Jump to content

କଥାଲହରୀ/କଳାରାଜନ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
କଳାରାଜନ କଥା

ଗୋଟିଏ ଦେଶରେ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ,କଟୁଆଳ ପୁଅ ଏ ଚାରି ସଙ୍ଗାତ । ଦିନକର ଚାରିହେଁଯାକ ବିଚାର କଲେ ବିଦେଶ କରିଯିବା, ଗୋଟିଏ ଘୋଡ଼ା ଚଢ଼ିଲେ ଗଲେ । ଯାଉ ଗୋଟାଏ ଅସୁରୁଣୀ ଦୁଆରେ ରାତି ହେଲା । ଅସୁରୁଣୀକି କ‌ହିଲେ ମାଉସୀ ଟିକିଏ ଘର ଯେଗାଦେବୁ ? ଅସୁରୁଣୀ ବୁଢ଼ୀ କହିଲା ହଉ ରହ । ଘର ଯେଗା ଦେଲା ରୋଷାଇ କରିବାକୁ ଡ଼ାଲି ଚାଉଳ, ହାଣ୍ଡି, ପରିବା ହେରିକା ସବୁ ଦେଲା । ଏମାନେ ଗୋଟାଏ ଘରେ ରହି ରୋଷାଇ ବାସ କରୁଚନ୍ତି ବୁଢ଼ୀ ଅସୁରୁଣୀ ଆଉ ଗୋଟାଏ ଘରେ ରହି ରୋଷାଇବାସ କରିବାକୁ ଗଲା । ମନ୍ତ୍ରିପୁଅ କାହିଁକି ଦୁଆରକୁ ଯାଇ ଦେଖେ ଯେ ଅସୁରୁଣୀ କଣ କରିଚି ନା ଗୋଟାଏ ଗୋଡ଼ ଚୁଲିକି ମୁହାଁଇ ଦେଇଚି, ଆଉ ଗୋଟାକରେ ପାଣି ଆଣୁଚି, ଚାଉଳ ଧୋଉଚି ଏହିପରି ସବୁ ଘରକାମଦାମ କରୁଚି । ଏ ଯାଇ ଆଉ ତିନି ସଙ୍ଗାତଙ୍କୁ କହିଲା ହେ ସଙ୍ଗାତ ଏ ଅସୁରୁଣୀ ଘରୁଟାଏ, ଚାଲ ଆମର ଏଠାରୁ ଯିବା ବାହାରି । ଚାରିହେଁଯାକ ଆଉ ଖାଇଲେ ନାହିଁ, ପିଇଲେ ନାହିଁ, ରୋଷାଇ ଛାଡ଼ି ଦେଇ ଘୋଡ଼ା ଉପରେ ବସି ଗଲେ ବାହାରି, ବୁଢ଼ୀ ଅସୁରୁଣୀ ଯାଉଁ ଜାଣିଲା ଏମାନେ ଯାଉଛନ୍ତି ବାହାରି ଲଣ୍ତଭଣ୍ତ ହୋଇ ଘରୁ ସୋରିଷ ଦି ସେରେ ଘନି ଆସିଲା, ମନ୍ତ୍ରୀପୁଅ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ଦେଲା, କହିଲା ତୁ ଯେମନ୍ତ ସତ୍ୟଯୁଗର ସୋରିଷ ହୋଇଥିବୁ, ବିଞ୍ଚି ଯାଉଥିବୁ, ଗଛ ଉଠି ଯାଉଥିବ, ଫୁଲ ଫୁଟି ଯାଉଥିବ । ଏହା କହି ଘରକୁ ଆସିଲା ଝିଅମାନଙ୍କୁ ଡାକ ଛାଡ଼ିଲା କୁଆଡ଼େ ଯାଇଚ ଲୋ, କି ସୁନ୍ଦର ଭେଣ୍ଡା ଆଣି ରଖିଥିଲି, ଖାଇଥାନ୍ତ କୁଆଡ଼େ ଗଲ । ଏମାନେ ଡାକ ଶୁଣି ଦଉଡ଼ି ଆସିଲେ କ‌ହିଲେ ମା କଣ, କାହିଁକ ଡାକୁଚୁ ? ଏ କହିଲା ତେମେମାନେ ଯାଅ, ଦଉଡ଼ ମୁଁ ଘୋଡ଼ା ଲାଙ୍ଗୁଡ଼ରେ ସୋରିଷ ବାନ୍ଧି ଦେଇଚି, ଗଛ ଉଠି ଯାଉଥିବ, ଫୁଲ ଫୁଟି ଯାଉଥିବ, ସେଇ ବାଟକୁ ଚାହିଁ ଚାହିଁକା ଦଉଡ଼ିକ ଯେ ସେ ଚାରି ଭେଣ୍ଡାଙ୍କୁ ପାଇବ । ଏ ସାତଝିଅଯାକ ଦଉଡ଼ିଲେ, ଯାଇ ଘୋଡ଼ା ପଛରେ ଲାଗିଲେ । ଏମାନେ ଅନାଇ ଦେଲାବେଳକୁ ଅସୁରୁଣୀ ସାତଟା ଆସି ଘୋଡ଼ା ପଛରେ ଲାଗି ଗଲେଣି । ଏ ଚାରି ସଙ୍ଗାତ କ‌ହିଲେ ନିଶ୍ଚୟ ସେମନ୍ତ ସତ୍ୟଯୁଗ ହୋଇଥିବ ଆମ୍ଭ ପଛରେ ଖାଲି କଣ୍ଟାବଣ ହୋଇଯିବ । କଣ୍ଟାବଣ ହୋଇଗଲା ଯୋଉଠୁ ସବା ବଡ଼ ଭଉଣୀ ରହିଲା ଆଉ ଛ ଭଉଣୀ ଫେରି ଆସିଲେ, କଣ୍ଟାରେ ପଶି ପାରିଲେ ନାହିଁ । ଏ କଣ କରୁଥାଏ କଣ୍ଟା ସବୁ ଦାନ୍ତରେ କାଟିପକାଉଥାଏ, ଏମାନଙ୍କ ପଛେ ଦଉଡ଼ୁଥାଏ । ଫେର୍ ଏମାନଙ୍କ ପଛରେ ଲାଗିଗଲା । ଏମାନେ କ‌ହିଲେ ଯେବେ ସତ୍ୟଯୁଗ ହୋଇଥିବ ସବୁ ଅଗ୍ନିମୟ ହୋଇଯିବ । ସବୁ ଅଗ୍ନିମୟ ହୋଇଗଲା । ଅସୁରୁଣୀ ଛେପ ପକାଇ ପକାଇ ନିଆଁକୁ ଲିଭାଇଦେଲା, ଏମାନଙ୍କ ପଛରେ ମିଶି କଟୁଆଳ ପୁଅକୁ ଆଉ ତା ଘୋଡ଼ାକୁ ଖାଇଗଲା । ବାକି ତିନି ସଙ୍ଗାତ ପଳାଉଚନ୍ତି, ଏ ତାଙ୍କ ପଛେ ଦୌଡ଼ୁ ସାଧବପୁଅକୁ ମନ୍ତ୍ରୀପୁଅକୁ ଖାଇଦେଲା । ରଜାପୁଅ ସମସ୍ତଙ୍କ ଆଗରେ ଥାଏ । ସେଠାରେ ଗୋଟାଏ ଆମ୍ବଗଛ ଥିଲା ତହିଁରେ ଚଢିଗଲା କ‌ହିଲା ହେ ବୃକ୍ଷରାଜ, ନିଶ୍ଚୟ ସତ୍ୟ‌ଯୁଗର ଯେବେ ହୋଇଥିବୁ ତୁ ଫାଟ ଯିବୁ ମୁଁ ପଶିଯିବି । ରଜାପୁଅ ଆମ୍ବଗଛଭିତରେ ରହିଲା, ଅସୁରୁଣୀ ତା ଘୋଡ଼ାଟିକି ଖାଇଦେଇ ସେହି ଗଛମୂଳେ ବସି ରହିଲା । ଗୋଟୋଏ ଦିବ୍ୟସୁନ୍ଦର ରାଣୀ ବେଶଧରି ବସିଲା, ମିଛେ କାନ୍ଦୁଥାଏ । ରଜା ଆସିଥିଲେ ପାରିଧିକି, ତାଙ୍କ ଉପରେ ଲୁହ ପଡ଼ିଲା । ରଜା କହିଲେ ଚାଖୁଣିଆକୁ, ଚାଖିବୁଟି କାହା ଲାଖ୍ କନ୍ୟା । ଚାଖୁଣିଆ ଚାଖିଲା, କ‌ହିଲା ଛାମୁଙ୍କ ଲାଖ୍ । ରଜା ସେଉଠୁ ସେ ଅସୁରୁଣିକୁ ସାଙ୍ଗରେ ନେଇ ଘରକୁ ଗଲେ, ବିଭାହେଲେ ରହିଲେ । ଅସୁରୁଣୀ ରଜାକୁ କ‌ହିଲା ମୁଁ ଯେଉଁ ଆମ୍ବଗଛତଳେ ବସିଥିଲି, ତାକୁଆଣ ମୋ ଆଗରେ ଗଦାକର । ରଜା ଧୋବାକୁ ହୁକୁମ ଦେଲେ ଗଛକୁ କାଟିଆଣି ରାଣୀଙ୍କ ଆଗେ ଗଦାକରିବାକୁ । ଧୋବା ଗଲେ ଗଛକୁ ହାଣିଲେ । ସେ ରଜାପୁଅର ନା କଳାରାଜନ । ସେ ଗଛରେ ଥାଇ କ‌ହିଲା, ତୁ ଯେମନ୍ତ ସତ୍ୟଯୁଗର ଆମ୍ବଗଛ ହୋଇଥିବୁ ଏହିକ୍ଷଣି କେଣ୍ତିଏ ବଉଳିବୁ, ଚଣା ଫୁଟିବ, ଆମ୍ବହେବ, ପାଚିବ ମୁଁ ତ‌ହିଁରେ ପଶିବି, ସେ ଆମ୍ବଟି ଏହି ବେଣ୍ଟପୋକରୀକି ଝଡ଼ିପଡ଼ିବ । ସତକୁସତ ସେହିଆ ହେଲା, କଳାରାଜନ ଆମ୍ବ ଭିତରେ ପଶି ବେଣ୍ଟପୋଖରୀକି ଝଡ଼ି ପଡ଼ିଲା । ଧୋବାମାନେ ସେ ଗଛକୁ ହାଣିହୁଣି ରାଣୀଙ୍କ ଆଗେ ଜମା କରିଦେଇଗଲେ । ଅସୁରୂଣୀ ଖଣ୍ତକୁ ଖଣ୍ତ କାଠ କଡ଼ମଡ଼ କରି ଚୋବାଉଥାଏ, କ‌ହୁଥାଏ କାଠେଇଖିଆ ଏଥିରେତ ନାହିଁ ଏହିପରି କରି ଗଛକ କାଠ ଚୋବାଇଲା । ଯେଉଁ ଧୋବା କାଠକାଟିବାକୁ ଆସିଥିଲେ ସେ କ‌ହିଲେ ମଣିମା, ଗୋତିଏ କଥା କ‌ହିବାକୁ ଭୟ ଲାଗୁଚି, ଆମେ ଯେତେବେଳେ ସେ ଗଛକୁ ପକାଉଥିଲୁଁ ସେ ଗଛ ସେହିକ୍ଷଣି ବଉଳିଲା, ଚଣା ହେଲା, ଗୋଟିଏ ଆମ୍ବହେଲା ପାଚିଲା, ସେ ପୋଖରୀରେ ଛିଡ଼ି ପଡ଼ିଲା । ଅସୁରୁଣୀ କ‌ହିଲା ସେଇଥିରେ ତ କାଠେଇଖିଆ ଗଲା ବାହାରି ଏଥିକି କୋଉଠୁ ଆସିବ ? ଗଲା ରଜାଙ୍କୁ କ‌ହିଲା, ଗଛମୂଳେ ସେ ଯେଉଁ ବେଣ୍ଟପୋଖରୀ ଅଛି ତ‌ହିଁରେ ଯେତକ ମାଛ କଇଁଛ ଗେଣ୍ତା ଅଛନ୍ତି ମୋ ପାଖକୁ ସବୁ ଆସିବ, ପଙ୍କ ଛଡ଼ା । କେଉଟ ଗଲେ ପୋଖରୀଟାର ପାଣି ବୁହାଇଲେ, ଯେତେ ମାଛ କଇଁଛ ଥିଲେ ସବୁ ଆଣି ଅସୁରୁଣୀକୁ ଦେଲେ, ଆଉ ବଡ଼ ମାଛ ଦୋଟି, ତାଙ୍କ ନା ରାଘବ ତିଳକ, ସେ ଦୋଟିକି ବଡ଼ରାଣୀଙ୍କ ପାଖରେ ଦେଲେ । ବଡ଼ରାଣୀ ରାଘବ ମାଛକୁ କାଟିଲା ବେଳକୁ କଳାରାଜନ ତ‌ହିଁ ଭିତରେ ଥାଇ ବୋଇଲା, ମା ଧୀରେ କାଟିବ ଟି, ମୁଁ ହାଣି ହୋଇଯିବି । ବଡ଼ରାଣୀ ମାଛଭିରେ ମନିଷତୁଣ୍ତ ଶୁଣି ଧୀରେ ବେକଠଉଁ କାଟିଲାବେଳକୁ କଳାରାଜନ ବାହାରି ପଡ଼ିଲା କ‌ହିଲା ତେମେ ମୋର ଧର୍ମରୁ ମା, ମୁଁ ତମର ଧର୍ମର ପୁଅ, ଅସୁରୁଣୀର ସବୁକଥା କ‌ହିଗଲା । ବଡ଼ରାଣୀ ଶୁଣିଲେ, ପୁଅଟିକୁ ରଖିଲେ, ରହିଲେ, ଏଣେ ଅସୁରୁଣୀ ସବୁ ଗେଣ୍ତାରୁ କଇଁଛ ପର୍ଯ୍ୟନ୍ତ ସୁଙ୍ଘୁଥାଏ, ଖାଇ ଦେଉଥାଏ, କ‌ହୁଥାଏ ଏଥିରେତ ସେ କାଠେଇଖିଆ ନାହିଁ କୁଆଡ଼େ ଗଲା? ଏହିପରି କରି ପୋଖରୀକ ମାଛ କଙ୍କଡ଼ା ସବୁ ଖାଇଲା । କେତେବେଳସରିକି ଶୁଣିଲା ବଡ଼ରାଣୀଙ୍କ ଉଆସକୁ ଯୋଡ଼ାଏ ବଡ଼ମାଛ ଯାଇଚି, ସେଥିରୁ ଗୋଟାଏ ପୁଅ ବାହାରିଚି କ‌ହିଲା ସେଥିରେତ କାଠେଇଖିଆ ଚାଲିଗଲା । ଏହା କ‌ହିଲା ତୁନି ହୋଇରହିଲା । କିଛିଦିନ ଗଲା ଅସୁରୁଣୀର ଗର୍ଭହେଲା, ତାର ପୁଅଟିଏ ହେଲା । ପୁଅଟିକି ଦଶ ବାର ବରଷ ହୋଇଗଲା ଯାଉଁ ଘୋଡ଼ା ଚଢ଼ିଶିଖିଲା, କାଣ୍ତମାରି ଶିଖିଲା । ବଡ଼ ରାଣୀପୁଅ କଳାରାଜନ ଯେମନ୍ତି ଘୋଡ଼ା ଦୌଡ଼ କରିପାରେ, ଯେମନ୍ତି କାଣ୍ତ ମାରିପାରେ, ଅସୁରୁଣୀପୁଅକୁ ସେମନ୍ତି ଆସେ ନାହିଁ । ଅସୁରୁଣୀପୁଅର ସୁନାନଳ, ସୁନାକାଣ୍ତ, କଳାରାଜନର ବାଉଁଶନଳ ବାଉଁଶକାଣ୍ତ । କଳାରାଜନ ବାଉଁଶକାଣ୍ତକୁ ଯୋଉଠିକି ଲାଖକରେ, ସେଇଠି ପଡ଼େ, ଅସୁରୁଣୀପୁଅର ସୁନାକାଣ୍ତ ଏଣେତେଣେ ହୋଇ ଚାଲିଯାଏ । ଦିନେ ଅସୁରୁଣୀ ପୁଅ କଳାରାଜନ‌କୁ କ‌ହିଲା, ଭାଇ ତେମେ ଏ କାଣ୍ତକୁ ମାର, ମୁଁ ତମ କାଣ୍ତ ମାରେ । କଳାରାଜନ ସୁନାକାଣ୍ତକୁ ମାରିଦେଲା ଯେ ଯାଇ ଅସୁରୁଣୀ ରାଇଜରେ ପଡ଼ିଲା, ବୁଢ଼ୀ ଅସୁରୁଣୀର ସାନ‌ଝିଅ ଗୋଟାଇକରି ରଖିଥାଏ । ଅସୁରୁଣୀପୁଅ ଯାଇ ମା ଆଗରେ କ‌ହିଲା, ଭାଇ ମୋ କାଣ୍ଡ କୁଆଡ଼େ ମାରିଦେଲା ଆଉ ମାଗି ମାଗି ମତେ ଦେଉନାହିଁ । ଅସୁରୁଣୀ କଳାରାଜନ‌କୁ ଡକାଇ କହିଲା ମୋ ପୁଅର କାଣ୍ଡଆଣିଦେ, ନଇଲେ ତୋର ମୁଣ୍ଡକାଟ ହେବ । ଏ ଯାଇଁ ବଡ଼ରାଣୀ ଆଗରେ କ‌ହିଲା, ମା ମତେ ଛ ମାସ ଛୁଟିଦିଅ, ମୁଁ ତାଙ୍କ କାଣ୍ଡ ଆଣିଦେବି । ଏ କାନ୍ଦୁଣିମାନ୍ଦୁଣି ହୋଇ ବିଦାୟ ଦେଲା । କଳାରାଜନ ଘୋଡ଼ାରେ ଚଢ଼ି ବାହାରିଲା, ଯାଇ ପାରାରଜା ଦେଶରେ ପ‌ହୁଞ୍ଚିଲା । ପାରାରଜା ଝିଅକୁ ବର ମିଳୁ ନ ଥାଏ ଯେ ସେ ଚୁଆ ଗାରେ ଚନ୍ଦନ ଗାରେ ଗନ୍ଧକ ଗାରେ ତିନି ଗାର କାଟିଦେଇ ବସିଚି, କଳାରାଜନ ସେ ଗାର ଡେଇଁ ଦେଇ ଘୋଡା ନେଇଗଲା । ପାରାରଜାଝିଅ ଧାଈ ଦଉଡ଼ି ଆସି କଳାରାଜନକୁ ଡାକିଲା କ‌ହିଲା କୁଆଡ଼େ ଯାଉଚ ଫେରି ଆସ; ଆମ ଦେଈଙ୍କର ସତ୍ୟ ହୋଇଚି ଏ ଗାର ଯେ ଡେଇଁବ ସେ ତାଙ୍କୁ ବିଭା ହେବ । କଳାରାଜନ କ‌ହିଲା ହଉ ତେବେ ରହୁଚି। ରଜାଙ୍କ ପାଖକୁ ଖବର ଗଲା; ବିଭାଘରର ଯୋଗାଡ଼ ହେଲା, ବିଭାଘର ହେଲା । ଚତୁର୍ଥୀ ଦିନ ରାତିରେ କଳାରାଜନ ପାରାରଜା ଝିଅକୁ କହିଲା ହେ ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡ଼ିଚି କି ? ଏ କହିଲା ନାହିଁ ଆମ ଦେଶରେ ପଡ଼ିନାହିଁ, ଅପାରାଇଜରେ ପଡ଼ିଥିବ । ଏ କ‌ହିଲା ଅପାରାଇଜ କୋଉଠି, ଏଠି କି କେତେ ବାଟ ? ପାରାରଜାଝିଅ କ‌ହିଲା ବାଘରଜା ଦେଶରେ, ଏଠିକି ପାଏ ବାଟ ହେବ । ତ‌ହିଁ ଆରଦିନ କଳାରାଜନ ବାଘରଜାଦେଶକୁ ବାହାରିଲା, ଯାଉଚି ବାଘରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ସେହିପରି ତିନିଗାର କାଟିଦେଇ ବସିଚି, ସେ ଗାର ଡେଇଁ ଚାଲିଗଲା । ଧାଈ ସେହିପରି ଡ଼ାକିଆଣିଲା, ରଜା ଜାଣିଲେ ବିଭାଘର ହେଲା । ଚତୁର୍ଥୀ ଦିନ କଳାରାଜନ ବାଘରଜା ଝିଅକୁ ସେହିପରି କାଣ୍ଡ କଥା ପଚାରିଲା । ଏ କ‌ହିଲା ଆମ ରାଇଜରେ ପଡ଼ିନାହିଁ ଅପାରାଇଜରେ ପଡ଼ିଥିବ । କଳାରାଜନ ପଚାରିଲା, ଅପାଘର କୋଉଠି, ଏଠିକି କେତେ ବାଟ ହେବ ? ବାଘରଜାଝିଅ କହିଲା ଅପାଘର ବାର୍‌ହାରଜା ଦେଶରେ, ଏଠିକି ପାଏ ବାଟ ହେବ । ତହିଁ ଆରଦିନ କଳାରାଜନ ଘୋଡାରେ ଚଢି ବାର୍‌ହାରଜାଦେଶକୁ ଗଲା । ସେଠାରେ ସେହିପରି ବାର୍‌ହାରଜାଝିଅକୁ ବର ମିଳୁ ନ ଥାଏ ବୋଲି ସେ ସେହିପରି କଳା, ଧଳା, ହଳଦିଆ ତିନିଗାର କାଟି ବସିଚି; କଳାରାଜନ ଗାର ଡିଆଁଇ ଚାଲିଗଲା । ତାକୁ ସେଠାରେ ସେହିପରି ଅଟକାଇଲେ, ବାର୍‌ହାରଜାଝିଅସଂଗେ ବିଭା କରି ଦେଲେ । ଚତୁର୍ଥୀ ଦିନ ଏ ସେହିପରି କହିଲା, ସୁନାକାଣ୍ଡ ଏଠି ପଡ଼ିନାହିଁ, ଅପାରାଇଜ ଯମରଜାଦେଶରେ ପଡିଥିବ । କଳାରାଜନ୍କ ତହିଁ ଆର ଦିନ ଯମରଜା ଦେଶକୁ ଗଲା, ଯମରଜା ଝିଅକୁ ସେହିପରି ବିଭା ହେଲା; ଯମରଜା ଝିଅ କାକଚରିତ ପଢା, ତାକୁ ତିନିପୁରର କଥା ଅଜଣା । ଏ ଯୋଉଠୁ ପଚାରିଲା ସୁନାକାଣ୍ଡ ପଟେ ଏ ଦେଶରେ ପଡିଚି କି ? ସେ କହିଲା ଆମ ରାଇଜରେ ପଡିନାହିଁ,ବୁଢୀଅସୁରୁଣି ରାଐଜରେ ପଡିଚି, ତା ସାନଝିଅ ପାଇକରି ରଖିଚି । ତେମେ ଯେମନ୍ତ ଆଣିବାକୁ ଯିବ, ଏଇୟା କରିବ, ଅସୁରୁଣୀ ଛ ଝିଅ ଆଉ ବୁଢୀ ଅସୁରୁଣି ଖରା ପୁଆଁଉଥିବେ, ତେମେ ଯିବ ମେଘନାଦ ପାଚେରୀକି ଡେଇଁ ପଡିବ, ସବା ସାନ ଝିଅକୁ ବିଧାଏ ପକାଇବ; କହିବ ତୋର କଣ ମନେ ନାହିଁକି, ତୁ ହୋଇଥିଲୁ ଛ ମାସର, ମୁଁ ହୋଇଥିଲେ ବରଷକର, ତୋର ମୋର ବିଭାଘର ହୋଇଥିଲା, ତୁ ଏବେ ମତେ ଚିହ୍ନି ପାରୁନାହୁଁ ? ଏହା କହିବ, ତାକୁ କାନି ଧରି ଘରକୁ ଝିଙ୍କି ନେଇଯିବ । ଏପରି କଲାକ୍ଷଣି ଆଉ ସମସ୍ତେ ବାହାରିଯିବେ, ଦେଢଶାଶୁ ଶାଶୁ ମାନନା କରି, ତମକୁ ସେ ଘରକୁ ଡାକି ନେଇଯିବ, କଥାବାର୍ତ୍ତା ହେବ, ତେମେ ତାକୁ କଥାରେ୨ ସବୁ ପଚାରି ନେବ । କଳାରାଜନ ସବୁ ଶୁଣିଲା, ତହିଁ ଆରଦିନ ଘୋଡାରେ ବସି ଅସୁରୁଣୀ ରାଇଜକୁ ଗଲା, ଯମରଜାଝିଅ ଯେମନ୍ତି କହିଥିଲା ସବୁ ସେମନ୍ତି କଲା । ବୁଢୀଅସୁରୁଣୀ ଆଉ ତାର ବଡ଼ଝିଅମାନେ କୁଆଡ଼େ ଚାଲିଗଲେ କୋଉଁ ମାନନ୍ତା ଲେଖା କରି, ଏ ଦିହେଁଯାକ ରହିଲେ, କଥାବାର୍ତ୍ତା ହେଲେ । କଳାରାଜନ କହିଲା ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡିଚି କି ? ଏ କହିଲା ହଁ ପଡିଥିଲା । ମୁଁ ପାଇ ରଖିଚି, ଏହା କହିଲା, ଯୋଉ ଘରେ ତାକୁ ରଖିଥିଲା ସେ ଘର ଫିଟାଇ ଆଣିବାକୁ ଗଲା । କଳାରାଜନ ତା ସାଙ୍ଗେ୨ ଯାଇଥାଏ, ଦେଖିଲା ସେ ଘରେ ଗୋଟାଏ ଭାଡି ଉପରେ ଆଠୋଟି ଲାଉ ଥୁଆ ହୋଇଛି । ଏ ପଚାରିଲା, ଏ ଲାଉ ଗୁଡାକ କାହିଁକି ଅଛି ? ଅସୁରୁଣୀ ଝିଅ କହିଲା, ଏଥିରେ ସବୁ ଆମ୍ଭ ମାନଙ୍କର ଜୀବନ ଅଛି; ଏ ବଡଟିରେ ମୋ ମାର, ୟାଠାରୁ ଯୋଉଟି ସାନ ସେଇଟି ମୋ ବଡ ଭଉଣୀର,ସେ କେତେଦିନ ହେଲା କୁଆଡେ ଯାଇଚି ଆସିବାକୁ ନାହିଁ, ସବା ସାନଟି ମୋର, ଆଉ ଗୁଡିକ ମୋ ଭଉଣୀଙ୍କର, ଏହିପରି ସବୁ ଦେଖାଇ ଦେଲା । କଳାରାଜନ କଣ କଲା ଆଗକରି ସେ ସାନ ଲାଉଟି ଘେନିଆସି ପିଟିଦେଲା ଯେ ସାନ ଅସୁରୁଣୀଟି ମରିଗଲା । ସାନ ଅସୁରୁଣୀଟି ମରିଗଲା ଯୋଉଠୁ, ଆଉ ଛଅଟି ଲାଉ ବାଡେଇଦେଲା, ବଡ ଭଉଣୀର ଲାଉଟି ଆଣିଲା, ସୁନାନଳ ସେନାକାଣ୍ଦ ଘେନିଲା ଆସି ଯମରଜା ଦେଶରେ ପହଞ୍ଚିଲା, କହିଲା ଅମକୁ ବିଦା କରିଦିଅ । ଜମରଜାଝିଅ ଶୀଖାଇଥାଏ ତେମେ ବାପାଙ୍କୁ କିଛି ମାଗିବ ନାହିଁ, ଗଲାବେଲକୁ କହିବ ମୋତେ ସେ ଛୋଟୀ ଯମଟିକି ଦିଅ । ଜମରଜା ଝିଅ ଜୋଇକୁ ବିଦ। କଲେ, ଯିବା ବେଳକୁ କଳାରାଜନ କହିଲା ମୋତେ ଆପଣଙ୍କ ଛୋଟୀ ଯମଟିକି ଦିଅନ୍ତୁ, ଯମରଜା କହିଲେ ଝିଅ ନ କହିଥିଲେ କି ଜୋଇଁ ମାଗନ୍ତା ? ହଉ ଦିଅ, ଏହା କହିଲେ ଛୋଟୀ ଯମଟିକି ଦେଇ ବିଦାକରିଦେଲେ । ସେଠାରୁ ଆସି ଜମରଜାଝିଅକୁ ବାଟରେ ରଖାଇ, କଳାରାଜନ ବାର୍‌ହାରଜା ଘରକୁ ଗଲା, କହିଲା ମତେ ବିଦା କରିଦିଅ ମୁଁ ଯିବି, ବାଟରେ ମନିଷ ବସିଛନ୍ତି । ବାର୍‌ହାରଜାଝିଅ ସେହିପରି କହୁଥାଏ ତେମେ ଗଲାବେଳକୁ ବାପାଙ୍କୁ ଛୋଟୀ ବାର୍‌ହାଟିକି ମାଗିବ । ବାର୍‌ହାରଜା ସବୁ ଦେଲା, ବିଦାକଲାବେଳକୁ କଳାରାଜନ କହିଲା ଅପଣଙ୍କ ଛୋଟୀ ବାର୍‌ହାଟିକୁ ମତେ ଦିଅନ୍ତୁ । ଛୋଟୀ ବାର୍‌ହାଟିକୁ ଦେଲେ, ବିଦା କରିଦେଲେ । ଆସିଲେ ସମସ୍ତେ ବାଟରେ ଠାଏ ରହିଲେ, ଏ ବାଘରଜା ଘରକୁ ଆସିଲା । ସେଠାରୁ ବିଦା ହୋଇ ଆସିଲା, ଆସିଲାବେଳକୁ ଛୋଟୀ ବାଘଟିକୁ ଯୌତୁକରେ ଆଣିଲା । ସେଠାରୁ ପାରାରଜା ଘରେ ପହଞ୍ଚିଲା, ପାରାରଜା ବି ସେହିପରି ବିଦାକଲା । ପାରାରଜାଠାରୁ ବି ସେହିପରି ଛୋଟୀ ପାରାଟିକୁ ଯୌତୁକରେ ଆଣିଲା । ସମସ୍ତେ ଏକାଠି ଠୁଳ ହେଲେ, ଆସିଲେ । ଆସିକରି ଘରପାଖରେ ପହଞ୍ଚିଲେ ଯୋଉଠୁ ବଡାରାଣୀଙ୍କି ସମସ୍ତେ କହିଲେ, ତମ ପୁଅ ଚାରିକନ୍ୟା ବିଭା ହୋଇ ଆସୁଚି । ଏ କହିଲା ମୁଁ କୋଉଠୁ ଆଉ ପୁଅ ପାଇବି, ପୁଅ ତ ବରଷେ ହେଲା କୁଆଡେ ଗଲାଣି, ମୁଁ କୋଉଠି ପୁଅ ବୋହୁ ଦେଖିବି । ଏହା କହୁ୨ ପୁଅବୋହୂ ଆସି ଦାଣ୍ଡଦୁଆରେ ପହଞ୍ଚିଲେ । ଯେତେ କହିଲେ ଆଉ ସତ କରୁ ନ ଥାଏ, ଦାଣ୍ଡକୁ ଯାଉ ନ ଥାଏ । ବୋହୂମାନଙ୍କ ସୁଆରି ଯାଉଁ ଦାଣ୍ଡ ଦୁଆରେ ଥୁଆହେଲା, ବଡରାଣୀ ଗଲା ଭାତ ନୁଞ୍ଚାଣି କରି ପୁଅବୋହୂଙ୍କୁ ଘରକୁ ଘେନି ଆସି ବନ୍ଦାପନା କଲା । ବୋହୂମାନେ ଘରେ ରହିଲେ, କଳାରାଜନ ଗଲା କାଣ୍ଡ ଦେବାକୁ, ଅସୁରୁଣୀକି ଦଣ୍ଡବତ କଲା । ଅସୁରୁଣୀ କହିଲା 'ସଞ୍ଜେ ଫୁଟି ସକାଳେ ଯା, ଜହ୍ନିଫୁଲପରି ଆଇଷ ପା' ଏହିପରି କଲ୍ୟାଣ କଲା । ଦିନେ ଦି ଦିନ ଗଲା, ଅସୁରୁଣୀର ମନ କେମନ୍ତି କଳାରାଜାକୁ ମାରିବ; କହିଲା ବେଣ୍ଟ ପୋଖରୀ ଉପରେ ଜମିମାଣେ ହଳହେବ, ତହିଁରେ ସୋରିଷ ଡୋଲିଏ ବୁଣା ହେବ, ତାକୁ ଯେବେ ରାତି୨ ଗୋଟେଇ କାଲି ସକାଳୁ ଥୋଇଥିବୁ ତ ତୋ ମୁଣ୍ଡ ରହିବ, ନଇଲେ ତୋ ମୁଣ୍ଡ କଟାହେବ । କଳାରାଜନ ଆସିଲା ଘରକୁ, ମୁହଁ ଶୁଖେଇଦେଇ ବସିଥାଏ । ସେଦିନ ପାରା-ରଜାଝିଅର ପାଳି ହୋଇଥାଏ । ପାରା ରଜାଝିଅ ରାନ୍ଧି ସାରିଲା, ଭାତ କାଢିଲା, କଳାରାଜନକୁ ଡାକିବାକୁ ଗଲା, ଦେଖେ ଯେ କଳାରାଜନ ମୁହଁ ଶୁଖେଇ ଦେଇ ବସିଚି । ପାରାରଜାଝିଅ କହିଲା, ତମେ ସବୁରି ପାଳିଦିନ ହସ ହସ ହୁଅ, ମୋ ପାଳିରେ କାହିଁକି ମୁହଁ ଶୁଖେଇ ଦେଇ ବସିଥାଅ ? ଏ କହିଲା ହସିବି କଣ, ଜଣକ ଲାଗି ତ ଚାରି ଜଣ ବିଧବା ହେବେ । ପାରାରଜାଝିଅ କହିଲା, ଏହା କାହିଁକି କହିଲ ? କଳାରାଜନ କହିଲା ଦେଖ ଆମ ଆର ମାଙ୍କର ହୁକୁମ ହୋଇଛି, ବେଣ୍ଟ ପୋଖରୀ ଉପରେ ସୋରିଷ ଢୋଲିଏ ବିଞ୍ଚି ଦେଇ ଆସିବେ, ଆଜି ତାକୁ କୋଉଠି ମୁଁ ରାତି ରାତି ତୋଳିକରି କାଲି ସକାଳକୁ ଥୋଇଥିବି, ନଇଲେ ମୋ ମୁଣ୍ଡ କାଟ ହେବ । ପାରାରଜାଝିଅ କହିଲା ଓ ହୋ ! ଏଇ ଛାର କଥ। ପାଇଁ ସେମିନ୍ତି କାହିଁକି ହେଉଚ ? ସେ କଥା କୁଝାଯାଏ ସିନା, ତେମେ ଆସ ଖାଇବାକୁ ଯିବ । କଳାରାଜନ ଖାଇବାକୁ ଗଲା, ସମସ୍ତେ ଖାଇ ପିଇ ସାରିଲେ, ପାରାରଜାଝିଅ ଛୋଟୀ ପାରାକୁ ଡାକି କହିଲା ତୁ ଐଛିକା ଯା,ବାପାଙ୍କୁ କହିବୁ ତମ ଜୋଇଁଙ୍କୁ ବିପତ୍ତି ପଡ଼ିଚି ତମର ଯେତେକ ପାରା ଅଛନ୍ତି ସମସ୍ତଙ୍କୁ ପଠାଇଦିଅ । ଛୋଟୀପାରା ଗଲା ପାରାରଜାକୁ କହିଲା । ସେ ତାଙ୍କ ରାଜ୍ୟରେ ଯେତେ ପାରା ଥିଲେ ସବୁ ପଠାଇ ଦେଲେ । ପାରାରଜାଝିଅ କହିଲା ଯାଅ ବେଣ୍ଟ ପୋଖରୀଉପରେ ସୋରିଷ ବୁଣା ହୋଇଚି ତାକୁ ଏହି ରାତି ମଧ୍ୟରେ ଖୁଣ୍ଟି କରି ଡୋଲିକିୟାରେ ପୁରାଇ ରଖି ଦେଇ ଯିବ । ପାରାଯାକ ରାତି ନ ପାହୁଣୁ ସେହିପରି କରିଦେଇ ପାରାରଜାଝିଅଠାରୁ ବିଦା ହୋଇ ଗଲେ । ସକାଳୁ ଅସୁରୁଣୀ ଉଠିଲାକ୍ଷଣି କଳାରାଜନ ସୋରିଷ ଡୋଲିକିୟା ଜିମା କରିଦେଲା । ଅସୁରୁଣୀ ମନେ ମନେ ବିଚାରିଲା ଏଥିରେ ତ ୟାକୁ ମାରିପାରିଲି ନାହିଁ, କଣ କରିବି ? ଆଉ ଏକ ବୁଦ୍ଧି ପାଞ୍ଚିଲା, କହିଲା ମୋର ବାଘଦୁଧ ଦରକାର, କାଲି ସକାଳକୁ ଏଠାରେ ଯେମନ୍ତ ଭାବେ ବାଘଦୁଧ ଆଣି ଥୋଇ ଥିବୁ ତ ଆଛା, ନଇଲେ ତୋର ମୁଣ୍ଡ ରହିବ ନାହିଁ । କଳାରାଜନ ସେ ଦିନ ସେହପରି ମୁହଁ ଶୁଖେଇ ଦେଇ ଘରେ ବସିଥାଏ । ସେ ଦିନ ବାଘରଜାର ଝିଅର ପାଳି । ସେ ପଚାରିଲା ଏମନ୍ତି ବିରସ କାହିଁକି ? ଏ ଅସୁରୁଣୀ ଯାହାସବୁ କହିଥିଲା କହିଗଲା । ବାଘରଜାଝିଅ କହିଲା ଏଥିପାଇଁ ଏତେ ଭାବନା କାହିଁକି ? ତମେ ନିଶ୍ଚିନ୍ତ ହୋଇ ବସ, ମୁଁ ସରୁ କରିଦିଏଁ ସିନା । ସମସ୍ତେ ଖାଇପିଇ, ସାରିଲାରୁ ବାଘରଜାଝିଅ ଛୋଟୀ ବାଘକୁ ପଠାଇ ବାପଘର ଗାଁରୁ ଦଶଭାର ବାଘଦୁଧ ଅଣାଇ ଅସୁରୁଣୀ ଦୁଆରେ ରଖାଇଦେଲା । ଅସୁରୁଣୀ ତହିଁ ଆରଦିନ ଉଠିଲା ବେଳକୁ ଦୁଆରେ ବାଘଦୁଧ ଥୁଆ ହୋଇଛି । ଅସୁରୁଣୀ ଦେଖିଲା, ସେହିପରି ମନେ ମନେ ହେଲା, ଏଥିରେ ତ ମାରି ପାରିଲି ନାହିଁ, କଣ କରିବି ? କଳାରାଜନକୁ କହିଲା କାଲି ସକାଳୁ ଦାଣ୍ଡ ଦୁଆରେ ଗୋଟିଏ ପୋଖରୀ ଖୋଳା ହୋଇଥିବ, ତହିଁରେ ଦୀପଦଣ୍ଡି ବସିଥିବ,ଚାରିପାଖ ପଥର ପାହାଅଚବନ୍ଧା ହୋଇଥିବ, ରାଜହଂସ ଖେଳୁଥିବେ । ଏମନ୍ତି ଯେବେ ହୋଇଥିବ ତ ତୁ ଜୀବନରେ ଥିବୁ, ନିଲେ ତୋ ମୁଣ୍ଡକାଟ ହେବ । ଏକଥା ବାର୍‌ହାରଜାଝିଅ ଶୁଣିଲା, ଛୋଟି ବାର୍‌ହାକୁ ପଠିଆଇ ବାର୍‌ହାରଜା ଦେଶରେ ଯେତେ ବାର୍‌ହା ଥିଲେ, ସମସ୍ତଙ୍କୁ ଅଣାଇଲା । ସେମାନେ ରାତି ରାତି ପୋଖରୀ ଖୋଳି, ଦୀପ ଦଣ୍ଡୀ ବସାଇ, ପାହାଚ ବାନ୍ଧିଦେଇ ଚାଲିଗଲେ । ଅସୁରୁଣୀ ଉଠିଲାବେଳକୁ ପୋଖରୀ ଖୋଳା ହୋଇଚି, ଦେଖିଲା, କଣ କହିବ ତୁନି ହୋଇ ରହିଲା । ସେଦିନ କଳାରାଜନକୁ କହିଲା, ମୋର ଯେବେ ତୁ ଏ କଥା ନ କରି ପାରିବୁ ତୋର ମୁଣ୍ଡ ରହିବା ନାହିଁ । ତୁ କାଲି ସକାଳୁ ମୋର ସପ୍ତ ପୁରୁଷଙ୍କୁ ଆଣି ମୋ ଦୁଆରେ ଛିଡ଼ା କରିଥିବୁ, ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବି । କଳାରାଜନ ଏକଥା ଯମରଜାଝିଅକୁ କହିଲା । ଯମରଜାଝିଅ କହିଲା ଏହି ଛାର କଥା ପାଇଁ ଏତେ ଭାବନା କାହିଁକି ? ବାପାଙ୍କ ପାଖକୁ ଖବର ଦେଲେ ତ ସେ ପୁରର ସମସ୍ତଙ୍କୁ ପଠାଇ ଦେଇ ପାରନ୍ତି, ସପ୍ତପୁରୁଷ କଣ । ଯମରଜା ଝିଅ ଛୋଟୀ ଯମକୁ ଡକାଇ ପଠାଇଦେଲ, କହିଲା, ବାପାଙ୍କୁ କହିବୁ ତମ ଝିଅ ଜୋଇଁଙ୍କୁ ବିପତ୍ତି ପଡିଛି ତମର ଯୋଉ ଯମପୋଥି ଖଣ୍ଡ ଅଛି ତାକୁ ଦିଅ । ଛୋଟୀ ଯମ ଯାଇ ଯମରଜାଙ୍କଠାରୁ ପାଞ୍ଜି ଘେନି ଆସିଲା । କଲରାଜନ ଏହି ଯମଗଣ ପୋଥିକି ନେଇ ଅସୁରୁଣୀ ଘର ଦୂଆର ମୁହଁରେ ପିଟାଇ ଲମ୍ବେଇ କରି ରଖିଦେଇ ବସି ରହିଲା । ଅସୁରୁଣୀ ଉଠି ଦେଖେ ଯେ ତାର ସପ୍ତପ୍ତରୁଷ ଦୁଆରେ ରୁଣ୍ଡ ହୋଇଅଛନ୍ତି । ଦେଖେ ଯେ ତାର ମା ଭଉଣୀଯାକ ସବୁ ମରି ତାଙ୍କ ସାଙ୍ଗେ ଅଛନ୍ତି । ସେମାନଙ୍କୁ ପଚାରିଲା, ତେମେ ସବୁ କେମନ୍ତି ମଲ ? ଏମାନେ କଳାରାଜନ ଯାହା ଯାହା କହିଥିଲା ସବୁ କହିଲେ । କଳାରାଜନ ସେଉଠୁ କଣକଲା, ପୋଥି ଖଣ୍ଡି ଘେନି ଆସିଲା, ଅସୁରୁଣୀର ଜୀବନ ଲଉଟିକି ନେଇ ଭାକୁ ଦେଖାଇ ଦେଲା । ଅସୁରୁଣୀ କହିଲା ମୋ ଲାଉ ଦେ, ଏ କହିଲା ମୋ ତିନି ସଂଗାତକୁ ଦେ, ଚାରି ଘୋଡ଼ାକୁ ଦେ, ମୁଁ ଲାଉ ଦେବି । ଅସୁରୁଣୀ କଣ କଲା ବାନ୍ତି କରି ପକାଇଲେ ଯେ ତିନି ସଂଗାତ ବାହାରି, ଘୋଡା ଚାରିଟା ବାହାରି ପଡ଼ିଲେ । କଳାରାଜନ ରାଜାଙ୍କୁ କହିଲା, ବାପା । ୟାକୁ ରଖୁବ କି ମାରିବ ? ରଜା କହିଲେ ୟାକୁ ଅଭ ରଖିନାହଁ [] ମାରିଦେ, କଳାରାଜନ ଲାଉଟି ପିଟିଦେଲା ଯେ ଅସୁରୁଣୀର ପ୍ରାଣ ବାହାରି ଗଲା । ରଜା ପୁଅ ବୋହୁ ଘେନି ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।

  1. ଏହାକୁ ରଖିବା ଉଚିତ ନୁହେଁ ।