ଓଡ଼ିଶା ରାଜନୀତିର ଇତିହାସ/ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ


ଚତୁର୍ଥ ପରିଚ୍ଛେଦ

ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ

ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ

କେତେକ ନିର୍ବାଚିତ ପ୍ରତିନିଧି ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲାଳସାର ବଶବର୍ତ୍ତୀ ହୋଇ ଦଳ ବଦଳାଇ ଥାଆନ୍ତି ତ ଆଉ କେତେକ ଅନ୍ୟ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ବଦଳାଇ ଥାଆନ୍ତି । ଆଉ ମଧ୍ୟ କେତେକ ଉପରେ ଆଦର୍ଶର ଦ୍ୱାହି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ବା ଅସୂୟା ଭାବକୁ ହୃଦୟରେ ରଖି ଦଳ ବଦଳାଇ ଥାଆନ୍ତି । ଏହାର ବହୁଳ ଦୃଷ୍ଟାନ୍ତ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତି ସ୍ତରରେ ଦେଖିବାକୁ ମିଳିଥାଏ । ଓଡ଼ିଶା ରାଜନୀତିରେ ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ (୧୯୩୭) ପରେ ପରେ ଦଳ ବଦଳର ଦୃଶ୍ୟ ଦେଖିବାକୁ ମିଳେ ।

୧୯୩୭ ମସିହାରେ ଓଡ଼ିଶାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଚାରିଟି ଦଳ ସକ୍ରିୟ ଥିବାର ଜଣାଯାଏ । ସେଗୁଡ଼ିକ ହେଲା ଭାରତୀୟ ଜାତୀୟ କଂଗ୍ରେସ; କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟି; ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟି ଓ ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ 'ସ୍ୱାଧୀନ ପାର୍ଟି' । ଭାରତୀୟ ଜାତୀୟ କଂଗ୍ରେସ ସବୁଠାରୁ ବେଶୀ ପ୍ରଭାବଶାଳୀ ଥିଲା । ସେତେବେଳେ ଓଡ଼ିଶା ପ୍ରଦେଶ କମିଟିର ସଭାପତି ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ଓ ସାଧାରଣ ସମ୍ପାଦକ ଥିଲେ ନବକୃଷ୍ଣ ଚୌଧୁରୀ । କଂଗ୍ରେସ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରରୁ ଓଡ଼ିଶା ଆସିଲେ ପଣ୍ଡିତ ଜବାହାରଲାଲ ନେହେରୁ । ତାଙ୍କ ସହ ସାମିଲ ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ପଣ୍ଡିତ ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ ଓ ଭାଗୀରଥି ମହାପାତ୍ର ଆଦି ଅନେକ ନାମଜାଦା ତୁଙ୍ଗ କଂଗ୍ରେସ ନେତୃବର୍ଗ ।

ପଣ୍ଡିତ ନେହେରୁ କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିରାଟ ବିରାଟ ନିର୍ବାଚନୀ ସଭାରେ ଭାଷଣ ଦେଇ କହିଲେ, "କଂଗ୍ରେସ ଦେଶର ସ୍ୱାଧୀନତା ପାଇଁ ଲଢେ଼ଇ କରୁଛି । ରାଜା ଜମିଦାରମାନେ ଇଂରେଜ ସରକାରର ବୋଲକରା ହୋଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଭୋଟ ନ ଦେଇ କଂଗ୍ରେସକୁ ଭୋଟ ଦିଅନ୍ତୁ ।" ପଣ୍ଡିତ ନେହେରୁ କଟକ ଜିଲ୍ଲାର ଜଗତସିଂହପୁର, ବିରିଡି, କେନ୍ଦ୍ରାପଡ଼ା, ସାଲେପୁର, ବହୁଗ୍ରାମ ଓ ଚାନ୍ଦୋଳ ଆଦି ସ୍ଥାନରେ ଅନୁଷ୍ଠିତ ସଭାମାନଙ୍କରେ ଭାଷଣ ଦେଲେ । ଲୋକେ ପଣ୍ଡିତ ନେହେରୁଙ୍କ ଭାଷଣରେ ପ୍ରଭାବିତ ହେଲେ ।

ନିର୍ବାଚନପାଇଁ ଉଦ୍ଦିଷ୍ଟ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟିର ୩୨ ଜଣଙ୍କ ମଧ୍ୟରୁ ମାତ୍ର ଛ'ଜଣ ଓ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟିର ୧୯ ଜଣଙ୍କ ମଧ୍ୟରୁ ମାତ୍ର ଚାରିଜଣ ପ୍ରାର୍ଥୀ ଜିତିଲେ । ମୁସଲିମ୍‍ ଲିଗ୍‍ର ମଧ୍ୟ ଚାରିଜଣ ପ୍ରାର୍ଥୀ ଜିତିଲେ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦଳ ଓ ଅନ୍ୟାନ୍ୟ ଦଳରୁ ସମୁଦାୟ ଛଅ ଜଣ ପ୍ରାର୍ଥୀ ଜିତିଲେ । ବିଧାନସଭା ନିର୍ବାଚନ ପରେ ପୂର୍ବ ଯାଜପୁର ସଂରକ୍ଷିତ ଆସନରୁ ବିଜୟ ଲାଭ କରିିଥିବା କଂଗ୍ରେସ ପ୍ରାର୍ଥୀ ବୀର କିଶୋର ବେହେରା କଂଗ୍ରେସ ଦଳ ଛାଡ଼ି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିଷ୍ଠିତ ସ୍ୱାଧୀନ ପାର୍ଟିରେ ଯୋଗଦେଲେ । ଏହାର କାରଣ ସମ୍ପର୍କରେ କୌଣସି ତ‌ଥ୍ୟ ଜଣାପଡୁନାହିଁ । ଏହା ହେଉଛି ଓଡ଼ିଶା ରାଜନୀତିରେ ପ୍ରଥମ ଦଳ ବଦଳ ଘଟଣା ।

ସେହି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ଥାଆନ୍ତି କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଓଡ଼ିଶାର ମନୋନୀତ ସଭ୍ୟ । ପ୍ରକୃତରେ ତାଙ୍କ ଉଦ୍ୟମରେ କଂଗ୍ରେସ ଦଳ ଅଧିକ ସଂଖ୍ୟକ ଆସନ ଲାଭ କରିିଥିଲା । ସେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନଥିଲେ । କାରଣ ସେ ଠିଆ ହେଲେ ଅନ୍ୟମାନେ ନିର୍ବାଚନ ଜିତିବାରେ ଅସୁବିଧା ହେବ ବୋଲି ତାଙ୍କୁ ବିଧାନସଭାକୁ ପ୍ରାର୍ଥୀ କରାଯାଇ ନଥିଲା । ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି -

"ଛତିଶ ଜଣ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ କୋଡିଏ ଜଣ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ନେତା ନିର୍ବାଚିତ କରିବାପାଇଁ ଇଚ୍ଛା ପ୍ରକାଶ କରିିଥିଲେ । ସେ ଦଳର ନେତା ନିର୍ବାଚିତ ହୋଇ କେନ୍ଦ୍ର ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେଇ ଆସେମ୍ଲିକୁ ପୁଣି ଠିଆ ହେବା ପାଇଁ ସ୍ଥିର ହେଲା । ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କୁ ଧରି ସେମାନେ ଗୋଟିଏ ରୁଲ୍‍ କମିଟି ଗଠନ କଲେ । ସେହି କମିଟିରେ ରୁଲ ଦିଆଗଲା ଯେ ଆସେମ୍ଲି ଦଳ ବାହାରୁ କେହି ନେତା ହୋଇ ପାରିବେ ନାହିଁ । ଛତିଶ ଜଣ ସଭ୍ୟଙ୍କ ମଧ୍ୟରୁ କୋଡ଼ିଏ ଜଣଙ୍କ ସମର୍ଥନ ଥାଇ ମଧ୍ୟ ପଣ୍ଡିତ ନୀଳକଣ୍ଠ ଦାସ ନେତା ନିର୍ବାଚିତ ହୋଇପାରିଲେ ନାହିଁ । ଫଳରେ ନୀଳକଣ୍ଠ ଦାସଙ୍କର ଏହି କୋଡ଼ିଏ ଜଣ ସମର୍ଥକ ବିଶ୍ୱନାଥ ଦାସଙ୍କୁ ସମର୍ଥନ ଜଣାଇଲେ । ବିଶ୍ୱନାଥ ଦାସ ନେତା ହେଲେ । କିନ୍ତୁ ତାଙ୍କ ସହ ଆଲୋଚନା ହେଲା ଯେ

ସେ ରୁଲ ବଦଳାଇ ପଣ୍ଡିତ ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ କରି ଆଣି ନିଜେ ମନ୍ତ୍ରୀ ହୋଇ ରହିବେ । ନେତା ନିର୍ବାଚିତ ହେଲା ପରେ ବିଶ୍ୱନାଥ ଦାସଙ୍କର ଏହି କଥା ଆଉ ମନେରହିଲା ନାହିଁ ।"

ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ହେଲେ । ତାଙ୍କ ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଜୁନ୍‍ ଶେଷ ସପ୍ତାହରେ ଶପଥ ଗ୍ରହଣ କଲେ । ଏ ବିଷୟରେ ପୂର୍ବରୁ ଆଲୋଚନା ହୋଇସାରିଛି । ଏହି କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖ ଦିନ ଇସ୍ତଫା ପ୍ରଦାନ କରିିଥିଲେ । ଏହି ସମୟରେ ୧୯୩୮ ମସିହା ମଇ ପହିଲଠାରୁ ୪ ମାସ ଯାଏ ଓଡ଼ିଶାର ଗଭର୍ଣ୍ଣର ସାର୍‍ ଜନ୍‍ ଅଷ୍ଟିନ୍‍ ହବାକ୍‍ ଛୁଟିରେ ଗଲେ । ତାଙ୍କ ସ୍ଥାନରେ ରେଭେନ୍ୟୁ କମିଶନର ଜନ୍‍ ଡନ୍‍ଙ୍କୁ ସରକାର ଅସ୍ଥାୟୀ ରାଜ୍ୟପାଳ ଭାବରେ ଅବସ୍ଥାପିତ କଲେ । ବିଶ୍ୱନାଥ ଦାସଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାର କାରଣ ହେଲା -

୧୯୩୯ ମସିହା ସେପ୍ଟେମ୍ବର ମାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ବ୍ରିଟିଶ୍‍ ସରକାର ମିତ୍ରଦଳ ପକ୍ଷରେ ରହି ଭାରତର ଲୋକମତକୁ ନ ନେଇ ଭାରତକୁ ଯୁଦ୍ଧରେ ସାମିଲ୍‍ କଲେ । କଂଗ୍ରେସ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଗଲା । ବିଭିନ୍ନ ପ୍ରଦେଶରେ ଥିବା କଂଗ୍ରେସ ମନ୍ତ୍ରିମଣ୍ଡଳଗୁଡ଼ିକୁ ଇସ୍ତଫା ପ୍ରଦାନ କରିବା ପାଇଁ କଂଗ୍ରେସ ହାଇ କମାଣ୍ଡ ନିର୍ଦେଶ ଦେଲେ । ସେହି ସମୟକୁ ଦେଶର ସାତଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଦୁଇ ବର୍ଷରୁ ଅଧିକ କାଳ କୃତିତ୍ୱ ସହକାରେ ଶାସନ କରି ସାରିିଥିଲେ ।" ଏହି ପରିପ୍ରେକ୍ଷୀରେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କଲେ ।

ଓଡ଼ିଶାରେ ପ୍ରଥମ ରାଜ୍ୟପାଳ ଶାସନ :

କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କରିବା ପରେ ସେହି ଦିନଠାରୁ ୧୯୪୧ ମସିହା ନଭେମ୍ବର ୨୮ ତାରିଖ ଯାଏ ଓଡିଶା ରାଜ୍ୟପାଳଙ୍କ ଶାସନାଧୀନ ହୋଇ ରହିଥିଲା । ୧୯୩୫ ଭାରତ ଶାସନ ଆଇନର ୯୩ ଧାରା ଅନୁଯାୟୀ ରାଜ୍ୟପାଳ ଏହି ଶାସନ ଦାୟିତ୍ୱ ଗ୍ରହଣ କଲେ । ଏହା ହେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଶାସନ । ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଦୀର୍ଘ ଚାରିବର୍ଷ କାଳ ଓଡ଼ିଶାରେ ରହି ୧୯୪୧ ମସିହା ଏପ୍ରିଲ ୧ ତାରିଖରେ ବିଦାୟ

ନେଲେ । ତାଙ୍କ ସ୍ଥାନରେ ସାର୍ ୱିଲିଅମ୍ ହଥର୍ଣ୍ଣ ଲୁଇସ ନୂଆ ରାଜ୍ୟପାଳ ଭାବରେ ଯୋଗଦେଲେ ।

ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ :

ଏହି ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ । ଫଳରେ ଅନେକ କଂଗ୍ରେସ ନେତା ଜେଲ ଭିତରେ ରହିଗଲେ । ପ୍ରଦେଶର ଅନେକ ନିର୍ବାଚିତ କଂଗ୍ରେସ ବିଧାୟକ ମଧ୍ୟ ରହିଲେ ଜେଲରେ । ଏହାର ସୁଯୋଗ ନେଲେ ପଣ୍ଡିତ ନୀଳକଣ୍ଠ ଦାସ । ସେ ତ ଆଗରୁ ବିରକ୍ତ ହୋଇ ରହିିଲେ ପ୍ରଧାନମନ୍ତ୍ରୀ ପଦ ନପାଇ । ସେ ପଣ୍ଡିତ ଗୋଦାବରୀଶଙ୍କୁ ସାଙ୍ଗ କଲେ । ଦୁଇ ପଣ୍ଡିତ ମିଶି ପ୍ରଦେଶରେ ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ସେହି ସମୟରେ କଂଗ୍ରେସ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥାଏ । ଗୋଟିଏ ପଟରେ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ ଓ ନିତ୍ୟାନନ୍ଦ କାନୁନ୍‍ଗୋଙ୍କ ସମେତ ତାଙ୍କ ସମର୍ଥକଗଣ । ଅନ୍ୟ ପଟରେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ସେମାନଙ୍କ ସମର୍ଥକଗଣ । କଂଗ୍ରେସ ଦଳରେ ଆଧିପତ୍ୟ ବିସ୍ତାରରେ ବିଫଳ ହେବାରୁ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରତିଶୋଧ ନେବାପାଇଁ ଅପେକ୍ଷା କରି ରହିଲେ ।

୧୯୩୯ ମସିହାରେ ତ୍ରିପୁରା କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଲା । ସଭାପତି ପଦପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେଲା । ମହତାବଙ୍କ ସମର୍ଥକମାନେ ଡକ୍ଟର ପଟ୍ଟାଭି ସୀତାରାମେୟାଙ୍କୁ ସମର୍ଥନ କଲେ । କିନ୍ତୁ କଂଗ୍ରେସ ସୋସାଲିଷ୍ଟମାନେ ସୁଭାଷ ବୋଷଙ୍କୁ ସମର୍ଥନ କଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଥାଇ ପଣ୍ଡିତ ନୀଳକଣ୍ଠ ଦାସ, କଂଗ୍ରେସର ବିଶିଷ୍ଟ ସଭ୍ୟ ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ପ୍ରମୁଖ ଓଡ଼ିଶାରୁ ନେତାଜୀ ସୁଭାଷ ବୋଷଙ୍କୁ ସମର୍ଥନ ଜଣାଇଲେ ।

ଏଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରୁ କିଛି ଘଟଣା ଉଲ୍ଲେଖଯୋଗ୍ୟ: "୧୯୩୯ ମସିହାର କଥା । ସୁଭାଷ ବୋଷ ନିଜ ୩୮/୨ ଏଲ୍‌ଗିନ୍ ରୋଡ଼ ଘରକୁ ଆମକୁ ଡକାଇ ଥିଲେ । ଯଦୁମଣି ମଙ୍ଗରାଜ, ମୁଁ ଓ ଗୋଦାବରୀଶ ଯାଇଥିଲୁ । ଅନେକ ସମୟ କଥାବାର୍ତ୍ତା ହେବାପରେ ସେ କହିଲେ, "ଏ ନୀଳକଣ୍ଠ ଦାସ ମହାଯୁଦ୍ଧରେ ଜାପାନ ଜିଣିବାର ଖୁବ୍‍ ସମ୍ଭାବନା

ଅଛି । ଏଣୁ ସେହି ସମୟରେ ବଙ୍ଗ, ଓଡ଼ିଶା, ବିହାର ଓ ଆସାମ- ଏହି ଚାରି ପ୍ରଦେଶର ରାଜତ୍ୱ ଆମ ଲୋକଙ୍କ ହାତରେ ଥିବା ଦରକାର । ମୁଁ ସେଥିପାଇଁ ଆସାମର ଶ୍ରୀଯୁକ୍ତ ବର୍ଦୋଲାଇ ଓ ମୁସଲମାନ ନେତାଙ୍କୁ (ବୋଧହୁଏ ଫକ୍‍ରୁଦ୍ଧିନ) ଧରି ମନ୍ତ୍ରିମଣ୍ଡଳ ଗଢ଼ିବା ବ୍ୟବସ୍ଥା କରିଛି । ବଙ୍ଗଳାରେ ଶରତ ବୋଷ ଓ ଫଜଲ ହବକ୍‍-ଏ ଦୁହିଁଙ୍କୁ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେବ । ମୁଁ ବିହାରରେ ମଧ୍ୟ ଏପରି ଗୋଟିଏ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଯାଉଛି । ଓଡ଼ିଶାରେ ତୁମେମାନେ ଯାଇ ମନ୍ତ୍ରିମଣ୍ଡଳ ଗଢ଼ । ସେଥିପାଇଁ ଗୋଦାବରୀଶ ଓ ଯଦୁମଣି ମଙ୍ଗରାଜ ଯାଆନ୍ତୁ । ନୀଳକଣ୍ଠ ଦାସ ଫରଓ୍ୱାର୍ଡ଼ ବ୍ଳକ୍‍ ତରଫରୁ କାର୍ଯ୍ୟକାରୀ କମିଟିକୁ ଯାଆନ୍ତୁ ।" ଶେଷକୁ ଗୋଦାବରୀଶ ଓ ଯଦୁମଣି ଉତ୍ତର ଦେଲେ "ନୀଳକଣ୍ଠ ବାବୁ ନଗଲେ ଆମେ ଏ କାମ ତୁଲାଇ ପାରିବୁ ନାହିଁ ।" ସେହି ଏଲ୍‍ଗିନ୍‍ ରୋଡ୍‍ ଘରୁ ଗଞ୍ଜାମର ଦିବାକର ପଟ୍ଟନାୟକଙ୍କ ପାଖକୁ ଟେଲିଗ୍ରାମ କରାଗଲା । ସେ ଦୁଇ ଦିନ ପରେ କଲିକତାରେ ପହଞ୍ଚି ଫରଓ୍ୱାର୍ଡ ବ୍ଳକ୍‍ର କାର୍ଯ୍ୟକାରୀ କମିଟିକୁ ଗଲେ ଓ ଆମ୍ଭେମାନେ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଓଡ଼ିଶା ଆସିଲୁ ।"

ନେତାଜୀଙ୍କର ଉଦ୍ଦେଶ୍ୟ ଥିଲା- ସେ ବ୍ରିଟିଶ ବିରୋଧୀ ବୈଦେଶିକ ଶକ୍ତି ସାହାଯ୍ୟରେ ଭାରତର ପୂର୍ବ ଉପକୂଳରେ ପହଞ୍ଚି ସେଠାରୁ ଭାରତ ଭିତରେ ବ୍ରିଟିଶ ସାମରିକ ଶକ୍ତିକୁ ପରାସ୍ତ କରି ଭାରତର ସ୍ୱାଧୀନତା ହାସଲ କରିବେ । ପଣ୍ଡିତ ନୀଳକଣ୍ଠ ଦାସ ସେହି ସମୟରେ ଏକା ପ୍ରକାଶ କରିପାରି ନଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲା । ପଣ୍ଡିତ ଗୋଦାବରୀଶ ମିଶ୍ର, ଦିବାକର ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଓ ପ୍ୟାରୀ ଶଙ୍କର ରାୟ ପ୍ରମୁଖ କଂଗ୍ରେସ ଦଳର ଆଠ ଜଣ ସଭ୍ୟ ମିଶି

'ସ୍ୱରାଜ ଦଳ' ନାମରେ ଗୋଟିଏ ଦଳ ଗଠନ କରି ସେତେବେଳର ବିରୋଧୀ ଦଳର ନେତାଙ୍କ ଅଧ୍ୟକ୍ଷତାରେ ମିଳିତ ମନ୍ତ୍ରି ମଣ୍ତଳ ଗଠନ କରିବାପାଇଁ ଅଗ୍ରସର ହେଲେ । ପରେ ଏକା ପଣ୍ଡିତ ନୀଳକଣ୍ଠ ୧୯୫୨ ମସିହାରେ ଓଡ଼ିଶା ବିଧାନସଭାରେ ପ୍ରକାଶ କରିିଥିଲେ ।

ଓଡ଼ିଶା ପ୍ରଦେଶରେ ବିରୋଧୀଦଳର ସହାୟତାରେ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ଇଉନାଇଟେଡ୍‍ ପାର୍ଟି (କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୬; ନ୍ୟାସନାଲ ପାର୍ଟି (ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୪; ସ୍ୱାଧୀନ ପାର୍ଟି (ପାରଳାଖେମୁଣ୍ତି ମହାରାଜା କୃଷ୍ଣଚନ୍ଦ୍ର

ଗଜପତିଙ୍କ ଦଳ) ଓ ଅନ୍ୟ ଦଳର ସଭ୍ୟ ସଂଖ୍ୟା-୭; ମୁସଲିମ୍‍ ଲିଗ୍‍ର ସଭ୍ୟ ସଂଖ୍ୟା-୪ ଓ କଂଗ୍ରେସ ଦଳ ଛାଡ଼ି ଆସିିବା-୮ ସଭ୍ୟ ଏହିପରି ୨୯ ଜଣ ସଦସ୍ୟଙ୍କ ସମେତ ୪ ଜଣ ଯାକ ମନୋନୀତ ସଦସ୍ୟ ଏହି ମନ୍ତ୍ରିମଣ୍ଡଳକୁ ସର୍ମନ ଜଣାଇଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ୧୯୪୧ ନଭେମ୍ବର ୨୮ ତାରିଖରେ ଓଡ଼ିଶାରେ ଅନ୍ୟ ଏକ ସଂଖ୍ୟାଲଘୁ ମିଳିତ ସରକାର ଗଠନ ହେଲା । ମନ୍ତ୍ରିମଣ୍ଡଳରେ ଦୁଇଜଣ ସଦସ୍ୟ ରହିଲେ । ସେମାନେ ହେଲେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ । ମହାରାଜା କ୍ୟାପଟେନ୍‍ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ହେଲେ ପ୍ରଧାନମନ୍ତ୍ରୀ । ପଣ୍ଡିତ ଗୋଦାବରୀଶ ମିଶ୍ର ହେଲେ ଘରୋଇ ବ୍ୟାପାର (ପ୍ରସାର), ଅର୍ଥ, ଶିକ୍ଷା ଓ ଉନ୍ନୟନ ବିଭାଗର ମନ୍ତ୍ରୀ । ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ ହେଲେ- ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ।

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି ଯେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ତତ୍‍କାଳୀନ ଗଭର୍ଣ୍ଣର ଲୁଇସ୍‍ ସାହେବ ମନ୍ତ୍ରିମଣ୍ଡଳରେ ନେବାକୁ ଅନିଚ୍ଛା ପ୍ରକାଶ କରିିଥିଲେ । କିନ୍ତୁ ପଣ୍ଡିତ ନୀଳକଣ୍ଠ ଦାସ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରଭାବିତ କରି ଗଭର୍ଣ୍ଣରଙ୍କୁ ବୁଝାଇ ଦେଇଥିଲେ । ଫଳରେ ମହାରାଜା କୃଷ୍ଣଚନ୍ଦ୍ର ଗଭର୍ଣ୍ଣରଙ୍କୁ କହିିଲେ କି "ଆପଣ ଏପରି କଲେ ମନ୍ତ୍ରିମଣ୍ଡଳ ଗଠିତ ହୋଇ ପାରିବ ନାହିଁ । ଫଳରେ ଗଭର୍ଣ୍ଣର ଲୁଇସ୍‍ ସାହେବ ବାଧ୍ୟହୋଇ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ବ୍ୟକ୍ତିଗତ ସତ୍ୟାଗ୍ରହ ବନ୍ଦ ହୋଇଗଲା । କଂଗ୍ରେସ ନେତା ଓ ବିଧାୟକମାନେ ଜେଲରୁ ମୁକ୍ତି ପାଇ ଫେରିଲେ । ଏହି ସଂଖ୍ୟାଲଘୁ ସରକାରକୁ ହଟେଇବା ପାଇଁ ଉଦ୍ୟମ ଆରମ୍ଭ କଲେ । କିନ୍ତୁ ସରକାର ଏଥର ବର୍ତ୍ତିିଗଲା । କାରଣ ସେହି ସମୟରେ ମହାତ୍ମା ଗାନ୍ଧିଙ୍କ ଡାକରାରେ 'ଭାରତ ଛାଡ଼ ଆନ୍ଦୋଳନ' ଆରମ୍ଭ ହୋଇଗଲା । ଏ ହେଉଛି ୧୯୪୨ ମସିହା କଥା । ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ ଓ ବିଶ୍ୱନାଥ ଦାସ ଆଦି ବହୁ ନେତାଙ୍କ ସମେତ, ଅଠର ଜଣ ବିଧାୟକ ଯାଇ ଜେଲରେ ରହିଲେ ।

କ୍ଷମତା ହାସଲ ପାଇଁ ସରକାରକୁ ଦୃଢ଼ ସମର୍ଥନ ଜଣାଉଥିବା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରଧାନମନ୍ତ୍ରୀ ତ‌ଥା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମୁଖ୍ୟ ସମାଲୋଚକ ଭାବରେ ଦେଖାଦେଲେ । ସେହିପରି କଂଗ୍ରେସ ଦଳ ତ୍ୟାଗ କରି ଆସିିଥିବା ଓ ଶିକ୍ଷାମନ୍ତ୍ରୀ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ ତ‌ଥା ତାଙ୍କର ପରମ ବନ୍ଧୁ ପଣ୍ଡିତ ନୀଳକଣ୍ଠ ଦାସଙ୍କର ତୀବ୍ର ମନୋମାଳିନ୍ୟ ଘଟିଲା । ଏପରି ସ୍ଥଳେ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳର ପତନ ଘଟିଲା । ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୪୪ ମସିହା ୨୯ ତାରିଖରେ ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ସାର୍‍ ହାଥର୍ଣ୍ଣ ଲୁଇସ ଓଡ଼ିଶା ପ୍ରଦେଶର ଶାସନ ଦାୟିତ୍ୱ ନିଜ ହାତକୁ ନେଲେ । ଦ୍ୱିତୀୟ ଥର ପାଇଁ ଓଡ଼ିଶା ପ୍ରଦେଶରେ ରାଜ୍ୟପାଳ ଶାସନ ଜାରି ହେଲା । ଏହା ୧୯୪୪ ଜୁନ୍‍ ୨୯ ତାରିଖରୁ ତା୨୨

ମସିହା ଏପ୍ରିଲ ୪-୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ପରବର୍ତ୍ତୀ ପରିଚ୍ଛେଦରେ ବିଶଦ୍‍ ଭାବରେ ଆଲୋଚନା ହୋଇଛି ।

ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ନିର୍ବାଚନରେ (୧୯୩୭) ଦୁଇଟି ସ୍ଥାନ ଯଥା- କଟକ ସହର ଓ ବ୍ରହ୍ମପୁର ସହର ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିଲା । ଏହି ଦୁଇଟି ସ୍ଥାନରୁ ଯଥାକ୍ରମେ ସରଳା ଦେବୀ ଓ ଏ. ଲକ୍ଷ୍ମୀ ବାଈ ନିର୍ବାଚିତ ହୋଇଥିଲେ ।

ସରଳା ଦେବୀ ହେଉଛନ୍ତି ଓଡ଼ିଶା ପ୍ରଦେଶର ଆଗଧାଡ଼ିର ଜଣେ ମହିଳା ସ୍ୱାଧୀନତା ସଂଗ୍ରାମୀ । ନାରୀ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଓ ଆନ୍ଦୋଳନ ଅବିସ୍ମରଣୀୟ । ସେ ଥିଲେ ନାରୀ ମଙ୍ଗଳ ସମିତିର ସଭାନେତ୍ରୀ । ୧୯୪୨-୫୨ ପର୍ଯ୍ୟନ୍ତ ଦୀର୍ଘ ଦଶ ବର୍ଷ ଧରି ସେ ଓଡ଼ିଶାର ସର୍ବବୃହତ୍‍ ତ‌ଥା ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟସମାଜର ସମ୍ପାଦକ ଓ ଉପସଭାପତି ଥାଇ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରପାଇଁ ବଳିଷ୍ଠ ପଦକ୍ଷେପ ମାନ ଗ୍ରହଣ କରିିଥିଲେ । ସେ ମହାତ୍ମାଗାନ୍ଧିଙ୍କ ଦ୍ୱାରା ମନୋନୀତ ହୋଇ ବ୍ୟକ୍ତିଗତ ସତ୍ୟାଗ୍ରହରେ ଯୋଗଦାନ କରିିଥିଲେ । ଭାରତୀୟ ଆନ୍ଦୋଳନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବହୁବାର ଜେଲ ଭୋଗିିଲେ । ୧୯୫୫ ମସିହା ସୀମା ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିିଲେ । ତାଙ୍କର ସ୍ୱାମୀ ଭାଗୀରଥି ମହାପାତ୍ର ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଲୋକସଭା ସାଂସଦ । ସରଳା ଦେବୀଙ୍କର ଜନ୍ମ ୧୯୦୪ ମସିହାରେ । ତାଙ୍କ ଜନ୍ମସ୍ଥାନ ଜଗତ୍‍ସିଂହପୁର

ଜିଲ୍ଲାର ନରିଲୋ ଗ୍ରାମ । ତାଙ୍କ ପିତାଙ୍କ ନାମ ବାସୁଦେବ କାନୁନ୍‌ଗୋ । ମାତାଙ୍କ ନାମ ପଦ୍ମାବତୀ ଦେଈ । ସେ ଭର୍ଣ୍ଣାକୁଲାର ପାସ୍‍ ଯାଏ ପଢ଼ିିଲେ । ହେଲେ ବି ବଙ୍ଗଳା, ହିନ୍ଦୀ, ଇଂରାଜୀଭାଷାରେ ତାଙ୍କର ଗଭୀର ଦକ୍ଷତା ଥିଲା । ଏହି ସବୁ ଭାଷାରେ ସେ ଭଲ ଭାଷଣ ମଧ୍ୟ ଦେଇ ପାରୁଥିଲେ । ସେ ଥିଲେ ଜଣେ ସୁଲେଖିକା । 'ବାସନ୍ତି' ନାମକ ବାରୋୟାରୀ ଉପନ୍ୟାସର ସେ ଥିଲେ ଲେଖିକା । 'ରାୟରାମାନନ୍ଦ' ନାମରେ ସେ ଏକ ପୁସ୍ତକ ଲେଖିଯାଇଛନ୍ତି । ଏହାବ୍ୟତୀତ 'ବିପ୍ଳବିଣୀ', 'ଗାଁ କଥା' ଆଦି ପୁସ୍ତକ ସେ ରଚନା କରିଯାଇଛନ୍ତି । ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସେ ବିଧାୟିକା ଥିବାବେଳେ ବାଲ୍ୟବିବାହ ବନ୍ଦ, ଯୌତୁକ ବିରୋଧ ଓ ପୋଇଲି ପ୍ରଥା ବିରୋଧ


ପାଇଁ ବିଲ୍‍ ପାସ୍‍ କରିିଲେ । ସେ ଥିଲେ ସମବାୟ ବ୍ୟାଙ୍କର ପ୍ରମ ମହିଳା ଡିରେକ୍ଟର । ୧୯୮୬ ମସିହା ଅକ୍ଟୋବର ୪ ତାରିଖରେ ତାଙ୍କର ଦେହାନ୍ତ ହୋଇ ଯାଇଛି ।

ଏ. ଲକ୍ଷ୍ମୀବାଈ ଓଡ଼ିଶାର ଜଣେ ଜଣାଶୁଣା ମହିଳା ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ମନୋନୀତ ହୋଇିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବି୍ରଟିଶ ସରକାର ବିରୁଦ୍ଧରେ ଭାଷଣ ପ୍ରଦାନ କରି ସେ ବ୍ରହ୍ମପୁର ଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରି ଥିଲେ । ସେ ପ୍ରମେ ଗଞ୍ଜାମ ଜିଲା୍ଲ କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢେ଼ଇ ଜାରି ରଖିିଲେ । ସେ ଓଡ଼ିଶା ବିଧାନସଭାକୁ ଦୁଇ ର ୧୯୩୭ ଓ ୧୯୪୬ରେ ନିର୍ବାଚିତ ହୋଇିଲେ । ୧୯୪୬ ମସିହାରେ ସେ ଉପ-ବାଚସ୍ପତି ଥିଲେ । ସେ ପ୍ରଥମ ମହିଳା ଉପବାଚସ୍ପତି । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତା ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ଭଉଣୀ ।

କୃଷ୍ଣଚନ୍ଦ୍ର ଗଜପତି :

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିିବା ପ୍ରିତଯଶା ବ୍ୟକ୍ତି ହେଉଛନ୍ତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ତାଙ୍କର ଜନ୍ମ ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ପାରଳାଖେମୁଣ୍ଡିଠାରେ । ସେ ମାଡ୍ରାସରୁ ଉଚ୍ଚଶିକ୍ଷା ଲାଭ କରି ୧୯୧୩ ମସିହାରେ ସିଂହାସନ ଆରୋହଣ କଲେ । ସେ ଥିଲେ ଅତ୍ୟନ୍ତ ପ୍ରଜାବତ୍ସଳ । ୧୯୧୪ ମସିହାରେ ସେ ଉତ୍କଳ ସମ୍ମିଳନୀର ସାଧାରଣ ଅଧିବେଶନ ପାରଳାଖେମୁଣ୍ଡିଠାରେ କରାଇଥିଲେ । ୧୯୧୬ ମସିହାରେ ବ୍ରିଟିଶ୍‍ ସରକାର ତାଙ୍କୁ ଦେଶରକ୍ଷା ବିଭାଗର ପଦାତିକ ବାହିନୀକୁ ଅବୈତନିକ କମିଶନର ଭାବରେ ମନୋନୀତ କରିିଥିଲେ । ନିଜ ରାଜ୍ୟରେ ରେଳ ଚଳାଚଳ ଓ କୃଷିର ଉନ୍ନତି ପାଇଁ ସେ ବିଶେଷ ଦୃଷ୍ଟି ଦେଇଥିଲେ । ସେ ଥିଲେ ମାନ୍ଦ୍ରାଜ ବ୍ୟବସ୍ଥାପକ ସଭାର ସଭ୍ୟ । ୧୯୩୦-୩୧ରେ ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଓଡ଼ିଶା ବିଷୟ ଉପସ୍ଥାପନ କରିିଲେ । ପାରଳାଖେମୁଣ୍ଡି ଓଡ଼ିଶାରେ ମିଶିବାପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଦୃଢ଼ ଭାବରେ ଲିଖିତମତ ବ୍ୟକ୍ତ କରିିଥିଲେ । ୧୯୩୬ ମସିହାରେ ତାଙ୍କ ଶାସକୀୟ କାର୍ଯ୍ୟକଳାପ ଓ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିିଥିଲେ । ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ୧୯୩୭ରେ ଶପଥ ଗ୍ରହଣ କରି ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିିଥିଲେ । ୧୯୪୧ ମସିହାରେ ମଧ୍ୟ ସେ ଓଡ଼ିଶାରେ ଅଣକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳର ନେତୃତ୍ୱ ଗ୍ରହଣ କରି ଦ୍ୱିତୀୟବାର ଓଡ଼ିଶାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିିଥିଲେ । ୧୯୪୭-୫୦ ମସିହାରେ ଭାରତ ସମ୍ବିଧାନ ସଭାର ସଭ୍ୟ ମନୋନୀତ ହୋଇଥିଲେ । ସେ ବହୁ ଅନୁଷ୍ଠାନ ସହ ସଂପୃକ୍ତ ଥିଲେ । ସେ ଥିଲେ ଉତ୍କଳ

ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ । ଉତ୍କଳ ବିଶ୍ୱ ବିଦ୍ୟାଳୟ ତରଫରୁ ତାଙ୍କୁ ଏଲ୍‍.ଏଲ୍‍.ଡି. ଉପାଧିରେ ଭୂଷିତ କରାଯାଇଥିଲା । ସେ ଥିଲେ ଲଣ୍ଡନ ସ୍ଥିତ ରୟାଲ ସୋସାଇଟି ଅଫ ଆର୍ଟସ ଓ ରୟାଲ ସୋସାଇଟି ଅଫ ଏସିଆର ଆଜୀବନ ସଭ୍ୟ । ୧୯୭୪ ମଇ ମାସ ୨୫ ତାରିଖରେ ତାଙ୍କର ପରଲୋକ ଘଟିଛି । କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳର ଜୀବନ କାଳ ଥିଲା ମାତ୍ର ୩ମାସ ୧୮ଦିନ । ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସେ ଏକ କମିଟି ଗଠନ କରିିଥିଲେ । ଏହି କମିଟିର ସଦସ୍ୟମାନେ ହେଉଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧଜିବୀଗଣ :- (୧) ଏଫ୍.ଆର.ଉଡ୍‍, ଶିକ୍ଷା ସଚିବ, ଓଡ଼ିଶା ସରକାର, (୨) ମିଃ. ଏସ୍‍. ତ୍ରିପାଠୀ, ପ୍ରିନ୍‍ସିପାଲ, ରେଭେନ୍‍ସା କଲେଜ, (୩) ମିଃ. ମହେଶ ଚନ୍ଦ୍ର ପ୍ରଧାନ, ପ୍ରିନ୍‍ସିପାଲ, କଟକ ଟ୍ରେନିଂ କଲେଜ, (୪) ମିଃ. ପି. ମହାନ୍ତି, ପ୍ରିନ୍‍ସିପାଲ, ଖଲିକୋଟ କଲେଜ, (୫) ମିଃ. ପି. ଜଗନ୍ନା ସ୍ୱାମୀ, ପ୍ରିନ୍‍ସିପାଲ, ପାରଳାଖେମୁଣ୍ଡି କଲେଜ, (୬) ପ୍ରଫେସର ପି. କେ. ପରିଜା, ନିର୍ଦ୍ଦେଶକ ଶିକ୍ଷା ବିଭାଗ, (୭) ପ୍ରଫେସର ପି.ଡିପି, ନିର୍ଦ୍ଦେଶକ ଶିକ୍ଷା ବିଭାଗ ।

ପ୍ରଥମ ନିର୍ବାଚନ ପରେ ଓଡ଼ିଶାରେ ତିନୋଟି ମନ୍ତ୍ରିମଣ୍ଡଳ ଶାସନ ଭାର ଗ୍ରହଣ କରିିଥିଲେ । ଓଡ଼ିଶା ଦୁଇଥର ରାଜ୍ୟପାଳଙ୍କ ଶାସନରେ ଥିଲା । ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କଟକ ମେଡିକାଲ ସ୍କୁଲ କଲେଜରେ ପରିଣତ ହେବା ସହିତ ପ୍ରତ୍ୟେକ ଜିଲ୍ଳାରେ ସରକାରୀ କଲେଜ ପ୍ରତିଷ୍ଠା ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

* * *