କବିତା କଲ୍ଲୋଳିନୀ/ଶିଖଣ୍ଡ ମୁକୁଟ

ଉଇକିପାଠାଗାର‌ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଶିଖଣ୍ଡ ମୁକୁଟ
ଶିଖଣ୍ଡ ମୁକୁଟ
(ରାଗ: ଆଷାଢ଼ଶୁକ୍ଳ)


ଶିଖଣ୍ଡ ମୁକୁଟ, ଶିଖିଚ ଭଲା ଆଜନମୁ କୂଟ।ଘୋଷା।

ହେଲା ଯେ ସକଳ ଗୁଣ ପ୍ରକଟ, ପୁରୁଷ ଜାତି ତୁମ୍ଭେ ମଧୁଲିଟ,
ନିରପରାଧ ଅନୁରୋଧ ତୁଟ, କଞ୍ଜରୁ ଡେଇଁ କୂଟଜକୁ ଚାଟ।୧।

ପ୍ରତି ନିକୁଞ୍ଜେ ତାଳ ପହପଟ, ଅବଶେଷକୁ ସାକ୍ଷୀ ନଦୀତଟ,
ବ୍ରଜବଜାରେ ବସେ ଏହି ହାଟ, ପୁଣି ସାହସେ ନିୟମକୁ ହଟ।୨।

କି ମନ୍ତ୍ରେ କରାଇ ମନ ଉଚ୍ଚାଟ, ଚାଟୁ କହୁ କହୁ ତୋଟିକି କାଟ,
ବଚନ ସୁଧାସାର ପ୍ରତିଭଟ, ପେଟୁଟିଯାକ ନିପଟ କପଟ।୩।

ପ୍ରିୟାକୁ ପିନ୍ଧାଇ ସ୍ୱ ପୀତପଟ, ଆପେ ପିନ୍ଧିବା ତାହା ଲାଗିପଟ,
ଆହା ଏ ଗୁଣ କରିବାକୁ ସ୍ଫୁଟ, ଜଗତେ ଘଟିବେ ନାହିଁ ଯେ ଭାଟ।୪।

ହୋଇଗଲ କେଡ଼େ ଅକଲଛୋଟ, ଚନ୍ଦ୍ରକେ ଲାକ୍ଷା ଲାଗି ହେଲା ଛିଟ,
ଏରୂପେ ଯେବେ ସକଳ ପାଲଟ, ମନମଥ ପେଷି ଥିଲା କି ଥାଟ।୫।

ବୋଲାଅ ପରା ପ୍ରଣୟଲମ୍ପଟ, ଯେ କରେ ବିଶ୍ୱାସ ତାହାକୁ ଜଟ,
ଏ ରୀତିରୁ କେ ନ ବହିବ ରୁଟ, ଋଷି ତ ହେଲେ ଛିଣ୍ଡାଇବେ ଜଟ।୬।

ତୁମ୍ଭ ବୁଦ୍ଧିବଳ ପରା ନିରାଟ, ଜାଇ ଫିଙ୍ଗିଦେଇ ତୋଳ ତରାଟ,
ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ।୭।

ନୀପ ନିକୁଞ୍ଜ ଅବା କେତେ ବାଟ, ଶ୍ରମ ହୋଇଥିବ ବୋଲି ଉତ୍କଟ,
ଶ୍ରୀହସ୍ତେ ଚାଳି କୁସୁମ ଆଲଟ, କରପରା ଉରଃସ୍ଥଳକୁ ଖଟ।୮।

ହୃଦରେ ଲଦି ଯା ସ୍ତନ-ସମ୍ପୁଟ, ପିଅ ଯାହା ସ୍ୱାଦୁ ଅଧରପୁଟ,
ସେ ଶେଯେ କରି କଞ୍ଜଦଳକୂଟ, ବସିଛି ଗିଳିବାକୁ କାଳକୂଟ।୯।

ଆଉ ଯେ ହୁଅଇ ନାହିଁ ସେ ଲଟ, କିସ ହୋଇବ ହେଲେ ଛଟପଟ,
ଏତିକି ମୋ ପ୍ରାଣସଖୀର ଭେଟ, କାଳକୁ ହୋଇଲାଣି ଅନିକଟ।୧୦।

ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡ଼ିବାର ଘଟ,
ଯାହାର ଥିବ ତେଡ଼କି ଆକଟ, ଦେଖିବ ତୁମ୍ଭେ ତାହାରି ଶୁକଟ।୧୧।

କରଜର ମୁନେ ଚିରି କନ୍ୟାଟ, ଯେ ଦେଖି ଫୁଲୁଥାଏ ତୁମ୍ଭ ନାଟ,
ଯେ ତୁମ୍ଭ ଦରଶନ ଚିତ୍ରପଟ, ତା ସୁଖ ମୁଖେ ଛୁଟାଇଲ ଛାଟ।୧୨।

ଜାଣି ଯେ ଯିବାର ଯମୁନାଘାଟ, ଦେଖିବାକୁ ତାକୁ ଆଗେ ଝପଟ,
ବହ ଯାହାକୁ ରଚି ବାହାପଟ, କହ କି ଦୋଷୁ ନୁହଁ ତା ପଟ।୧୩।

ନିଶିତମ ହୋଇଥାଏ ବିକଟ, ଆସି ନଖେ ଠୁଙ୍କ ଯାହା କବାଟ,
ଯେ ତୁମ୍ଭ ସ୍ନେହବିଦ୍ୟା ବଡ଼ଚାଟ, କରି ଟିକି ତାକୁ ଏଡ଼େ କପଟ।୧୪।

ଜଳଦ ହୋଇଥାଏ ସର୍ବଘୋଟ, ଚପଳା ଖେଳୁଥାଇ ଝଟ ଝଟ,
ଦୂରୁ ଡାକୁଥାନ୍ତି ଯାମିକ ଭଟ, ଆସି ପରା ତୁମ୍ଭେ ତା ସେବା ଖଟ।୧୫।

କର ଆହୁରି ତୁମ୍ଭେ ସର୍ପଘଟ, କୁଞ୍ଜ ଖବର କହୁଛି କରଟ,
କ୍ଷଣେ ଯତନେ କଲେହେଁ ଆପଟ, ନ ବାସିଯାଏ କି ଚମ୍ପକପୁଟ।୧୬।

ଦେଖାଇ ମାମୁ ବୋଲି ଦ୍ୱିଜରାଟ, କାଲି ଦେଉଥିଲୁଁ ଯା ନେତ୍ରେ ଅଟ,
ତୁମେ ତ ସେହି ଶ୍ୟାମବନ୍ଧୁ ଅଟ, ଶିକ୍ଷା କଲ କାହୁଁ ଏତେ କପଟ।୧୭।

କାହିଁକି ଦେଲ ଏ ପ୍ରାଣ ସଙ୍କଟ, ନୋହୁଁ ବଳୀ ବକ କେଶୀ ଶକଟ,
କି ହେବ ଆଉ ହୋଇ ଭଟଭଟ, କର୍ମକୁ ଭର୍ମ ହେଲା ଅରକୂଟ।୧୮।

ଶୁଣି ଭଣିଲେ ହସି ନବ ନଟ, ଆନ ସଙ୍ଗ ମୋର ହଟ ଚମଟ,
ଏକା ତୋ ସଖୀ ଜୀବନ ମୁଁ ଘଟ, ତା ଜାଣେ ଅଷ୍ଟଦୁର୍ଗ ତୁରାସାଟ।

ଶିଖଣ୍ଡ ମୁକୁଟ, ଶିଖିଛ ଭଲା ଆଜନମୁଁ କୂଟ।୧୯।