ଓଡ଼ିଶା ରାଜନୀତିର ଇତିହାସ/ମିଳିତ ସରକାରର ପତନ ଓ ୧୯୬୧ ସାଧାରଣ ନିର୍ବାଚନ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ମିଳିତ ସରକାରର ପତନ ଓ ୧୯୬୧ ସାଧାରଣ ନିର୍ବାଚନ


ଚତୁର୍ଦ୍ଦଶ ପରିଚ୍ଛେଦ
ମିଳିତ ସରକାରର ପତନ ଓ
୧୯୬୧ ସାଧାରଣ ନିର୍ବାଚନ

ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଯୁବଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ବ୍ୟାକୁଳ ହୋଇପଡ଼ିଲେ । ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟ ଡକ୍ଟର ମହତାବଙ୍କର ବିରୋଧୀ ହୋଇଗଲେ । ଏମାନେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ଅହରହ ଉଦ୍ୟମ କଲେ । ଏମାନେ ହିଁ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳରୁ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ । ପୁଣି ଏମାନଙ୍କ ଉଦ୍ୟମରେ ହିଁ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ହେଲେ ଏବେ ଏମାନେ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ କାହିଁକି ଉଦ୍ୟମ କଲେ ? ଜଣାଯାଏ, ଡକ୍ଟର ମହତାବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜର କିଛି ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବାକୁ ବିଜୁବାବୁ ମନେ ମନେ ଠିକ୍‍ କରିଥିଲେ । ବାସ୍ତବରେ ତାହା ହୋଇ ପାରିଲା ନାହିଁ । କେବଳ ଗୋଟିଏ ଦଳ ମନ୍ତ୍ରିମଣ୍ଡଳ ଗଠନ କଲେ, ଦଳୀୟ ଲୋକଙ୍କର ସ୍ୱାର୍ଥ ହାସଲ ହେବା ସହଜ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାହା ଏତେ ସହଜ ନୁହେଁ ।

ଡକ୍ଟର ମହତାବ ନୀତି ବିରୁଦ୍ଧରେ ଯାଇ ଦଳୀୟ ଲୋକଙ୍କର ସ୍ୱାର୍ଥ ରଖିବାକୁ ଅନିଚ୍ଛୁକ ହେଲେ । ତେଣୁ ଏହି ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପୂରା ଦମ୍‍ରେ ଚେଷ୍ଟା ଅବ୍ୟାହତ ରହିଲା । ଏଥିପାଇଁ ବିଜୁବାବୁ ଓ ବୀରେନ୍‍ବାବୁ ବ୍ୟକ୍ତିଗତ ଭାବରେ ନିଜ ଦଳର ବିଧାନସଭା ସଭ୍ୟମାନଙ୍କୁ ଭେଟି ପ୍ରଭାବିତ କରିବାରେ ଲାଗିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, କଂଗ୍ରେସ ବିଧାୟକ ଦଳର ସଦସ୍ୟମାନଙ୍କର ବହୁମତ ନେଇ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା । କିନ୍ତୁ ସେଥିରେ ସେମାନେ ସଫଳ ହୋଇ ପାରିଲେ ନାହିଁ । ତା'ପରେ ସଂଗଠନକୁ ଭାଙ୍ଗିବା ପାଇଁ ଚେଷ୍ଟା କଲେ ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିର୍ବାଚନରେ ଡକ୍ଟର ମହତାବଙ୍କ ବିରୋଧୀ ତ‌ଥାକଥିତ ଯୁବଗୋଷ୍ଠୀ ତରଫରୁ ବିଜୁ ପଟ୍ଟନାୟକଙ୍କୁ ସଭାପତି ପ୍ରାର୍ଥୀ କରାଗଲା । ସଭାପତି ପଦକୁ ନେଇଯିବା ପାଇଁ ଏହି ଗୋଷ୍ଠୀ ପ୍ରବଳ ଉଦ୍ୟମ କଲେ । କିନ୍ତୁ ମାତ୍ର ଚାରିଟି ଭୋଟରେ ବିଜୁ ପଟ୍ଟନାୟକ ହାରିଗଲେ । ବନମାଳୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହେଲେ । ହାରିଯାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଯେନ ତେନ ପ୍ରକାରେଣ କଂଗ୍ରେସ କମିଟି ସଭାପତି ପଦକୁ ଛଡାଇ ଆଣିବା ପାଇଁ ଚେଷ୍ଟାକଲେ । ସେମାନେ ବନମାଳୀ ବାବୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଗଲେ । ଏ କଥା ବନମାଳୀ ବାବୁ ଜାଣିପାରି ନିଜ ଆଡ଼ୁ ବିଶ୍ୱାସ ପ୍ରସ୍ତାବ ଆଗତ କଲେ । ଦୁଃଖର ବିଷୟ, ବନମାଳୀବାବୁ ୪୬ ଭୋଟରେ ହାରିଗଲେ । ସେହିଦିନ ବିଜୁ ପଟ୍ଟନାୟକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହେଲେ ।

ବିଜୁ ପଟ୍ଟନାୟକ କଂଗ୍ରେସ ସଭାପତି ହେବାରୁ ତାଙ୍କ ଅନୁଗାମୀମାନେ କଂଗ୍ରେସ-ଗଣତନ୍ତ୍ର ପରଷିଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇନେଲେ । କଂଗ୍ରେସ ଦଳ ମିିଳିତ ମନ୍ତ୍ରିମଣ୍ଡଳରୁ ଓହରି ଆସିବା ପାଇଁ ସ୍ଥିର ହେଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିତ ହୋଇଗଲା । ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟ କଂଗ୍ରେସ ଦଳର ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଓଡ଼ିଶାରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିବ ବୋଲି ପ୍ରସ୍ତାବ ଦେଲେ । କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କଲେ । ବିଜୁ ପଟ୍ଟନାୟକ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିଲେ ଖୁବ୍‍ ଭଲ ହେବ ବୋଲି କଂଗ୍ରେସ ହାଇକମାଣ୍ଡ ମତ ଦେଲେ । କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ବିଜୁ ପଟ୍ଟନାୟକଙ୍କ ଉପରେ ଅଜାଡି ହୋଇ ପଡିଲା । ଅନ୍ୟ ଦଳରୁ ୫-୭ ଜଣ ସଭ୍ୟ ଆଣି କଂଗ୍ରେସରେ ମିଶାଇ ମନ୍ତ୍ରିମଣ୍ଡଳ ଗଠନ କରବାପାଇଁ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଉଦ୍ୟମ କଲେ ।

ମିଳିତ ମନ୍ତ୍ରିମଣ୍ଡଳ ନ ଚାଲିଲେ ରାଷ୍ଟ୍ରପତି ଶାସନ ଜାରି ହେଉ, କିନ୍ତୁ ଅନ୍ୟ ଦଳରୁ ସଭ୍ୟ ଆଣି କଂଗ୍ରେସରେ ମିଶାଇ ଆଉ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କଲେ । କିନ୍ତୁ ବିଜୁ ପଟ୍ଟନାୟକ ଗୋଷ୍ଠୀର ଏକା ଜିଦ୍‍ ଯେ, ମିଳିତ ମନ୍ତ୍ରିମଣ୍ଡଳ ଭଙ୍ଗାଯାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବରେ ରାଜ୍ୟ ଶାସନ ନିୟନ୍ତ୍ରଣ କରିବ । ଏହିସବୁ କାରଣରୁ ବିଜୁ ପଟ୍ଟନାୟକଙ୍କ କ୍ୟାମ୍ପ ଓ ଡକ୍ଟର ମହତାବଙ୍କ କ୍ୟାମ୍ପରେ ଘନ ଘନ ଆଲୋଚନା ଚାଲିଥାଏ । ଫଳରେ କଂଗ୍ରେସ ଦଳରେ ପ୍ରକାଶ୍ୟ ଭାବରେ ଫାଟ ସୃଷ୍ଟି ହେଲା ।

ଡକ୍ଟର ମହତାବ ଏପରି ପରିସ୍ଥିତିରେ ଅତିଷ୍ଠ ହୋଇପଡିଲେ । ଆଉ ଅଧିକ କାଳ ମନ୍ତ୍ରିମଣ୍ଡଳକୁ ନ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡିଲେ । କଂଗ୍ରେସ କର୍ତ୍ତୃପକ୍ଷ ଏହି ମିଳିତ

ମନ୍ତ୍ରିମଣ୍ଡଳ ଆଉ କିଛିଦିନ ରହିବା ସପକ୍ଷରେ ଥିଲେ । ସେଥିରେ ଡକ୍ଟର ମହତାବ ସନ୍ତୁଷ୍ଟ ହେଲେ ନାହିଁ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କଲା । ଦିନକୁ ଦିନ ଦଳରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଲା । ଏ ସବୁକୁ ହୃଦୟଙ୍ଗମ କରି ଡକ୍ଟର ମହତାବ ୧୯୬୧ ମସିହା ଜାନୁଆରି ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କରଙ୍କୁ ଭେଟି ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ମନ୍ତ୍ରିମଣ୍ଡଳ ଗଠନ ପାଇଁ ସେ ଦ୍ୱିତୀୟ ବୃହତ୍ତମ ଦଳ ଗଣତନ୍ତ୍ର ପରିଷଦର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆମନ୍ତ୍ରଣ କଲେ । ହେଲେ ଗଣତନ୍ତ୍ର ପରିଷଦର ନେତା ଏଥିରେ ଅସାମର୍ଥ ପ୍ରକାଶ କଲେ । ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।

ସାଧାରଣ ନିର୍ବାଚନ :

ଏହି ସମୟରେ ବିଜୁ ପଟ୍ଟନାୟକଙ୍କର ଦିଲ୍ଲୀ ମହଲରେ ବେଶ୍‍ ପ୍ରଭାବ ରହିଥାଏ । ବିଶେଷ କରି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଅଧିକ ପ୍ରିୟ ହୋଇଥାଆନ୍ତି । ଏଣୁ ସେ ତାଙ୍କର କାମଗୁଡ଼ିକ ସହଜରେ କେନ୍ଦ୍ରର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ କରାଇ ଆଣୁଥିଲେ । ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୧୯୬୨ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ବଳବତ୍ତର ରହିବ ନା ୧୯୬୧ ମସିହାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବ, ରାଜନୈତିକ ମହଲରେ ଏହା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥାଏ । ସବୁ ରାଜନୈତିକ ଦଳ ଭାବୁଥାଆନ୍ତି ଯେ, ୧୯୬୨ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାର ନିର୍ବାଚନ ହେବ । ଏଣୁ ନିର୍ବାଚନ ପାଇଁ କେହି ପ୍ରସ୍ତୁତ ନଥାନ୍ତି । କିନ୍ତୁ ବିଜୁ ପଟ୍ଟନାୟକ ଭିତରେ ଭିତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଥାନ୍ତି । ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଭାବିତ କରି ଓଡ଼ିଶା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରାଇନେଲେ । ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ୧୯୬୧ ମସିହା ଜୁନ ମାସ ୨ ତାରିଖରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କଲେ ।

ବିଧାନ-ସୌଧ ଉଦ୍‍ଘାଟିତ :

ବର୍ତ୍ତମାନ ବିଧାନସଭା ବୈଠକ ବସୁଥିବା ଗୃହକୁ କୁହାଯାଉଛି 'ବିଧାନ ସୌଧ' । ଏହାର ନିର୍ମାଣ କାର୍ଯ୍ୟ ୧୯୬୧ ଜାନୁଆରି ମାସରେ ସଂପୂର୍ଣ୍ଣ ହେଲା । ୪୭,୦୦୦ ବର୍ଗଫୁଟ ପରିମିତ ଜାଗାରେ ଏହା ନିର୍ମାଣ କରାଯାଇଛିି । ୧୯୬୧ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ଭାରତର ତତ୍‍କାଳୀନ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍‍ଘାଟନ କଲେ । ଏହି 'ବିଧାନ ସୌଧ'ର ନିର୍ମାଣ ପାଇଁ ସେହି ସମୟରେ ୨୫,୦୦୦,୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ।

ତୃତୀୟ ବିଧାନସଭା ନିର୍ବାଚନ :

ଓଡ଼ିଶାର ତୃତୀୟ ବିଧାନସଭା ନିମନ୍ତେ ୧୯୬୧ ମସିହା ଜୁନ ୨ ତାରିଖଠାରୁ ୮ ତାରିଖ ଯାଏ ନିର୍ବାଚନ ଅନୁଷ୍ଠିତ ହେଲା । ପୂର୍ବ ଦୁଇଟି ନିର୍ବାଚନରେ ଯୁଗ୍ମ ନିର୍ବାଚନ ମଣ୍ଡଳୀ ରହିିଥିଲା । ତହିଁରେ ପରିବର୍ତ୍ତନ କରାଯାଇ ସବୁଗୁଡ଼ିକୁ ଜଣିକିଆ ବିଧାନସଭା ଆସନ ଭାବରେ ମାନ୍ୟତା ପ୍ରଦାନ କରାଗଲା । ୧୪୦ଟି ବିଧାନସଭା ଆସନ ମଧ୍ୟରୁ ୨୨ଟି ହରିଜନଙ୍କ ପାଇଁ ଓ ୩୪ଟି ଆଦିବାସୀଙ୍କ ପାଇଁ, ଏହିପରି ୫୬ଟି ଆସନ ସଂରକ୍ଷିତ କରାଗଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ୧୪୦ଟି ଯାକ ଆସନରେ, ଗଣତନ୍ତ୍ର ପରିଷଦ ୧୧୭ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୨ଟି ଆସନରେ, କମ୍ୟୁନିଷ୍ଟ ଦଳ ୩୨ଟି ଆସନରେ, ଜନତା ଦଳ ୯ଟି ଆସନରେ ପ୍ରାର୍ଥୀ ଠିଆ କରାଇଲେ । ୧୬୩ ଜଣ ସ୍ୱାଧୀନ ବା ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କଲେ ।

କଂଗ୍ରେସଦଳ ୮୨ଟି, ଗଣତନ୍ତ୍ର ପରିଷଦ-୩୭ଟି, ପ୍ରଜା ସମାଜବାଦୀ ଦଳ-୧୦ଟି , ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୪ଟି ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ ମାତ୍ର ୭ଟି ଆସନ ଲାଭ କଲେ । ଏହି ନିର୍ବାଚନରେ ନୂତନ ଭାବେ ବାଲଟ ପେପରରେ ମୋହର ମାରିବାର ପଦ୍ଧତି ଅନୁସରଣ କରାଗଲା । ଏହି ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ଜୁନ ୨୬ ଓ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ

ପାଣିଗ୍ରାହୀ ବାଚସ୍ପତି ଭାବରେ ଓ ଲୋକନାଥ ମିଶ୍ର ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ । ବିଧାନସଭାର ସଂଖ୍ୟା ଗରିଷ୍ଠଦଳ (କଂଗ୍ରେସ ଦଳ)ର ନେତା ଭାବରେ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ଓ ତାଙ୍କ ମନ୍ତ୍ରି ମଣ୍ଡଳର ଅନ୍ୟ ସଦସ୍ୟମାନେ ଜୁନ୍‍ ୨୩ ତାରିଖରେ ଶପଥ ଗ୍ରହଣ କଲେ । ଗଣତନ୍ତ୍ର ପରିଷଦର ବିଧାୟକ ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ହେଲେ ବିରୋଧୀ ଦଳର ନେତା ।

ଏହି ନିର୍ବାଚନରେ ବିଭିନ୍ନ ଦଳର ସମୁଦାୟ ୧୦ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଚାରିଜଣ ନିର୍ବାଚିତ ହୋଇ ଆସିଲେ । ଏମାନେ ହେଲେ- ରତ୍ନମାଳୀ ଜେମା (କଂଗ୍ରେସ) ଏରସମାରୁ; ଶ୍ରୀମତୀ ସରସ୍ୱତୀ ପ୍ରଧାନ (କଂଗ୍ରେସ) ଭଟ୍‍ଲିରୁ; ରାଜମାତା ରତ୍ନପ୍ରଭା ଦେବୀ (ଗଣତନ୍ତ୍ର ପରିଷଦ) ଢେ଼ଙ୍କାନାଳରୁ ଓ ନବ କୁମାରୀ ଦେବୀ (ଗଣତନ୍ତ୍ର ପରିଷଦ) କାଶୀପୁରରୁ । କଂଗ୍ରେସ ଦଳର ପ୍ରାର୍ଥୀ ବିଜୁ ପଟ୍ଟନାୟକ ଢେ଼ଙ୍କାନାଳ ଓ ଚୌଦ୍ୱାର ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ଚୌଦ୍ୱାରରୁ ନିର୍ବାଚିତ ହୋଇ ଆସିଲେ ।

ସେହିପରି କଂଗ୍ରେସ ପ୍ରାର୍ଥୀ ପବିତ୍ର ମୋହନ ପ୍ରଧାନ ତାଳଚେର ଓ ପାଲଲହଡ଼ା ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇଟି ଯାକରେ ବିଜୟ ଲାଭ କରି 'ନିର୍ବାଚନ ବୀର' ଭାବରେ ଆଖ୍ୟାୟିତ ହେଲେ । ତାଙ୍କ ବିଜୟର ବିଶେଷତ୍ୱ ହେଲା ଯେ, ସେ ନିର୍ବାଚନ ରଣାଙ୍ଗନରେ ଦୁଇ ଦୁଇ ଜଣ ପୂର୍ବତନ ଗଡ଼ଜାତ ଶାସକ ରାଜାଙ୍କୁ ପରାଜିତ କରି ବିପୁଳ ଭୋଟରେ ବିଜୟୀ ହୋଇ ଆସିିଥିଲେ । ସେମାନେ ହେଲେ ତାଳଚେର ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତାଳଚେର ରାଜା

ଆହ୍ଲାଦ ଚନ୍ଦ୍ର ଦେବରାଉତରାୟ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିିବା ଢେଙ୍କାନାଳ ରାଜା ମହୀନ୍ଦ୍ର ବାହାଦୂର ଶଙ୍କର ପ୍ରତାପ ସିଂହ ଦେଓ ।

ପୂର୍ବ ନିର୍ବାଚନରେ ଗଣତନ୍ତ୍ର ପରିଷଦ କୋରାପୁଟ ଓ ସମ୍ବଲପୁର ଜିଲ୍ଲାରେ ଯେଉଁଭଳି ଲୋକପ୍ରିୟତା ହାସଲ କରିିଥିଲେ, ଏହି ନିର୍ବାଚନରେ ତାହା ଦେଖାଗଲା ନାହିଁ । ଗଣତନ୍ତ୍ର ପରିଷଦ କୋରାପୁଟ ଜିଲ୍ଲାରେ ସମୂଳେ ଲୋପ ପାଇବା ସ୍ଥଳେ ସମ୍ବଲପୁର ଜିଲ୍ଲାରେ ୧୨ଟି ଆସନରୁ ମାତ୍ର ତିନି ଗୋଟି ଆସନ ଲାଭ କଲା । ଗତ ନିର୍ବାଚନ (୧୯୫୭)ରେ ଏହି ଦଳ ଏହି ଜିଲ୍ଲାରେ ନ'ଟି ଆସନ ପାଇଥିଲା । ଗଣତନ୍ତ୍ର ପରିଷଦ କେବଳ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ନିଜର ପୂର୍ବସ୍ଥିତି ବଜାୟ ରଖିପାରିଲା ।

ଏହି ତୃତୀୟ ସାଧାରଣ ନିର୍ବାଚନ (ମଧ୍ୟବର୍ତ୍ତୀ କାଳୀନ)ରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ବିଭିନ୍ନ ଦଳର ନିର୍ବାଚିତ ସଭ୍ୟମାନେ ହେଲେ:

ତୃତୀୟ ବିଧାନସଭାର ସଦସ୍ୟ (୧୯୬୧):

ବାଙ୍କି ଗୋକୁଳାନନ୍ଦ ପ୍ରହରାଜ ପ୍ରଜା ସମାଜବାଦୀ
କଟକ ନଗର ବୀରେନ୍‍ ମିତ୍ର କଂଗ୍ରେସ
ଜଗତସିଂହପୁର ପ୍ରିୟନାଥ ଦେ କଂଗ୍ରେସ
ଗୋବିନ୍ଦପୁର କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ବାଲିକୁଦା ବିପିନ ବିହାରୀ ଦାସ କଂଗ୍ରେସ
ଏରସମା ଶ୍ରୀମତୀ ରତ୍ନମାଳୀ ଜେମା କଂଗ୍ରେସ
ପଟ୍ଟାମୁଣ୍ଡାଇ ପ୍ରହ୍ଲାଦ ମଳିକ କଂଗ୍ରେସ
ବଡ଼ଚଣା ଧନଞ୍ଜୟ ଲେଙ୍କା କଂଗ୍ରେସ
ଧର୍ମଶାଳା ଗଦାଧର ଦତ୍ତ କଂଗ୍ରେସ
ସୁକିନ୍ଦା ବାଇଧର ସିଂହ କଂଗ୍ରେସ
ପଶ୍ଚିମ ଯାଜପୁର ମଦନ ମୋହନ ପଟ୍ଟନାୟକ କଂଗ୍ରେସ
ଆଠଗଡ ଅଚ୍ୟୁତାନନ୍ଦ ଦାସ ସ୍ୱାଧୀନ
ବଡ଼ମ୍ବା ବିଦ୍ୟାଧର ନାୟକ କଂଗ୍ରେସ
ଚଉଦ୍ୱାର ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
କଟକ ସଦର ଲକ୍ଷ୍ମଣ ମଳିକ କଂଗ୍ରେସ
ମାହାଙ୍ଗା ସୁରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ
ସାଲେପୁର ବାଇଧର ବେହେରା ପି.ଏସ୍‍.ପି.
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି କଂଗ୍ରେସ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ରାଜନଗର ପଦ୍ମଚରଣ ନାୟକ ସ୍ୱାଧୀନ
ଆଳି ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ କଂଗ୍ରେସ
କେନ୍ଦ୍ରାପଡ଼ା ଧ୍ରୁବଚରଣ ସାହୁ ପି.ଏସ୍‍.ପି
ବିଞ୍ଝାରପୁର ଚିତ୍ତରଞ୍ଜନ ନାୟକ କଂଗ୍ରେସ
ପୂର୍ବ ଯାଜପୁର ଶାନ୍ତନୁ କୁମାର ଦାସ କଂଗ୍ରେସ
ଦଶପଲ୍ଲା ସାହେବ ନାୟକ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
ପୁରୀ ଭଗବାନ ପ୍ରତିହାରୀ କଂଗ୍ରେସ
ପିପିଲି ରାମଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ବାଣପୁର ରଘୁନାଥ ମିଶ୍ର ଗଣତନ୍ତ୍ର ପରିଷଦ
ଖଣ୍ଡପଡ଼ା ହରିହର ମର୍ଦ୍ଦରାଜ ଭ୍ରମରବର ରାୟ କଂଗ୍ରେସ
ନୟାଗଡ଼ ବୃନ୍ଦାବନ ଚନ୍ଦ୍ର ସିଂହ କଂଗ୍ରେସ
ରଣପୁର ରାମଚନ୍ଦ୍ର ରାମ ଉଦାହରଣ
ଖୋର୍ଦ୍ଧା ବନମାଳୀ ପଟ୍ଟନାୟକ କଂଗ୍ରେସ
ବାଲିପାଟଣା ଗୋପୀନାଥ ଭୋଇ କଂଗ୍ରେସ
ବ୍ରହ୍ମଗିରି ଗୋପବନ୍ଧୁ ପାତ୍ର ସ୍ୱାଧୀନ
ସତ୍ୟବାଦୀ ରାଜରାଜ ଦେବ ଗଣତନ୍ତ୍ର ପରିଷଦ
କାକଟପୁର ଉପେନ୍ଦ୍ର ମହାନ୍ତି କଂଗ୍ରେସ
ନିମାପଡ଼ା ଗୋବିନ୍ଦ ଚନ୍ଦ୍ର ସେଠୀ କଂଗ୍ରେସ
ବାସୁଦେବପୁର ନୀଳମଣି ରାଉତରାୟ କଂଗ୍ରେସ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ସ୍ୱାଧୀନ
ସୋରୋ କରୁଣାକର ପାଣିଗ୍ରାହୀ କଂଗ୍ରେସ
ସିମୂଳିଆ ଭାଗୀରଥି ଦାସ କଂଗ୍ରେସ
ନୀଳଗିରି ରାଜେନ୍ଦ୍ର ଚନ୍ଦ୍ର ହରିଚନ୍ଦନ ମର୍ଦ୍ଦରାଜ ଗଣତନ୍ତ୍ର ପରିଷଦ
ଜଳେଶ୍ୱର ପ୍ରସନ୍ନ କୁମାର ପାଳ ପି.ଏସ୍‍.ପି
ଧାମନଗର ମୁରଲୀଧର ଜେନା କଂଗ୍ରେସ
ଚାନ୍ଦବାଲି ବୈରାଗୀ ଜେନା କଂଗ୍ରେସ
ବସ୍ତା ମହେଶ୍ୱର ବାଗ ପି.ଏସ୍‍.ପି
ଭୋଗରାଇ ପ୍ୟାରୀମୋହନ ଦାସ ପି.ଏସ୍‍.ପି
ବାଲେଶ୍ୱର ବିଜୟକୃଷ୍ଣ ଦେ କଂଗ୍ରେସ
ପାରଳାଖେମୁଣ୍ଡି ଏନ୍‍. କୁର୍ମାନାଇକୁଲୁ କଂଗ୍ରେସ
ଆର୍‍.ଉଦୟଗିରି ରାମ ଭୋୟା କଂଗ୍ରେସ
ବ୍ରହ୍ମପୁର ଶିଶିର କୁମାର ନରେନ୍ଦ୍ର ଦେବ ସ୍ୱାଧୀନ
ଡୁରା ପି.ଭି.ଜଗନ୍ନାଥ ରାଓ କଂଗ୍ରେସ
ଛତ୍ରପୁର ଲକ୍ଷ୍ମଣ ମହାପାତ୍ର କମ୍ୟୁନିଷ୍ଟ
ଖଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ କଂଗ୍ରେସ
ପଶ୍ଚିମ କୋଦଳା ବିଶ୍ୱନାଥ ଦାସ କଂଗ୍ରେସ
ପୂର୍ବ କୋଦଳା ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ
ଭଂଜନଗର ମାଗୁଣି ଚରଣ ପ୍ରଧାନ କଂଗ୍ରେସ
ଆସ୍କା ଜଗନ୍ନାଥ ମିଶ୍ର ଉଦାହରଣ
ହିଞ୍ଜିଳିକାଟୁ ବୃନ୍ଦାବନ ନାୟକ କଂଗ୍ରେସ
ସୋରଡ଼ା ଅର୍ଜୁନ ନାୟକ କଂଗ୍ରେସ
ଦିଗପହଣ୍ଡି ରଘୁନାଥ ମହାପାତ୍ର କଂଗ୍ରେସ
ମୋହନ ବିଶ୍ୱନାଥ ନାୟକ କଂଗ୍ରେସ
ଜଗନ୍ନାଥପ୍ରସାଦ ମାଗୁଣି ଚରଣ ପ୍ରଧାନ କଂଗ୍ରେସ
ପାତ୍ରପୁର ତ୍ରିଲୋଚନ ଜାନି କଂଗ୍ରେସ
ରେଢ଼ାଖୋଲ ଭାନୁଗଙ୍ଗ ତ୍ରିଭୁବନ ଦେବ ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା ବିନୋଦ ବିହାରୀ ବରିହା କଂଗ୍ରେସ
ବରଗଡ ଗଣନାଥ ପ୍ରଧାନ ସ୍ୱାଧୀନ
କତରବଗା ବିଷ୍ଣୁ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ଦେବଗଡ଼ ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା କମ୍ୟୁନିଷ୍ଟ
ପଦ୍ମପୁର ବୀରବିକ୍ରମାଦିତ୍ୟ ସିଂହ ବରିହା କଂଗ୍ରେସ
ଭଟଲି ସରସ୍ୱତୀ ପ୍ରଧାନ କଂଗ୍ରେସ
ମେଳଛାମୁଣ୍ଡା ସଚ୍ଚିଦାନନ୍ଦ ପାଢ଼ୀ କଂଗ୍ରେସ
ବିଜେପୁର ମୋହନ ନାଗ କଂଗ୍ରେସ
ଅତାବିରା ଦଳଗଞ୍ଜନ ଛୁରିଆ କଂଗ୍ରେସ
ସମ୍ବଲପୁର ବନମାଳୀ ବାବୁ କଂଗ୍ରେସ
ଉମରକୋଟ ସଦାଶିବ ତ୍ରିପାଠୀ କଂଗ୍ରେସ
ଡାବୁଗାଁ ଜଗନ୍ନାଥ ତ୍ରିପାଠୀ କଂଗ୍ରେସ
ନବରଙ୍ଗପୁର ମିରୁ ହରିଜନ କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
କୋଟପାଡ଼ ମହାଦେବ ବାକିରିଆ କଂଗ୍ରେସ
ପାଡଓ୍ୱା ଗଣେଶ୍ୱର ମହାପାତ୍ର କଂଗ୍ରେସ
କୋରାପୁଟ ଟି.ସାଙ୍ଗନ୍ନା କଂଗ୍ରେସ
ପଟାଙ୍ଗୀ ମୁସୁରୀ ସାନ୍ତାଙ୍ଗୀ କଂଗ୍ରେସ
ରାୟଗଡ଼ା କାମାୟା ମଡାଙ୍ଗୀ କଂଗ୍ରେସ
ଗୁଣପୁର ନରସିଂହ ପାତ୍ର କଂଗ୍ରେସ
ବିଷମକଟକ ବିଶ୍ୱନାଥ ଚୌଧୁରୀ ଗଣତନ୍ତ୍ର ପରିଷଦ
ମାଲକାନାଗିରି ଗୁରୁ ନାୟକ ଗଣତନ୍ତ୍ର ପରିଷଦ
ଖୁଣ୍ଟା ପ୍ରସନ୍ନ କୁମାର ଦାସ (ପି.ଏସ୍‍.ପି)
ଉଦଳା ମନମୋହନ ଟୁଡୁ କଂଗ୍ରେସ
ବୈସିଙ୍ଗା ଅର୍ଜୁନ ପାତ୍ର (ପି.ଏସ୍‍.ପି)
କରଞ୍ଜିଆ ପ୍ରଭାକର ବେହେରା କଂଗ୍ରେସ
ଯଶୀପୁର ମୋଚିରାମ ତିରିଆ କଂଗ୍ରେସ
ରାଇରଙ୍ଗପୁର ଚନ୍ଦ୍ରମୋହନ ସିଂ କଂଗ୍ରେସ
ବାରିପଦା ସନ୍ତୋଷ କୁମାର ସାହୁ କଂଗ୍ରେସ
ବାହଲଦା ସୋନାରାମ ସୋରେନ କଂଗ୍ରେସ
ବାଙ୍ଗିରିପୋଷି ଈଶ୍ୱର ଚନ୍ଦ୍ର ନାୟକ କଂଗ୍ରେସ
ମୁରୁଡା ସାକିଲା ସୋରେନ (ପି.ଏସ୍‍.ପି.)
ଚମ୍ପୂଆ ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର ଜନାର୍ଦ୍ଦନ ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
ତେଲକୋଇ ଗୋବିନ୍ଦ ମୁଣ୍ଡା ଗଣତନ୍ତ୍ର ପରିଷଦ
ରାମଚନ୍ଦ୍ରପୁର ମୁରଲୀଧର କୁଅଁର କଂଗ୍ରେସ
ଆନନ୍ଦପୁର ମକର ସେଠି କଂଗ୍ରେସ
ପାଟଣା ରାଜବଲ୍ଲଭ ମିଶ୍ର ଗଣତନ୍ତ୍ର ପରିଷଦ
ଢେଙ୍କାନାଳ ଶ୍ରୀମତୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ପରିଷଦ
କାମାକ୍ଷାନଗର ବୃନ୍ଦାବନ ତ୍ରିପାଠୀ ଗଣତନ୍ତ୍ର ପରିଷଦ
ପାଲଲହଡ଼ା ପବିତ୍ର ମୋହନ ପ୍ରଧାନ (ଇସ୍ତଫା) କଂଗ୍ରେସ
ମଦନ ମୋହନ ପ୍ରଧାନ (ଉପ ନିର୍ବାଚନ) କଂଗ୍ରେସ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
ଛେଣ୍ଡିପଦା ପଦ ନାୟକ କଂଗ୍ରେସ
ଗଁଦିଆ କାଳିଆ ଦେହୁରୀ ଗଣତନ୍ତ୍ର ପରିଷଦ
ଅନୁଗୁଳ କୁମୁଦ ଚନ୍ଦ୍ର ସିଂହ କଂଗ୍ରେସ
ଆଠମଲ୍ଲିକ କ୍ଷେତ୍ରମୋହନ ପାଣଗ୍ରାହୀ ଗଣତନ୍ତ୍ର ପରିଷଦ
ବାଲିଗୁଡ଼ା ଦୁବରା ପାତ୍ର ଗଣତନ୍ତ୍ର ପରିଷଦ
ଜି.ଉଦୟଗିରି ସାରଙ୍ଗଧର ପ୍ରଧାନ କଂଗ୍ରେସ
ଫୁଲବାଣୀ ହିମାଂଶୁ ଶେଖର ପାଢ଼ୀ କଂଗ୍ରେସ
ବଉଦ ଅନିରୁଦ୍ଧ ଦୀପ ଗଣତନ୍ତ୍ର ପରିଷଦ
ମଦନପୁରରାମପୁର ବୀର କେଶରୀ ଦେଓ ଗଣତନ୍ତ୍ର ପରିଷଦ
ଭବାନୀପାଟଣା ଅଞ୍ଚଳ ମାଝୀ ଗଣତନ୍ତ୍ର ପରିଷଦ
ଜୁନାଗଡ଼ ମହେଶ୍ୱର ନାୟକ ଗଣତନ୍ତ୍ର ପରିଷଦ
ଖଡ଼ିଆଳ ଅନୁପ ସିଂହଦେଓ କଂଗ୍ରେସ
କୋକସରା ଦୟାନିଧି ନାୟକ ଗଣତନ୍ତ୍ର ପରିଷଦ
କାଶୀପୁର ଶ୍ରୀମତୀ ନବ କୁମାରୀ ଦେବୀ ଗଣତନ୍ତ୍ର ପରିଷଦ
ଧରମଗଡ଼ ମୁକୁନ୍ଦ ନାୟକ ଗଣତନ୍ତ୍ର ପରିଷଦ
ନୂଆପଡ଼ା ଘାସିରାମ ମାଝି ସ୍ୱାଧୀନ
ସଇଁତଳା ଅଇଁଠୁ ସାହୁ ଗଣତନ୍ତ୍ର ପରିଷଦ
ପାଟଣାଗଡ଼ ଶୋଭାକର ବରିହା ସ୍ୱାଧୀନ
ଲୋଇସିଙ୍ଗା ରାମ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ବଲାଙ୍ଗୀର ଚନ୍ଦ୍ର ଶେଖର ସିଂହ ଗଣତନ୍ତ୍ର ପରିଷଦ
ତୁସରା ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ସୋନପୁର ଦୌଲତ ଗଣ୍ତ ଗଣତନ୍ତ୍ର ପରିଷଦ
କଣ୍ଟାବାଞ୍ଜି ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ବିନ୍‍କା ଅନନ୍ତ ରାମ ନନ୍ଦ ଗଣତନ୍ତ୍ର ପରିଷଦ
ଟିଟିଲାଗଡ଼ ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ ହରିହର ପଟେଲ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ରଙ୍ଗବଲ୍ଲଭ ଅମାତ୍‍ କଂଗ୍ରେସ
ବଣେଇ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଗଣତନ୍ତ୍ର ପରିଷଦ
ବିଶ୍ରା ପ୍ରେମଚାନ୍ଦ ଭଗତ ଗଣତନ୍ତ୍ର ପରିଷଦ
ତଲସରା ଗଙ୍ଗାଧର ପ୍ରଧାନ ଗଣତନ୍ତ୍ର ପରିଷଦ

ଗତ ଦୁଇଟି ସାଧାରଣ ନିର୍ବାଚନ ପରେ କଂଗ୍ରେସ ଏଥର ଉତ୍ତମ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିିଥିବାରୁ ଓଡ଼ିଶା ଓ ଦିଲ୍ଲୀ ମହଲରେ କଂଗ୍ରେସ କର୍ତ୍ତୃପକ୍ଷ ଓ ନେତାମାନଙ୍କ ମହଲରେ ଆନନ୍ଦ ଖେଳିଗଲା । କିନ୍ତୁ ଏହି ଆନନ୍ଦ ଭିତରେ ଆଶଙ୍କା ଦେଖାଗଲା । ଡକ୍ଟର ମହତାବ ଅଲଗା ହୋଇଥିବାରୁ ଯେ କୌଣସି ସମୟରେ ଦଳ ଭିତରେ ଅଧିକ ବିଭେଦ ଦେଖାଦେଇପାରେ ! ତେଣୁ ଓଡ଼ିଶା ମନ୍ତ୍ରିମଣ୍ଡଳ ଗଠନ ପ୍ରତି ଦିଲ୍ଲୀ କର୍ତ୍ତୃପକ୍ଷ ତୀକ୍ଷ୍‍ଣ ନଜର ରଖିଥାଆନ୍ତି । ଦିଲ୍ଲୀ ମହଲର ଇଚ୍ଛାଥାଏ ଯେ- ମହତାବ ଗୋଷ୍ଠୀରୁ କେହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ । କିନ୍ତୁ ବିଜୁବାବୁ ଏହା କରାଇ ଦେବାକୁ ନାରାଜ । (ମୁକ୍ତି ପର ସୈନିକ- ପବିତ୍ର ମୋହନ ପ୍ରଧାନ) ।

ଏହି ନିର୍ବାଚନରେ କଂଗ୍ରେସ ଦଳ ୮୨ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେବା ଗୌରବର ଅଧିକାରୀ ହେଲେ ବିଜୁ ପଟ୍ଟନାୟକ । ତାଙ୍କର କଟକ ବାସଭବନ "ଆନନ୍ଦ ଭବନ" ଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଲ। । ଏହି ବୈଠକରେ ବିଜୁ ପଟ୍ଟନାୟକ ସର୍ବସମ୍ମତିକ୍ରମେ ଦଳର ନେତା ଓ ବୀରେନ୍ ମିତ୍ର ଦଳର ଉପନେତା ଭାବରେ ନିର୍ବାଚିତ ହେଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ବିଜୁ ପଟ୍ଟନାୟକଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ପାଇଁ ଆମନ୍ତ୍ରଣ କଲେ ।

ଏଠାରେ ନିର୍ବାଚନବୀର ପବିତ୍ର ମୋହନ ପ୍ରଧାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିବା ଉଚିତ୍‍ ମନେ କରୁଛି । ପବିତ୍ର ବାବୁ ଓଡ଼ିଶାର ଜଣେ ଖ୍ୟାତନାମା ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତା । ୧୯୧୦ ମସିହାରେ ପୂର୍ବତନ ଗଡ଼ଜାତ ରାଜ୍ୟ ତାଳଚେରରେ

ତାଙ୍କର ଜନ୍ମ । ବାଲ୍ୟକାଳରେ ପିତା ମାତାଙ୍କୁ ହରାଇ ବହୁ କଷ୍ଟ ସ୍ୱୀକାର କରି ସେ କଟକ ରେଭେନ୍‌ସା କଲେଜରୁ ବି.ଏ ପାସ୍‍ କଲେ । ତା'ପରେ କଟକ ଟ୍ରେନିଂ କଲେଜରୁ ଡି.ଏଡ୍‍ ପାସ୍‍କରି ତାଳଚେର ହାଇସ୍କୁଲରେ ଶିକ୍ଷକତା କଲେ । ସ୍କଲାରସିପ୍‍ ଓ ଷ୍ଟାଇପେଣ୍ଡ୍‍ ପାଇ ପାଇ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୩୯ ମସିହାରେ ଶିକ୍ଷକତାରୁ ଇସ୍ତଫା ଦେଇ ଗଡ଼ଜାତ ଆନ୍ଦୋଳନରେ ଝାସ ଦେଲେ । ଏଥିପାଇଁ ସେ ତାଳଚେର ଦରବାର ପ୍ରଶାସନ ଦ୍ୱାରା ବହୁବାର ଜେଲଦଣ୍ଡରେ ଦଣ୍ଡିତ ହେଲେ । ସେ ହେଲେ ତାଳଚେର ପ୍ରଜାମଣ୍ଡଳର ସଭାପତି । ରାଜାର କୁଶାସନ ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରି ୬୦,୦୦୦ ଲୋକଙ୍କୁ ଧରି ସେ ପଡୋଶୀ ବ୍ରିଟିଶ ଶାସିତ ଅଞ୍ଚଳ ଅନୁଗୁଳ ଇଲାକାକୁ ପଳାଇ ଆସିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗଦାନ କରି ତାଳଚେର ଜେଲରେ ରହିଲେ । ୧୯୪୨ ମସିହା ଅଗଷ୍ଟ ୧୨ତାରିଖ ଦିନ ଜେଲ ପାଚେରି ଡେଇଁ ପଳାଇ ଆସିଲେ ବାହାରକୁ । ବିରାଟ ଜନ ଆନ୍ଦୋଳନ ଓ ଲୋକ ସଂଗଠନ ଜରିଆରେ ଏକ ସମାନ୍ତରାଳ ସରକାର ଗଠନ କଲେ । ତା'ପରେ ସେ ଓଡ଼ିଶା ତ୍ୟାଗ କରି ଛଦ୍ମବେଶରେ କଲିକତା ଚାଲିଗଲେ । ସେଠାରେ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ଘରେ ମାସିକ ଛ'ଟଙ୍କା ଦରମାରେ ପୂଜାରୀ କାମ କଲେ । ଏହି ସମୟରେ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଯୁଗାନ୍ତର ଦଳ ସହିତ ସମ୍ପର୍କ ସ୍ଥାପନ କଲେ । ଯୁଗାନ୍ତର ଦଳର ଆତ୍ମଘାତୀ ଦୂତ ଭାବରେ (as a suicide squad) ମିଲିଟାରୀ ଲାଇନ ଅତିକ୍ରମ କରି ରାତ୍ରିର ଘୋର ଅନ୍ଧକାର ମଧ୍ୟରେ ବ୍ରହ୍ମପୁତ୍ର ନଦୀ ପହଁରି ସୁଭାଷଙ୍କ କ୍ୟାମ୍ପରେ ଖବର ପ୍ରଦାନ କରିବାରେ ଲାଗିଲେ । ଏହି ସମୟରେ ବ୍ରିଟିଶ ସରକାର ଓ ତାଳଚେର ରାଜା ତାଙ୍କୁ ପଳାତକ ଘୋଷଣା କରି ତାଙ୍କ ମୁଣ୍ଡ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କଲେ । କିନ୍ତୁ ତାଙ୍କୁ କେହି ଧରି ପାରିଲେ ନାହିଁ । ଏହି ସମୟରେ ମଧ୍ୟ ସେ ଜୟ ପ୍ରକାଶ ନାରାୟଣଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଦେଶ ସ୍ୱାଧୀନ ହେଲା । ସେ ମୁକ୍ତି ପାଇଲେ । ଛଦ୍ମବେଶ ତ୍ୟାଗ କଲେ । ସ୍ୱାଧୀନତା ପରେ ଗଡ଼ଜାତ ସମୂହର ପୂର୍ଣ୍ଣ ମୁକ୍ତି ଆନ୍ଦୋଳନ ନିମନ୍ତେ ମୁକ୍ତି ବାହିନୀ ଗଠନ କରି ଗଡ଼ଜାତ ମିଶ୍ରଣକୁ ସୁଗମ କଲେ । ଗଡ଼ଜାତ ମିଶଣ୍ର ପରେ ଏଗୁଡିକର ଶାସନ ପରିଚାଳନା ନିମନ୍ତେ ତାଙ୍କୁ ଏକ୍‍ଜିକ୍ୟୁଟିଭ୍‍ କାଉନ୍‍ସିଲର କରାଗଲା । ତିନିଜଣ ସଭ୍ୟଙ୍କୁ ନେଇ ଏହି କାଉନ୍‍ସିଲ ଗଠନ କରାଯାଇଥିଲା । ପବିତ୍ର ବାବୁ ସେମାନଙ୍କ ଭିତରୁ ଜଣେ । ୧୯୫୨ ଓ ୧୯୫୭ ନିର୍ବାଚନରେ ତାଳଚେର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିଲେ । ୧୯୫୭ରେ ସେ ମନ୍ତ୍ରୀ ହେଲେ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ନାହିଁ । ୧୯୬୧ (ମଧ୍ୟବର୍ତ୍ତୀ) ସାଧାରଣ ନିର୍ବାଚନରେ ତାଳଚେର ଓ ପାଲ୍‌ଲହଡ଼ା ଦୁଇଟି ଆସନରୁ ବିଜୟ ଲାଭ କଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗରେ ମନ୍ତ୍ରୀପଦ ଲାଭ କଲେ । ଏହିପରି ଜଣେ ସଂଗ୍ରାମୀ ଯୋଦ୍ଧା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଗର୍ବ ଓ ଗୌରବର କଥା ।

* * *