ଓଡ଼ିଶା ଇତିହାସ/ଇଂରେଜମାନଙ୍କ ଓଡ଼ିଶା ଦଖଲ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଇଂରେଜମାନଙ୍କ ଓଡ଼ିଶା ଦଖଲ

ଇଂରେଜମାନଙ୍କ ଓଡ଼ିଶା ଦଖଲ

ନିଜାମ ଓ ମରାଠାମାନଙ୍କ ପାଖରୁ ଇଂରେଜମାନେ ତିନୋଟି ପର୍ଯ୍ୟାୟରେ ଓଡ଼ିଶାକୁ ଦଖଲ କରିଥିଲେ । ପ୍ରଥମେ ନିଜାମଶାସିତ ଦକ୍ଷିଣ-ଓଡ଼ିଶା, ତତ୍‍ପରେ ଭୋଁସଲେ ଶାସିତ ଉତ୍ତର- ଓଡ଼ିଶା (ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲା) ଓ ତୃତୀୟ ପର୍ଯ୍ୟାୟରେ ପଶ୍ଚିମ-ଓଡ଼ିଶା ସେମାନଙ୍କ ଦଖଲକୁ ଆସିଥିଲା । ଦଖଲ ଅନୁସାରେ ଦକ୍ଷିଣ-ଓଡ଼ିଶାକୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଏବଂ ଉତ୍ତର-ଓଡ଼ିଶାକୁ ବଙ୍ଗ ପ୍ରେସିଡେନ୍‍ସି ସହିତ ସଂଲଗ୍ନ କରାଗଲା । ପଶ୍ଚିମ ଓଡ଼ିଶା ରହିଲା କେନ୍ଦ୍ର ପ୍ରଦେଶରେ । ୧୯୦୫ରେ ପଶ୍ଚିମ ଓଡ଼ିଶା ବଙ୍ଗ ସହିତ ସଂଯୋଜିତ ହେଲା । ଓଡ଼ିଶା ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପର୍ଯ୍ୟନ୍ତ ଏହି ପ୍ରାଶାସନିକ ବିଭକ୍ତୀକରଣ ପ୍ରାୟ ଅବ୍ୟାହତ ରହିଲା । ଓଡ଼ିଶାର ଏକତ୍ରୀକରଣ ପ୍ରକ୍ରିୟାରେ ଆଧୁନିକ ଓଡ଼ିଶାର ରାଜନୈତିକ ଆନ୍ଦୋଳନ ଉତ୍‍ଥାନ ଲାଭ କଲା । ଓଡ଼ିଶାରେ ଜାତୀୟତା ଆନ୍ଦୋଳନର ମୂଳ, ଇଂରେଜମାନଙ୍କଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପ୍ରଦେଶର ଦଖଲ ପ୍ରଶ୍ନ ସହ ସଂଯୋଜିତ ।

ଦକ୍ଷିଣ ଓଡ଼ିଶା ଦଖଲ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟର ପତନ ପରେ ମଧ୍ୟ ଓଡ଼ିଶାରେ ଆଞ୍ଚଳିକ ଶକ୍ତିର ବିକାଶ ଘଟି ନଥିଲା । ଫଳରେ ବଙ୍ଗର ନବାବ ଓ ହାଇଦ୍ରାବାଦର ନିଜାମଙ୍କ ହାତକୁ ଏହା ଚାଲିଗଲା । ସେମାନେ ପରସ୍ପର ମଧ୍ୟରେ ଓଡ଼ିଶାକୁ ବାଣ୍ଟିନେଲେ ବୋଲି କହିଲେ ଭୁଲ ହେବ ନାହିଁ । ସେହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶା ନିଜାମଙ୍କ ହାତକୁ ଗଲା; ଉତ୍ତର-ଓଡ଼ିଶା ଗଲା ବଂଗ ନବାବଙ୍କ ହାତକୁ । ଗଡ଼ଜାତରେ ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ନିଜର ସ୍ୱତନ୍ତ୍ର ଭୌଗୋଳିକ ଅବସ୍ଥିତିଯୋଗୁଁ ଏକ ରକମର ଭିନ୍ନ ହୋଇ ରହିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଦକ୍ଷିଣ ଭାରତରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପ୍ରତିପତ୍ତି ବିସ୍ତାରଲାଗି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । ଏହି ଦୁଇ ୟୁରୋପୀୟ ବାଣିଜ୍ୟିକ ଶକ୍ତି ଆର୍କଟ, କର୍ଣ୍ଣାଟକ ଓ ହାଇଦ୍ରାବାଦ ଦେଶୀୟ ରାଜ୍ୟର ଆଭ୍ୟନ୍ତରୀଣ କନ୍ଦଳରେ ହସ୍ତକ୍ଷେପ କରି ନିଜ ନିଜ ସ୍ତରରେ ରାଜନୈତିକ ଶକ୍ତି ହେବାକୁ ଉଦ୍ୟମ କରୁଥିଲେ ।

ନିଜାମଙ୍କ ରାଜ୍ୟରେ ସେତେବେଳେ ଦକ୍ଷିଣ- ଓଡ଼ିଶାକୁ ଲୋକେ 'ଉତ୍ତର ସରକାର' ନାମରେ ଜାଣୁଥିଲେ । କାରଣ ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ ଥିଲା । ୧୭୫୭ ବେଳକୁ ଏଠାରେ ଫରାସୀମାନଙ୍କ ଆଧିପତ୍ୟ ରହିଥିଲା । ନିଜାମ ଫରାସୀମାନଙ୍କ ସମର୍ଥନରେ ମରାଠାମାନଙ୍କଠାରୁ ସୁରକ୍ଷା ପାଇଥିଲେ । ସେହି ସୂତ୍ରରେ, ବିଜୟନଗରମ୍‍ ଓ ଉତ୍ତର ସରକାରକୁ ନିଜାମଙ୍କଠାରୁ ଫରାସୀମାନେ ଲାଭ କରିଥିଲେ । ମାତ୍ର ୧୭୫୯ରେ ନିଜାମ୍‍ ସଲାବତ୍‍ ଜଙ୍ଗଙ୍କୁ ତାଙ୍କ ଭାଇ ନିଜାମ୍‍ ଅଲି ହତ୍ୟା କରି ନିଜେ ନିଜାମ୍‍ ହେଲେ । ତାଙ୍କୁ ଇଂରେଜମାନେ ସାହାଯ୍ୟ କରୁଥିଲେ । ତେଣୁ ପ୍ରତିଦାନରେ ୧୭୬୫ ଅଗଷ୍ଟ ମାସରେ ଇଂରେଜମାନଙ୍କ ହାତରେ ସେ ଉତ୍ତର ସରକାରକୁ ସମର୍ପଣ କଲେ । ନାମ ମାତ୍ର ମୋଗଲ ସମ୍ରାଟ ଶାହ ଆଲାମ ଏକ ଫର୍ମାନ୍‍ ବା ରାଜାଦେଶ ଜାରି କରି ଉତ୍ତର ସରକାରକୁ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଟେକିଦେଲେ । ଫଳରେ ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ଇଂରେଜ କର୍ତ୍ତୃତ୍ୱକୁ ଆସିଲା । ୧୭୬୮ ଡିସେମ୍ବର ୨ ତାରିଖରେ କମ୍ପାନୀ ଆଦେଶ ବଳରେ କଟ୍‍ସଫୋର୍ଡ଼ ନାମକ ଜଣେ ଇଞ୍ଜିନିୟର ଗଞ୍ଜାମର ପ୍ରଥମ ରେସିଡେଣ୍ଟ ହେଲେ ବୋଲି ବିଜ୍ଞପ୍ତି ବାହାରିଲା । ସେହିଦିନଠାରୁ ଗଞ୍ଜାମ ମାଡ଼୍ରାସ୍‍ ପ୍ରେସିଡେନ୍‍ସିର ଅଙ୍ଗ ହେଲା । ଏହା ପୂର୍ବରୁ ୧୭୬୬ ନଭେମ୍ବରରେ ନିଜାମ ଅଲି ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହି ଅନୁଯାୟୀ, ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ସାର୍ବଭୌମତ୍ୱ ସ୍ୱୀକାର କରିନେବାକୁ ଜମିଦାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶାର ଗଞ୍ଜାମ, ପାରଳାଖେମୁଣ୍ଡି, ଇଚ୍ଛାପୁର, ଜୟପୁର, କୋରାପୁଟ ଆଦି ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ସାମିଲ୍‍ ହେଲେ । ସେଗୁଡ଼ିକ ଦଖଲ କରିବାଲାଗି ଇଂରେଜମାନଙ୍କୁ କୌଣସି ଯୁଦ୍ଧ କରିବାକୁ ପଡ଼ିଲା ନାହିଁ । ସମ୍ଭବତଃ, ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକର ରାଜାମାନେ ଭାବିଥିଲେ ଯେ, ନାମମାତ୍ର ମୋଗଲ ବଦଳରେ ଏବେ କମ୍ପାନୀ ନାମମାତ୍ର ସାର୍ବଭୌମ ଅଧିକାର ଲାଭ କରିବେ । ସ୍ଥାନୀୟ ରାଜା ହିଁ ରାଜ୍ୟର ପ୍ରକୃତ ଶାସକ ହେବେ । ତେଣୁ ସେମାନେ ବିରୋଧ କଲେ ନାହିଁ । ମାତ୍ର ଇଂରେଜମାନଙ୍କ ଆସିବା ପରେ ସେମାନେ ନିଜ ଭୁଲ ବୁଝି ପାରିଲେ । ପରିଣାମ ସ୍ୱରୂପ ୧୭୬୮ ମେ' ମାସରେ ପାରଳାର ରାଜା ନାରାୟଣ ଦେବ ଇଂରେଜମାନଙ୍କୁ ବିରୋଧ କଲେ । ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ କର୍ଣ୍ଣେଲ୍‍ ପିଚ୍‍ ଦାୟିତ୍ୱ ନେଲେ । ପାରଳା ରାଜା ପରାସ୍ତ ହେବା ପରେ ଗଞ୍ଜାମରେ ଇଂରେଜ ଶାସନ ସୁଦୃଢ଼ ହେଲା । ରେସିଡେଣ୍ଟ ଭାବରେ କଟ୍‍ସଫୋର୍ଡ଼ ୧୭୬୮ ଜୁଲାଇରୁ ଗଞ୍ଜାମରେ ଅବସ୍ଥାପିତ ହେଲେ, ଯଦିଓ ଏ ନେଇ ବିଜ୍ଞପ୍ତି ସେହି ବର୍ଷ ଡିସେମ୍ବରରେ ପ୍ରକାଶିତ ହେଲା । ଉତ୍ତର ଓଡ଼ିଶା ଦଖଲ

କଟକ, ପୁରୀ ଓ ବାଲେଶ୍ୱରର ସାମରିକ ମହତ୍ତ୍ୱଯୋଗୁଁ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ଉତ୍ତର ଓଡ଼ିଶାକୁ ଅଧିକାର କରିବାଲାଗି ଯୋଜନା କଲେ । ଏହା ପୂର୍ବରୁ ଜେମ୍‍ସ୍‍ ରେନେଲ ଓ ବ୍ଲଣ୍ଟ ନାମକ ଦୁଇଜଣ ଇଂରେଜ ଅଧିକାରୀ ଉତ୍ତର ଓଡ଼ିଶାକୁ ସର୍ଭେ କରିଥିଲେ । ୧୭୬୬ରେ ଲଡର଼୍ କ୍ଲାଇବ୍‍ଙ୍କ ପରାମର୍ଶରେ ଟମାସ ମୋଟ (Thomas Motte)ନାମକ ଜଣେ କମ୍ପାନୀ କର୍ମଚାରୀଙ୍କୁ ସମ୍ବଲପୁର ପଠାଯାଇଥିଲା । ଉଦ୍ଦେଶ୍ୟ ଥିଲା, ହୀରା ବ୍ୟାପାରର ସମ୍ଭାବନାକୁ ପରଖିବା । କାରଣ ମହାନଦୀ ବାଲିରେ ସମ୍ବଲପୁର ନିକଟରେ ହୀରା ମିଳୁଥିବାର ସମାଚାର ଇଂରେଜମାନଙ୍କୁ ଜଣାଥିଲା । ଟମାସ ମୋଟ ନିଜ ଗସ୍ତ ସମୟରେ ମରହଟ୍ଟା ସୁବାଦାର ଭବାନୀ ପଣ୍ତିତଙ୍କ ସହ ସାକ୍ଷାତ୍‍ କରି ଉପରୋକ୍ତ ତିନୋଟି ଜିଲ୍ଲାକୁ କମ୍ପାନୀକୁ ବିକ୍ରୀ କରିଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସୁବାଦାର ଏହାକୁ ଅସ୍ୱୀକାର କଲେ । ପରେ ତିିନି ବର୍ଷର ଚୌଠ ଆଗତୁରା ପ୍ରଦାନ କରି ତିନିଟି ଜିଲ୍ଲାକୁ ମରାଠାମାନଙ୍କ ହାତରୁ ନେଇଯିବାକୁ ମଧ୍ୟ କମ୍ପାନୀ ପ୍ରସ୍ତାବ ଦେଇଥିଲା । ମାତ୍ର ଏଥିରେ ମଧ୍ୟ ଭୋଁସଲେ ରାଜା ସମ୍ମତ ହୋଇ ନଥିଲେ ।

୧୭୮୧ରେ ଏବଂ ଦ୍ୱିତୀୟ ଥର ୧୭୯୦ରେ ବଙ୍ଗରୁ ଇଂରେଜ ସେନା ଓଡ଼ିଶା ମଧ୍ୟ ଦେଇ ମାଡ଼୍ରାସ୍‍ ଯାଇଥିଲେ । ଏଥିପାଇଁ ଇଂରେଜମାନଙ୍କୁ ଭୋଁସଲେ ରାଜାଙ୍କଠାରୁ ଆବଶ୍ୟକୀୟ ଅନୁମତି ସାଙ୍ଗକୁ ଅନେକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥିଲା । ଉଦାହରଣ ସ୍ୱରୂପ, ୧୭୮୧ରେ ମୁଧୋଜୀ ଭୋଁସଲେ ଅନୁମତି ଦେବା ସକାଶେ ତେର ଲକ୍ଷ ଟଙ୍କା ଚୌଠ ଓ ୧୦ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ । ଇଂରେଜମାନଙ୍କପାଇଁ ଏହି ମୂଲ୍ୟ ଅପବ୍ୟୟ ଥିଲା । କିନ୍ତୁ ଭୋଁସଲେ ରାଜାଙ୍କ ମତରେ ଏହା ଥିଲା ଯୁକ୍ତିଯୁକ୍ତ, କାରଣ ଇଂରେଜଙ୍କ ପୂର୍ବରୁ ବଙ୍ଗର ନବାବ ନିୟମିତ ମରାଠାମାନଙ୍କୁ ଚୌଠ କର ପ୍ରଦାନ କରୁଥିଲେ । ଏଭଳି ଅପବ୍ୟୟ ରୋକିବାକୁ ଉତ୍ତର ଓଡ଼ିଶା ଦଖଲ ଇଂରେଜମାନଙ୍କପାଇଁ ଆବଶ୍ୟକ ହୋଇପଡ଼ିଲା ।

୧୮୦୨ରେ ମରହଟ୍ଟାମାନଙ୍କର ନାମମାତ୍ର ପେଶବା ଦ୍ୱିତୀୟ ବାଜିରାଓ ଅନ୍ୟ ଏକ ମରାଠା ଶକ୍ତି ଇନ୍ଦୋରର ହୋଲ୍‍କାରଙ୍କ ହାତରେ ପରାସ୍ତ ହୋଇ ଇଂରେଜମାନଙ୍କର ଶରଣାପନ୍ନ ହେଲେ । ଇଂରେଜଙ୍କ ଚାପରେ ତାଙ୍କୁ ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ପଡ଼ିଲା । ଫଳରେ ପେଶବା ଇଂରେଜଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରିବା ସହିତ ସେମାନଙ୍କର ସାମନ୍ତ ହେବାକୁ ସମ୍ମତ ହେଲେ । ମାତ୍ର ଗ୍ୱାଲିଅରର ସିନ୍ଧିଆ ଓ ନାଗପୁରର ଭୋଁସଲେ ସାମନ୍ତସନ୍ଧିକୁ ଗ୍ରହଣ ନ କରିବାରୁ ଯୁଦ୍ଧକରିି ସେମାନଙ୍କୁ ପରାସ୍ତ କରାଗଲା ।

୧୮୦୩ ଅଗଷ୍ଟ ୩ ତାରିଖରେ ଇଂରେଜ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଓଡ଼ିଶାକୁ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ପୁରୀର ପଣ୍ତା, ଜଗନ୍ନାଥ ମନ୍ଦିର ଓ ତୀର୍ଥଯାତ୍ରୀମାନଙ୍କୁ ଯଥୋଚିତ ସମ୍ମାନ ଦେବେ ବୋଲି ଇଂରେଜ ବାହିନୀର ମୁଖ୍ୟ ଲେଫ୍‍ଟନାଣ୍ଟ କର୍ଣ୍ଣେଲ୍‍ କ୍ୟାମ୍ପବେଲ୍‍ ସନ୍ଦେଶ ପଠାଇଲେ । ଇଂରେଜମାନଙ୍କ ଏହି ପ୍ରତିଶ୍ରୁତି ପୁରୀର ପଣ୍ତାମାନଙ୍କୁ ପ୍ରଲୋଭିତ କଲା । ଇଂରେଜମାନଙ୍କ ଉତ୍‍ଥାନ ଓ ମରାଠା ଶକ୍ତିର ପତନକୁ ଅନୁମାନ କରି ସେମାନଙ୍କୁ ବିରୋଧ ନ କରିବାକୁ ପଣ୍ତାମାନେ ସ୍ଥିର କଲେ ଏବଂ ଗଡ଼ଜାତମାନଙ୍କୁ ପତ୍ର ଲେଖି ଜଣାଇଦେଲେ ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ଆନନ୍ଦରେ ରହିବେ । ଓ୍ୱେଲେସ୍‍ଲି ମଧ୍ୟ ଗଡ଼ଜାତମାନଙ୍କୁ ଜଣାଇଲେ ଯେ, ମରାଠା ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାପାଇଁ ସେମାନେ ଓଡ଼ିଶା ଦଖଲ କରିବାକୁ ଚାହାନ୍ତି । ଓଡ଼ିଶାରେ ଇଂରେଜ ସେନା ପ୍ରବେଶ କରିବାର ଅବ୍ୟବହିତ ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖ ଦିନ ଜଣେ ବଙ୍ଗୀୟ ପଣ୍ତିତ ପୁରୀ ମନ୍ଦିରର ପୂଜକଙ୍କ ପାଖକୁ ଇଂରେଜମାନଙ୍କ ଧାର୍ମିକ ସହିଷ୍ଣୁତା ଓ ନ୍ୟାୟପୂର୍ଣ୍ଣ ପ୍ରଶାସନକୁ ପ୍ରଶଂସା କରି ଏକ ପତ୍ର ଲେଖିଥିଲେ । ଇଂରେଜମାନେ ଉତ୍କୋଚ ଦେଇ ଏଭଳି ପତ୍ର ଲେଖିବାକୁ କହିଥିବା ମନେ କରାଯାଏ । ମୋଟ କଥା ହେଲା ଯେ, ଇଂରେଜମାନେ ଓଡ଼ିଶାକୁ ମରାଠାମାନଙ୍କ ବିରୁଦ୍ଧରେ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି କରିଥିଲେ । ସେମାନେ ମାନସିକ ସ୍ତରରେ ନିଜ ସପକ୍ଷରେ ଏବଂ ଶତ୍ରୁ ବିପକ୍ଷରେ ଏକ ପରିବେଶ ସୃଷ୍ଟି କରିଥିଲେ । ଯୁଦ୍ଧରେ ବିଜୟପାଇଁ ଏହା ଖୁବ୍‍ ସହାୟକ ସିଦ୍ଧ ହେଲା । ଉତ୍ତର ବା ଉପକୂଳ ଓଡ଼ିଶାକୁ ଦଖଲ କରିବା ସକାଶେ ଇଂରେଜମାନେ ତିନି ପଟରୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଦକ୍ଷିଣ ପଟରୁ ମାଡ଼୍ରାସ ପ୍ରେସିଡେନ୍‍ସିର ୭୪ତମ ରେଜିମେଣ୍ଟର ସେନାନାୟକ କ୍ୟାମ୍ପବେଲ୍‍ ପ୍ରଥମେ ପୁରୀ ଓ ସେଠାରୁ ଯାଇ କଟକ ଆକ୍ରମଣ କରିବା ସ୍ଥିର ହେଲା । ଉତ୍ତର ପଟୁ ବଙ୍ଗରୁ ଏକ ସେନାବାହିନୀ ଜଳେଶ୍ୱର ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଏବଂ ସମୁଦ୍ର ପଟରୁ ଏକ ବାହିନୀ ବାଲେଶ୍ୱରକୁ ଦଖଲ କରିବେ ବୋଲି ଯୋଜନା ହେଲା । ଦକ୍ଷିଣପଟୁ ସେପ୍ଟେମ୍ବର ୮ରେ ସାମରିକ ଅଭିଯାନ ଆରମ୍ଭ ହେଲା । କ୍ୟାମ୍ପବେଲ୍‍ଙ୍କ ସ୍ଥାନରେ କର୍ଣ୍ଣେଲ୍‍ ଜର୍ଜ ହାରକୋର୍ଟ (George Harcourt) ଅଭିଯାନର ଦାୟିତ୍ୱ ନେଲେ । ମାଣିକ ପାଟଣାଠାରେ ହାରକୋର୍ଟ ଫାଙ୍କା ଗୁଳି ଫୁଟାଇ ମରହଟ୍ଟାମାନଙ୍କୁ ଘଉଡାଇ ଦେଲେ । ମାଲୁଦର ଫୌଜଦାର ଟଙ୍କା ନେଇ ଇଂରେଜଙ୍କ ପକ୍ଷଭୁକ୍ତ ହୋଇଗଲେ । ପୁରୀକୁ ପ୍ରବେଶ କରିବାଲାଗି ସେନାକୁ ଖୋର୍ଦ୍ଧା ଦେଇ ଯିବା ଜରୁରୀ ଥିଲା । ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦ ଦେବ ଏମିତିରେ ମରାଠାମାନଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରି ନେଇଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ମଧ୍ୟ ମରାଠାମାନଙ୍କ ହାତରେ ରହିଥିଲା । ଉପସ୍ଥିତ ପରିସ୍ଥିତିରେ ଇଂରେଜମାନେ ତାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିଦାନରେ ଖୋର୍ଦ୍ଧା ଦେଇ ଇଂରେଜସେନାଙ୍କୁ ଯାତ୍ରାପାଇଁ ଅନୁମତି ଲୋଡିଲେ । ଖୋର୍ଦ୍ଧା ରାଜା ମରାଠାମାନଙ୍କ ବିରୁଦ୍ଧରେ ଇଂରେଜମାନଙ୍କୁ ସୈନ୍ୟ ସହଯୋଗ ଦେବାକୁ ମଧ୍ୟ ପ୍ରତିଶ୍ରୁତିଦେଲେ । ସେପ୍ଟେମ୍ବର ୧୮ ତାରିଖ ଦିନ ଇଂରେଜ ସେନା ଯେତେବେଳେ ପୁରୀରେ ପ୍ରବେଶ କଲେ, ଜଗନ୍ନାଥ ମନ୍ଦିରର ପଣ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପୁରୀରୁ ଇଂରେଜ ବାହିନୀ କଟକ ଅଭିମୁଖେ ଯାତ୍ରା କଲେ । ବାଟରେ ଅହମ୍ମଦପୁର ଓ ମୁକୁନ୍ଦପୁରରେ ସେମାନଙ୍କୁ ମରାଠାମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମାତ୍ର ବିରୋଧର ମାତ୍ରା ଅଧିକ ନଥିଲା । ୧୮୦୩ ଅକ୍ଟୋବର ୮ ତାରିଖ ଦିନ ହାରକୋର୍ଟଙ୍କ ନେତୃତ୍ୱରେ ଇଂରେଜ ସେନା କଟକରେ ପହଞ୍ଚି ପ୍ରଥମେ ଲାଲବାଗ ଦୁର୍ଗ କବ୍‍ଜା କରିନେଲେ । ବାରବାଟୀ ଦୁର୍ଗ ଅଧିକାର କରିବା ପୂର୍ବରୁ ମରହଟ୍ଟା ଫୌଜଦାରଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ବିନା ପ୍ରତିରୋଧରେ ଦୁର୍ଗ ଦଖଲ କରିବାକୁ ଚାହିଁଲେ । ଏହି ଉଦ୍ୟମ ବିଫଳ ହେବାରୁ ଅକ୍ଟୋବର ୧୩ ତାରିଖ ଦିନ ଇଂରେଜ ବାହିନୀ ବାରବାଟୀ ଦୁର୍ଗ ଅବରୋଧ କଲେ । ଦୁର୍ଗ ଦଖଲ କରିବା ପୂର୍ବରୁ ମରହଟ୍ଟା ସେନାପତି ଶିବପ୍ରସାଦଙ୍କୁ ସେମାନେ ନିଜ ପକ୍ଷଭୁକ୍ତ କରିନେଲେ । ବାରବାଟୀ ଦୁର୍ଗ ଦଖଲ ହେଲା । ଦୁର୍ଗ ଅବରୋଧ ସମୟରେ ଖଣ୍ତ ଯୁଦ୍ଧରେ ମୋଟ ଦୁଇଜଣ ଇଂରେଜ ସୈନ୍ୟ ଓ ତିିନିଜଣ ଭାରତୀୟ ସୈନ୍ୟଙ୍କର ପ୍ରାଣ ଗଲା । ଅନ୍ୟ କ୍ଷୟକ୍ଷତି ମଧ୍ୟରେ କଟକ ଅଧିକାର ସମୟରେ ମାତ୍ର ୧୬ ଜଣ ଇଂରେଜ ଓ ୧୩ ଜଣ ଭାରତୀୟ ସିପାହି ଆହତ ହୋଇଥିଲେ । ଯୁଦ୍ଧରେ ପରାସ୍ତ ହୋଇ ଭୋଁସଲେ ରାଜାଙ୍କ ସେନା ଛତ୍ରଭଂଗ ଦେଲେ । କଟକ କର୍ଣ୍ଣେଲ୍‍ ହାରକୋର୍ଟଙ୍କ ଅଧୀନସ୍ଥ ହେଲା । ବାଲେଶ୍ୱର ମଧ୍ୟ ଏକା ଉପାୟରେ ଇଂରେଜମାନଙ୍କ ଅଧିକାରଭୁକ୍ତ ହେଲା । ସେପ୍ଟେମ୍ବର ୨୧ରେ କ୍ୟାପ୍‍ଟେନ୍‍ ମର୍ଗାନ୍‍ (Captain Morgan)ସମୁଦ୍ର ପଥରେ ଏକ ସେନା ବାହିନୀ ନେଇ ବାଲେଶ୍ୱରରେ ପହଞ୍ଚିଲେ । ବାଲେଶ୍ୱର ଦଖଲ ହେବା ପୂର୍ବରୁ ମରାଠା ଫୌଜଦାରଙ୍କୁ ଲାଞ୍ଚ ଦେଇ ବିନା ଯୁଦ୍ଧରେ ଇଂରେଜମାନେ କ୍ଷେତ୍ରଟିକୁ ଅଧିକାର କରିନେବାକୁ ଉଦ୍ୟମ କଲେ । ଫୌଜଦାରଙ୍କ ମଧ୍ୟ ଏଥିରେ ଅସହମତି ନଥିଲା । ମାତ୍ର ମରାଠା ସୈନ୍ୟମାନେ ଚକ୍ରାନ୍ତଟିକୁ ବୁଝିପାରି ଫୌଜଦାରକୁ ଗିରଫ କଲେ ଏବଂ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ମାତ୍ର ଗୋଟାଏ ଦିନର ଯୁଦ୍ଧରେ ବାଲେଶ୍ୱର ଅଧିକୃତ ହେଲା ।

ଉତ୍ତର ପଟୁ ଏକ ଇଂରେଜ ବାହିନୀ କର୍ଣ୍ଣେଲ୍‍ ଫର୍ଗୁସନଙ୍କ ନେତୃତ୍ୱରେ ଜଳେଶ୍ୱର ଦେଇ କଟକ ଯାତ୍ରା କଲେ । ସେମାନେ କଟକ ପହଞ୍ଚିବା ପୂର୍ବରୁ ହାରକୋର୍ଟଙ୍କ ବାହିନୀ କଟକ ଅଧିକାର କରି ସାରିଥିଲେ । ଏହା ପରେ ଗ୍ରାମାଞ୍ଚଳର ଜମିଦାରମାନଙ୍କୁ ଇଂରେଜ କର୍ତ୍ତୃତ୍ୱାଧୀନ କରିବା ସକାଶେ କର୍ଣ୍ଣେଲ ଫେନ୍‍ଓ୍ୱିକ୍‍ଙ୍କୁ (Colonel Fenwick) ଦାୟିତ୍ୱ ଦିଆଗଲା । ଫେନ୍‍ଓ୍ୱିକ୍‍ ପ୍ରଥମେ ଶାନ୍ତିପୂର୍ଣ୍ଣ ଉପାୟରେ ନିଜ କାର୍ଯ୍ୟ ହାସଲପାଇଁ ଉଦ୍ୟମ କଲେ । ଯେଉଁଠି ଆବଶ୍ୟକ ପଡ଼ିଲା ଶକ୍ତି ମଧ୍ୟ ପ୍ରୟୋଗ କଲେ ।

ପ୍ରଥମେ ବାଲେଶ୍ୱର ଏବଂ ତତ୍‍ ପରେ ପୁରୀ ଓ କଟକ ନିଜ କର୍ତ୍ତୃତ୍ୱକୁ ଆସିବା ପରେ ଲର୍ଡ଼ ଓ୍ୱେଲେସଲିଙ୍କ ରାଜ୍ୟ ବିସ୍ତାର ନୀତି ଖୁବ୍‍ ସଫଳତା ପାଇଲା । ବାରବାଟୀ ଦୁର୍ଗ ଦଖଲ ପରେ ଶାସନ ପରିଚାଳନା ଏବଂ ଅନ୍ୟ ଗଡ଼ଜାତମାନଙ୍କ ଉପରେ ଆଧିପତ୍ୟ ବିସ୍ତାରଲାଗି ଲର୍ଡ଼ ଓ୍ୱେଲେସଲି ଏକ କମିଟି ଗଠନ କଲେ । ହାରକୋର୍ଟଙ୍କ ବ୍ୟତୀତ ତହିଁରେ ଜେ.ମେଲଭିଲ (J. Melville)ଏବଂ ଟି.ଏଚ୍‍. ଆର୍ଣ୍ଣେଷ୍ଟ (T.H. Ernst) ସଭ୍ୟ ଥିଲେ । ଏହି କମିଟିର ଚାପରେ ଖୋର୍ଦ୍ଧା, ମୟୂରଭଞ୍ଜ, ଅନୁଗୋଳ, ହିନ୍ଦୋଳ, ଦଶପଲ୍ଲା, ଆଳି, କୁଜଙ୍ଗ, ହରିଶପୁର, ଦର୍ପଣି, ସୁକିନ୍ଦା, ମଧୁପୁର, ମରିଚପୁର, ବିଷ୍ଣୁପୁର ଓ କନିକା ଇଂରେଜ ସରକାରଙ୍କ ପ୍ରଭୁତ୍ୱ ସ୍ୱୀକାର କରିବାକୁ ରାଜିହେଲେ । ଏହା ସହିତ ସେଗୁଡ଼ିକ ବାର୍ଷିକ କର ବା ପେଶକସ୍‍ ଦେବାକୁ ମଧ୍ୟ ସମ୍ମତି ପ୍ରଦାନ କଲେ । ୧୮୦୩ ଡିସେମ୍ବର ୧୭ ତାରିଖରେ ରଘୁଜୀ ଭୋଁସଲେ ମହାରାଷ୍ଟ୍ରର ଦେଓଗାଁଠାରେ ଇଷ୍ଟ ଇଣ୍ତିଆ କମ୍ପାନୀ ସହିତ ବୁଝାମଣା କଲେ । ସେହି ଅନୁଯାୟୀ, ଭୋଁସଲେ ଇଂରେଜମାନଙ୍କର କଟକ, ପୁରୀ ଓ ବାଲେଶ୍ୱର ଉପରେ ସାର୍ବଭୌମତ୍ୱକୁ ସ୍ୱୀକାର କଲେ । ଗଡ଼ଜାତମାନଙ୍କ ସହ ଇଂରେଜମାନେ କରିଥିବା ଚୁକ୍ତିକୁ ମଧ୍ୟ ସ୍ୱୀକୃତି ଦିଆଗଲା । ୧୮୦୪ ମସିହା ଜାନୁଆରି ୯ ତାରିଖ ଦିନ ସପରିଷଦ ଗଭର୍ଣ୍ଣର ଜେନେରାଲ୍‍ (Governor General in Council)ଦେଓଗାଁଓ ବୁଝାମଣାକୁ ଅନୁମୋଦନ କଲେ ।

ସମ୍ବଲପୁର ଦଖଲ ଅଷ୍ଟାଦଶ ଶତାବ୍ଦୀରେ ସମ୍ବଲପୁରରେ ଚୌହାନ ବଂଶ ରାଜୁତି କରୁଥିଲେ । କିମ୍ବଦନ୍ତୀ ଅନୁଯାୟୀ ସେମାନେ ପୃଥ୍ୱୀରାଜ ଚୌହାନଙ୍କ ବଂଶଧର ଥିଲେ । ୧୧୯୨ରେ ମହମ୍ମଦ ଘୋରୀଙ୍କ ହାତରେ ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ସେହି ବଂଶର ଜଣେ ରାଣୀ ଉତ୍ତର ପ୍ରଦେଶର ମୈନପୁରୀ ଦେଇ ପାଟଣାଗଡ଼ (ଆଧୁନିକ ବଲାଙ୍ଗିର ଜିଲ୍ଲା)ରେ ଆଶ୍ରୟ ନେଇଥିଲେ । ତାଙ୍କ ପୁତ୍ର ରମାଇଦେବ ପାଟଣାଗଡ଼ ରାଜ୍ୟର ଶାସକ ହେଲେ । ତତ୍‍କାଳୀନ ଗଙ୍ଗବଂଶର ସାର୍ବଭୌମତ୍ୱକୁ ସେ ଅସ୍ୱୀକାର କରି ନଥିଲେ । ତେଣୁ ତାଙ୍କୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।

ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ପାଟଣାଗଡ଼ ରାଜ୍ୟର ଦ୍ରୁତ ପତନ ଘଟିଲା । ଏହାର ସୁଯୋଗ ନେଇ ବଳରାମ ଦେବ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କଲେ । ସେତେବେଳ ପର୍ଯ୍ୟନ୍ତ ସମ୍ବଲପୁର ପାଟଣାଗଡ଼ ରାଜ୍ୟର ଅଂଶ ହୋଇ ରହିଥିଲା । ବଳରାମ ଦେବ ରାଜା ହେଲା ପରେ ପାଟଣାଗଡ଼ର ପ୍ରଭୁତ୍ୱକୁ ଅସ୍ୱୀକାର କରି ନଥିଲେ । ବରଂ ପାଟଣାଗଡ଼ର ରାଜା ନରସିଂହଦେବଙ୍କ ପାଖରୁ ଦାନ ସୂତ୍ରରେ ତାଙ୍କୁ ସମ୍ବଲପୁର ପ୍ରାପ୍ତ ହୋଇଛି ବୋଲି ସେ ଦାବି କରିଥିଲେ । ତା' ସହିତ ନିଜର ସ୍ୱାଧୀନତାକୁ ପ୍ରଦର୍ଶନ କରିବା ସକାଶେ ସମ୍ବଲପୁରରେ ସମଲାଇ ଦେବୀଙ୍କୁ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ରୂପେ ପୁନଃପ୍ରତିଷ୍ଠା ଦେଲେ । ସେତେବେଳେ ସ୍ଥାନୀୟ ସ୍ୱାଭିମାନକୁ ଜାହିର କରିବାନିମନ୍ତେ ରାଜ୍ୟମାନଙ୍କରେ ଏକ ଅଧିଷ୍ଠାତ୍ରୀ ଦେବୀ ପ୍ରତିଷ୍ଠା କରିବାର ପରଂପରା ରହିଥିଲା । ରମାଇଦେବ ମଧ୍ୟ ପାଟଣାଗଡ଼ରେ ପାଟଣେଶ୍ୱରୀ ଦେବୀଙ୍କ ମନ୍ଦିର ନିର୍ମାଣ କରି ଏହି ପରଂପରାକୁ ପାଳନ କରିଥିଲେ । ସମ୍ଭବତଃ ରାଜ୍ୟ ପ୍ରତିଷ୍ଠା ପୂର୍ବରୁ ଉକ୍ତ ଦେବୀମାନଙ୍କର ପୂଜା ପରଂପରା ରହିଥିଲା । ରାଜ ପୃଷ୍ଠପୋଷକତା ଦେବୀଙ୍କୁ ପ୍ରସିଦ୍ଧି ଦେଲା ତଥା ରାଜାଙ୍କ ନିମନ୍ତେ ସ୍ଥାନୀୟ ଲୋକ ସମର୍ଥନ ଆଣିଦେଲା ।

ସପ୍ତଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବଳିଆରଦେବଙ୍କ ରାଜତ୍ୱ କାଳରେ (୧୬୫୦-୧୬୮୮) ସମ୍ବଲପୁର ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜ୍ୟ ହେବାର ଗୌରବ ଲାଭ କଲା । କେବଳ ପାଟଣାଗଡ଼ ନୁହେଁ, ତା' ସାଙ୍ଗକୁ ପ୍ରାଚୀନ କାଳରେ କୋଶଳ ନାମରେ ପରିଚିତ ସମଗ୍ର କ୍ଷେତ୍ରର କେନ୍ଦ୍ର ଭାବରେ ତାକୁ ପରିଚିତି ମିଳିଲା । ଅଠରଟି ରାଜ୍ୟର ମୁଖ୍ୟ ଭାବରେ ସମ୍ବଲପୁର ରାଜା 'ଅଠରଗଡ଼ ମଉଡ଼ମଣି' ଉପାଧି ଧାରଣ କଲେ । ଏହି ଅଠରଟି ରାଜ୍ୟ ହେଲେ : ସମ୍ବଲପୁର, ପାଟଣା (ପାଟଣାଗଡ଼), ସୋନପୁର, ବଉଦ, ଆଠମଲ୍ଲିକ୍‍, ଖରିଆର, ରେଢ଼ାଖୋଲ, ବାମଣ୍ତା, ଗାଙ୍ଗପୁର, ବଣାଇ, ରାୟଗଡ଼, ବରଗଡ଼, ସାରଙ୍ଗଡ଼, ଶକ୍ତି, ଫୁଲଝର, ଚନ୍ଦ୍ରପୁର, ବିନ୍ଦ୍ରା-ନୂଆଗଡ଼ ଓ ସରଗୁଜା । ଅର୍ଥାତ୍‍ ଆଧୁନିକ ଓଡ଼ିଶାର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, କଳାହାଣ୍ତି, ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼, ବିଳାସପୁର, ସାରଙ୍ଗଡ଼ ଆଦି କ୍ଷେତ୍ରର ରାଜନୀତିକ କେନ୍ଦ୍ର ଭାବରେ ସମ୍ବଲପୁରକୁ ଲୋକେ ଜାଣିଲେ । ଏହି ବିସ୍ତୃତ କ୍ଷେତ୍ରର ଭାଷା, ସଂସ୍କୃତିରେ ସ୍ୱାତନ୍ତ୍ର୍ୟ ଅନୁମାନ କରି ଏବଂ କ୍ଷେତ୍ର ମଧ୍ୟସ୍ଥ ରାଜ୍ୟଗୁଡ଼ିକର ଭାଷା, ସଂସ୍କୃତି, ପରଂପରାରେ ସମାନତାକୁ ହୃଦୟଙ୍ଗମ କରି ବାହାରେ ଏହି ସମଗ୍ର କ୍ଷେତ୍ରକୁ ଏକ ରାଜ୍ୟ ବୋଲି ମନେ କରାଯାଉଥିଲା । ଏହାକୁ କୋଶଳ ନାମରେ ଅଭିହିତ କରି ସୋନପୁରର ଗଙ୍ଗାଧର ମିଶ୍ର ନାମରେ ଜଣେ କବି ସେହି ସମୟରେ 'କୋଶଳାନନ୍ଦ କାବ୍ୟ' ଶୀର୍ଷକରେ ଏକ ସଂସ୍କୃତ କାବ୍ୟ ମଧ୍ୟ ରଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ (୧୭୫୧) ମରାଠାମାନେ କଟକ ଅଧିକାର କଲେ । ନାଗପୁରରୁ ସେମାନେ ସମ୍ବଲପୁର ଦେଇ କଟକ ଯାଇଥିଲେ ଏବଂ ବାଟରେ ବାରମ୍ବାର ସମ୍ବଲପୁର ରାଜ୍ୟର ଗାଁ ଗଣ୍ତା ଉପରେ ଆକ୍ରମଣ କରିଥିଲେ । ଏସବୁ ସତ୍ତ୍ୱେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସମ୍ବଲପୁର ଅଧିକାର କରି ପାରି ନଥିଲେ । ଏହାର ଏକାଧିକ କାରଣ ମଧ୍ୟରୁ ଗୋଟାଏ ହେଲା ଯେ, କଟକରେ ପ୍ରତିଷ୍ଠିତ ହେଲା ପରେ ସେମାନେ ସମ୍ବଲପୁର ପ୍ରତି ଧ୍ୟାନ ଦେବାକୁ ମନସ୍ଥ କରିଥିଲେ, କାରଣ ବଙ୍ଗ ଦଖଲ ସେମାନଙ୍କର ଲକ୍ଷ୍ୟ ଥିଲା ଏବଂ ସେଥିପାଇଁ କଟକ ଓ ବାଲେଶ୍ୱରକୁ ଆଧାର ଭାବରେ ସେମାନେ ବିଚାର କରୁଥିଲେ । ଅନ୍ୟ ଏକ ପ୍ରମୁଖ କାରଣ ହେଲା, ସମ୍ବଲପୁର ରାଜା ମଧ୍ୟ ସାମରିକ ଦୃଷ୍ଟିରୁ ଯଥେଷ୍ଟ ବଳଶାଳୀ ଥିଲେ । ଦୁଇଥର ଖଣ୍ତ ଯୁଦ୍ଧରେ ମରାଠା ସେନାକୁ ସମ୍ବଲପୁର ରାଜା ପରାସ୍ତ କରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ସମ୍ବଲପୁର ରାଜବଂଶର ଦ୍ରୁତ ପତନ ହେଲା । ଚୌହାନ ରାଜା ଅଭୟ ସିଂହ ଓ ଦେଓ୍ୱାନ୍‍ ଆକବର ରାୟଙ୍କ ମଧ୍ୟରେ କଳହଯୋଗୁଁ ରାଜ୍ୟରେ ଗୃହଯୁଦ୍ଧପ୍ରାୟ ସ୍ଥିତି ଉପୁଜିଲା । ଦେଓ୍ୱାନ୍‍ଙ୍କୁ ରାଜା ବରଖାସ୍ତ କରି ତାଙ୍କ ସ୍ଥାନରେ କୃଷ୍ଣ ବଡ଼ମଲ୍ଲିକଙ୍କୁ ଦେଓ୍ୱାନ୍‍ ପଦରେ ନିଯୁକ୍ତ କଲା ପରେ ୧୭୬୬ ଜୁନ୍ ୧୭ ତାରିଖ ଦିନ ବରଖାସ୍ତ ଦେଓ୍ୱାନ୍‍ ଆକବର ରାୟ, ରାଜା ଅଭୟ ସିଂହ ଓ ନୂତନ ଦେଓ୍ୱାନଙ୍କୁ ବନ୍ଦୀ କଲେ ଏବଂ ପ୍ରାୟ ୩୦୦ ରାଜା ସମର୍ଥକଙ୍କୁ ହତ୍ୟା କଲେ । ଏହା ପରେ ସେ ନିଜେ ଶାସନଗାଦି ଅଧିକାର କରି ସମ୍ବଲପୁରର ରାଜା ହେଲେ । ଏହା ପରେ ଅଭୟ ସିଂହଙ୍କ ଭାଇ ଜୟନ୍ତ ସିଂହ ସାରଙ୍ଗଡ଼ ତଥା ଅନ୍ୟ କେତେକ ସାମନ୍ତ ରାଜ୍ୟର ସାହାଯ୍ୟରେ ସମ୍ବଲପୁର ଆକ୍ରମଣ କଲେ । ଏହି ପରିସ୍ଥିତିରେ ଆକବର ରାୟ ଜୟନ୍ତ ସିଂହଙ୍କ ସହ ସନ୍ଧି କରି ତାଙ୍କୁ ରାଜା ଭାବରେ ସ୍ୱୀକୃତି ଦେଲେ । ଅନ୍ୟ ପକ୍ଷରେ ମରାଠା ସେନାପତି ଚିମନଜୀ ମଧ୍ୟ ସମ୍ବଲପୁର ଅଧିକାର ପ୍ରତି ବିଶେଷ ମହତ୍ତ୍ୱ ନ ଦେଇ ନାଗପୁର ପ୍ରତ୍ୟାବର୍ତ୍ତନ କଲେ । ମରାଠା ସେନାର ନାଗପୁରରୁ କଟକ ଯିବା ଆସିବା ସମୟରେ ମୁଖ୍ୟ ଲକ୍ଷ୍ୟ ଥିଲା, ସମ୍ବଲପୁର ଓ ରାସ୍ତାକଡ଼ର ଅନ୍ୟ ଗାଁ ଗଣ୍ତାରେ ଲୁଣ୍ଠନ । ମରାଠା ସୈନ୍ୟ ଆବଶ୍ୟକୀୟ ଖାଦ୍ୟ ପାନୀୟ ଗାଁଗଣ୍ତାରୁ ଲୁଣ୍ଠନ କରି ସଂଗ୍ରହ କରୁଥିଲେ । ସେହି ପ୍ରକ୍ରିୟାରେ ଧନରତ୍ନ ଲୁଣ୍ଠନ କରିବାକୁ ତଥା ପ୍ରତିରୋଧକାରୀଙ୍କ ଉପରେ ଅତ୍ୟାଚାର କରିବାକୁ ସେମାନେ ହେଳା କରୁ ନଥିଲେ । ସମ୍ବଲପୁରର ରାଜା ହେଲା ପରେ ଜୟନ୍ତ ସିଂହ ଭୋଁସଲେ ସେନାପତିଙ୍କ ସଙ୍ଗେ ବୁଝାମଣା କରି ଏହି ସମସ୍ୟାର ସମାଧାନ ଆଣିଲେ । ୧୭୯୩ରେ ସେ ବାର୍ଷିକ ୩୨,୦୦୦ ସ୍ଥାନୀୟ ସମ୍ବଲପୁରୀ ଟଙ୍କା, ଯାହାର ବଜାର ମୂଲ୍ୟ ଥିଲା ପ୍ରାୟ ୧୬,୦୦୦ ସ୍ୱର୍ଣ୍ଣ ମୁଦ୍ରା, ଭୋଁସଲେ ରାଜାଙ୍କୁ କର ରୂପେ ଦେବାକୁ ସମ୍ମତ ହେଲେ । ଏହାର ଅର୍ଥ ହେଲା, ସମ୍ବଲପୁର ରାଜ୍ୟ ନାଗପୁରର ଭୋଁସଲେ ରାଜାଙ୍କ ସାର୍ବଭୌମତ୍ୱକୁ ଗ୍ରହଣ କରିନେଲା । ଅନ୍ୟ ପକ୍ଷରେ ସମ୍ବଲପୁରର ଆଭ୍ୟନ୍ତରୀଣ ପ୍ରଶାସନ ଚୌହାନ ରାଜାଙ୍କ ହାତରେ ରହିଲା । ଏହି ବ୍ୟବସ୍ଥା ୧୮୦୦ ମସିହା ପର୍ଯ୍ୟନ୍ତ ଚାଲୁ ରହିଲା ।

୧୮୦୦ ମସିହାରେ ଭୋଁସଲେ ରାଜା ସମ୍ବଲପୁରକୁ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ଚାହିଁଲେ । ଏହାଦ୍ୱାରା ଅଧିକ ରାଜସ୍ୱ ଆଦାୟ ହେବାର ତଥା ନାଗପୁରରୁ କଟକ ଯିବା ଆସିବା ରାସ୍ତାରେ ମରାଠା ଅଧିକାରୀଙ୍କୁ ଅଧିକ ସହଯୋଗ ମିଳିବାର ସଂଭାବନା ଥିଲା । ଭୂପସିଂହ ନାମକ ଜଣେ ସେନା ଅଧିକାରୀଙ୍କ ନେତୃତ୍ୱରେ ନାଗପୁର ରାଜା ଦ୍ୱିତୀୟ ରଘୁଜୀ ଏକ ସୈନ୍ୟ ବାହିନୀ ପ୍ରେରଣ କଲେ ଏବଂ ସମ୍ବଲପୁର, ସୋନପୁର ଓ ବଉଦର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିନେଲେ । ସମ୍ବଲପୁର ଦଖଲ ହେଲା ପରେ ଭୂପସିଂହ ମରାଠା ପ୍ରଶାସକ ନିଯୁକ୍ତ ହେଲେ । ମାତ୍ର ଧାର୍ଯ୍ୟ ମତେ ଭୂ-ରାଜସ୍ୱ ଅସୁଲ କରି ନାଗପୁର ପ୍ରେରଣ କରିବାରେ ଅସଫଳ ହେବାରୁ ଭୋଁସଲେ ରାଜା ଭୂପସିଂହଙ୍କ ସ୍ଥାନରେ ତାନ୍ତିଆ ଫଡ଼ନାବିସଙ୍କୁ ସମ୍ବଲପୁରର ପ୍ରଶାସକ ନିଯୁକ୍ତ କଲେ । ୧୮୦୪ରେ ଇଂରେଜ ସେନା ସମ୍ବଲପୁର ଦଖଲପାଇଁ ଉଦ୍ୟମ କଲାବେଳେ ତାନ୍ତିଆ ଥିଲେ ତା'ର ପ୍ରଶାସକ ।

ଇଂରେଜ ସେନା ଜର୍ଜ ହାରକୋର୍ଟଙ୍କ ନେତୃତ୍ୱରେ ଅକ୍ଟୋବର ୧୮୦୩ରେ କଟକ ଅଧିକାର କଲା ପରେ କୂଟନୀତି ପ୍ରୟୋଗ କରି ସମ୍ବଲପୁର ଅର୍ଥାତ୍‍ ପଶ୍ଚିମ ଓଡ଼ିଶାକୁ ନିଜ ଅଧୀନକୁ ଆଣିବାକୁ ଉଦ୍ୟମ କଲେ । ସମ୍ବଲପୁର, ସୋନପୁର ଓ ବଉଦ ରାଜାଙ୍କୁ ପତ୍ର ଲେଖି ହାରକୋର୍ଟ ଜଣାଇଦେଲେ ଯେ, ସେମାନେ ଯଦି ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କରନ୍ତି, ମରାଠା କର୍ତ୍ତୃତ୍ୱରୁ ମୁକ୍ତ ହେବେ । ଅର୍ଥାତ୍‍ ସେମାନଙ୍କୁ ଭବିଷ୍ୟତରେ ମରାଠାମାନଙ୍କୁ ବାର୍ଷିକ ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ ଇଂରେଜ ସରକାର ପ୍ରତ୍ୟେକ ରାଜାଙ୍କଠାରୁ ମାତ୍ର ପାଞ୍ଚଟି ସ୍ୱର୍ଣ୍ଣ ମୋହର ପେଶକସ ନେବେ । ଯେହେତୁ ଉକ୍ତ ତିନି ରାଜା ମରାଠାମାନଙ୍କ ହାତରେ ବନ୍ଦୀ ଥିଲେ, ସେମାନଙ୍କ ରାଣୀ ଯଥା ସମ୍ବଲପୁରର ରାଣୀ ରତନ କୁମାରୀ, ସୋନପୁର ରାଣୀ ଲକ୍ଷ୍ମୀପ୍ରିୟା ଏବଂ ବଉଦର ରାଣୀ ଜଗଦୀଶ୍ୱରୀ ଦେଓ ଇଂରେଜମାନଙ୍କ ସହ ୧୮୦୪ ଜାନୁଆରି ୪ ତାରିଖ ଦିନ ଏ ନେଇ ଚୁକ୍ତିନାମା ସ୍ୱାକ୍ଷର କଲେ । ଫଳରେ ମେଜର ବ୍ରାଉଟନ୍‍ ସମ୍ବଲପୁରର ମରାଠା ପ୍ରଶାସକ ତାନ୍ତିଆ ଫଡ଼ନାବିସଙ୍କୁ ତଡ଼ି ନିଜେ ସେଠାରେ ଇଂରେଜ ପ୍ରଶାସନ କଥା ବୁଝିଲେ । ଏହା ପରେ ରାୟଗଡ଼, ସାରଙ୍ଗଡ଼, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ତା, ବଣାଇ, ଶକ୍ତି ଓ ବରଗଡ଼ର ରାଜା, ଜମିଦାରମାନେ ମଧ୍ୟ ବ୍ରାଉଟନ୍‍ଙ୍କ ସହ ସ୍ୱେଚ୍ଛାରେ ଚୁକ୍ତି କଲେ, ଯାହାର ଉଦ୍ଦେଶ୍ୟ ହେଲା ମରାଠା କର୍ତ୍ତୃତ୍ୱରୁ ମୁକ୍ତି ପାଇବା । ୧୮୦୫ରେ ଗଭର୍ଣ୍ଣର ଜେନେରାଲ୍‍ ପଦରୁ ଲର୍ଡ଼ ଓ୍ୱେଲେସଲି ଅବ୍ୟାହତି ପାଇଲେ । ତାଙ୍କ ରାଜ୍ୟ ବିସ୍ତାର ଓ ଯୁଦ୍ଧଖୋର ନୀତିଯୋଗୁଁ ଇଷ୍ଟ ଇଣ୍ତିଆ କମ୍ପାନୀର ଋଣ ପରିମାଣ ୧୭୯୯ରେ ୧୭୦ ଲକ୍ଷ ପାଉଣ୍ତରୁ ୧୮୦୬ ବେଳକୁ ୩୧୦ ଲକ୍ଷ ପାଉଣ୍ତରେ ପହଞ୍ଚିଲା । ଯୁଦ୍ଧ ଖର୍ଚ୍ଚ ତୁଲାଇବା କମ୍ପାନୀପାଇଁ ଭାରି ପଡ଼ିଲା । ୟୁରୋପରେ ନେପୋଲିୟନ୍‌ଙ୍କ ରାଜନୀତିକ ଓ ସାମରିକ ଆବିର୍ଭାବଯୋଗୁଁ ଇଂଲଣ୍ତପାଇଁ ବିପଦର ମାତ୍ରା ବୃଦ୍ଧି ପାଇଲା । ଯୁଦ୍ଧ ଇଂଲଣ୍ତକୁ ବିପର୍ଯ୍ୟସ୍ତ କରି ପକାଇଲା । ଏହି ସ୍ଥିତିରେ ପାର୍ଲାମେଣ୍ଟରେ ତଥା କମ୍ପାନୀର ନିର୍ଦ୍ଦେଶକ ମଣ୍ତଳୀରେ ଭାରତରେ ଇଂରେଜର ଯୁଦ୍ଧ ନୀତିକୁ ସମାଲୋଚନା କରାଗଲା । ଲର୍ଡ଼ ଓ୍ୱେଲେସ୍‍ଲିଙ୍କ ସ୍ଥାନରେ ଗଭର୍ଣ୍ଣର ଜେନେରାଲ୍‍ ପଦରେ ନିଯୁକ୍ତ ହୋଇଥିବା ଜି.ଏଚ୍‍.ବାର୍ଲୋ ଶାନ୍ତି ନୀତି ଅବଲମ୍ବନ କରି ସମ୍ବଲପୁର ଓ ପାଟଣାକୁ ମରହଟ୍ଟାମାନଙ୍କୁ ଫେରାଇଦେଲେ । ଏଥିପାଇଁ ୧୮୦୬ ମସିହା ଅଗଷ୍ଟ ୨୪ ତାରିଖ ଦିନ ଭୋଁସଲେ ରାଜା ଓ ଇଂରେଜଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେଲା ।

ଶାନ୍ତି ନୀତି ଆଚରଣ କରି ଇଂରେଜମାନେ ସମ୍ବଲପୁରକୁ ଭୋଁସଲେ ରାଜାଙ୍କ ହାତକୁ ଫେରାଇ ଦେଲେ, ମାତ୍ର ଅନ୍ୟ ରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱରେ ରଖିଲେ । ଦ୍ୱିତୀୟତଃ, ସମ୍ବଲପୁରର ରାଣୀ ରତନ କୁମାରୀ ଏବଂ ଅନ୍ୟ ଜମିଦାରମାନଙ୍କୁ ମରହଟ୍ଟାମାନଙ୍କର ବିରୋଧ କରିବା ସକାଶେ ଗୋପନ ସମର୍ଥନ ଦେଲେ । ଅର୍ଥାତ୍‍ ଶାନ୍ତି ନୀତି ପ୍ରତି ସେମାନଙ୍କର ଆନ୍ତରିକତା ନଥିଲା । ଅନ୍ୟ ପକ୍ଷରେ, ମରାଠାମାନେ ସମ୍ବଲପୁର ଆକ୍ରମଣ କରି ଅଧିକାର କରିନେଲେ । ସେମାନଙ୍କ ଲୁଣ୍ଠନ ମଧ୍ୟ ଚାଲିଲା । ରାଣୀ ବାଧ୍ୟ ହୋଇ ଇଂରେଜ ସରକାରଙ୍କ ଆଶ୍ରୟ ନେଲେ । ଇଂରେଜମାନଙ୍କଠାରୁ ମାସିକ ଛଅ ଶହ ଟଙ୍କା ଭତ୍ତା ପାଇ ସେ ଶେଷ ଜୀବନ ପର୍ଯ୍ୟନ୍ତ (୧୮୧୬) କଟକରେ ରହିଲେ । କାଶୀ ତୀର୍ଥଯାତ୍ରା କାଳରେ ତାଙ୍କର ଦେହାନ୍ତ ହେଲା ।

୧୮୧୭ ମସିହାରେ ତୃତୀୟ ଇଂରେଜ-ମରହଟ୍ଟା ଯୁଦ୍ଧ ସଂଘଟିତ ହେଲା । ପୁନାର ପେଶବା, ନାଗପୁରର ଭୋଁସଲେ ଓ ଇନ୍ଦୋରର ହୋଲକାରଙ୍କ ସମ୍ମିଳିତ ଶକ୍ତିକୁ ଇଂରେଜମାନେ ପରାସ୍ତ କଲେ । ପୂର୍ବରୁ ଗ୍ୱାଲିଅରର ସିନ୍ଧିଆଙ୍କୁ ଗଭର୍ଣ୍ଣର ଜେନେରାଲ୍‍ ଲର୍ଡ଼ ହେଷ୍ଟିଙ୍ଗ୍‍ସ ଇଂରେଜମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କରି ସାରିଥିଲେ । ଫଳରେ ସେ ଏହି ଯୁଦ୍ଧରେ ଭାଗ ନେଇ ପାରିଲେ ନାହିଁ । ଯୁଦ୍ଧ ପରେ ଭୋଁସଲେ ଓ ହୋଲକାର ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ । ଏହାର ପରିଣାମ ସ୍ୱରୂପ, ୧୮୧୭ ନଭେମ୍ବର ୨୭ ତାରିଖରେ ଇଂରେଜମାନେ ସମ୍ବଲପୁରରୁ ମରାଠାମାନଙ୍କୁ ତଡ଼ି ତାକୁ ନିଜ କର୍ତ୍ତୃତ୍ୱାଧୀନ କଲେ । ୧୮୦୪ରୁ ମରାଠାମାନଙ୍କ ହାତରେ ବନ୍ଦୀ ଥିବା ସମ୍ବଲପୁରର ରାଜା ଜୟନ୍ତ ସିଂହ ଓ ତାଙ୍କପୁତ୍ର ମହାରାଜ ସାଏ ମୁକ୍ତି ପାଇଲେ । ଜୟନ୍ତ ସିଂହ ସମ୍ବଲପୁରର ରାଜା ଘୋଷିତ ହେଲେ । ଏକ ସାମନ୍ତ ରାଜ୍ୟ ଭାବରେ ସମ୍ବଲପୁର ଇଂରେଜ ସାମ୍ରାଜ୍ୟାଧୀନ ହେଲା । ଇଂରେଜମାନଙ୍କର ଓଡ଼ିଶା ଦଖଲ ପ୍ରସଙ୍ଗକୁ ଯଦି ବ୍ୟାଖ୍ୟା କରାଯାଏ, ତେବେ ଜଣାଯିବ ଯେ, ଇଂରେଜ ସାମ୍ରାଜ୍ୟବାଦୀ ନୀତିର ଏକ ବ୍ୟାପକ ପରିଧିରେ ଏହା ସମାହିତ ହୋଇଥିଲା । ଭାରତରେ ଇଂରେଜ ସାମ୍ରାଜ୍ୟର ବିସ୍ତାରଲାଗି ଓଡ଼ିଶାକୁ ଦଖଲ କରିବା ଏକ ଆବଶ୍ୟକତା ଥିଲା, କାରଣ ବଂଗ ଓ ମାଡ଼୍ରାସ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଏହା ସଂଯୋଗ ସ୍ଥାପନ କରୁଥିଲା । ଏହା ସତ୍ତ୍ୱେ, ଇଂରେଜମାନେ ୟୁରୋପ ରାଜନୀତିକୁ ଦୃଷ୍ଟିରେ ରଖି ଯୁଦ୍ଧଖୋର ନୀତି ଅବଲମ୍ବନ କରିବେ ନା ନାହିଁ- ତାହା ସ୍ଥିର କରୁଥିଲେ । ସେହି ଅନୁସାରେ ଗଭର୍ଣ୍ଣର ଜେନେରାଲ ଭାରତରେ ରାଜ୍ୟ ବିସ୍ତାର କଥା ଚିନ୍ତା କରୁଥିଲେ । ୧୮୦୪ରେ ମରାଠା କବଳରୁ ସମ୍ବଲପୁରକୁ ଦଖଲ କଲା ପରେ ସୁଦ୍ଧା ୧୮୦୬ରେ ପୁଣି ଫେରାଇ ଦିଆଗଲା, କାରଣ ୟୁରୋପରେ ନେପୋଲିୟ‌ନ୍‌ଙ୍କ ପକ୍ଷରୁ ଇଂରେଜମାନଙ୍କ ପ୍ରତି ବିପଦର ଆଶଙ୍କା ବୃଦ୍ଧି ପାଇଥିଲା ଏବଂ ଯୁଦ୍ଧ ବ୍ୟୟଯୋଗୁଁ ଇଷ୍ଟଇଣ୍ତିଆ କମ୍ପାନୀ ଇଂଲଣ୍ତରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲା । ଅନ୍ୟ ଶବ୍ଦରେ କହିଲେ, ଇଂରେଜମାନଙ୍କ ଆଗମନ ଉତ୍ତାରୁ ଓଡ଼ିଶା ଭଳି ଭାରତର କୋଣ ଅନୁକୋଣ ବିଶ୍ୱ ରାଜନୀତି ଓ ଅର୍ଥନୀତି ସହ ଓତପ୍ରୋତଃ ଭାବେ ସଂଲଗ୍ନୀକୃତ ହେଲେ; ଗୋଟାକର ପ୍ରଭାବ ଅନ୍ୟ ଉପରେ ଅଧିକରୁ ଅଧିକ ସୁସ୍ପଷ୍ଟ ହେଲା ।

ଓଡ଼ିଶା ଦଖଲ ବେଳେ ମରାଠାମାନଙ୍କ ଅପେକ୍ଷା ଇଂରେଜମାନଙ୍କ ପାଖରେ ଖୁବ୍‍ ଅଧିକ ସାମରିକ ଶକ୍ତି ଥିଲା । ଏକ ଅନୁମାନ ଅନୁଯାୟୀ, ସେତେବେଳେ ଓଡ଼ିଶାରେ ନିୟୋଜିତ ଥିବା ଇଂରେଜ ବାହିନୀରେ ଉଭୟ ଭାରତୀୟ ଓ ଇଂରେଜ ସୈନ୍ୟଙ୍କ ମୋଟ ସଂଖ୍ୟା ଥିଲା ୪୮୦୦ ପ୍ରାୟ । ଏହି ସମୟରେ ମରହଟ୍ଟା ବାହିନୀରେ ମାତ୍ର ୧୫୦୦ ଅଶ୍ୱାରୋହୀ ଓ ୧୦୦୦ ପଦାତିକ ସୈନ୍ୟ ଥିଲେ । ଇଂରେଜ ସେନାପତି ସେହି ଏକା ସମୟରେ ନାଗପୁର ଭୋଁସଲେଙ୍କ ଉପରେ ଆକ୍ରମଣ କରିଥିବାରୁ ନାଗପୁରରୁ ମରାଠା ସୈନ୍ୟ ଓଡ଼ିଶାକୁ ରକ୍ଷା କରିବାଲାଗି ଆସି ପାରିଲେ ନାହିଁ । ଦ୍ୱିତୀୟତଃ, ଇଂରେଜ ବାହିନୀ ତୁଳନାରେ ମରାଠା ବାହିନୀ ପ୍ରଶିକ୍ଷିତ ନଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଯେଉଁ ପରିମାଣରେ ଇଂରେଜମାନଙ୍କଠାରେ ମହଜୁଦ୍‍ ଥିଲା, ସେହି ପରିମାଣରେ ମରାଠାମାନଙ୍କ ପାଖରେ ନଥିଲା । ତେଣୁ, ସମ୍ମୁଖ ସମରରେ ଇଂରେଜମାନଙ୍କ ହାତରେ ମରାଠାମାନଙ୍କ ପାରଂପରିକ ସୈନ୍ୟବାହିନୀ ପରାଜିତ ହେବା ଏକ ରକମର ନିଶ୍ଚିତ ଥିଲା ।

ସୈନ୍ୟବଳ ଅଧିକ ହେବା ସହିତ ମରାଠା ଶକ୍ତି ବିରୁଦ୍ଧରେ କୂଟନୀତି ପ୍ରୟୋଗ କରି ସ୍ୱ-ବିଜୟକୁ ଇଂରେଜମାନେ ଖୁବ୍‍ ସହଜ କରିଦେଲେ । ଇଂରେଜମାନେ ନିଜେ ବିଦେଶୀ ହେବା ସତ୍ତ୍ୱେ ଓଡ଼ିଶାରେ ମରାଠାମାନଙ୍କୁ ଏକ ଅତ୍ୟାଚାରୀ ଶୋଷଣକାରୀ ବହିଃଶତ୍ରୁ ଓ ଅରାଜକ ଶକ୍ତି ଭାବରେ ପ୍ରଚାର କଲେ । ସ୍ଥାନୀୟ ରାଜାମାନଙ୍କୁ ମରାଠା ଦାଉରୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଓଡ଼ିଶାରେ ମରାଠାମାନଙ୍କୁ ମିତ୍ରଶୂନ୍ୟ କରିଦେଲେ । ସ୍ଥାନୀୟ ରାଜାମାନଙ୍କ ସହଯୋଗ ପାଇବାଲାଗି ସେମାନଙ୍କୁ ଅର୍ଥ ଦେବା ମଧ୍ୟ ଆରମ୍ଭ କଲେ । ଉଦାହରଣ ସ୍ୱରୂପ ଖୋର୍ଦ୍ଧା ରାଜାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଇଂରେଜମାନେ ତାଙ୍କଠାରୁ ମରାଠା ବିରୁଦ୍ଧରେ ପାଇକ ସେନାର ସହାୟତା ପାଇଲେ । ସମ୍ବଲପୁର, ସୋନପୁର ଆଦି ରାଜପରିବାର ଓ ଇଂରେଜମାନଙ୍କୁ ନିଜ ରାଜ୍ୟକୁ ଆମନ୍ତ୍ରଣ ଜଣାଇଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଓଡ଼ିଶାର ସାମାଜିକ ଜୀବନରେ ଖୁବ୍‍ ପ୍ରଭାବ ରହିଛି ଜାଣି, ସେମାନେ (ଇଂରେଜମାନେ) ପୁରୀ ପୂଜକ ପଣ୍ତା ବର୍ଗକୁ ମଧ୍ୟ ନିଜ ସପକ୍ଷରେ ବ୍ୟବହାର କରିଥିଲେ । ଏ ସବୁକୁ ବାଦଦେଲେ, ସେମାନେ ମରାଠା ଅଧିକାରୀମାନଙ୍କୁ ମଧ୍ୟ ଅର୍ଥ ବଳରେ ହାତ କରିବାକୁ ଉଦ୍ୟମ କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଭୋଁସଲେ ଶକ୍ତି ଦ୍ରୁତ ପତନର ସମ୍ମୁଖୀନ ହୋଇଥିଲା । ବାରମ୍ବାର ଯୁଦ୍ଧଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ବିପନ୍ନାବସ୍ଥାରେ ଥିଲା । ଆର୍ଥିକ ସ୍ଥିତି ସୁଧାରିବାକୁ ରାଜା ରାଜ୍ୟରେ ଅଧିକ କର ଅସୁଲିପାଇଁ ନିଜ ଅଧିକାରୀମାନଙ୍କୁ ବାଧ୍ୟ କରୁଥିଲେ । ଏହା ଫଳରେ ପ୍ରଜାମାନେ ଲୁଣ୍ଠନ ଓ ଅତ୍ୟାଚାରର ଶିକାର ହେଉଥିଲେ । ଅଧିକାରୀମାନେ ମଧ୍ୟ ଭୋଁସଲେ ରାଜାଙ୍କ ସନ୍ଦେହର ଶିକାର ହେଉଥିଲେ । ଓଡ଼ିଶା ଭଳି ବିଜିତ ରାଜ୍ୟର ସ୍ଥାନୀୟ ରାଜସ୍ୱ ଅସୁଲକାରୀ ବର୍ଗ (ଯଥା: ରାଜା, ଜମିଦାର ଏବଂ କଦାଚିତ ଏପରିକି ସୁବାଦାର) ଓ ଲୋକେ ଭୋଁସଲେ ରାଜାଙ୍କୁ ଶତ୍ରୁ ମଣୁଥିଲେ । ଇଂରେଜମାନଙ୍କ ଓଡ଼ିଶା ଦଖଲକୁ ସେମାନେ ମରାଠା ଶକ୍ତିର ପରାଜୟ ରୂପରେ ଦେଖୁଥିଲେ । ବିଂଶ ଶତାବ୍ଦୀରେ ରାଷ୍ଟ୍ରୀୟତାର ପ୍ରଭାବରେ ଇଂରେଜ ଶକ୍ତିର ବିରୋଧ କରିବା; ତ୍ୟାଗ, ବୀରତ୍ୱ, ଦେଶପ୍ରେମ ଓ ଗୌରବର ପ୍ରତୀକ ହେଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ତାହା ସେପରି ନଥିଲା । ଓଡ଼ିଶା ଦଖଲ ବେଳେ ଇଂରେଜ ଶକ୍ତି ପ୍ରତି ଖୋଲା ବା ମୌନ ସମର୍ଥନକୁ ସେତେବେଳେ ଦେଶ ପ୍ରତି ପ୍ରତାରଣା, ବିଶ୍ୱାସଘାତକତା ବୋଲି ମନେ କରାଯାଉ ନଥିଲା । ଏହା ଇଂରେଜମାନଙ୍କର ଓଡ଼ିଶା ଦଖଲକୁ ସହଜ ଓ ସରଳ କରିଦେଲା । ବିଭିନ୍ନ କ୍ଷେତ୍ରରେ କୂଟନୀତି ପ୍ରୟୋଗ ହେତୁ ସ୍ଥାନୀୟ ସହଯୋଗରେ ଓ ବିନା ଅଧିକ ରକ୍ତପାତରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କରିନେଲେ । ଏହା ସହିତ ଓଡିଶାର ଇତିହାସ ଏକ ନୂତନ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଲା ।

ଇଂରେଜ ପ୍ରାଶାସନିକ ବ୍ୟବସ୍ଥା ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ପ୍ରଶାସନରେ ଆମୂଳ ପରିବର୍ତ୍ତନ ଦେଖିବାକୁ ମିଳିଲା । ଇଂରେଜ ଔପନିବେଶିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଥିବା ଏହି ପରିବର୍ତ୍ତନ ଓଡ଼ିଶାର ସାମଗ୍ରିକ ହିତ ଦୃଷ୍ଟିରୁ ବାଧକ ପ୍ରତିପାଦିତ ହେଲା । ତାହା ଯେତେବେଳେ ଲୋକ ଅନୁଭବ କଲେ, ଇଂରେଜ ଉପନିବେଶବାଦ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା, ଯାହାକୁ ଆମେ ଉପନିବେଶବାଦବିରୋଧୀ ସଂଗ୍ରାମ ବା ଜାତୀୟତା ଆନ୍ଦୋଳନ ବୋଲି ଅଭିହିତ କରିଥାଉଁ ।

୧୮୦୩ ଅକ୍ଟୋବରରେ ରାଜ୍ୟକୁ ଦଖଲ କଲା ପରେ କମ୍ପାନୀ ଏହାର ଶାସନଭାର କର୍ଣ୍ଣେଲ୍‍ ହାରକୋର୍ଟ ଓ ଜନ୍‍ ମେଲଭିଲଙ୍କ ଉପରେ ନ୍ୟସ୍ତ କରିଥିଲେ । ୧୮୦୪ ଜୁନ୍ ମାସରେ ଓଡ଼ିଶାକୁ ପ୍ରାଶାସନିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଓଡ଼ିଶା ଦଖଲରେ ଇଂରେଜ ସେନାର ନେତୃତ୍ୱ ନେଇଥିବା ଏହି ଦୁଇ ଅଫିସର ତହିଁରେ କମିସନର ନିଯୁକ୍ତ ହେଲେ । କଟକ ଅଧିକାରରେ ମୁଖ୍ୟ ସେନାପତିର କାର୍ଯ୍ୟ କରିଥିବା ହାରକୋର୍ଟଙ୍କୁ କଟକର କମିସନର ନିଯୁକ୍ତ କରାଗଲା । ମେଲଭିଲ୍‍ ବାଲେଶ୍ୱରର କମିସନ୍‍ର ନିଯୁକ୍ତ ହେଲେ । ଉଭୟ କମିସନରଙ୍କ ହାତରେ ଅବାଧ କ୍ଷମତା ରହିଲା । କଟକ, ପୁରୀ, ଖୋର୍ଦ୍ଧା ଓ ବାଲେଶ୍ୱର ଆଦି କେତେକ କେନ୍ଦ୍ରସ୍ଥଳୀରେ କେବଳ କିଛି ସୈନ୍ୟ ଅବସ୍ଥାପିତ ହେଲେ । ଅନ୍ୟ ସୈନ୍ୟମାନେ ଛାଉଣିକୁ ଫେରିଗଲେ । ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଯୁଦ୍ଧସ୍ଥିତି ଶେଷ ହେଲା ଭଳି ପରିବେଶ ସୃଷ୍ଟି ହେଲା । ଓଡ଼ିଶା ଦଖଲ ବେଳେ ମୁଖ୍ୟ ସେନାପତି ଭାବରେ କାର୍ଯ୍ୟ କରିଥିବା ହାରକୋର୍ଟ ଏଣିକି ନାଗରିକ ପ୍ରଶାସନକୁ ସୁବ୍ୟବସ୍ଥିତ କରିବାରେ ପ୍ରଭୂତ ଭୂମିକା ନିର୍ବାହ କଲେ । ଆରମ୍ଭରେ ମରାଠା ସମୟରୁ ଚଳି ଆସୁଥିବା ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥାକୁ ଇଂରେଜମାନେ କିଛି ମାସପାଇଁ ଅବ୍ୟାହତ ରଖିଲେ, କାରଣ ସେମାନେ ବ୍ୟବସ୍ଥାକୁ ବୁଝିବାପାଇଁ କିଛି ସମୟ ନେଲେ । ଫଳରେ ମରାଠା ପ୍ରଶାସନରେ ନିଯୁକ୍ତ ଥିବା ଅମିନମାନେ ଉଭୟ ରାଜସ୍ୱ ଓ ନ୍ୟାୟିକ କ୍ଷମତା ଉପଭୋଗ କଲେ । ସେମାନଙ୍କ ପଛରେ ଇଂରେଜଙ୍କ ସୁରକ୍ଷା ଥିବାରୁ ପ୍ରଶାସନରେ ମାତ୍ରାଧିକ ର୍ଦୁନୀତି ଦେଖାଗଲା । ବିଭିନ୍ନ ରାଜସ୍ୱ ମାମଲାଗୁଡ଼ିକୁ ସେମାନେ ଲାଞ୍ଚ ନେଇ ଦଫାରଫା କରିଦେଲେ, ଯାହା ଫଳରେ ରାଜସ୍ୱ କ୍ଷତି ହେଲା ଏବଂ ତା' ସାଙ୍ଗକୁ ସାଧାରଣ ଲୋକେ ମଧ୍ୟ ଖୁବ୍‍ ହଇରାଣରେ ପଡ଼ିଲେ ।

୧୮୦୫ରେ କମିସନର ପଦ ଦୁଇଟିକୁ ଉଚ୍ଛେଦ କରାଗଲା ଏବଂ ତା' ସ୍ଥାନରେ କଟକ, ପୁରୀ ଓ ବାଲେଶ୍ୱରକୁ ଜିଲ୍ଲା ଘୋଷଣା କରାଗଲା । ରବର୍ଟ କେର ହେଲେ ବାଲେଶ୍ୱରର ପ୍ରଥମ କଲେକ୍ଟର (ରାଜସ୍ୱ ସଂଗ୍ରାହକ) ଓ ମାଜିଷ୍ଟ୍ରେଟ୍‍ । ପୁରୀର ପ୍ରଥମ କଲେକ୍ଟର ଓ ମାଜିଷ୍ଟ୍ରେଟ୍‍ ହେଲେ ଚାର୍ଲସ୍‍ ଗୋୟମ୍‍ । ୧୮୦୫ ଜୁନ୍ ମାସରେ ତିନୋଟି ଜିଲ୍ଲାକୁ ଜଣେ କଲେକ୍ଟରଙ୍କ ଅଧୀନରେ ରଖାଗଲା । କଲେକ୍ଟର ଜଗନ୍ନାଥ ପୁରୀରୁ କାର୍ଯ୍ୟ ପରିଚାଳନା କଲେ । ଚାର୍ଲସ ଗୋୟମ୍‍ ଏବଂ ତାଙ୍କ ପରେ ଜର୍ଜ ଓ୍ୱେବ୍‍ ନୂତନ କଲେକ୍ଟର ହେଲେ, ରବର୍ଟ କେର ହେଲେ ମାଜିଷ୍ଟ୍ରେଟ୍‍ । ତାଙ୍କ ଉପରେ ଗଡ଼ଜାତ ମହଲର ଅଧ୍ୟକ୍ଷ ଦାୟିତ୍ୱ ରହିଲା ।

ଆରମ୍ଭରେ ପୁରୀ ଥିଲା ବ୍ରିଟିଶ୍‍ ଓଡ଼ିଶାର ରାଜଧାନୀ । ମାତ୍ର ଏହା ରାଜ୍ୟର ମଧ୍ୟ ସ୍ଥଳରେ ନଥିଲା । ରହଣି ମଧ୍ୟ ଏଠାରେ ବ୍ୟୟସାପେକ୍ଷ ଥିଲା । ରାଜସ୍ୱ ଜମାସକାଶେ ଅନେକ ସମୟରେ ଜମିଦାରମାନେ ମହାଜନମାନଙ୍କଠାରୁ ଋଣ ଆଣୁଥିଲେ । ମାତ୍ର ପୁରୀରେ ବଡ଼ ମହାଜନ ନ ଥିବାରୁ ରାଜକୋଷରେ ଠିକ୍‍ ସମୟରେ ରାଜସ୍ୱ ଜମା କରିବା ଏକ ସମସ୍ୟା ହେଲା । ତେଣୁ ଓଡ଼ିଶାର ରାଜଧାନୀକୁ ପ୍ରଥମେ ଯାଜପୁରକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଗଲା । ମାତ୍ର ଶେଷରେ ଯାଜପୁର ସ୍ଥାନରେ କଟକକୁ ରାଜଧାନୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହେଲା । ୧୮୧୪ରେ ସାମୟିକ ଭାବେ ସରକାରଙ୍କ କେତୋଟି ବିଭାଗ କଟକରୁ କାର୍ଯ୍ୟ କଲା । ଏହି ଅନୁଭୂତି ସଫଳ ହେବାରୁ, ୧୮୧୬ରେ କଟକକୁ ଓଡ଼ିଶାର ଏକମାତ୍ର କଲେକ୍ଟରଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଗଲା । ସେହି ଦିନଠାରୁ ୧୯୪୭ରେ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ହୋଇ ରହିଲା । ଅର୍ଥାତ୍‍ ମୋଗଲ ଓ ମରାଠା ସମୟରେ ରାଜଧାନୀ ରହି ଆସିଥିବା କଟକ ଇଂରେଜ ରାଜତ୍ୱରେ ମଧ୍ୟ ରାଜ୍ୟର ରାଜଧାନୀ ହେଲା । ୧୮୧୮ରେ ଓଡ଼ିଶାପାଇଁ ଏକ କମିସନର ପଦ ସୃଷ୍ଟି କରାଗଲା । ଓଡ଼ିଶା ଡିଭିଜନର କମିସନର ଭାବରେ ସେ କଟକରେ ଅବସ୍ଥାପିତ ହେଲେ । ତାଙ୍କ ହାତରେ ରାଜସ୍ୱ ବୋର୍ଡ଼, ବାଣିଜ୍ୟ ବୋର୍ଡ଼, ପ୍ରାଦେଶିକ ଅପିଲ୍‍ ଓ ଭ୍ରମଣଶୀଳ ବିଚାରାଳୟର କ୍ଷମତା ରହିଲା । ଗୋଟାଏ ଦୃଷ୍ଟିରୁ ଦେଖିଲେ, ତାଙ୍କୁ ମୋଗଲ ଓ ମରାଠାକାଳୀନ ସର୍ବାଧିକାରପ୍ରାପ୍ତ ସୁବାଦାରଙ୍କ ସହ ତୁଳନା କରିହେବ । ୧୮୨୮ରେ ଓଡ଼ିଶାକୁ ତିନୋଟି ଜିଲ୍ଲା (କଟକ, ପୁରୀ ଓ ବାଲେଶ୍ୱର)ରେ ବିଭକ୍ତ କରାଗଲା ଏବଂ ପ୍ରତ୍ୟେକ ଜିଲ୍ଲାପାଇଁ ଜଣେ କଲେକ୍ଟର ଓ ଜଣେ ମାଜିଷ୍ଟ୍ରେଟ୍‍ ନିଯୁକ୍ତ ହେଲେ । ୧୮୨୯ରେ ମେଦିନୀପୁର, ନୂଆଗାଁ ଓ ହିଞ୍ଜିଳି ଅଞ୍ଚଳକୁ ଓଡ଼ିଶାରେ ଯୋଡ଼ି ଦିଆଗଲା ଏବଂ ଓଡ଼ିଶା ଡିଭିଜନକୁ ବଙ୍ଗପ୍ରେସିଡେନ୍‍ସିର ଊନବିଂଶତ୍ତମ କମିସନରଶାସିତ ଡିଭିଜନ ଘୋଷଣା କରାଗଲା ।

ରାଜସ୍ୱ ନୀତି ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । କାରଣ, ଓଡ଼ିଶା ପରି ଏକ କୃଷିଭିତ୍ତିକ ଅର୍ଥନୀତିରେ ଏହା ଆୟର ମୁଖ୍ୟ ଉତ୍ସ ଥିଲା । ମୋଗଲ ଶାସନ କାଳରେ ରାଜସ୍ୱ ଓ ପ୍ରାଶାସନିକ ସୁବିଧାପାଇଁ ରାଜ୍ୟକୁ ମୋଗଲବନ୍ଦି ଓ ଗଡ଼ଜାତ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ମରାଠାମାନଙ୍କ ପରି ଇଂରେଜମାନେ ମଧ୍ୟ ଏହି ବ୍ୟବସ୍ଥାକୁ ବଳବତ୍ତର ରଖିଲେ । ମୋଗଲବନ୍ଦି କ୍ଷେତ୍ର ପ୍ରତ୍ୟକ୍ଷ ଶାସନାଧୀନ ହେଲା; ଗଡ଼ଜାତ ରାଜାମାନଙ୍କ ଦାୟିତ୍ୱରେ ରହିଲା । ଗଡ଼ଜାତ ରାଜା ପ୍ରଜାଙ୍କଠାରୁ ଖଜଣା ଅସୁଲ କରି ନିର୍ଦ୍ଧାରିତ ବାର୍ଷିକ ଦେୟ ଇଂରେଜ ରାଜକୋଷରେ ଜମା କରୁଥିଲେ । ମୋଗଲବନ୍ଦିରେ ନିୟମିତ ବ୍ୟବଧାନରେ ଜମିଜମା ବନ୍ଦୋବସ୍ତ କରାଯାଉଥିଲା ଏବଂ ପ୍ରଜାଙ୍କ ଉପରେ ମାଲଗୁଜାରୀ ନିର୍ଦ୍ଧାରିତ ହେଉଥିଲା । ପ୍ରତି ବନ୍ଦୋବସ୍ତ ପରେ ପ୍ରଜାଙ୍କ ଉପରେ ମାଲଗୁଜାରୀ ବୃଦ୍ଧିପାଇବାରେ ଲାଗିଲା । ପୂର୍ବର ସମସ୍ତ ଶାସନ ତୁଳନାରେ ଇଂରେଜ ଶାସନ କାଳରେ ରାଜସ୍ୱ ଆଦାୟଲାଗି ଅଧିକ କଠୋର ନୀତି ଆଚରଣ କରାଯାଉଥିଲା । ଏହି କଠୋରତା ଇଂରେଜ ଶାସନକୁ ଦୁର୍ବିସହ କରିଦେଲା । ଇଂରେଜମାନେ ଆଦାୟ କରୁଥିବା ରାଜସ୍ୱକୁ ସାମ୍ରାଜ୍ୟ ବିସ୍ତାର ନିମନ୍ତେ ଆବଶ୍ୟକ ଯୁଦ୍ଧଖର୍ଚ୍ଚରେ ବିନିଯୋଗ କରିବାକୁ ପ୍ରୟାସ କରୁଥିଲେ । ଭାରତରୁ ହସ୍ତଶିଳ୍ପଜାତ ସାମଗ୍ରୀର ରପ୍ତାନିଲାଗି ଆବଶ୍ୟକ ପୁଞ୍ଜି ମଧ୍ୟ କମ୍ପାନି ସରକାର ମୁଖ୍ୟତଃ ମାଲଗୁଜାରୀରୁ ଭରଣା କରିବାକୁ ଚେଷ୍ଟା କରୁଥିଲେ ।

ଓଡ଼ିଶା ଦଖଲ ସମୟରେ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳିତ ଥିଲା । ତଦନୁଯାୟୀ ସ୍ଥିରୀକୃତ ରାଜସ୍ୱକୁ ଜମିଦାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜକୋଷରେ ଜମା କରି ପାରିଲେ ଜମିଦାରୀ ଉପରେ ତାଙ୍କର ମାଲିକାନା କାୟମ ରହିବାର ବ୍ୟବସ୍ଥା ଥିଲା । ମାତ୍ର ଓଡ଼ିଶାରେ ଜମିଦାରୀ ବା ଚିରସ୍ଥାୟୀ ବ୍ୟବସ୍ଥାକୁ ପୂର୍ଣ୍ଣତଃ ଲାଗୁ କରାଗଲା ନାହିଁ । ୧୮୦୫ରେ ତହିଁରେ ଆଂଶିକ ପରିବର୍ତ୍ତନ କରି ଅନୁଦେଶ ଜାରି ହେଲା ଯେ, ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପମିଆଦୀ ଭୂ-ବନ୍ଦୋବସ୍ତ ଲାଗୁ ହେବ । ତଦନୁସାରେ ୧୮୦୫ରେ ଏକ ବର୍ଷିଆ, ୧୮୦୬ରୁ ୧୮୦୯ ପର୍ଯ୍ୟନ୍ତ ତିିନି ବର୍ଷିଆ, ୧୮୦୯ରୁ ୧୮୧୩ ପର୍ଯ୍ୟନ୍ତ ଚାରିବର୍ଷିଆ ଓ ୧୮୧୩ରୁ ୧୮୧୫ ପର୍ଯ୍ୟନ୍ତ ପୁଣି ତିିନି ବର୍ଷିଆ ବନ୍ଦୋବସ୍ତ କାର୍ଯ୍ୟକାରୀ କରିବାକୁ ଇସ୍ତାହାର ପ୍ରକାଶ ପାଇଲା । ୧୮୧୫ର ବନ୍ଦୋବସ୍ତ ବେଳକୁ ଯେଉଁ ଜମିରେ ଉନ୍ନତି ସାଧିତ ହୋଇଥିବ, ସେଠାରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ ହେବ ବୋଲି ପ୍ରତିଶ୍ରୁତି ଦିଆଗଲା । ଏହି ପ୍ରତିଶ୍ରୁତି ପାଇ ପ୍ରଜା ଓ ଜମିଦାରମାନେ ଜମିର ଉନ୍ନତି କରିବେ ବୋଲି ସରକାର ଆଶା କରୁଥିଲେ । ୧୮୦୫ରେ ଓଡ଼ିଶାର ଭୂ-ରାଜସ୍ୱ ୧୩,୧୪,୮୨୫ଟଙ୍କା ଧାର୍ଯ୍ୟ ହୋଇଥିଲା । ମରାଠାମାନେ ଯାହା ଧାର୍ଯ୍ୟ କରିଥିଲେ, ତହିଁରୁ ଏହା ଊଣା ନଥିଲା । ୧୮୦୬-୧୮୦୯ର ତିିନିବର୍ଷିଆ ବନ୍ଦୋବସ୍ତ ଅନୁସାରେ ଏହା ବୃଦ୍ଧିପାଇ ୧୪, ୩୫, ୩୫୪ ଟଙ୍କା ସ୍ଥିର ହେଲା । ତା'ପରେ ମଧ୍ୟ ପ୍ରତି ଥର ଭୂ-ବନ୍ଦୋବସ୍ତ ବେଳେ ମାଲଗୁଜାରୀ ବୃଦ୍ଧି ପାଇଲା । କୃଷିର ଉତ୍ପାଦନ ଓ ରୟତ ବା ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ନ ରଖି ପ୍ରାୟତଃ ଏହି ଜମା ବୃଦ୍ଧି କରାଯାଉଥିଲା । ତା'ଠାରୁ ବଡ଼ କଥା, ମାଲଗୁଜାରୀକୁ କଡ଼ାକଡ଼ି ଭାବେ ଅସୁଲ କରାଯାଉଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଖଜଣା ଛାଡ଼ କଥା କଦାଚିତ ବିଚାରକୁ ନିଆଯାଉ ନଥିଲା । ଭୂ-ବନ୍ଦୋବସ୍ତର ଏହି କୁପରିଣାମ ସମ୍ବନ୍ଧରେ ମନ୍ତବ୍ୟ ଦେଇ ପରବର୍ତ୍ତୀ କାଳରେ ବନ୍ଦୋବସ୍ତ ଅଧିକାରୀ ଏସ୍‍.ଏଲ୍‍. ମେଡକ୍ସ କହିଥିଲେ "ସଠିକ୍‍ ଭାବରେ ଅନୁସନ୍ଧାନ ନ କରି ରାଜସ୍ୱ ନିର୍ଦ୍ଧାରଣ କରାଯାଉଥିଲା ଏବଂ ବର୍ଦ୍ଧିତ ରାଜସ୍ୱକୁ କଠୋର ଭାବରେ ଆଦାୟ କରାଯାଉଥିଲା ।"

ବନ୍ୟା, ବାତ୍ୟା ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମରାଠା ଅମଳର ରୟତକୁ ରାଜସ୍ୱ ରିହାତି ମିଳୁଥିଲା, ଯାହା ଇଂରେଜ ଶାସନକାଳରେ ଦୁଃସ୍ୱପ୍ନ ହେଲା । ଫଳରେ, ଖଜଣା ସଂଗ୍ରହ କରି ନପାରି ଅନେକ ଜମିଦାର ଜମିଦାରୀ ହରାଇଥିଲେ ଏବଂ ସେମାନଙ୍କ ଜମିଦାରୀ କଲିକତାର ଫୋର୍ଟ ଉଇଲିୟମ୍‍ରେ ନିଲାମ ହୋଇଥିଲା । ଏହି ଜମିଦାରୀଗୁଡ଼ିକୁ ବଙ୍ଗାଳୀ ଅମଲାମାନେ, ଯେଉଁମାନେ ନିଲାମ ବେଳେ ଉପସ୍ଥିତ ଥିଲେ, କିଣୁଥିଲେ । ୧୮୦୭ରେ ଓଡ଼ିଶାର ୨୬୬ଟି ଜମିଦାରୀ ନିଲାମ ହୋଇଥିଲା, କାରଣ ସେଗୁଡ଼ିକର ଜମା ମୋଟ ତିନି ଲକ୍ଷ ଟଙ୍କାରୁ ଅଧିକ ପୈଠ ହୋଇ ନଥିଲା । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତରେ କ୍ଷତିଗ୍ରସ୍ତ ହୋଇ ୧୮୧୬-୧୮୧୭ ବେଳକୁ ଅନେକ ଜମିଦାର ପୁଣି ସ୍ୱତଃପ୍ରବୃତ୍ତ ଭାବରେ ଜମିଦାରୀ ସ୍ୱତ୍ୱାଧିକାର ତ୍ୟାଗ କରିଥିଲେ । ସେମାନଙ୍କ ଜମିଦାରୀ ମଧ୍ୟ ବଙ୍ଗାଳୀ ଅମଲାମାନଙ୍କ ହାତକୁ ଯାଇଥିଲା । ନୂତନ ଜମିଦାର ପାଲଟିଥିବା ବଙ୍ଗାଳୀ ଅମଲାମାନେ ପ୍ରାୟତଃ ଓଡ଼ିଶାରେ ବସବାସ କରୁନଥିଲେ । କେବଳ ଜମିଦାରୀରେ ଖଜଣା ଆଦାୟପାଇଁ ନିଯୁକ୍ତ ଅମଲାମାନଙ୍କ ମାଧ୍ୟମରେ ଖଜଣା ଆଦାୟ କରୁଥିଲେ । ଜମିଦାରଙ୍କ ପ୍ରତ୍ୟକ୍ଷ ନିଘା ରହୁ ନଥିବାରୁ ଅମଲାମାନେ ରୟତମାନଙ୍କଠାରୁ ଖଜଣା ବ୍ୟତୀତ ନାନା ବେଆଇନ୍‍ ପାଉଣା ମଧ୍ୟ ଆଦାୟ କରୁଥିଲେ ।

ଇଂରେଜ ଭୂ-ରାଜସ୍ୱ ନୀତିର ଏକ ବଡ଼ କୁପରିଣାମ ହେଲା ସାହୁକାର ଓ ମହାଜନମାନଙ୍କ କାରବାର ବୃଦ୍ଧି । ଏକ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାରମାନେ କଲିକତାର ରାଜକୋଷରେ ମାଲଗୁଜାରୀ ଜମା କରିବାକୁ ବାଧ୍ୟ ହେଉଥିଲେ । ଅନ୍ୟଥା ଜମିଦାରୀ ସ୍ୱତ୍ୱ ହରାଇବାର ଆଶଙ୍କା ଥିଲା । ତେଣୁ ସେମାନେ ମହାଜନ ଓ ସାହୁକାରମାନଙ୍କଠାରେ ଜମିଦାରୀ ବନ୍ଧା ଦେଇ ଅଧିକ ସୁଧରେ ଋଣ ଆଣୁଥିଲେ । ରାଜସ୍ୱ ଜମାରେ ମହାଜନଙ୍କ ମହତ୍ତ୍ୱ ଏତେ ଅଧିକ ଥିଲା ଯେ, ପୁରୀରୁ କଟକକୁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା । କାରଣ ପୁରୀରେ ବଡ଼ ମହାଜନର ଅଭାବ ରହିଥିଲା । ଏହି ମହାଜନମାନେ ମଧ୍ୟ ପରେ ବନ୍ଧା ପଡ଼ିଥିବା ଜମିଦାରୀକୁ ବ୍ୟାଜ୍ୟାପ୍ତ କରୁଥିଲେ । ଗ୍ରାମାଞ୍ଚଳରେ ସାହୁକାର ରୟତ ବା ଚାଷୀକୁ ଅଧିକ ସୁଧରେ ଋଣ ଦେଇ ଋଣ ପରିଶୋଧ କରି ନପାରିବା ଅଭିଯୋଗରେ ଜମି ବାଜ୍ୟାପ୍ତ କରୁଥିଲେ ଓ ଜମିମାଲିକ ହେଉଥିଲେ । ଇଂରେଜମାନଙ୍କ ସମୟରେ ଜମି ହସ୍ତାନ୍ତର ହେବା, ସାହୁକାର ଓ ମହାଜନ ଶ୍ରେଣୀର ଉତ୍ଥାନ ହେବା, ଏକ ନୂଆ ଜମିଦାର ଶ୍ରେଣୀ ସୃଷ୍ଟି ହେବା ତଥା ଅନେକ ଜମିମାଲିକ ହାତରୁ ଜମିର ସ୍ୱତ୍ତ୍ୱ ଚାଲିଯିବା ଏକ ନିୟମିତ ଘଟଣା ହେଲା । ଅର୍ଥାତ୍‍ ଏଣିକି କୃଷିଜମି ପଣ୍ୟ ବସ୍ତୁ ଭଳି କିଣା ବିକା ହେଲା ।

ଲବଣ ନୀତି ଓଡ଼ିଶାରେ ବିସ୍ତୃତ ସମୁଦ୍ର ଉପକୂଳ ରହିଥିବାରୁ ଲବଣ ଉତ୍ପାଦନ ହେଉଛି ଏଠାକାର ଏକ ପାରମ୍ପରିକ ଶିଳ୍ପ । ଲବଣ ଉତ୍ପାଦନ ଓ ଯୋଗାଣରେ ସହସ୍ର ସଂଖ୍ୟାରେ ଲୋକ ଏଠି ନିୟୋଜିତ । ସେହି ଆଧାରରେ ଇଂରେଜମାନେ ଲୁଣ ଉତ୍ପାଦକ ଓ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟକୁ ମହତ୍ତ୍ୱ ଦେଇ ତାକୁ ରାଜସ୍ୱର ଏକ ପ୍ରମୁଖ ଉତ୍ସ କଲେ । ମରହଟ୍ଟା ଶାସନ କାଳରେ ଲବଣ ଉତ୍ପାଦନରେ ନିୟୋଜିତ ମଲାଙ୍ଗିମାନଙ୍କଠାରୁ କୌଣସି କର ଆଦାୟ ହେଉ ନଥିଲା । କେବଳ ଲୁଣ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟ ହେଉଥିଲା । ମାତ୍ର ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ମରାଠାକାଳୀନ ଲବଣ ନୀତିକୁ ପରିବର୍ତ୍ତନ କଲେ । ୧୮୦୪ରେ ଓଡ଼ିଶାରେ ଇଷ୍ଟ ଇଣ୍ତିଆ କମ୍ପାନୀ ଲବଣ ଉତ୍ପାଦନ ଓ ବ୍ୟବସାୟ ଉପରେ ଏକଚାଟିଆ ଅଧିକାର ଜାହିର କଲେ ।

୧୮୦୪ରେ ସରକାର ପ୍ରଥମେ ଲବଣରୁ ଶୁଳ୍କ ଆଦାୟକୁ ସୁନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗର ଲବଣ ବିଭାଗ ଅଧୀନରେ ରଖିଲେ ଏବଂ ଓଡ଼ିଶାପାଇଁ ଜଣେ ଲବଣ ଏଜେଣ୍ଟ ନିଯୁକ୍ତ କଲେ । ଜେମ୍‍ସ କିଙ୍ଗ୍‍ ହେଲେ ଓଡ଼ିଶାର ପ୍ରଥମ ଲବଣ ଏଜେଣ୍ଟ । ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ଅନୁସାରେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଲୁଣ ଉତ୍ପାଦନ ନିଷିଦ୍ଧ ହେଲା । ୧୮୧୪ରେ ଘରୋଇ ବ୍ୟବହାରପାଇଁ ମଧ୍ୟ ଉପକୂଳରେ ଲୋକ ଲୁଣ ମାରିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ଆଦେଶକୁ ଲାଗୁ କରିବାସକାଶେ ସ୍ଥାନେ ସ୍ଥାନେ ଲବଣ ଏଜେଣ୍ଟଙ୍କଦ୍ୱାରା କର୍ମଚାରୀ ନିଯୁକ୍ତ ହେଲେ । 'ବେନିୟମ୍‍' ଲୁଣମରା ବନ୍ଦ ହେଲେ ସରକାର ଲବଣରୁ ପ୍ରଚୁର ରାଜସ୍ୱ ଆଦାୟ କରିପାରିବେ ବୋଲି ଆଶା ବାନ୍ଧିଲେ । ଏମିତିରେ ବି ୧୮୧୮ର ଏକ ହିସାବ ଅନୁଯାୟୀ, କମ୍ପାନୀ ସରକାର ଭୂ-ରାଜସ୍ୱଠାରୁ ଅଧିକ ଅର୍ଥ ଲବଣ ବ୍ୟବସାୟରୁ ଲାଭ କରୁଥିଲେ । କମ୍ପାନୀ ଶାସନର ଶେଷ ବେଳକୁ (୧୮୫୮) ଲବଣ ବିକ୍ରୀରୁ କମ୍ପାନୀ ବାର୍ଷିକ ୩୯ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ । ଏହା ଭୂ-ରାଜସ୍ୱରୁ ଉପାର୍ଜିତ ଅର୍ଥର ଦୁଇଗୁଣରୁ ଅଧିକ ଥିଲା । ଓଡ଼ିଶାରେ ସେତେବେଳେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥିଲା । ବାଲେଶ୍ୱର ଓ କଟକ ଉପକୂଳରେ ଲବଣାକ୍ତ ପାଣିକୁ ଫୁଟାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ ପଙ୍ଗା ଲୁଣ କୁହାଯାଉଥିଲା । ଏଥିରେ ଖର୍ଚ୍ଚ ଅଧିକ, କାରଣ ଲୁଣ ମାରିବାପାଇଁ ଜାଳେଣିର ଆବଶ୍ୟକତା ପଡୁଥିଲା । ଚିଲିକା, ହୁମା ଓ ଗଞ୍ଜାମର ଅନ୍ୟାନ୍ୟ ଉପକୂଳରେ ଲବଣାକ୍ତ ପାଣିକୁ ସୂର୍ଯ୍ୟ ତାପରେ ଶୁଖାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ କର୍କଚ ଲୁଣ କୁହାଯାଉଥିଲା । ଏଥିରେ ପଙ୍ଗା ଲୁଣ ତୁଳନାରେ ଖର୍ଚ୍ଚ କମ୍‍ । ସେତେବେଳେ ମାଡ଼୍ରାସ୍‍ ଲବଣ ବିଭାଗରେ ବଙ୍ଗ ଅପେକ୍ଷା ଲବଣ ଶୁଳ୍କ ଖୁବ୍‍ କମ୍‍ (ଅଧାଅଧି) ଥିଲା । ସରକାର ଲବଣରୁ ଅଧିକ କର ଅସୁଲ କରିବା ଅଭିପ୍ରାୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗ ଅଧୀନସ୍ଥ କରି ରଖିଲେ ଏବଂ ଉତ୍ପାଦନ ଖର୍ଚ୍ଚ ଊଣା କରିବା ସକାଶେ ସବୁଠି ପଙ୍ଗା ବଦଳରେ କର୍କଚ୍‍ ପଦ୍ଧତିରେ ଲୁଣ ମାରିବାକୁ ନିର୍ଦ୍ଦେଶ ଦେଲେ । ଜଳବାୟୁ ଦୃଷ୍ଟିରୁ ଏହା ସମ୍ଭବପର ହେଲା ନାହିଁ । ଫଳରେ ଲୁଣ ଉତ୍ପାଦକ ମଲାଙ୍ଗିମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଲେ । ସେମାନେ ଆଗୁଆ ଅର୍ଥ ନେଇ ଏଜେଣ୍ଟ ବା କମ୍ପାନୀପାଇଁ ଲୁଣ ମାରୁଥିଲେ । ଏଥିରେ ସେମାନଙ୍କୁ ଅଳ୍ପ ପାରିଶ୍ରମିକ ମିଳୁଥିଲା । ପାରିଶ୍ରମିକ ବ୍ୟତୀତ ବ୍ୟକ୍ତିଗତ ବ୍ୟବହାରପାଇଁ ସେମାନଙ୍କୁ ଖୋରାକି ଲୁଣ ଯୋଗାଇ ଦିଆଯାଉଥିଲା । ବ୍ୟବହାର ବାହାରେ ବଳକା ଲୁଣକୁ ସେମାନେ ବଜାରରେ ବିକ୍ରୀ କରି ଯତ୍‍‌କିଞ୍ଚିତ୍‍ ଲାଭ ପାଉଥିଲେ । ଲୁଣ ଆଇନ୍‍ କଠୋର ନଥିଲା ବେଳେ କିଛି ଅଧିକ ଲୁଣ ମଧ୍ୟ ସେମାନେ ଉତ୍ପାଦନ କରି 'ଚୋରାରେ' ବଜାରରେ ବିକ୍ରୀ କରୁଥିଲେ ।

୧୮୩୬ରେ ମଲାଙ୍ଗିମାନଙ୍କୁ ଦିଆଯାଉଥିବା ଖୋରାକି ଲୁଣ ବନ୍ଦ କରି ଦିଆଗଲା; ୧୮୩୮ରେ ସେମାନଙ୍କର ମହଣ ପିଛା ପାରିଶ୍ରମିକକୁ ମଧ୍ୟ ହ୍ରାସ କରିଦିଆଗଲା । ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣର ପ୍ରସାରପାଇଁ ଏହା କରାଯାଉଥିଲା । ଏହା ଫଳରେ ଦେଶୀ ଲୁଣ ତୁଳନାରେ ବିଦେଶୀ ଲୁଣ ବଜାରରେ ଶସ୍ତାରେ ଉପଲବ୍ଧ ହେଲା । ଆରମ୍ଭରେ ବିଦେଶୀ ଲୁଣ ବ୍ୟବହାରକୁ ନେଇ ସାମାଜିକ ବାରଣ ରହିଥିଲା । ମାତ୍ର ଶସ୍ତାରେ ମିଳିବାଯୋଗୁଁ ୧୮୬୦ ମସିହା ବେଳକୁ ଏହା ଓଡ଼ିଶାରେ ବହୁତ ପରିମାଣରେ ବିକ୍ରୀ ହେଲା । ଦେଶୀ ପଙ୍ଗା ଓ କର୍କଚ୍‍ ଲୁଣ ବିରୁଦ୍ଧରେ ଯୁକ୍ତି କରାଗଲା ଯେ, ଏହା ବିଦେଶୀ ଲୁଣ ତୁଳନାରେ ନିମ୍ନ ମାନର ଓ ସ୍ୱାସ୍ଥ୍ୟପାଇଁ ଅହିତକର । ମାତ୍ର ୧୮୨୨ରେ ଓଡ଼ିଶାର କମିସନର ଷ୍ଟର୍ଲିିଂ ସାହେବ ଦେଶୀ ଲୁଣର ପ୍ରଶଂସା କରି ଲେଖିଥିଲେ "ଅସ୍ୱାସ୍ଥ୍ୟକର ପରିବେଶ ହେବା ସତ୍ତ୍ୱେ ଏଠାରେ (ଓଡ଼ିଶାରେ) ଭାରତର ସର୍ବୋତ୍କୃଷ୍ଟ ଲୁଣ ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦିତ ହୋଇଥାଏ । ଏଥିରୁ ବାର୍ଷିକ ପାଖାପାଖି ୧୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୁଏ ।" ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣକୁ ଅଧିକ ପ୍ରୋତ୍ସାହନ ମିଳିବାଯୋଗୁଁ ତଥା ପଙ୍ଗା ଲୁଣ ଉତ୍ପାଦନ ପ୍ରତି ସରକାରଙ୍କ ବୈମାତୃକ ମନୋଭାବଯୋଗୁଁ ୧୮୮୦ରେ ବଙ୍ଗ ପ୍ରେସିଡେନ୍‍ସିର ଲୁଣ ବିଭାଗ ବନ୍ଦ ହେଲା; ପଙ୍ଗା ଲୁଣ ଉତ୍ପାଦନ ପ୍ରାୟ ନିଶ୍ଚିହ୍ନ ହେଲା। ଏହା ଫଳରେ ପ୍ରାୟ ୨୬,୦୦୦ ମଲାଙ୍ଗି ଜୀବିକାର୍ଜନର ପନ୍ଥା ହରାଇଲେ। ଏମାନଙ୍କୁ ବାଦ୍‍ଦେଲେ ଲୁଣ ଉତ୍ପାଦନ ଶିଳ୍ପ ଓ ଲୁଣ ବ୍ୟବସାୟ ଉପରେ ଆଶ୍ରିତ ଅନେକ ଲୋକ (ଯଥା: ଜାଳେଣି ସଂଗ୍ରହକାରୀ, ମାଲ୍‍ବାହୀ ଶଗଡ଼ିଆ ଆଦି) ଜୀବିକା ହରାଇଲେ। ଏମାନେ ସମସ୍ତେ ଥିଲେ ଛୋଟ ଚାଷୀ ବା କୃଷି ଶ୍ରମିକ। ବନ୍ୟା, ବାତ୍ୟା ବେଳେ ଫସଲ ନଷ୍ଟ ହେଲେ ଲୁଣ ଉତ୍ପାଦନକୁ ଆଶ୍ରାକରି ସେମାନେ ଚଳି ଯାଉଥିଲେ। ଲୁଣ ଉତ୍ପାଦନ ବନ୍ଦ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବର୍ମା ଓ ଆସାମର ଚା' ବଗିଚାକୁ ଶ୍ରମିକ ଭାବରେ କାମ କରିବାପାଇଁ ଚାଲିଗଲେ, ଯଦିଓ ସେଠାରେ ନା ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିଲା ନା ପରିବେଶ ସୁଖକର ଥିଲା।

୧୮୯୧ରେ ଓଡ଼ିଶାରେ ଦେଶୀ ଲୁଣ ଉତ୍ପାଦନ-ଶିଳ୍ପର ପୁନରୁଦ୍ଧାରଲାଗି ସରକାର ଏଠାକାର ଲୁଣ କାରବାରକୁ ବଙ୍ଗରୁ ମାଡ଼୍ରାସ୍‍ ଲୁଣ ବିଭାଗକୁ ସ୍ଥାନାନ୍ତର କଲେ। ଏକଚାଟିଆ ନୀତିରେ ପୁଣି ଥରେ ଓଡିଶାରେ ସରକାର ଲୁଣ ଉତ୍ପାଦନ ଆରମ୍ଭ କଲେ। ଉତ୍ପାଦନଖର୍ଚ୍ଚ ହ୍ରାସ ପାଇଁ ଏଥର ମାଡ଼୍ରାସରେ ପ୍ରଚଳିତ କର୍କଚ ପଦ୍ଧତିରେ ଅର୍ଥାତ୍‍ ଲବଣାକ୍ତ ଜଳକୁ ଖରାରେ ଶୁଖାଇ ଲୁଣ ଉତ୍ପାଦନ କରିବାପାଇଁ ମଲାଙ୍ଗିମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଜଳବାୟୁ ଦୃଷ୍ଟିରୁ ଏହା ଅସଫଳ ହେଲା ଓ ମଲାଙ୍ଗିମାନେ ଅପୂରଣୀୟ କ୍ଷତି ସହିଲେ। ୧୯୦୨ରେ ଓଡ଼ିଶାରେ ସ୍ଥାନୀୟ ଲୁଣ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ଥିଲା। ରେଳର ପ୍ରଚଳନ ଫଳରେ ମାଡ୍ରାସ୍‍ ଓ ଲିଭରପୁଲରୁ ଲୁଣ ଆସି ଓଡ଼ିଶାରେ ବିକ୍ରୀ ହେଲା। ଏହିପରି ଭାବେ ଇଂରେଜ ଶାସନ କାଳରେ ଏକ ସ୍ଥାନୀୟ ପାରମ୍ପରିକ ଉଦ୍ୟୋଗ ଅଧୋପତନର ଶିକାର ହେଲା।

ଅବକାରୀ ଓ ବାଣିଜ୍ୟ ନୀତି

ଭୂ-ରାଜସ୍ୱ ଓ ଲବଣ ବ୍ୟବସାୟ ବ୍ୟତୀତ ଇଂରେଜ ସରକାର ଅବକାରୀ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରୁ (ରପ୍ତାନି, ଆମଦାନୀ ଓ ଆଭ୍ୟନ୍ତରୀଣ ବାଣିଜ୍ୟ) ମଧ୍ୟ ରାଜସ୍ୱ ଆଦାୟ କରିବାକୁ ଲାଗିଲେ। ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ବିନା କଟକଣାରେ ବିଭିନ୍ନ ପ୍ରକାର ମଦ ଉତ୍ପାଦନ ଓ ଅଫିମ କାରବାର ଚାଲିଥିଲା। ଲୋକେ ତାକୁ ବିଶେଷକରି ଘରୋଇ ଭାବେ ଉତ୍ପାଦନ ଓ ବ୍ୟବହାର କରୁଥିଲେ। ଆଦିବାସୀ ଓ ଗ୍ରାମୀଣ କ୍ଷେତ୍ରରେ ଦେଶୀ ମଦର ବ୍ୟବହାର ଥିଲେ ମଧ୍ୟ ବ୍ୟବସାୟ ଭାବରେ ତା'ର ବିଶେଷ ପ୍ରଚଳନ ନଥିଲା। ଏହି କାରଣରୁ ମରହଟ୍ଟାମାନେ ଏବଂ ତାଙ୍କ ପୂର୍ବରୁ ମୋଗଲମାନେ ତା' ଉପରେ ଶୁଳ୍କ ବସାଇ ନ ଥିଲେ। ଇଂରେଜମାନଙ୍କ ପାଇଁ ଏହା ଆୟର ଏକ ସ୍ରୋତ ହେଲା। ଆରମ୍ଭରେ ଏହାର କାରବାରକୁ ନିୟନ୍ତ୍ରଣ କରିବା ସହଜ ନଥିଲା। ତଥାପି କାଳକ୍ରମେ ଏଥିରୁ ସରକାରୀ ରାଜସ୍ୱ ବୃଦ୍ଧି ପାଇବାକୁ ଲାଗିଲା। ୧୮୧୪-୧୫ ମସିହାରେ ଇଂରେଜ ସରକାରଙ୍କ ଅବକାରୀ ଆୟ ଥିଲା ବାର୍ଷିକ ୧୫,୦୦୦ଟଙ୍କା। ଏହା ୧୮୫୭-୫୮ବେଳକୁ ଅର୍ଥାତ୍‍ କମ୍ପାନୀର ଉଚ୍ଛେଦ ହେଲା ବେଳକୁ ବୃଦ୍ଧିପାଇ ହେଲା ୯୩,୬୬୭ ଟଙ୍କା। କାଳକ୍ରମେ ଅବକାରୀ ଦ୍ରବ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି ପାଇଲା। ବଜାରକୁ ବିଦେଶୀ ମାଦକ ଦ୍ରବ୍ୟ ମଧ୍ୟ ଆମଦାନୀ ହେଲା। ଏହା ଫଳରେ ସରକାରଙ୍କ ଅବକାରୀ ଆୟ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ୧୯୧୩-୧୪ ବେଳକୁ ଏହା ଭୂ-ରାଜସ୍ୱରୁ ତିନି ଲକ୍ଷ ଟଙ୍କା ଊଣା ଥିଲା ବେଳେ ୧୯୧୯-୨୦ ବେଳକୁ ବୃଦ୍ଧିପାଇ ଭୂରାଜସ୍ୱଠାରୁ ପାଞ୍ଚ ଲକ୍ଷ ଟଙ୍କା ଅଧିକ ହେଲା।

ମୁଦ୍ରା ନୀତି

ମରହଟ୍ଟା ଶାସନ କାଳରେ ଓଡ଼ିଶାରେ କଉଡ଼ି ମୁଦ୍ରାର ପ୍ରଚଳନ ଥିଲା। ୧୮୧୧ରେ ସରକାର ରୌପ୍ୟ ମୁଦ୍ରାରେ ରାଜସ୍ୱ ଆଦାୟ କଲେ। ଏହି କାରଣରୁ କଉଡ଼ିର ମୂଲ୍ୟରେ ପତନ ଘଟିଲା। ଲୋକେ କଉଡ଼ି ବିନିମୟରେ ରୌପ୍ୟ ମୁଦ୍ରା ସଂଗ୍ରହ କରିବାକୁ ପ୍ରୟାସ କରି ମୁଦ୍ରା ବିନିମୟକାରୀଦ୍ୱାରା ଶୋଷିତ ହେଲେ। ସରକାର ସ୍ଥିର କରିଥିଲେ, ଟଙ୍କାକୁ ଚାରି କାହାଣ କଉଡ଼ି, ମାତ୍ର ଅସଲି ବଜାରରେ ବିନିମୟ ମୂଲ୍ୟ ହେଲା ଟଙ୍କାକୁ ଛଅରୁ ସାତ କାହାଣ କଉଡ଼ି। ଅର୍ଥାତ୍‍ ଯେଉଁ ଜମିଦାର ପାଞ୍ଚ ହଜାର ଟଙ୍କା ରାଜସ୍ୱ ଦେବାପାଇଁ ୨୦,୦୦୦ କଉଡ଼ି ଦେଉଥିଲେ, ଏବେ ଅବମୂଲ୍ୟାୟନ ପରେ ଦେବେ ୩୦,୦୦୦ ବା ତା'ଠାରୁ ଊର୍ଦ୍ଧ୍ୱ କଉଡ଼ି। ଏହାକୁ ଭରଣା କରିବାସକାଶେ ଜମିଦାରମାନେ ଅଧିକ କଠୋର ଭାବେ ରୟତ ପ୍ରଜାଠାରୁ ଅଧିକ କଉଡ଼ି ଦେୟ ମାଗିଲେ। କଉଡ଼ି ଯେହେତୁ ବିଶେଷକରି ଗରିବ ତଳ ସ୍ତରର ଲୋକ ଅଧିକ ବ୍ୟବହାର କରୁଥିଲେ, ସେମାନଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଲା। କ୍ରୟ ବିକ୍ରୟ ବେଳେ ସେମାନଙ୍କ ପାଖରେ ଥିବା କଉଡ଼ିକୁ ରୌପ୍ୟମୁଦ୍ରାରେ ବିନିମୟ କରାଯିବାରୁ ସେମାନେ ଶୋଷଣର ଶିକାର ହେଲେ ଏବଂ ବଜାରରେ ରୌପ୍ୟ ମୁଦ୍ରାର କୃତ୍ରିମ ଅଭାବ ସୃଷ୍ଟି ହେଲା। ଏଥିରେ ମୁଦ୍ରାବିନିମୟକାରୀ ସାହୁକାର ମହାଜନମାନେ ଖୁବ୍‍ ଲାଭ ପାଇଲେ।

ଜଗନ୍ନାଥ ମନ୍ଦିର ପରିଚାଳନା

ଇଂରେଜମାନଙ୍କର ଓଡ଼ିଶା ଦଖଲ ବେଳେ ମରହଟ୍ଟାମାନଙ୍କ ହାତରେ ଜଗନ୍ନାଥ ମନ୍ଦିର ପରିଚାଳନା ଭାର ରହିଥିଲା। ଖୋର୍ଦ୍ଧା ରାଜା ପ୍ରତିଶ୍ରୁତି ମତେ ଲକ୍ଷେ ଟଙ୍କା ଦେଇ ପାରି ନଥିବାରୁ ମରହଟ୍ଟାମାନେ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଖୋର୍ଦ୍ଧା ରାଜାଙ୍କଠାରୁ କାଢ଼ି ନେଇ ନିଜ ଅଧୀନରେ ରଖିଲେ। ଇଂରେଜମାନେ ମରାଠାମାନଙ୍କୁ ପରାଜିତ କରି ସେହି ଅଧିକାର ନିଜ ହାତକୁ ନେଲେ। ଏଥିପାଇଁ ଉଭୟ ଖୋର୍ଦ୍ଧା ରାଜା ଓ ତାଙ୍କ ସମଥର୍କ ବ୍ରାହ୍ମଣ ଗୋଷ୍ଠୀ ଏବଂ ଖ୍ରୀଷ୍ଟିଆନ୍‍ ମିସନାରୀ ଗୋଷ୍ଠୀଦ୍ୱାରା ସରକାର ତୀବ୍ର ସମାଲୋଚନାର ଶିକାର ହେଲେ। ମିଶନାରୀମାନଙ୍କ ଅଭିଯୋଗ ହେଲା ଯେ, ସରକାର ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱ ହାତକୁ ନେଇ ମୂର୍ତ୍ତିି ପୂଜାକୁ ମାନ୍ୟତା ଦେଉଛନ୍ତି। ଏହା ସତ୍ତ୍ୱେ ମନ୍ଦିରର ପରିଚାଳନା ଓ ନିୟନ୍ତ୍ରଣକୁ ସରକାର ହାତଛଡ଼ା କରି ନଥିଲେ। ଏହା ପଛରେ ପ୍ରମୁଖ କାରଣ ଥିଲା ମନ୍ଦିରରୁ ଆଦାୟ ହେଉଥିବା ରାଜସ୍ୱ।

୧୮୦୩ରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ଜଗନ୍ନାଥ ମନ୍ଦିରର ପରଂପରା ଓ ନୀତିନିୟମକୁ ସୁରକ୍ଷିତ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଣ୍ତାମାନଙ୍କ ମାଧ୍ୟମରେ କୁହାଯାଇଥିଲା ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ସୁରକ୍ଷିତ ରହିବେ। ଜଗନ୍ନାଥଙ୍କ ସଂରକ୍ଷକ ଭୂମିକା ଗ୍ରହଣ କରିବା ପରେ ଇଂରେଜମାନଙ୍କୁ ସ୍ଥାନୀୟ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ଏହି ପ୍ରତିଶ୍ରୁତିକୁ ସରକାର ଦୁଇ ବର୍ଷପାଇଁ ପାଳନ ମଧ୍ୟ କଲେ। ଅସଲରେ ଓଡ଼ିଶା ଦଖଲ କଲା ପରେ ମନ୍ଦିର ପରିଚାଳନା ସମ୍ବନ୍ଧରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ କିଛି ସମୟ ଚାହୁଁଥିଲେ।

୧୮୦୬ରେ ଇଂରେଜ ସରକାର ମରାଠାମାନଙ୍କ ପରି ତୀର୍ଥଯାତ୍ରୀ କର ଲାଗୁ କଲେ। କାରଣ ମନ୍ଦିର ପରିଚାଳନାପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣା ହେବା କଥା! କର ଆଦାୟପାଇଁ ଜଣେ କଲେକ୍ଟର ନିଯୁକ୍ତ ହେଲେ। ଜେମ୍‍ସ ହଣ୍ଟର ଥିଲେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଥମ କଲେକ୍ଟର। ହଣ୍ଟର ମନ୍ଦିରର ବିଧି ପରିଚାଳନା ଭାର ବ୍ରାହ୍ମଣ ପଣ୍ତିତମାନଙ୍କର ଏକ ସମିତି ଉପରେ ନ୍ୟସ୍ତ କଲେ। କଲେକ୍ଟରଙ୍କ ସୁପାରିଶ ଅନୁସାରେ ସରକାର ବ୍ରାହ୍ମଣମାନଙ୍କୁ ସମିତିର ସଦସ୍ୟ ନିଯୁକ୍ତ କରୁଥିଲେ। ପରେ ମନ୍ଦିରରେ ସଂପୃକ୍ତ ବ୍ୟକ୍ତିମାନଙ୍କଦ୍ୱାରା ଏହି ସଦସ୍ୟମାନେ ନିର୍ବାଚିତ ହେବେ ବୋଲି ବ୍ୟବସ୍ଥା ହେଲା।

୧୮୦୭ରେ ଜର୍ଜ ଓ୍ୱେବ୍‍ସ ମନ୍ଦିରର କଲେକ୍ଟର ନିଯୁକ୍ତ ହେଲେ। ମନ୍ଦିର ପରିଚାଳନା ସମ୍ବନ୍ଧରେ ସଂପୂର୍ଣ୍ଣ ଅନୁସନ୍ଧାନ କରି ସେ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏଥିରେ ସେ ମନ୍ଦିରର ବ୍ୟବସ୍ଥାନିମନ୍ତେ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ- ଜଗନ୍ନାଥ ମନ୍ଦିରକୁ ମିଳିଥିବା ଜମିର ଖଜଣା ସରକାର ଅସୁଲ କରି ସେ ଅର୍ଥରେ ମନ୍ଦିର ଖର୍ଚ୍ଚ ପୂରଣ କରନ୍ତୁ। ଦ୍ୱିତୀୟ- ମନ୍ଦିରର ଅନାବଶ୍ୟକ ଖର୍ଚ୍ଚକୁ କାଟ କରାଯାଉ। ସରକାର ଦୁଇଟିଯାକ ପ୍ରସ୍ତାବକୁ ମାନିନେଲେ। ୧୮୦୯ରେ ମନ୍ଦିର ପରିଚାଳନା ଭାର ଖୋର୍ଦ୍ଧା ରାଜାଙ୍କୁ ବଂଶାନୁକ୍ରମିକ ଭାବେ ଦିଆଗଲା। କାରଣ, ବିଦେଶୀ ଭାବରେ ସରକାର ମନ୍ଦିରର ଦୈନନ୍ଦିନ ପରିଚାଳନାରେ ଅସୁବିଧା ଅନୁଭବ କରୁଥିଲେ। ଦ୍ୱିତୀୟତଃ, ଔପନିବେଶିକ ସ୍ୱାର୍ଥ ଦୃଷ୍ଟିରୁ ମନ୍ଦିର ପରିଚାଳନାର କୌଣସି ବିଶେଷ ତାତ୍ପର୍ଯ୍ୟ ସରକାର ଦେଖି ପାରୁ ନଥିଲେ। ତୃତୀୟତଃ, ମନ୍ଦିର ପରିଚାଳନାରେ ସରକାର ହସ୍ତକ୍ଷେପ କରିବାଦ୍ୱାରା ଖ୍ରୀଷ୍ଟିଆନ୍‍ ଧାର୍ମିକ ଗୋଷ୍ଠୀର କଟୁ ସମାଲୋଚନା ସହ୍ୟ କରିବାକୁ ପଡ଼ୁଥିଲା। ଅଧିକ ସମାଲୋଚନାର ଶରବ୍ୟ ନ ହେବାପାଇଁ ସରକାର ତୀର୍ଥଯାତ୍ରୀମାନଙ୍କଠାରୁ ଅସୁଲ ହେଉଥିବା କରକୁ ମନ୍ଦିର ସଂପର୍କୀୟ ବ୍ୟାପାରରେ ଖର୍ଚ୍ଚ କରୁଥିଲେ। ଉଦାହରଣ ସ୍ୱରୂପ, ୧୮୨୫ରେ ମନ୍ଦିରର ରାଜସ୍ୱ ଓ ତୀର୍ଥଯାତ୍ରୀ କରକୁ ଉପଯୋଗ କରି ଜଗନ୍ନାଥ ସଡ଼କର ପୁନଃନିର୍ମାଣ କାର୍ଯ୍ୟ କରାଯାଇଥିଲା। ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ହାତକୁ ନେଇ କମ୍ପାନୀ ସରକାର ଖ୍ରୀଷ୍ଟିଆନ୍‍ ମିଶନାରୀମାନଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାଦ୍ୱାରା ସରକାର ମୂର୍ତ୍ତିିପୂଜାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ହେଉଥିଲା । ସେତେବେଳେ ରଥଯାତ୍ରା ସମୟରେ ଅନେକ ଲୋକ ରଥଚକ ତଳେ ମୃତ୍ୟୁବରଣ କରୁଥିଲେ । ସରକାରଙ୍କ ବିରୋଧୀ ମିଶନାରୀମାନଙ୍କ ମତରେ ଏହି ଅମାନୁଷିକ ନରହତ୍ୟାକୁ କମ୍ପାନୀ ପ୍ରୋତ୍ସାହିତ କରୁଛନ୍ତି । ମନ୍ଦିର ପରିଚାଳନାପାଇଁ ସରକାର ନିୟମିତ ଅର୍ଥ ସାହାଯ୍ୟ କରୁଥିଲେ । ଏହାକୁ ଖ୍ରୀଷ୍ଟିଆନ୍‍ ବିରୋଧୀ କାର୍ଯ୍ୟ ବୋଲି ମିଶନାରୀମାନେ ଅଭିଯୋଗ କରୁଥିଲେ ।

ମନ୍ଦିର କାର୍ଯ୍ୟରେ ସଂପୃକ୍ତି ନେଇ ସରକାରଙ୍କ ସମାଲୋଚନା ଇଂଲଣ୍ତରେ ମଧ୍ୟ ଶୁଣାଗଲା । କମ୍ପାନୀର ନିୟନ୍ତ୍ରଣ ବୋର୍ଡ଼୍ (Board of Control) ମଧ୍ୟ ସରକାରର ଧାର୍ମିକ ହସ୍ତକ୍ଷେପକୁ ନାପସନ୍ଦ କଲେ । ୧୮୩୩ରେ କମ୍ପାନୀର ନିର୍ଦ୍ଦେଶକମଣ୍ତଳୀ (Board of Directors) କମ୍ପାନୀ ସରକାରକୁ ମନ୍ଦିର ପରିଚାଳନାରେ ସଂପୃକ୍ତ ନହେବାପାଇଁ ତଥା ତୀର୍ଥଯାତ୍ରୀ କରକୁ ଉଚ୍ଛେଦ କରିବାକୁ ପ୍ରବଳ ଚାପ ପ୍ରୟୋଗ କଲେ । ସରକାରଙ୍କୁ ଇଙ୍ଗିତ କରି ମଣ୍ତଳୀ ମନ୍ତବ୍ୟ ଦେଲେ, "ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନର ଶାନ୍ତି ରକ୍ଷକ ହେବାର ବାହାନାରେ ଆମ୍ଭେମାନେ ମୂର୍ତ୍ତିପୂଜା ପୀଠଗୁଡ଼ିକର ପ୍ରମୁଖ ରକ୍ଷାକର୍ତ୍ତା ସାଜିଛୁ ।" ୧୮୩୮ରେ ନିର୍ଦ୍ଦେଶକମଣ୍ତଳୀ ପୁଣି ଥରେ ମନ୍ଦିର ପରିଚାଳନାରୁ ଦୂରେଇ ରହିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ୧୮୪୦ ଏପ୍ରିଲ୍‍ ମାସରେ ଏକ ନିୟମ ଅନୁସାରେ ତୀର୍ଥସ୍ଥାନମାନଙ୍କରେ ତୀର୍ଥଯାତ୍ରୀକର ଉଚ୍ଛେଦ କରାଯିବା ନେଇ ନିର୍ଦ୍ଦେଶ ଜାରି ହେଲା । ସେହି ଅନୁସାରେ ପୁରୀ ମନ୍ଦିରରୁ ମଧ୍ୟ ତୀର୍ଥଯାତ୍ରୀ କର ଆଦାୟ ବନ୍ଦ ହେଲା ।

ଏହା ପରେ ମିଶନାରୀମାନେ ମନ୍ଦିରକୁ ଆର୍ଥିକ ଅନୁଦାନ ନ ଦେବାକୁ ସରକାରଙ୍କୁ ବାଧ୍ୟ କଲେ । ୧୮୫୦ ମସିହାରେ ଏ ନେଇ ଇଂଲଣ୍ତର କମ୍ପାନୀ ନିର୍ଦ୍ଦେଶକମଣ୍ତଳୀ ପାଖରେ ଦାବିପତ୍ର ପେଶ୍‍ କରାଗଲା । ଏହାର ଉତ୍ତରରେ କଟକ କମିସନର ଏ.ଜେ.ଏମ୍‍. ମିଲ୍‍ସ ଅନୁଦାନ କୌଣସି ବ୍ୟକ୍ତିଗତ ପୂଜକପାଇଁ ନୁହେଁ, ବରଂ ଏକ ସାର୍ବଜନୀନ ଅନୁଷ୍ଠାନର ସାଧାରଣ ହିତପାଇଁ ବୋଲି ଯୁକ୍ତି କଲେ । ଏହାର ଅବମାନନା କଲେ ମରାଠା ସମୟରୁ ରହିଥିବା ପରମ୍ପରା ଭଙ୍ଗ ହେବ ଓ ଜନ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ସେ ଜଣାଇଲେ । ୧୮୬୩ ମସିହାରୁ ସରକାରଙ୍କ ତରଫରୁ ମନ୍ଦିରକୁ ପ୍ରତ୍ୟକ୍ଷ ଆର୍ଥିକ ଅନୁଦାନ ଦେବାର ବିଧି ପୂର୍ଣ୍ଣତଃ ବନ୍ଦ ହେଲା । ତା' ସ୍ଥାନରେ ମନ୍ଦିର ନାମରେ ଦେବୋତ୍ତର ଜମିର ଆୟକୁ ବ୍ୟବହାର କରାଗଲା । ଉକ୍ତ ଜମି ଖୋର୍ଦ୍ଧା ଗଜପତିଙ୍କୁ ଦିଆଗଲା । କହିବା ବାହୁଲ୍ୟ ଯେ, ଦେବୋତ୍ତର ଜମିର ଆୟ, ପୂର୍ବରୁ ମିଳୁଥିବା ସରକାରୀ ମଂଜୁରୀର ସମତୁଲ୍ୟ ଥିଲା ।

ଗଡ଼ଜାତ ନୀତି ମୋଗଲ ଓ ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ଅନେକଗୁଡ଼ିଏ କରଦ ରାଜ୍ୟ ରହିଥିଲେ । ଘନ ଜଙ୍ଗଲ ଓ ମାଳଭୂମିପରିପୂର୍ଣ୍ଣ ଏହି ରାଜ୍ୟଗୁଡ଼ିକ ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ ସମତଳ କ୍ଷେତ୍ରର ଶାସକମାନଙ୍କପାଇଁ ଅପହଞ୍ଚ ମନେ ହେଉଥିଲା । ତେଣୁ ମୋଗଲ ଓ ପରେ ମରହଟ୍ଟାମାନେ ଏହି ରାଜ୍ୟଗୁଡ଼ିକରେ ପ୍ରତ୍ୟକ୍ଷ ଶାସନ ପ୍ରବର୍ତ୍ତନ କରି ପାରି ନଥିଲେ । ଅର୍ଥାତ୍‍ ସଂପୃକ୍ତ ରାଜାମାନେ ପ୍ରଭୁତ୍ୱ ସ୍ୱୀକାର କରି ବାର୍ଷିକ କର ଦେଉଥିଲେ ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ସ୍ୱାଧୀନତା ପାଇଥିଲେ । ନିର୍ଦ୍ଧାରିତ କର ଅସୁଲି ପରେ ମୋଗଲ ଓ ମରହଟ୍ଟାମାନେ ଏହି କରଦ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ପ୍ରଶାସନରେ ହସ୍ତକ୍ଷେପ କରୁ ନଥିଲେ । ଏହି ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଗଡ଼ଜାତ ବାହାରେ ରହଥିବା ପ୍ରତ୍ୟକ୍ଷ ଶାସନାଧୀନ କ୍ଷେତ୍ରକୁ ମୋଗଲବନ୍ଦି କୁହାଯାଉଥିଲା । ମୋଗଲମାନଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ମରହଟ୍ଟାମାନେ କାୟମ ରଖିଥିଲେ । ମୋଗଲ ବା ମରହଟ୍ଟା ଆଇନ କାନୁନ, ପୋଲିସ୍‍ , ସାଧାରଣ ପ୍ରାଶାସନିକ ବ୍ୟବସ୍ଥା, ଅର୍ଥ ବ୍ୟବସ୍ଥା ଇତ୍ୟାଦି କଥା ଯାହା ଆଲୋଚନାକୁ ଆସେ, ତାହା ମୋଗଲବନ୍ଦି କ୍ଷେତ୍ରରେ ସୀମିତ ରହୁଥିଲା; ଗଡ଼ଜାତରେ ତା'ର ସିଧା ପ୍ରବର୍ତ୍ତନ ହେଉ ନଥିଲା । ଇଂରେଜମାନେ କଟକ ଦଖଲ କଲାବେଳେ ଉପକୂଳ ଓ କେନ୍ଦ୍ର ଓଡ଼ିଶାରେ ଅନେକ ଗଡ଼ଜାତ ରହିଥିଲା । ଏହା ବାହାରେ ଦକ୍ଷିଣ ଓଡ଼ିଶା, ଯାହା ଗଞ୍ଜାମ ଏଜେନ୍‍ସି ନାମରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ସହିତ ମିଶି ରହିଥିଲା, ତହିଁରେ ମଧ୍ୟ ଏଭଳି କେତୋଟି ରାଜ୍ୟ ଥିଲା । ପୁଣି ସମ୍ବଲପୁରକୁ କେନ୍ଦ୍ର କରି ପଶ୍ଚିମ ଓଡ଼ିଶା ଓ ଆଧୁିନିକ ଛତିଶଗଡ଼ର ୧୮ଟି କ୍ଷୁଦ୍ର ରାଜ୍ୟ ରହିଥିଲେ । ୧୮୦୩ରେ ଇଂରେଜ ଓ ମରହଟ୍ଟାମାନଙ୍କ ମଧ୍ୟରେ ଦେଓଗାଁ ଚୁକ୍ତି ସ୍ୱାକ୍ଷରିତ ହେବା ବେଳକୁ ଏ ମଧ୍ୟରୁ ଅନେକ ରାଜା ଇଂରେଜମାନଙ୍କ ପ୍ରଭୁତ୍ୱ ସ୍ୱୀକାର କରି ସାରିଥିଲେ । ୧୮୦୫ ଶେଷ ସୁଦ୍ଧା ସମସ୍ତ ଗଡ଼ଜାତ ଇଂରେଜମାନଙ୍କ କର୍ତ୍ତୃତ୍ୱ ସ୍ୱୀକାର କରି ସାରିଥିଲେ ।

ଇଂରେଜ ଶାସନ କାଳରେ ମଧ୍ୟ ପୂର୍ବରୁ ଚଳି ଆସୁଥିବା ଗଡ଼ଜାତ ବ୍ୟବସ୍ଥା ଅବ୍ୟାହତ ରହିଲା । ଏହାର ଅର୍ଥ ହେଲା ଯେ ଇଂରେଜମାନେ ପ୍ରଜାଙ୍କ ମଙ୍ଗଳକୁ ଗୌଣ କରି କର ଅସୁଲକୁ ପ୍ରମୁଖତା ଦେଉଥିଲେ ।୧୮୦୪-୦୫ରେ ଯେତେବେଳେ ମୋଗଲବନ୍ଦିର ଭୂ-ରାଜସ୍ୱ ଥିଲା ୧୩,୬୩,୬୬୮ଟଙ୍କା, ୨୯ଟି ଗଡ଼ଜାତର ଭୂ-ରାଜସ୍ୱ ଥିଲା ୧,୧୮,୬୮୭ ଟଙ୍କା । ଏହି ଟଙ୍କା ଗଡ଼ଜାତମାନେ ସରକାରଙ୍କ ରାଜକୋଷରେ ଜମା କରୁଥିଲେ । ମାତ୍ର ସରକାରଙ୍କ ମୋଟାମୋଟି ହିସାବ ଅନୁଯାୟୀ, ସେମାନେ ପ୍ରଜାଙ୍କଠାରୁ ଆଦାୟ କରୁଥିଲେ ପ୍ରାୟ ୬୫୦,୦୦୦ଟଙ୍କା । ଏହା ବାହାରେ ମଧ୍ୟ ଅନେକ କର ସେଠାକାର ପ୍ରଜା ଦେଉଥିଲେ । ଯଦି ମୋଗଲ, ମରାଠା ଓ ଇଂରେଜମାନଙ୍କଦ୍ୱାରା ଆଦାୟ ହେଉଥିବା ଓଡ଼ିଶାର ଭୂ-ରାଜସ୍ୱକୁ ତୁଳନା କରାଯାଏ, ତେବେ ଜଣାଯିବ ଯେ (ଷ୍ଟର୍ଲିିଂଙ୍କ ହିସାବ ଅନୁଯାୟୀ) ମୋଗଲ ସମୟରେ ଏହା ଥିଲା ୧୫,୮୯,୭୩୨ଟଙ୍କା; ମରାଠା ସମୟରେ ୧୪,୪୦୦୦୦ଟଙ୍କା ଏବଂ ଇଂରେଜ ସମୟରେ (୧୮୦୪-୧୮୦୫) ୧୩,୬୩,୬୬୮ ଟଙ୍କା । ଯଦିଓ ମୋଗଲ ଓ ମରାଠା ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ଅଧିକ ଥିଲା, ପ୍ରକୃତରେ ୧୨ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ ହେଉ ନଥିଲା । ଅନ୍ୟ ପକ୍ଷରେ, କଠୋର ନିୟମଯୋଗୁଁ ଇଂରେଜ ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ପ୍ରକୃତରେ ସଂଗ୍ରହ ମଧ୍ୟ ହେଉଥିଲା । ଦ୍ୱିତୀୟତଃ, ଯେଉଁ କଠୋରତାର ସହିତ ଜମିଦାର ଓ ରାଜାମାନଙ୍କଠାରୁ କର ଅସୁଲ କରାଯାଉଥିଲା, ତତୋଽଧିକ କଠୋରତା ସହ ଏହି ଅସୁଲକାରୀମାନେ ପ୍ରଜାଙ୍କଠାରୁ ଖଜଣା ଅସୁଲ କରୁଥିଲେ । ଏହା ପ୍ରଜାଙ୍କ ଦୁଃଖକୁ ଖୁବ୍‍ ଅଧିକ ମାତ୍ରାରେ ବୃଦ୍ଧି କରୁଥିଲା । ଓଡ଼ିଶାରେ ଇଂରେଜ ଶାସନ ସମୟରେ ଜମିଦାରମାନେ ଏକ ନୂଆ ସାମାଜିକ ଶ୍ରେଣୀ ଭାବରେ ଉଭୟ ଗଡ଼ଜାତ ଓ ମୋଗଲବନ୍ଦି କ୍ଷେତ୍ରରେ ବିକାଶ ଲାଭ କଲେ । ମୋଗଲ ଓ ମରାଠା ସମୟରେ ଚୌଧୁରୀ, କାନୁନ୍‌ଗୋ, ମକଦ୍ଦମ, ଅମିଲ ଆଦି ରାଜକର୍ମଚାରୀମାନେ ବଂଶାନୁକ୍ରମିକ ଭାବେ ରାଜସ୍ୱ ଅସୁଲ ତଥା ଆହୁରି ଅନେକ ସାଧାରଣ କାମପାଇଁ ନିଯୁକ୍ତ ହୋଇଥିଲେ । ଏଥିପାଇଁ ସେମାନେ ମାସିକ ବେତନ ବଦଳରେ ଜମି ପାଇଥିଲେ । ଇଂରେଜମାନେ ସେ ସମସ୍ତଙ୍କୁ 'ଜମିଦାର' ଘୋଷଣା କରିଦେଲେ, କାରଣ ଏହି ସଂପନ୍ନବର୍ଗ ହାତରେ ଜମି ରହିଲେ କୃଷିର ଉନ୍ନତି ହେବ ବୋଲି ସେମାନେ ଆଶା କରୁଥିଲେ । ଇଂଲଣ୍ତରେ ଜମି ବଡ଼ ବଡ଼ ଭୂମିମାଲିକଙ୍କ ହାତକୁ ଗଲା ପରେ ଉତ୍ପାଦନରେ ବୃଦ୍ଧି ଘଟିଥିଲା, ଯାହା ପୁଞ୍ଜିବାଦୀ ବିକାଶକୁ ସାହାଯ୍ୟ କରିଥିଲା । ଏକ ଭୂମିମାଲିକ ବା ଜମିଦାରବର୍ଗ ସୃଷ୍ଟି କରି ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ପୁଞ୍ଜିବାଦୀ କୃଷି ବିକାଶ କରାଯାଇ ପାରିବ ବୋଲି ସେମାନେ ମନେ କରିଥିଲେ । ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ମାଧ୍ୟମରେ ଏହି ଜମିଦାରବର୍ଗ ସୃଷ୍ଟି ହୋଇଥିଲା । ଓଡ଼ିଶାରେ ଭୂ-ବନ୍ଦୋବସ୍ତକୁ ଚିରସ୍ଥାୟୀ କରାଗଲା ନାହିଁ, କାରଣ ଉତ୍ପାଦନ ଊଣା ରହୁଥିବାରୁ ରାଜସ୍ୱକୁ ସ୍ଥାୟୀ ଭାବରେ ସରକାର ଧାର୍ଯ୍ୟ କରିବାକୁ ଚାହୁଁ ନଥିଲେ । ଭବିଷ୍ୟତରେ ଓଡ଼ିଶାରେ ଉତ୍ପାଦନ ବୃଦ୍ଧିପାଇଲେ ବନ୍ଦୋବସ୍ତ ଚିରସ୍ଥାୟୀ ହେବ ବୋଲି କେବଳ ପ୍ରତିଶ୍ରୁତି ଦିଆଗଲା ।

ଆରମ୍ଭରେ ଗଡ଼ଜାତମାନଙ୍କୁ ଆଭ୍ୟନ୍ତରୀଣ ସ୍ୱାଧୀନତା ମିଳିଥିଲା । ୧୮୦୪ରେ ସମ୍ବଲପୁର ଓ ଗଞ୍ଜାମ ଏଜେନ୍‍ସିକୁ ବାଦ ଦେଇ ଯେଉଁ କଟକ ଡିଭିଜନ ରହିଥିଲା, ତହିଁରେ ଥିଲା ମୋଟ ୩୦ଟି ଗଡ଼ଜାତ । ତନ୍ମଧ୍ୟରୁ ୧୮୦୪ରେ ବିଦ୍ରୋହ କରି ବିଫଳ ହେଲା ପରେ ଖୋର୍ଦ୍ଧାକୁ ଖାସମାହାଲରେ ପରିଣତ କରି ଦିଆଗଲା । ବାକି ୨୯ଟି ଗଡ଼ଜାତରୁ ୧୪ଟିରେ ସିଧାସିଧା ବ୍ରିଟିଶ୍‍ ନିୟମ ଲାଗୁ ହେଉ ନଥିଲା । ଏହା ପରୋକ୍ଷରେ ଲାଗୁ ହେଉଥିଲା । ପରେ କଟକ, ସମ୍ବଲପୁର ଓ ଗଞ୍ଜାମ ଏଜେନ୍‍ସି ବା ପ୍ରାକୃତିକ ଓଡ଼ିଶାରେ ମୋଟ ୨୬ଟି ଗଡ଼ଜାତ ରହିଲେ । ଅନ୍ୟଗୁଡ଼ିକ ହୁଏତ ଜମିଦାରୀ ଭାବରେ ଗଣାହେଲେ, ନୋହିଲେ ମୋଗଲବନ୍ଦିରେ ସେଗୁଡିକୁ ସାମିଲ୍‍ କରି ଦିଆଗଲା। ଏହି ଗଡ଼ଜାତମାନଙ୍କରେ ଖୁବ୍‍ ପ୍ରଜା ଉତ୍ପୀଡ଼ନ ଥିଲା;ମୋଗଲବନ୍ଦି ତୁଳନାରେ ଶିକ୍ଷା, ସଂସ୍କୃତି, ବାଣିଜ୍ୟ, ଯୋଗାଯୋଗ ଆଦି ସବୁ କ୍ଷେତ୍ରରେ ସେଗୁଡ଼ିକ ପଛରେ ରହିଥିଲେ । ଲୋକେ ଗଡ଼ଜାତକୁ ଅନ୍ଧାରୀ ଶାସନ ବୋଲି କହୁଥିଲେ । ନାଗରିକ ଅଧିକାରର ସେଠାରେ ନାମଗନ୍ଧ ନ ଥିଲା । ଇଂରେଜ ସରକାର ନିଜକୁ ଗଣତନ୍ତ୍ର,ବ୍ୟକ୍ତି ସ୍ୱାଧୀନତା ଓ ଆଧୁନିକତାର ଜନ୍ମଦାତା ବୋଲି ଦାବି କରୁଥିଲେ ମଧ୍ୟ ଗଡ଼ଜାତର ଅଂଧାରୀ ଶାସନକୁ ପ୍ରଶ୍ରୟ ଦେଉଥିଲେ । ଏହା ପଛରେ କାରଣ ହେଲା ଯେ, ଗଡ଼ଜାତର ରାଜାମାନେ ଇଂରେଜ ସରକାରକୁ ଶେଷ ପର୍ଯ୍ୟନ୍ତ ଅଂଧ ସମର୍ଥନ ଦେଇ ଆସିଥିଲେ । ଗଡ଼ଜାତଗୁଡ଼ିକ ହେଲେ-

ଛବିଶଟି ଗଡ଼ଜାତ
ରାଜ୍ୟ ଆୟତନ (ବର୍ଗମାଇଲ)
ଢେଙ୍କାନାଳ ୧୪୮୬
ନୀଳଗିରି ୨୮୪
ତାଳଚେର ୩୯୯
ରେଢ଼ାଖୋଲ(ରାଇରଖୋଲ) ୮୩୩
ନୟାଗଡ଼ ୫୯୦
ଆଠଗଡ଼ ୧୬୮
ପାଲଲହଡ଼ା (ରା) ୪୫୨
ଗାଙ୍ଗପୁର ୨୪୯୨
ରଣପୁର ୨୦୩
ହିନ୍ଦୋଳ ୩୧୨
ବାମଣ୍ତା (ବାମରା) ୧୨୮୮
ଦଶପଲ୍ଲା ୫୬୮
ସୋନପୁର ୯୦୬
ଖଣ୍ତପଡ଼ା ୨୪୪
ଆଠମଲ୍ଲିକ ୭୩୦
ବଣାଇ ୧୨୯୬
ବଉଦ ୧୨୬୪
ବଡ଼ମ୍ବା ୧୪୨
ନରସିଂହପୁର ୧୯୯
କଳାହାଣ୍ତି ୩୭୪୫
ତିଗିରିଆ ୪୬
କେନ୍ଦୁଝର ୩୦୯୬
ପାଟଣା ୨୫୧୧
ମୟୂରଭଞ୍ଜ ୪୨୪୩
ଷଢେ଼ଇକଳା ୪୯୯
ଖରସୁଆଁ ୧୫୩

୧୮୦୩ରେ ଓଡ଼ିଶା ଅଧିକାର କଲାବେଳେ ଇଂରେଜମାନେ ଭାରତର ସର୍ବୋଚ୍ଚ ଶକ୍ତି ହୋଇ ନଥିଲେ । ଗଡ଼ଜାତ ଓ ଜମିଦାରୀର ସମର୍ଥନ ବିନା ସେମାନେ ସର୍ବୋଚ୍ଚ ଶକ୍ତି ହୋଇପାରିବେ ନାହିଁ ବୋଲି ମନେ କରୁଥିଲେ । ତେଣୁ ଆଭ୍ୟନ୍ତରୀଣ ସ୍ୱାଧୀନତା ଦେଇ ତଥା ନାମମାତ୍ର ଦେୟ ଧାର୍ଯ୍ୟ କରି ପ୍ରତିବଦଳରେ ସେମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ଲାଭ କରିବାକୁ ପ୍ରୟାସ କରୁଥିଲେ । ମାତ୍ର ଦଶବର୍ଷ ପରେ ଇଂରେଜମାନେ ଆଉ ଦେଶୀୟ ରାଜ୍ୟ ଓ ଗଡ଼ଜାତର ସମର୍ଥନ ଦରକାର କରୁ ନଥିଲେ । ଭାରତରେ ସର୍ବୋଚ୍ଚ ଶକ୍ତି ହେବା ପରେ ଗଡ଼ଜାତମାନଙ୍କର କ୍ଷମତା କ୍ଷୁଣ୍ଣ କରିବାକୁ ସେମାନେ ପ୍ରୟାସ କଲେ । ଏହି ଲକ୍ଷ୍ୟରେ ୧୮୧୪ରେ ଗଡ଼ଜାତମାନଙ୍କୁ ଟ୍ରିବ୍ୟୁଟାରୀ ମାହାଲ ଅଧୀନରେ ରଖାଗଲା । ମାହାଲର ମୁଖ୍ୟ ଭାବରେ ଜଣେ ଅଧୀକ୍ଷକ ବା ସୁପରିନ୍‌ଟେେଣ୍ତଣ୍ଟଙ୍କୁ ନିଯୁକ୍ତ କରାଗଲା । ଗଡ଼ଜାତଗୁଡ଼ିକ ମଧ୍ୟରେ ବା ଗଡ଼ଜାତ ଓ ମୋଗଲବନ୍ଦି ମଧ୍ୟରେ ଅଥବା ଗଡ଼ଜାତ ରାଜା କିଛି ଗହନ ଅପରାଧ କଲେ, ତାକୁ ବୁଝିବାପାଇଁ ମାହାଲ ଗଠନ ହୋଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ଆବଶ୍ୟକ ପଡ଼ିଲେ ଅଧୀକ୍ଷକଙ୍କୁ ସହଯୋଗ କରିବେ ବୋଲି ନିୟମ ରହିଲା । ଗଡ଼ଜାତର ରାଜା ଯଦି ନାବାଳକ, ତାଙ୍କ କାର୍ଯ୍ୟ ପରିଚାଳନାପାଇଁ ଜଣେ ତହସିଲଦାର ରହିବେ ବୋଲି ଆଇନରେ ଉଲ୍ଲେଖ ରହିଲା । ଏହା ପ୍ରକାରାନ୍ତରେ ଗଡ଼ଜାତ ଉପରେ ଇଂରେଜର କର୍ତ୍ତୃତ୍ୱ ଜାହିର କରିବାଲାଗି ବାଟ ଖୋଲି ଦେଲା ।

ଏତେ ସବୁ ପରିବର୍ତ୍ତନ ହେଲା, ଅଥଚ ଗଡ଼ଜାତର ପ୍ରଜାବିରୋଧୀ ଶାସନକୁ ନିୟନ୍ତ୍ରଣ କରିବାକୁ ସରକାର କୌଣସି ବିଶେଷ ପଦକ୍ଷେପ ନେଲେ ନାହିଁ । କେବଳ ହତ୍ୟା ଭଳି ଗୁରୁତର ଅପରାଧ କରିଥିବା ରାଜାଙ୍କୁ ସମୟେ ସମୟେ ଦଣ୍ତ ଦିଆଗଲା । ଅନେକ ସମୟରେ ନରହତ୍ୟା ସମେତ ଅନେକ ଅପରାଧ କରି ସୁଦ୍ଧା ଗଡ଼ଜାତ ରାଜାମାନେ ଆଦୌ କୌଣସି ଦଣ୍ତ ପାଇଲେ ନାହିଁ । ପ୍ରଥମେ ୧୮୨୧ରେ ଏବଂ ପରେ ୧୮୩୯ରେ ଓଡ଼ିଶାର ଗଡ଼ଜାତ ଅଧୀକ୍ଷକ ଗଡ଼ଜାତ ରାଜାମାନଙ୍କୁ କଠୋର ଆଇନ ମଧ୍ୟରେ ଆଣିବାକୁ ପ୍ରସ୍ତାବ ଦେଲେ । ମାତ୍ର ସରକାର ପ୍ରସ୍ତାବଗୁଡ଼ିକୁ ଅଗ୍ରାହ୍ୟ କରିଦେଲେ । ଏହି ପ୍ରକ୍ରିୟାରେ ଇଂରେଜର ଛତ୍ରଛାୟା ତଳେ ଗଡ଼ଜାତରେ ଅମାନବୀୟ ଅତ୍ୟାଚାର ରାଜାମାନଙ୍କ ନେତୃତ୍ୱରେ ସଂପନ୍ନ ହେଲା ଏବଂ ଇଂରେଜମାନେ ଚାରିଆଡେ଼ ଗଣତନ୍ତ୍ର, ବିଧି ସମ୍ମତ ଆଇନ, ବ୍ୟକ୍ତି ସ୍ୱାଧୀନତା, ଆଧୁନିକ ବିକାଶର ପକ୍ଷଧର ବୋଲି ନିଜକୁ ଗର୍ବ କରି ପ୍ରଚାର କଲେ । ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ (୧୯୦୬) ସମସ୍ତ ଗଡ଼ଜାତପାଇଁ ଜଣେ ପଲିଟିକାଲ୍‍ ଏଜେଣ୍ଟ ନିଯୁକ୍ତ ହେଲେ । ଯଦିଓ ପଲିଟିକାଲ୍‍ ଏଜେଣ୍ଟ ଗଡ଼ଜାତ ରାଜାଙ୍କୁ ଉପଦେଶ, ପରାମର୍ଶ ଏବଂ ଆବଶ୍ୟକ ପଡ଼ିଲେ ଆଦେଶ ଦେବେ ବୋଲି କଥା ରହିଲା, ପ୍ରକୃତରେ ଦେଖିବାକୁ ଗଲେ, ଅନେକ ସମୟରେ ରାଜାପକ୍ଷ ପଲିଟିକାଲ୍‍ ଏଜେଣ୍ଟଙ୍କୁ ନାନା ଉପାୟରେ ପ୍ରଭାବିତ କରି ରଖୁଥିଲେ । ବରଂ ଅନେକ କ୍ଷେତ୍ରରେ ପଲିଟିକାଲ୍‍ ଏଜେଣ୍ଟଙ୍କୁ ଅତ୍ୟାଚାରିତ ପ୍ରଜାମାନେ ରାଜପକ୍ଷ ବ୍ୟକ୍ତି ବୋଲି ମନେ କରୁଥିଲେ । ଏହାର ଫଳ ସ୍ୱରୂପ ୧୯୩୯ରେ ରଣପୁରରେ ରାଜା-ବିରୋଧୀ ଗଣ ଆନ୍ଦୋଳନରେ ତତ୍କାଳୀନ ପଲିଟିକଲ୍‍ ଏଜେଣ୍ଟ ବେଜେଲଗେଟ୍‍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଶିକ୍ଷା ନୀତି

ଇଂରେଜମାନେ ଓଡ଼ିଶା ଦଖଲ କରିବା ଦିନଠାରୁ ଶିକ୍ଷାକୁ କେବଳ ଚାକିରି ସାଙ୍ଗରେ ଯୋଡ଼ି ଦେଖୁଥିଲେ । ଇଂରେଜ ପ୍ରାଶାସନିକ ବ୍ୟବସ୍ଥାରେ ଅଧସ୍ତନ କର୍ମଚାରୀ ଭାବରେ ଓଡ଼ିଆଙ୍କର ଯେହେତୁ ବିଶେଷ ଉପସ୍ଥିତି ନଥିଲା; ଓଡ଼ିଶାକୁ ଅଶିକ୍ଷିତ, ନିରକ୍ଷର ଲୋକବହୁଳ ଦେଶ ବୋଲି ସେମାନେ ମାନି ନେଇଥିଲେ । ସେହି ସୂତ୍ରରେ ଶିକ୍ଷାର ବିକାଶପାଇଁ ସେମାନେ ଯେଉଁ କେତେକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ, ସେଥିରେ, ଅଧସ୍ତନ କର୍ମଚାରୀ ରୂପରେ ଓଡିଆଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇ ଦୟାଭାବ ଦେଖାଇବା ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ବଙ୍ଗାଳୀ ଓ ମୁସଲମାନ କିରାଣିଙ୍କର ସେତେବେଳେ ଅଧସ୍ତନ କର୍ମଚାରୀ ଭାବେ ସଂଖ୍ୟା ଦୃଷ୍ଟିରୁ ମହତ୍ତ୍ୱ ରହିଥିଲା । କର୍ମଚାରୀ ଭାବରେ ଓଡ଼ିଆମାନଙ୍କ ସଂଖ୍ୟା ନ୍ୟୂନତାକୁ ଅନୁଭବ କରି ତଥା ଓଡ଼ିଆମାନଙ୍କ ପ୍ରତି ଦୟାଭାବ ଦେଖାଇ ୧୮୨୧ରେ କଟକ ମାଜିଷ୍ଟ୍ରେଟ୍‍ ଲେଖିଥିଲେ- "ମାସକୁ ଦଶ ଟଙ୍କା ବେତନ ପାଉଥିବା ଜଣେ ବି ଓଡ଼ିଆ ମିଳିବା କାଠିକର । ସାଧାରଣତଃ ବଙ୍ଗାଳୀ ଓ ମୁସଲମାନ ହିଁ ଉଚ୍ଚ ପଦପଦବୀରେ ରହିଛନ୍ତି । ସର୍ବଦା ମୁଁ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦିଏ, ମାତ୍ର ସ୍ଥିତି ଏମିତି ଯେ, ସାଧାରଣ ମୋହରିର କାମପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାଧାରୀ ଜଣେ ଓଡ଼ିଆ ମିଳିବା କଷ୍ଟ ।"

ଓଡ଼ିଆ ଲୋକ ଯେ ପାରଂପରିକ ଶିକ୍ଷାରୁ ବଞ୍ଚିତ ଥିଲେ ତା' ନୁହେଁ । ସଂସ୍କୃତରେ ଏବଂ ଓଡ଼ିଆରେ ପ୍ରଗାଢ଼ ଜ୍ଞାନ ଥିବା ଓଡ଼ିଆଙ୍କ ସଂଖ୍ୟା ଊଣା ନଥିଲା । ମାତ୍ର ପ୍ରାଶାସନିକ ନିଯୁକ୍ତିପାଇଁ ୧୮୦୩-୦୪ରେ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳ ପାର୍ସୀ ଭାଷା ଜ୍ଞାନ ଜରୁରୀ ଥିଲା । ଓଡ଼ିଆ ମାନେ ତହିଁରେ ଦକ୍ଷ ନଥିଲେ । ୧୮୦୫ରେ, ପାର୍ସୀ ସହିତ ଓଡ଼ିଆରେ ବି ସରକାରଙ୍କୁ ଦରଖାସ୍ତ ଦିଆଯାଇ ପାରିବ ତଥା ଅନ୍ୟାନ୍ୟ ସରକାରୀ କାମପାଇଁ ଓଡ଼ିଆଙ୍କୁ ବାରଣ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଲେ । ତା' ସତ୍ତ୍ୱେ ଓଡ଼ିଆ ଲୋକ ଚାକିରି କ୍ଷେତ୍ରରେ ବଙ୍ଗାଳୀମାନଙ୍କ ଅପେକ୍ଷା ଖୁବ୍‍ ପଛରେ ରହିଗଲେ । କାରଣ ଓଡ଼ିଆ ଶିକ୍ଷିତ ବର୍ଗ ତାଳପତ୍ରରେ ଏବଂ ଲୌହ ଲେଖନୀ ମାଧ୍ୟମରେ ଲେଖିବା ଜାଣିଥିଲେ । କାଗଜ ଓ କଲମରେ ଲେଖିବାକୁ ସେତେବେଳେ ଅଶୁଭ ମନେ କରାଯାଉଥିଲା । ସରକାରୀ କାର୍ଯ୍ୟାଳୟରେ ଏବଂ ବିଶେଷକରି କୋର୍ଟ କଚେରିରେ ସ୍ଥାନୀୟ ଓଡ଼ିଆ ଲୋକ ବଙ୍ଗାଳୀ ଓ ମୁସଲମାନ୍‍ କିରାଣି ଆଦିଙ୍କ ହାତରେ ପେଷି ହୋଇଯାଉଥିଲେ । ଦରଖାସ୍ତ ଲେଖିବାପାଇଁ, ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବାପାଇଁ, ଅଣ-ଓଡ଼ିଆ କର୍ମଚାରୀମାନେ ଖୁବ୍‍ ଲାଞ୍ଚ ନେଉଥିଲେ । ତଳସ୍ତର କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି, ଠକାମି, ଶଠତା ଆଦି ଭର୍ତ୍ତିି ହୋଇ ରହିଥିଲା । ଓଡ଼ିଆ ଲୋକ ନିଯୁକ୍ତି ପାଇଲେ ଦୁର୍ନୀତି କାଳେ ବନ୍ଦ ହେବ ବୋଲି ଉଚ୍ଚପଦାଧିକାରୀମାନେ ଭାବୁଥିଲେ । ୧୮୨୮ରେ ଭଦ୍ରକ ଓ ପଟ୍ଟାମୁଣ୍ତାଇର ମୁନସଫ୍‍ମାନେ ଦୁର୍ନୀତି ଓ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିବାର ପ୍ରମାଣ ମିଳିଥିଲା । ଏହି ସବୁ ବ୍ୟବସ୍ଥାଗତ ସମସ୍ୟାକୁ ସୁଧାରିବାକୁ ହେଲେ ସ୍ଥାନୀୟ ଲୋକଙ୍କୁ ଶିକ୍ଷିତ କରି ଅଫିସ୍‍ ଦପ୍ତରରେ ନିଯୁକ୍ତି ଦେବାକୁ ହେବ ବୋଲି ସରକାର ଚିନ୍ତା କରୁଥିଲେ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛେଇ ଯାଇଥିବା ଓଡ଼ିଶାର ସ୍ଥାନୀୟ ଲୋକଙ୍କ ଦୁରବସ୍ଥା ପ୍ରତି ଏତେ ମାତ୍ରାରେ ସରକାର ଦୟାଭାବ ପ୍ରଦର୍ଶନ କରିବା ସତ୍ତ୍ୱେ, ୧୮୩୮ ଯାଏ କେତୋଟି ମାତ୍ର ମିଶନାରୀ ସ୍କୁଲ୍‍କୁ ବାଦ୍‍ ଦେଲେ ଓଡ଼ିଶାରେ ସ୍କୁଲ୍‍ ପ୍ରତିଷ୍ଠିତ ହୋଇ ନଥିଲା ବୋଲି କହିଲେ ଭୁଲ ହେବ ନାହିଁ । ୧୮୩୫ରେ ଲର୍ଡ଼ ବେଣ୍ଟିକ୍‍ଙ୍କ ସମୟରେ ସ୍କୁଲ୍‍ମାନଙ୍କରେ ଇଂରାଜୀ ଶିକ୍ଷା ଦିଆଯିବ ବୋଲି ସ୍ଥିର ହେଲା । ମାତ୍ର ଏହାର ପ୍ରତିଫଳ ଓଡ଼ିଶାରେ ଦୃଷ୍ଟିଗୋଚର ହେଲା ନାହିଁ । ୧୮୩୫ରୁ ୧୮୫୪ (ଉଡ଼୍‍ଙ୍କ ଡେସ୍ପାଚ୍‍)ମଧ୍ୟରେ ସରକାର କେବଳ ଯତ୍‍ କିଞ୍ଚିତ୍‍ ବଙ୍ଗ ପ୍ରଦେଶର ଶିକ୍ଷା ପ୍ରତି ଧ୍ୟାନ ଦେଲେ । ଓଡ଼ିଶା କଥା ତାଙ୍କ ଧ୍ୟାନକୁ ଗଲା ନାହିଁ । ତାଙ୍କ ଧ୍ୟାନ ଆକର୍ଷଣ କରିବାସକାଶେ କେହି ଉଚ୍ଚ ଶିକ୍ଷିତ ଓଡ଼ିଆ ବ୍ୟକ୍ତି ବି ନଥିଲେ । ସମ୍ଭବତଃ ୧୮୩୮ରେ ପ୍ରଥମେ ସରକାରୀ ଉଦ୍ୟମରେ ପୁରୀରେ ଗୋଟାଏ ଇଂରାଜୀ ଏବଂ ଗୋଟାଏ ସଂସ୍କୃତ ସ୍କୁଲ୍‍ ସ୍ଥାପିତ ହେଲା । ଏହାର ତିନିବର୍ଷ ପରେ ୧୮୪୧ରେ କଟକରେ ଓ ୧୮୫୩ରେ ବାଲେଶ୍ୱରରେ ଜିଲ୍ଲା ସ୍କୁଲ୍‍ ସ୍ଥାପନ ହେଲା । ଗ୍ରାମୀଣ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାରମ୍ପରିକ ପଦ୍ଧତିରେ ଚାଲିଥିବା ପାଠଶାଳାରୁ ଉତ୍ତୀର୍ଣ୍ଣ ଛାତ୍ର ଜିଲ୍ଲା ସ୍କୁଲ୍‍ରେ ନାମଲେଖାଇବାର ନିର୍ଦ୍ଦେଶ ରହିଲା । ୧୮୪୫ ଓ ୧୮୪୮ରେ ମାତ୍ର ଦୁଇଟି ଭର୍ଣ୍ଣାକୁଲାର ସ୍କୁଲ୍‍ ସରକାର ଓଡ଼ିଶାରେ ପ୍ରତିଷ୍ଠା କଲେ । ୧୮୫୪ରେ ଯେତେବେଳେ 'ଉଡ଼୍‍ଙ୍କ ଡେସ୍‍ପାଚ୍‍' ମାଧ୍ୟମରେ ସରକାର ଗଣ ଶିକ୍ଷାଦାନକୁ ସରକାରୀ ଦାୟିତ୍ୱ ଓ ତା'ପାଇଁ ପ୍ରାଥମିକ ସ୍କୁଲ୍‍ ସ୍ଥାପନକୁ ନୈତିକ କର୍ତ୍ତବ୍ୟ ବୋଲି କହିଲେ, ସେତେବେଳେ ଓଡ଼ିଶାରେ ପ୍ରାଥମିକ ପାଠପାଇଁ ଆଠଟି ମାତ୍ର ଶିକ୍ଷାନୁଷ୍ଠାନ ରହିଥିଲା । ଏହାର ଚାରି ବର୍ଷ ପରେ ୧୮୫୮ରେ କଟକ ଜିଲ୍ଲାରେ ୧୪ଟି (ଛାତ୍ର ସଂଖ୍ୟା: ୪୫୩), ବାଲେଶ୍ୱରରେ ୬ଟି (ଛାତ୍ର ସଂଖ୍ୟା:୧୮୪) ଓ ପୁରୀ ଜିଲ୍ଲାରେ ମାତ୍ର ୯ଟି (ଛାତ୍ର ସଂଖ୍ୟା: ୩୪୯) ଶିକ୍ଷାନୁଷ୍ଠାନ ରହିଥିଲା ।

୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷ ପରେ ଶିକ୍ଷା ପ୍ରତି ସରକାରଙ୍କ ଧ୍ୟାନ ସାମାନ୍ୟ ବୃଦ୍ଧି ପାଇଲା । ଲୋକେ ଶିକ୍ଷିତ ହୋଇଥିଲେ ସେମାନେ ଅଧସ୍ତନ କର୍ମଚାରୀ ଭାବେ ଚାକିରି କରିଥାନ୍ତେ, ନିଜର ଅଭାବ ଅସୁବିଧାକୁ ଭାଷା ଦେଇ ଅଭିବ୍ୟକ୍ତ କରି ପାରିଥାନ୍ତେ ଏବଂ ଅମାନବୀୟ ସ୍ଥିତିରେ ମଶାମାଛି ଭଳି ଦୁର୍ଭିିକ୍ଷରେ ମୃତ୍ୟୁବରଣ କରି ନଥାନ୍ତେ- ଏହା ଓଡ଼ିଶାର ସରକାର ବି ଅନୁଭବ କଲେ । ଦୁର୍ଭିିକ୍ଷର ଅବ୍ୟବହିତ ପୂର୍ବରୁ ବଙ୍ଗ ପ୍ରେସିଡେନ୍‍ସି, ଦକ୍ଷିଣ-ପଶ୍ଚିମ କ୍ଷେତ୍ରର ସ୍କୁଲ୍‍ ନିରୀକ୍ଷକ ତାଙ୍କ ରିପୋର୍ଟରେ ଲେଖିଥିଲେ, "ଏକ ସାନ ଜିଲ୍ଲା ହାବଡ଼ାର କ୍ଷେତ୍ରଫଳ ୮୦୦ ବର୍ଗ ମାଇଲ ଓ ଲୋକସଂଖ୍ୟା ୭,୫୦,୦୦୦ । ଅନ୍ୟ ପକ୍ଷରେ ଓଡ଼ିଶାର କ୍ଷେତ୍ରଫଳ ୫୨,୯୯୫ ବର୍ଗ ମାଇଲ୍‍ ଏବଂ ଲୋକସଂଖ୍ୟା ୪,୫୩୪,୮୧୩ । ମାତ୍ର ହାବଡ଼ା ତୁଳନାରେ ଓଡ଼ିଶାରେ ଶିକ୍ଷାପାଇଁ କମ୍‍ ବ୍ୟୟବରାଦ ହୁଏ ... ।" ସେ ଯାହାହେଉ ୧୮୬୭ ବେଳକୁ ସ୍କୁଲ୍‍ ସଂଖ୍ୟା ବୃଦ୍ଧିପାଇ ମୋଟ ୭୭ ଓ ଛାତ୍ର ସଂଖ୍ୟା ୩୫୩୬ ହେଲା । ଏହା ପରେ ପାଠଶାଳା ଓ ସ୍ଥାନୀୟ ସ୍ତରରେ ସ୍ଥାପିତ ସ୍କୁଲ୍‍ଗୁଡ଼ିକୁ ମଧ୍ୟ ଯତ୍‍ କିଞ୍ଚିତ୍‍ ଅନୁଦାନ ଦେଇ ସରକାର ଶିକ୍ଷା ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଦାବି କଲେ । ଏହା ଫଳରେ ସ୍କୁଲ୍‍ ସଂଖ୍ୟା ଆଶାନୁପାତିକ ଭାବେ ବୃଦ୍ଧିପାଇଲା । ଏହା ସତ୍ତ୍ୱେ ସରକାର ପ୍ରାଥମିକ ଶିକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ ବୋଲି କୁହାଯାଇପାରିବ ନାହିଁ । ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ଓଡ଼ିଶାକୁ ଆଗେଇ ନେଇ ପାରି ନଥିଲେ । ୧୮୮୨ରେ ବଂଗ ଅନ୍ତର୍ଗତ ଓଡ଼ିଶା ଡିଭିଜନରେ ମାତ୍ର ୬ଟି ହାଇସ୍କୁଲ୍‍ ସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ କେବଳ ସରକାରୀ ପ୍ରତିଷ୍ଠାନ ଥିଲା । ବାକି ତିନୋଟିରୁ କଟକ ୟୁରୋପିଆନ୍‍ ସ୍କୁଲ୍‍ ଓ ଲୋକନାଥ ସ୍କୁଲ୍‍କୁ ସରକାର କିଛି ଅନୁଦାନ ମାତ୍ର ଦେଉଥିଲେ ଏବଂ କଟକ ଏକାଡେମୀ ଘରୋଇ ଉଦ୍ୟମରେ ଚାଲିଥିଲା । ମଧ୍ୟ-ଇଂରାଜୀ ସ୍କୁଲ୍‍ର ମୋଟ ସଂଖ୍ୟା ଥିଲା ୨୩ ଓ ଛାତ୍ର ସଂଖ୍ୟା ୧୪୦୦ ପ୍ରାୟ । ସବୁଠାରୁ ବଡ଼ କଥା ହେଉଛି, ଉପକୂଳର ତିନୋଟି ବଡ଼ ସହରକୁ ବାଦ ଦେଲେ, ଅନ୍ୟ ଆଡେ଼ ହାଇସ୍କୁଲ୍‍ ଶିକ୍ଷାପାଇଁ ଅନୁଷ୍ଠାନ ନଥିଲା । ଓଡ଼ିଶାର ଅଧା ପ୍ରାୟ କ୍ଷେତ୍ର ଥିଲା ଗଡ଼ଜାତ ଅଧୀନରେ, ଯେଉଁଠି ଅନେକ ଦିନ ଯାଏଁ ଗୋଟିଏ ବି ହାଇସ୍କୁଲ୍‍ ସ୍ଥାପିତ ହୋଇ ନଥିଲା । ସେହିଭଳି ମୋଟ ୨୩ଟି ମଧ୍ୟ ଇଂରାଜୀ ସ୍କୁଲ୍‍ରୁ ୧୯ଟି ଥିଲା ଅନୁଦାନପ୍ରାପ୍ତ ଓ ଚାରୋଟି ଘରୋଇ ସ୍କୁଲ୍‍ । ୧୮୬୮ରେ ପ୍ରଥମ କରି କଟକ ହାଇସ୍କୁଲ୍‍ରେ ପ୍ରଥମ ବର୍ଷର କଲେଜ ପାଠ ପଢ଼ାହେଲା । ୧୮୬୯ରେ ସେଠାରେ ଆଇନ ଅଧ୍ୟୟନ ମଧ୍ୟ ଆରମ୍ଭ ହେଲା । ୧୮୭୫ରେ କଟକରେ ପ୍ରଥମ କରି ମେଡ଼ିକାଲ ସ୍କୁଲ୍‍ ସ୍ଥାପନାପାଇଁ ମଞ୍ଜୁରି ମିଳିଲା । ଏସବୁ ଉଦ୍ୟମ ଶିକ୍ଷା କ୍ଷେତ୍ରରେ ଯେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ, ଏଥିରେ ଦ୍ୱିରୁକ୍ତି ନାହିଁ ।

ପୋଲିସ୍‍ ଓ ନ୍ୟାୟିକ ବ୍ୟବସ୍ଥା ମୋଗଲ ଓ ମରାଠା ଶାସନରେ ଅମିଲ ବିଚାରକ ଓ ପୋଲିସ ଅଧୀକ୍ଷକ ଭାବରେ କାମ କରୁଥିଲେ । ତାଙ୍କ ପାଖରେ ନରହତ୍ୟା ଭଳି ଗୁରୁତର ଅପରାଧର ମଧ୍ୟ ବିଚାର ହୋଇ ପାରୁଥିଲା । ଧର୍ମ ଭଳି ବିଚାର ବେଳେ ଜାତିକୁ ମଧ୍ୟ ମହତ୍ତ୍ୱ ଦିଆଯାଉଥିଲା । ଜମିଦାର ଓ ଅହଦାଦାର ଥିଲେ ଅମିଲ ତଳକୁ ନ୍ୟାୟ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଅଧିକାରୀ । ସବା ତଳେ ଥିଲା ପଞ୍ଚାୟତ, ଯାହା ଗ୍ରାମ ତଥା ଜାତି ଓ ଧର୍ମ ଭିତ୍ତିରେ କାର୍ଯ୍ୟ କରୁଥିଲା । ଅର୍ଥାତ୍‍ ଯଦି ମୁଦେଇ ଓ ମୁଦାଲା ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ହୋଇଥାନ୍ତି, ତେବେ ଜାତି ପଞ୍ଚାୟତରେ ବିଚାର ହେଉଥିଲା । ପଞ୍ଚାୟତପାଇଁ ଉଭୟ ପକ୍ଷ ସଭ୍ୟ ମନୋନୀତ କରୁଥିଲେ । ଅର୍ଥାତ୍‍ ସେମାନଙ୍କ ନିଷ୍ପତ୍ତି ସ୍ୱୀକାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଥିଲା । ପଞ୍ଚାୟତର ଏହା ହିଁ ଥିଲା ଏକ ବଡ଼ ଅସ୍ତ୍ର । ନିଷ୍ପତ୍ତିକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଉଭୟ ପକ୍ଷ ମାନି ନେଉଥିଲେ । ଅନେକ ଫୌଜଦାରି ଓ ଦେଓ୍ୱାନୀ ମାମଲା ପଞ୍ଚାୟତ ସ୍ତରରେ ଫଇସଲା ହୋଇଯାଉଥିଲା । ତୁରନ୍ତ ନ୍ୟାୟ ମଧ୍ୟ ମିଳୁଥିଲା, କାରଣ ତତ୍‍କାଳୀନ ନ୍ୟାୟିକ ବ୍ୟବସ୍ଥା ସହଜ ଓ ସରଳ ଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣପାଇଁ ଥାନା ରହିଥିଲା ଏବଂ ତହିଁରେ ଜଣେ କୋଟଓ୍ୱାଲ୍‍ ନିଯୁକ୍ତ ଥିଲେ । ତାଙ୍କ ତଳକୁ ଖଣ୍ତାୟତ, ପାଇକ ଓ ଗ୍ରାମ ଚୌକିଦାର ଆଦି ରହିଥିଲେ । ଆବଶ୍ୟକ ହେଲେ କୋଟଓ୍ୱାଲ୍‍ ଭୂ-ରାଜସ୍ୱ ଆଦାୟ ବେଳେ ସହଯୋଗ କରୁଥିଲେ ।

ଇଂରେଜ ସମୟରେ ମରାଠାକାଳୀନ ଥାନା ବ୍ୟବସ୍ଥା ଅବ୍ୟାହତ ରହିଲା । ଥାନା ଅଧିକାରୀଙ୍କୁ ଦାରୋଗା କୁହାଗଲା । ଦାରୋଗାଙ୍କ ତଳକୁ ଖଣ୍ତାୟତ ଓ ପାଇକମାନେ ରହିଲେ । ଗାଁ ଚୌକିଦାରମାନେ ମଧ୍ୟ ଥାନା ବ୍ୟବସ୍ଥାରେ କିଛି ଜାଗିର ଜମି ପାଇ ଦାରୋଗାଙ୍କୁ ସାହାଯ୍ୟ କଲେ ।

ଗଡ଼ଜାତ ମହଲରେ ଜଣେ ଅଧୀକ୍ଷକ ବା ସୁପରିଣ୍ଟେଣ୍ତେଣ୍ଟ୍‍ ଥିଲେ । ତାଙ୍କ ହାତରେ ଉଭୟ ଦେଓ୍ୱାନୀ ଓ ଫୌଜଦାରି ଅଧିକାର ରହିଥିଲା । ଯେତେବେଳେ ଗଡ଼ଜାତ ରାଜାମାନେ ନିଜେ ଶାନ୍ତି ଶୃଙ୍ଖଳା ରକ୍ଷାନିମନ୍ତେ ବାଧକ ହେଲେ ଏବଂ ଇଂରେଜ ସୁରକ୍ଷା ପାଇ ନିର୍ଦ୍ଦୟ ଭାବରେ ନରହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ, ସରକାର ଅଧୀକ୍ଷକ ପଦ ସୃଷ୍ଟି କଲେ । ମାତ୍ର ଅଧିକାଂଶ କ୍ଷେତ୍ରରେ ଗଡ଼ଜାତ ରାଜାମାନେ ଇଂରେଜ ଅଧୀକ୍ଷକଙ୍କ ସହ ମିଳାମିଶା କରି ଇଂରେଜ ବ୍ୟବସ୍ଥାକୁ ନିଜ ସପକ୍ଷରେ ବ୍ୟବହାର କଲେ ।

୧୮୦୬ରେ ମୋଗଲବନ୍ଦି ଓଡ଼ିଶାରେ ୧୬ଟି ଥାନା ରହିଥିଲା । ସେଗୁଡ଼ିକ ହେଲା: ବସ୍ତା, ବାଲେଶ୍ୱର, ସୋରୋ, ଭଦ୍ରକ, ଯାଜପୁର, ଅରକପୁର, ଅସୁରେଶ୍ୱର, ମୋଟୁ, କଟକ, ପିପିଲି, ଗୋପ, ତିରଣ, ହରିହରପୁର, ପ୍ରହରାଜପୁର ଓ ଖୋର୍ଦ୍ଧା । ପରେ ବାଲେଶ୍ୱରର ଚୁରାମନ ଓ ଖୋର୍ଦ୍ଧାର ବାଣପୁରରେ ଥାନା ପ୍ରତିଷ୍ଠିତ ହେଲା ।

ଥାନାର ସର୍ବୋଚ୍ଚ ଅଧିକାରୀ ଦାରୋଗା ହେଲାବେଳେ ସବୁଠାରୁ ତଳେ ରହିଥିଲେ ବରକନ୍ଦାଜ (ସିପାହୀ)ମାନେ । ଗୋଟିଏ ଥାନାରେ ଦାରୋଗାଙ୍କ ବ୍ୟତୀତ ପ୍ରାୟ ଦଶ ଜଣ ବରକନ୍ଦାଜ, ଜଣେ ମୋହରିର ଓ ଜଣେ ଜମାଦାର ରହୁଥିଲେ । ୧୮୧୬ରେ ଦାରୋଗାଙ୍କ ମାସିକ ଦରମା ଥିଲା ୨୫ଟଙ୍କା ଓ ବରକନ୍ଦାଜଙ୍କ ଦରମା ଥିଲା କେବଳ ଚାରିଟଙ୍କା । ଦାରୋଗା ପାଖରେ ପ୍ରଭୂତ କ୍ଷମତା ରହୁଥିଲା । ତାଙ୍କ ଉପରେ ଥିବା ସଂଯୁକ୍ତ ମାଜିଷ୍ଟ୍ରେଟ୍‍ ଥରେ ୧୮୧୫ରେ ବାଲେଶ୍ୱରର ଦାରୋଗାଙ୍କୁ ଉତ୍କୋଚ ନେବା ଅପରାଧରେ ବରଖାସ୍ତ କରିବାକୁ ଯାଇ ଉଚ୍ଚ ଅଧିକାରୀଙ୍କ ପାଖରୁ ଭର୍ତ୍ସନା ଶୁଣିଥିଲେ । ମୋଟ ଉପରେ କହିଲେ, ଲୋକଙ୍କୁ ପାଟି ଖୋଲିବାକୁ ଦେଉ ନଥିବାଯୋଗୁଁ ଦାରୋଗାଙ୍କର ସରକାରୀ ସ୍ତରରେ ଖୁବ୍‍ ଗୁରୁତ୍ୱ ରହିଥିଲା । ପୋଲିସ ଦାରୋଗା ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ହଇରାଣ କରୁଥିବାରୁ ଲୋକ ପୋଲିସ୍‍ ପାଖକୁ ଯିବାକୁ ମଧ୍ୟ ସାହସ କରୁ ନଥିଲେ । ଇଂରେଜ ଅଧିକାରୀ ଜି.ଟୟନବୀ, ଯିଏ ଗଡ଼ଜାତ ମହଲ ଅଧୀକ୍ଷକ ଥିଲେ ଏବଂ ୧୮୦୩ରୁ ୧୮୨୮ ମଧ୍ୟରେ ଘଟିତ ଓଡ଼ିଶା ଇତିହାସକୁ ଲିପିବଦ୍ଧ କରିଥିଲେ; ତାଙ୍କ ମତରେ, "ଫୌଜଦାରି କେଶ୍‍ଟିଏ ଆସିଲା ମାନେ ଦାରୋଗାର ଆୟ ବୃଦ୍ଧି ପାଇଲା । ଦୌରାରେ ଗଲାବେଳେ ସେ ସ୍ଥାନୀୟ ଲୋକଙ୍କ ଖର୍ଚ୍ଚରେ ଭୋଜନ କରୁଥିଲେ, ରୟତମାନେ ତାଙ୍କର ଜିିନିଷପତ୍ର ବୋହୁଥିଲେ ଏବଂ ଗ୍ରାମବାସୀଙ୍କଠାରୁ ବାଧ୍ୟକରି ଭାରି ମାତ୍ରାରେ ମାଗଣା ରସଦ ମଧ୍ୟ ସଂଗ୍ରହ କରୁଥିଲେ । ସିପାହୀ, ଅମଲା ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀ ମଧ୍ୟ ଏହି ନିୟମରେ ଚଳୁଥିଲେ । ରାସ୍ତାକଡ଼ର ଗାଁକୁ ଗାଁ ଲୋକେ ଛାଡ଼ି ଚାଲି ଯାଉଥିବା ପଛରେ ଏହା ହିଁ ଥିଲା ପ୍ରମୁଖ କାରଣ ।" ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ପୋଲିସ୍‍ ନଜରକୁ ଆସିଥିବା କେତୋଟି ସତୀଦାହ ଘଟଣା ଟୟନବୀ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ୧୮୧୨ରେ କନିକା ରାଜାଙ୍କ ମୃତ୍ୟୁ ପରେ ଏକା ସାଙ୍ଗରେ ତାଙ୍କର ୯ ଜଣ ବିଧବା ରାଣୀ ସତୀ ହୋଇଥିଲେ । ୧୮୧୫ରେ ମୋଟ ୮ଜଣ, ୧୮୧୬ରେ ୯ଜଣ, ୧୮୧୭ ଓ ୧୮୧୮ରେ ୧୪ ଜଣ ଲେଖାଏ ସତୀ ଦାହ ହୋଇଥିବାର ପୋଲିସ ଦାରୋଗାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିଲା ।

୧୮୨୫, ୧୮୨୬ ଓ ୧୮୨୭ରେ ଯଥାକ୍ରମେ ମୋଗଲବନ୍ଦି ଓଡ଼ିଶାର ମୋଟ ୧୬୬୯, ୧୯୨୫ ଓ ୧୬୪୮ଟି ଚୋରି ଓ ରାହାଜାନି ଘଟଣା ଥାନାରେ ରିପୋର୍ଟ ହୋଇଥିଲା । ତନ୍ମଧ୍ୟରୁ ଯଥାକ୍ରମେ ୩.୫୫, ୭.୧୩ ଏବଂ ୧୩.୦୨ ପ୍ରତିଶତ ଘଟଣାରେ ଦୋଷୀକୁ ଦଣ୍ତ ମିଳିଥିଲା । ବାକି ସବୁ ଘଟଣାରେ ନ୍ୟାୟ ମିଳି ନଥିଲା । ଏହି କାରଣରୁ ମଧ୍ୟ ଲୋକ ଚୋରି ବା ରାହାଜାନି ଘଟଣା ପୋଲିସ୍‍ ଦାରୋଗାଙ୍କ ନଜରକୁ ଆଣୁ ନଥିଲେ । ଏହି ସୂତ୍ରରେ କୁହାଯାଇପାରେ ଯେ, ମରାଠା ସମୟକୁ ଅରାଜକ ମୁଲକ କୁହାଯାଉଥିଲେ ସୁଦ୍ଧା, ଇଂରେଜ ରାଜତ୍ୱରେ ଓଡ଼ିଶା କମ୍‍ ଅରାଜକତାପୂର୍ଣ୍ଣ ନଥିଲା । ସମାଜରେ ଚୋର ଓ ଡକାୟତ ତ ଥିଲେ, କିନ୍ତୁ ଲୋକଙ୍କ ଦୃଷ୍ଟିରେ ପୋଲିସ ମଧ୍ୟ କୌଣସି ଚୋର-ଡକାୟତ ଅପେକ୍ଷା କମ୍‍ ଉପଦ୍ରବୀ ନଥିଲା ।

ସେତେବେଳେ (ଊନବିଂଶ ଶତାବ୍ଦୀର ଆରମ୍ଭରେ) ଓଡ଼ିଶାର ତିନୋଟି ପ୍ରମୁଖ ସହର ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୦୮ରୁ ୧୮୧୩ରେ ଏହି ସହରରେ ଲାଗି ରହିଥିବା ଚୋରି ଡକାୟତି ପଛରେ ମୁଖ୍ୟ କାରପଟଦାର୍‍ ଥିଲେ ରାତି ଜଗୁଆଳି ଭାବେ କାମ କରୁଥିବା ସିପାହୀମାନେ । ଯଦି ଦାରୋଗା ଏଭଳି କୌଣସି ଉପଦ୍ରବୀ ସିପାହୀକୁ ଗିରଫ କରନ୍ତି, ଗିରଫ ସିପାହୀଙ୍କ ସହଯୋଗୀମାନେ ଆସି ଦାରୋଗାଙ୍କ ସହ ମାଡ଼ଗୋଳ କରୁଥିଲେ । ଫଳରେ ସହରରେ ଦାରୋଗାଙ୍କୁ ଆକ୍ରମଣରୁ ରକ୍ଷା କରିବା ସକାଶେ ନୂଆ ଜଗୁଆଳି ସିପାହୀର ଆବଶ୍ୟକତା ପଡ଼ୁଥିଲା । ଏହା ୧୮୨୧ ପର୍ଯ୍ୟନ୍ତ ଚାଲିଥିଲା ବୋଲି ଟୟନବୀ ଉଲ୍ଲେଖ କରିଛନ୍ତି ।

କଟକରେ ଅବସ୍ଥାପିତ ଜିଲ୍ଲା ଜଜ୍‍ ଥିଲେ ସମଗ୍ର ଓଡ଼ିଶାର ସର୍ବୋଚ୍ଚ ନ୍ୟାୟ ଅଧିକାରୀ । ତାଙ୍କ ତଳେ ରହିଥିବା ସଦର ଅମିନ ଓ ମୁନିସିଫ୍‍ ନିଜ ନିଜ କଚେରିରେ କାର୍ଯ୍ୟ ପରିଚାଳନା କରୁଥିଲେ । ମୋଗଲବନ୍ଦିରେ ମୋଟ ୫ଟି ମୁନସିଫ୍‍ କୋର୍ଟ୍ ଥିଲା । ସେଗୁଡ଼ିକ କଟକ, ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଓ ଧାମନଗରରେ ଅବସ୍ଥିତ ଥିଲା । ଶୁଣାଣି ବେଳେ ବିଚାରକମାନେ ସରକାରୀ ଆଇନ, ହିନ୍ଦୁ ଓ ମୁସଲିମ୍‍ ଆଇନକୁ ଦୃଷ୍ଟିରେ ରଖି ବିଚାର କରୁଥିଲେ ।

୧୮୨୮ରେ ଟୟନବୀ ଓଡ଼ିଶାର ଦାରିଦ୍ର୍ୟକୁ ବର୍ଣ୍ଣନାକରି ଲେଖିଛନ୍ତି, "ଏଠାରେ(ଓଡ଼ିଶାରେ) ରୟତ ଚାଷୀମାନେ ଅତ୍ୟନ୍ତ ଦରିଦ୍ର; ସେମାନଙ୍କୁ ନିଜ ବାସଭୂମିରେ ବିକା କିଣା କରାଯାଏ । ପ୍ରାୟତଃ ସେମାନେ ଦାସ ସ୍ଥିତିରେ ।" ଓଡ଼ିଶାର ସାଧାରଣ ବ୍ୟକ୍ତିର ଭୋଜନ ସଂପର୍କରେ ସେ ଲେଖିଛନ୍ତି, "ସେମାନଙ୍କ ମୁଖ୍ୟ ଭୋଜନରେ ଭାତ ସହିତ ଜଙ୍ଗଲରୁ ପ୍ରାପ୍ତ କିଛି ଶାଗ ଓ ଲୁଣ ବ୍ୟତୀତ ଅନ୍ୟ କିଛି ନଥାଏ ।" ରୟତ ଚାଷୀ ଉପରେ ଜମିଦାରର ଅତ୍ୟାଚାରକୁ ବର୍ଣ୍ଣନା କରି ସେ କହିଛନ୍ତି, "ଜମିଦାର ଲାଗୁ କରୁଥିବା ଅଧିକାଂଶ ଦାବି (କର) ଅଯୌକ୍ତିକ । ନିଜ ପିଅନମାନଙ୍କୁ ଧରି ସେ (ଜମିଦାର) ରୟତ ପାଖରୁ ଦେୟ ଅସୁଲ କରନ୍ତି । ଜଣେ ବି ଜମିଦାର ତା' ରୟତ ହାତରେ ଜମିର ପଟ୍ଟା ଦିଏ ନାହିଁ । ରୟତ ଋଣଭାରରେ ଅତିଶୟ ଆକ୍ରାନ୍ତ । ସେ ଉଭୟ ଜମିମାଲିକ ଓ ଗାଁ ମହାଜନଠାରୁ ଖୁବ୍‍ ଋଣ କରିଥାଏ ।" ନିଷ୍କର ଜମି ଭୋଗ କରୁଥିବା ସାମାଜିକ ବର୍ଗକୁ ବାଦ୍‍ ଦେଲେ ଓଡ଼ିଶାର କେହି ଚାଷୀ ଜମିର ଉନ୍ନତିପାଇଁ ପୁଞ୍ଜି ଲଗାଇ ପାରିବା ସ୍ଥିତିରେ ନଥିଲେ । ଏଥିରୁ ମନେହୁଏ ଯେ, ମରାଠାମାନଙ୍କ ଶାସନ ତୁଳନାରେ ଇଂରେଜ ଶାସନ ସମୟରେ ପ୍ରଜା କମ୍‍ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ନଥିଲେ; କର ଭାର ଊଣା ନଥିଲା । ୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷରେ ଯେତେବେଳେ ଦଶ ଲକ୍ଷରୁ ଅଧିକ ଲୋକଙ୍କର ଅନାହାରରେ ପ୍ରାଣଗଲା, ତହିଁରୁ ଇଂରେଜ ରାଜତ୍ୱରେ ଚାଷୀର ଆର୍ଥିକ ସ୍ଥିତିକୁ ଅନୁମାନ କରି ହୁଏ । ଏହି ଦାରିଦ୍ର୍ୟ ପଛରେ ପ୍ରମୁଖ କାରଣ ହେଉଛି, କଠୋର ନିୟମରେ ସଂଗୃହୀତ ମାଲଗୁଜାରୀ । ଅନ୍ୟଥା ନିଷ୍କର ଜମି ଉପଭୋଗ କରୁଥିବା ବର୍ଗଙ୍କ ବ୍ୟତୀତ ଅନ୍ୟମାନେ ବି ଜମିରେ ପୁଞ୍ଜି ଲଗାଇବାପାଇଁ ଆର୍ଥିକ ଦୃଷ୍ଟିରୁ କ'ଣ ସମ୍ପନ୍ନ ହୁଅନ୍ତେ ନାହିଁ ?


...