କବିତାବଳୀ/ପାର୍ବତୀ

ଉଇକିପାଠାଗାର ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ପାର୍ବତୀ

ନୀଳାଚଳେ ଆଜ ଦୋଳ ମହୋତ୍ସବେ
 ମତ୍ତ ସର୍ବେ ପୁରବାସୀ
ବାଦିତ୍ର-ଶବଦ ହେଳେ ପଳାଉଛି
 ସିନ୍ଧୁ କୋଳାହଳ ଗ୍ରାସି ।
ଶ୍ରୀଖଣ୍ଡ-ଶଇଳୁ ମୃଦୁଳେ ସମୀର
 ପାରାବାର ବକ୍ଷେ ବ‌ହି
ଶ୍ରୀକ୍ଷେତ୍ର ଲଳନା କପୋଳେ ଅଳକ
 କମ୍ପାଉଛି ରହି ରହି ।
ଉଡ଼ୁଛନ୍ତି ସୌର- କରେ ପ୍ରଜାପତି
 ସାତ ଇନ୍ଦ୍ରଧନୁ-ବର୍ଣ୍ଣେ,
ଉଡ଼ୁ ଉଡ଼ୁ ଥରେ ବସି ପଡ଼ୁଛନ୍ତି
 କେବେ ପୁଷ୍ପେ କେବେ ପର୍ଣ୍ଣେ ।
ଭରତିଆ ନିଜ ପ୍ରିୟା ସଙ୍ଗେ ନାଟ୍ୟ
 ତରଙ୍ଗେ ମଗ୍ନ ନାଟୁଆ,
ଇନ୍ଦ୍ରଧନୁ ଖଣ୍ଡ ପ୍ରାୟେ ଖଣ୍ଡିଉଡ଼ା
 ଦେଇ ବୁଲେ ବାଲିଶୁଆ ।
ସ୍କନ୍ଧରୁ ପୁଷ୍ପିତ ଛୁରିଅନା ଗନ୍ଧେ
 ବାସିତ ଉଦ୍ୟାନମାନ,
ଉଡ଼ୁଛନ୍ତି ଯଥେ ଯୁଥେ ମଧୁକର
 ସୌରଭେ ହୋଇ ଅଜ୍ଞାନ ।
ସ୍ୱର୍ଣ୍ଣଦୀ-ନଳିନୀ ପ୍ରାୟେ ନୀଳାକାଶେ
 ଦୋଳଇ ରଙ୍ଗ ଶାଳ୍ମଳୀ,
ନିଚୂଳ କିଂଶୁକ କୁସୁମ ମଣ୍ଡନେ
ସିନ୍ଦୁରିତ ବନସ୍ଥଳୀ ।
କରୁଛନ୍ତି ରାଜ୍ୟେ ଧରା ଧାମେ ଆଜ
 ରତି ସଙ୍ଗେ ରତି ପତି,
ଟେକିଅଛି ନାଗ କେଶର ବେନିଙ୍କ
 ଶୁରେ ହେମ ପୁଷ୍ପ-ଛତି ।
ବର୍ଣ୍ଣ ଅନୁରୂପେ ବନ୍ଦୀ ବେନିଙ୍କର
 ହଳଦୀବସନ୍ତ ପିକ,
ପଥିକମାନସେ ଭୀତି ଆଣିବାକୁ
 କେ ଊଣା କେ ବା ଅଧିକ ।
ଢାଳଇ ସୁରଭି ଚାମର ଶିରିଷ
 ରାଜ ପରିକର ଭାବେ,
ପ୍ରବାଳ ପତାକା ଧରିଣ ତିନ୍ଦୁକ
 ଉଭା ଦେଖ ଠାବେ ଠାବେ ।
ଦିଶୁଅଛି ଯାହା ଶ୍ୟାମଳ ଚମ୍ପକ
 ପାଦପେ ହେମ କଳିକା,
ରାଜା ରାଣୀଙ୍କର ନିରାଜନା ପାଇଁ
 ସେ ସିନା ପ୍ରଦୀପ ଶିଖା ।
ମଲ୍ଲିକା କୋରକ ଶଙ୍ଖ ବଜାଉଛି
 ଷ‌ଟ୍‌ପଦ ପୁଷ୍ପ ଲମ୍ପଟ,
ହେମଗୋରୀ ସୂର୍ଯ୍ୟ ମୂଖୀ ଧରିଅଛି
 ଛାମୁରେ ସ୍ୱର୍ଣ୍ଣ ଆଲଟ ।
ମନ୍ଦାନିଳେ ନାନା ଅଙ୍ଗ-ଭଙ୍ଗୀ କଲେ
 ବିଧୂର ଧୈର୍ଯ୍ୟ ଘାତକୀ,
ପଦ୍ମରାଗ ପୁଷ୍ପ କିଙ୍କଣୀ ଧାରିଣୀ
 ଧାତକୀ ରାଜ ନର୍ତକୀ ।
ରାଜ-ଅସ୍ତ୍ରାଗାର ପରିପୂର୍ଣ୍ଣ ଏବେ,
 କିବା ଜଳେ କିବା ସ୍ଥଳେ,
ଅଶୋକ ନିଆଳୀ ଚୂତେ ପୂର୍ଣ୍ଣ ବନ
 ସର ଉତ୍ପଳ-କମଳେ ।

 ପୃଷ୍ଠା ୨

କାଞ୍ଚନ-କୋରକ ହେଳେ କରୁଅଛି
 ବିରହୀର ଦମ୍ଭ ଚୁନା,
ଅବା ସେ ବିରହୀ ରୁଧିରେ ଲୋହିତ
 ମଦନର ଏକମୁନା ।
ସ୍ଥାବର ଜଙ୍ଗମ ମନ ହୋଇଅଛି
 ଅନଙ୍ଗର ଲୀଳାଗାର,
ପୁରୁଷେ ଦେଖନ୍ତି ନାରୀମୟ, ନାରୀ
 ପରୁଷମୟ ସଂସାର ।
ଆନ କଥା ଥାଉ, ଯତିଜନ ମନ
 ହୋଇଛି ଆଜ ଅଥୟ
ଦେଖୁଥିଲେ ଯେହୁ ବ୍ରହ୍ମମୟ ବିଶ୍ୱ
 ଦେଖନ୍ତ ସେ ନାରୀମୟ ।
ଦଣ୍ଡଧର ପୁଷ୍ପ କୋଦଣ୍ଡ ଶାସନ
 ଶିରୋଧାର୍ଯ୍ୟ କରି ଶିରେ,
ଯୁଗ୍ମେ ଯୁଗ୍ମେ ପ୍ରାଣୀ ବିହରନ୍ତି ଆଜ
 କିବା ନୀରେ କିବା ତୀରେ ।
ସମଗରା ପାଟେ ହଂସ ହଂସୀ ପଦ୍ମ
 ପରାଗେ ଶରୀର ବୋଳି,
କରୁଛନ୍ତି କଳ ନାଦେ ପ୍ରେମାଳାପ
 ଲହରୀ ଦୋଳାରେ ଦୋଳି ।
ଲଙ୍କା ଆମ୍ର-କୁଞ୍ଜେ ବିହରନ୍ତି ମୃଗୀ
 କୃଷ୍ଣସାର ପ୍ରେମ‌ଭୋଳେ,
ପ୍ରଭୁ ଲୋକନାଥ ଅଧିଷ୍ଠିତ ଶୁଭ
 ବାଲିସ୍ତୁପାବଳୀ ଖୋଲେ ।
କପୋତ ଦମ୍ପତି ପ୍ରେମ କି ସମ୍ପତ୍ତି
 ରଟୁଛନ୍ତି ତାଳ ବନୁ,
ଉଲ୍ଲାସେ କମ୍ପାଇ ବସନ୍ତ ରଚିତ
 ଗଳେ ନବ ଇନ୍ଦ୍ରଧନୁ ।
ଏହା ପରେ ପୁଣି ଦୋଳ ଚର୍ଚରୀ
 ଲାଗିଛି ଆଜ ଗ‌ହଳ,
ଫଗୁବର୍ଣ୍ଣୋଦକେ ସର୍ବାଙ୍ଗେ ରଞ୍ଜିତ
 ବିହରନ୍ତି ଯୁବାଦଳ ।
ବାଳାତପ ପୁଞ୍ଜ ପ୍ରାୟେ ଫଗୁରାଶି
 ଶୋଭେ ପ୍ରତି ବିପଣୀରେ,
ପ୍ରତି ଯୁବା ହସ୍ତେ ଶୃଙ୍ଗକୋଷମାନ
 ପରିପୂର୍ଣ୍ଣ ବର୍ଣ୍ଣନୀରେ ।
ନବ ତରୁଣୀଙ୍କ ଅମଳ କପୋଳ
 ଅରୁବ ଫଗୁ ଘାତେ,
ଶବଳିତ ବର୍ଣ୍ଣ ନୀରେ ପୀତ ଚେଳ
 ଦୋଳଇ ମୃଦୁଳ ବାତେ ।
ନାରୀକେଳ ପୁଗ ପୁନ୍ନାଗ ଶ୍ୟାମଳ
 ଶାସନରୁ ଦଳେ ଦଳେ
ମଦନ ଶତଘ୍ନି ଦ୍ୱିଜ-ସୀମନ୍ତିନୀ
 ଆସୁଛନ୍ତି ନୀଳାଚଳେ ।
ବିକସି ଆସିଲା କମଳ କୋରକ
 ପରାୟେ ଦିଶେ ଝଟକ,
ଗୌର ଦେହେ ଶୋଭେ ରଙ୍ଗଚେଳ ନୀଳ
 କେଶପାଶେ କୁରୁବକ ।
ଖର୍ଜୁର କାନନ ଅନ୍ଧାରିତ ପଥେ
 ଆସୁଛନ୍ତି ବିପ୍ରଦାରା,
ସିନ୍ଧୁମୂଖେ ଅବା ଆଗ୍ନେୟ ଶଇଳୁ
 ବ‌ହେ ଧାତୁ ଦ୍ରବ୍ୟ ଧାରା ।
ଏହିରୂପେ ଚାରି ଦିଗେ ଲାଗିଅଛି
 ମହୋତ୍ସବ ରାଜପୁରେ,
ମାତ୍ର ରାଜେଶ୍ୱର ଗଙ୍ଗେଶ୍ୱର ଆଜ
 ଛନ୍ତି ପୁରୁ ବ‌ହୁଦୂରେ ।
ଋଷିକୁଲ୍ୟାଠାରୁ ସୁବର୍ଣ୍ଣ ତଟିନୀ
 ଯାଏ ସର୍ବ ଜନପଦ,
ନାନା ଉପାୟନେ ପୁଜୁଛନ୍ତି ଆଜ
 ବିର ଗଙ୍ଗେଶ୍ୱର ପଦ ।
ସୁବର୍ଣ୍ଣ ତଟିନୀ ଶୁଭ୍ରକୂଳେ କୋଳେ
 କରନ୍ତି ସ୍ୱର୍ଣ୍ଣ ସଞ୍ଚୟ,
ହେବା ପାଇଁ ରାଜ ମଞ୍ଜୁକେଶୀଙ୍କର
 ପୟରେ ଶିଞ୍ଚା ବଳୟ ।

 ପୃଷ୍ଠା ୩

ରାଜରାଣୀଙ୍କର କବରୀମଣ୍ଡନ
 ପାଇଁ ଖଣି ଅନ୍ଧକାର,
ଖନ‌କେ ଖୋଲନ୍ତି ମଣି ମହାନ‌ଦୀ
 ବିଷମ ଶିଳା ଶ‌ଯ୍ୟାରେ ।
କୌଷେୟ ବସନେ ଆବରିବେ ଅଙ୍ଗ
 ନୀଲାଚଳେ ରାଜ‌ଯୋଷା,
ଶାଳ୍ମଳୀ ଶଇଳେ ସେଥିପାଇଁ କୋଷ
 କୃମି ହେଉଛନ୍ତି ପୋଷା ।
ବିମ୍ବାଧରୀଙ୍କର ଚମ୍ପକ‌-ଅଙ୍ଗୁଳି
 କମ୍ପନେ ମଧୁ ଝଙ୍କାର,
ଉପୁଜିବା ଆଶେ କେନ୍ଦୁଝରେ ଗଢ଼ା
 ହେଉଅଛି ଲୌହ ତାର ।
ବ୍ରାହ୍ମୀ ତୀର-ଗିରି- କନ୍ଦରା ବିହାରୀ
 ଦନ୍ତାବଳ-ଦନ୍ତେ ଗଢ଼ା,
ମହିଷୀଙ୍କ ଶେଯ ସକାଶେ ପଲଙ୍କ
 ଯୋଗାଏ ଭୟେ ଲହଡ଼ା ।
ଅଙ୍ଗଲାଗି ପାଇଁ କନ୍ଧପଲ୍ଲୀ ଜାତ
 ହରିଦ୍ରା ଯୋଗାଏ ବୋଦ,
ଅନୁଗୁଳ ଶାଳ କ୍ଷୀରେ ହେଉଅଛି
 ନଅରେ ଧୂପ ଆମୋଦ ।
ନୀଳ ମାଧବଙ୍କ ଅଧିଷ୍ଠାନ ଗିରି
 ତଟବାସୀ କାରିଗର,
ଗଢ଼ୁଅଛି ଭୟେ ସୁଢଳ ତାମ୍ବୁଳ-
 -କରଙ୍କ ମହିଷୀଙ୍କର ।
କୁଜଙ୍ଗ ଯୋଗାଏ ଉଷୀର ବ୍ୟଜନ
 କନିକା ମୁକ୍ତା ପ୍ରବାଳ,
ମହୋଦ‌ଧି ବକ୍ଷେ ବ‌ହି ଦ୍ୱୀପାନ୍ତରୁ
 ଆଣନ୍ତି ଯା ପୋତମାଳ ।
ଲଳିତାଙ୍ଗୀଙ୍କର ଅଳକାମଣ୍ଡନ
 ପାଇଁ ବନେ ଅହରହ,
ଅଞ୍ଜନାଭ ଗୁଞ୍ଜା ମାଳିଆ ପାତୁଆ
 କରନ୍ତି ଜତୁ ସଂଗ୍ରହ ।
ଯୋଗାଏ ଚନ୍ଦନ ପେଡ଼ି ନୀଳଗିରି
 ଲଳିତଗିରି ଚନ୍ଦନ,
କଟକ ଯୋଗାଏ ଅମରୀ ବାଞ୍ଛିତ
 ମଞ୍ଜୁ ରଜତ ଭୁଷଣ ।
ଚାରୁ ଚନ୍ଦ୍ରାତପ ପିମ୍ପେଲରୁ ଆସି
 ଚତ୍ତ୍ୱରେ ହୋଇ ଲମ୍ବିତ,
ରାଜ ଅବରୋଧେ ଶତ ଇନ୍ଦ୍ରଧନୁ
 ଶୋଭା କରେ ସମୁଦିତ ।
ବାମଣ୍ଡା ମଣ୍ଡନ ପ୍ରପାତ ଶୀକର
 ସ୍ନାତ ଘନ ବନସ୍ଥଳୀ,
ଛାଡ଼ି ଶ୍ୟାମ ଏବେ ସମ୍ରାଟ ସଦନେ
କରୁଣେ କରେ କାକଳୀ ।
ମଣିଭଦ୍ରା ଶୈଳେ ମୁନୀ କୁମାରିଙ୍କ
 ନିବାର ମୁଷ୍ଟି ଅସ୍ୱାଦ,
ସ୍ମରି ରାଜ ସଦ୍ମ ଶିକୁଳିରେ ବଦ୍ଧ
 ଭଜୁଛି ଶୁକ ବିସାଦ ।
ପିଞ୍ଜରେ ଘୁମାଇ ଘୁମାଇ ସାରିକା
 ସ୍ମରୁଅଛି ଜନ୍ମସ୍ଥାନ,
ସ୍ୱପ୍ନେ କରୁଅଛି ସପ୍ତକ୍ରୋଶୀ ଗଣ୍ଡେ
 ବନ୍ୟ ଜନ୍ତୁ ରସପାନ ।

 ପୃଷ୍ଠା ୪

ମନର ଉଦ୍ୟାନେ ସ୍ୱର୍ଣ୍ଣ‌ଯଷ୍ଟି ପରେ
 ବସି ମୟୁର ମୟୁରୀ,
ମଇନାକ ଶୈଳେ ମେଘାଗନ ସୁଖ
 ସ୍ମରୁଛନ୍ତି ଝୁରି ଝୁରି ।
ଏ ବିଭବେ ଥାଇ ମହାରାଣୀଙ୍କର
 ମନେ ନାହିଁ ସୁଖ ଲେଶ,
କି କୌଶଳେ କଲା ଶୋକ-କୀଟ ଏହି
 କୁସୁମ ବନେ ପ୍ରବେଶ ।
ମହୋତ୍ସାବ କ୍ଷେତ୍ରେ ଦେହ‌ମାତ୍ର ଅଛି
 ମନ ଭ୍ରମୁଅଛି କାହିଁ,
ରୋଗୀ ହାସ୍ୟ ପରି ହର୍ଷ ଦେବୀଙ୍କର
 ହୃଦୟୁ ଆସଇ ନାହିଁ ।
ସମସ୍ତ ଉତ୍କଳେ ଦିଗବିଜୟ ସାରି
 ବୀରସିଂହ ଗଙ୍ଗେଶ୍ୱର,
ରତ୍ନପୁର ଦୁର୍ଗ ଅବରୋଧେ ଏବେ
 ହୋଇଛନ୍ତି ତ‌ତପର ।
ପାଞ୍ଚବର୍ଷବ୍ୟାପି ଆହବେ ହେଲେଣୀ
 କେତେ ମହାପ୍ରାଣୀ ହତ,
ମାତ୍ର ରତ୍ନପତି ଶିର ହୋଇନାହିଁ
 ଶତୃ ପଦେ ଅବନତ ।
ବିଜିତ ଯାବତ ନୃପସେନା ସ‌ହ
 ନିଜ ବାହିନୀ ମିଶାଇ,
ଜୁଝୁଛନ୍ତି ରତ୍ନ ପୁରେ ସେନାପତି
 ରୂପେ ରାଜକୁଲ ସାଇଁ ।
ତ‌ହିଁ ରାଜ‌ଜେମା କୌଶଲ୍ୟା ସୁନ୍ଦରୀ
 ଥିଲେ ସମ୍ରାଟ ଗ‌ହଣେ,
ଏକମାତ୍ର ପୁଷ୍ପ ଅସ୍ତ୍ରମୟ ସେହି
 ଶିବିର କଣ୍ଟକ-ବନେ ।
ରୁପେ ଗୁଣେ ବାଳା ଅତୁଳ ଜଗତେ
 ଜଗତ ମନ ମୋହିନୀ,
ରାଜ କୁମରଙ୍କ ଲୋଚନ ଭ୍ରମର
 ଅମଳ ନବ ନଳିନୀ ।
ଏସନ ତନୟା ପାଇ ରାଣୀଙ୍କର
 କିପାଇଁ ମଳିନ ମୁଖ?
ଯା ଲାଗି ଜଗତେ ଯେତେ ସୁଖ, ସେହି
 ଦିଏ ପୁଣି ତେତେ ଦୁଃଖ !
ଗୁପ୍ତ ପ୍ରେମେ ପଡ଼ି ସସତ୍ତ୍ୱା କୌଶଲ୍ୟା
 ହେଲା ସେ ସେନା ନିବେଶେ,
ଜଳେ ତୈଳବିନ୍ଦୁ ପରାୟେ କଳଙ୍କ
 ବ୍ୟାପିଗଲା ଦେଶେଦେଶେ ।
ପୁଣି ଜେମା ମୁଖ ନ ଚାହିଁବେ ବୋଲି
 ପ୍ରତିଜ୍ଞା କଲେ ରାଜନ,
ଜେମାବାସ ପାଇଁ ନିରୁପିତ ହେଲା
 ବିଜନ କାରା ଭବନ ।
ସେ ଭବନୁ ଜେମା ହେଲେ ନିରୁଦ୍ଦେଶ
 ବ‌ହୁ ଅନ୍ୱେଶଣ କରି,
ନ ଭବି ଉଦନ୍ତ ଅବଶେଷେ କ୍ଷାନ୍ତ
 ହେଲେ ଉତ୍କଳ କେଶରୀ ।
ଏ ବାରତା ରାଣୀ ପାଇଲା ଦିନରୁ
 ହୋଇଛନ୍ତି ମ୍ରିୟମ୍ରାଣ,
ଅତୁଳ ବିଭବେ ଥାଇ ଜୀବନ‌କୁ
 କରୁଛନ୍ତି ରୁଚ୍ଛ ଜ୍ଞାନ ।
ପୁଟ-ପାକ ପ୍ରାୟେ ଗୁପତେ ତପତେ
 ଜଳୁଅଛି ମର୍ମସ୍ଥଳ,
ଧୈର୍ଯ୍ୟଶୀଳା ଧୈର୍ଯ୍ୟ ଆବରି ସେ ଭାବ
 ବାହ୍ୟେ ଦିଶନ୍ତି ଶୀତଳ ।
ତ‌ଥାପି ସେ ସଜ ସରୋଜ ବଦନ
 ଶୋକେ ହୋଇଅଛି ଫିକା,
କୋମଳ କପୋଳେ ଦାରୁଣ କଷଣ
 ମାରିଛି ନିଜ ମୁଦ୍ରିକା ।

 ପୃଷ୍ଠା ୫

କୌଶଲ୍ୟାର ତ‌ତ୍ତ୍ୱ ଜାଣିବା ଆଳରେ
 ନିରତେ ଚିତ୍ତ ଆକୁଳ,
କାହିଁ ଭ୍ରମୁଅଛି ଦୁଃଖେ ସେ ଦୁଃଖିନୀ
 କଳଙ୍କିତ କରି କୁଳ ।
ଆକୁଳେ ଗରୁଡ଼ ସ୍ତମ୍ଭ ପାଶେ ଦିନେ
 ଅଧ୍ୟା ପଡ଼ିଥିଲେ ରାଣୀ।
ନିଦ୍ରାବଶେ ଦିନେ ନିଶୀଥେ ଶୁଣିଲେ
 ଅଶରୀରୀ ଶୂନ୍ୟ ବାଣୀ ।
"କୌଶଲ୍ୟାର କଥା କ‌ହିବ ସେ ଆସି
 ଏ ଭାଷା କର୍ଣ୍ଣ କୁହରେ,
ପଶିବାକୁ ବିଜେ କଲେ ଦେଉଳରୁ
 ମହିଷୀ ନିଜ ନବରେ ।
ଉପୁଜିଲା ତ‌ହୁଁ ଦୁହିତା ଦର୍ଶନ
 ଆଶା ହୃଦୟେ ନବୀନ,
ତ‌ହିଁ ଧ୍ୟାନ ରଖି ଆନ କର୍ମେ ଦେବୀ
 ହୋଇଥିଲେ ଉଦାସୀନ ।
ବିଧିରେ ଆଚରି ଦୋଳ ମହୋତ୍ସବ
 ପଦ୍ମ ଜଳେ ଦଳ ପରି,
ସେ ଆମୋଦେ ରତ ହୋଇଣ ବିରତ
 ଥିଲେ ପାର୍ବତୀ ସୁନ୍ଦରୀ ।
ଦୁଇ ବର୍ଷ ପୂର୍ବେ ଆସିଥିଲା ଯୁଦ୍ଧ
 ଭୂମିରୁ ବୃଦ୍ଧ କଞ୍ଚୁକୀ,
ଶିରାଳ ଶରୀର ବୟୋଧର୍ମେ ତାର
 ଆଗକୁ ପଡ଼ିଛି ଝୁଙ୍କି ।
ରାଜାଙ୍କ ଆଦେଶେ ଜଗୁଥିଲା ସେହି
 ସର୍ବୋଚ୍ଚ ପ୍ରାସାଦ ଚୂଳେ,
ନିଶିଯାକ ଏକ ଧ୍ୟାନେ ବସିଥାଇ
 ଚାହିଁ ଉତ୍ତରାଶା ମୂଳେ ।
ରାଜାଦେଶେ ପୂର୍ବୁ ପର୍ବତେ ପର୍ବତେ
 ହୋଇଥିଲା ଆୟୋଜନ
ବିଜୟ ଦିବସେ ବିଜୟ ସନ୍ଦେଶ
 ସ୍ୱପୁରେ ହେବ ପ୍ରେରଣ ।
ପର୍ବତେ ପର୍ବତେ ବିଜୟ ସଙ୍କେତ
 ଅଗ୍ନି ଜଳିବ ଜାଙ୍ଗଳେ,
ଆସିବ ନିଶିରେ ବିଜୟ ସନ୍ଦେଶ
 ରତ୍ନପୁରୁ ନିଳାଚଳେ ।
ଦୁଇ ବର୍ଷ କାଳ ଏହି ରୂପେ ଜଗି
 ସ୍ଥବିର ହେଲାଣୀ ଶ୍ରାନ୍ତ,
ଆଜିଯାଏ କେହି ନ ଜାଣିଲେ ରତ୍ନ-
 ପୁରର ଯୁଦ୍ଧ ବୃତାନ୍ତ ।
ଅସ୍ତରାଗେ ରଞ୍ଜି ତୁଙ୍ଗ ବାଲିସ୍ତୁପ
 ଶ୍ୟାମଳ ପୁନ୍ନାଗ ବନ,
ଲୋକନାଥ ପଥେ ବୁଡ଼ନ୍ତି ସାଗରେ
 କମଳିନୀ ପ୍ରାଣଧନ ।
ଭାସମାନ ରକ୍ତ ରବି ବିମ୍ବ ଦେଖି
 ଏ ଭାବ ଆସେ ଅନ୍ତରେ,
ବିରଞ୍ଚି-ରଚିତ ସୁବର୍ଣ୍ଣ ବ୍ରହ୍ମାଣ୍ଡ
 ଭାସଇ କିବା ସାଗରେ ।
କିବା ଜଳନିଧି- ଶାୟୀ ମଧୁରିପୁ-
 ନାଭି ନାଳେ ଅରବିନ୍ଦ,
ଅବା ଦିଗ୍‌ବଳୟ ରୂପୀ ବଳୟର
 ଅନୁରୁପ କୁରୁବିନ୍ଦ ।
ବୁଡ଼ନ୍ତେ ମାର୍ତ୍ତଣ୍ଡ ପ୍ରାଚିମୂଳୁ ଏବେ
 ସନ୍ଧ୍ୟା ପ୍ରବାଳ ପାଟଳା,
ଉର୍ଦ୍ଧ୍ୱେ ଉଠି ଇନ୍ଦୁ କିରଣେ ସୁନ୍ଦରୀ
 ମଧ୍ୟାକାଶେ ମିଶିଗଲା ।
ପଟ‌ହ କାହାଳୀ ଶଙ୍ଖ ଘଣ୍ଟା ଧ୍ୱନି
 ଉଠିଲା ପ୍ରତି ଦେଇଳେ,
ଦୀପାଲୋକ ଦେଖି ଚଞ୍ଚଳେ କଞ୍ଚୁକୀ
 ଚଢ଼ିଲା ପ୍ରସାଦ ଚୂଳେ ।
ତ‌ହିଁ ବସି ବୃଦ୍ଧ ଦେଖିଲା ଭୁତଳେ
 ଧରିତ୍ରୀ ଛବି ସୁନ୍ଦର,
ଦେଖିଲା ଉଦ୍‌ବେଳ କୋଳାହଳ ମୟ
 କୌମୁଦୀ ଧ୍ରୌତ ସାଗର ।

 ପୃଷ୍ଠା ୬

କର୍ପୂର ଧବଳ ବାଲି ସ୍ତୁପାବଳୀ
 ଖୋଲେ ଶୋଭେ ଉପବନ,
ଠାବେ ଠାବେ ଅବା ବସିଯାଇ ତଳେ
 ତିମିର ହୋଇଛି ଘନ ।
ଶୀତଶେଷେ ପାଣ୍ଡୁ ବେଶ ପରିହରି
 ଅମଳ ଶୁଭ୍ର ବସନା,
ଚନ୍ଦ୍ରିକା କୁସୁମେ କରୁଛନ୍ତି କେଳି
 ଚଉଦିଗେ ଦିଗଙ୍ଗନା ।
ଦୂରେ ସମଗରା ଦ‌ହ ରଜତର
 ଆସ୍ତରଣ ପରି ଦିଶେ,
ଦିଗ୍‌ବଳୟ ନୀଳ ତରୁରାଜି ତା'ର
 ଦାଢ଼େ ଅଙ୍କରେଖା କି ସେ ?
ବିରାଜଇ ଚାରୁ ଚନ୍ଦ୍ରାତପ ପ୍ରାୟ
 ଉର୍ଦ୍ଧ୍ୱେ ହୋଇ ଲମ୍ବମାନ,
ବିରଳ ତରଳ ତାରକା ଗୁମ୍ଫିତ
 ସୁନୀଳ ନଭଃ ଖିଲାନ ।
ସରପାଟୁଁ ଉଡ଼ି ସୁଖେ ଭାସି ଭାସି
 ତରଳ ଶଶି ମୟୁଖେ,
ନଭେ ରାବି ରାବି ଯାଉଛି ଟେଣ୍ଟୋଇ
 ସୁନୀଳ ଚିଲିକା ମୁଖେ ।
କୋଳାହଳ ନୃତ୍ୟ ବାଦ୍ୟ ପରିପୂର୍ଣ୍ଣ
 ଦୀପମାଳେ ବିଭୁଷିତ,
ଫଗୁଖେଳେ ରଙ୍ଗ ବରଣା ନ‌ଗରୀ
 ହର୍ମ୍ୟ ତଳେ ବିରାଜିତ ।
ଉତ୍ତରାସ୍ୟ ହୋଇ ବସିଣ କଞ୍ଚୁକୀ
 ଦେଖୁଅଛି କୁତୂହଳେ,
ମନୁଷ୍ୟ ଗ‌ହଳ ନୃତ୍ୟ ଫଗୁଖେଳ
 କୀର୍ତ୍ତନାଦି ମହିତଳେ ।
ଏହିରୂପେ ରାତ୍ର ଦଶଘଡ଼ି ଅନ୍ତେ
 ଉତ୍ସବୁଁ ହୋଇ ବିରତ,
ଯେ ଯାହା ଭବନେ ନାଗରିକେ ଯାଇ
 ସୁଖେ ହେଲେ ନିଦ୍ରାଗତ ।
ଚନ୍ଦ୍ରମା ବୁଡ଼ିଲେ ହରଚଣ୍ଡିଙ୍କର
 ନିର୍ଜନ ଦୂର ପ୍ରାନ୍ତରେ,
ଏକ ଏକ ହୋଇ ପ୍ରଦୀପ ଆଲୋକ
 ଲିଭିଗଲା ଘରେ ଘରେ ।
ଗାଢ଼ ଅନ୍ଧକାର ନଭେ ଜଳେ ସ୍ଥଳେ
 ଚୌଦିଗୁ ଆସିଲା ମାଡ଼ି,
ପ୍ରକୃତି ଦେହରୁ ଜୀବନ ନାଟିକା
 ସ‌ହସା ଗଲା କି ଛାଡ଼ି ।
ଝିଙ୍କାରି ଝଙ୍କାର ମାତ୍ର କଲା ସେହି
 ନିରବତାକୁ ମୁଖର,
ହିମ‌ବିନ୍ଦୁ ବାହି ନିଶାନ୍ତ ସମୀରେ
 ଦେହ ହେଲେ ଜରଜର ।
ସୌଧ ଚୂଳେ ବସି ସ୍ଥବିର କଞ୍ଚୁକି
 ଭାବୁଅଛି ହୃଦଗତେ-
"କେତେ କାଳ ମୁହିଁ ସଙ୍କେତକୁ ଚାହିଁ
 ଜଗିଥିବିଏହି ମତେ ।
ବିନି ବର୍ଷ ଜଗି ବସି ସୌଧଚୂଳେ
 ହୋଇଗଲି ଅବସନ୍ନ,
ତ‌ଥାପି ବିଜୟ ଲକ୍ଷୀ ଗଙ୍ଗେଶ୍ୱର
 ପ୍ରତି ନ ହେଲେ ପ୍ରସନ୍ନ ।
ଅଧର୍ମରେ ମତି ରାଜାଙ୍କର ସଦା
 ଅଧର୍ମରେ ସଦା ଗତି,
ବିଶାଳ ସାମ୍ରାଜ୍ୟ ଲଭି ନ ତୁଟିଲା
 ଲୋଭ ପର ରାଜ୍ୟ ପ୍ରତି ।
ସ୍ୱଧର୍ମ ତାଙ୍କର ପର ରାଷ୍ଟ୍ର ଗ୍ରାସ
 ବଳେ ଛଳେ କଉଶଳେ,
ପ୍ରବଳେ ରାସନୀ ନୀତି ଆଚରଣ
 ଦାଶନୀ ନୀତି ଦୂର୍ବଳେ ।

 ପୃଷ୍ଠା ୭

ପୁଣ୍ୟଶ୍ଳୋକ ଚୋର ରଙ୍ଗର ଅଙ୍ଗଜ
 ହୋଇ ହେଲେ ଏଡ଼େ କ୍ରୁର,
ମଦେ ମତ୍ତ ହୋଇ ନିତ୍ୟ ମଣନ୍ତି ଯା
 ସ୍ୱଭାବେ କ୍ଷଣ ଭଙ୍ଗୁର ।
କେହି ରହି ନାହିଁ ରହିବେ ନାହିଁଟି
 ଭବ-ରଙ୍ଗ-ଭୂମି ତଳେ,
ସର୍ବେ ନିଜ ନିଜ ଅଭିନୟ ସାରି
 ବାହୁଡ଼ିବେ କାଳବଳେ ।
ସ୍ତୁତି ତୀର୍ଥେ ଯାର ନାମ ହୋଇଅଛି
 ଅମର ବର୍ଣ୍ଣେ ଅଙ୍କିତ,
ପୁଣ୍ୟଶ୍ଲୋକ ଐର ନରପତି ହେଲେ
 କାଳ-ତୁଣ୍ଡେ କବଳିତ !
କାହିଁଗଲେ ଇନ୍ଦ୍ର- ଦ୍ୟୁମ୍ନ ମହିପତି
 ଉତ୍କଳ ଗୌରବ ରବି,
ନିଳାଚଳ ସ୍ଥାପି ଏହି କୀର୍ତ୍ତି କଳି-
 କଳୁଷ-ପର୍ବତ-ପବି ।
କାଳଗର୍ଭେ ଭବେ ଲୀନ ହେଲେ କେତେ
 ମହୀପତି ମହାଯଶା,
ହୋଇଅଛି ଯାଙ୍କ ଯୀର୍ଣ୍ଣ ସୌଧ ଏବେ
 ବ୍ୟାଘ୍ର ଭଲ୍ଲୁକର ବସା ।
ଶୈବାଳ ପାଷାଣ ଭେଦୀରେ ସଉଧ,
 ହୋଇଛି ନୀଳ ବରଣ,
କୃମି-ତନ୍ତୁ-ଜାଲ ହୋଇଛି ଏବେ
 ଗବାକ୍ଷର ଆସ୍ତରଣ !
ସ୍ୱର୍ଣ୍ଣ-ଦୀପାଲୋକେ ଉଠୁଥିଲା ଯହିଁ
 ଅଗୁରୁ ଧୁପର ଘଟା,
ତିମିରକୁ ତ‌ହିଁ ବ୍ୟଜନ୍ତି ବିଜନେ
 ପକ୍ଷବାତେ ଚମଚଟା ।
ତୋଳିଲେ ଅତୁଳ ଦୁର୍ଗ ଯେଉଁ ବୀର
 ବିରୁପାତଟିନୀ ତୀରେ,
ବିରୁପା-ତରଙ୍ଗେ ବୁଦ୍‌ବୁଦ ପରାୟେ
 ମିଶିଗଲେ କାଳନୀରେ !
ଏବେ ସେହି ଦୁର୍ଗୁ ଭୀଷଣ ନିର୍ଘୋସେ
 ପାଷାଣ ହୋଇ ସ୍ଖଳିତ,
ଦୂର ଜନପଦେ ସୁପ୍ତ ଜନେ କରେ
 ନିଶୀଥେ ଭୀତ ଚକିତ ।
ମହୀ ଅବତଂସ ଉଜ୍ଜ୍ୱଳ କେଶରୀ
 ରାଜବଂଶ କାହିଁ ଗଲା ?
ବେଢ଼ଛି ଉତ୍କଳ କଳେବରେ ଯାଇ
 ଅମଳ କୀର୍ତ୍ତି-ମେଖଳା ।
'ସେହି ବଂଶ କାହିଁ ?' ଏହି କଥା ଯେବେ
 ଏକାମ୍ରେ ବୁଚ୍ଛିବ ଯାଇ,
ପ୍ରତିଧ୍ୱନୀ ଛଳେ କାନନେ ଦେଉଳେ
 ପ୍ରତିବାଣୀ ଦେବ 'କାହିଁ?'
ଚିରଦିନ ପାଇଁ କାହାରି ନୁହ‌ନ୍ତି
 କର୍ମ‌-ଭୂମି ବସୁନ୍ଧରା,
ପାଞ୍ଚିଛନ୍ତି ରାୟେ ଭୁଜବଳେ ଭବେ
 ଚିରସ୍ଥାୟୀ ହେବେ ପରା ।
ନିଜ ନଶ୍ୱରତା ଗଙ୍ଗେଶ୍ୱର କେବେ
 ସ୍ମରିଲେ ନାହିଁ ସ୍ୱପନେ
ତମ-ଧର୍ମ-ବଶେ ଅନୁକ୍ଷଣ ରତ
 କେବଳ ପର ପୀଡ଼ନେ ।
ଦିଗବିଜୟ ବ୍ୟାଜେ କେତେ ଭୁପାଳଙ୍କୁ
 କଲେ ରାଜା ରଣେ ହତ,
ଥୋକେ ରାଜ୍ୟ ଛାଡ଼ି ଦୂରେ ପଳାଇଲେ
 ଥୋକେ ହେଲେ ପଦାନତ ।
ଗଙ୍ଗେଶ୍ୱର ଦମ୍ଭ ଭରେ ଥରହର
 କମ୍ପଇ ଆଜ ଉତ୍କଳ,
କେତେ କାଳ ଧର୍ମ ସ‌ହିବ ଅନୀତି
 ଦିନେ ଦେବ ପ୍ରତିଫଳ ।

 ପୃଷ୍ଠା ୮

ବୃଥା ଦମ୍ଭେ ମାତି ଦିଗ୍‌ବିଜୟ ବୀର
 ଭ୍ରମୁଥାନ୍ତି ଦେଶେ ଦେଶେ,
ଜେତେ ବିଜିତକୁ କରାଳ କୃତାନ୍ତ
 ପେଷିଦିଏ ନିର୍ବିଶେଷେ ।
ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ
 ସମସ୍ତଙ୍କ ଭାଗ୍ୟ ଡୋରି,
ନିଜ ଭାଗ୍ୟ ଡୋରି କାଳ ହସ୍ତେ ଏହା
 ପକାନ୍ତି ହେଳେ ପାସୋରି ।
ଅଜ୍ଞାନେ କଳ୍ପନା ଉଦ୍ୟାନେ ଦାମ୍ଭିକେ
 ଗଢ଼େ ଆଶାକୁଞ୍ଜମାନ,
ତା ଦେଖି ଅଲକ୍ଷେ ପାଖେ ପାଖେ ଥାଇ
 ହସୁଥାନ୍ତି ଜନ୍ତୁରାଣ ।
କ୍ରର କାଳଚକ୍ର ଘୁରୁଛି ମସ୍ତକେ
 ଜାଣି ଲୋକେ ହୋନ୍ତି ବଣା,
କିମ୍ପାଇ ଲୋଡ଼ନ୍ତି ରଣଭୂମି ରୂପ
 କୃତାନ୍ତ-ରଙ୍ଗ-ଅଗଣା ?
ଅଗ୍ରେ ବାତ୍ୟା ଦେଖି ଜଳ ଜଳଦସ୍ୟୁ
 ଆକ୍ରମେ ବଣିଜ ତରୀ,
ଦିଗ୍‌ବିଜୟ ବ୍ୟାଜେ ସେହିରୁପେ ପର
 ରାଜ୍ୟ ଅକ୍ରମଣ ମତ୍ସରୀ ।
ଦସ୍ୟୁ ବଣିକ‌କୁ ମାରେ ବାତ୍ୟା ଯଥା
 ବୁଡ଼ାଇ ଜଳଧି ଜଳେ,
କାଳ ସେହି ରୂପେ ଜେତେ ବିଜିତକୁ
 ପୁରାଏ ନିଜ କବଳେ ।
ଏ ଭବ ସଂସାରେ ସର୍ବଗ୍ରାସୀ କାଳ
 ବାତ୍ୟା ବ‌ହେ ଅବିରତ,
ଏହା ଜାଣି ଲୋକେ କେଉଁ ଲାଭ ଆଶେ
 କଳହେ ହୁଅନ୍ତି ରତ ?
ଗଜ କଚ୍ଛପର କଳି ପ୍ରାୟେ ମହା-
 ଦମ୍ଭେ କରୁଥାନ୍ତି ଲୀଳା,
ମନେ ନାହିଁ ଦିନେ କାଳ ପକ୍ଷିରାଜ
 ଉପରୁ ମାରିବ ଚିଲା ।
ନାନା ଦୁର୍ନିମିତ୍ତ ନିତି ନିତି ଦେଖି
 ମନେ ଲାଗେ ବଡ଼ ଡର,
ଆସ୍ଥନ ମଣ୍ଡପେ ଉଡ଼ିଆସି ଗୃଧ୍ର
 ବସୁଛି ଥରକୁ ଥର ।
ପ୍ରତି ରାତ୍ରେ କେତେ ଉଲ୍‌କାପିଣ୍ଡ ନଭୋ-
 ମଣ୍ଡଳୁ ପଡ଼ୁଛି ଖସି,
ଆଜ ରାତ୍ରେ ପୁଣି ପେଚକ ରାବିଲା
 ଚନ୍ଦ୍ରଶାଳା ଚୂଳେ ବସି ।
ନିଶାନ୍ତ ନଅରେ ଶୁଭୁଛି ଶବଦ
 ଅବଳା ରୋଦନ ଭଳି,
କାହୁଁ ଆସୁଅଛି ସେ ବିକଳ ଧ୍ୱନି
 କେହି ନ ପାରିଲେ କଳି ।
ଅଲକ୍ଷଣ ଦେଖି ପୁରବାସୀଙ୍କର
 ହୃଦୟ ସଦା ସଭୟ,
ଏତେଦିନେ ଅବା ରାଜାଙ୍କର ହେଲା
 ପୂର୍ବ ତପୋବଳ କ୍ଷୟ ।
ରତ୍ନପୁର ପତି ସଙ୍ଗେ ଅକାରଣେ
 କୁକ୍ଷଣେ କଳି ଭିଆଇ,
କେ ଜାଣି କି ଭାଗ୍ୟ ଭଜିଲେ ସମର
 ରଙ୍ଗ ଭୂମେ ନରସାଇଁ ।
ଭବିତବ୍ୟ ଯାହା ଅବଶ୍ୟ ଘଟିବ
 କିଏ ବା କରିବ ଆନ,
କିଏ ଅବା ଏହି କ୍ୟୋତିଶ୍ଚକ୍ର ଗତି
 ରୋଧିବାକୁ ବଳବାନ ।
ସ୍ୱାତୀ ଚିତ୍ରା ବେନି ତରାଜୁ ତୁଳାର
 ବିରଜେ ନଭୋମଣ୍ଡଳେ,
ଏହି ଦଣ୍ଡେ ଧାତା ତଉଲନ୍ତି ଅବା
 ନରଭାଗ୍ୟ ମହିତଳେ ।
କାହା ଭାଗ୍ୟ ଗୁରୁ କାହା ଭାଗ୍ୟ ଲଘୁ
 ହେବ ଏ କାଳ ସମରେ,
ଅଛି ଏକା ସେହି ବ୍ରହ୍ମାଣ୍ଡ ଠାକୁର
 ଅନନ୍ତ ଜ୍ଞାନ ଗୋଚରେ ।

 ପୃଷ୍ଠା ୯

ସେହି ପାଇଁ ସିନା ଶ୍ରୀହସ୍ତେ ରଖନ୍ତି
 ଅଜ୍ଞେୟ ଅଦୃଷ୍ଟ କଞ୍ଚି,
ଯା ଭେଦ ନ ପାଇ ଭାବି ଭାବି ବଣା
 ହୁଅନ୍ତି ଶିବ ବିରଞ୍ଚି ।
ଏହିରୂପେ ଭାଳୁ ଉତ୍ତରାଶ-ମୂଳେ
 ପୁଣ୍ୟ ଧ୍ରୁବତାରା ମୂଳେ,
ସ‌ହସା କଞ୍ଚୁକି ଜ୍ୟୋତିପୁଞ୍ଜ ହେରି
 ନିରେଖିଲା କୁତୁହଳେ ।
କ୍ରମେ କ୍ରମେ ଶିଖା ବଢ଼ିଲେ ଜାଣିଲା
 ଅନଳୁ ନୁହେଁ ସେ ଆନ,
ଅନ‌ନ୍ଦେ ଗଦ୍‌ଗଦ୍ ହୋଇ ବୃଦ୍ଧ କ‌ହେ
 ଧନ୍ୟ ଧନ୍ୟ ଭଗବାନ ।
ସ୍ୱାଗତ ହେ ବ‌ହ୍ନି ଶିଖା ତୋତେ ତୁ ଯା
 ଆଣିଲୁ ଶୁଭ ସନ୍ଦେଶ,
ଉଜଳି ମାର୍ଗରେ ଅୟୁତ କନ୍ଦରା
 ଗିରି ନ‌ଦୀ ବନ ଦେଶ ।
ଆଦ୍ୟ ଆବିର୍ଭାବ ଅଗ୍ନି ଦେବଙ୍କର
 ହୋଇଥିବ ମେଘସନେ,
ରଶ୍ମି-ରେଖା ତ‌ହୁଁ ଧାଇଁ ଆସିଥିବ
 ପଲକେ ଗନ୍ଧମାଦନେ ।
ଦଣ୍ଡଦେବୀ ଅଧି ଷ୍ଠିତ ସେହି ଶୈଳେ
 ଶାଳକାଷ୍ଠ କରି ଗଦା,
ଅନଳ ଲଗାଇ ହୋଇଥିବ ମତ୍ତ
 ସଙ୍ଗୀତେ ଭୁୟାଁ ପ୍ରମଦା ।
ବିମ୍ବିତ ହେବାରୁ ସେହି ଛବି ଆଦ୍ୟ
 ବୈତରଣୀ ପୂତ ଝରେ,
ଉଲ୍ଲାସେ ଜୁଆଙ୍ଗେ ବ‌ହ୍ନି ଜାଳିଥିବେ
 ଗୋନାସା ଶୈଳ ଶିଖରେ ।
ଜୟ ଗଙ୍ଗେଶ୍ୱର ବୋଲି କ୍ଷଣେ କ୍ଷଣେ
 ଉଲ୍ଲାସେ ମାରେ କୁହାଟ,
ରାତିଯାକ ବସି ଶିଖରେ ଜୁଆଙ୍ଗ
 କରୁଥିବେ ଚାଙ୍ଗୁନାଟ ।
ଖଣ୍ଡାଧାର ଚଣ୍ଡ ପ୍ରସାଦ ଶବଦେ
 ଝଙ୍କାରିତ ଗର୍ଭ ଯାର,
ଅଟଇ ସେ ସ୍ଥଳୀ ବୈତରଣୀଙ୍କର
 ନିର୍ଜନ ସୂତିକାଗାର ।
ସ୍ତରେ ସ୍ତରେ ନୀଳ ଶୃଙ୍ଗମାନ ନଭେ
 ଟେକିଛନ୍ତି ଗିରି ଯହିଁ,
ଯାର ତୁଙ୍ଗ ତଟେ ବନସ୍ପତି ପର୍ଣ୍ଣେ
 ତାରାପୁଞ୍ଜ ସଞ୍ଚରଇ ।
ସେହି ସ୍ଥଳୀ ଛାଡ଼ି ମହାରଣ୍ୟମୟ
 ଉପତ୍ୟକା ଲଙ୍ଘି ପଥେ,
ମନୋରଥ-ଗତି ଆସୁଥିବ ରଶ୍ମି
 ମାଲ୍ୟଗିରି ପରବତେ ।
ଶିକୁଳା ଦୁର୍ଗମ ସଭ୍ରଙ୍କସ ସେହି
 ଶିଖରି ଚୂଳେ ବିହରି,
ଜାଳିଥିବେ ଶୁଷ୍କ ଧନ୍ୱନ୍ତରୀ ତୃଣେ
 ଅନଳ ଗଣ୍ଡ ସୁନ୍ଦରୀ ।
ସୃଜିଥିବ ତ‌ହିଁ କନ୍ଦରେ କନ୍ଦରେ
 ସଘନ ପ୍ରତିଶବ୍ଦକ,
ମର୍ଦ୍ଦଳର ତାଳେ ପଲ୍ଲବ ମଣ୍ଡନୀ
 ଗଣ୍ଡବାଳା-ହଲ୍ଲିଷକ
ବାଳଭାନୁ ପରି କୃଷାନୁ ସ୍ଫୁରିବ
 ଏ ଅନ୍ତେ ବାରା ଅଚଳେ,
ପ୍ରକ୍ଷାଳଇ ଚକ୍ର ବାକିନୀ ବ୍ରହ୍ମଣୀ
 ପାଦ ଯାର କଳକଳେ ।

 ପୃଷ୍ଠା ୧୦

ହିଙ୍ଗୁଳା ପୀଠରୁ ଭାସି ଆସିଥିବା
 ଅଙ୍ଗାର ସଙ୍ଗେ ମିଶ୍ରିତ,
ଖଦିର ଇନ୍ଧନ ଜାତ ବୈଶ୍ୱାନରେ
 ଗିରି ହେବ ସୁରଞ୍ଜିତ ।
ରଥାଙ୍ଗ ଦମ୍ପତି ମାନସେ କ୍ଷଣିକ
 ସୁଖ ଭ୍ରମ ଉପୁଜାଇ,
ଅଭ୍ର-ଗର୍ଭଗିରି କପିଳାସେ ରଶ୍ମୀ
 ତ‌ହୁଁ ଆସିଥିବ ଧାଇଁ ।
ସ୍ଫଟିକ ପାବଚ୍ଛ ପରାୟେ ଯେ ଶୈଳେ
 ଶୋଭେ କଳନାଦୀ ଝର,
ରକ୍ତାଶୋକେ କୁଞ୍ଜେ ବିରାଜନ୍ତି ଯାର
 ମେଖଳେ ଚନ୍ଦ୍ର ଶେଖର ।
ନିଶୀଥେ ଓହ୍ଲାଇ କିନ୍ନରୀଏ ଯହିଁ
 ଗାଆନ୍ତି ମହିମ୍ନ ସ୍ତବ,
ଉତ୍କର୍ଣ୍ଣେ ଶୁଣନ୍ତି ହରିଣୀଏ ମୁଗ୍‌ଧ
 ହୋଇ ସେ ସଙ୍ଗୀତ ରବ ।
ଯୋଗୀଜନେ ଯ‌ହିଁ ବ‌ହ୍ନି ଜାଳିଥିବେ
 ବିଜୟ ସଙ୍କେତ ପାଇ,
ତା ଦେଖି ହରିଣେ ଦାବାନଳ ଭ୍ରମେ
 ଚୌଦିଗେ ଯିବେ ପଳାଇ ।
ତଳେ ମହାରଣ୍ୟେ କୃଷିକ୍ଷେତ୍ର ମଞ୍ଚେ
 କୃଷିରକ୍ଷୀ କୃଷିବଳ,
ନେତ୍ରେ ଜନ୍ମାଇବ ଚମକ ଚପଳା
 ସନ୍ନିଭ ଜ୍ୟୋତି ଚପଳ ।
ଏଅନ୍ତେ ଜାଳିବେ ଋକ୍ଷଭୀତିପ୍ରଦ-
 ଅନଳଶିଚା ଉଜ୍ଜ୍ୱଳା,
ଝର ଉପବିତ ଧାରା ସପ୍ତଶ‌ଯ୍ୟା
 ଶିଖରି ଶୃଙ୍ଗେ ତଅଁଳା ।
ତିନ୍ଦକୁ-ରନ୍ଧନ- ଜନ୍ମା ବିଭାବସୁ
 ସ୍ଫୁଲିଙ୍ଗ ମାଳା ଆକାଶେ,
ଦେଖି ଝର ଛାଡ଼ି ଜଳାର୍ଥୀ କରଭେ
 ଦୂରେ ପଳାଇବେ ତ୍ରାସେ ।
ବନସ୍ପତି ଡାଳେ ସୁଖେ ସୁପ୍ତ ଗିରି
 ନ‌ଦୀ ବିହାରି ବରଟା,
ତ୍ରାସେ ନୀଡ଼ ତ୍ୟଜି ପଳାଇବେ ଶୁଣି
 ସେ ଅନଳ ଚଟା ଚଟା ।
ଏ ପରେ ଶରଣ୍ଡା ମୁଣ୍ଡେ ପରଚଣ୍ଡେ
 ଉଠିବ ବ‌ହି-ମୟୁଖ,
ଅଂଶୁପା ସରସେ ମୁହୂର୍ତେ ଉଜଳି
 କମଳିନୀ ମ୍ଳାନ ମୁଖ ।
ମହାନ‌ଦୀ ନୀଳ ସଳିଳ ଦର୍ପଣେ
 ତଦନ୍ତେ ହୋଇ ବିମ୍ବିତ,
ଦିଶୁଥିବ ରଶ୍ମୀ ଧୂମକେତୁ ପୁଚ୍ଛ
 ପ୍ରାଏ ଦୀର୍ଘ ପ୍ରସାରିତ ।
ତଣ୍ଡି ପଠାଚାରୀ ମହିଷୀଏ ଦୂରୁ
 ଚାହିଁଥିବେ ଏକ ଧ୍ୟାନେ,
ଦେହୁରିଏ ହର୍ଷେ ପକାଇବେ ହୁରି
 ଚର୍ଚ୍ଚିକା ଶୈଳ ସୋପାନେ ।
ତ‌ହୁଁ ବ‌ହ୍ନି ସ୍ଫୁରି ଶାଳ ମହାରଣେ
 ଦ୍ୱିଶିର ମହାପର୍ବତେ,
ଶୋଭିତ ଅଚଳ ଦ୍ୱୀପସ୍ତମ୍ଭ ପ୍ରାଏ
 ନୀଳ ପରାରାବାର ପଥେ ।
ଶବର ଯୁବାଏ ସେ ବ‌ହ୍ନିରେ ଦଗ୍‌ଧ
 କରିବ ବଣ୍ୟ ଶିକାର,
ଶୀତେ ମଦ୍ୟ ସଙ୍ଗେ ସୁଖେ ତପ୍ତ ମାଂସ
 କରୁଣ ଥିବେ ଆହାର ।

 ପୃଷ୍ଠା ୧୧

ହାଟକେଶ୍ୱରର ତପ୍ତ ପ୍ରସ୍ରବଣ
 ରଖି ବେମେତର ଦିକେ,
ରଶ୍ମିରେଖା ମହା ଖରେ ଆସୁଥିବ
 ବରୁଣୀ ଶିଖରୀ ଶିଖେ ।
ଲତା-ଦୋଳା‌-ଶେଯେ ବନ ଦେବତାଙ୍କୁ
 କେଳି-ଦୀପ ରୂପେ ଖଟି,
ତ‌ହିଁ ଉଜଳିବେ ବିଭାସସୁ ଦେବୀ
 ଅଧିଷ୍ଠିତ ଶୈଳ-କଟି ।
ଦୟେ ତୀରେ ତରୁ ହୀନ ଟଙ୍କ ଯହିଁ
 ନିଦାଘେ ମଧ୍ୟହ୍ନ କାଳେ,
ମାର୍ତ୍ତଣ୍ଡ ମୟୁଖେ ନୀଳ ମରୀଚିକା
 ସଦା ଖେଳେ ଚକ୍ରବାଳେ ।
ଭରତିଆ ରୁତେ ମୁଖର ସେ ଟଙ୍କ
 ଭୂମି ଅତିକ୍ରମି ପଥେ,
ଆସିଅଛି ରଶ୍ମି ଗୁଳ୍ମଜଟାଧର
 ବିଶ୍ୱନାଥ ପରବତେ ।
ଚନ୍ଦ୍ରଚୂଡ଼ ବଡ଼ ଶୃଙ୍ଗାର ରଚନା
 କାଳେ ସେ ଶୈଳେ ସେବକେ,
ଆନ‌ନ୍ଦେ ଅନଳ ଜାଳିଲେ ଦେଉଳ
 କିରୀଟ-ଗିରି-ମସ୍ତକେ ।
ପୁନ୍ନାଗ ଖଜୁର ନାରିକେଳପୂର୍ଣ୍ଣ
 ଲଙ୍ଘି ନାନା ଜନପଦ,
ଶଙ୍ଖକ୍ଷେତ୍ରେ ଆଣୁ ଅଛି ରଶ୍ମି-ରେଖା
 ଏ ବାରତା ସୁଖପ୍ରଦ ।
ଜଳି ଉଠିଲାଣି ବହ୍ନି-ଶିଖା ପୁଣି
 ସଘନେ କମ୍ପି ଅନିଳେ,
ସୁନୀଳ ଚିଲିକା ତରଙ୍ଗ ତାଡ଼ିତ
 ତାରାଦେବୀଙ୍କ ଶଇଳେ ।
ବିଜୟ ସଙ୍କେତ ଏହି ବ‌ହ୍ନିଶିଖା
 ଏଥିରେ ନାହିଁ ସଂଶୟ,
ଖରେ ନରପତି ପରବାସୁ ଏବେ
 ବାହୁଡ଼ିବେ ନିଜାଳୟେ ।
ଅଲକ୍ଷଣ ଦେଖି ମହାଭୀତି ଜାତ
 ହୋଇଥିଲା ଲୋକମନେ,
ଏହି ରଶ୍ମୀ ଦୂର କଲା ସେ ଭୀତିକି
 ଶ୍ରୀକ୍ଷେତ୍ରେ ଆସି ସୁକ୍ଷଣେ ।
ରାଜାଙ୍କ କୁଶଳ ରାଜ୍ୟର କୁଶଳ
 ରାଜା ରାଜ୍ୟ କର୍ଣ୍ଣଧାର,
ରାଜ-ଯନ୍ତ୍ରୀ ବିନୁ ରାଷ୍ଟ୍ର-ଯନ୍ତ୍ର କ୍ଷଣେ
 ହୁଅଇଟି ନାରଖାର ।
ନୀଳାଚଳ ସାଇଁ ପ୍ରାସାଦେ ନରେଶ
 ଗଙ୍ଗେଶ୍ୱର ସର୍ବଜୟୀ,
ପଦାନତ ଆଜ ଦେବରାଜଙ୍କର
 ସମଗ୍ର ଉତ୍କଳ ମହୀ ।
ଏ ସମ୍ୱାଦ ମୁହିଁ ନିବେଦିକି ଯାଇ
 ମହାଦେବୀଙ୍କ ଛାମୁରେ,
ଦୋଳୋତ୍ସବ ସ‌ହ ବିଜୟ ଉତ୍ସବ
 ମିଶିବ କାଲି ଏ ପୁରେ ।
ଏହା କ‌ହି ମହା ଉଲ୍ଲାସେ କଞ୍ଚୁକୀ
 ଧୀରେ ଓହ୍ଲାଇ ସୋପାନେ,
ଦେଖି ଚମକିଲା ଅଶରୀରି ନାରୀ
 ମୁରତି-ପୁର-ଉଦ୍ୟାନେ ।
ଦେଖୁ ଦେଖୁ ମୂର୍ତ୍ତି ଅନ୍ଧକାରେ ମିଶି
 ଗଲା ଉଦ୍ୟାନ ପ୍ରାଚୀରେ,
ସ୍ୱିନ୍ନ କଣ୍ଟକିତ ହୋଇ ବୃଦ୍ଧ ଭୟେ
 ଥରିଲା ସର୍ବ ଶରୀରେ ।

 ପୃଷ୍ଠା ୧୨

ସୌଧ-ପୃଷ୍ଠୁ ବୃଦ୍ଧ ସତ୍ତ୍ୱରେ ଓହ୍ଲାଇ
 ରାଣୀଙ୍କି ଭେଟି ନିର୍ଜନେ,
ଛାମୁରେ ପ୍ରଣତି ହୋଇ ଜୋଡ଼କରେ
 କ‌ହେ ବିନୟ ବଚନେ- ।
ହେ, ଦେବୀ ! ଆସିଲା ନିଶା ଅନ୍ତେ ରତ୍ନ-
 ପୁରୁ ବିଜୟ ଉଦନ୍ତ,
ଏତେ ଦିନେ ତୁମ୍ଭ ଭାଗ୍ୟେ ସୁପ୍ରସନ୍ନ
 ବଡ଼ଦେଉଳ ସାମନ୍ତ ।
ଉଦିଚୀ ବଦନେ ଝଳି ଯେହ୍ନେ ନବ
 ସୁବର୍ଣ୍ଣର ଅବତଂସ,
ଶୈଳଶୃଙ୍ଗେ ଜଳି ସୁବର୍ଣ୍ଣିଦୀ-ଧିତି
 ଦୁଃଖ ତମ କଲେ ଧ୍ୱଂସ ।
ଏକମାତ୍ର ରତ୍ନ ପୁରପତି ଥିଲେ
 ଦେବରାଜାଙ୍କର ଅରି,
ମାତ୍ର ଦେବୀ ! ତଳେ ଓହ୍ଲାଇବା ବେଳେ
 ଦେଖିଲି ଯାହା ନୟନେ,
ଅଭୟ ଏ ଦାସେ ଆଲା ଦେଲେ ତାହା
 ନିବେଦିବି ଶ୍ରୀଚରଣେ ।
ମହାଦେବୀଙ୍କର ଆଶ୍ୱାସ ବଚନ
 ପାଇ କ‌ହଇ ସ୍ଥବିର,
ଦେଖିଲେ ଯା ଦେବି ! ଅଦ୍ଭୁତ ସେ କଥା
 ଶ୍ମରଣେ କମ୍ପେ ଶରୀର ।
ମଥିର ଉଦ୍ୟାନେ ମାଧବୀ ମଣ୍ଡପେ
 ଦେଖିଲି ନାରୀ ମୂରତି,
ଦେଖୁ ଦେଖୁ ତାହା ତିମିରେ ପ୍ରଚୀରେ
 ମିଶିଗଲା ଖରେ ଅତି ।
ଜେମାଙ୍କ ଆକାର ଜେମା ବେଶଭୁଷା
 ସମସ୍ତ ଅଟଇ ଏକା,
ସେ ପ୍ରଫୁଲ୍ଲ ଭାବ ନାହିଁ ସେ ବଦନେ
 କେବଳ ବିଷାଦ ରେଖା ।
ଦର୍ପଣ ଫଳକେ ଜେମା ପ୍ରତିବିମ୍ବ
 ଯେସନେ ଖର ସଞ୍ଚାରୀ,
ନୟନେ ପଲକେ ନୟନରୁ ମୋର
 ଅଦୃଶ୍ୟ ହେଲା ସେ ନାରୀ ।
ଅତି ଅଦଭୁତ ରୂପେ ମୋର ଦୃଷ୍ଟି
 ପଥରୁ ନେଲା ମେଲାଣି,
ଆକାରୁ ଜାଣିଲି ମହାଦେବୀ ସେହି
 ନିଶ୍ଚେ ଅଶରୀରି ପ୍ରାଣୀ ।
ଦେହକେ ଏକଥା ଦେଖି ନ ଥିଲି ମୁଁ
 ନ ଦେଖି ନୁହ‌ନ୍ତା ପ୍ରତେ,
ପାସୋର ନ ଯିବ ମନୁ ସେ ମୂରତି
 କି ସ୍ୱପ୍ନେ ଅବା ଜାଗ୍ରତେ ।
ଏହା କ‌ହି ବୃଦ୍ଧ କର ଯୋଡ଼ି କରି
 ନତ କଲା ପୁଣି ମଥା,
ବିସ୍ମୟେ ମହିଷୀ ସ୍ତମ୍ଭୀଭୂତ ହେଲେ
 ଶୁଣି ଏ ଅଦ୍ଭୁତ କଥା ।
ମନରେ ପାଞ୍ଚିଲେ ରଜନୀରେ ହେବ
 ଏ ଗୁଢ଼ ରହସ୍ୟ ଭେଦ,
କାହାରିକି କିଛି କ‌ହିବାକୁ ଦେବୀ
 ବୃଦ୍ଧକୁ କଲେ ନିଷେଧ ।
ରାଣୀଙ୍କ ଆଦେଶେ ବିଜୟ ବାରତା
 ନ‌ଗରେ ହେଲା ପ୍ରଚାର,
ନ‌ଗରବାସୀଙ୍କ ଉଲ୍ଲାସ ଚ‌ହଳେ
 କମ୍ପିଗଲା ରାଜଦ୍ୱାର ।
ଗଙ୍ଗେଶ୍ୱର ସ୍ତୁତି ବନ୍ଦନା ତୋରଣେ
 ଉଲ୍ଲାସେ ଗାଇଲେ ଭାଟେ,
କିମ୍ବଦନ୍ତି ତାହା ପ୍ରଚାରିଲା ପୁରେ
 ଦେବାଳୟେ ପଥେ, ଘାଟେ ।

 ପୃଷ୍ଠା ୧୩

ଚାହୁଁ ଚାହୁଁ ହେଲା ରଙ୍ଗଧ୍ୱଜ ବର୍ଣ୍ଣେ
 ପରିଣତ ନୀଳ ନଭ,
ଚୌଦିଗେ ଶୁଭିଲା ଲୋକ କୋଳାହଳ
 'ଜୟ ଗଙ୍ଗେଶ୍ୱର ରବ ।
ଫଗୁଖେଳେ ମାତି ଜୟ ଗଙ୍ଗେଶ୍ୱର
 ଉଚ୍ଚାରି ହର୍ଷେ ଯୁବକେ,
ସରାଗେ ଫିଙ୍ଗିଲେ ଫଗୁ ନାଗରୀଙ୍କ
 ଅମଳ ଗଣ୍ଡ ଫଳକେ ।
ଗାଇଲେ ମଧୁରେ ଗଙ୍ଗେଶ୍ୱର ଜୟ
 ମହାରି ଦେବ ବଲ୍ଲଭା,
ସାଗର ସମୀର ରଙ୍ଗେ ଦୋଳାଇଲା
 ମସ୍ତକେ କୁସୁମ ଗଭା ।
ସୁମଧୁର ଅର୍ଦ୍ଧ ସ୍ଫୁଟ ମିଷ୍ଟଭାଷେ
 ଅଧିକୃତ କରି ସାଚୀ,
ଜୟ ଗଙ୍ଗେଶ୍ୱର ବୋଲି ସାହିଦାଣ୍ଡେ
 ଶିଶୁଏ ବୋଲନ୍ତି ନାଚି ।
ଅଶ୍ୱତ୍‌ଥ ଓହଳ ପରାୟେ ଜଟିଳ
 ପର୍ଣ୍ଣ ଛତ୍ରତଳବାସୀ,
ଜୟ ଗଙ୍ଗେଶ୍ୱର ଏକତନ୍ତ୍ରୀ ତାନେ
 ଗାଇଲେ ବୃଦ୍ଧ ସନ୍ୟାସୀ ।
ଜୟ ଗଙ୍ଗେଶ୍ୱର ବୋଲି ଦାଣ୍ଡେ ପଣ୍ଡା
 ଯାତ୍ରୀ ଆଗେ ଆଗେ ଚଳେ,
ତା ଶୁଣି ଯାତ୍ରୀରେ ସମସ୍ୱରେ ଯୋଗ
 ଦିଅନ୍ତି ସେହି ଚ‌ହଳେ ।
ଉପବନେ ମଲ୍ଲ ଶାଳେ ମଲ୍ଲମାନେ
 ମତ୍ତ ହୋଇ ଭାଙ୍ଗୋଦକେ,
ଜୟ ଗଙ୍ଗେଶ୍ୱର ବୋଲି ମାଲ ଖମ୍ୱ
 କମ୍ପାନ୍ତି ବାହୁ ସ୍ଫୋଟକେ ।
ଜୟ ଗଙ୍ଗେଶ୍ୱର ବୋଲି ସ୍ୱର୍ଗଦ୍ୱାରେ
 ଯାତ୍ରୀଏ କରନ୍ତି ଗୋଳ,
ନାଚି ନାଚି ତ‌ହିଁ ଯୋଗ ଦିଏ ଆସି
 ଫେନିଳ-ସିନ୍ଧୁ-କଲ୍ଲୋଳ ।
ଟିପାକାଠି ପୃଷ୍ଠେ ତରଙ୍ଗ ନୋଳିଆ
 ଗାଏ ଜୟ ଗଙ୍ଗେଶ୍ୱର,
ଜାଲ ବୁଣୁବୁଣୁ କୂଳୁଁ ନୋଳିଆଣି
 ଦିଅନ୍ତି ହର୍ଷେ ଉତ୍ତର ।
ଇନ୍ଦ୍ରଦ୍ୟୁମ୍ନ ତୀରେ ହାତେ ଲିଆ ଧରି
 ଡକାଇ କୌତୁକୀ ହୋଇ,
କମଠାକୁ ଯାତ୍ରୀ ନ ଆସିଲେ ତ‌ହୁଁ
 ଦିଏ ଗଙ୍ଗେଶ୍ୱର ଦୋହି ।
ବାଲୁକା ପ୍ରାନ୍ତରେ ଗୋରୁ ଜଗି ଗୋପ
 ଶିଶୁ ଗାଏ ଗ୍ରାମ୍ୟ ତାଳେ,
ଗଙ୍ଗେଶ୍ୱର ଗାଥା ଦୋହଲି ଦୋହଲି
 ଭୂମିଲମ୍ବି ବର ଡାଳେ ।
ଏ ରୂପେ ବିଜୟ ଉଦ୍‌ଘୋଷିତ ହେଲା
 କିବା ଜଳେ, କିବା ସ୍ଥଳେ,
ଉତ୍ସବ ଉପରେ ଉତ୍ସବ ଅପର
 ଲାଗିଗଲା ନୀଳାଚଳେ ।
ଆଗ୍ନେୟ ସଙ୍କେତ ଜାଳିବା ଆଗରୁ
 ମେଘସନ ପରବତେ,
ପେଷିଥିଲେ ଅଶ୍ୱ ଯାନେ ଗଙ୍ଗେଶ୍ୱର
 ପ୍ରଣିଧି ମାଗଧ ପଥେ ।
ପ୍ରଦୋଷେ ସେ ଦୂତ ପ୍ରବେଶି ନ‌ଗରେ
 ବିନୟେ ନୁଆଇଁ ମଥା,
ନିବେଦିଲା ମହା ଦେବୀ ପଦେ ରତ୍ନ
 ପୁରର ଜୟ ବାରତା ।
କ‌ହିଲା ପ୍ରଣିଧି ରତ୍ନପୁର ଦେବୀ
 ହୋଇଅଛି ଭୂମିପାତ,
ଏତେ କାଳେ କଲେ ,ମନୋରଥ ପୂର୍ଣ୍ଣ
 ପ୍ରଭୁ ନୀଳାଚଳ ନାଥ ।

 ପୃଷ୍ଠା ୧୪

ବୃଦ୍ଧ ରତ୍ନପୁର ପତି ହେଲେ ମହା
 ରାଜାଙ୍କ ହସ୍ତେ ନିଧନ,
ରତ୍ନପୁର ଜେମା ଅନ୍ନପୁର୍ଣ୍ଣା ଏବେ
 ସେବିବେ ଦେବୀ ଚରଣ ।
ପୂର୍ଣ୍ଣମାସୀ ଦିନେ ବୀର ଗଙ୍ଗେଶ୍ୱର
 ବିଜେ କରିବା ଭବନେ,
ବିଜିତ ଯାବତ ସାମନ୍ତ ଭୂପାଳ
 ଆସିବେ ନୃପ ଗ‌ହଣେ ।
ଶୁଣି ରାଣୀ ରାଜ ଆଗମନ ପାଇଁ
 ଯଥା ଯୋଗ୍ୟ ଆୟୋଜନ,
କରିବାକୁ ଭୃତ୍ୟ ଦଳେ ଆଜ୍ଞା ଦେଇ
 ଭଜିଲେ ପୁର ନିର୍ଜନ ।
ବିକଳେ ଅନବୀ ଶୟନେ ନିହିଲେ
 ନିଜ ତନୁ ସୁକୋମଳ,
ବିସାଦେ କମଳ ଯିଗଳ ନୟନୁ
 ଝରିଲା ଲୋତକ ଜଳ ।
ଆହାରେ କୌଶଲ୍ୟା କ‌ହିଲେ ସୁନ୍ଦରୀ
 ଏହା କି ଥିଲା ତୋ ମନେ,
ନିଜ ମୁଖେ କାଳି ଦେଇ ସେହି କାଳି
 ଦେଲୁ ମୋହର ବଦନେ ।
ଉତ୍କଳ ଆକାଶେ ଅମଳ ଶଶାଙ୍କ
 ଗଙ୍ଗେଶ୍ୱର ନରସାଇଁ,
ସୁତା ହୋଇ ତାଙ୍କ ଉଜ୍ଜ୍ୱଳ ଶ୍ରୀମୁଖେ
 କଳଙ୍କ ଦେଲୁ ଲଗାଇ ।
ଏଡ଼େ ରାଜକୁଳେ ଜନ୍ମ ଲଭି ତୁହି
 ହେଲୁ ପୁଣି କଳଙ୍କିନୀ,
ମହିଳା-ମଣ୍ଡଳ କର୍ଣ୍ଣେ ହାତ ଦେଲେ
 ତୋର ଏ ଅନୀତି ଶୁଣି ।
ଫୁଟି ଆସୁଥିବା ରଙ୍ଗପଦ୍ମ ପ୍ରାୟେ
 ସୁନ୍ଦର ତୋର ବଦନ,
ବୋଳି ଦେଉଥିଲା ଦେଖିଲା ଜନର
 ନୟନେ ଅମୃତାଞ୍ଜନ ।
ସେ ଅମଳ କାନ୍ତି ପାପୀ ପାପ ମନୁ
 ପାପ ଦେଉଥିଲା ତଡ଼ି,
ଖର ସୌରକରେ ଶୁଷ୍କ ହୋଇ ଯେହ୍ନେ
 ପଙ୍କ ପଡ଼େ ତଳେ ଝଡ଼ି ।
ଜ୍ଞାନୀଏ କ‌ହ‌ନ୍ତି ସୌନ୍ଦର୍ଯ୍ୟ ସୃଜନ
 ହୋଇ ନାହିଁ ପାପ ପାଇଁ,
ସତ୍ୟ ମଣିଥିଲି ମାଆଲୋ ତୋହ
 ସରୋଜ ମୁହଁକୁ ଚାହିଁ ।
ବିଶ୍ୱଜନ ମନ ପ୍ରହ୍ଲାଦନ ତୋର
 ସୁଚାରୁ ଚନ୍ଦ୍ର ବଦନ,
ବିନୟ କରୁଣା ଲଜ୍ଜାଦିର ଥିଲା
 ଅମନ ହେମ ଦର୍ପଣ ।
କି କୁହୁକେ ପଡ଼ି ଅପଥେ ନିହିଲୁ
 ପାଦ ଧର୍ମ‌ପଥ ହୁଡ଼ି,
ବୁଡ଼ାଇଲୁ କୁଳ କଳଙ୍କ ସାଗରେ
 ନିଜେ ସେ କଳଙ୍କେ ବୁଡ଼ି ।
କିଏ ଜାଣିଥିଲା କର୍ମେ ମାଲୋ ତୋର
 ବିହି ହେବେ ଏଡ଼େ ବାମ,
କିଏ ଜାଣିଥିଲା ସେ ରୂପର ହେବ
 ଏ ଦାରୁଣ ପରିଣାମ ।
କେଉଁ ମହାପାପୀ ନାରକୀ ତୋର ମାଆ
 କଲା ଏ ଘୋର ଦୁର୍ଗତି,
ଏ ଘୋର ଅନୀତି କେମନ୍ତେ ସ‌ହିଲେ
 ବିଶ୍ୱଧାତ୍ରୀ ବସୁମତୀ ।
ତିନି ଦିନ ପରେ ନୃପ ଚୂଡ଼ାମଣି
 ବିଜେ କରିବେ ଏ ପୁରେ,
ଦେଖାଇବି ଏହି ଦୁଗ୍‌ଧ ମୁଖ ମାଗୋ
 କେମନ୍ତେ ନୃପ ଛାମୁରେ,
ଏ କି କଥା ପୁଣି କ‌ହିଲା କଞ୍ଚୁକୀ
 ଭାଳି ଯାଉନାହିଁ କୂଳ,
ବିଷମ ଶଂସୟେ ପଡ଼ି ମନ ମୋର
 ହେଉଛି ସଦା ଆକୁଳ ।

 ପୃଷ୍ଠା ୧୫

ଜେମାର ସ୍ୱରୁପ ଦେଖିଲା ପ୍ରହରୀ
 କ‌ହୁଛି ନିଜ ନୟନେ,
ସତ କି ମିଛ ତା ରାତ୍ରେ ଆଜ ଜଗି
 ଦେଖିବି ବସି ନିର୍ଜନେ ।
ଶୁଣିଲା ବେଳରୁ ଘାଣ୍ଟି ହେଉଅଛି
 ହିଆ ମୋର ଅବିରତେ,
ଏ ଅଭୁତ କଥା ନିଜେ ନ ଦେଖିଲେ
 କେମନ୍ତେ ବା ହେବ ପ୍ରତେ ।
ଏହିରୂପେ ରାଣୀ ଭାଳୁ ଭାଳୁ ଦିନ
 ହୋଇଗଲେ ଅବସାନ,
ଉଠିଲା ଦେଉଳେ ସନ୍ଧ୍ୟା ଆଳତିର
 ଶଙ୍ଖ-ଘଣ୍ଟା-ବାଦ୍ୟତାନ ।
ସନ୍ଧ୍ୟା ଜାଣି ରାଣୀ ସନ୍ଧ୍ୟାକୃତ୍ୟ ସାରି
 ଆଦେଶ ଦେଲେ ବ‌ହ‌ନ,
ରାଜ ବନ୍ଦାପନା ପାଇଁ ଯଥାବିଧି
 କରିବାକୁ ଆୟୋଜନ ।
ଅର୍ଦ୍ଧରାତ୍ର ଯାଏ ବିଧିରେ ନଅରେ
 ହେଲା ଦୋଳ ମହୋତ୍ସବ,
ନିବର୍ତ୍ତିଲା ତ‌ହୁଁ କ୍ରମେ କ୍ରମେ ପୁର
 ମାର୍ଗ ଲୋକ କଳରବ ।
ବିରାମ ଦାୟିନୀ ନିଦ୍ରାଦେବୀ କୋଳେ
 ବିରାମ ଲଭିଲେ ପ୍ରାଣୀ,
ଅସ୍ଥିର ଜୀବନ ଉର୍ମିମାଳାକୂଳ
 ସ୍ତବ୍‌ଧ ହେଲା ରାଜଧାନୀ ।
ନିସ୍ତବ୍‌ଧ ନୀରବ ଜୀବଶୁନ୍ୟ ପ୍ରାୟେ
 ହୋଇଗଲା ଧରାତଳ,
କେବଳ ଶୁଭିଲା ଦୂରେ ସୁଗମ୍ଭୀର
 ଅମ୍ଭୁରାଶି କୋଳାହଳ ।
ମଧୁର ବିସ୍ମୃତି ସୁଖ ନିଶୀଥିନୀ
 ସର୍ବ ଜୀବେ ଦେଲେ ଆଣି,
ଏ ସୁଖକୁ ଏକା ବଞ୍ଚିତ ସିନା ସେ
 ଚିନ୍ତାକୁଳା ରାଜରାଣୀ ।
ନିଦ୍ରା ଭାଜିବାରୁ ସଖୀଏ ନିରବେ
 ବାହାରି ପୁରୁଁ ବରାକୀ,
ମକର ଉଦ୍ୟାନେ ବୃକ୍ଷବାଟିକାରେ
 ବସିଲେ ଯାଇ ଏକାକୀ ।
ଗୋଟିଏ ପଲ୍ଲବ ହଲୁ ନାହିଁ ଡାଳେ
 ନିଶ୍ଚଳ ପାଦପ-ପନ୍ତି,
ଉର୍ଦ୍ଧ୍ୱ ବାହୁ ଧ୍ୟାନେ ମଗ୍ନ ଯତି ଯଥା
 ଉଭାହୋଇ ବିରାଜନ୍ତି ।
ନିରନ୍ତର ସେହି ଝିଲ୍ଲିରବ ବିନୁ
 ଆଉ କିଛି ଶୁଭୁ ନାହିଁ,
କେବେ ଅବା ସ୍ୱପ୍ନେ ଝାଡ଼ୁଅଛି ଡେଣା
 ବିହ‌ଙ୍ଗ ସ୍ୱନୀଡ଼ଶାୟୀ ।
ଜ୍ୟୋତିର୍ମୟ ବପୁ ହୋଇ ଜକ ଜକ
 ଉର୍ଦ୍ଦ୍ୱେ ଜଳୁଛନ୍ତି ତାରା,
ସାଧୁ ଆତ୍ମା ଅବା ଅନ‌ନ୍ତ ବିହରେ
 ମର୍ତ୍ତ୍ୟେ ତେଜି ଦେହ କାରା !
ଅର୍ଦ୍ଧ ଯାମ କାଳ ବସିଲା ଉତ୍ତାରୁ
 ଅସ୍ଫୁଟ ରୋଦନ ସ୍ୱନ,
ଶୁଣି ରାଣୀ ସେହି ଧ୍ୱନୀ ଲକ୍ଷ କରି
 ଡେରିଲେ ତ‌ହିଁ ଶ୍ରବଣ ।
ନିତାନ୍ତ କରୁଣ ସେହି ଧ୍ୱନୀ ଶୁଣି
 ପାଷାଣ ଯିବ ତରଳି,
କିଏ କାନ୍ଦୁଅଛି ସେ ବିକଳ ସ୍ୱର
 ନ ପାରିଲେ ଦେବୀ କଳି ।
କିଛି କ୍ଷଣ ପରେ ଚକିତେ ସ୍ତମ୍ଭିତେ
 ଦେଖିଲେ ରାଣୀ ପାର୍ବତୀ,
ମାଧବୀ ମଣ୍ଡପେ ଉଭା ହୋଇଅଛି
 ଅସ୍ପଷ୍ଟ ନାରୀ ମୂରତି ।
ଅବିକଳ ଜେମା ପରି ଦିଶୁଅଛି
 ରୂପ ବେଶଭୁଷା ଆଦି,
ମାତ୍ର ପକାଇଛି ମୁଖ ଚନ୍ଦ୍ରମାକୁ
 ବିଷାଦ ମେଘ ଆଚ୍ଛାଦି ।

 ପୃଷ୍ଠା ୧୬

କୁହୁଡ଼ିରେ ବୁଡ଼ି ଦିଶନ୍ତି ପ୍ରତ୍ୟୁଷେ
 ଯେସନେ ଆକୃତିମାନ,
ସେହିପରି ବାମା ପାଣ୍ଡୁଦେହ ଛବି
 ମଣ୍ଡପେ ଦିଶଇ ମ୍ଳାନ ।
ସ୍ଥୁଳ ଦେହେ ସଦା ଅସୁଲଭ ସେହି
 ପାଣ୍ଡୁର ଛବି ବାମାର,
ସେଥିପରେ ପୁଣି ଚନ୍ଦ୍ରାଲୋକ ପଡ଼ି
 ଦିଶଇ ପାରଦାକାର ।
ଦେଖି ଦେବୀଙ୍କର ଭୟେ ହୋଇଗଲା
 ପାଣ୍ଡୁବର୍ଣ୍ଣ ଗଣ୍ଡଭାଲ,
ରୋମମୂଳମାନ ଟାଙ୍କୁରି ଉଠିଲା
 ସର୍ବାଙ୍ଗୁ ବୋହିଲା ଝାଳ
ସ୍ତମ୍ଭୀଭୁତ ହୋଇ ବ‌ହୁକ୍ଷଣ ଦେବୀ
 ରହିଲେ ମହା ବିସ୍ମୟେ,
ମୂର୍ତ୍ତି ଅଭିମୁଖେ ହେଲେ ଅଗ୍ରସର
 ସାହସ ବାନ୍ଧି ହୃହୟେ ।
ପୁଛିଲେ ମହିଷୀ "କ‌ହ ତୁ କିଏ ସେ
 କିପାଇଁ ଭ୍ରମୁ ଏ ପୁରେ,
ଏ ବିକଳ ବେଶେ କେଉଁ ଦୁଃଖେ ପୁଣି
 ଝୁରୁଛୁ ଏଡ଼େ ଆତୁରେ ।
ମର୍ତ୍ତ୍ୟବାସୀଙ୍କର ଲକ୍ଷଣ ତୋହର
 କିଛି ହିଁ ତ ଦିଶୁ ନାହିଁ,
କେଉଁ ଯୋନୀ ତୁହି କି ଆଶୟେ ମର୍ତ୍ତ୍ୟେ
 ଭ୍ରମୁ ତା କ‌ହ ଫିଟାଇ ।
ଏ ବଡ଼ ଅଦ୍ଭୁତ ଲାଗଇ ମ‌ନ‌କୁ
 ନିଜ ରୂପ ପରିହରି,
ମର୍ତ୍ତ୍ୟ ଲୋକେ ତୁହି ବିହରୁ କି ଲାଗି
 କୌଶଲ୍ୟାର ରୁପ ଧରି ?
ସଂଶୟ ଦୋଳାରେ ପଡ଼ି ଚିତ୍ତ ମୋର
 ହେଉଅଛି ଆନ୍ଦୋଳିତ
ଛାର ନାରୀ ହୋଇ କେମନ୍ତେ ବୁଝିବି
 ଏ ତୋର ଗୁଢ଼ ଚରିତ !
ଏ କି ମାୟା ତୋର କିପାଁ ଏ ରଜନୀ
 କରୁ ବିଭଷିକାମୟି,
ଏତେ ସ୍ଥଳି ଥାଉଁ ରାଜପୁରେ ପୁଣୀ
 ଆସୁ କେଉଁ ଆଶା ବ‌ହି ?
ରାଣୀଙ୍କ ବଚନ ଶୁଣି ଛାୟାମୟୀ
 ଖେଦେ ଛାଡ଼ି ଦୀର୍ଘଶ୍ୱାସ,
କରତଳେ ଥରେ ଲ‌ଲାଟ ପରଶି
 କ‌ହେ ଗଦଗଦ ଭାଷ-
ଦୁଖିନୀ କୌଶଲ୍ୟା ଜନନୀଲୋ ତୋର
 ଅଛି କି ଆଉ ଜୀବନେ ?
ସ୍ନେହରେ ପାଳିତା ତନୟା ତୋହର
 ନାହିଁ ଏ ମର୍ତ୍ତ୍ୟ ସଂସାରେ,
ଆର୍ତ୍ତେ ଭ୍ରମୁଅଛି ଅଭାଗିନୀ ଏବେ
 ଭବ ଜବନିକା ପରେ ।
ବର୍ଷେ କାଳ ମାତା ଡାକି ଡାକି ତୋତେ
 ହେଲିଣି ମୁହିଁ ଅସ୍ଥିର,
ଅଭାଗିନୀ ସୁତ ଦୁଃଖେ ମାତା ହୋଇ
 ହେଲୁ କି ତୁହି ବଧିର ?
ସେ ଯୋର ବିପାକ କ‌ହିବାକୁ ତୋତେ
 ନିତି ଆସୁଅଛି ମହୀ,
କେମନ୍ତେ ଶୁଣିବୁ ସେ କଥା ମାଆ ଲୋ
 ରକ୍ତ ମାଂସ ଦେହ ବ‌ହି ?
ଏକାକୀ ବୁଡ଼ଇ ତରଣୀ ଯେସନେ
 ଜଳଧୀ ନୀଳ ତରଙ୍ଗେ,
ଫେନ‌ଚୂଡ଼ ତୁଙ୍ଗ ତରଙ୍ଗ ଚୌଦିଗେ
 ନାଚୁଥାନ୍ତି କୃର ରଙ୍ଗେ ।
ଊର୍ମି ଅଟ୍ଟ‌ହାସ ବୁଡ଼ାଇ ଦିଅଇ
 ତରଣୀ କରୁଣ ଧ୍ୱନୀ,
ଶୂନ୍ୟକୁ ଅନାଇ ନିଜ ଦୁଃଖ ଗାଇ
 ଆକୁଳେ ବୁଡ଼େ ତରଣୀ ।

 ପୃଷ୍ଠା ୧୭

ସେହି ଦଶା ମାତା ଭୁଞ୍ଜିଲା ତୋ ସୁତା
 ଭବେ ଅଳ୍ପ ଦିନ ଥାଇ,
ଦୁଃଖିନୀର ଘୋର ଦାରୁଣ କଷଣ
 କେହି ତ ଜାଣିଲେ ନାହିଁ ।
ଧିକ ଏ ସଂସାର ! ପ୍ରବଳର ଯହିଁ
 ସବୁ କଥାର ସୁଯୋଗ,
ଦୁର୍ବଳର ଯହିଁ ଲ‌ଲାଟ ଲେଖନ
 ନୀରବ ଲାଞ୍ଛନା ଭୋଗ ।
ଲୋକେ ଯେ ବୋଲନ୍ତି ଜନମ ଲଭଇ
 ରାଜକୁଳେ ଭାଗ୍ୟବାନ,
ଧିକ ମୋ ଜନମ ଧିକ ରାଜକୁଳ
 ଧିକ ସେ ଲୋକ ସମ୍ମାନ ।
ରାଜକୁଳେ ଜନ୍ମି କୌଶଲ୍ୟାର ଭାଗ୍ୟେ
 ଫଳିଲା ଯେଉଁ କିଳ୍ ବିଷ,
ନର କେଉଁ ଛାର ସେ ଦୁଃଖ ଶୁଣିଲେ
 ତରଳି ଯିବ କୁଳିଶ ।
ରାଜାଙ୍କ ଆଦେଶେ ମହା ହର୍ଷଭରେ
 ଯାଇଥିଲି ଯୁଦ୍ଧସ୍ଥଳେ,
ପିତୃ ସେନା ରାଜ ସେବାରେ ମୋହର
 ଦିନ ଯାଉଥିଲା ଭଲେ ।
ରାଜାଙ୍କ ସକାଶେ ଗୁନ୍ଥି ଦେଉଥିଲି
 ସୁରଭି କୁସୁମ ହାର,
ରାଜାଙ୍କ ଶ୍ରବଣ ତୋଷୁଥିଲା ମୋର
 ମଧୂର ବୀଣା ଝଙ୍କାର ।
ରାଜାଦେଶେ ମୁହିଁ ତୋଳୁଥିଲି ଯେବେ
 ସୁସ୍ୱରେ ଗୀତ ଲହରୀ,
ନିଶ୍ଚଳି ସେ ଗୀତ ଶୁଣୁଥିଲେ ଲୋକେ
 କାଠା ପୁତ୍ତଳିକା ପରି ।
ଦିନାନ୍ତେ ରାଜାଙ୍କ ସିଂହାସନ ପାଶେ
 ବସୁଥିଲି ସଭାତଳେ,
ଦିନର ଯାବତ ସମର ବାରତା
 ଶୁଣୁଥିଲି କୁତୁହଳେ ।
ଅଗ୍ରେ ବିରାସନେ ହସିଥାନ୍ତି ଯେତେ
 ସାମନ୍ତ ରାଜ ଯୁବକ,
ଭୁତଳେ ଲମ୍ବିତ ଶୋଭୁଥାଇ କୃଶ
 କଟିତଟେ [[Hover|ତଲବାର|କୌଷେୟକ}} ।
ଦିନେ ସଭାତଟେ ବିରଙ୍କୁ ସମ୍ବୋଧି
 କ‌ହିଲେ ଉଚ୍ଚେ ରାଜନ,
ଶୁଣ ରାଜବୀରେ ଅବ‌ହିତ-ଚିତ୍ତେ
 ଗଙ୍ଗେଶ୍ୱରର ଏ ପଣ ।
ଲୋକାତୀର ଯାର ରୂପ ଗୁଣ କଥା
 ଶୁଣିଥିଲା ଲୋକମୂଖେ,
ସେହି ବାଳାମଣି କୌଶଲ୍ୟା ମୋହର
 ବସିଛି ତୁମ୍ଭ ସମ୍ମୁଖେ ।
ଜନଶୃତି ଯାହା କ‌ହିଥିଲା ତାହା
 ଦେଖିଲ ନେତ୍ରେ ଏଥର,
ନେତ୍ରେ ଦେଖି ଏବେ ନିଶ୍ଚେ ଘୁଞ୍ଚିଯିବ
 ବିବାଦ ଚକ୍ଷୁ କର୍ଣ୍ଣର ।
କଳ୍ପନା ଜଳ୍ପନା ମାତ୍ର ସିନା ସେହି
 ତ୍ରିଦଶବାସୀ ଅପ୍‌ସରା,
ଚମ୍ପକ ବରଣୀ କୌଶଲ୍ୟା ମୋହର
 ଧରଣୀର ଚମ୍ପାଝରା ।
ବୀରେ ସେ ଜାଣନ୍ତି ସୌନ୍ଦର୍ଯ୍ୟର ପୂଜା
 ସୌନ୍ଦର୍ଯ୍ୟର ଯେଉଁ ମୁଲ,
ସୁନ୍ଦରୀଏ ତେଣୁ ନିରତେ ହୁଅନ୍ତି
 ବୀର ପ୍ରତି ଅନୁକୂଳ ।
ବଳାସ-କୁଶଳ ଯୁବକର ଚାରୁ
 କରକୁ ଅସାର ଜାଣି,
ମନାସନ୍ତି ସିନା ସୁନ୍ଦରୀ ସିଞ୍ଜିନୀ-
 କର୍ଶଣ-କର୍କଶ-ପାଣି ।

 ପୃଷ୍ଠା ୧୮

ତେଜସ୍ୱୀର କରେ କର ଛନ୍ଦିବାକୁ
 ପ୍ରୟାସୀ ସଦା ସୁନ୍ଦରୀ,
ନୋହିଲେ କି ଫୁଲ ଫୁଲରାଣୀ କମଳିନୀ
 ରବିଙ୍କି ଥାଆନ୍ତା ବରି ?
ନୋହିଲେ କି ଯାର ରୁପଚ୍ଛଟା କରେ
 ହେମମୟ ଦିଗ୍‌ବଳୟ,
ଚପଳା ରୁପସୀ କତିଥାନ୍ତେ କେବେ
 ବଜ୍ରର ଅଙ୍କ ଆଶ୍ରୟ ?
କାର୍ଯ୍ୟସ୍ଥଳେ ବାକ୍ୟ ବୀରୁ କାର୍ଯ୍ୟବୀର
 ବାଛି ନେଇ ନିଜ ନେତ୍ରେ,
ସ୍ୱୟମ୍ବର ହେବା ପାଇଁ କ୍ଷତ୍ରକନ୍ୟା
 ଆସିଅଛି ରଣ କ୍ଷେତ୍ରେ ।
ଏ କନ୍ୟାକୁ ଅଙ୍ଗ ଲକ୍ଷୀ କରିବାର
 ଅଭିଳାଷ ଥିଲେ ମନେ,
ଦେଖାଅ ବିକ୍ରମ ଅରି ସଙ୍ଗେ ରଣ
 ରଙ୍ଗେ ଯୁଝି ପ୍ରାଣପଣେ ।
ଏହି ଦୁର୍ଗ-ଶିରେ ପତାକା ପୋତିବ
 ଶତ୍ରୁକୁ ଯେ ଯୁବା ଜିଣି,
କ୍ଷତ୍ରାକାଶେ ସେହି ଶଶୀଙ୍କର ଅଙ୍କ
 ଲକ୍ଷ୍ମୀ ହେବେ ଏ ରୋହିଣୀ ।
ଏଇ କଥା ଶୁଣି ମସ୍ତକ ନୁଆଇଁ
 ସର୍ବ ଯୁବା ଏକ‌କାଳେ,
କର ପକାଇଲେ ସଦର୍ପେ ଯେ ଯାହା
 କଟି-ଲମ୍ବି-କରବାଳେ ।
ଏ ଉକ୍ତିରେ ମୁଖ ହୋଇଗଲା ମୋର
 ପାଟଳ ଲାଜ ସିନ୍ଦୁରେ,
ଜାଣିଲି କି ଲାଗି ନେଇ ଯାଇଥିଲେ
 ରାଜା ମୋତେ ରତ୍ନପୁରେ ।
ସନ୍ତ‌ତ ମୋ ସୁଖ ସନ୍ତୋଷ ବିଧାନେ
 ରାଜାଙ୍କୁ ଦେଖି ପ୍ରୟାସୀ,
ଶିବିରର ଅଧି ଦେବୀ ପ୍ରାୟେ ମୋତେ
 ପୂଜିଲେ ଶିବିରବାସୀ ।
ରାଜାଙ୍କର ଗାଢ଼ ସ୍ନେହକୁ ମଣିଲି
 ପୂର୍ବ ତପସ୍ୟାର ଫଳ,
କିଏ ଜାଣିଥିଲା ମିଶିଥିଲା ସେହି
 ସ୍ନେହ ରସେ ହଳାହଳ !
ସବୁକାଳେ ଲୋକେ କୀର୍ତ୍ତନ କରନ୍ତି
 ଅପତ୍ୟ ସ୍ନେହର ଗୁଣ,
କିଏ ଜାଣିଥିଲା ଘୃଣାରୁ ଏ ସ୍ନେହ
 ସ‌ହସ୍ର ଗୁଣେ ଦାରୁଣ ।
ବେଶଭୂଷା ପାଇଁ ନାନା ଦ୍ରବ୍ୟ ରାଜା
 ଦେଉଥିଲେ ମୋତେ ଆଣି,
ଅନୁକ୍ଷଣେ ମୋତେ ତୋଷୁଥିଲେ ମୋର
 ସୁନ୍ଦରପଣ ବଖାଣି ।
ସସ୍ମିତେ ପୁଚ୍ଛିଲେ ଦିନେ ନୃପ ମୋତେ
 କ‌ହିବୁଟି ଜେମାମଣି,
ଲାବଣ୍ୟ ପ୍ରତିମା ଗ୍ରହଣ କରିବା
 ଅନ୍ୟ ପକ୍ଷେ ତା କି ମଣି ।
ମୁଁ କ‌ହିଲି ତ‌ହିଁ କେଉଁ ଦୋଷ ରାଜା
 ଶୁଣି ହେଲେ ହୃଷ୍ଟମନ,
କ‌ହିଲେ ଯେମନ୍ତ ଆକୃତି ଯାହାର
 ବିଚାର ତାର ତେସନ ।
କ‌ହିବାର ନୁହେଁ ବଚନେ ଘଟିଲା
 ନିଶାଯୋଗେ ଯାହା ମାତା,
ଅଭାଗୀର କର୍ମ ଦୋଷକୁ ହେଲା ସେ
 ଦାରୁଣ ନିଶା ପ୍ରଭାତ ।
ନିଦ୍ରାଭଙ୍ଗେ ମୁହିଁ ପର୍ଯ୍ୟଙ୍କୁ ପଡ଼ିଲି
 ଭୂମିତଳେ ଦେଇ ଲମ୍ଫ,
ଏବେ ସୁଦ୍ଧା ସେହି ସ୍ମୃତି ଜନ୍ମାଉଛି
 ଏ ଛାୟା ଦେହେ ପ୍ରକମ୍ପ ।
ଦୁଃଖେ ମୁଣ୍ଡ କୋଡ଼ି ରକ୍ତେ ଅଶ୍ରୁଜଳେ
 ସିକ୍ତ କଲି ମୁହିଁ ମହୀ,
ଡାକିଲି ଧରାକୁ ଗର୍ଭେ ସ୍ଥାନ ମୋତେ
 ଦେବାକୁ କରୁଣା ବ‌ହି ।

 ପୃଷ୍ଠା ୧୯

ପର୍ଯ୍ୟଙ୍କୁ ଓହ୍ଲାଇ ହସ୍ତ ଧରି ରାଜା
 କ‌ହିଲେ ଯେଉଁ ବଚନ,
ଜାଳିଲା ହୃଦେ ତା ଦାରୁଣ ଯାତନା
 ଯସନେ କ୍ଷତେ ଲବଣ ।
ସେ କଥା ଶୁଣି ମୁଁ କର୍ଣ୍ଣେ ହାତ ଦେଇ
 ରହିଲି ହୋଇ ସ୍ତମ୍ଭିତ,
ଜାଣିଲି ଏ ପାପ ସଂସାରେ ମୋହର
 ଜୀଇବାର ଅନୁଚିତ ।
ଏ ଦୁଃଖ କାହାକୁ କ‌ହିବି ଜଗତେ
 କିଏ ଅବା ଯିବ ପ୍ରତେ,
ନୀରବେ ରହିଲି ସେହି ଦିନୁ ମନ
 ଦୃଢ଼ କରି ମୌନ ବ୍ରତେ ।
ଏତିକି ମାତର ଆଶା ଥିଲା ମନେ
 ତୋ ଆଗେ ଏ ଦୁଃଖ ଗାଇ,
କାଳ ସିନ୍ଧୁ ନୀରେ ପାପେ ଭରା ଦେହ
 ତରୀକି ଦେବି ଭସାଇ ।
ପ୍ରତିଦିନ ରାଜା କରୁଥିଲେ ଆସି
 କେତେମତେ ଅନୁନୟ,
ନିରସ୍ତ ହେବାରୁ ଚିତ୍ତେ ହେଲା ପୁଣି
 ଦାରୁଣ କୋପ ଉଦୟ ।
ନିର୍ଜନ କାରାରେ ପୂରାଇଣ ମୋତେ
 ରଖିଲେ ଶିବିର ପାଶେ,
ଭ୍ରଷ୍ଟାପଣ ଦେଖି ଏ ଦଣ୍ଡ ବିହିଲେ
 କ‌ହିଲେ ଲୋକ ସକାଶେ ।
କେହି ନ ଆସିଲେ ଦେଖିବାକୁ ମୋତେ
 ଏକା ସେ ରାଜା ବିହୁନେ,
ରାଜା ସଙ୍ଗେ ଦେଖା ଠାରୁ ସେ ନିର୍ଜନ
 ଶ୍ରେୟଃ ଥିଲା ଶତଗୁଣ ।
ଭୀଷଣ ତର୍ଜନ କେତେ ଅବା ଚାଟୁ
 ବଚନ ଭୀଷଣତର,
ଦୁଃଖାନଳେ ଜଳି ନିର୍ନନେ ଦୁଃଖିନୀ
 ଶୁଣୁଥିଲା ରାଜାଙ୍କର ।
ମର୍ତ୍ତ୍ୟ-କୁମ୍ଭୀପାକେ ଏହିରୂପେ ମାତା
 ଚାଲିଗଲା କେତେ ମାସ,
ପାପ ପରିପାକେ ହେଲା ପାପଗର୍ଭ
 ଲକ୍ଷଣ ମୋର ପ୍ରକାଶ ।
ଜଗତେ ଯା ଯୋଗୁ ଭାଗ୍ୟବତୀ ବୋଲି
 ବୋଲନ୍ତି କୁଳ ଅଙ୍ଗନା,
ଅଭାଗିନୀ ଭାଗ୍ୟେ ସେ ହେଲା ଜନନୀ
 ମହା ଘୋର ବିଡ଼ମ୍ବନା ।
ଏ ସମ୍ଭାଦ ଯହୁଁ ରଟିଲା ଶିବିରେ
 ପିତୃଦତ୍ତ ଅପବାଦ,
ସତ୍ୟ ମଣି ଲୋକେ ମୁକ୍ତ କଣ୍ଠେ କଲେ
 ରାଜାଙ୍କ ପ୍ରଶଂସାବାଦ ।
ସମସ୍ତଙ୍କ ନେତ୍ରେ ଦୋଷୀ ହେଲି ମୁହିଁ,
 ନୃପ କଲେ ଅପବିତ୍ର,
ଧନ୍ୟରେ ସଂସାର ଧନ୍ୟ ଲୀଳା ତୋର
 ଧନ୍ୟ ତୋ ଗତି ବିଚିତ୍ର ।
ଯଥାକାଳେ କାରା ଗୃହେ ପ୍ରସବିଲା
 ସୁତ ଦୁଷ୍କୃତ କାରିଣୀ,
ଜାର ଅବୟବ ଦେଖିଲେ ନୃପତି
 ସେ ପୁତ୍ରେ ପ୍ରତିଫଳିତ ।
ଜାର ପାପଚିହ୍ନ ଘୋଡ଼ାଇବା ପାଇଁ
 ଅନ୍ତରେ ହେଲେ ଚିନ୍ତିତ ।
ମହାପାପେ ମହା ପାପ ସଂଗୋପନ
 ସଂକଳ୍ପ ମନାସି ମନେ,
ଶିଶୁସଙ୍ଗେ ମୋତେ  ଧଉଳି ପର୍ବତେ
 ପଠାଇଦେଲେ ଗୋପନେ ।

 ପୃଷ୍ଠା ୨୦

ବିଶ୍ୱସ୍ତ ତାଙ୍କର ଅସ୍ତ୍ରଧାରୀ ଥୋକେ
 ସୈନିକ ଦେଇ ସଙ୍ଗତେ,
ପଠାଇଲେ ମୋତେ ସେହି ଶୈଳେମହା
 ଦୁର୍ଗମ ଅରଣ୍ୟ ପଥେ ।
ତ‌ହିଁ ବାରିପୁର୍ଣ୍ଣ ସଚ୍ଛିଦ୍ର ସୁବର୍ଣ୍ଣ
 କଳସ ମୋ କନ୍ଧେ ଦେଇ,
ନିଶାରେ ସୈନିକେ କାନନେ ଭ୍ରମିଲେ
 ଶିଶୁସଙ୍ଗେ ମୋତେ ନେଇ ।
ବାପୀ ଖୋଳା ହେବ ସେଯାଏଁ, ଯେ ଯାଏ
 କଳସୁ ପଡ଼ିବ ନୀର,
କରିଥିଲେ ରାଜା ମୋହପାଇଁ ଏହି
 ପ୍ରାୟଶ୍ଚିତ ବିଧି ସ୍ଥିର ।
ନୀର ସରିଲାରୁ ଯଥାସ୍ଥାନେ ଚିହ୍ନ
 ଯତନେ ଥୋଇ ସୈନିକେ,
ଘେନିଗଲେ ମୋତେ ଶିଶୁସଙ୍ଗେ ସେହି
 ଧଉଳି ଶଇଳ ଶିଖେ ।
ପର୍ବତ ତାଳୁରେ ସୁରଭୀର ଶୁଷ୍କ
 କୂପେ ବେନିଙ୍କି ପୁରାଇ,
କୂପ ମୁହଁଯାକ ଦେଲେ ସେ ନୃଶଂସେ
 ବିଶାଳ ପାଷାଣେ ଛାଇ ।
କେହି ନ ଶୁଣିଲେ ଶିଶୁପାଇଁ ଯେତେ
 ବିକଳେ କ‌ହିଲେ କାନ୍ଦି,
ଶିଶୁ ସଙ୍ଗେ ମା ଗୋ ଏହି ରୂପେ ମୋର
 ଜୀବନ୍ତେ ହେଲା ସମାଧି ।
ଅବଳା ଅବଧ୍ୟ ବିଧି ହେଲା, ମାତା
 ପରିଣତ ଏହି ଫଳେ,
ସ୍ୱଧର୍ମେ ପାପୀଏ ଧର୍ମ ଆଚରିଲେ
 ସେ ଧର୍ମ ପାପକୁ ବଳେ ।
ପାପଠାରୁ ଆହା ପାଷଣ୍ଡର ପୁଣ୍ୟ
 ଶତଗୁଣେ ଭୟଙ୍କର,
ତିକ୍ତଠାରୁ ଯେହ୍ନେ କଟୁ ଶତଗୁଣେ
 ମାଧୁରୀ ନିମ୍ବଫଳର ।
ନ‌ଚାଇବା ପାଇଁ ସେ ଦାରୁଣ ହୁଃଖ
 ଛବି ମୋ ନେତ୍ର ଅଗ୍ରତେ,
ବାଟ ବଣା ପ୍ରାୟେ ରବି ରଶ୍ମୀ କଣା
 ଆସୁଥିଲା ଛିଦ୍ର ପଥେ ।
କେହି ନ ଶୁଣିଲେ ବାହୁନି ବାହୁନି
 କଲି ମୁଁ ଯେତେ ବିଳାପ,
କୃପା ବ‌ହି ଆଶୁ ମୃତ୍ୟୁ ବିହିବାକୁ
 ନ ଥିଲେ ସେ କୂପେ ସାପ ।
ସ୍ତନ୍ୟ ଦାନେ କେତେ ଦିନ ବଞ୍ଚାଇଲି
 ତନୟର କ୍ଷୀଣ ପ୍ରାଣ,
ଚାହୁଁ ଚାହୁଁ ହୋଇ ଗଲା ଅଭାଗ୍ୟର
 ଜୀବନ୍ତ-ଦୀପ ନିର୍ବାଣ ।
ମୋତେ ଛାଡ଼ି ମୋର ଆଗେ ପ୍ରାଣ ତାର
 ଘେନିଗଲା ପ୍ରେତସାଇଁ,
ଜନନୀ ହୋଇ ମୁଁ କାନ୍ଦିବାକୁ ମୋର
 ମନ ତ ବଳିଲା ନାହିଁ ।
କି ଆଉ କାନ୍ଦିବି ଶୁଖି ଯାଇଥିଲା
 ନେତ୍ର-ଯୁଗେ ଅଶ୍ରୁଝର,
ଘୋର ଦୁଃଖେ ମନ ହେଉଥିଲା ମାଗୋ
 କଠିନ ଯେହ୍ନେ ପଥର ।
ପୁଣି କେତେଦିନ ଗଲା ଅନଶନେ
 ଅୟି ଦେବି ବିଶ୍ୱମ୍ଭରେ,
କେତେ ନ ଡାକିଲି ଦ୍ୱିଧା ହୋଇ ମୋତେ
 ଗ୍ରାସିବାକୁ ନିଜୋଦରେ ।
ଜିଣିଲା ଶୋକ‌କୁ ଜଠର ଯାତନା
 ହୃଦୟ ହେଲା ଅସ୍ଥିର,
କେମନ୍ତେ କ‌ହିବି କିପାଁ ଦରାଣ୍ଡିଲି
 ଶିଶୁର ସଢ଼ା ଶରୀର ।
ସୌଭାଗ୍ୟ ସମୟେ କୌଶଲ୍ୟା ତୋହର
 ଦେଖୁଥିଲେ ଭୋକୀ ଶୋଷୀ
ଖାଉଥିଲା କି ସେ ଅନ୍ନପାନ ଦାନେ
 ଅତିଥି ଆଗେ ନ ତୋଷି ।

 ପୃଷ୍ଠା ୨୧

ସେ କୌଶଲ୍ୟା ଏବେ ଜଠର ଜ୍ୱାଳାରେ
 ଓଟାରିଲା ଶିଶୁ ଶବ,
ବଳବାନ ଦୈବ ପକ୍ଷେ ମା ଗୋ,
 କେଉଁ କଥା ଅସମ୍ଭବ ।
ପିତା ହୋଇ ସୁତା ପ୍ରାଣ ଏହି ରୂପେ,
 ନାଶିବାର ଅନଶନେ,
ମାତା ହୋଇ ମନ ବଳାଇବା ମୃତ
 ତନୟ-ତନୁ-ଭୋଜନେ ।
ଦେଖିବାର ଥାଉ ତେଣିକି ଏହା କି
 ଶୁଣିଥିଲୁ କର୍ଣ୍ଣେ କେବେ,
କେ କ‌ହିବ ଏହି ଅମାନୁଷୀ କଥା
 କେମନ୍ତେ ସ‌ହିଲେ ଦେବେ ?
ଦୟା ଅବତାର ବୁଦ୍ଧଦେବଙ୍କର
 ବିଶ୍ୱବନ୍ଦ୍ୟ ବିଧିମାନ,
ଅକ୍ଷୟ ଅକ୍ଷରେ ଯେଉଁ ଶୈଳଭାଲେ
 ହେଉଅଛି ଦିପ୍ୟମାନ ।
ଦୟାବୀର ମୁନି ଦ‌ଧୀଚି ପୟର
 ପ୍ରକ୍ଷାଳନେ ପୂତନୀରା,
ବ‌ହେ ପାଦ ଯାର ଦୟା ପ୍ରବାହିଣୀ
 ସୁପ୍ରସନ୍ନା ସୁଗଭୀରା ।
ସେହି ସ୍ଥାନେ ଆହା ହେଲା ମାତା ଏହି
 କୃର ବିଧି ଆଚରଣ,
ସେହି ସ୍ଥଳେ କଲା ଦୁଃଖେ ଅଭାଗିନୀ
 ଭବ ବ୍ରତ ଉଦ୍‌ଯାପନ ।
ଉତ୍ତରାଶା ସ୍ୱର୍ଣ୍ଣ ଶିରୋଭୁଷା ଏହି
 ତେଜଃପୁଞ୍ଜ ସପ୍ତ‌ଋଷି,
ଦିବ୍ୟଲୋକୁ ଦିବ୍ୟ ନେତରେ ଦେଖୁଥିଲେ
 ଏ ଘଟଣା ଅମାନୁଷୀ ।
ଶତଗୁହା ମଧୁ ଚକ୍ରିତ ନିର୍ଝର
 ସୁଶୀତଳ ଖଣ୍ଡାଚଳ,
ଚୂଳେ ବସି ମୋର ଦୁଃଖ ଦେଖୁଥିଲେ
 ପୂଣ୍ୟ ତିର୍ଥଙ୍କର ଦଳ ।
ଦେଖୁଥିଲା ପୁଣି ଏକାମ୍ରେ ତ୍ରିଶୂଳ
 ମନ୍ଦିର ଶିର ଲ‌ଲାମ,
ଅଙ୍ଗୁଳି ନିର୍ଦ୍ଦେଶି ଦେଖାଉଛି ଯେହୁ
 ମର୍ତ୍ତ୍ୟ ଜନେ ନିତ୍ୟ ଧାମ ।
ଜାଣିଶୁଣି ପାଦ ଦେଇ ନ ଥିଲି ମୁଁ
 କେଭେ ଅଧରମ ବାଟେ,
ଅଳ୍ପଦିନେ ମାତଃ ସଉଦା ମୋହର
 ସରିଗଲା ଭବ ହାଟେ ।
ସେଥିଲାଗି ନାହିଁ ଦୁଃଖ ଲେଶ ମୋର
 ପାଇଥିଲି ଯା ପ୍ରସାଦେ,
ଦେହ କାର୍ଯ୍ୟେ ତାର ଛାର ଦେହ ମାଗୋ
 ଦେଇଥିନ୍ତି ମହାହ୍ଲାଦେ ।
ଲୋଡ଼ା ହୋଇଥାନ୍ତା ନରପିତ୍ତ ଯେବେ
 ରାଜାଙ୍କ ଔଷଧ ଲାଗି,
ଘାତକ‌କୁ ବୁକୁ ଦେଖାଇ ଦିଅନ୍ତା
 ସର୍ବ ଅଗ୍ରେ ଏ ଅଭାଗୀ ।
କେଉଁ ଶ୍ରେୟ ଲାଗି ସେ ସୁଖରୁ ମୋତେ
 ବଞ୍ଚିତ କଲେ ରାଜନ,
କେଉଁ ଶ୍ରେୟ ଲାଗି ଦୁଃଖିନୀକେ ଦେଲେ
 ଲୋକାତୀତ ଏ କଷଣ ।
ଦୁଃଖ କଥା ତୋତେ ନ କ‌ହି ହୃଦୟ
 ଘାଣ୍ଟି ହେଉଥିଲା ଶୋକେ,
ସେଥିଲାଗି ନିଶା ଯୋଗେ ଆସୁଥିଲି
 ନିତି ନିତି ମର୍ତ୍ତ୍ୟଲୋକେ ।

 ପୃଷ୍ଠା ୨୨

ମାଗୁଛି ମେଲାଣି ଯିବି ଫେରି ଏବେ
 ରାବିଲାଣି ତାମ୍ରଚୂଡ଼,
ମହୋଦ‌ଧି ଊର୍ମି ଭେଦି ଅବିଳମ୍ବେ
 ଦିଶିବ ଉଷା ମହୁଡ଼ ।
ନୀଳାଚଳ ଧାମେ ପ୍ରତ୍ୟଷେ ମଙ୍ଗଳ
 ଆଳତି ଦର୍ଶନ ପାଇଁ,
ବିଶାଖା ତୋରଣ ମାର୍ଗେ ଶୁରଦଳେ
 ଓହ୍ଲାଇବେ ଶଚୀସାଇଁ ।
ସୁରପତି ସଙ୍ଗେ ଆସିବେ ଆକାଶେ
 ଶଚୀ ଆଦି ସୁରାଙ୍ଗନା,
ଶ୍ରୀକ୍ଷେତ୍ରେ ଏକାଳେ ବୁଲିବାକୁ ପ୍ରେତ
 ଯୋନିକି ଅଛଇ ମନା ।
ଯାଉଛି ମା' ମୋତେ ଯୁଗେ ଯୁଗେ ମିଳୁ
 ତୋ ପରି ଜନନୀ ଭବେ,
ମୋ ପରି ଦୁଃଖିନୀ ସୁତା ଜାତ ପୁଣି
 ନ ହେଉ ତୋର ଗରଭେ ।
ଏହା କ‌ହି ଛାୟା ରୂପିଣୀ ସ‌ହସା
 ମିଶିଗଲା ଅନ୍ଧକାରେ,
ହୃଦ-ଯନ୍ତ୍ରେ ଧୈର୍ଯ୍ୟ ତନ୍ତ୍ରୀ ତୁଟିଲାରୁ
 ବସିଲେ ରାଣୀ ଧରାରେ ।
ଭେକା କରିଦେଲା ଦେବୀଙ୍କି ଭୀଷଣ
 ଅଶ୍ରତପୂର୍ବ ଘଟଣା,
ଫେରି ଆସିଲା ସେ ପାପର ସ୍ୱରୂପ
 କଳି ନ ପାରେ କଳ୍ପନା ।
ଅକୂଳ ଅତଳ ବିସ୍ମୟ ଅର୍ଣ୍ଣବେ
 ହୃଦୟ ଦେଲା ମଗନ,
ଅବସନ୍ନ-ଚିତ୍ତେ ଜଡ଼ ପ୍ରାୟେ ଦେବୀ
 ରହିଲେ ବ‌ହୁତ କ୍ଷଣ ।
ସ‌ହସା ଶ୍ରବଣେ ପଶିଲା ମଙ୍ଗଳ
 ଆଳତିର ବାଦ୍ୟଧ୍ୱନୀ
ଆତ୍ମ ବିସ୍ମୃତିରୁ ସଚକିତେ ଉଠି
 କ‌ହିଲେ ନୃପ ଘରଣୀ ।
ସତ୍ୟ ଅବା ମୁହିଁ ମଣୁଛି ନିଦ୍ରାରେ
 ଦେଖି ଏ ଦୁଃସ୍ୱପ୍ନ ଘୋର,
ନାହିଁ, ନାହିଁ, ଏହି ଦିଶୁଛିଟି ସେହି
 ମଣ୍ଡଳ ସମ୍ମୁଖେ ମୋର ।
ଉଭା ହୋଇ ଯହିଁ କ‌ହିଲା ଦୁଃଖିନୀ
 ଅଦ୍ଭୁତ ଦୁଃଖ କାହାଣୀ,
ଏବେ ସୁଦ୍ଧା ଲାଗି ରହିଛି ଶ୍ରବଣେ
 ଅମାନୁଷୀ ସେହି ବାଣୀ ।
ସତେ ଭବଲୀଲା ସରିଛି ତୋର ମା
 ହା ହା ପ୍ରଭୁ ଭଗବାନ,
ଏହା ଶୁଣିବାକୁ ଆଜିଯାଏ ମୁହିଁ
 ଧରିଛି କି ଛାର ପ୍ରାଣ ?
ମାଆ ତୁ ପଶିଛୁ ସେ ଦେଶେ, ଯେ ଦେଶୁ
 ବାହୁଡ଼ି ନ ଆସେ କେହି,
ସ୍ୱପ୍ନ ପ୍ରାୟେ ଆସି ସ୍ୱପ୍ନ ପ୍ରାୟେ ଚାଲି
 ଗଲୁ ମୋତେ ଦେଖା ଦେଇ ।
କମଳ କଳିକା ସୁକୁମାର ତୋର
 ତନୁ ହୋଇଅଛି ମାଟି,
କି କରିବି ଏହା କେମନ୍ତେ ସ‌ହିବି ?
 ହୃଦ ତ ଯାଉଛି ଫାଟି ।
ଆହା ମନ ମୋର ଡାକୁଥିଲା ଯାହା
 ସେହି ତା ଘଟିଲା ଫଳେ,
ଅବଶେ ଏ ଶଶି କଳା ପଡ଼ିଗଲା
 କିଳ୍‌ବିଷ ରାହୁ କବଳେ ।
ସଦା ମନେ ଶୁଚି ପାପେ ଅଭିରୁଚି
 କେବେ ତ ନ ଥିଲା ତାର,
ମାନସ ସରସୀ ବିହାରିଣୀ ହଂସୀ
 କେବେ କି ଲୋଡ଼େ କାସାର ?
କି ବିଷମ କଥା ଏ ସଂସାରେ କେହି
 ଶୁଣି ନାହିଁ କେଉଁ କାଳେ,
ମାତା ହୋଇ ଏହା ଶୁଣି ବର ଏକା
 ଲେଖିଥିଲା ମୋର ଭାଲେ ।

 ପୃଷ୍ଠା ୨୩

ମୋର ସୁତା ଭାଗ୍ୟେ ଏହି ପିତା ହା ହା
 ମୋହରି ଭାଗ୍ୟେ ଏ ପତି,
କେଉଁ ଦୁଷ୍କୃତର ପ୍ରାୟଶ୍ଚିତ ଲାଗି
 ବିହିଥିଲେ ପ୍ରଜାପତି ।
ରାଜରାଣୀ ବୋଲି ଭାଗ୍ୟବତୀ ମୋରେ
 ବୋଲନ୍ତି ଜଗତେ ପୁଣି,
ମୋହୋ ଭାଗ୍ୟେ ଈର୍ଷା ବ‌ହିଦ‌ହି ହେବ
 ଭବେ କେଉଁ ଚଣ୍ଡାଳୁଣୀ ।
ହେ ବିଧାତା, ମର୍ତ୍ତ୍ୟ ଧାମେ ଜନ୍ମ ପୁଣି
 ଲଭନ୍ତି ଏଡ଼େ ପାଷଣ୍ଡ,
ଧର୍ମ ରକ୍ଷା ଲାଗି ଏ ପୁଣି ଧରନ୍ତି
 ଭୂମଣ୍ଡଳେ ରାଜଦଣ୍ଡ ।
ଜଗତେ ସତ୍କାର ଲଭନ୍ତି ଏ ପୁଣି
 ଧନେ ପ୍ରାଣେ ଜନେ ନାଶି,
ତୁମ୍ଭେ ପୁଣି ଦିଅ ଏହାଙ୍କର ପତ୍ରେ
 ଅଜାଡ଼ି ସୌଭାଗ୍ୟରାଶି ।
ଦେବ ପଦ୍ମ‌ଭବ ଏହି ଭବ ଟିକି
 ତୁମ୍ଭ ଶ୍ରୀହସ୍ତ ସର୍ଜନା ?
ଅହିପତି ଏହା ସ‌ହିଲାଟି ମହୀ
 ଭାରା ସଙ୍ଗେ ତୁମ୍ଭ ଫଣା ?
ଆହେ କ୍ଷେତ୍ରପାଳ ତ୍ରିଶୂଳ ତୁମ୍ଭର
 ରଖିଲ ନାହିଁ ସମ୍ଭରି ?
ରକ୍ରଧର, ତୁମ୍ଭ ଅସ୍ତ୍ରାଗାରେ ବଜ୍ର
 ଅସ୍ତ୍ର କି ଗଲାଣି ସରି ।
ହେ ଧର୍ମ ଏ ଭବେ ଧାର୍ମିକର ତୁମେ
 ଅଟ ପରା ବଜ୍ର ସେହ୍ନା ?
କେଉଁ ଦୋଷେ ମୋର କୌଶଲ୍ୟାର ଦୁଃଖ
 ଛାମୁରେ ନ ହେଲା ଘେନା ।
ସର୍ବ ସାକ୍ଷୀରୂପେ ହେ ଗ୍ରହ ନକ୍ଷତ୍ର
 ଭ୍ରମୁଛ ତ ବ୍ୟୋମ‌ପଥେ,
ଏ ପାପର ଛାଇ ପଡ଼ି ନ ଥିଲା କି
 ତୁମ ଜ୍ୟୋତିର୍ମୟ ରଥେ ?
ମୋର ସୁତା ଭାଗ୍ୟେ ଏହି ପିତା ହା ହା
 ମୋହରି ଭାଗ୍ୟେ ଏ ପତି,
କେଉଁ ଦୁଷ୍କୃତର ପ୍ରାୟଶ୍ଚିତ ଲାଗି
 ବିହିଥିଲେ ପ୍ରଜାପତି ।
ରାଜରାଣୀ ବୋଲି ଭାଗ୍ୟବତୀ ମୋରେ
 ବୋଲନ୍ତି ଜଗତେ ପୁଣି,
ମୋହୋ ଭାଗ୍ୟେ ଈର୍ଷା ବ‌ହିଦ‌ହି ହେବ
 ଭବେ କେଉଁ ଚଣ୍ଡାଳୁଣୀ ।
ହେ ବିଧାତା, ମର୍ତ୍ତ୍ୟ ଧାମେ ଜନ୍ମ ପୁଣି
 ଲଭନ୍ତି ଏଡ଼େ ପାଷଣ୍ଡ,
ଧର୍ମ ରକ୍ଷା ଲାଗି ଏ ପୁଣି ଧରନ୍ତି
 ଭୂମଣ୍ଡଳେ ରାଜଦଣ୍ଡ ।
ଜଗତେ ସତ୍କାର ଲଭନ୍ତି ଏ ପୁଣି
 ଧନେ ପ୍ରାଣେ ଜନେ ନାଶି,
ତୁମ୍ଭେ ପୁଣି ଦିଅ ଏହାଙ୍କର ପତ୍ରେ
 ଅଜାଡ଼ି ସୌଭାଗ୍ୟରାଶି ।
ଦେବ ପଦ୍ମ‌ଭବ ଏହି ଭବ ଟିକି
 ତୁମ୍ଭ ଶ୍ରୀହସ୍ତ ସର୍ଜନା ?
ଅହିପତି ଏହା ସ‌ହିଲାଟି ମହୀ
 ଭାରା ସଙ୍ଗେ ତୁମ୍ଭ ଫଣା ?
ଆହେ କ୍ଷେତ୍ରପାଳ ତ୍ରିଶୂଳ ତୁମ୍ଭର
 ରଖିଲ ନାହିଁ ସମ୍ଭରି ?
ରକ୍ରଧର, ତୁମ୍ଭ ଅସ୍ତ୍ରାଗାରେ ବଜ୍ର
 ଅସ୍ତ୍ର କି ଗଲାଣି ସରି ।
ହେ ଧର୍ମ ଏ ଭବେ ଧାର୍ମିକର ତୁମେ
 ଅଟ ପରା ବଜ୍ର ସେହ୍ନା ?
କେଉଁ ଦୋଷେ ମୋର କୌଶଲ୍ୟାର ଦୁଃଖ
 ଛାମୁରେ ନ ହେଲା ଘେନା ।
ସର୍ବ ସାକ୍ଷୀରୂପେ ହେ ଗ୍ରହ ନକ୍ଷତ୍ର
 ଭ୍ରମୁଛ ତ ବ୍ୟୋମ‌ପଥେ,
ଏ ପାପର ଛାଇ ପଡ଼ି ନ ଥିଲା କି
 ତୁମ ଜ୍ୟୋତିର୍ମୟ ରଥେ ?
ଅଥବା କରୁଛି ଛାମୁରେ ତୁମ୍ଭର
 ବୃଥା ମୁହିଁ ଏ ବିଳାପ,
ତୁମ୍ଭ କ୍ଷୋଭ ଜାତ କରି ନ ପାରଇ
 ମର୍ତ୍ତ୍ୟଲୋକ ପାପତାପ ।
ଆରତ ଭଞ୍ଜନ ବାନାଟି ତୁମରି
 ଆହେ ପ୍ରଭୁ ଭଗବାନ,
ଆତୁର ଗୁହାରି ଶୁଣିବାକୁ ନାଥ
 ଡେରିଥାଅ ଟିକି କାନ ?
ରାଜା ପରେ ରାଜା ରାକରାକେଶ୍ୱର
 ବିଶ୍ୱେ ତୁମ୍ଭେ ମହାବାହୁ,
ତୁମ୍ଭ ହସ୍ତେ ଚକ୍ର ଥାଉଁ ଏ ଚନ୍ଦ୍ରମା
 ଗ୍ରାସିଲା ଏ ପାପ ରାହୁ ।
ଆରତର ମାତ୍ରା କେତେ ହେଲେ ନାଥ
 ଟଳେ କୃପା ସିଂହାସନ ?
ସଂଶୟ ଫେଡ଼ିବା ପାଇଁ ଆଜ୍ଞା ହେଉ
 ଶ୍ରୀମୁଖୁ ପ୍ରିତିବଚନ ।
ଭୁଭାର ହରଣ ଲାଗି ଯୁଗେ ଯୁଗେ
 ହୁଅ ପ୍ରଭୁ ଅବତାର,
ପୂର୍ଣ୍ଣ ହେବାପାଇଁ ଆଉ କେତେ ଅଛି
 ଅବନୀର ପାପଭାର ?
ଏହା କ‌ହୁଁ କ‌ହୁଁ ଶୋକାବେଗେ ରୁଦ୍ଧ
 ହୋଇଗଲା କଣ୍ଠ ସ୍ୱର,
କୋପେ ନେତ୍ରୁ ଅଗ୍ନି କଣା ନିଃସରିଲା
 ସ୍ଫୁରିଲା ରଙ୍ଗ ଅଧର ।
ରତନ ହଜାଇ ଭୁଜଙ୍ଗୀ ଯେସନ
 ଶ୍ୱାସୁଥାଇ ଘନ ଘନ,
କୋପ-ଧାରା ପ୍ରାଏ ଦେବୀଙ୍କ ନାସାରୁ
 ବ‌ହିଲା ଖର ପବନ ।
କଷ୍ଟେ ମନସ୍ୱିନୀ ଉତ୍ତରଳ କ୍ରୋଧ
 ରୋଧିଣ ଧୈର୍ଯ୍ୟ-ରଜ୍ଜୁରେ,
ନିଶାନ୍ତ ଅନ୍ଧାରେ ମୃଦୁ ପାଦଚାରେ
 ଫେରିଗଲେ ହଂସପୁରେ ।

 ଦ୍ୱିତୀୟ ସର୍ଗ
 ପୃଷ୍ଠା ୨୪

ଫିଟାଇଲେ ପ୍ରାଚୀ ତୋତ୍ତଣ ଅରୁଣ
 ବରଣା ଉଷା ସୁନ୍ଦରୀ,
ପୂର୍ଣ୍ଣମାସୀ ରବି ସ୍ୱର୍ଣ୍ଣରଥ ଚକ୍ର
 କାଟିଲା ସିନ୍ଧୁ ଲହରୀ ।
ସବିତା ବିହୁନେ ଥିଲା ପ୍ରାଚୀ ବାଳୀ
 ବିରହ ଦୁଃଖେ ବିଧୁରା,
ସମାଗମେ ଏବେ ଗଣ୍ଡ ସୁନ୍ଦରୀର
 ଫିଟିଲା ଲାଜ ସିନ୍ଦୁରା,
ପ୍ରଭାତ ସନ୍ଧ୍ୟାର ଅଭିନବ ରାଗେ
 ରଞ୍ଜିତ ହୋଇ ସତ୍ତ୍ୱର,
ବେଳାରେ ପନ୍ଧିଲେ ବାଲିସ୍ତୁପେ ଅବା
 ବନ୍ଧୁଲି-ପୁଷ୍ପ‌-ଶେଖର ।
କ୍ରମେ କ୍ରମେ ଚକ୍ର ବାଳ ରେଖା ଲଙ୍ଘି
 ସ୍ଫୁରିଲା ବାଳ କିରଣ,
ଚକ୍ର-ନାଭି-ଉର୍ଦ୍ଧ୍ୱେ ଅର ରେଖାବଳୀ
 ପରାଏ ଦିଶି ଶୋଭନ ।
ସ୍ୱର୍ଣ୍ଣ-ଶଳ୍କପୁଞ୍ଜ ପରାୟେ ପ୍ରଳୟ
 ମୀନ-ରୂପୀ ବିଷ୍ଣୁଙ୍କର,
ଧପ ଧପ ହୋଇ ପ୍ରାଚୀ ମୂଳେ ଝଳେ
 ଊର୍ମିମାଳୀ ରତ୍ନାକର ।
ଅବା ସିନ୍ଧୁଶାୟୀ ଶ୍ରୀପତି-ସମ୍ମୁଖେ
 ଆବରି ସମୁଦ୍ର ଫଣା,
ସୁବର୍ଣ୍ଣ ସଙ୍କାଶ ବୈନତେୟ ଝାଡ଼େ
 ଯୋଜନ ବିସ୍ତାରି ଡେଣା ।
ଖୁରାରୁ ଚଷକ ଝଟତି ଅଲଗା
 ହୋଇଗଲେ ଯଥା ଦିଶେ,
ସେହିପରି ରବି ନୀର ଶ‌ଯ୍ୟା ତେଜି
 ଉଠିଲେ ନଭେ ନିମିଷେ ।
ସାଗର ଗରଭୁ କି ଅବା ଉଦୟ
 ଆଲୋକେ ଝଲକାନନା,
ସୁବର୍ଣ୍ଣ ଶୃଙ୍ଖଳେ ସୁବର୍ଣ୍ଣ କଳସେ
 ତୋଳୁଛନ୍ତି ଦିଗଙ୍ଗନା ।
ରାତ୍ରେ ଶୀତ ବାତେ ସମଗରା ଦ‌ହୁ
 ପ୍ରସୂତ ହୋଇ କୁହୁଡ଼ି,
ମଳୟ ସମୀରେ ରବି-କରେ-ଗଲା
 ଦିଗ ଦିଗନ୍ତରେ ଉଡ଼ି ।
ସମଗରା ପଦ୍ମ ବନେ କମଳିନୀ
 ନୟନୁଁ ହିମ ଲୋତକ,
ସରାଗେ ପୋଛିଲେ ନିଜ କରେ ଦେବ
 ମିହିର ବିଶ୍ୱ-ଦୋତକ ।
ଖେଳିଲେ ସମୀର ସମଗରା ବକ୍ଷେ
 ଚଟୁଳ ଶଫରୀ-କାଳ,
ରବିଙ୍କି ଦେଖିବା ପାଇଁ ସମଗରା
 ଫେଡ଼ିଲେ କି ନେତ୍ରମାଳ ।
କ୍ରମେ ବାଳାତପ ଶ୍ରୀକ୍ଷେତ୍ରେ ରଞ୍ଜିଲା
 ସୌଧମାଳା ଅବଦାତ,
ଗୌରୀ ଗୁରୁ ଶ୍ୱେତ ଶୃଙ୍ଗୁ ଝରିଲା କି
 ଗୈରିକ ଧାରା ପ୍ରପାତ ।
ଫଗୁମୟ ଦାଣ୍ଡେ ଧ୍ୱଜମୟ ନଭେ
 କୁସୁମମୟ ଆରାମେ,
ବାରି ହେଉନାହିଁ ପୁନରୁକ୍ତି ଦୋଷ
 ବାଳାତପ କ୍ଷେତ୍ର ଧାମେ ।
ବ‌ହୁଦିବନ ପରେ ଆଜ ମହାରାଜ
 ବିଜେ ହେବେ ନିଜ ପୁରେ
ନବ-ସୁଖ ରବି ଆଜ ଉଇଁ ଦୁଃଖ
 ତମକୁ ତଡ଼ିବେ ଦୂରେ ।

 ପୃଷ୍ଠା ୨୫

ରାଜ ଦରଶନ ପୂଣ୍ୟ ଲଭିବାକୁ
 ଉତ୍ସୁକ ଆଜ ସକଳେ,
ପ୍ରାତେ ଜନସ୍ରୋତ ଜନପଦୁ ତେଣୁ
 ବ‌ହୁଅଛି ନୀଳାଚଳେ ।
ଯାର ଯେତେ ଥିଲା ପରିଚ୍ଛଦ, ପୁଣି
 ଯାର ଯେତେ ଅଳଙ୍କାର,
ବ‌ହିଦିନ ପରେ ପଦାକୁ ସେ ସବୁ
 ହୋଇଛି ଆଜ ବାହାର ।
ନାଗରୀଙ୍କ ବେଶ ଭୁଷାରେ ନୟନ
 ମଜ୍ଜୁଅଛି କୁତୁହଳେ,
ଶାରଦ ସୂର୍ଯ୍ୟାସ୍ତ ଶୋଭା ଖେଳଇ କି
 ଅବତରି ଧରାତଳେ ।
ଠିକରି ପଡ଼ୁଛି ଠାବେ ଠାବେ ନେତ୍ର
 ହେରି ଏ ଚନ୍ଦ୍ରମା ହାଟ,
ହୃଦୟେ ପଶିବା ପାଇଁ ସେ ସୁଷମା
 ଭାଙ୍ଗୁଛି ଧୈର୍ଯ୍ୟ କବାଟ ।
ଦାଣ୍ଡେ ନିଜ ନିଜ ବିପଣି ମଣ୍ଡନେ
 ବ୍ୟାପୃତ ଆଜ ବଣିକେ,
ରଥ୍ୟ ସଂସ୍କରଣ ତୋରଣ ଗଠନେ
 ବ୍ୟାପୃତ ଯେତେ ବୈଷ୍ଟିକେ
ବେହରଣ ଲାଗି ଦେଉଳ ସମ୍ମୁଖେ
 ହେଉଛି ମଞ୍ଚ ରଚନା,
ସରଣୀର ଉର୍ଦ୍ଧ୍ୱେ ଲମ୍ବିତ ହେଉଛି
 ସପୁଷ୍ପ ସ୍ୱର୍ଣ୍ଣ ତୋରଣା ।
ପ୍ରତିଦ୍ୱାରେ ପୁଷ୍ପ ଦାମ ବିଲମ୍ବିତ
 କଦଳୀ ତରୁ ରୋପିତ,
ପ୍ରତି ଦେହଳୀରେ ବେନିପାଶେ ହେଲା
 ପୂର୍ଣ୍ଣ-କୁମ୍ଭ ସଂସ୍ଥାପିତ ।
ବଡ଼ଦାଣ୍ଡଠାରୁ ବେଳାତଟେ ଯହିଁ
 ବିରାଜନ୍ତି ମହାବୀର,
ସଙ୍ଗୀ ରାଜାଙ୍କର ବାସ ପାଇଁ ହେଲା
 ପ୍ରୋଥିତ ପଟ ମନ୍ଦିର ।
ଏହା ପରେ ପୁଣି ଲାଗିଛି ନ‌ଗରେ
 ସ୍ଥଳେ ସ୍ଥଳେ ଦୋଳ‌ଯାତ୍ରା,
କଳାରୂପେ ଯାହା ଚଳୁଥିଲା ଏବେ
 ଭଜିଛି ସେ ପୂର୍ଣ୍ଣମାତ୍ରା ।
ମହାହର୍ଷଭରେ ଉନ୍ନତ୍ତ ସରବେ
 ସ୍ଥବିର ଯୁବା ବାଳକ,
ମର୍ତ୍ତ୍ୟ-ବଇକୁଣ୍ଠ ନାମ ଶ୍ରୀକ୍ଷେତ୍ରର
 ହୋଇଛି କାର୍ଯ୍ୟେ ସାର୍ଥକ ।
ରବିଙ୍କି ଅନାଇ ବୃନ୍ତେ ଯେହ୍ନେ ଉଷା
 ଉଚ୍ଛ୍ୱାସେ ଫୁଲ୍ଲ ରାଜୀବ,
ରାଜ ଆଗମନ ବେଳକୁ ଅନାଇ
 ସମସ୍ତେ ଆଜ ଉଦ୍‌ଗ୍ରୀବ ।
ଛଅଘଡ଼ି ଦିନ ଉଦ୍ୟାନେ ରଟିଲା
 କୁରରୀ କଣ୍ଠ ଘଟିକା,
ପୁରେ ପ୍ରବେଶିଲା ସାଦିଦଳେ ବୃତ
 ଦ୍ୱିରଦ ଦନ୍ତ ଶିବିକା
ସ୍ୱର୍ଣ୍ଣ ତାରକିତ ରଙ୍ଗବେଳେ ବାସେ
 ଆବୃତ ଶିବିକା ଶିର,
ଚକ୍ରାକାରେ ଚଉ ପାଶେ ବେଢ଼ିଅଛି
 ପ୍ରହରୀ ଅସ୍ତ୍ର ପ୍ରାଚୀର ।
ବଡ଼ଦାଣ୍ଡେ ରୁଣ୍ଡ ଅସଂଖ୍ୟ ଦର୍ଶକ
 ସିନ୍ଧୁଭେଦି ଅନାୟାସେ,
ପ୍ରବେଶିଲା ଯାଇ ସତ୍ୱରେ ଶିବିକା
 ନବର ତୋରଣ ପାଶେ ।
ରତ୍ଞ୍ଚିରା ତୀରେ ବିରାଜନ୍ତି ଆଜ
 ବୀର ରତ୍ନପୁର ଜେତା,

 ପୃଷ୍ଠା ୨୬

ବିଜେ ହେବ ପୁରେ ପ୍ରଦୋଷେ ବାରତା
 କ‌ହିଲା ପ୍ରହରୀ ନେତା ।
ନିଜ ସୀମା ଜାଣି ପ୍ରହରୀ ସୈନିକେ
 ରହିଲେ ପୁର ବାହାରେ,
ଶିବିକାକୁ ଘେନି ପଶିଲେ ବାହକେ
 ରାଣୀହଂସ ଦ୍ୱାରେ ।
ମହାଦେବୀ ସଙ୍ଗେ ମହିଷୀଏ ଆସି
 ଉଭା ହେଲେ ସେ ପ୍ରାଙ୍ଗଣେ,
ଆଚମ୍ବିତେ ଅବା ନବ ଆମ୍ବୋଜିନୀ
 ଫୁଟିଗଲା ପଦ୍ମ‌ବନେ ।
ଶିବିକାରୁ ତ‌ହୁଁଡ ଓହ୍ଲାଇଲେ ରତ୍ନ
 ପୁର-ଜେମା ରତ୍ନହାରା,
ସନ୍ଧ୍ୟା ମେଘୁ ଅବା ଉଇଁ ବାହାରରିଲା
 ବିହାୟସେ କାବ୍ୟତାରା ।
କାବ୍ୟ-ତାରା-ପାଶେ ଆନ ତାରା ଯେହ୍ନେ
 ଦିଶନ୍ତି ନଭେ ନିଷ୍ପ୍ରଭ,
ରାଜ ଅବରୋଧ ରୂପ ଅଭିମାନ
 ସେ ରୂପେ ହେଲା ଖରବ ।
କେତେ ସୁକୁମାର ବପୁ, ସତେ ଅବା
 ବଉଳି ଯିବ ପରଶେ,
ହସ୍ତ ନ ଲଗାଇ ଗଢ଼ିଲେ କି ବିହି
 କେବଳ ଚିନ୍ତି ମାନସେ ।
ଉପମାର ପ୍ରତି ଉପମା ରୂପସୀ
 ବିଭୁଷଣ ଭୂଷଣର,
ବୃଥା ଶ୍ରମ ସିନା ଏ ଥାଉଁ ବ‌ହିବା
 ଫୁଲ ଶର ମଦନର ।
ଯହିଁ ଯା ଶୋଭିବ ସେହି ତା ବିଧାତା
 ଖଞ୍ଜିଛନ୍ତି ସେହି ସ୍ଥାନେ,
ରସାଣିଛି ପୁଣ ଶୋକେ ସେ ମୂରତି
 ମଧୁର-ସ୍ନିଗଧ-ରସାଣେ ।
ମ୍ରିୟମ୍ରାଣ ଆହା ଅମ୍ବୁରାଶି ତଳେ
 କିବା ବିମ୍ବାଧରା ରମା,
ଅଥବା ବ‌ହୁଳ ପକ୍ଷେ ପ୍ରାଚୀ-ମୂଳେ
 ହିମାଂଶୁ କଳା କରମା ।
ବନେ ନିର୍ବାସିତା ସୀତା ଅବା ରାମ
 ହୃଦୟ-ଜ୍ୟୋତ୍ସ୍ନା-ରୁପିଣୀ,
ହିମାଚଳେ କାମ‌ ବିୟୋଗ ବିଧୁରା
 କିମ୍ବା କାମ-ସୀମନ୍ତିନୀ ।
କାଳିନ୍ଦୀ ପୁଳିନେ ଶ୍ୟାମ ବିରହିଣୀ
 ଅବା ବୃଷଭାନୁ‌-ସୂତା,
ଅବା ନବ ରମା କରୁଣା ସମୁଦ୍ର
 ମନ୍ଥନରୁ ସମୁଭୂତା ।
ଚାରୁ ଅଙ୍ଗ-ଯଷ୍ଟି ସରଳ ସୁଢଳ
 ଯେସନେ ଶାଲ ବଲ୍ଲରୀ,
ବିଜୁଳିରେ ଘନ ପରି ଜଡ଼ିଅଛି
 ରତ୍ନଶାଢ଼ୀ ନିଳାମ୍ବରୀ ।
କୁମୁଦେ କୌମୁଦୀ ଲାସ୍ୟ-ହାସ୍ୟ-ଆସ୍ୟ
 ମଣ୍ଡଳୁ ଯାଇଛି ଲୁଚି,
ଜମ୍ବୁନ‌ଦ ବର୍ଣ୍ଣେ ବୋଳିଅଛି ଆହା
 ଶୋକ କମ୍ବୁବର ରୁଚି ।
କ୍ଷମା କ୍ଷୀଣ ଗୌର କପୋଳ ଫଳକ
 ଭଜିଅଛି ପାଣ୍ଡୁରତା,
ତ‌ହିଁ ଜଡ଼ିଅଛି ଅସ୍ତବ୍ୟସ୍ତେ ନୀଳ
 ବିଳୋଳ ଅଳକ ଲତା ।
ନିରଞ୍ଜନ ନେତ୍ର ନୀଳୋତ୍ପଳ-ଯୁଗ
 ରୋଦନ ଯୋଗୁ ଲୋହିତ,
ଉଷ୍ଣ‌ଶ୍ୱାସାନନିଳେ ଚାରୁ ବିମ୍ବାଧର
 ଭିନ୍ନ ବର୍ଣ୍ଣେ ବିଭାସିତ ।
ନୀଳ ପକ୍ଷ୍ମମାଳେ ଅଶ୍ରୁବିନ୍ଦୁ ଝଳେ
 ସ୍ୱଚ୍ଛ ମୁକ୍ତାଫଳ ଜିଣି,
ଦିବୁଁ ଅବତୀର୍ଣ୍ଣ ଭବତଳେ ଅବା
 କରୁଣା କି ଶରୀରିଣୀ ।
ଦେଖି ବରାଙ୍ଗୀର ନୀଳାମ୍ବର ଶୋଭା
 ସୁଚାରୁ ଅଙ୍ଗ ଲତିକା,
ସ୍ମରିଲେ ରାଣୀଏ ପରିଚିତ ନୀଳ
 ସିନ୍ଧୁ ହିଲ୍ଲୋଳ ଚନ୍ଦ୍ରିକା ।

 ପୃଷ୍ଠା ୨୭

ଦେବୀ ପାଦ ଧରି କାନ୍ଦିଲା ସୁନ୍ଦରୀ
 ଲୋଟାଇ ଭୂମେ ବକ୍ଷୋଜ,
ତ୍ୱିଷାମ୍ପତି-ଦୂତୀ ଉଷାପଦେ ଯେହ୍ନେ
 ଶିଶିର ସିକ୍ତ ସରୋଜ ।
ଗଦଗଦ ଭାଷେ କ‌ହଇ, 'ଦେବୀ ଗୋ,
 ମୁହିଁ ଭାଗ୍ୟହୀନା ଅତି,
ଜଗତେ ସୁଭାଗୀ ମହିଳା ମଣ୍ଡଳେ
 ତୁମ୍ଭେ ମହାଭାଗ୍ୟବତୀ ।
ଦଗ୍‌ଧ ମୁଖୁ ମୋର ଲୁହ ପୋଛିବାକୁ
 କେହି ନାହିଁ ନର କୁଳେ,
ଆଶ୍ରାହୀନା ହୋଇ ଅଭାଗିନୀ ମୁହିଁ
 ଭାସୁଛି ସିନା ଆକୁଳେ ।
କୁକ୍ଷଣେ ଜନନୀ ଜଠରୁ ମହୀରେ
 ପଡ଼ି ମୁହିଁ ଅଲକ୍ଷଣୀ
ସୁଖୋଚିତ ପିତା ମାତାଙ୍କର ହେଲି
 ଯେତେ ଅନର୍ଥର ଖଣି ।
ସର୍ବ ସୁଖ ପାତ୍ରୀ ହୋଇ ବଢ଼ିଥିଲ
 ଅତୁଳ ସ୍ନେହେ ପିତାର,
ସେ ଋଣ ଶୁଭଲି ହୋଇ ରାଜାଙ୍କର
 ଜୀବନ ତରୁ କୁଠାର ।
ରାଜସୁତା ହୋଇ ଲ‌ଲାଟେ ମୋହର
 ଲେଖାଥିଲା ଏ ଦୁର୍ଗତି,
କେଉଁ ଭିକାରୁଣୀ ହେବ ଦେବି ଏବେ
 ମୋର ଭାଗ୍ୟେ ସ୍ପୃହାବତୀ ?
ବିପଦ ଅନ୍ଧାରେ ଭବ ମରୁଭୂମେ
 ଭ୍ରମି ହୋଇଅଛି ବଣା,
ସୁଖେ ବଢ଼ି ଦୁଃଖ ଭାଗୀ ହେବାଠାରୁ
 କିବା ଅଛି ବିଡ଼ମ୍ବନା ।
ଅସ୍ତବ୍ୟସ୍ତ ହୋଇ ହେ ଦେବୀ, ଦାରୁଣ
 ବିଷାଦର ସ୍ରୋତ-ଚୟେ,
ଦୁଃଖ ଜଳେ ଭାସି ଲାଗିଲି ଆସି ମୁଁ
 ତୁମ୍ଭରିଚରଣାଶ୍ରୟେ ।

ଆତୁର ତାରିବା ପାଇଁ ଦେଇଛନ୍ତି
 ତୁମ୍ଭଙ୍କୁ ପ୍ରଭୁ ଶକତି,
ତୁମ୍ଭ ଦରଶନ ଆଶାରେ ଏ ପିଣ୍ଡ
 ଏ ପ୍ରାଣ ଥିଲା ବରତି ।
ମାତୃ ପିତୃହୀନା ଅନାଥା ବାଳିକା
 ଶରଣ ମାଗେ ବିକଳେ,
ଶରଣ ସମ୍ଭାଳ ଦୁଃଖୀ ଝିଅକୁ ମା
 ରଖ ଶ୍ରୀଚରଣ ତଳେ ।
କରୁଣ୍ୟ ପ୍ରତିମା ଅନ୍ନପୁର୍ଣ୍ଣା ଚାରୁ
 ବଦନ ଇନ୍ଦୁ ମାଧୁରୀ,
ଦେଖି ସମ‌ବେତ ରାଣୀଙ୍କର ଗଲା
 ଲୋତକ ଲୋଚନେ ପୁରି ।
ଶାନ୍ତ୍ୱନା ବଚନେ ମହାଦେବୀ ତାକୁ
 ଆଶ୍ୱାସ ଦେଇ ସତ୍ତ୍ୱରେ,
ନିଜ ଚଉଁରିକି ନେଇଗଲେ ତାର
 ହସ୍ତଧରି ମହାଦରେ ।
ଯିବାବେଳେ ବେନି ସୁନ୍ଦରୀର ଶୋଭା
 ଅନ୍ୟୋନ୍ୟ ଯୋଗେ ବିଳସୁଁ,
ଦିଶୁଥଲା ଯେହ୍ନେ ଉଇଁଛି ଭୁତଳେ
 ଯୁଗ୍ମତାରା ପୁନର୍ବସୁ ।
ବସନ୍ତ ଆକାଶ କେନ୍ଦ୍ରେ ବିରାଜିଲେ
 ଗ୍ରହମାନଙ୍କର ରାଜା,
ମନ୍ଦ୍ରନାଦେ ବଡ଼ ଦେଉଳେ ବାଜିଲା
 ମଧ୍ୟାହ୍ନ ଧୂପର ବାଜା ।
ପ୍ରଭାକର-କର ଖରତର ହୋଇ
 ଉତ୍ତାପେ ତାପିଲା ମହୀ,
ତରୁ ତଳେ ଆର୍ଦ୍ର ମନ୍ଦାରେ ପ୍ରାଙ୍ଗଣେ
 ବସିଲା ଯାଇ ବରହୀ ।
ପିଞ୍ଜରୁ ଶାରିକା 'କଳ' 'କଳ' ହୋଇ
 ରାବିଲା ଉଚ୍ଚେ ସଘନେ,
ଉଦ୍ୟାନ ମୃଗୀଏ ବିଶ୍ରାମ ଭଜିଲେ
 ଶୀତଳ ପୁନ୍ନାଗ ବନେ ।

 ପୃଷ୍ଠା ୨୮

କଷ୍ଟେ ଦିନ କୃତ୍ୟ ବିହି ମହାଦେବୀ
 ଦୁଃଖ ଭାର ବ‌ହି ବକ୍ଷେ,
ଅନ୍ନପୂର୍ଣ୍ଣା ସଙ୍ଗେ ଏକାକିନୀ ଯାଇ
 ବସିଲେ ନିଭୃତ କକ୍ଷେ ।
ବାଳାପ୍ରତି ପକ୍ଷ ପାତ ହୋଇଥିଲା
 ସ୍ୱଭବେ ଦେବୀଙ୍କ ଚିତ୍ତ,
ଦୁଃଖୀକି ପାଇଲେ ଯେ ସୁଖ ଦୁଃଖୀର
 ସୁଖୀ ସେ ସୁଖ ବଞ୍ଚିତ ।
ପୁଛିଲେ ପାର୍ବତୀ ସ୍ନେହମୟ ଭାଷେ
 ଆଶ୍ୱାସି ମନ ବାଳାର,
କ‌ହ ଚାରୁଶୀଳା ମୂଳରୁ ଯେତେକ
 ଯୁଦ୍ଧଭୂମି ସମାଚାର ।
ଏତେ କାଳ ଦୁର୍ଗ ରତ୍ନପୁର ପତି
 ସମ୍ଭାଳି ବଳେ କୌଶଳେ।
କି ବିପାକେ ପୁଣି ନିଜ ପ୍ରାଣ ଦେଲେ
 ଆହୁତି ଆହବାନଳେ ।
କି କୌଶଳ ରାଏ ଆଣିଲେ ଏ ପୁରେ
 ରତ୍ନପୁର ରତ୍ନୋତ୍ତମା,
ଅନ୍ନପୂର୍ଣ୍ଣା ସ୍ୱର୍ଣ୍ଣ ନଳିନୀ, ରୂପର
 ଅମଳ ନବ ଚନ୍ଦ୍ରମା ।
ମହାଦେବୀ ମୁଖୁ ଏହିରୂପେ ଶୁଣି
 ନିଜ ରୂପ ଶ୍ଳାଘା ଗିର,
ଗଣ୍ଡେ ଅଧରୋଷ୍ଠେ ଲାଜ ପାଟଳିମା
 ଫୁଟିଲା ବିମ୍ବାଧରୀର ।
କମ୍ୱିକଣ୍ଠି ବାଷ୍ପ ରୁଦ୍ଧ କଣ୍ଠେ କ‌ହେ
 କରେ ନେତ୍ର୍‌ଯୁଗ ମଳି,
ଧିକ ଏ ରୂପକୁ ଏହି ସିନା ଦେବୀ
 ଭିଆଇଲା ଯେତେ କଳି ।
ଏହାପାଇଁ ରତ୍ନ ପୁର ରାଜଧାନୀ
 ଭଜିଲା କାଳ ଗରଭ,
ଏହା ପାଇଁ କେତେ ମହାପ୍ରାଣୀ ହେଲେ
 ଆହବାନଳେ ଶଳଭ ।
ଏହା ପାଇଁ ସେହି ହାସ୍ୟମୟୀ ପୁରୀ
 ହେଲାଟି ମହାଶ୍ମଶାନ,
ଏହା ପାଇଁ ସେହି ତନୁଜା ବତ୍ସଳ
 ରାଜା ହରାଇଲେ ପ୍ରାଣ ।
ହା ହାରେ ଦଇବ ସେ ପିତାକୁ ନେଇ
 ରଖିଲୁ ମୋତେ ଜିଆଇ,
ଏଡ଼େ ଦୁଃଖେ ଏହି କଠିନ ପରାଣ
 ପିଣ୍ଡୁ ବାହାରିଲା ନାହିଁ ।
ଏହା ବୋଲି ବାଳା ଭୂତଳେ ପଡ଼ିଲା
 ଛିନ୍ନ ତାର ବୀଣା ପରି,
ସମ ଦୁଃଖେ ଦୁଃଖୀ ପାର୍ବତୀ ବାଳାକୁ
 ନେଲେ ନିଜ କୋଳେ ଧରି ।
ଉତ୍ତରଳ ଶୋକ ଝଟତି ବୁଡ଼ାଇ
 ଦେଲା ଯୁବତୀର ଧୂତି,
ପ୍ରିୟ ସଖୀ ପ୍ରାୟେ ମୂର୍ଚ୍ଚା ଆଣିଦେଲା
 ଶୋକର କ୍ଷଣେ ବିସ୍ମୃତି ।
ସୁନ୍ଦରୀର ଚାରୁ ବଦନ ସରୋଜେ
 ଶୀତଳ ସଳିଳେ ସିଞ୍ଚି,
ଚେତା କରାଇଲେ ଯତନେ ମହିଷୀ
 ରତନେ ପଣତେ ବିଞ୍ଚି ।
ବୋଇଲେ ସେ କଥା କ‌ହିବାକୁ ଯେବେ
 ହୃଦ ହେଉଅଛି ଘାରି,
ତୁନି ହ, ସେ କଥା ଶୁଣିବାକୁ ମନ
 ବଳୁନାହିଁ ସୁକୁମାରି ।
ବୀଣା ଜିଣା ସ୍ୱରେ କ‌ହେ ଜେମା ଆହା
 ଏ ସ୍ନେହ ପାଇବି କାହୁଁ ?
ତୁମ୍ଭଠାରେ ଦୁଃଖ ନ କ‌ହିବି ତେବେ
 କ‌ହିବି କାହାକୁ ଆଉ ?
ଭବ ମରୁସ୍ଥଳେ ଦୟାମୟୀ ତୁମେ
 ଶୀତଳ ବାରି ନିର୍ଝର,
ତରଳ ହେବାକୁ  ଜାଣେ ପରଦୁଃଖେ
 କୋମଳ ତୁମ୍ଭ ଅନ୍ତର ।

 ପୃଷ୍ଠା ୨୯

ଦେବି ଗୋ, ପ୍ରାବୃଟେ ତଟିନୀ ଯେସନେ
 ନ ପାରେ ବାରି ସମ୍ଭାଳି,
ଅସମ୍ଭାଳେ ହୃଦୁ ତାର ପ୍ରବାହକୁ
 ବେନି କୂଳେ ଦିଏ ଢାଳି ।
ଦୁଃଖୀ ସେହିପରି ହୃଦେ ଯେବେ ତାର
 ବଳିପଡ଼େ ହୃଦ ବ୍ୟଥା,
ସମ-ଦୁଃଖୀ ଜନେ ହୃଦୟ ଫିଟାଇ
 କ‌ହେ ନିଜ ଦୁଃଖ କଥା ।
କରୁଣା ବିହୁନେ ଦୁଃଖୀକି ମୁଖର
 କରଇ ଆବର କିଏ,
ତୋ ପରି କରୁଣା ମୟୀ ଭବେ ସିନା
 କୋଟିରେ ମିଳେ ଗୋଟିଏ ।
ଦିନ‌ଯାକ ଜଳି ଚଣ୍ଡ ଅଂଶୁମାଳି
 ପ୍ରଚଣ୍ଡ କର ହୁତାଶେ
କୁମୁଦିନୀ ହୃଦ ଫେଡ଼େ ବିଶ୍ୱବନ୍ଦ୍ୟ
 ଚନ୍ଦ୍ରିକା ସୁନ୍ଦରୀ ପାଶେ ।
ଏ ନିର୍ଦ୍ଦୟ ଭବେ ମହାଦବି, ତୋତେ
 ଦୟାର ମୂରତି ଜାଣି,
ଶ୍ରୀପଦେ ଏ ଦୀନା ଅନାଥା ତେସନେ
 କ‌ହିବ ଦୁଃଖ କାହାଣୀ ।
ଦୟାମୟି ତୋର ଚରଣ ସରୋଜ
 ଦୁଃଖୀର ଆଶ୍ରୟ ସ୍ଥଳୀ,
ଦୟା ଏକା ସିନା ସ‌ହିପାରେ ଦେବି
 ଦୁଃଖର ଯେତେକ ଅଳୀ ।
ଅବଧାନ ହେଉ ଛାମୁରେ ଆରତି
 କରୁଛି ଦୁଃଖୀ ଗୋଚର,
ତୁମ୍ଭେ ଯେବେ ଦୁଃଖ ନ ଶୁଣିବ ଦେବି
 ଶୁଣିବ କିଏ ଆବର ?
ଏକମାତ୍ର ମୁହିଁ ଅଟଇ ସନ୍ତ‌ତି
 ରତ୍ନପୁର ପତିଙ୍କର,
ଜନ୍ମ ଦେଇ ଜନ୍ମ ଦିନେ ମାତା ମୋତେ
 ଛାଡ଼ିଗଲେ ଲୋକାନ୍ତର ।
ଜନ୍ମକାଳୁ ମୁହିଁ ଏହିରୂପେ ଦେବି
 ହୋଇଣ ଥିଲି ଅନାଥା,
ମାତୃ ସ୍ନେହମୟ ପିତାମୋର ପକ୍ଷେ
 ସେହି ହେଲେ ପିତାମାତା ।
ଭବେ ପିତୃସ୍ନେହ ମହିମାକୁ ଅବା
 କରିବା ପାଇଁ ପ୍ରଥିତ,
ବିଧି କଲେ ମୋର ଜନ୍ମଦିନୁ ମୋତେ
 ଜନନୀ ସ୍ନେହୁ ବଞ୍ଚିତ ।
ପ୍ରେୟସୀ ବିୟୋଗ ଶୋକେ ରାଜାଙ୍କର
 ହେଲେହେଁ ମନ ବିଧୁର,
ମୋତେ ଦେଖି ସେହି ଶୋକ ନରପତି
 ମନୁ କରିଥିଲେ ଦୂର ।
ସୁଖୀ ହୋଇଥିଲେ ମୋତେ ପାଇ ଯେହ୍ନେ
 ଦରିଦ୍ର କୋଟି ବିଭବ,
ପୁତ୍ରଜନ୍ମଠାରୁ ବଳିକରି ମୋର
 ପାଳିଲେ ଜନ୍ମ ଉତ୍ସାବ ।
ପାଞ୍ଚବର୍ଷ କାଳ ଅପାଳକେ ଦେଶ
 ହୋଇଥିଲେ ନାରଖାର,
ହସୁଥିଲା ମାତ୍ର ମୋର ଜନ୍ମ ବର୍ଷେ
 ଶସ୍ୟେ ମୁଖ ବସୁଧାର ।
ବ‌ହୁକାଳ ପରେ ପୂରିଥିଲା ଯେଣୁ
 ପ୍ରଜାଙ୍କର ମନସ୍କାମ,
ଅନ୍ନପୁର୍ଣ୍ଣା ଦେଖି ମହୀଙ୍କି ରଖିଲେ
 ଅନ୍ନପୁର୍ଣ୍ଣା ମୋର ନାମ ।
ମୃତ ମହିଷୀର ମୂର୍ତ୍ତିମତୀ ସ୍ମୃତି
 ପ୍ରାୟେ ସ୍ନେହେ ମୋତେ ମଣି,
ନୟନର ମଣି ପ୍ରାୟେ ମଣୁଥିଲେ
 ସ୍ନେହେ ସଦା ନରମଣି ।
ସ୍ନେହଭୋଳେ ଜାତ କରୁଥିଲେ ମୋତେ
 ନିଜ ଅଙ୍କାସନ ଶାୟୀ,
ଅଙ୍କଛଡ଼ା ହେଲେ ରଙ୍କ ପ୍ରାୟେ ରାଏ
 ଝୁରୁଥିଲେ ମୋର ପାଇଁ ।

 ପୃଷ୍ଠା ୩୦

ଅବ୍ୟକ୍ତ ବାସନା କ୍ଷୁଦ୍ର ହୃଦେ ମୋର
 ହେବା କ୍ଷଣି ସମୁଦିତ,
ସମକାଳେ ହେଉ ଥିଲା ତାଙ୍କ ସ୍ନେହ
 ମୁକୁରେ ପ୍ରତିଫଳିତ ।
ଏହିରୂପେ ଗଲା ମଧୁର ଶୈଶବ
 ଦୁଃଖଶୋକେ ଅନାବିଳ,
କ୍ରମେ ପ୍ରସରିଲା ଜୀବନ କାନନେ
 ଯୌବନ ମଳୟାନୀଳ ।
ମଳୟରେ ଶ୍ୱାସେ ପଦ୍ମକଳି ହେଲେ
 ସରସୀ କୋଳୁ ବାହାର,
ଲାଗି ରହିଥାଏ ସରସୀ ଉରସେ
 ମୃଣାଳ ଯେସନେ ତାର ।
ଲଜ୍ଜାଭୀତି-ବଶେ ପିତୃପାଶେ ମୁହିଁ
 ସ୍ୱତନ୍ତ୍ର ହୋଇ କୈଶୋରେ,
ହୃଦୟ ମୋହର ବନ୍ଧା ଥିଲା ତାଙ୍କ
 ପାଦପଦ୍ମେ ସ୍ନେହ ଡୋରେ ।
ସ୍ୱହସ୍ତେ ରୋପିତ ଯତନେ ବର୍ଦ୍ଧିତ
 ପ୍ରସୂନ ଲତା ପୁଷ୍ପିତ,
ଦେଖି ପ୍ରମୁଦିତ ହୁଅଇ ଯେସନେ
 ଉଦ୍ୟାନପାଳର ଚିତ୍ତ ।
ତ‌ହୁଁ ଶତଗୁଣେ ହର୍ଷ ଉପୁଜିଲା
 ହୃଦୟେ ନୃପମଣିର,
ଯୌବନର ସୀମା ପରଶିଲା ଯହୁଁ
 ବୟଃକ୍ରମ ଦୁଃଖିନୀର ।
କି ଅଛି ଜଗତେ ସ୍ନହମୟ ପିତା
 ସ୍ମେହ ସଙ୍ଗେ ହେବ ଲକ୍ଷ,
ପିତୃ ସ୍ନେହ ସଙ୍ଗେ ତୁଳା ଲଭିବାକୁ
 କେବଳ ସିନ୍ଧୁ ସେ ଶକ୍ୟ ।
ଅଗାଧ ଗଭୀର ପିତୃ ସ୍ନେହ ଦେବି
 ଅଗାଧ ଯେସନ ସିନ୍ଧୁ,
ସନ୍ତ‌ତି ବୃଦ୍ଧିରେ ପିତୃସ୍ନେହ ବଢ଼େ
 ସିନ୍ଧୁ ଦେଖି ପୂର୍ଣ୍ଣଇନ୍ଦୁ ।
ଲୋକରକ୍ଷା ହେତୁ ଲୋକ ପିତାଙ୍କର
 ଅମୋଘ ଆଦେଶ ଫଳେ,
ସୁରଧୁନୀ ପ୍ରାୟେ ପିତୃ ସ୍ନେହ ଦିବୁଁ
 ଓହ୍ଲାଇଛି ଭବ ତଳେ ।
ପରଚୟ ଯୋଗ୍ୟ ବ‌ୟଃ ଦେଖି ମୋର
 ହରଷେ ହୋଇ ଆପ୍ଳୁତ,
ପାତ୍ର ଅନ୍ୱେଷିଲେ ରତ୍ନପୁର ପତି
 ନାନା ଦେଶେ ପେଷି ଦୂତ ।
ରାଜପୁତ୍ର ବୃନ୍ଦେ ନିମନ୍ତ୍ରଣ କରି
 ଚୌଦିଗେ ପେଷିଲେ ଲେଖ,
ସ୍ୱୟମ୍ୱର ପାଇଁ କରାଇଲେ ଠୁଳ
 ସମ୍ଭାର ପୁରେ ଅନେକ ।
ଯଥାକାଳେ ମୋତେ ରାଜ୍ୟ ସଙ୍ଗେ ଯୋଗ୍ୟ
 ପାତ୍ରେ କରି ସମର୍ପଣ,
ବନେ ବାନପ୍ରସ୍ଥ ବ୍ରତ ଆଚରିବେ
 ମନାସିଥିଲେ ରାଜନ ।
ସଂସାର ଗ‌ହଳେ ମଧ୍ୟେ ଥାଇ ପିତା
 ସଦା ଥିଲେ ଉଦାସୀନ,
ବିଷୟାବିଷରେ ବୁଡ଼ି ରହିଥିଲେ
 ବିଷୟ ବାସନାହୀନ ।
ନିଜେ ରସ‌ହୀନ ଉତ୍ତୁଙ୍ଗ ଶିଖରୀ
 ଆଦରେ ପୋଷଇ ଯଥା,
ନିର୍ମଳ ନିର୍ଝର ନୀରଦାନେ ସଦା
 ପଦାଶ୍ରିତ ତରୁଲତା ।
ଲାଳସା ବିହୀନ ହୋଇ ପାଳୁଥିଲେ
 ପ୍ରଜା ରତ୍ନପୁର ପତି,
ରାଜ ରୂପେ ବାହ୍ୟେ ଦିଶୁଥିଲେ ମାତ୍ର
 ହୃଦୟେ ଥିଲେ ସେ ଯତି ।
ମାତାଙ୍କର ମୃତ୍ୟୁ ସଙ୍ଗେ ତୁଟିଥିଲା
 ସଂସାରର ସ୍ନେହ-ପାଶ,
ମୋତେ ମଣୁଥିଲେ ସ୍ନେହେ ସେହି ମୃତ
 ମହିଷୀର ପୂତ ନ୍ୟାସ ।

 ପୃଷ୍ଠା ୩୧

ଭାବିଥିଲେ ମୋତେ ରାଜ୍ୟ ସଙ୍ଗେ କରି
 ଯୋଗ୍ୟ ପାତ୍ର କରଗତ,
ମାତାଙ୍କର ସ୍ନେହ ଋଣ ମୁକ୍ତ ହୋଇ
 ବିଷୟୁ ହେବେ ବିରତ ।
ଦାସପୁର ଦୁର୍ଗ ଅବରୋଧେ ରତ
 ଥିଲେ ରାଜା ଗଙ୍ଗେଶ୍ୱର,
ସଙ୍ଗେ ଥିଲେ ଯୁବ ରାଜ ଏକଜାତ
 ଅପର ନୃପ କୁମର ।
ଏହା ଜାଣି ତାତ ମହୀଦେବ ହସ୍ତେ
 ପଠାଇଲେ ମହାହ୍ଲାଦେ,
ସର୍ବ ରାଜସୁତେ ନିମନ୍ତ୍ର କରି
 ଲେଖ ଗଙ୍ଗେଶ୍ୱର ପାଦେ ।
ଅଳ୍ପଦିନ ପରେ ଦାସପୁରୁଁ ଦେବି
 ଆସିଲେ ପ୍ରତି-ଉତ୍ତର,
ପତ୍ନୀରୂପେ ମୋତେ ଯାଚିଥିଲେ ତ‌ହିଁ
 ନିଜେ ଦେବ ଗଙ୍ଗେଶ୍ୱର ।
ଲେଖା ପାଇ ରତ୍ନ ପୁର ପତିଙ୍କର
 ହେଲା ମନ ଖିନ୍ନ ଅତି,
ପୁଣି ଦୂତ ପେଷି ଗଙ୍ଗେଶ୍ୱରଦେବେ
 ଜଣାଇଲେ ଅସମ୍ମତି ।
ଲେଖା ପାଇ ହେଲା ଗଙ୍ଗେଶ୍ୱରଙ୍କର
 ଅରୁଣ ବେନି ଲୋଚନ,
ପୂର୍ଣ୍ଣାହୁତି ଲଭି ଯଜ୍ଞକୁଣ୍ଡେ ଯେହ୍ନେ
 ଭୀଷଣେ ଜଳେ ଜ୍ୱଳନ ।
କୋପ ବିକମ୍ପିତ ସ୍ୱରେ ପ୍ରଣିଧିକି
 କ‌ହିଲେ ତ‌ହୁଁ ହୁଙ୍କାରି,
"ଆସନ୍ନ ମୃତ୍ୟୁର ନିଜ ବୁଦ୍ଧି ସିନା
 ହୁଅଇ ତାର ଭଗାରି ।
କି କ‌ହିବି ଆରେ ବର୍ବର ରାଜ୍ୟର
 ବର୍ବର ବାରତା ବ‌ହ,
ନିଶ୍ଚେ ରାଜା ତୋର ନିଜ ମୁଣ୍ଡ ଭାର
 ମଣଇ ସ୍କନ୍ଦେ ଦୁଃସ‌ହ ।
ଏ ଲେଖର ପ୍ରତି ଲେଖ ଦେବି ମୁହିଁ
 ବେଗେ ରତ୍ନପୁରେ ପଶି,
ଲେଖନୀ ତାହାର ଏହି ଅସୀ ତୋର
 ରାଜ ରକ୍ତ ହେବ ମସୀ ।
ଏହା କ‌ହି ରାୟେ ପାର୍ଶ୍ୱଚର ରାଜ
 କୁମାରଙ୍କୁ କରି ଲକ୍ଷ,
ବୋଇଲେ, 'ଶଶକ ମନାସଇ ଏବେ
 ଧରସିବାକୁ ହର୍ଯ୍ୟକ୍ଷ ।
ରତ୍ନପୁର ପତି କଣ୍ଡୁଳ-ଚରଣ
 ଲୋଡ଼ଇ ଲୌହନିଗଡ଼,
ଉଠ ଏହିକ୍ଷଣି ଉଠାଇ ଛାଉଣି
 ଯିବି ରତ୍ନପୁର ଗଡ଼ ।
ଦୁଷ୍ଟେ ଶିଷ୍ଟାଚାର ଦୁଷ୍ଟପଣ ତାର
 ଅଧିକେ ଦିଏ ବଢ଼ାଇ,
ଆଉଁଷିଲେ କେବେ ମତ୍ତ ମତଙ୍ଗଜ
 ବଶକୁ ଆସଇ ନାହିଁ ।
କ‌ହୁଅଛି ଯାହା ଅନ୍ୟଥା ନୋହିବ
 କଦାଚିତେ ମୋର ଗିର
ବାନ୍ଧି ଆଣିଦେବ ବର୍ବର ରାଜାକୁ
 ତୁମ୍ଭ ମଧ୍ୟେ ସେହି ବୀର ।
ସେହି ବୀର ସଙ୍ଗେ ବିଭାଦେବି ମୁହିଁ
 ଅଣାଇ ପୁରୁ ବାଳୀକି,
ଶତ ଅନ୍ନପୂର୍ଣ୍ଣା ନୁହଇ ଯାହାର
 ଭାଜନ ନିଉଛାଳିକି ।
ରାଜା ଆଜ୍ଞା ପାଇ ରାଜପୁତ୍ରମାନେ
 ସେହିକ୍ଷଣି ହେଲେ ସଜ,
ପ୍ରସ୍ଥାନ ଦୁନ୍ଦୁଭି ନାଦେ ସଜ ହେଲେ
 ଚତୁରଙ୍ଗ ସେନା ବ୍ରଜ ।

 ପୃଷ୍ଠା ୩୨

ଦାସପୁର ଜୟ ଲାଗି କୁମାରଙ୍କୁ
 ରଖି ତ‌ହିଁ ନରରାଣ,
ଅର୍ଦ୍ଧ ସେନାସଙ୍ଗେ ସେହିକ୍ଷଣି ତ‌ହୁଁ
 ସରୋକ୍ଷେ କଲେ ପ୍ରୟାଣ ।
ସ୍ୱୟମ୍ବର ପାଇଁ ଯେଉଁ ଦିନ ଦେବି
 ପୂର୍ବୁ ହୋଇଥିଲା ସ୍ଥିର,
ସାଳନ୍ଦୀ ସନ୍ନିଧେ ସେହି ଦିନ ହେଲା
 ପ୍ରୋଥିତ ଶତ୍ରୁ ଶିବିର ।
ଉତ୍ସବ ଆଶାରେ ଆଶାୟୀ ହୋଇଣ
 ବ‌ହୁଦିନୁ ଦିନ ଗଣି,
ଆତଙ୍କେ ଶୁଣିଲେ ରତ୍ନପୁରବାସୀ
 ଅରାତି ଦୁନ୍ଦୁଭି ଧ୍ୱନି ।
ତୁରଙ୍ଗମ ହ୍ରେସା ମାତଙ୍ଗ ବୃଂହିତ
 ସୈନ୍ୟଙ୍କର ସିଂହନାଦ,
ଶୁଣି ଉପୁଜିଲା ପୁରବାସୀଙ୍କର
 ହୃଦୟେ ମହାବିଷାଦ ।
ଉତ୍କଳ ସମ୍ରାଟ ଡରାଟ ବାହିନୀ
 ସ‌ହିତେ ସମ୍ମୁଖ ରଣ,
ଅସମ୍ଭବ ଜାଣି ଦୁର୍ଗ ରକ୍ଷା ଲାଗି
 କଲେ ତାତ ଆୟୋଜନ ।
ସାଳନ୍ଦୀ ତଟିନୀ ତୀରେ ପ୍ରବେଶନ୍ତେ
 ଉତ୍କଳପତିଙ୍କ ଥାଟ,
ପ୍ରତିହାରି ଦଳେ କିଳିଦେଲେ ସେହି
 ମୁହୂର୍ତ୍ତେ ଗଡ଼ କବାଟ ।
ବେନି ପାର୍ଶ୍ୱେ ମହା ବନ, ପୃଷ୍ଠେ ତୁଙ୍ଗ
 ଶିଖରି ଟେକନ୍ତି ଶିଖା,
ପଶ୍ଚିମେ ସମ୍ମୁଖେ ସାଳନ୍ଦି ଦୁର୍ଗର
 ନିସର୍ଗ-ଜାତ ପରିଖା ।
ତିନି ଦେଗେ ଦୁର୍ଗ ଅଗମ୍ୟ କେବଳ
 ପଶ୍ଚିମ ପ୍ରାଚୀର ପାଇଁ,
ଦଶଶତ ଧନ୍ୱୀ ପଦାତି ସତ୍ୱରେ
 ନିଯୋଜିଲେ ନରସାଇଁ ।
ଚାପେ ଖଞ୍ଜି ଅଗ୍ନି ଶିଖା ସମ ରୋଗ
 ନିଜ ପ୍ରାଣ ତୃଣ ଗଣି,
ସଦର୍ପେ ପ୍ରାଚୀର ଶିରେ ଭ୍ରମିଲେ ସେ
 ଫଣାତୋଳି ଯେହ୍ନେ ଫଣୀ ।
ପଣସ ଶରୀରେ କଣ୍ଟକ କୁପିତ
 ଶଲ୍ଲକୀ ଶରୀରେ କାଠି-
ପ୍ରାଏ ତାଙ୍କ ହସ୍ତେ ବିଶିଖ ରହିଲା
 ଅରାତି ସୁଖେ ତରାଟି ।
ସ୍ୱକାର୍ଯ୍ୟ ସାଧନେ ବ୍ରତି ଯହିଁ ଦେହ
 ପାତନେ ନୋହି କାତର,
ଥାଉ ଆନ ନିଜେ ଭାଗ୍ୟଲକ୍ଷୀ ତାଙ୍କୁ
 ଯୋଡ଼ନ୍ତି କର-ପତର ।
ଅମୋଧ ସନ୍ଧାନେ ବିନ୍ଧି ଶର ଶୂରେ
 ଶତୃଙ୍କୁ କଲେ ଅଥୟ,
ଶରପ୍ରସରର ସୀମା ହେଲା ତାଙ୍କ
 କୃତାନ୍ତର ରଙ୍ଗାଳୟ ।
ଦକ୍ଷ କର ତାଙ୍କ ଦିଶୁଥିଲା ଯେହ୍ନେ
 ସଦା ଲଗ୍ନ ନିଷଙ୍ଗରେ,
ପ୍ରସବୁଥିଲା କି ଅଦ୍ଭତେ ଶିଞ୍ଜିନୀ
 ଶରଶ୍ରେଣୀ ନିରନ୍ତରେ ।
ରମ୍ଭାତ୍ୱକ ପ୍ରାୟେ ହେଳେ ସେ ଭେଦିଲେ
 ଚର୍ମ ବର୍ମ ବିପକ୍ଷର,
ଗୁନ୍ଥିଦେଲେ ହସ୍ତୀ ଦେହେ ହସ୍ତୀପକା
 ଅଶ୍ୱ-ଦେହେ ସାଦିବର ।
ମୁଣ୍ଡ ବଞ୍ଚାଇବା ପାଇଁ ଯେତେ ଯୋଧେ
 ପିନ୍ଧିଥିଲେ ଶିରସ୍ତ୍ରାଣ,
ମୁଣ୍ଡ ବଞ୍ଚାଇ ସେ ପାଦେ ଛିନ୍ନ ହୋଇ
 ରଣେ ବିସର୍ଜିଲେ ପ୍ରାଣ ।
ପ୍ରାଣରଙ୍କ ଯେହୁ କାପୁରୁଷ ରଣେ
 ଭଙ୍ଗ ଦେଲେ ପ୍ରାଣ ଲାଗି,
ପୃଷ୍ଠେ ହାଣ ଖାଇ ହେଲେ ସେହି ସିନା
 ବୃଥା ଅପ‌‌ଯଶଭାଗୀ,

 ପୃଷ୍ଠା ୩୩

ଏକ ଏକ ହୋଇ ରାଜପୁତ୍ର ଆସି
 ସଦଳେ କଲେ ଚଢ଼ାଉ,
କେତେ ମଲେ କେତେ ରଣୁ ବାହୁଡ଼ିଲେ
 ଧିକ୍‌କାରିଣ ନିଜ ବାହୁ ।
ସମର ଦୁର୍ମଦ କେତେ ମହାଯୋଦ୍ଧା
 ରାଜଦ୍ୱାରେ ଯଶ ଲୋଡ଼ି,
ଆସିଥିଲେ ଦମ୍ଭେ ଓଷ୍ଠ କାମୁଡ଼ିଣ
 ପଡ଼ିଲେ ମାଟି କାମୋଡ଼ି ।
ଧନ୍ୟ କଉଶଳ କ୍ରୁରକାରୁଣିକ
 ରତ୍ନପୁର ଧନ୍ୱୀଙ୍କର,
ଶିର ଉତ୍ତାରି ଯା ଅରିଙ୍କି ନ ଦେଲା
 ବ୍ରଣଜ୍ଞାନ ଅବସର ।
ଭୈରବ ଭୈରବୀ ଭୋଜୁ ଭୂମି ପ୍ରାଏ
 ଦିଶିଲା ସଂଗ୍ରାମ ସ୍ଥଳୀ,
ଶତଚ୍ଛିନ୍ନ ଶିର ଫଳ ହେଲା ତ‌ହିଁ
 କିରୀଟ ଚଷକାବଳୀ ।
ଶବ ମେଦ ଦିବ୍ୟ ଚନ୍ଦନ ଶବର
 ହୃଦ ଦିବ୍ୟ ସିଂହାସନ,
ସଦ୍ୟଃପାତ ରକ୍ତ ପାଟଳ ମଦିରା
 ପ୍ରେତକୁଳ-ସନ୍ତର୍ପଣ ।

 ♥♥♥ ସମାପ୍ତ ♥♥♥

ଏହା ଏକ ଅସମ୍ପୁର୍ଣ୍ଣ କବିତା । ଏହି କବିତାର ଶେଷ ଭାଗ ଗଦ୍ୟ ଆକାରରେ ଲେଖାହୋଇଛି । ଏହା ପଢ଼ିବା ନିମନ୍ତେ ଦେଖନ୍ତୁ ପାର୍ବତୀ କାବ୍ୟର ଉପସଂହାର