କଥାଲହରୀ/ମଣ୍ତାଗଛ ବା ଗଉଡ଼ପୁଅ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ମଣ୍ତାଗଛ ବା ଗଉଡ଼ପୁଅ କଥା

ଗୋଟିଏ ଗଉଡ଼ଟିଏ ଯେ ତାର ଗୋଟିଏ ପୁଅ । ଗଉଡ ଟୋକାଟି ନିତି ଗାଈ ଜଗିବାକୁ ଯାଏ, କଣ ପାଖରେ ଗୋଟାଏ ମଣ୍ଡାଗଛ ଥାଏ ତ‌ହିଁରେ ଚଢ଼େ, ମଣ୍ତାପିଠା ଖାଏ, ବେଳବୁଡ଼ ହେଲା- କ୍ଷଣି ଗାଈ ଘେନି ଘରକୁ ଆସେ । ଦିନକର ବୁଢ଼ୀ ଅସୁରୁଣୀ ଆସିଲା କହିଲା ହଇରେ ପୁଅ କଣ ତୋଳୁଛୁ କି ? ଗଉଡଟୋକା ‌କ‌ହିଲା ମଣ୍ଡାପିଠା ଖାଉଚି । ଅସୁରୁଣୀ କ‌ହିଲା ଆରେ ପୁଅ ମତେ ଗୋଟିଏ ଦିଅନ୍ତୁ । ଗଉଡ଼ଟୋକା ମଣ୍ତାଟିଏ ପକାଇ ଦେଲା । ବୁଢ଼ୀ ଅସୁରୁଣୀ କହିଲା, ଆରେ ପୁଅ ମୋ ହାତକୁ ଗୋଟାଏ ଦେ । ଗଉଡ ଟୋକା ମଣ୍ଡାପିଠାଟିଏ ତା ହାତକୁ ବଢ଼େଇ ଦଉ ଦଉ ଅସୁରୁଣୀ କଣକଲା ନା ନେଇଗଲା ଗଉଡ଼ ଟୋକାକୁ, ଗୋଟାଏ ମୁଣିରେ ପୁରାଇଲା, ନେଇ କରି ଗଲା ମୁଣ୍ତେଇକରି । ଅଧବାଟରେ ହେଇଛି ବୁଢ଼ୀ ଅସୁରୁଣୀକି ପୋଖରୀ ମାଡ଼ିଲା, ବାଟରେ ଥୋଇ ଦେଲା ମୁଣିଟିକି, ପୋଖରୀଗଲା । ଗଉଡ ଟୋକା କଣ କଲା, ମୁଣିକି ଚିରି ଦେଲା, ସେଥିରୁ ବାହାରିଲା, ସେ ମୁଣିରେ ଗୁଡାଏ ପଙ୍କ ପାଣି କଣ୍ଟା ଏଣୁ ତେଣୁ ପୂରାଇ ଦେଲା, ଘରକୁ ପଳେଇ ଆଇଲ । ବୁଢ଼ୀ ଅସୁରୁଣୀ ଆସିଲା ମୁଣିଟିକି ମୁଣ୍ତାଇଲା, ନେଇକରି ଗଲା । ବାଟରେ କଣ ହେଉ ଥାଏ ନା ବୁଢ଼ୀଅସୁରୁଣୀ ମୁଣ୍ଡରେ କଣ୍ଟା ଫୋଡ଼ି ହୋଇ ଯାଉ ଥାଏ । ଏ କହୁଥାଏ ଚାଲ ମୁଣ୍ଡପୋଡା, ଘରକୁ ଗଲେ ତୋ ରଙ୍ଗ ବୁଝିବି । ଏହିପରି ବାଟଯାକ ଚଦିକରି ଯାଇଥାଏ । ଘରକୁ ଗଲା ମୁଣିକିଦୁମ୍‌କିନା କଚାଡ଼ି ଦେଲା ଫିଟେଇ କରି ଦେଖିଲା । ଦେଖିଲା ବେଳକୁ ଆଉ ଗଉଡ଼ଟୋକା ସେଥିରେ ନାହିଁ, ଏଣୁ ତେଣୁଁ ଗୁଡ଼ାଏ ପଶିଚି । ବୁଢ଼ୀ ଅସୁରୁଣୀ କ‌ହିଲା ଆରେ ଆରେ ମତେ ଠକି ଦେଇ ଗଲା ବାହାରି, ଆଉ କଣ କରିବି । ତୁନି ହୋଇ ରହିଲା । ଦି ଚାରି ଦିନ ଛାଡ଼ିଦେଲା, ଫେର୍ ଗଲା ସେହି ମଣ୍ତାଗଛ ପ।ଖକୁ । ଦେଖିଲା ଗଉଡଟୋକା ଗଛରେ ଚଢ଼ି ମଣ୍ଡା ପିଠା ଖାଉଚି, ବୁଢ଼ୀ ଅସୁରୁଣୀ କହିଲା, ପୁଅରେ ମତେ ଗୋଟିଏ ଦିଅନ୍ତୁ । ଗଉଡ଼ଟୋକା କହିଲା ଆଉକଣ, ସେ ଦିନତ ଧରିକରି ନେଇ ଗଲୁ, ଆଜି କାହଁକି ଦେବି ? ତଳେ ପଡ଼ିଚି ଗୋଟେଇକରି ଖାଉନାହୁଁ । ଅସୁଋଣୀ କ‌ହିଲା ନାହିଁରେ ପୁଅ, ସେଦିନ ସିନା ନେଇଗଲି ଆଜି ନେବି ନାହିଁ, ମୋ ହାତକୁ ଗୋଟିଏ ଦେ । ଗୋଉଡ଼ ଟୋକା ପିଠାଟିଏ ତା ହାତକୁ ଦେଲା ବୁଢ଼ିଅସୁରୁଣୀ କଣକଲା ନା, ତାହାକୁ ଧରି ଗଛରୁ ଓଟାରିଆଣିଲା ଫେ୍ର ମୁଣିରେ ପୂରାଇଲା, ନେଇକରି ଘରକୁ ଗଲା, ଆଉ କେଉଁଠି ଥୋଇଲା ନାହିଁ ବାଟରେ, ବରାବର ଘରକୁ ନେଇଗଲା । ଘରେ ମୁଣିରୁ ବାହାର କରି, ଝିଅକୁ ଡାକି କ‌ହିଲା ଝିଅ ଲୋ ମୁଁ ଯାଉଛି ଗାଧୋଇ, ୟାକୁ ଭଲକରି ରାନ୍ଧିବାଢ଼ି ରଖ । ଝିଅ ଗଉଡ଼ଟୋକାକୁ ଏପାଖ ସେପାଖ କରି ଦେଖିଲା, ଦେଖିଲା ତା ମୁଣ୍ତରେ ରାଇଜର ବାଳ । ଅସୁରୁଣୀ ଝିଅ କ‌ହିଲା ହଇ ରେ ପୁଅ ତୋ ମୁଣ୍ତରେ ଏତେ ବାଳ କୋଉଠୁ ହେଲା ? ଏ ଟୋକା ମିଛରେ କ‌ହିଲା; ମୋ ମା ମୋ ମୁଣ୍ତକୁ ଢେଙ୍କିରେ କୁଟିଦିଏ ଯେ ବାଳ ବଢ଼ିଯାଏ । ଅସୁରୁଣୀଝିଅ କ‌ହିଲା ତୁ ଟିକିଏ ମୋ ମୁଣ୍ତ ଢେଙ୍କିରେ କୁଟିଦିଅନ୍ତୁ । ଗଉଡ଼ଟୋକା କ‌ହିଲା ମୁଁ କଣ ନାହିଁ କରୁଛି ? ଗଉଡ଼ଟୋକା ଢେଙ୍କି ଟେକିଦେଲା, ଅସୁରୁଣୀ ଝିଅ ମୁଣ୍ତକୁ ଦେଖାଇ ଦେଲାଯାଉଁ, ଏ କଣ କଲା ଢେଙ୍କିକି ଛାଡ଼ିଦେଲା ଯେ ତା ମୁଣ୍ତ କୁଟି ହୋଇଗଲା । ଅସୁରୁଣୀଝିଅ ଛଟପଟ ହୋଇ ମରିଗଲା । ସେଇଠୁ, ଗଉଡ଼ଟୋକା ଅସୁରୁଣୀ ଝିଅଠାରେ ଯେତେ ଅଳଙ୍କାର ଥିଲା ତାକୁ ସବୁ ଲଗାଇଲା, ତା ଲୁଗା ପିନ୍ଧିଲା, ତା ବେଶ ଧରି ତାକୁ ଟିକି ୨ କରି ବନାଇଲା, ରାନ୍ଧିବାଢ଼ି ଥୋଇଦେଲା । ବୁଢ଼ୀ ଅସୁରୁଣୀ ଗାଧୋଇ ଆସିଲାକ୍ଷଣି ତାକୁ ବାଢ଼ିଦେଲା । ସେ ଖାଇ ବସିଲା, ଗଉଡ଼ଟୋକାକୁ କ‌ହିଲା ଝିଅ ଲୋ ତୁ ଖାଇ ବସୁନାହୁଁ । ଏ କ‌ହିଲା ନାହିଁ ମା ତୁ ଖାଇସାର ମୁଁ ପଛରେ ଖାଇବି । ବୁଢ଼ୀ ଅସୁରୁଣୀ ଖାଇ ସାରିଲା, କ‌ହିଲା ଝିଅ ଲୋ ମୋ ମୁଣ୍ତରୁ ଦିଟା, ଉକୁଣୀ ଦେଖନ୍ତୁ, ଗଉଡ଼ଟୋକା ମୁଣ୍ତ ଦେଖିଲାବେଳକୁ ୟା ମୁଣ୍ତରେ ଜମା ବାଳ ନାହିଁ ଗୋଟିଏ ବାଳ ହୁଲୁ ୨ ହୋଇ ହଲୁଚି । ଗଉଡ଼ଟୋକା କ‌ହିଲା ହଇଲୋ ମା ତୋ ମୁଣ୍ତରେତ ଜମା ବାଳ ନାହିଁ, ଏ ଗୋଟକ କାହିଁକି ଅଛି? ଅସୁରୁଣୀବୁଢ଼ୀ କ‌ହିଲା ଆଲୋ ଝିଅ ସେ ବାଳଟିରେ ମୋର ଜୀବନ ଅଛି, ତାକୁ ଛିଣ୍ତାଇଦେଲେ ମୁଁ ମରିଯିବି । ଗଉଡ଼ଟୋକା ୟା ଯାଉଁ ଶୁଣିଲା, ସେ ବାଳଟିକି ରୁଟକରି ଛିଣ୍ତେଇଦେଲା ଯେ ବୁଢ଼ୀ ଅସୁରୁଣୀ ମରିଗଲା । ଅସୁରୁଣୀକି ଫୋପାଡ଼ି ଦେଇ ଗଉଡ଼ଟୋକା ଘରକୁ ଅଇଲା, ବାପମାଙ୍କ ଆଗେ ସବୁ କଥା କ‌ହିଲା । କେତେଦିନ ବାଦ୍ ଗଉଡଟୋକା ବିଭା ହେଲା, ସୁଖରେ ଘର ଦୁଆର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା ଇତ୍ୟାଦି ।