କବିତା କଲ୍ଲୋଳିନୀ/ଚାହିଁଲା ତ ନାହିଁ

ଉଇକିପାଠାଗାର‌ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: ବଳଦେବ ରଥ
ଚାହିଁଲା ତ ନାହିଁ
ଚାହିଁଲା ତ ନାହିଁ
(ରାଗ: ଆଷାଢ଼ଶୁକ୍ଳ)


ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହିଁ। ଘୋଷା।

ଚାମରକୁନ୍ତଳା ବସନ୍ତେ ରୁଷି, ଚିନ୍ତାଜଳେ କେଉଁ ତରୁଣ ଭାସି।
ଚତୁରା ସହଚରୀ ଆଗେ ବୋଲେ, ଚିତ୍ତରେ କି ଘେନି ଟିକିଏ ହେଲେ।୧।

ଚରମ ଆଡ଼େ ଡରି ଉଭା ହେଲି, ଚାକର ଛାମୁରେ ଭେଟୁଛି ବୋଲି।
ଚାଟୁ ଚାତୁରୀ ଚଟୁଳବଦନ, ଚାରିଶ ପଦ କଲି ନିବେଦନ।୨।

ଚିବୁକ କମ୍ପାଇ ହୋଇ ବିକଳ, ଚିରିଲା ଚରଣ ନଖେ ଭୂତଳ।
ଚିର ଅରଜିତ ସ୍ନେହସମ୍ପଦେ, ଚଡ଼କ ପକାଇ ନିର୍ଦ୍ଦୟେ ହୃଦେ।୩।

ଚିନାଏ ଅପରାଧ ନାହିଁ ବୋଲି, ଚେଳ ଅଞ୍ଚଳ ପ୍ରସାରି କହିଲି।
ଚଣ୍ଡମୂରତି ଧଇଲା କା ବୋଲେ, ଚରଣ ପଙ୍କଜ ଧଇଲେ ହେଲେ।୪।

ଚମ୍ପକଗଉରାଙ୍ଗୀ ପ୍ରଭୁପଣେ, ଚେଟୀଙ୍କ ତୁଲେ ମୁଁ ହୋଇଲି ଜଣେ।
ଚେର ଦେବା କାଳେ ମୋ ଭାଗ୍ୟବଲ୍ଲୀ, ଚଳି ଉପୁଡ଼ାଇ ଦେଲା କି ବୋଲି।୫।

ଚଢ଼ାଇ ଉନ୍ନତ ସୁଖପାଦପେ, ଚକିଆଇ ମୂଳୁ କାଟିଲେ କୋପେ।
ଚିକ୍କଣ ନୁହଇ ବୋଲି ନ ଜାଣି, ଚିଟା ହେଲା ମୋରେ କାହୁଁ କି ଶୁଣି।୬।

ଚଣ୍ଡାଳ ଦୁର୍ଯୋଗରୁ ହୋଇ ଦୋଷୀ, ଚିହ୍ନ ଯେବେ ମୋରେ ରହିଛି ଗ୍ରାସି।
ଚଦି ଥରେ ଆଗ ପଛେ ନବୀନା, ଚତୁର୍ଥ ଉପାୟ କରନ୍ତା ସିନା।୭।

ଚାତୁର୍ଯ୍ୟବତୀ ନଉକରି କରି, ଚାଲି ନ ଜାଣେ ମୁଁ ଗରବେ ପୂରି।
ଚିରାଳ ଯୁବାଗଣେ ବାନ୍ଧିଥାଇ, ଚୂନା କରି ମୋର ତେଡ଼େ ବଡ଼ାଇ।୮।

ଚାରୁବେଶାର ମୁହିଁ ଅନ୍ତରଙ୍ଗ, ଚଉପଦୀ ଗୀତ ରଚନା ସଙ୍ଗ।
ଚଉଠେ ନ ରଖିଲା ସେ ସ୍ନେହରୁ, ଚପଳେ ଛଡ଼ାଇ ଦେଇ ଦେହରୁ।୯।

ଚାମୀକରସାରଦେହା ଦେହରେ, ଚୀନ ବାସ ପରି ଦିନ ଯେ ହରେ।
ଚଉକେ ଅନ୍ତର ନୁହଇ କେବେ, ଚୋର ହେଲି ତାହା ଛାମୁକୁ ଏବେ।୧୦।

ଚିହ୍ନିଥାଇ ଯାକୁ କାଳକେ ଦିନେ, ଚେତି ତ ପୁଣି ସେ ପଡ଼େ ନୟନେ।
ଚାଦରଧରାକୁ ଏହା କି କରି, ଚତୁରକ୍ଷ କେବେ ନ ହେଲା ପରି।୧୧।

ଚଣ୍ଡମୟୁଖମଣ୍ଡଳ ସମାନ, ଚାହୁଁ ଚାହୁଁ ଯହୁଁ କଲା ବଦନ।
ଚାବୁକ ବାଜିଲା ପରି ମୁଁ ଡରେ, ଚିହିଁକି ପଡ଼ଇ ପହିଲୁ ଥରେ।୧୨।

ଚମରୀନେତ୍ରା କି ସୁଖ ପାଦରେ, ଚକଟି ପକାଇଲା ଅନାଦରେ।
ଚଖାଇ ସୁଧା ଯା କଲା ଅନ୍ୟଥା, ଚମତ୍କାର ଲାଗୁଛି ଏହି କଥା।୧୩।

ଚିରନ୍ତନ ଜନ୍ମ ସୁକୃତ ରାଶି, ଚନ୍ଦ୍ରଚୂଳପାଦ ପ୍ରସାଦେ ମିଶି।
ଚାଣ୍ଡେ ଦେଇଥିଲା ବାଳାମଣିକି, ଚିପୁଡ଼ି ଦେଲା ସେ ଭାବ ଏଣିକି।୧୪।

ଚେତ ମୋ ଯେବେ ନ ବଳେ ଅନ୍ନକୁ, ଚକାମୁଆଁ ଶହେ ଦେବୀମାନଙ୍କୁ।
ଚଳୁଆ ସ୍ମର ଶାର୍ଦୁଳକୁ ଘେବେ, ଚର୍ବଣ କର ବୋଲି ଦେଲା ଏବେ।୧୫।

ଚିକିତ୍ସାଭଙ୍ଗୀ ମୋ ଅଙ୍ଗରେ ହେଜି, ଚଣ୍ଡିକା ସ୍ତୋତ୍ର ପଣ୍ଡିତାଙ୍କୁ ଖୋଜି।
ଚନ୍ଦ୍ରଚନ୍ଦନ ବୋଳାଇ ମୋଦରେ, ଚାପସରି କାଢ଼ି ଦିଏ ଆଦରେ।୧୬।

ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ, ଚିଟାଉରେ ଲେଖି ରହି ବିଦେଶ।
ଚାଙ୍ଗଡ଼ାଘର ଜୂରେ ଫରମାସେ, ଚରଚା କରେ ଚାରକୁ ହରଷେ।୧୭।

ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ, ଚକୋର ପରି ଅନୁସରି ପାଶେ।
ଚିନ୍ତୁଥାଇ ଅସାଧାରଣ ଫଳ, ଚହକିଲା କାଳେ ସମ୍ପତ୍ତିମୂଳ।୧୮।

ଚିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋ ଦକା।
ଚାକୁରେ କରଜ ଚିରୁଣୀ ପରି, ଚିରି ସଜଡ଼ାଇ ଆଶ୍ୱାସୀ କରି।୧୯।

ଚେତା ବିହୁନେ ପହୁଡ଼ିବା କାଳେ, ଚିତ୍ରଇ-ଚରଣ ଅଳତା ବୋଳେ।
ଚେତିଲେ ଯାହା ବୋଲେ ଲଭି ଲାଜ, ଚେତାଉ ନାହିଁ ସେ ରସକୁ ଆଜ।୨୦।

ଚନ୍ଦ୍ରିକାବିହୀନ ରଜନୀକାଳେ, ଚାନ୍ଦନୀସୋପାନ ଉଠିବାବେଳେ।
ଚନ୍ଦ୍ରଦୀପ ତା ଛାମୁରେ ନ ଥିଲେ, ଚେତନା ମୋ ଦେହେ ନ ଥାଇ ଭଲେ।୨୧।

ଚାନ୍ଦୁଆ ଅବନ୍ଧା ମନ୍ଦିର ତଳେ। ଚାଲଇ ଯେବେ କେବେ କୁତୂହଳେ।
ଚଉପହରା ଦାସୀଙ୍କ ଉପରେ, ଚାପଡ଼ ଫରମାସଇ କୋପରେ।୨୨।

ଚାକଚକ୍ୟବନ୍ତ ସୁନ୍ଦର ଗାଲେ, ଚୁମ୍ବଇ ଯେବେ ମୁଁ କାମଅନଳେ।
ଚମକିବ ଭୀରୁ ବୋଲି ଏ ଡରେ, ଚୁମୁତ୍କାର ରବ ନ କରେ ଥରେ।୨୩।

ଚଉଦରୁ ବଳି ବୟସ ହେଲା, ଚଞ୍ଚଳ କ୍ରମ ତା କେବେ ନ ଗଲା।
ଚାକିରି କଲେ କରୁଥାଏ ହଟ, ଚଉଡ଼ାଇ ଦେଇ କି ସ୍ନେହ ଘଟ।୨୪।

ଚୁହାଁ ଚୁହିଁ ନାହିଁ ଆନରେ ବୋଲି, ଚକାରେ ନିୟମ ଯେତେ ମୁଁ କଲି।
ଚଉବିଂଶ ପଦୁଁ ବଳେ ଗଣିଲେ, ଚତୁର ଶ୍ରୀ ଛୋଟରାୟ ଭଣିଲେ।

ଚାହିଁଲା ତ ନାହିଁ, ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁହୀଁ।୨୫।