କଥାଲହରୀ/ଚମାରୁଣି ଝିଅ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଚମାରୁଣି ଝିଅ କଥା

ଗୋଟିଏ ଦେଣରେ ରଜାଝିଅ, ମନ୍ତ୍ରୀଝିଅ, ସାଧବଝିଅ, କଟୁଆଳଝିଅ ଚାରି ସଂଗାତ । ଚାରିହେଁ ଏକାଠି ବନସ୍ତରେ ଯାଇ ଖେଳନ୍ତି । ଦିନକର ମଣ୍ଡାପିଠା ହୋଇଥିଲା, ଚାରି ସଂଗାତ ବନସ୍ତ ଭିତରେ ଖାଇବାକୁ ପିଠା ନେଇକରି ଗଲେ । ଖାଉଚନ୍ତି ମନ୍ତ୍ରିଝିଅ କହିଲା ହେ ମଣ୍ଡାଗଛ ଲଗାନ୍ତେଇଁ, ଆଉ ସମସ୍ତେ କହିଲେ ହଉ । ଗୋଟିଏ ମଣ୍ଡାପିଠାଟିଏ ପୋତିଦେଲେ, କହିଲେ କାଲିକି ଯେବେ ଗଜା ହୋଇଥିବୁ ୨, ନ ହେଲେ ମାମୁଁଘର କଟୁରୀରେ ହାଣିବୁ । ଏହିପରି କହି କହି ପିଠାଟି ଗଜା ହେଲା, ଗଛ ହେଲା, ଗଛଟି ବଢିଲା, ଫୁଲ ଧରିଲା, କଷି ଧରିଲା । ମଣ୍ଡାପିଠା ଫଳିଲା । ଗଛଟି ମଣ୍ଡାପିଠାରେ ଲଦି ହୋଇଗଲା, କି ସୁନ୍ଦର ଛେନା, ସାକର, କର୍ପୁର ପୁରିଆ ପିଠାଟିମାନ । ଗୋଟିଏ ଖାଇଲେ 

ମନରୁ ଛାଡିବ ନାହିଁ । ଚାରି ସଙ୍ଗାତ ପ୍ରତିଦିନ ସେ ବନସ୍ତକୁ ଯାନ୍ତି, ମଣ୍ଡାଗଛରେ ଚଢି ପିଠା ଖାନ୍ତି । ଦିନେ ଗଛରେ ଚଢ଼ି ପିଠା ଖାଉଚନ୍ତି, ଏହି ସମୟରେ ବୁଢୀ ଅସୁରୁଣୀ ସେ ବାଟରେ ଯାଉଥିଲା, ମଣ୍ଡାଗଛ ମୂଳରେ ପହଞ୍ଚି କହିଲା, ହଇଲୋ ଝିଅ କଣ ଖାଉଚ,ମତେ ଗୋଟିଏ ଦିଅନ୍ତ । ମନ୍ତ୍ରୀଝିଅ ଗଛ ଅଗରେ ଥିଲା, ତା ତଳକୁ କଟୁଆଳ ଝିଅ, ତା ତଳକୁ ସାଧବଝିଅ, ମୂଳ ପାଖକୁ ରଜାଝିଅ ବସିଥିଲା,ମନ୍ତ୍ରୀଝିଅ ପିଠାଟିଏ ତୋଳି କଟୁଆଳଝିଅ ହାତକୁ, କଟୁଆଳଝିଅ ସାଧବଝିଅ ହାତକୁ, ସାଧବଝିଅ ରଜାଝିଅ ହାତକୁ ବଢାଇଦେଲା । ରଜାଝିଅ ବୁଢୀ ଅସୁରୁଣୀ ହାତକୁ ଦଉଚି, ଅସୁରୁଣୀ ତାକୁ ଧରିନେଇ କାନ୍ଧରେ ବସାଇ ଚାଲିଲା । ତିନି ସଙ୍ଗାତଯାକ କାନ୍ଦି ବୋବେଇ ଘରକୁ ଗଲେ, ସବୁକଥା ରଜା ଆଗରେ କହିଲେ । ରଜାଙ୍କର ବହୁତ ଖୋଜା ଅଲାଗିଲା, ଝିଅକୁ କୋଉଠି ପାଇଲେ ନାହିଁ । ଏଣେ ଅସୁରୁଣି ତାକୁ ନେଇ ନିଜ ଘରେ ପହଞ୍ଚିଲା । ଅଗନାଗନି ବନସ୍ତ ଭିତରେ ମେଘନାଦ ପାଚେରୀ ବୁଲିଚି, ତାହା ଭିତରେ ଅସୁରୁଣୀର ଘର । ଅସୁର ଅସୁରୁଣୀ ମଣିଷ ଖାନ୍ତି । ଏ ବୁଢୀ ଅସୁରୁଣୀ ରଜାଝିଅକୁ ଖାଇଲା ନାହିଁ, ଘରେ ରଖି ଆପଣାର ଝିଅପରି କରିଥାଏ, ତାକୁ ସବୁ ଭଲ ୨ ଜିନିସ ଆଣି ଖାଇବାକୁ ଦିଏ । ରଜାଝିଅ ମନ ସେଥିରେ ନ ଥାଏ, ସବୁବେଳେ ଖାଲି କାନ୍ଦୁଥାଏ । କିଛିଦିନ ଗଲା, ବୁଢୀ ଅସୁରୁଣୀ ରଜାଝିଅକୁ ସବୁ ଘର ଦେଖାଇଲା, ଆଉ ଯେଉଁ ଘରେ ମଣିଷ ଖାଇ ହାଡ ପକାଇଥାଏ,ସେ ଘର ଦେଖାଇଲା ନାହଁ । ପ୍ରତିଦିନ ଅସୁରୁଣୀ ଚରିବାକୁ ଯାଏ, ସେ ନ ଥିଲା ସମୟରେ ରଜାଝିଅ ସେ ସବୁ ଘର ଦେଖେ, ଭୟରେ କାନ୍ଦେ । ରଜାଝିଅ ଦିନେ ଅସୁରୁଣୀଘରୁ ଖଣ୍ଡିଏ ପୋଥି ପାଇଲା, ତହିଁରେ ରୂପ ପରିବର୍ତ୍ତନ ବିଦ୍ୟା ଥିଲା । ରଜାଝିଅ ତାକୁ ସବୁ ଶିଖିଲା । ଏହିପରିକେତେଦିନ ଅସୁରୁଣୀ ଘରେ ରହିଲା, ବେଶ୍ ବଡଟିଏ ହେଲା । କିନ୍ତୁ ମନ କାହିଁରେ ଲାଗୁ ନ ଥାଏ, ଅସୁରୁଣୀ ବାହାରକୁ ଗଲା । କିନ୍ତୁ ମନ କାହିଁରେ ଲାଗୁ ନ ଥାଏ, ପାଚେରୀ କଣାରେ ବାହାରକୁ ଅନାଉଥାଏ ! ଦିନେ ସେ ବନସ୍ତକୁ ଆରଦେଶର ରଜାପୁଅ ପାରିଧିକୁ ଆସିଥିଲେ । ବନସ୍ତେ ଭିତରେ ଦିବ୍ୟ ସୁନ୍ଦର ଘର ଟିଏ ଦେଖି ତା ଭିତରକୁ ଗଲା, ଦେଖୁଲା ରଜାଝିଅ ବସି କାନ୍ଦୁଚି । ରଜାଝିଅ ୟାକୁ ଦେଖି କହିଲା ତେମେ କିଏ ? ଏଠାକୁ କାହିଁକି ଆସିଲ ? ଏ ଅସୁରୁଣୀଘର, ଅସୁରୁଣୀ ଆସି ତମକୁ ଦେଖିଲେ ଏହିକ୍ଷଣି ଖାଇଯିବ, ତେମେ ପଳାଅ । ରଜାପୁଅ ରଜାଝିଅର ପରିଚୟ ପଚାରିଲା, ସେ ଅଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା ! ରଜାପୁଅ କହିଲା ମୁଁ ତମକୁ ଏଠାରୁ ଉଦ୍ଧାର କରିନେବି, ତେମେ ଆଜି ବୁଢୀ ଅସୁରୁଣୀ ଆସିଲାରୁ ତାକୁ ପଚାରିବ, ତା ଅଜୀବନ କୋଉଠି ଅଛି । ଏହପରି କଥାବର୍ତ୍ତା ହେଉଚନ୍ତି ବୁଢୀଅସୁରୁଣି ଆସିଲା । ରଜାପୁଅକୁ ଆଉ ବୁଦ୍ଧି ଦିଶିଲା ନାହିଁ, ରଜାଝିଅ ଅସୁର ବିଦ୍ୟା ବଳରେ ରଜାପୁଅକୁ ମାଛି ଆଉ ଘୋଡ଼ାକୁ ଭଅଁର କରିଦେଲା, ସେମାନେ ଓରା ଉପରେ ବସି ରହିଲେ, ଅସୁରୁଣୀ ଆସି କହିଲା କେଉଁଠି ନରଦେହ ବାସୁଚି, ଘରର ଏକଣ ସେକଣ ସୁଙ୍ଘିଲା । ରଜାଝିଅ କହିଲା, ଏଠାକୁ ଅଉ ମଣିଷ କୋଉଠୁ ଆସିବ ? ମତେ ୟଦି ଇଚ୍ଛା ହେଉଚି ଖାଅ । ଅସୁରୁଣୀ ଏଥିରେ ଭୁଲିଗଲା, ଖାଇଲା ପିଇଲା ବସିଲା, ରଜାଝିଅକୁ କହିଲା ଝିଅଲୋ, ମୁଣ୍ଡରୁ ଗୋଟାଏ ଉକୁଣି ଦେଖନ୍ତୁ । ରଜାଝିଅ ମୁଣ୍ଦ ଦେଖିଲା, ଗୋଡରୁ କଣ୍ଟା କାଢ଼ି ଦେଲା, ୟା ସବୁ କରୁଚି। ବୁଢୀକୁ ପଚାରିଲା ହଇଲୋ ମା, ତୁ ମରିଗଲେ ମୁଁ କେଉଁଠି ରହବି ? ବୁଢୀ କହିଲା ଅସୁରୁଣି କେବେ ସହଜରେ ମରନ୍ତି, ମତେ ଫେର୍ କିଏ ମାରିବ ? ଆରଦେଶ ରଜାର ବେଣ୍ତ ପୋଖରୀ ଅଛି, ର୍ତହିଁରେ ସାତତାଳ ପାଣି, ସାତତାଳ ପଙ୍କ, ତା ଭିତରେ ଗୋଟିଏ ଫଡୁଆ ଅଛି, ଫଡୁଆ ଭିତରେ ଗୋଟିଏ ଭଅଁର। ସେ ଭଅଁରର ବେକ ଯଦି କେହି ମୋଡିଦେବ, ତେବେ ମୁଁ ମରିବି । ଏହା କିଏ ଜାଣେ ଯେ କିଏ କରିବ । ରଜାପୁଅ ମାଛି ହୋଇ ଓରା ଉପରେ ଏସବୁ ଶୁଣୁଥାଏ, ଅସୁରୁଣୀ ଫେର୍ରୁ ଚରିବାକୁ ଗଲା, ରଜାପୁଅ ନିଜରୂପ ହୋଇ ଆପଣା ଦେଶକୁ ଗଲା । ମୁଲିଆ ଡକାଇ ବେଣ୍ଟପୋଖରୀର ପାଣି ଦୁହାଇଲା, ପଙ୍କ କଢ଼ାଇଲା, ଫଡୁଆଟିକି ବାହାର କରି ତହିଁ ଭିତରୁ ଭାଁରଟିକି କାଢି ବେକ ମୋଡି ଦେଲା । ଏଣେ ଅସୁରୁଣୀ ଘୋର ଗର୍ଜ୍ଜନ କରି ମରିଗଲା । ରଜାପୁଅ ବନସ୍ତକୁ ଯାଇ ରଜାଝିଅକୁ ଘୋଡାରେ ବସାଇ ଆପଣା ଦେଶକୁ ଘେନି ଆସିଲାଲ । ଗାଁ ଖଣ୍ଡଦୂର ଅଛି ରଜାଝିଅକୁ ଗୋଟିଏ ତରାଟ ଗଛମୂଳେ ବସାଇ କହିଲା ତମେ ଏଇଠି ବସିଥାଅ, ମୁଁ ଗାଁଠାରୁ ସଇନ ସାମନ୍ତ ପାଲିଙ୍କି ସୁଆରି ପଲଟଣ ଆଣି ତମକୁ ଏଇଠୁ ବିଭାହୋଇ ଘରକୁ ନେଇଯିବି । ଏହାକହି ରଜାପୁଅ ଘରକୁ ଗଲା । । ରଜାଝିଅ ଯେଉଁ ତରାଟ ଗଛମୂଳେ ବସିଥିଲା,ତାହା ଆଗରେ ଗୋଟିଏ କୁଅ; ସେ ନିକଟରେ ଗୋଟିଏ ଚମାର ଘର । ଚ୍ଚମାର ଝିଅକୁ ମା କୁଅରୁ ପାଣି ଆଣିବାକୁ ପଠାଇଲା । ସେ କୂଅରେ ମାଠିଆ ପକାଇ ଭାଙ୍ଗିଦିଏ ଘରକୁ ଫେରିଯାଏ, ଏହିପରି ଶଏ ଇ ଦୁଇଶ ମାଠିଆ ଭାଙ୍ଗିଲା । ଶେଷରେ ମା ଖପା ହୋଇ ଗୋଟିଏ ଚମର ମାଠିଆ ଦେଲା । ଚମାରଝିଅ ଚମ ମାଠିଆ କୁଅ ସେଇଠି ବସି କାନ୍ଦିଲା । ଏହାଦେଖି ରଜାଝିଅକୁ ହସ ମାଡିଲା । ଚମାରଝିଅକୁ କହିଲା ମାଟିର ମାଠିଆ ଭଙ୍ଗୁ ବୋଲି କି ଚମର ମାଠିଆ ଭାଙ୍ଗିବୁ ? ଚମାରଝିଅ ରଜାଝିଅ ପାଖକୁ ଆସି ତାକୁ ତାହାର ପରିଚୟ ପଚାରିଲ । ରଜାଝିଅ ସବୁକଥା କହିଗଲା । ଏହିପରି କଥାବର୍ତ୍ତା ହେଇ ହେଉ ଚମାରଝିଅ ରଜାଝିଅକୁ କହିଲା, ମତେ ଟିକିଏ ତମ ଝୁଣ୍ଟିଆ ଦିଅନ୍ତ, ଲଗାନ୍ତି କେମନ୍ତି ଦୁଶନ୍ତି । ଝୁଣ୍ଟିଆ ନେଇ ଲଗାଉ ଲଗାଉ ରଜାଝିଅଠାରୁ ସବୁ ଅଳଙ୍କାର ନେଇ ଲଗାଇଲା ।ରଜlଝିଅ ଓଲୁ, କିଛି ବୁଝିପାରିଲା ନହିଁ, ଶେଷରେ ରଜାଝିଅକୁ କହିଲା ତେମେ ମୋର ପିତ୍ତଳଖଡୁ, କଂସାମୁଦି ପିନ୍ଧନ୍ତ କିପରି ଦୁଶନ୍ତ ଦେଖନ୍ତି । ରଜାଝିଅ ସେହିପରି କଲା, ଚମାରଝିଅର ଲୁଗା ପିନ୍ଧିଲା । ଏହିପରି ବେଶ ବଦଳ ହେଲାରୁ ଚମାରଝିଅ ରଜାଝିଅକୁ କୁଅପାଖକୁ ଡାକିବେଇ ତାକୁ କୁଅକୁ ଠେଲିଦେଲା । ରଜାଝିଅ କୂଅରେ ପଡି ଗୋଟିଏ ପଦ୍ମଫୁଲ ରୁପରେ ରହିଲା । କମାରଝିଅ ରଜାଝିଅର ବେଶ ପିନ୍ଧି ତରାଟ ଗଛମୂଳେ ବସି ରହିଲା । ଏଣେ ରଜାପୁଅ ସାଇନସାମନ୍ତ ଅଣି ଦେଖେ ସେ ରଜାଝିଅର ରୂପ କିପରି ଅସୁନ୍ଦର ହୋଇଯାଇଚି, କେତେ ଭାବିହେଲା କିଛି ବୁଝିପାରିଲା ନାହିଁ; କାହାକୁ କିଛି ନ କହି ବିଭା ହେଲା । ଚମାରଝିଅ ସେ ଦେଶର ରାଣୀ ହେଲା । ଏହିପରି କେତେଦିନ ଗଲା, ଏଥିମଧ୍ୟରେ ବୁଢାରଜା ମରିଗଲେ । ସେ ରଜାପୁଅ ରଜା ହେଲା । ଦିନେ ରଜା ବୁଲିବାକୁ ଯାଉଚନ୍ତି, ସେହି କୂଅ ପାଖରେ ପହଞ୍ଚିଲେ ଆଛା ସୁନ୍ଦର ପଦ୍ନଫୁଲଟିଏ ଦେଖି, ତୋଳି ନେଇ ରାଣୀଙ୍କି ଦେଲେ । ରାଣୀ ବୁଝିଲେ ସେ ଯେଉଁ କୁଅରେ ରଜାଝିଅକୁ ପକାଇଦେଇଥିଲେ, ସେହି କୂଅରେ ଏହି ପଦ୍ମଫୁଲ ଫୁଟିଥିଲା । ରଜାଝିଅ ଏ ପଦ୍ମଫୁଲ ହେଇ ଫୁଟିଚି ଏହା ଜାଣିପାରି ସେ ଫୁଲଟି ଟିକି ଟିକି କରି ଛିଣ୍ଡାଇ, ନଳାମୁହଁକୁ ପକାଇଦେଲେ । କିଛିଦିନ ପରେ ରଜାଝିଅ ନଳାମୁହଁରେ ଲାଉ ଗଛଟିଏ ହୋଇ ଉଠିଲା । ବହୁତ ନାଡିଲା, ଫଳ ଯେ ଫଳିଲା ଅଗୋଚର [୧] ରଜା ଦିନେ ଗୋଟିଏ ଲାଉ ତୂଉଣ କରିବାକୁ କହିଲେ । ରାଣୀ ଲାଉ ତୂଉଣ ବସାଇଚନ୍ତି, ଲାଉ ଘଡ଼ ଘଡ ବାହାନାରେ ଶବ୍ଦକଲା, ଘଡଘଡ ଲାଉ, ଚମାରୁଣୀ ହାତରେ କି ରଜାପୁଅ ଖାଉ । ଏହିପରି ତିନି ଚାରିଥର ହେଲା । ଚମାରଝିଅ ଶାଶୁକୁ ଡାକି କହିଲା,ଦେଖ ଲାଉ କଣ କହୁଚି । 'ଘଡଘଡ ଲାଉ, ରଜାପୁଅ ମୁଣ୍ଡ ନୂଆରାଣୀ ଖାଉ । ଶାଶୁ ଏହା ଶୁଣି ଲାଉକୁ ବାରିଆଡେ ଫୋପାଡି ଦେବାକୁ କହିଲେ, ରାଣୀ ଫୋପାଡିଦେଇ ନିଶ୍ଚିନ୍ତ ହେଲେ । ରଜାପୁଅ ଖାଇଲାବେଳେ ଲାଉ ମାଗିବାରୁ ରାଣୀମା କହିଲେ, ଲାଉ ଏପରି ଅମଙ୍ଗଳ କଥା କହିବାରୁ ଫୋପାଡିଦେଲୁ । ଏହିପରି କେତେଦିନ ଗଲା, ସେ ଗଛର ଲାଉ ଆଉ କେହି ଖାଆନ୍ତିନାହଁ । ଦିନେ ରଜା ବାରିଆଡେ ବୁଲୁ ୨ ଦେଖୁଲେ ଯେ, ଗୋଟିଏ ଉତ୍ତମ ସୁନ୍ଦର ଟଭାଗଛ ହେଇଚି, ତହିଁରେ ଗୋଟିଏ ଟଭାଫଳ ପାଚିଚି । ରଜାଙ୍କର ଟଭାଟି ଖାଇବାକୁ ଲୋଭ ହେଲା, ତୋଳି ଆଣି ଘରେ ଥୋଇଦେଇ ଗାଧୋଇ ଆସିଲେ । ଖାଇବା ସମୟରେ ଛୁରୀ ଲଗାଇ ଟଭାଟି ୟେପରି କାଟିଦେଇଚନ୍ତି, ସେହିପରି ଟଭା ଭିତରୁ ରଜାଝିଅ ବାହାରିପଡ଼ିଲା !! ରଜା ଆଚମ୍ପିତ ହୋଇଗଲେ, ପଚାରିଲେ ତେମେ କିଏ ? ରଜାଝିଅ ଆପଣାର ପରିଚୟ ଦେଲା ଆଉ ଚମାରଝିଅ ଯାହା ୨ କରିଥିଲା ସବୁ କହିଲା । ରଜାଝିଅକୁ ଗୋଟିଏ ଘରେ ଲୁଚାଇକରି ରଖି ରଜା ରାଣୀମାଙ୍କ ପାଖକୁ ଯାଇ କହିଲେ, ବୋଉ ! ଆଜି ଗୋଟିଏ ଲାଉ‌ରୁ ତୂଉଣ କର । ନୂଆରାଣୀ ଏଥିପାଇଁ ମଙ୍ଗୁ ନ ଥାଏ, ରଜା ଏକଜିଦ୍ କରିବାରୁ ତୁଉଣ ରାନ୍ଧିବାକୁ ଗଲା । ରଜା ରାଣୀମାଙ୍କ ସହିତରେ ସେଠାରେ ବସିରହିଲେ, ଲାଉ କଣ କହିବ ଶୁଣିବାକୁ । ଲାଉ ଘଡ଼ ୨ ହୋଇଆସିଲା,ଆଗପରି ଶବ୍ଦ କଲା, ଘଡ୨ ଲାଉ, ଚମାରୁଣୀ ହାତେ କି ରଜାପୁଅ ଖାଉ, ରାଣୀ ଭୟରେ ଥରୁଥାଏ ରଜା କିଛି ନ କହି ଚାଲିଗଲେ, ଦାଣ୍ଡଦୁଆରେ ଗୋଟାଏ ଟୋପର ଖୋଳାଇ, ରାଣୀଙ୍କି ଡକାଇଲେ, ତହିଁରେ ଧାନ କେତେସମାଇବ ଅନ୍ଦାଜ କରିବାକୁ । ରାଣୀ ବଡ଼ ମନ କଷ୍ଟରେ ଟୋପର ପାଖକୁ ଗଲେ, ପହଞ୍ଚିଲା କ୍ଷଣି ରଜା ଭିତରକୁ ଠେଲି ଦେଲେ, କହିଲେ ‘ଯା ଚମ ମାଠିଆରେ ପାଣି କାଢୁଥା’ ! ତଳକଣ୍ଟା ଉପରକଣ୍ଟା ଛାଟିଦେଲେ ମାଟି ଚଢ଼ାଇଦେଲେ ସେ ରଜାଝିଅକୁ ବିଭା ହୋଇ ସୁଖରେ ଘର ଦୁଆର କଲେ, ମୁଁ ଗଲାରୁ କଥା ନ କହିଲେ, ମୋ କଥାଟି ସରିଲା ଇତ୍ୟାଦି ।

  1. ଅସଂଖ୍ୟ