ଓଡ଼ିଶା ରାଜନୀତିର ଇତିହାସ/ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ


ସପ୍ତଦଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ

ବୀରେନ୍‍ ମିତ୍ରଙ୍କ ମେରୀ ରାୟ ଶାସନ ତ‌ଥା ତାଙ୍କୁ ସବୁକଥାରେ ବିଜୁବାବୁଙ୍କ ସମର୍ଥନ ଯୋଗୁଁ ଶାସନ କ୍ଷେତ୍ରରେ ଅନେକ ବିଶୃଙ୍ଖଳା ଦେଖାଦେଲା । ଓଡ଼ିଶାର ଜଣେ ଖଣି ମାଲିକ ମହମ୍ମଦ ସିରାଜ ଉଦ୍ଦିନ୍‍ଙ୍କଠାରୁ ବୀରେନ୍‍ ମିତ୍ର ଦେଢ଼ଲକ୍ଷ ଟଙ୍କାଚାନ୍ଦା ଉଠାଇ ଥିବା ଘଟଣାକୁ ନେଇ କଂଗ୍ରେସ ଦଳରେ ତୁମ୍ୱିତୋଫାନ ଦେଖାଦେଲା । ଆଗରୁ ମହତାବ ଗୋଷ୍ଠୀର ପବିତ୍ର ପ୍ରଧାନ ଆଦି ବିଜୁ ଓ ବୀରେନଙ୍କର ବିରୋଧୀ ହୋଇସାରିଥିଲେ । ସେମାନେ ବିଜୁ ଓ ବୀରେନଙ୍କ ନାମରେ ଏପରି ଅନେକ ଘଟଣା କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ବରାବର ଆଣିବାରେ ଲାଗିଲେ । ସେତେବେଳେ କଂଗ୍ରେସ ସଭାପତି ଥାଆନ୍ତି କେ.କାମରାଜ ନାଦର । ଉତ୍କଳ ପ୍ରଦେଶ କମିଟିର ସଭାପତି ବିଜୟ କୁମାର ପାଣି । କାମରାଜ ନାଦର ଓଡ଼ିଶା ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଓ ଅନ୍ୟମାନଙ୍କ ନାମରେ ପାଇଥିବା ଅଭିଯୋଗ ପତ୍ରଗୁଡିକୁ ପ୍ରଦେଶ କମିଟି ସଭାପତିଙ୍କ ପାଖକୁ ପଠାଇଦେଲେ । ତଦନ୍ତକରି ଶୀଘ୍ର ଏକ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ ।

ପବିତ୍ରବାବୁଙ୍କୁ ଆକ୍ରମଣ :

ପ୍ରଦେଶ କଂଗ୍ରେସ ସଭାପତି ବିଜୟାନନ୍ଦ ପାଣି ତଦନ୍ତ ଉଦ୍ଦେଶ୍ୟରେ ୧୯୬୪ ମସିହା ଅଗଷ୍ଟ ମାସ ୨୩ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ବୈଠକ ଡକାଇଲେ । ସଭାରେ ମହତାବ ଗୋଷ୍ଠୀରୁ ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନ କେବଳ ଦୁଇଜଣ ଆସି ଯୋଗଦେଲେ । ସଂଧ୍ୟା ୭ଟା ବେଳକୁ ଅନ୍ୟ ସଭ୍ୟମାନେ ଆସି ଉପସ୍ଥିତ ହୋଇଗଲେ । ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ସଭାରେ ଉପସ୍ଥିତ ହୋଇ ସଭା ଆରମ୍ଭ ହେବା ଆଗରୁ ବାହାନା ଦେଖାଇ ଚାଲିଗଲେ ।

ସଭା ଆରମ୍ଭ ହେଲା । ଅଭିଯୋଗ ପତ୍ରଟିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ବିଜୟ କୁମାର ପାଣି ସଭାରେ ଉପସ୍ଥାପନ କଲେ । ବିଜୁ ପଟ୍ଟନାୟକ ସେହି ଅଭିଯୋଗ ପତ୍ରଟିକୁ ଧରି ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଭୀଷଣ ରାଗିଯାଇ କହିଲେ, "ଆମ ଗୋଷ୍ଠୀର ଅମୂଳକ କୁତ୍ସା ପ୍ରଚାରଯୋଗୁଁ ନାନା ବିଭ୍ରାଟ ଉପୁଜୁଛି । ସେ ଦାବି କଲେ ଯେ, ଦରଖାସ୍ତରେ ଥିବା ସମସ୍ତ ଆପତ୍ତି ଅଭିଯୋଗ ଭିତ୍ତିହୀନ ଓ ମନଗଢ଼ା । ତେଣୁ ଅଭିଯୋଗକାରୀ ପବିତ୍ର ମୋହନ ପ୍ରଧାନ ଏହିସବୁ ଅଭିଯୋଗ ମିଥ୍ୟାରେ କରିଛନ୍ତି ବୋଲି ସ୍ୱୀକାର କରନ୍ତୁ । ଏହି ଅଭିଯୋଗକୁ ଏହି କ୍ଷଣି ଉଠାଇ ନିଅନ୍ତୁ ।" ବିଜୁବାବୁଙ୍କ କଥା ଶୁଣି ତାଙ୍କର ସମର୍ଥକମାନେ ରାଗରେ ପ୍ରଜ୍ୱଳିତ ହୋଇ ଚିତ୍କାର କଲେ ଯେ ଏହାକୁ ପବିତ୍ର ବାବୁ ଶୀଘ୍ର ଉଠାଇ ନିଅନ୍ତୁ । କେହି କେହି ପବିତ୍ରବାବୁଙ୍କୁ ମାଡ ମାରିବାକୁ ଆଗେଇ ଆସିଲେ । ଭୟରେ ପବିତ୍ରବାବୁ ଓ ବନମାଳୀବାବୁ ଧୀରସ୍ଥିର ହୋଇ କେବଳ ଯୁକ୍ତି କରୁଥା'ନ୍ତି । ସେ ଦୁହେଁ କହୁଥାଆନ୍ତି ଯେ, ଏହି ଅଭିଯୋଗଗୁଡିକ ବିଜୁ ଏବଂ ବୀରେନ୍‍ଙ୍କ ବିରୁଦ୍ଧରେ ଅଣାଯାଇଛି । ଏଠାରେ ଆମ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ହେଉଛନ୍ତି ବିଜୁବାବୁଙ୍କ ଲୋକ । ଆମକୁ ଏଠାରେ ନ୍ୟାୟ ମିଳିବ ନାହିିଁ । ସେଥିପାଇଁ ଆମେ ଉଚିତ୍‍ ପ୍ରମାଣ ଦିଲ୍ଲୀର ନିଖିଳ ଭାରତ କଂଗ୍ରେସ କମିଟି ପାଖରେ ପ୍ରକାଶ କରିବୁ ।"

ଏହା ପରେ ବିଜୁ ପଟ୍ଟନାୟକ ଗୋଟିଏ ଟେଲିଗ୍ରାମର ଡ୍ରାଫ୍‍ଟ ପବିତ୍ରବାବୁଙ୍କୁ ଦେଖାଇ କହିଲେ, ଏହାକୁ କେନ୍ଦ୍ର କମିଟିକୁ ପଠାଯିବ । ଆପଣ ଏଥିରେ ଦସ୍ତଖତ କରନ୍ତୁ । ସେହି ଟେଲିଗ୍ରାମରେ ଲେଖାଥିଲା, "ମୁଁ ଯେଉଁ ଆପତ୍ତି ଅଭିଯୋଗ କରିିଥିଲି ତାହା ଡକ୍ଟର ମହତାବ ଆଦିଙ୍କ ପ୍ରରୋଚନାରେ କରିିଥିଲି । ଅଭିଯୋଗଗୁଡିକ ମିଥ୍ୟା । ତେଣୁ ମୁଁ କ୍ଷମା ମାଗିବା ସଙ୍ଗେ ସଙ୍ଗେ ଉକ୍ତ ଦରଖାସ୍ତକୁ ପ୍ରତ୍ୟାହାର କରି ନେଉଛି ।" ପବିତ୍ରବାବୁ ଏହାର ପ୍ରତିବାଦ କରିବାରୁ ବିଜୁବାବୁ ତାଙ୍କ ଆସନରୁ ଉଠିଆସି ପବିତ୍ରବାବୁଙ୍କ ଉପରକୁ ଝା- ମାରି ଏକ ନିର୍ଘାତ ଚାପୁଡା ମାରିଲେ ଏବଂ ତାଙ୍କୁ ଖୁବ୍‍ ଜୋର୍‍ରେ ଟାଣି ପୁଣି ମାରିବାରେ ଲାଗିଲେ । ପବିତ୍ରବାବୁଙ୍କ କାମିଜ୍‍ ଚିରି ପକାଇଲେ । ଏହି ଘଟଣାରେ ବନମାଳୀବାବୁ ଓ ପବିତ୍ରବାବୁ ନିର୍ବାକ - କାଠଭୂତ ପାଲଟିଗଲେ । ବନମାଳୀବାବୁ ପବିତ୍ରବାବୁଙ୍କୁ ସେଠାରୁ ନେଇ ଚାଲିଆସିଥିଲେ । ସେତେବେଳକୁ ସମୟ ରାତ୍ରି ପ୍ରାୟ ସାଢ଼େଦଶଟା କି ଏଗାରଟା ହେବ । ବାହାରେ ଥିବା ଡ୍ରାଇଭର ଓ ଅନ୍ୟାନ୍ୟ କେତେକ ବ୍ୟକ୍ତି ଏପରି ଆକ୍ରମଣାତ୍ମକ ଚିତ୍କାର ଶୁଣି ଅବାକ୍‍ । ପ୍ରଥମେ ବନମାଳୀବାବୁ ଓ ପବିତ୍ରବାବୁ ଏହି ଘଟଣା ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ କହିଲେ । ସଙ୍ଗେ ସଙ୍ଗେ ଏହି ଘଟଣା ଦିଲ୍ଲୀ କର୍ତ୍ତୃପକ୍ଷ ତ‌ଥା ଓଡ଼ିଶାର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜଣାଇ ଦିଆଗଲା ।

ପରଦିନ ସକାଳେ ଏହି ଘଟଣା ବିଜୁଳି ବେଗରେ ରାଜ୍ୟର ଚତୁର୍ଦ୍ଦିଗକୁ ବ୍ୟାପିଗଲା । ଓଡ଼ିଶାବାସୀ ଏପରି ଘଟଣାକୁ ତୀବ୍ର ଭାବରେ ନିନ୍ଦା ଓ ଘୃଣାକଲେ । ବିଜୁବାବୁଙ୍କର ଶତ ସଫେଇକୁ କେହି ବିଶ୍ୱାସ କଲେନାହିିଁ । ଏହି ଖବର ଭାରତର ପ୍ରତ୍ୟେକ ଅଞ୍ଚଳର ଖବରକାଗଜମାନଙ୍କରେ ପ୍ରକାଶପାଇଲା । (ମୁକ୍ତିପଥେ ସୈନିକ - ପୃ ୨୦୧-୨୦୫)

ଏହି ଘଟଣା ପରେ ପରେ ଓଡ଼ିଶା କଂଗ୍ରେସର ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଗଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଦୁର୍ନୀତି ସ-ର୍କରେ ପାର୍ଲାମେଣ୍ଟରେ ମଧ୍ୟ ଆଲୋଚନା ହେଲା । ଅନୁସନ୍ଧାନ କରିବାପାଇଁ କେନ୍ଦ୍ରର ଛ'ଜଣ ବରିଷ୍ଠମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଗଲା । ଏଥିରେ ରହିଲେ : ଏମ୍‍.ସି.ଚଗଲା - ଶିକ୍ଷାମନ୍ତ୍ରୀ, ଅଶୋକ ସେନ - ଆଇନ ମନ୍ତ୍ରୀ, ଟି.ଟି କୃଷ୍ଣମାଚାରୀ- ଅର୍ଥମନ୍ତ୍ରୀ, ଚୌହାନ- ଦେଶରକ୍ଷା ମନ୍ତ୍ରୀ, ସର୍ଦ୍ଦାର ସ୍ୱରଣ ସିଂହ- ବୈଦେଶିକ ବିଭାଗ ମନ୍ତ୍ରୀ ଓ ଗୁଲଜାରୀ ଲାଲ ନନ୍ଦା- ସ୍ୱରାଷ୍ଟ୍ର ମନ୍ତ୍ରୀ ।

ବୀରେନ୍‍ ମିତ୍ରଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଦୁଇ ଦୁଇଟି ଛାତ୍ର ଆନ୍ଦୋଳନ ଘଟିିଥିଲା । ସେହି ଛାତ୍ର ଆନ୍ଦୋଳନ ଦୁଇଟି ଭୟାବହ ରୂପ ନେଇଥିଲା ଏବଂ ଏହା ତାଙ୍କ ପତନର କାରଣ ହୋଇଥିଲା ।

୧୯୬୪ ମସିହା ସେପ୍ଟେମ୍ୱର ଦୁଇ ତାରିଖ । କଟକରୁ ଭୁବନେଶ୍ୱର ଆସୁଥିଲେ ଜଣେ କୃଷି ମହାବିଦ୍ୟାଳୟର ଛାତ୍ର ଓ.ଆର.ଟି ବସ୍‍ରେ । ପଇସା ଦିଆନିଆକୁ କେନ୍ଦ୍ର କରି ଛାତ୍ର ଓ ବସ୍‍ କଣ୍ଡବ୍ଧରଙ୍କ ଭିତରେ ବଚସା ପରେ ଧସ୍ତାଧସ୍ତି ହେଲା । ଛାତ୍ର ଜଣକ ଆଘାତ ପାଇଲେ । ଫଳରେ ସେ କ୍ୟାପିଟାଲ ଥାନାରେ ଏକ ଏତଲା ଦେଲେ କଣ୍ଡକ୍ଟରଙ୍କ ନାଁରେ । କଣ୍ଡକ୍ଟର ଗିରଫ ହୋଇ ହାଜତରେ ରହିଲେ । କଥାଟି ଏଇଠି ସରିଗଲା ନାହିିଁ । ଖରାବେଳେ କୃଷି ମହାବିଦ୍ୟାଳୟ ଓ ବିଜେବି କଲେଜର ଛାତ୍ରମାନେ ଶୋଭାଯାତ୍ରାରେ ଆସି ଥାନା ପାଖରେ ପହଞ୍ଚିଲେ । ଗିରଫ କଣ୍ଡକ୍ଟରଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ପାଟିକଲେ । ହେଲେ କଣ୍ଡକ୍ଟରଙ୍କୁ ପିଲାଙ୍କ ହାତରେ ଛାଡି ଦେଲେ କଣ୍ଡକ୍ଟରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ଭାବି ପୋଲିସ୍‍ ନାରାଜ ହେଲେ । ଫଳରେ ପିଲାମାନେ ସେଠାରୁ ଓଡ଼ିଶା ବିଧାନସଭା ଆଡକୁ ମାଡିଚାଲିଲେ । ସେମାନେ ଗେଟ୍‍ ଭାଙ୍ଗି ବିଧାନସଭା ହତା ଭିତରେ ପଶିଲେ । କାରଣ ସେଠାରେ ସ୍ୱଳ୍ପ ସଂଖ୍ୟକ ପୋଲିସ୍‍ କର୍ମଚାରୀ ଥିଲେ । ପୁରୀ ଜିଲ୍ଲା ପୋଲିସ୍‍ ଅଧୀକ୍ଷକ ଗୋବିନ୍ଦ ସେନାପତି ଓ ଆଇ.ଜି ଶ୍ରୀକାନ୍ତ ଘୋଷ ଘଟଣା ସ୍ଥଳରେ ଆସି ପହଞ୍ଚିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୋଲିସ୍‍କୁ ନିବେଦନ କଲେ । ପୋଲିସ ନିଷ୍କ୍ରିୟ ହୋଇ ଯିବାରୁ ଛାତ୍ରମାନେ ବିଧାନସଭା ଗୃହରେ ପ୍ରବେଶ କରିଗଲେ । ବିଧାନସଭା ଚାଲିଥାଏ । ଛାତ୍ରମାନେ ବିଧାନସଭାରେ ନାନା ଉପଦ୍ରବ କରି ଭଙ୍ଗାରୁଜା କଲେ । ଟେକା ମାରି ବିଧାନସଭାର ଝରକା ଆଦି ଭାଙ୍ଗିଦେଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍‍ ନିଷ୍କ୍ରିୟ ରହିଲା । ଅନୁତପ୍ତ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଦେଲେ ।

ନିଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଅତୁଲ୍ୟ ଘୋଷ ପର୍ଯ୍ୟବେକ୍ଷକ ଭାବରେ ଆସି ବୀରେନ୍‍ ମିତ୍ରଙ୍କୁ ବୁଝାସୁଝା କଲେ । ପରିସ୍ଥିତି ସ-ର୍କରେ ଅନୁଧ୍ୟାନ କଲେ । ଫଳରେ ବୀରେନ୍‍ ମିତ୍ର ନିଜର ଇସ୍ତଫା ପ୍ରତ୍ୟାହାର କରିନେଲେ ।

ଭୁବନେଶ୍ୱର ଛାତ୍ର ଆନ୍ଦୋଳନ ପରେ କଟକ ସହରରୁ ଆଉ ଗୋଟିଏ ଛାତ୍ର ଆନ୍ଦୋଳନ ମୁଣ୍ଡଟେକିଲା । ଏହା ଐତିହାସିକ ଛାତ୍ରଆନ୍ଦୋଳନ ଭାବରେ ଖୁବ୍‍ ଜଣାଶୁଣା । କାରଣ ଏହି ଛାତ୍ର ଆନ୍ଦୋଳନ କଟକରୁ ଆରମ୍ଭ ହୋଇ ସାରା ଓଡ଼ିଶାକୁ ବ୍ୟାପି ଯାଇଥିଲା । ଗୋଟିଏ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଏହି ଆନ୍ଦୋଳନ ବିରାଟ ରୂପ ନେଇଥିଲା ।

୧୯୬୪ ମସିହା ସେପ୍ଟେମ୍ୱର ୨୬ ତାରିଖ ସଂଧ୍ୟା । କଟକ ଇଞ୍ଜିନିୟରିଂ ସ୍କୁଲର ଜଣେ ଛାତ୍ର ଗୋଟିଏ ପୁରୁଣା ଟ୍ରାଞ୍ଜିଷ୍ଟର ଷ୍ଟେସନବଜାରର ଗୋଟିଏ ରେଡିଓ ଦୋକାନରେ ମରାମତି କରାଇଥିଲେ । ମାତ୍ର ତାକୁ ତା'ର ପ୍ରାପ୍ୟ ଦେଇ ନଥିଲେ । ଦିନେ ସେହି ଛାତ୍ର ଷ୍ଟେସନବଜାରର ଗୋଟିଏ ସେଲୁନ୍‍ରେ ବାଳ କାଟୁଥିବା ସମୟରେ ରେଡିଓ ଦୋକାନୀ ଛାତ୍ରଙ୍କୁ ନିଜ ଦେକାନକୁ ଟାଣି ଟାଣି ଆଣିିଥିଲେ । ଫଳରେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ସେହି ଛାତ୍ରଙ୍କ ନାମ ଶଶଧର ଦାସ । ସେ ରହୁଥିଲେ ରେଳବାଇ ହଷ୍ଟେଲରେ । ଶଶଧର ଆସି ସାଙ୍ଗମାନଙ୍କୁ ଏକଥା କହିଲେ ।

ସନ୍ଧ୍ୟାବେଳେ କିଛି ଛାତ୍ର ସେହି ରେଡିଓ ଦୋକାନରେ ପହଞ୍ଚି ଲୁଟପାଟ ଆରମ୍ଭ କରିଦେଲେ । ସେମାନଙ୍କ ସହ ରେଭେନ୍‍ସା କଲେଜର କିଛି ଛାତ୍ର ମଧ୍ୟ ଯୋଗଦେଲେ । ଏହି ଗଣ୍ଡଗୋଳର ମଉକା ଦେଖି କେତେକ ଅସାମାଜିକ ଲୋକ ମଧ୍ୟ ଏଥିରୁ ଫାଇଦା ଉଠାଇଥିଲେ । ଗଣ୍ଡଗୋଳ ଭୀଷଣ ରୂପନେଲା । ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିିଥିଲେ । ପିଲାମାନେ ପୋଲିସକୁ ଟେକା ମାରିଲେ । ପୋଲିସ ଓ ଛାତ୍ରମାନଙ୍କ ଭିତରେ ଘମାଘୋଟ ଲଢେ଼ଇ ହେଲା । ପାଖରେ ଥିବା ମଧୁସୂଦନ ଲ' କଲେଜର ଛାତ୍ରମାନେ ମଧ୍ୟ ଏଥିରେ ସହଯୋଗ କଲେ । କେତେକ ଛାତ୍ର ଗିରଫ ହେଲେ ।

କ୍ରମେ ଏହି ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପିଲା । କଟକ ମେଡିକାଲ କଲେଜର ଛାତ୍ରମାନେ ଏଥିରେ ପୂର୍ଣ୍ଣ ସହଯୋଗ କଲେ । ପ୍ରତିଦିନ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ କଟକ କଲେକ୍ଟରେଟରେ ପହଞ୍ଚି ସଭା କରୁଥିଲେ । ଛାତ୍ରଛାତ୍ରୀମାନେ ରାସ୍ତାରେ ଶୋଭାଯାତ୍ରାରେ ଗଲାବେଳେ ବିଜୁ-ବୀରେନ୍‍ କେଉଁଠି ? ମଦବୋତଲ ଯେଉଁଠି ବୋଲି ଧ୍ୱନି ଦେଉଥିଲେ । କଟକ ଜିଲ୍ଲାପାଳଙ୍କ ଅଫିସ୍‍ ଉପରକୁ ଉଠିଯାଇ ଛାତ୍ରମାନେ ଜାତୀୟ ପତାକାକୁ କାଢ଼ି ସେଠାରେ କଳା ପତାକା ଉଡାଇଲେ । ପଦ୍ମନାଭ ମିଶ୍ର କଲେକ୍ଟର ଥାଆନ୍ତି । ପିଲାମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥାନ୍ତି । ଛାତ୍ରଆନ୍ଦୋଳନ ଥମିଲା ନାହିଁ, ବରଂ ଦିନକୁ ଦିନ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା । ପ୍ରତ୍ୟେକ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସରକାରୀ ଅଫିସମାନଙ୍କରେ କଳାପତାକା ଉଡାଇଲେ । ବିଭିନ୍ନ ଦାବି ନେଇ ଛାତ୍ରମାନେ ଆନ୍ଦୋଳନକୁ ଜୋରଦାର କଲେ । ଜଗତସିଂହପୁର, ଯାଜପୁର, ବ୍ରହ୍ମପୁରରେ ପୋଲିସ ଗୁଳିମାଡରେ ଜଣେ ଲେଖାଏଁ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହେଲା । ବାଙ୍କୀ, ଭବାନୀପାଟଣା ଓ ଭୁବନେଶ୍ୱର ଆଦି ସହରରେ ପୁଲିସଗୁଳିରେ ଆନ୍ଦୋଳନକାରୀମାନେ ଆହତ ହେଲେ ।

ଅନେକ ଛାତ୍ର ଓ ଛାତ୍ରନେତାଙ୍କୁ ଜେଲ୍‍ରେ ରଖାଗଲା । ଆନ୍ଦୋଳନ ନଭେମ୍ୱର ମାସ ପ୍ରଥମ ସପ୍ତାହ ଯାଏ ଚାଲିିଥିଲା ।

ଏହାର ତଦନ୍ତ କରିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁଲଜାରୀଲାଲ ନନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓଡ଼ିଶା ପଠାଇଲେ ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବେକରେ ମଦବେପାରୀଙ୍କ ଫୁଲମାଳ :

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଲଜାରୀଲାଲ୍‍ ନନ୍ଦାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇବାପାଇଁ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଗଲେ । ତାଙ୍କ ସହିତ ଗଲେ କଟକ ସାହି ବସ୍ତିର କେତେଜଣ ମୁରବୀ ବ୍ୟକ୍ତି । ସେମାନଙ୍କ ଭିତରେ ଥିଲେ ମଙ୍ଗଳାବାଗର ପ୍ରସିଦ୍ଧ ମଦ ବ୍ୟବସାୟୀ ହାଡିବଂଧୁ ଦାସ ଓଗେର ଅନ୍ୟ କେତେଜଣ ବ୍ୟକ୍ତି । ସେମାନେ ନନ୍ଦାଜୀଙ୍କ ବେକରେ ଫୁଲମାଳ ପିନ୍ଧାଇ ଦେଲେ । ତହିିଁ ପରଦିନ ଖବର କାଗଜରେ ପ୍ରକାଶ ପାଇଲା "ସଦାଚାରୀ ନନ୍ଦାଙ୍କୁ ମଦବେପାରୀଙ୍କ ଫୁଲମାଳ" ଏଥିରେ ନନ୍ଦାଜୀ କ୍ରୋଧ ପ୍ରକାଶ କଲେ ।

କଟକ ସହରରେ ନନ୍ଦାଜୀ ପହଞ୍ଚିଲେ । ରେଭେନ୍‍ସା କଲେଜକୁ ଗଲେ ଛାତ୍ର ଆନ୍ଦୋଳନ ସ-ର୍କରେ ଅନୁଧ୍ୟାନ କରିବା ପାଇଁ । ସେହି ସମୟରେ ଅନେକ ଛାତ୍ର ଓ ଛାତ୍ରନେତା ଥାଆନ୍ତି ଜେଲ୍‍ରେ । ରେଭେନ୍‍ସା କଲେଜରେ ନନ୍ଦାଜୀଙ୍କୁ ଛାତ୍ରମାନଙ୍କ ତରଫରୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ପ୍ରଦାନ କରାଗଲା । ନନ୍ଦାଜୀ ଛାତ୍ରମାନଙ୍କ ସହ ଆଲୋଚନା କରିବାପାଇଁ ଚାହିିଁବାରୁ, ଛାତ୍ରମାନେ ଦାବିକଲେ ଯେ, ଗିରଫ ଛାତ୍ରମାନଙ୍କୁ ଖଲାସ ନ କଲାଯାଏ କୌଣସି ଆଲୋଚନା ସମ୍ଭବ ନୁହେଁ । ଫଳରେ ଛାତ୍ର ନେତାମାନଙ୍କୁ ଖଲାସ କରି ଦେବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦେଶ ଦେଲେ । ଛାତ୍ରମାନେ ଖଲାସ ହୋଇ ଆସି ଆଲୋଚନାରେ ଭାଗ ନେଲେ ।

ଛାତ୍ର ଆନ୍ଦୋଳନର ବିଚାର ବିଭାଗୀୟ ତଦନ୍ତ ଆଦେଶ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିବାରୁ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହେଲା । ଏହା ପରେ ରମା ଦେବୀ ଓ ଆଡଭୋକେଟ ଜେନେରାଲ ଦୀନବଂଧୁ ସାହୁଙ୍କ ମଧ୍ୟସ୍ଥତାରେ ସରକାର ଓ ଛାତ୍ର ପ୍ରତିନିଧିମାନଙ୍କର ବୈଠକ ବସିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଛାତ୍ରମାନଙ୍କର ସମସ୍ତ ଦାବି ମାନିନେଲେ । ଚୁକ୍ତି ପତ୍ରରେ ନିଜେ ଦସ୍ତଖତ କଲେ । ମାନ୍ୟବର ବିଚାରପତି ସତ୍ୟଭୂଷଣ ବର୍ମନଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ କମିଶନ ଗଠିତ ହେଲା । କମିଶନରଙ୍କ ରିପୋର୍ଟ ଛାତ୍ରମାନଙ୍କ ସପକ୍ଷରେ ଯାଇଥିଲା ।

ବିଜୁ ପଟ୍ଟନାୟକ ଓ ବୀରେନ୍‍ ମିତ୍ରଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିକଟକୁ ଅନବରତ ପ୍ରେରଣ ହେଲା । ଏହାକୁ କେବଳ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକେ ପଠାଇ ନଥିଲେ । ରାଜ୍ୟର ସୋସାଲିଷ୍ଟ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ବିରୋଧିଦଳ ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦଳ ତରଫରୁ ମଧ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏପରି ଅଭିଯୋଗମାନ ପଠାଯାଇଥିଲା । ଏହିସବୁ ଅଭିଯୋଗର ସତ୍ୟତା

Odisha Rajanitira Itihasa.pdf
Odisha Rajanitira Itihasa.pdf

ପରୀକ୍ଷା କରିବାପାଇଁ ସି.ବି.ଆଇ ତଦନ୍ତ ନିର୍ଦେଶ ଦିଆଯାଇଥିଲା । ଛ'ଜଣିଆ କ୍ୟାବିନେଟ ସବ୍‍କମିଟି ମଧ୍ୟ ଗଠନ କରାଯାଇଥିଲା । ତଦନ୍ତ ରିପୋର୍ଟ ବିଜୁବାବୁ ଓ ବୀରେନ୍‍ ମିତ୍ରଙ୍କ ବିରୁଦ୍ଧରେ ଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ରିପୋର୍ଟ ଅନୁସାରେ ବିଜୁ ପଟ୍ଟନାୟକଙ୍କୁ ଯୋଜନାବୋର୍ଡ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ନିର୍ଦେଶ ଦେଇଥିଲେ । ଏହା ହେଲା ୧୯୬୫ ମସିହା ଜାନୁଆରି ୨୯ ତାରିଖର ଘଟଣା । ଫେବ୍ରୁଆରି ୨୦ ତାରିଖରେ ବୀରେନ୍‍ ମିତ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ବିଜୁ-ବୀରେନ୍‍ଙ୍କ ଶାସନର ଅବସାନ ଘଟିଲା । ସେତେବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ ଡଃ ସୌକତଲା ସାହା ଆନ୍‍ସାରୀ ।

ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ :

ସେତେବେଳେ ବିଜୁ ପଟ୍ଟନାୟକଙ୍କର କଂଗ୍ରେସ ଦଳ ଉପରେ ଅଖଣ୍ଡ କର୍ତ୍ତୃତ୍ୱ । ସେ ଥାଆନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ । ସେ ପୁ'ଣି ଚାହିଁଲେ ଓଡ଼ିଶାରେ ଦୁର୍ବଳ ନେତୃତ୍ୱ । ଯଦିଓ ତାଙ୍କର ନୀଳମଣି ରାଉତରାୟଙ୍କ ସହ ସ-ର୍କ ଖୁବ୍‍ ମଧୁର ତ‌ଥାପି ସେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବାକୁ ଚାହିଁଲେ ନାହିିଁ । ସେ ଚାହିଁଲେ ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ଫେବ୍ରୁଆରି ୨୧ ତାରିଖ ଦିନ ବିଧାନସଭା ଗୃହ କମିଟି ରୁମରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ସଦାଶିବ ତ୍ରିପାଠୀ ନିର୍ଦ୍ୱନ୍ଦ୍ୱରେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ । ସେ ମନ୍ତ୍ରିମଣ୍ଡଳ ଗଠନ କଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ରହିଲେ ତାଙ୍କୁ ମିଶାଇ ୭ଜଣ କ୍ୟାବିନେଟ ମନ୍ତ୍ରୀ । ସେମାନେ ଓ ସେମାନଙ୍କର ବିଭାଗ ସବୁ ହେଲା :

}} କ୍ୟାବିନେଟ ମନ୍ତ୍ରୀ :
ସଦାଶିବ ତ୍ରିପାଠୀ : ମୁଖ୍ୟମନ୍ତ୍ରୀ ସହିତ ଅର୍, ଶିଳ୍ପ, ଯୋଜନା ଓ ସମନ୍ୱୟ, ଖଣି-ଭୂତତ୍ତ୍ୱ
ଜଳସେଚନ ଓ ଶକ୍ତି, ବାଣିଜ୍ୟ, ରାଜସ୍ୱ, ସମବାୟ ଓ ଜଙ୍ଗଲ, ଗୋଷ୍ଠୀ
ଉନ୍ନୟନ ଓ ପଞ୍ଚାୟତିରାଜ
ନୀଳମଣି ରାଉତରାୟ : ପଲଟିକାଲ ଓ ସର୍ଭିସେସ୍‍, ଘରୋଇ, ଯୋଗାଣ, ଶ୍ରମ ଓ ନିୟୋଜନ
ଏବଂ ହାଉସିଂ
ସତ୍ୟପ୍ରିୟ ମହାନ୍ତି : ଶିକ୍ଷା, ସାଂସ୍କୃତିକ ବ୍ୟାପାର, ପୂର୍ତ୍ତ ଓ ପରିବହନ
ପି.ଭି.ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ ବିଭାଗ (ସ୍ୱାୟତ୍ତ ଶାସନ ସଂସ୍ଥା ବ୍ୟତୀତ)
ଟି. ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମ ଉନ୍ନୟନ, ଅବକାରୀ, ରାଜସ୍ୱ
ବନମାଳୀବାବୁ : ଆଇନ, ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ ବିଭାଗ)
ରାମ ପ୍ରସାଦ ମିଶ୍ର : କୃଷି, ପଶୁପାଳନ ସମବାୟ, ଜଙ୍ଗଲ (ଜଙ୍ଗଲ ବ୍ୟତୀତ)

ଉପମନ୍ତ୍ରୀ :

ପ୍ରହ୍ଲାଦ ମଲ୍ଲିକ : ଜଳସେଚନ ଓ ଶକ୍ତି, ରାଜସ୍ୱ (ବିଭାଗର କିଛିଅଂଶ) ଓ ଅର୍
ସରସ୍ୱତୀ ପ୍ରଧାନ : ଶିକ୍ଷା
ସନ୍ତୋଷ କୁମାର ସାହୁ : ସାଂସ୍କୃତିକ ବ୍ୟାପାର, ସମବାୟ ଓ ଜଙ୍ଗଲ (ସମବାୟ ଓଜଙ୍ଗଲ
ବିଭାଗର ବିଭିନ୍ନ ଶାଖା) ଖଣି ଓ ଭୂତତ୍ତ୍ୱ
ଚନ୍ଦ୍ରମୋହନ ସିଂହ : ଶ୍ରମ, ନିୟୋଜନ, ହାଉସିଂ, ଘରୋଇ (ଜେଲ), ଅବକାରୀ, ରାଜସ୍ୱ
(ବେଟରମେଣ୍ଟ ଲେଭି ଏବଂ ଜଳକର ଓ ସେସ୍‍ବ୍ୟତୀତ)
ଚିତ୍ତ ରଂଜନ ନାୟକ : ଶିଳ୍ପ, ବାଣିଜ୍ୟ ଓ ପରିବହନ (ପୂର୍ତ୍ତ ଓ ପରିବହନ ବିଭାଗର ଶାଖା)
ଅନୁପ ସିଂହଦେଓ : ଗୋଷ୍ଠୀ ଉନ୍ନୟନ, ପଞ୍ଚାୟତିରାଜ, ଲୋକ ସ-ର୍କ (ଘରୋଇ ବିଭାଗର
ଶାଖା)
ମଦନମୋହନ ପ୍ରଧାନ : କୃଷି ଓ ପଶୁ ପାଳନ

ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ପରେ ସଦାଶିବବାବୁ ପୀଡିତ ହୋଇଗଲେ । ଏହି ସମୟରେ ସେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ବିଭାଗରେ ଅଦଳ ବଦଳ କଲେ । ଏିରେ ସାଧାରଣରେ ବିସ୍ମୟ ସୃଷ୍ଟି ହେଲା । ସେ ଏହି ବିଭାଗ ଅଦଳ ବଦଳ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ କରିନିବାରୁ ବିଜୁବାବୁ ତାଙ୍କ ଉପରେ କ୍ଷୁବ୍ଧ ହେଲେ । ଫଳରେ ଚଉଦ ଜଣ ମନ୍ତ୍ରୀ, ଉପମନ୍ତ୍ରୀଙ୍କ ଭିତରୁ ୧୨ ଜଣ ଇସ୍ତଫା ପ୍ରଦାନ କଲେ । ଏହା ଥିଲା ବିଜୁ ପଟ୍ଟନାୟକଙ୍କ ଇଙ୍ଗିତ । ଏକା କଂଗ୍ରେସ ସଭାପତି କାମରାଜଙ୍କ ଦୃଷ୍ଟିକୁ ଗଲା । କାମରାଜ ମନ୍ତ୍ରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇ, ସେହି ତାରିଖ ମଧ୍ୟରେ ନିଜ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର ନକଲେ ତାହା ଗୃହୀତ

ହୋଇଗଲା ବୋଲି ଧରିନିଆଯିବ ବୋଲି କହିଲେ । ଫଳରେ ମନ୍ତ୍ରୀମାନେ ସେମାନଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ଶେଷରେ ସଦାଶିବ ତ୍ରିପାଠୀ ପରବର୍ତ୍ତୀ ନିର୍ବାଚନ ହେବାଯାଏ ନିଜ ପଦବୀରେ ରହି ଉତ୍ତମ ରୂପେ ଶାସନ ତୁଲାଇଥିଲେ । ସଦାଶିବବାବୁଙ୍କ ଶାସନକାଳରେ ୧୯୬୬ ମସିହାରେ ଓଡ଼ିଶାରେ ଦେଖାଦେଇଥିବା ମରୁଡି ବିଶେଷ ଭାବରେ ଲୋକଙ୍କ ଆର୍ଥିକମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା ।

* * *