Jump to content

କଥାଲହରୀ/ସାଧବ‌ବୋହୂ ଲୀଳାବତୀର କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ସାଧବ‌ବୋହୂ ଲୀଳାବତୀର କଥା
ସାଧବବୋହୁ ଲୀଳାବତୀର କଥା ।

ଗୋଟିଏ ସାଧବଟିଏ, ତାହାର ସାତପୁଅ, ସାତବୋହୁ, ସବା ସନ ବୋହୁଟିର ନାମ ଲୀଳାବତୀ । ଦିନକର ଗୋଟିଏ ଯୋଗୀ ଭିକ ମାରି ଆସିଥିଲା, ତାର କମନ୍ତି ଲୀଳାବତୀ ଉପରେ ନଜର ପଡିଲା । ସେ ସାଧବଦୁଆରେ ଭିକପାଇଁ ଡାକୁଥାଏ, ଯେ ଯେତେ ଭିକ ଯାଚିଲେ କାହାରି ହାତରୁ ନେଲା ନାହିଁ; କହିଲା ଯଦି ତମ ଘରର ସାନ ବୋହୁ ଭିକ ଦବ ତ ନେବି, ନଇଲେ ବେକରେ ଛୁରମାରି ମରିବି । ଭିକାରୀକୁ ଫେରାଇ ଦେବାର ନୁହେଁ, ସମସ୍ତେ କହିଲେ ସାନବୋହୁ ଖିଡିକି ବାଟରେ ହାତ ଗଳାଇ ଭିକ ଦେଉ । ଏ ଯୋରୀ ପଦ ମନ୍ତ୍ର ଜାଣେ, ଭିକ ନେଲା ବେଳେ ଲୀଳାବତୀକି କଣ ପଦ କରିଦେଲା ଯେ, ଲୀଳାବତୀ ଯୋଗୀ ସାଙ୍ଗରେ କୁକୁର ହୋଇ ଗୋଡାଇଲା । ଘରେ ପହଞ୍ଚି ଯୋଗୀ ଲୀଳାବତୀକୁ ମଣିଷ କରି ତାକୁ ଘରେ ରଖିଲା, ଏଣେ ଲୀଳାବତୀର ବର ଆଉ ଦେଢଶୁରମାନେ ତାକୁ ଫେରାଇ ଆଣିବାକୁ କେତେ ଉପାୟ କଲେ । ପହିଲେ ବଡ଼ଦେଢ଼ଶୁର ଯୋଗୀ ପାଖକୁ ଗଲା । ଯୋଗୀ ପଦୁଆ ବୋଲି ଯୋଗୀ ଘରକୁ ଗଲା ନାହିଁ, ସେ ଗାଁରେ ଗୋଟେ ମାଲୁଣି ଘରେ ରହିଲା । ସେ ଗାଁରେ ଯେତେ ଲୋକ, ସମସ୍ତଙ୍କୁ ଯୋଗୀ ମନ୍ତ୍ର ଜୋରରେ କାହାକୁ ପଶୁ, କାହାକୁ ପକ୍ଷୀ କରିନେଇଥାଏ, ଖାଲି ସେ ମାଲୁଣିକି ଲୀଳାବତୀପାଇଁ ଫୁଲ ଗୁନ୍ଥି ଦେବ ବୋଲି ରଖିଥାଏ । ସାଧବ ପୁଅ ମାଲୁଣୀଘରେ ଅଛି, ଯୋଗୀ ଫୁଲ ନେବାକୁ ଆସିଲା, ମନ୍ତ୍ର ବଳରେ ଜାଣିଲା ଯେ ସାଧବପୁଅ ସେଠିକି ଆସିଚି । ତାକୁ ମାଲୁଣିଘରୁ ବାହାର କରିନେଇ ଦାଣ୍ଡରେ ଗୋଟାଏ ନଡିଆଗଛ କରିଦେଲା, ତା ଘୋଡାରୁ ତାଳଗଛ କରିଦେଲା । ଏହିପରି ଆଉ ଛ ଭାଇଯାକ ଲୀଳାବତୀକି ଆଣିବାକୁ ଗଲେ, ସମସ୍ତ ସେଇଅଡ଼େ ନଡ଼ିଆଗଛ ହୋଇ ରହିଲେ । ଅଉ କିଏ ଅଛି ଯେ କିଏ ଯିବ, ସମସ୍ତେ ତୁନିତାନି ହୋଇ ରହିଲେ । ବଡ ଭାଇ ଭାରିଜାର ଗର୍ଭ ହୋଇଥାଏ, ତାର ଗୋଟିଏ ପୁଅ ହେଲା । ପୁଅଟିକୁ ଚାରି ଛ ବର୍ଷ ହେଲାରୁ ତାକୁ ଅବଧାନ ପାଖରେ ପାଠ ପଢ଼ାଇଲେ । ପୁଅର ନା ଦେଇଥାନ୍ତି ବିଣିକେସନ । ବିସିକେସନ ଚାହାଳୀରେ ପଢୁଚି, ଦିନେ ତାହାର ଖଡୀ ଗଡିଗଲା । ସେ ମାଗିବାରୁ, ଅଉ ପିଲାମାନେ ତାକୁ କହିଲେ, “ଅଣବାବୁଆରେ ପଣ ଯାଉଚି ନା ଖଡୀ ଗଡିଗଲା ଦେ ବୋଲୁଚି’ । ବିଶିକେଶନ ତାର ବାପ କିଏ ଜାଣେନା, କି ଅନ୍ୟ ପିଲାମାନେ କେହି ଜାଣନ୍ତି ନାହିଁ । ଏଇଥି ଲାଗି ପିଲାମାନେ ତାକୁ ଏପରି କହିଲେ । ବିଶିକେସନ ସେଦିନ ଚାହାଳିରୁ ଆସି ବିଲେଇ ଗୁହ ଶଣ ମୁଷା ମାଟି କଣ ଏପରି ଗୋଟାଏ ଘରେ ଶୋଇଲା । କେତେଠାଇଁ କେତେ ଖୋଜିଲେ, କୋଉଠି ତାକୁ ପାଇଲେ ନାହଁ ! ତାର ମା କାନ୍ଦୁଣୀ ସାନ୍ଦୁଣି ହୋଇ ତାକୁ ଖୋଜୁଥାଏ, ବିଲେଇ ବୋଇଲା ମ୍ୟାଉଁ ଦୁଧଭାତକରି ଗୁଣ୍ଡିଏ ଖାଉଁ ପୁଅକୁ ଦେଖାଇ ଦେଉଁ ।' ବିଲେଇକୁ ଦୁଧ ଭାତ ଖାଇବାକୁ ଦେଲେ, ବିଲେଇ ଖାଇସାରି ଯୋଉଘରେ ବିଶିକେସନ ଶୋଇଥିଲା, ସେ ଘର କବାଟରେ ଲାଙ୍ଗୁଡ ମାରିଦେଲା ଯେ କବାଟ ଫିଟିଗଲା । ମା ବିଶିକେସନର ମୁଣ୍ଡ ଉପରେ ବସିଲା, ଖୁଡୀମାନେ ଗୋଡ଼ତଳେ ବସିଲେ, ପଚାରିଲେ କାହିଁକି ରୁଷିଚୁ କହ, ହଜିଥିଲେ ଖୋଜିଦେବୁ, ଭାଙ୍ଗିଥିଲେ ଗଢ଼ି ଦେବୁ, କାହିଁକି ରୁଷିଚୁ କହ । ପୁଅ କହିଲା, ମୋ ବାପ ଦାଦିମାନେ କାହାନ୍ତି କହ । ମା କହିଲା ତୁ ସେଥିରୁ କି ପାଇବୁ ? ବାପ ଦାଦି ତ ସାନ ଖୁଡୀକୁ ଆଣବାକୁ ଗଲେ, ସେଇଆଡେ ରହିଲେ । ପୁଣି ପୁଅ ଯିଦି କରିବାରୁ ମା ଯୋଗୀର କଥାଯାକ ତାକୁ କହିଲା । ସବୁ କଥା ଶୁଣି ପୁଅ କହିଲା, ମୁଁ ଯିବି, ବାପ ହେରିକାକୁ ମୁକ୍ତ କରି ଆଣିବି । ସମସ୍ତେ ମନା କରୁଥାନ୍ତି, ସେ ଏକା ଯିଦିକରି ବାହାରିଲା । ଘୋଡ଼ାଶାଳକୁ ଯାଇ ଦେଖୁଲା ଯେ, ଗୋଟିଏ ମଢ଼ିଅ ଘୋଡ଼ାଟିଏ ହସୁଚି, ତାକୁ ଅଣିଲା, ଛାଟ ଆଣିଲା, ମା' ଖୁଡୀ ସମସ୍ତଙ୍କୁ ଦଣ୍ଡବତ କରି ଯୋଗାଁଗାଁକୁ ଗଲା, ସେ ମାଲୁଣୀଘରେ ପହଞ୍ଚିଲା । ମାଲୁଣୀ ୟାକୁ ସେଠାରେ ରହିବାକୁ ମନା କରୁଥାଏ; ଏ କହିଲା କୁ ମୋ ଘୋଡ଼ାକୁ ନେଇ ଆଉ କୋଉଠି ବାନ୍ଧି ଆ, ମୁଁ ଢେ। ଘରେ ମାଇପି ବେଶ ହୋଇ ରହୁଚି । ଯୋଗୀ ଯଦି ପଚାରିବ କହିବୁ ଏ ମୋ ଝିଆରୀ, ମୁଁ ତ ବୁଢୀ ହେଲିଣି, ଯଦି ମରିଯିବି ନୁଆ ସାନ୍ତାଣିଙ୍କ ପାଇଁ ଫୁଲ କିଏ ଗୁନ୍ଥିବ ? ଏଯୋଗୁଁ ୟାକୁ ଆଣି ରଖିଚି । ବିସିକେସନ ଗୁରାଏ କଳା ବୋଳି ହେଲା, ଖଡୁ ଶାଢୀ ପିନ୍ଧି ଗୋଟିଏ ସ୍ତିରୀରୂପ ଧରିଲା, ତା ଘରେ ରହିଲା । ଯୋଗୀ ଆସିଲା, ମାଲୁଣୀଠାରୁ ଫୁଲ ନେଇଗଲା, ବିଶିକେସନକୁ ମାଲୁଣୀର ଝିଆରୀ ବୋଲି ବୁଝିଲା । ଏହିପରି ଥାଏ, ଦିନେ ବିସିକେସନ ମାଲୁଣୀକୁ କହିଲା, ମାଉସି ! ମୁଁ ଖଣ୍ଡିଏ ଫୁଲ ଗୁନ୍ଥନ୍ତି ? ମାଲୁଣୀ କହିଲା ନାହିଁରେ ପୁଅ ଅସୁନ୍ଦର ହେଲେ ଯୋଗୀ ଆଉ ମତେ ରଖିବ ନାହିଁ । ଏ କହିଲା ସୁନ୍ଦର ହେଲେ ନେଇଯିବୁ, ଅସୁନ୍ଦର ହେଲେ ଫୋପାଡି ଦେଇଯିବୁ । ବିସିକେସନ ଯୋଉ ଫୁଲ ଖଣ୍ଡି ଗୁନ୍ଥିଲା ସେ ବଡ଼ ସୁନ୍ଦର ଦେଲା, ମାଲୁଣୀ ତାକୁନେଇ ଲୀଳାବତୀକୁ ଦେଲା । ବିସିକେସନ ସେ ଫୁଲମାଳରେ ଖଣ୍ଡିଏ କେଢକୀପାଖୁଡାରେ ଭାଷା ଲେଖି ଗୁଛି ଥାଏ । ଲୀଳାବତୀ ଦେଖୁ ଦେଖୁ ସେ ଭାଷାଖଣ୍ଡିକ ଖସି ପଡିଲା, ପଢ଼ି ଦେଖେ ଯେ, ତାର ପୁତୁରା ବିସିକେସନ ତାକୁ ନେବାକୁ ଆସିଚି । ଯୋଗୀର ଜୀବନ କୋଉଠି ଅଛି କଥାରେ ତାକୁ ପଚରି କହିବାକୁ ଲେଖିଚି । ମନକଥା ମନରେ ଥାଏ, ଦିନେ ଲୀଳାବତୀ ଯୋଗୀ ସଙ୍ଗେ କଥାବାର୍ତ୍ତା କରୁ ପଚାରିଲା ହେ ହେ । ତମେ ଯଦି ମରିଯିବ, ମତେ କିଏ ପୋଷିବ ? ତେମେ ସିନା ମୋତେ ଅନାସ୍ତ କରି ଯିବ । ଯୋଗୀ କହିଲା ମୁଁ କଣ ସହଜରେ ମରିବି ? ଦରିଆ ଭିତରେ ସାତତାଲ ପାଣି,ସାତତାଲ ପଙ୍କ, ପଙ୍କ ଭିତରେ ଗୋଟିଏ ଫଡୁଆ; ତା ଭିତରେ ଗୋଟିଏ ସାନ ଫଡୁଆ, ତା ଭିତରେ ବଗଟି ଅଛି, ତାକୁ ଯଦି କିଏ ଆଣି ବେକ ମୋଡି ଦେବ ତେବେ ମୋ ପ୍ରାଣ ଯିବ । ଦରିଆ ଭିତରକୁ ଫେର୍ କିଏ ଯିବ ? ମାଛ, ମଗର, କୁମ୍ଭୀର, ଖାଇଯିବେ । ଯଦି କିଏ ଏ ଗାଁପାଖ ଠାକୁରାଣିଙ୍କ ଅନୁସରଣ କରି ତାଙ୍କ ହାତରେ ଯେ ବାରହାତଖଣ୍ଡା ଅଛି, ତାକୁ ପାଇବ ତେବେ ସେ ଖଣ୍ଡା ହାତରେ ଥିଲେ ମାଛ, ମଗର, କିଛି କରିବେ ନାହିଁ । ଳୀଳାବତୀ ଏକଥା ଶୁଣି ବିସିକେସନ ପାଖକୁ ଲେଖି ପଠାଇଲା । ବିଶିକେସନ ସେ ଠାକୁରାଣୀଙ୍କ ପାଖରେ ସତରାତି ସାତଦିନ ଗୁହାରିଆ ପଡିଲା । ଠାକୁରାଣି ପ୍ରସନ୍ନ ହୋଇ ତାକୁ ଆପଣା ହାତରୁ ଖଣ୍ଡା ଦେଲେ; କହିଲେ ଏ ଖଣ୍ଡା ସବୁବେଳେ ହାତରେ ରଖିଥିବୁ, ଦରିଆରେ ବୁଡିଲା ବେଳେ ଯଦି ମାଛ, କୁମ୍ଭୀର, ମଗର ଆସିବ, ତେବେ ଲିଆ ଭାଜି ନେଇଥିବୁ ଯେ, ଲିଆ ବୁଣିଦେଲେ ସେମାନେ ତାକୁ ଖାଇଲାଗିବେ, ପାଖକୁ ଆସିବେ ନାହଁ । ଠାକୁରାଣୀଙ୍କଠାରୁ ଏହିପରି ଆଜ୍ଞା ପାଇ ବିଶିକେସନ ମାଲୁଣୀ ପାଖକୁ ଗଲା, ତାକୁ ଏସବୁ କଥା କହି ଅଣ୍ଟିରେ ଲିଆଗୁଡିଏ ନେଇ ଦରିଆ କୂଳକୁ ଗଲା । ଦରିଆ ମଝିରେ ପଶି ଫଡୁଆଟି ଆଣିଲା, ଠାକୁରାଣୀଙ୍କ ଖଣ୍ଡା ଥାଏ ହାତରେ, କେହି ଜୀବଜନ୍ତୁ କିଛି କଲେ ନାହଁ । ଫଡୁଆଟି ଆଣି ସେ ମାଲୁଣୀ ଘରକୁ ଫେରି ଆସିଲା, ତା ଘୋଡ଼ା ଉପରେ ଚଢ଼ି ଯୋଗୀ ଦୁଆରକୁ ଗଲା । ଦରିଆ ଭିତରୁ ଫଡୁଆଟି ଆଣିଲା ବେଳୁଁ ଯୋଗୀକି ଜର ହୋଇଥାଏ, ଯୋଗୀକି ଦାଣ୍ଡକୁ ଡାକିଲା, ତାକୁ ସେ ଫଡୁଆଟି ଦେଖାଇଲା, ଯୋଗି ଯେତେ ନେହୁରା ନମସ୍ତ ହୋଇ ସେ ଫଡୁଆଟି ମାଗିଲା, ତା ଶୁଣୁଚି କିଏ ? ବିଶିକେସନ କହିଲା ଆଗେ ମୋ ବା ଆଉ ଛ ଦାଦିକୁ ଦେ, ସେମାନଙ୍କ ଘୋଡ଼ା ଦେ । ଯୋଗୀ ସେମାନଙ୍କୁ ନିଜରୂପଦେଲା । ମାଲୁଣୀଘର ବଂଶ, ଧୋବା ଘର ବଂଶ ଆଉ ସେ ଗାଁର ଯେତେଲୋକକୁ ଯୋଗୀ ଗଛ ବୃକ୍ଷ କରି ସହ କରିଥିଲା, ସେମାନଙ୍କୁ ସମସ୍ତଙ୍କୁ ମଣିଷ କଲା । ଯୋଗୀ ବିସିକେସନ ଠାରୁ ଫଡୁଆଟି ନେବ ବୋଲି ବଡ ବେସ୍ତ ହେଉଥାଏ । ବିଶି କେସନ କହିଲା ତୁ ଏଠାରେ ନିଆଁକର ମୁ ଦେବି । ଯୋଗୀ ନିଆଁ ଅକରାଏ ଲଗାଇଲା ବିଶିକେସନ ଫଡୁଆଟି ତା ଭିତରୁ ବଗଟିକୁ ବାହାର କରି ସମସ୍ତଙ୍କ ଆଗରେ ବେକ ମୋଡି ଦେଇ ନିଆଁରେ ପକାଇ ଦେଲା । ଯୋଗୀ ମୁଠୁଣିଏ ଜିଭକାଢ଼ି ସେଇକ୍ଷଣ ମରିଗଲ । ବିଶିକେସନ ବାପ ଦାଦି ସାତଭାଇ ଆଉ ଲୀଳାବତୀକୁ ଘେନି ଘରକୁ ଆସିଲା । ଆନନ୍ଦରେ ଘର ଦୁଆର କଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।