ଓଡ଼ିଶା ରାଜନୀତିର ଇତିହାସ/ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍ ମିତ୍ର
←ଯୁବ ନେତୃତ୍ୱରେ ୧୯୬୧ ମସିହା କଂଗ୍ରେସ ମନ୍ତ୍ରିମଣ୍ଡଳ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍ ମିତ୍ର |
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ→ |
କାମରାଜ ପ୍ଲାନ୍ରେ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶା ଶାସନ କଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ତାଙ୍କ ମନଲାଖି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୁଅନ୍ତୁ, ଏହା ହେଲା ତାଙ୍କର ବାସନା । ତାଙ୍କର ମନଲାଖି ବ୍ୟକ୍ତି ଜଣକ ହେଲେ କଟକ ନଗର ବିଧାୟକ ବୀରେନ୍ ମିତ୍ର - ଯିଏକି ତାଙ୍କର ପରମ ବଂଧୁ ମଧ୍ୟ । ବିଜୁବାବୁଙ୍କର ଇଚ୍ଛା, ବୀରେନ୍ ବାବୁ ନିର୍ଦ୍ୱନ୍ଦ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ ।
ହେଲେ ମହାତାବ ଗୋଷ୍ଠୀ ଏହାକୁ ଘୋର ବିରୋଧ କଲେ । ସେମାନେ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଦପାଇଁ ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍ଗୋ ଏବଂ ରାଧାନାଥ ରଥଙ୍କ ନାମ ପ୍ରସ୍ତାବ ଦେଲେ । ଏମାନଙ୍କ ମଧ୍ୟରୁ କାହାକୁ ଯଦି ବିଜୁ ପଟ୍ଟନାୟକ ଗୋଷ୍ଠୀ ଦଳପତି ପଦ ନିମନ୍ତେ ଗ୍ରହଣ କରିନେବେ, ତେବେ ସମସ୍ୟାର ସମାଧାନ ହୋଇଯିବ ବୋଲି ଏହି ଗୋଷ୍ଠୀ ଖୋଲା ଖୋଲି ଭାବରେ ପ୍ରକାଶ କଲେ ।
ବିଜୁ ପଟ୍ଟନାୟକଙ୍କ ଇଚ୍ଛା କିନ୍ତୁ ଅନ୍ୟ ପ୍ରକାରର । ନିଜ ଗୋଷ୍ଠୀରୁ ନିଜର ପରମ ପ୍ରିୟ ବ୍ୟକ୍ତିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଲ୍ଲୀ ରାଜନୀତି ତଥା ରାଜ୍ୟ ରାଜନୀତିକୁ ସେ ନିୟନ୍ତ୍ରଣ କରିବେ । 'ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ହେବେ' ସେ ନିଜ ଜିଦ୍ରେ ଅଟଳ ରହିଲେ । ଓଡ଼ିଶା ବିଧାୟକ ଦଳର ନେତା ନିର୍ବାଚନ ନିର୍ଦ୍ୱନ୍ଦ୍ୱରେ କରାଇ ପାରିଲେ ଦିଲ୍ଲୀରେ ତାଙ୍କର ସୁନାମ ଯଥେଷ୍ଟ ବଢ଼ିଯିବ - ଏହା ମଧ୍ୟ ତାଙ୍କର ଆଉ ଗୋଟିଏ ଇଛା । ତାଙ୍କର ଆଶା ପୂରଣରେ ବିଡମ୍ବନା ସୃଷ୍ଟି ହେଉଛି - ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଦଳର ସମସ୍ତେ ଗ୍ରହଣ କରିବାକୁ ନାରାଜ - ଏହା ଜାଣିପାରି ସେ ବ୍ୟସ୍ତ ଓ ବିବ୍ରତ ହୋଇପଡିଲେ ।
ସେତେବେଳେ ଓଡ଼ିଶା ବିଧାନ ସଭାରେ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ୮୨ । ସେମାନଙ୍କ ଭିତରୁ ୫୨ ଜଣ ମହତାବଙ୍କ ଗୋଷ୍ଠୀର । ହେଲେ କେହି ଚିହ୍ନା ପଡୁ ନଥାନ୍ତି । ଏମାନଙ୍କର ଏକ ତାଲିକା ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ ଓ ଶାନ୍ତନୁ କୁମାର ଦାସ ତିଆରି କରି ରଖିଥାଆନ୍ତି । ଏହା ଜାଣିପାରି ବିଜୁବାବୁ ହତାଶ ହୋଇ ପଡିଲେ । କଳେବଳେ କଉଶଳେ ସେ କେମିତି ବୀରେନ୍ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ସେଇ ଯୋଜନାରେ ଲାଗିପଡିଲେ । ନିଜ ଗୋଷ୍ଠୀର କେତେଜଣ ବିଧାୟକଙ୍କୁ ମହତାବ ଗୋଷ୍ଠୀର ବିଧାୟକମାନଙ୍କ ପାଖକୁ ପଠାଇ ସେହି ୫୨ଜଣ ଏମ୍.ଏଲ୍.ଏ କେଉଁମାନେ ତାହା ଜାଣିବାକୁ ଚେଷ୍ଟାକଲେ । ଶେଷରେ ସଫଳ ମଧ୍ୟ ହେଲେ । ଶୁଣାଯାଏ, ଅନେକ ବିଧାୟକଙ୍କୁ ପ୍ରଲୋଭିତ, ଆକର୍ଷିତ, ଆତଙ୍କିତ ତଥା ଭୟଭୀତ କରାଇ ନିଜ ଗୋଷ୍ଠୀକୁ ଟାଣି ନେବାକୁ ସେ ସକ୍ଷମ ହେଲେ ।
ମହତାବ ଗୋଷ୍ଠୀ ତରଫରୁ ଗଡ଼ଜାତ ପ୍ରଜା ଆନ୍ଦୋଳନର ବିଶିଷ୍ଟ ନେତା ପବିତ୍ର ମୋହନ ପ୍ରଧାନ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସ୍ଥିରହେଲା । ପବିତ୍ରବାବୁଙ୍କ ପାଇଁ ଡକ୍ଟର ହରେକୃଷ୍ଣ ମହତାବ, ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ମହାନ୍ତି, ମୁରଲୀଧର ଜେନା ଆଦି କଂଗ୍ରେସର ପୂର୍ବତନ ସଭାପତି ଓ ସଂପାଦକମାନେ ଏବଂ ହିମାଂଶୁ ଶେଖର ପାଢ଼ୀ, କୁମୁଦ ଚନ୍ଦ୍ର ସିଂହ, ବୀର ବିକ୍ରମାଦିତ୍ୟ ସିଂହ ବରିହା, ମନମୋହନ ଟୁଡୁ, ସୁନାରାମ ସୋରେନ୍ ଆଦି ବିଧାୟକମାନେ ଖୋଲାଖୋଲି ଭାବରେ ପ୍ରଚାର କଲେ । (ମୁକ୍ତିପଥେ ସୈନିକ)
୧୯୬୩ ମସିହା ଅକ୍ଟୋବର ୧ ତାରିଖରେ ବିଧାୟକ ଦଳର ନେତା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହେଲା । ସେ ବେଳର କେନ୍ଦ୍ରମନ୍ତ୍ରୀ ରଫି ଅହମ୍ମଦ କିଦ୍ଓ୍ୱାଇ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବରେ ଆସିଲେ । ବିଧାନସଭାର ୫୪ ନମ୍ବର କୋଠରିରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ବୀରେନ୍ ମିତ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ପବିତ୍ର ମୋହନ ପ୍ରଧାନ ପରାଜିତ ହେଲେ । ତହିଁ ପରଦିନ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବୀରନ୍ବାବୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ୧୪ ଜଣିଆ ମନ୍ତ୍ରିମଣ୍ଡଳ ସଭ୍ୟମାନଙ୍କ ସହ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗମାନ ହେଲା :
ବୀରେନ୍ ମିତ୍ର | : | ମୁଖ୍ୟମନ୍ତ୍ରୀ, ଅର୍ଥ, ଶିଳ୍ପ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତତ୍ତ୍ୱ |
ଜଳସେଚନ ଓ ବିଦ୍ୟୁତ୍, ସାଂସ୍କୃତିକ ବ୍ୟାପାର, ସ୍ୱାସ୍ଥ୍ୟ (ସ୍ୱାୟତ୍ତ | ||
ଶାସନ) ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ | ||
ନୀଳମଣି ରାଉତରାୟ | : | ପଲଟିକାଲ ଆଣ୍ଡ ସର୍ଭିସେସ୍, ସ୍ୱରାଷ୍ଟ୍ର, ଯୋଗାଣ ଓ ଶ୍ରମ |
ସଦାଶିବ ତ୍ରିପାଠୀ | : | ରାଜସ୍ୱ ଓ ଅବକାରୀ, ସମବାୟ ଓ ଜଙ୍ଗଲ |
ସତ୍ୟପ୍ରିୟ ମହାନ୍ତି | : | ଶିକ୍ଷା, କୃଷି ଓ ପଶୁଚିକିତ୍ସା, ସମବାୟ ଓ ଜଙ୍ଗଲ (ଜଙ୍ଗଲ |
ବ୍ୟତୀତ ଅନ୍ୟ ସମସ୍ତ ଶାଖା) | ||
ପି.ଭି.ଜଗନ୍ନାଥ ରାଓ | : | ସ୍ୱାସ୍ଥ୍ୟ |
ହରିହର ସିଂହ ମର୍ଦ୍ଦରାଜ | : | ପୂର୍ତ୍ତ ଓ ପରିବହନ |
ବୃନ୍ଦାବନ ନାୟକ | : | ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତ ରାଜ |
ଟି.ସାଙ୍ଗନ୍ନା | : | ଆଦିବାସୀ ଓ ଗ୍ରାମମଙ୍ଗଳ |
ବନମାଳୀ ବାବୁ | : | ଆଇନ |
ପ୍ରହଲ୍ଲାଦ ମଲ୍ଲିକ | : | ଉପମନ୍ତ୍ରୀ, ଜଳସେଚନ ଓ ବିଦ୍ୟୁତ |
ବୀର ବିକ୍ରମାଦିତ୍ୟ ସିଂହ ବରିହା | : | ଉପମନ୍ତ୍ରୀ ପୂର୍ତ୍ତବିଭାଗର ପରିବହନ ଶାଖା, କୃଷି ବିଭାଗର |
ପଶୁପାଳନ ଶାଖା ଓ ପଶୁ ଚିକିତ୍ସା | ||
ସରସ୍ୱତୀ ପ୍ରଧାନ | : | ଉପମନ୍ତ୍ରୀ, ଶିକ୍ଷା |
ସନ୍ତୋଷ କୁମାର ସାହୁ | : | ଉପମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱାୟତ୍ତ ଶାସନ ଶାଖା, ସାଂସ୍କୃତିକ |
ବ୍ୟାପାର, ସମବାୟ ବିଭାଗର ସମବାୟ ଶାଖା ଏବଂ ଜଙ୍ଗଲ ବିଭାଗ | ||
ଚନ୍ଦ୍ରମୋହନ ସିଂହ | : | ଉପମନ୍ତ୍ରୀ, ଶ୍ରମ ବିଭାଗ ଓ ଘରୋଇ ବିଭାଗ (ଜେଲ ଶାଖା) |
ବିଜୁ ପଟ୍ଟନାୟକ ହେଲେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ । |
ମହତାବ ଗୋଷ୍ଠୀରୁ କାହାରିକୁ ଏହି ମନ୍ତ୍ରିମଣ୍ଡଳରେ ନିଆଗଲା ନାହିିଁ । ପବିତ୍ର ବାବୁ ତ ମୁଖ୍ୟମନ୍ତ୍ରୀ ପଦପାଇଁ ବୀରେନ୍ ମିତ୍ରଙ୍କ ସହ ଲଢୁଥିଲେ, ଏଣୁ ତାଙ୍କ ପ୍ରଶ୍ନ ବି ଉଠିଲା ନାହିିଁ । ମହତାବ ଗୋଷ୍ଠୀରେ ଥାଆନ୍ତି ସାତଜଣ ଟାଣୁଆ ବିଧାୟକ । ସେମାନେ ସର୍ବଦା କଂଗ୍ରେସର ସୁନାମ ଓ ଦେଶର ମର୍ଯ୍ୟାଦା ଓ ସମ୍ମାନ ରଖିବାପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ । ସେମାନେ ହେଲେ ପବିତ୍ରମୋହନ ପ୍ରଧାନ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ନାଥ ମହାନ୍ତି, ମୁରଲୀଧର ଜେନା ଓ ମନମୋହନ ଟୁଡୁ । ଏମାନଙ୍କୁ କୁହାଯାଉଥିଲା ସପ୍ତରଥୀ ।
ବିଜୁ ପଟ୍ଟନାୟକ ଏହି ସାତଜଣଙ୍କୁ ବ୍ୟଙ୍ଗରେ କହୁ ଥିଲେ, "ଏମାନଙ୍କ ଭିତରୁ ଜଣେ ହେଉଛି 'ଡଙ୍କି' ବା ଗଧ, ୫ଜଣ ଜେନେରାଲ (ସେନାପତି) ଏବଂ ଜଣେ ଷ୍ଟାଣ୍ଡାର୍ଡ ବିଅରର୍ (ଧ୍ୱଜିନୀ) ।
ଭାର ବୋହିବାରେ 'ଗଧ ଯେପରି ଧୁରନ୍ଧର, ବିନା ଆପତ୍ତିରେ ଗୁରୁଦାୟିତ୍ୱ ତୁଲାଇବାରେ ପବିତ୍ର ବାବୁ ସେହିପରି ଯୋଗ୍ୟ ଏବଂ ଦକ୍ଷ । ତେଣୁ ତାଙ୍କୁ ଗଧ ବୋଲି କୁହାଯାଉଛି ।' ଗୋଷ୍ଠୀ ତରଫରୁ ସବୁବେଳେ ପ୍ରଥମରୁ ଟୁଡୁ ବାବୁ ଗୋଷ୍ଠୀର ମନୋଭାବ ଓ ମତର ସୂଚନା ଦେଉଥିବାରୁ, ସେ ଅଗ୍ରଣୀ ଭାବରେ କାର୍ଯ୍ୟ କରୁଛନ୍ତି ତେଣୁ ସେ ଧ୍ୱଜିନୀ । ବାକି ପାଞ୍ଚଜଣ ଯାକ ହେଲେ ଜେନେରାଲ ।
(ମୁକ୍ତିପଥେ ସୈନିକ : ପବିତ୍ର ପ୍ରଧାନ)
ପରବର୍ତ୍ତୀ ସମୟରେ ଏହି ସପ୍ତରଥୀଙ୍କଯୋଗୁଁ କଂଗ୍ରେସ ବିଭାଜନ ହେଲା । ସେମାନେ 'ଜନ କଂଗ୍ରେସ' ଦଳ ପ୍ରତିଷ୍ଠା କଲେ ।
ବୀରେନବାବୁ ମୁଖ୍ୟମନ୍ତ୍ରୀ ହେବାର ଦୁଇ ମାସ ଭିତରେ, ନଭେମ୍ବର ୨୨ ତାରିଖରେ (୧୯୬୩) ମାର୍କିନ ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟ ଜନ୍ କେନେଡି ଅସଓ୍ୱାଲଡ ନାମକ ଜଣେ ଆତତାୟୀର ଗୁଳିରେ ପ୍ରାଣ ହରାଇ ଶହୀଦ ହେଲେ । ଏଥିପାଇଁ ଆମ ଦେଶରେ ତଥା ଆମ ରାଜ୍ୟରେ ଗଭୀର ଶୋକପାଳନ କରାଗଲା । ନଭେମ୍ବର ୨୫ ତାରିଖ ଦିନ ଯୁକ୍ତରାଷ୍ଟ୍ର ଦୂତାବାସରେ ସ୍ୱର୍ଗତ କେନେଡିଙ୍କର ସ୍ମୃତି ତର୍ପଣରେ ଯୋଗଦେଇଥିଲେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟପ୍ରତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ପଠାଇଥିଲେ ।
ଏହା ପୂର୍ବରୁ ୧୯୬୩ ନଭେମ୍ବର ୧୭ ତାରିଖ ଦିନ ରୁଷର ତିନିଜଣ ମହାକାଶଚାରୀ ଓଡ଼ିଶା ଭ୍ରମଣରେ ଆସିଥିଲେ । ସେମାନଙ୍କୁ କଟକଠାରେ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ସେହି ମହାକାଶଚାରୀ ତିନିଜଣ ଯାକ ହେଲେ; ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ କ୍ୟାପ୍ଟେନ ଭାଲେନ୍ତିନା ନିକୋଲାଏଭା ତେରେସ୍କୋଭା, ମେଜର ଆଣ୍ଡିଆନ୍ ନିକୋଲା ଏଭ ଓ ମେଜର ଭାଲେରୀ ବାଇକୋଭସ୍କି । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପହାର ଓ ନାରୀସଂଘ ସଦନ ତରଫରୁ ଉପହାର ଭାଲେଣ୍ଟିନାଙ୍କୁ ପ୍ରଦାନ କରାଗଲା । ରୁଷ ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଚକ୍ର ଉପହାର ପ୍ରଦାନ କରାଗଲା । କଟକ ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ପ୍ରଦତ୍ତ ଉପହାର ମେଜର ନିକୋଲାଏଭଙ୍କୁ ପ୍ରଦାନ କରାଗଲା । ମେଜର ଭାଲେରୀ ବାଇକୋଭସ୍କିଙ୍କୁ ମଧ୍ୟ ନାନା ଭାବରେ ଉପହାର ପ୍ରଦାନ କରାଗଲା ।
ଭୁବନେଶ୍ୱରରେ ଜାତୀୟ କଂଗ୍ରେସ ଅଧିବେଶନ :
ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବାପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୨ ମସିହା ଏପ୍ରିଲ ମାସରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ବ୍ରିଟିଶ ସରକାର ସେତେବେଳେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରିଦେବାରୁ ଅଧିବେଶନ ବସିବା ବାତିଲ ହୋଇଯାଇଥିଲା । ଯାହାହେଉ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଏହି କଂଗ୍ରେସ ଅଧିବେଶନ ୧୯୬୪ ମସିହା
ଜାନୁଆରି ମାସରେ ଅନୁଷ୍ଠିତ ହେଲା । ଏହି ଅଧିବେଶନ ଭୁବନେଶ୍ୱରଠାରେ ବସୁଥିବାରୁ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା । ଏହି ଅଧିବେଶନ ଉପଲକ୍ଷେ ଭୁବନେଶ୍ୱର ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣ ହେଲା । ଏହି ଅଧିବେଶନଟି ଭୁବନେଶ୍ୱରର ଆଠ ନମ୍ବର ୟୁନିଟ୍ରେ ଅନୁଷ୍ଠିତ ହୋଇଥିଲା ।
ଏହି ଅଞ୍ଚଳରେ ଅନେକ ସରକାରୀ ଗୃହ ନିର୍ମାଣ କରାଯାଇ ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠାତା ତଥା ବିଶିଷ୍ଟ ଜାତୀୟବାଦୀ ନେତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ଏହାକୁ ଗୋପବନ୍ଧୁ ନଗର ନାମରେ ନାମିତ କରାଗଲା । ଏହିସବୁ ସରକାରୀ ଘରେ ବିଭିନ୍ନ ଅଞ୍ଚଳରୁ ଆସିିଥିବା କର୍ମୀ ତଥା ପ୍ରତିନିଧିମାନେ ଅବସ୍ଥାପିତ ହେଲେ । ପରେ ପରେ ସେହି ସରକାରୀ ବାସଗୃହଗୁଡିକ ସରକାରଙ୍କୁ ଆବଣ୍ଟନ କରାଗଲା । ଏବେ ବି ସେହି ଘର ଗୁଡିକରେ ସରକାରୀ କର୍ମଚାରୀମାନେ ରହୁଛନ୍ତି ଓ ଏହି ଅଞ୍ଚଳଟି ଗୋପବନ୍ଧୁ ନଗର ଭାବରେ ସୁପରିଚିତ । ଏହି ଅଧିବେଶନ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବାହାରି ସଭାସ୍ଥଳକୁ ଯାଇଥିଲା । ଏପରି ବିରାଟ ଶୋଭାଯାତ୍ରା କେବେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ନଥିବା ଜଣାଯାଏ ।
ଏହି କଂଗ୍ରେସ ଅଧିବେଶନ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଟିକରପଡା ନଦୀ ବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।
ଏହି କଂଗ୍ରେସ ଅଧିବେଶନ ଥିଲା ଏକ ଐତିହାସିକ ଅଧିବେଶନ । ଭାରତର କୋଣ ଅନୁକୋଣରୁ ବହୁ କଂଗ୍ରେସ କର୍ମୀ ତଥା କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଏଥିରେ ଯୋଗଦାନ କରିିଥିଲେ । ଏହା ଥିଲା ପଣ୍ଡିତ ଜବାହାରଲାଲ ନେହେରୁଙ୍କପାଇଁ ଶେଷ ଓଡ଼ିଶା ଗସ୍ତ । କାରଣ ଜାନୁଆରି ମାସ ୬ ତାରିଖ ସକାଳ ଅଧିବେଶନ ବେଳେ ସେ ଖୁବ୍ ପ୍ରଫୁଲ୍ଲ ଥିଲେ । ହଠାତ୍ କ'ଣ
ହେଲା କେଜାଣି ସେ ଅସୁସ୍ଥ ଅନୁଭବ କଲେ । ଯାହା ଫଳରେ କି ତାଙ୍କୁ ଅଧିବେଶନ ସ୍ଥାନରୁ ବିଶ୍ରାମପାଇଁ ରାଜଭବନକୁ ନିଆଗଲା । ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ନିଆଗଲା । ଚାରିବାଟିଆଠାରୁ ଏକ ସ୍ୱତନ୍ତ୍ର ବିମାନରେ ସେ ଦିଲ୍ଲୀ ଚାଲି ଯାଇଥିଲେ । ତାଙ୍କ ଅନୁପସ୍ଥିତରେ କଂଗ୍ରେସ ଅଧିବେଶନ ସମାପ୍ତ ହେଲା ।
୧୯୬୪ ମସିହା ମଇମାସ ୨୭ ତାରିଖ ବୁଧବାର ଦିନ ଦିଲ୍ଲୀଠାରେ ତାଙ୍କର ପରଲୋକ ଘଟିଲା । ଗୋଟିଏ ଯୁଗର ଅବସାନ ଘଟିଲା ।