ଓଡ଼ିଆ ଭାଗବତ/୮

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଆ ଭାଗବତ ଲେଖକ/କବି: ଜଗନ୍ନାଥ ଦାସ
ଅଷ୍ଟମ ସ୍କନ୍ଧ

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ହରଷେ ଅଭିମନ୍ୟୁସୁତ । ଶୁଣି ଗୋବିନ୍ଦର ଚରିତ ॥୧
ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ଦଣ୍ଡଧର ॥୨

ରାଜା ଉବାଚ[ସମ୍ପାଦନା]

ବିଷ୍ଣୁ-ଚରିତ ତୁମ୍ଭ ମୁଖେ । ଶୁଣିଲି ଅଦୃଷ୍ଟ-ସୁପାକେ ॥୩
ଭୋ ମୁନି ଦୟାକର ମୋତେ । ସଂସାରୁ ତରିବି ଯେମନ୍ତେ ॥୪
ମୋଠାରେ ସ୍ନେହ ବହ ଯେବେ । ପ୍ରସନ୍ନ ଚିତ୍ତେ କହ ଏବେ ॥୫
ପୂର୍ବେ ଯେ ସ୍ୱାୟମ୍ଭୂବ ମନୁ । ପ୍ରତ୍ୟକ୍ଷେ ପଦ୍ମଯୋନି ତନୁ ॥୬
ତାହାଙ୍କ ବଂଶେ ଯେ ଚରିତ । ଯେ ପୂର୍ବେ ଭୂତ-ଭବିଷ୍ୟତ ॥୭
ବିସ୍ତାରେ ତୁମ୍ଭ ମୁଖୁଁ ଶୁଣି । ତରିବି ଭବ-ତରଙ୍ଗିଣୀ ॥୮
ଯେ ବଂଶେ ବିଶ୍ୱସୃକଗଣ । ମନୁଦୁହିତା ଗର୍ଭେ ପୁଣ ॥୯
ପୁତ୍ର-ପୌତ୍ରାଦି ଏ ଜଗତେ । ଯେବା ଚରିତ କଲେ ଯେତେ ॥୧୦
ଯେ ମନୁବଂଶେ ଯେବା କୃତ୍ୟ । ଅଦ୍ଭୁତ ବିଷ୍ଣୁର ଚରିତ ॥୧୧
ଅଦ୍ୟାପି କବି-ଋଷିମାନେ । ଅଶେଷ-ଶାସ୍ତ୍ର-ଅନୁମାନେ ॥୧୨
ଗ୍ରନ୍ଥିଲେ କୃଷ୍ଣଗୁଣ ଗାଥା । ଅଶେଷ କର୍ମ ହରିକଥା ॥୧୩
ଯେ କଥା କର୍ଣ୍ଣରନ୍ଧ୍ରେ ପଶେ । ଅଶେଷ କଳୁଷ ବିନାଶେ ॥୧୪
ଯେ ମନୁ ଅନ୍ତରେ ଯେ କଥା । ବିଷ୍ଣୁ ଚରିତ ସାଧୁଗାଥା ॥୧୫
ଯେ ବର୍ତ୍ତମାନ ପୂର୍ବଭୂତେ । ଯେବା କରିବେ ଭବିଷ୍ୟତେ ॥୧୬
ସକଳ କହ ମୁନିବର । ଏ ଭବସାଗରୁ ଉଦ୍ଧର ॥୧୭
ଏମନ୍ତ ପରୀକ୍ଷିତ ଆଗେ । ଶୁକ କହନ୍ତି ଅନୁରାଗେ ॥୧୮

ଶୁକ ଉବାଚ[ସମ୍ପାଦନା]

ପ୍ରଥମକଳ୍ପେ ମୁଁ ସମ୍ପାଦି । କହିଲି ସ୍ୱାୟମ୍ଭୂବ ଆଦି ॥୧୯
ଏ ଷଟ ମନୁବଂଶ ଯେତେ । ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ ॥୨୦
ଆଦ୍ୟନ୍ତ ମଧ୍ୟେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥୨୧
ଆକୂତି ଦେବହୂତି ବେନି । ମନୁଦୁହିତା ବେନିଭଗ୍ନୀ ॥୨୨
ଧର୍ମଜ୍ଞାନର ଉପଦେଶେ । ପରମବ୍ରହ୍ମ ନିଜ ଅଂଶେ ॥୨୩
ଯଜ୍ଞବରାହ କଳ୍ପେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ ॥୨୪
କପିଳ ରୂପେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥୨୫
ଆକୂତି ଗର୍ଭେ ଯଜ୍ଞ ରୂପେ । ଯେ ଅବା କଲେ ପୂର୍ବକଳ୍ପେ ॥୨୬
ସେ କଥା ଶୁଣ ନୃପବର । ହରି-ଚରିତ ସୁଧାସାର ॥୨୭
ସେ ସ୍ୱାୟମ୍ଭୂବ ମନୁରାଜା । ସୃଷ୍ଟି-ସର୍ଜନେ ମହାତେଜା ॥୨୮
ସେ ପତ୍ନୀ ଶତରୂପା ସଙ୍ଗେ । ବିରକ୍ତ ଚିତ୍ତ କାମଭୋଗେ ॥୨୯
ବନେ ପଶିଲେ ତପ ଅର୍ଥେ । ସେ ପତିବ୍ରତାର ସମେତେ ॥୩୦
ସୁନନ୍ଦା-ତୀର୍ଥେ ଏକପାଦେ । ଉଭା ସେ ହୋଇ ଦୃଢ଼ବନ୍ଧେ ॥୩୧
ଗଗନଗତେ ମୁଖକରି । ଚଞ୍ଚଳ-ଚିତ୍ତକୁ ନିବାରି ॥୩୨
ସୁଘୋର ତପେ ରହି ବନେ । ସେ ରାଜା ବିଚାରଇ ବନେ ॥୩୩

ମନୁ ଉବାଚ[ସମ୍ପାଦନା]

ଯେ ହରି ଏ ବିଶ୍ୱସଂସାରେ । ଚେତନା ରୂପେ ହୃଦେ ପୂରେ ॥୩୪
ଚେତନ-ଅଚେତନ-ରୂପୀ । ଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପୀ ॥୩୫
ଧାତା ନ ଜାଣେ ଯାର ଅନ୍ତ । ତେଣୁ ସେ ବୋଲାଇ ଅନନ୍ତ ॥୩୬
ଏ ବିଶ୍ୱଆତ୍ମା ଯେହୁ ହୋଏ । ବିରାଜେ ସ୍ୱୟଂ ସର୍ବଦେହେ ॥୩୭
ସୃଜଇ ପାଳଇ ସଂହାରେ । ବାଳକ-ଲୀଳାରେ ବିହରେ ॥୩୮
ଦେଖନ୍ତା ପ୍ରାଣୀଙ୍କି ନ ଦିଶେ । ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ ॥୩୯
ସକଳ ରୂପେ ଯାର ବାସ । ବିରାଜେ ଯେହ୍ନେ ଘଟାକାଶ ॥୪୦
ସେ ସର୍ବପ୍ରାଣୀଙ୍କ ମନ୍ଦିର । ଜୀମୂତ ମଧ୍ୟେ ଯେହ୍ନେ ନୀର ॥୪୧
ସୁପର୍ଣ୍ଣ ପୃଷ୍ଠେ ଯାର ସ୍ଥିତି । ତା’ ପାଦେ ରହୁ ମୋର ମତି ॥୪୨
ଆଦ୍ୟନ୍ତ ମଧ୍ୟ ଯାର ନାହିଁ । ସ୍ୱ ପର ଭେଦ ଅବା କାହିିଁ ॥୪୩
ନ ମିଶେ ଅନ୍ତର ବାହାରେ । ଏ ମାୟା-ମୋହନ ସଂସାରେ ॥୪୪
ଏ ବିଶ୍ୱମୟ ଯେ ପ୍ରମାଣ । ସତ୍ୟ-ସ୍ୱରୂପ ପୂର୍ଣ୍ଣବ୍ରହ୍ମ ॥୪୫
ଯେ ବିଶ୍ୱକାୟ ପୁରୁହୂତ । ବିଶ୍ୱ-ସୃଜନେ ଉପଗତ ॥୪୬
ବିମୋହ ମୋହ ପାଶେ ଛନ୍ଦି । ଯାର କ୍ରୀଡ଼ାରେ ବିଶ୍ୱ ବନ୍ଦୀ ॥୪୭
ସତ୍ୟ ପରମଜ୍ୟୋତି ଅଜ । ପୁରାଣ ପୁରୁଷ ବିରାଜ ॥୪୮
ଜୀବର ଜନ୍ମ ଆଦି ଯେତେ । ଧରେ ଆତ୍ମଶକ୍ତି ଆୟେତ୍ତେ ॥୪୯
ନିରୀହ ଚେଷ୍ଟା-ବିବର୍ଜିତ । ସ୍ୱରୂପେ ଯେବେ ହୋଏ ସ୍ଥିତ ॥୫୦
ଏ ଭାବ ଜାଣି ଋଷିଜନେ । କର୍ମ ଇଚ୍ଛନ୍ତି ଦୃଢ଼ମନେ ॥୫୧
ଯେ ଭାବେ କର୍ମ ହିଁ ନ ଫଳେ । ସେ ଭାବେ ଭଜନ୍ତି ନିଶ୍ଚଳେ ॥୫୨
ଈଶ୍ୱର ଭାବେ କର୍ମ କଲେ । ନିର୍ଗୁଣ ଲଭନ୍ତି ସେ ଭଲେ ॥୫୩
ଇଷ୍ଟ କରନ୍ତି ପ୍ରାଣୀଙ୍କର । ସେ ଭାବେ ଭଜେ ଦୁରାଚାର ॥୫୪
ଆତ୍ମାର ପୂର୍ଣ୍ଣଲାଭ ଅର୍ଥେ । ଯେ ତାଙ୍କୁ ଭଜନ୍ତି ଜଗତେ ॥୫୫
କେବେହେଁ ଭ୍ରଷ୍ଟ ସେ ନୁହନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି ॥୫୬
ସକଳ ଆତ୍ମାର ଈଶ୍ୱର । ସ୍ୱଭାବେ ନାହିଁ ଅହଙ୍କାର ॥୫୭
ପର୍ଣ୍ଣ ଅନାଦି ନିରଞ୍ଜନ । କାହାର ନୋହେ ସେ ଅଧୀନ ॥୫୮
ସ୍ୱଭାବେ ନିଜମାର୍ଗେ ରହେ । କେ ଚିନ୍ତିପାରେ ତାକୁ ଦେହେ ॥୫୯
ଏଣୁ ସେ ସଂସାରର ସାର । ତା’ ପାଦେ ମୋର ନମସ୍କାର ॥୬୦

ଶୁକ ଉବାଚ[ସମ୍ପାଦନା]

ଶୁଣ ହୋ ଅଭିମନ୍ୟୁ ସୁତ । ସେ ସ୍ୱାୟମ୍ଭୂବ ଦୃଢ଼ଚିତ୍ତ ॥୬୧
ଚିନ୍ତା କରନ୍ତେ ତପବଳେ । ସୁଦୃଢ଼ ସମାଧି ନିଶ୍ଚଳେ ॥୬୨
ଅସୁର-ଯାତୁଧାନ ଗଣେ । ବେଗେ ମିଳିଲେ ଘୋରବନେ ॥୬୩
ଭକ୍ଷିବା ପାଇଁ କ୍ଷୁଧା ଆଶେ । ବେଗେ ମିଳିଲେ ତାର ପାଶେ ॥୬୪
ତାହାଙ୍କୁ ଦେଖି ନରହରି । ଯଜ୍ଞପୁରୁଷ ରୂପ ଧରି ॥୬୫
ନିବାରି ଯାତୁଧାନ ଗଣ । ସ୍ୱର୍ଗ ପାଳିଲେ ନାରାୟଣ ॥୬୬
ସେ ମନୁ ଅନ୍ତେ ସ୍ୱାରୋତିଷ । ଦ୍ୱିତୀୟ ମନୁ ସେ ବିଶେଷ ॥୬୭
ଅଗ୍ନିର ପୁତ୍ର ସେ ସ୍ୱଭାବେ । ରାଜତ୍ୱ କଲା ବିଶ୍ୱଭାବେ ॥୬୮
ଦ୍ୟୁମାନ ସୁଷେଣ ରୋଚିଷ । ଏ ଆଦି ତାର ପୁତ୍ର ଦଶ ॥୬୯
ସେ ମନୁ କାଳେ ସୁରନାଥ । ରୋଚନ ନାମେ ବଳବନ୍ତ ॥୭୦
ଯାହାର କାଳେ ଦେବଗଣ । ତୁଷିତ ନାମେ ଉଚ୍ଚାରଣ ॥୭୧
ଋଷିଏ ଊର୍ଜ୍ଜସ୍ତମ୍ଭ ଆଦି । ଏ ସପ୍ତଋଷି ବ୍ରହ୍ମବାଦୀ ॥୭୨
ଯେ ବେଦଶିରା ନାମେ ମୁନି । ତୁଷିତା ନାମେ ତା ଭାମିନୀ ॥୭୩
ସେ ପତ୍ନୀ ଗର୍ଭେ ବିଭୁ ରୂପେ । ବିଷ୍ଣୁ ଜନ୍ମିଲେ ଆଦିକଳ୍ପେ ॥୭୪
ପୂର୍ବେ ଯେ ବାଳଖିଲ୍ୟା ରୂପେ । ଅଠାଶୀସସ୍ର ଆଦିକଳ୍ପେ ॥୭୫
ଯୋଗ-ଅଭ୍ୟାସେ ଊର୍ଦ୍ଧ୍ୱରେତା । ବିଷ୍ଣୁ-ଭଜନେ ବଳବନ୍ତା ॥୭୬
ବିଭୁର ଶିକ୍ଷା ଶିରେ ଧରି । ସେ ମୁନିଗଣେ ବ୍ରହ୍ମଚାରୀ ॥୭୭
କୁମାର-ବ୍ରତ ଆଚରିଲେ । ତେଣୁ ବାଳକ ସେ ହୋଇଲେ ॥୭୮
ତୃତୀୟ-ମନୁ ଯେ ଉତ୍ତମ । ସେ ପ୍ରିୟବ୍ରତର ନନ୍ଦନ ॥୭୯
ତାର ସୁଞ୍ଜୟ ଯଜ୍ଞହୋତ୍ର । ଏ ଆଦି ପୁତ୍ରେ ବଳବନ୍ତ ॥୮୦
ସେ କଳ୍ପେ ସପ୍ତଋଷି ଜନ । ବଶିଷ୍ଠଋଷିଙ୍କ ନନ୍ଦନ ॥୮୧
ପ୍ରମଦ ଆଦି ସପ୍ତସୁତେ । ସତ୍ୟ ଆଦି ଯେ ଦେବଯୁଥେ ॥୮୨
ସତ୍ୟଜିତ ଯେ ଦେବରାଜା । ହରି-ଭକତେ ମହାତେଜା ॥୮୩
ସୁନୃତା ଧର୍ମପତ୍ନୀ ଗର୍ଭେ । ପୁରୁଷୋତ୍ତମ ରୂପେ ପୂର୍ବେ ॥୮୪
ବହିଣ ସତ୍ୟସେନ ନାମ । ସତ୍ୟବ୍ରତଙ୍କ ସଙ୍ଗେ ପୁଣ ॥୮୫
ଜନ୍ମିଲେ ସତ୍ୟବ୍ରତ ତୁଲେ । ଶୁଣ ତୁ ଯେବା କର୍ମ କଲେ ॥୮୬
ଯକ୍ଷ ରାକ୍ଷସ ଭୂତଗଣ । ପ୍ରାଣୀଙ୍କି କରନ୍ତି ଭକ୍ଷଣ ॥୮୭
ତାହାଙ୍କୁ ମାରି ସତ୍ୟ ସଙ୍ଗେ । ଧର୍ମ ରଖିଲେ ସତ୍ୟଯୁଗେ ॥୮୮
ଚତୁର୍ଥେ ପ୍ରିୟବ୍ରତ-ସୁତ । ତାମସ ଉତ୍ତମର ଭ୍ରାତ ॥୮୯
ଯେ ପୃଥୁ କେତୁ ଖ୍ୟାତି ନର । ଏ ଆଦି ଦଶ ତା କୁମର ॥୯୦
ତାର ଅନ୍ତରେ ସ୍ୱର୍ଗପୁରେ । ତ୍ରିଶିଖ ନାମେ ସୁରେଶ୍ୱରେ ॥୯୧
ସତ୍ୟକ ହରି ବୀର ଆଦି । ଦେବତା ନାମେ ଏ ପ୍ରସିଦ୍ଧି ॥୯୨
ମୁନିଏ ଜ୍ୟୋତିର୍ଦ୍ଧାମ ଆଦି । ତାମସ ଅନ୍ତରେ ପ୍ରସିଦ୍ଧି ॥୯୩
ବୈଧୃତି ନାମେ ଦେବଗଣ । ଶୁଣ ହୋ ତାହାଙ୍କ ପ୍ରମାଣ ॥୯୪
କାଳେ ଯେ ବେଦ ନାଶ ଗଲେ । ସେ ମନ୍ୱନ୍ତରେ ସେ ରଖିଲେ ॥୯୫
ସେ ମନ୍ୱନ୍ତରରେ ଅଚ୍ୟୁତ । ହରିଣୀ ଉଦରେ ସମ୍ଭୂତ ॥୯୬
ତେଣୁ ବହିଲେ ହରି ନାମ । ରୂପେ ମୋହିତ କୋଟିକାମ ॥୯୭
ଯେ ହରିନାମ ଏ ସଂସାରେ । ଅଶେଷ ଦୁରିତ ସଂହରେ ॥୯୮
ଯେ ରୂପେ ଗଜେନ୍ଦ୍ର-ମୋକ୍ଷଣ । କୁମ୍ଭୀର-ଦର୍ପ ନିବାରଣ ॥୯୯
ଜଳେ କୁମ୍ଭୀର ମୁଣ୍ଡ ହାଣି । ଗଜ ରଖିଲେ ଚକ୍ରପାଣି ॥୧୦୦
ଯା ନାମ ଭୁବନମଙ୍ଗଳ । ଦୂରିତ ବନ-ଦାବାନଳ ॥୧୦୧
ଏକଥା ଶୁକ ମୁଖୁଁ ଶୁଣି । ପାଣ୍ଡବ ବଂଶ ଚୂଡ଼ାମଣି ॥୧୦୨
ଆନନ୍ଦେ ହୋଇ କୃତକୃତ୍ୟ । ବୋଇଲେ ନୃପ ପରୀକ୍ଷିତ ॥୧୦୩


ରାଜା ଉବାଚ[ସମ୍ପାଦନା]


ଭୋ ମୁନି ଦୁର୍ଲ୍ଲଭ-ବଚନ । ଶୁଣି ଆନନ୍ଦ ମୋର ମନ ॥୧୦୪
କେମନ୍ତେ ପ୍ରଭୁ ନରହରି । ଗଜ ରଖିଲେ ଗ୍ରାହ ମାରି ॥୧୦୫
କୁମ୍ଭୀର କେଉଁ ଜଳେ ଥିଲା । ଗଜକୁ କେମନ୍ତେ ଧଇଲା ॥୧୦୬
ସେ ଜଳଜୀବ ଜଳେ ଥାଇ । ହସ୍ତୀ-ସଂଯୋଗ ତାର କାହିଁ ॥୧୦୭
ହସ୍ତୀ ସବଳ ମହାକାୟେ । କୁମ୍ଭୀର କେତେ ବଳ ବହେ ॥୧୦୮
ଏକଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ ॥୧୦୯
ଏ ପୁଣ୍ୟକଥା ମହାଧନ୍ୟ । ମଙ୍ଗଳ ସର୍ବ ସ୍ୱସ୍ତ୍ୟୟନ ॥୧୧୦
ଏ ଯେ ପ୍ରସ୍ତାବ ହରିବାଣୀ । ଶ୍ରବଣମାର୍ଗେ ଯେବା ଶୁଣି ॥୧୧୧
ହରି ପ୍ରସାଦୁ ଭବୁ ତରେ । ନ ପଡ଼େ ମାୟା-ତମ-ଘୋରେ ॥୧୧୨

ସୁତ ଉବାଚ[ସମ୍ପାଦନା]

ଏମନ୍ତେ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି ॥୧୧୩
ଗଙ୍ଗାର ତୀରେ ଅନ୍ତର୍ଜଳେ । ଅସଂଖ୍ୟ ମୁନିଗଣ ମେଳେ ॥୧୧୪
ଗୋବିନ୍ଦ ପାଦେ ଦେଇ ଚିତ୍ତ । ବୋଲଇ ଦାସ ଜଗନ୍ନାଥ ॥୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁଚରିତେ ପ୍ରଥମୋଽଧ୍ୟାୟଃ ॥

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥୧
ପର୍ବତ ତ୍ରିକୂଟ ଯେ ନାମ । ସର୍ବସମ୍ପଦ ମୂଳଧାମ ॥୨
ଅୟୂତ-ଯୋଜନ ବିସ୍ତୃତ । କ୍ଷୀରସମୁଦ୍ରେ ସେ ଆବୃତ ॥୩
ଉଚ୍ଚ ଯେ ଅୟୂତଯୋଜନ । ଦେଖନ୍ତେ ହରେ ପ୍ରାଣୀମନ ॥୪
ବିରାଜେ ଅଷ୍ଟଦିଗ ମଧ୍ୟେ । ଆନନ୍ଦ କରେ ଦେବବୃନ୍ଦେ ॥୫
ତୃତୀୟ ଶୃଙ୍ଗ ବହେ ଶିରେ । ସୁବର୍ଣ୍ଣ ରୌପ୍ୟ ଲୌହ ଧରେ ॥୬
ରତ୍ନ ଧାରଣ କରି ଅଙ୍ଗେ । ବିରାଜି ଶୋହେ ଦଶଦିଗେ ॥୭
ନାନାପ୍ରକାରେ ଲତା-ଗୁଳ୍ମ । ନିର୍ଝରତଟେ ବହୁଦ୍ରୁମ ॥୮
ନିର୍ଝର ଶବଦ ଗମ୍ଭୀର । ଅତି ସୁରମ୍ୟ ମନୋହର ॥୯
ନିର୍ଝର-ଜଳର ସମୂହେ । ଗିରି-ଚରଣ କିବା ଧୁଏ ॥୧୦
ନିର୍ଝର-ଭୂମି ବାୟୁବଳେ । ସ୍ୱର୍ଣ୍ଣ-ବାଲୁକା ଶୋହେ କୂଳେ ॥୧୧
ମର୍କତ-ପାଷାଣ-ସମୂହେ । ଶ୍ୟାମଳବର୍ଣ୍ଣେ ଭୂମି ଶୋହେ ॥୧୨
ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ସଙ୍ଗତେ କିନ୍ନର ॥୧୩
ଉରଗଗଣ ଯୂଥ ଯୂଥ । ଅପ୍ସରା ମିଳି ନୃତ୍ୟ ଗୀତ ॥୧୪
ଅରଣ୍ୟେ ନାନା-ପଶୁଗଣେ । ଗିରି-କନ୍ଦରେ ଘୋରବନେ ॥୧୫
ନାଦ କରନ୍ତି ମନୋହର । ମୟୂର କୋକିଳ ଭ୍ରମର ॥୧୬
ସରିତ ସରୋବର ନଦ । ମଣିବାଲୁକା କୁଦ କୁଦ ॥୧୭
ଦେବକାମିନୀଗଣ ଯହିଁ । ସ୍ନାନ କରନ୍ତି ମୋଦ ବହି ॥୧୮
ତାହାଙ୍କ ଅଙ୍ଗରେ ଲେପିତ । ଗନ୍ଧ ଚନ୍ଦନ ପାରିଜାତ ॥୧୯
ସେ ଗନ୍ଧ ଶୀତଳ-ସମୀରେ । ସୁଗନ୍ଧେ ଦଶଦିଗ ପୂରେ ॥୨୦
ସେ ଗିରି-ଦ୍ରୋଣି ମଧ୍ୟେ ବନ । ବରୁଣ କ୍ରୀଡ଼ାର ଉଦ୍ୟାନ ॥୨୧
ଋତୁମାନ ନାମ ବନର । ସୁରକାମିନୀ କ୍ରୀଡ଼ାଘର ॥୨୨
ପର୍ବତେ ଅଳଙ୍କୃତ ବନ । ଫଳଫୁଲରେ ସୁଶୋଭନ ॥୨୩
ମନ୍ଦାର ପାଟଳୀ ଚମ୍ପକ । ପାରିଜାତକ କୁରୁବକ ॥୨୪
ଚୂତ ପିଆଳ ପନସଜ । ଆମ୍ର ଅଶୋକ ଆମ୍ରାତକ ॥୨୫
କଦମ୍ବ ନାରିକେଳ ବନ । ଖର୍ଜୁର ଦାଡିମ୍ବ ଅର୍ଜୁନ ॥୨୬
ମଧୁକ ଶାଳ ତାଳ ଶୋହେ । ତମାଳ ଅସନ ସମୂହେ ॥୨୭
ଅରିଷ୍ଟ ଉଡ଼ୁମ୍ବର ପ୍ଳକ୍ଷ । ନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ ॥୨୮
ନିମ୍ବ କୋବିଦାର ସରଳ । କିଂଶୁକ ଦେବଦାରୁ କୁଳ ॥୨୯
ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାବନ । ବଦରୀ ଅଭୟା ଯେ ଦ୍ରୁମ ॥୩୦
ବେଲ ଜମ୍ବୀର କପିତ୍‌ଥକ । ଅଏଁଳା ପୁଣି ଭଲ୍ଲାତକ ॥୩୧
ଯହିଁ ବରୁଣ ସରୋବର । ସୁବର୍ଣ୍ଣ ପଦ୍ମ ମନୋହର ॥୩୨
କହ୍ଲାର କୁମୁଦ ଉତ୍ପଳ । ସ୍ୱଭାବେ ସଗନ୍ଧ ଶୀତଳ ॥୩୩
ବିକଚ-ଶତପତ୍ରେ ଶୋଭା । କିବା ଉପମା ଆନେ ଦେବା ॥୩୪
ମତ୍ତଭ୍ରମର ପକ୍ଷୀଗଣ । ନାଦ କରନ୍ତି ଅନୁକ୍ଷଣ ॥୩୫
ହଂସ କାରଣ୍ଡକ ସମୂହେ । ସାରସ ଚକ୍ରବାକ ଶୋହେ ॥୩୬
ଜଳକୁକ୍କୁଟ କୋଯଷ୍ଟିକ । କୂଜିତ କୋମଳେ ଡାହୁକ ॥୩୭
ମତ୍ସ୍ୟ କଚ୍ଛପେ ଚଳେ ଜଳ । ପଦ୍ମ-ପରାଗରେ ଧୂସର ॥୩୮
କଦମ୍ବ ବଞ୍ଜୁଳକ ବେତ । ନୀପ କୀଚକ ଯୂଥ ଯୂଥ ॥୩୯
କୁନ୍ଦ ଅଶୋକ କୁରୁବକ । କୂଟଜ ଇଙ୍ଗୁଦି କୁବ୍ଚକ ॥୪୦
ଶିରୀଷ ପୁଣି ସ୍ୱର୍ଣ୍ଣ‌ଯୂଥୀ । ନାଗ ପୁନ୍ନାଗ ଆର ଜାତି ॥ ୪୧
ମଲ୍ଲିକା ଶତପତ୍ର ଶୋହେ । ମାଧବୀ ମାଳତୀ ସମୂହେ ॥୪୨
ଅନ୍ୟାନ୍ୟ ଜଳ ସ୍ଥଳ ଫୁଲ । ଷଡ଼ଋତୁରେ ସମତୁଲ ॥୪୩
ଏମନ୍ତ ବନେ ଏକଦିନେ । ଗଜେନ୍ଦ୍ର ବିଚାରଇ ମନେ ॥୪୪
ଏ ଗ୍ରୀଷ୍ମକାଳେ ଏ ବନସ୍ତେ । ତୃଷାର୍ତ୍ତ ହୋଇଲୁ ସମସ୍ତେ ॥୪୫
ଜଳ ନ କରିଲେ ଆହାର । କେମନ୍ତେ ଧରିବା ଶରୀର ॥୪୬
ଏମନ୍ତ ମନେ ବିଚାରଇ । ଶୀତଳ-ଜଳ ଅଛି କାହିଁ ॥୪୭
ବ୍ୟାକୁଳେ ବନସ୍ତୁ ବାହାର । ତୃଷିତେ ଦିଶେ ଅନ୍ଧକାର ॥୪୮
ସେ ଗଜ ଆଶ୍ରେ ସେ ବନସ୍ତେ । ସୁଖେ ଚରନ୍ତି ପଶୁଯୂଥେ ॥୪୯
କଣ୍ଟକାକୀର୍ଣ୍ଣ ବେଣୁବନେ । ଭ୍ରମନ୍ତି ତୃଷିତ ବଦନେ ॥୫୦
ସ୍ୱଭାବେ ମତ୍ତଗଜ ଦନ୍ତା । ବନ-ବିହାରେ ବଳବନ୍ତା ॥୫୧
ଯାର ଚାଲନ୍ତେ ପାଦ ଲାଗି । ପଡ଼ନ୍ତି ବୃକ୍ଷ ଗୁଳ୍ମ ଭାଙ୍ଗି ॥୫୨
ତାହାର ମଦ-ଗନ୍ଧ ବାସେ । ପଶୁଏ ନ ଚରନ୍ତି ପାଶେ ॥୫୩
ବ୍ୟାଘ୍ର ଭଲ୍ଲୁକ ଖଡ଼୍‌ଗ ମୃଗ । ଯେବା ସଞ୍ଚରେ ମହୋରଗ ॥୫୪
ଶରଭ କୃଷ୍ଣସାର ହରି । ସେ ଶଲ୍ୟ ବୃକ ଯେ ଚମରୀ ॥୫୫
ବରାହ ମହିଷ ଶଶକ । ଗୋପୁଚ୍ଛ ଆଦି ଶାଳାବୃକ ॥୫୬
କ୍ଷୁଦ୍ର ହରିଣଗଣ ଯେତେ । ଚରନ୍ତି ଯେ ଯାହା ଆୟେତ୍ତେ ॥୫୭
ସେ ଗଜପତି ଗଜଯୂଥେ । ଅନେକ ଭ୍ରମିଲା ବନସ୍ତେ ॥୫୮
ବରୁଣ-ହ୍ରଦ-ତୀରେ ଯାଇ । ତୃଷିତଲୋଚନେ ଅନାଇଁ ॥୫୯
ନିଦାଘ-ତାପେ କରୀଗଣ । ବ୍ୟାକୁଳ ବିଚଳିତ ମନ ॥୬୦
ମଦଜଳରେ ହୋଇ ଛନ୍ନ । ଅଙ୍ଗକୁ କଲେ ପ୍ରକମ୍ପନ ॥୬୧
ପଦ୍ମକୁ ତେଜି ଅଳିଗଣ । ହସ୍ତୀଙ୍କ ମଦ କଲେ ପାନ ॥୬୨
ଜଳ ଶୀତଳ ପୁଷ୍ପଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ ॥୬୩
କରିଣୀଯୂଥ ସଙ୍ଗେ ମିଶି । ସନ୍ତୋଷେ ଶୀତଜଳେ ପଶି ॥୬୪
ସୁବର୍ଣ୍ଣ-ପଦ୍ମବନ-ମଧ୍ୟେ । ସକଳେ ପଶିଲେ ଆନନ୍ଦେ ॥୬୫
ସକଳେ ହରଷ ବଦନ । ସନ୍ତୋଷେ କଲେ ଜଳପାନ ॥୬୬
ଜଳ ତୋଳନ୍ତି ଥୋର ହସ୍ତେ । ସିଞ୍ଚନ୍ତି ଅନ୍ୟେ ଅନ୍ୟଗାତ୍ରେ ॥୬୭
ନିଦାଘ କାଳେ ଶୀତଜଳେ । କ୍ରୀଡ଼ା କରନ୍ତି ସୁଖଭୋଳେ ॥୬୮
ଶବଦ ଶୁଭେ ଉଛୁଳିତ । ଯେସନେ ଜୀମୂତ-ଗର୍ଜିତ ॥୬୯
ଅଗାଧ-ଜଳେ ଗ୍ରାହ ଥିଲା । ଜଳେ ସେ ଶବଦ ଶୁଣିଲା ॥୭୦
ବେଗେ ଧାଇଁଲା କୋପମନେ । ମିଳିଲା ଗଜ ସନ୍ନିଧ୍ୟାନେ ॥୭୧
କେହି ନଦେଖେ ତାକୁ ଜଳେ । କୁମ୍ଭୀର ଅତି କୋପାନଳେ ॥୭୨
ଧଇଲା ଗଜପତି-ପାଦ । ଶବଦ କରି ଘୋରନାଦ ॥୭୩
ଦଇବ-ବଶେ ଯୋଗବଳେ । ହସ୍ତୀ ବିପତ୍ତି ଘୋରଜଳେ ॥୭୪
ଗ୍ରାହ ଧଇଲା ଅକସ୍ମାତେ । ଗଜଚରଣ ଦୃଢ଼ଘାତେ ॥୭୫
ସେ ଗଜପତି ବଳବନ୍ତ । ବଜ୍ରହୁଁ ଆଣ୍ଟ ତାର ଦନ୍ତ ॥୭୬
କି କରିପାରେ ତାର ଦନ୍ତେ । ବିଷ୍ଣୁଙ୍କ ମାୟାର ଆୟତ୍ତେ ॥୭୭
ଗଜ ସ୍ୱଭାବେ ମହାବଳୀ । ଚରଣ ନପାରିଲା ଚାଳି ॥୭୮
କରିଣୀଯୂଥ ତାହା ଦେଖି । ଦୁଃଖେ ହୋଇଲେ ଅଶ୍ରୁମୁଖୀ ॥୭୯
ସ୍ୱଭାବେ ଅତି ଶୀତ-ପାଣି । ଗଜ ନପାରେ ପାଦ ଆଣି ॥୮୦
ସେ ହସ୍ତୀପଲ ତାକୁ ଧରି । ଟାଣନ୍ତି ଘୋରନାଦ କରି ॥୮୧
ମୁଖରୁ ରୁଧିର ଗଳଇ । କେବେହେଁ ଗଜ ନ ଟଳଇ ॥୮୨
ବଳେ ଆଣନ୍ତି କିଛିଦୂର । କୁମ୍ଭୀର ଅତି ବଳୀୟାର ॥୮୩
ପୁଣି ଗଭୀର-ଜଳେ ଭରେ । ସୁଦୃଢ଼-ଦନ୍ତେ ପାଦ ଧରେ ॥୮୪
ଏମନ୍ତେ ଗଜ-ଗ୍ରାହ ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ ॥୮୫
ଗଜ ଟାଣନ୍ତେ ଅତି ଖରେ । ପୁଣି କୁମ୍ଭୀର ଜଳେ ଭରେ ॥୮୬
ଏମନ୍ତେ ସହସ୍ର-ବରଷ । ଯୁଦ୍ଧ ନୋହିଲା ଅବଶେଷ ॥୮୭
ଏମନ୍ତେ ଦୀର୍ଘକାଳ ଜଳେ । ଗଜ-କୁମ୍ଭୀର ମହାବଳେ ॥୮୮
କ୍ଷୀଣ ହୋଇଲା ଗଜପତି । ସଙ୍ଗତେ ଥିଲେ ଯେତେ ହସ୍ତୀ ॥୮୯
ଦଣ୍ଡେ ଚରନ୍ତି ଘୋରବନେ । ଜଳେ ବଞ୍ଚନ୍ତି ଚିତ୍ତଛନ୍ନେ ॥୯୦
ଗଜ କୁମ୍ଭୀର ଯୁଦ୍ଧଘାତେ । ସେ ଜଳେ ଜଳଜନ୍ତୁ ଯେତେ ॥୯୧
ଦୁଃଖିତେ ଛଟପଟ ହୋନ୍ତି । ଜଳୁ ପଳାଇ ନ ପାରନ୍ତି ॥୯୨
ଏହି ପ୍ରକାରେ ହୋଇ ଦୁଃଖୀ । ଗଜେ କାନ୍ଦନ୍ତି ତାହା ଦେଖି ॥୯୩
ଏମନ୍ତେ ପୂର୍ବ ପୁଣ୍ୟବଳେ । ବୁଦ୍ଧି ସ୍ଫୂରିଲା ତାକୁ ଜଳେ ॥୯୪
ଅନ୍ତରେ କରଇ ବିଚାର । ସେ ହରି ସଂସାରର ସାର ॥୯୫
ସଙ୍କଟୁ କରେ ପରିତ୍ରାଣ । ଯେ ତାରେ ପଶନ୍ତି ଶରଣ ॥୯୬
ଗଜ-କୁମ୍ଭୀର ଯୁଦ୍ଧବାଣୀ । ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ ॥୯୭
ଜନ୍ମମରଣେ ନାହିଁ ଭ୍ରାନ୍ତି । ହେଳେ ସଙ୍କଟୁ ତରିଯାନ୍ତି ॥୯୮
ଗୀତ-ପ୍ରବନ୍ଧେ ପରକାଶ । କହଇ ଜଗନ୍ନାଥ ଦାସ ॥୯୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ରୋପ୍ରଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ ॥

ତୃତୀୟ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]


ଶୁଣ ପାଣ୍ଡବ ଚୂଡ଼ାମଣି । ଗଜେନ୍ଦ୍ର ବୋଲେ ମୋକ୍ଷବାଣୀ ॥୧
ଏମନ୍ତ ବୁଦ୍ଧି ସେ ବିଚାରି । ଚଞ୍ଚଳ ମନ ସ୍ଥିର କରି ॥୨
ପରମ-ଜପ ସେ ଜପିଲା ॥ ଯେ ପୂର୍ବଜନ୍ମେ ଶିକ୍ଷା ଥିଲା ॥୩
ଶ୍ରୀକୃଷ୍ଣ ଆଦି ବ୍ରହ୍ମପଦେ । ବୋଲେ ଆନନ୍ଦ ଗଦଗଦେ ॥୪

ଗଜେନ୍ଦ୍ର ଉବାଚ[ସମ୍ପାଦନା]

ନମସ୍ତେ ପ୍ରଭୁ ଭଗବାନ । ଅଶେଷ ବ୍ରହ୍ମାଣ୍ଡ ଜୀବନ ॥୫
ତୋର ମହିମା ଚିଦାତ୍ମକ । ଅନାଦି ପୁରୁଷ ବିବେକ ॥୬
ଜୀବର ଆଦିବୀଜ ତୁହି । ପରମେଶ୍ୱରେ ନମେ ମୁହିଁ ॥୭
ଯାହାର ଦେହେ ବିଶ୍ୱ ବସେ । ଯା ତହୁଁ ଏ ବିଶ୍ୱ ପ୍ରକାଶେ ॥୮
ଏ ବିଶ୍ୱ-ସର୍ଜନା ଯହିଁରେ । ସ୍ୱୟଂ ଯେ ବିଶ୍ୱରୂପ ଧରେ ॥୯
କାର୍ଯ୍ୟ-କାରଣରୁ ଯେ ପର । ତୁ ବ୍ରହ୍ମ ଶରଣସୋଦର ॥୧୦
ଏ ଯେ ସଂସାର ମାୟାବଳେ । ଆତ୍ମାରୁ କଳ୍ପେ ଯେ ନିଶ୍ଚଳେ ॥୧୧
ପ୍ରକାଶ କରି ତିରୋହିତ । କରଇ ଊର୍ଣ୍ଣନାଭି ବତ ॥୧୨
ମଧ୍ୟେ ଦେଖଇ ସାକ୍ଷୀ ରୂପେ । କ୍ରୀଡ଼ା କରଇ କଳ୍ପେ କଳ୍ପେ ॥୧୩
ସେ ହରି ରଖୁ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥୧୪
କାଳେ ସକଳ ଜୀବଧରି । ଅନ୍ତକ ରୂପେଣ ସଂହରି ॥୧୫
ସକଳ ହେତୁ କରେ ଅନ୍ତ । ତମ-ନିବିଡ଼ ଘୋରପଥ ॥୧୬
ସେ ତମ ପରେ ସେହୁ ବସେ । ବିରାଜରୂପେ ପରକାଶେ ॥୧୭
ତାର ମହିମା ବିଚାରଣେ । ଏ ଯେତେ ଦେବେ ଋଷିଗଣେ ॥୧୮
କେହି ନଜାଣେ ପ୍ରଭୁ ତୋତେ । ଅନେକ-ଶାସ୍ତ୍ର-ଯୋଗମତେ ॥୧୯
କେ ପ୍ରାଣୀ ତତ୍ତ୍ୱ ତୋ ଜାଣିବ । ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ ॥୨୦
ନଟ-ଆକୃତି ପ୍ରାୟେ ଖେଳେ । ଏ ମାୟା-ଗହନ-ଶୟଳେ ॥୨୧
ମନ-କର୍ମରୁ ଦୂର ଯେହି । ସେ ହରି ରଖୁ ମୋର ଦେହୀ ॥୨୨
ଯାର ମହିମା ମୁନିଜନେ । ସକଳ-ଶାସ୍ତ୍ରେ ଅନୁମାନେ ॥୨୩
ବିମୁକ୍ତ-ସଙ୍ଗ ସାଧୁଜନେ । ତପ ସାଧନ୍ତି ଘୋରବନେ ॥୨୪
ଭୂତଙ୍କ ଆତ୍ମଭୂତ ଯେହୁ । ସେ ହରି ମୋର ଗତି ହେଉ ॥୨୫
ଯାହାର ଜନ୍ମକର୍ମ ନାହିଁ । ଅପର ଗୁଣଦୋଷ କାହିଁ ॥୨୬
ତଥାପି ଲୋକରକ୍ଷା ଅର୍ଥେ । ଆପେ ସମ୍ଭବ ଏ ଜଗତେ ॥୨୭
ସ୍ୱମାୟାବଳେ ଏ ଜଗତ । ସ୍ଥିତି ପାଳନ କରେ ଅନ୍ତ ॥୨୮
ଅରୂପରୂପ ଯେ ଅଦ୍ଭୁତ । ଆତ୍ମା ପ୍ରଦୀପ ସାକ୍ଷୀମତ ॥୨୯
ମନ-ବଚନେ ଅଗୋଚର । ପରମଆତ୍ମା ସୁଖଘର ॥୩୦
ସୂକ୍ଷ୍ମ-ନିର୍ମଳ ରୂପ ଯାର । ପଣ୍ଡିତଜନଙ୍କ ଗୋଚର ॥୩୧
ଯାହାକୁ ସତ୍ତ୍ୱଗୁଣେ ପାଇ । ନିଷ୍କାମଚିେତ୍ତେ ଯେବା ଧ୍ୟାୟି ॥୩୨
କୈବଲ୍ୟନାଥ ନମୋସ୍ତୁତେ । ନିର୍ବାଣସୁଖ ଯା ଉଦିତେ ॥୩୩
ତୁ ନାଥ ଶାନ୍ତ ଘୋରରୂପୀ । ମୂଢ଼ଧର୍ମେଣ ବିଶ୍ୱବ୍ୟାପୀ ॥୩୪
ଯେ ନିର୍ବଶେଷ ସାମ୍ୟରୂପ । ନମସ୍ତେ ଜ୍ଞାନ-ଘନ-ରୂପ ॥୩୫
କ୍ଷେତ୍ରଜ୍ଞରୂପୀ ନମୋନମ । ସର୍ବଜ୍ଞ ସାକ୍ଷୀ ନିଜଧାମ ॥୩୬
ସେ ଏ ଜଗତ ଆଦିମୂଳ । ମୂଳ ପ୍ରକୃତି ସୂକ୍ଷ୍ମସ୍ଥଳ ॥୩୭
ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟା । ସର୍ବ ବିଷୟ ଆଦିସ୍ରଷ୍ଟା ॥୩୮
ଅଭକ୍ତ ଜନେ ଅପ୍ରକାଶ । ଭକତପଦେ ରବିତ୍ରାସ ॥୩୯
ଅଖିଳକାରଣ-ସ୍ୱରୂପୀ । ଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ ॥୪୦
ସର୍ବ-ଆଗମ ବେଦସ୍ଥାନ । ନମସ୍ତେ ମୋକ୍ଷପରାୟଣ ॥୪୧
ସ୍ୱୟଂପ୍ରକାଶ ଗୁଣପାଶେ । ବନ୍ଧନ ନୋହୁ ତୁ ବିଶେଷେ ॥୪୨
ତୁ ଅପବର୍ଗ-ପରାୟଣ । ନମଇଁ ତୋହର ଚରଣ ॥୪୩
ତୁ ନାଥ କରୁଣାସାଗର । ତୋ ପାଦେ ଶରଣ ମୋହର ॥୪୪
ଅଶେଷ-ଜନ୍ତୁ ହୃଦଗତେ । ତୋର ପ୍ରକାଶ ଆତ୍ମାମତେ ॥୪୫
ସକଳ ଦେଖୁ ନାଥ ତୁହି । ତୋ ଅନୁଭବ କେ ଜାଣଇ ॥୪୬
ତୁ ବ୍ରହ୍ମ ପରମମଙ୍ଗଳ । ନମସ୍ତେ ପ୍ରଭୁ ଆଦିମୂଳ ॥୪୭
ତୁ ନାଥ କରୁଣାସ୍ୱରୂପୀ । ତୃଣ-କାଷ୍ଠରେ ଅଛୁ ବ୍ୟାପୀ ॥୪୮
ମୋହର ପ୍ରାୟ ପଶୁଗଣ । ବିପଦ ପାଶୁଁ କର ତ୍ରାଣ ॥୪୯
ଆତ୍ମା-ଆତ୍ମଜ-ଗୃହ-ବିତ୍ତେ । ମମତା କରେ ଦୃଢ଼ଚିତ୍ତେ ॥୫୦
ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ । ସେ ତୋତେ କେବେହେଁ ନ ଭଜେ ॥୫୧
ଯେ ମୁକ୍ତସଙ୍ଗ ଏ ଜଗତେ । ସେ ତୋତେ ଭଜେ ଅବିରତେ ॥୫୨
ଏଣୁ ବିବେକୀ ପ୍ରାଣୀଙ୍କର । ତୁ ନାଥ ଶୁଭ-ସୁଖଘର ॥୫୩
ହେ ଜ୍ଞାନାତ୍ମକ ଭଗବାନ । ସର୍ବ-ଈଶ୍ୱର ନମୋନମ ॥୫୪
ଧର୍ମାର୍ଥ-କାମ-ଲୋଭୁ ମୁକ୍ତ । ନିଷ୍କାମେ ଭଜେ ଅବିରତ ॥୫୫
ଅନ୍ତେ ଲଭନ୍ତି ଇଷ୍ଟଗତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି ॥୫୬
ଅବ୍ୟୟସ୍ଥାନେ ରହେ ମନ । ଏଣୁ ଲଭନ୍ତି ଦିବ୍ୟଜ୍ଞାନ ॥୫୭
ମୁଁ ଏବେ ଶରଣ ତୋହର । ଏ ଗ୍ରାହ-ମୁଖୁ କର ପାର ॥୫୮
ଏକାନ୍ତ ଚିତ୍ତେ ଯେ ଭଜନ୍ତି । ବିଷୟ-ସୁଖ ନ ବାଞ୍ଛନ୍ତି ॥୫୯
ତୋ ଜ୍ଞାନ-ସୁଧା-ରସ ପାଇ । ଅଧିକ ବାଞ୍ଛା ତାଙ୍କ ନାହିଁ ॥୬୦
ଅତି ଅଦ୍ଭୁତ ତୋ ଚରିତ । ଆନନ୍ଦ ରୂପେ ସୁଲଳିତ ॥୬୧
ତୋ କଥା-ସୁଧା-ସିନ୍ଧୁ-ଜଳେ । ଅବଗାହନ ସୁଖଭୋଳେ ॥୬୨
କରି ତରନ୍ତି ଦିବ୍ୟଦେହୀ । ଏଣୁ ତୋ ମହିମା କେ କହି ॥୬୩
ଅକ୍ଷୟ କ୍ଷୟ ନାହିଁ ଯାର । ଯେ ବ୍ରହ୍ମ ପରମ ଈଶ୍ୱର ॥୬୪
ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ । ପରମ-ଯୋଗବଳେ ବ୍ୟାପୀ ॥୬୫
ଏଣୁ ଯେ ଅତିଦୂରେ ରହେ । ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ ॥୬୬
ଅନନ୍ତ ଆଦି ପରିପୂର୍ଣ୍ଣ । ସେ ହରି ରଖୁ ମୋ ଜୀବନ ॥୬୭
ମନବଚନ ତା ଚରଣେ । ନିବେଦନ ମୋ ଅନୁକ୍ଷଣେ ॥୬୮
ଏ ଘୋର-ଗ୍ରାହ-ବନ୍ଧ-ପାଶୁ । ଉଦ୍ଧରି ସେ ମୋତେ ଆଶ୍ୱାସୁ ॥୬୯
ଯାର ଅଳପ କଳା ଘେନି । ବ୍ରହ୍ମାଦି ଦେବେ ସୁରମୁନି ॥୭୦
ସଂସାର ଚରାଚର ଯେତେ । ପ୍ରକାଣ୍ଡ ନାମ ରୂପ ମତେ ॥୭୧
ଅଗ୍ନି ସବିତା ଜ୍ୟୋତି ଯେହ୍ନେ । ପ୍ରକାଶି ପ୍ରବେଶନ୍ତି ତେହ୍ନେ ॥୭୨
ଗୁଣ ପ୍ରବାହ ଏ ସଂସାର । ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର ॥୭୩
ଶରୀର ଆଦି ଏହିମତେ । ପ୍ରବେଶ ହୋନ୍ତି ତାର ଗାତ୍ରେ ॥୭୪
ଯେ ନୋହେ ଦେବାସୁର ମର୍ତ୍ତ୍ୟ । ନ ସ୍ତିରୀ ନ ପୁରୁଷ ଗାତ୍ର ॥୭୫
ଜନ୍ମ ଶରୀର ପଶୁ ଆଦି । ରୂପେ ଅରୂପେ ନ ସମ୍ପାଦି ॥୭୬
କେବେହେଁ ନୋହେ କର୍ମଗୁଣ । ସତ୍ୟ ଅସତ୍ୟ ନୋହେ ଜାଣ ॥୭୭
ନିଃଶେଷ ଶେଷ ପରିପୂର୍ଣ୍ଣ । ଏଣୁ ଏ ଅନାଦି କାରଣ ॥୭୮
ନମସ୍ତେ ନମସ୍ତେ ଅନନ୍ତ । ଅସହ୍ୟ ବେଗ ବଳବନ୍ତ ॥୭୯
ଯାହାର ଅଟେ ଶକ୍ତି-ତ୍ରୟ । ଅଖିଳ ବୁଦ୍ଧି ଗୁଣମୟ ॥ ।୮୦
ପ୍ରପନ୍ନଜନ ଯେ ପାଳଇ । ଦୁରନ୍ତ ଶକ୍ତି ଯାର ଦେହୀ ॥୮୧
କୁତ୍ସିତ ଇନ୍ଦ୍ରିଗଣେ ଯାର । ମାର୍ଗ ନ କରାନ୍ତି ଗୋଚର ॥୮୨
ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ । ଆତ୍ମା ଶରୀର ନ ଜାଣଇ ॥୮୩
ଯେ ହରି ସଂସାର-କାରଣ । ତା ପାଦେ ପଶିଲି ଶରଣ ॥୮୪
ରଖୁ ନ ରଖୁ ସେ ଜାଣଇ । ତା ବିନୁ ଆନଗତି ନାହିଁ ॥୮୫
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ ॥୮୬


ଶୁକ ଉବାଚ[ସମ୍ପାଦନା]


ଏମନ୍ତେ ଗଜରାଜ ସ୍ତୁତି । ଗୋବିନ୍ଦ ପାଦେ ଦେଇ ମତି ॥୮୭
ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ । ଯେ ପୂର୍ବଭାଗ୍ୟର ଉଦୟେ ॥୮୮
ଗଜ ବିକଳ ଶୁଣି ହରି । ସତ୍ୱରେ ଚିତ୍ତେ ମୋଦଭରି ॥୮୯
ଯେ ହରି ସର୍ବ-ଦେବମୟେ । ଅଶେଷ ବିଶ୍ୱ ଯାର ଦେହେ ॥୯୦
ସର୍ବଦେବତା ମିଳି ସଙ୍ଗେ । ସ୍ତୁତି କରନ୍ତି ନାନାରଙ୍ଗେ ॥୯୧
ଗରୁଡ଼ ପୃଷ୍ଠେ ବିଜେ କରି । କରେ ପ୍ରଚଣ୍ଡ-ଚକ୍ର ଧରି ॥୯୨
ବେଗେ ମିଳିଲେ ଗଜ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥୯୩
ଗଜେନ୍ଦ୍ର ସରୋବର ଜଳେ । ଗ୍ରାହଗ୍ରସିତ ପାଦମୂଳେ ॥୯୪
ଦେଖଇ ଗରୁଡ଼-ପୁଷ୍ଠର । ଆକାଶେ ବିଜେ ଚକ୍ରଧର ॥୯୫
ପଦ୍ମ ଗୋଟିଏ ଘେନି ହସ୍ତେ । ଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ ॥୯୬
ବେଗେ ନମିଲା ଶୁଣ୍ଢ ତୋଳି । ଦେଖନ୍ତେ ପ୍ରଭୁ ବନମାଳୀ ॥୯୭
ଚକ୍ର ବିରାଜେ ଦକ୍ଷକରେ । ସୂର୍ଯ୍ୟ କି ଉଦିତ ଅମ୍ବରେ ॥୯୮
ଡାକଇ ଆରତଭଞ୍ଜନ । ଭୋ ନାଥ ରଖ ମୋ ଜୀବନ ॥୯୯
ହେ ନାରାୟଣ ବିଶ୍ୱଗୁରୁ । ଆରତଜନ ଦୁଃଖ ହରୁ ॥୧୦୦
ନମସ୍ତେ ପ୍ରଭୁ ଭଗବାନ । ତୁ ନାଥ ଜଗତ-ଜୀବନ ॥୧୦୧
ଗ୍ରାହ-ପୀଡ଼ିତ ଗଜ ଦେଖି । ତକ୍ଷଣେ ଗରୁଡ଼ ଉପେକ୍ଷି ॥୧୦୨
ଜଳେ ପଶିଲେ ଚକ୍ରପାଣି । ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ॥୧୦୩
କୁମ୍ଭୀର ମୁଖୁଁ ବନମାଳୀ । ହସ୍ତୀ ଚରଣ ହସ୍ତେ ତୋଳି ॥୧୦୪
ଦେଖନ୍ତି ଶୂନ୍ୟେ ଦିଗପାଳେ । ଗଜକୁ ଘେନି ବିଜେ କୂଳେ ॥୧୦୫
ଅଶେଷ ହରିର ମହିମା । କେ କହିପାରେ ଗୁଣସୀମା ॥୧୦୬
ଗଜକୁ ରଖିଲେ ଯେମନ୍ତେ । ଅଷ୍ଟମ ସ୍କନ୍ଧେ ଭାଗବତେ ॥୧୦୭
ଭାଷା-ପ୍ରବନ୍ଧେ ହରି ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୦୮
ବୋଲଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏ ଚରିତ ॥୧୦୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣେ ତୃତୀୟୋଽଧ୍ୟାୟଃ ॥

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ହେତୁ ହୋଇ । ହରି-ଚରଣେ ମନ ଦେଇ ॥୧
ବରୁଣ ହ୍ରଦେ ଚକ୍ରପାଣି । ଗଜେନ୍ଦ୍ର ମୋକ୍ଷ କଲେ ଶୁଣି ॥୨
ଦେଖିବା ଅର୍ଥେ ଦେବଗଣେ । ମଙ୍ଗଳ-ସ୍ତୁତି ଉଚ୍ଚାରଣେ ॥୩
ବ୍ରହ୍ମା ଶଙ୍କର ଦେବଋଷି । ଗନ୍ଧର୍ବେ କୁସୁମ ବରଷି ॥୪
ହରିର କର୍ମ ପ୍ରଶଂସନେ । ମିଳିଲେ ଗଜ-ସନ୍ନିଧ୍ୟାନେ ॥୫
ଦେବଦୁନ୍ଦୁଭି ନାଦ କରି । ନୃତ୍ୟ କରନ୍ତି ଅପସରୀ ॥୬
ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ । ମଙ୍ଗଳ-ସ୍ତୁତି ଉପଚାରେ ॥୭
ଋଷି-ଚାରଣ-ସିଦ୍ଧଗଣେ । ଆଗମ-ନିଗମ ପ୍ରମାଣେ ॥୮
ପୁରୁଷୋତ୍ତମ ରୂପ ଚାହିଁ । ସ୍ତୁତି କରନ୍ତି ଭାବବହି ॥୯
ଭୂମି ଅନ୍ତରୀକ୍ଷ ଗଗନେ । ମଙ୍ଗଳ ସ୍ତୁତି ତୋଷମନେ ॥୧୦
କରନ୍ତି ଜୟ ଜୟ ବାଣୀ । କୁମ୍ଭୀର-ଦେହ ଜଳୁ ପୁଣି ॥୧୧
ତକ୍ଷଣେ ହୋଇଲା ବାହାର । କି ଅବା ଦେବା ପଟାନ୍ତର ॥୧୨
ରବି-ଶଶାଙ୍କ-ଅଗ୍ନି ଗଞ୍ଜେ । ଅଦ୍ଭୁତ ରୂପ ତେଜପୁଞ୍ଜେ ॥୧୩
ଦେବଳ ଶାପୁଁ ପାର ଗଲା । ଯେ ବିଷ୍ଣୁଚକ୍ରେ ପ୍ରାଣ ଦେଲା ॥୧୪
ହୁହୁ ଗନ୍ଧର୍ବ ତାର ନାମ । ସ୍ୱଭାବେ ରୂପ ତେଜଧାମ ॥୧୫
ଦେଖନ୍ତି ସର୍ବ ଦେବଗଣେ । ବିଷ୍ଣୁ ଚରଣେ ତୋଷମନେ ॥୧୬
ଶତପ୍ରଣାମ ଦଣ୍ଡବତେ । ନମିଲା ହରି ପାଦାଗ୍ରତେ ॥୧୭
ଉଠି ଅଞ୍ଜଳି ଶିରେ ଦେଇ । ଗାନ୍ଧାର-ରାଗେ ଗୀତ ଗାଇ ॥୧୮
ଆନନ୍ଦେ ନମିଲା ଚରଣେ । ହରିର ଆଜ୍ଞା ପରମାଣେ ॥୧୯
ଦେଖନ୍ତି ସର୍ବ ଦେବତାଏ । ଗମିଲା ଗନ୍ଧର୍ବର ଦେହେ ॥୨୦
ଗଜ ଯେ ଥିଲା କୃଷ୍ଣପାଶେ । ଗୋବିନ୍ଦ ଚରଣ-ସ୍ପରଶେ ॥୨୧
ତକ୍ଷଣେ ହୋଇ କୃତକୃତ୍ୟ । ଅଜ୍ଞାନ-ବନ୍ଧନୁ ବିମୁକ୍ତ ॥୨୨
ବିଷ୍ଣୁର ରୂପ ପରକାଶେ । ରତ୍ନକୁଣ୍ଡଳ ରବି ତ୍ରାସେ ॥୨୩
କଟୀରେ ପୀତବସ୍ତ୍ର ଶୋହେ । ହାର କେୟୂର ଜନ ମୋହେ ॥୨୪
ସୁନ୍ଦର ଶୋହେ ଚାରିଭୁଜ । ବିଷ୍ଣୁ-ଆୟୁଧ ଦିବ୍ୟତେଜ ॥୨୫
ତକ୍ଷଣେ ଦିବ୍ୟରୂପ ହୋଇ । ଗରୁଡ଼ ପୃଷ୍ଠରେ ଆରୋହି ॥୨୬
ଗରୁଡ଼ ଉଡ଼ି ମହାଶୂନ୍ୟେ । ପଶିଲା ବିଷ୍ଣୁର ଭୁବନେ ॥୨୭
ଶୁଣ ପରୀକ୍ଷ ନରନାଥ । ସେ ଗଜଇନ୍ଦ୍ରର ଚରିତ ॥୨୮
ଦ୍ରାବିଡ଼ି-ଦେଶେ ପାଣ୍ଡ୍ୟନାମ । ଶୁଭସୁନ୍ଦର ଗୁଣଧାମ ॥୨୯
ରାଜା ଯେ ଇନ୍ଦ୍ରଦ୍ୟୁମ୍ନ ନାମ । ବିଷ୍ଣୁର ବ୍ରତ ପରାୟଣ ॥୩୦
ସେ ରାଜା ବସି ଏକଦିନେ । ବିଷ୍ଣୁପୂଜନେ ଦୃଢ଼ମନେ ॥୩୧
ନିଶ୍ଚଳେ ବସି କୁଳାଚଳେ । ମନ ନିବେଶି ପାଦମୂଳେ ॥୩୨
ମଉନବ୍ରତେ ଜପକରି । ଧ୍ୟାନେ ଚିନ୍ତଇ ନରହରି ॥୩୩
ଜଟା-କଳାପ ଶିରେ ସାଜେ । ପ୍ରକାଶେ ବନଭୂମି ତେଜେ ॥୩୪
ଅନେକ ଶିଷ୍ୟଗଣ ତୁଲେ । ଅଗସ୍ତି ମୁନି ବିଜେ କଲେ ॥୩୫
ତାହାଙ୍କୁ ଦେଖି ନ ଉଠିଲା । ସୁଖେ ସମ୍ଭାଷଣ ନ କଲା ॥୩୬
ଏମନ୍ତ ଦେଖି ମୁନିଗଣେ । ବେଗେ ଉଠିଲେ କୋପମନେ ॥୩୭
ବୋଲନ୍ତି ଏକ ଆରେ ଚାହିଁ । ଦେଖ ଏହାର ଜ୍ଞାନ ନାହିଁ ॥୩୮
ଅବଜ୍ଞା କଲା ବିପ୍ରଗଣେ । ଗଜର ପ୍ରାୟେ ମୂଢ଼ପଣେ ॥୩୯
ରାଜସମ୍ପଦ ଗର୍ବଭରେ । ବିପ୍ରଙ୍କୁ ଅମାନନା କରେ ॥୪୦
ଅନ୍ତେ ପଡ଼ିବ ତମଘୋରେ । କେବେହେଁ ଦୁଃଖୁଁ ନ ନିସ୍ତରେ ॥୪୨
ଏ ଧର୍ମଦୂଷଣ ପ୍ରସ୍ତାବେ । ଗଜ ଏ ହେବ ଏହି ଭାବେ ॥୪୨
ଗହନ-ବନେ ଚିରକାଳେ । ଗ୍ରାହ ଗ୍ରାସିବ ହ୍ରଦଜଳେ ॥୪୩
ଏମନ୍ତ ଶାପ ତାକୁ ଦେଇ । ମୁନିଏ ଗଲେ ପଥ ବାହି ॥୪୪
ସେ ରାଜା ପ୍ରାଣତ୍ୟାଗ କାଳେ । ଗଜ ଦେଖିଲା ବେନିଡ଼ୋଳେ ॥୪୫
ଯେ ଗଜଯୋନି ଜ୍ଞାନ ହରେ । ନିବାସ ଘନ-ବନ-ଘୋରେ ॥୪୬
ଯେଣୁ ଗୋବିନ୍ଦ ଭଜିଥିଲା । ସେ ଭାବେ ହରି ସୁମରିଲା ॥୪୭
ଏମନ୍ତେ ଗଜ ମୋକ୍ଷ କରି । ନିଜ ଭୁବନେ ଗଲେ ହରି ॥୪୮
ଏବେ ହୋ ପରୀକ୍ଷିତ ଶୁଣ । କହିଲି ଗଜେନ୍ଦ୍ରମୋକ୍ଷଣ ॥୪୯
ଏକଥା ଫଳ ଶୁଣ ଏବେ । ଯେ ନର ଶୁଣେ ଭକ୍ତିଭାବେ ॥୫୦
ଯେ ଅବା ଉଚ୍ଚାରେ ବଦନେ । ଯେବା ପୁଚ୍ଛନ୍ତି ଅନ୍ୟ ଅନ୍ୟେ ॥୫୧
ସର୍ବସମ୍ପଦ ଯଶସ୍କର । କଳି-କଳୁଷ ଦୁଃଖ ହର ॥୫୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ସ୍ମରଣେ ନାଶେ ସର୍ବପୀଡ଼ା ॥୫୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଯେବା ଚିନ୍ତନ୍ତି ଏହା ମନେ ॥୫୪
ରଜନୀ ଅନ୍ତେ ଉଷାକାଳେ । କର-ବଦନ ଧୋଇ ଜଳେ ॥୫୫
ଗଜେନ୍ଦ୍ରମୋକ୍ଷ ଯେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି ॥୫୬
ଦୁଃସ୍ୱପ୍ନ ଗ୍ରହପୀଡ଼ା ନାଶେ । ନିର୍ମଳଜ୍ଞାନ ପରକାଶେ ॥୫୭
ସକଳ ଦେବଋଷି ମଧ୍ୟେ । ଗୋବିନ୍ଦ କହିଲେ ଆନନ୍ଦେ ॥୫୮
ଗଜେନ୍ଦ୍ର ମୁଖ ଚାହିଁ ହରି । କହନ୍ତି ଜନେ ଦୟାକରି ॥୫୯

ଭଗବାନ ଉବାଚ[ସମ୍ପାଦନା]

ଗଜେନ୍ଦ୍ର ଶୁଣ ମୋ ବଚନ । ଅଶେଷ ଦୁରିତ ଦହନ ॥୬୦
ଯେ ନର ଅହୋରାତ୍ର ଅନ୍ତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ ॥୬୧
ମୋତେ ସ୍ମରିବ ସଙ୍ଗେ ତୋର । ଆବର ଏହି ସରୋବର ॥୬୨
ପର୍ବତ-କନ୍ଦର-କାନନ । ବେତ କୀଚକ ବେଣୁବନ ॥୬୩
ସୁରପାଦପ ଗୁଳ୍ମ ଆଦି । ପର୍ବତ-ତ୍ରିଶୃଙ୍ଗ ସମ୍ପାଦି ॥୬୪
ବ୍ରହ୍ମା-ଭୁବନ ମୋ ନିବାସ । ଶଙ୍କର ସ୍ଥାନ କପିଳାସ ॥୬୫
କ୍ଷୀରଜଳଧି ପ୍ରିୟ ମୋର । ଯେ ଶ୍ୱେତଦୀପ ମନୋହର ॥୬୬
ଶ୍ରୀବତ୍ସ କଉସ୍ତୁଭ ମଣି । ଚତୁରଭୁଜ ପରିମାଣି ॥୬୭
ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା ॥୬୮
ବିନତାନନ୍ଦନ ଅନନ୍ତ । କମଳା ମୋର ହୃଦେ ସ୍ଥିତ ॥୬୯
ବ୍ରହ୍ମା ଶଙ୍କର ଯେ ନାରଦ । ଭକତ ମଧ୍ୟେ ପ୍ରହଲ୍ଲାଦ ॥୭୦
ମତ୍ସ୍ୟକଚ୍ଛପ କୋଳ ଆଦି । ଯେ ରୂପ ଅଛି ମୁଁ ସମ୍ପାଦି ॥୭୧
ଅଶେଷ ଗୁଣ କର୍ମ ଯେତେ । ମୋହର ଯଶ ଏ ଜଗତେ ॥୭୨
ରବି ଶଶାଙ୍କ ହୁତାଶନ । ପ୍ରଣବ ସତ୍ୟ ଯେ ବଚନ ॥୭୩
ଗୋ ବିପ୍ର ଆଦି ଧର୍ମ ଯେତେ । ଋଷି ଦେବତା ଯଜ୍ଞମତେ ॥୭୪
ଦକ୍ଷଦୁହିତା ମନୁ ଯେତେ । ପୂର୍ବେ ମୁଁ କହିଅଛି ତୋତେ ॥୭୫
ସୋମ କଶ୍ୟପବଂଶ ଆଦି । ସୃଷ୍ଟି-ସର୍ଜନେ ଯେ ପ୍ରସିଦ୍ଧି ॥୭୬
ଗଙ୍ଗା କାଳିନ୍ଦୀ ସରସ୍ୱତୀ । ଅଇରାବତ ନନ୍ଦାବତୀ ॥୭୭
ଧ୍ରୁବାଦି ସପ୍ତଋଷି ଯେତେ । ଯେ ପୁଣ୍ୟଶ୍ଳୋକ ଏ ଜଗତେ ॥୭୮
ସ୍ମରଣେ ସର୍ବପାପ ହରେ । ଏ ଘୋର-ସଙ୍କଟୁ ନିସ୍ତରେ ॥୭୯

ଶୁକ ଉବାଚ[ସମ୍ପାଦନା]

ଏମନ୍ତ କହି ଦେବବୃନ୍ଦେ । ସେ ହରି ପରମଆନନ୍ଦେ ॥୮୦
ଆରୋହି ଗରୁଡ଼ ଉପରେ । ତକ୍ଷଣେ ଗଲେ ନିଜପୁରେ ॥୮୧
ସୁଜନ ହିତେ ଭାଗବତ । କହଇ ଦାସ ଜଗନ୍ନାଥ ॥୮୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣଂ ନାମ ଚତୁର୍ଥୋଽଧ୍ୟାୟଃ ॥

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

ଶୁକ କହନ୍ତି ଗଙ୍ଗାକୂଳେ । ସକଳ ମହାରଷି ମେଳେ ॥୧

ଶୁକ ଉବାଚ[ସମ୍ପାଦନା]

ହରି ଚରିତ ସୁଧାସାର । ଗଜ କୁମ୍ଭୀରର ନିସ୍ତାର ॥୨
ପ୍ରସନ୍ନେ କହି ରାଜା ଆଗେ । ପୁଣ କହନ୍ତି ଅନୁରାଗେ ॥୩
ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ ଗୋବିନ୍ଦ ଚରିତ ॥୪
ତୋତେ କହିଲୁ ହରିଗୁଣ । ମନୁ-ଚରିତ ଏବେ ଶୁଣ ॥୫
ପଞ୍ଚମେ ତାମସ-ସୋଦର । ରୈବତ ନାମେ ମନୁବର ॥୬
ଅର୍ଜ୍ଜୁନ ବଳିବିନ୍ଧ୍ୟ ନାମ । ତାର ତନୟ ଅନୁପମ ॥୭
ଇନ୍ଦ୍ର ବସଇ ବିଭୁ ନାମ । ଘେନି ଦେବତା ଋଷିଗଣ ॥୮
ଦେବତା ଭୂତରୟ ଆଦି । ଏ ଭାବେ ଅମର ପ୍ରସିଦ୍ଧି ॥୯
ହିରଣ୍ୟରୋମା ବେଦଶିର । ଊର୍ଦ୍ଧ୍ୱବାହୁ ଯେ ମୁନିବର ॥୧୦
ବିକୁଣ୍ଠା ନାମେ ଶୁଭ୍ର ନାରୀ । ରୂପେ କମଳା ନୋହେ ସରି ॥୧୧
ବୈକୁଣ୍ଠପୁର ଲୋକ ସଙ୍ଗେ । ବିଷ୍ଣୁ ତାହାର ନିଜ ଅଙ୍ଗେ ॥୧୨
ଜନ୍ମ ହୋଇଲେ ନିଜଧାମ । ଏଣୁ ବୈକୁଣ୍ଠ ତାର ନାମ ॥୧୩
ବୈକୁଣ୍ଠପୁର ମନେ କଳ୍ପି । ଯହିଁ ବିଜୟେ ବିଶ୍ୱରୂପୀ ॥୧୪
ସେ ସର୍ବଲୋକ ନମସ୍ତୁତ । ଶୁଣ ନୃପତି ପରୀକ୍ଷିତ ॥୧୫
ଲକ୍ଷ୍ମୀର ପ୍ରାର୍ଥନେ ମୁରାରି । କମଳା ତୁଲେ ପ୍ରୀତିକରି ॥୧୬
ନିବାସ କଲେ ପ୍ରିୟଭାବେ । ବିଷ୍ଣୁଭକତଙ୍କର ଲାଭେ ॥୧୭
ବୈକୁଣ୍ଠ ଗୁଣ ଭାବ ଯେତେ । ଭାବେ କହିଛି ତୋ ଅଗ୍ରତେ ॥୧୮
ଏ ବିଷ୍ଣୁଗୁଣ ପରିମାଣୁ । କେ ଗଣିପାରେ ଭୂମିରେଣୁ ॥୧୯
ଶୁଣ ରାଜନ ମନତୋଷେ । ଏବେ କହିବା ମନୁବଂଶେ ॥୨୦
ଷଷ୍ଠରେ ଚକ୍ଷୁଷଙ୍କ ସୁତ । ଚାକ୍ଷୁଷ ନାମେ ସେ ବିଦିତ ॥୨୧
ପୁରୁ ପୁରୁଷ ସୁଦ୍ୟୁମ୍ନ ଯେ । ପ୍ରମୁଖ ଚାକ୍ଷୁଷ ତନୁଜେ ॥୨୨
ଇନ୍ଦ୍ରର ନାମ ମନ୍ତ୍ରଦ୍ରୁମ । ଆପ୍ୟାଦି ଦେବଗଣ ନାମ ॥୨୩
ହବିଷ୍ମ ବୀରକାଦି ମୁନି । ଉଦୟେ ନିଜଗୁଣ ଘେନି ॥୨୪
ସେ ମନୁ କାଳେ ଚକ୍ରଧର । ଦେବ ସମ୍ଭୂତିର ଉଦର ॥୨୫
ଅଜିତ ନାମେ ଭଗବାନ । ବୈରାଜ ଋଷିର ନନ୍ଦନ ॥୨୬
ଯେ ରୂପେ ସମୁଦ୍ର ମନ୍ଥିଲେ । ସୁରଗଣଙ୍କୁ ସୁଧା ଦେଲେ ॥୨୭
ଜଳେ ବୁଡ଼ନ୍ତେ ଗିରିବର । କୂର୍ମ ରୂପେ ଧରି ମନ୍ଦର ॥୨୮
ଅମୃତ ଦେଲେ ଦେବଗଣେ । ଅସୁର ମୋହି ସ୍ତିରୀପଣେ ॥୨୯
ଶୁକ-ଚରଣ-ତଳେ ବସି । ବୋଲେ ପରୀକ୍ଷ କୁରୁବଂଶୀ ॥୩୦

ରାଜା ଉବାଚ[ସମ୍ପାଦନା]

ଭୋ ମୁନି ଅସମ୍ଭବ କଥା । ସମୁଦ୍ର-ମନ୍ଥନ ବ୍ୟବସ୍ଥା ॥୩୧
କିମର୍ଥେ ପ୍ରଭୁ ଜନାର୍ଦ୍ଦନ । କଳ୍ପିଲେ କ୍ଷୀରବ୍‌ଧି-ମନ୍ଥନ ॥୩୨
କେମନ୍ତେ କୂର୍ମରୂପ ଧରି । ପୃଷ୍ଠେ ବହିଲେ ମହାଗିରି ॥୩୩
କେମନ୍ତେ ସର୍ବ ଦେବଗଣ । ସନ୍ତୋଷେ କଲେ ସୁଧାପାନ ॥୩୪
ଅନ୍ୟ ବା କି କି ଉପୁଜିଲା । କେତେ ବା ସମ୍ଭୂତ ହୋଇଲା ॥୩୫
ବିଷ୍ଣୁ-ଚରିତ ଅଗୋଚର । ଭ୍ରମନ୍ତି ବ୍ରହ୍ମା ଶିବ ସୁର ॥୩୬
ହରି-ମହିମା ତୁମ୍ଭ ମୁଖେ । ଶ୍ରବଣେ ପାନକରି ସୁଖେ ॥୩୭
ତୃପତ ନୋହିଲା ମୋ ପ୍ରାଣ । ଭୋ ମୁନି କର ପରିତ୍ରାଣ ॥୩୮
ଶୁକ କହନ୍ତି ବ୍ରହ୍ମମତେ । ସକଳ ଋଷିଙ୍କ ଅଗ୍ରତେ ॥୩୯
ସୂତ ଉବାଚ ଏମନ୍ତେ ପରୀକ୍ଷିତ ବାଣୀ । ଶୁକ ଆନନ୍ଦ ମନେ ଗୁଣି ॥୪୦
ହରି-ମହିମା ସୁଖେ ମଜ୍ଜି । ଦଣ୍ଡେ ରହିଲେ ଚକ୍ଷୁ ବୁଜି ॥୪୧
ଅନ୍ତସ୍କରଣେ ହରି ଧ୍ୟାୟୀ । କହନ୍ତି ରାଜାମୁଖ ଚାହିଁ ॥୪୨

ଶୁକ ଉବାଚ[ସମ୍ପାଦନା]

ପୂର୍ବେ ଯେ ଦେବାସୁର-ରଣେ । ଯୁଦ୍ଧେ ହାରିଲେ ଦେବଗଣେ ॥୪୩
ପଡ଼ିଲେ ଗତପ୍ରାଣ ପ୍ରାୟେ । ଜ୍ଞାନ ନ ଲଭନ୍ତି କେବେହେଁ ॥୪୪
ଦୁର୍ବାସା ମୁନିଙ୍କର କ୍ରୋଧ । ଧ୍ୱଂସିଲା ଇନ୍ଦ୍ରର ସମ୍ପଦ ॥୪୫
ଯଜ୍ଞାଦିକ୍ରିୟା ନାଶ ଗଲା । ଏ ତିନିଭୁବନ କମ୍ପିଲା ॥୪୬
ଇନ୍ଦ୍ର ନ ପାରେ ସ୍ୱର୍ଗେ ରହି । ବନେ ପଶିଲା ବେଗେ ଯାଇ ॥୪୭
ଭୟେ ନ ରହି ସ୍ୱର୍ଗଲୋକେ । ବନେ ବୁଲନ୍ତି ଏକେ ଏକେ ॥୪୮
ତ୍ରୈଲୋକ୍ୟ ଦିଶେ ଅନ୍ଧକାର । ଭୂମି କମ୍ପଇ ଥରହର ॥୪୯
ଲକ୍ଷ୍ମୀ ବିହୁନେ ତିନିଲୋକେ । ଦୁଃଖେ ମଜ୍ଜିଲେ ଅତିରେକେ ॥୫୦
ଏମନ୍ତେ ଦେବଲୋକେ ଚାହିଁ । ବାସବ ସଙ୍ଗେ ସଙ୍ଗ ହୋଇ ॥୫୧
ଦିଗପାଳଙ୍କୁ ସଙ୍ଗ କରି । ଅନେକ ପ୍ରକାରେ ବିଚାରି ॥୫୨
ନିସ୍ତାର ନ ପାରିଲେ ଚିନ୍ତି । ମନେ ପାଇଲେ ମହାଭୀତି ॥୫୩
ଏମନ୍ତେ କେତେ ଦିନ ରହି । ପୁଣି ସକଳେ ରୁଣ୍ଡ ହୋଇ ॥୫୪
ବିଚାର କଲେ ଏକମତେ । କହିବା ବ୍ରହ୍ମାଙ୍କ ଅଗ୍ରତେ ॥୫୫
ଇନ୍ଦ୍ର ନଥିଲେ ସୃଷ୍ଟି କାହିଁ । ଆମ୍ଭେ ନ ପାରୁ ସ୍ୱର୍ଗେ ରହି ॥୫୬
ଲକ୍ଷ୍ମୀ-ବିହୀନେ ସୃଷ୍ଟି ନଶେ । ସଂସାରେ ଘୋରତମ ଗ୍ରାସେ ॥୫୭
ଏମନ୍ତେ ବିଚାରି ସକଳେ । ଶକ୍ରର ସଙ୍ଗେ ଦେବବଳେ ॥୫୮
ସୁମେରୁ-ଊର୍ଦ୍ଧ୍ୱେ ବ୍ରହ୍ମସଭା । ଯହିଁ ସକଳ ଋଷିଦେବା ॥୫୯
ସେ ସଭାମଧ୍ୟେ ଦେବଗଣେ । ନମିଲେ ଧାତାର ଚରଣେ ॥୬୦
ଇନ୍ଦ୍ରଙ୍କୁ କରି ଆଗୁସାର । ବୋଇଲେ ଶୁଣ ବେଦବର ॥୬୧
ଦୁର୍ବାସା-କୋପେ ଇନ୍ଦ୍ର ଦୁଃଖୀ । ଆମ୍ଭେ ସକଳ ତାହା ଦେଖି ॥୬୨
ତ୍ରୈଲୋକ୍ୟଲକ୍ଷ୍ମୀ କେଣେ ଗଲା । ଦୁଃଖ-ତିମିର ପ୍ରକାଶିଲା ॥୬୩
ରବି-ଶଶାଙ୍କ-ହୁତାଶନେ । ତେଜ ନ ଦିଶେ ଲକ୍ଷ୍ମୀହୀନେ ॥୬୪
ତ୍ରୈଲୋକ୍ୟଲକ୍ଷ୍ମୀ ଇନ୍ଦ୍ର ମୂଳେ । ସ୍ୱର୍ଗରେ ନ ରହେ ନିଶ୍ଚଳେ ॥୬୫
ଇନ୍ଦ୍ରର ତେଜ ଅସ୍ତ ଗଲା । ତେଣୁ ସମ୍ପଦ ନାଶ ହେଲା ॥୬୬
ଆମ୍ଭେ ତ ହୋଇଲୁ ଅନାଥ । ଋଷି ସକଳ ବେଦନାଥ ॥୬୭
ଏମନ୍ତେ ଦେବଙ୍କ ବଚନ । ଶୁଣି ପଦ୍ମଯୋନି ମଉନ ॥୬୮
ଦଣ୍ଡେ ରହିଲେ ଛନ୍ନ ହୋଇ । ଦେବଙ୍କୁ ଚାହିଁ ବିଚାରଇ ॥୬୯
ଏ ଇନ୍ଦ୍ରଆଦି ଦିଗପାଳେ । ଗଗନ-ଧରଣୀ-ପାତାଳେ ॥୭୦
ଯେତେ ଅଛନ୍ତି ରାଜାଗଣେ । ତେଜ ନ ଦେଖି ଲକ୍ଷ୍ମୀହୀନେ ॥୭୧
ଅଶୁଭ ପ୍ରାୟେ ତ ଦିଶଇ । ଏମନ୍ତେ ଦୁଃଖ ମନେ ବହି ॥୭୨
ପୁରୁଷୋତ୍ତମ ପାଦମୂଳେ । ଚିନ୍ତିଲେ ସମାଧି ନିଶ୍ଚଳେ ॥୭୩
ହରିପ୍ରସନ୍ନ ଲେଶ ପାଇ । ବୋଲନ୍ତି ଦେବଙ୍କୁ ଅନାଇଁ ॥୭୪
ଆନନ୍ଦମନେ ବେଦବର । ଦେବଙ୍କୁ ବୋଲନ୍ତି ଉତ୍ତର ॥୭୫

ବ୍ରହ୍ମା ଉବାଚ[ସମ୍ପାଦନା]

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ ॥୭୬
ବ୍ରହ୍ମା ଶଙ୍କର ଦେବଗଣ । ମନୁଷ୍ୟ ପଶୁ ଗୁଳ୍ମବନ ॥୭୭
ଯାହାର ଅଂଶ କଳା ବହି । ଆମ୍ଭେ ସକଳେ ବହୁ ଦେହୀ ॥୭୮
ସେ ହରି ଅବ୍ୟୟ ଈଶ୍ୱର । ଆମ୍ଭେ ଯେ ଶରଣ ତାହାର ॥୭୯
ଯାହାର ରିପୁ-ମିତ୍ର ନାହିଁ । ରକ୍ଷ-ଅରକ୍ଷ ତାର କାହିଁ ॥୮୦
ତଥାପି ସୃଷ୍ଟି ସେ ସଞ୍ଚଇ । ସ୍ୱଭାବେ ତିନିଗୁଣ ବହି ॥୮୧
ସୃଷ୍ଟି କରଇ ରଜଗୁଣେ । ସତ୍ତ୍ୱେ ପାଳଇ ବିଷ୍ଣୁପଣେ ॥୮୨
ତାମସଗୁଣେ ସଂହରାଇ । ଅନ୍ତରେ ସର୍ବଗୁଣ ବହି ॥୮୩
ଏଣୁ ଜଗତଗୁରୁ ପାଦେ । ଶରଣ ପଶ ଅପ୍ରମାଦେ ॥୮୪
ତାର ମହିମା ସୁରପ୍ରିୟ । ସୁର-ରକ୍ଷଣେ ବହେ ଦେହ ॥୮୫
ଆମ୍ଭ କୁଶଳ ସେ କରିବ । ଅନାଦି ପ୍ରଭୁ ପଦ୍ମନାଭ ॥୮୬

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ବୋଲି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି ॥୮୭
ଆନନ୍ଦେ ଜୟ ଜୟ ନାଦେ । ସର୍ବେ ମିଳିଲେ ବିଷ୍ଣୁପାଦେ ॥୮୮
ଯେ ବଇକୁଣ୍ଠ ଯୋଗଗମ୍ୟ । ପରମଆତ୍ମା-ପରଧାମ ॥୮୯
ପ୍ରକୃତି ନ ଜାଣଇ ଯାହା । ଯହିଁ ନ ପଶେ ବିଷ୍ଣୁମାୟା ॥୯୦
ଅଦୃଷ୍ଟ-ଅଶ୍ରୁତ-ଭୁବନେ । ଦେବେ ମିଳିଲେ ମହାଶୂନ୍ୟେ ॥୯୧
ଯହିଁ କି ଜୀବ ଆତ୍ମା ଗଲେ । ପୁଣି ନ ସଞ୍ଚରେ ଶୟଳେ ॥୯୨
ଧାତା କପୋଳେ କର ଦେଇ । ବୋଲେ ବୈକୁଣ୍ଠନାଥ ଧ୍ୟାୟୀ ॥୯୩

ବ୍ରହ୍ମା ଉବାଚ[ସମ୍ପାଦନା]

ସତ୍ୟ ଅନନ୍ତ ଅବିକାର । ଯେ ନିରଞ୍ଜନ ନିରାକାର ॥୯୪
ନିଜ ବିଭୂତି ଅଗୋଚର । ଜନ୍ତୁଙ୍କ ହୃଦେ ଯାର ଘର ॥୯୫
ମନରୁ ବେଗବନ୍ତ ଯେହି । ମନ-ବଚନେ ଭେଦ କାହିଁ ॥୯୬
ବରେଣ୍ୟ-ଦେବବର ପାଦେ । ଆମ୍ଭେ ମିଳିଲୁ ଅପ୍ରମାଦେ ॥୯୭
ସ୍ୱଭାବେ ମନ ପ୍ରାଣ ବୁଦ୍ଧି । ଏ ଯହିଁ ନ ପାରନ୍ତି ଭେଦି ॥୯୮
ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟ । ଉନିଦ୍ର-ଭାବେ ଅବିନାଶ ॥୯୯
ଛାୟା-ଆତପେ ଯେନ ମିଶେ । ଅକ୍ଷୟ-ଶୂନ୍ୟେ ପରକାଶେ ॥୧୦୦
ତ୍ରିଗୁଣ-ରୂପ ଯେ ବୋଲାଇ । ଆମ୍ଭେ ଶରଣ ଗଲୁ ତହିଁ ॥୧୦୧
ଏ ଜୀବ ଚକ୍ରରୂପ ଧରେ । ମାୟାରେ ମଣ୍ଡଳେ ସଞ୍ଚରେ ॥୧୦୨
ତ୍ରିଗୁଣେ ତ୍ରିନାଭି ତାହାର । ଯେ ଚକ୍ରେ ପଞ୍ଚଦଶ ଅର ॥୧୦୩
ଦଶଇନ୍ଦ୍ରିୟ ପଞ୍ଚପ୍ରାଣ । ଅଷ୍ଟପ୍ରକୃତି ନେମି ଜାଣ ॥୧୦୪
ସେ ଚକ୍ର ଅକ୍ଷ ଆତ୍ମାରୂପୀ । ଯେ ଆଦି-ଅନ୍ତ-ମଧ୍ୟେ ବ୍ୟାପୀ ॥୧୦୫
ସେ ସତ୍ୟସ୍ୱରୂପ ଚରଣେ । ଆମ୍ଭେ ଯେ ପଶିଲୁ ଶରଣେ ॥୧୦୬
ଯାହାର ଜ୍ୟୋତି ପରକାଶ । ନିର୍ମଳ କରେ ଦଶଦିଶ ॥୧୦୭
ଯୋଗୀଏ ଯୋଗମାର୍ଗେ ଥାଇ । କାଳ ହରନ୍ତି ଯାରେ ଧ୍ୟାୟୀ ॥୧୦୮
କେହି ଯାହାର ମାୟାଭ୍ରମ । ତରଣେ ନ ହୁଅନ୍ତି କ୍ଷମ ॥୧୦୯
ଯା ମାୟା ଜଗତେ ସଞ୍ଚରେ । ଅନନ୍ତ ନାନାରୂପ ଧରେ ॥୧୧୦
ନିର୍ଜିତମାୟା ମାୟାଗୁଣ । ପରମ ପୁରୁଷ ପୁରାଣ ॥୧୧୧
ଜନ୍ତୁଙ୍କ ଦେହେ ସମରୂପୀ । ତେଜେ ସଞ୍ଚରେ ସର୍ବବ୍ୟାପୀ ॥୧୧୨
ତାର ଚରଣେ ନମସ୍କାର । ଯେ ପ୍ରଭୁ ପରମଈଶ୍ୱର ॥୧୧୩
ଏ ଦେବଗଣ ବ୍ରହ୍ମା ଆଦି । ସେ କ୍ରୀଡ଼ା-ଅର୍ଥରେ ସମ୍ପାଦି ॥୧୧୪
ସତ୍ତ୍ୱ-ସଂଯୋଗ ସୃଷ୍ଟି କରି । ତହିଁ ଯେ ସୂକ୍ଷ୍ମରୂପ ଧରି ॥୧୧୫
ଦିଶଇ ଅନ୍ତର-ବାହିଯ୍ୟେ । ପ୍ରଦୀପ ଯେହ୍ନେ ଗୃହମାଝେ ॥୧୧୬
ଯାହାର ସୂକ୍ଷ୍ମଗତି ଆମ୍ଭେ । ଜାଣି ନ ପାରୁ ଜ୍ଞାନଦମ୍ଭେ ॥୧୧୭
ସଂସାର ମଧ୍ୟେ ଛନ୍ତି ଯେତେ । ସେ ଅବା ଜାଣିବେ କେମନ୍ତେ ॥୧୧୮
ଏ ମହୀ ଯାର ବେନିପାଦ । ସ୍ୱକୃତ-ପ୍ରାଣୀ ଚତୁର୍ବିଧ ॥୧୧୯
ଯେ କର୍ମ-ଗହଳେ ସଞ୍ଚରି । ଶରୀର ବହେ ନରହରି ॥୧୨୦
ମହାପୁରୁଷ ଆତ୍ମତନ୍ତ୍ର । ମହାବିଭୂତି ବ୍ରହ୍ମତତ୍ତ୍ୱ ॥୧୨୧
ପ୍ରସନ୍ନ ହେଉ ସେ ଆମ୍ଭଙ୍କୁ । ଶରଣ ପଶିଲୁ ତାହାଙ୍କୁ ॥୧୨୨
ଜଳ ଯାହାର ବୀର୍ଯ୍ୟ ହୋଇ । ସ୍ୱଭାବେ ତାର ତେଜ ବହି ॥୧୨୩
ଅଖିଳଲୋକ-ଲୋକପାଳେ । ତିନିଭୁବନ ଯାର ବଳେ ॥୧୨୪
ଭୂତ ସଞ୍ଚଇ ଜୀବ ରୂପେ । ସେ ହ୍ରାସ-ବୃଦ୍ଧି ଅନୁରୂପେ ॥୧୨୫
ମହାବିଭୂତି ବ୍ରହ୍ମ ଯେହୁ । ଆମ୍ଭ ବିଷୟେ ଦୟାବହୁ ॥୧୨୬
ସୋମ ଯାହାର ମନ ହୋଏ । ଦେବଙ୍କ ଅନ୍ନ-ଆୟୁ ବହେ ॥୧୨୭
ସ୍ଥାବରଙ୍କର ଯେ ଈଶ୍ୱର । ପ୍ରଜାଙ୍କ ରକ୍ଷା ବୃଦ୍ଧିକର ॥୧୨୮
ମହାବିଭୂତି ବ୍ରହ୍ମରୂପ । ସେ ହରି ହରୁ ଆମ୍ଭ ତାପ ॥୧୨୯
ଯାହାର ମୁଖୁଁ ଅଗ୍ନିଜାତ । ତେଜେ ପ୍ରତାପଇ ଜଗତ ॥୧୩୦
କ୍ରିୟାକାଣ୍ଡ ନିମିତ୍ତେ ଜନ୍ମ । ସେ ସର୍ବସାଧ୍ୟେ ସିଦ୍ଧକର୍ମ ॥୧୩୧
ଅନ୍ତଃ-ସମୁଦ୍ରେ ଅଗ୍ନି ବହି । ଆହାର ରୂପେ ଯେ ଭୁଞ୍ଜଇ ॥୧୩୨
ଯାହାର ଚକ୍ଷୁ ମାରତଣ୍ଡ । ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ ॥୧୩୩
ସେ ଦେବପାଳ ତ୍ରୟୀମୟ । ବ୍ରହ୍ମର ସ୍ଥାନ ଶୁଦ୍ଧଦେହ ॥୧୩୪
ମୁକ୍ତିର ଦ୍ୱାର ସେ ବୋଲାଇ । ଅମୃତ ମୃତ୍ୟୁରୂପ ହୋଇ ॥୧୩୫
ଚରାଚରଙ୍କ ଦେହ-ପ୍ରାଣ । ଯେ କରେ ପ୍ରାଣୀ ପରିତ୍ରାଣ ॥୧୩୬
ପ୍ରକାଶେ ସହ-ଓଜ-ବଳେ । ଯାର ବିହାର ଏ ଶୟଳେ ॥୧୩୭
ଯାର ଶ୍ରବଣ ଦଶଦିଶ । ହୃଦୟ ପ୍ରକାଶେ ଆକାଶ ॥୧୩୮
ଯାହାର ନାଭି ଅନ୍ତରୀକ୍ଷ । ମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ ॥୧୩୯
ପ୍ରାଣ ଇନ୍ଦ୍ରିୟ ଆତ୍ମାହେତୁ । ଯାର ପ୍ରସନ୍ନେ ଜ୍ଞାନତତ୍ତୁ ॥୧୪୦
ତ୍ରିଦଶଦେବଙ୍କର ନାଥ । ଇନ୍ଦ୍ର ଯାହାର ବଳୁଁ ଜାତ ॥୧୪୧
ଯାହାର ପ୍ରାଣେ ଜନ୍ତୁପ୍ରାଣ । ଏଣୁ ଏ ସର୍ବ ପରିତ୍ରାଣ ॥୧୪୨
ଯାହା ପ୍ରସାଦୁଁ ଦେବେ ହୋନ୍ତି । କ୍ରୋଧରୁ ହୋଏ ପଶୁପତି ॥୧୪୩
ବୁଦ୍ଧିରୁ ବ୍ରହ୍ମା ଜାତ ହୋଏ । ଲୋକେ ପ୍ରକାଶ ଯାର ଦେହେ ॥୧୪୪
ଇନ୍ଦ୍ରିୟ-ଛିଦ୍ରୁଁ ଜାତ ଛନ୍ଦେ । ମେଢ଼ୁଁ ପ୍ରଜାପତି ଆନନ୍ଦେ ॥୧୪୫
କମଳା ତାର ବକ୍ଷସ୍ଥଳ । ଛାୟା ସମ୍ଭବେ ପିତୃକୁଳ ॥୧୪୬
ଧର୍ମ-ଉଦିତ ସ୍ତନଯୁଗେ । ଅର୍ଧମ ଯାର ପୃଷ୍ଠଭାଗେ ॥୧୪୭
ସ୍ୱର୍ଗ ଯା ଶିରୂଁ ଉତପନ୍ନ । ବିହାରୁ ଅପସରାଗଣ ॥୧୪୮
ଯେ ମହାବିଭୂତି ଶରଣ । ଆମ୍ଭଙ୍କୁ କରୁ ପରିତ୍ରାଣ ॥୧୪୯
ବିପ୍ର ଯାହାର ମୁଖୁଁ ଜାତ । ବ୍ରହ୍ମା-ନିର୍ମାଣ-ଗୁହ୍ୟତତ୍ତ୍ୱ ॥୧୫୦
କ୍ଷତ୍ରିୟ ଭୁଜୁଁ ଜନ୍ମ ବଳ । ଉରୁ ସମ୍ଭୂତ ବୈଶ୍ୟକୁଳ ॥୧୫୧
ଶୂଦ୍ର ଚରଣୁଁ ଉତପତ୍ତି। ଯେ ବ୍ରହ୍ମ ପରମ ବିଭୂତି ॥୧୫୨
ଉପର ଓଷ୍ଠୁ ପ୍ରୀତି ଜାତ । ଅଧରୁ ଲୋଭ ଯେ ସମ୍ଭୂତ ॥୧୫୩
କାନ୍ତି ଯାହାର ନାସିକାରୁ । ସମ୍ଭବ ହୁଅଇ ସ୍ପର୍ଶରୁ ॥୧୫୪
ପାଶବ୍ୟକାମର ସମ୍ଭବ । ଯମ ଯାହାର ଜାତ ଭୁବ ॥୧୫୫
କାଳ ସମ୍ଭବ ପକ୍ଷ୍ମଦେଶେ । କରାଳ ଦିଶେ ବେନିପାଶେ ॥୧୫୬
ଦ୍ରବ୍ୟ ବୟସ କର୍ମ ଗୁଣ । ଯା ମାୟା ପ୍ରକାଶେ ଲକ୍ଷଣ ॥୧୫୭
ଯେ ଉପଶାନ୍ତି ଶକ୍ତି ବହେ । ଆମ୍ଭେ ଯେ ନମୁ ତାର ପାଏ ॥୧୫୮
ସତ୍ୟରେ ଯେ ପ୍ରତିପୂଜିତ । ମାୟା ଚରିତ ଗୁଣେ ସ୍ଥିତ ॥୧୫୯
ସେ ହରି ଦେଖାଉ ଶରୀର । ଯେ ନୋହେ କରଣେ ଗୋଚର ॥୧୬୦
ଯା ସୁଖ ଦେଖିବାର ଅର୍ଥେ । ଶରଣ ଗଲୁ ପାଦଗତେ ॥୧୬୧
ସୁଜନେ କର ଏଣେ ଭାବ । ଯେ ନାବେ ସଂସାରୁ ତରିବ ॥୧୬୨
କଳି-କଳ୍ମଷ ନାଶ ପାଇଁ । ଏ ବିନୁ ଆନଗତି ନାହିଁ ॥୧୬୩
ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନ ଆୟୋଜନେ ପଞ୍ଚମୋଽଧ୍ୟାୟଃ ॥

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ଦେବସ୍ତୁତି ଶୁଣି । ଶୂନ୍ୟେ ପ୍ରକାଶ ଚକ୍ରପାଣି ॥୧
ସହସ୍ର-ସୂର୍ଯ୍ୟତେଜ ଦେଖି । ଦେବେ ବୁଜିଲେ ଭୟେ ଆଖି ॥୨
ଦିଗ ନ ପାରନ୍ତି ବିଚାରି । କେମନ୍ତେ ଦେଖିବେ ଶ୍ରୀହରି ॥୩
ରହିଲେ ଅନ୍ଧକାରାଚ୍ଛନ୍ନେ । ଚାହିଁ ନ ପାରନ୍ତି ଗଗନେ ॥୪
ମଧ୍ୟେ ଯେ ବ୍ରହ୍ମା-ରୁଦ୍ର ଥିଲେ । ଟେକି ଅନ୍ତରୀକ୍ଷେ ଚାହିଁଲେ ॥୫
ଦେଖିଲେ ବିଷ୍ଣୁର ପ୍ରକାଶ । ଶରୀରେ ପୂରିଛି ଆକାଶ ॥୬
ନୀଳ-ମହୀନ୍ଦ୍ର ପ୍ରାୟେ ଦିଶେ । ଅରୁଣ-ଲୋଚନ ପ୍ରକାଶେ ॥୭
ବିକଚ-ପୁଣ୍ଡରୀକ ପ୍ରାୟେ । କର୍ଣ୍ଣେ କୁଣ୍ଡଳ ବେନି ଶୋହେ ॥୮
ତପ୍ତକାଞ୍ଚନ ପ୍ରାୟେ ବର୍ଣ୍ଣ । ପୀତବସନ ପରିଧାନ ॥୯
ପ୍ରସନ୍ନ ଚାରୁ ସର୍ବଅଙ୍ଗେ । ଶ୍ରୀମୁଖ ସୁନ୍ଦର ଭ୍ରୂଭଙ୍ଗେ ॥୧୦
ଅମୂଲ୍ୟ-ମୁକୁଟ ଲଲାଟେ । କାଞ୍ଚନ ଭୂଷଣ ପ୍ରକଟେ ॥୧୧
ଆଜାନୁଲମ୍ବେ ଚାରିଭୂଜେ । କେୟୂର କଙ୍କଣ ବିରାଜେ ॥୧୨
କାଞ୍ଚିକଳାପ ବଳୟରେ । ଶୋଭିତ ହାର-ନୂପୁରରେ ॥୧୩
କୌସ୍ତୁଭମଣି କଣ୍ଠେ ଶୋହେ । ତେଜ ପ୍ରକାଶେ ଜନମୋହେ ॥୧୪
କମଳା ବନମାଳ ରଙ୍ଗେ । ହୃଦେ ଶୋହଇ ଅନୁରାଗେ ॥୧୫
ଏମନ୍ତ ରୂପ ଶୂନ୍ୟେ ଚିନ୍ତି । ଶିବ ସହିତେ ବେଦପତି ॥୧୬
ଧ୍ୟାନେ ଗୋବିନ୍ଦ-ପାଦେ ପଡ଼ି । ସ୍ତୁତି କରନ୍ତି କରଯୋଡ଼ି ॥୧୭

ବ୍ରହ୍ମା ଉବାଚ[ସମ୍ପାଦନା]

ଅଜ-ନିର୍ମଳ ଯେ ସ୍ୱଭାବେ । ସୃଷ୍ଟିପାଳନ-ସ୍ଥିତି ଲାଭେ ॥୧୮
ଅଗୁଣେ ବିଶ୍ରାମ ତୁମ୍ଭର । ମହିମା-ଅମୃତ-ସାଗର ॥୧୯
ଅଣୁ ହୁଁ ଅଣୁଭାବ ହୋଇ । ସ୍ୱମାୟା ସୁଖେ ଯେ ଭଜଇ ॥୨୦
ମହାନୁଭବ ଏ ଜଗତେ । ମହାପୁରୁଷ ନମସ୍ତୁତେ ॥୨୧
ତୁ ନାଥ ସଂସାର-ଧାରଣ । ଏଣୁ ଅଶେଷ ମୁନିଗଣ ॥୨୨
ଆଗମ-ନିଗମେ ସମ୍ପାଦି । ବିଚାରି ସାଂଖ୍ୟଯୋଗ ବିଧି ॥୨୩
ବେଦ-ବିହିତେ ରବିତଳେ । ମନ-ପବନ ସୁନିଶ୍ଚଳେ ॥୨୪
ତୋହର ରୂପ ଧ୍ୟାନକରି । ମାୟା-ଗହନୁ ଯାନ୍ତି ତରି ॥୨୫
ତୁ ନାଥ ଆଦି-ମଧ୍ୟ-ଅୟେ । ଯେବା କରାଉ ଆତ୍ମତନ୍ତ୍ରେ ॥୨୬
ଜଗତେ ଆଦି ମଧ୍ୟ ତୁହି । ମୃତ୍ତିକାଘଟ ପ୍ରାୟେ ହୋଇ ॥୨୭
ତୋ ରୂପ ବିଶ୍ୱେ ପ୍ରକାଶଇ । ସେ ରୂପ କେ ପାରିବ କହି ॥୨୮
ଆତ୍ମା-ଆଶ୍ରୟେ ମାୟାକରି । ତୁ ଏ ସଂସାର-ରୂପ ଧରି ॥୨୯
ସଂସାରେ ପଶୁ ଆତ୍ମାରୂପେ । ସୁଖେ ବିହରୁ କଳ୍ପେ କଳ୍ପେ ॥୩୦
ନିର୍ମଳଚେତା ମୁନିଗଣେ । ତୋତେ ଦେଖନ୍ତି ଶୁଦ୍ଧମନେ ॥୩୧
ଯଥା ଅନଳ କାଷ୍ଠେ ଥାଏ । ଯେହ୍ନେ ଅମୃତ ଗୋରୁ ଦେହେ ॥୩୨
ଧରଣୀ ଦେହେ ଅନ୍ନ ଯେହ୍ନେ । ସଂଯୋଗେ କୃଷି-କରଷଣେ ॥୩୩
ମନୁଷ୍ୟ ନାନା ଯୋଗବଳେ । ଭଜନ୍ତି ତୋ ପାଦକମଳେ ॥୩୪
ନମିଣ ତୋ ଚରଣତଳେ । ଭବସାଗରୁ ତରିଗଲେ ॥୩୫
ସର୍ବେ ନମନ୍ତି ତୋ ଚରଣେ । ତୁ ଥାଉ ସଂସାର ଧାରଣେ ॥୩୬
ବାଞ୍ଚିତ ଅର୍ଥ ଫଳ ପାନ୍ତି । ନାନା ପ୍ରକାରେ ତୋତେ ଚିନ୍ତି ॥୩୭
ତୋ ରୂପ ଆତ୍ମାଗତେ ଦେଖି । ସଂସାର ତେଜି ହୋନ୍ତି ସୁଖୀ ॥୩୮
ଯେସନେ ଗଜ ଦାବାନଳେ । ପ୍ରବେଶ କରେ ଗଙ୍ଗାଜଳେ ॥୩୯
ଆମ୍ଭେ ସକଳ ଲୋକପାଳେ । ଶରଣ ତୋ ପାଦକମଳେ ॥୪୦
ଏ ଦେହ ଅନ୍ତର-ବାହାରେ । ତୋ ତହୁଁ କେବା ଅଛି ପରେ ॥୪୧
ଏ ଦେବଗଣେ ମୋର ତୁଲେ । ଦକ୍ଷାଦି ପ୍ରଜାପତି ମେଳେ ॥୪୨
ତୋ ଅନୁଗ୍ରହେ ବହୁଁ ଅଙ୍ଗ । ଅନଳୁ ଯେସନେ ସ୍ଫୁଲିଙ୍ଗ ॥୪୩
କିବା କହିବୁଁ ତୋ ଅଗ୍ରତେ । ଆମ୍ଭଙ୍କୁ ରଖ ଏ ଜଗତେ ॥୪୪


ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ବ୍ରହ୍ମା-ବାକ୍ୟ ଶୁଣି । ସଂସାର ହିତ ମନେ ଗୁଣି ॥୪୫
ପରମସୁଖେ ତନୁ ପୂରି । ଧାତାଙ୍କୁ ଅନୁଗ୍ରହ କରି ॥୪୬
ଜଳଧି-ମନ୍ଥନ-ପ୍ରସଙ୍ଗେ । ଆତ୍ମା ପ୍ରକାଶ ଅନୁରାଗେ ॥୪୭
ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ । କହନ୍ତି ବ୍ରହ୍ମା ମୁଖ ଚାହିଁ ॥୪୮

ଭଗବାନ ଉବାଚ[ସମ୍ପାଦନା]

ଶୁଣ ହୋ ବ୍ରହ୍ମା-ଶିବ-ଦେବେ । ଯେବା କରିବି ତୁମ୍ଭ ଲାଭେ ॥୪୯
ତୁମ୍ଭର ଶ୍ରେୟ ଯେଉଁମତେ । କହିବା ଶୁଣ ଏକଚିତ୍ତେ ॥୫୦
ଅସୁରଙ୍କର ସଙ୍ଗେ ଯାଇ । ବସ ବିଶ୍ୱାସଭାବ ହୋଇ ॥୫୧
ନାନା ପ୍ରକାରେ ସନ୍ଧି କର । ପ୍ରଲୋଭେ ତାଙ୍କ ଚିତ୍ତ ହର ॥୫୨
ଯାବତ ସିଦ୍ଧ ନୋହେ କାର୍ଯ୍ୟ । ତାବତ ମିତ୍ର ଭାବେ ଭଜ ॥୫୩
ଆପଣା କାର୍ଯ୍ୟ ସିଦ୍ଧଅର୍ଥେ । ଶତ୍ରୁକୁ ଭଜନ୍ତି ଜଗତେ ॥୫୪
କାର୍ଯ୍ୟ ସରିଲେ ନିଜ ଭାବେ । ସର୍ବେ ରହିବ ଆତ୍ମାଲାଭେ ॥୫୫
ଅହି -ମୂଷିକ କରି ସନ୍ଧି । ଯେମନ୍ତେ ଆତ୍ମକାର୍ଯ୍ୟ ସାଧି ॥୫୬
ଅମୃତ ଅର୍ଥେ ଯତ୍ନ କର । ଯା ପାନେ ହୋଇବ ଅମର ॥୫୭
ଶୁଣ କହିବା ଉପଦେଶ । ବେଗେ ଗହନ ବନେ ପଶ ॥୫୮
ଅମ୍ଳ-ଔଷଧି-ଗୁଳ୍ମ ଯେତେ । ବନସ୍ତୁ ଆଣ ଅପ୍ରମିତେ ॥୫୯
ପାଷାଣେ ଛେଚି ବାହୁବଳେ । ନିକ୍ଷେପ କ୍ଷୀରସିନ୍ଧୁ-ଜଳେ ॥୬୦
ସେ ଅମ୍ଳ-ଗୁଣେ ବସୁ ଦଧି । ଯେଣେ ଲଭିବ ସର୍ବସିଦ୍ଧି ॥୬୧
ଏ ଯେ ମନ୍ଦର ମହୀଧର । ମନ୍ଥନଦଣ୍ଡ ଏହା କର ॥୬୨
ବାସୁକି ନାଗ ରଜ୍ଜୁ କରି । ମନ୍ଥିବ ଦେବାସୁରେ ଧରି ॥୬୩
ମୋହର ବୋଲେ ମହାଜଳେ । ମନ୍ଥନ କର ଯା ନିଶ୍ଚଳେ ॥୬୪
ତୁମ୍ଭେ ସେ ଅମୃତ ପିଇବ । ନିରାଶ ହୋଇବେ ଦାନବ ॥୬୫
ଇନ୍ଦ୍ର ଲଭିବ ସର୍ବସିଦ୍ଧି । ସର୍ବ ସମ୍ପାଦିବ ଜଳଧି ॥୬୬
ଶାନ୍ତି-ବଚନେ କାର୍ଯ୍ୟ ପାଇ । ଆଗମ ଶାସ୍ତ୍ରେ ଏହା କହି ॥୬୭
ପ୍ରଥମେ ବାସୁକି ବଦନେ । ଗରଳ ଛାଡ଼ିବ ମନ୍ଥନେ ॥୬୮
ତହିଁକି ନ କରିବ ଭୟ । ମୁଁ ପୁଣି କରିବି ଉପାୟ ॥୬୯
ମନ୍ଥନେ ଲଭି ବସ୍ତୁ ଯେତେ । ଲୋଭ ନ କରିବ ଯୁକତେ ॥୭୦
ପ୍ରାଣୀ ଯେ ଲୋଭେ ନାନାମତେ । ବସ୍ତୁ ଆବୋରନ୍ତି ଜଗତେ ॥୭୧


ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଦେବଗଣେ କହି । ତକ୍ଷଣେ ଗରୁଡ଼ ଆରୋହି ॥୭୨
ନିଜ ଭୁବନେ ହରି ଗଲେ । ଭକତ-ପାରିଷଦ ତୁଲେ ॥୭୩
ରୁଦ୍ର-ବ୍ରହ୍ମାଦି ଦେବଗଣେ । ନମିଲେ ବିଷ୍ଣୁର ଚରଣେ ॥୭୪
ସକଳେ ହୋଇ ଏକଚିତ୍ତ । ବଳି-ଭୁବନେ ଉପଗତ ॥୭୫
ଦ୍ୱାରେ ଅସୁରେ ଯେତେ ଥିଲେ । ଦେବଗଣଙ୍କୁ ନିରୋଧିଲେ ॥୭୬
ଦେବନିଷେଧ କଥା ଶୁଣି । ଅସୁର-କୁଳ-ଚୁଡ଼ାମଣି ॥୭୭
ସନ୍ଧି-ବିଗ୍ରହ ସେ ଜାଣଇ । ବୋଲଇ ନିଜଗଣ ରାଇ ॥୭୮
ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାର । କି ଅବା କରିବେ ବିଚାର ॥୭୯
ଏମନ୍ତେ ବଳି ଆଜ୍ଞା ପାଇ । ଦ୍ୱାର ଛାଡ଼ିଲେ ଭାବ ବହି ॥୮୦
ବଳି-ନିକଟେ ଦେବେ ଯାଇ । ଜୟଶବଦ ଉଚ୍ଚେ ଗାଇ ॥୮୧
ବଳିକି ଦେଖିଲେ ଆସନେ । ବେଷ୍ଟିତ ଅସୁର-ଗହଣେ ॥୮୨
ସର୍ବ-ସମ୍ପଦ ଯାର ପୁରେ । କିବା ଉପମା ଦେବା ତାରେ ॥୮୩
ନିଜ ସମ୍ପଦ ଜଗୁ ରଞ୍ଜେ । ଦିଗପାଳଙ୍କ ତେଜ ଗଞ୍ଜେ ॥୮୪
ଇନ୍ଦ୍ର ଯେ ବଳି ମୁଖ ଚାହିଁ । ବିଶ୍ୱାସେ ବଚନ ବୋଲଇ ॥୮୫
ଶୁଣ ରାଜନ ଏକଚିତ୍ତେ । ଏ ତିନିଲୋକ ସୁଖ ଅର୍ଥେ ॥୮୬
ଦୁର୍ବାସା-ଶାପ ମହାଘୋର । ନାଶିଲା ସମ୍ପଦ ମୋହର ॥୮୭
ସୋମ-ସବିତା-ତେଜ ଗଲା । ନିବିଡ଼ ତମ ପ୍ରକାଶିଲା ॥୮୮
କମ୍ପଇ ଏ ତିନିଭୁବନ । ସର୍ବେ ହୋଇଲେ ଦୁଃଖେ ଛନ୍ନ ॥୮୯
ଏଣୁ ବିଷ୍ଣୁଭୁବନେ ଯାଇ । କହିଲୁଁ ବ୍ରହ୍ମା ରୁଦ୍ର ଲଇଁ ॥୯୦
ସେ ପୁରୁଷୋତ୍ତମ-ବଚନ । ରାଜନ ତୋଷମନେ ଶୁଣ ॥୯୧
ବୋଇଲେ ଏ କ୍ଷୀରଜଳଧି । ଅମ୍ଳ-ସଂଯୋଗେ କର ଦଧି ॥୯୨
ମନ୍ଦର ଗିରିକି ଆଣିବ । ସମୁଦ୍ର ମଧ୍ୟରେ ସ୍ଥାପିବ ॥୯୩
ବାସୁକି ନାଗ ରଜ୍ଜୁ କରି । ଦେବ-ଦାନବେ ତାହା ଧରି ॥୯୪
ଯତନେ କରିବ ମନ୍ଥନ । ସୁଧା କରିବ ସୁଖେ ପାନ ॥୯୫
ଯେତେ ଉପୁଜିବ ମନ୍ଥନେ । ସକଳେ ମିଳି ତୋଷମନେ ॥୯୬
ସମାନ ଭାଗେ ଭୋଗକର । ସନ୍ତୋଷ ମନେ ଦେବାସୁର ॥୯୭
ସଂସାର ହେଉ ଏଣେ ରକ୍ଷା । ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା ॥୯୮
ଏଣୁ ତୁମ୍ଭର ସଙ୍ଗେ ଆମ୍ଭେ । ମିଳିଲୁ ମନ୍ଥନ-ଆରମ୍ଭେ ॥୯୯
ତୁମ୍ଭ ଆମ୍ଭର ଏକଗତି । ଯାହା ବୋଇଲେ ଶିରୀପତି ॥୧୦୦
ଏମନ୍ତ ଇନ୍ଦ୍ରମୁଖୁଁ ଶୁଣି । ଅସୁର ମନେମନେ ଗୁଣି ॥୧୦୧
ବୋଇଲେ ଶୁଭକର୍ମ ଏହି । ବିଷ୍ଣୁମାୟାରେ ମନ ମୋହି ॥୧୦୨
ବଳି ସଙ୍ଗତେ ଉଠି ସର୍ବେ । ସମ୍ମତି କଲେ ପ୍ରିୟଭାବେ ॥୧୦୩
ଶମ୍ବରାରିଷ୍ଟ ନେମି ତୁଲେ । ଯେତେ ଦାନବବୀର ଥିଲେ ॥୧୦୪
ବିଷ୍ଣୁ-ମୋହନ-ମାୟା ମତେ । ହରଷ ଅସୁରଙ୍କ ଚିତ୍ତେ ॥୧୦୫
ଏମନ୍ତେ ଦେବାସୁରଗଣେ । ବେଗେ ମିଳିଲେ ଘୋରବନେ ॥୧୦୬
ତୀକ୍ଷ୍ଣ-କୁଠାରେ ବେଗେ ହାଣି । ଅମ୍ଳ-ଔଷଧି-ଗୁଳ୍ମ ଆଣି ॥୧୦୭
ପର୍ବତେ ଛେଚି ପ୍ରତି ଶିଳେ । କ୍ଷୀର ସମୁଦ୍ରେ ପକାଇଲେ ॥୧୦୮
ବାସୁଦେବର କଥାବାଗେ । ଦଧି ହୋଇଲା ଅମ୍ଳ ଯୋଗେ ॥୧୦୯
ଦେବଦାନବେ ଏକମନେ । ମିଳିଲେ ମେରୁ ସନ୍ନିଧାନେ ॥୧୧୦
ନାନା ତୀକ୍ଷଣ ଶସ୍ତ୍ର ଧରି । ଉପାଡ଼ି ଘୋରନାଦ କରି ॥୧୧୧
ଇନ୍ଦ୍ରର ତୁଲେ ଦେବେ ଯେତେ । ଅସୁରେ ବଳିର ସମେତେ ॥୧୧୨
ସମସ୍ତେ ମୁଣ୍ଡେ ଗିରି କଲେ । ବଳେ କେତେହେଁ ଦୂର ନେଲେ ॥୧୧୩
କାହୁଁ ବହିବେ ଗିରିବର । ଯେ ଗିରିବରଙ୍କ ଶେଖର ॥୧୧୪
ପଥେ ଆଣନ୍ତେ ଗିରିବରେ । ପଡ଼ିଲା ତାହାଙ୍କ ଉପରେ ॥୧୧୫
ଚୂର୍ଣ୍ଣ ହୋଇଲେ ମହାଭାରେ । ସକଳେ ପଡ଼ିଲେ ଭୂମିରେ ॥୧୧୬
ଶିର ଚରଣ ବାହୁ ଚୂରି । ପଥେ ପଡ଼ିଲା ମହାଗିରି ॥୧୧୭
ଦେବଙ୍କ ଦୁଃଖେ ଭଗବାନ । ତକ୍ଷଣେ ଗରୁଡ଼ ଆସନ ॥୧୧୮
ପଥେ ମିଳିଲେ ତାଙ୍କ ପାଶେ । ଦେବଙ୍କ ଭକତି ବିଶ୍ୱାସେ ॥୧୧୯
କରେ ମନ୍ଦରଗିରି କଲେ । ଦେବ-ଅସୁରଙ୍କୁ ଚାହିଁଲେ ॥୧୨୦
ଅମୃତ-ନୟନେ ଅନାଇଁ । ଜୀବନ ଦେଲେ ଭାବଗ୍ରାହୀ ॥୧୨୧
ଲାଗନ୍ତେ ଗୋବିନ୍ଦର କର । ତକ୍ଷଣେ ପାଇଲେ ଶରୀର ॥୧୨୨
ଗୋବିନ୍ଦ ଏକହସ୍ତେ ଗିରି । ନିଶ୍ଚଳେ ନିଜ କୋଳେ ଧରି ॥୧୨୩
ଗରୁଡ଼ ଉଡ଼େ ଶୂନ୍ୟପଥେ । ଦେବ-ଦାନବବଳେ ସାଥେ ॥୧୨୪
କ୍ଷୀର ଜଳଧିତଟେ ମିଳି । ଦେବଅସୁର ବନମାଳ ॥୧୨୫
ଗରୁଡ଼-କନ୍ଧୁ ଗିରିବର । କୂଳେ ନିବେଶି ଚକ୍ରଧର ॥୧୨୬
ଗରୁଡ଼ ଗଲା ନିଜପୁର । ଶୁଣ ପରୀକ୍ଷ ନୃପବର ॥୧୨୭
ଦେବ-ଅସୁରଙ୍କର ଭାବ । ଯହୁଁ ଅମୃତ ଉଦଭବ ॥୧୨୮
ସୁଜନେ ଏଣେ ଚିତ୍ତ କର । ମାୟା-ସଙ୍କଟରୁ ନିସ୍ତର ॥୧୨୯
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍ମନ୍ଧେ ଭାଗବତ ॥୧୩୦


ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ମନ୍ଦରାଚଳ ଆନୟନଂ
ଆୟୋଜନେ ନାମ ଷଷ୍ଠୋଽଧ୍ୟାୟ ॥

ସପ୍ତମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ବ୍ୟାସନନ୍ଦନ ଅନୁରାଗେ । କହନ୍ତି ପରୀକ୍ଷିତ ଆଗେ ॥୧
ଦେବ-ଦାନବେ ଏକମେଳେ । ପ୍ରବେଶ ହୋଇଲେ ପାତାଳେ ॥୨
ବାସୁକି ନିକଟେ ମିଳିଲେ । ସମୁଦ୍ର-ମନ୍ଥନେ ବରିଲେ ॥୩
ଗୋବିନ୍ଦ ଆଜ୍ଞା ଶିରେଧରି । ଉଭୟ-ରୂପ ଅଙ୍ଗୀ କରି ॥୪
ଧରଣୀ ଧରି ଏକରୂପେ । ମିଳିଲା କ୍ଷୀରୋଦ ସମୀପେ ॥୫
ଦେହେ ବେଷ୍ଟିତ ମହାଗିରି । ରହିଲା ବିଶ୍ୱରୂପ ଧରି ॥୬
ଦେବେ ସକଳ ତୋଷମନେ । ଆରମ୍ଭ ସମୁଦ୍ର-ମନ୍ଥନେ ॥୭
ବାସୁକିଫଣା ଆଗ ଧରି । ଦେବଙ୍କ ତୁଲେ ନରହରି ॥୮
ବୋଲନ୍ତି ଅସୁରଙ୍କୁ ଚାହିଁ । ତୁମ୍ଭେ ହୋ ପୁଚ୍ଛ ଧର ଯାଇ ॥୯
ହରି-ବଚନ ଶୁଣି କର୍ଣ୍ଣେ । ଅସୁରେ ଭାଳି ଏକମନେ ॥୧୦
ବୋଇଲେ ବିଷ୍ଣୁ ମୁଖ ଚାହିଁ । ଏ କଥା ଉଚିତ ନୁହଇ ॥୧୧
ସ୍ୱଭାବେ ସର୍ପର ଲାଙ୍ଗୁଳ । କେବେହେଁ ନୁହଇ ମଙ୍ଗଳ ॥୧୨
ଆମ୍ଭେ ଦେବଙ୍କ ଅଗ୍ରେ ଜାତ । ପବିତ୍ର କଶ୍ୟପଙ୍କ ସୁତ ॥୧୩
ଧର୍ମ-ଅର୍ଧମ ଆମ୍ଭେ ଜାଣୁ । ଆଗମ-ନିଗମ ପ୍ରମାଣୁ ॥୧୪
ପ୍ରଖ୍ୟାତ-ଜନ-କୁଳ-ଶୀଳ । କେମନ୍ତେ ଧରିବୁ ଲାଙ୍ଗୁଳ ॥୧୫
ଆମ୍ଭର ଏଣେ କାର୍ଯ୍ୟ ନାହିଁ । ଏମନ୍ତେ ଭଗ୍ନଚିତ୍ତେ ରହି ॥୧୬
ସର୍ବ ଅସୁରେ ଏକମେଳେ । ରହିଲେ କ୍ଷୀରସିନ୍ଧୁ କୂଳେ ॥୧୭
ବସିଲେ ଆରମ୍ଭ ଉପେକ୍ଷି । ପୁରୁଷୋତ୍ତମ ତାହା ଦେଖି ॥୧୮
ପୁଚ୍ଛ ଧଇଲେ ଶିରୀରଙ୍ଗେ । ସର୍ବ ଦେବତା ଘେନି ସଙ୍ଗେ ॥୧୯
ମନ୍ଦର ଧରି ବାହୁବଳେ । ସ୍ଥାପିଲେ କ୍ଷୀରସିନ୍ଧୁ ଜଳେ ॥୨୦
ସ୍ୱଭାବେ ଗଭୀର ଜଳଧି । ଯୋଜନ ଶତଲକ୍ଷ ଭେଦି ॥୨୧
ଗିରି ପଡ଼ିଲା ରସାତଳେ । ଖୋଜି ନ ପାଇଲେ ସକଳେ ॥୨୨
ତୀରେ ଉଠିଲେ ଦୁଃଖମନେ । ବଦନ ଚାହିଁ ଅନ୍ୟ ଅନ୍ୟେ ॥୨୩
ନଶିଲା ନିଜ ପୃଷୁକାର । ହୃଦେ କେ ବହୁ ଅହଙ୍କାର ॥୨୪
ଦଇବ-ମାୟା ଯୋଗବଳ । ଆରମ୍ଭ ହୋଇଲା ନିଷ୍ଫଳ ॥୨୫
ଦେବ-ଦାନବ ବିଷ୍ଣୁପାଶେ । ରହି ଚାହିଁଲେ ଦଶଦିଶେ ॥୨୬
ତାହାଙ୍କ ଦର୍ପଭଙ୍ଗ ଚାହିଁ । ମହାମହିମ ଭାବଗ୍ରାହୀ ॥୨୭
ପାତାଳୁଁ କୂର୍ମରୂପ ଧରି । ପୃଷ୍ଠେ ବସାଇ ମହାଗିରି ॥୨୮
ଉଠିଲେ ତୋଳି ଗିରିବର । ତୀରେ ଦେଖନ୍ତି ଦେବାସୁର ॥୨୯
ଯେସନେ ସରୋବର ମଧ୍ୟେ । ପଦ୍ମ ପ୍ରକାଶ ହୋଏ ଊର୍ଦ୍ଧ୍ୱେ ॥୩୦
ଗିରି ଯୋଜନ ଏକାଦଶ । ଜଳେ ରହିଲା ଅବଶେଷ ॥୩୧
ଗୋବିନ୍ଦ ଯୋଗମାୟା କରି । ତକ୍ଷଣେ ମାୟାରୂପ ଧରି ॥୩୨
ବହିଲେ ଗିରି ପୃଷ୍ଠଦେଶେ । ମସ୍ତକ ଲାଗିଲା ଆକାଶେ ॥୩୩
ଦେଖି ସାନନ୍ଦ ଦେବାସୁରେ । ବାସୁକି ଧରି ତେଜଭରେ ॥୩୪
ପର୍ବତେ ତିନିଗୁଣ କରି । ବେଢ଼ିଲେ ମନ୍ଥନ ଆବୋରି ॥୩୫
ଦେବ-ଅସୁରେ ବେନିଭାଗେ । ବାସୁକି ଧରି ଅତି ବେଗେ ॥୩୬
ହୁଂକାରେ କରନ୍ତି ମନ୍ଥନ । ଶୁଣ ହୋ ପରୀକ୍ଷ ରାଜନ ॥୩୭
ପୃଷ୍ଠରେ ଗିରି ଘରଷଣେ । ଅନଳ ଉଠିଲା ବହନେ ॥୩୮
କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲା । ତକ୍ଷଣେ ଉଶ୍ୱାସ ହୋଇଲା ॥୩୯
କଣ୍ଡୁ-ଘର୍ଷଣ-ସୁଖ ବୁଝି । ସେ କୂର୍ମ ବେନିଚକ୍ଷୁ ବୁଜି ॥୪୦
ସୁଖେ ନିଦ୍ରିତ ନାରାୟଣ । କେ ସହେ ଅଚଳ ଧାରଣ ॥୪୧
ପୁଣି ଗୋବିନ୍ଦ ଅନ୍ତରୀକ୍ଷେ । ମିଳିଲେ ଦେବଙ୍କ ପ୍ରତ୍ୟକ୍ଷେ ॥୪୨
ଦେବ-ଅସୁର ଅଳ୍ପବଳ । ଜାଣିଲେ ପ୍ରଭୁ ଆଦିମୂଳ ॥୪୩
ତକ୍ଷଣେ ପ୍ରଭୁ ଭାବଗ୍ରାହୀ । ଦେବ-ଦାନବ ମଧ୍ୟେ ଯାଇ ॥୪୪
ପଶିଲେ ତାହାଙ୍କର ଚିତ୍ତେ । ବଳ ହୋଇଲା ଅପ୍ରମିତେ ॥୪୫
ବାସୁକି ଦେହେ ନରହରି । ପଶିଲେ ବଳ-ରୂପ ଧରି ॥୪୬
ସହସ୍ର ଭୁଜେ ଶୂନ୍ୟପଥେ । ଗିରି ଆବୋରି ହୃଦଗତେ ॥୪୭
ରହିଲେ ପ୍ରଭୁ ନାରାୟଣ । ଶୂନ୍ୟେ ଦେଖନ୍ତି ଋଷିଗଣ ॥୪୮
ଗଗନେ ବିମାନ ଆରୋହି । ସ୍ତୁତି କରନ୍ତି ବିଷ୍ଣୁଧ୍ୟାୟୀ ॥୪୯
ପୁଷ୍ପ ବରଷି ବେଦନାଦେ । ମୁନିଏ ପରମ-ଆନନ୍ଦେ ॥୫୦
ଦେଖନ୍ତି ଅଧ-ଊର୍ଦ୍ଧ୍ୱେ ଚାହିଁ । ହରିହୁଁ ଆନ ନ ଦିଶଇ ॥୫୧
ପ୍ରହୃଷ୍ଟମନେ ସୁରାସୁରେ । ଗିରି ଘୂରାନ୍ତି ଅତି ଖରେ ॥୫୨
ମହାପର୍ବତ ଘରଷଣେ । ଜଳେ ସେ ଥିଲେ ଜନ୍ତୁଗଣେ ॥୫୩
ଜଳଧି ମଧ୍ୟେ କ୍ଷୋଭ ପାଇ । ତୀରେ ରହିଲେ ସ୍ଥିର ହୋଇ ॥୫୪
ବାସୁକି ସହସ୍ର ବଦନେ । ନିଃଶ୍ୱାସ ଛାଡ଼େ ଘନଘନେ ॥୫୫
ତାର ନିଃଶ୍ୱାସ ଦାବାନଳ । ପୂରିଲା ଦିଗ-ଅନ୍ତରାଳ ॥୫୬
ନିଃଶ୍ୱାସ-ଅଗ୍ନି-ଧୂମ ଲାଗି । ଦେବ-ଦାନବେ ଦୁଃଖଭାଗୀ ॥୫୭
ଚାଳି ନ ପାରିଲେ ମନ୍ଦର । ତାହାଙ୍କୁ ଦେଖି ଚକ୍ରଧର ॥୫୮
ନିଃଶ୍ୱାସ-ବାତେ ହତପ୍ରାଣ । ତାହା ଜାଣିଲେ ନାରାୟଣ ॥୫୯
ତକ୍ଷଣେ ଶୂନ୍ୟେ ମେଘମାଳ । ଶୀତଳ ବରଷନ୍ତି ଜଳ ॥୬୦
କ୍ଷୀରସମୁଦ୍ରେ ଶୀତବାତ । ଯେଣୁ ପେଷିଲେ ଜଗନ୍ନାଥ ॥୬୧
ବାସୁକି ଆଦି ଜଳଜୀବେ । ତାପୁଁ ତରିଲେ ଶୀତଭାବେ ॥୬୨
ଦେବଦାନବ ଦେହଗତେ । ମାଳା କଙ୍କଣ ଥିଲା ଯେତେ ॥୬୩
ସକଳ ଧୂମେ ହତପ୍ରଭ । ଅନାଇ ପ୍ରଭୁ ପଦ୍ମନାଭ ॥୬୪
ଜଳ ସିଞ୍ଚନେ ସୁସ୍ଥ କଲେ । ବଳି ସମେତେ ଯେତେ ଥିଲେ ॥୬୫
ଏମନ୍ତେ ବାସୁକି ଶରୀରେ । ଅତି ମନ୍ଥନ ଖେଦଭରେ ॥୬୬
ଗରଳ ଛାଡ଼େ ଅତିଦୁଃଖେ । ବରଷା ପ୍ରାୟ ସସ୍ରମୁଖେ ॥୬୭
ଜଳେ ପଡ଼ନ୍ତେ ବିଷଜାଳେ । ଯେ ଜଳଜନ୍ତୁ ଥିଲେ ଜଳେ ॥୬୮
ବିକଳେ ବୁଲି ଛଟପଟେ । ପୁଣି ଗଭୀରେ ପୁଣି ତଟେ ॥୬୯
ସେ ବିଷ ବେଗବନ୍ତ-ଜଳେ । ଦିଗ ପୂରିଲା ଅନ୍ତରାଳେ ॥୭୦
ଚକିତେ ଅଧ-ଊର୍ଦ୍ଧ୍ୱ-ମଧ୍ୟେ । ଜନ୍ତୁଏ ପଳାନ୍ତି ବିଷାଦେ ॥୭୧
ଡାକନ୍ତି ଊର୍ଦ୍ଧ୍ୱମୁଖ କରି । ରଖ ହେ ପ୍ରଭୁ ଶୂଳଧାରୀ ॥୭୨
ସହି ନ ପାରବୁ କଷଣ । ତୋ ପାଦେ ପଶିଲୁ ଶରଣ ॥୭୩
ହର ସମୀପେ ମୁନିଗଣ । ମିଳି କରନ୍ତି ପ୍ରଦକ୍ଷିଣ ॥୭୪
ଯେ ଦୁଃଖବନ-ଧୂମକେତୁ । ଅଶେଷ-ଅପବର୍ଗ-ହେତୁ ॥୭୫
ମିଳି ସକଳ ପ୍ରଜାପତି । ସନ୍ନିଧେ ବସାଇ ପାର୍ବତୀ ॥୭୬
ବିକଳେ ମିଳି ଶିବ ପାଶେ । ସ୍ତୁତି କରନ୍ତି ବିଷତ୍ରାସେ ॥୭୭

ପ୍ରଜାପତିଗଣ ଉବାଚ[ସମ୍ପାଦନା]

ହେ ମହାଦେବ ସଦାଶିବ । କେ ଜାଣିପାରେ ତୋର ଭାବ ॥୭୮
ତୁ ଭୂତଭାବନ-ଈଶ୍ୱର । ଆମ୍ଭର ପ୍ରାଣ ରକ୍ଷା କର ॥୭୯
ଏ ବିଷ ସଂସାର ଦହିବ । ଏଥୁଁ ଉଦ୍ଧର ସଦାଶିବ ॥୮୦
ସର୍ବ ଜଗତ-ବନ୍ଧ-ମୋକ୍ଷ । ତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ ॥୮୧
କୁଶଳ ଇଚ୍ଛା ଯାର ମନେ । ସେ ତୋତେ ଚିନ୍ତେ ନିତ୍ୟେ ଧ୍ୟାନେ ॥୮୨
ଜଗତଗୁରୁ ନାଥ ତୁହି । ଯେ ତୋତେ ଶରଣ ପଶଇ ॥୮୩
ସ୍ୱଶକ୍ତି ତୋର ଗୁଣମୟୀ । ଯେ ଭାବେ ସର୍ଗ-ସ୍ଥିତି ହୋଇ ॥୮୪
ପ୍ରଳୟ କରୁ ନାଥ ତୁହି । ତୁ ବ୍ରହ୍ମା-ବିଷ୍ଣୁ-ରୁଦ୍ରଦେହୀ ॥୮୫
ତୁ ବ୍ରହ୍ମ ପରମ ଗୁପତ । ସଦ-ଅସଦ ଭାବମତ ॥୮୬
ପ୍ରକାଶୁ ନାନା ଶକ୍ତିରୂପେ । ତୁ ଆତ୍ମାରୂପ ମୋହକଳ୍ପେ ॥୮୭
ଜଗତ ଆଦି ଶବ୍ଦଯୋନି । ପ୍ରାଣ-ଇନ୍ଦ୍ରିୟ-ଗୁଣ ଘେନି ॥୮୮
ତୁ କାଳଯଜ୍ଞ ସତ୍ୟରତ । ତୁ ବ୍ରହ୍ମ ଅଛିଦ୍ର ତ୍ରିବୃତ୍ତ ॥୮୯
ଅନଳ ତୁମ୍ଭର ବଦନ । ଆଦିତ୍ୟ-ଶଶାଙ୍କ ଲୋଚନ ॥୯୦
ସର୍ବଦେବଙ୍କ ଆତ୍ମା ତୁମ୍ଭେ । ଅଶେଷ ଯଜ୍ଞର ଆରମ୍ଭେ ॥୯୧
ଏ ଭୂମି ତୋର ପାଦବେନି । ତୋ ବଳ ବହଇ ମେଦିନୀ ॥୯୨
କାଳ ତୋହର ନିଜ ଗତି । ତୋର ବୃଷଣ ପ୍ରଜାପତି ॥୯୩
ଏ ଅଷ୍ଟଦିଗ ତୋ ଶ୍ରବଣ । ତୋହର ରସନା ବରୁଣ ॥୯୪
ନଭ ତୋହର ନାଭିଦେଶ । ନିଃଶ୍ୱାସ ବାତ-ଅଣଚାଶ ॥୯୫
ପର୍ବତେ ତୋ ଅସ୍ଥି ସମୂହ । ବୃକ୍ଷ-ଔଷଧି ତନୁରୁହ ॥୯୬
ଏ ସପ୍ତଛନ୍ଦ ସପ୍ତଧାତୁ । ତୋ ହୃଦ ଧର୍ମସ୍ଥିତି-ହେତୁ ॥୯୭
ଭୋ ନାଥ ତୋ ପଞ୍ଚବଦନ । ପଞ୍ଚୋପନିଷଦ ବଚନ ॥୯୮
ଅଷ୍ଟଉତ୍ତର ତିନିଶତ । ମନ୍ତ୍ର ବର୍ଗ ଯହୁଁ ଉଦିତ ॥୯୯
ତୋ ପରମାତ୍ମା ତତ୍ତ୍ୱଧାମ । ଏଣୁ ତୋହର ଶିବ ନାମ ॥୧୦୦
ଜ୍ୟୋତିସ୍ୱରୂପେ ତୋର ବାସ । ତୁ ବ୍ରହ୍ମ ପରମ ପ୍ରକାଶ ॥୧୦୧
ଅଧର୍ମ ତୋ ଶରୀର ଛାୟା । ତୋର ଆଶ୍ରିତ ମୋହମାୟା ।୧୦୨
ତୋ ତିନିନେତ୍ର ତିନିଗୁଣ । ଯେ ଗୁଣେ ସଂସାର ଧାରଣ ॥୧୦୩
ଯେ ଛନ୍ଦୋମୟ ଶାସ୍ତ୍ରଈକ୍ଷା । ଯେ ଭାବେ ଋଷିଙ୍କର ଶିକ୍ଷା ॥୧୦୪
ଅଖିଳ-ଲୋକପାଳ ତୁହି । ତୋ ଅନ୍ତ କେହି ନଜାଣଇ ॥୧୦୫
ବିରଞ୍ଚି ବଇକୁଣ୍ଠ ଧାମ । ସୁରେନ୍ଦ୍ରଗଣେ ନୋହେ ଗମ୍ୟ ॥୧୦୬
ପରମଜ୍ୟୋତି ତୋ ଆନନ୍ଦ । କେବେହେଁ ଗୁଣେ ନୋହେ ଭେଦ ॥୧୦୭
କାମ ତ୍ରିପୁର ଘୋରକାଳ । ଦକ୍ଷର ଯଜ୍ଞ ଧ୍ୱଂସ କଲ ॥୧୦୮
ଯେବା ଅଛନ୍ତି ଭୂତଦ୍ରୋହ । ଯେ ଅବା କ୍ରୋଧ ଲୋଭ ମୋହ ॥୧୦୯
ଏହାଙ୍କୁ କରୁ ତୁ ଦହନ । ତୁ ନାଥ ଆଦି ନିରଞ୍ଜନ ॥୧୧୦
ସୃଷ୍ଟିକୁ ଅନ୍ତଃକାଳେ ଧରି । ତୃତୀୟନେତ୍ର ତୁ ଆବୋରି ॥୧୧୧
ପ୍ରାଣୀଙ୍କି କରୁ ଆତଯାତ । ଏଣୁ ତୋ ନାହିଁ ଆଦିଅନ୍ତ ॥୧୧୨
ଯେ ଆତ୍ମଜ୍ଞାନୀ ଏ ଜଗତେ । ତୋ ପଦ ଚିନ୍ତେ ଅବିରତେ ॥୧୧୩
ଯେବା ତପସ୍ୟା କରି ଭଜେ । ତୋ ରୂପ ଧ୍ୟାନଭାବେ ପୂଜେ ॥୧୧୪
ତୋତେ ଆଶ୍ରୟ ଯେ କରନ୍ତି । ଏ ଘୋର ସଂସାରୁ ତରନ୍ତି ॥୧୧୫
ଆମ୍ଭେ ଯେ ଘୋର-ବିଷ-ଭୟେ । ଶରଣ ଗଲୁ ତୋର ପାଏ ॥୧୧୬
ଏ ଘୋର ଭୟୁ କର ତ୍ରାଣ । ଭୋ ନାଥ ରଖ ଆମ୍ଭ ପ୍ରାଣ ॥୧୧୭

ଶୁକ ଉବାଚ[ସମ୍ପାଦନା]

ତାହାଙ୍କ ଦୁଃଖ ଦେଖି ହର । କୃପାରେ ହୋଇଣ କାତର ॥୧୧୮
ସୁହୃଦ ସର୍ବଭୂତେ ସେହି । କହନ୍ତି ପ୍ରିୟାମୁଖ ଚାହିଁ ॥୧୧୯

ଶିବ ଉବାଚ[ସମ୍ପାଦନା]

ଏ ବିଷ ତେଜେ ଦଶଦିଶ । କେବେହେଁ ନ ଦିଶେ ପ୍ରକାଶ ॥୧୨୦
ଏଣୁ ବ୍ରହ୍ମାଣ୍ଡ ନାଶ ଗଲା । ଅକାଳେ ପ୍ରଳୟ ହୋଇଲା ॥୧୨୧
ଭୟେ କମ୍ପଇ ତିନିପୁର । ଆକାଶେ କମ୍ପେ ସୁରେଶ୍ୱର ॥୧୨୨
ଦେଖ ଭବାନୀ ପ୍ରଜାଙ୍କର । ଦୁଃଖ ହୋଇଲା ଭୟଙ୍କର ॥୧୨୩
ସମୁଦ୍ର ମନ୍ଥନୁ ଏ ଜାତ । ଏଥି ରଖିବା ମୋ ଉଚିତ ॥୧୨୪
ଯେ କରେ ଦୀନ ଉପକାର । ସେ ଧର୍ମଜ୍ଞାନୀଙ୍କର ସାର ॥୧୨୫
ସାତ୍ତ୍ୱିକ ଧର୍ମ ସେ କରନ୍ତି । ଅଜ୍ଞାନୀଜନେ ନ ଜାଣନ୍ତି ॥୧୨୬
ଦୁଃଖୁଁ ଯେ ପରିତ୍ରାଣ କରେ । ସଙ୍କଟୁ ପ୍ରାଣୀଙ୍କି ଉଦ୍ଧରେ ॥୧୨୭
ତା ଜନ୍ମ ଧନ୍ୟ ଏ ସଂସାରେ । ଯେ ରହେ ପର ଉପକାରେ ॥୧୨୮
ସାଧୁଜନଙ୍କର ଏ ଗତି । କେବେହେଁ ଧର୍ମ ନ ଛାଡ଼ନ୍ତି ॥୧୨୯
କ୍ଷଣଭଙ୍ଗୁର ଏ ଶରୀର । ସୁଧର୍ମ ପର ଉପକାର ॥୧୩୦

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଶିବଙ୍କ ବଚନ । ଅମ୍ବିକା ଶୁଣି ତୋଷମନ ॥୧୩୧
ରୁଦ୍ର ଚରଣ ଶିରେ ଧରି । ମଧୁରେ କହନ୍ତି ଗଉରୀ ॥୧୩୨
ଅମ୍ବିକା ଉବାଚ ଭୋ ନାଥ ଜଗତ ଈଶ୍ୱର । ଦେବଙ୍କ ବୋଲ ତୁମ୍ଭେ କର ॥୧୩୩
ଏ ଘୋର ବିଷ କର ଗ୍ରାସ । ସଂସାରେ ଥିବ ତୁମ୍ଭ ଯଶ ॥୧୩୪
ଧର୍ମ କରନ୍ତି ଯେତେ ପ୍ରାଣୀ । ତାହାଙ୍କୁ ତୋଷ ଚକ୍ରପାଣି ॥୧୩୫
ଶୁକ ଉବାଚ ଏମନ୍ତେ ଗଉରୀ ବଚନେ । ରୁଦ୍ର ଉଠିଲେ ତୋଷମନେ ॥୧୩୬
କ୍ଷୀରାବ୍‌ଧି-ତଟେ ବିଜେକରି । କରଅଞ୍ଜଳି ବିଷେ ଭରି ॥୧୩୭
ଉତ୍କଟ ଘୋର ମହାବିଷ । ଏକାବେଳକେ କଲେ ଗ୍ରାସ ॥୧୩୮
ରଖିଲେ ଅଶେଷ ଭୁବନ । ଶୁଣ ହେ ପରୀକ୍ଷ ରାଜନ ॥୧୩୯
କଣ୍ଠ ଦିଶିଲା ନୀଳପ୍ରଭା । ସାଧୁଜନଙ୍କର ଏ ଶୋଭା ॥୧୪୦
ସାଧୁଜନଙ୍କ ମତ ଏହି । ଯେ ପରଦୁଃଖେ ଦୁଃଖୀ ହୋଇ ॥୧୪୧
କରନ୍ତି ପର ଉପକାର । ଧନ୍ୟ ଜୀବନ ତାହାଙ୍କର ॥୧୪୨
ଏମନ୍ତେ ରୁଦ୍ରକର୍ମ ଦେଖି । ସଂସାରଜନେ ହେଲେ ସୁଖୀ ॥୧୪୩
ବ୍ରହ୍ମା-ଗୋବିନ୍ଦ ଦେବ ମେଳେ । ସର୍ବେ ଶଙ୍କରେ ପ୍ରଶଂସିଲେ ॥୧୪୪
ରୁଦ୍ର ପିବନ୍ତେ ଘୋର ବିଷ । କୂଳେ ଯେ ଥିଲା ଅବଶେଷ ॥୧୪୫
ବୃଶ୍ଚିକ-ଦନ୍ଦ ଶୂକଗଣ । ଭକ୍ଷିଲେ ବିଷ-ଶେଷକଣ ॥୧୪୬
ଏ କ୍ଷୀର ସାଗର-ମନ୍ଥନ । ଶୁଣି ପବିତ୍ର ହୁଅ ଜନ ॥୧୪୭
ସୁସାଧୁ ଜନଙ୍କର ହିତେ । ଅଷ୍ଟମ ସ୍କନ୍ଧେ ଭାଗବତେ ॥୧୪୮
ଭାଷା ପ୍ରବନ୍ଧେ ଗୀତନାଦେ । ଶୁଣ ସୁଜନେ ଅପ୍ରମାଦେ ॥୧୪୯
ବୋଲଇ ଦାସ ଜଗନ୍ନାଥ । ବିଷ ଭକ୍ଷିଲେ ଉମାକାନ୍ତ ॥୧୫୦


ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ସମୁଦ୍ରମନ୍ଥନେ ସଦାଶିବ ବିଷପାନେ ସପ୍ତମୋଽଧ୍ୟାୟଃ ॥

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ତୋଷମନେ । ସଦାଶିବଙ୍କ ବିଷପାନେ ॥୧
ଦେବ ଦାନବ ମନତୋଷେ । ରୁଦ୍ର ବିରଞ୍ଚି ଘେନି ପାଶେ ॥୨
ପୁଣି ମନ୍ଥିଲେ କରି ମନ୍ୟୁ । ଜଳୁ ଉଠିଲା କାମଧେନୁ ॥୩
ସେ ଧେନୁ ଦେଖି ତୋଷମନେ । ବ୍ରାହ୍ମଣେ ମିଳିଲେ ମନ୍ଥନେ ॥୪
ହରଷେ ଅଗ୍ନିହୋତ୍ର ଅର୍ଥେ । ମିଳିଲେ ଅଗ୍ନିହୋତ୍ରୀ ଯେତେ ॥୫
ସ୍ୱଭାବେ ବିପ୍ରେ ବ୍ରହ୍ମବେତ୍ତା । ଅଗ୍ନିପୂଜନେ ସାମରଥା ॥୬
ସେ କାମଧେନୁ ଘେନିଗଲେ । ଆନନ୍ଦ ମନେ ଯଜ୍ଞ କଲେ ॥୭
ପୁଣି ମନ୍ଥିଲେ ସୁରଦେବା । ଉଠିଲା ଅଶ୍ୱ ଉଚ୍ଚୈଶ୍ରବା ॥୮
ସେ ସର୍ବଲକ୍ଷଣେ ସୁନ୍ଦର । ଶଶାଙ୍କ ସଦୃଶ ପାଣ୍ଡୁର ॥୯
ସେ ଅଶ୍ୱ ଦେଖି ବଳି ଚିତ୍ତେ । ଶ୍ରଦ୍ଧା ବସିଲା ଅନ୍ତର୍ଗତେ ॥୧୦
ଈଶ୍ୱର ତାର ମନ ଜାଣି । ବୋଇଲେ ଇନ୍ଦ୍ର ଶୁଣ ବାଣୀ ॥୧୧
ତୋହର ଅଶ୍ୱ ଏ ଉଚିତେ । ସେ ନେଇ ଆମ୍ଭ ସନମତେ ॥୧୨
ପୁଣି ମନ୍ଥିଲେ ଏକଚିତ୍ତେ । ଉଠିଲା ଗଜ ଐରାବତେ ॥୧୩
ଚତୁରଦନ୍ତ ଶୋଭାକର । କୈଳାସ ପର୍ବତ ଆକାର ॥୧୪
ଇନ୍ଦ୍ରର ଗଜ ସେ ସ୍ୱଭାବେ । ତେଣୁ ନ ଇଚ୍ଛିଲେ ଦାନବେ ॥୧୫
ସେ ଗଜ ଇନ୍ଦ୍ର ଆବୋରିଲେ । ପୁଣି ମନ୍ଥନ ଯାଇ କଲେ ॥୧୬
ଅଷ୍ଟଦିଗ୍‌‌ଗଜ ଐରାବଣ । ଅଭ୍ରମୁ ଆଦି ପତ୍ନୀ ନାମ ॥୧୭
ପୁଣି ମନ୍ଥନେ ମହାଭାଗ । ଉଠିଲା ମଣି ପଦ୍ମରାଗ ॥୧୮
କୌସ୍ତୁଭ ନାମେ ରତ୍ନ ହରି । ସ୍ନେହେ ଏହାକୁ ବକ୍ଷେ ଧରି ॥୧୯
ସୁନ୍ଦର ପୁଷ୍ପ ପାରିଜାତ । ସୁଗନ୍ଧେ ମୋହିଲା ଜଗତ ॥୨୦
ତକ୍ଷଣେ ଉଠିଲା ଗଗନେ । ମିଳିଲା ଶଚୀପତି ବନେ ॥୨୧
ପୁଣି ମନ୍ଥିଲେ ବାହୁବଳେ । ମନ୍ଦରଗିରି ସିନ୍ଧୁଜଳେ ॥୨୨
ଉଠିଲେ ଅପସରା ବୃନ୍ଦ । ସୁସ୍ୱରେ କରି ଗୀତନାଦ ॥୨୩
ରତ୍ନମେଖଳା କଟୀତଟେ । କୁଚେ କାଞ୍ଚଲା ସୁପ୍ରକଟେ ॥୨୪
ରତ୍ନଭୂଷଣେ ଶୋହେ ଗ୍ରୀବା । ରୂପେ କି ପଟାନ୍ତର ଦେବା ॥୨୫
ହାର କେୟୂର ଝଟକନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥୨୬
ଚାହାନ୍ତେ କଟାକ୍ଷ-ଲୋଚନ । ଯେ ରୂପେ ତ୍ରୈଲୋକ୍ୟ-ମୋହନ ॥୨୭
ଗଗନମାର୍ଗେ ଶୂନ୍ୟେ ଗଲେ । ଇନ୍ଦ୍ରର ଭୁବନେ ମିଳିଲେ ॥୨୮
ଅସୁରେ ମନେ ଦୁଃଖ ଭରି । ପୁଣି ମନ୍ଥିଲେ ଗିରି ଧରି ॥୨୯
ସୁନ୍ଦର ଦିଶେ ଦଶଦିଶ । ଧରଣୀ ହେଉଛି ଉଲ୍ଲାସ ॥୩୦
ଅମୃତ-ଶୁଭଲଗ୍ନ-ବଳେ । ଲକ୍ଷ୍ମୀ ଉଠିଲେ ମହାଜଳେ ॥୩୧
ଦିଗ ପ୍ରସରେ ଦେହ ଝଳି । ଜୀମୂତେ ଯେସନେ ବିଜୁଳି ।୩୨
କମଳା ରୂପ ଦେଖି ବନେ । ଲୋଭ ବସିଲା ସର୍ବମନେ ॥୩୩
ଲକ୍ଷ୍ମୀ-ବଦନ ଚାହିଁ ବେଗେ । ଇନ୍ଦ୍ର ମିଳିଲେ ପଦଯୁଗେ ॥୩୪
ରତ୍ନ ଆସନ ଦେଲେ ଆଣି । ଯହିଁ ବିଜୟେ କମଳିନୀ ॥୩୫
ଜାହ୍ନବୀ ଆଦି ନଦୀ ଯେତେ । ସର୍ବେ ମିଳିଲେ ପାଦଗତେ ॥୩୬
ସୁବର୍ଣ୍ଣ କୁମ୍ଭେ ଜଳ ଭରି । ମୁନିଏ ରହିଲେ ଉଭାରି ॥୩୭
ଧରଣୀ ଦେଲା ଅଉଷଧି । ଅପରେ ଅଭିଷେକ ବିଧି ॥୩୮
ଅଇରାବତ ପୁଣ୍ଡରୀକ । ଏ ବେନି ହସ୍ତୀଙ୍କ ନାୟକ ॥୩୯
ସୁବର୍ଣ୍ଣକୁମ୍ଭେ ନୀର ଭରି । ଢ଼ାଳିଲେ ଥୋର ହସ୍ତେ ଧରି ॥୪୦
ସୁରଭୀ ପଞ୍ଚାମୃତ ଧାରେ । ସିଞ୍ଚିଲା କମଳା ଉପରେ ॥୪୧
ମଧୁ-ମାଧବ ବେନିମାସେ । ମିଳିଲେ କୁସୁମ ସୁବାସେ ॥୪୨
ମିଳି ଅଶେଷ ମୁନିଗଣେ । ଆଗମ ନିଗମ ପ୍ରମାଣେ ॥୪୩
କଲେ ସେ ଅଭିଷେକ ବିଧି । ନିଗମ ମାର୍ଗେ ଯେ ପ୍ରସିଦ୍ଧି ॥୪୪
ଗନ୍ଧର୍ବେ କଲେ ଗୀତନାଦ । ନାଚନ୍ତି ଅପସରାବୃନ୍ଦ ॥୪୫
ପଣବ ମୃଦଙ୍ଗ ଗୋମୁଖ । ମୁରୁଜ ଯନ୍ତ୍ର ଯେ ଆନକ ॥୪୬
କମ୍ବୁ କାହାଳ ବେଣୁସ୍ୱନ । ଗର୍ଜନ୍ତି ଶୂନ୍ୟପଥେ ଘନ ॥୪୭
ସକଳେ ମିଳି ଚଉପାଶେ । ସୁବାକ୍ୟ ବେଦମନ୍ତ୍ର ଘୋଷେ ॥୪୮
ହସ୍ତୀଏ ରତ୍ନକୁମ୍ଭେ ନୀର । ଢାଳିଲେ କମଳାର ଶିର ॥୪୯
କ୍ଷୀର ଜଳଧି ଉଠି ତୋଷେ । ମିଳିଲା କମଳିନୀ ପାଶେ ॥୫୦
ପୀତପତନୀ ବେନି ଦେଲା । ଅମ୍ଳାନ-ପଙ୍କଜର ମାଳା ॥୫୧
ବରୁଣ ଦେଲା ଦେବୀ ଗଳେ । ମତ୍ତ-ମଧୁପ ଯହିଁ ରୋଳେ ॥୫୨
ନାନା-ଭୂଷଣ ରତ୍ନଜ୍ୟୋତି । ସେ ବିଶ୍ୱକର୍ମା ପ୍ରଜାପତି ॥୫୩
ହାର କଙ୍କଣ ଅବତଂସ । ରତ୍ନ ଝଟକେ ରବି ତ୍ରାସ ॥୫୪
ସେ ଦେବୀ ଅଭିଷେକ ଅନ୍ତେ । ପଙ୍କଜମାଳା ଘେନି ହସ୍ତେ ॥୫୫
ପାଦେ ଚଳନ୍ତେ ମହୀତଳେ । ରତ୍ନକୁଣ୍ଡଳ କର୍ଣ୍ଣେ ଲୁଳେ ॥୫୬
ସୁଶୁଭ୍ରହାସ ଶୁଭ୍ରଦନ୍ତୀ । ହୃଦେ ପୟୋଧର ଚଳନ୍ତି ॥୫୭
ମୁକୁତାହାର କୁଚଶିଖେ । କୁଙ୍କୁମ ଲେପନ ସୁରେଖେ ॥୫୮
ଚରଣେ ରଣିତ ନୂପୁର । ସୁଘୋଷ ଶୁଭଇ ମଧୁର ॥୫୯
ପଥେ ଚାଲନ୍ତେ ଜନମାତା । ରୂପେ କି ଦିଶେ ହେମଲତା ॥୬୦
ବିଷ୍ଣୁଚରଣେ ମନଦେଇ । ଆନନ୍ଦେ ବେନିପାଶେ ଚାହିଁ ॥୬୧
ଅଶେଷ-ବ୍ରହ୍ମାଣ୍ଡ-କାରଣ । କଳ୍ପଇ ଯାହାର ଚରଣ ॥୬୨
ଯଦ୍ୟପି କନ୍ୟାରୂପ ଧରେ । ମନ ନ ରମେ ଅନ୍ୟ ବରେ ॥୬୩
ଗନ୍ଧର୍ବ ସିଦ୍ଧ ଯକ୍ଷ ସୁର । ଥିଲେ ଯେ ଚାରଣ ଅସୁର ॥୬୪
ଯେଣୁ ମିଶ୍ରିତ ଦୋଷ ଗୁଣ । ତେଣୁ ତାଙ୍କରେ ନାହିଁ ମନ ॥୬୫
ଚଞ୍ଚଳା ପୁଣ ଏହି ମତେ । ବିଷ୍ଣୁଚରଣ ଚିନ୍ତି ଚିତ୍ତେ ॥୬୬
ଗୋବିନ୍ଦ ଗଳେ ମାଳାଦେଇ । ଅନଙ୍ଗଲୋଚନେ ଅନାଇଁ ॥୬୭
କୋଳେ ବସିଲେ ଜନମାତା । ଯେ ଜୀବ-ଜୀବନର ଦାତା ॥୬୮
ଗୋବିନ୍ଦକୋଳେ ଲକ୍ଷ୍ମୀ ଦେଖି । ଅସୁରେ ମନ୍ଥନ ଉପେକ୍ଷି ॥୬୯
ତୂରୀ ମର୍ଦ୍ଦଳ ଶଙ୍ଖସ୍ୱନ । ନୃତ୍ୟ ଉତ୍ସବ ଘନ ଘନ ॥୭୦
ବ୍ରହ୍ମା ଶଙ୍କର ଆଦି ଯେତେ । ତକ୍ଷଣେ ମିଳିଲେ ସମସ୍ତେ ॥୭୧
ସକଳ ଦେବେ ମୋଦଭରି । ପୁଷ୍ପ-ବରଷି ସ୍ତୁତି କରି ॥୭୨
ଲକ୍ଷ୍ମୀ-କଟାକ୍ଷ ଦେହେ ଲାଗି । ସର୍ବେ ହୋଇଲେ ମୋକ୍ଷଭାଗୀ ॥୭୩
ସତ୍ୟାଦି ପୁଣ୍ୟଶୀଳ ଗୁଣେ । ଯୁକ୍ତ ହୋଇଲେ ତତକ୍ଷଣେ ॥୭୪
ବ୍ରହ୍ମାଶଙ୍କର ଆଦି ଦେବେ । ଲକ୍ଷ୍ମୀ-ଗୋବିନ୍ଦ ତୋଷଭାବେ ॥୭୫
ଲକ୍ଷ୍ମୀଙ୍କି ଦେଖି ବିଷ୍ଣୁ ଅଙ୍ଗେ । ମଙ୍ଗଳଗୀତ ସ୍ତୁତି ରଙ୍ଗେ ॥୭୬
ମିଳି ସକଳ ଦିଗପାଳେ । ପୁଷ୍ପ ବରଷିଲେ ଗହଳେ ॥୭୭
ଲକ୍ଷ୍ମୀ-ଗୋବିନ୍ଦ ମୁଖ ଦେଖି । ଦେବେ ହୋଇଲେ ସର୍ବସୁଖୀ ॥୭୮
ଶୀଳାଦି-ଅଷ୍ଟଗୁଣେ ଯୁତ । ସର୍ବେ ହୋଇଲେ କୃତକୃତ୍ୟ ॥୭୯
ଲକ୍ଷ୍ମୀଙ୍କି ନ ଲଭି ଅସୁରେ । ବିଗୁଣ ବହିଲେ ଅନ୍ତରେ ॥୮୦
ନିର୍ବଳ ହୋଇଲେ ସରାଗେ । ଲୋଭ ବସିଲା ହୃଦଭାଗେ ॥୮୧
ଉଦ୍‌ବେଗେ ହୋଇଲେ କାତର । ଲଜ୍ଜା-ସ୍ୱଭାବ ଗଲା ଦୂର ॥୮୨
ପୁଣି ମନ୍ଥିଲେ ମନଦୁଃଖେ । ଚାହାନ୍ତି ଅନ୍ୟେ ଅନ୍ୟ ମୁଖେ ॥୮୩
ମନ୍ଥନେ ଉଠିଲା ବାରୁଣୀ । ରୂପେ ଶୋଭିତ କମଳିନୀ ॥୮୪
ଅସୁରେ ହସିଣ ଉନ୍ମତ୍ତେ । ସେ କନ୍ୟା ଲଭିଲେ ସମସ୍ତେ ॥୮୫
ପୁଣି ମନ୍ଥିଲେ ତୋଷମନେ । ପୌରୁଷେ ହରଷ ବଦନେ ॥୮୬
ଅଦ୍‌ଭୁତ ପୁରୁଷ ଉପୁଜେ । ତେଜେ ସକଳ ରୂପ ଗଞ୍ଜେ ॥୮୭
ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ । ଆଜାନୁଲମ୍ବେ ଭୁଜ ଦୁଇ ॥୮୮
ସୁନ୍ଦର କମ୍ବୁ-ଗ୍ରୀବା ସାଜେ । ଅରୁଣଲୋଚନ ବିରାଜେ ॥୮୯
ଶ୍ୟାମ-ତରୁଣ-ବୟ ଶୋହେ । ରତ୍ନଭୂଷଣ ମନ ମୋହେ ॥୯୦
ହୃଦେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ ॥୯୧
ସିଂହ ବିକ୍ରମ ଶୁଭ୍ରଅଙ୍ଗ । ପୀତବସନ କଟୀଭାଗ ॥୯୨
ରତ୍ନବଳୟ ମଣିବନ୍ଧେ । ଅମୃତ କୁମ୍ଭ ଘେନି ସ୍କନ୍ଧେ ॥୯୩
ସେ ରୂପ ନାରାୟଣ ଅଂଶେ । ଧନ୍ୱନ୍ତରି ରୂପ ପ୍ରକାଶେ ॥୯୪
ସ୍ୱଭାବେ ଆୟୁର୍ବେଦ-ଗୁରୁ । ଧୀର ସ୍ୱଭାବେ ଯେହ୍ନେ ମେରୁ ॥୯୫
ଅସୁରଗଣ ତାହା ଦେଖି । ଧାଇଁଲେ ମନ୍ଥନ ଉପେକ୍ଷି ॥୯୬
ଲୁଟିଲେ ସର୍ବବସ୍ତୁ ବଳେ । ଦେବଙ୍କୁ କରି ଅବହେଳେ ॥୯୭
ଅମୃତ କୁମ୍ଭ ଅତି ଖରେ । ଥିଲା ଯେ ଧନ୍ୱନ୍ତରି କରେ ॥୯୮
ସେ କୁମ୍ଭ ବଳେ ଅପହରି । ଧାଇଁଲେ ଘୋରନାଦ କରି ॥୯୯
ପ୍ରତାପେ ଗର୍ଜିଣ ଧାଇଁଲେ । ପର୍ବତ ଉପରେ ଉଠିଲେ ॥୧୦୦
ଦେବେ ଦୁଃଖିତମନ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ ॥୧୦୧
ବୋଲନ୍ତି ରଖ ନାରାୟଣ । ଘୋର ସଙ୍କଟୁ ଆମ୍ଭ ପ୍ରାଣ ॥୧୦୨
ଅମୃତ ଭକ୍ଷିଲେ ଅସୁରେ । ଆମ୍ଭେ କି ଥିବୁ ସ୍ୱର୍ଗପୁରେ ॥୧୦୩
ନିଶ୍ଚୟେ ହୋଇଲୁ ଅନାଥ । ଶରଣ ରଖ ଜଗନ୍ନାଥ ॥୧୦୪
ଏମନ୍ତ ଦେବଙ୍କ ବିକଳ । ଦେଖି ହସନ୍ତି ଆଦିମୂଳ ॥୧୦୫
ସ୍ୱଭାବେ ପରମ ଆନନ୍ଦ । ଭକ୍ତବତ୍ସଳ ଆଦିକନ୍ଦ ॥୧୦୬
ବୋଲନ୍ତି ଶୁଣ ଦେବତାଏ । ଚିତ୍ତେ ନ କର ତୁମ୍ଭେ ଭୟେ ॥୧୦୭
ମୁଁ ଆଜ ଯୋଗମାୟା ଛଳେ । ଅମୃତ ଆଣିବଇଁ ହେଳେ ॥୧୦୮
ତକ୍ଷଣେ ଅସୁରଙ୍କ ଦେହେ । ହରି ପଶିଲେ ମାୟାମୋହେ ॥୧୦୯
ଅସୁରେ ଚିତ୍ତେ କ୍ରୋଧ ବହି । ବୋଲନ୍ତି ଏକୁ ଆରେ ଚାହିଁ ॥୧୧୦
କେହି କାହାକୁ ନ ଗଣନ୍ତି । ମୁଁ ଆଗେ ଭକ୍ଷିବି ବୋଲନ୍ତି ॥୧୧୧
ଦେବଙ୍କ ଭାଗ ଆଗେ ଦେବା । କେ ବୋଲେ ଆମ୍ଭେ ହେ ଭୁଞ୍ଜିବା ॥୧୧୨
ଆମ୍ଭର ତୁଲେ ଦେବେ ଦୁଃଖୀ । ଆମ୍ଭେ ଯେ ତାହାଙ୍କୁ ଉପେକ୍ଷି ॥୧୧୩
ବଳେ ଆଣିଲୁ ସୁଧାକୁମ୍ଭ । ଏମନ୍ତ ବହି ମହାଦମ୍ଭ ॥୧୧୪
କେହି କାହାକୁ ନ ଗଣନ୍ତି । ଧର୍ମ ଅଧର୍ମ ବିଚାରନ୍ତି ॥୧୧୫
ମଧ୍ୟେ ଅମୃତ କୁମ୍ଭ ଥୋଇ । ବିଷ୍ଣୁମାୟାରେ ମନ ମୋହି ॥୧୧୬
ଏମନ୍ତ ସମୟେ ମୁରାରି । ତକ୍ଷଣେ ମାୟାରୂପ ଧରି ॥୧୧୭
ସ୍ୱରୂପେ ହୋଇଲେ କାମିନୀ । ଅଶେଷ ଜଗତମୋହିନୀ ॥୧୧୮
ଶ୍ୟାମଉତ୍ପଳ ସ୍ୱରୂପିଣୀ । କାମିନୀଗଣ ଶିରୋମଣି ॥୧୧୯
ବିବିଧ-ମଣିଗଣମାନ । ବିରାଜେ କେୟୂର କଙ୍କଣ ॥୧୨୦
ସୁନ୍ଦର ନାସା ଭୂରୁ ଶୋହେ । କଟାକ୍ଷେ ଜଗୁଜନ ମୋହେ ॥୧୨୧
ଉନ୍ନତ ନବଯଉବନ । ଯୌବନ ଭାରେ ମଝା କ୍ଷୀଣ ॥୧୨୨
ରଙ୍ଗ ଅଧରେ ଦନ୍ତପନ୍ତି । ହାସ ବଦନେ ଝଟକନ୍ତି ॥୧୨୩
ଉତ୍‌ଫୁଲ୍ଲ-ମଲ୍ଲୀମାଳ ଶିରେ । ଶୋହେ ସୁନୀଳ କଳେବରେ ॥୧୨୪
ସୁଗ୍ରୀବ-କଣ୍ଠେ ଆଭରଣ । ସୁଭୁଜେ ଅଙ୍ଗଦ ଭୂଷଣ ॥୧୨୫
ବିରଜ ଅମ୍ବରେ ଭୂଷିତ । ଉଦର ନିତମ୍ବ ଶୋଭିତ ॥୧୨୬
କଟୀମେଖଳା ମନରଞ୍ଜେ । ଉଜ୍ୱଳ ମଣିଗଣ ଗଞ୍ଜେ ॥୧୨୭
ଚରଣେ ନୂପୁର ବାଜେଣୀ । ସୀମନ୍ତ ମଧ୍ୟେ ଶୋହେ ମଣି ॥୧୨୮
ସର୍ବାଙ୍ଗେ ଭୂଷିତ ଭୂଷଣ । ଭୂରୁ-ବିଳାସ ବିମୋହନ ॥୧୨୯
ହାସ୍ୟେ ଅସୁର-ଚିତ୍ତ ହରି । ମୋହିନୀ ରୂପେ ବଶକରି ॥୧୩୦
ଚିତ୍ତେ ଅନଙ୍ଗ ଉଦ୍ଦୀପନ । ହରି ହରିଲେ ତାଙ୍କ ମନ ॥୧୩୧
ବ୍ରାହ୍ମଣ ଜଗନ୍ନାଥ କହେ । ଅସୁରେ ହରି ମାୟାମୋହେ ॥୧୩୨
ଅମୃତ ଭକ୍ଷଣ ପାସୋରି । ବିଷ୍ଣୁଙ୍କୁ ରହିଲେ ଆବୋରି ॥୧୩୩
ବିଷ୍ଣୁ-ମୋହିନୀ ରୂପ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୩୪


ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଭଗବତ୍ ମାୟା ଉପଲମ୍ଭନଂ ନାମ ଅଷ୍ଟମୋଽଧ୍ୟାୟଃ ॥

ନବମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଅସୁରେ ବସି ଏକମେଳେ । ସୁଧା-ସମ୍ପୂର୍ଣ୍ଣ କୁମ୍ଭ କରେ ॥୧
ବିବିଧ-ପାନପାତ୍ର ଆଣି । ଏକ ଆରକେ ବାକ୍ୟ ଭଣି ॥୨
ସୁହୃଦପଣ ଦୂର କଲେ । ଦୁଷ୍ଟ-ଆଚାର ଆଚରିଲେ ॥୩
ଏମନ୍ତେ ଶୁଣ ପରୀକ୍ଷିତ । ମୋହିନୀ ରୂପେ ଜଗନ୍ନାଥ ॥୪
ମିଳିଲେ ଅସୁରଙ୍କ ପାଶେ । ଅମୃତ-ହରଣ ବିଶ୍ୱାସେ ॥୫
ବିଷ୍ଣୁମୋହିନୀ ରୂପ ଦେଖି । ନିଶ୍ଚଳ କଲେ ସର୍ବେ ଆଖି ॥୬
ଚକିତେ ଅନ୍ୟଅନ୍ୟେ ଚାହିଁ । ବୋଲନ୍ତି ବିଷ୍ଣୁରୂପେ ମୋହି ॥୭
ଦେଖ ଏ ରୂପ-କାନ୍ତି-ଧାମ । ନବଯୁବତୀ ଅନୁପମ ॥୮
କାହୁଁ ଅଇଲା କିବା ଅର୍ଥେ । ପାଦେ ଚାଲଇ ଦୃଷ୍ଟି ପଥେ ॥୯
ଏମନ୍ତ କହି କନ୍ୟା ଆଗେ । ପଥେ ମିଳିଲେ ଯାଇ ବେଗେ ॥୧୦
ନିଶ୍ଚଳେ ନ ପାରନ୍ତି ଚାହିଁ । ବୋଲନ୍ତି କନ୍ୟା ପାଶେ ରହି ॥୧୧
ହେ ପଦ୍ମଲୋଚନି ସୁନ୍ଦରି । ଯୁବାଜନଙ୍କ ମନୋହାରୀ ॥୧୨
କି ତୋର ନାମ କିବା ଅର୍ଥେ । କେଣେ ଅଇଲୁ କହ ଏଥେ ॥୧୩
କାହାର ପତ୍ନୀ ତୁ ବୋଲାଉ । ଜ୍ଞାନ ହରିଲୁ ଚାହୁଁ ଚାହୁଁ ॥୧୪
ଆମ୍ଭେ ଯେତେକ ଦେବାସୁରେ । ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ ॥୧୫
ମୁନି ଚାରଣ ବିଦ୍ୟାଧର । ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର ॥୧୬
ଅଦୃଷ୍ଟପୂର୍ବ ରୂପ ତୁହି । ତୋତେ ତ କେହି ନ ଜାଣଇ ॥୧୭
ନିଶ୍ଚେ ଜାଣିଲୁ ତୋ ବାରତା । ତୋତେ ବା ସର୍ଜିଲା ବିଧାତା ॥୧୮
ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ । ମୋହନ-ଅଜ୍ଞାନ-କାରଣେ ॥୧୯
ତୋ ରୂପ ଅତି ମନୋହର । ତୁ ଏବେ ଆମ୍ଭ ବୋଲ କର ॥୨୦
ଆମ୍ଭେ ଯେ ଦେବତା ଦାନବେ । ଅମୃତପାନ ସମଭାବେ ॥୨୧
ଏ ବସ୍ତୁ ବେନିଭାଗ କରି । ଦିଅ ଗୋ ପରମା ସୁନ୍ଦରୀ ॥୨୨
କଶ୍ୟପପୁତ୍ର ଆମ୍ଭେ ଦୁଇ । କେବେ ଆମ୍ଭର ନ ପଡ଼ଇ ॥୨୩
ତୁ ଏ ଅମୃତ ଆମ୍ଭ ପାତ୍ରେ । ଦ୍ୱିଭାଗ କରି ଯଥାଅର୍ଥେ ॥୨୪
ପରଷି ଦିଅ ଶୁଦ୍ଧଚିତ୍ତେ । ସମାନ ଭାବେ ଆମ୍ଭ ପାତ୍ରେ ॥୨୫
କେବେହେଁ ନକରିବୁ ଭେଦ । ଯେମନ୍ତେ ଉଭୟ ଆନନ୍ଦ ॥୨୬
ଅସୁରଙ୍କର ବୋଲ ଶୁଣି । ମାୟା-ମୋହିନୀ-ଚକ୍ରପାଣି ॥୨୭
ମୋହନ-ମନ୍ଦହାସ ମୁଖେ । ଅପାଙ୍ଗ କଟାକ୍ଷ ସୁରେଖେ ॥୨୮
ଅମୃତ ସମାନ ବଚନ । କହନ୍ତି ଜଗତ-ମୋହନ ॥୨୯

ଭଗବାନ ଉବାଚ[ସମ୍ପାଦନା]

ତୁମ୍ଭେ ଯେ କଶ୍ୟପ-ନନ୍ଦନ । ଶୁଣ ହୋ ମୋହର ବଚନ ॥୩୦
ସ୍ୱଭାବେ ସ୍ୱାମୀ ମୋର ନାହିଁ । କୁଳଟା-ବାଦ ମୋର ତହିଁ ॥୩୧
ଅସତୀ-ନାରୀଙ୍କ ସ୍ୱଭାବ । ଶ୍ୱାନର ପ୍ରାୟେକ ଜାଣିବ ॥୩୨
ନିତ୍ୟେ ଲୋଡ଼ଇ ନୂଆଭାବ । କେ ଅବା ବିଶ୍ୱାସ କରିବ ॥୩୩
କହିଲି ତୁମ୍ଭ ଆଗେ ସତ । ଏମନ୍ତ ପଣ୍ଡିତଙ୍କ ମତ ॥୩୪
ଶୁକ ଉବାଚ କନ୍ୟାର ଚତୁର-ବଚନ । ଶୁଣି ଅସୁରେ ତୋଷମନ ॥୩୫
ଭାବ-ସୁଗଭୀର-ବଚନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥୩୬
ଅମୃତଭାଣ୍ଡ ଆଣି ବେଗେ । ସମର୍ପି ଦେଲେ କନ୍ୟା ଆଗେ ॥୩୭
ହସି ବୋଇଲେ ତୋଷଚିତ୍ତେ । ଶୁଣ ରାଜନ ପରୀକ୍ଷିତେ ॥୩୮
ଅସୁରଙ୍କର ବୋଲ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥୩୯
ଅମୃତଭାଣ୍ଡ କାଖେ ଧରି । ଅଳପ ହାସମୁଖ କରି ॥୪୦
ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ସଭୟେ ଅସୁରଙ୍କୁ ଚାହିଁ ॥୪୧

ମୋହିନୀ ଉବାଚ[ସମ୍ପାଦନା]

ସାଧୁ ଅସାଧୁ ନଜାଣଇ । ତୁମ୍ଭେ ସମାନ ବେନିଭାଇ ॥୪୨
ବିଭାଗେ ଦେବି ସୁଧାରସ । ସଂସ୍କାର ହୋଇ ତୁମ୍ଭେ ବସ ॥୪୩

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ମୋହିନୀ ବଚନେ । ଦେବ-ଦାନବେ ତୋଷମନେ ॥୪୪
ପ୍ରଥମେ ଉପବାସ କରି । ପ୍ରାତଃ ସ୍ନାହାନ ସନ୍ଧ୍ୟା ସାରି ॥୪୫
ସନ୍ତୋଷ ଚିତ୍ତେ ହୋମ କଲେ । ଗୋ-ବିପ୍ର-ଚରଣେ ପୂଜିଲେ ॥୪୬
ଭୂତଙ୍କୁ ଦେଲେ ଭୂତବଳି । ସ୍ତୁତି ଯେ କଲେ ବିପ୍ରେ ମିଳି ॥୪୭
ଅହତ ବସ୍ତ୍ରଯୁଗ ପିନ୍ଧି । ଶୋଭନଗନ୍ଧେ ନାନାବିଧି ॥୪୮
କୁଶ ଆସନେ ସର୍ବେ ବସି । ବଦନ କଲେ ପୂର୍ବଦିଶି ॥୪୯
ଧୂପ ଆମୋଦ ଯଜ୍ଞଶାଳେ । ଆନନ୍ଦେ ବସିଲେ ସକଳେ ॥୫୦
ସୁଗନ୍ଧମାଳା ଦୀପପନ୍ତି । ଆବୋରି ପାନପାତ୍ର ଛନ୍ତି ॥୫୧
ସେ ଯଜ୍ଞଶାଳେ ନରହରି । ଅତି ମୋହିନୀ ରୂପ ଧରି ॥୫୨
ଅସୁରଙ୍କର ମନମୋହି । ଅମୃତକୁମ୍ଭ ତଳେ ଥୋଇ ॥୫୩
ଅତିମୋହନ ରୂପ ଦେଖି । ଦେବତା ଅସୁରଙ୍କ ଆଖି ॥୫୪
ରହିଲା ହରି-ବକ୍ଷସ୍ଥଳେ । ସୁସଞ୍ଚ-କୁଚଯୁଗ ମୂଳେ ॥୫୫
ହରି ବିଚାର କଲେ ମନେ । ଅସୁରଙ୍କର ସୁଧାପାନେ ॥୫୬
ଦେବେ ହୋଇବେ ଅରକ୍ଷିତ । ଏ କଥା ନୁହଇ ଉଚିତ ॥୫୭
ସର୍ପକୁ କ୍ଷୀର ଯେ ପିଆନ୍ତି । ସର୍ପର ଘାତେ ସେ ମରନ୍ତି ॥୫୮
ଜାତି ସ୍ୱଭାବେ ନୃଶଂସକ । ଅସୁରେ ନୁହନ୍ତି ବିବେକ ॥୫୯
ଏମନ୍ତ ଚିନ୍ତିଣ ଶ୍ରୀପତି । ବୋଇଲେ ହୁଅ ବେନିପନ୍ତି ॥୬୦
ବାମ-ଦକ୍ଷିଣେ ମୋର ବସ । କହି ହୁଅନ୍ତି ହସ ହସ ॥୬୧
ସ୍ୱରୂପେ ଅସୁରଙ୍କ ମନ । ବଳେ ହରିଲେ ଭଗବାନ ॥୬୨
ରୂପ ଦେଖନ୍ତି ହୋଇ ଛନ୍ନ । ବଦନୁ ନ ସ୍ଫୁରେ ବଚନ ॥୬୩
ଦକ୍ଷିଣେ ଦେବଗଣେ ଥିଲେ । ତାହାଙ୍କ ପାତ୍ରେ ସୁଧା ଦେଲେ ॥୬୪
ଅସୁରେ ସୁକୃତ ପାଳନେ । ନିଶ୍ଚଳେ ବସିଲେ ମଉନେ ॥୬୫
କାମିନୀ-ସମ୍ମତ ପାଳନେ । ଧର୍ମେ ରହିଲେ ଦୃଢ଼ମନେ ॥୬୬
ମାୟା ମୋହିଲେ ଚକ୍ରଧର । ବଦନେ ନଇଲା ଉତ୍ତର ॥୬୭
ଦେବଙ୍କୁ ପରଶିବା ବେଳେ । ରାହୁ ଯେ ଥିଲା ତାଙ୍କ ମେଳେ ॥୬୮
ଗୁପତେ ବସି ଦେବବୃନ୍ଦେ । ଅମୃତ ଭକ୍ଷିଲା ଆନନ୍ଦେ ॥୬୯
ରବି-ଶଶାଙ୍କ ତାହା ଦେଖି । ଉଠିଲେ ଆସନ ଉପେକ୍ଷି ॥୭୦
ଚାହିଁଣ ଗୋବିନ୍ଦ-ବଦନେ । ନୟନେ ଠାରିଲେ ମଉନେ ॥୭୧
ସୁଦରଶନେ ତାର ଶିର । ବେଗେ ଛେଦିଲେ ଚକ୍ରଧର ॥୭୨
ତକ୍ଷଣେ ହୋଇ ବେନିଖଣ୍ଡ । ଅମୃତପାତ୍ରେ ପଡ଼େ ମୁଣ୍ଡ ॥୭୩
ଅମର ହୋଇଲା ତକ୍ଷଣ । ଦେଖି ସନ୍ତୋଷ ନାରାୟଣ ॥୭୪
ବୋଇଲେ ବର ମାଗ ତୁହି । ରାହୁ ବୋଇଲା ବିଷ୍ଣୁ ଚାହିଁ ॥୭୫
ଭୋ ନାଥ ମୋର ଅବଶେଷ । ଅବଶ୍ୟ କରିବଇଁ ଗ୍ରାସ ॥୭୬
ଶୁଣି ସନ୍ତୋଷ ମହାବାହୁ । ବୋଇଲେ ଏହି ବର ହେଉ ॥୭୭
ଏମନ୍ତ କହି ଭଗବାନ । ଗ୍ରହମଣ୍ଡଳେ ଦେଲେ ସ୍ଥାନ ॥୭୮
ତେଣୁ ସେ ରାହୁ ପର୍ବକାଳେ । ଗ୍ରାସଇ ରବିଚନ୍ଦ୍ର ବଳେ ॥୭୯
ବଇରୀ ବୁଦ୍ଧି ନ ଛାଡ଼ଇ । ଅୟନେ ଅୟନେ ଗୋଡ଼ାଇ ॥୮୦
ଦେବଙ୍କୁ ଦେଇ ସୁଧାପାନ । ତକ୍ଷଣେ ପ୍ରଭୁ ଭଗବାନ ॥୮୧
ଦେଖନ୍ତି ଦେବତା ଅସୁର । ମାୟା ଛାଡ଼ିଲେ ମାୟାଧର ॥୮୨
ମୋହିନୀରୂପ ଗଲା କେଣେ । ଯେ ରୂପ ଅମୃତ କାରଣେ ॥୮୩
କଠୋର-ସାଧ୍ୟେ ଭଗବାନ । ଦେବଙ୍କୁ ଦେଲେ ସୁଧାପାନ ॥୮୪
ଏ ରୂପେ ସୁରାସୁରଗଣେ । ସମାନ-ଦେଶ-କାଳ-ଧର୍ମେ ॥୮୫
ମନ୍ଥିଲେ ସିନ୍ଧୁ ତୁଲ୍ୟବଳେ । ଲଭିଲେ ବିପରୀତ-ଫଳେ ॥୮୬
କୃଷ୍ଣର ପାଦ ଯେଣୁ ଧ୍ୟାୟୀ । ଦେବେ ଅମୃତ-ଫଳ ପାଇ ॥୮୭
ଅସୁରେ ନ ସେବି ଚରଣ । କର୍ମର ଫଳେ ହେଲେ ହୀନ ॥୮୮
ପୁତ୍ର-କଳତ୍ର ଦେହ ଅର୍ଥେ । ଯେ ଯାହା କରଇ ଯୁକତେ ॥୮୯
ତାହା ନ କଲେ କୃଷ୍ଣାର୍ପଣ । କେବଳ ଶ୍ରମମାତ୍ର ଜାଣ ॥୯୦
ମୂଳେ ସିଞ୍ଚିଲେ ସିନା ଜଳ । ବିକଶେ ବୃକ୍ଷ-ପତ୍ର-ଡାଳ ॥୯୧
ଶ୍ରୀକୃଷ୍ଣ ମାୟା-ବିଦ୍ୟମାନେ । ଯେ ରୂପେ ସମୁଦ୍ର-ମନ୍ଥନେ ॥୯୨
ଦେବଙ୍କୁ ସୁଧାପାନ ଦେଇ । ନିଜ ଭୁବନେ ଭାବଗ୍ରାହୀ ॥୯୩
ଦେଖନ୍ତି ସ୍ୱର୍ଗଲୋକେ ମିଳି । ଗରୁଡ଼େ ବସି ବନମାଳୀ ॥୯୪
ଯେ ରୂପ ଗରୁଡ଼ ଆସନେ । ସୁଜନେ ଚିନ୍ତ ସ୍ଥିର ମନେ ॥୯୫
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍କନ୍ଧେ ଭାଗବତ ॥୯୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ବିଷ୍ଣୁମୋହିନୀରୂପଧାରଣେ ଦେବଗଣ
ଅମୃତପାନେ ନବମୋଽଧ୍ୟାୟଃ ॥

ଦଶମ ଅଧ୍ୟାୟ[ସମ୍ପାଦନା]

କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥୧

ଶୁକ ଉବାଚ[ସମ୍ପାଦନା]

କଠୋରେ ସାଧି ଯାତୁଧାନେ । ବିମୁଖ ହେଲେ ସୁଧାପାନେ ॥୨
କୃଷ୍ଣଭକତି ଯେଣୁ ନାହିଁ । ଅମୃତ ପାଇବେ ସେ କାହିଁ ॥୩
ଦେବଙ୍କୁ ଅମୃତ ପିଆଇ । ଗରୁଡ଼େ ବସି ଭାବଗ୍ରାହୀ ॥୪
ନିଜ ଭୁବନେ ଗଲେ ହରି । ଶୁଣ ପରୀକ୍ଷ ଦଣ୍ଡଧାରୀ ॥୫
ଏମନ୍ତେ ବିଷ୍ଣୁର ମୋହନେ । ନିରାଶ ହୋଇ ସୁଧାପାନେ ॥୬
ସର୍ବ ଦାନବ ଏକମତେ । ଜଣାଇ ବଳିର ଅଗ୍ରତେ ॥୭
ବଳି ସଙ୍ଗତେ ବିଚାରିଲେ । ଯୁଦ୍ଧର ଉଦ୍ୟମ ସେ କଲେ ॥୮
ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖି । ଭାଳି ସକଳେ ମନଦୁଃଖୀ ॥୯
ଦୈତ୍ୟ-ଦାନବ ଯୂଥେ ଯୂଥେ । ବିଚାର କଲେ ଏକମତେ ॥୧୦
ଦେବଙ୍କୁ ବାହୁବଳେ ମାରି । ସର୍ବସମ୍ପଦ ଯେବେ ହରି ॥୧୧
ତେବେ ସେ ଜୀବନ ଆମ୍ଭର । ସଂଗ୍ରାମେ ହୋଇବ ସୁଫଳ ॥୧୨
ଏମନ୍ତେ ମନରେ ବିଚାରି । ଧାଇଁଲେ କରେ ଶସ୍ତ୍ର ଧରି ॥୧୩
ଅମୃତପାନେ ଦେବଗଣ । ଇଚ୍ଛନ୍ତି ଦୈତ୍ୟସଙ୍ଗେ ରଣ ॥୧୪
ସ୍ୱଭାବେ ହରି-ପରାୟଣ । ସୁଧା ସେ କରିଛନ୍ତି ପାନ ॥୧୫
ଏମନ୍ତ ଦେବାସୁର ରଣ । ସୁଘୋର ସୁଭୀମ ଦାରୁଣ ॥୧୬
ଶର ବରଷି ନିରନ୍ତରେ । ସମର କଲେ ଦେବାସୁରେ ॥୧୭
ଶବଦ କରି ବାହୁନାଦେ । ଯୁଝନ୍ତି ବିବିଧ-ଆୟୁଧେ ॥୧୮
ବଜାନ୍ତି ରଣଶଙ୍ଖ ଭେରୀ । ପଟହ ମଙ୍ଗଳ ମହୁରୀ ॥୧୯
ସକଳ ମଙ୍ଗଳ ସୁବାଦ୍ୟେ । ଗଜ ତୁରଙ୍ଗ ଘୋରନାଦେ ॥୨୦
ଶୁଭିଲା ଶବଦ ତୁମୁଳେ । ପ୍ରଳୟସିନ୍ଧୁ କି ଉଛୁଳେ ॥୨୧
ଯୁଦ୍ଧ କରନ୍ତି ଏକେଏକେ । ଦନୁଜଗଣେ ବୃନ୍ଦାରକେ ॥୨୨
ଅଶ୍ୱକୁ ଅଶ୍ୱ ସଜକଲେ । ହସ୍ତୀକି ହସ୍ତୀ ଘେନି ତୁଲେ ॥୨୩
ନାନା ବାହନେ ବିଜେକରି । ରଣେ ଧାଇଁଲେ ଶସ୍ତ୍ର ଧରି ॥୨୪
ଓଟର ପୃଷ୍ଠେ କେ ବସନ୍ତି । କେ ଉଚ୍ଚ ଅଶ୍ୱେ ଆରୋହନ୍ତି ॥୨୫
ଗର୍ଦ୍ଦଭେ ବସି ଅବା ଖରେ । କେ ମୃଗ ବାନର ସ୍କନ୍ଧରେ ॥୨୬
କେ ବ୍ୟାଘ୍ର କେ ସିଂହ ଆରୋହେ । କେ ଗୃଧ୍ର କଙ୍କ ବକେ ଧାଏଁ ॥୨୭
ଶ୍ୱେନ ଭାସ ବା ତିମିିଙ୍ଗିଳେ । ଶରଭେ ମହିଷେ କେ ଚଳେ ॥୨୮
କେ ଶିବା କେହୁ କୃକଲାଶେ । ଶଶକେ କେ ଅବା ମାନୁଷ୍ୟେ ॥୨୯
ଅମୂଲ୍ୟ-ରତ୍ନ ଦଣ୍ଡଛତ୍ର । ନୀଳ ଲୋହିତ ଶ୍ୱେତ ପୀତ ॥୩୦
ବ୍ୟଜନ-ବରହୀ ଚାମରେ । ରଙ୍ଗଭୂଷଣ ପାଗ ଶିରେ ॥୩୧
ବିବିଧ ସଂଗ୍ରାମ-ଭୂଷଣେ । ଶୋଭନ୍ତି ଦେବାସୁର-ଗଣେ ॥୩୨
ବିବିଧ-ତୀକ୍ଷ୍ଣ-ଶସ୍ତ୍ର ଭୁଜେ । ବିରାଜେ ରବି ରଶ୍ମି ତେଜେ ॥୩୩
ଏମନ୍ତେ ଦେବାସୁରେ ବଳେ । ସ୍ୱଭାବେ ବଳିଷ୍ଠ ସକଳେ ॥୩୪
ଅତି କୁପିତ ଦେବାସୁର । କି ଅବା ଦେବା ପଟାନ୍ତର ॥୩୫
ଶୋଭନ୍ତି ମହାବୀରେ ରଣେ । ଯେସନେ ଜଳଧି ମନ୍ଥନେ ॥୩୬
ଅସୁର ବଳେ ଝଟକନ୍ତି । ଯେ ବଳେ ବଳି ସେନାପତି ॥୩୭
ଶୁଣ ରାଜନ କହୁଁ ତୋତେ । ବଳି ମହିମା ଅପ୍ରମିତେ ॥୩୮
ମୟ-ନିର୍ମିତ ଘୋରଯାନ । ସ୍ୱଭାବେ ବୈହାୟସ ନାମ ॥୩୯
ସମର ଅର୍ଥେ ସଜ ଯେତେ । ସର୍ବ ପୂରିତ ମୟ ରଥେ ॥୪୦
ମନବଚନେ ଅଗୋଚର । ଦୃଶ୍ୟ ଅଦୃଶ୍ୟ ଭୟଙ୍କର ॥୪୧
ଏମନ୍ତ ରଥେ ବଳି ବସେ । ବୀରେ ବେଷ୍ଟିତ ଚଉପାଶେ ॥୪୨
ବାମ-ଦକ୍ଷିଣେ ମହାବୀରେ । ଛତ୍ର ଚାମର ଧରି କରେ ॥୪୩
ମଧ୍ୟେ ବିରାଜେ ବଳିପ୍ରଭା । କିବା ଉପମା ତାକୁ ଦେବା ॥୪୪
ନକ୍ଷତ୍ରଗଣେ ପୂର୍ଣ୍ଣ ଶଶୀ । ଅସୁର ମଧ୍ୟେ ତେହ୍ନେ ଦିଶି ॥୪୫
ବଳି ସମୀପେ ପନ୍ତି ପନ୍ତି । ମିଳିଲେ ସର୍ବ ଯୂଥପତି ॥୪୬
ଦେବ ଅସୁରେ ଘୋରରଣେ । ବଳେ ଆବୋରି ଜଣେ ଜଣେ ॥୪୭
କରନ୍ତି ଅଦ୍ଭୁତ ସଂଗ୍ରାମ । ଶୁଣ ହୋ ଅସୁରଙ୍କ ନାମ ॥୪୮
ନମୁଚି ଶମ୍ବର ଯେ ବାଣ । ବିପ୍ରଚିତ୍ତି ଲୋହବଦନ ॥୪୯
ଦ୍ୱିମୂର୍ଦ୍ଧା କାଳନାଭ ହେତି । ଇଲ୍ୱଳ ଆଦି ସପ୍ରହେତି ॥୫୦
ଶକୁନି ଭୂତ ସନ୍ତାପନ । ବଜ୍ରଦଶନ ବିରୋଚନ ॥୫୧
ହୟଗ୍ରୀବ ଯେ ଶଙ୍କୁଶିରା । କପିଳ ନାମେ ମହାବୀରା ॥୫୨
ଜୀମୂତ ଦୁନ୍ଦୁଭି ଅଦ୍ଭୁତ । ତାରକା ପୁଣି ଚକ୍ରଜିତ ॥୫୩
ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ । ଅରିଷ୍ଟନେମି ପୁଣି ଜମ୍ଭ ॥୫୪
ତ୍ରିପୁରାଧିପ ଯେଉଁ ମୟ । ପୌଲମ ଅରିଷ୍ଟ କାଳେୟ ॥୫୫
ନିବାତକବଚ ସହିତେ । ଅପରେ ଦୈତ୍ୟବୀର ଯେତେ ॥୫୬
ନ ପାଇ ଅମୃତର ଭାଗ । ମନେ ବହିଲେ ମହାରାଗ ॥୫୭
ଦେବଙ୍କୁ ଯୁଦ୍ଧ କରି ବଳେ । ଅସୁରେ ବେଢ଼ିଲେ ଗହଳେ ॥୫୮
କରନ୍ତି ସର୍ବେ ଶଙ୍ଖନାଦ । ଦୁନ୍ଦୁଭି ତୁଲେ ବହୁବାଦ୍ୟ ॥୫୯
ଏମନ୍ତେ ବଳି-ବଳ ଚାହିଁ । ସକଳ ଦେବେ କ୍ରୋଧ ବହି ॥୬୦
ସାଜିଲେ ସୁରପତି ସଙ୍ଗେ । ଅଶେଷ ଘୋର ରଣରଙ୍ଗେ ॥୬୧
ଅଇରାବତ ସ୍କନ୍ଧେ ବସି । ପୂର୍ଣ୍ଣିମା ରାତ୍ରେ ଯେହ୍ନେ ଶଶୀ ॥୬୨
ସେ ଯୂଥପତିଙ୍କି ଆବୋରି । ଆନନ୍ଦେ ବାଦ୍ୟନାଦ କରି ॥୬୩
ନିଜ ବାହନେ ଶସ୍ତ୍ର ତୁଲେ । ଅଶେଷ ଦେବେ ବିଜେ କଲେ ॥୬୪
ରଣସଙ୍କୁଳ ମହାଗୋଳେ । ସମୁଦ୍ରତୀରେ ବେନି ବଳେ ॥୬୫
ଶବଦ ଶୁଭଇ ତୁମୁଳେ । ମିଳିଲେ ସର୍ବ ଦିଗପାଳେ ॥୬୬
ଶସ୍ତ୍ର ଉଞ୍ଚାଇ କୋପମନେ । ନାମ ଡାକନ୍ତି ଅନ୍ୟ ଅନ୍ୟେ ॥୬୭
ନିକଟେ ମିଳି ଘୋରନାଦେ । ଯୁଦ୍ଧ କରନ୍ତି ମାଲବନ୍ଧେ ॥୬୮
ଇନ୍ଦ୍ରର ତୁଲେ ବଳି ଯୁଝେ । ଦାରୁଣ ଦେବାସୁର ମାଝେ ॥୬୯
ସ୍କନ୍ଧ ତାରକ ଅବହେଳେ । ଯୁଦ୍ଧ କରନ୍ତି ବାହୁବଳେ ॥୭୦
ବରୁଣ ହେତି ବେନିବୀରେ । ପ୍ରହେତି ମିତ୍ରେ ଯୁଦ୍ଧ କରେ ॥୭୧
ଯମର ତୁଲେ କାଳନାଭ । ବିଶ୍ୱକର୍ମା ମୟ ଦାନବ ॥୭୨
ଶମ୍ବର ତ୍ୱଷ୍ଟା ତୁଲେ ରଣ । ସବିତା ତୁଲେ ବିରୋଚନ ॥୭୩
ନମୁଚି ଯେ ଅପରାଜିତେ । ଅଶ୍ୱିନୀ ବୃଷପର୍ବା ସାଥେ ॥୭୪
ସୂର୍ଯ୍ୟର ତୁଲେ ବାଣାସୁର । ରାହୁର ତୁଲେ ନିଶାକର ॥୭୫
ପୁଲୋମା ସଙ୍ଗତେ ସମୀର । ଅନଳେ କାଳକେତୁ ବୀର ॥୭୬
ଶୁମ୍ଭ ନିଶୁମ୍ଭେ ଭଦ୍ରକାଳୀ । ଜମ୍ଭରେ ବୃଷାକପି ମିଳି ॥୭୭
ମହିଷେ ବିଭାବସୁ ଯୁଝେ । ଗହଳେ ଦେବାସୁର ମାଝେ ॥୭୮
ଇଲ୍ୱଳ ବାତାପି ସହିତେ । ରଣେ ପଶିଲେ ବ୍ରହ୍ମାପୁତ୍ରେ ॥୭୯
ସନକ ତୁଲେ ଅରିନ୍ଦମ । ନିର୍ଭୟେ କରନ୍ତି ସଂଗ୍ରାମ ॥୮୦
ଦୁର୍ମର୍ଷ ତୁଲେ ରତିପତି । ଉତ୍କଳେ ମାତୃକା ଯୁଝନ୍ତି ॥୮୧
ଗୁରୁ ଭାର୍ଗବେ ଯୁଦ୍ଧ ଘୋର । ନାରକା ତୁଲେ ଶନୈଶ୍ଚର ॥୮୨
ନିବାତକବଚ ମରୁତେ । କାଳେୟ ବସୁଙ୍କ ସଙ୍ଗତେ ॥୮୩
ପୌଲୋମା ବିଶ୍ୱଦେବା ସଙ୍ଗେ । ଯୁଦ୍ଧ କରନ୍ତି ରଣରଙ୍ଗେ ॥୮୪
ଦେବେ ଅସୁରଗଣ ସଙ୍ଗେ । ନିର୍ଘାତେ ଯୁଦ୍ଧ ରଣରଙ୍ଗେ ॥୮୫
ରୁଦ୍ରଙ୍କ କ୍ରୋଧବଶ ଗଣ । ଆବୋରି କଲେ ଘୋରରଣ ॥୮୬
ଏମନ୍ତେ ମହାରଣ ମଧ୍ୟେ । ଦେବ ଦାନବ ବାହୁଯୁଦ୍ଧେ ॥୮୭
ସମସ୍ତେ ମାଲଯୁଦ୍ଧ ସାରି । ଧାଇଁଲେ କରେ ଶସ୍ତ୍ର ଧରି ॥୮୮
ଖଡ଼୍‌ଗ ତୋମର ଶର ବୃଷ୍ଟି । ଭୁଶୁଣ୍ଡି ଚକ୍ର ଗଦା ରିଷ୍ଟି ॥୮୯
ପଟ୍ଟିଶ ଶକ୍ତି ଉଲ୍ଲୁକରେ । ପ୍ରାସ ପରଶୁ କେ କୁଠାରେ ॥୯୦
ନିସ୍ତି୍ରଂଶ ଭଲ୍ଲ ଯେ ମୁଦ୍‌ଗର । ପରିଘ ପୁଣି ଭିନ୍ଦିପାଳ ॥୯୧
ଏମନ୍ତେ ନାନାଶସ୍ତ୍ର ଭେଦି । ଅସୁରଙ୍କର ଶିର ଛେଦି ॥୯୨
ଗଜ ତୁରଙ୍ଗ ରଥ ରଥୀ । ଯୁଦ୍ଧେ ପଡ଼ିଲେ ପନ୍ତିପନ୍ତି ॥୯୩
ଶସ୍ତ୍ରେ ଖଣ୍ଡିତ କଳେବର । ନିରତେ ଗଳଇ ରୁଧିର ॥୯୪
ବାହୁ ହୃଦୟ ଶିର ଛିଡ଼ି । ପଡ଼ିଲେ ଦଶନ କାମୋଡ଼ି ॥୯୫
ନାନା-ଆଭରଣ-ଆୟୁଧେ । ଭୁଜ ସହିତେ ନାନା ଛନ୍ଦେ ॥୯୬
ଗଜ ତୁରଙ୍ଗ ମୃତ୍ୟୁପିଣ୍ଡେ । ଆଚ୍ଛାଦି ରହେ ଭୂମିଖଣ୍ଡେ ॥୯୭
କବନ୍ଧ ଉଠି ରଣମଧ୍ୟେ । ନୃତ୍ୟ କରନ୍ତି ବାଦ୍ୟନାଦେ ॥୯୮
ତୀକ୍ଷ୍‌ଣ-ଖଡ଼ଗ କରେ ଧରି । ଧାମନ୍ତେ କମ୍ପେ ବସୁନ୍ଧରୀ ॥୯୯
ବଳି ଯେ ଇନ୍ଦ୍ର ସଙ୍ଗେ ଥିଲା । ଅନେକ ବାହୁଯୁଦ୍ଧ କଲା ॥୧୦୦
ଜିଣି ନ ପାରି ବାହୁଯୁଦ୍ଧେ । ବସିଲା ମାୟାଯାନ ମଧ୍ୟେ ॥୧୦୧
ଧନୁକେ ଦଶଶର ଧରି । ଇନ୍ଦ୍ରେ ବିନ୍ଧିଲା କ୍ରୋଧଭରି ॥୧୦୨
ତିନି ନାରାଚ ଐରାବତେ । ବିନ୍ଧିଲା ଆତ୍ମାର-ଆୟତ୍ତେ ॥୧୦୩
ଚାରି ଅଶ୍ୱଙ୍କୁ ଚାରିବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ ॥୧୦୪
ମାତଳି ସାରଥି ଇନ୍ଦ୍ରର । ଥିଲା ଯେ ରଥର ଉପର ॥୧୦୫
ଯହୁଁ ବିିନ୍ଧିଲା ବୀର ଡାକି । ଇନ୍ଦ୍ର ଧାଇଁଲେ ତାହା ଦେଖି ॥୧୦୬
ବଳିର ଯେତେକ ନାରାଚ । ବେଗେ ଛେଦିଲେ ଦେବରାଜ ॥୧୦୭
ବଳିକି ଚାହିଁ ମନ୍ଦହାସେ । ବେଗେ ମିଳିଲେ ତାର ପାଶେ ॥୧୦୮
ଇନ୍ଦ୍ର ଅଦ୍ଭୁତ-କର୍ମ ଚାହିଁ । ବଳି ଅତ୍ୟନ୍ତ କ୍ରୋଧ ବହି ॥୧୦୯
ପୁଣି ଶକ୍ତିଏ ଧରି କରେ । ପେଷିଲା ବାସବ ଉପରେ ॥୧୧୦
ଉଲ୍‌କା ଯେସନେ ଶୂନ୍ୟମାର୍ଗେ । ପଡ଼ି ବିରାଜେ ଦଶଦିଗେ ॥୧୧୧
ଯେ ଶକ୍ତି ବଳି ପେଷିଥିଲା । ଇନ୍ଦ୍ର ତା ଈଷିତେ ଛେଦିଲା ॥୧୧୧
ଏମନ୍ତେ ଶୂଳ କୁନ୍ତ ଋଷ୍ଟି । ବଳି ହସ୍ତରୁ ଇନ୍ଦ୍ର କାଟି ॥୧୧୨
ହରଷେ କରେ ଶଙ୍ଖନାଦ । କ୍ଷୀଣ-ଶସ୍ତ୍ରେ ବଳି ସ୍ତବଧ ॥୧୧୩
ନ ପାରି ମାୟା ପ୍ରକାଶିଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା ॥୧୧୪
ମାୟାରେ ଶିଳାବୃଷ୍ଟି ଘନେ । ମେଘ ଆଚ୍ଛାଦିଲା ଗଗନେ ॥୧୧୬
ଦେବଙ୍କ ଉପରେ ବରଷେ । ବିଜୁଳି ଯେହ୍ନେ ମେଘୁଁ ଖସେ ॥୧୧୭
ପୁଣି କ୍ଷଣକେ ବହୁବୃଷ୍ଟି । ଶୁଷ୍କ-ଇନ୍ଧନ କୋଟି କୋଟି ॥୧୧୮
ଦାବାଗ୍ନି ଦେବଙ୍କ ଉପରେ । ପଡ଼ନ୍ତି ମଣ୍ଡଳ ସମୀରେ ॥୧୧୯
ଶିଳା ବରଷେ ନିରନ୍ତରେ । ଗହଳେ ଦେବଙ୍କ ଉପରେ ॥୧୨୦
ପଡ଼ନ୍ତି ମହୋରଗଗଣ । ବୃଶ୍ଚିକ ବୃଷ୍ଟି ଅନୁକ୍ଷଣ ॥୧୨୧
ବରାହ ସିଂହ ବ୍ୟାଘ୍ର ହସ୍ତୀ । ସମ୍ମୁଖେ ଗର୍ଜନ କରନ୍ତି ॥୧୨୨
ଶତ ସହସ୍ର ଯାତୁଧାନୀ । ଅନେକ ଶାକିନୀ ଡାକିନୀ ॥୧୨୩
ବିବସ୍ତ୍ରହୋଇ ଶୂଳ କରେ । ପିଟନ୍ତି ଦେବଙ୍କ ଉପରେ ॥୧୨୪
ରାକ୍ଷସେ ଛେଦ-ଭେଦ ନାଦେ । ସମରେ ମିଳିଲେ ଆନନ୍ଦେ ॥୧୨୫
ପ୍ରଳୟକାଳେ ମେଘମାଳେ । ଯେସନେ ଗଗନ ମଣ୍ଡଳେ ॥୧୨୬
ଗଭୀର ଘୋରନାଦ କରି । ସଘନେ ବରଷନ୍ତି ବାରି ॥୧୨୭
ପୁଣି କ୍ଷଣକେ ଅଗ୍ନି ବୃଷ୍ଟି । ନାରାଚ ପେଷେ କୋଟିକୋଟି ॥୧୨୮
ପ୍ରଳୟ ପ୍ରାୟେ ଅତିବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥୧୨୯
ସମୁଦ୍ରେ ପ୍ରଳୟ ଲହରୀ । ଉଠିଲା ଘୋରନାଦ କରି ॥୧୩୦
ପ୍ରଚଣ୍ଡ ବାତେ ଉର୍ମିଗଣ । ଉଠନ୍ତେ ଦିଶଇ ଭୀଷଣ ॥୧୩୧
ଏମନ୍ତେ ଅସୁରଙ୍କ ମାୟା । ଦୃଶ୍ୟ-ଅଦୃଶ୍ୟ ନାନାକାୟା ॥୧୩୨
ନାନାପ୍ରକାର ମାୟାବଳେ । ଯୁଝିଲେ ଦେବଙ୍କର ତୁଲେ ॥୧୩୩
ଅସୁର ମାୟାବଳ ଦେଖି । ତ୍ରିଦଶେ ସମର ଉପେକ୍ଷି ॥୧୩୪
ବିକଳେ ଭ୍ରମନ୍ତି ଗଗନେ । ଅସୁର ମାୟାବଳେ ଛନ୍ନେ ॥୧୩୫
ରହି ନ ପାରି ସ୍ୱର୍ଗପଥେ । ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ ॥୧୩୬
ଦେବଙ୍କ ଭୟ ଦେଖି ହରି । ଗରୁଡ଼-ପୃଷ୍ଠେ ବିଜେ କରି ॥୧୩୭
ପୀତବସନ ପରିଧାନ । ସୁରଙ୍ଗ-କମଳଲୋଚନ ॥୧୩୮
ଯୁଦ୍ଧେ ଅଇଲେ ଅଷ୍ଟଭୁଜେ । କର୍ଣ୍ଣେ କୁଣ୍ଡଳ ରତ୍ନସାଜେ ॥୧୩୯
ଶ୍ରୀବତ୍ସ-କଉସ୍ତୁଭମଣି । ଅମୂଲ୍ୟ ରତ୍ନେ ସୁଖଞ୍ଜଣି ॥୧୪୦
ଦିବ୍ୟମୌକ୍ତିକ ହାର ସଙ୍ଗେ । ବିବିଧ ରତ୍ନମାଳା ଅଙ୍ଗେ ॥୧୪୧
ଶସ୍ତ୍ରେ ଶୋଭିତ ଦିଶେ କର । ଶଙ୍ଖାବ୍ଚ-ଗଦା ଚକ୍ରଧର ॥୧୪୨
ଏମନ୍ତ ରୂପେ ଦଇତ୍ୟାରି । ଦେବଙ୍କ ମଧ୍ୟେ ବିଜେକରି ॥୧୪୩
ଦେବଙ୍କୁ ମାୟା ଘୋଟିଥିଲା । ବିଷ୍ଣୁ-ଦର୍ଶନେ ନାଶ ଗଲା ॥୧୪୪
ତ୍ରିଦଶେ ଦେଖନ୍ତି ଆକାଶେ । ତମ ଯେସନେ ରବିତ୍ରାସେ ॥୧୪୫
ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ । ଏ ଭାବେ ଦେଖିଲେ ପ୍ରତ୍ୟକ୍ଷ ॥୧୪୬
ଅସୁର ମାୟା ନାଶ ଗଲା । ଦେବଙ୍କ ଆନନ୍ଦ ବଢ଼ିଲା ॥୧୪୭
ହରି-ସ୍ମରଣେ ବନ୍ଧ-ମୋକ୍ଷ । ଏ ଭାବେ ବୁଝିଲେ ପ୍ରତ୍ୟକ୍ଷ ॥୧୪୮
ଦେବଙ୍କ ମଧ୍ୟେ କାଳନେମି । ଲୁଚି ଯେ ଥିଲା ମାୟାଘେନି ॥୧୪୯
ଶୂଳ ବୁଲାଇ ଅନ୍ତରୀକ୍ଷେ । ମିଳିଲା ଗୋବିନ୍ଦ ସମକ୍ଷେ ॥୧୫୦
ପିଟନ୍ତେ ଗରୁଡ଼ ଉପରେ । ହରି ଧଇଲେ ବାମକରେ ॥୧୫୧
ସେ ଶୂଳ କାଳନେମି ମୁଣ୍ଡେ । ହରି ପ୍ରହାରିଲେ ପ୍ରଚଣ୍ଡେ ॥୧୫୨
ବାଜି ସହିତେ ମହାସୁର । ତକ୍ଷଣେ ହେଲା ଶତେ ଚୂର ॥୧୫୩
ମାଳୀ ସୁମାଳୀ ବେନିବୀରେ । ଦେଖି ମିଳିଲେ ଅତିଖରେ ॥୧୫୪
ତ୍ରିଶୂଳ ଗୋବିନ୍ଦ ଉପରେ । ପ୍ରହାର କଲେ ମହାଘୋରେ ॥୧୫୫
ତାହାଙ୍କ ତେଜ ଦେଖି ହରି । ସୁଦରଶନ କରେ ଧରି ॥୧୫୬
ସେ ବେନିବୀର ମୁଣ୍ଡ ହାଣି । ଶଙ୍ଖ ଶବଦେ ଚକ୍ରପାଣି ॥୧୫୭
ମିଳିଲେ ଦେବାସୁର ମଧ୍ୟେ । ତ୍ରିଦଶେ ଦେଖନ୍ତି ଆନନ୍ଦେ ॥୧୫୮
ସେ ହରି ଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥୧୫୯
ଅଷ୍ଟମ ସ୍କନ୍ଧେ ଭାଗବତ । ଅଦ୍ଭୁତ ଗୋବିନ୍ଦ ଚରିତ ॥୧୬୦
ଭାଷା-ପ୍ରବନ୍ଧେ ହରିଗୀତ । କହଇ ବିପ୍ର ଜଗନ୍ନାଥ ॥୧୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଦେବାସୁରସଂଗ୍ରାମେ ଦଶମୋଽଧ୍ୟାୟଃ ॥

ଏକାଦଶ ଅଧ୍ୟାୟ[ସମ୍ପାଦନା]

କହନ୍ତି ବ୍ୟାସଙ୍କର ଚାଟ । ଶୁଣ ହେ ପରୀକ୍ଷିତ ରାଟ ॥୧

ଶୁକ ଉବାଚ[ସମ୍ପାଦନା]

ହରିଙ୍କି ଦେଖି ଦେବଗଣେ । ପୁଣି ମିଳିଲେ ଘୋରରଣେ ॥୨
ଗୋବିନ୍ଦ-ଅନୁକମ୍ପା ବଳେ । ସମରେ ରହିଲେ ନିଶ୍ଚଳେ ॥୩
ଇନ୍ଦ୍ର ପବନ ଆଦି ବଳେ । ବେଗେ ମିଳିଲେ ଦିଗପାଳେ ॥୪
ନିରତେ ଅସୁରଙ୍କ ଗାତ୍ରେ । ପ୍ରହାର କଲେ ନାନାଶସ୍ତ୍ରେ ॥୫
ଦେବଙ୍କ ଶସ୍ତ୍ରାଘାତେ ଫୁଟି । ଅସୁର ମଲେ କୋଟି କୋଟି ॥୬
ଅସୁରବଳ ଭଗ୍ନ ଦେଖି । ଇନ୍ଦ୍ର ଯେ ସମର ଉପେକ୍ଷି ॥୭
ବଳି ସମୀପେ ବେଗେ ମିଳି । ବଜ୍ର ଉଞ୍ଚାଇ ମହାବଳୀ ॥୮
ବୋଲଇ ଅତି କୋପମନେ । ଅତ୍ୟନ୍ତ କର୍କଶ ବଚନେ ॥୯
ତୁ ଯେ ବୋଲାଉ ମହାବୀର । ସମ୍ଭାଳ ବଜ୍ରାଘାତ ମୋର ॥୧୦
ଏମନ୍ତ କହି ବଜ୍ର ଧରି । ବୁଲାଇ ଅନ୍ତରାଳ କରି ॥୧୧
ଶୂନ୍ୟେ ବୁଲାନ୍ତେ ଶସ୍ତ୍ରବର । ଦେଖି ଡରିଲେ ଦେବାସୁର ॥୧୨
ଅସୁରେ ଦେଖି ହାହାପଦେ । ବଳି ଗର୍ଜଇ ଘୋରନାଦେ ॥୧୩
ବଳି-ବଦନ ଇନ୍ଦ୍ର ଚାହିଁ । ନିନ୍ଦିତ-ବଚନ ବୋଲାଇ ॥୧୪
ରେ ମୂଢ଼ ମୋତେ ମାୟା କରି । ଜିଣିବା ପ୍ରାୟ ମନେ ଧରି ॥୧୫
ନଟର ପ୍ରାୟେ ଛନ୍ଦ କଲୁ । ନିଜ ସ୍ୱଭାବ ଦେଖାଇଲୁ ॥୧୬
କୁହୁକେ ଯେହ୍ନେ ନଟଜନ । ମାୟାରେ ମୋହେ ପ୍ରାଣୀମନ ॥୧୭
ମାୟାର ବଳେ ସ୍ୱର୍ଗ ଜିଣି । ଇଚ୍ଛା କରନ୍ତି ଯେବା ପ୍ରାଣୀ ॥୧୮
ତାହାଙ୍କ ଦର୍ପ ଗଞ୍ଜି ବେଗେ । ମୁହିଁ କ୍ଷେପଇ ଅଧୋଭାଗେ ॥୧୯
ଏବେ ହୋ ମହାସୁର ତୋର । ଅଙ୍ଗ କୁଳିଶୁଁ ରକ୍ଷାକର ॥୨୦
ଏ ବଜ୍ରେ ତୋର ଶିର ଛେଦି । ରଖିବି ଅମରେ ସମ୍ପାଦି ॥୨୧
ଏବେ ମୋ ବଜ୍ରାଘାତ ସହ । ଜ୍ଞାତିଙ୍କ ତୁଲେ ରୁଣ୍ଡ ହୁଅ ॥୨୨
ଏମନ୍ତେ ଇନ୍ଦ୍ରର ବଚନେ । ବଳି ବୋଲଇ କୋପମନେ ॥୨୩

ବଳି ଉବାଚ[ସମ୍ପାଦନା]

କାଳର ବଳେ ଏ ସଂସାର । ଯୁଦ୍ଧେ ମିଳନ୍ତି ଯେତେ ବୀର ॥୨୪
ଜୟ ଅଜୟ କୀର୍ତ୍ତି ଯଶ । ଯେବା ରହଇ ଅବଶେଷ ॥୨୫
ଯୁଦ୍ଧେ ମାରିଣ ଜୟ ଘୋଷି । ମରଣେ ସ୍ୱର୍ଗେ ଯେଣୁ ବସି ॥୨୬
ଏଣୁ ଶୟଳେ ଯେତେ ଜନ । କାଳଗରାସେ ନିବନ୍ଧନ ॥୨୭
ପଣ୍ଡିତଜନ ଏହା ଜାଣି । ଧର୍ମ-ଅଧର୍ମ ପରିମାଣି ॥୨୮
ଶୋକ-ହରଷ ପଥେ ମନ । କେବେହେଁ ନକରନ୍ତି ଛନ୍ନ ॥୨୯
ଆମ୍ଭେ ସକଳ ଏହା ଜାଣି । ଆଗମ-ନିଗମ ପ୍ରମାଣି ॥୩୦
ଏଣୁ ଏ ତୋହର ବଚନେ । ମର୍ମ-ତାଡ଼ନ ଅନୁମାନେ ॥୩୧
ଆମ୍ଭେ ତା କେବେହେଁ ନ ଗଣୁ । ତୁମ୍ଭର ବୀରପଣ ଜାଣୁ ॥୩୨
ଶୁକ କହନ୍ତି ତୋଷମନ । ଶୁଣ ହେ ପରୀକ୍ଷ ରାଜନ ॥୩୩

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଇନ୍ଦ୍ରଆଗେ କହି । ବଳି ଧନୁରେ ଗୁଣ ଦେଇ ॥୩୪
ଆକର୍ଣ୍ଣ ପୂରି ଦଶବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ ॥୩୫
ଇନ୍ଦ୍ର ଉପରେ ବେଗେ ବାଜି । ତଳେ ପଡ଼ିଲେ ସର୍ବେ ଭାଜି ॥୩୬
ଗଜ ଶରୀରେ ପୁଷ୍ପମାଳ । ବାଜି ପଡ଼ଇ ଯେହ୍ନେ ତଳ ॥୩୭
ଇନ୍ଦ୍ର ଅମୋଘ ବ୍ରଜ ଧରି । ହୁଙ୍କାରେ ବଳିକି ପ୍ରହାରି ॥ ୩୮
ହୃଦୟେ ବାଜି ଶସ୍ତ୍ରଗୋଟି । ତକ୍ଷଣେ ବକ୍ଷସ୍ଥଳ ଫୁଟି ॥୩୯
ବଳି ପଡ଼ିଲା ମହୀତଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥୪୦
ବଳିକି ଭୂମିଗତ ଚାହିଁ । ଜୟ ମିଳିଲା ବେଗେ ଯାଇ ॥୪୧
ଦେଖିଣ ସଖାର ମରଣ । ଆବୋରି କଲା ଘୋରରଣ ॥୪୨
ସିଂହ-ବାହନେ ମହାବଳୀ । ହୁଙ୍କାରନାଦେ ଗଦା ତୋଳି ॥୪୩
ଇନ୍ଦ୍ର ଉପରେ ପ୍ରହାରିଲା । ସେ ଗଦା ହସ୍ତୀରେ ବାଜିଲା ॥୪୪
ଗଦା-ପ୍ରହାରେ ଜ୍ଞାନ ହାରି । ଗଜ ପଡ଼ିଲା ଇନ୍ଦ୍ର ଧରି ॥୪୫
ଅଗ୍ରଚରଣ ବେନି ପାଡ଼ି । ଗର୍ଜଇ ମେଘ ଘଡ଼ଘଡ଼ି ॥୪୬
ପଡ଼ିଲା ଅଚେତନ ହୋଇ । ଦେଖି ମାତଳି ବେଗେ ଧାଇଁ ॥୪୭
ରଥେ ସହସ୍ର ଅଶ୍ୱ ଯୋଖି । ଇନ୍ଦ୍ର ନିକଟେ ଦେଲା ରଖି ॥୪୮
ବିମାନ ଦେଖି ସୁରପତି । ତକ୍ଷଣେ ତେଜି ନିଜ ହସ୍ତୀ ॥୪୯
ବିମାନେ ବସି ବଜ୍ରହସ୍ତେ । ସମରେ ରହିଲା ଆୟତ୍ତେ ॥୫୦
ଜୟ ମାତଳି-କର୍ମ ଚାହିଁ । ଧନ୍ୟ-ବଚନେ ପ୍ରଶଂସଇ ॥୫୧
ଜଳନ୍ତା ଶୂଳ ଧରି ବେଗେ । ପିଟିଲା ମାତଳିର ଅଙ୍ଗେ ॥୫୨
ସେ ଶୂଳ-ପ୍ରହାର ମାତଳି । ସହେ ସ୍ୱଭାବେ ମହାବଳୀ ॥୫୩
ଇନ୍ଦ୍ର ଧାଇଁଲା ଦେଖି ବେଗେ । ବଜ୍ର ପ୍ରହାରି ଜୟ ଅଙ୍ଗେ ॥୫୪
ବେଗେ ନାଶିଲା ତାର ପ୍ରାଣ । ଶୁଣ ପାଣ୍ଡବ ନୃପରାଣ ॥୫୫
ଜୟ ମରଣ ବଜ୍ରାଘାତେ । ଦେଖି ତାହାର ଜ୍ଞାତି ଯେତେ ॥୫୬
ନାରଦ ମୁଖୁଁ ବାକ୍ୟ ଶୁଣି । ଜୟ ଅଜୟ ନ ପ୍ରମାଣି ॥୫୭
ନମୁଚି ବଳ ପାକ ସଙ୍ଗେ । ଧାଇଁଲା ଶସ୍ତ୍ର ଘେନି ରାଗେ ॥୫୮
ଇନ୍ଦ୍ର ନିକଟେ ବେଗେ ମିଳି । ପରୁଷ ବାକ୍ୟେ ଦେଇ ଗାଳି ॥୫୯
ଶସ୍ତ୍ର ବରଷନ୍ତି ଗହଳେ । ଯେସନେ ଆକାଶମଣ୍ଡଳେ ॥୬୦
ପବନ ବଳେ ମେଘମାଳ । ପର୍ବତେ ବରଷନ୍ତି ଜଳ ॥୬୧
ଗର୍ଜନ କରି ବାଣପନ୍ତି । ରଥ ଉପରେ ବରଷନ୍ତି ॥୬୨
ବଳ ସହସ୍ରେ ଶର ସନ୍ଧି । ଅଶ୍ୱଙ୍କ ଉପରକୁ ବିନ୍ଧି ॥୬୩
ଦଶ ନାରାଚେ ଦେବରାଜ । ଛେଦିଲେ ସହସ୍ର ନାରାଜ ॥୬୪
ଶରସମୂହ ଭଗ୍ନ ଗଲା । ତା ଦେଖି ପାକ କୋପ କଲା ॥୬୫
ଧନୁ ଆକର୍ଷି କର୍ଣ୍ଣମୂଳେ । ବେନି ନାରାଚ କୋପାନଳେ ॥୬୬
ମାତଳି ଉପରେ ପ୍ରହାରେ । ଅଦ୍ଭୁତ ଘୋରନାଦ କରେ ॥୬୭
ନମୁଚି କରି ମହାରୋଷ । ବାଣ ବିନ୍ଧିଲା ପଞ୍ଚଦଶ ॥୬୮
ସୁବର୍ଣ୍ଣପକ୍ଷ ଲୌହମୁଖେ । ଇନ୍ଦ୍ର ତା ଦୂରେ ଥାଇ ଦେଖେ ॥୬୯
ବିିନ୍ଧି ଗର୍ଜଇ ଘୋରରଣେ । ଜଳଦ ଅମ୍ବରେ ଯେସନେ ॥୭୦
ଏମନ୍ତେ ଅସୁରଙ୍କ ଶସ୍ତ୍ରେ । ଆଚ୍ଛାଦେ ଦେବରାଜ ରଥେ ॥୭୧
ବରଷାକାଳ ରବି ଯେହ୍ନେ । ଜୀମୂତ ଆଚ୍ଛାଦେ ଗଗନେ ॥୭୨
ଅସୁର-ରଣରଙ୍ଗ ଦେଖି । ଦେବେ ହୋଇଲେ ମହାଦୁଃଖୀ ॥୭୩
ଅନାଥ ହେଲେ ରିପୁ ଡରେ । ବଣିକେ ଯେହ୍ନେ ସିନ୍ଧୁନୀରେ ॥୭୪
ଅସୁରବଳ ମଧ୍ୟଗତେ । ଦେବେ ପଡ଼ିଲେ ଅନାୟତ୍ତେ ॥୭୫
ପିଞ୍ଜରେ ଯେହ୍ନେ ପକ୍ଷୀଗଣେ । ଇନ୍ଦ୍ର ଯେ ଥିଲେ ଘୋରରଣେ ॥୭୬
ଆବୋରି ଥିଲେ ଯେ ଦାନବ । ଏମନ୍ତ ସମୟେ ବାସବ ॥୭୭
ବାହାର ହେଲେ ଦିବ୍ୟରଥେ । ରବି ଯେସନେ ନିଶି ଅନ୍ତେ ॥୭୮
ଅସୁର-ବାଣେ ଦେବେ ଦୁଃଖୀ । ସମ୍ଭ୍ରମେ ଇନ୍ଦ୍ର ତାହା ଦେଖି ॥୭୯
ବେଗେ ଧାଇଁଲେ ରଣ ମଧ୍ୟେ । ବଜ୍ର ଉଞ୍ଚାଇ ଘୋରନାଦେ ॥୮୦
ସେ ଅଷ୍ଟଧାର ବଜ୍ରାଘାତେ । ଜୀମୂତେ ଯେହ୍ନେ ଘୋରବାତେ ॥୮୧
ବଳ ପାକର ଶିରହାଣି । ଘୋର ଶବଦେ ବଜ୍ରପାଣି ॥୮୨
ଦେଖି ତାଙ୍କର ବନ୍ଧୁକୁଳ । ବିକଳେ ପାଡ଼ନ୍ତି ଚହଳ ॥୮୩
ନମୁଚି ତାଙ୍କ ବଧ ଦେଖି । ଦଣ୍ଡେ ହୋଇଲା ଅଶ୍ରୁମୁଖି ॥୮୪
ଶୋକସାଗରେ ସେ ବୁଡ଼ିଲା । ପୁଣି କ୍ଷଣକେ କୋପକଲା ॥୮୫
ଲୌହ-ନିର୍ମିତ ଶୂଳ କରେ । ଘେନି ଧାଇଁଲା ଧାତିକାରେ ॥୮୬
ସେ ଶୂଳ ସୁବର୍ଣ୍ଣେ ବିରାଜେ । ଚଳ-ପ୍ରଚଳେ ଘଣ୍ଟି ବାଜେ ॥୮୭
ସେ ଶୂଳ ଘେନି ଅତି ବେଗେ । ମିଳିଲା ସୁରନାଥ ଆଗେ ॥୮୮
ଇନ୍ଦ୍ର ଉପରେ ପ୍ରହାରିଲା । ନିର୍ଭୟେ ସିଂହନାଦ କଲା ॥୮୯
ଶୂଳ ଆସନ୍ତେ ଶୂନ୍ୟ ପଥେ । ବାସବ ଧନୁ ଧରି ହସ୍ତେ ॥୯୦
ବାଣେ ଛେଦିଲେ ଶତେ ଖଣ୍ଡେ । ପାଷାଣ ଯେହ୍ନେ ଛତୁପିଣ୍ଡେ ॥୯୧
ପୁଣି କୁଳିଶେ ପୁରନ୍ଦର । ପେଷିଲା ନମୁଚି କନ୍ଧର ॥୯୨
ବ୍ରଜ-ପ୍ରହାର ନ କାଟିଲା । କନ୍ଧରୁ ଚର୍ମ ନ ଛିଡ଼ିଲା ॥୯୩
ତା ଦେଖି ଇନ୍ଦ୍ର ବିଚାରଇ । ଅଦ୍ଭୁତ ଦେଖିଲା ତ ନାହିଁ ॥୯୪
ବଜ୍ରରୁ ବଞ୍ଚିଲା କେମନ୍ତେ । ଏ ବଡ଼ ସଂଶୟ ମୋ ଚିତ୍ତେ ॥୯୫
ଏ ଶସ୍ତ୍ର ଅସୁରଙ୍କୁ ରଣେ । ପ୍ରହାର କଲି ଅକାରଣେ ॥୯୬
ଏମନ୍ତେ ରଣ-ମଧ୍ୟଗତେ । ଶବଦ ଶୁଭେ ଅଦ୍ଭୁତେ ॥୯୭
ଶୁଣ ହେ ଶକ୍ର ଏକଚିତ୍ତେ । ନ ଭେଦେ ଶୁଷ୍କ ଆର୍ଦ୍ର ଶସ୍ତ୍ରେ ॥୯୮
ପୂର୍ବେ ଏ କଲା ତପ ଘୋର । ଏହାକୁ ଦେଇଅଛୁଁ ବର ॥୯୯
ଅଜେୟ ହୋଇଲା ସ୍ୱଭାବେ । ଅଜୟ ଯୁଦ୍ଧ-ମହାର୍ଣ୍ଣବେ ॥୧୦୦
ଶୁଷ୍କ-ଆର୍ଦ୍ରକ ଅସ୍ତ୍ରଶସ୍ତ୍ରେ । ଏଣୁ ନ ଭେଦେ ଏହା ଗାତ୍ରେ ॥୧୦୧
ଏବେ ତୁ ଶୁଣ ମଘବାନ । ଏହା ମରଣେ କର ଧ୍ୟାନ ॥୧୦୨
ଯେ ତୋତେ ଦିଶେ ଧ୍ୟାନମାର୍ଗେ । ତେଣେ ଜୀବନ ହରେ ବେଗେ ॥୧୦୩
ଏମନ୍ତେ ଶୂନ୍ୟବାଣୀ ଶୁଣି । ବାସବ ଧ୍ୟାନେ ମନେ ଗୁଣି ॥୧୦୪
ଧ୍ୟାନେ ଦେଖଇ ଜଳ-ଫେନ । ତା ଦେଖି ବିଚାରଇ ମନ ॥୧୦୫
ଏ ଆର୍ଦ୍ର-ଶୁଷ୍କ ଯେ ବୋଲାଇ । ଏଣେ ନାଶିବି ତାର ଦେହୀ ॥୧୦୬
ଏମନ୍ତ ମନେ ବିଚାରନ୍ତେ । ଫେନ ମିଳିଲା ଆସି ହସ୍ତେ ॥୧୦୭
ନମୁଚି ଅଙ୍ଗେ ପ୍ରହାରିଲା । ତକ୍ଷଣେ ଶିର ତା ଛିଡ଼ିଲା ॥୧୦୮
ସମରେ ନମୁଚି ମରଣେ । ମିଳିଲେ ଋଷି ଦେବଗଣେ ॥୧୦୯
ଇନ୍ଦ୍ର ଉପରେ ପୁଷ୍ପବୃଷ୍ଟି । କରନ୍ତି ଚିତ୍ତେ ହୋଇ ତୁଷ୍ଟି ॥୧୧୦
ଗନ୍ଧର୍ବେ ଅପସରାବୃନ୍ଦେ । ନୃତ୍ୟ କରନ୍ତି ଗୀତନାଦେ ॥୧୧୧
ଜୟଦୁନ୍ଦୁଭି ରଣେ ବାଜେ । ଦେବ-ଦାନବ ରଣମାଝେ ॥୧୧୨
ଏହି ପ୍ରକାର ଦିଗପାଳେ । ବରୁଣ ପବନ ଅନଳେ ॥୧୧୩
ଅସୁରବଳ ସର୍ବ ମାରି । ପଶୁଙ୍କୁ ଯେସନେ କେଶରୀ ॥୧୧୪
ଅସୁରବଳ ଭଗ୍ନ ଶୁଣି । ନାରଦେ ପେଷି କୁଶପାଣି ॥୧୧୫
ଦେବଗଣଙ୍କୁ ବୋଧକଲେ । ଯୁଦ୍ଧ ନ କର ଆଜ୍ଞାଦେଲେ ॥୧୧୬
ନାରଦ ସର୍ବ ଦେବଗଣେ । ପ୍ରବୋଧ କଲେ ଜଣେ ଜଣେ ॥୧୧୭
ବୋଲନ୍ତି ଦେବଗଣ ଚାହିଁ । ସମର କରୁଛ କିମ୍ପାଇଁ ॥୧୧୮
ସିନ୍ଧୁ ମନ୍ଥନେ ପାଇ ପ୍ରାସ । ଅସୁରେ ହୋଇଲେ ନିରାଶ ॥୧୧୯
ତୁମ୍ଭେ ଅମୃତ ପାନ କରି । ଲଭିଲ ସ୍ୱର୍ଗ-ଶୁଭ-ଶିରୀ ॥୧୨୦
କହନ୍ତି ଶୁକ ବ୍ରହ୍ମଯତି । ଶୁଣ ପରୀକ୍ଷ ମହୀପତି ॥୧୨୧
ନାରଦ ବାକ୍ୟ ଶୁଣି ଭଲେ । ତ୍ରିଦଶେ ସମର ନ କଲେ ॥୧୨୨
ଆନନ୍ଦେ ନୃତ୍ୟ ଗୀତ କରି । ଦେବେ ଚଳିଲେ ସ୍ୱର୍ଗପୁରୀ ॥୧୨୩
ଯୁଦ୍ଧେ ଅସୁର ଯେତେ ଥିଲେ । ନାରଦ ବାକ୍ୟେ ବାହୁଡ଼ିଲେ ॥୧୨୪
ବ୍ରହ୍ମାନନ୍ଦନ ବାକ୍ୟ ମାନି । ବଳିର ମୃତ୍ୟୁପିଣ୍ଡ ଘେନି ॥୧୨୫
ସକଳେ ମିଳି ଏକମେଳେ । ପଶ୍ଚିମ-ଅସ୍ତଗିରି ଗଲେ ॥୧୨୬
ଯେ ଅବା ଶିର ଉର ଛିଡ଼ି । ରଣଭୂମିରେ ଥିଲେ ପଡ଼ି ॥୧୨୭
ଶୁକ୍ରର ମୃତ୍ୟୁ ସଞ୍ଜୀବନେ । ସକଳେ ଲଭିଲେ ଜୀବନେ ॥୧୨୮
ବଳିକି ଶୁକ୍ର ଘେନି କୋଳେ । ଆସନେ ବସାଇ ନିଶ୍ଚଳେ ॥୧୨୯
ଶୁକ୍ର-ସ୍ପରଶେ ବଳି ସ୍ମୃତି । ଲଭିଲା ଇନ୍ଦ୍ରି-ବଳ-ବୃତ୍ତି ॥୧୩୦
ଶୁକ୍ରଙ୍କ ମନ୍ତ୍ରେ ତୋଷ ହୋଇ । ବଳି ଉଠିଲା ଜ୍ଞାନ ପାଇ ॥୧୩୧
ଯୁଦ୍ଧେ ହାରିବା କୋପାରମ୍ଭେ । ସଂହରି ରହେ ନିଜ ଦମ୍ଭେ ॥୧୩୨
ସୁଜନେ ଏଣେ କର ଭାବ । ଏ ଭାବେ ସଂସାରୁ ତରିବ ॥୧୩୩
ବୋଲଇ ଦାସ ଜଗନ୍ନାଥ । ଅମୃତ ବିଷ୍ଣୁର ଚରିତ ॥୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଦେବାସୁର ସଂଗ୍ରାମେ ଏକାଦଶୋଽଧ୍ୟାୟଃ ॥

ଦ୍ୱାଦଶ ଅଧ୍ୟାୟଃ[ସମ୍ପାଦନା]

ଶୁକ କହନ୍ତି ତୋଷମନ । ଶୁଣ ଅଭିମନ୍ୟୁ-ନନ୍ଦନ ॥୧

ଶୁକ ଉବାଚ[ସମ୍ପାଦନା]

କୃଷ୍ଣ ଯେ ମୋହିନୀ-ସ୍ୱରୂପେ । ଅମୃତ ହରି ମୋହକଳ୍ପେ ॥୨
ଦେବଙ୍କୁ କରାଇଲେ ପାନ । ମାୟାମୋହିନୀ ଭଗବାନ ॥୩
ସେ କଥା ଶୁଣି ବିପରୀତ । ବୃଷେ ଆରୋହି ବିଶ୍ୱନାଥ ॥୪
ସକଳ ଭୂତଗଣ ମେଳେ । ଅମ୍ବିକା ଘେନି ନିଜକୋଳେ ॥୫
ଦେଖିବା ଅର୍ଥେ ଗଲ ହର । ଯହିଁ ବିଜୟେ ମାୟାଧର ॥୬
ଗୋବିନ୍ଦ ରୁଦ୍ର ଦେଖି ତୋଷେ । ଆସନେ ବସାଇ ହରଷେ ॥୭
ପୂଜିଲେ ହରଗୌରୀ ପାଦେ । ରୋମହରଷ ଗଦଗଦେ ॥୮
ସାନନ୍ଦ ସେ ହରଗଉରୀ । ହରଷେ ହସ୍ତେ ହସ୍ତ ଧରି ॥୯
ସନ୍ତୋଷ କରି କୃଷ୍ଣମନ । ବୋଲନ୍ତି ମଧୁର-ବଚନ ॥୧୦

ମହାଦେବ ଉବାଚ[ସମ୍ପାଦନା]

ହେ ଦେବଦେବ ଜଗଦ୍‌ବ୍ୟାପୀ । ଜଗଦୀଶ୍ୱର ବିଶ୍ୱରୂପୀ ॥୧୧
ସର୍ବ ଶରୀରେ ଆତ୍ମାରୂପେ । ତୁ ନାଥ ବସୁ ମୋହକଳ୍ପେ ॥୧୨
ସକଳ ହେତୁ ତୋ ଗୋଚର । ତୁ ନାଥ ଧର୍ମ-ନିରାକାର ॥୧୩
ନାହିଁ ତୋ ଆଦି ମଧ୍ୟ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥୧୪
ଚରଣ କମଳ ତୋହର । ଚିନ୍ତନେ ଶ୍ରେୟ ପ୍ରାଣୀଙ୍କର ॥୧୫
ବିଷୟ-ସଙ୍ଗ ଦୂର କରି । ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ ॥୧୬
ଚିନ୍ତନ୍ତି ତୋ ଚରଣ ହୃଦେ । ଅନ୍ତେ ପଶନ୍ତି ମୋକ୍ଷପଦେ ॥୧୭
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାର । ନିର୍ଗୁଣ ବିଶୋକ-ମନ୍ଦିର ॥୧୮
ଆନନ୍ଦ-ମାତ୍ର ନିର୍ବିକାର । ଅନ୍ୟୋନ୍ୟେ ଥାଇ ତୁ ଅନ୍ତର ॥୧୯
ବିଶ୍ୱର ହେତୁ ନିରଞ୍ଜନ । ସ୍ଥିତି ଉଦୟ ସଞ୍ଜମନ ॥୨୦
ଆତ୍ମାର ଆତ୍ମଜ୍ଞାନରୂପୀ । ଏଣୁ ଅଶେଷ-ଦେହବ୍ୟାପୀ ॥୨୧
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେ । ସ୍ୱଭାବେ ଅଭେଦ ତୋ ଦେହେ ॥୨୨
ଅଜ୍ଞାନୀ ଦମ୍ଭେ ତୋରଠାରେ । ବିକଳ୍ପ ବିକଳ୍ପ ସଂସାରେ ॥୨୩
ତୁ ନିରୁପାଧି ତୋର ଗୁଣେ । ଭେଦ କରନ୍ତି ଅକାରଣେ ॥୨୪
ସଦ ଅସଦ ପରେ ସ୍ଥିତି । ପରମ ପୁରୁଷ କେ ଚିନ୍ତି ॥୨୫
ସଦ ଅସଦ ଏକ ରୂପୀ । ଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ ॥୨୬
ତୁ ବ୍ରହ୍ମ ହେତୁ ଚିଦାନନ୍ଦ । ଅନାଦିକନ୍ଦ ଆଦିକନ୍ଦ ॥୨୭
ପ୍ରକୃତି ପୁରୁଷ ରୂପର । କେ ସାଂଖ୍ୟେ କରନ୍ତି ବିଚାର ॥୨୮
ଅନ୍ୟେ ବଦନ୍ତି ନବଶକ୍ତି । ଯେ ଅବା ଛନ୍ତି ପାଞ୍ଚରାତ୍ରି ॥୨୯
ଅବ୍ୟୟ ଆତ୍ମତନ୍ତ୍ରରୂପୀ । ତୁ ନାଥ ଠୁଳଶୂନ୍ୟ ବ୍ୟାପୀ ॥୩୦
ମୁଁ ବ୍ରହ୍ମା ଦେବ ମୁନି ଯେତେ । ତୋ ମାୟାବଳେ ଏ ଜଗତେ ॥୩୧
ତୋ ରୂପ ନ ଜାଣନ୍ତି କେହି । ଦୁଷ୍ଟେ ଜାଣିବେ ଅବା କାହିଁ ॥୩୨
ଜଗତ ଜାତ ସ୍ଥିତି ନାଶ । ଭୂତଙ୍କ ଦେହେ ତୋ ପ୍ରକାଶ ॥୩୩
ଜୀବର ବନ୍ଧ-ମୋକ୍ଷ ବେନି । ତୁ ନାଥ କରୁ ମାୟା ଘେନି ॥୩୪
ଆକାଶେ ଯେହ୍ନେ ବାୟୁ ରହେ । ପାର୍ଥିବରେଣୁ ବହେ ଦେହେ ॥୩୫
ତୋ ଦେହେ କେହି ନ ଲାଗନ୍ତି । ଏମନ୍ତ ଈଶ୍ୱରର ଗତି ॥୩୬
ସଚରାଚର ତୋର ଦେହେ । ପବନେ ରେଣୁ ପ୍ରାୟ ରହେ ॥୩୭
ତୁ ଏ ସଂସାର-ଉପକାରୀ । ତ୍ରିଗୁଣେ ନାନାରୂପ ଧରି ॥୩୮
ଯେତେ ସାଧିଲୁ କ୍ରୀଡ଼ାଅର୍ଥେ । ସେ ରୂପେ ଦେଖିଲି ମୁଁ ତୋତେ ॥୩୯
ଏବେ ଯେ ସମୁଦ୍ର-ମନ୍ଥନେ । ଦେବ ଦାନବ ଏକମନେ ॥୪୦
ଅମୃତ ଅର୍ଥେ ଅନ୍ୟଅନ୍ୟେ । ତା ଦେଖି ଦେବେ ଦୁଃଖମନେ ॥୪୧
ତୋତେ ଚିନ୍ତିଲେ ଧ୍ୟାନ କରି । ତୁ ନାଥ ମାୟାରୂପ ଧରି ॥୪୨
ମୋହିନୀରୂପେ ଭଗବାନ । ମୋହିଲୁ ଅସୁରଙ୍କ ମନ ॥୪୩
ସେ ରୂପ ଦେଖାଅ ତୁ ମୋତେ । ଦେଖିବି ଗଉରୀ ସମେତେ ॥୪୪
ଯେ ରୂପ ପରମମଙ୍ଗଳେ । ମୁଁ ତା ଦେଖିବି କୁତୂହଳେ ॥୪୫
ଏମନ୍ତେ ରୁଦ୍ରବାଣୀ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥୪୬

ଭଗବାନ ଉବାଚ[ସମ୍ପାଦନା]

ଅସୁରେ ସୁଧା ନେଲେ ବଳେ । ମୁହିଁ ଯେ ଦେବଙ୍କ ବିକଳେ ॥୪୭
ମାୟାମୋହିନୀ ରୂପ ଧରି । ଅସୁରଗଣେ ମାୟା କରି ॥୪୮
ଅମୃତ ଦେବଗଣେ ଦେଲି । ପୁଣି ସେ ରୂପ ସଂହରିଲି ॥୪୯
ଏବେ ତୁ ଦେଖିବାର ଆଶେ । ଯେବେ ମିିଳିଲୁ ମୋର ପାଶେ ॥୫୦
ସେ ରୂପ ଦେଖାଇବି ମୁହିଁ । ଯେବେ ସମ୍ଭାଳିପାରୁ ତୁହି ॥୫୧
କାମୀମାନଙ୍କ ମହାମୋହ । ପୁରୁଷ କେ ଧରିବ ଦେହ ॥୫୨
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ ମହାରାୟେ ॥୫୩

ଶୁକ ଉବାଚ[ସମ୍ପାଦନା]

ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥୫୪
ରୁଦ୍ର ଚାହାଁନ୍ତି ଦଶଦିଶେ । ଗଉରୀ ସଙ୍ଗେ ପି୍ରୟବଶେ ॥୫୫
ଅଗ୍ରେ ଯେ ଅଛି ଉପବନ । ନାନା କୁସୁମେ ତରୁଘନ ॥୫୬
ତହିଁ ବିଜୟେ ଦଇତ୍ୟାରି । ଜଗମୋହିନୀ ରୂପ ଧରି ॥୫୭
କରେ କନ୍ଦୁକ ସାର ଶୋହେ । ଯେ ରୂପେ ଜଗୁଜନ ମୋହେ ॥୫୮
ନିତମ୍ବେ ବେଷ୍ଟିତ ଅମ୍ବର । କଟି-ମେଖଳା ରତ୍ନସାର ॥୫୯
ହୃଦେ କମ୍ପଇ ଘନ-କୁଚ । ହାର କାଞ୍ଚଲା ଅତି ସଞ୍ଚ ॥୬୦
ଅତି ସୁସଞ୍ଚ କ୍ଷୀଣମଝା । କି ପଟାନ୍ତର ଦେବା ଦୁଜା ॥୬୧
ସ୍ୱଭାବେ ଡମ୍ବରୁ ଆକାର । ଖଚିତ ନାନା ଅଳଙ୍କାର ॥୬୨
ଶିର ସୀମନ୍ତ ମିଣମୟେ । ନୀଳ-ଅଳକେ ମୁଖଶୋହେ ॥୬୩
ଶିରେ ସୁନ୍ଦର ଭୁରୁ ସାଜେ । ଚଞ୍ଚଳ-ଲୋଚନ ବିରାଜେ ॥୬୪
ଭାଲେ ସିନ୍ଦୂରବିନ୍ଦୁ ସାଜେ । କମଳଲୋଚନ ବିରାଜେ ॥୬୫
ହେମକୁଣ୍ଡଳ ଶୋହେ କର୍ଣ୍ଣେ । ଦଶନ ହସିତ-ବଦନେ ॥୬୬
କବରୀ ମଧ୍ୟେ ପୁଷ୍ପ ଦିଶେ । କି ଏ କନ୍ଦର୍ପ ଦେଖି ହସେ ॥୬୭
କବରୀ ଶ୍ଳଥ ଫିଟେ ବାସ । କରଇ କନ୍ଦର୍ପ ବିକାଶ ॥୬୮
ଅଳକା ତୋଳେ କାମକରେ । ସୁରଙ୍ଗ ଅଙ୍ଗୁଳି ଅଗ୍ରରେ ॥୬୯
କନ୍ଦୁକ ଦକ୍ଷକରେ ଧରି । ସେ ଲୀଳା ଲୁବ୍‌ଧେ ମୋଦଭରି ॥୭୦
ଏମନ୍ତ ରୂପ ହର ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୭୧
ଲୀଳା କଟାକ୍ଷେ ରୂପ ଚାହିଁ । ହୃଦୟେ ଚିତ୍ତ ନ ରହଇ ॥୭୨
ସ୍ୱଗଣ-ଗଉରୀ-ସମେତେ । ସକଳେ ଚାହାନ୍ତି ଚକିତେ ॥୭୩
ଏମନ୍ତେ ମୋହିନୀର କରେ । ଥିଲା କନ୍ଦୁକ ଖସି ଧୀରେ ॥୭୪
ତକ୍ଷଣେ ଭୂମିରେ ପଡ଼ିଲା । ପଡ଼ି ଅନେକ ଦୂର ଗଲା ॥୭୫
କନ୍ଦୁକ ଆଣିବାର ଛଳେ । ବୃକ୍ଷ-ଉହାଡ଼େ ଅତି ଖରେ ॥୭୬
ଧାମନ୍ତେ ଅଦ୍‌ଭୁତ-ଅବଳା । କୁଚରୁ ବସ୍ତ୍ର ଉଡ଼ିଗଲା ॥୭୭
ପବନେ ଉଡ଼େ ଜାନୁବାସ । ଜାନୁଯୁଗଳ ହେଲା ଦୃଶ୍ୟ ॥୭୮
ପବନେ ଉଡ଼ିଯାନ୍ତେ ବାସ । ରୂପ ଦେଖିଣ ହର ବଶ ॥୭୯
ବସ୍ତ୍ର ତୋଳନ୍ତି ବାମହସ୍ତେ । ପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ ॥୮୦
ଅଳକା ଅଙ୍ଗୁଳିର ଅଗ୍ରେ । କପୋଳୁ ତୋଳେ ଅତି ବ୍ୟଗ୍ରେ ॥୮୧
ଏମନ୍ତ ରୂପ ତାର ଦେଖି । ଶଙ୍କର ଗଉରୀ ଉପେକ୍ଷି ॥୮୨
ମନ ବୁଡ଼ିଲା ତାର ସଙ୍ଗେ । ମଦନବାଣ ପୀଡ଼େ ଅଙ୍ଗେ ॥୮୩
ଉମା ଦେଖନ୍ତେ ଲଜ୍ଜା ଛାଡ଼ି । ଧାମନ୍ତି କାମେ ମନ ବୁଡ଼ି ॥୮୪
ହରକୁ ଦେଖି ବେଗେ ଧାଇଁ । ବୃକ୍ଷ-ଗହଳେ ସେ ଲୁଚଇ ॥୮୫
ରୁଦ୍ର ଧାଇଁଲେ ଅତି ବେଗେ । ମିଳିଲେ ବୃକ୍ଷଙ୍କର ଲାଗେ ॥୮୬
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳି । ହସ୍ତ ଦେଖାନ୍ତି ବେଗେ ତୋଳି ॥୮୭
ଦେଖି ଧାମନ୍ତି ରୁଦ୍ର ବେଗେ । ବସନ ନାହିଁ କଟିଭାଗେ ॥୮୮
ଜଟା-କଳାପ ଅସମ୍ଭାଳ । କପୋଳୁ ଗଳେ ଶ୍ରମ ଝାଳ ॥୮୯
କରିଣୀ ଦେଖି ଯେହ୍ନେ ଗଜ । ଧାମଇଁ ଉଚ୍ଚେ ତୋଳି ଭୁଜ ॥୯୦
ରୁଦ୍ର ଧଇଲେ ତାଙ୍କୁ କୋଳେ । ଆବୋରି ବେନିଭୁଜେ ବଳେ ॥୯୧
ପୁଣି ମୋହିନୀ କରୁଁ ଗଳି । ଧାମଇଁ ଜାନୁବସ୍ତ୍ର ତୋଳି ॥୯୨
କବରୀଭାର ଫିଟି ତଳେ । ବିଞ୍ଚି ପଡ଼ନ୍ତି ଫୁଲମାଳେ ॥୯୩
ପୁଣି ଧରନ୍ତେ ହର କୋଳେ । ମୋହିନୀ ଗଳେ ଭୁଜତଳେ ॥୯୪
ମୁକୁଳା କେଶ ଅଧୋମୁଖେ । ଧାମଇଁ ବଦନ-ସୁରେଖେ ॥୯୫
ପୃଥୁ-ନିତଙ୍କ ଚଳେ ଧୀରେ । ପୁଣି ଧଇଲେ ରୁଦ୍ର କୋଳେ ॥୯୬
ଏମନ୍ତେ ବିଷ୍ଣୁମାୟା ବଳେ । ଶଙ୍କର ମଦନ ଆକୁଳେ ॥୯୭
ବଇରୀ-ବାଣେ ସେ ବିକଳେ । ପୁଣି ଧରନ୍ତି କାମଭୋଳେ ॥୯୮
ପୁଣି ପଳାନ୍ତି ଭୁଜ ତୋଳି । ରୁଦ୍ର-ଶରୀରୁ ରେତ ଗଳି ॥୯୯
ସୁରଭୀ ଅର୍ଥେ ବୃଷ ଯେହ୍ନେ । ଧାମଇଁ ଉଠିଣ ଅଜ୍ଞାନେ ॥୧୦୦
ରେତ ପଡ଼ିଲା ଯହିଁ ତହିଁ । ମୋହିନୀ ବେଶେ ମୋହ ପାଇ ॥୧୦୧
ସୁନା ରୂପା ହେଲା ତକ୍ଷଣେ । ଲତା-ଗହନ-ଘୋରବନେ ॥୧୦୨
ନଦୀ-ପର୍ବତ-ସରୋବରେ । ପଡ଼ଇ ରେତ ବୃଷ୍ଟିଧାରେ ॥୧୦୩
ଏମନ୍ତେ ବିଷ୍ଣୁମାୟା-ବଶେ । ଶଙ୍କର ଧାଇଁ ବନଦେଶେ ॥୧୦୪
ନିରାଶ ହୋଇ ନିବର୍ତ୍ତିଲେ । ଗଉରୀ ନିକଟେ ମିଳିଲେ ॥୧୦୫
ବିଷ୍ଣୁମାୟାରେ ମୋହି ମନ । ରୁଦ୍ର ହୋଇଲେ ଛନଛନ ॥୧୦୬
ଈଶ୍ୱର ଦୁଃଖ କୃଷ୍ଣ ଦେଖି । ମୋହିନୀ ଶରୀର ଉପେକ୍ଷି ॥୧୦୭
ନିଜ ମୂରତି ଧରି ହରି । ଶଙ୍କର ପାଶେ ବିଜେ କରି ॥୧୦୮
କହନ୍ତି ରୁଦ୍ର-ମୁଖ ଚାହିଁ । କୋମଳ-ବାକ୍ୟେ ଭାବଗ୍ରାହୀ ॥୧୦୯
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଦେଖିଣ ଈଶ୍ୱର-ଆରତ ॥୧୧୦

ଭଗବାନ ଉବାଚ[ସମ୍ପାଦନା]

ହେ ଦେବଦେବ ବିଶ୍ୱନାଥ । ତୁ ହେଲୁ ମାୟାରେ ମୋହିତ ॥୧୧୧
ଅଶେଷଜନ ମାୟାବଳେ । ଭ୍ରମନ୍ତି ଅବନୀମଣ୍ଡଳେ ॥୧୧୨
ନାନା ପ୍ରକାରେ ତନୁ ଧରି । କେବା ପାରିବ ମାୟା ତରି ॥୧୧୩
ଭୋ ରୁଦ୍ର ମହିମା ତୋହର । ଅଜ୍ଞାନୀଜନେ ଅଗୋଚର ॥୧୧୪
ଯେ ବିଷ୍ଣୁମାୟା ଗୁଣମୟୀ । ସେ ମାୟା କଳି ତ ନୁହଁଇ ॥୧୧୫
ତୁ ନାଥ ନିଜ ମାୟାବଳେ । ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ ॥୧୧୬
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟି । କହନ୍ତି ପରୀକ୍ଷିତ ଚାହିଁ ॥୧୧୭

ଶୁକ ଉବାଚ[ସମ୍ପାଦନା]

ଶୁଣ ରାଜନ ଏକଚିତ୍ତେ । ହରଙ୍କୁ ପ୍ରବୋଧି ଏମନ୍ତେ ॥୧୧୮
ଶିବଙ୍କୁ ପ୍ରଦକ୍ଷିଣ କରି । ନିଜ ଭୁବନେ ଗଲେ ହରି ॥୧୧୯
ରୁଦ୍ର ଭବାନୀଗଣ ତୁଲେ । ନିଜ ଭୁବନେ ବିଜେ କଲେ ॥୧୨୦
ଋଷିଙ୍କ ମଧ୍ୟେ ହର ବସି । ବିଷ୍ଣୁଙ୍କ ମାୟା ପରଶଂସି ॥୧୨୧

ଈଶ୍ୱର ଉବାଚ[ସମ୍ପାଦନା]

ଶୁଣ ଅଶେଷ ଋଷିବରେ । ବିଷ୍ଣୁର ମାୟା ଏ ଶୟଳେ ॥୧୨୨
ଅଶେଷ-ଜନ-ମନ ହରେ । କେବା ଏ ସଂସାରୁ ନିସ୍ତରେ ॥୧୨୩
ଶୁଣ ଗୋ ପ୍ରିୟେ କହି ଯାହା । ଦେଖିଲ ବିଷ୍ଣୁଙ୍କର ମାୟା ॥୧୨୪
ମୁଁ ମାୟାଧରଙ୍କର ଈଶ । ତା ମାୟା ଦେଖି କଲି ତ୍ରାସ ॥୧୨୫
ତା ମାୟାବଳେ ମୋହେ ଶିବ । ଆନ କେ ସେ ମାୟା ତରିବ ॥୧୨୬
ବିଷ୍ଣୁର ମାୟା ଅଗୋଚର । ଯହିଁ ଭ୍ରମନ୍ତି ବ୍ରହ୍ମାସୁର ॥୧୨୭
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥୧୨୮

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଶ୍ରୀକୃଷ୍ଣ ମହିମା । କେ କହିପାରେ ଗୁଣସୀମା ॥୧୨୯
ଯେ ହରି ଜଗତ ଉଦ୍ଧରେ । କପଟେ କୂର୍ମରୂପ ଧରେ ॥୧୩୦
ତାର ଚରିତ ଶୁଣି କର୍ଣ୍ଣେ । ମୁଖେ ଗୁଣନ୍ତି ଯେବା ଜନେ ॥୧୩୧
ଯେ ଅବା ପ୍ରସ୍ତାବେ କହନ୍ତି । ଘୋର ସଂସାରୁ ତରିଯାନ୍ତି ॥୧୩୨
ଅଷ୍ଟମ ସ୍କନ୍ଧେ ହରି-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୩୩
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥୧୩୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ ॥

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ଶ୍ରୀକୃଷ୍ଣ ପାଦ ହୃଦେ ଚିନ୍ତି । କହନ୍ତି ଶୁକ ବ୍ରହ୍ମଯତି ॥୧

ଶୁକ ଉବାଚ[ସମ୍ପାଦନା]

ଶୁଣ ହେ ଅଭିମନ୍ୟୁସୁତ । ସପ୍ତମେ ମନୁବଂଶେ ଜାତ ॥୨
ସୂର୍ଯ୍ୟତନୟ ଅନୁପମ । ତାହାର ଶ୍ରାଦ୍ଧଦେବ ନାମ ॥୩
ବର୍ତ୍ତମାନ ଯା ଭୋଗକାଳ । ଯେ ଶୁଦ୍ଧ ସୁଗୁଣ ସୁଶୀଳ ॥୪
ତାର ସନ୍ତତି ହେଲେ ଯେତେ । ଶୁଣ କହିବି ଏକଚିତ୍ତେ ॥୫
ଈକ୍ଷବା୍‌କୁ ନଭଗ ଶର୍ଯ୍ୟାତି । ଧୃଷ୍ଟ ନରିଷ୍ୟନ୍ତ ସନ୍ତତି ॥୬
ନାଭାଗ ଦିଷ୍ଟ ଯେ ସପ୍ତମ । କରୂଷ ପୃଷଧ୍ର ନବମ ॥୭
ଦଶମ ବସୁମାନ ନାମ । ବୈବସ୍ୱତର ଏ ନନ୍ଦନ ॥୮
ସେ ମନୁକାଳେ ଦେବଗଣ । ନାମ କହିବା ତାଙ୍କ ଶୁଣ ॥୯
ଆଦିତ୍ୟ ବସୁ ରୁଦ୍ର ବିଶ୍ୱ । ଅଶ୍ୱିନୀ ରଭୁ ଅଣଚାଶ ॥୧୦
ତାହାଙ୍କ ମଧ୍ୟେ ଦେବବର । ଇନ୍ଦ୍ରର ନାମ ପୁରନ୍ଦର ॥୧୧
ସେ ମନୁ କାଳେ ସପ୍ତଋଷି । ଭ୍ରମନ୍ତି ଧ୍ରୁବଚକ୍ରେ ବସି ॥୧୨
କଶ୍ୟପ ଅତ୍ରି ଋଷିଶ୍ରେଷ୍ଠ । ତୃତୀୟ ମୁନି ଯେ ବଶିଷ୍ଠ ॥୧୩
ଗୌତମ ବିଶ୍ୱାମିତ୍ର ଦ୍ୱିଜ । ଜମଦଗ୍ନି ଯେ ଭରଦ୍ୱାଜ ॥୧୪
ଏ ଆଦି ନାମେ ସପ୍ତମୁନି । ଚକ୍ରେ ଭ୍ରମନ୍ତି କର୍ମ ଘେନି ॥୧୫
ବଇବସ୍ୱତ ମନୁ କଳ୍ପେ । ଗୋବିନ୍ଦ ବାମନ ସ୍ୱରୂପେ ॥୧୬
ଜନ୍ମିଲେ ଅଦିତି ଉଦରେ । କଶ୍ୟପ ଋଷିଙ୍କର ଘରେ ॥୧୭
ଏ ସପ୍ତ ମନ୍ୱନ୍ତର ଯେତେ । କହିଲୁ ତୁମ୍ଭର ଅଗ୍ରତେ ॥୧୮
ଏବେ ଭବିଷ୍ୟ ମନୁ ସପ୍ତ । ଶୁଣ ସୁମନେ ପରୀକ୍ଷିତ ॥୧୯
ବିଶ୍ୱକର୍ମାର କନ୍ୟା ବେନି । ସୂର୍ଯ୍ୟେ ବରିଲେ ଭାବ ଘେନି ॥୨୦
ରୂପେ ଦିଶନ୍ତି ଅନୁପମ । ତାହାଙ୍କ ସଂଜ୍ଞା ଛାୟା ନାମ ॥୨୧
ସୂର୍ଯ୍ୟର ତେଜ ଅସହନେ । ସଂଜ୍ଞା ଯେ ଅଶ୍ୱରୂପେ ବନେ ॥୨୨
ସୂର୍ଯ୍ୟ ରମିଲେ ତାର ତୁଲେ । ଅଶ୍ୱିନୀକୁମାର ଜନ୍ମିଲେ ॥୨୩
ପ୍ରଥମେ ସୂର୍ଯ୍ୟ ତୁଲେ ରମି । ସଂଜ୍ଞା ପ୍ରସବେ ଗର୍ଭ ତିନି ॥୨୪
ଯମ ଯମୁନା ଭାଇ ଭଗ୍ନୀ । ଜନ୍ମିଲେ ଶ୍ରାଦ୍ଧଦେବ ତିନି ॥୨୫
କହୁଅଛଇ ତୋତେ ଭାବେ । ଛାୟା-ଅପତ୍ୟ ଶୁଣ ଏବେ ॥୨୬
ସାବର୍ଣ୍ଣି ନାମେ ଏକ ସୁତ । କନ୍ୟା ତପତୀ ରୂପେ ଜାତ ॥୨୭
ତୃତୀୟ ପୁତ୍ର ଶନୈଶ୍ଚର । ଏବେ ହୋ ଶୁଣ ନୃପବର ॥୨୮
ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ । ଭଜିବ ସଂସାର ବେଭାରେ ॥୨୯
ନିର୍ମୋକ ବୀରଯସ୍କ ଆଦି । ସାବର୍ଣ୍ଣି ତନୟ ସମ୍ପାଦି ॥୩୦
ବିରଜ ଆଦି ଦେବଗଣେ । ଜନମ ସଂସାର କାରଣେ ॥୩୧
ତାହାଙ୍କ ପାଳନ ପ୍ରବନ୍ଧେ । ବଳି ବସିବ ଇନ୍ଦ୍ରପଦେ ॥୩୨
ତାହାଙ୍କୁ ଛଳିବେ ବାମନ । ଯଜ୍ଞେ ପୃଥିବୀ ଦେବେ ଦାନ ॥୩୩
ତିନି ଚରଣ ଦାନ ଦେଇ । ବାମନ ପାଦ ମୁଣ୍ଡେ ବହି ॥୩୪
କେତେହେଁ କାଳ ଦାନ ଫଳେ । ସେ ଭୋଗ ଭୁଞ୍ଜିବ ପାତାଳେ ॥୩୫
ସ୍ୱର୍ଗେ ବସିବ ଇନ୍ଦ୍ରପଣେ । ଅନ୍ତେ ପଶିବ ନାରାୟଣେ ॥୩୬
ସେ ବଳି କାଳେ ସପ୍ତମୁନି । ଉଦୟ ନିଜ ତେଜ ଘେନି ॥୩୭
ଯେ ରୂପେ ସଂସାର ଧାରଣ । ତାହାଙ୍କ ନାମ ଏବେ ଶୁଣ ॥୩୮
ଗାଲବ ଦୀପ୍ତିମାନ ରାମ । କୃପାଚାର୍ଯ୍ୟ ଦ୍ରୋଣନନ୍ଦନ ॥୩୯
ଅପରେ ଋଷ୍ୟଶୃଙ୍ଗ ବ୍ୟାସ । କହିଲି ଋଷିଙ୍କ ବିଶେଷ ॥୪୦
ଏ ଆଦି ସପ୍ତ ଋଷିଗଣେ । ବ୍ରହ୍ମାର ଆଜ୍ଞା ପରମାଣେ ॥୪୧
ହୋଇବେ ଭବିଷ୍ୟତ କାଳେ । ଅଛନ୍ତି ଆଶ୍ରମମଣ୍ଡଳେ ॥୪୨
ଏହି ସାବର୍ଣ୍ଣି ମନ୍ୱନ୍ତରେ । ବିଷ୍ଣୁ ଯେ ଦେବଗୁହ୍ୟ ଘରେ ॥୪୩
ସରସ୍ୱତୀର ଗର୍ଭୁ ଜାତ । ନାମରେ ସାର୍ବଭୌମ ଖ୍ୟାତ ॥୪୪
ସେ କାଳେ ବିଷ୍ଣୁ ନିଜ ଭାବେ । ବଳିକି ଇନ୍ଦ୍ରପଦ ଦେବେ ॥୪୫
ହୋଇବ ସେହୁ ସୁରେଶ୍ୱର । ଅମରପୁରେ ପୁରନ୍ଦର ॥୪୬
ତଦନ୍ତେ ଶୁଣ ହେ ରାଜନ । ନବମ ମନୁ ବିବରଣ ॥୪୭
ଏ ଅନ୍ତେ ବରୁଣ ନନ୍ଦନ । ଦକ୍ଷସାବର୍ଣ୍ଣି ଯେ ନବମ ॥୪୮
ପୁତ୍ର ଜନ୍ମିବେ ତାର ରେତୁ । ଯେ ଭୂତକେତୁ ଦୀପ୍ତକେତୁ ॥୪୯
ପାରା ମରୀଚିଗର୍ଭ ଆଦି । ଏ ନାମେ ଦେବତା ପ୍ରସିଦ୍ଧି ॥୫୦
ଦେବଅଦ୍‌ଭୁତ ନାମେ ଇନ୍ଦ୍ର । ଭୋଗ କରିବ ସ୍ୱର୍ଗପଦ ॥୫୧
ଋଷିଏ ଦ୍ୟୁତିମାନ ଆଦି । ହୋଇବେ ସେ ମନୁ ସମ୍ପାଦି ॥୫୨
ବିପ୍ର ଯେ ଆୟୁଷ୍ମାନ ଘରେ । ସେ ଅମ୍ବୁଧାର ଗର୍ଭରେ ॥୫୩
ଋଷଭ ନାମେ ଜାତ ହେବେ । ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ ॥୫୪
ଦଶମେ ଉପଶ୍ଳୋକ ସୁତ । ବ୍ରହ୍ମସାବର୍ଣ୍ଣି ନାମେ ଖ୍ୟାତ ॥୫୫
ତାର କୁମରେ ବ୍ରହ୍ମବାଦୀ । ଜନ୍ମିବେ ଭୂରିଷେଣ ଆଦି ॥୫୬
ସୁକୃତି ସତ୍ୟ ହବିଷ୍ମାନ । ଜୟ ଆବର ମୂର୍ତ୍ତି ପୁଣ ॥୫୭
ଏ ଆଦି ଋଷିଏ ବ୍ରାହ୍ମଣ । ଏବେ ଦେବତା ନାମ ଶୁଣ ॥୫୮
ଦେବେ ବିରୁଦ୍ଧ ସୁବାସନ । ଇନ୍ଦ୍ରର ନାମ ଶମ୍ଭୁ ଜାଣ ॥୫୯
ବିଶ୍ୱସୃଜର ଘରେ ହରି । ବିଷୂଚି ଗର୍ଭେ ଅବତରି ॥୬୦
ବିଶ୍ୱକେସନ ନାମ ବହି । ପାଳିବେ ନିଜ ଧର୍ମେ ମହୀ ॥୬୧
ବିଶ୍ୱକେସନ ଶମ୍ଭୁ ସଙ୍ଗେ । ମିତ୍ର ହୋଇବେ ସତ୍ୟଯୁଗେ ॥୬୨
ଧର୍ମସାବର୍ଣ୍ଣି ମନୁ ହୋଇ । ପାଳିବେ ଏକାଦଶେ ମହୀ ॥୬୩
ସତ୍ୟ ଧର୍ମାଦି ସୁତ ଦଶ । ପାଳିବେ ମହୀ ସ୍ୱର୍ଗଦେଶ ॥୬୪
ନିର୍ବାଣରୁଚି ବିହଙ୍ଗମ । ଦେବଙ୍କ ନାମ କାଳଗମ ॥୬୫
ଇନ୍ଦ୍ର ହୋଇବେ ବଇଧୃତ । ଋଷି ଅରୁଣ ଆଦି ଖ୍ୟାତ ॥୬୬
ବୈଧୃତା ଗର୍ଭେ ଧର୍ମସେତୁ । ଜନମି ସେ ଆର୍ଯ୍ୟକ ରେତୁ ॥୬୭
ସେ ଇନ୍ଦ୍ର ଧର୍ମସେତୁ ବଳେ । ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ ॥୬୮
ରୁଦ୍ରସାବର୍ଣ୍ଣି ଯେ ଦ୍ୱାଦଶେ । ଜନ୍ମିବେ ନାରାୟଣ ଅଂଶେ ॥୬୯
ଯେ ଦେବବାନ ଉପଦେବ । ଦେବଶ୍ରେଷ୍ଠ ଆଦି ସମ୍ଭବ ॥୭୦
ଇନ୍ଦ୍ର ହୋଇବେ ଋତଧାମ । ହରିତ ଆଦି ଦେବେ ଜାଣ ॥୭୧
ତପୋମୂର୍ତ୍ତି ଆର ତପସ୍ୱୀ । ଆଗ୍ନୀଧ୍ରକାଦି ସପ୍ତଋଷି ॥୭୨
ସ୍ୱଧାମା ନାମେ ଦେବ ହରି । ସୁନୃତା ଗର୍ଭେ ଅବତରି ॥୭୩
ସତ୍ୟସହ ଯେ ବିପ୍ର ଘରେ । ସାଧିବେ ଏହି ମନ୍ୱନ୍ତରେ ॥୭୪
ଦେବସାବର୍ଣ୍ଣି ତ୍ରୟୋଦଶେ । ହୋଇବେ ନାରାୟଣ ଅଂଶେ ॥୭୫
ବିଚିତ୍ର ଚିତ୍ରସେନ ଆଦି । ଦେବସାବର୍ଣ୍ଣି ପୁତ୍ର ସାଧି ॥୭୬
ସୁକର୍ମ ସୁତ୍ରାମ ଏ ଆଦି । ଦେବତା ରୂପେଣ ପ୍ରସିଦ୍ଧି ॥୭୭
ଇନ୍ଦ୍ର ଯେ ଦିବସ୍ପତି ନାମେ । ସୁଖେ ବସିବ ସ୍ୱର୍ଗଗ୍ରାମେ ॥୭୮
ନିର୍ମୋକ ତତ୍ତ୍ୱଦର୍ଶୀମାନେ । ହୋଇବେ ସପ୍ତଋଷିଗଣେ ॥୭୯
ହରିର ଅଂଶେ ଯୋଗେଶ୍ୱର । ଔରସେ ଦେବହୋତ୍ରଙ୍କର ॥୮୦
ବୃହତୀ ଗର୍ଭେ ଜାତ ହେବେ । ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ ॥୮୧
ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ । ହୋଇବେ ନାରାୟଣ ଅଂଶେ ॥୮୨
ଉରୁ ଗମ୍ଭୀରବୁଦ୍ଧି ଆର । ଜନ୍ମିବେ ତାହାର କୁମର ॥୮୩

ପବିତ୍ର ଚାକ୍ଷୁଷ ନାମରେ । ଦେବତା ସେହି ମନ୍ୱନ୍ତରେ ॥୮୪


ହୋଇବେ ଶୁଚି ନାମେ ଇନ୍ଦ୍ର । ସୁଖେ ପାଳିବେ ଦେବବୃନ୍ଦ ॥୮୫
ଅଗ୍ନିବାହୁ ଯେ ଶୁଚି ଶୁଦ୍ଧ । ମାଗଧ ଆଦି ଋଷି ସିଦ୍ଧ ॥୮୬
ଏ ସର୍ବେ ନିତ୍ୟେ ତପସ୍ୱୀନ । ହୋଇବେ ଏକଥା ପ୍ରମାଣ ॥୮୭
ବୃହଦଭାନୁ ଅବତାରେ । ବିଷ୍ଣୁ ଯେ ସତ୍ରାୟଣ ଘରେ ॥୮୮
ଜନ୍ମିବେ ବିତାନା ଉଦରେ । ଏବେ ହେ ଶୁଣ ନୃପବରେ ॥୮୯
ଚତୁରଦଶ ମନୁ ଯେତେ । ଭାବେ କହିଲି ତୋ ଅଗ୍ରତେ ॥୯୦
କଳ୍ପାନ୍ତେ ମନୁ ଚତୁର୍ଦ୍ଦଶେ । ଏ ଭାବେ ବ୍ରହ୍ମାର ଦିବସ ॥୯୧
ସହସ୍ରଯୁଗ ଏହି ମତେ । କଳ୍ପ ବୋଲାଇ ଏ ଜଗତେ ॥୯୨
ଏମନ୍ତେ ବେନିକଳ୍ପ ଗଲେ । ବ୍ରହ୍ମାର ଅହୋରାତ୍ର ଭଲେ ॥୯୩
ଏମନ୍ତେ ଶୁକ ମୁଖୁଁ ଶୁଣି । କହେ ପାଣ୍ଡବ-ଚୂଡ଼ାମଣି ॥୯୪

ରାଜା ଉବାଚ[ସମ୍ପାଦନା]

ଏ ଭାବେ ବ୍ରହ୍ମାର ଦିବସ । ଭାଷନ୍ତି ମନୁ ଚତୁର୍ଦ୍ଦଶ ॥୯୫
ଯେ ମନୁକାଳେ ଯେବା କର୍ମ । ଯୁଗ ସ୍ୱଭାବେ ଯଥା ଧର୍ମ ॥୯୬
ବିଷ୍ଣୁର ଆଜ୍ଞା ପରମାଣେ । ଯେବା ସାଧିଲେ ଜଣେ ଜଣେ ॥୯୭
ସେ କଥା କହ ମୁନି ମୋତେ । କେ ଅବା କର୍ମ କଲେ କେତେ ॥୯୮
ରାଜାର ତହୁଁ ଏହା ଶୁଣି । ଶୁକ କହନ୍ତି ମନେ ଗୁଣି ॥୯୯

ଶୁକ ଉବାଚ[ସମ୍ପାଦନା]

ଯେ ମନୁ ମନୁର ତନୁଜେ । ଯେ ସପ୍ତଋଷି ସୃଷ୍ଟି-ମାଝେ ॥୧୦୦
ଯେତେ ଏ ଇନ୍ଦ୍ର ଦେବଗଣ । ଏ ସର୍ବରୂପ ନାରାୟଣ ॥୧୦୧
ତା ବିନୁ ଆନ ନାହିଁ କେହି । ସେ ସର୍ବ ଆତ୍ମା ମଧ୍ୟେ ରହି ॥୧୦୨
ଯଜ୍ଞାଦି କ୍ରିୟା ତା ଶରୀର । ସେ ହରି ଧର୍ମ-ନିରାକାର ॥୧୦୩
କଳ୍ପ ଅନ୍ତରେ କାଳବଳେ । ତ୍ରୈଲୋକ୍ୟ ମଜ୍ଜଇ ସଲିଳେ ॥୧୦୪
କାଳ ଗରାସେ ଶ୍ରୁତିପଥ । ତ୍ରୈଲୋକ୍ୟ ଦିଶଇ ଅନାଥ ॥୧୦୫
ଋଷି ସକଳେ ତପୋବଳେ । ଧର୍ମକୁ ଦେଖାନ୍ତି ଶୟଳେ ॥୧୦୬
ଧର୍ମ ପାଳନ୍ତି ମନୁଗଣେ । ଶ୍ରୁତି-ସଂଯୋଗ-ବିଚାରଣେ ॥୧୦୭
ଇନ୍ଦ୍ର ପାଳଇ ତ୍ରିଭୁବନ । ଆଦରି ବିଷ୍ଣୁର ବଚନ ॥୧୦୮
ସେ ହରି ସିଦ୍ଧରୂପ ବହେ । ଯୁଗାନୁକଳ୍ପେ ଜ୍ଞାନ କହେ ॥୧୦୯
ସେ ହରି ପ୍ରଜାପତି ରୂପେ । ସଂସାର-ସର୍ଜନକୁ କଳ୍ପେ ॥୧୧୦
ଆତ୍ମାର ମାୟାଯୋଗ ବଳେ । ନାନା ଶରୀରେ ଏ ଶୟଳେ ॥୧୧୧
ବିହାର କରେ ପଦ୍ମନାଭ । ଯା ନାମ ଭବଜଳେ ନାବ ॥୧୧୨
ଦୃଶ୍ୟ-ଅଦୃଶ୍ୟେ ସେ ନ ମିଶେ । କେବଳ ବୀଜ ରୂପେ ଦିଶେ ॥୧୧୩
କହିଲୁ କଳ୍ପସଂଖ୍ୟା ତୋତେ । ଯେ କଳ୍ପେ ଭୁଞ୍ଜନ୍ତି ସେ ଯେତେ ॥୧୧୪
ଯେ ଏହା ଶୁଣେ କର୍ଣ୍ଣପଥେ । ନିଶ୍ଚଳ ମନେ ଶୁଦ୍ଧଚିତ୍ତେ ॥୧୧୫
ଚିତ୍ତେ ନ ରହେ ଭବଭ୍ରାନ୍ତି । ଘୋର-ସଂସାରୁ ତରିଯାନ୍ତି ॥୧୧୬
ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁବର୍ଣ୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥

ଚଦୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଚରଣ କରେ ଧରି । ବୋଲେ ପରୀକ୍ଷ ଦଣ୍ଡଧାରୀ ॥୧

'ପରୀକ୍ଷିତ ଉବାଚ[ସମ୍ପାଦନା]

ଭୋ ମୁନି ତୁମ୍ଭ ମୁଖୁଁ ଶୁଣି । ଦୁର୍ଗମ ଅସମ୍ଭବ ବାଣୀ ॥୨
ସଂଶୟ କଲି ମୁହିଁ ଚିତ୍ତେ । ସେ କଥା କହ ମୁନି ମୋତେ ॥୩
ବଳିର ଯଜ୍ଞ ଭଗ୍ନ ଅର୍ଥେ । ବାମନ ଜନ୍ମିଲେ କେମନ୍ତେ ॥୪
କାହାର ତପକର୍ମ ବଳେ । ଜନ୍ମ ଲଭିଲେ କାହା କୋଳେ ॥୫
ଧରଣୀ ତିନିପାଦ ଦାନେ । ବଳିକି ଛଳିଲେ ବାମନେ ॥୬
ସେ ପୂର୍ଣ୍ଣ-ସ୍ୱଭାବେ ଈଶ୍ୱର । ଅଶେଷ ଦ୍ରବ୍ୟେ ଅଧିକାର ॥୭
କୃପଣ ପ୍ରାୟେ ତାକୁ ଧରି । କିମ୍ପା ବାନ୍ଧିଲେ ନରହରି ॥୮
ଏମନ୍ତେ ରାଜା-ବାକ୍ୟ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥୯

ଶୁକ ଉବାଚ[ସମ୍ପାଦନା]

ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ କୃଷ୍ଣର ଚରିତ ॥୧୦
ଯେମନ୍ତେ ବିପ୍ର ରୂପେ ଛଳେ । ବଳିକି ଚାପିଲେ ପାତାଳେ ॥୧୧
ପୂର୍ବେ ଯେ ଦେବାସୁର ରଣେ । ଯୁଦ୍ଧେ ଜିଣିଲେ ଦେବଗଣେ ॥୧୨
ବଳି ସହିତେ ମରିଗଲେ । ଶେଷେ ଦାନବ ଯେତେ ଥିଲେ ॥୧୩
ବଳିର ମୃତ୍ୟୁପିଣ୍ଡ ନେଇ । ପଶ୍ଚିମ-ଗିରିପୃଷ୍ଠେ ଥୋଇ ॥୧୪
ଶୁକ୍ରଙ୍କୁ ଆଣି ଗଉରବେ । ବିଶ୍ୱାସ କହିଲେ ଦାନବେ ॥୧୫
ଅସୁରଙ୍କର ଭାବ ଘେନି । ଶୁକ୍ର ଯେ ମୃତସଞ୍ଜୀବନୀ ॥୧୬
ମନ୍ତ୍ରେ ଜିଆଇଲେ ତକ୍ଷଣେ । ଯେ ଅବା ମରିଥିଲେ ରଣେ ॥୧୭
ସକଳେ ଉଠିଲେ ତକ୍ଷଣେ । ନମିଲେ ଶୁକ୍ରଙ୍କ ଚରଣେ ॥୧୮
ବୋଇଲେ ଶୁକ୍ରମୁଖ ଚାହିଁ । ଅନାଥ ହୋଇଲୁ ଗୋସାଇଁ ॥୧୯
ଦେବେ ଯେ ଅମୃତ-ଭକ୍ଷଣେ । ଅମର ହୋଇ ଘୋରରଣେ ॥୨୦
ଆମ୍ଭଙ୍କୁ ମାରିଗଲେ ସର୍ବେ । ତୁମ୍ଭେ ଜୀବନ ଦେଲ ଏବେ ॥୨୧
ତୁମ୍ଭେ ଯେ ଆମ୍ଭର ସହାୟ । ଏବେ ହୋ କି କରିବୁ କହ ॥୨୨
ଏମନ୍ତେ ଅସୁରଙ୍କ ବାକ୍ୟେ । ଶୁକ୍ର ଚିନ୍ତିଲେ ବସି ଏକେ ॥୨୩
ବିଚାର କରି ଶୁଦ୍ଧଚିତ୍ତେ । କହନ୍ତି ବଳିର ଅଗ୍ରତେ ॥୨୪
ତୁ ମହାଯଜ୍ଞ ବେଗେ କର । ଯେମନ୍ତେ ଜିଣିବୁ ଅମର ॥୨୫
ଏମନ୍ତେ ଗୁରୁବାକ୍ୟ ଶୁଣି । ବଳି ଯଜ୍ଞର ବିଧି ଆଣି ॥୨୬
ଋତ୍ୱିଜ ଆଣି ଜଣେ ଜଣେ । ବରିଲା ଯଜ୍ଞର କାରଣେ ॥୨୭
ତ୍ରିପୁର ଜୟ ନାମ କ୍ରତୁ । କଲା ଅମର ଜୟ ହେତୁ ॥୨୮
ବ୍ରାହ୍ମଣେ ମିଳି ବେଦବାକ୍ୟେ । ମାର୍ଜନ କଲେ ଏକେ ଏକେ ॥୨୯
ତ୍ରିଲୋକ ମଧ୍ୟେ ରାଜା ଏକ । ଏ ଭାବେ କଲେ ଅଭିଷେକ ॥୩୦
ସୁବର୍ଣ୍ଣ ରଥ ମନ୍ତ୍ରତେଜେ । ବାହାର ହେଲା ଅଗ୍ନି ମାଝେ ॥୩୧
ହରିତବର୍ଣ୍ଣ ଅଶ୍ୱଜ୍ୟୋତି । ଯେସନେ ରବିରଥ-ଗତି ॥୩୨
ଗଗନ ମାର୍ଗେ ରଥ ସାଜେ । ସୁବର୍ଣ୍ଣ-ସିଂହ ଥାଇ ଧ୍ୱଜେ ॥୩୩
ହେମ ନିର୍ମିତ ଧନୁ ତୂଣେ । ଅଭେଦ କବଚ ଭୂଷଣେ ॥୩୪
ଅମ୍ଳାନ-ପଦ୍ମମାଳା ପୁଣି । ଗଳେ ପ୍ରହ୍ଲାଦ ଦେଲା ଆଣି ॥୩୫
ଭୃଗୁ ଯେ ଶଙ୍ଖ ଦେଲେ କରେ । ଯେ ନାଦେ ତ୍ରିଭୁବନ ପୂରେ ॥୩୬
ବିପ୍ରେ ଆଶିଷ ମନ୍ତ୍ରବଳେ । ସ୍ୱସ୍ତିବାଚନ ସୁମଙ୍ଗଳେ ॥୩୭
ବିପ୍ରଙ୍କୁ ପ୍ରଦକ୍ଷିଣ କରି । ରୋମାଞ୍ଚ-ଗାତ୍ରେ ମୋଦଭରି ॥୩୮
ପ୍ରହ୍ଲାଦ ପାଦେ ପ୍ରଣମିତ । ବଳି ଆରୋହି ଦିବ୍ୟରଥ ॥୩୯
ମାଳା କବଚ କଳେବରେ । ଧନୁ ଖଡ଼ଗ ଶୋହେ କରେ ॥୪୦
ରତ୍ନ-କେୟୂର ବାହୁମୂଳେ । ବିରାଜେ ମୁକୁଟ କୁଣ୍ଡଳେ ॥୪୧
ସେ ବଳି ରଥ ମଧ୍ୟେ ବସି । ଅନଳ ତେଜ ପ୍ରାୟ ଦିଶି ॥୪୨
ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ । ଅସୁରବଳ ମଧ୍ୟେ ରାଜେ ॥୪୩
ଏମନ୍ତ ଦୈତ୍ୟବଳ ଘେନି । ଚଳନ୍ତେ କମ୍ପଇ ମେଦିନୀ ॥୪୪
ସକଳେ ହୋଇ ଏକମନ । ଦିଶେ କି ପିଇବେ ଗଗନ ॥୪୫
ଅସୁରସେନା ରଥେ ବସି । ଧାଇଁଲେ ଗଗନ ଗରାସି ॥୪୬
ଚଳନ୍ତେ କମ୍ପେ ଦଶଦିଶ । କେ ସହୁ ଅସୁରଙ୍କ ତ୍ରାସ ॥୪୭
ମିଳିଲେ ଇନ୍ଦ୍ରର ଭୁବନେ । ସକଳେ ବିଧିର ବିଧାନେ ॥୪୮
ନନ୍ଦନବନେ ପନ୍ତିପନ୍ତି । କଳ୍ପ-ପାଦପେ ବିରାଜନ୍ତି ॥୪୯
ବିହଙ୍ଗ-ମିଥୁନେ ନାଚନ୍ତି । ମତ୍ତକୋକିଳେ ରାବ ଦ୍ୟନ୍ତି ॥୫୦
ହଂସ ସାରସ ଚକ୍ରବାକ । କାରଣ୍ଡବ ଆଦି ଡାହୁକ ॥୫୧
ପଲ୍ଲବ-ଫଳ-ପୁଷ୍ପଭରେ । ପାଦପେ ଲୋଟନ୍ତି ଭୂମିରେ ॥୫୨
ନଳିନୀବନ ମନୋହର । ସୁରକାମିନୀ କ୍ରୀଡ଼ାଘର ॥୫୩
ସୁସଞ୍ଚ ପରିଖା ଯେସନ । ଆକାଶ ଗଙ୍ଗାରେ ଭୂଷଣ ॥୫୪
ପାଚେରୀ ଦିଶେ ଅଗ୍ନିବର୍ଣ୍ଣ । ଅଟ୍ଟାଳୀ ଭେଦିଛି ଗଗନ ॥୫୫
ଦ୍ୱାରେ କବାଟ ହେମମୟେ । ଦେଖନ୍ତା ପ୍ରାଣୀ ମନ ମୋହେ ॥୫୬
ସ୍ପଟିକମୟ ପୁରଦ୍ୱାର । ଯେହ୍ନେ ବିରାଜେ ନିଶାକର ॥୫୭
କେ କହୁ ରୂପରାଶି ସୀମା । ଯାହା ଗଢ଼ିଲା ବିଶ୍ୱକର୍ମା ॥୫୮
ସଭା ଚତ୍ୱର ପଥ ଶୋହେ । ତପସ୍ୱୀଜନ ମନ ମୋହେ ॥୫୯
ଅପୂର୍ବ-ବିମାନ ସମୂହେ । ମଣି ନିର୍ମିତ ଝରା ଶୋହେ ॥୬୦
ପ୍ରବାଳ-ବେଦିକା ବିରାଜେ । ମଣି ଶୋଭିତ ମହାତେଜେ ॥୬୧
ଦିବ୍ୟ କାମିନୀଗଣ ଯହିଁ । ନବବୟସୀ ରୂପ ବହି ॥୬୨
ଶ୍ୟାମ-ବିରଜ-ବସ୍ତ୍ର-ଯୁତ । ଯହିଁ ଚଳନ୍ତି ଯୂଥ ଯୂଥ ॥୬୩
ଶୋଭା ଦିଶନ୍ତି ନାନାବର୍ଣ୍ଣେ । ପ୍ରଦୀପ-ଶିଖା-ଅଗ୍ନି ଯେହ୍ନେ ॥୬୪
କବରୀବନ୍ଧେ ଭୃଙ୍ଗମାଳା । ଅମର-ପ୍ରସୂନ ମେଖଳା ॥୬୫
ନାନାସୁଗନ୍ଧ ଲେପ ଦେହେ । ପ୍ରମୋଦ ମୋଦବାୟୁ ବହେ ॥୬୬
ସୁବର୍ଣ୍ଣକାନ୍ଥେ ଜଳାରନ୍ଧ୍ରେ । ମୋହେ ଅଗୁରୁ ଧୂପ ଗନ୍ଧେ ॥୬୭
ମାର୍ଗେ ସୁଗନ୍ଧ ଧୂପ ଧୂଆଁ । ମଧ୍ୟେ ଚଳନ୍ତି ସୁରପ୍ରିୟା ॥୬୮
ପାଣ୍ଡୁର ଦିଶେ ପନ୍ତିପନ୍ତି । ଧୂମମଣ୍ଡଳ ସଞ୍ଚରନ୍ତି ॥୬୯
ମଣ୍ଡିମଣ୍ଡିତ ହେମକାନ୍ଥେ । ଛାୟା ଦିଶନ୍ତି ମାର୍ଗେ ଯାନ୍ତେ ॥୭୦
ଜଗତୀ ଅଟ୍ଟାଳୀ ସୁସଞ୍ଚେ । ପତାକା ଶୋହେ ଅତି ଉଚ୍ଚେ ॥୭୧
ମୟୂର ପାରାବତ ନାଦେ । ସଙ୍ଗୀତ ମଙ୍ଗଳ ଶବଦେ ॥୭୨
ମୃଦଙ୍ଗ ଶଙ୍ଖ ଭେରୀ ନାଦ । ତାଳ ମୁରଲୀ ବୀଣାବାଦ୍ୟ ॥୭୩
ତାଣ୍ଡବେ ନାନା ବାଦ୍ୟ ଶୋହେ । ଗୀତ-ପ୍ରବନ୍ଧେ ମନମୋହେ ॥୭୪
ଯେ ପୁର ଭୋଗେ ତପଦାହି । ପାପିଷ୍ଠେ ନ ପାରନ୍ତି ଯାଇ ॥୭୫
ଭୂତ-ସନ୍ତାପୀ ଖଳ ଜନେ । ସୁଜନେ ପୀଡ଼ନ୍ତି ଅଜ୍ଞାନେ ॥୭୬
ଶଠ ହୃଦୟ କାମୀ ଲୋଭୀ । ଯେ ଚିତ୍ତେ ପରହିଂସା ଭାବି ॥୭୭
ସେ କାହିଁ ଯିବେ ସେ ଭୁବନେ । ଯାହା ଚିନ୍ତନ୍ତି ଯୋଗୀଜନେ ॥୭୮
ଏମନ୍ତ ପୁରେ ରାତ୍ରକାଳେ । ବଳି ମିଳିଲା ବାହୁବଳେ ॥୭୯
ବେଗେ ରୁନ୍ଧିଲା ଅଷ୍ଟଦିଗ । କେ ସହୁ ଅସୁରଙ୍କ ବେଗ ॥୮୦
ଭୂମି-ଗଗନ-ଅନ୍ତରାଳେ । ବାକ୍ୟ ନ ଶୁଭଇ ଚହଳେ ॥୮୧
ଶୁକ୍ରର ଶଙ୍ଖ କରେ ଘେନି । ବଳି କରଇ ଘୋର ଧ୍ୱନି ॥୮୨
ଶବଦେ ଭୁବନ କମ୍ପିଲା । ସେ ରବେ ଇନ୍ଦ୍ର ଭୟ କଲା ॥୮୩
ବଳି-ଉଦ୍ୟମ ଇନ୍ଦ୍ର ଶୁଣି । ସଭୟ ଚିତ୍ତେ ମନେ ଗୁଣି ॥୮୪
ବିଚାର କଲା ଗୁରୁମେଳେ । କେମନ୍ତେ ରହିବି ନିଶ୍ଚଳେ ॥୮୫
ଅସୁରେ ଅମୃତ ନ ପାଇ । ସମରେ ମଲେ ରୋଷ ବହି ॥୮୬
ଶୁକ୍ରର ମୃତ୍ୟୁସଞ୍ଜୀବନେ । ପ୍ରାଣ ପାଇଲେ ଯାତୁଧାନେ ॥୮୭
କିବା ଉଦ୍ୟମ ପରିମାଣି । ଅଇଲେ ଆମ୍ଭେ ତ ନ ଜାଣି ॥୮୮
ଭୋ ଗୁରୁ ନମୁଁ ତୋର ପାୟେ । ସ୍ୱର୍ଗେ କେମନ୍ତେ ଥିବୁ ଭୟେ ॥୮୯
କହ କି କରିବୁ ଉପାୟେ । ଯାବତ ରଜନୀ ନ ପାହେ ॥୯୦
ଦେଖ ଏହାର ତେଜରାଶି । ଅଗ୍ନିର ଶିଖାପ୍ରାୟ ଦିଶି ॥୯୧
ମୁଖେ କି ଆକାଶ ପିଇବ । ତ୍ରିଦଶେ ଜିହ୍ୱାରେ ଲେହିବ ॥୯୨
ଇନ୍ଦ୍ରର ବାକ୍ୟେ ବୃହସ୍ପତି । ଇନ୍ଦ୍ରକୁଶଳ ମନେ ଚିନ୍ତି ॥୯୩
ବୋଲନ୍ତି ଶୁଣ ସୁରପତି । ତୁ ବେଗେ ଛାଡ଼ ବାରସ୍ପତି ॥୯୪
ଶୁକ୍ର ଯେ ଅସୁରଙ୍କୁ ତାରି । ଚିତ୍ତେ ପ୍ରତିଜ୍ଞା ଅଛି କରି ॥୯୫
ସଙ୍କଳ୍ପ କରି ପୁରୋହିତେ । ଯଜ୍ଞ-କଳ୍ପିଲା ଇନ୍ଦ୍ର-ଜିତେ ॥୯୬
ତାହାର ମନ୍ତ୍ରବଳ-ତେଜେ । ତୁ କାହିଁ ଥିବୁ ଦେବରାଜ୍ୟେ ॥୯୭
ଜୀବନେ ଯେବେ ଅଛି କାର୍ଯ୍ୟ । ବେଗେ ଅମରାବତୀ ତେଜ ॥୯୮
ମୁଁ ଏହା ଜାଣେ ଯୋଗଧ୍ୟାନେ । ବଳି ଯେ ଶୁକ୍ରର ବଚନେ ॥୯୯
ଘୋରସମରେ ତୋତେ ଜିଣି । ତିନିଭୁବନେ ବୀରମଣି ॥୧୦୦
ରାଜା ହୋଇବ ଯଜ୍ଞବଳେ । ତୁ ଏବେ ରହ ଯା ନିରୋଳେ ॥୧୦୧
ହରିଙ୍କି ପଶ ଯା ଶରଣ । ତୋତେ ରଖିବେ ନାରାୟଣ ॥୧୦୨
କାଳର ବଶେ ବଞ୍ଚ ଏବେ । ଚିନ୍ତି ଶ୍ରୀହରିପାଦ ଭାବେ ॥୧୦୩
ଯାବତ ବଳି ତେଜ ନାଶେ । ତାବତ ରହ ବନବାସେ ॥୧୦୪
ଦୁର୍ଗମେ କାମରୂପେ ଚର । ଯହିଁ ପର୍ବତ ବନଘୋର ॥୧୦୫
ଏମନ୍ତ ଗୁରୁବାକ୍ୟ ଶୁଣି । ଅମୃତ ପ୍ରାୟ ଚିତ୍ତେ ମଣି ॥୧୦୬
ମିଳି ସକଳ ଦେବଗଣେ । ଭୟେ ପଶିଲେ ଘୋରବନେ ॥୧୦୭
ଏମନ୍ତେ ରଜନୀ ପ୍ରଭାତେ । ବଳି ଅସୁରଙ୍କ ସମେତେ ॥୧୦୮
ବସିଲା ଇନ୍ଦ୍ରର ଆସନେ । ଭୃଗୁବଚନେ ତୋଷମନେ ॥୧୦୯
ଇନ୍ଦ୍ରଆସନେ ବସି ତୋଷେ । ତ୍ରିଲୋକ କଲା ଆତ୍ମବଶେ ॥୧୧୦
ଶତାଶ୍ୱମେଧ ଯାଗ ଫଳେ । ସଂସାରେ ଯଶ ଲଭେ ହେଳେ ॥୧୧୧
ସୁଜନେ ଏଣେ କର ମତି । ତରିବ ବିଷୟ ଦୁର୍ଗତି ॥୧୧୨
ମନ ନିବେଶ ହରିପାଦେ । ମାୟା ତରିବ ଅପ୍ରମାଦେ ॥୧୧୩
ମନବଚନେ ଭାବ ଏବେ । ତରିବ ବିଷ୍ଣୁମାୟା ଯେବେ ॥୧୧୪
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବଳିରାଜା ସ୍ୱର୍ଗବିଜୟେ ନାମ ଚତୁŸର୍ଶୋଽଧ୍ୟାୟଃ ॥

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ପୁତ୍ରଙ୍କର ରିଷ୍ଟ । ସେ ଦେବମାତା ମନେ କଷ୍ଟ ॥୨
ଇନ୍ଦ୍ରର ଇନ୍ଦ୍ରପଣ ଗଲା । ଗିରି-ଦୁର୍ଗମେ ଆଶ୍ରେ କଲା ॥୩
ଦେବେ ଲୁଚିଲେ ଘୋରବନେ । ଶୁଣି ଅଦିତି ଦୁଃଖ ମନେ ॥୪
ରାତ୍ର-ଦିବସ ନ ଜାଣଇ । ନିରତେ ଥାଏ ଗୃହେ ଶୋଇ ॥୫
ତାର ଭୁବନେ ଏକବେଳେ । କଶ୍ୟପ ଋଷି ବିଜେ କଲେ ॥୬
ଅଦିତି ଶୟନ ସମୀପେ । କଶ୍ୟପ ବସି ମନସ୍ତାପେ ॥୭
ଦେଖିଲେ ଅଦିତିଭୁବନ । ଅଷ୍ଟସମ୍ପଦ ଅତିହୀନ ॥୮
ଉତ୍ସବ ଆନନ୍ଦ ନ ଦିଶେ । ଆଦିତ୍ୟ ଯେହ୍ନେ ଧୂମତ୍ରାସେ ॥୯
ଶୟନ ସେ କୁଶ ଆସନେ । ଚାହିଁଲେ ଅଦିତି ବଦନେ ॥୧୦
ଦେଖିଲେ ମୁଖେ ସୁଖ ନାହିଁ । ଶୋକଆକୁଳେ କମ୍ପେ ଦେହି ॥୧୧
ଶୋକ-କଳୁଷ ଦେଖି ମନ । ବୋଲନ୍ତି ମରୀଚିନନ୍ଦନ ॥୧୨
ଶୁଣ ସୁନ୍ଦରୀ ଶୁଦ୍ଧଚିତ୍ତେ । କହଇ ତୋହର ଅଗ୍ରତେ ॥୧୩
ବ୍ରହ୍ମା ସଞ୍ଚିତ ସୃଷ୍ଟିମଧ୍ୟେ । ବ୍ରାହ୍ମଣେ ବସନ୍ତି ଆନନ୍ଦେ ॥୧୪
ତାହାଙ୍କ ଗୃହେ ଦୁଃଖ ନାହିଁ । ଏବେ ବିପରୀତ ଦେଖଇ ॥୧୫
ଧନସମ୍ପଦ ସୁଖ ନୋହେ । ଶୁଣ ନିଗମ ଯାହା କହେ ॥୧୬
ଅଶେଷ ବିଷ୍ଣୁର ଜଗତ । କର୍ମର ବଳେ ଆତଯାତ ॥୧୭
ଶୁଭ-ଅଶୁଭ ଭାବବଳେ । କାଳ କ୍ରୀଡ଼ଇ ଅନ୍ତରାଳେ ॥୧୮
କାଳର ବଶ ଏ ସଂସାର । କେ ଭୃତ୍ୟ କେ ଅବା ଈଶ୍ୱର ॥୧୯
ଭୋଗ ସମ୍ପଦ ଅର୍ଥ ଗୃହେ । ପ୍ରାଣୀ ସାଧନ୍ତି ଅତି ମୋହେ ॥୨୦
ଏ ଭାବେ ସଂସାର ରଚିତ । କିବା ହୋଇଲା ଆଚମ୍ବିତ ॥୨୧
ବିପ୍ର ଅତିଥି କିବା ଘରେ । କୁଟୁମ୍ବ ଭରଣ ବେଭାରେ ॥୨୨
ପୂଜା ନ ପାଇ ଏ ଭୁବନେ । କି ଅବା ଗଲେ ଦୁଃଖମନେ ॥୨୩
ଯା ପୁରୁ ଅତିଥି ବାହୁଡ଼େ । ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ ॥୨୪
ତାର ସଞ୍ଚଲା ପୁଣ୍ୟ ଯେତେ । ଗମନ୍ତି ଅତିଥି ସଙ୍ଗତେ ॥୨୫
ଅଗ୍ନିରେ ଯଥାକାଳେ ହବି । ନ ଦେଇ ହୁଅ ପରାଭବୀ ॥୨୬
ମୋର ପ୍ରବାସେ ତୋର ଚିତ୍ତ । କିବା ହୋଇଲା ମୋହଗତ ॥୨୭
ଅଗ୍ନି-ପୂଜନେ ଶୁଦ୍ଧମନେ । ସେ କାମଧେନୁ ଯଜମାନେ ॥୨୮
ସମ୍ପଦ ବିପ୍ରଜନେ ଦ୍ୟନ୍ତି । ଦେବେ ଯେ କଲ୍ୟାଣ ବାଞ୍ଛନ୍ତି ॥୨୯
ବିପ୍ର ଅଗ୍ନିକି ନ ପୂଜିଲେ । କଲ୍ୟାଣ ଲଭେ କାହିଁ ଭଲେ ॥୩୦
ହରିଙ୍କି କାହିଁ ସେ ପାଇବ । ଯାକୁ ନ ପାନ୍ତି ବ୍ରହ୍ମାଶିବ ॥୩୧
ଉଭୟ ଲୋକେ ନାହିଁ ସୁଖ । ସର୍ବଦା ଲଭନ୍ତି ବିମୁଖ ॥୩୨
ତୋର ତନୁଜ ଦେବତାଏ । ସ୍ୱର୍ଗେ ଅଛନ୍ତି ନା ନିର୍ଭୟେ ॥୩୩
ଇନ୍ଦ୍ରର କୁଶଳ ନ ଦେଖି । କିବା ହୋଇଛୁ ମନେ ଦୁଃଖୀ ॥୩୪
ଏମନ୍ତ ସ୍ୱାମୀବାକ୍ୟ ଶୁଣି । କହଇ ଦକ୍ଷର ଦୁଲଣୀ ॥୩୫

ଅଦିତି ଉବାଚ[ସମ୍ପାଦନା]

ଗୋରୁ-ବ୍ରାହ୍ମଣ-ସୃଷ୍ଟିଲୋକେ । ଏ ସର୍ବେ ଛନ୍ତି ନାନାସୁଖେ ॥୩୬
ଧର୍ମ ହିଁ ଅଛି ମୋର ପୁରେ । ଆଗମ ନିଗମ ବେଭାରେ ॥୩୭
ତ୍ରିବର୍ଗ ମୋହର ଭୁବନେ । କେବେହେଁ ନ ତୁଟଇ ଦିନେ ॥୩୮
ଅଗ୍ନି-ଅତିଥି ମୋର ଗୃହେ । ନିରାଶ ନୁହଁନ୍ତି କେବେହେଁ ॥୩୯
ସକଳ ଶୁଭ ତୁମ୍ଭ ବଳେ । ଯେ ଯାହା କର୍ମର କୁଶଳେ ॥୪୦
ତୁମ୍ଭେ କହିଲ ଯେତେ ଧର୍ମ । ଗୃହସ୍ଥ ସ୍ୱଭାବେ ଯେ କର୍ମ ॥୪୧
ସର୍ବସମ୍ପଦେ ମୋର ଚିତ୍ତ । କେବେହେଁ ନୁହଁଇ ମୋହିତ ॥୪୨
ତୁମ୍ଭେ ଯେ ଦେବଙ୍କ କୁଶଳେ । ନିରତେ ଭଜ ଯୋଗବଳେ ॥୪୩
ଏ ସୃଷ୍ଟିମଧ୍ୟେ ଯେତେ ଜନ । ସକଳେ ତ୍ରିଗୁଣେ ବନ୍ଧନ ॥୪୪
ଅର୍ଜିଲା କର୍ମର ଆୟତ୍ତେ । ଜନ୍ତୁ ସଞ୍ଚରନ୍ତି ଜଗତେ ॥୪୫
ତଥାପି ଭକ୍ତକୁ ଭଜନ୍ତି । ବ୍ରହ୍ମା ଶଙ୍କର ଲକ୍ଷ୍ମୀପତି ॥୪୬
ଶୁଣ ହେ ସ୍ୱାମୀ ବ୍ରହ୍ମାସୁତ । ତୁମ୍ଭ ପ୍ରସାଦେ ମୋର ଚିତ୍ତ ॥୪୭
ଦୁର୍ଲ୍ଲଭ ଚତୁର୍ବର୍ଗ ନୋହେ । ସେବକୀ ପଣେ ତୁମ୍ଭ ଗୃହେ ॥୪୮
ତୁମ୍ଭର ଚିତ୍ତ ପ୍ରଜାହିତେ । ଯେ ଧର୍ମ କହ ମୋ ଅଗ୍ରତେ ॥୪୯
ତୁମ୍ଭର ପୁତ୍ର ଦୁଇମତେ । ଦେବ-ଅସୁର ଏ ଜଗତେ ॥୫୦
ଏହାଙ୍କ ଭଲ ତୁମ୍ଭେ ଇଚ୍ଛ । ଏହା ମୁଁ ଦେଖଇ ପ୍ରତ୍ୟକ୍ଷ ॥୫୧
ମୋ ପୁତ୍ରେ ସତ୍ତ୍ୱଗୁଣେ ଥାନ୍ତି । ଅସୁରେ ରଜ-ତମ ଚିନ୍ତି ॥୫୨
ପୀଡ଼ା କରନ୍ତି ସାଧୁଜନେ । ଧର୍ମ ରଖନ୍ତି ମୋ ନନ୍ଦନେ ॥୫୩
ମୋ ସୁତେ ଅସୁରଙ୍କ ଡରେ । ଲୁଚିଲେ ବନ-ଗିରି ଘୋରେ ॥୫୪
ଇନ୍ଦ୍ରକୁ ନ ଦେଖି ମୋ ମନ । ନିରତେ ହୁଏ ଛନଛନ ॥୫୫
କହ କି କରିବି ଉପାୟେ । କେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ ॥୫୬
ମୋର ସପତ୍ନୀପୁତ୍ର ବଳେ । ବିଚାର କରି ଗୁରୁମେଳେ ॥୫୭
ଶୁକ୍ରର ମନ୍ତ୍ରବଳ-ତେଜେ । ବଳି ବସିଲା ସ୍ୱର୍ଗରାଜ୍ୟେ ॥୫୮
ମିଳିଲେ ଅନେକ ଦାନବ । ହରିଲେ ଇନ୍ଦ୍ରର ବିଭବ ॥୫୯
ସେ ଏବେ ହୋଇ ସ୍ଥାନଭ୍ରଷ୍ଟ । ଅନେକ ପାଉଅଛି କଷ୍ଟ ॥୬୦
ମୋ ତହୁଁ ଦୁଃଖୀ କେ ଶୟଳେ । କହିଲି ତୁମ୍ଭ ପାଦତଳେ ॥୬୧
ତୋର କୁମରେ ଭଲେ ଥିବେ । ମୋ ପୁତ୍ରେ ସ୍ୱସ୍ଥାନେ ରହିବେ ॥୬୨
ଏମନ୍ତ ଆଜ୍ଞା ମୋତେ କର । ତୁମ୍ଭେ ତ ବୁଦ୍ଧିରେ ଈଶ୍ୱର ॥୬୩
ଏମନ୍ତ ଅଦିତି ବଚନେ । କଶ୍ୟପ ବିଚାରନ୍ତି ମନେ ॥୬୪
ଦେଖ ଏ ବିଷ୍ଣୁମାୟା ବଳେ । ଜୀବର ବନ୍ଧନ ଶୟଳେ ॥୬୫
ପଞ୍ଚଭୌତିକ ଏ ଶରୀର । ଆତ୍ମା ନିର୍ଲେପ ନିରାକାର ॥୬୬
ଶରୀର ପତ୍ନୀ ପୁତ୍ର ଆଦି । ଏ ବିଷ୍ଣୁ ମାୟାରେ ସମ୍ପାଦି ॥୬୭
କେ ଏହା ଅନ୍ୟଥା କରିବ । ବ୍ରହ୍ମା ଶଙ୍କର ବାସୁଦେବ ॥୬୮
ପତ୍ନୀର ବଚନ ପ୍ରଶଂସି । କହନ୍ତି ପ୍ରଜାପତି ହସି ॥୬୯
ତୁ ଏବେ ମୋର ବୋଲ କର । ହରି ଚରଣ ମନେ ଧର ॥୭୦
ସେ ହରି ତୋର ମନଦୁଃଖ । ନିବାରି ଦେବେ ସ୍ୱର୍ଗସୁଖ ॥୭୧
ଆରତ ଜନ-ବନ୍ଧୁ ହରି । ସେ ପାରେ ଆରତ ନିବାରି ॥୭୨
ଯାର ଚରଣ ଆଶ୍ରେ କଲେ । ସଙ୍କଟୁ ତରେ ପ୍ରାଣୀ ଭଲେ ॥୭୩
ତାର ଚରଣେ ସେବା କର । ନିର୍ଭୟେ ମନଦୁଃଖୁଁ ତର ॥୭୪
କଶ୍ୟପ ମୁଖୁଁ ଏହା ଶୁଣି । ଅଦିତି କହେ ଯୋଡ଼ି ପାଣି ॥୭୫

ଅଦିତି ଉବାଚ[ସମ୍ପାଦନା]

ଭୋ ନାଥ କହ ବୁଦ୍ଧି ମୋତେ । ହରିଙ୍କି ସେବିବି କେମନ୍ତେ ॥୭୬
ଯେମନ୍ତେ ମୋର ମନୋରଥ । ସଫଳ କରେ ଜଗନ୍ନାଥ ॥୭୭
ପୁତ୍ର ବସିଣ ଇନ୍ଦ୍ରପଦେ । ଭୋ ନାଥ ନମେ ତୋର ପାଦେ ॥୭୮
ଏମନ୍ତେ ପତ୍ନୀ-ବାକ୍ୟ ଶୁଣି । ବ୍ରହ୍ମାନନ୍ଦନ ମନେ ଗୁଣି ॥୭୯

କଶ୍ୟପ ଉବାଚ[ସମ୍ପାଦନା]

ବୋଲନ୍ତି ଶୁଣ ମୋ ଘରଣୀ । ହରିତୋଷଣ ସେବାବାଣୀ ॥୮୦
ଯେ ବ୍ରତେ ପ୍ରଭୁ ହୃଷୀକେଶ । ତୋହର ଉଦରେ ପ୍ରବେଶ ॥୮୧
ସେ ବିଷ୍ଣୁ ଦ୍ୱିଜ ଖର୍ବ ରୂପେ । ବଳିକି ଛଳି ଦାନକଳ୍ପେ ॥୮୨
ତୋର ପୁତ୍ରକୁ ସେ ରଖିବ । ତୁ ଏବେ ହରି ପାଦେ ସେବ ॥୮୩
ହରିତୋଷଣ ବ୍ରତ କର । ଏ ଦୁଃଖସାଗରୁ ନିସ୍ତର ॥୮୪
ଶୁଣ କହିବା ବେଦମତେ । ଏ ବ୍ରତ କରିବୁ ଯେମନ୍ତେ ॥୮୫
ଫାଲ୍‌ଗୁନ-ଶୁକ୍ଳପକ୍ଷ-ଯୁତେ । ଦ୍ୱାଦଶଦିନ ପୟେ ବ୍ରତେ ॥୮୬
ଅର୍ଚ୍ଚନ କରି ଭକ୍ତିବଳେ । ଶ୍ରୀକୃଷ୍ଣ ଚରଣ କମଳେ ॥୮୭
ସେବା କରିବ ଯେବାମତେ । ଶୁଣ କହିବା କଳ୍ପ ତୋତେ ॥୮୮
ପ୍ରାତହୁଁ ଅମାବାସ୍ୟା ଦିନ । ମନ୍ଦିରୁ ଗମିବ ବହନ ॥୮୯
ବରାହ ଦନ୍ତ ଖାତେ ଯାଇ । ମୃତ୍ତିକା ବାମ ହସ୍ତେ ଲଇଁ ॥୯୦
ଶୁଣ ମନ୍ତ୍ରିବ ଯେଉଁ ମନ୍ତ୍ରେ । ଅଙ୍ଗେ ଘେନିବ ଯେବା ତନ୍ତ୍ରେ ॥୯୧
ଭୋ ଦେବି ତୁ ଯେ ଅନ୍ତଃକାଳେ । ନିମଗ୍ନେ ଥିଲୁ ମହାଜଳେ ॥୯୨
ପାତାଳ-ଜଳ-ପଙ୍କେ ଥିଲୁ । ବରାହ-ଦଶନେ ଉଠିଲୁ ॥୯୩
ବରାହ-ଦନ୍ତ-ଅଗ୍ରବାସୀ । ତୁ ମୋର ହର ପାପରାଶି ॥୯୪
ଏମନ୍ତେ ମୃତ୍ତିକା ମନ୍ତ୍ରିବ । ଶରୀର- ସର୍ବାଙ୍ଗେ ଲେପିବ ॥୯୫
ସ୍ନାନ କରିବ ପ୍ରାତଃକାଳେ । ସୂର୍ଯ୍ୟ-ଉଦୟେ ଶୁଦ୍ଧଜଳେ ॥୯୬
ମାର୍ଜନା ସାରି ଶୁଦ୍ଧଗାତ୍ରେ । ସଂଯମ ଆତ୍ମା ଶୁଦ୍ଧଚିତ୍ତେ ॥୯୭
ମୂର୍ତ୍ତିରେ ଅଥବା ଅନଳେ । ସ୍ଥଣ୍ଡିଳେ ଆଦିତ୍ୟମଣ୍ଡଳେ ॥୯୮
ଜଳେ ଅଥବା ଗୋରୁଗାତ୍ରେ । ଅର୍ଚ୍ଚନା କରିବ ଏ ମତେ ॥୯୯
ଏମନ୍ତେ ପୂଜାସ୍ଥାନେ ଚିନ୍ତି । ଶୁଣ କରିବ ଯେବା ସ୍ତୁତି ॥୧୦୦
ନମସ୍ତେ ପ୍ରଭୁ ଭଗବାନ । ମହାପୁରୁଷ ଶୁଦ୍ଧଧାମ ॥୧୦୧
ହେ ଭଗବତ ନମସ୍ତୁତେ । ସାକ୍ଷୀ ସ୍ୱରୂପ ଏ ଜଗତେ ॥୧୦୨
ସକଳ-ଭୂତର ନିବାସ । ନମସ୍ତେ ପ୍ରଧାନ ପୁରୁଷ ॥୧୦୩
ଚତୁର୍ବିଂଶତି-ଗୁଣ-ଜ୍ଞାତା । ଗୁଣ ସଂଖ୍ୟାନେ ହେତୁ କର୍ତ୍ତା ॥୧୦୪
ଦ୍ୱିଶିର ତ୍ରିରଚରଣ ତୁହି । ଚରଇ ଶୃଙ୍ଗ ତନ୍ତୁ ଦେହୀ ॥୧୦୫
ସପତହସ୍ତ ଯଜ୍ଞରୂପୀ । ଆତ୍ମା ତୋ ତିନିବେଦ ବ୍ୟାପୀ ॥୧୦୬
ନମସ୍ତେ ଶିବ-ରୁଦ୍ରବର । ନମସ୍ତେ ସର୍ବ-ଶକ୍ତିଧର ॥୧୦୭
ସକଳ ବିଦ୍ୟା ଅଧିପତି । ସର୍ବଭୂତଙ୍କ ଆତ୍ମାଗତି ॥୧୦୮
ହିରଣ୍ୟଗର୍ଭ ନମୋନମ । ଜଗତ-ପ୍ରାଣ ଆତ୍ମାରାମ ॥୧୦୯
ଯୋଗ-ଐଶ୍ୱର୍ଯ୍ୟ ଯା ଶରୀର । ଯୋଗର ହେତୁ ଯୋଗେଶ୍ୱର ॥୧୧୦
ନମସ୍ତେ ଆଦିଦେବଦେବ । ନମସ୍ତେ ସଂସାର-ପ୍ରଭବ ॥୧୧୧
ନମସ୍ତେ ନର-ନାରାୟଣ । ନମସ୍ତେ ପରମ-କଲ୍ୟାଣ ॥୧୧୨
ନମୋ ମର୍କତ-ଶ୍ୟାମ-ଦେହ । ନମସ୍ତେ କମଳା-ଆଶ୍ରୟ ॥୧୧୩
ନମୋ ଗୋବିନ୍ଦ ପୀତବାସ । ନମସ୍ତେ ଭକତ-ବିଶ୍ୱାସ ॥୧୧୪
ନମସ୍ତେ ସର୍ବବରଦାତା । ନମସ୍ତେ ସର୍ବ ମାତାପିତା ॥୧୧୫
ଶରଣ ଜନେ ରକ୍ଷାକରୁ । ନମୋ ଭକତ-କଳ୍ପତରୁ ॥୧୧୬
ତୋ ପାଦରେଣୁ ଧରି ଶିରେ । ମୋକ୍ଷ-ସାଧନ ଯୋଗବଳେ ॥୧୧୭
ଯେ ପାଦପଦ୍ମେ ଭକ୍ତ ସେବେ । ଭାବେ ଖଟନ୍ତି ଦେବୀଦେବେ ॥୧୧୮
ତୋ ପାଦସରୋଜ-ସୁବାସେ । ଅଶେଷ-ଭବଭୟ ନାଶେ ॥୧୧୯
ଏମନ୍ତେ ଆବାହନ କରି । ନିଶ୍ଚଳଚିତ୍ତେ ଭାବଭରି ॥୧୨୦
ଏମନ୍ତେ ପାଦ୍ୟ ଅର୍ଘ୍ୟ ଆଦି । ଶ୍ରଦ୍ଧା-ଭକତିରେ ନିବେଦି ॥୧୨୧
ଅର୍ଚ୍ଚନା କରି ଗନ୍ଧମାଲ୍ୟେ । ପୂଜିବ ଆନନ୍ଦେ ନିଶ୍ଚଳେ ॥୧୨୨
ଉତ୍ତମ ବସ୍ତ୍ର-ଅଳଙ୍କାର । ସୁଗନ୍ଧ-ଧୂପ ମନୋହର ॥୧୨୩
ନୈବେଦ୍ୟ କରି ଷଡ଼ରସେ । ପୂଜିବ ପ୍ରପାନ-ପାୟସେ ॥୧୨୪
ଦଧି-ଶାକର-ମଧୁ-ଘୃତେ । ସୁଶାଳିଅନ୍ନ ଦୁଗ୍ଧଯୁତେ ॥୧୨୫
ନାନା ପ୍ରକାରେ ଭୋଗ ଦେଇ । ହୃଦେ ଭକତିଭାବ ବହି ॥୧୨୬
ଯେ ମନ୍ତ୍ର ଦ୍ୱାଦଶ ଅକ୍ଷର । ଜପିବ ଶହେଆଠ ବାର ॥୧୨୭
ହୋମ କରିବ ହୁତାଶନେ । ଉଚ୍ଚାରି ମୂଳମନ୍ତ୍ର ଧ୍ୟାନେ ॥୧୨୮
ଶ୍ରୋତ୍ରିୟ-ବ୍ରାହ୍ମଣ ବସାଇ । ସୁସ୍ୱାଦୁ ଅନ୍ନ ଭୋଗ ଦେଇ ॥୧୨୯
ବିପ୍ରକୁ ଦେଇ ଆଚମନ । ନିବେଦି ସୁମୁଖବାସନ ॥୧୩୦
ଅତିଥି ଅନ୍ଧ ରଙ୍କୀ ଦୁଃଖୀ । ତାଙ୍କୁ ଭୋଜନେ କରି ସୁଖୀ ॥୧୩୧
ତାହାଙ୍କୁ ଅନ୍ନଦାନ ଦେଇ । ସନ୍ତୋଷ ଚିତ୍ତେ ଆଜ୍ଞା ପାଇ ॥୧୩୨
ଅନ୍ନ ଭୁଞ୍ଜିବ ସାୟଂକାଳେ । ବାଳକ ପାଞ୍ଚ ସାତ ମେଳେ ॥୧୩୩
ରାତ୍ରେ ବଞ୍ଚିବ ବିଷ୍ଣୁଗୀତେ । ସଂଯତ-ବ୍ରହ୍ମଚାରୀ-ବ୍ରତେ ॥୧୩୪
ରାତ୍ର ଅନ୍ତରେ ପ୍ରାତଃକାଳେ । ସ୍ନାନ କରିବ ଶୁଦ୍ଧଜଳେ ॥୧୩୫
ଯଥାର୍ଥ ବିଧି ସମଚିତ୍ତେ । ସୁଗନ୍ଧଜଳ ଦୁଗ୍ଧଯୁତେ ॥୧୩୬
ସ୍ନାନ କରାଇ ଦେବମୂର୍ତ୍ତି । ପୟ-ଭକ୍ଷଣେ ପୟୋବ୍ରତୀ ॥୧୩୭
ପୂର୍ବର ପ୍ରାୟ ହୋମକରି । ବିପ୍ରମାନଙ୍କୁ ଭୋଜ୍ୟେ ବରି ॥୧୩୮
ଦ୍ୱାଦଶ ଦିନ ଏହିମତେ । ବଞ୍ଚିବ ଶୁଚି ପୟୋବ୍ରତେ ॥୧୩୯
ଏମନ୍ତ ହରି-ଆରାଧନେ । ହୋମାଦି ବ୍ରାହ୍ମଣ ଭୋଜନେ ॥୧୪୦
ପ୍ରତୀପଦିନୁ ଏ ଅଭ୍ୟାସି । ଯାବତ-ଶୁକ୍ଳ-ତ୍ରୟୋଦଶୀ ॥୧୪୧
ତ୍ରିକାଳେ କରିବ ସ୍ନାହାନ । ରଜନୀ ଧରଣୀ ଶୟନ ॥୧୪୨
ଅସାଧୁ-ଆଳାପ ତେଜିବ । ନିନ୍ଦିତଭୋଗ ନ କରିବ ॥୧୪୩
ହିଂସା ତେଜିବ ସର୍ବଭୂତେ । ବିଷ୍ଣୁ-ଆଶ୍ରୟ କରି ନିତ୍ୟେ ॥୧୪୪
ଏମନ୍ତେ ତ୍ରୟୋଦଶୀ ଦିନ । ବିଷ୍ଣୁଙ୍କୁ କରାଇ ସ୍ନାହାନ ॥୧୪୫
ଶାସ୍ତ୍ର-ପ୍ରମାଣେ ପଞ୍ଚାମୃତେ । କରିବ ବେଦବିଧି-ମତେ ॥୧୪୬
ପୂଜା କରିବ ଶୁଦ୍ଧଚିତ୍ତେ । ସମ୍ଭାର ଶକ୍ତି-ଅନୁମତେ ॥୧୪୭
ଶ୍ରୀହରି ରୂପ ଧ୍ୟାନେ ଧରି । ଅନଳେ ମନ୍ତ୍ରେ ହୋମ କରି ॥୧୪୮
ପାୟସ ଚରୁ ପଞ୍ଚାମୃତେ । ମନ୍ତ୍ର ଉଚ୍ଚାରି ଶୁଦ୍ଧଚିତ୍ତେ ॥୧୪୯
ନାନା ପ୍ରକାରେ ନଇବେଦ୍ୟ । କଟୁ ମଧୁର ଆଦି ସ୍ୱାଦ ॥୧୫୦
ନିବେଦି ବିଷ୍ଣୁ-ପ୍ରୀତିଅର୍ଥେ । ପୂଜା କରିବ ନାନାମତେ ॥୧୫୧
ଅଗ୍ନିପୂଜନ କର୍ମ ସାରି । ଗୁରୁ-ଆଚାର୍ଯ୍ୟ ପାଦ ଧରି ॥୧୫୨
ଧନ-ବସନ-ଅଳଙ୍କାର । ଯେବା ଦକ୍ଷିଣା ବ୍ରତସାର ॥୧୫୩
ଋତ୍ୱିଜଜନ ମନ ତୋଷି । ଦୁଃଖୀ-ଦରିଦ୍ରଙ୍କୁ ଆଶ୍ୱାସି ॥୧୫୪
ଭୋଜନେ ତୋଷି ସର୍ବପ୍ରାଣୀ । ଯେଣେ ସନ୍ତୋଷ ଚକ୍ରପାଣି ॥୧୫୫
ସକଳ ଜ୍ଞାତି-ବନ୍ଧୁମେଳେ । ଭୋଜନ ସାରି ସାୟଂକାଳେ ॥୧୫୬
ସୁବାଦ୍ୟ-ନୃତ୍ୟ-ଗୀତସ୍ୱରେ । ଉତ୍ସବ କରିବ ମନ୍ଦିରେ ॥୧୫୭
ଏମନ୍ତେ ପୟୋବ୍ରତ କରି । ଯେବା ଜଗତେ ନରନାରୀ ॥୧୫୮
ମନୋବାଞ୍ଛିତ ସେ ଲଭନ୍ତି । ଅନ୍ତେ ବିଷ୍ଣୁମାୟା ତରନ୍ତି ॥୧୫୯
ଏ ବ୍ରତ ବ୍ରହ୍ମାମୁଖୁଁ ପୂର୍ବେ । ମୁହିଁ ଯେ ଶୁଣିଛି ପ୍ରସ୍ତାବେ ॥୧୬୦
ତୁ ଯେଣୁ ମୋହର ଭାବିନୀ । ତେଣୁ କହିଲି ଭାବଘେନି ॥୧୬୧
ଏହା ତୁ ଶୁଦ୍ଧଚିତ୍ତେ ଧର । ଏ ବ୍ରତ ସର୍ବ ଯଜ୍ଞସାର ॥୧୬୨
ହରି-ସନ୍ତୋଷେ ବ୍ରତ କର । ଦୁଗର୍ମ-ସଙ୍କଟୁ ଉଦ୍ଧର ॥୧୬୩
ସର୍ବଭୂତଙ୍କ ପୂଜା ଏହି । ଦାନ-ଯଜ୍ଞାଦି ଯେତେ ଧ୍ୟାୟି ॥୧୬୪
ଏ ବ୍ରତେ ଈଶ୍ୱର-ଅର୍ପଣ । ଚତୁରବର୍ଗର କାରଣ ॥୧୬୫
ଯମ-ନିୟମ ଏଣେ ସାଧି । ଏ ଧର୍ମେ ବିଷ୍ଣୁଙ୍କୁ ସମ୍ପାଦି ॥୧୬୬
ତୁ ଏହା ଏକମନେ ଧର । ହରି-ସନ୍ତୋଷେ ବ୍ରତ କର ॥୧୬୭
ତୋର ବାଞ୍ଛିତ ହରି ଦେବେ । ଦେବଙ୍କୁ ନିଶ୍ଚିନ୍ତେ ରଖିବେ ॥ ୧୬୮
କହଇ ଦାସ ଜଗନ୍ନାଥ । ଅଦିତି ଶୁଣି ପୟୋବ୍ରତ ॥୧୬୯
ଚିତ୍ତେ ଚିନ୍ତିଲା ଭଗବାନ । ସୁଜନେ ଏଣେ କର ଧ୍ୟାନ ॥୧୭୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅଦିତି-ପୟୋବ୍ରତ-କଥନଂ ନାମ ପଞ୍ଚଦଶୋଽଧ୍ୟାୟଃ ॥

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ଶ୍ରୀକୃଷ୍ଣେ ଚିନ୍ତି ମନେମନ । କ‌ହ‌ନ୍ତି ବ୍ୟାସଙ୍କ ନ‌ନ୍ଦନ ॥୧

ଶୁକ ଉବାଚ[ସମ୍ପାଦନା]

ଶୁଣ ପରୀକ୍ଷ ନୃପମଣି । କଶ୍ୟପ ମୁଖୁଁ ଏହାଶୁଣି ॥୨
ଅଦିତି କଳ୍ପି ଅନ୍ତର୍ଗତେ । ବିଧିପୂର୍ବକ ପୟୋବ୍ରତେ ॥୩
ଦ୍ୱାଦଶ ଦିନ ବିଧିମତେ । ସଂଯମେ ରହିଲା ଯୁଗତେ ॥୪
ଏକାଗ୍ରଚିତ୍ତେ ହରିପାଦେ । ସେବା କଳ୍ପିଲା ଅପ୍ରମାଦେ ॥୫
ସୁଦୃଢ଼ ମନ ବୁଦ୍ଧିବଳେ । ଇନ୍ଦ୍ରିଙ୍କି ନିରୋଧି ନିଶ୍ଚଳେ ॥୬
ଏକାନ୍ତଚିତ୍ତେ ହରିପାଦେ । ଧ୍ୟାନ ସମ୍ପାଦି ଅପ୍ରମାଦେ ॥୭
ଦ୍ୱାଦଶଦିନ ପୟୋବ୍ରତ । ବିଷ୍ଣୁ ସେବିଲା ଅବିରତେ ॥୮
ଅଦିତି ପୟୋବ୍ରତ ତୋଷେ । ବିଷ୍ଣୁ ମିଳିଲେ ତାର ପାଶେ ॥୯
ଶରୀର କାନ୍ତି ନୀଳଘନ । ପୀତବସନ ପରିଧାନ ॥୧୦
ଆଜାନୁଲମ୍ବେ ଚାରିଭୁଜେ । ଗଦାବ୍ଜ-ଶଙ୍ଖ-ଚକ୍ର ସାଜେ ॥୧୧
ସମୀପେ ବିଷ୍ଣୁ ରୂପ ଦେଖି । ଉନ୍ମୀଳ କଲା ବେନି ଆଖି ॥୧୨
ଉଠିଲା ଅଶ୍ରୁ ଗଦଗଦେ । ଶିର ନିବେଶି ପଦ୍ମ‌ପାଦେ ॥୧୩
ଭୂମିରେ ଦଣ୍ତବତେ ଶୋଇ । କରାଞ୍ଜଳି ଶିରେ ଦେଇ ॥୧୪
ଆନନ୍ଦ ସାଗରେ ବୁଡ଼ିଲା । ନିଜ ଶରୀର ପାସୋରିଲା ॥୧୫
ଶରୀର କମ୍ପିଲା ବିକଳେ । କଣ୍ଠ କୁଣ୍ଠିତ ଅଶ୍ରୁଜଳେ ॥୧୬
ବଦନୁ ବଚନ ନ ସ୍ଫୁରେ । ପ୍ରାଣ ହୋଇଲା କଣ୍ଠଦ୍ୱାରେ ॥୧୭
ଚକୋର ଚନ୍ଦ୍ର ଦେଖି ଯେହ୍ନେ । ଅମୃତ ପିଅଇ ଲୋଚନେ ॥୧୮
ମନ ନିବେଶି କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ॥୧୯
ବୋଲଇ ବିଷ୍ଣୁମୁଖ ଚାହିଁ । ସାନନ୍ଦେ ଶିରେ କର ଦେଇ ॥୨୦

ଅଦିତି ଉବାଚ[ସମ୍ପାଦନା]

ହେ ଯଜ୍ଞେଶ୍ୱର ଜଗନ୍ନାଥ । ତୋର ଚରଣେ ସର୍ବତୀର୍ଥ ॥୨୧
ସର୍ବମଙ୍ଗଳ ତୋର ନାମ । ରୂପ-ଅରୂପ ଅନୁପମ ॥୨୨
ଶରଣାଗତ ଦୁଃଖ ହର । ତୁ ନାଥ କରୁଣାସାଗର ॥୨୩
କରୁଣାକର ବିଶ୍ୱବ୍ୟାପୀ । ବିଶ୍ୱଭାବନ ବିଶ୍ୱରୂପୀ ॥୨୪
ସ୍ଥିତି ଉତ୍ପତ୍ତି ସଂହାରଣ । ତୁ ନାଥ ପରମକାରଣ ॥୨୫
ଆୟୁ ସମ୍ପଦ ବୁଦ୍ଧି ଜ୍ଞାନ । ତୋର ସନ୍ତୋଷେ ପାନ୍ତି ଜନ ॥୨୬
କୈବଲ୍ୟ-ପ୍ରାପ୍ତ ତୋ ସନ୍ତୋଷେ । ଅନ୍ତେ ପରମ‌ପଦେ ମିଶେ ॥୨୭
ଭୋ ନାଥ ତୋର ଶ୍ରୀଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ॥୨୮
ସେ ସର୍ବ ଦୁର୍ଗତି ତରନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି ॥୨୯
ଭୋ ନାଥ ପ୍ରଭୁ ଆଦିମୂଳ । ଶୁଣିମା ମୋହର ବିକଳ ॥୩୦
ଦୁଃଖେ କୁଣ୍ଠିତ ମୋର ପ୍ରାଣ । ପଶିଲି ତୋ ପାଦେ ଶରଣ ॥୩୧
ପୁତ୍ରେ ନ ରହି ସ୍ୱର୍ଗପୁରେ । ଲୁଚିଲେ ବନ-ଗିରି-ଘୋରେ ॥୩୨
ସର୍ବ ଦାନବ ସଙ୍ଗେ ମିଳି । ବସିଲା ଇନ୍ଦ୍ରାସନେ ବଳି ॥୩୩
ଶୁକ୍ରର ଯଜ୍ଞତେଜ ବଳେ । ଭୟେ ଭାଜିଲେ ଦିଗପାଳେ ॥୩୪
ଇନ୍ଦ୍ର ହୋଇଲା ଅରକ୍ଷିତ । ତ୍ରାହି କରିବ ଜଗନ୍ନାଥ ॥୩୫
ମୋର ପୁତ୍ରଙ୍କୁ ରକ୍ଷାକର । ଭୋ ନାଥ ଶରଣ ତୋହର ॥୩୬
ସପତ୍ନୀ ଦୁଃଖ କି ନ ଜାଣୁ । ତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ ॥୩୭

ଶୁକ ଉବାଚ[ସମ୍ପାଦନା]

ଶୁଣିନ ଅଦିତି-ବଚନ । ପ୍ରସନ୍ନେ କମଳ‌ଲୋଚନ ॥୩୮
ଅଦିତି ବଦନ‌କୁ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୩୯

ଭଗବାନ ଉବାଚ[ସମ୍ପାଦନା]

ଶୁଣ ଅଦିତି ଦେବମାତ । ଜାଣଇଁ ତୋର ମନୋରଥ ॥୪୦
ବଳି ଯେ ବଳେ ସ୍ୱର୍ଗ ନେଲା । ବିକଳେ ଇନ୍ଦ୍ର ପଳାଇଳା ॥୪୧
ତାର ସଙ୍ଗତେ ଦେବଗଣେ । ପଶିଲେ ଗିରି-ଘୋରବନେ ॥୪୨
ଏବେ ସେ ଆସି ସ୍ୱର୍ଗପୁରେ । ଶତ୍ରୁକୁ ଜିଣି ରଣ‌ଘୋରେ ॥୪୩
ସ୍ୱର୍ଗେ ସେ ବସିବ ନିଶ୍ଚିନ୍ତେ । ତୁ ଏହା କଳ୍ପଅଛୁ ଚିତ୍ତେ ॥୪୪
ସମରେ ଅସୁର-ମରଣେ । କାନ୍ଦିବେ ତାଙ୍କ ବଧୁଗଣେ ॥୪୫
ସ୍ୱାମୀ-ମରଣେ ଅତି ଦୁଃଖୀ । ତୁ ତାହା ଦେଖି ହେବୁ ସୁଖୀ ॥୪୬
ସ୍ୱର୍ଗେ ବସିବ ଇନ୍ଦ୍ର ତୋର । ସଙ୍ଗତେ ଘେନି ସର୍ବ ସୁର ॥୪୭
ସକଳ ସମ୍ପଦ ମିଳିବ । ତ୍ରିଲୋକ ନିଶ୍ଚିନ୍ତେ ପାଳିବ ॥୪୮
ଏମନ୍ତ ଚିତ୍ତେ କଳ୍ପୁ ତୁହି । ଶୁଣ କ‌ହଇ ଯାହା ମୁହିଁ ॥୪୯
ଅସୁରେ ଯାଇ ସ୍ୱର୍ଗପୁର । ବଳେ ହୋଇଲେ ବଳୀୟାର ॥୫୦
ବଳି ସଙ୍ଗତେ ଘୋରରଣେ । କାହିଁ ଜିଣିବେ ଦେବଗଣେ ॥୫୧
ଏକଥା ଭଲେ ମୁଁ ଜାଣଇଁ । ତୋର ପୁତ୍ରଙ୍କୁ ଭୟ ନାହିଁ ॥୫୨
ଯେମନ୍ତେ ତୋହର କୁମରେ । ସୁଖେ ବସିବେ ସ୍ୱର୍ଗପୁରେ ॥୫୩
ତୁ ଯେ ମୋହର ପାଦଗତେ । ସେବିଲୁ ପୟୋବ୍ରତ ମତେ ॥୫୪
ଏ କଥା ଅନ୍ୟଥା ନୋହିବ । ଏହା ଜାଣନ୍ତି ବ୍ରହ୍ମାଶିବ ॥୫୫
ବ୍ରତେ ତୁ ତୋଷିଅଛୁ ମୋତେ । ଇନ୍ଦ୍ର-ସମ୍ପଦ ରକ୍ଷା ଅର୍ଥେ ॥୫୬
ମୋହର ସେବା-ବ୍ରତ ଫଳ । କେବେହେଁ ନୁହଁଇ ବିଫଳ ॥୫୭
ମୁଁ ନିଜ-ଅଂଶେ ତୋର ଗର୍ଭେ । ଜନ୍ମିବି ପୟୋବ୍ରତ-ଭାବେ ॥୫୮
ଏ ବ୍ରତ ମହିମା ଏମନ୍ତ । ଅବଶ୍ୟ ମୋତେ ଲଭେ ସୁତ ॥୫୯
ତୋର ପୁତ୍ରଙ୍କୁ ମୁଁ ରଖିବି । ଶତ୍ରୁଙ୍କ ଭୟ ନିବାରିବି ॥୬୦
ନିଶ୍ଚେ ରଖିବି ଦେବକୁଳ । ତୁ ସ୍ୱାମୀ ସଙ୍ଗେ କର ମେଳ ॥୬୧
ଏ ବ୍ରତଫଳ ଯେବେ ପାଇ । ବିଶ୍ୱାସେ ପରକୁ ନ କ‌ହି ॥୬୨
ସର୍ବସମ୍ପଦ ଲଭ ତୁହି । ଦେବମାତାଙ୍କୁ ଏତେ କ‌ହି ॥୬୩
ତକ୍ଷଣେ ହୋଇଲେ ଅନ୍ତର । ଶୁଣ ପରୀକ୍ଷ ନୃପବର ॥୬୪
ଏମନ୍ତ ବିଷ୍ଣୁର ବଚନ । ଶୁଣି ଅଦିତି ତୋଷମନ ॥୬୫
ଆନନ୍ଦେ ପ୍ରଭୁ ହୃଷୀକେଶ । କଶ୍ୟପ-ଶରୀରେ ପ୍ରବେଶ ॥୬୬
ବିଷ୍ଣୁର ତେଜେ ବ୍ରହ୍ମ‌ଋଷି । ଉଦୟ-ରବି ପ୍ରାୟ ଦିଶି ॥୬୭
ଅମରଗୁରୁ-ଲଗ୍ନ ବେଳେ । ଉଚ୍ଚେ ଅଛନ୍ତି ଗ୍ରହବଳେ ॥୬୮
ମୁହୂର୍ତ୍ତ ନାମ ଅଭିଜିତ । ପତିକ-କାମିନୀ ଏକ ଯୁକ୍ତ ॥୬୯
ରତି ଆନନ୍ଦେ ରଜ-ବୀର୍ଯ୍ୟେ । ଗର୍ଭ-ସଞ୍ଚାର ଅତି ତେଜେ ॥୭୦
ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ । ତେଜ ପ୍ରକାଶେ ଅନୁଦିନେ ॥୭୧
ଅଦିତି ବିଷ୍ଣୁ ଗର୍ଭେ ଧରି । ଶଶାଙ୍କ ପ୍ରାୟେ ମନୋହାରୀ ॥୭୨
ଦିଶଇ ଅତି ରୂପକାନ୍ତି । ବିଜୁଳି ଯେହ୍ନେ ଝଟକନ୍ତି ॥୭୩
ଦିନ‌କୁ ଦିନ ଶୁଭ୍ରଜ୍ୟୋତି । ଯହିଁ ବିଜୟେ ବିଷ୍ଣୁମୂର୍ତ୍ତି ॥୭୪
ଅଦିତି-ଗର୍ଭର ସଞ୍ଚାର । ଜାଣିଲେ ପ୍ରଭୁ ବେଦବର ॥୭୫
ରଜନୀ-ଅର୍ଦ୍ଧକାଳେ ଆସି । ଅଦିତି ନିଦ୍ରାସ୍ଥାନେ ବସି ॥୭୬
ଗର୍ଭକୁ ଚାହିଁ ପ୍ରଜାପତି । ଆନନ୍ଦେ କଲେ ଦିବ୍ୟସ୍ତୁତି ॥୭୭

ବ୍ରହ୍ମା ଉବାଚ[ସମ୍ପାଦନା]

ଜୟ ଅନନ୍ତ ଉରୁକ୍ରମ । ନମସ୍ତେ ପ୍ରଭୁ ତ୍ରିବିକ୍ରମ ॥୭୮
ନମୋ ବ୍ରହ୍ମଣ୍ୟ ଭାଗବତ । ନମସ୍ତେ ତ୍ରିଗୁଣ ଅଜିତ ॥୭୯
ନମସ୍ତେ ବିଶ୍ୱଗର୍ଭ-ରୂପୀ । ନମସ୍ତେ ତ୍ରୟବେଦବ୍ୟାପୀ ॥୮୦
ତ୍ରିନାଭ ତ୍ରିପୃଷ୍ଠ ତୋ ନାମ । ଶିପିବିଷ୍ଟ ଯେ ତୋର ଧାମ ॥୮୧
ଏ ସୃଷ୍ଟି ଆଦ୍ୟ-ମଧ୍ୟ-ଅନ୍ତେ । ତୁ ନାଥ ବିହରୁ ନିଶ୍ଚିନ୍ତେ ॥୮୨
ତୁ ସେ ଅନନ୍ତ-ଶକ୍ତିଧର । ମନ-ବଚନେ ଅଗୋଚର ॥୮୩
ତୁ କାଳରୂପେ ଏ ଜଗତ । ସୃଷ୍ଟି ପାଳନ କର ଅନ୍ତ ॥୮୪
ତୃଣ ଯେସନେ ଜଳସ୍ରୋତେ । ପଶେ ଜଳଧି ଗର୍ଭଗତେ ॥୮୫
ଏ ସୃଷ୍ଟି ସଂହରୁ ତେମନ୍ତେ । ଅନନ୍ତଶୟନେ ନିଶ୍ଚିନ୍ତେ ॥୮୬
ସ୍ଥାବର ଆଦି ଜନ୍ତୁ ଚାରି । ତୁ ବସୁ ଆତ୍ମାରୂପ ଧରି ॥୮୭
ତୋର ମାୟାର ବଳେ ଜନେ । ତୋ ରୂପ ଜାଣିବେ କେସନେ ॥୮୮
ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । ତୋ ତ‌ହୁଁ କେବା ଅଛି ପରେ ॥୮୯
ଜଳେ ପଡ଼ନ୍ତି ଯେତେ ପ୍ରାଣୀ । ଯେବେ ନ ଲଭନ୍ତି ତରଣୀ ॥୯୦
ସେ କାହିଁ ଜଳଧି ତରିବେ । ଯେ ନ ପଶନ୍ତି ତୋର ଭାବେ ॥୯୧
ଏମନ୍ତେ କରି ଦିବ୍ୟସ୍ତୁତି । ନିଜ ଭୁବନେ ପ୍ରଜାପତି ॥୯୨
ଆନନ୍ଦମନେ ବିଜେ କଲା । ଶୁଣ ରାଜନ ବିଷ୍ଣୁଲୀଳା ॥୯୩
ବାମନ ରୂପ ଧରି ଭାବେ । ବିଷ୍ଣୁ ଯେ ବଳି କି ଛଳିବେ ॥୯୪
ଏ ବାଳୀ ଏକମନେ ଶୁଣି । ନିସ୍ତର ଭବ ତରଙ୍ଗିଣୀ ॥୯୫
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଉପାୟ ତ ନାହିଁ ॥୯୬
କ‌ହିଲା ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବ ଷୋଡ଼ଶୋଽଧ୍ୟାୟଃ ॥

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ଶ୍ରୀକୃଷ୍ଣ ଚିନ୍ତି ରାଜା ଚାହିଁ । ଶୁକ କ‌ହ‌ନ୍ତି ଭାବବ‌ହି ॥୧

ଶୁକ ଉବାଚ[ସମ୍ପାଦନା]

ଶୁଣ ଅଭିମନ୍ୟୁନନ୍ଦନ । ଯେମନ୍ତେ ଜନ୍ମିଲେ ବାମନ ॥୨
ଅଦିତି ପୟୋବ୍ରତ ଫଳେ । ବିଷ୍ଣୁ ଜନ୍ମିଲେ ତାର କୋଳେ ॥୩
ତାଙ୍କ ଚରିତ ଶୁଣ ଏବେ । ଯେ ରୂପେ ବଳିକି ଛଳିବେ ॥୪
ବ୍ରହ୍ମାର ସ୍ତୁତି ଶୁଣି ତୋଷେ । ସେ ହରି ପରମ-ହରଷେ ॥୫
ଅମୃତବେଳେ ସୁଶରୀରେ । ହେଲେ ବାମନ ଅବତାରେ ॥୬
ଗ‌ଗନେ ଯେହ୍ନେ ଦିଙ୍କର । ବାମନ ଉଦରୁ ବାହାର ॥୭
ଅଦିତି ତ‌ହୁଁ ଭୂମିଗତେ । ବାମନ ଦେଖିଲେ ଅଗ୍ରତେ ॥୮
ନୀଳନୀରଦ ତନୁ ବର୍ଣ୍ଣ । ପ୍ରକାଶ କମଳ‌ଲୋଚନ ॥୯
ପୀତବସନ କଟୀଭାଗେ । ତଡ଼ିତ ଯେହ୍ନେ ନୀଳ ମେଘେ ॥୧୦
ରତ୍ନ‌କୁଣ୍ତଳ କର୍ଣ୍ଣ‌ଯୁଗେ । ଶ୍ରୀବସ୍ତ୍ରଚିହ୍ନ ହୃଦଭାଗେ ॥୧୨
ଊରେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ ॥୧୩
ମଣିମୁକୁଟ ଶିରେ ସାଜେ । ରତ୍ନମେଖଳା କଟି ମାଝେ ॥୧୪
ନୂପୁର କଙ୍କଣ ବିରାଜେ । ତେଜେ ଅନଙ୍ଗ-ରୂପ ଗଞ୍ଜେ ॥୧୫
କଣ୍ଠେ ଶ୍ରୀକରସ୍ତୂଭ ମଣି । ଅମୂଲ୍ୟ ରତ୍ନ ସୁଖଞ୍ଜଣି ॥୧୬
ପ୍ରସନ୍ନ ଦଶଦିଗ ଦିଶେ । ସଲିଳେ କମଳ ପ୍ରକାଶେ ॥୧୭
ଜଳଧି ଉଛୁଳେ ଉଲ୍ଲୋଳେ । କାନନେ ନାନାପୁଷ୍ପ ଲୋଳେ ॥୧୮
ଋତୁ ବ‌ହଇ ଗୁଣମତେ । ପ୍ରସରେ ଶରଦ ବସନ୍ତେ ॥୧୯
ସୁଗନ୍ଧ ପବନେ ଆମୋଦ । ଗ‌ଗନେ ମଙ୍ଗଳ-ଶବଦ ॥୨୦
ବ୍ରାହ୍ମଣ‌ଗଣେ ବେଦନାଦେ । ଅନଳ ପୂଜନ୍ତି ସମିଧେ ॥୨୧
ଗୋ ବିପ୍ର ଦେବ ଭୂ ପର୍ବତ । ଆକାଶ ହେଲେ ପ୍ରଫୁଲ୍ଲିତ ॥୨୨
ଭାଦ୍ରବ ମାସ ଶୁକ୍ଳପକ୍ଷେ । ଦ୍ୱାଦଶୀ ଶ୍ରବଣା ଯେ ଋକ୍ଷେ ॥୨୩
ମୁହୂର୍ତ୍ତ ନାମ ଅଭିଜିତ । ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ ॥୨୪
ସର୍ବ ନକ୍ଷତ୍ର ତାରାଗଣେ । ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ॥୨୫
ବିଜୟାଯୋଗର ମଧ୍ୟାହ୍ନେ । ଶଙ୍ଖଦୁନ୍ଦୁଭି ବାଦ୍ୟସ୍ୱନେ ॥୨୬
ମୃଦଙ୍ଗ ପଟ୍ଟ‌ହ ସମାନେ । ଶୁଭନ୍ତି ଭେରୀନାଦ ସ୍ୱନେ ॥୨୭
ବାଜନ୍ତି ଗୋମୁଖ ଆନ‌କ । ପଣବ ତୂରୀ ଯେ ଅନେକ ॥୨୮
ଗୀତ ବିନୋଦ ନୃତ୍ୟଗୋଳ । ଦିଗ ଉଛୁଳନ୍ତି ତୁମୁଳ ॥୨୯
ନାଚନ୍ତି ଅପସରାବୃନ୍ଦ । ଗନ୍ଧର୍ବେ ତାଳ ଯନ୍ତ୍ରବାଦ୍ୟ ॥୩୦
ଦେବତା-ପିତୃ-ମୁନିଗଣେ । ଅଗ୍ନି ସ‌ହିତେ ଜଣେ ଜଣେ ॥୩୧
ସ୍ତବନ୍ତି ସିଦ୍ଧ-ବିଦ୍ୟାଧରେ । ତୁଲେ କିଂପୁରୁଷ-କିନ୍ନତେ ॥୩୨
ଚାରଣ ଯକ୍ଷ ରକ୍ଷ ଆଦି । ପିଶାଚ ଗୁହ୍ୟକ ପ୍ରସିଦ୍ଧି ॥୩୩
ସ୍ତୁତି-ବଚନେ ଗୀତସ୍ୱରେ । ପୁଷ୍ପ ବର୍ଷନ୍ତି ନିରନ୍ତରେ ॥୩୪
ଅଦିତି ପରେ ପୁଷ୍ପବୃଷ୍ଟି । ଯେଣେ ଖଣ୍ତିବ ଜନ୍ମରିଷ୍ଟି ॥୩୫
ଅଦିତି ନିଜ ପୁତ୍ର ଦେଖି । ନିର୍ମଳ କଲା ବେନିଆଖି ॥୩୬
ଶ୍ରୀହରି ନିଜ ଯୋଗତେଜେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥୩୭
କଶ୍ୟପ ଜୟ ଜୟ ବାଣୀ । ମଙ୍ଗଳ ବେକବାକ୍ୟ ଭଣି ॥୩୮
ତକ୍ଷଣେ ପ୍ରଭୁ ଭଗବାନ । ରୂପ ପ୍ରକାଶିଲେ ବାମନ ॥୩୯
ଦେଖିଲେ ସର୍ବଦିଗପାଳେ । ଦେବୀ ଦେବତା ଅନ୍ତରାଳେ ॥୪୦
ବଟୁ ବାମନ ରୂପ ଦେଖି । ମୁନିଏ ଆଶ୍ରମ ଉପେକ୍ଷି ॥୪୧
କଶ୍ୟପ-ଆଶ୍ରମେ ମିଳିଲେ । ଜୟମଙ୍ଗଳ ସ୍ତୁତି କଲେ ॥୪୨
ବିଧାତା ଆଦି ମୁନି ତୁଲେ । ପୁତ୍ରର ଜାତକର୍ମ କଲେ ॥୪୩
ବାମନ-ଉପନୟ ଦେଖି । ସବିତା ଗ‌ଗନ ଉପେକ୍ଷି ॥୪୪
ସାବିତ୍ରୀମନ୍ତ୍ର କର୍ଣ୍ଣେ କ‌ହେ । ଯେଣେ ସବିତା ତେଜ ବ‌ହେ ॥୪୫
ଗୁରୁ ପଇତା ଦେଲେ କନ୍ଧେ । କଶ୍ୟପ ମେଖଳା ଆନନ୍ଦେ ॥୪୬
ଅବନୀ କୃଷ୍ଣାଜିତ ଦେଲା । ଶଶାଙ୍କ ଦଣ୍ତ ସମର୍ପିଲା ॥୪୭
ଅଦିତି ଦେଲା କଉପୀନ । ଆକାଶ କଲା ଛତ୍ର ଦାନ ॥୪୮
ମୁନିଏ କରେ ଦେଲେ ଦର୍ଭ । କମଣ୍ତଳୁ ଯେ ବେଦଗର୍ଭ ॥୪୯
ଶାରଦା ଦେଲେ ଅକ୍ଷମାଳା । ଯେମନ୍ତେ ବୁଦ୍ଧି ଅନର୍ଗଳା ॥୫୦
କୁବେର ରାଜା ଶୁଦ୍ଧଚିତ୍ତେ । ଭିକ୍ଷାପାତ୍ରେକ ଦେଲା ହସ୍ତେ ॥୫୧
ଅମ୍ୱିକା ଭିକ୍ଷା ଦେଲେ ଆଣି । ସଙ୍ଗତେ ବିପ୍ରଗଣ ଘେନେ ॥୫୨
ମୁନିଏ ବ୍ରହ୍ମତେଜ ଦେଲେ । ସ୍ତୁତିବଚନେ ତୋଷ କଲେ ॥୫୩
କଶ୍ୟପ ହୋମ କରାଇଲେ । ବିଧାତା ପୁରୁଷର ବୋଲେ ॥୫୪
ଏମନ୍ତେ ବିପ୍ରରୂପ ଧରି । ପୂର୍ଣ୍ଣ ଆହୁତି ହୋମ କରି ॥୫୫
ତେଣେ ଶୁକ୍ର ଯେ ଯଜ୍ଞବିଧି । ବଳିର ଶତେ ଅଶ୍ୱମେଧି ॥୫୬
କରାଏ ନିଜ ମନ୍ତ୍ରବଳେ । ଅମରେ ସ୍ଥାପିବ ନିଶ୍ଚଳେ ॥୫୭
ସେ କଥା ଜାଣି ଭଗବାନ । ଯେ ରୂପ ଅଦ୍‌ଭୁତ ବାମନ ॥୫୮
ବଳି-ଭୁବନ‌କୁ ଗମନ୍ତେ । ଭୂମି କମ୍ପଇ ପାଦଘାତେ ॥୫୯
ନର୍ମଦା ନ‌ଦୀର ଉତ୍ତରେ । ଭୃଗୁକଚ୍ଛେ ଯେ ବିପ୍ରବରେ ॥୬୦
ବଳିକି ଯଜନମାନେ ବରି । ମିଳି ଭୃଗୁଙ୍କୁ ଆଗ କରି ॥୬୧
ଯଜ୍ଞ କରନ୍ତି ମନ୍ତ୍ରବଳେ । ଯେମନ୍ତେ ଅମର ମଣ୍ତଳେ ॥୬୨
ବଳି ବସିବ ଦୃଢ଼ଚିତ୍ତେ । ନିର୍ଭୟେ କଳ୍ପ ପରିଯନ୍ତେ ॥୬୩
ଏମନ୍ତେ ବଳି-ଯଜ୍ଞବାଟେ । ବାମନ ମିଳିଲେ କପଟେ ॥୬୪
ରବି-କିରଣେ ତାରାପନ୍ତି । ଯେସନେ ହୋନ୍ତି ହତଜ୍ୟୋତି ॥୬୫
ଭାର୍ଗବ ଆଦି ପୁରୋହିତେ । ସଦସ୍ୟ ଯଜମାନ ଯେତେ ॥୬୬
ବାମନ-ତେଜେ ଅନ୍ତଗଲେ । ତମ ଯେସନେ ପ୍ରାତଃକାଳେ ॥୬୭
ରବି ଶଶାଙ୍କ କିବା ବ‌ହ୍ନି । ମିଳିଲେ ନିଜ ତେଜ ଘେନି ॥୬୮
କିବା ସନତ ବ୍ରହ୍ମାସୁତ । ଯଜ୍ଞ ପ୍ରେକ୍ଷଣେ ଉପଗତ ॥୬୯
ଏମନ୍ତେ ଜାଣି ନ ପାରିଲେ । ବାମନ ତେଜେ ଅସ୍ତ ଗଲେ ॥୭୦
ମୁହୂର୍ତ୍ତେ ରହି ଖେଦମନେ । ଚାହାନ୍ତି ମୋହିତ ନୟନେ ॥୭୧
କରି ନ ପାରି ଅନୁମାନ । ସର୍ବେ ହୋଇଲେ ହତଜ୍ଞାନ ॥୭୨
ଉଦକ କମଣ୍ତଳୁ ଘେନି । କରନ୍ତି ସାମ‌ବେଦ ଧ୍ୱନି ॥୭୩
ବିଷ୍ଣୁ ମିଳିଲେ ଯଜ୍ଞବାଟେ । ବଳି ନୃପତିର ନିକଟେ ॥୭୪
କଟିରେ ମର୍କତ ମେଖଳା । ଯଜ୍ଞୋପବୀତ ଅକ୍ଷମାଳା ॥୭୫
କନ୍ଧରେ କୃଷ୍ଣାଜିତ ଶୋହେ । ଉତ୍ତରୀ ପ୍ରାୟ ନିଜଦେହେ ॥୭୬
ଅଦ୍‌ଭୁତ ବାମନ ଶରୀର । ଶିରେ ବିରାଜେ ଜଟାଭାର ॥୭୭
ମାୟାବାମନ ରୂପ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୭୮
ଭୃଗୁ ସ‌ହିତେ ଶିଷ୍ୟ ଯେତେ । ଆସନୁ ଉଠିଲେ ତ୍ୱରିତେ ॥୭୯
ଅଞ୍ଜଳିହସ୍ତ କରି ବେଗେ । ମିଳିଲେ ବାମନର ଆଗେ ॥୮୦
ବଳି ବାମନ ରୂପ ଚାହିଁ । ଆସନ ଦେଲା ବେଗେ ନେଇ ॥୮୧
ଚରଣେ ନମସ୍କାର କରି । କୁଶଳ ବାରତା ପଚାରି ॥୮୨
ପବିତ୍ରଜଳେ ଧୋଇ ପାଦ । ଆନନ୍ଦେ କଣ୍ଠ ଗଦଗଦ ॥୮୩
ପାଦ ଉଦକ ଘେନି ଶିରେ । ରୋମହରଷ କଳେବରେ ॥୮୪
ଯାର ଚରଣସ୍ପର୍ଶ-ଜଳ । ଖଣ୍ତଇ ସର୍ବ ଅମଙ୍ଗଳ ॥୮୫
ଗିରୀଶ ପରମ ଭକ୍ତିରେ । ଯେ ପାଦୋଦକ ଧରେ ଶିରେ ॥୮୬
ବଳି ଯେ ବେନିକର ଯୋଡ଼ି । କ‌ହେ ବାମନ ପାଦେ ପଡ଼ି ॥୮୭

ବଳି ଉବାଚ[ସମ୍ପାଦନା]

ଭୋ ବିପ୍ର ନମୁଁ ତୋ ଚରଣେ । ଅଶେଷ କୁଶଳ କାରଣେ ॥୮୮
ବ୍ରହ୍ମ‌ଋଷିଙ୍କ ତେଜପ୍ରାୟେ । ମୁହିଁ ଦେଖି ତୋର ଦେହେ ॥୮୯
ତୁ ବ୍ରହ୍ମସ୍ୱରୂପ ସାକ୍ଷାତେ । ତୋ ରୂପ ନାହିଁ ଏ ଜଗତେ ॥୯୦
କି ଅର୍ଥେ ତୋହର ଆଗମ । କହ ତୋହର କିସ ନାମ ॥୯୧
ମୋ ପିତୃଗଣେ ଆଜ ତୋଷ । ପବିତ୍ର ମୋର ଗୃହବାସ ॥୯୨
ଆଜ ମୋ ସୁଫଳ ଜୀବନ । ଯେଣୁ ତୋହର ଆଗମନ ॥୯୩
ପବିତ୍ର ହୋଇଲା ମୋ କୁଳ । ଲଭିଲି ଶତକ୍ରତୁ ଫଳ ॥୯୪
ଆଜ ଅନଳେ ଘୃତରାଶି । ଶୁଦ୍ଧେ ଜଳିବ ମୋତେ ତୋଷି ॥୯୫
ଏ ଭୂମି ପବିତ୍ର ମୋହର । ନିର୍ମଳ ଯେହ୍ନେ ସ୍ୱର୍ଗପୁର ॥୯୬
ଭୋ ବିପ୍ର ଦାନ ମାଗ ମୋତେ । ଯେ ଅବା ଇଚ୍ଛା କର ଚିତ୍ତେ ॥୯୭
ଗୋରୁ କାଞ୍ଚନ ଦିବ୍ୟପୁର । କିବା ପ୍ରାସାଦ ମନୋହର ॥୯୮
ଗ୍ରାମ ପାଟଣା କନ୍ୟାଧନ । ଅମୂଲ୍ୟ ବସ୍ତୁ ରତ୍ନମାନ ॥୯୯
ଅନ୍ନବସନ ଆଦି ଯେତେ । ଭୋ ବିପ୍ର ମାଗ ତୋଷଚିତ୍ତେ ॥୧୦୦
ଗଜ ତୁରଙ୍ଗ ସୁଖାସନ । ରଥ ପଲ୍ୟଙ୍କ ଯହିଁ ମନ ॥୧୦୧
କି ଅବା ଅଛି ତୋର ଚିତ୍ତେ । ଭୋ ବିପ୍ର ମାଗ ଇଚ୍ଛା ଯେତେ ॥୧୦୨
ଦେବି ମୁଁ ସତ୍ୟ ମୋ ବଚନ । ଦାରା ତନୟ ବା ଜୀବନ ॥୧୦୩
ଏମନ୍ତେ ବଳି ଶୁଦ୍ଧଚିତ୍ତେ । କହିଲା ବାମନ ଅଗ୍ରତେ ॥୧୦୪
ଏମନ୍ତ ବଳି ବାକ୍ୟ ଶୁଣି । ବାମନ ଧରି କୁଶ ପାଣି ॥୧୦୫
ମଙ୍ଗଳ ସ୍ୱରେ ବେଦ‌ଧ୍ୱନି । କରନ୍ତି ବଳି ମନ‌ଘେନି ॥୧୦୬
ତିନିଭୁବନ କମ୍ପେ ନାଦେ । ସୁଗନେ ଚିନ୍ତ କୃଷ୍ଣପାଦେ ॥୧୦୭
କ‌ହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିବାମନ ସମ୍ୱାଦେ ସପ୍ତଦଶୋଽଧ୍ୟାୟଃ ॥

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

ଶୁକ କ‌ହ‌ନ୍ତି ତୋଷମନେ । ଶୁଣ ପରୀକ୍ଷ ସାବଧାନେ ॥୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ବଳି ବାକ୍ୟ ଶୁଣି । ସନ୍ତୋଷେ ପ୍ରଭୁ ପଦ୍ମ‌ପାଣି ॥୨
ବଳିର ବାକ୍ୟେ ପ୍ରୀତି କରି । ବଟୁ ବାମନ ରୂପ ଧରି ॥୩
ବୋଲନ୍ତି ମଧୁର ବଚନ । ଯେ ବାକ୍ୟ ମୋହେ ପ୍ରାଣୀ ମନ॥୪

ଭଗବାନ ଉବାଚ[ସମ୍ପାଦନା]

ହେ ବଳିରାଜା ତୁହି ଧନ୍ୟ । କୁଳ ଉଚିତ ତୋ ବଚନ ॥୫
ଧର୍ମସଂଯୁତ ଯଶସ୍କର । ପାରଲୌକିକ ଧର୍ମ‌ପର ॥୬
ଯାହାର ବଂଶେ ପୁରୋହିତ । ଭାର୍ଗବ ପଦ୍ମ‌ଯୋନିସୁନି ॥୭
ପ୍ରହ୍ଲାଦ ଯାର ପିତାମ‌ହ । ବିଷ୍ଣୁ ଭଜନେ ମହାଶୟ ॥୮
ଏ କୁଳେ ନାହିଁ ବଳହୀନ । ନିଃସତ୍ତ୍ୱ କୃପଣ ଜୀବନ ॥୯
ବ୍ରାହ୍ମଣେ ଦାନ ତୁମ୍ଭ କୁଳେ । ପ୍ରସିଦ୍ଧି ଭୁବନ ମଣ୍ତଳେ ॥୧୦
ଯାହାର ବଂଶେ ରଣତୀର୍ଥ । ସଂଗ୍ରାମେ ନୁହଁନ୍ତି ନିସତ ॥୧୧
ଅତିଥି ଆଗମନ ସୁଖୀ । ଦୁଃଖଜନ‌ଙ୍କ ଦୁଃଖେ ଦୁଃଖୀ ॥୧୨
ନିର୍ମଳ ଯଶ ଯାର କୁଳେ । ବିଖ୍ୟାତ ଭୁବନମଣ୍ତଳେ॥୧୩
ପ୍ରହ୍ଲାଦ ଜାତ ଯେଉଁ କୁଳେ । ଯେହ୍ନେ ଶଶାଙ୍କ ତାରା ମେଳେ ॥୧୪
ଯେ ବଂଶେ ହିରଣ୍ୟାକ୍ଷ ବୀର । ଦେବ-ଦାନବେ ଅଗୋଚର ॥୧୫
ହିରଣ୍ୟାକ୍ଷ ଯେ ଗଦାପାଣି । ଉଦ୍ଦଣ୍ତେ ଭ୍ରମଇ ଧରଣୀ ॥୧୬
ତାହାର ସଙ୍ଗେ ଗଦାଯୁଦ୍ଧେ । କେହି ନ ମିଳେ ରଣମଧ୍ୟେ ॥୧୭
ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥୧୮
ପାତାଳୁ ଆଗମନ କାଳେ । ସେ ବୀର ଥିଲା ମହାଜଳେ ॥୧୯
ଅନେକ ମାୟାଯୁଦ୍ଧ କଲା । ବିଷ୍ଣୁର ଗଦାଘାତେ ମଲା ॥୨୦
ତାର ମହିମା ଚକ୍ରପାଣି । ଆନନ୍ଦେ ରୁଦ୍ର ଆଗେ ଭଣି ॥୨୧
ହରଗଉରୀଙ୍କ ଅଗ୍ରତେ । ସେ ବିଷ୍ଣୁ କ‌ହେ ତୋଷଚିତ୍ତେ ॥୨୨
ସେ ହରି ହିରଣ୍ୟାକ୍ଷ ମାରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥୨୩
ଆତ୍ମାକୁ ବୀରଜୟୀ ମଣି । ସକଳ ସଭାମଧ୍ୟେ ଭଣି ॥୨୪
ତାହାର ବଧ ଶୁଣି ରଣେ । ହିରଣ୍ୟକଶିପୁ ତକ୍ଷଣେ ॥୨୫
ଭ୍ରାତୃ ମରଣେ କ୍ରୋଧ କରି । ପ୍ରଚଣ୍ତ ଶୂଳ କରେ ଧରି ॥୨୬
ଶମନ ତୁଲ୍ୟ କୋପମନେ । ମିଳିଲା ବିଷ୍ଣୁର ଭୁବନେ ॥୨୭
ଗୋବିନ୍ଦ ତାର ଆଗମନ । ଦେଖିଣ ତେଜିଲେ ଆସନ ॥୨୮
କୃତାନ୍ତ ପ୍ରାୟ ଶୂଳ ତୋଳି । ଧାମଇଁ କୋପେ ମହାବଳୀ ॥୨୯
ସେ ବିଷ୍ଣୁମାୟା ଯୋଗବଳେ । ଅଦ୍‌ଭୁତ ଦେଖି ପଳାଇଲେ ॥୩୦
ଲୀଳାଏ ଯାନ୍ତେ ବନମାଳୀ । ଦେଖି ବିଚାରେ ମ‌ହାବଳୀ ॥୩୧
ଏ ମୋର ମାରିଅଛି ଭାଇ । ନିଶ୍ଚୟେ ଶତ୍ରୁ ମୋର ଏହି ॥୩୨
ଏହାକୁ ପ୍ରାଣେ ନାଶ କଲେ । ତେବେ ଜୀବନେ ଥିବି ଭଲେ ॥୩୩
ଏମନ୍ତେ ଚିନ୍ତି ଶୂଳ ଧରି । ପଛେ ଧାଇଁଲା ରୋଷଭରି ॥୩୪
ବିଷ୍ଣୁ ପଳାନ୍ତି ତାକୁ ଦେଖି । ସଂଭ୍ରମେ ଭୁବନ ଉପେକ୍ଷି ॥୩୫
ଯେଣେ ପଳାନ୍ତେ ନରହରି । ଧାଏଁ ଅସୁର ଶୂଳ ଧରି ॥୩୬
ସେ ବିଷ୍ଣୁ କରନ୍ତି ବିଚାର । ସ୍ୱଭାବେ ଅଜେୟ ଅସୁର ॥୩୭
ଏହାକୁ ମାୟା ମୁଁ ନ‌କଲେ । କେମନ୍ତେ ପୁରେ ଥିବି ଭଲେ ॥୩୮
ଏହାର ହୃଦୟେ ମୁଁ ପଶି । ମାୟାରେ ମଙ୍କୁ ଆକର୍ଷି ॥୩୯
ଯେମନ୍ତେ ମୋତେ ଏ ନ ପାଇ । ବିମୁଖେ ନିଜ ପୁରେ ଯାଇ ॥୪୦
ମୋର ବିଷୟେ କରି କ୍ରୋଧ । କାଳେ ହୋଇବ ପ୍ରାଣେ ବଧ ॥୪୧
ଏମନ୍ତେ ବିଷ୍ଣୁ ବିଚାରିଲେ । ମାୟାରେ ଅନ୍ତର ହୋଇଲେ ॥୪୨
ତାର ଶରୀର ପ୍ରାଣରନ୍ଧ୍ରେ । ବିଷ୍ଣୁ ପଶିଲେ ଯୋଗବନ୍ଧେ ॥୪୩
ବିଷ୍ଣୁ ନ ଦେଖି ମହାକ୍ରୋଧେ । ଗର୍ଜିଲା ଭୟଙ୍କର ନାଦେ ॥୪୪
ଆକାଶ ଦିଗ ଯେ ବିବର । ପୃଥିବୀ ସ୍ୱର୍ଗ ଯେ ସାଗର ॥୪୫
ସର୍ବତ୍ର ଅନ୍ୱେଷଣ କଲା । କୁତ୍ରାପି ହରି ନ ପାଇଲା ॥୪୬
ସେ ବୀର ବିଚାରଇ ମନେ । ଏ ତ ଭାଜିଲା ଭୟଛନ୍ନେ ॥୪୭
ନିଶ୍ଚୟ ବୈକୁଣ୍ଠକୁ ଗଲା । ଏମନ୍ତ ବୋଲି ବାହୁଡ଼ିଲା ॥୪୮
ପଥେ ଚଳନ୍ତେ ମନେ ଭାବି । ବୋଲି ଅବଶ୍ୟ ମାରିବି ॥୪୯
ସେ ମୋର ଭ୍ରାତୃ-ହତ୍ୟାକାରୀ । ଏମନ୍ତେ ମନେ କ୍ରୋଧଭରି ॥୫୦
ଜୀବନ ଥିବା ପରିଯନ୍ତେ । ବିଷ୍ଣୁ ନ ଭଜେ କୋପଚିତ୍ତେ ॥୫୧
ହରିର ତୁଲେ ବାଦ କଲା । ଅନ୍ତେ ସେ ବୈକୁଣ୍ଠକୁ ଗଲା ॥୫୨
ତାର ତନୟ ପ୍ରହଲ୍ଲାଦ । ତୋ ପିତା ତାହାର ଦାୟାଦ ॥୫୩
ବିଷ୍ଣୁଭକତ ମହାଶୟ । ଦେବଦାନବେ ସେ ଅଜେୟ ॥୫୪
ଦେବଙ୍କ କପଟ ଜାଣିଲା । ବ୍ରାହ୍ମଣ ବୋଲି ଆୟୁ ଦେଲା ॥୫୫
ତାହାର ବଂଶେ ତୁହି ଜାତ । ସ୍ୱଭାବେ ଅଟୁ ଭାଗ୍ୟବନ୍ତ ॥୫୬
ବ୍ରହ୍ମାଣ୍ତେ ମହିମା ତୋହର । ଏ କୁଳେ ଅତି ଯଶସ୍କର ॥୫୭
ତିନିଭୁବନେ ତୁ ଯେ ରାଜା । ସର୍ବେ କରନ୍ତି ପାଦପୂଜା ॥୫୮
ଏଣୁ ତୋହର ହସ୍ତେ ତୁହି । ନିବାସ ଅର୍ଥେ କିଛି ଭୂଇଁ ॥୫୯
ମୋହର ପାଦେ ପାଦ ତିନି । ମାପିଣ ଦିଅ ହେ ମେଦିନୀ ॥୬୦
ଦାରା ତନୟ ମୋର ନାହିଁ । କେବଳ ବାସ୍ତୁ ମୁଁ ଇଚ୍ଛଇ ॥୬୧
ଏ ଭୂମିଦାନ ଦିଅ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ॥୬୨
ତୁ ଅଟୁ ଜଗତ ଈଶ୍ୱର । ଆନେ କି ପ୍ରୟୋଜନ ମୋର ॥୬୩
କ‌ହ‌ନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥୬୪
ବଳି ବାମନ-ବାକ୍ୟ ଶୁଣି । ହ‌ସି କ‌ହଇ ମନେ ଗୁଣି ॥୬୫

ବଳି ଉବାଚ[ସମ୍ପାଦନା]

ଭୋ ବିପ୍ର ଶୁଣ ମୋ ଉତ୍ତର । ତୁ ଅଟୁ ବାଳକ ଶରୀର ॥୬୬
ବୃଦ୍ଧର ପ୍ରାୟେ କଥା କ‌ହୁ । ବିଚାରେ ବାଳକ ତୁ ନୋହୁ ॥୬୭
ସ୍ୱଭାବେ ବାଳବୃଦ୍ଧି ଘେନି । ନ ଜାଣୁ ଆତ୍ମା-ଲାଭ-ହାନି ॥୬୮
ଅଜ୍ଞାନ ପ୍ରାୟେ ବ‌ହୁମତି । ଏ ତୋର ବିପରୀତ ଗତି ॥୬୯
ମୁହିଁ ତ୍ରିଲୋକେ ଏକ ରାଜା । ସର୍ବେ କରନ୍ତି ପାଦପୂଜା ॥୭୦
ତ୍ରିପାଦ ଭୂମି ମାଗୁଁ ମୋତେ । ଏ ଦାନ ଦେବି ମୁଁ କେମନ୍ତେ ॥୭୧
ଲୋକେ କରିବେ ଉପ‌ହାସ । ଏ କଥା ନୋହଇ ବିଶ୍ୱାସ ॥୭୨
ଯେ ବିପ୍ର ମୋର ଦାନ ନେବ । ସେ କିମ୍ପା ଆନ‌କୁ ମାଗିବ ॥୭୩
ଏଣୁ ବ‌ହୁତ-ବୃତ୍ତିକାରୀ । ଭୋ ବିପ୍ର ମାଗ ବସୁନ୍ଧରୀ ॥୭୪
ଏମନ୍ତ ବଳି ମୁଖୁଁ ଶୁଣି । ବଟୁ-ବାମନ କ‌ହେ ପୁଣି ॥୭୫

ବାମନ ଉବାଚ[ସମ୍ପାଦନା]

ଶୁଣ ହୋ ବଳି ନୃପନାଥ । ଅଜ୍ଞାନୀଜନଙ୍କର ମତ ॥୭୬
ସମୁଦ୍ର ଆବରଣେ ମହୀ । ଏତେ ସମ୍ପଦ ଯେବେ ପାଇ ॥୭୭
ତେବେ ହେଁ ଆଶା ନ ପୂରଇ । ଶୁଣ ନୃପତି ମନ‌ଦେଇ ॥୭୮
ସପତଦ୍ୱୀପେ ଅଧିପତି । ଥିଲେ ଯେ ଅନେକ ନୃପତି ॥୭୯
ବେଣତନୟ ଗୟ ଆଦି । ଅସଂଖ୍ୟ-ଅତୁଳ-ସମ୍ପତ୍ତି ॥୮୦
ସେ ଅର୍ଥ-କାମ ଯେତେ କଲେ । ତୃଷ୍ଣାର ଅନ୍ତ ନ ପାଇଲେ ॥୮୧
ପୂର୍ବର କର୍ମଫଳ ଲଇ । ଯେ ଦିନେ ଯେ ଅବା ମିଳଇ ॥୮୨
ତେଣେ ସନ୍ତୋଷ ଚିତ୍ତ ଯାର । ସେ ପ୍ରାଣୀ ତ୍ରିଜଗତେ ସାର ॥୮୩
ସନ୍ତୋଷେ ତେଜ ବଢ଼େ ଭଲେ । ଘୃତେ ଅନଳ ଯେହ୍ନେ ଜଳେ ॥୮୪
ଯେ ଅର୍ଥ-କାମେ ଅସନ୍ତୋଷ । ହେଳେ ତା ତେଜ ହୋଏ ନାଶ ॥୮୫
ଉଭୟଲୋକେ ସୁଖ ନାହିଁ । ସେ ପ୍ରାଣୀ ଥିବ ଅବା କାହିଁ ॥୮୬
ଅର୍ଜନେ ଅସନ୍ତୋଷ ହେଲେ । ଅତୁଷ୍ଟେ ପଡ଼ଇ ପାତାଳେ ॥୮୭
ଅତୁଷ୍ଟି ଜଳବିନ୍ଦୁ ହୋଇ । ଅଗ୍ନିର ତେଜ ସେ ଲିଭାଇ ॥୮୮
ଏଣୁ ସମ୍ପଦେ କାର୍ଯ୍ୟ ନାହିଁ । ତ୍ରିପାଦ ଭୂମି ଦିଅ ତୁହି ॥୮୯
ଏକଇ ମାତ୍ର ମୋ ଜୀବନ । ଅଧିକେ କିବା ପ୍ରୟୋଜନ ॥୯୦
ଆନନ୍ଦେ କ‌ହେ ବ୍ୟାସସୁତ । ଶୁଣ ହେ ନୃପ ପରୀକ୍ଷିତ ॥୯୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ ବିପ୍ର ଯ‌ହୁଁ ଭାଷି । ସେ ବାକ୍ୟ ଶୁଣି ବଳି ହସି ॥୯୨
ବୋଲଇ ଧରି କୁଶପାଣି । ତୋ ପାଦ-ପ୍ରମାଣେ ଧରଣୀ ॥୯୩
ଦେବଇଁ ସତ୍ୟ ମୋ ବଚନ । ଭୋ ବିପ୍ର ତୋଷଚିତ୍ତେ ଘେନ ॥୯୪
ଶୁକ୍ର ଯେ ବଳି ପାଶେ ଥିଲା । ଦାନର ନିର୍ଣ୍ଣୟ ଜାଣିଲା ॥୯୫
କରଅଞ୍ଜଳି ବ୍ୟଗ୍ରେ ଧରି । ବଳିକି କ‌ହେ ଆଗସରି ॥୯୬

ଶୁକ୍ର ଉବାଚ[ସମ୍ପାଦନା]

ଶୁଣ ହେ ବିରୋଚନ ସୁତ । ତୋର ଦେଖଇଁ ବିପରୀତ ॥୯୭
ପାତ୍ର-ଅପାତ୍ର ତୁ ନ ଜାଣୁ । ବିପ୍ରଙ୍କୁ ଦାନେ ପରିମାଣୁ ॥୯୮
ଦେଖ ଏ ପ୍ରଭୁ ଭଗବାନ । କପଟେ ଶରୀର ବାମନ ॥୯୯
ବିବୁଧକୁଳ ରକ୍ଷା କାର୍ଯ୍ୟେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ॥୧୦୦
ଅଦିତି-ଗର୍ଭେ ଜାତ ହୋଇ । ଅଇଲେ ତୋର ମନମୋହି ॥୧୦୧
ଅର୍ଥ ଅନର୍ଥ ତୁ ନ ଜାଣି । ହସ୍ତେ ଧଇଲୁ କୁଶପାଣି ॥୧୦୨
ଦିତିର ଗର୍ଭେ ଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥୧୦୩
ଏ ବିଷ୍ଣୁ ତୋର ଯଶଶିରୀ । ମାୟା ବାମନ ରୂପେ ହରି ॥୧୦୪
ଇନ୍ଦ୍ରକୁ ଦେବ ବୁଦ୍ଧିବଳେ । ତୁ ମୂଢ଼ ପଶିବୁ ପାତାଳେ ॥୧୦୫
ତିନିଚରଣେ ତିନିପୁରେ । ସମ୍ପଦ ହରିବ ତୋହର ॥୧୦୬
ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ । ତୁ ମୂଢ଼ ବିଶ୍ରାମିବୁ କାହିଁ ॥ ୧୦୭
ପାଦକେ ଅବନୀ ପୂରିବ । ଶରୀର ବ୍ରହ୍ମାଣ୍ତେ ଘୋଟିବ ॥୧୦୮
ଦ୍ୱିତୀୟ ପାଦେ ହୃଷୀକେଶ । ବିକ୍ରମି ଘେନିବ ଆକାଶ ॥୧୦୯
ତୃତୀୟପାଦ କାହୁଁ ଦେବୁ । ନିଶ୍ଚୟେ ନରକେ ପଡ଼ିବୁ ॥୧୧୦
ସଙ୍କଳ୍ପ କରି ଦାନ ଅର୍ଥେ । ପଛେ ନ ଦ୍ୟନ୍ତି ଯେ ଯୁଗତେ ॥୧୧୧
ସେ କାହିଁ ଥିବେ ଏ ସଂସାରେ । ପଡ଼ନ୍ତି ଅନ୍ଧତମ ଘୋରେ ॥୧୧୨
ଯେ ଦାନେ ବୃତ୍ତି ଯାଏ ନାଶ । କୁଳ ସମ୍ପଦ ଧର୍ମ ଯଶ ॥୧୧୩
ସେ ଦାନ କେବେହେଁ ନ‌କରି । ଯଶ ସମ୍ପଦ ପରିହରି ॥୧୧୪
ଧର୍ମ ଅର୍ଥ ଯେ ଯଶ କାମ । ଆବର କୁଟୁମ୍ବ ପୋଷଣ ॥୧୧୫
ଏଥକୁ ରଖି ଦାନ କଲେ । ଆନନ୍ଦ ଲଭେ ପ୍ରାଣୀ ଭଲେ ॥୧୧୬
ପୂର୍ବେ ଯେ ସିଦ୍ଧମୁନି ଯେତେ । ସେ କ‌ହିଛନ୍ତି ଧର୍ମଶାସ୍ତ୍ରେ ॥୧୧୭
ତାହା କ‌ହିବା ତୋ ଅଗ୍ରତେ । ରାଜନ ଶୁଣ ଏକଚିତ୍ତେ ॥୧୧୮
ମନବଚନେ ସତ୍ୟକରି । ଓଁ କାର-ବାକ୍ୟ ଯେ ଉଚ୍ଚାରି ॥୧୧୯
ଦେବି ମୁଁ ବୋଲି ସତ୍ୟକରେ । କେ ତାହା ଜ୍ଞାନ ଥାଉଁ ହରେ ॥୧୨୦
ମିଥ୍ୟା ବୋଲିଟି ତାର ନାମ । ଜାଣ ହେ ଅସୁରଉତ୍ତମ ॥୧୨୧
ଏ ଦେହ-ବୃକ୍ଷ ମିଥ୍ୟାମୂଳ । ସତ୍ୟ ଯେ ତାର ଫୁଲଫଳ ॥୧୨୨
ବୃକ୍ଷର ନାଶେ ନାଶ ଯାନ୍ତି । ବୃକ୍ଷର ମୂଳ ଥିଲେ ଥାନ୍ତି ॥୧୨୩
ସଙ୍କଳ୍ପ-ସତ୍ୟ ନାଶ ଯାନ୍ତେ । ଅଙ୍କୁର ନୁହଁଇ ବିହିତେ ॥୧୨୪
ଅ କାର ଉ କାର ମ କାରେ । ଶବ୍ଦ ଉଚ୍ଚାର ପ୍ରଣବରେ ॥୧୨୫
ଯେ ତାହା ଅଜ୍ଞାନେ ହରନ୍ତି । ନିଜ ଶରୀର ନ ଧରନ୍ତି ॥୧୨୬
ରତି-ସମ୍ଭାଗେ ନାରୀ ସଙ୍ଗେ । ବିବାହେ କନ୍ୟାବର ଯୋଗେ ॥୧୨୭
ବୃତ୍ତ୍ୟର୍ଥେ ପ୍ରାଣର ସଙ୍କଟେ । ଗୋରୁ-ବ୍ରାହ୍ମଣଙ୍କର କଷ୍ଟେ ॥୧୨୮
ମିଥ୍ୟା କ‌ହିଲେ ଯେବେ ତରେ । ଏ କଥା କେ ଅବା ନ କରେ ॥୧୨୯
ଗୁରୁ ଏମନ୍ତ ବାକ୍ୟ କ‌ହି । ବଳି ତା ବାକ୍ୟେ ମନ ଦେଇ ॥୧୩୦
ସଂଶୟ ରହିଲା ତା ଚିତ୍ତେ । ଗୁରୁ ବଚନେ ଧର୍ମମତେ ॥୧୩୧
ବଳି-ବାମନ ବାକ୍ୟବନ୍ଧେ । ଯେମନ୍ତେ ଏ ଅଷ୍ଟମସ୍କନ୍ଧେ ॥୧୩୨
ସୁଜନେ ଶୁଣ ଏକ ଚିତ୍ତେ । ହରିଚରିତ ଭାଗବତେ ॥୧୩୩
ଶ୍ରୀହରି-ଚରିତ ଏ ଭାବ । ଭାବିଲେ ସଂସାରୁ ତରିବ ॥୧୩୪
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ଅଷ୍ଟାଦଶୋଽଧ୍ୟାୟଃ ॥

ଊନବିଂଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ[ସମ୍ପାଦନା]

ଶୁକ କ‌ହ‌ନ୍ତି ମୃଦୁବାଣୀ । ଶୁଣ ପାଣ୍ତବ-ଚୂଡ଼ାମଣି ॥୧
ବଳି ଯେ ଅସୁରଙ୍କ ପତି । ସ୍ୱଭାବେ ଧର୍ମେ ଶୁଦ୍ଧମତି ॥୨
କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥୩
ତୁନି ହୋଇଲା କ୍ଷଣମାତ୍ର । ଶିଥିଳେ କମ୍ପମାନ ଗାତ୍ର ॥୪
କ୍ଷଣକେ ଗୁରୁ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥୫

ବଳି ଉବାଚ[ସମ୍ପାଦନା]

ଭୋ ଗୁରୁ ସତ୍ୟ ତୁମ୍ଭ କଥା । ଗୃହସ୍ଥ ଧର୍ମର ବ୍ୟବସ୍ଥା ॥୬
ଯେ ଧର୍ମେ ଅର୍ଥ କାମ ଯଶ । ବୃତ୍ତି ସ‌ହିତେ ଯିବ ନାଶ ॥୭
ଏବେ ମୁଁ ଧନେ ହୋଇ ଲୋଭୀ । ବିପ୍ରଙ୍କୁ କେମନ୍ତେ ଲଂଘିବି ॥୮
ସର୍ବଦେବତା ବିଷ୍ଣୁ ଦେହେ । ବ୍ରାହ୍ମଣ ଦେହେ ବିଷ୍ଣୁ ରହେ ॥୯
ଏକ ବିପ୍ରଙ୍କୁ ବଞ୍ଚାଇଲେ । ବ୍ରହ୍ମାଣ୍ତ ନାଶ ଯାଇ ଭଲେ ॥୧୦
ମୁଁ ପ୍ରହଲ୍ଲାଦ ବଂଶେ ଜାତ । ଏ କଥା ଜଗତେ ବିଖ୍ୟାତ ॥୧୧
କେମନ୍ତେ ସତ୍ୟବାକ୍ୟ କ‌ହି । କପଟ କରି ମାୟା ବ‌ହି ॥୧୨
ଲଂଘିବି ପାପ-କର୍ମ-ବଳେ । ଅଯଶ ଲଭିବି ଶୟଳେ ॥୧୩
ସତ୍ୟ ଉପରେ ଧର୍ମ ନାହିଁ । ଏ କଥା ଭୂମି ଅଛି କ‌ହି ॥୧୪
ସର୍ବ ଅପ୍ରାଧ ସ‌ହିପାରେ । ମିଥ୍ୟାର ଭାରେ ମୁହିଁ ଡରେ ॥୧୫
ଅଧର୍ମ କରନ୍ତି ଯେ ଜନେ । ନରକେ ପଡ଼ନ୍ତି ସେମାନେ ॥୧୬
ନ ଡ଼ରେ ଦୁଃଖ ପାରାବାରେ । ନରକେ କିବା ମରଣରେ ॥୧୭
ସ୍ୱସ୍ଥାନ ଭ୍ରଷ୍ଟେ ନାହିଁ ତପ । ବିପ୍ର-ଲଂଘନେ ମହାପାପ ॥୧୮
ଏ ଭୂମି ଛାଡ଼ି ଅନ୍ତକାଳେ । ମୁହିଁ ଗମିବି ଅନ୍ତରାଳେ ॥୧୯
ଏ ଭୂମି ବିପ୍ର କରେ ଦେଇ । କେମନ୍ତେ ଲଂଘିବଇଁ ମୁହିଁ ॥୨୦
ପ୍ରାଣୀଙ୍କ ହିତେ ସାଧୁଜନ । ତ୍ୟଜନ୍ତି ଏ ଧନ-ଜୀବନ ॥୨୧
ଦ‌ଧୀଚି ଆଦି ଋଷି ଯେତେ । ପୂର୍ବେ ଯେ ସାଧବ ସମସ୍ତେ ॥୨୨
ପୃଥିବୀ ଆତ୍ମ‌ବଶ କଲେ । ସଙ୍ଗତେ କିବା ଘେନିଗଲେ ॥୨୩
ମୋହର ବଂଶର ଅସୁରେ । ଏ ଭୂମି ମଧ୍ୟେ ଯେତେ ଥିଲେ ॥୨୪
ସେ ସର୍ବ କାଳେ ଅସ୍ତ ଗଲେ । ଯଶ ରହିଲା ମହୀତଳେ ॥୨୫
ସମରେ ଯେ ବୀରେ ପଶନ୍ତି । ଆତ୍ନ-ବିଚାର ନ କରନ୍ତି ॥୨୬
ଯେ ତୀର୍ଥେ ତ୍ୟଜନ୍ତି ଶରୀର । ସ୍ୱଧର୍ମେ କରନ୍ତି ବିଚାର ॥୨୭
ଯେ ସତପାତ୍ରେ ଦ୍ୟନ୍ତି ଦାନ । ସେ ସର୍ବେ ସାତ୍ତ୍ୱିକ-ଜୀବନ ॥୨୮
ଏ ସତ୍ୟ-ଧର୍ମ ଦୂର କରି । ତୁମ୍ଭ ବଚନ ମନେ ଧରି ॥୨୯
ଏ ମୋର ଶରୀର ନଥିବ । ଏଥକୁ ସାକ୍ଷୀ ସଦାଶିବ ॥୩୦
ବ୍ରହ୍ମାର ବଂଶେ ଜାତ ହୋଇ । ଏମନ୍ତ କ‌ହ କାହିଁପାଇଁ ॥୩୧
ନିଶ୍ଚେ ଧରଣୀ ଦେବି ଦାନ । ଏଥକୁ ସାକ୍ଷୀ ଭଗବାନ ॥୩୨
ବେଦ-ବିଧାନ ଯେ ଜାଣନ୍ତି । ଆତ୍ମାକୁ ସର୍ବଭୂତେ ଚିନ୍ତି ॥୩୩
ଅନେକ ଯଜ୍ଞମତେ ଚିନ୍ତି । ଯାର ଚରଣ ନ ଲଭନ୍ତି ॥୩୪
ସେ ହରି ମୋତେ ଦୟା କରୁ । ଅଥବା ଶରୀର ସଂହାରୁ ॥୩୫
ତ‌ହିଁକି ଚିନ୍ତା ମୋର ନାହିଁ । ବିପ୍ରେ ଧରଣୀ ଦେବି ମୁହିଁ ॥୩୬
ଅଧର୍ମ-ମାର୍ଗେ ଯେବେ ମୋତେ । ବିପ୍ର ମାରିବ କୋପଚିତ୍ତେ ॥୩୭
ଏ ବ୍ରହ୍ମ‌ତନୁ ଇଷ୍ଟ ମୋର । ମୁଁ ତ ଏହାର ନିର୍ବଇର ॥୩୮
ଛଦ୍ମେ ବ୍ରାହ୍ମଣ ରୂପ ଧରି । ବିଷ୍ଣୁ ମୋ ସଙ୍ଗେ ବାଦ କରି ॥୩୯
ଯେବେ ମାରିବେ ଯୁଦ୍ଧେ ମୋତେ । ମୋ ତ‌ହୁଁ ଧନ୍ୟ କେ ଜଗତେ ॥୪୦
ବ୍ୟାସତନୟ କ‌ହେ ଧୀର । ଶୁଣ ପରୀକ୍ଷ ମ‌ହୀଧର ॥୪୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଶୁଣି ବଳି ମୁଖେ । ସେ ଭୃଗୁସୁତ ମନ‌ଦୁଃଖେ ॥୪୨
ବଳିର ସତ୍ୟକଳ୍ପ ଦେଖି । କ୍ରୋଧେ ଅରୁଣ କଲା ଆଖି ॥୪୩
କଟାକ୍ଷ ନୟନେ ଅନାଇଁ । ମୁଖେ କି ଅନଳ ଜଳଇ ॥୪୪
ନିର୍ଘାତେ କମ୍ପିତ-ନିଃଶ୍ୱାସେ । ବଳିକି ଶାପ ଦେଲା ରୋଷେ ॥୪୫

ଶୁକ୍ର ଉବାଚ[ସମ୍ପାଦନା]

ତୁ ସତ୍ୟସନ୍ଧ ନୃପମଣି । ମୋହର ମହିମା ନ‌ଜାଣି ॥୪୬
ଗର୍ବ ବ‌ହିଲୁ ଯେବେ ଦୁଷ୍ଟ । ସର୍ବ ସମ୍ପଦୁ ହୁଅ ଭ୍ରଷ୍ଟ ॥୪୭
ଏମନ୍ତେ ଗୁରୁଶାପ ପାଇ । ଧରଣୀ-ଦାନେ ମନ‌ଦେଇ ॥୪୮
ବାମନ ବେନିପାଦ ଧରି । ବିଧିପୂର୍ବକ ପୂଜା କରି ॥୪୯
ବଳିର ପତ୍ନୀ ବିନ୍ଧ୍ୟାବଳୀ । କଣ୍ଠେ ଭୂଷଣ ରତ୍ନମାଳୀ ॥୫୦
ଉଦକେ ପୂର୍ଣ୍ଣ ଘଟ ବେଗେ । ଘେନି ମିଳିଲା ସ୍ୱାମୀ ଆଗେ ॥୫୧
ବଳି ବାମନପାଦ ଯୁଗେ । ଜଳ ଢାଳିଲା ନେଇ ବେଗେ ॥୫୨
ପାଦଉଦକ ଘେନି ଶିରେ । ଆନନ୍ଦ ପୁଲକ ଶରୀରେ ॥୫୩
ଯେ ଜଳ ଭୁବନପାବିନୀ । କାନ୍ତକାମିନୀ ଶିରେ ଘେନି ॥୫୪
କୃତାର୍ଥ ହୋଇ କର‌ଯୋଡ଼ି । କିଙ୍କର ପ୍ରାୟେ ପାଦ ପଡ଼ି ॥୫୫
ଆନନ୍ଦ-ସାଗରେ ବୁଡ଼ିଲେ । ଶୂନ୍ୟେ ଯେ ଦେବେ ଦେଖୁଥିଲେ ॥୫୬
ଗନ୍ଧର୍ବଗଣ ବିଦ୍ୟାଧର । ସୁସିଦ୍ଧ ଚାରଣ କିନ୍ନର ॥୫୭
କରନ୍ତି ଜୟ ଜୟ ବାଣୀ । କୁସୁମ କଳ୍ପବୃକ୍ଷୁ ଆଣି ॥୫୮
ସିଞ୍ଚିଣ ସନ୍ଦାକିନୀ-ବାରି । ପୁଷ୍ପ ବରଷି ସ୍ତୁତି କରି ॥୫୯
ସ‌ହସ୍ର ଦୁନ୍ଦୁଭି ଶବଦ । ବଜାନ୍ତି ଚତୁର୍ବିଧ ବାଦ୍ୟ ॥୬୦
ନୃତ୍ୟ କରନ୍ତି ଅପସରୀ । ମଙ୍ଗଳ ନାଦେ ମୋଦଭରି ॥୬୧
ଆଗରେ ଉଭା ତାର ବାଣୀ । ବଳି ଘେନିଲା କୁଶ ପାଣି ॥୬୨
ବେଦ-ବଚନେ ବାକ୍ୟ କରି । କାନ୍ତ-କାମିନୀ ମୋଦଭରି ॥୬୩
ବାମନ କଲେ ବେଦନାଦ । ଧରଣୀ ଦେଲା ତିନିପାଦ ॥୬୪
ଆତ୍ନସନ୍ତୋଷେ ଯେତେ ଧନ । ଦକ୍ଷିଣା ଦେଲା ଯଜମାନ ॥୬୫
ତାର ଦୁର୍ଲ୍ଲଭ କଥା ଶୁଣି । ଦେବେ କରନ୍ତି ଜୟବାଣୀ ॥୬୬
ବାମନ କରେ ଜଳ ଘେନି । ପାଦକେ ଢାଙ୍କିଲେ ଅବନୀ ॥୬୭
ବାମନ ବଳି-ମୁଖ ଚାହିଁ । ବୋଲନ୍ତି ଆଉ ମହୀ କାହିଁ ॥୬୮
ବଳି ବୋଇଲା ଦେବି ସ୍ୱର୍ଗ । ବାମନ ପାଦ ଦେଲେ ବେଗ ॥୬୯
ଦ୍ୱିତୀୟ ପାଦେ ସ୍ୱର୍ଗ ଝାମ୍ପେ । ଘୋର-ଶବଦେ ଦିଗ କମ୍ପେ ॥୭୦
ଅଦ୍‌ଭୁତ ବାମନ ଶରୀର । ପୂରିଲା ସ୍ୱର୍ଗ-ଅଭ୍ୟନ୍ତର ॥୭୧
ବଳି ଯେ ଆଚାର୍ଯ୍ୟ ସ‌ହିତେ । ଅଛନ୍ତି ବାମନ ଅଗ୍ରତେ ॥୭୨
ଦେଖଇ ବାମନ ଶରୀର । ଦେବଦାନ‌ବେ ଅଗୋଚର ॥୭୩
ନିର୍ଗୁଣ ଆତ୍ମା ସେ ସ୍ୱଭାବେ । କିବା ଉପମା ଦେବା ଏବେ ॥୭୪
ବେନିଚରଣ ଭୂ-ଆକାଶେ । ପର୍ବତଗଣ ଜଂଘଦେଶେ ॥୭୫
ବିହ‌ଙ୍ଗ‌ଗଣ ଜାନୁମୂଳେ । ଉଡ଼ନ୍ତି ଜନ୍ତୁ ଅନ୍ତରାଳେ ॥୭୬
ସନ୍ଧ୍ୟା ଦିଶଇ ବସ୍ତ୍ରପ୍ରାୟେ । ନିଜ ସ୍ୱଭାବେ ବିଶ୍ୱକାୟେ ॥୭୭
ଗୁହ୍ୟଦେଶରେ ପ୍ରଜାପତି । ଜଘନେ ଅସୁରେ ବସନ୍ତି ॥୭୮
ନାଭି ପ୍ରଦେଶେ ନଭ ଦିଶେ । ସପତ ସିନ୍ଧୁ କୁକ୍ଷିଦେଶେ ॥୭୯
ଊରେ ବିରାଜେ ତାରାଗଣ । ଯେହ୍ନେ ଅଳଙ୍କାର-ଭୂଷଣ ॥୮୦
ଧର୍ମ ବିରାଜେ ହୃଦମଧ୍ୟେ । ନିଜ ଶରୀର ଅଧଊର୍ଦ୍ଧ୍ୱେ ॥୮୧
ସ୍ତନମଣ୍ତଳେ ଊତ-ସତ୍ୟ । ମନେ ନିବାସ ନିଶାନାଥ ॥୮୨
କମଳା ହୃଦୟେ ବିରାଜେ । ବେନି କମଳ କରେ ସାଜେ ॥୮୩
କଣ୍ଠେ ବିରାଜେ ସାମ‌ବେଦ । ଆବର ଯେ ଅବା ଶବଦ ॥୮୪
ବାସବ ଆଦି ଦିଗପାଳେ । ଭୁଜେ ବସନ୍ତି ଅନ୍ତରାଳେ ॥୮୫
ଗ‌ଗନ ଦିଶେ ଶିର ଦେଶେ । ମେଘେ ଦିଶନ୍ତି କେଶପାଶେ ॥୮୬
ନାସିକା ମଧ୍ୟେ ହୋଇ ଶ୍ୱାସ । ବ‌ହେ ପବନ ଅଣଚାଶ ॥୮୭
ବେନି ଲୋଚନେ ରବି ଦିଶେ । ବଦନେ ଅନଳ ପ୍ରକାଶେ ॥୮୮
ସପତ ଛନ୍ଦ ବାଣୀ ଦେଶେ । ଜିହ୍ୱାରେ ବରୁଣ ପ୍ରକାଶେ ॥୮୯
ବିଧି ନିଷେଧ ଭୂରୁ ଦେଶେ । ରାତ୍ର ଦିବସ ପକ୍ଷ୍ମେ ଦିଶେ ॥୯୦
ଲ‌ଲାଟେ କ୍ରୋଧ ପ୍ରକାଶଇ । ଅଧର ଓଷ୍ଠେ ଲୋଭ ବ‌ହି ॥୯୧
ସ୍ପରଶେ କନ୍ଦର୍ପ ର‌ହଇ । ରେତେ ସଲିଳ ବିରାଜଇ ॥୯୨
ଅଧର୍ମ ପୃଷ୍ଠ ଦେଶେ ରହେ । କ୍ରମଣ ମାର୍ଗେ ଯଜ୍ଞ ଶୋହେ ॥୯୩
ଛାୟାରେ ମୃତ୍ୟୁ ବିରାଜଇ । ହସିତ ମାୟାରେ ବସଇ ॥୯୪
ବୃକ୍ଷ-ଔଷଧି ରୋମଗଣ । ଆଶ୍ରିତ ନାନା ପୁଷ୍ପବନ ॥୯୫
ନ‌ଦୀ-ସମୂହ ନାଡ଼ୀଦେଶେ । ଅଚଳକୁଳ ନ‌ଖେ ବସେ ॥୯୬
ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ । ପ୍ରାଣେ ଦେବତା-ଊଷି ସାଧ୍ୟେ ॥୯୭
ସ୍ଥାବର ଜଙ୍ଗମ ସ‌ହିତେ । କୀଟ ପତଙ୍କ ଦିଶେ ଗାତ୍ରେ ॥୯୮
ସର୍ବାଙ୍ଗେ ଦିଶେ ତିନିପୁର । ଦେବମାନ‌ବେ ଅଗୋଚର ॥୯୯
ନିଜ ଆୟୂଧ ଅଷ୍ଟଭୁଜେ । ଶଙ୍ଖ କମଳ ଚକ୍ର ସାଜେ ॥୧୦୦
ଗଦା ସାରଙ୍ଗ ଅସିବର । ତୂଣ ଅକ୍ଷୟ ବାଣ ଶର ॥୧୦୧
ସୁନ‌ନ୍ଦ ଆଦି ପାରିଷଦେ । ସମୀପେ ଖଟନ୍ତି ଆନ‌ନ୍ଦେ ॥୧୦୨
ଦିଗ ଉଭାରି ଦିଗପାଳେ । ମୁନି ବିବୁଧ ଅନ୍ତରାଳେ ॥୧୦୩
କିରୀଟ ଅଙ୍ଗଦ ଉଜ୍ଜ୍ୱଳ । ଶ୍ରବଣେ ମକରକୁଣ୍ତଳ ॥୧୦୪
ଶ୍ରୀବତ୍ସଚିହ୍ନ ବନମାଳା । କଟୀରେ ସୁବର୍ଣ୍ଣ ମେଖଳା ॥୧୦୫
ବନମାଳାର ଗନ୍ଧ ଆଶେ । ଭ୍ରମରେ ଉଡ଼ୁଛନ୍ତି ପାଶେ ॥୧୦୬
ପାଦକେ ଧରଣୀ ପୁରିଲା । ଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା ॥୧୦୭
ଦିଗ ପୂରିଲା ଅଷ୍ଟଭୁଜେ । ମେଘେ ଦିଶନ୍ତି ଚୂଳ ମାଝେ ॥୧୦୮
ଏମନ୍ତେ ବାମନର ଦେହୀ । ତୃତୀୟ ପାଦ ଠାବ ନାହିଁ ॥୧୦୯
ମ‌ହତ-ଜନ-ତପ-ଲୋକେ । ଲୁଚିଲେ ବାମନ ମସ୍ତକେ ॥୧୧୦
ବୋଲଇ ଦାସ ଜଗନ୍ନାଥ । ଅଦ୍‌ଭୁତ ବାମନ ଚରିତ ॥୧୧୧
ସୁଜନେ ଚିନ୍ତ ଏକ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥୧୧୨
ବଳି-ବାମନର ପ୍ରସ୍ତାବ । ଶୁଣି ତ୍ରିତାପୁ ନିସ୍ତରିବ ॥୧୧୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନବିଶ୍ୱରୂପସର୍ଶନଂ ନାମ ଊନବିଂଶୋଽଧ୍ୟାୟଃ ॥

ବିଂଶ ଅଧ୍ୟାୟ[ସମ୍ପାଦନା]

କ‌ହ‌ନ୍ତି ବ୍ୟାସଙ୍କର ବଳା । ଶୁଣ ପରୀକ୍ଷ କୃଷ୍ଣଲୀଳା ॥୧

ଶୁକ ଉବାଚ[ସମ୍ପାଦନା]

ବାମନ ବିଶ୍ୱରୂପ ଦେଖି । ବୁଜିଲେ ହରବ୍ରହ୍ମା ଆଖି ॥୨
ଭୟେ ମିଳିଲେ ବିଷ୍ଣୁପାଶେ । ଅଭୟ ଚରଣ ବିଶ୍ୱାସେ ॥୩
ଅମର ଆଦି ମୁନିଗଣେ । ନମିଲେ ବାମନ ଚରଣେ ॥୪
ସନନ୍ଦ ଆଦି ଯୋଗୀଜନେ । ବେଦ ଉପବେଦ ସୁମନେ ॥୫
ଯମ ନିୟମ ବେନିପାଶେ । ସର୍ବେ ମିଳିଲେ ମହାତ୍ରାସେ ॥୬
ତର୍କ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ॥୭
ଅପର ଯୋଗୀ ସିଦ୍ଧ ଯେତେ । ଜ୍ଞାନ-ଅନଳ ଜାଳି ଚିତ୍ତେ ॥୮
ଅଶେଷ କର୍ମ‌ବନ୍ଧ-ଫାଶି । ଯେ କରିଛନ୍ତି ଭସ୍ମରାଶି ॥୯
ବେଗେ ମିଳିଲେ ମୋଦଭରି । ସ୍ତୁତି-ବନ୍ଦନ ମୁଖେ କରି ॥୧୦
ହର ବିରଞ୍ଚି ତୋଷମନେ । କରସଂପୁଟ ଉପାୟନେ ॥୧୧
ବାମନ ପାଦତଳେ ଥୋଇ । ତକ୍ଷଣେ ବ୍ରହ୍ମା ଆଗ ହୋଇ ॥୧୨
ଯେ ବିଷ୍ଣୁ ନାଭିପଦ୍ମୁ ଜାତ । ଯାହାରେ ସର୍ଜିଲା ଜଗତ ॥୧୩
ଆନନ୍ଦେ ଭରି କମଣ୍ତଳେ । ଶୁଚି ପବିତ୍ର ଶୁଦ୍ଧଜଳେ ॥୧୪
ମନ୍ତ୍ର ଉଚ୍ଚାରି କରେ ଘେନି । ଯେ ନୀର ଭୁବନ ପାବନୀ ॥୧୫
ବାମନ-ପାଦ ଶୂନ୍ୟେ ଗଲା । ବାଜନ୍ତେ ବ୍ରହ୍ମାଣ୍ତ କମ୍ପିଲା ॥୧୬
ସେ ଅଣ୍ତ ଭେଦି ଜଳରାଶି । ବେଗେ ବ୍ରହ୍ମାଣ୍ତ ମଧ୍ୟେ ପଶି ॥୧୭
ବିଷ୍ଣୁ-ଚରଣ ପଖାଳିଲା । ପତିତପାବନୀ ହୋଇଲା ॥୧୮
ସେ ଜଳ କମଣ୍ତଳେ ଘେନି । ବିଷ୍ଣୁ ସମୀପେ ପଦ୍ମ‌ଯୋନି ॥୧୯
ସଙ୍ଗତେ ଘେନି ଦେବଗଣ । ଯେ ସିଦ୍ଧ କିନ୍ନର ଚାରଣ ॥୨୦
ଯେ ଯାର ଘେନି ଉପାୟନ । ମିଳିଲେ ବିଷ୍ଣୁ ସନ୍ନିଧାନ ॥୨୧
ନମି ବାମନ ପାଦତଳେ । ନିଜ ଅଧିକାର ନିଶ୍ଚଳେ ॥୨୨
ଗଙ୍ଗା ଯେ କମଣ୍ତଳେ ଥିଲା । ବ୍ରହ୍ମା ବିଷ୍ଣୁପାଦେ ଢ଼ାଳିଲା ॥୨୩
ଶୁଦ୍ଧ ପବିତ୍ର ଜଳରାଶି । ଗୋବିନ୍ଦ ନ‌ଖକୋଣେ ପଶି ॥୨୪
ତ‌ହୁଁ ଉଛୁଳି ଅନ୍ତରୀକ୍ଷେ । ପଡ଼ିଲା ମୁନିଙ୍କ ସମକ୍ଷେ ॥୨୫
ସୋମ ଆଦିତ୍ୟଲୋକ ଜିଣି । ସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ ॥୨୬
ସୁମେରୁଶିଖେ ଅନ୍ତରୀକ୍ଷେ । ସେ ଜଳ ପଡ଼ିଲା ପ୍ରତ୍ୟକ୍ଷେ ॥୨୭
ଚତୁରଦିଗେ ଚାରିଧାରେ । ପଡ଼ିଲା ଧରଣୀ ଉପରେ ॥୨୮
ସମୁଦ୍ରେ ମିଶେ ଚାରିଦିଗେ । ନ‌ଦୀ ସ୍ୱରୂପେ ଅତିବେଗେ ॥୨୯
ଏବେ ହୋ ଶୁଣ ମହୀପତି । ଚରଣ ଧୋଇ ପ୍ରଜାପତି ॥୩୦
ଘେନି ସୁଗନ୍ଧ ପୁଷ୍ପମାଳ । ଚନ୍ଦନ କର୍ପୂର ଶୀତଳ ॥୩୧
ସନ୍ନିଧେ ଦୂପ ଦୀପ ଥୋଇ । ଫଳ ଅକ୍ଷତ ଲାଜା ଦେଇ ॥୩୨
ଜୟ ଶବଦେ ସ୍ତୁତି ଭଣି । ନିର୍ମଳ ବାକ୍ୟେ ବେଦବାଣୀ ॥୩୩
ବିଷ୍ଣୁର ମହିମା ଉକତେ । ତାଣ୍ତବ ବାଦ୍ୟ ନୃତ୍ୟଗୀତେ ॥୩୪
ଶଙ୍ଖଦୁନ୍ଦୁଭି ଶୂନ୍ୟେ ଘୋଷେ । ସର୍ବେ ମିଳିଲେ ବିଷ୍ଣୁପାଶେ ॥୩୫
ଅତି ଉଲ୍ଲାସେ ଜାମ୍ବବାନ । ମିଳିଲା ବିଷ୍ଣୁ ସନ୍ନିଧାନ ॥୩୬
ବିଷ୍ଣୁର ଯଶ ଗାଇ ତୋଷେ । ଯେ ଯଶ ପୂରେ ଦଶଦିଶେ ॥୩୭
ଏମନ୍ତ ମହୋତ୍ସବ ଦେଖି । ଅସୁର ଭୁବନ ଉପେକ୍ଷି ॥୩୮
ଦ୍ୱିପାଦ ଦାନେ ସ୍ୱର୍ଗ ମହୀ । ପୂରିଲା ବାମନର ଦେହୀ ॥୩୯
ସ୍ୱସ୍ଥାନେ ରହି ନ ପାରିଲେ । ବଳିର ସମୀପେ ମିଳିଲେ ॥୪୦
ଗୁରୁବଚନେ କୋପଚିତ୍ତେ । ବୋଲନ୍ତି ବଳିର ଅଗ୍ରତେ ॥୪୧

ଅସୁରଗଣ ଉବାଚ[ସମ୍ପାଦନା]

ବ୍ରାହ୍ମଣ ନୋହେ ଏ ବାମନ । ପ୍ରତ୍ୟକ୍ଷେ ପ୍ରଭୁ ଭଗବାନ ॥୪୨
ମାୟାବୀମାନଙ୍କ ମୋହ‌ନ । କପଟେ ମାଗେ ଭୂମିଦାନ ॥୪୩
ମାୟଆବୀମାନଙ୍କର ବର । ସମ୍ପଦ ହରିଲା ତୋହର ॥୪୪
ବାମନରୂପ ଏ ଜଗତେ । ଦେବଙ୍କ କାର୍ଯ୍ୟସିଦ୍ଧି ଅର୍ଥେ ॥୪୫
ଏ ବଳି ନିତ୍ୟେ ସତ୍ୟବ୍ରତ । ବିଶେଷେ ବ୍ରାହ୍ମଣ ଭକତ ॥୪୬
କେବେହେଁ ମିଥ୍ୟା ଏ ନ କ‌ହେ । ଦୁଃଜନଙ୍କୁ ଦୟା ବ‌ହେ ॥୪୭
ଆମ୍ଭର ପ୍ରଭୁ ଏ ରାଜନ । ନିଶ୍ଚେ ବଇରୀ ଏ ବାମନ ॥୪୮
ଆସ ଏହାକୁ ବଧ କର । ବଳିକି ସଙ୍କଟୁ ଉଦ୍ଧର ॥୪୯
ଏ ମଲେ ଶତ୍ରୁ ନାହିଁ ଦୁଜା । ବଳି ହୋଇବ ସ୍ୱର୍ଗେ ରାଜା ॥୫୦
ଆମ୍ଭେ କରିବା ତୋର କାର୍ଯ୍ୟ । ହେ ଦୈତ୍ୟ ବଳି ମହାରାଜ ॥୫୧
ଏମନ୍ତ ବୋଲି ଏକଚିତ୍ତେ । ଅସୁରେ ଧାଇଁଲେ ତୁରିତେ ॥୫୨
ଶୂଳ ଖଡ଼ଗ ଧରି କରେ । ଧାଇଁଲେ ଘୋରନାଦ ଭରେ ॥୫୩
ଶବଦେ ଭୁବନ କମ୍ପିଲା । ସିନ୍ଧୁ କି ଉଛୁଳି ପଡ଼ିଲା ॥୫୪
ତାହାଙ୍କୁ ଦେଖି ବିଷ୍ଣୁଗଣେ । ତକ୍ଷଣେ ଉଭାରିଲେ ରଣୈ ॥୫୫
ମିଳିଲେ କରେ ଶସ୍ତ୍ର ଧରି । ଶଙ୍ଖ-ଶବଦେ ମୋଦ ଭରି ॥୫୬
ନନ୍ଦ ସୁନନ୍ଦ ଜୟ ଆଦି । ବିଜୟ ପ୍ରବଳ ସୁବୁଦ୍ଧି ॥୫୭
ବଳ କୁମୁଦ କୁମୁଦାକ୍ଷ । ବିନତାସୁତ ଆଦି ଦକ୍ଷ ॥୫୮
ବିଶ୍ୱକସେନ ଯେ ଜୟନ୍ତ । ସୁବାହୁ ପିଶଙ୍ଗୀ ସମସ୍ତ ॥୫୯
ସାତ୍ୱତ ପୁଷ୍ପଦନ୍ତ ବୀର । ଶ୍ରୁତଦେବ ଯେ ମନୋହର ॥୬୦
ଦଶସ‌ହସ୍ର ହସ୍ତୀବଳ । ସ୍ୱଭାବେ ତେଜ ଅନର୍ଗଳ ॥୬୧
ବେଗେ ମିଳିଲେ ଘୋରରଣୈ । କୁଞ୍ଜରେ ଯେହ୍ନେ ପଦ୍ମ‌ବନେ ॥୬୨
ଅସୁରବଳ ନାଶ ଦେଖି । ବଳି ହୋଇଲା ମନେ ଦୁଃଖୀ ॥୬୩
ଗୁରୁବଚନ ମନେ ସ୍ମରି । ବୋଲଇ ଜଣ କଣ କରି ॥୬୪
ହେ ବିପ୍ରଚିତ୍ତି ବ୍ୟଗ୍ରଗତି । ହେ ରାହୁ କଉଣପ‌ପତି ॥୬୫
ମୋର ବଚନ ଚିତ୍ତେ ଧର । କେବେ ହେଁ ସମର ନ କର ॥୬୬
ଆମ୍ଭର ନୋହେ ଜୟକାଳ । ଈଶ୍ୱର-ମାୟା ଅନ୍ତ‌ରାଳ ॥୬୭
ଯେ ପ୍ରଭୁ ବଳେ ବଳବନ୍ତା । ପ୍ରାଣୀଙ୍କ ଦୁଃଖ-ସୁଖ-ଦାତା ॥୬୮
ସେ ଯେ ଅଶେଷ ମାୟାଧର । ସଂସାର ଯାର ଖେଡ଼ଘର ॥୬୯
ସେ ଯାକୁ କାଳେ ବାମହୋଇ । ତାହାର ଜୟ ଯଶ କାହିଁ ॥୭୦
ଯେବେ ଦଇବ ଆମ୍ଭପକ୍ଷେ । ସୁକାଳ ହୋଇବ ପ୍ରତ୍ୟକ୍ଷେ ॥୭୧
ତେବେ ଜିଣିବା ଆମ୍ଭେ ରଣେ । ଏମନ୍ତ ବୋଧି ଜଣେ ଜଣେ ॥୭୨

ଶୁକ ଉବାଚ[ସମ୍ପାଦନା]

ବଳି ବଚନ ବୀରେ ଶୁଣି । ଜୟଅଜୟ ପରିମାଣି ॥୭୩
ପୁଣି ମିଳିବୁ ଜୟକାଳେ । ଏମନ୍ତ ବୋଲି ରସାତଳେ ॥୭୪
ପଶିଲେ ମନେ କ୍ରୋଧଭରି । ଏବେ ହୋ ଶୁଣ ଦଣ୍ତଧାରୀ ॥୭୫
ଗରୁଡ଼ ବିଷ୍ଣୁ ଆଜ୍ଞା ପାଇ । ବଳି ସମୀପେ କ୍ରୋଧ ବ‌ହି ॥୭୬
ବରୁଣ ପାଶ ଘେନି କରେ । ବଳିକୁ ଯଜ୍ଞର ଶାଳରେ ॥୭୭
ସୋମ-ଅଭିଷେକ-ଦିବସେ । ବଳିକୁ ବାନ୍ଧେ ଅତି ରୋଷେ ॥୭୮
ଶୁଭିଲା ହାହାକାର ନାଦ । ଅସୁରେ ଲଭିଲେ ବିଷାଦ ॥୭୯
ବଳିର ଦେଖିଣ ବନ୍ଧନ । ବୋଲନ୍ତି ପ୍ରଭୁ ଭଗବାନ ॥୮୦
ତୃତୀୟପାଦ ମୋର କରେ । ଦେଲୁ ଯେ ଓଁକାର ଉଚ୍ଚାରେ ॥୮୧
ଭୂମି ଗ‌ଗନେ ବେନିପାଦ । ଆବର ପାଦ ଶୂନ୍ୟେ ଭେଦ ॥୮୨
ତୃତୀୟପାଦ ଏବେ ଦିଅ । ସଙ୍କଳ୍ପ ଦୋ‌ଷୁ ପାରି ହୁଅ ॥୮୩
ଯାବଟ ଚନ୍ଦ୍ର ସୂର୍ଯ୍ୟ ଦିଶେ । ପବନ ଅନଳ ପ୍ରକାଶେ ॥୮୪
ତାବତ ଭୂମି ଏ ତୋହର । ମୁଁ ଯେ ଘେନିଲି ବେନିପୁର ॥୮୫
ତୃତୀୟପାଦେ ସ୍ଥାନ ଦେଇ । ତୁଏବେ ରହ ସୁଖୀ ହୋଇ ॥୮୬
ନ ଦେଲେ ପଡ଼ିବୁ ନରକେ । ଅଯଶ ହେବ ତିନିଲୋକେ ॥୮୭
ଏମନ୍ତ ବଳି ଆଗେ କ‌ହି । ବିଷ୍ଣୁ ରହିଲେ ସ୍ଥିର ହୋଇ ॥୮୮
ବଳିର ସତ୍ୟ ଧ୍ୟାନ କରି । ମାୟାସଂସାରୁ ଯାନ୍ତି ତରି ॥୮୯
ସୁଜନେ ଏଣେ ମନ ଦିଅ । ଯେବେ ଖଣ୍ତିବ ମାୟାମୋହ ॥୯୦
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିନିଗ୍ରହୋ ନାମ ବିଂଶୋଽଧ୍ୟାୟଃ ॥

ଏକବିଂଶ ଅଧ୍ୟାୟ[ସମ୍ପାଦନା]

କ‌ହ‌ନ୍ତି ଶୁକମୁନି ହସି । ଶୁଣ ପାଣ୍ତବବଂଶ-ଶଶୀ ॥୧
ରାଜନ ଶୁଣ ସ୍ଥିର ହୋଇ । ହରିଚରଣେ ମନ ଦେଇ ॥୨

ଶୁକ ଉବାଚ[ସମ୍ପାଦନା]

ବଳିକି ହରି ଯେତେବେଳେ । ବନ୍ଧନ କଲେ ଦାନ‌ଛଳେ ॥୩
ବନ୍ଧନ-ଦୁଃଖେ ବଳି ମନ । ସାତ୍ତ୍ୱିକେ ନ ଭଜିଲା ଛନ୍ନ ॥୪
ବିଷ୍ଣୁର ପାଦେ ମନ ଦେଇ । କ‌ହ‌ନ୍ତି ଶ୍ରୀମୁଖକୁ ଚାହିଁ ॥୫

ବଳି ଉବାଚ[ସମ୍ପାଦନା]

ଭୋ ନାଥ ମୋର ବାକ୍ୟ ଯେବେ । ମୁହିଁ ଲଂଘିବି ମୂଢ଼ ଭାବେ ॥୬
ଏ କଥା କେବେହେଁ ନ ଘଟେ । ଯେତେ ଜୀବନ ମୋର ତୁଟେ ॥୭
ତୃତୀୟପାଦ ତୋର ହସ୍ତେ । ଦେଇ ମୁଁ ଲଂଘିବି କେମନ୍ତେ ॥୮
ଚରଣ ଅଛି ଯେବେ ତୋର । ଭୋ ନାଥ ଦିଅ ମୁଣ୍ତେ ମୋର ॥୯
ନରକେ ମୋର ଭୟ ନାହିଁ । ପାଶ-ବନ୍ଧନେ ନ ଡରଇ ॥୧୦
ତୋର ନିଗ୍ରହେ ନାହିଁ ଭୟ । ଅସାଧୁବାଦେ ମୋର ଭୟ ॥୧୧
ତୋ ଅନୁଗ୍ରହ ଯାରେ ହୋଏ । ସେ ପ୍ରାଣୀ ସର୍ବଦୁଃଖ ସ‌ହେ ॥୧୨
ତୁ ନାଥ ଅସୁରଙ୍କ ପକ୍ଷେ । ପରୋକ୍ଷ-ଗୁରୁ ତୁ ପ୍ରତ୍ୟକ୍ଷେ ॥୧୩
ଆମ୍ଭର ଚକ୍ଷୁ ମଦେ ଅନ୍ଧ । ସତ୍ୟ ଯେ ମଣୁ ଏ ସମ୍ପଦ ॥୧୪
ଏ ମତେ ଅଞ୍ଜନ ସଦୃଶ । ଦୟାରେ କରୁ ତୁ ପ୍ରକାଶ ॥୧୫
ବଇରୀ କରି ତୋ ବିଷୟେ । ପୂର୍ବେ ଯେ ଥିଲେ ମହାରାୟେ ॥୧୬
ଅନ୍ତେ ଲଭିଲେ ତୋ ଚରଣ । ଯେ ଗତି ମୁନି-ସିଦ୍ଧଗଣ ॥୧୭
ତୁ ନାଥ ମୋତେ ଦୟା କଲୁ । ବରୁଣପାଶେ ଯା ବାନ୍ଧିଲୁ ॥୧୮
ନିଗ୍ରହ କରୁ ଯେତେ ମୋତେ । ସେ ଭୟ ନାହିଁ ମୋର ଚିତ୍ତେ ॥୧୯
ତୋ ଭକ୍ତ ମୋର ପିତାମହ । ସାଧୁ ସୁଗୁଣ ମହାଶୟ ॥୨୦
ତୋର ଚରଣେ ଆଶ୍ରେ କରି । ପିତାର ଦଣ୍ତରୁ ନିସ୍ତରି ॥୨୧
ଜାଣଇ ମିଥ୍ୟା ଏ ସଂସାର । କେ ମିତ୍ର ବନ୍ଧୁ କେବା ପର ॥୨୨
କେବା ଜନ‌ନୀ ଭ୍ରାତା ତାତ । କିବା ସମ୍ପଦ ଏ ଜଗତ ॥୨୩
ପତ୍ନୀ ତନୟ କେହି ନୋହେ । ସର୍ବେ ଯନ୍ତ୍ରିତ ମାୟା ମୋହେ ॥୨୪
ଏ ଯେତେ ସଂସାର ଦେଖଇ । ଜନ୍ମ ମରଣେ ହେତୁ ତୁହି ॥୨୫
ସେ ପୁଣି ଏମନ୍ତ ବିଚାରି । ତୋ ପାଦ ଚିତ୍ତ ଦୃଢ଼ କରି ॥୨୬
ଅନ୍ତେ ପଶିଲା ତୋର ପାଦେ । ମାୟାକୁ ଜିଣି ଅପ୍ରମାଦେ ॥୨୭
ରହିଲା ପାରିଷଦ ହୋଇ । ଜନ୍ମ-ମରଣ ଆର କାହିଁ ॥୨୮
ତୋର ମହିମା ଭାବଗ୍ରାହୀ । ମୁଁ ମୂଢ଼ ଜାଣିବି ତା କାହିଁ ॥୨୯
କ‌ହ‌ନ୍ତି ଶୁକ ବ୍ରହ୍ମ‌ଯତି । ଶୁଣ ହେ ଉତ୍ତରା-ସନ୍ତ‌ତି ॥୩୦

ଶୁକ ଉବାଚ[ସମ୍ପାଦନା]

ଏମନ୍ତେ କ‌ହୁଁ କ‌ହୁଁ ବଳି । ପ୍ରତ୍ୟକ୍ଷେ ଯେସନେ ବିଜୁଳି ॥୩୧
ଗ‌ଗନେ ଶୁଭେ ଶଙ୍ଖନାଦ । ତକ୍ଷଣେ ମିଳେ ପ୍ରହଲ୍ଲାଦ ॥୩୨
ବଳି ନମିଲା ତାଙ୍କୁ ଦେଖି । ବାମନ-ସଙ୍ଗତ ଉପେକ୍ଷି ॥୩୩
ବିଷ୍ଣୁର ପ୍ରାୟେ ତାର ତେଜ । ତୁଲ୍ୟ ନୋହିବେ ଗ୍ରହରାଜ ॥୩୪
ପୀଥବସନ ପରିଧାନ । ସୁନ୍ଦର ନଳିନ ନୟନ ॥୩୫
ଆଜାନୁ ବେନିନାହୁ ଶୋହେ । ରୂପେ ଅନଙ୍ଗ ସମ ନୋହେ ॥୩୬
ବଳି ଆନନ୍ଦ ଗଦଗଦେ । କଣ୍ଠେ କୁଣ୍ଠିତ-ବାକ୍ୟ ରୁନ୍ଧେ ॥୩୭
ଚରଣେ ଦଣ୍ତବତ ହୋଇ । ମନ-କଳ୍ପିତେ ଅର୍ଘ୍ୟ ଦେଇ ॥୩୮
ରହିଲା ପିତାମହ ପାଶେ । ବାମନ-ଅନୁଗ୍ରହ ଆଶେ ॥୩୯
ସେ ପ୍ରହଲ୍ଲାଦ ଅତି ବେଗେ । ନମିଲା ବିଷ୍ଣୁପାଦ‌ଯୁଗେ ॥୪୦
ନୟନେ ଅଶ୍ରୁଜଳ ଭରି । କର-ଅଞ୍ଜଳି ଶିରେ ଧରି ॥୪୧
ଆନନ୍ଦେ ଶୋକ ଗଦଗଦ । ସ୍ତୁତି କରଇ ପ୍ରହଲ୍ଲାଦ ॥୪୨

ପ୍ରହ୍ଲାଦ ଉବାଚ[ସମ୍ପାଦନା]

ତୁ ନାଥ ଅନୁଗ୍ରହ ମନେ । ଏହାକୁ ସ୍ଥାପି ଇନ୍ଦ୍ରାସନେ ॥୪୩
ପୁଣି ଭ୍ରମାଉ ସୁଖସ୍ଥାନୁ । ଯେଣୁ ହୋଇଲା ତୋର ମନ୍ୟୁ ॥୪୪
ନିଶ୍ଚୟ କଲୁ ଅନୁଗ୍ରହ । ଯେଣୁ ନାଶିଲୁ ମାୟାମୋହ ॥୪୫
ନମସ୍ତେ ଜଗତ ଈଶ୍ୱର । ନମସ୍ତେ ଶଙ୍ଖ-ଚକ୍ରଧର ॥୪୬
ତୁ ନାରାୟଣ ବିଶ୍ୱଗୁରୁ । ମହାମହିମ ମହାମେରୁ ॥୪୭
ତୁ ନାରାୟଣ ବିଶ୍ୱରୂପୀ । ବିଶ୍ୱସମ୍ଭୂତ ବିଶ୍ୱବ୍ୟାପି ॥୪୮
ଆତ୍ମାପ୍ରକାଶ ସର୍ବଭୂତେ । ଭୋ ନାଥ ନମସ୍ତେ ନମସ୍ତେ ॥୪୯

ଶୁକ ଉବାଚ[ସମ୍ପାଦନା]

ପ୍ରହଲ୍ଲାଦର ଭକ୍ତି ଦେଖି । ହିରଣ୍ୟଗର୍ଭ ମନେ ସୁଖୀ ॥୫୦
ବେଗେ ନମିଲେ ବିଷ୍ଣୁପାଦେ । ଚତୁରସୁଖେ ବେଦନାଦେ ॥୫୧
ବଳିର ପତ୍ନୀ ଆସେ ବେଗେ । ବିଷ୍ଣୁଚରଣେ ଅନୁରାଗେ ॥୫୨
ସ୍ୱାମୀ କଷଣେ ଅତି ଦୁଃଖୀ । ସ୍ତୁତି କ‌ରଇ ଅଶ୍ରୁମୁଖୀ ॥୫୩

ବିନ୍ଧ୍ୟାବଳୀ ଉବାଚ[ସମ୍ପାଦନା]

ଭୋ ନାଥ ନିଜ କ୍ରୀଡ଼ାଅର୍ଥେ । ତୋର ପ୍ରକାଶ ଏ ଜଗତେ ॥୫୪
ତୋହର ମହିମା ନ ଜାଣି । ଗର୍ବ ବ‌ହ‌ନ୍ତି ଯେତେ ପ୍ରାଣୀ ॥୫୫
ଜ୍ଞାନ ହରାନ୍ତି ସୁଖଭୋଳେ । ସେ କାହିଁଥିବେ ଏ ଶୟଳେ ॥୫୬
ତୋ ପାଦ ସର୍ବ ସୁଖଘର । ଆମ୍ଭଙ୍କୁ ଅନୁଗ୍ରହ କର ॥୫୭
ବ୍ରହ୍ମା ବାମନ ମୁଖ ଚାହିଁ । ସ୍ତୁବନ୍ତି ଶିରେ କର ଦେଇ ॥୫୮

ବ୍ରହ୍ମା ଉବାଚ[ସମ୍ପାଦନା]

ଭୂତଭାବନ ଭୂତଈଶ । ହେ ଦେବଦେବ ଜଗଦୀଶ ॥୫୯
ଏହାକୁ ନିଗ୍ରହ ତୁ କଲୁ । ସକଳ ସମ୍ପଦ ହରିଲୁ ॥୬୦
ସର୍ବସମ୍ପଦ ଦେଇ ତୋତେ । ଭ୍ରାନ୍ତି ନ କଲା କିଛି ଚିତ୍ତେ ॥୬୧
ନିର୍ମଳ ଚିତ୍ତେ ତୋର ପାଦେ । ଅର୍ଘ୍ୟ ନିବେଶି ଅପ୍ରମାଦେ ॥୬୨
ତ୍ରିଲୋକଦାନ ତୋତେ ଦେଲା । ଚିତ୍ତେ ବିଷାଦ ନ ଚିନ୍ତିଲା ॥୬୩
ତୁ ନାଥ ବସୁ ସର୍ବଭୂତେ । ଏହାକୁ ବାନ୍ଧିଲୁ କେମନ୍ତେ ॥୬୪
ତୁ ନାଥ ସର୍ବଚିତ୍ତ ଜାଣୁ । କେ ତୋର ମହିମା ବଖାଣୁ ॥୬୫

ଶୁକ ଉବାଚ[ସମ୍ପାଦନା]

ବ୍ରହ୍ମା ବଚନ ଶୁଣି ହରି । ବଳିକି ଚିତ୍ତେ ଦୟା କରି ॥୬୬
ବୋଲନ୍ତି ପ୍ରଭୁ ଭଗବାନ । ବିଧାତା ଶୁଣ ମୋ ବଚନ ॥୬୭

ଭଗବାନ ଉବାଚ[ସମ୍ପାଦନା]

ମୁଁ ଯାକୁ ଅନୁଗ୍ରହ ବ‌ହି । ତା ସର୍ବ ସମ୍ପଦ ହ‌ରଇ ॥୬୮
ଯେ ଅର୍ଥ-ମଦେ ମତ୍ତ ହୋଇ । ପର ଅପର ନ ଜାଣଇ ॥୬୯
ମୁଁ ଯେ ବସଇ ସର୍ବଭୂତେ । ମୋତେ ନ ଗଣେ ଗର୍ବଚିତ୍ତେ ॥୭୦
ଏ ଜୀବଆତ୍ମା ନିଜ କର୍ମେ । ମାୟାରେ ସର୍ବଭୂତେ ଭ୍ରମେ ॥୭୧
ନାନା-ଯୋନିରେ ଜନ୍ମ ହୋଏ । ଜ୍ଞାନ ନ ଲଭେ ମାୟାମୋହେ ॥୭୨
ଜନ୍ମ କରମ ବୟ ରୂପ । ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ ॥୭୩
ଏ ଭାବେ ଯାର ଗର୍ବ ନାହିଁ । ମୋହର ଅନୁଗ୍ରହ ତ‌ହିଁ ॥୭୪
ଯେ ଜନ ମାନ‌ଗର୍ବ ବ‌ହେ । ଧନ ସମ୍ପଦ ରୂପ ଦେହେ ॥୭୫
ସେ ମୋତେ ଜାଣିବ କେମନ୍ତେ । ମାୟା-ମୋହିତ ଅବିରତେ ॥୭୬
ଏ ଯେ ଦାନବ ଦୈତ୍ୟରାଜା । ନିଜ ସ୍ୱଭାବେ ମହାତେଜା ॥୭୭
ଅସୁରବୁଦ୍ଧି ନ ଘେନିଲା । ଗୁରୁବଚନ ନ ମାନିଲା ॥୭୮
ବନ୍ଧୁ-ବାନ୍ଧବ-ଜ୍ଞାତି ଯେତେ । ଏହାଙ୍କୁ ଛାଡ଼ିଲେ ସମସ୍ତେ ॥୭୯
କେବେ ହେଁ ସତ୍ୟ ନ ଛାଡ଼ିଲା । ମୋର ବଚନେ ମନ ଦେଲା ॥୮୦
ଏ ଭୂମିଦାନ ଦେଲା ମୋତେ । ଏ ଲୋକେ ଥିବ ଏ କେମନ୍ତେ ॥୮୧
ଏହାକୁ ଦେବି ଦିବ୍ୟସ୍ଥାନ । ସ୍ୱର୍ଗ‌ହୁଁ ଦୁର୍ଲ୍ଲଭ ଭୁବନ ॥୮୨
ନିର୍ମିତ ବିଶ୍ୱକର୍ମା ପୁର । ଦେବ-ଦାନ‌ବେ ଅଗୋଚର ॥୮୩
ଯେ ପୁରେ ଆଧି-ବ୍ୟାଧି ନାହିଁ । କାଳର ତେଜ ନ ଲାଗଇ ॥୮୪
ସେ ପୁରେ ଥିବ ଏ ନିଶ୍ଚିନ୍ତେ । ସାବର୍ଣ୍ଣିମନୁ ପରିଯନ୍ତେ ॥୮୫
ସେ ମନୁକାଳେ ସ୍ୱର୍ଗପୁରେ । ବସିବ ଅମର ଶରୀରେ ॥୮୬
ଇନ୍ଦ୍ର ହୋଇବ ସ୍ୱର୍ଗଦେଶେ । ମୁଁ ଏବେ ଥିବି ଏହା ପାଶେ ॥୮୭
ନିଶ୍ଚିନ୍ତେ ଥାଉ ଏ ସୁତଳେ । ଦାରା ତନୟ ଜ୍ଞାତି ମେଳେ ॥୮୮
ଧନ ହିଁ ଥିବ ଅପ୍ରମିତ । ଶତ୍ରୁ ନୋହିବ ଉପଗତ ॥୮୯
ସୁଦରଶନ ତା ଅଗ୍ରତେ । ଆବୋରିଥିବ ଅବିରତେ ॥୯୦
ଦୈତ୍ୟଦାନବ ତାର ସଙ୍ଗେ । ନିରତେ ଥିବେ ମନରଙ୍ଗେ ॥୯୧
ମୁହିଁ ଯେ କରେ ଗଦା ଧରି । ଥିବଇଁ ତା ପୁର ଆବୋରି ॥୯୨
ନିରତେ ଦେଖୁଥିବ ମୋତେ । ଥିବି ମୁଁ ଏହାର ଅଗ୍ରତେ ॥୯୩
ଏମନ୍ତ କ‌ହି ଭଗବାନ । ଫେଡ଼ିଲେ ବଳିର ବନ୍ଧନ ॥୯୪
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥୯୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ-ପ୍ରାଦୁର୍ଭାବେ ବଳି-ବାମନ ସମ୍ବାଦୋ ନାମ ଏକବିଂଶୋଽଧ୍ୟାୟଃ ॥

ଦ୍ୱାବିଂଶ ଅଧ୍ୟାୟ[ସମ୍ପାଦନା]

ହରଷେ କ‌ହେ ବ୍ୟାସସୁତ । ଶୁଣ ରାଜନ ପରୀକ୍ଷିତ ॥୧

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ବିଷ୍ଣୁ ମୁଖୁଁ ଶୁଣି । ବଳି କୃତାର୍ଥ ପ୍ରାୟ ମଣି ॥୨
ସାଧୁ ସୁମତି ସେ ସ୍ୱଭାବେ । ପ୍ରସନ୍ନ ମନେ ପ୍ରିୟ ଭାବେ ॥୩
କର-ଅଞ୍ଜଳି ଶିରେ ଧରି । ରୋମ-ପୁଲକେ ଅଶ୍ରୁଭରି ॥୪
ପ୍ରଣାମ କରି ବିଷ୍ଣୁପାଦେ । ବୋଲେ ଆନନ୍ଦ ଗଦଗଦେ ॥୫

ବଳି ଉବାଚ[ସମ୍ପାଦନା]

ମୋହର ଭାଗ୍ୟ ଏ ଜଗତେ । ଦାନ ମୁଁ ଦେଲି ତୋର ହସ୍ତେ ॥୬
ବ୍ରହ୍ମା-ସୃଷ୍ଟିରେ ହୋଇ ଜନ୍ମ । କେବା ଲଭିବ ଏଡ଼େ କର୍ମ ॥୭
ଭୋ ନାଥ ଅନୁଗ୍ରହ ତୋର । ଦିଗପାଳଙ୍କୁ ଅଗୋଚର ॥୮
କମଳା-ଆଶ୍ର‌ୟ ଯେ ପାଦ । ଦୁର୍ଲ୍ଲଭ ଲଭିଲି ପ୍ରସାଦ ॥୯
କ‌ହ‌ନ୍ତି ଶୁକ ମୁନିବର । ଶୁଣ ପାଣ୍ତବ ବଂଶଧର ॥୧୦

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ବିଷ୍ଣୁପାଦେ କ‌ହି । ପୁତ୍ର-କଳତ୍ର ସଙ୍ଗେ ଲଇ ॥୧୧
ବଳି ଯେ ବସିଲା ନିଶ୍ଚଳେ । ଗୋବିନ୍ଦ ଶ୍ରୀଚରଣ ତଳେ ॥୧୨
ହୁଙ୍କାର ନାଦ ବେଗେ କରି । ନାଭିରୁ ପାଦ ଜାତ କରି ॥୧୩
ତାହାର ଶିରେ ପାଦ ଦେଇ । ଚାପିଲେ ବ୍ରହ୍ମାଣ୍ତଗୋସାଇଁ ॥୧୪
ବଳି ଦେଖନ୍ତେ ବେନିଡୋଳେ । ଗୋବିନ୍ଦ ଚାପିଲେ ପାତାଳେ ॥୧୫
ଭକ୍ତବତ୍ସଳ ଭାବଗ୍ରାହୀ । ସୁତଳପୁରେ ଠାବ ଦେଇ ॥୧୬
ତକ୍ଷଣେ ସୁତଳେ ପ୍ରବେଶ । ଶୁଭିଲା ଜୟ ଜୟ ଘୋଷ ॥୧୭
ଇନ୍ଦ୍ରକୁ ଆଣି ତୋଷମନେ । ସ୍ଥାପିଲେ ଅମର ଭୁବନେ ॥୧୮
ଅଦିତି କଲା ପୟୋବ୍ରତ । ସଫଳ କଲେ ଜଗନ୍ନାଥ ॥୧୯
ଦେଖିଣ ନିଜ ନୀତି ଗତି । କୃତାର୍ଥ ପ୍ରହଲ୍ଲାଦ ମତି ॥୨୦
ଖଣ୍ତିଲେ ଜଗତ ବିଷାଦ । ବଳି ଲଭିଲା ପଦ୍ମ‌ପାଦ ॥୨୧
ଏମନ୍ତେ ନମି ବିଷ୍ଣୁପାଦେ । ଆନନ୍ଦେ ଅଶ୍ରୁ ଗଦଗଦେ ॥୨୨
ହିରବ୍ୟକଶିପୁ କୁମର । ବୋଲଇ ଦେଖ ଭାଗ୍ୟ ମୋର ॥୨୩
ଏ ଜଗନ୍ନାଥଙ୍କ ପ୍ରସାଦ । ଲଭି ନ ପାରେ ବ୍ରହ୍ମା ରୁଦ୍ର ॥୨୪
କମଳା ବକ୍ଷସ୍ଥଳେ ବସେ । କଟାକ୍ଷେ ଜନ‌ଦୁଃଖ ନାଶେ ॥୨୫
ସର୍ବଦା ସମୀପେ ବସଇ । ପ୍ରସାଦ ଲଭି ନ ପାରଇ ॥୨୬
ଯାହା ନ ଲଭେ ବାମଦେବ । ଆନ ବା କେ ତାହା ପାଇବ ॥୨୭
ଯେ ପାଦପଦ୍ମ-ରେଣୁ ଆଶେ । ଯୋଗୀଏ ଯୋଗ ସାଧି ପ୍ରାସେ ॥୨୮
ଅଷ୍ଟାଙ୍ଗ‌ଯୋଗେ ପାଇ ତ୍ରାସ । ଚରଣେ କରୁଥାନ୍ତି ଆଶ ॥୨୯
ସେ କାହିଁ ଲଭିବେ ସେ ଭାବ । ଯାହା ନ ପାନ୍ତି ବ୍ରହ୍ମାଶିବ ॥୩୦
ଏମନ୍ତ ପ୍ରହଲ୍ଲାଦ କ‌ହି । ବାମ‌ନପାଦେ ଶିର ଦେଇ ॥୩୧
ଦେଖି ସନ୍ତୋଷ ଭଗବାନ । କ‌ହ‌ନ୍ତି କୋମଳ ବଚନ ॥୩୨

ଭଗବାନ ଉବାଚ[ସମ୍ପାଦନା]

ପ୍ରହ୍ଲାଦ ଶୁଣ ମୋ ଉତ୍ତର । ଯାଅ ତୁ ସୁତଳ ମନ୍ଦିର ॥୩୩
ଆନନ୍ଦେ ନିଜ ପୌତ୍ର ତୁଲେ । ସୁଖେ ବି‌ହର ଜ୍ଞାତି ମେଳେ ॥୩୪
ମୁଁ ଥିବି ଗଦାପାଣି ହୋଇ । ନିତ୍ୟେ ଦେଖିବୁ ମୋତେ ତୁହି ॥୩୫
ମୋ ଆହାଲ୍ଲାଦ ମୋ ଦର୍ଶନ । ନାଶିବ କର୍ମତ ବନ୍ଧନ ॥୩୬

ଶୁକ ଉବାଚ[ସମ୍ପାଦନା]

ବିଷ୍ଣୁର ବଚନ ଶୁଣିଲା । ଅନେକ ମତେ ସ୍ତୁତି କଲା ॥୩୭
ପ୍ରହ୍ଲାଦ ସଙ୍ଗେ ଦୈତ୍ୟବଳ । ସକଳେ ମିଳିଲେ ସୁତଳ ॥୩୮
ଏବେ ହୋ ଶୁଣ ପରୀକ୍ଷିତ । ଅଦ୍‌ଭୁତ ଗୋବିନ୍ଦ ଚରିତ ॥୩୯
ଏଥୁ ଅନ୍ତରେ ସେ ବାମନ । ଶୁକ୍ରଙ୍କୁ ଆଜ୍ଞା ଦେଲେ ପୁଣ ॥୪୦
ଯାଗର ଶେଷ ତୁମ୍ଭେ କର । ବଳିକି ନ କର ବିଚାର ॥୪୧
ଯେ ଯଜ୍ଞେ ସନ୍ତୋଷ ଭୃଗୁର । ନ୍ୟୁନାତିରିକ୍ତ କାହିଁ ତାର ॥୪୨
ଶ୍ରୀକୃଷ୍ଣ ବାକ୍ୟେ ଭୃଗୁ ତୋଷ । ଯଜ୍ଞାବଶେଷ କରି ଶେଷ ॥୪୩
ଯଜ୍ଞାନ୍ତେ ସେ ଯଜ୍ଞପୁରୁଷ । ତକ୍ଷଣେ ହୋଇଲେ ସନ୍ତୋଷ ॥୪୪
ଯଜ୍ଞପୁରୁଷ ରୂପେ ହରି । ଅନଳ କୁଣ୍ତୁ ଅବତରି ॥୪୫
ଭୃଗୁବଦନ ଚାହିଁ ତୋଷେ । ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ ॥୪୬
ଯଜ୍ଞେ ସ୍ୱଭାବେ ବ୍ରହ୍ମା ଆଦି । ବିପ୍ରେ ଅଛନ୍ତି ବେଦବାଦୀ ॥୪୭
ତାହାଙ୍କୁ ଗଉରବ କରି । କ‌ହ‌ନ୍ତି ଯଜ୍ଞରୂପଧାରୀ ॥୪୮

ଯଜ୍ଞପୁରୁଷ ଉବାଚ[ସମ୍ପାଦନା]

ତୁ ବ୍ରହ୍ମ ସନାତନ ଶିଷ୍ୟ । ଜାଣୁ ତୁ ଏ ଭୂତ ଭବିଷ୍ୟ ॥୪୯
ଆଗମ ନିଗମ ବିଦିତ । ମୁଁ ତ ଦେଖିଲି ବିପରୀତ ॥୫୦
ଯଜ୍ଞ ସଙ୍କଳ୍ପ କଲୁ ହାଦେ । ବଳି ବସିବ ଇନ୍ଦ୍ରପଦେ ॥୫୧
ଏବେ ତୁ କର୍ମଛିଦ୍ର ଦେଖି । ରହିଲୁ ଯଜ୍ଞକୁ ଉପେକ୍ଷି ॥୫୨
ଯଜ୍ଞ ଲଂଘନ-କର୍ମ କଲେ । କେମନ୍ତେ ବର୍ତ୍ତିବୁ ତୁ ଭଲେ ॥୫୩
ଏ ଯଜ୍ଞ ତୋହର ଗୋଚର । ତୁ ଏବେ ପୂର୍ଣ୍ଣାହୁତି କର ॥୫୪
ଫଳ ପାଇବ ଯଜମାନ । ତା କୁଳେ ଥିବ ତୋର ମାନ୍ୟ ॥୫୫

ଶୁକ ଉବାଚ[ସମ୍ପାଦନା]

ଯଜ୍ଞପୁରୁଷ ମୁଖୁଁ ଶୁଣି । ଭୃଗୁ ଅନେକ ସ୍ତୁତି ଭଣି ॥୫୬
ଚାହିଁ ସେ ବାମନ ଚରଣ । ଯଜ୍ଞସ୍ୱରୂପୀ ନାରାୟଣ ॥୫୭
ବୋଲଇ ଯୋଡ଼ି ବେନିକର । ପୁଲକ ଆନନ୍ଦ ଶରୀର ॥୫୮
ଭୋ ନାଥ ଏ ଯଜ୍ଞ-ଶରୀର । ଅଶେଷ ଜନ ଉପକାର ॥୫୯
କର୍ମର ଈଶ୍ୱର ତୁ ଯହିଁ । ତା କର୍ମ ଛିଦ୍ରହୋଇ କାହିଁ ॥୬୦
ଯେ ମନ୍ତ୍ର ଆଦି ଦେଶକାଳ । ଯେ ଛିଦ୍ର ହୁଅଇ ସକଳ ॥୬୧
ତୋ ନାମ-କୀର୍ତ୍ତନେ ସଫଳ । ଅଛିଦ୍ର ହୁଅଇ ସକଳ ॥୬୨
ତୁ ପ୍ରଭୁ ସଂସାର-କାରଣ । ନମୋ ନମସ୍ତେ ନାରାୟଣ ॥୬୩
ଏମନ୍ତ ଆଜ୍ଞା ଘେନି ମାଥେ । ଶ୍ରୁବ ଧଇଲା ଦକ୍ଷହସ୍ତେ ॥୬୪
ଋତ୍ୱିଜ ଋଷିଗଣ ସଙ୍ଗେ । ଆହୁତି ଦେଲା ବେଦମାର୍ଗେ ॥୬୫
ଆନନ୍ଦେ ହୋଇ ଦ୍ରବୀଭୂତ । ଭୃଗୁ ହୋଇଲେ କୃତକୃତ୍ୟ ॥୬୬
ଶ୍ରୀକୃଷ୍ଣ ପାଦ କରି ଧ୍ୟାନ । କ‌ହ‌ନ୍ତି ବ୍ୟାସଙ୍କ ନନ୍ଦନ ॥୬୭
ଏବେ ତୁ ଶୁଣ ହେ ରାଜନ । ବାମନ ରୂପେ ଭଗବାନ ॥୬୮
ବଳିର ହସ୍ତୁ ଘେନି ଦାନ । କପଟେ ଏ ତିନିଭୁବନ ॥୬୯
ଇନ୍ଦ୍ରକୁ ଇନ୍ଦ୍ରପଦେ ସ୍ଥାପି । ତିନି ଭୁବନେ ତନୁ ବ୍ୟାପୀ ॥୭୦
ବିଷ୍ଣୁର ଦେଖି ଦିବ୍ୟଗତି । ସକଳ ଦେବେ ବେଦପ‌ତି ॥୭୧
ଭୃଗୁ-ଅଙ୍ଗିରା ଘେନି ତୁଲେ । ପିତୃ-ରାଜର୍ଷି-ଦ‌କ୍ଷ ମେଳେ ॥୭୨
କୁମାର ମେଳେ ଭୂତପ‌ତି । ମିଳିଲେ କଶ୍ୟପ-ଅଦିତି ॥୭୩
ଦିଗପାଳଙ୍କ ମଧ୍ୟେ ଆଣି । କଳ୍ପକୁସୁମ ଗଙ୍ଗା ପାଣି ॥୭୪
ବାମନେ କରି ଅଭିଷେକ । ସର୍ବସମ୍ପଦେ ମନ ସୁଖ ॥୭୫
ଅଶେଷ ନୃତ୍ୟ-ଗୀତ ବାଦ୍ୟେ । ଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ ॥୭୬
ସର୍ବସମ୍ପଦ ସଙ୍ଗେ ଘେନି । ମଙ୍ଗଳ-ବେଦନାଦେ ମୁନି ॥୭୭
ବ୍ରହ୍ମାଶଙ୍କର ତୋଷମନେ । ବାମନେ ବସାଇ ବିମାନେ ॥୭୮
ଆନନ୍ଦେ ପ୍ରଜାପ‌ତି ବୋଲେ । ସକଳେ ସ୍ୱର୍ଗପୁର ଗଲେ ॥୭୯
ଇନ୍ଦ୍ର ବାମନ ଭୁଜବଳେ । ସକଳ ଦିଗପାଳ ମେଳେ ॥୮୦
ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା । ଯେଣୁ ଅଦିତି ବ୍ରତ କଲା ॥୮୧
ଏବେ ହୋ ପରୀକ୍ଷିତ ଶୁଣ । ବ୍ରହ୍ମାଶଙ୍କର ଦେବଗଣ ॥୮୨
ବାମନପଦେ ସ୍ତୁତି କଲେ । ଆନନ୍ଦେ ନିଜପୁରେ ଗଲେ ॥୮୩
ବଳି-ବାମନର ପ୍ରସ୍ତାବେ । ପ୍ରତୋଷେ କ‌ହିଲୁ ତୋ ଭାବେ ॥୮୪
ତୁ ଯେଣୁ ପଚାରିଲୁ ମୋତେ । ବାମନରୂପ ତୋ ଅଗ୍ରତେ ॥୮୫
କ‌ହିଲୁ ଆଦି-ଅନ୍ତ କରି । ଯେ କ‌ଥା-ଶ୍ରବଣେ ନିସ୍ତରି ॥୮୬
ବିଷ୍ଣୁ-ମହିମା କେ କ‌ହିବ । ଯାହା ନ ଜାଣେ ବ୍ରହ୍ମାଶିବ ॥୮୭
ଭୂମିରେ ରେଣୁ ଅଛି ଯେତେ । ଆକାଶେ ନକ୍ଷତ୍ରେ ସ‌ହିତେ ॥୮୮
ମେଘ-ବରଷା ଯେତେ ଧାର । ଯେ ବିନ୍ଦୁ ପ୍ରକାଶ ନିହାର ॥୮୯
ଏହା ଗଣି ତ ଅତିରେକେ । ଜଗତେ ଅଛନ୍ତି ନା ଲୋକେ ॥୯୦
ହରି-ମହିମା ସଂଖ୍ୟାକାରୀ । ସଂସାରେ ନାହିଁ ଦେହଧରି ॥୯୧
ଅଦ୍‌ଭୁତ ଚରିତ ବାମନ । ଯେ କରେ ଶ୍ରବଣ କୀର୍ତ୍ତନ ॥୯୨
ସକଳ ବିଘ୍ନ ନାଶ ଯାଇ । ଅନ୍ତେ ପରମଗତି ପୈ ॥୯୩
ସେ ହରି ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନାବତାର ଚରିତେ ନାମ ଦ୍ୱାବିଂଶୋଽଧ୍ୟାୟଃ ॥

ତ୍ରୟୋବିଂଶ ଅଧ୍ୟାୟ[ସମ୍ପାଦନା]

ଚିନ୍ତି ଶ୍ରୀକୃଷ୍ଣ-ପଦାମ୍ୱୁଜ । କ‌ହ‌ନ୍ତି ବ୍ୟାସଙ୍କ ତନୁଜ ॥୧

ଶୁକ ଉବାଚ[ସମ୍ପାଦନା]

ଶୁଣ ହେ ଅଭିମନ୍ୟୁ ବଳା । ଏମନ୍ତ ଈଶ୍ୱରର ଲୀଳା ॥୨
ମାୟାକଳ୍ପିତ ଏ ସଂସାରେ । ମତ୍ସ୍ୟାଦି ନାନା ଅବତାରେ ॥୩
ଧର୍ମକୁ ପାଳେ ଯୁଗେ ଯୁଗେ । ସାଧୁଙ୍କୁ ରଖେ ଅନୁରାଗେ ॥୪
ଦୁଷ୍ଟ ନିବାରି ସନ୍ଥ ପାଳେ । ରୂପ ପ୍ରକାଶେ ଯଥାକାଳେ ॥୫
ତା ରୂପ କେ କରିବ ଅନ୍ତ । ସ୍ୱଭାବେ ମହିମା ଅନନ୍ତ ॥୬
ଏମନ୍ତ ଶୁକମୁଖୁଁ ଶୁଣି । ଆନନ୍ଦମନେ ନୃପମଣି ॥୭
ବୋଲେ ଚରଣେ କର ଦେଇ । ଭୋ ମୁନି ନିସ୍ତରିଲି ମୁହିଁ ॥୮

ପରୀକ୍ଷିତ ଉବାଚ[ସମ୍ପାଦନା]

ବୋଲ ଯେ ମୀନ ଅବତାର । ହୋଇଲେ ଜଗତ ଈଶ୍ୱର ॥୯
ନିନ୍ଦିତ ଜଳଚର ରୂପେ । ଦେହ ବ‌ହିଲେ କେଉଁ କଳ୍ପେ ॥୧୦
କେବଣ କାର୍ଯ୍ୟେ କିସ ଅର୍ଥେ । ପ୍ରସନ୍ନେ କ‌ହ ମୋ ଅଗ୍ରତେ ॥୧୧
ତାର ଚରିତ ପାପ‌ହର । ଅଶେଷ ପ୍ରାଣୀ ସୁଖଘର ॥୧୨
ଅନାଦି ପ୍ରଭୁ ନାରାୟଣ । ମାୟାର ପରମ କାରଣ ॥୧୩
ସୁତ କ‌ହ‌ନ୍ତି ମୁନିମଧ୍ୟେ । ଅତି ଆନନ୍ଦ ଗଦଗଦେ ॥୧୪

ସୂତ ଉବାଚ[ସମ୍ପାଦନା]

ଶୁଣ ସକଳ ମୁନିଗଣେ । ଶୁକ ପରୀକ୍ଷେ ଯା ବଖାଣେ ॥୧୫
ଏମନ୍ତେ ରାଜାବାକ୍ୟ ଶୁଣି । ପରମାନନ୍ଦ ଶୁକମୁନି ॥୧୬
ଅତି ହରଷେ ଗଦଗଦେ । କ‌ହ‌ନ୍ତି ପରମ ଆନନ୍ଦେ ॥୧୭

ଶୁକ ଉବାଚ[ସମ୍ପାଦନା]

ଶୁଣ ହୋ ଅଭିମନ୍ୟୁସୁତ । କ‌ହିବା ବିଷ୍ଣୁର ଚରିତ ॥୧୮
ଅନାଦି ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥୧୯
ଯେ ପ୍ରଭୁ ଜଗତ ଈଶ୍ୱର । ବ୍ରହ୍ମାଣ୍ତ ଯାର ଖେଳଘର ॥୨୦
ସୃଜଇ ପାଳଇ ସଂହରେ । ସଂସାରେ ନାନାରୂପ ଧରେ ॥୨୧
ଧର୍ମ ସ୍ଥାପନେ ଦେହ ଧରି । ଅଧର୍ମ ସମୂହ ନିବାରି ॥୨୨
ଅସାଧୁକୂଳ ସଂହାରିଣ । ସାଧୁଙ୍କୁ ରଖେ ନାରାୟଣ ॥୨୩
ଶୁଣ ତୁ ଯେବା ଅର୍ଥେ ହରି । ଇଚ୍ଛାରେ ମୀନରୂପ ଧରି ॥୨୪
ବ୍ରହ୍ମା ଯେ ସୃଷ୍ଟି-ଅନ୍ତଃକାଳେ । ବେଦପୁସ୍ତକ ଥୋଇ କୂଳେ ॥୨୫
ଜଳେ ପଶିଲେ ସନ୍ଧ୍ୟା କରି । ସେ ବେଦ ହୟଗ୍ରୀବ ହରି ॥୨୬
ଅଗାଧ-ଜଳେ ପଶିଗଲା । ବିଧାତା ବିଷ୍ଣୁଙ୍କୁ ଚିନ୍ତିଲା ॥୨୭
ଦାନବ ଦୁଷ୍ଟମତି ଜାଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥୨୮
ଶଫରୀ ରୂପକୁ ଧଇଲେ । ସେ ମହାଜଳରେ ପଶିଲେ ॥୨୯
ଯେମନ୍ତେ ମାଇଲେ ଅସୁର । ବେଦ ଉଦ୍ଧରି ଚକ୍ରଧର ॥୩୧
ପ୍ରବେଶ ବ୍ରହ୍ମାର ରଜନୀ । କଳ୍ପର ନାମ ଦୈନନ୍ଦିନୀ ॥୩୨
ଏମନ୍ତେ ପ୍ରଳୟ ନିକଟେ । ରାଜାଏ ଥିଲା ସିନ୍ଧୁତଟେ ॥୩୩
ତାହାର ନାମ ସତ୍ୟବ୍ରତ । ଅଶେଷ ଗୁଣରେ ଭୂଷିତ ॥୩୪
ସ୍ୱଭାବେ ବିଷ୍ଣୁ-ପରାୟଣ । ତପ ସାଧନେ ଦୃଢ଼ମନ ॥୩୫
ତପ ସାଧଇ ସିନ୍ଧୁତୀରେ । ଜଳ ଭକ୍ଷଣେ ଦିନ ହରେ ॥୩୬
ସେ ତପ ସାଧି କଳ୍ପଅନ୍ତେ । ମନୁ ହୋଇବ ଭବିଷ୍ୟତେ ॥୩୭
ଆଦିତ୍ୟ ବୀର୍ଯ୍ୟେ ଜନ୍ମ ହୋଇ । ସେ ଶ୍ରାଦ୍ଧଦେବ ନାମ ବ‌ହି ॥୩୮
ମନୁ ହୋଇବ ଏ ଜଗତେ । ହରି ସ୍ଥାପିବେ ତୋଷଚିତ୍ତେ ॥୩୯
ଏବେ ହୋ ଶୁଣ ନରପତି । ସେ ସତ୍ୟବ୍ରତ ରାଜା କୀର୍ତ୍ତି ॥୪୦
ସେ ସତ୍ୟବ୍ରତ ଏକ‌କାଳେ । ମିଳିଲା କୃତମାଳା କୂଳେ ॥୪୧
ସେ ନ‌ଦୀଜଳେ ସ୍ନା‌ନ‌କରି । ଗୋବିନ୍ଦ ନାମ ଚିତ୍ତେ ସ୍ମରି ॥୪୨
ସ୍ନାହାନ ସାରି ସନ୍ଧ୍ୟା ଅର୍ଥେ । ଜଳଅଞ୍ଜଳି କଲା ହସ୍ତେ ॥୪୩
ତକ୍ଷଣେ ପ୍ରଭୁ ନରହରି । ମାୟାରେ ମୀନରୂପ ଧରି ॥୪୪
ପଶିଲେ ଜଳାଞ୍ଜଳି ମଧ୍ୟ । ଶଫରୀରୂପେ ଆଦିକନ୍ଦ ॥୪୫
ସେ ସତ୍ୟବ୍ରତ ତା ଦେଖିଲା । ଜଳଅଞ୍ଜଳି ପକାଇଲା ॥୪୬
ରାଜାର ହସ୍ତୁ ପଡ଼ି ଜଳେ । ସେ ମୀନ ଡ଼ାକିଲା ବିକଳେ ॥୪୭
ମହାକାରୁଣ୍ୟ ହେ ରାଜନ । ମୁଁ ଦୁଃଖୀ ତୁ ଦୀନପାଳନ ॥୪୮
ଜଳେ ଯେ ପକାଇଲୁ ମୋତେ । ମୋ ଜ୍ଞାତି ରିପୁ ଏ ସମସ୍ତେ ॥୪୯
ମୋତେ ଗିଳିବେ ବୋଲି ଡ଼ରେ । ପଶିଲି ତୋର ଅଞ୍ଜୁଳିରେ ॥୫୦
ମୋତେ ଗିଳିବେ ଏହିକ୍ଷଣି । ମୋ ପ୍ରାଣ ରଖ ନୃପମଣି ॥୫୧
ପ୍ରାଣୀ ଜୀବନ ରକ୍ଷା କଲେ । ଆପଣେ ରକ୍ଷା ପାଇ ଭଲେ ॥୫୨
ଏବେ ମୁଁ ତୋହର ଶରଣ । ପଶିଲି ରଖ ମୋର ପ୍ରାଣ ॥୫୩
ଏମନ୍ତ ଶଫରୀ ବଚନେ । ସେ ରାଜା ଶୁଣି ଅବଧାନେ ॥୫୪
ଜଳଅଞ୍ଜଳି କରେ ଧରି । ମୀନ‌କୁ ଜଳରୁ ଉଦ୍ଧରି ॥୫୫
ଜନ୍ତୁ ଜୀବନେ ଦୟା କରି । ଥୋଇଲା କମଣ୍ତଳେ ଭରି ॥୫୬
ଜଳେ ତର୍ପଣ ବେଗେ ସାରି । ଗୃହେ ମିଳିଲେ ଦଣ୍ତଧାରୀ ॥୫୭
ସେ ମୀନ କମଣ୍ତଳ-ଜଳେ । ରହି ନ ପାରି ରାତ୍ରକାଳେ ॥୫୮
ବିକଳେ କରଇ ରୋଦନ । ମୋ ପ୍ରାଣ ରଖ ହେ ରାଜନ ॥୫୯
ଚଳି ନ ପାରେ କମଣ୍ତଳେ । ବେଗେ ତୁ ଥୁଅ ଅନ୍ୟଜଳେ ॥୬୦
ଏମନ୍ତ ଶଫରୀ ବଚନ । ଶୁଣି ସଂଭ୍ରମେ ସେ ରାଜନ ॥୬୧
ସେ ମୀନ କମଣ୍ତଳୁ ଫେଇ । କଳସ ଜଳ ମଧ୍ୟେ ଥୋଇ ॥୬୨
ଏମନ୍ତେ ରଜନୀ ପାହିଲା । ପୁଣି ସେ ମୀନ ଡ଼ାକଦେଲା ॥୬୩
ବୋଲଇ ଶୁଣ ଦଣ୍ତଧର । କଳସୁ ମୋ ପ୍ରାଣ ଉଦ୍ଧର ॥୬୪
ମୋ ଦେହ କଳସେ ନ ଚଳେ । ବେଦେ ତୁ ଥୁଅ ଅନ୍ୟ ଜଳେ ॥୬୫
ଯେ ଜଳେ ଆନନ୍ଦେ ବିହରି । ଅଳପ ଜଳେ ପ୍ରାଣ‌ହାରି ॥୬୬
ତକ୍ଷଣେ କଳସୁଁ ଉଦ୍ଧରି । କୂପେ ଥୋଇଲା ଦଣ୍ତଧାରୀ ॥୬୭
ମୁହୂର୍ତ୍ତେ କୂପ ମଧ୍ୟେ ରହି । ବିସ୍ତାର କଲା ତାର ଦେହୀ ॥୬୮
କୂପେ ସେ ଡ଼ାକଇ ବିକଳେ । ହେ ନୃପ ଥୁଅ ଅନ୍ୟଜଳେ ॥୬୯
କୂପେ ମୁଁ ନ ପାରଇ ରହି । ମୋର ଜୀବନ ରଖ ତୁହି ॥୭୦
ଶଫରୀ ବାଦ୍ୟେ ନୃପମଣି । କୂପୁଁ ଉଦ୍ଧରି ବେଗେ ଆଣି ॥୭୧
ତକ୍ଷଣେ ଖାତଜଳେ ଥୋଇ । ଖାତେ ପୂରିଲା ତାର ଦେହୀ ॥୭୨
ଡ଼ାକଇ ଜୀବନ ବିକଳେ । ଭୋ ନୃପ ରଖ ଅନ୍ୟଜଳେ ॥୭୩
ଏମନ୍ତେ ଖାତୁଁ ନେଇ ଧୀରେ । ବେଗେ ଥୋଇଲା ସରୋବରେ ॥୭୪
ଦିବସେ ସରୋବରେ ରହି । ଜଳେ ନ ଚଳେ ତାର ଦେହୀ ॥୭୫
ପୁଣି ଡ଼ାକଇ ଭୟଙ୍କରେ । ଭୋ ନୃପ ଥୁଅ ଅନ୍ୟ ନୀରେ ॥୭୬
ତକ୍ଷଣେ ତଡ଼ାଗୁଁ ଉଦ୍ଧରି । ହ୍ରଦେ ରଖିଲା ଦଣ୍ତଧାରୀ ॥୭୭
ସେ ମୀନ ଦଣ୍ତେ ହ୍ରଦେ ରହେ । ତ‌ହିଁ ବଢ଼ିଲା ମହାକାୟେ ॥୭୮
ପୁଣି ଡାକିଲା ଘୋରନାଦେ । ରାଜନ ରହି ନୋହେ ହ୍ରଦେ ॥୭୯
ତା ଶୁଣି ହ୍ରଦୁଁ ତୋଳି ବଳେ । କ୍ଷେପିଲା ସମୁଦ୍ରର ଜଳେ ॥୮୦
ସେ ମୀନ ପଡ଼ି ସିନ୍ଧୁଜଳେ । ଡାକିଲା ଜୀବନ ବିକଳେ ॥୮୧
ଭୋ ନୃପ ରଖ ମୋର ପ୍ରାଣ । ତୋର ମୁଁ ପଶିଛି ଶରଣ ॥୮୨
ଶରଣ ଜନ ଉପେକ୍ଷିଲେ । କେ ତାକୁ ପ୍ରଶଂସଇ ଭଲେ ॥୮୩
ଏ ଜଳେ ଜୀବଛନ୍ତି ଯେତେ । ବଳେ ଭକ୍ଷିବେ ଏବେ ମୋତେ ॥୮୪
ଏମନ୍ତ ମୀନ ମୁଖୁଁ ଶୁଣି । ମନେ ବିଚାରେ ନୃପମଣି ॥୮୫
ଏ କି ଅଦ୍‌ଭୁତ କର୍ମ ମୁହିଁ । ଜଗତେ ଦେଖିଲିତ ନାହିଁ ॥୮୬
କେଉଁ ଦେବତା ମାୟାବଳେ । ମୋତେ ଛଳଇ ମୀନ‌ଛଳେ ॥୮୭
କି ବୁଦ୍ଧି କରିବଇଁ ମୁହିଁ । ଭାଳଇ ମୀନ ମୁଖ ଚାହିଁ ॥ ୮୮
ବିଷ୍ଣୁର ମାୟାରେ ମୋହିତ । ଦଣ୍ତେ ରହିଲା ସ୍ତମ୍ଭୀଭୂତ ॥୮୯
ପୁଣି କ୍ଷଣକେ ନୃପବର । କପୋଳେ ଦେଇ ବେନିକର ॥୯୦
ବୋଲଇ ମୀନମୁଖ ଚାହିଁ । ମୋହର ଧର୍ମ ରଖ ତୁହି ॥୯୧
କେଉଁ ଦେବତା ଆସି ଛଳେ । ମୋତେ ମୋହିଲୁ ମାୟାବଳେ ॥୯୨
ଏ ତୋର ବିଶ୍ୱରୂପ ଦେହ । ମାୟା ନ କରି ସତ୍ୟ କ‌ହ ॥୯୩
ଏମନ୍ତ ଜଳଚର-ଦେହୀ । ଜଗତେ ଦେଖିଲା ତ ନାହିଁ ॥୯୪
ଭୋ ମୀନ ତୋହର ଶରୀରେ । ଶତେ-ଯୋଜନ-ହ୍ରଦ ପୂରେ ॥୯୫
ନିଶ୍ଚେ ଜାଣିଲି ତୋତେ ଆଜ । ତୁ ନାରାୟଣ ଦେବରାଜ ॥୯୬
ଅନାଦି ପ୍ରଭୁ ନିରଞ୍ଜନ । ଅବ୍ୟକ୍ତ-ରୂପ ଭଗବାନ ॥୯୭
ପ୍ରାଣୀଙ୍କ ନିସ୍ତାରଣ ଅର୍ଥେ । ମୀନ ଶରୀର ଏ ଜଗତେ ॥୯୮
ସ୍ଥିତି-ପାଳନ ସଂହାରଣ । ତୁ ନାଥ ପରମକାରଣ ॥୯୯
ନମସ୍ତେ ଜଳଚର-ଦେହୀ । ଭୋ ନାଥ କର ମୋତେ ତ୍ରାହି ॥୧୦୦
ତୋର ମାୟାରେ ଭ୍ରମ ହୋନ୍ତି । ହର ବିରଞ୍ଚି ସୁରପତି ॥୧୦୧
ତୁ ନାଥ ଜନ ଉପକାରେ । ନାନା ଶରୀର ଏ ସଂସାରେ ॥୧୦୨
ତୋ ଅବତାର ଭକ୍ତ‌ହିତେ । ଧର୍ମ-ସ୍ଥାପନ ଶୁଭ ଅର୍ଥେ ॥୧୦୩
କି କାର୍ଯ୍ୟେ ମୀନ ଅବତାର । କ‌ହ ହେ କମଳାର ବର ॥୧୦୪
ଏମନ୍ତ ରାଜ ବାକ୍ୟ ଶୁଣି । କ‌ହ‌ନ୍ତି ପ୍ରଭୁ ଚକ୍ରପାଣି ॥୧୦୫

ଭଗବାନ ଉବାଚ[ସମ୍ପାଦନା]

ଶୁଣ ରାଜନ ସତ୍ୟବ୍ରତ । ତୁ ଯେଣୁ ମୋହର ଭକତ ॥୧୦୬
ଯେ କାର୍ଯ୍ୟେ ମୀନରୂପ ମୋର । କ‌ହୁଛି ଶୁଣ ନୃପବର ॥୧୦୭
ତେଣୁ ଅଇଲି ତୋତେ କ‌ହି । ଅଦ୍‌ଭୁତ ମୀନରୂପ ହୋଇ ॥୧୦୮
ମାୟାବୀ ପ୍ରଚଣ୍ତ ଦାନବ । ନାମ ଯାହାର ହୟଗ୍ରୀବ ॥୧୦୯
ବ୍ରହ୍ମାର ବେଦ ହରି ବଳେ । ବେଗେ ପଶିଲା ମହାଜଳେ ॥୧୧୦
ପ୍ରଳୟ ଜଳେ ମୁଁ ବିହରି । ସେ ବେଦ ଉଦ୍ଧାରଣ କରି ॥୧୧୧
ରଖିବି ସଂସାରର ବୀଜ । ହରିବି ହୟଗ୍ରୀବ ତେଜ ॥୧୧୨
ତୁ ଏବେ ରହ ମୋ ବଚନେ । ଆଜ‌ହୁଁ ଗଣି ସାତଦିନେ ॥୧୧୩
ପ୍ରଳୟ ଜଳେ ତିନିପୁର । ନାଶିବ ଶୁଣ ନୃପବର ॥୧୧୪
ଅଠରଖଣ୍ତ ମେଘ ମିଳି । ସ୍ଫୁରିବ ପ୍ରଚଣ୍ତେ ବିଜୁଳି ॥୧୧୫
ବ‌ହିଣ ଅଣଚାଶ ବାତ । ଆକାଶେ ବିଜୁଳି ପୂରିତ ॥୧୧୬
ଗଭୀରନାଦେ ମେଘମାଳ । ପ୍ରଚଣ୍ତେ ବରଷିବେ ଜଳ ॥୧୧୭
କ୍ଷଣକେ ସିନ୍ଧୁ ଉଛୁଳିବ । ଉଲ୍ଲୋଳ ଗ‌ଗନେ ମିଳିବ ॥୧୧୮
ସପତ‌ଋଷିଙ୍କ ମଣ୍ତଳେ । ଜଳଧି ଲାଗିବ ଉଲ୍ଲୋଳେ ॥୧୧୯
ବ୍ରହ୍ମାର ରଜନୀ ହୋଇବ । ଏ ତିନିପୁର ନାଶ‌ଯିବ ॥୧୨୦
ତୁ ଏବେ ମୋର ବୋଲ କର । ଔଷଧି ବୀଜ ସଙ୍ଗେ ଧର ॥୧୨୧
ତୋର କୁଟୁମ୍ବଛନ୍ତି ଯେତେ । ସକଳ ଘେନିଣ ସଙ୍ଗତେ ॥୧୨୨
ଆଜୁହଁ ସପତ ଦିବସେ । ନାବ ମିଳିବ ଆସି ପାଶେ ॥୧୨୩
ଯେ ନାବ ସମୁଦ୍ରର କୂଳେ । ତୋତେ ମିଳିବ ସନ୍ଧ୍ୟାକାଳେ ॥୧୨୪
ତୁ ତ‌ହିଁ ବସି ସର୍ବ ଘେନି । ତରିବୁ ବ୍ରହ୍ମାର ରଜନୀ ॥୧୨୫
ଆଗତକଳ୍ପ ପରିଯନ୍ତେ । ତୁ ଥିବୁ ଋଷିଙ୍କ ସଙ୍ଗତେ ॥୧୨୬
ସେ ନାବ ମୋର ଶୃଙ୍ଗେ ବାନ୍ଧି । ମୁହିଁ ବିହରିବି ଜଳଧି ॥୧୨୭
ବ୍ରହ୍ମା ରଜନୀକାଳ ଯେତେ । ସେ ନାବେ ଥିବୁ ତୁ ନିଶ୍ଚିନ୍ତେ ॥୧୨୮
ସପତ‌ଋଷି ସଙ୍ଗେ ଘେନି । ବଞ୍ଚିବୁ ବ୍ରହ୍ମାର ରଜନୀ ॥୧୨୯
ସେ ମହାଜଳେ ଯେବେ ନାବ । ପ୍ରଳୟ ପବନେ କମ୍ପିବ ॥୧୩୦
ତ‌ହିଁକି ନ କରିବୁ ଭୟ । କ‌ହଇ ଶୁଣ ମହାରାୟ ॥୧୩୧
ମୋହର ଶୃଙ୍ଗେ ସେ ନିଶ୍ଚଳେ । ବନ୍ଧନେ ଥିବ ଯୋଗବଳେ ॥୧୩୨
ପରମ‌ବ୍ରହ୍ମ ମୋ ମହିମା । ଜାଣି ନ ପାରେ ହରବ୍ରହ୍ମା ॥୧୩୩
ମୋ ଅନୁଗ୍ରହେ ମୋତେ ଜାଣି । ସଙ୍କଟୁ ତର ନୃପମଣି ॥୧୩୪
ଏମନ୍ତ କ‌ହି ଚକ୍ରଧର । ତକ୍ଷଣେ ହୋଇଲେ ଅନ୍ତର ॥୧୩୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ରାଜା ମିଳିଲେ ସିନ୍ଧୁତୀରେ ॥୧୩୬
ଘେନାଇ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ॥୧୩୭
ସମୁଦ୍ରତୀରେ କୁଶ ପାଡ଼ି । କପୋଳେ ବେନିକର ଯୋଡ଼ି ॥୧୩୮
ମୀନରୂପକୁ ଧ୍ୟାନ କରି । କୃଷ୍ଣଚରଣ ମନେ ଧରି ॥୧୩୯
ସମୁଦ୍ରତୀରେ ସେ ରହିଲା । ଏମନ୍ତେ ସାତଦିନ ଗଲା ॥୧୪୦
ରାତ୍ରହୁଁ ମେଘ ସଙ୍ଗେ ମିଳି । ପ୍ରଚଣ୍ତେ ପ୍ରକାଶେ ବିଜୁଳି ॥୧୪୧
ବ‌ହେ ପବନ ଅଣଚାଶ । ଶବଦେ କମ୍ପେ ଦଶଦିଶ ॥୧୪୨
ଘୋର ଶବଦେ ଜଳରାଶି । ହସ୍ତୀ-ଶୁଣ୍ଢ ପ୍ରାୟେ ବରଷି ॥୧୪୩
ସମୁଦ୍ର ଉଛୁଳିଲା ବେଗେ । ଘୋର-ପ୍ରଚଣ୍ତ-ବାତ ଯୋଗେ ॥୧୪୪
ଗୋବିନ୍ଦ ଆଜ୍ଞା ପରମାଣେ । ନାବ ମିଳିଲା ତ‌ତକ୍ଷଣ ॥୧୪୫
ଋଷିଏ ଶୂନ୍ୟମାଗୁଁ ଆସି । ରାଜା ସ‌ହିତେ ନାବେ ବସି ॥୧୪୬
ଦେଖିଲେ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ॥୧୪୭
ସେ ନାବେ ରାଜା ସଙ୍ଗେ ବସି । ମୁନିଏ ରାଜାକୁ ପ୍ରଶଂସି ॥୧୪୮
ବୋଲନ୍ତି ତୁମ୍ଭେ ଭାଗ୍ୟବନ୍ତ । ସଙ୍କଟୁ ରଖିଲୁ ଆମ୍ଭନ୍ତ ॥୧୪୯
ଏବେ ଆମ୍ଭର ବୋଲକର । ଏ ନାବେ ବିଷ୍ଣୁଙ୍କୁ ସୁମର ॥୧୫୦
ତୋହର ଭାବେ ସେ ମାଧବ । ଆମ୍ଭଙ୍କୁ ସଙ୍କଟୁ ତାରିବ ॥୧୫୧
ଏମନ୍ତେ ଋଷିଙ୍କ ବଚନେ । ରାଜା ବସିଲା ବିଷ୍ଣୁଧ୍ୟାନେ ॥୧୫୨
ତକ୍ଷଣେ ପ୍ରଭୁ ନରହରି । ମିଳିଲେ ମୀନରୂପ ଧରି ॥୧୫୩
ଏକଇ ଶୃଙ୍ଗ ଶିରେ ସାଜେ । ରୂପେ ସୂବର୍ଣ୍ଣତେଜ ଗଞ୍ଜେ ॥୧୫୪
ମେରୁର ପ୍ରାୟେ ଅତିଦମ୍ଭ । ନିୟୁତ‌ଯୋଜନ ତା ଲମ୍ବ ॥୧୫୫
ସେ ଶୃଙ୍ଗେ ନାବ ବାନ୍ଧି ବଳେ । ସେ ରାଜା ବସିଲା ନିଶ୍ଚଳେ ॥୧୫୬
ସେ ନାବେ ମୁନିଙ୍କ ସଙ୍ଗତେ । କୃଷ୍ଣଙ୍କୁ ଧ୍ୟାନ କଲା ଚିତ୍ତେ ॥୧୫୭
ମହାପ୍ରଳୟେ ନାବେ ବସି । ଗୋବିନ୍ଦ-ବଚନେ ବିଶ୍ୱାସି ॥୧୫୮
ଆକୁଳେ ଶିରେ କର ଦେଇ । ବୋଲଇ ରଖ ଭାବଗ୍ରାହୀ ॥୧୫୯
ଏ ଘୋର-ସଙ୍କଟ ତରଣେ । ଶରଣ ଗଲୁ ତୋ ଚରଣେ ॥୧୬୦
କପୋଳେ ଦେଇ ବେନିକର । ଗୋବିନ୍ଦ ଚିନ୍ତେ ନୃପବର ॥୧୬୧
ସପତ‌ଋଷିଙ୍କ ବଚନେ । ନିଶ୍ଚଳେ ବସି ଯୋଗଧ୍ୟାନେ ॥୧୬୨
ମନ-ବଚନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥୧୬୩
ଅନ୍ତରେ ମନ ସ୍ଥିର କଲା । ସୁମରି ଗୋବିନ୍ଦର ଲୀଳା ॥୧୬୪
ଆନନ୍ଦ ମନେ ସତ୍ୟବ୍ରତ । ସ୍ତୁବଇ ଯୋଡ଼ି ବେନିହସ୍ତ ॥୧୬୫

ରାଜା ଉବାଚ[ସମ୍ପାଦନା]

ଭୋ ନାଥ ସଙ୍କଟ ତାରଣ । ତୋ ପାଦେ ପଶିଲି ଶରଣ ॥୧୬୬
ଅଶେଷ ବ୍ରହ୍ମାଣ୍ତ-ଠାକୁର । ଏ ଘୋର-ସଙ୍କଟୁ ଉଦ୍ଧର ॥୧୬୭
ଅନାଦି ଅବିଦ୍ୟାର ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥୧୬୮
ଅଶେଷ-ବ୍ରହ୍ମାଣ୍ତ-କାରଣ । ତୋ ପାଦେ ରଖ ନାରାୟଣ ॥୧୬୯
ଯାବତ ତୋ ପାଦ ନ ଚିନ୍ତେ । ତାବତ ସୁଖୀ କେ ଜଗତେ ॥୧୭୦
ତୁ ନାଥ ତାପତ୍ର‌ୟୁଁ ତାରୁ । ଅଶେଷ ଗୁରୁଙ୍କର ଗୁରୁ ॥୧୭୧
ଅଜ୍ଞାନୀଜନ ଏ ଜଗତେ । ବନ୍ଧନ କର୍ମର ଆୟତ୍ତେ ॥୧୭୨
ସୁଖର ଲୋଭେ ଦୁଃଖେ ପଡ଼େ । ଯାବତ ଭକ୍ତିମାର୍ଗ ହୁଡ଼େ ॥୧୭୩
ତାବତ ସୁଖ ନାହିଁ ତାର । ଲଭଇ ଦୁଃଖ ମହାଘୋର ॥୧୭୪
ଯାବତ ନ ଜାଣଇ ତୋତେ । ତାବତ ଭ୍ରମଇଁ ଜଗତେ ॥୧୭୫
ତୋହର ମାୟା ଏ ସଂସାର । ଦୁର୍ଗମ ଘୋର ଅନ୍ଧକାର ॥୧୭୬
ତୋର ଭଜନ ରବିତ୍ରାସ । ଆତ୍ମାର ତମ କରେ ନାଶ ॥୧୭୭
ତୁମ୍ଭ ପ୍ରସାଦା‌ୟତ ଲେଶ । ଯେ ଗୁରୁଦେବେ ଅପ୍ରକାଶ ॥୧୭୮
ସମସ୍ତ ଇନ୍ଦ୍ରିଙ୍କ ପ୍ରକାଶ । ସୁଗତି ତୁମ୍ଭେ କର ଦୃଶ୍ୟ ॥୧୭୯
ବରଣ କରି ଗୁରୁ କଲୁ । ସକଳ କଳୁଷ ଛେଦିଲୁ ॥୧୮୦
ମୂର୍ଖକୁ ମୂର୍ଖ କଲେ ଗୁରୁ । ତରିକି ପାରେ ତମଘୋରୁ ॥୧୮୧
ଏ ଭୟେ ତୋ ପାଦେ ସେବିଲୁ । ଜ୍ଞାନ‌ଦୀପକୁ ପ୍ରକାଶିଲୁ ॥୧୮୨
ତୁମ୍ଭେ ସକଳ ପ୍ରିୟବନ୍ଧୁ । ଗୁରୁର ଜ୍ଞାନେ କୃପାସିନ୍ଧୁ ॥୧୮୩
ଏ ମହାପ୍ରଭୁ ହୃଦେ ସ୍ଥିତି । ଜୀବ ନ ଜାଣେ ତୁମ୍ଭ ଗତି ॥୧୮୪
ହେ ପ୍ରଭୁ ବରଦ ଈଶ୍ୱର । ତୁମ୍ଭରେ ଶରଣ ମୋହର ॥୧୮୫
ହୃଦୟ-ମଳ-ଗ୍ରନ୍ଥି ନାଶ । ତୁମ୍ଭର ଶରୀର ପ୍ରକାଶ ॥୧୮୬
କ‌ହ‌ନ୍ତି ଶୁକ ମୁନିବର । ହୃହୟେ ଚିନ୍ତି ଗଦାଧର ॥୧୮୭

ଶୁକ ଉବାଚ[ସମ୍ପାଦନା]

ଏମନ୍ତ ଭାବେ ଦଣ୍ତଧାରୀ । ଚିତ୍ତେ ଅନେକ ସ୍ତୁତି କରି ॥୧୮୮
ରହିଲା ସମାଧି ନିଶ୍ଚଳେ । ନାବେ ଗୋବିନ୍ଦ ପାଦମୂଳେ ॥୧୮୯
ଏମନ୍ତେ ଶୁଣ ନୃପମଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥୧୯୦
ପ୍ରଳୟ ଜଳେ ମୀନରୂପ । ହୟଗ୍ରୀବର ହରି ଦର୍ପ ॥୧୯୧
ଜଳେ ଅସୁର ପ୍ରାଣହରି । ବ୍ରହ୍ମାର ବେଦକୁ ଉଦ୍ଧରି ॥୧୯୨
ମିଳିଲେ ନୃପତିର ଆଗେ । ସଦୟଚିତ୍ତେ ଅନୁରାଗେ ॥୧୯୩
ବୋଲନ୍ତି ରାଜାମୁଖ ଚାହିଁ । ସଂସାରେ ଭାଗ୍ୟବନ୍ତ ତୁହି ॥୧୯୪
ଏମନ୍ତ କ‌ହି ଭଗବାନ । ଆନନ୍ଦେ ଦେଲେ ତ‌ତ୍ତ୍ୱଜ୍ଞାନ ॥୧୯୫
ବୋଇଲେ ଦିବାକର ବଂଶେ । ଜନ୍ମ ଲଭିବୁ ଆୟୁ ଶେଷେ ॥୧୯୬
ବଇବସ୍ୱତ ମନୁ ହୋଇ । ପ୍ରଜା ପାଳିବୁ ଧର୍ମ ବ‌ହି ॥୧୯୭
ଏ ଜ୍ଞାନେ ତୋହର ଜୀବନ । ମନୁଙ୍କ ମଧ୍ୟ ହେଉ ଧନ୍ୟ ॥୧୯୮
ଏ ମୋର ମୀନ ଅବତାର । ଧ୍ୟାନେ ରହିବ ତୋ ଅନ୍ତର ॥୧୯୯
ତୋହର ତୁଲେ ମୋ ସମ୍ବାଦ । ଶୁଣନ୍ତେ ତୁଟଇ ପ୍ରମାଦ ॥୨୦୦
ଏମନ୍ତ କ‌ହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥୨୦୧
ଅଷ୍ଟମ ସ୍ମନ୍ଧେ ଏ ଚରିତ । ଅମୃତ ରସମୟ ଗୀତ ॥୨୦୨
ସୁଜନେ ଶୁଣ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥୨୦୩
ଖଣ୍ତିବ ଅଶେଷ ଦୁର୍ଗତି । ସୁଜନେ ଏଣେ କର ମତି ॥୨୦୪
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ॥୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମତ୍ସ୍ୟାବତାର ଚରିତ ଅନୁବର୍ଣ୍ଣନଂ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥