କବିତାବଳୀ/ଉର୍ବଶୀ

ଉଇକିପାଠାଗାର‌ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ଉର୍ବଶୀ


ପ୍ରଥମ ସର୍ଗ

ଅତି ମନୋହର କାଳ ଶୀତ‌ଋତୁ
ଧରା ଛାଡ଼ି ଛାଡ଼ି ନାହିଁ,
ପଲ୍ଲବ ପାଟଳ ମଧୁ-ଋତୁ-ରାଟ
ଧରା ମାଡ଼ି ମାଡ଼ି ନାହିଁ ।
ନ‌ଦୀତୀର ସ୍ୱର୍ଣ୍ଣ- ବର୍ଣ୍ଣ ରାମତିଳା
ସର୍ଷ‌ପ କୁସୁମେ ଦିଶେ,
ମଧ୍ୟେ ନୀର-ବେଣୀ ସନ୍ଧ୍ୟା-ମେଘ-ରନ୍ଧ୍ରେ
ନୀଳ ନଭ-ରେଖା କି ସେ ?
ଖଳା ଅଗଣାରେ କଳେଇ ଗଦାର
ଆମୋଦ ସଙ୍ଗତେ ମିଶି,
ବବୁର ପ୍ରସୂନ ବାସ ଜନପଦେ
ପ୍ରସରଇ ଅହର୍ନିଶି ।
ଥରେ ଥରେ ଚୋରା ମଳୟ ଚୋରାଇ
ଆସି ଚୁମ୍ବିଯାଏ ଧରା,
ଛାୟାରେ ଲାଗଇ ଶୀତ, ପୁଣି ଗଲେ,
ଖରାକୁ କାଟଇ ଖରା ।
ଖରାବେଳେ ପାନ୍ଥ ଭ୍ରାନ୍ତି ଜନମାଏ
ନିଦାଘ ଅଗ୍ରଦୂତିକା,
ସମୟେ ସମ‌ୟେ ଭରତ କୂଜିତ
ଦିଗନ୍ତ ମୃଗ‌-ତୃଷ୍ଣିକା ।
କୁହେଳିକି ଡରି ଜଳୁଁ କମଳିନୀ,
ତୋଳିପାରୁ ନାହିଁ ମୁଣ୍ଡ,
ମୁକୁଳ ଉଦ୍‌ଗମ ଲାଗି ଚୂତଡାଳେ
ବାନ୍ଧୁଅଛି ସ୍ୱର୍ଣ୍ଣକୁମ୍ଭ ।
ମଦ-ସ୍ରାବି-ପୁଷ୍ପ ସ୍ତବକେ-ସରାଗେ
ମଣ୍ଡିବାକୁ ନିଜ ଅଙ୍ଗ,
ଡେମ୍ଫେ ଡେମ୍ଫେ କ୍ଷୁଦ୍ର କ୍ଷୁଦ୍ର ପର୍ଣ୍ଣକୋଷ
ସଜାଡ଼ୁ ଅଛି ବାସଙ୍ଗ ।
ହିମ ଯୋଗୁ ଅଳି ସଂଯୋଗ ବିହୁନେ
ସୁନ୍ଦରୀ-ରଦନ-ଛବି,
କୁନ୍ଦ ସୁନ୍ଦରୀଙ୍କ କଟାକ୍ଷ-ଲକ୍ଷ୍ମୀର
ଲୀଳା ପାରୁନାହିଁ ଲଭି ।
ଚୌଦିଗେ ଶୁଭଇ ସିନ୍ଦୁରମୁଣ୍ଡିର
ସ୍ୱାଗତ ଊରୁନାୟକେ,
ମଧୁ ଚାଖି ଚାଖି ପ୍ରଜାପତି ବୁଲେ
ଗେଣ୍ଡୁ ଫୁଲେ, କୁରୁବକେ ।
ଯାମେ ଯାମେ ଆମ୍ର କୁଞ୍ଜ ନ‌ଦୀତୀରେ
ସମସ୍ୱରେ ତୋଳି ଧ୍ୱନି,
ହୁଳହୁଳି ହର୍ଷେ ଦିଅନ୍ତି ସଘନେ
ଘଟରଘୁମା ଘରଣୀ ।
କାନନେ ଅସ୍ଫୁଟେ ଶୁଭେ କେବେ କେବେ
କଳଗୀତି କୋକିଳାର,
ଟଙ୍କାରି ଚଢ଼ାଉ ଅଛି କି ସେ ନିଜ
କଣ୍ଠ‌ ଯନ୍ତ୍ରେ ନୂଆ ତାର ?
କାନନେ କାନନେ ଠାବେ ଠାବେ ଶ୍ୱେତ
ପଲ୍ଲବେ ସ୍ୱବପୁ ମଣ୍ଡି,
କାନନ ଲକ୍ଷ୍ମୀର ଚନ୍ଦନ ରଚନା
ପରାୟେ ଶୋଭେ ଅତଣ୍ଡି ।
ନିଆଳୀ ବସନ୍ତ ପୂଜା ଇଚ୍ଛି କଳି
ଗୁରୁକୁ କରୁଛି ସଜ,
ବଉଳିଛି ବନେ ପିଆଳ-କିଟପୀ
ମାତ୍ର ବାନ୍ଧିନାହିଁ ରଜ ।

(ରାଟ- ରାଜା, ସର୍ଷ‌ପ- ସୋରିଷ)

ପୃଷ୍ଠା ୨

ସୁଖ ଆଶେ ଭୋଳ ସରବେ ଏ କାଳେ
ସୁଖ ତ ଭବେ କ୍ଷଣିକ,
କିଏ ନ ଜାଣଇ ସୁଖଠାରୁ ସୁଖ
ଆଶାରେ ସୁଖ ଅଧିକ ?
ହିମାଦ୍ରି କାନ୍ତାରେ ମୃଗୟା ରଚନ୍ତି
ହସ୍ତେ ଧରି ଧନୁଶର,
ପ୍ରଦୋଷେ ଏ କାଳେ ଯୁବା ପୁରୁରବ
ବତ୍ସଦେଶ ଅଧିଶ୍ୱର ।
ସୁପଣ୍ଡିତ ଶାସ୍ତ୍ରେ, ଶସ୍ତ୍ରେ ମହାବୀର
ନିଖିଳ ସଦ୍‌ଗୁଣ ଧାମ,
ରୂପ ଦେଖି ଚେତ୍ତେ ଆସଇ ମର୍ତ୍ତ୍ୟେ କି
ମୂର୍ତ୍ତି ଧରି ବିଜେ କାମ ।
ସିଂହ ବ୍ୟାଘ୍ର ମାରି ଭ୍ରମନ୍ତି ଏକାକୀ
ନରେନ୍ଦ୍ର ନିର୍ଭୀକ ମନେ,
ମଦକଳ-ପକ୍ଷି ରୂତେ ଝଙ୍କାରିତ
ସେ ଘୋର ନିର୍ଜନ ବନେ ।
ନିର୍ଝର-ସୀକରେ ଶ୍ୟାମଳ ସେ ବନ
ଚିତ୍ର ପକ୍ୱ-ପର୍ଣ୍ଣଜାଳେ,
ଉତ୍‌ପୁଚ୍ଛେ ବରହୀ ନାଚୁଥାନ୍ତି ଯହିଁ
ମତ୍ତ-କରି-କର୍ଣ୍ଣ-ତାଳେ ।
ଗୁଞ୍ଜରଇ କାହିଁ ମଧୁଚକ୍ରେ ମଧୂ
ମକ୍ଷିକା ତରୁ କୋଟରେ,
କାହିଁ ଝରେ ଝର ଝର୍ଝରେ, ଝିକାରୀ
କାହିଁ ରାବେ ଝିଁ ଝିଁ ସ୍ୱରେ ।
କବି ପ୍ରାୟେ ସଦା କୋଳାହଳ ଦ୍ୱେଷୀ
ବିବିକ୍ତ ସ୍ଥଳ ବିଳାସୀ,
ମୃଦୁନାଦେ କାହିଁ ରଟେ ଟିକଟିକ
ବିହ‌ଙ୍ଗ ଜାଙ୍ଗଳବାସୀ ।
ଭ୍ରମୁ ଭ୍ରମୁ ଠାବେ ଠାବେ ଉଲା ହୋଇ
ସ୍ତମ୍ଭିତେ ରହ‌ନ୍ତି ରାୟେ,
ସ୍ୱମର୍ଦିତ ଶୁଷ୍କ ପତ୍ର ଖଡ଼ଖଡ଼େ
ଚମକି ପଡ଼ିଲା ପ୍ରାୟେ ।
ଗୋଟିଏ ଗୋଟିଏ ପତ୍ର ତରୁ ଡାଳୁ
ବସାଇଣ ପବମାନ,(୩)
ମଧ୍ୟେ ମଧ୍ୟେ ଆସି ଶ୍ରୀଛାମୁରେ ଭେଟି
ହେଉଅଛି ଅନ୍ତର୍ଦ୍ଧାନ ।
ପାଦ୍‌ଗିରି-ଇନ୍ଦ୍ର- ନୀଳ-ବେଦୀ ପରେ
ଅଗ୍ରତେ ହିମଶିଖରୀ,
କୌବେରୀ-ଲ‌ଲାଟେ ଶୋଭେ କଟିମଣି
ଶିଳା ଚନ୍ଦ୍ରଶାଳା ପରି
ଶାଶ୍ୱତ ଦର୍ପଣ ବିମାନେ ବିମାନ
ଚାରିଣୀ ସୁରବାଳାର,
ସୂର ତରଙ୍ଗିଣୀ ରଙ୍ଗାର ଶାଶ୍ୱତ
ତୁଷାର-ସୂତିକାଗାର ।
ବିରାଟ ମୂରତି ବ୍ୟୋମକେଶ ଗିରି
କୋଟି କୋଟି ସାନୁମାନ
ଭେଦି ଉଠିଅଛି ଊର୍ଦ୍ଧ୍ୱେ ଗଢ଼ା କିସେ
ସ୍ଫଟିକେ ସ୍ୱର୍ଗ-ସୋପାନ ?
କୋଟି ଇନ୍ଦ୍ର-ଚାପ- ଲାଞ୍ଛିତ ପ୍ରପାତେ
ମଣ୍ଡିର ବପୁ ବିଶାଳ,
କୋଟି ରତ୍ନପୂର୍ଣ୍ଣ ଚାକ୍ଷୁଷ ବିଶ୍ୱେ କି
ବିଶ୍ୱକର୍ମା-ବିଶ୍ୱଶାଳ ?
ଝଟକେ ଆଲୋକେ ଧଳା ମେହେରାବି
ହିମର ହିମାଦ୍ରି ଶିଖେ,
ଗଢ଼ା ହୋଇଛି କି ବିରାଟ ବିମାନ
ଦିଗ୍‌ଦନ୍ତି-କନ୍ତ-ମୌକ୍ତିକେ ?
ଠାବେ ଠାବେ ଘୃଷ୍ଟ- ମସୃଣ ରଜତ-
ଧବଳ ମେଘମାଳିକା,
ଲଭଇ ବିଶ୍ରାମ- ସୁଖ ଆଶ୍ରିପାଦ
ଗିରି-କ୍ରୋଡ଼-ପର୍ଯ୍ୟଟ୍ଟିକା ।
(ମଦକଳ-ମଦମତ୍ତ, ବିବିକ୍ତ-ଏକାନ୍ତ, ଜାଙ୍ଗଳ-ଧାନ ରବି ଶସ୍ୟ ଥିବା ଦେଶ

ପବମାନ-ପବନ, କୌବେରୀ-ଉତ୍ତର ଦିଗ, ମଣିଶିଳା- ମାର୍ବଲ ପ୍ରସ୍ତର, ମେହେରାବି-କୋଠାଘର)

ପୃଷ୍ଠା ୩

ଏ ଅଦ୍ଭୁତ ଶୋଭା ନିରୀକ୍ଷଣ ଲୋଭା
ସ‌ହସା ନେତ୍ର ନୃପର,
ରଜ୍ଜୁରେ ଓଟାରି ନେଲା ପ୍ରାୟେ ନେଲା
ସ୍ତ୍ରୀକଣ୍ଠ-ସମ୍ଭବ ସ୍ୱର ।
ଅତୁଳନା ଭାବେ ସେ ସ୍ୱର ମାଧୁରୀ,
ତୁଳିବାର ସପ୍ତସ୍ୱରା-
ସ୍ୱର ସଙ୍ଗେ ତାହା ତୁଳିବାର ସିନା
କର୍କରା ସଙ୍ଗେ ଶର୍କରା !
ଖଣ୍ଡେ ଦୂର ଯାଇ ଦେଖିଲେ ଭୂପତି
ଭୂତଳେ ଏକ ସୂନ୍ଦରୀ,
ପଡ଼ିଛି ଅଚେତେ ବାତାହତ ଆହା,
କନ‌କ ଲତିକା ପରି !
ଦୂର ପତନର ବେଗ-ବଶେ ପଡ଼ି
ନିଷ୍ପନ୍ଦେ ରହିଛି ଅବା,
ନ‌ଗେନ୍ଦ୍ର ବିହାରୀ  ମେଘକୋଳୁ ଖସି
ମହୀରେ ଅଚିର-ପ୍ରଭା !
ସଖୀ ଅନିନ୍ଦ୍ୟାଙ୍ଗୀ କାନ୍ଦେ ପାର୍ଶ୍ୱେ ବସି
ସୌନ୍ଦର୍ଯ୍ୟେ କାନନ ଦ୍ୟୋତି
କମଳ ନୟନୁ ଅବିରତେ ଝରେ
ଅମଳ କରୁଣା-ମୋତି ।
ଅଶ୍ରୁସିକ୍ତ ମୂଖେ ନିରୁପମ ଶୋଭା
ବ‌ହି ସେ ମତ୍ତକାଶିନୀ,
ହିମ-ବିନ୍ଦୁ-ସ୍ତବ କିନୀ ଅମ୍ବୋଜିନୀ
ଶୋଭା ଯାଇଥିଲା ଜିଣି ।
ଦୟାର୍ଦ୍ର ବଦନ ନରେନ୍ଦ୍ରର ଦେଖି
ସୁନ୍ଦରୀ ହୃଦ-ଆଶ୍ୱାସେ।
ଶ୍ରୀଛାମୁରେ ଦୁଃଖ କାହାଣୀ ଏ ରୂପେ
ବୋଇଲା ଗଦ୍‌ଗଦ୍ ଭାଷେ-
"ଭୋ ଦେବ, ନିଶାନ୍ତେ ଦିବାକର ବିଜେ
ହେଲେ ଏକଚକ୍ର ରଥେ,
ଇନ୍ଦ୍ର ଦେଶେ ନୃତ୍ୟ ଗୀତ କରି ଯାଉଁ
ଆମ୍ଭେ ସେ ରଥ ଅଗ୍ରତେ ।
ବ୍ୟୋମେ ଆମ ପଥେ ହରୁଥାଇ ଖର
ତାପ ଖର ଧିପତିର,
ସୁରଗଜ-ମଦ ସୁରଭି ସ୍ୱର୍ଣ୍ଣଦୀ
ଶୀକର-ଶୀତ-ସମୀର ।
ତିଳୋତ୍ତମା ବିସ୍ୱ- ରମା ଏଣୀନେତ୍ରା
ମେନା, ରମ୍ଭା, ରମ୍ଭଊରୁ,
ସୁକେଶିନୀ ମିଶ୍ର, କେଶୀ ଯା ସଙ୍ଗୀତେ
ଆଶ୍ଚର୍ଯ୍ୟ ନିଜେ ତୁମ୍ଭୁରୁ ।
ସ‌ହଜନ୍ୟା ରୂପ- ଧନ୍ୟା, ପ୍ରେମଶୀଳା
ପ୍ରେମଲୋଚା ସୁମଧ୍ୟମା,
ଅଣୂଦରୀ କ୍ରନୁ ମ୍ଳୋଚା ଦ୍ୱିଜରାଜ
ଜିତମୁଖୀ ଦ୍ୱିଜୋତ୍ତମା,
ବିଶ୍ୱନେତ୍ର-ରୁଚି ଘୃତାବୀ, ବିଶ୍ୱାଚ
ବିଶ୍ୱ-ମନୋମୃଗ-ଫାଶ,
ଚିତ୍ରଲଖା ମୁହିଁ ଏ ସଖୀ ମୋହର
ଉର୍ବଶୀ, ହେ ମହେଷ୍ୱାସ !
ବଜ୍ରର ଅସାଧ୍ୟ ତ୍ରିଦିବ-ସମ୍ପଦୀ
ଲୋଭେ ତୀବ୍ରତପୋଶ୍ଚାରୀ-
ଶତୃ ଜିଣିବାକୁ ସୁକୁମାର ଅସ୍ତ୍ର
ଶକ୍ରର ଏ ସୁକୁମାରୀ ।
ହେମ-ବଲ୍‌ଗାଧାରୀ ଅନୂରୁ ଛାମୁରୁ
ବେନିଏ ମେଲାଣି ମାଗି,
ଖଟଣି ବଢ଼ାଇ ଆସିଥିଲୁଁ ଆଜ
ଏ ବନେ ଭ୍ରମିବା ଲାଗି ।

ପୃଷ୍ଠା ୪
ମହୋଲ୍ଲାସେ ନୀଳ- ବ୍ୟୋମୁ ଅବତରି
ନିରାତଙ୍କ ମଣି ମନ,
ନିଃଶଙ୍କେ ବେନିଏ ନିକାଞ୍ଚନେ ଏଥି
କରୁଥିଲୁ ବିଚରଣ ।
ସ‌ହସା ଦାନବ‌- ଯୁବା ଜଣେ ଏହି
କନ୍ଦରୁ ହୋଇ ବାହାର,
ବଳେ ଘେଏଇ ଯାଉ- ଥିଲା ସଜନୀକି
ପାପ ପାଞ୍ଚି ଦୂରାଚାର ।
ପାପଚିନ୍ତା ମାତ୍ରେ ପାପଦଣ୍ଡଦାତା
ତୁମ୍ଭକୁ ଦେଖି ସେ ଡରେ,
କମଳିନୀସଖୀ ଆଗେ ତମ ପ୍ରାୟେ
ପଳାଇଲା ଦୁଷ୍ଟ ଖରେ ।
ତ୍ରିଦିବ ଚନ୍ଦ୍ରମା ମୁକ୍ତ କଲା ଆଜ
ଦାରୁଣ ଦାନବ-ରାହୁ-
ମୁଖୁ ସିନା, ବୀର, ଅଭୟ ଦକ୍ଷିଣା
ଦାନ-ଦକ୍ଷ ତୁମ୍ଭ ବାହୁ ।
ତ୍ରାସେ ମୂର୍ଚ୍ଛା ଭଜି କି ବିକଳେ ଆହା
ଭୁତଳେ ପଡ଼ିଛି ବାଳା !
ହୃଦ-କମ୍ପ ଯୋଗୁଁ ଦେଖ ଉଠେ ପଡ଼େ
ବକ୍ଷେ ପାରିଜାତମାଳା ।
ଅମରୀ ହେଲେହେଁ ଶୁଝିବାକୁ ମୋର
ଶକତି କାହିଁଛି ପୁଣ,
ଶରଣପଞ୍ଜର ଭୋଦେବ, ତୁମ୍ଭର
କାତରେ ଏ ଦୟା ଋଣ ।"
ଅଚେତେ ଅବଶ ସେ ତ୍ରଦଶ ଯୋଷା
ମଉଳି କୁସୁମ ଗଭା,
ଉର୍ବଶୀକି ଦେଖି ଅବଶେ ସେ ରୂପେ
ମୁଗ୍‌ଧ ହେଲେ ପୁରୁରବା
ଭାବିଲେ, 'ଅମରେ ଅପଲକ କରି
ଗଢ଼ିଲା ବିହିକି ସତେ !
ଏ ରୁପ-ନିର୍ଝର ନେତ୍ରେ ରୁପାମୃତ
ପିଇବାକୁ ଅବିରତେ ?
କିରୀଟେ ନିର୍ଝରୁ ନୀର ଆଣି ରାଜା
ସିଞ୍ଚାଇ ସଜନୀ-ହାତେ,
ଚେତା କରାଇଲେ ଉର୍ବଶୀକି ନବ‌
ପଲ୍ଲବ ବିଞ୍ଚଣା ବାତେ ।
ଚେତନା ପ୍ରବେଶେ ଉର୍ବଶୀର କାନ୍ତି
ଝଟକିଲା ଅଭିରାମେ,
ସେ ଚେତନା ଯଥା ଭଜେ ନିର୍ମଳତା
ଯାମିନୀ-ଅନ୍ତିମ-ଯାମେ ।
ଯମିନୀର ଅଙ୍ଗ ରସାଣିର, ଆହା,
ଉଇଁ କି ନବ ଚନ୍ଦ୍ରିକା ?
କିବା ସେ ଯାମିନୀ ଯୋକେ ଉଜ୍ଜ୍ୱଳେ କି
ଜଳିଲା ଅନଳ ଶିଖା ?
ବିଶ୍ୱତ୍ରାସକର ବିଷମେଷୁ ଶର
ଖାଲିକି ତ ରକ୍ଷା ନାହିଁ,
ସେ ଶରକୁ ଦେଲା ମାର କି ସେ ତୀବ୍ର
ବିସର୍ପି-ବିଷେ ବିଷାଇ ?
ବରାରୋହା ନେତ୍ର ଫେଡ଼ି ଚାହାଁ ଦୈତ୍ୟ
ତସ୍କର ଭୟ ଗଲାଣି,
ତୋ ଭାଗ୍ୟେ ପ୍ରହରି ରୂପେ ଅଗ୍ରେ ଉଭା
ପୁରୁରବା ଧନୁଷ୍ପାଣି,
ମଧ୍ୟଲୋକ ପାଳ ତ୍ରଦଶ ବାନ୍ଧବ
ଚନ୍ଦ୍ରପ୍ରଭା-ଚନ୍ଦ୍ରବଂଶୀ,
ତରୁଣୀ-ନଳିନୀ ବିକାଶି ତରୁଣୀ
ଦିତିସୁତ-ଧ୍ୱନ୍ତ-ଧ୍ୱଂସୀ ।"
ଏ ଆଶ୍ୱାସ ଗିରେ ସଖୀର ନୟନ
ଫେଡ଼ିଲା ନାକ-ନାଗରୀ
ମୁଦ୍ରିତ ପଙ୍କଜ ମୋଦେ ପନ୍ଦଜିନୀ
ପ୍ରାଦେ ଫୁଟାଇଲା ପରି ।
(୧-ରାତ୍ରିର ଶେଷ ପ୍ରହରରେ ମନୁଷ୍ୟର ଚୈତନ୍ୟ
ଅର୍ଥାତ୍ ବୁଦ୍ଧି ବୃତ୍ତି ନିର୍ମଳ ହୁଏ, ୨ ବିଷମେଷୁ-କନ୍ଦର୍ପ,
୩ ବରୋହା-ପଦ୍ମମୁଖୀ)

ପୃଷ୍ଠା ୫

ରାଜମୁଖ ଦେଖି ଲାଜେ ଚନ୍ଦ୍ରମୁଖୀ
ଆଡ଼ କଲା ଚନ୍ଦ୍ରମୁଖ
ମାତ୍ର ଅନାୟତ୍ତେ ମନ ହେଲା ତାର
ମନୋଜ-କ୍ରୀଡ଼ା-କନ୍ଦୁକ ।
ଲାଜେ ପାଟଳିତ ହେଲା ଗଣ୍ଡସ୍ଥଳ
ଶୁଲକ ବ‌ହିଲା ପୁଣ,
ମନୋଜତରୁରେ ପଲ୍ଲବ କଅଁଳି
ଫୁଟିଲା ପରା ପ୍ରସୂନ ?
ଉତ୍ସ୍ୱାସର ବ୍ୟାଜେ ଦ୍ରବିଭୁତ ହୃଦ
ଅଜାଡ଼ିଦେଲା ଅବଳା,
ସୁରଭି ସମୀର ମୁଞ୍ଚିଲା କି ଦିଗ
ଦକ୍ଷିଣା ସିନ୍ଧୁ ମେଖଳା ?
ଭାଳିଲା ସୁନ୍ଦରୀ, "ଭଲ ପ୍ରହରୀ ତ
ଦଇବ ଦେଲା ଭେଟାଇ,
ଚୋର ଥିଲା ଭଲ, ଏ ଭଳି ପ୍ରହରୀ
ହସ୍ତରୁ ତ ରକ୍ଷା ନାହିଁ !
ବଳାତ୍କାରେ ଦେହ ମାତ୍ର ବନ୍ଦୀ କରି
ଥିଲା ଦୈତ୍ୟ ଦୁରାଶୟ,
ଦେହ ମୁକୁଳାଇ ପ୍ରହରୀ ହୋଇ ଏ
ଚୋରାଇ ନେଲା ହୃଦୟ !
ଅବା ଏ ଭ୍ରମଇ ମରତେ କପଟ
କିଞ୍ଚିତ ରୁପ ଅନଙ୍ଗ,
ବଗୁରାରେ ଯାର ମଙ୍କୁ ପଡ଼ଇ
ଅବଳା ମନ ବିହ‌ଙ୍ଗ ।
ଜାଣିଲି ନିଶ୍ଚେ ସେ ଦୈତ୍ୟ ଆସି ମତେ
କରିଥିଲା ଶୁଭକ୍ଷଣେ,
ସେ ବିପଦ ଯୋଗୁଁ ଏ ରୁପ ସମ୍ପଦ
ଦେଖିଲି ସିନା ନୟନେ !
ନିଜ ସ୍ଥଳୀ ବୋଲି ସ୍ୱର୍ଗ ଟେକ ସିନା
ବଢ଼ାନ୍ତି ଅମରଗଣ,
ଏ ମୂର୍ତ୍ତିକି ବ‌ହି ଉତ୍ସଙ୍ଗେ ସ୍ୱର୍ଗର
ସ୍ୱର୍ଗ ଏ ମର୍ତ୍ତ୍ୟ ଭୁବନ !"
ପ୍ରେମାବେଶେ ବାଳୀ ଏହିରୂପେ ଭାଳି
ଅପାଙ୍ଗେ ନୃପଙ୍କୁ ଚାହିଁ,
ଲଜ୍ଜାବଶେ ଆଣୁ ଥାଇ ସେ ଚାହାଣି
ମୁହୁର୍ମୁହୁ ବାହୁଡ଼ାଇ ।
ସାଧୁବାଦ ନୃପେ ଦେବାଲାଗି ଧନୀ
ମନାସିଲା ବାରମ୍ବାର,
ମାତ୍ର ସାଧୁବାଦ ହୃଦୁ ଉଠି ତାର
ରହିଲା ଲାଖି ଗଳାର ।
ମନ‌-ପ୍ରାଣ-ଦାନ- ସ୍ଥଳେ ଶିଷ୍ଟାଚାର
କି ଛାର ଅବା ସମ୍ପତ୍ତି ?
ରତ୍ନ ଦେଇ ପୁଣି ବରାଟକ-ଦାନେ
ବଳେ କି କାହାର ମତି ?
ସାରଥି ଏ କାଳେ ବନେ ବନେ ଭ୍ରମି
ରାଜାଙ୍କ ପାଇ ସନ୍ଧାନ,
ଶ୍ରୀଛାମୁରେ ଆଣି ରଥ କଲା ଉଭା
ଦିବା ଜାଣି ଅବସାନ ।
ଦିଗ୍‌ବଳୟ ପାରେ ରବିରଥ ଏଣେ
ନେବାରୁ ବାହି ଅନୂରୁ,
ଅଭିନବ ମୂର୍ତ୍ତି ପ୍ରକଟିଲେ ଗିରି
ଚକ୍ରବର୍ତ୍ତୀ ଗୌରୀଗୁରୁ ।
ସନ୍ଧ୍ୟାତପ ଅର୍ଦ୍ଧ- ଅଙ୍ଗେ, ଅର୍ଦ୍ଧଅଙ୍ଗେ
ଜ୍ୟୋତ୍ସ୍ନା ପ୍ରତିବିମ୍ବ ଲଭି,
ପ୍ରତିଶରଙ୍ଗ ବିଡ଼ ମ୍ବିଲା ମାହେଶ୍ୱରୀ
ଅର୍ଦ୍ଧ ନାରୀଶ୍ୱର-ଛବି ।
ଆସି ଶ୍ୟାମ ବ୍ୟୋମ ଭିତ୍ତିରେ ଏ ଚିତ୍ର
ଦେଖି ସର୍ନେ ଭକ୍ତିଭରେ,
ଗିରିଜା ଗିରିଶ ମୂର୍ତ୍ତୀ ମଣି ତାକୁ
ପ୍ରଣମିଲେ ଯୋଡ଼ କରେ ।
ବନସ୍ପତି-ଡାଳେ ପକ୍ଷୀରୁଣ୍ଡ ଦେଖି
ହୃଦୟେ ହେଲା ପ୍ରତୀତି,
ଦିନର ଚରିତ କଳ୍ପନା ଲାଗି କି
ବସିଲା ପକ୍ଷୀ ସମିତି ?

ପୃଷ୍ଠା ୬

ଗାଇଲେ ସ୍ୱାଗତ କଳରୂତେ ପ୍ରେମ-
ଅନୁକୂଳା ରଜନୀଙ୍କି,
ନିବିଡ଼ କୀଚକ କୁଞ୍ଜେ ମଦକଳ
ଜଳବିଙ୍ଗ କ‌କବିଙ୍କୀ
ପ୍ରବେଶିଲେ ଶୈଳେ ମୃଦୁପଦେ ଆସି
ଶଶି-ଚାରୁ-ବିଳାସିନୀ
ତାରା ସୀମନ୍ତନୀ ସନ୍ଧ୍ୟା ପଛେ ପଛେ
ତାରାହାରା ନିଶୀଥିନୀ ।
ଭୀରୁଶୀଳା ଚିତ୍ର ଲେଖା ଅଗ୍ରେ ଦେଖି
ଉପସ୍ଥିତ ବିଭାବରୀ,
ସ୍ୱର୍ଗେ ବାହୁଡ଼ିବା ଲାଗି ହେଲା ବ୍ୟଗ୍ର
ସଙ୍ଗେ ଘେନି ସ‌ହଚରୀ ।
ରଥେ ତ‌ହୁଁ ବେନି ବାଳୀକି ବସାଇ
ସ୍ୱହସ୍ତେ ସେ ରଥ ବାହି,
ଦାନବ-ଅଗମ୍ୟ ହେମକୂଟ-ଶୈଳେ
ଦେଲେ ରାଜା ପ‌ହୁଞ୍ଚାଇ ।
ସଂକଳ୍ପ-ରମଣୀ ସଙ୍ଗେ ଗଳ୍ପୋଲ୍ଲାସେ
ବାହିଲେ ନୃମଣି ରଥ,
ସଂକଳ୍ପ ଘୋଡ଼ାରେ ଦଉଡ଼ିଲା ସଙ୍ଗେ
ରଙ୍ଗେ ତାଙ୍କ ମନୋରଥ ।
ପଥେ ରଥକ୍ଷୋଭୁଁ ଭେଟିବାରୁ ନିଜ
ଖୂଆରେ ଖୁଆ ପ୍ରିୟାର,
ସେ ସ୍ପର୍ଶ ମଣିଲେ ନରେଶ ଶ୍ରମର
କୋଟିଗୁଣ ପୁରସ୍କାର ।
ନେତ୍ରଭଙ୍ଗୀ, ସ୍ମିତ, ସ୍ପର୍ଶ ଆଦି ମୁଦ୍ରା
ହୁଏ ଯାହା ପ୍ରଚଳନ,
ପ୍ରେମ-ବିପଣୀରେ ଚିହ୍ନରା-ଗ୍ରାହକ
ତାର ସିନା ପ୍ରେମିଜନ !
ମୋହ୍ନ ପରଶେ ନରେନ୍ଦ୍ରର ବପୁ
ସ୍ୱଦେ ହେଲା ଜରଜର,
ସଞ୍ଚରିଲା ପ୍ରତି ଶିରାରେ ପ୍ରେମର
ବୈଦୁତ-ସ୍ରୋତ ପ୍ରଖର ।
ମୋହ‌ନ ପରଶେ ଉର୍ବଶୀର ମନ
ତରଳି ଗଲା ନିତାନ୍ତ,
ତରଳିଲା ଗିରି ତଟେ ସେହି କାଳେ
ଯଥା ମଣି ଚନ୍ଦ୍ରକାନ୍ତ ।
କ୍ରମେ ନଭେ ଶଶୀ ଉଠନ୍ତେ କନ୍ଦରେ
ତମସ୍ତୋମ ପଶିଗଲା,
ସ‌ହସ୍ର ସ୍ଫଟିକ ସଙ୍ଗେ ଚମକିଲା
ଜ୍ୟୋତ୍ସ୍ନା ଜାଲ‌ ଝଲା ଝଲା ।
ଶଶିକରଜାଳେ ତରଳି ଶଇଳେ
ଶଶିମଣି ପ୍ରେମାନନ୍ଦେ,
ବଦଳିଲା ପୁଣି ଚନ୍ଦ୍ରିକା କି ସେହି
ଶଶିମଣି ମକରନ୍ଦେ !
କଳପାଦପର ହୀରା ଶାଖାପୁଞ୍ଜ
ମୁକ୍ତାଗୁଣେ ଯଥା ଶୋହେ,
ମଞ୍ଜୁଳ ଦିଶିଲା ପ୍ରତି ଶୃଙ୍ଗ ସେହି
ଉଜ୍ଜ୍ୱଳ ଜ୍ୟୋତି ପ୍ରରୋହେ ।
ଚନ୍ଦ୍ରିକା ସ୍ପନ୍ଦନେ ଗିରିନ୍ଦ୍ରର ଶୋଭା
ଅପ୍‌ସରୀଏ ଅନୁଭବି,
ସ୍ମରିଲେ ସ୍ୱଜନ୍ମ କାଳୀନ ମନ୍ଦର
କ୍ଷୁଭିତ-କ୍ଷୀରୋଦ-ଛବି ।
ହେମକୁଟ ଗିରି ନିତମ୍ବେ ପ୍ରବେଶି
ସ୍ୱପୁରେ ଯିବା ସକାଶେ,
ଘେନିଲେ ମେଲାଣି ବେନି ନିତମ୍ବିନୀ
ବିନୟ ମଧୁର ଭାଷେ ।
ବିନୟ ମଧୁର ଭାଷେ ସୂନ୍ଦରୀଙ୍କି
ମେଲାଣି ଦେଲେ ରାଜନ
ମାତ୍ର ପ୍ରିୟା ପଛେ ପଛେ ଦଉଡ଼ିଲା
ପ୍ରେମୋଚ୍ଛନ୍ନ ଯୁବା ମନ ।
ଉପୁଜାଉଥିଲା ଏ କାଳେ ବିରହ
ବିରହିଣୀ କର୍ଣ୍ଣଜ୍ୱର,
କୌମୁଦୀ-ମୁଦିତ ଚକୋର ଚକୋରୀ
ସ୍ୱର ହର୍ଷ-ବିକସ୍ୱର ।

ପୃଷ୍ଠା ୭

ଯାଉଁ ଯାଉଁ ମୁଖ ପଛକୁ ବୁଲାଇ
କାନ୍ତକୁ ମିଳିନ୍ଦ ମାଳା
ରମ୍ୟ ନେତ୍ରେ ବକ୍ରେ ଚାହୁଁଥିଲା ଖେଳା
ଖଞ୍ଜନ ଲୋଚନା ବାଳା ।
ଶୃଙ୍ଗେ ଉଠୁ ଉଠୁ ଉର୍ବଶୀର ମଠ
ଦେଖି ଡାକିବାରୁ ସଖୀ,
କଣ୍ଟାବନେ ଲାଗି ପଣତ ବାଳାର
ସ‌ହସା ଗଲା ଅଟକି ।
ବିକମ୍ବର ବ୍ୟାଜ ଲୋଡ଼ନ୍ତି ଏପରି
ଘାରି ହୋଇ କାମ ବାଣେ,
କାମିନୀଏ ସବୁ ଦିନେ, ଏ କଥା ତ
ପ୍ରସିଦ୍ଧ ପ୍ରିତୀ ପୁରାଣେ ।
"ରହ, ଅଟକିଲା କଣ୍ଟାରେ ବସନ"
ବୋଲିବାରୁ ଉରୁବଶୀ,
"ଅଟକିବ, ଜାଣି ଥିଲି ଛଟକିନି"
ସଜନୀ ବୋଇଲା ହସି ।
ଶୃଙ୍ଗୁ ଉଠି ସଖୀ ସଙ୍ଗେ ଶଶୀମୁଖୀ
ମିଶିଗଲା ନଭସ୍ଥଳେ,
ଏକଦୃଷ୍ଟେ ତାର ପ୍ରୟାଣ ଦେଖିଲେ
ନରେନ୍ଦ୍ର ଗିରି ମେଖଳେ ।
ରାଜଦେହୁଁ ମନ ଓଟାରୁଣ ଥିଲା
ଉର୍ଦ୍ଧେ ଉଠି ସୁରବାଳୀ,
ଛିନ୍ନ ମୃଣାଳରୁ ଥଣ୍ଟେ ସୂତ୍ର ଯଥା
ଓଟାରି ଉଡ଼େ ମରାଳୀ ।

କବିବର ରାଧାନଥ ରାୟଙ୍କର ଏହା ଏକ
ଅସମାପ୍ତ କବିତା । ଏହାର ଉତ୍ତରାର୍ଦ୍ଧ ସେ ଗଦ୍ୟାକାରରେ
ଲେଖିଛନ୍ତି ଯାହା ସ୍ୱର୍ଗାରୋହଣ ଯୋଗୁ ପଦ୍ୟାକାରରେ ଲେଖିବା
ସମ୍ଭବ ହେଲାନି ।
ତାହା ପଢ଼ିବା ନିମନ୍ତେ ଦେଖନ୍ତୁ
'ପାର୍ବତୀ କାବ୍ୟର ଉପସଂହାର' ।

ସମାପ୍ତ