ଓଡ଼ିଶା ରାଜନୀତିର ଇତିହାସ/ନବମ ଓଡ଼ିଶା ବିଧାନସଭା : ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ନବମ ଓଡ଼ିଶା ବିଧାନସଭା : ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ


ତ୍ରୟୋବିଂଶ ପରିଚ୍ଛେଦ
ନବମ ଓଡ଼ିଶା ବିଧାନସଭା:
ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ

ଅଷ୍ଟମ ଲୋକସଭା ନିମନ୍ତେ ଓଡ଼ିଶାର ୨୧ଟି ଯାକ ଆସନ ପାଇଁ ୧୯୮୪ ମସିହା ଡିସେମ୍ବର ୧୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଲା । ୨୧ଟି ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ୨୦ଟି ଆସନ ଲାଭକରି ବିପୁଳ ବିଜୟର ଅଧିକାରୀ ହେଲା । ଗୋଟିଏ ମାତ୍ର ଆସନରେ ଜନତାଦଳର ପ୍ରାର୍ଥୀ ବିଜୟାନନ୍ଦ ପଟ୍ଟନାୟକ ବିଜୟଲାଭ କଲେ । ସେହି ଆସନଟି ହେଲା କେନ୍ଦ୍ରାପଡ଼ା ଲୋକସଭା ଆସନ । ୨୧ଟି ଆସନପାଇଁ ଦଳୀୟ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ମିଶି ୧୧୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ ଦଳର ୨୧ ଜଣ, ଜନତା ଦଳର ୧୯ଜଣ, ଲୋକଦଳର ୫ଜଣ, ଭାରତୀୟ ଜନତା ଦଳର ୪ଜଣ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ଲେଖାଏଁ ଓ ୬୩ଜଣ ସ୍ୱାଧୀନ ପ୍ରାର୍ଥୀ ।

ନବମ ଲୋକସଭା ସଦସ୍ୟ (୧୯୮୪) :

ମୟୂରଭଞ୍ଜ ସିଦ୍ଧଲାଲ ମୁର୍ମୁ କଂଗ୍ରେସ
ବାଲେଶ୍ୱର ଚିନ୍ତାମଣି ଜେନା କଂଗ୍ରେସ
ଭଦ୍ରକ ଅନନ୍ତ ପ୍ରସାଦ ସେଠି କଂଗ୍ରେସ
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ
କେନ୍ଦ୍ରାପଡ଼ା ବିଜୟାନନ୍ଦ ପଟ୍ଟନାୟକ ଜନତା
କଟକ ଜୟନ୍ତୀ ପଟ୍ଟନାୟକ କଂଗ୍ରେସ
ଜଗତସିଂହପୁର ଲକ୍ଷ୍ମଣ ମଲ୍ଲିକ କଂଗ୍ରେସ
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ଆସ୍କା ସୋମନାଥ ରଥ କଂଗ୍ରେସ
ବ୍ରହ୍ମପୁର ଆର. ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ
ଫୁଲବାଣୀ ରାଧାକାନ୍ତ ଡିଗଲ କଂଗ୍ରେସ
ବଲାଙ୍ଗୀର ନିତ୍ୟାନନ୍ଦ ମିଶ୍ର କଂଗ୍ରେସ
ସମ୍ବଲପୁର ଡଃ କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ଼ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ଼ ମରିସ କୁଜୁର କଂଗ୍ରେସ
କେନ୍ଦୁଝର ହରିହର ସୋରେନ୍‍ କଂଗ୍ରେସ

ଏହି ଲୋକସଭା ନିର୍ବାଚନରେ ସମରେନ୍ଦ୍ର କୁଣ୍ଡୁ (ଜ), ଭାଗବତ ପ୍ରସାଦ ମହାନ୍ତି (କଂ), ଯୋଗେଶ ଚନ୍ଦ୍ର ରାଉତ (ଜନତା), ରବି ରାୟ (ଜ), ବାରିଷ୍ଟର ରଣଜିତ ମହାନ୍ତି (ଜ), ଶିବାଜୀ ପଟ୍ଟନାୟକ (ମା.କମ୍ୟୁ), ପ୍ରତାପ କେଶରୀ ଦେଓ (ଜ), ସୈରୀନ୍ଦ୍ରୀ ନାୟକ (ଜ), ପ୍ରସନ୍ନ କୁମାର ପଣ୍ଡା (କମୁ୍ୟ) ଓ ଅଦ୍ୱୈତ ପ୍ରସାଦ ସିଂହ (ଜନତା) ଆଦି ଜଣାଶୁଣା ବଡ଼ ବଡ଼ ନେତାମାନେ ପରାଜିତ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା; ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଜନତା ପ୍ରାର୍ଥୀ ରବି ରାୟ ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମଲ୍ଲିକଙ୍କ ଠାରୁ ପ୍ରାୟ ଦେଢ଼ହଜାର ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ଶ୍ରୀ ମଲ୍ଲିକ ୨,୬୩,୯୬୦ଟି ଭୋଟ ପାଇଥିବା ସ୍ଥଳେ ଶ୍ରୀ ରାୟ ପାଇଥିଲେ ୨,୬୨,୩୯୪ଟି ଭୋଟ ।

ପ୍ରାୟ ଅଢ଼େଇ ମାସ ବ୍ୟବଧାନରେ ଓଡ଼ିଶାର ନବମ ବିଧାନସଭା ନିମନ୍ତେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ୧୯୮୫ ମସିହା ମାର୍ଚ୍ଚମାସ ୫ ତାରିଖରେ । ୧୪୭ଟି ବିଧାନସଭା ଆସନରୁ ୧୪୫ଟିରେ ନିର୍ବାଚନ ଅନୁଷ୍ଠିତ ହେଲା । କେତେକ ଅନିବାର୍ଯ୍ୟ କାରଣ ବଶତଃ ପୁରୀ ଜିଲ୍ଲା କାକଟପୁର ଓ କେନ୍ଦୁଝର ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ରଖାଗଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କଲେ । କଂଗ୍ରେସ ଦଳ ୧୪୫, ଜନତାଦଳ- ୧୩୮, ଭାରତୀୟ ଜନତା ପାର୍ଟି- ୬୭, କମ୍ୟୁନିଷ୍ଟ ଦଳ- ୨୬, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି- ୧୦, ଫରଓ୍ୱାର୍ଡ ବ୍ଲକ-୧, ସୋସାଲିଷ୍ଟ ଇଉନିଟ ସେଣ୍ଟର-୩, ଲୋକଦଳ-୧୮, ଝାଡଖଣ୍ଡ-୧୧, ଶରଦ ପାଓ୍ୱାରଙ୍କ ପରିଚାଳିତ କଂଗ୍ରେସ-୧, ଜଗଜ୍ଜୀବନରାମଙ୍କ କଂଗ୍ରେସ-୧ ପ୍ରାର୍ଥୀ ଏହି ନିର୍ବାଚନରେ ଠିଆ କରାଇ ଥିଲେ । ଏହା ବ୍ୟତୀତ ୩୭୨ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ୧୯୮୦ ମସିହା ନିର୍ବାଚନରେ କଂଗ୍ରେସ ଦଳ ବିଧାନସଭାରେ ଅଧିକାର କରିଥିବା ୧୧୭ଟି ଆସନକୁ ଏହି ନିର୍ବାଚନରେ ବଜାୟ ରଖିଲା । ଅନ୍ୟ ଦଳମାନଙ୍କ ମଧ୍ୟରେ ଜନତା ପାର୍ଟି-୧୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧, ଭାରତୀୟ ଜନତା ପାର୍ଟି-୧ ଓ ସ୍ୱାଧୀନ ସଭ୍ୟମାନେ ୭ଟି ଆସନ ଲାଭ କଲେ । ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଠଗଡ଼ ଓ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରି ଦୁଇଟି ଯାକରେ ବିଜୟୀ ହୋଇ ଆଠଗଡ଼ ନିର୍ବାଚନ ମଣ୍ଡଳୀକୁ ରଖି ଖୋର୍ଦ୍ଧା ଆସନରୁ ଇସ୍ତଫା ପ୍ରଦାନ କଲେ । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ହେଲେ :

ନବମ ବିଧାନସଭା ସଦସ୍ୟ (୧୯୮୫) :

କରଞ୍ଜିଆ କରୁଣାକର ନାୟକ କଂଗ୍ରେସ
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ଭାଗେ ଗୋବର୍ଦ୍ଧନ ଜନତା ଦଳ
ରାଇରଙ୍ଗପୁର ଭବେନ୍ଦ୍ରନାଥ ମାଝି କଂଗ୍ରେସ
ବାଙ୍ଗୀରପୋଷି କାନ୍‍ଗୋଇ ସିଂହ କଂଗ୍ରେସ
କୁଳିଅଣା ସରସ୍ୱତୀ ହେମ୍ବ୍ରମ କଂଗ୍ରେସ
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବଇସିଙ୍ଗା ପୃଥୁନାଥ କିସ୍‍କୁ କଂଗ୍ରେସ
ଖୁଣ୍ଟା ବୀରାମ ମୁର୍ମୁ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ ଉମାରାଣୀ ପାତ୍ର କଂଗ୍ରେସ
ଜଳେଶ୍ୱର ଯୁଧିଷ୍ଠିର ଜେନା କଂଗ୍ରେସ
ବସ୍ତା ଭୂପାଳ ମହାପାତ୍ର କଂଗ୍ରେସ
ବାଲେଶ୍ୱର ଗୋପନାରାୟଣ ଦାସ କଂଗ୍ରେସ
ସୋରୋ ଯଦୁନାଥ ଦାଶ ମହାପାତ୍ର କଂଗ୍ରେସ
ସିମୂଳିଆ ପଦ୍ମଲୋଚନ ପଣ୍ଡା କଂଗ୍ରେସ
ନୀଳଗିରି ସୁକୁମାର ନାୟକ କଂଗ୍ରେସ
ଭଣ୍ଡାରିପୋଖରୀ ପଞ୍ଚାନନ ମଣ୍ଡଳ କଂଗ୍ରେସ
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ
ଧାମନଗର ଜଗନ୍ନାଥ ରାଉତ କଂଗ୍ରେସ
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ
ବାସୁଦେବପୁର ମଧୁସୂଦନ ପାଣିଗ୍ରାହୀ କଂଗ୍ରେସ
ସୁକିନ୍ଦା ଶରତ ରାଉତ କଂଗ୍ରେସ
କୋରେଇ ରାମଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ
ଯାଜପୁର ଜଗନ୍ନାଥ ମଲ୍ଲିକ ଜନତାଦଳ
ଧର୍ମଶାଳା କାଙ୍ଗାଳି ଚରଣ ପଣ୍ଡା କଂଗ୍ରେସ
ବଡଚଣା ସୀତାକାନ୍ତ ମହାପାତ୍ର କଂଗ୍ରେସ
ବରିତେରାବିସ ଶ୍ରୀକାନ୍ତ କୁମାର ଜେନା ଜନତାଦଳ
ବିଂଝାରପୁର ନବକିଶୋର ମଲ୍ଲିକ କଂଗ୍ରେସ
ଆଳି ଦୋଳଗୋବିନ୍ଦ ନାୟକ କଂଗ୍ରେସ
ପଟ୍ଟାମୁଣ୍ଡାଇ ଗଣେଶ୍ୱର ବେହେରା କଂଗ୍ରେସ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତାଦଳ
କେନ୍ଦ୍ରାପଡା ଭଗବତ ପ୍ରସାଦ ମହାନ୍ତି କଂଗ୍ରେସ
ତିର୍ତ୍ତୋଲ ନିତ୍ଯାନନ୍ଦ ସାମନ୍ତରାୟ କଂଗ୍ରେସ
ଏରସମା କୃଷ୍ଣଚନ୍ଦ୍ର ସ୍ୱାଇଁ କଂଗ୍ରେସ
ବାଲିକୁଦା ଜ୍ୟୋତିଷ ଚନ୍ଦ୍ର ଦାସ କଂଗ୍ରେସ
ଜଗତସିଂହପୁର କୈଳାସ ଚନ୍ଦ୍ର ମଲ୍ଲିକ କଂଗ୍ରେସ
କିଶନନଗର ବଟକୃଷ୍ଣ ଜେନା କଂଗ୍ରେସ
ମାହାଙ୍ଗା ସେକ ମତଲୁବ୍ ଅଲ୍ଲି କଂଗ୍ରେସ
ସାଲେପୁର ମାୟାଧର ସେଠୀ କଂଗ୍ରେସ
ଗୋବିନ୍ଦପୁର ତ୍ରିଲୋଚନ କାନୁନଗୋ ସ୍ୱାଧୀନ
କଟକ ସଦର ଦୋଳ ଗୋବିନ୍ଦ ପ୍ରଧାନ କଂଗ୍ରେସ
କଟକ ସଦର ସୟଦ ମୁସ୍ତାଫିଜ ଅହମଦ ଜନତାଦଳ
ଚୌଦ୍ବାର ରାଶାନନ୍ଦ ସାହୂ କଂଗ୍ରେସ
ବାଙ୍କୀ ଅକ୍ଷୟ କୁମାର ପଟ୍ଟନାୟକ କଂଗ୍ରେସ
ଆଠଗଡ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ
ବଡମ୍ବା ଡା. ଲଳିତ ମୋହନ ମହାନ୍ତି କଂଗ୍ରେସ
ବାଲିପାଟଣା ରାଘବ ଚନ୍ଦ୍ର ସେଠି କଂଗ୍ରେସ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା
ଜଟଣି ସୁରେଶ କୁମାର ରାଉତରାୟ କଂଗ୍ରେସ
ପିପିଲି ପ୍ରଦୀପ କୁମାର ମହାରଥୀ ଜନତାଦଳ
ନିମାପଡ଼ା ରବୀନ୍ଦ୍ର କୁମାର ସେଠୀ କଂଗ୍ରେସ
କାକଟପୁର ସୁରେନ୍ଦ୍ର ନାଥ ନାୟକ ଜନତାଦଳ
ସତ୍ୟବାଦୀ ରବୀନ୍ଦ୍ର କୁମାର ଦାସ କଂଗ୍ରେସ
ପୁରୀ ବ୍ରଜକିଶୋର ତ୍ରିପାଠୀ ଜନତାଦଳ
ବ୍ରହ୍ମଗିରି ଗଙ୍ଗାଧର ମହାପାତ୍ର କଂଗ୍ରେସ
ଚିଲିକା ଡାଃ ଦେବେନ୍ଦ୍ର ନାଥ ମାନସିଂହ କଂଗ୍ରେସ
ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ
ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଉଦାହରଣ
ବେଗୁନିଆ କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ
ନୟାଗଡ଼ ଭାଗବତ ବେହେରା ଜନତାଦଳ
ଖଣ୍ଡପଡ଼ା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ କଂଗ୍ରେସ
ଦଶପଲ୍ଲା ହରିହର କରଣ କଂଗ୍ରେସ
ଜଗନ୍ନାଥପ୍ରସାଦ ଡମ୍ବରୁଧର ସେଠି କଂଗ୍ରେସ
ଭଞ୍ଜନଗର ଉମାକାନ୍ତ ମିଶ୍ର କଂଗ୍ରେସ
ସୋରଡ଼ା ଶରତ ଚନ୍ଦ୍ର ପଣ୍ଡା କଂଗ୍ରେସ
ଆସ୍କା ରାଘବ ପରିଡ଼ା କଂଗ୍ରେସ
କବିସୂର୍ଯ୍ୟନଗର ରାଧାଗୋବିନ୍ଦ ସାହୁ କଂଗ୍ରେସ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତାଦଳ
ଖଲ୍ଲିକୋଟ ଭି. ସୁଜ୍ଞାନ କୁମାରୀ ଦେଓ ଜନତାଦଳ
ଛତ୍ରପୁର ଅଶୋକ କୁମାର ଚୌଧୁରୀ କଂଗ୍ରେସ
ହିଞ୍ଜିଳି ଉଦୟ ନାୟକ କଂଗ୍ରେସ
ଗୋପାଳପୁର ଘନଶ୍ୟାମ ବେହେରା କଂଗ୍ରେସ
ବ୍ରହ୍ମପୁର ଶିବଶଙ୍କର ସାହାଣୀ କଂଗ୍ରେସ
ଚିକିଟି ଚିନ୍ତାମଣିଦ୍ୟାନ ସାମନ୍ତରାୟ କଂଗ୍ରେସ
ମୋହନା ଶରତ କୁମାର ଜେନା କଂଗ୍ରେସ
ରାମଗିରି ହଳଧର କାର୍ଜି ସ୍ୱାଧୀନ
ପାରଳାଖେମୁଣ୍ଡି ତ୍ରିନାଥ ସାହୁ କଂଗ୍ରେସ
ଗୁଣପୁର ଭାଗୀରଥି ଗମାଙ୍ଗ କଂଗ୍ରେସ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ରାମଚନ୍ଦ୍ର ଉଲାକା କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ଚନ୍ଦ୍ରମା ସାନ୍ତା କଂଗ୍ରେସ
କୋରାପୁଟ ନୃସିଂହାନନ୍ଦ ବ୍ରହ୍ମା କଂଗ୍ରେସ
ମାଲକାନାଗିରି ନଦିୟାବାସୀ ବିଶ୍ୱାସ ସ୍ୱାଧୀନ
ଚିତ୍ରକୋଣ୍ଡା ଗଙ୍ଗାଧର ମାଢ଼ୀ କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ଗୁପ୍ତ ପ୍ରସାଦ ପୂଜାରୀ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
ଡାବୁଗାଁ ଡମ୍ବରୁ ମାଝି କଂଗ୍ରେସ
ଉମରକୋଟ ପରମା ପୂଜାରୀ କଂଗ୍ରେସ
କୋଚିଗାଁ ଭଗବତୀ ପୂଜାରୀ କଂଗ୍ରେସ
ନୂଆପଡ଼ା ଘାସିରାମ ମାଝି ଜନତାଦଳ
ଖଡ଼ିଆଳ ଅନୁପ ସିଂହଦେଓ କଂଗ୍ରେସ
ଧର୍ମଗଡ଼ ଯୁଗରାମ ବେହେରା କଂଗ୍ରେସ
କୋକସରା ରାସବିହାରୀ ବେହେରା କଂଗ୍ରେସ
ଜୁନାଗଡ଼ ବିକ୍ରମ କେଶରୀ ଦେବ ଜନତାଦଳ
ଭବାନୀପାଟଣା ଭକ୍ତଚରଣ ଦାସ ଜନତାଦଳ
ନର୍ଲା କୁମରମଣି ଶବର କଂଗ୍ରେସ
କେସିଙ୍ଗା ଭୁପିନ୍ଦର ସିଂହ କଂଗ୍ରେସ
ବାଲିଗୁଡ଼ା ଲକ୍ଷ୍ମୀକାନ୍ତ ମଲ୍ଲିକ କଂଗ୍ରେସ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ଅଭିମନ୍ୟୁ ବେହେରା କଂଗ୍ରେସ
ବୌଦ ସୁଜିତ କୁମାର ପାଢ଼ୀ କଂଗ୍ରେସ
ଟିଟିଲାଗଡ଼ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ କଂଗ୍ରେସ
କଣ୍ଟାବାଂଜି ଚୈତନ୍ୟ ପ୍ରଧାନ ସ୍ୱାଧୀନ
ପାଟଣାଗଡ଼ ଡା. ସୁଶୀଲ କୁମାର ପୃଷ୍ଟି କଂଗ୍ରେସ
ସଇଁତଳା ରାଧାକାନ୍ତ ପଣ୍ଡା ସ୍ୱାଧୀନ
ଲୋଇସିଙ୍ଗା ବାଲଗୋପାଲ ମିଶ୍ର ସ୍ୱାଧୀନ
ବଲାଙ୍ଗୀର ମୁଜାଫର ହୁସେନ ଖାଁ କଂଗ୍ରେସ
ସୋନପୁର ଅଚ୍ୟୁତ ବିଶ୍ୱାଳ କଂଗ୍ରେସ
ବିନିକା ଚିତ୍ତରଂଜନ ମିଶ୍ର କଂଗ୍ରେସ
ବୀରମହାରାଜପୁର କାର୍ତ୍ତିକ ପ୍ରସାଦ ତରିଆ କଂଗ୍ରେସ
ଆଠମଲ୍ଲିକ ଅମରନାଥ ପ୍ରଧାନ କଂଗ୍ରେସ
ଅନୁଗୁଳ ପ୍ରଫୁଲ ମିଶ୍ର କଂଗ୍ରେସ
ହିନ୍ଦୋଳ ରବି ନାରାୟଣ ନାୟକ କଂଗ୍ରେସ
ଢେଙ୍କାନାଳ ନନ୍ଦିନୀ ଶତପଥୀ ସ୍ୱାଧୀନ
ଗଁଦିଆ ପ୍ରଫୁଲ୍ଲ କୁମାର ଭଞ୍ଜ କଂଗ୍ରେସ
କାମାଖ୍ୟାନଗର ପ୍ରସନ୍ନ କୁମାର ପଟ୍ଟନାୟକ ସ୍ୱାଧୀନ
ପାଲଲହଡ଼ା ବିଭୁଦେନ୍ଦ୍ର ପ୍ରତାପ ଦାସ କଂଗ୍ରେସ
ତାଳଚେର ଭଜମନ ବେହେରା କଂଗ୍ରେସ
ପଦ୍ମପୁର ସତ୍ୟଭୂଷଣ ସାହୁ କଂଗ୍ରେସ
ମେଳଛାମୁଣ୍ଡା ପ୍ରକାଶଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ନିକୁଞ୍ଜ ବିହାରୀ ସିଂହ ଜନତାଦଳ
ଭଟଲି ମୋହନ ନାଗ କଂଗ୍ରେସ
ବରଗଡ଼ ଯଦୁମଣି ପ୍ରଧାନ କଂଗ୍ରେସ
ସମ୍ବଲପୁର ଶ୍ରଦ୍ଧାକର ସୂପକାର କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା କମ୍ୟୁନିଷ୍ଟ
ଝାରସୁଗୁଡ଼ା ବୀରେନ୍ଦ୍ର ପାଣ୍ଡେ କଂଗ୍ରେସ
ଲଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ
ଦେଓଗଡ଼ ରାଜକିଶୋର ପ୍ରଧାନ କଂଗ୍ରେସ
ସୁନ୍ଦରଗଡ଼ ଭରତେନ୍ଦ୍ର ଶେଖର ଦେଓ ଜନତାଦଳ
ତଳସରା ଗଦାଧର ମାଝି କଂଗ୍ରେସ
ରାଜଗାଙ୍ଗପୁର ମଙ୍ଗଳା କିଷାନ୍‍ ଜନତାଦଳ
ବୀରମିତ୍ରପୁର ରେମିସ୍‍ କେର୍କେଟା କଂଗ୍ରେସ
ରାଉରକେଲା ଦିଲ୍ଲୀପ କୁମାର ରାୟ ଜନତା
ରଘୁନାଥପଲ୍ଲୀ ଫ୍ରିଡା ଟପ୍ନୋ କଂଗ୍ରେସ
ବଣାଇ ବସନ୍ତ କୁମାର ସିଂ ଦଣ୍ଡପାଟ କଂଗ୍ରେସ
ପାଟଣା ହୃଷୀକେଶ ନାୟକ କଂଗ୍ରେସ
କେନ୍ଦୁଝର ଛୋଟରାୟ ମାଝି ଜନତା
ତେଲକୋଇ ପ୍ରାଣବଲ୍ଲଭ ନାୟକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ
ଚମ୍ପୂଆ ଧନୁର୍ଜ୍ଜୟ ଲାଗୁଡ଼ି କଂଗ୍ରେସ

ଏହି ନିର୍ବାଚନରେ ବିଭିନ୍ନ ଦଳରୁ ସାତଜଣ ମହିଳାର୍ପ୍ରାୀ ନିର୍ବାଚିତ ହୋଇ ଆସିିଥିଲେ । ସେମାନେ ଓ ସେମାନଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା:

କୁଳିଅଣା ସରସ୍ୱତୀ ହେମ୍ବ୍ରମ୍‍ କଂଗ୍ରେସ
ଭୋଗରାଇ ଉମାରାଣୀ ପାତ୍ର କଂଗ୍ରେସ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତାଦଳ
ପଟାଙ୍ଗୀ ଚନ୍ଦ୍ରମା ସାନ୍ତା କଂଗ୍ରେସ
ଉମରକୋଟ ପରମା ପୂଜାରୀ କଂଗ୍ରେସ
ଢେଙ୍କାନାଳ ନନ୍ଦିନୀ ଶତପଥୀ ସ୍ୱାଧୀନ
ରଘୁନାଥ ପାଲ୍ଲୀ ଫ୍ରିଡା ଟପ୍ନୋ କଂଗ୍ରେସ

ସର୍ବସମ୍ମତି କ୍ରମେ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ ଓ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ୧୯୮୫ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଶପଥ ଗ୍ରହଣ କଲେ । ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭର ନାଥ ପାଣ୍ଡେ ତାଙ୍କୁ ଶପଥ ଗ୍ରହଣ କରାଇଲେ । ମାର୍ଚ୍ଚ ୧୨ ତାରିଖରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ । ସେମାନଙ୍କ ଭିତରେ ରହିଲେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୧୦ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳଟି ଏହିପରି ଭାବରେ ଗଢ଼ାଯାଇ ବିଭାଗ ବଣ୍ଟନ କରାଗଲା ।

କ୍ୟାବିନେଟ ମନ୍ତ୍ରୀ :
ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ଘରୋଇ, ସାଧାରଣ ପ୍ରଶାସନ, ଅର୍ଥ, ଯୋଜନା,
ସମନ୍ୱୟ, ବିଜ୍ଞାନ, କାରିଗରୀ କୌଶଳ ଓ ପରିବେଶ, ଶିଳ୍ପ,
ସୂଚନା ଓ ଲୋକସମ୍ପର୍କ, କ୍ରୀଡ଼ା, ପୂର୍ତ୍ତ, ଖଣି ଓ ଭୂତତ୍ତ୍ୱ, ଗୃହ
ଓ ନଗର ଉନ୍ନୟନ, ଜଳସେଚନ ଓ ବିଦ୍ୟୁତ
(୩୦.୪.୧୯୮୫ରେ ରାଜସ୍ୱ ବିଭାଗ ଦାୟିତ୍ୱ ଗ୍ରହଣ)
ଅନୁପ ସିଂହଦେଓ : ବାଣିଜ୍ୟ ଓ ପରିବହନ
ଭଜମନ ବେହେରା : ହରିଜନ ଓ ଆଦିବାସୀ କଲ୍ୟାଣ
ଗଙ୍ଗାଧର ମହାପାତ୍ର : ଆଇନ, ପର୍ଯ୍ୟଟନ ଓ ସଂସ୍କୃତି
ଯୁଗଳ କିଶୋର ପଟ୍ଟନାୟକ : ଶିକ୍ଷା ଓ ଯୁବସେବା
ନିରଞ୍ଜନ ପଟ୍ଟନାୟକ : ରାଜସ୍ୱ (୩୦.୪.୧୯୮୫ରେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ)
ବଟକୃଷ୍ଣ ଜେନା : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ ବିଭାଗ ରାଷ୍ଟ୍ରମନ୍ତ୍ରୀ
ଭୁପାଳ ମହାପାତ୍ର : (୧୩.୩.୧୯୮୫ରେ ଶପଥ ଗ୍ରହଣ)- ଜଙ୍ଗଲ ବିଭାଗ

ରାଷ୍ଟ୍ର ମନ୍ତ୍ରୀ :

ଡମ୍ବରୁଧର ଉଲାକା : ଅବକାରୀ
କୁମାରୀ ଫ୍ରିଡ଼ା ଟପ୍ନୋ : ମତ୍ସ୍ୟ ଓ ପଶୁପାଳନ
ହବିବୁଲ୍ଲା ଖାଁ : ଖାଦ୍ୟ ଓ ଯୋଗାଣ
ହେମାନନ୍ଦ ବିଶ୍ୱାଳ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମହମ୍ମଦ ମୁଜାଫର ହୁସେନ ଖାଁ : ଶ୍ରମ ଓ କର୍ମ ଯୋଗାଣ
ମୋହନ ନାଗ : ଜଳସେଚନ
ନାଗାର୍ଜୁନ ପ୍ରଧାନ : ସମବାୟ
ଶରତଚନ୍ଦ୍ର ପଣ୍ଡା : କୃଷି ବିଭାଗ

ଶପଥ ଗ୍ରହଣ ଓ ବାଚସ୍ପତି, ଉପବାଚସ୍ପତି ନିର୍ବାଚନ :

ଶ୍ରଦ୍ଧାକର ସୂପକାର ଅସ୍ଥାୟୀ ବାଚସ୍ପତି ଭାବରେ ନବନିର୍ବାଚିତ ବିଧାୟକମାନଙ୍କୁ ୧୩.୩.୧୯୮୫ରେ ଶପଥ ପାଠ କରାଇଲେ । ଏହାପରେ ୧୪ ତାରିଖ ଦିନ ପୂର୍ବ ବିଧାନସଭାର ବାଚସ୍ପତି ଥିବା ପ୍ରସନ୍ନ କୁମାର ଦାସ ସର୍ବସମ୍ମତି କ୍ରମେ ନବମ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ମଧ୍ୟ ଉପବାଚସ୍ପତି

ଭାବରେ ସେହିଦିନ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ବିଜୁ ପଟ୍ଟନାୟକ ଜନତା ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ସେ ବିରୋଧୀ ଦଳ ନେତା ହେଲେ ବୋଲି ୨୨ ତାରିଖ ଦିନ ଘୋଷଣା କରାଗଲା । ବିଜୁ ପଟ୍ଟନାୟକ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହେବାରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଭୁବନେଶ୍ୱରର ବିଧାୟକ ହୋଇ ରହିଲେ ।

ଉପନିର୍ବାଚନ ଫଳାଫଳ :

ପୂର୍ବରୁ ନିର୍ବାଚନ ହୋଇ ନଥିବା କାକଟପୁର ଓ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀ ସହ, ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ଛାଡ଼ି ଦେଇଥିବା ଖୋର୍ଦ୍ଧା ବିଧାନସଭା ଆସନ ଓ ବିଜୁ ପଟ୍ଟନାୟକ ଛାଡ଼ିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଲା । କାକଟପୁରରୁ ଜନତା

ପାର୍ଟି ପ୍ରାର୍ଥୀ ସୁରେନ୍ଦ୍ରନାଥ ନାୟକ, କେନ୍ଦୁଝରରୁ ଜନତା ପାର୍ଟି ପ୍ରାର୍ଥୀ ଛୋଟରାୟ ମାଝି ଓ ଖୋର୍ଦ୍ଧାରୁ ଜନତା ପାର୍ଟି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହେଲେ । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଉପନିର୍ବାଚନରେ ଜନତା ପ୍ରାର୍ଥୀ ଶରତ କୁମାର ଦେବ ବିଜୟ ଲାଭ କଲେ । ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭବେନ୍ଦ୍ର ନାଥ ମାଝିଙ୍କର ୧୯୮୬ ମସିହା ମାର୍ଚ୍ଚ ମାସ ୩ ତାରିଖରେ ପରଲୋକ ଘଟିଲା । ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା ନଭେମ୍ବର ୨୩ ତାରିଖରେ । ଏଠାରୁ ମଧ୍ୟ ଜନତାପାର୍ଟିର ପ୍ରାର୍ଥୀ ଚୈତନ୍ୟ ପ୍ରସାଦ ମାଝି ଉପନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

ବିଭିନ୍ନ ସମୟରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ :

ଘଟଣାଚକ୍ରରେ ରାଜସ୍ୱ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ୧୯୮୫ ମସିହା ଏପ୍ରିଲ ୩୦ ତାରିଖରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ । ନିଜର ସମ୍ମାନ ବଜାୟ ରଖିବା ନିମନ୍ତେ ସେ ସୁପ୍ରିମ କୋର୍ଟରେ ଅପିଲ୍‍ କଲେ । ମେ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଯଦୁନାଥ ଦାଶ ମହାପାତ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ସେ ରହିଲେ ଶିକ୍ଷା ଓ ଯୁବ ସେବା ବିଭାଗ ଦାୟିତ୍ୱରେ । ଯୁଗଳ କିଶୋର ପଟ୍ଟନାୟକଙ୍କ ହାତରୁ ଏହି ବିଭାଗ କାଢ଼ି ନିଆଯାଇ ତାଙ୍କୁ ରାଜସ୍ୱ ବିଭାଗ ପ୍ରଦାନ କରାଗଲା । ଏହି ସଂପ୍ରସାରଣରେ ଶରତ ରାଉତ ରାଷ୍ଟ୍ରମନ୍ତ୍ରୀ ଭାବରେ ନିଯୁକ୍ତି ପାଇଲେ । ସେ ରହିଲେ 'ଯୋଜନା ସମନ୍ୱୟ' ଏବଂ 'ସୂଚନା ଓ ଲୋକସମ୍ପର୍କ' ବିଭାଗ ଦାୟିତ୍ୱରେ ।

୧୯୮୬ ମସିହା ଜୁଲାଇ ୨୨ ତାରିଖ ଦିନ ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳ ବଦଳ ହେବା ସହ ବିରାଟ ସଂପ୍ରସାରଣ ଘଟିଲା । ଅନୁପ ସିଂହଦେଓ ମନ୍ତ୍ରିମଣ୍ଡଳରୁ ବାଦ୍‍ ପଡ଼ିଲେ । ହରିହର କରଣ, ସେକ୍‍ ମତଲୁବ୍‍ ଅଲ୍ଲି, ରାସ ବିହାରୀ ବେହେରାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦୋଷ ବୋଲି ସେତେବେଳକୁ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନିରଞ୍ଜନ ବାବୁଙ୍କୁ ଏହି ସଂପ୍ରସାରଣରେ କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଗ୍ରହଣ କଲେ । ତାଙ୍କୁ ଶିଳ୍ପ, ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ଦାୟିତ୍ୱ ଦିଆଗଲା । ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ପାଇଲେ । ଏହି ସଂପ୍ରସାରଣରେ ଭୂପିନ୍ଦର ସିଂହଙ୍କୁ ରାଷ୍ଟ୍ର ପାହ୍ୟାମନ୍ତ୍ରୀ ଭାବରେ ନିଆଯାଇ ତାଙ୍କୁ ସୂଚନା, ଲୋକସଂପର୍କ ବିଭାଗ ସହ ଜଳସେଚନ ଓ ବିଦ୍ୟୁତ ବିଭାଗର ଦାୟିତ୍ୱ ପ୍ରଦାନ କରାଗଲା । ଦୁଇଜଣ ମହିଳାଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଗଲା । ସେମାନେ ହେଲେ ପରମା ପୂଜାରୀ ଓ ସରସ୍ୱତୀ ହେମ୍ବ୍ରମ ।

ମନ୍ତ୍ରିମଣ୍ଡଳରୁ ବହିଷ୍କାର :

କ୍ୟାବିନେଟ ମନ୍ତ୍ରୀ ଭଜମନ ବେହେରାଙ୍କର ବିଧାନସଭା ସଦସ୍ୟ ପଦ ଆଣ୍ଟି ଡିଫେକ୍ସନ ଆକ୍ଟ ବଳରେ ରଦ୍ଦ ହୋଇଯିବାରୁ ତାଙ୍କୁ ଓ ଅନ୍ୟାନ୍ୟ ଦଳୀୟ ଶୃଙ୍ଖଳାଗତ କାରଣ ଯୋଗୁଁ କ୍ୟାବିନେଟ ମନ୍ତ୍ରୀ ଗଙ୍ଗାଧର ମହାପାତ୍ର ଓ ରାଷ୍ଟ୍ରମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୬ ମସିହା ଡିସେମ୍ବର ୧୯ ତାରିଖ ଦିନ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ । ରାଷ୍ଟ୍ରମନ୍ତ୍ରୀ ଶରତଚନ୍ଦ୍ର ପଣ୍ଡାଙ୍କର ୧୯୮୯ ମସିହା ଡିସେମ୍ବର ୧୯ ତାରିଖରେ ପରଲୋକ ଘଟିଲା । ଏହିପରି ଭାବରେ ମନ୍ତ୍ରିମଣ୍ଡଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା, ସେଗୁଡ଼ିକୁ ଆଉ ପୂରଣ କରାଯାଇ ନିଲା ।

ବିଧାନସଭା ସଦସ୍ୟ ପଦ ଖାଲି :

୧୯୮୯ ମସିହା ମେ ମାସ ୧୮ ତାରିଖରେ କଂଗ୍ରେସ (ଆଇ) ଦଳର ସଦସ୍ୟ ତଥା ଟିଟିଲାଗଡ଼ ବିଧାୟକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦଙ୍କର ମୃତ୍ୟୁ ଘଟିଲା । ବିଧାସଭାର ସ୍ୱାଧୀନ ସଦସ୍ୟ ତ୍ରିଲୋଚନ କାନୁନ୍‍ଗୋ ୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଇସ୍ତଫା ପ୍ରଦାନ କଲେ । ୧୯୮୯ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଜନତା ଦଳର ବିଧାୟକ ଥିବା ଭାଗେ ଗୋବର୍ଦ୍ଧନ, ଶ୍ରୀକାନ୍ତ ଜେନା, ଭକ୍ତ ଚରଣ ଦାସ ଓ ସ୍ୱାଧୀନ ବିଧାୟକ ବାଳଗୋପାଳ ମିଶ୍ର ଲୋକସଭାକୁ ନିର୍ବାଚିତ ହେବାରୁ ବିଧାନସଭାର ଚାରିଗୋଟି ଆସନ ଖାଲି ପଡ଼ିଲା । ୧୯୮୯ ଡିସେମ୍ବର ୩୦ ତାରିଖରେ ଦେବଗଡ଼ ବିଧାୟକ ରାଜକିଶୋର ପ୍ରଧାନ ଓ ପାଲଲହଡ଼ା ବିଧାୟକ ବିଭୁଦେନ୍ଦ୍ର ପ୍ରତାପ ଦାସ ବିଧାନ ସଭା ସଭ୍ୟପଦରୁ ଇସ୍ତଫା ପ୍ରଦାନ କଲେ । ପୂର୍ବରୁ ଭଜମନ ବେହେରାଙ୍କ ସଭ୍ୟପଦ ରଦ୍ଦ ହୋଇଯାଇଥିଲା । ବିଧାନସଭାର ଏହି ସବୁ ଶୂନ୍ୟ ଆସନପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇନଥିବା ଜଣାଯାଏ ।

ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ :

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏହି ଦ୍ୱିତୀୟ ମୁଖ୍ୟମନ୍ତ୍ରିତ୍ୱ କାଳରେ ବହୁ ପ୍ରଗତିମୂଳକ କାର୍ଯ୍ୟ ହୋଇଥିଲା । କେନ୍ଦ୍ର ସରକାରଙ୍କଦ୍ୱାରା ଅନୁସୃତ ନୂତନ ବିଂଶସୂତ୍ରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଶେଷ ଦୃଷ୍ଟି ଦିଆଯାଇଥିଲା । କୃଷି, ଶିଳ୍ପ, ଯୋଗାଯୋଗ, ଗମନାଗମନ, ରାସ୍ତାଘାଟ, ଶିକ୍ଷା, ସଂସ୍କୃତି, ସାହିତ୍ୟର ବିକାଶ କ୍ଷେତ୍ରରେ ପ୍ରଭୂତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ବହୁ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ : କଟକଠାରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ, ପଠାଣି ସାମନ୍ତ ପ୍ଲାନେଟୋରିଅମ ପ୍ରତିଷ୍ଠା, (ଏହି ପ୍ଲାନେଟୋରିଅମର ନାମକରଣ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିଲେ) ଏହା ଏସିଆ ମହାଦେଶର ସର୍ବଶ୍ରେଷ୍ଠ ତ‌ଥା ଆଧୁନିକ ଜ୍ଞାନ କୌଶଳରେ ପରିଚାଳିତ । ଦୁଇକୋଟି ଏଗାର ଲକ୍ଷ ଏକଚାଳିଶ ହଜାର ଟଙ୍କା ବ୍ୟୟରେ କଟକଠାରେ ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ ପ୍ରତିଷ୍ଠା ଓ ଉଦ୍‍ଘାଟନ, ହରେକୃଷ୍ଣ ମହତାବ ଷ୍ଟେଟ୍‍ ଲାଇବ୍ରେରୀ ଉଦ୍‍ଘାଟନ ଓ ହଜାରେ ବର୍ଷର କଟକ ନଗର ଉତ୍ସବ ଉଦ୍‍ଘାଟନ ହୋଇଥିଲା । ଇବ୍‍ ଥର୍ମାଲର ଭିତ୍ତି ପ୍ରସ୍ତର ସ୍ଥାପନ ଓ ପାରାଦ୍ୱୀପ ପରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବନ୍ଦର ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ୧୯୮୭ ମସିହା ଫେବ୍ରୁଆରି ୨୭ ତାରିଖ ଦିନ ଉଦ୍‍ଘାଟିତ ହେଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଗୃହଯୋଗାଣ କରାଗଲା । ସେଥି ମଧ୍ୟରୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଡୁମୁଡୁମା ହାଉସିଂବୋର୍ଡ ପ୍ରକଳ୍ପଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୪୫୨ଟି ଗୃହ ନିର୍ମାଣ କରାଯାଇ ୧୫,୧୫୬ ଟଙ୍କାରେ ପ୍ରତ୍ୟେକ ଘରକୁ ହିତାଧିକାରୀଙ୍କ ମଧ୍ୟରେ ଆବଣ୍ଟନ ଓ ବ୍ରହ୍ମପୁର ସହରରେ ଏହିପରି ଗୃହ ନିର୍ମାଣ ଓ ଆବଣ୍ଟନ ଆଦି ଉଲ୍ଲେଖ ଯୋଗ୍ୟ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ଉନ୍ନତି ପାଇଁ କେବିକେ ଯୋଜନା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଗଲା । କଟକ-ଭୁବନେଶ୍ୱର ରାସ୍ତାକୁ ଖଣ୍ଡଗିରିରୁ କଟକ ଯାଏ ଚାରିଟିକିଆ କରିବା ପାଇଁ ପ୍ରକଳ୍ପ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡ଼ିଶାରେ ନବମ ଲୋକସଭା ନିର୍ବାଚନ :

୧୯୮୯ ମସିହା ନଭେମ୍ବର ୨୪ ତାରିଖରେ ଓଡ଼ିଶାରେ ନବମ ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନ ପୂର୍ବରୁ ରାଜୀବ ଗାନ୍ଧୀଙ୍କ ପ୍ରାଧନମନ୍ତ୍ରିତ୍ୱ କାଳରେ ସଂବିଧାନ ତ‌ଥା ଲୋକପ୍ରତିନିଧି ଆଇନ ସଂଶୋଧନ କରାଯାଇ ଭୋଟ ଦେବାର ସର୍ବନିମ୍ନ ବୟସ ୨୧ରୁ ୧୮ବର୍ଷକୁ କମାଇ ଦିଆଗଲା । କାରଣ ରାଜୀବ ଗାନ୍ଧୀ ଚିନ୍ତାକଲେ ଦେଶରେ ଯୁବକମାନେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣପୂର୍ବକ ଶାସନରେ ଅଂଶ ଗ୍ରହଣ ନକଲେ ଦେଶର ଉନ୍ନତି ହୋଇପାରିବ ନାହିଁ । ପୁଣି ନିର୍ବାଚନ ବୁଥ୍ ଗୁଡିକୁ ଯେପରି ଜୋରଜବରଦସ୍ତ ଅକ୍ତିଆର କରାନଯାଏ ସେଥିପାଇଁ କଠୋର ଆଇନ୍‍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଏହି ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧୩୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ । କଂଗ୍ରେସ ଦଳର ୨୧, ଜନତା ଦଳର ୧୯, ଜନତା ପାର୍ଟିର ୧୩, ବିଜେପିର ୬, ଦୂରଦର୍ଶୀ ପାର୍ଟିର ୪, ବହୁଜନ ସମାଜ ପାର୍ଟିର ୩ ଓ ୫୪ଜଣ ସ୍ୱାଧୀନ ପ୍ରାର୍ଥୀ ଏହି ନିର୍ବାଚନରେ ଥିଲେ । ଏହି ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ଘଟିଲା । ନିର୍ବାଚିତ ପ୍ରତିନିଧିମାନେ ହେଲେ:

ମୟୂରଭଞ୍ଜ ଭାଗେ ଗୋବର୍ଦ୍ଧନ ଜନତା ଦଳ
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ଜନତା ଦଳ
ଭଦ୍ରକ ମଙ୍ଗରାଜ ମଲ୍ଲିକ ଜନତା ଦଳ
ଯାଜପୁର ଅନାଦି ଚରଣ ଦାସ ଜନତା ଦଳ
କେନ୍ଦ୍ରାପଡ଼ା ରବି ରାୟ ଜନତା ଦଳ
କଟକ ଶ୍ରୀକାନ୍ତ ଜେନା ଜନତା ଦଳ
ଜଗତସିଂହପୁର ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ପୁରୀ ନୀଳମଣି ରାଉତରାୟ ଜନତା ଦଳ
ଭୁବନେଶ୍ୱର ଶିବାଜୀ ପଟ୍ଟନାୟକ ମାର୍କ୍ସବାଦୀ କମ୍ୟୁ.
ଆସ୍କା ଅନନ୍ତ ନାରାୟଣ ସିଂହଦେଓ ଜନତା ଦଳ
ବ୍ରହ୍ମପୁର ଗୋପୀନାଥ ଗଜପତି ନାରାୟଣ ଦେବ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତଚରଣ ଦାସ ଜନତା ଦଳ
ଫୁଲବାଣୀ ନକୁଳ ନାୟକ ଜନତା ଦଳ
ବଲାଙ୍ଗୀର ବାଳଗୋପାଳ ମିଶ୍ର ଜନତା ଦଳ
ସମ୍ବଲପୁର ଭବାନୀ ଶଙ୍କର ହୋତା ଜନତା ଦଳ
ଦେବଗଡ଼ ରବି ନାରାୟଣ ପାଣି ଜନତା ଦଳ
ଢେଙ୍କାନାଳ ଭଜମନ ବେହେରା ଜନତା ଦଳ
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ଜନତା ଦଳ
କେନ୍ଦୁଝର ଗୋବିନ୍ଦ ଚନ୍ଦ୍ର ମୁଣ୍ଡା ଜନତା ଦଳ

ସପ୍ତମ ଲୋକସଭା (୧୯୮୦) ଓ ଅଷ୍ଟମ ଲୋକସଭା (୧୯୮୪)ରେ ଯାଜପୁର ଲୋକସଭା ଆସନରୁ ଅନାଦି ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ଆସିିଥିଲେ । କିନ୍ତୁ ସେ ୧୯୮୯ ନବମ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟି ତ୍ୟାଗ କରି ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେଲେ । ସେହିପରି ଭଜମନ ବେହେରା ଭାରତୀୟ ଜାତୀୟ କଂଗ୍ରେସ ତ୍ୟାଗ କରି ଜନତା ଦଳରେ ଯୋଗଦାନ କରି ସେହି ଦଳର ପ୍ରାର୍ଥୀ ଭାବେ ଢେ଼ଙ୍କାନାଳ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ ।

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା :

ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳର ବିପର୍ଯ୍ୟୟ ଘଟିଲା । ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ୧୯୮୯ ମସିହା ଡିସେମ୍ବର ୭ ତାରିଖ ଦିନ ଜାନକୀ ବାବୁ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ପ୍ରଦାନ କଲେ । ସେ ସାମ୍ବାଦିକ ସମ୍ମିଳନୀ ଡକାଇ ଇସ୍ତଫା ଦେଇଥିବା କଥା ଦୃଢ଼ ଭାବରେ ଘୋଷଣା କରିିଥିଲେ ।

ମୁଖ୍ୟମନ୍ତ୍ରୀ ଆସନରେ ହେମାନନ୍ଦ ବିଶ୍ୱାଳ :

'ହାତୀ ସୁନା କଳସ ଢ଼ାଳିଲା' ପରି ଅଚାନକ ହାଇକମାଣ୍ଡ ଓଡ଼ିଶାର ଅନ୍ୟତମ ଆଦିବାସୀ ନେତା ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ । ସେହିଦିନ ଶ୍ରୀ ବିଶ୍ୱାଳ ତାଙ୍କର ପଚିଶ ଜଣିଆ ମନ୍ତ୍ରିମଣ୍ଡଳ ସହ ରାଜଭବନରେ ଏକ ନିରାଡମ୍ବର ଉତ୍ସବରେ ଶପଥ ଗ୍ରହଣ କଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ସୟଦ ନୁରୁଲ ହାସନ ଏହି ମଣ୍ଡଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇଲେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏବଂ ସେମାନଙ୍କ ବିଭାଗଗୁଡ଼ିକ ହେଲା:

କ୍ୟାବିନେଟ ମନ୍ତ୍ରୀ :

ହେମାନନ୍ଦ ବିଶ୍ୱାଳ : ମୁଖ୍ୟମନ୍ତ୍ରୀ : ସାଧାରଣ ପ୍ରଶାସନ, ଘରୋଇ, ଯୋଜନା ଓ
ସମନ୍ୱୟ, ଶିଳ୍ପ, ବିଜ୍ଞାନ ଓ କାରିଗରୀ କୌଶଳ, ଗୋଷ୍ଠୀ
ଉନ୍ନୟନ, ଗ୍ରାମ୍ୟ ପୁନର୍ଗଠନ, ଗୃହ ଯୋଗାଣ (ଏବଂ ଅନ୍ୟାନ୍ୟ
ବିଭାଗ ଯାହାକି ସ୍ୱତନ୍ତ୍ର ଭାବରେ ଉଲ୍ଲେଖ ନାହିିଁ) ମନ୍ତ୍ରୀ
ଅନୁପ ସିଂହଦେଓ : ବାଣିଜ୍ୟ ଓ ପରିବହନ
ଭାଗବତ ପ୍ରସାଦ ମହାନ୍ତି : ରାଜସ୍ୱ ଓ ଅବକାରୀ
ଡମ୍ବରୁଧର ମାଝି : ଆଦିବାସୀ ଓ ହରିଜନ କଲ୍ୟାଣ
ଗଙ୍ଗାଧର ମହାପାତ୍ର : ଅର୍ଥ ଓ ଆଇନ
ରାମଚନ୍ଦ୍ର ଉଲାକା : ଜଳସେଚନ ଓ ବିଦ୍ୟୁତ
ରାସ ବିହାରୀ ବେହେରା : କୃଷି ଓ ସମବାୟ
ସେକ୍‍ ମତଲୁବ ଅଲ୍ଲି : ଶିକ୍ଷା ଓ ଯୁବସେବା

ରାଷ୍ଟ୍ରମନ୍ତ୍ରୀ :

ଅମର ପ୍ରଧାନ : ସୂଚନା ଓ ଲୋକସମ୍ପର୍କ (ସ୍ୱାଧୀନ ଦାୟିତ୍ୱ) ଏବଂ ଉଠା ଜଳସେଚନ
ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ : ପର୍ଯ୍ୟଟନ ଓ ସଂସ୍କୃତି (ସ୍ୱାଧୀନ ଦାୟିତ୍ୱ)
ଦୋଳଗୋବିନ୍ଦ ପ୍ରଧାନ : ନଗର ଉନ୍ନୟନ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ଫ୍ରିଡା ଟପ୍ନୋ : ଶିକ୍ଷା ଓ ଯୁବ ସେବା
ଗଦାଧର ମାଝି : ଗୃହ ଯୋଗାଣ, ଏବଂ ଶ୍ରମ ଓ କର୍ମଯୋଗାଣ (ସ୍ୱାଧୀନ ଦାୟିତ୍ୱ)
ଜଗନ୍ନାଥ ରାଉତ : ଶିଳ୍ପ
ଜୟଦେବ ଜେନା : ଖଣି ଓ ଭୂତତ୍ତ୍ୱ (ସ୍ୱାଧୀନ ଦାୟିତ୍ୱ) ଏବଂ ବିଜ୍ଞାନ ଓ କାରିଗରୀ
କାର୍ତ୍ତିକ ପ୍ରସାଦ ତରିଆ : କୃଷି ଓ ସମବାୟ
ମୋହନ ନାଗ : ମତ୍ସ୍ୟ ଓ ପଶୁପାଳନ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ନେତ୍ରାନନ୍ଦ ମଲ୍ଲିକ : ଜଙ୍ଗଲ ଓ ପରିବେଶ ବିଭାଗ (ସ୍ୱାଧୀନ ଦାୟିତ୍ୱ)
ପ୍ରକାଶ ଚନ୍ଦ୍ର ଦେବତା : ନିର୍ମାଣ
ରାଘବ ପରିଡ଼ା : ଖାଦ୍ୟ ଓ ଯୋଗାଣ
ସରସ୍ୱତୀ ହେମ୍ବ୍ରମ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁର୍ନଗଠନ
ସୀତାକାନ୍ତ ମହାପାତ୍ର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ (ସ୍ୱାଧୀନ ଦାୟିତ୍ୱ)

ଉପମନ୍ତ୍ରୀ :

ପରମା ପୂଜାରୀ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଯୁଧିଷ୍ଠିର ଜେନା : ହରିଜନ ଓ ଆଦିବାସୀ କଲ୍ୟାଣ ଏବଂ ଶ୍ରମ ଓ କର୍ମ ଯୋଗାଣ

ନନ୍ଦିନୀ ଶତପଥୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ହେବା ସହ ରାଜ୍ୟ ଯୋଜନାବୋର୍ଡର ଅଧ୍ୟକ୍ଷା ମଧ୍ୟ ହେଲେ । ଏହି ନବମ ବିଧାନସଭାର ୧୧ଟି ଅଧିବେଶନ ଓ ୧୮୮ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭା ୧୯୯୦ ମସିହା ମାର୍ଚ୍ଚମାସ ୩ ତାରିଖ ଦିନ ଭଙ୍ଗ ହୋଇଥିଲା ।

* * *