷେ ଆଜ୍ଞା ଦେଲେ । ନିଶ୍ଚିନ୍ତେ ଆସନେ ରହିଲେ ॥ ୧୩୧
ହସ୍ତିନା ଗମିଲେ ବିଦୁର । ଦେଖିବା ଅର୍ତେ ସହୋଦର ॥ ୧୩୨
ଛାଡି ସକଳ-ମାୟା-ମୋହେ । ଗମିଲା ମାତ୍ର ଭାତୃସ୍ନେହେ ॥ ୧୩୩
ଆନନ୍ଦମନେ ସ୍ନେହ ଅତି । ପରୀକ୍ଷେ କହେ ଶୁକଯତି ॥ ୧୩୪
ଶୁଣ ରାଜନ ଦଣ୍ତଧର । ସେ ଯେ ପ୍ରାଚୀନ ନୃପବର ॥ ୧୩୫
ତାହାଙ୍କ ପୁଣ୍ୟ-ଯଶ-କୀର୍ତ୍ତି । ଯେ ନିତ୍ୟେ ଶୁଣେ ଦୃଢ଼ମତି ॥ ୧୩୬
ତା ଯଶ-ଆୟୁଷ ବଢ଼ଇ । ବିପୁଳ-ଭୋଗ ନ ଛାଡ଼ଇ ॥ ୧୩୭
ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ତୋଷେ । ସୁକୀର୍ତ୍ତି ରହେ ଚତୁର୍ଦ୍ଦିଶେ ॥ ୧୩୮
ଦେହାନ୍ତେ ଗତି ହୁଏ ତାର । ସେ ପ୍ରଭୁ କରନ୍ତି ନିସ୍ତାର ॥ ୧୩୯
ଭଣଇ ବିପ୍ର ଜଗନ୍ନାଥ । ଏ କୃଷ୍ଣ ଅଜ୍ଞାରୁ ଭକତ ॥ ୧୪୦
ଗୁପତେ ବହୁକାଳ ଥିଲା । ହରି ଅଜ୍ଞାରୁ ଉଦେ ହେଲା ॥ ୧୪୧
ହରି ହରି ଭାବନା କରୁଁ । ସଂଶୟ ଛାଡିଲା ମନରୁ ॥ ୧୪୨
ସେ ବ୍ରହ୍ମ ଅନନ୍ତ ମହିମା । କେ କହିପାରେ ଗୁଣସୀମା ॥ ୧୪୩
ଅମୁତ ଚରିତ ଏ ବାଣୀ । ଶ୍ରବଣେ ନିସ୍ତରିବେ ପ୍ରାଣୀ ॥ ୧୪୪
ହୋଇବ ଭବବନ୍ଧ ନାଶ । ସୁଜନେ କୃଷ୍ଣପାଦେ ରସ ॥ ୧୪୫
ଚତୁର୍ଥ ସ୍କନ୍ଧ ହେଲା ଶେଷ । ହୃଦରେ ଚିନ୍ତ ହୃଷୀକେଶ ॥ ୧୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂ
ଚତୁର୍ଥସ୍କନ୍ଧେ ପ୍ରଚେତ ଉପାଖ୍ୟାନଂ ନାମ
ଏକତ୍ରିଂଶୋଽଧ୍ୟାୟଃ ॥