ଓଡ଼ିଶା ରାଜନୀତିର ଇତିହାସ/ଯୁବ ନେତୃତ୍ୱରେ ୧୯୬୧ ମସିହା କଂଗ୍ରେସ ମନ୍ତ୍ରିମଣ୍ଡଳ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଯୁବ ନେତୃତ୍ୱରେ ୧୯୬୧ ମସିହା କଂଗ୍ରେସ ମନ୍ତ୍ରିମଣ୍ଡଳ


ପଞ୍ଚଦଶ ପରିଚ୍ଛେଦ
ଯୁବ ନେତୃତ୍ୱରେ ୧୯୬୧ ମସିହା
କଂଗ୍ରେସ ମନ୍ତ୍ରିମଣ୍ଡଳ

୧୯୬୧ ମସିହା ଜୁନ୍‍ ମାସ ୨୩ ତାରିଖ ଦିନ ବିଜୟାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ୭ଜଣ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଓ ୮ ଜଣ ଉପମନ୍ତ୍ରୀ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଡକ୍ଟର ହରେକୃଷ୍ଣ ମହତାବ ଏଥର କୌଣସି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ । ବୀରେନ ମିତ୍ର ପୂର୍ବରୁ ବହୁଚେଷ୍ଟା କରି ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ । ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ହେଲେ ଉପମୁଖ୍ୟମନ୍ତ୍ରୀ । ସେତେବେଳେ ଓଡ଼ିଶା କଂଗ୍ରେସ ମହତାବ ଗୋଷ୍ଠୀ ଓ ବିଜୁ ପଟ୍ଟନାୟକ ଗୋଷ୍ଠୀରେ ଦୁଇଭାଗ ହୋଇଯାଇଥାଏ । ଏକଥା ଦିଲ୍ଲୀ ଦରବାରରେ ସମସ୍ତେ ଜାଣିଥାଆନ୍ତି । ଏଣୁ ଦୁଇ ଗୋଷ୍ଠୀ ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ଦିଲ୍ଲୀ ଦରବାର ଥାଏ ସଦା ଆଗ୍ରହୀ । ଉଭୟ ଗୋଷ୍ଠୀର ନେତାମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ- ଏଥିପାଇଁ ଦିଲ୍ଲୀ କର୍ତ୍ତୃପକ୍ଷ କଡ଼ା ନଜର ରଖିଥାଆନ୍ତି ।

ପବିତ୍ର ମୋହନ ପ୍ରଧାନ ପ୍ରକୃତରେ ମହତାବ ଗୋଷ୍ଠୀର । ସେ ହେଲେ ଏହି ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗର ମନ୍ତ୍ରୀ । ସେ କହନ୍ତି "ମୋତେ କେହି କେହି ମହତାବଙ୍କ ଲୋକ ବୋଲି ଭାବନ୍ତି । ମୁଁ କିନ୍ତୁ କାହାରି ଲୋକ ନୁହେଁ- କଂଗ୍ରେସ ଲୋକ । ମୁଁ କାହାରି ପକ୍ଷ ନୁହେଁ, ନ୍ୟାୟ ଓ ଧର୍ମର ପକ୍ଷ । ମୁଁ ଏକ ସଙ୍ଗେ ଦୁଇଜଣ ଦୁର୍ଦ୍ଦାନ୍ତ ରାଜାଙ୍କୁ ପରାଜିତ କରି ଆସିିଥିବାରୁ ମନ୍ତ୍ରିମଣ୍ଡଳରେ ମୋତେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଗଲା ।" (ମୁକ୍ତି ପଥରେ ସୈନିକ) ।

ବୃନ୍ଦାବନ ନାୟକ ପୂର୍ବରୁ ମହତାବଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଥିଲେ । କିନ୍ତୁ ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ ଭାବରେ ଯୋଗଦେଲେ । ସେଥିପାଇଁ ତାଙ୍କ ମନଦୁଃଖ ନଥାଏ । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କୁ ଗ୍ରହଣ କରାଗଲା, ସେ ହେଲେ ସରସ୍ୱତୀ ପ୍ରଧାନ । ଶିକ୍ଷା ବିଭାଗର ଉପମନ୍ତ୍ରୀ ପଦବୀରେ ସେ ରହିଲେ । ସେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ଭଟ୍‍ଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସିିଥିଲେ । ତାଙ୍କ ସମ୍ପର୍କରେ ଏଠାରେ ସଂକ୍ଷିପ୍ତ ସୂଚନା ଦେବାପାଇଁ ଉଚିତ ମନେ କରୁଛି । ୧୯୨୫ ମସିହାରେ ସେ ଜନ୍ମ ହୋଇିଥିଲେ ସମ୍ବଲପୁରର କମାଗାଁରେ । ତାଙ୍କର ପିତା ରାଏ ସାହେବ ମଦନ ମୋହନ ପ୍ରଧାନ । ତାଙ୍କର ସ୍ୱାମୀଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଏଡ୍‍. । ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କର ସେ ଜନନୀ । ଛାତ୍ରୀ ଅବସ୍ଥାରୁ ସେ ସମାଜ ସେବା କରି ଗ୍ରାମର ବିକାଶ ନିମନ୍ତେ ମନବଳାଇ ଥିଲେ । ସେ ଥିଲେ ଜଣେ ଶିକ୍ଷୟିତ୍ରୀ । ଅନେକ ପ୍ରାଥମିକ ବିଦ୍ୟାଳୟ ତାଙ୍କରି ତତ୍ତ୍ୱାବଧାନରେ ସମ୍ବଲପୁର ଜିଲ୍ଲାରେ ଖୋଲା ଯାଇଥିଲା । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍‍-ଫେଲୋ । ୧୯୬୧ ମସିହାରେ କଂଗ୍ରେସ ଦଳରେ ଯୋଗଦାନ କରି ସେହି ବର୍ଷ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇ ଶିକ୍ଷା ବିଭାଗର ଉପମନ୍ତ୍ରୀ ହେଲେ । ସମାଜ ସେବା ଥିଲା ତାଙ୍କର ପ୍ରଧାନ ବ୍ରତ ।

ବିଜୁ ବାବୁ, ବୀରେନ ବାବୁ ଓ ନୀଳମଣି ବାବୁ ଏହି ତିନିଜଣ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥାଇ କଂଗ୍ରେସକୁ ଆୟତ୍ତ କରିବାରେ ମହତାବ ବାବୁଙ୍କୁ ସର୍ବବିଧ ସାହାଯ୍ୟ କରୁଥିଲେ । ଏମାନଙ୍କୁ ଓଡ଼ିଶା କଂଗ୍ରେସର ତିନି ବନ୍ଧୁକଧାରୀ (The three musketeers) ସୈନିକ ବୋଲି କେହି କେହି ଡାକନ୍ତି (ମୁକ୍ତିପଥେ ସୈନିକ) । ଘଟଣା କ୍ରମେ ଏହି ତିନିହେଁ ମହତାବଙ୍କର ବିରୋଧୀ ହୋଇଗଲେ ଓ ତିନିଜଣଯାକ ଏହି ମନ୍ତ୍ରିମଣ୍ଡଳରେ ସମ୍ମାନଜନକ ବିଭାଗ ଅକ୍ତିଆର କରିନେଲେ । ପ୍ରଥମ ଜଣକ ହେଲେ ମୁଖ୍ୟମନ୍ତ୍ରୀ; ଦ୍ୱିତୀୟ ଜଣକ ହେଲେ ଉପ-ମୁଖ୍ୟମନ୍ତ୍ରୀ ଓ ତୃତୀୟ ଜଣକ ହେଲେ ଘରୋଇ ବିଭାଗ ମନ୍ତ୍ରୀ । ଏମାନେ ସମସ୍ତେ ସେତେବେଳେ ଯୁବକ ।

ବିଜୟାନନ୍ଦ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଓ ସେମାନଙ୍କ ବିଭାଗମାନ ହେଲା:

କ୍ୟାବିନେଟ ମନ୍ତ୍ରୀ :
ବିଜୟାନନ୍ଦ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ ତଥା ଅର୍, ଉନ୍ନୟନ (ମତ୍ସ୍ୟ ସମବାୟ ଏବଂ
ବାଣିଜ୍ୟିକ ସଂଗଠକ), ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ପୂର୍ତ୍ତ (ନିଯୁକ୍ତି,
ଜଳସେଚନ, ନଦୀବନ୍ଧ, ନର୍ଦ୍ଦମା ଓ ବିଦ୍ୟୁତ), ଯୋଜନା ଓ
ସମନ୍ୱୟ (ଯୋଜନା) ଏବଂ ବାଣିଜ୍ୟ (ବନ୍ଦର) ବିଭାଗ ମନ୍ତ୍ରୀ ।
ବୀରେନ୍‍ ମିତ୍ର : ଉପମୁଖ୍ୟମନ୍ତ୍ରୀ ତଥା ପଲଟିକାଲ ଆଣ୍ଡ ସର୍ଭିସେସ, ସ୍ୱାସ୍ଥ୍ୟ
(ସ୍ୱାୟତ୍ତ ଶାସନ), ଯୋଜନା ଓ ସମନ୍ୱୟ (ଗୋଷ୍ଠୀ ଉନ୍ନୟନ
ଓ ଜାତୀୟ ସଂପ୍ରସାରଣ ସେବା ଓ ଗ୍ରାମ ପଞ୍ଚାୟତ, ସମନ୍ୱୟ) ଏବଂ ଆଇନ୍‍
ସଦାଶିବ ତ୍ରିପାଠୀ : ରାଜସ୍ୱ ଓ ଅବକାରୀ, ଉନ୍ନୟନ (ଜଙ୍ଗଲ)
ପବିତ୍ର ମୋହନ ପ୍ରଧାନ : ଶିକ୍ଷା, ଉନ୍ନୟନ (କୃଷି), ଆଦିବାସୀ ଓ ଗ୍ରାମ ମଙ୍ଗଳ
ନୀଳମଣି ରାଉତରାୟ : ସ୍ୱରାଷ୍ଟ୍ର, ବାଣିଜ୍ୟ (ବନ୍ଦର ବ୍ୟତୀତ) ଶ୍ରମ ଓ ଯୋଗାଣ
ଡାକ୍ତର ପି.ଭି. ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ ବ୍ୟତୀତ) ଏବଂ ଉନ୍ନୟନ
(ପଶୁପାଳନ)
ହରିହର ସିଂହ ମର୍ଦ୍ଦରାଜ : ପୂର୍ତ୍ତ (ରାସ୍ତାଘାଟ ଓ କୋଠା), ପରିବହନ

ଉପ ମନ୍ତ୍ରୀ :

ବୃନ୍ଦାବନ ନାୟକ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମପଞ୍ଚାୟତ
ସରସ୍ୱତୀ ପ୍ରଧାନ : ଶିକ୍ଷା
ପ୍ରହ୍ଲାଦ ମଲ୍ଲିକ : ବିଦ୍ୟୁତ ଓ ଜଳସେଚନ
ସନ୍ତୋଷ କୁମାର ସାହୁ : ସ୍ୱାସ୍ଥ୍ୟ (ସ୍ୱାୟତ୍ତଶାସନ), ସାଂସ୍କୃତିକ ବ୍ୟାପାର, ସମବାୟ ଓ ଜଙ୍ଗଲ
ଟୋୟାକ ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ବୀର ବିକ୍ରମାଦିତ୍ୟ ସିଂହ ବରିହା : ପୂର୍ତ୍ତ ଓ ପରିବହନ (ପରିବହନ), କୃଷି ଓ ପଶୁପାଳନ
ଚନ୍ଦ୍ର ମୋହନ ସିଂହ : ଶ୍ରମ ଓ ଘରୋଇ (ଜେଲ)
ବନମାଳୀ ବାବୁ : ଆଇନ

ସେତେବେଳେ ବିଜୁବାବୁଙ୍କର ଦିଲ୍ଲୀରେ ଥାଏ ଭାରି ଖ୍ୟାତି ଓ ଖାତିରି । ସେ ଓଡ଼ିଶାର ବିଶିଷ୍ଟ ତଥା ପୁରୁଖା କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କୁ ଭାରତର ସର୍ବବୃହତ୍‍ ରାଜ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳ ହେଲେ ।

୧୯୬୧ ମସିହାରେ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଠିକ୍‍ ବର୍ଷକ ପରେ ୧୯୬୨ ମସିହାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ ଉଲ୍ଲେଖନୀୟ ସଫଳତା ପାଇ ମୋଟ ୨୦ଟି ଲୋକସଭା ଆସନରୁ ୧୪ଟି ଆସନ ଲାଭକଲା । ଅନୁଗୁଳ ଲୋକସଭା ଆସନରୁ କଂଗ୍ରେସ ଦଳ ତରଫରୁ ଡକ୍ଟର ହରେକୃଷ୍ଣ ମହତାବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ।

ତୃତୀୟ ଲୋକସଭା ସଦସ୍ୟ (୧୯୬୨) :

ମୟୂରଭଂଜ ମହେଶ୍ୱର ନାୟକ କଂଗ୍ରେସ
ବାଲେଶ୍ୱର ଗୋକୁଳାନନ୍ଦ ମହାନ୍ତି କଂଗ୍ରେସ
ଭଦ୍ରକ କାହ୍ନୁଚରଣ ଯେନା କଂଗ୍ରେସ
ଯାଜପୁର ରାମଚନ୍ଦ୍ର ମଲ୍ଲିକ କଂଗ୍ରେସ
କେନ୍ଦ୍ରାପଡ଼ା ସୁରେନ୍ଦ୍ରନାଥ ଦ୍ୱିବେଦୀ ସୋସାଲିଷ୍ଟ
କଟକ ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
ପୁରୀ ବିବୁଧେନ୍ଦ୍ର ମିଶ୍ର କଂଗ୍ରେସ
ଭୁବନେଶ୍ୱର ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କଂଗ୍ରେସ
ଭଂଜନଗର ମୋହନ ନାୟକ କଂଗ୍ରେସ
ଛତ୍ରପୁର ଅନନ୍ତ ତ୍ରିପାଠୀ ଶର୍ମା କଂଗ୍ରେସ
କୋରାପୁଟ ରାମଚନ୍ଦ୍ର ଉଲାକା କଂଗ୍ରେସ
ନବରଙ୍ଗପୁର ଆର୍‍. ଜଗନ୍ନାଥ ରାଓ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ଗ.ପ.
ଫୁଲବାଣୀ ରାଜେନ୍ଦ୍ର କହଁର ଗ.ପ.
ବଲାଙ୍ଗୀର ହୃଷୀକେଶ ମହାନନ୍ଦ ଗ.ପ.
ସମ୍ବଲପୁର କିଶାନ ପଟ୍ଟନାୟକ ସୋସାଲିଷ୍ଟ
ଅନୁଗୁଳ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସ
ଢେଙ୍କାନାଳ ବୈଷ୍ଣବ ଚରଣ ପଟ୍ଟନାୟକ କଂଗ୍ରେସ
ସୁନ୍ଦରଗଡ଼ ଯଜ୍ଞ ନାରାୟଣ ସିଂହ ଗ.ପ.
କେନ୍ଦୁଝର ଲକ୍ଷ୍ମୀନାରାୟଣ ଭଞ୍ଜ କଂଗ୍ରେସ

ଭାରତ ଚୀନ୍‍ ଯୁଦ୍ଧ :

୧୯୬୨ ମସିହା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ-ଚୀନ ଯୁଦ୍ଧ ହେଲା । ଯୁଦ୍ଧର କାରଣ ହେଲା, ଭାରତ ଉପରେ ଚୀନ୍‍ର ଲୋଲୁପ ଦୃଷ୍ଟି । ସାମ୍ରାଜ୍ୟ ବିସ୍ତାରର ମନୋଭାବ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କର ଚୀନ୍‍ ପ୍ରତି ଅତିଶୟ ବନ୍ଧୁତା ଓ ବିଶ୍ୱାସ । ଭାରତଦ୍ୱାରା ଉଦ୍‍ଘୋଷିତ ପଞ୍ଚଶୀଳ ନୀତିର ଅବମାନନା ଇତ୍ୟାଦି । ସେତେବେଳେ ଦେଶରକ୍ଷା ବିଭାଗର ମନ୍ତ୍ରୀ ଥାଆନ୍ତି ଭି.କେ. କ୍ରିଷ୍ଣମେନ୍‍ନ । ଯୁଦ୍ଧ ସମୟରେ ସାରା ଦେଶରେ ଦେଶାତ୍ମଭାବ ଜାଗ୍ରତ ହେଲା । ମାତୃଭୂମିକୁ ରକ୍ଷା କରିବା ନିମନ୍ତେ ଦେଶର ନାଗରିକମାନେ ଦୃଢ଼ ପ୍ରତିଜ୍ଞ ହେଲେ । ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କଠାରୁ ସ୍ୱର୍ଣ୍ଣ ଓ ଅର୍ଥ ସଂଗ୍ରହରେ ଲାଗିପଡ଼ିଲେ । ସ୍କୁଲ, କଲେଜ ଓ ବିିଭିନ୍ନ ଅନୁଷ୍ଠାନର ଛାତ୍ର, ଛାତ୍ରୀମାନେ ଗାଁ ଗହଳିରେ ବୁଲି ଏ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ । ଲୋକେ ଅକାତରରେ ସ୍ୱର୍ଣ୍ଣ ଓ ଅର୍ଥ ଦେଶରକ୍ଷା ପାଣ୍ଠି ପାଇଁ ଦାନ କଲେ । ଦେଶରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଓଡ଼ିଶାରେ ପ୍ରତିକୂଳ ହାଓ୍ୱା ସୃଷ୍ଟି ହେଲା । ଏଥିପାଇଁ ରାଜ୍ୟର ଲୋକସଭା ସଦସ୍ୟମାନଙ୍କୁ ମଧ୍ୟ ରାଜ୍ୟର ନେତାମାନେ ପ୍ରଭାବିତ କଲେ । ଭାରତ ଏହି ଯୁଦ୍ଧରେ ପରାଜୟ ଲାଭକଲେ ବି ଚୀନ୍‍ ନିଜ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ଯୁଦ୍ଧର ଅବସାନ ଘଟିଲା ।

ବିକାଶ ପଥେ ଓଡ଼ିଶା :

କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ମିଗ୍‍-୨୧ ବିମାନର ଇଂଜିନ୍‍ କାରଖାନା, ରାଉରକେଲାଠାରେ ଆଞ୍ଚଳିକ ଇଂଜିନିଅରିଂ କଲେଜ, ଭୁବନେଶ୍ୱରଠାରେ ଆଞ୍ଚଳିକ ଗବେଷଣାକେନ୍ଦ୍ର, ସୈନିକସ୍କୁଲ, କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏହା ବ୍ୟତୀତ ଭୁବନେଶ୍ୱରଠାରେ ଆଞ୍ଚଳିକ ଶିକ୍ଷା କଲେଜ ପ୍ରତିଷ୍ଠା ନିମନ୍ତେ ଭିତ୍ତି ସ୍ଥାପନ କରାଗଲା । ସମଗ୍ର ଭାରତରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦଦ୍ୱାରା (NCERT) ଯେଉଁ ଚାରିଗୋଟି ପ୍ରାନ୍ତୀୟ ଶିକ୍ଷା କଲେଜ ସ୍ଥାପିତ ହୋଇଛି, ସେଥିରୁ ଭୁବନେଶ୍ୱର ହେଉଛି ଗୋଟିଏ । ଏହାଦ୍ୱାରା ସମଗ୍ର ପୂର୍ବାଞ୍ଚଳ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମଣିପୁର ଓ ତ୍ରିପୁରା ରାଜ୍ୟର କଲ୍ୟାଣ ସାଧିତ ହେବାର ଲକ୍ଷ୍ୟ ରଖାଯାଇଥିଲା । ୧୯୬୩ ମସିହା ମଇ ମାସ ଏକୋଇଶି ତାରିଖ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର କେ.ଏଲ୍‍. ଶ୍ରୀମାଳି ଏହି ଅନୁଷ୍ଠାନର ଭିତ୍ତି ସ୍ଥାପନ କରିିଥିଲେ । ଏହି ଉତ୍ସବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓ ଶିକ୍ଷା ଉପମନ୍ତ୍ରୀ ସରସ୍ୱତୀ ପ୍ରଧାନ ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ଏହି ସମୟର ଏକ ଉଲ୍ଲେଖଯୋଗ୍ୟ ଘଟଣା । ଏହି ସମୟରେ ପାରାଦ୍ୱୀପ ଥିଲା ଏକ ଅଗମ୍ୟ ତ‌ଥା ଦୁର୍ଗମ ଅଞ୍ଚଳ । ବିଜୁବାବୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଆଣି ପାରାଦ୍ୱୀପଠାରେ ବନ୍ଦର ସ୍ଥାପନ ନିମନ୍ତେ ତାଙ୍କ ହାତରେ ଶୁଭ ପ୍ରଦାନ

କଲେ । ସେଠାରେ ପଣ୍ଡିତ ନେହେରୁଙ୍କ ରହିବା ପାଇଁ ସମୁଦ୍ର କୂଳରେ ସ୍ୱତନ୍ତ୍ର ବଙ୍ଗଳାଟିଏ ସ୍ଥାପନ ହେଲା । ନେହେରୁ ସେଇଠି ଅବସ୍ଥାନ କଲେ । ସେହି ବଙ୍ଗଳାର ନାମ 'ନେହେରୁ ବଙ୍ଗଳା' । ଏବେ ବି ତାହା ପାରାଦ୍ୱୀପର ଉଚ୍ଚଶ୍ରେଣୀୟ ବଙ୍ଗଳା ଭାବରେ ଖ୍ୟାତ ।

ବନ୍ଦର ହୋଇଗଲେ ତାହା କିପରି ପରିଚାଳିତ ହେବ ? ଏଇ ଚିନ୍ତା ବିଜୁବାବୁଙ୍କ ମୁଣ୍ଡକୁ ଘାରିଲା । ଖଣି ଖାଦାନରେ ଭରପୁର ଦୈତାରି ଅଞ୍ଚଳରୁ ଖଣିଜ ପଦାର୍ଥ ବାହାରକୁ ଯିବା ନିମନ୍ତେ ନିର୍ମାଣ ହେଲା ଦୈତାରିରୁ ପାରାଦ୍ୱୀପ ଯାଏ ସବୁଦିନିଆ ଏକ୍ସପ୍ରେସ୍‍ ହାଇଓ୍ୱେ । ଖଣିଜ ପଦାର୍ଥ ପାରାଦ୍ୱୀପରୁ ବିଦେଶକୁ ରପ୍ତାନି ହେବା ନିମନ୍ତେ ଏହି ରାସ୍ତା ଦେଇ ଟ୍ରକରେ ବୁହାହୋଇ ଆସିଲା ।

ପାଠ୍ୟପୁସ୍ତକ ଜାତୀୟ କରଣ ଏହି ସମୟର ଏକ ଉଲ୍ଲେଖନୀୟ ଘଟଣା । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍ତରରେ ଏକ ପ୍ରକାର ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରଚଳନ ନିମନ୍ତେ ସରକାର ଚିନ୍ତାକଲେ । ଏଥିପାଇଁ "ପାଠ୍ୟ ପୁସ୍ତକ ରଚନା ବୋର୍ଡ" ଗଠିତ ହେଲା । ଏହାର ସଭାପତି ରହିଲେ ନିଜେ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ, ଉପସଭାପତି ରହିଲେ ଶିକ୍ଷାମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ । ଏହି କମିଟି ତ‌ଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକ ଗୁଡ଼ିକ ତ୍ରିରଙ୍ଗୀ ହେଲା । ସରକାର କମ୍‍ ମୂଲ୍ୟରେ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ଛାତ୍ର ଛାତ୍ରୀମାନଙ୍କୁ ଯୋଗାଇ ଦେଲେ । ଏଥିପାଇଁ ସରକାରଙ୍କ ତରଫରୁ ଏକ ପ୍ରେସ୍‍ ଭୁବନେଶ୍ୱରଠାରେ ସ୍ଥାପିତ ହେଲା । ସରକାରଙ୍କର ଏହି ଉଦ୍ୟମ ସଫଳ ହେଲା । ପୂର୍ବରୁ ଘରୋଇ ପ୍ରକାଶକମାନେ ଏହି ସବୁ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟମାନଙ୍କୁ ଯୋଗାଉଥିଲେ । ଗୋଟିଏ ଗୋଟିଏ ଜିଲ୍ଲା ପାଇଁ ଚାରି ପାଞ୍ଚଟି ପୁସ୍ତକକୁ ମଞ୍ଜୁର କରାଯାଇଥିଲା । ଫଳରେ ସ୍କୁଲ ବିଭାଗୀୟ ଇନ୍‍ସପେକ୍ଟରମାନେ ଦୂଷିତ ଓ ଦୁର୍ନୀତି ପରାୟଣ ହେଉଥିଲେ । ପୁଣି ଏହି ବହି ଗୁଡ଼ିକ ଦୁଇ-ତିନି ବର୍ଷରେ ଥରେ ବଦଳି ଯାଉଥିଲା । ଅଭିଭାବକମାନେ ବହି କିଣି କିଣି ଖର୍ଚ୍ଚାନ୍ତ ହେଉଥିଲେ ।

ଜାତୀୟକରଣ ପୁସ୍ତକ ପ୍ରକାଶନ ହେବା ପରେ ତାହା ବର୍ଷ ବର୍ଷ ଧରି ଚାଲିଲା । ଫଳରେ ଅଭିଭାବକମାନେ ପ୍ରଥମ ପିଲାପାଇଁ ବହି କ୍ରୟ କରି ତାକୁ ଦ୍ୱିତୀୟ, ତୃତୀୟ ସନ୍ତାନ ପାଇଁ ମଧ୍ୟ ସାଇତି ରଖିଲେ । ଏହି ଜାତୀୟକରଣ ପୁସ୍ତକ ବ୍ଳକ୍‍ ସ୍ତରରେ ବିକ୍ରୀ ଆରମ୍ଭ ହେଲା । ଏହା ସରକାରଙ୍କର ଏକ ସଫଳ ଯୋଜନା । ଅଦ୍ୟାବଧି ସେହି ଢାଞ୍ଚାରେ ପୁସ୍ତକ ପ୍ରସ୍ତୁତି, ପ୍ରକାଶନ ଓ ଯୋଗାଣ ଅବ୍ୟାହତ ରହିଛି । ପଞ୍ଚାୟତ ସ୍ତରରେ ଶିଳ୍ପ ପ୍ରତିଷ୍ଠା ମଧ୍ୟ ଏହି ସମୟରେ ଏକ ନୂତନ ଯୋଜନା ।

ରାଜ୍ୟପାଳ ପରିବର୍ତ୍ତନ :

ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ୧୯୬୨ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ରାଜ୍ୟପାଳ ଡକ୍ଟର ଅଯୋଧ୍ୟା ନାଥ ଖୋସଲା ଯୋଗଦେଲେ । ସେ ଓଡ଼ିଶାର ପ୍ରଗତି ପଥରେ ବିଶେଷ

ଭାବରେ ସହଯୋଗ କରିବାରେ ଲାଗିଲେ । ଡକ୍ଟର ଖୋସଲା ଦିଲ୍ଲୀ ମହାନଗରୀର ମଥୁରା ରୋଡ଼ରେ ୧୮୯୨ ମସିହା ଡିସେମ୍ବର ୧୧ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ରାଲ୍ଲାରାମ । ସେ ଇଂଜିନିୟରିଂ ଡିଗ୍ରୀଧାରୀ ବ୍ୟକ୍ତି । ୧୯୧୬ ମସିହାରେ ପଞ୍ଜାବ ସରକ।ରଙ୍କର ଜଳସେଚନ ବିଭାଗରେ ଚାକିରିରେ ଯୋଗଦାନ କରି ଭାକ୍ରା ନଦୀବନ୍ଧ ଯୋଜନାର ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହା ପରେ ଜଣେ କମିଶନର ଅଧିକ।ରୀ ଭ।ବରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୧୯୧୮-୧୯୨୦ ପର୍ଯ୍ୟନ୍ତ ମେସୋପଟାମିଅ। ଏକ୍ସପେଡିସନାରୀ ଫୋର୍ସରେ କାର୍ଯ୍ୟ କରି ଇରାକଠାରେ ଅବସ୍ଥାପିତ ହୋଇିଥିଲେ । ସେ ବହୁ ନଦୀବନ୍ଧ ଯୋଜନା ଓ ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହେଲେ । ସେ ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ । ୧୯୪୩ ମସିହାରେ ସେ ହେଲେ ଭାରତ ସରକାରଙ୍କ ପରାମର୍ଶଦାତା ଯନ୍ତ୍ରୀ । ନିର୍ମାଣ, ଖଣି ଓ ଶକ୍ତିମନ୍ତ୍ରଣାଳୟର ଅତିରିକ୍ତ ସଚିବ । ଭାକ୍ରା, ଚମ୍ବଲ, ଦାମୋଦର ଉପତ୍ୟକା, ହୀରାକୁଦ ଏବଂ ତାପ୍ତି ପ୍ରକଳ୍ପର ଜଳ ଓ ଶକ୍ତିର ଉଚ୍ଚ କ୍ଷମତା ସମ୍ପର୍କରେ ସେ ଅନୁସନ୍ଧାନ ଆରମ୍ଭ କଲେ । ତା'ପରେ ହେଲେ ରୁର୍କି ବିଶ୍ୱବିଦ୍ୟାଳୟର କୁଳପତି ୧୯୫୪ ମସିହାରେ । ୧୯୫୮ ଏପ୍ରିଲ୍‌ରୁ ୧୯୫୯ ଅକ୍ଟୋବର ଯାଏ ହେଲେ ରାଜ୍ୟସଭା ସଦସ୍ୟ । ୧୯୫୯ ଡିସେମ୍ବରରେ ହେଲେ ଯୋଜନା କମିଶନ ସଭ୍ୟ ।

ତା'ପରେ ସେ ଓଡ଼ିଶାର ରାଜ୍ୟପାଳ ଭାବରେ ୧୯୬୨ରେ ଯୋଗଦାନ କଲେ । ସେ ଥିଲେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଞ୍ଜିନିୟର୍ସ (ଇଣ୍ଡିଆ)ର ଦୁଇଥର ସଭାପତି (୧୯୪୯-୫୦ ଓ ୧୯୫୦-୫୧) । ଏହିପରି ସେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ବହୁତ ସମ୍ମାନ ସେ ପାଇଥିଲେ । ୧୯୫୪ରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ ହୋଇଥିଲେ । ଦେଶ ବିଦେଶର ବହୁ ଅନୁଷ୍ଠାନ ତରଫରୁ ସମ୍ମାନସୂଚକ 'ଡକ୍ଟର ଅଫ୍‍ ଇଂଜିନିୟରିଂ ଡିଗ୍ରୀ' ତାଙ୍କୁ ପ୍ରଦାନ କରାଯାଇଥିଲା । ସେ ଥିଲେ ଆମେରିକାନ୍‍ ସୋସାଇଟି ଅଫ୍‍ ସିଭିଲ୍‍ ଇଂଜିନିଅର୍ସ ଓ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଂଜିନିଅର୍ସ (ଇଣ୍ଡିଆ)ର ଆଜୀବନ ସଦସ୍ୟ ।

ଡକ୍ଟର ଖୋସଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କୁ ଖୁବ୍‍ ଭଲ ପାଉଥିଲେ । ଓଡ଼ିଶାର ବିକାଶ ଓ ପ୍ରଗତିରେ ତାଙ୍କର ଦାନ କମ୍‍ ନୁହେଁ ।

କାମରାଜ ଯୋଜନା ଓ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ :

ଧୀରେ ଧୀରେ ଦେଶର ରାଜନୈତିକ ପରିସ୍ଥିତି ଅଡୁଆ ହେବାରେ ଲାଗିଲା । କେତେକ ବ୍ୟକ୍ତି ବରାବର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଉଥିବାରୁ ଅନ୍ୟ ନେତାଙ୍କର ଚକ୍ଷୁଶୂଳ ହେଲେ । ପୁଣି ନେତାମାନେ ମନ୍ତ୍ରୀ ଦାୟିତ୍ୱରେ ରହିବାରୁ ସଂଗଠନ କାର୍ଯ୍ୟ ବାଧାପ୍ରାପ୍ତ ହେଲା । କ୍ଷମତାସୀନ ଓ କ୍ଷମତାହୀନ ଭାବରେ ଦୁଇ ଗୋଷ୍ଠୀ ଦେଖାଦେଲେ । ଏମାନଙ୍କ ଭିତରେ ମଝିରେ ମଝିରେ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଲାଗି ଯାଉଥାଏ । ଏସବୁର ସମାଧାନ ନିମନ୍ତେ ନେହେରୁ ବାଟ ଖୋଜୁ ଥାଆନ୍ତି । ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ କାମରାଜ ନାଦର ଉପଲବ୍ଧି କଲେ ଯେ, "ସେ ଦିନକୁ ଦିନ ଲୋକଙ୍କ ପାଖରେ ଅପ୍ରିୟ ହୋଇ ଯାଉଛନ୍ତି । ସାଧାରଣ କଂଗ୍ରେସ ଲୋକେ ଗାଁ ଗହଳିକୁ ନଯାଇ ମନ୍ତ୍ରୀ ଓ ମୁଖିଆମାନଙ୍କ ଗହଣରେ ସହରରେ ରହି ନାନା ପ୍ରକାର ଦୁର୍ନୀତିରେ ଲିପ୍ତ ରହୁଛନ୍ତି ।"

ଫଳରେ କାମରାଜ ପଣ୍ଡିତ ଜବାହାର ଲାଲ ନେହେରୁଙ୍କୁ ପ୍ରସ୍ତବ ଦେଲେ ଯେ, ଏଇସବୁ କାରଣରୁ କଂଗ୍ରେସ ବଦନାମ ହେବାକୁ ଯାଉଛି । ଏଥିରେ କଂଗ୍ରେସର ବିପର୍ଯ୍ୟୟ ସୁନିଶ୍ଚିତ । ଏଣୁ କଂଗ୍ରେସକୁ ଶକ୍ତିଶାଳୀ ଏବଂ ଲୋକପ୍ରିୟ କରିବାକୁ ହେଲେ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଯେଉଁମାନେ ବରାବର ରାଜ୍ୟ ବା କେନ୍ଦ୍ରରେ କ୍ଷମତାରେ ରହୁଛନ୍ତି, ସେମାନେ ନିଜ ନିଜ ମନ୍ତ୍ରୀ ପଦରୁ ଓହରି ଆସି ସଂଗଠନରେ ଅଂଶ ଗ୍ରହଣ କରନ୍ତୁ । ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ କାର୍ଯ୍ୟରେ ଲିପ୍ତ ହେବା ପାଇଁ ପ୍ରସ୍ତୁତ ଅଛି ।" ଏହା ହେଉଛି କାମରାଜ ପ୍ଳାନ୍‍ ।

ପଣ୍ଡିତ ନେହେରୁ କାମରାଜଙ୍କ ପ୍ଳାନ୍‍ ଶୁଣି ବହୁତ ଖୁସି ହେଲେ । ତାଙ୍କୁ ଉପାୟ ମିଳିଗଲା ବୋଲି ସେ ଭାବିଲେ । ଏହି କାମରାଜ ପ୍ଳାନ୍‍ ଚାରିଆଡେ଼ ପ୍ରଚାରିତ ହୋଇଗଲା । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ନେହେରୁଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଲାଲ ବାହାଦୂର ଶାସ୍ତ୍ରୀ ପ୍ରଥମେ ଇସ୍ତଫା ଦେଲେ । ତା'ପରେ ଗୋଟି ଗୋଟି କରି ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଇସ୍ତଫା ପ୍ରଦାନ କଲେ । ଦେଶାଇ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ପଣ୍ଡିତ ନେହେରୁଙ୍କ ଇଚ୍ଛା ମୋରାରଜୀଙ୍କ ଭଳି ଆହୁରି ଅନେକ ନେତା ଇସ୍ତଫା ଦିଅନ୍ତୁ । ଏହି ଅବସରରେ ବିଜୟାନନ୍ଦ ପଟ୍ଟନାୟକ ଓଡ଼ିଶା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ପଣ୍ଡିତ ନେହେରୁ ବିଜୁବାବୁଙ୍କ ଇସ୍ତଫାକୁ ଗ୍ରହଣ କରିନେଲେ । ପ୍ରକୃତରେ ବିଜୁବାବୁ ଇସ୍ତଫା ଦେବା ଉଚିତ୍‍ ନଥିଲା । କାରଣ ସେ କାମରାଜ ପ୍ଳାନ୍‍ ଅନ୍ତର୍ଭୁକ୍ତ ଶ୍ରେଣୀୟ ନେତା ନଥିଲେ । ସେ ତ ବରାବର ରାଜ୍ୟ କି କେନ୍ଦ୍ରରେ ମନ୍ତ୍ରୀ ନଥିଲେ । ମାତ୍ର ୨୭ ମାସ ଜୀବନରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପଣ୍ଡିତ ନେହେରୁ ବିଜବାବୁଙ୍କ ଇସ୍ତଫା ଗ୍ରହଣ କରିନେବାର ଭିତ୍ତିରି କଥା ହେଲା, ବିଜୁବାବୁଙ୍କ ନାମରେ ସେତେବେଳକୁ ଦୁର୍ନୀତି ବିଷୟରେ ନାନା କଥା ଶୁଣାଯାଉଥିଲା । ତାଙ୍କ ନାମରେ ମଧ୍ୟ ବହୁ ଅଭିଯୋଗ ପଣ୍ଡିତ ନେହେରୁଙ୍କ ପାଖରେ ଆସି ପହଞ୍ଚି ସାରିଥିଲା । ଦୈତାରି ଲୁହା ଖଣି ଯୋଜନା ପାଇଁ ଲିଂକ୍‍ସ କମ୍ପାନୀ ସହ ଏକତରଫା ଚୁକ୍ତି, ପାରାଦ୍ୱୀପ ବନ୍ଦର ନିର୍ମାଣ ଓ ପୋତାଶ୍ରୟ ନିମନ୍ତେ ସମୁଦ୍ର ଭିତରେ ପଥର ବନ୍ଧ ତିଆରିରେ କିଏ କେତେ ଟଙ୍କା ନେଲେ ତାର ଠିକଣା ନଥିବା, ଏହି ପଥର ବନ୍ଧ ପକାଇବାରେ ପ୍ରିୟା-ପ୍ରୀତି ତୋଷଣ ଦ୍ୱାରା ବହୁ ଅପବ୍ୟୟ ଓ ବିଜୁ ପଟ୍ଟନାୟକ ୧୧ଟି କର୍ପୋରେସନ କରାଇଥିଲେ । ସେଥିରୁ କୌଣସି ଗୋଟିକରେ ଲାଭ ନହେବା, ସେଥିରୁ ଦୁଇ ଚାରୋଟି ପୂରା ବନ୍ଦ ହୋଇଯିବା ଆଦି ଅନେକ ଅଭିଯୋଗ ସମ୍ପର୍କରେ ଦିଲ୍ଲୀକୁ ସ୍ମାରକପତ୍ର ମାନ ବରାବର ଦିଆଯାଉଥାଏ । ଏଣୁ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ କାଳବିଳମ୍ବ ନକରି ବିଜୁବାବୁଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନେଲେ ।

* * *