ଓଡ଼ିଶା ରାଜନୀତିର ଇତିହାସ/ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ


ତୃତୀୟ ପରିଚ୍ଛେଦ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇସାରିବା ପରେ ଏହାର ରାଜଧାନୀ ରହିଲା କଟକ ମହାନଗରୀରେ । ସଚିବାଳୟ ଏଠାରେ କାର୍ଯ୍ୟ କଲା । ସାର ଜନ୍‍ ଅଷ୍ଟେନ୍‍ ହବାକ୍‍ ଓଡ଼ିଶାର ଲାଟସାହେବ ବା ଗଭର୍ଣ୍ଣର ହୋଇ ଆସିଲେ । ସେ ପ୍ରଦେଶ ଗଠନର ପ୍ରଥମ ଦିନ ଓଡ଼ିଶାରେ ପଦାର୍ପଣ କରି ଶାସନ ଦାୟିତ୍ୱ ଗ୍ରହଣ କଲେ । ସାର ଜନ୍‍ ଅଷ୍ଟିନ୍‍ ହବାକ୍‍ ୧୮୭୮ ମସିହା ଫେବ୍ରୁଆରି ୨୮ ତାରିଖରେ ବିଲାତରେ ଜନ୍ମଗ୍ରହଣ କରିିଲେ । ଇଂଲଣ୍ଡର କେମ୍ୱ୍ରିଜ୍‍ ବିଶ୍ୱବିଦ୍ୟାଳୟରୁ ଏମ୍‍.ଏ. ପାସ୍‍ କରି ପ୍ରଥମେ ଜଏଣ୍ଟ ମାଜିଷ୍ଟ୍ରେଟ୍‍ ଭାବରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିିଲେ । ବିହାର-ଓଡ଼ିଶା ଶାସନ ସମିତି ଓ ଅର୍ଥ ସଦସ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ହୋଇ ଆସିଲେ ।

ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଥିଲେ ଜଣେ ପଣ୍ଡିତ ବ୍ୟକ୍ତି । ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ତାଙ୍କର ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଥିଲା । କାରଣ ସେ ଓଡ଼ିଶାର ଗଭର୍ଣ୍ଣର ହେବା ପୂର୍ବରୁ ୧୯୨୬, ୧୯୨୯ ଓ ୧୯୩୦ ମସିହାରେ ତିନିଥର ଓଡ଼ିଶାର କମିଶନର ଦାୟିତ୍ୱ ତୁଲାଇଥିଲେ । ସେ ଓଡ଼ିଶାର କମିଶନର ଭାବରେ କାର୍ଯ୍ୟ କରିିବା ସମୟରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବେଶ୍‍ ତ‌ତ୍ପର ଥିଲେ । କମିଶନର ଭାବରେ ସେ ଓଡ଼ିଶାରେ ବହୁଳ ଲୋକପ୍ରିୟତା ହାସଲ କରିଥିଲେ । ସେହି ସମୟରେ ଓଡ଼ିଆ ଭାଷାକୋଷର ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପାଇଁ ବିହାର-ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ଆର୍ଥିକ ସହାୟତା ପ୍ରଦାନ କରାଇଥିଲେ । ଓଡ଼ିଶାର ଗଭର୍ଣ୍ଣର ହେବା ପରେ ଓଡ଼ିଆ ଭାଷାକୋଷର ପ୍ରକାଶନ ଲାଗି ଆର୍ଥିକ ସହାୟତା ନିମନ୍ତେ ଭାରତର ତତ୍‍କାଳୀନ ଭାଇସ୍‍-ରଏ ଲିନ୍‍ ଲିଥଗୋଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ । ଓଡ଼ିଶାର ଲାଟ ସାହେବ ଭାବରେ ଭାଷାକୋଷର ସପ୍ତମ ଖଣ୍ଡ ପ୍ରକାଶନ ନିମନ୍ତେ ସ୍ୱ-ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଓଡ଼ିଆ ଭାଷାକୋଷର ପ୍ରଥମ ଖଣ୍ଡକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି ।

ଲଣ୍ଡନସ୍ଥିତ ପ୍ରାଚ୍ୟ ମହାବିଦ୍ୟାଳୟ (ଲଣ୍ଡନ କଲେଜ ଅଫ୍‍ ଓରିଏଣ୍ଟାଲ ଷ୍ଟଡିଜ୍‍)ର ପୁସ୍ତକାଗାରରେ ଓଡ଼ିଆ ପୁସ୍ତକ ସ୍ଥାନ ପାଇବା ନିମନ୍ତେ ସେ ଗଭୀର ଦୃଷ୍ଟି ପ୍ରଦାନ କରିିଥିଲେ । ତା୧୮/୧୧/୧୯୩୯ରେ 'ଉତ୍କଳ ସାହିତ୍ୟ ସମାଜ' ଆନୁକୂଲ୍ୟୂରେ ଡକ୍ଟର ମାୟାଧର ମାନସିଂହଙ୍କ ଦ୍ୱାରା "ପାଶ୍ଚାତ୍ୟ ଦୃଷ୍ଟିରେ ଉତ୍କଳୀୟ" ଶୀର୍ଷକ ଆଲୋଚନା ସଭାରେ ସଭାପତିତ୍ୱ କରିିଥିଲେ ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ । ତା୧୮/୧୨/୧୯୩୮ରେ ଉତ୍କଳ ସଙ୍ଗୀତ ସମାଜର ବାର୍ଷିକ ଉତ୍ସବକୁ ସେ ଉଦ୍‍ଘାଟନ କରି ଉଦ୍‍ବୋଧନ ଦେଇଥିଲେ । ତାଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି କେତେ ଅନୁରାଗ ଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ତାଙ୍କର ସହଧର୍ମିଣୀ ଲେଡି ହବାକ୍‍ ଉତ୍କଳ ନାରୀସଂଘ ପ୍ରତିଷ୍ଠା ପାଇଁ ସତର ହଜାର ଟଙ୍କା ଚାନ୍ଦା ସଂଗ୍ରହ କରିଥିଲେ । ୧୯୩୯ ମସିହାରେ ସାର୍‍ ଅଷ୍ଟେନ୍‍ ହବାକ୍‍ କଟକ ନାରୀ ସଂଘ ସଦନର ଶୁଭ ପ୍ରଦାନ କରି ୧୯୪୦ରେ ଏହାକୁ ଉଦ୍‍ଘାଟନ କରିଥିଲେ । ସାର୍‍ ହବାକ୍‍ ଥିଲେ ଜଣେ ମହାନ୍‍ ଆଦର୍ଶସ୍ଥାନୀୟ ବ୍ୟକ୍ତି । ୧୯୩୬ ମସିହାରେ ଓଡ଼ିଶାର ଲାଟ୍‍ ହୋଇ ଆସି ସାରିବା ପରେ ସେ ଓଡ଼ିଶାର ମାଳ ଅଞ୍ଚଳ ଗସ୍ତ କରିବା ନିମନ୍ତେ ମନ ବଳାଇଲେ । ଏ ଖବର କୋରାପୁଟରେ ରାଜକର୍ମଚାରୀମାନଙ୍କ ମଧ୍ୟରେ ବେଶ୍‍ ଚହଳ ପକାଇଥିଲା । ସେମାନେ ଲାଟ ସାହବ ଓ ତାଙ୍କର କର୍ମଚାରୀମାନଙ୍କ ଖାଇବା, ପିଇବା ଓ ରହିବାର ସୁବନ୍ଦୋବସ୍ତ ନିମନ୍ତେ ଲାଗିପଡ଼ିଲେ । ବେଠିଆ ପଠାଇ ରାମଗିରି ଅଞ୍ଚଳର ଗାଁ ଗଣ୍ଡାରୁ ଚାଉଳ, ଡାଲି, ଘିଅ, କାଠ, ଲୋକଙ୍କ ବାଡିରୁ ପନିପରିବା, ଭାଡିରୁ କୁକୁଡା, ଗୁହାଳରୁ ଦୁଧିଆଳି ଗାଈ ଧରି ଆଣିଲେ । ଏ କଥା କ'ଣ ଲାଟ ସାହେବ ଜାଣନ୍ତି ? ଲାଟ ସାହେବଙ୍କ ଗସ୍ତ ଶେଷ ହେଲା । ରାମଗିରି ଅଞ୍ଚଳର ଲୋକେ ସର୍ବସ୍ୱ ହରାଇ ବଡ଼ ହଇରାଣ ହରକତରେ କାଳାତିପାତ କଲେ । ସେମାନଙ୍କର ଅବସ୍ଥା କହିଲେ ନସରେ ।

ସେହି ସମୟରେ କୋରାପୁଟର ମହାନ୍‍ ଆଦିବାସୀ ନେତା ଲକ୍ଷ୍ମଣ ନାଏକଙ୍କ କାନରେ ଏହି ଖବର ପଡ଼ିଲା । ସେ ସମ୍ଭାଳି ହୋଇ ରହିପାରିଲେ ନାହିଁ । ଏ ସମ୍ପର୍କରେ ସେ କୋରାପୁଟର ଅନ୍ୟତମ ବିପ୍ଳବୀ ନେତା ନୀଳକଣ୍ଠ ପାତ୍ର ଓ ରାଧାକୃଷ୍ଣ ବିଶ୍ୱାସରାୟ (କୋରାପୁଟ ଗାନ୍ଧି)ଙ୍କ ସହ ଆଲୋଚନା କଲେ । ସେମାନେ ଏହି ଘଟଣାକୁ ବିଶଦ୍‍ ଭାବରେ ଲେଖି 'ସମାଜ' ଖବର କାଗଜକୁ ପଠାଇଲେ । 'ସମାଜ'ରେ ତାହା ପ୍ରକାଶ ପାଇଲା । ରାଜ୍ୟ ସାରା ଲୋକେ ଏକଥା ଜାଣିଲେ । ଏହି ଖବର ସରକାରଙ୍କ ଦୃଷ୍ଟିକୁ ଆସିଲା । ଲାଟସାହେବ ଜନ୍‍ ଅଷ୍ଟେନ୍‍ ହବାକ୍‍ ଏ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହେଲେ । ଶୀଘ୍ର ଲୋକଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ନିର୍ଦେଶ ପ୍ରଦାନ କଲେ । ଲୋକେ କ୍ଷତି ପୂରଣ ପାଇଲେ । ଏହା ଥିଲା ଲାଟସାହେବ ଜନ୍‍ ଅଷ୍ଟେନ ହବାକ୍‍ଙ୍କ ଅନ୍ୟ ଏକ ମାନବିକତା । ସେକାଳ ଆଉ ନାହିଁ ।

ବିଶ୍ୱନାଥ ଦାସ (ସଂକ୍ଷିପ୍ତ ଜୀବନୀ) :

ସ୍ୱତନ୍ତ୍ର ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱନାଥ ଦାସ । ୧୯୩୫ ମସିହା ଭାରତ ଶାସନ ଆଇନ ବଳରେ ଓଡ଼ିଶା ସମେତ ଦେଶର ଏଗାରଟି ପ୍ରଦେଶରେ ୧୯୩୭

ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ବିଶ୍ୱନାଥ ଦାସ ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ଲାଭ କରିବାରୁ ସେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କଲେ ।

ବିଶ୍ୱନାଥ ଦାସ ୧୮୮୯ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍‌ସା କଲେଜରୁ ବି.ଏ. ଓ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ୍‍ କରିବା ପରେ ମାଡ୍ରାସଠାରେ ଓକିଲାତି ବ୍ୟବସାୟ ଆରମ୍ଭ କଲେ । ଏହି ସମୟରେ ୧୯୨୦ ମସିହାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନର ଡାକରା ତାଙ୍କ କାନରେ ପଡ଼ିଲା । ସେ ଆଇନ ବ୍ୟବସାୟ ତ୍ୟାଗ କରି ଆନ୍ଦୋଳନରେ ଯୋଗଦାନ କଲେ । ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ମଧ୍ୟ ହୋଇଗଲେ । ତାପରେ ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ୍‍ ବୋର୍ଡର ସଭାପତି ଭାବରେ ନିର୍ବାଚିତ ହେଲେ । ଏହି ସମୟରେ ସେ ମାଡ୍ରାସ ପ୍ରଭିନ୍‍ସର କୃଷକ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କଲେ । ୧୯୨୦-୧୯୨୯ ମଧ୍ୟରେ ସେ ମାଡ୍ରାସ କାଉନ୍‍ସିଲକୁ ତିନିଥର ନିର୍ବାଚିତ ହୋଇଥିଲେ । ବିଶ୍ୱନାଥ ବାବୁ ମାଡ୍ରାସ କାଉନ୍‍ସିଲରୁ ଇସ୍ତଫା ଦେଇ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି ବହୁବାର କାରାବରଣ କଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିିଲେ । ଶେଷରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ସେ ହେଲେ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ । ତାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମାଡ୍ରାସ ଭୂସମ୍ପତ୍ତି (ଓଡ଼ିଶା ସଂଶୋଧନ) ବିଲ; ଓଡ଼ିଶା ପ୍ରଜା ସ୍ୱତ୍ୱ (ସଂଶୋଧନ) ବିଲ ଓ ମହାଜନି କାରବାର ଆଇନ ବିଲ ଆଗତ ହୋଇଥିଲା । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘୋଷଣା ହେବାରୁ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦେଶରେ ବିଶ୍ୱନାଥ ବାବୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ, ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା ।

ଓଡ଼ିଶା ପ୍ରଦେଶର ଶାସନ ସିଧାସଳଖ ଲାଟସାହେବଙ୍କ ଅଧୀନରେ ରହିଲା । ତାଙ୍କର ବ୍ୟକ୍ତିଗତ ସଚିବ ମିଃ. ଜେ. ଏସ୍‍. ଉଇଲ କକ୍‍, ଆଇ.ସି.ଏସ୍‍. ତାଙ୍କୁ ଶାସନ ପରିଚାଳନାରେ ସହାୟତା କଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପରେ ଶାସନର ସୁବିଧା ପାଇଁ ଅନେକ ଗୁଡ଼ିଏ ବିଭାଗ ସୃଷ୍ଟି କରାଯାଇଥିଲା । ସଚିବାଳୟ ଓ ବିଭାଗୀୟ ସ୍ତରରେ ଅନେକ ବିଶିଷ୍ଟ ବ୍ୟକ୍ତି ନିଯୁକ୍ତି ପାଇଲେ । ତା'ଭିତରେ ଥିଲେ ଅନେକ ଗୋରା ସାହେବ, କେତେକ ଭାରତୀୟ ଓ ଅଳ୍ପ କିଛି ଓଡ଼ିଆ । ଚିଫ୍‍ ସେକ୍ରେଟାରୀ ବା ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ପାଇଲେ ମିଃ. ପି.ଟି. ମାନ୍‍ସଫିଲଡ୍‍, ସି.ଆଇ.ଇ, ଆଇ.ସି.ଏସ୍‍. । ଉନ୍ନୟନ ସଚିବ ବା ଡେଭଲପ୍‍ମେଣ୍ଟ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଲେ ମିଃ. ଏଫ୍‍. ଡବ୍ଲ୍ୟୁ. ଡିକସନ୍‍, ଆଇ.ସି.ଏସ୍‍. । ଅନ୍ୟ ବିଭାଗ ପାଇଁ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ନିଯୁକ୍ତି ପାଇଥିଲେ ସେମାନେ ହେଲେ- ଆଇନ୍‍ ସଚିବ ତ‌ଥା ଆଡ୍‍ଭୋକେଟ୍‍ ଜେନେରାଲ-ଦେଓ୍ୱାନ୍‍ ବାହାଦୂର ଗୋବିନ୍ଦନ ନାୟାର, ବି.ଏ.ବି.ଏଲ୍‍., ବାରଆଟ-ଲ; ରାଜସ୍ୱ କମିଶନର-ମିଃ. ଆର.ପି.ଓ୍ୱାର୍ଡ, ଆଇ.ସି.ଏସ୍‍.; ସ୍ୱାସ୍ଥ୍ୟ ଓ କାରାଗାର ନିର୍ଦ୍ଦେଶକ

ମେଜର ଭର୍ଗିଜ, ଆଇ.ଏମ୍‍.ଏସ୍‍. ଏମ୍‍.ଡ଼ି. ଆରକ୍ଷୀ ମହାନିର୍ଦ୍ଦେଶକ ମିଃ. ଇ.ଓ.ପରକିନ୍, ଆଇ.ପି. ମୁଖ୍ୟଯନ୍ତ୍ରୀ ମିଃ.ଏ.ଭିପାନ୍‍, ଏମ୍‍.ଆଇ.ସି.ଇ; ବନ ସଂରକ୍ଷକ- ମିଃ ନିକଲସନ୍‍, ଆଇ.ଏଫ୍‍.ଏସ୍‍.; ଇନ୍‍ସପେକ୍ଟର ଅଫ୍‍ ସ୍କୁଲ୍‍ସ- ମିସ୍‍. ନିର୍ମଳବାଳା ନାୟକ, ବି.ଏ.; କଟକ ଟ୍ରେନିଂ କଲେଜ ପ୍ରିନ୍‌ସିପାଲ- ମିଃ. ଭଗବାନ ମୁଖାର୍ଜୀ, ଏମ୍‍.ଏ. ରେଭେନ୍‍ସା କଲେଜ ପ୍ରିନ୍‍ସିପାଲ ମିଃ. ଏସ୍‍. ତ୍ରିପାଠୀ. ଆଇ.ଇ.ଏସ୍‍.; ଓଡ଼ିଆ ଅନୁବାଦକ-ବାବୁ ରମାକାନ୍ତ ମହାପାତ୍ର, ବି.ଏ.; ଅଣ୍ଡର ସେକ୍ରେଟାରୀ (ପଲ୍‍ଟିକାଲ)- ମିଃ. ରମନ୍‍, ଆଇ.ସି.ଏସ୍‍.; ଅଣ୍ଡର ସେକ୍ରଟାରୀ (ଫାଇନାନ୍‍ସ) ରାୟ ସାହେବ ନିଶାମଣି ମହାନ୍ତି; ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟିଜ୍‍-ବାବୁ ସତୀଶ ଚନ୍ଦ୍ର ରାୟ; ସୁପରିଣ୍ଟେଣ୍ଡେଣ୍ଟ ସରକାରୀ ଛାପାଖାନା-ମିଃ.ଟି.ଆର. ପଞ୍ଚପାଙ୍ଗିସନ, ଏମ୍‍.ଏ; କୃଷି ବିଭାଗ ଡେପୁଟି ଡାଇରେକ୍ଟର-ବାବୁ ହୀରାଲାଲ ଦତ୍ତ; ଇଣ୍ଡଷ୍ଟ୍ରିଜ୍ ସର୍କଲ ଅଫିସର-ବାବୁ ଶ୍ରୀବତ୍ସ ପଟ୍ଟନାୟକ; ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ଆସିଷ୍ଟାଣ୍ଡ ସେକ୍ରେଟାରୀ-ବାବୁ ପୂର୍ଣ୍ଣଚନ୍ଦ୍ର ମହାନ୍ତି; ଇନ୍‍ସପେକ୍ଟର ଅଫ୍‍ ଫ୍ୟାକଟ୍ରିଜ୍‍-ମୌଲବୀ ଏ.ସମଦ; ଆଇନ ବିଭାଗ ସହକାରୀ ସେକ୍ରେଟାରୀ ରାୟସାହେବ ନରେଶ ଚନ୍ଦ୍ର ରାୟ ଓ ପଶୁଚିକିତ୍ସା ବିଭାଗ ଡେପୁଟି ଡାଇରେକ୍ଟର-ବାବୁ ନୀଳମଣି ଚାଟାର୍ଜୀ ।

ଏହାବ୍ୟତୀତ ଓଡ଼ିଶାର ତତ୍‍କାଳୀନ ଛ'ଗୋଟି, ଜିଲ୍ଲା ଯଥା: ବାଲେଶ୍ୱର, କଟକ-ଅନୁଗୁଳ, ସମ୍ୱଲପୁର, ପୁରୀ, ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ନିଯୁକ୍ତି ପାଇଲେ । ବିଚାର ବିଭାଗର ସୁପରିଚାଳନା ପାଇଁ କଟକ, ବାଲେଶ୍ୱର, ସମ୍ୱଲପୁର ପାଇଁ ଜଣେ, ପୁରୀ ଓ ଗଞ୍ଜାମ ପାଇଁ ଜଣେ ଏହିପରି ଦୁଇଜଣ ଜିଲ୍ଲା ଜଜ୍‍ଙ୍କୁ ନିଯୁକ୍ତି ଦିଆଯାଇ କୋରାପୁଟ ଏଜେନ୍‍ସି ପାଇଁ ଜଣେ ସ୍ୱତନ୍ତ୍ର ସବ୍‍-ଜଜ୍‍ଙ୍କୁ ନିଯୁକ୍ତି ଦିଆ ଯାଇଥିଲା ।

କଟକ, ବାଲେଶ୍ୱର ଓ ସମ୍ୱଲପୁର ପାଇଁ ବାବୁ ଅଘୋରନା ମୁଖାର୍ଜୀ ଓ ପୁରୀ, ଗଞ୍ଜାମ ପାଇଁ ମିଃ. ପି. ରାମଲିଙ୍ଗମ୍‍, ଆଇ.ସି.ଏସ୍‍. ଜିଲ୍ଲା ଜଜ୍‍ ଭାବରେ ନିଯୁକ୍ତି ପାଇଥିଲେ । ସେହି ସମୟରେ ପ୍ରଶାସନ କ୍ଷେତ୍ରରେ ସେବା ଅଧିକାରୀ (ଆଇ.ସି.ଏସ୍‍.) ଥିଲେ । ଜଣେ ମାତ୍ର ମୁଖ୍ୟ ଶାସନ ସଚିବ ଥିଲେ । ବିଭାଗ ସଂଖ୍ୟା ଥିଲା ଖୁବ୍‍ କମ୍‍ । ଏବେ ମୁଖ୍ୟ ଶାସନ ସଚିବ ଓ ଆଇ.ଏ.ଏସ୍‍. ଅଧିକାରୀଙ୍କ ସଂଖ୍ୟା ବହୁତ ବେଶୀ । ବିଭାଗ ସଂଖ୍ୟା ଅନେକ ବଢ଼ି ଯାଇଛି । ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭାଗ ଗୁଡ଼ିକ ଆଜି ଖୁବ୍‍ ବରାଟ ଆକାର ଧାରଣ କରିଛି । ରାଜ୍ୟ ପାଇଁ ନିଯୁକ୍ତି ପାଇଥିଲେ ଜଣେ ମୁଖ୍ୟ ଯନ୍ତ୍ରୀ । ଏବେ ମୁଖ୍ୟ ଯନ୍ତ୍ରୀମାନଙ୍କ ସଂଖ୍ୟା କାହିଁରେ କେତେ । ଜଣେ ଜଣେ ଅଣ୍ଡର ସେକ୍ରେଟାରୀ ଗୋଟିଏ ଗୋଟିଏ ବିଭାଗ ଦାୟିତ୍ୱରେ ଥିଲେ । ଏବେ କେଉଁ ବିଭାଗରେ ପ୍ରମୁଖ ଶାସନ ସଚିବ ତ ଅନ୍ୟ କେଉଁ ବିଭାଗମାନଙ୍କରେ କମିଶନର ତ‌ଥା ଶାସନ ସଚିବମାନେ କାର୍ଯ୍ୟ କରୁଛନ୍ତି । ତାଙ୍କ ତଳକୁ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଉପଶାସନ ସଚିବ ଓ ଅନୁଶାସନ ସଚିବମାନେ କାର୍ଯ୍ୟରତ । ହେଲେ ଶାସନର ସୁଫଳ ଲୋକେ ପାଇପାରୁ ନାହାନ୍ତିି ।

* * *