ଓଡ଼ିଶା ରାଜନୀତିର ଇତିହାସ/ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର


ଷୋଡ଼ଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର

କାମରାଜ ପ୍ଲାନ୍‍ରେ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶା ଶାସନ କଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ତାଙ୍କ ମନଲାଖି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୁଅନ୍ତୁ, ଏହା ହେଲା ତାଙ୍କର ବାସନା । ତାଙ୍କର ମନଲାଖି ବ୍ୟକ୍ତି ଜଣକ ହେଲେ କଟକ ନଗର ବିଧାୟକ ବୀରେନ୍‍ ମିତ୍ର - ଯିଏକି ତାଙ୍କର ପରମ ବଂଧୁ ମଧ୍ୟ । ବିଜୁବାବୁଙ୍କର ଇଚ୍ଛା, ବୀରେନ୍‍ ବାବୁ ନିର୍ଦ୍ୱନ୍ଦ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ ।

ହେଲେ ମହାତାବ ଗୋଷ୍ଠୀ ଏହାକୁ ଘୋର ବିରୋଧ କଲେ । ସେମାନେ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଦପାଇଁ ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍‍ଗୋ ଏବଂ ରାଧାନାଥ ରଥଙ୍କ ନାମ ପ୍ରସ୍ତାବ ଦେଲେ । ଏମାନଙ୍କ ମଧ୍ୟରୁ କାହାକୁ ଯଦି ବିଜୁ ପଟ୍ଟନାୟକ ଗୋଷ୍ଠୀ ଦଳପତି ପଦ ନିମନ୍ତେ ଗ୍ରହଣ କରିନେବେ, ତେବେ ସମସ୍ୟାର ସମାଧାନ ହୋଇଯିବ ବୋଲି ଏହି ଗୋଷ୍ଠୀ ଖୋଲା ଖୋଲି ଭାବରେ ପ୍ରକାଶ କଲେ ।

ବିଜୁ ପଟ୍ଟନାୟକଙ୍କ ଇଚ୍ଛା କିନ୍ତୁ ଅନ୍ୟ ପ୍ରକାରର । ନିଜ ଗୋଷ୍ଠୀରୁ ନିଜର ପରମ ପ୍ରିୟ ବ୍ୟକ୍ତିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଲ୍ଲୀ ରାଜନୀତି ତ‌ଥା ରାଜ୍ୟ ରାଜନୀତିକୁ ସେ ନିୟନ୍ତ୍ରଣ କରିବେ । 'ବୀରେନ୍‍ ମିତ୍ର ମୁଖ୍ୟମନ୍ତ୍ରୀ ହେବେ' ସେ ନିଜ ଜିଦ୍‍ରେ ଅଟଳ ରହିଲେ । ଓଡ଼ିଶା ବିଧାୟକ ଦଳର ନେତା ନିର୍ବାଚନ ନିର୍ଦ୍ୱନ୍ଦ୍ୱରେ କରାଇ ପାରିଲେ ଦିଲ୍ଲୀରେ ତାଙ୍କର ସୁନାମ ଯଥେଷ୍ଟ ବଢ଼ିଯିବ - ଏହା ମଧ୍ୟ ତାଙ୍କର ଆଉ ଗୋଟିଏ ଇଛା । ତାଙ୍କର ଆଶା ପୂରଣରେ ବିଡମ୍ବନା ସୃଷ୍ଟି ହେଉଛି - ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଦଳର ସମସ୍ତେ ଗ୍ରହଣ କରିବାକୁ ନାରାଜ - ଏହା ଜାଣିପାରି ସେ ବ୍ୟସ୍ତ ଓ ବିବ୍ରତ ହୋଇପଡିଲେ ।

ସେତେବେଳେ ଓଡ଼ିଶା ବିଧାନ ସଭାରେ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ୮୨ । ସେମାନଙ୍କ ଭିତରୁ ୫୨ ଜଣ ମହତାବଙ୍କ ଗୋଷ୍ଠୀର । ହେଲେ କେହି ଚିହ୍ନା ପଡୁ ନଥାନ୍ତି । ଏମାନଙ୍କର ଏକ ତାଲିକା ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ ଓ ଶାନ୍ତନୁ କୁମାର ଦାସ ତିଆରି କରି ରଖିଥାଆନ୍ତି । ଏହା ଜାଣିପାରି ବିଜୁବାବୁ ହତାଶ ହୋଇ ପଡିଲେ । କଳେବଳେ କଉଶଳେ ସେ କେମିତି ବୀରେନ୍‍ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ସେଇ ଯୋଜନାରେ ଲାଗିପଡିଲେ । ନିଜ ଗୋଷ୍ଠୀର କେତେଜଣ ବିଧାୟକଙ୍କୁ ମହତାବ ଗୋଷ୍ଠୀର ବିଧାୟକମାନଙ୍କ ପାଖକୁ ପଠାଇ ସେହି ୫୨ଜଣ ଏମ୍‍.ଏଲ୍‍.ଏ କେଉଁମାନେ ତାହା ଜାଣିବାକୁ ଚେଷ୍ଟାକଲେ । ଶେଷରେ ସଫଳ ମଧ୍ୟ ହେଲେ । ଶୁଣାଯାଏ, ଅନେକ ବିଧାୟକଙ୍କୁ ପ୍ରଲୋଭିତ, ଆକର୍ଷିତ, ଆତଙ୍କିତ ତ‌ଥା ଭୟଭୀତ କରାଇ ନିଜ ଗୋଷ୍ଠୀକୁ ଟାଣି ନେବାକୁ ସେ ସକ୍ଷମ ହେଲେ ।

ମହତାବ ଗୋଷ୍ଠୀ ତରଫରୁ ଗଡ଼ଜାତ ପ୍ରଜା ଆନ୍ଦୋଳନର ବିଶିଷ୍ଟ ନେତା ପବିତ୍ର ମୋହନ ପ୍ରଧାନ ଦଳର ନେତା ତ‌ଥା ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସ୍ଥିରହେଲା । ପବିତ୍ରବାବୁଙ୍କ ପାଇଁ ଡକ୍ଟର ହରେକୃଷ୍ଣ ମହତାବ, ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ମହାନ୍ତି, ମୁରଲୀଧର ଜେନା ଆଦି କଂଗ୍ରେସର ପୂର୍ବତନ ସଭାପତି ଓ ସଂପାଦକମାନେ ଏବଂ ହିମାଂଶୁ ଶେଖର ପାଢ଼ୀ, କୁମୁଦ ଚନ୍ଦ୍ର ସିଂହ, ବୀର ବିକ୍ରମାଦିତ୍ୟ ସିଂହ ବରିହା, ମନମୋହନ ଟୁଡୁ, ସୁନାରାମ ସୋରେନ୍‍ ଆଦି ବିଧାୟକମାନେ ଖୋଲାଖୋଲି ଭାବରେ ପ୍ରଚାର କଲେ । (ମୁକ୍ତିପଥେ ସୈନିକ)

୧୯୬୩ ମସିହା ଅକ୍ଟୋବର ୧ ତାରିଖରେ ବିଧାୟକ ଦଳର ନେତା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହେଲା । ସେ ବେଳର କେନ୍ଦ୍ରମନ୍ତ୍ରୀ ରଫି ଅହମ୍ମଦ କିଦ୍‍ଓ୍ୱାଇ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବରେ ଆସିଲେ । ବିଧାନସଭାର ୫୪ ନମ୍ବର କୋଠରିରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ବୀରେନ୍‍ ମିତ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ପବିତ୍ର ମୋହନ ପ୍ରଧାନ ପରାଜିତ ହେଲେ । ତହିଁ ପରଦିନ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବୀରନ୍‍ବାବୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ୧୪ ଜଣିଆ ମନ୍ତ୍ରିମଣ୍ଡଳ ସଭ୍ୟମାନଙ୍କ ସହ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗମାନ ହେଲା :

କ୍ୟାବିନେଟ ମନ୍ତ୍ରୀ :
ବୀରେନ୍‍ ମିତ୍ର : ମୁଖ୍ୟମନ୍ତ୍ରୀ, ଅର୍ଥ, ଶିଳ୍ପ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତ‌ତ୍ତ୍ୱ
ଜଳସେଚନ ଓ ବିଦ୍ୟୁତ୍‍, ସାଂସ୍କୃତିକ ବ୍ୟାପାର, ସ୍ୱାସ୍ଥ୍ୟ (ସ୍ୱାୟତ୍ତ
ଶାସନ) ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ
ନୀଳମଣି ରାଉତରାୟ : ପଲଟିକାଲ ଆଣ୍ଡ ସର୍ଭିସେସ୍‍, ସ୍ୱରାଷ୍ଟ୍ର, ଯୋଗାଣ ଓ ଶ୍ରମ
ସଦାଶିବ ତ୍ରିପାଠୀ : ରାଜସ୍ୱ ଓ ଅବକାରୀ, ସମବାୟ ଓ ଜଙ୍ଗଲ
ସତ୍ୟପ୍ରିୟ ମହାନ୍ତି : ଶିକ୍ଷା, କୃଷି ଓ ପଶୁଚିକିତ୍ସା, ସମବାୟ ଓ ଜଙ୍ଗଲ (ଜଙ୍ଗଲ
ବ୍ୟତୀତ ଅନ୍ୟ ସମସ୍ତ ଶାଖା)
ପି.ଭି.ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ
ହରିହର ସିଂହ ମର୍ଦ୍ଦରାଜ : ପୂର୍ତ୍ତ ଓ ପରିବହନ
ବୃନ୍ଦାବନ ନାୟକ : ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତ ରାଜ
ଟି.ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମମଙ୍ଗଳ
ବନମାଳୀ ବାବୁ : ଆଇନ
ପ୍ରହଲ୍ଲାଦ ମଲ୍ଲିକ : ଉପମନ୍ତ୍ରୀ, ଜଳସେଚନ ଓ ବିଦ୍ୟୁତ
ବୀର ବିକ୍ରମାଦିତ୍ୟ ସିଂହ ବରିହା : ଉପମନ୍ତ୍ରୀ ପୂର୍ତ୍ତବିଭାଗର ପରିବହନ ଶାଖା, କୃଷି ବିଭାଗର
ପଶୁପାଳନ ଶାଖା ଓ ପଶୁ ଚିକିତ୍ସା
ସରସ୍ୱତୀ ପ୍ରଧାନ : ଉପମନ୍ତ୍ରୀ, ଶିକ୍ଷା
ସନ୍ତୋଷ କୁମାର ସାହୁ : ଉପମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱାୟତ୍ତ ଶାସନ ଶାଖା, ସାଂସ୍କୃତିକ
ବ୍ୟାପାର, ସମବାୟ ବିଭାଗର ସମବାୟ ଶାଖା ଏବଂ ଜଙ୍ଗଲ ବିଭାଗ
ଚନ୍ଦ୍ରମୋହନ ସିଂହ : ଉପମନ୍ତ୍ରୀ, ଶ୍ରମ ବିଭାଗ ଓ ଘରୋଇ ବିଭାଗ (ଜେଲ ଶାଖା)
ବିଜୁ ପଟ୍ଟନାୟକ ହେଲେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ।

ମହତାବ ଗୋଷ୍ଠୀରୁ କାହାରିକୁ ଏହି ମନ୍ତ୍ରିମଣ୍ଡଳରେ ନିଆଗଲା ନାହିିଁ । ପବିତ୍ର ବାବୁ ତ ମୁଖ୍ୟମନ୍ତ୍ରୀ ପଦପାଇଁ ବୀରେନ୍‍ ମିତ୍ରଙ୍କ ସହ ଲଢୁଥିଲେ, ଏଣୁ ତାଙ୍କ ପ୍ରଶ୍ନ ବି ଉଠିଲା ନାହିିଁ । ମହତାବ ଗୋଷ୍ଠୀରେ ଥାଆନ୍ତି ସାତଜଣ ଟାଣୁଆ ବିଧାୟକ । ସେମାନେ ସର୍ବଦା କଂଗ୍ରେସର ସୁନାମ ଓ ଦେଶର ମର୍ଯ୍ୟାଦା ଓ ସମ୍ମାନ ରଖିବାପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ । ସେମାନେ ହେଲେ ପବିତ୍ରମୋହନ ପ୍ରଧାନ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ନାଥ ମହାନ୍ତି, ମୁରଲୀଧର ଜେନା ଓ ମନମୋହନ ଟୁଡୁ । ଏମାନଙ୍କୁ କୁହାଯାଉଥିଲା ସପ୍ତରଥୀ ।

ବିଜୁ ପଟ୍ଟନାୟକ ଏହି ସାତଜଣଙ୍କୁ ବ୍ୟଙ୍ଗରେ କହୁ ଥିଲେ, "ଏମାନଙ୍କ ଭିତରୁ ଜଣେ ହେଉଛି 'ଡଙ୍କି' ବା ଗଧ, ୫ଜଣ ଜେନେରାଲ (ସେନାପତି) ଏବଂ ଜଣେ ଷ୍ଟାଣ୍ଡାର୍ଡ ବିଅରର୍‍ (ଧ୍ୱଜିନୀ) ।

ଭାର ବୋହିବାରେ 'ଗଧ ଯେପରି ଧୁରନ୍ଧର, ବିନା ଆପତ୍ତିରେ ଗୁରୁଦାୟିତ୍ୱ ତୁଲାଇବାରେ ପବିତ୍ର ବାବୁ ସେହିପରି ଯୋଗ୍ୟ ଏବଂ ଦକ୍ଷ । ତେଣୁ ତାଙ୍କୁ ଗଧ ବୋଲି କୁହାଯାଉଛି ।' ଗୋଷ୍ଠୀ ତରଫରୁ ସବୁବେଳେ ପ୍ରଥମରୁ ଟୁଡୁ ବାବୁ ଗୋଷ୍ଠୀର ମନୋଭାବ ଓ ମତର ସୂଚନା ଦେଉଥିବାରୁ, ସେ ଅଗ୍ରଣୀ ଭାବରେ କାର୍ଯ୍ୟ କରୁଛନ୍ତି ତେଣୁ ସେ ଧ୍ୱଜିନୀ । ବାକି ପାଞ୍ଚଜଣ ଯାକ ହେଲେ ଜେନେରାଲ ।

(ମୁକ୍ତିପଥେ ସୈନିକ : ପବିତ୍ର ପ୍ରଧାନ)

ପରବର୍ତ୍ତୀ ସମୟରେ ଏହି ସପ୍ତରଥୀଙ୍କଯୋଗୁଁ କଂଗ୍ରେସ ବିଭାଜନ ହେଲା । ସେମାନେ 'ଜନ କଂଗ୍ରେସ' ଦଳ ପ୍ରତିଷ୍ଠା କଲେ ।

ବୀରେନବାବୁ ମୁଖ୍ୟମନ୍ତ୍ରୀ ହେବାର ଦୁଇ ମାସ ଭିତରେ, ନଭେମ୍ବର ୨୨ ତାରିଖରେ (୧୯୬୩) ମାର୍କିନ ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟ ଜନ୍‍ କେନେଡି ଅସଓ୍ୱାଲଡ ନାମକ ଜଣେ ଆତତାୟୀର ଗୁଳିରେ ପ୍ରାଣ ହରାଇ ଶହୀଦ ହେଲେ । ଏଥିପାଇଁ ଆମ ଦେଶରେ ତ‌ଥା ଆମ ରାଜ୍ୟରେ ଗଭୀର ଶୋକପାଳନ କରାଗଲା । ନଭେମ୍ବର ୨୫ ତାରିଖ ଦିନ ଯୁକ୍ତରାଷ୍ଟ୍ର ଦୂତାବାସରେ ସ୍ୱର୍ଗତ କେନେଡିଙ୍କର ସ୍ମୃତି ତର୍ପଣରେ ଯୋଗଦେଇଥିଲେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟପ୍ରତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ପଠାଇଥିଲେ ।

ଏହା ପୂର୍ବରୁ ୧୯୬୩ ନଭେମ୍ବର ୧୭ ତାରିଖ ଦିନ ରୁଷର ତିନିଜଣ ମହାକାଶଚାରୀ ଓଡ଼ିଶା ଭ୍ରମଣରେ ଆସିଥିଲେ । ସେମାନଙ୍କୁ କଟକଠାରେ ଓଡ଼ିଶା ସରକାର ତ‌ଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ସେହି ମହାକାଶଚାରୀ ତିନିଜଣ ଯାକ ହେଲେ; ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ କ୍ୟାପ୍‍ଟେନ ଭାଲେନ୍ତିନା ନିକୋଲାଏଭା ତେରେସ୍କୋଭା, ମେଜର ଆଣ୍ଡିଆନ୍‍ ନିକୋଲା ଏଭ ଓ ମେଜର ଭାଲେରୀ ବାଇକୋଭସ୍କି । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପହାର ଓ ନାରୀସଂଘ ସଦନ ତରଫରୁ ଉପହାର ଭାଲେଣ୍ଟିନାଙ୍କୁ ପ୍ରଦାନ କରାଗଲା । ରୁଷ ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଚକ୍ର ଉପହାର ପ୍ରଦାନ କରାଗଲା । କଟକ ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ପ୍ରଦତ୍ତ ଉପହାର ମେଜର ନିକୋଲାଏଭଙ୍କୁ ପ୍ରଦାନ କରାଗଲା । ମେଜର ଭାଲେରୀ ବାଇକୋଭସ୍କିଙ୍କୁ ମଧ୍ୟ ନାନା ଭାବରେ ଉପହାର ପ୍ରଦାନ କରାଗଲା ।

ଭୁବନେଶ୍ୱରରେ ଜାତୀୟ କଂଗ୍ରେସ ଅଧିବେଶନ :

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବାପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୨ ମସିହା ଏପ୍ରିଲ ମାସରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ବ୍ରିଟିଶ ସରକାର ସେତେବେଳେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରିଦେବାରୁ ଅଧିବେଶନ ବସିବା ବାତିଲ ହୋଇଯାଇଥିଲା । ଯାହାହେଉ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଏହି କଂଗ୍ରେସ ଅଧିବେଶନ ୧୯୬୪ ମସିହା

ଜାନୁଆରି ମାସରେ ଅନୁଷ୍ଠିତ ହେଲା । ଏହି ଅଧିବେଶନ ଭୁବନେଶ୍ୱରଠାରେ ବସୁଥିବାରୁ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା । ଏହି ଅଧିବେଶନ ଉପଲକ୍ଷେ ଭୁବନେଶ୍ୱର ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣ ହେଲା । ଏହି ଅଧିବେଶନଟି ଭୁବନେଶ୍ୱରର ଆଠ ନମ୍ବର ୟୁନିଟ୍‍ରେ ଅନୁଷ୍ଠିତ ହୋଇଥିଲା ।

ଏହି ଅଞ୍ଚଳରେ ଅନେକ ସରକାରୀ ଗୃହ ନିର୍ମାଣ କରାଯାଇ ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠାତା ତ‌ଥା ବିଶିଷ୍ଟ ଜାତୀୟବାଦୀ ନେତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ଏହାକୁ ଗୋପବନ୍ଧୁ ନଗର ନାମରେ ନାମିତ କରାଗଲା । ଏହିସବୁ ସରକାରୀ ଘରେ ବିଭିନ୍ନ ଅଞ୍ଚଳରୁ ଆସିିଥିବା କର୍ମୀ ତ‌ଥା ପ୍ରତିନିଧିମାନେ ଅବସ୍ଥାପିତ ହେଲେ । ପରେ ପରେ ସେହି ସରକାରୀ ବାସଗୃହଗୁଡିକ ସରକାରଙ୍କୁ ଆବଣ୍ଟନ କରାଗଲା । ଏବେ ବି ସେହି ଘର ଗୁଡିକରେ ସରକାରୀ କର୍ମଚାରୀମାନେ ରହୁଛନ୍ତି ଓ ଏହି ଅଞ୍ଚଳଟି ଗୋପବନ୍ଧୁ ନଗର ଭାବରେ ସୁପରିଚିତ । ଏହି ଅଧିବେଶନ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବାହାରି ସଭାସ୍ଥଳକୁ ଯାଇଥିଲା । ଏପରି ବିରାଟ ଶୋଭାଯାତ୍ରା କେବେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ନଥିବା ଜଣାଯାଏ ।

ଏହି କଂଗ୍ରେସ ଅଧିବେଶନ ପୂର୍ବରୁ ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଟିକରପଡା ନଦୀ ବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ତାଳଚେର ତାପଜ ବିଦ୍ୟୁତ୍‍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।

ଏହି କଂଗ୍ରେସ ଅଧିବେଶନ ଥିଲା ଏକ ଐତିହାସିକ ଅଧିବେଶନ । ଭାରତର କୋଣ ଅନୁକୋଣରୁ ବହୁ କଂଗ୍ରେସ କର୍ମୀ ତ‌ଥା କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଏଥିରେ ଯୋଗଦାନ କରିିଥିଲେ । ଏହା ଥିଲା ପଣ୍ଡିତ ଜବାହାରଲାଲ ନେହେରୁଙ୍କପାଇଁ ଶେଷ ଓଡ଼ିଶା ଗସ୍ତ । କାରଣ ଜାନୁଆରି ମାସ ୬ ତାରିଖ ସକାଳ ଅଧିବେଶନ ବେଳେ ସେ ଖୁବ୍‍ ପ୍ରଫୁଲ୍ଲ ଥିଲେ । ହଠାତ୍‍ କ'ଣ

ହେଲା କେଜାଣି ସେ ଅସୁସ୍ଥ ଅନୁଭବ କଲେ । ଯାହା ଫଳରେ କି ତାଙ୍କୁ ଅଧିବେଶନ ସ୍ଥାନରୁ ବିଶ୍ରାମପାଇଁ ରାଜଭବନକୁ ନିଆଗଲା । ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ନିଆଗଲା । ଚାରିବାଟିଆଠାରୁ ଏକ ସ୍ୱତନ୍ତ୍ର ବିମାନରେ ସେ ଦିଲ୍ଲୀ ଚାଲି ଯାଇଥିଲେ । ତାଙ୍କ ଅନୁପସ୍ଥିତରେ କଂଗ୍ରେସ ଅଧିବେଶନ ସମାପ୍ତ ହେଲା ।

୧୯୬୪ ମସିହା ମଇମାସ ୨୭ ତାରିଖ ବୁଧବାର ଦିନ ଦିଲ୍ଲୀଠାରେ ତାଙ୍କର ପରଲୋକ ଘଟିଲା । ଗୋଟିଏ ଯୁଗର ଅବସାନ ଘଟିଲା ।

* * *