କଥାଲହରୀ/ସୁନାଫୁଲ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ସୁନାଫୁଲ କଥା

ଗୋଟିଏ ମନ୍ତ୍ରୀ, ତା'ର ସାତ ପୁଅ ସାତ ବୋହୂ, ସୁନାଫୁଲ ବୋଲି ଗୋଟିଏ ଝିଅ । ସେ ଝିଅ ସୁନାଫୁଲ ଫୁଟେ । ଭାଉଜମାନଙ୍କୁ ଦିନକର ସୁନାଫୁଲ କହିଲା, ହେ, ମୁଁ ସୁନାଫୁଲ ଫୁଟିଚି, ତେମେମାନେ କ'ଣ କରିବ; ଘର ବଖୁରିଏ ଲିପି ଆଣିବ, ଗାଡ଼ଟିଏ ଖୋଳିବ, ମୁଁ ସେଥିରେ ବସିବି, ମୋ ଉପରେ ମାଟି ଚଢ଼ାଇଦେବ, ହଳଦିପାଣି ମୁଠିଏ ଛିଞ୍ଚିଦେବ, କହିବ ଫୁଟ ଗୋ ସୁନାଫୁଲ ଫୁଟ । ଫୁଟି ସାରିଲାରୁ ସେହିପରି ହଳଦିପାଣି ମୁଠିଏ ଛିଞ୍ଚିଦେବ, କହିବ ଉଠ ଗୋ ସୁନାଫୁଲ ଉଠ । ଭାଉଜମାନେ ସେହିପରି କଲେ । ସୁନାଫୁଲ ଦିବ୍ୟସୁନ୍ଦର ଫୁଲଗଛଟିଏ ହେଲା, ସେ ଘରଯାକ ଫଲ କଢ଼ି ହୋଇ ଫୁଟିଲା । ସାତ ଭାଉଜ‌ଯାକ ଗଲେ, ଡ଼ାଳପତ୍ର କିଛି ଭାଙ୍ଗିଲେ ନାହିଁ, ସାତଯାଙ୍କ ପାଇଁ ସାତଟି, ସୁନାଫୁଲ ପାଇଁ ଗୋଟିଏ, ଆଠଟି ଫୁଲ ତୋଳିଲେ, ହଳଦି ପାଣି ମୁଠାଏ ଛିଞ୍ଚି ଦେଲେ, କ‌ହିଲେ ଉଠ ଗୋ ସୁନାଫୁଲ ଉଠ । ସୁନାଫୁଲ ଉଠି ବସିଲା । ସେ ସୁନାଫୁଲରୁ ସାତ ଯା ସାତଟି ଲଗାଇଲେ, ସୁନୀଫଲକୁ ଗୋଟିଏ ଦେଲେ, ରହିଲେ । ଦିନକର ସାତ ଯା ଯାକ କହିଲେ ଆଜି ନଈକି ଗାଧୋଇ ଯିବା, ରାତି ଟିକିଏ ଅଛି, ସମସ୍ତେ ଗାଧୋଇବାକୁ ଗଲେ । ସମସ୍ତେ ଗାଧୋଇ ଅଇଲେ, ସାନବୋହୂ, ରାତି ପାହି ଯାଉଚି ବୋଲି ଧଡ଼ପଡ଼ ହୋଇ ଗାଧୋଇ ଚାଲି ଆସିଲା ବେଳକୁ, ତା ମୁଣ୍ଡରୁ ସୁନାଫୁଲଟି ଖସି ପଡ଼ିଲା କେତେବେଳେ, ସେ ଆଉ ଜାଣେ ନାହିଁ । ରଜାଙ୍କ ହାତୀ ପାଣି ପିଇବାକୁ ଆସିଥିଲା ନଈକି, ପାଣି ପିଉ ୨ ସେ ସୁନାଫୁଲଟିକି ଦେଖିଲା, ତାକୁ ନେଇକରି କଳରେ ଯାକିଥାଏ; ଆଉ ଖାଇଲା ନାହିଁ କି ପିଇଲା ନାହିଁ, ସବୁବେଳେ ଝୁରି ହେଉଥାଏ । ଝୁରି ୨ ହାତୀର କଣ୍ଟା ରହିଲା । ଦିନ‌କର ରଜା କହିଲେ ହାତୀଟି କାହିଁକ ଜମା ଖାଉ ନାହିଁ ଝଡ଼ି ଗଲାଣି, ଏହା କହି ତାକୁ ଆଉଁସିଲେ ଆଉଁସୁ ୨ ହାତୀ ରଜାଙ୍କ ହାତରେ ସୁନାଫୁଲଟିକି ପକାଇଦେଲା । ରଜା ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କି କ‌ହିଲେ ମନ୍ତ୍ରି, ଏ ଫୁଲ କୋଉଠୁ ଆସିଲା, ତେମେ ଯେବେ ଏଫୁଲରୁ କାଲିକି ଭାରେ ଦେବ ତ ଦେବ, ନଇଲେ ତମ ବଂଶ ରହିବେ ନାହିଁ । ମନ୍ତ୍ରୀ ବଡ଼ ଭାବନାରେ ପଡ଼ିଲା, କ‌ହିଲା ମୁଁ ଏବେ ସୁନାଫୁଲ ଭାରେ କୋଉଠୁ ଆଣିବି । ବ୍ୟସ୍ତ ହୋଇ ଘରକୁ ଗଲା, ଖାଇଲା ନାହିଁ ପିଇଲା ନାହିଁ, ଗୋଟିଏ ଘରେ ଭାବନାରେ ଶୋଇଲା । ପୁଅମାନେ ବୋହୂମାନେ ଡ଼ାକିବାକୁ ଗଲେ, ଜମା ଶୁଣିଲା ନାହିଁ କି କଥା କ‌ହିଲା ନାହିଁ । ସବା ଶେଷରେ ସୁନାଫୁଲ ଡ଼ାକିଲା । ଏ କ‌ହିଲା ଆଜି ଖାଇଲେ କଣ ହେବ, କାଲିତ ବଂଶ‌ଯାକର ମୁଣ୍ତ କଟା ହେବ । ସୁନାଫୁଲ କ‌ହିଲା ଏମନ୍ତି କଥା କାହିଁକି କ‌ହୁଚ ବାପା ? ମନ୍ତ୍ରୀ କ‌ହିଲା ରଜାତ ଅବୁଝାମଣା, ହୁକୁମ କରିଚନ୍ତି ମୁଁ କାଲିକି ସୁନାଫୁଲ ଭାରେ ଦେବି, ନଇଲେ ସବଂଶରେ ମରିବି ! ସୁନାଫୁଲ କ‌ହିଲା ଏହି ଛାରକଥା ପାଇଁ ଏତେ ଭାବନା ! ଭାରେ କାହିଁକି, ସାତଭାର ନେବେ । ମନ୍ତ୍ରୀ ଶୁଣିଟିକିଏ ଆଶ୍ୱସ୍ତ ହେଲା । ସମସ୍ତେ ଖାଇପିଇ ସାରିଲେ, ସୁନାଫୁଲ କଣକଲା, ଭାଉଜମାନଙ୍କୁ ଡ଼ାକି ନେଇ ଗୋଟିଏ ଘର ଲିପାଇ ଆଣିଲା । ସେହି ଘରେ ତାକୁ ପୋତିଦେଲେ, ହଳଦିପାଣି ଛିଞ୍ଚିଦେଲେ, କ‌ହିଲେ ଫୁଟ ଗୋ ସୁନାଫୁଲ ଫୁଟ । ସେ ଦିନ ବ‌ହୁତ ଫୁଲ ଫୁଟିଲା, ସାତ ଯା ଯାକ ଫୁଲ ତୋଳି ଗଦା କଲେ, ଶେଷକୁ ହଳଦି ପାଣି ମୁଠାଏ ଛିଞ୍ଚିଦେଲେ, କ‌ହିଲେ ଉଟ ଗୋ ସୁନାଫୁଲ ଉଠ; ସୁନାଫୁଲ ଉଠିବସିଲା । ସବୁ ଫୁଲ‌ଯାକ ଭାର ୨ କରି ସଜାଡ଼ି ଦେଲେ, ସାତଭାର ଫୁଲ ହେଲା, ତାକୁନେଇ ମନ୍ତ୍ରୀ ରଜାଙ୍କ ଦୁଆରେ ଥୋଇଦେଲା । ରଜା ଦେଖି ବଡ଼ ଖୁସି ହେଲେ, ବୁଝୁ ୨ ବୁଝିଲେ ଯେ ମନ୍ତ୍ରିଝିଅ ନିଜେ ସୁନାଫୁଲ ଫୁଟେ । ରଜା କ‌ହିଲେ ମନ୍ତ୍ରୀ ଅମେ ତମ ଝିଅକୁ ବିଭା ହେବା । ମନ୍ତ୍ରୀ କ‌ହିଲା ଆପଣଙ୍କୁ ଯେବେ ସୁନ୍ଦର ଦିଶିଲା ତେବେ ବିଭାଘର ହଉ । ରଜା ମନ୍ତ୍ରିଝିଅ ସୁନାଫୁଲକୁ ବିଭା ହେଲେ । ସେ ରଜାଙ୍କର ଆଉ ସାତ ରାଣୀ ଥାନ୍ତି, ମନ୍ତ୍ରିଝିଅକୁ ବିଭା ହେବାରୁ ସେମାନଙ୍କୁ ଆଉ ରଜା ଦେଖି ପାରିଲେ ନାହିଁ ଏଇୟାକୁ ଭଲ ଦେଖି ପାରିଲେ । ଦିନ‌କର ରଜା ପାରିଧିକି ଗଲେ, ମନ୍ତ୍ରିଝିଅକୁ କ‌ହିଗଲେ ତମ ସଉତୁଣୀମାନେ ଯେବେ ଫୁଲ ଫୁଟିବାକୁ ଲଗାଇବେ, ତେବେ କେଭେ ଫୁଟିବ ନାହିଁ, ତମକୁ ବାଦରେ ମାରି ପକାଇବେଟି । ମନ୍ତ୍ରୀ ଝିଅ ନାହିଁ କଲା । ରଜା ଯୋଉଠୁ ଗଲେ ବାହାରି, ଏସାତ ସଉତୁଣୀଯାକ ଆସି ଯା ସଙ୍ଗେ ଲଗାଇଲେ ତେମେ କେମନ୍ତି ସୁନାଫୁଲ ଫୁଟ ଆଜି ଟିକିଏ ଫୁଟିବଟି, ଆମେ ଦେଖିବା, ଏହାକ‌ହି ୟା ସଙ୍ଗେ ଏକ ଯିଦ୍ ଲଗାଇଲେ, ଭାରି ରାଣ ନିୟମ ପକାଇଲେ । ଏ କହିଲା ହଉ ଫୁଟିଚି, ତେମେ ଯେତେଜଣ ସେତିକିଟି ତୋଳିବ ଆଉ କଢ଼ ଛିଣ୍ତାଇବ ନାହିଁ କି ଡାଳ ଭାଙ୍ଗିବ ନାହିଁ । ଏହା କ‌ହିଲା, ଗୋଟିଏ ଘରଟିଏ ଲିପାପୋଛା କରାଇ ସେହିପରି ଫୁଲ ଫୁଟିଲା; ଏ ସବୁ ବାଦରେ ଫୁଲକଢ଼ ଛିଣ୍ତାଇ ପକାଇଲେ, ଜାଳ ସବୁଭାଙ୍ଗିଭୁଙ୍ଗି ନଈକି ପକାଇଦେଲେ । ଏ ଡାଳ ସବୁ ଭାସି ୨ ଯାଇ ସେପାରି ତୁଠରେ ରଜା ଗାଧୋଉଥିଲେ ତାଙ୍କରି ହାତରେ ଲାଗିଲା । ରଜା ତାକୁ ଦେଖି ବଡ଼ ବେସ୍ତ ହେଲେ, କ‌ହିଲେ ମୁଁ ଏତେକରି କହି ଆସିଥିଲି, ଏ ଫୁଟିଲା । ସଉତୁଣୀମାନେ ବାଦରେ ଡ଼ାଳଫଳ ଭାଙ୍ଗି ଫିଙ୍ଗି ଦେଇଚନ୍ତି । ରଜା ସେହିଲାଗେ ବାହାରି ଆସିଲେ ସେଠାରୁ ଘରକୁ । ଘରେ ଆସି ଦେଖନ୍ତି ଯେ ସୁନାଫୁଲ ନାହିଁ । ଆଉ ୨ ଭାରିଯାମାନଙ୍କୁ ପଚାରିବାରେ ସେମାନେ ସମସ୍ତେ କହିଲେ ଆମେ ଦେଖିନାହୁଁ । ରଜା ବଡ଼ ମନ‌ଦୁଃଖରେ ସେ ଡ଼ାଳପତ୍ରଗୁଡ଼ିକ ନେଇ ଗୋଟିଏ ଅରଣ୍ୟରେ ଯାଇ କାନ୍ଦିଲେ । କାନ୍ଦୁଚନ୍ତି ବସ, ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀଉଡ଼ି ଯାଉଥିଲେ; କାନ୍ଦଣା ଶୁଣିଲେ । ପାର୍ବତୀ କ‌ହିଲେ ଆଜି କାହିଁକି ପୃଥିବୀଟା ଭାରି ୨ ଲାଗୁଚି, ଏ ଅରଣ୍ୟରେ କିଏ ଗୋଟିଏ ଶୋକ କଲାପରି ଶୁଭୁଚି, ଚାଲ ଯିବା ଦେଖିବା । ଈଶ୍ୱର କହିଲେ ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ ଆମେ ଆଉ ତେବେ ସୃଷ୍ଟି ଭିଆଇଛୁ କାହିଁକି କିଛିତ ବୁଝିବା ନାହିଁ, ଆଉ ଆମର ସୃଷ୍ଟିରେ ଅଛି କଣ ? ଈଶ୍ୱର କ‌ହିଲେ ହଉତେବେ ଦେଖି ଆସିବା ଚାଲ । ଈଶ୍ୱର ପାର୍ବତୀ ଦିହେଁଯାକ ଗଲେ, ରଜାଙ୍କୁ ପଚାରିଲେ ତୁ କିଏ ଭୂତ କି ପ୍ରେତ, ଏଠି ବସି କାନ୍ଦୁଚୁ କାହିଁକି ? ରଜା କହିଲେ ମୁଁ ଏ ଦେଶର ରଜା; ଏମନ୍ତି ୨ ମୋ ସାନଭାରିଯାକୁ ସଉତୁଣୀମାନେ ମାରି ପକାଇଚନ୍ତି ମୁଁ ତାକୁ ନେଇ ଏଠାରେ କାନ୍ଦୁଚି। ଈଶ୍ୱର ପାର୍ବତୀଙ୍କର ଦୟା ହେଲା, କହିଲେ ତେଣିକି ମୁହଁବୁଲା । ରଜା ତେଣିକି ମୁହଁ ଫେରା‌ଇଲେ, ଈଶ୍ବର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ସୁନାଫୁଲ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ରଜା ସୁନାଫୁଲକୁ ଘିନି ଘରକୁ ଆସିଲେ, ବଡ଼ ସାତରାଣୀଙ୍କି ଖଣି ଖୋଳାଇ ତ‌ହିଁରେ ପକାଇଦେଲେ,ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ସୁନାଫୁଲକୁ ନେଇ ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାକୁ କଥା ନ କ‌ହିଲେ । ମୋ କଥାଟି ସରିଲା ଇତ୍ୟାଦି ।