କବିତାବଳୀ/ଉଷା

ଉଇକିପାଠାଗାର ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ଉଷା


(ବୃତ୍ତ-ଖଣ୍ଡକୁମ୍ଭକାମୋଦୀ)
(ଯତିର ନିୟମ -ଛ ଅକ୍ଷର, ଛ ଅକ୍ଷର, ପାଞ୍ଚ ଅକ୍ଷର)

 ପୃଷ୍ଠା ୧

ଶାଳ୍ମଳୀଶଇଳୁଁ ତିନି ସ୍ଥାନେ ତିନି ତଟିନୀ ଝରେ, (ଶାଳ୍ମଳୀ - ମୟୁରଭଞ୍ଜ ଜିଲ୍ଲାର ଏକ ଦୀର୍ଘ ପର୍ବତମାଳା)
ଲଙ୍ଘି ନାନା ବନ ଜନପଦ ମିଶେ ବଙ୍ଗସାଗରେ ।
ଉତ୍ତରେ ବଳାଙ୍ଗୀ, ମଧ୍ୟେ ଗଙ୍ଗାହାର ଶୋଣ ଦକ୍ଷିଣେ,
ଜଳବେଣୀ-ବର୍ଣ୍ଣେ କୁରଙ୍ଗୀ-ନୟନ-ନୀଳିମା ଜିଣେ ।
ରଜ ତମ ସତ୍ତ୍ୱେ ମିଶିଲା ପରାୟେ ବଳାଙ୍ଗୀ ପଦେ,
ଶୋଣ, ଗଙ୍ଗାହାର ମିଶନ୍ତି ଯେ ଯାହା ନୀର-ସମ୍ପଦେ ।
ତେମୁହାଣୀ ନାମେ ଏହି ସ୍ଥାନ ଏବେ ବିଦିତ ଲୋକେ,
ତଣ୍ଡୀକୁଞ୍ଜେ ଜାୟା ସଙ୍ଗେ ରଙ୍ଗେ ଯହିଁ କ୍ରିଡ଼ନ୍ତି କୋକେ ।
ନିର୍ଭୟେ ନିରତେ ନୀର ଆସ୍ତରଣେ କରନ୍ତି ରଙ୍ଗ,
ବାର ବାର ହୋଇ ଯହିଁ ଭଞ୍ଜଭୂମି ବନ‌ବିହ‌ଙ୍ଗ ।
ତିନି-ନ‌ଦୀ-ଜଳ ନିଜ ପୂଣ୍ୟ ବକ୍ଷେ ବଳାଙ୍ଗୀ ବ‌ହି,
ଯୋଜନାନ୍ତେ ଯାଇ ନିଜେ ମହାସିନ୍ଧୁ-ବକ୍ଷେ ମିଶଇ ।
ଥିଲେ ତାର ତୀରେ ନୁରୁ ନାମେ ରାଜା ମହାପ୍ରତାପୀ, (ବାଲେଶ୍ୱର ନ‌ଗରର ଏକ ଅଂଶର ନାମ ନୁରୁପୁର)
ପୂଜୁଥିଲେ ଯେହୁ ନ‌ଦୀତୀରେ ଶ୍ୟାମ ପ୍ରତିମା ସ୍ଥାପି ।(ବାଲେଶ୍ୱର ନ‌ଗରର ଏକ ଅଂଶର ନାମ ମାଣିକଖମ୍ବରେ ଏକ କାଳୀ ମନ୍ଦିର)
ସ୍ୱପ୍ନାଦେଶେ ନ‌‌ଦୀ-ଗର୍ଭୁ ନରପତି ଲଭି ବିଗ୍ରହ,
ଯଥାବିଧି ନୀତି ଚଳାଇବା ପାଇଁ କଲେ ଆଗ୍ରହ ।
ନ‌ଦୀତୀରେ ଦିବ୍ୟ ଦେଉଳ ତୋଳାଇ ତ‌ହିଁ ସ୍ଥାପନା,
କରାଇ ନ‌ଗର-ଅଧିଷ୍ଠାତ୍ରୀ ରୂପେ କଲେ ଅର୍ଚ୍ଚନା ।
ହୋମ ଯାଗ ଆଦି ଅନୁଷ୍ଠାନେ ଦ୍ୱିଜ ହେଲେ ଦୀକ୍ଷିତ,
ବଳୀ-ଲୋହେ ନୀଳ ବଳାଙ୍ଗୀ ସଲିଳ ହେଲା ଲୋହିତ ।
ଦେବୀଙ୍କ ନିଯୋଗେ ନରବଳୀ ହେଉ-ଥିଲା ଅର୍ପଣ,
ଇତର ପଶୁଙ୍କ କଥା ଅବା କିଏ କରେ ଗ‌ଣନ ?
ଦେବୀଙ୍କ ପ୍ରସାଦେ ରାଜାଙ୍କର ହେଲା ଭାଗ୍ୟ ଉଦୟ,
ଚିର‌-ଶତୃ-କୁଳ ନତ କଲେ ଶିର ହୋଇ ସଭୟ ।

 ପୃଷ୍ଠା ୨

ପାରିଧିରେ ଥିଲେ ବୀରସିଂହ ନୁରୁ ସଦା ଲାଳସୀ,
ପାରିଧି କରନ୍ତି ନିତି ନିତି ଶୈଳ କାନ୍ତାରେ ପଶି ।
ଚଳ-ଲକ୍ଷଭେଦେ ଅମୋଘ ତାଙ୍କର ଥିଲା ସନ୍ଧାନ,
ଗୁରୁ କରି ତାଙ୍କୁ ମାନୁଥିଲେ ଯେତେ ମୃଗ‌ୟୁମାନ । (ମୃଗ‌ୟୁ- ଶିକାରୀ)
ସର୍ବ ସୁଖେ ଥାଇ ଏକ ସୁଖେ ରାଏ ଥିଲେ ବଞ୍ଚିତ,
ସନ୍ତ‌ତି ବିହୁନେ ନିରନ୍ତର ସେହୁ ଥିଲେ ଚିନ୍ତିତ ।
ଦିନେ ନିଶି-ଯୋଗେ ଦେଖିଲେ ମହିଷୀ ସ୍ୱପ୍ନ ଅଦ୍ଭୁତ,
ଉଲ୍‌କାକାରେ ଉଡ଼ି ଆସିଲା ଆକାଶେ ଜ୍ୟୋତି ବ‌ହୁତ ।
ଜଡ଼ିଗଲା କିବା ଅନମ୍ବର ଶତ‌-ହାବେଳି ବାଣେ,
ଅଥବା ପଡ଼ିଲା ଶତ ସ୍ୱର୍ଣ୍ଣ-ରେଖା କଷ-ପାଷାଣେ ।
ସବୁ ଜ୍ୟୋତି ମଧ୍ୟେ ବେନି ଜ୍ୟୋତି ଥିଲା ଉଜ୍ଜ୍ୱଳତମ,
ଶାରଦୀୟ ଉଷା-ଶିରୋଭୁଷା ଶୁକ୍ର ତାରକାସମ ।
ଏକ ଜ୍ୟୋତି ଗଲା ମନୋରଥ-ଗତି ବାୟବ୍ୟ ଦିକେ, (ଦିକ- ଦିଗ)
ଅନ୍ୟ ଜ୍ୟୋତି ସମ ଗତିରେ ଆସିଲା ରାଣୀ ଅନ୍ତିକେ । (ଅନ୍ତିକ- ନିକଟ)
ତ‌ହିଁ ଖର୍ବକାର ଦିବ୍ୟ ନାରୀରୁପ ଦେଖିଲେ ରାଣୀ,
ମର୍ତ୍ତ୍ୟେ କି ସମ୍ଭବେ କେବେ ସେ ଅଦ୍ଭୁତ ଲାବଣ୍ୟ ଠାଣି ?
ପାଶେ ଆସି ଜ୍ୟୋତି ପଲକେ ପଶିଲା ରାଣୀ ଉଦରେ,
ଛନ‌କାରେ ନିଦ୍ରା ତୁଟିଗଲା, ରାଣୀ ଉଠିଲେ ଖରେ ।
ନୃପ ସନ୍ନିଧାନେ ସ୍ୱପନ ବୃତାନ୍ତ କ‌ହିଲେ ଯାଇ,
ଫଳ ଜିଜ୍ଞାସିଲେ ନୃପ ସ୍ୱପ୍ନବିତ-ବୁଧେ ବଖାଣି ।
'ଦିବ୍ୟ କନ୍ୟାଲାଭ' ଫଳ ସ୍ୱପ୍ନବିତ-ବୁଧେ ବଖାଣି,
ବାହୁଡ଼ିଲେ ନୃପ-ଛାମୁରୁ ସରବେ ସୁବର୍ଣ୍ଣପାଣି ।
ଦଶମାସ ଅନ୍ତେ ପ୍ରସବିଲେ ରାଣୀ ଦିବ୍ୟ ଦୁହିତା,
ଉଷାକାଳେ ଜାତ ବୋଲି 'ଉଷା' ନାମ ରଖିଲେ ପିତା ।
ଫଳେ ଦମ୍ପତିର ଦୁଃଖ-ତମିସ୍ରର ହେଲା ସେ ଉଷା,
ଜନନେତ୍ରେ ହେଲା ଲାବଣ୍ୟ ମଞ୍ଜୁଳା ରୂପ-ମଞ୍ଜୁଷା ।
ଇନ୍ଦ୍ରୟୁଧେ ତାର ଅଧ-ବିମ୍ବେ ନଭେ ଯେଉଁ ତୁଳନା,
ତ‌ହୁଁ ବଳି ଇନ୍ଦୁ-ସଙ୍ଗେ ସୁନ୍ଦରୀର ତୁଳା ଅଲଣା ।
କ୍ରମେ କ୍ରମେ ବାଲ୍ୟ-ସୀମା ଅତିକ୍ରମ କରିଣ ବାଳୀ,
ଦିନୁ ଦିନୁ ହେଲା ନୁରୁ ନୃପତିଙ୍କ ନେତ୍ର ସଙ୍ଖାଳି ।
ଝୁରି ହେଉଥିଲେ ରାଏ, ଲବେ ସୁତା ହେଲେ ଅନ୍ତର,
ଝୁରେ ଯେହ୍ନେ ଚନ୍ଦ୍ରକଳା-ଅଦର୍ଶନେ କୁମୁଦାକର । (କୁମୁଦାକର-କ‌ଇଁ ବ‌ହୁଳ ଜଳାଶୟ)

 ପୃଷ୍ଠା ୩

ପାରିଧିକି ବିଜେ ହେଲେ ନରବର ଆରୋହି ଦନ୍ତୀ,
କୁମାରୀକି ସଙ୍ଗେ ଅମାରିରେ ଘେନି ବିଜେ ହୁଅନ୍ତି । (ଅମାରି- ହାଉଦା)
ପ୍ରତିଦିନ ଉଷା ଏହିରୁପେ ଯାଇ ନୃପ ଗ‌ହଣେ,
ଦେଖୁଥାଇ ବନେ ମୃଗୟା କୌଶଳ ନିବିଷ୍ଟ ମନେ ।
ଦେଖୁଥାଇ ବନ-ପଶୁପକ୍ଷୀଙ୍କର ଚେଷ୍ଟା ଇଙ୍ଗିତ,
ସାହସ, ସାଧ୍ୱସ,ସ୍ନେହ, ମାୟା ଆଦି ଯହିଁ ସୂଚିତ । (ସାଧ୍ୱସ- ଭୟ)
କୌତୁକେ କାନନେ କଳୁଥାଇ ମନେ ରାଜେନ୍ଦ୍ର-ସୂତା,
ମୃଗୟୁକୁଳର ଦେଶ-କାଳ ଜ୍ଞାନ ହସ୍ତ ଲଘୁତା । (ମୃଗୟୁ- ବ୍ୟାଧ)
ନିତି ଦେଖି ରଙ୍ଗ ଏହିରୁପେ ମଞ୍ଚୁ, ହସ୍ତୀ ଉପରୁ,
ମୃଗୟ୍ୟା ଦୁଃଖକୁ ଶ୍ଳାଘ୍ୟ ମଣିଲା ଯେ ଗୃହ ସୁଖରୁ । (ଶ୍ଳାଘ୍ୟ- ପ୍ରଶଂସନୀୟ, ସ୍ପୃହଣୀୟ)
କ୍ରମେ ଯଥାକାଳେ ଛୁଇଁଲା ଛଇଳା ଯୌବନ-ସୀମା,
ଉପମା-ସୃଷ୍ଟିକୁ ବୁଡ଼ାଇ ଦେଲା ତା ରୁପ-ଗରିମା ।
ମରଲୋକେ ତାର ଯୋଗ୍ୟ ପଟାନ୍ତର କାହିଁ ମହିଳା,
ଦିବ୍ୟଲୋକେ ଏକା ସମ୍ଭବେ ସିନା ସେ ଲାବଣ୍ୟଲୀଳା ।
ତରଳ-ତାରକା-ହାରମୟୀ ନାକ-ନାଗରୀ ଟୀକା,
ସମକ୍ଷ ତାହାର ହେଲେ ହେବେ ଶଚୀ, ସ୍ୱର୍ଗ ଚନ୍ଦ୍ରିକା ।
ତରଙ୍ଗ ଦୋଳାରେ ତରଙ୍ଗାୟିତ କିବା ସିନ୍ଧୁ ଦୁଲଣା, (ଦୁଲଣା- ଝିଅ)
ଲୀଳା-ଅରବିନ୍ଦ-ଧାରିଣୀ ଅମଳ-କମଳାନନା । (ଅରବିନ୍ଦ- ପଦ୍ମ, ଅମଳ- ନିର୍ମଳ)
ସ୍ୱଳ୍ପକାଳେ ଶିଳ୍ଫ-କଳାଦିରେ ବାମା ହେଲା କୁଶଳା,
ମାତ୍ର ଶସ୍ତ୍ର-ଶିକ୍ଷା-ପ୍ରତି ମନ ତାର ସ୍ୱଭାବେ ଗଲା ।
ଅନୁକ୍ଷଣ ଶସ୍ତ୍ର ଶିକ୍ଷା ମୃଗୟାରେ ହେଲା ସେ ରତ,
ସଖା ସଙ୍ଗେ ଶସ୍ତ୍ର-ହସ୍ତେ ଭ୍ରମୁଥାଇ ବନ ପର୍ବତ ।
କେବେ ବିହରଇ ଶାଳରତରୁପୂର୍ଣ୍ଣ ଶୈଳ କାନନେ,
କେବେ ଅବା ସିନ୍ଧୁ-ବାୟୁ-ବିଧୁନିତ-ହେନ୍ତାଳବନେ । (ବିଧୁନିତ- କମ୍ପିତ)
ରଙ୍ଗ କୋବିଦାର ପାଟଳ-ବସନେ ଶୋଭଇ ଧନୀ,
ରଙ୍ଗ ଘନେ ଯେହ୍ନେ ଶୋଭେ ତାର ପ୍ରଭାମୟୀ ମିତଣୀ ।
କେବେ ଅଶ୍ୱପୃଷ୍ଠେ ଭ୍ରମୁଥାଇ ବାଳା ବନ ଶାଦ୍ୱଳ, (ଶାଦ୍ୱଳ- ତୃଣପୂର୍ଣ୍ଣ ପ୍ରାନ୍ତର)
ପ୍ଳୁତଗତି ହେତୁ ଗଣ୍ଡେ ଦୋଳୁଥାଇ ସ୍ୱର୍ଣ୍ଣ-କୁଣ୍ଡଳ । (ପ୍ଳୁତ- ଲମ୍ଫ)
କେବେ ଧନୁଶର ଶୋଭୁଥାଇ କରେ, ପୃଷ୍ଠେ ନିଷଙ୍ଗ, (ନିଷଙ୍ଗ- ତୁଣୀର ବା ଶରମୁଣା)
କେବେ ସବ୍ୟ କରେ ଫଳ, ସବ୍ୟେତରେ ଅସି ଉଲଙ୍ଗ । (ସବ୍ୟ- ବାମ, ସବ୍ୟେତର- ଡାହାଣ)

 ପୃଷ୍ଠା ୪

କେବେ ଶୂଳହସ୍ତେ ସଖୀଦଳେ ଭ୍ରମୁଥାଇ ଛଇଳା,
ପଦ୍ମିନୀ ବାହିନୀ ସଙ୍ଗେ ମହାବଳେ ଯେହ୍ନେ ପ୍ରମୀଳା
କନ‌କ-ବଲ୍ଲରୀ ମଧ୍ୟେ କି ବିହରେ ସ୍ଥିର ହ୍ଲାଦିନୀ, (ହ୍ଲାଦିନୀ- ବିଜୁଳି)
ତାରା-ହଲ୍ଲୀଷକେ କି ଅବା ରୋହିଣୀ ଇନ୍ଦ୍ର-ମୋହିନୀ । (ହଲ୍ଲୀଷକ- ମଣ୍ଡଳାକାର ନୃତ୍ୟ)
ଆନିତମ୍ବ ଲମ୍ବୀ କେଶଗୁଚ୍ଛେ ଶୋଭୁ ଥାଇ ଚରମ,
ଦର୍ଶକ ହୃଦୟେ ଉପୁଜାଇ ନୀଳ ଭୁଜଙ୍ଗୀ ଭ୍ରମ ।
ସ୍ୱର୍ଣ୍ଣ ସାରସନେ କୃଶୋଦରୀ କୃଶ କଟି ଜଡ଼ିତ, (ସାରସନ- କମରପଟି)
କବଚେ ଆବୃତ ସଞ୍ଚ ଘଞ୍ଚ ସ୍ତନ କଳି ଲଳିତ ।
ଆକର୍ଣ୍ଣ ବିସ୍ତାରୀ ନେତ୍ରେ ଉଠୁଥାଇ ଭାବ ତରଙ୍ଗ,
ତୂଳିରେ ଚିତ୍ରିତ ପ୍ରାୟେ ଚାରୁ ଭୁରୁ କାମ ଶାରଙ୍ଗ । (ଶାରଙ୍ଗ- ଧନୁ)
ହେଳେ ନେଉଥାଇ ଦେଖଣାହାରୀଙ୍କ ହୃଦୟ ହରି,
ଜଗତ‌ଯୋଷାଙ୍କ ଖୋଷାଭୁଷା ସେହି ଉଷାସୁନ୍ଦରୀ ।
ଥରେ ପଡ଼ିଲେ ସେ ନୟନେ ଜଗତ ନୟନ-କାରା,
ହେଉଥାଇ ରୂପବତୀ ସ୍ମୃତି ନଭେ ପ୍ରଭାତୀ ତାରା ।
ପ୍ରଦୋଷେ ସଙ୍ଗିନୀ-ବ୍ରାତେ ବିଜେକରି ସୁଚିତ୍ର ପୋତେ, (ବ୍ରାତ- ସମୂହ)
କରୁଥାଇ ନ‌କ୍ର ସଂହାର ବଳାଙ୍ଗୀ ହରିତ ସ୍ରୋତେ ।
ରଙ୍ଗେ ଆଲୋଡ଼ିଣ ବଳାଙ୍ଗୀ ତରଙ୍ଗ କ୍ଷେପଣୀ ଚଳେ,
ବେନି ତୀରେ ଶ୍ୟାମ ପାଦପ ବଲ୍ଲରୀ ଧାଏଁ ଚଞ୍ଚଳେ ।
କୁସୁମିତ ସ୍ୱର୍ଣ୍ଣକାନ୍ତି ଶଣକ୍ଷେତ୍ର ପଳାନ୍ତି ଖରେ,
ବାମା-ବର୍ଣ୍ଣ-ବିଭା ଚୋରି କରି ଅବା ପଳାନ୍ତି ଡରେ ।
ଠାବେ ଠାବେ ଉଠେ ଶ୍ୱେତ ଶିଳାସ୍ତମ୍ଭ ପ୍ରାୟେ କୁମ୍ଭୀର,
ନ ବୁଡ଼ୁଣୁ ଉଷା ଖର ହସ୍ତେ ବିନ୍ଧେ ତ ଦେହେ ତୀର ।
ବୃଥା ହାଣୁଥିଲା ମୃଗୀ ଅଙ୍ଗେ ବାଣ ସିନା ସୁନ୍ଦରୀ,
ଚାହାଣୀ ଭଙ୍ଗୀରୁ ଥିଲେ ସେହି ଯେଣୁ ଆଗ‌ହୁଁ ମରି ।
ଖଞ୍ଜିବା ଆଗରୁ ଶରାସନେ ଶର ଲୋକେ କରଭ, (କରଭ- ହସ୍ତି ଶାବକ)
ପଳାଉଣ ଥିଲା ପରିହରି ନିଜ ଉରୁ-ଗରବ ।
ମୁଗ୍‌ଧ ହୋଇ ମୁଗ୍‌ଧା-ଚରଣ-ନୂପୁର-ଶିଞ୍ଜିତ ସ୍ୱନେ,
କୁଜି ରାଜ‌ହଂସେ ଧାଉଁଥିଲେ ପଛେ ପଛେ ଗହ‌ନେ ।

- ମହାଭାରତରେ ବର୍ଣ୍ଣିତ ପ୍ରମୀଳାଙ୍କର ଅସଂଖ୍ୟ ସ୍ତ୍ରୀ ସୈନ୍ୟ ଥିଲେ ।

 ପୃଷ୍ଠା ୫

ବନପଶୁ ମନେ ଭ୍ରମ ଜନମିବା ଆଶେ ଲଳନା,
ହରିତ ପଲ୍ଲବେ ତନୁଚ୍ଛଦ କେବେ କରେ ରଚନା ।
ବିଚିତ୍ର ବରଣ ବନମାଳେ ମଣ୍ଡିଥାଏ ମସ୍ତକ,
କର୍ଣ୍ଣେ ପୁଷ୍ପଗୁଚ୍ଛ, ଜିଣଇ କୃତ୍ତିକା-ତାରା ସ୍ତବକ ।
ମାତ୍ର ନ ଆବରେ ଅଧରୌଷ୍ଠ, କର ବନପଶୁ ରୁ,
ବାରି ତ ନୋହିବ ତାହା ବଣଜାମୁ-ପଲ୍ଲବାଙ୍କରୁ ।
ଶୂଳ ହସ୍ତେ ବନପଶୁଙ୍କୁ ଗୋଡ଼ାଇ ଦୃତ ଚରଣେ,
ଦକ୍ଷ ହେଲା ବଡ଼ ମୃଗାକ୍ଷୀ ମୃଗୟା ଅନୁସରଣେ ।
ସଂସାରେ ତା ସଙ୍ଗେ ଗତି ବେଗେ କେହି ଅ ଥିଲେ ସରି,
କି ଆକୃତି କିବା ଗତିରେ ଥିଲା ସେ ବିଜୁଳି ପରି ।
ଯୁବତୀ ସୁଲଭ ସୌନ୍ଦର୍ଯ୍ୟେ ମିଶିଲା ଶୌର୍ଯ୍ୟ ପ୍ରଖର,
ବେନି ଗୁଣ ମିଳି କଲେ ରମଣୀକି ରୁଦ୍ର ସୁନ୍ଦର ।
ସର୍ବଶୋଭାଧାରୀ ବିମ୍ବାଧରୀଠାରୁ ମାଧୁରୀ ଘେନି,
ବିରୋଧ ପାସୋରି ମଧୁର ମିଳନେ ମିଳିଲେ ବେନି ।
ବିଷମ ପ୍ରତିଜ୍ଞା ମନେ ମନାସିଲା ସୁନ୍ଦରୀସାର,
ଗତିବେଗେ ତାକୁ ଯେ ଜିଣିବ, ହେବ ପତି ସେ ତାର ।
ରାଜାଦେଶେ ଦୀର୍ଘ ରାଜପଥ ରଚି ରାଜପୁରୁଷେ,
ପୁଷ୍ପିତ ପାଦପ ଥୋଇଲେ ସେ ପଥ ବେନି ପାରୁଶେ ।
ବର୍ତ୍ମାରମ୍ଭେ କାଳୀ ପ୍ରତିନିଧି ଚଣ୍ଡୀ ସର୍ବଶୁଭଦା,
ସ୍ଥାପିବାରୁ ସ୍ଥଳୀ ଏବେ ବୋଲାଉଛି ପ୍ରଥମାପଦା । (ପ୍ରତିଯୋଗିତାର ଆରମ୍ଭ ସ୍ଥାନର ନାମ ପ୍ରଥମାପଦା)
ବର୍ତ୍ମାନ୍ତେ ପ୍ରୋଥିତ ହେଲା ଉଚ୍ଚ ସ୍ତମ୍ଭ ରତ୍ନ ଜଡ଼ିତ,
ଅଦ୍ୟାପି ମାଣିକ୍ୟଖମ୍ବ ନାମ ଲୋକେ ଯେଣୁ ପ୍ରଥିତ । (ପ୍ରତିଯୋଗିତାର ଶେଷ ସ୍ଥାନର ନାମ ମାଣିକ୍ୟଖମ୍ବ)
ସଙ୍ଗେ ଧାଇଁ ଆଗେ ସ୍ତମ୍ଭକୁ ଛୁଇଁବ ଯେ ଯୁବାମଣି,
ସଭାସ୍ଥଳେ ତାକୁ ବରମାଳା ଦେଇ ବରିବ ଧନୀ ।
ହାରିଗଲେ ଶିରଶ୍ଛେଦ ଦଣ୍ଡ ତାର ହେବ ନିଶ୍ଚୟ,
ଟାଣପଣ ଶୁଣି ଭୀରୁ ଜନ ମନ ହେଲା ସଭୟ ।
ଯୁବାବୀରେ ଯେତେ ମାତିଲେ ସମସ୍ତେ ମହାଉତ୍ସାହେ,
ବୀରବିହୁନେ କି ସୁଖ-ମୂଲ୍ୟ କେହି ଦେବାକୁ ଚାହେଁ ?

 ପୃଷ୍ଠା ୬

ଯେ ସୁଖ ଯେସନ ତା ମୂଲ୍ୟ ତେସନ ସିନା ମହୀରେ,
ମୂଲ୍ୟ ଚିହ୍ନି ମୂଲ୍ୟ ଦେବାକୁ କେବଳ ଚିହ୍ନନ୍ତି ବୀରେ ।
କେତେ ରାଜସୁତେ ସାମନ୍ତେ ଆସିଲେ ଛାଡ଼ି ସ୍ୱସ୍ଥଳୀ,
ସ୍ୱୟମ୍ବର ଯଜ୍ଞେ ହୋଇ ଉଷା-ରୁପ-ପିପାସା-ବଳି ।
ଶୀତଳ ରତନ ପ୍ରାୟେ ବିଭାତିଲା ଦୂରୁ ସୁନ୍ଦରୀ, (ବିଭାତିବା-ଉଦ୍ଭାସିତ ହେବା)
ଛୁଇଁଲା ବେଳକୁ ହେଲା ସେ ଜ୍ୱଳନ୍ତ ଅନଳ ପରି ।
ଶତ ଶତ ଯୁବା ନାନା ଦେଶୁଁ ଆସି ସେ ନୁରୁପୁରେ,
ଅଙ୍ଗ ଢାଳିଦେଲେ ପତଙ୍ଗ ପରି ସେ ଚିତ୍ରଭାନୁରେ । (ଚିତ୍ରଭାନୁ-ଅଗ୍ନି)
ସ୍ୱୟମ୍ବରେ ଲୋଡ଼ି ତ‌ହିଁ ସେ ଅବନୀ କୁସୁମ-ଝରା,
ଦକ୍ଷିଣ ମଶାଣ ରାଜସୁତେ କଲେ ଲୋହେ ଉର୍ବରା ।
ଭିନ୍ନ ଭିନ୍ନ ଦେଶୁ ଆସିଥିଲେ ଯେତେ ରାଜକୁମାର,
ଯଶଃପଟୁ କାଳ ଲିଭାଇ ଦେଇଛି ନାମ ତାଙ୍କର ।
କେଉଁ କେଉଁ ଦେଶ ସେ କଥା କାହାରି ନାହିଁ ତ ଜଣା,
ବିସ୍ମୃତି-ଗରଭୁଁ ଉଦ୍ଧାରି ଆଣୁ ତା କବି କଳ୍ପନା,
ବୀରକୁଳ ନାମେ ବୀରପରିପୂର୍ଣ୍ଣ ସ୍ଥଳୀ କଥିତ ।
ପୂଗ-ଷଣ୍ଢ ଯହିଁ ନାଗବଲ୍ଲୀ ଦଳେ ଗାଢ଼େ ଜଡ଼ିତ ।
ହେମଫଳେ ନମ୍ର ଯହିଁ ଲଙ୍କା ଆମ୍ର ପାଦପ‌ପନ୍ତି, (ପନ୍ତି-ସମୂହ)
ତୃଷାର୍ତ୍ତ ପଥିକେ ଶାଖାସଞ୍ଚାଳନ-ଛଳେ ଡାକନ୍ତି ।
କୁମାରଦ ଆଦି ସ୍ଥଳୀ ବୀରଦ୍ରୁମ-ନିକୁଞ୍ଜେ ନୀଳ,
ସୁବର୍ଣ୍ଣ ତଟିନୀ ପଟୁସ୍ତରେ ତାର ତନୁ ପଙ୍କିଳ ।
ଭୋଗରାଇ ଯାର ଦିଗନ୍ତବିସ୍ତାରି-ସିକତାରାଶି,
ଶିରେ ଖେଳୁଥିଲା ରଙ୍ଗେ ଦିନେ ସିନ୍ଧୁ ତରଙ୍ଗ ଆସି ।
ଏବେ ପାଦେ ଯାର ଚକ୍ରବାଳବ୍ୟାପି ଶାଳି-କେଦାର,
ଶରତେ ଧରଇ ବାତାହତ ସିନ୍ଧୁ ତରଙ୍ଗାକାର ।
ସେ ଶାଳି-କେଦାରେ ଦୂରୁଁ ଦିଶେ ଯାର ସିକତାକୁଦ,
ପରାବାରେ ଯେହ୍ନେ ଜଳଦେବତାଙ୍କ ଶଙ୍ଖ-ସଉଧ ।
ଯାମକୁଣ୍ଡ ଯହିଁ ଘନ ତାଳୀବନ-ଶାମଳ-ତୀରା
ସୁବର୍ଣ୍ଣତଟିନୀ ସିନ୍ଧୁ ଅଙ୍ଗେ ଅଙ୍ଗ ଢାଳେ ଗଭୀରା ।

 ପୃଷ୍ଠା ୭

ବେନିଙ୍କର ଯହିଁ ନୀର ସଘର୍ଷକ ଧୀର ନିଘୋଷ,
ଉପୁଜାଏ ଦେବ ଭୁଷଣ୍ଡ-ଈଶ୍ୱର ନିରତେ ତୋଷ ।
ବୋଲଙ୍ଗ କୀଚକ କୁଞ୍ଜ-ପୁଞ୍ଜେ ଯାର ମେଚକ‌କାନ୍ତି, (ବୋଲଙ୍ଗ-ବାଲେଶ୍ୱରର ଉତ୍ତରପୂର୍ବରେ ଥିବା ଏକ ସ୍ଥାନ, କୀଚକ- ପୋଲା ବାଉଁଶ)
ଉପକୂଳେ ବାଲି ସ୍ତୁପ ଉପୁଜାନ୍ତି ଶଇଳଭ୍ରାନ୍ତି ।
କରନ୍ତି ଯୁବକେ ପରିପକ୍ୱ ଯହିଁ ଆୟୁଧ ଶିକ୍ଷା,
ଋଷ-ଯୁବତିଙ୍କି ପାରିଧିରେ ଦେଇ ବୈଧବ୍ୟ ଦୀକ୍ଷା ।
ରଙ୍ଗଣେ ରଞ୍ଜିତ ସିକତିଳ ସ୍ଥଳ ଲଙ୍ଗଳେଶ୍ୱର,
ଯାର ପାର୍ଶ୍ୱେସ୍ଥିତ ଶୂଳି-ହଳ-କ୍ଷତ ମହାପ୍ରାନ୍ତର ।
ବାଲିସ୍ତୁପ ଖୋଲେ ରଙ୍ଗେ ଯହିଁ ପ୍ରଜା ପତିଙ୍କ ଥାଟ,
ସୁରଭି ଶଗଡ଼ବାଟୁଆ ନିକୁଞ୍ଜେ କରନ୍ତି ନାଟ ।
ଜଳେଶ୍ୱର ଯାର ପ୍ରକ୍ଷାଳେ ପୟର ବକ୍ରଗାମିନୀ,
ସୁବର୍ଣ୍ଣତଟିନୀ ମତ୍ସ୍ୟମୟୀ ଚାରୁ ବକ୍ରଗାମିନୀ ।
ମୃତ ପ୍ରତାପର ମୂକ-ସାଖୀ ପ୍ରାୟେ ଟେକଇ ଶିଖ,
ଏକାଳେ ଯା କୂଳେ ଶୂନ୍ୟାକାର ଦୁର୍ଗ ଐତିହାସିକ ।
ନୀଳଗିରି ଯହିଁ ସ୍ୱର୍ଣ୍ଣଚୂଡ଼ ଚୂଡ଼ା ଚୁମ୍ବେ ଗ‌ଗନ,
ସିନ୍ଧୁ ଜଳାରଣ୍ୟେ ବଣା ନାହିକଙ୍କୁ ଦିଗବାରଣ ।
ପର୍ବତ କଟକେ ଚଟକା ନିର୍ଝର ଯହିଁ ଗଡ଼ଇ,
ଝର୍ଝର ଶବଦେ ଭୃଗୁରୁ ଭୃଗୁକୁ ଡେଇଁ ପଡ଼ଇ ।
ରଣ ବିଶାରଦ ଶୂରଙ୍କର ଭୂମି ସୋରା ପ୍ରଥିତ,
କମଳାଳଙ୍କୃତ ସର ରାଜେ ଯହିଁ ସ୍ମରଣାତୀତ ।
ସୋରବାସୀଙ୍କର ଦୁରିତବାରଣ ମଙ୍ଗଳଝଣ୍ଡା,
ରୂପ ଚମକଇ ଯହିଁ ଉଗ୍ରଚଣ୍ଡୀ ଖେଳାଇ ଖଣ୍ଡା ।

 ପୃଷ୍ଠା ୮

ମହାମାନ ପୃଷ୍ଠେ ଶୋଭଇ ମଙ୍ଗଳ-ପୁର ରୁଚିର,
ପୃଷ୍ଠେ ଶୋଭେ ଯାର ଅଭ୍ରଂକଷ ଦେବ ଗିରି ପ୍ରାଚୀର ।
ତମୋମୟ ଶିଳା-ଖଣି ସ୍ଥିତ ଯହିଁ ଶଇଳ ପଦେ,
ମୁଖର ଅରଣ୍ୟ ଯହିଁ ଶିଳାଶିଳ୍ପୀ ଶାଣ ଶବଦେ ।
ପାଟଣା ମଣ୍ଡଳ ସରାଗେ ମଣ୍ଡନ୍ତି ଯହିଁ ଶିଖରୀ,
ନୃମୁଣ୍ଡମାଳିନୀ ଉଗ୍ରଚଣ୍ଡୀ ଦେବୀ ମଣ୍ଡଳେଶ୍ୱରୀ ।
ଚିତ୍ରାଙ୍ଗ ଶାର୍ଦ୍ଦୁଳ ସଦା ଯାର ଆଜ୍ଞକାରୀ କିଙ୍କର,
ମେରିଆ-ଶୋଣିତେ ନିରତେ ପୂରିତ ଯାର ଖର୍ପର ।
କପାରି ଯା ଟଙ୍କେ କୁପେଶ୍ୱର ହର ଏବେ ବସନ୍ତି,
ପୁରାକାଳେ ଯହିଁ ଉଡ଼ୁଥିଲା ବୌଦ୍ଧ-ବଇଜୟନ୍ତି ।
ଅଦୂରେ ଯାହାର ବିରାଜଇ ଶୁଆ-ଶାରୀ ପର୍ବତ,
ଶାରୀ ଶୁଆ ରବେ ଝଙ୍କାରିତ ଯାର ଗୁହା ସତ‌ତ ।
ନାଗବଲ୍ଲୀ ଦଳ ବରଜେ ଶ୍ୟାମଳ ବିଶାଲଖଣ୍ଡ,
ତାଳବଣେ ଯହିଁ ମରମରେ ସିନ୍ଧୁ-ବାୟୁ ପ୍ରଚଣ୍ଡ ।
କଇଁସାରି ଲତା ଶ୍ୟମଳ ସିକତା କୁଦେ ବିହାର,
କରୁଥାନ୍ତି ଯହିଁ କୃଷ୍ଣସାର ସଙ୍ଗେ କୁରଙ୍ଗୀବାର ।
ଅଯାଚିତବୃତ୍ତି ଅଜଗର ତୃଣ ଭୂମିରେ ଲାଖି,
ଓଟାରିବା ଆସେ ଶ୍ୱାସେ ମୃଗ ଯହିଁ ରହ‌ନ୍ତି ଟାକି ।
ସରହାର ଯାର ଟଙ୍କୁ ଝରୁଅଛି ପବିତ୍ର ଧାର,
କାଁଶବାଁଶ ନାମେ ସୋରକଣ୍ଠେ ଗଜ-ମୁକୁତାହାର ।
ଯା ରୁଚିର-ତୀରେ ସ୍ଫୁରି ପରିମଳ-ମୟ ମଳୟ,
ପୁଷ୍ପିତ ପଳାଶେ ସିନ୍ଦୁରିତ କରେ ଆଶା-ବଳୟ ।
ଗୁଡ଼ ଅଭିହିତ କୁଶାଙ୍କରମୟୀ ପବିତ୍ର ସ୍ଥଳୀ,
କୁରଙ୍ଗ-ସେବିତ ବିରାଜନ୍ତି ଯହିଁ ଦେବୀ ଲାଙ୍ଗଳୀ ।
ପାଟଣା ମଙ୍ଗଳା ପ୍ରତିଷ୍ଠିତ ଯହିଁ ପୟୋଧି ତଟେ,
ବୈତାଳିକ ପ୍ରାୟେ ଶ୍ରୀପଦେ ପ୍ରୟୋଧି ନିରତେ ଖଟେ ।

 ପୃଷ୍ଠା ୯

ମାଗଧ ଅନୁପେ ସୀମାସ୍ତମ୍ଭରୂପେ ତୋଳିଛି ଶୀର,
ଯେ ଦେଶେ ବିରଞ୍ଚି ନାରାୟଣଙ୍କର ତୁଙ୍ଗ ମନ୍ଦିର ।
ଧାମରେ ମୁହାଣେ ପାଣ୍ଡୁଜଳାରଣ୍ୟେ ବାହୁଁ ନୌଚର,
ପୂର୍ବମୁଖେ ତରୀ ଦେଖଇ ସମ୍ମୁଖେ ମହାସାଗର ।
ନୀଳ-ସେତୁ କାନ୍ତି ଧରିତ୍ରୀର ଶ୍ୟାମ-ସୀମା ବଳୟ,
ଅଲଙ୍ଘ୍ୟ ଅଜେୟ ଚରାଚର-ତ୍ରାସ ବରୁଣାଳୟ ।
ଉପରୁ ଉପରୁ ଆସିଣ ଭୀଷଣୁ ଭୀଷଣତର,
ଫେନିଳ ଲହରୀ ଲହରାଉଥାଇ ପୋତ ପଞ୍ଜର ।
ତରଙ୍ଗେ ଓଲଟି କ୍ରୁର-ରଙ୍ଗେ କରି ମୁଖ-ବ୍ୟାଦାନ,
ନ‌କ୍ର ଶିଶୁମାର ଶୋଷି ନେଉଥାନ୍ତି ନାବିକ ପ୍ରାଣ ।
ପ୍ରଳୟ ଆଶଙ୍କା ଉପୁଜାଇ ସିନ୍ଧୁ-ସଖା ଉତ୍ତାଳ,
କରୁଥାଇ ପୁଣ ଛିନ୍ନ ଭିନ୍ନ ଗୁଣ-ବୃକ୍ଷେ ଅଝାଲ ।
ଧନ-ଜନ-ପ୍ରାଣ-ବିନାଶ ଚିନ୍ତାରେ ହୋଇ ଅକ୍ଷୟ,
ଭୟ ଜଡ଼ କର ଯୋଡ଼ି ପୋତ ପତି ଯାଚେ ଅଭୟ ।
ତେଜୋଧାମା ଯେଉଁ ଧାମରୀ ଦେବୀଙ୍କ କୁଞ୍ଜ ପୟରେ,
ତାଙ୍କ ଅଧିଷ୍ଠିତ ଭୂମିରୁ ଆସିଲେ ଭୂପ-କୁମରେ ।
ଭେଡ଼ା ଆଖ୍ୟାକାରୀ ବୃକ୍ଷହୀନ ଭୂମି ସମୁଦ୍ର ଦାଢ଼େ,
ଦ୍ୱୀପ ପ୍ରାୟେ କ୍ଷୁଦ୍ର ଜନପଦ ଯହିଁ ଭାସେ ଆଷାଢ଼େ ।
ନୀଡ଼ କ୍ରୋଡ଼େ ବସି ସାରସ ଦମ୍ପତି ଯହିଁ ନୀରୋଳେ,
ପ୍ରାଂଶୁ‌-ତୃଣ-ବନେ ଦୋଳୁଥାନ୍ତି ସିନ୍ଧୁ-ବାୟୁ ହିଲ୍ଲୋଳେ ।
ଭୀଷଣ ଅରଣା ବେଣା-ବଣେ ଯହିଁ ମହା ବିଷମ,
ଯମଙ୍କ ବାହ‌ନ ବୋଲାନ୍ତି ସେ, ଫଳେ ସେହି ସେ ଯମ ।
ବୈତରଣୀ ଅଙ୍ଗୁ ବ‌ହିଣ ଗେଙ୍ଗୁଟି ପ୍ରସନ୍ନନୀରା,
ଧୋଉଅଛି ଯହିଁ ମରୀଚିକାମୟୀ କ୍ଷେତ୍ର ଗୋହିରା ।
ନିମିଷେ ଉତ୍ତର କାଳେ ଗଲେ ସର୍ବେ ଦେବତାଉଭି,
ବାଜିବାରୁ ଯହିଁ କଳାପାହାଡ଼ର ରଣ-ଦୁନ୍ଦୁଭି ।

 ପୃଷ୍ଠା ୧୦

ନିମିଷେ ସରିଲା ଯହିଁ ଉତ୍କଳର ଗୌରବ-ଆଶା,
ଲକ୍ଷ ବୀର-ରକ୍ତେ ଉତ୍କଳର ହେଲା ଭାଗ୍ୟ ମିମାଂସା ।
ମେଘାସନ ବନ-ଦୃମଛାୟାରାଜି ଅନ୍ଧାରେ ଯାର,
କନ୍ଦରୁ ଝରଇ ମୃଦୁ କଳନାଦେ ନିର୍ମଳ ଧାର,
ଉପଳେ ସୈକତେ ସ୍ୱଚ୍ଛସ୍ରୋତ ଯାର ନିରତେ ବହି,
ପତ୍ର ପୁଷ୍ପ ଫଳ ଶସ୍ୟରେ ମଣ୍ଡନ କରଇ ମହୀ,
ଜ୍ୟୋତିର୍ଲିଙ୍ଗ ପ୍ରଭୁ ସ୍ୱୟମ୍ଭୁ ଅନିଳ ଯା ତୀରବାସି, (ଅନିଳ- ଶିବ)
ଯା ହୃଦ ମଣ୍ଡନ ସୀତାକୁଣ୍ଡ ପୟଃ ପିଯୁଷରାଶି ।
ଯା କୂଳେ ଭଦ୍ରକେ ଛନ୍ତି ରୁଦ୍ର-କାୟା ଭଦ୍ରକାଳୀକା,
ଦପା ନିବାସିନୀ ଦୁର୍ଗତିନାଶିନୀ ଦେବୀ ନାୟିକା ।
ଗୋନାଶିକା-ଶୈଳ-ସୂତା ପୂତ-ସ୍ରୋତେ ଢାଳେ ଯେ ଜଳ,
ପକ୍ଷାଳି ସଙ୍ଗମେ ଆଖଣ୍ଡଳମଣି-ପାଦ-କମଳ,
ସେହି ପୂତସ୍ରୋତ-ତୀରସ୍ଥିତ ଜନପଦ ନ‌ଗରୀ-
ବାସୀ ଆସିଥିଲେ ଉଷା ଲାଭ ଆଶା ହୃଦୟେ ଧରି ।
ନ ପୁରିଲା ଆଶା, ପଣ ଅନୁସାରେ ଶିର ନିଜର,
ଦେଲେ ନ‌ଗରୀର ଦକ୍ଷିଣ ମଶାଣେ ନୋହି କାତର ।
ମନ୍ତ୍ରର ସାଧକ, ଶରୀର ପତନ, ବେନିରୁ ଟକ,
ଦେଲେ ବୀରଙ୍କର ତୁଟି କି କେବେ ସଂସାରେ ଟେକ ?
ରୂପ ଗୁଣେ ବଳେ ନରକୂଳେ ଧନ୍ୟ ଥିଲେ ସକଳେ,
ମାତ୍ର ରୂପଗୁଣ ଫଳେ କି ଲ‌ଲାଟ ଲିଖନ ଟଳେ ?
ବଳୀ ହୋଇ ଦୈବ-ବିଧାନ‌କୁ କିଏ କରିବ ଆନ ?
ମହାବଳୀଠାରୁ ବଳୀଆର ପୁଣି ଦୈବ ବିଧାନ ।
ଏହିରୂପେ ରାଜ-ସୁତେ ନୁରୁପୁର-ଦକ୍ଷିଣ ଭାଗେ,
ହତ ହେଲେ ଦେବୀ କରାଳୀ ବିଜୟ-ପ୍ରତିମା ଆଗେ ।
ଅଦ୍ୟାପି ସେ ସ୍ଥଳୀ ଅସଂଖ୍ୟ କିଶୋର‌ ନୃପ-ସୂନୁର,
ଶୋଣିତ ପଙ୍କିଳ ହୋଇ ବୋଲାଉଛି ଶୋଣିତପୁର । (ଶୋଣିତପୁରର ବର୍ତ୍ତମାନ ନାମ ସୁନହଟ)

 ପୃଷ୍ଠା ୧୧

ସବୁ ରାଜସୁତ ଦର୍ପ ଏଥି ଯେଣୁ ହେଳାଟି ଚୂନା,
ଦର୍ପୀ-ଦର୍ପ‌ହାରୀ ସ୍ଥଳି ବୋଲି ଅଛି କଥା ପୁରୁଣା ।
ଦିନେ ଉଷା ସଖୀ ଗ‌ହଣେ ପ୍ରତ୍ୟୁଷେ ମହାକୌତୁକେ,
ବରାହ ମୃଗୟା ପାଇଁ ପୁରୁଁ ଗଲା ପଶ୍ଚିମ ମୁଖେ ।
ରାମ-ଶରାଙ୍କିତ ଲଳିତ ମୂରତି ଯହିଁ ମୁରାରି,
ଏବେ ଛନ୍ତି ସପ୍ର-ସ୍ରୋତା ତୀରେ ଗୋପ-ନେପଥ୍ୟଧାରୀ ।
ଝିଲ୍ଲୀ-ଝଙ୍କାରିତ-ମହାରଣ୍ୟ ତ‌ହିଁ ଥିଲା ସେ କାଳେ,
ସଦା ସୁଶିତଳ ନାନା ବନସ୍ପତି-ବ୍ରତ‌ତୀ-ମାଳେ ।
ମହାଘୋରବନ, ପଶିବାକୁ ଯହିଁ ଡରନ୍ତି କାକ,
ପୁଷ୍ପିତ ହୋଇଛି ଯେହ୍ନେ କୃଷ୍ଣପକ୍ଷ ଅନ୍ଧାର‌ଯାକ ।
ଅସନ, ଶିଂଶପା, କ‌କୁଭ, ତିନ୍ଦୁକ, କୁଟଜ, ଶାଳ,
ହରିତକୀ, ନୀପ, ଧାତ୍ରୀ, ବିଭିତକି, ଧବ, ପିଆଳ
ଏ ଆଦି ଗ‌ହ‌ନ ପାଦପେ ଥିଲା ସେ ସ୍ଥଳୀ,
ସରୋଜାଳଙ୍କୃତ ଠାବେ ଠାବେ ଥିଲା ସଜଳ ଜଳୀ ।
ଅଦୂରେ ତାହାର ନଳବନାକୀର୍ଣ୍ଣବିସ୍ତୀର୍ଣ୍ଣ ସର,
ନୀର ଆସ୍ତରଣ ନୀଳିମାରେ ଜିଣେ କଳା ଭ୍ରମର ।
କାହିଁ ନୀର ପାଣ୍ଡୁବର୍ଣ୍ଣ ପଡ଼ି ପଦ୍ମ-କେଶର ଧୂଳି,
ତାରକିତ କାହିଁ କରିଛି ପ୍ରସୂନେ ପାଣିଶିଉଳୀ ।
ନୟନ ଶୀତଳକାରୀ ପଦ୍ମ‌ବନ ଶ୍ୟାମାୟମାନ,
ସମୁକୁଳେ ତ‌ହିଁ ଦୋଳେ ପଦ୍ମଫୁଲ ଶୋଭା-ନିଧାନ ।
ଦୂରୁ ଯାଇ ମନ୍ଦସମୀରେ ବିକଚ-କମଳ-ଗନ୍ଧ,
ଗୁଞ୍ଜରି ଧାଆନ୍ତି ଅଳି-ପୁଞ୍ଜେ ମଧୁ-ସୌରଭେ ଅନ୍ଧ ।
ବିତରଇଁ ନୀଳ କଇଁ ଅପ୍ରଗଳ୍‌ଭ ସ୍ନିଗଧ ସୌରଭ,
ବ୍ରୀଡ଼ାବ୍ରତୀ ନବ-ପ୍ରେମଶୀଳ-ପ୍ରେମ-ଉଚ୍ଛ୍ୱାସ-ପ୍ରଭ ।
ଲଳିତ ମାରୁତେ ଦୂରୁ ଶୁଭେ ଯହିଁ ଶରାଳି-ସ୍ୱନ,
ଜଳଦେବୀଙ୍କର କିଙ୍କିଣୀ ଶବଦ ପ୍ରାୟେ ମୋହ‌ନ ।
ଶକ୍ର-ଧନୁ-ଖଣ୍ଡ ପ୍ରାୟେ ମତ୍ସ୍ୟରଙ୍କ ଶଫରୀ ଲକ୍ଷ,
ପରେ ରଖି ଆଖି ସ୍ଥିର ଥାଇ ଶୂନ୍ୟେ ଝାଡ଼ଇ ପକ୍ଷ ।

 ପୃଷ୍ଠା ୧୨

ମୀନ ଲୋଭେ ଗଲା ପାଣକାକ ବୁଡ଼ି ଆଲୋଡ଼େ ଜଳ,
ଦୀର୍ଘ ଗ୍ରୀବା ଟେକି ସ୍ଥାନେ ସ୍ଥାନେ ବକ ଧ୍ୟାନେ ନଶ୍ଚଳ ।
ନିକାଞ୍ଚନେ ରହି, ନିଃଶନ୍ଦେ ବିହରି ଚାହାନ୍ତି ନାହିଁ,
କଙ୍କ, ହଂସରାଳୀ ଯ‌ହୁଁ ଗୋଡ଼ କାଢ଼ିଯିବାକୁ କାହିଁ ।
ବନପଶୁଙ୍କର ସନ୍ତରଣ-ଯୋଗ୍ୟ ସର ସେ ଜାଣି,
ଜଗନ୍ତି ମୃଗୟ-ଜୀବୀ ତୀର-ବନେ କୋଦଣ୍ଡପାଣି ।
ବିଧି-ଶିଳ୍ପ-ସୀମା ତ‌ହିଁ ନୃପ-ଜେମା ଗୁପତେ ବସି,
ମୃଗୟା-ଉଦ୍ଦେଶ୍ୟେ ଉତ୍ସୁକେ ନିରେଖୁଥିଲା ସରସୀ ।
ବନପଶୁ ଆଶେ ତ‌ହିଁ ବସିବେଳ ହେଲା ବିସ୍ତର,
ହରିଦଶ୍ୱ ହରି-ବିକ୍ରମେ କ୍ରମଶଃ ହେଲେ ପ୍ରଖର । (ହରି - ଆକାଶ)
ସ‌ହସ୍ର କରେ ସେ ଭୁତଳେ ଫିଙ୍ଗିଲେ ଅନଳଗୁଣ୍ଡି,
ତରୁ ଷଣ୍ଢେ ଲୁଚି ସଘନେ ରଟିଲା ସିନ୍ଦୁରମୁଣ୍ଡି । (ସିନ୍ଦୁରମୁଣ୍ଡି- ଏକ ପ୍ରକାର ପକ୍ଷୀ)
ଆତପ-ସନ୍ତାପେ ପଦ୍ମ-ବନୁ ଉଡ଼ି ଭ୍ରମର କୁଳେ,
ଫୁଲ୍ଲ କର୍ଣ୍ଣିକାରେ-ଗରଭେ ପଶିଲେ ଘର୍ମ ଆକୁଳେ ।
ବସର‌ଯୌବନେ ଘସିଲେ ସଘନେ ବନେ ଟୋପର,
ସେ ସ୍ୱରେ ମିଶିଲା ଦୂରବନୁ କ୍ଳାନ୍ତ-କୁକ୍‌କୁଟ-ସ୍ୱର ।
ବନ-ପଶୁ-ପକ୍ଷୀ ମଧ୍ୟଦିନ ରୌଦ୍ର-ତାପେ ଅଥୟ,
ରବି-ରଶ୍ମୀ-ରୋଧି-ଲତାକୁଞ୍ଜ କ୍ରୋଡ଼େ ନେଲେ ଆଶ୍ରୟ ।
ଜଳପାନଆଶେ ପ୍ରଥମେ ଆସିଲେ ହରିଣୀ-ଦଳ,
ଚଉଦିଗେ ଚାହିଁ ଆଳସେ ଚୋବାଇ କୁଶ କବଳ ।
ସର୍ବାଗ୍ରେ ବିପଦେ ଯୁଥତ୍ରାଣ ପାଇଁ ଦିଏ ଯେ ପ୍ରାଣ,
ଗର୍ବଭରେ ଅଗ୍ର-ସର କୃଷ୍ଣସାର ଦୀର୍ଘ ବିଷାଣ ।
ସ୍ତନ୍ୟପାୟୀ ଶିଶୁ ମୁହୁର୍ମୁହୁ ସ୍ତନ ଶୋଷଣେ, ରତ-
ଥିବାରୁ ମୃଗୁଣୀ-ଖର-ଗତି ହେଉ-ଥିଲା ବ୍ୟାହତ ।
ଏକେଏକେ ସର୍ବେ ସରସେ ପ୍ରବେଶି ପିଇଲେ ଜଳ,
ଜଳ ପିଉ ପିଉ ଚାହାନ୍ତି ଚୌପାଶେ ତ୍ରାସେ ତରଳ ।
ଜଳ ପିଇ ସର୍ବେ ବନେ ବାହୁଡ଼ନ୍ତେ, ସହସା ସରେ,
ପଶିଲେ ବିକଟ ଦ୍ରଂଷ୍ଟ୍ରାବନ୍ତ ବେନି ବନ୍ୟ ଶୁକରେ ।

 ପୃଷ୍ଠା ୧୩

ଘୋର-ଘୋଣାଘାତେ କ୍ଷଣେ ସର ଶାନ୍ତି କରି ସେ ଦୂର, (ଘୋଣା- ନାକ, ଘୁଷୁରି ବା ବରାହର ଥୋମଣି)
ପଙ୍କ ଆଲୋଡ଼ିଣ ଭକ୍ଷିଲେ ଶାଳ୍‌କ ମୁସ୍ତା ପ୍ରଚୁର ।
ପଙ୍କ ଶଇବାଳେ ବୋଳା ହୋଇ ଜଳୁଁ ଉଠୁଁ ଉଲ୍ଲାସେ,
ଶୂଳ ହସ୍ତେ ଉଷା ସେହିକ୍ଷଣି ଆସି ମିଳିଲା ପାଶେ ।
ଉଷାକୁ ଦେଖି ସେ ସରୋଷେ କର୍କଶ ସଟା ଫୁଲାଇ, (ସଟା- କେଶର, ମୁଣ୍ଡର ଚୁଟି, ଜଟା ଓହଳ)
ମିଶିବା ଆଶାରେ ଗଲେ ଖର ବେଗେ ସଳଖେ ଧାଇଁ ।
ବେନି ମଧ୍ୟୁ ଏକ ଉଷା-ଶୂଳ-ମୂନେ ହେଲା ଗ୍ରଥିତ, (ଗ୍ରଥିତ- ଗୁନ୍ଥା)
ଅନ୍ୟ ଶରେ ଭିନ୍ନ ହୋଇ ଅର୍ଦ୍ଧପଥେ ହେଲା ପତିତ ।
ଦେଖି ନ ଜାଣିଲେ କେଉଁ ଦିଗୁଁ ସେହି ଶର ଆସିଲା,
ଯଥାକାଳେ ଯଥା-ସ୍ଥାନେ ସେହି ଶର କିଏ ପେଶିଲା ?
ଚାରିଦିଗେ ଚାହିଁ ନାରୀଏ କିଛି ନ ପାଇଲେ ଅନ୍ତ,
ଶରଫଳେ ଏକା ଅଙ୍କିତ ଦେଖିଲେ ନାମ "ଜୟନ୍ତ" ।
କେତେକାଳ ସେହି ବ୍ୟାଧ ପ୍ରତୀକ୍ଷାରେ ରହି ଲଳିତା,
ପୁରେ ବାହୁଡ଼ିଲା ସ୍ୱର୍ଣ୍ଣଚୂଡ଼-ଲମ୍ବା ଦେଖି ସବିତା ।
ଶାଳ୍ମଳୀଶଇଳେ ହେମ‌ପୁର ନାମେ ଥିଲା ବସତି,
ତ‌ହିଁ ରାଜପଣ କରୁଥିଲେ ରାଜା ବାହ‌ନପତି ।
ଜୟନ୍ତ-ପ୍ରତିମ କୁମାର ତାଙ୍କର ଜୟନ୍ତ ନାମ, (ଜୟନ୍ତ- ଇନ୍ଦ୍ର କୁମାର)
ବଳେ ଶକ୍ତିଧର, ଜିଣିଥିଲା ସେହି ଲାବଣ୍ୟେ କାମ ।
ଭାବୁଥିଲେ ଲୋକେ ଦେଖି ସେ ଯୁବାର ବିଗ୍ରହପ୍ରଭା,
ମୂର୍ତ୍ତିପରିଗ୍ରହି ମର୍ତ୍ତ୍ୟେ ଧନୁର୍ବେଦ ଭ୍ରମ‌ଇ ଅବା !
ଶସ୍ତ୍ରେ ଶାସ୍ତ୍ରେ କରି ଶସ୍ତ୍ରୀ ଶସ୍ତ୍ରୀଙ୍କର ଦର୍ପ ଖଣ୍ଡନ
ମୃଗୟାରେ ରତ ହେଲା ସେ ତରୁଣ ମୌଳି-ମଣ୍ଡନ ।
ଶାଳ୍ମଳୀଶଇଳ-ଭୃଗୁରୁ ବଳାଙ୍ଗୀ-ପ୍ରପାତ ଯହିଁ,
ନଳ-ବନାକୀର୍ଣ୍ଣ ଜଳି-ଗର୍ଭେ କଳ ନାଦେ ଝରଇ,
ଚକ୍ରାକାରେ ଯହିଁ ଚକ୍ରବାଳେ ରାଜେ ଗିରିମଣ୍ଡଳ,
ମହିଷାଳେ ଯହିଁ ନର୍ଜନେ ଚରାନ୍ତି ମହିଷ-ପଲ,
ସେହି ଜଳି-ପ୍ରାନ୍ତେ ବିରଚି ଜୟନ୍ତ ପର୍ଣ୍ଣ-କୁଟୀର,
ମୃଗୟା-ବ୍ୟସନେ ଥିଲା ନିମଗନ ନିରତେ ବୀର ।
ମହେନ୍ଦ୍ର ଅଚଳେ ଭାର୍ଗବ ଊଷିଙ୍କି ଭେଟିବା ଆଶେ,
ଯାଉଥିଲେ ଦିନେ ଶଖିଧ୍ୱଜ ଶିଖି-ପୃଷ୍ଠେ ଆକାଶେ ।

 ପୃଷ୍ଠା ୧୪

ଚିର ସ୍ନେହେ ଥିଲା ବେନିଙ୍କର ମନ ବେନିରେ ଲାଖି,
ବେନିଙ୍କର ଅସ୍ତ୍ର-ଗୁରୁ ଥିଲେ ଯେଣୁ ଦେବ ପିନାକୀ ।
ବନ‌ଦେବୀ ଅନୁରୋଧେ ଶିଖିଧ୍ୱଜ ଶୈଳେ ଓହ୍ଲାଇ,
ଛାଡ଼ିଦେଲେ ଶିଖି ବଳାଙ୍ଗୀ-ନିର୍ଝରେ କରିବା ପାଇଁ ।
ଅସଂଖ୍ୟ କଳାପୀ ବର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି,
ବ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି ।
ବନଲକ୍ଷ୍ମୀ ବନେ ଭିଆଇଥିଲେ କି ବର୍ଣ୍ଣ ଉତ୍ସବ,
କିବା ସ‌ହାଇଥିଲା ମର୍ତ୍ତେ ଶତ ଇନ୍ଦ୍ର-ଧନୁ ଉଦ୍ଭବ ।
ତ୍ରିଦଶ-ମୟୁର ମିଶିଲା ଆସି ସେ ମୟୁର-ପଲେ,
ଦେଖି ଅନ୍ୟ ଶିଖୀ ପୂରିଲେ ଗ‌ହ‌ନେ କେକା ଚ‌ହଳେ । (ଶିଖୀ- ମୟୁର, କେକା- ମୟୁର)
ସେ ରବେ ଆହୂତ ହୋଇ ତ‌ହିଁ କେତେ କ୍ରୁର ଶବର,
ଦେଖିଲେ ସୂର୍ଯ୍ୟାସ୍ତ-ଶୋଭା-ଅନୁକାରୀ ସେ ଶିଖିବର ।
ସ୍ୱଭବେ ଲୁବ୍‌ଧକ, ଲୋଭୀ ହେଲେ ସେହୁ କଳାପ ଦେଖି,
ମନେ ମନାସିଲେ ବଧିବେ ବିଶିଖେ ଅପୂର୍ବ କେକୀ ।
ଚାପେ ଖଞ୍ଜି ଶର ଆକର୍ଣ୍ଣ ଶିଙ୍କିନୀ ତାଣନ୍ତେ ତାର,
ଶରପଥେ ଉଭା ହୋଇ ନିବାରିଲା ନୃପ-କୁମାର ।
ଶରବନ-ଭବ ଦେବ ଜାଣି ଏହା ଜୟନ୍ତ ପ୍ରତି,
ବାହ‌ନ-ବତ୍ସଳ ଅନ୍ତର୍ଗତେ ହେଲେ ପ୍ରସନ୍ନ ଅତି ।
ଶୂରୋଚିତ ବର ସୁରାଗ୍ରଣୀ ଦେବା ପାଇଁ ସରାଗେ,
ଉଭା ହେଲେ ଦେବ ନୁ ଦିବ୍ୟ ରୁପେ ଜୟନ୍ତ ଆଗେ ।
ଶାଣେ ଉତ୍କୀର୍ଣ୍ଣକି ବରାଙ୍ଗ ଏସନ ଆସଇ ଚିତ୍ତେ,
ଗୌର ଗ୍ରୀବାଦେଶେ କୃଷ୍ଣକେଶଗୁଚ୍ଛ ଶୋଭେ କୁଞ୍ଚିତେ ।
ଅଯୋଜିତ ଗୁଣ ଧନୁଶୃଙ୍ଗେ ବୀର ଭଙ୍ଗିରେ ଭର-
ଦେଇ ସବ୍ୟେତର କରେ ଧରିଛନ୍ତି ଶର ଭାସ୍ୱର ।
ସ୍କନ୍ଧ ପୃଷ୍ଠେ ତରଣ-ମୁଖେ ଶର କଙ୍କ-ନିଚୟ,
ଦେହୁ ପ୍ରଭା ସ୍ଫୁରି ବନଭୂମି ଦେଶେ କନ‌କମୟ ।
ସ‌ହସା ସମ୍ମୁଖେ ଆବିର୍ଭୁତ ଦେଖ ଦେବ-କୁମାର,
କ୍ଷଣେ ସ୍ତମ୍ଭୀଭୁତ ଚକିତ ହେଲା ସେ ନୃପ-କୁମାର ।
ସାଷ୍ଟାଙ୍ଗେ ପ୍ରଣମି କର‌ଯୋଡ଼ି ଉଭା ହୋଇ ଅଗ୍ରତେ,
ଶକ୍ତିଧର-ପଦେ ବର ଭିକ୍ଷା ଯୁବା କଲା ଏ ମତେ ।

 ପୃଷ୍ଠା ୧୫

"ଦେବ ଶକ୍ତିଧର, ହେଲ ଯେବେ ଦାସ ପ୍ରତି ସଦୟ,
ସଙ୍କଟେ ସ୍ମରିଲେ ଅବତରି ଦେବେ ଦାସେ ଅଭୟ ।"
"ତ‌ଥାସ୍ତୁ" ଉଚ୍ଚାରି ଦେବ ତାରକାରି ଶିଖି ବାହ‌ନେ,
ପ୍ରଭାରେ ଉଜଳି ନୀଳବ୍ୟୋମ ଗଲେ ରାମ ସଦନେ ।
ବାହ୍ନ ଶିଖୀରୁ ପଡ଼ିଲା ସେ କାଳେ ବର୍ହ ରୁଚିର,
ମହାଦରେ ତୋଳିନେଲା ସେ କଳାପ ଜୟନ୍ତ ବୀର ।
ଭେଟିଲା ଭୁପତି ଛାମୁରେ ତା ନେଇ ଭୁପ ସନ୍ତ‌ନ୍ତି,
ମୁକୁଟର ଭୁଷା କଲେ ସେ ବର୍ହକୁ ବାହ‌ନପତି ।
ଘେନିଲେ 'ମୟୁର-ଧ୍ୱଜ' ପଦ ସେହି ଦିନୁ ରାଜନ,
ସେହି ଦିନୁ ରାଜ୍ୟେ ମୟୁର ନିଧନ ହେଲା ବାରଣ ।
ଉଷା-ସ୍ୱୟମ୍ବର ବାରତା ଜୟନ୍ତ ହରଷେ ଶୁଣି,
ନିଜ କରଗତ ପରାୟେ ମଣିଲା ସ୍ୱର୍ଗ ନିଶୁଣୀ ।
ଜୟନ୍ତର ରିଷ୍ଟ ଶଙ୍କା ସେହି ବର୍ଷେ କଲେ ଗଣକ,
ପଡ଼ିଲା ନୃପତି ସୁତ ମନୋରଥ ପଥେ କଣ୍ଟକ ।
ସ୍ୱୟମ୍ବରେ ଯିବା ପାଇଁ ନିଷେଧିଲେ ବାହ‌ନପତି,
ଶୈଳରୁଦ୍ଧ ସ୍ରୋତ ଦଶାକୁ ଭଜିଲା ଜୟନ୍ତ ମତି ।
କଷ୍ଟେ ଚିତ୍ତା଼େଗ ଗୁରୁ ଆଜ୍ଞ ନିଜ ମସ୍ତକେ ଧରି,
ପୂର୍ବପରି ବୀର ରହିଲା ମୃଗୟା ବିଧି ଆଚରି ।
ମୃଗୟା ବ୍ୟାପାରେ ଏଣେ ତେଣେ ଭ୍ରମି ବ୍ୟାକୁଳ ମନେ,
ଅତର୍କିତେ ଆସି ପ୍ରବେଶିଲା ପୂର୍ବ ବର୍ଣ୍ଣିତ ବନେ ।
ସେହି ବନେ କଳି-ତୀର-ତରୁତଳେ ସଙ୍ଗିନୀ ଦଳେ,
ଉଷାକୁ ପ୍ରଥମେ ଦେଖି ସେ ବୁଡ଼ିଲା ବିସ୍ମୟ ଜଳେ ।
ଭାଳିଲା, 'ହୋଇଛି ଅବା ଏଥି ବନ ଦେବଙ୍କ ମେଳା,
କିରାତିନୀ ବେଶେ ଖେଳୁଛନ୍ତି ପରା ପାରିଧି ଖେଳା ।
କି ଅବା ଶବରୀ ରୁପେ ମୁକ୍ତକେଶି ହର ସୁନ୍ଦରୀ,
ଯୋଗିନୀ ଗ‌ହଣେ ଭ୍ରମନ୍ତି ରଜତ ଟ୍ରିଶୂଳ ଧରି ।
ନାହିଁ, ନାହିଁ ସୁର-ନାଗରୀରୁ ଏଥି ଅଛି ବିଶେଷ,
ମର୍ତ୍ତ୍ୟନାରୀ ବୋଲି ଚିହ୍ନାଇ ଦେଉଛି ନେତ୍ର ଉନ୍ମେଷ ।

 ପୃଷ୍ଠା ୧୬

ନୁରୁରାଜପୁର ନୁହଇ ଏଠାରୁ ଦୂର ବ‌ହୁତ,
ଖ୍ୟାତ ଯାର କଥା, ଏ ହେବ ପରା ସେ ରାମା ଅଦ୍ଭୁତ ।
ନୁରୁ ରାଜ‌ଜେମା ନିଶ୍ଚେ ଏହି ବାମା ଲାଗଇ ମନେ,
ପାରିଧି ବ୍ୟାପାରେ ସଖୀ ସଙ୍ଗେ ଆସି ଅଛି ଗ‌ହ‌ନେ ।
ଏତେ ଦିନ‌ଯାଏ ଥିଲା ସିନା ମୋର ନୟନ ତୁଚ୍ଛ,
ଦେଖି ନ ଥିଲି ତ କେବେ ଏ ଅପୂର୍ବ ରୂପର ଉତ୍ସ ।
ସ୍ୱୟମ୍ବରେ କରିଅଛି ଯେଉଁ ପଣ ବାଳୀ ରତନ,
ଏ ରୂପର ଯୋଗ୍ୟ ଅଟଇ ସିନା ସେ ଦାରୁଣ ପଣ ।
ଏ ଟାଣ ପଣକୁ ଇତର ପୁରୁଷେ ହେବ କି ସରି ?
କେଶରିଣୀ ମନେ ଆନ କେ ଲାଗିବ ବିନା କେଶରୀ ।
ଏହି ରୂପେ ଭାଳି ଘନ ତରୁପର୍ଣ୍ଣେ ଆବରି ଅଙ୍ଗ,
ଶାଙ୍ଗ ଧନୁଶର-ହସ୍ତେ ଦେଖୁଥିଲା ନାରୀଙ୍କ ରଙ୍ଗ ।
ବିପଦ କବଳେ ଅବଳାକୁ ଦେଖି ଫିଙ୍ଗିଲା ଶର,
ଯେ ଶରେ ଭୁତଳ ଭଜିଲା ବେନିରୁ ଏକ ଶୂକର ।
ଉଷା ଦିବ୍ୟରୂପେ ପୂର୍ବୂ ହୋଇଥିଲା ଚିତ୍ତେ ମୋହିତ,
ସାହାସ କୌଶଳ ଦେଖି ହେଲା ପୁଣ ଦ୍ୱିଗୁଣ ପ୍ରୀତ !
ପାର୍ଥ ମନ ଶୌର୍ଯ୍ୟେ ସୌନ୍ଦର୍ଯ୍ୟେ ଯେସନେ ଯଦୁ-କୁମାରୀ,
ଉଷା ସେହିପରି ଜୟନ୍ତର ମନ ନେଲା ଓଟାରି ।
ବୀରାଙ୍ଗନା ସିନା ଗୁଣେ ବୀରମନ ପାରଇ କିଣି,
ଶୟନେ, ସ୍ୟନ୍ଦନେ, ବିଜୟେ, ସଙ୍କଟେ ଯୋଗ୍ୟ ସଙ୍ଗିନୀ ।
ରାଜ‌ଜେମା ପ୍ରେମେ ଉନମତ୍ତ ହୋଇ ସେ ନୁରୁପୁରେ,
ନିଶା ଯୋଗେ ହାଲ ଉପସ୍ଥିତ ହେଲା ନୃପ ଛାମୁରେ ।
ସବିନୟେ ନିଜ ପରିଚୟ ଦେଲା ଶିର ନୋଆଇଁ,
ଅର୍ଥୀ ହେଲା ବୀର-ତରୁଣ ଦାରୁଣ ପରୀକ୍ଷା ପାଇଁ ।
ମୁଗ୍‌ଧ ହେଲେ ଦେଖି ନୃପତି ସ‌ହିତେ ଅମାତ୍ୟ ଜନ,
ଯୁବାକୁ ମଣିଲେ କିଶୋରୀ ମଣିର ଯୋଗ୍ୟ କାଞ୍ଚନ ।
ଜୟନ୍ତକୁ ଦାଖି ନୃପଙ୍କର ହେଲା ହର୍ଷେ ବିଷାଦ,
ବିବରି କ‌ହିଲେ ପରୀକ୍ଷାର ଯେତେ ପୂର୍ବ ସମ୍ବାଦ ।
କାଳ ସ୍ୱୟମ୍ବରେ ଶିର ଦେଲେ ଯେତେ ବୀର ଯୁବାଏ,
ସମସ୍ତଙ୍କ ନାମ ଏକ ଏକ କରି କ‌ହିଲେ ରାୟେ ।
କ‌ହୁଁ କ‌ହୁଁ ତାଙ୍କ ହୃଦେ ଉପୁଜିଲା ଦାରୁଣ ଖେଦ,
ଅର୍ଥୀ ହେବାଲାଗି ସଜଳ ନୟନେ କଲେ ନିଷେଧ ।

 ପୃଷ୍ଠା ୧୭

ମାତ୍ର ନିମ୍ନମୁଖ ପୟଃ ପୁଣି ଦୃଢ଼-ପ୍ରତିଜ୍ଞ ମନ, (ପୟଃ-ଜଳ)
ଯେତେ ବାରିଲେହେଁ ମାନନ୍ତି ନାହିଁ ସେ କେବେ ବାରଣ ।
ଉଷାଗତ ପ୍ରାଣ, ଉଷା ତାର ଧ୍ୟାନ,ଉଷା ସେ ଗତି,
ଉଷା ନ ଲଭିଲେ ପାରିବକି ପ୍ରାଣେ ତିଳେ ବରତି ।
ପ୍ରଥମ ଦର୍ଶନ ବେଳୁ କରିଥିଲା ମନ‌କୁ ଦୃଢ଼,
କାଳ ସ୍ୱୟମ୍ବରେ ଅବ‌ହେଳେ କଲା ପ୍ରାଣକୁ ହୁଡ଼ । (ହୁଡ଼-ପଣ)
ସେହିକ୍ଷଣି ରାଜ ଆଜ୍ଞା ହୋଇଗଲା ପୁରେ ପ୍ରଚାର,
ପରୀକ୍ଷା ସକାଶେ ଯଥାବିଧି ଠୁଳ ହେଲା ସମ୍ଭାର ।
ପ୍ରାତେ ଅଭିନୟ ପୁଣି ହେବ ସେହି ଦାରୁଣ ବିଧି,
ଜୟନ୍ତ ଲ‌ଲାଟେ କେ କ‌ହିବ କିବା ଲେଖିଛି ବିଧି ।
ମହାଚିନ୍ତାକୁଳେ ଯାପିଲା ଜୟନ୍ତ ସେହି ରଜନୀ,
ମଣି ଲାଭ ହେବ କି ଅବା ପଡ଼ିବ ମୁଣ୍ଡେ ଅଶନି ।
ଭାଗ୍ୟ ଥିଲେ ମୋର ପାଇଁ ସଙ୍ଗୀ ହେବ ସେ ମଦାଳସା,
ନତୁବା ଭଜିବି ପୂର୍ବପ୍ରାର୍ଥୀ ରାଜସୁତଙ୍କ ଦଶା ।
ଥରେ ମାତ୍ର ପଡ଼ି ନେତ୍ରପଥେ ସେହି ରଙ୍ଗରଙ୍ଗିଣୀ,
ହୋଇଅଛି ଚିର-ଦିନ ପାଇଁ ମନୋନେତ୍ର-ସଙ୍ଗିନୀ ।
ବିଫଳ ହେବ ଏ ଜୀବନ ମୋହର ଉଷା ବିହୁନେ,
ଏ ଭଳି ଜୀବନଠାରୁ ମୃତ୍ୟୁ ଶ୍ରେୟ ସ‌‌ହସ୍ର ଗୁଣେ ।
ଯାହା ଥାଉ ଭାଗ୍ୟେ କେବଳ ସାହସ ମୋର ସମ୍ବଳ,
ସାହସକୁ ଦେବେ ଅନୁକୁଳ ହୋଇ ଦିଅନ୍ତି ବଳ ।
ଚିନ୍ତାକୁଳ ଚିତ୍ତେ ଉନ୍ନିଦ୍ର ରଜନୀ ଯାପିଲା ବଳୀ,
ଚିନ୍ତା ନିଦ୍ରା ବେନି ମଧ୍ୟେ ସବୁକାଳେ ସପତ୍ନୀକଳି ।
ସଂଶୟ-ପ୍ରବାହେ ଚିନ୍ତାକୂଳ ମନ ବୁଲିଲା ଘୁରି,
ବଳାଙ୍ଗୀ ହୃଦୟେ ପ୍ଳାବନେ ଯେସନେ ଭ୍ରମେ ଭଉଁରୀ ।
ନ ଦିଶୁଁ ପୂରବେ ଉଷାର ପ୍ରଥମେ ପାଟଳ ରେଖା,
ଡେଣାରୁ ଶିଶିର‌ବିନ୍ଦୁ ଝାଡ଼ି ଦିଏ ନଭେ ଯେ ଦେଖା ।
ଢ଼ଳ ଢ଼ଳ ଯା ତରଳ ସଙ୍ଗୀତ ପଥିକ ଶ୍ରୁତି,
ତାରେ ଝଙ୍କାରଇ ଅତୀତ ସୁଖର ତରୁଣ ସ୍ମୃତି ।
ପକ୍ୱଶାଳୀ କ୍ଷେତ୍ରେ ଯା ସ୍ୱର-ତରଙ୍ଗ ଭାସେ ଅନିଳେ,
ଉଷା ଉଦ୍‌ବୋଧନ, ଭରତିଆ‌-ସ୍ୱନ ଶୁଭିଲା ବିଲେ ।
 
 ପୃଷ୍ଠା ୧୮

ସାରେ ଶୟନ ପରିହରି ଦେବୀ ବିଶ୍ୱଦ୍ୟୋତିନୀ,
ରଞ୍ଜିଲେ ପ୍ରବାଳ ପାଟଳ ଆଲୋକେ ନଭ ମେଦିନୀ ।
କୋକବଧୁ ସଙ୍ଗେ କମଳିନୀ କଲା ଉଷା ବନ୍ଦନା,
ସମୁଜ୍ଜ୍ୱଳ ବେଶେ ଚୌଦିଗେ ହସିଲେ ଦିଗ-ଅଙ୍ଗନା ।
ସୁରଞ୍ଜିତ ଦିଶେ ନାନା ଅଙ୍ଗରାଗେ ପ୍ରାଚୀ ତରୁଣୀ,
ତ‌‌ହୁଁ ବଳି ଶୋଭା ବିକାଶଇ ଶୈଳ-ମୟୀ ବାରୁଣୀ ।
ସ୍ତରେ ସ୍ତରେ ଶୋହେ ଶଇଳ-ପ୍ରାଚୀର ଶ୍ୟାମଳ ଦ୍ୟୁତି,
କାହିଁଁ ଶୂଳାକୃତି, ଭଲ୍ଲାକୃତି, କାହିଁଁ ତୋରଣାକୃତି ।
କାହିଁଁ ଅବା କୁର୍ମ ପୃଷ୍ଠାକାର, କାହିଁଁ ସେତୁ-ଆକାର,
ଉନ୍ନତ, ଅନତ, ସରଳ, କୁଞ୍ଚିତ ବପୁ-ବିସ୍ତାର ।
ଉଷା ରକ୍ତାଂଶୁକେ ରଞ୍ଜିତ ଶ୍ୟାମଳ ଭୁଧରଗଣ,
ପିନ୍ଧିଛନ୍ତି ଅବା ଉତ୍ସବେ ମୟୁର କଣ୍ଠିବସନ ।
ମତ୍ସ୍ୟଶୈଳ ଦେଖ କିବା ଆଡ଼ମ୍ବରେ ଅଗ୍ରତେ ଠିଆ,
ଉତ୍ସ ପ୍ରାୟେ ଯାର ଦିଶେ ଗଣ୍ଡଶୈଳ ବାଇଗଣିଆ ।
ନିନ୍ଦି ସ୍ନିଗ୍‌ଧ ଶୈଳ କାନ୍ତି ମଦେ ନବ ନୀରଦ ଘଟା,
ମେହେରାବି‌-ତ୍ରୟ ଆକାଶେ ତୋଳିଛି ମହିଷ‌ପଟା । (ମେହେରାବି‌-ତୋରଣ)
ଅପରାଜିତାର ନୀଳୀମାକୁ ଦେଇ ଶତ ଧିକ୍‌କାର,
ତୋଳିଛି ଅମ୍ବରେ ଶୃଙ୍ଗ ସ୍ୱର୍ଣ୍ଣଚୂଡ଼ ଗୋଶିଙ୍ଗାକାର ।
ଇନ୍ଦ୍ରମଣି ଗଡ଼ ପ୍ରୟେ ମାଙ୍ଗଡ଼ ଶୋହେ ତା ପରେ,
ଦୀର୍ଘ ବିସ୍ତାରିତ ବପୁ ବିଭାସିତ ଲୋହିତ କରେ ।
ଅନ୍ତରାଳେ ଶୋଭେ ଠାବେ ଠାବେ ବାଳ-କିରଣ ଲଭି,
ପୃଷ୍ଠଦେଶେ ଦୂର ତର ଶୈଳଶ୍ରେଣୀ ଅସ୍ପଷ୍ଟ ଛବି ।
ବିରାଜଇ ନୀଳ ବର୍ଣ୍ଣେ ଢଳ ଢଳ ନଭ ବିତାନ,
କି ଅବା ଅପର ସିନ୍ଧୁ ଊର୍ଦ୍ଧ୍ୱ ଦେଶେ ଲମ୍ବାୟମାନ ।
ଉଡ଼ି ଯାଉଛନ୍ତି ହଂସେ ବୋଳା ହୋଇ ରକ୍ତ ଅଂଶୁକେ,
କୁଳୀର ଅରୁଣ ପୂର୍ବ ପାରାବାର-ପୁଳିନ ମୁଖେ ।
ରାଜାଦେଶ ପାଇଁ ନିଶା ଶେଷ ଯାଅମେ ହୋଇ ସତ୍ତ୍ୱର,
ସୁସଜ୍ଜିତ ହୋଇ ଥିଲା ବିଧିମତେ ନୁରୁନ‌ଗର ।

 ପୃଷ୍ଠା ୧୯

ନ ରାବୁ କୁକ୍କୁଟ, ନ ହେଉଣୁ ପୂର୍ବେ ଅରୁଣୋଦୟ,
ପରିଷ୍କୃତ ହୋଇ ପୁର ରଥ୍ୟ ହେଲା ତୋରଣମୟ । (ରଥ୍ୟ-ରାସ୍ତା)
ଲୋହିତ ପତାକା ତରୁ‌-ଶିରେ-ଉଡ଼େ ସମୀରେ ଢଳି,
ଚିତାରେ ମଣ୍ଡିତ ହୋଇଅଛି ପୁର-ବାସୀ ଦେହଳୀ । (ଦେହଳୀ-କବାଟ ସାମନା ପିଣ୍ଡା)
ରଙ୍ଗସ୍ଥଳେ ଦଳେ ବଳେ ଆସି ହେଲେ ଦର୍ଶକ ଗଦା,
ନାନାଦିଗୁ ହେଲା ଲୋକେ ଲୋକାରଣ୍ୟ ପ୍ରଥମାପଦା ।
ଛବି ଅଳିନ୍ଦାଦି ଅସଂଖ୍ୟ ଦରଶକ ବୃନ୍ଦେ ଶୋଭିତ, (ଛବି‌-ଛାତ,ଚାଳ)
ବାତାୟନ ହେଲା ଲଳନା-ଲୋଚନେ କୁବଳୟିତ । (କୁବଳୟ- ନୀଳ କଇଁ, ପଦ୍ମ)
ପୁରୁ ବାହାରିଲେ ନୁରୁ ନରନାଥ ନ‌‌ନ୍ଦିନୀ ସ‌ହ,
ବାଜିଣ ଉଠିଲା ନହବତେ ଉଚ୍ଚ ନାଦେ ପଟ୍ଟ‌ହ ।
ଟମକ, ନାଗରା, ମଧୂରିକା, ତୁରୀ ଭେରୀ, କାହାଳ,
ନାଦି ବାଦ୍ୟକାରେ ସର୍ବାଗ୍ରେ ଚାଲନ୍ତି ମାଳକୁ ମାଳ ।
କ୍ରୋଞ୍ଚ ପକ୍ଷଧର ଚିତ୍ରାଙ୍ଗ ପଦାତି ଶାର୍ଦ୍ଦୂଳପ୍ରଭ,
ଫଳକେ ଚିତ୍ରିତ ଶୋଭେ ନାନାବର୍ଣ୍ଣେ ଗଣ୍ଡଭୈରବ ।
ତାଙ୍କ ପଛେ ପଛେ ଗୁରୁ ପୁରୋହିତ,ପଟ୍ଟଜ୍ୟୋତିଶ,
ରାଜ-ପାତ୍ରମନ୍ତ୍ରୀ, ରାଜପରିଷଦ, ସେନା ଅଧୀକ୍ଷ ।
ସର୍ବ ଶେଷେ କରି-ପୃଷ୍ଠେ ନୁରୁରାଜ-ନନ୍ଦିନୀ ସ‌ହ,
ଚଉଦିଗେ ବେଢ଼ି ସ୍ତୁତି ପଢ଼ୁଛନ୍ତି ବନ୍ଦି ନିବ‌ହ ।
ସିନ୍ଧୁ-ଉର୍ମିପରି ଆଗେ ଆସୁଛନ୍ତି ମନୁଜ-ବ୍ରତେ,
ପୂର୍ବ ଶଶୀ ପରି ଶ୍ୱେତ ରାଜଛତ୍ର ସର୍ବ ପଶ୍ଚାତେ ।
ଉପସ୍ଥିତ ଚଣ୍ଡି ଦେଉଳେ ହୁଅନ୍ତେ ନୁରୁ ନରେଶ,
ବାଜି ପୃଷ୍ଠେ ଶିଖି-ଧ୍ୱଜ-ସ୍ୱତ ତ‌ହିଁଁ ହେଲା ପ୍ରବେଶ ।
ଦେହେ ମହୋଜ୍ଜ୍ୱଳ ପରିଚ୍ଛଦ, ରତ୍ନ ଉଷ୍ଣୀଷ ଶିରେ,
ରତ୍ନ କଟିବନ୍ଧୁ ଅସି-କୋଷେ ଅସି ଝୁଲେ କଟିରେ ।
ଅଶ୍ୱରୁ ଓହ୍ଲାଇ ପ୍ରଣମିଲା ଯୁବା ନୃପେ ବିନୟେ,
ଶିଶିର ମଣ୍ଡିତ କମଳ ଯେମନ୍ତ ନମେ ମଳୟେ ।
ଜନତାକୁ ବୀର ନତି କଲା ନତ କରି ଉଷ୍ଣୀଷ,
ପ୍ରୀତ ହୋଇ ସର୍ବେ ଉଚ୍ଚ ରବେ ଦେଲେ ଶୁଭ ଆଶିଷ ।
ଜୟନ୍ତକୁ ରଙ୍ଗେ ଦେଖି ରାଜବାଳା ହେଲେ ସ୍ତମ୍ଭିତ,
ବିଦ୍ୟୁତ ଗତିରେ ହୃଦେ ପ୍ରବାହିତ ହେଲା ଶୋଣିତ ।

 ପୃଷ୍ଠା ୨୦

ମନୁ କରିଥିଲା ନିରାଶେ ପ୍ରଣୟ-ପ୍ରସଙ୍ଗ ଦୂର,
ଏବେ ଅଙ୍କୁରିଲା ହୃଦୟେ ଉଦ୍ଦାମ-ପ୍ରେମ ଅଙ୍କୁର ।
ତନୁ ପୁଲକିଲା ଅଭିନବ ପ୍ରେମ-ମୋହ‌ନ ବଳେ,
ସୁରଞ୍ଜିତ ହେଲା ଅମଳ କପୋଳ ଲାଜ ପାଟଳେ ।
ସେହିକ୍ଷଣି ଚିତ୍ତେ ହର୍ଷେ ଉପୁଜିଲା ଘୋର ବିଷାଦ,
ଶୋକାର୍ତ୍ତେ ଭାଳିଲା ହୃଦଗତେ, "ଆହା ଏ କି ପ୍ରମାଦ !
କେତେ ଯୁବା ଆସି ଅକାରଣେ ପ୍ରାଣ ଦେଲେ ଏ ଦେଶେ,
ଅଶ୍ରୁ ବୁହାଇଲେ କେବଳ ନୟନେ ନ ରୁଚି ଲେଶେ ।
ଏ ରୂପ-ମାଧୁରୀ କାହିଁ ଥିଲା ପୁଣି ଭୁବନେ ଲୁଚି ?
ଥରେ ପିଇ, ଆହା ! ପାରିବ କି ତାହା ନେତ୍ର ମୁରୁଛି ?
ସରଳ ସୁଢଳ ଚାରୁ ବପୁ ଯେହ୍ନେ ଶୋଭା ବିଟପୀ,
କି ମଧୁର ଦିଶେ ଗୌର ଗଣ୍ଡେ କଳା କାନ ଝିଲିପି !
କେଡ଼େ ଶୋହା ଧରେ ଚାରୁ କର୍ଣ୍ଣ‌ଯୁଗେ ବୀର ବଉଳି,
ଶୋଭା ଦେଖିଯିବ ଶତ ମନୋଭବ ଶୋଭା ମଉଳି !
କୃଶ ଶ୍ମଶ୍ରୁ ରେଖା ନବଜାତ ଚାରୁ ଚିବୁକୋପରେ,
ବାଳ କମଳକୁ ବେଢ଼ିଛନ୍ତି ଅବା ଶିଶୁ ଭ୍ରମରେ ।
ବିଧତା ସୌନ୍ଦର୍ଯ୍ୟ ସୃଷ୍ଟିରେ ସାର ଏ ରାଜ କିଶୋର,
ହୋଇ ନ ଥିବଟି କେତେ ରସବ‌ହୀ ହୃଦୟ ଚୋର ।
ପଙ୍କଜାକ୍ଷୀ କେତେ ଭୁବନେ ହେଉ ନ ଥିବେଟି ରଙ୍ଗ,
ମଣ୍ଡିବାକୁ ପ‌ହି ତରୁଣ ତିଳକ ଅଙ୍କ ପଲଙ୍କ ?
ସନ୍ତାପ‌ହାରିଣୀ କେତେ ତରଙ୍ଗିଣୀ ସଂସାରେ ନାହିଁ ?
ମୃଗତୃଷ୍ଣିକାରେ ମନ ଯୁବାମଣି ହେଲା କିମ୍ପାଇଁ ?
ଶୁଣି ତ ଅଛି ଏ ପୂର୍ବ ଅର୍ଥୀଙ୍କର କେତେ ବୃତ୍ତାନ୍ତ,
ଶୁଣି ହେଲା କିମ୍ପା ଏ ଯୁବା ବୟସେ ଜୀବନେ କ୍ଳାନ୍ତ ?
ଏତେ ବୀର ଯୁବା ହାରିଗଲେ ଯହିଁ ତ‌ହିଁ କି ସରି,
ହେବା ଲାଗି ଅବା ଏମନ୍ତ କି ତପ ଅଛି ଆଚରି ?
ମୋ ଛାର ତରୁଣୀ ପାଇଁ ହେଲା ଏଡ଼େ ବାଇ କିପାଇଁ ?
ଏଡ଼େ ଶ୍ଳାଘ୍ୟ ପ୍ରାଣ ବୟରୂପେ ଦେବ ହେଳେ ହରାଇ ।
ଆହା, କାଲି ପ୍ରାଣ ବଞ୍ଚାଇଲା ବନେ ମୋର ଯେ ଜନ,
ଧିକ ଶତ ଧିକ ମୋ ପାଇଁ ଆଜି ସେ ଦେବ ଜୀବନ ।
କେହି ଯେବେ ଆହା ଫେରାଇ ଦିଅନ୍ତା ଯୁବାମଣିକି,
ତା ପାଦେ ଏ ଛାର ପରାଣକୁ ହେଳେ ଦିଅନ୍ତି ବିକି ।

 ପୃଷ୍ଠା ୨୧

ବୃଥା ମୋ ଆଶାରେ କାଳ ସ୍ୱୟମ୍ବରେ ଦେବାକୁ ମଥା,
ଆଣିଲା ଏହାକୁ ରୂପ ବୈରୀ କେଉଁ ଉପଦେବତା ?
ଅବଳା ସୃଷ୍ଟିକୁ ଜିଣିବା ଆଶ୍ରୟେ କରି ସଙ୍ଖାଳି,
ନ ରଖିଲେ କିମ୍ପା ରୁପାସ୍ତ୍ର ଏ ରୂପ ଦୂରେ ସମ୍ଭାଳି ? (ରୁପାସ୍ତ୍ର- କାମଦେବ)
ନୋହିଥିଲେ ଆହା, ଏହି ନିଦାରୁଣ ପଣ-ପ୍ରଚାର,
ଆଦରେ ଏହାକୁ କରନ୍ତି ନି କି ମୁଁ ଗଳାର ହାର ।
ଏ ଗୁଣ ସାଗର ନାଗର ହେଲେ ମୋ ପରାଣ ସଖା,
ହୋଇଯାନ୍ତା ଏହି ମର୍ତ୍ତ୍ୟପୁର ମୋର ପକ୍ଷେ ଅଳକା ।
ଏ ମଲେ ଏହାର ସଙ୍ଗେ ହେବି ମୁହିଁ ମର୍ତ୍ତ୍ୟୁ ଅନ୍ତର,
ଯାହା ଥିବ ଏହା ଭାଗ୍ୟେ, ସେହି ଭାଗ୍ୟ ଧ୍ରୁବ ମୋହର ।
ତେମୁହାଣି ବନେ ଦ୍ୱନ୍ଦ୍ୱଚରେ ମୁହିଁ ବିନ୍ଧିଲି ଦିନେ, (ଦ୍ୱନ୍ଦ୍ୱଚର- ଚକ୍ରବାକ)
ଷୋଣିତ ପାଟଳ ହୋଇ ଛାଡ଼ିଲା ମୋ ପ୍ରାଣ ପୁଳିନେ ।
ଶୋକେ ଝୁରି ତାର ସଙ୍ଗେ ମଲା ଦ୍ୱନ୍ଦ୍ୱ-ଚର-ତରୁଣୀ,
ବିହି ଅବା ସେହି ଭାଗ୍ୟରେ ମୋହର ଲିହିଛି ପୁଣି !
ବାଜିଣ ଉଠିଲା ଉଚ୍ଚ ରବେ ରଙ୍ଗେ-ଭୂମିରେ ଭେରୀ,
ଉଭା ହେଲେ ଲୋକେ ଉଷା-ଜୟନ୍ତକୁ ଚୌଦିଗେ ଘେରି ।
ଉଚ୍ଚୈଃସ୍ୱରେ ଡାକି ଡକରା ଘୋଷିଲା ପଣ ଉଷାର,
ଗତି ଅନୁକୂଳ ଯହୁଁ ହେବ, ଯହିଁ ଉପସଂହାର ।
ଜୟେ ପରିଣୟ, ପରେଭବେ ପ୍ରେତବସତି-ଲାଭ,
ମହାସୁଖ ମହା ଦୁଃଖ ମଧ୍ୟେ ନାହିଁ ମଧ୍ୟମ ଠାବ ।
ସଙ୍କେତକୁ ଚାହିଁ ପୂର୍ବ ମୁଖେ ଉଭା ହେଲେ ଉଭୟ,
ରମ୍ଭା ପତ୍ର ପ୍ରାୟେ ଉଦ୍‌ବେଗେ ଥରିଲା ବେନି ହୃଦୟ ।
ଜୟନ୍ତ ଏକାଳେ ଶକ୍ତିଧର ପଦେ କଲା ଜଣାଣ,
ଭୋ ଦେବ କୁମାର କର ସେବକ‌କୁ ସଙ୍କଟୁ ତ୍ରାଣ ।
କୃପ କଟାକ୍ଷରେ କରପାର ପ୍ରଭୁ ସଙ୍କୁଟୁ ପାରି,
ଘେନା ହେଉ ଦିବ୍ୟ ଅବଧାନେ ଦୁଃଖୀ ଜନ ଗୁହାରୀ ।
ହରଶୈଳ କିମ୍ବା ଦେବଗିରି ତୁମ୍ଭ ବିହାର ସ୍ଥଳ, (ହରଶୈଳ-କୈଳାସ)
ଅବତରି ଯହୁଁ ରକ୍ଷାକର ଦାସେ ଦାସ ବତ୍ସଳ !
ଅନ୍ୟେ ଦୃଶ୍ୟ ନୋହି ସ୍କନ୍ଦ ଉଭା ହେଲେ ଭକ୍ତ ଅଗ୍ରତେ, (ସ୍କନ୍ଦ-କାର୍ତ୍ତିକେୟ)
କ‌ହିଦେଲେ ବୀର ତରିବ ଯେରୁପେ ଦୁରୁହ ବ୍ରତେ ।

 ପୃଷ୍ଠା ୨୨

ମାନସର ଜାତ ତିନି ସ୍ୱର୍ଣ୍ଣପଦ୍ମ ଦେଇ ତା କରେ,
ଆଦେଶିଲେ ତାକୁ ପଥେ ଫିଙ୍ଗିବାକୁ ଗତି-କାଳରେ ।
ପରୀକ୍ଷାରେ ନିଜ ଭକ୍ତଜନ-ଜୟ ମନାସି ମନେ,
ମୟୁରବାହ‌ନ ନଭେ ବିରାଜିଲେ ମୟୁରାସନେ ।
ସଙ୍କେତଆଶାରେ ସ୍ତବ୍‌ଧ ଥିଲେ ଜନେ ଶ୍ରବଣ ଡେରି,
ଭୂପରି ଇଙ୍ଗିତେ ଭୈରବ ବାଜିଲା ସଙ୍କେତ ଭେରୀ ।
ଛନ‌କା ପଶିଲା ଲୋକ ମନେ ଭେରୀ ସଙ୍କେତ ସ୍ୱନେ,
ଦୁଡ଼ିଲେ ରାଜ-କୁମର କୁମାରୀ ଦୃତ ଚରଣେ ।
ଗତି ଦେଖି ଚିତ୍ତେ ଆସଇ, ସାଗର ଲହରୀ ପରେ,
ଦଉଡ଼ିଲେ ବେନି, ନ ଲାଗିବ ପାଣି ମୂଳୁଁ ପୟରେ ।
ପୃଷ୍ଠଦେଶେ ପୃଷ୍ଠ ଛାଡ଼ି ଅତି ଦ୍ରୁତ ଧାବନ ହେତୁ,
ଦିଶେ ବାମା କେଶ, ରଥେ ଯଥା ବେଗ ନିଷ୍କମ୍ପ କେତୁ ।
ସର୍ବେ ମନାସନ୍ତି ଜିଣୁ ରାଜ-ଯୁବା, ହାରୁ ରମଣୀ,
"ଜୟନ୍ତର ଜୟ ହେଉ" ରବେ କମ୍ପୁଅଛି ଅବନୀ ।
କେ କ‌ହିବ ହେଲା କିଏ ସେହି ରବେ ବିଶେଷେ ସୁଖୀ,
ଜୟନ୍ତ କୁମାର କିମ୍ବା ନୁରୁ ଜେମା ଚନ୍ଦ୍ରମାମୁଖୀ ?
ଯେ ଯୁବତୀ ଖର ଗତିବେଳେ ଜିଣି ପାରେ ଅନିଳ,
ସେ କିମ୍ପା କରୁଛି ଠାବେ ଠାବେ ଆଜ ଗତି ଶିଥିଳ ?
ଅତି ଦ୍ରତେ ଧାଇଁ ଜୟନ୍ତର ବ‌ହେ ଖର ନିଶ୍ୱାସ,
ମନେ ମଣୁଅଛି ରାମାକୁ ଜିଣିବା ବୃଥା ପ୍ରୟାସ ।
ତୁଟୁଅଛି କ୍ରମେ ବୀର ମନୁ ବୀର୍ଯ୍ୟ-ସୁଲଭ ଦମ୍ଭ,
ତୁଟୁଅଛି ଆଶା ଆଗେ ଛୁଇଁବାର ମାଣିକ୍ୟ ସ୍ତମ୍ଭ ।
ଦଉଡ଼ି ଦଉଡ଼ି ଅବସନ୍ନ ହୋଇ ଦାରୁଣ ଶ୍ରମେ,
ସୁବର୍ଣ୍ଣ କମଳୁଁ ଫିଙ୍ଗିଲା ଗୋଟିଏ ସର୍ବ ପ୍ରଥମେ ।
ଶୁଭ୍ର ରଜେ ଗଡ଼ି ଗଡ଼ିଣ ଯାଉଛି ପଦ୍ମ ସଘନେ,
ଲୁଚକାଳି କିବା ଖେଳଇ ତାରକା ଶାରଦ ଘନେ ?
ମୁକୁତା କେଶର, ମରକତ ନୀଳ, ହେମ କମଳ,
ଦେଖି ଭୁଷାପ୍ରିୟ ଉଷା ମନ ହେଲା ତୃଷା-ତରଳ ।
ତୋଳି ନେଲା ଗଡ଼ି ଯାଉଥିବା ଫୁଲ ଫୁଲବରଣା,
ଅଳଙ୍କାର ସ୍ପୃହା ଛାଡ଼ି ପାରନ୍ତି କି କେବେ ଅଙ୍ଗନା ।
ଏହି ଅବସରେ ଅଗ୍ରସର ହେଲା ନୃପ ତନୟ,
ହର୍ଷେ ତାଳି ଦେଲେ ମହାକୋଳାହଳେ ଦର୍ଶକଚୟ ।

 ପୃଷ୍ଠା ୨୩

ପଦ୍ମନେତ୍ରା ନେତ୍ର-ପଲକେ କଲା ସେ କ୍ଷତି ପୂରଣ,
ଯେତେ ପଛେ ଥିଲା ତେତିକି ଆଗକୁ ଗଲା ବ‌ହ‌ନ ।
ପୁଣି ସେହି ରୂପେ କୁମାର ଫିଙ୍ଗିଲା ଅନ୍ୟ କମଳ,
ସେହିରୂପରେ ତାକୁ ତୋଳି ନେଲା ବାଳା ନଇଁ ଭୁତଳ ।
ଅଳ୍ପ ଦୂର ଅଗ୍ରସର ନ ହେଉଣୁ ଯୁବା-ମଉଳି,
ବିଜୁଳି ଗତିରେ ପଛୁଁ ଧରି ନେଲା ମର୍ତ୍ତ୍ୟ ବିଜୁଳି ।
ଲକ୍ଷ୍ୟ ଛୁଇଁବାକୁ ଏବେ ଆଉ ନାହିଁ ବ‌ହୁ ବିଳମ୍ବ,
ଜକ ଜକ ହୋଇ ଅଗ୍ରେ ଝଟକଇ ମାଣିକ୍ୟ ଖମ୍ବ ।
ବିହି କି ଲିହିଛି ଏ କଷଣ ମୋହୋ-ଲ‌ଲାଟ ପଟେ,
ଦେବ ଶକ୍ତିଧର ସାହା ହୁଅ ଏହି ଘୋର ସଙ୍କଟେ ।
ଇଷ୍ଟ ଦେବେ ସ୍ତବି ଏହି ରୂପେ ଯୁବା ଚିନ୍ତା ବିକଳେ,
ତୃତୀୟ କମଳ ମାର୍ଗୁ ବ‌ହୁଦୂରେ ଫିଙ୍ଗିଲା ବଳେ ।
ଦୂରୁ ଆଣିବି କି ନ ଆଣିବି ଫୁଲ ଭାଳି ତରୁଣୀ,
ପ୍ରଲୋଭନେ ପଡ଼ି ଦଉଡ଼ି ଦଉଡ଼ି ନେଲା ତା ପୁଣି ।
କୁହୁକ ଲଗାଇ ଦେଲେ ତ‌ହିଁ ଶୂର କୃତ୍ତିକା ସୁତ,
ତୋଳି ନେବା ବେଳେ କୁମାରୀ ହେଲା ସେ ଭାରୀ ବ‌ହୁତ ।
ସ୍ତୋକମାତ୍ର ଗତି ମଠ ହେଲା ତାର ସେ ଫୁଲ ବ‌ହି,
ସ୍ତମ୍ଭ-ଗାତ୍ର ଆଗେ ପରଶି ଜୟନ୍ତ ହେଲା ବିଜୟୀ ।
ହର୍ଷେ ମାତି ଘନ ଘନ କରତାଳି ଦେଲେ ସକଳେ,
ପୂରିଲା ଦିଗନ୍ତ ଜୟନ୍ତର ଜୟ ଏହି ଚ‌ହଳେ ।
ହରାଇ ନ ହେଲା ଜୟନ୍ତର ମନେ ଯେଉଁ ହରଷ,
ହାରି ଶତଗୁଣେ ତ‌ହୁଁ ହୃଷ୍ଟ ହେଲା ଉଷା ମାନସ ।
ନାନା ଦେଶୁଁ ଆସି ନୁରୁ ରାଜପୁରେ ଦୁରାଶା ଛଳେ,
ଏତେ ରାଜ ସୁତ ଦଗ୍‌ଧ ହେଲେ ଯାର ଜିଗୀଷାନଳେ । (ଜିଗୀଷା-ଜୟର ଇଚ୍ଛା)
ଜୟଠାରୁ ତାର ପରାଜୟ ଆଜ ପ୍ରିୟ ଅଧିକ,
ଘଟାଇ ନ ପାରେ କିସ ପୁଣି ପ୍ରେମ ଐନ୍ଦ୍ରଜାଲିକ ?
ପାତ୍ରାଦି ସ‌ହିତେ ସ୍ତମ୍ଭ ପାଶେ ଫେରି ଆସି ରାଜନ,
ସ୍ନେହଭରେ କଲେ ଭାବି ଜାମାତାର ଶିରଶ୍ଚୁମ୍ବନ ।
କୁମାରୀ ସଲଜ୍ଜ ବଦନ ସରୋଜ ଦେଖିଣ ରାୟେ,
ଜାଣିଲେ ଜୟନ୍ତ ଜିଣି ନାହିଁ ଖାଲି ନିଜ ଉପାୟେ ।
ପ୍ରଦୋଷେ ବିବାହ ବିଧି ଆଚରିବା ପାଇଁ ଆଦେଶ,
ଦେଇ ସ୍ୱ ନବରେ ବିଜେ କଲେ ନୁରୁପୁର ନରେଶ ।

 ପୃଷ୍ଠା ୨୪

ସ୍ୱୟମ୍ବରେ ଜୟ ଜୟନ୍ତକୁ ଦେଇ ମହା ଉଲ୍ଲାସେ,
ଦେବ ଶକ୍ତିଧର ବାହୁଡ଼ିଲେ ଶିଖିପୃଷ୍ଠେ କୈଳାସେ ।
ବାଦିତ୍ର ଶବଦେ ପ୍ରଦୋଷେ କମ୍ପିଲା ନୁରୁ ନ‌ଗରୀ,
ପ୍ରଦୀପ ମାଳିନୀ ରତ୍ନହାରା, ଯେହ୍ନେ ରାଜ ସୁନ୍ଦରୀ ।
ପଥ ବେନି ପାର୍ଶ୍ୱ ରମ୍ଭା-ତରୂପୂର୍ଣ୍ଣ-କୁମ୍ଭେ ମଣ୍ଡିତ,
ଦ୍ୱାରେ ଦ୍ୱାରେ ହେଲା ରସାଳ ପଲ୍ଲବ ମାଳା ଲମ୍ବିତ ।
ପ୍ରତି ଶୃଙ୍ଗାଟକ ମୁଖରିତ ହେଲା ସଙ୍ଗୀତ ନାଟେ, (ଶୃଙ୍ଗାଟକ-ଛକ)
ନାଚିଲେ ନର୍ତ୍ତକୀ, ଗାଇଲେ ଗାୟକ, ରଟିଲେ ଭାଟେ ।
ବିବିଧ କୁସୁମ-ଉଷୀର-ଚନ୍ଦନ-ସୌରଭେ ପୂତ,
ପତାକା ଦୋଳାଇ ରଙ୍ଗେ ପ୍ରସରିଲା ସିନ୍ଧୁ ମାରୁତ ।
ସେ ପାରୁତେ ଦୋଳେ ଶତପ୍ରତିବିମ୍ବେ ରଚି ରୁଚିରେ,
ପ୍ରଦୀପମାଳିନୀ ଶ୍ୱେତ ପୋତମାଳା ବଳାଙ୍ଗୀ ନୀରେ ।
ସ୍ଥାନେ ସ୍ଥାନେ ବାଣେ ଫୁଟିଲା ଆଗ୍ନେୟ ପୁଷ୍ପ-ମଞ୍ଜରୀ,
ଚଳ-ତାରାକାରେ ଆକାଶେ ଉଡ଼ିଲା ଦୀପ-ପଞ୍ଜରୀ ।
ବସନ ଭୂଷଣେ ଭୂଷି ଚାରୁ ଅଙ୍ଗ ପୁରକାମିନୀ,
ନିରୁପମ ରୂପ-ପ୍ରଭାରେ ଉଜ୍ଜଳ କଲେ ଯାମିନୀ ।
ପ୍ରବେସିଲା ଯଥା-କାଳେ ବର-ବେଶେ ବୀର ଜୟନ୍ତ,
ଧରଣୀ ବରିବା ପାଇଁକି ଆସିଲେ ଋତୁ-ବସନ୍ତ ?
ମନ୍ଦାପନା ଅନ୍ତେ ବରକନ୍ୟା ବେଦୀ ମଣ୍ଡିଲେ ଯାଇ,
ଚନ୍ଦ୍ରମା-ରୋହିଣୀ ଦର୍ଶନେ ଯେସନ ଫୁଲେ ସାଗର,
ଆନ‌ନ୍ଦେ ସେ ରୂପେ କଲ୍ଲୋଳିଲା ନୁରୁ ରାଜନ‌ଗର ।
ପରିଣୟ ବିଧି ବିଧିରେ ଆଚରି ପୁରୋଧାଗଣ
କୁଶେ କଲେ ବର-ବଧୁଙ୍କର ହସ୍ତ-ଗ୍ରନ୍ଥିବନ୍ଧନ ।
ସେ ପରଶେ ଜାତ ସାତ୍ତ୍ୱିକ ବେନିଙ୍କି କଲା ଅଧିର,
କ୍ରମେ କ୍ରମେ ହସ୍ତୁ ବ୍ୟାପିଲା ସ୍ପନ୍ଦନ ସାରା ଶରୀର ।
ବିନ୍ଦୁ ବିଦୁ ହୋଇ ସ୍ରବିଲା ବଦନ-ଇନ୍ଦୁରୁ ଝାଳ,
ଚେତା ବୁଡ଼ାଇଲା କ୍ରମେ ସେ ସାତ୍ତ୍ୱିକ ଭାବ ଉତ୍ତାଳ ।
ଦେଖି ସଭାଜନେ ମହାବ୍ୟସ୍ତମନେ ବେଢ଼ିଲେ ଯାଇ,
ଚାହୁଁ ଚାହୁଁ ହେଲେ ବେନିଏ ବେଦୀରେ ଅବନୀଶାୟୀ ।

 ପୃଷ୍ଠା ୨୫

ବ୍ୟସ୍ତେ ଅନୁଚର ବ୍ୟଜନେ ବିଞ୍ଚିଲେ, ସିଞ୍ଚିଲେ ଜଳ, (ବ୍ୟଜନ-ପଙ୍ଖା)
ମାତ୍ର ଯେତେ କଲେ ଉପଚାର ହେଲା ସବୁ ବିଫଳ ।
ଲବେ ହୋଇଗଲା ବିବର୍ଣ୍ଣ ବେନିଙ୍କ ଲାବଣ୍ୟ ଛାୟା,
କରକା ପରାୟେ ପରଶେ ଶୀତଳ ଲାଗିଲା କାୟା ।
ଲକ୍ଷଣୁଁ ଜାଣିଲେ ପ୍ରାଣ ବିହ‌ଙ୍ଗମ ଗଲାଣି ଚାଲି,
ଚିର ପାଇଁ କରି ଏ ମୃଣୟ ଦେହ ପଞ୍ଜର ଖାଲି ।
ସୁଖେ ପଡ଼େ ପୁଣି ଏଭଳି ବିପାକ ଏଡ଼େ ବେଗରେ !
କେ କ‌ହିବ କାହିଁ ଏ ବଜ୍ର ପଡ଼ିଲା ବିନା ମେଘରେ !
କି ହେଲା ! କି ହେଲା ! ବୋଲି ପଡ଼ିଗଲା ଚୌଦିଗେ ଗୋଳ,
ଆକୁଳ ଜନତା ଅର୍ଣ୍ଣବେ ଉଠିଲା ଶୋକ କଲ୍ଲୋଳ । (ଅର୍ଣ୍ଣ-ଜଳ,ଅର୍ଣ୍ଣବ-ସମୁଦ୍ର)
ଶୋକାଘାତେ ହେଲେ ଅଚେତନ ନୁରୁ ନ‌ଗର ସାଇଁ,
ରାଜ ସୁଖ ସଙ୍ଗେ ରାଜ ଶୋକ ଭାଗ୍ୟ ଦେଲା ଭୁଞ୍ଜାଇ ।
ମୂର୍ଚ୍ଛିତ ଦଶାରେ ଭୁପତି ଦେଖିଲେ ସ୍ୱପ୍ନ ଅଦ୍ଭୁତ,
ଅଗ୍ରେ ଉଭା କାଳୀ ବର୍ଣ୍ଣେ ଜିଣି ଘନ କୃଷ୍ଣ ଜୀମୁତ ।
ଜୀମୁତେ ବଳାକା ପ୍ରାୟେ ବକ୍ଷେ ଶୋଭେ ନର-କପାଳ,
ବିଜୁଳି ପରାୟେ ଭୁଜେ ଚମକାଇ ଖଡ଼୍‌ଗ କରାଳ ।
ରାଜାଙ୍କୁ ସମ୍ବୋଧି କ‌ହୁଛନ୍ତି ଦେବୀ, "ଶୁଣ ହେ ବୀର,
ଅକାରଣ ଶୋକେ କିପାଁ କରୁଅଛ ମନ ଅସ୍ଥିର ।
ଜନ୍ମ ମୃତ୍ୟୁ ଯେଉଁ ଗୁପ୍ତାଦେଶେ ହେଉ ଅଛି ସର୍ଜନା,
ଥାଉ ଆନ, ତ‌ହିଁ ପଶି ନ ପାରଇ ଦେବ କଳ୍ପନା ।
ଦେବ ହେଲେ ସୁଧା ମୃତ୍ୟୁ ନିବାରଣେ ନାହିଁ ଶକତି,
ଜୀବନ ଯାହାକୁ ବୋଲନ୍ତି, ସେ ସିନା ମୃତ୍ୟୁକୁ ଗତି ।
ଅଜ୍ଞାନେ ଜନମି ମୋହ ଲୟ ଭଜେ ଜ୍ଞାନ ଉଦୟେ,
ଅମୋଘ ଆୟୁଧ ଏକମାତ୍ର ଜ୍ଞାନ ମୋହ ବିଜୟେ ।
ଜନ୍ମ ମୃତ୍ୟୁ ଆଦି ଯାବତ ଘଟଣା ଘଟେ ସଂସାରେ,
ସମସ୍ତ ଗ୍ରଥିତ କାଳ ନିୟନ୍ତ୍ରିତ ନିୟତି ହାରେ ।
ନିୟତି ଫଳରୁ ଜନ୍ମିଥିଲା ଉଷା ଗୃହେ ତୁମ୍ଭର,
ନିୟତି ଫଳରୁ ଜୟନ୍ତ ଆସିଲା ନୁରୁ ନ‌ଗର ।
ଉଷା ସ୍ୱୟମ୍ବରେ ମଲେ ଆସି ଯେତେ ନୃପ ସନ୍ତାନ,
ଅଲଙ୍ଘ୍ୟ ନିୟତି ଶାସନ ସରବେ କଲେ ପ୍ରମାଣ ।
ମନ ଦେଇ ଶୁଣ ରାୟେ କ‌ହିବଇଁ ପୂର୍ବ କାହାଣୀ,
ଏ ଅଦ୍ଭୁତ କଥା ନିଦାନ ଯହିଁରୁ ପାରିବ ଜାଣି ।

 ପୃଷ୍ଠା ୨୬

ଏହି ଯେ ପଶ୍ଚିମେ ଶୋଭେ ଶୈଳମାଳା ପ୍ରାଚୀରୋପମ,
ପଞ୍ଚଲିଙ୍ଗଶୈଳ ତ‌ହିଁ ମଧ୍ୟେ ଅଟେ ପବିତ୍ରତମ ।
ହର-ମୌଳି-ମାଳା ତ୍ରିପଥଗା ଯହିଁ ଝର ଆକାରେ,
ପଞ୍ଚଲିଙ୍ଗ ଶିରେ ନିରତେ ବ‌ହ‌ନ୍ତି ନିର୍ମଳ ଧାରେ ।
ଦିନେ ଚତୁର୍ଦ୍ଦଶୀ-ନିଶିଯୋଗେ ତ‌ହିଁ ହେଲା ଉତ୍ସବ,
ଅଭିନୟେ କଲେ ଗନ୍ଧର୍ବ ମିଳିଣ ହର-ତାଣ୍ଡବ ।
ହରବେଶେ ଚିତ୍ରରଥ, ତିଳୋତ୍ତମା ପାର୍ବତୀ ବେଶେ,
ପରସ୍ପର ହସ୍ତ ଧରି ନାଚୁଥିଲେ ଭାବ ଆବେଶେ ।
ବାଦିତ୍ର ସଙ୍ଗୀତେ ରତ ଥିଲେ ଆନ ଗନ୍ଧର୍ବମାଳ,
ରୁଦ୍ରତାଳେ ଆଦ୍ରି-ଗୁହା ହେଉଥିଲା ଶବ୍ଦାୟମାନ ।
ବନ‌ଦେବୀ ଦେଖୁ ଥିଲେ ବସି ଲତା ଦୋଳା ତଳପେ,
ସ୍ୱର୍ଗୁ ଦେବତାଏ ଦେଖୁଥିଲେ ସ୍ୱର୍ଣ୍ଣ ମେଘ ମଣ୍ଡପେ ।
ଚୌଦିଗୁ ଆସିଲେ ଦେବୀଏ ସେ ନାଟ ଦେଖିବା ପାଇଁ,
ବୈତରଣୀ ତୀରୁ କୀଚକ ଈଶ୍ୱରୀ ସୋର ଖେଳାଈ ।
ଘଟ ଗ୍ରାମ ଘୋର ଅରଣ୍ୟଚାରିଣୀ ଦେବୀ ତାରିଣୀ,
କେନ୍ଦୁଝର ଦଣ୍ଡ ଦେବୀ ଦଣ୍ଡଧର ତାପ ହାରିଣୀ ।
ସାଳନ୍ଦୀ ସଳିଳେ ଅଭିଷିକ୍ତ ଦେବୀ ଭଦ୍ର କାଳିକା,
ଦପା ନିବାସିନୀ, ଦୈତ୍ୟ ଦର୍ପ‌ହରା, ଦେବୀ ନାୟିକା ।
ଦେବଗିରି ନୀଳ ଶିଖର ମଣ୍ଡନା ମଣ୍ଡଳେଶ୍ୱରୀ,
ଆସିଲେ ସରବେ ସେ ତାଣ୍ଡବେ ପଞ୍ଚଲିଙ୍ଗ ଶିଖରୀ ।
ବଳାଙ୍ଗୀ ତଟରୁ ମୁଁ ଯାଇ ମିଳିଲି ଦେବୀଙ୍କ ସଙ୍ଗେ,
ମୋତେ ଦେଖି ସର୍ବ ଗନ୍ଧର୍ବେ ମାତିଲେ ହାସ୍ୟ ତରଙ୍ଗେ ।
ନିରେଖି ବିକଟ ମୂରତୀ ମୋହର ଘୋର ଦର୍ଶନ,
ଉପ‌ହାସ କଲେ ଏକ‌କୁ ଆରେକ ଠାରି ନୟନ ।
ଅନୁଚରଙ୍କର ଇତର ଆମୋଦ ନ ଦେଇ ବାଧା,
ହସିଲେ ଆପଣେ ଚିତ୍ରରଥ ଲଙ୍ଘି ନିଜ ମର୍ଯ୍ୟଦା ।
ତ୍ରିଲୋକ ମୋହିନୀ ତିଳୋତ୍ତମା ଦେଲା ସେ ହାସ୍ୟେ ଯୋଗ,
କୋପେ କଲି ମୁହିଁ ସେହିକ୍ଷଣି ଅଭିଶାପ ପ୍ରୟୋଗ ।

 ପୃଷ୍ଠା ୨୭

ସ୍ୱର୍ଗ କଳୁଷିତ କଲ ତୁମ୍ଭେ ଯେଣୁ ରୂପ ଗରବେ,
ମର୍ତ୍ତ୍ୟଲୋକେ ଯାଇ ମର୍ତ୍ତ୍ୟରୂପ ଧରି ରହ ସରବେ ।
ସାପେ ତ୍ରସ୍ତ ଅଭିନେତୃଦଳ ଧରି ମୋର ପୟର,
ଶାପମୁକ୍ତି ପାଇଁ କାତରେ ବିନୟ କଲେ ବିସ୍ତର ।
ବିଶେଷେ ଅପ୍‌ଶରୀ ଶିରୋମଣି ହେଲା ଶୋକେ ବିକଳ,
ପ୍ରସ୍ରବଣ ପ୍ରାୟେ ସ୍ରବିଲା କମଳ ନୟନୁ ଜଳ ।
କରୁଣେ ଭଷିଲା, "କର କୃପାମୟୀ ଦାସୀକି ତ୍ରାଣ,
ଲଘୁ ଦୋଷେ ମୋର ଏଡ଼େ ଗୁରୁ ଦଣ୍ଡ କଲ ବିଧାନ ।
ଭବ ବନ୍ଧନର କ୍ଳେଶ ଦେବୀ ମୁହିଁ ଭୋଗିଲି ଥରେ,
ଦୁର୍ବାସାଙ୍କ ଶାପେ ବାଣା କନ୍ୟାରୂପେ ଜନ୍ମି ଦ୍ୱାପରେ ।
ମୋ ଘେନି ମରତେ କେତେ ମହାପ୍ରାଣୀ ତେଜିଲେ ପ୍ରାଣ,
ମୋ ପାଇଁ ଘଟିଲା ଯେ ଅନର୍ଥ ତାର ସାକ୍ଷୀ ପୁରାଣ ।
ଧରଣୀବାସୀଙ୍କି କରେ ଯେହୁ ଜ୍ୱର ଜର୍ଜର ଶୋକେ,
ଅଦ୍ୟାପି ତା ପାଇଁ ଅଭିଶାପ ମୋତେ ଦିଅନ୍ତି ଲୋକେ ।
ଶୋକ ଦୁଃଖ ମୋହେ ନିରତେ ସଙ୍କୁଳ ମର୍ତ୍ତ୍ୟ ବସତି,
ଭବବନ୍ଧେ ମୋହେ ଅନ୍ଧ ହୋଇ ପ୍ରାଣୀ ଲଭେ ଦୁର୍ଗତି ।
ସେହି ମର୍ତ୍ତ୍ୟ ସ୍ମୃତି ଅଦ୍ୟାପି ଦେଉଛି ଦୁଃଖ ଅପାର,
କୃପା ବ‌ହି ମାତା ଅଭିଶାପ କର ପ୍ରତିସଂହାର ।
ଦୟା ଉପୁଜିଲା ଶୁଣି ସୁନ୍ଦରୀର କରୁଣ ବାଣୀ,
ବିଶେଷେ ତା ଲାଗି ଅଳି କଲେ ଆସି ଦେବୀ ଇନ୍ଦ୍ରାଣୀ ।
ବାଳୀକି କ‌ହିଲି ଶୁଣ ସୁଲୋଚନା ମୋର ବଚନ,
ଅଳ୍ପ ଦିନପାଇଁ ହେବ ତୋର ମର୍ତ୍ତ୍ୟ ପୁରେ ଗମନ ।
ତୋ ଗୁଣେ ତରିବେ ଅଭିଶାପୁଁ ଏହି ଗନ୍ଧର୍ବମାନେ,
ସମସ୍ତେ ତେଜିବେ ପ୍ରାଣ ଆସି ତୋର ଜନମ ସ୍ଥାନେ ।
ସର୍ବଶେଷେ ତୋର ସଙ୍ଗେ ଚିତ୍ରରଥ ଗନ୍ଧର୍ବପତି,
ଶାପୁ ମୁକ୍ତ ହୋଇ ବାହୁଡ଼ି ଆସିବେ ସୁର ବସତି ।
ହସ୍ତ ଧରାଧରି ହୋଇ ବେନି ହେଲ ଶାପରେ ଯୁକ୍ତ,
ହସ୍ତ ସ୍ପର୍ଶ ମାତ୍ରେ ମର୍ତ୍ତ୍ୟେ ବିନି ହେବ ଶାପରୁ ମୁକ୍ତ ।

 ପୃଷ୍ଠା ୨୮

ବଚନାନ୍ତେ ମୋର ଚାହୁଁ ଚାହୁଁ ସର୍ବେ ଆକାଶେ ବୁଡ଼ି,
ଉଲ୍‌କାକାରେ ଗଲେ ଭାଗ୍ୟ ଅନୁସାରେ ଚୌଦିଗେ ଉଡ଼ି ।
ତିଳୋତ୍ତମା ଆସି ପ୍ରବେଶିଲା ତୁମ୍ଭ ରାଣୀ ଜଠରେ,
ଚିତ୍ରରଥ ନେଲେ ନର-ରୂପ ହେମ ପୁର ନ‌ଗରେ ।
ସେହି ତିଳୋତ୍ତମା ଉଷା, ସେହି ଚିତ୍ର ରଥ ଜୟନ୍ତ,
ପୂର୍ବ ଉପାଧିରୁ ହୋଇଥିଲେ ଏଡ଼େ ସୌଭାଗ୍ୟବନ୍ତ ।
ପରୀକ୍ଷାରେ ହାରି ପ୍ରାଣ ଦେଲେ ଯେତେ ନୃପ ନନ୍ଦନ,
ସେ ସବୁ ଅଟନ୍ତି ଶାପେ ସ୍ୱର୍ଗ ଭ୍ରଷ୍ଟ ଗନ୍ଧର୍ବଗଣ ।
ଦିବ୍ୟଲୋକ ଏବେ ଭଜିଲେ ଏ ବେନି ତ୍ୟଜି ସଂସାର,
ଶୋକ ପରିହରି କର ବେନିଙ୍କର ଯୋଗ୍ୟ ସତ୍କାର ।
ଏହା କ‌ହି ଦେବୀ ନୃପ ସନ୍ନିଧାନୁ ହେଲେ ଉଭାନ,
ମୂର୍ଚ୍ଛାଭଙ୍ଗେ ରାଜା ସଭାରେ କ‌ହିଲେ ସେ କଥାମାନ ।
ସ୍ୱପ୍ନ କଥା ଶୁଣି ବିସ୍ମୟେ ଦେଖିଲେ ସଭାସ୍ଥ ନର,
ଖେଦେ କୌତୁହଳେ ଅମର ଅମରୀ ଦେହ ପଞ୍ଜର ।
ଶୋଇଛନ୍ତି ବେନି, ବର କନ୍ୟା ବେଶେ ଅବନୀ ପରେ,
ପଡ଼ିଛି କି ଆହା ! କିଂଶୁକ ଯୋଡ଼ିଏ ବନ ଭିତରେ ।
ଲାବଣ୍ୟ ଝଟକ ଛାଡ଼ି ନାହିଁ ତନୁ ହେଲେହେଁ ଫିକା,
ମୁକ୍ତାହୀନ ହୋଇ ଝଟକେ ନାହିଁ କି ମୁକ୍ତାଶୁକ୍ତିକା ?
ରାଜ ଅନୁଚରେ ରାଜାଙ୍କ ଛାମୁରୁ ଆଦେଶ ପାଇ,
ବିହିତ ବିଧାନେ କଲେ ଆୟୋଜନ ଅନ୍ତ୍ୟେଷ୍ଟି ପାଇଁ ।
ଉତ୍ସବ ସକାଶେ ଠୁଳ ହୋଇଥିଲେ ଯେତେ ସମ୍ଭାର,
କିଏ ଜାଣିଥିଲା ଭିନ୍ନ ବ୍ୟବ‌ହାର ହେବ ତାହାର ।
କିଏ ଦେଖିଥଲା ଫିଟାଇ କରାଳ କାଳ-କୁଞ୍ଚିକା,
ବର-ଚତୁର୍ଦ୍ଦୋଳ ବେନିଙ୍କର ହେବ ଶବ ଶିବିକା ?
ବେନିଙ୍କି ବସାଇ ଚତୁର୍ଦ୍ଦୋଳେ ସର୍ବେ ନେଲେ ଶ୍ମଶାନେ,
ପଦବ୍ରଜେ ଗଲେ ରାଜା ସଙ୍ଗେ ରାଜ ଅମାତ୍ୟମାନେ ।
ଉଠିଲା ସଘନେ ଶୋକ ତାନେ ଶୋକ ବାଦ୍ୟ ଚ‌ହଳ,
ଦୀପ ବୃକ୍ଷ ଧରି ଚାଲିଲେ ଭଣ୍ଡାରି ଦଳକୁ ଦଳ ।
ଅଗ୍ରେ ପୁରୋହିତ ଚାଲିଲେ ଗମ୍ଭୀର ବେଦ ଉଚ୍ଚାରି,
ଚତୁର୍ଦ୍ଦୋଳ ବେଢ଼ି ଚାଲିଲେ ପଦାତି ପତାକାଧାରୀ ।

 ପୃଷ୍ଠା ୨୯

ପୂର୍ବେ ରାଜସୁତେ ହୋଇଥିଲେ ଯହିଁ ପ୍ରାଣେ ଦଣ୍ଡିତ,
ଉତ୍ତରେ ତାହାର ଆଗୁଁ ହୋଇଥିଲା ଚିତା ସଜ୍ଜିତ ।
ତ‌ହିଁ ବିରଚିଲେ ଦେଇ ରାଶି ରାଶି ପୁଷ୍ପ ଚନ୍ଦନ,
ଏ କାଳ ବିବାହେ ବର ବଧୁଙ୍କର ମଧୁଶୟନ ।
ଉଷାର ମୃଗୟା ଅସ୍ତ୍ର, ଶସ୍ତ୍ର, ଢାଲ, ତୂଣୀର, ବର୍ମ,
ପାରିଧିରେ ଲବ୍‌ଧ ପଶୁ ଶୃଙ୍ଗ ଦନ୍ତ ନ‌ଖ ଓ ଚର୍ମ ।
ଶବ ସଙ୍ଗେ ସବୁ ଥୋଇଣ ଚିତାରେ ଘୃତ ଗୁଗ୍‌ଗୁଳ,
କର୍ପୁର କସ୍ତୁରୀ ରାଶି ରାଶି କଲେ ଉପରେ ଠୁଳ ।
ସମ‌ବେତ ଜନ ନୟନୁ ଝରିଲା ନୀରବେ ନୀର,
ନିର୍ବାତ କାନନେ ପ୍ରାତେ ତରୁ ପର୍ଣ୍ଣେ ଯେହ୍ନେ ଶିଶିର । (ନିର୍ବାତ-ବାୟୁ ପ୍ରବାହ)
ସ‌ହସା ଅନଳେ ଧକ ଧକ ହୋଇ ଜଳିଲା ଚିତା,
ରକ୍ତ ବ‌ହ୍ନି ଶିଖା ବରଣେ ଜିଣିଲା ବାଳ ସବିତା ।
ରଜନୀର ଗର୍ଭ ଉଜଳି ଉଜଳି ଦିଗ ଗ‌ଗନ,
ଫଣି ଫଣା ପରି ବାତେ ଦୋହଲିଲା ଚିତା ଦହ‌ନ ।
ସ୍ୱନିଲେ ପବନ ଯେହ୍ନେ ନିଶୀଥିନୀ କରୁଣ ସ୍ୱର,
ଝିଲ୍ଲିରବ ପୁଣି କଲା ସେ ଦୃଶ୍ୟକୁ ଗଭୀରତର ।
ଦିଗ ଦିଗନ୍ତର ମୁଖରି ଭୈରବେ ଶୃଗାଳ ରାବ,
କ୍ଷଣେ କ୍ଷଣେ ଭାଙ୍ଗୁ ଥିଲା ସେ ଦୃଶ୍ୟର ନିସ୍ତବ୍‌ଧ ଭାବ ।
ବେନି ତନୁ ହେଲା ଭସ୍ମେ ପରିଣତ ଅଳପ କ୍ଷଣେ,
ନିଭାଇଲେ ଚିତା ପୂତ ପୟୋରାଶି ଢାଳି ଦ‌ହ‌ନେ ।
ନ ପଡ଼ୁଣୁ ଉଷା-ରକ୍ତ-ଛବି ସ୍ୱଚ୍ଛ ବଳାଙ୍ଗୀ ଜଳେ,
ଅନ୍ତ୍ୟେଷ୍ଟି ସମ୍ପାଦି ବାହୁଡ଼ିଲେ ଶୂନ୍ୟ ମନେ ସକଳେ ।
ପୁରେ ପ୍ରବେଶିବା ବେଳେ ଲିଭିଥିଲେ ଗ‌ଗନ ତାରା,
ଉଡ଼ି ଯାଉଥିଲେ ଦେବୀ ଗୃହ ପାରା ଭାଡ଼ିରୁ ପାରା ।
ରାଜା ଆଜ୍ଞା ମତେ ଉଷା ଜୟନ୍ତର ସମାଧି ସ୍ଥାନେ,
ମଣ୍ଡପ ଗଢ଼ଲେ ଶିଳ୍ପିକୁଳ ଆସି ରାଜ ବିଧାନେ ।
ଦୁରୁ ଦିଶୁଥିଲା ସେ ମଣ୍ଡପ ହର ଶୈଳକଳପ,
ନୁରୁପୁର ଲୋକେ ବୋଲୁଥିଲେ ତାକୁ ଉଷାମଣ୍ଡପ ।
କୀର୍ତ୍ତିକୀଟ କାଳ କେଉଁ କୀର୍ତ୍ତି ପ୍ରତି ନୁହଇ ବାମ,
ମଣ୍ଡପ ଗଲାଣି କାଳ ଗର୍ଭେ ମାତ୍ର ଅଛି ତା ନାମ ।