କଥାଲହରୀ/କାଚଖମ୍ୱ କଥା

ଉଇକିପାଠାଗାର ରୁ
Jump to navigation Jump to search
କଥାଲହରୀ (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
କାଚଖମ୍ୱ କଥା

କାଚଖମ୍ବ କଥା

ଗୋଟିଏ ସାଧବଟିଏ ଯେ ତାହାର ସାତ ଝିଅ । ଦିନେ ଜ‌ହ୍ନ ପଡ଼ିଚି, ସାତ ଭଉଣୀଯାକ ଅଗଣାରେ ଖେଳୁଛନ୍ତି, ବିଚାର କଲେ ଜ‌ହ୍ନ କୋଉଠି ଛିଡ଼ିଚି ଚାଲ ଯିବା ଦେଖିବା । ସାତ ଭଉଣୀଯାକ ଗଲେ, ଯାଇଁ ଗୋଟିଏ ବୁଢ଼ୀଅସୁରୁଣୀ ଦୁଆରେ ଜ‌ହ୍ନ ଛିଡ଼ିବାର ଦେଖିଲେ, ସେଇଠି ରାତି ପାହିଲା । ଦେଖିଲେ ବୁଢ଼ୀଅସୁରୁଣୀ ଧାନ ଉସାଉଚି ଗୋଟାଏ ଗୋଡ଼ ଚୁଲିରେ ମୁହାଇ ଦେଇଚି ଆଉ ଗୋଟାଏ ଗୋଡ଼ ୟାଡ଼କୁ ଲମ୍ବାଇ ଦେଇଚି । ବୁଢ଼ୀଅସୁରୁଣୀ ଏମାନଙ୍କୁ ଦେଖିଲାକ୍ଷଣି କ‌ହିଲା, ଆସଲୋ ପିଲାମାନେ, କୁଆଡ଼େ ଯାଉଚ, ଏଇଠି ବସ, ଖେଳ, ପିଲାମାନେ କ‌ହିଲେ ନାହିଁ ଆମେ ଜ‌ହ୍ନ କୋଉଠି ଛିଡ଼ିଚି ଦେଖିବାକୁ ଆସିଥିଲୁଁ, ଆମ ଘରକୁ ଆମେ ଫେରି ଯାଉଚୁଁ । ସେମାନଙ୍କୁ ଅଟକାଇବାକୁ ବୁଢ଼ୀଅସୁରୁଣୀ କେତେ ଫୁସୁଲାଇଲା, ଏମାନେ କେହି ରହିଲେ ନାହିଁ, ଚାଲିଆସିଲେ । କେତେକ୍ଷଣ ପରେ ବୁଢ଼ୀଅସୁରୁଣୀର ପିଲାମାନେ ଚରିବାକୁ ଯାଇଥିଲେ ଆସିଲେ । ବୁଢ଼ୀଅସୁରୁଣୀ କ‌ହିଲା କୁଆଡ଼େ ଯାଇଥିଲ, ଏତେବେଳେକେ ଆସିଲ; ଏହି ଦଣ୍ଡକ ମଧ୍ୟରେ ଆସିଥିଲେ ଅଇଛିକା କି ସୁନ୍ଦର ଦରବ ଖାଇଥାନ୍ତ; କଁଇସୀକାକୁଡ଼ିପରି ମୁଡ଼ୁ ମୁଡ଼ୁ କରି ଚୋବାଇ ଥାନ୍ତ, କି ସୁନ୍ଦର ପିଲାଗୁଡ଼ିଏ ଆସିଥିଲେ । ଏବେଯାଅତାଙ୍କ ଭିତରୁ ଜଣକ କାନିରେ ମୁଁ ସୋରିଷ ବାନ୍ଧି ଦେଇଛି, ସୋରିଷ ବିଞ୍ଚି ବିଞ୍ଚି ଯାଉଥିବ, ଗଛ ଉଠି ଉଠି ଯାଉଥିବ । ଫୁଲ ଫୁଟି ୨ ଯାଉଥିବ ସେହି ବାଟକୁ ଅନାଇ ଅନାଇ ଯିବ; ସେମାନଙ୍କୁ ପାଇବ । ଅସୁରପିଲାମାନେ ଦୌଡ଼ିଲେ, ସାଧବଝିଅଙ୍କ ପାଖରେ ଲାଗିବାକୁ ଅଳପ ବାଟ ଅଛି, ଏମାନେ ପଛକୁ ଅନାଇ ଦେଲେ, ଦେଖିଲେ ଅସୁର ଛୁଆ ସାତଟା ତାଙ୍କ ପଛେ ପଛେ ଦୌଡ଼ିଚନ୍ତି । ଏମାନଙ୍କ ବୁଦ୍ଧି ହଜିଗଲା; କଣ କରିବେ ବୋଲି ଆଉବୁଦ୍ଧି ଦିଶିଲା ନାହିଁ । ବାଟରେ ଗୋଟିଏ ଆମ୍ବଗଛ ଥିଲା ତା ପାଖକୁ ଯାଇଁ ସାଧବଝିଅମାନେ କ‌ହିଲେ, ହେ ଆମ୍ବଗଛ, ତୁ ଯଦି ସତ୍ୟଯୁଗର ଗଛ ହୋଇଥିବୁ, ତୁ ଫାଟିଯିବୁ; ଆମେ ତୋ ଭିତରେ ପଶିଯିବୁ, ତୁ ବୁଜିହୋଇ ଯିବୁ । ଅସୁରଛୁଆସବୁ ଆସି ପ‌ହଞ୍ଚିଲାବେଳକୁ ଏମାନେ ଆମ୍ବଗଛରେ ପଶିଗଲେଣି । ସେ ଗଛମୂଳେ ଗୋଟାଏ ପୋଖରୀ ଥିଲା; ଅସୁରଛୁଆଯାକ ସେ ପୋଖରୀରୁ ପାଣି ଆଣି ଗଛମୂଳେ ଅଜାଡ଼ି ଅଜାଡ଼ି ପୋଖରୀକ ପାଣି ଶୁଖାଇ ଦେଲେ । ଗଛକୁ ଦୋହଲାଇ ୨ ଓପାଡ଼ି ତଳେ ପକାଇ ଦେଲେ । ଧୋବାଘରୁ କୁରାଢ଼ି ଆଣି ଗଛକୁ ତନି ଗର କରି କାଟି ପକାଇଲେ, ମଝି ଗରଟି ମୁଣ୍ଡାଇ ଘରକୁ ନେଇଗଲେ ନେଇ ବାଡ଼ିଦୁଆରେ ପକାଇ କୁରାଢ଼ୀରେ ତାକୁ ଚିରିବାକୁ ବସିଲେ । ସାଧବଝିଅମାନେ ସେ କାଠ ଗର ଭିତରୁ ହୁଳହୁଳି ପକାଇଲେ । ବୁଢ଼ୀଅସୁରୁଣୀ ହୁଳହୁଳି ଶୁଣି ତାର ପିଲାମାନଙ୍କୁ ମାରି ଗୋଡ଼ାଇଲା, କ‌ହିଲା ମୋ ଦୁଆରେ ଡାହାଣୀ କି ଗୋସାଣୀ କି କଣ ଗୋଟାଏ ପକାଇଚ, ୟାକୁ ଉଠାଅ । ଅସୁର ଛୁଆମାନେ ମାଡ଼ଗାଳି ଖାଇ ସେ କାଠଗରକୁ ନେଇ ସେ ଆମ୍ବଗଛ ମୂଳେ ପକାଇ ଦେଇ ଆସିଲେ । ସେତେବେଳକୁ ସଞ୍ଜ ଲାଗିଥିଲା, ଏ ପିଲାଗୁଡ଼ିକ କାଠଭିତରୁ ବାହାରିଲେ, ବନସ୍ତେ ବନସ୍ତେ ଘରକୁ ଯିବାକୁ ବସିଲେ । ଯାଉଁ ଯାଉଁ ବାଟରେ ବଣାହୋଇ କିଏ କୁଆଡ଼େ ଗଲେ । ସବା ସାନ ଝିଅଟି ବୁଲି ବୁଲି ଗୋଟିଏ ରଜାନଅର ଦେଖିଲା, ସେ ନଅର ଦୁଆରେ ଗୋଟିଏକାଚ ଖମ୍ବ ଥିଲା, ସେଇଠି ପ‌ହଞ୍ଚିଲା, କ‌ହିଲା ଯେମନ୍ତ ସତ୍ୟଯୁଗ ହୋଇଥିବ, ଏ ଖମ୍ବ ଫାଟିଯିବ ମୁଁ ତ‌ହିଁରେ ପଶିଯିବି । କାଚ ଖମ୍ବ ଫାଟିଗଲା, ସାଧବ ଝିଅ ତ‌ହିଁରେ ପଶିଗଲା । ସେଇଥିରେ ଥାଏ, ରାତିରେ ସମସ୍ତେ ଖାଇପିଇ ଶୋଇଲେ ଏ ସେଥିରୁ ପଦାକୁ ବାହାରେ, ଗାଧୁଆ ପାଧୁଆ କରେ, ଫେର ସେଇଥିରେ ପଶିଯାଏ, ଏହିପରି ସବୁଦିନ କରୁଥାଏ । ସେ ରାଜାର ପୁଅ ସବୁଦିନେ ଶୁଣେ ଯେ ଗୋଟିଏ କିଏ ଦୁଆରେ ଝୁଣୁ ଝୁଣୁ ହୋଇ ଆସ ଯା କରୁଚି, ମାତ୍ର କିଛି ବୁଝିପାରେ ନାହିଁ । ଦିନେ ସେ ରଜାଙ୍କ ଦୁଆରେ ପାଲା ହେଲା, କେତେ ଲୋକ ଦେଖିବାକୁ ଆସିଲେ । ସାଧବଝିଅ କାଚଖମ୍ବରୁ ବାହାରି ପାଲା ଦେଖିବାକୁ ଗଲା । କେହି ଦେଖିବେ ନାହିଁ ବୋଲି ମେଘନାଦ ପାଚେରୀ ଉପରେ ବସି ପାଲା ଦେଖୁଥାଏ । ରଜାପୁଅ ସେଠାରେ ଘୋଡ଼ାଦୌଡ଼ କରୁଥାଏ, ତାର ପାଚେରୀ ଉପରକୁ ନ‌ଜର ପଡ଼ିଗଲା, ଦେଖେ ଯେ ଉତ୍ତମ ସୁନ୍ଦରୀ ସ୍ତ୍ରୀଟିଏ ବସିଚି, ତାକୁ ଦେଖି ପାଚେରୀ ଆଡ଼କୁ ଦୌଡ଼ି ଆସିଲା । ରାଜାପୁଅ ଆସିବାର ଦେଖି ସାଧବ ଝିଅ ଦୌଡ଼ି ଆସି କାଚଖମ୍ବରେ ପଶିଗଲା, ରାଜା ପୁଅ ଆଉ ଏହା ଦେଖି ପାରିଲା ନାହିଁ ପାଚେରୀ ଉପରୁ ଦୌଡ଼ିଆସିଲାବେଳେ ସାଧବଝିଅ ଗୋଡ଼ରୁ ନେପୁର ପଟିଏ ଖସିପଡ଼ି ଥିଲା, ରଜାପୁଅ ତାକୁଇ ପାଇ ରଖିଥାଏ, ସବୁବେଳେ ଦେଖୁଥାଏ । ମନେ ମନେ ଖାଲି ଭାବି ହେଉଥାଏ ଏ ନେପୁରତ ଏଡ଼େ ସୁନ୍ଦର, ସେ ସ୍ତ୍ରୀ କେଡେ ସୁନ୍ଦରୀ ହୋଇ ନ ଥିବ । ଏହିପରି ଝୁରି ୨ ରଜାପୁଅର ଅଉ ଅବସ୍ଥା [୧] ରହିଲା ନାହିଁ, ଖାଲି କଣ୍ଟା ଦୋହଲିଲା । ଅନେକ ବଇଦ ଲାଗିଲେ, ରାଇଜର ଚିକିତ୍ସା ହେଲା; କାହଁରେ କିଛି ଭଲ ହେଲା ନାହଁ । ରଜାପୁଅ ବରାବରି ମଲାସମାନ ହୋଇଗଲା । ବଞ୍ଚିବାରତ ଆଉ ଆଶା ନାହିଁ, ରଜାପୁଅ କହିଲା ମୋର ଭଉଣୀମାନଙ୍କୁ ଡକାଅ ମୁଁ ସେମାନଙ୍କୁ ଦେଖିବି । ଭଉଣୀମାନଙ୍କ ପାଖକୁ ଖବର ଗଲା, ସମସ୍ତେ ଆସିଲେ, ଖାଲି ସାନଭଉଣୀ ଆସିନଥାଏ । ସାନ ଭଉଣୀ ଘର ବହୁତ ଦୂର, ଆସୁ ଆସୁ ବାଟରେ ଗୌଡମାନଙ୍କୁ ଖରା ବରଷା ପାରିବାକୁ ପଡିଲା । ଗୋଟିଏ ଗଛମୂଳେ ସୁଆରିକୁ ଭିଡ଼ି ଦେଇ ଗଉଡମାନେ ଜଳଖିଆ କରିବାକୁ ଗଲେ । ରଜାଝିଅ ସେଇଠି ଥାଏ ସେ ବରଗଛରେ ଗୋଟାଏ ଫୁଲଶୀଗୁଣୀର ବସା । କୋଉଠି ମଢ଼ ପଡ଼ିଥିଲା ଯେ ଶାଗୁଣୀ ଖାଇକରି ଅସିଥାଏ, ପିଲାଙ୍କ ପାଇଁ ଆଣି ନ ଥାଏ ପିଲାଯାକ କେଁକଟର ଇଗାଇ ଥାନ୍ତି, ମା ତୁ ଖାଇଲୁ ଆମ‌ପାଇଁ ଆଣିଲୁ ନାହିଁ, ଶାଗୁଣୀ କ‌ହିଲା ତେମେ ସବୁ କାହିଁକି ସେମିନ୍ତି ହେଉଚ, ରଜାପୁଅ ଏହିକ୍ଷଣି ମରିବ ତେମେ ଆନନ୍ଦରେ ଖାଇବ । ପିଲାଯାକ କ‌ହିଲେ ନାହିଁ ମା ସେ କାହିଁକି ମରିବ, ଆମେ ପଛକେ ନ ଖାଉଁ ସେ ଜୀଇ ଆଊ । ଶାଗୁଣା କ‌ହିଲା ତାକୁ ଆଉ କିଏ ବଞ୍ଚାଇବ ତାରତ ସବୁ ଏମନ୍ତି ୨ କଥା ହେଇଚି, କିଏ ଜାଣିଥାନ୍ତା କି ସେ କାଚ ଖମ୍ବକୁ ଭାଙ୍ଗି ଦିଅନ୍ତା ଯେ ସେ ସାଧବଝିଅ ବାହାରି ପଡ଼ନ୍ତା, ତାକୁ ଦେଖିଲାକ୍ଷଣ ରଜାପୁଅ ଦେହରେ ଜୀବନ ପଶିଯାନ୍ତା । ଏହା ସବୁ ସାନଭଉଣୀ ଶୁଣି ସୁଅରି ଉଠାଇବାକୁ ଗଉଡ ସାଙ୍ଗେ ଉଚ୍ଛନ ଲଗାଇଲା । ଗଉଡ଼ମାନେ ସୁଆରି ନେଇ ରାଜାଙ୍କ ଦୁଆରେ ଭିଡ଼ିଲେ ରଜାଙ୍କ ଘରେ କାନ୍ଦବୋବାଳି ପଡ଼ିଥାଏ, କାହାରି ମନରେ ସୁଖ ନ ଥାଏ । ସାନଭଉଣୀ ଯାଇ ଦେଖେ ଯେ ଭାଇ ଢ଼ୋକାଉଛି, ହଠାତ୍ କାହାକୁ କିଛି ନ କ‌ହି ଗୋଟାଏ କୁରାଢ଼ି ଘେନି ଆସି କାଚଖମ୍ବରେକରି ପାହାରେ ଦେଲା । କାଚଖମ୍ବ ଚୁନା ହୋଇଗଲା, ସାଧବ ଝିଅ ତ‌ହିଁରୁ ବାହାରି ପଡିଲା । ତାକୁ ଧରିନେଇ ଗଲେ, ରଜାପୁଅ ଆଗରେ ଛିଡ଼ା କରିଦେଲେ, ତାକୁଦେଖି ତା ଦେହରେ ଜୀବ ପଶିଲା । ରଜାପୁଅ କ୍ରମେ ୨ ଭଲ ହୋଇଗଲା, ସେହି ସାଧବ ଝିଅକୁ ବିଭା ହେଲା, ଭଉଣୀ ମାନଙ୍କୁ ହସେଇ ଖେଳେଇ ବିଦା କଲା, ଆନ‌ନ୍ଦରେ ଯୁଗ ରାଇଜ କଲା, ମୁଁ ଗଲାକୁ କଥା ନ କ‌ହିଲା । ମୋ କଥାଟି ସରିଲା ଇତ୍ୟାଦି ।

Kathalahari (RN Das, 1927) opt.pdf

  1. ଦେହର ବଳ ସ୍ୱାସ୍ଥ୍ୟ ।