କଥାଲହରୀ/ପାନସୋରୀ କଥା
←ସୁନାଫୁଲ କଥା | କଥାଲହରୀ (୧୯୨୩) ଲେଖକ/କବି: ପାନସୋରୀ କଥା |
କଳାରାଜନ କଥା→ |
ଗୋଟିଏ ସାଧବଟିଏ ଯେ ତାର ସାତପୁଅ ସାତବୋହୂ । ସବା ସାନ ବୋହୂଟିକୁ କେହି ଦେଖି ପାରନ୍ତି ନାହିଁ । ସାତ ଯା ଯାକ ଗର୍ଭହେଲେ, ବଡ଼ ଛ ଯାଆଙ୍କର କାହାର ପୁଅ ହେଲା କାହାରଝିଅ ହେଲା, ସାନ ଯାର କିଛି ହୋଇ ନ ଥାଏ । ଏ ଘରର କାମଦାମ ସବୁ କରୁଥାଏ । ଯେଉଁଦିନ କଷ୍ଟ ପାଇଲା, ଶାଶୁକୁ କହିଲା, ସାନ୍ତାଣି ମୋ ଦେହ କଣ ହେଉଚି । ଶାଶୁ କହିଲା ଯା ଆଗେ ପାଣି ହେରିକା ଆଣି ସାର ପଛେ କଷ୍ଟ ପାଇବୁ, ଏ ଆଉ କଣ କରିବ ? ସବୁକାମକରି ସାରିଲା, ଫେର୍ ଶାଶୁକୁ କହିଲା । ଶାଶୁ କଣ କଲା ନା ଅରଟଖଣ୍ଡିଏ ହାତରେ ଦେଲା । ଗୋଟାଏ ବରଣା [୧] ଦେଲା, କହିଲା ୟାକୁ ସୂତା କାଟିକାଟି ଯାଏ ଯୋଉଠିସରିବସେଇଠି ଜନ୍ମକରିବୁ, ପୁଅଟି ଏହେଲେ ଆଣିବୁ ଝିଅହେଲେ ଫୋପାଡ଼ିଦେଇ ଆସିବୁ ଏ ସେହିପରିସୁତାକାଟି୨ ଗଲା ବାଟଯାକ, ଯାଇଁ୨ ଗୋଟାଏ ପାନବରଜ ପାଖେ ବରଣାଟିସରିଲା ସେଇଠି ଜନ୍ମକଲା, ଝିଅଟିଏ ହେଲା । ଶାଶୂତ କହିଚି ଝିଅ ହେଲେ ଫୋପାଡ଼ି ଦେଇ ଆସିବୁ, ଆଉ ନେଇକରି ଯିବି କେମନ୍ତି ? ଝିଅଟିକି କଣକଲା ନା ପାନବରଜ ଭିତରେ ପାନ ଗୁଡ଼ିଏ ପାରି ଦେଲା ତା ଉପରେ ଶୁଆଇ ଦେଲା, ତା ପାଖରେ ବସି ଗୁଡ଼ିଏ କାନ୍ଦିଲା, ଘରକୁ ଆସିଲା । ଆରଦେଶ ରଜା ପାରିଧିକି ଆସିଥିଲେ । ଏ ଝିଅଟି ପାନବରଜରେ କାନ୍ଦୁଚି ଶୁଣିଲେ, କହିଲେ କେହିତ କୁଆଡ଼େ ନାହିଁ, ପିଲାଟିଏ କୋଉଠି କାନ୍ଦୁଚି ଦେଖିଲ, ଖୋଜିଲ । ଚାକରମାନେ ଗଲେ ଖୋଜିଲେ, ପାନବରଜ ଫିଟାଇ ଦେଖିଲା ବେଳକୁ ଝିଅଟିଏ କାନ୍ଦୁଚି ତାକୁ ନେଇ ଗଲେ ରଜାଙ୍କ ପାଖକୁ । ରଜା କହିଲେ ତାକୁ ନିଅ ଆମଘରକୁ, ଆମେ ତାକୁ ଝିଅ କରିବା । ନେଇକରି ଗଲେ ଘରକୁ, ରାଣୀକି ଦେଲେ, କହିଲେ ଏଇଟିକି ପାଳ, ଆମର ଝିଅ କରିବା । ରାଣୀ ପାଳିଲେ, ଝିଅଠାରୁ ଅତିସ୍ନେହରେ ବଢାଇଲେ । ତା ନାଆଁଟି ଦେଇଥାନ୍ତି ପାନସୋରୀ । ପାନସୋରୀକି ଦଶ ବାରବରଷ ହେଲା । ବଡ଼ ହେଲା, ବରଘର ଲଗାଇଲେ, ଆରଦେଶ ରଜାପୁଅକୁ ବିଭା କରିଦେବେ । ପାନସୋରୀ ଖୁବ୍ ସୁନ୍ଦରୀ, ଆରଦେଶ ରଜାପୁଅ ଆଉ ତାକୁ ଦେଖି ଦାଣ୍ଡକୁ ବାହାରିଲା ନାହିଁ, ସବୁବେଳେ ତା ପାଖରେ ଥାଏ । ପ୍ରଜାମାନେ କହିଲେ ରଜାପୁଅତ ଘରୁ ବାହାରିଲେ ନାହିଁ, କିଛି ବୁଝିଲେ ନାହିଁ, କିପରି ଚଳିବ ? ଏହିପରି ଯୋଉଠୁ ସମସ୍ତେ କହିଲେ, ରଜାପୁଅ କଣକଲା, ଦିନକର ରାତିରୁ ଉଠି ଘୋଡାରେ ଚଢ଼ି କୁଆଡ଼େ ଗଲା ବାହାରି । ଯାଇଁ୨ ଆରଦେଶ ରଜାଗାଁରେ ପହଞ୍ଚିଲା । ସେ ଦେଶ ରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ଧଳାଗାର, କଳାଗାର, ନାଲିଗାର, ନେଳୀଗାର, ହଳଦିଆଗାର କାଟି ବସିଚି । ଏ ରଜାପୁଅ ଆଉ ଜାଣେ ନା, ଗାର ଡ଼େଇଁ ଦେଇ ଗଲା ବାହାରି । ଏ ରଜାଝିଅର ଧାଈ ତାକୁ ଫେରାଇ ଆଣିଲା, କହିଲା ଆମ ଝିଅଙ୍କର ନିୟମ ଅଛି, ଯେ ଗାରଡେଇଁବ,ସେ ତାଙ୍କୁ ବିଭା ହେବ, ତେମେ ଫେରିଆସ ବିଭାହେବ । ଧାଈ ଯାଇ ରଜାଙ୍କୁ କହିଲା ତମଲାଖି [୨] ଜୋଇଁ ମିଳିଲାଣି ବିଭାଘର କର । ରଜା ସବୁ ଯୋଗାଡ଼ କଲେ, ବିଭାଘର ହେଲା । ସେ ରଜାଝିଅର ନାମ ତାରାବତୀ । ତାରାବତୀ ଆଉ ଏ ରଜାପୁଅ ବିଭାହୋଇ ସେଇଠି ରହିଲେ । କିଛିଦିନ ଗଲା ବାହାରି, ତାରାବତୀ ଏ ରଜାପୁଅପାଇଁ ପାନ ଭାଙ୍ଗିଦିଏ, ଲୁଗା କୁଞ୍ଚେଇ ଦିଏ, ଭାତ ବାଢ଼ିଦିଏ, ଚିତାପେଡ଼ି ସଜାଡ଼ି ଦିଏ, ଘର ଓଳାଇଦିଏ, ଏ ରଜାପୁଅର ମନକୁ ଆଉ ଆସେ ନାହିଁ । ସବୁବେଳେ ପାନସୋରୀକି ବାହୁନି କରି କହେ, କି ପାନ ଭାଙ୍ଗିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, କି ଠାଆ [୩]ଭାଙ୍ଗିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଭାତ ବାଢ଼ିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଲୁଗା କୁଞ୍ଚି ଚୂଲୋ ତାରା, ନୁହେ ମୋ ପାନସୋରୀ ପରା, ଏହିପରି ସବୁଦିନେ ବାହୁନେ। ତାରାବତୀ ଆଉ ଏ ରଜାପୁଅ ମନକୁ ଆସେ ନାହିଁ । ତାରାବତୀ କହିଲା ୟାଙ୍କର ଗୋଟାଏ ପାନସୋରୀ । ଏ କେଡ଼େ ସୁନ୍ଦର ଯେ ଏମନ୍ତି,ମତେ ସବୁବେଳେ ଖୁଣିଲେ । ମନକଥା ମନରେ ଥାଏ, ଦିନେ ରଜାପୁଅକୁ ପଚାରିଲା, ହେ ତମଗାଁରେ କଣ ମିଳେ ନାହିଁ । ଏ କହିଲା ଆମର ରଜାରାଇଜ, ଅପୂରୁବ କଣ ? ସବୁ ମିଳେ ଯେ ଏକା ପଚା ତାଳପତ୍ର ଝିଲ୍ଲୀଶଙ୍ଖା ମିଳେ ନାହିଁ । ତାରାବତୀ କଣ କଲା, ଚାରି ପାଞ୍ଚ ଟଙ୍କାର ପଚା ତାଳପତ୍ର ଝିଲ୍ଲୀଶଙ୍ଖା କିଣି ଆଣିଲା, ଜ୍ଞାନଦେୟୀ ମାଲୁଣୀକି ଡ଼ାକି ଆଣିଲା, ମନପବନ ଡ଼ଙ୍ଗା ଖଣ୍ଡେ ଆଣିଲା, ମାଲୁଣୀକି କହିଲା ତୁ ଆର ଦେଶ ରଜାଗାଁକୁ ଏ ସବୁ ନେଇକରି ଯିବୁ, ଡ଼ାକିକରି ବିକ୍ରୀ କରିବୁ । ସମସ୍ତେ ଆସିବେ ନେବାକୁ, ତୁ କହିବୁ ଆଗେ ରାଣୀ ଆସି ନେଲେ ମୁଁ ପଛେ ସମସ୍ତଙ୍କୁ ଦେବି । ଯୋଉଠୁ ରାଣୀ ଆସି ଡଙ୍ଗା ଉପରେ ବସି କିଣିବାକୁ ଧରିବ, ତୁ ରାଣୀକି ନେଇ ଚାଲିଆସିବୁ । ଜ୍ଞାନଦେୟୀ ମାଲୁଣୀ ଯାଇ ସେହିପରି କହିଲା,ସମସ୍ତେ ଆସି ପାନସୋରୀକି ଡାକିଲେ, ଆସ ତେମେ ଆଗ ନେଲେ ସମସ୍ତେ ପଛେ ନେବେ । ପାନସୋରୀ ଗଲା ଶାଶୁ ପାଖକୁ କହିଲା ମୁଁ କିଣିବାକୁ ଯାଉଚି । ଶାଶୁ ଶଶୁରଙ୍କୁ ଆଉ ଜମା ଦିଶୁନାହିଁ ପୁଅକୁ ଝୁରି ୨ । ପାନସୋରୀ ଯେଉଠୁ କହିଲା କିଣିବାକୁ ଯିବି, ଶାଶୁ କହିଲା ହଉ ଯା । ପାନ ସୋରୀ ଯାଇ ଡଙ୍ଗା ଉପରେ ବସିଲାକ୍ଷଣି, ମାଲୁଣୀ କହିଲା ଯେବେ ସତ୍ୟଯୁଗର ମନପବନ ଡଙ୍ଗା ହୋଇଥିବୁ, ତେବେ ୟାକୁ ନେଇ ପବନ ବେଗରେ ଚାଲିଯିବୁ । ଏହା କହିଲାକ୍ଷଣି ଡଙ୍ଗା ଚାଲିଲା ଯେ ଆସି ତାରାବତୀ ରାଜ୍ୟରେ ପହଞ୍ଚିଲା । ତାରାବତୀ ପାନସୋରୀକି ନେଇ ଗୋଟାଏ ଘରେ ଲୁଚେଇ କରି ରଖାଇଲା । ତହିଁ ଆରଦିନ ପାନସୋରୀ ହାତରେ ଘର ଓଳାଇଲା, ପାନ ଭଙ୍ଗାଇଲା, ଭାତ ବଢ଼ାଇଲା, ଲୁଗା କୁଞ୍ଚେଇଲା, ସବୁ କରାଇଲା, ପାନସୋରୀକି ସେଆଡ଼ ଘରେ ଛାଡିଦେଇ ଆସିଲା । ରଜାପୁଅ ସେଦିନ ସବୁ ଦେଖିଲା, ଖୁଣିଲା ନାହିଁ, ଭାତ ଖାଇଲା, ଗଲା ବାହାରି, ତାରାବତୀ ଭାବିଲା ହଁ ୟାକୁ ସବୁବେଳେ ଝୁରିଲେ, ମତେ ଦେହି ପାରିଲେ ନାହିଁ । ଏହା ମନରେ ପାଞ୍ଚି ପାନସୋରୀକି ବନସ୍ତକୁ ଡାକିନେଲା,ହାଣ ପକାଇ ଆସିଲା । ସେ ବନସ୍ତରେ କଣହେଲା, ପାନସୋରୀର ପେଟ ପୋଖରୀ ହେଲା, ପିଠି ପଥର ହେଲା, ମୁଣ୍ଡ ମଣ୍ଡପ ହେଲା,ହାତ ଫୁଲଗଛ ହେଲା, ଗୋଡ଼ କଦଳୀଗଛ ହେଲା, ଆକ୍ଷିଦୋଟି ଶୁଆସାରୀ ହେଲେ, ଏହିପରି ହୋଇଥାଏ । ଗାଈଜଗା ପିଲାଏ ଏଇଠୁ ଫୁଲ ନିଅନ୍ତି ଖେଳନ୍ତି । ଦିନକର ରଜାଙ୍କର ମାଳୀ, ଫୁଲ ଖୋଜି ୨ ଆଉ କୋଉଠି ଫୁଲ ପାଇଲା ନାହିଁ, ଦେଖିଲା ଗାଈଜଗା ପିଲାଏ ଫୁଲ ନେଇ ଖେଳୁଚନ୍ତି । ମାଳୀ କହିଲା ଆରେ ପିଲାଏ ତେମେ କୋଉଠ ଏ ଫୁଲ ଆଣିଲ, ମୁଁ ଏତେ ରାଇଜ ଖୋଜୁଚି ପାଉନାହିଁ । ସେମାନେ କହିଲେ ହେଇଟି ସେ ବନସ୍ତରେ କେତେ ଫଲ ଫଟିଚି ପାଉନାହୁଁ ? ମାଳୀ ଫୁଲ ଆଣିବାକୁ ଗଲା । ଆଗ ହୋଇ ପଥର ଉପରେ ଠିଆ ହେଲାକ୍ଷଣି, ପାନସୋରୀ କହିଲା, ଧୀର ହୋଇ ଠିଆହୁଅ ହେ ମାଳୀ, ମୋ ପିଠିକ କାଟିବଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି’ ମାଳୀ ଏଣିକି ତେଣିକି ଅନାଇଲା ଦେଖିଲା କେହି ନାହିଁ । ପୋଖରୀରେ ପଶି ଗୋଡ଼ ଧୋଇଲା ବେଳକୁ ଫେର ପାନସୋରୀ କହିଲା, 'ଧୀରେ ୨ ଗୋଡ଼ ଧୂଅ ହେ ମାଳୀ ମୋ ପେଟକୁ କାଟିକାଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । କଦଳୀଗଛ ପତର ଚିରିଲା ବେଳକୁ ସେହିପରି କହିଲା, 'ଆରେ ମାଳୀଭାଇ ଧରେ ଚିରିବୁଟି; ମୋ ଗୋଡ଼କୁ କାଟିବଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ସେଠାରୁ ଗଲା, ଫୁଲ ତୋଳିଲା ବେଳକୁ କହିଲା, 'ଆରେ ମାଳୀଭାଇ ଧୀରେ ତୋଳିବୁଟି ମୋ ହାତକୁ କାଟିବ ଟି', ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । ମଣ୍ଡପ ଉପରେ ଚଢ଼ିଲାବେଳକୁ କହିଲା, 'ଆରେ ମାଳୀଭାଇ ଧୀରେ ଚଢ଼ିବୁଟି, ମୋମୁଣ୍ଡକୁ କାଟିବଟି ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ସେମନ୍ତି, ଶୁଆସାରୀଙ୍କି ଧରିଲା ବେଳକୁ ଶୁଆସାରୀ କହିଲେ ‘ଧୀରେ ଧରିବଟି, ଆହେ ମାଳୀଭାଇ ମୋ ଆକ୍ଷିକି କାଟିବ ଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ଗଲା ରଜାଙ୍କ ଆଗରେ କହିଲା ମଣିମା, ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଚି । ରଜା କହିଲେ କଣ କହ, ଭୟ କାହିଁକି କରୁଚୁ । ମାଳା ସବୁ କହିଗଲା । ରଜା କହିଲେ ବାଇକୁ ଦେଖିବା । ମାଳୀ ଆଉ ରଜା, ଦିହେଁଯାକ ସେ ବନସ୍ତକୁ ଗଲେ, ରଜା ଛିଡ଼ା ହେଲେ ମାଳୀ ସେହିପରି ପଥର ଉପରେ ଛିଡ଼ା ହେଲା, ପାଣିରେ ଗୋଡ଼ ଧୋଇଲା, ଆଉ ସବୁ କଲା । ପାନସୋରୀ ଆଗପରି ସବୁ କହିଲା । ରଜା ଶୁଣିଲେ ଜାଣି ପାରିଲେ ତାରାବତୀ ପାନସୋରୀକି ଏଠାରେ ହାଣିଚି । ମାଳୀକି ପଠାଇ ଦେଲେ, କହିଲେ ମୁଁ ଏଠାରେ ଥିବାର ତୁ ଆଉ କାହା ଆଗେ କହିବୁ ନାହିଁ, ଯେବେ କହିବୁ କାହାଆଗେ ତୋ ବଂଶକୁ ଶୂଳିୟାପଦାରେ ଶୂଳିଦେବି । ମାଳୀ ଘରକୁ ଅଇଲା ବାହାରି, କାହା ଆଗେ କିଛି କହିଲା ନାହିଁ । ରଜା ସେହି ପୋଖରୀକୂଳେ ବସିକାନ୍ଦୁଥାନ୍ତି । କାନ୍ଦି ୨ ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଚନ୍ତି, ପାର୍ବତୀ କହିଲେ ରହିଥାଅ ୨ କିଏ ଗୋଟିଏ କାନ୍ଦୁଚି ଏତେବେଳେ, ଈଶ୍ୱର କହିଲେ ଚାଲହୋ ଆମର ସେଥିରେ କଣଅଛି ? ପାର୍ବତୀ କହିଲେ ଆଉ ଆମେ ସୃଷ୍ଟି କାହିଁକ ଭିଆଇଚୁ ? ଲୋକଙ୍କ ଭଲମନ୍ଦ କିଏ ବୁଝିବ ? ଈଶ୍ୱର ପାର୍ବତୀ ଦିହେଁଯାକ ବନସ୍ତ ଭିତରକୁ ଗଲେ ରଜାପାଖକୁ, ପଚାରିଲେ ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରଗୁଣୀ ତୁ କିଏ ? ଭଜା କହିଲେ ମୁଁ କେହି ନୁହେଁ ଆରଦେଶ ରଜାପୁଅ, ଏପରି ୨ ପାନସୋରୀକି ବିଭା ହୋଇଥିଲି ଆଉ ୨ ସବୁ କଥା କହିଗଲେ । ଈଶ୍ୱର ପାର୍ବତୀ କହିଲେ ହଉ ତୁ ତେଣିକି ମୁହଁ ବୁଲା, ରଜା ତେଣିକି, ମୁହଁ ବୁଲାଇଲାରୁ ଫୁଲପାଣି କରି ତିନି ମୁଠା ଛିଞ୍ଚିଦେଲେ ଯେ ପାନସୋରୀ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏ ରଜାପୁଅ ପାନସୋରୀକି ଘେନି ଆସିଲା ବାହାରି ଆପଣା ରାଜ୍ୟକୁ, ତାରାବତୀକି ଛାଡ଼ିଦେଇ ଆସିଲା । ପାନସୋରୀକି ନେଇ ଘରଦ୍ୱାର କଲା, ସୁଖରେ ରହିଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।