ଓଡ଼ିଶା ରାଜନୀତିର ଇତିହାସ/ନବକୃଷ୍ଣ ଚୌଧୁରୀଙ୍କ ଶାସନକାଳରେ ଓଡ଼ିଶା

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ନବକୃଷ୍ଣ ଚୌଧୁରୀଙ୍କ ଶାସନକାଳରେ ଓଡ଼ିଶା


ଏକାଦଶ ପରିଚ୍ଛେଦ
ନବକୃଷ୍ଣ ଚୌଧୁରୀଙ୍କ ଶାସନକାଳରେ ଓଡ଼ିଶା

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତି । ସଚ୍ଚା ସମାଜବାଦୀ ନେତା । ସାଦାସିଧା ମଣିଷଟିଏ । କୂଟନୀତିର ଧାର ଧାରନ୍ତି ନାହିିଁ । ଏପରି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ସର୍ବ ପ୍ରଥମେ ୧୯୫୦ ମସିହା ମଇମାସ ୧୨ ତାରିଖ ଦିନ । ଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷା ପ୍ରବର୍ତ୍ତନ ନିମନ୍ତେ ସେ ବଦ୍ଧପରିକର ହେଲେ । ଓଡ଼ିଶା ବିଧାନସଭାର ବିବରଣୀ ଓଡ଼ିଆ ଭାଷାରେ ଲେଖାଯିବ ବୋଲି ସେ ଉଦ୍ୟମ କଲେ । ହେଲେ ତତ୍‍କାଳୀନ ବାଚସ୍ପତି ଲାଲମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଏକମତ ହେଲେ ନାହିଁ । ତ‌ଥାପି ସେ ନିଜ ଲକ୍ଷ୍ୟରେ ଅଟଳ ରହି ୧୯୫୧ ମସିହା ଫେବ୍ରୁଆରି ୨୧ରେ ଓଡ଼ିଆଲେଖା ବଜେଟ ବିଧାନସଭାରେ ଉପସ୍ଥାପନ କଲେ । ଏହି ବଜେଟ ଅତି ସୁନ୍ଦର ଓ ସରଳ କଥିତ ଓଡ଼ିଆ ଭାଷାରେ ଲେଖାଯାଇଥିଲା ।

ଶାସନ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ ଉଦ୍ୟମ:

ନବବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ପ୍ରଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ କରିବାପାଇଁ ଉଦ୍ୟମ କଲେ । ୧୯୫୨ ମସିହାରେ ସେ ଏକ ପ୍ରାଶାସନିକ ଇଂରାଜୀ- ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଇଲେ । ଓଡ଼ିଶାରେ ପ୍ରାଶାସନିକ ସ୍ତରରେ ଆଞ୍ଚଳିକ ଭାଷା ପ୍ରବର୍ତ୍ତନ ସମଗ୍ର ଦେଶରେ ପ୍ରଥମ ଉଦ୍ୟମ ଭାବରେ ବିବେଚିତ । ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମକୁ କେତେକ ଉଚ୍ଚ ଅଫିସର ବିରୋଧ କରିିଥିଲେ । ଏପରିକି ତତ୍‍କାଳୀନ ମୁଖ୍ୟ ଶାସନ ସଚିବ ବ୍ରହ୍ମଦେବ ମୁଖାର୍ଜୀ ମଧ୍ୟ ଏହାକୁ ବିରୋଧ କରିିଥିଲେ । ସେ ମତ ଦେଇଥିଲେ ଯେ ଏକାଉଣ୍ଟାଣ୍ଟ୍‍ ଜେନେରାଲଙ୍କ ସହିତ ପତ୍ରାଳାପ କରିବାରେ ଏଥିପାଇଁ ଅସୁବିଧା ହେବ । ତ‌ଥାପି ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ୧୯୫୬ ମସିହାରେ ଓଡ଼ିଆ

ଟାଇପ୍‍ ରାଇଟର ପ୍ରସ୍ତୁତିପାଇଁ ରେମିଙ୍ଗନ୍‍ କମ୍ପାନୀକୁ ଅର୍ଡ଼ର ପ୍ରଦାନ କଲେ । ହେଲେ କ'ଣ ହେବ? ଏହାପରେ ନବବାବୁ ମୁଖ୍ୟମନ୍ତ୍ରୀ ପଦତ୍ୟାଗ କରିବାରୁ ତାଙ୍କ ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ କଲେନାହିଁ । ଫଳରେ ନବବାବୁଙ୍କ ସ୍ୱପ୍ନ ସାକାର ହୋଇପାରିଲା ନାହିଁ । ଏହାର କେତେ ବର୍ଷ ପରେ ୧୯୮୦ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଫଳରେ କଡ଼ାକଡ଼ି ଭାବରେ ସେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବରେ ପ୍ରଚଳନ କରାଇଲେ ।

ନେପାଳୀବାବା ଘଟଣା :

ନବବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନୁଗୁଳର ରନ୍ତଲେଇ ଗ୍ରାମର ଘଟଣା ଥିଲା ଅତ୍ୟନ୍ତ ଚମକପ୍ରଦ । ରନ୍ତଲେଇ ଅନୁଗୁଳ ସହର ନିକଟରେ ଥିବା ଏକ ଅଖ୍ୟାତ ପଲ୍ଲୀ ଗାଁ । ଏହି ଗାଁଟି ରନ୍ତୁଲେଇ, ରନ୍ତଲାଇ ବା ରାମତଲାଇ ଭାବରେ ଜଣାଶୁଣା । ଏହି ଗାଁରେ ନଟବର ସାହୁଙ୍କର ଘର । ସେ ଜାତିରେ ଚଷା । ତାଙ୍କର ତିନିପୁଅ । ବଡ଼ ଗୋବର୍ଦ୍ଧନ, ମଝିଆ ଗୋପାଳ ଓ ସାନ ନେପାଳ । ସାନପୁଅ ନେପାଳର ଜନ୍ମ ୧୯୩୭ ମସିହାରେ । ରନ୍ତଲେଇ ଗାଁ ମୁଣ୍ଡରେ ଗୋଟିଏ ପୋଖରୀ, ପୋଖରୀର ନାଁ ବାବାଜୀ ବନ୍ଧ । ମଣିଦାସ ବୋଲି ଜଣେ ସାଧୁ ଏହି ପୋଖରୀଟି ଖୋଳିିଲେ । ନେପାଳ ବାରବର୍ଷ ବୟସରେ ମେଣ୍ଢା ଚରାଉଥିଲେ । ଦିନେ ନେପାଳ ଅସୁସ୍ଥ ହୋଇପଡ଼ି ପୋଖରୀ ହୁଡ଼ାରେ ଥିବା ଅଶ୍ୱତ୍ଥ ଗଛତଳେ ନିଦ୍ରାଗଲେ । ସେଠାରେ ନେପାଳ ଏକ ଅଭ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଜଣେ ସାଧୁ ତାଙ୍କୁ ଦର୍ଶନ ଦେଇ କହିଲେ, "ତୁମେ ନିଶ୍ଚୟ ଆରୋଗ୍ୟ ହେବ ନେପାଳ ।" କେତୋଟି ଗଛ ଚିହ୍ନାଇ ଦେଇ' ସାଧୁ ହୁକୁମଦେଲେ, "ଏଇସବୁ ଗଛ ସର୍ବରୋଗର ମହୌଷଧି ।"

ଏହି ଘଟଣାର କିଛିଦିନ ପରେ ନେପାଳଙ୍କୁ ସ୍ୱପ୍ନାଦେଶ ହେଲା ଔଷଧ ବିତରଣ ପାଇଁ । ନେପାଳ ପ୍ରଥମେ ଔଷଧଦେବା ଆରମ୍ଭ କଲେ ସାଇପଡ଼ିଶା ଓ ଗାଁରୁ । ଲୋକେ ଔଷଧ ନେଇ ଭଲ ହୋଇଗଲେ । ନେପାଳ "ନେପାଳୀବାବା" ନାମରେ ପରିଚିତ ହେଲେ । ତାଙ୍କର ମହିମା ଚାରିଆଡ଼େ ବ୍ୟାପିବାରେ ଲାଗିଲା । ଜିଲ୍ଲା, ରାଜ୍ୟ ଏପରିକି ଦେଶର ବିଭିନ୍ନ ପ୍ରାନ୍ତରୁ ରୋଗୀମାନଙ୍କର ଭିଡ଼ ହେଲା ରନ୍ତଲେଇରେ । ଚାରିଆଡ଼ ଲୋକାରଣ୍ୟ । ସେଇ ଗାଁର ଗୌରାଙ୍ଗ ବେହେରା ବୋଲି ଜଣେ ବ୍ୟକ୍ତି ନେପାଳୀବାବାଙ୍କୁ କାନ୍ଧରେ ବସାଇ ଲୋକ ଗହଳିରେ ଔଷଧ ବିତରଣ କରିଥାଆନ୍ତି । ସେ କହୁଥିଲେ ରନ୍ତଲେଇରେ ଖର୍ବଖର୍ବ ଲୋକ ଆସି ପହଞ୍ଚିିଥିଲେ । ରେଳଯୋଗେ ଦୈନିକ ମେରାମୁଣ୍ଡଳୀ ଷ୍ଟେସନରେ ପାଞ୍ଚ ହଜାର ଲୋକ ଆସି ପହଞ୍ଚୁଥିଲେ ବୋଲି ସେହି ସମୟର ସରକାରୀ ହିସାବରୁ ଜଣାପଡ଼େ । ସ୍ଥାନୀୟ ଲୋକେ ପାଦରେ, ବଳଦଗାଡ଼ିରେ ତ‌ଥା ଅନ୍ୟାନ୍ୟ ଯାନରେ ରନ୍ତଲେଇରେ ଆସି ପହଞ୍ଚୁଥିଲେ । ସୋମବାର, ମଙ୍ଗଳବାର ଓ ବୁଧବାର ସପ୍ତାହର ଏଇ ତିନିଦିନ ଔଷଧ ଦିଆଯାଉଥିଲା । ବ‌ହୁ ଲୋକ ଅନ୍ୟ ଦିନରେ ଖରା, କାକର, ବର୍ଷା, ଶୀତ ସ‌ହି ରନ୍ତଲେଇଠାରେ

ପଡିରହୁଥିଲେ । ଗାଁ ଲୋକ ଓ ପୋଲିସଙ୍କ ସହାୟତାରେ ଲୋକଙ୍କୁ ଧାଡ଼ିରେ ବସାଇ ଔଷଧ ଦିଆଯାଉଥିଲା । ପୋଲିସମାନେ ମଧ୍ୟ ଏଠାରେ ଡେରା ପକାଇଥିଲେ । ନେପାଳୀ ବାବା ଧାଇଁଧାଇଁ କରି ଯାଇ କେତେବେଳେ କାହା କାନ୍ଧରେ ବସି ଲୋକଙ୍କ ମେଳରେ ପଶି ଔଷଧ ବିତରଣ କରୁଥିଲେ । ଜ୍ୱର, ପେଟବ୍ୟଥା, କୃଷ୍ଣ, ଛୋଟା, ଘୁଙ୍ଗ ଓ କାଲା ଲୋକମାନେ ଭଲ ହେବାରେ ଲାଗିଲେ । ଭକ୍ତମାନେ ନାମ ସଂକୀର୍ତ୍ତନରେ ମାତି ନେପାଳୀବାବାଙ୍କର ଜୟଗାନ କରୁଥିଲେ । ଯେତିକି ଲୋକ ଔଷଧ ନେଇ ଫେରୁଥିଲେ ତା’ର ଦଶ ଗୁଣ ଲୋକ ଆସି ସେଠାରେ ଉପସ୍ଥିତ ହେଉଥିଲେ ।

ଲୋକଙ୍କର ପ୍ରବଳ ଭିଡ଼ ଯୋଗୁଁ ଜଳ ଓ ଆହାରର ସଂକଟ ଦେଖାଦେଲା । ରୋଗୀକୁ ନେଇ ଆସୁଥିବା ଲୋକେ ରୋଗୀ ହୋଇ ପ୍ରାଣତ୍ୟାଗ କଲେ । ହଇଜା ବ୍ୟାପିଲା । ହଇଜା ମହାମାରୀ ରୂପ ଧାରଣକଲା । ଲୋକେ ପୋକମାଛି ପରି ପଡ଼ି ମଲେ । କିଏ କୁଆଡ଼େ ଗଲେ ତା’ର ହିସାବ ରହିଲା ନାହିଁ । ନବବାବୁ ଥାଆନ୍ତି ମୁଖ୍ୟମନ୍ତ୍ରୀ । ଏପରି ଅସ୍ବାଭାବିକ ପରିସ୍ଥିତି ଦେଖି ମାଳତୀ ଦେବୀ ସେଠାରେ ୧୪୪ ଧାରା ଜାରି କରିବା ପାଇଁ ନବ ବାବୁଙ୍କୁ କହିଲେ ।

ନବବାବୁ ମାଳତୀ ଦେବୀଙ୍କୁ କହିଲେ, "ସରକାରର ଲୋକଙ୍କ ଧର୍ମବିଶ୍ୱାସରେ ବାଧାଦେବାର ଅଧିକାର ନାହିଁ । ସମ୍ବିଧାନ କହୁଛି କେହି କାହାରି ଧର୍ମ ବିଶ୍ବାସରେ ବାଧାଦେଇ ପାରିବେ ନାହିଁ।" ମାଳତୀ ଦେବୀ ରାଗିଯାଇ କହିଲେ, "ନ ପାରିବ ତ ଇସ୍ତଫା ଦେଇଦିଅ । ଏଭଳି ମାଇଚିଆ ସରକାର ଆମର ଦରକାର ନାହିଁ ।"

ଅବସ୍ଥା ଅସମ୍ଭାଳ ହେଲା । ମାଳତୀ ଦେବୀ ବାଜି ରାଉତ ଆଶ୍ରମରୁ ଜଗାଭାଇ (ଜଗନ୍ନାଥ ପ୍ରସାଦ ଦାସ ) ଓ ଏମ.ଏଲ.ଏ ହୃଷୀକେଶ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଜିପରେ ବସାଇ ଗ୍ରାମରେ ଯାଇ ପହଞ୍ଚିଲେ । ଜଗାଭାଇ ନେପାଳୀବାବାଙ୍କୁ ଢାଇ କରି ଏକ ଶକ୍ତ ଚାପୁଡ଼ା ଦେଇ କହିଲେ, "ଆବେ ବଦମାସ୍, ବାବା ହୋଇ ହୁକୁମ୍ ଦେଉଛୁ, ଏଣେ ହଜାର ହଜାର ଲୋକ ମଲେଣି । ଜଗାଭାଇଙ୍କ ଚାପୁଡ଼ାରେ ନେପାଳୀବାବା ବଣ ଭିତରକୁ ଦୌଡ଼ି ଦୌଡ଼ି ପଳାଇଲେ । ସେଠାରେ ଥିବା ଭକ୍ତମାନେ ପାଟିକରି ଉଠିଲେ । କହିଲେ "ଆମ ବାବାଙ୍କୁ ମାରି ପକାଇଲେ ।" ଲୋକେ ଉତ୍ତ୍ୟକ୍ତ ହୋଇ ଉଠିବାରୁ ମାଳତୀ ଦେବୀ, ଜଗନ୍ନାଥ ପ୍ରସାଦ ଦାସ ଓ ହୃଷୀକେଶ ତ୍ରିପାଠୀ ଜିପ୍‌ରେ ବସି କୌଶଳକ୍ରମେ ସେହି ସ୍ଥାନ ତ୍ୟାଗ କରି ଚାଲିଆସିଲେ । ତା’ପରେ ସେଠାରେ ସରକାରଙ୍କ ତରଫରୁ ୧୪୪ ଧାରା ଜାରିହେଲା । ରନ୍ତଲେଇକୁ ବାହାରୁ ଆଉ ଲୋକଙ୍କୁ ଛାଡ଼ି ଦିଆଗଲା ନାହିଁ । କଲେରା ପାଇଁ ଉପଯୁକ୍ତ ପ୍ରତଷେଧକ ବ୍ୟବସ୍ଥା ଓ ଚକିତ୍ସା ଆରମ୍ଭ ହୋଇଗଲା । ସେଠାରେ ଥବା ଲୋକଙ୍କୁ ନିଜ ନିଜ ଗ୍ରାମ, ସହର ଆଦିକୁ ବସ୍ ଓ ଟ୍ରେନ୍ ଯୋଗେ ପଠେଇ ଦେବାର ସୁବ୍ୟବସ୍ଥା କରାଗଲା । ଧୀରେ ଧୀରେ ରନ୍ତଲେଇ ଅବସ୍ଥା ଶାନ୍ତ ପଡ଼ିଲା । କିନ୍ତୁ ବହୁତ ଲୋକ ମରିଗଲେ । ପ୍ରଜାତନ୍ତ୍ର ଖବରକାଗଜରେ ସେତେବେଳେ ଏହାର ବିସ୍ତୃତ ବିବରଣୀ ପ୍ରକାଶ ପାଉଥାଏ । ବୃଦ୍ଧିଜୀବୀ ଶିକ୍ଷିତ ଲୋକ ମଧ୍ୟ ରନ୍ତଲେଇକୁ ଆରୋଗ୍ୟ ହେବାପାଇଁ ଆସିଥିବାର ଜଣାଯାଏ ।

୧୯୫୧ ଛାତ୍ର ଆନ୍ଦୋଳନ :

ସରକାରୀ କଲେଜମାନଙ୍କରେ ଛାତ୍ରଙ୍କ ଦରମା ଓ ହଷ୍ଟେଲ୍‍ ଫି ବୃଦ୍ଧିପାଇଲା ୧୯୫୧ ମସିହାରେ । ଏହି ଦରମା ଓ ଫି ଦ୍ୱିତୀୟ ମହାସମର ପୂର୍ବରୁ ବୃଦ୍ଧି ପାଇ ନଥିଲା । ସ୍ୱାଧୀନତା ପରେ ରାଜ୍ୟରେ ଅଧିକ ମହାବିଦ୍ୟାଳୟ ଖୋଲାଗଲା । ସେହି ସମୟରେ ମୁଦ୍ରାସ୍ଫୀତି ଘଟିଲା । ଦରଦାମ ବୃଦ୍ଧି ପାଇଲା । ଫଳରେ ଖର୍ଚ୍ଚକୁ ଭରଣା କରିବା ପାଇଁ ସରକାର ଏହି ସବୁ ଫି ଓ ଛାତ୍ର ମାନଙ୍କ ଟିଉସନ ଫି ବୃଦ୍ଧି କରିବା ପାଇଁ ବାଧ୍ୟହେଲେ । ଏହାକୁ ବାମପନ୍ଥୀ ଓ ବିରୋଧୀଦଳର ନେତାମାନେ ଦୃଢ଼ ବିରୋଧ କଲେ । ସେମାନେ ଯୁକ୍ତି ବାଢ଼ିଲେ କି ରାଜା, ମହାରାଜା, ଜମିଦାରମାନେ କାହିିଁକି ଭତ୍ତା ପାଇବେ ? ସରକାର ସେମାନଙ୍କ ଉପରେ ଟିକସ ବସାଇ ରାଜସ୍ୱ ବୃଦ୍ଧି କରନ୍ତୁ । ଗରିବ ଘରର ପିଲା ଯେଉଁମାନେ କି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଉଛନ୍ତି, କଲେଜ ଟିଉସନ ଫିସ୍‍ ବୃଦ୍ଧି କରାଯାଇ ସେମାନଙ୍କୁ ଶୋଷଣ କରା ନଯାଉ । ପୂର୍ବର ଛାତ୍ର କଂଗ୍ରେସ ନେତାମାନେ ସୋସାଲିଷ୍ଟ୍‍ ଦଳକୁ ଚାଲି ଯାଇଥାଆନ୍ତି । ମୁଖ୍ୟମନ୍ତ୍ରୀ ନବବାବୁଙ୍କ ହାତରେ କୌଣସି ଛାତ୍ର ସଂଗଠନ ନଥାଏ । କଟକର ରେଭେନ୍‍ସା କଲେଜ ଥାଏ ଛାତ୍ର ସଂଗଠନର ମୂଳପୀଠ । ଏଠାରେ ସୋସାଲିଷ୍ଟ ଓ କମ୍ୟୁନି୍‍ଷ୍ଟ ପାର୍ଟି ପରିଚାଳିତ ଛାତ୍ର ସଂଗଠନଗୁଡ଼ିକ କାୟା ବିସ୍ତାର କରିାଆନ୍ତି । ଓଡ଼ିଶାର ଅନ୍ୟ କଲେଜର ପରିସ୍ଥିତି ମଧ୍ୟ ଅନୁରୂପ । ରେଭେନ୍‍ସା କଲେଜ ଆଦି ବଡ଼ ବଡ଼ କଲେଜମାନଙ୍କରେ ସୋସାଲିଷ୍ଟ୍‍ ଓ କମ୍ୟୁନିଷ୍ଟ୍‍ ପାର୍ଟିର ଅନୁଗତମାନେ ନେତୃତ୍ୱ ନେଇ ଥାଆନ୍ତି ।

କଟକ ସହର ଛାତ୍ର ଆନ୍ଦୋଳନ ଯୋଗୁଁ ପଡ଼ୁଥାଏ ଉଠୁଥାଏ । ରେଭେନ୍‍ସା କଲେଜର ଛାତ୍ରମାନେ ତତ୍‍କାଳୀନ ଉଚ୍ଚ ଶ୍ରେଣୀର ଛାତ୍ର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଧର୍ମଘଟ ଜାରି ରଖିଥାଆନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରବୀର ପାଲିତ, ଅଖିଳ ମୋହନ ପଟ୍ଟନାୟକ, ଦେବୀପ୍ରସନ୍ନ ପଟ୍ଟନାୟକ ଓ ବ୍ରଜମୋହନ ମହାନ୍ତି ଆଦି ଛାତ୍ର ନେତାମାନଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଦୀର୍ଘ ବାରଦିନ ଯାଏଁ ରେଭେନ୍‍ସା କଲେଜରୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ପ୍ରତ୍ୟେହ ଛାତ୍ରମାନଙ୍କର ଶୋଭାଯାତ୍ରା ଯାଉଥାଏ । ସରକାର ଏହି ଛାତ୍ର ଆନ୍ଦୋଳନ ପ୍ରତି କର୍ଣ୍ଣପାତ ନ କରିବାରୁ ଶେଷରେ ଛାତ୍ରସଂଗଠନ ଠିକ୍‍ କଲେ ୧୯୫୧ ଜୁଲାଇ ୧୭ ତାରିଖ ଦିନ ବିଧାନସଭା ଘେରାଉ କରିବେ । ସେତେବେଳେ ବିଧାନସଭା ରେଭେନ୍‌ସା କଲେଜ ହଲରେ ଅନୁଷ୍ଠିତ ହେଉଥାଏ । ସେହିଦିନ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ବିଲ ବିଧାନସଭାରେ ପାସ୍‍ ହେବାକୁ ଥାଏ । ଛାତ୍ରମାନେ ବିଧାନସଭା ଭିତରକୁ ଯିବାପାଇଁ କାହାକୁ ଛାଡ଼ିଲେ ନାହିିଁ । କେବଳ ଏମ୍‍.ଏଲ.ଏ ବିଜୟାନନ୍ଦ ପଟ୍ଟନାୟକ ଛାତ୍ରମାନଙ୍କ ଉପରେ ଚଢ଼ି ଚାଲିଗଲେ । ନବବାବୁ ମୁଖ୍ୟମନ୍ତ୍ରୀ ହିସାବରେ ପିଲାମାନଙ୍କୁ ବହୁତ ବୁଝାଇଲେ । ଫଳ କିଛି ହେଲାନାହିିଁ । ଶେଷରେ ମୁଖ୍ୟମନ୍ତ୍ରୀ ସେଠାରୁ ଫେରିଆସିଲେ ।

ଛାତ୍ର ଧର୍ମଘଟର ସମାଧାନ ନିମନ୍ତେ ଆଡ୍‍ଭୋକେଟ୍‍ ଜେନେରାଲ୍‍ ବାଞ୍ଛାନିଧି ମହାପାତ୍ର, ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ଅଧ୍ୟାପକ ଶ୍ରୀରାମ ଦାସଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଲା । ହରେକୃଷ୍ଣ ମହତାବ ସେମାନଙ୍କ ସହ ସହଯୋଗ କଲେ । କିନ୍ତୁ କିଛି ନିଷ୍ପତ୍ତି ହୋଇପାରିଲା ନାହିିଁ । ଶେଷରେ ରାଜେନ୍ଦ୍ର ପ୍ରସାଦ ଦାସ ଓ ଚନ୍ଦ୍ରମଣି ନାୟକ ଆଦି କେତେକ ଛାତ୍ରନେତା ଅଧ୍ୟାପକ ଶ୍ରୀରାମ ଦାସଙ୍କ ପରାମର୍ଶକ୍ରମେ ବିଜୁ ପଟ୍ଟନାୟକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଏଠାରେ ନିଷ୍ପତ୍ତି ହେଲା ଯେ ଟିଉସନ୍‍ ଫିସ୍‍ ଦୁଇଟଙ୍କା ବଦଳରେ ଟଙ୍କାଏ ବଢ଼ିବ । ହଷ୍ଟେଲ୍‍ ଫିସ୍‍ ଚାରିଟଙ୍କା ବଦଳରେ ଦୁଇଟଙ୍କା ବଢ଼ିବ । ଏହା ପରେ କଲେଜ ଶୀଘ୍ର ଖୋଲିବ । କିନ୍ତୁ ଏହି ନିଷ୍ପତ୍ତି ପରେ ପିଲାମାନଙ୍କ ମନ ପରିବର୍ତ୍ତନ ହେଲା ନାହିିଁ । ସେମାନେ ପୁଣି ଆନ୍ଦୋଳନ ଅଭିମୁଖୀ ହେଲେ ।

ଜୁଲାଇ ୧୯ ତାରିଖରେ ନନ୍ଦିନୀ ଶତପଥୀ ଆଦି କେତେକ କମ୍ୟୁନିଷ୍ଟ ଛାତ୍ର ବିଧାନସଭା ଦ୍ୱାରଦେଶରେ ବସିରହିଲେ । ସରକାରଙ୍କ ତରଫରୁ ପୋଲିସ୍‍ ଲାଠିଚାର୍ଜ କଲା । ପାଣିଜେଟ୍‍ ମରାଗଲା । ଛାତ୍ରମାନଙ୍କୁ ଗିରଫ କରାଗଲା । ଅପରପକ୍ଷରୁ ମଧ୍ୟ ଢେଲାମାଡ଼ ହେଲା । ଜଣେ ସର୍ଜେଣ୍ଟଙ୍କ ନାକ ଫାଟିଲା । ସେ ରିଭରଭଲ୍‍ ଚଳାଇଲେ । ସ୍ୱସ୍ତି ମହାପାତ୍ରଙ୍କ ଗୋଡ଼ରେ ଗୁଳି ବାଜିଲା । ବହୁ ଲୋକ ହତାହତ ହେଲେ । ସଂଧ୍ୟା ୬ଟା ଯାଏଁ ଏପରି ପରିସ୍ଥିତି ଲାଗି ରହିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ରମାନେ ପରଦିନ ଅନଶନ କରି ଗିରଫ ହେଲେ । ସେମାନେ ଜାମିନରେ ଖଲାସ ହୋଇ ବି ପାଠପଢ଼ାରୁ ବଂଚିତ ହେଲେ । କେତେକ ଦୁଇ ବର୍ଷ ପାଇଁ କଲେଜରୁ ବହିଷ୍କୃତ ହେଲେ । ସରକାର ଏହାଦ୍ୱାରା ବଦନାମ୍‍ ହେଲେ । ("ଅନିର୍ବାଣ'ରୁ ସଂଗୃହୀତ)

ଏହା ପରେ ଆସିଲା ପ୍ରଥମ ସାଧାରଣ ନିର୍ବାଚନ । ଉପରୋକ୍ତ କାରଣଗୁଡ଼ିକ ପାଇଁ ସରକାର ବଦନାମ ହୋଇଥିଲେ, ଏଣୁ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ୬୭ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ସାତଜଣ ସ୍ୱାଧୀନ ସଦସ୍ୟଙ୍କ ସର୍ମରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖ ଦିନ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।

ନବକୃଷ୍ଣ ଚୌଧୁରୀଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳ :

ନବକୃଷ୍ଣ ଚୌଧୁରୀ : (ମୁଖ୍ୟମନ୍ତ୍ରୀ)- ଗୃହନିର୍ମାଣ, ଉନ୍ନୟନ , ନଦୀ
ଉପତ୍ୟକା ବିକାଶ, ରିଲିଫ୍‍, ପୁନର୍ବସତି ଓ ଲୋକସମ୍ପର୍କ
ସଦାଶିବ ତ୍ରିପାଠୀ : ରାଜସ୍ୱ, ଅବକାରୀ ଓ ଯୋଗାଣ ବିଭାଗ ମନ୍ତ୍ରୀ
ରାଜା ସାହେବ କିଶୋର ଚନ୍ଦ୍ର ଦେଓଭଞ୍ଜ- : ଶିଳ୍ପ ଓ ପରିବହନ ମନ୍ତ୍ରୀ
ସୁନାରାମ ସୋରେନ୍‍ : ଆଦିବାସୀ ଓ ଗ୍ରାମ ବିକାଶ, ଶ୍ରମ ଓ ବାଣିଜ୍ୟ ମନ୍ତ୍ରୀ
ରାଧାନାଥ ରଥ : ଅର୍ ଓ ଶିକ୍ଷା ମନ୍ତ୍ରୀ
ସତ୍ୟପ୍ରିୟ ମହାନ୍ତି : ଆଇନ୍‍, ଘରୋଇ ଓ ସ୍ୱାସ୍ଥ୍ୟ
ଉପମନ୍ତ୍ରୀ :
ବସନ୍ତ ମଂଜରୀ ଦେବୀ : ସ୍ୱାସ୍ଥ୍ୟ
ଭୈରବ ଚରଣ ମହାନ୍ତି : ଗୃହ ନିର୍ମାଣ
ନୀଳମଣି ରାଉତରାୟ : ଘରୋଇ
ଅନୁପ ସିଂହଦେଓ : ଲୋକସମ୍ପର୍କ, ରିଲିଫ୍‍, ପୁନର୍ବସତି ଓ ପଶୁପାଳନ
ଶାନ୍ତନୁ କୁମାର ଦାସ : ସ୍ୱାୟତ୍ତଶାସନ, ସମବାୟ ଓ ମତ୍ସ୍ୟ
ତୀର୍ଥବାସୀ ପ୍ରଧାନ : ପରିବହନ ଓ ଜଙ୍ଗଲ
କୃପାନିଧି ନାୟକ : ଯୋଗାଣ ଓ କୃଷି

ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଭାବରେ ରଣପୁରର ରାଜମାତା ବସନ୍ତ ମଂଜରୀ ଦେବୀ ଶପଥ ଗ୍ରହଣ କଲେ । ଓଡ଼ିଶାର ଦୁଇଜଣ ଆଦିବାସୀ ନେତା ସୁନାରାମ ସୋରେନ (ବାହଲଦା) ଓ କୃପାନିଧି ନାୟକ (ସୁନ୍ଦରଗଡ଼)ଙ୍କୁ ମନ୍ତ୍ରିମଣ୍ଡଳରେ ଯଥାକ୍ରମେ କ୍ୟାବିନେଟ ମନ୍ତ୍ରୀ ଓ ଉପମନ୍ତ୍ରୀ ଭାବରେ ଗ୍ରହଣ କରାଗଲା । ସେହିପରି ଓଡ଼ିଶାର ଜଣେ ଅଗ୍ରଗଣ୍ୟ ହରିଜନ ନେତା (ଦଳିତ ଜାତିର) ଶାନ୍ତନୁ କୁମାର ଦାସଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପ୍ରଦାନ କରାଗଲା ।

କଂଗ୍ରେସର ତତ୍‍କାଳୀନ ବିଶିଷ୍ଟ ଯୁବ ଓ ବିପ୍ଳବୀ ନେତା ବିଜୟାନନ୍ଦ ପଟ୍ଟନାୟକ ଗଂଜାମ ଜିଲ୍ଲାର ଜଗନ୍ନାପ୍ରସାଦ ନିର୍ବାଚନମଣ୍ଡଳୀରୁ, ବୀରେନ୍‍ ମିତ୍ର ମର୍ଯ୍ୟାଦାପୂର୍ଣ୍ଣ କଟକ ନଗର ଆସନରୁ, ବିଜୟ କୁମାର ପାଣି, ଝାରସୁଗୁଡ଼ା- ରମ୍ପେଲା ନିର୍ବାଚନମଣ୍ଡଳୀରୁ, ପବିତ୍ର ମୋହନ ପ୍ରଧାନ ତାଳଚେରରୁ ଓ ଚକ୍ରଧର ବେହେରା ଚାନ୍ଦବାଲିରୁ ନିର୍ବାଚିତ ହୋଇ ଆସିିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ ।

Odisha Rajanitira Itihasa.pdf

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସ୍ଥାନ :

ପ୍ରଥମ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ହରେକୃଷ୍ଣ ମହତାବ ବିଜୟୀ ହେଲେ । ସମସ୍ତେ ଆଶା କରିିଥିଲେ ଯେ, ଦ୍ୱିତୀୟର ପାଇଁ ହରେକୃଷ୍ଣ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ପଣ୍ଡିତ ଜବାହାରଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରେ ଆଉ ଗ୍ରହଣ କଲେ ନାହିିଁ । ଜଣାଯାଏ, ମହତାବ କେନ୍ଦ୍ରରେ ଶିଳ୍ପମନ୍ତ୍ରୀ ଥିବା ସମୟରେ (୧୯୫୦-୫୨) କେତେକ ଶିଳ୍ପପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରିିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିିଥିଲା । ପୁଣି ଶୁଣାଯାଏ ଯେ ମହତାବ ଏହି ସମୟରେ ଅନ୍ୟ ମନ୍ତ୍ରଣାଳୟରେ ମଧ୍ୟ ଅଯଥା ହସ୍ତକ୍ଷେପ କରୁଥିଲେ । ଏଥିପାଇଁ ନେହରୁ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ ନକଲେ ମଧ୍ୟ ପଣ୍ଡିତ ନେହରୁ ତାଙ୍କୁ କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ ପ୍ରଦାନ କରିଥିଲେ । ଦଳରେ ପ୍ରଥମଥର ପାଇଁ ସେକ୍ରେଟାରୀ ଜେନେରାଲ୍‍ ପଦବୀ ସୃଷ୍ଟି କରାଯାଇ ହରେକୃଷ୍ଣ ମହତାବଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଗଲା । ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଲେ ଯେ ପ୍ରତ୍ୟେକ କ୍ୟାବିନେଟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବିଚାର ଆଲୋଚନା ନିମନ୍ତେ ସେକ୍ରେଟାରୀ ଜେନେରାଲଙ୍କ ସହ ପରାମର୍ଶ କରିବାକୁ ବାଧ୍ୟ । ଏହାଦ୍ୱାରା କଂଗ୍ରେସ ଦଳରେ ଶୃଙ୍ଖଳା ପରିଲକ୍ଷିତ ହେବା ସହ ପ୍ରତ୍ୟେକ କାର୍ଯ୍ୟର ମାନରେ ଉନ୍ନତି ଘଟିିଲା । ହରେକୃଷ୍ଣ ମହତାବ ୧୯୫୨-୫୫ ଯାଏଁ ଏହି ପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରି ଯଶସ୍ୱୀ ହୋଇଥିଲେ ।

ନିତ୍ୟାନନ୍ଦ କାନୁନ୍‍ଗୋ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ । ସେ ସଂସ୍କୃତି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ।

ନବକୃଷ୍ଣ ଚୌଧୁରୀଙ୍କ ସମୟରେ ଓଡ଼ିଶାର ରାଜ୍ୟପାଳ :

ମାନ୍ୟବର ଏସ୍‍. ଆସଫ୍‍. ଅଲ୍ଲି ୨୧.୬.୧୯୪୮ରେ ଓଡ଼ିଶାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ । ୬.୫.୧୯୫୧ରୁ ୧୭.୭.୧୯୫୧ ଯାଏଁ ସେ ଛୁଟିରେ ରହିବାରୁ ତାଙ୍କ ସ୍ଥାନରେ ଭି.ପି. ମେନନ୍‍ କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ ଦାୟିତ୍ୱରେ ଥିଲେ । ଆସଫ୍‍ ଅଲି ୧୮.୭.୧୯୫୧ରେ କାର୍ଯ୍ୟରେ ଯୋଗଦେଇ ୬.୬.୧୯୫୨ ଯାଏ ଓଡ଼ିଶାର ରାଜ୍ୟପାଳ ରହିଲେ । ଏହା ପରେ ମାନ୍ୟବର ସୟଦ ଫଜଲ ଅଲି, ବାରିଷ୍ଟର ଆଟ-ଲ' ୭.୬.୧୯୫୨ରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରି ୯.୨.୧୯୫୪ ଯାଏ କାର୍ଯ୍ୟ କରିିଥିଲେ । ୧୦.୨.୧୯୫୪ରେ ପି.ଏସ୍‍. କୁମାର ସ୍ୱାମୀରାଜା ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣକରି ୧୧.୯.୧୯୫୬ ଯାଏ କାର୍ଯ୍ୟ କରିିଥିଲେ । ୧୨.୯.୧୯୫୬ରେ ଭୀମସେନ ସାଚାର ଓଡ଼ିଶାର ରାଜ୍ୟପାଳ ହୋଇ ଆସି ୩୧.୭.୧୯୫୭ ଯାଏ କାର୍ଯ୍ୟଭାର ଗ୍ରହଣ କରିିଥିଲେ । ଏହାଙ୍କ ସମୟରେ ନବକୃଷ୍ଣ ଚୌଧୁରୀ ୧୯୫୬ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିିଥିଲେ ।

Odisha Rajanitira Itihasa.pdf
Odisha Rajanitira Itihasa.pdf
Odisha Rajanitira Itihasa.pdf
Odisha Rajanitira Itihasa.pdf

ଓଡ଼ିଶାରେ ପଞ୍ଚବାର୍ଷିକ ଯୋଜନାର ଅଗ୍ରଦୂତ ନବକୃଷ୍ଣ ଚୌଧୁରୀ :

ଓଡ଼ିଶାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୦-୧୯୫୬)କୁ କାର୍ଯ୍ୟକାରୀ କରିବାପାଇଁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ସେତେବେଳେ କୃଷି ଇଂଜିନିୟରିଂ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶାରେ କୌଣସି ଅନୁଷ୍ଠାନ ନଥିଲା । କେବଳ କଟକର ଇଂଜିନିୟରିଂ ସ୍କୁଲ ଓ କଟକ ମେଡ଼ିକାଲ କଲେଜ ଥିଲା ଦୁଇଟି ମାତ୍ର ଉଚ୍ଚବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରଥମ ପଂଚବାର୍ଷିକ ଯୋଜନାରେ କୃଷିକୁ ଅଗ୍ରାଧିକାର ଦିଆଯାଇଥିବାରୁ ଶ୍ରୀ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ସର୍ବପ୍ରଥମେ ଗୋଟିଏ କୃଷି କଲେଜ ଓ ଗୋଟିଏ ପଶୁପାଳନ ଓ ପଶୁଚିକିତ୍ସା କଲେଜ ପ୍ରତିଷ୍ଠା କଲେ । ଏଠାରେ ଉନ୍ନତ ଧରଣର କୃଷିପଦ୍ଧତି ପ୍ରବର୍ତ୍ତନ ହେଲା । କୃଷି ଉତ୍ପାଦନ ବୃଦ୍ଧି ପାଇଲା ।

ଶିଳ୍ପ ପ୍ରସାର :

ମୂଳଧନ ଅଭାବରୁ ଓଡ଼ିଶାରେ ଯୁବକମାନେ ଶିଳ୍ପ ପ୍ରତିଷ୍ଠାପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଫଳରେ ନବବାବୁଙ୍କ ମନ୍ତ୍ରିମଣ୍ଡଳ ପ୍ରଥମେ କଟକ ମଧୁପାଟଣାଠାରେ 'ପଥପ୍ରଦର୍ଶନ ଶିଳ୍ପ ଯୋଜନା' ଆରମ୍ଭ କଲେ । ଏହି ଯୋଜନା ଅନୁଯାୟୀ ଶିଳ୍ପ କାରଖାନା ସ୍ଥାପନରେ ସରକାର ୯୦ ଭାଗ ଅର୍ଥ ବିନିଯୋଗ କରିବେ । ଶିଳ୍ପୋଦ୍ୟୋଗୀମାନେ ୧୦ ଭାଗ ଅର୍ଥ ବିନିଯୋଗ କରି ଅଂଶୀଦାର ହେବାର ସୁବିଧା ପାଇବେ । କାଳକ୍ରମେ ଅଂଶୀଦାରମାନେ କାରଖାନାର ସମସ୍ତ ଅଂଶ କିଣିନେଇ ମାଲିକ ହେବାର ପରିକଳ୍ପନା ରହିିଥିଲା ।

ଏହା ବ୍ୟତୀତ ଡୁଡୁମା, ହୀରାକୁଦ ଜଳବିଦ୍ୟୁତ ଯୋଜନା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲା । ଚୌଦ୍ୱାରଠାରେ ଗୋଟିଏ କାଗଜକଳ, କେନ୍ଦୁଝରର ଯୋଡ଼ା ଓ କୋରାପୁଟର ରାୟଗଡ଼ାଠାରେ ଫେରୋମାଙ୍ଗାନିଜ କାରଖାନା ଶିଳ୍ପପତିମାନଙ୍କଦ୍ୱାରା ପ୍ରତିଷ୍ଠା ସମ୍ଭବ ହେଲା ।

ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ବନ୍ଧ ନିର୍ମାଣ :

ରାଉରକେଲା ଇସ୍ପାତ୍‍ କାରଖାନା ଓ ହୀରାକୁଦ ବନ୍ଧ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଆରମ୍ଭ ହୋଇ ଶେଷ ହୋଇଥିଲା । ଏହି ଦୁଇଟି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଦାନ ଅତୁଳନୀୟ । ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ନିଜ ରାଜ୍ୟରେ ନିର୍ମାଣ ପାଇଁ ସେତେବେଳର ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପ୍ରଭାବିତ କରିବାପାଇଁ ବହୁ ଚେଷ୍ଟା ଅବ୍ୟାହତ ରଖିଥିଲେ । କିନ୍ତୁ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ପଣ୍ଡିତ ନେହରୁଙ୍କର ଅତୀବ ଶ୍ରଦ୍ଧା ଥିବାରୁ ଶେଷରେ ରାଉରକେଲାରେ ହିିଁ ଏହି ଇସ୍ପାତ କାରାଖାନା ନିର୍ମାଣ ପାଇଁ ସ୍ଥିର ହେଲା । ବୈଦେଶିକ ବିଶେଷଜ୍ଞମାନେ ମଧ୍ୟ ରାଉରକେଲାକୁ ଉପଯୁକ୍ତ ସ୍ଥାନ ବୋଲି ନିରୂପିତ କରିିଥିଲେ । ହୀରାକୁଦ ବହୁମୁଖୀ ଯୋଜନାର ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ଚୌଧୁରୀ ବ୍ୟକ୍ତିଗତ ଭାବରେ ଦୃଷ୍ଟି ପ୍ରଦାନ କରିିଲେ । ବୁଡି ଅଞ୍ଚଳର ଲୋକଙ୍କ

Odisha Rajanitira Itihasa.pdf

ଥଇଥାନ ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ । ବିଧାନସଭାରେ ଓ ସମ୍ୱଲପୁର ଅଂଚଳରେ ଏଥିପାଇଁ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା ।

ଏହି ଦୁଇଟି ଯୋଜନା ଉଦ୍‍ଘାଟନ ବେଳକୁ ଶାସନ ଦାୟିତ୍ୱରେ ନବବାବୁ ନଥିଲେ । ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ୧୯୫୬ ଅକ୍ଟୋବର ମାସରେ ଇସ୍ତଫା ପ୍ରଦାନ କରିଥିଲେ । ଏହାର ଚାରିମାସ ପରେ ଅର୍ଥାତ୍‍ ୧୯୫୭ ମାର୍ଚ୍ଚ ମାସରେ ହୀରାକୁଦ ବନ୍ଧ ଉଦ୍‍ଘାଟିତ ହୋଇଥିଲା ।

ଶାସନ ବିକେନ୍ଦ୍ରୀକରଣ :

ଶାସନର ବିକେନ୍ଦ୍ରୀକରଣ କରି ଜନସାଧାରଣଙ୍କୁ କ୍ଷମତାର ଅଂଶୀଦାର କରିବା ନବକୃଷ୍ଣ ଚୌଧୁରୀଙ୍କର ପରିକଳ୍ପନା ଥିଲା । ଏହି ପରିକଳ୍ପନା ଅନୁଯାୟୀ ଓଡ଼ିଶାକୁ ବିଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇ ପ୍ରତ୍ୟେକ ଅଂଚଳର ଲୋକପ୍ରତିନିଧିଙ୍କୁ ଘେନି ଏକ ଅଂଚଳସଭା ଗଠିତ ହେବ । ଅଂଚଳସଭା ରାଜସ୍ୱ ଆଦାୟ କରି ଅଂଚଳର ସମସ୍ତ ଉନ୍ନୟନ ଦାୟିତ୍ୱ ବହନକରିବ । ୧୯୫୬ରେ ନବବାବୁ ଏଥିପାଇଁ ବିଧିବଦ୍ଧ ଆଇନପ୍ରଣୟନ କରିିଥିଲେ । ଶାସନରେ ଥିବା ନେତା ଓ ରାଜ୍ୟର ଅମଲାତନ୍ତ୍ରର ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହାର ପାଂଚବର୍ଷ ପରେ ବଳବନ୍ତରାୟ ମେହେଟ୍ଟା କମିଟି ସୁପାରିସରେ ଅଂଚଳ ଶାସନ କ୍ଷମତାକୁ ସଂକୁଚିତ କରାଯାଇ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଗଲା ।

ନବବାବୁଙ୍କ ଶାସନ ସମୟରେ ୧୯୫୫ ମସିହା ସେପ୍ଟେମ୍ୱର ମାସରେ କାଠଯୋଡ଼ି ନଦୀର ଶାଖା ନଦୀରେ ପ୍ରବଳ ବନ୍ୟା ହେଲା । କଟକ ଜିଲ୍ଲାର ବରଡ଼ାଠାରେ ନଦୀବନ୍ଧ ଭାଙ୍ଗିଗଲା । ବଡ଼ଘାଇ ହୋଇଗଲା । ଏହା ଦଳେଇଘାଇ ଭାବରେ ଜଣାଶୁଣାା ଜଗତସିଂହପୁର ଅଂଚଳ

ବନ୍ୟାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ । ହଜାର ହଜାର ଏକର ଜମି ବାଲିଚର ହୋଇଗଲା । ଏହା ମନୁଷ୍ୟକୃତ ବନ୍ୟା ଥିଲା ବୋଲି ବଡ଼ନେତା ଜଣେ ଗୁପ୍ତ ରିପୋର୍ଟ ପ୍ରଦାନ କଲେ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରିପାଇଁ ଏହି ନେତାଜଣକ ମଧ୍ୟ ସୁପାରିସ କଲେ । ରାଜ୍ୟର ଗଣତାନ୍ତ୍ରିକ ସରକାର ଲୋକଙ୍କ ଦୁଃଖଦୁର୍ଦ୍ଦଶାରେ ସହାୟକ ହୋଇପାରିନାହାନ୍ତି ବୋଲି ଚାରିଆଡେ଼ ପ୍ରଚାର ଚାଲିଲା । ବସ୍ତୁତଃ ଏହାଥିଲା ନବକୃଷ୍ଣ ଚୌଧୁରୀଙ୍କ ଶାସନ ବିରୋଧରେ ଏକ ଚକ୍ରାନ୍ତ ।

୧୯୫୫ ମସିହା ନଭେମ୍ୱର ମାସରେ ସୀମା କମିଶନ ରିପୋର୍ଟ ପ୍ରକାଶ ପାଇଲା । ଷଢେ଼ଇକଳା ଓ ଖରସୁଆଁ ବିହାରରେ ମିଶିଲା । ଏଥିପାଇଁ ରାଜ୍ୟର ଚାରିଆଡେ଼ ଜନ ଅସନ୍ତୋଷ ବ୍ୟାପିଲା । ପ୍ରାଦେଶିକ କଂଗ୍ରେଦଳ ତରଫରୁ ପ୍ରସ୍ତାବ ଗ୍ରହଣ କରାଗଲା ଯେ, ଏପରି ପରିସ୍ଥିତିରେ କଂଗ୍ରେସଦଳ ଶାସନ ଚଳାଇବା ସମ୍ଭବ ନୁହେଁ; ଫଳରେ ମନ୍ତ୍ରୀମାନେ ସମୂହ ଇସ୍ତଫା ପ୍ରଦାନ କଲେ । ହେଲେ କେନ୍ଦ୍ର ସରକାର ଓଡ଼ିଆବାସୀଙ୍କ ଦାବି ପ୍ରତି ଗୁରୁତ୍ୱ ଦେଲେ ନାହିିଁ । ଚାରିଆଡ଼େ ଅସନ୍ତୋଷର ବହ୍ନି ଜଳିଲା । କଟକ ଓ ପୁରୀରେ ଏହି ଆନ୍ଦୋଳନ ବ୍ୟାପକ ହେଲା । ସବୁ ଶ୍ରେଣୀର ଲୋକେ ଏଥିରେ ଯୋଗଦେଲେ । ପୁରୀ ରେଳ ଷ୍ଟେସନ୍‍ରେ ନିଆଁ ଲଗାଇ ଦିଆଗଲା । କଟକ ରେଡ଼ିଓ ଷ୍ଟେସନ୍‍କୁ ବନ୍ଦ କରିଦେବା ପାଇଁ ଆନ୍ଦୋଳନକାରୀମାନେ ଉଦ୍ୟମ କଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଦିଲ୍ଲୀରେ । ଅନ୍ୟ ମନ୍ତ୍ରୀମାନେ କିଏ କୁଆଡ଼େ ପଳାଇଲେ । ଅବସ୍ଥା ଅଣାୟତ୍ତ ହେଲା । ଫଳରେ ପୋଲିସ୍‍ ଗୁଳି ଚଳାଇବାକୁ ବାଧ୍ୟ ହେଲା । ପୋଲିସ୍‍ ଗୁଳିରେ କଟକରେ ସୁନୀଲ ଦେ ଓ ପୁରୀରେ ବେଙ୍ଗପାଣିଆଙ୍କର ମୃତ୍ୟୁ ଘଟିଲା ।

ଏହି ଘଟଣାରେ ନବକୃଷ୍ଣ ଚୌଧୁରୀ ସରକାର ନିନ୍ଦିତ ଓ ବଦନାମ ହେଲେ । ତାଙ୍କ ସରକାର ଦୁର୍ବଳ ସରକାର ବୋଲି ଚାରିଆଡ଼େ ପ୍ରଚାର ହେଲା ।

* * *