ଓଡ଼ିଶା ରାଜନୀତିର ଇତିହାସ/ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ


ଦ୍ୱିତୀୟ ପରିଚ୍ଛେଦ

ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର,

ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ

୧୯୩୬ ମସିହା ଏପିଲ ପହିଲା ତାରିଖରେ ବିହାରରୁ ଅଲଗା ହୋଇ ଓଡ଼ିଶା ସ୍ୱତନ୍ତ୍ର ହେଲା । କଟକ, ପୁରୀ, ବାଲେଶ୍ୱର, ସମ୍ୱଲପୁର, ଗଞ୍ଜାମ ଓ କୋରାପୁଟ ଛ'ଟି ଜିଲ୍ଲାର ଅଠରଟି ସବ୍‍ଡିଭିଜନ୍‍କୁ ନେଇ ଏହି ନୂତନ ଓଡ଼ିଶା ପ୍ରଦେଶ ଗଠିତ ହେଲା । ନୂତନ ଓଡ଼ିଶାପ୍ରଦେଶ ସହ ଗଡ଼ଜାତ ମାନଙ୍କର କୌଣସି ସମ୍ପର୍କ ରହିଲା ନାହିଁ । ନୂତନ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗମାଇଲ ଓ ଜନସଂଖ୍ୟା ଥିଲା ୮୧,୭୪,୦୦୦ । ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ଉତ୍ସବ ପାଳନ କରାଗଲା କଟକ ନଗରର ରେଭେନ୍‍ସା କଲେଜ ହଲରେ ।

ସେହିଦିନ ପ୍ରଭାତରେ ନୂତନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍‍ ଜନ ଅଷ୍ଟେନ୍‍ ହବାକ, କେ.ସି. ଆଇ.ଇ; ଆଇ.ସି.ଏସ୍‍ ତାଙ୍କ ସହଧର୍ମିଣୀଙ୍କ ସହ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ କଟକରେ ଆସି ପହଞ୍ଚିଲେ । ତତ୍‍କାଳୀନ ଭାରତୀୟ ସିପାହୀମାନେ ତାଙ୍କୁ 'ଗାର୍ଡ ଅଫ୍‍ ଅନର' ପ୍ରଦାନ କଲେ । ସତରଟି ତୋପ ସଲାମୀ ଗ୍ରହଣ କରିବା ପରେ ଲାଟ୍‍ସାହେବ ରେଭେନ୍‍ସା କଲେଜ ଅଭିମୁଖେ ଯାତ୍ରା କଲେ । ପୂର୍ବରୁ ରେଭେନ୍‍ସା କଲେଜ ହଲରେ ଦରବାରର ଆୟୋଜନ ହୋଇଥିଲା । ଓଡ଼ିଶାର ବହୁ ଉଚ୍ଚବଂଶୀୟ ବ୍ୟକ୍ତି, ରାଜା-ଜମିଦାର, ବିଶିଷ୍ଟ କର୍ମଚାରୀ ଓ ସାଧାରଣ ଲୋକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଲାଟସାହେବ ରାଜଭକ୍ତି ଓ କାର୍ଯ୍ୟଭାର ଗ୍ରହଣସୂଚକ ଶପଥ ଗ୍ରହଣ କଲେ । ବିହାର-ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ସାର୍‍ କଟନି ଟେଲର ଓଡ଼ିଶାର ନୂତନ ଗଭର୍ଣ୍ଣର ଭାବେ ତାଙ୍କୁୁ ଶପଥ ପାଠ କରାଇଲେ ।

ମହାମହିମ ଭାରତସମ୍ରାଟ ସପ୍ତମ ଏଡ୍‍ଓ୍ୱାର୍ଡ ନୂତନ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ଓଡ଼ିଶାବାସୀଙ୍କ ପ୍ରତି ଏକ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ଭାରତର ବଡ଼ଲାଟ ଲର୍ଡ ଉଇଲିଂଡନ୍‍ଙ୍କ

ପାଖକୁ ପଠାଇଥିଲେ । ଏହି ବାର୍ତ୍ତାକୁ ନୂତନ ଗଭର୍ଣ୍ଣର ସାର ଜନ୍‍ ଅଷ୍ଟେନ୍‍ ହବାକ୍‍ ଏହି ଦରବାରରେ ପାଠ କରିିଲେ । ସେହି ବାର୍ତ୍ତା ଓ ଶୁଭେଚ୍ଛାର ସାରମର୍ମ ହେଲା, "ମୋର ଶାସନ କାଳରେ ସର୍ବ ପ୍ରଥମ କାର୍ଯ୍ୟ ରୂପେ ଗତବର୍ଷ ଭାରତ ସରକାର ଆଇନ୍‍ (Govt. of India Act) ଅନୁଯାୟୀ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ସୃଷ୍ଟି କରିବାର ଅନୁମତି ପ୍ରଦାନ କରି ମୁଁ ବିଶେଷ ଆନନ୍ଦିତ । ମୋର ବଡ଼ଲାଟ ଓ ଓଡ଼ିଶାର ପ୍ରଥମ ଲାଟଙ୍କ ଜରିଆରେ ମୁଁ ଓଡ଼ିଶା ପ୍ରଦେଶକୁ ଏହି ଅଭିନନ୍ଦନ ବାର୍ତ୍ତା ପଠାଉଛି । ଅନ୍ୟାନ୍ୟ ଶାସନ ସହିତ ଶତାବ୍ଦୀ ବ୍ୟାପୀ ପରାଧୀନତା ପରେ ପୁନଃ ମିଳିତ ହେବା ପାଇଁ ଓଡ଼ିଆ ଲୋକଙ୍କର ଯେଉଁ ଦୀର୍ଘ କାଳ ପୋଷିତ ଏକ ସ୍ୱାଭାବିକ ଅଭିଳାଷ ଥିଲା, ତାହା ଆଜି ପୂର୍ଣ୍ଣହେଲା । ଏହି ନୂତନ ପ୍ରଦେଶ ନିଜର ଅତୀତର ଉତ୍ସାହ ଉଦ୍ଦୀପନା ଆହରଣ କରି ପବିତ୍ର ଉତ୍କଳଭୂମିର ଐତିହାସିକ ଖ୍ୟାତିର ଉପଯୁକ୍ତ ଦାୟାଦ ବୋଲି ନିଜକୁ ପ୍ରମାଣିତ କରୁ । ଏହା ହିଁ ମୋର ଆଶା ଓ ଆକାଂକ୍ଷା । ମୁଁ ଓଡ଼ିଶାବାସୀ ସମସ୍ତ ପ୍ରଜାମାନଙ୍କର ସୁଖ ସମୃଦ୍ଧି ପାଇଁ ମୋର ଆନ୍ତରିକ କାମନା ଜଣାଉଛି ।" ଏହାପରଠାରୁ ସ୍ୱତନ୍ତ୍ର ଓଡ଼ିଶା ଶାସନରେ ପ୍ରାଶାସନିକ ବ୍ୟବସ୍ଥା ଚାଲୁ ହେଲା ।

Odisha Rajanitira Itihasa.pdf

ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରେ ୧୯୩୭ ମସିହା ମାର୍ଚ୍ଚ ମାସ ଶେଷ ଯାଏ ଓଡ଼ିଶା ପ୍ରଦେଶର ଶାସନ ଦାୟିତ୍ୱ ରାଜ୍ୟପାଳଙ୍କ ହାତରେ ରହିଲା । ଶାସନ କ୍ଷେତ୍ରରେ ରାଜ୍ୟପାଳଙ୍କୁ ପରାମର୍ଶ ଦେବା ନିମନ୍ତେ ରାଜ୍ୟପାଳ ଏକ ପରାମର୍ଶଦାତା କମିଟି ଗଠନ କଲେ । ଏହି କମିଟିରେ ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାରେ ଥିବା ଏଗାର ଜଣ ଓଡ଼ିଆ ସଭ୍ୟମାନଙ୍କ ସମେତ କୋଡ଼ିଏ ଜଣ ସଦସ୍ୟ ରହିିଲେ । ସେମାନେ ହେଲେ: ବାବୁ ହରିହର ଦାସ, ବାବୁ ଗୋଦାବରୀଶ ମିଶ୍ର, ବାବୁ ରାଧାରଂଜନ ଦାସ, ବାବୁ ଜଗନ୍ନାଥ ଦାସ, ବାବୁ ବ୍ରଜମୋହନ ପଣ୍ଡା, ରେଭରେଣ୍ଡ ବ୍ରଜାନନ୍ଦ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ବାହାଦୁର , ଏ ଥୁମ୍ୱନାଥନ୍ ପାନ୍ତଲୁ ଗାରୁ, ଶ୍ରୀମାନ୍‍ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ଶ୍ରୀମାନ୍‍ ବି.ବି. ଗୋପୀନାଥ ବିଶୋୟୀ ମହାଶୟ, ବାବୁ ନିକୁଞ୍ଜ କିଶୋର ଦାସ, ରାୟ ସାହେବ ଏନ୍‍.ସି.ରାୟ, ରାୟବାହାଦୁର ଲୋକନାଥ

Odisha Rajanitira Itihasa.pdf

ମିଶ୍ର, ପି.ଟି. ମ୍ୟାନ୍‍ସ ଫିଲ୍‍ଡ଼ (ମୁଖ୍ୟ ଶାସନ ସଚିବ), ଦେଓ୍ୱାନ୍‍ ବାହାଦୁର ସି. ଗୋବିନ୍ଦନ ନାୟାର୍‍, ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି, ମୌଲବୀ ମହମ୍ମଦ ଅବ୍‍ଦୁଲ୍‍ ଜଲିଲ୍‍, ବାବୁ ବୀରବର ନାରାୟଣ ଧୀର ନରେନ୍ଦ୍ର, ଆର୍ତ୍ତତ୍ରାଣ ଦେଓ ଓ ବଳଦେବ ନାରାୟଣ ସାମନ୍ତରାୟ ।

ଏହି ପରାମର୍ଶଦାତା କମିଟିର ପ୍ରଥମ ବୈଠକ ପୁରୀ ମ୍ୟୁନିସ୍‍ପାଲ୍‍ କାଉନ୍‍ସିଲ୍‍ ହଲ୍‌ରେ ୧୯୩୬ ମସିହା ମଇମାସ ୮ ତାରିଖରେ ଅନୁଷ୍ଠିତ ହେଲା । ଏହି ବୈଠକରେ ମହାମହିମ ରାଜ୍ୟପାଳ ଅଧ୍ୟକ୍ଷତା କଲେ । ନୂତନ ପ୍ରଦେଶର ରାଜଧାନୀ ନିମନ୍ତେ ସ୍ଥାନ ନିରୂପଣ, ଦୈନନ୍ଦିନ ଅଫିସ୍‍ କାର୍ଯ୍ୟ ପରିଚାଳନା ନିମନ୍ତେ ଅସ୍ଥାୟୀ ବ୍ୟବସ୍ଥା, ପ୍ରଦେଶର ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା ସର୍ବୋପରି ପ୍ରାଦେଶିକ ବ୍ୟବସ୍ଥାପକ ସଭାର ନିର୍ବାଚନ ଓ ଶୀଘ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହେଲା । ସେହି ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ କଟକରେ ଥିବା ସିଟି ହସ୍ପିଟାଲ୍‍ କୋଠାରେ ସେକ୍ରେଟେରିଏଟ୍‍ କାର୍ଯ୍ୟ ଅନୁଷ୍ଠିତ ହେଲା । ତା'ପରେ କିଲା ପଡ଼ିଆଠାରେ ବାରାକ୍‍ ନିର୍ମାଣ କରାଯାଇ ଅସ୍ଥାୟୀ ଭାବରେ ଓଡ଼ିଶା ସେକ୍ରେଟାରିଏଟ୍‍ ସେଠାରେ କାର୍ଯ୍ୟ କଲା । ଏବେ ସେହି ବାରାକ୍‍ଗୁଡ଼ିକ ରହିଛି । ତାକୁ କୁହାଯାଉଛି 'ଓଲ୍‍ଡ଼-ସେକ୍ରେଟେରିଏଟ୍‍' । ଏଠାରେ ପ୍ରାୟ ୧୫ ବର୍ଷ ସେକ୍ରେଟେରିଏଟ୍‍ କାର୍ଯ୍ୟ କରି ଭୁବନେଶ୍ୱର ନୂତନ ସଚିବାଳୟ କୋଠାକୁ ଉଠି ଆସିଲା । ସେହି ବୈଠକର ନିଷ୍ପତ୍ତି ଅନୁସାରେ ୧୯୩୬ ମସିହା ନଭେମ୍ୱର ମାସ ସୁଦ୍ଧା ସୀମିତ ସଂଖ୍ୟକ ସାବାଳକ ଭୋଟରମାନଙ୍କର ତାଲିକା ପ୍ରସ୍ତୁତ ହୋଇଗଲା ।

ନୂତନ ଓଡ଼ିଶାର ବିଧାନସଭାକୁ ଲୋକପ୍ରିୟ ପ୍ରତିନିଧି ପଠାଇବା ପାଇଁ ୧୯୩୭ ମସିହା ଜାନୁଆରି ୧୮ରୁ ୨୩ ତାରିଖ ଯାଏ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭାରେ ମୋଟ ୬୦ ଜଣ ସଭ୍ୟ ରହିବାର ବ୍ୟବସ୍ଥା ରହିଲା । ୫୬ ଜଣ ନିର୍ବାଚିତ ଓ ୪ ଜଣ ମନୋନୀତ । ୫୬ଟି ଆସନରୁ ୪୧ଟି ସାଧାରଣ ବର୍ଗ, ୬ଟି ହରିଜନ, ୨ଟି ମହିଳା, ୨ଟି ଜମିଦାର, ୪ଟି ମୁସଲମାନ ଓ ଗୋଟିଏ ଖ୍ରୀଷ୍ଟିଆନ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ ରହିଲା । ଅନୁଷ୍ଠିତ ନିର୍ବାଚନରେ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ସଂଖ୍ୟାଗରିଷ୍ଠ ଦଳ ବିବେଚିତ ହେଲା ।

ସ୍ୱାଧୀନତା ପୂର୍ବ ପ୍ରଥମ ବିଧାନ ସଭାର ସଭ୍ୟ (୧୯୩୭-୧୯୪୬)
ପଶ୍ଚିମ କଟକ ସଦର ରାଜକୃଷ୍ଣ ବୋଷ କଂଗ୍ରେସ
କେନ୍ଦ୍ରୀୟ କଟକ ସଦର ବିଚିତ୍ରାନନ୍ଦ ଦାସ କଂଗ୍ରେସ
ଉତ୍ତର କଟକ ସଦର ଅଟଳ ବିହାରୀ ଆଚାର୍ଯ୍ୟ କଂଗ୍ରେସ
ଉତ୍ତର କଟକ ସଦର କିଣେଇ ସାମଲ (ଅନୁସୂଚିତ)
ପୂର୍ବ କଟକ ସଦର ନବକୃଷ୍ଣ ଚୌଧୁରୀ କଂଗ୍ରେସ
ଦକ୍ଷିଣ କଟକ ସଦର ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
କେନ୍ଦୀୟ କେନ୍ଦ୍ରାପଡ଼ା ଯଦୁମଣି ମଙ୍ଗରାଜ କଂଗ୍ରେସ
ଉତ୍ତର କେନ୍ଦ୍ରାପଡ଼ା ଗୋବିନ୍ଦ ପ୍ରସାଦ ସିଂହ
ଉତ୍ତର କେନ୍ଦ୍ରାପଡ଼ା ବ୍ରଜନାଥ ମିଶ୍ର (ଉପ ନିର୍ବାଚନ) କଂଗ୍ରେସ
ପୂର୍ବ କେନ୍ଦ୍ରାପଡ଼ା ଲୋକନାଥ ମିଶ୍ର କଂଗ୍ରେସ
ପୂର୍ବ ଯାଜପୁର ବୀରକିଶୋର ବେହେରା
ପୂର୍ବ ଯାଜପୁର (ଅନୁସୂଚିତ) ଦ୍ୱାରକା ନାଥ ଦାସ
ପଶ୍ଚିମ ଯାଜପୁର ବୀରବର ନାରାୟଣଚନ୍ଦ୍ର ଧୀର ନରେନ୍ଦ୍ର
ଉତ୍ତର ଯାଜପୁର ସାଧୁଚରଣ ଦାସ କଂଗ୍ରେସ
ଅନୁଗୋଳ ଗିରିଜା ଭୂଷଣ ଦତ୍ତ କଂଗ୍ରେସ
ଅନୁଗୋଳ କୃପାସିନ୍ଧୁ ଭୁକ୍ତା (ଉପନିର୍ବାଚନ)
ପୂର୍ବ ପୁରୀ ସଦର ମୋହନ ଦାସ କଂଗ୍ରେସ
ଦକ୍ଷିଣ ପୁରୀ ସଦର ଜଗବନ୍ଧୁ ସିଂହ କଂଗ୍ରେସ
ଉତ୍ତର ପୁରୀ ସଦର ଜଗନ୍ନାଥ ମିଶ୍ର କଂଗ୍ରେସ
ଉତ୍ତର ପୁରୀ ସଦର (ଅନୁସୂଚିତ) ବିଶି ଗଣ୍ଡ କଂଗ୍ରେସ
ପୂର୍ବ ଖୋର୍ଦ୍ଧା ପ୍ରାଣନାଥ ପଟ୍ଟନାୟକ କଂଗ୍ରେସ
ପଶ୍ଚିମ ଖୋର୍ଦ୍ଧା ଗୋଦାବରୀଶ ମିଶ୍ର କଂଗ୍ରେସ
କେନ୍ଦ୍ରୀୟ ବାଲେଶ୍ୱର ମୁକୁନ୍ଦ ପ୍ରସାଦ ଦାସ କଂଗ୍ରେସ
ଦକ୍ଷିଣ ବାଲେଶ୍ୱର ସଦର ନନ୍ଦକିଶୋର ଦାସ କଂଗ୍ରେସ
ଉତ୍ତର ବାଲେଶ୍ୱର ସଦର ଚାରୁଚନ୍ଦ୍ର ରାୟ କଂଗ୍ରେସ
ପୂର୍ବ ଭଦ୍ରକ ଚକ୍ରଧର ବେହେରା କଂଗ୍ରେସ
ପଶ୍ଚିମ ଭଦ୍ରକ ଜଗନ୍ନାଥ ଦାସ କଂଗ୍ରେସ
ପଶ୍ଚିମ ଭଦ୍ରକ (ଅନୁସୂଚିତ) ନିଧି ଦାସ କଂଗ୍ରେସ
ସମ୍ୱଲପୁର ସଦର ନୃପଲାଲ୍‍ ସିଂହ
ସମ୍ୱଲପୁର ସଦର (ଅନୁସୂଚିତ ଜନଜାତି) ବୋଧିରାମ ଦୁବେ କଂଗ୍ରେସ
ପଶ୍ଚିମ ବରଗଡ଼ ପ୍ରହ୍ଲାଦ ରାୟ ଲାଠ କଂଗ୍ରେସ
ପୂର୍ବ ବରଗଡ଼ ଫକୀର ବେହେରା କଂଗ୍ରେସ
ପୂର୍ବ ବରଗଡ଼ (ଅନୁସୂଚିତ) ବିଶି ଗଣ୍ଡ
ଖଡ଼ିଆଳ (ରାଜା) ଆର୍ତ୍ତତ୍ରାଣ ଦେଓ
ଘୁମୁସର ବିଶ୍ୱନାଥ ଦାସ କଂଗ୍ରେସ
ଘୁମୁସର ଆନନ୍ଦଚରଣ ରାଉତ
କେଦଳା (ଖଲିକୋଟ ରାଜା) ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ
ଛତ୍ରପୁର (ଜମିଦାର) ମାନନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ
ଆସ୍କା-ସୋରଡ଼ା ଗୋବିନ୍ଦ ପ୍ରଧାନ କଂଗ୍ରେସ
ଆସ୍କା-ସୋରଡ଼ା (ଅନୁସୂଚିତ) ପୁନିଆ ନାୟକ କଂଗ୍ରେସ
ବ୍ରହ୍ମପୁର ଦିବାକର ପଟ୍ଟନାୟକ କଂଗ୍ରେସ
ବ୍ରହ୍ମପୁର ରାମଚନ୍ଦ୍ର ଦେଓ (ବଡ଼ଖେମୁଣ୍ଡି ରାଜା)
ବ୍ରହ୍ମପୁର ବୈଶ୍ୟରାଜ କାଶୀବିଶ୍ୱନାଥ ରାଜୁ
ବାଲିଗୁଡ଼ା-କନ୍ଧମାଳ ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ (ବିଷମକଟକ ରାଜା)
ବାଲିଗୁଡ଼ା-କନ୍ଧମାଳ (ଉପ) ଉମାଚରଣ ପଟ୍ଟନାୟକ
ବାଲିଗୁଡ଼ା-କନ୍ଧମାଳ (ଉପ) ଭରତ ଭୋଇ
ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ର ଗଜପତି ଦେଓ (ପାରଳା ମହାରାଜା)
ନବରଙ୍ଗପୁର ସଦାଶିବ ତ୍ରିପାଠୀ କଂଗ୍ରେସ
ଜୟପୁର-ମାଲକାନାଗିରି ରାଧାମୋହନ ସାହୁ କଂଗ୍ରେସ
କୋରାପୁଟ ରାଧାକୃଷ୍ଣ ବିଶ୍ୱାସ ରାୟ କଂଗ୍ରେସ
କଟକ ସଦର (ମୁସଲମାନ) ଖାଁ ବାହାଦୁର ସୟଦ ଅହମ୍‍ଦ ବକ୍ସ
ଉତ୍ତରକଟକ-ଅନୁଗୋଳ (ମୁ) ସୟଦ ଫଜଲ ହକ୍‍
ବାଲେଶ୍ୱର-ସମ୍ୱଲପୁର (ମୁ) ମୌଲବୀ ଅବଦୁସ୍‍ ଶୋଭନ ଖାଁ
ଦକ୍ଷିଣ ଓଡ଼ିଶା (ମୁସଲମାନ) ମୈାଲବୀ ଲତିଫୁର ରହମନ
କଟକ ସହର (ମହିଳା) ସରଳା ଦେବୀ କଂଗ୍ରେସ
ବ୍ରହ୍ମପୁର ସହର (ମହିଳା) ଏ. ଲକ୍ଷ୍ମୀବାଈ କଂଗ୍ରେସ
ଭାରତୀୟ ଖ୍ରୀଷ୍ଟିଆନ୍‍ ଓଡ଼ିଶା ପ୍ରେମାନନ୍ଦ ମହାନ୍ତି
ବାଣିଜ୍ୟ ଓ ଶିଳ୍ପ ଓଡ଼ିଶା ରଙ୍ଗଲାଲ୍‍ ମୋଦି
ପୂର୍ବ ଓଡ଼ିଶା (ଭୂ-ଧାରକ) ବ୍ରଜ ସୁନ୍ଦର ଦାସ
ପୂର୍ବ ଓଡ଼ିଶା (ଭୂ-ଧାରକ) ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ବାହାଦୁର
ପଶ୍ଚିମ ଓଡ଼ିଶା (ଭୂଧାରକ) ରାଜାକୃଷ୍ଣଚନ୍ଦ୍ର ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ
ଭ୍ରମରବର ରାୟ (ପାରିକୁଦ ରାଜା)
ଶ୍ରମ ଓଡ଼ିଶା ପ୍ୟାରୀ ଶଙ୍କର ରାୟ କଂଗ୍ରେସ
ଘୁମୁସର-ଉଦୟଗିରି(ମନୋନୀତ) ଇ.ଏମ୍‍. ଇଭାନ୍‍ସ୍‍
ସେରାଙ୍ଗ ଗଞ୍ଜାମ (ମନୋନୀତ) ହରିପାଣି ଜେନ୍ନା
କୋରାପୁଟ (ମନୋନୀତ) ଏମ୍‍.ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ
ରାୟଗଡ଼ା (ମନୋନୀତ) ରାଧାମୋହନ ପଣ୍ଡା
Odisha Rajanitira Itihasa.pdf

ବିଶ୍ୱନାଥ ଦାସ କଂଗ୍ରେସ ଦଳର ଦଳପତି ନିର୍ବାଚିତ ହେଲେ । କିନ୍ତୁ ସରକାର ଓ କଂଗ୍ରେସ ଦଳ ଭିତରେ କେତେକ କାରଣରୁ ମତଭେଦ ଉପୁଜିବାରୁ କଂଗ୍ରେସ ଦଳ ସରକାର ଗଠନ କଲେ ନାହିଁ । ଫଳରେ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ସେ ହେଲେ ନୂତନ ଓଡ଼ଶ।ର ପ୍ରଥମ ପ୍ରଧ।ନମନ୍ତ୍ରୀ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ପ୍ରଧ।ନମନ୍ତ୍ରୀ ପଦ ରହିଥିଲା । ଏହି ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଏପ୍ରିଲ ମାସ ପହିଲାରେ ଗଠିତ ହେଲ। । ପ୍ରଧ।ନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦୁଇ ସହଯୋଗୀ ମନ୍ତ୍ରୀ ହେଲେ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ-ରାଜସ୍ୱ ବିଭାଗର ମନ୍ତ୍ରୀ ଓ ମୌଲବୀ ମହମ୍ମଦ ଲିତିଫର ରହମନ-ଶିକ୍ଷାମନ୍ତ୍ରୀ । ସରକାର ଓ କଂଗ୍ରେସଦଳ ମଧ୍ୟରେ ଉପୁଜିିବା ବିବାଦର ସମାଧାନ ହୋଇଯିବାରୁ କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲେ ।

ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ୧୯୩୭ ଜୁଲାଇ ୨୬-୨୭ ତାରିଖରେ କଂଗ୍ରେସଦଳର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କଲେ । ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ଦୁଇ ସହଯୋଗୀ ମନ୍ତ୍ରୀହେଲେ; ନିତ୍ୟାନନ୍ଦ କାନୁନ୍‍ଗୋ- ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଶ୍ରୀ ବୋଧିରାମ ଦୁବେ-ଶିକ୍ଷାମନ୍ତ୍ରୀ । ମନ୍ତ୍ରୀ ଦ୍ୱୟଙ୍କୁ ସହାୟତା କରିବା ନିମନ୍ତେ ବିଧାୟକମାନଙ୍କ ମଧ୍ୟରୁ ଚାରିଜଣ ବ୍ୟବସ୍ଥାପକ ସଚିବ ଭାବରେ ନିଯୁକ୍ତି ପାଇଲେ । ସେମାନେ ହେଲେ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ରାଜକୃଷ୍ଣ ବୋଷ ଓ ରାଧାକୃଷ୍ଣ ବିଶ୍ୱାସ ରାୟ । ମୁକୁନ୍ଦ ପ୍ରସାଦ ଦାସ ହେଲେ ବାଚସ୍ପତି ଓ ନନ୍ଦକିଶୋର ଦାସ ହେଲେ ଉପବାଚସ୍ପତି ।

Odisha Rajanitira Itihasa.pdf
Odisha Rajanitira Itihasa.pdf

୧୯୩୭ ମସିହା ଅଗଷ୍ଟ ୩୦ ତାରିଖ ଦିନ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ରେଭେନ୍‌ସା କଲେଜ ହଲରେ-ଅନୁଷ୍ଠିତ ହେଲା । ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଓଡ଼ିଶାର ମାନ୍ୟବର ଲାଟ ସାହେବ ସାର୍‍ ଜନ୍‍ ଅଷ୍ଟେନ ହବାକ ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ତାଙ୍କ ଅଭିଭାଷଣ ପ୍ରଦାନ କଲେ । ସେଥିରୁ କିଛି ଅଂଶ ଏଠାରେ ଉଲ୍ଲେଖ କରାଯାଉଛି:

"God may direct and guide us in all our consultations. That we may lay aside all private interests, prejudices and partial affection and finally that the result of our counsels may be to the public wealth, peace and tranquility of the realms and the uniting and knitting together of the hearts of all persons and estates within the same."

୧୯୩୬ ମସିହା ଏପ୍ରିଲ ପହିଲାଠାରୁ ଓଡ଼ିଶା ପ୍ରଗତି ପଥରେ ଅଗ୍ରସର ହେବାରେ ଲାଗିଛି । ତତ୍‍କାଳୀନ ଭାରତ ସମ୍ରାଟ ବିଲାତ ନିବାସୀ ନିଶ୍ଚିତ ଭାବରେ ଉତ୍କଳର ପବିତ୍ରତା ଓ ଐତିହାସିକ ଖ୍ୟାତି ସମ୍ପର୍କରେ ସଚେତନ ଥିଲେ । ଏହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ଦିବସରେ ସେ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାରୁ ସ୍ପଷ୍ଟ ସୂଚିତ ହେଉଛି । ଉତ୍କଳ ପବିତ୍ର ଭୂମି ଓ ଓଡ଼ିଆ ବୀର ଜାତି, ଓଡ଼ିଆମାନଙ୍କର ଐତିହ୍ୟ ପରମ୍ପରା ବହୁ ଉଚ୍ଚରେ ଏକଥା ସମଗ୍ର ବିଶ୍ୱବାସୀ ଯେ ମୁକ୍ତକଣ୍ଠରେ ସ୍ୱୀକାର କରିବେ- ଏଥିରେ ସନ୍ଦେହ ନାହିଁ ।