କବିତାବଳୀ/ପବନ

ଉଇକିପାଠାଗାର‌ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ପବନ

  କେ ତୋ ସମ ବଳୀ କ‌ହ ସମୀର ?
  ଅସୀମ ଅନନ୍ତ ତୋହ ଶରୀର,
କେତେ ଭଙ୍ଗି କରି  କେତେ ଆଡ଼ ଚରି
  ନ ହୁଅଇ କ୍ଳାନ୍ତ, ନିତ୍ୟ ଅସ୍ଥିର
  ଅଟୁ ତୁ, ତୋ ଗୁଣ ବଳଇ ଗିର ।୧।

  ଶରୀରୀ ଜୀବର ଜୀବ ଧାରଣ,
  ତୋ ଯୋଗୁ ହୁଅଇ ହେ ସମୀରଣ,
ସ୍ଥଳଚର ସ୍ଥଳେ  ମୀନ ଆଦି ଜଳେ
  ତୋ ପ୍ରଭାବେ ନଭ ଖଗ ଚେତନ
  ତୋ ବିନୁ ସମସ୍ତେ ହେବେ ନିଧନ ।୨।

  କେ କ‌ହିବ କେତେ ତୋହୋ ବୟସ ?
  ନରବର-କୀର୍ତ୍ତି ନର-ପୌରୁଷ,
ଦେଖାଇ ଜଗତେ  ରାଜଧାନୀ କେତେ
  ଲୋପିଲେ ହୋଇଣ କାଳର ବଶ,
  ମାତ୍ର ତୋ ଦେହେ ଯୌବନ ରଭସ ।୩। (ରଭସ - ସମ୍ଭୋଗ)

  ଆଦି ସୃଷ୍ଟି କାଳେ ଈଶ ଆଦେଶେ
  ଅବତୀର୍ଣ୍ଣ ହୋଇ ଅମ୍ବର ଦେଶେ
ହେମ ଘନାସନେ  ବସି ସୁରଗଣେ
  କ୍ଷେପିଲେ କୁସୁମ ଅବନୀ-କେଶେ,
  ବାସିଲା ତୋ ତନୁ ତ‌ହୁଁ ବିଶେଷେ ।୪।

  ଅଗ୍ରତେ ଯେ ଫୁଲ ଚାରୁ ବିକସି
  କମ୍ପୁଅଛି ମୃଦୁ ତୋ କୋଳେ ହସି,
ଏତିକି ସମ୍ବନ୍ଧ  ସୁମନ ସୁଗନ୍ଧ
 ତୋ ଗାତ୍ରେ ଲେପିବ ଆରେ ସୁରସି,
 କ୍ଷଣକେ ପଡ଼ିବ ଭୁତଳେ ଖସି ।୫।

  ବିମଳା ତଟିନୀ ତଟ କାନନେ
  ବସନ୍ତେ କୋକିଳ ଭ୍ରମର ସ୍ୱନେ
ନଦୀ କଳକଳ  ଶୁଣିଣ ଚଞ୍ଚଳ
 ହୁଅଇ ତୋ ମନ ଚାଟୁ ବଚନେ
 ନ‌ଦୀକୁ ରହସ୍ୟ ଭାଷୁ ବିଜନେ ୬।

  ବାସର-ଯୌବନେ ବିଟପି-ତଳେ
  ବସନ୍ତି କଳାପି-କୁଳ କୁଶଳେ,
ରତନ ଖଚିତ  ପୁଚ୍ଛ ଆନ୍ଦୋଳିତ
 କରୁ ତୁ ସେକାଳେ ବ‌ହି ଶୀତଳେ
  ସେ ଛବି ରସିକ ରସନା ବଳେ ।୭।

  ନିଦାଘ-ପ୍ରଭାତେ କମଳାକରେ
  ନବୋଦିତ-ରବି-ଛବି ଆଗରେ
ଦେଖି ହରଷିତ  ସରୋଜିନୀ-ଚିତ୍ତ
  ତୋ ସ୍ପର୍ଶେ ସେ ହସେ ପ୍ରମୋଦଭରେ,
  ଇନ୍ଦିରା ଯେସନେ ନୀଳ ସାଗରେ ।୮।

  ବିଷ୍ଣୁପ୍ରାୟେ ନୀଳ ନୀରଦବର
  ବନମାଳା ପ୍ରାୟ ଚାପ ଇନ୍ଦ୍ରର
ଯା ଦେହେ ଶୋଭଇ,  ଯା କୋଳେ ଥରଇ
  ଚପଳା ଅବଳା ଦୀପି ଅମ୍ବର
  ଶ୍ୟାମ ସୀମନ୍ତିନୀ ସମ ସୁନ୍ଦର ।୯।

  ସେ ଘନ ଉତ୍ତୁଙ୍ଗ ଶିଖରୀ-ଶିରେ
  କନ୍ଦର ଝଙ୍କାରି ନାଦେ ଗଭୀରେ,
ତାକୁ ପୃଷ୍ଠାସନେ  ଘେନି ବ୍ୟୋମାଙ୍ଗନେ
  ଯେବେ ତୁ ଉଠୁ, ମୋ ହୃଦ ମନ୍ଦିରେ
  ସ୍ପୁରଇ ଖଗେନ୍ଦ୍ର-ଛବି ରୁଚିରେ ।୧୦।

  ପ୍ରଫୁଲ୍ଲ ସୁରଭି କଦମ୍ବ-ମୂଳେ,
  ଜଳବେଣୀ-ରମ୍ୟ କାଳିନ୍ଦୀକୂଳେ
ରସରାଜ ହରି  ବଂଶୀନାଦ କରି
  ମୋହିଲେ ଗୋପାଳକାମିନୀକୁଳେ
  ସେ ଧ୍ୱନୀ ଜନମ ବାୟୁ ! ତୋକୁଳେ ।୧୧।

  ପଞ୍ଚାପସର ସରେ ରାମରମଣୀ
  ବୀଣା ଧ୍ୱନୀ ଶୁଣି ଏଣୀ-ନୟନୀ
ନୟନ ବୁଲାଇ  ଏଣେ ତେଣେ ଚାହିଁ
  ବିଭ୍ରମେ ହରଷେ ହସିଲେ ଧନୀ
  ତୁ ତାଙ୍କୁ ସେବିଲୁ ବ‌ହି ସେ ଧ୍ୱନୀ ।୧୨।

  ବୈରୀ ତୁ ଯାହାର କାହିଁ ତା ଗତି ?
  ତୋ ନିର୍ଘୋଷେ ଜାଗି-ନିଳମ୍ବୁପତି
ଚଳଗିରି ପ୍ରାୟେ  ହିଲ୍ଲୋଳ ଉଠାଏ
  ଫିଙ୍ଗଇ ଅମ୍ବରେ ପୋତ ପଙ୍କତି,
  ଉପୁଜାଏ ଚରାଚରେ ଆରତି ।୧୩।

  କାମଚାରୀ ଅଟୁ ତୁ ପବମାନ
  ସର୍ବସ୍ଥଳେ ତୋର ସମାନ ଜ୍ଞାନ
ପଦ୍ମ-ପରାଗରେ  ଶ୍ମଶାନ ରଜରେ
  ଲେପିତ ତୋ ତନୁ ବାରି-ବିତାନ
  ବ‌ହ୍ନିଶିଖା ତୋହଠାରେ ସମାନ ।୧୪।

  କାଳ ପରି ଅଟୁ ତୁ ପୁରାତନ
  କାଳଗତି ପରି ତୋହ ଗମନ,
ତୋ ଦେହେ ଅଙ୍କିତ  କେତେ ପୁରାବୃତ୍ତ
  କେତେ ଲୋକଙ୍କର ହାସ୍ୟ ରୋଦନ
  ମିଶିଛି ତୋ ଦେହେ ନାହିଁ ଗଣନ ।୧୫।

  ବିଶ୍ୱରାଜଙ୍କର ତୁ ରାଜଦୂତ
  ଜୀବ ଆରାଧନା ଘେନି ବ‌ହୁତ
ଈଶ୍ୱରଙ୍କ ପ୍ରିତି  ଘେନି ଝଟତି
  ବାହୁଡ଼ୁ ମୁହୁର୍ତ୍ତ ମଧ୍ୟେ ମରୁତ
  ଏ ମୋ ମଧ୍ୟେ ଲାଗେ ବଡ଼ ଅଦ୍ଭୁତ ।୧୬।

  ଚିତ୍ର ଲୀଳା ତୋର ହେ ପ୍ରଭଞ୍ଜନ,
  ତୁ ପରଶୁ ସବୁ, ମାତ୍ର ଭାଜନ
କିଏ ରବି ତଳେ  ଛୁଇଁବ କୌଶଳେ
  ତୋ ତନୁ, ମହେଶ ମାୟା ଏସନ,
  କେମନ୍ତେ ବୁଝିବି ମୁଁ ଅକିଞ୍ଚନ ।୧୭।

  ସମାପ୍ତ