ଓଡ଼ିଶା ରାଜନୀତିର ଇତିହାସ/ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ


ଦଶମ ପରିଚ୍ଛେଦ
ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ

୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଆମ ଦେଶରେ ନୂତନ ସମ୍ବିଧାନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେଲା । ଭାରତବର୍ଷ ସାରା ବିଶ୍ୱରେ "ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର" ଭାବରେ ପରିଚିତ ହେଲା । ଏହି ନୂତନ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ସାବାଳକ ଗଣଭୋଟ ଜରିଆରେ ଲୋକମାନେ ନିର୍ବାଚନରେ ଭାଗନେଇ କେନ୍ଦ୍ର, ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାରେ ପ୍ରତିନିଧିମୂଳକ ସରକାର ଗଠନର ଅଧିକାର ଲାଭକଲେ । ଏହି ବ୍ୟବସ୍ଥା ଅନୁଯାୟୀ ୨୧ବର୍ଷ ଓ ତହିିଁରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ଭୋଟଦେବାର ଅଧିକାର ପାଇଲେ । ପୂର୍ବରୁ ୧୯୩୭ ଓ ୧୯୪୬ରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ଚୌକିଦାରୀ ଟିକସ ପ୍ରଦାନକାରୀ ବ୍ୟକ୍ତିମାନେ ହିିଁ କେବଳ ଭୋଟ ଦେବାର ଅଧିକାର ପାଇଥିଲେ ।

ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଦେଶରେ ପ୍ରଚଳିତ ହେଲା । ଦେଶରେ ନିର୍ବାଚନ କମିଶନର ନିଯୁକ୍ତ ହେଲେ । ନିର୍ବାଚନ ପରିଚାଳନା କରିବା ହେଲା ତାଙ୍କର ମୁଖ୍ୟକାର୍ଯ୍ୟ । ୧୯୩୭ ଓ ୧୯୪୬ ନିର୍ବାଚନ ବେଳେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ଥିଲା ୬୦ । ସେଥିରୁ ୫୬ ଜଣ ନିର୍ବାଚିତ ହେଉଥିବାବେଳେ ୪ଜଣ ସଭ୍ୟ ମନୋନୀତ ହେଉଥିଲେ । ୧୯୪୮ ମସିହାରେ ଗଡ଼ଜାତ ମିଶ୍ରଣ ହେବାରୁ ପୂର୍ବତନ ଗଡ଼ଜାତ ରାଜ୍ୟମାନଙ୍କରୁ ୩୧ ଜଣ ସଭ୍ୟ ରାଜ୍ୟ ବିଧାନସଭାକୁ ମନୋନୀତ ହେଲେ । ସେତେବେଳେ ଏହିପରି ୯୧ଜଣ ସଭ୍ୟଙ୍କୁ ନେଇ ସାମ୍ବିଧାନିକ ନିର୍ବାଚନ ପୂର୍ବର ଶେଷ ବିଧାନସଭା ଗଠିତ ହୋଇଥିଲା ।

ଦେଶ ସ୍ୱାଧୀନ ହେଲା । ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିଲେ । ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା । ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନସଭା ପାଇଁ ୧୪୦ଟି ଆସନ ଓ ଲୋକସଭାପାଇଁ ୨୦ଟି ଆସନ

ନିର୍ଦ୍ଦିଷ୍ଟ କଲେ । ୧୪୦ଟି ବିଧାନସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀ ଭାବରେ ଚିହ୍ନଟ କରାଗଲା । ଏହି ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ / ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରହିଲା । ସେହିପରି ୨୦ଟି ଲୋକସଭା ଆସନରୁ ୧୨ଟି ଜଣିକିଆ ଓ ୪ଟିରେ ଯୁଗ୍ମ ସଭ୍ୟ ନିର୍ବାଚିତ ହେବାର ନୀତି ଅନୁସୃତ ହେଲା ।

ଏହି ପ୍ରଥମ ସାଧାରଣ ସାମ୍ବିଧାନିକ ନିର୍ବାଚନ ଓଡ଼ିଶା ପାଇଁ ଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ ପ୍ରଦେଶ କଂଗ୍ରେସ ସଭାପତି ଥାଆନ୍ତି ବିଶ୍ୱନାଥ ଦାସ । ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । କେନ୍ଦ୍ରୀୟ ନିର୍ବାଚନ କମିଟି ନିର୍ଦେଶରେ ନବବାବୁ ପ୍ରାଦେଶିକ କମିଟି ସଭାପତିଙ୍କ ପରାମର୍ଶକ୍ରମେ ନିର୍ବାଚନ ପରିଚାଳନାପାଇଁ ଏକ କମିଟି ଗଠନ କଲେ । ପାଣ୍ଠି ଆଦାୟଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ପ୍ରଚାର ଦାୟିତ୍ୱ ଏହି କମିଟି ହାତରେ ରହିଲା । ବିଶ୍ୱନାଥ ଦାସଙ୍କ ପ୍ରତି ପଣ୍ଡିତ ନେହେରୁଙ୍କର ସେତେ ଭଲ ଧାରଣା ନଥିଲା ।

ବିଶ୍ୱନାଥ ଦାସ ଓଡ଼ିଶା ରାଜନୀତିରେ ନ ରହନ୍ତୁ ବୋଲି ପଣ୍ଡିତ ନେହେରୁ ଚାହୁଁଥିଲେ । ଫଳରେ ବିଶ୍ୱନାଥ ଦାସଙ୍କୁ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଲା । ସେ ସ୍ୱାଧୀନ ସଭ୍ୟ ଉମା ଚରଣ ପଟ୍ଟନାୟକଙ୍କଠାରୁ ଘୁମୁସର ଲୋକସଭା ଆସନରୁ ହାରିଲେ । ଅବଶ୍ୟ ପରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରି ନିଆଗଲା ।

ପ୍ରାଦେଶିକ ନିର୍ବାଚନ କମିଟି ଠିକ୍‍ ଭାବରେ କାମ କରୁ ନଥାଏ । ଗୋଷ୍ଠୀ କନ୍ଦଳ ଲାଗିଥାଏ । ମୂଳରୁ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ ଥିଲା । ଫଳରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ମନୋନୀତ ପ୍ରାର୍ଥୀମାନଙ୍କର ତାଲିକା ପ୍ରାଦେଶିକ କମିଟିକୁ ଦେଇ ତାର ଏକ ନକଲ କେନ୍ଦ୍ର କମିଟିକୁ ପଠାଇ ଅନୁମୋଦନ କରି ଆଣୁଥିଲେ । ଓଡ଼ିଶା ଗଡ଼ଜାତର କେତେକ ରାଜା, ରାଣୀ ଓ ଜମିଦାର ଆଦି ଦେଶର ପରିସ୍ଥିତିକୁ ଲକ୍ଷ୍ୟ କରି କଂଗ୍ରେସରେ ମିଶିବାପାଇଁ ଆଗ୍ରହ ପ୍ରକାଶ କଲେ । ବହୁ ବିଚାର ଆଲୋଚନା ପରେ କଂଗ୍ରେସଦଳ ମୋନଙ୍କ ମଧ୍ୟରୁ କେତେ ଜଣଙ୍କୁ କଂଗ୍ରେସରେ ଗ୍ରହଣ କରି କଂଗ୍ରେସ ତରଫରୁ ଦଳୀୟ ଟିକେଟ୍‍ ପ୍ରଦାନ କଲେ । ସେମାନଙ୍କ ମଧ୍ୟରେ ଖଡ଼ିଆଳର ରାଜା ଅନୁପ ସିଂହଦେଓ, ରଣପୁରର ରାଜମାତା ବସନ୍ତ

ମଞ୍ଜରୀ ଦେବୀ ଓ ଦଶପଲ୍ଲାର ରାଜା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ ଆଦି ଅନ୍ୟତମ । ଏମାନେ ସମସ୍ତେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀରର ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ କଳାହାଣ୍ଡିର ପୂର୍ବତନ ମହାରାଜା ପ୍ରତାପ କେଶରୀ ଦେଓଙ୍କ ନେତୃତ୍ୱରେ 'ଗଣତନ୍ତ୍ର ପରିଷଦ' ନାମରେ ଏକ ରାଜନୈତିକ ଦଳ ଗଢିଲେ । ଏହି ଦଳ ଗଠନ ହେବା ପୂର୍ବରୁ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ 'କୋଶଳ-ଉତ୍କଳ-ପ୍ରଜାପରିଷଦ' ନାମରେ ଏକ ରାଜନୈତିକ ଦଳ ଗଠନ ହୋଇ ସାରିିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଥିଲା । ଶାଖା କାର୍ଯ୍ୟାଳୟ ମାନ କଳାହାଣ୍ଡି, କେନ୍ଦୁଝର, ସୋନପୁର, ଗାଙ୍ଗପୁର, ବଣେଇ, ବୌଦ୍ଧ ଓ ଆଠମଲ୍ଲିକରେ ଥିଲା । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଏହି ଦଳ 'ଗଣତନ୍ତ୍ର ପରିଷଦ' ନାମରେ ସକ୍ରିୟ ହୋଇ ଉଠିଲା । ଏହି ଦଳ ପଶ୍ଚିମ ଓଡ଼ିଶାରେ ସୁସଂଗଠିତ ହେବା ସଙ୍ଗେ ସଙ୍ଗେ କେତେକ ଗଡ଼ଜାତରେ ମଧ୍ୟ ବେଶ୍‍ ସକ୍ରିୟ ଥିଲା ।

ପଶ୍ଚିମ ଓଡ଼ିଶାରେ ଗଣତନ୍ତ୍ର ପରିଷଦ ଓ ଉପକୂଳ ଅଞ୍ଚଳ ସମେତ ଢେଙ୍କାନାଳରେ କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପାର୍ଟିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବିଶେଷ ଭାବରେ ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ ନିର୍ବାଚନ ନିମନ୍ତେ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ । ୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର ହେଲା । ଓଡ଼ିଶାର ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରି ୨୪ ତାରିଖ ଯାଏ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହେଲା । ଏହା ହେଲା ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ ।

ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି ଓ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଠିଆ କରାଇଲେ । ଯେଉଁମାନେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେଲେ ସେମାନେ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଲେ । ଏହି ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭିତରେ ଥିଲେ ଓଡ଼ିଶାର ବହୁ ନାମୀ ଦାମୀ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି । ଫରଓ୍ୱାର୍ଡ ବ୍ଲକ ତରଫରୁ ମଧ୍ୟ ପ୍ରାର୍ଥୀ ଠିଆ ହେଲେ । ଏହି ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ

କଂଗ୍ରେସ ୬୭ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା । ଗଣତନ୍ତ୍ର ପରିଷଦ ୩୧ଟି ଆସନ ଲାଭକରି ଦ୍ୱିତୀୟ ସ୍ଥାନରେ ରହିଲା । ସୋସାଲିଷ୍ଟ ପାର୍ଟି ୧୦ଟି, କମ୍ୟୁନିଷ୍ଟ ପାର୍ଟି ୭ଟି, ଫରଓ୍ୱାର୍ଡ ବ୍ଲକ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଆସନ ହାସଲ କଲେ । ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଶେଷ ସଫଳତା ହାସଲ କରିିଥିଲେ ।

୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନସଭାର ସଭ୍ୟମାନେ ଶପଥ ଗ୍ରହଣ କଲେ । ବିଧାନସଭା ସଦସ୍ୟ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭ୍ୟମାନଙ୍କୁ ଶପଥପାଠ କରାଇଲେ । ସେହିଦିନ ମଧ୍ୟ ନବଗଠିତ ବିଧାନସଭାର ପ୍ରଥମ ବୈଠକ ନୂଆ ରାଜଧାନୀ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ଅନୁଷ୍ଠିତ ହେଲା । ଏହା ପୂର୍ବରୁ ନବକୃଷ୍ଣ ଚୌଧୁରୀ ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଶ୍ରଦ୍ଧାକର ସୂପକାର ବିରୋଧିଦଳର ନେତା ନିର୍ବାଚିତ ହେଲେ । ନନ୍ଦକିଶୋର ଦାସ ବାଚସ୍ପତି ଓ ମୌଲବୀ ମହମ୍ମଦ ହନିଫ୍‍ ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ତାରିଖରେ ନିର୍ବାଚିତ ହେଲେ ।

ପ୍ରଥମ ବିଧାନସଭାକୁ ତିନିଜଣ ମହିଳା ନିର୍ବାଚିତ ହୋଇଥିଲେ । ସେମାନେ ହେଲେ,ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀର କୁମାରୀ ରାମ ରାଜ (ସ୍ୱାଧୀନ); ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) । ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ ପ୍ରଫେସର ପ୍ରାଣକୃଷ୍ଣ ପରିଜା (ବାଲିକୁଦା), ଖ୍ୟାତନାମା ପୂର୍ବତନ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ (ସତ୍ୟବାଦୀ), ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ପଣ୍ଡିତ ଗୋଦାବରୀଶ ମିଶ୍ର (ବାଣପୁର), ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଳିରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିର୍ବାଚିତ ହେଲେ । ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ ବ୍ଲକ ଟିକେଟରେ ଗଂଜାମର ପାତ୍ରପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଆସିଥିଲେ ।

ପ୍ରଥମ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୧-୫୨) :
ମାଲକାନଗିରି ଲକ୍ଷ୍ମଣ ଗୌଡ ଗଣତନ୍ତ୍ର ପରିଷଦ
ପଣ୍ଡୁଆ ଗଣେଶ୍ୱର ମହାପାତ୍ର ଗଣତନ୍ତ୍ର ପରିଷଦ
ନବରଂଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ମୁଦି ନାଇକୋ କଂଗ୍ରେସ
ଜୟପୁର (ଯୁଗ୍ମ) ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ଲଇଚନ ନାଇକୋ ଗଣତନ୍ତ୍ର ପରିଷଦ
କୋରାପୁଟ ଗଙ୍ଗାମୁଦୁଲି ଗଣତନ୍ତ୍ର ପରିଷଦ
ନନ୍ଦପୁର ଭଗବାନ ଖେମୁଣ୍ଡୁ ନାଏକ କଂଗ୍ରେସ
ରାୟଗଡ଼ା ମଦାଙ୍ଗି କାମାୟା କଂଗ୍ରେସ
ବିଷମକଟକ ଉଲାକା ଶ୍ୟାମଘନ ଗଣତନ୍ତ୍ର ପରିଷଦ
ଗୁଣୁପୁର ଶବର ଡୁମ୍ବା ଗଣତନ୍ତ୍ର ପରିଷଦ
ବାଲିଗୁଡ଼ା ଯାଦବ ପାତ୍ର କଂଗ୍ରେସ
ଫୁଲବାଣୀ-ଉଦୟଗିରି (ଯୁଗ୍ମ) ବାଳକକୃଷ୍ଣ ମଲ୍ଲିକ ସ୍ୱାଧୀନ
ସଦାନନ୍ଦ ସାହୁ (ମୃତ୍ୟୁ ପରେ) ସ୍ୱାଧୀନ
ସାରଙ୍ଗଧର ପ୍ରଧାନ କଂଗ୍ରେସ
ବଉଦ ହିମାଂଶୁ ଶେଖର ପାଢ଼ୀ ସ୍ୱାଧୀନ
ଆଠମଲ୍ଲିକ ଦୁତୀୟା ରାଉଳ ସ୍ୱାଧୀନ
ରାଜା କିଶୋର ଚନ୍ଦ୍ର ଦେବ କଂଗ୍ରେସ
ଅନୁଗୁଳ-ହିନ୍ଦୋଳ (ଯୁଗ୍ମ) ହୃଷୀକେଶ ତ୍ରିପାଠୀ କଂଗ୍ରେସ
ଅରକ୍ଷିତ ନାୟକ କଂଗ୍ରେସ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
ପାଲଲହଡା-କିଶୋର ନଗର (ଯୁଗ୍ମ) ମହେଶ ଚନ୍ଦ୍ର ସୁବାହୁ ସିଂହ କଂଗ୍ରେସ
ବାଇଧର ନାୟକ କଂଗ୍ରେସ
ଢେଙ୍କାନାଳ (ଯୁଗ୍ମ) ବୈଷ୍ଣବ ଚରଣ ପଟ୍ଟନାୟକ କମ୍ୟୁନିଷ୍ଟ
ମଦନ ଦେହୁରୀ କମ୍ୟୁନିଷ୍ଟ
ଭବାନୀପାଟଣା (ଯୁଗ୍ମ) ଜନାର୍ଦ୍ଦନ ମାଝି ଗଣତନ୍ତ୍ର ପରିଷଦ
ଜେ.ସି. ସିଂହଦେଓ ଗଣତନ୍ତ୍ର ପରିଷଦ
ଜୟପାଟଣା-କାଶୀପୁର ଝାଝୁର ଝୁରିଆ କଂଗ୍ରେସ
ଜୁନାଗଡ଼- (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
ଦୟାନିଧି ନାଏକ ଗଣତନ୍ତ୍ର ପରିଷଦ
ନୂଆପଡ଼ା- (ଯୁଗ୍ମ) ଅନୁପ୍‍ ସିଂହଦେଓ କଂଗ୍ରେସ
ଚୈତନ୍ୟ ମାଝି କଂଗ୍ରେସ
ଟିଟିଲାଗଡ-଼ (ଯୁଗ୍ମ) ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ମୁରଲୀଧର ପଣ୍ଡା ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅର୍ଜୁନ ଦାସ ଗଣତନ୍ତ୍ର ପରିଷଦ
ଗଣେଶ ରାମ ବରିହା ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ସୋନପୁର ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ବିନ୍‍କା ବୈକୁଣ୍ଠନାଥ ନେପାକ ଗଣତନ୍ତ୍ର ପରିଷଦ
ବୀରମହାରାଜପୁର ଅଚ୍ୟୁତାନନ୍ଦ ମହାକୁଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ଲାଲ ରଣଜିତ ସିଂହ ବରିହା କଂଗ୍ରେସ
ଅନିରୁଦ୍ଧ ମିଶ୍ର ସ୍ୱାଧୀନ
ବରଗଡ଼ ତୀର୍ଥବାସୀ ପ୍ରଧାନ କଂଗ୍ରେସ
ଅତାବିରା- ବିପିନ ବିହାରୀ ଦାସ କଂଗ୍ରେସ
ସୋହେଲା (ଯୁଗ୍ମ) ଭିକାରି ସାହୁ କଂଗ୍ରେସ
ବିଶି ବିଭରା କଂଗ୍ରେସ
ମୁର୍‍ଆମ୍ବାଭୋନା ମକରଧ୍ୱଜ ପ୍ରଧାନ ସୋସାଲିଷ୍ଟ
ସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ) ଭିକାରି ଘାସି ଗଣତନ୍ତ୍ର ପରିଷଦ
ଶ୍ରଦ୍ଧାକର ସୂପକାର ଗଣତନ୍ତ୍ର ପରିଷଦ
ବାମଣ୍ଡା (ଯୁଗ୍ମ) ହରପ୍ରସାଦ ଦେବ (ଇସ୍ତଫା) ଗଣତନ୍ତ୍ର ପରିଷଦ
ଇନ୍ଦୁଭୂଷଣ ମହାନ୍ତି (ଉପ ନିର୍ବାଚନ)
ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା-ରମ୍ପେଲା (ଯୁଗ୍ମ) ବିଜୟ କୁମାର ପାଣି କଂଗ୍ରେସ
ମନୋହର ନାୟକ ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ (ଯୁଗ୍ମ) କୃପାନିଧି ନାୟକ କଂଗ୍ରେସ
ହରିହର ପଟେଲ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଆଗାପିଲ୍‍ ଲାକ୍ରା କଂଗ୍ରେସ
ବିଶ୍ରା ମଦନ ମୋହନ ଅମାତ କଂଗ୍ରେସ
ବଣେଇ ନୀଳମଣି ସିଂହ ଦଣ୍ଡପାଟ ଗଣତନ୍ତ୍ର ପରିଷଦ
ଚମ୍ପୂଆ ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ସ୍ୱାଧୀନ
ଗୋବିନ୍ଦ ମୁଣ୍ଡା ଗଣତନ୍ତ୍ର ପରିଷଦ
ଆନନ୍ଦପୁର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ସ୍ୱାଧୀନ
ଭାଇଗ ସେଠୀ ସ୍ୱାଧୀନ
ପଞ୍ଚପୀଢ଼ (ଯୁଗ୍ମ) ବିଶ୍ୱନାଥ ସାହୁ ଗଣତନ୍ତ୍ର ପରିଷଦ
ଘାସିରାମ ସାଣ୍ଡିଲ ସ୍ୱାଧୀନ
କପ୍ତିପଦା ହାରାଚାନ୍ଦ ହାଁସଦା ସୋସାଲିଷ୍ଟ
ଖୁଣ୍ଟା ସାକିଳା ସୋରେନ୍‍ ସୋସାଲିଷ୍ଟ
ବାରିପଦା (ଯୁଗ୍ମ) ଗିରୀଶ ଚନ୍ଦ୍ର ରାୟ ସୋସାଲିଷ୍ଟ
ସୁରେନ୍ଦ୍ର ସିଂହ କଂଗ୍ରେସ
ବାହଲଦା ସୋନାରାମ ସୋରେନ କଂଗ୍ରେସ
ରାଇରଂଗପୁର ହରଦେବ ତିରିଆ କଂଗ୍ରେସ
ବାଙ୍ଗିରିପୋଷି ଜୟଦେବ ମାଝି କଂଗ୍ରେସ
ମୁରୁଡ଼ା ପ୍ରସନ୍ନ କୁମାର ଦାସ ସୋସାଲିଷ୍ଟ
ଜଳେଶ୍ୱର କରୁଣାକର ପାଣିଗ୍ରାହୀ କଂଗ୍ରେସ
ଭୋଗରାଇ ଶଶିକାନ୍ତ ଭଞ୍ଜ ସ୍ୱାଧୀନ
ବସ୍ତା ତ୍ରିଲୋଚନ ସେନାପତି କଂଗ୍ରେସ
ସୋରୋ ନନ୍ଦ କିଶୋର ଦାସ କଂଗ୍ରେସ
ବାଲେଶ୍ୱର ସୁରେନ୍ଦ୍ର ନାଥ ଦାସ କଂଗ୍ରେସ
ନୀଳଗିରି (ଯୁଗ୍ମ) ନୀଳାମ୍ବର ଦାସ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ଭଦ୍ରକ ମହମ୍ମଦ ହନିଫ୍‍ କଂଗ୍ରେସ
ବନ୍ତ ଗୋକୁଳାନନ୍ଦ ମହାନ୍ତି କଂଗ୍ରେସ
ଧାମନଗର ନୀଳମଣି ରାଉତରାୟ କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ବୃନ୍ଦାବନ ଦାସ କଂଗ୍ରେସ
ଚକ୍ରଧର ବେହେରା କଂଗ୍ରେସ
ସୁକିନ୍ଦା (ଯୁଗ୍ମ) ପୀତାମ୍ବର ଭୂପତି ସ୍ୱାଧୀନ
ହରିଚନ୍ଦନ ମହାପାତ୍ର ସ୍ୱାଧୀନ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧର୍ମଶାଳା ପରମାନନ୍ଦ ମହାନ୍ତି ସୋସାଲିଷ୍ଟ
ବିଂଝାରପୁର (ଯୁଗ୍ମ) ନବକିଶୋର ମଲ୍ଲିକ କଂଗ୍ରେସ
ପଦ୍ମନାଭ ରାୟ କଂଗ୍ରେସ
ବଡ଼ଚଣା ନବକୃଷ୍ଣ ଚୌଧୁରୀ କଂଗ୍ରେସ
ଆଳି ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସ୍ୱାଧୀନ
ପଟ୍ଟାମୁଣ୍ଡାଇ କୁମାରୀ ରାମରାଜ ସ୍ୱାଧୀନ
ରାଜନଗର ସରସ୍ୱତୀ ଦେବୀ କଂଗ୍ରେସ
କେନ୍ଦ୍ରାପଡ଼ା ଦୀନବନ୍ଧୁ ସାହୁ କଂଗ୍ରେସ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ସୋସାଲିଷ୍ଟ
ଏରସମା ଗୌରୀଶ୍ୟାମ ନାୟକ କଂଗ୍ରେସ
ବାଲିକୁଦା ପ୍ରାଣକୃଷ୍ଣ ପରିଜା ସ୍ୱାଧୀନ
ଜଗତସିଂହପୁର ନୀଳମଣି ପ୍ରଧାନ କଂଗ୍ରେସ
କିଶନନଗର ରାଜକୃଷ୍ଣ ବୋଷ କଂଗ୍ରେସ
ସାଲେପୁର (ଯୁଗ୍ମ) ସୁରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ମାହାଙ୍ଗା ମହମ୍ମଦ ଅତାହାର କଂଗ୍ରେସ
କଟକ ସହର ବୀରେନ୍‍ ମିତ୍ର କଂଗ୍ରେସ
କଟକ (ଗ୍ରାମ) (ଯୁଗ୍ମ) ଲକ୍ଷ୍ମଣ ମଳିକ କଂଗ୍ରେସ
ଉଦାହରଣ ଭୈରବ ଚନ୍ଦ୍ର ମହାନ୍ତି କଂଗ୍ରେସ
ବାଙ୍କୀ ଗୋକୁଳାନନ୍ଦ ପ୍ରହରାଜ ସୋସାଲିଷ୍ଟ
ନରସିଂହପୁର ବୃନ୍ଦାବନ ସାହୁ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କାକଟପୁର ନିମାପଡ଼ା (ଯୁଗ୍ମ) ଉପେନ୍ଦ୍ର ମହାନ୍ତି କଂଗ୍ରେସ
ଗୋବିନ୍ଦ ଚନ୍ଦ୍ର ସେଠି କଂଗ୍ରେସ
ସତ୍ୟବାଦୀ ନୀଳକଣ୍ଠ ଦାସ ସ୍ୱାଧୀନ
ପିପିଲି ଜୟକୃଷ୍ଣ ମହାନ୍ତି ସ୍ୱାଧୀନ
ପୁରୀ ଫକୀର ଚରଣ ଦାସ ସୋସାଲିଷ୍ଟ
ବ୍ରହ୍ମଗିରି ବିଶ୍ୱନାଥ ପରିଡ଼ା ସ୍ୱାଧୀନ
ବାଣପୁର ଗୋଦାବରୀଶ ମିଶ୍ର ସ୍ୱାଧୀନ
ଭୁବନେଶ୍ୱର (ଯୁଗ୍ମ) ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
କାହ୍ନୁ ମଳିକ କଂଗ୍ରେସ
ଖୋର୍ଦ୍ଧା ମାଧବ ଚନ୍ଦ୍ର ରାଉତରାୟ କଂଗ୍ରେସ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ନୟାଗଡ଼ କେ.ସି ସିଂହମାନ୍ଧାତା ସ୍ୱାଧୀନ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ ସ୍ୱାଧୀନ
ଦଶପଲ୍ଲା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଜଗନ୍ନାଥପ୍ରସାଦ ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ରସୁଲକୁଣ୍ଡା ଦୀନବନ୍ଧୁ ବେହେରା କଂଗ୍ରେସ
ଆସ୍କା (ଯୁଗ୍ମ) ହରିହର ଦାସ କମ୍ୟୁନିଷ୍ଟ
ମୋହନ୍‍ ନାୟକ କମ୍ୟୁନିଷ୍ଟ
ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସ୍ୱାଧୀନ
କୋଦଳା ବନମାଳୀ ମହାରଣା ସୋସାଲିଷ୍ଟ
ପୁରୁଷୋତ୍ତମପୁର ହରିହର ଦାସ କଂଗ୍ରେସ
ଛତ୍ରପୁର ଭି.ସୀତାରାମାୟା ସ୍ୱାଧୀନ
ପାଟପୁର ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ ସ୍ୱାଧୀନ
ରାମଚନ୍ଦ୍ର ମିଶ୍ର ସ୍ୱାଧୀନ
ପାରଳାଖେମୁଣ୍ଡି (ଯୁଗ୍ମ) ଜଗନ୍ନାଥ ମିଶ୍ର କମ୍ୟୁନିଷ୍ଟ
ଅପନା ଦୋରା ବିଶ୍ୱାସ ରାୟ ସ୍ୱାଧୀନ
ପାତ୍ରପୁର ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ଼ ବ୍ଲକ
ଉଦୟଗିରି-ମୋହନା ମାଲିକ ପାଟୁ କଂଗ୍ରେସ
ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ :
ମୟୂରଭଞ୍ଜ ରାମଚନ୍ଦ୍ର ମାଝି କଂଗ୍ରେସ
ବାଲେଶ୍ୱର କାହ୍ନୁଚରଣ ଜେନା କଂଗ୍ରେସ
କେନ୍ଦ୍ରାପଡ଼ା ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
କଟକ ହରେକୃଷ୍ଣ ମହତାବ କଂଗ୍ରେସ
ପୁରୀ ଲୋକନାଥ ମିଶ୍ର କଂଗ୍ରେସ
ଖୋର୍ଦ୍ଧା ଲିଙ୍ଗରାଜ ମିଶ୍ର କଂଗ୍ରେସ
ଘୁମୁସର ଉମାଚରଣ ପଟ୍ଟନାୟକ ସ୍ୱାଧୀନ
ଗଞ୍ଜାମ ବିଜୟ ଚନ୍ଦ୍ର ଦାସ କମ୍ୟୁନିଷ୍ଟ
ନବରଙ୍ଗପୁର ବି.ସୁବାରାଓ ଗଣତନ୍ତ୍ର ପରିଷଦ
କଳାହାଣ୍ଡି- ବଲାଙ୍ଗୀର (ଯୁଗ୍ମ) ଗିରିଧାରୀ ଭୋଇ ଗଣତନ୍ତ୍ର ପରିଷଦ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ସମ୍ବଲପୁର ନଟବର ପାଣ୍ଡେ ଗଣତନ୍ତ୍ର ପରିଷଦ
ବରଗଡ ଜି. ଦାସ ଥିରାନୀ ସ୍ୱାଧୀନ
ଢେଙ୍କାନାଳ-ପଶ୍ଚିମ କଟକ (ଯୁଗ୍ମ) ନିରଞ୍ଜନ ଜେନା କଂଗ୍ରେସ
ସାରଙ୍ଗଧର ଦାସ ସୋସାଲିଷ୍ଟ
ସୁନ୍ଦରଗଡ ଶିବନାରାୟଣ ସିଂହ କଂଗ୍ରେସ
ଯାଜପୁର-କେଉଁଝର (ଯୁଗ୍ମ) ଭୁବନାନନ୍ଦ ଦାସ କଂଗ୍ରେସ
ଲକ୍ଷ୍ମୀଧର ଜେନା ଗଣତନ୍ତ୍ର ପରିଷଦ
ରାୟଗଡ଼ା-ଫୁଲବଣୀ ଟି. ସାଙ୍ଗ୍‍ନା କଂଗ୍ରେସ